ରାଜା ପୁରନ୍ଦର ପୁଲିନ୍ଦ ରାଜ୍ୟରେ ରାଜୁତି କରୁଥା’ନ୍ତି । ତାଙ୍କ ଦରବାରରେ ଚାରିଜଣ କପଟି ପଣ୍ଡିତ ଥା’ନ୍ତି । କିଛି ନା କିଛି ବାହାନା ଦେଖାଇ ସେମାନେ ରାଜାଙ୍କଠାରୁ ଟଙ୍କା ସୁନା ନେଇ ଆରାମ୍ରେ ଜୀବନ ବିତାଉଥା’ନ୍ତି ।
ଥରେ ସେମାନେ ଭାବିଲେ ରାଜାଙ୍କଠାରୁ ବହୁତ ସୁନା ଦାନ ସ୍ୱରୂପ ନେବେ । ସୁତରାଂ ସେମାନେ ଗୋଟିଏ ଉପାୟ ଠିକ୍ କଲେ । ଦିନେ ଦରବାରରେ ରାଜା ବସିଥା’ନ୍ତି, ଚାରି ପଣ୍ଡିତ ଯାଇ କହିଲେ, “ମହାରାଜ, ଗତକାଲି ଆମେମାନେ ଆପଣଙ୍କ ଜାତକ ବିଚାର କରି ଦେଖିଲୁ ଯେ, ଆଉ ଅଳ୍ପଦିନ ମଧ୍ୟରେ ଆପଣଙ୍କ ଦୁଇ ହାତ ପୁରାପୁରି ଅଚଳ ହୋଇଯିବ । ଆଖି ମଧ୍ୟ ନଷ୍ଟ ହେବାର ବିପଦ ରହିଛି । ପୁଣି କ୍ରମେ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଅଚଳ ହୋଇଯିବ ।”
ରାଜା ଏକଥା ଶୁଣି ଖୁବ୍ ବ୍ୟସ୍ତ ହୋଇ କହିଲେ, “ଏତେବଡ ବିପଦ? ତେବେ କିପରି ଗ୍ରହଶାନ୍ତି କରାଯିବ? ଏହାର କିଛି ପ୍ରତିକାର ଅଛି?”
ପଣ୍ଡିତମାନେ କହିଲେ “ହଁ, ହଁ, ନିଶ୍ଚୟ ଅଛି । ଆମେ ଶାସ୍ତ୍ର ସବୁ ପଢି ଦେଖିଲୁ ଯେ ଏକମାତ୍ର ଉପାୟ ହେଉଛି, ଆପଣ ଏକ ସୁନାର କୁରାଢୀ ନେଇ ଗଛ କାଟିବେ । ତା’ପରେ ସେଇଟି କୌଣସି ପଣ୍ଡିତଙ୍କୁ ଦାନ ଦେଇଦେବେ ।”
ରାଜା ସେମାନଙ୍କ କଥା ଅନୁସାରେ ବଣିଆକୁ ଡକାଇ ସୁନାର କୁରାଢୀ ତିଆରି କରିବା ପାଇଁ ଆଦେଶ ଦେଲେ ।
ଗୁରୁବାର ଦିନ ଶୁଭ ମୁହୂର୍ତ୍ତ ଦେଖି ପଣ୍ଡିତଗଣ, ମନ୍ତ୍ରୀ, ଓ ଅନ୍ୟାନ୍ୟ ଲୋକମାନଙ୍କ ସହ ରାଜା ସୁନାର କୁରାଢୀ ଧରି ବଗିଚାକୁ ଗଲେ । ସାଙ୍ଗରେ ବାଦ୍ୟକାରୀମାନେ ମଧ୍ୟ ଚାଲିଥା’ନ୍ତି । ମହା ଆଡମ୍ବରରେ ଯାଇ ଉଦ୍ୟାନସ୍ଥ ସରୋବର କୂଳରେ ଏକ ବଡ ଆମ୍ବଗଛ ପାଖରେ ରାଜା ପହଁଚିଲେ ଓ ଏକ ଶୁଖିଲା ଡାଳ କାଟିବାକୁ ଆରମ୍ଭ କଲେ । ଦୁଇ ଚାରିଚୋଟ ମାରିବା ପରେ ଅଭ୍ୟାସ ନଥିବା ହେତୁ ରାଜାଙ୍କ ହାତ ଥରିଲା ଓ କୁରାଢୀଟି ସରୋବର ମଧ୍ୟରେ ଗଳି ପଡିଲା ।
ଏପରି ଅବସ୍ଥା ଦେଖି ଦୁଇ ତିନିଜଣ ସନ୍ତରଣକାରୀ ଯୁବକ ପାଣିକୁ ଯାଇ କୁରାଢୀ ଖୋଜିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ଏକ କଳା ବର୍ଣ୍ଣର ବିଶାଳକାୟ ମନୁଷ୍ୟ ପାଣିରୁ ଉଠି ହାତରେ ଏକ ଲୁହା କୁରାଢୀ ଧରି ତାହା ସ୍ଥଳ ଉପରକୁ ଫିଙ୍ଗି ଦେଲା ।
ତାକୁ ଦେଖି ଭୟରେ ସମସ୍ତେ ଥରିଲେ । କେହି ଜଣେ ସାହସ କରି ପଚାରିଲା, “ତୁମେ କିଏ?”
ସେ କହିଲା, “ମୁଁ ରଙ୍ଗ” ଏହା କହି ସେ ପୁଣି ପାଣିରେ ବୁଡିଗଲା ।
ତା’ପରେ ରାଜା ଉଆସକୁ ଲେଉଟି ଆସିଲେ । ତାଙ୍କ ମନରେ ଶାନ୍ତି ନଥାଏ । ଦୁଇଟି ଆତଙ୍କ ତାଙ୍କୁ ଘେରି ରହିଥାଏ । ଗୋଟିଏ ତାଙ୍କର ଗ୍ରହଦୋଷରୁ ଅବୟବ ଅଚଳ ହେବାର ଭୟ । ଆଉ ଗୋଟିଏ ଏହି ନୂଆ ଭୟଙ୍କର ଜୀବ, ଯିଏ କି ମୁହୂର୍ତ୍ତକରେ ସୁନାକୁ ଲୁହା କରି ଦେଲା । ରାଜା ବ୍ୟସ୍ତ ହୋଇ ପଣ୍ଡିତ ଚାରିଜଣ, ମନ୍ତ୍ରୀ ଓ ପାରିଷଦ ବର୍ଗଙ୍କୁ ଡକାଇ ମନ୍ତ୍ରଣା ଗୃହରେ ଏକ ସଭା କଲେ । ରାଜା କହିଲେ, “ସୁନାକୁ ଲୁହା କରିଦେଉଥିବା କିଏ ଏ ରାକ୍ଷସ? ତମେ ସମସ୍ତେ ମିଳି ତା’ ବିଷୟରେ ମୋତେ କୁହ ତାକୁ ଏଠାରୁ କିପରି ତଡିବା? ନହେଲେ ଆମ ରାଜପ୍ରାସାଦରେ ଥିବା ସମସ୍ତ ସୁନାକୁ ସେ ଲୁହା କରିଦେବ, ଏପରି ହେଲେ ତ ଆମର ସର୍ବନାଶ ହେବ ।”
ଜଣେ ପଣ୍ଡିତ କହିଲେ, “ମହାରାଜ, ମୁଁ ତାକୁ ଜାଣେ । ସେ ଜଣେ ଭୟଙ୍କର ପ୍ରକୃତିର ଦାନବ । ତା’ର ନାମ ‘ରଙ୍ଗଡ’ । ଦେବ ଓ ଦାନବଙ୍କ ମଧ୍ୟରେ ଯେତେବେଳେ ଅମୃତ ପାଇଁ ସମୁଦ୍ରମନ୍ଥନ ସମୟରେ ଯୁଦ୍ଧ ହେଲା, ସେତେବେଳେ ଏ ଦାନବର ଜନ୍ମ । ସେ ବହୁତ ଭୟଙ୍କର ଓ ଅତ୍ୟାଚାରୀ । ସେ ଯାହା ଚାହିଁବ ତାହା କରିଦେଇ ପାରିବ । ସେ ତ୍ରେତା ଯୁଗରେ ଓ ଦ୍ୱାପର ଯୁଗରେ ମଧ୍ୟ ମଝିରେ ମଝିରେ ଦେଖା ଦେଉଥିଲା । ବହୁ ଶାସ୍ତ୍ର ପଢି ଆମେ ଏ ଖବର ସଂଗ୍ରହ କରିଛୁ ।”
ରାଜା ଆହୁରି ବ୍ୟସ୍ତ ହୋଇ ପଡିଲେ । ରାଜ୍ୟର ଓ ପ୍ରଜାମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ଦେଶରୁ ତାନ୍ତ୍ରିକମାନଙ୍କୁ ଡକା ହେଲା । ‘ରଙ୍ଗଡ’ ର ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ସମସ୍ତେ ଅଭିମଂନ୍ତ୍ରିତ ଡେଉଁରିଆ ପିନ୍ଧିଲେ । ପୁଣି ଧେଣ୍ଡୁରା ପିଟାହୋଇ କୁହାଗଲା ଯେ, ଯେଉଁ ବ୍ୟକ୍ତି ‘ରଙ୍ଗଡ’କୁ ମାରିଦେବ ସେ ବହୁତ ଧନ ପୁରସ୍କାର ପାଇବ ।
ଏପରି ଅବସ୍ଥାରେ ରାଜା ଥା’ନ୍ତି । ମନରେ ତାଙ୍କର ଶାନ୍ତି ନଥାଏ । ଭୟ ଓ ଆତଙ୍କରେ ସେ ବୁଡି ରହିଥା’ନ୍ତି । କିପରି ଏହି ନୂତନ ବିପଦର ପ୍ରତିକାର କରିବେ ସେ ବିଷୟରେ ଗଭୀର ଚିନ୍ତାମଗ୍ନ ହୋଇ ବସିଥା’ନ୍ତି । ଏହି ସମୟରେ ରାଜାଙ୍କ ରାନ୍ଧୁଣିଆ ପୂଜାରୀ ଆସି କହିଲା, “ମହାରାଜ, କ୍ଷମା କରିଲେ ଆପଣଙ୍କୁ ‘ରଙ୍ଗଡ’ର ରହସ୍ୟ ମୁଁ କହି ପାରିବି ।”
ରାଜା କହିଲେ, “ଶୀଘ୍ର କହ । କିନ୍ତୁ ଏତେ ବଡ ରାକ୍ଷସ ବିଷୟରେ ତୁ କିପରି ଜାଣିଲୁ? ତୁ ତ ପଣ୍ଡିତ ନୋହୁଁ!”
ପୂଜାରୀ କହିଲା, “ଆମ ରୋଷେଇ ଘର ସଫା କରୁଥିବା ରଙ୍ଗନାଥ ଏ ବିଷୟରେ ଆପଣଙ୍କୁ ମୋଠାରୁ ବେଶି ଖବର ଦେଇ ପାରିବ । ମୁଁ ତାକୁ ଏଠାକୁ ଡାକି ଆଣୁଛି ।”
କିଛି ସମୟ ମଧ୍ୟରେ ପୂଜାରୀ ରଙ୍ଗନାଥର ହାତ ଧରି ତାକୁ ଟାଣି ଟାଣି ରାଜାଙ୍କ ପାଖରେ ଆଣି ହାଜର କରାଇଲା । ରଙ୍ଗନାଥ ଥରି ଥରି ରାଜାଙ୍କ ପାଦତଳେ ପଡି କହିଲା, “ଏଥିରେ ମୋର କିଛି ଦୋଷ ନାହିଁ । ମୋତେ କ୍ଷମା କରି ଦିଅନ୍ତୁ; ମୁଁ ଏବେ ସବୁକଥା କହୁଛି ।”
ରାଜା କହିଲେ “ଆରେ ତୁ କ’ଣ ଅପରାଧ କରିଛୁ ତା’ ନ ଜାଣି ମୁଁ ତୋତେ କ’ଣ କ୍ଷମା କରିବି? ପ୍ରଥମେ ତୋର ଅପରାଧ କଥା କହ ।”
ରଙ୍ଗନାଥ କହିଲା “ଆଜ୍ଞା ମୁଁ ହେଉଛି ସେହି ‘ରଙ୍ଗଡ’ ।”
ରାଜା କହିଲେ “କ’ଣ ହେଲା? ସୁନାକୁ ଲୁହାରେ ପରିଣତ କରୁଥିବା ସେହି ଭୟଙ୍କର ଦାନବ ‘ରଙ୍ଗଡ’ ତୁ? ତୋର ମୁଣ୍ଡ ଆଉ ଖରାପ ହୋଇଯାଇ ନାହିଁ ତ?”
ପୂଜାରୀ ଏକଥା ଶୁଣି କହିଲା, “ମହାରାଜ, ଏବେ ମୋ କଥା ଶୁଣନ୍ତୁ । ସବୁ ସ୍ପଷ୍ଟ ହୋଇଯିବ । ସେଦିନ ମୁଁ ରୋଷେଇ କରିବାକୁ ଯାଇ ଦେଖିଲି କାଠ ସବୁ ଓଦା ହୋଇ ଯାଇଛି । ଉଦ୍ୟାନକୁ ଯାଇ କିଛି ଶୁଖିଲା କାଠ କାଟି ଆଣିବାକୁ ରଙ୍ଗନାଥକୁ କହିଲି । ସେ ଯାଇ ସେହି ସରୋବର ନିକଟରେ କାଠ କାଟୁଥିଲା । ଆପଣ ଯିବା କଥା ଜାଣି ସେ ଭୟରେ ପାଣିରେ ପଶିଗଲା ଓ ପଦ୍ମପତ୍ରର ବଣ ଭିତରେ ଲୁଚି ରହିଲା । ଏଣେ ମୁହଁରେ ଦେହରେ ବହୁତ କାଦୁଅ ଲାଗିଥାଏ । ଆପଣଙ୍କ କୁରାଢୀ ପାଣିରେ ପଡିଯିବାରୁ କେତେକ ଯୁବକ ପାଣିକୁ ଡେଇଁବାକୁ ବାହାରିଲେ । ସେଥିରେ ସେ ଆହୁରି ଭୟଭୀତ ହୋଇ ବିକଳରେ ତା’ର ଲୁହା କୁରାଢୀଟି ଉପରକୁ ଫିଙ୍ଗି ଦେଇ ପାଣିରେ ବୁଡିଗଲା । ଲୋକମାନେ ନାମ ପଚାରିବା ବେଳେ ସେ “ରଙ୍ଗ” ବୋଲି କହି ପାଣି ତଳେ ତଳେ ଯାଇ ଅନ୍ୟ ପଟେ ଉଠି ଚାଲିଗଲା ।”
ରାଜା କହିଲେ “ତେବେ ତ ସୁନା କୁରାଢୀଟି ସେଇଠି ଥିବ ।”
“ସେଇଟା ପରେ ସେ ନେଇ ଆସି ମୋତେ ଦେଇଛି । ହେଇ ନିଅନ୍ତୁ ।” ପୂଜାରୀ ଏହା କହିଲା ଓ ସୁନା କୁରାଢୀଟି ରାଜାଙ୍କୁ ଦେଲା ।
ରାଜା ସବୁ କଥା ବୁଝିଗଲେ । ଠକ ପଣ୍ଡିତ ମାନଙ୍କର ମିଥ୍ୟାଚାର କଥା ସମସ୍ତେ ଜାଣିଗଲେ । ସେମାନେ କେତେ ଶାସ୍ତ୍ର ପଢିଛନ୍ତି ସେକଥା ମଧ୍ୟ ଜଣା ପଡିଲା । ପରେ ରାଜା ଅଳ୍ପ କିଛି ଧନ ଦେଇ ସେମାନଙ୍କୁ ରାଜ୍ୟରୁ ତଡିଦେଲେ । ପୂଜାରୀ ଓ ରଙ୍ଗନାଥକୁ ଅନେକ ଧନ ସମ୍ପଦ ଉପହାର ଦେଲେ ।