ଶିବବାବୁଙ୍କର ଅଚାନକ ଟଙ୍କା ଦରକାର ହେଲା । ସେ ସମସ୍ତିଙ୍କୁ କରଜ ମାଗିଲେ । କିନ୍ତୁ କେଉଁଠି ହେଲେବି ସେ ଟଙ୍କା ପାଇଲେ ନାହିଁ । ତାଙ୍କର ବନ୍ଧୁବାନ୍ଧବରେ ଧନୀ କେଶବବାବୁ ଅତି କୃପଣ ଥିଲେ । ଶେଷକୁ ସେ କହିଲେ,”ଜାଣିଶୁଣି ମୁଁ ତୁମକୁ କିପରି ଦେବି? ଦେଲେ ମଧ୍ୟ ତମେ ଫେରେଇ ପାରିବ କି? ତେଣୁ ମୋ କଥା ମାନ; ଶ୍ରୀପୁରର ଗୁଣାଢ୍ୟ ଅତି ଦୟାଳୁ । ତାଙ୍କ ଦ୍ୱାରରୁ କେହି କେବେବି ଖାଲି ହାତରେ ଫେରି ନାହିଁ ।”
ଶିବବାବୁ ଶ୍ରୀପୁର ଯାଇ ଗୁଣାଢ୍ୟଙ୍କ ସହ ଦେଖା କରି ତାଙ୍କୁ ସବୁ କହିଲେ । ସେ କହିଲେ,”ଯେତେବେଳେ ଦରକାର ପଡିଲା କରଜ ନବାକୁ ଆସିଲ, ଏମିତି ହେଲେ ତୁମର କେବେବି ଉନ୍ନତି ହେବ ନାହିଁ । ପ୍ରଧାନ କଥା ହେଲା ଜବାବ । ତା’ପରେ ତୁମେ ମନେ ମନେ ସ୍ଥିର କରିଥିବା ଉଚିତ୍ ଯେ କିଭଳି ବ୍ୟବସାୟ କରିବ ଏବଂ ସେଥିରୁ ଯେପରି ନିଶ୍ଚୟ ପଇସା ପାଇବ । ଯଦି ଠିକ୍ ସମୟରେ ସୁଧ ଦେଇ ନ ପାରିବ, ତେବେ ନିଜର କଥା କିପରି ରଖିବ? ତୁମକୁ ମୁଁ ହଜାରେ ମୁଦ୍ରା ଦେଉଛି । ତମେ ବ୍ୟବସାୟ କର । ଆସନ୍ତା ବର୍ଷ ଦୁଇହଜାର ଦେବ । ଯଦି ଦୁଇବର୍ଷ ରଖ ତ ଚାରିହଜାର ଦେବ । କ’ଣ ରାଜି?”
ଶିବବାବୁ ସେଥିରେ ରାଜି ହୋଇଗଲେ । ତା’ପରେ କାଗଜରେ ଦସ୍ତଖତ କରି ଟଙ୍କା ଧରି ଆସିଲେ । ହୁଏତ ଗୁଣାଢ୍ୟଙ୍କ ଟଙ୍କାରେ କିଛି ଯାଦୁ ଥିଲା । ଶିବବାବୁ ବର୍ଷକ ଭିତରେ ଖର୍ଚ୍ଚ ଛଡା ପାଞ୍ଚହଜାର ରୋଜଗାର କଲେ । ସେ ଦୁଇହଜାର ଧରି ଋଣ ଶୁଝିବାକୁ ଯାଉଛନ୍ତି, ଏତିକିବେଳେ ଜଣେ ବ୍ୟବସାୟୀ ସେଠାରେ ଆସି ପହଁଚି କହିଲେ,”ତୁମ ପାଖରେ ପାଞ୍ଚହଜାର ଅଛି ତ ମୋ ସହିତ ମିଶି ବ୍ୟବସାୟ କର । ବର୍ଷକରେ ଅତି କମ୍ରେ ପଚାଶ ହଜାର ମିଳିବ ।”
ଶିବବାବୁ ଭାବିଲେ,”ଏବେ ଦୁଇହଜାର ଦେଲେ ମୋ ବ୍ୟବସାୟ କମତି ପଡିବ । ଆରବର୍ଷ ପଚାଶ ହଜାରରୁ ଚାରି ହଜାର ଦେବାକୁ ମୋତେ ସେତେ ବାଧିବ ନାହିଁ ।”
ତା’ପରେ ସେ ସେହି ବ୍ୟବସାୟୀଙ୍କୁ ପାଞ୍ଚହଜାର ଦେଇ ତାଙ୍କ ବ୍ୟବସାୟରେ ଭାଗୀଦାର ହେଲେ । ଧନ ବହୁତ ବଢିଲା । ଖର୍ଚ୍ଚ ମଧ୍ୟ ବଢିଲା ପାଞ୍ଚବର୍ଷରେ ସେ ଲକ୍ଷେ ଟଙ୍କା ପାଇଗଲେ । ଏଥର ତାଙ୍କୁ ବତିଶହଜାର ଶୁଝିବାକୁ ହେବ । ଏତେ ଗୁଡାଏ ଟଙ୍କା ଦେଇ ଦେବାକୁ ତାଙ୍କର ଆଦୌ ଇଚ୍ଛା ହେଲା ନାହିଁ । ସେ ଭାବିଲେ,”ମାତ୍ର ହଜାର ଟଙ୍କା କରଜ ଦେଇ ପାଞ୍ଚ ବର୍ଷରେ ବତିଶ ହଜାର ନେବା ଲୋକଙ୍କୁ କାହିଁକି ପୁଣ୍ୟବାନ୍ କୁହନ୍ତି? ପ୍ରକୃତରେ ଦେଖିଲେ ସାହାଯ୍ୟ କରିବା ନାମରେ ଅନ୍ୟ ମାନଙ୍କୁ ସେ ଲୁଟି ନେଉଛି ।” ଏହିସବୁ କଥା ମନରେ ଭାବି ସେ ଆଉ ଗୁଣାଢ୍ୟଙ୍କର ଟଙ୍କା ମୋଟେ ଶୁଝିଲେ ନାହିଁ ।
ଗୁଣାଢ୍ୟଙ୍କର ଝିଅ ବାହାଘର ହେବାର ଥାଏ । ଅଳଙ୍କାର କିଣିବାକୁ ସେ ଶିବବାବୁଙ୍କ ଦୋକାନକୁ ଆସିଲେ । ଚାରିହଜାର ଟଙ୍କା ମୂଲ୍ୟର ହାରଟିଏ ସେ ସେହି ଦୋକାନରୁ କିଣିଲେ । ହଜାର ଟଙ୍କା କମ୍ ପଡିଲା । ଶିବବାବୁ ଦେଖିଲେ ପରିସ୍ଥିତି ଆଦୌ ଭଲ ନୁହେଁ । ଏଣୁ ସେ ସେଠାରୁ ଚୁପ୍କରି ଖସିଗଲେ । କିନ୍ତୁ ସେଠୁ ଯିବାପୂର୍ବରୁ ସେ ତାଙ୍କ କର୍ମଚାରୀକୁ କହିଗଲେ କି ଗୁଣାଢ୍ୟଙ୍କୁ ଭଲ ବ୍ୟବହାର କରିବ ଓ ଦରକାର ହେଲେ ପଇସା ନନେଇ ତାଙ୍କୁ ଗହଣା ଦେବ ।
କର୍ମଚାରୀ ଗୁଣାଢ୍ୟଙ୍କୁ କହିଲେ,”ମହାଶୟ, ଆମ ମାଲିକଙ୍କର କୌଣସି ଏକ ଅତି ଜରୁରୀ କାମ ପଡିବାରୁ ସେ ବାହାରକୁ ଯାଇଛନ୍ତି । ଏହି ଦୋକାନକୁ ନିଜର ଭାବି ଯେକୌଣସି ଅଳଙ୍କାର ପସନ୍ଦ କରି ନେଇଯା’ନ୍ତୁ ।”
ଗୁଣାଢ୍ୟ କହିଲେ,”ଯେତିକି ଧନ ଆଣିଥିଲି, ସେସବୁ ଖର୍ଚ୍ଚ ହୋଇଗଲା । ଏବେ ଅଳଙ୍କାର ପାଇଁ ତୁମକୁ ମୋତେ ଅଧିକ ଏକ ହଜାର ଦେବାକୁ ହେବ । ସେଥିପାଇଁ ମୁଁ କିଛି ସମୟ ନେବି ।”
କର୍ମଚାରୀ ବିନୟ ପୂର୍ବକ କହିଲା,”ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ । ଆମ ମାଲିକ ତ ଆପଣଙ୍କଠାରୁ ଟଙ୍କା କରଜ କରିଥିଲେ ।” ଗୁଣାଢ୍ୟ କହିଲେ”ସେଇଟା ଭିନ୍ନ କଥା । ସେଥିପାଇଁ ମୁଁ ତ ସୁଧ ନେବି । ଯେତେଦିନ ଡେରି ହେବ ମୋର ଟଙ୍କା ତ ବଢି ଚାଲିବ । କିନ୍ତୁ ମୋର ଏ ଟଙ୍କା ପାଇଁ ମୁଁ କେବେବି ସୁଧ ଦେବି ନାହିଁ ।” ତା’ପରେ ସେ କର୍ମଚାରୀ ଜଣକ ତାଙ୍କର ସମସ୍ତ ସର୍ତ୍ତ ମାନିନେଲା । ତାଙ୍କଠାରୁ ତିନିହଜାର ଟଙ୍କା ନେଇ ଅଳଙ୍କାର ଦେଇ ଦେଲା । ଶିବବାବୁ ଫେରିବା ପରେ ସେ ତା’ଠୁ ସବୁ ଘଟଣା ଶୁଣିଲେ ।
ଏସବୁ କଥା ଶୁଣି ଶିବବାବୁ ଭାବିଲେ,”ମନେହୁଏ ଗୁଣାଢ୍ୟ ବୋଧେ ମୋ ଋଣର ଖାଲି ମୂଳଧନ ନେବାକୁ ଆସିଥିଲେ । ସବୁ ନାଟକ କରୁଥିଲେ । ନହେଲେ ଠିକ୍ ଏକହଜାର ଟଙ୍କା କିପରି କମ୍ ପଡିଲା?”
ଏହି ଘଟଣାର ପରଦିନ ଗୁଣାଢ୍ୟ ହଠାତ୍ ମରିଗଲେ । ଏଣେ ଶିବବାବୁ ତାଙ୍କ ମନେ ମନେ ବହୁତ ଖୁସି ହେଲେ ଏବଂ ଭାବିଲେ,”ଏବେ ମୁଁ ଯେ କିଛି ନଦେଇଛି ସେପରି ଅନୁତାପ ମଧ୍ୟ କରିବା ମୋର ଆଦୌ ଦରକାର ନାହିଁ । କାରଣ ସେ ହଜାରେ ମୁଦ୍ରା ନେଇଛନ୍ତି । ଏବଂ ସେତିକି ଯଥେଷ୍ଟ ।”
ଗୁଣାଢ୍ୟଙ୍କ ଜ୍ୟେଷ୍ଠ ପୁତ୍ର ତାଙ୍କ ବାପାଙ୍କ ଶ୍ରାଦ୍ଧ ଭୋଜନ ପାଇଁ ସମସ୍ତିଙ୍କୁ ନିମନ୍ତ୍ରଣ କଲା । ଶିବବାବୁ ମଧ୍ୟ ସେଠାକୁ ଗଲେ । ସେଠାରେ ଉପସ୍ଥିତ ଲୋକେ ଗୁଣାଢ୍ୟଙ୍କର ପ୍ରଶଂସା କରି କହୁଥା’ନ୍ତି ଯେ ସେ ଉଭୟ ନିଃସ୍ୱାର୍ଥପର ଓ ପୁଣ୍ୟବାନ୍ ଥିଲେ । ସେଥିପାଇଁ ବିନା କଷ୍ଟରେ ସେ ସ୍ୱର୍ଗକୁ ଚାଲିଗଲେ । ଏସବୁ ଶୁଣି ଶିବବାବୁ ମନେ ମନେ ହସିଲେ ଓ ନିଜକୁ ନିଜେ କହିଲେ,”ଧନ ବଢାଇବା ପାଇଁ ସେ ସମସ୍ତିଙ୍କୁ କରଜ ଦେଉଥିଲେ ଓ ବହୁତ ବେଶି ସୁଧ ମଧ୍ୟ ନେଉଥିଲେ ଏପରି ଲୋଭୀ ଓ କୃପଣ ଲୋକକୁ ଏମାନେ ପୁଣି କିପରି ପୁଣ୍ୟବାନ କହି ପ୍ରଶଂସା କରି ଚାଲିଛନ୍ତି?”
ଗୁଣାଢ୍ୟଙ୍କ ଜ୍ୟେଷ୍ଠପୁତ୍ର କହିଲେ,”ଆମ ବାପା ବହୁତ ଲୋକଙ୍କୁ କରଜ ଦେଇଥିଲେ । ସେସବୁ ଖାତାରେ ଲେଖାହୋଇ ଅଛି । କିନ୍ତୁ ସେ ଲେଖାସବୁ ଏବେ ଯେତେ ଖୋଜିଲେ ମଧ୍ୟ ତାହା ମିଳୁନାହିଁ ।”
ଶ୍ରୀପୁର ଗ୍ରାମର ମୁଖିଆ କହିଲେ,”ମୋର ମନେହୁଏ ତାଙ୍କ ଆଲମାରିର ଭିତର ଥାକରେ ସେସବୁ ଅଛି । କେତେବାର ସେଠୁ କାଢିବାର ମୁଁ ଦେଖିଛି । ତେବେ ଆଜି ଦିନରେ ସେସବୁ ନ କରି କାଲି ସେ କାମ ଆରମ୍ଭ କରିବା ।” ତେଣୁ ସେଦିନ ଏସବୁ କାମ ବନ୍ଦ ରହିଲା ।
ଏକଥା ଶୁଣି ଶିବବାବୁଙ୍କ ମୁଣ୍ଡରେ ବଜ୍ରପାତ ହେଲା । ଖାତାଟି ମିଳିଗଲେ ତାଙ୍କୁହିଁ ତ ବହୁତ ଟଙ୍କା ଦେବାକୁ ହେବ । ତାଙ୍କ ସହିତ ଅନ୍ୟ କରଜ ନେଇଥିବା ଲୋକ ମଧ୍ୟ ଥିଲେ ।
ସେହି ପାଞ୍ଚଜଣ କୌଣସି ଏକ ସ୍ଥାନରେ ମିଳିତ ହୋଇ ଏ ବିଷୟରେ କିଛି ଗୋଟେ ଯୋଜନା ପ୍ରସ୍ତୁତ କଲେ । ସେମାନେ ଜଣେ ଗୁଣ୍ଡାକୁ ବହୁତ ଟଙ୍କା ଦେଇ କହିଲେ ଯେ ସେ ଯେପରି ଗୁଣାଢ୍ୟଙ୍କ ଜ୍ୟେଷ୍ଠ ପୁତ୍ରକୁ ଧମକାଇ ତା’ଠାରୁ ଖାତାଟି ନେଇ ଚାଲିଆସେ । ଟଙ୍କା ପାଇ ଗୁଣ୍ଡା ତା କାମ ସୁରୁଖୁରୁରେ କଲା ।
ସେମାନେ ପାଞ୍ଚଜଣ ଭାବିଲେ ଶୀଘ୍ର ଯେପରି ସେହି ଖାତାଟିକୁ ପୋଡି ଦିଆଯାଏ । ହେଲେ ଖାତାଟିରେ କ’ଣ ଲେଖାଅଛି ତାହା ଦେଖିବା ଉଚିତ୍ । ଯଦି ତାହା ସେହି ଖାତା ନ ହୋଇଥାଏ । ତେଣୁ ସେମାନେ ତାକୁ ଖୋଲି ପଢିଲେ । ସେଥିରେ ଲେଖାଥିଲା –
“ମୁଁ ସାଧାରଣ ଲୋକଙ୍କୁ କରଜ ନାମରେ ଧନ ଦେଇଥାଏ । କିନ୍ତୁ ଦାନ ଦେଉଛି ବୋଲି କହିଲେ ଅନେକ ଅଳସୁଆ ଓ ଠକ ଲୋକ ମଧ୍ୟ ମୋପାଖକୁ ଆସିଯିବେ । ଧନ ସହିତ ମୁଁ ଲୋକଙ୍କୁ ନାନା ପ୍ରକାର ଭଲ ପ୍ରସ୍ତାବ ଓ ଶିକ୍ଷା ମଧ୍ୟ ଦେଇଥାଏ । ତଦ୍ୱାରା ଅନେକ ଲୋକ ଲାଭବାନ୍ ହୋଇଛନ୍ତି । ଯେଉଁମାନେ ଧନ ଫେରାନ୍ତି ସେସବୁକୁ ନେଇ ମୁଁ ଲୋକହିତକର କାର୍ଯ୍ୟରେ ଲଗାଏ । ସେଥିରୁ ମୁଁ ପଇସାଟିଏବି ନିଜ ପାଇଁ ରଖିନାହିଁ । ସେମାନଙ୍କ ଠାରୁ ସୁଧ ବିଷୟରେ ଯେଉଁ କାଗଜ ମୁଁ ଲେଖାଇ ନିଏ, ସେମାନେ ଯିବାପରେ ମୁଁ ସେସବୁକୁ ଚିରିଦିଏ । ମୋର ଜ୍ୟେଷ୍ଠପୁତ୍ର ମୋ ପରି ଜୀବନ ବିତାଇଲେ ମୋର ଆତ୍ମା ସନ୍ତୁଷ୍ଟ ହେବ ।”
ଏସବୁ ପଢି ସେ ପାଞ୍ଚଜଣ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତିଙ୍କ ହିସାବ କଥା ଲେଖା ହୋଇଥିଲା କାହାକୁ କିଛି ଫେରାଇବା ଦରକାର ନଥିଲା । ଏସବୁ ଲେଖିବା ପରେ ସେ ମରିଗଲେ ।
ଏଥର ଶିବବାବୁ ଓ ଅନ୍ୟ ଚାରିଜଣ ଠିକ୍ ବୁଝିଗଲେ ଯେ ଲୋକେ ତାଙ୍କୁ ପୁଣ୍ୟବାନ୍ ବୋଲି କାହିଁକି କହୁଥିଲେ । ସେମାନେ ପୁଣି ସେହି ପୂର୍ବୋକ୍ତ ଗୁଣ୍ଡାକୁ ପଇସା ଦେଇ ସେହି ଖାତାଟିକୁ ଗୁଣାଢ୍ୟଙ୍କ ଆଲମାରୀରେ ରଖି ଦେଇ ଆସିବାକୁ କହିଲେ । ଇତିମଧ୍ୟରେ ସେମାନଙ୍କର ମନ ପରିବର୍ତ୍ତନ ହୋଇ ସାରିଥାଏ ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବାକୁ ଚାହିଁଲେ । ସେମାନେ ଯାହା ଦେବାର ଥିଲା ସବୁକିଛି ପୁରାଭାବରେ ଦେଇଦେଲେ କାରଣ ସେମାନେ ଏହା ଭଲଭାବେ ଜାଣିଥିଲେ ଯେ ତାଙ୍କର କଷ୍ଟୋପାର୍ଜିତ ଧନ ଲୋକ ହିତକର କାର୍ଯ୍ୟରେହିଁ ଲାଗିବ । ସେହିଦିନ ଠାରୁ ଗୁଣାଢ୍ୟଙ୍କ ଜ୍ୟେଷ୍ଠପୁତ୍ର ସହିତ ଶିବବାବୁ ମଧ୍ୟ ଗୁଣାଢ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଧରି ଜୀବନ ବିତାଇ ନିଜକୁ ଧନ୍ୟ ମନେକଲେ ।