• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଓଡ଼ିଶାର ଦାରିଦ୍ର୍ୟ
ଜାତି ଜାଗୃତି ଓ ପ୍ରଗତି

ଓଡ଼ିଶାର ଦାରିଦ୍ର୍ୟ

Subrat Kumar PrustyBy Subrat Kumar PrustyFebruary 13, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଆମ ରାଜ୍ୟ ଓଡ଼ିଶା । ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଛି ଯାହାକୁ ଘେରି ରହିଛି ଅସଂଖ୍ୟ ପ୍ରଶ୍ନ । ଏ ପ୍ରଶ୍ନର ସୃଷ୍ଟି ହୋଇଛି ଆମ ରାଜ୍ୟରେ ଦେଖାଦେଇଥିବା କେତେଗୁଡ଼ିଏ ସମସ୍ୟା ଯୋଗୁଁ । ଏହି ସମସ୍ୟାଗୁଡ଼ିକ କେବଳ ଖାଦ୍ୟ, ବସ୍ତ୍ର, ବାସଗୃହରେ ସୀମିତ ନୁହେଁ, ବରଂ ଭାଷାର ଭବିଷ୍ୟତକୁ ନେଇ, ସାହିତ୍ୟର ସମୃଦ୍ଧିକୁ ନେଇ, ଜାତିଗତ ହିଂସା ଦ୍ୱେଷକୁ ନେଇ, ନିଜ ନ୍ୟାଯ୍ୟ ଦାବୀକୁ ସଂଘୀୟ କ୍ଷେତ୍ରରେ ଉପସ୍ଥାପନାକୁ ନେଇ କିମ୍ବା ନିଜର ଗୋଡ଼ଟଣା ପ୍ରକୃତି ଓ ପ୍ରବୃତ୍ତିକୁ ନେଇ । ତେବେ ଏସବୁ ଭିତରେ ଯେଉଁ ସୂକ୍ଷ୍ମ ଚେତନାଟି ସଂଯୋଗର ସେତୁ ରୂପେ କାମ କରୁଛି, ତାହା ହେଉଛି ଦାରିଦ୍ର୍ୟ । ଏ ଦାରିଦ୍ର୍ୟ ଆମ ମାନସିକତାକୁ ଏତେ ପରିମାଣରେ ଆକ୍ରାନ୍ତ କରିସାରିଛି ଯେ, ସ୍ୱଚ୍ଛଳ ବର୍ଗର ଓଡ଼ିଶାବାସୀମାନେ ମଧ୍ୟ ନିଜକୁ ଦରିଦ୍ର ବୋଲି ସଗର୍ବେ ଘୋଷଣା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ତେଣୁ ଏତେ ସବୁ ପ୍ରଶ୍ନର ଏକମାତ୍ର ସମାଧାନର ସୂତ୍ର ହେଲା ଦାରିଦ୍ର୍ୟକୁ ଚିହ୍ନିବା ଓ ଏହାର ନିରାକରଣପାଇଁ ସ୍ୱତଃପ୍ରବୃତ୍ତ ଭାବେ ଉଦ୍ୟମ କରିବା ।

ଦାରିଦ୍ର୍ୟ କ’ଣ? – ଦାରିଦ୍ର୍ୟ ହେଉଛି ଜୀବନ୍ତ ଅଭିଶାପ । ଏହାକୁ କେବଳ ମଣିଷ ସମାଜରେ ଉପଲବ୍‌ଧି କରିହୁଏ । ବିଶ୍ୱର କୋଣ ଅନୁକୋଣରେ ଏହାର ଛାୟା ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ସ୍ଥାନ ଭେଦରେ ଏହାର ସଂଜ୍ଞାରେ ଭିନ୍ନତା ପରିଲକ୍ଷିତ ହୁଏ । ଦାରିଦ୍ର୍ୟ କହିଲେ ସାଧାରଣତଃ ଆୟଭିତ୍ତିକ ଦାରିଦ୍ର୍ୟକୁ ବୁଝାଇଥାଏ । କିନ୍ତୁ ଏହି ମତ ତ୍ରୁଟିଯୁକ୍ତ । ଅର୍ଥ ରୋଜଗାର କରିବାର ଅଯୋଗ୍ୟତା ବା ଅକ୍ଷମତା ହେଉଛି ଦାରିଦ୍ର୍ୟ । ଜୀବନଧାରଣପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ ନିମନ୍ତେ ଯେଉଁମାନେ ଅର୍ଥ ପାଇ ନ ଥାନ୍ତି, ସେମାନଙ୍କପାଇଁ ପ୍ରଗତି ଓ ବିକାଶର ନାରା ସ୍ୱପ୍ନ ମାତ୍ର । ଏହି ଶ୍ରେଣୀର ବ୍ୟକ୍ତିମାନଙ୍କପାଇଁ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଶୁଦ୍ଧ ପାନୀୟ ଜଳ, ବିଜୁଳି, ଖାଦ୍ୟ ସୁରକ୍ଷା ଆଦି ସରକାର ଯୋଗାଇ ଦେଉଥିବାବେଳେ ଏମାନେ ଏହି ମୌଳିକ ସୁବିଧାର ସୁଯୋଗ ନେଇପାରନ୍ତି ନାହିଁ । ଏହା କେବଳ ଗ୍ରାମାଞ୍ଚାଳରେ ନୁହେଁ, ସହରାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ । ସବୁଠାରୁ ଦୁଃଖର କଥା ହେଲା, ଆମ ଦେଶରେ ଥିବା ଏହି ଶ୍ରେଣୀର ଅଧିକାଂଶ ବ୍ୟକ୍ତି ଦାରିଦ୍ର୍ୟ ବିଷୟରେ ଏ ପର୍ଯ୍ୟନ୍ତ ସଚେତନ ହୋଇପାରି ନାହାନ୍ତି । ସେଥିପାଇଁ ଏହାକୁ ଦୂର କରିବାପାଇଁ ବ୍ୟକ୍ତିଗତ ପ୍ରୟାସ ହୁଏ ନାହିଁ । ଆମ ରାଜ୍ୟରେ ଏହି ଧରଣର ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରାକୃତିକ ସଂପଦରେ ପୂର୍ଣ୍ଣଗର୍ଭା ହୋଇ ମଧ୍ୟ ଦାରିଦ୍ର୍ୟ ଏଠି ସବୁଠାରୁ ଶକ୍ତିଶାଳୀ ।

ଓଡ଼ିଶାରେ ଦାରିଦ୍ର୍ୟ – ପ୍ରକୃତିର ପ୍ରାଚୁର୍ଯ୍ୟ ମଧ୍ୟରେ ଥିବା ଓଡ଼ିଶାର ଅଧିବାସୀ ପରିବର୍ତ୍ତନଶୀଳ ସମାଜ ସହିତ ତାଳ ଦେଇ ନ ପାରି କେବଳ ଦରିଦ୍ର ହୋଇ ନାହାନ୍ତି, ଅନାହାର ମୃତ୍ୟୁକୁ ବି ଗ୍ରହଣ କରି ନେଉଛନ୍ତି । ସ୍ୱାଧୀନତା ସମୟର ୧ କୋଟି ୪୬ ଲକ୍ଷ ଜନସଂଖ୍ୟାବିଶିଷ୍ଟ ଏହି ରାଜ୍ୟ, ୫୦ ବର୍ଷ ପରେ ୩ କୋଟି ୭୦ ଲକ୍ଷରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରେ ଗରିବଙ୍କ ସଂଖ୍ୟା ହେଉଛି ୪୭.୧୫ ଶତାଂଶ । ସମଗ୍ର ଜନସଂଖ୍ୟାର ୯ ଭାଗ ପରିବାର ପାଇପ୍ ଯୋଗେ ଜଳ ପାଇଥାନ୍ତି । ସେହିଭଳି ୨୦ ଭାଗ ପରିବାରର ପକ୍କା ଘର ରହିଛି । ତନ୍ମଧ୍ୟରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଇନ୍ଦିରା ଆବାସ ଘର ୬ ଭାଗ । ଏବେ ମଧ୍ୟ ଆମ ରାଜ୍ୟରେ ୭୦ ଭାଗ ଲୋକ କାଠ, ପତ୍ର, ଗୋବର ଘଷିକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି । ମୋଟ୍ ୯ ଭାଗ ପରିବାରରେ ଟି.ଭି.ସେଟ୍ ଥିବାବେଳେ ୦.୫୫ ଭାଗ ଲୋକ କମ୍ପ୍ୟୁଟର ବ୍ୟବହାର ଜାଣିଛନ୍ତି । ସବୁଠାରୁ ଦୁଃଖର କଥା ହେଲା ଗ୍ରାମାଞ୍ଚଳର ୯୩ ଭାଗ ପରିବାରରେ ଶୌଚାଳୟ ନାହିଁ । ସହରାଞ୍ଚଳରେ ଏହାର ସଂଖ୍ୟା ୪୬ ଭାଗ । ଏହା ବ୍ୟତୀତ ଆମ ରାଜ୍ୟର ମୁଣ୍ଡପିଛା ଆୟ ଦୈନିକ ମାତ୍ର ୧୭ ଟଙ୍କା ହୋଇଥିବା ବେଳେ ଖର୍ଚ୍ଚ ହେଉଛି ୧୫ ଟଙ୍କା । କିନ୍ତୁ ପାରିବାରିକ ହିସାବ ଅନୁସାରେ ପାଞ୍ଚଜଣ ସଦସ୍ୟ ଥିବା ପରିବାରର ମାସିକ ଖର୍ଚ୍ଚ ୨୨୫୦ ଟଙ୍କା ଥିବାବେଳେ ଆୟ ହେଉଛି ମାତ୍ର ୫୦୯ଟଙ୍କା । ଏଭଳି ସ୍ଥିତିରେ ଓଡ଼ିଶାରେ ଦାରିଦ୍ର୍ୟର ସ୍ୱରୂପକୁ ଉପଲବ୍ଧି କରିହୁଏ ।

ଦାରିଦ୍ର୍ୟ କାରଣ – ଓଡ଼ିଶାବାସୀଙ୍କର ଏ ପର୍ଯ୍ୟନ୍ତ କୃଷି ହୋଇ ରହିଛି ପ୍ରଧାନ ଜୀବିକା । ଅଥଚ ଓଡ଼ିଶାରେ ରହିଛି ସୁ-ବିସ୍ତୃତ ବେଳାଭୂମି, ପର୍ଯ୍ୟାପ୍ତ ଜଳସଂପଦ, ବିପୁଳ ଅରଣ୍ୟ ସଂପଦ ଏବଂ ମାଟିତଳେ ଗଚ୍ଛିତ ଥିବା ଖଣିଜ ସଂପଦ । ଏ ପର୍ଯ୍ୟନ୍ତ ଏଗୁଡ଼ିକୁ ଓଡ଼ିଶାର ମୁଖ୍ୟ ଆୟର ସ୍ରୋତ ଭାବରେ ଚିହ୍ନଟ କରାଯାଇ ନାହିଁ । କେବଳ ଖଣିଜ ସଂପଦକୁ ଉେତ୍ତୋଳନ କରି ବିକ୍ରି ବାବରେ ରୟାଲିଟି ଭାବେ ମିଳୁଥିବା କିଛି ରାଜସ୍ୱ ତଥା ଓଡ଼ିଶା ସରକାରଙ୍କଦ୍ୱାରା ସଂଗୃହୀତ ରାଜ୍ୟ ଟିକସ, କେନ୍ଦ୍ରୀୟ ଅନୁଦାନ ଏବଂ ଋଣ ଉପରେ ଓଡ଼ିଶାର ଅର୍ଥ ନୀତି ନିର୍ଭରଶୀଳ । କୃଷି ଓଡ଼ିଶା ମୁଖ୍ୟ ଜୀବିକା ହୋଇଥିବାବେଳେ, ଫସଲ ଉତ୍ପାଦନପାଇଁ ପାରମ୍ପରିକ ପଦ୍ଧତି ଅନୁସରଣ, ସରକାରୀ ବିହନ ଯୋଗାଣରେ ଚାଷୀର ସନ୍ଦେହ, ଜଳସେଚନର ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ଉପରେ କୃଷକର ନିର୍ଭରଶୀଳତା, ସର୍ବୋପରି ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଜୀବିକାର ବିକାଶ କ୍ଷେତ୍ରରେ ପ୍ରଶ୍ନ ଚିହ୍ନ ଆଙ୍କିିଦିଏ । ଆମ ରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟ ଅଛି । ମାତ୍ର ତାହା କେବଳ କେତେକ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେବାପାଇଁ । କୃଷି ବିଶେଷଜ୍ଞମାନଙ୍କ ସହିତ ଚାଷୀମାନଙ୍କର କୌଣସି ସମ୍ପର୍କ ନାହିଁ । ଏ ଦିଗରେ ସରକାର ମଧ୍ୟ ଉଉାସୀନ । ପୁନଶ୍ଚ ଗୁଜୁରାଟ, ପଶ୍ଚିମବଙ୍ଗ ରାଜ୍ୟ ଭଳି ଆମ ରାଜ୍ୟରେ କୃଷିଭିତ୍ତିକ ଶିଳ୍ପପାଇଁ କୌଣସି ପ୍ରୋତ୍ସାହନ ଦିଆଯାଉ ନାହିଁ । କେବଳ କେତୋଟି ଚିନି କଳ, କାଗଜ କଳ କିମ୍ବା ଲୁହା କଳ ଖୋଲିଦେଇ ନିଜର ଦାୟିତ୍ୱ ସରିଗଲା ବୋଲି ଭାବିଲେ ହେବ ନାହିଁ । ବରଂ କଳକାରଖାନା ଉପଯୁକ୍ତ ପରିଚାଳନା କରିବା ଦରକାର । ନଚେତ୍ ଚୌଦ୍ୱାର ଲୁଗାକଳ କିମ୍ବା ବଡ଼ମ୍ବା, ନୟାଗଡ଼ ଚିନିକଳ ଭଳି ସରକାରୀ କଳକାରଖାନାର ଅବସ୍ଥା ହେବ ।

ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା – ସଂଘୀୟ ରାଷ୍ଟ୍ର ଭାରତର ଏକ ଅଂଶ ହେଉଛି ଆମ ରାଜ୍ୟ ଓଡ଼ିଶା । ତେଣୁ ସ୍ୱାଧୀନ ଭାରତର ସରକାର ସମଗ୍ର ଭାରତବର୍ଷର ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଦାରିଦ୍ର୍ୟ ଦୂରୀକରଣପାଇଁ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ମାତ୍ର ଏହାର ସଫଳତା କେତେ, ତାହା କେବଳ ଜନସାଧାରଣ ନୁହେଁ, ସରକାର ମଧ୍ୟ ଉପଲବ୍ଧି କରି ସାରିଲେଣି । ଆବଶ୍ୟକ ଅନୁସାରେ ଯୋଜନା ପ୍ରସ୍ତୁତ ନ କରିବା, ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା କ୍ଷେତ୍ରରେ ଅସଙ୍ଗତି ରହିବା, ଭ୍ରଷ୍ଟାଚାର, ସରକାରୀ ଉଦାସୀନତା, ସର୍ବୋପରି ଜନ-ସାଧାରଣଙ୍କ ଅସହଯୋଗ ମନୋବୃତ୍ତିରୁ ଏହିସବୁ ଯୋଜନା ବିଫଳ ହୋଇଯାଉଛି । ତେଣୁ ଅତୀତର ଅଭିଜ୍ଞତାକୁ ଆଖି ଆଗରେ ରଖି ସରକାର ବର୍ତ୍ତମାନ ଯେଉଁ ଯୋଜନାମାନ ପ୍ରଣୟନ କରୁଛନ୍ତି, ତାହା ପ୍ରଥମେ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ପ୍ରଚାର କରାଯାଉଛି । ଏପରି କି କେବଳ ଅଫିସର୍ ନୁହେଁ, ସର୍ବସାଧାରଣଙ୍କ ମତ ମଧ୍ୟ ଆବଶ୍ୟକ କରୁଛନ୍ତି । ଗଣତନ୍ତ୍ରର ସର୍ବପଥ୍ରମ ମିଳିତ କେନ୍ଦ୍ର ପଞ୍ଚାୟତକୁ ସେଥିପାଇଁ ଅଧିକ କ୍ଷମତା ଦିଆଯାଇ ପଲ୍ଲୀସଭା ବା ଗ୍ରାମସଭା ମାଧ୍ୟମରେ ସିଧାସଳଖ ଏହି ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଚେଷ୍ଟା କରୁଛନ୍ତି । ଏଥି ସହିତ ଓଡ଼ିଶା ସରକାର ‘ଓଡ଼ିଶା ଡେଭଲପମେଣ୍ଟ ଅଥରିଟି (ଓ.ଡି.ଏ.) ଆଇନ୍-୧୯୮୨’ ପ୍ରଣୟନ କରି କେତେକ ଉନ୍ନୟନ ସଂସ୍ଥା ଖୋଲି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବିକଶିତ କରିବାପାଇଁ ଚେଷ୍ଟା କରୁଛନ୍ତି ।

ଦାରିଦ୍ର୍ୟ ଦୂରୀକରଣରେ ଗ୍ରାମ୍ୟ ନାରୀଙ୍କ ଭୂମିକା – ବାସ୍ତବରେ କହିବାକୁ ଗଲେ ଦାରିଦ୍ର୍ୟର ଏକ ବଡ଼ କାରଣ ହେଉଛି ଗ୍ରାମୀଣ ମହିଳାଙ୍କ ଅଜ୍ଞାନତା । ପରିବାର ପରିଚାଳନାରେ ସେମାନଙ୍କ ଭୂମିକା ମୁଖ୍ୟ ଥିବାବେଳେ ସେମାନଙ୍କ ଉଦାସୀନତା ହିଁ ପାରିବାରିକ ଆର୍ଥିକ ସ୍ଥିତିକୁ ଦୁର୍ବଳ କରି ପକାଉଛି । ବିନା ଖାଦ୍ୟରେ ଏମାନେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବାବେଳେ, ପୁରୁଷମାନେ ମଦ ପିଇ, ତାସ ଓ ପଶା ଖେଳି, କୁକୁଡ଼ା ଲଢେଇରେ ସମୟ ଅତିବାହିତ କରିଥାନ୍ତି । ନାରୀଗଣ ପୁରୁଷଙ୍କ ଭଳି କାର୍ଯ୍ୟ କରୁଥିଲେ ମଧ୍ୟ କମ୍ ମଜୁରି ମିଳିବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନ ଥା’ନ୍ତି । କମ୍ ବୟସରେ କିଶୋରୀ କନ୍ୟାଙ୍କୁ ବିବାହ ଦେବା ଯୋଗୁଁ ପୁଷ୍ଟିହୀନତାଦ୍ୱାରା ଏମାନେ କେବଳ ରୋଗରେ ପଡ଼ୁନାହାନ୍ତି, ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଉଛନ୍ତି । ତେଣୁ ଏ ବିଷୟରେ ଏମାନଙ୍କୁ ସଚେତନ କରିବା ସର୍ବ ପ୍ରଥମେ ଆବଶ୍ୟକ । କୃଷି ଉତ୍ପାଦନରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିବାରୁ ଏ ସଂପର୍କରେ ଅଧିକ ପ୍ରଶିକ୍ଷଣ ଦେବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏମାନଙ୍କୁ ସଚେତନ ଓ କ୍ରିୟାଶୀଳ କରିବା ଆବଶ୍ୟକ ।

ଯୁଗରୁଚି ଅନୁଯାୟୀ ବିଭିନ୍ନ କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରିବା, ଏଥିପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଦାୟିତ୍ୱ ସରକାର ନେବା ଉଚିତ । ଲୁଙ୍ଗି, ଗାମୁଛା ବୁଣିବା, ବିଡ଼ି, ପାମ୍ପଡ଼, ହଳଦୀଗୁଣ୍ଡ ପ୍ରସ୍ତୁତି ବଳରେ ଚୀନ୍, ଜାପାନ ଭଳି ରପ୍ତାନୀ ଭିତ୍ତିକ ଇଲେକ୍ଟ୍ରୋନିକ୍ ସାଜ ସରଂଜାମ, ଆଧୁନିକ ଗୃହୋପକରଣ ନିର୍ମାଣକୁ କୁଟୀରଶିଳ୍ପର ମର୍ଯ୍ୟାଦା ଦେଇ ଗ୍ରାମ୍ୟ ମହିଳାମାନଙ୍କୁ ଏ ଦିଗରେ ପ୍ରଶିକ୍ଷିତ କରିପାରିଲେ, ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ହେବ ।

ଏଠାରେ ମନେରଖିବାକୁ ହେବ ଯେ, ଯେ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ଲୋପ ପାଇନାହିଁ, ସେ ପର୍ଯ୍ୟନ୍ତ ଓଡ଼ିଶାରୁ ଦାରିଦ୍ର୍ୟ ଲୋପ ପାଇବ ନାହିଁ ।

 

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଆଇ.ଏ.ଏସ୍ ପରୀକ୍ଷାରେ ସଫଳ ହେବାର ସରଳ ଉପାୟ
Next Article ଓଡ଼ିଶାରେ ରାଜନେତା ଓ ରାଜନୀତି
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.