ମାତ୍ର ଦୁର୍ଭାଗ୍ୟକୁ ଅଫିସ୍ ବେଳ ହୋଇଥିବାରୁ ରାସ୍ତାରେ ସବୁତକ ଭିଡ଼ । ପୁଣି ହଠାତ୍ ପେଟ୍ରୋଲ ସରିଗଲା । କେଉଁଠୁ ଆଣିବାର ଉପାୟ ନାହିଁ । ପେଟ୍ରୋଲ ଟାଙ୍କି ସେଠାରୁ ବହୁତ ଦୂର । କୁତବ୍ ପୁଣି ପୂର୍ବପରି କାର୍ର ପଛ ପଟ ଡିକି ଖୋଲି ପାଇପ୍ରେ ଶେଷବିନ୍ଦୁ ପେଟ୍ରୋଲତକ ସଂଗ୍ରହ କଲା । ସେତକ ପକାଇ ବହୁକଷ୍ଟରେ ପାଖ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଗଲୁ । ବକୃତାଦେବା ସମୟ ହୋଇଥିବାରୁ ଜଳଖିଆ ଖାଇପାରିଲୁ ନାହିଁ । ମାତ୍ର କୁତବ୍କୁ ନିମନ୍ତ୍ରଣ କଲି ମୋ ସାଥୀରେ ମଧ୍ୟାହ୍ନ ଭୋଜନ ଖାଇବାକୁ ।
ଡକ୍ଟର ଶର୍ମାଙ୍କୁ ସେଦିନର ଅନୁଭୁତିରୁ କିଛି କହିଲି । ମୁଁ ଜଳଖିଆ ଖାଇନାହିଁ ବୋଲି କୁତବ୍ ତାଙ୍କୁ କହିବାରୁ ସେ ଚା‘ ସିଙ୍ଗଡ଼ା ଓ ବିସ୍କୁଟ ଦେଲେ । ତା‘ପରେ ଉଚ୍ଚ ଶିକ୍ଷା ଲକ୍ଷ୍ୟ ସମ୍ପର୍କରେ ବକ୍ତୃତାଟିଏ ଦେଲି । ଭଟାଚାର୍ଜୀ(କୋର୍ସର ସଂଯୋଜକ)ଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବାକୁ ଗଲି । ସାଥିରେ ଆମର କୁତବ୍ ମଧ୍ୟ ଖାଇଲା । ସେଠାରେ ଅଧିକାଂଶ ଆମିଷାଶୀ । ତେଣୁ ମାଛମାଂସ ଓ ଅଣ୍ଡାର ଖୁବ୍ ଚଳଣି । ତେଣୁ ମୋ ପରି ଶାକାହାରୀଙ୍କ ଖାଦ୍ୟ ଖୁବ୍ ସୀମିତ । ତେବେ ସେମାନେ ମୋ ଯତ୍ନ ନେବାରେ ହେଳା କଲେ ନାହିଁ । ମିଠାଟିଏ ଦେଲେ । କାକୁଡ଼ି ପରି ଦିଶୁଥିବା ଗୋଟିଏ ପଦାର୍ଥକୁ କାଟିକରି ଦେଇଥିଲେ । କିନ୍ତୁ ତାହା ଦେଖିବାକୁ ଗଙ୍ଗାକୂଳିଆ ଲେମ୍ବୁପରି । ବରଂ ତା‘ଠାରୁ ଲମ୍ବା ।