ଯେଉଁ ମହାପୁରୁଷମାନେ ଆସାମୀ ଭାଷା ଓ ସଂସ୍କୃତିକୁ ଉନ୍ନତ କରିଥିଲେ, ସେମାନଙ୍କ ମଧ୍ୟରେ ଶଙ୍କର ଦେବ ପ୍ରଧାନ । କରଣ ବଂଶରେ ଜନ୍ମ ଗ୍ରହଣ କରି ସେ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । କଳା, ସଂଗୀତ, ନୃତ୍ୟ ନାଟ୍ୟାଭିନୟ,ଚିତ୍ରାଙ୍କନ ଆଦି ବିଭିନ୍ନ ଦିଗରେ ତାଙ୍କର ଦକ୍ଷତା ଥିଲା । ତାଙ୍କର ବ୍ୟକ୍ତିତ୍ତ୍ୱ ବହୁ ଦିଗରେ ଫୁଟି ଉଠିଥିଲା ।
ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ଚାହିଁଥିଲେ ଯେଉଁଥିରେ ସେ ନିଜର ସବୁ ଦକ୍ଷତାର ବ୍ୟବହାର କରିପାରିଥିଲେ । ଏହା ଖୁବ୍ ସରଳ, ସାବଲୀଳ ଓ ସଙ୍ଗୀତଧର୍ମୀ ହୋଇଥିଲା । ତାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରିଥିଲେ । ସେମାନେ ଏଥିରୁ ଶାନ୍ତି ଓ ସନ୍ତୋଷ ଲାଭ କରିପାରିଥିଲେ । ସବୁ ଧର୍ମକୁ ମିଳାଇ ସେ ଏହା କରିବାକୁ ଚେଷ୍ଟା କରିଥିଲେ । ଭାଗବତ ଓ ଗୀତାର ବର୍ଣ୍ଣନା କରାଯାଇଥିବା ବିଷ୍ଣୁଧର୍ମ ବା ବୈଷ୍ଣବ ଧର୍ମ ସେ ପ୍ରଚାର କରିଥିଲେ । ଏହି ଧର୍ମରେ ଉଚ୍ଚନୀଚ, ଧନୀଗରିବ ବା ଶିକ୍ଷିତ ଓ ଅଶିକ୍ଷିତର ଭେଦଭାବ ନ ଥିଲା । ସେ ଇଶ୍ୱରଙ୍କ କିର୍ତ୍ତୀଗାନ କରିଥିଲେ । ତାଙ୍କୁ ସୁମରଣା କରି, ତାଙ୍କର ନାମ ଗାଇ ଯେ କୌଣସି ଲୋକ ଭକ୍ତ ହୋଇପାରିଥିଲେ । ସଂସାର ଜଞ୍ଜାଳରୁ ଉଦ୍ଧାର ପାଇ ପାରିଥିଲେ । ଏଥିପାଇଁ ସନ୍ନ୍ୟାସୀ ହେବା ଓ କଷ୍ଟରେ ଜୀବନ ଯାପନ କରିବାର ଆବଶ୍ୟକତା ନାହିଁ ବୋଲି ସେ କହୁଥିଲେ ।
ଶଙ୍କର ଦେବଙ୍କର ପ୍ରଚାରିତ ଧର୍ମ ଧାରଣାର ପ୍ରଚାର ପାଇଁ ତାଙ୍କର ପ୍ରିୟ ଶିଷ୍ୟମାନେ ଲାଗିପଡ଼ିଥିଲେ । ସେମାନଙ୍କ ମଧ୍ୟରେ ମାଧବ ଦେବ ଖୁବ୍ ଜଣାଶୁଣା । ସେ ରାମାୟଣ, ମହାଭାରତ ଓ ଭାଗବତ ପୁରାଣ ଆସାମୀ ଭାଷାରେ ଅନୁବାଦ କରିଥିଲେ । ଅବଶ୍ୟ ତାହା ଆକ୍ଷରିକ ଅନୁବାଦ ହୋଇ ନ ଥିଲା । ଆସାମର ସାମାଜିକ ଅବସ୍ଥାକୁ ଚାହିଁ ସେ ସେଥିରେ କେତେକ ପରିବର୍ତ୍ତନ କରିଥିଲେ । ଆନେକ ପୌରାଣିକ ଘଟଣାକୁ ମଧ୍ୟ ସେ ଆସାମୀ ଭାଷାରେ ରଚନା କରିଥିଲେ ।
ଏଗୁଡ଼ିକ ଗୀତରେ ଲେଖା ହୋଇଥିବାରୁ ଯେଉଁମାନେ ପଢ଼ିପାରୁଥିଲେ ସେମାନେ ଆନନ୍ଦ ଅନୁଭବ କରୁଥିଲେ । ସେ ସବୁକୁ ବଡ଼ ପାଟିରେ ପାଠ କରି ନିରକ୍ଷରମାନଙ୍କୁ ଶୁଣାଇ ଆନନ୍ଦ ପାଉଥିଲେ । ଏଥିରେ ସେମାନଙ୍କର ସନ୍ତୋଷ ରହିଥିଲା । ଆଗରୁ ଚଳୁଥିବା ରାଗ ଓ ତାନରେ ସେ ଗୀତି, କବିତାମାନ ଲେଖିଥିଲେ । ସେ ସମୂହ ପ୍ରାର୍ଥନା ଓ ସଂକୀର୍ତ୍ତନରେ ସେ ସବୁ ଗାନ କରିବାର ବ୍ୟବସ୍ଥା କରିଥିଲେ । ପୌରାଣିକ କଥାଗୁଡ଼ିକୁ ନାଟକ ରୂପ ଦେଇଥିଲେ । ସେ ଅଭିନୟ ମଧ୍ୟରେ ଧର୍ମଶିକ୍ଷା ଦେଉଥିଲେ ।
ଶଙ୍କର ଦେବ ‘ନାମଘର‘ ଗାଁ ଗଣ୍ଡାରେ ବସାଇଥିଲେ । ସେଠାରେ ପ୍ରତିଦିନ ଲୋକମାନେ ସମବେତ ହେଉଥିଲେ । ପୁରାଣ ପାଠ, ସଂକୀର୍ତ୍ତନ, ଧର୍ମ ଆଲୋଚନା ଆଦି ହେଉଥିଲା । ସେହି ନାମଘରେ ମଧ୍ୟ ମଧ୍ୟ ସମାଜ ଓ ଧର୍ମର ସମସ୍ୟାମାନ ଆଲୋଚନା କରାଯାଉଥିଲା । ତାଙ୍କର ପ୍ରିୟ ଶିଷ୍ୟ ମାଧବ ଦେବଙ୍କ ପରେ ଦାମୋଦର ଦେବ, ବଂଶୀଗୋପାଳ ଦେବ ଆଦି ରାଜାମାନଙ୍କର ସାହାଯ୍ୟ ପାଇଥିଲେ । ଏହା ଫଳରେ ବୈଷ୍ଣବ ଧର୍ମର ପ୍ରଚାର ହୋଇଥିଲା । ସତ୍ତା ନାମକ ଏକ ଅନୁଷ୍ଠାନ ମଧ୍ୟ ଏହି ‘ଦେବମାନଙ୍କ‘ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ଧର୍ମର ବିଚାର ଓ ପ୍ରଚାର ଘଟାଇଥିଲା । ‘ପାଇକ‘ ପ୍ରଥାର ପ୍ରଚଳନ ଘଟି ଯୁଦ୍ଧ ଓ ଶାନ୍ତି ସମୟରେ ଲୋକବଳର ବ୍ୟବହାର କରାଯାଉଥିଲା ।
ଏହି ନୂତନ ବୈଷ୍ଣବ ଧର୍ମ ପ୍ରଚାରରେ ବହୁବାଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବ୍ରାହ୍ମଣମାନେ ପୁରୁଣା ଧର୍ମରେ ଆଗ୍ରହୀ ହୋଇ ଶଙ୍କର ଦେବଙ୍କ ନୂତନ ଧର୍ମ ଧାରଣାର ବିରୋଧ କରୁଥିଲେ । ସମୟ ସମୟରେ ରାଜା ଓ ଧନୀକ ଶ୍ରେଣୀ ମଧ୍ୟ ନିଜର ଗୌରବରେ ଆଞ୍ଚ ଆସିବା ଭୟରେ ଏହି ଧର୍ମର ପ୍ରତିରୋଧ କରିଥିଲେ । ସେଥିଯୋଗୁ ଶଙ୍କର ଦେବ ଆସାମର ପୂର୍ବାଞ୍ଚଳରେ ଥିବା ନିଜର ଜନ୍ମସ୍ଥାନରୁ ଚାଲିଯାଇଥିଲେ । ପଶ୍ଚିମାଞ୍ଚଳରେ ଥିବା ବରପେଟା ପାଖ ପାଟବାଉଁଶୀରେ ବାସ କରିଥିଲେ । ପୁଣି ସେଠାରୁ ସେ କୁଚ ବିହାରରେ ଶେଷ ଜୀବନ ଯାପନ କରିଥିଲେ । ଏଠାରେ ସେ କୋଚବଂଶୀୟ ରାଜା ନରନାରାୟଣଙ୍କ ଦରବାରରେ ନିଜର ଭକ୍ତି, ପାଣ୍ଡିତ୍ୟ, କବିତ୍ତ୍ୱ, ସଂଗୀତ ପ୍ରେମ ଇତ୍ୟାଦି ବହୁ ସଦ୍ଗୁଣର ପରିଚୟ ଦେଇଥିଲେ । ସେଥିରେ ସମସ୍ତେ ସନ୍ତୁଷ୍ଟ ହୋଇପାରିଥିଲେ ।