• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Tini-Tantrika
ଗଳ୍ପ

Tini-Tantrika

Liza SBy Liza SJuly 30, 2022No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Tini-Tantrika
Odia-Story-Tini-Tantrika
Share
Facebook Twitter Pinterest Reddit Email

ଜଳଦସ୍ୟୁ କପ୍ତାନର ଜାହାଜକୁ ଅନ୍ୟ ଗୋଟିଏ ଦସ୍ୟୁ ଜାହାଜ ଆକ୍ରମଣ କରିବାକୁ ବସିବାରୁ କପ୍ତାନ ପିଙ୍ଗଳ ସମେତ ନିଜର ସବୁ ଗୁଲାମଙ୍କୁ ମୁକ୍ତ କରିଦେଲା । ଗୁଲାମମାନେ ତା’ ପାଇଁ ଯୁଦ୍ଧ କରିବେ, ଏଇଆ ତା’ର ଉଦ୍ଧେଶ୍ୟ ଥିଲା । କିନ୍ତୁ ପିଙ୍ଗଳର ନେତୃତ୍ୱରେ ଗୁଲାମମାନେ ବିଦ୍ରୋହ କଲେ । କପ୍ତାନର ମୃତ୍ୟୁ ହେଲା । ଦୁଇ ଜାହାଜ ଭୀଷଣ ଭାବରେ ପରସ୍ପର ଧକ୍କା ଖାଇଲେ । ପିଙ୍ଗଳ ଛିଟିକି ଅଥଳ ସମୁଦ୍ରରେ ପଡିଲା । ତା’ପରେ –

ସମୁଦ୍ରରେ ପଡି ପିଙ୍ଗଳ ପ୍ରଥମେ ପାଣି ଭିତରକୁ ଚାଲିଗଲା । ତା’ପରେ ଭାସି ଉଠି ଚତୁର୍ଦ୍ଦିଗକୁ ଅନାଇ ସେ ଦେଖିଲା, ଦୁଇଟିଯାକ ଜାହାଜ ଖଣ୍ଡ ଖଣ୍ଡ ହୋଇ ଯାଇଛନ୍ତି । ପ୍ରବଳ ପବନରେ ପାଲମାନ ଛିନ୍ନବିଛିନ୍ନ ହୋଇ ଇତସ୍ତତଃ ଉଡିଯାଉଛନ୍ତି । ଦୁଇ ଜାହାଜର ଯାତ୍ରୀମାନେ ପ୍ରଚଣ୍ଡ ଲହରୀ ଉପରେ ଭାସି ରହିବାର ଚେଷ୍ଟା କରି ଆର୍ତ୍ତନାଦ କରୁଛନ୍ତି । ଯେପରି କି ସେମାନଙ୍କୁ ହିଂସ୍ର ବାଘଭାଲୁ ଖାଇ ପକାଉଛନ୍ତି!

ପିଙ୍ଗଳ ଆଖପାଖରେ ସ୍ଥଳ ଭାଗ ଥିବାର କୌଣସି ଲକ୍ଷଣ ଦେଖିଲା ନାହିଁ । କେତେ ସମୟ ସେ ନିଜ ବାହୁ ପିଟି ପିଟି ପାଣି ଉପରେ ଭାସି ରହି ପାରିବ? ଜାହାଜ ଭାଙ୍ଗିଯିବା ଫଳରେ ସେଥିରେ ଥିବା ଛୋଟ ଛୋଟ କେତେଖଣ୍ଡି ନୌକା ମଧ୍ୟ ବାତ୍ୟା ଯୋଗୁଁ ବୁଡି ଯାଇଥିଲେ ବୋଲି ମନେ ହେଉଥିଲା । ସେ ନିଜ ଜୀବନର ଆଶା ଛାଡିଦେଲା । ଦସ୍ୟୁମାନେ ବୁଡିବା ଯୋଗୁଁ ସେ ଯେପରି ସନ୍ତୋଷ ଲାଭ କରୁଥିଲା, ହତଭାଗ୍ୟ ଗୁଲାମମାନେ ବି ସମଦଶା ଭୋଗୁଥିବା ଯୋଗୁଁ ତା’ ମନରେ ବି ସେତିକି ଦୁଃଖ ହେଉଥିଲା ।

କେଉଁ ଦିଗକୁ ସନ୍ତରଣ କରି ଗଲେ କିଛି ସାହାଯ୍ୟ ମିଳିବ, ପିଙ୍ଗଳ ସେକଥା ବୁଝିପାରୁ ନଥାଏ । ତେଣେ ଜାହାଜ ଉପରେ କିଛି ସମୟ ଯୁଦ୍ଧ କରି ସେ କ୍ଳାନ୍ତ ହୋଇ ପଡିଥାଏ । ତହିଁ ଉପରେ ପୁଣି ଉତାଳ ଲହରୀ ଉପରେ ଭାସି ରହିବାକୁ ସର୍ବଦା ବାହୁ ସଂଚାଳନ କରିବାକୁ ପଡୁଥାଏ । କେତେ ସମୟ ପର୍ଯ୍ୟନ୍ତ ସେ ଆଉ ଏପରି ଭାବରେ ବଂଚିରହି ପାରିବ? ଅନ୍ୟ ଉପାୟ ବା କ’ଣ?

ଶେଷକୁ ସେ ସ୍ଥିର କଲା, ଯେ ପର୍ଯ୍ୟନ୍ତ ବାହୁରେ ସାମାନ୍ୟ ବଳ ରହିଛି, ସେ ପର୍ଯ୍ୟନ୍ତ ସେ ଭାସି ରହିବ । ତେଣିକି ଧିରେ ଧିରେ ସମୁଦ୍ର ଗର୍ଭକୁ ସେ ଚାଲିଯିବ । ଏହିପରି ଭାବରେ ମୃତ୍ୟୁ ତାକୁ କବଳିତ କରିବ । ତାହାହିଁ ହେଉ । ବଂଚି ରହିବାକୁ ବ୍ୟାକୁଳ ହୋଇ କିଛିବି ଲାଭ ନାହିଁ ।

ସେ ଏମିତି ହାଲ୍ ଛାଡିଦେବା ବେଳକୁ ତା’ ହାତରେ ଗୋଟାଏ କିଛି ବାଡେଇ ହୋଇଗଲା । ପିଙ୍ଗଳ ଆଖି ଖୋଲି ଦେଖିଲା, ତାହା କୌଣସି ନୌକାର ଗୋଟାଏ ଅଂଶ । ସେ ତାକୁ ତତ୍କ୍ଷଣାତ୍ ଜାବୁଡି ଧରିଲା । ତେଣିକି ଆଉ ସର୍ବଦା ପାଣି ଉପରେ ହାତଗୋଡ ବାଡେଇବା କିଛିବି ଦରକାର ହେଲା ନାହିଁ । ସେ ଟିକିଏ ସ୍ୱସ୍ତିରେ ନିଃଶ୍ୱାସ ନେବାର ସୁଯୋଗ ପାଇଲା । ସଙ୍ଗେ ସଙ୍ଗେ ମା’ର ଚିତ୍ର ଆଖି ଆଗରେ ଭାସି ଉଠିଲା । ତାକୁ ଦସ୍ୟୁମାନେ ଧରି ଆଣିବା ପରେ ମା’ର ଅବସ୍ଥା କ’ଣ ହୋଇଥିବ? ଭାଇମାନେ ପୁଣି ବୁଢୀ ପ୍ରତି ଦୁର୍ବ୍ୟବହାର କରୁଥିବେ କି? ଯେଉଁ ଯାଦୁ ଥଳି ସେ ମା’ ଜିମା ରଖି ଆସିଛି, ତାହା ମହିମାରୁ ଖାଦ୍ୟପେୟ ପାଇଁ ମା’ର କୌଣସି କଷ୍ଟ ହେବା କଥା ନୁହେଁ । କିନ୍ତୁ ଭାଇମାନେ ତା’ ପ୍ରତି ସଦୟ ହେଲେ ହେଲା ।

ମନରେ ଆଶାହେଲା, ହୁଏତ ସେ ଯାଇ କୂଳରେ ପହଁଚିବ ଓ ଦିନେ ନା ଦିନେ ଘରେ ପହଁଚି ମା’କୁ ପୁଣି ଭେଟିବ ।

ମା କଥା ମନେ ପଡିବା ମାତ୍ରେ ସେ ଯେ କୌଣସି ମତେ ବଂଚିରହିବା ସକାଶେ ବଦ୍ଧପରିକର ହେଲା । ମା ତା’ ଦୁର୍ଦ୍ଦଶା କଥା ଜାଣି ନଥିବେ । ଚଗଲା ପୁଅ କୁଆଡେ ଚାଲି ଯାଇଛି, ଶୀଘ୍ର ହେଉ ବା ବିଳମ୍ବରେ ହେଉ ନିଶ୍ଚେ ଫେରି ଆସିବ, ଏଇ ଆଶାରେ ସେ ବାଟ ଚାହିଁ ରହିଥିବେ । ତେଣୁ ତାକୁ ଯେମିତି ହେଲେ ବି ଫେରିଯିବାକୁ ପଡିବହିଁ ପଡିବ ।

ତୋଫାନ୍ର ବେଗ କମି ଆସିଲା । ଆକାଶରୁ ମେଘମାଳା ହଟିଗଲେ । ବଂଚିରହିବା ପାଇଁ ପିଙ୍ଗଳର ଆଶା କ୍ରମେ ଗାଢ ହେଲା । ସେତେବେଳେ ସେ କ୍ଷୁଧାତୃଷ୍ଣା ଓ ଦେହ ଉପରେ ପାଣି ପବନର ମାଡ କଥା ସବୁ ଭୁଲି ଯାଇଥାଏ ।
କିନ୍ତୁ କେତେ ସମୟ ପର୍ଯ୍ୟନ୍ତ ଜଣେ ମଣିଷ ସେସବୁ ଭୁଲି ରହିପାରେ? ସୂର୍ଯ୍ୟ ଅସ୍ତ ଗଲେ । କ୍ରମେ ଅନ୍ଧକାର ଘୋଟି ଆସିଲା । ଥଣ୍ଡାରେ ଦେହ କମ୍ପୁଥାଏ । ଭୋକ ସାଥିକୁ ପ୍ରବଳ ତୃଷ୍ଣା । ସେ ଆଉ କିଛି ଉପାୟ ନପାଇ ଦୁଇତିନି ଢୋକ ଲୁଣିପାଣି ପିଇନେଲା । ପେଟରେ ସଙ୍ଗେ ସଙ୍ଗେ ସେ ଯନ୍ତ୍ରଣା ଅନୁଭବ କଲା ।

ତେବେ କ୍ଳାନ୍ତି ଓ ହତାଶା ଭିତରେ ତାକୁ ନିଦ ଲାଗିଗଲା । ତାହାହିଁ ତା’ପ୍ରତି ଆଶୀର୍ବାଦ ସ୍ୱରୂପ ହେଲା ।

ସେ କେତେ ସମୟ ଶୋଇ ପଡିଥିଲା ଜାଣେନା । ଆଖି ଖୋଲିବା ବେଳକୁ ଆକାଶ ନିର୍ମଳ । ଚାରିଆଡେ ଖରା ପଡିଛି । ସେ ବି ଆଉ ଭାସମାନ ଅବସ୍ଥାରେ ନାହିଁ ।

ସେ ଧିରେ ଧିରେ କହୁଣି ଉପରେ ଭରା ଦେଇ ମୁଣ୍ଡ ତୋଳି ଦେଖିଲା, ସେ ଆସି ସ୍ଥଳରେ ଲାଗିଛି । ତା’ ଗୋଡ ଦୁଇଟି ସେଯାଏଁ ପାଣିରେ ଅଛି ।

ସାରା ରାତି ସେ ଯେ ନିଦ୍ରିତ ରହିପାରିଥିଲା, ସେଥିପାଇଁ ସେ ନିଜ ଭାଗ୍ୟକୁ ଧନ୍ୟବାଦ ଦେଲା । ସେ ଅନୁଭବ କଲା ନିଦ୍ରା ଅନେକ ପରିମାଣରେ ତା’ କ୍ଳାନ୍ତି ଦୂର କରି ଦେଇଛି । ଯାହାହେଉ ସ୍ଥଳ ଭାଗରେ ପହଁଚି ପାରିଥିବା ଯୋଗୁଁ ଭିତରେ ଭିତରେ ସେ ପ୍ରବଳ ଉତ୍ସାହ ଅନୁଭବ କଲା । ଏହି ଯାତ୍ରାରୁ ସେ ହୁଏତ ବଂଚିଗଲା, ଏହି ଆଶା ତାକୁ ନୂଆ ପ୍ରେରଣା ଦେଲା ।

ସେ ଠିଆ ହୋଇପଡି ବାଲି ଉପରକୁ ଗଲା । କିନ୍ତୁ ଯେତେଦୂର ଆଖି ଯାଉଛି, ଖାଲି ବାଲି ଆଉ ବାଲି । ଗୋଟାଏ ବି ଗଛର ଦେଖା ନାହିଁ, ଘର ଦ୍ୱାର ତ ଦୂରର କଥା ।

ଆକାଶକୁ ଅନାଇ ସେ ଦେଖିଲା ଦଳେ ଶାଗୁଣା ଚକ୍ରାକାରେ ଉଡୁଛନ୍ତି ଓ କ୍ରମେ ତଳକୁ ତଳକୁ ଆସୁଛନ୍ତି । ସେ ଅନୁମାନ କଲା, ଯେଉଁଠି ଶାଗୁଣା ପଲ ଓହ୍ଲାଇବେ, ସେଠାରେ ନିଶ୍ଚୟ ଗାଁ ବା କାହାରି ଶିବିର ଥିବ ।

ତେଣୁ ସେହି ଦିଗକୁ ଲକ୍ଷ୍ୟ କରି ସେ ଚାଲିଲା । ସେତେବେଳକୁ ଖରାରେ ବାଲି ତାତି ଗଲାଣି । ସେ ଦୌଡିବାକୁ ଲାଗିଲା ।

ଅଳ୍ପ ସମୟ ଭିତରେ ସେ ଗନ୍ତବ୍ୟ ସ୍ଥାନରେ ପହଁଚିଲା । କିନ୍ତୁ ଯାହା ଦେଖିଲା, ସେଥିରେ ହତାଶା ସାଙ୍ଗକୁ ବିସ୍ମୟ ତାକୁ ଆୟତ କଲା । ଗାଁ ଗଣ୍ଡା ନାହିଁ, କିନ୍ତୁ ଗୋଟାଏ ମଣିଷକୁ ଖଣ୍ଡିଏ ଉଚ୍ଚ ପଥର ଦେହରେ କସି କରି ବାନ୍ଧି ଦିଆ ଯାଇଛି । ତା’ ଦେହରେ ପ୍ରାଣ ଥିବାର ଜଣାଯାଉ ନାହିଁ । ଶାଗୁଣାମାନେ ତାକୁ ଭକ୍ଷଣ କରିବା ଉଦ୍ଧେଶ୍ୟରେ ଭୀଡ କରୁଛନ୍ତି ।

ପିଙ୍ଗଳ ଖଣ୍ଡିଏ ପଥର ଉଠାଇ ସେ ଶାଗୁଣାପଲ ଆଡକୁ ଫୋପାଡିଲା । ସେଥିରେ ଅଧିକାଂଶ ଶାଗୁଣା ପଳାଇଗଲେ । ଆଉ କେତୋଟି ଦୂରରେ ରହି ଡେଣା ଝାଡି ଝାଡି ପିଙ୍ଗଳକୁ କ୍ରୋଧ ଭରେ ଲକ୍ଷ୍ୟ କରିବାକୁ ଲାଗିଲେ ।

ପିଙ୍ଗଳ ସେ ଲୋକ ପାଖରେ ଯାଇ ପହଁଚିଲା । ତା’ ଆଖି ବନ୍ଦ ଥିଲା । ତା’ ଛାତିରେ ହାତ ରଖି ସେ ଦେଖିଲା, ତାହା ନିସ୍ପନ୍ଦ ।

ସେ ମରୁଭୂମି ଭିତରେ ଗୋଟାଏ ଲୋକକୁ ଏପରି ନିର୍ମମ ଭାବରେ ଦଣ୍ଡ ଦେବା ଭଳି ଲୋକ ଅଛନ୍ତି, ଏହା ଭାବି ପିଙ୍ଗଳ ଆଶ୍ଚର୍ଯ୍ୟ ହେଲା । ତେବେ ଭୟଙ୍କର ଓ ନିର୍ଜନ ଲାଗୁଥିବା ସେ ଅଂଚଳକୁ ଯେ କେହି କେହି ମଣିଷଙ୍କର ଯାତାୟତ ରହିଛି, ସେତକ ସେ ବୁଝିପାରିଲା । ହୁଏତ କିଛି ଦୂରରେ ଜନବସତି ବି ରହିଥିବ ।

ପିଙ୍ଗଳ ବର୍ତ୍ତମାନ କ’ଣ କରିବ, ସେଇ ବିଷୟ ଚିନ୍ତା କଲା । ଯାହା ତାର ସବୁଠାରୁ ଜରୁରୀ ପ୍ରୟୋଜନ, ତାହା ଖାଦ୍ୟ ଓ ପାନୀୟ! ସେତକ ବିନା ସେ କ୍ରମେ ଦୁର୍ବଳ ହୋଇଯିବ । ତେଣିକି ଆଶ୍ରୟ ଖୋଜିବା ନିମନ୍ତେ କୁଆଡେ ଯିବା ମଧ୍ୟ ତା’ ପକ୍ଷରେ ଆଉ ସମ୍ଭବପର ହେବ ନାହିଁ । କିନ୍ତୁ ସେ କାହୁଁ ଖାଦ୍ୟପେୟ ପାଇବ?

ଯେତେବେଳେ ପିଙ୍ଗଳ ଏହି ଚିନ୍ତାରେ ମଗ୍ନ, ସେତେବେଳେ ଦୂରରେ ଯାଉଥିବା ଓଟ ଉପରେ ଆରୋହୀ ଦଳେ ଲୋକଙ୍କ ନେତା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପଥର ଦେହରେ ବନ୍ଧାଥିବା ସେ ଲୋକକୁ, ପିଙ୍ଗଳକୁ ଏବଂ ଉପରେ ଚକ୍କର କାଟୁଥିବା ଶାଗୁଣା ଦଳକୁ ଦେଖି ପାରିଲେ । ତାଙ୍କ ନିର୍ଦେଶରେ ଓଟ ଦଳ ସେମାନଙ୍କ ଗତି ବଢାଇ ସେହି ଦିଗକୁ ମାଡି ଆସିଲେ ।

ଦୂରରେ ଧୂଳି ଉଡିବାର ଦେଖି ପିଙ୍ଗଳ ମନରେ ଆଶାର ସଂଚାର ହେଲା । ସେ ଏକ ଧ୍ୟାନରେ ସେ ଆଡେ ଅନାଇ ରହିଲା । କ୍ରମେ ଓଟାରୋହୀମାନେ ତା’ର ଦୃଷ୍ଟିଗୋଚର ହେଲେ । ସେତେବେଳକୁ ତା’ ମନରେ ଆଶା ସହିତ ଆଶଙ୍କା ବି ଦେଖାଦେଲା । ଯଦି ସେମାନେ ଦସ୍ୟୁଦଳ ହୋଇଥିବେ, ତେବେ ତାକୁ ବନ୍ଦୀ କରିବେ ନଚେତ୍ ଜୀବନରୁ ମାରିଦେବେ । ସେ ଯେ କୁଆଡେ ପଳାଇଯାଇ ଆତ୍ମଗୋପନ କରିବ, ସେ ସମ୍ଭାବନା ନାହିଁ । ବଣବୁଦା ନାହିଁ କି ତା’ର ବି ଚାଲିବାର ଆଉ ଶକ୍ତି ନାହିଁ ।

ସେ ସନ୍ତ୍ରସ୍ତ ଭାବରେ ଏଣେତେଣେ ଅନାଇଲା । ଦୁଇ ଚାରି ପାହୁଣ୍ଡ ପଛକୁ ବି ଘୁଂଚିଗଲା । ତା’ର ସେଭଳି ହାବଭାବ ଦେଖି ଓଟଦଳ ଆଗରେ ଥିବା ବ୍ୟକ୍ତି ପାଟି କରି କ’ଣ କହିଲା । ପିଙ୍ଗଳ ସେସବୁ କିଛି ବୁଝି ପାରିଲା ନାହିଁ । କିନ୍ତୁ ତା’ର ଏହି ଧାରଣା ହେଲା ଯେ ସେ ବ୍ୟକ୍ତି ତାକୁ ଧମକ ଦେଉଛି ।

ଓଟଦଳ ତା’ ପାଖକୁ ମାଡି ଆସିଲେ । ସେମାନଙ୍କ ସର୍ଦ୍ଦାର ନିର୍ଦେଶ ଦେବା ମାତ୍ରେ ତା’ ଅନୁଚରମାନେ ଓହ୍ଲାଇ ପଡି ପିଙ୍ଗଳକୁ ଘେରିଗଲେ । ସର୍ଦ୍ଦାର ଧମକ ଦେଇ ପଚାରିଲା, “ତୁ ମରୁଦସ୍ୟୁ ଭୈରବର ଅନୁଚର କିରେ?” ଏହାପରେ ସେ ମୃତ ବ୍ୟକ୍ତିଟି ଆଡେ ଅନାଇ କହିଲା, “ଇଏ ଆମ ଦଳର ଲୋକ । ଏଠାରେ ଆମ କିଲା ଜଗିଥିବା ଅନ୍ୟମାନେ କାହାଁନ୍ତି? ଆମ କିଲାକୁ ଆଉ ସେ ଭୈରବ ଅଧିକାର କରିଦେଇ ନାହିଁ ତ?”

ପିଙ୍ଗଳ ପିଠିରେ ବର୍ଚ୍ଛାମୂନ ଖେଂଚିଦେଇ ଆଉ ଜଣେ ପଚାରିଲା, “ସତ କହ । ତୋ ନେତା ଭୈରବନାଥ ବର୍ତ୍ତମାନ କେଉଁଠି?”

ସେମାନଙ୍କ କଥାବାର୍ତ୍ତାରୁ ପିଙ୍ଗଳ ଖାଲି ଏତିକି ବୁଝିଲା ଯେ ଭୈରବନାଥ କୌଣସି ଦସ୍ୟୁ ଦଳର ନେତା । କିନ୍ତୁ ଏମାନେ କିଏ?

ପିଙ୍ଗଳ କହିଲା, “ମୁଁ କାହାରି ଅନୁଚର ନୁହେଁ । ସମୁଦ୍ରରେ ଆମ ଜାହାଜ ଝଡବର୍ଷାରେ ପଡି ଡୁବିଗଲା । ଦୈବକୁ ପ୍ରାଣଧରି ମୁଁ ଆସି ଏଠି ପହଁଚିଲି । ଏ ଲୋକ ଦେହରେ ଏବେବି ଜୀବନ ଥାଇପାରେ ଭାବି ମୁଁ ଢେଲା ଫୋପାଡି ଶାଗୁଣାମାନଙ୍କୁ ଏଠୁ ତଡିଲି । ଏ ମରୁଭୂମିର ନାମ କ’ଣ, ଏଠି କିଏସବୁ ରହନ୍ତି, ଏସବୁ ବିଷୟରେ ମୁଁ କିଛି ମଧ୍ୟ ଜାଣେ ନାହିଁ ।”

ସର୍ଦ୍ଦାର ଥରେ ପିଙ୍ଗଳକୁ ଆପାଦମସ୍ତକ ଦେଖିଦେଇ କହିଲା, “ଦେଖ ଟୋକା, ତୁ ଯଦି ସତ କହୁଥିବୁ, ତେବେ ତ ତୋର ଭୟ କରିବାର କୌଣସି କାରଣ ନାହିଁ । ଆଉ ଯଦି ମିଛ କହୁଥିବୁ, ତେବେ ଖିନ୍ଭିନ୍ କରିଦେବା । ଶୁଣ, ଏହା ଆଫ୍ରିକା ମହାଦେଶର ଆରବ ଅଂଚଳ । ମୁଁ ଏଠାକାର ନବାବ୍ଙ୍କର ଓଟଦଳର ସର୍ଦ୍ଦାର । ବର୍ତ୍ତମାନ ସତ କହ, ତୁ କାହା ଜାହାଜରେ ଥିଲୁ? ଜାହାଜ କେମିତି ଡୁବିଲା? ଆଉ ତୁ ଏଠାକୁ କେମିତି ଆସିଲୁ?”

ସେତେବେଳକୁ ସେଠାରେ ତମ୍ବୁ ପକା ହୋଇଯାଇଥାଏ । ସର୍ଦ୍ଦାର ପିଙ୍ଗଳକୁ ସେହି ତମ୍ବୁ ଭିତରକୁ ନେଇଗଲେ । ପିଙ୍ଗଳ ଯେତେବେଳେ ବୁଝିଲା ଯେ ସେ ନବାବ୍ଙ୍କର ଜଣେ ବଡ କର୍ମଚାରୀଙ୍କ ସମ୍ପର୍କରେ ଆସିଛି, ସେତେବେଳେ ତା’ ମନରେ ଆଉ କିଛି ଦ୍ୱିଧା ରହିଲା ନାହିଁ । ସେ ଖାଲି ତା’ ପରିବାର କଥା ଛାଡି କିପରି ବନ୍ଦୀ ହୋଇ ଦସ୍ୟୁ କପ୍ତାନ୍ ପାଖରେ ଗୁଲାମ ବନିଲା, ସେ କିପରି ସେଠାରୁ ମୁକ୍ତି ପାଇଲା, ଦୁଇ ଜାହାଜ ଭିତରେ ସଂଘର୍ଷ ପୂର୍ବରୁ ସେ କିପରି ଅନ୍ୟ ଗୁଲାମମାନଙ୍କର ନେତୃତ୍ୱ ନେଇ ଦସ୍ୟୁ କପ୍ତାନ୍ ବିରୁଦ୍ଧରେ ବିଦ୍ରୋହ କଲା, ସେସମସ୍ତ କଥା ସେ ଆମୂଳଚୁଳ ଗପିଗଲା ।

ସର୍ଦ୍ଦାର ପଚାରିଲା “ଯେଉଁ ଜାହାଜ ସହ ସଂଘର୍ଷ ହେଲା, କ’ଣ ସେଥିରେ ବି ଗୁଲାମ ଥିଲେ?”

ପିଙ୍ଗଳ ଉତ୍ତର ଦେଲା “ସେମାନଙ୍କ କଥାବାର୍ତ୍ତାରୁ ତ ମୋର ସେଇଆ ମନେ ହେଲା ।”

“ବେଶ୍, ବେଶ୍ । ଶୁଣ । ତମେ ଦଳେ ଲୋକଙ୍କର ନେତୃତ୍ୱ ଦେଇ ଲଢେଇ କରିଛ । ତେଣୁ ତମର ଦକ୍ଷତା ଅଛି । ଆମେ ତମକୁ ମିତ୍ର ହିସାବରେ ଗ୍ରହଣ କଲୁ । ମୋ ନାମ ହସନ୍ । ମୁଁ ଭୈରବନାଥ ନାମକ ଗୋଟାଏ ଭୀଷଣ ଦସ୍ୟୁ ସର୍ଦ୍ଦାରର ମୁକାବିଲା କରିବା ସକାଶେ ବାହାରିଛି । ଅଳ୍ପ ଦୂରରେ ଆମର ଗୋଟାଏ କିଲ୍ଲା ଅଛି । ଯେଉଁ ଲୋକଟିକୁ ଏଠାରେ ବାନ୍ଧି ମାରିଦିଆ ଯାଇଛି, ସେ ଲୋକଟି ସେହି ଦୁର୍ଗର ପ୍ରହରୀମାନଙ୍କ ଭିତରୁ ଜଣେ । ଦୁର୍ଗକୁ ଭୈରବନାଥ ଅଧିକାର କରି ନେଇଥିବା କିଛିବି ଅସମ୍ଭବ କଥା ନୁହେଁ । ତାକୁ କିପରି କାବୁ କରାଯିବ, ଏବେ ତାହାହିଁ ମୋର ସବୁଠୁ ବଡ ଚିନ୍ତା ।”

ଏହା କହି ସର୍ଦ୍ଦାର ଜଣେ ସୈନିକକୁ ଡାକି ପିଙ୍ଗଳକୁ ଦେଖାଇ କହିଲା, “ଏ ଯୁବକ ବର୍ତ୍ତମାନଠାରୁ ଆମ ଦଳର ଅନ୍ତର୍ଭୁକ୍ତ ହେଲେ । ଏହାଙ୍କୁ ନେଇ ଯାଇ ଶୀଘ୍ର ଖାଇବାକୁ ପିଇବାକୁ ଦିଅ । ଗୋଟାଏ ଓଟ ବି ତାଙ୍କୁ ଦିଅ ।”

ଏ ନିର୍ଦେଶ ଶୁଣି ପିଙ୍ଗଳ ଦେହରେ ଟିକେ ପ୍ରାଣ ପଶିଲା । ସୈନିକ ସଙ୍ଗେ ସଙ୍ଗେ ତାକୁ ନେଇ ଯାଇ ଖାଇବାକୁ ପିଇବାକୁ ଦେଲା । ପିଙ୍ଗଳର ଆନନ୍ଦ କହିଲେ ନସରେ ।

ସେ ଖାଇପିଇ ସାରି ଟିକିଏ ବିଶ୍ରାମ ପରେ ତାଜା ହୋଇ ଉଠିଲା । କଥା ହେଲା, ଅନେକ ଦିନ ପରେ ତା’ ମନରେ ପୁଣି ଦମ୍ଭର ସଂଚାର ହୋଇଥାଏ । ଜଳଦସ୍ୟୁ କପ୍ତାନ ହାତରେ ପ୍ରାଣ ଯାଇଥାନ୍ତା । କିନ୍ତୁ ସେଥିରୁ ସେ ବର୍ତ୍ତୀ ଗଲା । ପୁଣି ସମୁଦ୍ରରେ ଡୁବି ମଧ୍ୟ ମୃତ୍ୟୁ ଘଟିପାରିଥାନ୍ତା । ସେଥିରୁ ବି ବିଧାତା ତାକୁ ରକ୍ଷା କଲା । ଏ ଲୋକମାନେ ସନ୍ଦେହୀ ବା ନିଷ୍ଠୁର ହୋଇଥିଲେ ତାକୁ ତ ମାରି ପକାଇଥାନ୍ତେ । କିନ୍ତୁ ତାହା ନକରି ଏମାନେ ତାକୁ ଅଭୟ ଦେଲେ! ଏହା କ’ଣ କିଛି କମ୍ ସୌଭାଗ୍ୟର କଥା? ସେ ତା’ ମନେ ମନେ ଈଶ୍ୱରଙ୍କୁ ପ୍ରଣାମ ଜଣାଇଲା । ତା’ ଆଖି ଛଳ ଛଳ ହେଲା ।

ଏହାପରେ ସର୍ଦ୍ଦାର ସେ ମୃତ ଦେହଟିକୁ ଗୋଟାଏ ଓଟ ପିଠିରେ ବାନ୍ଧି ସାଥିରେ ନେଇଯିବାର ବ୍ୟବସ୍ଥା କଲା । ତାକୁ କିଲା ପାଖରେ ସମାଧି ଦେବା ଉଚିତ୍ ହେବ ବୋଲି ସର୍ଦ୍ଦାର ବିଚାର କଲା ।

କିଛି ସମୟ ପରେ ତମ୍ବୁ ଉଠିଲା । ସୂର୍ଯ୍ୟାସ୍ତ ସୁଦ୍ଧା ସେମାନେ ଯାଇ କିଲା ପାଖରେ ପହଁଚିଲେ । ସାଧାରଣତଃ କିଲା ଆଗରେ ସର୍ବଦା ଲୋକ ଚଳପ୍ରଚଳ ହେଉଥାନ୍ତି । କିନ୍ତୁ ସବୁ ଶୂନ୍ଶାନ୍ ଦିଶୁଥିଲା ।

ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ଥରେ କିଲା ଆଡେ ଓଇ ଥରେ ପିଙ୍ଗଳ ଆଡେ ଅନାଇଲା । କିଲାର ଏ ପରିସ୍ଥିତିରେ ସ୍ୱାଭାବିକ ନୁହେଁ, ପିଙ୍ଗଳ ଆଡେ ଅନାଇ ସେ ସେଇଆ ବୁଝାଇ ଦେଉଥିଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleBidyara Adhikara
Next Article Bada-Boka
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.