ପ୍ରିୟତମା ତମକୁ ମୁଁ ଦେଇଯିବି
ଆଜି ମୋର ସମସ୍ତ ଜୀବନ
ପ୍ରେମ ଆଉ ହତାଶାର ଅପବ୍ୟୟ ଖାତାମାନ
ଵ୍ୟର୍ଥତାର ଯେତେ ଚିଠି ଲେଖାହେଲା
ଯେତେ କଥା ପ୍ରତିଧ୍ୱନି ହୋଇ ସବୁ
ମିଶିଗଲେ ଆକାଶରେ
ମୋ ହାତ ମୁଠାରେ ଯେତେ
ଅତୀତର ଦିନ ଧରା ଦେଲେ
ମୋ ଆଖିକୁ ଦେଖ
ଝିଲମିଲ ଶୂନ୍ୟତାରେ
ସ୍ମୃତିର ଭଉଁରୀ ସବୁ ବୁଲିବୁଲି ଥକିଗଲେ
ମୋ ଆଖିର ଦର୍ପଣରେ
ତମେ ପୁଣି ନିଜକୁ ଦେଖିବ
ମୋ ହାତକୁ ଛୁଅଁ
ନିଆଁ ସବୁ ଜଳି ଜଳି
ଖାଲି ତମ ଦେହର ଉତ୍ତାପ
ରହିଯିବ ବାକି
ମତେ ଧରି ରଖ ଦି’ ହାତରେ
ସ୍ୱପ୍ନ ସବୁ ସରିଗଲେ
ପୁଣି ହେବ ନିଃସଙ୍ଗ ଏକାକୀ
ଦେଖ ଆଜି ତମ ପାଇଁ
କିପରି ଏ ସକାଳ ଜଳିଲା
ଆକାଶରେ ପାଦଚିହ୍ନ ଲିଭିଗଲା
ଅବସନ୍ନ ରାତି ଶୋଇଗଲା
ଅନନ୍ତ ଶୂନ୍ୟକୁ ଦେଖ ଚାଲିଗଲେ
ଯେତେ ସବୁ ଛାଇ
ପଥରର ଅହଲ୍ୟା ବି
ବନ୍ଦ ହେଲା ନିଜ ଜଡ଼ତାରେ
ରାଜପୁତ୍ର ଚାଲିଗଲା
ଅତିପ୍ରିୟ ବନବାସ ପାଇଁ
ସମୟର ଚୋରା ବାଲି ଉପରେ
ମୋ ସ୍ମୃତି କେଉଁପରି
ସତର୍କ ପାଦରେ ଦେଖ ଖୋଜିବୁଲେ ଆଜି
ହଜି ଯାଇଥିବା କେତେ ଛୋଟ ଛୋଟ
ମୁହୂର୍ତ୍ତର ଭଙ୍ଗା ଖେଳନା ଓ
ଅନ୍ତରଙ୍ଗ ରାତିର ଶାମୁକା
ତମକୁ ମୁଁ ସବୁ ଦେଇଯିବି
ଯଦି ଖାଲି ଖୋଜିପାଏ
ଗୋଟିଏ ସଫଳ ପ୍ରେମ: ସମସ୍ତ ଜୀବନ