• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଓଡ଼ିଶାରେ ରାଜନେତା ଓ ରାଜନୀତି
ଜାତି ଜାଗୃତି ଓ ପ୍ରଗତି

ଓଡ଼ିଶାରେ ରାଜନେତା ଓ ରାଜନୀତି

Subrat Kumar PrustyBy Subrat Kumar PrustyFebruary 13, 2020No Comments20 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଇଂରେଜମାନଙ୍କ ଭାରତ ଅଧିକାରକୁ ଯଦି ଶାସନର ଆଧୁନିକ ପର୍ଯ୍ୟାୟ କୁହାଯିବ, ତେବେ ରାଜନୀତିର ଆଧୁନିକୀକରଣ ବୋଧହୁଏ ସେହିଠାରୁ ହିଁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିଭଳି ଭାରତବର୍ଷର ପୂର୍ବଭାଗରେ ଥିବା ଆମ ରାଜ୍ୟ ଓଡ଼ିଶାରେ ଦେଖାଦେଇଥିବା ବର୍ତ୍ତମାନର ରାଜନୀତି ଇଂରେଜମାନଙ୍କ ଓଡ଼ିଶା ଅଧିକାର ପରେ ହିଁ ଆରମ୍ଭ ହୋଇଛି । ୧୮୧୭ର ପାଇକ ବିଦ୍ରୋହ ପରେ ବାରବାଟୀ ଦୁର୍ଗ ଧ୍ୱଂସ ତଥା ଅଖଣ୍ଡ ଉକ୍ରଳକୁ ଖଣ୍ଡବିଖଣ୍ଡିତ କରି ତତ୍କାଳୀନ ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ସହ ମିଶାଇବା ପରେ ବଳକା ଅଂଶକୁ ବଙ୍ଗଳା ପ୍ରେସିଡେନ୍ସି ଅଧୀନରେ ରଖି ଓଡ଼ିଆତ୍ୱକୁ ହଜାଇ ଦେବାର ଯେଉଁ ହୀନ ଚକ୍ରାନ୍ତ କରିଥିଲେ ଇଂରେଜମାନେ, ସେହି ଚକ୍ରାନ୍ତକୁ ପଣ୍ଡ କରି ସମଗ୍ର ଭାରତବର୍ଷରେ ପ୍ରଥମ କରି ଭାଷାଭିତ୍ତିକ ରାଜ୍ୟ ଗଠନ କରିଥିଲେ ଆମ ଓଡ଼ିଶାର ସୁଯୋଗ୍ୟ ସନ୍ତାନମାନେ । ମାତ୍ର ତତ୍କାଳୀନ ଇଂରେଜ ଶାସନ ନୀତି ପରବର୍ତ୍ତୀ ଓଡ଼ିଆଙ୍କୁ ଏଭଳି ଭାବରେ ଗ୍ରାସ କରିଦେଇଥିଲା ଯେ, ସେମାନେ ଓଡ଼ିଶାର ଦାୟିତ୍ୱ ନେବାର ମାତ୍ର ୫୦ ବର୍ଷ ଭିତରେ ଓଡ଼ିଶାକୁ ଭାରତର ଏକ ଦରିଦ୍ରତମ ରାଜ୍ୟରେ ପରିଣତ କରିଦେଲେ । ଏଥିପାଇଁ ଇଂରେଜମାନେ ବା ଆମ ନେତୃଗଣ ଯେତେ ପରିମାଣରେ ଦାୟୀ ନୁହେଁ, ଆମ ମାନସିକତା ତତୋଧିକ ପରିମାଣରେ ଦାୟୀ ଅଟେ ।

ଓଡ଼ିଶାରେ ରାଜନେତାକର୍ତ୍ତୃକ ରାଜନୀତି ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କଠାରୁ ଆରମ୍ଭ ହୋଇଥିଲେ ମଧ୍ୟ, ଆଧୁନିକପନ୍ଥୀ ରାଜନୀତି ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ ହୋଇଛି କହିଲେ ଭୁଲ୍ ହେବ ନାହିଁ । ଏଠାରେ ଆଧୁନିକ ରାଜନୀତିର ଅର୍ଥ ଗୋଡ଼ଟଣା ରାଜନୀତି, ଯାହା କେବଳ ବ୍ୟକ୍ତି ସ୍ୱାର୍ଥପାଇଁ ଉଦ୍ଦିଷ୍ଟ, ବ୍ୟଷ୍ଟିଙ୍କପାଇଁ ନୁହେଁ । ଏହା ଏଭଳି ଭାବେ ପରବର୍ତ୍ତୀ ପିଢ଼ିଙ୍କୁ ସଂକ୍ରମିତ କଲା ଯେ, କିଛିିଦିନ ପରେ ଏହା ପରିବର୍ଦ୍ଧିତ ରୂପ ନେଇ ପରମ୍ପରା ଭାବେ ଏକ ଅଲିଖିତ ସ୍ୱୀକୃତି ଲାଭ କଲା । ଅର୍ଥାତ୍ ମଧୁର କଥା, ଓଜଃପୂର୍ଣ୍ଣ ଭାଷଣ, କପଟ ଆଚରଣ, ତୋଷାମଦ ସହ ଗୋଡ଼ଟଣା ପ୍ରବୃତ୍ତିଦ୍ୱାରା ସାଧାରଣ ଲୋକଟିଏ ଲୋକ-ପ୍ରତିନିଧି ହୋଇଯିବା ପରେ ଶାସନ ଦଣ୍ଡକୁ ହାତରେ ଧରିବାପାଇଁ ଏପରି ବ୍ୟାକୁଳ ହୋଇ ଉଠନ୍ତି ଯେ, ରାଜାଙ୍କ ନୀତିକୁ ସେମାନେ ‘ବାଜ’ର ନୀତି ଭାବେ ସ୍ୱୀକାର କରିବାକୁ ତିଳେମାତ୍ର କୁଣ୍ଠା ପ୍ରକାଶ କରି ନାହାନ୍ତି । ନିଜର ସ୍ୱାର୍ଥ ସାଧନପାଇଁ ଅକ୍ଳେଶରେ ମନ୍ତ୍ରିମଣ୍ଡଳକୁ ରାତାରାତି ଭାଙ୍ଗି ନୂଆ ମନ୍ତ୍ରୀଙ୍କୁ ଜନସମ୍ମୁଖକୁ ଆଣି ପ୍ରତିଶ୍ରୁତି ପାଳନ କରିବାର ପାରିଲା ପଣିଆ ଦେଖାଉଥିବାବେଳେ, ଭୁଲିଯାଆନ୍ତି ଯେ ଏଥିପାଇଁ ନିରୀହ ଜନସାଧାରଣ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କପାଇଁ ଯାହା ଖେଳ, ଜନସାଧାରଣଙ୍କପାଇଁ ତାହା କାଳ ବୋଲି ସେତେବେଳେ ବୁଝୁଛନ୍ତି; ଯେତେବେଳେ ୫ ବର୍ଷର ସୁଖସମୃଦ୍ଧି ପରେ ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରି ସାଧାରଣ ମଣିଷ ସ୍ତରକୁ ନେଇ ଆସନ୍ତି । ଏକଥା ଜାଣି ମଧ୍ୟ ସେମାନେ ଚିରାଚରିତ ପ୍ରଥା ଦୁର୍ନୀତିକୁ ଦୂରେଇ ଦେବା ପରିବର୍ତ୍ତେ ସର୍ବଦା ତା’ର ପାଖେପାଖେ ରହିଥାନ୍ତି । କାରଣ ୫ ବର୍ଷର ପାର୍ଥିବ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଆଜୀବନ ଉପଭୋଗ କରିବାର ଏକମାତ୍ର ପଥ ହେଉଛି ଦୁର୍ନୀତି । ଏହାର ମାଧ୍ୟମ ହେଉଛି ଛଳନା,ମଧୁର ବଚନ ଓ ଓଜଃପୂର୍ଣ୍ଣ ଭାଷଣ ।

ଉକ୍ତ କଥନର ସତ୍ୟତା କେତେ, ତାହା ଯେକୌଣସି ଶିକ୍ଷିତ ଅଶିକ୍ଷିତ ବ୍ୟକ୍ତି ନିର୍ବିଶେଷରେ ହୃଦୟଙ୍ଗମ କରିପାରିବେ । କାରଣ ଛଳନାଟି କେବଳ ଆଉ ରାଜନୀତି ମଧ୍ୟରେ ସଂକୁଚିତ ହୋଇ ରହିନାହିଁ । ପଞ୍ଚାୟତକୁ ସର୍ବକ୍ଷମତା ଦେଇସାରିବା ପରେ ରାଜନୀତିର ଅନ୍ତିମଚରଣ ଗ୍ରାମପଞ୍ଚାୟତ ସଂପର୍କିତ ବ୍ୟକ୍ତିମାନେ ଛଳନାର ଅକ୍ଟୋପାସ ଭିତରକୁ ଏଭଳି ଭାବେ ଚାଲି ଆସୁଛନ୍ତି ଯେ, ଯାହାକୁ କିଛିିଦିନ ପୂର୍ବରୁ ନିରୀହର ସଂଜ୍ଞା ଦିଆଯାଉଥିଲା, ସେମାନେ ଟାଉଟରୀ କରି ଜଣେ ପୋଖତ ରାଜନୀତିଜ୍ଞର ପରିଚୟଟିଏ ସୃଷ୍ଟି କରିବା ସହ ଉପରିସ୍ଥ ରାଜନେତାଙ୍କ ଦପ୍ତର ନିକଟରେ ପହଞ୍ଚି ହାରିଗୁହାରୀ ତଥା ରାଜନୀତିର ଦା’ ପେଞ୍ଚ ଖେଳ ଅକ୍ଳେଶରେ ଖେଳି ପାରୁଛନ୍ତି । କେବଳ ସେତିକି ନୁହେଁ, ମହାନ ନେତା ସ୍ୱର୍ଗତ ବିଜୁ ପଟ୍ଟନାୟକ ମହିଳା ଅଧିକାରକୁ ସ୍ୱୀକୃତି ଦେଇ ମହିଳା ସୁରକ୍ଷା ପ୍ରତି ପରୋକ୍ଷରେ ଜନଜାଗରଣ ସୃଷ୍ଟି କରିଥିଲେ ମଧ୍ୟ, ପ୍ରତ୍ୟକ୍ଷ ଭାବରେ ରାଜନୀତିକୁ ଘରର ହାଣ୍ଡିଶାଳ ଭିତରେ ପହଞ୍ଚାଇ ପାରିବାର ବିଶୃଙ୍ଖଳାଟିଏ ସୃଷ୍ଟି କରିଛନ୍ତି । କାରଣ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ଯାହା କେବଳ ତ୍ରିସ୍ତରୀୟ ପଞ୍ଚାୟତ ମଧ୍ୟରେ ସୀମିତ ଏବଂ ଯେଉଁଠି ପାରମ୍ପରିକ ଭାବେ ପରିବାରର ସ୍ନେହ, ପ୍ରେମ ତଥା କର୍ତ୍ତବ୍ୟ ନିଷ୍ଠାର ବୀଜ ସଂଗୋପନରେ ଜୀବିତ । ସର୍ବୋପରି ପୁରୁଷକୁ ସ୍ୱାମୀ ବା ପ୍ରଭୁତ୍ୱର ଆସନରେ ମଣ୍ଡିତ କରିଥିବା ନାରୀଙ୍କୁ ଶାସନ ଅଧିକାର ଦେଲେ ମଧ୍ୟ କେବଳ ୩୩ ପ୍ରତିଶତ ସ୍ୱାମୀ ଅନୁଗତା ରାବିଡ଼ି ଦେବୀ ସହ ଲାଲୁ ଯାଦବ ସୃଷ୍ଟି ହୋଇଛନ୍ତି ସିନା, ମାତ୍ର ଇନ୍ଦିରା କିମ୍ବା ନନ୍ଦିନୀଟିଏ ଏପର୍ଯ୍ୟନ୍ତ ସୃଷ୍ଟି ହେବାର ନମୂନାଟିଏ ଓଡ଼ିଶାବାସୀ ଦେଖିପାରିଲେ ନାହିଁ ବିଗତ ପଚିଶ ବର୍ଷ ମଧ୍ୟରେ । ବରଂ ନାରୀ ଅଧିକାର ନାମରେ ଏମାନଙ୍କୁ ରାଜନୀତିକୁ ଟାଣିଆଣିବାଦ୍ୱାରା ଅନେକ ନିର୍ବାଚିତ ନାରୀ ପ୍ରତିନିଧି ଅସହାୟରେ ହେଉ ବା କ୍ଷମତା ଅର୍ଥ ବା ପ୍ରଭୁତ୍ୱର ଲାଳସାରେ ହେଉ; ଉପରିସ୍ଥ ରାଜନେତା, ଅଫିସର ତଥା ଗାଁ’ ଟାଉଟରଙ୍କ କାମଲାଳସାର ସାମଗ୍ରୀ ପାଲଟି ଯାଇଛନ୍ତି ।

ଏହା ତ ଗଲା ଗ୍ରାମ ରାଜନୀତି ବିକେନ୍ଦ୍ରୀକରଣର ଭିତିରି ରୂପ । ବାହ୍ୟ ରୂପକୁ ବିଶ୍ଳେଷଣ କଲେ ଜଣାଯିବ ଯେ, ସ୍ୱାଧୀନତା ପରେ ଗ୍ରାମ ସ୍ୱରାଜ ନାରାର ସଫଳ ରୂପାୟନପାଇଁ ଗାଁ’ରୁ ହିଁ ଶାସନର ଶୁଭାରମ୍ଭ ଦିଆଯାଇ ଗ୍ରାମର ବିକାଶ ହିଁ ରାଷ୍ଟ୍ରର ବିକାଶ ବୋଲି ପ୍ରତ୍ୟେକ ରାଜନେତାର କର୍ତ୍ତବ୍ୟ ବୋଲି ଯେଉଁ ଘୋଷଣା କରାଯାଇଥିଲା, ତାହା କେବଳ ବାକ୍‌ପଟୁତା ଭିତରେ ହିଁ ସୀମିତ ହୋଇ ରହିଗଲା । କାରଣ ରାଷ୍ଟ୍ର ପୁନଃନିର୍ମାଣ କ୍ଷେତ୍ରରେ ବଡ଼ ବଡ଼ କଳକାରଖାନା, ରାସ୍ତା, ନ‌ଦୀପୋଲ କିମ୍ବା ସରକାରୀ ଗୃହ ନିର୍ମାଣରେ ହେଉଥିବା ଦୁର୍ନୀତି ଗ୍ରାମାଞ୍ଚଳକୁ ଏଭଳି ସଂକ୍ରମିତ କଲା ଯେ, ଛୋଟ ଛୋଟ ଗ୍ରାମରାସ୍ତା ସଂଯୋଗୀକରଣରେ ପଡ଼ୁଥିବା ମାଟିରେ ମଧ୍ୟ ଦୁର୍ନୀତି ରହିଲା । ଏପରିକି କାମ ନ କରି ମଧ୍ୟ ବିଲ୍ ପାଶ୍ ହେବାର କୌଶଳ ଆଉ ସହରର ବଡ଼ ବଡ଼ କଣ୍ଟ୍ରାକ୍ଟରଙ୍କ ଏକଚାଟିଆ ହୋଇ ରହିଲା ନାହିଁ । ବରଂ ଏହାଠାରୁ ପାଦେ ଆଗେଇ ଗଲେ ଲାଇସେନ୍ସ କରି ନ ଥିବା ଗାଁ’ର ଛୋଟ ଛୋଟ କଣ୍ଟ୍ରାକ୍ଟରଙ୍କମାନେ । ପୋଖରୀ ନ ଖୋଳି ବିଲ୍, ନଳକୂପ ନ ବସାଇ ବିଲ୍, ମାଟି ନ ପକାଇ ବିଲ୍, ମୋରମ୍, ପଥର ନ ବିଛାଇ ବିଲ୍, କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀକେନ୍ଦ୍ର ନାମରେ ନିଜଘର କରି ବିଲ୍ – ଏମିତି କେତେ କ’ଣ ଅଭିଯୋଗ ଆମେ ପାଇପାରିବା ଓଡ଼ିଶାର ଯେକୌଣସି ଗ୍ରାମର ନିରୀହ ଅଥଚ ଅଳସୁଆ ଅଧିବାସୀଙ୍କଠାରୁ । ଖାଲି ସରପଞ୍ଚ, ଦୁର୍ନୀତିର ପରାମର୍ଶଦାତା ପଞ୍ଚାୟତ ସଂପାଦକ, ବ୍ଲକର କନିଷ୍ଠ ଯନ୍ତ୍ରୀ ତଥା ବି.ଡ଼ି.ଓ.ଙ୍କ ପତ୍ନୀଙ୍କୁ ଖୁସି କରି ପାରିଲେ ହେଲା । ଏଇଟା ଅବଶ୍ୟ ଇଂରେଜମାନଙ୍କଠାରୁ ଆସିଛି, ସହରୀ ସଭ୍ୟତା ମଧ୍ୟଦେଇ ଗ୍ରାମ ପରିବେଶ ଭିତରକୁ । ଏଥିପାଇଁ ବିରୋଧ କଲେ ବିରୋଧୀ ବ୍ୟକ୍ତି ଅପଦସ୍ଥ ହେବା ସହ ଜୀବନ ପ୍ରତି ବିପଦ ଥିବାର ବହୁ ସଂକେତ ଆମେ ଦେଖିବାକୁ ପାଇବା । ଏଭଳି ଏକ ଘଟଣା ମଧ୍ୟ ମୋ ନିଜ ଅନୁଭୂତି ମଧ୍ୟରେ ସଂଜୀବିତ । ଯାଜପୁର ବ୍ଲକ୍ ଅଧୀନରେ ଥିବା ଆମ ଗ୍ରାମକୁ ଆସିଥିବା ଏକ ପୋଖରୀ ଖନନ ତଥା ଗ୍ରାମ ରାସ୍ତାରେ ନାଲିଗୋଡ଼ି ବିଛାଇବାର କାର୍ଯ୍ୟ ଉପରୋକ୍ତ ସୂତ୍ରରେ ହେଉଥିବା ଜାଣି ସଦ୍ୟ ବଦଳି ହୋଇ ଆସିଥିବା ତଥା ଗ୍ରାମ ରାଜନୀତି ସଂପର୍କରେ ଅନଭିଜ୍ଞ ଥିବା ଜଣେ ଅଧ୍ୟାପକ ଭାଇଙ୍କ ତୀବ୍ର ବିରୋଧ ତଥା ତାଙ୍କର ଘନିଷ୍ଠ ବନ୍ଧୁ ଥିବା ବ୍ଲକ୍ ବି.ଡ଼ି.ଓ.ଙ୍କୁ ବିଧି ମୁତାବକ ଜଣାଇବା ପରେ ଏଥିପାଇଁ କୌଣସି ପଦକ୍ଷେପ ତ ନିଆଗଲା ନାହିଁ, ବରଂ ସର୍ବସାଧାରଣରେ ତାଙ୍କୁ ଯେପରି ଭାବରେ ଶ୍ରୀଅକ୍ଷର ବିବର୍ଜିତ କଣ୍ଟ୍ରାକ୍ଟରମାନେ ଲାଞ୍ଛିତ, ଅପମାନିତ କରି ମାନସିକ ନିର୍ଯାତନା ଦେଇଥିଲେ, ଏହା ପରେ ଗ୍ରାମବାସୀଙ୍କ ନୀରବତାରେ ବ୍ୟଥିତ ହୋଇ ସେ ଗାଁ’ କଥାରେ ମୁଣ୍ଡ ନ ପୂରାଇବାର ବଜ୍ର ଶପଥଟିଏ ନେଇଥିଲେ । ଏହିଭଳି ଅନେକ ଘଟଣା ଗ୍ରାମାଞ୍ଚଳରେ ଘଟୁଛି ପାଟି ଫିଟାଇଲେ ହଣାକଟା ଭଳି ରାଜନୈତିକ ସଂଘର୍ଷର ରୂପ ନେଉଛି । ଏଥିରେ ବଳି ପଡ଼ୁଛି ସାଧାରଣ ମୂଲିଆ ବା ନିରୀହ ଚାଷୀ, କିନ୍ତୁ ଥିଲାବାଲା ଝଗଡ଼ା କରି ଖସି ଚାଲିଯାଉଛି ।

ତେଣୁ ‘କୁଟିଳ ଚିନ୍ତାଧାରା ସହ ଆତ୍ମସ୍ୱାର୍ଥ’ ବଡ଼ ନେତାଠାରୁ ଛୋଟ ନେତାଙ୍କଠାରେ ବର୍ତ୍ତମାନ ଅଧିକ ପରିମାଣରେ ଦେଖାଦେଇଛି । କାର୍ଯ୍ୟକ୍ଷତାକୁ ଲୋକସମ୍ମୁଖକୁ ନ ଆଣି କୁକାର୍ଯ୍ୟରେ ଲିପ୍ତହେବାଦ୍ୱାରା ଓଡ଼ିଶାର ସ୍ଥିତି ଯେ କେତେ ଦୟନୀୟ ହୋଇଯାଇଛି ତାହା ସହଜେ ଅନୁମେୟ । ସେମାନେ ଏତିକି ବୁଝିପାରୁ ନାହାନ୍ତି ଯେ, ଏହି କୁତ୍ସତି ରାଜନୀତିଦ୍ୱାରା କେବଳ ଉକ୍ତ ଅଞ୍ଚଳ ଅବିକଶିତ ହୋଇ ରହୁନାହିଁ, ବରଂ ସାରା ରାଜ୍ୟର ପ୍ରଗତିକୁ ବନ୍ଦ କରି ଦିଆଯାଉଛି । ଅନ୍ୟ ରାଜ୍ୟଗୁଡ଼ିକ, ଯେଉଁମାନଙ୍କ ସ୍ଥିତି କୋଡ଼ିଏ ପଚିଶ ବର୍ଷ ପୂର୍ବରୁ ଓଡ଼ିଶା ଭଳି ଥିଲା, ସେମାନେ ଆଜି ବିକାଶର ଶିଖର ଦେଶରେ । ସେମାନଙ୍କଠାରୁ ମାଛ, କୁକୁଡ଼ା, ଲେମ୍ବୁ, କଦଳୀ, ନଡ଼ିଆ, ଆମ୍ବ, ସପୁରୀ ଆସିଲେ ଆମର ପୂଜା ପାର୍ବଣ, ବିବାହବ୍ରତ ସୁରୁଖୁରୁରେ ହୁଏ । ରାସ୍ତା ବନ୍ଦ ହେଲେ ଆମର ପୂଜାପାର୍ବଣର ହସଖୁସି ମଉଳିଯାଏ । ବରଯାତ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଗଲା ନାହିଁ ବୋଲି ବର ବେଦୀରୁ ଉଠିଯାଏ କିମ୍ବା ଫଳମୂଳ ଯୋଗାଡ଼ କରିପାରିଲେ ନାହିଁ ବୋଲି ଅଭିମାନିନୀ ସ୍ତ୍ରୀ ତା’ର ସ୍ୱାମୀର ପାରିଲାପଣିଆକୁ ଭର୍ତ୍ସନା କରେ । ମାତ୍ର ସେମାନେ କେବେ ଚିନ୍ତା କରିଛନ୍ତି କି ପ୍ରାକୃତିକ ସଂପଦରେ ଭରପୁର ଆମ ଅଞ୍ଚଳରେ ଏହାର ଉତ୍ପାଦନ ହେଉନାହିଁ କାହିଁକି? ଏଥିପାଇଁ ବହୁ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ତଥାପି କାହିଁକି ଆମର ଏ ଭିକାରୀ ଅବସ୍ଥା ! ଯଦି କିଣିବାପାଇଁ ଆମ ପକେଟରେ ଯଥେଷ୍ଟ ପଇସା ଅଛି, ତେବେ ଏ ବିଭାଗ ବନ୍ଦ କରିବାକୁ ସରକାରଙ୍କ ଉପରେ ଚାପ ପଡ଼ୁନାହିଁ କାହିଁକି? ପ୍ରଶାସକ ହିସାବରେ ଗୁଡ଼ିଏ ଅଯୋଗ୍ୟ ଲୋକ ବସିଛନ୍ତି । ଏ କଥାକୁ ରାଜନେତାଠାରୁ ଶାସନ କ୍ଷମତାର ସର୍ବୋଚ୍ଚ ଅଧିକାରୀ ‘ସାଧାରଣ ଜନତା’ ଜାଣିଥିଲେ ମଧ୍ୟ, ସେମାନଙ୍କୁ ଅନ୍ତର କରାଯାଉନାହିଁ କାହିଁକି? କାହିଁକି ଆଜି ସୁଦକ୍ଷ ତଥା ମେଧାବୀ ଛାତ୍ରଛାତ୍ରୀମାନେ ଆତ୍ମନିଯୁକ୍ତିପାଇଁ ଡହଳ ବିକଳ ହେଉଛନ୍ତି? ଜୀବନର ଅନ୍ୱେଷାକୁ କାହିଁକି ଭିକ୍ଷୁକ ପରି ଅନ୍ୟ ହାତରେ ଟେକିଦେବାକୁ କୁଣ୍ଠାବୋଧ କରୁ ନାହିଁ ଭଲ ଛାତ୍ରଟିଏ ?

 

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣି ବିଫଳ ହେବା ପରେ ଶାସନ ନାମରେ ଓଡ଼ିଶା ସରକାର ପୁଣି ଇଂରେଜ ଜାତିଠାରେ ହାତ ପାତୁଛି କାହିଁକି ? ସେମାନଙ୍କ ପରାମର୍ଶରେ ନିଯୁକ୍ତିର ସୁଯୋଗ ବନ୍ଦ କରିଦେଲେ ଓଡ଼ିଶା କିଭଳି ବିକାଶର ଚରମ ସୀମାରେ ପ‌ହ‌ଞ୍ଚି ପାରିବ ? ଏଭଳି ଅନେକ ପ୍ରଶ୍ନ ଉଠୁଛି ଆମ ମନ ମଧ୍ୟରେ ।

(୨)

ଓଡ଼ିଶା କେବଳ ଏକ ଗ୍ରାମବହୁଳ ରାଜ୍ୟ ନୁହେଁ, ନେତାବହୁଳ ରାଜ୍ୟ ମଧ୍ୟ । ଯେଉଁ ନେତାମାନେ ରାଷ୍ଟ୍ରସ୍ୱାର୍ଥ ଅପେକ୍ଷା ନିଜସ୍ୱାର୍ଥ ଉପରେ ବେଶି ଗୁରୁତ୍ୱ ଦେଇଥାନ୍ତି, ଓଡ଼ିଆଏ ସେଇମାନଙ୍କ ହାତରେ ହିଁ ଶାସନ‌ଦଣ୍ଡ ଧରାଇ ଦିଅନ୍ତି । ଆଶା କରନ୍ତି ସର୍ବନିମ୍ନ ଆବଶ୍ୟକତାକୁ ସିଂହରୂପୀ ଶୃଗାଳମାନେ ପୂରଣ କରିବେ । ତେବେ ୫୦ ବର୍ଷ ମଧ୍ୟରେ ଏହି ନେତାମାନେ ସମ୍ବିଧାନ ଲିଖିତ ମୌଳିକ ଆବଶ୍ୟକତା ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ସଂପର୍କରେ କିଭଳି ପଦକ୍ଷେପ ନେଇଛନ୍ତି, ତାହା ବର୍ତ୍ତମାନ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ।

ପ୍ରଥମେ ଶିକ୍ଷା କଥା ଚିନ୍ତା କରାଯାଉ । ଶିକ୍ଷିତ ବ୍ୟକ୍ତି ହେଉଛନ୍ତି ଦେଶର ପ୍ରଗତିର ମୂଳ ଭିତ୍ତି । ଇଂରେଜ ଶାସନାଧୀନ ଓଡ଼ିଶାବାସୀ ରାଜା, ଜମିଦାରଙ୍କ ଅତ୍ୟାଚାରର ଶିକାର ହୋଇ କେବଳ ଦାନା ଗଣ୍ଡାଏ ଯୋଗାଡ଼ରେ ଅହରହ ସଂଗ୍ରାମରେ ବ୍ରତୀ ଥିଲେ । ସେ ସଂଗ୍ରାମ ଭିତରେ ଅକ୍ଷର ଶିକ୍ଷା କରିବା ଥିଲା ଅସମ୍ଭବ ବ୍ୟାପାର । ଯଦିବା କେହି ନିଜ ପିଲାଙ୍କୁ ଅବଧାନଙ୍କ ଚାଟଶାଳୀରେ ବସାଇବାକୁ ଚେଷ୍ଟା କରୁଥିଲା, ସ୍ୱଚ୍ଛଳବର୍ଗଙ୍କ ରୋଷର ଶିକାର ହୋଇ ମାନସିକ ଓ ଶାରୀରିକ ନିର୍ଯାତନା ପାଉଥିବାର ବହୁ ନମୂନା ଆମେ ପୂର୍ବ ପୁରୁଷଙ୍କଠାରୁ ଶୁଣିଛୁ । ତେଣୁ ସ୍ୱତଃ ଏଭଳି ଏକ ପିଢ଼ି ଓଡ଼ିଶାରେ ଦେଖାଦେଲେ, ଯେଉଁମାନଙ୍କର କଥିତ ଭାଷା ଥିଲା ଓଡ଼ିଆ, ମାତ୍ର ଲିଖିତ ରୂପ ଥିଲା ବାମ ବୃଦ୍ଧାଙ୍ଗୁଳିର ଟିପଚିହ୍ନ । ଉପେନ୍ଦ୍ର, ଅଭିମନ୍ୟୁ, ଗୋପାଳକୃଷ୍ଣ ଆଦିଙ୍କ ପଦାବଳୀ ଏମାନଙ୍କ ତୁଣ୍ଡରେ ଅହରହ ଥିବାବେଳେ ଆଉ କିଛି ସୃଷ୍ଟି କରିବାର ତୀବ୍ର ଅଭୀପ୍ସା ହିଁ କେବଳ ଭୀମଭୋଇ ଭଳି ଅନ୍ଧ, ଛୋଟାମାନଙ୍କଠାରେ ରହୁଥିଲା । ଯଦ୍ଦ୍ୱାରା ଓଡ଼ିଶାରେ ଶିକ୍ଷିତ ଓଡ଼ିଆ (ବ୍ରାହ୍ମଣ, କରଣ)ଙ୍କ ସହ ଇଂରେଜୀ ଚାକର ବଙ୍ଗାଳୀମାନଙ୍କ ପ୍ରଭାବ ଏଭଳି ରହିଲା ଯେ, ସୀମିତ ସଂଖ୍ୟକ ଶିକ୍ଷିତ ଓଡ଼ିଆଙ୍କୁ ଅତିକ୍ରମ କରି ବଙ୍ଗାଳୀମାନେ ଆଗଙ୍ଗା-ଗୋାବରୀ ଓଡ଼ିଶା ଭଳି ବିଶାଳ ଅଞ୍ଚଳ (ଅବଶ୍ୟ ସେତେବେଳକୁ ସଂକ୍ଷିପ୍ତ ରୂପ ନେଇ ସାରିଥଲା)ରେ ନିଜ ଭାଷା ପ୍ରଚଳନପାଇଁ ଦାବି କରିବାର ଦୁଃସାହସଟିଏ କରିପାରିଲେ । ତେଣୁ ସେହି ଦୁଃସାହସର ପରିଣାମକୁ ବୁଝିପାରି ଆଗଧାଡ଼ିର ଓଡ଼ିଆଏ ଶିକ୍ଷାର ପ୍ରସାରପାଇଁ ଏଭଳି କାର୍ଯ୍ୟ କରି ‘ଭୋକିଲା ପେଟରେ ଯେ ଅକ୍ଷର କିପରି ଶିକ୍ଷା କରିହୁଏ’ ତାହା ସମଗ୍ର ବିଶ୍ୱକୁ ଦେଖାଇ ଦେଇଥିଲେ । କେବଳ ସେତିକି ନୁହେଁ, ସେହି ଉକ୍ରଟ ଦାରିଦ୍ର୍ୟ ମଧ୍ୟରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରକୁ ବୁଝି ସର୍ବପ୍ରଥମେ ଭାଷାଭିତ୍ତିକ ରାଜ୍ୟଟିଏ ଗଠନ କରିଥିଲେ ଅନ୍ୟ ରାଜ୍ୟ ତୁଳନାରେ ଖୁବ୍ କମ୍ ସମୟ ମଧ୍ୟରେ । ସ୍ୱାଧୀନତା ପରେ ବିକାଶର ଚରମ ସୀମାରେ ଦେଶ ପ‌ହ‌ଞ୍ଚିବ ବୋଲି ଯେପରି ପ୍ରତ୍ୟେକ ଭାରତବାସୀଙ୍କ ସ୍ୱପ୍ନ ଥିଲା, ସେହିଭଳି ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ପ୍ରକୃତିର ଗେହ୍ଲାପୁଅ ଓଡ଼ିଶା ଓ ଓଡ଼ିଆ ସଂପୂର୍ଣ୍ଣ ବିକଶିତ ହୋଇ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବାର ସ୍ୱପ୍ନ ପ୍ରତ୍ୟେକ ଓଡ଼ିଆଙ୍କର ଥିଲା । ମାତ୍ର ସ୍ୱାଧୀନତା ପରେ ଆମ ନେତାଗଣ ସମ୍ବିଧାନରେ ଖାତା ଖେଳାଇ ଶାସନ କଲାବେଳକୁ ସ୍ୱଚ୍ଛ ମାନସିକତା, ନୈତିକତା, ଦାୟିତ୍ୱବୋଧ, କର୍ତ୍ତବ୍ୟନିଷ୍ଠା ସର୍ବୋପରି ଜନସାଧାରଣଙ୍କ ନିକଟରେ ସେମାନଙ୍କର ଉତ୍ତରଦାୟିତ୍ୱକୁ ସଂପୂର୍ଣ୍ଣ ରୂପେ ଭୁଲି ଯାଇ ସାରିଥିଲେ । ଫଳରେ ଶିକ୍ଷାନୀତି କେବଳ ପରିସଂଖ୍ୟାନରେ ଚାଲିଲା ସିନା, ଶିକ୍ଷିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିଲା ନାହିଁ । କାହିଁକି ବଢ଼ୁ ନାହିଁ, ଏବଂ ଏଥିପ୍ରତି ସରକାରଙ୍କ ଆନ୍ତରିକତା କିଭଳି ଅଛି ? ସେଭଳି ଅସଂଖ୍ୟ ନମୂନା ମଧ୍ୟରୁ ଗୋଟିଏ ମାତ୍ର ଦେଉଛି ବର୍ତ୍ତମାନର ଶିକ୍ଷା ସଂପର୍କିତ ସରକାରୀ କାର୍ଯ୍ୟଧାରା ଉପରେ ।

କଳାପଟା ଅଭିଯାନ, ପ୍ରୌଢ଼ଶିକ୍ଷା କେନ୍ଦ୍ର ପରେ ‘ରାଜ୍ୟ ଜନଶିକ୍ଷା ସାଧନକେନ୍ଦ୍ର’ ଯାଜପୁର ଜିଲ୍ଲାବାସୀଙ୍କୁ ସାକ୍ଷର କରିବାପାଇଁ ଗଠନ କରିଥିବା ‘ଜିଲ୍ଲା ସାକ୍ଷରତା ସମିତି’ର କାର୍ଯ୍ୟଦକ୍ଷତା କେବଳ ମଧୁର ବକ୍ତୃତା ପ୍ରଦାନକାରୀ ତ‌ତ୍କାଳୀନ ଜିଲ୍ଲାପାଳଙ୍କ ନଖଦର୍ପଣରେ ଗଚ୍ଛିତ ହୋଇଥିଲା; ଯାହାକୁ ନେଇ ସେ ଏହାର ଗତି, ପ୍ରଗତି, ଅଗ୍ରଗତି ସଂପର୍କରେ ତତ୍‌କ୍ଷଣାତ୍ ତଥ୍ୟ ଯୋଗାଇ ଦେଇ ପାରୁଥିଲେ । ଜିଲ୍ଲାରେ ନିରକ୍ଷର ସର୍ଭେପତ୍ର ମୁଦ୍ରଣଠାରୁ ପୁସ୍ତକ ମୁଦ୍ରଣ ପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତିକୁ ନୀତି ଭାବରେ ଗ୍ରହଣ କରାଯାଇ କେବଳ କାର୍ଯ୍ୟ ଦକ୍ଷତା ସଂପର୍କରର ଏଠାରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଭାବରେ ଗ୍ରହଣ କରାଯାଉଛି ।

ଯାଜପୁର ଜିଲ୍ଲାପାଳଙ୍କ ହିସାବ ଅନୁସାରେ ମୋଟ୍ ୧୬ ଲକ୍ଷ ୬୩ ହଜାର ୪୧୨ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୧ ଲକ୍ଷ ୭୨ ହଜାର ୪୯୭ ଜଣ ନିରକ୍ଷର (ପ୍ରକୃତରେ ଏହାର ସଂଖ୍ୟା ବହୁ ଅଧିକ) । ମାତ୍ର ଉପରୁ ନିର୍ଦ୍ଦେଶ ଆସିଛି କହି ପୁଣି ଥରେ ସର୍ଭେ କାର୍ଯ୍ୟ ମାଧ୍ୟମରେ କାଗଜ କଲମରେ ସଂଖ୍ୟା କମାଇ ଦିଆଗଲା ଏବଂ ସୁକିନ୍ଦା ଭଳି ଅନଗ୍ରସର ଆଦିବାସୀ ବହୁଳ ଅଞ୍ଚଳରେ ୧୪ରୁ ୩୫ ବର୍ଷ ମଧ୍ୟରେ ଥିବା ମୋଟ୍ ୪୦,୩୧୯ ଜଣ ବ୍ୟକ୍ତି ମଧ୍ୟରୁ ୮,୧୪୩ ଜଣ ନିରକ୍ଷର ଅଛନ୍ତି ବୋଲି ଦର୍ଶାଇବାକୁ କୁହାଯାଇଥିବାବେଳେ, ବଡ଼ଚଣା ଭଳି ଯୋଗାଯୋଗ, ଶିକ୍ଷା ତଥା ଆର୍ଥିକସ୍ୱଚ୍ଛଳ ସମ୍ପନ୍ନ ବ୍ଲକରେ ଏହି ବୟସର ମୋଟ୍ ୭୪,୯୪୩ ଜଣଙ୍କ ମଧ୍ୟରୁ ୭୧,୨୯୦ ଜଣ ନିରକ୍ଷର ଥିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡ଼େ । ଅର୍ଥାତ୍ ବଡ଼ଚଣା ବ୍ଲକରେ ସରକାରଙ୍କ ତଥ୍ୟ ଅନୁସାରେ ୩,୧୫୩ ଜଣ ସାକ୍ଷର ଥିବାବେଳେ ୧୪ରୁ ୨୦ ବର୍ଷ ମଧ୍ୟରେ ୧୯୯୮-୯୯ରେ ଏହି ବ୍ଲକ‌ରୁ ୫୫ଟି ହାଇସ୍କୁଲ ଓ ୭ଟି ମହାବିଦ୍ୟାଳୟର ମୋଟ୍ ଛାତ୍ରଛାତ୍ରୀ ସଂଖ୍ୟା ୧୪,୩୮୦ ବୋଲି ଜିଲ୍ଲା ପରିସଂଖ୍ୟାନ ବହି ୧୯୯୯ରେ ମୁଦ୍ରିତ ଅଛି । ତେଣୁ କିଭଳି ଭାବରେ ପ୍ରଶାସକ-ଉଚ୍ଚଶିକ୍ଷିତ ବର୍ଗ ଜନସାଧାରଣଙ୍କ ଆଖିରେ ଆଙ୍ଗୁଳି ଖେଞ୍ଚିଛନ୍ତି, ତାହା ସରକାରୀ ରିପୋର୍ଟରୁ ସହଜେ ଅନୁମେୟ । ବ୍ୟକ୍ତିଙ୍କୁ ଚିହ୍ନଟ କରି ଏମାନଙ୍କ ସାକ୍ଷରତାପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କଠାରୁ ମିଳିଛି ୫୧ ଲକ୍ଷ ଏବଂ ରାଜ୍ୟ ସରକାରଙ୍କଠାରୁ ମିଳିଛି ୨୫.୫୦ ଲକ୍ଷ; ମୋଟ୍ ୭୬ ଲକ୍ଷ ୫୦ ହଜାର ଟଙ୍କା । ଆହୁରି ପରବର୍ତ୍ତୀ ଦଫାରେ କେତେ ମିଳିବ ତାହା ଜିଲ୍ଲାପାଳ ତଥା ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଜଣା । ତେବେ ବର୍ତ୍ତମାନ ଖର୍ଚ୍ଚ ହିସାବରେ ଜଣେ ନିରକ୍ଷରର ସାକ୍ଷରପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪୫ ଟଙ୍କା । ସମୁଦାୟ ସାକ୍ଷର ପରେ କେତେ ଖର୍ଚ୍ଚ ହେବ ତାହା ଅନୁମେୟ । ତେବେ କଥା ହେଉଛି, ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ଲକ୍ଷାଧିକ ବ୍ୟକ୍ତି ସାକ୍ଷର ହେବେ ତ ? ଜିଲ୍ଲାପାଳଙ୍କ ହିସାବରେ ପାଠ୍ୟ ଉପକରଣ କିଣାରେ ୨୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସେ ଉପକରଣଗୁଡ଼ିକ କ’ଣ ହେଉଛି ? କାହିଁକି ଦୀର୍ଘ ୪ ବର୍ଷ ବିତିଯାଇଥିବା ବେଳେ ଏପର୍ଯ୍ୟନ୍ତ ବଣ୍ଟା ହୋଇନାହିଁ ? ଏ ପ୍ରଶ୍ନ କେବଳ ଯାଜପୁର ଜିଲ୍ଲାବାସୀ ପଚାରି ଚାଲିଛନ୍ତି । କୌଣସି ଉତ୍ତର ପାଇନାହାନ୍ତି । ସମଗ୍ର ଓଡ଼ିଶାରେ ଜନଶିକ୍ଷା ଓ ସାଧନ କେନ୍ଦ୍ରର କାର୍ଯ୍ୟକ୍ରମ ଏହିପରି । ଯେଉଁଠି ନିର୍ଦ୍ଦେଶକ ପଦବୀପାଇଁ ଭିଡ଼ା ଓଟରା ହୁଏ, ସେଠାରେ ତଳ ସ୍ତରକୁ କାର୍ଯ୍ୟ କରିବାପାଇଁ କେଉଁଭଳି ନିର୍ଦ୍ଦେଶ ଦିଆଯାଉଥିବ, ତାହା ସହୃୟ ପାଠକ ବିଚାର କରିବେ ।

ଏକବିଂଶ ଶତାବ୍ଦୀରେ ବିଜ୍ଞାନର ଚରମ ଅଗ୍ରଗତି, ମାନବ କ୍ଲୋନିଂ, ଚନ୍ଦ୍ରରେ ବାସସ୍ଥାନ ନିର୍ମାଣର ସ୍ୱପ୍ନ, ମଙ୍ଗଳ ଗ୍ରହରେ ଜୀବନ ସଂଧାନ ଭଳି ଅତିମାନବୀୟ କାର୍ଯ୍ୟ ସାଧନ ହେବାଦ୍ୱାରା ସମଗ୍ର ବିଶ୍ୱରେ ଶିକ୍ଷାର ଜୟଗାନ କରାଯାଉଥିବା ବେଳେ ସ୍ୱାଧୀନତା ଲାଭ କରିବାର ୫୭ ବର୍ଷ ବିତି ଯାଇଥିଲେ ମଧ୍ୟ ଆମ ରାଜ୍ୟର ୪୦ ଭାଗ ଜନତା ଅକ୍ଷର ପଢ଼ି ନ ପାରିବା ଓ ଏଥିପାଇଁ ଏକ ସଂସ୍ଥା ଗଠନ କରି ବିଫଳ ହେବା ଅତ୍ୟନ୍ତ ଲଜ୍ଜାକର ବିଷୟ । ସରକାରୀ ସ୍ତରରେ ଖାଲି ଆଲୋଚନା, ପର୍ଯ୍ୟାଲୋଚନା, ପରିସଂଖ୍ୟାନ ଗଣନା ବା ବିଜ୍ଞାପନ‌ଦ୍ୱାରା ନିରକ୍ଷର ବ୍ୟକ୍ତିଟିଏ ସାକ୍ଷର ହୋଇପାରିବ ନାହିଁ । ସାକ୍ଷର ହେବାପାଇଁ ବ୍ୟକ୍ତି ନିକଟରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ସର୍ବପ୍ରଥମ ଆବଶ୍ୟକ । ଏହି ଆତ୍ମପ୍ରତ୍ୟୟର ମୁଖ୍ୟ ବାଧକ ହେଉଛି ମନର ଦାରିଦ୍ର୍ୟ, ଅର୍ଥ- ଦାରିଦ୍ର୍ୟ ନୁହେଁ । ଏହି ଦାରିଦ୍ର୍ୟକୁ ହିଁ ପ୍ରଥମେ ଜନମାନସରୁ ଦୂରେଇବାକୁ ପଡ଼ିବ । ସେହି ଅଶିକ୍ଷିତ ବ୍ୟକ୍ତି ମନରେ ଏହି ଧାରଣା ସୃଷ୍ଟି କରିବାକୁ ହେବ ଯେ- ସେ ଯେଉଁ ଦାରିଦ୍ର୍ୟ ମଧ୍ୟରେ ଛଟପଟ ହେଉଛି, ଖାଇବାକୁ ଗଣ୍ଡେ ପାଉ ନାହିଁ, ପିଲାମାନଙ୍କୁ ସ୍କୁଲ ପଠାଇବାପାଇଁ ପୋଷାକ ହଳେ ଦେଇପାରୁ ନାହିଁ; ଏଥିପାଇଁ ଦାୟୀ ତା’ର ନିରକ୍ଷରତା, ଅଜ୍ଞାନତା । ଏହାକୁ ଦୂର କରିବାପାଇଁ କୌଣସି ଅର୍ଥର ଆବଶ୍ୟକ ନାହିଁ, କେବଳ ଦରକାର ସ୍ଥିର ମାନସିକତା ସହ କେତୋଟି ଦିନ ଅବା ମାସର ଅଧ୍ୟୟନ । ଏହି ଶିକ୍ଷା ହିଁ ତା’ର ଅଭାବବୋଧକୁ ଦୂର କରିଦେଇ ପାରିବ । ତା’ରି ପରିଶ୍ରମରେ, ତା’ରି ଅର୍ଥରେ, ତା’ରି ଟିପ ଚିହ୍ନ ବଳରେ ପରିବର୍ଦ୍ଧିତ ହେଉଥିବା ପରାଙ୍ଗପୁଷ୍ଟ ନିର୍ମୁଳୀ ଲଟାମାନଙ୍କୁ ଚିହ୍ନିପାରି ସେମାନଙ୍କ ଛଳନାର ମୁଖାକୁ ଖୋଲି ଫିଙ୍ଗି ପାରିବ । ସେମାନଙ୍କୁ ଶିକ୍ଷିତ କରିବା ଆଳରେ ଦୀର୍ଘ ୫୦ ବର୍ଷ ଧରି ଯେଉଁ ଗୋଷ୍ଠୀ ଅର୍ଥ ତୋଷରପାତ କରିବା ସହିତ ମୂଲ୍ୟବାନ ସରକାରୀ କାର୍ଯ୍ୟ ଓ ସମୟତକ ନଷ୍ଟ କରୁଛନ୍ତି, ତାହା ମଧ୍ୟ ବନ୍ଦ ହୋଇଯିବ, ଯେପରି ହୋଇଛି ୯୫ ଭାଗ ଆଦିବାସୀ ଅଧ୍ୟୁଷିତ ଭାରତର ସବୁଠାରୁ ଅନଗ୍ରସର ରାଜ୍ୟ ମିଜୋରାମରେ । ସରକାରଙ୍କ ସବୁ ତଥ୍ୟ, ଆକଳନ, ତଥା ପରିସଂଖ୍ୟାନକୁ ଭୁଲ୍ ବୋଲି ପ୍ରମାଣିତ କରି ମାତ୍ର କେତୋଟି ବର୍ଷର ବ୍ୟବଧାନରେ ଶତକଡ଼ା ୮୮ ଭାଗ ଜନସାଧାରଣ ଶିକ୍ଷିତ ହୋଇ ନିଜ ଜୀବନଧାରଣମାନକୁ ଉନ୍ନତ କରିବାରେ ପ୍ରୟାସୀ ଅଛନ୍ତି ।

ଅତୀତର ଗୌରବକୁ ନେଇ ଗର୍ବ କରୁଥିବା ଆମର ଏହି ଓଡ଼ିଆ ଜାତି କ’ଣ ମିଜୋରାମ ଅଧିବାସୀଙ୍କଠାରୁ ହୀନ, ଦୁର୍ବଳ, ଭୀରୁ ?

(୩)

ପ୍ରାଚୀନ ସାହିତ୍ୟିକଙ୍କ ମତରେ ଶିକ୍ଷା ମଣିଷକୁ କେବଳ ସମାଜରେ ପ୍ରତିଷ୍ଠିତ କରି ନ ଥାଏ, ଏହାର ଶରୀରକୁ ମଧ୍ୟ ପବିତ୍ର କରିଥାଏ । ବ୍ୟକ୍ତିବିଶେଷର ଶିକ୍ଷା ବ୍ୟକ୍ତି ଚରିତ୍ରକୁ ଉନ୍ନତ କରିବା ସଙ୍ଗେ ସଙ୍ଗେ ଦେଶର ବିକାଶକୁ ତ୍ୱରାନ୍ୱିତ କରେ । ଅଶିକ୍ଷାର ମୃତପିଣ୍ଡ ଉପରେ ଠିଆ ହୋଇଥିବା ଦେଶକୁ ଶିକ୍ଷା ହିଁ ଜୀବନାନ କରେ । ତେଣୁ ଯେଉଁ ଦେଶର ଶିକ୍ଷା-ପଦ୍ଧତି ଯେତେ ଉନ୍ନତ, ସେ ଦେଶର ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସେତେ ଅଗ୍ରଣୀ । ଏହାକୁ ହୃୟଙ୍ଗମ କରି ଆମ ଭାରତ ତଥା ଓଡ଼ିଶା ସରକାରଙ୍କଦ୍ୱାରା ପରିଚାଳିତ ‘ଜନଶିକ୍ଷା ସାଧନ କେନ୍ଦ୍ର’ର ପ୍ରୌଢ଼ଙ୍କୁ ଶିକ୍ଷିତ କରିବାର ଉଉ୍ୟମ ସମ୍ପର୍କରେ ପୂର୍ବ ନିବନ୍ଧରେ ପ୍ରକାଶ କରାଯାଇଥିଲା ।

ଏଥର ଉଚ୍ଚଶିକ୍ଷା କଥା ବିଚାର କରାଯାଉ । କିଛି ବର୍ଷ ପୂର୍ବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚା ଚାଲିଲା ଗାଁ’ଗହଳିରେ ଖୋଲାଯାଇଥିବା ବେସରକାରୀ ମହାବିଦ୍ୟାଳୟ ସଂପର୍କରେ । ସେଗୁଡ଼ିକ କାଳେ ଅମଣିଷ ତିଆରି କାରଖାନା ! ଶିକ୍ଷିତ ବେକାରି ବୃଦ୍ଧି କରିବାରେ ଏଗୁଡ଼ିକର ଭୂମିକା ବହୁତ ।

ଏହାରି ଦାୟିତ୍ୱରେ ଥିବା ଅଧ୍ୟାପକଗୁଡ଼ିକ ସେଥିପାଇଁ ବେଠି ବେଗାରି ଖଟିବାକୁ ବାଧ୍ୟ । କେବଳ ଢୋକେ ପିଇ ଦଣ୍ଡେ ଜୀଇଁବାର ନ୍ୟାୟଟା ଏଇ ଗୋଷ୍ଠୀପାଇଁ ପ୍ରଯୁଜ୍ୟ । ରାଜ୍ୟ ସରକାର ଯଦି ଏମାନଙ୍କୁ ତାଙ୍କର ପ୍ରାପ୍ୟ ଦେବେ, ତେବେ ରାଜକୋଷ କାଳେ ଶୂନ୍ୟ ହୋଇଯିବ । ମାତ୍ର ଏହି ତ୍ରୁଟିପୂର୍ଣ୍ଣ ତଥ୍ୟକୁ ଅନେକ ସ୍ତମ୍ଭକାର ତାଙ୍କର ପରିସଂଖ୍ୟାନ ରିପୋର୍ଟ‌ଦ୍ୱାରା ଭୁଲ୍ ବୋଲି ପ୍ରମାଣ କରି ଅନେକ ମୂଲ୍ୟବାନ ଆଲୋଚନା କରିଛନ୍ତି । ତଥାପି ଉକ୍ତ ମାନସିକ ଦୁଶ୍ଚିନ୍ତାଗ୍ରସ୍ତ ମେଧାବୀ ଅଧ୍ୟାପକମାନଙ୍କ ପ୍ରତି ସରକାରଙ୍କ ନିର୍ଦ୍ଦୟ ଭାବ କାହିଁକି? କାରଣ, ଆମ ରାଜନେତାମାନଙ୍କ ସବୁଠାରୁ ବଡ଼ ସମ୍ପଦ ହେଲା ଯୁବ ସଂପ୍ରଦାୟ, ଯେଉଁମାନେ ଭୋଟ୍ ବେଳେ ନୋଟ୍ ନେଇ ଭଲମନ୍ଦ ବିଚାର ଭୁଲି ଯୋଗାଡ଼ରେ ବ୍ୟସ୍ତ ଥାନ୍ତି । କିନ୍ତୁ ଏହି ସଂପ୍ରଦାୟ ଯେତେବେଳେ ଉଚ୍ଚ ଶିକ୍ଷିତ ହୋଇ ସେମାନଙ୍କ ଅସଲ ମୁଖାକୁ ଖୋଲିବାର ଉପକ୍ରମ କଲେ, ତାହାକୁ ବନ୍ଦ କରିବାକୁ ଯାଇ ଆରମ୍ଭ କରିଦେଲେ ବାକ୍‌ବର୍ଷା । ସେମାନଙ୍କ ସହ ତାଳ ଦେଲେ ତଥାକଥିତ ବୁଦ୍ଧିଜୀବୀ ଏବଂ ‘ନିବୁଜ କୋଠରୀର ଶୀତଳ ସ୍ପର୍ଶରେ ଆତଯାତ କରୁଥିବା ଆଗ ଧାଡ଼ିର ଓଡ଼ିଆଏ’ । କିନ୍ତୁ ସେମାନେ କ’ଣ କେବେ ଚିନ୍ତା କରିଛନ୍ତି ଯେ ଏହି କଲେଜ ଖୋଲିବା ଦ୍ୱାରା ଓଡ଼ିଶାର ଶିକ୍ଷା କ୍ଷେତ୍ରରେ କ’ଣ ଉନ୍ନତି ହୋଇଛି?

ଗରିବ ଓଡ଼ିଆ ପରିବାରର ପିଲାପାଇଁ ଉଚ୍ଚଶିକ୍ଷା ସ୍ୱପ୍ନ ଥିଲା । ଦୂର ସହରକୁ ଆସି ପାଠ ପଢ଼ିବାର ସୁଯୋଗ କେତେଜଣଙ୍କୁ ମିଳୁଥିଲା! ମୋ ଦେଖିବାରେ ଅନେକ ହାଇସ୍କୁଲର ମେଧାବୀ ଛାତ୍ର ଅର୍ଥାଭାବରୁ ଉଚ୍ଚଶିକ୍ଷା ନ ପାଇ ମାନସିକ ଅବସାଦରେ ସମୟ କାଟୁଥିବାବେଳେ ସେମାନଙ୍କଠାରୁ କମ୍ ଗୁଣ-ସଂପନ୍ନ ଛାତ୍ରଟିଏ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ନିଜପାଇଁ କର୍ମକ୍ଷେତ୍ର ପ୍ରସ୍ତୁତ କରିପାରୁଛି । ତେଣୁ ଗ୍ରାମାଞ୍ଚଳରେ କଲେଜ ଖୋଲିବାଦ୍ୱାରା ଅନେକ ମଲ୍ଲୀଫୁଲ ବଣ ମଧ୍ୟରେ ନ ଝରି ନିଜର ବୌଦ୍ଧିକ ବିକାଶ କରିବାର ସୁଯୋଗ ପାଇପାରିଲେ । ଏଥିସହ ଅନେକ ଉଚ୍ଚଶିକ୍ଷିତଙ୍କ ନିଯୁକ୍ତି ଏବଂ କଲେଜକୁ ନେଇ ଖୋଲିଥିବା କ୍ଷୁଦ୍ର ବ୍ୟବସାୟ ପେଣ୍ଠସ୍ଥଳଦ୍ୱାରା ସ୍ୱରୋଜଗାରର ଧାରା ସୃଷ୍ଟି ସହ ଉକ୍ତ ଅଞ୍ଚଳରେ ଜ୍ଞାନର ଆଲୋକ ଯେ ପ୍ରଜ୍ୱଳିତ ହେଲା, ତାହାକୁ ଯେକୌଣସି ନିନ୍ଦୁକ ସ୍ୱୀକାର କରିବେ । ତେଣୁ ଯଦି ସମାଜ ଗଠନ ଦିଗରେ ଏହି ମହାବିଦ୍ୟାଳୟଗୁଡ଼ିକର ଭୂମିକାକୁ ସ୍ୱୀକାର କରାଯାଏ, ତେବେ ତାହାର ଉନ୍ନତିପାଇଁ ସର୍ବାଦ୍ରୌ ଦୃଷ୍ଟି ଦେବା ଆବଶ୍ୟକ ।

କୁହାଯାଏ ଯେ, ବେସରକାରୀ ମହାବିଦ୍ୟାଳୟଗୁଡ଼ିକର ଶିକ୍ଷା ପ୍ରଦାନମାନ ଅତି ନିମ୍ନ ଧରଣର । ତେଣୁ ପିଲା କପି କରିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ସେମାନଙ୍କୁ ମୋର ପ୍ରଶ୍ନ, ଖାଲି ପେଟରେ ଅଧ୍ୟାପକଟିଏ କିଭଳି ଶିକ୍ଷା ପ୍ରଦାନ କରିବ ? କିରାଣିଟିଏ ଦରମା ପାଇ ମଧ୍ୟ କାମ କରିବାପାଇଁ ଲାଞ୍ଚ ନେଉଛି । ତାହା ତ ଏଠାରେ ହେଉନାହିଁ, ତା’ଛଡ଼ା କପି କରିବା ଓ ପାଠ ପଢ଼ାଇବା ମଧ୍ୟରେ ପାର୍ଥକ୍ୟ ବହୁତ । ତେଣୁ ଅଧ୍ୟାପକଟିଏ ଏଥିପାଇଁ କାହିଁକି ଦୋଷୀ ହେବ? କୌଣସି ସଭ୍ୟ ରାଷ୍ଟ୍ରର ମଣିଷ ତିଆରି କାରଖାନାରେ ଏଭଳି ଅମାନୁଷିକ କାର୍ଯ୍ୟ ହେଉଛି କି? ଯେଉଁଠି ଭୋକିଲା ପେଟ, ସମାଜ ତଥା ପରିବାର ଚାପକୁ ମୁଣ୍ଡ ଭିତରେ ରଖି ଶିକ୍ଷା ପ୍ରଦାନ କରିବାକ ଦୁଃସ୍ଥ ଅଧ୍ୟାପକଟିଏ ବାହାରି ଆସେ! ତେଣୁ ଏହି ଗୋଷ୍ଠୀ ପ୍ରତି ସରକାରଙ୍କ ହେୟ ମନୋଭାବ ଓଡ଼ିଶାର ଶିକ୍ଷାଧାରାରେ କିଭଳି ପ୍ରଭାବ ପକାଉଛି, ତାହା ଗତ ତିନିବର୍ଷର ମେଟ୍ରିକ୍ ପରୀକ୍ଷା ଛାତ୍ର ଉପସ୍ଥାନକ୍ରମ ଅବନତିରୁ ଜଣାପଡ଼େ । କାରଣ ଗରିବ ବାପା-ମା’ମାନେ ଢୋକେ ପିଇ ଦଣ୍ଡେ ଜୀଇଁ ପିଲାଟିକୁ ଉଚ୍ଚ ଶିକ୍ଷିତ କରିସାରିବା ପରେ, ବେକାରି ମୋହର ମାରି ଉପହାସିତ ହେବା, ତଥା ଅସହାୟ ପିଲାଟିକୁ ମାନସିକ ଅବସାଦ ଏବଂ ଆତ୍ମହତ୍ୟା ଭଳି ଜଘନ୍ୟ କାର୍ଯ୍ୟରୁ ମୁକ୍ତି ଦେବାପାଇଁ ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ଅତି ବେଶୀରେ ମାଇନର ପରଠାରୁ ଶିକ୍ଷାରେ ଡୋରିବାନ୍ଧି କୌଳିକ କିମ୍ବା ମୌଳିକ ବୃତ୍ତିରେ ଲଗାଇ ଦେଉଛନ୍ତି । ପିଲାଟି ମଧ୍ୟ ଖୁସିରେ ଏହା ଗ୍ରହଣ କରିନେଉଛି ପରିବାରର ଦୂରାବସ୍ଥାକୁ ଦେଖି ।

ପ୍ରାଥମିକ ଶିକ୍ଷାର ଅବସ୍ଥା ମଧ୍ୟ ସେହିପରି । ସମଗ୍ର ରାଜ୍ୟରେ ଏଭଳି ଏକ ପ୍ରାଥମିକ ବିଦ୍ୟାଳୟ ନାହିଁ, ଯାହାକୁ ଏକ ଆଦର୍ଶ ମଣିଷ ତିଆରି କାରଖାନାର ପ୍ରଥମ ପାହାଚ ରୂପେ ଗ୍ରହଣ କରିହେବ । କେଉଁଠି ପିଲା ନାହିଁ ତ, କେଉଁଠି ଶିକ୍ଷକ ନାହାନ୍ତି ବା ଘର ନ ଥିବାରୁ ପିଲାଏ ଗଛ ମୂଳରେ ବସି ପାଠ ପଢ଼ୁଛନ୍ତି । ଏହିଭଳି ସମସ୍ୟା ଲାଗି ରହିଛି ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟରେ । ସହରମାନଙ୍କରେ ଯଦି ବେସରକାରୀ ସ୍କୁଲମାନ ଖୋଲା ନ ଯାଆନ୍ତା, ତେବେ ଆମ ଶିକ୍ଷା ବ୍ୟବସ୍ଥାକୁ ସରକାରଙ୍କ ଅବସ୍ଥା କ’ଣ ହୁଅନ୍ତା, ତାହା ଯେକୌଣସି ବ୍ୟକ୍ତି ଉପଲବ୍‌ଧି କରିପାରିବ । ମାତ୍ର ସରକାର ଏଥିପ୍ରତି ଗୁରୁତ୍ୱ ନ ଦେଇ ଭୋଟ୍ ପାଇଁ ପିଲାମାନଙ୍କୁ ଚାଉଳ, ଲୁଗାପଟା ବାଣ୍ଟିବାରେ ବ୍ୟସ୍ତ । ଆଉ ଏଥିପାଇଁ ସରକାର ତଥା ଚାମଚା ପରାମର୍ଶଦାତାଙ୍କର ସୁନ୍ଦର ଯୁକ୍ତି ହେଲା-‘ଘରେ ଖାଇବାକୁ ନ ଥିବାରୁ ଭୋକିଲା ପେଟ ନେଇ ସ୍କୁଲ ଆସିବାକୁ ପିଲାଏ ରାଜି ହେଉନାହାନ୍ତି । ଅଭିଭାବକମାନେ ମଧ୍ୟ ଶିକ୍ଷା ପ୍ରତି ଗୁରୁତ୍ୱ ଦେଉନାହାନ୍ତି ।’ ଅବଶ୍ୟ ଏହା ସତ୍ୟ, ମାତ୍ର ତାହାର ନିର୍ଯ୍ୟାସ ସ୍କୁଲରେ ଚାଉଳ ବାଣ୍ଟିବା କିମ୍ବା ଖାଦ୍ୟ ବାଣ୍ଟିବା ନୁହେଁ । କାରଣ ଏହାଦ୍ୱାରା ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢ଼ିପାରେ, ମାତ୍ର ଶିକ୍ଷାର ପ୍ରଗତି ହେବ ନାହିଁ । ଏଭଳି ସ୍ଥିତି ନିରାକରଣର ଉପାୟ ହେଲା ବର୍ଷସାରା ଲୋକଙ୍କପାଇଁ କର୍ମସଂସ୍ଥାନ ଯୋଗାଇଦେବା ଏବଂ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଆଇନ୍ ଭାଙ୍ଗୁଥିବା ପିତାମାତାଙ୍କୁ ଦଣ୍ଡିତ କରିବା କିମ୍ବା ବନବାସୀ ଆଶ୍ରମ ଖୋଲି ଆର୍ଥିକ ଅନଟନ ଦ୍ୱାରା ସ୍କୁଲ ଯାଇ ନ

ଥିବା ପିଲାଙ୍କୁ ସଂଗ୍ରହ କରି ସେହିଠାରେ ରଖି ସେମାନଙ୍କର ସବୁଦାୟିତ୍ୱ ସରକାର ବହନ କରନ୍ତୁ । ଚାଉଳ, ପୋଷାକ, ମାଗଣା ବହି ସମସ୍ତଙ୍କୁ ନ ବାଣ୍ଟି କେବଳ ସେହିମାନଙ୍କୁ ଏହି ବିଦ୍ୟାପୀଠ ମାଧ୍ୟମରେ ବଣ୍ଟାଗଲେ ନିଶ୍ଚିତ ଶିକ୍ଷା ପ୍ରତି ଅଭିଭାବକମାନଙ୍କ ଆଗ୍ରହ ବଡ଼ିବ । ତାହା ନ କରି ବିଦ୍ୟାଳୟକୁ ଏକ ସରକାରୀ ବଣ୍ଟନ କେନ୍ଦ୍ରରେ ପରିଣତ କରି ଏହି ବିଭାଗର ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ହାତ ଚିକ୍କଣ କରିବାର ବ୍ୟବସ୍ଥା ରହିଲା । ବିଗତ ସରକାରରେ ମଧ୍ୟାହ୍ନ ଭୋଜନପାଇଁ ଡାଲି କିଣା ଦୂର୍ନୀତିରେ ମନ୍ତ୍ରୀ ମହୋଦୟ କିପରି ଅପମାନିତ ହୋଇଥିଲେ, ତାହା ପ୍ରାୟ ସମସ୍ତେ ଜାଣିଥିବେ । ଏସବୁ ଘଟୁଛି କେବଳ ଜନସାଧାରଣଙ୍କ ନିକଟରେ ଉପରିସ୍ଥ କର୍ମଚାରୀ ଉତ୍ତରଦାୟୀ ନ ଥିବାରୁ । ଯାହାକୁ ପ୍ରତ୍ୟେକ ବିଚାରଶୀଳ ବ୍ୟକ୍ତି ମର୍ମେ ମର୍ମେ ଉପଲବ୍‌ଧି କରୁଥିବେ । ଯଦି ଆନ୍ତରିକତାର ସହିତ ଦୃଢ଼ ପଦକ୍ଷେପ ନିଆଯାଏ, ତେବେ ପ୍ରାଥମିକ ଶିକ୍ଷାରେ ଶୀଘ୍ର ଉନ୍ନତି ହେବ । ସରକାରଙ୍କୁ ଆଉ ସର୍ବଶିକ୍ଷା ଅଭିଯାନ, ଡି.ପି.ଇ.ପି. କିମ୍ବା ଚାଉଳ,ପୋଷାକ ବାଣ୍ଟିବାକୁ ପଡ଼ିବ ନାହିଁ ।

ମାତ୍ର ଶିକ୍ଷା ନାମରେ ଅନ୍ୟାନ୍ୟ ରାଜ୍ୟପରି ଆମ ରାଜନେତାଗଣ ଯାନ୍ତ୍ରିକ ତଥା ଚିକିତ୍ସା ମହାବିଦ୍ୟାଳୟ ସିନା ଖୋଲିପାରିଲେ ନାହିଁ, କିନ୍ତୁ ଉଚ୍ଚଶିକ୍ଷାର ମୋହରମରା କାଗଜ ଅଧିକାରୀଙ୍କୁ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ବନ୍ଦ କରିବାଦ୍ୱାରା ଶିକ୍ଷାର ଯେ କିଭଳି ବିକାଶ ହେବ, ତାହା ବୁଝିହେଉ ନାହିଁ । ବ୍ୟକ୍ତି ଉଚ୍ଚଶିକ୍ଷିତ ହେଲେ ତା’ର ବ୍ୟକ୍ତିତ୍ୱର ବିକାଶ ଘଟିବ, ସେ ସମାଜ ଉନ୍ନତିପାଇଁ ଚିନ୍ତା କରିବ । ଯଦି ସେ ଉଚ୍ଚଶିକ୍ଷା ନ ପାଏ ତେବେ ସଂକୁଚିତ ମଥା ନେଇ ସବୁକିଛି ସହ୍ୟ କରି ସବୁଦିନପାଇଁ ଅନ୍ୟାୟ ବିରୁଦ୍ଧରେ ପାଟି ଫିଟାଇବାକୁ ଭୁଲିଯିବ । ଯାହାକି ବର୍ତ୍ତମାନର ଟାଉଟର ରାଜନେତାଙ୍କୁ ବେଶ୍ ସୁହାଇବ । ସେମାନଙ୍କ ପଛରେ ଗୋଡ଼ାଣିଆଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଭୋଟ୍ ରାଜନୀତି ତିଷ୍ଠି ରହିବ । ତେଣୁ ଆମ ରାଜନେତାଙ୍କର ଶିକ୍ଷା ପ୍ରତି ଉଦାସୀନ ମନୋଭାବ ପ୍ରାୟ ସେଇଥିପାଇଁ ।

(୪)

ସେହିଭଳି ସ୍ୱାସ୍ଥ୍ୟ କଥା ଆଲୋଚନା କରାଯାଉ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁଖ୍ୟ ଚିକିତ୍ସାଳୟ ସହ ୧୮୧ଟି ଚିକିତ୍ସାଳୟ, ୩ଟି ଚିକିତ୍ସା ମହାବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳରେ ନାମକୁ ମାତ୍ର ଖୋଲାଯାଇଥିବା ୧୮୩ଟି ପ୍ରାଥମିକ ଚିକତ୍ସାଳୟର ୧୩,୭୮୬ଟି ଶଯ୍ୟାକୁ ନେଇ ଆମ ସ୍ୱାସ୍ଥ୍ୟସେବା ଗଠିତ ହୋଇଥିବା ବେଳେ ମୁଖ୍ୟତଃ କଟକ ଶ୍ରୀରାମଚନ୍ଦ୍ର ମେଡ଼ିକାଲ କଲେଜ ହେଉଛି ଓଡ଼ିଶାର ଏକମାତ୍ର ନାମକରା ଚିକିତ୍ସାଳୟ । ତେବେ ଏତେସବୁ ଚିକିତ୍ସାଳୟରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ସରକାର ଆତ୍ମସନ୍ତୋଷ ପାଉଥିବା ବେଳେ ସାଧାରଣ ଲୋକଟିର ଧାରଣା ହେଲାଣି ଯେ ସରକାରୀ ଡାକ୍ତରଖାନାର ‘ଛାତ୍ର ଡାକ୍ତର’ଙ୍କୁ ଦେଖାଇଲେ ରୋଗ ଭଲ ହେବ ନାହିଁ । କିନ୍ତୁ ଘରବାଡ଼ି ବନ୍ଧାରଖି ଡାକ୍ତରଙ୍କୁ ବସାଘରେ ଦେଖାଇଲେ ରୋଗ କୁଆଡ଼େ ଡରି ପଳାଏ । ଜନସାଧାରଣଙ୍କ ଏଭଳି ଦାତବ୍ୟ ଗୁଣକୁ ଚିହ୍ନିପାରି ସରକାର ଡାକ୍ତରଖାନାରେ ବସାଇଦେଲେ ୟୁଜର୍ସ ଫିସ୍ । ଫଳରେ ରୋଗୀଙ୍କୁ ନର୍ସିଂହୋମ ଯିବାପାଇଁ ସୁବିଧା ହୋଇଗଲା । ନମୂନା ରୂପେ ଓଡ଼ିଶାର ବଡ଼ଡାକ୍ତରଖାନା କଟକକୁ ନେଇ ପାରିବା । ଏକ୍ସରେ ବିଭାଗରେ ଫିଲ୍ମ ନ ଥିବ । ସ୍କାନିଂପାଇଁ ଇଲେକ୍ଟ୍ରି ନ ଥିବ । ରକ୍ତ ପରୀକ୍ଷା କେନ୍ଦ୍ରରେ ଛୁଞ୍ଚି ନ ଥିବାରୁ ଲୋକେ କେତେ ସମୟ ଅପେକ୍ଷା କରିବେ ମୁମୂର୍ଷୁ ରୋଗୀଙ୍କୁ ଧରି? ତେଣୁ ବାଧ୍ୟ ହେବେ ସେହି ଡାକ୍ତରଙ୍କଦ୍ୱାରା ପରିଚାଳିତ ଘରୋଇ ଡାକ୍ତରଖାନାକୁ ଯିବାପାଇଁ । ୫ ଟଙ୍କାର ରୋଗ ଭଲ ହେବ ୫୦୦ କିମ୍ବା ୫୦୦୦ ଟଙ୍କାରେ । ପୁଣି ଗ୍ରାମାଞ୍ଚଳ ଡାକ୍ତରଖାନାରେ ନିଯୁକ୍ତ ଡାକ୍ତରଙ୍କପାଇଁ କୌଣସି ସୁବିଧା ସୁଯୋଗ ନ ଥିବାବେଳେ, ସହରୀ ଡାକ୍ତରବାବୁଙ୍କ ଅନୁପସ୍ଥିତିରେ ତଳିଆ କର୍ମଚାରୀ ହିଁ ଡାକ୍ତର ଭୂମିକା ନେଇ ଲୋକମାନଙ୍କ ନିକଟରେ ଭଗବାନ ହୋଇଯାଏ ଏବଂ ତ୍ରୁଟିପୂର୍ଣ୍ଣ ଚିକିତ୍ସାକରି ରୋଗୀକୁ ସର୍ବସ୍ୱାନ୍ତ କରେ କିମ୍ବା ଜୀବନ ନେଇଯାଏ । ସେମାନଙ୍କପାଇଁ ଏହି ଡାକ୍ତରବାବୁମାନେ କ’ଣ କରନ୍ତି? ନିକଟରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟଧାରାର ବିସ୍ତୃତ ବିବରଣୀ କିମ୍ବା ଭୁବନେଶ୍ୱର ୟୁନିଟ୍-୬ ଡାକ୍ତରଖାନାରେ ଦିନ ଦ୍ୱିପ୍ରହରରେ ଘଟିଥିବା କାର୍ଯ୍ୟର ଫଟୋଯୁକ୍ତ ବିବରଣୀ ଖବରକାଗଜର ମୁଖ୍ୟ ପୃଷ୍ଠାରୁ ସମସ୍ତେ ପାଠ କରିଥିବେ । ତେବେ ଦୁଃଖର କଥା ପୁରୀ ଚିକିତ୍ସାଳୟର ଅନେକ ଚିକିତ୍ସକଙ୍କ ନିଦୁଆ ଆଖି ଆଉ ଅସୌଜନ୍ୟ ବ୍ୟବହାର ବହୁବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ, ପୁରୀ ସହରରେ କୌଣସି ଦୃଢ଼ ପ୍ରତିବାଦ ଏପର୍ଯ୍ୟନ୍ତ କେହି କରି ନାହାନ୍ତି, କିମ୍ବା ବିଜୁବାବୁଙ୍କ ମାଡ଼ମନ୍ତ୍ର ଲାଗୁକରି ନାହାନ୍ତି । ତାହା ହିଁ ଆମମାନଙ୍କ ନୈତିକ ଅଧପତନ, ହୀନମନ୍ୟତା ଓ ଆଳସ୍ୟର ପ୍ରମାଣ ଦିଏ ।

ସେହିଭଳି ଆମ ସ୍ୱାସ୍ଥ୍ୟ ବିଭାଗ ନିଜ କାର୍ଯ୍ୟାଳୟ ପଛପଟେ ରୋଗ ଓ ରୋଗୀ ନ ଥିବା ବିଭାଗ ‘ରାଜ୍ୟ ଏଡ୍ସ ସେଲ୍’ ଖୋଲି କି ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି, ତାହା ଏବେ ବିଚାର କରିବାର ସମୟ ଆସିଛି । ପ୍ରତିବର୍ଷ ରାଜ୍ୟରେ ମ୍ୟାଲେରିଆଦ୍ୱାରା ୫ରୁ ୧୦ ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ (ସରକାରୀ ହିସାବରେ ୪୫୦, କାରଣ ସେମାନେ ପରିସଂଖ୍ୟାନକୁ ବିଶ୍ୱାସ କରନ୍ତି, ବାସ୍ତବତାକୁ ନୁହେଁ) ଏବଂ ପ୍ରତି ବ୍ୟକ୍ତିଙ୍କ ରକ୍ତରେ ମ୍ୟାଲେରିଆ, ଫାଇଲେରିଆ ଜୀବାଣୁ ଥିବାବେଳେ ଏହାର ନିରାକରଣପାଇଁ ଯଥାର୍ଥ ପଦଷେପ ନ ନେଇ ହିତାକାଂକ୍ଷୀ ବନ୍ଧୁ ଡି.ଏଫ୍.ଆଇ.ଡି. ଓ ବିଶ୍ୱବ୍ୟାଙ୍କ ପରାମର୍ଶରେ ୪୦/୪୫ ଜଣ ଏଡ୍ସ ରୋଗୀଙ୍କପାଇଁ ପାଣି ଭଳି ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏତ୍ୱାରା ଏଡ୍ସ ରୋଗ ସଂପର୍କରେ ସଚେତନ ସୃଷ୍ଟି ହେଉଛି କି ନାହିଁ ତାହା ଆଲୋଚନା ସାପେକ୍ଷ, ମାତ୍ର ଏଡ୍ସ ରୋଗର ମୂଳମଞ୍ଜି ଯୌନ ଉତ୍ସୃଙ୍ଖଳତା ଯେ ଲୋପହେବା ପରିବର୍ତ୍ତେ ବ୍ୟାପିଯାଉଛି, ତାହାକୁ ଯେକୌଣସି ବ୍ୟକ୍ତି ସ୍ୱୀକାର କରିବେ । କାରଣ ଲୋଭନୀୟ ବିଜ୍ଞାପନ ସଂଳାପ ଯୁବସମାଜକୁ ଏଭଳି ବିପଥଗାମୀ କରିଛି ଯେ, ଆମ ଭିତରେ ଥିବା ପାରିବାରିକ ଶାଳୀନତାକୁ ଗୋଟିଏ ଧକ୍କାରେ ଭାଙ୍ଗି ଦେବାର ଉପକ୍ରମ କରୁଛି । ମ୍ୟାଲେରିଆ, ଶିଶୁ ମୃତ୍ୟୁହାର, ପୁଷ୍ଟିହୀନତା, କୁଷ୍ଠ, ଅନ୍ଧାରକଣା ଆଦି ରୋଗରେ ଆମ ରାଜ୍ୟ ଆଗୁଆ ଥିବାବେଳେ ଏଗୁଡ଼ିକର ନିରାକରଣପାଇଁ ସ୍ୱତନ୍ତ୍ର ସେଲ୍ ଗଠନ ନ କରି ଏଡ୍ସ ଉପରେ ଏତେ ଗୁରୁତ୍ୱ ବୋର କାରଣ କ’ଣ? ଏହାର ମୂଳ କାରଣ ହେଲା ଆମ ରାଜନେତାମାନେ ଭଲ ଭାବରେ ଜାଣିଛନ୍ତି ଯେ, ଆସନ୍ତା ୫୦ ବର୍ଷ ମଧ୍ୟରେ ମ୍ୟାଲେରିଆ ଭଳି ଏଡ୍ସ ଜୀବାଣୁ ଓଡ଼ିଶା ଭଳି ପାରମ୍ପରିକ ପାରିବାରିକ ସ୍ଥିତିକୁ ଭାଙ୍ଗି ପଶିପାରିବ ନାହିଁ । ତେଣୁ ଏ ବାବରେ ଯେଉଁ କୋଟି କୋଟି ଟଙ୍କା ଆସୁଛି, ତାହାକୁ ସୁଇସ୍ ଆକାଉଣ୍ଟକୁ ପଠାଇେଲେ କ୍ଷତି କ’ଣ? ସମ୍ବିଧାନ ଅନୁଯାୟୀ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କୁ ଯୋଗାଇବୋପାଇଁ ଅର୍ଥର ଅଭାବ ଆଳରେ କିଭଳି ଅର୍ଥ ହଡ଼ପ ହେଉଛି ତାହା ଆମେ ଦେଖୁଛୁ । କାହିଁକି ଦେଖୁଛୁ ତାହା ଏବେ ବିଚାର କରି ଦୋଷୀଙ୍କୁ ଜନସାଧାରଣ ଦଣ୍ଡ ଦେବାର ସମୟ ଆସି ପହଞ୍ଚିଛି ।

ଏବେ ଆମ ସରକାରଙ୍କର ଅନ୍ୟ ଏକ ଜନହିତକର କାର୍ଯ୍ୟ-ବେକାରୀ ଦୂରୀକରଣ ଓ ସ୍ୱରୋଜଗାର ଯୋଜନା ସଂପର୍କରେ ଆଲୋଚନା କରିବା । ଏହି ଯୋଜନା ସାଧାରଣତଃ ଯୁବସଂପ୍ରଦାୟ ପାଇଁ ନିହିତ । ତେବେ ଏମାନଙ୍କପାଇଁ ସରକାରଙ୍କର ଉପରେ ଯେତେ ଦରର ଭିତରେ କିନ୍ତୁ ତା’ଠାରୁ ବହୁତ କମ୍ । ପ୍ରକୃତିର ଗେହ୍ଲାପୁଅ ଓଡ଼ିଶା ଖଣି, ପାଣି, ଜମି ଓ ଜଙ୍ଗଲରେ ଭରପୂର ହୋଇ ଆଜି ଋଣୀ ଅବସ୍ଥାରେ ଆସି ସାରାଜୀବନ ବସି ଖାଇବାର ଥାଳି-ଖଣିଗୁଡ଼ିକୁ ବିକ୍ରି କରିବାର ଯୋଜନା ପ୍ରସ୍ତୁତ କରିସାରି, ଆମ ସରକାର ଏବେ ପାଣିକୁ କମ୍ପାନୀ ହାତରେ ବିକ୍ରି କରିବାର ମସୁଧା କରୁଛନ୍ତି । କିନ୍ତୁ ଏସବୁକୁ ସଠିକ୍ ଉପଯୋଗ କରି ବିପୁଳ ମାନବ ସମ୍ବଳର ବିନିଯୋଗ କିପରି ହେବ, ସେ ସଂପର୍କରେ କୌଣସି ବ୍ୟବସ୍ଥା କରୁ ନାହାନ୍ତି । ଦୁଃଖର କଥା ଓଡ଼ିଶା ଏଭଳି ଏକ ରାଜ୍ୟ; ଯେଉଁଠି ଡାକ୍ତର, ଇଂଜିନିୟର, ତଥା ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରଟିଏ ନିଯୁକ୍ତିପାଇଁ ଆନ୍ଦୋଳନ କରିବାକୁ ବାଧ୍ୟ ହୁଏ । ଆତ୍ମନିଯୁକ୍ତିପାଇଁ ଓଡ଼ିଶାରେ ବ୍ୟାପକ ଭିତ୍ତିଭୂମି ଥିବାବେଳେ, ସରକାରଙ୍କ ଏଥିପ୍ରତି ଉଦାସୀନତା ହେଉ ବା ଶାସନକଳର ତ୍ରୁଟିଯୁକ୍ତ ପରାମର୍ଶ ହେଉ, ଏହି ଶିକ୍ଷିତବର୍ଗଙ୍କୁ ଠିକ୍ ସ୍ଥାନରେ ନ ପହଞ୍ଚାଇବାଦ୍ୱାରା ଓଡ଼ିଶା ପ୍ରଗତିକୁ ଜବରଦସ୍ତ ଭାବେ ଚାପି ଦିଆଯାଉଛି । ଏ ସମ୍ପର୍କରେ ଗୋଟିଏ ଉଦାହରଣ ଦିଆଯାଇପାରେ ।

ଗତ କିଛି ବର୍ଷ ଧରି ଓଡ଼ିଶା ଲୋକସେବା ଆୟୋଗର ସ୍ଥାଣୁ ଅବସ୍ଥା ସଂପର୍କରେ ପ୍ରାୟ ସମସ୍ତେ ସଚେତନ ଥିବେ । ଆମର ଏହି ଆୟୋଗର ପରମ୍ପରା ହେଲା ୫/୬ ବର୍ଷ ମଧ୍ୟରେ ଥରେ ସଂଖ୍ୟାଧିକ ପଦବୀପାଇଁ ମେଧାବୀଙ୍କ ମଧ୍ୟରୁ ପ୍ରଶାସକ ଚୟନ କରିବା । କିନ୍ତୁ ଯଦି ସୀମିତ ସଂଖ୍ୟକ ପଦବୀପାଇଁ ଏହି ଚୟନ ପ୍ରତିବର୍ଷ ନିଶ୍ଚିତ ଭାବେ ହୁଅନ୍ତା, ତେବେ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରୁ ନିଜ ଅଭିଜ୍ଞତା ବୃଦ୍ଧିକରି ନିଜକୁ ଜଣେ ଯୋଗ୍ୟତା ସଂପନ୍ନ ଅଧିକାରୀ ଭାବେ ଉପସ୍ଥାପନ କରିବାର ସୁଯୋଗ ପାଇବା ସହ ସର୍ବ ଭାରତୀୟ ପ୍ରତିଯୋଗିତା ତଥା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ନିଜର ଉତ୍କର୍ଷକୁ ପ୍ରମାଣିତ କରିପାରନ୍ତେ । ଯାହା ଅନ୍ୟ ରାଜ୍ୟମାନଙ୍କରେ ଘଟୁଛି, ତାହା ଏଠାରେ ବିପରୀତ ହେବାଦ୍ୱାରା ସରକାରୀ କାର୍ଯ୍ୟକ୍ଷେତ୍ରରେ କେବଳ ବୌଦ୍ଧିକ କ୍ଷମତା ସଂପନ୍ନ ବ୍ୟକ୍ତିଙ୍କର ଅଭାବ ଘଟୁ ନାହିଁ , ବରଂ ଲୋକସେବା ଆୟୋଗ’ର ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନଟିଏ ଲାଗିଯାଉଛି ।

ସେଇଭଳି ଆଉ ଏକ ନିଯୁକ୍ତି କଥା ବିଚାର କରାଯାଉ । ସୁଇଜରଲ୍ୟାଣ୍ଡରେ ଘଣ୍ଟା ତିଆରି ହେଉଛି କୁଟୀରଶିଳ୍ପ । ବର୍ତ୍ତମାନ ଆମ ବଜାରରେ ଶସ୍ତାରେ ମିଳୁଥିବା ଇଲେକ୍ଟ୍ରୋନିକ୍ସ ଖେଳଣା ଭଳି ଅନ୍ୟାନ୍ୟ ଜିନିଷ ନିର୍ମାଣ କରିବାରେ ଚୀନ୍ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରୁଛି । ମଧ୍ୟପ୍ରଦେଶରେ ନଟ୍, ବୋଲ୍ଟ ତିଆରି ଆଜି କୁଟୀରଶିଳ୍ପର ମାନ୍ୟତା ପାଇଥିବାବେଳେ, ସରକାରୀ ଭାବେ ଆମ ରାଜ୍ୟରେ ଅନେକ ଖୋଲିଥିବା ଧନ୍ଦାମୂଳକ ଶିକ୍ଷା ଅନୁଷ୍ଠାନ ବା କଲେଜଗୁଡ଼ିକରେ ସେହି ପ୍ରାଚୀନ ପଦ୍ଧତି ଯଥା-ଟାଇପ୍, ସର୍ଟହାଣ୍ଡ୍, ରେଡ଼ିଓ, ଟି.ଭି., ସ୍କୁଟର, ଅଟୋରିକ୍ସା ଆଦି ମରାମତିପାଇଁ ଶିକ୍ଷା ଦିଆଯାଉଛି । ଯାହାକି ଗୋଟିଏ ଅଶିକ୍ଷିତ ପିଲା ଏହି ମରାମତି କାର୍ଯ୍ୟ ଯେକୌଣସି ଦୋକାନରେ ରହି ଅନାୟାସରେ ଶିଖିପାରୁଛି । ଏପର୍ଯ୍ୟନ୍ତ ଏହି ପାଠ୍ୟକ୍ରମକୁ ବଦଳା ନ ଯାଇ ପୁଣି ୧୮୦ଟି ଧନ୍ଦାମୂଳକ କଲେଜ ବିଭିନ୍ନ ଜିଲ୍ଲାରେ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିଯୁକ୍ତି ଭିତ୍ତିକ ସେହି ପ୍ରାଚୀନ ଶିକ୍ଷା ପ୍ରଦାନ କରିବେ । ଏଭଳି ହୀନ ପରାମର୍ଶ ଯେଉଁମାନେ ସରକାରଙ୍କୁ ଦେଉଛନ୍ତି, ସେମାନେ କ’ଣ ଜାଣିନାହାନ୍ତି ଯେ, ଆତ୍ମନିଯୁକ୍ତି ଶିକ୍ଷାକୁ ଯୁଗାଭିମୁଖୀ କରିବା ଉଚିତ କିମ୍ବା ନୁହେଁ!

ସମ୍ବିଧାନରେ ଉଲ୍ଲେଖ ଅଛି ବ୍ୟବସ୍ଥାପକ ସଭା ନିର୍ଦ୍ଦେଶ ଦେବ କାର୍ଯ୍ୟପାଳିକାକୁ । ମାତ୍ର ଓଡ଼ିଶାରେ ଏହାର ଓଲଟା କାର୍ଯ୍ୟ ହେଉଥିବାର ପ୍ରମାଣ ନିକଟରେ ଘଟି ଯାଇଥିବା ବିଧାନସଭାରୁ ଜଣାପଡ଼େ । ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଆଢ଼ୁଆଳରେ ରଖିବାପାଇଁ ଜଣେ ସ୍ୱଚ୍ଛ ସଚ୍ଚୋଟ ଅଫିସରଙ୍କୁ କିପରି ବିଧାନସଭା ବଳି ପକାଯାଇଛି ତାହା ସମଗ୍ର ଓଡ଼ିଶାବାସୀ ଅନୁଭବ କରୁଥିବେ । ତେଣୁ ଏଭଳି ସ୍ଥିତିରେ ଆମେ ଓ ଆମର ଭାଗ୍ୟ ତଥା ରାଜ୍ୟ କିପରି ସୁରକ୍ଷିତ, ତାହା ପର୍ଯ୍ୟାଲୋଚନା କରିବାର ବେଳ ଆସି ପହଞ୍ଚିଛି । ନେତା ବୋଲି ଆମେ ଯାହାକୁ ସ୍ୱୀକୃତି ଦେଇଛୁ, ସେମାନେ ଯେ ଗୋଟିଏ ଗୋଟିଏ କଥାକୁହା ପଶୁ ତଥା ମସ୍ତିଷ୍କ ପକ୍ଷାଘାତର ଗୋଟିଏ ଗୋଟିଏ ରୋଗୀ, ତାହା ସେମାନେ ପ୍ରମାଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ବର୍ଷକୁ ଗୋଟିଏ ରେଳ, ଦୁଇଟା ପୋଲ କିମ୍ବା ଭୁବନେଶ୍ୱରରୁ ଅନ୍ୟ ସହରକୁ ସବୁିଦିନିଆ ଉଡ଼ାଜାହାଜ ଉଡ଼ାଣ କରିବାର ଘୋଷଣା କରିଦେଲେ ଯେ ଓଡ଼ିଶାର ଭାଗ୍ୟ ବଦଳିଯିବ, ଏ ବିଶ୍ୱାସ ଏ ନେତାଙ୍କ ମନ ଭିତରେ ସଂଗୋପନରେ ରହିଛି ।

ଓଡ଼ିଆ ଓ ଓଡ଼ିଶାର ବିକାଶ ହେଉ ବା ନ ହେଉ, ନିଜର ପାରିବାରିକ ବିକାଶରେ ଯେପରି କୌଣସି ହାନି ନ ହେଉ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି ଆମ ତଥାକଥିତ ରାଜନେତାଗଣ । କିନ୍ତୁ ମୁଣ୍ଡ ଉପରେ ଭୋଟ୍ ରୂପକ ଡେମୋକ୍ଲିସ୍ ଖଣ୍ଡାର ଝୁଲନ୍ତା ରୂପକୁ ମନେ ପକାଇ ମନ ଭିତରକୁ ଟିକ୍ ଟିକ୍ କରି କାଟୁଥିବା ଘୁଣଖିଆ ପୋକ ଯେ ଦିନେ ସେମାନଙ୍କ ସମଗ୍ର ସତ୍ତାକୁ ଆବୋରି ଆଲେକ୍‌ଜାଣ୍ଡାର୍, ନେପୋଲିୟନ୍, ହିଟ୍‌ଲର କିମ୍ବା ସଦ୍ଦାମ ଭଳି ପୁଣି ସେହି ସୁରମ୍ୟ ପ୍ରାସାଦର ତୂଳିତଳ୍ପ ଶଯ୍ୟାରୁ ଟାଣିଆଣି ମାଟି ଉପରକୁ ଫୋପାଡ଼ି ନ ଦେବ, ତାହା କିଏ କହିବ?

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଶାର ଦାରିଦ୍ର୍ୟ
Next Article ଆମେ ଓଡ଼ିଆ ମାତ୍ର ଚିନ୍ତା ଦେଢ଼ିଆ
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.