ଫଗୁଣ ମାସର ହୋଲିପର୍ବକୁ ସେମାନେ ଫଗୁଆ କହନ୍ତି । ଖୁବ୍ ଜାକଜମକରେ ଏହି ପର୍ବ ପାଳନ କରାଯାଏ । ଏହି ଉତ୍ସବରେ ଯୁବକଯୁବତୀମାନେ ମିଳିମିଶି ନାଚନ୍ତି ଓ ଗୀତ ଗାଆନ୍ତି । ମଶାମାନଙ୍କୁ ତଡ଼ିବାକୁ କାଠିକୁ କାଠି ବଜାନ୍ତି । ମଉଜିଆ ପୋଷାକ ପିନ୍ଧନ୍ତି, ମୁଖା ମଧ୍ୟ ବ୍ୟବହାର କରନ୍ତି । ଧନୀମାନଙ୍କ ଘରେ ଏହି ପର୍ବ ବେଶୀ ଆଡ଼ମ୍ୱରରେ ପାଳିତ ହୁଏ । ଏହି ଉତ୍ସବକୁ ସେମାନେ ମହୋହୋ (ମଶା ତଡ଼ିବା) ନାମ ଦେଇଥାଆନ୍ତି । ବିହୁ ପର୍ବ ଆସାମୀୟା ଲୋକମାନଙ୍କର ଏକ ବିଶେଷ ପର୍ବ । ଏହାକୁ ସମସ୍ତେ ଖୁବ୍ ଆନନ୍ଦରେ ପାଳନ କରିଥାଆନ୍ତି ।
ଏହା ଆସମୀୟା ଲୋକମାନଙ୍କର ଏକ ଜାତୀୟ ପର୍ବ । ବର୍ଷକ ମଧ୍ୟରେ ତିନୋଟି ବିହୁ ପର୍ବ ପାଳନ କରାଯାଏ । ଏଗୁଡ଼ିକ ହେଲା ବୈଶାଖ ବିହୁ, କାର୍ତ୍ତିକ ବିହୁ ଓ ମାଘ ବିହୁ । ଆମର ରଜ ପର୍ବ ପରି ଆସାମର ବୈଶାଖ ବିହୁ ପାଳିତ ହୁଏ । ଏଥିରେ ଝିଅମାନେ ତିନିଦିନ ଧରି ନାଚଗୀତରେ ଖୁବ୍ ମାତିଯାଆନ୍ତି । କାର୍ତ୍ତିକ ବିହୁ ପର୍ବରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାଘ ବିହୁ ପର୍ବ ଆମର ମକର ମେଳା ଓ ଅଗିରା ପୁନିଅ ଉତ୍ସବ ପରି ପାଳନ କରାଯାଏ । କାଠ ବାଉଁଶର ଏକ ଘର କରି ସେଥିରେ ନିଆଁ ଲଗାଇ ଦିଆଯାଏ । ନୂଆ ଫସଲରୁ କିଛି କିଛି ସେଥିରେ ଫିଙ୍ଗି ପୂଜାଋଜା କରାଯାଏ । ମଧୁର ବିହୁଗୀତ ଓ ନାଚରେ ଉଚ୍ଛୁଳି ଉଠେ ।
ବିହୁଗୀତ ଗୁଡ଼ିକରେ ଆସାମର ନଦୀ–ପାହାଡ଼, ତରୁ–ଲତା, ପଶୁ–ପକ୍ଷୀ, ଖାଦ୍ୟ–ପେୟ ଆଦି ସୁଖଦୁଃଖର କଥାଥାଏ । ଲୋହିତ, ବ୍ରହ୍ମପୁତ୍ର ଆଦି ବଡ଼ ବଡ଼ ନଦୀକୁ ଏଥିରେ ଦେବଦେବୀ ଭାବରେ ବର୍ଣ୍ଣନା କରଯାଇଛି । ବଣପାହାଡ଼କୁ ବି ଦେବତା ଭାବରେ ଏହି ସବୁ ଗୀତରେ ଚିତ୍ରଣ କରାଯାଇଛି । ନାନାପ୍ରକାର ଭୋଜି ଭାତରେ ଲୋକମାନେ ମାତିଯା‘ନ୍ତି ।
ଆସାମ କାଠ ବାଉଁଶ ଓ ମାଟି ପଥରର ଦେଶ । ଏ ସବୁ ଜିନିଷରେ ଅସମୀୟା ଲୋକମାନେ ଘର ତୋଳନ୍ତି । ଏହି ଘରମାନଙ୍କୁ ନାନା ପ୍ରକାରରେ ସୁନ୍ଦର କରି ସଜାଇବାରେ ସେମାନେ ଆନନ୍ଦ ପା‘ନ୍ତି । ଦେବଦେବୀଙ୍କ ପ୍ରାର୍ଥନା ବିହୁଗୀତରେ ବହୁଳ ଭାବରେ ଥାଏ । ଅତୀତର ଚଳଣି ରୀତିନୀତି, ଖାଦ୍ୟପୋଷାକ ଆଦି ସମ୍ପର୍କରେ ବିହୁଗୀତରେ ବହୁ ବର୍ଣ୍ଣନା ଦେଖିବାକୁ ମିଳେ । ସମାଜର ସତ ଘଟଣା ଓ ଅବସ୍ଥାର ଚିତ୍ରମାନ ବିହୁଗୀତ, ନାଚ ଓ ପୂଜାରୁଜାରେ ପ୍ରକାଶ ପାଇଥାଏ ।
ଆହୋମମାନେ ଆସାମକୁ ନିଜର ମାତୃଭୂମି ଭାବରେ ଗ୍ରହଣ କରିନେବା ସଙ୍ଗେ ସଙ୍ଗେ ତା‘ର ଭାଷା, ସଂସ୍କୃତି, ଧର୍ମଧାରଣା ଇତ୍ୟାଦିକୁ ଆପଣାର କରିନେଇଥିଲେ । ସେମାନେ ନିଜ ରାଜ୍ୟର ଯୁଦ୍ଧ ଓ ଶାନ୍ତି ପାଇଁ ଯେଉଁ ପାଇକ ବ୍ୟବସ୍ଥା ପ୍ରଚଳନ କରିଥିଲେ, ତାହା ଖୁବ୍ ସଫଳତା ଲାଭ କରିଥିଲା । ପାଇକମାନେ ବର୍ଷକୁ ପ୍ରାୟ ତିନି ମାସ ଲୋକ ହିତକର କାର୍ଯ୍ୟକଳାପରେ ନିଯୁକ୍ତ ହେଉଥିଲେ । ରାସ୍ତାଘାଟ ତିଆରି, କୂଅ, ପୋଖରୀ ଖୋଳା ଆଦି କାର୍ଯ୍ୟ ସେମାନେ କରୁଥିଲେ । ଏହି ଶ୍ରମଦାନ ପାଇଁ ସେମାନଙ୍କୁ ଭଲ ଧାନ ଜମିରୁ ତିନି ଏକର ଖଞ୍ଜା ରୂପେ ଦିଆଯାଉଥିଲା ।
ଆସାମ ସାରା ଦେଶରେ ଏକ ବିଖ୍ୟାତ ଶକ୍ତି ତଥା ତନ୍ତ୍ରପୀଠ ଥିଲା । ବୈଷ୍ଣବ ଧର୍ମର ଲୋକପ୍ରିୟତା ମଧ୍ୟ କମ୍ ନ ଥିଲା । ସେଠାରେ କଳା ସଂସ୍କୃତି ମୂଖ୍ୟତଃ କୃଷିକୁ ନେଇ ଗଢ଼ି ଉଠିଥିଲା । ଯୌତୁକ ପ୍ରଥା, ଶିଶୁକନ୍ୟା ହତ୍ୟା ଆସି ସାମାଜିକ ପ୍ରଥାମାନ ସେଠାରେ ଦେଖାଯାଏ ନାହିଁ । ବରଂ ସେଠାରେ ନାରୀମାନେ ଅଧିକ ସମ୍ମାନ ପାଇଥାଆନ୍ତି । ଗରିବ ଘରେ କନ୍ୟାପିତାଙ୍କୁ ବରପିତା ସାହାଯ୍ୟ ଦେଇଥା‘ନ୍ତି ।
ସେଦିନ ସନ୍ଧ୍ୟା ଲାଗି ଆସିଲା । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଥାଏ । ମୁଁ ଅତିଥି ଭବନକୁ ଫେରି ଆସିଲି । ଦୂର ଦିଗବଳୟ ତଳେ ବଣ ପାହାଡ଼ ଆଦି ଅନ୍ଧାର ଭିତରେ ଲୁଚିଗଲେ । ସହରର ରାସ୍ତା କଡ଼ରେ ଓ ବଡ଼ ବଡ଼ ପକ୍କା ଘରେ ବିଜୁଳିବତୀମାନ ଜଳି ଉଠିଲା ।