ସରଳ ଭାବରେ ଭଗବାନଙ୍କୁ ଏକ ଲୟରେ ଡାକିଲେ ସେ ଦେଖା ଦିଅନ୍ତି । ଧ୍ରୁବ, ପ୍ରହ୍ଲାଦ ତାଙ୍କର ଦେଖା ପାଇଥିଲେ । ଜଟିଳ ବାଳକର ସହିତ ସେ ସବୁଦିନ ଆସି ଖେଳୁଥିଲେ । ଆମ ଦେଶର ଯେ କେତେ ସାଧୁ ସନ୍ଥ ଭଗବାନଙ୍କର ଦେଖା ପାଇଛନ୍ତି, ତାହା କୁହାଯାଇ ପାରିବ ନାହିଁ ।
ଗୋଟିଏ ଗ୍ରାମରେ ଜଣେ ବ୍ରାହ୍ମଣ ରହୁଥିଲେ । ବ୍ରାହ୍ମଣ ଭାରି ଗରିବ । ଗରିବ ହେଲେ ମଧ୍ୟ ସେ ଜଣେ ବଡ଼ ଭକ୍ତ ଥିଲେ । ଲୋକଙ୍କ ଘରକୁ ଯାଇ ସେ ଚଣ୍ଡୀ ପାଠ କରୁଥିଲେ । ସେଥିରେ ଏକପ୍ରକାର ଦିନ କଟି ଯାଉଥିଲା । ବ୍ରାହ୍ମଣଙ୍କର ଗୋଟିଏ ଝିଅ ଥିଲା । ତାର ନାମ ସର୍ବମଙ୍ଗଳା । ସର୍ବମଙ୍ଗଳା ରୂପରେ ଲକ୍ଷ୍ମୀ, ଗୁଣରେ ସରସ୍ୱତୀ । ତା’ ପରି ରୂପ, ଗୁଣରେ, କାମ ଦାମରେ, ସ୍ୱଭାବ ଚରିତ୍ରରେ, ରନ୍ଧାବଢ଼ାରେ କୋଟିକେ ଗୋଟିଏ ଝିଅ ମିଳିବା କଷ୍ଟକର ।
ଦିନେ ସେ ଅଞ୍ଚଳର ଜମିଦାର କୌଣସି ଏକ କାର୍ଯ୍ୟରେ ସେହି ଗ୍ରାମକୁ ଆସିଥିଲେ । ଝିଅଟି ତାଙ୍କ ଆଖିରେ ପଡ଼ିଲା । ତାକୁ ଦେଖି ତାଙ୍କୁ ଏପରି ଭଲ ଲାଗିଲା ଯେ ନିଜ ପୁଅ ସଙ୍ଗରେ ତାର ବିଭାଘର ପ୍ରସ୍ତାବ ସେ ବ୍ରାହ୍ମଣଙ୍କୁ ଦେଲେ । ଏପରି ପ୍ରସ୍ତାବରେ ବ୍ରାହ୍ମଣ କାହିଁକି ବା ମନା କରିବେ ? ବିଭାଘର ହୋଇଗଲା । ସର୍ବମଙ୍ଗଳା ଶଶୁର ଘରକୁ ଚାଲିଗଲା ।
ବ୍ରାହ୍ମଣ ଝିଅଟିକୁ ଭାରି ଭଲ ପାଉଥିଲେ । ଝିଅ ଶଶୁର ଘରକୁ ଚାଲିଯିବା ପରେ ତାଙ୍କ ମନରେ ବହୁତ କଷ୍ଟ ହେଲା । କିନ୍ତୁ କ’ଣ କରାଯିବ ! ବିଭାଘର ପରେ ଝିଅର ଯେ ପର ଘରକୁ ଯିବାର କଥା । ସର୍ବମଙ୍ଗଳା ପାଇଁ ବ୍ରାହ୍ମଣଙ୍କ ମନରେ ଯେତେ କଷ୍ଟ ହେଲା, ସେତିକି ସେ ପୂଜା ଓ ଚଣ୍ଡୀପାଠରେ ମନ ଦେଲେ । ବହୁ ଭାଗ୍ୟକୁ ଝିଅ ବଡ଼ ଘରେ ପଡ଼ିଛି ।
ଦେଖୁ ଦେଖୁ ଦୁର୍ଗା ପୂଜା ଆସି ପହଞ୍ଚିଲା । ବ୍ରାହ୍ମଣଙ୍କ ମନରେ ଭାରି ଇଚ୍ଛା ଯେ ସେ ମାଆର ପୂଜା କରିବେ । ସେ ତାଙ୍କ ସ୍ତ୍ରୀଙ୍କୁ ଏ କଥା କହିଲେ । ଏ କଥାରେ ସ୍ତ୍ରୀ ମଧ୍ୟ ଖୁବ୍ ଖୁସି ହେଲେ । କିନ୍ତୁ ସେମାନେ ବଡ଼ ଗରିବ । କ’ଣ ଦେଇ ସେମାନେ ମାଆର ପୂଜା କରିବେ ? ସେ ସ୍ୱାମୀଙ୍କୁ ଏ କଥା କହିଲେ । ବ୍ରାହ୍ମଣ ତାର ଉତ୍ତରରେ କହିଲେ, “କ’ଣ ହେଲା ? ମାଆ କ’ଣ କେବଳ ଧନୀମାନଙ୍କର, ଗରିବ ଲୋକେ ତା’ର କ’ଣ କେହି ନୁହନ୍ତି ? ନା, ତା କେବେ ହୋଇ ନ ପାରେ । ଆମ ଘରେ ଖୁଦ କୁଣ୍ଡା ଯାହା ଅଛି, ତାକୁ ଦେଇ ଆମେ ମାଆର ପାଦରେ ଦୁଇଟି ଫୁଲ ଚଢ଼ାଇବା ।”
ଏହା ଶୁଣି ବ୍ରାହ୍ମଣୀ କହିଲେ, “ତୁମର ଯେପରି ଇଚ୍ଛା, ସେପରି ପୂଜା ହେଉ ।”
ପୂଜା ଆଉ ଡେରି ନାହିଁ । ସ୍ୱାମୀ ସ୍ତ୍ରୀ ଦୁଇଜଣ ଅତି କଷ୍ଟରେ ବାରଟି ଟଙ୍କା ସଂଗ୍ରହ କରିଛନ୍ତି । ବ୍ରାହ୍ମଣ ଗୋଟିଏ ଅଧୁଲି ନେଇ କୁମ୍ଭାର ଘରେ ଯାଇ ପହଞ୍ଚିଲେ । କୁମ୍ଭାରକୁ କହିଲେ, “ବାପା, ଏ ଅଧୁଲିଟି ରଖ୍, ଆଉ ମୋତେ ମାଆର ଗୋଟିଏ ଛୋଟ ପ୍ରତିମା ଗଢ଼ି ଦେ ।”
କୁମ୍ଭାର କହିଲା, “ଗୋସେଇଁ ମାହାପୁରୁ, ଆପଣ କ’ଣ ବାଇଆ ହେଲେ ! ଦୁର୍ଗା ପୂଜା କରିବାପାଇଁ ଆପଣଙ୍କର ଅବସ୍ଥା କାହିଁ ? ଆଉ ଆଠ ଅଣା ପଇସାରେ କ’ଣ ପ୍ରତିମା ଗଢ଼ାଯାଏ ?”
ବ୍ରାହ୍ମଣ ଉତ୍ତର ଦେଲେ, “କାହିଁ ବାପା, ମାଆର ପାଦରେ ଦୁଇଟି ଫୁଲ ଚଢ଼ାଇବି, ସେଥିରେ ଅବସ୍ଥା ଅଣଅବସ୍ଥାର କ’ଣ ଦରକାର ? ଗୋଟିଏ ଆଠଣିରେ ଯେଡ଼ିକି ହେବ, ସେଡ଼ିକି ମୂର୍ତ୍ତିଟିଏ କରି ଦେ ନା !”
ବ୍ରାହ୍ମଣଙ୍କର ମନୋଭାବ ଦେଖି କୁମ୍ଭାର ମନରେ ଭକ୍ତି ହେଲା । ସେ କହିଲା, “ଆଚ୍ଛା, ମୁଁ ମୂର୍ତ୍ତିଟିଏ ଗଢ଼ିଦେବି, ଅଧୁଲି ଦରକାର ନାହିଁ । ମୁଁ ସେମିତି କରିଦେବି ।”
ବ୍ରାହ୍ମଣ କହିଲେ, “ନାହିଁ ବାପା, ତୋତେ ପଇସା ନେବାକୁ ହେବ ।” ଜୋର୍ କରି ସେହି ଅଧୁଲିଟି ଦେଇ ଚାଲିଆସିଲେ । ସର୍ବମଙ୍ଗଳା କଥା ବ୍ରାହ୍ମଣୀଙ୍କର ମନେ ପଡ଼ିଲା । ସେ କାନ୍ଦିଲେ । ବ୍ରାହ୍ମଣ କହିଲେ, “କାନ୍ଦି କି ଲାଭ ? ସେମାନେ ବଡ଼ ଲୋକ । ତାଙ୍କ ଘରେ କେତେ ବଡ଼ ପୂଜା ହେଉଥିବ, ସେ ପୁଣି ଘରର ଏକମାତ୍ର ବୋହୂ । ସେମାନେ କ’ଣ ତାକୁ ଆମ ଘରକୁ ପଠାଇବେ ?”
ବ୍ରାହ୍ମଣୀ ମନକୁ ବୁଝାଇବାକୁ ଚାହିଲେ । କିନ୍ତୁ ମାଆର ମନ କ’ଣ ସହଜରେ ବୁଝେ ? କୁମ୍ଭାର ଏକ ସୁନ୍ଦର ପ୍ରତିମା ଗଢ଼ିଦେଲା । ପୂଜାପାଇଁ ଆଉ ଗୋଟିଏ ଦିନ ବାକି । କିନ୍ତୁ ଗୋଟିଏ ବିପଦ ପଡ଼ିଗଲା । ବ୍ରାହ୍ମଣୀ ଅସୁସ୍ଥ ହୋଇପଡ଼ିଲେ । ଘରେ ପିଲାପିଲି କେହି ନାହାନ୍ତି । ବ୍ରାହ୍ମଣୀ କହିଲେ, “ଆହେ, ତୁମେ ଥରେ ହେଲେ ମୋ ସର୍ବମଙ୍ଗଳା ଘରକୁ ଟିକିଏ ଯାଅନା !” ବାଧ୍ୟ ହୋଇ ବ୍ରାହ୍ମଣଙ୍କୁ ଝିଅ ଘରକୁ ଯିବାକୁ ପଡ଼ିଲା । କିନ୍ତୁ ସେମାନେ ଝିଅକୁ ପଠାଇଲେ ନାହିଁ ।
ଦୁଃଖରେ ବ୍ରାହ୍ମଣ ଜମିଦାର ଘରଠାରୁ ଅଳ୍ପ ଦୂର ଫେରି ଆସିଛନ୍ତି କି ନାହିଁ, ଶୁଣିଲେ ପଛରୁ କିଏ ଯେପରି ତାଙ୍କୁ ଡାକୁଛି, “ବାପା, ବାପା, ମୁଁ ଆସୁଛି ଯେ, ମୋତେ ନେଇ ଯାଅ ।” କଥାଗୁଡ଼ାକ ଯେପରି ସର୍ବମଙ୍ଗଳାର । ଚମକି ପଡ଼ି ସେ ପଛକୁ ଚାହିଁଲା ବେଳକୁ ସତରେ ସର୍ବମଙ୍ଗଳା । ବ୍ରାହ୍ମଣ କହିଲେ, “ୟା କ’ଣ ସମ୍ଭବ ମାଆ ? ତୁ ଚାଲି ଆସିଲୁ ଯେ, ତୋ ଶାଶୂ କ’ଣ କହିବେ ?”
ସର୍ବମଙ୍ଗଳା କହିଲା, “ସେ କଥା ତୁମକୁ ଚିନ୍ତା କରିବାକୁ ପଡ଼ିବ ନାହିଁ, ବାପା । ମୁଁ ସବୁ ଠିକ୍ କରିଦେଇ ଆସିଛି ।”
ଝିଅକୁ ଦେଖି ମାଆର ଦେହ ବହୁତ ଭଲ ହୋଇଗଲା । ସର୍ବମଙ୍ଗଳାଯୋଗୁଁ ସାରା ଘର ଯେପରି ଆନନ୍ଦରେ ପୂରି ଉଠୁଛି । ଝିଅ ପୂର୍ବାପେକ୍ଷା ଆହୁରି ଉଜ୍ଜ୍ୱଳ ଓ ଆହୁରି ସୁନ୍ଦର ଦେଖାଯାଉଛି । ମାଆ ବାପା ଦେଖି ତାଙ୍କ ଛାତି ଫୁଲି ଉଠୁଛି । ଆହା, ଝିଅ ବଡ଼ଘରର ବୋହୂ ହୋଇଛି । ତଥାପି ଯେମିତି ଥିଲା ସେମିତି । କପାଳରେ ସିନ୍ଦୂର, ହାତରେ ଅକ୍ଷୟ ସୂତ୍ର ।
ପୂଜାର ଦି’ଦିନ ଅତି ସୁନ୍ଦର ଭାବରେ କଟିଗଲା । ତୃତୀୟ ଦିନ ସର୍ବମଙ୍ଗଳା ବାପାଙ୍କୁ ପଚାରିଲା, “ବାପା, ସାଇର ଲୋକଙ୍କୁ ଖାଇବାକୁ ଦେବାକୁ ହେବ ।” ବ୍ରାହ୍ମଣ ହସି ହସି କହିଲେ, “ଖାଇବାକୁ ତ ଦେବାକୁ ହେବ, କିନ୍ତୁ କ’ଣ ଖାଇବାକୁ ଦେବା ? ତୋର ବାପାର କ’ଣ ସେ କ୍ଷମତା ଅଛି, ମାଆ ?”
ସର୍ବମଙ୍ଗଳା ଉତ୍ତର ଦେଲା, “ନା, ବାପା, ତୁମେ ଘରକୁ ପୂଜା ଆଣିଛ । ସାଇର ସମସ୍ତଙ୍କୁ ଖାଇବାକୁ ନ ଦେଲେ କ’ଣ ମାନିବ ?”
ଏହି କଥା କହି ସର୍ବମଙ୍ଗଳା ସାଇକୁ ଚାଲିଗଲା । ବ୍ରାହ୍ମଣ ମନେ ମନେ ହସିଲେ । ବଡ଼ ଘରକୁ ଯାଇ ଝିଅର ଆଖି ବଡ଼ ହୋଇଯାଇଛି ।
ବ୍ରାହ୍ମଣ ସ୍ନାନ ସାରି ପୂଜାରେ ବସିଲେ । ସର୍ବମଙ୍ଗଳା ତାଙ୍କୁ ସାହାଯ୍ୟ କରିବାରେ ଲାଗିଲା । ଠାକୁର ପ୍ରତିମା ଜୀବନ୍ତ ଦେଖା ଯାଉଛନ୍ତି । ଦେବୀଙ୍କର ଜ୍ୟୋତିରେ ସମସ୍ତ ଘର ଆଲୋକିତ ହୋଇଉଠୁଛି । ଦି’ପହର ବେଳେ ସାଇର ଲୋକେ ଦଳ ଦଳ ହୋଇ ପହଞ୍ଚିଗଲେ । ସର୍ବମଙ୍ଗଳା ସମସ୍ତଙ୍କୁ ଫଳାହାରର ନିମନ୍ତ୍ରଣ କରି ଆସିଛି ।
ବ୍ରାହ୍ମଣ କହିଲେ, “ଦେଖୁଛ, ପାଗଳୀ ଝିଅର କାଣ୍ଡ !”
ବ୍ରାହ୍ମଣୀ ଭାବିଲେ ସେହି କଥା ତ । କିନ୍ତୁ ଏବେ କ’ଣ ହେବ ? ସର୍ବମଙ୍ଗଳା କହିଲା, “ତୁମେ କିଛି ଚିନ୍ତା କର ନାହିଁ । ମୁଁ ସମସ୍ତଙ୍କୁ ଡାକି ଆଣିଛି । ମାଆର ପ୍ରସାଦ ଖୁଆଇବି ।”
ବ୍ରାହ୍ମଣ ସମସ୍ତଙ୍କୁ ଆଦର ଯତ୍ନ କରି ବସାଇଲେ । ତା ପରେ ଠାକୁର ଘରକୁ ଯାଇ ଏକ
ମନରେ ଡାକିବାକୁ ଆରମ୍ଭ କଲେ, “ମା’ଲୋ ମା, ଲଜ୍ଜା ନିବାରଣ କର ।” ଇଆଡେ଼ ସର୍ବମଙ୍ଗଳା ସମସ୍ତଙ୍କୁ ଆଦରରେ ବସାଇ ଦେବୀଙ୍କର ପ୍ରସାଦ ଆଣିଲା । ସମସ୍ତଙ୍କୁ କହିଲା, “ମୋର ବାପା ଗରିବ । ଆପଣମାନଙ୍କୁ ଚର୍ଚ୍ଚା କରିବାର କ୍ଷମତା ତାଙ୍କର ନାହିଁ । ଆପଣମାନେ ଦୟାକରି ତାଙ୍କ ଦୁଆରେ ପାଦ ପକାଇଛନ୍ତି, ଏହା ହେଉଛି ତାଙ୍କର ପରମ ସୌଭାଗ୍ୟ, ଆପଣମାନେ ସମସ୍ତେ ଦେବୀଙ୍କର ପ୍ରସାଦ ଗ୍ରହଣ କରନ୍ତୁ ।” ପ୍ରସାଦରୁ ଏପରି ଏକ ସୁବାସ ବାହାରିବାକୁ ଲାଗିଲା ଯେ, ଯେଉଁମାନେ ଖାଇ ବସିଥିଲେ, ସେମାନେ ପୁଲକିତ ହୋଇଉଠିଲେ । ଏପରି ପ୍ରସାଦ ସେମାନେ କେବେ ଖାଇ ନାହାନ୍ତି । ଅଳ୍ପକରେ ସେମାନଙ୍କ ପେଟ ଏପରି ଭରିଗଲା ଯେ ଆଉ କହିବାର କଥା ନୁହେଁ । ତା ପରେ ସମସ୍ତେ ଆନନ୍ଦ ମନରେ ଘରକୁ ଫେରିଗଲେ ।
ସର୍ବମଙ୍ଗଳା ବାପାଙ୍କୁ ଡାକିଲା, “ବାପା, ଉଠିଆସ । ସେମାନେ ସମସ୍ତେ ଘରକୁ ଚାଲି ଗଲେଣି ।”
ବ୍ରାହ୍ମଣ କହିଲେ, “ସେମାନେ ସମସ୍ତେ ଆମକୁ ଅଭିଶାପ ଦେଇ ଗଲେ କି ମା ?”
ସର୍ବମଙ୍ଗଳା କହିଲା, “ଅଭିଶାପ କାହିଁକି ଦେବେ ? ସମସ୍ତେ ଖୁସି ହୋଇ ଆମର ପ୍ରସାଦ ପାଇ ଯାଇଛନ୍ତି । ଏବେ ମଧ୍ୟ ଅଧେ ପ୍ରସାଦ ରହିଛି, ତୁମେ ଉଠି ଦେଖ ।”
ବ୍ରାହ୍ମଣ ଠାକୁର ଘରୁ ବାହାରି ଆସି ଦେଖିଲେ । “ଆଶ୍ଚର୍ଯ୍ୟ ବ୍ୟାପାର !” ବ୍ରାହ୍ମଣ ଭାବିଲେ ଏ ନିଶ୍ଚୟ ମହାମାୟାର ଲୀଳା । ବ୍ରାହ୍ମଣଙ୍କର ଦୁଇ ଆଖିରୁ ଲୁହ ବହି ଯିବାକୁ ଲାଗିଲା ।
ଶେଷ ଦିନ ବ୍ରାହ୍ମଣ ପୂଜାରେ ବସି ମାଆଙ୍କୁ ଦହିକଡ଼ି ଭୋଗ ଦେଉଛନ୍ତି । ଆଜି ମାଆକୁ ବିଦାୟ ଦେବାକୁ ହେବ । ସେଥିାଇଁ ବ୍ରାହ୍ମଣଙ୍କୁ ଆଜି କିଛି ଭଲ ଲାଗୁନାହିଁ । ସେ ଆଖିବୁଜି ମାଆଙ୍କୁ ଚିନ୍ତା କରୁଛନ୍ତି, ଏହି ସମୟରେ ସର୍ବମଙ୍ଗଳା ଠାକୁର ଘରକୁ ଯାଇ ଦେବୀଙ୍କ ଭୋଗପାଇଁ ଥୁଆ ହୋଇଥିବା ଦହିକଡ଼ି ଖାଇବାକୁ ଆରମ୍ଭ କଲା । ହଠାତ୍ ବ୍ରାହ୍ମଣ ଚାହିଁଦେଇ କହିଲେ, “ମାଆ, ତୋର ଏ କି କାଣ୍ଡ ?”
ସର୍ବମଙ୍ଗଳା ସାଙ୍ଗେ ସାଙ୍ଗେ ଚାଲିଗଲା ।
ବ୍ରାହ୍ମଣୀ ପୁଣି ଦହିକଡ଼ିର ବ୍ୟବସ୍ଥା କଲେ । ଏଥର ମଧ୍ୟ ସର୍ବମଙ୍ଗଳା ଯାଇ ସବୁ ଖାଇଦେଲା । ବ୍ରାହ୍ମଣୀ ପୁଣି ବ୍ୟବସ୍ଥା କଲେ । ପୁଣି ସର୍ବମଙ୍ଗଳା ଯାଇ ଖାଇଦେଲା । ବ୍ରାହ୍ମଣ ମହାବିରକ୍ତ ହୋଇ କହିଲେ, “ତୋର ଆଜି କ’ଣ ହୋଇଛି ? ତୁ ଯା, ଯା ଏଠୁ ।”
ବ୍ରାହ୍ମଣୀ ପୁଣି ଦହିକଡ଼ିର ବ୍ୟବସ୍ଥା କରୁଥିଲେ । ସର୍ବମଙ୍ଗଳା ଯାଇ କହିଲା, “ମାଆ, ବାପା ମୋତେ ଆଜି ଚାଲିଯିବାକୁ କହିଲେ । ମୁଁ ତିନି ଦିନ ହେଲା ଭଲକରି ଖାଇନି । ମୋତେ ଭାରି ଭୋକ ହେଉଛି, ପୁଣି ବହୁତ ଦୂର ବାଟ ଯିବାକୁ ହେବ । ସେଥିାଇଁ ମୁଁ ଖାଉଛି ବୋଲି ବାପା ମୋତେ ଚାଲି ଯିବାକୁ କହିଲେ । ମା’, ତା ହେଲେ ମୁଁ ଯାଉଛି ।”
ବ୍ରାହ୍ମଣୀ ପଛକୁ ଚାହିଁବାରୁ ଆଉ ଝିଅକୁ ଦେଖିଲେ ନାହିଁ । ସଙ୍ଗେ ସଙ୍ଗେ ଯାଇ ସ୍ୱାମୀଙ୍କୁ ସବୁ କଥା କହିଲେ । ବ୍ରାହ୍ମଣ ମନେ ମନେ ଭାବିଲେ ପାଗଳୀ ଶେଷକୁ ରାଗିକରି ଏକୁଟିଆ ଘରକୁ ଚାଲିଗଲା ! ପୂଜା କାର୍ଯ୍ୟ ଶେଷ କରି ସେ ଝିଅ ଘରେ ଯାଇ ପହଞ୍ଚିଲେ । ବ୍ରାହ୍ମଣ ସିଧା ଝିଅ ପାଖକୁ ଚାଲିଯାଇ କହିଲେ, “ମା, ପୂଜା ସମୟରେ ତୁ ବିଘ୍ନ କରୁଥିଲୁ ବୋଲି ତୋତେ ମୁଁ ଗାଳିଦେଲି । ସେଥିାଇଁ କଣ ରାଗିକରି ତୁ ଚାଲିଆସିଲୁ ମା ?”
ଝିଅ କହିଲା, “ଏ କ’ଣ କହୁଛ, ବାପା ? ମୁଁ କେତେବେଳେ ତମ ଘରକୁ ଗଲି ? ମୁଁ ତ ଯାଇନାହିଁ ।”
ବ୍ରାହ୍ମଣ ଏଥର ବୁଝି ପାରିଲେ, ଦେବୀ ତାଙ୍କ ଝିଅ ରୂ ଧରି ଆସିଥିଲେ । ଦେବୀଙ୍କର ଦୟାର କଥା ଚିନ୍ତା କରି ବ୍ରାହ୍ମଣ ଆନନ୍ଦରେ ଆତ୍ମହରା ହୋଇଗଲେ । ଦୁଇ ଆଖିରେ ଅଶ୍ରୁ ଧାରା, ମୁହଁରେ ଖାଲି ‘ମାଆ, ମାଆ’ ।