ରଣଜିତ୍ ରାୟ ନାମକ ଜଣେ ଧନୀ ଜମିଦାର ଥିଲେ । ତାଙ୍କର କୌଣସି ସନ୍ତାନ ହେଉ ନ ଥିଲା । ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବହୁତ ଉପବାସ, ପୂଜା ପ୍ରାର୍ଥନା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବତୀ ତାଙ୍କର କନ୍ୟାରୂପେ ଜନ୍ମ ହେଲେ ।
କନ୍ୟାଟିକୁ ବାପ‘ମା ବହୁତ ସ୍ନେହ କରନ୍ତି । ଅଲିଅଳ କନ୍ୟାଟି ବାପକୁ ଛାଡ଼ି କୁଆଡେ଼ ଯାଏ ନାହିଁ । ବାପ ମଧ୍ୟ ଝିଅକୁ ସବୁବେଳେ ପାଖରେ ଦେଖିବାକୁ ଭଲ ପାଆନ୍ତି ।
ଦିନେ ରଣଜିତ୍ ରାୟ ତାଙ୍କର ସିରସ୍ତାରେ ଜମିଦାରୀ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଝିଅଟିର ପିଲାଳିଆ ସ୍ୱଭାବ । ସେ କାଗଜ ଉଠାଇ କଲମ ଉଠାଇ ଖେଳିବାରେ ବ୍ୟସ୍ତ । “ବାବା ଏଇଟା କଣ, ସେଇଟା କଣ” ଏହା କହି ବାପକୁ ଅସ୍ତବ୍ୟସ୍ତ କରି ପକାଉଥାଏ । ବାପ ବହୁତ ବୁଝାଇ ସୁଝାଇ ମିଠା ସ୍ୱରରେ କହିଲେ, “ମା, ମା‘ ପାଖକୁ ଯା । ଟିକିଏ ଖେଳି ବୁଲି ଆସିବୁ । ବର୍ତ୍ତମାନ ମୁଁ କାମରେ ବହୁତ ବ୍ୟସ୍ତ ଅଛି ।“
ଝିଅ ଶୁଣିବାକୁ ନାରାଜ । ସେ ଆଦୌ ଯିବାକୁ ରାଜି ନୁହେଁ । ବାପ ଟିକିଏ କାମରେ ଲାଗିଗଲେ ନଟ ଖଟ କରି ପଚାରେ, “ଏଇଟା କଣ, ସେଇଟା କଣ ?” ଶେଷରେ ବାପ ରାଗିଯାଇ ଅନ୍ୟମନସ୍କ ଭାବରେ କହି ପକାଇଲେ, “ଯା, ଦୂର ହ, ଏ ଘରକୁ ଆଉ ଆସିବୁ ନାହିଁ ।“
ସଙ୍ଗେ ସଙ୍ଗେ ଝିଅଟି ଘର ଛାଡ଼ି ପଳାଇଲା । ଗୋଟାଏ ଶଙ୍ଖାରି ରାସ୍ତାରେ ଯାଉଥିଲା । ତାକୁ ଡାକି ହାତରେ ଶଙ୍ଖା ପିନ୍ଧି କହିଲା, “ଯା ଜମିଦାରଙ୍କ ପାଖରୁ ଟଙ୍କା ନେଇଯିବୁ ।“
ତା‘ପରେ ସେ ସେଠାରୁ କୁଆଡେ଼ ଚାଲିଗଲା, ଆଉ ଦେଖାଗଲା ନାହିଁ । ଏଣେ ଶଙ୍ଖାରି ଜମିଦାରଙ୍କ ପାଖକୁ ଯାଇ କହିଲା, “ଗୋଟିଏ ଛୋଟ ଝିଅ ମୋତେ ଶଙ୍ଖା ମାଗିଲା । ଶଙ୍ଖା ପିନ୍ଧିସାରି କହିଲା, ଜମିଦାରଙ୍କଠାରୁ ଟଙ୍କା ନେଇଯିବୁ ।” ସେତେବେଳେ ଜମିଦାରଙ୍କର ହୋସ ଆସିଲା ଯେ ଝିଅ ପାଖରେ ନାହିଁ ।
ତାପରେ ଝିଅକୁ ଖୋଜିବାପାଇଁ ଚାରିଆଡେ଼ ହୁରି ପଡ଼ିଗଲା । ରଣଜିତ୍ ରାୟ ଚାରିଆଡେ଼ ଲୋକ ପଠାଇଲେ । ନିଜେ ବ୍ୟସ୍ତ ହୋଇ କାନ୍ଦୁଛନ୍ତି, ଏହି ସମୟରେ ଜଣେ ଲୋକ ଆସି କହିଲା, ପାଣି ଭିତରେ ମୁଁ କାହାର ହାତ ଦେଖିଲି । ରଣଜିତ୍ ରାୟ ଯାଇ ଦେଖିଲେ, ଗୋଟିଏ ଶଙ୍ଖାପିନ୍ଧା ହାତ ଉପରକୁ ଉଠୁଚି, ପୁଣି ବୁଡ଼ି ଯାଉଚି । କିଛି ସମୟପରେ ଆଉ କିଛି ଦେଖାଗଲା ନାହିଁ ।