• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଉତ୍କଳ ସାହିତ୍ୟର ଉନ୍ନତି
ଅନ୍ୟାନ୍ୟ

ଉତ୍କଳ ସାହିତ୍ୟର ଉନ୍ନତି

ରାଧାନାଥ ରାୟBy ରାଧାନାଥ ରାୟFebruary 17, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଉପସ୍ଥିତ ସଭ୍ୟ ମହୋଦୟଗଣ,

 

            ଏ ସଭାର ଅଥବା କୌଣସି ସଭାର ସଭାପତି ପଦ ସକାଶେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବିବେଚନା କରେ । ସଭାପତିର ଗୁଣମାନଙ୍କ ମଧ୍ୟରେ ବାକ୍ ପଟୁତା ଅପରିହାର୍ଯ୍ୟ ରୂପେ ଆବଶ୍ୟକ; ଏହା ସର୍ବବାଦିସମ୍ମତ କଥା । ଦୀର୍ଘକାଳସ୍ଥାୟୀ ଶ୍ୱାସଯନ୍ତ୍ରସ୍ଥ ପୀଡ଼ା ହେତୁରୁ ଏହି ସଦ୍ ଗୁଣ ଆୟତ୍ତ କରିବା ସକାଶେ ମୁଁ କେବେ ଚେଷ୍ଟା କରିନାହିଁ । ପୁଣି ବୟୋବୃଦ୍ଧି ସହିତ ସେ ପୀଡ଼ା ବର୍ଦ୍ଧିତ ହୋଇ ମୋତେ ନିତାନ୍ତ ଅକର୍ମଣ୍ୟ କରିଅଛି । ବିଶେଷତଃ ଏ ସଭାର ଇତିହାସ ଏବଂ ଅନୁଷ୍ଠାନାଦି ସମ୍ବନ୍ଧରେ ମୋହର ଜ୍ଞାନ ନିତାନ୍ତ ସୀମାବଦ୍ଧ । ଏହି କାରଣରୁ ସଭାପତିର ଆସନ ଗ୍ରହଣ କରିବା ସକାଶେ ମୁଁ ପୁନଃ ପୁନଃ ଅନିଚ୍ଛା ପ୍ରକାଶ କରିଥିଲି । କେବଳ ସ୍ଥୂଳ ଭାବରେ ମୋହର ମନ୍ତବ୍ୟ ମୁଁ ଲିପିବଦ୍ଧ କରିବି ଏବଂ ତାହା ଅପରକର୍ତ୍ତୃକ ସଭାରେ ପଠିତ ହେବ, ଏହି ଆଶ୍ୱାସ ପାଇ କେବଳ ବନ୍ଧୁମାନଙ୍କର ଅନୁରୋଧର ସମ୍ମାନ ରକ୍ଷା ନିମନ୍ତେ ମୁଁ ଏ ପଦ ଗ୍ରହଣ କରିଅଛି ।

 

            ଯେଉଁମାନେ ଏହି ସଭାରେ ଯୋଗଦାନ କରିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ସୁଶିକ୍ଷିତ ଏବଂ ସୁଯୋଗ୍ୟ ବ୍ୟକ୍ତି ଅଛନ୍ତି । ଉତ୍କଳ ସାହିତ୍ୟର ଉନ୍ନତି ସମ୍ବନ୍ଧରେ ମୋ ଅପେକ୍ଷା ସେମାନଙ୍କର ମନ୍ତବ୍ୟ ଅଧିକତର ମୂଲ୍ୟବାନ୍ ହୋଇଥାନ୍ତା, ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ସେମାନେ ବହୁକାଳ ଏହି ସଭାର ଅନୁଷ୍ଠାନାଦିରେ ଯୋଗଦାନ କରିଅଛନ୍ତି ଏବଂ ସଭାର ଉଦ୍ଦେଶ୍ୟ କି ଉପାୟରେ ସାଧିତ ହୋଇପାରେ, ସେ ବିଷୟରେ ମୋ ଅପେକ୍ଷା ଅଧିକ ଚିନ୍ତା କରିଅଛନ୍ତି । ସୁତରାଂ ମୋ ପରି ଅକର୍ମଣ୍ୟ ଆଳଙ୍କାରିକ ସଭାପତି ପରିବର୍ତ୍ତେ ସେମାନଙ୍କ ମଧ୍ୟରୁ କେହି ସଭାପତି ହୋଇଥିଲେ ତାଙ୍କଠାରୁ ଆପଣମାନେ ଯାହା ଶୁଣିଥାନ୍ତେ ତଦ୍ଦ୍ୱାରା ଆପଣମାନଙ୍କ ମୂଲ୍ୟବାନ୍ ସମୟର ଅପଚୟ ହୋଇନଥାନ୍ତା ।

 

            ବାବୁ ଅଭିରାମ ଭଞ୍ଜ, ବାବୁ ବିଶ୍ୱନାଥ କର ପ୍ରଭୃତିଙ୍କ ସାରଗର୍ଭ ବକ୍ତୃତା ପରେ ମୋହର ଅଧିକ କିଛି କହିବାର ନାହିଁ । କେବଳ ପ୍ରଚଳିତ ପ୍ରଥାନୁଯାୟୀ ମୁଁ ଅତି ସଂକ୍ଷିପ୍ତ ଭାବରେ ଦୁଇଚାରି କଥା କହିବି ।

 

            ଜାତିକୁ ଉନ୍ନତ କରିବାକୁ ହେଲେ ଉନ୍ନତ ଜାତୀୟ ସାହିତ୍ୟ ନିତାନ୍ତ ପ୍ରୟୋଜନୀୟ । ନବ୍ୟ ଶିକ୍ଷିତମାନଙ୍କ ମଧ୍ୟରେ ସମୟ ସମୟରେ ଏପରି ମତବାଦ ମଧ୍ୟ ଶୁଣାଯାଏ ଯେ, ସାହିତ୍ୟ ଚର୍ଚ୍ଚା କିମ୍ବା ସାହିତ୍ୟୋନ୍ନତିର ଚେଷ୍ଟାର ଆବଶ୍ୟକତା ନାହିଁ, ବିଜ୍ଞାନ ଆମ୍ଭମାନଙ୍କର ଏକମାତ୍ର ଶିକ୍ଷା ଏବଂ ଆଲୋଚନାର ବିଷୟ ହେବାର ଉଚିତ । ମୁଁ ଯଦିଚ ଜୀବନରେ ବିଜ୍ଞାନ ଚର୍ଚ୍ଚାର ସୁବିଧା ପାଇନାହିଁ, ସେଥିର ଫଳୋପଧାୟକତା ମୁଁ ଅବଶ୍ୟ ଉପଲବ୍ଧି କରିବାକୁ ସମର୍ଥ । ଏହା ଅବଶ୍ୟ ସ୍ୱୀକାର୍ଯ୍ୟ ଯେ, ପ୍ରତୀଚ୍ୟ ବିଜ୍ଞାନ ବିଶେଷତଃ ପ୍ରତୀଚ୍ୟ ଜଡ଼ବିଜ୍ଞାନର ଶିକ୍ଷା ଭାରତବର୍ଷୀୟ ଲୋକଙ୍କ ପକ୍ଷରେ କେବଳ ଯେ ବାଂଛନୀୟତାହା ନୁହେଁ, ପ୍ରତ୍ୟୁତ ଆନ୍ତର୍ଜାତିକ ଜୀବନସଂଗ୍ରାମରେ ଆତ୍ମରକ୍ଷା ସକାଶେ ଅପରିହାର୍ଯ୍ୟ ରୂପେ ପ୍ରୟୋଜନୀୟ । ମାତ୍ର ବିଜ୍ଞାନର ଦୋହି ଦେଇ ମୁଁ ସାହିତ୍ୟକୁ ଏକାବେଳକେ ଅଧଃକୃତ କରିବାକୁ ପ୍ରସ୍ତୁତ ନୁହେଁ । ଏକଦେଶଦର୍ଶୀ ହୋଇ ଯେଉଁମାନେ ସାହିତ୍ୟକୁ ଏହିପରି ଅଧଃକୃତ କରନ୍ତି, ସାହିତ୍ୟର ମୂଳ କେଉଁଠାରେ, ତାହା ସେମାନେ ସମ୍ପୂର୍ଣ୍ଣ ରୂପେ ବିସ୍ମୃତ ହୋଇଯାନ୍ତି । ମନୁଷ୍ୟ କେବଳ ମସ୍ତିଷ୍କବାନ୍ ନୁହେଁ, ମନୁଷ୍ୟର ଆତ୍ମା ଏବଂ ହୃଦୟ ମଧ୍ୟ ଅଛି । ସେହି ଆତ୍ମା ଏବଂ ହୃଦୟକୁ ସାହିତ୍ୟର ମୂଳ ସ୍ୱରୂପ ନିର୍ଦ୍ଦେଶ କରାଯାଇପାରେ । ଆତ୍ମା ଏବଂ ହୃଦୟର ଅସ୍ତିତ୍ୱ ଲୋପ ନହେବା ପର୍ଯ୍ୟନ୍ତ ସାହିତ୍ୟର ଲୋପ ହେବ ନାହିଁ, ଏହା ବୋଲିବାର ବାହୁଲ୍ୟ । ମସ୍ତିଷ୍କର କର୍ଷଣ ଏବଂ ଆତ୍ମା ଏବଂ ହୃଦୟର କର୍ଷଣ ଏ ଉଭୟର ସମବାୟ ପୂର୍ଣ୍ଣ ମନୁଷ୍ୟତା ଲାଭ ସକାଶେ ପ୍ରୟୋଜନୀୟ – ସୂକ୍ଷ୍ମଦର୍ଶୀ ବ୍ୟକ୍ତି ମାତ୍ରକେ ଏହା ସ୍ୱୀକାର କରିବେ ।

 

            ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ତାହାକୁ କୌଣସି ଇଉରୋପୀୟ ସାହିତ୍ୟ କିମ୍ବା ଆମ୍ଭମାନଙ୍କର ପ୍ରାଚୀନ ସଂସ୍କୃତ ସାହିତ୍ୟ ସହିତ ତୁଳନା କରିବା ବାତୁଳତା ମାତ୍ର । ତେବେ ଭାରତବର୍ଷର ଭିନ୍ନ ଭିନ୍ନ ପ୍ରଦେଶର ସାହିତ୍ୟ ସହିତ ଉତ୍କଳୀୟ ସାହିତ୍ୟର ତୁଳନା କିୟତ୍ ପରିମାଣରେ ସମ୍ଭବପର । ଏ ତୁଳନା ମଧ୍ୟ ଉତ୍କଳ ସାହିତ୍ୟର ଅନୁକୂଳ ନୁହେଁ । ବିଶେଷତଃ ଆଧୁନିକ ଉତ୍କଳ ସାହିତ୍ୟ ଆଧୁନିକ ବଙ୍ଗୀୟ କିମ୍ବା ହିନ୍ଦୀ ସାହିତ୍ୟର ନାନା ବିଷୟରେ ବହୁ ପଶ୍ଚାଦବର୍ତ୍ତୀ – ଏହା ନିର୍ବିବାଦରେ ବୋଲାଯାଇ ପାରେ । ବଙ୍ଗୀୟ ସାହିତ୍ୟର ତ କଥା ନାହିଁ, ହିନ୍ଦୀ ସାହିତ୍ୟ ମଧ୍ୟ ଯେପରି କ୍ଷିପ୍ର ଗତିରେ ଅଗ୍ରସର ହେଉଅଛି, ତାହାର ତୁଳନାରେ ଓଡ଼ିଆ ସାହିତ୍ୟକୁ ଜଡ଼ବତ୍ ସ୍ଥାଣୁ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ୍ଭମାନଙ୍କର ସାହିତ୍ୟାନୁରାଗର ଅଭାବ ଏହାର ଏକମାତ୍ର କାରଣ ଅଟେ । ଓଡ଼ିଆ ସାହିତ୍ୟର ଉନ୍ନତି ସକାଶେ ଆପାତତଃ ଆମ୍ଭମାନଙ୍କର ଯାହା କର୍ତ୍ତବ୍ୟ, ସେଥି ସମ୍ବନ୍ଧରେ ସ୍ଥୂଳରେ ବର୍ତ୍ତମାନ ମୁଁ ଦୁଇଚାରି କଥା କହିବାକୁ ଇଚ୍ଛାକରେ । ନିମ୍ନଲିଖିତ ଚାରୋଟି ଉପାୟ ଆମ୍ଭମାନଙ୍କର ଅବଲମ୍ବନୀୟ ।

 

                        ୧ । ସାଧାରଣ ଓଡ଼ିଆ ପୁସ୍ତକାଳୟ ସ୍ଥାପନ ଏବଂ ପ୍ରାଚୀନ ପାଣ୍ଡୁଲେଖ୍ୟ ସଂଗ୍ରହ ।

 

                        ୨ । ନବ୍ୟ ଲେଖକମାନଙ୍କ ଉତ୍ସାହ ସକାଶେ ଗୋଟିଏ ପାଣ୍ଠି ସଂସ୍ଥାପନ ।

 

                        ୩ । ଉତ୍କଳ ଭାଷାର ଇତିହାସ ପ୍ରଣୟନ ।

 

                        ୪ । ପ୍ରାଚୀନ ଉତ୍କଳ ସାହିତ୍ୟର ଆଲୋଚନା ।

 

            ଏହି ଚାରୋଟି ଉପାୟ ମଧ୍ୟରେ ପ୍ରଥମ ଏବଂ ଦ୍ୱିତୀୟ ଉପାୟ ସମଧିକ ଅର୍ଥସାପେକ୍ଷ । ସୁତରାଂ କୌଣସି ରାଜା କିମ୍ବା ବୃତ୍ତୀଶ୍ୱର ବ୍ୟତୀତ ଏହା ଅନ୍ୟଲୋକଦ୍ୱାରା ଅନୁଷ୍ଠିତ ହୋଇପାରିବ, ଏହା ମୋତେ ସମ୍ଭବପର ବୋଧ ହେଉନାହିଁ । ଆଜିକାଲି ରାଜା ଏବଂ ବୃତ୍ତିଶ୍ୱରମାନଙ୍କ ମଧ୍ୟରେ କଦାଚିତ୍ କାହାରି କାହାରି ସାହିତ୍ୟାନୁରାଗରେ ଯେପରି ଅଙ୍କୁରୋଦ୍ଗମ ଲକ୍ଷିତ ହେଉଅଛି, ସେଥିରୁ ଏପରି ଆଶା ହୁଏ ଯେ, ଆମ୍ଭମାନଙ୍କ ଜୀବଦ୍ଦଶାରେ ନ ହେଉ, ସୁଦୂର ଭବିଷ୍ୟତରେ ଏହା କେବେହେଲେ କାର୍ଯ୍ୟରେ ପରିଣତ ହେବାର ସୂତ୍ରପାତ ହେବ ।

 

            ପ୍ରାଚୀନ ଉତ୍କଳ ସାହିତ୍ୟର ଇତିହାସ ପ୍ରଣୟନ ମଧ୍ୟ ସହଜସାଧ୍ୟ ବ୍ୟାପର ନୁହେଁ । ବଙ୍ଗୀୟ ସାହିତ୍ୟ ଇତିହାସ ପ୍ରଣେତା ଶ୍ରୀ ଦୀନେଶ ଚନ୍ଦ୍ର ସେନଙ୍କ ସୁପ୍ରସିଦ୍ଧ ଗ୍ରନ୍ଥ ତାହାଙ୍କ ଜୀବନବ୍ୟାପୀ ପରିଶ୍ରମର ଫଳ । ଏ ପ୍ରଦେଶରେ ସେପରି ଅଧ୍ୟବସାୟର ନିତାନ୍ତ ଅଭାବ, ଯାହା ମଧ୍ୟ ଅଛି, ତାହାକୁ ଉତ୍ସାହ ଦେବାର ଲୋକ ନାହିଁ । ବଙ୍ଗୀୟ ରାଜା ଏବଂ ବୃତ୍ତୀଶ୍ୱରମାନେ ସ୍ୱଦେଶୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଆସ୍ଥାହୀନ ହୋଇସୁଦ୍ଧା ଯାହା କରିଅଛନ୍ତି, ଓଡ଼ିଶାରେ ସେଥିର ଶତାଂଶ ଆଶା କରାଯାଇନପାରେ । ଓଡ଼ିଶାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପଣ୍ଡିତ ଶ୍ରୀଯୁକ୍ତ ବାବୁ ଶ୍ୟାମସୁନ୍ଦର ରାଜଗୁରୁ, ବି. ଏ. ମହାଶୟ ଏ ବିଷୟରେ ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କର ଧନ୍ୟବାଦର୍ହ ହୋଇଅଛନ୍ତି । ମାତ୍ର ଏପରି ଦୁର୍ବହ ଭାର ତାହାଙ୍କ ଉପରେ ଅଥବା ଅପର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚଳିବ ନାହିଁ । ଖାଲି କଥାରେ ଚୁଡ଼ା ତିନ୍ତିବ ନାହିଁ । ଏପରି ବିଷୟରେ କଥା ଅପେକ୍ଷା ଅଧିକତର ସାରବାନ୍ ଉତ୍ସାହ ନିତାନ୍ତ ଲୋଡ଼ା । ସାଧାରଣଙ୍କ ଉଚିତ ଯେ, ସମବେତ ହୋଇ ତାହାଙ୍କୁ ଅଥବା ଅପର କୌଣସି ଯୋଗ୍ୟ ଲେଖକଙ୍କୁ ଏପରି ମହୋପକାରୀ ବିଷୟରେ ପର୍ଯ୍ୟପ୍ତ ଅର୍ଥ ସାହାଯ୍ୟ କରିବା । ଯେଉଁ ବ୍ୟକ୍ତି ଏହି ମହାବ୍ରତଧାରୀ ହେବେ ତାହାଙ୍କୁ କେତେ ପୁସ୍ତକ–ସଂଗ୍ରହ, କେତେ ଅଧ୍ୟୟନ, କେତେ ପର୍ଯ୍ୟଟନ, କେତେ ଗବେଷଣା, କେତେ ଚିନ୍ତା, କେତେ ପରିଶ୍ରମ କରିବାକୁ ହେବ, ତାହା ଆପଣମାନଙ୍କ ପରି ଜ୍ଞାତସାର ବ୍ୟକ୍ତିମାନଙ୍କୁ କହିବାର ବାହୁଲ୍ୟ । କେହି ଅବା କହିବେ ଯେ, ଏପରି ବିଷୟରେ ବ୍ୟକ୍ତିବିଶେଷକୁ କାହିଁକି ସାହାଯ୍ୟ ଦିଆଯିବ? ପ୍ରୟୋଜନ ଆୟୋଜନର (Demand and Supply) ନିୟମଦ୍ୱାରା ଏହା ମଧ୍ୟ ନିୟମିତ ହେବାର ଉଚିତ । ଯେ ପୁସ୍ତକ ସଙ୍କଳନ କରିବେ, ପୁସ୍ତକ କାଟତିଦ୍ୱାରା ସେ ପୁରସ୍କୃତ ହେବେ । ପୁସ୍ତକର ଯେବେ ସାଧାରଣରେ କାଟତି ନହେଲା ଏପରି ପୁସ୍ତକ ଲେଖିବାର ଆବଶ୍ୟକତା କଣ? ଇଉରୋପୀୟ ଆମଦାନୀ ଅର୍ଥନୀତିର ସୂତ୍ରଗୁଡ଼ିକ ଆମ୍ଭେମାନେ ସମୟ ସମୟରେ ଶୁଆପରି ଏହି ରୀତିରେ ଆବୃତ୍ତି କରିଥାଉଁ, ମାତ୍ର ପ୍ରକୃତ ପକ୍ଷରେ ଏଭଳି ଉକ୍ତି ଅର୍ଥନୀତିଜ୍ଞତାର ପରିଚାୟକ ନୁହେଁ, ବରଂ ଏହା ଆମ୍ଭମାନଙ୍କର ଅଜ୍ଞତା, ହୃଦୟହୀନତା ଏବଂ ବଦ୍ଧମୁଷ୍ଟିକତାର ପରିଚାୟକ । ଯେଉଁ ଇଉରୋପରୁ ଏହି ସୂତ୍ରଗୁଡ଼ିକର ଆମଦାନୀ ହୋଇଅଛି, ସେହି ଇଉରୋପ ପ୍ରୟୋଜନ ଏବଂ ଆୟୋଜନ ସମ୍ବନ୍ଧୀୟ ନିୟମର ଦ୍ୱାହି ଦେଇ ଜାତୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଔଦାସୀନ୍ୟ ଅବଲମ୍ବନ କରିନାହିଁ । ସେପରି ହୋଇଥିଲେ ନବ୍ୟ ଜର୍ମାନ ଏବଂ ଇଟାଲୀୟ ସାହିତ୍ୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପୃଥିବୀର ଗଣନୀୟ ସାହିତ୍ୟ ବୋଲି ପରିଗଣିତ ହୋଇ ନ ଥାନ୍ତା ।

 

            ପ୍ରାଚୀନ ଉତ୍କଳ ସାହିତ୍ୟ ଯେଉଁ ପରିମାଣରେ ଆମ୍ଭମାନଙ୍କର ଆଲୋଚନା କରିବା ଉଚିତ ଆମ୍ଭେମାନେ ତାହାର ଶତାଂଶ କରିନାହୁଁ । ଅନ୍ତତଃ ଏ ବିଷୟରେ ମୁଁ ମୋହର ନିଜର ତ୍ରୁଟି ଉତ୍ତମ ରୂପେ ଉପଲବ୍ଧି କରିଅଛି । ଏ ପ୍ରଦେଶରେ ବଙ୍ଗୀୟ ସାହିତ୍ୟ ପ୍ରଚାର ହୋଇ ପ୍ରଭୁତ ଶ୍ରେୟଃ ସହିତ ଅନିଷ୍ଟ ମଧ୍ୟ ସାଧିତ ହୋଇଅଛି । ଅନିଷ୍ଟ ସକାଶେ ବଙ୍ଗୀୟ ସାହିତ୍ୟ ଦାୟୀ ନୁହେଁ, ଆମ୍ଭେମାନେ ଦାୟୀ । ଭାରତବର୍ଷୀୟ ପ୍ରାଦେଶିକ ସାହିତ୍ୟର ଆଲୋଚନା ଆମ୍ଭମାନଙ୍କ ପକ୍ଷରେ ସୁଫଳୋପଧାୟକ, ଏହା ଅବଶ୍ୟ ସ୍ୱୀକାର୍ଯ୍ୟ, ମାତ୍ର ଆମ୍ଭମାନଙ୍କର ଅବକାଶର ଅଧିକାଂଶ ସମୟ ଉତ୍କଳ ସାହିତ୍ୟାଲୋଚନାରେ ବ୍ୟୟିତ ହେବାର ଉଚିତ । ବଙ୍ଗ ସାହିତ୍ୟ ଚର୍ଚ୍ଚାଦ୍ୱାରା ଆମ୍ଭମାନଙ୍କର ଜ୍ଞାନର ପ୍ରସାର ହୋଇଅଛି ସତ୍ୟ, ମାତ୍ର ମୌଳିକତା ବହୁ ପରିମାଣରେ ନଷ୍ଟ ହୋଇଅଛି । ଆଧୁନିକ ଉତ୍କଳ ସାହିତ୍ୟରେ ବଙ୍ଗୀୟ ସାହିତ୍ୟର କେବଳ ଭାବ ନୁହେଁ, ଭାଷା ମଧ୍ୟ ଅଯଥା ପରିମାଣରେ ପ୍ରବେଶ କରି ସେଥିର ବ୍ୟକ୍ତିଗତ ଭାବ ତ୍କମଶଃ ହୀନରୁ ହୀନତର କରି ପକାଉଛି । ସଭା ସମିତିର ଲିଖିତ ମନ୍ତବ୍ୟ ଶ୍ରୋତାମାନଙ୍କର ପ୍ରୀତିକର ହୁଏ ନାହିଁ । ଅଧିକନ୍ତୁ ତାହା ସେମାନଙ୍କର ଧୈର୍ଯ୍ୟକୁ ଦାରୁଣ ପରୀକ୍ଷାରେ ନିକ୍ଷିପ୍ତ କରେ । ଏହା ମୁଁ ଅବଶ୍ୟ ବୁଝିପାରୁଅଛି ଏବଂ ବୁଝିପାରି ଏହିଠାରେ ମୋହର ମନ୍ତବ୍ୟର ଉପସଂହାର ଏବଂ ଆପଣମାନଙ୍କୁ ମୋହର ଏହି ଅକିଞ୍ଚିତକର ଉକ୍ତି ଶ୍ରବଣରୁ ମୁକ୍ତି ପ୍ରଦାନ କଲି ।

Odia Story Radhanath Odia Story Radhanath Ray Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleପାର୍ବତୀ କାବ୍ୟର ଉପସଂହାର
Next Article ଖଣ୍ଡିଏ ପତ୍ର
ରାଧାନାଥ ରାୟ

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.