ଜୟ ଗୋପାଳପୁର ଗାଁରେ ରହୁଥିଲା । ତା’ ସ୍ତ୍ରୀର ନାମ ଲକ୍ଷ୍ମୀ । ଜୟ ନିଜେ କେତେଦୂର ବୁଦ୍ଧିମାନ ସେକଥା ଅଲଗା । କିନ୍ତୁ ତା’ର ଭାରି ଇଚ୍ଛାଥିଲା, ତା’ ସ୍ତ୍ରୀ ବୁଦ୍ଧିମତି ହେବ । ଦୈବକୁ ଲକ୍ଷ୍ମୀ ଅତିଶୟ ସରଳ ଝିଅ । ଯିଏ ଯାହା କହିଲେ ସିଏ ତାକୁ ସଙ୍ଗେସଙ୍ଗେ ବିଶ୍ୱାସ କରିଯାଏ । ସମସ୍ତଙ୍କୁ ଦୟା କରେ । ତା’ର ଏ ମତିଗତିରେ ଜୟ ଭୀଷଣ ଚିଡିବାକୁ ଲାଗିଲା । ଏମିତି ସମୟ ଆସିଲା, ଯେତେବେଳେ ଲକ୍ଷ୍ମୀ ଯାହା କହିଲେ ବି ଜୟ ତାକୁ ବକେ । ଥରେ ଅଧେ ପାଖପଡୋଶୀମାନେ ଜୟକୁ ଏ ବିଷୟରେ ସଚେତ କରିଦେବାକୁ ଅନେକ ଚେଷ୍ଟା କଲେ । କିନ୍ତୁ ଜୟ ସେମାନଙ୍କ ଉପରେ ମଧ୍ୟ ଚିଡିଲା । ସେମାନେ ଚୁପ୍ ହେଲେ ।
ଦିନେ ଜୟ ଆସି ତା’ ସ୍ତ୍ରୀକୁ କହିଲା, “ଜଲ୍ଦି ରନ୍ଧାରନ୍ଧି କର । ଆଜି ମନ୍ଦିର ଆଗରେ ଶାସ୍ତ୍ର ପ୍ରବଚନ ଅଛି । ମୁଁ ସେଠାକୁ ଶୁଣିବାକୁ ଯିବି । ଆରେ କାଲୁଣୀ, ଶୁଣୁଛୁଟି?”
ଲକ୍ଷ୍ମୀ କହିଲା, “ଠିକ୍ ଅଛି । ବେଳ ବୁଡ ସୁଦ୍ଧା ରୋଷେଇ କାମ ହୋଇଯିବ ।”
“ଠିକ୍ ଅଛି? ଆରେ ପୋଡାମୁହୀଁ । ଭାରି କଥା କହି ଶିଖିଲୁଣି ଦେଖୁଛି ।” ଜୟ କଡା ଭାବରେ ଏତକ କହିଦେଇ ଚାଲିଗଲା ।
ସନ୍ଧ୍ୟା ବେଳକୁ ଜୟ ଆସି ତା’ ସ୍ତ୍ରୀକୁ ଡାକିଲା । ଜବାବ୍ ପାଇଲା ନାହିଁ । ଘର ପଛପଟକୁ ଯାଇ ଦେଖିଲା ବେଳକୁ ତା’ ସ୍ତ୍ରୀ ନିଜ ମୁହଁକୁ ପାଣିଛାଟିବାରେ ଲାଗିଛି ।
ସେ ପଚାରିଲା “ଆରେ ପୋଡାମୁହୀଁ! କ’ଣ କରୁଛୁ? ରୋଷେଇ ସରିଛି?”
ଲକ୍ଷ୍ମୀ କାନ୍ଦ କାନ୍ଦ ହୋଇ ଉତ୍ତର ଦେଲା, “ରୋଷେଇ ଆରମ୍ଭ କରିନାହିଁ । ତୁମେ ଯିବା ପରଠୁଁ ମୋ ମୁହଁ କାହିଁକି ସତେ ଯେମିତି ଖାଲି ପୋଡି ଯାଉଛି । ଏହି କାରଣରୁ ମୁଁ ମୋ ମୁହଁକୁ ଖାଲି ପାଣିରେ ଧୋଇ ଚାଲିଛି । କିନ୍ତୁ ଏପରି ଆଉ କେତେ ସମୟ ମୁଁ କରିବି? ବୋଧହୁଏ ଶୀଘ୍ର ମରିଯିବି । ମୋତେ କୌଣସି ବୈଦ୍ୟ ପାଖକୁ ନେଇ ଚାଲ ।”
ଲକ୍ଷ୍ମୀ ଯେ କେବେ ମିଛ କହେ ନାହିଁ କି ଛଳନା ମଧ୍ୟ କରେ ନାହିଁ, ଏଥିରେ ଜୟର କୌଣସି ସନ୍ଦେହ ନଥିଲା । ଲକ୍ଷ୍ମୀର ଭଲ ବ୍ୟବହାର ଓ ଦୟାଗୁଣ ଯୋଗୁଁ ଗାଁ ଲୋକେ ଜୟର କର୍କଶ କଥା ଘେନୁ ନଥିଲେ । ଲକ୍ଷ୍ମୀ କାମଦାମରେ ଅତ୍ୟନ୍ତ ପଟୁ ଥିଲା । ସତରେ ଯଦି ସେ ମରିଯିବ, ତେବେ ଜୟର ଅବସ୍ଥା କ’ଣ ହେବ?
ଜୟ ଆଉ ବିଳମ୍ଭ ନକରି ସଙ୍ଗେ ସଙ୍ଗେ ଲକ୍ଷ୍ମୀକୁ ନେଇ କବିରାଜ ପାଖକୁ ବାହାରିଗଲା । ମନ୍ଦିର ପାଖଦେଇ ଯିବା ବେଳକୁ ପ୍ରବଚନ ଆରମ୍ଭ ହୋଇଗଲାଣି । ବକ୍ତା କହୁଛନ୍ତି, “ଦେବୀ ସରସ୍ୱତୀଙ୍କ ଆଶୀର୍ବାଦରେହିଁ ଆମ୍ଭେମାନେ ବାକ୍ଶକ୍ତି ପାଇଛୁ । ଦେବୀ ସମସ୍ତଙ୍କ ପ୍ରତି ସଦୟ । ତାଙ୍କ ଦାନର ଅପବ୍ୟବହାର କରିବା ମହାପାପ । ଆଉ ଯାହା କୁହ, କିନ୍ତୁ ନିର୍ଦୋଷ ଲୋକ ମନରେ ଆଘାତ ଦେବା ଭଳି କର୍କଶ କଥା ଉଚ୍ଚାରଣ କରିବ ନାହିଁ । ନ ବୁଝି ନ ଶୁଝି କଟୁକଥା କହିବା ଖାଲି ଯେ କହିବା ଲୋକର ଅହଙ୍କାର ସୁଚାଏ, ଖାଲି ସେତିକି ନୁହେଁ, ତାହା ବାକ୍ଶକ୍ତି ପ୍ରତି, ଦେବୀ ସରସ୍ୱତୀଙ୍କ ପ୍ରତି ଏକ ଘୋର୍ ଅପମାନ । ଆଉ ଗୋଟାଏ କଥା ମନେ ରଖିବା ନିହାତି ଦରକାର । ଥରେ ଥରେ ବାତାବରଣ ଭିତର ଦେଇ ‘ତଥାସ୍ତୁ ଦେବତା’ ମାନେ ଯାଆଆସ କରୁଥାନ୍ତି । ତମ କଥା ଶୁଣି ସେମାନେ ଯଦି ତଥାସ୍ତୁ କହିଦେବେ, ତେବେ ଜାଣ କଥା ସରିଲା । ତମେ ଯାହା କହିଥିବ, ତାହାହିଁ ଫଳିଯିବ । ସେଥିରେ ତମର ଅନିଷ୍ଟ ହେବ ।”
ଏକଥା ଶୁଣିବା ମାତ୍ରେ ଜୟ ଆଗ ଚମକି ପଡିଲା । ତେବେ ସେ ତରତର ହୋଇ ସ୍ତ୍ରୀକୁ ଧରି କବିରାଜ ଘରେ ପହଁଚିଗଲା ।
କବିରାଜ ସେତେବେଳେ ଭୋଜନରେ ବସିଥିଲେ । ତାଙ୍କ ଚାକର ଜୟ ଓ ତା’ ସ୍ତ୍ରୀକୁ ବାରାନ୍ଦାରେ ବସିବାକୁ କହି ଭିତରକୁ ଚାଲିଗଲା । ଅଧଘଣ୍ଟାଏ ଗଲା । ଲକ୍ଷ୍ମୀ ଏଣେ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥାଏ । ଚାକର ବାହାରକୁ ଆସିବାରୁ ଜୟ ତାକୁ ପଚାରିଲା, “କବିରାଜଙ୍କ ଖିଆ କ’ଣ ଏପର୍ଯ୍ୟନ୍ତ ସରିନାହିଁ?”
“ସରିବ, ସରିବ । ସେ ରୋଟି ତରକାରି ଖାଇ ସାରିଲେଣି । ବର୍ତ୍ତମାନ ଦୁଧ ଭାତ ଖାଉଛନ୍ତି ।” ଏହା କହି ଚାକର ସେଠାରୁ ଚାଲିଗଲା ।
କିଛି ସମୟ ପରେ ଚାକର ବାହାରିବାରୁ ଜୟ ପଚାରିଲା, “କ’ଣ, ଖିଆ ସରିଲା?”
“ହଁ, ହଁ, ବର୍ତ୍ତମାନ ରାବିଡି ଖାଉଛନ୍ତି । ପ୍ରାୟ ସରିଗଲାଣି ।”
ଚାକର ଚାଲିଗଲା । ଜୟ ରାଗିଯାଇ ନିଜକୁ ନିଜେ କହିଲା, “କି ଲୋଭୀରେ ବାବା!” ଠିକ୍ ସେତିକିବେଳେ କବିରାଜ ବାହାରି ଆସିଲେ ଓ ଥରେ ଲକ୍ଷ୍ମୀ ଆଡେ ଅନାଇ ଦେଇ କହିଲେ, “ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ପନ୍ଦର ଟଙ୍କା ଦେବାକୁ ହେବ ।”
ଜୟ ଆଶ୍ଚର୍ଯ୍ୟ ହେଲା । କବିରାଜ ତ କାହିଁ ଆଗରୁ ଏମିତି ଲୋଭୀ ନଥିଲେ? ହଠାତ୍ ଏଭଳି ବ୍ୟବହାର ସେ କିପରି କରୁଛନ୍ତି? ସେ ଟଙ୍କା ଧରି ଆସି ନଥିଲା । ଗାଁ କବିରାଜ ତ । ସେ ସବୁବେଳେ ଆଗେ ଚିକିତ୍ସା କରନ୍ତି । ପରେ ପଇସା ନିଅନ୍ତି । ହେଲେ ଆଜି ସେ ଏମିତି ବ୍ୟବହାର କରିବେ ବୋଲି କିଏ ଜାଣିଥିଲା?
ସେ ରାସ୍ତାକୁ ଦୌଡିଗଲା । ଗାଁ ଲୋକେ ସମସ୍ତେ ବକ୍ତୃତା ଶୁଣିବା ନିମନ୍ତେ ମନ୍ଦିର ପ୍ରାଙ୍ଗଣକୁ ଯାଇଛନ୍ତି । ରାସ୍ତାରେ ବିଶେଷ କେହି ନାହାଁନ୍ତି । ଦୈବାତ୍ ପ୍ରଫୁଲ୍ଲ ସହ ତା’ର ଦେଖା ହୋଇଗଲା । ସେ ପଚାରିଲା “ପ୍ରଫୁଲ୍ଲ! ତୋଠିଁ ଟଙ୍କା ଅଛି?” ପ୍ରଫୁଲ୍ଲ ଧନୀ ଯୁବକ ଓ ସାଧାରଣତଃ ସବୁବେଳେ ତା’ କାମିଜ ମୁଣିରେ ଟଙ୍କା ଥାଏ । ତେବେ ସେତେବେଳେ ନଥିଲା । ସେ କହିଲା, “ଆରେ ଭାଇ, ଟଙ୍କା ତ ନାହିଁ!”
ଜୟ ରାଗିଯାଇ କହିଲା “ତୁ ଗୋଟାଏ ଖଂଟ!” ତତ୍କ୍ଷଣାତ୍ ପ୍ରଫୁଲ୍ଲର କ’ଣ ହେଲା କେଜାଣି, ସେ ଜୟକୁ ଧରି ତା’ କାମିଜ ମୁଣିରେ ହାତ ପୁରାଇ ତାଠିଁ ସାମାନ୍ୟ ଯାହା ଟଙ୍କେ ଦୁଇଟଙ୍କା ଥିଲା, ସେତକ ବାହାର କରିନେଇ ସେ ଦୌଡି ପଳାଇଲା ।
ଜୟ ହତବମ୍ବ ହୋଇ କିଛି ସମୟ ଠିଆ ହୋଇ ରହି ତା’ପରେ ସେ କବିରାଜଙ୍କ ବାରାନ୍ଦା ପାଖକୁ ଲେଉଟି ଆସିଲା ଓ ଲକ୍ଷ୍ମୀକୁ ଧରି ଅନ୍ୟ ଗାଁରେ ଥିବା ଆଉ ଜଣେ କବିରାଜଙ୍କ ଘର ଆଡେ ଚାଲିଲା । ଗୋଟିଏ ପଡିଆ ଭିତରଦେଇ ଯିବାକୁ ପଡେ । ଲକ୍ଷ୍ମୀ କହିଲା, “ମୁଁ ଆଉ ଚାଲି ପାରୁନାହିଁ ।”
ଜୟ କହିଲା “ଚୁପ୍ କର ରାକ୍ଷସୀ!” ତା’ପରେ ସେ ଯାହା ଦେଖିଲା, ସେଥିରେ ତା’ ହଂସା ଉଡିଗଲା । ଲକ୍ଷ୍ମୀ କୁଆଡେ ଗଲା କେଜାଣି, ତା’ ସ୍ଥାନରେ ଗୋଟିଏ ରାକ୍ଷସୀ ଠିଆ ହୋଇଥାଏ । ସେ ଜୟ ଆଡେ ହାତ ବଢାଇଲା । ଜୟ ଦୌଡି ପଳାଇବାକୁ ଲାଗିଲା । ରାକ୍ଷସୀ ତା’ ପଛରେ ଦୌଡୁଥାଏ ।
ଦୁହେଁ ଗୋଟାଏ ବଣ ପାଖରେ ଯାଇ ପହଁଚିଲେ । ଜୟ ଆଉ ଦୌଡି ପାରିଲା ନାହିଁ, ତଳେ ପଡିଗଲା । ସେତିକିବେଳେ ସେ ଗୋଟାଏ ମଧୁର କଣ୍ଠସ୍ୱର ଶୁଣିଲା: “ଆରେ, ତୁ କାହିଁକି ଡରୁଛୁ? ତୋ ସ୍ତ୍ରୀ ସିନା ତୋ କଥା ଅନୁସାରେ ରାକ୍ଷସୀ ହୋଇଯାଇଛି, ତା’ ବୋଲି ସେ କ’ଣ ତୋତେ ଖାଇଦେବ ବୋଲି ତୁ ଭାବୁଛୁ କି? ନା, ନା, ସେ ସବୁଦିନ ଭଳି ତୋ ସହ ଘର କରି ରହିବ ।”
ଜୟ ଉଠି ପଡି ଅନାଇଲା । ଆଗରେ ଯୋଡିଏ ଦେବତା ଭଳି ଦିଶୁଥିବା ମୂର୍ତ୍ତି । ସେ ପଚାରିଲା, “ଆପଣମାନଙ୍କ ପରିଚୟ?”
ଦୁଇ ଦେବତା କହିଲେ “ଆମେମାନେ ‘ତଥାସ୍ତୁ ଦେବତା’ । ଏଣେ ତେଣେ ବୁଲି କିଏ କ’ଣ କହୁଛି ତାହା ଶୁଣୁ ଓ ସେହି ଅନୁସାରେ କାମଟି କରୁ । କିଛି ସମୟ ହେଲା ଅଦୃଶ୍ୟ ଭାବରେ ତୋହରି ସହ ଥିଲୁ ।”
ଲକ୍ଷ୍ମୀ ତା’ ମୁହଁରେ କାହିଁକି ପ୍ରବାହ ଯନ୍ତ୍ରଣା ଅନୁଭବ କଲା, କବିରାଜ କାହିଁକି ହଠାତ୍ ଆଗତୁରା ଟଙ୍କା ମାଗିଲେ, ପ୍ରଫୁଲ୍ଲ କାହିଁକି ତା’ ଟଙ୍କା ଛଡାଇ ନେଲା, ଲକ୍ଷ୍ମୀ କାହିଁକି ରାକ୍ଷସୀ ହୋଇଗଲା, ବର୍ତ୍ତମାନ ଏସବୁ ପରିଷ୍କାର ହୋଇଗଲା । ସେ ଲକ୍ଷ୍ମୀକୁ ପୋଡାମୁହିଁ, କବିରାଜଙ୍କୁ ଲୋଭୀ, ପ୍ରଫୁଲ୍ଲକୁ ଖଂଟ ଓ ପୁଣି ଲକ୍ଷ୍ମୀକୁ ରାକ୍ଷସୀ କହିବାରୁ ଏମିତି ହେଲା ।
ଜୟ କାନ୍ଦି କାନ୍ଦି ପ୍ରାର୍ଥନା କରି କହିଲା “ହେ ଦେବତାମାନେ! ମୋତେ କ୍ଷମା କରନ୍ତୁ । ମୁଁ ଆଉ ଜୀବନରେ କାହାପ୍ରତି କୁବାକ୍ୟ ପ୍ରୟୋଗ କରିବି ନାହିଁ । ମୋ ସ୍ତ୍ରୀକୁ ତା’ ପ୍ରକୃତ ରୂପ ଫେରାଇ ଦିଅନ୍ତୁ । କବିରାଜ ଓ ପ୍ରଫୁଲ୍ଲ ମଧ୍ୟ ଭଲ ମଣିଷ ହୋଇ ଯାଆନ୍ତୁ ।”
“ତଥାସ୍ତୁ ।” ଏହା କହି ଦେବତା ଦୁଇଜଣ ସେଠାରୁ ତୁରନ୍ତ ଅଦୃଶ୍ୟ ହୋଇଗଲେ ।
ଲକ୍ଷ୍ମୀ ସଙ୍ଗେ ସଙ୍ଗେ ତା’ ପୂର୍ବ ରୂପ ଫେରି ପାଇଲା ଓ ସତେ ଅବା ସେ ଯେପରି ନିଦରୁ ଉଠିଛି, ପଚାରିଲା, “ଆମେ ଏଠି କାହିଁକି?”
“ଘରକୁ ଚାଲ । ପରେ ସବୁ କହିବି ।” ଜୟ ଏଭଳି ଭଦ୍ର ଭାବରେ କଥାବାର୍ତ୍ତା କରିବା ଦେଖି ଲକ୍ଷ୍ମୀ ଅତି ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହେଲା । ଦୁହେଁ ଘରକୁ ଫେରିଲେ ।
ପରଦିନ କବିରାଜ ନିଜେ ତା’ ଘରକୁ ଆସି ଦୁଃଖ ପ୍ରକାଶ କରି କହିଲେ, “ଗତକାଲି ରାତିରେ ମୋ ମୁଣ୍ଡ କାହିଁକି ଖରାପ ହୋଇ ଯାଇଥିଲା, ମୁଁ ବୁଝି ପାରୁନାହିଁ ।”
ପ୍ରଫୁଲ୍ଲ ଆସି ଜୟକୁ ତା’ ପଇସା ଫେରାଇ ଦେଇ କହିଲା, “ମୁଁ ତୋ ପ୍ରତି କିପରି ଏମିତି ବ୍ୟବହାର କଲି ବୁଝିପାରୁ ନାହିଁ ।”
ଜୟ ଖାଲି ହସିଲା । ସେହି ଦିନରୁ ଜୟ କର୍କଶ କଥା କହିବାର ଆଉ ଶୁଣାଯାଇ ନାହିଁ ।