• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Udasina-Raja-Putra
ଗଳ୍ପ

Udasina-Raja-Putra

Liza SBy Liza SJuly 27, 2022No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Udasina-Raja-Putra
Odia-Story-Udasina-Raja-Putra
Share
Facebook Twitter Pinterest Reddit Email

ଯେତେବେଳେ ରାଜପୁତ୍ର ତୈମିୟଙ୍କୁ କୌଣସି ଉପାୟରେ ରାଜା କଥା କୁହାଇ ପାରିଲେ ନାହିଁ କି କୌଣସି ବିଷୟରେ ତାଙ୍କ ଭିତରେ ଆଗ୍ରହ ସଂଚାର କରିପାରିଲେ ନାହିଁ, ସେତେବେଳେ ରାଜା ଜ୍ୟୋତିଷଙ୍କୁ ଡକାଇଲେ ଓ ଧମକ ଦେଇ ତାଙ୍କୁ ପଚାରିଲେ: “ତମେ କହିଥିଲ ମୋ ପୁଅ ଜୀବନରେ କୌଣସି ଅଶୁଭ ଲକ୍ଷଣ ନାହିଁ । ବର୍ତ୍ତମାନ ଦେଖାଯାଉଛି ସେ ମୂକ, ବଧିର ଏବଂ ଓଲୁ । କିଛି ବୁଝିପାରେ ନାହିଁ । କୌଣସି ବିଷୟରେ ତା’ର କିଛି ଆଗ୍ରହ ନାହିଁ । ସିଏ ପଥର ଭଳି ଅଥର୍ବ । ତମେ ସେଭଳି ଭୁଲ୍ ଭବିଷ୍ୟତ୍ବାଣୀ କିପରି କରିଥିଲ?”

ଜ୍ୟୋତିଷ ଭୟଭୀତ ହୋଇ କହିଲେ, “ମହାରାଜ! ଆଜି ଆପଣଙ୍କୁ ସତ କଥା କହୁଛି । ହେଲେ ଆପଣ ମୋତେ ଆଉ ଦଣ୍ଡ ଦେବେନାହିଁ ତ?”

ରାଜା କହିଲେ “ନା, ନିର୍ଭୟରେ କୁହ । ତୁମକୁ ଦଣ୍ଡ ଦେଇ କ’ଣ ହେବ?”

ଜ୍ୟୋତିଷ କହିଲେ “ମହାରାଜ! ରାଜପୁତ୍ର ଯେତେବେଳେ ଜନ୍ମ ହେଲେ, ସେତେବେଳେ ଆପଣ ଉତ୍ସବରେ ମାତିଥିଲେ । ରାଜଧାନୀର ସବୁ ଲୋକେ ସେତେବେଳେ ଖୁସି । ଆପଣଙ୍କର, ରାଣୀଙ୍କର ତଥା ନଗରବାସୀଙ୍କ ସେ ଉତ୍ସାହ ଭାଙ୍ଗିଦେବାକୁ ମୋର ମନ ଗଲା ନାହିଁ । ତେଣୁ ମୁଁ ସତ୍ୟ ଗୋପନ କରିଥିଲି ।”

ରାଜା ପଚାରିଲେ “ଯେଉଁ ସତ୍ୟ ଗୋପନ କରିଥିଲ, ତାହା କ’ଣ?”

ଜ୍ୟୋତିଷ ତ ରାଜାଙ୍କଠାରୁ ଅଭୟ ପାଇଥିଲେ, ତେଣୁ କଣ୍ଠସ୍ୱର ନିମ୍ନ କରି ସେ କହିଲେ, “ମହାରାଜ! ଆପଣଙ୍କ ପାଖରେ ଜନ୍ମ ହୋଇଥିବା ଏ ପିଲା ଆପଣଙ୍କ ବିଖ୍ୟାତ ବଂଶର କଳଙ୍କ । ଏ ପିଲା ଆପଣଙ୍କ ପ୍ରତି ତଥା ମହାରାଣୀଙ୍କ ପ୍ରତି ଭୀଷଣ ଅଶୁଭ । ଆପଣ ଗୋଟାଏ କାମ କରନ୍ତୁ । ଆପଣଙ୍କର ଅନେକ ରଥ ଭିତରୁ ଯେଉଁ ଗୋଟିକ ଚଢି କୁଆଡେ ଗଲେ କାମ ବ୍ୟର୍ଥ ହୁଏ, ଅର୍ଥାତ୍ ଯେଉଁ ରଥ ଅଶୁଭ, ସେହି ରଥରେ ପିଲାକୁ ବସାଇ, ଅଶୁଭ ଘୋଡା ଯୋଖି ପଶ୍ଚିମ ଦ୍ୱାର ଦେଇ ତାକୁ ଶ୍ମଶାନକୁ ପଠାଇ ଦିଅନ୍ତୁ । ସେଠାରେ ଗୋଟାଏ ଗାତ ଖୋଳି ଏହି ପିଲାକୁ ତହିଁ ଭିତରକୁ ଠେଲି ଦେଇ ତାକୁ ପୋତି ଦିଆଯାଉ । ତାହାହେଲେ ଯାଇ ଏ ଅଶୁଭ କଟିଯିବ ।”

ରାଜପୁତ୍ରଙ୍କର ଚାଲିଚଳଣ ଓ କଥା ନ କହିବା ଦେଖି ରାଜା ପୂର୍ବରୁ ବହୁତ ବିରକ୍ତ ଓ ଦୁଃଖିତ ହୋଇଥିଲେ । ଏବେ ଜ୍ୟୋତିଷର କଥାରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ କଲେ ଓ ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି ମନେ ମନେ ସ୍ଥିର କଲେ ।

ଡମ୍ଫା ଜ୍ୟୋତିଷର ଏକଥା ରାଣୀ ଅନ୍ତରାଳରୁ ଶୁଣୁଥିଲେ । ଜ୍ୟୋତିଷର କଥା ଯେ ରାଜାଙ୍କୁ ଭଲ ଭାବରେ ପ୍ରଭାବିତ କରିଛି ରାଜାଙ୍କ ମୁହଁର ଭାବ ଦେଖି ତାହା ସେ ଅନୁମାନ କରିନେଲେ । ପୁତ୍ରର ଆଶୁ ମୃତ୍ୟୁ କଥା ଭାବି ତାଙ୍କର ହୃଦୟ ଶତଧା ବିଦୀର୍ଣ୍ଣ ହେଲା । ନିଜର ଆଧ୍ୟାତ୍ମ ବୁଦ୍ଧି ବଳରେ କିନ୍ତୁ ରାଣୀ ଜାଣି ପାରିଥିଲେ ଯେ ତାଙ୍କ ପୁଅ ଜଣେ ଯୋଗଜନ୍ମା । ମୌନ ହୋଇ ରହିଲେ ମଧ୍ୟ ଏକ ମହାନ୍ ଆତ୍ମା ଯେ ତାଙ୍କ ପୁଅ ହୋଇ ଜନ୍ମ ନେଇଛି ସେ ବିଷୟରେ ସେ ନିଃସନ୍ଦେହ ଥିଲେ । ଏଭଳି ଏକ ଶାନ୍ତ ଓ କୋମଳ ବାଳକ ପ୍ରତି ଏ ଦଣ୍ଡ ଅନ୍ୟାୟ ହେବ । ପୁଣି ମା’ର ହୃଦୟ ଏକଥା କିପରି ସହିବ । ପୁଅକୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ସେ ନାନା ଉପାୟ ଚିନ୍ତା କଲେ । ପୁଣି ଜ୍ୟୋତିଷ କଥା ଶୁଣିଛନ୍ତି ଓ ସେଥିପାଇଁ ପ୍ରତିକ୍ରିୟା ଦେଖାଉଛନ୍ତି ଶୁଣିଲେ ରାଜା ହୁଏତ ଅଧିକ ବିରକ୍ତି ହେବେ । ସେଥିପାଇଁ ସେ ପୁଅର ଦୀର୍ଘଜୀବନ ପାଇଁ ରାଣୀ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ଓ ନୀରବରେ ଖାଲି କାନ୍ଦିବାକୁ ଲାଗିଲେ । କିଛି ସମୟ ପରେ ସେ ଧୈର୍ଯ୍ୟ ଧରି ମନ ମଧ୍ୟରେ ନାନାକଥା ଚିନ୍ତା କରି ରାଜାଙ୍କର ଆଗମନକୁ ଅପେକ୍ଷା କରି ରହିଲେ ।
ରାଜା ଯେତେବେଳେ ଅନ୍ତଃପୁରକୁ ଆସିଲେ, ରାଣୀ ନିଜ ଅଶ୍ରୁ ଗୋପନ କରି କହିଲେ, “ଆପଣ ଥରେ ମୋତେ ବର ଦେବେ ବୋଲି କହିଥିଲେ । ମୁଁ ତାହା ପରେ ମାଗିନେବି ବୋଲି କହିଥିଲି । ବର୍ତ୍ତମାନ ମୋତେ ସେ ବର ଦିଆଯାଉ ।”

ରାଜା କହିଲେ “କ’ଣ ମାଗଛ ମାଗ ।”

ରାଣୀ କହିଲେ “ମୋ ପୁଅ ତୈମିୟକୁ ସିଂହାସନରେ ବସାନ୍ତୁ ।”

“ପାଗଳ! ଏହା କ’ଣ କେବେବି ସମ୍ଭବ ହୋଇ ପାରେ?”

ରାଣୀ ମିନତି କରି କହିଲେ “ଆଜୀବନ ନ ହେଉ, ସାତବର୍ଷ ପାଇଁ ତାକୁ ରାଜା କରାନ୍ତୁ ।”

ରାଜା ନିଜର ବାକ୍ୟ ରକ୍ଷା କରିବା ନିମନ୍ତେ ସାତଦିନ ପାଇଁ ତୈମିୟଙ୍କୁ ରାଜା କରିବାକୁ ରାଜି ହେଲେ । ରାଣୀ ତାଙ୍କ ପୁଅକୁ ସୁନ୍ଦର ବେଶ ଓ ଅଳଙ୍କାରରେ ଭୁଷିତ କରି କହିଲେ, “ବାପା! ଯିଏ ଯାହା କହୁନା କାହିଁକି, ମୋର ବିଶ୍ୱାସ ତୁ ଜଣେ ଜ୍ଞାନୀ । ତୁ ଏଥର ମୋ କଥାମାନି ସ୍ୱାଭାବିକ ଭାବରେ ଚଳ । ସିଂହାସନରେ ବସି ପ୍ରଜାଙ୍କ ମଙ୍ଗଳ ପାଇଁ ରାଜ୍ୟ ଶାସନ କର ।”

କିନ୍ତୁ ରାଜପୁତ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ ।

ଦିନ ଗଡି ଚାଲିଲା । ରାଣୀ କାନ୍ଦି କାନ୍ଦି ଅସ୍ଥିର ହେଲେ । ସପ୍ତମ ଦିନ ସନ୍ଧ୍ୟାବେଳେ ରାଜା ତାଙ୍କର ଜଣେ ସାରଥୀକୁ ଯାହା କରିବାକୁ ହେବ କହିଦେଲେ । ସେ ସାରଥୀ ରାଜାଙ୍କ ଆଦେଶ ଯାହା ହେଲେ ବି ତାହା ପାଳନ କରୁଥାଏ ।

ସକାଳେ ସାରଥୀ ରାଜପୁତ୍ରଙ୍କୁ ଟେକି ନେଇ ରଥରେ ବସାଇ ବାହାରିଗଲା । କିନ୍ତୁ ଭୁଲ୍ କରି ପଶ୍ଚିମ ଦ୍ୱାର ବାଟେ ନ ଯାଇ ପୂର୍ବ ଦ୍ୱାର ବାଟେ ଗଲା ଏବଂ ଶ୍ମଶାନରେ ନ ପହଁଚି ଗୋଟିଏ ସୁରମ୍ୟ ସ୍ଥାନରେ ଯାଇ ପହଁଚିଲା । ରଥ ଠିଆ କରାଇ ସେ ଯାଇ ଗାତ ଖୋଳିବାକୁ ଲାଗିଲା ।

ରାଜପୁତ୍ର ଏତେଦିନ ପରେ ରାଜପ୍ରାସାଦରୁ ମୁକ୍ତି ପାଇ ସୁନ୍ଦର ପ୍ରକୃତି କୋଳରେ ଉତ୍ଫୁଲ୍ଲ ଅନୁଭବ କଲେ । ସେ ରଥରୁ ଓହ୍ଲାଇ ବୁଲାବୁଲି କଲେ ଓ ସାରଥୀ ପଛରେ ଠିଆ ହୋଇ ପଚାରିଲେ, “ଗାତ କାହିଁକି ଖୋଳୁଛ?”

ସାରଥୀ ମୁଣ୍ଡ ନ ତୋଳି କହିଲା, “ସେ କଥା ଆଉ କାହିଁକି ପଚାରୁଛ! ମୋତେ ଗୋଟାଏ ଭୀଷଣ କାମ କରିବାକୁ ହେବ । ଅଥର୍ବ ଅଶୁଭ ରାଜପୁତ୍ରକୁ ଏଠି ପୋତି ଦେବାକୁ ହେବ ।”

ରାଜପୁତ୍ର ହସିଲେ ଓ ପଚାରିଲେ, “ରାଜପୁତ୍ର ଅଥର୍ବ ଓ ଅଶୁଭ ବୋଲି କିଏ ତମକୁ କହିଲା?”

ଏକଥା ଶୁଣି ସେ ସାରଥୀ ଚମକି ପଡିଲା । ଯେଉଁ କଥା କାହାକୁ କହିବାର ନୁହେଁ, ତାହା ସେ କହି ପକାଇଛି ବୋଲି ଅନୁତାପ କରି ପଛକୁ ବୁଲି ଅନାଇଲା । ଯାହାଙ୍କୁ ଦେଖିଲେ ସେ ରାଜପୁତ୍ର ଭଳି । କିନ୍ତୁ ରାଜପୁତ୍ର ତ ଏପରି ଭାବରେ ବୁଲିବାର ବା କଥା କହିବାର କେହି କେବେବି ହେଲେ ଦେଖି ନାହିଁ! ସେ ପଛକୁ ଚାହିଁ ରଥକୁ ଅନାଇଲା । ସେଥିରେ କେହି ନଥିଲେ ।

ସାରଥୀର ବିକଳ ଅବସ୍ଥା ଦେଖି ରାଜପୁତ୍ର ହସିଲେ ଓ କହିଲେ, “ତମର କୌଣସି ଭ୍ରମ ହୋଇ ନାହିଁ । ମୁଁ ହିଁ ରାଜପୁତ୍ର । କିନ୍ତୁ ତମେ ମୋତେ ପୋତିବା ଦରକାର ନାହିଁ । ମୁଁ ଆଉ ରାଜ ପ୍ରାସାଦକୁ ଫେରୁନାହିଁ କି କାହାରି ପ୍ରତି ଅଶୁଭ ହେବାର ପ୍ରଶ୍ନହିଁ ଉଠୁ ନାହିଁ!”

ସାରଥୀ ଅନେକ ସମୟ ପର୍ଯ୍ୟନ୍ତ ଆଉ କିଛି କଥା କହିପାରିଲା ନାହିଁ । ତା’ପରେ ରାଜପୁତ୍ରଙ୍କ ଗୋଡ ତଳେ ପଡିଯାଇ ସେ କହିଲା, “ମହାତ୍ମା! ଆପଣ ନଅରକୁ ଚାଲନ୍ତୁ ଓ ସିଂହାସନରେ ବସନ୍ତୁ ।”

ରାଜପୁତ୍ରରୂପୀ ବୋଧସତ୍ୱ କହିଲେ “ନା ବାବୁ! ପୂର୍ବ ଜନ୍ମରେ ଥରେ ରାଜା ହୋଇଥିଲି । ସେତେବେଳେ ଯାହା କରିଥିଲି, ସେଥିପାଇଁ ମୋତେ ନର୍କ ଭୋଗ କରିବାକୁ ପଡିଛି । ରାଜା ହେବି ନାହିଁ ବୋଲି ତ ଏତେ ଅଭିନୟ କଲି!”

ସାରଥୀ କହିଲା “ଆପଣଙ୍କ କଥା ଶୁଣି ମୋ ଭିତରେ ବି ବୈରାଗ୍ୟର ଉଦୟ ହୋଇଛି । ମୋତେ ଆପଣ ସାଥିରେ ନିଅନ୍ତୁ ।”

ରାଜପୁତ୍ର ପଚାରିଲେ “ତମେ ରାଜାଙ୍କ ରଥ ନେଇ ଆସିଛ । ତାହା ନ ଫେରାଇ କିପରି ମୋ ସହ ଆସିବ?”

ସାରଥୀ ପ୍ରତିଶୃତି ମାଗିଲା “ତେବେ ମୁଁ ରଥ ଫେରାଇ ଦେଇ ଆସିବା ଯାଏଁ ଆପଣ ଏଠାରେ ଅପେକ୍ଷା କରିବେ ତ?”

ବୋଧିସତ୍ୱ ସେଥିରେ ରାଜି ହେଲେ । ସାରଥି ଚାଲିଗଲା । ସେ ଖାଲି ରଥ ଧରି ଫେରିବାର ଦେଖି ରାଣୀ କାନ୍ଦି ଉଠିଲେ । କାରଣ ସେ ତ ଆଗରୁ ଶୁଣିଥା’ନ୍ତି ରାଜପୁତ୍ରଙ୍କୁ କି ଦଣ୍ଡ ଦିଆଯିବ । ସେ କଥା ଭାବି ସେ ହୃଦୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ, କାନ୍ଦି କାନ୍ଦି ତାଙ୍କର ଅବସ୍ଥା ଯେତେବେଳେ ଗୁରୁତର ହେଲା ସାରଥୀ ଆଉ ସହ୍ୟ କରି ପାରିଲା ନାହିଁ । ସେ ରାଣୀଙ୍କ ପାଖକୁ ଯାଇ କହିଲା, “ମା’ ଆପଣ ଧୈର୍ଯ୍ୟ ଧରନ୍ତୁ, ଆପଣଙ୍କ ପୁଅ ଜଣେ ମହାପୁରୁଷ । ତାଙ୍କର କୌଣସି ଅନିଷ୍ଟ କେହି ମଧ୍ୟ କରିପାରିବେ ନାହିଁ । ମୁଁ ବା କି ଛାର । ସେ ହସୁଛନ୍ତି, କଥା କହୁଛନ୍ତି ଏବଂ ସଶରୀରେ ଅଛନ୍ତି । ଏବେ ରାଜାଙ୍କୁ କୁହନ୍ତୁ ସେ ସେହି ମହାଜ୍ଞାନୀ ରାଜପୁତ୍ରଙ୍କୁ ଯାଇ ଦେଖା କରନ୍ତୁ । ମୁଁ ସିନା ତାଙ୍କୁ ମାରିଦେବାକୁ ନେଇଥିଲି କିନ୍ତୁ ତାଙ୍କର ଦିବ୍ୟ ଐଶ୍ୱରିକ ପ୍ରଭାବ ମୋ ପରି ଅଧମ ମନରେ ମଧ୍ୟ ଦିବ୍ୟ ଭାବ ଆଣି ଦେଇଛି; ସେ ପ୍ରେମମୟ, ଜ୍ଞାନୀ ମହାପୁରୁଷ । ମୁଁ କେଡେ ବଡ ପାପ କରିବାକୁ ଯାଉଥିଲି । ତାଙ୍କରି ଦୟାରୁ ସେ ଭୟଙ୍କର ପାପରୁ ମୁଁ ଆଜି ରକ୍ଷା ପାଇଲି । ଏବେ ରାଜାଙ୍କୁ ସବୁ କଥା କୁହନ୍ତୁ ଓ ଚାଲନ୍ତୁ ଦେଖିବେ ସେଇ ମହାନ୍ ପୁରୁଷଙ୍କୁ ।”

ରାଣୀ ଯାଇ ସଙ୍ଗେ ସଙ୍ଗେ ରାଜାଙ୍କୁ ସେସବୁ କଥା କହିଲେ । ରାଜାଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ସେ ଓ ରାଣୀ ସେହି ନିର୍ଜନ ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେଲେ । ସଙ୍ଗେ ସଙ୍ଗେ ପାତ୍ର ମିତ୍ରମାନେ ମଧ୍ୟ ବାହାରି ପଡିଲେ ।

ସେମାନେ ଦେଖିଲେ ସାରଥୀର କଥା ଆଦୌ ମିଛ ନୁହେଁ । ରାଜପୁତ୍ର ମୃଦୁ ହସି ବୁଲାବୁଲି କରୁଛନ୍ତି ।

ରାଜା ଯାଇ କହିଲେ, “ବାପା! ନଅରକୁ ଚାଲ । ରାଜ୍ୟ ଭାର ତମକୁ ଦେଇ ମୁଁ ନିଶ୍ଚିନ୍ତ ହୁଏ ।”

ବୋଧିସତ୍ୱ ନମ୍ର ଭାବରେ କହିଲେ “ନା, ମହାରାଜ । ମୁଁ ବୈରାଗୀ । ରାଜ୍ୟ ଭାର କିପରି ନେବି?”

ରାଜା ପୁଣି ବୁଝାଇ କହିଲେ “ବାପା! ମୁଁ ବରଂ ବୈରାଗୀ ହୋଇ ଏଠାରେ ରହୁଛି । ତମେ ରାଜ୍ୟ ସମ୍ଭାଳ!”

ବୋଧିସତ୍ୱ କହିଲେ “ଆପଣଙ୍କର ଇଚ୍ଛା ହେଲେ ଆପଣ ବୈରାଗୀ ହୋଇ ପାରନ୍ତି । କିନ୍ତୁ ଆଉ ଜଣେ ବୈରାଗୀକୁ ଆପଣ ସଂସାରୀ କରିବାକୁ କାହିଁକି ଚାହୁଁଛନ୍ତି? ରାଜ୍ୟ ଭୋଗରେ ମୋତେ ତିଳେ ମାତ୍ର ବି ସୁଖ ମିଳିବ ନାହିଁ । କୌଣସି କ୍ଷଣିକ ସୁଖ ସମ୍ପଦ ମୋତେ କେବେବି ସନ୍ତୋଷ ଦେଇ ପାରିବ ନାହିଁ । ଆପଣ ଯେପରି ମୂଳରୁ ରାଜା, ସେହିପରି ମୁଁ ମଧ୍ୟ ମୂଳରୁ ବୈରାଗୀ ।”

ବୋଧିସତ୍ୱଙ୍କ ବାଣୀ ରାଜା ଓ ଅମାତ୍ୟମାନେ ମୁଗ୍ଧ ହୋଇ ଶୁଣିଲେ । ଜୀବନ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ବଦଳିଗଲା । ସେମାନେ ବୋଧିସତ୍ୱଙ୍କ କଥାମାନି ସେଠୁ ଫେରିଗଲେ ସତ, କିନ୍ତୁ ସେମାନଙ୍କ ମନ ସଦା ସର୍ବଦା ବୋଧିସତ୍ୱଙ୍କ ପାଖରେହିଁ ରହିଲା । ସାରା ନଗରୀର ସମସ୍ତ ଲୋକେ ବାରମ୍ବାର ତାଙ୍କ ପାଖକୁ ଆସି ଉଭୟ ଜ୍ଞାନ ଓ ଶାନ୍ତି ଆହରଣ କରିବାକୁ ଲାଗିଲେ ।

New odia story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleShiba Purana
Next Article Buddhi o bibeka
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.