ଗଙ୍ଗା ନଦୀ କୂଳରେ ଜଣେ ପଣ୍ଡିତ ରହୁଥିଲେ । ପଣ୍ଡିତଙ୍କର ଅଗାଧ ବିଦ୍ୟା; ଦେଶ ବିଦେଶରେ ତାଙ୍କର ନାମ ଡାକ ଥିଲା । ଜଣେ ଗଉଡୁଣୀ ପ୍ରତିଦିନ ସକାଳେ ପଣ୍ଡିତଙ୍କ ଘରେ ଖିର ଦେଉଥାଏ । ଖିର ଦେଉ ଦେଉ ବେଶୀ ବେଳ ହୋଇ ଯାଉଥିବା ଦେଖି ଦିନେ ପଣ୍ଡିତ ଗଉଡ଼ୁଣୀକୁ ଧମକାଇ କହିଲେ, “ଖିର ଦେବାକୁ ତୋର ଏତେ ଡେରି କାହିଁକି ହେଉଛି ? ଆହୁରି ଭୋର୍ରୁ ତତେ ଆସି ଖିର ଦେବାକୁ ହେବ ।”
ଗଉଡ଼ୁଣୀ ହାତ ଯୋଡ଼ି କହିଲା, “ଆଜ୍ଞା, ଯେତେ ସକାଳେ ଆପଣ ଚାହିଁବେ, ସେତେ ଶୀଘ୍ର ମୁଁ ଖିର ଦେଇ ପାରିବି । କିନ୍ତୁ ଡଙ୍ଗାବାଲା ତ ନିଦରୁ ଉଠିବାପାଇଁ ବହୁତ ଡେରି କରୁଛି । ସେଥିାଇଁ ମୋର ଆସିବା ମଧ୍ୟ ଡେରି ହୋଇଯାଉଛି ।”
ପଣ୍ଡିତ କହିଲେ, “ସେ କଥା ମୁଁ ଜାଣେ ନାହିଁ । ଆହୁରି ବଡ଼ି ସକାଳୁ ତୁ ଯଦି ଖିର ଦେଇପାରିବୁ ତ ଖିର ରହିବ ନ ହେଲେ ମୁଁ ଆଉ ରଖିବି ନାହିଁ ।”
ମନ ବ୍ୟସ୍ତରେ ଗଉଡ଼ୁଣୀ ଫେରିଗଲା । ତା ଘର ନଦୀ ଆର ପଟରେ । ଅଳସୁଆ ଡଙ୍ଗାବାଲାପାଇଁ ତାର ଏତେ ଚିନ୍ତା ! ସେ ଦିନ ଉପରବେଳା ଖିରର ବାକିଆ ପଇସା ଆଣିବାପାଇଁ ଗଉଡ଼ୁଣୀ ପୁଣି ପଣ୍ଡିତଙ୍କ ଘରକୁ ଗଲା । ଯାଇ ସେ ଦେଖେ ତ ସେଠାରେ ଏକ ବଡ଼ ସଭା ବସିଛି; କେତେ ବଡ଼ ବଡ଼ ଲୋକ ବସିଛନ୍ତି ଏବଂ ପଣ୍ଡିତ ମହାଶୟ ଶାସ୍ତ୍ର ପଢ଼ୁଛନ୍ତି । କେତେ ସୁନ୍ଦର ଚର୍ଚ୍ଚା ହେଉଛି ! ସମସ୍ତେ ଏକ ମନରେ ବସି ଶୁଣୁଛନ୍ତି । ଗଉଡ଼ୁଣୀ ସବୁ କଥା ବୁଝିପାରିଲା ନାହିଁ । ତଥାପି ତାକୁ ଭାରି ଭଲ ଲାଗିଲା । ଗୋଟିଏ ସ୍ଥାନରେ ଠିଆ ହୋଇ ସେ ଶୁଣିବାକୁ ଲାଗିଲା ।
ଶାସ୍ତ୍ରପାଠ କରୁ କରୁ ପଣ୍ଡିତ କହିଲେ, “ଯେ ହରିନାମ ଧରେ, ସେ ଅକ୍ଳେଶରେ ସଂସାର ସାଗର ପାର ହୋଇଯାଏ ।” ଏ କଥାଟା ଗଉଡ଼ୁଣୀର ମନକୁ ପାଇଗଲା । ସେଦିନ ସେ ଖିର ପଇସା ପଣ୍ଡିତଙ୍କୁ ମାଗିଲା ନାହିଁ । କଥାଟା ଭାବି ଭାବି ଘରକୁ ଫେରିଲା ।
ପଣ୍ଡିତେ କହିଛନ୍ତି, ଡେରି ହେଲେ ସେ ଆଉ ଖିର ରଖିବେ ନାହିଁ । ତେଣୁ ଗଉଡ଼ୁଣୀ ବଡ଼ି ସକାଳୁ ଖିର ନେଇ ପଣ୍ଡିତଙ୍କ ଘରକୁ ଯିବାପାଇଁ ବାହାରି ପଡ଼ିଲା । ବହୁତ ଡକାଡକି କରି ମଧ୍ୟ ଯେତେବେଳେ ଡଙ୍ଗାବାଲା ଏତେ ସକାଳୁ ନିଦରୁ ଉଠିପାରିଲା ନାହିଁ, ଗଉଡ଼ୁଣୀ ମନେମନେ ଭାବିଲା, ପଣ୍ଡିତ ପରା କାଲି କହୁଥିଲେ, ହରିନାମ ଧରି ଅକ୍ଳେଶରେ ସମୁଦ୍ର ପାର ହୋଇ ପାରିବ ! ହରିନାମରେ ଜଣେ ଯଦି ସମୁଦ୍ର ପାର ହୋଇପାରେ, ତା ହେଲେ ଏ ନଦୀକୁ ତ ଅତି ସହଜରେ ପାର ହେବାର କଥା । ମୁଁ କେଡେ଼ ମୂର୍ଖ ! ଏହା ଭାବି ଭାବି ମନେମନେ ସେ ହରିଙ୍କୁ ସ୍ମରଣ କରି ନଦୀକୁ ଓହ୍ଲାଇ ପଡ଼ିଲା । ସରଳ ବିଶ୍ୱାସର କି ଆଶ୍ଚର୍ଯ୍ୟ ମହିମା ! ଗଉଡ଼ୁଣୀ ପାଦରେ ଚାଲିଚାଲି ସହଜରେ ନଦୀ ପାର ହୋଇଗଲା । ଆଜି ଗଉଡ଼ୁଣୀକୁ ବଡ଼ି ଭୋର୍ରୁ ଆସିବା ଦେଖି ପଣ୍ଡିତ ତାକୁ ପଚାରିଲେ, “ଆଜି ଏତେ ସକାଳୁ କିରି ଆସିଗଲୁ ? ଏ ସବୁ ତୋ’ର ଚାତୁରୀ ! ଆଜି ଡଙ୍ଗାବାଲା ତୋତେ କେମିତି ପାର କରିଦେଲା ?”
ଗଉଡ଼ୁଣୀ କହିଲା, “”ଡଙ୍ଗାବାଲା ଏ ପର୍ଯ୍ୟନ୍ତ ଶୋଇଛି । ସେ ମୋତେ ନଦୀ ପାର କରି ଦେଇ ନାହିଁ ।
“ତା’ହେଲେ ତୁ କେମିତି ଆସିଲୁ ? ତୋର କ’ଣ ଦୁଇଟା ପକ୍ଷୀ ଲାଗିଗଲା କି ? ମୋତେ ପୁଣି ଫାଙ୍କୁଛୁ ?”
“ଗୋସେଇଁ ମହାପୁରୁ, ମୁଁ ହେଉଛି ମୂର୍ଖ ଲୋକ । ମୁଁ ତୁମକୁ କାହିଁକି ଫାଙ୍କିବି ? ତୁମେ ତ ମୋତେ ଏତେ ଦିନ ପର୍ଯ୍ୟନ୍ତ ଫାଙ୍କି ଦେଇ ଆସିଛ ।”
“ମୁଁ କ’ଣ ଫାଙ୍କି ଦେଇ ଆସିଛି ?”
“ହଁ ତୁମେ ଫାଙ୍କିଛ । ହରିନାମ ଧରି ସହଜରେ ନଦୀ ପାର ହେବା ସମ୍ଭବ; ତାହା ତ ମୋତେ ଏତେ ଦିନ ପର୍ଯ୍ୟନ୍ତ କହି ନ ଥିଲ । ଭାଗ୍ୟକୁ କାଲି ଉପରଓଳି ମୁଁ ଆସିବାରୁ ସିନା ତୁମ କଥା ଶୁଣିବାକୁ ପାଇଲି ।”
ପଣ୍ଡିତ ସବୁ କଥା ବୁଝି ପାରିଲେ । କିନ୍ତୁ ଗଉଡ଼ୁଣୀ ହରିନାମ ଧରି ନଦୀ ପାର ହୋଇ ଆସିଛି ନା କ’ଣ, ତାହା ଦେଖିବାପାଇଁ ତାଙ୍କର ଇଚ୍ଛା ହେଲା । ସେ ଗଉଡ଼ୁଣୀ ସହିତ ନଦୀ ନିକଟକୁ ଆସିଲେ । ଗଉଡ଼ୁଣୀ ହରିନାମ ଧରି ଅନାୟାସରେ ପାଣିରେ ଚାଲିବାକୁ ଲାଗିଲା । ପଣ୍ଡିତ ତା ପଛେ ପଛେ ପାଣିରେ ଓହ୍ଲାଇଲେ । କିନ୍ତୁ ଗଉଡ଼ୁଣୀ ପରି ପଣ୍ଡିତଙ୍କର ସରଳ ବିଶ୍ୱାସ ନାହିଁ । ପଣ୍ଡିତ ମୁହଁରେ ହରିନାମ ଧରିଥା’ନ୍ତି, ତେଣେ ଲୁଗା ଓଦା ହୋଇଯିବ ଏହି ଭୟରେ ହାତରେ ନିଜ ଲୁଗାକୁ ଉଠାଉଥା’ନ୍ତି । ଗଉଡ଼ୁଣୀ ଖୁବ୍ ସହଜରେ ନଦୀ ପାର ହୋଇଗଲା । କିନ୍ତୁ ପଣ୍ଡିତଙ୍କର ତ ସେ ବିଶ୍ୱାସ ନାହିଁ, ସେ ନଦୀରେ ବୁଡ଼ିଗଲେ ।