• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ପୂର୍ବମେଘ
ଅନ୍ୟାନ୍ୟ

ପୂର୍ବମେଘ

ରାଧାନାଥ ରାୟBy ରାଧାନାଥ ରାୟFebruary 17, 2020No Comments13 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

(ରାଗ‌- କଳହଂସକେଦାର)

ଦକ୍ଷିଣଦେଶେ ରାମଗିରି ଶୋଭନ, ବିମଳ ଶୁଭ୍ର ଯହିଁ ନ‌ଦୀ ଜୀବନ
ଜନ‌କ‌କନ୍ୟା ସ୍ନାନେ ପବିତ୍ର ଅତି, ପର୍ଣ୍ଣ‌ଗ‌ହଳ ଯହିଁ ତରୁ-ବ୍ରତ‌ତୀ ।
ତ‌ହିଁଁ କୁବେର ଶାପେ ହୋଇ ପ୍ରେରିତ, ରହିଲା ଯକ୍ଷ ଦୁଃଖେ ଆତୁର ଚିତ୍ତ ।
ବତ୍ସର ଅନ୍ତେ ହେବ ଶାପ ମୋଚନ, ବତ୍ସର ଅନ୍ତେ ହେବ କାନ୍ତା ମିଳନ ।
ଗମିଲା କେତେ କାଳ ସେ ଧରାଧରେ, ବାଳାବିରହୀ କାମୀ ଯକ୍ଷ କାତରେ ।
କ୍ରମେ ଶରୀର କାନ୍ତି ହେଲା ବିଲୟ, ଖସିଲା ଶୀର୍ଣ୍ଣ କରୁ ସ୍ୱର୍ଣ୍ଣ ବଳୟ ।
ଆଷାଢ଼ ଆଦ୍ୟ ଦିନେ ଶିଖରି ଶିର, ଘୋଟିଲା ଆସି ଘନନୀଳମୁଦିର,
କ୍ରିଡ଼ା ନିମନ୍ତେ ବପ୍ରେ କରୀ ଯେସନ, ତେସନେ ମନୋରମ ଦିଶଇ ଘନ ।
କେତକୀ ପ୍ରକାଶକ ଘନ ଦର୍ଶନେ, ଅଧୀର ଯକ୍ଷ ପୂର୍ବସୁଖ ସ୍ମରଣେ ।
ବେଗେ ବୋହିଲା ଶୋକ ଅଶୃ ନୟନେ, କ‌ହି ନୁହଇ କେତେ ପାଞ୍ଚିଲା ମନେ ।
ଅଙ୍ଗନା ସଙ୍ଗେ ମଧ୍ୟ ଥିଲା ଲୋକର, ଘନାଗମେ ଆକୁଳ ହୁଏ ଅନ୍ତର ।
ପ୍ରାଣସଙ୍ଗିନୀ-ସଙ୍ଗମୁଖ ହଜାଇ, ଆତୁର ଯକ୍ଷ ତାର କଥା ତ ନାହିଁଁ ।
ନିଜ କୁଶଳ ବାର୍ତ୍ତା ମେଘ ହସ୍ତରେ, ପ୍ରେରିବ ପ୍ରିୟା ପାଶେ ନିଜ ନ‌ଗରେ ।
ପାଇ ବାରତା କାନ୍ତା ହୋଇବ ସ୍ଥିର, ଆଶାପ୍ରଭା ଶୋଷିବ ତା ନେତ୍ରନୀର ।
ଏ ଭାବେ ପ୍ରାଣ-କାନ୍ତା-ଦୁଃଖେ ବିକଳ, ଅର୍ଘ୍ୟ ସ୍ୱରୂପେ ଦେଲା ନିର୍ଝର ଜଳ ।
ପୂଜିଣ ଜୀମୂତଙ୍କୁ କୁଟଜ ଆଣି, ତା ଅନ୍ତେ ପଚାରଇ ସ୍ୱାଗତ ବାଣୀ ।
ଧୂମଜ୍ୟୋତିଃସଲିଳବାୟୁ-ରଚିତ, କାହିଁ ଜୀମୂତ ? ସେହୁ ଜୀବ-ବର୍ଜିତ ।
ମାନବ ବହ‌ନୀୟ କାହିଁ ସନ୍ଦେଶ, ଯକ୍ଷ ନ ବିଚାରିଲା ଏଥି ବିଶେଷ ।
ଉତ୍କଣ୍ଠାକୁଳ ହୋଇ ଘନ‌କୁ ଭାଷେ, ସଜୀବ ମଣି ହୃଦକଥା ପ୍ରକାଶେ ।
ଅଙ୍ଗ ଘାରଇ ଯାର ଅନଙ୍ଗ ବାଣ, ଚେତନ ଅଚେତନ ତାର ସମାନ ।

ପୁଷ୍କର ଆବର୍ତ୍ତକ ବଂଶେ ସମ୍ଭୁତ, ବିଖ୍ୟାତ ଧରାତଳେ ଅଟ ଜୀମୁତ ।
କାମଚାରୀ ସଚିବ ତୁମ୍ଭେ ଇନ୍ଦ୍ରର, ବିରହୀ ଜନଠାରେ କରୁଣା କର ।
ବିଫଳ ହୁଏ ଯେବେ ମୋର କାମନା, ଜଳଦ ! ନ କରଇ ତ‌ହିଁ ଭାବନା ।
ଫଳବତୀ ପ୍ରାର୍ଥନା ଅଧମଠାରେ, ନିନ୍ଦନୀୟ ଅଟଇ ମୋର ବିଚାରେ ।
ତାପିତ ଜନଙ୍କର ଅଟ ଶରଣ, ହେ ନୀରଦ ରଖ ମୋ ପ୍ରିୟା ଜୀବନ ।
ଧନପତି ଶାପେ ମୁଁ କାତର ଅତି, ମୋ ବିନା କାତର ସେ ବର ଯୁବତୀ ।
ଯାଅ ମୋ ବାର୍ତ୍ତା ଘେନି ହେ ନୀରଧର, ଅଳକା ନ‌ଗରୀକି, ଯହିଁ ସୁନ୍ଦର,
ବ‌ହିରୁଦ୍ୟାନେ ଛନ୍ତି ଶଶିଶେଖର, ସେ ଶଶି କରେ ଧଳା ସୌଧନିକର ।
ତୁମ୍ଭ ଦର୍ଶନେ ପାନ୍ଥ ବନିତାକୁଳ, ହୃଦୟେ ବିକଶିବ ଆଶା ମୁକୁଳ ।
ଧରିଣ ବେଣୀ ବାମ କରକମଳେ, ଦେଖିବେ ଗତି ତୋର ଅମ୍ବର ତଳେ ।
କେ କ୍ରୁର ଏ କାଳରେ ବିଦେଶେ ଥାଇ, ବନିତା ମନ ଖେଦ ହ୍ରଦେ ବୁଡ଼ାଇ ।
ନିଶ୍ଚିନ୍ତରେ ରହଇ କ‌ହ ମୋ ବିନା, ପରାଧୀନର ଘନ ଏ ଗତି ସିନା ।
ଅନୁକୂଳ ସମୀର ଧୀରେ ବ‌ହଇ, ବାମେ ଚାଳକ ମନୋହର କୂଜଇ ।
ତୋର ଉଦୟେ ତାର ଗର୍ବ ଉଦିତ, ଆକାଶ ଝଙ୍କାରଇ ଏଣୁ ତା ଗୀତ ।
ତୋର ଆଗମ କାଳେ ଯାଙ୍କ ଉତ୍ପତ୍ତି, ତୋତେ ସେବିବେ ସେହି ବକ ଦମ୍ପତି ।
ଧବଳ ପୁଣ୍ଡରୀକମାଳ ପରାୟେ, ଦିଶିବେ ଅଭିରାମ ତୋ ଶ୍ୟାମକାୟେ ।
ନିଶ୍ଚେ ନାଗରୀ ମୋର ଥିବ ଜୀବନେ, ବାସର ଗଣୁଥିବ ଉତ୍ସୁକ ମନେ ।
ଅବଳାମନଃ-ପଦ୍ମ-ଆଶା-ମୃଣାଳେ, କଷ୍ଟେ ରହଇ ଘୋର ବିରହକାଳେ ।
ଶୃତି ମଧୁର ତୋର ନାଦ ଗଭୀର, ଭୁଷଇ ଯେହୁ ଜରାଦେବୀଶରୀର ।
ନବ କନ୍ଦଳ ଦଳ ଶ୍ୟାମଳ ବାସେ, ମିଳାଇବ ତୋ ସଙ୍ଗୀ ଆଣି ଆକାଶେ ।
ରାଜ‌ହଂସେ ଶୁଣିଲେ ତୋର ଗର୍ଜନ, ନିଳାମ୍ବୁ ମାନସକୁ ଯିବେ ବ‌ହ‌ନ ।
ପାଥେୟରୂପେ ଘେନି ମୃଦୁ ମୃଣାଳ, କୈଳାସ ଯାଏ ସଙ୍ଗେ ଯିବେ ମରାଳ ।
ପ୍ରୟସଖା ତୋହର ଏ ଧରାଧର, ଦେହେ ଧରନ୍ତି ରାମଚନ୍ଦ୍ର ପୟର ।
ତେଣୁ ଅଟନ୍ତି ଗିରି ଅତି ପବିତ୍ର, ମିତ୍ର ତୁମ୍ଭର ଗିରି ନୁହେଁ ବିଚିତ୍ର ।
ଉଭୟେ ଯଥାକାଳେ ହେଲେ ମିଳିତ, ପ୍ରେମ-ଅଶୃ-ପ୍ରବାହ ବ‌ହେ ତ୍ୱରିତ ।
ଅମ୍ବୁଦ ଗିରିଠାରୁ ମାଗ ମେଲାଣି, କାତର ଅଟଇ ମୁଁ ରଖ ମୋ ବାଣୀ ।
ତୁମ୍ଭ ଗମନ‌ଯୋଗ୍ୟ ମାର୍ଗ ନିର୍ଦ୍ଦେଶ, କରଇ ଅବଧାନ ହେଉ ବିଶେଷ ।
ଆତ୍ମ ସନ୍ଦେଶ ପୁଣି କ‌ହିବି ପରେ, ଶୁଣି ହରଷ ଜାତ ହେବ ଅନ୍ତରେ ।
କ୍ଲାନ୍ତ ହୋଇଲେ ଗିରିଶୃଙ୍ଗେ ରହିବ, କ୍ଷୀଣ ହୋଇଲେ ନ‌ଦୀ ବାରି ସେବିବ ।
ଏଣୁ ହୋଇବ ସୁଖେ ତୁମ୍ଭ ଗମନ, କଷ୍ଟ ନୋହିବ ମୋହୋବାଞ୍ଛାପୂରଣ ।

ଘନ ବେତସପୂର୍ଣ୍ଣ ଏ ସ୍ଥାନ ତ୍ୟଜି, ବେଗେ ଗ‌ଗନେ ଉଠ ଧୀରେ ଗରଜି ।
ଚକିତ ନୟନରେ ସିଦ୍ଧରମଣୀ, ଅନାଇବେ ତୁମ୍ଭଙ୍କୁ ବିସ୍ମୟ ମଣି ।
ପରସ୍ପରେ ଭାଷିବେ ଦେଖ ଗୋ ସଇ, କି ଅବା ବାୟୁ ଗିରିଶୃଙ୍ଗ ହରଇ ।
ଅନମ୍ବରେ ଅମ୍ବୁଦ ଦିଗବାରଣେ, ତ୍ୟଜିବେ କର-ଗର୍ବ ତୁମ୍ଭ ଦର୍ଶନେ ।
ବଲ୍ମୀକଶିଖାଗ୍ରରୁ ହୋଇ ବାହାର, ସୁରେନ୍ଦ୍ର ଚାପଲତା ହୁଏ ବାହାର ।
ରତନ‌କାନ୍ତି ସ୍ରୋତ ଯେହ୍ନେ ଉଛୁଳେ, କି ଶୋଭା ପାଉଅଛି ତୋ ଉରସ୍ତଳେ ।
ଏହି ରୂପେ ଜଳଦ କୃଷ୍ଣ ଦେହରେ, ମୟୁର ପୁଚ୍ଛ ଶୋଭା ନୟନ ହରେ ।
ଯାହା ରୂପେ ମଜ୍ଜିଲା ଗୋପିକା ମନ, ତାହା ଉପମା ପାଇଁ ତୁମ୍ଭେ ଭାଜନ ।
କ୍ଷମତା ଆଛି ତୋର ଶସ୍ୟ ବର୍ଦ୍ଧନେ, ଏଣୁ କୃଷକବାଳା ସ୍ଥିର ଲୋଚନେ ।
ଦେଖିବେ ତୋ ମୋହ‌ନ ଛବି ଆକାଶେ, ଅନଭିଜ୍ଞା ସରଳା ନେତ୍ର ବିଳାସେ ।
ମାନକ୍ଷେତ୍ରକୁ ଘନ କର ପ୍ରୟାଣ, ହଳ କର୍ଷଣ ଜାତ ମୃତ୍ତିକା ଘ୍ରାଣ ।
ତୋଷିବ ନାସା ତୋର ତ‌ହୁଁ ଉତ୍ତରେ, ଲଘୁ ଗତି ରମିବୁ ଶୂନ୍ୟସାଗରେ ।
ଗିରିଙ୍କର ତୁ ଅଟୁ ମଙ୍ଗଳକାରୀ, ଲିଭାଉ ଦାବାନଳ ବିସର୍ଜିବାରି ।
ଶ୍ରାନ୍ତ ହୋଇଲେ ଆମକୂଟ ସଦନେ, ଗଲେ ସେବିବେ ଗିରି ଅତି ଯତନେ ।
କ୍ଷୁଦ୍ରେ ଭଦ୍ରଭବନେ ନେଲେ ଶରଣ, ନିରାଶ ନ ହୁଅନ୍ତି ଯାଚକଗଣ ।
ଗିରି ମହତ ପୁଣି ତୁ ହିତକର, ମସ୍ତକେ ସ୍ଥାନ ତୋତେ ଦେବେ ଭୂଧର ।
ସେ କାଳେ ଦାବାନଳ ଗିରି କାନନେ, ଜଳୁଥିବ‌ ହେ ଯେବେ ବାରି ବର୍ଷଣେ ।
ନିଭାଇବ ଅନଳ ସଂଶୟ ନାହିଁ, ମହତ ଲୋକର ଏ ସୂରତୀ ଭାଇ ।
ମହତଜନଠାରେ କରୁଣା କଲେ, ସେ କରୁଣା ନ ଯାଏ କେବେ ବିଫଳେ ।
ଆଶୁ ସୁଫଳ ଜାତ ନିଶ୍ଚେ ହୁଅଇ, କରୁଣାପ୍ରଭା ପୁଣି ପ୍ରତିଫଳଇ ।
ରସାଳଦ୍ରୁମ ହେମକାନ୍ତି ଫଳରେ, ବିନତ ହୋଇଥିବ ଗିରି ପ୍ରାନ୍ତରେ ।
ତୁ ପୁଣି ଗିରି ଶିରେ ବସିବୁ ଯାଇ, ଦୂରୁ ସୁର-ମିଥୁନ ବିମାନେ ଥାଇ ।
ମନୋରଞ୍ଜନ ଗିରିଶୋଭା ଦେଖିବେ, ନ‌ଗଙ୍କୁ ପୃଥ୍ୱୀ ସ୍ତନ ବୋଲି ମଣିବେ ।
ସୁମେରୁ ଶିରେ ଗିରି ନୀଳକାନ୍ତି ଶିଖର, ପରେୟେ ଦିଶୁଥିବ ତୋ କଳେବର ।
ବନେଚରଲଳନା କୋଳି-ନିଳୟ, ରାଜଇ କୁଞ୍ଜ, ତ‌ହିଁ ଅଳ୍ପ ସମୟ ।
ରହି, ଅସାର-ଦାନେ ନବଜୀବନ, ତରୁଦଳକୁ ଦେଇ କର ଗମନ ।
ଏଣୁଅନ୍ତେ ଅଗ୍ରତେ ରେବା ଦିଶଇ, ଶିଳା-ବିଷମ ବିନ୍ଧ୍ୟପାଦେ ବ‌ହଇ ।
କରି‌-ଅଙ୍ଗ ରଚିତ ଭୁତି ଯେସନ, ତେସନେ ଏ ତଟିନୀ ରମ୍ୟଦର୍ଶନ ।
ଅବଗାହ‌ନ୍ତି ବନ୍ୟବାରଣେ ତ‌ହିଁ, ଗଣ୍ଡରୁ ମଦ ସ୍ରବି ଜଳେ ମିଶଇ ।
ତେଣୁ ନର୍ମଦା ତୀର ନିତ୍ୟ ବାସିତ, ଆଦରେ ସେ ସଲିଳ ନେବ ତ୍ୱରିତ ।

ସବଳ କାୟା ତୋର ଦେଖି ପବନ, ତୁଚ୍ଛ ନ ମଣି ଦେବେ ପୃଷ୍ଠେ ଆସନ,
ସର୍ବତ୍ର ବଳହୀନ ହତ-ଆଦର, ବଳି ଲଭଇ ମାନ ରୀତି ଭବର ।
ହରିତ ପୀତ ନୀପ କୁସୁମେ ବସି, ମଧୁ ପିଅଇ ଭୃଙ୍ଗ ସୁରସେ ବସି ।
ଭ୍ରମନ୍ତି ମୃଗୀକୁଳ ସଦା ଆତୁର, ଭୁଞ୍ଜନ୍ତି ନବଜାତ ତୃଣ ଅଙ୍କୁର।
ପ୍ରମତ୍ତ ମତଙ୍ଗଜ ଶୁଣ୍ଢେ କାନନେ, ଘନଇ ଭୂମି ଗନ୍ଧ ଶ୍ୱାସ ପବନେ ।
ଚାତକେ ଉର୍ଦ୍ଧ୍ୱମୁଖେ ତରୁ ଉପରେ, ଅମ୍ବୁକଣା ଯାଚନ୍ତି ଆରତ ସ୍ୱରେ ।
ତୋହୋ କୃପାରେ ଧରାଦେହ ଶୀତଳ, ନବପଲ୍ଲବମୟ ତରୁ ସଫଳ,
ସାନନ୍ଦ ତୃଣଜୀବୀ ଏକାଳ ପାଇ, ଶୁଝିବେ ତୋହୋ ମାର୍ଗ ଋଣ ଦର୍ଶାଇ ।
ବାରି ଶୀକର ଯେବେ ତୋ ଦେହୁ ଖସେ, ଉଡ଼ନ୍ତି ଚାତକାଳି ନଭେ ରଭସେ ।
ଏକାଳେ ସିଦ୍ଧଗଣ ବନିତା ସଙ୍ଗେ, ବଳାକା ପଙ୍କତି ଦେହି ହସିବେ ରଙ୍ଗେ,
ସରଳା ମନୋରମା ସିଦ୍ଧ ରମଣୀ, ଅଙ୍ଗୁଳି ନିର୍ଦ୍ଦଶରେ ବଳାକା ଗଣି ।
ଚାହୁଁଥିବେ କାନ୍ତାଙ୍କୁ ସ୍ନିଗ୍‌ଧ ଲୋଚନେ, ଏକାଳେ ବଳାହକ ଭୀଷଣ ସ୍ୱନେ ।
ପୂରିବ ବନଭୂମି କୌତୁକ ଭୟେ, ଭିଡ଼ିବେ କାନ୍ତ‌ତନୁ ବାଳା ନିଶ୍ଚୟେ,
ସିଦ୍ଧ ମାନସ ତ‌ହୁଁ ତୁଷ୍ଟ ହୋଇବ, ତୋ ଅଗମନ‌କୁ ସେ ଶ୍ଳାଘ୍ୟ ମଣିବ ।
ହେ ନୀଳ ନୀରଧର ତୁମ୍ଭ ଗମନେ, ବିଳମ୍ବ ଉପୁଜିବ ଭାଳଇ ମନେ,
ତୁଙ୍ଗ ପରବତରାଜି ବର୍ତ୍ମେ ରାଜିତ, ଅର୍ଜ୍ଜୁନପୁଷ୍ପବାସେ ଦେହ ବାସିତ ।
ସେ ସୌରଭ କର୍ଷଣେ ଲୁବ୍‌ଧ ହୃଦୟ, ରମିବ ଶୈଳେ ଘନ ବ‌ହୁ ସମୟ,
କଳାପି-କୁଳ-କେକା ତାପରେ ଶୁଣି, ମନେପଡ଼ିବ ପୁଣି ମୋର ମାଗୁଣି ।
ଦଶାର୍ଣ୍ଣ ଦେଶ ଘନ ଦିଶେ ତା ପରେ, ଏଦେଶ ସମାକୁଳ ବଟଦ୍ରୁମରେ ,
ଦ୍ରୁମେ ବାୟସବାର ନୀଡ଼ ରଚନ୍ତି, ଏ କାରଣେ ପ୍ରାବୃଟେ ସୁଖେ ରହ‌ନ୍ତି ।
କେତେକ ଜାଳବୃତି ତ‌ହିଁ କାନନ, କେତେକ ପରାଗରେ ପାଣ୍ଡୁଚରଣ,
ଜମ୍ବୁପାଦପ ନତ ଶ୍ୟାମଳ ଫଳେ, ସରସେ କଳହଂସ ନାଦ ଉଚ୍ଛଳେ ।
ତ‌ହୁଁ ଉତ୍ତରେ ଯିବ ନଭ ସନ୍ତରି, ଅଗ୍ରେ ବିଦିଶା ନାମେ ରମ୍ୟ ନ‌ଗରୀ,
ରମିବ ତୋ ନୟନ ସେ ରାଜଧାନୀ, ଅଟଇ ଧରାତଳେ ସେ ନ‌ଗରୀରାଣୀ ।
ବେତ୍ରବତୀ ତଟିନୀ ତ‌ହିଁ ବ‌ହଇ, ନୀଳ ଊର୍ମି ବିଳାସେ ନେତ୍ର ହରଇ,
ଭୃଭଙ୍ଗୀ ବୋମୋହ‌ନ ବାମା ବଦନ, ଚୁମ୍ବଇ କାନ୍ତୁ ଯେହ୍ନେ ରସେ ମଗନ ।
ବେତ୍ରବତୀ ବଦନ ଚୁମ୍ବି ହରଷେ, ତୁ ପୁଣି ନବଘନ ମଜ୍ଜିବୁ ରସେ,
ଲାଜେ ଲଳନା ଯେହ୍ନେ ଅସ୍ଫୁଟ ସ୍ୱନେ, ନ‌ଦୀ ଭାଷିବ ତୋତେ କଳ ନିଶ୍ୱନେ ।
ଶୋହେ ଅଦୂରେ ପୁଣି ନୀରଶିଖରୀ, ସୁଖେ ବିଶ୍ରାମ ଲାଭ ତ‌ହିଁ ଉତ୍ତରି,
ଗିରି ତୋ ସଙ୍ଗ ପାଇ ରାଜିବ ଭଲେ, ରୋମାଞ୍ଚ ପ୍ରକଟିବ କଦମ୍ବ ଛଳେ ।
ଶିଳାସଦନେ ତ‌ହିଁ ନବ ନାଗରୀ, ବାନ୍ଧି ପ୍ରାଣନାଥଙ୍କୁ ଭୁଜବଲ୍ଲରୀ,
ପାଶରେ ସନ୍ତୋଷନ୍ତି ରମଣମନ, ଶରୀର ପରିମଳ ବ‌ହେ ପବନ ।

ପୃଳଗିରିରୁ ଚାରୁ ନିର୍ଝର ଝରେ, ପୁଷ୍ପବନ ବିରାଜେ ବେନି ପାର୍ଶ୍ୱରେ,
ଯୂଥିକାଫୁଲଜାଳ ତ‌ହିଁ ଫୁଟଇ, ମନୋଜ୍ଞସୌରଭରେ ନାସା ତୋଷଇ ।
ଫୁଲ ତୋଳନ୍ତି ତ‌ହିଁ ମାଳିନିଦଳ, ସ୍ୱେଦେ ମଳିନ ତାଙ୍କ କର୍ଣ୍ଣ-ଉତ୍ପଳ,
ତୋର ଶୀତଳ ଛାୟା ହେଲେ ପତିତ, ଉର୍ଦ୍ଧ୍ୱେ ଚାହିଁବେ ବାଳା ହୋଇଣ ପ୍ରୀତ ।
ଉତ୍ତର ଦେଶପ୍ରତି ଗମନେ ମନ, ଉଜ୍ଜୟିନୀକି ଗଲେ ମାର୍ଗବର୍ଦ୍ଧନ,
ନିଶ୍ଚେ ହୋଇବ, ଜାଣୁଅଛି ବିଶେଷ, ମାତ୍ର ସେଠାରେ ସୁଖଲାଭ ଅଶେଷ ।
ସୌଧ ଉତ୍ସଙ୍ଗେ ହିଁ ପୁର-ଅଙ୍ଗନା, ମନ୍ଦେ ବିହରୁଥିବେ ହଂସଗମନା,
ଦେଖି ତୋ ଗାତ୍ରେ କ୍ଷଣପ୍ରଭା ସ୍ଫୁରଣ, ଚକିତ ହେବ ବାମା ବାମ ନୟନ ।
ଚାରୁ ଚାହାଣି ଭୁରୁଶୋଭିନୀଙ୍କର, ବିଦ୍ୟୁତ୍‌ଝଟକେ ପୁଣି ଚଟୁଳତର,
ନ ଦେଖି ଯିବୁ ଯେବେ ତ‌ହିଁ ତୁ ଘନ, ବୃଥା ଜନମ ତୋର ବୃଥା ଜୀବନ ।
ମାର୍ଗେ ନିବନ୍ଧ୍ୟା ନ‌ଦୀ ତୋ ପ୍ରଣୟିନୀ, ଅଳି-ଶ୍ୟାମଳ ଚାରୁ-ଊର୍ମି-ମାଳିନୀ,
ଊର୍ମିକ୍ଷୋଭେ ଆକୁଳ ମରାଳସ୍ୱନ, ଶୁଭିବ କାଞ୍ଚିଶବ୍ଦ ପ୍ରାୟେ ମୋହ‌ନ ।
ଆବର୍ତ୍ତରୂପେ ନାଭି ନେତ୍ର ମୋହିବ, ତୋଠାରେ ନ‌ଦୀ ସ୍ନେହ ସେହି ସୂଚିବ,
ରସିକ ତୁ ଜଳଦ କ‌ହିବି କେତେ, କାମିନୀ ପ୍ରକାଶନ୍ତି ଭାବସଙ୍କେତେ ।
କୃଶସଲିଳରେଖା ବେଣୀ ପରାୟେ, ଦିଶଇ ପୁଣି ନ‌ଦୀପୁଳିନ‌କାୟେ,
ସ୍ଖଳିତ ତୀର-ତରୁ-ପର୍ଣ୍ଣ-ନିବ‌ହ, ତେଣୁ ପାଣ୍ଡୁରକାନ୍ତି ନ‌ଦୀ ବିଗ୍ରହ ।
ଶୈବଳିନୀ ବିରହ ଦଶା ପ୍ରକାଶି, ସୂଚିବ ତୋଠାରେ ସେ କେଡ଼େ ପ୍ରୟାସୀ,
ଯେଉଁ ଉପାୟେ ପୂର୍ବ ରୂପ ଲଭିବ, ନିଦାନେ ସେ ବିଧାନ ଘନ କରିବ ।
ଅଗ୍ରେ ବିରାଜେ ତାର ଅବନ୍ତୀପୁରୀ, ଯେ ପୁରେ ଉଦୟନ କଥା ମାଧୁରୀ,
ଗଳ୍ପ‌ପ୍ରିୟ ସ୍ଥବିର ତୁଣ୍ଡୁ ଝରଇ, ତା ପରେ ଉଜ୍ଜୟିନୀ ପୁରୀ ରାଜଇ ।
ବର୍ଣ୍ଣି ନୁହଁଇ ତାର ଚାରୁ ଉପମା, ଭୁତଳେ ନାହିଁ ଘନ ତାର ଉପମା,
ସ୍ୱର୍ଗର କାନ୍ତିମାନ ଖଣ୍ଡ ସ୍ଖଳିତ, ପ୍ରାୟେ ଦିଶନ୍ତି ପୁରୀ ସୌଧରାଜିତ ।
ଯହିଁ ପ୍ରତ୍ୟୁଷେ ଶିପ୍ରାନ‌ଦୀ ପବନ, ଦ୍ୱିଗୁଣିତ କରଇ ହଂସ କୂଜନ,
ପ୍ରଫୁଲ୍ଲ ସରସିକ ସୌରଭ ହରି, ସେବଇ ଅଙ୍ଗନାଙ୍କୁ ମନ୍ଦେ ସଞ୍ଚରି ।
କ୍ଳାନ୍ତ କାମିନୀକୁଳ ନିଶି ଜାଗରେ, ଅନୂକୁଳ ସମୀର ସେ କ୍ଳାନ୍ତି ହରେ,
ନିତମ୍ବ-ନୀଳାମ୍ବର ମ୍ବଦ ଧୂନଇ, ଦୟିତ ପରାୟେ କେତେ ଚାଟୁ କରଇ ।
କେଶ ସଂସ୍କାର ଧୂପ ଗବାକ୍ଷଦ୍ୱାରେ, ବାହାରି ମିଶୁଥିବ ତୋହ କାୟାରେ,
ନାଚିବେ ତୋ ଦର୍ଶନେ ଗୃହ ମୟୁର, ଗଭୀର କେକାରବେ ପୂରିବ ପୁର ।
କୁସୁମ-ଶୋଭି-ସୌଧପୃଷ୍ଠ-ଆସନେ, ପଥଶ୍ରମ ଶ୍ରମିବୁ ସୁଖ-ଶୟନେ,
ସୀମନ୍ତିନୀ-ପଦାଙ୍କ ତ‌ହିଁ ଉପରେ, ଦେଖିବୁ ହର୍ମ୍ମ୍ୟେ ଯେହ୍ନେ ରକ୍ତିମା ଝରେ ।

ଉଜ୍ଜୟିନୀ ସନ୍ନିଧେ ଶିବସଦନ, ଅତି ପବିତ୍ର ଧାମ ଲୋକପାବନ,
ଗନ୍ଧବତୀ ତଟିନୀ ବ‌ହଇ ପାଶେ, କୁବଳୟ ସୁରଭି ସମୀର ଶ୍ୱାସେ ।
ଜଳେ କ୍ରିଡ଼ନ୍ତି ତ‌ହିଁ କେତେ ସୁନ୍ଦରୀ, ନୀଳ ତମାଳେ ଯହିଁ ସ୍ୱର୍ଣ୍ଣ ବଲ୍ଲରୀ,
ହରକଣ୍ଠ-ବରଣ ରାଜେ ତୋ ଦେହେ, ଚାହିଁବେ ଶିବଗଣ ତୁମ୍ଭକୁ ସ୍ନେହେ ।
ପୂର୍ବ କଥିତ ମହାକାଳ-ନିଳୟେ, ହେବୁ ପ୍ରବେଶ ଯେବେ ଆନ ସମୟେ,
ନଳିନୀସଖାଙ୍କର ଅସ୍ତଗମନ, ଯାଏ ଅନାଇ ତ‌ହିଁ ରହିବୁ ଘନ ।
ସନ୍ଧ୍ୟା ଆଗମେ ତୋର ଧ୍ୱନି ଗଭୀର, ପୂଜାପଟ‌ହ ପ୍ରାୟେ ମନ୍ଦ୍ରେ ମନ୍ଦିର,
ଝଙ୍କାରି ସନ୍ତୋଷିବ ଶିବଶ୍ରବଣ, {{Hover|ପ୍ରଶଂସା|ଶ୍ଳାଘ୍ୟ]] ସଫଳ ତ‌ହୁଁ ହେବ ଗର୍ଜନ ।
ମନ୍ଦିର ପାର୍ଶ୍ୱେ ବାରବାଳା ନିକର, ରତ୍ନ ଛାୟା ଖଚିତ ଗରୁ ଚାମର,
ଘେନିଣ ବିଞ୍ଚୁଥିବେ ଲୀଳାବ୍ୟଜନେ, ସିଞ୍ଚିବୁ ତାଙ୍କୁ ନବ ସଲିଳ-କଣେ ।
ଭ୍ରମର-ରାଜି ରମ୍ୟ ନୟନେ ଚାହିଁ, ତୋ ମନ ନୀରଧର ନେବେ ଭୁଲାଇ,
ତୋ ଶ୍ରବଣ ତୋଷିବ ରମ୍ୟ ଶିଞ୍ଜିତ, ବୀଣା ଝଙ୍କାର ଗଞ୍ଜି ମଧୁସଙ୍ଗୀତ ।
ମଣ୍ଡଳାକାରେ ଘେରି ତରୁ କାନନ, ଶୋଭିବ ଉଚ୍ଚେ ତ‌ହିଁ ଘୋଟି ଗ‌ଗନ,
ସନ୍ଧ୍ୟା ସିନ୍ଦୁର ରାଗେ ହୋଇ ରଞ୍ଜିତ, ଦିଶିବ ନବଜବା ପ୍ରାୟେ ଲୋହିତ ।
ନର୍ତ୍ତନ କାଳେ ଶିବ ତୋତେ ଚାହିଁବେ, ଆର୍ଦ୍ର-ଗଜ-ଅଜିନ ଲାଜେ ତ୍ୟଜିବେ,
ଭବ-ସୁନ୍ଦରୀ ଦେଖି ତୋର ଭକତି, ସୁଆଶିଷ କରିବେ ହରଷେ ସତୀ ।
ରଜନୀକାଳେ ଦାଣ୍ଡେ କେତେ ଯୁବତୀ, ଉଦ୍‌ବେହେ ଯାଉଥିବେ କାନ୍ତ ବସତି,
ଘୋର ଅନ୍ଧାରେ ମାର୍ଗ ଦିଶିବ ନାହିଁ, କମ୍ପିବେ ଭୟେ ଚଉଦିଗେ ଅନାଇ ।
ତୋ ସଙ୍ଗେ ଥିବ ପ୍ରଭାମୟୀ ତଡ଼ୀତ, ଏକାଳେ ବାଳାଙ୍କର ସାଧିବେ ହିତ,
ଘନ ମୁଞ୍ଚିବ ନାହିଁ ଭୀମ ନିନାଦ, ନାଦ ମଣିବେ ବାମା ଘୋର ପ୍ରମାଦ ।
କ୍ଳାନ୍ତ ହେଲେ ତଡ଼ିତ ଚିର ନର୍ତ୍ତନେ, ଥୋଇବୁ ଅବଳାକୁ କ୍ରୋଡ଼ ଶୟନେ,
ଚନ୍ଦ୍ରଶାଳାରେ ଯାପି ଶେଷ ରଜନୀ, ଶେଯ ତ୍ୟଜିବୁ ଶୁଣି କପୋତ ଧ୍ୱନି ।
ଫିଟାଇ ପୂର୍ବଆଶା-ସ୍ୱର୍ଣ୍ଣତୋରଣ, ମୌକ୍ତିକବ୍ରଜେ ପଦ୍ମକରେ ବ‌ହ‌ନ,
ବୁଣିବ ରଙ୍ଗେ ଯେବେ ଉଷାରଙ୍ଗଣୀ, ସେ ସମୟ ଛାଡ଼ିବୁ ତୁ ଉଜ୍ଜୟିନୀ ।
ପ୍ରାତେ ଖଣ୍ଡିତା ପାଶେ ନାୟକ ଆସି, ସ୍ନେହେ ପୋଛନ୍ତି ନେତ୍ର-ସଲିଳ ରାଶି,
ଏଣୁ ନଳିନୀ ପଦ ନୟନ ନୀର, ପୋଛିବେ ନିଜ କରେ କାନ୍ତ ମିହିର ।
ଏକାଳେ ତାଙ୍କ ମାର୍ଗ ରୋଧିବୁ ନାହିଁ, ନତି କରିବା ବ‌ହୁ ଦୂରରୁ ଥାଇ,
ମାର୍ଗ ରୋଧିଲେ ନିଶ୍ଚେ ରୋଷିବେ ହରି, ଏଣୁ କରିବୁ କାର୍ଯ୍ୟ ମୋ ବାଣୀ ସ୍ମରି ।
ସୁଗଭୀର ଗମ୍ଭୀର ନ‌ଦୀ ଜୀବନ, ନିତ୍ୟ ପ୍ରସନ୍ନ ଯେହ୍ନେ ମହତ ଜନ,
ଦେଖୁବୁ ଘନ ନ‌ଦୀ ଦର୍ପଣ ଜଳେ, ନିଜ ମୂରତି ବ‌ହୁ ଯୋଜନ ତଳେ ।

ମାର୍ଜିତ ହୀରାଖଣ୍ଡ ପ୍ରାୟେ ସଫରୀ, ଚ‌ଞ୍ଚଳେ ଖେଳୁଥିବ ନୀରେ ସଞ୍ଚରି,
ତଟିନୀ ନେତ୍ରମାଳ ପ୍ରାୟେ ଦିଶିବେ, ଉନ୍ମେଷ କଲା ପ୍ରାୟେ ବୁଡ଼ି ଭାଷିବେ ।
ତୀର ଜଘନୁ ନୀଳ ସଲିଳ ବାସ, ସ୍ରସ୍ର ଦେଖି ଅନ୍ତରେ ହେବ ଉଲ୍ଲାସ,
ଲମ୍ବମାନ ହୋଇଣ ନ‌ଦୀ ଉପରେ, ଧରିବ ନୀଳବାସ ବେତସ-କରେ ।
ବନ୍ଧୁ ମାଗୁଣି ପୁଣି ହେଲେ ସ୍ମରଣ, ହୋଇବ ଅତି କଷ୍ଟେ ତ‌ହୁଁ ଗମନ,
ଯେହୁ ଲଭିଛି ଘନ ସେ ରସ ସ୍ୱାଦ, ପ୍ରସ୍ତୁତ ରସେ ବିଘ୍ନ ଗଣେ ପ୍ରମାଦ ।
ସମ୍ପ୍ରତି ଦେବଗିରି ଦିଶେ ଅଗ୍ରତେ, ବେଗେ ଯାଅ ଜଳଦ ସେ ପରବତେ,
ନବ ଆସାର-ସିକ୍ତ ମୃତ୍ତିକା ବାସେ, ସୁରଭି ଶୀତ ବାୟୁ ସନ୍ତାପ ନାସେ ।
ଶୁଣ୍ଢେ ପିଅନ୍ତି ଦନ୍ତୀ ସେ ସମୀରଣ, ତ‌ହୁଁ ଉପୁଜି ସ୍ୱନ ତୋଷେ ଶ୍ରବଣ,
ଉଡୁମ୍ବର ଫଳ ଏ ବାୟୁ ପରଶେ, ପରିପୂର୍ଣ୍ଣ ହୁଅଇ ମଧୂର ରସେ ।
ସେ ନ‌ଗ୍ରେ ନିବସନ୍ତି କାନ୍ତ କୁମାର, ପୁଷ୍ପମିଶ୍ରିତ-ବ୍ୟୋମ-ଗଙ୍ଗା ଆସାର,
ବରଷି ଧୋଇବୁ ତୁ ସେ କଳେବର, ସୁଲଳିତ ଚମ୍ପକ ପ୍ରାୟେ ସୁନ୍ଦର ।
ବାସବୀସୈନ୍ୟଦଳ ରକ୍ଷା କାରଣେ, ଶଙ୍କର ବିସର୍ଜିଲେ ତେଜ ଦ‌ହ‌ନେ,
ତ‌ହୁଁ ସମ୍ଭବି ଶୂର ଶିଖିବାହ‌ନ, କୋଦଣ୍ଡ ଧରି କଲେ ଦୈତ୍ୟ ନିଧନ ।
ବାହ‌ନ-ଶିଖୀ ବସିଥିବ ଶିଖରେ, ଧଳା ଅପାଙ୍ଗ ହର-ଚନ୍ଦ୍ରମା କରେ,
ପୁତ୍ରବତ୍ସଳା ଯାର ଚନ୍ଦକ ଘେନି, ଭୂଷନ୍ତି ହୈମ‌ମତୀ ଶ୍ରବଣ ବେନି ।
କାନ୍ତ-ବଳୟ-ଚାରୁ ଚନ୍ଦ୍ରକ ଧରି, ଦିଶନ୍ତି ରମ୍ୟତର ହର-ସୁନ୍ଦରୀ,
ନୀଳ କୁମୁଦ ପ୍ରାୟେ ବର୍ହ ଲମ୍ବଇ, ଇନ୍ଦ୍ରନୀଳ ଭୂଷଣ ଶୋଭା କଳଇ ।
ନୀରଦ ମନ୍ଦ୍ରନାଦ ଶୁଣି ତୋହର, ନାଚିବ ପୁଚ୍ଛ ଟେକି ସେ ଶିଖିବର ।
ଶୈଳ କନ୍ଦରେ ପଶି ସେ ନାଦ ପୁଣ, ଗମ୍ଭୀର ପ୍ରତିନାଦେ ହେବ ଦ୍ୱିଗୁଣ ।
କୁମାର ପୂଜା ଅନ୍ତେ ନଭପ୍ରାଙ୍ଗଣେ, ଉଠ ଜୀମୂତ ଚନ୍ଦ୍ର ମନ୍ଦ୍ର ନିଃସ୍ୱନେ,
ହେମ‌ବିମାନ‌ଚାରୀ ସିଦ୍ଧ‌ଯୁଗଳ, ପଥ ଛାଡ଼ିବେ ଜଳ ଭୟେ ବିହ୍ୱଳ ।
ସିଦ୍ଧରଙ୍ଗିଣୀ-ବୀଣା-ତନ୍ତ୍ରୀ-ଝଙ୍କାର, ଶୁଣି ଲଭିବ ନଭେ ମୁଦ ଅପାର,
ରନ୍ତି-ଭୂପତି-କୀର୍ତ୍ତୀ ଗୋତୀ ନଈ, ସଲିଳ ରେଖା ଏବେ ନେତ୍ର ହରଇ ।
କ‌ଜ୍ଜଳନିଭ ଅଟେ ତୋହୋ ଶରୀର, ବିମଳ ଶୁକ୍ରକାନ୍ତି ଗୋମତୀ ନୀର,
ଅବତରିବୁ ଯେବେ ସେ ନ‌ଦୀଜଳେ, ସୁରେ ଦେଖିବେ ଥାଇ ଗ‌ଗନ ତଳେ ।
ବିଦ୍ୟାଧରୀ ନିକର ଦୂରୁ ଚାହିଁବେ, ବାମନୟନା ନିଶ୍ଚେ ଏହା ମଣିବେ,
ଧରା ଉପରେ ମୋତିହାର ରାଜିତ, ସେ ହାର ମଧ୍ୟେ ଇନ୍ଦ୍ରମଣି ଗୁମ୍ଫିତ ।
ଯାଅ ଉତ୍ତରେ ରମ୍ୟ ଗୋମତୀ ତରି, ବରବର୍ଣ୍ଣିନୀ ଦଶପୁର ନାଗରୀ,
କୁତୁହଳେ ଚାହିଁବେ ତୋତେ ଆକାଶେ, ମୋହିବେ ଚିତ୍ତ ତୋର ମଧୁର ହାସେ ।

ପକ୍ଷ୍ମ ବିକ୍ଷେପ ସ୍ନିଗ୍‌ଧ ନୀଳିମା, କଳିବ କୃଷ୍ଣସାର ପ୍ରଭା ଗରିମା,
କଳା ଡୋଳା ଲଳିତ ବାଳା ଲୋଚନେ, ଦିଶିବ କୁନ୍ଦ ଦଳେ ଭୃଙ୍ଗ ଯେସନେ ।
ବ୍ରହ୍ମାବରତେ ନଭେ ହୋଇ ଉଡ୍ଡୀନ, କୃଷୀବଳଙ୍କୁ ଛାୟାଦାନେ ତୋଷିଣ,
ତ‌ହୁଁ କୌରବ କ୍ଷେତ୍ରେ ଯିବୁ ତ୍ୱରିତେ, ଧରା ଲୋହିତ ଯହିଁ କ୍ଷେତ୍ର ଶୋଣିତେ ।
ଗର୍ଜି ପ୍ରଚଣ୍ଡେ ସିଞ୍ଚି ଘନ ଅସାର, ଯେହ୍ନେ କମଳବଂଶ କରୁ ସଂହାର,
ଗାଣ୍ଡବୀ ସେହି ରୂପେ କୁରୁ ସମରେ, ସିଞ୍ଚିଲେ ନୃପକୁଳ ଆନନ ଶରେ ।
ସରସ୍ୱତୀ ସରିତ ସୁସ୍ୱାଦୁ ଜଳ, ସେବି ହୋଇବ ତୋର ହୃଦ ନିର୍ମଳ,
ସରସ୍ୱତୀ ମହିମା ଲୋକେ ବିଦିତ, ସରସ୍ୱତୀ ମୋହିଲା ମୂଷଳି ଚିତ୍ତ ।
ରେବତୀ ସଙ୍ଗେ ସେହୁ ମଦିରାରସ, ପାନେ ନିରତେ ହେଉଥିଲେ ହରଷ,
ବିମୁଖ ହୋଇଣ ସେ ଭାରତ ରଣେ, ବସିଲେ ଏ ତଟିନୀ ତୀର କାନନେ ।
କନ‌ଖଳ ପ୍ରଦେଶ ଛାଡ଼ି ଉତ୍ତରେ, କର ନୀରଦ ଗତି ଖର ଅମ୍ବରେ,
ପର୍ବତରାଜ ହିମ ପର୍ବତୁ ଯହିଁ, ଧବଳ ଗଙ୍ଗା ସ୍ରୋତ ଅବତରଇ ।
ସଗରବଂଶ ସ୍ୱର୍ଗ ସୋପାନରାଜି, ପ୍ରାୟେ ଦିଶଇ ଗଙ୍ଗା ନ‌ଗେ ବିରାଜି,
ଧୂର୍ଜଟି ଜଟାକୂଟେ ବ‌ହି ଝର୍ଝରେ, ଧରଇ ବାଳଚନ୍ଦ୍ର ତରଙ୍ଗ କରେ ।
ତ‌ହୁଁ ଭ୍ରୂକୁଟି ବ‌ହେ ଉମା ଆନନ, ରୁଷ୍ଟ ସପତ୍ନୀ ସୁଖେ ସପତ୍ନୀ ମନ,
ଧବଳ ଫେନ ଛଳେ ଜାହ୍ନବୀ ହସେ, ଈର୍ଷା ଅନଳେ ଜଳେ ଉମା ମାନସେ ।
ସ୍ୱଚ୍ଛ ସ୍ଫଟିକ ପ୍ରାୟେ ଜାହ୍ନବୀ ବାରି, ଆକାଶୁ ପିଇବୁ ତୁ କାୟା ପ୍ରସାରି,
ପିଅଇ ନୀର ସୁରକରୀ ଯେସନେ, ବକ୍ର ଭାବରେ ଝୁଲୁଥିବୁ ଗ‌ଗନେ ।
ଲହରୀ ଖେଳୁଥିବ ମନ୍ଦ ଅନିଳେ, ପଡ଼ିବ ତୋର ଶ୍ୟାମ ଛବି ସଲିଳେ,
ଆସ୍ଥାନେ ଭାନୁସୁତା ଲହରୀ ହାର, ମିଶିଲା ପ୍ରାୟେ ଶୋଭା ବ‌ହେ ଉଦାର ।
ତୁଷାର ଗୌର ହିମଗିରି ମସ୍ତକେ, ବସି ଶ୍ରମିବୁ ମାର୍ଗଶ୍ରମ ପୁଲକେ,
କସ୍ତୂରିକା କୁରଙ୍ଗ ଆଙ୍ଗ ପରଶେ, ସୁରଭିତ ଶିଳା ସେ ଶୈଳ ଉରସେ ।
ଶଶିଶେଖର-ଶ୍ୱେତ-ବୃକ୍ଷ ବିଷାଣ, ଦେହେ ଉତ୍‌ଖାତ ଯେହ୍ନେ ପଙ୍କପିଧାନ,
ମୂରତି ତୋର ନୀଳ କଜ୍ଜ୍ୱଳନିଭ, ଶିଖରେ ବିରାଜି ସେ ଶୋଭା ବାଜିବ ।
ସରଳ ଦ୍ରୁମେ ଯେବେ ଶାଖା ଘର୍ଷଣେ, ଜ୍ୱଳିବ ବ‌ହ୍ନି, ବାୟୁ ବ‌ହି ଭୀଷଣେ,
କନ‌କ‌କାନ୍ତି ଅଗ୍ନି ଶିଖା ଦୀପିବେ, ଗ‌ହ୍ୱରୁ ଚମରୀଙ୍କୁ ବେଗେ ତଡ଼ିବେ ।
ଅନଳ ଯୋଗେ ଚାରୁ ପୁଚ୍ଛ ଚାମର, ଜ୍ୱଳି କରିବା ତାଙ୍କୁ ତ୍ରାସେ କାତର,
ଡେଇଁ ପଡ଼ିଲା ପ୍ରାୟେ ଦାବଦ‌ହ‌ନ, ଦ୍ରୁମୁଁ ଦ୍ରୁମେ ଲଗନ ହେବେ ବ‌ହ୍ନ ।
ବ‌ହ୍ନି ଉପରେ ସିଞ୍ଚି ନବ ଆସାର, ଗିରିପ୍ରାଣୀ ଜୀବନ କର ଉଦ୍ଧାର,
ଦୋଷହୀନ ଜନର ହେଲେ ବିପଦ, ବିପଦୁଁ ନିସ୍ତାରଇ ସାଧୂ ସମ୍ପଦ ।

ଗାତ୍ର ଭଙ୍ଗ ସକାଶେ ତ‌ହିଁ ଶରଭେ, ଶିଖରିଶୃଙ୍ଗେ ଡେଉଁଥିବେ ଗରବେ,
ଧରିବା ପାଇଁ ତୋତେ ହେବେ ଉତ୍ସୁକ, ତ୍ୱରିତେ କରିବୁ ତୁ ତାଙ୍କୁ ବିମୁଖ ।
ଅବ‌ହେଳେ ଧବଳ କରକା ହାସେ, ପଳାଇବେ ଶରଭେ ଦୂରୂ ତରାସେ,
ନିଷ୍ଫଳ କର୍ମେ ଯାର ମ୍ବନ ଦୀକ୍ଷିତ, ପରଠାରେ ନିଶ୍ଚେ ସେ ସବୁ ଲଜ୍ଜିତ ।
ତ୍ରିଶୂଳ ପଦଚିହ୍ନ ତ‌ହିଁ ପ୍ରସ୍ତରେ, ବିମଣ୍ଡିତ କାନନ ଜାତ ପୁଷ୍ପରେ,
ଦେଖି ବାରିଦପତି କରିବୁ ନତି, ବିଫଳ ନୋହେ ଶିବ ପାଦେ ଭକତି ।
ଗିରିନିବାସି ମୂନି ହର ଚରଣ, ପୂଜନ୍ତି ନିତ୍ୟ ଶାନ୍ତିରସେ ମଗନ,
ଏ ପାଦେ ଭକ୍ତି ଥିଲେ କଳୁଷ ନାଶ, ହୋଇ ସୁଖରେ ଅନ୍ତେ ସ୍ୱରଗେ ବାସ ।
ଘନ କୀଚକରାଜି ବାୟ ପୂରିତ, ବଂଶୀ ବାଜିଲା ପ୍ରାୟେ ହୁଏ ନାଦିତ,
ତ୍ରିପୁର ଜୟ ଗୀତ ମଧୁର ସ୍ୱରେ, କିନ୍ନରୀକୁଳ କଳକଣ୍ଠୁ ନିଃସରେ ।
ତୋ ନାଦେ ମୁଖରିତ କନ୍ଦର ବ୍ରଜ, ମୁଞ୍ଚିବ ମନ୍ଦ୍ରନାଦ ଯେହ୍ନେ ମୂରଜ,
ସଙ୍ଗୀତ ଅଭିଳାଷ ବାମଦେବର, ଚରିତାର୍ଥ କରିଣ ଲଭିବୁ ବର ।
ହିମାଦ୍ରି ତଟେ ସବୁ କରି ଦର୍ଶନ, ଶୀଘ୍ର କର ଉଦୀଚି ଅନୁସରଣ,
କ୍ରୌଞ୍ଚ-ରନ୍ଧ୍ର ଭେଦିଣ ଶୈଳଶରୀରେ, ଲଭିଲେ ରାମ ନିତେ ଯଶଃ ମହୀରେ ।
ମାନସରକୁ ବେତଗେ ବରଷାଗମେ, ଏ ମାର୍ଗେ ହଂସେ ଯା’ନ୍ତି ଉଡ଼ି ସମ୍ଭ୍ରମେ,
ତିର୍ଯ୍ୟକେ ରନ୍ଧ୍ର ଦେଇ ଉତ୍ତରେ ଯିବ, ହଂସ ଅଗ୍ରତେ ଦେଖି ମାର୍ଗ କଳିବ ।
ବଳି ଦଳନ ବେଳେ ପ୍ରଭୁ ବାମନ, ଯେ ପାଦ ବିସ୍ତାରିଲ ଘୋଟି ଗ‌ଗନ,
ସେ ପାଦ ବରଶୋଭା ଲଭିବୁ ଭଲେ, ସେ ରନ୍ଧ୍ର ମାର୍ଗେ ଯେବେ ଯିବୁ ଚଞ୍ଚଳେ ।
ତ‌ହିଁ ଊର୍ଦ୍ଧ୍ୱେ ରାଜଇ କୈଳାସ ଗିରି, ନବ ପ୍ରଫୁଲ୍ଲ ଶ୍ୱେତ କୁମୁଦ ଶିରୀ,
କି ଅବା ରାଣୀଭୁତ ତ୍ର୍ୟମ୍ବକ ହାସ, ତାରାମାଳ ଚୂମ୍ବଇ ବ୍ୟାପି ଆକାଶ ।
ଦୁର୍ଦ୍ଦଣ୍ଡ ଦଶଗ୍ରୀବ ରୋଷେ ହୁଙ୍କାରି, ଝିଙ୍କିଲା ଶୈଳ ଯେବେ ଭୁଜ ପ୍ରସାରି,
ନାଗେ ନରେ ଅମର କମ୍ପିଲେ ତ୍ରାସେ, ମିଳିଲା ଅମ୍ବୁରାଶି ଊର୍ମି ଆକାଶେ ।
ଗମ୍ଭୀର ବଜ୍ର ଘୋଷେ ଘୋଷି କନ୍ଦର, ପଳାଇଲେ ଜୀମୂତେ ଛାଡ଼ି ଭୁଧର,
ଗର୍ଜିଲେ ପ୍ରଭଞ୍ଜନ ହେଲା ଅନ୍ଧାର, ଉଡ଼ିଲା ସ୍ତୁପାକାର ସାନ୍ଦ୍ର ତୁଷାର ।
ଆତଙ୍କେ ଗିରିବାସୀ ଗଉରୀସାଇଁ, ପାଦେ ଶରଣ ବେଗେ ପଶିଲେ ଯାଇଁ,
ହସିଲେ ତ‌ହୁଁ ପ୍ରଭୁ ଭକ୍ତ ବତ୍ସଳ, ଅଚଳ ପୂର୍ବ ପରି ହେଲା ଅଚଳ ।
ସୁରବନିତାବ୍ରଜ ନଭୋମଣ୍ଡଳେ, ଭ୍ରମନ୍ତି ଯେବେ ଗିରି ମୁକୁଳ ତଳେ,
ପଡ଼ଇ ପ୍ରତିବିମ୍ବ ନେତ୍ରରଞ୍ଜନ, ସେ ଦର୍ପଣେ ସ୍ୱମୁଖ ଦେଖିବୁ ଘନ ।
ଦଳାଞ୍ଜନ-ପ୍ରଭା ବୋଳା ପରାୟେ, ତୋ ଦେହ ନୀଳ କାନ୍ତି ପ୍ରକାଶୁଥାଏ,
ଧଳା କୈଳାସ ଦେହେ ହେଲେ ଲଗନ, ଦିଶିବ ଧରାଧର ଶୋଭା ଯତନ ।

ଅମରେ ସ୍ଥିର ନେତ୍ରେ ଥିବା ଅନାଇ, ଏଡ଼େ ବିଚିତ୍ର ଦୃଶ୍ୟ ଭୁବନେ କାହିଁ,
ନୀଳ ବସନେ ହଳିସ୍କନ୍ଦ ଯେସନ, ଦିଶିବ ହରଶୈଳ ରମ୍ୟ ତେସନ ।
ପାର୍ବତୀ କାନ୍ତ କର ଧରି ସ୍ୱକରେ, ପଦବ୍ରଜରେ ଚଢ଼ୁଥିବେ ଭୁଧରେ,
ସ୍ତମ୍ଭତ କରି ନିଜ ସଲିଳରାଶି, ତଦ୍‌ଗତ‌ହୃଦୟରେ ଭକ୍ତି ପ୍ରକାଶି ।
ଅଗ୍ରତେ ଗାତ୍ରଭଙ୍ଗେ ହୋଇ ଶୟାନ, ସେବିବୁ ଯେହ୍ନେ ଇନ୍ଦ୍ରନୀଳ ସୋପାନ,
ନ‌ଗେନ୍ଦ-ବାଳା ପଦ ପାଦ‌ଯୁଗଳ, ଛୁଇଁ ଦେହ ଧାରଣ ହେବ ସଫଳ ।
ତ‌ହିଁ ସୁର‌ଯୁବତୀ ନିତ୍ୟ ଚପଳା, ଘସି ତୋ ଦେହେ ଚାରୁ ହୀରକବାଳା,
ତୋ ଶରୀରୁ ନିଃସୃତ ନୀର ଲଭିବେ, ଜଳ‌ଯନ୍ତ୍ର ପରାୟେ ତୋତେ ମଣିବେ ।
ଛାଡ଼ି ନ ଦେବେ ଯେବେ ବାଳାନିକର, ଅଲିଳଦାନେ ଯେବେ ହେବେ କାତର,
ମୁଞ୍ଚିବ ହେ ନୀରଦ ଗମ୍ଭୀର ନାଦ, ଅବଳା ପଳାଇବେ ଗଣି ପ୍ରମାଦ ।
ହେମକମଳଛନ୍ନ ମାନସନୀର, ଘେନି ହୋଇବେ ତୋର ଚାରୁ ଶରୀର,
ସୁରେନ୍ଦ୍ର କରି କର ରଙ୍ଗେ ଘୋଡ଼ାଇ, ନବ ସଲିଳେ ତାର ପ୍ରିତୀ ବଢ଼ାଇ ।
ଶୀକରସୁଶୀତଳ ମନ୍ଦ ପବନେ, କିମ୍ପାଇ କଳ୍ପତରୁ ପଲ୍ଲବ ବନେ,
ସ୍ଫଟିକ ଗୌର ତନୁ ସେ ମହୀଧରେ, ପ୍ରବେଶିବୁ ନୀରଦ ପରମାଦରେ ।
ନାଗର ଉତ୍ସଙ୍ଗେ ଯେହ୍ନେ ନାଗରୀ, ସେ ଗିରି ଉରସେ ରମ୍ୟ ନ‌ଗରୀ,
ଜାହ୍ନବୀ-ଦୁକୁଳ-ସ୍ରସ୍ତ-ଜଘନେ, ଅଳକା ଅଗ୍ରତେ ଦିଶେ ନୟନେ ।
ଭବେ ଅତୁଳ ସେ ପୁରୀ ହେ, ନିଶ୍ଚେ ବୋମୋହିତ ହେବ ତୋ ଚିତ୍ତ,
ଦେହି ତା ରୂପମାଧୁରୀ ହେ, ଜଳଧରକାଳେ ଘନନିକର, ଆବରି ଅଳକା ସୌଧଶିଖର ।
କାମିନୀ ଚିକୁର ଶ୍ୟାମମୂରତି, ମୁଞ୍ଚି ନବନୀରବିନ୍ଦୁ ପଙ୍କତି,
ଅଳକାଶିର ଭୁଷଇ ହେ, ମୁକୁତା ଖଚିତ ରୁଚି ରଚିତ, ବାମା ଅଳକ କଳଇ ହେ ।

ସମାପ୍ତ

Odia Rachana By Radhanath Ray Odia Story Radhanath Ray Kabita
Share. Facebook Twitter Pinterest LinkedIn Tumblr Reddit Email
Previous Articleଭାରତ ଗୀତିକା
Next Article ଉତ୍ତରମେଘ
ରାଧାନାଥ ରାୟ

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.