ଜଣେ ଚୋର ରାଜାଘରକୁ ଚୋରି କରିବାକୁ ଯାଇଥିଲା । ରାଜା ରାଣୀ ସେତେବେଳେ କଥାଭାଷା ହେଉଥିଲେ । ଅନ୍ଧାରରେ ଠିଆ ହୋଇ ଚୋର ସବୁ କଥା ଶୁଣୁଥିଲା । ରାଣୀ ରାଜାଙ୍କୁ କହିଲେ, “ତୁମେ ଦିନ ରାତି କେବଳ ରାଜକାର୍ଯ୍ୟରେ ବ୍ୟସ୍ତ ଅଛ, ଏଣେ କିନ୍ତୁ ଝିଅର କଥା କେବେହେଲେ ଚିନ୍ତା କରୁ ନାହଁ ।”
ରାଜା ପଚାରିଲେ, “କାହିଁକି, ଝିଅର କ’ଣ ହୋଇଛି ?”
ରାଣୀ କହିଲେ, “ହବ କ’ଣ ? ଝିଅ ଦିନକୁ ଦିନ ବଡ଼ ହେଉଚି; ସେ ତ ଆଉ ଚିରଦିନ ତୁମ ଘରେ ରହିବ ନାହିଁ । ଶୀଘ୍ର ତା’ର ବିଭାଘରର ବ୍ୟବସ୍ଥା କର ।”
ରାଜା କହିଲେ, “କ’ଣ କରିବି କହ । ଯେତେଗୁଡ଼ିଏ ସମ୍ବନ୍ଧ ଆସୁଚି, କିଛି ତ ତୁମର ମନୋମତ ହେଉ ନାଇଁ । ତା’ ହେଲେ ଗୋଟିଏ କଥା କରାଯାଉ ।”
ରାଣୀ ପଚାରିଲେ, “କି କଥା ?”
ରାଜା କହିଲେ, “ତୁମର ଝିଅ ଭାରି ଧର୍ମପରାୟଣା । ଦିନ ରାତି କେବଳ ଦିଅଁ ଦେବତାକୁ ଡାକିବାରେ ଅଛି । ଗଙ୍ଗାକୂଳରେ ବହୁ ସାଧୁ ଅଛନ୍ତି । ସେଥିରୁ ଜଣଙ୍କୁ ଆଣି ଝିଅକୁ ବିଭା କରିଦେଲେ କେମିତି ହେବ ?
ରାଣୀ କହିଲେ, “ବେଶ୍, ମୋ’ର ତ ଗୋଟିଏ ବୋଲି ସନ୍ତାନ । ଆମ ପରେ ଆମର ଝିଅ, ଜ୍ୱାଇଁ ଆମ ରାଜ୍ୟର ଅଧିକାରୀ ହେବେ । କିଛି ମନ୍ଦ କଥା ନୁହେ । କାଲି ସକାଳୁ ବ୍ୟବସ୍ଥା କର ।”
ରାଜା କହିଲେ, “ହଉ ।”
ଇଆଡେ଼ ଚୋର ରାଜା ରାଣୀଙ୍କ କଥା ଶୁଣି ମନେ ମନେ ଭାବିଲା, ରାଜାଙ୍କର ଜ୍ୱାଇଁ ହେବାର ସୁଯୋଗଟା କାହିଁକି ଛାଡ଼ିବି । ଏହା ଭାବି ଚୋର ଗଙ୍ଗା କୂଳକୁ ଯାଇ ସାଧୁମାନେ ବସିଥିବା ସ୍ଥାନରେ ସାଧୁ ସାଜି ବସିଗଲା ।
ତା’ ଆର ଦିନ ସକାଳେ ରାଜାଙ୍କର ଲୋକମାନେ ସାଧୁଙ୍କ ପାଖରେ ଯାଇ ଉପସ୍ଥିତ । ସେମାନେ ରାଜାଙ୍କ ଇଚ୍ଛାର କଥା ପ୍ରତ୍ୟେକ ସାଧୁଙ୍କ ପାଖରେ ଯାଇ ପ୍ରକାଶ କଲେ ଓ ରାଜା ଝିଅକୁ ବିଭା ହେବାପାଇଁ ଅନୁରୋଧ କଲେ । କିନ୍ତୁ ବିବାହ କଥା ଶୁଣି କୌଣସି ସାଧୁ ରାଜି ହେଲେ ନାହିଁ । ସଫା ସଫା ମନା କରିଦେଲେ । ଶେଷକୁ ରାଜାଙ୍କର ଲୋକମାନେ ସାଧୁବେଶଧାରୀ ସେଇ ଚୋର ପାଖରେ ଯାଇ ବିବାହ ପ୍ରସ୍ତାବ ଦେଲେ । ଚୋର ହଁ କଲା ନାହିଁ କି ନାହିଁ କଲା ନାହିଁ । ଚୁପ୍ ହୋଇ ରହିଲା ।
ରାଜାଙ୍କ ଲୋକମାନେ ଫେରିଯାଇ ରାଜାଙ୍କୁ କହିଲେ, “ମହାରାଜ, କୌଣସି ସାଧୁଙ୍କୁ ଆମେ ରାଜି କରାଇପାରିଲୁ ନାହିଁ । କେବଳ ଜଣେ ଯୁବକ ସାଧୁଙ୍କୁ ପଚାରିବାରୁ ସେ କିଛି ନ କହି ଚୁପ୍ ହୋଇ ରହିଲେ । ଆପଣ ନିଜେ ଯାଇ ଅନୁରୋଧ କଲେ, ସେ ହୁଏତ ରାଜି ହୋଇଯାଇ ପାରନ୍ତି ।”
ଲୋକମାନଙ୍କୁ ସାଙ୍ଗରେ ଧରି ରାଜା ଗଙ୍ଗା କୂଳରେ ପହଞ୍ଚିଲେ । ରାଜାଙ୍କୁ ନିଜେ ଆସିବାର ଦେଖି ଚୋର ମନରେ ଏକ ନୂଆ ଭାବ ଆସିଲା । ରାଜା ନଇଁପଡି ଚୋରକୁ ପ୍ରଣାମ କଲେ ଏବଂ ତାଙ୍କ କନ୍ୟାକୁ ବିବାହ କରିବାପାଇଁ ବହୁ ଅନୁନୟ, ବିନୟ କଲେ । ଶେଷକୁ କହିଲେ, “ବିବାହ ସଙ୍ଗେ ସଙ୍ଗେ ରାଜକନ୍ୟା ସହିତ ରାଜ୍ୟର ଅଧେ ଦେଇଦେବି । ମୋ’ ଅନ୍ତେ ଆପଣ ସମସ୍ତ ରାଜ୍ୟର ଅଧିକାରୀ ହେବେ ।”
ଚୋର ସେତେବେଳେ ମନେ ମନେ ଭାବିଲା, “ମୁଁ ଚୋର । ସ୍ୱାର୍ଥ ସିଦ୍ଧିପାଇଁ ସାଧୁ ବେଶରେ ବସିଚି । ଯଦି ପ୍ରକୃତ ସାଧୁ ହୋଇ ପାରନ୍ତି, ତା’ହେଲେ କ’ଣ ହୋଇ ନ ପାରନ୍ତି ? ଏତିକିରେ ଦେଶର ରାଜା ଆସି ପାଦ ତଳେ ପଡୁଛନ୍ତି, ଅଧେ ରାଜ୍ୟ ଦେବାପାଇଁ । ନା, ଆଜିଠାରୁ ପ୍ରକୃତ ସାଧୁ ହେବାକୁ ଚେଷ୍ଟା କରିବି ।”
ରାଜା ବହୁତ ଅନୁନୟ କରି ତାକୁ ରାଜି କରାଇ ପାରିଲେ ନାହିଁ । ଚୋର ବିବାହ କଲା ନାହିଁ । ସେ ସାଧୁମାନଙ୍କ ସାଙ୍ଗରେ ଚାଲିଗଲା ।