ଜଣେ ଲୋକର ଦୁଇ ପୁଅ ଥିଲେ । ବ୍ରହ୍ମବିଦ୍ୟା ଶିକ୍ଷାପାଇଁ ପୁଅ ଦୁହିଁଙ୍କୁ ବାପ ଗୁରୁଙ୍କ ଘରକୁ ପଠାଇ ଦେଲା । କେତେ ବର୍ଷପରେ ଦୁଇପୁଅ ଗୁରୁଗୃହରୁ ଫେରି ବାପକୁ ପ୍ରଣାମ କଲେ ।
ବଡ଼ ପୁଅକୁ ବାପ ପଚାରିଲା, “ବାପା, ତୁ ତ ବହୁତ ପଢ଼ିଲୁ । ବ୍ରହ୍ମ କିପରି ମୋତେ ବୁଝାଇଲୁ?” ବଡ଼ ପୁଅ ବେଦ, ଉପନିଷଦ୍ ଆଦିରୁ ବହୁ ଶ୍ଳୋକ ଉଦ୍ଧାର କରି ବ୍ରହ୍ମ କଣ ଅନର୍ଗଳ ଭାବରେ ବୁଝାଇ ଲାଗିଲା । ବାପ ଚୁପ ହୋଇ ରହିଲା ।
ଯେତେବେଳେ ସାନ ପୁଅକୁ ବ୍ରହ୍ମ କଣ ବୋଲି ପଚାରିଲା, ଛୋଟ ପୁଅ କିଛି ଉତ୍ତର ନ ଦେଇ ଚୁପ ରହିଲା ! ବାପ କହିଲା, ପୁଅ, ତୁ ହେଲେ ଟିକିଏ ବୁଝିଚୁ । ବ୍ରହ୍ମ କଣ ତାହା ମୁହଁରେ କୁହାଯାଇ ପାରିବ ନାହିଁ ।
ଗୋଟାଏ ଚିନିର ପାହାଡ଼ ଥିଲା । ସେଥିରୁ ଗୋଟାଏ ଦାନା ମୁହଁରେ ଧରି ପିମ୍ପୁଡ଼ିଟିଏ ନିଜର ଗାତକୁ ଯିବାକୁ ଲାଗିଲା । ବାଟରେ ଭାବିଲା, ଆଉ ଥରେ ଆସି ପୂରା ପାହାଡ଼ଟା ନେଇଯିବି ।
କ୍ଷୁଦ୍ର ଜୀବ ଏହିପରି ଭାବେ । ସେ ଜାଣେ ନାହିଁ ଯେ ବ୍ରହ୍ମ ବାକ୍ୟମନର ଅତୀତ । ବ୍ରହ୍ମଜ୍ଞ ଋଷିମୁନିଙ୍କ କଥା କୁହାଯାଏ । ସେମାନେ ଚିନିର ଆଠ ଦଶଟା ଦାନା ଏକାଠି କରିଥା‘ନ୍ତି ।
ସଂସାରରେ ସମସ୍ତ ଦ୍ରବ୍ୟ ଉଚ୍ଛିଷ୍ଟ । ବେଦ, ଉପନିଷଦ୍, ପୁରାଣ, ଷଡ଼ଦର୍ଶନ ସବୁ ମୁହଁରୁ ପଡ଼ି ଅଇଁଠା ହୋଇଯାଇଚି । କିନ୍ତୁ ଗୋଟିଏ ଜିନିଷ ଉଚ୍ଛିଷ୍ଟ ହୋଇ ନାହିଁ, ତାହା ବ୍ରହ୍ମ । ବ୍ରହ୍ମ କ‘ଣ, ତାହା ଏ ପର୍ଯ୍ୟନ୍ତ କେହି କହିପାରି ନାହାନ୍ତି ।