(ପଦ୍ମପାଦ ଏବଂ ପିଙ୍ଗଳ ଭଲ୍ଲୁକ ପର୍ବତ ଘାଟି ଭିତରେ ବହମାନ ନଦୀ ତୀରରେ ଆସି ପହଁଚିଗଲେ । ନଦୀ ଶୁଖାଇବା ନିମନ୍ତେ ପଦ୍ମପାଦ ଧ୍ୟାନସ୍ଥ ହେଲେ ଏବଂ ଜପ କରିବାକୁ ଲାଗିଲେ । ପିଙ୍ଗଳ ଗଦା ହସ୍ତେ ତାଙ୍କୁ ପୈଶାଚିକ ଶକ୍ତିମାନଙ୍କ କବଳରୁ ରକ୍ଷା କଲେ । କ୍ରମେ ନଦୀ ଜଳ ଶୁଖିଗଲା । ନଦୀ ଭିତରୁ ମନ୍ଦିରର ଚୁଡା ଦେଖାଗଲା । ଆଉ ତା’ପରେ)
ଧ୍ୟାନ ତୁଟିବାରୁ ପଦ୍ମପାଦ ମନ୍ଦିର ଆଡେ ଦୃଷ୍ଟିପାତ କଲେ । ମନ୍ଦିରର ଗୋଟିଏ କଡରେ ମହାମାୟଙ୍କର ଦୁଇଜଣ ଶିଷ୍ୟ ଠିଆ ହୋଇ ରହିଥିଲେ । ପଦ୍ମପାଦ ସେ ଦୁହିଁଙ୍କୁ ପାଖକୁ ଆସିବାକୁ ସଙ୍କେତ ଦେଲେ । ସେମାନେ ଧିରେ ଧିରେ ପଦ୍ମପାଦଙ୍କ ପାଖକୁ ଆସିଲେ ଓ ତାଙ୍କୁ ପ୍ରଣାମ କଲେ ।
ପଦ୍ମପାଦ କହିଲେ “ତମେ ଦୁହେଁ ମୋର ନିର୍ଦ୍ଧେଶ ପାଳନ କରିଛ । ସେଥିପାଇଁ ମୁଁ ବହୁତ ପ୍ରସନ୍ନ । ଏଣିକି ଯୁଆଡେ ଇଚ୍ଛା ଯାଅ ।”
ମହାମାୟଙ୍କ ଶିଷ୍ୟ ଦୁଇଜଣ ପରସ୍ପର ପରସ୍ପରକୁ ଅନାଇଲେ । ତା’ପରେ ସେ ଦୁହିଁଙ୍କ ଭିତରୁ ଜଣେ କହିଲେ, “ହେ ମହାତାନ୍ତ୍ରିକ । ଆପଣଙ୍କ ନିର୍ଦ୍ଧେଶ ଆମେ ଯଥାସାଧ୍ୟ ପାଳନ କରିଛୁ । ଏଥର ଆମକୁ ମନ୍ତ୍ରର ପ୍ରଭାବରୁ ମୁକ୍ତ କରନ୍ତୁ ।”
ପଦ୍ମପାଦ ହସି ହସି କହିଲେ, “ଯେ ପର୍ଯ୍ୟନ୍ତ ମୋ କାମ ପୁରା ନ ହୋଇଛି, ସେ ପର୍ଯ୍ୟନ୍ତ ତମ ଦୁହିଁଙ୍କୁ ଏଠାରୁ ମୁକ୍ତି ଦେବାର କୌଣସି ପ୍ରଶ୍ନହିଁ ଉଠୁନାହିଁ । ମୁଁ ଜାଣେ, ତମେମାନେ ସାଧାରଣ ପ୍ରେତ ପିଶାଚ ନୁହଁ । ତୁମ ଗୁରୁଙ୍କ ସମାଧିରୁ ଆମର କେତେକ ସାମଗ୍ରୀ ଲୋଡା । ସେସବୁ ସଂଗ୍ରହ ହୋଇ ସାରିବା ମାତ୍ରେ ତମେମାନେ ମୁକ୍ତି ପାଇଯିବ ।”
ମହାମାୟଙ୍କର ଦୁଇ ଶିଷ୍ୟଙ୍କ ଚେହେରା ଫିକା ପଡିଗଲା । ସେମାନେ ପୁଣି ପଦ୍ମପାଦଙ୍କୁ ପ୍ରଣାମ କରି କାନ୍ଦ କାନ୍ଦ ହୋଇ କହିଲେ, “ମହାଶୟ, ଆମେ ଦୁହେଁ ଆପଣଙ୍କ ଦାସାନୁଦାସ । ଯେତେବେଳଠୁଁ ଆପଣ ଆମକୁ ମନ୍ତ୍ର ଦ୍ୱାରା ବଶ କଲେଣି, ସେତେବେଳଠୁଁ ଆମକୁ ମୁଠିଏ ହେଲେବି ଦାନା ମିଳିନାହିଁ । ଆମେ ବଡ କଷ୍ଟ ପାଇଲୁଣି ।”
ସେ ଦୁଇଜଣଙ୍କ ଅବସ୍ଥା ଦେଖି ପିଙ୍ଗଳ ମନରେ ଦୟାର ଉଦ୍ରେକ ହେଲା । ସେ କିଛି କହିବାକୁ ଯାଉଛି, ପଦ୍ମପାଦ ସେ ଦୁହିଁଙ୍କୁ କହିଲେ, “ମୁଁ ତମେ ଦୁହେଁ ଭୋଖିଲା ଥିବା କଥା ଜାଣେ । କିନ୍ତୁ ତମକୁ ମନ୍ତ୍ରର ପ୍ରଭାବରୁ ମୁକ୍ତି ଦେବା ମାତ୍ରେ ତମେ ଦୁହେଁ ପ୍ରଥମେ ଆମକୁହିଁ ଖାଇ ପକାଇବ, ସେକଥା ମଧ୍ୟ ମୋତେ ଠିକ୍ ଜଣା ଅଛି ।”
ଦୁହେଁ ବଡି ବଡି କରି କହିଲେ “ଆପଣଙ୍କ ଭଳି ମହାତାନ୍ତ୍ରିକଙ୍କର ଆମେ ବା ପୁଣି କି କ୍ଷତି କରିପାରିବୁ?”
ପଦ୍ମପାଦ ପିଙ୍ଗଳ ହାତରୁ ଗଦା ନେଇ ହସି ହସି କହିଲେ, “ଆଚ୍ଛା, ତମେ ମଣିଷକୁ ଛାଡି ଆଉ ଯେ କୌଣସି ପ୍ରାଣୀକୁ ଖାଇ ନିଜର କ୍ଷୁଧା ନିବାରଣ କରିପାର । ସେଥିପାଇଁ ତୁମକୁ କୌଣସି ଏକ ପ୍ରାଣୀ ବନାଇଦେବା । କି ପ୍ରାଣୀ ହେବାକୁ ଚାହୁଁଛ କୁହ ।” ସେମାନଙ୍କ ତରଫରୁ ପିଙ୍ଗଳ କହିଲା, “ଏ ଦୁହିଁଙ୍କୁ ହାତୀ ବନାଇ ଦିଅନ୍ତୁ ଆଜ୍ଞା; ତାହାହେଲେ ଆରାମରେ ବଣଯାକ ବୁଲି ଯେତେ ମନ ସେତେ ଗଛଲତା ଖାଇବେ ।”
ଦୁଇଜଣଯାକ ଚିତ୍କାର କରି କହିଲେ, “ନାହିଁ, ନାହିଁ! ନିରାମିଷ ଭୋଜନ ଆମ ଦେହ ପାଇଁ ବିଷ ସଦୃଶ । ଆମକୁ ମାଂସ ଖାଇବାକୁ ପଡିବ ।”
“ଠିକ୍ ଅଛି । ତେବେ ତମ ଦୁହିଁଙ୍କୁ ମୁଁ ବାଘ ସିଂହ ବନାଇ ଦେଉଛି ।” ଏହା କହି ପଦ୍ମପାଦ ଜଣକ ମୁଣ୍ଡରେ ଗଦା ଛୁଆଇଁ ଦେଲେ । ସେ ଚାହୁଁ ଚାହୁଁ ସିଂହ ବନିଗଲା । ତା’ପରେ ସେ ଅନ୍ୟ ଜଣକ ମୁଣ୍ଡରେ ଗଦା ଛୁଆଇଁ ଦେବା ମାତ୍ରେ ସେ ବାଘ ବନିଗଲା ।
ବାଘ ସିଂହ ଦୁହିଁଙ୍କ ପିଠିରେ ହାତ ବୁଲାଇ ଦେଇ ପଦ୍ମପାଦ ପୂର୍ବଦିଗକୁ ସଙ୍କେତ କରି କହିଲେ, “ତମେ ଦୁହେଁ ସେପଟ ବଣ ଭିତରକୁ ଚାଲିଯାଅ । ଆହାର ଅଭାବ ହେବ ନାହିଁ ।”
ଦୁଇ ନୂତନ ପଶୁ ଭୀଷଣ ଗର୍ଜନ ଛାଡି ପୂର୍ବଦିଗ ଅଭିମୁଖେ ଦୌଡି ଦୌଡି ଚାଲିଗଲେ ।
ପିଙ୍ଗଳ ପଦ୍ମପାଦ ଆଡେ ଅନାଇ ସନ୍ଦେହପୂର୍ଣ୍ଣ କଣ୍ଠରେ ପଚାରିଲା “ଏ ଦୁହେଁ ଆମର ଆଉ କିଛି କ୍ଷତି କରିପାରିବେ ନାହିଁ ତ?”
“ଏ ଦୁହେଁ କୌଣସି ମଣିଷର କ୍ଷତି କରିପାରିବେ ନାହିଁ । ତା’ଛଡା ଦୁହେଁ ଏପର୍ଯ୍ୟନ୍ତ ମୋ ମନ୍ତ୍ରର ପ୍ରଭାବରେ ରହିଛନ୍ତି । ତେଣୁ ଭୟ କରିବାର କୌଣସି କାରଣ ନାହିଁ ।” ପଦ୍ମପାଦ କିଛି ସମୟ ପର୍ଯ୍ୟନ୍ତ ବଣ ଭିତରକୁ ପଶିଯାଉଥିବା ସେ ଦୁଇ ପଶୁଙ୍କୁ ଅନାଇ ରହି ତା’ପରେ କହିଲେ, “ପିଙ୍ଗଳ, ଆମେ ଆମ ଲକ୍ଷ୍ୟ ହାସଲ ଦିଗରେ ଯେତିକି ଅଧିକ ଅଗ୍ରସର ହେଉଥିବା, ଆମକୁ ସେତିକି ଅଧିକ ସତର୍କ ରହିବାକୁ ପଡିବ । ଆମ କାର୍ଯ୍ୟ ବିଫଳ କରିବା ସଙ୍ଗେ ସଙ୍ଗେ ଆମକୁ ପ୍ରାଣରୁ ମାରିଦେବା ନିମନ୍ତେ ଆମର ଶତ୍ରୁମାନେ ଟାକି ରହିଛନ୍ତି । ଏ ପର୍ଯ୍ୟନ୍ତ ସବୁ କାମ ଅତି ସହଜରେ ହୋଇଛି ସିନା, କିନ୍ତୁ ଭବିଷ୍ୟତ ବହୁ ଜଟିଳ ପରୀକ୍ଷାର ସମୟ । ସାହସ ଓ ସତର୍କତା – ଏ ଦୁଇ ବନ୍ଧୁହିଁ ମନ୍ଦିରରେ ପହଁଚିବା ଦିଗରେ ଆମର ସହାୟତା କରିପାରିବେ । ଯଦି ଭୟର ସାମାନ୍ୟ ଆଭାସ ଆମ ଭିତରେ ଦେଖାଦେବ, ତେବେ ଆମର ମୃତ୍ୟୁ ନିଶ୍ଚିତ । କିନ୍ତୁ ଆମେ ଯଦି ନିର୍ଭୟରେ ଆମ କାର୍ଯ୍ୟରେ ଅଗ୍ରସର ହେବା, ତେବେ ଶତ୍ରୁ ଯେତେ ଚତୁର ହେଉ ନା କାହିଁକି, ସେ ଆମର କୌଣସି ବି କ୍ଷତି କରିପାରିବ ନାହିଁ । ଚାଲ, ଅତି ସାବଧାନ ହୋଇ ଆମେ ଆମ ଅଭିଯାନର ନୂତନ ପର୍ଯ୍ୟାୟ ଆରମ୍ଭ କରିବା ।”
ଦୁହେଁ କେଇ ପାଦ ଆଗକୁ ଯିବା ପରେ ପଦ୍ମପାଦ ପଚାରିଲେ, “ଆଚ୍ଛା, ଭଙ୍ଗା ମନ୍ଦିରର ଶିଖର ଦେଶ ତମେ ଦେଖି ପାରୁଛଟି?”
ପିଙ୍ଗଳ ମୁଣ୍ଡ ହଲାଇ କହିଲା, “ହଁ ।”
ପଦ୍ମପାଦ କହିଲେ “ଭଲ କଥା । ସେ ମନ୍ଦିର ଭିତରେ ଥିବା ମହାମାୟଙ୍କ ସମାଧିରେ ତମକୁ ଏକା ଯାଇ ପହଁଚିବାକୁ ପଡିବ । ସେଥିପାଇଁ ତମକୁ ଛଅଗୋଟି ଦ୍ୱାର ଅତିକ୍ରମ କରିବାକୁ ହେବ । ପ୍ରତି ଦ୍ୱାରକୁ ଗୋଟାଏ ଗୋଟାଏ ଭୀଷଣ ରାକ୍ଷସ ଜଗିଛନ୍ତି । ସେମାନେ ତମକୁ ମାରି ଦେବାକୁ ଚେଷ୍ଟା କରିବେ । ତମର ନିର୍ଭୟତାହିଁ ତମର ଏକମାତ୍ର ରକ୍ଷାକବଚ ହେବ । ଥରେ ଯଦି ତମେ ଡରିଯିବ, ତେବେ ଆମର ଲକ୍ଷ୍ୟ ତ ବ୍ୟର୍ଥ ହେବ, ସଙ୍ଗେ ସଙ୍ଗେ ଆମର ପ୍ରାଣ ବି ଯିବ ।”
ପିଙ୍ଗଳଙ୍କ ଦୃଷ୍ଟି ମନ୍ଦିରର ଶିଖର ଦେଶରେ ନିବଦ୍ଧ ଥିଲା । କିନ୍ତୁ ସେ ଗଭୀର ମନଯୋଗ ସହକାରେ ପଦ୍ମପାଦଙ୍କ କଥା ଶୁଣୁଥିଲେ ।
ପଦ୍ମପାଦ ପୁଣି କହିଲେ, “ପିଙ୍ଗଳ! ଆମେ ଯାଇ ମନ୍ଦିର ପାଖରେ ପହଁଚିବା ମାତ୍ରେ ତମକୁ ଛାଡି ମୁଁ ଅଲଗା ହୋଇଯିବି । ତମେ ଯଦି ମନ୍ଦିରର ପ୍ରଥମ ଦ୍ୱାରଟି ଖୋଲିଦେବ, ତେବେ ବାକି ଦ୍ୱାର ସବୁ ଖୋଲିବା ସହଜ ହୋଇଯିବ । ତମେ ମହାମାୟଙ୍କ ସମାଧି ପାଖରେ ପହଁଚିଯିବ ।”
ପଦ୍ମପାଦ ଓ ପିଙ୍ଗଳ ଯାଇ ମନ୍ଦିର ପାଖରେ ପହଁଚିଲେ ।
ମନ୍ଦିରର ପ୍ରଥମ ଦ୍ୱାର ଆଡେ ଅନାଇ ପିଙ୍ଗଳ ସ୍ତବ୍ଧ ହୋଇ ଠିଆ ହେଲା । ସେ ଦ୍ୱାର ଭୟଙ୍କର ଦିଶୁଥିଲା । କବାଟ ଉପରେ ଭୟଙ୍କର ମୂର୍ତ୍ତି ଖୋଦାଇ ହୋଇଥିଲା । କବାଟ ଦେହରେ ଗୁଡାଇ ହୋଇ ଗୋଟାଏ ବିଶାଳ ନାଗ ରହିଥିଲା ।
ପଦ୍ମପାଦ ସେ ସାପ ଆଡେ ପିଙ୍ଗଳର ଦୃଷ୍ଟି ଆକର୍ଷଣ କରି କହିଲେ, “ପିଙ୍ଗଳ, ତମେ ଭୟ ନକରି ଏ ସାପକୁ ଦୁଇଥର ଛୁଇଁଦିଅ । ଦ୍ୱାର ସେପଟରୁ କୌଣସି ଭୟଙ୍କର ଆକୃତି ତମକୁ କିଛି ପ୍ରଶ୍ନ ପଚାରିବ । ନିର୍ଭୟରେ ତମେ ତା’ର ଉତ୍ତର ଦେବ! ତୁମେ ତୁମ ପରିଚୟ ଦେବା ମାତ୍ରେ ଦ୍ୱାର ଖୋଲିଯିବ ।”
ପଦ୍ମପାଦ ଏତିକି କହି ନୀରବ ରହିଲେ ।
ପିଙ୍ଗଳ ଉତ୍ସୁକ ହୋଇ ପଚାରିଲେ “ତାପରେ ମୋତେ କ’ଣ କରିବାକୁ ପଡିବ?”
ପଦ୍ମପାଦ କହିଲେ “ପିଙ୍ଗଳ! ତା’ପରେ କ’ଣ ହେବ, ସେକଥା ଯଦି ମୁଁ କହିବି, ତେବେ ମୋ ମନ୍ତ୍ରଶକ୍ତି ପୁରାପୁରି ନଷ୍ଟ ହୋଇଯିବ । ତମେ ନିଜେ ନିଜ ବୁଦ୍ଧି ଦ୍ୱାରା ପରିଚାଳିତ ହୋଇ ଯାହା କରିବାର କରିବ । ଖାଲି ସେଇ ଗୋଟାଏ କଥା ମନେ ରଖ: କଦାପି ଭୟଭୀତ ହେବ ନାହିଁ । ମହାମାୟର ସମାଧି ପାଖରେ ଯାଇ କ’ଣ କରିବାକୁ ହେବ, ସେକଥା ଅବଶ୍ୟ ତମେ ଜାଣ ।”
ପିଙ୍ଗଳ ଦମ୍ଭପୂର୍ଣ୍ଣ କଣ୍ଠରେ କହିଲା, “ପଦ୍ମପାଦ! କୌଣସି ଭୟଙ୍କର ଚେହେରା ଦେଖି ଡରିଯିବା ମଣିଷ ମୁଁ ନୁହେଁ । କିନ୍ତୁ ଛଳ କପଟ କରୁଥିବା ଶକ୍ତି ଆଉ କେହି ଏଠାରେ ନାହଁନ୍ତି ତ?”
ପିଙ୍ଗଳକୁ ଉତ୍ସାହ ଦେଇ ପଦ୍ମପାଦ କହିଲା “ଛଳ କପଟ ବିନା ମଧ୍ୟ ଆମର ଅନିଷ୍ଟ କଲାଭଳି ଶକ୍ତି ତ ବହୁତ ଅଛନ୍ତି । ତେବେ ଯାହା କହିଲି, ସାହସହିଁ ଏକମାତ୍ର ଭରସା । ଯଦି ଥରେ ତୁମେ ମହାମାୟଙ୍କ ସମାଧି ପାଖରୁ ଆମ ଇପ୍ସିତ ବସ୍ତୁ ନେଇ ଆସି ପାରିବ, ତେବେ ପୃଥିବୀରେ ତମେ ସବୁଠାରୁ ବଳି ଧନୀ ଓ କ୍ଷମତାବାନ୍ ହୋଇ ପାରିବ । ତୁମର ଯାହା ଇଚ୍ଛା, ତାହା କରିପାରିବ । ତୁମର ସବୁ କାମନା ପୂର୍ଣ୍ଣ ହୋଇଯିବ । ଦୁନିଆକୁ ତୁମେ ତୁମ ହାତମୁଠାରେ ରଖିପାରିବ । ଆଜି ସେହି ଅପୂର୍ବ ସୁଯୋଗ ଆମ ପାଖକୁ ଆସିଛି ।”
“ମୁଁ ସମସ୍ତ ବାଧାବିଘ୍ନ ଆଗରେ ଅବିଚଳିତ ରହିବାକୁ ପ୍ରସ୍ତୁତ ।” ପିଙ୍ଗଳ ଦୃପ୍ତ କଣ୍ଠରେ ଏହା କହି ମନ୍ଦିରର ଦ୍ୱାର ଆଡେ ଅଗ୍ରସର ହେଲା ।
ପଦ୍ମପାଦ ପଛକୁ ହଟି ଆସିଲେ ।
ପିଙ୍ଗଳ ଦ୍ୱାର ପାଖରେ ପହଁଚି ସେ ଭୀଷଣ ସାପକୁ ଦୁଇଥର ଛୁଇଁଦେଲା । ସେଯାଏଁ ଫଣା ତୋଳି ଗର୍ଜନ କରୁଥିବା ସେ ସାପ ସଙ୍ଗେ ସଙ୍ଗେ ଚୁପ୍ ହୋଇଗଲା ଓ ଫଣା ପ୍ରତ୍ୟାହାର କଲା । କିନ୍ତୁ ସଙ୍ଗେ ସଙ୍ଗେ କବାଟ ସେପାଖରୁ କର୍କଶ କଣ୍ଠରେ କାହାରି ପ୍ରଶ୍ନ ଶୁଭିଲା: “ମହାମାୟଙ୍କ ସମାଧିର ପ୍ରଥମ ଦ୍ୱାର ପର୍ଯ୍ୟନ୍ତ ଆସିଯିବା ଏ ଲୋକଟି କିଏ? ଏହାର ପରିଣତି କେଡେ ଭୟାବହ ସେକଥା ଜଣା ଅଛି?”
ପିଙ୍ଗଳ ବିନା ସଙ୍କୋଚରେ ଉତ୍ତର ଦେଲା, “ମୋ ନାମ ପିଙ୍ଗଳ । ଘର ମୋର ଅବନ୍ତୀ ନଗରୀରେ । ପଦ୍ମପାଦ ହେଲେ ମୋ ଗୁରୁ ।”
“ତମ ଗୁରୁ କିଏ ସେଥିରେ କିଛି ଯାଏ ଆସେ ନାହିଁ । ତମେ ଯଦି ଅବନ୍ତୀ ନଗରୀର ପିଙ୍ଗଳ, ତେବେ ତମ ପାଇଁ ଦ୍ୱାର ଖୋଲି ଦେଉଛି ।” ଏ ସ୍ୱର ଶୁଭିବା ସଙ୍ଗେ ସଙ୍ଗେ ଦ୍ୱାର ଖୋଲିଗଲା । ଭିତରୁ ଚକ୍ଚକ୍ କରୁଥିବା ତରବାରୀ ହାତରେ ଧରି ଜଣେ କଳା ମଣିଷ ଠିଆ ହୋଇଥିବାର ଦେଖାଗଲା ।
ପିଙ୍ଗଳ ଦ୍ୱାର ଅତିକ୍ରମ କଲା । ସେ ଉଦ୍ୟତ ତରବାରୀ ତଳକୁ ଆସିଯିବା ମାତ୍ରେ ସେ ଭୀଷଣାକାର ବ୍ୟକ୍ତି କହିଲା, “ଯଦି ପ୍ରକୃତରେ ତମେ ସେହି ଅବନ୍ତୀ ନଗରୀର ପିଙ୍ଗଳ, ତେବେ ତମେ ମୁଣ୍ଡ ବଢାଇ ଦିଅ । ଏକା ଚୋଟରେ ତମ ମୁଣ୍ଡ ଗଣ୍ଡି ସବୁ ମୁଁ ଅଲଗା ଅଲଗା କରିଦିଏ ।”
ପ୍ରାଣ ଗଲେ ବି ପଛଘୁଂଚା ଦେବା ଠିକ୍ ହେବ ନାହିଁ ବୋଲି ବିଚାର କରି ପିଙ୍ଗଳ ନିଜ ମୁଣ୍ଡ ବଢାଇ ଦେଲେ । ତତ୍କ୍ଷଣାତ୍ ସେ ଲୋକ ହାତରୁ ତରବାରୀ ଖସି ପଡିଲା । କଟା ଗଛ ଭଳି ନିଜେ ଲୋକଟି ମଧ୍ୟ ତଳେ କଚାଡି ହୋଇ ପଡିଲା ।
ଏ ଘଟଣାରେ ପିଙ୍ଗଳର ସାହସ ଆହୁରି ବଢିଗଲା । ସେ ପ୍ରଥମ ଦ୍ୱାର ଅତିକ୍ରମ କରି ଦ୍ୱିତୀୟ ଦ୍ୱାର ପାଖରେ ଯାଇ ପହଁଚିଲା । ଜଣେ ତ୍ରିଶୂଳଧାରୀ ଘୋଡାସବାର୍ ସେ ଦ୍ୱାରକୁ ପହରା ଦେଉଥିଲା । ପିଙ୍ଗଳକୁ ଦେଖିବା ମାତ୍ରେ ସେ ତାକୁ ଲକ୍ଷ୍ୟ କରି ତ୍ରିଶୁଳ ଉଂଚାଇଲା ।
ପିଙ୍ଗଳ ଦୃଢ କଣ୍ଠରେ କହିଲା, “ମୁଁ ଅବନ୍ତୀ ନଗରବାସୀ ପିଙ୍ଗଳ । ମୋତେ ବାଟ ଛାଡ ।” ଏହା କହି ସେ ଅଗ୍ରସର ହେଲା । ଆଶ୍ଚର୍ଯ୍ୟର କଥା, ସେ ଘୋଡାସବାର୍ ତଳେ କଚାଡି ହୋଇ ପଡିଲା । ଚାହୁଁ ଚାହୁଁ ଆପଣାଛାଏଁ ସେ କବାଟ ମଧ୍ୟ ଖୋଲିଗଲା ।
ସେଥିରେ ପିଙ୍ଗଳର ସାହସ ଆହୁରି ବଢିଗଲା । ସେ ଯାଇ ତୃତୀୟ ଦ୍ୱାର ସାମ୍ନାରେ ଉପସ୍ଥିତ ହେଲା ।
ତୃତୀୟ ଦ୍ୱାର ପାଖରେ ଜଣେ ଧନୁର୍ଦ୍ଧାରୀ ପିଙ୍ଗଳ ଆଡେ ତୀର ଉଦ୍ୟତ କରି ଠିଆ ହୋଇଥାଏ । କିନ୍ତୁ ପିଙ୍ଗଳର ଗତି ମନ୍ଥର ହେଲା ନାହିଁ । ସେ ଆଗେଇ ଗଲା । ଧନୁର୍ଦ୍ଧାରୀର ତୀର ତା’ ହାତରେହିଁ ରହିଲା । ସେ ତଳେ ଗଡି ପଡିଲା । ଦ୍ୱାର ଆପଣାଛାଏଁ ଖୋଲିଗଲା । ପିଙ୍ଗଳ ତୃତୀୟ ଦ୍ୱାର ଅତିକ୍ରମ କରି ଚତୁର୍ଥ ଦ୍ୱାର ଆଡେ ଅଗ୍ରସର ହେଲା ।
ଚତୁର୍ଥ ଦ୍ୱାର ପାଖରେ ଦୁଇଟି ଗଣ୍ଡା ଭୀଷଣ ଗର୍ଜନ କରୁଥିଲେ । ପିଙ୍ଗଳ ସେଠାରେ ପହଁଚିବା ମାତ୍ରେ ସେ ଗଣ୍ଡା ଦୁଇଟି ତାକୁ ଆକ୍ରମଣ କରିବାକୁ ଝପଟି ଆସିଲେ । ପିଙ୍ଗଳ ପଛଘୁଂଚା ନଦେଇ ଗଣ୍ଡା ଦୁଇଟି ଲାଗି ଆସିବା ମାତ୍ରେ ସେମାନଙ୍କୁ ସେ ଛୁଇଁ ଦେଲା । ତା’ ସ୍ପର୍ଶ ପାଇବା ମାତ୍ରେ ସେହି ଗଣ୍ଡା ଦୁଇଟି ଜଳି ପାଉଁଶ ହୋଇଗଲେ । ସଙ୍ଗେ ସଙ୍ଗେ କବାଟ ବି ଖୋଲିଗଲା । ପିଙ୍ଗଳ ଚତୁର୍ଥ ଦ୍ୱାର ଅତିକ୍ରମ କଲା ।
ଅଦୂରରେ ପଞ୍ଚମ ଦ୍ୱାର ଦେଖାଗଲା । ତାକୁ ଗୋଟାଏ ବିଚିତ୍ର ପ୍ରାଣୀ ଜଗିଥିଲା । ତା’ ଦେହର ପଛ ଅଂଶ ଗୋଟାଏ ସିଂହ ସମାନ, ଆଗ ଅଂଶ ଗରୁଡ ସମାନ । ପିଙ୍ଗଳ ତାକୁ ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ । ସେ ପ୍ରାଣୀ ନିଜ ଡେଣା ହଲାଇ ପିଙ୍ଗଳକୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥାଏ ।
ପିଙ୍ଗଳ ଗମ୍ଭୀର ଭାବରେ କହିଲା, “ମୁଁ ଅବନ୍ତୀ ନଗରୀର ପିଙ୍ଗଳ । ମୋ ଆଗରୁ ତୁମେ ହଟିଯାଅ ।” ଏହା କହି ସେ ଆଗକୁ ଅଗ୍ରସର ହେଲା ।
ଗରୁଡ-ସିଂହ ବିଦୀର୍ଣ୍ଣ ହୋଇଗଲା । ତା’ ଦେହାଂଶ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡିଲା । କବାଟ ବି ଖୋଲିଗଲା । ପିଙ୍ଗଳ ପଞ୍ଚମ ଦ୍ୱାର ଅତିକ୍ରମ କଲା । ଆଗରେ ଷଷ୍ଠ ଦ୍ୱାର ଦେଖାଗଲା ।
ଏହି ଦ୍ୱାରଟି ପାରିହେବା ମାତ୍ରେ ସେ ମହାମାୟଙ୍କ ସମାଧି ପାଖରେ ଯାଇ ପହଁଚିଯିବ । ସେଠାରୁ ଅଙ୍ଗୁରୀୟ, ବଜ୍ରଛୁରୀକା ତଥା ଭୂଗୋଳ ଭଳି ଗୋଟିଏ ଦୁର୍ଲଭ ବସ୍ତୁ ମିଳିବା କଥା । ସେତକ ହସ୍ତଗତ ହେଲେ କାର୍ଯ୍ୟ ସିଦ୍ଧି । ପିଙ୍ଗଳ ଉତ୍ସାହଭରେ ଆସି ସେ ଦ୍ୱାର ପାଖରେ ପହଁଚିଲା ।
କିନ୍ତୁ ଷଷ୍ଠ ଦ୍ୱାର ପାଖରେ ସିଏ ଯାହା ଦେଖିଲା, ସେଥିରେ ସେ ମୁହୂର୍ତ୍ତକ ସକାଶେ କିଂକର୍ତ୍ତବ୍ୟବିମୁଢ ଅନୁଭବ କଲା । କାରଣ ସେଠାରେ ଖୋଦ୍ ପଦ୍ମପାଦ ଗଦାହସ୍ତେ ଠିଆ ହୋଇଥିଲେ । କିନ୍ତୁ ପିଙ୍ଗଳ ନିଜକୁ ସମ୍ଭାଳି ନେଇ ଅଗ୍ରସର ହେଲା । ଭୟଙ୍କର କଣ୍ଠରେ କେହି ପ୍ରଶ୍ନ କଲା, “ତୁମେ କିଏ? ସେଇଠି ରୁହ ।”
ପିଙ୍ଗଳ ବୁଝିଲା, ତାକୁ ଭ୍ରମରେ ପକାଇବା ନିମନ୍ତେ କୌଣସି ପିଶାଚହିଁ ପଦ୍ମପାଦର ରୂପ ଧରି ଠିଆ ହୋଇଛି ।
କିନ୍ତୁ ସେତିକିବେଳେ ସେ ଲୋକ ଗଦା ବୁଲାଇଲା । ଗଦା ଚମକି ଉଠିବା ମାତ୍ରେ ପିଙ୍ଗଳ ପଛକୁ ହଟି ଆସିଲା । ସଙ୍ଗେ ସଙ୍ଗେ କାହାର ଆବାଜ୍ ଶୁଭିଲା: “ଇଏ ଅବନ୍ତୀ ନଗରୀର ପିଙ୍ଗଳ ନୁହେଁ । ଏହାକୁ ଧରି ବାହାରକୁ ଫୋପାଡିଦିଅ ।”
ପର ମୁହୂର୍ତ୍ତରେ ତା’ ପିଠିରେ ଓ ମୁଣ୍ଡରେ ଲାଠି ପାହାର ବସିବାକୁ ବସିଲା । ସବୁ ଦ୍ୱାର ଚଟାପଟ ବନ୍ଦ ହୋଇଗଲା । ଏଣେ ପିଙ୍ଗଳ ମଧ୍ୟ ଭୟରେ ଥରିବାକୁ ଲାଗିଲା ।
ତା’ର ମନେ ହେଲା ସେ ସତେ ଅବା ଆକାଶରୁ ଖସି ଖସି ତଳକୁ ଆସୁଛି – ତଳେ ସତେ ଅବା ତାକୁ ଧରି ପକାଇବାକୁ ପଦ୍ମପାଦ ପ୍ରସ୍ତୁତ ।