• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Shiba Purana
ଗଳ୍ପ

Shiba Purana

Liza SBy Liza SJuly 26, 2022No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Siba-Purana
Odia-Story-Siba-Purana
Share
Facebook Twitter Pinterest Reddit Email

ଅନେକ ଦିନ ପରେ ନାରଦ ମୁନି ଜଳନ୍ଧରର ରାଜ୍ୟରେ ଯାଇ ପହଁଚିଲେ । ଜଳନ୍ଧରକୁ ମାରିବା ପାଇଁ ଏଣେ ଶିବ ଓ ବିଷ୍ଣୁ ଅପେକ୍ଷା କରିଥା’ନ୍ତି । ଜଳନ୍ଧର ସହିତ ଦେଖା ହେବା ମାତ୍ରେ ନାରଦ କହିଲେ, “ବତ୍ସ, ଜଳନ୍ଧର, ତୁ ତ ରାଜ୍ୟ ଶାସନ କରି ଆନନ୍ଦରେ ଅଛୁ । କିନ୍ତୁ ଜାଣୁ କି ଶିବ ଓ ବିଷ୍ଣୁ ଦୁହେଁ ତୋତେ ହିମାଳୟସ୍ଥ ମାନସରୋବରରେ ଅପେକ୍ଷା କରୁଛନ୍ତି? ସୁଯୋଗ ପାଇବା ମାତ୍ରେ ସେମାନେ ତୋତେ ବଧ କରିବେ ।”

ନାରଦଙ୍କ କଥା ଶୁଣିବା ମାତ୍ରେ ସେ ସେଠାକୁ ଯାଇ ପାଣିରେ ବୁଡି ସେମାନଙ୍କୁ ଖୋଜିଲା । ବିଷ୍ଣୁ ଓ ଶିବ ଏକଥା ଆଗରୁ ଜାଣିପାରି ପାଣି ଭିତରୁ ଉପରକୁ ଉଠି ଆସି ଜଳନ୍ଧରକୁ ଅପେକ୍ଷା କରି ରହିଲେ । ଶିବ ଓ ବିଷ୍ଣୁ ଦୁହେଁ ଦୁହିଁଙ୍କ ଆୟୁଧ ବଦଳ କରି ଧରିଲେ । ଜଳନ୍ଧର ସମଗ୍ର ସରୋବରରେ ସେମାନଙ୍କୁ ଖୋଜି ନ ପାଇ କୂଳକୁ ଆସିଲା । ସେଠାରେ ସେମାନଙ୍କୁ ଦେଖି ଖୁବ୍ ଖୁସି ହୋଇ ଯୁଦ୍ଧ କରିବାକୁ ସେ ପ୍ରସ୍ତୁତ ହେଲା । ଯୁଦ୍ଧ ହେଲା । ଶିବ ଓ ବିଷ୍ଣୁ ଜଳନ୍ଧରକୁ ମାରି ପକାଇଲେ । ତା’ର ମୃତ୍ୟୁରେ ତିନିଲୋକବାସୀ ଅତ୍ୟନ୍ତ ଖୁସି ହେଲେ ।

କଶ୍ୟପ ପ୍ରଜାପତିଙ୍କ ପୁତ୍ରମାନଙ୍କ ମଧ୍ୟରେ ବିପ୍ରଜିତ ନାମରେ ଏକ ଦାନବ ଥାଏ । ବିପ୍ରଜିତର ଦମ୍ଭ ନାମକ ଏକ ପୁତ୍ର ଥାଏ । ସେ ବିଷ୍ଣୁଭକ୍ତ ଥାଏ । ତା’ର ବହୁତ ଦିନ ଧରି କିଛି ସନ୍ତାନ ନ ଥାଏ । ପୁତ୍ରପ୍ରାପ୍ତି ପାଇଁ ସେ ବଦ୍ରିକାଶ୍ରମକୁ ଯାଇ ଶ୍ରୀବିଷ୍ଣୁଙ୍କୁ ଦୀର୍ଘ ସମୟ ଧରି ତପସ୍ୟା କଲା । ଅବଶେଷରେ ଶ୍ରୀବିଷ୍ଣୁ ଆବିର୍ଭାବ ହୋଇ ଦମ୍ଭକୁ ବର ମାଗିବାକୁ କହିଲେ ।

ଦମ୍ଭ ଶ୍ରୀବିଷ୍ଣୁଙ୍କୁ କହିଲା, “ପ୍ରଭୋ, ମୋତେ କୃପାକରି ଏପରି ଏକ ପୁତ୍ର ଦିଅନ୍ତୁ ଯିଏ କି ବଳ, ଶୌର୍ଯ୍ୟ, ସାହସ ଓ ପରାକ୍ରମରେ ଆପଣଙ୍କର ସମାନ ହେବ । ଏ ସମଗ୍ର ତିନିଲୋକ ତା’ର ବଶ୍ୟତା ସ୍ୱୀକାର କରିବେ । ସେ କାହା ଦ୍ୱାରା ପରାଜିତ ହେବ ନାହିଁ ତଥା ଆପଣଙ୍କ ପ୍ରତି ତା’ର ଅଖଣ୍ଡ ଭକ୍ତି ରହିବ ।”

ଶ୍ରୀବିଷ୍ଣୁ ଦମ୍ଭର ଇଚ୍ଛା ଅନୁସାରେ ବର ଦେଲେ । ଦମ୍ଭ ଘରକୁ ଫେରି ଆସି ସମସ୍ତ ବୃତାନ୍ତ ନିଜ ପତ୍ନୀକୁ କହିଲା । ଯଥା ସମୟରେ ଏକ ପୁତ୍ର ସନ୍ତାନ ଜନ୍ମ ନେଲା । ତା’ର ନାମକରଣ କରାଗଲା ଶଙ୍ଖଚୂଡ । ମାତାପିତା ତାକୁ ଅତି ଆଦରଯତ୍ନରେ ଲାଳନ ପାଳନ କଲେ ।

ସେ ବଡ ହେବାରୁ ଶୁକ୍ରାଚାର୍ଯ୍ୟଙ୍କଠାରୁ ସମସ୍ତ ବିଦ୍ୟା ଅନାୟାସରେ ଶିକ୍ଷା କଲା । ବିଦ୍ୟାଶିକ୍ଷା ଅନ୍ତେ ଘରକୁ ଫେରିଯାଇ, ପିତାମାତାଙ୍କ ଅନୁମତି ନେଇ ସେ ବିନ୍ଧ୍ୟାଚଳରେ ପହଁଚିଲା ଓ ସେଠାରେ ସେ ବ୍ରହ୍ମାଙ୍କୁ ଘୋର୍ ତପସ୍ୟା କଲା । ସେ ଅନ୍ନଜଳ ତ୍ୟାଗ କରି ଏକ ପାଦରେ ଦଣ୍ଡାୟମାନ ହୋଇ ତପସ୍ୟା କରିବାକୁ ଲାଗିଲା । ବ୍ରହ୍ମା ତା’ର ଭକ୍ତି ଓ ତପସ୍ୟାରେ ସନ୍ତୁଷ୍ଟ ହେଲେ; ସେ ତା’ର ସମ୍ମୁଖରେ ଆବିର୍ଭୁତ ହୋଇ କହିଲେ, “ବତ୍ସ, ତୋର ତପସ୍ୟାରେ ମୁଁ ସନ୍ତୁଷ୍ଟ । କ’ଣ ବର ଚାହୁଁଛୁ କହ ।”

ଶଙ୍ଖଚୂଡ କହିଲା “ଭଗବାନ୍, ଦେବ, ରାକ୍ଷସ, ନାଗ ଓ ମାନବଗଣଙ୍କୁ ପରାସ୍ତ କରିବା ପାଇଁ ମୋତେ ବଳ ଓ ପରାକ୍ରମ ଦିଅନ୍ତୁ । ମୁଁ ଯେପରି ତିନିଲୋକ ଉପରେ ବିଜୟପ୍ରାପ୍ତ କରିପାରିବି ଓ ଜୀବନକୁ ଭଲ ଭାବରେ ଉପଭୋଗ କରିପାରିବି ।”
ବ୍ରହ୍ମଦେବ ଶଙ୍ଖଚୂଡର ଦାବୀ ଅନୁସାରେ ତାକୁ ବରଦାନ ଦେଇ କହିଲେ, “ବତ୍ସ, ତୋର ମନୋକାମନା ତ ନିଶ୍ଚୟ ପୂର୍ଣ୍ଣ ହେବ । କିନ୍ତୁ ତୋର ଜୀବନର ଭଲ ମନ୍ଦ ଯାହା ଉପରେ ନିର୍ଭର କରୁଛି ସେ ହେଉଛି ତୋର ସ୍ତ୍ରୀ । ତୁ ବଦ୍ରିକାଶ୍ରମକୁ ଯାଇ ଦେଖିବୁ ସେଠାରେ ତୁଳସୀ ନାମରେ ଏକ ସୁନ୍ଦରୀ କନ୍ୟା ତପସ୍ୟାରେ ମଗ୍ନ ଅଛି । ତୁ ତାକୁ ବିବାହ କରି ସୁଖରେ ରହ । କାରଣ ତୁ ତାକୁ ବିବାହ କରିବା ବିଧିନିର୍ଦ୍ଦିଷ୍ଟ ।”

ବ୍ରହ୍ମଦେବଙ୍କ ଦ୍ୱାରା ବରପ୍ରାପ୍ତ କରି ତାଙ୍କ ଆଦେଶ ଅନୁସାରେ ବଦ୍ରିକାଶ୍ରମରେ ପହଁଚି ଶଙ୍ଖଚୂଡ ଦେଖିଲା ତୁଳସୀ ନାମକ ଏକ ତପସ୍ୱିନୀ କନ୍ୟା ସେଠାରେ ଅଛି । ତାହାର ସୌନ୍ଦର୍ଯ୍ୟ ମଧ୍ୟ ଅତୁଳନୀୟ ।

ଶଙ୍ଖଚୂଡ ତୁଳସୀ ପାଖକୁ ଯାଇ କହିଲା, “ଦେବୀ, ତୁମର ନିବାସ କେଉଁଠି? ତୁମେ ଏ ଘୋର ଜଙ୍ଗଲରେ କାହିଁକି ବା ଏକାକିନୀ ବାସ କରୁଛ?”

ତୁଳସୀ କହିଲା, “ମୁଁ ରାଜା ଧର୍ମଧ୍ୱଜଙ୍କର କନ୍ୟା । ମୋ ନାମ ତୁଳସୀ । ମୋର ଇଚ୍ଛା ମୋର ଭାବି ପତି ଜଣେ ମହାବୀର ହୋଇଥିବ ଓ ମୋର ପତିବ୍ରତା ଧର୍ମ ସବୁଦିନ ପାଇଁ ଜାଜୁଲ୍ୟମାନ ହୋଇ ରହିବ । ସେଇ ଆକାଂକ୍ଷା ନେଇ ମୁଁ ଏଠାରେ ତପସ୍ୟା କରୁଛି । କିନ୍ତୁ ଆପଣ କିଏ? ହଠାତ୍ କେଉଁଠୁ ଆସି ପହଁଚିଲେ ।

ଶଙ୍ଖଚୂଡ କହିଲା “ମୁଁ ହେଉଛି ଦାନବରାଜ ଦମ୍ଭଙ୍କ ପୁତ୍ର । ମୋ ନାମ ଶଙ୍ଖଚୂଡ । ମୁଁ ବ୍ରହ୍ମାଙ୍କୁ ତପସ୍ୟା କରି ତିନିଲୋକ ଉପରେ ବିଜୟ ଲାଭ କରିବାର ବର ପାଇଛି । ତୁମକୁ ବିବାହ କରିବାକୁ ବ୍ରହ୍ମାହିଁ ମୋତେ ଆଦେଶ ଦେଇଛନ୍ତି । ମୁଁ ସେଇଥିପାଇଁ ଏଠାକୁ ଆସିଛି ।”

ତୁଳସୀ ଏକଥାରେ ସମ୍ମତ ହେବା ମାତ୍ରେ ଶଙ୍ଖଚୂଡ ତା’ ରାଜ୍ୟକୁ ଫେରି ଏ ଖବର ପିତାଙ୍କୁ ଜଣାଇଲା । ଦୁଇ ରାଜ୍ୟରେ ମହାଉତ୍ସବ ହେଲା । ଦୁହିଁଙ୍କର ବିବାହ ହେଲା । ପରେ ପରେ ଦମ୍ଭ ଶୁକ୍ରାଚାର୍ଯ୍ୟଙ୍କ ସହିତ ପରାମର୍ଶ କରି ଅନତିବିଳମ୍ବେ ପୁତ୍ର ଶଙ୍ଖଚୂଡର ଅଭିଷେକ କରାଇଲେ ।

ଶଙ୍ଖଚୂଡ ପିତାଙ୍କ ପରାମର୍ଶ ଓ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ସହିତ ରାଜ୍ୟ ଶାସନ କରି ଖୁବ୍ ସୁନାମ ଅର୍ଜ୍ଜନ କଲା । ସେହି ସମୟରେ ରାଜ୍ୟରେ ସୁଖ ସମୃଦ୍ଧି ବୃଦ୍ଧି ହେବାରେ ଲାଗିଲା । ଦିନେ କେତେକ ମୁଖ୍ୟ ଅସୁର ଓ ଶୁକ୍ରାଚାର୍ଯ୍ୟ ଶଙ୍ଖଚୂଡକୁ ଦେଖା କରି କହିଲେ, “ରାଜନ୍, ଇନ୍ଦ୍ରଦେବ ଓ ଅନ୍ୟାନ୍ୟ ଦେବତାମାନେ ଆମମାନଙ୍କ ଉପରେ ବହୁବାର ଆକ୍ରମଣ କରି ଅନେକ ଅତ୍ୟାଚାର କରିଛନ୍ତି । ତେଣୁ ତାହାର ପ୍ରତିଶୋଧ କେବଳ ଆପଣହିଁ ନେଇ ପାରିବେ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁଛୁ । ପ୍ରଥମେ ସ୍ୱର୍ଗ ଉପରେ ବିଜୟ ଲାଭ କରନ୍ତୁ ।”

ଶଙ୍ଖଚୂଡ ସେମାନଙ୍କ କଥାରେ ସମ୍ମତ ହୋଇ ଶୁକ୍ରାଚାର୍ଯ୍ୟଙ୍କୁ ଯୁଦ୍ଧଯାତ୍ରା ପାଇଁ ଏକ ଶୁଭ ମୁହୂର୍ତ୍ତ ଦେଖିବାକୁ କହିଲେ । ଶୁଭ ମୁହୂର୍ତ୍ତରେ ଶଙ୍ଖଚୂଡ ସୈନ୍ୟମାନଙ୍କୁ ନେଇ ସ୍ୱର୍ଗପୁର ଆକ୍ରମଣ କଲା । ଇତିମଧ୍ୟରେ ଏ ଖବର ପାଇ ଇନ୍ଦ୍ର ସ୍ୱୟଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଦେବସେନାପତି କାର୍ତିକେୟଙ୍କୁ ଦୂତ ଦ୍ୱାରା ଡକାଇ ପଠାଇଲେ । ଚାଳିଶ ଦିନ ଧରି ହେବ ଦେବ ଦାନବ ମଧ୍ୟରେ ଯୁଦ୍ଧ ଚାଲିଲା । କିନ୍ତୁ ଶେଷରେ ଦେଖାଗଲା କ୍ରମେ ଦେବତାମାନେ ଦୁର୍ବଳ ହୋଇ ପଡିଲେ । ଏସବୁ ଦେଖି ଦେବତାଙ୍କର ପରାଜୟ ସୁନିଶ୍ଚିତ ବୋଲି ଇନ୍ଦ୍ର ଭାବିଲେ । ତେଣୁ ସେ ଶଙ୍ଖଚୂଡ ନିକଟକୁ ଯାଇ କହିଲେ, “ଶଙ୍ଖଚୂଡ, ମୁଁ ଜାଣେ ତୁମେ ବ୍ରହ୍ମାଙ୍କ ବର ଯୋଗୁଁ ଅତ୍ୟନ୍ତ ବଳଶାଳୀ ହୋଇଛ ପୁଣି କଶ୍ୟପଙ୍କ ବଂଶଜ । ତେଣୁ ଅଯଥା ଯୁଦ୍ଧ କରି ସୈନ୍ୟ ମାରିବା ଅପେକ୍ଷା ତମେ ବରଂ ସ୍ୱର୍ଗପୁରକୁ ଅଧିକାର କରି ଶାସନ କର । ଏଥିରେ ଆମେମାନେ ତୁମକୁ ସାହାଯ୍ୟ କରିବୁ ।”

ଶଙ୍ଖଚୂଡ ଖୁସି ହୋଇ କହିଲା, “ଠିକ୍ ଅଛି ତମେହିଁ ମୋର ପ୍ରତିନିଧି ହୋଇ ସ୍ୱର୍ଗରେ ଶାସନ କର ।”

ତା’ପରେ ସେ ମର୍ତ୍ୟ ଲୋକ ଓ ପାତାଳ ଲୋକ ଜୟ କରିବା ପରେ ନିଜର ରାଜଧାନୀ ଶୋଣିତପୁର ଫେରିଯାଇ ସେଠାରେ ଥାଇ ତିନିଲୋକକୁ ଶାସନ କଲା ।

ଇନ୍ଦ୍ରଙ୍କୁ ଋଷିମୁନିମାନେ ଯଜ୍ଞଭାର ଦେଉଥିବାରୁ ଶଙ୍ଖଚୂଡ ତା’ର ସୈନ୍ୟମାନଙ୍କୁ କହିଲା, “ମୋତେ ଯଜ୍ଞଭାର ଦେବାକୁ ସବୁ ଋଷିମୁନିମାନଙ୍କୁ ଆଦେଶ କର । ଯଦି ସେମାନେ ନ ମାନନ୍ତି, ତାହାହେଲେ ତାଙ୍କର ଯଜ୍ଞ ଧ୍ୱଂସ କର ।”

ସୈନ୍ୟମାନଙ୍କ ଦ୍ୱାରା ଅତ୍ୟାଚାରିତ ଋଷିମୁନିଗଣ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ, “ଭଗବାନ୍, ଆମେ ଶଙ୍ଖଚୂଡ ଦ୍ୱାରା ଅତ୍ୟାଚାରିତ, ଆପଣ ତାକୁ ବଧ କରି ଆମକୁ ରକ୍ଷା କରନ୍ତୁ ।”

ଶ୍ରୀବିଷ୍ଣୁ କହିଲେ, “ଶଙ୍ଖଚୂଡ ମୋର ଅଂଶ ନେଇ ଜନ୍ମ ନେଇଛି ଓ ତୁଳସୀ ଲକ୍ଷ୍ମୀଙ୍କ ଅଂଶରେ ଜନ୍ମ ନେଇଛି । ତେଣୁ ମୁଁ ସେମାନଙ୍କୁ କେବେବି ବଧ କରିପାରିବି ନାହିଁ । ତମେ ଶିବଙ୍କ ପାଖକୁ ଯାଅ ।”

ଋଷିମୁନିଗଣ ଶିବଙ୍କ ପାଖକୁ ଯାଇ ତାଙ୍କୁ ସବୁକଥା କହିଲେ । ଶିବ ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ, “ମୁଁ ଅବିଳମ୍ବେ ଶଙ୍ଖଚୂଡ ଓ ଅନ୍ୟ ଅସୁରମାନଙ୍କୁ ବଧ କରିବି । ତୁମେମାନେ ଏଥର ଯାଅ ।”

ନାରଦ ଏଇ ଖବର ନେଇ ଦିନେ ଶଙ୍ଖଚୂଡ ପାଖରେ ପହଁଚି କହିଲେ, “ଶଙ୍ଖଚୂଡ ତୁ ଏଠି ଆରାମରେ ବସିଛୁ । ତେଣେ ଋଷିମୁନିଙ୍କ କଷ୍ଟ ଦେଖି ଶିବ କଥା ଦେଇଛନ୍ତି ଯେ ଅବିଳମ୍ବେ ତୋର ରାଜ୍ୟ ଆକ୍ରମଣ କରି ତୋତେ ସେ ବଧ କରିବେ । ତେଣୁ ସେ ତୋତେ ଆକ୍ରମଣ କରିବା ଆଗରୁ ତୁ ସୈନ୍ୟ ନେଇ କୈଳାସ ଆକ୍ରମଣ କର ।”

ନାରଦଙ୍କ ପରାମର୍ଶ ଅନୁସାରେ ସେ ନିଜର ସୈନ୍ୟସାମନ୍ତ ଧରି କୈଳାସ ଆକ୍ରମଣ କଲା । ଶିବ ଏହା ଦେଖି କ୍ରୋଧାନ୍ୱିତ ହୋଇ କୁମାରଗଣଙ୍କୁ ଓ ଭଦ୍ରକାଳୀ ଆଦି ଦେବୀମାନଙ୍କୁ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଇତିମଧ୍ୟରେ ଦୁଇ ପକ୍ଷର ସୈନ୍ୟମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ସାରିଥାଏ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleParibarttana
Next Article Udasina-Raja-Putra
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.