(ରାଗ: ଶଙ୍କରାଭରଣ)
(ମତାନ୍ତରରେ ମୋହନା)
ଷଟପଦନୀଳକେଶା ଆଗୋ ଚାହଁ ଚାହଁ,
ସର୍ବଂସହାରେ ଖେଳୁଛି ନବ ବାରିବାହ,
ସମୀପରେ ତାର ରହି,
ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ ।୧।
ସଜ ହୋଇ ସ୍ମରସରଦାର ଅବା ଆସେ,
ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ,
ସାରିଦେବି ପରା ଆଜ,
ସରୋଜସୁନ୍ଦରନେତ୍ରା ଜନ ମନ ଲାଜ ।୨।
ସୁରେଶ୍ୱର ରତନ କି ହେବାରୁ ଜଙ୍ଗମ,
ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ,
ସ୍ବର୍ଣ୍ଣବର୍ଣ୍ଣାଏ ଏଣିକି,
ସମ୍ପାଦିବେ ମୂର୍ତ୍ତିମନ୍ତ ରତନଶ୍ରେଣୀକି ।୩।
ସଞ୍ଚରଣଶୀଳ ନବ ତମାଳ ଭୂରୁହ,
ସଙ୍ଗେ ଘେନି ଆସୁଅଛି ସଖା–ଶାଖିବ୍ୟୁହ,
ଶୁକ ଶାରୀ ପରଭୃତ,
ଶାଖାମାନଙ୍କରେ କରୁ ଅଛନ୍ତି ସଙ୍ଗୀତ ।୪।
ସୁରଧୁନୀ ତୀରେ କରିଥିବା ଯେବେ ତପ,
ସଙ୍ଖାଳି କରି ଏ ତାପିଞ୍ଛର ଅନାତପ,
ସୁଖେ ବଞ୍ଚିବା ବସନ୍ତେ,
ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ ।୫।