ଦିନେ କାର୍ତ୍ତିକେୟ ଖେଳୁଥିବାବେଳେ ଗୋଟାଏ ବିରାଡ଼ିର ମୁହଁକୁ ନଖରେ ଆଞ୍ଚୁଡ଼ି ଦେଲେ । ବିରାଡ଼ିଟା ମ୍ୟାଉଁ ମ୍ୟାଉଁ ହୋଇ ପଳାଇଗଲା ।
ତା’ ପରଦିନ କାର୍ତ୍ତିକ ଦେଖିଲେ, ମା’ଙ୍କ ଗାଲରେ ଆମ୍ପୁଡ଼ା ଚିହ୍ନ । ସେ ମା’ଙ୍କୁ ପଚାରିଲେ, “ମା ! ତୋ ଗାଲରେ ଏ ଆମ୍ପୁଡ଼ା ଚିହ୍ନ କେମିତି ହେଲା ?”
ଜଗଜ୍ଜନନୀ କହିଲେ, “ବାପ, ଏ ତୋର ନଖର ଦାଗ ।”
କାର୍ତ୍ତିକ ପଚାରିଲେ,”ମୋ ନଖର ଦାଗ ତୋ’ ଗାଲକୁ କିପରି ଗଲା ?”
ମା’ କହିଲେ, ” ବାପ, ତୋର ମନେ ନାଇଁ, କାଲି ସେ ବିଲେଇଟାକୁ ତୁ ନଖରେ ଆଞ୍ଚୁଡ଼ି ଦେଇଥିଲୁ ।”
କାର୍ତ୍ତିକ ପଚାରିଲେ,”ବିଲେଇଟାକୁ ତ ମୁଁ ଆଞ୍ଚୁଡ଼ି ଦେଇଥିଲି । ତୋ ଗାଲକୁ କିପରି ଆଞ୍ଚୁଡ଼ା ଚିହ୍ନ ଆସିଲା ?”
ପାର୍ବତୀ କହିଲେ, “ବାବୁ, ଏ ଜଗତରେ ମୋ ଛଡ଼ା ଅନ୍ୟ କୌଣସି ଜୀବଜନ୍ତୁ ନାହାନ୍ତି । ତୁ ଯାହାକୁ ଆଘାତ କରିବୁ, ମୋତେ ଆଘାତ କରାହେବ ।”
ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଈଶ୍ୱର ଅଛନ୍ତି । ତେଣୁ କାହାରି ପ୍ରତି ହିଂସା କରିବା ଉଚିତ ନୁହେଁ ।