• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»prakrutabandhu
ଗଳ୍ପ

prakrutabandhu

Liza SBy Liza SAugust 30, 2022No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Odia Story prakrutabandhu
Odia Story prakrutabandhu
Share
Facebook Twitter Pinterest Reddit Email

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । ରାଜା ବିକ୍ରମାର୍କ କିନ୍ତୁ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ତାଙ୍କ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଏହି ଅର୍ଦ୍ଧରାତ୍ର ସମୟରେ ତମେ ନିଜ ଅନ୍ତଃପୁରରେ ଆରାମ୍ରେ ଶୋଇଥା’ନ୍ତ । କିନ୍ତୁ ସେପରି ନ କରି ତୁମେ ଏହି ଶ୍ମଶାନ ଭୂମିରେ ବଡ ନିଷ୍ଠା ସହକାରେ ଯେଉଁ କାମ କରୁଛ ତାହାର ଲକ୍ଷ୍ୟ କ’ଣ? ତମେ ଜାଣୁଛ ଯେ ତୁମ କାମ ବାରମ୍ବାର ଅସଫଳ ହେଉଛି । ମୁଁ ଭାବୁଛି ତମେ ଏସବୁ ଛାଡିଦିଅ । କିନ୍ତୁ ମନେହୁଏ ତୁମେ ତୁମ କାମ ବଡ ଯିଦି କରି କରୁଛ । ମୁଁ ଏହାକୁ କ’ଣ କହିବି ବିବେକୀର କାମ ନା ମୂର୍ଖତା ।” ଅନେକ ଲୋକ ଅଛନ୍ତି ସେମାନେ ତାଙ୍କର ବର୍ତ୍ତମାନ ସ୍ଥିତିରେ ଅସନ୍ତୁଷ୍ଟ ହୋଇଥା’ନ୍ତି । ନିଜକୁ ରକ୍ଷା କରିବାର ଶକ୍ତି ଏପରି ପରିସ୍ଥିତିରେ ସେମାନଙ୍କର ଥାଏ । କିନ୍ତୁ ସେ ସତ୍ୟ ସେମାନେ ଜାଣି ନଥା’ନ୍ତି । ସେହି କାରଣରୁ ସେମାନେ ପରିସ୍ଥିତି ସହିତ ସଂଗ୍ରାମ କରିବାକୁ ସାହସ କରନ୍ତି ନାହିଁ, ତେଣୁ ନିଜର ଅମୂଲ୍ୟ ସମୟ ନିରାଶା ଓ ହତାଶା ମଧ୍ୟରେ କଟାଇଥା’ନ୍ତି । କେତେକ ବ୍ୟକ୍ତି ଅଛନ୍ତି ସେମାନେ ପରିସ୍ଥିତି ସହିତ ଲଢନ୍ତି କିନ୍ତୁ ଜାଣି ପାରନ୍ତି ନାହିଁ କେଉଁ ବ୍ୟକ୍ତି ତାଙ୍କୁ ପ୍ରକୃତରେ ସାହାଯ୍ୟ ଦେଇ ପାରିବ । ତେଣୁ ଭୂଲ୍ ରାସ୍ତାରେ ଯାଇଥା’ନ୍ତି । ମୋର ମନେ ହୁଏ ତୁମେ ଏହି ଶ୍ରେଣୀର ବ୍ୟକ୍ତି । ଯାହାହେଉ ମୁଁ ତୁମକୁ ସେ ରାମନାଥ ବିଷୟରେ ଏକ ଗଳ୍ପ ଶୁଣାଇବି ଯଦ୍ୱାରା ତୁମେ ନିଜର ଭୂଲ୍ ବୁଝିପାରି ଯଥାର୍ଥ ମାର୍ଗରେ ଚାଲିବ । ମନ ଦେଇ ଶୁଣ । ଶୁଣିଲେ ଶ୍ରମଭାର ଲାଘବ ହେବ । ଏଥିଉତାରେ ସେ ବେତାଳ ଗପିଲା –

ରାମନାଥ ଏକ ଛୋଟ ବ୍ୟବସାୟୀ ଥିଲା ତା’ର ସ୍ତ୍ରୀ ରୂପାର ଇଚ୍ଛାଥାଏ ଗ୍ରାମ ଛାଡି ସହରକୁ ଚାଲି ଯାଆନ୍ତେ ଓ ଛୋଟ ଏକ ବ୍ୟବସାୟ କରି ସେଠାରେ ଚଳନ୍ତେ । ରାମନାଥକୁ ଅନେକ ପ୍ରକାର ବିଦ୍ୟା ଜଣାଥାଏ । ସେ ଭଲ ଗାଇପାରେ, ଭଲ ଆଙ୍କିପାରେ । କିନ୍ତୁ ବ୍ୟବସାୟ ସହିତ ତା’ର କଳାକାର ବ୍ୟକ୍ତିତ୍ୱର କୌଣସି ସମ୍ପର୍କ ନାହିଁ । ପୁଣି ତା’ର ସ୍ୱଭାବ ଅତି ନମ୍ର ଓ ମଧୁର । ସେ କାହାକୁ ହେଲେବି ଅସନ୍ତୁଷ୍ଟ କରିବାକୁ ଚାହେଁନାହିଁ । ତେଣୁ ଲୋକମାନେ ତା’ ଦୋକାନରୁ ଧାରରେ ଜିନିଷ ନେଇଯା’ନ୍ତି ଓ ପଇସା ଫେରାନ୍ତି ନାହିଁ । ଏହିସବୁ କାରଣରୁ ତାର ବ୍ୟବସାୟରେ କିଛିବି ଅଭିବୃଦ୍ଧି ଘଟିଲା ନାହିଁ । ତେଣୁ ତା’ର ସ୍ତ୍ରୀ ପ୍ରସ୍ତାବ ଦେଲା ଯେ ସହରକୁ ଚାଲିଗଲେ ଭାରି ଭଲ ହେବ । ଶେଷକୁ ସେଇଆ ହେଲା । ଘର ଜମିବାଡି ବିକ୍ରି କରି ସେମାନେ ସହରକୁ ଯିବାକୁ ବାହାରିଲେ । ବଳଦ ଗାଡିରେ ଜିନିଷ ପତ୍ର ଲଦି ସ୍ୱାମିସ୍ତ୍ରୀ ସହରକୁ ଗଲେ ।

ବାଟରେ ତାଙ୍କ ଗାଡିର ଚକ ଫାଟିଗଲା । ତେଣୁ ଗାଡିବାଲା ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ସେମାନଙ୍କୁ ସେଠାରେ ଓହ୍ଲାଇ ଦେଲେ । କିମିତି ସହରକୁ ଯିବେ ବୋଲି ଭାବୁଛନ୍ତି ଦେଖିଲେ ଗୋଟିଏ ବଳଦଗାଡି ଆସୁଛି । ସେମାନେ ଗାଡି ବନ୍ଦ କରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କଲେ ।

ସେହି ଗାଡିରୁ ଯିଏ ବାହାରିଲେ, ରାମନାଥର ମନେ ହେଲା କି ସେ ତାଙ୍କୁ କେଉଁଠି ଦେଖିଛି । ତା’ପରେ ଦୁହେଁ ଯେତେବେଳେ ନିଜ ନିଜର ପରିଚୟ ଦେଲେ, ଖୁସି ହୋଇ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କଲେ । ସେହି ନିଶୁଆ ଲୋକ ରାମନାଥର ପିଲାବେଳର ଘନିଷ୍ଠ ବନ୍ଧୁ ସତ୍ୟାନନ୍ଦ ଥିଲା । ଏବେ ସେ ସହରରେ ରହୁଛି ।

ତା’ପରେ ସତ୍ୟାନନ୍ଦର ଗାଡିବାଲା ଓ ପୂର୍ବ ଗାଡିବାଲା ମିଶି ଗାଡି ଠିକ୍ କରିଦେଲେ । ସତ୍ୟାନନ୍ଦ କହିଲେ, “ମୁଁ ଯେତେବେଳ ପର୍ଯ୍ୟନ୍ତ ନଫେରିଛି ତୁ ତୋର ପରିବାର ଓ ଜିନିଷ ପତ୍ର ସହିତ ମୋ ଘରେ ଥିବୁ । ମୁଁ ଚିଠି ଲେଖି ଦେଉଛି । ମୁଁ ଦୁଇମାସ ଭିତରେ ଫେରିବି । ଫେରିଲେ ତୁମମାନଙ୍କର ରହିବା ଓ ବ୍ୟବସାୟ, ସବୁ ବିଷୟରେ ପକା ବନ୍ଦୋବସ୍ତ କରିଦେବି ।”

ରୂପା ଏକଥା ଶୁଣି ବହୁତ ଖୁସି ହୋଇ କହିଲା, “ତୁମର ସହରରେ ଏଡେ ଘନିଷ୍ଠ ବନ୍ଧୁ ଅଛନ୍ତି, ଅଥଚ ତୁମେ ତ କାହିଁ ଥରେ ହେଲେ ବି ମୋତେ ଏକଥା କହିନାହଁ?”

ରାମନାଥ କହିଲା “ପନ୍ଦରବର୍ଷ ପର୍ଯ୍ୟନ୍ତ ସତ୍ୟାନନ୍ଦ ଓ ଧନଶେଖର ମୋର ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ । ମୋର ଚିତ୍ରଅଙ୍କନ ସେମାନଙ୍କର ବଡ ପସନ୍ଦ । ତେଣୁ ମୋତେ କହି ନାନା ପ୍ରକାର ଚିତ୍ର ଆଙ୍କୁଥିଲେ ଓ ଗୀତ ଗାଇବାକୁ ସେମାନେ ବରାଦ କରୁଥିଲେ । ବିଶେଷତଃ ମୋର ପଲ୍ଲୀଗୀତ ଗୁଡିକ ଶୁଣିବାକୁ ସେମାନେ ଭାରି ଭଲ ପାଉଥିଲେ । ତା’ପରେ ସେମାନଙ୍କ ବାପମା’ ଯେତେବେଳେ ଗ୍ରାମ ଛାଡି ସହରକୁ ଚାଲି ଗଲେ । ସେହିଦିନଠାରୁ ସେମାନଙ୍କ ସହିତ ଦେଖା ହୋଇ ନଥିଲା ଏଇ ଆଜି ଏତେ ବର୍ଷ ପରେ ସତ୍ୟାନନ୍ଦ ସହ ଦେଖା ହେଉଛି ।”
ରୂପା ଏକଥା ଶୁଣି ବଡ ଉତ୍ସାହର ସହିତ ପଚାରିଲା “ଧନଶେଖର ମଧ୍ୟ ସହରରେ ରହନ୍ତି କି?” ରାମନାଥ କହିଲା, “ତମେ ଶୁଣିଲ ନାହିଁକି, ମୁଁ ଯେତେବେଳେ ଧନଶେଖର କଥା ପଚାରିଲି, ସେତେବେଳେ ସତ୍ୟାନନ୍ଦ ସେ ବିଷୟରେ କୌଣସି ଉତ୍ତର ଦେଲା ନାହିଁ, ଅନ୍ୟକଥା ପକାଇଲା । କେବଳ ଏତିକି କହିଲା ଯେ ସେ ସେଠାକୁ ଯାଇ ସମ୍ପୂର୍ଣ୍ଣ ବଦଳି ଯାଇଛି । ତେଣୁ ତା’ ବିଷୟରେ ଅଧିକ ପ୍ରଶ୍ନ କରିବା ନିରର୍ଥକ ।” ଦୀର୍ଘ ଯାତ୍ରା ପରେ ସେମାନେ ଯାଇ ସହରରେ ପହଁଚିଲେ । ସହରରେ ତାଙ୍କ ଗାଡିବାଲା ଯାଇ ସେମାନଙ୍କ ସହିତ କଥା କହି ଫେରି ଆସି କହିଲା, “ସେମାନେ ସିଧା ମନା କରି ଦେଲେ ସେମାନେ ଗାଡି ଘୁଂଚାଇବେନି ।”

“କିଏ ସେହି ଲୋକ ଏତେ ମୂର୍ଖ । ବରଂ ମୁଁ ଯାଇ କଥାବାର୍ତ୍ତା କରେ ।” ଏତିକି କହି ରାମନାଥ ଗାଡିରୁ ଓହ୍ଲାଇ ଯାଇ ତା’ ପାଖରେ ପହଁଚିଲେ । ଦେଖିଲେ ସେ ହେଉଛି ତା’ର ବାଲ୍ୟବନ୍ଧୁ ଧନ ଶେଖର, ସେ ଦୁହେଁ ଖୁବ୍ ଖୁସି ହୋଇ ପରସ୍ପରକୁ ଆଲିଙ୍ଗନ କଲେ ଓ ପିଲା ବେଳର କଥା ସବୁ ମନେ ପକାଇଲେ । ଯେତେବେଳେ ସତ୍ୟାନନ୍ଦ ବିଷୟ ଆସିଲା, ଧନଶେଖର କହିଲା, “ହଁ, ସେ ମଧ୍ୟ ଏହି ସହରରେ ରହୁଛି ଓ ବହୁତ ସୁଖ୍ୟାତି ଅର୍ଜନ କରିଛି, କିନ୍ତୁ ମୋ ପରି ଏତେ ବେଶି ଧନ ରୋଜଗାର କରିନାହିଁ ବୋଲି ମୋତେ ସେ ଭାରି ଈର୍ଷ୍ୟା କରେ ।”

ଧନଶେଖର ସେତେବେଳେ କିଛି କାମରେ କୌଣସି ଦୂର ସ୍ଥାନକୁ ଯାଉଥିଲା । ନିଜର ବାଲ୍ୟବନ୍ଧୁକୁ ଦେଖି ସେ ଏତେ ଖୁସି ହୋଇଗଲା ଯେ ନିଜର ଯାତ୍ରା ସ୍ଥଗିତ ରଖିଲା ସେ ତା’ର ସହକାରୀକୁ କହିଲା, “ନରସିଂହ, ମୁଁ ଯାଇ ବଳଭଦ୍ରକୁ କହିଆସେ ଆଜି ଯିବା ବନ୍ଦ ହେଲା । ତମେ ଏମାନଙ୍କୁ ମୋ ଘରର ଠିକଣା ଦେଇ ଦିଅ ।”

କିଛି ଦୂର ଗଲା ପରେ ରାମନାଥ, ରୂପାକୁ କହିଲା, “ସତ୍ୟାନନ୍ଦ ବଡ ସ୍ନେହରେ ତା’ ଘରକୁ ଯିବାକୁ କହିଛି । ତେଣୁ ବରଂ ଆମେ ତା’ଘରକୁ ପ୍ରଥମେ ଯିବା ।

ରୂପା କହିଲା, “ସେ ବିଷୟ କିଛି କୁହନାହିଁ । ରାସ୍ତାରେ ଯିବା ଆସିବା ବାଟରେ ହଠାତ୍ ଦେଖା ହୋଇଗଲା ତ ସେ ସେପରି କହିଲା । କିନ୍ତୁ ସେ ତ ଯାତ୍ରା ବନ୍ଦ ରଖି ଆମ ସହିତ ଫେରିଆସିଲା ନାହିଁ । ଲୌକିକତା ଦୃଷ୍ଟିରୁ ତା’ଘରେ ରହିବାକୁ ସେ କହିଲା । ତେଣୁ ଏବେ ଆମେ ଧନଶେଖରର ଘରକୁ ଯିବା ।”

ଗାଡିଯାଇ ଧନଶେଖର ଘରେ ପହଁଚିଲା ଘର ସ୍ୱର୍ଗର ଇନ୍ଦ୍ରପୁରୀ ପରି ହୋଇଛି । ଫାଟକ ଜଗୁଥିବା ଦରବାନ୍ ଯାଇ ଭିତରେ ଖବର ଦେବାରୁ ଧନ ଶେଖରର ସ୍ତ୍ରୀ ସୁଲକ୍ଷଣା ଆସି କହିଲା, “ମୁଁ ତ ଆପଣଙ୍କୁ ଜାଣେ ନାହିଁ । ସେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ତାଙ୍କୁ ଏ ସହରରେ ନ ଜାଣେ ବା କିଏ? ଅପର୍ଯ୍ୟାପ୍ତ ଧନ ରୋଜଗାର କରିଥିବା ଯୋଗୁଁ, ଅନେକ ଲୋକ ତାଙ୍କ ପିଲା ଦିନର ସାଙ୍ଗ କହି ଏଠାକୁ ଆସନ୍ତି, ରହନ୍ତି ଓ ନାନା ଜିନିଷ ଚୋରାଇ ନେଇ ଯା’ନ୍ତି । ତେଣୁ ସେ ଆସିବା ପର୍ଯ୍ୟନ୍ତ ଏଇଠି ଥାନ୍ତୁ । ଆପଣ ପ୍ରକୃତରେ ତାଙ୍କ ବନ୍ଧୁ ହୋଇଥିଲେ ମୁଁ ପରେ ଆପଣଙ୍କଠାରୁ ବରଂ କ୍ଷମା ମାଗିନେବି, ଆପଣ ଖରାପ ଭାବିବେ ନାହିଁ ।”

ରାମନାଥଙ୍କ ମଥା ଅପମାନରେ ତଳକୁ ନଇଁ ଗଲା ତଥାପିବି ନିଜକୁ ସମ୍ଭାଳି ନେଇ ସେ କହିଲା, “ମହାଶୟା, ଆପଣଙ୍କ ସ୍ୱାମୀ ଏଠାକୁ ଆମେ ଆସିବାକୁ ବହୁତ ଅନୁରୋଧ କଲା । ନଚେତ୍ ମୁଁ ତ ଆମର ବାଲ୍ୟବନ୍ଧୁ ସତ୍ୟାନନ୍ଦର ଘରକୁହିଁ ଯାଉଥିଲି ।”

ଏକଥା ଶୁଣି ସୁଲକ୍ଷଣା ବଡ ଆଶ୍ଚର୍ଯ୍ୟ ହେଲା ଓ କହିଲା, “ସତ୍ୟାନନ୍ଦର କୌଣସି ବନ୍ଧୁ ଆମର କେବେବି ବନ୍ଧୁ ହୋଇ ନ ପାରେ । ସେ ଘରର କାଉ କୁକୁର ମଧ୍ୟ ଆମ ଘରକୁ ମୋଟେ ଆସିପାରିବ ନାହିଁ । ମୋର ମନେ ହୁଏ ଆପଣ ବୋଧହୁଏ ମିଛ କହୁଛନ୍ତି ।”

ରାମନାଥ ମୁହୂର୍ତ୍ତକ ପାଇଁ ମଧ୍ୟ ସେଠାରେ ଆଉ ରହିଲା ନାହିଁ । ବାହାରକୁ ଆସି ରୂପା ଉପରେ ରାଗି ସେ କହିଲା, “ଏସବୁ ଘଟଣା ପାଇଁ କେବଳ ତୁମେହିଁ ଦାୟୀ ।” ରୂପା ମଧ୍ୟ ରାଗିଯାଇ କହିଲା, “ହଁ ହଁ, ତୁମର ସାଙ୍ଗମାନେ ଭଲ କେବଳ ମୁହିଁ ଖରାପ । ଧନବାନ୍ର ଘରେ ଏପରି ଯଦି ବ୍ୟବହାର କରାଯାଏ, ତେବେ ଗରୀବର ଘରେ କ’ଣ ବା ନ ହେବ? ଏବେ ଆମର କାହା ଘରକୁ ଯିବା କିଛିବି ଦରକାର ନାହିଁ । କୌଣସି ଘର ଭଡା ନେଇ ରହିବା, ବାହାରେ ଆଜିକ ଖାଇନେବା ।”

ସେମାନେ ଯାଇ ନିକଟସ୍ଥ ଜଣେ ବୁଢୀ ଘରେ ପହଁଚିଲେ ଯିଏ କି ପଇସା ନେଇ ଖାଇବାକୁ ଦିଏ । ବୁଢୀ ସେମାନଙ୍କଠାରୁ ସବୁ କଥା ଶୁଣି କହିଲା, “ତମେ ସତ୍ୟାନନ୍ଦ ଗ୍ରାମର ଲୋକ । ତେବେ ତ ଏଠାରେ ରହି ପାରିବ ନାହିଁ ବା ଖାଇ ପାରିବ ନାହିଁ ।”

ରାମନାଥ ରାଗିଯାଇ କହିଲା “କ’ଣ ସତ୍ୟାନନ୍ଦ ଗ୍ରାମର ଲୋକ ପାପୀ କାହିଁକି ଏପରି କଥା କହିଲ?”

ବୁଢୀ କହିଲା “ମୁଁ ସେକଥା କହୁନାହିଁ । ସତ୍ୟାନନ୍ଦ ବହୁତ ଭଲ ଲୋକ । ମୁଁ ଯେତେବେଳେ ଦରିଦ୍ର ହୋଇ ପଡିଥିଲି, ସେ ମୋତେ ସାହାଯ୍ୟ କରିବାରୁ ମୁଁ ବଂଚି ରହିଛି । ନହେଲେ ମୋର ଯେ କ’ଣ ହୋଇଥା’ନ୍ତା ମୁଁ ତାହା ଜାଣେ ନାହିଁ । ସେ ସବୁବେଳେ କୁହନ୍ତି ମୋ ଗ୍ରାମରୁ ଲୋକ ଆସିଲେ ଆମ ଘରେ ରହିବେ ତମେ ପଇସା ନେଇ ସେମାନଙ୍କୁ ଏଠାରେ ଖାଇବାକୁ ଦେବ ନାହିଁ । ତେଣୁ ତୁମେ ଏଠାରେ ରହିଲେ, ଖାଇଲେ ସେ ମୋ ଉପରେ ରାଗିବେ । ତା’ପରେ ଜଣେ ଲୋକକୁ ଡାକି ସତ୍ୟାନନ୍ଦ ଘରକୁ ସେ ଖବର ପଠାଇଲା ।

କିଛି ସମୟ ମଧ୍ୟରେ ସତ୍ୟାନନ୍ଦର ସ୍ତ୍ରୀ ଜଳଜା ସେଠାକୁ ଆସି କହିଲା, “ଭାଇ ରାମନାଥ, ଆପଣ ଏଠାରେ ସର୍ବଦା ଗାଁର କ୍ଷେତବାଡି, ଆପଣଙ୍କ ପଲ୍ଲୀଗୀତ ଗାଇବା କଥା ସବୁ ମନେ ପକାନ୍ତି । ପିଲାବେଳେ ଆପଣ ଆଙ୍କିଥିବା ଚିତ୍ରସବୁ ସେ ଅତି ଯତ୍ନରେ ସାଇତି ରଖିଛନ୍ତି । ଆପଣଙ୍କ ସହ ଦେଖା କରିବାକୁ ସେ ଉତ୍ସୁକ ହୋଇଥା’ନ୍ତି । ପୁଣି ଆପଣଙ୍କ ଦକ୍ଷିଣପଟ ଗାଲରେ ଯେଉଁ ଦାଗ ଅଛି ସେଇଟା ତାଙ୍କରି ଯୋଗୁଁ, ପିଲାବେଳେ ମାଡପିଟ ହେବାରୁ ହୋଇଛି । ନୁହେଁ କି? ସେଥିପାଇଁ ସେ କେତେ ଦୁଃଖିତ ହୁଅନ୍ତି । ତେଣୁ ଆପଣମାନେ ଆମଘରେ ରହିବେ । ଅନ୍ୟକେଉଁଠି ରହିବାର ତ ପ୍ରଶ୍ନହିଁ ଉଠୁନାହିଁ ।”

ତାପରେ ସମସ୍ତ ଜିନିଷପତ୍ର ନେଇ ସ୍ୱାମୀସ୍ତ୍ରୀ ଦୁହେଁ ସେଠାକୁ ଗଲେ । ସତ୍ୟାନନ୍ଦର ଘରେ କିଛି ସମୟ ରହିବା ପରେ ନରସିଂହ ଦ୍ୱାରା ଧନ ଶେଖର ମଧ୍ୟ ଡାକି ପଠାଇଲା । ରାମନାଥ ଏକେଲା ନରସିଂହ ସହିତ ଗଲା । ଯାହାସବୁ ଘଟିଛି ସେଥିପାଇଁ ଧନଶେଖର ଅନେକ ପଶ୍ଚାତାପ କରି କହିଲା, “ମୋର ଓ ସତ୍ୟାନନ୍ଦର ସମ୍ପର୍କରେ ଆଉ ବନ୍ଧୁ ନାହିଁ, ଅଛି ଖାଲି ଶତୃତା, ଆମେ ଦୁହେଁ ପରସ୍ପରକୁ ଶତୃ ବୋଲି ଭାବୁ । ତେଣୁ ମୁଁ ନିଜେ ତା’ ଘରକୁ ଗଲିନାହିଁ । ବଳଭଦ୍ର ଘରେ ବହୁତ ବିଳମ୍ବ ହୋଇଗଲା । ମୁଁ ତୋ ପାଇଁ ହିଁ ଅନେକ ଦରକାରୀ କାମ ବନ୍ଦ କରି ଚାଲି ଆସିଲି । ଘରକୁ ଫେରି ସବୁ ଶୁଣି ମୋର ମନ ବହୁତ ଦୁଃଖ ହେଲା । କିଛିଦିନ ରହିବା ପରେ ତୁମେ ନିଜେହିଁ ଜାଣିଯିବ ଏଥିରେ ମୋର କିଛି ଭୂଲ୍ ନାହିଁ । ସହରର ଜୀବନହିଁ ଏହିପରି । ମୋ ସ୍ତ୍ରୀର ବ୍ୟବହାର ଯୋଗୁଁ ମୁଁ ଭୀଷଣ ଦୁଃଖିତ । ତାକୁ କ୍ଷମା କରିଦେ । ଏବେ ତୁ ଓ ତୋର ସ୍ତ୍ରୀ ଆସି ଏଠାରେ ରହ । ତା’ପରେ ଧନ ରୋଜଗାର କରିବାର ବିଭିନ୍ନ ପନ୍ଥା ମୁଁ ତୋତେ ବତାଇ ଦେବି ।”

ସେ ଦୃଢତା ସହିତ କହିଲା “ମୋ ପ୍ରତି ତୋର ସ୍ନେହ, ପାଇଁ ମୁଁ କୃତଜ୍ଞ । କିନ୍ତୁ ମୁଁ ଯଦି ସହରରେ ରହିବି । ତେବେ ସତ୍ୟାନନ୍ଦର ଘରେହିଁ ରହିବି ।” ଧନଶେଖର ରାଗିଯାଇ ବହୁତ କିଛି କହିଲା ଧମକ ମଧ୍ୟ ଦେଲା ଯେ ସତ୍ୟାନନ୍ଦ ଘରେ ରହିଲେ ତା’ ସହିତ ତା’ର ଶତୃର ସମ୍ପର୍କ ରହିବ । କିନ୍ତୁ ରାମନାଥ ନିଜ କଥାରୁ ଆଦୌ ଟଳିଲା ନାହିଁ । ତା’ପରେ ସେ ଘରକୁ ଫେରି ଆସିଲେ ।

କାହାଣୀଟି କହିସାରିବା ପରେ ବେତାଳ କହିଲା, “ରାଜନ୍, ଏଥିରୁ ପ୍ରମାଣିତ ହେଉଛି ଯେ ଧନଶେଖର ଇଚ୍ଛା କରି ତାଙ୍କୁ ଅପମାନିତ କରିନାହିଁ । ଏତେ ବଡ ଧନୀ ହୋଇ ମଧ୍ୟ ରାମନାଥକୁ ସେ କ୍ଷମାମାଗିଲା । ଏହା ତ ତା’ର ଉଦାରତା । ରାମନାଥ ତା’ଘରେ ରହିଥିଲେ ତା’ର ସହାୟତା ଯୋଗୁଁ ସେ ଲକ୍ଷପତି ହୋଇ ପାରିଥା’ନ୍ତା । ଯେଉଁ ଲକ୍ଷ୍ୟ ନେଇ ସେ ସହର ଆସିଛି ତାହା ମଧ୍ୟ ସିଦ୍ଧି ହୋଇ ପାରିଥା’ନ୍ତା । ପ୍ରକୃତ ବନ୍ଧୁ କିଏ ସେକଥା ଜାଣିବା ପାଇଁ ସେ ସୁଯୋଗ ପାଇ ମଧ୍ୟ ତାହା ହରାଇଲା । ଏସବୁ ତା’ର ମୁର୍ଖତା ନୁହେଁ ତ ଆଉ କ’ଣ? ଏ ବିଷୟରେ ତମେ ମୋପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଜାଣି ଯଦି ନଦେବ ତେବେ ତୁମର ଶର ସ୍କନ୍ଧଚ୍ୟୁତ ହେବ ।”

ବିକ୍ରମ କହିଲେ, “ରାମନାଥ ପ୍ରଥମରୁ ଜାଣି ନଥିଲା କି ତା’ର ଦୁଇବନ୍ଧୁ ସହରରେ ଏତେ ପ୍ରତିପତିଶାଳୀ ବ୍ୟକ୍ତି ହୋଇଅଛନ୍ତି । ସେ ନିଜର ଶକ୍ତି ଓ ଯୋଗ୍ୟତା ଉପରେ ନିର୍ଭର କରି ଗ୍ରାମ ଛାଡିଲା । ରାସ୍ତାରେ ବନ୍ଧୁମାନଙ୍କ ସହ ଭେଟ ହେଲା । ଏକଥା ସତଯେ ଧନଶେଖର ରାମନାଥକୁ ନିଜର ଘନିଷ୍ଠ ବନ୍ଧୁ ବୋଲି ଭାବୁଥିଲା । କିନ୍ତୁ ନିଜର ବାଲ୍ୟସାଥୀ ବିଷୟରେ ନିଜ ସ୍ତ୍ରୀକୁ କେବେ କିଛି କହିନାହିଁ । ସେଥିପାଇଁ ସେମାନଙ୍କ ବନ୍ଧୁତ୍ୱ ବିଷୟରେ ତା’ସ୍ତ୍ରୀ କିଛି ହେଲେବି ଜାଣି ନାହିଁ । କିନ୍ତୁ ସତ୍ୟାନନ୍ଦ ରାମନାଥ ବିଷୟରେ ନିଜ ସ୍ତ୍ରୀକୁ କେତେ କଥା କହିଛି । ଏପରିକି ବୁଢୀକୁ ମଧ୍ୟ ସେ ତା’ ଗ୍ରାମକଥା କହିଛି । ସେଥିରୁ ଜଣାଯାଏ ସେ ନିଜ ଗ୍ରାମକୁ କେତେ ଭଲ ପାଏ । ଏସବୁ ଜାଣିବା ପରେ ରାମନାଥ, ସତ୍ୟାନନ୍ଦ ଉପରେ ବେଶି ନିର୍ଭର କରିବାଟା କ’ଣ ସ୍ୱାଭାବିକ୍ ନୁହେଁକି? ତେଣୁ ଧନଶେଖର ଘରେ ନରହି ସତ୍ୟାନନ୍ଦ ଘରେ ରହିବାକୁ ସ୍ଥିର କରିବାଟା ରାମନାଥର ଆଦୌ ମୂର୍ଖତା ନୁହେଁ । ବରଂ ତାହା ତା’ର ବୁଦ୍ଧିମାନର କାର୍ଯ୍ୟ ।”

ରାଜାଙ୍କ ମୌନ ଭଙ୍ଗ ଦେବା ମାତ୍ରେ ଶବ ସହିତ ବେତାଳ ବି ତାଙ୍କ କାନ୍ଧରୁ ଖସି ଯାଇ ପୂର୍ବୋକ୍ତ ଗଛରେ ଝୁଲି ପଡିଲା ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleBichitra Pushpa
Next Article Radanga
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.