• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଫଁ ଫଁ
ଗଳ୍ପ

ଫଁ ଫଁ

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଏକ ମସ୍ତବଡ଼ ପଡ଼ିଆ । ତା’ ଭିତରେ ବଡ଼ ବଡ଼ ଗଛ । ଚାରିପାଖରେ ଗାଆଁ । ପ୍ରତିଦିନ ସକାଳେ ଗାଆଁର ଗଉଡ଼ ପିଲାମାନେ ଗୋରୁ ନେଇ ପଡ଼ିଆକୁ ଚରାଇବାକୁ ଆସନ୍ତି । ସେମାନେ ଗଛ ଛାଇରେ ବସି ମୁଢ଼ି ଚୋବାନ୍ତି, ଖେଳନ୍ତି, ବଂଶୀ ବଜାନ୍ତି ଓ ଗୋରୁମାନେ ଚାରିଆଡେ଼ ଚରି ବୁଲୁଥା’ନ୍ତି । ସେହି ପଡ଼ିଆ ମଝିରେ ଏକ ଭୟଙ୍କର ସାପ ରହୁଥାଏ । ଗାଈ, ବାଛୁରୀ, ମଣିଷ- ଯେ ତା’ର ଗାତ ପାଖକୁ ଯାଏ, ସାପଟା ତାକୁ କାମୁଡ଼ିବାପାଇଁ ଧାଇଁଆସେ । ବାପରେ ବାପ ! ଯେପରି ସାପର ଦେହର ରଙ୍ଗ, ସେମିତି ତା’ର ଫଣା ଓ ସେମିତି ତା’ର ବିଷ ! ଯାହାକୁ ସେ ମାରେ ସେ ସେଇଠି ଚିତ୍କାର କରି ପଡ଼ି ମରିଯାଏ । ସାପ ଭୟରେ ସେ ବାଟେ କେହି ଯିବା ଆସିବା କରନ୍ତି ନାହିଁ ।

ଦିନେ ଜଣେ ସାଧୁ ସେ ବାଟେ ଯାଉଥିଲେ । ପଡ଼ିଆର ଗଉଡ଼ ଟୋକାମାନେ ତାଙ୍କୁ ଚିତ୍କାର କରି ଡାକି କହିଲେ, “ବାବାଜି ମାହାପୁରୁ, ସେ ବାଟେ ଯାଆନ୍ତୁ ନାହିଁ । ସେଠି ଗୋଟାଏ ଭୟଙ୍କର ସାପ ଅଛି । ସେ ବାଟେ ଯେ ଯିବ ତାକୁ ସେ କାମୁଡ଼ି ଦେବ । ତା’ର ଏପରି ବିଷ ଯେ କାମୁଡ଼ି ଦେବା ସଙ୍ଗେ ସଙ୍ଗେ ଲୋକ ମଲା । ସେ ବାଟେ ଯାଆନ୍ତୁ ନାହିଁ ।

ବାବାଜି କହିଲେ, “ମୁଁ ସାପମନ୍ତ୍ର ଜାଣେ । ମୋତେ ସେ କାମୁଡ଼ି ପାରିବ ନାହିଁ ।” ଏହା କହି ସାଧୁ ସେହି ବାଟେ ଯିବାକୁ ବାହାରିଲେ । ପିଲାମାନେ ଦୂରରେ ଥାଇ କ’ଣ ଘଟୁଛି ବୋଲି ଭୟରେ ଦେଖିବାକୁ ଲାଗିଲେ ।

ସାଧୁ ଯାଉଛନ୍ତି । ସାପ ଗାତ ପାଖରେ ପହଞ୍ଚୁ ନ ପହଞ୍ଚୁଣୁ ସାପଟା ଦୌଡ଼ିଆସି ଫଁ କରି ଫଣା ଟେକିଦେଲା । ସାଧୁ ଗୋଟିଏ ମନ୍ତ୍ର ବୋଲିଦେଲେ । ମନ୍ତ୍ରର କି ଗୁଣ ! ସାପଟା କେଞ୍ଚୁଆପରି ହୋଇଗଲା । ସାପର ଅବସ୍ଥା ଦେଖି ସାଧୁଙ୍କ ମନରେ ଦୟା ହେଲା । ସେ ତାକୁ ବହୁ ଧର୍ମକଥା ବୁଝାଇବାକୁ ଲାଗିଲେ, “ଦେଖ ବାବା, ଏତେଦିନ ଧରି ତୁ କେତେଗୁଡ଼ିଏ ପ୍ରାଣୀଙ୍କୁ ହତ୍ୟା କଲୁଣି । ତୋ’ର ମହାପାପ ହେଲାଣି । ମରିବା ପରେ କ’ଣ ହେବ ଭାବି ଦେଖିଛୁ କି ? ତୁ ମୋ’ଠାରୁ ମନ୍ତ୍ର ନେ ।” ସାଧୁଙ୍କ କଥାରେ ସାପର ଚେତନା ପଶିଲା । ସେ ଯେ ବହୁତ ପାପ କରିଛି ତାହା ବୁଝିପାରିଲା ।

ସେ ସାଧୁଙ୍କର ଶିଷ୍ୟ ହୋଇଗଲା । ସାଧୁ ତାକୁ ମନ୍ତ୍ର ଦେଇ କହିଲେ, “ଏଇଟି ପ୍ରତିଦିନ ଜପ କରିବୁ । କୌଣସି ପ୍ରାଣୀକୁ ହିଂସା କରିବୁ ନାହିଁ ।” ଏହା କହି ସାଧୁ ଚାଲିଗଲେ ।

ଖୁବ୍ ଭକ୍ତିରେ ସାପ ଗୁରୁ ଦେଇଥିବା ମନ୍ତ୍ର ଜପ କରିବାକୁ ଲାଗିଲା । ସେଦିନଠାରୁ ସେ ଆଉ କାହାରିକୁ କାମୁଡ଼ିଲା ନାହିଁ । କିଛି ଦିନ ବିତିଗଲା । ଗଉଡ଼ ପିଲାମାନେ ଦେଖିଲେ ଯେ ସାପଟା ଫଣା ଟେକି ଆଉ ମାରିବାକୁ ଆସୁ ନାହିଁ । ଗାଈ, ବାଛୁରୀ ନିକଟକୁ ଗଲେ ମଧ୍ୟ କିଛି କରୁ ନାହିଁ । ସେମାନେ ଦୂରରୁ ଥାଇ ତାକୁ ଟେକା ମାରିବାକୁ ଲାଗିଲେ । ସାପ ସେମାନଙ୍କ ଆଡ଼କୁ ଫେରି ଚାହିଁଲା ନାହିଁ । ପିଲାମାନେ ବୁଝିଲେ ଯେ ଏସବୁ ବାବାଜିଙ୍କ ମନ୍ତ୍ରର ଗୁଣ । ଧୀରେ ଧୀରେ ସେମାନଙ୍କର ସାହସ ବଢ଼ିବାକୁ ଲାଗିଲା । ଦିନେ ସେମାନେ ତା’ ନିକଟକୁ ଯାଇ ଠେଙ୍ଗାରେ ଏପରି ପାହାରେ ପକାଇଲେ ଯେ ସାପଟା ମରେ ନ ମରେ । ସମସ୍ତେ ଭାବିଲେ ସେ ମରିଗଲା । ଗୋଟାଏ ଦୁଷ୍ଟ ପିଲା ଲାଞ୍ଜ ଧରି ଟେକି ତାକୁ ଦୂରକୁ ଫୋପାଡ଼ିଦେଲା ।

ସାପଟା କିନ୍ତୁ ମରି ନ ଥିଲା । ମାଡ଼ ଖାଇ ଏକାବେଳକେ ଅଜ୍ଞାନ ହୋଇ ପଡ଼ିଥିଲା । ବହୁତ ରାତିକୁ ତା’ର ଜ୍ଞାନ ଫେରି ଆସିଲା । ତା’ପରେ ଧୀରେ ଧୀରେ ଅତି କଷ୍ଟରେ ନିଜ ଗାତ ଭିତରକୁ ଯାଇ ପଡ଼ି ରହିଲା । କିଛିଦିନ ଦେହରେ ପୀଡ଼ା ଯୋଗୁଁ ଏପାଖ ସେପାଖ ହୋଇ ପାରିଲା ନାହିଁ । ତା’ପରେ ଆସ୍ତେ ଆସ୍ତେ ଉଠିଲା । ଗଉଡ଼ ପିଲାମାନଙ୍କ ଭୟରେ ସେ ଦିନବେଳେ ଗାତ ବାହାରକୁ ଆସେ ନାହିଁ । ରାତିରେ ଖାଇବା ଖୋଜିବାପାଇଁ ବାହାରକୁ ଆସେ ।

ସାପକୁ ଆଉ କେହି ଦେଖିବାକୁ ପାଇଲେ ନାହିଁ । ସମସ୍ତେ ମନେକଲେ, ମରିଗଲା । ବହୁଦିନ ପରେ ସେହି ସାଧୁ ପୁଣି ଥରେ ସେହି ବାଟେ ଯାଉଥିଲେ । ତାଙ୍କୁ ଚିହ୍ନିପାରି ଗଉଡ଼ ପିଲାମାନେ ଖୁବ୍ ଭକ୍ତିରେ ପ୍ରଣାମ କଲେ ଓ କହିଲେ, “ବାବାଜି ମାହାପୁରୁ, ସେ ସାପଟା ମରିଗଲା ।” ଏ କଥାରେ ସାଧୁଙ୍କର ବିଶ୍ୱାସ ହେଲା ନାହିଁ । ସେ ଜାଣିଥିଲେ ଯେ ମନ୍ତ୍ରର ସାଧନା ଶେଷ ହେବାଯାଏଁ ସାପ ମରିବ ନାହିଁ । ସେ ସାପ ଗାତ ନିକଟକୁ ଯାଇ ଜୋର୍‌ରେ ଡାକିବାକୁ ଲାଗିଲେ । ଗୁରୁଙ୍କ ଡାକ ଶୁଣି ସାପ ଗାତ ବାହାରକୁ ଆସି ତାଙ୍କୁ ପ୍ରଣାମ କଲା । ଏତେଦିନ ପରେ ଗୁରୁଙ୍କୁ ଦେଖିବାକୁ ପାଇ ସାପ ମନରେ ଭାରି ଆନନ୍ଦ । ଗୁରୁ ପଚାରିଲେ, “ବାବା, କେମିତି ଅଛୁ ?”

ସାପ କହିଲା “ଆପଣଙ୍କ ଦୟାରେ ଖୁବ୍ ସୁଖରେ ମୋ ଦିନ କଟିଯାଉଛି ।”

ଗୁରୁ ପଚାରିଲେ “ତା’ ହେଲେ ତୁ ଏତେ ଦୁର୍ବଳ ଦେଖାଯାଉଛୁ କାହିଁକି ?”

ଗୁରୁଙ୍କ ଉପଦେଶ ଓ ସାଧନାର ଗୁଣରୁ ସାପ ମନରୁ ସମସ୍ତ ହିଂସାଭାବ ଚାଲିଯାଇଥିଲା । ଗଉଡ଼ ଟୋକାମାନେ ତାକୁ ଯେ ଟେକା ଓ ଠେଙ୍ଗାରେ ମାରିଥିଲେ, ତାହା ସେ ସଂପୂର୍ଣ୍ଣ ଭାବରେ ଭୁଲିଯାଇଥିଲା ।

ସାପ କହିଲା, “ହିଂସା କରିବାପାଇଁ ଆପଣ ମନା କରିଥିଲେ । ତେଣୁ ଗଛରୁ ପଡ଼ୁଥିବା ପତ୍ର ଓ ଶୁଖିଲା ଘାସ ଏ ସବୁ ଖାଉଛି । ସେଥିପାଇଁ ବୋଧହୁଏ ଏପରି ଦୁର୍ବଳ ଦେଖାଯାଉଛି ।”

ଗୁରୁ କହିଲେ, “ନା, ଏପରି ଦୁର୍ବଳ ହେଲେ ଚଳିବ ନାହିଁ । ତୁ ମନେ ପକା, ଅନ୍ୟ କିଛି କାରଣ ଅଛି ।”

ଗୁରୁଙ୍କ କଥା ଶୁଣି ସାପ ଭାବିବାକୁ ଲାଗିଲା । ବହୁତ ଭାବି ଭାବି ତା’ର ମନେ ପଡ଼ିଲା, ଗଉଡ଼ ପିଲାଏ ଦିନେ ତାକୁ ଭାରି ମାରିଥିଲେ । ସେ କହିଲା, “ଆଜ୍ଞା, ଆପଣ ଠିକ୍ କହୁଛନ୍ତି । ମୁଁ କାହାରିକୁ ହିଂସା କରୁନାହିଁ ଦେଖି ଦିନେ ଗଉଡ଼ ଟୋକାମାନେ ଠେଙ୍ଗା ଧରି ମୋତେ ମାରିବାକୁ ଲାଗିଲେ । ଅବୋଧ ବାଳକ, ସେମାନେ କ’ଣ ମୋର ମନର ଅବସ୍ଥା ବୁଝି ପାରୁଛନ୍ତି ?”

ଗୁରୁ ସବୁ ବୁଝିପାରିଲେ । ସାପକୁ ଧମକାଇ କହିଲେ, “ତୁ ପୁଣି ଏଡେ଼ ବୋକା ! ହିଂସା କରିବାକୁ ତୋତେ ମୁଁ ବାରଣ କରିଥିଲି । ଫଁ କରିବାକୁ ତ ମନା କରି ନ ଥିଲି । ତୋତେ କେହି ମାରିବାକୁ ଆସିଲେ ଆଜିଠାରୁ ଫଁ କରିବୁ ।”

ଏହା କହି ସାଧୁ ଚାଲିଗଲେ ।

ସେ ଦିନଠାରୁ ସାପ ଦିନବେଳେ ଆହାର ସଂଗ୍ରହ କରିବାପାଇଁ ପଡ଼ିଆରେ ବୁଲିବାକୁ ଆରମ୍ଭକଲା । ଗଉଡ଼ ପିଲାଏ ତାକୁ ଦେଖି ଚିତ୍କାର କରିଉଠିଲେ । “ଆରେ ମରିନିରେ ମରିନି । ପୁଣି ସାପଟା କ’ଣ ବାହାରିଲାଣି, ଚାଲ ତାକୁ ଦେଖିନେବା ।”

ଏହା କହି ପିଲାମାନେ ଠେଙ୍ଗା ଧରି ତାକୁ ମାରିବାକୁ ଚାଲିଲେ । ଯେପରି ସେମାନେ ନିକଟରେ ପହଞ୍ଚିଛନ୍ତି, ସାପ ପ୍ରଥମେ ଯେପରି କରୁଥିଲା, ସେହିରି ଫଣା ଟେକି ଦୌଡ଼ି ଆସିଲା । ଆଉ ଯାଆନ୍ତି କୁଆଡେ଼ ? ବୀର ଦଳ ଭୟରେ ମାଆଲୋ, ବାପାଲୋ ହୋଇ ଯେ ଯୁଆଡେ଼ ପାରିଲେ ପଳାଇଲେ । ସେ ଦିନଠାରୁ ସାପ ପାଖକୁ ଆଉ କେହି ଗଲେ ନାହିଁ । ସାପଟା ନିର୍ଭୟରେ ବୁଲିବାକୁ ଲାଗିଲା ।

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleସାଧୁ ସଙ୍ଗ
Next Article ଅର୍ଜୁନଙ୍କ ଗର୍ବ
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.