(ରାଗ: କାନଡ଼ଗୌଡ଼ା)
(ମତାନ୍ତରରେ ଦେଶାକ୍ଷ)
ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲା ରେ,
ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲାରେ ।ପଦ।
ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି,
କହିଲେହେଁ ଅନୁସରି ରାଜି ତ ନ ଦିଶିଲାରେ ।୧।
ତହୁଁ କି ବିଷମଭାବ, ତର୍କିଲା ମୋ ଚାଟୁଶ୍ରବ-
ତଟକୁ ଘଟନ୍ତେ ଅବ—ଧାନ ବିନା ହସିଲାରେ ।୨।
ତପନଜାତଟକୁ ତୁ, ତରୁଣୀଟା କେଉଁ କୁତୂ-
ହଳରୁ ଆସିଲୁ ହେତୁ, କହି ବୋଲି ଘୋଷିଲାରେ ।୩।
ତାର ତୋର ସୁଲୋଚନା, ତାରତମ୍ୟ ବିବେଚନା,
ଲବ ହୋଇ ନାହିଁ ତହିଁ, ତୋ ଚିତ୍ତ କେ ପେଷିଲାରେ ।୪।
ତିରସ୍କାର ପୂର୍ବଭାଷା, ତରଲାଇ ସୁଖ ଆଶା,
ତୋଟିକି ଚୁମ୍ବିଲା ତୃଷା, ତିମିର ବିଳସିଲାରେ ।୫।
ତୁଚ୍ଛସ୍ନେହମନ ଜନ, ତୋ ସଙ୍ଗକୁ କି ଭାଜନ,
ପ୍ରପନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲାରେ ।୬।