ଦୀର୍ଘ ଏକବର୍ଷ ଧରି ବିଭିନ୍ନ ଅନୁଷ୍ଠାନ, ଆଗଧାଡ଼ିର ବ୍ୟକ୍ତିବିଶେଷ ଏବଂ ବହୁ ସଭାସମିତିରେ ଏ ସମ୍ପର୍କରେ ସୂଚୀତ କରିବା ପରେ ମାତ୍ର ୭ ଜଣ ବ୍ୟକ୍ତି- ହରପ୍ରସା ଦାସ (ସମାଜ,୯/୨/୦୯) ବରେକୃଷ୍ଣ ଧଳ (ଧରିତ୍ରୀ), ସୁବ୍ରତ ପୃଷ୍ଟି (ଏଷଣା-୫୯, ଓଡ଼ିଆ ଗବେଷଣା ପରିଷ ମୁଖପତ୍ର), ଦେବୀପ୍ରସନ୍ନ ପଟ୍ଟନାୟକ (ସମାଜ – ୧୬/୧/ ୧୦), ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର (କୋଣାର୍କ-୧୫୪) ବସନ୍ତ କୁମାର ପଣ୍ଡା (ସମାଜ-୭/ ୨/୧୦), ଚନ୍ଦ୍ରଭାନୁ ପଟ୍ଟନାୟକ (ସମାଜ-୧/୪/୧୦) ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସପକ୍ଷରେ ବିଭିନ୍ନ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିଛନ୍ତି । ଦୁଃଖର କଥା ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଜାତୀୟତାପାଇଁ ଚିତ୍କାର କରୁଥିବା ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର ଏପରିକି ରାଜନୈତିକ ନେତା ଏହି ଆଲୋଚନାଠାରୁ ବହୁ ଦୂରରେ ଅଛନ୍ତି । ପାଟକୁରାରୁ ଅଧ୍ୟାପକ ନୀରୋଦ ଦାସ ଦେବୀବାବୁଙ୍କ ମତକୁ “ପ୍ରମାଦଯୁକ୍ତ ତଥ୍ୟ” କହି ଓଡ଼ିଆଙ୍କୁ ଫରାସୀଜାତି ଶାସନ କରି ନାହାନ୍ତି ବୋଲି (ସମାଜ-୨୯/୧/୧୦) କହିଥିବାବେଳେ ଇତିହାସ ପୃଷ୍ଠା ଓଲଟାଇଥିବା ଅଧ୍ୟାପକ (?) ଦାସ ମହାଶୟ ବୋଧହୁଏ ଦେଖିବାକୁ ଭୁଲିଯାଇଛନ୍ତି ଯେ, ମୋଗଲ ଅଧିକୃତ ପାଞ୍ଚଣ୍ଡପାଟ – ଜଳେଶ୍ୱର, ଭଦ୍ରଖ, କଟକ, କଳିଙ୍ଗ ଓ ରାଜମହେନ୍ଦ୍ରୀ ମଧ୍ୟରୁ ଶେଷ ଦୁଇ ଦଣ୍ଡପାଟ ୧୬୫୧ରେ ଗୋଲକୁଣ୍ଡା ଶାସନ ଅନ୍ତର୍ଭୁକ୍ତ ହୋଇଥିଲା । ୧୬୮୭ରେ ଏହା ପୁଣି ଔରଙ୍ଗଜେବଙ୍କଦ୍ୱାରା ମୋଗଲ ଅଧିକୃତ ହୋଇଥିଲେ ମଧ୍ୟ ଏହି ଦୁଇ ଦଣ୍ଡପାଟ ଓଡ଼ିଶା ସହିତ ମିଶା ନ ଯାଇ ଦାକ୍ଷିଣାତ୍ୟ ସୁବେଦାର ହାତରେ ନ୍ୟସ୍ତ କରାଗଲା । ମୋଗଲ ସାମ୍ରାଜ୍ୟ ପତନ ପରେ ଦାକ୍ଷିଣାତ୍ୟ ସୁବେଦାର ନିଜାମ-ଉଲ୍-ମୁଲ୍ କ ବା ଚିନ୍ କିଲିଚ୍ ଖାଁ ଦାକ୍ଷିଣାତ୍ୟକୁ ନେଇ ୧୭୨୪ରେ ସ୍ୱତନ୍ତ୍ର ହାଇ୍ରାବାଦ ରାଜ୍ୟ ସ୍ଥାପନ କରିବାରୁ ଏହି ଓଡ଼ିଆ ଅଞ୍ଚଳ ଉତ୍ତର ସରକାର ନାମରେ ହାଇ୍ରାବାଦ ରାଜ୍ୟ ଅନ୍ତର୍ଭୁକ୍ତ ହୋଇଗଲା । ୧୭୫୧ରେ ସଲାବତଜଙ୍ଗଙ୍କୁ ହାଇ୍ରାବାଦ ନିଜାମ ହେବାରେ ସାହାଯ୍ୟ କରିଥିବା ଫରାସୀ ଗଭର୍ଣ୍ଣର ଡ୍ୟୁପ୍ଲେକ୍ସଙ୍କୁ ନିଜାମ ଉତ୍ତର ସରକାର ପ୍ରଦାନ କରିବାରୁ ଚିଲକାଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଓଡ଼ିଆ ଅଞ୍ଚଳ ଫରାସୀ ଶାସନାଧୀନ ହେଲା । ଏହି ସମୟରେ ଅବଶିଷ୍ଟ ଓଡ଼ିଶା ମରହଟ୍ଟା ଅଧିକୃତ ହେବାରୁ ଓଡ଼ିଶା ଦୁଇଭାଗରେ ବିଭକ୍ତ ହୋଇ ଦୁଇଟି ଭିନ୍ନ ଶାସକଙ୍କଦ୍ୱାରା ଶାସିତ ହେଲା ।
ସେହିପରି ଢେଙ୍କାନାଳର ବଡଷାଠିଆବାଟିଆ ନିବାସୀ ଡଃ ନିରଞ୍ଜନ ଦାଶ “ଓଡ଼ିଆଭାଷା ସଂସ୍କୃତର ଭଗିନୀ” ବୋଲି ଦେବୀବାବୁ ଦେଇଥିବା ମନ୍ତବ୍ୟକୁ ଗ୍ରହଣ କରିନାହାନ୍ତି । ପୁଣି “ବାଟ”କୁ ଓଡ଼ିଆଶବ୍ଦ କହି ଦେବୀବାବୁ ଏକ ଗର୍ହିତକାର୍ଯ୍ୟ କରିଛନ୍ତି ବୋଲି ସେ ମତ ଦେଇଛନ୍ତି । ଏହା ସଂସ୍କୃତ ଶବ୍ଦ ବୋଲି ଯୁକ୍ତି କରିଥିବାବେଳେ ନିଜର ଏହି ଆରୋପ ପ୍ରତ୍ୟାରୋପ ଭିତରେ ସେ ମଧ୍ୟ ଓଡ଼ିଆଭାଷାର ମୌଳିକତା ଓ ପ୍ରାଚୀନତା ଅନ୍ୱେଷଣ କରିବାକୁ ଆଗ୍ରହୀ ହୋଇନାହାନ୍ତି । ଅନ୍ୟ ସଂସ୍କୃତ ପଣ୍ଡିତଙ୍କ ଭଳି ସେ ବିଶ୍ୱାସ କରନ୍ତି ସଂସ୍କୃତରୁ ଓଡ଼ିଆଭାଷା ସୃଷ୍ଟି । ସେ ଜାଣନ୍ତିନାହିଁ ବହୁ ବୈଦିକଶବ୍ଦ ଓଡ଼ିଆରେ ଏ ପର୍ଯ୍ୟନ୍ତ ଅବିକୃତ ଭାବେ ଚଳୁଥିବାବେଳେ ସଂସ୍କୃତରେ ଏଗୁଡ଼ିକର ପ୍ରୟୋଗ ନାହିଁ । ସବୁଠାରୁ ଦୁଃଖର କଥା ହେଲା ଉକ୍ତ ଦୁଇ ପଣ୍ଡିତ ଯଦି ଦେବୀବାବୁଙ୍କ ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ଲିଖିତ ମାର୍ମିକ ଆବେଦନକୁ ବୁଝିପାରି ନିଜର ମତ ପ୍ରଦାନ କରିଥାନ୍ତେ, ତେବେ ଓଡ଼ିଆ ଜାତି ଓ ଭାଷା ପ୍ରତି ସଚେତନ ଅଛନ୍ତି ବୋଲି ଜଣା ପଡ଼ିଥାନ୍ତା ।
ଆଉ ଜଣେ ନିୟମିତ ସ୍ତମ୍ଭକାର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଆ ଭାଷାର ମହତ୍ତ୍ୱ ଦର୍ଶାଇବାକୁ ଯାଇ ଓଡ଼ିଆ ଜାତିକୁ ରାଜସ୍ଥାନ ମରୁଭୂମିରୁ ଟାଣିଓଟାରି ମହାନଦୀ କୂଳକୁ ଆଣିଥିବାବେଳ ସଂସ୍କୃତରୁ ଓଡ଼ିଆ ଭାଷା ସୃଷ୍ଟି ବୋଲି ପ୍ରାଣପଣେ ପ୍ରମାଣ କରିଛନ୍ତି । ଅର୍ଥାତ୍ ଲେଖକଠାରୁ ପାଠକ ପର୍ଯ୍ୟନ୍ତ କେହି ହେଲେ ଶାସ୍ତ୍ରୀୟ ମାନ୍ୟତାଦ୍ୱାରା ଓଡ଼ିଆଭାଷାର କି ପ୍ରକାରର ଉପକାର ହେବ, ତାହା ବୁଝି ନାହାନ୍ତି । ତେଣୁ ଯେଉଁ ଜାତିର ଉଚ୍ଚ ଡିଗ୍ରୀଧାରୀ ଶିକ୍ଷିତବର୍ଗ ଏହିଭଳି ଅଜ୍ଞାନର ଦାସତ୍ୱରେ ବନ୍ଧା ପଡ଼ିଛନ୍ତି, ସେହି ଜାତିର ଭାଷା ଯେତେ ଗୌରବପୂର୍ଣ୍ଣ ହେଲେ ମଧ୍ୟ ଅନ୍ୟ ନିକଟରେ ମର୍ଯ୍ୟାଦା ପାଇବ ନାହିଁ । ଆମ ଶିକ୍ଷିତଙ୍କ ମାନସିକତା ଏଭଳି ସ୍ତରରେ ଥିବାବେଳେ ସାଧାରଣ ଲୋକଙ୍କଠାରୁ କ’ଣ ଆଶା କରିବା? ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାଦ୍ୱାରା ଏହି ଭାଷାର ବିକାଶପାଇଁ କେବଳ ଆର୍ଥିକ ପାଇବନାହିଁ, ବରଂ ଏହି ଭାଷା ସଂପର୍କରେ ଜାତୀୟ, ଆନ୍ତର୍ଜାତୀୟ କ୍ଷେତ୍ରରେ ବ୍ୟାପକ ଗବେଷଣା ହେବାଦ୍ୱାରା ଓଡ଼ିଆଭାଷାର ଜନ୍ମଜାତକରେ ଯେଉଁ କଳଙ୍କ ଲାଗିରହି ଏହାର ବିକାଶକୁ ଅବରୋଧ କରି ରଖିଛି ତାହା ଦୂର ହୋଇଯିବ । ସଂସ୍କୃତମୁକ୍ତ ନିରୁତା ଓଡ଼ିଆ ବ୍ୟାକରଣ ରଚନା ହୋଇପାରିବ । ଓଡ଼ିଆଭାଷା ଉଚ୍ଚାରଣ ଓ ପ୍ରୟୋଗବିଧି ବୈଜ୍ଞାନିକ ପଦ୍ଧତିଯୁକ୍ତ ହୋଇଥିବାରୁ ଏହାଉପରେ ବିସ୍ତୃତ ଗବେଷଣା ହେବାଦ୍ୱାରା ଓଡ଼ିଆଭାଷା ବିଶ୍ୱବାସୀଙ୍କ ନିକଟତର ହୋଇପାରିବ ।
କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ରସରକାର କେତେକ ସର୍ତ୍ତ ରଖିଛନ୍ତି । ଯଥା- (୧) ଶାସ୍ତ୍ରୀ ମାନ୍ୟତା ଦାବି କରୁଥିବା ଭାଷାଭାଷୀ ଜାତିର ୧୫୦୦ ରୁ ୨୦୦୦ ବର୍ଷ ଧରି ଲିପିବଦ୍ଧ ଇତିହାସ ଓ ସଂସ୍କୃତି ଥିବ । (୨) ମହତ୍ୱପୂର୍ଣ୍ଣ ପ୍ରାଚୀନ ସାହିତ୍ୟ ରଚନା ପରଂପରା ଥିବ । (୩) ଅନ୍ୟ କୌଣସି ଭାଷାଦ୍ୱାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟିସମ୍ଭାରରେ ସମୃଦ୍ଧ ଥିବ । (୪) ପ୍ରାଚୀନ ଓ ଆଧୁନିକ ଭାଷା ରୂପ ମଧ୍ୟରେ ଅବିଚ୍ଛିନ୍ନ ସଂପର୍କ ନ ଥାଇପାରେ ।
(୧) ଲିପିବଦ୍ଧ କ୍ରମିକ ଇତିହାସ
ଗୋଟିଏ ଜାତିର ପ୍ରାଚୀନତାକୁ ଆଧୁନିକ ଐତିହାସିକଗଣ ତିନୋଟି ସ୍ରୋତଦ୍ୱାରା ଆକଳନ କରିଥାନ୍ତି । ଯଥା ୧- ପ୍ରତ୍ନତାତ୍ତ୍ୱିକ ଆବିଷ୍କାର, ୨- ପ୍ରାଚ୍ୟ ସାହିତ୍ୟ ସ୍ରୋତ, ୩-ଭାରତ ଆସିଥିବା ପାଶ୍ଚାତ୍ୟ ପଣ୍ଡିତଙ୍କ ବିବରଣୀ । ବିଶ୍ୱର ମାନବଜାତି ଭଳି ଓଡ଼ିଆଜାତିର ପ୍ରାଚୀନତା ସମ୍ପର୍କରେ ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ଜୀବାଶ୍ମ, ଆଦିମାନବ ବ୍ୟବହାର କରୁଥିବା ପଥରର ଅସ୍ତ୍ରଶସ୍ତ୍ରରୁ ଜଣାପଡ଼ିଛି । ଏହିସବୁ ବସ୍ତୁ ଓଡ଼ିଶାରେ ପ୍ରବାହିତ ମହାନଦୀ, ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ଆଦି ବିଭିନ୍ନ ନଦୀ ଅବବାହିକାରୁ ପ୍ରଚୁର ପରିମାଣରେ ମିଳିଥିବାରୁ ଓଡ଼ିଶାରେ ମଧ୍ୟ ପୁରାତନ ପ୍ରସ୍ତରଯୁଗଠାରୁ ନୂତନ ପ୍ରସ୍ତର ଯୁଗ ଅନ୍ତର୍ଭୁକ୍ତ ତାମ୍ରଯଗୁ ଓ ଲୌହଯୁଗ ମଧ୍ୟରେ ମାନବର କ୍ରମ ବିକଶିତ ଅବସ୍ଥା ସମ୍ପର୍କରେ ଯଥେଷ୍ଟ ସୂଚନା ମିଳେ । ଏଥିସହିତ ଆଦିମାନବରୁ ବିବର୍ତ୍ତିତ ହୋଇ ଆଧୁନକି ମାନବ ସଭ୍ୟତାରେ ପହଞ୍ଚିବା ସମ୍ପର୍କରେ ମୁଖ୍ୟ ଭୂମିକା ନେଇଥିବା ଲିପିର କ୍ରମବିକଶିତ ରୂପ ଝାରସୁଗୁଡ଼ାର ବିକ୍ରମଖୋଲ, ଉଷାକୋଠି, ଉଲଫଗଡ଼, କଳହାଣ୍ଡିର ଗୁଡ଼ହାଣ୍ଡି ଓ ନୂଆପଡ଼ାର ଯୋଗୀମଠ ସମେତ ୫୫ଟି ଗୁମ୍ଫାରୁ ୨୦ହଜାର ବର୍ଷ ତଳେ ଅଙ୍କିତ ୫୭୭ଟି ବିଭିନ୍ନ ଚିତ୍ରଲିପିରୁ ଜଣା ପଡ଼ିଥିବାବେଳେ ଓଡ଼ିଆଜାତିର ଉତ୍କର୍ଷ ସମ୍ପର୍କିତ ସୂଚନା ଭାରତର ବିଭିନ୍ନ ପ୍ରାଚୀନ ସାହିତ୍ୟ ଏବଂ ବିଦେଶାଗତ ଭାରତ ଭ୍ରମଣକାରୀଙ୍କ ବିବରଣୀରେ ଦେଖିବାକୁ ମିଳେ ।
ପ୍ରତ୍ନତାତ୍ତ୍ୱିକ ଖନନରୁ ଜଣାପଡ଼େ ଏ ପର୍ଯ୍ୟନ୍ତ ଆବିଷ୍କୃତ ଭାରତର ସର୍ବପ୍ରାଚୀନ ସଭ୍ୟତା ହେଉଛି ପଶ୍ଚିମଭାଗରେ ପ୍ରବାହିତ ସିନ୍ଧୁ ଓ ଏହାର ଶାଖା ନଦୀକୂଳରେ ଗଢ଼ିଉଠିଥିବା ବାଣିଜ୍ୟିକ ସଭ୍ୟତା । ୫,୦୦୦ବର୍ଷ ତଳର ଏହି ସଭ୍ୟତା ପ୍ରମାଣ କରିଥାଏ ଯେ, ଭାରତ କେବଳ ବାଣିଜ୍ୟ ବ୍ୟବସାୟ ନୁହେଁ, ଲିଖନ କଳାରେ ମଧ୍ୟ ତତ୍କାଳୀନ ସୁମେରୀୟଙ୍କ ଭଳି ସଫଳ ଥିଲେ । ବାରମ୍ବାର ପ୍ରାକୃତିକ ଦୁର୍ବିପାକ ତଥା ସିନ୍ଧୁ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଆସିବାରୁ ଏବଂ ଏହି ନଗରସଭ୍ୟତା ଗଢ଼ିଉଠିଥିବା ପଛରେ ଥିବା ଟେକ୍ନୋଲୋଜିରେ ପରିବର୍ତ୍ତନ ନ ଘଟିବାରୁ ଏହି ସଭ୍ୟତାର ଅବକ୍ଷୟ ଘଟିଲା । ତେଣୁ ଏହି ନଗରବାସୀ ସୁରକ୍ଷାପାଇଁ ବାଧ୍ୟହୋଇ ପୁଣି ଗ୍ରାମାଭିମୁଖୀ ହୋଇ ଭାରତର ବିଭିନ୍ନ ନଦୀକୂଳରେ ଥିବା ଅପେକ୍ଷାକୃତ ସୁରକ୍ଷିତ ସ୍ଥାନରେ ବସବାସ କରିବାରେ ଲାଗିଲେ । ଯଦିଓ ଏହି ସଭ୍ୟତା କୃଷିଭିତ୍ତିକ ବଳକା ଶସ୍ୟ ବ୍ୟବସ୍ଥା ଉପରେ ଗଢ଼ି ଉଠିଥିଲା ଓ ଖ୍ରୀ.ପୂ. ୨୫୦୦ରୁ ଖ୍ରୀ.ପୂ. ୧୮୦୦ ପର୍ଯ୍ୟନ୍ତ ନଗର ବିକାଶର ଚରମ ଅବସ୍ଥାରେ ପହଞ୍ଚିଥିଲା, ତଥାପି ଏହା ଜୋରୱେ ସଂସ୍କୃତି (ଖ୍ରୀ.ପୂ. ୭ମ ଶତାବ୍ଦୀ ପର୍ଯ୍ୟନ୍ତ) ଅର୍ଥାତ୍ ଲୁହାର ଆବିଷ୍କାର ପରେ ଗଙ୍ଗା ଉପତ୍ୟକାରେ ଦ୍ୱିତୀୟ ନଗରୀକରଣର ସୃଷ୍ଟି ହେବା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ବୋଲି ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ବିଭିନ୍ନ ସାମଗ୍ରୀକୁ ବିଶ୍ଳେଷଣ କରି ଐତିହାସିକଗଣ ମତବ୍ୟକ୍ତ କରିଛନ୍ତି । ଏହି କାଳ ମଧ୍ୟରେ କୃଷି ଓ ପଶୁପାଳନକୁ ଆଧାର କରି ସେହି ଉତ୍ତର ଭାରତରେ ଆର୍ଯ୍ୟ ନାମକ ଆଉ ଏକ ଶିକ୍ଷିତ ଗୋଷ୍ଠୀଙ୍କ ଆବିର୍ଭାବ ଘଟିଥିଲା ଏବଂ ଏମାନେ ଭୂମଧ୍ୟସାଗର ବା ମଧ୍ୟ ଏସିଆର ଉଚ୍ଚଶିକ୍ଷିତ ଯାଯାବର ଜାତିବୋଲି ଇଂରେଜ ଗବେଷକଙ୍କ୍ୱାରା ଆମ ମୁଣ୍ଡରେ ଭର୍ତ୍ତି କରିଦିଆଗଲା । ପ୍ରକୃତରେ ଏହି ଶିକ୍ଷିତଗୋଷ୍ଠୀ ସିନ୍ଧୁସଭ୍ୟତା ଜନଜୀବନର ଏକ କ୍ଷୁଦ୍ର ଅଂଶବିଶେଷ ଏବଂ ଏମାନେ ସିନ୍ଧୁନଗର ପତନପରେ ଜୀବନଧାରଣ ଉଦ୍ଦେଶ୍ୟରେ ଗଙ୍ଗା, ଯମୁନା,ଦୋଆବ ଅଞ୍ଚଳରେ ବାଣିଜ୍ୟ କରିବାପାଇଁ ସୁବିଧା ନ ଥିବାରୁ କୃଷି ଓ ଗୋପାଳନକୁ ନେଇ ନୂଆ ଭିତ୍ତିଭୂମି ତିଆରି କଲେ । ଏମାନଙ୍କ ସଭ୍ୟତାକୁ ବୈଦିକ ସଭ୍ୟତା କୁହାଗଲା । ଏହିସମୟରେ ଲୁହାର ଆବିଷ୍କାର ଘଟି ନଥିବାରୁ ଏମାନେ ଭାରତୀୟ ତାମ୍ରଯୁଗର ଅଧିବାସୀ ରୂପେ ପରିଗଣିତ ହେଲେ । ବୈଦିକସଭ୍ୟତାର ମଣିଷ କେଉଁ ଲିପି ଓ ଭାଷା ବ୍ୟବହାର କରୁଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ି ଶୁଣିଶୁଣି ମନେ ରଖିଥିବା ଶ୍ରୁତିଶାସ୍ତ୍ର ଇତ୍ୟାିକୁ ଅନୁଶୀଳନ କଲେ ଜଣାପଡ଼େ, ଏମାନେ ବୈଦିକ ସଂସ୍କୃତ ସହ ପରିଚିତ ଥିଲେ ।
ପ୍ରାୟ ୩ ହଜାର ବର୍ଷ ପୂର୍ବେ ଖ୍ରୀ.ପୂ. ଦଶମ ଶତାବ୍ଦୀ ବେଳକୁ ଭାରତରେ ଲୁହାର ଆବିଷ୍କାର କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଲୁହାର ବ୍ୟାପକ ପ୍ରୟୋଗ ଯୋଗୁଁ ଉତ୍ପାଦନ ବୃଦ୍ଧି ହେବାଦ୍ୱାରା ପୁଣିଥରେ ଲୌହ ଉପଲବ୍ଧ କ୍ଷେତ୍ର ଗଙ୍ଗାନଦୀ ଅବବାହିକାରେ ଦ୍ୱିତୀୟ ନଗରୀକରଣ ଭାବେ ଏହି ସମୟରେ ୧୬ଟି ବୃହତ ରାଜ୍ୟ ସହିତ ଅନ୍ୟାନ୍ୟ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟ ଗଢ଼ି ଉଠିଥିଲା । ତେବେ ଧାର୍ମିକ ଅନ୍ଧବିଶ୍ୱାସର ପ୍ରଚଣ୍ଡପ୍ରଭାବ ଶିକ୍ଷିତ ସମାଜର ଜ୍ଞାନକୁ ଘୋଡ଼ାଇ ପକାଇଥିବାରୁ ଏହାକୁ ପ୍ରତିହତ କରିବାପାଇଁ ଜୈନ ଓ ବୌଦ୍ଧ ନାମକ ଦୁଇଟି ଧର୍ମ ଏହି କାଳରେ ଆବିର୍ଭାବ ଘଟିଲା । ତଥାପି ଏହି ସମୟରେ କେଉଁ ଭାଷା ଓ ଲିପି ପ୍ରଚଳିତ ଥିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଦ୍ୱିତୀୟ ନଗରୀକରଣ ଉତ୍ତର-ମଧ୍ୟ ଭାରତରେ ବିସ୍ତାର ଲାଭ କରିଥିବା ବେଳେ ତିନୋଟି ଶକ୍ତିଶାଳୀ ରାଜବଂଶଦ୍ୱାରା ଉକ୍ତ ୧୬ରାଜ୍ୟ ଅଧିକୃତ ହୋଇ ମଗଧ ନାମକ ବୃହତ ରାଜ୍ୟ ଗଢ଼ିଉଠିଥିଲା । ତାମ୍ରଯୁଗର ନଗରସଭ୍ୟତା ସିନ୍ଧୁନଦୀ କୂଳରେ ଓ ଲୌହ ପାଷାଣକାଳୀନ ଦ୍ୱିତୀୟ ନଗରସଭ୍ୟତା ଗଙ୍ଗନଦୀ କୂଳରେ ଗଢ଼ିଉଠି କ୍ରମେ ଅନ୍ୟ ଅଞ୍ଚଳକୁ ବ୍ୟାପି ଏକ ସଭ୍ୟସମାଜ ଭାରତର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିଲା । ବିଶେଷକରି କୃଷିକ୍ଷେତ୍ରରେ ମଗଧ ନିଜର ଉତ୍କର୍ଷ ପ୍ରମାଣ କରିସାରିଥିବାବେଳେ ଏହାର ନିକଟବର୍ତ୍ତୀ ଅଞ୍ଚଳ ଭାବରେ କଳିଙ୍ଗ ଏହି କୃଷବିକାଶଦ୍ୱାରା ପ୍ରଭାବିତ ହୋଇଥିଲା । ତେଣୁ କୃଷି, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ମଗଧର ଏକାମାତ୍ର ପ୍ରତିଦ୍ୱନ୍ଦ୍ୱୀ ସାଜିଥିଲା କଳିଙ୍ଗ । ଏଥିପାଇଁ ସହାୟକ ହୋଇଥିଲା ପୂର୍ବ ଉପକୂଳରେ ଥିବା ବିସ୍ତୀର୍ଣ୍ଣ ସାଗରବେଳା, ଯାହା ବର୍ହିବାଣିଜ୍ୟପାଇଁ ଏକମାତ୍ର ଅନୁକୂଳ ଭିତ୍ତିଭୂମି ଥିଲା । ସେହି ସମୟରେ ଘଞ୍ଛଅରଣ୍ୟ ଯୋଗୁଁ ଜଳପଥ ଶ୍ରେଷ୍ଠ ବାଣିଜ୍ୟମାର୍ଗ ବୋଲି ବିଚାର କରାଯାଉଥିବାରୁ ଏବଂ ଏହାଉପରେ ମଗଧର ମନ୍ତ୍ରୀ ତଥା ଅର୍ଥଶାସ୍ତ୍ରର ରଚୟିତା କୌଟିଲ୍ୟ ଅଧିକ ଗୁରୁତ୍ୱ ଦେଉଥିବାରୁ ଜଳପଥ ବର୍ହିବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଥିଲା । ତେବେ ମଗଧର ପାଟଳିପୁତ୍ର, ବାରାଣାସୀ, ପ୍ରୟାଗ, ମଥୁରା ଆଦି ସହର ଓ ଗଙ୍ଗାନଦୀ ସହ ସଂଯୋଗ କରୁଥିବା ରୂପନାରାୟଣ ନଦୀ ମୁହାଣରେ ଗଢ଼ି ଉଠିଥିବା ତାମ୍ରଲିପ୍ତି ବନ୍ଦର କଳିଙ୍ଗ ଅଧୀନରେ ଥିବାରୁ ମଗଧର ବ୍ୟବସାୟୀ ଗୋଷ୍ଠୀ କଳିଙ୍ଗ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ଅର୍ଥାତ୍ ଏହି ସମୟରେ କୃଷି ଟେକ୍ନୋଲୋଜି ମଗଧରେ ଆବିଷ୍କୃତ ହୋଇ ଏହା କେବଳ ଉତ୍ପାଦକ ରାଜ୍ୟର ମାନ୍ୟତା ପାଇଲା । ଅନ୍ୟ ପକ୍ଷରେ ଏହି ଉତ୍ପାଦନକୁ ନେଇ କଳିଙ୍ଗ ନିଜର ବ୍ୟବସାୟିକ ପ୍ରତିଷ୍ଠା ପ୍ରତିପାଦିତ କରିବା ସହ ଦକ୍ଷିଣପୂର୍ବ ଏସିଆରେ ନିଜ ଆଧିପତ୍ୟ ବିସ୍ତାର ପୂର୍ବକ ଉପନିବେଶ ସ୍ଥାପନ କରିପାରିଥିଲା । ଏହିକଥା ବିଭିନ୍ନ ପ୍ରତ୍ନାତାତ୍ତ୍ୱିକ ଖନନଦ୍ୱାରା ପ୍ରମାଣ ହୋଇସାରିଛି । ବୋଧହୁଏ ସେଥିପାଇଁ ଏହିମାଟି ପୂର୍ବରୁ ମହାପଦ୍ମନନ୍ଦ ଓ ପରେ ଅଶୋକଙ୍କ ଦୃଷ୍ଟିକଟୁର ଶିକାର ହୋଇଥିଲା । ଯଦିଓ ମହାପଦ୍ମନନ୍ଦଙ୍କ କଳିଙ୍ଗ ଆକ୍ରମଣ ସୂଚନା ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ତେଣୁ ଏହା ନିଶ୍ଚିତଭାବେ ଭୟଙ୍କର ଯୁଦ୍ଧ ନ ଥିଲା । କେବଳ ପାରମ୍ପରିକ ଭାବେ ରାଜ୍ୟଜୟ, ଧନସମ୍ପତ୍ତି ଅଧିକାର କିମ୍ବା ବାଣିଜ୍ୟିକ ସୁବିଧା ହାସଲ ମଧ୍ୟରେ ସୀମିତ ଥିଲା । ତାହା ପୁଣି ଦୁର୍ଭିକ୍ଷ ସମୟରେ ହୋଇଥିବାରୁ କଳିଙ୍ଗବାସୀଙ୍କ ହୃଦୟ ଜିତିବାପାଇଁ ଏହାର ସ୍ଥାୟୀ ପ୍ରତିକାର ଉଦ୍ଦେଶ୍ୟରେ ନନ୍ଦରାଜା କେନାଲ ଖୋଳାଇଥିଲେ ।
ମାତ୍ର ପରବର୍ତ୍ତୀ ନନ୍ଦଶାସକ ଓ ମୌର୍ଯ୍ୟବଂଶର ପ୍ରାରମ୍ଭିକ ଶାସନକାଳରେ କଳିଙ୍ଗ ପୁଣି ନିଜର ସ୍ୱାତନ୍ତ୍ର୍ୟ ପ୍ରଦର୍ଶନକରି ମଗଧ ବିକାଶ ପଥରେ ଏକ ପ୍ରାଚୀର ସଦୃଶ ଠିଆହେଲା । ଫଳରେ କଳିଙ୍ଗ ମାଟିରେ ଘଟି ଯାଇଥିଲି ଭାରତବର୍ଷ ର ସବୁଠାରୁ ଭୟଙ୍କର ଓ ଲୋମହର୍ଷଣକାରୀ ଯୁଦ୍ଧ । ଏ ଯୁଦ୍ଧ ଥିଲା ସ୍ୱାଭିମାନ ସହିତ ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାର ଯୁଦ୍ଧ । ଅଶୋକ ନିଜର ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାକୁ ସୁରକ୍ଷିତ ରଖିବାପାଇଁ କଳିଙ୍ଗ ସ୍ୱାଭିମାନକୁ ନିର୍ଦ୍ଧୟଭାବେ ହତ୍ୟାକଲେ ସତ୍ୟ, ମାତ୍ର ମଗଧକୁ କଳିଙ୍ଗଜାତିର କ୍ରୋଧାଗ୍ନିରୁ ସୁରକ୍ଷିତ ରଖିବାପାଇଁ ଅନୁଶୋଚନାରେ ଜର୍ଜରିତ ହୋଇ ଯୁଦ୍ଧ କରିବା ପ୍ରବୃତ୍ତିକୁ ତ୍ୟାଗ କରିବାର ଛଳନାକୁ ବରଣ କରିନେଲେ । ନିଜର ଏହି ଭାବନା ଜନସାଧାରଣଙ୍କ ଗୋଚର ଉଦ୍ଦେଶ୍ୟରେ ପଥର ଖୋଦେଇ କରି ବିଭିନ୍ନ ଜନଗହଳିପୂର୍ଣ୍ଣ ଉପକଣ୍ଠରେ ସ୍ଥାପନ କରିବା ସହ କଳିଙ୍ଗର ୨ଟି ପ୍ରସିଦ୍ଧ ସହର ତୋଷାଳୀ (ଭୁବନେଶ୍ୱର) ଓ ସମାପା (ଜଉଗଡ଼)ଠାରେ ନିଯୁକ୍ତ ମଗଧର ପ୍ରଶାସକଙ୍କୁ ଏହିଭଳି ଭାବେ ନିର୍ଦ୍ଦେଶ ଦେଇଥିଲେ – “ଏମାନେ ମୋର ସନ୍ତାନ । ଏମାନଙ୍କ ପ୍ରତି ସର୍ବଦା ନ୍ୟାୟ ବିଚାର କରିବ ।” ପୁଣି କଳିଙ୍ଗବାସୀଙ୍କୁ ପ୍ରଚ୍ଛନ୍ନ ଧମକ ମଧ୍ୟ ଦେଇଥିଲେ- “ରାଜା (ଅଶୋକ) କ୍ଷମା କରିବାକୁ ଯେତେଦୁର ସମର୍ଥ ସେମାନଙ୍କୁ କ୍ଷମା ଦେବେ । ଅର୍ଥାତ୍ କଳିଙ୍ଗବାସୀ ତଥା କଳିଙ୍ଗସେନାର ମୁଖ୍ୟସ୍ରୋତ ଆଟବୀକ ବା ଆଦିବାସୀ ସଂପ୍ରଦାୟ ଯଦିପୁଣି ବିଦ୍ରୋହ କରନ୍ତି, ତେବେ ଅସ୍ତ୍ରତ୍ୟାଗ କରିଥିବା ଅଶୋକ ପୂର୍ବଯୁଦ୍ଧର ପୁନରାବୃତ୍ତି ଘଟାଇବାକୁ ପଛାଇବେ ନାହିଁ ।” କେବଳ ସେତିକି ନୁହେଁ, କଳିଙ୍ଗଠାରୁ ବହୁଦୂରରେ ଥିବା ତଥା କଳିଙ୍ଗବାସୀଙ୍କ ସହ ହିନ୍ଦୁକୁଶ ପର୍ବତମାଳା ଅନ୍ତର୍ଭୁକ୍ତ ସାହବାଜଗଡ଼ି ନାମକ ସ୍ଥାନରେ ଭୟଙ୍କର କଳିଙ୍ଗଯୁଦ୍ଧ ସଂପର୍କରେ ବିସ୍ତୃତ ବର୍ଣ୍ଣନାକରି ନିଜ ଅନୁଶୋଚନା ପ୍ରକାଶ ପରିବର୍ତ୍ତେ ସେହି ସମୟର ଆହତ ସିଂହପରି ଅଶୋକଙ୍କ ଅମାନବିକ ଯୁଦ୍ଧର ପ୍ରତିଶୋଧପାଇଁ ପ୍ରସ୍ତୁତ ହେଉଥିବା କଳିଙ୍ଗ ସେନାବାହିନୀ ଭାବେ ପରିଚିତ ସୀମାନ୍ତ ଆଦିବାସୀ ବା ଆଟବିକମାନଙ୍କୁ ଅଭିଲେଖର ସପ୍ତମ ଧାଡ଼ିରେ ସିଧାସଳଖ ଧମକ ଦେଇଥିଲେ- “ଦେବପ୍ରିୟ ବିଜିତ ରାଜ୍ୟରେ ଯେଉଁ ଆଟବିକମାନେ ଅଛନ୍ତି, ସେମାନଙ୍କୁ ଅନୁନୟ ପୂର୍ବକ ସତର୍କ କରିଦେଉଛନ୍ତି ଯେ– ଦେବପ୍ରିୟ ଅନୁତପ୍ତ ଥିବାବେଳେ ମଧ୍ୟ ପ୍ରଭାବଶାଳୀ ଅଟନ୍ତି ।ତେଣୁ ସେ ସେମାନଙ୍କୁ କହନ୍ତି– ଅପକର୍ମରୁ କ୍ଷାନ୍ତ ହୁଅ, ନଚେତ ନିହତ ହେବ ।” ଏକଥା ସେ ବିଜୟ ଗର୍ବରେ ଧଉଳି ଓ ଜଉଗଡ଼ ଅଭିଲେଖରେ ଉଲ୍ଲେଖ କରି ପାରିଥାନ୍ତେ, ମାତ୍ର ତାହା କଲେ ନାହିଁ । କାରଣ ସେ ଜାଣିଥିଲେ ଦୁର୍ଦ୍ଧର୍ଷ କଳିଙ୍ଗଜାତିର ବୀରତ୍ୱ । ଭୟଙ୍କର କଳିଙ୍ଗଯୁଦ୍ଧରେ ଦୟାନଦୀର ଲାଲ ଜଳରାଶିକୁ ଦେଖି ସେ ଅନୁଭବ କରିପାରିଥିଲେ ଆଲେକ୍ଜାଣ୍ଡାର, ଚନ୍ଦ୍ରଗୁପ୍ତ, ବିନ୍ଦୁସାର କଳିଙ୍ଗ ଆକ୍ରମଣ ନ କରିବା କାରଣକୁ । ସେ ଦେଖି ପାରିଥିଲେ କଳିଙ୍ଗବାସୀଙ୍କଠାରେ ଦେଶପ୍ରୀତି, ଆତ୍ମସମ୍ମାନବୋଧ ଓ ସ୍ୱାଭିମାନପଣିଆକୁ । ତେଣୁ କଳିଙ୍ଗଯୁଦ୍ଧରେ କଳିଙ୍ଗମାଟିରୁ ପୁରୁଷଶୂନ୍ୟ କରିଦେଇଥିଲେ ମଧ୍ୟ କଳିଙ୍ଗର ଉପନିବେଶ ସାମ୍ରାଜ୍ୟ ଅଧିପତିଙ୍କ କ୍ରୋଧ ପ୍ରଶମିତପାଇଁ ତଥା ଯୁଦ୍ଧକ୍ଷତ ବହନ କରିଥିବା କଳିଙ୍ଗର ଉତ୍ତରପୁରୁଷଠାରୁ ନିଜର ଅପକର୍ମର କଳଙ୍କ ଲୁଚାଇବାପାଇଁ କଳିଙ୍ଗବାସୀ ନ ବୁଝିବା ଭଳି ଖରୋଷ୍ଠିଲିପି ଓ ଅର୍ମାଇକ ଭାଷାରେ ନିଜ ବୀରତ୍ୱ ଗାଥା ସମ୍ବଳିତ ଅନୁଶୋଚନାର କାହାଣୀ ଉଲ୍ଲେଖ କରିଥିଲେ । ସେତିକିରେ ସନ୍ତୁଷ୍ଟ ନ ହୋଇ ସ୍ୱାଧୀନଚେତା କଳିଙ୍ଗବାସୀ ପରବର୍ତ୍ତୀପିଢୀ କାଳେ ଏ ବିଷୟରେ ଜାଣି ପ୍ରତିହିଂସା ପରାୟଣ ହୋଇପଡ଼ିବେ, ସେଥିପାଇଁ ଯୁଦ୍ଧର ଖଣ୍ଡାଧାରରୁ ବଞ୍ଚିରହିଥିବା ହାତଗଣତି ସାଧବ-ସନ୍ତାନଙ୍କୁ ଅହିଂସାମାର୍ଗ ଦେଖାଇ ବୌଦ୍ଧଧର୍ମରେ ଦୀକ୍ଷିତ କରାଇଥିଲେ ଓ କଳିଙ୍ଗ ବଣିକ ଗୋଷ୍ଠୀଙ୍କୁ ବୌଦ୍ଧଧର୍ମ ପ୍ରଚାରପାଇଁ ବିଶ୍ୱର ଅଞ୍ଚଳକୁ ପ୍ରେରଣକଲେ । ଗୋଟିଏ ସମୃଦ୍ଧ ଜାତିକୁ ପଙ୍ଗୁ କରିବାରେ ଅଶୋକ କିଭଳି ହୀନ ଉଦ୍ୟମ କରିଥିଲେ, ଏହା ହେଉଛି ଶ୍ରେଷ୍ଠ ଉଦାହରଣ ।
ଏହାପରେ ଯେଉଁ ଶିଳାଲେଖରେ ଓଡ଼ିଆଜାତିର ସର୍ବୋତ୍କୃଷ୍ଟ ପରିଚୟ ମିଳିଥାଏ, ତାହା ହେଉଛି ଓଡ଼ିଆଭାଷାର ପ୍ରଥମ ସାହିତ୍ୟ, ପ୍ରଥମ କାରୁକାର୍ଯ୍ୟମୟ ଉତ୍କୃଷ୍ଟ କଳାର ଐତିହାସିକ ସାକ୍ଷ୍ୟ ହାତୀଗୁମ୍ଫା ଶିଳାଲେଖ, ଯାହା କଳିଙ୍ଗାଃ ସାହସିକାଃ ଉକ୍ତିର ସାର୍ଥକତା ପ୍ରତିପାଦନ କରେ । ଖାରବେଳଙ୍କୁ କେବଳ ଓଡ଼ିଶାର ଅଦ୍ୱିତୀୟ ବୀର ନୁହେଁ, ବରଂ ଓଡ଼ିଶାର କଳା, ସଂସ୍କୃତି, ବିଜ୍ଞାନ ଓ ଓଡ଼ିଆ-ଜାତୀୟତାର ମୂର୍ତ୍ତିମନ୍ତ ପ୍ରତୀକଭାବେ ଗ୍ରହଣ କରାଯାଇପାରେ । କାରଣ ଖାରବେଳଙ୍କଦ୍ୱାରା ଭୁବନେଶ୍ୱରର କୁମାରୀପର୍ବତ ବା ଉୟଗିରି ପର୍ବତପୀଠିକାରେ ନିର୍ମିତ ୧୧୭ଟି ଗୁମ୍ଫାରେ ଓଡ଼ିଆ କଳା, ସଂସ୍କୃତି, ଆତିଥେୟତା ଓ ଧାମିର୍କ ଉଦାରତା ଭଳି ଉତ୍କୃଷ୍ଟ ସଭ୍ୟ ମାନବିକ ପରମ୍ପରାର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳେ । ଏଥିସହିତ ସେହି ଗୁମ୍ଫା ମଧ୍ୟରେ ପଥରଖୋଦିତ ବିଶାଳ ହାତୀମୂର୍ତ୍ତି ଦେହରେ ନିଜ ଜୀବନୀ, ଅଶୋକଙ୍କଦ୍ୱାରା ଆହୂତ କୁତ୍ସିତ କଳିଙ୍ଗଯୁଦ୍ଧର ପ୍ରତିଶୋଧ ସ୍ୱରୂପ ମଗଧ ବିଜୟ ବର୍ଣ୍ଣନା, ସମଗ୍ର ଭାରତ ଭୂମିର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଭାଗରେ ଥିବା ଶକ୍ତିଶାଳୀ ଶାସକଙ୍କୁ ପରାସ୍ତ ଓ କଳିଙ୍ଗକୁ ଭାରତବର୍ଷର ଶ୍ରେଷ୍ଠ ସାମ୍ରାଜ୍ୟ ଭାବେ ପରିଚିତ କରାଇବା ସହିତ ଜଣେ କ୍ଷମତା ପିପାସୁ ମୌଳବାଦୀ ନୁହେଁ, ବରଂ ଜଣେ ଧାର୍ମିକ ଉଦାର ଓ ମାନବବାଦୀ ରାଜା ଭାବରେ ନିଜ ୧୩ ବର୍ଷ ରାଜ୍ୟଶାସନର ଧାରାବାହିକ ଅଥଚ ସଂକ୍ଷିପ୍ତ ବିବରଣୀ ଯେଉଭଳି ଢଙ୍ଗରେ ନିହାଣମୂନରେ ଲେଖିଯାଇଛନ୍ତି; ସେଥିରୁ ତାଙ୍କର ଜାତିପ୍ରୀତି ଓ ଲେଖକୀୟ କଳାର ପରିଚୟ ମିଳେ । ଏଥିରେ ପୁଣି ଅଛି କଳିଙ୍ଗର ସୈନ୍ୟ ଓ ଜନସଂପର୍କିତ ସୂଚନା, ଯୁଦ୍ଧବ୍ୟବସ୍ଥା, ରାଜାର ଧର୍ମ-କର୍ତ୍ତବ୍ୟ-ଶତ୍ରୁପ୍ରତି ବ୍ୟବହାର, ପ୍ରଜାପାଳନ, ଘର, ପୁଷ୍କରିଣୀ, ବାମ୍ଫି, କେନାଲ ଆଦି ନିର୍ମାଣ ବ୍ୟବସ୍ଥା, ଅବସର ବିନୋଦନ ମାଧ୍ୟମ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଇତ୍ୟାଦି ସଂପର୍କୀତ ବିସ୍ତୃତ ବିବରଣୀ । ଏହି ୧୩ ବର୍ଷର ରାଜ୍ୟ ଶାସନ ବର୍ଣ୍ଣନା ଅଶୋକଙ୍କ ୧୩ତମ ଶିଳାଲେଖରେ ବର୍ଣ୍ଣିତ କଳିଙ୍ଗଯୁଦ୍ଧର ରାଜୋଚିତ ଉତ୍ତର । ପାର୍ଥକ୍ୟ ଏତିକି, ଅଶୋକଙ୍କ ବର୍ଣ୍ଣନାରେ ଏକମାତ୍ର କଳିଙ୍ଗ ଯୁଦ୍ଧ କଥା ସହିତ ବୌଦ୍ଧଧର୍ମ ପ୍ରଚାର ଓ ରାଜାଦେଶ ସାଧାରଣ ଭାବରେ ସ୍ଥାନିତ ହୋଇଥିବାବେଳେ ଖାରବେଳଙ୍କ ବର୍ଣ୍ଣନାରେ ଭାରତର ବୃହତ ରାଜ୍ୟାଧିକାର, ବିଭିନ୍ନ ଅଭିଯାନ, କାର୍ଯ୍ୟକଳାପ କାବ୍ୟିକ ଶୈଳୀରେ ରଚନା ହୋଇଥିବାର ଦେଖିବାକୁ ମିଳେ । ତାହା ପୁଣି ରଚିତ ହୋଇଥିଲା ସାଧାରଣ ଓଡ଼ିଆଲୋକଙ୍କ କଥିତଭାଷାରେ, ଯାହା ସେସମୟର ଭାରତୀୟମାନେ ଅନାୟାସରେ ବୁଝିପାରୁଥିଲେ । ଖାରବେଳଙ୍କ ପରି ଅଦ୍ୱିତୀୟ ଓଡ଼ିଆଯୋଦ୍ଧା ତଥା ମଗଧର କୁଷାଣ-ମୁରୁଣ୍ଡ ରାଜବଂଶ ଲୋପକାରୀ ଉତ୍କଳର ନାଗବଂଶୀ ରାଜା ତୃତୀୟ ଶତାବ୍ଦୀର ଶତ୍ରୁଭଞ୍ଜଠାରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀର ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ବହୁ ଓଡ଼ିଆରାଜା ସ୍ୱକୀୟ ପ୍ରତିଭାବଳରେ ଓଡ଼ିଆଜାତିର ଗୌରବ ବୃଦ୍ଧି କରିଯାଇଛନ୍ତି ।
ସେହି ବୀର କଳିଙ୍ଗଜାତିର ଉତ୍ତରଦାୟା ହେଉଛି ବର୍ତ୍ତମାନର ଓଡ଼ିଆଜାତି । ଏହି ଜାତିର ରକ୍ତରଞ୍ଜିତ ପ୍ରାଚୀନ ଐତିହ୍ୟ ଆଜି ଗବେଷଣା ନୁହେଁ, କେବଳ ଭାଷଣର ସାମଗ୍ରୀ ପାଲଟିଯାଇଛି । ଓଡ଼ିଆଜାତି ଭଳି ଓଡ଼ିଆ ଭାଷା, ସଂସ୍କୃତିର ଚେର ବହୁକାଳରୁ ଲମ୍ବି ଆସିଥିଲେ ମଧ୍ୟ ଆଜିର ଉତ୍ତରାୟା ନିକଟରେ ଏହି ପ୍ରାଚୀନତାର ମଞ୍ଜ ନ ଥିବାରୁ ସମୟର କଷଟି ପଥରରେ ବହୁ ପରିକ୍ଷିତ ଶୁଦ୍ଧ ଓଡ଼ିଆଭାଷା ଆଜି ସେମାନଙ୍କ ନିକଟରେ ଅପାଂକ୍ତେୟ ହୋଇଯାଇଛି । କିନ୍ତୁ ଏହି ଜାତି ପରି ଏହାର ଭାଷାରେ ବହୁ ମୌଳିକଗୁଣ ରହିଛି, ଯାହା ଗତ ୧୮୮୦ ବର୍ଷ ଧରି ବିଦେଶୀ ଭାଷା ରାଜଭାଷା ରୂପେ ପ୍ରଚଳନ ହୋଇଥିଲେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସି ନିଜସ୍ୱ ସତ୍ତା ହରାଇ ନାହିଁ କିମ୍ବା ସଂସ୍କୃତ ଭଳି ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇନାହିଁ ।
ପ୍ରାଚୀନ ସାହିତ୍ୟରେ ମଧ୍ୟ ଓଡ଼ିଶାର ଗୌରବଗାରିମା ବର୍ଣ୍ଣନା ଦେଖିବାକୁ ମିଳେ । ଏହାର ପ୍ରାଚୀନ ନାମ କଳିଙ୍ଗ ଏବଂ ଉତ୍କଳ ଭାବରେ ସଂସ୍କୃତ ପୁରାଣଗ୍ରନ୍ଥ ରାମାୟଣ, ମହାଭାରତ, ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ ସୂଚିତ ଥିବାବେଳେ ବୌଦ୍ଧ ଓ ଜୈନ ସାହିତ୍ୟରେ ବର୍ଣ୍ଣିତ ଷୋଡ଼ଶ ମହାଜନପଦ ଅନ୍ତର୍ଭୁକ୍ତ ନ ହେବା ଅତି ଆଶ୍ଚର୍ଯ୍ୟର ବିଷୟ । ତେବେ ବୌଦ୍ଧଗ୍ରନ୍ଥର ଅମୂଲ୍ୟ ସମ୍ପଦ ଜାତକକଥାରେ ଉଲ୍ଲେଖ ଅଛି- ଗୌତମ ଯେତେବେଳେ ସମ୍ବୋଧିଲାଭ କରି ଗୟାଠାରେ ନିରଞ୍ଜନା ନଦୀକୂଳରେ ଥିବା ରାଜାୟତନ ନାମକ ଅଶ୍ୱତ୍ତବୃକ୍ଷ ମୂଳରେ ଦୁଇମାସ କାଳ ନିସ୍ତବ୍ଦ ଥିଲେ, ସେହି ସମୟରେ କଳିଙ୍ଗର ଉତ୍ତରଭାଗ ଉତ୍କଳରୁ ତପସୁ ଓ ଭଲ୍ଲିକ ନାମକ ଯାଉଥିବା ଦୁଇ ବଣିକ ମହୁ ଓ ପିଠା (ଯାହା ଏବେ ବି ଓଡ଼ିଆଙ୍କର ପ୍ରିୟଖାଦ୍ୟ ଓ ଏହା ବିଭିନ୍ନ ପୂଜାପାର୍ବଣ, ଆନନ୍ଦଉତ୍ସବରେ ବିତରଣ କରାଯାଏ) ଏହି ଯୁବସନ୍ନ୍ୟାସୀଙ୍କୁ ପ୍ରଦାନକରି ତାଙ୍କର କ୍ଷୁଧା ନିବାରଣ କଲେ । ମହାବୀର ବର୍ଦ୍ଧମାନ କଳିଙ୍ଗ ଆସି ଜୈନଧର୍ମ ପ୍ରଚାର କରିଥିଲେ ବୋଲି ଜୈନସାହିତ୍ୟରେ ଉଲ୍ଲେଖ ଅଛି । ବିଶିଷ୍ଟ ଜର୍ମାନ ଗବେଷକ ହର୍ମନ୍ ଜୈକୋବୀ ଜୈନଧର୍ମର ୨୪ତମ ତୀର୍ଥଙ୍କର ଋଷଭଦେବଙ୍କୁ ଏହି ଧର୍ମର ସଂସ୍ଥାପକ ଭାବେ ପ୍ରମାଣ କରିଥିବାବେଳେ ସିନ୍ଧୁସଭ୍ୟତା ପ୍ରତ୍ନତାତ୍ତ୍ୱିକ ଖନନରୁ ପ୍ରାପ୍ତ ଏକ ନଗ୍ନମଣିଷ ଶରୀରକୁ ଋଷଭଦେବ ବୋଲି ପ୍ରତ୍ନତାତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକ ଡଃ ଟି.ଏନ୍. ରାମଚନ୍ଦ୍ରନ୍ ‘ହରପ୍ପା ଏଣ୍ଡ୍ ଜୈନିଜିମ୍’ ଗ୍ରନ୍ଥରେ ପ୍ରମାଣ କରିଛନ୍ତି । ଏହି ଋଷଭଦେବଙ୍କ ମୂର୍ତ୍ତି ହିଁ କଳିଙ୍ଗଜିନ, ଯାହା କଳିଙ୍ଗ ଆକ୍ରମଣ କରି ମହାପ୍ମନନ୍ଦ ଅପହରଣ କରି ନେଇଥିଲେ ଓ ଖାରବେଳ ମଗଧ ଆକ୍ରମଣ କରି ଏହାକୁ ଉଦ୍ଧାର କରିବା ସହ କଳିଙ୍ଗରେ ପୁନଃସ୍ଥାପନ କରିଥିଲେ । କାରଣ ଋଷଭଦେବଙ୍କ ମୂର୍ତ୍ତି ଓଡ଼ିଶାର ପୁରପଲ୍ଲୀରେ ଦେଖିବାକୁ ମିଳିଥିବାବେଳେ ଭାରତର ଅନ୍ୟ କୌଣସି ସ୍ଥାନରୁ ଏତେ ସଂଖ୍ୟକ ମୂର୍ତ୍ତି ଦୃଷ୍ଟିଗୋଚର ହୁଏ ନାହିଁ । ପାଣିନୀଙ୍କ ଅଷ୍ଟାଧ୍ୟାୟୀରେ କଳିଙ୍ଗ ଦେଶ ସଂପର୍କରେ ଉଦାହରଣ ଛଳରେ ବିଶେଷ ଚର୍ଚ୍ଚା ହୋଇଥିବାବେଳେ ଦାକ୍ଷିଣାତ୍ୟର କୌଣସି ଜାତି ବା ଦେଶ କଥା ବର୍ଣ୍ଣନା ନ କରି କେବଳ ଗୋଦାବରୀ ନଦୀ ନାମୋଲ୍ଲେଖ କରିଥିବାରୁ ପାଣିନୀଙ୍କ ସମୟରେ କଳିଙ୍ଗର ସୀମା ଗୋାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ବୋଲି ଜଣାପଡ଼େ । କଳିଙ୍ଗଦ୍ୱାରା ରପ୍ତାନୀ ହେଉଥିବା ବିଭିନ୍ନ ଦ୍ରବ୍ୟ ଓ ଦାକ୍ଷିଣାତ୍ୟ ପଥ ବର୍ଣ୍ଣନା ସମୟରେ କଳିଙ୍ଗରୁ ଉପଲବ୍ଧ ବସ୍ତୁ ବିଷୟରେ ସୂଚନା କୌଟିଲ୍ୟଙ୍କ ରଚିତ ଅର୍ଥଶାସ୍ତ୍ରରୁ ଜଣାପଡେ । ବୌଦ୍ଧ ସାହିତ୍ୟ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ ଗ୍ରନ୍ଥରେ କୁହାଯାଇଛି- କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ୱୀପ କଳିଙ୍ଗ ଦେଶ ନାମରେ ପରିଚିତ । କାଳିଦାସଙ୍କ ‘ରଘୁବଂଶ’ରେ କଳିଙ୍ଗରାଜାଙ୍କୁ ‘ମହୋଧିପତି’ ବୋଲି କୁହାଯାଇଛି ।
ଭାରତ ଭ୍ରମଣରେ ଆସିଥିବା ବହୁ ବିଦେଶୀ ପଣ୍ଡିତ କଳିଙ୍ଗ ବିଷୟରେ ବର୍ଣ୍ଣନା କରିବାକୁ କୁଣ୍ଠିତ ନ ଥିଲେ । ଯଦିଓ ଏ ବିଷୟରେ ବିସ୍ତୃତ ଗବେଷଣା ହୋଇପାରି ନାହିଁ, ତଥାପି ଯେତକ ହୋଇଛି ସେଥିରେ ଓଡ଼ିଆ ଜାତିର ଅତୀତ ଇତିହାସକୁ ସ୍ପଷ୍ଟଭାବେ ଦେଖିହୁଏ । ଷ୍ଟ୍ରାବୋଙ୍କ ‘ଇଣ୍ଡିଆ’, ପ୍ଲିନୀଙ୍କ ‘ନାଚୁରାଲ ହିଷ୍ଟ୍ରି’, ଆରିଅନ୍ ଙ୍କ ‘ଇଣ୍ଡିକା’ରେ ମଧ୍ୟ କଳିଙ୍ଗ ବିଷୟରେ ବିସ୍ତୃତ ବର୍ଣ୍ଣନା ମିଳେ । କଳିଙ୍ଗର ସୂକ୍ଷ୍ମବସ୍ତ୍ର ବହୁ ଆକର୍ଷକ ଓ ଏହାକୁ ସମ୍ଭ୍ରାନ୍ତ ବଂଶୀୟା ନାରୀଗଣ ପାଇବାକୁ ପ୍ରଚୁରଅର୍ଥ ବିନିମୟରେ ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ବୋଲି “ପେରିପ୍ଲସ ଅଫ ଦି ଆରିଥ୍ରିଆନ୍ ସି” ପୁସ୍ତକରେ ଉଲ୍ଲେଖ ରହିଛି । କଳିଙ୍ଗ ସମ୍ପର୍କରେ ସବୁଠାରୁ ନିର୍ଭରଯୋଗ୍ୟ ଲିଖିତ ପ୍ରମାଣ ହେଲା- ମେଘାସ୍ଥିନିସ୍ ଙ୍କ ‘ଇଣ୍ଡିକା’ଗ୍ରନ୍ଥ (ଖ୍ରୀ.ପୂ.୩୫୦- ଖ୍ରୀ.ପୂ.୨୯୦) । ଭୟଙ୍କର କଳିଙ୍ଗଯୁଦ୍ଧ ହେବାର ୩୦୪୦ ବର୍ଷ ପୂର୍ବରୁ ଲିଖିତ ଏହି ଗ୍ରନ୍ଥରେ ପ୍ରାଚୀନ କଳିଙ୍ଗର ଭୌଗୋଳିକ ସ୍ଥିତି, ବୀରତ୍ୱ ବ୍ୟଞ୍ଜକ ଘଟଣାବଳୀର ବିସ୍ତୃତ ବର୍ଣ୍ଣନା ରହିଛି । ଏଥିରେ ସେ କଳିଙ୍ଗ ତିନୋଟି ଭୂଭାଗପ୍ରାଚୀ କଳିଙ୍ଗ, ମାକ୍କୋ ବା ମଗ କଳିଙ୍ଗ ବା ଗଙ୍ଗାରିଡାଇ କଳିଙ୍ଗକୁ ନେଇ ଗଠିତ ତଥା କଳିଙ୍ଗର ରାଜଧାନୀ ପାର୍ଥାଲିସ୍ ବୋଲି ଉଲ୍ଲେଖ କରିଛନ୍ତି । ଗାଙ୍ଗିସ୍ ନଦୀ ସମୁଦ୍ରରେ ପ୍ରବେଶ କରିବା ପୂର୍ବରୁ ତାହା ଗଙ୍ଗରିଡାଇ କଳିଙ୍ଗର ପୂର୍ବସୀମା (ବର୍ତ୍ତମାନର ହୁଗୁଳି ନଦୀ) ଓ ଏହି ଅଞ୍ଚଳ ଅଗଣିତ ବୃହତ ହସ୍ତୀସମ୍ବଳିତ ନୌବାହିନୀର ଅଧିକାରୀ ଥିଲେ । ଏହି ଗଜବାହିନୀ ଯୁକ୍ତ ସାମରିକ ଶକ୍ତିପାଇଁ କଳିଙ୍ଗ ବିରୁଦ୍ଧରେ କୌଣସି ବୈଦେଶିକ ଯୁଦ୍ଧାଭିଯାନ ସଫଳ ହୋଇପାରି ନାହିଁ । ଗାଙ୍ଗିସ୍ ନଦୀ ମଧ୍ୟରେ (ପ.ବଙ୍ଗ-ବଙ୍ଗଳାଦେଶରେ ପ୍ରବାହିତ ହୁଗୁଳି ଓ ଗଙ୍ଗାନଦୀର ମଝି ଅଞ୍ଚଳ) ଥିବା ବିଶାଳ ଦ୍ୱୀପ ମୋଡୋ ବା ମକ୍କୋ କଳିଙ୍ଗାଇ ଜନଜାତିଙ୍କ ନିବାସସ୍ଥଳ । କଳିଙ୍ଗ ଜନଜାତି ସମୁଦ୍ରର ଅଧିକ ନିକଟବର୍ତ୍ତୀ । ଏହି ଜାତିର ବୀରତ୍ୱ ସମ୍ପର୍କରେ ସେ ଲେଖିଛନ୍ତି- ସମସ୍ତ ରାଷ୍ଟ୍ର ଓ ଜନଜାତି ବିପକ୍ଷରେ ଯୁଦ୍ଧ ଘୋଷଣା କରି ଆଲେକ୍ଜାଣ୍ଡାର ମଧ୍ୟ-ଏସିଆକୁ ଜୟ କରିନେଲେ ସତ, କିନ୍ତୁ କଳିଙ୍ଗ ବିପକ୍ଷରେ ଯୁଦ୍ଧ ଘୋଷଣା କଲେନାହିଁ । ଅନ୍ୟ ସମସ୍ତ ରାଜ୍ୟ ଓ ଜନଜାତିକୁ ପରାଜିତ କରି ଆଲେକ୍ଜାଣ୍ଡାର ତାଙ୍କ ସେନାବାହିନୀଙ୍କୁ ନେଇ ଯେତେବେଳେ ଗାଙ୍ଗିସ୍ ର କୂଳରେ ଉପସ୍ଥିତ ହେଲେ, ସେତେବେଳେ ସେ ଶୁଣିଲେ କଳିଙ୍ଗ ଛଅସହସ୍ର ସୁନିୟନ୍ତ୍ରିତ ଗଜବାହିନୀର ଅଧିକାରୀ (ପ୍ଲୁଟାର୍କଙ୍କ ବିବରଣୀ) । ଏ କଥା ଶୁଣି ତାଙ୍କର କଳିଙ୍ଗ ବିଜୟ ଅଭିଳାଷ ମଉଳି ଗଲା । ଶକ୍ତିଶାଳୀ ଗ୍ରୀକ୍ ସେନା ପ୍ରଥମ କରି ମୃତ୍ୟୁକୁ ଦେଖି ଭୟଭୀତ ହୋଇ ପଡ଼ିଲେ । ଗଙ୍ଗାନଦୀ ଅତିକ୍ରମ କରିବାକୁ ଆଉ ରାଜି ନ ହେବାରୁ ଆଲେକ୍ଜାଣ୍ଡାର ହତାଶା ମଧ୍ୟରେ ଯୁଦ୍ଧାଭିଯାନ ବର୍ଜ୍ଜନ କରି ସ୍ୱଗୃହ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତହେଲେ । କଳିଙ୍ଗ ଅନ୍ତର୍ଭୁକ୍ତ ଗଙ୍ଗାରିଡାଇ କଳିଙ୍ଗ ବିନାଯୁଦ୍ଧରେ ଗ୍ରୀକ୍ ବୀର ଆଲେକ୍ଜାଣ୍ଡାରଙ୍କୁ ପରାସ୍ତ କରିପାରିଥିଲା ।
ବହୁବର୍ଷ ପରେ ଓଡ଼ିଶା ଭାବେ ପରିଚିତ କଳିଙ୍ଗ ମାଟିରେ ସମାନ ଘଟଣା ଘଟିଥିଲା ମୁସଲମାନ ଶାସନକାଳରେ । ଯେତେବେଳେ ସମଗ୍ର ଭାରତବର୍ଷ ମୁସଲମାନ ଆତଙ୍କରେ ତ୍ରାହିତ୍ରାହି ଡାକୁଥିଲା, ସେତେବେଳେ ତ୍ରୟୋଦଶ ଶତାବ୍ଦୀର ରାଜା ଲାଙ୍ଗୁଳା ନରସିଂହବେ (୧ମ) ଓଡ଼ିଶା ବାସୀଙ୍କୁ ଆତଙ୍କମୁକ୍ତ ରଖିବାପାଇଁ ମୁସଲମାନ ଶାସକଙ୍କୁ ଆଗୁଆ ଆକ୍ରମଣ କରି ମୁସଲମାନ ବେଗମଙ୍କ କଜ୍ଜ୍ୱଳପୂର୍ଣ୍ଣ ଲୋତକରେ ଗଙ୍ଗାନଦୀର ଜଳକୁ କଳା କରିବା ସହ ସୀମାନ୍ତ ମୁସଲମାନ ଶାସକଙ୍କଠାରେ ଭୟ ସୃଷ୍ଟି କରିଥିଲେ ବୋଲି କେନ୍ଦୁଲି ତାମ୍ରଲେଖରୁ ଜଣାପଡେ । କୋଣାର୍କ ମନ୍ଦିର ଏହି ଗୌଡ଼ଦେଶ ବିଜୟର ସ୍ମାରକ । କେବଳ ସେତିକି ନୁହେଁ, ମୁସଲମାନ ଶାସକଠାରୁ ପରାସ୍ତ ହୋଇଥିବାରୁ ଜନ ଅସନ୍ତୋଷର ଶିକାର ହୋଇ ଓଡ଼ିଶାରାଜା ଭାନୁଦେବ ୪ର୍ଥ ନିଜ ସେନାପତି କପିଳେନ୍ଦ୍ରଦେବଙ୍କଦ୍ୱାରା ସିଂହାସନଚ୍ୟୁତ ହୋଇଥିଲେ । ସେହିପରି ଫେରିସ୍ତା ଓ ବୁରାନ୍-ଇ-ମାସିଲ୍ ଏକମତ ଯେ, ଏହି ଓଡ଼ିଆରାଜା ଶକ୍ତିଶାଳୀ ବାହମନୀ ସାମ୍ରାଜ୍ୟ ଆକ୍ରମଣ କରି ସୁଦୂର ବିର ଦୁର୍ଗର ଫାଟକ ନିକଟରେ ପହଞ୍ଚିଥିଲେ । ଯାହାକି କୌଣସି ହିନ୍ଦୁରାଜାଦ୍ୱାରା ମୁସଲମାନ ଶାସକ ପରାସ୍ତ ଓ ଆଖିରୁ ନିଦ ହଜିବା ଭଳି ଏକମାତ୍ର ଘଟଣାକୁ ତତ୍କାଳୀନ ଐତିହାସିକଗଣ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଦୁର୍ଦ୍ଧର୍ଷ ଆଫଗାନ୍ ସମଗ୍ର ଭାରତକୁ ଅଧିକାର କରି ସାରିଥିବାବେଳେ ଓଡ଼ିଆ ଜାତୀୟତାର ଦୃଢଭିତ୍ତି ଥିବାରୁ ଦୀର୍ଘ ୫୦୦ବର୍ଷ ଧରି କେବଳ ଏହିମାଟି ସେମାନଙ୍କର ରକ୍ତକ୍ଷୟୀ ଧାର୍ମିକ ତାଣ୍ଡବରୁ ମୁକ୍ତ ରହିପାରିଥିଲା । ତବାକତ-ଇ-ଆକବରୀ ଓ ମାଦଳାପଞ୍ଜି ଅନୁସାରେ ୧୫୦୯ରେ ଗୌଡ଼ ସୁଲତାନ ହୁସେନସାହଙ୍କ କଟକ ଅଧିକାର ପ୍ରତିହତ କରିବାପାଇଁ ଦାକ୍ଷିଣାତ୍ୟ ବିଦ୍ରୋହରେ ବ୍ୟସ୍ତଥିବା ଓଡ଼ିଶା ଗଜପତିରାଜା ପ୍ରତାପରୁଦ୍ର ଯେଉଁ ତ୍ୱରତି ବେଗରେ ଦକ୍ଷିଣରୁ ଉତ୍ତରକୁ ଆସି ହୁସେନସାହକୁ ମନ୍ଦାରନଦୁର୍ଗରେ ଆତ୍ମଗୋପନ କରିବାକୁ ବାଧ୍ୟ କରିଥିଲେ, ତାହା ଏବେ ମଧ୍ୟ ଭାରତର ସବୁଠାରୁ ଦ୍ରୁତତମ ସୈନିକ ଅଭିଯାନ ଭାବେ ଇତିହାସରେ ଲିପିବଦ୍ଧ । କାରଣ ୧୫୭୩ରେ ଆକବରଙ୍କ ଗୁଜୁରାଟ ବିଦ୍ରୋହ ଦମନ ଅଭିଯାନଠାରୁ ଏହି ଅଭିଯାନ ବହୁ ନଦୀନାଳପୂର୍ଣ୍ଣ ଅସମତଳ ପାହାଡ଼ିଆଯୁକ୍ତ ଦୀର୍ଘପଥ କମ୍ ଦିନରେ ଅତିକ୍ରମ କରାଯାଇଥିଲା । ଏହି ସମୟର ପ୍ରଶାସନ ଓ ଅର୍ଥନୈତିକ ସ୍ଥିତି ସୁଦୃଢ଼ ଥିବାରୁ ବହିର୍ବାଣିଜ୍ୟ ବିକଶିତ ହେବା ସହ କୃଷକ ଓ ଶିଳ୍ପୀଙ୍କୁ ନେଇ ଗଠିତ ଦୁର୍ଦ୍ଧର୍ଷ ସୈନ୍ୟବାହିନୀଦ୍ୱାରା ସୀମାନ୍ତ ସୁରକ୍ଷିତଥିଲା । ଏପରିକି ଆଭ୍ୟନ୍ତରୀଣ ସୁରକ୍ଷା ଏପରି ସୁଦୃଢ଼ ଥିଲା ଯେ, ଜଣେ ପଥିକ ହାତରେ ସୁନା ଧରି ଅନାୟାସରେ ରାସ୍ତାଘାଟରେ ଯିବାଆସିବା କରିପାରୁଥିଲା ବୋଲି ଏହି ସମୟରେ ଓଡ଼ିଶା ଭ୍ରମଣରେ ଆସିଥିବା ଇଟାଲୀର ସିଜର ଫ୍ରେଡିକ୍ ତାଙ୍କ ବିବରଣୀରେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । ଯଦି କୃଷ୍ଣଦେବରାୟଙ୍କର କ୍ରୁରତାକୁ ପ୍ରତାପରୁଦ୍ର ଓ ଆକବରଙ୍କ କୂଟନୀତିକୁ ମୁକୁନ୍ଦଦେବ ବୁଝିପାରିଥାନ୍ତେ କିମ୍ବା ଧର୍ମଭୀରୁଙ୍କ ପୀଡ଼ନର ଶିକାର ବ୍ରାହ୍ମଣ କଳାଚାନ୍ଦ ହୋଇ ନ ଥାନ୍ତା, ତେବେ ଭାରତ ଇତିହାସ ଗତି ଭିନ୍ନପ୍ରକାରର ହୋଇଥାନ୍ତା । ବଙ୍ଗଳାର ମୁସଲମାନ ଶାସକ ଦକ୍ଷିଣସୀମାରେ ଥିବା ଗଙ୍ଗାନଦୀ ଅତିକ୍ରମ କରି ଓଡ଼ିଶା ଭୂଖଣ୍ଡ ଅଧିକାର କରିପାରି ନ ଥାନ୍ତେ, ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟିକ ବିଫଳ ହୋଇଥିବା ତଥା ୧୬୨୩ରେ ଇଣ୍ଡୋନେସିଆରେ ଡଚ୍ ଙ୍କଦ୍ୱାରା ଅନୁଷ୍ଠିତ ବିଭତ୍ସ ଅମ୍ବୋଇନା ଗଣହତ୍ୟାର ଶିକାରହୋଇ ଭୟଭୀତ ଅବସ୍ଥାରେ ପଳାତକ ସାଜିଥିବା ଇଂରେଜ ବ୍ୟବସାୟୀ ପୂର୍ବଭାରତରେ ନିଜ ଭାଗ୍ୟପରୀକ୍ଷା କରି ବାକୁ ଆସି ସର୍ବ ପ୍ରଥମେ ୧୬୩୩ରେ ଓଡ଼ିଶାର ହରିହରପୁର (ଜଗତସିଂହପୁର), ବାଲେଶ୍ୱର, ପିପିଲି (ସୁବର୍ଣ୍ଣରେଖା ନଦୀ ମୁହାଣ)ରେ ବ୍ୟବସାୟ ଆରମ୍ଭକରି ପରେ ଅପେକ୍ଷାକୃତ ସୁରକ୍ଷିତଥିବା ହୁଗୁଳି ନଦୀକୂଳର ସନ୍ତସନ୍ତିଆ ଭୂମିରେ କଲିକତାନଗର ସ୍ଥାପନ କରି ନିଜ ବାଣିଜ୍ୟିକ-ପ୍ରଶାସନିକ ଆଧିପତ୍ୟ ବିସ୍ତାର କରିବାର ସୁଯୋଗ ପାଇପାରି ନ ଥାନ୍ତେ । ପର୍ତ୍ତୁଗୀଜ କିମ୍ବା ଅନ୍ୟ ୟୁରୋପୀୟଙ୍କ ପରି ଇଂରେଜ ସେହି ବଣିକଜାତି ହୋଇ ରହିଥାନ୍ତେ, ବଙ୍ଗ ମୁସଲମାନ ଶାସନାଧିନ ଓଡ଼ିଆ ଅଞ୍ଚଳ କଲିକତାରେ ବାଣିଜ୍ୟକୋଠି ନିର୍ମାଣରୁ ଭାରତ ଓ ପରେ ସମଗ୍ର ବିଶ୍ୱର ଶାସକଭାବେ ପ୍ରତିଷ୍ଠା ପାଇପାରି ନ ଥାନ୍ତେ । ସଂକ୍ଷେପରେ କହିବାକୁ ଗଲେ ଓଡ଼ିଆଜାତି ପତନର ପୃଷ୍ଠପିଠିକା ଉପରେ ଇଂରେଜଜାତିର ଅଭ୍ୟୁତ୍ଥାନ ଘଟିଲା ।
ଏହା ହିଁ ହେଉଛି ଓଡ଼ିଆ ଜାତିର କୀର୍ତ୍ତୀମୟ ଅତୀତ ଇତିହାସ, ଯାହା ଏବେ ମଧ୍ୟ ଉତ୍ତରାୟାଙ୍କ ନିକଟରେ ଅଜଣାଅଶୁଣା ଭାବେ ନଦୀକୂଳର ତୁଠପଥର ଭଳି ପଡ଼ରହିଛି । ଗବେଷଣା ନାମରେ ହେଉ କିମ୍ବା ଜାତୀୟତା ସୃଷ୍ଟି ନାମରେ ହେଉ ଅସଂଖ୍ୟ ସୁବିଧାବାଦୀ ଓଡ଼ିଆଏ ଏହି ତୁଠପଥରରେ ନିଜ ବଚନ ରୂପକ ଗୋଡ଼ ଘଷି ନିଜକୁ ପ୍ରତିଷ୍ଠିତ କରିସାରିଥିବାବେେଳେ ଏହି ପଥରର ମହତ୍ତ୍ୱକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବାରେ ଅସମର୍ଥ ହେଉଛନ୍ତି । ଫଳରେ ବର୍ତ୍ତମାନର ଓଡ଼ିଆ କାର୍ତ୍ତିକ ପୂଣ୍ଣର୍ମିା ର ବଡ଼ିଭୋରୁ ଉଠି ସୋଲ ଆଉ କଦଳୀପଟୁଆ ଡଙ୍ଗା ଭସାଇ ‘ଆ-କା-ମା-ବଇ’ କହି ଖୁସି ହେଉଥିବାବେଳେ ଏହି ଚାରିଟି ଶବ୍ଦର ମୂଳ ଅର୍ଥ ଯେ ଧର୍ମ ସଞ୍ଚୟର ମାସ ବଳରେ ତା’ର ଅତୀତର ପୂର୍ବପୁରୁଷଙ୍କଦ୍ୱାରା ସ୍ଥାପିତ ଚାରିଟି ଉପନିବେଶ ସାମ୍ରାଜ୍ୟର ସଂକ୍ଷିପ୍ତ ନାମକରଣ ତାହା ସେ ଏ ପର୍ଯ୍ୟନ୍ତ ବୁଝିପାରି ନାହିଁ କିମ୍ବା ଏମାନଙ୍କୁ ବୁଝାଇବାପାଇଁ କେହି ଆଗ୍ରହୀ ହେଉ ନାହାନ୍ତି ।
ଓଡ଼ିଆଜାତିର ଏହି ବଳିଷ୍ଠ ଜୀବନଚର୍ଯ୍ୟାର ମୂଳଆଧାର ହେଉଛି ତା’ର ଭାଷା । କାରଣ ଓଡ଼ିଆ ଭାଷାର ବିଶେଷତ୍ୱ ହେଲା- ଏହା ଯେପରି ଉଚ୍ଚାରଣ ହୁଏ, ସେହିପରି ଭାବରେ ଲେଖାଯାଏ । ଅନ୍ୟ ଭାରତୀୟ ଭାଷାରେ ଏପରି ହୋଇ ନ ଥାଏ । ଓଡ଼ିଆ ବ୍ୟାକରଣ ନିୟମ ଅନୁସାରେ ବହୁବଚନରେ ‘ମାନେ’ର ପ୍ରୟୋଗ; ଯାହା ଭାରତରେ ଅନ୍ୟ କୌଣସି ଭାଷାରେ ବ୍ୟବହାର ନାହିଁ ତଥା ତୃତୀୟ ପୁରୁଷ ଏକ ବଚନରେ ବ୍ୟବହୃତ ‘ଅନ୍ତି’ (କିଣନ୍ତି, ଖାଆନ୍ତି ପ୍ରଭୃତି) ବର୍ତ୍ତମାନର କୌଣସି ଇଣ୍ଡୋ-ୟୀରୋପୀୟ ଆର୍ଯ୍ୟଭାଷାରେ ପ୍ରୟୋଗ ନାହିଁ । ଏହା କେବଳ ଗ୍ରୀକ୍, ଲାଟିନ୍ ଓ ବୈଦିକ ସଂସ୍କୃତ ଭାଷାରେ ଦେଖିବାକୁ ମିଳେ । ବହୁ ପ୍ରାଚୀନ ବୈଦିକ ଶବ୍ଦ ଯଥା- ନଡ>ନଡା, ନନା>ନନା, ନାନୀ>ନାନୀ, ବିଷୟ>ବିଷୟ, ବକଳ>ବକଳ, ମେରି > ମେରି , ଆଣି > ଆଣି , ଖିଲ >ଖିଲ , ଲାଙ୍ଗୁଳ>ଲାଙ୍ଗୁଳ, ଘାସ>ଘାସ (ବୈଦିକ୍ ଇନ୍ ଡେକ୍ସ-ମାକ୍ ଡୋନାଲ୍ ଡ ଆଣ୍ଡ୍ କିଥ୍) ଇତ୍ୟାଦି ଅବିକଳ ଭାବେ କିମ୍ବା ସାମାନ୍ୟ ବିକୃତ ଭାବେ ଓଡ଼ିଆ ଭାଷାରେ ବ୍ୟବହାର କରାଯାଇଛି; ଅଥଚ ବୈଦିକ ସଂସ୍କୃତର ପରବର୍ତ୍ତୀ ରୂପ ବା ବର୍ତ୍ତମାନର ସଂସ୍କୃତଭାଷାରେ ଏ ସବୁ ପ୍ରୟୋଗ ହେଉନାହିଁ । ପୃଥିବୀର ଏକାମତ୍ର ଭାଷାଭାବେ ଓଡ଼ିଆ ଚାରିଟି ଲିଙ୍ଗ- ସଜୀବ, ନିର୍ଜୀବ, ପୁଲିଙ୍ଗ, ସ୍ତ୍ରୀଲିଙ୍ଗର ଅଧିକାରୀ । ତେଣୁ ଭାଷାବିଜ୍ଞାନ ଦୃଷ୍ଟିରୁ ଓଡ଼ିଆ ଧ୍ୱନିର ଉଚ୍ଚାରଣ ଓ ଲିପିର ପ୍ରୟୋଗ ସଂଯୁକ୍ତ ଧ୍ୱନି ଇତ୍ୟାଦି ସମ୍ପୂର୍ଣ୍ଣରୂପେ ବୈଜ୍ଞାନିକ ପଦ୍ଧତିଯୁକ୍ତ ବୋଲି ପ୍ରମାଣ ହୋଇସାରିଛି ।
ଏ ସମ୍ପର୍କରେ ବୈଦିକ ଓ ପରବର୍ତ୍ତୀ ବୈଦିକ ସଂସ୍କୃତ ଭାଷାରେ ପାଣ୍ଡିତ୍ୟଲାଭ କରିଥିବା ବିଶିଷ୍ଟ ପାଶ୍ଚାତ୍ୟ ବିଦ୍ୱାନ ଏଲ.ଏସ୍.ଏସ୍. ଓମାଲୀଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ । ସେ ଓଡିଆଭାଷାକୁ ବିଭିନ୍ନ ଦିଗରୁ ବିଶ୍ଳେଷଣ କରି ଅନ୍ୟ ଭାରତୀୟଭାଷା ତୁଳନାରେ ଏହାର ବିଶେଷତ୍ତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି – “ଓଡିଆରେ ପ୍ରତ୍ୟେକ ପଦର ପ୍ରତ୍ୟେକ ଅକ୍ଷର ସ୍ପଷ୍ଟ ଉଚ୍ଚାରିତ ହୋଇଥାଏ । ଓଡିଆର କ୍ରିୟାକଳାପ ଏକାଧାରାରେ ସରଳ ଓ ସମ୍ପୂର୍ଣ୍ଣ । ଓଡିଆ କ୍ରିୟାର କାଳସଂଖ୍ୟା ଅଧିକ ହେଲେହେଁ ନିୟମାବଦ୍ଧ ଓ ଯୁକ୍ତିଯୁକ୍ତ ଭାବେ ସଜ୍ଜିତ । ଏହାର ପ୍ରଭାବ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କାଳସୂଚକ କ୍ରିୟା- ବିଶେଷ୍ୟମାନଙ୍କରେ ଲକ୍ଷ୍ୟଣୀୟ । ଲାଟିନରେ ଯାହା ଭାବବଚନଦ୍ୱାରା ପ୍ରକାସ କରାଯାଇଥାଏ, ଜଣେ ଓଡିଆ ସେହି ଭାବ ପ୍ରକାଶପାଇଁ କ୍ରିୟାବିଶେଷ୍ୟକୁ ଯଥାଯୋଗ୍ୟ କାରକବିଭକ୍ତି ଯୋଗକରି ରୂପ ଦେଇପାରେ । ଓଡିଆରେ ଏହି କାରଣରୁ ଇନ୍ ଫିନିଟିଭ ବା ଭାବ ବଚନ ନାହିଁଁ । ଏହା ସୂଚୀତ କରୁଛି ଯେ, ଓଡିଆ ବ୍ୟାକରଣର ବିବର୍ତ୍ତନ ହୁଏତ ସାଧୁ (classical) ସଂସ୍କୃତ ବ୍ୟାକରଣଠାରୁ ଅଧିକ ପୁରାତନ ଏବଂ ଇଣ୍ଡୋ-ୟୁରୋପୀୟ ଭାଷାଗୋଷ୍ଠୀରେ ଏହାର ସାମ୍ୟ ଆମେ ପାଇବା ହୁଏତ କେବଳ ବୈଦିକ ସଂସ୍କୃତରେ, ଯେତେବେଳେ ସେ ଭାଷା କଥିତଭାଷା ଥିଲା । (ପୁରୀ ଜିଲ୍ଲା ଗେଜେଟିୟର, ପୃ-୭୫-୭୬) ।
ଲିପତିତ୍ତ୍ୱ ଦୃଷ୍ଟିରୁ ଓଡ଼ିଆଭାଷାର ପ୍ରାଚୀନତା ସମ୍ପର୍କରେ ଆଉ ଏକ ବଳିଷ୍ଠ ପ୍ରମାଣ ହେଲା ଏଠାରୁ ଉଭୟ ଚିତ୍ରଲିପି ଏବଂ ଖୋଦିତ ଲିପି ମିଳିଛି । ସମଗ୍ର ଭାରତରେ ଏ ପର୍ଯ୍ୟନ୍ତ ଓଡ଼ିଶାରୁ ସର୍ବାଧିକ ଗୁମ୍ଫା ଚିତ୍ରଲିପି ଆବିଷ୍କାର କରାଯାଇଛି । ଏଠାରେ ଥିବା ୫୫ଟି ଗୁମ୍ଫାଚିତ୍ର ମଧ୍ୟରୁ ବିକ୍ରମଖୋଲରୁ ଆବିଷ୍କୃତ ଖୋଦିତ ଲିପି ଏ ପର୍ଯ୍ୟନ୍ତ ପାଠ ହୋଇପାରି ନ ଥିବାବେଳେ ବିଶିଷ୍ଟ ଐତିହାସିକ ଜୟସ୍ୱାଲ ଏହାକୁ ବ୍ରାହ୍ମୀ ପୂର୍ବବର୍ତ୍ତୀ ଅବସ୍ଥା ବୋଲି ମତ ଦେଇଛନ୍ତି । ନୂଆପଡ଼ାର ଯୋଗୀମଠ ପାହାଡ଼ରେ ଅଙ୍କିତ ଚିତ୍ରଲିପିରେ ଜଣେ ମଣିଷ ସହ କିଛି ଗୃହପାଳିତ ପଶୁ ଏବଂ କିଛି ଅକ୍ଷର ଲେଖାଯାଇଛି । ଏହି ଅକ୍ଷର ପ୍ରାଚୀନ ବ୍ରାହ୍ମୀଲିପି ସହ ସମତା ରଖୁଥିବାରୁ ଏହା ବ୍ରାହ୍ମୀ ପୂବର୍ବର୍ତ୍ତୀ ଲିପି ଓ ଲିପତିତ୍ତ୍ୱବି ଏହାକୁ ‘ଗିଠ’ ବା ଆଧୁନିକ ଅର୍ଥରେ ଗୋଠ ଭାବରେ ପାଠ କରିଛନ୍ତି । ଏହି ଲିପିର ସମୟ ପ୍ରାୟ ୫,୦୦୦ ବର୍ଷର ହୋଇଥିବାବେଳେ ଏହାର ପରବର୍ତ୍ତୀକାଳୀନ ଖୋଦିତ ଲିପି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ଅଭିଲେଖ ମାଧ୍ୟମରେ ଦେଖିବାକୁ ମିଳୁଛି, ଯାହା ଓଡ଼ିଆ ଲିପି ଓ ଭାଷାର କ୍ରମବିକାଶ ସ୍ତରକୁ ସୂଚାଏ । ଏଭଳି ଦୃଢ଼ ପ୍ରମାଣ ଭାରତର ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳି ନ ଥାଏ । ସଂସ୍କୃତଠାରୁ ପ୍ରାଚୀନ ଏବଂ ସ୍ୱତନ୍ତ୍ର ବୋଲି ପ୍ରମାଣ କରିଥିବା ତାମିଲଭାଷାର ଏଭଳି ପୁରାତନ ଲିପି ନାହିଁ । ଦକ୍ଷିଣ ଭାରତର ସିଦ୍ଧିପୁର, ଜଟିଂ, ରାମେଶ୍ୱର, ବ୍ରହ୍ମଗିରି, ମାସ୍କୀ, ୟେରାଗୁଡ଼ି, ରଜୁଲ୍ ମନ୍ଦଗିରିରୁ ମିଳିଥିବା ବ୍ରାହ୍ମୀଲିପିରେ ଖୋଦିତ ଅଶୋକଙ୍କ ଏହି ଶିଳାଲେଖକୁ ଯଦିଓ ଦକ୍ଷିଣ-ଭାରତୀୟ ଭାଷାର ପାଠାନ୍ତର କୁହାଯାଉଛି, ମାତ୍ର ଏଥିରେ ସେହି ଅଞ୍ଚଳର ଭାଷା, ସଂସ୍କୃତି ଅପେକ୍ଷା ମହାଭାରତୀୟତାର ସୂଚନା ମିଳେ । ସେହିପରି ଦାକ୍ଷିଣାତ୍ୟର କେତେକ ଗୁମ୍ଫାରୁ ମିଳିଥିବା ସଂକ୍ଷିପ୍ତ ଶିଳାଲେଖର ଲିପି ବ୍ରାହ୍ମୀ ଓ ଏଗୁଡ଼ିକ ବୌଦ୍ଧଧର୍ମ ସଂପର୍କୀତ । ଅଥଚ ଏହି ସମସ୍ତ ଶିଳାଲେଖ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପାଠ ହୋଇପାରି ନାହିଁ । କେବଳ ଦ୍ରାବିଡ଼ ବର୍ଣ୍ଣମାଳାର ‘ଡ, ଲ୍ଲ, ଣ’ ଆଦି ବର୍ଣ୍ଣକୁ ଆଧାର କରି ଆନୁମାନିକ ଭାବେ ଏହାକୁ ପଢ଼ିବାକୁ ଚେଷ୍ଟା କରାଯାଉଛି । ପର୍ବତ ଓ ବଣ ମଧ୍ୟରେ ଏକାନ୍ତ ନିର୍ଜ୍ଜନ ସ୍ଥାନରେ ତପସ୍ୟା କରୁଥିବା ସନ୍ନ୍ୟାସୀଙ୍କୁ ଦାନଦେବା ଉଦ୍ଦେଶ୍ୟରେ ଜଣେ ମହିଳା, ବ୍ୟବସାୟୀ (ବାଣୀକର), କରଣ ଜାତିର ଜଣେ ସଦସ୍ୟ, ଲଙ୍କାର ଜଣେ କୃଷକ (କୁଟୁମ୍ବିକା)ଙ୍କଦ୍ୱାରା ଖୋଦିତ ଏହି ସଂକ୍ଷିପ୍ତ ଶିଳାଲେଖ ସିଂହଳରୁ ପ୍ରାପ୍ତ ଶିଳାଲେଖ ଅନୁରୂପ । ଅର୍ଥାତ ପ୍ରାଚୀନ ସିଂହଳର ପାଲିଲିପି ସହ ସାମ୍ୟ ରଖିଥିବା ଏହିସବୁ ଶିଳାଲେଖ ତାମିଲ ଅଞ୍ଚଳରୁ ମିଳିଥିବାରୁ ଏହାର ଭାଷା ଓ ଲିପିକୁ ତାମିଲ ବୋଲି କେବଳ ଆନୁମାନିକ ଢଙ୍ଗରେ ଗ୍ରହଣ କରାଯାଇପାରେ । ଆମେ ଭୁଲିଯବା ଉଚିତ ନୁହେଁ ଯେ, ଏହି ସମୟ ବେଳକୁ ସିଂହଳ ସହିତ କଳିଙ୍ଗର ବ୍ୟବସାୟିକ ସଂପର୍କ ସୁଦୃଢ଼ ସ୍ଥିତିରେ ଥିଲା । ଏଥିସହିତ ସାମାଜିକ, ସାଂସ୍କୃତିକ, ରାଜନୈତିକ ସଂପର୍କ ମଧ୍ୟ ଅତି ନିବିଡ଼ ଥିଲା । ତେଣୁ କୁହାଯାଇପାରେ ଯେ, ଏହି ଲିପି କଳିଙ୍ଗ-ପାଲି ଭାଷାରେ ଲିଖିତ ହୋଇଥିଲା । ବୋଧହୁଏ ଏହି ସତ୍ୟକୁ ଉପଲବ୍ଧି କରିବାରୁ ତାମିଲ ଗବେଷକଗଣ ଏହାର ବିଶ୍ୱାସନୀୟତାକୁ ସନ୍ଦେହ କରି ଅଷ୍ଟମ ଶତାବ୍ଦୀରେ ରଚିତ ‘ଇଡଇନାର ଅଗପ୍ପୋରୁଲ ଉରୈ’ ନାମକ ତାମିଲ ଗ୍ରନ୍ଥ-ଟୀକାର ମୁଖବନ୍ଧରେ ବର୍ଣ୍ଣିତ ତିନୋଟି ସାହିତ୍ୟ ସଭାରେ ସଂକଳିତ ସଙ୍ଗମ ସାହିତ୍ୟ ଗ୍ରନ୍ଥକୁ ତାମିଲ ଭାଷାର ପ୍ରାଚୀନ ଲିଖିତ ସାହିତ୍ୟିକ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ପୁଣି ଏଥିପାଇଁ ତାମିଲ ପଣ୍ଡିତଗଣ ଏଭଳି ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ଯାହାକୁ କେବଳ ଭାରତ ନୁହେଁ ବିଶ୍ୱବାସୀ ମଧ୍ୟ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛନ୍ତି । ଅଥଚ ସଙ୍ଗମସାହିତ୍ୟର ପ୍ରାଚୀନତାପାଇଁ ତାମିଲ ବିଦ୍ୱାନଗଣଙ୍କ ଭଳି ଓଡ଼ିଶାର ବିଦ୍ୱାନଗଣ ଅକାଟ୍ୟ ଯୁକ୍ତି ଉପସ୍ଥାପନ ନ କରି ପରସ୍ପର ମତକୁ କାଟିବାରେ ବ୍ୟସ୍ତ ରହୁଥିବାରୁ ଓଡ଼ିଆ ଇତିହାସର ଜୀବନରେଖା ମନେହେଉଥିବା ମାଦଳା ପାଞ୍ଜି ଓଡ଼ିଆ ସାହିତ୍ୟ ବା ଜାତୀୟ ଜୀବନର ପ୍ରାଚୀନ ପ୍ରାମାଣିକ ଉତ୍ପାଦାନ ଭାବେ ସ୍ୱୀକୃତ ହୋଇ ପାରିଲା ନାହିଁ । ଅନ୍ୟ ପକ୍ଷରେ ଓଡ଼ିଶାରୁ ସର୍ବାଧିକ ଶିଳାଲେଖ, ତମ୍ବାପଟା ସନନ୍ଦ ମିଳିଛି, ଯାହା ମହାରାଷ୍ଟ୍ର ବ୍ୟତୀତ ଅନ୍ୟ କୌଣସି ରାଜ୍ୟରୁ ମିଳିନାହିଁ । ଓଡ଼ିଆଭାଷା ଓ ଲିପିରେ ରଚିତ ବହୁ ଅଭିଲେଖ, ତାଳପତ୍ର ପୋଥି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟଦ୍ୱାରା ବିଲୁପ୍ତ ହୋଇଥିବାରୁ ଏ ସବୁର ମହାର୍ଗ ମହକକୁ ଆଜି ବିଶ୍ୱ ଅନୁଭବ କରିପାରିନାହିଁ । ତଥାପି ଏଠାରେ ଯେ ଲେଖନଗତ କଳାକୌଶଳର ସୁଦୀର୍ଘ ପରଂପରା କ୍ରମାନ୍ୱୟରେ ରହିଆସିଛି, ଏସବୁ ଅଭିଲେଖ ଓ ତାଳପତ୍ର ପୋଥି ତାହାର ବଳିଷ୍ଠ ପ୍ରମାଣ ।
ଓଡ଼ିଆ ଲିପି ଓ ଭାଷାର ପ୍ରାଚୀନତା ସଂପର୍କରେ ଜଣାପଡ଼େ ଯେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀର ଐତିହସିକ କଳିଙ୍ଗଯୁଦ୍ଧ ବିଜୟୀ ଅଶୋକଙ୍କଦ୍ୱାରା ଓଡ଼ିଶା ଭୂମିରେ ସୁଶାସନପାଇଁ ଧଉଳି ଓ ଜଉଗଡ଼ ପାହାଡ଼ରେ ଖୋଦିତ ଆଦେଶ ସେ ସମୟର ଓଡ଼ିଶାବାସୀଙ୍କ କଥିତଭାଷା ଏବଂ ଲିପିରେ ଲେଖାଯାଇ ଥିଲା । ଏହି ଅଭିଲେଖଦ୍ୱୟରେ ଖୋଦିତ ‘ଠ’ ଲିପି ବର୍ତ୍ତମାନ ଅବିକଳ ଭାବେ ଲେଖା ହେଉଥିବା ବେଳେ; କେତେକ ଶବ୍ଦ- କଳେ, ତିନି, ଦୁବେ, ପଛା, ପନି, ସେ, ହାନି,ନିଲଠା, ଲହେବୁ, ସୁଧି, ଅଗି, ଦସ,ବୁଢ଼,ମଝି ଆଦି ବହୁ ଶବ୍ଦ ଏବେ ମଧ୍ୟ ଅବିକୃତ ଭାବେ ଓଡ଼ିଶାରେ ବ୍ୟବହାର ହେଉଛି । ତେଣୁ ଓଡ଼ିଆଭାଷା ଆଉ ଓଡ଼ିଆଲିପିର ପ୍ରଥମ ପ୍ରମାଣ ଏହି ଶିଳାଲେଖଦ୍ୱୟ ବହନ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ଆବିଷ୍କୃତ ଓଡ଼ିଆଜାତିର ସର୍ବପ୍ରାଚୀନ ଲିଖିତ ସାହିତ୍ୟ ହେଉଛି ହାତୀଗୁମ୍ଫା ଅଭିଲେଖ । ଉକ୍ତ ଅଭିଲେଖର ଭାଷା ପାଲି ବୋଲି ଜେମ୍ସ ପ୍ରିନ୍ସେପ୍ ଚିହ୍ନଟ କରିଥିବାବେଳେ ଏହା କଳିଙ୍ଗ ବା ଓଡ଼ିଶାବାସୀଙ୍କ ମୁଖର ଭାଷା ଓ ଲିପି ବୋଲି ବହୁ ଭାରତୀୟ ଓ ବିଦେଶୀ ପଣ୍ଡିତ ଯୁକ୍ତିପୂର୍ଣ୍ଣ ଭାବେ ପ୍ରମାଣିତ କରିଯିବା କଥା ପୂର୍ବ ଅଧ୍ୟାୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।
ଶବ୍ଦଗଠନ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, ଓଡ଼ିଆଭାଷାର ବ୍ୟାକରଣିକ ପଦ୍ଧତି ପାଲି ସହ ତୁଳନୀୟ । ଯଥା
୧- ପାଲି ଶ, ଷ, ସ ସ୍ଥାନରେ କେବଳ ‘ସ’ର ପ୍ରୟୋଗ ରହିଛି, ଯାହା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଦେଖିବାକୁ ମିଳେ ।
୨- ପାଲିରେ ‘ଅୟ’ ସ୍ଥାନରେ ‘ଏ’ ଏବଂ ‘ଅବ’ ସ୍ଥାନରେ ‘ଓ’ ହୋଇଥାଏ । ଯଥା- ତ୍ରୟୋଦଶ>ତେରସ, ଲବଣ>ଲୋଣ (ଲୋଣ କଉଡ଼ି ସୁଳକ ନ୍ୟାଯ୍ୟ ଛାଡ଼ିଲି ଛାଡ଼ିଲି-ପୁରୀ ଜୟବିଜୟ ଦ୍ୱାରର ବାମପାଶ୍ୱର୍ରେ କପିଳେନ୍ଦ୍ର ଦେବଙ୍କ ୪ର୍ଥ ଅଙ୍କରେ ଖୋଦିତ ୨ ନମ୍ବର ଶିଳାଲେଖ)
୩- ସଂସ୍କୃତ ଭଳି ପାଲିରେ ବିସର୍ଗର ବ୍ୟବହାର ନାହିଁ । ସଂସ୍କୃତ ‘ଅ’ କାରାନ୍ତ ପର ଅନ୍ତସ୍ଥ ବିସର୍ଗ ସ୍ଥାନରେ ‘ଐ’କାର ସହିତ ‘ଓ’କାର ହୋଇଥାଏ । ଯଥାକଃ>କୋ>କେ, ଅଗ୍ନିଃ>ଅଗ୍ଗି>ଅଗି ।
୪- ପାଲି ଭାଷାରେ ପଦର ମଧ୍ୟ ବା ଶେଷରେ ‘ଥ୍ୟ’ ସ୍ଥାନରେ ‘ଚ୍ଛ’ ଓ ‘ଦ୍ୟ’ ସ୍ଥାନରେ ‘ଜ୍ଜ‘, ‘ଷ୍ଟ’ ସ୍ଥାନରେ ‘ଟ୍ ଠ’, ‘ତ୍ସ’ ସ୍ଥାନରେ ‘ଚ୍ଛ’, ‘ଶ୍ଚ’ ସ୍ଥାନରେ ‘ଚ୍ଛ’ ଏବଂ ‘ଧ୍ୟ’ ସ୍ଥାନରେ ‘ଝ’ ହୁ ଏ । ଯଥା- ମିଥ୍ୟା>ମିଚ୍ଛା>ମିଛ , ଅଦ୍ୟ>ଅଜ୍ଜ>ଆଜି , ଅଷ୍ଟ>ଅଟ୍ ଠ>ଆଠ, ମତ୍ସ>ମଚ୍ଛ>ମାଛ, ପଶ୍ଚାତ୍>ପଚ୍ଛା>ପଛ, ସିଧ୍ୟତି>ସିଜ୍ ଝତି>ସିଝଇ ଇତ୍ୟାଦି ।
୫- ପଦର ପ୍ରଥମ ବର୍ଣ୍ଣରେ ‘ବ’କାର ଲୋପ ପାଇଥାଏ । ଯଥାଜ୍ୱଳତି>ଜଳତି>ଜଳଇ, ଦ୍ୱୀପ>ଦୀପୋ>ଦୀପ ଇତ୍ୟାଦି ।
ଏହିପରି ଭାବରେ ବହୁ ଓଡ଼ିଆଶବ୍ଦ ପାଲିଭାଷାର ଯେତେ ନିକଟତର, ତାହା ଅନ୍ୟ କୌଣସି ଭାଷା ସହିତ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ, ସଂସ୍କୃତଭାଷାର ପରବର୍ତ୍ତୀ ବିକଶିତ ରୂପ ପାଲି ବୋଲି ଇଂରେଜ ବିଦ୍ୱାନଙ୍କ ମତକୁ ଆଜି ପର୍ଯ୍ୟନ୍ତ ବହୁ ଭାରତୀୟ ଗ୍ରହଣ କରି ଆସିଥିବାରୁ ଏମାନଙ୍କ ଦୃଷ୍ଟିରେ ପାଲି ଏକ ସ୍ୱତନ୍ତ୍ରଭାଷା ନୁହେଁ । ସଂସ୍କୃତଭାଷା ବିକାଶ ପରିପ୍ରେକ୍ଷୀରେ ପାଲି-ପ୍ରାକୃତ-ଅପଭ୍ରଂଶରୁ ଆଧୁନିକ ଭାରତୀୟ ଭାଷାର ସୃଷ୍ଟି । ଏହି ଯୁକ୍ତି ବଳରେ ଓଡ଼ିଆଭାଷା ପାଲି ସହ ସମ୍ବନ୍ଧ ଥିବାରୁ ମୂଳଭାଷା ନିଶ୍ଚିତ ଭାବେ ସଂସ୍କୃତ ବୋଲି ଏମାନେ ପ୍ରମାଣ କରିଥାନ୍ତି । ମାତ୍ର ଏହି ଯୁକ୍ତି କରୁଥିବା ବିଦ୍ୱାନଗଣ “ଗଛ ଆଗ ନା ମଞ୍ଜି ଆଗ” ନ୍ୟାୟରେ ସଂସ୍କୃତ ଆଗ ନା ପାଲି ଆଗ- ତାହା ବୁଝିବା ଉଚିତ । କାରଣ ସଂସ୍କୃତଭାଷାର ଆଦିସ୍ତର ହେଲା ବୈଦିକସାହିତ୍ୟ । ଅଥଚ ଏହି ସାହିତ୍ୟ-ସଭ୍ୟତା ପୂର୍ବରୁ ଭାରତର ସିନ୍ଧୁନଦୀ କୂଳରେ ଏକ ଉନ୍ନତ ସଭ୍ୟତା ଥିଲା । ଏହି ସଭ୍ୟତାର ମଧ୍ୟ ଲୋକପ୍ରଚଳିତ ଭାଷା ଥିଲା । ଅର୍ଥାତ ବୈଦିକ ସଂସ୍କୃତ ପୂର୍ବରୁ ଭାରତରେ ଏକ ସମୃଦ୍ଧ ଭାଷା ଓ ଲିପି ଥିଲା । ଏହା କେଉଁଭାଷା ଓ କେଉଁ ଲିପିକୁ ଆଧାର କରି ପରିବର୍ଦ୍ଧିତ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ନିରୂପିତ ହୋଇପାରି ନାହିଁ । ବର୍ତ୍ତମାନର ବିଭିନ୍ନ ଆଦିବାସୀ ଭାଷା ବହୁକାଳରୁ ବିନା ଲିପି, ବ୍ୟାକରଣରେ ଜୀବିତ ଥିବାପରି ସାଧାରଣ ଜନତାଙ୍କ ପଲ୍ଲୀଭାଷା (ଇଂରାଜୀରେ ପାଲି) ଦୀର୍ଘଦିନ ଧରି ଉଚ୍ଚାରିତ ହୋଇ ଆସୁଥିବାବେଳ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ବେଳକୁ ମହାତ୍ମା ବୁଦ୍ଧଦେବ ଏହି ପଲ୍ଲୀ ଭାଷାରେ ବୌଦ୍ଧଧର୍ମ ପ୍ରଚାର କରିବାକୁ ଶିଷ୍ୟଗଣଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇଲା । ଅଶୋକଙ୍କ ସମୟରେ ପଲ୍ଲୀଭାଷା ବ୍ରାହ୍ମୀ ଲିପି ମାଧ୍ୟମରେ ବ୍ୟାପକ ଭାବେ ଆତ୍ମପ୍ରକାଶ କଲା । ଅଲିଖିତ ବୈଦିକ ସଂସ୍କୃତ ମଧ୍ୟ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀଠାରୁ ଦୀର୍ଘ ଏକହଜାର ବର୍ଷ ଧରି ବ୍ରାହ୍ମୀଲିପିର ଆଶ୍ରୟ ନେଇଥିଲା । ତେଣୁ ବ୍ରାହ୍ମୀଲିପି ଆଶ୍ରିତ ଏହି ଦୁଇଭାଷା ମଧ୍ୟରେ କିଏ ପ୍ରାଚୀନ ତାହା ପ୍ରମାଣ ନ କରି ସଂସ୍କୃତକୁ ଆଦିଭାଷାର ମାନ୍ୟତା ଦେବା ଅନ୍ଧରେ ହାତୀଦେଖା କଥା ସହ ସମାନ ।
ଭାଷାତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଦେଖାଯିବ, ଓଡ଼ିଆ ଭାଷାରେ ପ୍ରଚଳିତ ଶବ୍ଦ ଓ ବାକ୍ୟ ଗଠନ ଶୈଳୀ ସଂସ୍କୃତ ଅପେକ୍ଷା ଦ୍ରାବିଡ଼ ବା ଆଦିବାସୀଭାଷାର ଅଧିକ ନିକଟବର୍ତ୍ତୀ ଏବଂ ୬୨ ପ୍ରକାରର ଜନଜାତି ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ (ବର୍ତ୍ତମାନ ୧୭+୨୩=୪୦) ଭାଗ ହେଉଛନ୍ତି ଆଦିବାସୀ । ତେଣୁ ଓଡ଼ିଆଭାଷା ଆଦିବାସୀଭାଷାରୁ ସୃଷ୍ଟି ବୋଲି ମତ ଅଧିକ ଯୁକ୍ତିଯୁକ୍ତ ହେବ । କିନ୍ତୁ ଏହା ଗ୍ରହଣଯୋଗ୍ୟ ନୁହେଁ । ଏହି ମର୍ମରେ ଚତୁର୍ଥ ଶତାବ୍ଦୀରେ ବିକଶିତ ସଂସ୍କୃତ ଭାଷାକୁ ଓଡ଼ିଆଭାଷାର ଜନନୀ ଭାବେ ଗ୍ରହଣ କରାଯାଇ ପାରିବନାହିଁ । କାରଣ ଓଡ଼ିଆଭାଷାରେ ବ୍ୟବହୃତ କିଛି ସଂସ୍କୃତଶବ୍ଦ ଓ ଇଂରେଜ ପାଦ୍ରୀଙ୍କ କୃପା ପାଇବାପାଇଁ ବିଶ୍ୱମ୍ବର ବିଦ୍ୟାବାଗୀଶଙ୍କ ଭଳି କେତେକ ସଂସ୍କୃତ ପଣ୍ଡିତଙ୍କଦ୍ୱାରା ସଂସ୍କୃତରୁ ଓଡ଼ିଆକୁ ଅନୁଦିତ ବ୍ୟାକରଣକୁ ଓଡ଼ିଆ ବ୍ୟାକରଣ କହି ସଂସ୍କୃତକୁ ଓଡ଼ିଆଭାଷାର ଜନନୀ ଭାବେ ପ୍ରମାଣ କରିବା ଯଥେଷ୍ଟ ନୁହେଁ । ଓଡ଼ିଆଭାଷାର ସ୍ୱତନ୍ତ୍ର ବ୍ୟାକରଣିକ ନିୟମ ରହିଛି, ଯାହା ସଂସ୍କୃତ ନିୟମଠାରୁ ଭିନ୍ନ । ସଂସ୍କୃତଭାଷା ମଧ୍ୟ ବହୁ ଓଡ଼ିଆ ଶବ୍ଦକୁ ଗ୍ରହଣ କରିଛି ଓ ବୈଦିକ ସଂସ୍କୃତ ସହିତ ବର୍ତ୍ତମାନର ସଂସ୍କୃତ ଭଳି ଓଡ଼ିଆଭାଷାର ଗଭୀର ସମ୍ବନ୍ଧ ରହିଛି । ଏପରିକି ପ୍ରାରମ୍ଭିକ କାଳରେ ବ୍ରାହ୍ମୀଲିପି ମାଧ୍ୟମରେ ସଂସ୍କୃତ ଭଳି ଓଡ଼ିଆ ଭାଷା ନିଜକୁ ପରିପ୍ରକାଶ କରିଛି । ପୁନଶ୍ଚ କୌଣସି ଭାଷାରେ ଅନ୍ୟ ଭାଷାର କେତୋଟି ଶବ୍ଦ ପ୍ରଚଳନ ହୋଇଗଲେ ଉଭୟ ଭାଷାର ସଂପର୍କ ମାଆ-ଝିଅର ସଂପର୍କ ହୁଏ ନାହିଁ । ଯଦି ତାହା ହୁଏ, ତେବେ ଭା-ରୋପିୟ ଭାଷା ଅନ୍ତର୍ଭୁକ୍ତ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ଦେଖି ଆମର ୧୦୦୦ ବର୍ଷ ପରବର୍ତ୍ତୀ ପୀଢ଼ି ଇଂରାଜୀକୁ ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିବେ । ତେଣୁ ଓଡ଼ିଆଭାଷା ସଂସ୍କୃତରୁ ଜନ୍ମ ନୁହେଁ, ଏହା ଏକ ମୌଳିକଭାଷା । ଏହା ସଂସ୍କୃତ, ଦ୍ରାବିଡ଼ କିମ୍ବା ଆଦିବାସୀ ଭାଷାରୁ ଆସିନାହିଁ । ସଂସ୍କୃତ ତଥା ଅନ୍ୟାନ୍ୟ ଭାଷାପରି ଓଡ଼ିଆଭାଷା ନିଜର କ୍ରମବିକାଶ ପଥରେ ଅଗ୍ରସର ହୋଇ ଳଗତ ଜୀବନଯାପନ, ବାଣିଜ୍ୟ ଓ ପ୍ରଶାସନ କାରଣରୁ ସଂସ୍କୃତ, ଦ୍ରାବିଡ଼, ଗ୍ରୀକ୍, ଲାଟିନ୍ ଆଦି ବିଭିନ୍ନ ଦେଶୀବିଦେଶୀ ଶବ୍ଦପୁଞ୍ଜକୁ ଗ୍ରହଣ କରିଛି । ଓଡ଼ିଶାମାଟି ଉପରେ ଗତ ୨୦୧୦ବର୍ଷ ମଧ୍ୟରୁ ମାତ୍ର ୧୩୦ବର୍ଷ (୧୪୩୮-୧୫୬୮) ଓଡ଼ିଆ ଭାଷାର ରାଜତ୍ୱ ଥିବାବେଳେ ୧୮୮୦ବର୍ଷ ଅନ୍ୟ ଭାଷାର ରାଜତ୍ୱ (୧୪୪୦ବର୍ଷ ସଂସ୍କୃତ, ୨୮୫ ବର୍ଷ ପାର୍ଶୀ, ୯୫ ବର୍ଷ ଇଂରାଜୀ ତଥା ୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଇଂରାଜୀ ଓ ହିନ୍ଦୀଭାଷା ମିଶ୍ରିତ) ଦେଖିବାକୁ ମିଳେ । ସର୍ବାଧିକ ପ୍ରଶାସନିକ ଭାଷା ଭାବେ ବ୍ୟବହୃତ ସଂସ୍କୃତ କୁଶାଣ ଶାସନ ସମୟରୁ ଓଡ଼ିଶାର ଶାସନ ଭାଷା (ମୁସଲମାନ ଶାସନ କାଳରେ ପାର୍ଶୀ ଓ ବର୍ତ୍ତମାନର ଇଂରାଜୀ ଭାଷା ପରି) ହୋଇ ପଡ଼ିବାରୁ ଧୀରେଧୀରେ ସାଧାରଣ ଓଡ଼ିଆଙ୍କଦ୍ୱାରା ବ୍ୟବହୃତ ମୂଳ ଗ୍ରାମାଞ୍ଚଳ ଓଡ଼ିଆ ବା ପଲ୍ଲୀ (ପାଲି) ଶବ୍ଦର ଉଚ୍ଚାରଣ ଓ ଲିଖନରେ ପରିବତ୍ତର୍ନ ଘଟି ରାଜଭାଷା ସଂସ୍କୃତ ପ୍ରଭାବିତ ନୂଆ ଓଡ଼ିଆଶବ୍ଦ ସୃଷ୍ଟି ହେଲା । କପିଳେନ୍ଦ୍ରଦେବଙ୍କ ଭଳି ଓଡ଼ିଆରାଜାଙ୍କ ହାତକୁ ଶାସନ କ୍ଷମତା ଆସିବାପରେ ଓଡ଼ିଆଭାଷା ସ୍ୱୟଂସଂପୂର୍ଣ୍ଣ ରୂପ ପାଇବା ସହ ସାରଳା, ବଳରାମ, ଜଗନ୍ନାଥ, ଉପେନ୍ଦ୍ର, ଅଭିମନ୍ୟୁୟଙ୍କ ଭଳି କୃତୀସନ୍ତାନଙ୍କ ହାତରେ ନୂଆନୂଆ ଶବ୍ଦଗଠନ ପୂର୍ବକ ସଂସ୍କୃତ ସମାନ ବିପୁଳ ସାହିତ୍ୟିକ ସମ୍ଭାର ସୃଷ୍ଟିହୋଇ ଏହାର ମର୍ଯ୍ୟାୁଦା ବୃଦ୍ଧିପାଇଲା । ତେଣୁ ଓଡ଼ିଆଭାଷାର ଯଦିଦୃଢ଼ ଭିତ୍ତିଭୂମି ନ ଥାଆନ୍ତା, ହଠାତ୍ ଏଭଳି ସାହିତ୍ୟ ଆତ୍ମପ୍ରକାଶ କରିପାରିଥାନ୍ତା କି ? କପିଳେନ୍ଦ୍ର ପ୍ରମାଣ କରିେଲେ ଯେ, ଓଡ଼ିଆଙ୍କଦ୍ୱାରା କେବଳ ଓଡ଼ିଶାର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟିବ ନାହିଁ, ବରଂ ଓଡ଼ିଆ ଭାଷା, ସାହିତ୍ୟର ମଧ୍ୟ ଭୂୟୋବିକାଶ ଘଟିବ ।
(୨)କ୍ରମବର୍ଦ୍ଧିଷ୍ଣୁ ଓଡିଆ ସାହିତ୍ୟ ରଚନା ପରମ୍ପରା
ଓଡ଼ିଆଜାତି ସଂପର୍କରେ ସର୍ବପ୍ରାଚୀନ ପ୍ରମାଣ ଭାବେ ପାଣିନୀଙ୍କ ‘ଅଷ୍ଟାଧ୍ୟାୟୀ’ ଗ୍ରନ୍ଥ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ)କୁ ଗ୍ରହଣ କରାଗଲେ ମଧ୍ୟ ଓଡ଼ିଆଭାଷାର ଏ ପର୍ଯ୍ୟନ୍ତ ଆବିଷ୍କୃତ ସର୍ବପ୍ରାଚୀନ ଲିଖିତ ରୂପ ଧଉଳି ଓ ଜଉଗଡ଼ଠାରେ ମଗଧ ସମ୍ରାଟ ଅଶୋକଙ୍କଦ୍ୱାରା ସ୍ଥାପିତ ଦୁଇଟି ବୃହତ ଶିଳାଲେଖରେ ସ୍ଥାନ ପାଇଥିଲା । କିନ୍ତୁ ଏହି ଦୁଇଟି ଶିଳାଲେଖ ରାଜାଶେ ବହନ କରିଥିବାରୁ ଏହାକୁ ଓଡ଼ିଆ ସାହିତ୍ୟ ଅପେକ୍ଷା କେବଳ ଓଡ଼ିଆ ଭାଷା ଓ ଲିପିର ଆନ୍ୟ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ । ଏହାପର ଶିଳାଲେଖଟି ହେଉଛି ‘ହାତୀଗୁମ୍ଫା ଶିଳାଲେଖ’ । ଯେହେତୁ ଏହି ଶିଳାଲେଖରେ ଲେଖକଙ୍କ ନାମୋଲ୍ଲେଖ ନାହିଁ, ତେଣୁ ଓଡ଼ିଆ ସାହିତ୍ୟର ପ୍ରଥମ ସୃଷ୍ଟି ଭାବେ ହାତୀଗୁମ୍ଫା ଶିଳାଲେଖକୁ ନେଇପାରିବା । ଆଜି ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ ଯେ ଓଡ଼ିଆଜାତି ସମଗ୍ର ଭାରତବର୍ଷକୁ କେବଳ ବାଣିଜି୍ୟକ କଳା ଶିଖାଇନାହିଁ, ବରଂ ଭାରତର ପ୍ରଥମ ଲେଖକଜାତି ଭାବରେ ପଥର ଦେହରେ ସାହିତ୍ୟ ସୃଷ୍ଟିକରି ପରବର୍ତ୍ତୀ ଶାସକଙ୍କ ପଥ ପ୍ରଦର୍ଶକ ସାଜିଛି । ଯଦିଓ ଖାରବେଳଙ୍କ ପୂର୍ବରୁ ଅଶୋକଙ୍କ ବହୁ ଶିଳାଲେଖ ଦେଖିବାକୁ ମିଳେ; ମାତ୍ର ସେସବୁ ଅଶୋକଙ୍କ ନିର୍ଦ୍ଦେଶ କଠୋର, ରୁକ୍ଷ କିମ୍ବା କଥନ ଶୈଳୀରେ ରଚିତ, ହାତୀଗୁମ୍ଫା ଶିଳାଲେଖ ପରି କାନ୍ତକୋମଳ ଲାଳିତ୍ୟ ସାହିତ୍ୟିକ ଭାଷାରେ ନୁହେଁ । ଏହି ଶିଳାଲେଖର ବୈଶିଷ୍ଟ୍ୟ ହେଲା ସଂସ୍କୃତ କାବ୍ୟ ରଚନାପାଇଁ ଅନୁସୃତ ନିୟମାନୁସାରେ ରଚିତ । ଯଥା
“ସଦ୍ ବଂଶଃ କ୍ଷତ୍ରିୟୋ ବାଽପି ଧୀରୋଦାତ୍ତଃ ଗୁଣାନ୍ୱତିଃ ।
ଏକବଂଶଭବା ଭୂପାଃ କୁଳଜା ବହବୋଽପି ବା ।।
ଶୃଙ୍ଗାରବୀରଶାନ୍ତାନାମେକୋଽଙ୍ଗୀ ରସ ଇଷ୍ୟତେ ।
ଅଙ୍ଗାନି ସର୍ବେଽପି ରସାଃ ସର୍ବେ ନାଟକସନ୍ଧୟଃ ।।
ଇତିହାସୋଦ୍ଭବଂ ବୃତ୍ତମନନ୍ୟଦ୍ ବା ସଜ୍ଜନାଶ୍ରୟମ୍ ।
ଚତ୍ୱାରସ୍ତସ୍ୟ ବର୍ଗାଃ ସୁ୍ୟସ୍ତେଷ୍ୱେକଂ ଚ ଫଳଂ ଭବେତ ।।
ଆଦୌ ନମସ୍ତିୟାଶୀର୍ବା ବସ୍ତୁ ନିର୍ଦ୍ଦେଶ ଏବ ବା ।
କ୍ୱଚିନ୍ନିନ୍ଦା ଖଳାଦୀନାଂ ସତାଂ ଚ ଗୁଣକୀର୍ତ୍ତନମ୍ ।।
ଅର୍ଥାତ୍ “ସେହି ରଚନାକୁ କାବ୍ୟ କହିବା, ଯାହାର ନାୟକ ଧୀରୋଦାତ୍ତ ଗୁଣଯୁକ୍ତ ଜଣେ କୁଳୀନ କ୍ଷତ୍ରିୟ ହୋଇଥିବ । ଶୃଙ୍ଗାର, ବୀର ଓ ଶାନ୍ତ ରସ ଭିତରୁ ଗୋଟିଏ ମୁଖ୍ୟ ରସ ଓ ଅନ୍ୟସବୁ ଗୌଣରସ ଭାବରେ ଥିବ । ନାଟକର ସମସ୍ତ ସନ୍ଧି, ଐତିହାସିକ କଥା ବା ଅନ୍ୟ କିଛି ସଜ୍ଜନ ବୃତ୍ତାନ୍ତ ରହିବ । ଏଥିରେ ଚାରିବର୍ଗ- ଧର୍ମ, ଅର୍ଥ, କାମ ଓ ମୋକ୍ଷ ବର୍ଣ୍ଣନା ଥିଲେ ମଧ୍ୟ ଏଥିରୁ ଯେ କୌଣସି ଗୋଟିଏ ମୁଖ୍ୟ ଫଳ ଭାବରେ ବର୍ଣ୍ଣିତ ହୋଇଥିବ । ଆରମ୍ଭରେ ନମସ୍କାରାତ୍ମକ, ଆଶୀର୍ବାଦାତ୍ମକ କିମ୍ବା ବସ୍ତୁନିର୍ଦ୍ଦେଶାତ୍ମକ, ମଙ୍ଗଳାଚରଣ ସହିତ ଖଳନିନ୍ଦା, ସାଧୁସ୍ତୁତି ଉଲ୍ଲେଖ ରହିବ ।”
କାବ୍ୟରଚନା ସଂପର୍କରେ ଥିବା ଏହି ନିୟମ ଖାରବେଳ ବହୁପୂର୍ବରୁ ପାଳନ କରିଥିଲେ ହାତୀଗୁମ୍ଫା ଶିଳାଲେଖ ରଚନା କରିବା ସମୟରେ । ଯାହାକୁ ପରବର୍ତ୍ତୀ କାଳରେ ଅନୁସରଣ କରିଥିଲେ ରୁଦ୍ରଦମନ (ଗିରିନାର ଲେଖ-ଖ୍ରୀ.ଅ.୧୫୦), ସମୁଦ୍ରଗୁପ୍ତ (ପ୍ରୟାଗ ଶିଳାଲେଖ-ଖ୍ରୀ.ଅ.୩୬୫), କୁମାରଗୁପ୍ତ (ମନ୍ଦାସୋର ଶିଳାଲେଖ-ଖ୍ରୀ.ଅ.୪୭୩) ଇତ୍ୟାଦି ଯୋଦ୍ଧାଗଣ ସ୍ୱକୀର୍ତ୍ତିକୁ ସଂସ୍କୃତଭାଷାରେ କାବ୍ୟିକ ଢଙ୍ଗରେ ନିର୍ଜୀବ ପଥର ଦେହରେ ରଚନା କରି । ଓଡ଼ିଆ ସାହିତ୍ୟର ଏହି ଲେଖନୀଗତ କ୍ରମବିକଶିତଧାରା ଖାରବେଳଙ୍କ ପରେ ବନ୍ଦ ହୋଇ ନ ଥିଲା ପରବର୍ତ୍ତୀ ଓଡ଼ିଆଯୋଦ୍ଧା ଶତ୍ରୁଭଂଜଙ୍କ ବିଜୟବାର୍ତ୍ତା ବହନ କରିଥିବା କେନ୍ଦୁଝରସ୍ଥ ଅସନପାଟ ଶିଳାଲେଖଠାରୁ ଆରମ୍ଭକରି ଷୋଡ଼ଶ ଶତାବ୍ଦୀରେ ମୁକୁନ୍ଦବେଙ୍କଦ୍ୱାରା ସୀମାଞ୍ଚଳମ୍ ର ଲକ୍ଷ୍ମୀନରସିଂହ ମନ୍ଦିରରେ ଖୋଦିତ ଶିଳାଲେଖୀୀ ଇତ୍ୟାଦି ଏହାର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ । ପ୍ରାରମ୍ଭରେ ଏହିସବୁ ଶିଳାଲେଖ ପାଲିରୁ ସଂସ୍କୃତକୁ ଗତିକରି ପରବର୍ତ୍ତୀ କାଳରେ ପୂର୍ଣ୍ଣରୂପେ ସଂସ୍କୃତ ପ୍ରଭାବିତ ହୋଇ ମଧ୍ୟ ଓଡ଼ିଆତ୍ୱକୁ ହରାଇ ନାହିଁ । ସେଥିପାଇଁ ଓଡ଼ିଆ ଭାଷା, ସାହିତ୍ୟ, ଲିପି ଓ ସଂସ୍କୃତ ଆଲୋଚନାର ମୁଖ୍ୟ ସ୍ରୋତ ଭାବେ ଏହିସବୁ ଶିଳାଲେଖ ଏବଂ ତାମ୍ରପତ୍ରକୁ ଗ୍ରହଣ କରାଯାଇଛି ।
ତାଳପତ୍ର ପୋଥି ରଚନାରେ ଏ ଜାତି ଉଚ୍ଚ ଆସନାଧିକାରୀ । କାରଣ ତାଳପତ୍ରରେ କେବଳ ପୁରାଣ ସାହିତ୍ୟ ନୁହେଁ, ବରଂ ବିଭିନ୍ନ ଚୁକ୍ତି, ଶିଶୁ ଜନ୍ମ ହେବା ବିବରଣୀ ବା ଜାତକ, ବିବାହ ପୂର୍ବରୁ ନିର୍ବନ୍ଧର ସମସ୍ତ ବିବରଣୀ (ଇସଲାମ ଧର୍ମର ନିକାହନାମା ଭଳି) ଆଦି ଏବେ ମଧ୍ୟ ପ୍ରତ୍ୟେକ ପରିବାରରେ ଲେଖାଯାଉଛି । କାଗଜକଲମ ଯୁଗରେ କେତେକ ଏହାକୁ ଅନ୍ଧବିଶ୍ୱାସ କିମ୍ବା ଏଠାରେ ତାଳପତ୍ର ପ୍ରଚୁର ମିଳୁଥିବାରୁ ଏହିସବୁ କାର୍ଯ୍ୟରେ ବ୍ୟବହାର ହେଉଛି ବୋଲି ଆଜିର ଗବେଷକମାନେ କହିପାରନ୍ତି; ମାତ୍ର ଏ କଥା ସତ୍ୟ ଯେ, ପରଂପରାକୁ ସମ୍ମାନ ଦେବା, ଧର୍ମକୁ ବଞ୍ଚିବାର ଆଧାର ଭାବେ ବରଣ କରିଥିବା ଓଡ଼ିଆଜାତି ତାଳପତ୍ରକୁ ପବିତ୍ର କର୍ମର ମାଧ୍ୟମ ଭାବେ ଗ୍ରହଣ କରି ପ୍ରତ୍ୟେକ ଶୁଭାଶୁଭ କାର୍ଯ୍ୟର ଏକ ଅଙ୍ଗ ଭାବି ବ୍ୟବହାର କରୁଛି । ଯଦିଓ ବୈଜ୍ଞାନିକ ଦୃଷ୍ଟିରୁ ଏହା ଦୀର୍ଘକାଳ ସ୍ଥାୟୀ, ତେଣୁ ନିଜ ଅଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟର ଲିଖିତ ପ୍ରମାଣକୁ ଭବିଷ୍ୟତପାଇଁ ଏହି ସ୍ଥାୟିତ୍ୱକୁ ବରଣ କରିନେଉଛି ଏହି ଜାତିର ଦାୟାଦ । ଅତଏବ କେଉଁ ଅନାଦିକାଳରୁ ତାଳପତ୍ର ଏହିଜାତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଇଛି । ଓଡ଼ିଆପୁଅପାଇଁ ତାଳପତ୍ରରେ ସାହିତ୍ୟ ରଚନା କରିବା କେବଳ ଏକ ମାଧ୍ୟମ ନୁହେଁ, ଗୌରବ ମଧ୍ୟ । ସେଥିପାଇଁ ତାଳପତ୍ରକୁ ବିଭିନ୍ନ ଆୟତନରେ କାଟି ସୂକ୍ଷ୍ମ ଗୋଲାକାର ଅକ୍ଷରରେ ଲେଖିବାର କୌଶଳ ଆପଣେଇ ନେଇଥିଲା । ତାହା ହୋଇ ନ ଥିଲେ ଅଶୋକ, ଖାରବେଳ, ଶତ୍ରୁଭଞ୍ଜଙ୍କ ସମୟର ରେଖାଯୁକ୍ତ ଓଡ଼ିଆଲିପି ବର୍ତ୍ତମାନର ସଂପୂର୍ଣ୍ଣ ଗୋଲାକାର ରୂପ ଧାରଣ ନ କରି ଭାରତର ଅନ୍ୟାନ୍ୟ ଭାଷାଭାଷୀ ଲିପି ପରି ସରଳ କିମ୍ବା ସାମାନ୍ୟ ବକ୍ରାକାର ହୋଇଥାଆନ୍ତା ।
ଧର୍ମ ଓ ସାହିତ୍ୟ ପରସ୍ପର ପ୍ରତି ନିର୍ଭରଶୀଳ । ଧର୍ମର ବହୁଳ ପ୍ରଚାର ଓ ପ୍ରସାରପାଇଁ ଲୋକ ବୁଝିବାଭଳି ଢଙ୍ଗରେ ସାହିତ୍ୟ ରଚନା ପ୍ରତ୍ୟେକ ଧାର୍ମିକ ମତବାର ମୂଳଲକ୍ଷ୍ୟ ଥିବାବେଳେ, ଧର୍ମ ମାଧ୍ୟମରେ ନିଜର କଳେବର, ବିଷୟବସ୍ତୁ, ଲେଖକୀୟ ଶୈଳୀ, ଭାଷା ଆଦିରେ ପରିବର୍ତ୍ତନ ଆଣି ସାହିତ୍ୟ ନିଜର ଗତିକୁ ଚଳଞ୍ଚଳ କରିଥାଏ । ଫଳରେ ଭାଷା ସମୃଦ୍ଧ ଓ ସ୍ଥାୟୀ ହୁଏ । ତେଣୁ ଗୋଟିଏ ଜାତିର ଭାଷା ଓ ସାହିତ୍ୟ ସମୃଦ୍ଧିପାଇଁ ଧର୍ମର କିଛି ଭୂମିକା ରହିଛି । କିନ୍ତୁ ଏହି ଧର୍ମ ଅନ୍ୟ କେଉଁଠୁ ଆମଦାନୀ ହୋଇ ଆସିବା ଅପେକ୍ଷା ସେହି ଜାତିର ମାଟି ଉପରେ ସୃଷ୍ଟି, ବିକାଶ କିମ୍ବା ପରିବର୍ଦ୍ଧିତ ହୋଇଥିବା ଆବଶ୍ୟକ । ଏହି ଦୃଷ୍ଟିକୋଣରୁ ଓଡ଼ିଶା ମଧ୍ୟ ପଛରେ ପଡ଼ିନାହିଁ । ଧାର୍ମିକକ୍ଷେତ୍ରରେ ଓଡ଼ିଶାର ସର୍ବପ୍ରଥମ ଗୌରବାବହ ପରିଚୟ ହେଉଛି କଳିଙ୍ଗବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୁପ୍ତପ୍ରାୟ ବୌଦ୍ଧଧର୍ମ କଳିଙ୍ଗଯୁଦ୍ଧ ପରେ ସମଗ୍ର ଭାରତ ସମେତ ଦକ୍ଷିଣ-ପୂର୍ବ-ଉତ୍ତର ଏସିଆରେ ପୁନଃସ୍ଥାପିତ ହେବା । ଏହାପରେ ଜୈନ, ବ୍ରାହ୍ମଣ୍ୟ, ଗାଣପତ୍ୟ, ଶାକ୍ତ, ଶୈବଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ର ଏହିମାଟି ପାଲଟି ଯାଇଥିଲେ ମଧ୍ୟ ପୁଣିଥରେ ଲୋପପାଉଥିବା ବୌଦ୍ଧଧର୍ମକୁ ଜୀବନ୍ୟାସ ଦେବା ଉଦ୍ଦେଶ୍ୟରେ ସମ୍ବଳକ ବା ସମ୍ବଲପୁରର ରାଜା ଇନ୍ଦ୍ରଭୂତି ଆଗେଇ ଆସିଲେ । ସ୍ୱକୀୟ ପ୍ରତିଭାବଳରେ ତାନ୍ତ୍ରିକ ପଦ୍ଧତିଦ୍ୱାରା କଳୁଷିତ ମହାଯାନ ପନ୍ଥାରେ ସଂସ୍କାର ଆଣି ପଞ୍ଚଧ୍ୟାନୀବୁଦ୍ଧ ସାଧନା ପ୍ରଚଳନ କରିବାଦ୍ୱାରା ବଜ୍ରଯାନ ନାମକ ଏକ ଅଭିନବ ବୁଦ୍ଧ ପରିବାରର ଅଭ୍ୟୁଦୟ ବୌଦ୍ଧଧର୍ମରେ ଘଟିଲା । ମାତ୍ର ନିଜ ସାନଭଉଣୀ ଓ ଶିଷ୍ୟା ଲକ୍ଷ୍ମୀଙ୍କରା ବଜ୍ରଯାନର ଆର୍ଦଶ ତ୍ୟାଗକରି କାୟା ସାଧନ ବା ଦେହପୂଜା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମତରେ ଜପ, ତପ, ପୂଜା, ଧ୍ୟାନ ବଳରେ ମଣିଷ ଜନ୍ମ ସମୟରୁ ଥିବା ଗୁଣ ଓ ପ୍ରବୃତ୍ତିର ମନ ନ କରି ତା’ର ଅଭିବୃଦ୍ଧି ଓ ସମ୍ଭୋଗରେ ହିଁ ସିଦ୍ଧିଲାଭ କରିପାରିବ । ଏହା ସିଦ୍ଧିଲାଭର ସହଜ ମାର୍ଗ ହୋଇଥିବାରୁ ଏହାକୁ ସହଜଯାନ କୁହାଯାଏ । ସେହିପରି ଇନ୍ଦ୍ରଭୂତିଙ୍କ ପାଳିତପୁତ୍ର ପଦ୍ମସମ୍ଭବ ଜାହୋର ବା କେନ୍ଦୁଝର ରାଜକନ୍ୟା ମନ୍ଦାରବାଙ୍କୁ ବିବାହ କଲାପରେ ସହଜଯାନ ସାଧନ କରି ନାଭିଗୟା ବିରଜାକ୍ଷେତ୍ରରେ ସିଦ୍ଧିଲାଭ କଲେ । ଏହି ସମୟରେ ତିବ୍ ବତ ରାଜା ଖ୍ରୀ-ସ-ି-ତ୍ ସାନ ସେଠାରେ ଥିବା କଳୁଷିତ ବନ୍ ଧର୍ମ ବଳରେ ବୌଦ୍ଧଧର୍ମ ପ୍ରଚଳନପାଇଁ ପଦ୍ମସମ୍ଭବଙ୍କ ଶ୍ୟାଳକ ତଥା ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରଧାନ ପୁରୋଧା ଓ ଶିକ୍ଷକ ଶାନ୍ତରକ୍ଷିତଙ୍କୁ ଆମନ୍ତ୍ରଣ କଲେ । ମାତ୍ର ଶାନ୍ତରକ୍ଷିତ ପୃଥିବୀ ପ୍ରସିଦ୍ଧ ବୌଦ୍ଧପଣ୍ଡିତ ତଥା ଦାର୍ଶନିକ ଥିଲେ ମଧ୍ୟ ତାନ୍ତ୍ରିକ ନ ଥିବାରୁ ଏହି କାର୍ଯ୍ୟ ପଦ୍ମସମ୍ଭବ ଓ ମନ୍ଦାରବା କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଉଭୟେ ଦମ୍ପତ୍ତି ତିବ୍ଦତ ଆସି ଅଳ୍ପକାଳ ମଧ୍ୟରେ ତାନ୍ତ୍ରିକ ବନ୍ ଧର୍ମାବଲମ୍ବୀଙ୍କୁ ବଶୀଭୂତ କରିବାସହ ସହଜଯାନ ଓ ବନ୍ ଧର୍ମର ସମନ୍ୱୟରେ ଲାମାଧର୍ମ ସଂସ୍ଥାପନ କଲେ । ତିବ୍ଦତରେ ଆଜି ଯେଉଁ ବିଶ୍ୱବିଖ୍ୟାତ ଲାମାଧର୍ମ ଏ ପର୍ଯ୍ୟନ୍ତ ବଞ୍ଚି ତିବ୍ଦତବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ଓ ଏହାର ଧାର୍ମିକଗୁରୁ ଭାବେ ଦଲାଇଲାମାଙ୍କୁ ସ୍ୱୀକାର କରାଯାଇଛି, ତାହାରି ମୂଳରେ ରହିଛି ଏହି ସହଜଯାନର ପ୍ରଭାବ । ଠିକ୍ ସେହିଭଳି ଜଗନ୍ନାଥ ଧର୍ମ । ଏହି ଧର୍ମ ଓଡ଼ିଆ ଜନଜୀବନକୁ ଏଭଳି ଭାବେ ପ୍ରଭାବିତ କରିଥିଲା ଯେ, ବିଶିଷ୍ଟ ଶୈବଧର୍ମ ପ୍ରଚାରକ ତଥା ଅଦୈତ ମତବାଦର ପ୍ରତିଷ୍ଠାତା ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ଭକ୍ତିଭାବର କାରୁଣ ମୂର୍ତ୍ତିମନ୍ତ ପ୍ରତୀକ ଶ୍ରୀଚୈତନ୍ୟଙ୍କ ପର୍ଯ୍ୟନ୍ତ ଯେତେସବୁ ଧାର୍ମିକ ମତବାଦ ପ୍ରବକ୍ତା ଓ ପ୍ରଚାରକ ଓଡ଼ିଶାମାଟିକୁ ଆସିଥିଲେ, ସମସ୍ତେ ନିଜକୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ ପୂର୍ବକ ଜଗନ୍ନାଥୈକ ଚେତନାକୁ ସ୍ୱୀକାର କଲାପରେ ଓଡ଼ିଶାବାସୀ ଏମାନଙ୍କୁ ଗ୍ରହଣ କରୁଥିଲେ; ଯାହା ଭାରତର ଅନ୍ୟ କୌଣସି ଭୂଖଣ୍ଡରେ ଏଭଳି ହେଉ ନ ଥିଲା ।
ଓଡ଼ିଶାମାଟିରେ ଜନ୍ମଲାଭ କରିଥିବା ଆଉ ଏକ ଯୁଗୋପଯୋଗୀ ମାନବୀୟ ଧର୍ମ ହେଉଛି ମହିମାଧର୍ମ । ମହିମା ଗୋସେଇଁଙ୍କ ନୂଆ ମତବାଦ ପ୍ରଚଳନ ଫଳରେ ଓଡ଼ିଆ ଧର୍ମଧ୍ୱଜୀଙ୍କଦ୍ୱାରା ଜାତିଭେଦକୁ ଜାତି-ବିବାଦରେ ପରିଣତ କରିବା ତଥା କୁଳୀନ ପ୍ରଥା ନାମରେ କୁପ୍ରଥାକୁ ପ୍ରଶ୍ରୟ ଦେବା ମାନସିକତାରୁ ଦୂରେଇ ରହିବା ସହ ଆଦିବାସୀଗଣ ମିଶନାରୀ ପାଦ୍ରୀଗଣଙ୍କଦ୍ୱାରା ପ୍ରଲୋଭିତ ହୋଇ ବହୁସଂଖ୍ୟାରେ ଖ୍ରୀଷ୍ଟିୟାନ ହେବା ପଥ ବନ୍ଦ ହୋଇଥିଲା । ଏପରିକି ନ’ଅଙ୍କ ଦୁଭର୍କ୍ଷି ସମୟରେ ଜୀବନ ବଞ୍ଚାଇବାପାଇଁ ଅନ୍ନଛତ୍ର ଶିବିରରେ ଖାଦ୍ୟ ଖାଇ କିମ୍ବା କାହାଠାରୁ ଖାଦ୍ୟ ମାଗି ଜାତି ହରାଇଥିବା ଲକ୍ଷ ଲକ୍ଷ ଓଡ଼ିଆ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବାବେଳେ ସମସ୍ତଙ୍କୁ ଆପଣାର କରିବାର ନିଷ୍ପତ୍ତି ନେଇ ଆବିର୍ଭୂତ ହେଇଥିବା ମହିମାଧର୍ମ ଓଡ଼ିଆତ୍ୱ ସୁରକ୍ଷା ସହ ହିନ୍ଦୁଧର୍ମକୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇଥିଲା । ଏହିପରି ଭାବରେ ଉପରୋକ୍ତ ଧର୍ମଗୁଡ଼ିକ ଓଡ଼ିଶାମାଟିରେ ଜନ୍ମଲାଭ କରି ବିଶ୍ୱମାନବତାକୁ କେବଳ ନୂଆ ଦିଗ୍ ଦର୍ଶନ ନେଇନାହିଁ, ବରଂ ନୂଆ ଚିନ୍ତାଧାରାର ସାହିତ୍ୟ ରଚିତହୋଇ ଓଡ଼ିଆସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି ।
ଓଡ଼ିଆସାହିତ୍ୟର ଆଦିରୂପ ‘ଚର୍ଯ୍ୟାଗୀତି’ (ସପ୍ତମ ଶତାବ୍ଦୀରେ ବୌଦ୍ଧଚର୍ଯ୍ୟାକବିମାନଙ୍କଦ୍ୱାରା ରଚିତ ନିର୍ଗୁଣ ଭକ୍ତିକବିତା) ତାଳପତ୍ରରେ ରଚିତ । ଏହି ସାରସ୍ୱତକୃତିକୁ ପୂର୍ବାଞ୍ଚଳର ସମସ୍ତ ଭାଷାଭାଷୀ ସ୍ୱ-ସାହିତ୍ୟର ପ୍ରାଚୀନ ରୂପବୋଲି ଦାବିକରନ୍ତି । କିନ୍ତୁ ଏହି ଦାବି କରୁଥିବା ଭାଷାଭାଷୀ ସେହି ସମୟର ରାଜନୈତିକ ସ୍ଥିତି ଓ ସୀମାରେଖା ସଂପର୍କରେ ଯଦି ଖୋଳତାଡ଼ କରିଥାନ୍ତେ, ତେବେ ସେମାନେ ଜାଣିପାରିଥାନ୍ତେ ଗୋଟିଏ ରାଜନୈତିକ ପରିସୀମା ମଧ୍ୟରେ ଆବଦ୍ଧ ଅଞ୍ଚଳର କଥିତଭାଷାରେ ଏହିସବୁ କବିତା ରଚିତ ତଥା ଏହାର କବି ମଧ୍ୟ ଏହି ଅଞ୍ଚଳର ବାସିନ୍ଦା । ଏହା ପୁଣି ଓଡ୍ଡିୟାନ୍ ପୀଠ ବା ବର୍ତ୍ତମାନ ପଶ୍ଚିମଓଡ଼ିଶାକୁ କେନ୍ଦ୍ରକରି ବିକାଶଲାଭ କରିଥିଲା । ଏହି ଓଡ୍ଡିୟାନ୍ ପୀଠରୁ ସୃଷ୍ଟି ବୌଦ୍ଧତନ୍ତ୍ରଯାନ ପରେ ବୈଷ୍ଣବତନ୍ତ୍ରଯାନକୁ ପ୍ରଭାବିତ କରି ଉତ୍କଳୀୟ ଜ୍ଞାନମିଶ୍ରା ଭକ୍ତିମାର୍ଗର ପଥ ଉନ୍ମୋଚନ କରିବାରୁ ପରବର୍ତ୍ତୀକାଳୀନ ଓଡ଼ିଆ ଜନଜୀବନ ଏହାଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଉଡ୍ରରୁ ଓଡ୍ଡିୟାନ୍ ତଥା ଓଡ଼ିଶା ହେଉଛି ଏହି ଭୂଖଣ୍ଡର ପରିଚୟ । ତେଣୁ ଓଡ୍ଡିୟାନ୍ ର ଭାଷା ଓଡ଼ିଶାରେ ପ୍ରଚଳିତ । ପରବର୍ତ୍ତୀକାଳରେ ରାଜନୈତିକ ବିଖଣ୍ଡନ ଯୋଗୁଁ ସୃଷ୍ଟି ହୋଇଥିବା ବିଭିନ୍ନ ରାଜ୍ୟ ଓ ଭାଷା ଏହି କବିତାଗୁଡ଼ିକୁ ନିଜଭାଷାର ପ୍ରାଚୀନରୂପ କହିବା ଯୁକ୍ତିଯୁକ୍ତ । ମାତ୍ର ଏଥିରେ ବ୍ୟବହୃତ ହୋଇଥିବା କେତେକ ଶବ୍ଦକୁ ବୁଝି ନ ପାରି ଏହାକୁ ଅବୋଧ୍ୟ, ଅପ୍ରଚଳିତ କିମ୍ବା ବୌଦ୍ଧ ଯୁଗୀୟ ଶବ୍ଦ ଭାବେ ଏମାନେ ଗ୍ରହଣ କରିନେବା କେବଳ ଅଯୌକ୍ତିକ ନୁହେଁ, ବରଂ ଓଡ଼ିଆ ଭଳି ଗୋଟିଏ ବଳିଷ୍ଠ ଭାଷାର ପ୍ରାଚୀନତାକୁ ଅସ୍ୱୀକାର କରିବା ସେମାନଙ୍କ ଓଡ଼ିଆ ଅସ୍ମିତା ହନନ ଚକ୍ରାନ୍ତର ଅଂଶବିଶେଷ । କାରଣ ଏହିସବୁ ଶବ୍ଦ ଓଡ଼ିଆଭାଷାରେ ଏବେ ମଧ୍ୟ ଅବିକଳ ପ୍ରଚଳିତ । ଦୃଷ୍ଟାନ୍ତ ରୂପେ ବୌଦ୍ଧସିଦ୍ଧାଚାର୍ଯ୍ୟ ଗୁଣ୍ଡୁରୀପାଦଙ୍କ କବିତାରେ ବର୍ଣ୍ଣିତ
ତିଅଡ୍ଡା ଚାପୀ ଜୋଇନି ଦେ ଅଙ୍କବାଳୀ ।
କମଳ କୁଳଶି ଘାତ୍ତ କରହୁ ବିଆଳୀ ।।
ଜୋଇନି ନଇଁ ବିନୁ ଖନହିଁ ନ ଜୀବମି ।
ତୋ ମୁହ ଚୁମ୍ବୀ କମଳରସ ପିବମି ।।
ଅର୍ଥାତ୍- “ହେ ବାଳିକା ଯୋଗିନୀ ତିନିନାଡ଼ି ଚାପିବାପାଇଁ ମୋତେ ତୋର କୋଳ ଦିଅ । ହେ ବିଆ-ବଳୀ, କମଳ (ଯୌନାଙ୍ଗ)ରେ କୁଲିଶ (ବଜ୍ର ବା ପୁରୁଷାଙ୍ଗ) ଘାତ୍ତ ବା ରମଣ କରିବି । ହେ ଯୋଗିନୀ, ତାହା ବିନା କ୍ଷଣେମାତ୍ର ଜୀଇଁପାରିବିନି । ତୋ ମୁହଁ ଚୁମି କମଳ ରସ ପିଇବି (ଏବେ ବି ଗ୍ରାମାଞ୍ଚଳରେ ପିଇବି ବଳରେ ପିଇମି-ପିମି- ପିୱମି ଆଜଦି ଉଚ୍ଚାରିତ ହେଉଛି) ଅନ୍ୟ ଅର୍ଥରେ କବି ବିଶୁଦ୍ଧ ଅବଧୂତିକାକୁ ଯୋଗିନୀ ରୂପରେ ଓ ନିଜକୁ ତା’ର ଉପପତି ଭାବରେ ବର୍ଣ୍ଣନା କରିଛନ୍ତି । ଲଳନା, ରସନା, ଅବଧୂତିକା (ଇଡା, ପିଙ୍ଗଳା, ସୁଷୁମା) ନାଡୀ ତିନୋଟିକୁ ଚାପିଦେଇ ବନ୍ଦକଲେ ନିଃଶ୍ୱାସ ପବନର ଗତି ବନ୍ଦ ହୁଏ । ସେତେବେଳେ ସାଧକ ନୈରାତ୍ମ୍ୟ ବା ମହାଶୂନ୍ୟର ଉପଲବ୍ଧି କରେ । ଫଳରେ ହୃଦୟ ମହାନନ୍ଦ ପାଇଥାଏ । ତେଣୁ କବି କମଳ ବା ପଦ୍ମ ଓ କୁଳଶି ବା ବଜ୍ରର ମିଳନରେ ଚିତ୍ତକୁ ଶୂନ୍ୟତାରେ ପୂର୍ଣ୍ଣକରି ସହଜାନନ୍ଦ ଲାଭ କରୁଛନ୍ତି । ଏହି ଆନନ୍ଦ ବା ପରମ ସୁଖ ବିନା କ୍ଷଣେ ମାତ୍ର ବଞ୍ଚିବାକୁ ଚାହୁଁନାହାନ୍ତି । ମସ୍ତକରେ ଥିବା ଉଷ୍ମୀଷକମଳ ଚୁମ୍ବନ କରି ଆନନ୍ଦ ରସ ପାନ କରିବାକୁ (ସ୍ତ୍ରୀ ସମ୍ଭୋଗଠାରୁ ଅଧିକ ସୁଖ ଅନୁଭବ) ଇଚ୍ଛା କରନ୍ତି ।”
ସେହିପରି ଅନ୍ୟଜଣେ ସିଦ୍ଧଚାର୍ଯ୍ୟ ତାଡକପା ଲେଖିଛନ୍ତି- “ସନ୍ତାର ବା ଛୋଟ ନୌକାରେ ନଦୀ ପାର ହେବାବେଳେ ଘାଟିଆ ଘାଟ ମାହାସୁଲ ନ ଦେଇଥିବା ଲୋକଙ୍କ ଅଣ୍ଟି ଖୋସଣି ବା ପିନ୍ଧାଲୁଗା ଖୋଲି ପଇସାପତ୍ର ଅନ୍ୱେଷଣ କରିଥାଏ । ତେଣୁ ଗୋପନରେ ଲୋକଟିର ଗୁପ୍ତଥିବା ପୁରୁଷାଙ୍ଗ ଦେଖିଥାଏ । କିନ୍ତୁ ଏ କଥା ପଥଚାରୀ ଜାଣିପାରି ନଥାଏ । ଯିଏ ଜାଣିପାରେ, ସେ ସହଜରେ ବଖାଣି ପାରେ ନାହିଁ, ତାହାର ଗଳା ବନ୍ଦ ହୋଇଯାଏ । ଏଣୁ ତାଡ଼କ କୁହେ; ତତ୍ତ୍ୱ ବୁଝିଲେ ମଧ୍ୟ ପ୍ରକାଶ କରିବା ଶକ୍ତିର ଅଭାବଯୋଗୁଁ ଅପ୍ରକାଶିତ ରହେ । କାରଣ ଏହା ଅନୁଭବର ବିଷୟ ।”
ଉପରୋକ୍ତ ଦୃଷ୍ଟାନ୍ତ ଦୁଇଟି ସପ୍ତମ ଶତାବ୍ଦୀରେ ଲିଖିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ଯେକୌଣସି ଓଡ଼ିଆ ବ୍ୟକ୍ତି ବୁଝିବାରେ ଅସୁବିଧା ନାହିଁ । କାରଣ ଏଥିରେ ବ୍ୟବହୃତ ପ୍ରତେକ ଶବ୍ଦ ସହିତ ଓଡ଼ିଆବାସୀ ପରିଚିତ; ଯାହା ଅନ୍ୟଭାଷୀଙ୍କ ନିକଟରେ ଦୁର୍ବୋଧ୍ୟ । ବିଶେଷକରି ବୌଦ୍ଧ ସିଦ୍ଧାଚାର୍ଯ୍ୟଙ୍କ ରଚିତ ଏହିସବୁ କବିତାକୁ ନିଜଭାଷାର ଆଦିରୂପ ବୋଲି ବାରମ୍ବାର ଘୋଷଣା କରୁଥିବା ବଙ୍ଗୀୟ ଗବେଷକଗଣ ତାଡକପାଦଙ୍କ କବିତାରେ ଲିଖିତ ‘ବାଣ୍ଡକୁରୁଣ୍ଡ’ ଶବ୍ଦକୁ “ବଟୁଆ” ବୋଲି ଅର୍ଥ କରିଛନ୍ତି । କାରଣ ଏହିସବୁ ଶବ୍ଦ ଓଡ଼ିଆ ବ୍ୟତୀତ ବଙ୍ଗଳା କିମ୍ବା ଅନ୍ୟ ଭାରତୀୟଭାଷାରେ ବ୍ୟବହାର ନାହିଁ । ଏହିଭଳି କେବଳ କେତୋଟି ଅଶ୍ଳୀଳ ପ୍ରତୀୟମାନ ହେଉଥିବା ଓଡ଼ିଆଶବ୍ଦ ନୁହେଁ, ବରଂ ଚର୍ଯ୍ୟାକବିତାରେ ଲିଖିତ ପ୍ରଚୁର ଶବ୍ଦ ବର୍ତ୍ତମାନ ସମୟରେ ଅନ୍ୟକୌଣସି ଭାଷାରେ ପ୍ରୟୋଗ ହେଉ ନଥିବାବେଳେ କେବଳ ଓଡ଼ିଆଭାଷାରେ ଅବିକଳଭାବେ ଉଭୟ ଲିଖିତ ଓ କଥିତ ଭାବେ ବ୍ୟବହାର ହେଉଛି । ଦୁର୍ଭାଗ୍ୟ ଯେ ଏହିସବୁ ଶବ୍ଦ ଓ ବ୍ୟାକରଣକୁ ଓଡ଼ିଆ ରକ୍ତଧାରୀ ସଂସ୍କୃତ ପଣ୍ଡିତଗଣ ବିଭିନ୍ନ ବ୍ୟୁପିତ୍ତି ଅର୍ଥ ବାହାର କରି ଏହା ସଂସ୍କୃତରୁ ସୃଷ୍ଟି ବୋଲି ପ୍ରମାଣ କରିବାକୁ ଚେଷ୍ଟିତ । ଅଥଚ ଏହି ଶବ୍ଦଗୁଡ଼ିକ ଓଡ଼ିଆରୁ ସଂସ୍କୃତ, ବଙ୍ଗଳା କିମ୍ବା ଅନ୍ୟ ଭାଷାକୁ ଯାଇଛି- ତାହା ପ୍ରମାଣ କରିବା ଶକ୍ତି ଏହି ମେରୁଣ୍ଡହୀନ ପଣ୍ଡିତମାନଙ୍କର ନାହିଁ । ୮୪ ସିଦ୍ଧକବିଙ୍କ ମଧ୍ୟରୁ ଦୁଇକବି ଗୁଣ୍ଡୁରୀପା ଓ ତାଡକପାଦଙ୍କ ନିକଟରେ ଆଜି ଓଡ଼ିଆଜାତି କୃତଜ୍ଞ ଯେ, ଯଦି ନିଜ କବିତାରେ ସବୁବେଳେ ଘୋଡ଼େଇହୋଇ ରହୁଥିବା ଆମ ଶରୀରର ଏହି ତିନୋଟି ସମ୍ବେଦନଶୀଳ ଅଙ୍ଗର ନାମ ଲେଖି ନ ଥାନ୍ତେ, ତେବେ ଅତି ବକାଳି ବଙ୍ଗାଳୀ ଓ ଓଡ଼ିଆ ମାଟିର ପାଣିପବନରେ କଥାକହିବା ଶକ୍ତି ଆହରଣ କରି ଓଡ଼ିଆତ୍ୱ ହରଣ କରୁଥିବା ନୀଳବର୍ଣ୍ଣ ଶୃଗାଳସମ ଆମ ଓଡ଼ିଆ ସଂସ୍କୃତ ପଣ୍ଡିତଙ୍କ ମୁହଁରେ ତୁଣ୍ଡିବାନ୍ଧିବା ଅସମ୍ଭବ ହୋଇଥାନ୍ତା ।
ସେହିପରି କ୍ରମାନ୍ୱୟରେ ଏପର୍ଯ୍ୟନ୍ତ ଆବିଷ୍କୃତ ବିଭିନ୍ନ ଶିଳାଲେଖରୁ ବହୁ ଓଡ଼ିଆ ଶବ୍ଦ ଓ ଲିପିର ବହୁଳ ବ୍ୟବହାର ଦେଖିବାକୁ ମିଳେ । ବିଶେଷକରି ଭଦ୍ରଖ ଜିଲ୍ଲାର ଗଣ୍ଡିବେଢ଼ରୁ ଆବିଷ୍କୃତ ୧୦ମ ଶତାବ୍ଦୀର କୁମାରସେଣଙ୍କଦ୍ୱାରା ଜୈନ ପ୍ରସ୍ତର ମୂର୍ତ୍ତି ପାଦଦେଶରେ ଖୋଦିତ ଏକପଦୀ କବିତା଼
“ଦେବ କହି ଭଗତି କରୁଣ / ଅଛନ୍ତି ଭୋ କୁମାରସେଣ”
ସୂଚାଇଥାଏ ଯେ ଏହି ସମୟ ବେଳକୁ ଓଡ଼ିଆ ଭାଷା ସାହିତ୍ୟିକ ରୂପ ନେଇ ସାରିଲାଣି । ଯଦିଓ ଏହା ରାଜ ପୃଷ୍ଠପୋଷକତା ପାଇପାରି ନ ଥିଲା, ତେଣୁ ବିସ୍ତୃତ ରଚନା ଅଭିଲେଖରେ ଦେଖିବାକୁ ମିଳେନାହିଁ । ଦୀର୍ଘଦିନ ଧରି ଅଣଓଡ଼ିଆଙ୍କ ଦ୍ୱାରା ଓଡ଼ିଶାବାସୀ ଶାସିତ ହେଉଥିବାରୁ ପ୍ରଶାସନିକଭାଷା ଭାବରେ ସଂସ୍କୃତ ପ୍ରଚଳନ ହେଉଥିଲା, ଯାହା ସେହିସମୟର ଖୋଦିତ ଅଭିଲେଖରେ ଦେଖିବାକୁ ମିଳେ । ସାଧାରଣ ସ୍ତରରେ ଓଡ଼ିଆଙ୍କ ଲେଖିବାର ଏକମାତ୍ର ମାଧ୍ୟମ ଥିଲା ତାଳପତ୍ର । ଏହା ମଧ୍ୟ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ସ୍ଥଳୀରେ ଦୀର୍ଘଦିନ ଧରି ସୁରକ୍ଷିତ ହୋଇରହିବା ଅସମ୍ଭବ । ତେବେ ନେପାଳ ରାଜଦରବାରରୁ ‘ଚର୍ଯ୍ୟାଗୀତିକା’ ପ୍ରାପ୍ତ ହେବାଭଳି ଯଦି କୌଣସି ପ୍ରାଚୀନ ଗ୍ରନ୍ଥାଳୟରେ ସୁରକ୍ଷିତ ହୋଇ ରହିଥିବ, ନିଶ୍ଚିତ ଭାବେ ଦିନେ ଆବିଷ୍କୃତ ହୋଇ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଜାତି ଇତିହାସର ଗତିପଥକୁ ବଦଳାଇ ଦେବ ।
(୩)ମୌଳିକ ସୃଷ୍ଟିସମ୍ଭାର
ଆଧୁନିକ ଭାରତୀୟ ପ୍ରାଦେଶିକ ଆର୍ଯ୍ୟଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆସାହିତ୍ୟ ବହୁ ପ୍ରାଚୀନ ଏବଂ ସମୃଦ୍ଧ, ବହୁଦିଗରୁ ସ୍ୱତନ୍ତ୍ର ମଧ୍ୟ । ଏ ସମ୍ପର୍କରେ ପୂର୍ବରୁ ସୂଚନା ଦିଆସରିଛି । ତେବେ କାଳର କ୍ରମବିବର୍ତ୍ତନ ପଥରେ ଆସି ଖାରବେଳଙ୍କ ୧୪ ଶହ ବର୍ଷପରେ ଓଡ଼ିଆ ଭାଷା ରାଜଭାଷାର ମାନ୍ୟତା ପାଇବାପରେ ଏହା ୧୫ଶ ଶତକରେ ସ୍ୱୟଂସମ୍ପୂର୍ଣ୍ଣ ଓ ସମୃଦ୍ଧ ରୂପ ନିଏ ମହାକବି ସାରଳା ଦାସଙ୍କ ରଚନାରେ । ଏ କଥା ବହୁ କମ ଆଲୋଚକ ଜାଣନ୍ତି ସାରଳା ଦାସଙ୍କ ଭାଷା ସଂସ୍କୃତମୁକ୍ତ ଭାଷା । ଏହା ଲୋକ ପ୍ରଚଳିତଭାଷାର ସାହିତ୍ୟିକରୂପ । ଆଗଙ୍ଗା-ଗୋଦାବରୀ କ୍ଷେତ୍ରରେ ସାଧାରଣ ଜନତା ସେଥିପାଇଁ ଏହି ଗ୍ରନ୍ଥକୁ ଆଦରରେ ପୂଜା କରୁଥିଲେ । ଭାରତର ଅନ୍ୟ କୌଣସି ଭାଷାରେ ସେ ସମୟରେ ଏପରି ସଂସ୍କୃତମୁକ୍ତ ମୌଳିକଗ୍ରନ୍ଥ ରଚନା ଜଣେ ବ୍ୟକ୍ତିଦ୍ୱାରା ସମ୍ଭବ ହୋଇ ନ ଥିଲା । ଏପରିକି ବ୍ୟାସ ରଚିତ ସଂସ୍କୃତ ମହାଭାରତ ଜଣେ ବ୍ୟାସଙ୍କ ରଚନା ନୁହେଁ । ତାହା ବହୁକାଳଧରି ଭିନ୍ନଭିନ୍ନ ସମୟରେ ବ୍ୟାସଙ୍କ ନାମରେ ଲେଖାଯାଇଛି । ତାମିଲ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ହେଲେ ମଧ୍ୟ ସେ ଭାଷାରେ ଏତେବଡ଼ ଗ୍ରନ୍ଥ ବା ‘ମହାଭାରତ’ ଗ୍ରନ୍ଥ ରଚିତ ହୋଇ ନାହିଁ । ତେଲୁଗୁ ମହାଭାରତ ଲେଖିଛନ୍ତି ତିନିଜଣ କବି ୨୦୦ ବର୍ଷ ଭିତରେ । ବଙ୍ଗଳା, ଅହମିୟା, ହିନ୍ଦୀ, ମରାଠୀ, ଗୁଜୁରାଟି ଆଦି ଭାଷାରେ ଏଭଳି ଗ୍ରନ୍ଥ ଦୁର୍ଲଭ । ୧୫ଶ ଶତକ ହିସାବରେ ଓଡ଼ିଆ ମହାଭାରତ ଏସିଆ ମହାଦେଶର ବୃହତ୍ତମ ଗ୍ରନ୍ଥ । ସାରଳା ଦାସ ଏକାମତ୍ର କବି, ଯିଏ କି ମହାଭାରତ ସମେତ ଆଉ ଦୁଇଟି ବୃହତ ଗ୍ରନ୍ଥ- ବିଲଙ୍କା ରାମାୟଣ ଓ ଦେବୀ ଭାଗବତ ବା ଚଣ୍ଡୀପୁରାଣ ତାଳପତ୍ରରେ ଲେଖିବା ସହ ଲକ୍ଷ୍ମୀନାରାୟଣ ବଚନିକା ନାମକ କଥାସାହିତ୍ୟ ସୃଷ୍ଟିକରି ଓଡ଼ିଆସାହିତ୍ୟକୁ ଏକ ନୂତନମୋଡ଼ ପ୍ରଦାନ କରିଛନ୍ତି । ଏହିସବୁ କୃତିରେ ପୁରାଣର ମହାଭାରତୀୟ ଚେତନାକୁ ପ୍ରତ୍ୟାହାର କରି ଓଡ଼ିଆତ୍ୱର ମହକକୁ ପାଠକପ୍ରାଣରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଆ ପାଣି, ପବନ, ଭୂଗୋଳ, ଇତିହାସ, ଜାତୀୟଜୀବନ ଓ ସଂସ୍କୃତି ସହ ଖାପ ଖୁଆଇଥିବା ତଥ୍ୟପ୍ରଦାନ ପୂର୍ବକ ବିଶ୍ୱାସଯୋଗ୍ୟ ଉପାଖ୍ୟାନ ମିଶାଇ ଏହିସବୁ ଗ୍ରନ୍ଥକୁ ଆହୁରି ସରଳ, ରସାଳ, ମନୋଜ୍ଞ ଓ ସୁଖପାଠ୍ୟ କରିଥିଲେ । ଏଥିସହ ମଧ୍ୟଯୁଗୀୟ ଭାରତୀୟ ସମାଜ ଓ ସାହିତ୍ୟରେ ନାରୀର ଅବମୂଲ୍ୟନ ଘଟୁଥିବାବେଳେ ସମଗ୍ର ଭାରତବର୍ଷରେ ଏକମାତ୍ର କବିଭାବେ ନାରୀର ମହନୀୟ ଭୂମିକାକୁ ଲୋକପ୍ରିୟ ସାହିତ୍ୟରେ ସ୍ଥାନିତକରି ସେମାନଙ୍କର ସ୍ଥିତିକୁ ସୁୃଢ଼ କରିବାକୁ ଚେଷ୍ଟା କରିଛନ୍ତି । ଯାହାର ପରିଣାମ ପରବର୍ତ୍ତୀ କବି ବଳରାମ ଦାସଙ୍କ୍ୱାରା ଲିଖିତ ‘ଲକ୍ଷ୍ମୀପୁରାଣ’ କେବଳ ପରିବାରରେ ନାରୀର ଶ୍ରେଷ୍ଠତ୍ୱକୁ ପରିପ୍ରକାଶ କରି ନ ଥିଲା, ବରଂ ସାମାଜିକ ଜାତିବ୍ୟବସ୍ଥା ଉପରେ କୁଠାରଘାତ କରିପାରିଥିଲା ।
ଓଡ଼ିଆ ପୁରାଣସାହିତ୍ୟର ଅନ୍ୟ ଦୁଇ ଅନନ୍ୟ କୃତି ବଳରାମଙ୍କ ‘ଦାଣ୍ଡୀରାମାୟଣ’, ଜଗନ୍ନାଥଙ୍କ ‘ଭାଗବତ’ । ୧୫୬୮ରୁ ୧୯୬୮( ଜମିଦାରୀ ପ୍ରଥା ଲୋପ ହେବା ପର୍ଯ୍ୟନ୍ତ) ପରାଧୀନତାର ଦୀର୍ଘ ୪୦୦ବର୍ଷ ଧରି ବିଧର୍ମୀଙ୍କ କବଳରୁ ଜଗନ୍ନାଥମନ୍ଦିରକୁ ସୁରକ୍ଷିତ ରଖିବାପାଇଁ ବିଭିନ୍ନ ଜାଗତିକ ପ୍ରତିବନ୍ଧକ ସୃଷ୍ଟିହେବା ଫଳରେ ଜଗନ୍ନାଥୈକ ଚେତନା ସଂକୁଚିତ ହୋଇଗଲା । ଓଡ଼ିଆତ୍ୱ ରକ୍ଷାପାଇଁ ଜଗାବଳିଆ କଳାଧଳା ଘୋଡ଼ାରେ ବସି ଯବନ, ପଠାଣ, ଫିରିଙ୍ଗି ବିରୁଦ୍ଧରେ ଲଢ଼ିବା ବଳରେ କଳ୍କୀ ଅବତାର ଧାରଣ କରି ବାରହାତ ଖଣ୍ଡା ବୁଲାଇ ମ୍ଳେଚ୍ଛ ସଂହାର କରିବେ ବୋଲି ସାଧାରଣ ଜନତାଙ୍କୁ ବୁଝାଇ ଦିଆଗଲା । ତେଣୁ ନିଜ ଆରାଧ୍ୟ ଦେବତା ସହ ସିଧାସଳଖ ଭାବ ନ ବଢ଼ିବାରୁ ମ୍ରିୟମାଣ ଓଡ଼ିଆଜାତିର ଏକତାଗଣ୍ଠି ଧୀରେଧୀରେ ହୁଗୁଳା ହେବାରେ ଲାଗିଲା । ଜଗନ୍ନାଥୈକ ଚେତନା ଏଭଳି ଭାବରେ ସଂକୁଚିତ ହେବାବେଳେ ଯୁବକ ଜଗନ୍ନାଥ ଦାସଙ୍କ ଆବିର୍ଭାବ ଓ ସାଧାରଣ ଜନତାଙ୍କ ଭାଷାରେ ଅଥଚ ଓଡ଼ିଆ ସଂସ୍କୃତିକୁ ଆଧାର କରି ବୁଝାଇବା ଭଳି ଢଙ୍ଗରେ ଭାଗବତ ଗ୍ରନ୍ଥ ରଚନା କଲେ । ଫଳରେ ଧର୍ମପ୍ରାଣ ଓଡ଼ିଆଜାତିକୁ ଭାଗବତ ପୁଣିଥରେ ବାନ୍ଧି ରଖିପାରିବା ସହ ସମଗ୍ର ପୂର୍ବେ କ୍ଷତ୍ର (ବର୍ତ୍ତମାନର ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା ଓ ବଙ୍ଗଳାଦେଶ)ରେ ଆଧ୍ୟାତ୍ମିକ ଚେତନାର ନୂତନ ବାତାବରଣ ସୃଷ୍ଟି କରିଥିଲା । ଏହି ଭାଗବତ ଆଗଙ୍ଗା-ଗୋଦବାରୀ କ୍ଷେତ୍ରର ଓଡ଼ିଆ ଜନଜୀବନକୁ ଏଭଳି ଭାବରେ ପ୍ରଭାବିତ କରିଥିଲା ଯେ, ପିଲାର ଜନ୍ମଠାରୁ ପୌଢ଼ର ମୃତ୍ୟୁ ପର୍ଯ୍ୟନ୍ତ, ଗୃହପାଳିତ ପଶୁ ମୃତ୍ୟୁଠାରୁ ନ୍ୟାୟବିଚାର ପର୍ଯ୍ୟନ୍ତ, ସବୁଥିରେ ଭାଗବତପାଠ ଏକ ପରଂପରାରେ ପରିଣତ ହୋଇଗଲା । ଏପରିକି ଯୁବକ ଜଗନ୍ନାଥ ଦାସଙ୍କ ଭକ୍ତିଭାବନା ଓ କାବ୍ୟିକ ପ୍ରାଣରେ ବିଗଳିତ ଆସାମର ଭକ୍ତକବି ପୌଢ ଶଙ୍କରଦେବ କେବଳ ଅହମିୟା ଭାଷାରେ ଭାଗବତଗ୍ରନ୍ଥ ରଚନା କରି ନଥିଲେ, ବରଂ ଓଡ଼ିଶାର ଗାଁଗହଳିରେ ଆଧ୍ୟାତ୍ମିକକେନ୍ଦ୍ର ଭାବେ ଗଢ଼ି ଉଠିଥିବା ଭାଗବତଟୁଙ୍ଗୀ ଅନୁସରଣରେ ନାମଘର ସ୍ଥାପନ କରି ଅହମିୟା ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନୂଆରୂପ ଦେବା ସହ ସ୍ଥାୟିତ୍ୱ ପ୍ରଦାନ କରିଥିଲେ । ଯାହାର ଆରାଧ୍ୟ ଦେବତା ଭାବେ ଏବେ ବି ଓଡ଼ିଆ ଜାତୀୟଜୀବନର ପ୍ରତୀକ ପ୍ରଭୁ ଜଗନ୍ନାଥ ସ୍ଥାନ ପାଇ ପୂଜା ପାଉଛନ୍ତି । ଏହିଗ୍ରନ୍ଥର ମହନୀୟତା ଏଭଳି ଯେ, ୧୫୮ବର୍ଷ ପରେ ବଙ୍ଗଳାର ସନାତନ ଚକ୍ରବର୍ତ୍ତୀ ବଙ୍ଗଭାଷାରେ ଭାଗବତ ରଚନା କଲାବେଳେ ଶମସ୍କନ୍ଧ ରଚନା ବେଳକୁ ଭାବ ଓ ଭକ୍ତି ପ୍ରଦର୍ଶନପାଇଁ ଶବ୍ଦବିନ୍ୟାସରେ ନିଜର ଅକ୍ଷମତା ପ୍ରକାଶକରି ଜଗନ୍ନାଥ ଦାସଙ୍କ ଭାଗବତକୁ ଗ୍ରହଣ କରିନେଲେ ବୋଲି ସ୍ପଷ୍ଟ ସ୍ୱୀକାର କରିଛନ୍ତି
ଶୁନଶୁନ ଶ୍ରୋତାଗଣ କରି ନିବେଦନ । ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁ ଆପନ ।।
ଶମେର ଶେଷଖଣ୍ଡ ଭାଷା ନ ପାଇଲ । ଅନେକ ତ ପାଶି ଗ୍ରାମେଗ୍ରାମେ ବେଡାଇଲ ।।
ଏ ହେତେୁ ଉତ୍କଳଭାଷା କରିଲ ଲିଖନ । ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ ।।
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହଇୟା । ବଙ୍ଗଜ ଭାଷାୟ ଉତ୍କଳ ମିଶାଇୟା ।।
ଇଥେ ସାଧୁଜନ ମୋର ଦୋଷ ନ ଲାଇବେ । ଭାଗବତ ସାଧୁବାକ୍ୟ ଆନନ୍ଦେ ଶୁନିବେ ।।
ତେଣୁ ଓଡ଼ିଆସାହିତ୍ୟର ଶ୍ରେଷ୍ଠକୃତି ମହାଭାରତ, ରାମାୟଣ, ଭାଗବତ- ଏହି ତିନୋଟି ଗ୍ରନ୍ଥର ତୁଳନାପାଇଁ ଭାରତର ଅନ୍ୟ କୌଣସିଭାଷାରେ ଗ୍ରନ୍ଥ ନାହିଁ ।
ଏହା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ରସ, ରୀତି, ଅଳଙ୍କାର, ଧ୍ୱନି, ଶବ୍ଦାର୍ଥ ଇତ୍ୟାିକୁ ବିଭିନ୍ନ ଢଙ୍ଗରେ ପରୀକ୍ଷାନିରୀକ୍ଷା କରି କବି ଉପେନ୍ଦ୍ର ଭଞ୍ଜ ଯେତେପ୍ରକାରର କାବ୍ୟକବିତା ସୃଷ୍ଟି କରିଯାଇଛନ୍ତି, ସେପରି ବୈଚିତ୍ର୍ୟ ସଂସ୍କୃତ, ମୈଥିଳୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳେନାହିଁ । କବିଙ୍କ ସୃଜନକଳାର ଝଲକ ନିମ୍ନପଂକ୍ତିରୁ ଜଣାପଡେ । ଯଥା (୧) ଆସାର ସଘନ କାଳ ହେଲା ଉଦୟ ।/ ଅସିତ ପରବଳରୁ ଦରଶମୟ ।। (ତିନୋଟି ଋତୁର ବର୍ଣ୍ଣନା)
(୨) ଅ-ହିମକର ତାପ ନାଶେ ଶୋଭା ସାରସ ଚକ୍ର ।
ଅହି-ମକର-ତାପ ନାଶେ ଶୋଭା ସାରସ ଚକ୍ରେ ।।
(୩) ହ ର ସ ର ର ସ ର ହ । ର ତ ର ସ ସ ର ତ ର ।।
ଶ ର ଧ ର ର ଧ ର ସ । ର ସ ର ସ ସ ର ସ ର ।।
(୪) ଦର୍ରର୍ଚର୍ୟ ହର ଧୀର ପ୍ରଶଂସାର
++++++++++++
ସାର୍ରଆୟକର ଏ ସଂସାର ।।
(ଏହିପରେ ୩ଟି ଅଳଙ୍କାର-ଗୋମୂତ୍ର, ଶୃଙ୍ଖଳା ଓ ପ୍ରାନ୍ତଯମକର ପ୍ରୟୋଗ ହୋଇଛି ।)
କବି ଉପେନ୍ଦ୍ରଙ୍କ ଆଉ ଏକ କାବ୍ୟିକ ବିଶେଷତ୍ତ୍ୱ ହେଲା- “ବୈଦେହୀଶ ବିଳାସ” କାବ୍ୟ ପୃଥିବୀର ଅନ୍ୟ କୌଣସିଭାଷାକୁ ଅନୁବାଦ ହୋଇପାରିବନାହିଁ । କାରଣ ଏହି କାବ୍ୟର କେତେକ ପଦ ଅନେକ ଅର୍ଥ ପ୍ରକାଶ କରୁଥିବାରୁ ଏହାର ମୂଳଭାବକୁ ସୁରକ୍ଷିତ ରଖି ଅନୁବାଦ କରିବା କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ । ଏହାର କାରଣ ଓଡିଆଭାଷାରେ ଗୋଟିଏ ଶବ୍ଦର ଯେପରି ଅନେକ ପ୍ରତିଶବ୍ଦ ରହିଛି, ସେହିଭଳି ଅନ୍ୟ କୌଣସି ଭାଷାରେ ନାହିଁଁ । ଆମ ଆଧୁନିକ ପଣ୍ଡିତମାନଙ୍କ ଆଦର୍ଶଭାଷା ଇଂରାଜୀରେ ଏହିଭଳି ଶବ୍ଦ ଆଦୌନାହିଁଁ । ସେହିଭଳି ଭାବେ ଓଡ଼ିଆ ଲୌକିକ ସାହିତ୍ୟ, ନିର୍ଗୁଣ ସାହିତ୍ୟ ଅନ୍ୟ ଭାରତୀୟ ସାହିତ୍ୟଠାରୁ ଯଥେଷ୍ଟ ଉତ୍କୃଷ୍ଟ । ଆଧୁନିକ ଓଡ଼ିଆସାହିତ୍ୟ ମଧ୍ୟ ଏହି କୃତିତ୍ୱରୁ ବାଦ ନୁହେଁ । ଆଜି ଓଡ଼ିଆ ସାହିତ୍ୟ ନିଜର ସ୍ୱକୀୟତା ଯୋଗୁଁ ବିଶ୍ୱସାହିତ୍ୟର ସମକକ୍ଷ ହୋଇପାରିଛି । ତେଣୁ ଓଡ଼ିଆଜାତି ଭାଷା ଓ ଜାତୀୟତା ଯେ ଅତୀତରେ ସୁସମୃଦ୍ଧ, ସୁସଂସ୍କୃତ ତଥା ବିଜ୍ଞ ଥିଲେ, ତାହା ଏହିସବୁ କୃତିରୁ ଜଣାପଡେ। ସଂକ୍ଷେପରେ କହିଲେ ଓଡ଼ିଆଭାଷାର ଉତ୍କର୍ଷ ରହିଛି ତା’ର ସାହିତ୍ୟରେ । ଓଡ଼ିଆ ଶବ୍ଦଭଣ୍ଡାର ରକ୍ଷଣଶୀଳ ନୁହେଁ । ଏହାର ଅସାମାନ୍ୟ ଗ୍ରହଣଶକ୍ତି ରହିଛି । ଫଳରେ ବିଭିନ୍ନ ଦେଶୀବିଦେଶୀ ଶବ୍ଦରେ ଓଡ଼ିଆ ଶବ୍ଦଭଣ୍ଡାର ସମୃଦ୍ଧ । ଏଥିରେ ସଂସ୍କୃତର ପ୍ରଭାବ ଯେତିକି, ଆଦିବାସୀ ପ୍ରଭାବ ମଧ୍ୟ ସେତିକି । ଭାଷାବିତ୍ଗଣ କୁହନ୍ତି ଆହରଣ ଫଳରେ ଭାଷା ସମୃଦ୍ଧ ହୁଏ । ତାହା ଏଠାରେ ଘଟଛି । ବିଶ୍ୱର ସର୍ବାଧିକ ଶବ୍ଦ ଇଂରାଜୀଭାଷାରେ ଅଛି । ଏହାର ମୋଟ୍ ୧୦ଲକ୍ଷ ଶବ୍ଦ ମଧ୍ୟରୁ ମାତ୍ର ୨ଲକ୍ଷ ମୂଳଶବ୍ଦ ଥିବାବେଳେ ଅନ୍ୟ ଭାଷାରୁ ପ୍ରାୟ ୮ ଲକ୍ଷ ଶବ୍ଦ ଗ୍ରହଣ କରିଛି ଔପନିବେଶିକ ଶାସନାଧିକାର ଯୋଗୁଁ । ତେବେ ଜଣେବ୍ୟକ୍ତି ମାତ୍ର ୧ ହଜାର ଶବ୍ଦ ଶିଖିଲେ ଇଂରାଜୀଭାଷା କଥିତ ବିଶ୍ୱର ଯେ କୌଣସି ଅଞ୍ଚଳରେ ନିଜ ଭାବ ବିନିମୟ କରିପାରିବ । ଏ କ୍ଷେତ୍ରରେ ଓଡ଼ିଆଭାଷା ଇଂରାଜୀଭାଷାଠାରୁ ପାଦେ ଆଗରେ ଅଛି । କାରଣ ୧୯୪୦ରେ ପ୍ରକାଶିତ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଶବ୍ଦସଂଖ୍ୟା ୧ ଲକ୍ଷ ୮୫ ହଜାର, ଯାହା ଉପକୂଳ ଓଡ଼ିଶା ଅନ୍ତର୍ଭୁକ୍ତ କେତେକ ଅଞ୍ଚଳର କଥିତଭାଷାରୁ ସଂଗୃହୀତ। ଏଥିରେ ଗ୍ରୀୟରର୍ସନଙ୍କ ଦ୍ୱାରା ଲିଙ୍ଗୁଇଷ୍ଟିକ୍ ସର୍ଭେ ଅଫ୍ ଇଣ୍ଡିଆ ପୁସ୍ତକର ପଞ୍ଚମଖଣ୍ଡ ଦ୍ୱିତୀୟଭାଗ ପୃ.୩୪୭-୩୭୪ରେ ଚିହ୍ନିତ କରିଥିବା ଓଡ଼ଆ ଅଞ୍ଚଳର କଥିତ ଶବ୍ଦସମୂହକୁ ଯଦି ଲିପିବଦ୍ଧ କରିଥାନ୍ତେ, ତେବେ ଏହା ଅତିକମ୍ରେ ୪ ଲକ୍ଷ ହୋଇଥାନ୍ତା । ପୁନଃ ଆଗଙ୍ଗା-ଗୋଦାବରୀ-ନର୍ମଦା-କଳିଙ୍ଗସାଗର ମଧ୍ୟସ୍ଥ ଓଡ଼ିଆ ଭୂଖଣ୍ଡର କଥିତ ଶବ୍ଦାବଳୀ ସହିତ ଅଶୋକଙ୍କ ଅଭିଲେଖଠାରୁ ବର୍ତ୍ତମାନର ସାହିତ୍ୟରେ ବ୍ୟବହୃତ ଶବ୍ଦପୁଞ୍ଜକୁ ଏ ସବୁରେ ମିଶିଯାଆନ୍ତା, ତେବେ ଓଡ଼ିଆ ଶବ୍ଦ ସଂଖ୍ୟା ୧୦ ଲକ୍ଷ ଅଚିରେ ଅତିକ୍ରମ କରିଯାଆନ୍ତା । ପୁଣି ଏହିସବୁ ଶବ୍ଦଗୁଡ଼ିକ ଇଂରାଜୀ ଭଳି କୌଣସି ଭାଷାରୁ ଆହରିତ ନୁହେଁ, ବରଂ ଗୋଟିଏ ଗୋଟିଏ ମୌଳିକ ଓଡ଼ିଆ ଶବ୍ଦ । ଏଥିସହିତ ଓଡ଼ିଆ ଲିପି ଓ ଭାଷା ଏତେ ନମନୀୟ ଓ ବୈଜ୍ଞାନିକ ପଦ୍ଧତିଯୁକ୍ତ ଯେ, ୪୦ଟି ପ୍ରମୁଖ ଓଡ଼ିଆ ଅକ୍ଷର ଶିଖିବାପାଇଁ ଠ, , । – ଏହି ୩ ମାତ୍ରା ଏବଂ କେତେକ ବ୍ୟବହାରିକ ବସ୍ତୁର ନାମକୁ ଛାଡ଼ି ମାତ୍ର ୧୦୦ଟି ଶବ୍ଦ ଶିକ୍ଷାକରି ପୃଥିବୀର ଯେ କୌଣସି ବ୍ୟକ୍ତି ଓଡ଼ିଆଭାଷାରେ କଥା ହୋଇପାରିବ, ଓଡ଼ିଆ ମଧ୍ୟ ବୁଝିପାରିବ। (୪)ପରିବର୍ତ୍ତର ଛାପ ମଧ୍ୟରେ ଅପରିବର୍ତ୍ତନୀୟତାର ଛାପ ଓଡ଼ିଆ ଭାଷାର ସୁଦୀର୍ଘ ଏବଂ ବଳିଷ୍ଠ ଇତିହାସ ରହିଛି । ଏହି ଇତିହାସର ଚେର ପ୍ରାୟ ୨୦,୦୦୦ବର୍ଷ ତଳର ବୋଲି ବିକ୍ରମଖୋଲ, ଗୁଡ଼ହାଣ୍ଡି, ଯୋଗୀମଠ ଇତ୍ୟାଦି ପାହାଡ଼ଗୁମ୍ଫାର ଚିତ୍ରଲିପିରୁ ଜଣାଯାଏ । ବର୍ତ୍ତମାନର ଓଡ଼ିଆ ଶବ୍ଦ ଓ ବ୍ୟାକରଣ ବୈିଦିକ ସଂସ୍କୃତ, ଲାଟିନ୍ ଏବଂ ଗ୍ରୀକ୍ ଭାଷାର ଶବ୍ଦ ଓ ବ୍ୟାକରଣ ସହ ସାଦୃଶ୍ୟ ରଖିବା, କାତ୍ୟାୟନଙ୍କ ‘ବା•ିର୍କ’ ଗ୍ରନ୍ଥରେ ଉାହରଣରୂପେ ବହୁ ଓଡ଼ିଆଶବ୍ଦର ବ୍ୟବହାର, ଅଶୋକଙ୍କ ଅଭିଲେଖ ସଂପୂର୍ଣ୍ଣ ରୂପେ କଳିଙ୍ଗବାସୀଙ୍କ ବୁଝିବାପାଇଁ କଥିତଭାଷାରେ ଲେଖାଯିବା, ପାଲିଭାଷାର ଏକମାତ୍ର ଅଭିଲେଖ କଳିଙ୍ଗ ମାଟିରେ ମିଳିବା, କଳିଙ୍ଗର ପ୍ରାଚୀନ ଉପନିବେଶ ତଥା ବାଣିଜ୍ୟିକ ସହଯୋଗୀ ଥିବା ସିଂହଳରୁ ପାଲିଗ୍ରନ୍ଥ ଏବଂ ଅଭିଲେଖ ମିଳିବା ଇତ୍ୟାଦି ଏହି ଭାଷା ଓ ଜାତୀୟତା ଭାଷାର ପ୍ରାଚୀନତା, ସ୍ଥାୟୀତ୍ୱ ଏବଂ କ୍ରମବିକଶିତ ଅବସ୍ଥାକୁ ସୂଚିତ କରେ । ଭାରତର ଏକମାତ୍ର ଭାଷାଭାବେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଖୋଦିତ ଅଭିଲେଖମାନଙ୍କରେ ଓଡ଼ିଆଲିପିର କ୍ରମବିକଶିତ ସ୍ଥିତି ଦେଖିବାକୁ ମିଳିଥାଏ ଓ ଏହି ଭାଷା ଯେଭଳି ଉଚ୍ଚାରିତ ହୁଏ, ସେହିଭଳି ଲିଖିତରୂପ ନିଏ । ଏହାର ପ୍ରୟୋଗବିଧି ମଧ୍ୟ ବୈିଦିକ ସଂସ୍କୃତଭଳି ବିଜ୍ଞାନସମ୍ମତ । ଏହାକୁ ଲକ୍ଷ୍ୟକରି ଭାରତର ପ୍ରଥମକରି ଭାଷା ସର୍ବେକ୍ଷଣ କରିଥିବା ପୃଥିବୀ ବିଖ୍ୟାତ ଭାଷାବିଜ୍ଞାନୀ ଜନ୍ ଗ୍ରୀୟର୍ସନ ଏବଂ ବୈିଦିକ ଓ ବର୍ତ୍ତମାନ ସଂସ୍କୃତଭାଷାର ବିଶିଷ୍ଟ ପାଶ୍ଚାତ୍ୟ ବିଦ୍ୱାନ ଏଲ୍.ଏସ୍.ଏସ୍. ଓମା’ଲୀ ଓଡ଼ିଆଭାଷାର କାଳ ନିରୂପଣ କରି ପ୍ରାଚୀନ ବୈିଦିକ ସଂସ୍କୃତ ସମକାଳୀନ ବୋଲି ଉଲ୍ଲେଖ କରିଛନ୍ତି । ତେବେ କୁଷାଣ ଶାସନକାଳରୁ ରାଜଭାଷାର ମାନ୍ୟତା ପାଇଥିବା ସଂସ୍କୃତ ଗୁପ୍ତକାଳରେ ନିଜର ସାହିତ୍ୟିକ ଭୂୟୋବିକାଶ ଘଟାଇ ଅନ୍ୟ ଭାଷାକୁ ପ୍ରଭାବିତ କରିପାରିଥିବାବେେଳେ ସମତାଳରେ ଓଡ଼ିଆଭାଷା ଓଡ଼ିଶାମାଟିରେ ଅସହାୟ ମଣିଷପରି ନୀରବରେ ସାଧାରଣ ଜନମାନସ ମଧ୍ୟରେ ଲୋକକଥା, ଲୋକଗୀତ, ଲୋକନାଟକ ଦେଇ ନିଜର କାୟା ବିସ୍ତାର କରିଚାଲିଛି ଦୀର୍ଘ ଦୁଇହଜାର ବର୍ଷଧରି । ଏପରିକି ଧାର୍ମିକକ୍ଷେତ୍ରରେ ସଂସ୍କୃତ ଭାଷା ଓ ସଂସ୍କୃତ ପଣ୍ଡିତଙ୍କ ଦୌରାତ୍ମ୍ୟରୁ ରକ୍ଷାପାଇବାପାଇଁ ନିଜସ୍ୱ ପୁରାଣ, ପୂଜାପଦ୍ଧତି ସୃଷ୍ଟିକରି ଓଡ଼ିଆ ଜାତୀୟଜୀବନକୁ ଆହୁରି ମାର୍ଜିତ ଓ ସ୍ୱାଭିମାନୀ କରିପାରିଛି ।
ତେଣୁ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାପାଇଁ ନିର୍ଦ୍ଧାରିତ ସମସ୍ତ ଯୋଗ୍ୟତା ଓଡ଼ିଆଭାଷାର ଅଛି । ଏପରିକି ସଂସ୍କୃତଠାରୁ ପ୍ରାଚୀନ ବୋଲି ଦାବି କରୁଥିବା ତାମିଲ ଭାଷାପାଇଁ ସେଭଳି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ, ଯାହା ଓଡ଼ିଆ ଭାଷାପାଇଁ ଅଛି । ଓଡ଼ିଶାରେ ୫ ହଜାରବର୍ଷ ତଳର ଲିପି ସହିତ ଅଶୋକ, ଖାରବେଳ, ଶତ୍ରୁଭଞ୍ଜ ଆଦି ଓଡ଼ିଆବୀରଙ୍କ ଅଭିଲେଖ ଏବଂ ମେଘାସ୍ଥିନିସ୍ଠାରୁ ଆଲବେରୁଣୀ ପର୍ଯ୍ୟନ୍ତ ବହୁ ବିଦେଶୀପଣ୍ଡିତ କଳିଙ୍ଗକଥା ବର୍ଣ୍ଣନା କରିବାରେ ଅକୁଣ୍ଠିତ ମନୋଭାବ ହିଁ ଓଡ଼ିଆ ଜାତି, ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାଚୀନତାକୁ ପ୍ରମାଣ କରିଥାଏ । ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ, ସଂସ୍କୃତି ସର୍ବଦା ବିଶ୍ୱସମୁଦାୟକୁ ଆକୃଷ୍ଟ କରିଆସିଛି । ଓଡ଼ିଶାର ଅତୀତ ଗୌରବ ଆଜିର ଓଡ଼ିଆଠାରେ ଲୁକ୍କାୟିତ ଥିବାବେଳେ ବର୍ମା, ସିଂହଳ, ମାଳୟ, ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, କାମ୍ବୋଡିଆ, ଭିଏତ୍ନାମ ଆଦି ଦେଶ; ଏପରିକି ରୋମ୍ର ଅଧିବାସୀ ନିକଟରେ ଅଜଣା ନୁହେଁ । କାରଣ କଳିଙ୍ଗର ଇତିହାସ ସହିତ ଏହିସବୁ ରାଷ୍ଟ୍ରର ଇତିହାସ ଜଡ଼ିତ । ଯେପରି ଏବେ ଇଂରେଜଜାତିର ଇତିହାସ ବିଶ୍ୱର ସବୁଜାତିର ଇତିହାସ ସହ ଜଡ଼ିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଜାତି ଓ ଭାଷାର ପ୍ରାଚୀନତାକୁ ସ୍ୱୀକାର କରି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାଦ୍ୱାରା ଓଡ଼ିଆଭାଷାର ଗୌରବ ବୃଦ୍ଧିହେବା ଅପେକ୍ଷା ପ୍ରଦାନକାରୀ ସଂସ୍ଥାର ନିରପେକ୍ଷ କାର୍ଯ୍ୟଧାରା ପ୍ରତି ସମଗ୍ର ଭାରତୀୟଙ୍କଠାରେ ବିଶ୍ୱାସନୀୟତା ବୃଦ୍ଧି ପାଇବା ସହ ସୁଦୃଢ଼ ଆସ୍ଥା ସ୍ଥାପନ ହେବ ।