ଥରେ ଦେବର୍ଷି ନାରଦ ବିଶ୍ୱନିୟନ୍ତା ଈଶ୍ୱରଙ୍କୁ ଅନୁନୟ କଲେ— “ହେ ପ୍ରଭୁ, ତୁମର ମାୟା ମୋତେ ଦେଖାଅ, ଯାହା କି ଅସମ୍ଭବକୁ ସମ୍ଭବ କରିପାରେ ।“
ନାରଦଙ୍କର ଅନୁରୋଧ ଶୁଣି ଭଗବାନ ତାଙ୍କର ମାୟା ପ୍ରଦର୍ଶନ କରିବାପାଇଁ ସମ୍ମତି ଦେଲେ । ପରେ ନାରଦଙ୍କୁ ସଙ୍ଗରେ ନେଇ ସେ ଭ୍ରମଣ ଉଦ୍ଦେଶ୍ୟରେ ବାହାରି ଗଲେ । କିଛି ଦୂର ଯିବାପରେ ଭଗବାନଙ୍କୁ ଶୋଷ ହେଲା ଓ ସେ ଅତି କ୍ଳାନ୍ତି ଅନୁଭବ କଲେ । ତେଣୁ ସେ ବସିଯାଇ ନାରଦଙ୍କୁ କହିଲେ “ନାରଦ, ମୁଁ ତୃଷାର୍ତ୍ତ; ମୋ ପାଇଁ ଶୀଘ୍ର କେଉଁଠାରୁ ପାଣିମୁନ୍ଦାଏ ଆଣ ।” ସଙ୍ଗେ ସଙ୍ଗେ ନାରଦ ଜଳ ଅନ୍ୱେଷଣରେ ବାହାରି ଗଲେ ।
ନିକଟରେ ପାଣି ମିଳିଲା ନାହିଁ । ନାରଦ ବହୁତ ଦୂର ଚାଲିଯିବାପରେ ଗୋଟିଏ ନଦୀ ଦେଖିବାକୁ ପାଇଲେ । ନଦୀ ନିକଟରେ ପହଞ୍ଚି ଦେଖିଲେ, କୂଳରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ବସିଛି । ତା‘ର ରୂପ ସମ୍ଭାରରେ ନାରଦ ମୋହଗ୍ରସ୍ତ ହୋଇପଡ଼ିଲେ । ତା‘ ନିକଟକୁ ନାରଦ ଯିବାରୁ ସେ ତାଙ୍କୁ ଅତି ମଧୁର ଭାଷାରେ ସମ୍ବୋଧନ କଲା । ଅନତି ବିଳମ୍ବେ ଦୁହେଁ ପରସ୍ପରକୁ ଭଲପାଇ ବସିଲେ ।
ଶେଷରେ ନାରଦ ସେ ଯୁବତୀକୁ ବିବାହ କରି ଜଣେ ଗୃହୀ ଭାବରେ ଜୀବନ ଯାପନ କରିବାକୁ ଲାଗିଲେ । ସମୟକ୍ରମେ ଅନେକ ସନ୍ତାନ ମଧ୍ୟ ଲାଭ ହେଲା । ସ୍ତ୍ରୀ ଓ ପିଲାମାନଙ୍କ ସହିତ ଏହିପରି ସୁଖରେ କିଛିକାଳ ବାସ କରିବାପରେ ସେ ଦେଶରେ ମଡ଼କ ଆସିଗଲା । ଲୋକେ ପୋକ, ମାଛି ପରି ମୃତ୍ୟୁର କବଳରେ ପଡ଼ିଲେ । ନାରଦ ସେଠାରୁ ଅନ୍ୟତ୍ର ଚାଲିଯିବାପାଇଁ ସ୍ଥିର କଲେ । ତାଙ୍କର ସ୍ତ୍ରୀ ମଧ୍ୟ ଏଥିରେ ଏକମତ ହେଲେ । ତା‘ପରେ ସେମାନେ ପିଲାମାନଙ୍କୁ ସଙ୍ଗରେ ଧରି ଅନ୍ୟ ସ୍ଥାନକୁ ଚାଲିଲେ ।
ଭାଗ୍ୟର ବିଡ଼ମ୍ବନା । ସେମାନେ କିଛି ଦୂର ଯିବାପରେ ଗୋଟିଏ ନଦୀ ପାର ହେବାକୁ ପଡ଼ିଲା । ପୋଲ ଉପରେ ସେମାନେ ଯାଉଥିବା ସମୟରେ ହଠାତ ନଦୀରେ ଭୀଷଣ ବନ୍ୟା ମାଡ଼ିଆସିଲା । ଫଳରେ ନାରଦଙ୍କର ପିଲାମାନେ ଜଣକ ପରେ ଜଣେ ନଦୀର ଖରସ୍ରୋତରେ ଭାସିଗଲେ । ପରିଶେଷରେ ତାଙ୍କ ସ୍ତ୍ରୀ ମଧ୍ୟ ପାଣିରେ ଭାସି ଯାଇ ଭଉଁରିରେ ବୁଡ଼ି ମଲା ।
ନିଜର ଦୁର୍ଭାଗ୍ୟଯୋଗୁଁ ଦୁଃଖରେ ଅଭିଭୂତ ହୋଇପଡ଼ିଲେ ଦେବର୍ଷି । ନଦୀ କୂଳରେ ବସି ସେ ଶିଶୁ ଭଳି ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ଭଗବାନ ତାଙ୍କ ସମ୍ମୁଖରେ ଆବିର୍ଭୂତ ହୋଇ ଧୀର ସ୍ୱରରେ କହିଲେ— “ନାରଦ, ପାଣି କାହିଁ ? ଆଉ ତୁମେ ଏଠାରେ ବସି କାନ୍ଦୁଚ ଯେ ?”
ପ୍ରଭୁଙ୍କର ଆବିର୍ଭାବରେ ଦେବର୍ଷି ଇତସ୍ତତଃ ହୋଇଗଲେ । ତା‘ପରେ ସେ ସମସ୍ତ ଘଟଣା ହୃଦୟଙ୍ଗମ କରିପାରିଲେ । ରୁଦ୍ଧ କଣ୍ଠରେ ସେ କହିଲେ–“ହେ ପ୍ରଭୁ, ତୁମକୁ ମୋର ନମସ୍କାର ଏବଂ ତୁମର ମାୟାକୁ ଶହେ ନମସ୍କାର ।“