ସଙ୍ଗିନୀରେ ଚାହାଁ ବେଣୁପାଣିକି
ଚିତ୍ତ ବିତ୍ତ ଚୋରା ଚିନ୍ତାମଣିକି ।ପଦ।
ବକୁଳ ସେବତୀ ମଲ୍ଲୀ ନିଆଳୀ ଗଭା
ନାନା କୁସୁମେ ମଣ୍ଡିତ ବାଙ୍କ ଟାହିଆ
ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି
ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ ।୧।
ଭଲା ତାର ଯେଉଁ ନୟନ ଠାର
ସେ କି ମାର ବୀର କାମ କୁଠାର
ଭୂରୁ ବାଙ୍କ ଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖି ।୨।
ଧନ୍ୟ ତାର ଯେଉଁ ମୁରୁକି ହସା
ସତେ କି ସେ ସୁଧା ନୀର ବରଷା
ଚାହିଁଦେଲେ ଥରେ ଥରି ମନ୍ମଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରଖି ।୩।
ଦାସ ବନମାଳୀ ବୋଲେ ଗୋ ଶୁଣ
ଗୋପ ନନ୍ଦସୁତ ମୋହନ ଗୁଣ
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ସେ ବରଜେଟିକି ।୪।