ରୁଦ୍ରପୁରରେ ଗୁରୁଦାସ ନାମକ ଜଣେ ଧନୀ ଥିଲେ । ତାଙ୍କୁ କିଏ କିଛି ପଚାରିଲେ, ସିଏ ଏପରି କଥା ତାଙ୍କୁ ବତେଇ ଦିଅନ୍ତି ଯେ ଫଳ ସର୍ବଦା ଖରାପ ହୁଏ ।
ଥରେ ତାଙ୍କର ପଡୋଶୀ ଜଗନ୍ନାଥ କୌଣସି ରୋଗରେ ଶଯ୍ୟାଶାୟୀ ହୋଇ ପଡିଲେ । ବୈଦ୍ୟ ଆସି ରୋଗ ପରୀକ୍ଷା କରି କହିଲେ, “କୃଷ୍ଣତୁଳସୀର ରସରେ ଏ ରୋଗର ଚିକିତ୍ସା ହୁଏ । କେବଳ ଗୁରୁଦାସ ବାଡିରେହିଁ ଏହି କୃଷ୍ଣତୁଳସୀ ଗଛ ଅଛି ।”
ବୈଦ୍ୟଙ୍କ କଥା ଅନୁସାରେ ଔଷଧ ପାଇଁ କୃଷ୍ଣତୁଳସୀ ଆଣିବାକୁ ଜଗନ୍ନାଥଙ୍କ ପୁଅ ଶଚ୍ଚି ଗୁରୁଦାସଙ୍କ ଘରକୁ ଗଲା । ଔଷଧ କଥା ଶୁଣି ସେ କହିଲା, “କୃଷ୍ଣତୁଳସୀର ପତ୍ର ଛିଡେଇବା ମହାପାପ । ମୋ ଘରେ ଏପରି ପାପ ହେବାକୁ ମୁଁ କେବେବି ଅନୁମତି ଦେବିନାହିଁ । ଗ୍ରାମରେ ଥିବା ବଣିଆ ଦୋକାନରେ ତୁମକୁ କୃଷ୍ଣତୁଳସୀର ମଞ୍ଜି ମିଳିଯାଇ ପାରିବ । ତୁମେ ଶୀଘ୍ର ଯାଇ ମଞ୍ଜି କିଣି ବଗିଚାରେ ତାକୁ ବୁଣିଦିଅ । ଗଛ ହେଲେ ବାପାଙ୍କର ଚିକିତ୍ସା ହେବ ।”
ଏପରି ଉତ୍ତର ଶୁଣି ଶଚ୍ଚି ବଡ ନିରାଶ ହୋଇ ପଡିଲା । ଫେରିବା ବାଟରେ ଅଚାନକ ଜଣେ ସନ୍ନ୍ୟାସୀଙ୍କ ସହିତ ତାଙ୍କର ଦେଖା ହେଲା । ସେ କହିଲେ, “ପୁଅ, ଗୁରୁଦାସ ତୁମକୁ ଠିକ୍ କଥା କହିଛି । ତୁମେ ସେହିପରି କର ।”
ସନ୍ନ୍ୟାସୀଙ୍କ ଚେହେରା ବହୁତ ଉଜ୍ଜ୍ୱଳ ଥିଲା । ଶଚ୍ଚି ସେଠାରୁ ସିଧା ବଣିଆ ଦୋକାନକୁ ଯାଇ ମଞ୍ଜି କିଣି ତାକୁ ବାରିରେ ବୁଣିଦେଲା । ଆଶ୍ଚର୍ଯ୍ୟ! ଅଳ୍ପ ସମୟ ମଧ୍ୟରେ ଗଜା ହେଲା, ବେଶ୍ ବଡ ବଡ ତୁଳସୀ ଗଛ ହୋଇଗଲା । ତତ୍କ୍ଷଣାତ୍ ଶଚ୍ଚି ପତ୍ରସବୁ ତୋଳି ତା’ର ରସ କାଢି ବାପାଙ୍କୁ ଔଷଧ ଦେଲା । ଅଳ୍ପଦିନ ମଧ୍ୟରେ ଜଗନ୍ନାଥ ବି ସୁସ୍ଥ ହୋଇ ଗଲେ ।
ଦିନେ ସେହି ସନ୍ନ୍ୟାସୀଙ୍କ ସହିତ ଜଗନ୍ନାଥଙ୍କର ଭେଟ ହେଲା । ସେ କହିଲେ, “ଗୁରୁଦାସର କଥା ଯୋଗୁଁ ତୁମର ରୋଗ ଉପଶମ ହେଲା ତେଣୁ ତୁମେ ତାଙ୍କୁ ନିଜର କୃତଜ୍ଞତା ଜଣାଅ ଯେ ଧନସମ୍ପତ୍ତି ହେବା ପାଇଁ ସେ ଯଦି ତୁମକୁ କିଛି ଉପାୟ ବତାଇ ଦିଏ ତ ବହୁତ ଭଲକଥା ।”
ଜଗନ୍ନାଥ ସବୁକିଛି ସନ୍ନ୍ୟାସୀଙ୍କ କଥା ମୁତାବକ କଲେ, କିନ୍ତୁ ଜଗନ୍ନାଥ ସୁସ୍ଥ ହୋଇ ଯିବାରୁ ଗୁରୁଦାସ ଖାଲି ଈର୍ଷାରେ ଜଳିଗଲେ । ତା’ର କିଛି ଖରାପ ହେଉ ବୋଲି ଭାବୁଥିଲେ ସେତିକିବେଳେ ଜଗନ୍ନାଥ ଯାଇ ସେଠାରେ ପହଁଚିଗଲେ । ଗୁରୁଦାସ ତାଙ୍କ ସହିତ ବହୁସମୟ କଥାବାର୍ତ୍ତା କରି କହିଲେ, “ତୁମର ଟଙ୍କା ପଇସା ଯଥେଷ୍ଟ ହେଉନାହିଁ ତ? ଗୋଟାଏ ଉପାୟ କର ତୁମର ସବୁ ପଇସା କଉଡି ନେଇ ବଗିଚାରେ ଗାତ ଖୋଳି ପୋତି ପକାଅ । କିଛି ଦିନ ପରେ ସେହି ସ୍ଥାନରେ ପଇସା ଗଛ ଉଠିବ ଓ ସେଥିରେ ପଇସା ଫଳିବ । ଆଉ ଧନ ପାଇଁ ତୁମର କୌଣସି ଚିନ୍ତା ରହିବ ନାହିଁ ।”
ଜଗନ୍ନାଥ ସେଠାରୁ ଫେରି ସନ୍ନ୍ୟାସୀଙ୍କୁ ସବୁ କଥା କହିଲେ । ତା’ପରେ ସେ ଅଳ୍ପ ରାଗି ଯାଇ କହିଲେ, “ଗୁରୁଦାସ ଦୁଷ୍ଟ ଲୋକ ନହେଲେ ସେ କ’ଣ କେବେବି ଏଭଳି ପରାମର୍ଶ ଦିଅନ୍ତା? ସେ ମୋତେ କ’ଣ ବୋଲି ଭାବିଛି କି? ସେ ଚାହେଁ ମୋର ସମସ୍ତ ଧନ ନଷ୍ଟ ହୋଇଯାଉ ଓ ମୋର ପରିବାର ନଖାଇ ନପିଇ ମରନ୍ତୁ ।”
ଏକଥା ଶୁଣି ସେ ସନ୍ନ୍ୟାସୀ ହସିହସି କହିଲେ, “ତମେ ଏବେ ପର୍ଯ୍ୟନ୍ତ ଜାଣିପାରିଲ ନାହିଁ ଯେ ଗୁରୁଦାସର ପ୍ରତ୍ୟେକଟି ଉପଦେଶ ତୁମ ପାଇଁ କେତେ ଯେ ମୂଲ୍ୟବାନ୍ । ମୋ କଥା ଶୁଣ, ଗୁରୁଦାସ ଯେପରି କହିଛି ଠିକ୍ ସେପରି କର ।”
ଜଗନ୍ନାଥ ସେହିପରି କଲେ । ରାତିକ ଭିତରେ ପଇସା ଗଛ ଉଠିଲା ଓ ସକାଳକୁ ସେଥିରେ ପଇସା ଫଳିଲା । ଯେତେ ପଇସା ସେମାନେ ଗଛରୁ ତୋଳି ନେଉଛନ୍ତି, ସେତେ ଆହୁରି ଫଳୁଥାଏ । ପରଦିନ ସନ୍ନ୍ୟାସୀ ତାକୁ କହିଲେ, “ଏଥିରେ ଯେତେ ପଇସା ଫଳୁଛି ସବୁ ତୋଳି ନେଇ ରଖ ଏବଂ ଆରାମ୍ରେ ରୁହ । କାରଣ କାଲିକି ଏହି କୃଷ୍ଣ ତୁଳସୀ ଓ ପଇସା ଗଛ ଉଭେଇ ଯିବ ।”
ଜଗନ୍ନାଥ ସନ୍ନ୍ୟାସୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି କହିଲେ, “ମହାତ୍ମା, ଏସବୁ ଆପଣଙ୍କ ମହିମା । ଆପଣ ଏହି ଛୋଟଲୋକ ଗୁରୁଦାସକୁ ଗୌରବ ଦେବାକୁ ଚାହୁଁଛନ୍ତି । କିନ୍ତୁ ମୁଁ ଏହାର କାରଣ ଖୋଜି ପାଉ ନାହିଁ ।”
ସନ୍ନ୍ୟାସୀ ଉତ୍ତର ଦେଲେ, “ଗୁରୁଦାସକୁ ତମେ ଏଯାଏଁ ଠିକ୍ ଭାବରେ ବୁଝିନାହଁ । ସେ ଜଣେ ପୂଣ୍ୟାତ୍ମା ।” ତା’ପରେ ସନ୍ନ୍ୟାସୀ ସେଠାରୁ ଚାଲିଗଲେ ।
ସନ୍ନ୍ୟାସୀଙ୍କ କଥା ଶୁଣି ଜଗନ୍ନାଥ ଭାରି ଆଶ୍ଚର୍ଯ୍ୟ ହେଲେ । ତା’ପରେ ସେ ପଇସା ଗଛରୁ ସବୁ ପଇସା ତୋଳି ରଖିଲେ । ଦିନେ ନରସିଂହ ନାମକ ଜଣେ ବ୍ୟକ୍ତି ଜଗନ୍ନାଥଙ୍କ ପାଖକୁ ଆସି କହିଲା, “ଏବେ ଗୁରୁଦାସ ଗ୍ରାମରେ ନାହାଁନ୍ତି । ସେଥିପାଇଁ ମୁଁ ତୁମ ପାଖକୁ ଆସିଲି । ମୁଁ କିଛି ଟଙ୍କା କରଜ ନେବାକୁ ଚାହୁଁଛି ।”
ଜଗନ୍ନାଥ ଏକଥା ଶୁଣି ଟିକିଏ ଥତମତ ହୋଇ କହିଲେ, “ତୁମର ଟଙ୍କା ଦରକାର ତ ମୋତେ ସିଧା କୁହ, ମଝିରେ ଗୁରୁଦାସ କାହିଁକି?”
ଏକଥା ଶୁଣି ନରସିଂହ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲା, “ଆଜି ପର୍ଯ୍ୟନ୍ତ ମୁଁ ଜାଣିଥିଲି ଯେ ତମେ ଜଣେ ମହାନ୍ ବ୍ୟକ୍ତି । ମୁଁ ଯେବେବି ଗୁରୁଦାସଙ୍କ ପାଖକୁ ଯାଇଛି, ବିନା ଦ୍ୱିଧାରେ ସେ ଟଙ୍କା ଦେଇଛନ୍ତି କିନ୍ତୁ… । ଏପରି କହିବା କ’ଣ ସୁନ୍ଦର?”
ନରସିଂହ ଯାହା ଚାହୁଁଥିଲା, ଜଗନ୍ନାଥ ତାହା ଶୀଘ୍ର ଦେଇଦେଲେ । ତା’ପରେ ଗ୍ରାମରେ ପଚାରି ସେ ବୁଝିଲେ ଯେ ଗୁରୁଦାସ ସମସ୍ତିଙ୍କୁ ବିଭିନ୍ନ ଭାବରେ ସାହାଯ୍ୟ କରନ୍ତି । ସେ ଭାବିଲେ ଯେ ଗୁରୁଦାସ ଯଦି ସମସ୍ତିଙ୍କ ସହିତ ଭଲ ବ୍ୟବହାର କରୁଛନ୍ତି, ତେବେ ସେ ସେଦିନ ତାଙ୍କ ସହିତ ଏପରି ବ୍ୟବହାର କଲେ କାହିଁକି? ନିଶ୍ଚୟ ଏହା ମଧ୍ୟରେ କିଛି ରହସ୍ୟ ଅଛି । କିମ୍ବା ଗୁରୁଦାସଙ୍କର ହୁଏତ ସମସ୍ତିଙ୍କ ପ୍ରତି ସତ୍ ଉଦ୍ଧେଶ୍ୟ ଥାଇପାରେ, କିନ୍ତୁ ଜଗନ୍ନାଥହିଁ ଭୁଲ୍ ବୁଝିଛନ୍ତି ।
ପରଦିନ ଜଗନ୍ନାଥ ଗୁରୁଦାସଙ୍କ ନିକଟକୁ ଯାଇ ତାଙ୍କୁ ହାତଯୋଡି କହିଲେ, “ସନ୍ନ୍ୟାସୀ ଯେତେବେଳେ ତୁମ ପରାମର୍ଶର ପ୍ରଶଂସା କରୁଥିଲେ, ମୁଁ ତାହା ସହଜରେ ମାନି ନଥିଲି । ମୁଁ ଭାବିଥିଲି ଏହା ସନ୍ନ୍ୟାସୀଙ୍କର ମହିମା । ମାତ୍ର ଏବେ ପ୍ରକୃତ କଥା ମୁଁ ଠିକ୍ ଜାଣିପାରିଛି ।”
ଗୁରୁଦାସ, ଜଗନ୍ନାଥଙ୍କ କଥା ଶୁଣିବା ପରେ କହିଲେ, “ଏହା ତ କେବଳ ସେହି ସନ୍ନ୍ୟାସୀଙ୍କ ମହିମାରୁହିଁ ସମ୍ଭବ ହୋଇଛି । ସେ ଯେତେଦିନ ପର୍ଯ୍ୟନ୍ତ ଆମ ଗ୍ରାମରେ ଥିଲେ, ସେତେଦିନ କାଳ ମୁଁ ଯାହାକୁ ଯାହା ପରାମର୍ଶ ଦେଲି ତଦ୍ୱାରା ସମସ୍ତେ ଲାଭବାନ ହେଲେ । ଏଣିକି ମୁଁ ଆଉ ପରାମର୍ଶ ନଦେଇ ସାହାଯ୍ୟ ଦେଉଛି ।”
ଏମିତି କହୁକହୁ ଗୁରୁଦାସ ନିଜର ସବୁ ଦୁଃଖ କାହାଣୀ ଜଗନ୍ନାଥଙ୍କ ଆଗରେ କହିଲେ । ପୂର୍ବରୁ ସେ ସମସ୍ତିଙ୍କୁ ଏପରି ପରାମର୍ଶ ଦେଉଥିଲେ ଯେଉଁଥିରେ ତା’ର କ୍ଷତି ହେବ । ସମସ୍ତିଙ୍କର କ୍ଷତି କରିକରି ନିଜର କ୍ଷତି ହୁଏ ।