ବର୍ଷା ରାଗ – କଳହଂସକେଦାର
ପ୍ରସ୍ରବଣ–ଶଇଳେ କଲେ ବସତି ସୌମିତ୍ରି ସଙ୍ଗେ ପ୍ରଭୁ ରାଘବ–ପତି, ବହଇ ଗୋଦାବରୀ ସେ ଗିରି–ପାଦେ ଶିଳାବନ୍ଧୁର–ଶେଯେ ଝର୍ଝର ନାଦେ ।
ଏକେ ସୁନ୍ଦର ଗିରି ଝର–ଶିରାଳ, ଦୁଜେ ମହୀରେ ବିଜେ ବରଷାକାଳ; ମେଘମାଳେ ମେଦୁର ଦେଖି ବିତାନ, କହନ୍ତି ଲକ୍ଷ୍ମଣଙ୍କୁ ଶ୍ରୀ ରଘୁରାଣ –
“ଲକ୍ଷ୍ମଣ, ଘନ ଦେଖି ନାଚଇ କେକୀ, ଭକତ ଯଥା ଭବମାୟା ଉପେକ୍ଷି; ବିତରେ ଅକାତରେ ଜୀବନ ଘନ, ଧନ୍ୟ ଯେ ଦାତା ଜାଣେ ଯାଚକ–ମନ ।
ନୀଳ ନୀରଦମାଳେ ଖେଳେ ଚପଳା, ଖଳପୀରତି ପ୍ରାୟେ ସଦା ଚପଳା; ବର୍ଷନ୍ତି ମହୀମୁଖେ ନଇଁ ଅମ୍ୱୁଦେ, ବିଦ୍ୟା ସମ୍ପଦେ ଯଥା ନମନ୍ତି ବୁଧେ ।
ବେନି କୋଟିକି ନିହି ବେନି ଶିଖରେ, ତ୍ରିବର୍ଣ୍ଣ–ଜ୍ୟୋତି–ସ୍ରୋତ ସୃଜି ଅମ୍ୱରେ, ମଣ୍ଡେ ଜୀମୂତ–ଭାଲ ଶକ୍ର–କାର୍ମ୍ମୁକ, ଆଶା ଉଜଳେ ଯଥା ଆସ୍ତିକ–ମୁଖ ।
ଠାବେ ଠାବେ ଶଇଳ–ନୀଳବିଗ୍ରହେ ଧବଳ ଅଭ୍ରଖଣ୍ଡ କି ଶୋଭା ବହେ । ଚିତ୍ତେ ହୁଅଇ ପ୍ରତେ ପଡିଛି ଟିକି କ୍ଷୀରୋଦ–ଫେଣ ବିଷ୍ଣୁ ଅଙ୍ଗେ ଛିଡିକି ।
ଜଳପ୍ରପାତ ଗର୍ଜି ଗଭୀର ରବେ ତୁଙ୍ଗ ଭୃଗୁରୁ ଡେଇଁ ପଡେ ଭୈରବେ, ସେ ରାବେ ପ୍ରତିରାବ ଦିଅଇ ଦରୀ, ଧର୍ମ୍ମଶାସନେ ହୃଦୁଁ ବିବେକ ପରି ।
ସହନ୍ତି ଧାରା–ପାତ ଶଇଳଗଣ, ଖଳ ବଚନ ଯଥା ସହେ ସୁଜନ; ଫିଟିଛି ଝର, ଦେଖ ଟାଙ୍ଗର–ଅଙ୍ଗେ, ପାଷାଣ୍ଡେ ହରି–ପ୍ରେମ ଯଥା ସୁସଙ୍ଗେ ।
ଚାଲନ୍ତି କୂଳ ଲଙ୍ଘି ଗିରି–ସରତେ, ମତ୍ତ ପାମର ଯଥା ଅଳପ ବିତ୍ତେ, ଗୋଦାବରୀକି ସର୍ବେ କରନ୍ତି ଗତି, ମହତ–ଆଶ୍ରା ବିନୁ କାହିଁ ମୁକତି ?
ଆବିଳ ନବଜଳ ପରଶି ମହୀ, ମାୟାରେ ଜୀବ ଯଥା ଜଡି ହୁଅଇ, ନିରତେ ନୀର–ପାତେ ପୁରିଲା ସର ସାତ୍ତ୍ୱିକ–ଗୁଣେ ଯଥା ସାଧୁ–ଅନ୍ତର ।
ନିମ୍ନଗା–ନୀର ବେଗେ ସାଗରେ ଧାଏଁ, ଶାଶ୍ୱତେ ଭକ୍ତ ଜନ ମନ ପରାୟେ; ସାଗରେ ନିଜ ଗୋତ୍ର ଯାଏ ବିସ୍ମରି, ଭକ୍ତ ତନ୍ମୟ ଯଥା ଲଭିଲେ ହରି ।
ଉପୁଡି ପଡେ ତୀର–ବିଟପୀ ନୀରେ, ବିଟପୀ ମନ ଯଥା ଲମ୍ପଟ–ଗିରେ, ମାତ୍ର ଶଇଳ, ଦେକ, ଉଭା ଅଟଳେ, କାମି–ଚାଟୁରେ ସତୀ ମନ କି ଟଳେ ?
ଲଙ୍ଘଇ ନଦୀସ୍ରୋତ ସେତୁବନ୍ଧନ, ରାଜଦ୍ରୋହୀ ଯେସନ ରାଜଶାସନ; ବହି ଯାଉଛି ବାରି ଭେଦି କିଆରୀ, ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ର–ନାରୀ ।
ଦର୍ଦ୍ଦୁର–ରବ ଶୁଣି ନୀରବ ପିକ, ମୂଢ଼ ସଭାରେ ମୂକ ଯଥା ଧାର୍ମିକ; ଡାହୁକ ବଂଶକୁଞ୍ଜେ ନିରତେ ରାବେ, ବହୁଭାଷୀ ଯେସନ ଜଳ୍ପେ ସ୍ୱଭାବେ ।
ହରିତ ଦୁର୍ବାଦଳେ ହୋଇ ମଣ୍ଡନ, ନିଦାଘ ରୁକ୍ଷ ମହୀ ଦିଶେ ଯତନ, ସରସ ସାଧୁ ହୃଦ ହୁଏ ଯେପରି, ଶୁଷ୍କ ବୈରାଗ୍ୟେ ଭକ୍ତିରସ ସଞ୍ଚରି ।
ପଲ୍ଲବ କଅଁଳିଲା ବୃକ୍ଷେ ଅନେକ, ସାଧକ–ହୃଦେ ଯଥା ଉଦେ ବିବେକ, ଅର୍କ–ପାଦପ ହେଲା ପତ୍ରବିହୀନ, ସୌରାଜ୍ୟେ ଖଣ୍ଟେ ଯଥା ହୁଅନ୍ତି ଦୀନ ।
କଦମ୍ୱ ବିକଶିଲା ଗିରି–କାନନେ, କଦମ୍ୱ–ବନ୍ଧୁ–ମେଘ–ମନ୍ଦ୍ର ନିଃସ୍ୱନେ; ଭକତବନ୍ଧୁ ହରିନାମ କୀର୍ତ୍ତନୁ, ହର୍ଷେ ପୁଲକେ ଯଥା ଭକତ ତନୁ ।
ଗୁଳ୍ମ ଗହଳେ ପଥ ଗଲାଟି ହରି, ବିଧର୍ମୀ–ରାଜପଣେ ଶାସ୍ତ୍ର ଯେପରି; ଶସ୍ୟେ ବସୁଧା କେଡେ ଶୋଭା ଆସ୍ପଦ, ଉପକାରୀ ଜନର ଯେହ୍ନେ ସମ୍ପଦ ।
ଉଭେଇ ଗଲେ ନଭୁଁ ଜ୍ୟୋତିଷ୍କଗଣେ; ଜ୍ୟୋତି ଦେଖାଇ ହେଲେ ଜ୍ୟୋତିରିଙ୍ଗଣେ, ମୂର୍ଖରାଜ୍ୟେ ଯେସନ ବଢ଼େ ଆଦର ନିର୍ଗୁଣେ, ଗୁଣିଜନେ ହୁଅନ୍ତି ପର ।
କୃଷକେ ଉପାଡନ୍ତି ବାଳୁଙ୍ଗା କ୍ଷେତୁଁ, ସାଧୁ ଯେସନ ଆତ୍ମବଡ଼ିମା ଚେତୁଁ; ସଲିଳୁଁ ପଳାଇଲେ କୋକେ ତ୍ୱରିତେ, ଅବୁଝା ରାଜା ରାଜ୍ୟୁଁ ଯଥା ପଣ୍ଡିତେ ।
ନ ଉଠେ ନୀର–ସତ୍ତ୍ୱେ ତୃଣ ଉଷରେ, ବିକାରେ କାମ ପ୍ରାୟେ ସନ୍ଥ–ଅନ୍ତରେ; ଜନ୍ତୁ–ସଂକୁଳ ବନସ୍ଥଳୀ ସମ୍ପ୍ରତି, ସୌରାଜ୍ୟେ ପ୍ରଜାପୂର୍ଣ୍ଣ ରାଷ୍ଟ୍ର ଯେମିତି ।
ବାଟୋଇ ଠାବେ ଠାବେ ଅଟକି ରହେ, ଇନ୍ଦ୍ରିୟ ଯଥା ଦିବ୍ୟଜ୍ଞାନ ଉଦୟେ, ପ୍ରବଳ ବାୟୁ କେବେ ତଡ଼େ ଜଳଦ, କୁପୁତ୍ର ଯଥା କୁଳ–ଧର୍ମ, ସମ୍ପଦ ।
କ୍ଷଣେ ନିବିଡ଼ତମ ଗ୍ରାସଇ ଧରା କ୍ଷଣେ ଉପୁଜେ ପୁଣି ପ୍ରଚଣ୍ଡ ଖରା, କୁସଙ୍ଗ ଏହିପରି ସୁସଙ୍ଗ ନାଶେ, ସୁସଙ୍ଗ ଏହିପରି ଜ୍ଞାନ ପ୍ରକାଶେ ।
ଦେଖ, ମଳିନ ହୋଇ ଆଶ୍ରମ ସର ନ ବହେ ହୃଦେ ଛବି ତୀର ବନର, ମତିକି କଳୁଷିତ କଲେ ଯେସନେ ଅକ୍ଷମ ଜନେ ପର ଗୁଣ ଗ୍ରହଣେ ।
ଦେଖ ଦେଖ ଅଗ୍ରତେ ସରସୀ–ଜଳେ ପଡି ମଣ୍ଡୁକ କ୍ରୁର ଅହି କବଳେ ବିକଳେ ରାବୁଁ ରାବୁଁ, ଊର୍ଦ୍ଧ୍ୱେ ଉଡ୍ଡୀନ ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।
କାଳ କବଳେ ସିନା ଏ ରୂପେ ଭାଇ, ଆରତେ ନର ଘାରି ହେଉଣ ଥାଇ, ତେବେହେଁ ମନାସଇ ଲଭି ଏ ଦଶା ମେଣ୍ଟାଇବାକୁ ଭବ–ଭୋଗ–ଲାଳସା ।
ବରଷାକାଳ ଅଟେ ଉଦ୍ଭିଦ–ମିତ୍ର, ମାତ୍ର ପଙ୍କଜ ମଲା, ନୁହେଁ ବିଚିତ୍ର ! ଜଳ–ଗହଳ ହେଲା ତା ପକ୍ଷେ ଯମ, ଅତି ସମ୍ପଦ, ବାବୁ, ମହାବିଷମ ।”