• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଓଡ଼ିଆଙ୍କ ରକ୍ତ ଥଣ୍ଡା ହେଲାଣି!
ଜାତି ଜାଗୃତି ଓ ପ୍ରଗତି

ଓଡ଼ିଆଙ୍କ ରକ୍ତ ଥଣ୍ଡା ହେଲାଣି!

Subrat Kumar PrustyBy Subrat Kumar PrustyFebruary 13, 2020No Comments8 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

“ଓଡ଼ିଆମାନେ ଏକ ଆନ୍ଦୋଳନ ପ୍ରବଣ ଜାତି ହୋଇଥିଲେ, ସେମାନଙ୍କର ପ୍ରତିବାଦ ସ୍ୱର ନିଶ୍ଚିତ ଶୁଣାଯାଇଥାନ୍ତା । ସେମାନେ ଆନ୍ଦୋଳନ ପ୍ରବଣ ହୋଇ ନ ଥିବାରୁ ନିର୍ବିଚାର ଭାବରେ ସେମାନଙ୍କୁ ବଳି ଦିଆଯାଉଛି” । (Parliamentary Debate’ House of Lods, Vol-ii No.4-2/12/1912) ୧୯୧୨ ମସିହାରେ ବଙ୍ଗପ୍ରଦେଶଠାରୁ ବିଚ୍ଛିନ୍ନ ହୋଇ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ସଂପର୍କରେ ବ୍ରିଟିଶ୍ ପାର୍ଲାମେଣ୍ଟର ଲର୍ଡସଭା (House of Lords)ରେ ବିତର୍କ ଚାଲିଥିବା ବେଳେ ସଭାର ସଦସ୍ୟ ଲର୍ଡ ଅଲ କର୍ଜନ ଅଫ୍ କେଭେନ୍‌‌ଷ୍ଟନ ବା ଲର୍ଡ କର୍ଜନ ଇଂରେଜ ସରକାରଙ୍କ ଅବିଚାରର ପ୍ରତିବାଦ କରି ଏହି ମତ ଉପସ୍ଥାପନ କରିଥିଲେ ।

ଲର୍ଡ କର୍ଜନ ସେତେବେଳେ ଓଡ଼ିଆଜାତିର ଏହି ଯେଉଁ ସହନଶୀଳ ଭାବନାକୁ ଆବିଷ୍କାର କରିଥିଲେ, ତାହାକୁ ନେଇ ହୁଏତ ଆମେ ଗର୍ବ କରିପାରିବା, ମାତ୍ର ଗୋଟିଏ ସମୃଦ୍ଧ ରାଜ୍ୟ ଗଠନପାଇଁ ଏହି ନୀତି ଯେ ଅଶୁଭ ସୂଚକ, ତାହା ସ୍ୱତନ୍ତ୍ର ରାଜ୍ୟ ଭାବରେ ଓଡ଼ିଶା ଗଠନ ହେବାପରେ ବି, ପ୍ରଚୁର ପ୍ରାକୃତିକ ସମ୍ବଳ ଓ କର୍ମଠ ମାନବ ସମ୍ବଳ ଥାଇ ଦେଶର ଏକ ସମୃଦ୍ଧଶାଳୀ ରାଜ୍ୟ ଭାବରେ ମଥା ଟେକି ନ ପାରିବା ହିଁ ଏକ ବଳିଷ୍ଠ ପ୍ରମାଣ କହିଲେ ଅତ୍ୟୁକ୍ତି ହେବନାହିଁ ।

କେଉଁ ଜାତି ନ ଚାହେଁ ସୁଖ ସମୃଦ୍ଧି ଓ ଶାନ୍ତିରେ ଜୀବନକୁ ଅତିବାହିତ କରିବାପାଇଁ । ମାତ୍ର ଓଡ଼ିଆଙ୍କ ଭଳି ଏକ ବୁଦ୍ଧିମାନ ଜାତି ଏହାର ବିପରୀତ ଦିଗ ହିଁ ଆଜିର ଯୁଗରେ ଚିନ୍ତା କରୁଛି । ଭାରତ ଭଳି ଏକ ସଂଘୀୟ ଗଣତନ୍ତ୍ର ରାଷ୍ଟ୍ରର ପ୍ରମୁଖ ଅଂଶୀାର ହୋଇ ରାଜସ୍ୱ ବାବରେ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ, ଏହି ରାଜ୍ୟର ସାମଗ୍ରିକ ବିକାଶପାଇଁ କେନ୍ଦ୍ରର ଅବହେଳାକୁ ସହ୍ୟ କରିଯାଉଥିବା ବେଳେ, ପଡ଼ୋଶୀ ରାଜ୍ୟଗୁଡ଼ିକର ସାମାଜିକ ସାଂସ୍କୃତିକ ଅର୍ଥନୈତିକ, ଭାଷାଗତ ତଥା ସୀମାଗତ ଆକ୍ରମଣକୁ ପ୍ରତିରୋଧ ନ କରି ନିରବରେ ସହିଯିବାଭଳି ଭୀରୁତା ଆଚରଣ କରୁଛି ।

ଯେଉଁ ଜାତିର ଇତିହାସ କହେ, ମାଟି ଆଉ ମାଆର ସମ୍ମାନପାଇଁ ନିଜ ରକ୍ତକୁ ନିଗାଡି ଦୟାନ‌ଦୀ ଭଳି ନ‌ଦୀର ଜଳକୁ ଲାଲ କରିପାରୁଥିବା ସୁଯୋଗ୍ୟ ସନ୍ତାନ ଏହି ମାଟିରେ ଜନ୍ମ ନେଇଥିଲେ, ସେହି ମାଟିର ଉତ୍ତର ପୁରୁଷ ହୋଇ ଆମେ ଆଜି କାହିଁକି ଭୀରୁ, ଭୟାଳୁ ଭଳି ଜୀବନଧାରଣକୁ ଆପଣେଇ ନେଉଛୁ?

ଆମ ସୀମା ସଂକୁଚିତ !

ବହୁ କଷ୍ଟ ସ୍ୱୀକାର କରି ଆମ ପୂର୍ବପୁରୁଷଗଣ ଇଂରେଜଦ୍ୱାରା ବିଖଣ୍ଡିତ ଓଡ଼ିଶା ଭୂମିକୁ ଏକାଠି କରି ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କରିଥିଲେ । ଯଦିଓ ଏହା ଭାଷାଭିତ୍ତିରେ ଗଠିତ ହୋଇଥିଲା, ତଥାପି ଆମେ ଆଗଙ୍ଗା-ଗୋଦାବରୀ ଓଡ଼ିଆ ରାଜ୍ୟ ଦେଖିପାରିଲେ ନାହିଁ- ଆମର କେତେକ ତ‌ତ୍କାଳୀନ ଦୁର୍ବଳମନା ନେତାଙ୍କ କାର୍ଯ୍ୟଶୈଳୀଯୋଗୁଁ । ଅଥଚ ଭାରତ ସ୍ୱାଧୀନତା ପରେ, ଆମେ ହରାଇଥିବା ଓଡ଼ିଆ ଭୂମି ଫେରିପାଇବାର ସୁବିଧା ଥିଲେ ମଧ୍ୟ, ପୁଣି ଆମ ଅପରିଣାମଦର୍ଶିତା ଯୋଗୁଁ ହରାଇଲୁ ଷଢ଼େଇକଳା, ଖରସୁଆଁ ଭଳି ବିସ୍ତୃତ ଓଡ଼ିଆ ଅଞ୍ଚଳ ସହିତ ଆଉ କେତେକ ଛୋଟବଡ଼ ପଡ଼ା, ଗ୍ରାମ ଆଉ ଜମିଦାରୀ । ଏବେ ଶୁଣାଗଲାଣି ଆମ ସୀମାନ୍ତ ଜିଲ୍ଲା ଅର୍ଥାତ୍ ମୟୂରଭଞ୍ଜର ୧୦ଟି ଗାଁ’, କେନ୍ଦୁଝରର ୫ଟି ଗ୍ରାମ, କୋରାପୁଟ ଜିଲ୍ଲାର ୨୨ଟି ଗ୍ରାମ, ରାୟଗଡ଼ା ଜିଲ୍ଲାର ୯ଟି ଗ୍ରାମ, ଗଞ୍ଜାମ ଜିଲ୍ଲାର ୧୪ଟି ଗ୍ରାମ, ଗଜପତି ଜିଲ୍ଲାର ୧୪ଟି ଗ୍ରାମ ଆଦି ଆମ ଓଡ଼ିଶା ଅଞ୍ଚଳର ହୋଇଥିଲେ ମଧ୍ୟ ଏଗୁଡ଼ିକ ବିବାଦୀୟ । ଅଥଚ ବିଶାଖାପାଟଣା (ବର୍ତ୍ତମାନର ଭାଇଜାଗ୍), ବସ୍ତର, ମେିନାପୁର, ଷଢ଼େଇକଳା, ଖରସୁଆଁ ଆଦି ଓଡ଼ିଶା ବାହାରେ ଥିବା ଓଡ଼ିଆ ଅଞ୍ଚଳ ବିବାଦୀୟ ନୁହେଁ ।

ଏହିସବୁ ଜିଲ୍ଲା ସହ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାର ଅଗମ୍ୟ ପାହାଡ଼ ଜଙ୍ଗଲ ଅଞ୍ଚଳ ଉପରେ ପଡ଼ୋଶୀ ରାଜ୍ୟଗୁଡ଼କ ନିଜନିଜର ଅଧିକାର ସାବ୍ୟସ୍ତ କରି ସୀମାବର୍ତ୍ତୀ ଗ୍ରାମବାସୀଙ୍କୁ ବିଭିନ୍ନ ହଇରାଣ ଓ ପ୍ରଲୋଭନ ମଧ୍ୟରେ ନିଜର କରିବାକୁ ଚେଷ୍ଟା କରୁଛନ୍ତି । ଆମ ସୀମାନ୍ତ ଅସୁରକ୍ଷିତ ଓ ଏହି ଅଞ୍ଚଳରେ ଆମ ଓଡ଼ିଆ ଭାଇଭଉଣୀ ଅସୁରକ୍ଷିତ ଥିବାବେଳେ ଆମେ ଓ ଆମ ପରିବାର ସୁରକ୍ଷିତ ଥିବାରୁ ଏସବୁ ପ୍ରତି ଆଖିବୁଜି ଦେଉଛୁ । ଏପରିକି କାଁ ଭାଁ ଯଦି ଖବରକାଗଜ ପୃଷ୍ଠାରେ ଏକଥା ବାହାରିଲା, ଏ ଖବରକୁ ଆମେ ନ ଦେଖିଲା ଭଳି ଆଡ଼େଇ ଯାଇ ରାଜନୀତି, ଦୁଃର୍ନୀତି ଆଉ ଧର୍ଷଣ ଭଳି ଖବରଗୁଡ଼ିକୁ ପଢ଼ିବାରେ ମନଯୋଗ କରୁଛୁ ।

ଆମ ଜଳ କ’ଣ ପଡ଼ୋଶୀଙ୍କ ପାଇଁ?

କୁହାଯାଏ ଜଳ ହିଁ ଜୀବନ, ଆଉ ଆମ ଓଡ଼ିଶାପାଇଁ ଏହା ଶତପ୍ରତିଶତ ପ୍ରଯୁଜ୍ୟ । ମାତ୍ର ପ୍ରକୃତିଦ୍ୱାରା ସମଗ୍ର ଓଡ଼ିଶା ଭୂଖଣ୍ଡରେ ଜାଲ ପରି ବିଚ୍ଛେଇ ହୋଇଥିବା ନ‌ଦୀନାଳ ଉପରେ ଏବେ ଲୋଲୁପ ଦୃଷ୍ଟି ପଡିଛି ବିଦେଶୀ କମ୍ପାନୀ, କେନ୍ଦ୍ର ସରକାର ଏବଂ ଆମ ପଡ଼ୋଶୀ ରାଜ୍ୟଙ୍କର । ଆମ ପଖାଳଖିଆ ପଛବୁଦ୍ଧିଆକୁ ଏକ ସୁଯୋଗ ଭାବରେ ଧରିନେଇ ଏହି ପଡ଼ୋଶୀ ରାଜ୍ୟ ମଧ୍ୟରୁ ପ୍ରଥମେ ଆନ୍ଧ୍ରପ୍ରଦେଶ ନିଜ ରାଜ୍ୟ କୃଷିର ବିକାଶ ନାମରେ ଆମ ନ‌ଦୀ ସିଲେରୁ, ବଂଶଧାରା, ମହେନ୍ଦ୍ରତନୟା ଆଦି ପୁରାଣପ୍ରସିଦ୍ଧ ନ‌ଦୀଗୁଡ଼ିକର ଜଳକୁ ପୂର୍ଣ୍ଣ ବିନିଯୋଗ କରି ଶସ୍ୟଶ୍ୟାମଳା କରୁଥିବାବେଳେ, ଏହି ନ‌ଦୀକୂଳରେ ଥିବା ଆମ ଓଡ଼ଶାର ଗ୍ରାମବସତିଗୁଡ଼ିକୁ ପାଣି ଭିତରେ ବୁଡ଼ାଇ ଆଉ ମୂଳ ଓଡ଼ିଶା ଭୂଖଣ୍ଡରୁ ବିଚ୍ଛିନ୍ନ କରାଇ ନିଜ ସୀମା ଅନ୍ତର୍ଭୁକ୍ତ କରିବାର କୁତ୍ସିତ ପ୍ରୟାସ ଆରମ୍ଭ କରିଛି । ଆନ୍ଧ୍ରର ଏହି ଅନ୍ୟାୟ କାର୍ଯ୍ୟକୁ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରି ବିପୁଳ ଅର୍ଥ ଯୋଗାଇ ଦେଉଥିବାବେଳେ ବିକାଶ ଉନ୍ମୁଖ ଓଡ଼ିଶା ପ୍ରତି ଆଖି ବୁଜି ଦେଉଛି । ଏ ଦିଗରେ ଆମ ଓଡ଼ିଆ ନେତା ଓ ଜନତାଙ୍କ ଶାନ୍ତ ଓ ନିର୍ବିକାର ଭାବମୂର୍ତ୍ତି ଦେଖି ଏବେ ଛତିଶଗଡ଼ ସରକାର ସୀମାନ୍ତ ଓଡ଼ିଶାବାସୀଙ୍କ ଅସୁବିଧାକୁ ଦୃଷ୍ଟି ନ ଦେଇ ଏକ ନ‌ଦୀବନ୍ଧ ନିର୍ମାଣ କରି ଚାଲିଛନ୍ତି । ଠିକ୍ ଅନୁରୂପ ପଥର ପଥିକ ସାଜିବାକୁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡ । ଦେଖିବାକୁ ବାକି ରହିଲା; କେଉଁଦିନ ମହାନ‌ଦୀ, ବୈତରଣୀ, ବ୍ରାହ୍ମଣୀ ଆଉ ଋଷିକୂଲ୍ୟାର ଜଳ ଉପରେ ଏହି ପଡ଼ୋଶୀ ରାଜ୍ୟଗଣ ନିଜ ନିଜର ଅଧିକାର ସାବ୍ୟସ୍ତ କରିବେ ।

ଆମ ଜଙ୍ଗଲ ଆଉ ଜମିର ମାଲିକ କିଏ?

ମୌର୍ଯ୍ୟ ସମ୍ରାଟ ଅଶୋକଙ୍କଦ୍ୱାରା ହୋଇଥିବା ବିଭତ୍ସ କଳିଙ୍ଗଯୁଦ୍ଧର ଦୁର୍ଦ୍ଦାନ୍ତ ଆଟବିକ ବା ଓଡ଼ିଶାର ଆଦିବାସୀବର୍ଗ ଆଜି ନିଜର ବାସସ୍ଥାନର ଅଧିକାରପାଇଁ ସଂଘର୍ଷରତ । ଯଦିଓ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ହେଉଛନ୍ତି ଆଦିବାସୀ ଦେବତାଙ୍କ ପରିବର୍ଦ୍ଧିତ ରୂପ ଏବଂ ଯାହାକୁ ରୁଢ଼ୀବାଦୀ ହିନ୍ଦୁସମାଜ ଗ୍ରହଣ କରିନେଇ ଆଦିବାସୀଙ୍କୁ ହିନ୍ଦୁ ଅନ୍ତର୍ଭୁକ୍ତ କରିସାରିଲେଣି ।

ମାତ୍ର ଏମାନଙ୍କ କୃଷିଭୂମି, ବିଚରଣ ଓ ଉପାସନାସ୍ଥଳୀ ତଥା ଜୀବନଜୀବିକାର ମୁଖ୍ୟକ୍ଷେତ୍ର ନିଘଞ୍ଚାଜଙ୍ଗଲ ଏମାନଙ୍କଠାରୁ ଛଡ଼େଇ ନିଆଯାଉଛି । ଗମନାଗମନର ସୁବିଧା ନ ଥିବାରୁ ଆମ ସୀମାନ୍ତ ଅଞ୍ଚଳର ନିଘଞ୍ଚ ଜଙ୍ଗଲର ଅଞ୍ଚଳଗୁଡ଼ିକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ଅଧିକାର କରି ନେଇଥିବାବେଳେ, ବ୍ୟାପକ ଶିଳ୍ପ ନାମରେ ଜଙ୍ଗଲ ଓ ପାହାଡ଼ ତଳେ ଲୁଚି ରହିଥିବା ଅପର୍ଯ୍ୟାପ୍ତ ଖଣିଜପିଣ୍ଡକୁ ବିଦେଶୀ କମ୍ପାନୀଙ୍କୁ ଶାଗମାଛ ମୂଲ୍ୟରେ ଟେକି ଦେଉଛନ୍ତି କିଛି ଅଭାଗା ରାଜନେତା, ଶିଳ୍ପପତି ଓ ମଧ୍ୟସ୍ଥି ସାଜିଥିବା କେତେକ ଓଡ଼ିଆ ଦଲାଲ ଓ ଟାଉଟର ଗୋଷ୍ଠୀ ନିଜର ସାମାନ୍ୟ ସ୍ୱାର୍ଥ ବିନିମୟରେ । ସଂଘୀୟ ରାଷ୍ଟ୍ର ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ଜଙ୍ଗଲ ଅଧିକାର’ ଆମ ଆଦିବାସୀ ପରିବାରକୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଏହି ଟାଉଟର ଗୋଷ୍ଠୀ ଜାତିଆଣ ଭେଦଭାବ ସୃଷ୍ଟି କରି ହିଂସ୍ର ଦଙ୍ଗାଦ୍ୱାରା ପରୋକ୍ଷରେ ଏମାନଙ୍କୁ ଜଙ୍ଗଲ ଅଞ୍ଚଳରୁ ବିତାଡ଼ିତ କରିବାର ହୀନ ଉଦ୍ୟମ ଜାରି ରଖିଛନ୍ତି । ଏଥିସହିତ ପଡ଼ୋଶୀ ଆନ୍ଧ୍ରରାଜ୍ୟର କୁମୁଟି ଓ କମାଜାତିର ସାହୁକାରଗଣ ଗଜପତି, କୋରାପୁଟ, ଗଞ୍ଜାମ ଆଦି ସୀମାନ୍ତ ଜିଲ୍ଲାର କୃଷକଙ୍କୁ ପ୍ରଲୋଭିତ କରି ଚାଷ କରିବା ନାମରେ ଜମି ଲିଜ୍ ନେଇ ପରବର୍ତ୍ତୀକାଳରେ ମାଲିକ ସାଜୁଛନ୍ତି । ଏପରିକି ଖୋଦ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ବାହାର ରାଜ୍ୟର ବହୁ ଖୁନୀ ଆସାମୀଗଣ ଆସନ ଜମେଇ ମାଗଣାରେ ବହୁ ଅଞ୍ଚଳର ମାଲିକ ହୋଇଗଲେଣି । ଅର୍ଥାତ୍ ଆମ ଜମି ଓ ଜଙ୍ଗଲ ଏବେ ଆମ ହାତରୁ ଖସିବାକୁ ବସିଲାଣି, ଅଥଚ ଆମେ…!

ଆମ ଭାଷା ଆମଠାରୁ ବହୁ ଦୂରରେ

ଗୋଟିଏ ଜାତିକୁ ଶ୍ରେଷ୍ଠତ୍ୱର ଆସନରେ ପ‌ହଞ୍ଚାଇଥାଏ ତା’ର ଭାଷା । ଓଡ଼ିଆ ଏକ ଏଭଳି ଭାଷା, ଯାହାର ଇତିହାସ ସମୃଦ୍ଧ ଥିଲେ ମଧ୍ୟ ବର୍ତ୍ତମାନ ଏହାର ସ୍ଥିତି ସଂକଟାପନ୍ନ । ବର୍ତ୍ତମାନ ଭାରତର ପ୍ରମୁଖ ଭାଷାଗୁଡ଼ିକ କମ୍ପ୍ୟୁଟରୀକୃତ ହେବା ଫଳରେ ମୋବାଇଲ୍, ଇଣ୍ଟରନେଟ୍ ଆଦି ଆଜିର କ୍ଷିପ୍ର ବୈଦ୍ୟୁତିକ ଗଣମାଧ୍ୟମ ଓ ଯୋଗାଯୋଗର ଭାଷା ହୋଇପାରିଛି । ଓଡ଼ିଆଭାଷାରେ ଏହାର ବିକାଶପାଇଁ ବିଭିନ୍ନ କମ୍ପାନୀ ଏବଂ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଦେଇଥିବାବେଳେ, ଆମ ଦକ୍ଷ ଓଡ଼ିଆ ଅଧିକାରୀଗଣ ଏହାକୁ ଭଜନ ଓ ଭୋଜନରେ ଶେଷକରି ଗୁଡ଼ିଏ ତ୍ରୁଟିପୂର୍ଣ୍ଣ ସିଡି ପ୍ରସ୍ତୁତ କରି ନିଜେ ଧରି ବୁଲୁଛନ୍ତି । ଏହାଠାରୁ ବଳି ନିର୍ଲଜ କଥା ହେଲା ଆମ ଉଚ୍ଚଅଧିକାରୀଙ୍କ ସନ୍ତାନଗଣ କାଳେ ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ି ଓଡ଼ିଶାରେ ଚାକିରି କରି ନ ପାରିବେ, ସେହି ଭୟରେ ଇଂରେଜୀ ବିଦ୍ୟାଳୟରେ ନାମକୁ ମାତ୍ର ଓଡ଼ିଆଭାଷା ଶିକ୍ଷା ବ୍ୟବସ୍ଥା କରି ବାହାବାହା ନେଉଥିବାବେଳେ, ଓଡ଼ିଆ ବଳରେ ସମଗ୍ର ରାଜ୍ୟରେ ଇଂରେଜୀ ଭାଷାର ଧ୍ୱଜା ଉଡ଼ାଇବାରେ ଲାଗିଛନ୍ତି । ତଥାପି ଏଥିରେ ଶାନ୍ତ ନ ହୋଇ ପ୍ରଥମେ ହିନ୍ଦୀ ଓ ଏବେ ସଂସ୍କୃତର ବିକାଶପାଇଁ ଅଣ୍ଟାଭିଡ଼ି ବାହାରିଲେଣି । ଅଥଚ ଓଡ଼ିଆଭାଷା ଆଜି ଖୋଦ ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଓଡ଼ିଆଭୂଇଁରୁ ଲୋପ ପାଇବାକୁ ବସିଲାଣି ।

ଆମ ସାହିତ୍ୟ ଲୁପ୍ତପ୍ରାୟ

ଏ ସଂପର୍କରେ ଅଧିକ କହିବା ଅନାବଶ୍ୟକ । କାରଣ ପାଠ୍ୟପୁସ୍ତକ ଭାବରେ ଏହା କେବଳ ବଞ୍ଚି ରହିଥିବା ବେଳେ ଗପ, କବିତା, ଉପନ୍ୟାସ, ଆଦି ବିଭିନ୍ନ ସାହିତ୍ୟ

ପୁସ୍ତକଟିଏ କୌଣସି ବହି ଦୋକାନରେ ବିକ୍ରି ହେବା ଦେଖିବାକୁ ପାଇବାନାହିଁ । ତେଣେ ନିଜକୁ ବିଖ୍ୟାତ ସାହିତ୍ୟିକ କହି ବୁଲୁଥିବା ଆମ ତଥାକଥିତ ଲେଖକଗଣ ଉନ୍ନତ ପୁସ୍ତକ ରଚନା ବଳରେ ବିଭିନ୍ନ ପୁରସ୍କାର-ଉପଢ଼ୌକନପାଇଁ ତୀବ୍ର ପ୍ରତିଯୋଗିତାରେ ବ୍ୟସ୍ତ ରହି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଶୂନ୍ୟ କରିବାରେ ଲାଗିଗଲେଣି । ଫଳରେ ଯଦି ଆଜି କେହି ବିଦ୍ୱାନ, ନିଜପିଲା କିମ୍ବା ପାଠାଗାରାପାଇଁ ବହିଟିଏ କିଣିବାକୁ ମନସ୍ଥ କରିବ, ତେବେ ସେ ସେହି ଫକୀରମୋହନ, ରାଧାନାଥ, କୁନ୍ତଳା କୁମାରୀଙ୍କ ପୁସ୍ତକକୁ ଖୋଜିବ ସିନା, ଆଜିର ଏହି ତଥାକଥିତ ବହୁପୁରସ୍କାରପ୍ରାପ୍ତ ଲେଖକଙ୍କ ରଚିତ ପୁସ୍ତକକୁ ନଜରରେ ମଧ୍ୟ ପକାଇବ ନାହିଁ । ଏକଦା ଏହି ଭାଷାରେ ରଚିତ ସାହିତ୍ୟଗ୍ରନ୍ଥ କାବେରୀରୁ ବ୍ରହ୍ମପୁତ୍ର ନ‌ଦୀ ମଧ୍ୟସ୍ଥ ବିସ୍ତୀର୍ଣ୍ଣ ଭୂଖଣ୍ଡର ଅଧିବାସୀଙ୍କୁ ପ୍ରଭାବିତ କରିପାରିଥିବାବେଳେ, ବର୍ତ୍ତମାନ ଏହା କେବଳ ମହାନ‌ଦୀଠାରୁ କାଠଯୋଡ଼ି ନ‌ଦୀ ମଧ୍ୟରେ ଥିବା ବାଲୁବଜାରର କେତୋଟି ପୁସ୍ତକ ପ୍ରକାଶନ ସଂସ୍ଥା ମଧ୍ୟରେ ସୀମାବଦ୍ଧ ।

ଆମ ପ୍ରଶାସନ ଦାୟିତ୍ୱ କାହା ହାତରେ !

ଭାରତଭଳି ଗଣତନ୍ତ୍ର ରାଷ୍ଟ୍ରରେ ନାଗରିକ ସୁରକ୍ଷାପାଇଁ ଯେଉଁ ପ୍ରଶାସନ ବ୍ୟବସ୍ଥା ରହିଛି, ତାହା ମଧ୍ୟ ଓଡ଼ିଶାପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଯାଇଛି । ଏହିମାନଙ୍କ ଚକ୍ରାନ୍ତ ଯୋଗୁଁ ଓଡ଼ିଶାର ପ୍ରାୟ ୩ କୋଟି ୫୦ ଲକ୍ଷ ସାଧାରଣ ଅଧିବାସୀ ନ୍ୟାୟ ଓ ପ୍ରଶାସନିକ ସୁବିଧା ପାଇବାରୁ ବଞ୍ଚିତ । କାରଣ ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ଭାଗ ହେଉଛନ୍ତି ଅଣଓଡ଼ିଆ, ଯେଉଁମାନେ ଓଡ଼ିଆସ୍ୱାର୍ଥକୁ ସର୍ବଦା ବଳି ପକାଇବାରେ ଆଗଭର । ଏମାନଙ୍କ ସହିତ ଜୁଟିଛନ୍ତି କିଛି ଗୋତ୍ରମାରୁ ଓଡ଼ିଆ ଅଫିସର । ତେଣୁ ଅନ୍ୟ ରାଜ୍ୟଗୁଡ଼ିକ ନିଜ ମାତୃଭାଷାରେ ନ୍ୟାୟିକ ଓ ପ୍ରଶାସନିକ କାର୍ଯ୍ୟ ତୁଲାଉଥିବାବେଳେ, ଆମ ରାଜ୍ୟରେ ସାଧାରଣ ଲୋକ ବୁଝିପାରୁ ନ ଥିବା ଇଂରେଜୀ ଭାଷାରେ ଏହି କାର୍ଯ୍ୟ ଚାଲିଛି । ଏ ବିଷୟରେ ଆମେ ସବୁ ଜାଣି ମଧ୍ୟ ଚୁପ୍ ରହିଯାଉଛୁ, କାଳେ ଆମ ସ୍ୱାର୍ଥରେ ବାଧା ଆସିବ ବୋଲି ।

ଆମ ଶିକ୍ଷିତ ଯୁବକ ବେକାର ହୋଇ ମଧ୍ୟ ନିର୍ବିକାର

ଆମର ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଯେଉଁ କେତେଜଣ ଶିକ୍ଷିତବର୍ଗ ବାହାରୁଛନ୍ତି, ସେମାନେ ଶିକ୍ଷାକୁ ଜୀବିକା ଭାବେ ନେଇପାରୁନାହାନ୍ତି । ନିଯୁକ୍ତି ମିଶନ ଜରିଆରେ ସରକାର ଯଦିଓ ଅସଂଖ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ତଥାପି ଆଇନ୍, ପ୍ରଶାସନ, ପୋଲିସ, କିରାଣି ଆଦି ନିଯୁକ୍ତି କ୍ଷେତ୍ରରେ ଯେଉଁ ଅନିୟମିତତା, ଦୁର୍ନୀତି ଓ ପ୍ରୀୟାପ୍ରୀତି ସର୍ବସମ୍ମୁଖରେ ଚାଲିଛି, ଏହା ବିରୁଦ୍ଧରେ ମୂକ ଆଉ ଅଥର୍ବ ପାଲଟି ଯାଇଛନ୍ତି ଆମ ଶିକ୍ଷିତ ଯୁବସମାଜ । ନିଜପ୍ରତି ତଥା ନିଜ ଶିକ୍ଷାପ୍ରତି ଘଟୁଥିବା ଏହି ଅନ୍ୟାୟକୁ ସହିବାର ଏଇ ଯେଉଁ କଳା ହାସଲ କରିଛନ୍ତି, ଏହାଦ୍ୱାରା ନିଜର ତ କ୍ଷତି ହେଉଛି, ଏହାର କୁପ୍ରଭାବ ଯେ ସମଗ୍ର ଓଡ଼ିଆ ଜାତି ଉପରେ ପଡୁଛି, ତାହା ଏମାନେ ବୁଝିବାକୁ ନାରାଜ ।

ତଥାପି ସରକାର ଖୁସି

ବିଭିନ୍ନ ସମୟରେ ଯିଏ ବି ଓଡ଼ିଶାର ଶାସନ ଦଣ୍ଡ ଧରୁ ନା କାହିଁକି, ନିର୍ବାଚନ ବେଳକୁ ଯେତେବେଳେ ସାଧାରଣ ଜନତା ସମ୍ମୁଖକୁ ଆସନ୍ତି, ସେତେବେଳେ ନିଜ କଲାକର୍ମର ଲମ୍ବା ଚିଠା ଘୋଷଣା କରି ଆତ୍ମସନ୍ତୋଷ ଲାଭ କରୁଥିବାବେଳେ, ଏମାନେ ମଧ୍ୟ ବୁଝିପାରନ୍ତି ନାହିଁ ଭଲ କାମ କରିବାକୁ ମିଳିଥିବା ସୁଯୋଗର ଦୁରୁପଯୋଗ କରି, ଓଡ଼ିଶା ଭୂମିପାଇଁ କେତେ ଦୁର୍ଯୋଗ ଆଣିଛନ୍ତି । ଏମାନଙ୍କ ଅବହେଳାକୁ କ୍ଷମା କରି ଯଦିଓ ସାଧାରଣ ଜନତା ପୁଣିଥରେ ଏମାନଙ୍କୁ କ୍ଷମତା ଦଣ୍ଡ ଧରାଇ ଦେଇଥାନ୍ତି, ଏମାନେ ନିଜ କୁକର୍ମରେ ଲଜ୍ଜିତ ହୋଇ ସଂଶୋଧନ କରିବା ପରିବର୍ତ୍ତେ ଗର୍ବିତ ଓ ଖୁସି ହୋଇ ନିଜର ଅଧା ପଡିଥିବା ଜାତିଦ୍ରୋହୀ କାର୍ଯ୍ୟକୁ ପୂର୍ଣ୍ଣ କରିବାକୁ ଆଗେଇ ଆସନ୍ତି ।

ଆମେ ଓଡ଼ିଶାବାସୀ!

ଆମେ ଓଡ଼ିଶାବାସୀ ଚିର ନିର୍ବିକାର, ଚହଲାପାଣିକୁ ଗୋଡ଼ ନ ବଢ଼ାଇବା ନୀତିରେ ବିଶ୍ୱାସୀ ସାଧୁ ସନ୍ନ୍ୟାସୀ ପରି । ଆମରି ସାମ୍ନାରେ ମାଆ ଭଳି ମାଟିମାଆକୁ, ଜଳ ଓ ଜଙ୍ଗଲକୁ ଲୁଟ୍ କରୁଥିବାବେଳେ ଲୁଟେରାଙ୍କୁ ପ୍ରତିରୋଧ କରିବା ବଦଳରେ “କାନ୍ଦୁଥିବା, ଯାହା ପାଉଥିବା ବାନ୍ଧୁଥିବା” ନ୍ୟାୟରେ ଏମାନଙ୍କୁ ସାହାଯ୍ୟ କରୁଛନ୍ତି ସାମାନ୍ୟ ସ୍ୱାର୍ଥ ହାସଲପାଇଁ । ଏହି ସ୍ୱାର୍ଥପର ଗୋଷ୍ଠୀଙ୍କ ସଂଖ୍ୟା ସୀମିତ ହୋଇଥିବାବେଳେ ଏହାର ପ୍ରତିରୋଧକାରୀ ଭାବେ ଯେଉଁ ବିଶାଳ ଓଡ଼ିଶାବାସୀ ଅଛନ୍ତି, ସେମାନେ କାହିଁକି ସମ୍ମୁଖକୁ ଆସୁନାହାନ୍ତି? ସଭା, ସମିତି କିମ୍ବା ଖବରକାଗଜରେ ବିବୃଟିଏ ଦେଇ ବନ୍ଧୁ ପରିଜନ ଆଗରେ ବାହାଦୁରୀର ଆତ୍ମସନ୍ତୋଷ ଲାଭ କରୁଥିବା ତଥାକଥିତ ଓଡ଼ିଆପ୍ରେମୀ ଏଭଳି ସଂକଟରେ କି ପଦକ୍ଷେପ ନେଉଛନ୍ତି, ତାହା ଓଡ଼ିଶାବାସୀ ଦେଖିବାକୁ ବାକି ରହିଲା । ତେବେ ଓଡ଼ିଆ ଜାତି ପ୍ରତି ଦେଖାଦେଇଥିବା ଏଭଳି ସଙ୍କଟ କ୍ଷେତ୍ରରେ ଇତିହାସର ସେହି ବଳିଷ୍ଠ ସ୍ୱାଭିମାନୀ ଓଡ଼ିଆଜାତିର ଉପଯୁକ୍ତ ଦାୟାଦ ଭାବେ ଆମେ ଯଦି ପାଟି ଫିଟାଇ ଏହାର ପ୍ରତିରୋଧ ନ କରିବା, ତେବେ ଓଡ଼ିଶାରୁ ନିଶ୍ଚିତ ଭାବେ ଓଡ଼ିଆତ୍ୱ ଲୋପ ପାଇବ । ଆମେ ବିଶ୍ୱ ସମ୍ମୁଖରେ ପ୍ରମାଣ କରିଦେବା ଯେ, ଓଡ଼ିଆଙ୍କ ରକ୍ତ ଥଣ୍ଡା !

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଆଙ୍କ ଶେଷ ଆଶ୍ରା ଦାଦନ!
Next Article ଏ କଳଙ୍କିତ ଅଧ୍ୟାୟର ଶେଷ ହେବ କେବେ?
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.