ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଟ୍ରେନ୍ ଚାଲିଛି । କ୍ଷେତ ଓ ଖମାର ଆଉ କଳକାରଖାନା ମଧ୍ୟରେ ଏକ ଅପୂର୍ବ ଯୋଗାଯୋଗ । ମାଲ୍ଦା ଷ୍ଟେସନ୍ ପଡ଼ିଲା । ଏକ ଜାତିର ସବୁଜ ଆମ୍ବ ପାଇଁ ସ୍ଥାନଟି ପ୍ରସିଦ୍ଧ । ସେଇ ଆମ୍ବ ସରିଆସିଲାଣି । ପାଚିଲେ ମଧ୍ୟ ଏହି ଆମ୍ବ ସବୁଜ ଦିଶେ । ଜଣେ ଦି ଜଣ ଗୋଟିଏ ଲେଖାଁ ଝୁଡ଼ିରେ କିଛି ଆମ୍ବ ଧରି ଷ୍ଟେସନ ଉପରେ ଆସି ବିକୁଥିଲେ । କିଲୋ ନ’ଅ ଟଙ୍କା ।
ଚାଷୀମାନେ ଭୋରରୁ ଚାଷ କାମରେ ଲାଗିଗଲେଣି । କିଏ ମଇ ଦେଉଛି ତ କିଏ ବେଉଷଣ କରୁଛି । କିଏ ରୋଉଛି ତ କିଏ ତଳି ଉପାଡ଼ୁଛି । ନିଜ ନିଜ ଚାଷ କାର୍ଯ୍ୟରେ ସେମାନେ ଲାଗିଲେଣି । ଅନେକ ସ୍ଥାନରେ ନଳିତା କିଆରୀମାନ ଦେଖିଲୁ । କେତେକ ଜାଗାରେ ନଳିତା କାଟି ତାକୁ ପାଣିରେ ମଡ଼ାଉଛନ୍ତି । କେତେକ ଜମି ଉପରେ ନଳିତା ଗୋଛା ଠିଆ ହୋଇ ରହିଛି । ସମ୍ଭବତଃ ପତ୍ର ଝଡ଼ିଲେ ପାଣିରେ ମାଡ଼ିବେ ।
ରେଳ ରାସ୍ତା କଡ଼ରେ ମଧ୍ୟ ଆକାଶିଆ ଗଛଗୁଡ଼ିକର ବଣ । ଆକାଶୁଛୁଆଁ ହେଲାଣି । ସାମାଜିକ ବନୀକରଣ ଯୋଜନାରେ ସବୁଠି ଏଇ ଗଛ ଜଙ୍ଗଲ ଦେଖିବାକୁ ମିଳୁଛି । ସେଇ ଗଛର ଉପକାରିତା ବିଷୟରେ ଅନେକ ସମାଲୋଚନା କରନ୍ତି । ମାତ୍ର ଧୂସର ମାଟି ମରତକୁ ଶୀଘ୍ର ସବୁଜ ସୁନ୍ଦର କରିବାକୁ ଆକାଶିଆ ଗଛ ତା’ର ଖୁବ ସଫଳତା ଦେଖାଇଛି । ବଡ ଗଛଗୁଡ଼ିକରେ ହଳଦିଆ ଫୁଲର ଭିଡ଼ ଜମିଛି । ସାନ ଗଛଗୁଡ଼ିକରେ ଛନ ଛନ କଅଁଳିଆ ପତ୍ର ଲଦି ହୋଇ ପଡ଼ିଛି ।
କିଶନଗଞ୍ଜ, ରଙ୍ଗପାଣି ଆଦି ଷ୍ଟେସନ ପରେ ପଡ଼ିଲା ନୂଆ ଜଳପାଇଗୁଡ଼ି । ଏଠାରୁ ଥରେ ମୁଁ ସିଲିଗୁଡ଼ି ଯାଇ ସେଠାରୁ ସିକିମ ରାଜଧାନୀ ଗାଙ୍ଗଟକ ଯାଇଥିଲି । ପାହାଡ଼ମାନ ଦୂର ଦିଗବଳୟରେ ଦେଖାଗଲା । ମଝିରେ ମଝିରେ ବର୍ଷା ହେଉଥାଏ ।
ମେଘୁଆ ପାଗ । ସୂର୍ଯ୍ୟ କେତେବେଳେ ଲୁଚି ଯାଉଥାଏ ତ କେତେବେଳେ ଦେଖାଯାଉଥାଏ ।