ଈଶ୍ୱର ସ୍ୱର୍ଗଲୋକର କଳ୍ପତରୁ । କଳ୍ପ ବୃକ୍ଷକୁ ଯାହା ମାଗିଲେ ଯେପରି ସେ ତାହା ଦେଇ ଦିଏ, ଈଶ୍ୱର ମଧ୍ୟ ସେହିପରି ପ୍ରାର୍ଥିତ ବର ଦାନ କରନ୍ତି । ତେଣୁ ମନରେ କୌଣସି ସାଂସାରିକ ବାସନା ରଖି ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଉଚିତ ନୁହେଁ । ଧ୍ୟାନ, ସଂଯମ ଓ ପ୍ରାର୍ଥନା ଆଦି ଧାର୍ମିକ ସାଧନାଦ୍ୱାରା ମନକୁ ସମସ୍ତ ବାସନାଠାରୁ ଦୂରରେ ରଖିବା ଉଚିତ ।
ଏଠାରେ ଗୋଟିଏ କାହାଣୀ ଉଲ୍ଲେଖ କରାଯାଇପାରେ ।
ଜଣେ ପଥିକ ଥରେ ବୁଲି ବୁଲି ଏକ ସମତଳ ଅଞ୍ଚଳରେ ଆସି ପହଞ୍ଚିଲା । ବହୁ ସମୟ ଧରି ଖରାରେ ଚାଲୁଥିବାଯୋଗୁଁ ସେ କ୍ଲାନ୍ତ ହୋଇପଡ଼ିଥିଲା ଓ ତା’ ଦେହରୁ ଝାଳ ଗମ ଗମ ବହି ଯାଉଥିଲା । ତେଣୁ ସେ ଗୋଟିଏ ଗଛର ଛାଇରେ ଥକା ମାରି ବସିଗଲା ।
ବସି ବସି ସେ ଭାବିବାକୁ ଲାଗିଲା, ଶୋଇବାପାଇଁ ତାକୁ ଗୋଟିଏ କୋମଳ ଶଯ୍ୟା ମିଳନ୍ତା କି ! ସେ ଜାଣେ ନାହିଁ ଯେ ସେ ଗୋଟିଏ କଳ୍ପବୃକ୍ଷ ମୂଳରେ ବସିଛି । ତା’ ମନରେ ଏହି ଭାବନାର ଉଦ୍ରେକ ହେବା ମାତ୍ରକେ ତା’ ପାଖେ ପାଖେ ଏକ ସୁନ୍ଦର ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବାର ସେ ଦେଖି ପାରିଲା । ସେ ଭାରି ଆଶ୍ଚର୍ଯ୍ୟ ହୋଇଗଲା । କିନ୍ତୁ ହାଲିଆ ହୋଇଥିବାଯୋଗୁଁ ସଙ୍ଗେ ସଙ୍ଗେ ଗୋଡ଼ ଲମ୍ବାଇ ତା’ ଉପରେ ଶୋଇଗଲା ।
ଅଳ୍ପ କ୍ଷଣ ପରେ ସେ ଭାବିବାକୁ ଲାଗିଲା, କେଡେ଼ ଭଲ ହୁଅନ୍ତା, ଯଦି ଗୋଟିଏ ସୁନ୍ଦରୀ ଝିଅ ଆସି ତା’ର ଗୋଡ଼ ଚିିପି ବସନ୍ତା । ତା’ ମନରେ ଏହି ଭାବନା ହେବା ସଙ୍ଗେ ସଙ୍ଗେ ସେ ଦେଖିଲା ଯେ ଗୋଟିଏ ସୁନ୍ଦରୀ ଝିଅ ତା’ ଗୋଡ଼ତଳେ ବସି ପାଦ ଚିପୁଛି । ପଥିକର ଆନନ୍ଦର ସୀମା ରହିଲା ନାହିଁ ।
ଏବେ ତାକୁ ଭୋକ ଲାଗିଲା । “ମୁଁ ଯାହା ମାଗିଲି ସବୁ ମିଳିଗଲା, ମୋତେ କ’ଣ କିଛି ଭଲ ଜିନିଷ ଖାଇବାକୁ ମିଳିବ ନାହିଁ ?”
ସେହି ମୁହୂର୍ତ୍ତରେ ସେ ଦେଖିଲା ଯେ, ଅତି ଭଲ ଭଲ ଖାଇବା ଜିନିଷ ତା’ ଆଗରେ ଥୁଆ ହୋଇଛି । ସଙ୍ଗେ ସଙ୍ଗେ ଖାଇବାପାଇଁ ବସିଗଲା । ପେଟ ପୂରା ଖାଇ ସାରିବାପରେ ଶେଯରେ ଯାଇ ଗଡ଼ ପଡ଼ ହେଲା ।
ଶୋଇ ଶୋଇ ସେ ଦିନଯାକର ଘଟଣା ଭାବିବାକୁ ଲାଗିଲା । ଏହିରି ଭାବୁଥିବା ଅବସ୍ଥାରେ ତା’ମନକୁ ଆସିଗଲା, “ଯଦି ଗୋଟାଏ ବାଘ ଆସି ହଠାତ୍ ମୋତେ ମାଡ଼ି ବସିବ, କ’ଣ ହେବ ?”
ମୁହୂର୍ତ୍ତକ ମଧ୍ୟରେ ଗୋଟାଏ ମହାବଳ ବାଘ କୁଆଡେ଼ ଥିଲା, ହଠାତ୍ ଗର୍ଜନ କରି ଆସି ତାକୁ ମାଡ଼ି ବସିଲା ଓ ତା’ର ବେକକୁ ମୋଡ଼ି ଦେଇ ରକ୍ତ ପିଇବାକୁ ଲାଗିଲା । ଏହିପରି ପଥିକ ବିଚରା ପ୍ରାଣ ହରାଇଲା ।
ସାଂସାରିକ ବାସନାର ଏହା ହିଁ ପରିଣତି । ଧନ, ପୁତ୍ର ଓ ସାଂସାରିକ ଯଶ କାମନା କରି ମନୁଷ୍ୟ ଈଶ୍ୱରଙ୍କୁ ପ୍ରାର୍ଥନା କରେ । ଏ କାମନା କେତେକାଂଶରେ ଯେ ପୂର୍ଣ୍ଣ ନ ହୁଏ ତାହା ନୁହେଁ । କିନ୍ତୁ ମନେ ରଖ, ଏହି ସବୁ କାମନା ପୂରଣ ପଛରେ ରୋଗ, ଶୋକ, ସମ୍ମାନହାନି, ଧନହାନି ରୂପକ ବାଘର ଭୟ ଅଛି, ଯେଉଁ ବାଘ କି ଜୀବନ୍ତ ବାଘଠାରୁ ଶହେ ଗୁଣ ଭୟଙ୍କର !