• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»‘ପିଲାଦିନେ ପାଠଚୋର ଥିଲି’
ଗଳ୍ପ

‘ପିଲାଦିନେ ପାଠଚୋର ଥିଲି’

ସୌମ୍ୟ ରଞ୍ଜନ ପଟ୍ଟନାୟକBy ସୌମ୍ୟ ରଞ୍ଜନ ପଟ୍ଟନାୟକFebruary 23, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଏଇ ଘରେ ମୁଁ ଦିନେ ଭୂମିଷ୍ଠ ହୋଇଥିଲି । ମୋର ଜେଜୀ ମା’ ଅର୍ଥାତ୍‍ ଗୋପୀନାଥ ମହାନ୍ତିଙ୍କ ସ୍ତ୍ରୀଙ୍କଠାରୁ ଶୁଣିଛି ମୁଁ ଭୂମିଷ୍ଠ ହେବା ପରେ କେତେ ଘଡ଼ି କୁଆଡେ଼ କାନ୍ଦିଲି ନାହିଁ । ପରିସ୍ରା ବି ହେଲା ନାହିଁ । କାନ୍ଦବୋବାଳି ପଡ଼ିଗଲା । ଜେଜୀମା’ ମୋ କାନ ଢେର୍‍ ସମୟ ଧରି ଫୁଙ୍କିଲେ । ପାଟି ଆଁ କରି ଫୁଙ୍କୁଛନ୍ତି, ମୁଁ କୁଆଡେ଼ ହଠାତ୍‍ ଚର୍‍ଚର୍‍ କରି ତାଙ୍କ ପାଟି ଭିତରକୁ ମୂତିଦେଲି । କାନ୍ଦବୋବାଳି ଭୁଲି ଅନ୍ତୁଡ଼ି ଘରେ ଯେଉଁ ମାଇପେ ଥିଲେ, ସମସ୍ତେ ଖିଲି ଖିଲି ହସିଉଠି ବୁଢ଼ୀଙ୍କୁ ଚିଡେ଼ଇଲେ ।

ଆମ ଆଟୁ ଘରଟି କିନ୍ତୁ କ୍ୱଚିତ୍‍ ଫିଟାଯାଏ । ଆମ ଘରର ସବୁ ଦାମୀ ଜିନିଷପତ୍ର ସେଇ ଘରେ ବନ୍ଦ ହୋଇ ପଡ଼ିଥାଏ । ମୋ ଜେଜେବାପା ଆର୍ତ୍ତତ୍ରାଣ ମହାନ୍ତିଙ୍କ ମୃତ୍ୟୁ ପରଠାରୁ ସେ ଘରକୁ ଆଉ କେହି ବ୍ୟବହାର କରୁ ନଥିଲେ । ଖଞ୍ଜାର ପଛ ଧାଉଡ଼ିରେ ଆମ ଭାଗରେ ପଡ଼ିିଥିଲା ଗୋଟିଏ ବଡ଼ ବଖରା । ସେଥିରେ ଥିଲା ଅଧା କାନ୍ଥି । ଡିବି ରଖିବାପାଇଁ ଅଧାକାନ୍ଥିର ଦୁଇପଟେ ତିଆରି ହୋଇଥିଲା ଗୋଟିଏ ଠଣା । ଖଟତଳ ଯାକ ରହୁଥିଲା ଆଳିମାଳିକା- ବୋଉର ଯଉତୁକ ପିତ୍ତଳ କୁଣ୍ଡ, ଗରାଠାରୁ ଆରମ୍ଭ କରି ବାଡ଼ିରୁ ଅମଳ ହୋଇଥିବା ସାରୁ ପର୍ଯ୍ୟନ୍ତ ।

ଏଇ ଖଟ ଉପରେ ଓଳିଆ ସବୁ ଘୁଞ୍ଚାଇ, ତା’ ଭିତରେ ମୁଁ ଦିନେ ଗଢ଼ିିଲି ମୋର ଶୈଶବର ସ୍ୱପ୍ନପୁରୀ… । ଗୁଡ଼ାଏ ଷଢେ଼ଇରେ ଧୂଳି, ବାଲି, ଗୋଡ଼ି, ସାଧବ ବୋହୂ ପୋକ, ବୋତଲ ଭିତରେ ଜୁଳୁଜୁଳିଆ ପୋକ ଆଉ କୋଉ ବୋତଲର ପାଣି ଭିତରେ କେତୋଟି ଦଣ୍ଡିକିରୀ ମାଛ, ଖପରା, ଛିଣ୍ଡା କାଗଜ, ଖାଲି ଦିଆସିଲି ଖୋଳ- ଏଇପରି ଆଉରି ଅନେକ କିଛି… ଯାହାକୁ ବଡ଼ ମଣିଷମାନେ ଫିଙ୍ଗି ଦେଇଥିଲେ, ମୁଁ ସେସବୁକୁ ସାଉଁଟି ଆଣି ଏଇଠି ସଜେଇ ରଖୁଥିଲି ଓ ସେସବୁକୁ ଧରି ଏକୁଟିଆ ଘଣ୍ଟା ଘଣ୍ଟା ଖେଳୁଥିଲି । ଆମ ଖଞ୍ଜାରେ ମୋ ବୟସର କୌଣସି ପିଲା କୌତୂହଳୀ ହୋଇ ମୋର ସେଇ ନିଭୃତ ପୃଥିବୀରେ ଅନଧିକାର ପ୍ରବେଶ କଲେ ମୁଁ ତାକୁ ନିସ୍ତୁକ ପିଟୁଥିଲି । ବୋଉର ହାଣ୍ଡିଶାଳ ପରି ଏହା ମଧ୍ୟ ଥିଲା ଅନ୍ୟମାନଙ୍କପାଇଁ ଆଉ ଏକ ନିଷିଦ୍ଧ ଇଲାକା ।

ମୁଁ ବୈଷ୍ଣବ ଅବଧାନଙ୍କ ଚାଟଶାଳୀରେ ନାଆଁ ଲେଖାଇବା ପରଠାରୁ ବୋଉର ହାଣ୍ଡିଶାଳ ଅନ୍ୟମାନଙ୍କପାଇଁ ଆଉ କିନ୍ତୁ ନିଷିଦ୍ଧ ହୋଇ ରହିପାରିଲା ନାହିଁ । ପିଲାଦିନେ ମୁଁ ଭାରି ପାଠଚୋର ଥିଲି । ଦିନେ ଦିନେ ସକାଳୁ ପେଟ ଟାଣୁଚି, ମୁଣ୍ଡ ବିନ୍ଧୁଚି, ଜର ଆଇଲାଣି- ଏମିତି ନାନା ପେଖନା କାଢ଼ି ଚାଟଶାଳୀକୁ ଯାଏ ନାହିଁ, କାନ୍ଦେ । ଇନ୍ଦୀ ମାଉସୀ ବୋଉକୁ କୁହେ, ଆଗୋ ଶୋଶୀ ଅପା, ଦେଖିଲୁଣି ସୁରିଆ ଦିହ ଜର ତାତିରେ କେମିତି ଖଇ ଫୁଟୁଚି । ନିଆଁ ପଡ଼ୁ ପାଠ ମୁହଁରେ । ସୁରିଆ ଚାଟଶାଳୀକୁ ଆଜି ଯିବ ନାହିଁ ।’ ମୁଁ ମନେ ମନେ ଖୁସି ହୋଇ ଇନ୍ଦୀ ମାଉସୀକୁ ଜାବୁଡ଼ି ଭିତରେ ଭିତରେ ହସେ । ଆଜି ଚାଟଶାଳୀକୁ ନଗଲେ ନିଶ୍ଚୟ କେଇଟା ପ୍ରଜାପତି ଧରିବି । ଏ ଫିକର କିନ୍ତୁ ବେଶିଦିନ କାମ ଦେଲା ନାହିଁ । ବଇଷମ ଅବଧାନେ ଭାରି ନିଷ୍ଠୁର । ସୁଇଁସାଇର ଗୋଟାଏ ଟୋକା ତାଙ୍କର ବଡ଼ ଚାଟ । ତାଙ୍କ ବୋଲରେ ସେଇଟା ଆସି ଗୋଟାଏ ଯମଦୂତ ପରି ମୋତେ ଘିରିଘିରି ଟାଣି ନେଇଯାଏ ଚାଟଶାଳୀକୁ । ଇନ୍ଦୀ ମାଉସୀ ସୁଦ୍ଧା ରକ୍ଷା କରିପାରେ ନାହିଁ । ତା’ପରେ ବୋଉ ଓ ଇନ୍ଦୀ ମାଉସୀଙ୍କ ମଧ୍ୟରେ ଲାଗେ ଝଗଡ଼ା । ଇନ୍ଦୀ ମାଉସୀ ରାଗିମାଗି କହେ, ‘ଗୋଟିଏ ବୋଲି ପିଲା । ତାକୁ ତମେ ସବୁ ମିଶି ମାରି ପକେଇବ । ନିଆଁ ପଡ଼ୁ ବଇଷମ ଅବଧାନ ମୁହଁରେ ।’

ମୋର ନିଭୃତ ପୃଥିବୀକୁ ମୁଁ କିନ୍ତୁ ଯେତେବେଳେ ଫେରିଆସେ, ସେତେବେଳେ ବାହାରର ସବୁକିଛି ଭୁଲିଯାଏ । ନିମଜ୍ଜିତ ହୋଇପଡେ଼ ମୋର ସ୍ୱପ୍ନର ସଂସାରରେ ।

ଆମ ବାଡ଼ିରେ ତାଳଗଛର ବାହୁଙ୍ଗା ସବୁ ପବନରେ ଦାମ୍‍ମା ପିଟିବାବେଳେ, ମୁଁ ଉତ୍କର୍ଣ୍ଣ ହୋଇଉଠେ । ତାଳଗଛ ସବୁ ମୋତେ ଯେପରି କେତେ ଆଡ଼ର କେତେ କଥା କହୁଛନ୍ତି । ସେଥିରୁ କିଛିଟା ବୁଝିପାରେ, ଆଉ କିଛିଟା ଅବୁଝା ରହିଯାଏ ।…ନିଶୂନ୍‍ ରାତିରେ, ବାଉଁଶ ବଣରେ, ପବନ ନାନାବାୟା ଗୀତ ବୋଲେ । ଡାଆଣୀମାନେ ବି ବଇଁଶୀ ବଜାନ୍ତି…ଗୋଟିଏ ଅଶରୀରୀ କେଁ କେଁ ସ୍ୱର ଶୁଣିବାପାଇଁ ମୋତେ ଯେତିକି ଭଲଲାଗେ ସେତିକି ମଧ୍ୟ ଭୟ ଲାଗେ ।

ଏଇ ଥିଲା ମୋର ଶୈଶବର ପୃଥିବୀ ।

ଗଛ… ଚଢେ଼ଇ… ପ୍ରଜାପତି… ଫୁଲ… ଧୂଳି… ଖପରା ଇତ୍ୟାଦିର ଐଶ୍ୱର୍ଯ୍ୟରେ ମୁଁ ଥିଲି ଐଶ୍ୱର୍ଯ୍ୟମନ୍ତ ।

ବଇଷମ ମାଷ୍ଟର

କଳା କିଟିକିଟିଆ ଡେଙ୍ଗା ପାତଳା ମଣିଷଟିଏ । ମୁଣ୍ଡଟି ଲଣ୍ଡା । ବେକରେ ତିନିସାରି ତୁଳସୀ କଣ୍ଠି । ମୁହଁରେ ହନୁହାଡ଼ ବାହାରିପଡ଼ିଛି । ଆଖି ଦୁଇଟା ପେଜୁଆ । କାନ୍ଧରେ ଖଣ୍ଡେ ଗାମୁଛା- ପିନ୍ଧାରେ ଆଣ୍ଠୁ ନଲୁଚା ମଇଳା ଧୋତି । କଣ୍ଠ ସ୍ୱର ଘାଗଡ଼ା । କଥାବାର୍ତ୍ତା କଲେ ଗଂଜେଇ ଧୂଆଁର ବାସନା ବାହାରେ । ଇଏ ଥିଲେ ଆମ ଗାଁର ମାଟିବଂଶ ଅବଧାନ… ବଇଷମ ଅବଧାନ । ଲୋକଟି ଗୃହୀ ବୈଷ୍ଣବ । ପୁରୁଷୋତ୍ତମ ପୁର ଗାଁରେ ତାଙ୍କ ଘର ଖଞ୍ଜାଟି ମହାନ୍ତି ସାହିରୁ ଅଲଗା । ସିଏ ଆମ ଗୋତ୍ରରେ ନଥିଲେ । ତାଙ୍କ ଖଞ୍ଜା ବାଡ଼ିର ଚେହେରା ଅନେକଟା ମଠ ପରି । ବୈଷ୍ଣବ ହେଲେ କ’ଣ ହେଲା, ଭାରି ନିଷ୍ଠୁର । ପିଲାଙ୍କୁ ନିସ୍ତୁକ ବାଡ଼ଉଥିଲେ । ପୁଣି ବଦରାଗୀ । ଆମେ ପିଲାମାନେ ତାଙ୍କୁ ପଛରେ ଡାକୁଥିଲୁ ‘ବାଘ’ । ଏଇ ବାଘ ଯାଉଛି, ଏଇ ବାଘ ଆଇଲା ।

ଦିନେ ବାପା ଗାଁକୁ ଆସି ତାଙ୍କୁ ଆମ ଘରକୁ ଡକାଇ ପଠାଇଲେ । ବାପା ବୈଷ୍ଣବ ଅବଧାନଙ୍କୁ କହିଲେ, ‘ୟେ ଟୋକାଟାକୁ ଛଅ ବର୍ଷ ତ ପୂରିଲା । ଏ ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବି ମଡେଇଲା ନାହିଁ । ମୁଁ ତ ଦୃଷ୍ଟିଦେଇ ପାରୁନାହିଁ । ବାଉରୀ ସାଇ ଟୋକାଙ୍କ ମେଳରେ ମିଶି ଭାରି ଖେଚଡ଼ ହୋଇ ଗଲାଣି । ତାକୁ ଆପଣଙ୍କ ଚାହାଳିରେ ନେଇ ବସାନ୍ତୁ, ଆଉ ନିସ୍ତୁକ ପିଟନ୍ତୁ ।’ ବାଘ କାହିଁକି ଆମ ଘରକୁ ଆଇଲା, ବାପା ତାଙ୍କୁ କ’ଣ କହୁଛନ୍ତି ଜାଣିବାପାଇଁ ମୁଁ ଲୁଚିଲୁଚି ଦାଣ୍ଡଘର କବାଟ ଉହାଡ଼ରେ ଛିଡ଼ା ହୋଇଛି । ବୈଷ୍ଣବ ଅବଧାନେ କହିଗଲେ, କାଲି ତାକୁ ମୋ ପାଖକୁ ପଠାଇଦେବ । ତା’ ପରଦିନ ସକାଳେ ଗୋଟିଏ ଥାଳିରେ ଚାଉଳ, ମୁଗଜାଇ, କଦଳୀ, ସାରୁ, ଧୂଆଁପତ୍ର ଦି’ଖଣ୍ଡ, ପାନଗୁଆ, ଗୋଟାଏ ନଡ଼ିଆ ଆଉ ଦି’ ଅଣା ପଇସା ସଞ୍ଚା ଧରି ଶାରୀ ଅପା ଆଗେ ଆଗେ ଚାଲିଲା ଆଉ ତା’ ପଛରେ ମୁଁ ।

ଏଇ ପିଣ୍ଡାରେ ଆମର ବିଦ୍ୟାଶିକ୍ଷା ଚାଲିଲା । ସକାଳେ ଅଙ୍କ, ମାନସାଙ୍କ ଆଉ ଖଡ଼ିପାଠ- ଓପର ଓଳି ବହିପାଠ । ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ମୋର ଅଳ୍ପ ଦିନରେ ସରି ଆସିଲା । ଓପର ଓଳି କଣ୍ଠସ୍ୱର ଲମ୍ୱାଇ ବୋଲିବାକୁ ପଡେ ଗୋଟିଏ ପଦ୍ୟ, ‘ଦିନମଣି ଅସ୍ତଗଲେ ଦିନ ହେଲା ଶେଷ, ଆସଇ ରଜନୀ ରାଣୀ ପିନ୍ଧି କଳାବେଶ ।’ ଏ ଗୀତ ବୋଲିବା ବେଳେ ମୁଁ ଚାହିଁ ଦେଖେ ଗୋଧୂଳିର ଶେଷ ଆଲୁଅ, ସାମ୍ନା ବାଉଁଶ ଝାଡ଼ ଉପରେ ଜାଳିଦେଇ ଗଲାଣି ଯେପରି ସଂଜର ଦୀପାଳି । ମୋ ଗୀତ ଥମିଯାଏ । ତାଆରି ଭିତରେ ମୁଁ କେଉଁଠି କେମିତି ହଜିଯାଏ, ଠିକ୍‍ ବୁଝିପାରେ ନାହିଁ । ପ୍ରକୃତରେ ମୁଁ ଦେଖିପାରେ ରଜନୀରାଣୀ ଯେପରି ଖଣ୍ଡେ କଳାଶାଢି ପିନ୍ଧି ଧୀର ମନ୍ଥର ପାଦରେ ତଳକୁ ଓହ୍ଲାଇ ଆସୁଛନ୍ତି । ଅବଧାନଙ୍କର ଗୋଟିଏ ବିଧା ବା ଚାପୁଡ଼ାରେ ମୋର ଆଚ୍ଛନ୍ନ ଭାବ କଟିଯାଏ । ତା’ପରେ ପୁଣି ସ୍ୱର ଲମ୍ୱାଏ । ଏବେ ଦେଖୁଚି, ପିଲାଏ ସେ ପାଠ ଆଉ ପଢ଼ୁ ନାହାନ୍ତି । ଯାହା ସେମାନଙ୍କୁ ପଢ଼ାଯାଉଛି, ସେଥିରେ ନା ଭାଷା ଅଛି, ନା ଅଛି ଭାବ ନା ଅଛି ସାହିତ୍ୟ । ତେଣୁ ପ୍ରାଥମିକ ସ୍ତରରେ ପିଲାମାନଙ୍କର ମାନସିକ ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟ ଯେ ବିକଶିତ ହୋଇପାରୁ ନାହିଁ , ସେଥିରେ ମୁଁ ଆଦୌ ବିସ୍ମିତ ନୁହେଁ ।

ଦିନଗୁଡ଼ିକ ତ କଟିଯାଉିଲା ବେଶ୍‍, ଗେଣ୍ଡାଳିଆ ଚଢେଇ ଡେଣା ଝାଡ଼ି ଝାଡ଼ି ଉଡ଼ିଯିବା ପରି । ମୁଁ ଇତିମଧ୍ୟରେ ସମବୟସ୍କ ସାଇପିଲାମାନଙ୍କର ଗୋଟିଏ ନେତା ହୋଇ ସାରିିଥିଲି । ପାରା ଉଡ଼ାଇବାରେ ବାଉରୀ ସାଇର ପିଲାମାନେ ସୁଦ୍ଧା ମୋ ପାଖରେ ହାର ମାନନ୍ତି । ନରପାରା କିଏ ଆଉ ମାଧିପାରା କିଏ, ମୁଁ ଠିକ୍‍ ଚିହ୍ନି ପାରୁଥିଲି । ଦୁଆରେ ହଳଦୀପାଣି ଗୋଟିଏ କଂସାରେ ରଖି ପାରା ଖୁବ୍‍ ଉଚ୍ଚରେ ଉଡ଼ୁଥିବା ବେଳେ ତା’ ଭିତରେ ମୁଁ ତାକୁ ଦେଖିପାରୁଥିଲି । ଗୁଲି ଖେଳରେ ମଧ୍ୟ ମୁଁ ହୋଇ ଉଠିିଥିଲି ଧୁରନ୍ଧର । ବଣି ଚଢେ଼ଇ ବସାରୁ ଧରିଆଣି ପୋଷା ମନେଇ ପାରୁଥିଲି । ଖରାବେଳେ ଖଞ୍ଜାରେ ଅପା ଖୁଡ଼ୀମାନେ ମୋତେ ସ୍ନେହରେ ଡକାଇ ଗୋପୀଭାଷା ନୋହିଲେ ସଂଗୀତ ଛେନାଗୁଡ଼ ନୋହିଲେ ଜେମାଦେଇ କାନ୍ଦ ମୋ ପାଖରୁ ଶୁଣୁଥିଲେ । ସେତେବେଳେ କରଣଘରେ ବୋହୂ ନୂଆ ହୋଇ ଶାଶୂଘରକୁ ଆସିବା ବେଳେ, ଗୋଟିଏ ପେଡ଼ିରେ ଆଣୁଥିଲେ ଏହିପରି ସବୁ ଚଟି ଚଟି ବହି । ଇଏ ଥିଲା କରଣ ଘରର ସଣ୍ଠଣା । ସଂଜବେଳେ ଭାଗବତ ବୋଲାଯିବା ବେଳେ ମୁଁ ତନ୍ମୟ ହୋଇ ଶୁଣୁଥିଲି । କିଛି ବୁଝିପାରୁ ନଥିଲି ଭାଗବତର କଥା । କିନ୍ତୁ ବୋଲିବାର ରାଗିଣୀ; ସଂଜର ଅନ୍ଧାର ଆଉ ଥରାଥରା ଦୀପଶିଖା ଆଉ ଜାକି ଜାକି ହୋଇ ବସିଥିବା ମଣିଷମାନେ ସବୁ ମିଶି ଯେପରି ଅଭିନ୍ନ ହୋଇ ଉଠୁଥିଲେ । ଆଉ ତା’ର ଭିତରେ ମୁଁ କେଉଁଠି ହଜିଯାଉଥିଲି, ନଡ଼ାଗଦାରେ ଗୋଟିଏ ଛୁଞ୍ଚି ହଜିଯିବା ପରି । ମୁଁ ତା’ ଭିତରେ ଅନୁଭବ କରିପାରୁଥିଲି ଯେପରି ଗୋଟାଏ ଅନନ୍ତକାଳର ଅଖଣ୍ଡ ସତ୍ତା । ଦିନସବୁ ପ୍ରକୃତରେ ବେଶ୍‍ କଟିଯାଉଥିଲା । ମୁଁ ଭାବୁଥିଲି ମୋର ଦିନସବୁ ଏଇପରି କଟିଯିବ ।

ଦିନେ କିନ୍ତୁ ଆକସ୍ମିକ ଆସିଲା ଏକ ବିପଦ । ବାପା ପ୍ରତି ମାସରେ ଥରେ ଥରେ ଗାଁକୁ ଆସନ୍ତି । ରାତିଟା ରହି ପୁଣି ସକାଳୁ ତାଙ୍କର ଚାକିରି ଗାଁକୁ ବାହାରି ଯାଆନ୍ତି । ଦିନେ ସେ ଆସିବାବେଳକୁ ମୁଁ ଘରେ ନଥିଲି । ସେଦିନ ମୋର ପୋଷା ବଣିଟା ପଞ୍ଜୁରିରୁ ଖସି କୁଆଡେ଼ ଉଡ଼ି ଯାଇଥିଲା । ତାକୁ ବିଲ ଗହୀରରେ ବଣବୁଦାମାନଙ୍କରେ ଖୋଜି ଖୋଜି ଆମ ଖଞ୍ଜାର ଜଣେ ଦି’ଜଣ ପିଲାଙ୍କ ସହିତ ମୁଁ ଗହୀରେ ଗହୀରେ ପଟ୍ଟାମୁଣ୍ଡାଇ କେନାଲ୍‍ ବନ୍ଧ ପର୍ଯ୍ୟନ୍ତ ସୁଦ୍ଧା ଚାଲିଯାଇଥିଲି । ପ୍ରାୟ କୋଶେ ବାଟ । ବଣି ତ ମିଳିଲା ନାହିଁ । ତେବେ ସେଇଦିନ ବୁଝିିଲି, ଯିଏ ପଞ୍ଜୁରିରୁ ଫିଟି ଥରେ ଉଡ଼ିଯାଏ, ସିଏ ଆଉ ପଞ୍ଜୁରିକୁ ଫେରେ ନାହିଁ । ତା’ପାଇଁ ପାଗଳ ହୋଇ ବୁଲିବା କେବଳ ସାର ହୁଏ ।

ଓଡ଼ିଆ ସାହିତ୍ୟର ଅମର କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଆତ୍ମଜୀବନୀ ‘ପଥ ଓ ପୃଥିବୀ’ରୁ ଉଦ୍ଧୃତ ।

Odia Story Soumya Ranjan Patnaik Books Soumya Ranjan Patnaik Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆପଣ ଭାତ ଖାଆନ୍ତି ନା ସୁନା ?
Next Article କର ସାଧୁଜନମାନେ ମନକୁ ଏକ
ସୌମ୍ୟ ରଞ୍ଜନ ପଟ୍ଟନାୟକ

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.