ବୀର ଗୌରୀକୁ ବିବାହ କରିବାକୁ ଚାହୁଁଥିଲା । ମାତ୍ର ଗୌରୀ ଚାହୁଁଥିଲା ଯିଏ ତାକୁ ହୀରାହାରଟିଏ ଦେବ ସେ କେବଳ ତାକୁହିଁ ବିବାହ କରିବ । ହେଲେ ବୀର ପାଖରେ ହୀରାହାର ପାଇଁ ଯଥେଷ୍ଟ ଧନ ନଥାଏ ।
ବୀର ରୋଷେଇ କାମ ଶିଖିଲା । ବିଭିନ୍ନ ଲୋକଙ୍କ ଘରେ କାମ କରି ଦେଇ ସେ କିଛି ପଇସା ରୋଜଗାର କଲେ । ସେହି ପଇସାକୁ ସଞ୍ଚୟ କରି କରି ସେ ଯେ ଦିନେ ଗୌରୀକୁ ବିବାହ କରିବ, ତାହା ଏକ ବିଡମ୍ବନା, ତଥାପି ମଧ୍ୟ ତା’ର ଆଶା ଥାଏ । କିନ୍ତୁ ହୀରାହାର ପୂରଣ କରିବା କଥା ମନେ ପଡିଲେ ତାକୁ ସବୁ ବ୍ୟର୍ଥ ଲାଗେ । ଏଣୁ ତା’ର ମନ ନିରାଶାରେ ଭରି ରହିଥାଏ ।
ଏମିତି ଏକ ସମୟରେ ଦିନେ ସେ ରାଜ୍ୟର ରାଜା ଏହା ଘୋଷଣା କଲେ କି ତାଙ୍କ ରାଜ୍ୟରେ ଯିଏ ଶ୍ରେଷ୍ଠ ବୀର ବୋଲି ପ୍ରମାଣିତ ହେବ, ତାକୁ ଦଶହଜାର ମୋହର ମିଳିବ । ବୀରର ସାହସିକ କାର୍ଯ୍ୟ କରିବାକୁ ବହୁତ ଇଚ୍ଛା ଥାଏ । କିନ୍ତୁ ସେ ସ୍ୱଭାବରେ ବଡ ଭୟାଳୁ ଥିଲା । ସ୍ୱପ୍ନରେ ବେଙ୍ଗଟିଏ ବା ଝିଟିପିଟିଟିଏ ଦେଖିଦେଲେ ଭୟରେ ଚିତ୍କାର କରି ନିଦରୁ ସେ ସେହିକ୍ଷଣି ଉଠିପଡେ ।
ସେହି ଗ୍ରାମରେ ଜଣେ ବ୍ୟକ୍ତି ଥିଲେ; ସେ ସମସ୍ତିଙ୍କୁ ସାହାଯ୍ୟ କରନ୍ତି । ଲୋକେ ତାଙ୍କୁ ରାମଦାଦା ବୋଲି ଡାକନ୍ତି । ବୀର ତାଙ୍କରି ପାଖକୁ ଯାଇ ତାଙ୍କୁହିଁ ନିଜର ସବୁ ଦୁଃଖ ଜଣାଇଲା । ରାମଦାଦା ତାକୁ କହିଲେ, “ଭୟ ହେଉଛି ମଣିଷର ଗୋଟିଏ ରୋଗ । ଔଷଧ ଖାଇଲେ ରୋଗ ଯେପରି ଭଲ ହୁଏ, ଠିକ୍ ସେମିତି ସାହସିକ କାର୍ଯ୍ୟ କଲେ ଭୟ ମଧ୍ୟ ଧୀରେ ଧୀରେ ଛାଡିଯିବ । ଅଥବା ଅନ୍ୟ ଏକ ଉପାୟ ଅଛି ଚନ୍ଦ୍ରପୁରର ପାହାଡ ଗୁମ୍ଫାରେ ଜଣେ ସାଧୁ ଅଛନ୍ତି । ତାଙ୍କ ପାଖରେ ଏମିତି ଏକ ପ୍ରକାର ଔଷଧ ଅଛି, ଯାହାକୁ କି ଖାଇଲେ ମଣିଷ ମନରୁ ସମସ୍ତ ଭୟ ଆପେ ଦୂର ହୋଇଯିବ ।”
ବୀର ଗୌରୀକୁ ଦେଖାକରି କହିଲା, “ତୁମ ପାଇଁ ମୁଁ ଚନ୍ଦ୍ରପୁରର ସାଧୁଙ୍କଠାରୁ ଜଡିବୁଟି ଖାଇ ଭୟ ଦୂର କରିବି ଓ ରାଜଧାନୀ ଯାଇ କୌଣସି ସାହସିକ କାର୍ଯ୍ୟ କରି ତୁମପାଇଁ ହୀରାର ହାର କିଣି ନେଇ ଆସିବି ।”
ଗୌରୀ ହସି ଦେଇ କହିଲା, “ତୁମେ ତ ଆଜି ଚନ୍ଦ୍ରପୁର ଯାଉଛ, ହେଲେ ଭୈରବ ତ କେବେଠୁ ରାଜଧାନୀ ଗଲାଣି । ସେ ଯଦି ପ୍ରଥମେ ହୀରାର ହାର ନେଇ ଆସେ ତେବେ ତ ମୁଁ ତାକୁହିଁ ବିବାହ କରିବି ।”
ଭୈରବ ନାମକ ଅନ୍ୟ ଏକ ଯୁବକ ମଧ୍ୟ ଗୌରୀକୁ ବିବାହ କରିବାକୁ ଚାହୁଁଥିଲା । ସେ ଦେଖିବାକୁ ବୀର ପରି ଏତେଟା ସୁନ୍ଦର ନୁହେଁ, କିନ୍ତୁ ସେ ବହୁତ ସାହସୀ । ଖାଲିହାତରେ ବି ସାପକୁ ସେ ଧରିଦିଏ । ଭୂତ ରହୁଥିବା ବରଗଛ ତଳେ ରାତିରେ ସେ ଏକେଲା ଶୋଇଯାଏ । ଯାହାହେଉ ସେ ଚନ୍ଦ୍ରପୁର ଯାଇ ସାଧୁଙ୍କ ନିକଟରେ ପହଁଚି ନିଜର ଦୁଃଖ ଜଣାଇଲା । ସାଧୁ କହିଲେ, “ମୋ ଗୁମ୍ଫାକୁ ଲାଗିକରି ଥିବା ଗୁମ୍ଫାରେ ଜଡିବୁଟି ଅଛି ତାକୁ ଯାଇ ନେଇଆସ ।”
ବୀର ସେହି ଗୁମ୍ଫାରେ ପ୍ରବେଶ କରି ଦେଖିଲା ସେଠାରେ ଗଦାଏ ବେଙ୍ଗ ବସିଛନ୍ତି । ସେ ସେମାନଙ୍କୁ ଦେଖି ଡରରେ ଫେରି ଆସି ସାଧୁଙ୍କୁ କହିଲା, “ଆଜ୍ଞା, ସେଠାରେ ତ ଖାଲି ବେଙ୍ଗ ଭର୍ତ୍ତି, ମୁଁ କିମିତି ଜଡିବୁଟି ଆଣିବି?”
ସାଧୁ କହିଲେ “ସାପ ସିନା ମଣିଷକୁ ମାରେ । ହେଲେ ବେଙ୍ଗ ତ କାହାର କିଛି କ୍ଷତି କରେ ନାହିଁ, ତାକୁ ପୁଣି ତୁମର ଏତେ ଭୟ? ସାହସ କରି ଯାଇ ଏଥର ଜଡିବୁଟି ନେଇ ଆସ ।”
ବୀର କହିଲା “ପ୍ରଭୁ, ମୋ ଉପରେ ଟିକେ ଦୟା କରନ୍ତୁ । ଆପଣ ନିଜେ ଯାଇ ଜଡିବୁଟି ନେଇ ଆସନ୍ତୁ । ଏପରି କଲେ ମୁଁ ଆପଣଙ୍କ ନିକଟରେ ଏହି ଜନ୍ମ ପାଇଁ ଚିର କୃତଜ୍ଞ ରହିବି ।”
ସାଧୁ ସ୍ପଷ୍ଟ କରି କହିଲେ “ଜଡିବୁଟି ନିଜେ ଆଣିଲେହିଁ ତାହା ଠିକ୍ କାମ କରିବ, ନଚେତ୍ ନାହିଁ ।”
ନିଜର ଭାଗ୍ୟକୁ ନିନ୍ଦା କରୁ କରୁ ସେଠାରୁ ସେ ଫେରି ଆସିଲା । ବାଟରେ ଦେଖିଲା ପହଲବାନ୍ ରସ୍ତୁମର ଝିଅ ରାଗମତୀ ଘୋଡା ଗାଡିରେ ବସି ଯାଉଛନ୍ତି । ରାଗମତୀ ବୀରକୁ ଦେଖି ସେ ତା’ ଗାଡି ଅଟକାଇଲା । ସେ ତ ବଡ କଡା ସ୍ୱଭାବର ଝିଅ ଥିଲା, ତା’ସାଙ୍ଗକୁ ସେ ପୁଣି ଅତି ଗର୍ବୀ । କେବଳ ସେଇଥିପାଇଁ ତାକୁ ଆଦୌ କେହି ବର ମିଳୁ ନଥିଲେ ।
ବୀର ସେହି ଗାଡି ପାଖରେ ପହଁଚିବା ମାତ୍ରେ ରାଗମତୀ କହିଲା, “ବାଃ, ବଡ ସୁନ୍ଦର ଦେଖା ଯାଉଛ ତ? ମୋତେ ଚିହ୍ନିଛ? ମୁଁ ରସ୍ତୁମର ଝିଅ । ମୁଁ ତ ତୁମକୁ ବିବାହ କରିବାକୁ ଚାହେଁ ।”
ବୀର କହିଲା “କିନ୍ତୁ ମୁଁ ତ କେବଳ ଗୌରୀକୁହିଁ ବିବାହ କରିବାକୁ ଚାହେଁ ।”
ରାଗମତୀ ତା’ଠାରୁ ଗୌରୀ ବିଷୟରେ ସବୁକଥା ଶୁଣି କହିଲା, “ମନେ ହୁଏ ତୁମେ ଏକ ମସ୍ତବଡ ବୋକା । ଗୌରୀ ତ ଜଣେ ସାଧାରଣ ଝିଅ । ଆଉ ମୁଁ ପହଲବାନ୍ର ଝିଅ । ମୋତେ ମନା କରି ଦେଇ ତାକୁ ବିବାହ କରିବ?”
ବୀର କହିଲା “ହଁ, କରିବି” । ଠିକ୍ ଏତିକିବେଳେ ମାଙ୍କଡସାଟିଏ ଗଛ ଉପରୁ ତା’ ଉପରେ ଖସି ପଡିଲା । ସେ ଭୟରେ ଚିତ୍କାର କଲା । ଏହି ଘଟଟଣାରୁ ରାଗମତୀ ଜାଣିଗଲା ଯେ ବୀର ମହା ଭୟାଳୁ । ସେ କହିଲା, “ଆଚ୍ଛା, ତୁମେ ତେବେ ଗୌରୀକୁ ବିବାହ କରିବ? ଦେଖିତ ଭଲା କିପରି ବିବାହ ହେବ । ମୁଁ ତୁମକୁ ଗୋଟିଏ ଝିଟିପିଟିପୂର୍ଣ୍ଣ ଘରେ ବନ୍ଦ କରି ରଖିବି ।”
ଏକଥା ଶୁଣି ସେ ଡରି ସେଠାରୁ ଆଗକୁ ଆଗକୁ ଚାଲିଲା । ଇଏ ବି ଗାଡି ତା’ ପଛେ ପଛେ ଚଳାଇଲା । ଭୈରବ ସମ୍ମୁଖ ଦିଗରୁ ଆସୁଥିଲା । ସେ ତା’ ଗାଡି ବନ୍ଦ କରି ପଚାରିଲା, “ଇଏ ସବୁ କି ପ୍ରକାରର ଜବରଦସ୍ତି ହେଉଛି?”
ରାଗମତୀ ତାକୁ ସବୁକଥା କହିଲା ।
ଭୈରବ କହିଲା “ବେଙ୍ଗ ଓ ମାଙ୍କଡସାକୁ ଦେଖି ଡରୁଥିବା ଏକ ଭୟାଳୁବ୍ୟକ୍ତିକୁ ପୁଣି ଜଣେ ପହଲବାନ୍ର ଝିଅ ବିବାହ କରିବ? ଏହା ତ ଅତ୍ୟନ୍ତ ହାସ୍ୟାସ୍ପଦ କଥା ହେବ ।”
ରାଗମତୀ କହିଲା “ହଁ ତୁମେ ଠିକ୍ କଥା କହିଛ । ମୁଁ କୌଣସି ସାହସୀ ବ୍ୟକ୍ତି ସହିତହିଁ ବିବାହ କରିବି । ସୌନ୍ଦର୍ଯ୍ୟ ବିଷୟ ପରେ ଚିନ୍ତା କରିବି ।” ଏତିକି କହି ସେ ତା’ ଗାଡି ବୁଲାଇ ନେଇ ଚାଲିଗଲା ।
ଭୟରେ ଅଣନିଶ୍ୱାସୀ ହୋଇଥିବା ବୀର ଭୈରବକୁ ଧନ୍ୟବାଦ୍ ଦେଲା ଓ ତାକୁ ପଚାରିଲା, “ତୁମେ ଏବେ ରାଜଧାନୀରୁ ଫେରୁଛ କି? ସେଠାରେ ତମେ କି ପ୍ରକାରର ସାହସିକ କାର୍ଯ୍ୟ କଲ?”
ବୀରର ଏଭଳି ପ୍ରଶ୍ନ ଶୁଣି ଭୈରବ ଖୁସି ହୋଇ କହିଲା, “ପାଣି ଭିତରେ ମୁଁ ଦୁଇଟି କୁମ୍ଭୀରଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ମାରି ଦେଇଛି । ରାଜା ମୋତେ ଦଶହଜାର ଟଙ୍କା ଦେଲେ; ସେହିଥିରେ ମୁଁ ହୀରାର ହାର କିଣି ଆଣିଛି । ମୁଁ ଶୀଘ୍ର ଗୌରୀକୁ ବିବାହ କରିବି ।” ଠିକ୍ ସେତିକିବେଳେ ଗଛରୁ ଗୋଟିଏ ବଡ ଜାଲ ଆସି ସେମାନଙ୍କ ଉପରେ ପଡିଗଲା । ତା’ପରେ ଡାକୁଦଳ ଗଛରୁ ଓହ୍ଲାଇ ଆସିଲେ ଓ ସବୁନେଇ ପଳାଇଲେ । ଏମାନେ ଜାଲରେ ପଡି ହଇରାଣ ହେଉଥା’ନ୍ତି ।
ସେମାନେ କିଛି ସମୟ ପରେ ସେହି ଜାଲରୁ କୌଣସି ପ୍ରକାରରେ ବାହାରି ଆସିଲେ । ଭୈରବ କହିଲା, “ଆମେ ଜାଣିପାରିଲେ ନାହିଁ ଯେ ଆମ କଥା ଡାକୁମାନେ ଗଛରେ ଥାଇ ଶୁଣୁଛନ୍ତି । କିନ୍ତୁ ମୁଁ ତାଙ୍କୁ ଏତେ ସହଜରେ ଛାଡିବି ନାହିଁ । ମୁଁ ସେମାନଙ୍କୁ ଧରି ସେମାନଙ୍କଠାରୁ ହୀରାର ହାର ଆଣିହିଁ ଗ୍ରାମକୁ ଫେରିବି । ଇତିମଧ୍ୟରେ ତୁମେ ଯାଇ ଗୌରୀକୁ ଏ ସମସ୍ତ ଖବର ଦିଅ ।” ତା’ପରେ ସେହି ଚୋରମାନେ ଯେଉଁ ଆଡକୁ ଯାଇଥିଲେ ଭୈରବ ମଧ୍ୟ ସେହି ଆଡକୁ ଦୌଡିଲା । ବୀର ଗ୍ରାମରେ ପହଁଚି ଗୌରୀକୁ ସବୁକଥା କହିଲା । ସବୁଶୁଣି ଗୌରୀ କହିଲା, “ଚାରିଜଣ ଚୋରଙ୍କୁ ଧରିବାକୁ କ’ଣ ସେ ଏକେଲା ଗଲା? ତାକୁ ତ ପ୍ରଶଂସା କରିବାର କଥା ।” ଗୌରୀ କଥାରୁ ଯାହା ଜଣାଗଲା ଯେ ସେ ତାକୁହିଁ ବିବାହ କରିବ । କାରଣ ଅଳ୍ପ ସମୟ ମଧ୍ୟରେ ଭୈରବ ବି ହୀରାହାର ଧରି ସେଠାରେ ଆସି ପହଁଚି ଯିବ । ଏଥର ବୀର ଧୈର୍ଯ୍ୟ ଧରି ତା’ର ଶେଷ କଥା ଗୌରୀକୁ ଶୁଣାଇଲା; “ଆଉ ସଂକୋଚ କରିବାର କ’ଣ ଅଛି? ତୁମେ ଧନକୁ ନା ପ୍ରେମକୁ ଅଧିକ ମୂଲ୍ୟ ଦେଉଛ? ମୁଁ ସିନା ହୀରାର ହାର ଆଣି ପାରିବି ନାହିଁ, କିନ୍ତୁ ମୋ ହୃଦୟ ତୁମ ପ୍ରତି ପ୍ରେମରେ ଭର୍ତ୍ତି ହୋଇଛି । ଏକଥା କ’ଣ ତୁମେ ଜାଣ ନାହିଁ?”
ଗୌରୀ ହସି ହସି କହିଲା, “ମୁଁ ମଧ୍ୟ ତୁମ ପ୍ରେମରେ ଅତ୍ୟନ୍ତ ମୁଗ୍ଧ । ଭଲ ହେଲା ତୁମେ ସାହସ କରି ଏକଥା ପରିଷ୍କାର ଭାବରେ କହିଲ । ମୁଁ ତୁମକୁହିଁ ବିବାହ କରିବି ।” ତା’କଥା ଶୁଣି ବୀର ଖୁସି ହୋଇଗଲା; ଇତିମଧ୍ୟରେ ଭୈରବ ହୀରାହାର ଧରି ସେଠାରେ ଆସି ପହଁଚିଲା ।
ଗୌରୀ ହସି ହସି କହିଲା, “ତୁମେ ବହୁତ ଡେରି କରିଦେଲ, ମୁଁ ବୀରକୁ କଥା ଦେଇ ସାରିଛି । ଯାହା ଏପର୍ଯ୍ୟନ୍ତ କେହିବି ମୁହଁ ଖୋଲି କହୁ ନଥିଲେ, ସେକଥା, ସେ ଆଜି ପରିଷ୍କାର କରି କହିଛନ୍ତି । ସେଇଥିପାଇଁ ମୁଁ ତାଙ୍କୁ ହିଁ ବାଛିଲି ।”
“ସେ ଏପରି କ’ଣ ସାହସ କଲା ତାହା ମୋତେ ବି ଟିକିଏ ଶୁଣାଅ ତ ।”
“ସାହସର ଅର୍ଥ ଏହା ନୁହେଁ ଯେ ଖଣ୍ଡା ଧରି ଲଢିବା, ମନର କଥା ସାହସର ସହିତ କହିବା ହେଲା ପ୍ରକୃତ ସାହସ । ଖାଲି ସେଇଥିପାଇଁ ତ ସେ ପହଲବାନ୍ର ଝିଅ ସୁନ୍ଦରୀ ତଥା ଦକ୍ଷ ରାଗମତୀର ବିବାହ ପ୍ରସ୍ତାବ ଅସ୍ୱୀକାର କଲେ, ଏସବୁ କେବଳ ମୋ ପ୍ରତି ପ୍ରେମ ଯୋଗୁଁ ନା । ଆମେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସମ୍ମତ, ତେଣୁ ଆଉ ସର୍ତ୍ତର ଆବଶ୍ୟକତା ରହିଲା ବା କେଉଁଠି? ତୁମର ହୀରାହାର ଯୋଗୁଁ ତୁମକୁ ବିବାହ କରିଥିଲେ ତାହା ଛୋଟଲୋକି ହୋଇ ନଥାନ୍ତାକି? କିନ୍ତୁ ବୀରର ମନୋଭାବରେ ନିଃସ୍ୱାର୍ଥପରତା ରହିଛି ।”
ଭୈରବ ଗୌରୀର କଥା ଶୁଣି କହିଲା, “ତୁମ କଥା ସତ । କାରଣ ମୁଁ ବାହାଦୁରୀ ନେବାକୁ ତଥା ପ୍ରଶଂସା ପାଇବାକୁ ସାହସିକ କାମ କରେ । କିନ୍ତୁ ରାଗମତୀର ସୌନ୍ଦର୍ଯ୍ୟ ମୋତେ ବେଶ୍ ଆକର୍ଷିତ କରିଛି; ତା’ର କଥାବାର୍ତ୍ତା ମଧ୍ୟ ମୋତେ ଭାରି ଭଲ ଲାଗିଲା । ଅଥଚ ମୁଁ ତାକୁ ମୋର ମନକଥା କହିବାକୁ ସାହସ କଲି ନାହିଁ । ଯଦି ଆବଶ୍ୟକତା ବେଳେ ସାହସ କୌଣସି କାମରେ ନ ଆସେ ତେବେ ତା’ର କି ମୂଲ୍ୟ? ଏକଦିଗରୁ ଦେଖିଲେ ବୀର ମୋ ଅପେକ୍ଷା ଅଧିକ ସାହସୀ ।”
ବୀର ଖୁସି ହୋଇ କହିଲା, “ତୁମେ ବି ମୋତେ ସାହସୀ ବୋଲି କହୁଛ? ବାଃ ମୁଁ ଆଜି କେତେ ଖୁସି; ଏବେ ସେ ରାଗମତୀ ସହିତ ତୁମର ବିବାହ ପ୍ରସ୍ତାବ ମୁଁ ଦେବି । ତୁମର ସାହସ ତୁମର ଓ ମୋର ସାହସ ମୋର । କେବଳ ଯାହା ଏ ଦୁଇଟି ଭିନ୍ନ ପ୍ରକାରର ।”