(ରାଗ: ଦେଶାକ୍ଷ)
(ମତାନ୍ତରରେ ଶ୍ରୀରଞ୍ଜନୀ)
ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ ।ପଦ।
ଠକ ରୀତି ନ ଆଚରି, ମୋ କଦନକୁ ବିଚାରି
ଅକପଟ ତ୍ରାଣବିଧି ଉଚିତରେ ।୧।
ଠଣା ଠୁଙ୍କି ତାପ ତ୍ରାସ- ମୁଣ୍ଡେ ମନମଥ ପାଶ,
ବନ୍ଧନ କର ତୁ ପରା ମୋଚିତରେ ।୨।
ଠଉରାଇ ଅବସର, କଲେ ତୁ ପ୍ରସଙ୍ଗ ମୋର,
ଯିବ ରାଜୀବନେତ୍ରାକୁ ରୁଚିତରେ ।୩।
ଠୋ କରି ଛିଣ୍ଡାଇ ଦେ ନା, ପ୍ରିୟସହି ମୋ ବେଦନା,
ନ ଲାଗଇ ନିକି ତୋତେ କିଞ୍ଚିତରେ ।୪।
ଠାରିଦେଲେ ନେତ୍ରାଞ୍ଚଳେ, ବିଜନ ସ୍ଥଳେ ସେ ବଳେ,
ବିରାଜିବ କ୍ଷଣରୁଚି ଉଚିତରେ ।୫।
ଠାକୁର ଠାକୁରାଣୀଙ୍କ, ପଦମ୍ବୁଜଧ୍ୟାନରଙ୍କ,
ନୃପ ଜଗଦ୍ଦେବ କରେ ରଚିତରେ ।୬।