• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡିଆ ଭାଗବତ ତୃତୀୟ ସ୍କନ୍ଧ
ଅନ୍ୟାନ୍ୟ

ଓଡିଆ ଭାଗବତ ତୃତୀୟ ସ୍କନ୍ଧ

ଜଗନ୍ନାଥ ଦାସBy ଜଗନ୍ନାଥ ଦାସFebruary 24, 2020No Comments242 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ଶୌନକ ଆଦି ମୁନିଜନେ । ଆନନ୍ଦେ ସୂତ ସନ୍ନିଧାନେ । । ୧
ବିଦୁର କଥା ମନେ ଚିନ୍ତି । ବିଶ୍ୱାସଭାବେ ପଚାରନ୍ତି । । ୨

ଶୌନକ ଉବାଚ

ହେ ସୂତ ତୁମ୍ଭର ବଚନ । ଶୁଣି ସନ୍ତୋଷ ଆମ୍ଭମନ । । ୩
ମହାତ୍ମା ବିଦୁରର ବାଣୀ । ଆମ୍ଭେ ତୁମ୍ଭର ମୁଖୁଁ ଶୁଣି । । ୪
ହେଳେ ଛାଡ଼ିବୁ ଭବବ୍ୟଥା । ବିସ୍ତାରି କହ ତାର କଥା । । ୫
ସର୍ବସମ୍ପଦ ଛାଡ଼ି ବନେ । କିପାଁ ପଶିଲା ଦୁଃଖ ମନେ । । ୬
ଅନେକତୀର୍ଥେ ଦେଇ ମନ । ପୃଥିବୀ କଲା ପର୍ଯ୍ୟଟନ । । ୭
ମୈତ୍ରେୟ ମୁନି ସଙ୍ଗେ ତାର । ଏକାନ୍ତେ ଅଧ୍ୟାତ୍ମ-ବିଚାର । । ୮
କାହିଁ ବା ନଦୀ-ତୀର ବନେ । ସାନନ୍ଦେ ବସି ବେନିଜନେ । । ୯
ସନ୍ତୋଷେ ବିଦୁରର ଆଗେ । ମୈତ୍ରେୟ ମୁନି ଅନୁରାଗେ । । ୧୦
କହିଲେ ତତ୍ତ୍ୱସାର ବାଣୀ । ଯା ଶୁଣି ଭବୁ ତରେ ପ୍ରାଣୀ । । ୧୧
ସେ କଥା କହ ମୁନିବର । ବିଦୁର ବିଷ୍ଣୁ ଭକ୍ତସାର । । ୧୨
ସେ ବନ୍ଧୁତ୍ୟାଗୀ କିବା ଅର୍ଥେ । ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ । । ୧୩
ଏମନ୍ତ ମୁନିଙ୍କର ବାଣୀ । ସୂତ ସନ୍ତୋଷମନେ ଶୁଣି । । ୧୪
କହନ୍ତି ଶୌନକଙ୍କ ଆଗେ । କୃଷ୍ଣର ଭାବ ଅନୁରାଗେ । । ୧୫

ସୂତ ଉବାଚ

ଶୁଣ ହେ ମୁନିଗଣ ତୋଷେ । ଏ କଥା ଶୁକମୁନି ପାଶେ । । ୧୬
ଆନନ୍ଦେ ଅଭିମନ୍ୟୁ-ସୁତ । ପୁଚ୍ଛିଲା ବିଦୁରଚରିତ । । ୧୭
ସେ ମୁନି କହିଲେ ଯେମନ୍ତେ । ସେ କଥା ଶୁଣ ଏକଚିତ୍ତେ । । ୧୮

ଶୁକ ଉବାଚ

ଶୁକ ବୋଲନ୍ତି ଭାବଭରି । ଶୁଣ ପରୀକ୍ଷ ଦଣ୍ଡଧାରୀ । । ୧୯
ସେ ଧୃତରାଷ୍ଟ୍ର ଯେତେବେଳେ । ନିଷ୍ଠୁର ହୀନ ବୁଦ୍ଧିବଳେ । । ୨୦
ଅଧର୍ମେ ଧନ ସେ ସଞ୍ଚଇ । ନିଜ ସୁତଙ୍କୁ ଭୋଗ ଦେଇ । । ୨୧
ପଣ୍ତୁସୁତଙ୍କୁ ଦେଖେ ଭିନ୍ନେ । ନିନ୍ଦଇ ନିଷ୍ଠୁର-ବଚନେ । । ୨୨
ବାଳକେ ପିତୃହୀନ ହୋଇ । ମାତାର ସଙ୍ଗେ ଦୁଃଖ ସହି । । ୨୩
ହସ୍ତିନାପୁରେ ତା’ଙ୍କ ଘରେ । ବଞ୍ଚନ୍ତି ଅତି ଅବେଭାରେ । । ୨୪
ତାହାଙ୍କ ମରଣ ଇଚ୍ଛଇ । ଭୀମକୁ ବିଷଲଡ଼ୁ ଦେଇ । । ୨୫
ଜତୁର ଘରେ ଅଗ୍ନି ଦେଲା । ସେବେଳେ ଗୋବିନ୍ଦ ରଖିଲା । । ୨୬
ପୁଣି ସଭାର ତଳେ ଆଣି । ପଞ୍ଚପାଣ୍ତବଙ୍କ ରମଣୀ । । ୨୭
କେଶ ଆକର୍ଷି ବାହୁବଳେ । ବିବସ୍ତ୍ର କଲେ ସଭାତଳେ । । ୨୮
କୁଚ କୁଙ୍କୁମ ବହେ ଉରେ । ଅଧୋବଦନ ଅଶ୍ରୁଧାରେ । । ୨୯
ବଧୂର ଦୁଃଖ ସେ ଶୁଣିଲା । ପୁତ୍ରଙ୍କୁ ବାରଣ ନ କଲା । । ୩୦
ମାୟା କପଟପାଶା କରି । ଦ୍ୟୁତଖେଳାଇ ଧନହରି । । ୩୧
ଛଳେ ହରିଲା ତା’ଙ୍କ ଦେଶ । କାନନେ ଦ୍ୱାଦଶବରଷ । । ୩୨
ଅଜ୍ଞାତେ ଅଧିକ ବରଷେ । ବିରାଟ ରାଜ୍ୟେ ମ›ତ୍ସ୍ୟଦେଶେ । । ୩୩
ତହିଁ ବଞ୍ଚିଲେ ଦୁଃଖ-ସୁଖେ । ବନକଷଣ ଅତିରେକେ । । ୩୪
ପୁଣି ମିଳିଲେ ରାଜ୍ୟେ ଆସି । ବିଶ୍ୱାସେ ରାଜା ପାଶେ ବସି । । ୩୫
ଜୀବିକା ଅର୍ଥେ କିଛି ଧନ । ମାଗିଲେ ନ ଦେଲା ରାଜନ । । ୩୬
ପୁଣି କୃଷ୍ଣଙ୍କୁ କରି ଦୂତ । ଗ୍ରାମ ମାଗିଲେ ପଣ୍ତୁସୁତ । । ୩୭
କୃଷ୍ଣର ବୋଲ ସେ ନ କଲା । ସୂଚୀ ଅଗ୍ରତେ ସେ ନ ଦେଲା । । ୩୮
କୃଷ୍ଣଙ୍କୁ କରି ଅପମାନ । ଲୋଭେ ହୋଇଲା ହତଜ୍ଞାନ । । ୩୯
ବିଦୁର ଆଣି ଏକାନ୍ତରେ । ବିଚାର କଲା ଅନ୍ତଃପୁରେ । । ୪୦
ପାଣ୍ତବ ମାରି ନାନାମତେ । ରାଜା ହୋଇବ ସେ ନିଶ୍ଚିନ୍ତେ । । ୪୧
ଶୁଣି ବିଦୁର କରଯୋଡ଼ି । ବୋଲଇ ରାଜାପାଦେ ପଡ଼ି । । ୪୨

ବିଦୁର ଉବାଚ

ଅସହ୍ୟ ଅପରାଧ ତୋ’ର । କେତେ ସହିଛି ଯୁଧିଷ୍ଠିର । । ୪୩
ତାହାଙ୍କୁ ଅର୍ଦ୍ଧରାଜ୍ୟ ଦେଇ । ପୁତ୍ରଙ୍କ ତୁଲେ ଭୁଞ୍ଜ ମହୀ । । ୪୪
ନୋହିଲେ ସୁଖ ନାହିଁ ତୋର । ସେ ବିଷ୍ଣୁତେଜେ ବଳୀୟାର । । ୪୫
ଶ୍ରୀହରି ତାଙ୍କୁ ସଙ୍ଗେ ଘେନି । ଉଶ୍ୱାସ କରିବେ ମେଦିନୀ । । ୪୬
ସେ ହରି ଥାଇ ନିଜପୁରେ । ପାଣ୍ତବବଂଶ ପକ୍ଷ ଧରେ । । ୪୭
ସେ ଭଗବାନ ଦଇତ୍ୟାରୀ । ଦେବ ବ୍ରାହ୍ମଣ ସଙ୍ଗେ ଧରି । । ୪୮
ସେ କୃଷ୍ଣ ଆସି ତୋର ପୁରେ । ମିଳିଲେ ବାନ୍ଧବ-ବେଭାରେ । । ୪୯
ତାଙ୍କୁ ଇତର ପ୍ରାୟ ମଣି । ଜ୍ଞାନ ହାରିଲୁ ନୃପମଣି । । ୫୦
ତାର ମହିମା ତୁ ନ ଜାଣୁ । ମନୁଷ୍ୟ ପ୍ରାୟ ପରିମାଣୁ । । ୫୧
ଏ ପୁତ୍ର ଆସି ତୋର ପୁରୀ । ବସିଲା ଦୋଷରୂପ ଧରି । । ୫୨
ତାକୁ ତୁ ପୁତ୍ରପ୍ରାୟ ମଣୁ । କୁଳ କୁଶଳ ନ ପ୍ରମାଣୁ । । ୫୩
ଶ୍ରୀକୃଷ୍ଣେ ଭକତି ନ କରି । ତୁହି ହୋଇଲୁ ହତଶିରୀ । । ୫୪
କୁଳ-କୁଶଳେ ଯେବେ ମନ । ତେଜ ଅଶୁଭ ଦୁର୍ଯ୍ୟୋଧନ । । ୫୫
ଏମନ୍ତ ବିଦୁରର ବାଣୀ । ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି । । ୫୬
ସଙ୍ଗେ ଅଛନ୍ତି ତିନିଜଣ । କର୍ଣ୍ଣ ଶକୁନି ଦୁଃଶାସନ । । ୫୭
ବୋଲଇ ସ୍ଫୁରିତ ଅଧରେ । ଆକର୍ଷି ଦୁଃଶାସନ କରେ । । ୫୮
ଏ ଦାସୀପୁତ୍ର ମୋର ଘରେ । ବସଇ ବାନ୍ଧବ-ବେଭାରେ । । ୫୯
ଏ ମୋର ନିତ୍ୟେ ଅନ୍ନ ଖାଇ । ପଣ୍ତୁପୁତ୍ରଙ୍କ ହିତେ ଥାଇ । । ୬୦
କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ । ମୋର ବିନାଶ ଚିତ୍ତେ ଚିନ୍ତେ । । ୬୧
ଏମନ୍ତ କୁଟିଳ ଲୋକକୁ । କେ ଅବା ଡାକିଲା ଏଠାକୁ । । ୬୨
ଏମନ୍ତ ବୋଲି ବିଚାରିଲା । କୋପେ ଅନେକ ଗାଳିଦେଲା । । ୬୩
ଦଶନେ କାମୋଡ଼ି ଅଧର । ବୋଲେ ଭଣ୍ତାର କର ଜୂର । । ୬୪
ଏହାକୁ ଦଣ୍ତେ ହେଁ ନ ଥୁଅ । ରାଜ୍ୟୁ ବାହାର କରିଦିଅ । । ୬୫
ଏମନ୍ତ ତାର ବାକ୍ୟ ଶୁଣି । ବଜ୍ର ପଡ଼ିଲା ପ୍ରାୟ ମଣି । । ୬୬
ମରମ-ଉଚ୍ଚାଟ ବଚନ । ଶୁଣି ହୋଇଲା ହତଜ୍ଞାନ । । ୬୭
ଜ୍ୟେଷ୍ଠଭ୍ରାତାର ତୁଲେ ଥିଲା । ରାଜା ହିଁ ଆଶ୍ୱାସ ନ କଲା । । ୬୮
ତକ୍ଷଣେ ଉଠି ସେ ବିଦୁର । ଚିତ୍ତେ ଚିନ୍ତଇ ଚକ୍ରଧର । । ୬୯
ବିଷ୍ଣୁର ମାୟା ବିଚାରିଲା । ତକ୍ଷଣେ ବନସ୍ତେ ପଶିଲା । । ୭୦
ସମ୍ପଦ ତୁଚ୍ଛପ୍ରାୟ ମଣି । ମନେ ଚିନ୍ତଇ ଚକ୍ରପାଣି । । ୭୧
ହସ୍ତିନା ନଗରୁ ବାହାର । ତୀର୍ଥଗମନେ ଆଗୁସାର । । ୭୨
ମିଳିଲା ଯାଇ ଘୋରବନେ । ଭ୍ରମଇ ଋଷି-ବିପ୍ରସ୍ଥାନେ । । ୭୩
ମନେ ଚିନ୍ତଇ ତୀର୍ଥଗତି । ହରିଭକତ ଯହିଁ ଥାନ୍ତି । । ୭୪
ନିରାଶ କରି ଆତ୍ମମନ । ଗ୍ରାମ ପାଟଣା ଉପବନ । । ୭୫
ସୁପୁଣ୍ୟଗିରି-କୁଞ୍ଜଦେଶେ । ଭ୍ରମଇ ତୀର୍ଥ ଅଭିଳାଷେ । । ୭୬
ପୁଣ୍ୟସରିତ ପୁଣ୍ୟସର । ନିରତେ ଭ୍ରମଇ ବିଦୁର । । ୭୭
ଅନନ୍ତ ସିଦ୍ଧଲିଙ୍ଗେ ଯହିଁ । ଶୁଦ୍ଧ ପବିତ୍ର ପୁଣ୍ୟଭୂଇଁ । । ୭୮
ଏମନ୍ତେ ଅବଧୂତ ବେଶେ । ବିଦୁର ଭ୍ରମେ ପୁଣ୍ୟଦେଶେ । । ୭୯
ହରିତୋଷଣ ବ୍ରତ ଯେତେ । ତୀର୍ଥେ ସେବଇ ଅବିରତେ । । ୮୦
ଏମନ୍ତେ ଭାରତବରଷେ । କାଳେ ମିଳିଲା ସେ ପ୍ରଭାସେ । । ୮୧
ତହିଁ ଶୁଣିଲା ସାଧୁବାଣୀ । ପାଣ୍ତବେ କୁରୁବଳ ଜିଣି । । ୮୨
କୃଷ୍ଣ ସାରଥିପଣେ ବରି । ଅନେକ ଅକ୍ଷୌହିଣୀ ମାରି । । ୮୩
ଗୋବିନ୍ଦ ଘେନି ତୀର୍ଥଜଳେ । ମଙ୍ଗଳ ଶୁଭ ଅନୁକୂଳେ । । ୮୪
କରାଇ ଅଭିଷେକ ପୂଜା । ଏକାଙ୍ଗଚକ୍ରେ କଲେ ରାଜା । । ୮୫
ସର୍ବେ ନଶିଲେ କୁରୁବଳେ । ଯେସନେ ବେଣୁ ଦାବାନଳେ । । ୮୬
କୁଟୁମ୍ବବଧେ ଶୋକକରି । ସ୍ୱଜନ ବାନ୍ଧବ ସୁମରି । । ୮୭
ମଉନ ହୋଇ ଅଶ୍ରୁକଣ୍ଠେ । ମିଳିଲା ସରସ୍ୱତୀତଟେ । । ୮୮
ଯାହାର ତୀରେ ଏକାଦଶ । ତୀର୍ଥେ ବସନ୍ତି ପୁଣ୍ୟଯଶ । । ୮୯
ତ୍ରିତ ଉଶନା ମନୁ ନାମ । ପୃଥୁ ଅନଳ ଯେ ପବନ । । ୯୦
ସୁଦାସ ଗାବ ଗୁହ ଯମ । ଅସିତ ଏକାଦଶ ନାମ । । ୯୧
ଏତେ ମନ୍ଦିର ବିଷ୍ଣୁ ଅର୍ଥେ । ତୀରେ ସଞ୍ଚିଲେ ଯେଝାମତେ । । ୯୨
ଋଷି ଦେବତା ଆଦି ଯେତେ । ତୀର୍ଥେ ସେବନ୍ତି ଦୃଢ଼ଚିତ୍ତେ । । ୯୩
ପ୍ରତ୍ୟଙ୍ଗମୁଖ୍ୟାଙ୍କିତ ଘର । ଦିଶନ୍ତି ଅତି ମନୋହର । । ୯୪
ଯେ ପୁର ଦରଶନ ମାତ୍ରେ । ବିଷ୍ଣୁସ୍ମରଣ ପଶେ ଗାତ୍ରେ । । ୯୫
ଏମନ୍ତ ସରସ୍ୱତୀତୀର୍ଥ । ଦେଖି ବିଦୁର କୃତକୃତ୍ୟ । । ୯୬
ତହୁଁ ଚଳିଲା ତୋଷମନେ । ସୌରାଷ୍ଟ୍ର ସୌବୀର ବିପିନେ । । ୯୭
କୁରୁ ଜାଙ୍ଗଳ ମତ୍ସ୍ୟଦେଶ । ଜିଣି ଯମୁନା ପରବେଶ । । ୯୮
କାଳିନ୍ଦୀତୀରେ ବୃନ୍ଦାବନ । ଯହିଁ ବିରାଜେ ଗୋବର୍ଦ୍ଧନ । । ୯୮
ସେ ବନେ ବୁଲେ ଏକେ ଏକେ । ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ । । ୯୯
ହରି-ଭକତଙ୍କର ସାର । ତପ ଆଚରି ମହାଘୋର । । ୧୦୦
ଆସନ ନିଶ୍ଚଳ ସମାଧି । ଶ୍ରୀକୃଷ୍ଣ-ଚରଣେ ଆରାଧି । । ୧୦୧
ଏକାନ୍ତେ ଅଛି ବୃକ୍ଷମୂଳେ । ବିଦୁର ଦେଖେ ବେନିଡୋଳେ । । ୧୦୨
ସେ ବାସୁଦେବ ଅନୁଚର । କି ଅବା ଦେବା ପଟାନ୍ତର । । ୧୦୩
ଦେବଗୁରୁଙ୍କ ଶିଷ୍ୟ ସ୍ନେହେ । ସ୍ୱଭାବେ ମନ୍ତ୍ରୀବୁଦ୍ଧି ବହେ । । ୧୦୪
ଏମନ୍ତେ ମିଳି ବେନିଜନ । ନିବିଡେ଼ କଲେ ଆଲିଙ୍ଗନ । । ୧୦୫
ବିଦୁର ଉଦ୍ଧବକୁ ଚାହିଁ । ବନ୍ଧୁବାନ୍ଧବ ସ୍ନେହ ବହି । । ୧୦୬
ରୋମହରଷେ ଶୁଦ୍ଧଚେତା । ପୁଚ୍ଛଇ କୃଷ୍ଣର ବାରତା । । ୧୦୭
କୃଷ୍ଣପୁତ୍ରଙ୍କୁ ଆଦି କରି । ଏକ ଆରେକ ନାମ ଧରି । । ୧୦୮

ବିଦୁର ଉବାଚ

ଶୁଣ ଉଦ୍ଧବ ମୋ ବଚନ । ମୁଁ ଯେ ପୁଚ୍ଛଇ ବନ୍ଧୁଜନ । । ୧୦୯
ଯେ ହରି ପୁରୁଷ-ପୁରାଣ । ଅନାଦି-ପରମ-କାରଣ । । ୧୧୦
ଧରଣୀଭାରା ନାଶ ଅର୍ଥେ । ମନୁଷ୍ୟ ଦେହେ ଏ ଜଗତେ । । ୧୧୧
ରାମ ଗୋବିନ୍ଦ ରୂପ ଧରି । ଯାଦବବଂଶେ ଅବତରି । । ୧୧୨
ଅଛନ୍ତି ବସୁଦେବ ଘରେ । ଆନନ୍ଦେ ବେନି ସହୋଦରେ । । ୧୧୩
ଆମ୍ଭର ବଂଶେ ଅଧିଦେବ । ଦେବକୀ ତୁଲେ ବସୁଦେବ । । ୧୧୪
ସୁଖେ କି ଛନ୍ତି ନିଜପୁରେ । ବନ୍ଧୁ-ସୁହୃଦ-ଭାବଭରେ । । ୧୧୫
ପ୍ରଦ୍ୟୁମ୍ନ ଅଛଇ ନା ଭଲେ । ଆନନ୍ଦେ ଜନନୀର ତୁଲେ । । ୧୧୬
ରୁକ୍ମିଣୀ ପୂର୍ବ-ତପଫଳେ । ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ । । ୧୧୭
ଭୋଜାଦି ସାତବଂଶ ରାଜା । ଗୋବିନ୍ଦ ଯାକୁ କଲେ ପୂଜା । । ୧୧୮
ଛାଡ଼ି ଆପଣା ନୃପାସନ । ରାଜ୍ୟେ ସ୍ଥାପିଲେ ଉଗ୍ରସେନ । । ୧୧୯
ତୀର୍ଥଉଦକ ସିଞ୍ଚି ଶିରେ । ସେ ସୁଖେ ଅଛିଟି କି ପୁରେ । । ୧୨୦
ଭଲେ କି ଜାମ୍ବବତୀସୁତ । ଯେ ରଥୀ ମଧ୍ୟେ ମହାରଥ । । ୧୨୧
କୃଷ୍ଣର ସଦୃଶ ଯେ ହୋଇ । ପୂର୍ବେ ଅମ୍ବିକା ଗର୍ଭେ ଥାଇ । । ୧୨୨
ଯାହାକୁ ଜାମ୍ବବତୀ ଦେବୀ । ପାଇଲା ନାନାବ୍ରତ ସେବି । । ୧୨୩
କ୍ଷେମେ କି ଅଛି ଯୁଯୁଧାନ । ଯାହାକୁ ସନ୍ତୋଷ ଅର୍ଜୁନ । । ୧୨୪
ରହସ୍ୟ-ଧନୁର୍ବେଦ ଦେଲା । ଯେ ପୁଣି ହୃଷ୍ଣ ଆରାଧିଲା । । ୧୨୫
ସୁଖେ ହୋଇଲା ଗତି ତାର । ଯେ ଯୋଗୀଜନେ ଅଗୋଚର । । ୧୨୬
ଶ୍ୱଫଳ୍‌କ ସୁତ ଯଶସ୍କର । ଶୁଭେ କି ଅଛଇ ଅକ୍ରୂର । । ୧୨୭
କଂସ ଆଦେଶେ ଗୋପପୁରେ । ଲଭିଲା କୃଷ୍ଣରେଣୁ ଶିରେ । । ୧୨୮
ଭଲେ କି ଅଛଇ ଦେବକୀ । ଯେ ଗର୍ଭେ ଧଇଲା ହରିଙ୍କି । । ୧୨୯
ଅଶେଷ ମନୋରଥ ବୋଧ । ଭଲେ କି ଅଛି ଅନିରୁଦ୍ଧ । । ୧୩୦
ଯାର ମହିମା ଶବ୍ଦଯୋନି । ତୁରୀୟତତ୍ତ୍ୱ ସଙ୍ଗେ ମାନି । । ୧୩୧
ସତ୍ୟଭାମାର ସୁତ ଯେତେ । ଭଲେ କି ଅଛନ୍ତି ସମସ୍ତେ । । ୧୩୨
ଗଦର କହ ଭଲ କଥା । ଯେ ଅନ୍ୟ ଯାଦବ ବାରତା । । ୧୩୩
ଏକାନ୍ତେ କୃଷ୍ଣର ପୟରେ । ସେବନ୍ତି ସବୁ ପରକାରେ । । ୧୩୪
ଧର୍ମେ କି ଅଛି ଯୁଧିଷ୍ଠିର । ଯେ ଧର୍ମେ ରଖିଲା ସଂସାର । । ୧୩୫
ଯାହାର ବାହୁପ୍ରାୟ ହୋଇ । କୃଷ୍ଣ ଅର୍ଜୁନ ବେନି ଥାଇ । । ୧୩୬
ଭୀମର କହ ଭଲ କଥା । ଯେ ଭୀମ ଅତି ବଳବନ୍ତା । । ୧୩୭
ଯାର ଚରଣ-ଘାତ କୋପେ । ଦୁର୍ଜୟ-ରଣଭୂମି କମ୍ପେ । । ୧୩୮
ଅର୍ଜୁନ ଅଛିଟି କି ଭଲେ । ନିରତେ ଗୋବିନ୍ଦର ତୁଲେ । । ୧୩୯
ଗାଣ୍ତୀବଧନୁ କରେ ଧରି । ରଣେ ତୋଷିଲା ଶୂଳଧାରୀ । । ୧୪୦
ନକୁଳ ସହଦେବ ବେନି । କୁଶଳ କହ ପରିମାଣି । । ୧୪୧
ଅଶ୍ୱିନୀ ନାସିକା-ବିବରେ । ଜନ୍ମ ହୋଇଲେ ଯେ ଶରୀରେ । । ୧୪୨
କେ କହୁ ତାଙ୍କ ଗୁଣଗ୍ରାମ । ଦେବଙ୍କ ବ୍ୟାଧି ହରେ ନାମ । । ୧୪୩
ତାହାଙ୍କ ବୀର୍ଯ୍ୟୁ ଜାତ ହୋଇ । ସୁନ୍ଦର ରୂପେ ଜନ ମୋହି । । ୧୪୪
ପାବ-ଚକ୍ଷୁ ସେ ବୋଲାନ୍ତି । କହ କୁଶଳେ କି ଅଛନ୍ତି । । ୧୪୫
ଦେଖ ଏ କୁନ୍ତୀ ଗର୍ଭଅର୍ଥେ । ସ୍ୱାମୀକୁ ଚିନ୍ତେ ଅବିରତେ । । ୧୪୬
ସ୍ୱ-ସ୍ୱାମୀ ବିନୁ ସୁତ ଲଭେ । ଯା ନାମ ଚଉଦିଗେ ଶୁଭେ । । ୧୪୭
ତାହାଙ୍କୁ ଛାଡ଼ି ଭୋଗ ବିନେ । ରହିଲା ପୁତ୍ରସ୍ନେହ ମନେ । । ୧୪୮
ଶୁଣ ଉଦ୍ଧବ ସାଧୁ ଧୀର । ଧୃତରାଷ୍ଟ୍ରର ଯେ ବେଭାର । । ୧୪୯
ସେ ପିତୃହୀନ ପଞ୍ଚପୁତ୍ରେ । ତାଙ୍କ ମରଣ ଚିତ୍ତେ ଚିନ୍ତେ । । ୧୫୦
ପୁତ୍ରଙ୍କ ତୁଲେ ତା’ ବିଚାର । ମୁଁ ପ୍ରିୟ ସୁହୃଦ ତାହାର । । ୧୫୧
ପୁରୁ ବାହାର କରିଦେଲା । ଚିତ୍ତେ ତା ଦୟା ନ ବସିଲା । । ୧୫୨
ଏଣୁ ପଡ଼ିବ ତମଘୋର । ଜୀବନେ ଚିନ୍ତା ତାକୁ ମୋର । । ୧୫୩
ଯେ କୃଷ୍ଣ ପରମ-ମଙ୍ଗଳ । ଆନନ୍ଦମାନଙ୍କର ମୂଳ । । ୧୫୪
ସେ ହରି ମନୁଷ୍ୟ-ଶରୀରେ । ସାକ୍ଷାତେ ସଂସାରେ ବିହରେ । । ୧୫୫
ତାର ପ୍ରସାଦୁ ତା ମାହାତ୍ମ୍ୟ । ଜାଣି ଛାଡ଼ିଲି ସର୍ବ ଭ୍ରମ । । ୧୫୬
ତାର ଚରଣ ଧ୍ୟାନ କରି । ମୁଁ ଏବେ କାନନେ ବିହରି । । ୧୫୭
ଦେଖ ଉଦ୍ଧବ ତା ମହିମା । କେ କହିପାରେ ଗୁଣସୀମା । । ୧୫୮
ଯେ ଯେତେ ଥିଲେ ମହୀପାଳେ । ଅନେକ ଅକ୍ଷୌହିଣୀ ମେଳେ । । ୧୫୯
ତାହାଙ୍କୁ ମାୟାରେ ସଂହାରି । ହେଳେ ତ୍ରିଭୁବନ ଉଦ୍ଧରି । । ୧୬୦
ପ୍ରପନ୍ନଜନ ଦୁଃଖ ନାଶ । ଅର୍ଥେ କ୍ଷଣକେ ପୀତବାସ । । ୧୬୧
ପାରନ୍ତି କୁରୁଙ୍କୁ ସଂହାରି । ସହିଲେ ଦୋଷ କ୍ଷମା କରି । । ୧୬୨
ସେ ଗୁଣାତୀତ ଅଜ ହରି । ଖଳନାଶନେ ଅବତରି । । ୧୬୩
ଅଖିଳଲୋକଙ୍କୁ କୁଶଳେ । ଯେ ଦେହବନ୍ତ ଯଦୁକୁଳେ । । ୧୬୪
ଯାହାର ଆଜ୍ଞାରେ ସଂସାର । ତୀର୍ଥର ପ୍ରାୟେ କୀର୍ତ୍ତି ଯାର । । ୧୬୫
ସେ ହରି ଶୁଭକଥା ମୋତେ । କହ ଉଦ୍ଧବ ଶୁଦ୍ଧଚିତ୍ତେ । । ୧୬୬
ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ମନେ ପରିମାଣି । । ୧୬୭
ଚିତ୍ତେ ଚିନ୍ତିଲା ନାରାୟଣ । ସୁଜନେ ଏକମନେ ଶୁଣ । । ୧୬୮
ହରିଚରିତ ସୁଧାରସ । କହିଲା ଜଗନ୍ନାଥ ଦାସ । । ୧୬୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ପ୍ରଥମୋଽଧ୍ୟାୟଃ

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ଏମନ୍ତେ ବିଦୁର ବଚନ । ଶୁଣି ଉଦ୍ଧବ ହତଜ୍ଞାନ । । ୧
କୃଷ୍ଣ-ଚରଣେ ଚିତ୍ତ ଦେଇ । ଉତ୍କଣ୍ଠେ ନ ପାରଇ କହି । । ୨
ପାଞ୍ଚବରଷେ ତାର ମାତ । ପ୍ରାତଃ ଭୋଜନେ ଡାକେ ସୁତ । । ୩
କୃଷ୍ଣସେବାରେ ଦେଇମନ । ଉଦ୍ଧବ ନ କରେ ଭୋଜନ । । ୪
କୃଷ୍ଣସେବାରେ ଦିନ ଗଲା । ସ୍ୱଭାବେ ବୟସ ସରିଲା । । ୫
ବିଦୁରବାକ୍ୟ ଶୁଣି କର୍ଣ୍ଣେ । ବଚନ ନ ସ୍ଫୁରେ ବଦନେ । । ୬
କୃଷ୍ଣଚରଣେ ଦେଇ ମନ । ମୁହୁର୍ତ୍ତେ ରହିଲା ମଉନ । । ୭
ତକ୍ଷଣେ ଦେହଭାବ ଛାଡ଼ି । କୃଷ୍ଣଭକତି ଜଳେ ବୁଡ଼ି । । ୮
କୃଷ୍ଣଚରଣ-ସୁଧା-ପାନ । କରି ପାଇଲା ଦିବ୍ୟଜ୍ଞାନ । । ୯
ପୁଲକ ହେଲା ରୋମରାଜି । ଅଶ୍ରୁ ମୁଞ୍ଚଇ ଚକ୍ଷୁବୁଜି । । ୧୦
ଧ୍ୟାନେ ହୋଇଲା ପୂର୍ଣ୍ଣକାମ । ସ୍ନେହ-ସଲିଳେ କଲା ସ୍ନାନ । । ୧୧
ଧ୍ୟାନ ଛଡ଼ାଇ କୃଷ୍ଣପାଦେ । ପୁଣି ମିଳିଲା ଦେହମଧ୍ୟେ । । ୧୨
ବେନିଲୋଚନ ଘଷି କରେ । ନିଃଶ୍ୱାସ ଛାଡ଼ି ଖରତରେ । । ୧୩
ବିଦୁର ମୁଖ ଚାହିଁ ଦୁଃଖେ । ଉଦ୍ଧବ କହେ ଅଶ୍ରୁମୁଖେ । । ୧୪

ଉଦ୍ଧବ ଉବାଚ

ଯାଦବ ମଧ୍ୟେ କୃଷ୍ଣ ଥାଇ । ସୂର୍ଯ୍ୟର ପ୍ରାୟ ପ୍ରକାଶଇ । । ୧୫
ସେ ସୂର୍ଯ୍ୟ ଅସ୍ତାଚଳେ ଗଲା । ନିବିଡ଼ତମ ପ୍ରକାଶିଲା । । ୧୬
ମୁଁ ଏବେ ଅତିଦୁଃଖ-ଶୋକେ । ପଡ଼ିଛି ଅଜଗର-ମୁଖେ । । ୧୭
ଆମ୍ଭ କୁଶଳ କାହିଁ ଆର । କହିବି ଶୁଣ ହେ ବିଦୁର । । ୧୮
ସଂସାର ମଧ୍ୟେ ଯେତେଜନ । ସର୍ବେ ହୋଇଲେ ଭାଗ୍ୟହୀନ । । ୧୯
ଦେଖ ଅଭାଗ୍ୟ ଯଦୁବଂଶ । ବାଳକ ପ୍ରାୟ ବୁଦ୍ଧିଭ୍ରଂଶ । । ୨୦
ବସନ୍ତି କୃଷ୍ଣ ଅଙ୍ଗସେଙ୍ଗ । ରାତ୍ରଦିବସ ଅନୁରାଗେ । । ୨୧
ତାହାଙ୍କୁ କେହି ନ ଜାଣିଲେ । ଚନ୍ଦ୍ରକୁ ମୀନ ଯେହ୍ନେ ଜଳେ । । ୨୨
ଯାଦବେ କୃଷ୍ଣ ସଙ୍ଗମେଳେ । ଦିନ ହରନ୍ତି କୁତୂହଳେ । । ୨୩
ସଙ୍ଗତେ ପାଇ ନରହରି । ଦେଖନ୍ତି ଅନାଦର କରି । । ୨୪
ଅତି ନିପୁଣ ସେ ଅଟନ୍ତି । ଜ୍ଞାନୀ ହେଲେହେଁ ନ ଜାଣନ୍ତି । । ୨୫
ଯା’ର ମାୟାରେ ଅନ୍ୟଜନେ । ବଇରୀଭାବ ଚିନ୍ତିମନେ । । ୨୬
କୃଷ୍ଣର ମାୟାବଳେ ଗ୍ରନ୍ଥି । ମନୁଷ୍ୟ ପ୍ରାୟ ସେ ମଣନ୍ତି । । ୨୭
ପ୍ରାଣୀଙ୍କ ତପୋବଳ ଚାହିଁ । ନୟନେ ଶରୀର ଦେଖାଇ । । ୨୮
ପୁଣି ହରିଲେ ନିଜ ଅଙ୍ଗ । ପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ । । ୨୯
ମାୟା ମନୁଷ୍ୟ ରୂପେ ହରି । ଅନନ୍ତ ଲୀଳାଏ ବିହରି । । ୩୦
ସର୍ବସମ୍ପଦ ଆତ୍ମାତୁଲେ । ନିଜ ଭୁବନେ ବିଜେକଲେ । । ୩୧
ଧର୍ମକୁମର ଯଜ୍ଞକାଳେ । ଦେବ-ମନୁଷ୍ୟ-ଋଷିମେଳେ । । ୩୨
ଯେ ରୂପ ଦେଖି ତୋଷମନେ । କୈବଲ୍ୟ ଲଭିଲେ ଲୋଚନେ । । ୩୩
ବ୍ରହ୍ମା ସର୍ଜନା ଯେଣୁ ନୋହି । ତେଣୁ ସକଳ ମନମୋହି । । ୩୪
ଯେ କୃଷ୍ଣ-ଅନୁରାଗ-ମୁଖ । ସୁନ୍ଦର-ହାସ-ରଙ୍ଗରେଖ । । ୩୫
ତେଣେ ମୋହିତ ଚି ଧରି । ମୋକ୍ଷ ଲଭିଲେ ବ୍ରଜନାରୀ । । ୩୬
ସେ ଶାନ୍ତରୂପ ଏକରୂପୀ । ବସଇ ସର୍ବଭୂତେ ବ୍ୟାପୀ । । ୩୭
ତା’ର ବିଭୂତି ଦେବଗଣ । ପୂଜନ୍ତି ତାହାର ଚରଣ । । ୩୮
ଦେବଙ୍କ ଅର୍ଥେ ସେ ମୁରାରି । ଜନ୍ମଇ ନାନାରୂପ ଧରି । । ୩୯
ସ୍ୱଭାବେ ଜନ୍ମ ଯା’ର ନାହିଁ । ନିମି ଅର୍ଥେ କଳ୍ପେ ଦେହୀ । । ୪୦
ଅଗ୍ନି ଯେସନେ ନାନାମତେ । ଯତନେ ଜଳଇ ଜଗତେ । । ୪୧
ଏ କଥା ମୋରେ ଖେଦକରେ । ସେ ଜନ୍ମି ବସୁଦେବ ଘରେ । । ୪୨
କଂସର ଡରେ ଗୋପମେଳେ । ଲୁଚି ଯେ ଥିଲେ ବାଳକାଳେ । । ୪୩
ତହୁଁ ମଥୁରାପୁରେ ଆସି । ଗଜ ଚାଣୂର କଂସ ନାଶି । । ୪୪
ଯାଇଣ ମାତାପିତା ପାଶ । ବୋଇଲେ କ୍ଷମା କରଦୋଷ । । ୪୫
ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି । ବିଅର୍ଥେ ବେ ଦେହଧରି । । ୪୬
ସେ କଥା ବିଡ଼ମ୍ବନ ମୋତେ । ହୃଦୟ ଦହେ ଅବିରତେ । । ୪୭
ତା’ର ଚରଣରେଣୁ ଗନ୍ଧ । ଆଘ୍ରାଣ କରି ନାସାରନ୍ଧ୍ର । । ୪୮
କେ ତା’ ପାଶୋରିପାରେ ଚିେ । ସୁଦୃଢ଼-ଯୋଗାଭ୍ୟାସେ ନିତ୍ୟେ । । ୪୯
ଭୂମିର ଭାର ନାଶ ଅର୍ଥେ । ତାହାର ଜନ୍ମ ଏ ଜଗତେ । । ୫୦
ତୁମ୍ଭେ ତ ଦେଖିଅଛ ଡୋଳେ । ଧର୍ମନନ୍ଦନ-ଯଜ୍ଞକାଳେ । । ୫୧
ଯାହାକୁ ଶିଶୁପାଳ ନିନ୍ଦି । ତକ୍ଷଣେ ତା’ର ଦେହେ ଭେଦି । । ୫୨
ଲୁଚିଲା ଅଭୟ-ଚରଣେ । ରହିଲା ଅଜରାମରଣେ । । ୫୩
ଯେ ଗତି ଯୋଗୀଜନେ ଚିନ୍ତି । ଜନ୍ମମରଣୁ ନିସ୍ତରନ୍ତି । । ୫୪
ତା’ର ବିଯୋଗ କେବା ସହେ । ଯେ ବା ଜଗତେ ଦେହବହେ । । ୫୫
ଦେଖ ଭାରତଯୁଦ୍ଧେ ଯେତେ । ରଥୀ ପଦାତି ଅପ୍ରମିତେ । । ୫୬
ଭୂଲୋକେ ଯେତେ ବୀର ଥିଲେ । ମରଣେ ତା’ ମୁଖ ଦେଖିଲେ । । ୫୭
ଅର୍ଜୁନ-ବାଣେ କ୍ଷୀଣ ହୋଇ । ପଶିଲେ ତା’ର ଦେହେ ଯାଇ । । ୫୮
ତ୍ରୈଲୋକ୍ୟନାଥ ସେ ଅନନ୍ତ । ସ୍ୱଭାବେ କମଳାର କାନ୍ତ । । ୫୯
ତ୍ରିଦଶ-ଦେବେ ତା’ ଚରଣେ । ସେବା କରନ୍ତି ଅନୁକ୍ଷଣେ । । ୬୦
ଯା’ର ସମାନ ବା ଅଧିକ । ନାହିଁ ଏ ଚତୁŸର୍ଶଲୋକ । । ୬୧
ସେ ପୁଣି ସ୍ଥାପି ରାଜପଦେ । ପୂଜିଲା ଉଗ୍ରସେନ ପାଦେ । । ୬୨
ଭୃତ୍ୟର ଭୃତ୍ୟ ଅଟେ ଯେହୁ । ତାହାକୁ ଆଜ୍ଞାମାଗେ ସେହୁ । । ୬୩
ଏ କଥା ଦେଖି ହେ ବିଦୁର । ଅତି ଦୁଃଖିତ ଚିତ୍ତ ମୋର । । ୬୪
ଦେଖ ପୂତନା ଧାତ୍ରୀ ରୂପେ । ସ୍ତନ ନିବେଶି ତା’ର ମୁଖେ । । ୬୫
କ୍ଷୀର ଗରଳ ସେଙ୍ଗ ଦେଇ । ପଶିଲା ତା’ର ଦେହେ ଯାଇ । । ୬୬
ସେ ଦୟାନିଧିର ଚରଣ । କେବା ନ ପଶିଲା ଶରଣ । । ୬୭
ଯେତେ ଅସୁର ଏ ଜଗତେ । ନଶିଲେ ଗୋବିନ୍ଦର ହସ୍ତେ । । ୬୮
ଗରୁଡ଼କନ୍ଧେ ତାକୁ ଚାହିଁ । ପଶିଲେ ତା’ର ଦେହେ ଯାଇ । । ୬୯
ସେ ଭାଗବତ ମଧ୍ୟେ ସାର । କି ଅବା ଦେବା ପଟାନ୍ତର । । ୭୦
କଂସରାଜାର ବନ୍ଦୀଘରେ । ଜନ୍ମିଲା ଦେବକୀ ଉଦରେ । । ୭୧
ବ୍ରହ୍ମାଙ୍କ ବୋଲେ ହୃଷୀକେଶ । ଧରଣୀଭାର କଲେ ନାଶ । । ୭୨
ସେ ବସୁଦେବ କଂସ ଡରେ । ନେଇ ଥୋଇଲା ନନ୍ଦଘରେ । । ୭୩
ଗୁପତେ ସେଙ୍ଗ ହଳଧର । ବଢ଼ିଲେ ଏଗାରବ›ର । । ୭୪
ଗୋପବାଳକ ସେଙ୍ଗ ଥାଇ । ବନେ ଚରାନ୍ତି ନିତ୍ୟେ ଗାଈ । । ୭୫
ବେଣୁଶବଦ ଶିଙ୍ଗାନାଦେ । ବନେ ବୁଲନ୍ତି ଅପ୍ରମାତେ । । ୭୬
ଯମୁନାକୂଳେ ଥାଇ ନିତ୍ୟେ । ଭୃଙ୍ଗ-କୋକିଳ-ନାଦ-ଗୀତେ । । ୭୭
ବରଜବାସୀଙ୍କ ଲୋଚନେ । କୁମାରଲୀଳା ଅନୁଦିନେ । । ୭୮
ରୋଦନ ହସନ ଖେଳନେ । ନିରତେ ବସେ ତା’ଙ୍କମନେ । । ୭୯
ବାଳସିଂହର ପ୍ରାୟେ ଚାହେଁ । ଯେ କାଳେ ଯେ ଲୀଳା ଦେଖାଏ । । ୮୦
ଦିନକୁଦିନ ଶୋଭାବନ୍ତ । ବନେ ବୁଲଇ ନନ୍ଦସୁତ । । ୮୧
ଗୋଧନ ଘେନି ଗୋପସେଙ୍ଗ । ବେଣୁ ବଜାଇ ନାନାରେଙ୍ଗ । । ୮୨
କଂସର ଆଜ୍ଞାରେ ଅସୁରେ । ଯେତେ ମିଳିଲେ ଗୋପପୁରେ । । ୮୩
ପୂତନା ଆଦି ମାୟାରୂପୀ । ମିଳିଲେ ବନଗିରି ବ୍ୟାପୀ । । ୮୪
ତାହାଙ୍କୁ କରି ବାଳଖେଳା । ହେଳେ ମାଇଲେ ନନ୍ଦବଳା । । ୮୫
ଯମୁନା ବିଷଜଳ ଖାଇ । ମରୁ ଯେ ଥିଲେ ଗୋପଗାଈ । । ୮୬
ତା’ଙ୍କୁ ଜୀଆଇ ନନ୍ଦବାଳ । ଅମୃତ କଲା ବିଷଜଳ । । ୮୭
ଇନ୍ଦ୍ରଉ›ବ ଭଙ୍ଗ କରି । ଗୋପଙ୍କୁ ପୂଜାଇଲେ ଗିରି । । ୮୮
ଯଜ୍ଞବିଭେଙ୍ଗ କୋପକରି । ଇନ୍ଦ୍ର ବରଷେ ଘୋର ବାରି । । ୮୯
ଗୋରୁ ଗୋପାଳଙ୍କ ବିକଳ । ତକ୍ଷଣେ ଦେଖି ନନ୍ଦବାଳ । । ୯୦
ଛତ୍ର ଆକାରେ ଗିରି ଧରି । ରଖିଲେ ଗୋପପୁର ଶିରୀ । । ୯୧
ଶରଦ-ଚନ୍ଦ୍ରନିଶି ଚାହିଁ । କାନନେ ବେଣୁନାଦ ବାଇ । । ୯୨
ସେ ଗୋପୀମଳ-ମନ । ରାସ-ଉ›ବେ ଭଗବାନ । । ୯୩
ଷୋଳସହସ୍ର ଗୋପନାରୀ । ରମିଲେ ନାନାରୂପ ଧରି । । ୯୪
ତା’ର ମହିମା କେ କହିବ । ଯାହା ନ ଜାଣେ ବ୍ରହ୍ମା-ଶିବ । । ୯୫
ସେ ହରିଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ । । ୯୬
ବିଦୁର-ଉଦ୍ଧବ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୯୭
ଏଣେ ଗୋବିନ୍ଦପାଦେ ରସ । କହଇ ଜଗନ୍ନାଥ ଦାସ । । ୯୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଦ୍ବିତୀୟୋଽଧ୍ୟାୟଃ

ତୃତୀୟ ଅଧ୍ୟାୟ[ସମ୍ପାଦନା]

ଉଦ୍ଧବ ଉବାଚ

ଶୁଣ ବିଦୁର ମୋ ବଚନ । ଧରି ନ ପାରେ ଖେଦମନ । । ୧
ସେ ରାମକୃଷ୍ଣ ଏକାରଥେ । ଗମିଲେ ଅକ୍ରୂର ସଙ୍ଗତେ । । ୨
ମାତାପିତାଙ୍କର କୁଶଳ । ପୁଚ୍ଛନ୍ତି ରାମ-ଆଦିମୂଳ । । ୩
କଂସକୁ ଦୃଷ୍ଟିରେ ସଂହାରି । ମଞ୍ଚାଉପରୁ କେଶଧରି । । ୪
ତଳେ ପକାଇ ରୋଷଭରେ । ମୃତପିଣ୍ତକୁ ଆକର୍ଷିଲେ । । ୫
ସାନ୍ଦୀପନିର ଘରେ ଯାଇ । ସକଳବିଦ୍ୟା ଶିକ୍ଷା ପାଇ । । ୬
ସେ ଦୈତ୍ୟ ନାମ ପଞ୍ଚଜନ । କରି ତା ଉଦର ବିଦୀର୍ଣ୍ଣ । । ୭
ଗୁରୁଦକ୍ଷିଣା ଅର୍ଥେ ପୁଣି । ଯମପୁରରୁ ପୁତ୍ର ଆଣି । । ୮
ଗୁରୁକାମିନୀ ଦୁଃଖ ହରି । ପୁଣି ମିଳିଲେ ନିଜପୁରୀ । । ୯
ଭୀଷ୍ମକ କନ୍ୟା ଅର୍ଥେ ହରି । କୁଣ୍ତୀନଗରେ ବିଜେକରି । । ୧୦
ଗନ୍ଧର୍ବବୃତ୍ତି ଆଚରିଲେ । ବଳେ ସେ କନ୍ୟାକୁ ହରିଲେ । । ୧୧
ଶୃଗାଳ ମଧ୍ୟୁ ସିଂହ ଯେହ୍ନେ । ସ୍ୱଭାଗ ହରଇ ତେସନେ । । ୧୨
ଯେହ୍ନେ ସୁପର୍ଣ୍ଣ ନିଜ ଭାଗ । ଅମୃତ ହରି କଲା ଭୋଗ । । ୧୩
କୋଶଳପୁରେ ନରହରି । ସପତଷଣ୍ଢ ବନ୍ଦୀ କରି । । ୧୪
କନ୍ୟା ଲଭିଲେ ନନ୍ଦବାଳ । ଜିଣି ସକଳ ଶତ୍ରୁବଳ । । ୧୫
ସତ୍ୟଭାମାର ବୋଲେ ପୁଣି । ନନ୍ଦନବନୁ ଚକ୍ରପାଣି । । ୧୬
ବଳେ ହରିଲେ ପାରିଜାତ । ଲୀଳାୟେ ଜିଣି ଶଚୀନାଥ । । ୧୭
ପୁରେ ରୋପିଲେ ବୃକ୍ଷ ନେଇ । ପତ୍ନୀର ପ୍ରିୟଭାବ ବହି । । ୧୮
ଗରୁଡେ଼ ବସି ଭାବଗ୍ରାହୀ । ନାରକାସୁରପୁରେ ଯାଇ । । ୧୯
ଦେଖିଲେ ତାହାର ଭବନ । ଶରୀରେ ବ୍ୟାପିଛି ଗଗନ । । ୨୦
ଚକ୍ରେ ତାହାର ମୁଣ୍ତାହାଣି । ଦେଖି ପ୍ରଣମିଲା ଧରଣୀ । । ୨୧
ବୋଲଇ କଲୁ ପୁତ୍ର ନାଶ । ଧରଣୀ ବଚନେ ବିଶ୍ୱାସ । । ୨୨
ନାରକାପୁତ୍ରକୁ ମୁରାରି । ତା’ ରାଜ୍ୟେ ଅଭିଷେକ କରି । । ୨୩
ନାରକା ଅନ୍ତଃପୁରେ ହରି । କୋଟିକନ୍ଦର୍ପ ରୂପ ଧରି । । ୨୪
ଯୁଦ୍ଧେ ସକଳ ରାଜା ଜିଣି । ଯେ କନ୍ୟା ଥିଲା ଦୈତ୍ୟ ଆଣି । । ୨୫
ସେ ସର୍ବ ଦେଖି କାମଭୋଳେ । ଚାହାଁନ୍ତି ନୟନ-ନିଶ୍ଚଳେ । । ୨୬
ଷୋଳସହସ୍ର ଶତାଧିକେ । ତୁଲ୍ୟବୟସୀ ଏକେ ଏକେ । । ୨୭
ହରିଙ୍କି ବରିଲେ ସକଳେ । ମଙ୍ଗଳ-ଶୁଭଲଗ୍ନ ବେଳେ । । ୨୮
ତାହାଙ୍କୁ ନିଜପୁରେ ଆଣି । ଏକମୁହୂର୍ତ୍ତେ ଚକ୍ରପାଣି । । ୨୯
ବିବାହ କଲେ ବେଦମତେ । ଶୁଣ ତାହାଙ୍କ ପୁତ୍ର ଯେତେ । । ୩୦
ଦଶକୁମର କନ୍ୟା ଏକ । ଆତ୍ମାସଦୃଶ ରୂପରେଖ । । ୩୧
କାଳଯବନ ଜରାସନ୍ଧେ । ଶାଲ୍ୱ ସହିତେ ପୁର ରୁନ୍ଧେ । । ୩୨
ତାହାଙ୍କୁ ନିଜତେଜେ ନାଶି । ସ୍ୱଜନ-ବାନ୍ଧବ ଆଶ୍ୱାସି । । ୩୩
ଶମ୍ବର ଦ୍ୱିବିନ୍ଦବାନର । ମୁର ବଲ୍ୱଳ ବାଣାସୁର । । ୩୪
ଯେ ଦନ୍ତବକ୍ର ଆଦି କରି । ତାହାଙ୍କୁ ସଂଗ୍ରାମେ ସଂହାରି । । ୩୫
ଏବେ ତୋ ଜ୍ୟେଷ୍ଠଭ୍ରାତସୁତେ । ଅନେକ ନୃପତି ସହିତେ । । ୩୬
ସଙ୍ଗତେ ନିଜବଳ ଘେନି । ଚରଣେ କମ୍ପାଇ ମେଦିନୀ । । ୩୭
ମିଳିଲେ କୁରୁକ୍ଷେତ୍ର ମଧ୍ୟେ । ଜିଣି ଭୁଞ୍ଜିବେ ମହୀ ସାଧ୍ୟେ । । ୩୮
କର୍ଣ୍ଣ ଶକୁନି ଦୁଃଶାସନ । ସ୍ୱଭାବେ ଦୁଷ୍ଟ ତିନିଜଣ । । ୩୯
ତାହାଙ୍କୁ ହୋଇଲେ ବିଶ୍ୱାସ । ଏଣୁ ହୋଇଲେ ଅଳ୍ପାୟୁଷ । । ୪୦
ଦେଖ ପଡ଼ିଲେ ରଣମଧ୍ୟେ । ମୂଢ଼ ଅଧର୍ମ-ଦୋଷବାଦେ । । ୪୧
ଶୁଣ ବିଦୁର କହୁଁ ତୋତେ । ଶ୍ରୀକୃଷ୍ଣ ଭାଳେ ଅନ୍ତର୍ଗତେ । । ୪୨
ଯେ ଭୀଷ୍ମ ଦ୍ରୋଣ ଭୀମାର୍ଜୁନ । ମାରିଲେ ଅନେକ ରାଜନ । । ୪୩
ଭାରା-ନିବାର-ଅର୍ଥେ ମହୀ । ସଂହାର ଅଳପ ମଣଇ । । ୪୪
ଏ ଯେ ମୋହର ଯଦୁବଂଶ । ଏ ମଲେ ଭାରା ହୋଏ ଶେଷ । । ୪୫
ମଦ୍ୟେ ଅରୁଣଚକ୍ଷୁ କୋପେ । ସର୍ବେ ମରିବେ ବିପ୍ରଶାପେ । । ୪୬
ଏ ଯେ ନ ମଲେ ନୋହେ ଶାନ୍ତି । ଏମନ୍ତ ଯୋଗମାୟା ଚିନ୍ତି । । ୪୭
ଏମନ୍ତେ ମନେ ଚିନ୍ତାକରି । ଧର୍ମସୁତଙ୍କୁ ନରହରି । । ୪୮
ବନ୍ଧୁ-ସୁହୃଦଜନ ମଧ୍ୟେ । କୃଷ୍ଣ ସ୍ଥାପିଲେ ରାଜପଦେ । । ୪୯
ଉତ୍ତରାଗର୍ଭେ କୁରୁବଂଶ । କୃଷ୍ଣ ରଖିଲେ ଅବଶେଷ । । ୫୦
ପରୀକ୍ଷିତଙ୍କୁ କରି ରକ୍ଷା । ଧର୍ମନନ୍ଦନେ ଦେଲେ ଦୀକ୍ଷା । । ୫୧
ଜ୍ଞାତିମାରଣ ଦୋଷ ନାଶେ । ଧର୍ମନନ୍ଦନଙ୍କୁ ବିଶ୍ୱାସେ । । ୫୨
ସର୍ବସମ୍ପଦେ ସୁସମ୍ପାଦି । କରାଇ ତିନି-ଅଶ୍ୱମେଧି । । ୫୩
ଯୁଧିଷ୍ଠି କୃଷ୍ଣେ ଅନୁଗତ । ପାଳିଲେ ମହୀ ଘେନି ଭ୍ରାତ । । ୫୪
ଆପଣେ ନିଜପୁରେ ଯାଇ । ନାରୀଗଣଙ୍କ ମଧ୍ୟେ ଥାଇ । । ୫୫
ଗୃହସ୍ଥଧର୍ମ ବେଦମତେ । କୃଷ୍ଣ ଆଚରିଲେ ଜଗତେ । । ୫୬
ସ୍ମିତ-ନୟନେ ସ୍ନେହ ବହି । ପୀୟୂଷ ସମ କଥା କହି । । ୫୭
ନାରୀଗଣଙ୍କ ମନ ମୋହି । ଗୃହଚରିତେ ଗୃହେ ଥାଇ । । ୫୮
ଯେ ଧର୍ମ ଇହ ପରଲୋକେ । କୃଷ୍ଣ ସାଧିଲେ ସୁବିବେକେ । । ୫୯
ଏମନ୍ତେ ବହୁତ ବରଷେ । ରମନ୍ତେ ଗୃହମେଧ ଆଶେ । । ୬୦
ବିଷୟେ ବଇରାଗ୍ୟ ଜାତ । ହୋଇଲା ଯୋଗେ ହୃଦଗତ । । ୬୧
କର୍ମ ଅଧୀନେ କାମେ ଜଡ଼ି । ଦେବମାୟାରେ ସୁଖ ଲୋଡ଼ି । । ୬୨
ପୁରୁଷ କର୍ମର ଅଧୀନ । ଯୋଗେଶ୍ୱରଙ୍କୁ ଯେ ଗହନ । । ୬୩
ସେ ହରି ବିଷ୍ଣୁମାୟା କରି । ନିଜପୁତ୍ରଙ୍କ ମନ ହରି । । ୬୪
ସେ ପୁତ୍ରେ କ୍ରୀଡ଼ାରସେ ଦିନେ । କୋପ ସଞ୍ଚିଲେ ବିପ୍ରମନେ । । ୬୫
ହରିର ମତ ଜାଣି ଭଲେ । ବ୍ରାହ୍ମଣେ ଶାପ ଦେଇଗଲେ । । ୬୬
ବ୍ରାହ୍ମଣ-ଶାପ ପାଇ ପୁରେ । ଅଦ୍ଭୁତ ଦେଖିଲେ ବିସ୍ତାରେ । । ୬୭
କୃଷ୍ଣବଚନେ ଶାନ୍ତି ଅର୍ଥେ । ପ୍ରଭାସେ ମିଳିଲେ ସମସ୍ତେ । । ୬୮
ସେ ପୁଣ୍ୟଜଳେ କରି ସ୍ନାନ । ପିତୃତର୍ପଣ ପିଣ୍ତଦାନ । । ୬୯
ପୂଜିଲେ ଋଷି ଦେବଗଣେ । ଗୋଦାନେ ତୋଷିଲେ ବ୍ରାହ୍ମଣେ । । ୭୦
ସୁବର୍ଣ୍ଣ ରଜତ ଶୟନ । ବସନ କମ୍ବଳ ଅଜିନ । । ୭୧
ରଥକୁଞ୍ଜର ଅଶ୍ୱମାନ । ଧରଣୀତୁଲେ କନ୍ୟାଦାନ । । ୭୨
ଅନ୍ନ ସହିତେ ନାନାରସେ । ବିପ୍ରଙ୍କୁ ଭୁଞ୍ଜାଇ ହରଷେ । । ୭୩
ଏମନ୍ତେ ଯଦୁ-ଭୋଜଗଣ । ଗୋ-ବିପ୍ରସେବା ତା’ଙ୍କ ପ୍ରାଣ । । ୭୪
ବିପ୍ରଙ୍କ ପାଦେ ପ୍ରଣମିତେ । ଦିବସ ବଞ୍ଚିଲେ ଏମନ୍ତେ । । ୭୫
ସ୍ୱଭାବେ କରି ଉପବାସେ । ରାତ୍ର ବଞ୍ଚିଲେ ସେ ନିରାଶେ । । ୭୬
ସେ ଯଦୁବଂଶର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ । । ୭୭
ହୋଇବ କୃଷ୍ଣରେ ବିଶ୍ୱାସ । କହଇ ଜଗନ୍ନାଥ ଦାସ । । ୭୮
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ତୃତୀୟୋଽଧ୍ୟାୟଃ

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ଉଦ୍ଧବ ଉବାଚ

ଉଦ୍ଧବ କହେ ଅଶ୍ରୁମୁଖେ । ସେ ଯଦୁବଂଶ ରାତ୍ରିମୁଖେ । । ୧
ବାରୁଣୀମଦ୍ୟ କଲେ ପାନ । ତେଣୁ ହୋଇଲେ ହତଜ୍ଞାନ । । ୨
ମର୍ମଭେଦନ କଟୁବାକ୍ୟେ । କନ୍ଦଳ କଲେ ଏକେ ଏକେ । । ୩
ମନ ହରିଲା ମଦ୍ୟଦୋଷ । ଭୋଳେ ହୋଇଲେ ବୁଦ୍ଧିଭ୍ରଂଶ । । ୪
ରଜନୀ ମଧ୍ୟେ ଯଦୁବଳେ । କନ୍ଦଳଯୁଦ୍ଧେ ନାଶ ଗଲେ । । ୫
ତକ୍ଷଣେ ଆତ୍ମମାୟାଗତି । ବିଚାରି ପ୍ରଭୁ ଯଦୁପତି । । ୬
ମିଳିଲେ ସରସ୍ୱତୀକୂଳେ । ବନେ ଅଶ୍ୱତଥ୍‌-ତରୁମୂଳେ । । ୭
ସ୍ୱକୁଳ ନାଶ ଇଚ୍ଛା କରି । ଦ୍ୱାରକା ଥିଲାବେଳେ ହରି । । ୮
ମୋତେ ବୋଇଲେ ଶିଷ୍ୟଧର୍ମେ । ଚଳ ତୁ ବଦରିକାଶ୍ରମେ । । ୯
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ପଦକମଳେ ମନ ଥୋଇ । । ୧୦
ନ କରି ତୀର୍ଥକୁ ଗମନ । ଚାହିଁଲି ଶ୍ରୀକୃଷ୍ଣ-ବଦନ । । ୧୧
ତା’ର ଗମନ ପଛେ ମୁହିଁ । ଗଲି ତାହାର ଭାବ ବହି । । ୧୨
ସେ ପ୍ରିୟମତି ନରହରି । ଖୋଜନ୍ତେ ତା’କୁ ଅନୁସରି । । ୧୩
ଦେଖିଲି ସରସ୍ୱତୀତୀରେ । ଏକାନ୍ତ-ଆସନ ସଧୀରେ । । ୧୪
ଶ୍ୟାମସୁନ୍ଦର ତନୁ ବର୍ଣ୍ଣ । ପ୍ରଶାନ୍ତ-ଅରୁଣଲୋଚନ । । ୧୫
ଚତୁରଭୁଜେ ଶସ୍ତ୍ର ଶୋହେ । ପୀତବସନ ମନମୋହେ । । ୧୬
ଦକ୍ଷିଣପାଦ ବାମଜଙ୍ଘେ । ବାଳ-ଅଶ୍ୱତଥ୍‌ ପୃଷ୍ଠଭାଗେ । । ୧୭
ଏବେ ହୋ କୁରୁବୀର ଶୁଣ । ମୈତ୍ରେୟ ମିଳିଲେ ସେ ସ୍ଥାନ । । ୧୮
ବ୍ୟାସମୁନିଙ୍କ ସଖା ହୋ’ନ୍ତି । ଆନନ୍ଦେ ଭୁବନେ ଭ୍ରମନ୍ତି । । ୧୯
ତକ୍ଷଣେ କୃଷ୍ଣପାଶେ ଯାଇ । ପଦେ ନମିଲେ ଶିରଦେଇ । । ୨୦
ମୁହିଁ ଶୁଣଇ ଅନୁରାଗେ । ଯେବା ବୋଇଲେ କୃଷ୍ଣଭାବେ । । ୨୧

ଭଗବାନ ଉବାଚ

ଉଦ୍ଧବ ଶୁଣ ମୋ’ ବଚନ । ମୁହିଁ ଜାଣିଲି ତୋ’ର ମନ । । ୨୨
ଦୁର୍ଲ୍ଲଭ-ଜ୍ଞାନ ଦେବି ତୋତେ । ସଂସାରୁ ତରିବୁ ଯେମନ୍ତେ । । ୨୩
ପୂର୍ବେ ବ୍ରହ୍ମାର ଯଜ୍ଞକାଳେ । ସକଳ-ବସୁଙ୍କର ମେଳେ । । ୨୪
କଳ୍ପିଲୁ ଯୋଗେ ଇଷ୍ଟସିଦ୍ଧି । ମୋ’ର ଚରଣ ଧ୍ୟାନେ ବନ୍ଦି । । ୨୫
ଏ ଯୋଗ ସର୍ବ ପୂର୍ବେସିଦ୍ଧି । ଯେଣୁ ମୋ’ ଅନୁଗ୍ରହ-ବିଧି । । ୨୬
ତେଣୁ ଲଭିଲୁ ମୋତେ ହେଳେ । ନିଜ ଭୁବନେ ଯିବାବେଳେ । । ୨୭
ବିଷୟରସ ଭୋଗଚିନ୍ତି । ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି । । ୨୮
ଭକ୍ତିବୈରାଗ୍ୟ ଯା’ର ନାହିଁ । ସେ ବା ଲଭିବ ମୋତେ କାହିଁ । । ୨୯
ଯେ ଜ୍ଞାନ ବ୍ରହ୍ମାର ସମୀପେ । ମୁହିଁ କହିଲି ପଦ୍ମକଳ୍ପେ । । ୩୦
ପରମ-ଜ୍ଞାନର ମହିମା । କେ ଚିନ୍ତିପାରେ ଆଦିସୀମା । । ୩୧
ଏଣୁ ପଣ୍ତିତେ ମୁନିଜନେ । ଦୃଢେ଼ ବିଚାରି ଅନୁମାନେ । । ୩୨
ଏ ଭାଗବତ-ଧର୍ମ ଚିନ୍ତି । ଏ ଭବଜଳୁ ତରିଯା’ନ୍ତି । । ୩୩

ଉଦ୍ଧବ ଉବାଚ

ସେ ଆଦିପୁରୁଷ ବଚନ । ଶୁଣି ଆନନ୍ଦ ମୋର ମନ । । ୩୪
ତା’ ଅନୁଗ୍ରହ ପ୍ରତିକ୍ଷଣେ । କଳ୍ପିଲି ତାହାର ସ୍ମରଣେ । । ୩୫
କୃଷ୍ଣସ୍ନେହରେ ମୋରଦେହୀ । ରୋମପୁଲକେ ଅଶ୍ରୁ ବହି । । ୩୬
କରଯୁଗଳ ଶିରେ ଦେଇ । କହିଲି ତାହାଙ୍କୁ ବିନୋୟି । । ୩୭
ଭୋ ନାଥ ତୋ’ର ପଦ୍ମପାଦେ । ଯେ ପ୍ରାଣୀ ଭଜନ୍ତି ଆନନ୍ଦେ । । ୩୮
ତାହାଙ୍କୁ ସର୍ବ-ପୁରୁଷାର୍ଥ । ଯେ ଧର୍ମ-କାମ-ମୋକ୍ଷ-ଅର୍ଥ । । ୩୯
ଦୁର୍ଲଭ ନୋହେ ଲଭିବାରେ । ନିଶ୍ଚୟ ମୋହର ବିଚାରେ । । ୪୦
ମୋହର ତେଣେ ଆଶାନାହିଁ । କେବଳ ତୋ’ ପାଦ ଭଜଇ । । ୪୧
ସ୍ୱଭାବେ ଜନ୍ମ ଯା’ର ନାହିଁ । କର୍ମର ଚେଷ୍ଟା ତା’ର କାହିଁ । । ୪୨
ସ୍ୱଭାବେ କାଳରୂପ ତୋ’ର । ଜ୍ଞାନବିଜ୍ଞାନେ ଅଗୋଚର । । ୪୩
ତୋ’ର ମହିମା ଆତ୍ମାରତି । ଯୋଗୀଏ ନ ପାରନ୍ତି ଚିନ୍ତି । । ୪୪
ତୁ ପୁଣି ଶତ୍ରୁଭୟ ପାଇ । ସମୁଦ୍ରେ ଦୁର୍ଗକୁ ଭିଆଇ । । ୪୫
ପଳାଇ ରହିଲୁ ଆନନ୍ଦେ । ଅନେକ ନାରୀଗଣ ମଧ୍ୟେ । । ୪୬
ମନ୍ତ୍ରଣା ଅର୍ଥେ ମୋତେ ରାଇ । ଆଦରେ ସମୀପେ ବସାଇ । । ୪୭
ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧି । ଅଖଣ୍ତ-ଆତ୍ମଜ୍ଞାନନିଧି । । ୪୮
ସଂଶୟେ ବୁଦ୍ଧି ହୁଏ କ୍ଷୀଣ । ଦେଖିଣ ତୋ’ର ଆଚରଣ । । ୪୯
ସର୍ବଜ୍ଞପଣ ଯା’ର ତହିଁ । ସେ କିପାଁ ମୋତେ ପଚାରଇ । । ୫୦
ଏଣୁ ମୋ ମନ ଖେଦ ପାଇ । ତୋ’ ମାୟା ଗହନେ ଭ୍ରମଇଁ । । ୫୧
ଯେ ଆତ୍ମାଜ୍ଞାନ ତୁ ଏକାନ୍ତେ । କହିଲୁ ବ୍ରହ୍ମାର ଅଗ୍ରତେ । । ୫୨
ମୁଁ ଯେବେ ଶୁଣିବାରେ କ୍ଷମ । କହ ହେ ପୁରୁଷଉତ୍ତମ । । ୫୩
ଯେ ଜ୍ଞାନମାର୍ଗେ ତୋତେ ସେବି । ଏ ମାୟାସଂସାରୁ ତରିବି । । ୫୪
ଏମନ୍ତ ପଚାରନ୍ତେ ମୁହିଁ । ସେ କୃଷ୍ଣ ମୋତେ ଦୟାବହି । । ୫୫
ଆତ୍ମାର ତତ୍ତ୍ବ ନିତ୍ୟଜ୍ଞାନ । କହିଲେ କମଳଲୋଚନ । । ୫୬
ସେ ତୀର୍ଥପାଦ ଜଗନ୍ନାଥ । ମୋହର ଭାବେ ଆରାଧିତ । । ୫୭
ସେ ହରିମୁଖୁ ଜ୍ଞାନ ପାଇ । ତା’ ପାଦପଦ୍ମେ ଶିରଦେଇ । । ୫୮
ସେ ଦେବଦେବ ଭଗବାନ । ତାହାଙ୍କୁ କରି ପ୍ରଦକ୍ଷିଣ । । ୫୯
ତା’ର ବିଚ୍ଛେଦେ ଆତ୍ମା ମୋ’ର । କ୍ଷଣେ ଏ ଦେହେ ନୋହେ ସ୍ଥିର । । ୬୦
ତା’ର ବିରହ ଆତ୍ମାତୁଲେ । ତକ୍ଷଣେ ଅଇଲି ଏ ସ୍ଥଳେ । । ୬୧
ତା’ର ବିଯୋଗ ଆର୍ତ୍ତିଯୁତେ । ଯିବି ମୁଁ ତା’ର ପ୍ରିୟତୀର୍ଥେ । । ୬୨
ନାମ ତା’ ବଦରିକାଶ୍ରମ । ଯହିଁରେ ନରନାରାୟଣ । । ୬୩
ଏ ନରଲୋକେ ଶୁଭ ଅର୍ଥେ । ତପ ଆରାଧି ଦୃଢ଼ଚିତ୍ତେ । । ୬୪
ଅଛନ୍ତି ନରନାରାୟଣ । ଶୁକ ବୋଲନ୍ତି ରାୟ ଶୁଣ । । ୬୫

ଶୁକ ଉବାଚ

ସୁହୃଦ-ବନ୍ଧୁ-ବଧ ବାଣୀ । ଉଦ୍ଧବ ମୁଖୁ ତାହା ଶୁଣି । । ୬୬
ଦୁଃସହ-ଦୁଃଖ ତା’ ମନର । ଜ୍ଞାନେ ସଂହରିଲା ବିଦୁର । । ୬୭
କହି ଉଦ୍ଧବ ଚଳିଯା’ନ୍ତେ । ବିଦୁର ପଡେ଼ ପାଦଗତେ । । ୬୮
ପୁଣି ବିଶ୍ୱାସ ତା’ଙ୍କୁ କରି । ବୋଲେ ଚରଣ ଶିରେ ଧରି । । ୬୯

ବିଦୁର ଉବାଚ

ଉଦ୍ଧବ ଶୁଣ ମୋ’ ବଚନ । ତୋ’ର ଠାକୁର ଭଗବାନ । । ୭୦
ସେ ଜ୍ଞାନ କହିଛନ୍ତି ଯେତେ । ଉଦ୍ଧବ କହ ମୋ’ ଅଗ୍ରତେ । । ୭୧
ଯେ ଜ୍ଞାନ ଧ୍ୟାନ ସୁଖ ଭୋଳେ । ପଶିବି ତା’ ପାଦକମଳେ । । ୭୨
ଏମନ୍ତେ ବିଦୁରର ବାଣୀ । ଉଦ୍ଧବ ବୋଲେ ତାହା ଶୁଣି । । ୭୩

ଉଦ୍ଧବ ଉବାଚ

ଶୁଣ ବିଦୁର ମୋ’ ବଚନ । ସେ ଯୋଗେଶ୍ୱର ଭଗବାନ । । ୭୪
ଜୀବନ ଛାଡ଼ିବାର କାଳେ । ମୈତ୍ରେୟ ମୁନିଙ୍କି ନିଶ୍ଚଳେ । । ୭୫
ସମ୍ପୂର୍ଣ୍ଣ-ଜ୍ଞାନ ତା’ଙ୍କୁ ଦେଲେ । ନିଜ ଭୁବନେ ବିଜେ କଲେ । । ୭୬
ତୁ ଏବେ ଚଳ ତା’ଙ୍କ ପାଶ । ନିର୍ମଳ-ଭକ୍ତି-ଉପଦେଶ । । ୭୭
ସେ ତୋତେ ଦେବେ ଦିବ୍ୟଜ୍ଞାନ । ଏମନ୍ତ କହି ବେନିଜନ । । ୭୮
ପୁଲିନେ ବଞ୍ଚିଲେ ରଜନୀ । ନିଶ୍ଚଳେ କୃଷ୍ଣଭାବଘେନି । । ୭୯
କୃଷ୍ଣ-ଚରଣ-ଧ୍ୟାନ ବଳେ । ବନ୍ଧୁ-ବିଯୋଗ ପାଶୋରିଲେ । । ୮୦
ଏମନ୍ତେ ପାହିଲା ରଜନୀ । କୃଷ୍ଣଭକତିଭାବ ଘେନି । । ୮୧
ଉଦ୍ଧବ ଗଲା ତୋଷମନେ । ମିଳିଲା ବଦରିକାଶ୍ରମେ । । ୮୨
ପରୀକ୍ଷ କହେ ଶୁକେ ଚାହିଁ । ଭାବେ ଚରଣେ ଶିର ଦେଇ । । ୮୩

ପରୀକ୍ଷିତ ଉବାଚ

ଭୋ ମୁନି ଅସମ୍ଭବ ବାଣୀ । ମୁହିଁ ତୁମ୍ଭର ମୁଖୁ ଶୁଣି । । ୮୪
ସଂଶୟ ରହିଲା ମୋ’ ମନେ । ପୁଚ୍ଛଇ ତୁମ୍ଭ ସନ୍ନିଧାନେ । । ୮୫
ବ୍ରାହ୍ମଣଶାପେ ଯଦୁବଳେ । ନଶିଲେ ରଣେ ମଦ୍ୟଭୋଳେ । । ୮୬
ରଥ କୁଞ୍ଜର ଯୂଥପତି । କେବେ ହେଁ ରଣେ ନ ଘୁଞ୍ଚନ୍ତି । । ୮୭
ଯୂଥପତିଙ୍କ ମଧ୍ୟେ ମୁଖ୍ୟ । ଉଦ୍ଧବ ଅଟଇ ପ୍ରତ୍ୟକ୍ଷ । । ୮୮
ଏ ବଡ଼ ସଂଶୟ ମୋ’ ଚିତ୍ତେ । ଉଦ୍ଧବ ବଞ୍ଚିଲା କେମନ୍ତେ । । ୮୯
ଯହିଁ ଗୋବିନ୍ଦ ଦେହ ଗଲା । ଏ ବା କେମନ୍ତେ ଉବୁରିଲା । । ୯୦
ଶୁଣି କହନ୍ତି ଶୁକମୁନି । ଆନନ୍ଦେ କୃଷ୍ଣଭାବ ଘେନି । । ୯୧

ଶୁକ ଉବାଚ

ବ୍ରାହ୍ମଣ-ଶାପ ବଡ଼ଦୋଷ । ନିଶ୍ଚେ ଦହିବ ଯଦୁବଂଶ । । ୯୨
ଏମନ୍ତ ଜାଣି ଭାବଗ୍ରାହୀ । ନିକଟେ ଉଦ୍ଧବ ବସାଇ । । ୯୩
ଆତ୍ମମରଣ ପରିମାଣି । ମନେ ଚିନ୍ତିଲେ ଚକ୍ରପାଣି । । ୯୪
ଏ ମୋର ତତ୍ତ୍ବଜ୍ଞାନ ଯେତେ । ମୁଁ ଗଲେ ଯିବ ମୋ’ ସଙ୍ଗତେ । । ୯୫
ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ । ପ୍ରାଣୀ ତରିବେ ଏହିଭାବେ । । ୯୬
ଏମନ୍ତେ ମନେ ବିଚାରିଲେ । ଉଦ୍ଧବେ ତତ୍ତ୍ବଜ୍ଞାନ ଦେଲେ । । ୯୭
ବୋଇଲେ ସାଧ ଜ୍ଞାନବ୍ରହ୍ମ । ଏ ଯେ ଉଦ୍ଧବ ମୋର ସମ । । ୯୮
ଏ ଜ୍ଞାନ ପ୍ରାଣୀଙ୍କି ବୁଝାଉ । ଏଣୁ ଏ ନରଲୋକେ ରହୁ । । ୯୯
ଉଦ୍ଧବ କହିବ ଯେମନ୍ତେ । ପ୍ରାଣୀଏ ଯିବେ ସେହିପଥେ । । ୧୦୦
ଏଣୁ ତ୍ରିଲୋକଗୁରୁ-ହରି । ଜ୍ଞାନେ ଉଦ୍ଧବକୁ ଉଦ୍ଧରି । । ୧୦୧
ତେଣୁ ଗୋବିନ୍ଦ ବୋଲେ ଗଲା । ବଦ୍ରିକାଆଶ୍ରମେ ମିଳିଲା । । ୧୦୨
ସମାଧି କରି ଘୋରବନେ । ପୂଜିଲା ଗୋବିନ୍ଦ-ଚରଣେ । । ୧୦୩
ଏମନ୍ତେ ଉଦ୍ଧବର ବାଣୀ । ବିଦୁର ସାବଧାନେ ଶୁଣି । । ୧୦୪
କୃଷ୍ଣର ଲୀଳା ଅବତାର । ଯେ ଗୁଣଗାଥା କର୍ମ ତା’ର । । ୧୦୫
ଶରୀର ଛାଡ଼ିଲେ ଯେମନ୍ତେ । ଏ ସର୍ବକଥା ସ୍ମରି ଚିତ୍ତେ । । ୧୦୬
କୃଷ୍ଣର ସ୍ନେହେ ଦେଇମନ । ଚଳନ୍ତେ କରଇ ରୋଦନ । । ୧୦୭
କେତେ ହେଁ ଦିନ ବନେ ଗଲା । କାଳିନ୍ଦୀତଟରେ ମିଳିଲା । । ୧୦୮
ତହୁଁ ଚଳିଲା ଗଙ୍ଗାତୀରେ । ମୈତ୍ରେୟ-ମୁନି-ଅନୁସରେ । । ୧୦୯
କହଇ ବିପ୍ର ଜଗନ୍ନାଥ । ତୃତୀୟସ୍କନ୍ଧେ ଭାଗବତ । । ୧୧୦
ବିଦୁର-ଉଦ୍ଧବ-ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୧୧
ସୁଜନେ ଏଣେ ଦିନ ବଞ୍ଚ । କୃଷ୍ଣ-ଭକତି ହୃଦେ ସଞ୍ଚ । । ୧୧୨
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ ଚତୁର୍ଥଽଧ୍ୟାୟଃ

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ଶୁଣ ହେ କୁରୁ ନୃପବର । ଗଙ୍ଗାରତୀରେ ସେ ବିଦୁର । । ୧
ସେ ଗଙ୍ଗାତୀରେ ଉପବନେ । ଦୃଢ଼ ନିଶ୍ଚଳେ ଯେଗାସନେ । । ୨
ଅଗାଧବୋଧ ବ୍ରହ୍ମଋଷି । ବୃକ୍ଷର ମୂଳେ ଛନ୍ତି ବସି । । ୩
ମୈତ୍ରେୟ ନାମ ତାହାଙ୍କର । ତେଜେ କି ବିରାଜେ ଭାସ୍କର । । ୪
ତାଙ୍କ ସମୀପେ ବେଗେ ଯାଇ । କପୋଳେ ବେନିକର ଦେଇ । । ୫
ଗୋବିନ୍ଦଭାବ ଘେନି ହୃଦେ । ବିଦୁର ପୁଚ୍ଛିଲା ଆନନ୍ଦେ । । ୬

ବିଦୁର ଉବାଚ

ଭୋ ବ୍ରହ୍ମମୁନି ମୋତେ କହ । ଏ ମୋର ମନରେ ସନ୍ଦେହ । । ୭
ଏ ଜୀବଲୋକ ସୁଖଅର୍ଥେ । କର୍ମ ସମ୍ପାଦୁଥାଇ ନିତ୍ୟେ । । ୮
କେବେହେଁ ଦୁଃଖ ନ ଚିନ୍ତଇ । ନିଷ୍କାମମାର୍ଗେ ନ ରହଇ । । ୯
ସୁଖ ଚିନ୍ତନ୍ତେ ଦୁଃଖଲଭେ । କହ ଏ କେବଣ ପ୍ରସ୍ତାବେ । । ୧୦
କୃଷ୍ଣ-ବିମୁଖ ଯେତେ ନର । କର୍ମ ଅଭାଗ୍ୟ ତାହାଙ୍କର । । ୧୧
ବଞ୍ଚିତ ଗୁରୁଧର୍ମଦୀକ୍ଷା । କାହୁଁ ପାଇବେ ସୁଖବାଞ୍ଛା । । ୧୨
କୃଷ୍ଣର ଅନୁଗ୍ରହୀ ଜନେ । ଭୂତ-ଭବିଷ୍ୟ-ବର୍ତ୍ତମାନେ । । ୧୩
ତାଙ୍କ କୁଶଳ ଆଚରନ୍ତି । କ୍ଷେମେଣ ସଂସାରେ ଭ୍ରମନ୍ତି । । ୧୪
ହେ ସାଧୁଜନଙ୍କର ସାର । କହ ସାଧୁମାର୍ଗ ବିଚାର । । ୧୫
ଯେ ମାର୍ଗେ କୃଷ୍ଣଙ୍କୁ ଆରାଧି । ପ୍ରାଣୀ ଲଭନ୍ତି ସର୍ବସିଦ୍ଧି । । ୧୬
ସେ ହରି ଭକ୍ତି ଅନୁଗତେ । ବସନ୍ତି ଭକ୍ତ-ହୃଦଗତେ । । ୧୭
ନିର୍ମଳଚିତ୍ତେ ଜ୍ଞାନ କହେ । ଜନ୍ମମରଣ ତାପ ଦହେ । । ୧୮
ସେ ହରି ନାନା-ଅବତାରେ । ସଂସାରେ ଯେତେ କର୍ମକରେ । । ୧୯
ସ୍ୱଭାବେ ତ୍ରୈଲୋକ୍ୟଈଶ୍ୱର । ବ୍ରହ୍ମା-ଶଙ୍କରେ ଅଗୋଚର । । ୨୦
ସ୍ୱଭାବେ ଚେଷ୍ଟା ଯାର ନାହିଁ । ସେ କିପାଁ ସଂସାର ସର୍ଜଇ । । ୨୧
ବ୍ରହ୍ମାଣ୍ତେ କରେ ନାନାମୂର୍ତ୍ତି । ଯେ ଜୀବ ଯେମନ୍ତେ ଜୀଅନ୍ତି । । ୨୨
ଜୀବଙ୍କୁ ହୃଦେ ଭରି ଶୋଏ । କେବଳ ଆତ୍ମମାୟା-ମୋହେ । । ୨୩
ଯୋଗେଶ୍ୱରଙ୍କ ଅଧୀଶ୍ୱର । ଯେମନ୍ତେ ବହୁତ ପ୍ରକାର । । ୨୪
ବହୁପ୍ରକାରେ ପ୍ରକାଶଇ । ରବି ଯେସନେ ଶୂନ୍ୟେଥାଇ । । ୨୫
କ୍ରୀଡ଼ାବିହାରେ ଏ ଜଗତେ । ଗୋ-ବିପ୍ର-ଦେବ-ରକ୍ଷାଅର୍ଥେ । । ୨୬
କର୍ମ କରଇ ସେ ଯେମନ୍ତେ । ରୂପ ପ୍ରଭେଦ ବହୁମତେ । । ୨୭
ସେ ହରି-ଚରିତ-ଅମୃତ । ଶୁଣି ସନ୍ତୋଷ ନୋହେ ଚିତ୍ତ । । ୨୮
ସେ ଆଦିଲୋକନାଥ ହରି । ଯେ ଅବା ତତ୍ତ୍ବ ଆଶ୍ରେକରି । । ୨୯
ଲୋକ-ଅଲୋକ-ଲୋକପାଳ । ଅନେକ ଭୁବନମଣ୍ତଳ । । ୩୦
ନାନାପ୍ରକାରେ ଭେଦକରି । ପ୍ରାଣୀଙ୍କ କର୍ମସୂତ୍ର ଧରି । । ୩୧
ସେ ନାରାୟଣ ଆତ୍ମଯୋନି । ବିଶ୍ୱସର୍ଜଇ ଯାକୁ ଘେନି । । ୩୨
ଯେମନ୍ତେ ଜୀବମାନଙ୍କର । ସ୍ୱଭାବକର୍ମ ଯେ ଯାହାର । । ୩୩
ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ । । ୩୪
ପରଅପର କଥା ଯେତେ । ଗୋବିନ୍ଦ-ଚରିତ ସମେତେ । । ୩୫
ବ୍ୟାସଙ୍କ ମୁଖୁ ଅନୁକ୍ଷଣେ । ଶୁଣିଛି ତୃଷିତ-ଶ୍ରବଣେ । । ୩୬
ଅଳପ ସୁଖ ଯା ଲକ୍ଷଣ । ସେ କାହିଁ ହରିବ ମୋ ମନ । । ୩୭
ଶ୍ରୀକୃଷ୍ଣ-କଥାମୃତରସ । ପାନରେ ସର୍ବଦା ମୋ ଆଶ । । ୩୮
କୃଷ୍ଣଚରିତ ତୀର୍ଥପଦ । ହରଇ ବିଷୟା-ବିଷାଦ । । ୩୯
ସକଳତୀର୍ଥେ ମୁନିଗଣେ । ଯାର ଚରିତ ଅନୁକ୍ଷଣେ । । ୪୦
ସ୍ତୁତି କରନ୍ତି ଆତ୍ମାଲାଭେ । କେବଳ ଆତ୍ମଜ୍ଞାନଲୋଭେ । । ୪୧
ସେ କଥା ପଶି କର୍ଣ୍ଣଦ୍ବାରେ । ସୁତୀକ୍ଷ୍‌ଣ-ଚକ୍ର ଘେନି କରେ । । ୪୨
ଯେ କର୍ମ ଗୃହ-ଧନ୍ଦେ ଥାଇ । ତ୍ରିଗୁଣ-ରଜ୍ଜୁ ଗଳେ ଦେଇ । । ୪୩
ଜନ୍ମମରଣ-ମାର୍ଗେ ଟାଣେ । ସେ କର୍ମ ଛେଦେ ତତକ୍ଷଣେ । । ୪୪
ଏମନ୍ତ କୃଷ୍ଣଗୁଣ ଯେତେ । କେ ତୃପ୍ତ ଶୁଣି କର୍ଣ୍ଣପଥେ । । ୪୫
ତୁମ୍ଭର ସଖା ମୁନିବ୍ୟାସ । ଭାରତେ କୃଷ୍ଣ ଗୁଣ-ଯଶ । । ୪୬
ଅର୍ଥକାମାଦିଦ୍ୱାରେ କହି । ଯେଣେ ଶ୍ରୀକୃଷ୍ଣେ ମତିହୋଇ । । ୪୭
ଯାହା ଶୁଣନ୍ତେ କର୍ଣ୍ଣେ ସୁଖ । ମନେ ନ ରହେ କିଛି ଦୁଃଖ । । ୪୮
ଯାହା ଶୁଣନ୍ତେ ନିତିନିତି । ନିବିଡେ଼ ବଢ଼ଇ ବିରକ୍ତି । । ୪୯
ସେ ହରି କଥନ ଶ୍ରବଣେ । ଯେ ପ୍ରାଣୀ ବାଞ୍ଛେ ଅନୁକ୍ଷଣେ । । ୫୦
ସକଳଦୁଃଖ ହରେ ତାର । ରବି ଯେସନେ ଅନ୍ଧକାର । । ୫୧
ଯେ ହରି-କଥନେ ବିମୁଖୀ । ତାର ଜୀବନ ସଦା ଦୁଃଖୀ । । ୫୨
ତାର ଆୟୁଷ ଗତି-ସ୍ମୃତି । କାଳର ବଳେ ନାଶ ଯାନ୍ତି । । ୫୩
ତାହା ନ ଜାଣି ମୂଢ଼ପଣେ । ବିଅର୍ଥବାଦ ଅନୁକ୍ଷଣେ । । ୫୪
ଏଣୁ ଗୋବିନ୍ଦ କଥା ଯେତେ । ଆଗମ ନିଗମ ଭକତେ । । ୫୫
ସକଳ କଥା ମଧ୍ୟେ ସାର । ସର୍ବକଲ୍ୟାଣ ସୁଖଘର । । ୫୬
ଉଧରି କହ ବିପ୍ର ମୋତେ । ଏ ଜୀବଆତ୍ମା ମୋକ୍ଷଅର୍ଥେ । । ୫୭
ପୁଷ୍ପରୁ ସାର ମଧୁ ଯେହ୍ନେ । ଉଦ୍ଧରି ମଧୁକର ଆଣେ । । ୫୮
ଚିତ୍ତ-ସନ୍ତୋଷେ ପାନ କରେ । ନିର୍ମଳଭାବେ ଦିନ ହରେ । । ୫୯
ସୃଷ୍ଟି-ପାଳନ-ସଂହାରଣେ । ଯେ ହରି ଆତ୍ମାମାୟା-ଗୁଣେ । । ୬୦
ଅଶେଷ ଶରୀରେ ବିହରେ । ଅତିମାନୁଷ କର୍ମକରେ । । ୬୧
ନାନା ପ୍ରକାର ଶକ୍ତି ଧରେ । ଯେମନ୍ତେ ସଂସାରେ ବିହରେ । । ୬୨
ସେ ହରି ଗୁଣକର୍ମ ଯେତେ । ଭୋ ମୁନି କହ ମୋ ଅଗ୍ରତେ । । ୬୩

ଶୁକ ଉବାଚ

ଏମନ୍ତ ବିଦୁରର ବାଣୀ । ଆନନ୍ଦେ ମଇତ୍ରେୟ ଶୁଣି । । ୬୪
ଏ ଜୀବ ନିସ୍ତରେ ଯେମନ୍ତେ । କହନ୍ତି ବିଦୁର ଅଗ୍ରତେ । । ୬୫

ମୈତ୍ରେୟ ଉବାଚ

ବିଦୁର ସାଧୁ ତୋ ବଚନ । ଯେଣେ ତରିବେ ଦୁଃଖୀଜନ । । ୬୬
ଯେ କଥା ହରି-ପାରାୟଣ । ବିସ୍ତାରି ପୁଚ୍ଛୁ ତୁ କାରଣ । । ୬୭
ବ୍ୟାସଙ୍କ ବୀର୍ଯ୍ୟେ ତୁ ସ୍ୱଭାବେ । ଜନ୍ମ ଲଭିଲୁ ହରିଭାବେ । । ୬୮
ମାଣ୍ତବ୍ୟ ତହୁଁ ଶାପ ପାଇ । ତୁ ଯମ ଶୂଦ୍ରରୂପ ବହି । । ୬୯
ବ୍ୟାସ କନିଷ୍ଠଭ୍ରାତା କ୍ଷେତ୍ରେ । ଯୋଜନଗନ୍ଧା ଅନୁମତେ । । ୭୦
ଶୁଦ୍ରାର ଗର୍ଭେ ତୋର ଜାତ । ତେଣୁ ତୁ ବ୍ୟାସଙ୍କର ସୁତ । । ୭୧
ସେ ବିପ୍ରଶାପ ମୋକ୍ଷଅର୍ଥେ । ହରି ଭଜିଲୁ ଅବିରତେ । । ୭୨
ସେ ହରି ପ୍ରାଣତ୍ୟାଗ କାଳେ । ବନେ ପିପ୍‌ପଳ ବୃକ୍ଷମୂଳେ । । ୭୩
ତୋହର ଅର୍ଥେ ମୋତେ ଜ୍ଞାନ । କହିଲେ ଦେବକୀନନ୍ଦନ । । ୭୪
ସେ ଜ୍ଞାନ ତୋତେ ମୁଁ କହିବି । ଶୁଣନ୍ତା-ପ୍ରାଣୀ ନିସ୍ତାରିବି । । ୭୫
ସେ ହରି ଯୋଗମାୟା ବଳେ । ଲୀଲାବିହାର ଏ ଶୟଳେ । । ୭୬
ବିଶ୍ୱ ସର୍ଜଇ ପାଳି ହରେ । ଯେ ଯୁଗେ ଯେବା କର୍ମକରେ । । ୭୭
ନାନାପ୍ରକାର ଲୀଳା କରେ । ଇଚ୍ଛା ଏ ସଂସାରେ ବିହରେ । । ୭୮
ସୃଷ୍ଟିର କାଳେ ଭଗବାନ । ଆତ୍ମାକୁ ଆତ୍ମାଜ୍ଞାନେ ଧ୍ୟାନ । । ୭୯
କରିଣ ଦେଖେ ଏତଜ୍ୟୋତି । ସେ ପୁଣି ଆତ୍ମଜ୍ଞାନେ ସ୍ଥିତି । । ୮୦
ଅଶେଷ ଶକ୍ତି ତାର ଦେହେ । ନିଦ୍ରିତ ପ୍ରାୟେ ସୁଖେ ରହେ । । ୮୧
ସେ ଶକ୍ତି ଜ୍ଞାନବଳେ ସ୍ମରି । ତକ୍ଷଣେ ମାୟାରୂପ ଧରି । । ୮୨
ସତ-ଅସତ-ଆତ୍ମା ତାର । ଯେ ଭାବେ ନିର୍ମିତ ସଂସାର । । ୮୩
ସେ ମାୟାମଧ୍ୟେ କାଳ ରୂପେ । ତ୍ରିଗୁଣ ଗୁଣମୟେ କଳ୍ପେ । । ୮୪
ପୁରୁଷରୂପେ ବୀର୍ଯ୍ୟ ଥୋଇ । ସେ ବୀର୍ଯ୍ୟେ ସ୍ୱୟଂ ପ୍ରକାଶଇ । । ୮୫
ଅବ୍ୟକ୍ତ ମଧ୍ୟୁ କାଳବଳେ । ମହତ ଉଦୟ ନିଶ୍ଚଳେ । । ୮୬
ବିଲୀନଆତ୍ମା ଦେହଗତ । ଯେ ବୀର୍ଯ୍ୟେ ଏ ବିଶ୍ୱ ବ୍ୟକତ । । ୮୭
ଯହୁଁ ସକଳ ପରକାଶେ । ଅନ୍ଧାର ଯେହ୍ନେ ରବି-ତ୍ରାସେ । । ୮୮
ସେ ଅଂଶ ଗୁଣ କାଳବଶେ । ଆତ୍ମାରୁ ସଂସାର ପ୍ରକାଶେ । । ୮୯
ଆତ୍ମାରୁ ଆତ୍ମାଗୁଣ ବଳେ । ଲହରୀ ଯେହ୍ନେ ସିନ୍ଧୁଜଳେ । । ୯୦
ସେ ପୁଣି ଈଶ୍ୱରର ଇଚ୍ଛା । ଯହୁଁ ଉପୁଜେ ସୃଷ୍ଟିଦୀକ୍ଷା । । ୯୧
ଯେସନେ ରୋପିତ ଅଙ୍କୁର । ଧରଇ ବୃକ୍ଷର ଆକାର । । ୯୨
ସେ ରୂପେ ବିଶ୍ୱର ପ୍ରକାଶ । ନିଜଦେହରୁ କରେ ଈଶ । । ୯୩
ସେ ଅଂଶ-ଗୁଣ-କାଳ-ଆତ୍ମା । ବିକୃତ କରି ନିଜ ଆତ୍ମା । । ୯୪
ତାର ବିକାରୁ ଅହଙ୍କାର । ତକ୍ଷଣେ ହୋଇଲା ବାହାର । । ୯୫
କାର୍ଯ୍ୟ କାରଣ କର୍ତ୍ତା ଦେହ । ଭୂତ ଇନ୍ଦ୍ରିୟ ମନୋମୟ । । ୯୬
ସାତ୍ତ୍ବିକ ରାଜସ ତାମସ । ଏ ତିନିରୂପେ ତା ପ୍ରକାଶ । । ୯୭
ସେ ପୁଣି ବିଷ୍ଣୁ-ମାୟାବଳେ । ଜଳବୁଦ୍‌ବୁଦ ଯେହ୍ନେ ଜଳେ । । ୯୮
ମନ ଉପୁଜିଲା ତକ୍ଷଣ । ଇନ୍ଦ୍ରିୟ ଦେବତାଏ ପୁଣ । । ୯୯
ତୈଜସୁ ହେଲେ ଇନ୍ଦ୍ରିଗଣେ । ଯେ ଜ୍ଞାନ ପରମ କାରଣେ । । ୧୦୦
ତମୁ ଉପୁଜିଲା ଶବଦ । ସ୍ପରଶ ରୂପ-ରସ-ଗନ୍ଧ । । ୧୦୧
ଏ ପଞ୍ଚ ସୂକ୍ଷ୍ମଗୁଣେ ମିଶି । ଶବଦୁ ଗଗନ ପ୍ରକାଶି । । ୧୦୨
ସେ କାଳମାୟା ଅଂଶଯୋଗେ । ବିଷ୍ଣୁର ଦୃଷ୍ଟିର ସଂଯୋଗେ । । ୧୦୩
ତହୁଁ ସ୍ପରଶ-ଗୁଣ ହୋଇ । ସ୍ପର୍ଶୁ ପବନ ପ୍ରକାଶଇ । । ୧୦୪
ତାହାର ତହିଁ ବେନିଗୁଣ । ଶବଦ ସ୍ପରଶ ଲକ୍ଷଣ । । ୧୦୫
ସେ ପୁଣି କାଳେ ବିକାରିତ । ଜ୍ୟୋତି ତାହାର ତହୁଁ ଜାତ । । ୧୦୬
ସେ ଜ୍ୟୋତି ମଧ୍ୟେ ରୂପ ଥୋଇ । ଶବ୍ଦ-ସ୍ପରଶ-ରୂପମୟୀ । । ୧୦୭
ଜ୍ୟୋତିବିକାରେ ରସୁଁ ଆପ । ଶବ୍ଦ-ସ୍ପରଶ-ରସ-ରୂପ । । ୧୦୮
ଏ ଚାରିଗୁଣ ଜଳେ ଥୋଇ । ଭୂମି ଉପୁଜେ ଗନ୍ଧ ଲଇ । । ୧୦୯
ଏମନ୍ତେ ସୃଷ୍ଟିର ସଞ୍ଚାର । ମହତଆଦିତତ୍ତ୍ବଙ୍କର । । ୧୧୦
ଅଧିଦେବତା ଅଧିକାର । ଯେ ଅଂଶ ଅଟନ୍ତି ବିଷ୍ଣୁର । । ୧୧୧
ସେ ତତ୍ତ୍ବମାନଙ୍କ ଈଶ୍ୱର । ଚେତନା-ବିକ୍ଷେପ-ବିଚାର । । ୧୧୨
ଏ ତିନିଗୁଣଙ୍କୁ ସେ ଧରି । ବ୍ରହ୍ମାଣ୍ତ ସୃଜିଣ ନ ପାରି । । ୧୧୩
କରଅଞ୍ଜଳି ଶିରେ ଦେଇ । ଭାବେ ବୋଲନ୍ତି ବିଷ୍ଣୁ ଚାହିଁ । । ୧୧୪

ଦେବଗଣ ଉବାଚ

ଭୋ ଦେବ ନମୁଁ ତୋ ପୟର । ପ୍ରପନ୍ନଜନ ଦୁଃଖ ହର । । ୧୧୫
ଯେ ପାଦପଦ୍ମ ଆଶ୍ରେ କରି । ସଂସାରୁ ତରନ୍ତି ସଂସାରୀ । । ୧୧୬
ହେ ଧାତା ତୋର ମାୟାବଳେ । ଅଶେଷଜନ୍ତୁ ଏ ଶୟଳେ । । ୧୧୭
କରନ୍ତି ତାପତ୍ରୟେ ଭ୍ରମ । ଏଣୁ ଲଭନ୍ତି ପ୍ରାଣୀ ଶ୍ରମ । । ୧୧୮
ତୋ ପାଦପଦ୍ମ ଛାୟାତଳେ । ଯେ ପ୍ରାଣୀ ରହନ୍ତି ନିଶ୍ଚଳେ । । ୧୧୯
ସେ ପ୍ରାଣୀ ସଂସାରୁ ତରନ୍ତି । କେବେ ହେଁ ଭ୍ରମେ ନ ପଡ଼ନ୍ତି । । ୧୨୦
ଏଣୁ ତୋ ପାଦ ସେବାଅର୍ଥେ । ଆମ୍ଭେ ରହିବୁ ଏ ଜଗତେ । । ୧୨୧
ତୋ ମୁଖପଦ୍ମ ଛାୟା ପ୍ରାୟ । ଯେମନ୍ତେ ପକ୍ଷୀଙ୍କ ଆଶ୍ରୟ । । ୧୨୨
ନିଶ୍ଚିନ୍ତ ପ୍ରାୟେ ଘୋରବନେ । ଆଶ୍ରେ କରନ୍ତି ମୁନିଜନେ । । ୧୨୩
ସେ ପାଦ ଛୁଇଁ ତୀର୍ଥବର । ଗଙ୍ଗା ଯେ ସ୍ୱଭାବେ ନିର୍ମଳ । । ୧୨୪
ସମ୍ପୂର୍ଣ୍ଣ ଅଘମରଷଣ । ସେ ପାଦେ ପଶିଲୁ ଶରଣ । । ୧୨୫
ଏଣୁ ଯେ ତୋହର ଚରଣେ । ହୃଦେ ଭାବନ୍ତି ଅନୁକ୍ଷଣେ । । ୧୨୬
ଜ୍ଞାନ-ବୈରାଗ୍ୟବଳେ ଚିନ୍ତି । ଯେ ପାଦ ହୃଦେ ଆରୋପନ୍ତି । । ୧୨୭
ସେ ପାଦେ ପଶିଲୁ ଶରଣ । ପ୍ରସନ୍ନ ହୁଅ ନାରାୟଣ । । ୧୨୮
ସୃଷ୍ଟି-ସ୍ଥିତି-ସଂହାର ଅର୍ଥେ । ତୋ ଅବତାର ଏ ଜଗତେ । । ୧୨୯
ସେ ରୂପ ଗୁଣ ଯେ ଚିନ୍ତନ୍ତି । ଏ ଘୋରସଂସାରୁ ତରନ୍ତି । । ୧୩୦
ଭୋ ନାଥ ଗୃହ-ଅନ୍ଧକୂପେ । ପ୍ରାଣୀ ପଡ଼ନ୍ତି ମୋହକଳ୍ପେ । । ୧୩୧
ମୁହିଁ ମୋହର ବୋଲି ଭାଷି । ହୃଦେ ବାନ୍ଧନ୍ତି ମୋହଫାଶି । । ୧୩୨
ସେ ଦୃଢ଼-ବନ୍ଧନ ବିଷାଦ । ହେଳେ ଖଣ୍ତଇ ତୋର ପାଦ । । ୧୩୩
ତୋ ପାଦପଦ୍ମେ ଜଗନ୍ନାଥ । ନିରତେ ରହୁ ଆମ୍ଭ ଚିତ୍ତ । । ୧୩୪
ଅଶାନ୍ତ ଇନ୍ଦ୍ରିଗଣ ମେଳେ । ହୃଦୟ ନ ରହେ ନିଶ୍ଚଳେ । । ୧୩୫
ଆତ୍ମାର ପଥ ନ ଦେଖନ୍ତି । ଯେ କଳ୍ପେ ସମ୍ପଦ-ବିଭୂତି । । ୧୩୬
ତୋ କଥା ସୁଧା ରସପାନ । ପ୍ରବୋଧ-ଭକ୍ତି-ଦିବ୍ୟଜ୍ଞାନ । । ୧୩୭
ବୈରାଗ୍ୟସାର ସେ ଲଭନ୍ତି । ନିର୍ଭୟେ ବିଷ୍ଣୁ ଲୋକେ ଯାନ୍ତି । । ୧୩୮
ଅପରେ ଯେତେ ମୁନିକୁଳେ । ଆତ୍ମା-ସମାଧି-ଯୋଗବଳେ । । ୧୩୯
ଘୋର ପ୍ରକୃତି-ମୁଖୁ ତରି । ତୋ ପଦ-କମଳ ଆବୋରି । । ୧୪୦
ତୋର ସେବାରେ ଭ୍ରମ ତୁଟେ । ଅଶେଷ-ବାୟାବନ୍ଧ ଫିଟେ । । ୧୪୧
ଲୋକ ସର୍ଜିବା ଅର୍ଥେ ତୁହି । ଆମ୍ଭଙ୍କୁ ଆପଣେ ଭିଆଇ । । ୧୪୨
ତ୍ରିଗୁଣ-ଭେଦଭାବ ଦେଇ । ଆମ୍ଭଙ୍କୁ ସର୍ଜୁ ନାଥ ତୁହି । । ୧୪୩
ଆମ୍ଭେ ବିଯୁକ୍ତଭାବେ ଥାନ୍ତେ । ତୋ ସୃଷ୍ଟି କରିବୁ କେମନ୍ତେ । । ୧୪୪
ଯେମନ୍ତେ ଯଥାକାଳେ ବଳି । ତୋ ପାଦେ ଦେଇ ବନମାଳୀ । । ୧୪୫
ଥୋକାଏ ପାଇ ତୋଷଚିତ୍ତେ । ତୋ ପାଦେ ସେବୁଁ ଅବିରତେ । । ୧୪୬
ତୁ କୂଟସ୍ଥିତ ଆଦି ହରି । ମାୟା-ପୁରୁଷ ରୂପ ଧରି । । ୧୪୭
ଅବିଦ୍ୟା ଗୁଣ-କର୍ମ-ବଳେ । ତୋ ଶକ୍ତିଗର୍ଭେ ତୁ ନିଶ୍ଚଳେ । । ୧୪୮
ଅମୋଘ-ବୀର୍ଯ୍ୟ ନାଥ ଥୋଇ । ସୃଷ୍ଟି ସର୍ଜନା କରୁ ତୁହି । । ୧୪୯
ତୋହର ତହୁଁ ଆମ୍ଭେ ଜାତ । ସତ୍ୟ ପ୍ରମୁଖ ଜଗନ୍ନାଥ । । ୧୫୦
ତୋ ଆଜ୍ଞା ଶିରେ ଘେନି ଭାବେ । କହ କି କରିବଇଁ ଏବେ । । ୧୫୧
ଆମ୍ଭଙ୍କୁ ଦିବ୍ୟଚକ୍ଷୁ ଦେଇ । ତୋର ବ୍ୟାପାରେ ରଖ ତୁହି । । ୧୫୨
ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୧୫୩
ସେ ହରିଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ । । ୧୫୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ପଞ୍ଚମୋଽଧ୍ୟାୟଃ

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ଦେବଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୧
ନିଦ୍ରିତ ପ୍ରାୟ ଲୋକତନ୍ତ୍ର । ଈଶ୍ୱର ଇଚ୍ଛାର ଆୟତ୍ତ । । ୨
ସେ କାଳଶକ୍ତି ରୂପ ଧରି । ତ୍ରୟୋବିଂଶଶତିତତ୍ତ୍ବେ ପୂରି । । ୩
ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେ । ନିଦ୍ରିତ-କର୍ମକୁ ପ୍ରବୋଧେ । । ୪
ସଂଯୋଗ କରି ଭିନ୍ନଭିନ୍ନ । ଯାହାର ଯହିଁ ପ୍ରୟୋଜନ । । ୫
ସେ ତ୍ରୟୋବିଂଶତତ୍ତ୍ବଗଣେ । ଈଶ୍ୱର-ଆଜ୍ଞା ପରମାଣେ । । ୬
ଯେ ଯାହା ମାତ୍ରା ବଳ ଦେଇ । ଅଧିପୁରୁଷ ରୂପ ବହି । । ୭
ଏମନ୍ତେ ପରମପୁରୁଷ । ମାତ୍ରାଙ୍କ ମଧ୍ୟେ ପରକାଶ । । ୮
ଏକ ଆରକେ କ୍ଷୋଭ ପାଇ । ଚରଅଚର ଲୋକ ଯହିଁ । । ୯
ସୁବର୍ଣ୍ଣମୟ ସେ ପୁରୁଷ । ରହିଲା ସହସ୍ରବରଷ । । ୧୦
ଜଳେ ଶୟନ ନାରାୟଣ । ଅନାଦି-ପରମ-କାରଣ । । ୧୧
ସକଳ ଜୀବ ଆତ୍ମା ସେହି । ସର୍ବଶରୀରେ ସଞ୍ଚରଇ । । ୧୨
ସଂସାରେ ଯେତେ ପ୍ରଜାପତି । ବିଶ୍ୱସଂସାରକୁ ସର୍ଜନ୍ତି । । ୧୩
ତାହାଙ୍କ ରୂପହେତୁ ସେହି । ତୃତୀୟଶକ୍ତି କି ସେ ବହି । । ୧୪
ଦଇବ ଆତ୍ମା କର୍ମମୟ । ବିଭାଗ କରି ଆତ୍ମାଦେହ । । ୧୫
ସର୍ଜିଲା ଏକ ଦଶ ତିନି । ସୃଷ୍ଟିବ୍ୟାପାରେ କର୍ମ ଘେନି । । ୧୬
ଜ୍ଞାନେ ଚୈତନ୍ୟରୂପ ଧରି । କ୍ରିୟାଶକ୍ତିରେ ପ୍ରାଣଭରି । । ୧୭
ଯେ ପ୍ରାଣ ଅପାନ ସମାନ । ଉଦାନ ବ୍ୟାନଟି ପ୍ରମାଣ । । ୧୮
କୃକର କୂର୍ମ ନାଗ ଖ୍ୟାତ । ଯେ ଧନଞ୍ଜୟ ଦେବଦତ୍ତ । । ୧୯
ଏମନ୍ତେ ଦଶପ୍ରାଣ କରି । ଏହାଙ୍କ ବୃତ୍ତିଭେଦେ ହରି । । ୨୦
ଅଶେଷ ପ୍ରାଣୀ ଆତ୍ମା ଏହି । ଖେଳଇ ଅଂଶରୂପ ହୋଇ । । ୨୧
ଆଦି ଅବତାର ସର୍ଜନ । ଏ ଭୂତଗ୍ରାମ ଭିନ୍ନ ଭିନ୍ନ । । ୨୨
ଅଧ୍ୟାତ୍ମ ଅଧିଭୂତ ଭାବ । ପୁଣି କଳ୍ପିଲା ଅଧିଦେବ । । ୨୩
ବିରାଟରୂପେ ଦଶପ୍ରାଣ । ଏକା ସେ ହୃଦୟ କାରଣ । । ୨୪
ବିଶ୍ୱ-ସର୍ଜନ ଅର୍ଥେ ହରି । ତତ୍ତ୍ବଙ୍କ କଥାକୁ ସୁମରି । । ୨୫
ପ୍ରଜାପତିଙ୍କ ଜନ୍ମ ଜାଣି । ବିରାଜଦେହେ ଚକ୍ରପାଣି । । ୨୬
ତକ୍ଷଣେ ପଶି ନିଜ ତେଜେ । ଯେବା ଯେ ପ୍ରୟାଜନ କାର୍ଯ୍ୟୋ । । ୨୭
ସ୍ଥାନ ଭିଆଇ ଦଶମତେ । ଶୁଣ ତୁ ସ୍ଥାପିଲେ ଯେମନ୍ତେ । । ୨୮
ବିରାଜମୁଣ୍ତେ ତୁଣ୍ତ କରି । ବଚନ ଅର୍ଥେ ଅଧିକାରୀ । । ୨୯
ଅଗ୍ନି ସ୍ଥାପିଲେ ଶବ୍ଦ ଅର୍ଥେ । ଏତେ ତୁ ଶୁଣ ଏକଚିତ୍ତେ । । ୩୦
ସେ ମୁଖ ମଧ୍ୟେ ତାଳୁ ଭେଦି । ବରୁଣ ରସନା ସମ୍ପାଦି । । ୩୧
ଜିହ୍ୱା ଆବୋରି ଷଡ଼ରସେ । ଥାପିଲେ ଆସ୍ୱାଦନ ବଶେ । । ୩୨
ତୁଣ୍ତ ଉପରେ ନାସାଦ୍ୱାରେ । ବସିଲେ ଅଶ୍ୱିନୀକୁମାରେ । । ୩୩
ଘ୍ରାଣ ଆବୋରି ଗନ୍ଧ ଅର୍ଥେ । ସୁଗନ୍ଧ ଦୁର୍ଗନ୍ଧ ସହିତେ । । ୩୪
ସେ ନାସାମୂଳେ ଚକ୍ଷୁଦ୍ୱାର । ସମେ ବସଇ ଦିବାକର । । ୩୫
ଜ୍ୟୋତିସ୍ୱରୂପେ ସେ ଲୋଚନେ । ରହିଲେ ରୂପ-ସମ୍ପାଦନେ । । ୩୬
ପବନ ବହେ ଦେହେ ପଶି । କେବେହେଁ କାହିଁରେ ନ ମିଶି । । ୩୭
ଶୀତ-ତପତ ଜାଣିବାରେ । ଚର୍ମେ ବସିଲେ ଅଧିକାରେ । । ୩୮
ସେ ବେନିଚକ୍ଷୁର ଉପରେ । ବାମ-ଦକ୍ଷିଣ କର୍ଣ୍ଣଦ୍ବାରେ । । ୩୯
ଶବଦ ଅର୍ଥେ ଦିଗ ବସେ । ଯେବା ଶବଦ ଯେଣେ ଭାଷେ । । ୪୦
ତ୍ୱକ ଯେ ଚର୍ମୁ ଭିନ୍ନ ହେଲା । ଔଷଧି ଲୋମେ ଯେ ବସିଲା । । ୪୧
ସେହି ଲୋମରୁ କଣ୍ତୁ ଆଦି । ହୁଅଇ ସ୍ପରଶ ସୁଖାଦି । । ୪୨
ମେଢ୍ର ଆବୋରି ଲିଙ୍ଗବୃତ୍ତି । ତହିଁ ବସିଲେ ପ୍ରଜାପତି । । ୪୩
ଶୁକ୍ର ରେତସ ଅନୁବନ୍ଧେ । ମୈଥୁନ ସ୍ପରଶ ଆନନ୍ଦେ । । ୪୪
ସନ୍ତତି ଉପୁଜିବା ଅର୍ଥେ । ଲିଙ୍ଗେ ରହିଲେ ଦୃଢ଼ଚିତ୍ତେ । । ୪୫
ତା ଅଧେ ଅଷ୍ଟମଅଙ୍ଗୁଳେ । ଯେ ମଳଦ୍ୱାର ପାୟୁମୂଳେ । । ୪୬
ମିତ୍ର ବସିଲା ତା ଆବୋରି । ମୃତ୍ୟୁଦେବତା ସଙ୍ଗେ କରି । । ୪୭
ମଳ ଉର୍ତ୍ସଗ ଦୃଢ଼ବନ୍ଧେ । ବ୍ୟାପାର ଆବୋରି ଆନନ୍ଦେ । । ୪୮
ହୃଦ ଉପରେ ବେନିଭୁଜେ । ଇନ୍ଦ୍ର ବସିଲା ନିଜ ତେଜେ । । ୪୯
ବୃତ୍ତିବ୍ୟାପାର କର୍ମ ଅର୍ଥେ । ଜୀବର ଜୀବିକା ଯେମନ୍ତେ । । ୫୦
କଟୀ ସନ୍ଧାନ ପାଦ କରି । ତହିଁ ବସିଲେ ନରହରି । । ୫୧
ଏ ପିଣ୍ତ ଚଳିବ ଯେମନ୍ତେ । ଗମନ ପ୍ରାପ୍ୟସ୍ଥାନ ଅର୍ଥେ । । ୫୨
ବାଗୀଶ ବସେ ବୁଦ୍ଧି ମଧ୍ୟେ । ସୁବୁଦ୍ଧି ପ୍ରବୋଧ ଆନନ୍ଦେ । । ୫୩
ହୃଦୟଭେଦେ ନିଶାକର । ଯେ ମନବ୍ୟାପାର-ଗୋଚର । । ୫୪
ଚନ୍ଦ୍ରମା ତହିଁ ଦୃଢ଼ମତେ । ଆବୋରି ରହିଲା ନିଶ୍ଚିନ୍ତେ । । ୫୫
ଆତ୍ମାରେ ବସେ ଅଭିମାନ । ଯେଣୁ କର୍ତ୍ତବ୍ୟେ ବହେ ଜ୍ଞାନ । । ୫୬
ଚିତ୍ତକୁ ଭେଦି ସ୍ରଷ୍ଟା ବସେ । ଯେଣେ ସେ ବିଜ୍ଞାନ ପ୍ରକାଶେ । । ୫୭
ମୂର୍ଦ୍ଧନି ଦେଶେ ସ୍ୱର୍ଗରହେ । ପାଦଯୁଗଳେ ମହୀ ବହେ । । ୫୮
ନାଭିରୁ ପ୍ରକାଶେ ଗଗନ । ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ । । ୫୯
ଏମନ୍ତେ ଆତ୍ମା ତାଙ୍କ ମତେ । ଦେହ ଆବୋରିଲେ ନିଶ୍ଚିନ୍ତେ । । ୬୦
ସୁର-ଈଶ୍ୱରଗଣ ଜନ । ଦେହେ କଳ୍ପିଲେ ଭଗବାନ । । ୬୧
ଅତ୍ୟନ୍ତ ସତ୍ତ୍ବଗୁଣ କରି । ଦେବେ ରହିଲେ ସ୍ୱର୍ଗପୁରୀ । । ୬୨
ରଜ-ସ୍ୱଭାବ ନରଗଣ । ଭୂମିରେ କଲେ ଅଧିଷ୍ଠାନ । । ୬୩
ରୁଦ୍ରପାର୍ଷଦ ଭୂତଗଣ । ତାଙ୍କ ସ୍ୱଭାବ ତମୋଗୁଣ । । ୬୪
ତାହାଙ୍କ ଅନ୍ତରୀକ୍ଷଲୋକ । ଯାହାକୁ ବୋଲି ଭୂବଲୋକ । । ୬୫
ବ୍ରାହ୍ମଣ ଜନ୍ମିଲା ମୁଖରୁ । ଯେ ଚାରିବର୍ଣ୍ଣଙ୍କର ଗୁରୁ । । ୬୬
ବିରାଜ ତେଜଗୁଣେ ହରି । ଭୁଜୁଁ କ୍ଷତ୍ରିୟ ଜନ୍ମ କରି । । ୬୭
ବୈଶ୍ୟ ଜନ୍ମିଲେ ଜାନୁଯୁଗେ । ଜୀବର ଜୀବିକା ସ୍ୱଭାବେ । । ୬୮
ଏ ତିନିବର୍ଣ୍ଣ ସେବାଅର୍ଥେ । ଶୂଦ୍ର ଜନ୍ମିଲା ପାଦଗତେ । । ୬୯
ଯାହାର ସେବାବୃତ୍ତି ଫଳେ । ହରି ସନ୍ତୋଷ ଏ ଶୟଳେ । । ୭୦
ଏ ଚାରିବର୍ଣ୍ଣ ଏ ଜଗତେ । ସ୍ୱଭାବଧର୍ମ ଅନୁମତେ । । ୭୧
ଜଗତଗୁରୁ ହରିପାଦେ । ଭଜିବେ ଯୁଗ ଅନୁବାଦେ । । ୭୨
ଶୁଦ୍ଧ ସୁବୃତ୍ତି ଘେନି ସୁଖେ । ବିଷ୍ଣୁ ପୂଜିବେ ଯଜ୍ଞମୁଖେ । । ୭୩
ତାହାର ଗୁଣ ବର୍ଣ୍ଣିବାରେ । କେବା ସମର୍ଥ ଏ ସଂସାରେ । । ୭୪
ଏମନ୍ତେ ଶୁଣ ହେ ବିଦୂର । ଯାହା କହିଲେ ଗଦାଧର । । ୭୫
ମୁଁ ତୋତେ କହିଲଇଁ ଭାବେ । ଯାହା ପଚାରିଲୁ ପ୍ରସ୍ତାବେ । । ୭୬
ସେ ହରି ଗୁଣ-ମାୟା-ଅର୍ଥ । କେ ମୁଖେ କହି ସାମରଥ । । ୭୭
ତଥାପି ଜ୍ଞାନ ମୋର ଯେତେ । ସବୁ କହିବି ତୋ’ ଅଗ୍ରତେ । । ୭୮
ଯେଣୁ ସେ କୃଷ୍ଣର ଚରିତ । କରଇ ବଚନ ପବିତ୍ର । । ୭୯
ଯା’ର ମହିମା ଅବଧାନେ । ଜ୍ଞାନ-ଅମୃତ-ରସ-ପାନେ । । ୮୦
ଜନ୍ମ-ମରଣୁ ପ୍ରାଣୀତରେ । ନ ବୁଡେ଼ ସଂସାରସାଗରେ । । ୮୧
ତା’ର ମହିମା ଏ ସଂସାରେ । କେ କହୁ ଶତ ସମ୍ବ›ତ୍ସରେ । । ୮୨
ଯା’ର ମହିମା ଯୋଗେ ଚିନ୍ତି । ବ୍ରହ୍ମାଶଙ୍କରେ ମୋହ ଯା’ନ୍ତି । । ୮୩
ସେ ହରି ଏ ମାୟା ସଂସାରେ । ମୋହିନୀ ରୂପରେ ପ୍ରଚରେ । । ୮୪
ସେ ହରି ସ୍ୱୟଂ ଆତ୍ମାଗତି । ସେହି ନ ଜାଣେ ମାୟାଗତି । । ୮୫
ଅପରେ କେବା ତାହା ଜାଣେ । ବ୍ରହ୍ମାଦି ଯେତେ ଦେବଗଣେ । । ୮୬
ଯା’ର ଚରଣ ଖୋଜିଗଲେ । ମନ-ବଚନ ନ ପାଇଲେ । । ୮୭
ଅପରେ କେ ତାହା ଜାଣିବ । କେ ମୁଖେ ରେଣୁକୁ ଗଣିବ । । ୮୮
ସେ ହରିପାଦେ କରି ଆଶ । କହଇ ଜଗନ୍ନାଥ ଦାସ । । ୮୯
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଷ‌ଷ୍ଠୋଽଧ୍ୟାୟଃ

ସପ୍ତମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ଦୃଢ଼ଚିତ୍ତେ ଶୁଣି । । ୧
ଆନନ୍ଦମନେ ବ୍ୟାସସୁତ । କପୋଳେ ଦେଇ ବେନିହସ୍ତ । । ୨
ରୋମପୁଲକ ତା’ର ଦେହୀ । ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ । । ୩

ବିଦୁର ଉବାଚ

ଭୋ ମୁନି ଏ ତ ବିପରୀତ । ଭ୍ରମେ ଭ୍ରମଇ ମୋ’ର ଚିତ୍ତ । । ୪
ସେ ହରି ସ୍ୱଭାବେ ନିର୍ଗୁଣ । ଚିନ୍ମାତ୍ର ପରମ-କାରଣ । । ୫
ଲୀଳା-ବିହାରେ-ଗୁଣ କ୍ରିୟା । କି ରୂପେ ସର୍ଜେ ତାରମାୟା । । ୬
ବାଳକ କ୍ରୀଡ଼ାଭାବ ଯେହ୍ନେ । ଏ ତ ନ ଘଟେ ଅନୁମାନେ । । ୭
ଇଚ୍ଛା-ସ୍ୱଭାବେ ଖେଳତା’ର । ଏ ନୋହେ ମୋହର ଗୋଚର । । ୮
ଯେ ନିଦ୍ରାଗତ ନିଜ ସୁଖେ । ସେ କିପାଁ ମିଶେ ଏତେ ଦୁଃଖେ । । ୯
ଯେ ଗୁଣମୟୀ ମାୟାବଳେ । ବିଶ୍ୱସର୍ଜଇ ଅବହେଳେ । । ୧୦
ପୁଣି ପାଳିଣ କରେ ଅନ୍ତ । ବ୍ୟାପାରୀ ପୁରୁଷ ଯେମନ୍ତ । । ୧୧
ଯେ ଜୀବଆତ୍ମା ବ୍ରହ୍ମମୟେ । କିପାଁ ଅବିଦ୍ୟା ସଙ୍ଗହୋଏ । । ୧୨
କର୍ମ କରଇ ନାନାମତେ । ଯେ ଦେଶକାଳପାତ୍ର ଅର୍ଥେ । । ୧୩
କେମନ୍ତେ ସୃଷ୍ଟି ସେ କରଇ । ସେ କର୍ମ ତା’କୁ ନ ଲାଗଇ । । ୧୪
ମାୟା ସଂଯୋଗେ ନିପାତଇ । ଅନ୍ୟ ପୁରୁଷ ପ୍ରାୟ ହୋଇ । । ୧୫
ସେ ଏକ ସର୍ବ ଆତ୍ମାଗତି । ସକଳ କ୍ଷେତ୍ରେ ତା’ର ସ୍ଥିତି । । ୧୬
କର୍ମରୁ ସୁଖ-କ୍ଳେଶ ସ୍ଫୁରେ । ସେ କିପାଁ ଏ କର୍ମେ ବିହରେ । । ୧୭
ଅଜ୍ଞାନ-ସଙ୍କଟେ ମୋ’ ମନ । ପଡ଼ି ଭାଳଇ ଛନ୍ନଛନ୍ନ । । ୧୮
ଏଣୁ ମୋ’ ମନେ ଯେତେ ଖେଦ । ଜ୍ଞାନ-ଖଡ଼ଗେ ମୁନି ଛେଦ । । ୧୯

ଶୁକ ଉବାଚ

କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର । । ୨୦
ଏମନ୍ତେ ବିଦୁରର ବାଣୀ । ସାନନ୍ଦେ ମଇତ୍ରେୟ ଶୁଣି । । ୨୧
ବିଷ୍ଣୁ-ଚିନ୍ତନ ଅନୁରାଗେ । ହସି କହନ୍ତି ତା’ର ଆଗେ । । ୨୨

ମୈତ୍ରେୟ ଉବାଚ

ସେ ବିଷ୍ଣୁ ମାୟାମୟ ଦେହୀ । ଏମନ୍ତେ ମନକୁ ମୋହଇ । । ୨୩
ଈଶ୍ୱର ସ୍ୱଭାବେ ବିମୁକ୍ତ । ତା’ର ବନ୍ଧନ ମାୟା ମାତ୍ର । । ୨୪
ଯେସନେ ସ୍ୱପ୍ନେ ଅନୁମାନ । ହୁଅଇ ମସ୍ତକ ଛେଦନ । । ୨୫
ସେ ରୂପେ ଆତ୍ମାର ବନ୍ଧନ । ଅସତ୍ୟ ସତ୍ୟ ପ୍ରାୟେ ଜାଣ । । ୨୬
ଆତ୍ମାର ବିପରୀତ ଭାବେ । ଈଶ୍ୱର ଈଶ୍ୱର ସ୍ୱଭାବେ । । ୨୭
ଶରୀର ଭେଦେ ଇଚ୍ଛାକରେ । ଯେସନେ ଦର୍ପଣ ଭିତରେ । । ୨୮
ଦେଖନ୍ତା ପୁରୁଷକୁ ମୋହେ । ତା’ର ବିକାର ଦେହେ ବହେ । । ୨୯
କର୍ମ କରନ୍ତେ ସେ କରଇ । ସେ ଯେହ୍ନେ ତା’କୁ ନ ଲାଗଇ । । ୩୦
ଏମନ୍ତେ କୃଷ୍ଣ-ମାୟାବଳେ । ଚନ୍ଦ୍ରର ଛାୟା ଯେହ୍ନେ ଜଳେ । । ୩୧
ଜଳ କମ୍ପନେ ସେ କମ୍ପଇ । ସେ ଯେହ୍ନେ ତା’କୁ ନ ଲାଗଇ । । ୩୨
ତେମନ୍ତେ ଜୀବ ମାୟାବଳେ । ଆତ୍ମାରେ ନ ରହେ ନିଶ୍ଚଳେ । । ୩୩
ଯୋଗୀଏ ଯୋଗଧ୍ୟାନ ବଳେ । ଆତ୍ମାରେ ରହନ୍ତି ନିଶ୍ଚଳେ । । ୩୪
ଇନ୍ଦ୍ରିୟ ତା’ଙ୍କୁ ନ ଲାଗନ୍ତି । ଅନ୍ତରେ ନିଶ୍ଚଳେ ରହନ୍ତି । । ୩୫
ବିଷ୍ଣୁର ପାଦ ସେହି ମତେ । ଯେବା ଚିନ୍ତନ୍ତି ଅବିରତେ । । ୩୬
ତାହାଙ୍କ ଦେହେ କ୍ଳେଶ ଯେତେ । ଦହନ ହୁଅନ୍ତି ସମସ୍ତେ । । ୩୭
ଏଣୁ କୃଷ୍ଣର ଗୁଣଗାଥା । ଯେ ଶୁଣେ ଯେ ଅବା ବକତା । । ୩୮
ଅଶେଷ-କ୍ଳେଶ ତା’ଙ୍କ ଦେହେ । ଦହନ ହୋନ୍ତି ତୃଣପ୍ରାୟେ । । ୩୯
ସେ ହରି-ପାଦପଦ୍ମ-ଗନ୍ଧେ । ଚିତ୍ତ ଲୋଭିତ ମକରନ୍ଦେ । । ୪୦
ନିତ୍ୟେ ପିବନ୍ତି ଭୃଙ୍ଗ ପ୍ରାୟ । ତା’ଙ୍କୁ ନ ଲାଗେ ଯମଭୟ । । ୪୧

ବିଦୁର ଉବାଚ

ଭୋ ମୁନି ତୁମ୍ଭ ବାକ୍ୟ-ଅସି । ମୋ’ ମନ-ସଂଶୟ ବିନାଶି । । ୪୨
ଜୀବ-ପରମ ବେନିଭାବେ । ଚିତ୍ତ ମୋ’ ପ୍ରବେଶିଲା ଏବେ । । ୪୩
ଅବିଦ୍ୟାମୂଳ ଏ ସଂସାର । ସତ୍ୟ ଏ ବଚନ ତୋହର । । ୪୪
ବିଷ୍ଣୁ-ମାୟାରେ ଜୀବ ଭ୍ରମେ । ଅସତ୍ୟ ସତ୍ୟ ପ୍ରାୟ ମଣେ । । ୪୫
ସଂସାରେ ମୂଢ଼ ଯେଉଁ ଜନ । ଯେବା ଈଶ୍ୱରେ ଦୃଢ଼ମନ । । ୪୬
ଏ ବେନି ସଂସାରୁ ତରନ୍ତି । ମଝିମଝିକା ନାଶ ଯା’ନ୍ତି । । ୪୭
ଅନର୍ଥ ଅସତ୍ୟ ସଂସାର । ସତ୍ୟ ପ୍ରତୀତି ଯେ ମୋହର । । ୪୮
ତା’ ତୁମ୍ଭ ଚରଣ-ସେବାରେ । ନାଶିବି ତୁମ୍ଭର କୃପାରେ । । ୪୯
ସାଧୁଙ୍କ ସେବାଫଳ ଏହି । କୃଷ୍ଣ-ଚରଣେ ପ୍ରୀତି ହୋଇ । । ୫୦
ସେ ହରି ଚରଣ ପ୍ରସାଦେ । ସଂସାରୁ ତରେ ଅପ୍ରମାଦେ । । ୫୧
ବୈକୁଣ୍ଠ-ମାର୍ଗ ସାଧୁଜନେ । ତାହାଙ୍କ ସେବା ଅଳ୍ପପୁଣ୍ୟେ । । ୫୨
ଦୁର୍ଲ୍ଲଭ ଅଟଇ ଜଗତେ । ହରି କୀର୍ତ୍ତନ ଯହିଁ ନିତ୍ୟେ । । ୫୩
ଇନ୍ଦ୍ରିୟ ମହଦାଦିତତ୍ତ୍ବ । ବିରାଟ-ପୁରୁଷ ସହିତ । । ୫୪
ଏହାଙ୍କୁ ସର୍ଜି ନାରାୟଣ । ଅଂଶେ ପ୍ରବେଶ ତହିଁ ପୁଣ । । ୫୫
ସହସ୍ରପାଦ ଉରୁ ହସ୍ତ । ଯା’ ଦେହେ ବ୍ରହ୍ମାଣ୍ତ ସମସ୍ତ । । ୫୬
ବ୍ରାହ୍ମଣ ଆଦି ଚାରି ଜାତି । ବିଶେଷେ ତାହାର ବିଭୂତି । । ୫୭
ବିସ୍ତାରି କହ ତୁ କାରଣେ । କ୍ଷୀଣ-ସଂଶୟ ହୋଏ ଯେଣେ । । ୫୮
ଏ ସୃଷ୍ଟି ବିସ୍ତାର କାରଣେ । ଯେମନ୍ତେ ପ୍ରଜାପତିଗଣେ । । ୫୯
ସର୍ଗ ସମେତେ ପ୍ରତିସର୍ଗ । ମନୁ ମନୁଅନ୍ତର ଭୋଗ । । ୬୦
ଏହାଙ୍କ ତହୁଁ ବଂଶ ଯେତେ । ବଂଶାନୁଚରିତ ସହିତେ । । ୬୧
ବିରାଜ ରୂପ ଦେହ ମଧ୍ୟେ । ଯେବା ବସନ୍ତି ଅଧଊଦ୍ଧ୍ୱେର୍ । । ୬୨
ଚତୁରଦଶ ଲୋକ ସ୍ଥିତି । କେ କେତେ ଅନ୍ତରେ ବସନ୍ତି । । ୬୩
ଦେବ ମନୁଷ୍ୟ ପଶୁଗଣ । ପକ୍ଷୀ ପତଙ୍ଗ ଭୂମି ତୃଣ । । ୬୪
ସ୍ୱେଦଜ ଅଜ ଉଦ୍‌ଭିଜ । ଯେ ଅବା ପୁଣି ଜରାୟୁଜ । । ୬୫
ଏହାଙ୍କ ସର୍ଗର ବିଭାଗ । ଭୋ ମୁନି କହ ମୋର ଆଗ । । ୬୬
ଯେ ଗୁଣେ ଯେବା ଅବତାରେ । ସୃଷ୍ଟି ପାଳନ ଅନ୍ତକରେ । । ୬୭
ଯେମନ୍ତେ ସୃଜେ ଶ୍ରୀନିବାସ । ତା’ର ମହିମା ତୁ ପ୍ରକାଶ । । ୬୮
ଯେ ବର୍ଣ୍ଣାଶ୍ରମଙ୍କ ବିଭାଗ । ସୁଶୀଳ ସ୍ୱରୂପ ସ୍ୱଭାବ । । ୬୯
ଋଷିଙ୍କ ଜନ୍ମକର୍ମ ଯେତେ । ବେଦବୃକ୍ଷର ଶାଖା କେତେ । । ୭୦
ଯଜ୍ଞବିଧାନେ ବେଦବିଧି । ଯୋଗସାଧନେ ଯେତେ ସିଦ୍ଧି । । ୭୧
ନିଷ୍କାମ ସାଂଖ୍ୟ-ବିଦ୍ୟା ସାର । ଯେ ତନ୍ତ୍ର-ମନ୍ତ୍ରର ବିଚାର । । ୭୨
ପାଷ-ପଥର ବୈଷମ୍ୟ । ଯେ ଅନୁଲୋମ ପ୍ରତିଲୋମ । । ୭୩
ଜୀବର ଗତି ଯେତେ ମାର୍ଗେ । ଯେ ରୂପ ଗୁଣ କର୍ମ ଯୋଗେ । । ୭୪
ଧର୍ମାର୍ଥ-କାମ-ମୋକ୍ଷ ଆଦି । ଯେ ମାର୍ଗେ ଯେମନ୍ତ ସମ୍ପାଦି । । ୭୫
ଯେ ବାର୍ତ୍ତା ଦଣ୍ତନୀତି ବେନି । ଯେ ବେଦବିଧି ଅନୁମାନି । । ୭୬
ଶ୍ରାଦ୍ଧର ଯେବା ନୀତି ବିଧି । ପିତୃଗଣଙ୍କ ସ୍ଥାନ ସିଦ୍ଧି । । ୭୭
ଗ୍ରହ ନକ୍ଷତ୍ର ତାରାଗଣ । ଯେ କାଳଚକ୍ରର ପ୍ରମାଣ । । ୭୮
ଦାନ ତପସ୍ୟା ଫଳ ଯେତେ । ଯେ ଅବା ଲାଭ ଇଷ୍ଟାପୂର୍ତ୍ତେ । । ୭୯
ପ୍ରବାସ ସ୍ଥିତି ଯେବା ଧର୍ମ । ଆପଦ କାଳେ ଯେବା କର୍ମ । । ୮୦
ଯେଣେ ଗୋବିନ୍ଦ ତୋଷ ହୋଇ । ଯେ ଧର୍ମଜନକ ବୋଲାଇ । । ୮୧
ସେ ହରି ପ୍ରସନ୍ନ ଯେମନ୍ତେ । ଭୋ ମୁନି କହ ଦୟାଚିତ୍ତେ । । ୮୨
ସେବକ-ଶିଷ୍ୟେ ଋଷିଗଣେ । ଜ୍ଞାନ କହନ୍ତି ସାଧୁପଣେ । । ୮୩
ଯେ ପୁତ୍ରେ ପିତା ତୋଷ ହୋଇ । ସ୍ୱଧର୍ମ ମାର୍ଗେ ଶିକ୍ଷା ଦେଇ । । ୮୪
ଦୀନବ›ଳ ଯେଣୁ ଗୁରୁ । ପଚାରୁ ଅବା ନ ପଚାରୁ । । ୮୫
ତ‌ତ୍ତ୍ବ-ପ୍ରଳୟ କେତେ ମତେ । ସୃଷ୍ଟିରେ ସଞ୍ଚରନ୍ତି ଯେତେ । । ୮୬
ବିରାଜ ରୂପେ ଦେହେ ଥା’ନ୍ତି । ପୁଣି କେମନ୍ତେ ଲୀନ ହୋନ୍ତି । । ୮୭
ଆତ୍ମାର ସ୍ଥିତି ଅବା କାହିଁ । କିବା ସ୍ୱରୂପେ ପ୍ରକାଶଇ । । ୮୮
ଯେ ଗୁରୁ-ଶିଷ୍ୟଙ୍କ ସମ୍ବାଦେ । ଜ୍ଞାନ ସାଧନ୍ତି ମୋକ୍ଷ ସଧେ । । ୮୯
ଏ ଆଦି ଯେତେ ପ୍ରଶ୍ନ ମୋର । ପଣ୍ତିତଜନେ ଯେ ଗୋଚର । । ୯୦
କେମନ୍ତେ ପୁରୁଷଙ୍କ ଦେହେ । ଜ୍ଞାନ-ବୈରାଗ୍ୟ-ଭକ୍ତି ହୋଏ । । ୯୧
ଏ ଯେତେ ପ୍ରଶନ ମୋହରି । ହରି ମହିମା ଇଚ୍ଛାକରି । । ୯୨
ପୁଚ୍ଛିଲି ତୁମ୍ଭର ଅଗ୍ରତେ । ଭୋ ମୁନି କହ ସର୍ବ ମୋତେ । । ୯୩
ଯେଣୁ ମାୟାରେ ପଡ଼ି ମୁହିଁ । ଜ୍ଞାନ-ବିହୀନେ ଅନ୍ଧ ହୋଇ । । ୯୪
ତୁମ୍ଭ କୃପାରେ ଚକ୍ଷୁ ପାଇ । ନିର୍ଭୟେ ବିହରିବି ମୁହିଁ । । ୯୫
ଜୀବର ଯେବା ଭୟ ଦହେ । ହରି ଦେଖାଏ ସର୍ବ ଦେହେ । । ୯୬
ଯେତେ ଏ ବେଦ-ଯଜ୍ଞ-ମନ୍ତ୍ର । ତପ ସମାଧି ଦାନ ତୀର୍ଥ । । ୯୭
ଏ ପୁଣ୍ୟ କଳାମାତ୍ରେ ସମ । ନୁହନ୍ତି ବେଦ ଆଦି କର୍ମ । । ୯୮
ଶୁକ ଉବାଚ
ଏମନ୍ତେ ପୁରାଣ-ସଙ୍କଳ୍ପେ । ବିଦୁର ମୈତ୍ରେୟ ସମୀପେ । । ୯୯
ଆନନ୍ଦେ ଯେତେ ପଚାରିଲା । ସୃଷ୍ଟି-ସମ୍ବନ୍ଧେ ବିଷ୍ଣୁଲୀଳା । । ୧୦୦
ଶୁଣି ହରଷ ମୁନିବର । ବୋଲନ୍ତି ଶୁଣ ହେ ବିଦୁର । । ୧୦୧
ଏ ଭାଗବତ ପ୍ରଶ୍ନ ବାଣୀ । କେର୍ ଶୁଣନ୍ତି ଯେତେ ପ୍ରାଣୀ । । ୧୦୨
ଯେ ଅବା ବଦନେ ଉଚ୍ଚାରି । ବିଷ୍ଣୁ ମାୟାରୁ ଯା’ନ୍ତି ତରି । । ୧୦୩
ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ । । ୧୦୪
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ସପ୍ତମୋଽଧ୍ୟାୟଃ ।

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ବିଦୁର ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ ଆନନ୍ଦିତ ମନେ । । ୧
କୃଷ୍ଣ-ଚରଣ-ଯୁଗ ଧ୍ୟାୟି । କହନ୍ତି ବିଦୁରକୁ ଚାହିଁ । । ୨
ମୈତ୍ରେୟ ଉବାଚ
ଶୁଣ ବିଦୁର ଶୁଦ୍ଧଚେତା । ସୁପୁଣ୍ୟ ପରୀକ୍ଷିତ-ଗାଥା । । ୩
ତୋହର ଜନ୍ମ ପୁରୁବଂଶେ । ପରମ-ଭାଗବତ-ଅଂଶେ । । ୪
ଯାହା ମହିମା ଶୁଣି କର୍ଣ୍ଣେ । ସେବା କରନ୍ତି ସାଧୁଜନେ । । ୫
ଯହିଁ ତୁ ଲୋକପାଳ ଯମ । ସାକ୍ଷାତେ ହୋଇଲୁ ଜନମ । । ୬
ଭକ୍ତଜନଙ୍କ ଶିରୋମଣି । ତୋ’ର ସକାଶୁ ଜନ ଶୁଣି । । ୭
କହ ସଂସାରେ କୃଷ୍ଣଲୀଳା । ବିଶ୍ୱମଙ୍ଗଳ କୀର୍ତ୍ତିମାଳା । । ୮
ନିରତେ ନବ ନବ ମଣେ । ତୋଷ ନ ଲଭେ ପ୍ରତିକ୍ଷଣେ । । ୯
ତା’ର ମହିମା ତୋ’ ସମ୍ମୁଖେ । କହିବି ଭକ୍ତଜନ-ସୁଖେ । । ୧୦
ଦୁଃଖ-ସମୁଦ୍ରେ ସୁଖ ପ୍ରାୟେ । ନିରତେ ମନ ଯା’ର ଧାଏଁ । । ୧୧
ତାହାଙ୍କ ନିସ୍ତାରଣ ଅର୍ଥେ । ଶୁଣ କହିବା ତୋ’ ଅଗ୍ରତେ । । ୧୨
ଶ୍ରୀଭାଗବତ ରସସାର । ଋଷିଙ୍କି ଦେଲେ ଚକ୍ରଧର । । ୧୩
ଶୁଣ ବିଦୁର ସାବଧାନେ । ବ୍ରହ୍ମାର ପୁତ୍ରେ ଏକଦିନେ । । ୧୪
ସନକ ଆଦି ସପ୍ତଭ୍ରାତେ । ମିଳିଲେ ଅନନ୍ତ ଅଗ୍ରତେ । । ୧୫
ରତ୍ନଆସନେ ଭୂମିଗତେ । ବସି ଅଛନ୍ତି ଶୁଦ୍ଧ ଚିତ୍ତେ । । ୧୬
ଆଦି ଅନନ୍ତ ରୂପସାର । ଅକୁଣ୍ଠ-ମହିମା ଯାହାର । । ୧୭
ତା’ଙ୍କ ସମୀପେ ସପ୍ତଭ୍ରାତେ । ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ । । ୧୮
ପରମପଦେ କରି ଇଚ୍ଛା । ଏକୁ ଅନେକ କଲେ ପୁଚ୍ଛା । । ୧୯
ସ୍ୱଭାବେ ସ୍ଥିର ଯା’ ଶରୀର । ଦେବମାନବେ ଅଗୋଚର । । ୨୦
ସର୍ବେ କରନ୍ତି ବହୁ ମାନ୍ୟ । ଧ୍ୟାନେ ତରନ୍ତି ସଙ୍କର୍ଷଣ । । ୨୧
ମୃଣାଳ-କୋଷ ପ୍ରାୟ ଦେହୀ । ଉନ୍ମୀଳ ଚକ୍ଷୁଯୁଗ ବହି । । ୨୨
ବିବୁଧଜନଙ୍କ ଆନନ୍ଦେ । ସୁଖେ ନିଶ୍ଚଳ ଯୋଗାନନ୍ଦେ । । ୨୩
ନିର୍ମଳ ଭୋଗବତୀ ନୀରେ । ଧୌତ କବରୀଭାର ଶିରେ । । ୨୪
ସେ ଜଟାକଳାପେ ଚରଣ । ପଦ୍ମେ ନମନ୍ତି ମୁନିଗଣ । । ୨୫
ଯେ ପାଦେ ନାଗଙ୍କ କାମିନୀ । ବିବିଧ-ଉପାୟନ ଘେନି । । ୨୬
ସେବନ୍ତି ଯେଉଁ ପାଦଗତେ । ଉମ-ବର-ପ୍ରାପ୍ତି ଅର୍ଥେ । । ୨୭
ସୁସ୍ୱର-ରୀତନାଦ-ଧ୍ୱନି । ସ୍ୱଭାବେ ଅନୁରାଗ ଘେନି । । ୨୮
ଯାହାର କର୍ମ ଦୃଢ଼ଚିତ୍ତେ । ଗାୟନ କରନ୍ତି ନିରତେ । । ୨୯
ଜାଣନ୍ତି ଲୀଳା-ତତ୍ତ୍ବଜ୍ଞାନ । ନିର୍ମଳ ମନେ ନିତ୍ୟେ ଧ୍ୟାନ । । ୩୦
ସେ ଦେବ ସହସ୍ରଶୀରଷ । କିରୀଟ ମଣିମୟ ତ୍ରାସ । । ୩୧
ଫଣାସହସ୍ରେ ଶୋଭା କରେ । ଆଦିତ୍ୟ ଯେସନେ ଅମ୍ବରେ । । ୩୨
ତା’ର ଚରଣ-ରଜ ଶିରେ । ସନକ୍ରୁମାର ଧରି କରେ । । ୩୩
ପୁଚ୍ଛିଲେ ସାର-ତତ୍ତ୍ବଜ୍ଞାନ । ଯା’ ଶୁଣି ନିସ୍ତରିବେ ଜନ । । ୩୪
ନିବୃତ୍ତି-ଧର୍ମେ ଦେଖି ଚିତ୍ତ । ଏହାଙ୍କୁ କହିଲେ ଅନନ୍ତ । । ୩୫
ସେ ପୁଣି ପ୍ରଶ୍ନ ଅନୁରାଗେ । କହିଲେ ସାଂଖ୍ୟାୟନ ଆଗେ । । ୩୬
ସେ ସାଂଖ୍ୟାୟନ ଯୋଗ ଧ୍ୟାୟେ । ପରମହଂସ-ଦୀକ୍ଷା ବହେ । । ୩୭
ସେ ପୁଣି ଦୟା-ଶୁଦ୍ଧଚିତ୍ତେ । ସଂସାରେ ନିସ୍ତାରଣ ଅର୍ଥେ । । ୩୮
କୃଷ୍ଣ-ମହିମା ପରିମାଣି । ନିର୍ମଳ-ଭାଗବତ-ବାଣୀ । । ୩୯
କୃଷ୍ଣ-ଭକତି ଅନୁରାଗେ । କହିଲେ ମୋ’ର ଗୁରୁ ଆଗେ । । ୪୦
ଆବର ବୃହସ୍ପତି ଆଗେ । ଦେବସମୂହ ପ୍ରିୟଭାବେ । । ୪୧
ସେ ପରାଶର ମହାମୁନି । ପୌଲସ୍ତ୍ୟ ମୁନି ଆଜ୍ଞା ଘେନି । । ୪୨
ଦୟାଳୁ ମୁନି ପରାଶର । କହିଲେ ମୋହର ଆଗର । । ୪୩
ବ୍ରହ୍ମ-ଗୁପତ-ବାଣୀ ଏବେ । ଶୁଣ କହିବା ତୋତେ ଭାବେ । । ୪୪
ତୁ ଶ୍ରଦ୍ଧାଯୁତ ଅନୁଗତ । ଶୁଣ କହିବି ଭାଗବତ । । ୪୫
ତୁ ଶୁଦ୍ଧଚିତ୍ତେ ବତ୍ସ› ଶୁଣ । ଏ ଆଦି ପରମ-ପୁରାଣ । । ୪୬
ଯେ ବିଶ୍ୱସୃଷ୍ଟି ପୂର୍ବେ ଥିଲା । ପ୍ରଳୟ-ଜଳେ ନାଶ ଗଲା । । ୪୭
ପରମସୁଖେ ଭଗବାନ । ନିଦ୍ରାରେ ମୁଦ୍ରିତ ନୟନ । । ୪୮
ପ୍ରଳୟ-ଜଳନିଧି ମଧ୍ୟେ । ଅନନ୍ତ-ଶୟନେ ଆନନ୍ଦେ । । ୪୯
ଶୋଇଲେ ଏକରୂପ ହୋଇ । ସଙ୍ଗେ ସଙ୍ଗତି ନାହିଁ କେହି । । ୫୦
ନିଶ୍ଚେଷ୍ଟ-ଆତ୍ମସୁଖେ ରତ । ଭୂତେ ନିବେଶି ପଞ୍ଚଭୂତ । । ୫୧
ଆତ୍ମା ଆଶ୍ରିତ ସୂକ୍ଷ୍ମଭୂତେ । କାଳାତ୍ମା ଶକ୍ତିର ଆୟତ୍ତେ । । ୫୨
ଚେଷ୍ଟା ରହିତ ଭଗବାନ । ଦାରୁରେ ଯେହ୍ନେ ହୁତାଶନ । । ୫୩
ସେ ରୂପ ବାହ୍ୟବୃତ୍ତି ଶୂନ୍ୟ । ଜଳରେ କଲେ ସେ ଶୟନ । । ୫୪
ବିଷ୍ଣୁ-ରଜନୀ ପ୍ରକାଶିଲା । ଚାରିସହସ୍ର ଯୁଗ ଗଲା । । ୫୫
ଜଳେ ଶୟନ ଭଗବାନ । ଯେ ଆତ୍ମଶକ୍ତିର ନିଦାନ । । ୫୬
ତା’ର ଆୟତ୍ତ କାଳବଳେ । ସୃଷ୍ଟିସମୟ ସୁମରିଲେ । । ୫୭
ପୂର୍ବ-ଜୀବଙ୍କୁ ଦେହେ ଚାହିଁ । ସେ ପୁଣି କର୍ମତନ୍ତ୍ର ହୋଇ । । ୫୮
ତାହାଙ୍କ ଅବତାର ଅର୍ଥ । ସୂକ୍ଷ୍ମେ ନିବେଶି ଦୃଷ୍ଟିପଥ । । ୫୯
କ୍ଷୋଭିତ-ସୃଷ୍ଟିର କାରଣେ । ସ୍ୱୟଂ ପ୍ରବେଶି ରଜୋଗୁଣେ । । ୬୦
ସେ କାଳବଳର ବିଶ୍ୱାସେ । ମିଳିଲେ ବିଷ୍ଣୁ-ନାଭିଦେଶେ । । ୬୧
ସେ ନାଭିମଧ୍ୟୁ ପଦ୍ମକୋଷ । ତକ୍ଷଣେ ହୋଇଲା ପ୍ରକାଶ । । ୬୨
ସେ ପଦ୍ମ କାଳକର୍ମ ବଳେ । ରୂପ ବିରାଜେ ମହାଜଳେ । । ୬୩
ଉଦିତ-ରବି ପ୍ରାୟେ ମାନି । ଜଳେ ପ୍ରକାଶ ଆତ୍ମଯୋନି । । ୬୪
ସେ ଲୋକପଦ୍ମେ ନାରାୟଣ । ସ୍ୱୟଂପ୍ରବେଶ ରଜୋଗୁଣ । । ୬୫
ସକଳଗୁଣେ ସେ ପ୍ରକାଶ । ସହସ୍ରରବି ଜିଣି ତ୍ରାସ । । ୬୬
ସେ ପଦ୍ମକର୍ଣ୍ଣିକାର ମଧ୍ୟେ । ବ୍ରହ୍ମା ପ୍ରକାଶ ବେଦପଦେ । । ୬୭
ବିଧାତା ନାମ ସେ ବୋଲାଇ । ଯା’ର ଶରୀର କର୍ମମୟୀ । । ୬୮
ସ୍ୱୟମ୍ଭୁ ନାମ ସେ ସ୍ୱଭାବେ । ଉଦୟ ନିଜ କର୍ମଲାଭେ । । ୬୯
ସେ ପଦ୍ମମଧ୍ୟେ ବ୍ରହ୍ମା ରହେ । ବସି ସକଳଦିଗେ ଚାହେଁ । । ୭୦
ନ ଦେଖି ଲୋକଙ୍କ ଉଦ୍ଦେଶ୍ୟ । ତକ୍ଷଣେ ଚାହିଁଲା ଆକାଶ । । ୭୧
ହୋଇଲା ତା’ର ଚାରିମୁଖ । କେବେହେଁ ନ ଲଭଇ ସୁଖ । । ୭୨
ପ୍ରଳୟ-ପବନର ବଳେ । ଲହରୀ ଭ୍ରମ ମହାଜଳେ । । ୭୩
ଆତ୍ମାକୁ ନ ଜାଣଇ ଭଲେ । ଯେ ଲୋକତତ୍ତ୍ବ ପଦ୍ମତୁଲେ । । ୭୪
କାହୁଁ ଅଇଲି କେଉଁ ଦେଶ । ନ ଜାଣି ଆତ୍ମାର ବିଶେଷ । । ୭୫
ଏ ପଦ୍ମ କାହୁଁ ଉପୁଜିଲା । କିବା ଏ ଜଳମଧ୍ୟେ ଥିଲା । । ୭୬
ସ୍ଥଳ ନ ଥିଲେ ଜଳ କାହିଁ । ଏମନ୍ତ ମନେ ବିଚାରଇ । । ୭୭
କିବା ଏ ପଦ୍ମମୂଳେ ଅଛି । ଏମନ୍ତ ମନେମନେ ଲକ୍ଷି । । ୭୮
କେବେହେଁ ହେଜି ନ ପାରିଲା । ଏମନ୍ତେ କେତେକାଳ ଗଲା । । ୭୯
ପୁଣି ଚାହିଁଲା ମନଦୁଃଖେ । ନିଜ ଆସନେ ଅଧୋମୁଖେ । । ୮୦
ତଳେ ଦେଖିଲା ପଦ୍ମନାଳ । ତା’ ମଧ୍ୟେ ଅନ୍ଧକାର ବିଳ । । ୮୧
ବିଚାରେ ଏହିମାର୍ଗେ ଯିବି । କାହୁଁ ଅଇଲି ତା’ ଦେଖିବି । । ୮୨
ଏମନ୍ତେ ବିଚାରି ସଂଶୟେ । ବିଳେ ପଶିଲା ମହାଭୟେ । । ୮୩
ସେ ବିଳମାର୍ଗେ ନାଭିପଥେ । ପଶିଲା ବିଷ୍ଣୁ-ଗର୍ଭଗତେ । । ୮୪
ଅନେକ କାଳ ଗର୍ଭେ ଭ୍ରମି । ଫୁଟି ହୋଇଲା ପଥଶ୍ରମୀ । । ୮୫
ଯେ କାଳ ଜନ୍ତୁଙ୍କର ପ୍ରାଣ । ବଳେ ହରଇ ଅନୁକ୍ଷଣ । । ୮୬
ସେ କାଳବଳ-କରଷଣେ । ବାହାର ହୋଇଲା ତକ୍ଷଣେ । । ୮୭
ମନ-କଳ୍ପିତ ନ ପାଇଲା । ନିଜ ଆସନେ ବିଜେ କଲା । । ୮୮
ସ୍ଥିର-ନିଃଶ୍ୱାସ ଦୃଢେ଼ ଧରି । ମନ-ପବନ ହୃଦେ ଭରି । । ୮୯
ନିବୃତ୍ତଚିତ୍ତେ ପ୍ରଜାପତି । ଯୋଗ ଅଭ୍ୟାସେ କଲା ମତି । । ୯୦
ସେ ଶତେବର୍ଷ କାଳଭୋଗେ । ଲଭିଲା ବୋଧ ନିଷ୍ଠାଯୋଗେ । । ୯୧
ତା’ର ହୃଦୟେ ବିଷ୍ଣୁଭାବେ । ପ୍ରକାଶେ ସୃଷ୍ଟିଅର୍ଥ ଲାଭେ । । ୯୨
ପୂର୍ବେ ଯାହାକୁ ମହାଜଳେ । ଖୋଜି ନ ଦେଖିଲା ନିଶ୍ଚଳେ । । ୯୩
ତାହାକୁ ଆପଣା ହୃଦୟେ । ଦେଖେ ସମାଧିଯୋଗଧ୍ୟାୟେ । । ୯୪
ମୃଣାଣ-ଗୌର ଦେହକାନ୍ତି । ଅନନ୍ତ-ଶୟନେ ଶ୍ରୀପତି । । ୯୫
ଏକା ଅଛନ୍ତି ନାହିଁ କେହି । ଦେଖେ ନିଶ୍ଚଳ-ନେତ୍ରେ ଚାହିଁ । । ୯୬
ଫଣାସହସ୍ର ଊର୍ଦ୍ଧ୍ୱ ଜ୍ୟୋତି । ରତ୍ନସମୂହେ ଝଟକନ୍ତି । । ୯୭
ଯୁଗାନ୍ତ-ଜଳ-ଅନ୍ଧକାର । ସେ ରତ୍ନଜ୍ୟୋତି କରେ ଦୂର । । ୯୮
ମର୍କତଗିରି ନିନ୍ଦେ ରୂପ । ସନ୍ଧ୍ୟାଭ୍ର ଜିଣି ପୀତାଂଶୁକ । । ୯୯
ସୁବର୍ଣ୍ଣ-ଶୃଙ୍ଗ ତିରସ୍କାର । କରେ ମୁକୁଟ ଶିରପର । । ୧୦୦
ପର୍ବତ ବେଣୁବୃକ୍ଷ ଶୋଭା । ନିନ୍ଦଇ ଭୁଜପାଦ ପ୍ରଭା । । ୧୦୧
ରତ୍ନଔଷଧି ଜଳ ପୁଷ୍ପେ । ଗିରିଭୂଷଣ ମାଳ ରୂପେ । । ୧୦୨
ତାହାକୁ ବଳି ହରିଗଳେ । ରତ୍ନତୁଳସୀ ମୁକ୍ତାଫଳେ । । ୧୦୩
ମହାପୁରୁଷ ବିଷ୍ଣୁରୂପେ । ସ୍ୱୟଂ ପ୍ରକାଶ ମହାକଳ୍ପେ । । ୧୦୪
ପ୍ରକାଶ ଅଛଇ ବିସ୍ତାରେ । ତ୍ରିଲୋକ ପ୍ରକାଶ ଶରୀରେ । । ୧୦୫
ଦିବ୍ୟ ବିଚିତ୍ର ଆଭରଣେ । ପ୍ରକାଶେ ବସ୍ତ୍ର ଆଚ୍ଛାଦନେ । । ୧୦୬
ସର୍ବସୁନ୍ଦରର ସମୂହେ । ତେଜ ପ୍ରକାଶେ ବିଶ୍ୱଦେହେ । । ୧୦୭
ମିଳି ସକଳ ମହାଜନେ । ନିଜ ବା‚ଞ୍ଛିତ ଆତ୍ମାଧ୍ୟାନେ । । ୧୦୮
ଯେ କାମ ଯେ କରନ୍ତି ଧ୍ୟାୟେ । ତାହାଙ୍କୁ କାମଧେନୁ ପ୍ରାୟେ । । ୧୦୯
ଦୟାସାଗର ଭଗବାନ । ବ୍ରହ୍ମାଙ୍କୁ ଦେଲେ ଦରଶନ । । ୧୧୦
ଅଙ୍ଗୁଳି ଅଗ୍ରେ ନଖକାନ୍ତି । ଶଶାଙ୍କପ୍ରାୟ ଝଟକନ୍ତି । । ୧୧୧
ସ୍ଫୁରିତ ଦିଶେ ହାସ୍ୟମୁଖ । ଦେଖନ୍ତେ ହରେ ପ୍ରାଣୀଦୁଃଖ । । ୧୧୨
କର୍ଣ୍ଣେ କୁଣ୍ତଳବେନି ଶୋହେ । ଚନ୍ଦ୍ର-ତପନ ସମ ନୋହେ । । ୧୧୩
ଶୋଣ-ଅରୁଣ ଓଷ୍ଠବେନି । ବିରାଜେ ଦନ୍ତପନ୍ତି ଘେନି । । ୧୧୪
ପଦମ୍ବପୁଷ୍ପ ତେଜ ପ୍ରାୟେ । ପୀତବସନ କଟୀ ଶୋହେ । । ୧୧୫
ରତ୍ନମେଖଳା ତେଜ ଦମ୍ଭେ । ସୁନ୍ଦର ବିରାଜେ ନିତମ୍ବେ । । ୧୧୬
ଅଷ୍ଟରତନ ବନମାଳ । ଲମ୍ବେ ଶ୍ରୀବତ୍ସ›-ବକ୍ଷସ୍ଥଳ । । ୧୧୭
ହାରକେୟୂର ରତ୍ନମାଳ । ସୁନ୍ଦର ଅଳକା କପୋଳ । । ୧୧୮
ଭୁଜସହସ୍ର ଜାନୁଯାଏ । ଲମ୍ବେ ଶ୍ରୀବଟ ରୁହ ପ୍ରାୟେ । । ୧୧୯
ସର୍ବ-ଭୁବନ ତା’ର ଦେହେ । ବିରାଜେ ପୁଷ୍ପକଣା ପ୍ରାୟେ । । ୧୨୦
ଅଦୃଶ୍ୟ ମୂଳ ତା’ ସ୍ୱଭାବ । କେ ଅବା ଲୋଚନେ ଦେଖିବ । । ୧୨୧
ମନ୍ଦରଗିରି ଯେହ୍ନେ ଜଳେ । କ୍ଷୀରୋଦ-ମନ୍ଥନର କାଳେ । । ୧୨୨
ସହସ୍ରଶୃଙ୍ଗ ପ୍ରାୟ ସାଜେ । ସୁରତ୍ନ କିରୀଟ ବିରାଜେ । । ୧୨୩
କଣ୍ଠେ କୌସ୍ତୁଭମଣି ଶୋହେ । ରତ୍ନପ୍ରଭାରେ ମନ ମୋହେ । । ୧୨୪
ସୁକୀର୍ତ୍ତିମୟି ବନମାଳ । ଲମ୍ବେ ସୁନ୍ଦର-ବକ୍ଷସ୍ଥଳ । । ୧୨୫
ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି । ସୂର୍ଯ୍ୟ-ଶଶାଙ୍କ-ଅଗ୍ନିଜ୍ୟୋତି । । ୧୨୬
ସେ ପୁଣି ଚାହାଁନ୍ତେ ନିରୋଳେ । ଆତ୍ମାକୁ ତା’ ନାଭି କମଳେ । । ୧୨୭
ପବନ ଗଗନ ସଲିଳ । ବିଧାତା ଦେଖେ ଦେହେ ତା’ର । । ୧୨୮
ରଜୋଗୁଣରେ ଯୁକ୍ତ ହୋଇ । ପ୍ରଜା-ସୃଜନେ ମନଦେଇ । । ୧୨୯
ଲୋକ-ବିସୃଷ୍ଟି ଦେହେ ଦେଖି । ବିଧାତା ଆସନ ଉପେକ୍ଷି । । ୧୩୦
କରଯୁଗଳ ଦେଇ ମୁଣ୍ତେ । ସ୍ତୁତି କରଇ ଚାରିତୁଣ୍ତେ । । ୧୩୧
ସେ ହରି-ଚରଣେ ବିଶ୍ୱାସ । ନମଇଁ ଜଗନ୍ନାଥ ଦାସ । । ୧୩୨
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ ।

ନବମ ଅଧ୍ୟାୟ[ସମ୍ପାଦନା]

ବ୍ରହ୍ମା ଉବାଚ

ଭୋ ନାଥ ତୋ’ର ଗତି ମୁହିଁ । ଜାଣିଲି ତୋ’ର ଭାବ ବହି । । ୧
ଏ ଜୀବ ତୋ’ର ମାୟାବର୍ତ୍ତୀ । କାହୁଁ ଜାଣିବେ ତୋ’ର ଗତି । । ୨
ଦୃଶ୍ୟ ଅଦୃଶ୍ୟ ତୋ’ର ଭାବ । ଏ ଘେନି ତୋତେ କେ ଜାଣିବ । । ୩
ମାୟାର ପରେ ତୋ’ର ବାସ । ନିତ୍ୟ ନିରଞ୍ଜନ ପ୍ରକାଶ । । ୪
ସଦନୁଗ୍ରହେ ବନମାଳୀ । ତୁ ନାଥ ମାୟା ସଙ୍ଗେ ମିଳି । । ୫
ତୋ’ର ଏ ରୂପ ନାରାୟଣ । ଶତ-ଅବତାର କାରଣ । । ୬
ତୋ’ ନାଭିକମଳୁ ମୁଁ ଜାତ । ସ୍ୱଭାବେ ଅବିକାର-ତତ୍ତ୍ବ । । ୭
ତୋ’ ରୂପ ଦେଖିଲି ଲୋଚନେ । ଏ ଲାଭୁଁ ଲାଭ ନାହିଁ ଅନ୍ୟେ । । ୮
ଆନନ୍ଦରୂପ ତୋ’ ଶରୀର । ଅବିଦ୍ଧତେଜ ରୂପ ତୋ’ର । । ୯
ତୁ ବିଶ୍ୱସୃଷ୍ଟି-ମୂଳ ଏକ । ତୋ’ ତହୁଁ ପ୍ରକାଶ ଅନେକ । । ୧୦
ଭୂତ ଇନ୍ଦ୍ରିୟ ଆତ୍ମା ତୁହି । ତୋ’ ପାଦେ ଆଶ୍ରେ କଲି ମୁହିଁ । । ୧୧
ତୁ ସେ ସଂସାର ଆଦିମୂଳ । ତୋ’ ରୂପ ଭୁବନମଙ୍ଗଳ । । ୧୨
ଧାରଣା ଧ୍ୟାନେ ମନ ଦେଇ । ପ୍ରାଣୀ ତରନ୍ତି ଯାହା ଧ୍ୟାୟି । । ୧୩
ତୋ ଅନୁଭାବେ ଭବ-ତମ । ହରଇ ପୁରୁଷଉତ୍ତମ । । ୧୪
ଶ୍ରୀବାସୁଦେବ ନମୋସ୍ତୁତେ । ମନବଚନ ଜ୍ଞାନମତେ । । ୧୫
ଯେ ତୋତେ ଅନାଦର କରେ । ନରକମାର୍ଗେ ସେ ସଞ୍ଚରେ । । ୧୬
ଅନିତ୍ୟ ସଙ୍ଗେ ତା’ର ବାସ । ତୋ’ ଭାବେ ହୋନ୍ତି ସେ ନିରାଶ । । ୧୭
ତୋ’ ପାଦପଦ୍ମ-ଗନ୍ଧ ଯା’ର । ଆଘ୍ରାଣ କରେ ନାସାଦ୍ୱାର । । ୧୮
ଶ୍ରୁତିଯୁଗଳେ ନାମ ଶୁଣେ । ଯେ ଅବା ଜିହ୍ୱାଗ୍ରତେ ଗୁଣେ । । ୧୯
ପରମଭକ୍ତି ଯୋଗବଳେ । ଯେ ନମେ ତୋ’ ପାଦକମଳେ । । ୨୦
ତା ହୃଦପଦ୍ମ ମଧ୍ୟେ ଥାଉ । କେବେହେଁ କେଣିକି ନ ଯାଉ । । ୨୧
ଏ ଭବଭୟ-ଧନ-ମୋହ । ସୁହୃଦ-ଶୋକ-ବନ୍ଧୁସ୍ନେହ । । ୨୨
ସନ୍ତତି ଜାୟା ଜାତିକୁଳ । ଏ ସର୍ବ ଆପଦର ମୂଳ । । ୨୩
ଯାବତ ତୋ’ ପାଦକମଳେ । ଯେ ପ୍ରାଣୀ ନ ରହେ ନିଶ୍ଚଳେ । । ୨୪
ସେ କାହିଁ ଏ ଭୟ ତରିବ । ଯେବେ ନ ଜାଣେ ତୋ’ର ଭାବ । । ୨୫
ଏ ଭବଭୟ ତେବେ ନାଶେ । ତୋ’ ସଙ୍ଗୀସଙ୍ଗେ ଯେବେ ମିଶେ । । ୨୬
ତା’ ଛାଡ଼ି ଇନ୍ଦ୍ରିୟ-ଲାଳସେ । କ୍ଷଣିକ ସୁଖଲେଶ ଆଶେ । । ୨୭
ଯତ୍ନ କରନ୍ତି ଅବିରତେ । ତୋ’ ମାୟା ତରିବେ କେମନ୍ତେ । । ୨୮
କ୍ଷୁଧା ପିପାସା ମାର୍ଗେ ଭ୍ରମି । ଆଶା ବନ୍ଧନେ ପଥଶ୍ରମି । । ୨୯
ଶୀତ ନିଦାଘ ବାତ ବୃଷ୍ଟି । ଏଣେ ଭ୍ରମନ୍ତି ପ୍ରାଣୀ ଫୁଟି । । ୩୦
ଦୁର୍ଜୟ-କାମାନଳ ଦହେ । କେବେହେଁ ତୋ’ପାଦେ ନ ରହେ । । ୩୧
ଏ ଦୁଃଖ ଦେଖି ମୋର ମନ । ଭୟେ କମ୍ପଇ ଭଗବାନ । । ୩୨
ଯାବତ ଏ ମାୟା ଗହନେ । ମନ କଳ୍ପଇ ଭିନ୍ନେଭିନ୍ନେ । । ୩୩
ଇନ୍ଦ୍ରିୟ ଅର୍ଥେ ଚିତ୍ତ ଜଡେ଼ । ଘୋର ସଙ୍କଟ ଦୁଃଖେ ପଡେ଼ । । ୩୪
ତାବତ ସଂସାର ନ ତୁଟେ । ସଞ୍ଚରି ପୁଣି ପୁଣି ଫୁଟେ । । ୩୫
ଏ ବେନିଲୋକ ସୁଖ ଅର୍ଥେ । ପୁଣି ଭ୍ରମନ୍ତି ସୃଷ୍ଟି ପଥେ । । ୩୬
ଦୁଃଖ-ସମୁଦ୍ରେ ପୁଣି ଭାସେ । ଯତ୍ନ ନ କରେ ସୁଖଲେଶେ । । ୩୭
ଭୂତ ଭବିଷ୍ୟେ ଆଶା କରି । ସର୍ବବିଷୟ ଚିତ୍ତେ ଭରି । । ୩୮
ରାତ୍ରେ ନିଦ୍ରିତ ହୋଇ ଯେବେ । ସ୍ୱପ୍ନେ କଳ୍ପିତ ନାନାଭାବେ । । ୩୯
ତେଣୁ ପ୍ରାଣୀଙ୍କ ସୁଖଲେଶ । ନ ଥାଇ କ୍ଳେଶ ମାତ୍ରଶେଷ । । ୪୦
ଭ୍ରମଇଁ ମୁନିଙ୍କର ମନ । ତୋ’ ମାୟାବଳେ ଭଗବାନ । । ୪୧
ଏଣୁ ତୋ’ ପାଦେ ଯେ ବିମୁଖ । ଇହ ସଂସାରେ ଲଭେ ଦୁଃଖ । । ୪୨
ଶ୍ରବଣ ତୋ’ ନାମ ଯାହାର । ତୁ ପୁଣି ତାହାର ଗୋଚର । । ୪୩
ତୋ’ ଭକ୍ତିଭାବେ ଯେ ଭାବିତ । ତା’ ହୃଦପଦ୍ମେ ତୁ ଉଦିତ । । ୪୪
ସକଳ ଜୀବେ ତୋ’ ବିହାର । ତୁ ପୁଣି ତୋତେ ଅଗୋଚର । । ୪୫
ଯେ ଯେତେଭାବେ ତୋତେ ଭାବେ । ତୋ’ ଅନୁଗ୍ରହେ ସୁଖଲଭେ । । ୪୬
ନାନା ପ୍ରକାରେ ଉପଚାରେ । ତୋ’ ଆରାଧନା ଯେବା କରେ । । ୪୭
ତୁ ପୁଣି ତେଣେ ବଶ ନୋହୁ । ସକଳ ହୃଦୟରେ ଥାଉ । । ୪୮
ନିଷ୍କାମ ଯୋଗେ ତୁ ସୁଲଭ । ସକାମ-ଭକ୍ତିରେ ଦୁର୍ଲଭ । । ୪୯
ଯେ ସର୍ବଭୂତେ ଦୟା ଚିନ୍ତି । ତା’ ସମ ତ୍ରିଦଶେ ନୁହଁନ୍ତି । । ୫୦
ଯେ ତୋତେ ଶୁଦ୍ଧଭାବେ ଚିନ୍ତି । ନିଶ୍ଚିନ୍ତେ ତୋ’ ପାଦେ ପଶନ୍ତି । । ୫୧
ତୁ ପୁଣି ସର୍ବଜନ୍ତୁ ଦେହେ । ପ୍ରକାଶୁ ଆଦିତ୍ୟର ପ୍ରାୟେ । । ୫୨
ଏକୁ ଅନେକ ତୋ’ ପ୍ରକାଶ । ପ୍ରସନ୍ନ ଯେସନେ ଆକାଶ । । ୫୩
ସର୍ବ ସୁହୃଦ ଅନ୍ତରାତ୍ମା । କେ ଲକ୍ଷିପାରେ ତୋ’ ମହିମା । । ୫୪
ପ୍ରାଣୀଙ୍କ ମନ-କର୍ମବଳେ । ଦଣ୍ତେହେଁ ନ ରହେ ନିଶ୍ଚଳେ । । ୫୫
ଆରାଧି ନାନା ତପ ବ୍ରତେ । ସୁକୃତ-ଫଳ ଦେଇ ତୋତେ । । ୫୬
ବେଗେ ହୁଅନ୍ତି ଭବୁ ପାର । ନୋହିଲେ ଭ୍ରମନ୍ତି ସଂସାର । । ୫୭
ତୋ’ର ସ୍ୱରୂପ ନିତ୍ୟେ ଚିନ୍ତି । ଘୋର ସଂସାରୁ ତରିଯା’ନ୍ତି । । ୫୮
ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶ । ତୋ’ ମାୟା-ଲୀଳାରୁ ପ୍ରକାଶ । । ୫୯
ଏମନ୍ତ ମହିମା ତୋହର । ଭୋ ଦେବ ତୋତେ ନମସ୍କାର । । ୬୦
ତୋ’ ଅବତାର ଗୁଣ କର୍ମ । ସେ ଅନୁରୂପେ ଯେବା ନାମ । । ୬୧
ମରଣେ ଗୁଣନ୍ତି ଯେ ମୁଖେ । ବେଗେ ତରନ୍ତି ମହାସୁଖେ । । ୬୨
ଅନେକ ଜନ୍ମ ଜରା ଭ୍ରାନ୍ତି । ନିର୍ଭୟେ ବେଗେ ସେ ତରନ୍ତି । । ୬୩
ଅମୃତ ଲଭି ଅପ୍ରମାଦେ । ସୁଖେ ଲଭନ୍ତି ମୋକ୍ଷପଦେ । । ୬୪
ଏମନ୍ତ ପ୍ରଭୁ ପାଦତଳେ । ଶରଣ ପଶିଲି ନିଶ୍ଚଳେ । । ୬୫
ତୁ ନାଥ ପରମମଙ୍ଗଳ । ଉଦ୍ଭବ-ସ୍ଥିତି-ଅନ୍ତଃମୂଳ । । ୬୬
ଭୁବନଦ୍ରୁମ ତୋ’ ମହିମା । କେ ଜାଣିପାରେ ଅନ୍ତଃସୀମା । । ୬୭
ମୁଁ ଆଦିଭବ ବିଷ୍ଣୁ ତିନି । ତାଳ ସ୍ୱରୂପେ ଯହିଁ ମାନି । । ୬୮
ମରୀଚି ମନୁ ଆଦି ଯେତେ । ଏ ସର୍ବଶାଖା ଅପ୍ରମିତେ । । ୬୯
ଏମନ୍ତ ବୃକ୍ଷରୂପ ତୋ’ର । ତୋ’ ପାଦେ ମୋ’ର ନମସ୍କାର । । ୭୦
ଏ ଜୀବଲୋକ ଅବିରତ । ବିକାର-ମାର୍ଗେ ସୁଜଡ଼ିତ । । ୭୧
ଭାବଇ ଅକୁଶଳ କର୍ମ । ନିତ୍ୟେ କଳ୍ପଇ ନିଜଭ୍ରମ । । ୭୨
ପ୍ରମତ୍ତ ନାନା ଫଳ ଲାଭେ । ତୋହର ଭଜନ ପ୍ରସ୍ତାବେ । । ୭୩
ତା’ର ଜୀବନ ଆଶା ତୁହି । କ୍ଷଣକେ ଛେଦୁ ଭାବଗ୍ରାହୀ । । ୭୪
ଏମନ୍ତ ପ୍ରଭୁ ପାଦଗତେ । ମୋ’ ନମସ୍କାର ଅବିରତେ । । ୭୫
ଭୋ ନାଥ ଜୀବନ ମୋହର । ବେନିପରାର୍ଦ୍ଧ ଅଧିକାର । । ୭୬
ସକଳ ଲୋକ ନମସ୍କୃତ । ସପ୍ତମଣ୍ତଳ ପରେ ସ୍ଥିତ । । ୭୭
ଅନେକ ତପେ ଅଧିକାରୀ । ତୋ’ କାଳରୂପେ ତେବେ ଡରି । । ୭୮
ତୁ ଅଧିଯଜ୍ଞ ଦାମୋଦର । ତୋ’ ପାଦେ ମୋର ନମସ୍କାର । । ୭୯
ପଶୁ ମନୁଷ୍ୟ ଦେବଦେହେ । ସମ୍ଭବି ତୁ ଲୋକ ସଂଗ୍ରହେ । । ୮୦
ଇଚ୍ଛାୟେ କରୁ ନାନାକର୍ମ । ନମସ୍ତେ ପୁରୁଷଉତ୍ତମ । । ୮୧
ଯେ ନିଦ୍ରାଗତି ପଞ୍ଚବୃତ୍ତି । ତୁରୀୟ ସ୍ୱପ୍ନ ଯେ ସୁଷୁପ୍ତି । । ୮୨
ଅବିଦ୍ୟା-ନିଦ୍ରାର କାରଣ । ତୁ ନୋହୁ ତାହାର ଅଧୀନ । । ୮୩
ତଥାପି ନିଦ୍ରାଗଲା ପରି । ଲୋକ ସଂସାର ପେଟେ ଭରି । । ୮୪
ଜୀବଙ୍କୁ ଦେବାକୁ ବିଶ୍ରାମ । ପ୍ରଳୟ ଜଳେ ତୋ’ ଶୟନ । । ୮୫
ତ୍ରିଲୋକ-ଉପକାର ସଧେ । ମୋ’ ଜନ୍ମ ତୋ’ର ନାଭିପଦ୍ମେ । । ୮୬
ଏ ଯୋଗମାୟା ଅବସାନ । ନମସ୍ତେ ନଳିନ ନୟନ । । ୮୭
ଜୟତୁ ପ୍ରଭୁ ଭଗବାନ । ଅଶେଷ ଜନ୍ତୁଙ୍କ ଜୀବନ । । ୮୮
ତୋ’ର ଆଦେଶ ଶିରେ ଧରି । ମୁଁ ଏ ସଂସାରେ ଅଧିକାରୀ । । ୮୯
ଯେ ଜ୍ଞାନ-ଅଇଶ୍ୱର୍ଯ୍ୟ ବଳୁ । ତୁହି ସଂସାର ସୃଜି ପାଳୁ । । ୯୦
ଯେ ଜ୍ଞାନ ଦିଅ ଅନୁଗ୍ରହେ । ସୃଷ୍ଟି କରିବି ପୂର୍ବ ପ୍ରାୟେ । । ୯୧
ଭୋ ନାଥ ପରମପୁରୁଷ । ଏ ଆତ୍ମାଶକ୍ତି ତୋ’ ବିଶ୍ୱାସ । । ୯୨
ଗୁଣ-ଗୃହୀତ ଅବତାରେ । ଯେ ଅବା କରୁ ତୁ ସଂସାରେ । । ୯୩
ସେ ଗୁଣ ଘେନି ସୃଷ୍ଟିଅର୍ଥେ । ଯେ ଅବା ହୋଇବ ଯେମନ୍ତେ । । ୯୪
ସର୍ଜିବି ଆତ୍ମା ଯୋଗବଳେ । ମୋ’ ଚିତ୍ତ ଯେମନ୍ତେ ନିଶ୍ଚଳେ । । ୯୫
ତୋ’ର ଚରଣେ ଦୃଢ଼ ହୋଏ । ଭୋ ନାଥ କର ଏ ଉପାୟେ । । ୯୬
ଦୁର୍ଗମ ଏ ପ୍ରଳୟ ଜଳେ । ମୁଁ ଜାତ ତୋ’ ନାଭିକମଳେ । । ୯୭
ବିଜ୍ଞାନ ଶକ୍ତି ଯେଣୁ ବହୁ । ତେଣୁ ଅନନ୍ତ ତୁ ବୋଲାଉ । । ୯୮
ସଂଭ୍ରମେ ପଦ୍ମନାଳେ ମୁହିଁ । ଭ୍ରମନ୍ତେ ତୋ’ର ମାୟାବହି । । ୯୯
ଦେଖିଲି ତୋ’ ପରମରୂପ । ଯେ ରୂପ ନିଗମ-ସଙ୍କଳ୍ପ । । ୧୦୦
ସର୍ଜୁ ବିଚିତ୍ର ବିଶ୍ୱରୂପ । ମୋ’ ବ୍ରହ୍ମତେଜ ନୋହୁ ଲୋପ । । ୧୦୧
ଅଶେଷ କରୁଣାସାଗର । ଭୋ ନାଥ ମହିମା ତୋହର । । ୧୦୨
ରଙ୍ଗ ଅଧରେ ମନ୍ଦହାସ । ଦେଖାଇ ମୋର ମନ ତୋଷ । । ୧୦୩
ଏ ବିଶ୍ୱସଂସାର କୁଶଳେ । ମୁଁ ଯେଣୁ ଅଛି ମହାଜଳେ । । ୧୦୪
ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ । ମୁହିଁ ଭାଳଇ ଅବିରତେ । । ୧୦୫
ତୁ ନାଥ ମଧୁର-ବଚନେ । ଚିନ୍ତା ନିବାର ମୋର ମନେ । । ୧୦୬
ମୈତ୍ରେୟ ଉବାଚ

ଏମନ୍ତେ ସଂଭ୍ରମ-ବଚନେ । ତପ ସମାଧି ଯୋଗଧ୍ୟାନେ । । ୧୦୭
ନିର୍ମଳ ଦିବ୍ୟ-ଅନୁଭବେ । ନିଗମ ବଚନ ପ୍ରସ୍ତାବେ । । ୧୦୮
ନାନା ପ୍ରକାରେ କରି ସ୍ତୁତି । ମନ-ବଚନେ ଯେତେ ଶକ୍ତି । । ୧୦୯
ଅନ୍ତେ ଗୋବିନ୍ଦ-ଭାବ ଘେନି । ସେ ପଦ୍ମ ମଧ୍ୟେ ହେଲା ତୁନି । । ୧୧୦
ଏମନ୍ତେ ବ୍ରହ୍ମା ମନ ଜାଣି । ଦୟାସାଗର ଚକ୍ରପାଣି । । ୧୧୧
ବିଷାଦ ଚିତ୍ତେ ସେ ଭାଳଇ । ପ୍ରଳୟ ଜଳ ମଧ୍ୟେ ଥାଇ । । ୧୧୨
ଲୋକ ସଂସ୍ଥାନ ଚିନ୍ତାକରି । ଭାଳଇ ଖେଦ ମନେ ଧରି । । ୧୧୩
ସେ ଚିତ୍ତ ଜାଣି ଭଗବାନ । କୋମଳ ଗଭୀର ବଚନ । । ୧୧୪
ବ୍ରହ୍ମାର ମନ ଖେଦ ହରି । କହନ୍ତି ପ୍ରଭୁ ଦଇତାରି । । ୧୧୫
ଭଗବାନ ଉବାଚ

ହେ ବେଦଗର୍ଭ ସୃଷ୍ଟିମୁଖ । ବେଗେ ତୁ ଛାଡ଼ ମନଦୁଃଖ । । ୧୧୬
ତୁ ଯେ କଳ୍ପିତେ ମାଗୁ ଯାହା । ଆଗେ ମୁଁ କରିଅଛି ତାହା । । ୧୧୭
ତୁ ଏବେ ତପେ କର ଆଶା । ମୋ’ ବିଦ୍ୟାବଳ ତୋ’ ଭରସା । । ୧୧୮
ଏ ତପ-ଯୋଗବିଦ୍ୟା ବଳେ । ସୃଷ୍ଟି ତୁ କର ମହାଜଳେ । । ୧୧୯
ଆତ୍ମା ନିଯୋଗେ ଭକ୍ତି କର । ଯେ ରୂପେ ହୋଇବ ସଂସାର । । ୧୨୦
ସର୍ବ ଦେଖିବୁ ମୋର ଦେହେ । ମୋତେ ଦେଖିବୁ ସର୍ବମୟେ । । ୧୨୧
ମୁଁ ବସେ ସର୍ବପ୍ରାଣୀ ମନେ । ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ । । ୧୨୨
ମୋତେ ଯେ ଦେଖେ ବେଦବର । ତା’ର ସଂଶୟ ଯାଇ ଦୂର । । ୧୨୩
ଭୂତ-ଇନ୍ଦ୍ରିୟ-ଗୁଣ ମେଳେ । ଅନ୍ତଃକରଣ ସୁନିଶ୍ଚଳେ । । ୧୨୪
ଯେବେ ଦେଖଇ ଦେହେ ମୋତେ ।ସ୍ୱରାଜ୍ୟେ ରହଇ ନିଶ୍ଚିନ୍ତେ । । ୧୨୫
କର୍ମ ବିଭାଗେ ନାନାମତେ । ଏ ସୃଷ୍ଟି ସର୍ଜିବୁ ଯେମନ୍ତେ । । ୧୨୬
ମୋ’ ଅନୁଗ୍ରହେ ତୋ’ର ମନ । କେବେହେଁ ନୋହିବଟି ଛନ୍ନ । । ୧୨୭
ତୁ ଯେବେ ମୋ’ର ଦେହେ ମନ । ଦେଇ ସର୍ଜିବୁ ପ୍ରଜାଜନ । । ୧୨୮
ଏ ରଜଗୁଣେ ଯେତେ ଭାବ । କେବେହେଁ ତୋତେ ନ ଲାଗିବ । । ୧୨୯
ପ୍ରାଣୀଙ୍କ ଦୁର୍ଲ୍ଲଭ ଯୁଗତେ । ତୁ ଯେ ଜାଣିଲୁ ଏବେ ମୋତେ । । ୧୩୦
ଭୂତ-ଇନ୍ଦ୍ରିୟଗଣ ଗ୍ରସ୍ତେ । କେ ହେଜି ସମ୍ପାଦିବ ମୋତେ । । ୧୩୧
ତୁ ଯେ ସଂଶୟ ଚିତ୍ତେ ବହି । କମଳନାଳ ମଧ୍ୟେ ଯାଇ । । ୧୩୨
ତାହାର ମୂଳ ଇଚ୍ଛା କଲୁ । ଅନେକ କାଳ ତୁ ଭ୍ରମିଲୁ । । ୧୩୩
ଦୟା ବସିଲା ମୋର ଚିତ୍ତେ । ବାହାରେ ଦେଖାଇଲି ତୋତେ । । ୧୩୪
ତୁ ଯେତେ କଲୁ ମୋତେ ସ୍ତୁତି । କହଇ ଶୁଣ ବେଦପତି । । ୧୩୫
ଯେ ତପନିଷ୍ଠା ତୋ’ର ଦେହେ । ଲଭିଲୁ ମୋ’ର ଅନୁଗ୍ରହେ । । ୧୩୬
ସୁପ୍ରୀତ ହୋଇଲି ମୁଁ ତୋତେ । କଲ୍ୟାଣ ଲଭ ତୁ ଜଗତେ । । ୧୩୭
ଲୋକମଙ୍ଗଳ ଅର୍ଥେ ତୋ’ର । ମହିମା ବର୍ଣ୍ଣିଲୁ ମୋହର । । ୧୩୮
ଏ ସ୍ତୋତ୍ରେ ମୋତେ ଯେ ଭଜିବ । ସଂସାର ଭୟରୁ ତରିବ । । ୧୩୯
ମୁଁ ବରଦାତା ଭଗବାନ । ତାହାକୁ ହୁଅଇ ପ୍ରସନ୍ନ । । ୧୪୦
ସମାଧି ତପ ଯଜ୍ଞମତେ । ଜ୍ଞାନ ବୈରାଗ୍ୟ ଉପଗତେ । । ୧୪୧
ମୋରେ ନିଶ୍ଚଳ ପ୍ରୀତିଭାବ । ଏ ସର୍ବ କର୍ମଫଳ ଲାଭ । । ୧୪୨
ମୁଁ ଆତ୍ମା ଜଗତ ଜୀବର । ସଂଶୟଚିତ୍ତେ ଅଗୋଚର । । ୧୪୩
ଏଣୁ ଯେ ମୋ’ ବିଷୟ ଭଜେ । ସ୍ୱଭାବେ ସର୍ବମାୟା ତେଜେ । । ୧୪୪
ଆତ୍ମାରେ ଆତ୍ମମାୟା ତରେ । ନ ବୁଡେ଼ ସଂସାର-ସାଗରେ । । ୧୪୫
ମାୟାରେ ଆତ୍ମାବୁଦ୍ଧି ଧର । ପୂର୍ବର ପ୍ରାୟେ ସୃଷ୍ଟି କର । । ୧୪୬
ସକଳ ବେଦଭାବେ କରି । ମୋହର ଭାବ ହୃଦେ ଧରି । । ୧୪୭
ଯେ ପ୍ରାଣୀ ମୋ’ର ଦେହେ ଥିଲେ । ପ୍ରଳୟ ଜଳେ ନାଶ କାଳେ । । ୧୪୮
ତାହାଙ୍କୁ କର୍ମର ଆୟତ୍ତେ । ପୁଣି ପ୍ରକାଶ ଏ ଜଗତେ । । ୧୪୯
ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମା ଆଗେ କହି । ଅନ୍ତର ହେଲେ ଭାବଗ୍ରାହୀ । । ୧୫୦
ସେ ହରିଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ । । ୧୫୧
ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ନବମୋଽଧ୍ୟାୟଃ ।

ଦଶମ ଅଧ୍ୟାୟ[ସମ୍ପାଦନା]

ବିଦୁର ଉବାଚ

ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପଚାରେ ବିଦୁର । । ୧
ଭୋ ମୁନି କହ ଶୁଦ୍ଧମନେ । ବିଷ୍ଣୁ ଯେ ଗଲେ ଅନ୍ତର୍ଦ୍ଧାନେ । । ୨
ସେ ବେଦପତି ଜ୍ଞାନମତେ । ପ୍ରଜା ସର୍ଜିଲା ସେ କେମନ୍ତେ । । ୩
ତା’ର କି ଦେହେ ପ୍ରଜା ଥିଲା । କେତେ ପ୍ରକାରେ ଭିଆଇଲା । । ୪
ମନ କଳ୍ପିତ ଦେହଗତେ । କହ ସଂଶୟ ଯାଉ ଚିତ୍ତେ । । ୫
ସୂତ ଉବାଚ
ବିଦୁର ବାକ୍ୟ କର୍ଣ୍ଣେ ଶୁଣି । ଯେ ପୂର୍ବପ୍ରଶ୍ନ ମନେ ଗୁଣି । । ୬
ବିଦୁର ପ୍ରୀତିଭାବ ଘେନି । କହନ୍ତି ମଇତ୍ରେୟ ମୁନି । । ୭
ମୈତ୍ରେୟ ଉବାଚ
ଶୁଣ ବିଦୁର ଏକଚିତ୍ତେ । ଜଗତ ସର୍ଜିଲା ଯେମନ୍ତେ । । ୮
ଗୋବିନ୍ଦ ବାକ୍ୟେ ବେଦପତି । ତପ ସାଧନେ କଲା ମତି । । ୯
ଶତେବରଷ ବେଦମତେ । ତପ ସାଧିଲା ଦୃଢ଼ଚିତ୍ତେ । । ୧୦
ଆତ୍ମାରେ ଆତ୍ମା ଲୀନ କରି । ଗୋବିନ୍ଦ-ବଚନ ସୁମରି । । ୧୧
ଦେଖଇ ନୟନ ନିଶ୍ଚଳେ । ଉର୍ମ୍ମି-ସଙ୍କୁଳ ମହାଜଳେ । । ୧୨
ପବନ ଯୋଗେ ଅତି ଖର । ସ୍ୱଭାବେ ଦିଶେ ଭୟଙ୍କର । । ୧୩
ପଦ୍ମ ସହିତେ ଳଜ କମ୍ପେ । ଉର୍ମ୍ମି-ସଙ୍କୁଳ ଅତିରେକେ । । ୧୪
କାଳର ବଳେ କମ୍ପମାନ । ଦେଖି ଉଷତ ବ୍ରହ୍ମା ମନ । । ୧୫
ତକ୍ଷଣେ ତପ-ବିଦ୍ୟାବଳେ । ସୁସ୍ଥିର ବିଜ୍ଞାନ ନିଶ୍ଚଳେ । । ୧୬
ବାୟୁ ସହିତେ ଜଳରାଶି । ସେ ବ୍ରହ୍ମା ଯୋଗବଳେ ଗ୍ରାସି । । ୧୭
ପ୍ରଳୟ ଜଳ ଯହୁଁ ଗଲା । ନିଶ୍ଚଳେ ପଦ୍ମ ବିକାଶିଲା । । ୧୮
ସେ ପଦ୍ମେ ବସି ବେଦବର । ମନରେ କରଇ ବିଚାର । । ୧୯
ପୂର୍ବେ କମଳ-ଗର୍ଭଗତେ । ଜନ୍ତୁଏ ପଶିଛନ୍ତି ଯେତେ । । ୨୦
ତାହାଙ୍କୁ କରିବି ପ୍ରକାଶ । ସେ ଯେଣୁ ସ୍ୱକର୍ମେ ପ୍ରବେଶ । । ୨୧
ଏକୁ ଅନେକ ରୂପ ଚିନ୍ତେ । ସ୍ୱକର୍ମ ବଳେ ନାନା ମତେ । । ୨୨
ଦ୍ୱିସପ୍ତଲୋକ ସ୍ଥାନ ଯେହି । ତିନି ଭୁବନ କଲେ ତହିଁ । । ୨୩
ଯହିଁରେ ଯେବା ନିଜ କର୍ମ । ସର୍ଜିଲେ ପ୍ରଜା ଭିନ୍ନ ଭିନ୍ନ । । ୨୪
ଯେ ଯାହା ମତେ ଧର୍ମ ଚିନ୍ତି । ନିଶ୍ଚଳଯୋଗେ ପ୍ରଜାପତି । । ୨୫
ବିଦୁର ଉବାଚ
ଭୋ ମୁନି ହରିର ମହିମା । ଅଦ୍ଭୁତ କର୍ମ ଗୁଣସୀମା । । ୨୬
ସୃଷ୍ଟି ପାଳନ ସଂହାରଣ । କାଳ ସ୍ୱରୂପ ନାରାୟଣ । । ୨୭
ଖେଳଇ ନିଜ ମାୟାବଳେ । କେ ତା ଦେଖିବ ଚର୍ମଡୋଳେ । । ୨୮
ତା’ର ଲକ୍ଷଣ କହ ମୋତେ । ଅଣୁ ବା ପରମାଣୁ ଯେତେ । । ୨୯
ମୈତ୍ରେୟ ଉବାଚ
ସ୍ୱଭାବେ ନିର୍ଗୁଣ ଅଚ୍ୟୁତ । ନିର୍ଲେପ ନିର୍ବିକଳ୍ପେ ସ୍ଥିତ । । ୩୦
ତା’ର ଶରୀରୁ ଆତ୍ମା ଜାତ । ଲୀଳାରେ ସୃଜଇ ଜଗତ । । ୩୧
ଏ ବିଶ୍ୱ ବ୍ରହ୍ମମୟ-ରୂପୀ । ନିଜ ମାୟାର ବଳେ ବ୍ୟାପି । । ୩୨
କାଳ ପ୍ରଭାବେ ପରିଚ୍ଛିନ୍ନ । ଯେ କାଳ ସ୍ୱୟଂ ଭଗବାନ । । ୩୩
ଯେମନ୍ତ ସୃଷ୍ଟି ଥିଲା ପୂର୍ବେ । ତେମନ୍ତ ପୁଣି ହେବ ଏବେ । । ୩୪
ପ୍ରକୃତି ବିକୃତି ବିକାରେ । ଯେ ସର୍ଗ ନବ ପରକାରେ । । ୩୫
ଯେ କାଳ ଦ୍ରବ୍ୟ ଗୁଣମୟ । ଏହାର ତିନିଟି ପ୍ରଳୟ । । ୩୬
ଯେବା ପ୍ରଳୟ ହୁଏ କାଳେ । ତା’ ନିତ୍ୟ ବୋଲନ୍ତି ସକଳେ । । ୩୭
ଯେ ସଙ୍କର୍ଷଣ ମୁଖାଗ୍ନିରେ । ପ୍ରଳୟ ଘଟଇ ସଂସାରେ । । ୩୮
ସେ ଦ୍ରବ୍ୟ ହେତୁ ନୈମିତ୍ତିକ । ସ୍ୱକାର୍ଯ୍ୟ ଗ୍ରାସେ ପ୍ରାକୃତିକ । । ୩୯
ଗୁଣର ବଶେ ତା’ ଉତ୍ପତ୍ତି । ଏ ରୂପେ ତ୍ରିବିଧ ବୋଲନ୍ତି । । ୪୦
ଯେ କାଳେ ବ୍ରହ୍ମ ଉଦେ ହୋନ୍ତି । ମହତ ଆଦି ତତ୍ତ୍ବ ଚିନ୍ତି । । ୪୧
ଗୁଣ-ବୈଷମ୍ୟେ ଆତ୍ମା ବସେ । ସ୍ୱଗୁଣ ସ୍ୱଭାବେ ପ୍ରକାଶେ । । ୪୨
ମହତ ତତ୍ତ୍ବ ଆଦ୍ୟ ଚିନ୍ତି । ପ୍ରଥମ ସର୍ଗ ଉତପତ୍ତି । । ୪୩
ଦ୍ୱିତୀୟ ଅହଙ୍କାରୋଦୟ । ଯେ ଦ୍ରବ୍ୟଜ୍ଞାନ-କ୍ରିୟାଶ୍ରୟ । । ୪୪
ତୃତୀୟ ଭୂତସର୍ଗ ହୋଏ । ଯେ ମାତ୍ରା ଦିବ୍ୟଶକ୍ତି ବହେ । । ୪୫
ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ । ଯେ ଜ୍ଞାନ-କ୍ରିୟାତ୍ମକ ନାମ । । ୪୬
ଇନ୍ଦ୍ରି ରକ୍ଷକ ଦେବଗଣ । ଆବର ପଞ୍ଚମରେ ମନ । । ୪୭
ଷଷ୍ଠରେ ତାମସ ଯେ ହୋଏ । ଅବିଦ୍ୟା ମହାଶକ୍ତି ବହେ । । ୪୮
ଏ ଷଟ ପ୍ରକୃତି ଗୋଚର । ବିକୃତି ଶୁଣ ହେ ବିଦୁର । । ୪୯
ଏ ସୃଷ୍ଟି ଜାତ ରଜୋଗୁଣେ । ହରିର ଲୀଳା ଏ ପ୍ରମାଣେ । । ୫୦
ସ୍ଥାବର ସୃଜନ ସପ୍ତମ । ଅନ୍ୟାନ୍ୟ ସୃଷ୍ଟି ମୁଖ୍ୟତମ । । ୫୧
ଏବେ ହୋ ମୁଖ୍ୟସର୍ଗ କହି । ସ୍ଥାବର ଷଡ଼ବିଧ ହୋଇ । । ୫୨
ବନସ୍ପତି ଲତା ଔଷଧି । ବୀରୁଧ ଦ୍ରୁମ ବେଣୁ ଆଦି । । ୫୩
ଏହାଙ୍କ ନାମ ଉର୍ଦ୍ଧ୍ୱ-ସ୍ରୋତ । ଅନ୍ତରେ ସ୍ପର୍ଶଜ୍ଞାନ ମାତ୍ର । । ୫୪
ଅଷ୍ଟମସର୍ଗେ ପଶୁଗଣ । ସେ ଅଷ୍ଟବିଂଶ ପରମାଣ । । ୫୫
ଅଜ୍ଞାନ ତମଗୁଣେ ଥା’ନ୍ତି । କେବଳ ଘ୍ରାଣେ ସେ ଜାଣନ୍ତି । । ୫୬
ଗୋରୁ ମହିଷ ଛାଗ ତିନି । ଗବୟ ଶୂକର ହରିଣୀ । । ୫୭
ଏହାଙ୍କ ପାଦେ ବେନିଖୁର । ମେଷ ଶରଭ ଉଷ୍ଟ୍ରଖର । । ୫୮
ସମ୍ବର ମୃଗ ଆଦି ଯେତେ । ଯେ ଏକଖୁର କହୁଁ ତୋତେ । । ୫୯
ଏବେ କହିବା ବୀର ଶୁଣ । ଯେ ପଞ୍ଚନଖୀ ପଶୁଗଣ । । ୬୦
ଶ୍ୱା ବୃକ ବ୍ୟାଘ୍ର ଯେ ଶୃଗାଳ । ଶଶକ ଭଲ୍ଲୁକ ବିଡାଳ । । ୬୧
ସିଂହ ବାନର କୂର୍ମ ହସ୍ତୀ । ଏ ପଞ୍ଚନଖ ବୋଲି ଥା’ନ୍ତି । । ୬୨
ମକର ଆଦି ଜଳ ଜୀବେ । ଭାବେ କହିବା ଶୁଣ ଏବେ । । ୬୩
ଯେ କଙ୍କ ଶାଗୁଣା ସଞ୍ଚାଣ । ଭାସ ଶଲ୍ଲକ ବରହିଣ । । ୬୪
ହଂସ ସାରସ ଚକ୍ରବାକ । ଉଲ୍ଲୁକ ଆଦି ଚିଲ କାକ । । ୬୫
ଏବେ ନବମସର୍ଗ କହି । ବିଦୁର ଶୁଣ ମନଦେଇ । । ୬୬
ମନୁଷ୍ୟ ମଧ୍ୟେ ତାକୁ ଗଣି । ଦୁଃଖକୁ ସୁଖପ୍ରାୟ ମଣି । । ୬୭
ରଜ ଅଧିକ କର୍ମ ପର । ବିକୃତ ଏ ତିନି ପ୍ରକାର । । ୬୮
ଏବେ ଅପର କହୁଁ ତୋତେ । ଉଭୟ ମଧ୍ୟେ ସୃଷ୍ଟି ଯେତେ । । ୬୯
କୁମାରସର୍ଗ ଯେ ବୋଲାଇ । ଉଭୟ ମତେ ଦେହ ବହି । । ୭୦
ଦେବଙ୍କ ସୃଷ୍ଟି ଅଷ୍ଟବିଧ । ପିତର ଅସୁର ବିବୁଧ । । ୭୧
ଗନ୍ଧର୍ବ ଅପ୍‌ସରା ସିଦ୍ଧ । ଚାରଣ ଯକ୍ଷ ରକ୍ଷ ଭେଦ । । ୭୨
ଭୂତ ପିଶାଚ ପ୍ରେତଗଣ । କିନ୍ନର ବିଦ୍ୟାଧର ପୁଣ । । ୭୩
ଏ ଅଷ୍ଟବିଧ ଉତପତ୍ତି । ସ୍ୱଭାବେ ଦେବତା ବୋଲନ୍ତି । । ୭୪
ଏ ଦଶସର୍ଗ ହେ ବିଦୁର । କ୍ରମେ ସର୍ଜିଲା ବେଦବର । । ୭୫
ଏବେ କହିବା କୁରୁବୀର । ଯେ ବଂଶ ମନୁ ମନ୍ୱନ୍ତର । । ୭୬
ଏମନ୍ତେ ରଜଗୁଣେ ମିଶି । ସୃଷ୍ଟି ଆଗମେ ବ୍ରହ୍ମରାଶି । । ୭୭
ଅମୋଘ-ସଙ୍କଳ୍ପ ସ୍ୱଭାବ । ଆତ୍ମାରେ ଆତ୍ମା ପଦ୍ମନାଭ । । ୭୮
ତ୍ରିଗୁଣେ ନୋହେ ସେ ଗୃହୀତ । ଈଶ୍ୱର ମାୟା ମହୁମତ । । ୭୯
ନଦୀଙ୍କ ଜଳ ଯେହ୍ନେ ଭ୍ରମେ । ଜଳଧି ଯା’ନ୍ତି ଯଥାକ୍ରମେ । । ୮୦
ଏ ଯେତେ ଦେବାସୁର ଆଦି । ଯେତେ ମୁଁ କହିଲି ସମ୍ପାଦି । । ୮୧
ସେ ନାନାବିଧ ରୂପ ହୋନ୍ତି । କ୍ରମେ ତାହାର ଦେହେ ଯା’ନ୍ତି । । ୮୨
ଏମନ୍ତେ ବିଦୁର ସମୀପେ । ମୁନି କହିଲେ ପଦ୍ମକଳ୍ପେ । । ୮୩
ଏ ଭାଗବତ ଜ୍ଞାନରସ । କହିଲା ଜଗନ୍ନାଥ ଦାସ । । ୮୪
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଦଶମୋଽଧ୍ୟାୟଃ ।

ଏକାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ସେ କାଳରୂପ ସଂଖ୍ୟା ଯେତେ । । ୧
ନିମିଷ ଆଦି ରୂପ ତା’ର । ଯେମନ୍ତେ ପୂରଇ ବ›ତ୍ସର । । ୨
ନିମିଷ ଚକ୍ଷୁ ପକ୍ଷ୍ମ ଭ୍ରମ । ଅଣୁ ତହିଁରୁ ଅଟେ ସାନ । । ୩
ହେ କୁରୁବୀର ଶୁଣ ତୁହି । କହିବି ପରମାଣୁ ମୁହିଁ । । ୪
ଯାହା ବିଭାଗ ନ ଲଭଇ । ସଂଯୋଗେ ଭାବ ଯା’ର ନାହିଁ । । ୫
ଯାହା ସର୍ବଦା ବର୍ତ୍ତମାନ । ତାହାର ପରମାଣୁ ନାମ । । ୬
ଅଣୁର ଅର୍ଦ୍ଧ ପରମାଣୁ । ତ୍ରିଭାଗେ ହୋଏ ତ୍ରସରେଣୁ । । ୭
ତୃତୀୟ ତ୍ରସରେଣୁ ଯେହି । ତାହାକୁ ତ୍ରୁଟି ବୋଲି କହି । । ୮
ଶଏ ତ୍ରୁଟିରେ ବେଧ ହୋଏ । ତ୍ରିବେଧେ ଲବ ନାମ ବହେ । । ୯
ତ୍ରିଲବ କାଳ ଅଟେ ଯେହି । ନିମିଷ ବୋଲି ତା’କୁ କହି । । ୧୦
ତିନି ନିମିଷେ ଏକ କ୍ଷଣ । ପଞ୍ଚ କ୍ଷଣରେ କାଷ୍ଠା ପୁଣ । । ୧୧
କାଷ୍ଠା ପନ୍ଦର ଯେବେ ହୋଇ । ତାହାକୁ ଲଘୁ ବୋଲି କହି । । ୧୨
ଏ ପଞ୍ଚଦଶ ଲଘୁ ଘେନ । ନାଡ଼ି ବୋଲିଣ ତା’କୁ ଜାଣ । । ୧୩
ବେନି ନାଡ଼ିରେ ଯେ ମୁହୂର୍ତ୍ତ । ପ୍ରହର ଷଟ ଅବା ସପ୍ତ । । ୧୪
ତାହାକୁ ଯାମ ବୋଲି କହି । ଅଷ୍ଟମେ ଅହୋରାତ୍ର ହୋଇ । । ୧୫
ତାମ୍ର ଦ୍ୱାଦଶପଳ ଅର୍ଦ୍ଧେ । ପ୍ରସ୍ଥ ପ୍ରମାଣ ପାତ୍ର ମଧ୍ୟେ । । ୧୬
ଚାରି ଅଙ୍ଗୁଳି ଦୀର୍ଘ କରି । ଚତୁରମସେ ଚୂତୀ ଗଢ଼ି । । ୧୭
ସ୍ୱର୍ଣ୍ଣସୂଚୀରେ ଛିଦ୍ର କରି । କରିବ ଆୟାମ ବିସ୍ତାରି । । ୧୮
ଜଳେ ବୁଡ଼ନ୍ତେ ଦଣ୍ତେ ହୁଏ । ଏମନ୍ତେ କାଳର ନିର୍ଣ୍ଣୟେ । । ୧୯
ଅଷ୍ଟପ୍ରହରେ ଦିବା-ରାତ୍ରି । କାଳଜ୍ଞେ ଏମନ୍ତ ଗଣନ୍ତି । । ୨୦
ପନ୍ଦର ଅହୋରାତ୍ରେ ପକ୍ଷ । ସେ ଶୁକ୍ଳ କୃଷ୍ଣ ଯେ ପ୍ରତ୍ୟକ୍ଷ । । ୨୧
ଏ ବେନିପକ୍ଷେ ହୁଏ ମାସ । ପିତୃଙ୍କ ରାତ୍ରି ଯେ ଦିବସ । । ୨୨
ଦ୍ୱିମାସେ ଋତୁ ଏକ ହୋଇ । ବସନ୍ତ ଆଦି ଷଟ ସେହି । । ୨୩
ଏକ ଅୟନେ ଋତୁ ତିନି । ଉତ୍ତର ଦକ୍ଷିଣ ଯେ ବେନି । । ୨୪
ବେନି ଅୟନେ ସମ୍ବ›ତ୍ସର । ଏମନ୍ତେ ଗଣନା କାଳର । । ୨୫
ଦେବଙ୍କୁ ଅହୋରାତ୍ର ହୁଏ । ମନୁଷ୍ୟ-ବରାଷ ବୋଲାଏ । । ୨୬
ଏମନ୍ତେ ଶତେକ ବରଷ । ମନୁଷ୍ୟ ପରମାୟୁ ଶେଷ । । ୨୭
ଗ୍ରହ ନକ୍ଷତ୍ର ତାରା ଚକ୍ରେ । ସେ କାଳରୂପୀ ବିଭୁ ଏକେ । । ୨୮
ଏମନ୍ତେ ସମ୍ବତ୍ସ›ର ଅନ୍ତେ । ବିହରେ ଆତ୍ମାର ଆୟତେ । । ୨୯
ଅଣୁ ପ୍ରମାଣୁ ପରିମାଣେ । ପ୍ରାଣୀଙ୍କି ନାଶେ ଅନୁକ୍ଷଣେ । । ୩୦
ଏ ପଞ୍ଚବିଧ-ସମ୍ବ›ତ୍ସର । ସୁମନେ ଶୁଣ ହେ ବିଦୁର । । ୩୧
ପ୍ରଥମେ ସମ୍ବ›ତ୍ସର ହୋଏ । ପରିବତ୍ସ›ର ଯେ ଦ୍ୱିତୀୟେ । । ୩୨
ଇଦାବତ୍ସ›ର ତୃତୀୟର । ଚତୁର୍ଥେ ଅନୁ ଯେ ବତ୍ସ›ର । । ୩୩
ପଞ୍ଚମେ ବତ୍ସ›ର ବୋଲାଇ । କାଳ ସ୍ୱରୂପ ଗୁଣମୟୀ । । ୩୪
ସେ ସୂର୍ଯ୍ୟ କାଳ ରୂପ ଧରି । ସଂସାର-ବୀଜକୁ ବିସ୍ତାରି । । ୩୫
ସକାମ-ଫଳ ବିସ୍ତାରଣେ । ଯାହାର ଉଦୟ ଗଗନେ । । ୩୬
ସେ ତେଜୋମୟ କାଳାନ୍ତକ । ପଞ୍ଚବତ୍ସ›ର ପ୍ରବର୍ତ୍ତକ । । ୩୭
ସେ ମହାଭୂତ ମହାତେଜ । ବହୁ ପ୍ରକାରେ କରି କାର୍ଯ୍ୟ । । ୩୮
ଧାଏଁ ଆକାଶେ ଅନୁକ୍ଷଣେ । ପୁରୁଷ ମୋହ ନିବାରଣେ । । ୩୯
ନିତ୍ୟେ ତାହାଙ୍କ ପୂଜା କର । ତରିବ ଏ ଭବ-ସଂସାର । । ୪୦
ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ବୋଲେ ତାହା ଶୁଣି । । ୪୧
ବିଦୁର ଉବାଚ
ପିତୃ ଦେବତା ନର ଆଦି । ପରମାୟୁଷ ଯଥାବିଧି । । ୪୨
ଶୁଣିଲି ତୁମ୍ଭ ମୁଖୁ ଏବେ । ସନ୍ତୋଷ କହ ମୁନି ଭାବେ । । ୪୩
ଏପରେ କଳ୍ପ ବାହ୍ୟେ ଯେତେ । ନାନା ପ୍ରକାରେ ଏ ଜଗତେ । । ୪୪
ସନକ ଆଦି ମହାମୁନି । ତୈଲୋକ୍ୟ ବାହ୍ୟେ ଯେତେ ଜ୍ଞାନୀ । । ୪୫
ଅଛନ୍ତି କାଳର ଆୟତ୍ତେ । ତା’ଙ୍କ ଆୟୁଷ କହ ମୋତେ । । ୪୬
ତୁମ୍ଭେ ସେ କାଳଗତି ଜାଣ । ଯେ ଯୁଗେ ଯେ ଅବା ପ୍ରମାଣ । । ୪୭
ଯେଣୁ ସେ ବିଚକ୍ଷଣ ଧୀର । ସୁବୁଦ୍ଧି ସୁଗୁଣ ଗମ୍ଭୀର । । ୪୮
ଯେତେ ବିଷୟ ଏ ଶୟଳେ । ଜାଣନ୍ତି ଜ୍ଞାନଚକ୍ଷୁ ବଳେ । । ୪୯
ମୈତ୍ରେୟ ଉବାଚ
ବୋଲନ୍ତି ଶୁଣ ହେ ବିଦୁର । ଯେ ବ୍ରହ୍ମା ସୃଷ୍ଟିର ବିଚାର । । ୫୦
ସତ୍ୟ ତ୍ରେତୟା ଦ୍ୱାପରାଦି । କଳି ଏ ଚତୁର୍ଯୁଗ ବିଧି । । ୫୧
ଦେବଙ୍କ ଦ୍ୱାଦଶ ସହସ୍ରେ । ଏ ଚାରିଯୁଗ କାଳ ଅଂଶେ । । ୫୨
ଚାରିସହସ୍ର ଯୁଗ ସତ୍ୟ । ତିନିସହସ୍ର ତ୍ରେତା ମତ । । ୫୩
ଦ୍ୱାପର ଦ୍ୱିସହସ୍ର ଜାଣ । କଳି ସହସ୍ରେ ପରିମାଣ । । ୫୪
ଏହି ପ୍ରମାଣେ ଶତ ଦେଇ । ଦ୍ୱିଗୁଣେ ଏହାକୁ ମିଶାଇ । । ୫୫
ଯୁଗଙ୍କ ସନ୍ଧ୍ୟା ସନ୍ଧ୍ୟାଅଂଶ । ଅୟୁତେ ଯେ କାଳ ପ୍ରକାଶ । । ୫୬
ଏମନ୍ତେ ଦେବବର୍ଷ ମତେ । ଦ୍ୱାଦଶସହସ୍ର ସମେତେ । । ୫୭
ଏ ରୂପ ଯୁଗସଂଖ୍ୟା ଜାଣି । ଜ୍ଞାନୀଙ୍କ ଗୋଚରେ ପ୍ରମାଣି । । ୫୮
ଯେ ଯୁଗେ ଯେବା ଧର୍ମବିଧି । ଆଗମ ନିଗମ ପ୍ରସିଦ୍ଧି । । ୫୯
ଧର୍ମ ସତ୍ୟରେ ଚତୁଷ୍ପଦ । ଅଧର୍ମ କ୍ରମେ ହୀନପଦ । । ୬୦
ତ୍ରେତାରେ ତିନିପଦ ଥିଲା । ଦ୍ୱାପରେ ଦ୍ୱିପାଦ ହୋଇଲା । । ୬୧
କଳିର ଏକପଦ ରହେ । ଯେଣୁ ଅଧର୍ମ ବୃଦ୍ଧି ବହେ । । ୬୨
ଦେବଙ୍କ ସହସ୍ର ଯୁଗରେ । ବ୍ରହ୍ମା ଦିବସ ବୋଲି ତାରେ । । ୬୩
ଏହି ପ୍ରମାଣେ ରାତ୍ର ହୁଏ । ନିଶି ଆଗମେ ବ୍ରହ୍ମା ଶୁଏ । । ୬୪
ରାତ୍ରର ଅନ୍ତେ ପୁଣି ଉଠି । ବେଦ ପ୍ରମାଣେ କରେ ସୃଷ୍ଟି । । ୬୫
ଏମନ୍ତ ବ୍ରହ୍ମାର ଦିବସେ । ଭୁଞ୍ଜନ୍ତି ମନୁ-ଚତୁŸର୍ଦ୍ଦଶେ । । ୬୬
ମନୁ ଅନ୍ତର କାଳ ଭୋଗ । ଏକସ୍ତରି ଯେ ଚତୁର୍ଯୁଗ । । ୬୭
କିଛି ଅଧିକେ ହୁଏ ଶେଷ । ଏମନ୍ତେ ବ୍ରହ୍ମାଙ୍କ ଦିବସ । । ୬୮
ମନୁଙ୍କ ବଂଶେ ମନୁସୂତେ । ଋଷି ଦେବତା ସୁରନାଥେ । । ୬୯
ତିନିଭୁବନେ ପ୍ରାଣୀ ଯେତେ । ଭୁଞ୍ଜନ୍ତି କଳ୍ପ ପରିଯନ୍ତେ । । ୭୦
ଏ ମୃଷ୍ଟି ଦୈନନ୍ଦିନ କାମ । ତୀର୍ଯ୍ୟକ ପିତୃ ଦେବ ଜନ । । ୭୧
ଏମନ୍ତେ କଳ୍ପ ପରିଯନ୍ତେ । କର୍ମ ଭୁଞ୍ଜନ୍ତି ପ୍ରାଣୀ ଏଥେ । । ୭୨
ମନ୍ୱନ୍ତରମାନଙ୍କେ ହରି । ବିଶୁଦ୍ଧ ସତ୍ତ୍ବମୂର୍ତ୍ତି ଧରି । । ୭୩
ମନୁ ଶରୀରେ ଏ ସଂସାରେ । ପାଳି କ୍ରୀଡ଼େ ପୁରୁଷକାରେ । । ୭୪
ମାୟାର ବଳେ ସେ ବିହରେ । ବ୍ରହ୍ମାଦିବସ ଅନ୍ତଃକାଳେ । । ୭୫
ନିଶା ଆଗମେ ବିଶ୍ୱଦେହୀ । ମଉନ ବ୍ରତେ ସେ ବସଇ । । ୭୬
ତ୍ରୈଲୋକ୍ୟ କମ୍ପେ ତାହା ଦେଖି । ସ୍ୱଜ୍ଞାନ ଜୀବନ ଉପେକ୍ଷି । । ୭୭
ରବି ଶଶାଙ୍କ ଶୂନ୍ୟେ ଗଲା । ପ୍ରଳୟ ଅଗ୍ନି ପ୍ରକାଶିଲା । । ୭୮
ସଙ୍କରଷଣ ମୁଖୁ ଆସି । ଅନଳ ତିନିଲୋକେ ଗ୍ରାସି । । ୭୯
ପ୍ରଚଣ୍ତ-ବହ୍ନି ତେଜ ତ୍ରାସେ । ଋଷିଏ ଥାନ୍ତି ଯେ ଆକାଶେ । । ୮୦
ସେ ମହର୍ଲୋକ ଛାଡ଼ି ବେଗେ । ପଶନ୍ତି ଜନଲୋକ-ମାର୍ଗେ । । ୮୧
ତକ୍ଷଣେ ସପ୍ତସିନ୍ଧୁ-ଜଳେ । ତ୍ରିଲୋକ ଆଚ୍ଛାଦନ୍ତି ହେଳେ । । ୮୨
ପବନ ଅଣଚାଶ ବଳେ । ବହନ୍ତେ ଗର୍ଜେ ଉର୍ମିମାଳେ । । ୮୩
ଜଳ ତରଙ୍ଗ ମଧ୍ୟେ ପୁଣି । ନାଗଆସନେ ଚକ୍ରପାଣି । । ୮୪
ନିଶ୍ଚିନ୍ତେ ନିଦ୍ରିତ-ନୟନେ । ଶୟନ ଅନନ୍ତ-ଶୟନେ । । ୮୫
ସଙ୍ଗତେ ସଙ୍ଗ ନାହିଁ ଏକେ । ସ୍ତୁତି କରନ୍ତି ଜନଲୋକେ । । ୮୬
ଏମନ୍ତେ ଅହୋରାତ୍ର ଗଣି । ଆଗମ-ନିଗମେ ପ୍ରମାଣି । । ୮୭
ଏ ଭାବେ ଶତେକ ବରଷ । ବ୍ରହ୍ମାର ପରମ ଆୟୁଷ । । ୮୮
ସେ ଆୟୁ କାଳବଣେ ପୁଣ । ହୁଅଇ ଦିନୁଦିନ କ୍ଷୀଣ । । ୮୯
ସେ ବ୍ରହ୍ମା କାଳଭୟେ ଭୀତ । ବିଷୟାଶକ୍ତି ବିରହିତ । । ୯୦
କରନ୍ତି ହରି-ଉପାସନ । କି ଏ ମାନବ ଅକିଞ୍ଚନ । । ୯୧
ବ୍ରହ୍ମାର ଆୟୁଷ ଯେ ହୋଇ । ଅର୍ଦ୍ଧକେ ପରାର୍ଦ୍ଧ ବୋଲାଇ । । ୯୨
ସେ ପୂର୍ବଅର୍ଦ୍ଧ ଭୋଗ ଯାଇ । ଅପରଅର୍ଦ୍ଧ ଏବେ ହୋଇ । । ୯୩
ପୂର୍ବପରାର୍ଦ୍ଧେ ବ୍ରହ୍ମା ନାମ । ଶବଦବ୍ରହ୍ମ ଯେ ମହାନ । । ୯୪
ପରାର୍ଦ୍ଧକଳ୍ପ ଯେବା ହୋଏ । ସେ ପଦ୍ମକଳ୍ପ ନାମ ବହେ । । ୯୫
ବିଷ୍ଣୁ ନାଭିରୁ ପଦ୍ମଜାତ । ଯହୁଁ ଉପୁଜେ ବେଦନାଥ । । ୯୬
ଦ୍ୱିତୀୟକଳ୍ପ ଏବେ କହି । ଶ୍ୱେତବରାହ ସେ ବୋଲାଇ । । ୯୭
ଯେବଣ କଳ୍ପେ ନରହରି । ଶ୍ୱେତବରାହ ରୂପ ଧରି । । ୯୮
ବେନି-ପରାର୍ଦ୍ଧ-ରୂପୀ କାଳ । ନିମିଷ ଆଦି-ଅନ୍ତ ଯା’ର । । ୯୯
ଅନାଦି ଅବ୍ୟକ୍ତର ସୀମା । ଅନନ୍ତ ଈଶ୍ୱର ମହିମା । । ୧୦୦
କେବଳ ପରିପୂର୍ଣ୍ଣ ବିଭୁ । ସେ ସର୍ବେଶ୍ୱର ସର୍ବ ପ୍ରଭୁ । । ୧୦୧
ତାହାଙ୍କ ପରେ ପ୍ରଭୁପଣ । ସମର୍ଥ ନୋହେ କାଳ ଜାଣ । । ୧୦୨
ଷୋଡ଼ଶ-ବିକାରେ ସଞ୍ଚରେ । ନାନା ବିଷୟେ ରୂପ ଧରେ । । ୧୦୩
ଏ ଅଣ୍ତକୋଷ ଆଦ୍ୟ ପ୍ରାନ୍ତେ । ପଞ୍ଚାଶକୋଟି ପରିମିତେ । । ୧୦୪
ବିସ୍ତୃତ ସପ୍ତଆବରଣେ । ଉତ୍ତରୋତ୍ତର ଦଶଗୁଣେ । । ୧୦୫
କୋଟି ବ୍ରହ୍ମାଣ୍ତ ଯାର ଦେହେ । ଦିଶନ୍ତି ପରମାଣୁ ପ୍ରାୟେ । । ୧୦୬
ଅକ୍ଷରବ୍ରହ୍ମ ତାର ନାମ । ସେ ସର୍ବକାରଣ-କାରଣ । । ୧୦୭
ତାର ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । । ୧୦୮
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଏକାଦଶୋଽଧ୍ୟାୟଃ ।

ଦ୍ୱାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତେ କାଳସଂଖ୍ୟା ଯେତେ । ବର୍ଣ୍ଣିଲି ତୋହର ଅଗ୍ରତେ । । ୧
ଏବେ ବିଦୁର କହୁଁ ତୋତେ । ସେ ବ୍ରହ୍ମା-ସର୍ଜନା ଯେମନ୍ତେ । । ୨
ବେଦ ବିଚାରେ କଲା ସୃଷ୍ଟି । ଯେଣୁ ଅମୋଘ ତାର ଦୃଷ୍ଟି । । ୩
ଅନ୍ଧତାମିସ୍ର ମହାମୋହ । ତାମିସ୍ର ପୁଣି ତମ ମୋହ । । ୪
ଅବିଦ୍ୟା ପଞ୍ଚପର୍ବ ସୃଷ୍ଟି । ଆଗେ କଳ୍ପିଲା ପରମେଷ୍ଟି । । ୫
ପାପ-ବହୁଳ-ସୃଷ୍ଟି ସେହି । ତା ଦେଖି ବ୍ରହ୍ମା ବିଚାରଇ । । ୬
ଏ ସୃଷ୍ଟି ନୋହିଲା ଉଚିତ । ଦୃଢ଼େ ଗୋବିନ୍ଦେ ଦେଲା ଚିତ୍ତ । । ୭
ଗୋବିନ୍ଦପାଦ ଧ୍ୟାନ ବଳେ । ସଂଯୁକ୍ତ-ଭକତି ନିଶ୍ଚଳେ । । ୮
ବିଷ୍ଣୁର ଅଂଶେ ଚାରିଭ୍ରାତ । ବ୍ରହ୍ମାର ମନମଧ୍ୟୁ ଜାତ । । ୯
ସନକ ସନନ୍ଦ ଏ ବେନି । କୁମାର ସନାତନ ଘେନି । । ୧୦
ସ୍ୱଭାବେ ଉର୍ଦ୍ଧ୍ୱରେତା ହୋନ୍ତି । ବିଷ୍ଣୁହୁଁ ଆନ ନ ଜାଣନ୍ତି । । ୧୧
ତାହାଙ୍କୁ ଚାହିଁ ବେଦବର । ସ୍ୱଭାବେ କହଇ ମଧୁର । । ୧୨
ବ୍ରହ୍ମା ଉବାଚ
ତୁମ୍ଭେ ଚତୁରପୁତ୍ରେ ମୋର । ବେଦପ୍ରମାଣେ ସୃଷ୍ଟି କର । । ୧୩
ଏ ସୃଷ୍ଟି ହୋଇବ ତୁମ୍ଭର । ଯାଅ ଯା ମୋର ବୋଲ କର । । ୧୪
ମୈତ୍ରେୟ ଉବାଚ
ଏମନ୍ତେ ପିତା ବାକ୍ୟ ଶୁଣି । ପୁତ୍ରେ କହନ୍ତି ମନେ ଗୁଣି । । ୧୫
ଆମ୍ଭର ତେଣେ କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି । । ୧୬
ଗୋବିନ୍ଦ-ଚରଣାରବିନ୍ଦେ । ଭକ୍ତି କରିବୁ ମୋକ୍ଷ-ସଧେ । । ୧୭
ଏମନ୍ତେ ଶୁଣି ତାଙ୍କ ବାଣୀ । କ୍ରୋଧେ କମ୍ପିଲା କୁଶପାଣି । । ୧୮
ପୁଣି ବୁଦ୍ଧିରେ ଚିତ୍ତ ଧରି । ଧ୍ୟାନେ ସୁମରି ନରହରି । । ୧୯
କୋପେ ଭ୍ରୂକୁଟୀ ତା କୁଟୀଳ । ବଦନ ଦିଶିଲା ପିଙ୍ଗଳ । । ୨୦
ଭ୍ରୂକୁଟୀ ମଧ୍ୟୁ ପୁତ୍ର ଜାତ । ଦିଶଇ ସୁନୀଳ-ଲୋହିତ । । ୨୧
ଦେବଙ୍କ ପୂର୍ବେ ଜାତ ସେହି । କାନ୍ଦଇ ବ୍ରହ୍ମା ମୁଖ ଚାହିଁ । । ୨୨
ବୋଲଇ ଶୁଣ ବେଦବର । ମୋହର ନାମ ଆଗେ କର । । ୨୩
ନିର୍ଭୟ ସ୍ଥାନେ ସ୍ଥାପ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ । । ୨୪
ଶୁଣି ସାନନ୍ଦ ପ୍ରଜାପତି । ଚିନ୍ତିଲା ଯେବା ନାମ ସ୍ଥିତି । । ୨୫
ହେ ପୁତ୍ର ରୋଦନ ନ କର । କରିବି ବଚନ ତୋହର । । ୨୬
ରୋଦନ କଲୁ ଆଗେ ଯେଣୁ । ତୋ’ ନାମ ରୁଦ୍ର ହେଉ ତେଣୁ । । ୨୭
ଏମନ୍ତ କହି ତାର ଆଗେ । ସ୍ଥାନ କଳ୍ପିଲା ଯଥାଭାଗେ । । ୨୮
ମନ ଇନ୍ଦ୍ରିୟ ପ୍ରାଣ ବ୍ୟୋମ । ବାୟୁ ଅନଳ ଜଳସ୍ଥାନ । । ୨୯
ମହୀ ମିହିର ଚନ୍ଦ୍ର ତପ । ଏମନ୍ତେ ଏକାଦଶ ରୂପ । । ୩୦
ଯେ ସ୍ଥାନେ ଯେ ନାମ ତୋହର । ହୋଇବ ଶୁଣ ହେ କୁମର । । ୩୧
ମନ ଉପରେ ମନ୍ୟୁ ନାମ । ଇନ୍ଦ୍ରିୟ ପଦେ ମନୁ ଜାଣ । । ୩୨
ପ୍ରାଣରେ ବସେ ମହୀନସ । ଆକାଶେ ମହାନ ପ୍ରକାଶ । । ୩୩
ପବନେ ଶିବରୂପ ବସେ । ଅନଳେ ଋତଧ୍ୱଜ ମିଶେ । । ୩୪
ଉର୍ଦ୍ଧ୍ୱରେତସ ଜଳ ଯୋଗେ । ଭବ ବସିବ ଭୂମିଭାଗେ । । ୩୫
ରବିର ସ୍ଥାନେ କଳାଭାବ । ଚନ୍ଦ୍ରେ ବସିବ ବାମଦେବ । । ୩୬
ତପେ ବସିବ ଧୃତବ୍ରତ । ଏମନ୍ତେ ଏକାଦଶ ମତ । । ୩୭
ତୁମ୍ଭର ପତ୍ନୀ ନାମ ଯେତେ । ଶୁଣ କହିବା ତୋ ଅଗ୍ରତେ । । ୩୮
ଧୀ ବୃତ୍ତି ଉଶନା ଯେ ଉମା । ଅପରେ ଶୁଣ ଯେତେ ବାମା । । ୩୯
ନିୟତ୍ସର୍ପୀ ଇଳା ଅମ୍ବିକା । ଇରାବତୀ ଯେ ସୁଧା ଦୀକ୍ଷା । । ୪୦
ଏ କନ୍ୟା ରୁଦ୍ରାଣୀ ବୋଲାନ୍ତି । ଏହାଙ୍କ ତୁମ୍ଭେ ହୁଅ ପତି । । ୪୧
ଏ ଯେତେ ନାମ ଆଦି ସ୍ଥାନ । ସ୍ତିରୀ ସହିତେ ତୁହି ଘେନ । । ୪୨
ଏହି ପ୍ରମାଣେ ସୃଷ୍ଟି କର । ହୁଅ ତୁ ପ୍ରଜାପତି-ବର । । ୪୩
ଏମନ୍ତେ ଗୁରୁ ଆଜ୍ଞା ପାଇ । ନୀଳ ଲୋହିତ ତୋଷ ହୋଇ । । ୪୪
ସତ୍ତ୍ବ ଆକୃତି ଆତ୍ମସମ । ନିର୍ମାଣ କଲା ପ୍ରଜାଗଣ । । ୪୫
ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ । ସଂଶୟ ମନେ ବିଚାରଇ । । ୪୬
ଏ ସୃଷ୍ଟି ମହା ଭୟଙ୍କର । ଦେଖି କମ୍ପିଲା ଚିତ୍ତ ମୋର । । ୪୭
ବୋଲନ୍ତି ରୁଦ୍ର ମୁଖ ଚାହିଁ । ଭୋ ପୁତ୍ର ଏଣେ କାର୍ଯ୍ୟନାହିଁ । । ୪୮
ଏ ସୃଷ୍ଟି ଦଶଦିଗ ତୁଲେ । ମୋହର ମନେ ତାପ କଲେ । । ୪୯
ଏବେ ତୁ ତପ ସାଧ୍ୟକର । ସର୍ବଜୀବଙ୍କ ସୁଖଘର । । ୫୦
ତପର ବଳେ ଏ ଜଗତେ । ପ୍ରଜା ତୁ କର ପୂର୍ବମତେ । । ୫୧
ତପେ ତୁ ବିଷ୍ଣୁଙ୍କୁ ପାଇବୁ । ଯେ ଭାବେ ସର୍ବକାଳେ ଥିବୁ । । ୫୨
ମୈତ୍ରେୟ ଉବାଚ
ଏମନ୍ତ ବ୍ରହ୍ମା-ଆଜ୍ଞା ପାଇ । ନୀଳଲୋହିତ ତୋଷ ହୋଇ । । ୫୩
ବ୍ରହ୍ମାର ଚରଣେ ନମିଲା । ତପ ସାଧନେ ବନେ ଗଲା । । ୫୪
ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ । ସେ ବ୍ରହ୍ମା ମନେ ବିଚାରଇ । । ୫୫
ଏ ତ ଅସଂଖ୍ୟ ରୁଦ୍ରଗଣ । ନୁହଁନ୍ତି ସୃଷ୍ଟିର କାରଣ । । ୫୬
ତାହାଙ୍କୁ ଶିବଲୋକେ ଥୋଇ । ପୁଣି ସଂଶୟେ ବିଚାରଇ । । ୫୭
ଏବେ କି କରିବି ଉପାୟ । ନ ପୁଣ କୋପେ ଦେବରାୟ । । ୫୮
ଏମନ୍ତେ ବିଷ୍ଣୁପାଦ ଚିନ୍ତି । ଧ୍ୟାନେ ବସିଲା ପ୍ରଜାପତି । । ୫୯
ତାର ଶରୀରୁ ଦଶସୁତ । ତକ୍ଷଣେ ହୋଇଲେ ସମ୍ଭୂତ । । ୬୦
ଲୋକବର୍ଦ୍ଧନ ହେତୁ ଅର୍ଥେ । ନମିଲେ ବ୍ରହ୍ମା-ପାଦଗତେ । । ୬୧
ମରୀଚି ଅତ୍ରି ଅଙ୍ଗିରସ । ପୌଲସ୍ତ୍ୟ ପୁଲହ ପ୍ରକାଶ । । ୬୨
କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ । ଦଶମେ ନାରଦ ପ୍ରତ୍ୟକ୍ଷ । । ୬୩
ଶୁଣ ବିଦୁର କହୁଁ ଭଲେ । ଯେ ଅଙ୍ଗୁ ଯେବା ଉପୁଜିଲେ । । ୬୪
ନାରଦ ଉପୁଜିଲେ କୋଳୁ । ଦକ୍ଷ ଦକ୍ଷିଣାଙ୍ଗୁଷ୍ଠ ମୂଳୁ । । ୬୫
ପ୍ରାଣୁ ବଶିଷ୍ଠମୁନି ଜାତ । ଭୃଗୁ ଯେ ତ୍ୱକରୁ ସମ୍ଭୂତ । । ୬୬
କ୍ରତୁ ଉପୁଜେ ଭୁଜମୂଳୁ । ପୁଲହ ନାଭିର ମଣ୍ତଳୁ । । ୬୭
ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତ । ଅଙ୍ଗିରା ବଦନୁ ସମ୍ଭୂତ । । ୬୮
ଅତ୍ରି ଉପୁଜେ ଚକ୍ଷୁଯୁଗେ । ମରୀଚି ମନର ସଂଯୋଗେ । । ୬୯
ଦକ୍ଷିଣସ୍ତନୁ ଧର୍ମ ଜାତ । ଯେ ଧର୍ମ ଧରଇ ଜଗତ । । ୭୦
ଯେ ସ୍ଥାନେ ସ୍ୱୟଂ ନାରାୟଣ । ଅଛନ୍ତି ସଦା ବିଦ୍ୟମାନ । । ୭୧
ଅଧର୍ମ ପୃଷ୍ଠଦେଶୁ ହୋଇ । ମୃତ୍ୟୁ ଯହିଁରୁ ସଞ୍ଚରଇ । । ୭୨
କାମ ତା ହୃଦରୁ ସମ୍ଭୂତ । ଭୂରୁ ମଣ୍ତଳୁ କ୍ରୋଧ ଜାତ । । ୭୩
ଲୋଭ ହୋଇଲା ଓଷ୍ଠଦେଶେ । ବଚନ ବଦନୁ ପ୍ରକାଶେ । । ୭୪
ସପତସିନ୍ଧୁ ମେଢ୍ର ଦେଶୁ । ମୃତ୍ୟୁ ଦେବତା ଗୁହ୍ୟଦେଶୁ । । ୭୫
କର୍ଦ୍ଦମ ଛାୟାରୁ ସମ୍ଭୂତି । ଯାହାର ପତ୍ନୀ ଦେବହୂତି । । ୭୬
ଏମନ୍ତେ ଅଶେଷ ଜଗତ । ବ୍ରହ୍ମାର ମନ-ଦେହୁ ଜାତ । । ୭୭
ଯେ କନ୍ୟା ବଚନୁ ଜନ୍ମିଲା । ବ୍ରହ୍ମାର ମନ ସେ ମୋହିଲା । । ୭୮
ସକାମେ ବ୍ରହ୍ମା ତାର ହସ୍ତ । ଧଇଲେ ରତିରଙ୍ଗ ଅର୍ଥ । । ୭୯
ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ । ପୁତ୍ରେ ମିଳିଲେ ତା ଅଗ୍ରତେ । । ୮୦
ମରୀଚି ଆଦି ଯେତେ ଭାଇ । ବୋଲନ୍ତି ପିତା ମୁଖ ଚାହିଁ । । ୮୧
ଭୋ ତାତ ସ୍ଥିରକର ଚିତ୍ତ । ଏ ତ ତୁମ୍ଭର ବିପରୀତ । । ୮୨
ଯେ କର୍ମ ପୂର୍ବାପରେ ନାହିଁ । ଏବେ ସେ ସମ୍ଭବିବ କାହିଁ । । ୮୩
କାହିଁ ଦୁହିତା ରମେ ପିତା । ଏଣୁ ଆମ୍ଭର ମନେ ଚିନ୍ତା । । ୮୪
ପୂର୍ବେ ତେଜସ୍ୱୀ ଯେତେ ଥିଲେ । ସତ୍ୟେ ସେ ଧର୍ମ ଆଚରିଲେ । । ୮୫
ସେ ନ କରନ୍ତି ଏଡ଼େ କର୍ମ । ସ୍ୱଭାବେ ନୁହଁଇ ଏ ଧର୍ମ । । ୮୬
ଯେ ଧର୍ମ ଲୋକକ୍ଷେମ କରେ । ଆନନ୍ଦେ ଆତ୍ମାକୁ ଉଦ୍ଧାରେ । । ୮୭
ଏଣୁ ସେ ବିଷ୍ଣୁସମ ନର । ଆମ୍ଭର ତାଙ୍କୁ ନମସ୍କାର । । ୮୮
ତୁ ଦେବ ଆତ୍ମାକୁ ସୁମର । ଅଧର୍ମୁ ମନ ସ୍ଥିରକର । । ୮୯
ଭୋ ତାତ ଧର୍ମେ କର ଚିତ୍ତ । ଅଧର୍ମେ ନ ବୁଡୁ ଜଗତ । । ୯୦
ତୁ ଏବେ ପାପ ଆଚରିଲେ । ସଂସାରେ ଥିବ କେବା ଭଲେ । । ୯୧
ଅନ୍ୟେ ତୋ କର୍ମ ଅନୁସାରେ । କୁଶଳୀ ହୋଇବେ ସଂସାରେ । । ୯୨
ଏମନ୍ତେ ଶିରେ କର ଦେଇ । ପାଦେ ନମିଲେ ସର୍ବଭାଇ । । ୯୩
ଏମନ୍ତ ବ୍ରହ୍ମାଙ୍କୁ ଜଣାଇ । ପୁଣି ବୋଲନ୍ତି ବିଷ୍ଣୁ ଚାହିଁ । । ୯୪
ହେ ବିଷ୍ଣୁ ଜଗତ-ଈଶ୍ୱର । ଆମ୍ଭର ତୋତେ ନମସ୍କାର । । ୯୫
ତୁ ଦେବ ଧର୍ମ ରକ୍ଷା କର । ଅଧର୍ମେ ନ ବୁଡୁ ପିଅର । । ୯୬
ଏମନ୍ତେ ପୁତ୍ରଙ୍କୁ ଅନାଇ । ବ୍ରହ୍ମା ରହିଲେ ଲଜ୍ଜାପାଇ । । ୯୭
ତକ୍ଷଣେ ଛାଡ଼ି ତାର ହସ୍ତ । ବିଷ୍ଣୁ ସୁମରେ ଚଉମାଥ । । ୯୮
ଅତି ଲଜ୍ଜିତ ଯେଣୁ ହେଲେ । ଲୀଳାରେ ତନୁ ତ୍ୟାଗ କଲେ । । ୯୯
ସେ ବ୍ରହ୍ମା ଯେଣୁ ଲଜ୍ଜା କଲା । ତା ତନୁ ଅଷ୍ଟଦିଗେ ଗଲା । । ୧୦୦
ସେ ଘୋର-ଅନ୍ଧକାର ରେଖା । ନାମ ବହିଲା କୁଜ୍ଝଟିକା । । ୧୦୧
ଅଧର୍ମେ ଅନ୍ଧକାର ହୋଇ । ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ । । ୧୦୨
ପୁଣି ଚଳଇ ଅଷ୍ଟଦିଶେ । ସଞ୍ଚରେ ସମ୍ଭବି ଆକାଶେ । । ୧୦୩
ମେଘର ପ୍ରାୟେ ତାର ଦେହୀ । ଶୁଣ ବିଦୁର ଏବେ କହି । । ୧୦୪
ଚିନ୍ତା ଆକୁଳେ ପ୍ରଜାପତି । ସୃଷ୍ଟି-ବିଷୟେ କଲା ମତି । । ୧୦୫
ଧ୍ୟାନ କରନ୍ତେ ମନେ ଖେଦ । ମୁଖୁ ଜନ୍ମିଲେ ଚାରିବେଦ । । ୧୦୬
ଶବଦବ୍ରହ୍ମ ପରିମାଣେ । ଧର୍ମ ଅଧର୍ମ ଯେ ବଖାଣେ । । ୧୦୭
ମନେ ବିଚାରେ ପଦ୍ମଯୋନି । ମୁଁ ଏବେ ବେଦତତ୍ତ୍ବ ଘେନି । । ୧୦୮
କରିବି ବିଷୟ-ଗୋଚର । ଯେମନ୍ତେ ପୂର୍ବେ ଏ ସଂସାର । । ୧୦୯
ବେଦବିଚାରେ ନାନାମତେ । କର୍ମ ବିସ୍ତାରି ଏ ଜଗତେ । । ୧୧୦
ଏ ଚାରିହୋତ୍ର କର୍ମତନ୍ତ୍ର । ଯେ ଉପବେଦ ନ୍ୟାୟଶାସ୍ତ୍ର । । ୧୧୧
ଏ ଭାବେ ଚାରିପାଦ-ଧର୍ମ । ଆଶ୍ରମ ବୃତ୍ତି ଯଥାକ୍ରମ । । ୧୧୨
ଯେ ଯୁଗେ ପ୍ରସରିବ ଯେତେ । ବ୍ରହ୍ମା ବିଚାରେ ଅନ୍ତର୍ଗତେ । । ୧୧୩
ମୈତ୍ରେୟ ମୁନି ପାଦେ ପଡ଼ି । ବିଦୁର ବୋଲେ କର ଯୋଡ଼ି । । ୧୧୪
ବିଦୁର ଉବାଚ
ଭୋ ମୁନି କହିବା ପ୍ରସନ୍ନେ । ସନ୍ଦେହ ଅଛି ମୋର ମନେ । । ୧୧୫
ସେ ବିଶ୍ୱ ସର୍ଜନ-ଈଶ୍ୱର । ଅଶେଷ ଶକ୍ତି ଶ୍ରୁତିଧର । । ୧୧୬
ଯେ ମୁଖେ ଯେ ବେଦ ସର୍ଜିଲେ । ଯହୁଁ ଯେ ଧର୍ମ ପ୍ରକାଶିଲେ । । ୧୧୭
ସେ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ । । ୧୧୮
ବିଦୁର-ବାକ୍ୟ ଶୁଣି କର୍ଣ୍ଣେ । ମୈତ୍ରେୟ କହନ୍ତି ପ୍ରସନ୍ନେ । । ୧୧୯
ମୈତ୍ରେୟ ଉବାଚ
ଶୁଣ ହୋ ବିଧାତାର ଲୀଳା । ଯେ ମୁଖୁ ଯେ ବେଦ ସର୍ଜିଲା । । ୧୨୦
ଋଗ୍ ବେଦ ପୂର୍ବମୁଖୁ କଲା । ଦକ୍ଷିଣେ ଯଜୁଃ ପ୍ରକାଶିଲା । । ୧୨୧
ସାମ ପଶ୍ଚିମମୁଖୁ ଜାତ । ଅଥର୍ବ ଉତ୍ତରୁ ସମ୍ଭୂତ । । ୧୨୨
ବେଦାଦିଶାସ୍ତ୍ର ସ୍ମୃତି ସ୍ତୋତ୍ର । ଯଜ୍ଞାଦିକୃତ ଅଗ୍ନିହୋତ୍ର । । ୧୨୩
ଦେବଙ୍କ ମନ୍ତ୍ର ସ୍ତୁତି ଯେତେ । ପୂର୍ବାଦି ଯଥାକ୍ରମ ମତେ । । ୧୨୪
ଆୟୁର୍ବେଦ ଯେ ଧନୁର୍ବେଦ । ଗାନ୍ଧର୍ବବେଦ ଶିଳ୍ପବେଦ । । ୧୨୫
ଏ ଆଦି ଉପବେଦ ଯେତେ । ପୂର୍ବାଦିମୁଖୁ କ୍ରମାଗତେ । । ୧୨୬
ପଞ୍ଚମ ବେଦ ଇତିହାସ । ସକଳ ବଦନୁ ପ୍ରକାଶ । । ୧୨୭
ଷୋଡ଼ଶୀ ଛନ୍ଦ ପୂର୍ବମୁଖେ । ପୁରିଷୀ ଅଗ୍ନିଷ୍ଫୁତ ଦକ୍ଷେ । । ୧୨୮
ଆପ୍ତ ଉର୍ଯ୍ୟାମ ଅତିରାତ୍ର । ଗୋସବ ବାଜପେୟ ଜାତ । । ୧୨୯
ଧର୍ମାଚରଣ ଚାରିବେଦେ । ବ୍ରହ୍ମା କଳ୍ପିଲା ଜ୍ଞାନଭେଦେ । । ୧୩୦
ଯେ ବିଦ୍ୟା ଦାନ ତପ ସତ୍ୟ । ଏ ଧର୍ମ ଚତୁଷ୍ପାଦ ମତ । । ୧୩୧
ଚତୁରାଶ୍ରମ ବୃତ୍ତିଭାବେ । ଯେ ଧର୍ମେ ଯେବା ନିସ୍ତରିବେ । । ୧୩୨
ସାବିତ୍ରୀ ପ୍ରାଜାପତ୍ୟ ବ୍ରାହ୍ମ । ବୃହତ ଆଦି ଚାରିକର୍ମ । । ୧୩୩
କୃଷି ଯାଜନ ଯେ ଶାଳୀନ । ଶୀଳୋଞ୍ଛବୃତ୍ତି ଆଦି ଧର୍ମ । । ୧୩୪
ବୈଖାନ ବାଳଖିଲ୍ୟା ଦୀକ୍ଷା । ଉଡୁମ୍ବର ଫେନପା ଶିକ୍ଷା । । ୧୩୫
ସନ୍ନ୍ୟାସେ କୁଟୀଚକ୍ର ଆଦି । ଆଶ୍ରମ ଧର୍ମ ଯେଣେ ସାଧି । । ୧୩୬
ଅପର ଆନ୍ୱିକ୍ଷିକୀ ତ୍ରୟୀ । ବାର୍ତ୍ତା ଦଣ୍ତନୀତି ଯେ ହୋଇ । । ୧୩୭
ବ୍ୟାହୃତି ସୃଷ୍ଟି ଏହିମତେ । ପ୍ରଣବ ଜନ୍ମ ହୃଦଗତେ । । ୧୩୮
ଗାୟତ୍ରୀ ଆଦି ସପ୍ତଛନ୍ଦ । ମନ୍ତ୍ରଦେବତା ଅନୁବନ୍ଧ । । ୧୩୯
ଉଷ୍ଣକଛନ୍ଦ ଲୋମୁ ଜାତ । ଗାୟତ୍ରୀ ଚର୍ମୁ ଉଦଭୁତ । । ୧୪୦
ମାଂସୁ ଉପୁଜେ ତ୍ରିଷ୍ଟୁପ୍ ଛନ୍ଦ । ସ୍ନାୟୁରୁ ଅନୁଷ୍ଠୁପ ଛନ୍ଦ । । ୧୪୧
ଜଗତି ଅସ୍ଥିଦେଶୁ ହୁଏ । ମଜ୍ଜାରେ ପଙ୍କ୍ତି ଛନ୍ଦ ରହେ । । ୧୪୨
ବୃହତୀଛନ୍ଦ ଦଶପ୍ରାଣ । ଜୀବ ତାହାର ସ୍ପର୍ଶ ବର୍ଣ୍ଣ । । ୧୪୩
ସ୍ୱର ବ୍ରହ୍ମା-ଶରୀରୁ ଜାତ । ଉଷ୍ମାଣ ଇନ୍ଦ୍ରିୟ ସମ୍ଭୂତ । । ୧୪୪
ଅନ୍ତ୍ୟସ୍ଥବର୍ଣ୍ଣ ବଳେ ବସେ । ଯେ ବଳେ ଶରୀର ପ୍ରକାଶେ । । ୧୪୫
ବ୍ରହ୍ମ-ବିହାର ସପ୍ତସ୍ୱର । ସୁଚିତ୍ତେ ଶୁଣ ହେ ବିଦୁର । । ୧୪୬
ଶବଦବ୍ରହ୍ମ ତା ଶରୀର । ସ୍ୱଭାବେ ବ୍ୟକ୍ତାବ୍ୟକ୍ତ ପର । । ୧୪୭
ଏଣୁ ସଂସାର ବ୍ରହ୍ମମୟେ । ଯେ ବ୍ରହ୍ମ ନାନା-ଶକ୍ତିବହେ । । ୧୪୮
ଏମନ୍ତେ ଶବ୍ଦବ୍ରହ୍ମ କରି । ଅପର ସୃଷ୍ଟି ମନେ ସ୍ମରି । । ୧୪୯
ଯେ ଋଷି ସୃଷ୍ଟି ପୂର୍ବେ କଲା । ତାଙ୍କ ବିସ୍ତାର ନ ଦେଖିଲା । । ୧୫୦
ସ୍ୱଭାବେ ତେଜୋବନ୍ତ ହୋନ୍ତି । ପ୍ରଜା ସୃଜନ ନ କରନ୍ତି । । ୧୫୧
ଏମନ୍ତ ବିଚାରି ବିଧାତା । ମନେ ପାଇଲା ଗୁରୁଚିନ୍ତା । । ୧୫୨
ଦେଖ ମୋହର କର୍ମ ମନ୍ଦ । ମୁଁ ଯେ ସୃଜିଲି ଋଷିବୃନ୍ଦ । । ୧୫୩
କେହି ନୋହିଲେ ସୃଷ୍ଟିଯୋଗ୍ୟେ । ସର୍ବେ ପଶିଲେ ତପଯୋଗେ । । ୧୫୪
ଏଥିରେ ଦୈବ ପ୍ରତିକୂଳ । ଏଣୁ ମୋ ମାନସ ଆକୁଳ । । ୧୫୫
ଏମନ୍ତେ ମନେ କରି ଚିନ୍ତା । ମଉନେ ବସିଲା ବିଧାତା । । ୧୫୬
ତକ୍ଷଣେ ବ୍ରହ୍ମା ନିଜ ପିଣ୍ତ । ତାପେ ହୋଇଲା ବେନିଖଣ୍ତ । । ୧୫୭
ସେ ବେନିଖଣ୍ତ ବ୍ରହ୍ମା ଦେହେ । ନାରୀ ପୁରୁଷ ବେନି ହୁଏ । । ୧୫୮
ପୁରୁଷଖଣ୍ତ ତାହା ତନୁ । ସେ ହେଲା ସ୍ୱୟମ୍ଭୁବ ମନୁ । । ୧୫୯
ସଂସାରେ ରାଜା ସେ ବୋଲାଇ । ଶୁଣ ବିଦୁର ଏବେ କହି । । ୧୬୦
ଅପରଖଣ୍ତ ନାରୀ ଜନ୍ମ । ହୋଇଲା ଶତରୂପା ନାମ । । ୧୬୧
ମନୁର ପତ୍ନୀ ସେ ହୋଇଲା । ମୈଥୁନେ ସୃଷ୍ଟି ଉପୁଜିଲା । । ୧୬୨
ପଞ୍ଚସନ୍ତତି ତାର ତହୁଁ । ହୋଇଲେ ଶୁଣ ନାମ କହୁ । । ୧୬୩
ଉତ୍ତାନପାଦ ପ୍ରିୟବ୍ରତ । ଆଗେ ହୋଇଲେ ବେନିସୁତ । । ୧୬୪
ଅପରେ ଜାତ ବେନି କନ୍ୟା । ଜଗନ୍ମୋହିନୀ ଅନୁପମା । । ୧୬୫
ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି । । ୧୬୬
ସେ ମନୁ କନ୍ୟାଦାନ କଲା । ଆକୂତି ଋଚିବିପ୍ରେ ଦେଲା । । ୧୬୭
ମଧ୍ୟମା ଦେବହୂତି ନାମ । ବିବାହ କଲେ ତା କର୍ଦ୍ଦମ । । ୧୬୮
ତୃତୀୟା ନାମ ଯେ ପ୍ରସୂତି । ତାହାକୁ ଦକ୍ଷ ପ୍ରଜାପତି । । ୧୬୯
ତାହାଙ୍କ ଗର୍ଭୁ ନାନାମତେ । ସନ୍ତତି ପୂରିଲେ ଜଗତେ । । ୧୭୦
ଏମନ୍ତ ଭାଗବତ ବାଣୀ । ମୈତ୍ରେୟ ବିଦୁରେ ବଖାଣି । । ୧୭୧
ଶୁଣ ସୁଜନେ ଶୁଦ୍ଧଚିତ୍ତେ । ତୃତୀୟସ୍କନ୍ଧ ଭାଗବତେ । । ୧୭୨
ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ । । ୧୭୩
ଏଣେ ହରିଙ୍କି କରି ଲୟେ । ବ୍ରାହ୍ମଣ ଜଗନ୍ନାଥ କହେ । । ୧୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ ।

ତ୍ରୟୋଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ଏମନ୍ତେ ମୈତ୍ରେୟ ବଚନ । ଶୁଣି ବିଦୁର ତୋଷମନ । । ୧
କୃଷ୍ଣଚରିତେ ଭାବ ଭରି । ପୁଣି ପୁଚ୍ଛଇ ପାଦଧରି । । ୨

ବିଦୁର ଉବାଚ

ସେ ସ୍ୱାୟମ୍ଭୁବ ବ୍ରହ୍ମାସୁତ । ସଂସାର-ପ୍ରିୟ ପ୍ରିୟବ୍ରତ । । ୩
ପ୍ରତ୍ୟକ୍ଷେ ବ୍ରହ୍ମାର ଶରୀର । ସେ ସ୍ୱାୟମ୍ଭୁବ ନୃପବର । । ୪
ଯେ ଶତରୂପା ପତ୍ନୀ ତାର । ସ୍ୱଭାବେ ବ୍ରହ୍ମାର ଶରୀର । । ୫
ନିର୍ମିତ ନରନାରୀ ରୂପେ । ବିଷ୍ଣୁ ଆଦେଶେ ମହାକଳ୍ପେ । । ୬
ମୈଥୁନଭାବେ ସେ ରହିଲେ । କେମନ୍ତେ ସୃଷ୍ଟି ଭିଆଇଲେ । । ୭
ସେ ରାଜଋଷିର ଚରିତ । କହି ସନ୍ତୋଷ କର ଚିତ୍ତ । । ୮
ଏ କୃଷ୍ଣକଥା ପୁଣ୍ୟଯଶ । ଶ୍ରବଣେ ଚିତ୍ତ କଲା ଆଶ । । ୯
ଏମନ୍ତେ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହା ଶୁଣି । । ୧୦

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ତୁ ଯାହା ପଚାରିଲୁ ମୋତେ । । ୧୧
ବ୍ରହ୍ମାର ଶରୀରୁ ସମ୍ଭବ । ପତ୍ନୀର ତୁଲେ ସ୍ୱାୟମ୍ଭୁବ । । ୧୨
କରଅଞ୍ଜଳି ଶିରେ ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ । । ୧୩
ତୁ ସର୍ବଜନ୍ତୁଙ୍କର ପିତା । ଜନ୍ମସମ୍ପଦ ବୃତ୍ତିଦାତା । । ୧୪
ଆମ୍ଭେ ତୋହର ଭୃତ୍ୟପଣେ । ଯେମନ୍ତେ ଖଟୁ ତୋ ଚରଣେ । । ୧୫
ସେ ଆଜ୍ଞା ଦିଅ ବେଦବର । ତୋ’ର ଚରଣେ ନମସ୍କାର । । ୧୬
ଯେ କର୍ମ ସାଧି ଅତିରେକେ । ସୁ ଯଶ ଇହ ପରଲୋକେ । । ୧୭
ଲଭନ୍ତି ପ୍ରାଣୀ ଆତ୍ମସୁଖେ । ସେ ଆଜ୍ଞା କର ତାତ ମୁଖେ । । ୧୮
ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା କହିଲେ ତୋଷମନେ । । ୧୯

ବ୍ରହ୍ମା ଉବାଚ

ଶୁଣ କୁମର ସାଧୁଧୀର । ତୁ ଏ ସଂସାରେ ନୃପବର । । ୨୦
ନିର୍ମଳ ହୃଦେ ତୁ ପଚାରୁ । ଯେହ୍ନେ ସମ୍ବାଦ ଶିଷ୍ୟ ଗୁରୁ । । ୨୧
ତୋଠାରେ ହୋଇଲି ପ୍ରସନ୍ନ । ତୋହର ହେଉ ଯେ କଲ୍ୟାଣ । । ୨୨
ପିତାର ଆଜ୍ଞା ଶିରେ ଧରି । ସାଦରେ ସର୍ବ ଦୂର କରି । । ୨୩
ଏହାର ସଙ୍ଗେ ତୁହି ରମ । ସନ୍ତତି କର ଆତ୍ମସମ । । ୨୪
ପୃଥିବୀ ପାଳନ ତୁ କର । ଯଜ୍ଞେ ସନ୍ତୋଷ ଚକ୍ରଧର । । ୨୫
ପ୍ରଜା ପାଳନେ କର ଆଶା । ତେଣେ ମୋ ହୋଇ ଶୁଶ୍ରୂଷା । । ୨୬
ଯେ ଯଜ୍ଞରୂପ ଜନାର୍ଦ୍ଦନ । ତୋ ପ୍ରତି ହୋଇବେ ପ୍ରସନ୍ନ । । ୨୭
ସେ ଯଜ୍ଞ ଅନ୍ତେ ଜନାର୍ଦ୍ଦନ । ଯାହାକୁ ନୁହଁନ୍ତି ପ୍ରସନ୍ନ । । ୨୮
ବିଫଳ ଶ୍ରମ ହିଁ ତାହାର । ଯେଣୁ ଆତ୍ମାରେ ଅନାଦର । । ୨୯
ଏମନ୍ତେ ପିତାର ବଚନେ । ଶୁଣି ସ୍ୱାୟମ୍ଭୁବ ତୋଷମନେ । । ୩୦
ଆନନ୍ଦେ ଶିରେ କର ଦେଇ । ବୋଲଇ ବ୍ରହ୍ମାମୁଖ ଚାହିଁ । । ୩୧

ମନୁ ଉବାଚ

ଭୋ ନାଥ ତୋହର ଆଦେଶେ । ସୃଷ୍ଟି ମୁଁ କରିବି ବିଶ୍ୱାସେ । । ୩୨
ମୁଁ ସୃଷ୍ଟି ସରଜିବି କାହିଁ । ଏ ଜଳେ ଧରଣୀ ତ ନାହିଁ । । ୩୩
ତାର ଉଦ୍ଧାରେ ଯତ୍ନ କର । ଯେମନ୍ତେ ସୃଷ୍ଟିର ସଂଚାର । । ୩୪

ମୈତ୍ରେୟ ଉବାଚ

ଏମନ୍ତେ ପୁତ୍ରର ବଚନେ । ବ୍ରହ୍ମା ବିଚାରେ ନିଜମନେ । । ୩୫
ମାୟା ପ୍ରଳୟ ଜଳରାଶି । ପବନ ସଙ୍ଗେ ମୁଁ ଯେ ଗ୍ରାସି । । ୩୬
ପୃଥିବୀ ନିବେଶିଲି ଜଳେ । ପ୍ରଜା କଳ୍ପିଲି ଯୋଗବଳେ । । ୩୭
ଦେବ ଅସୁର ପିତୃ ନର । ପଶୁ ପତଙ୍ଗ ମହୀଧର । । ୩୮
ବୃକ୍ଷ ଔଷଧି ଉଚ୍ଚ-ନୀଚେ । ଧରଣୀ ସ୍ଥାପିଲି ଯେ ସଞ୍ଚେ । । ୩୯
ଏବେ ତ ଜଳେ ନାହିଁ ମହୀ । ଏମନ୍ତ ବ୍ରହ୍ମା ବିଚାରଇ । । ୪୦
ଜଳେ ନ ଦେଖି ବସୁନ୍ଧରୀ । ବିଧାତା ମନେ ଧ୍ୟାନକରି । । ୪୧
ମହୀ ବୁଡ଼ିଲା ମହାଜଳେ । କେମନ୍ତେ ଉଦ୍ଧରିବି ବଳେ । । ୪୨
ଯାର ଆଦେଶେ ଅବତରି । ମୁଁ ଏ ସଂସାରେ ଅଧିକାରୀ । । ୪୩
ସେ ହରି ଯେବେ ଦୟାକରେ । ଧରଣୀ ଆପଣେ ଉଦ୍ଧରେ । । ୪୪
ନୋହିଲେ ମୋର ଶକ୍ୟ କାହିଁ । ଏମନ୍ତେ ବିଷ୍ଣୁପାଦ ଧ୍ୟାୟି । । ୪୫
ବ୍ରହ୍ମା ରହିଲେ ସ୍ତମ୍ଭୀଭୂତେ । ଶୁଣ ବିଦୁର ଏକଚିତ୍ତେ । । ୪୬
ତକ୍ଷଣେ ପ୍ରଭୁ ନରହରି । ବାଳ ଶୂକର ରୂପଧରି । । ୪୭
ଅଙ୍ଗୁଷ୍ଠ ପ୍ରମାଣ ଶରୀରେ । ଜନ୍ମିଲେ ବ୍ରହ୍ମା ନାସାଦ୍ୱାରେ । । ୪୮
ପୁଣି କ୍ଷଣକେ ଗଜପ୍ରାୟେ । ଅଦ୍ଭୁତେ ବଢ଼େ ତାରକାୟେ । । ୪୯
ମରୀଚି ଆଦି ମୁନି ଯେତେ । ସନତକୁମାର ସହିତେ । । ୫୦
ଅଦ୍ଭୁତ ବରାହ ଶରୀର । କ୍ଷଣକ୍ଷଣକେ ଅଗୋଚର । । ୫୧
ଋଷିଙ୍କି ଚାହିଁ ବେଦବର । କହନ୍ତି ଦେଖି ତା ଶରୀର । । ୫୨
ଅଙ୍ଗୁଷ୍ଠ ମାତ୍ରେ ଜାତ ହୋଇ । ପର୍ବତ ସମାନେ ବଢ଼ଇ । । ୫୩
ଶୁଣ ସକଳ ମୁନିଜନେ । ଏ ରୂପେ ଖେଦ ମୋରମନେ । । ୫୪
ଏମନ୍ତେ ପୁତ୍ରଗଣ ଘେନି । ବିଚାର କରେ ପଦ୍ମଯୋନି । । ୫୫
ଏ ବା ଅନାଦି-ଭଗବାନ । ଏ ରୂପେ ବୋଧେ ମୋର ମନ । । ୫୬
ଏମନ୍ତ ଜାଣି ବାସୁଦେବ । ଗର୍ଜିଲେ ଗଜେନ୍ଦ୍ର ସ୍ୱଭାବ । । ୫୭
ବ୍ରହ୍ମାଦି ଋଷିଙ୍କ ସମେତେ । ହରଷ କଲେ ସର୍ବେ ଚିତ୍ତେ । । ୫୮
ଦିଗ ପୂରିଲା ଗରଜନ୍ତେ । ଅଦ୍ଭୁତ ଶବଦ ସହିତେ । । ୫୯
ସେ ମାୟାମୟ ରୂପ ହରି । ଛଳେ ଶୂକର ରୂପ ଧରି । । ୬୦
ଦେଖି ଚକିତ ମୁନିଜନେ । ଆନନ୍ଦେ ବିଚାରନ୍ତି ମନେ । । ୬୧
ଜନ ସତ୍ୟ ତପ ନିବାସୀ । ମିଳି ସକଳ ବ୍ରହ୍ମଋଷି । । ୬୨
ସ୍ତୁତି କରନ୍ତି ମନତୋଷେ । ଧରଣୀ ଉଦ୍ଧରିବା ଆଶେ । । ୬୩
ଯାହାର ଗୁଣ ଅନୁବାଦେ । କ୍ଷମ ନୁହଁନ୍ତି ଚାରିବେଦେ । । ୬୪
ଯା ରୂପ ମନଜ୍ଞାନେ ଚିନ୍ତି । ଅଶେଷ ଶାସ୍ତ୍ରେ ନ ଜାଣନ୍ତି । । ୬୫
ମୁନିଙ୍କ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି । । ୬୬
ଦେବଙ୍କ ହିତଅର୍ଥେ ହରି । ପୁଣି ଶୂକର ନାଦକରି । । ୬୭
ଗଜେନ୍ଦ୍ର ଲୀଳା କରି ହେଳେ । ବିଷ୍ଣୁ ପଶିଲେ ମହାଜଳେ । । ୬୮
ଖୁର-ଲାଙ୍ଗୁଡ଼ ମୁଖେ ତାଡ଼ି । ଶବଦ ଶୁଭେ ଘଡ଼ଘଡ଼ି । । ୬୯
ଜଳ ପ୍ରବେଶ ପୂର୍ବେ ହରି । ପୁଚ୍ଛ ଉତ୍ କ୍ଷେପ ଉର୍ଦ୍ଧ୍ୱେ କରି । । ୭୦
ଲମ୍ଫରେ ଆକାଶେ ଉଠିଲେ । କଠୋର ଶଟା କମ୍ପାଇଲେ । । ୭୧
ବରାହ ଦେହ ଜଳକଣେ । ଶୂନ୍ୟେ ତିନ୍ତିଲେ ଦେବଗଣେ । । ୭୨
ଲାଙ୍ଗୁଡ଼-ବୃଷ୍ଟି-ଜଳଲାଗି । ଦିଗେ ହୋଇଲେ ସଉଭାଗୀ । । ୭୩
ସୁତୀକ୍ଷ୍ଣ ଖୁର କ୍ଷିପ୍ତଜଳେ । ସମୁଦ୍ର ଉଛୁଳେ କଲ୍ଲୋଳେ । । ୭୪
ପର୍ବତ ପ୍ରାୟେ ଦେହକାନ୍ତି । ଜ୍ୟୋତି ସମୂହେ ଝଟକନ୍ତି । । ୭୫
ମହୀ ଖୋଜନ୍ତି ଘ୍ରାଣବାସେ । ଧରଣୀ ଉଦ୍ଧରିବା ଆଶେ । । ୭୬
କରାଳ ଦନ୍ତ ଓଷ୍ଠ ପାଟି । ଉର୍ଦ୍ଧ୍ୱେ ମୁନିଙ୍କି ଦେଇ ଦୃଷ୍ଟି । । ୭୭
ଅଙ୍ଗ ନିର୍ଘାତ ବଜ୍ର ପ୍ରାୟେ । ଦେଖି ଜଳଧି କଲା ଭୟେ । । ୭୮
ତରଙ୍ଗ-କର ଉଚ୍ଚେ କରି । ଡାକଇ ରଖ ଦଇତାରି । । ୭୯
ହେ ଯଜ୍ଞେଶ୍ୱର ତ୍ରାହିକର । ମୁଁ ତୁମ୍ଭ ଚରଣେ କିଙ୍କର । । ୮୦
ସମୁଦ୍ର ମୁଖରାବ ଗୋଳେ । ହରି ପଶିଲେ ରସାତଳେ । । ୮୧
ଜଳେ ନିମଗ୍ନା ବସୁନ୍ଧରୀ । ତକ୍ଷଣେ ଦନ୍ତାଗ୍ରେ ଉଦ୍ଧରି । । ୮୨
ଜଳୁ ଆସନ୍ତେ ଊଦ୍ଧ୍ୱର୍ମୁଖେ । ଅସୁର ମିଳିଲା ସମ୍ମୁଖେ । । ୮୩
ଆଦିଅସୁର ଯେ ପ୍ରତ୍ୟକ୍ଷ । ନାମ ତାହାର ହିରଣାକ୍ଷ । । ୮୪
ଗଦା ବୁଲାଇ ଅତିବେଗେ । ମିଳିଲା ଯଜ୍ଞନାଥ ଆଗେ । । ୮୫
ମତ୍ତମାତଙ୍ଗ ଯେହ୍ନେ ମହୀ । କର୍କଶ ଦନ୍ତେ ବିଦାରଇ । । ୮୬
ଲୀଳାଏ ଅସୁର ସଂହାରି । ଗଜକୁ ଯେସନେ କେଶରୀ । । ୮୭
ତା ଦେହ ଦଶନେ ବିଦାରି । ଧରଣୀ ଘେନି ବିଜେକରି । । ୮୮
ତମାଳ ନୀଳବର୍ଣ୍ଣ ଦେହୀ । ଶୁଭ୍ର ତୀକ୍ଷ୍ ଣ ଦନ୍ତ ଦୁୁୁଇ । । ୮୯
ଦଶନଅଗ୍ରେ ମହୀ ରହେ । ଚନ୍ଦ୍ରେ କଳଙ୍କ ଯେହ୍ନେ ଶୋହେ । । ୯୦
ଏମନ୍ତ ରୂପ ଦେଖି ବେଗେ । ବ୍ରହ୍ମା ମିଳିଲେ ବିଷ୍ଣୁ ଆଗେ । । ୯୧
ସଙ୍ଗତେ ମୁନିଗଣ ଘେନି । ସ୍ତୁତି କରଇ ପଦ୍ମଯୋନି । । ୯୨
ଋଷିଗଣ ଉବାଚ

ହେ ଯଜ୍ଞରୂପୀ ଜନାର୍ଦ୍ଦନ । ତୋର ବିହାର ତ୍ରିଭୁବନ । । ୯୩
ଜୟ ତୁ ଜୟ ଭଗବାନ । ତୁ ବେଦମୟ ବିଦ୍ୟମାନ । । ୯୪
ଯଜ୍ଞମୂରତି ନିଜ ପିଣ୍ତେ । ଯେ ଯଜ୍ଞଧର୍ମ କର୍ମକାଣ୍ତେ । । ୯୫
ତୋର ଶରୀର ରୋମକୂପେ । ସମୁଦ୍ର ଲୁଚିଲା ସ୍ୱରୂପେ । । ୯୬
ନମୋ ଗୋବିନ୍ଦ ମହୀଧର । ଅଶେଷ-ମହିମା-ସାଗର । । ୯୭
ହେ କାଳରୂପୀ ତୋ ଚରଣେ । ନିର୍ଭୟେ ପଶିଲୁ ଶରଣେ । । ୯୮
ଯଜ୍ଞାଦି ଆତ୍ମା ତୋ ଶରୀର । ଦୁଷ୍କୃତଜନେ ଅଗୋଚର । । ୯୯
ତୋ ଦେହ ଚର୍ମେ ବେଦ ବସେ । ଅନଳ ରୋମକୂପ ଦେଶେ । । ୧୦୦
ଘୃତ ଆହୁତି ନେତ୍ରଯୁଗେ । ଚତୁରହୋତ୍ର ପାଦଭାଗେ । । ୧୦୧
ଏ ଯଜ୍ଞ ଶ୍ରୁଚ ତୋର ତୁଣ୍ତେ । ଶ୍ରୁବ ନିର୍ମିତ ନାସାଖଣ୍ତେ । । ୧୦୨
ଇଡ଼ା ଉଦର ଅନୁବନ୍ଧେ । ଚମସ ରହେ କର୍ଣ୍ଣରନ୍ଧ୍ରେ । । ୧୦୩
ପ୍ରାଶିତ୍ର ବସେ ତୋର ଆସ୍ୟେ । ଗ୍ରହେ ବସନ୍ତି ତୋର ଗ୍ରାସେ । । ୧୦୪
ଚର୍ବଣେ ଅଗ୍ନିହୋତ୍ର ରହେ । ଦୀକ୍ଷା ତୋ ଅନୁଜନ୍ମ ବହେ । । ୧୦୫
ଯେ ଉପଷଦ ତିନିଈଷ୍ଟେ । ସେ ତୋର ଗ୍ରୀବାଦେଶ ଅଟେ । । ୧୦୬
ଦନ୍ତେ ପ୍ରାୟଣୀ ଉଦୟିନୀ । ଜିହ୍ୱାରେ ପ୍ରବର୍ଗ୍ୟକୁ ଘେନି । । ୧୦୭
ଶିରେ ହୋମରହିତ ଅଗ୍ନି । ଆବର ଉପାସନା ବହ୍ନି । । ୧୦୮
ପ୍ରାଣେ ବସନ୍ତି ଚିତିଗଣ । ସୋମ ତୋ ରେତ ଆଚରଣ । । ୧୦୯
ସବନ ତୋହର ଅବସ୍ଥା । ସପ୍ତଧାତୁଏ ତୋର ସଂସ୍ଥା । । ୧୧୦
ତୋ ଦେହସନ୍ଧି ସର୍ବ ସତ୍ର । ତୁ ସର୍ବଯଜ୍ଞ କ୍ରତୁ ମାତ୍ର । । ୧୧୧
ମନ୍ତ୍ରଦେବତା ରୂପ ତୁହି । ତୁ ଦ୍ରବ୍ୟ କ୍ରତୁ କ୍ରିୟା ହୋଇ । । ୧୧୨
ବୈରାଗ୍ୟ ଭକ୍ତି ଆତ୍ମଜୟେ । କରାଉ ଜ୍ଞାନର ଉଦୟେ । । ୧୧୩
ତୁ ବିଦ୍ୟାଗୁରୁ ଜ୍ଞାନଦାତା । ସକଳ ଜୀବ ପିତାମାତା । । ୧୧୪
ଅଖିଳ ମୂର୍ତ୍ତି ଭଗବାନ । ତୋର ଚରଣେ ନମୋନମ । । ୧୧୫
ତୋ ଦନ୍ତଅଗ୍ରେ ବସୁନ୍ଧରୀ । ବିରାଜେ ନିଜ ରୂପ ଧରି । । ୧୧୬
କି ଅବା ଦେବା ପଟାନ୍ତର । ଜଳେ ଯେସନେ କରୀବର । । ୧୧୭
ପଦ୍ମବନରୁ ସେ ନିର୍ଗତ । ଦନ୍ତାଗ୍ରେ ପଦ୍ମିନୀ ଶୋଭିତ । । ୧୧୮
ଏ ଯେ ଶୂକର ତୋର ଦେହ । ଅଶେଷ ଯଜ୍ଞ ବେଦମୟ । । ୧୧୯
ଦନ୍ତେ ଧରଣୀ କରେ ଶୋଭା । କିବା ଉପମା ଆମ୍ଭେ ଦେବା । । ୧୨୦
ପର୍ବତଶୃେଙ୍ଗ ଜଳଧର । ଯେମନ୍ତେ ଦିଶଇ ସୁନ୍ଦର । । ୧୨୧
ତେମନ୍ତେ ଶୋଭିତ ଧରଣୀ । ତୋ ଦନ୍ତଅଗ୍ରେ ଚକ୍ରପାଣି । । ୧୨୨
ଏବେ ଧରଣୀ ସ୍ଥାପ ଜଳେ । ଭୋ ନାଥ ତୋର ମାୟାବଳେ । । ୧୨୩
ଏ ଭୂମି ଜୀବଲୋକ-ମାତା । ତୁ ନାଥ ଜୀବଲୋକ-ପିତା । । ୧୨୪
ତୋ ବିନୁ କେବା ଅନ୍ୟ ବଳେ । ମହୀ ଉଦ୍ଧରେ ମହାଜଳେ । । ୧୨୫
ଏଣୁ ବିସ୍ମୟ ଆମ୍ଭ ନାହିଁ । ଅତି ବିସ୍ମୟ ବିଶ୍ୱେ ଯେହି । । ୧୨୬
ତାହାକୁ ତୁହି ମାୟାବଳେ । ସର୍ଜନା କଲୁ ଏ ଶୟଳେ । । ୧୨୭
ଏ ଯେ ଈଶ୍ୱର ତୋର ଦେହୀ । ସକଳ ବେଦମୟ ଏହି । । ୧୨୮
ଜଳେ ପଶନ୍ତେ ତୋ ଶରୀର । ଜଳଧି ଦିଶେ ଭୟଙ୍କର । । ୧୨୯
ତୋ ରୋମଅଗ୍ରେ ଜଳରାଶି । ଉଛୁଳି ଶୂନ୍ୟମାର୍ଗେ ଆସି । । ୧୩୦
ସେ ଜଳବିନ୍ଦୁ ସ୍ପର୍ଶ ମାତ୍ର । ସକଳେ ହୋଇଲୁ ପବିତ୍ର । । ୧୩୧
ଜନ ତପ ସତ୍ୟ ଭୁବନେ । ଆମ୍ଭେ ଯେ ରହୁ ତୋଷମନେ । । ୧୩୨
ତୋ ରୋମଜଳେ କରି ସ୍ନାନ । ଆନନ୍ଦେ ତୋଷ କଲୁ ମନ । । ୧୩୩
ପବିତ୍ର କଲୁ ପିଣ୍ତ ପ୍ରାଣ । ତୋର ଶରଣ ନାରାୟଣ । । ୧୩୪
ତୋ କର୍ମ-ପାର ଜାଣିବାରେ । ଯେ ଜନ ମନେ ବାଞ୍ଛାକରେ । । ୧୩୫
ତାହାକୁ ବୋଲି ମନ୍ଦମତି । ଯେଣୁ ଅସାଧ୍ୟ ତୋର ଗତି । । ୧୩୬
ତୋ ଯୋଗମାୟା ଗୁଣ ବଳେ । ଆମ୍ଭେ ମୋହିତ ଏ ଶୟଳେ । । ୧୩୭
ଏଣୁ ବିଶ୍ୱକୁ ସୁଖ ଦେଇ । ଆମ୍ଭଙ୍କୁ ନାଥ କର ତ୍ରାହି । । ୧୩୮

ମୈତ୍ରେୟ ଉବାଚ

ବ୍ରହ୍ମାଦି ମୁନିଙ୍କ ବଚନେ । ବରାହ ରୂପୀ ତୋଷମନେ । । ୧୩୯
ଜଳେ ବସାଇ ବସୁନ୍ଧରୀ । ଅଦୃଶ୍ୟ ହୋଇଲେ ମୁରାରି । । ୧୪୦
ସେ ହରି ଅଭୟ ଚରଣେ । ବିଦୁର ପଶ ତୁ ଶରଣେ । । ୧୪୧
ଏ ମନୋହର କୃଷ୍ଣକଥା । ଯେ ଅବା ହୋନ୍ତି ଶ୍ରୋତା ବକ୍ତା । । ୧୪୨
ତା’ର ହୃଦୟେ ଭଗବାନ । ତକ୍ଷଣେ ହୁଅନ୍ତି ପ୍ରସନ୍ନ । । ୧୪୩
ସେ ହରି ଅଦ୍ଭୁତ ଚରିତ । ଶୁଣି ବିଦୁର ତୋଷଚିତ୍ତ । । ୧୪୪
ଶୁଣ ସୁଜନେ ତୋଷଚିତ୍ତେ । ସଂସାରୁ ତରିବ ଯେମନ୍ତେ । । ୧୪୫
ଯାର ପ୍ରସନ୍ନେ ମାୟାଘୋର । ନଳିନୀଦଳେ ଯେହ୍ନେ ନୀର । । ୧୪୬
ନ ଲାଗେ ନିରତେ ସିଞ୍ଚନ୍ତେ । ବିଷ୍ଣୁ-ପ୍ରସଙ୍ଗ ଅନୁମତେ । । ୧୪୭
କର୍ଣ୍ଣେ ପଶନ୍ତେ ହରିବାଣୀ । ସୁଧା-ସମୁଦ୍ର ପରିମାଣି । । ୧୪୮
ଆନନ୍ଦେ କର ସୁଧାପାନ । ଯେଣେ ହୋଇବ ତତ୍ତ୍ବଜ୍ଞାନ । । ୧୪୯
ତୃତୀୟସ୍କନ୍ଧେ ଭାଗବତ । ଅଦ୍ଭୁତ ବରାହ ଚରିତ । । ୧୫୦
ଏଣେ ନିବେଶି ବୁଦ୍ଧି-ଚିତ୍ତ । କହଇ ଦାସ ଜଗନ୍ନାଥ । । ୧୫୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟସ୍କନ୍ଧେ ବରାହପ୍ରାଦୁର୍ଭାବ ବର୍ଣ୍ଣନେ ନାମ ତ୍ରୟୋଦଶୋଽଧ୍ୟାୟଃ ।

ଚତୁର୍ଦ୍ଦଶ ଅଧ୍ୟାୟ[ସମ୍ପାଦନା]

ଶୁକ ଉବାଚ

ମୈତ୍ରେୟ ବାଣି ଶୁଣି କର୍ଣ୍ଣେ । ତୋଷ ନୋହିଲା ତାର ମନେ । । ୧
କୃଷ୍ଣ ଶୂକରରୂପ କଥା । ଅମୃତ ରସମୟ ଗାଥା । । ୨
ଆନନ୍ଦେ ଶିରେ କର ଦେଇ । ପୁଣି ବିଦୁର ପଚାରଇ । । ୩

ବିଦୁର ଉବାଚ

ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି । । ୪
ଜଳୁ ଆସନ୍ତେ ଊର୍ଦ୍ଧ୍ୱଗତେ । ଆଦି ଅସୁର ତା’ ଅଗ୍ରତେ । । ୫
ମିଳିଲା ଗଦା କରେ ଧରି । ତା’ ଦେହ ଦଶନେ ବିଦାରି । । ୬
ଏ କଥା ଶୁଣି ତୁମ୍ଭ ମୁଖେ । ଏବେ ପଚାରେ ମନସୁଖେ । । ୭
ସେ ଦୈତ୍ୟ ତେଜେ ଅନର୍ଗଳା । କି ହେତୁ ଗଦାଯୁଦ୍ଧ କଲା । । ୮
ତାହାର ଜନ୍ମ କର୍ମ ଯେତେ । ବିସ୍ତାରି କହ ମୁନି ମୋତେ । । ୯
ପରମ କୁତୂହଳ ବାଣୀ । ଜୀବ ନିସ୍ତରେ ଯାହା ଶୁଣି । । ୧୦

ମୈତ୍ରେୟ ଉବାଚ

ତୁ ଧନ୍ୟ ଧନ୍ୟ କୁରୁବୀର । ଏ ସାଧୁ ପ୍ରଶ୍ନ ଯେ ତୋହର । । ୧୧
ହରି-ଚରିତ ଗୁର କଥା । ଅମୃତ ରସମୟ-ଗାଥା । । ୧୨
ଯାହା ଶୁଣନ୍ତେ ମୃତ୍ୟୁପାଶ । ସୁତୀକ୍ଷ୍ ଣ ଚକ୍ରେ ହୋଏ ନାଶ । । ୧୩
ସେ ସ୍ୱାୟମ୍ଭୁବ ମୁନି ସୁତ । ଉତ୍ତାନପାଦ-ସୁତ ଖ୍ୟାତ । । ୧୪
ତପର ବଳେ ସେ ପ୍ରଚଣ୍ତେ । ଚରଣ ଦେଇ ମୃତ୍ୟୁମୁଣ୍ତେ । । ୧୫
ସ୍ୱଭାବେ ତେଜେ ଅନର୍ଗଳା । ପରମପଦେ ସେ ପଶିଲା । । ୧୬
ତୁ ଯେବେ ପଚାରିଲୁ ମୋତେ । ବିଦୁର ଶୁଣ ଏକଚିତ୍ତେ । । ୧୭
ପ୍ରସ୍ତାବେ ଇତିହାସ ବାଣୀ । ଦେବଙ୍କ ସଭାମଧ୍ୟେ ଶୁଣି । । ୧୮
ଦେବ ସମୀପେ ଦେବଦେବ । ବ୍ରହ୍ମା କହିଲେ ଯେ ପ୍ରସ୍ତାବ । । ୧୯
ଜାଣଇ ଏଥିର କାରଣ । କହିବି ଏକଚିତ୍ତେ ଶୁଣ । । ୨୦
ଦକ୍ଷ ଦୁହିତା ଦିତି ନାମା । କଶ୍ୟପ ଋଷିଙ୍କର ବାମା । । ୨୧
ସେ ଏକଦିନେ ସନ୍ଧ୍ୟାକାଳେ । ଏକା ପଶିଲା ଯଜ୍ଞଶାଳେ । । ୨୨
ମିଳିଲା ନିଜ ପତି ପାଶେ । କାମେ ପୀଡ଼ିତ ରତି ଆଶେ । । ୨୩
ସେ ମହାଋଷି ଯଜ୍ଞଘରେ । ମନ୍ତ୍ରେ ଆହୁତି ଘୃତଧାରେ । । ୨୪
ଯଜ୍ଞପୁରୁଷ ପ୍ରୀତି ଅର୍ଥେ । ଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ । । ୨୫
ହବିରେ ଅଗ୍ନିକି ପୂଜନ । କରନ୍ତି ହୋଇ ତୋଷମନ । । ୨୬
ନିବିଡ଼ ସନ୍ଧ୍ୟା ଆଗମନେ । ମିଳିଲା ସ୍ୱାମୀ ସନ୍ନିଧାନେ । । ୨୭
ସମାଧିସ୍ଥିତ ସ୍ୱାମୀ ପାଶେ । କାମ ପୀଡ଼ିତା ଦିତି ବସେ । । ୨୮
କରଅଞ୍ଜଳି ଶିରେ ଦେଇ । ବୋଲେ କଶ୍ୟପ ମୁଖ ଚାହିଁ । । ୨୯

ଦିତି ଉବାଚ

ଭୋ ନାଥ ଶୁଣ ତପୋଧନ । ଅନଙ୍ଗ ଘେନି ଶରାସନ । । ୩୦
ତା ପଞ୍ଚବାଣେ ମୋର ମନେ । ଦହଇ ତୁମ୍ଭର ବିହୁନେ । । ୩୧
କଦଳୀବନ ଯେହ୍ନେ ଗଜ । ଦନ୍ତେ ବିଦାରେ ମହାତେଜ । । ୩୨
ସମୃଦ୍ଧି ଦେଖି ସପତ୍ନୀର । ମୋ ମନ ଦଗ୍ଧ ନିରନ୍ତର । । ୩୩
ତୁ ପ୍ରଜାପତିଙ୍କ ଈଶ୍ୱର । ସର୍ବ କଳ୍ପନା ସୁଖଘର । । ୩୪
ଏବେ ମୋ’ଠାରେ ଅନୁଗ୍ରହ । କରି ସକଳ ସୁଖ ଦିଅ । । ୩୫
ଯାହାକୁ ସ୍ୱାମୀ ହୋଏ ତୋଷ । ସଂସାରେ ରହେ ତାର ଯଶ । । ୩୬
ଆପଣା ରୂପେ ପ୍ରତ୍ରଜାତ । ହୁଅଇ ଯାର ଗର୍ଭଗତ । । ୩୭
ଆମ୍ଭର ଗର୍ଭେ ପୁତ୍ରହେଲେ । ତୋ ଯଶ ବିସ୍ତାରିବ ଭଲେ । । ୩୮
ମୋ ପିତା ଦକ୍ଷ ପ୍ରଜାପତି । ପ୍ରଜା ସର୍ଜନେ ତା’ର ମତି । । ୩୯
ଆମ୍ଭର ଗର୍ଭେ ପୁତ୍ର ଯେତେ । ଧର୍ମେ ପାଳିବେ ଏ ଜଗତେ । । ୪୦
ଏ କଥା ମନେ ବିଚାରିଲା । ଯତ୍ନେ ଆମ୍ଭଙ୍କୁ ପଚାରିଲା । । ୪୧
ସମ୍ମତି ଦେଖିଣ ଆମ୍ଭର । ତେଣୁ ବରିଲା ତୋତେ ବର । । ୪୨
ଆମ୍ଭେ ଯେ ଭଗ୍ନୀ ତ୍ରୟୋଦଶ । ତୁମ୍ଭର ଚରଣେ ବିଶ୍ୱାସ । । ୪୩
ଆମ୍ଭର ରୂପ ଶୀଳ ଗୁଣ । ତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ । । ୪୪
ଭୋ ନାଥ ନଳିନଲୋଚନ । ଏବେ ତୁ କର ମୋ ବଚନ । । ୪୫
ମୋ ସଙ୍ଗେ କର ଏବେ ରତି । ସୌଭାଗ୍ୟେ ହେଉ ମୋ ସନ୍ତତି । । ୪୬
ମୈତ୍ରେୟ ଉବାଚ
ଏମନ୍ତେ ଶୁଣି ତା ବଚନ । କଶ୍ୟପ ହୋଇ ଦୁଃଖ ମନ । । ୪୭
ଚାହିଁଲେ ଦିତିର ବଦନ । ଅନଙ୍ଗବାଣେ ଛନଛନ । । ୪୮
ଦେଖି ତାହାର ଦୁଷ୍ଟଚିତ୍ତ । କହନ୍ତି ମରୀଚିଙ୍କ ସୁତ । । ୪୯

କଶ୍ୟପ ଉବାଚ

ଶୁଣ ସୁନ୍ଦରି ମୋ ବଚନ । ମୁହିଁ ଜାଣଇ ତୋର ମନ । । ୫୦
ଏ ସନ୍ଧ୍ୟାକାଳେ ମୋର ପାଶେ । ତୁ ଯେ ମିଳିଲୁ ରତି ଆଶେ । । ୫୧
ଏ ଧର୍ମ-ପ୍ରମାଣ ସ୍ୱଭାବ । କେ ତାହା ଅନ୍ୟଥା କରିବ । । ୫୨
ଏଣୁ ତୋହର ପ୍ରିୟଯେତେ । କରିବି ତୋହର ଆୟତ୍ତେ । । ୫୩
ସଂସାର ସ୍ୱଭାବଟି ଏହି । ଯେ ଧର୍ମକର୍ମେ ରହେ ଗୃହୀ । । ୫୪
ସର୍ବ ଆଶ୍ରମ ମଧ୍ୟେ ସାର । ପୁତ୍ର କଳତ୍ର ଘେନି ଘର । । ୫୫
ଏଣୁ ହୁଅଇ ଦୁଃଖ ପାର । ବୋଇତେ ଯେହ୍ନେ ପାରାବାର । । ୫୬
ଆତ୍ମାର ଅର୍ଦ୍ଧସମ ନାରୀ । ଅନ୍ୟଥା କେବା ତାହା କରି । । ୫୭
ତାହାର ତହିଁ ଗୃହଭାର । ଦେଇ ନିଶ୍ଚିନ୍ତେ ଥାଇ ନର । । ୫୮
ଯାହାର ଆଶ୍ରେ ପ୍ରାଣୀ ଥାଇ । ଇନ୍ଦ୍ରିୟ-ଶତ୍ରୁକୁ ଜିଣଇ । । ୫୯
ଏଣୁ ତୁମ୍ଭର ଉପକାର । ଶୁଝା ଯେ ନ ଯିବ ଆମ୍ଭର । । ୬୦
ଏ କଥା କେ କରିବ ଆନ । ଯାହା ସଞ୍ଚିଲେ ଭଗବାନ । । ୬୧
ଏବେ ତୁ ଧୀର ଆତ୍ମମନେ । ମୁହୂର୍ତ୍ତେ ରହ ମୋ ବଚନେ । । ୬୨
ଦେଖ ଏ ଭୟଙ୍କର ବେଳା । ପ୍ରେତ-ପିଶାଚଗଣ ମେଳା । । ୬୩
ଭୂତ-ବେତାଳ ଘେନି ସଙ୍ଗେ । ରମନ୍ତି ଭୂତପତି ରଙ୍ଗେ । । ୬୪
ଦେଖ ଏ ଘୋର-ସନ୍ଧ୍ୟାକାଳେ । ଘୋର ଶବଦ ଗଣମେଳେ । । ୬୫
ଶ୍ମଶାନ-ଧୂଳିରେ ଧୂସର । ଜଟାକଳାପେ ଭୟଙ୍କର । । ୬୬
ଭସ୍ମଲେପନ ସର୍ବଅଙ୍ଗେ । ଭୂତାଦିଗଣ ଘେନି ସଙ୍ଗେ । । ୬୭
ବୃଷଭେ ବସି ଭୂତପତି । ଦେଖଇ ସର୍ବଜନ ଗତି । । ୬୮
ତୋହର ଦେବର ସ୍ୱଭାବେ । ମୁହୂର୍ତ୍ତେ ରହ ସଖି ଏବେ । । ୬୯
ପର ଅପର ଯାର ନାହିଁ । ବନ୍ଦନ ନିନ୍ଦନ ବା କାହିଁ । । ୭୦
ଆମ୍ଭେ ସକଳେ ଯା ଚରଣେ । ସେବୁ ସୁବ୍ରତ ଆଚରଣେ । । ୭୧
ତାର ପ୍ରସାଦ ଶେଷଭୋଗ । ଭୁଞ୍ଜୁ ଅତୁଲ୍ୟ ସଉଭାଗ୍ୟ । । ୭୨
ଯାର ନିର୍ମଳ ଗୁଣ ଚିନ୍ତି । ମାୟା-ପଟଳେ ସର୍ବ ଯତି । । ୭୩
ଚିନ୍ତନ୍ତି ନିର୍ଲେପ ଶରୀର । ଅଚିନ୍ତ୍ୟ ଗୁଣ ଯେ ଗଭୀର । । ୭୪
ନିର୍ମଳଚେତା ମୁନିଗଣେ । ଧ୍ୟାନେ ଚିନ୍ତନ୍ତି ଯା ଚରଣେ । । ୭୫
ତପ ସାଧନେ ଯୋଗେ ଚିନ୍ତି । ଅଶେଷ ସମ୍ପଦ ଲଭନ୍ତି । । ୭୬
ପିଶାଚ-ମାର୍ଗ ଦେଖି ତା’ର । ସୁଜନେ କରନ୍ତି ବିଚାର । । ୭୭
ଊଣା ଅଧିକେ ଯାର ନାହିଁ । ପିଶାଚ-ଚେଷ୍ଟାରେ ଭ୍ରମଇ । । ୭୮
ତାଙ୍କୁ ଯେ ଦୁର୍ଭଗା ହସନ୍ତି । ସେ ତା ମହିମା ନ ଜାଣନ୍ତି । । ୭୯
ବ୍ରହ୍ମାଦି ଦେବେ ଯା କିଙ୍କର । ଯା ମାୟାବଳେ ଏ ସଂସାର । । ୮୦
ସୃଷ୍ଟି ପାଳନ ସଂହାରଣ । ଯେ ବିଶ୍ୱ ପରମ-କାରଣ । । ୮୧
ପିଶାଚଚେଷ୍ଟା ତାର ଦେଖି । ସାଧବ ଜନେ ହୋନ୍ତି ଦୁଃଖୀ । । ୮୨
ଚରିତ ବିଡ଼ମ୍ବନ ତା’ର । ଦେବ ମାନବେ ଅଗୋଚର । । ୮୩

ମୈତ୍ରେୟ ଉବାଚ

ଇନ୍ଦ୍ରିୟଗଣ ସେ ଦିତିର । କାମରେ ହୋଇଲା ଅସ୍ଥିର । । ୮୪
ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି । ସ୍ୱଭାବେ ଉନ୍ମତ୍ତ ତରୁଣୀ । । ୮୫
ମଦନବାଣେ ଭୋଳ ଚିତ୍ତ । ବେଗେ ଧଇଲା ସ୍ୱାମୀ ହସ୍ତ । । ୮୬
ବସ୍ତ୍ର କରଷି ବାମକରେ । କଟାକ୍ଷେ ଚାହେଁ କାମଭରେ । । ୮୭
ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି । ରମଣରସେ ଚିତ୍ତ ବଢ଼ି । । ୮୮
ପତ୍ନୀ ନିର୍ବନ୍ଧ ମୁନି ଦେଖି । ଧର୍ମ ବିଷୟେ ମନେ ଦୁଃଖୀ । । ୮୯
ଦଇବ ରୂପ ଯେ ଈଶ୍ୱର । ତାହାଙ୍କୁ କରି ନମସ୍କାର । । ୯୦
ଏକାନ୍ତେ ଯାଇ ତା’ର ସଙ୍ଗେ । ମେଳ ହୋଇଲେ ରତିରଙ୍ଗେ । । ୯୧
ପତ୍ନୀ ରମଣରସ ସାରି । ତକ୍ଷଣେ ଆଚମନ କରି । । ୯୨
କର ଚରଣ ଧୋଇ ଜଳେ । ଆସନେ ବସିଲେ ନିଶ୍ଚଳେ । । ୯୩
ଗାୟତ୍ରୀମନ୍ତ୍ର ପ୍ରାଣାୟାମ । କରି ଚିନ୍ତିଲେ ବିଷ୍ଣୁନାମ । । ୯୪
ନିର୍ମଳ ଜ୍ୟୋତିରୂପେ ମନ । ନିବେଶି ହୋଇଲେ ମଉନ । । ୯୫
ତକ୍ଷଣେ ଉଠି ଦିତି ବେଗେ । ବସ୍ତ୍ର ଆଚ୍ଛାଦି ସର୍ବଅଙ୍ଗେ । । ୯୬
ସଲ୍ଲଜ୍ଜେ ଅଧୋମୁଖେ ରହି । କହେ କଶ୍ୟପ ମୁଖ ଚାହିଁ । । ୯୭

ଦିତି ଉବାଚ

ଭୋ ନାଥ ଶୁଣ ମୋ ବଚନ । ମୋହର କର୍ମଫଳ ହୀନ । । ୯୮
ଯେ ଗର୍ଭ ହୋଇବ ମୋହର । ଯେମନ୍ତେ ନାଶ ନୋହେ ତା’ର । । ୯୯
ଅବଜ୍ଞା କରି ଭୂତପତି । ମୁଁ ଯେ ଆଚରିଲି ଅନୀତି । । ୧୦୦
ଭୋ ରୁଦ୍ର ନମୁଁ ତୋ ଚରଣେ । ତୋର ବିହାର ଭୂତଗଣେ । । ୧୦୧
ହେ ଶିବ ଶିବ ଦଣ୍ତଧର । ଉŸଦ୍ଦଣ୍ତ ଦଣ୍ତ ତୋର କର । । ୧୦୨
ତୁ ଉଗ୍ର ଭୀମ ଉମାପତି । ତୋ ଅନୁଗ୍ରହେ ନାହିଁ ଭୀତି । । ୧୦୩
ଅପ୍ରାଧ ନାଶେ ତୋର ଦୟା । ତାକୁ ନ ଲାଗେ ବିଷ୍ଣୁମାୟା । । ୧୦୪
ତୁ ଉଗ୍ରରୂପ କ୍ଷମାକର । ନମୋ ନମସ୍ତେ ତୋ ପୟର । । ୧୦୫
ସଂହାରେ କ୍ରୋଧ ରୂପ ତୋର । ତୋ ପଦେ ମୋର ନମସ୍କାର । । ୧୦୬
ଗର୍ଭ ମୋ ରଖ ହେ ଗୋସାଇଁ । ପ୍ରସନ୍ନ ହୁଅ ଦୟା ବହି । । ୧୦୭
ହେ ପ୍ରଭୁ ଦେବ ଭଗବାନ । ଆମ୍ଭଙ୍କୁ ହୋଇବା ପ୍ରସନ୍ନ । । ୧୦୮
ମୁଁ ଯେ ସ୍ୱଭାବେ ସ୍ତିରୀଜାତି । ନମୋ ନମସ୍ତେ ସତୀପତି । । ୧୦୯
ପତ୍ନୀ-ସ୍ୱଭାବ ଭଲେ ଜାଣ । ବିଚାରି ହୁଅ ତୁ ପ୍ରସନ୍ନ । । ୧୧୦

ମୈତ୍ରେୟ ଉବାଚ

ଗର୍ଭ ଆଶିଷେ ମନ ଦେଇ । କମ୍ପେ କଶ୍ୟପ ମୁଖ ଚାହିଁ । । ୧୧୧
ତକ୍ଷଣେ ଧ୍ୟାନ ବେଗେ । ମୁନି କହନ୍ତି ପତ୍ନୀ ଆଗେ । । ୧୧୨

କଶ୍ୟପ ଉବାଚ

ଭୋ ସଖି ଶୁଣ ଶୁଦ୍ଧଚିତ୍ତେ । ଏ କର୍ମ ତୋହର ଆୟତ୍ତେ । । ୧୧୩
ମୁହୂର୍ତ୍ତ ଦୋଷ ଭୟଙ୍କର । ଦେବହେଳନ କର୍ମ ତୋ’ର । । ୧୧୪
ଏ ଦୋଷୁ ତୋ’ର ଗର୍ଭଗତେ । ଜନ୍ମ ହୋଇବେ ବେନିସୁତେ । । ୧୧୫
ଦୁଷ୍ଟ ହୋଇବେ ଏ ଶୟଳେ । ତପ ସାଧନ କର୍ମଫଳେ । । ୧୧୬
ଏ ତିନିପୁର ରାଜାଗଣେ । ବିକଳେ ଖଟିବେ ଚରଣେ । ।୧୧୭
ଧନଜୀବନ ସେ ହରିବେ । ପ୍ରାଣୀଙ୍କି ଦୁଃଖଶୋକ ଦେବେ । । ୧୧୮
ନିର୍ଦ୍ଦୋଷ ପ୍ରାଣୀଙ୍କି ମାରଣେ । ପର ରମଣୀ କରଷଣେ । । ୧୧୯
ଏ ଆଦି ଯେତେ ପାପକର୍ମେ । ବଳେ କରିବେ ମତିଭ୍ରମେ । । ୧୨୦
ମହତଜନେ କୋପ ଜାତ । କରିବେ ସେହି ବେନିଭ୍ରାତ । । ୧୨୧
ତାହାଙ୍କ ଦେଖି ଦୁଷ୍ଟକର୍ମ । କୋପିବେ ଶ୍ରୀପୁରୁଷୋତ୍ତମ । । ୧୨୨
ଏ ମହୀତଳେ ଦେହ ବହି । ବିଷ୍ଣୁ ମାରିବେ ବେନିଭାଇ । । ୧୨୩
ଇନ୍ଦ୍ର ଯେସନେ ଦେହ ଧରି । ଘୋର ପର୍ବତ ଦର୍ପ ହରି । । ୧୨୪
ଏମନ୍ତେ କଶ୍ୟପ ବଚନ । ବିଷାଦ ଶୁଣି ଦିତି ମନ । । ୧୨୫
ସ୍ୱାମୀ ଚରଣ ତଳେ ପଡ଼ି । ବୋଲଇ ବେନିକର ଯୋଡ଼ି । । ୧୨୬

ଦିତି ଉବାଚ

ଭୋ ନାଥ ମୋ’ର ପୁତ୍ର ଯେବେ । ସଂସାରେ ଦୁଷ୍ଟକର୍ମ ଭାବେ । । ୧୨୭
ବିଷ୍ଣୁର ହସ୍ତେ ଯିବେ ନାଶ । ଏଣେ ମୋହର ନାହିଁ ତ୍ରାସ । । ୧୨୮
ତହିଁକି ମୋ’ର ଭୟ ନାହିଁ । ବ୍ରାହ୍ମଣ କୋପେ ମୁଁ ଡରଇ । । ୧୨୯
ବ୍ରାହ୍ମଣ କୋପେ ଯେ ମରନ୍ତି । ପ୍ରାଣୀଙ୍କ ବଧ ଆଚରନ୍ତି । । ୧୩୦
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ । । ୧୩୧
କର୍ମର ବଳେ ଯେତେ ଯୋନି । ଜନ୍ମ ଲଭନ୍ତି ଦେହ ଘେନି । । ୧୩୨
ଅଶେଷ ଦୁଃଖ ଫଳ ଭୋଗେ । ଭୁଞ୍ଜନ୍ତି ଜୀବନ ସଂଯୋଗେ । । ୧୩୩
ଏମନ୍ତେ ଦିତିର ବଚନ । ଶୁଣି କଶ୍ୟପ ତପୋଧନ । । ୧୩୪
ବୋଲନ୍ତି ଦିତି ମୁଖ ଚାହିଁ । ଭୋ ସଖି ଶୁଣ ମନଦେଇ । । ୧୩୫
ଯେ ଅପରାଧ ତୋର କୃତ । ତେଣୁ ଯେ ଶୋକ ଅନୁତାପ । । ୧୩୬
ଯେ ଭଲମନ୍ଦର ବିଚାର । ତକ୍ଷଣେ ହୋଇଲା ତୋହର । । ୧୩୭
ଯେ ଭାବ ହେଲା ହରିଠାରେ । ଯେବା ଆଦର ତୋର ମୋରେ । । ୧୩୮
ଏଣୁ ତୋହର ବେନିପୁତ୍ରେ । ଯନ୍ତ୍ରିତ ନିଜ କର୍ମସୂତ୍ରେ । । ୧୩୯
ବିଷ୍ଣୁର ହସ୍ତେ ପ୍ରାଣ ଦେଇ । ଶାପୁ ତରିବେ ବେନିଭାଇ । । ୧୪୦
ତାହାଙ୍କ ପୁତ୍ରଙ୍କର ମଧ୍ୟେ । ବିଷ୍ଣୁ ଭକତି ଅନୁବାଦେ । । ୧୪୧
ହୋଇବ ବିଷ୍ଣୁଭକ୍ତ ସାର । ଅତୁଲ୍ୟ ଗୁଣ ସୁବିଚାର । । ୧୪୨v
ତାହାର ଯଶ ଇହଲୋକେ । ବିଷ୍ଣୁଭକତ ମନସୁଖେ । । ୧୪୩
ଶୁଣି ଶ୍ରବଣେ ନିରନ୍ତର । ତରିବେ ଏ ଭବସାଗର । । ୧୪୪
ତା’ର ସ୍ୱଭାବ ପାଇବାରେ । ଯୋଗୀଏ ସାଧିବେ ସଂସାରେ । । ୧୪୫
ହୋଇବ ହୃଦୟ ନିର୍ମଳ । ଅଗ୍ନିରେ ଯେହ୍ନେ ହେମ-ମଳ । । ୧୪୬
ଯେ ହରି ସର୍ବଘଟେ ପୂରି । ସେ ହରି ତା’ରେ ଦୟାକରି । । ୧୪୭
ତା’ର ପ୍ରସନ୍ନେ ଏ ସଂସାର । ଯେଣୁ ତା ନାହିଁ ନିଜ ଘର । । ୧୪୮
ସେ ମହାଭାଗବତ ପୁଣି । ତା ଯଶ ଗାଇ ତରେ ପ୍ରାଣୀ । । ୧୪୯
ମହାତ୍ମା ମହତେ ମହତ । ଭକତି ବଳେ ଶୋଧି ଚିତ୍ତ । । ୧୫୦
ବିଷ୍ଣୁ ଭକତି ଅତିରେକେ । ଅନ୍ତେ ମିଳିବ ବିଷ୍ଣୁଲୋକେ । । ୧୫୧
ପର ସମ୍ପଦେ ସେ ସୁଖିତ । ଦୁଃଖରେ ହୋଇବ ଦୁଃଖିତ । । ୧୫୨
ହରିବ ଜନଶୋକରାଶି । ନିଦାଘ-ତାପ ଯେହ୍ନେ ଶଶୀ । । ୧୫୩
ଦେଖିବ ତୋ ପୁତ୍ର ନନ୍ଦନ । ଅନ୍ତର ବାହ୍ୟେ ଭଗବାନ । । ୧୫୪
ସୁନ୍ଦର-ବର-ସୁକୁମାର । କର୍ଣ୍ଣେ କୁଣ୍ତଳ ହୃଦେ ହାର । । ୧୫୫

ମୈତ୍ରେୟ ଉବାଚ

ପୌତ୍ରର ଗୁଣମାନ ଶୁଣି । ବୈଷ୍ଣବ-ଗୁଣେ ଶିରୋମଣି । । ୧୫୬
ସଂସାର କରିବ ପବିତ୍ର । ଶୁଣି ଆନନ୍ଦ ଦିତି ଚିତ୍ତ । । ୧୫୭
ଅନ୍ତର ଆତ୍ମା ଅତିତୋଷେ । ସ୍ୱାମୀଙ୍କି ନମିଲା ହରଷେ । । ୧୫୮
ଦିତି-କଶ୍ୟପର ସମ୍ବାଦ । ଶୁଣ ସୁଜନେ ଜ୍ଞାନଭେଦ । । ୧୫୯
ତୃତୀୟସ୍କନ୍ଧ ଭାଗବତ । କହିଲା ଦାସ ଜଗନ୍ନାଥ । । ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେ ଚତୁŸର୍ଶୋଽଧ୍ୟାୟଃ ।

ପଞ୍ଚଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ସେ ପ୍ରଜାପତି ତେଜବୀର୍ଯ୍ୟ । ଦିତି ଉଦରେ ସେ ଆତ୍ମଜ । । ୧
ଶତେବରଷ ବେଦମତେ । ଗର୍ଭେ ଧଇଲା ଭୟଚିତ୍ତେ । । ୨
ଦେବଦଳନ ତେଜ ଶୁଣି । ଅନ୍ତରେ ଭାଳଇ ତରୁଣୀ । । ୩
ନ ଜାଣି କଲି ଏଡ଼େ କର୍ମ । କାମେ ହୋଇଲି ମତିଭ୍ରମ । । ୪
ଦଇବବଳ ବଳୀୟାର । କି କରିପାରେ ସୁରନର । । ୫
ଗଭୀର ତେଜ ବଳେ କରି । ଲୋକେ ଦିଶିଲେ ହତଶିରୀ । । ୬
ଏବେ ହୋ ଶୁଣ କୁରୁବୀର । ସଂସାର ଦିଶେ ଅନ୍ଧକାର । । ୭
ଇନ୍ଦ୍ରାଦି ଦିଗପାଳେ ମିଳି । ସକଳେ ଏକମନେ ଭାଳି । । ୮
ବ୍ରହ୍ମାର ନିକଟେ ମିଳିଲେ । ଭୟେ ଅନେକ ସ୍ତୁତି କଲେ । । ୯

ଦେବଗଣ ଉବାଚ

ଭୋ ଦେବଦେବ ପ୍ରଜାପତି । ଦିଗେ ଦିଶନ୍ତି ଭୟାକୃତି । । ୧୦
ଏ ଘୋର ଅନ୍ଧକାର ଯେଣୁ । ଆମ୍ଭେ ତ ଭଲେ ନ ପ୍ରମାଣୁ । । ୧୧
କୁଶଳ ନୋହେ ଏ ସଂସାର । ଅଦ୍ଭୁତ ଘୋର ଅନ୍ଧକାର । । ୧୨
ଏ କଥା ତୁମ୍ଭଙ୍କୁ ଗୋଚର । କି ଅଗୋଚର ବା ତୁମ୍ଭର । । ୧୩
ଏ କାଳ ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ । । ୧୪
ହେ ଦେବଦେବ ଜଗନ୍ନାଥ । ଆମ୍ଭେ ସକଳେ ତୋ’ର ଭୃତ୍ୟ । । ୧୫
ତୁ ପରାତ୍ପର ଭାବଗ୍ରାହୀ । ଜଗତ ମାୟାବଳେ ମୋହି । । ୧୬
ଗୃହୀତ ରଜୋଗୁଣେ ଦେହୀ । ତୋ ରୂପ ନ ଜାଣନ୍ତି କେହି । । ୧୭
ଅନନ୍ୟଭାବେ ଆତ୍ମାଲାଭେ । ଯେ ପ୍ରାଣୀ ତୋ ଚରଣ ସେବେ । । ୧୮
ତା’ର ଅଶୁଭ ଲେଶ ନାହିଁ । ସତ ଅସତ ପର ତୁହି । । ୧୯
ନିର୍ଜନେ ବସି ଯୋଗୀଜନେ । ନିଶ୍ଚଳ ଚିତ୍ତେ ଯୋଗଧ୍ୟାନେ । । ୨୦
ମନ ପବନ ହୃଦେ ରୁନ୍ଧି । ଇନ୍ଦ୍ରିୟ ସମୂହ ନିରୋଧି । । ୨୧
ତୋ’ର ପ୍ରସାଦ ଯେ ଲଭନ୍ତି । ତାହାଙ୍କ ନାହିଁ ଭୟଭ୍ରାନ୍ତି । । ୨୨
ଯା’ର ବଚନେ ପ୍ରଜାଗଣେ । ଭାବେ ସେବନ୍ତି ଅନୁକ୍ଷଣେ । । ୨୩
ତରନ୍ତି ଭବଭୟ ତ୍ରାସ । ତୁ ନାଥ ଅନାଦି-ପୁରୁଷ । । ୨୪
ଆମ୍ଭର ସୁଖ ଗଲା କ୍ଷୟ । ଭୋ ନାଥ କର ତୁ ଉପାୟ । । ୨୫
ଦେଖ କଶ୍ୟପ ପ୍ରଜାପତି । ଦିତି ସଂଯୋଗେ କଲା ମତି । । ୨୬
ଦିତିର ଗର୍ଭେ ବୀର୍ଯ୍ୟ ଦେଲା । ତମେ ଭୁବନ ଆଚ୍ଛାଦିଲା । । ୨୭
ବେଳକୁ ବେଳ ବଢ଼େ ତେଜ । ସମିଧେ ଯେହ୍ନେ ଅଗ୍ନିତେଜ । । ୨୮

ମୈତ୍ରେୟ ଉବାଚ

ଏମନ୍ତେ ଦେବସ୍ତୁତି ଶୁଣି । ସଂଭ୍ରମ ଚିତ୍ତେ କୁଶପାଣି । । ୨୯
ଶବଦବ୍ରହ୍ମେ ବେଦବର । ଦେବଙ୍କୁ କହନ୍ତି ମଧୁର । । ୩୦

ବ୍ରହ୍ମା ଉବାଚ

ଶୁଣ ସକଳ ଦେବଗଣ । କହିବା ଏଥିର କାରଣ । । ୩୧
ତୁମ୍ଭର ପୂର୍ବସୃଷ୍ଟି ଲାଭେ । ମୁଁ ଯେ ବସିଲି ଧ୍ୟାନଭାବେ । । ୩୨
ସନକ ଆଦି ଚାରିଭ୍ରାତେ । ଜନ୍ମିଲେ ମୋର ଶୁଦ୍ଧଚିତ୍ତେ । । ୩୩
ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା । ତେଣୁ ହୋଇଲେ ଊର୍ଦ୍ଧ୍ୱରେତା । । ୩୪
ଗଗନମାର୍ଗେ ତାଙ୍କ ଗତି । ସକଳ ଭୁବନେ ଭ୍ରମନ୍ତି । । ୩୫
ବିଗତସ୍ପୃହା ତାଙ୍କ ଶିକ୍ଷା । ନିତ୍ୟେ ପରମହଂସ ଦୀକ୍ଷା । । ୩୬
ଧୂଳି ଧୂସର ଦିଗମ୍ବର । ନିତ୍ୟ ନିର୍ବିଷୟ ଗୋଚର । । ୩୭
ସେ ମୁନିଗଣେ ଏକଦିନେ । ମିଳିଲେ ବିଷ୍ଣୁର ଭୁବନେ । । ୩୮
ଯେ ନାମ ବୈକୁଣ୍ଠ ବିଦିତ । ସର୍ବ ଦେବତା ନମସ୍କୃତ । । ୩୯
ଯହିଁ ପୁରୁଷେ ମହାସୁଖେ । ବସନ୍ତି ବିଷ୍ଣୁର ସମ୍ମୁଖେ । । ୪୦
ସର୍ବେ ଦିଶନ୍ତି ବିଷ୍ଣୁରୂପେ । ବିନାଶ ନାହିଁ କାଳକଳ୍ପେ । । ୪୧
ନିମିତ୍ତାନିମିତ୍ତ ଆଚାରେ । ହରିଙ୍କି ଭଜନ୍ତି ବେଭାରେ । । ୪୨
ଆଦି ପୁରୁଷ ଯହିଁ ହରି । ବସନ୍ତି ଧର୍ମରୂପ ଧରି । । ୪୩
ସର୍ବ ଗୋଚର ଦୃଷ୍ଟିମାତ୍ରେ । ବିଶ୍ୱ ସଂସାରେ ଅବିରତେ । । ୪୪
ନିର୍ମଳ ସତ୍ତ୍ବମୂର୍ତ୍ତି ବହି । ସୁଖେ ଅଛନ୍ତି ଯହିଁ ରହି । । ୪୫
ଯହିଁ କୈବଲ୍ୟ ନାମେ ବନ । ବିରାଜେ କଳ୍ପଦ୍ରୁମମାନ । । ୪୬
ବା‚ଞ୍ଚିତ ଲତା ବୃକ୍ଷବନ । ଯହିଁ ଅଛନ୍ତି ବିଦ୍ୟମାନ । । ୪୭
ସକଳ ଋତୁ ଯହିଁ ବସେ । କୈବଲ୍ୟ ମୂର୍ତ୍ତିମନ୍ତ କି ସେ । । ୪୮
ଯହିଁ ବିମାନ ଶତ ଶତେ । ଦିବ୍ୟକାମିନୀ ଯୂଥ ଯୂଥେ । । ୪୯
ବିଷ୍ଣୁ ମହିମା ଗୁଣ ଗାନ୍ତି । କୋଟି-ଶଶାଙ୍କ ରୂପକାନ୍ତି । । ୫୦
ବିକାଶ ପୁଷ୍ପ ଜଳାଶୟେ । ମଧୁ ମାଧବୀ ଗନ୍ଧବହେ । । ୫୧
ସେ ଗନ୍ଧ ସର୍ବମନୋହର । ତାହାକୁ କରି ଅନାଦର । । ୫୨
ବିଷ୍ଣୁର ପାଦେ ମନ ଦେଇ । ଆନନ୍ଦେ ତୁଣ୍ତେ ନାମ ଗାଇ । । ୫୩
କୋକିଳ ପାରାବତ ହଂସ । ଡାହୁକ ତିତ୍ତିର ସାରସ । । ୫୪
ଚକ୍ରବାକ ଯେ ବରହିଣ । ସୁସ୍ୱରନାଦେ ଅନୁକ୍ଷଣ । । ୫୫
ସର୍ବେ ଗାୟନ୍ତି ହରିକଥା । ଯେ ଭାବେ ଖଣ୍ତେ ଭବବ୍ୟଥା । । ୫୬
ମନ୍ଦାର କୁରୁବକ କୁନ୍ଦ । ଉତ୍ପଳ ଚମ୍ପକ କୁମୁଦ । । ୫୭
ପୁନ୍ନାଗ ନାଗ ପାରିଜାତ । ତୁଳସୀଦଳ ସୁଲଳିତ । । ୫୮
ନାନା କୁସୁମ ପରିମଳ । ସୁଗନ୍ଧ ସମୀର ଶୀତଳ । । ୫୯
ମର୍କତ ବଇଡୁର୍ଯ୍ୟ ହେମ । ସହସ୍ର ସହସ୍ର ବିମାନ । । ୬୦
ପ୍ରଣାମ କରି ହରିପାଦେ । ଭକତେ ବସନ୍ତି ଆନନ୍ଦେ । । ୬୧
ସୁନ୍ଦରୀ ଶତଶତ ଯହିଁ । ବସନ୍ତି ହରିକଥା ଗାଇ । । ୬୨
ପରମଲକ୍ଷ୍ମୀ ଯହିଁ ନିତ୍ୟେ । ନୀଳ ଲୋହିତ ପଦ୍ମ ହସ୍ତେ । । ୬୩
ସ୍ଫଟିକ ପୁରମଧ୍ୟେ ବସେ । ପଦେ ନୂପୁର ଧ୍ୱନି ଘୋଷେ । । ୬୪
ସୁବର୍ଣ୍ଣସ୍ତମ୍ଭ ଗୃହମଧ୍ୟେ । ବିରାଜେ ଭୁବନ ଆନନ୍ଦେ । । ୬୫
ପଦ୍ମ କଳ୍ପିତ ସମ୍ମାର୍ଜନୀ । ମାର୍ଜନା କଲା ପ୍ରାୟେ ମାନି । । ୬୬
ଯହିଁରେ ଲକ୍ଷ୍ମୀ କୁତୂହଳେ । ସକଳ ପରିଚାରୀ ମେଳେ । । ୬୭
ଯଦ୍ୟପି ଧୂଳି ତହିଁ ନାହିଁ । ବିନୟ ଭକ୍ତି ପ୍ରକାଶଇ । । ୬୮
ଗୋବିନ୍ଦ ଅନୁଗ୍ରହ ଆଶେ । ସ୍ୱବନେ ତୁଳସୀର ବାସେ । । ୬୯
ପୂଜନ୍ତି କୃଷ୍ଣର ଚରଣ । ତେଣେ ସନ୍ତୋଷ ଭଗବାନ । । ୭୦
ସେ ବନେ ବାପୀ ପୁଷ୍କରିଣୀ । ତୀରେ ବିଦ୍ରୁମଘାଟ ଶ୍ରେଣୀ । । ୭୧
ସେ ଶୁଦ୍ଧଜଳେ ମୁଖ ଚାହିଁ । ବିଷ୍ଣୁ ଚୁମ୍ବନ ମନେ ବହି । । ୭୨
ସେ ବିଷ୍ଣୁପୁରେ ପାପୀଜନ । ପ୍ରବେଶେ ନୁହନ୍ତି ଭାଜନ । । ୭୩
ଯେ ଅର୍ଥେ କାମେ ରତି କରେ । ଗୋବିନ୍ଦ ଗୁଣ ନ ସୁମରେ । । ୭୪
ଦୁଷ୍କୃତ ମାର୍ଗେ ଯେ ରମନ୍ତି । ନରକମାର୍ଗେ ଯାର ଗତି । । ୭୫
ସେ କାହିଁ ପଶିବେ ସେ ପୁରେ । ନରକେ ପଡ଼ନ୍ତି ନିର୍ଭରେ । । ୭୬
ସେ ଦେହ ପାଇ ଯେଉଁ ଜନ । ନ କରେ ହରିର ସେବନ । । ୭୭
ଏ ଅତି ଦୁଃଖ ହିଁ ବିଦିତ । ସେ ବିଷ୍ଣୁମାୟା ବିମୋହିତ । । ୭୮
ଯେ ଯୋଗମାର୍ଗେ ଅନୁବାଦେ । କଠୋର ତପକର୍ମ ସାଧେ । । ୭୯
ମନ-ପବନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି । । ୮୦
ଯେବେ ଗୋବିନ୍ଦଭାବ ନାହିଁ । ସେ ପୁରେ ପଶିବେ ସେ କାହିଁ । । ୮୧
ବିଷ୍ଣୁର ମାୟାବଳେ ଜଡ଼ି । ଜନ୍ମ-ମରଣେ ଥାନ୍ତି ପଡ଼ି । । ୮୨
ମୋ ଆଦି ଦେବେ ଯା ଚରଣେ । ଭଲେ ଖଟନ୍ତି ଅନୁକ୍ଷଣେ । । ୮୩
ନମନ୍ତି ଭୃତ୍ୟପ୍ରାୟ ହୋଇ । ପାଦେ ଖଟନ୍ତି ବଳି ଦେଇ । । ୮୪
ବିଷ୍ଣୁର ଯଶ ଗୁଣଗାଥା । ନିତ୍ୟେ କରନ୍ତି ମନେ ଚିନ୍ତା । । ୮୫
ଆନନ୍ଦେ ଅଶ୍ରୁବହେ ନେତ୍ରେ । ରୋମହରଷ ସର୍ବଗାତ୍ରେ । । ୮୬
ହରିଭକତି ଭାବେ କରି । କାରୁଣ୍ୟ ହିଂସା ପରିହରି । । ୮୭
ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେ । ସୁଖେ ବସନ୍ତି ବିଷ୍ଣୁପଦେ । । ୮୮
ଏମନ୍ତ ବିଷ୍ଣୁର ଭୁବନେ । ପଶିଲେ ମୋହର ନନ୍ଦନେ । । ୮୯
ଦେଖିଲେ ଅପୂର୍ବ-ଭୁବନ । ଜଗତଗୁରୁର ଯେ ସ୍ଥାନ । । ୯୦
ବିବିଧ ଶ୍ରେଷ୍ଠ ଦେବମାନେ । ବିମାନେ ଦୀପ୍ତ ଏ ଭୁବନେ । । ୯୧
ଯହିଁ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ । । ୯୨
ତର୍କ ବେଦାନ୍ତ ଯୋଗଶାସ୍ତ୍ରେ । ନ୍ୟାୟ ମୀମାଂସା ଆଦି ଯେତେ । । ୯୩
ସ୍ତୁତି କରନ୍ତି ଅବଧାନେ । କୃଷ୍ଣଚରିତ ଗୁଣଗାନେ । । ୯୪
ଏମନ୍ତେ ଶାସ୍ତ୍ରେ ମୂର୍ତ୍ତିମନ୍ତେ । ଯହିଁ ସେବନ୍ତି ଅବିରତେ । । ୯୫
ସେ ପୁରେ ପଶି ମନସୁଖେ । କୃଷ୍ଣ ମହିମା ଗାଇ ମୁଖେ । । ୯୬
ନିରତେ ହରିଗୁଣ ଚିନ୍ତି । କୃଷ୍ଣମାୟାରେ ନ ପଡ଼ନ୍ତି । । ୯୭
ଚାରିକୁମରେ ଏକମେଳେ । ଆନନ୍ଦେ ଷଡ଼ଦ୍ୱାରେ ଗଲେ । । ୯୮
ସପତଦ୍ୱାରେ ଯାନ୍ତେ ବଳେ । ଆଗେ ମିଳିଲେ ଦ୍ୱାରପାଳେ । । ୯୯
କିରୀଟ କୁଣ୍ତଳ କେୟୂର । ଅମୂଲ୍ୟବେଶେ ଶୋଭାକର । । ୧୦୦
ଉଚ୍ଚ ସୁନ୍ଦର ବକ୍ଷସ୍ଥଳ । କଣ୍ଠେ ଲମ୍ବଇ ବନମାଳ । । ୧୦୧
ଦିଶନ୍ତି କୃଷ୍ଣରୂପ ତେଜେ । ସୁବର୍ଣ୍ଣବେତ ଧରି ଭୁଜେ । । ୧୦୨
ଏମନ୍ତେ ବେନି ଦ୍ୱାରପାଳ । ଦେଖିଣ ମୋହର କୁମର । । ୧୦୩
ସେ ବ୍ରହ୍ମଋଷି ପ୍ରତିଦ୍ୱାରେ । ଯେମନ୍ତେ ଗଲେ ବିଷ୍ଣୁପୁରେ । । ୧୦୪
ତେମନ୍ତେ ତାଙ୍କୁ ନ ପଚାରି । ସପ୍ତମେ ଯାନ୍ତେ ଭାଇଚାରି । । ୧୦୫
ଦ୍ୱାରେ କବାଟ ହେମମୟେ । ପ୍ରାଣୀ ନୟନ ମନ ମୋହେ । । ୧୦୬
ସେ ଦ୍ୱାରେ ମିଳି ବେନିଭାଇ । ଦ୍ୱାର ରୁନ୍ଧିଲେ ରୋଷବହି । । ୧୦୭
ସେ ଚାରିଭାଇ ମୋର ସୁତ । ଦେବଙ୍କ ପୂର୍ବସର୍ଗେ ଜାତ । । ୧୦୮
ସ୍ୱଭାବେ ବୃଦ୍ଧ ସେ ଅଟନ୍ତି । ବାଳକ ପ୍ରାୟ ତନୁକାନ୍ତି । । ୧୦୯
ପଞ୍ଚବରଷ ପୁତ୍ରପ୍ରାୟେ । ଦିଶନ୍ତି ବସ୍ତ୍ର ନାହିଁ ଦେହେ । । ୧୧୦
ଉଲଗ୍ନ ଦେଖି ତାଙ୍କ ବେଶ । ତାହାଙ୍କୁ କଲେ ଉପହାସ । । ୧୧୧
ତକ୍ଷଣେ ବେତ୍ର ଧରି କରେ । ନିଷେଧ କଲେ ସପ୍ତଦ୍ୱାରେ । । ୧୧୨
ଦେବେ ଦେଖନ୍ତି ଶୂନ୍ୟେ ରହି । ନିରୋଧ କଲେ ବେନିଭାଇ । । ୧୧୩
ସେ ଚାରିଋଷି ରହି ଦ୍ୱାରେ । ମନେ ବିଚାରି କୋପଭରେ । । ୧୧୪
ବିଷ୍ଣୁର ଅତି ପ୍ରିୟପଣେ । ପାଦେ ଖଟନ୍ତି ଅନୁକ୍ଷଣେ । । ୧୧୫
ଦେଖି ନ ପାରି କୃଷ୍ଣରୂପ । ହୃଦେ ବସିଲା ଗରୁତାପ । । ୧୧୬
ବୋଲନ୍ତି ଅନ୍ୟୋଅନ୍ୟେ ଚାହିଁ । ଏ ଭାବ ଏ ପୁରେ ତ ନାହିଁ । । ୧୧୭
ଏ ଦ୍ୱାରପାଳ ପଣେ ଥାଇ । କୁହୁକ ଜନପ୍ରାୟ ହୋଇ । । ୧୧୮
ଯେ ବଇକୁଣ୍ଠପୁରେ ଥାନ୍ତି । ତାଙ୍କୁ ନ ଲାଗେ ରିପୁ ଭ୍ରାନ୍ତି । । ୧୧୯
କାମାଦି ଶତ୍ରୁ ଷଡ଼ଭାଇ । ଏ ପୁରେ ସମ୍ଭବିବେ କାହିଁ । । ୧୨୦
ସ୍ୱଭାବେ ସର୍ବପ୍ରାଣୀ ହୃଦେ । ହରି ବସନ୍ତି ଆତ୍ମାପଦେ । । ୧୨୧
ବାହ୍ୟ ଅନ୍ତରେ ବିଶ୍ୱରୂପୀ । ଘଟ ଆକାଶ ପ୍ରାୟ ବ୍ୟାପି । । ୧୨୨
କରନ୍ତି ଆତ୍ମାର ପ୍ରକାଶ । ପଣ୍ତିତେ ଯହିଁରେ ସନ୍ତୋଷ । । ୧୨୩
ସମ ବିଷମ ଯହିଁ ନାହିଁ । ଅନ୍ୟାୟ କଲେ ବେନିଭାଇ । । ୧୨୪
ବିଷ୍ଣୁର ଦ୍ୱାରପାଳ ଭାବେ । ଦୁଷ୍ଟ ହୋଇଲେ ମତ୍ତଗର୍ବେ । । ୧୨୫
କପଟଧର୍ମୀ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ । । ୧୨୬
ବେଗେ ପଡ଼ନ୍ତୁ ମହୀତଳେ । ଜନ୍ମିବେ ଅସୁରଙ୍କ କୁଳେ । । ୧୨୭
ତୃତୀୟ ଜନ୍ମ ଭୋଗ ସାରି । ପୁଣି ଲଭିବେ ବିଷ୍ଣୁପୁରୀ । । ୧୨୮
ଏମନ୍ତ ଶାପ ତାଙ୍କୁ ଦ୍ୟନ୍ତେ । ଦ୍ୱାରେ ଶୁଣିଲେ ବେନିଭ୍ରାତେ । । ୧୨୯
ଏ ବ୍ରହ୍ମଦଣ୍ତ ଅନିର୍ବାର । କେବେହେଁ ନାହିଁ ପ୍ରତିକାର । । ୧୩୦
ମୁନି ବଚନେ ଦ୍ୱାରପାଳ । ମନରେ ହୋଇଲେ ବିକଳ । । ୧୩୧
ଏମନ୍ତେ ଅତିଭୟ ମନେ । ପାଦେ ପଡ଼ିଲେ ବେନିଜନେ । । ୧୩୨
ଉଠିଣ ଶିରେ କର ଦେଇ । କହନ୍ତି ମୁନିଙ୍କି ଅନାଇଁ । । ୧୩୩
ଏ ଦଣ୍ତ ଉଚିତ ଆମ୍ଭର । ଏଥି ବା କି ଦୋଷ ତୁମ୍ଭର । । ୧୩୪
ଦେବ ହେଳେନ କର୍ମ କରି । ଅସୁର ଦେହେ ଅବତରି । । ୧୩୫
ତହିଁକି ନାହିଁ ଆମ୍ଭ ଡର । କେବଳ କୃପା ଏତେ କର । । ୧୩୬
ଅର୍ଜିଲା କର୍ମର ଆୟତ୍ତେ । ଜନ୍ମ ମରଣ ଏ ଜଗତେ । । ୧୩୭
ବୋଲନ୍ତି ଶୁଣ ମୁନିବର । କରିବ ପାପୀ ପ୍ରତିକାର । । ୧୩୮
କୃଷ୍ଣର ସ୍ମରଣ ଆମ୍ଭର । ଯେମନ୍ତେ ନୋହିବ ବିସ୍ମର । । ୧୩୯
ମୁନି ବୋଲନ୍ତି ଦୟାଚିତ୍ତେ । ସ୍ୱଭାବେ ଥିବ ଦୁଷ୍ଟମତେ । । ୧୪୦
ତୁମ୍ଭର ଦେହେ ବିଷ୍ଣୁଭାବ । କଳାଏ ଅଂଶମାତ୍ର ଥିବ । । ୧୪୧
ଏବେ ହୋ ଶୁଣ ସୁରଗଣ । ତାହା ଜାଣିଲେ ନାରାୟଣ । । ୧୪୨
ମୁନିହେଳନ କର୍ମ ଶୁଣି । ପୁରୁ ବାହାର ଚକ୍ରପାଣି । । ୧୪୩
ଦ୍ୱାରପାଳଙ୍କୁ ଦୟା ବହି । ଭୃତ୍ୟବତ୍ସ›ଳ ଭାବଗ୍ରାହୀ । । ୧୪୪
ଲକ୍ଷ୍ମୀର କରେ ଦେଇ କର । ଗୋବିନ୍ଦ ହୋଇଲେ ବାହାର । । ୧୪୫
ଗୋବିନ୍ଦ ଚଳନ୍ତି ଚରଣେ । ଯହିଁ ଅଛନ୍ତି ମୁନିଗଣେ । । ୧୪୬
ପରମହଂସ ଦୀକ୍ଷା ବହି । ତେଜେ ପ୍ରଚଣ୍ତ ଚାରିଭାଇ । । ୧୪୭
କୋପେ କମ୍ପନ୍ତି ମହାତାପେ । ଗୋବିନ୍ଦ ମିଳିଲେ ସମୀପେ । । ୧୪୮
ଯାହାର ଦରଶନ ଅର୍ଥେ । ଯୋଗ ସାଧନ୍ତି ମୁନି-ସନ୍ଥେ । । ୧୪୯
ଲକ୍ଷ୍ମୀଦେବୀଙ୍କ ପରିବାରୀ । କରେ ଚାମର ଛନ୍ତି ଧରି । । ୧୫୦
କେ ଶୁକ୍ଳ ପାଟଛତ୍ର କରେ । ଘେନି ଚଳନ୍ତି ଧୀରେ ଧୀରେ । । ୧୫୧
ଛତ୍ରେ ମୁକୁତାମାଳ ଶୋହେ । ହିମ ଶୀକର କଣା ବହେ । । ୧୫୨
ପ୍ରସନ୍ନମୁଖ ଭଗବାନ । କିବା ସୁନ୍ଦର ଅନୁପମ । । ୧୫୩
ସ୍ନେହ ଦୟାରେ ସର୍ବଜନ । ମନ ମୋହିଲେ ଭଗବାନ । । ୧୫୪
ଶ୍ୟାମସୁନ୍ଦର ବକ୍ଷସ୍ଥଳେ । କମଳା ବସନ୍ତି ନିଶ୍ଚଳେ । । ୧୫୫
କୌସ୍ତୁଭମଣି କଣ୍ଠେ ଶୋହେ । ଅଶେଷ ଜନମନ ମୋହେ । । ୧୫୬
ପୀତବସନ କଟୀମାଝେ । କନକମେଖଳା ବିରାଜେ । । ୧୫୭
ଉରେ ଲମ୍ବଇ ବନମାଳ । ସୁନ୍ଦର ଅଳକ କପୋଳ । । ୧୫୮
କେୟୂର କଙ୍କଣ ବିରାଜେ । ରୂପେ କୋଟିଏ କାମଗଞ୍ଜେ । । ୧୫୯
ଲୀଳାଅମ୍ବୁଜ ଏକକରେ । ଚଳନ୍ତେ ଭ୍ରମଇ ସେ କରେ । । ୧୬୦
ବିଜୁଳି ପ୍ରାୟେ ଗଣ୍ତସ୍ଥଳେ । ଶୋଭଇ ମକରକୁଣ୍ତଳେ । । ୧୬୧
ଶିରେ ମୁକୁଟମଣି ଶୋହେ । ଅଧିକେ ଜଗୁଜନ ମୋହେ । । ୧୬୨
ଚତୁର ବାହୁର ମଧ୍ୟର । ସୁସଞ୍ଚ ମନୋହର ହାର । । ୧୬୩
କଣ୍ଠେ ଲମ୍ବଇ ମଣିହାର । ମଧ୍ୟେ କୌସ୍ତୁଭ ରତ୍ନସାର । । ୧୬୪
ଏମନ୍ତେ ନାନାରତ୍ନ ପୁଞ୍ଜେ । ତେଜେ କମଳାରୂପ ଗଞ୍ଜେ । । ୧୬୫
ବ୍ରହ୍ମା-ଶଙ୍କର-ଦେବ ମନ । ମୋହନ ରୂପେ ହୋଏ ଛନ୍ନ । । ୧୬୬
ସ୍ଥିରଲୋଚନେ ସ୍ତମ୍ଭୀଭୂତେ । ଦେଖି ତୃପତ ନୋହେ ଚିତ୍ତେ । । ୧୬୭
ଆନନ୍ଦେ ସର୍ବ ମୁନିବରେ । ନମିଲେ କୃଷ୍ଣଙ୍କ ପୟରେ । । ୧୬୮
ସେ ହରି ଚରଣାବହିନ୍ଦ । କିଞ୍ଜଳ୍ କ ତୁଳସୀ ଆମୋଦ । । ୧୬୯
ପବନ ନାସାଦ୍ୱାରେ ପୂରେ । ଚିତ୍ତ ଶରୀର କ୍ଷୋଭ କରେ । । ୧୭୦
କୃଷ୍ଣ ସୁନ୍ଦର ମୁଖତ୍ରାସ । ଯେହ୍ନେ ସୁନୀଳ ପଦ୍ମକୋଷ । । ୧୭୧
ବିମ୍ବଅଧରେ କୁନ୍ଦହାସ । ଅଶେଷ ଜନମନ ତୋଷ । । ୧୭୨
ସେ ରୂପ ଦେଖି ପୁଣି ଚିତ୍ତେ । ଧ୍ୟାନ ନିରୋପି ପାଦଗତେ । । ୧୭୩
ଅରୁଣ ମଣି ନଖକାନ୍ତି । ନିଶ୍ଚଳ ଲୋଚନେ ଧରନ୍ତି । । ୧୭୪
ଯାହାର ଗତି ଯୋଗମାର୍ଗେ । ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ । । ୧୭୫
ସେ ରୂପ ନୟନଗୋଚରେ । ଦେଖିଲେ ମୋହର କୁମରେ । । ୧୭୬
ଅଷ୍ଟ ଐଶ୍ୱର୍ଯ୍ୟ ମୁକ୍ତକଳ୍ପ । ଦେଖନ୍ତେ ପ୍ରଭୁ ନିଜରୂପ । । ୧୭୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ମୁଖ ଚାହିଁ । । ୧୭୮
ଯେ ହରି ପ୍ରାଣୀଙ୍କ ଶରୀରେ । ଅନନ୍ତ ହୃଦୟେ ବିହରେ । । ୧୭୯
ସାଧୁ ଅସାଧୁ ଯାର ନାହିଁ । ତାର ମହିମା କେବା କହି । । ୧୮୦
ସେ ହରି ଆମ୍ଭ ଦୃଷ୍ଟି ପଥେ । ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ । । ୧୮୧
ଯାହାର ଗୁଣ କର୍ମ ଗାଥା । ଏକାନ୍ତେ ବସି ଆମ୍ଭ ପିତା । । ୧୮୨
କହିଲେ ପରମ ଆନନ୍ଦେ । ବ୍ରହ୍ମବିଗ୍ରହ ଅନୁବାଦେ । । ୧୮୩
ସେ ପଶି ଆମ୍ଭ କର୍ଣ୍ଣଦ୍ବାରେ । ରହିଲା ହୃଦୟ-ବିବରେ । । ୧୮୪
ତୁ ନାଥ ପରମାର୍ଥ-ତତ୍ତ୍ବ । ଯୋଗେ ସାଧନ୍ତି ମୁନିସନ୍ଥ । । ୧୮୫
ତୋ ଧ୍ୟାନ ରଚି ସତ୍ତ୍ବଗୁଣେ । ଯେବା ଚିନ୍ତନ୍ତି ଅନୁକ୍ଷଣେ । । ୧୮୬
ସଂସାର ଅନୁତାପେ ଯନ୍ତ୍ରି । ସୁହୃଦ ଭକ୍ତିଭାବେ ଚିନ୍ତି । । ୧୮୭
ହୃଦରେ ସ୍ଥାପି ତୋର ରୂପ । ବେଗେ ଛାଡ଼ନ୍ତି ତିନିତାପ । । ୧୮୮
ତୋର ପ୍ରସାଦ ଆତ୍ୟନ୍ତିକେ । ମନେ ଚିନ୍ତନ୍ତି ଯେବା ଲୋକେ । । ୧୮୯
କି ଅବା ଅନ୍ୟ ଇଚ୍ଛାତାର । ଅଛି ଏ ସଂସାର ଭିତର । । ୧୯୦
ଭୋ ଦେବ ତୋହର ଚରଣେ । ଯେ ପ୍ରାଣୀ ପଶନ୍ତି ଶରଣେ । । ୧୯୧
ତୋର କଥାରେ ଯାର ରତି । ଘୋର ସଂସାରୁ ତରିଯା’ନ୍ତି । । ୧୯୨
ଆମ୍ଭେ ତୋ ଭକ୍ତେ ଶାପ ଦେଇ । ଯେ ପାପ ଅର୍ଜିଲୁ ଗୋସାଇଁ । । ୧୯୩
ସେ ପାପେ ନାନା ଯୋନିଗତେ । ଜନମ ଲଭି ଭୂମିଗତେ । । ୧୯୪
ତୋ ଯଶ ଶୁଣି କର୍ଣ୍ଣମାର୍ଗେ । ତୋ ନାମ ଗୁଣି ଜିହ୍ୱାଅଗ୍ରେ । । ୧୯୫
ତୋର ଚରଣେ ହେଉ ରତି । ଆମ୍ଭର ଜଡ଼ବୁଦ୍ଧି ମତି । । ୧୯୬
ବଚନ ତୋ ଚରଣେ ରହୁ । ତୁଳସୀ ପ୍ରାୟ ଶୋଭା ପାଉ । । ୧୯୭
ତୋ ଗୁଣଗଣେ କର୍ଣ୍ଣପଥ । ଶ୍ରବଣେ ପୂରୁ ଜଗନ୍ନାଥ । । ୧୯୮
ତୁ ରୂପ ଦେଖାଇ ପବିତ୍ର । କୃତାର୍ଥ କଲୁ ଆମ୍ଭ ନେତ୍ର । । ୧୯୯
ଭୋ ନାଥ କମଳାରମଣ । ଅନାଦି ପରମ କାରଣ । । ୨୦୦
ଅଜିତ ଇନ୍ଦ୍ରିୟ ଜନର । ତୋ ରୂପ ଅଟେ ଅଗୋଚର । । ୨୦୧
ଏମନ୍ତେ କହି ମୋର ସୁତେ । ନମିଲେ ବିଷ୍ଣୁ ପାଦଗତେ । । ୨୦୨
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ । । ୨୦୩
ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ । । ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଜୟବିଜୟୟୋଃ ସନକାଦିଶାପୋ ନାମ
ପଞ୍ଚଦଶୋଽଧ୍ୟାୟଃ ।

ଷୋଡ଼ଶ ଅଧ୍ୟାୟ[ସମ୍ପାଦନା]

ବ୍ରହ୍ମା ଉବାଚ

ଏମନ୍ତେ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୧
ମୁନିଙ୍କ ମୁଖ ଚାହିଁ ଭଣି । ମଞ୍ଜୁ କୋମଳ ଶୁଭବାଣୀ । । ୨

ଭଗବାନ ଉବାଚ

ଜୟ ବିଜୟ ବେନିଭ୍ରାତେ । ମୋ ଦ୍ୱାରେ ଥାନ୍ତି ଅବିରତେ । । ୩
ମୋ ପାରିଷଦ ବେନିଜନେ । ଦ୍ୱାରେ ଖଟନ୍ତି ମୋ ଭୁବନେ । । ୪
କଦର୍ଥ କରି ଯେବେ ମୋତେ । କୋପ ବସାଇ ତୁମ୍ଭ ଚିତ୍ତେ । । ୫
ଯେ ବ୍ରହ୍ମଦଣ୍ତ ଏ ପାଇଲେ । ଅନ୍ୟଥା ନୋହେ କାହା ବୋଲେ । । ୬
ଅସାଧୁ କାର୍ଯ୍ୟ ଯେ କରନ୍ତି । ସେ ଅପରାଧେ ଦଣ୍ତ ପା’ନ୍ତି । । ୭
ମୁହିଁ ସମ୍ମତ କଲି ଚିତ୍ତେ । ଦେବହେଳନ ଅନୁମତେ । । ୮
ଯେଣୁ ବ୍ରାହ୍ମଣ ଈଷ୍ଟ ମୋର । ତେଣୁ ସୁଦୟା ତୁମ୍ଭେ କର । । ୯
ତୁମ୍ଭେ ପ୍ରସନ୍ନ ହୁଅ ଚିତ୍ତେ । ଏହାଙ୍କ ଦୋଷ କ୍ଷମ ମୋତେ । । ୧୦
ଅଯଶ ସଂସାରେ ପ୍ରକାଶେ । ବ୍ୟାଧି ଯେସନେ ରୂପନାଶେ । । ୧୧
ଯାହାର ଗୁଣ ଯଶ ସାର । ଯେହ୍ନେ ନିର୍ମଳ ସୁଧାଧାର । । ୧୨
ଶ୍ରବଣପୁଟେ କରି ପାନ । ସଂସାରୁ ତରେ ସର୍ବଜନ । । ୧୩
ସେ ବଇକୁଣ୍ଠନାଥ ମୁହିଁ । ତୁମ୍ଭର ଭାବ ହୃଦେ ବହି । । ୧୪
ତୁମ୍ଭର କୋପ ଅତିରେକେ । ମିଳିଲି ତୁମ୍ଭର ସମୀପେ । । ୧୫
ତୁମ୍ଭେ ମୋ’ ଭାବ ଦୂରକରି । ଅତ୍ୟନ୍ତ କୋପ ହୃଦେଧରି । । ୧୬
ବହିଲ ଦ୍ୱାରପାଳେ ଦଣ୍ତ । ବ୍ରାହ୍ମଣ ତେଜ ପରଚଣ୍ତ । । ୧୭
ଯେଉଁ ବ୍ରାହ୍ମଣ ସେବାକାଳେ । ପବିତ୍ର ରେଣୁ ମୋ’ ପୟରେ । । ୧୮
ସଦ୍ୟ ପ୍ରସଙ୍ଗେ ମଳହରେ । ସକଳ ପ୍ରାଣୀଙ୍କି ନିସ୍ତାରେ । । ୧୯
ସେ ପାଦ କମଳା ନିରତେ । ପ୍ରେମେ ନ ଛାଡ଼େ କଦାଚିତେ । । ୨୦
ଯାର କଟାକ୍ଷ ଲେଶ ପାଇଁ । ବ୍ରହ୍ମାଦି ଦେବ ତପଧ୍ୟାୟି । । ୨୧
ମୋତେ ବ୍ରାହ୍ମଣେ ବେଦମାର୍ଗେ । ଯଜ୍ଞେ ପୂଜନ୍ତି ହବିର୍ଭାଗେ । । ୨୨
ଦଧି ଓଦନ ଘୃତପ୍ଳୁତେ । ମଧୁ ସଂଯୁକ୍ତ ବେଦମତେ । । ୨୩
ଏଣେ ସନ୍ତୋଷ ମୋର ନାହିଁ । ବ୍ରାହ୍ମଣ ଦେହେ ମୁଁ ବସଇ । । ୨୪
ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ । ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ । । ୨୫
ବ୍ରାହ୍ମଣ ପାଦରଜ ବଳେ । ମୁଁ ଏ ସଂସାର ଜନ ମେଳେ । । ୨୬
ମାୟା ବିଭୂତି ଅଇଶ୍ୱର୍ଯ୍ୟେ । ଭୁଞ୍ଜଇ ସର୍ବଦେହ ମାଝେ । । ୨୭
ମୋ ପାଦଜଳ ଅଘ ଦହେ । ଚନ୍ଦ୍ରଶେଖର ଶିରେ ବହେ । । ୨୮
ପବିତ୍ର ହୋନ୍ତି ତିନିଲୋକେ । ଏମନ୍ତ ହେଲେହେଁ ମସ୍ତକେ । । ୨୯
କିରୀଟେ ଯାର ରେଣୁ ବହେ । ବ୍ରାହ୍ମଣ ଦୋଷ କେ ନ ସହେ । । ୩୦
ବିପ୍ର-ଶରୀର ମୋର ତନୁ । ଏଣୁ ଦୁଃସହ ବିପ୍ର-ମନ୍ୟୁ । । ୩୧
ଯେ ଭେଦବୁଦ୍ଧିଟି ବିଚାରି । ମୋତେ ଚିନ୍ତନ୍ତି ଭିନ୍ନକରି । । ୩୨
ସେ ମୋରେ ଅପରାଧ କରେ । କେବେହେଁ ସଂସାରୁ ନ ତରେ । । ୩୩
ଯମର ଗୃଧ୍ରରୂପୀ ଦୂତ । ଚଞ୍ଚୁରେ ନାଶେ ଦୃଷ୍ଟିପଥ । । ୩୪
ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି । ଏ ଭବସିଦ୍ଧୁ ନ ତରନ୍ତି । । ୩୫
ବିପ୍ର ଭକତି ତେଜି ନିତ୍ୟେ । ଭ୍ରମନ୍ତି ଘୋର ମାୟା ପଥେ । । ୩୬
ସ୍ୱଭାବ କର୍ମ ଦୂର କରି । ବିକର୍ମ ମତ ଅନୁସରି । । ୩୭
ପାଷଣ୍ତବାଦ ଅନୁକ୍ଷଣେ । କରନ୍ତି ବିଦ୍ୟାଗର୍ବ ପଣେ । । ୩୮
ନୁହଁନ୍ତି ମୋହରେ ବିଶ୍ୱାସ । ଏଣୁ ସଂସାରେ ହୋନ୍ତି ନାଶ । । ୩୯
ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେ । ଯେ ଶାନ୍ତ କରେ ଯଥୋଚିତେ । । ୪୦
କଟୁ ଭାଷଣ ବ୍ରାହ୍ମଣର । ଶୁଣି ସନ୍ତୋଷ ଯେଉଁ ନର । । ୪୧
ପୁତ୍ରର ପ୍ରାୟେ କରେ ସ୍ନେହ । ତା ବଶୀଭୂତ ମୋର ଦେହ । । ୪୨
ବିପ୍ର ଭକ୍ତିରେ ମୋ ସନ୍ତୋଷ । ମୁହିଁ ନିଶ୍ଚୟ ତାର ବଶ । । ୪୩
ସେ ବେଗେ ଭବନଦୀ ତରେ । ଏ ଭାବେ ମୋତେ ବଶ କରେ । । ୪୪
ତୁମ୍ଭର ଭାବେ ଯେହୁ ଭାବି । ଶେଷେ ତରନ୍ତି ଭବନଦୀ । । ୪୫
ତୁମ୍ଭର ମତ ଯେ ଆଚରି । ମାୟାସମୂହ ପରିହରି । । ୪୬
ବ୍ରହ୍ମନିର୍ବାଣେ ପଶେ ଯାଇ । ଉଦୟ ଅସ୍ତ ତାର ନାହିଁ । । ୪୭
ଏମନ୍ତ କହି ଭଗବାନ । ମୋହିଲେ ସନକାଦି ମନ । । ୪୮
ତୁମ୍ଭର ବ୍ରହ୍ମଶାପ ଫଳେ । ତୃତୀୟ ଜନ୍ମ ରବିତଳେ । । ୪୯
ଦୁଷ୍ଟଆଚାର କର୍ମ କରି । ଧର୍ମ ଅଧର୍ମ ନ ବିଚାରି । । ୫୦
ଏବେ ଏ ତୁମ୍ଭର ସନ୍ତୋଷେ । ପୁଣି ମିଳିବେ ମୋର ପାଶେ । । ୫୧
ମୁଁ ପୁଣି ତାଙ୍କ ଉପକାରେ । ଶରୀର ବହିବି ସଂସାରେ । । ୫୨
କରିବି ତାହାଙ୍କୁ ନିସ୍ତାର । କହିଲେ ପ୍ରଭୁ ଚକ୍ରଧର । । ୫୩

ବ୍ରହ୍ମା ଉବାଚ

ଏମନ୍ତ କୃଷ୍ଣ ମଞ୍ଜୁବାଣୀ । ସନ୍ତୋଷ ବିପ୍ରବରେ ଶୁଣି । । ୫୪
ବିଷ୍ଣୁର ଭକ୍ତି ହୃଦେ ବହି । ବୋଲନ୍ତି ଶିରେ କର ଦେଇ । । ୫୫

ଋଷିଗଣ ଉବାଚ

ଭୋ ଦେବଦେବ ଲକ୍ଷ୍ମୀପତି । ଆମ୍ଭେ ନ ଜାଣୁ ତୋର ଗତି । । ୫୬
ଆମ୍ଭଙ୍କୁ ଅନୁଗ୍ରହ କରି । ଯାହା ବୋଇଲୁ ନରହରି । । ୫୭
ବ୍ରହ୍ମଣ୍ୟଦେବ ତୋ ମହିମା । ତୋ ଗତି ନ ଜାଣନ୍ତି ବ୍ରହ୍ମା । । ୫୮
ତୁ ପୁଣି ଦେବ ବିପ୍ରଙ୍କର । ଆତ୍ମା ସୁହୃଦ ଶକ୍ତିଧର । । ୫୯
ଧର୍ମ ତୋ ଶରୀରୁ ପ୍ରକାଶେ । ଯେ ଧର୍ମ ସୃଷ୍ଟି ପାପ ନାଶେ । । ୬୦
ତୁ ନାଥ ନିର୍ବିକାର ଧର୍ମ । ତାର ରକ୍ଷଣ ତୋର କର୍ମ । । ୬୧
ଯାହାର ଅନୁଗ୍ରହେ ଜନ । ଧର୍ମ ସଞ୍ଚୟେ ଦ୍ୟନ୍ତି ମନ । । ୬୨
ତୋ ପାଦପଦ୍ମ ସେବାଫଳେ । ମୃତ୍ୟୁ ଜିଣନ୍ତି ଅବହେଳେ । । ୬୩
ତୁ ଅଟୁ ଏମନ୍ତ ପୁରୁଷ । ଆମ୍ଭର ଅନୁଗ୍ରହେ ଆଶ । । ୬୪
ଏ ତୋର ଗତି ବିପରୀତ । କେ ଅବା ଜାଣିବ କିଞ୍ଚିତ । । ୬୫
ଏମନ୍ତ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ । । ୬୬
ବ୍ରାହ୍ମଣ ଭାବ ଚିତ୍ତେ ବହି । କହନ୍ତି ବିପ୍ରଙ୍କୁ ଅନାଇ । । ୬୭

ଭଗବାନ ଉବାଚ

ଜୟ ବିଜୟ ବେନିଭାଇ । ତୁମ୍ଭର ଚିତ୍ତେ କ୍ରୋଧ ଦେଇ । । ୬୮
ଅସୁରଯୋନି ଏ ପାଇବେ । ଦୁଷ୍କୃତ କର୍ମ ଆଚରିବେ । । ୬୯
ପୁଣି ଆସିବେ ମୋର ପୁରେ । ସୁବର୍ଣ୍ଣ ବେତ୍ର ଧରି କରେ । । ୭୦
ଏ ବଇକୁଣ୍ଠ ପୁରେ ବାସ । ଯେବେ ତୁମ୍ଭର ମନ ତୋଷ । । ୭୧

ବ୍ରହ୍ମା ଉବାଚ

ଏ ଚାରି ମୋହର ନନ୍ଦନେ । ତକ୍ଷଣେ ଆନନ୍ଦ ଲୋଚନେ । । ୭୨
ବିଷ୍ଣୁର ମୁଖ ଦେଖି ତୋଷେ । ବେଗେ ମିଳିଲେ କୃଷ୍ଣପାଶେ । । ୭୩
ସ୍ୱଭାବେ ବିଷ୍ଣୁର ଭୁବନ । ଯହିଁ ନ ଥାନ୍ତି ଦୁଷ୍ଟଜନ । । ୭୪
ବିଷ୍ଣୁଙ୍କୁ କରି ପ୍ରଦକ୍ଷିଣ । ଆଜ୍ଞା ମାଗିଣ ମୁନିଗଣ । । ୭୫
ବିଷ୍ଣୁର ପାଦେ ସେ ନମିଲେ । ଆନନ୍ଦେ ନିଜସ୍ଥାନେ ଗଲେ । । ୭୬
ଦ୍ୱାରପାଳଙ୍କ ମୁଖ ଚାହିଁ । କହନ୍ତି ପ୍ରଭୁ ଭାବଗ୍ରାହୀ । । ୭୭
ତୁମ୍ଭେ ଯେ ଧରଣୀମଣ୍ତଳେ । ଜନ୍ମିବ ଅସୁରଙ୍କ କୁଳେ । । ୭୮
ତୁମ୍ଭ କୁଶଳ ମୁଁ କରିବି । ତୃତୀୟ ଜନ୍ମ ଉଦ୍ଧରିବି । । ୭୯
ବ୍ରାହ୍ମଣ ଶାପ ନାଶ ପାଇଁ । ମୁଁ ଅବା ସମର୍ଥ ଅଟଇ । । ୮୦
ହେଲେହେଁ ସମ୍ମତ ମୋହର । ଭୟ ନ କର ବେନିବୀର । । ୮୧
ଏ କଥା କମଳା ସମୀପେ । କହିଁ ମୁଁ ଅଛି ପୂର୍ବକଳ୍ପେ । । ୮୨
ମୋର ଏକାନ୍ତେ ଲକ୍ଷ୍ମୀ ଯାନ୍ତେ । ଯେବେ ନିରୋଧ କଲ ପଥେ । । ୮୩
ବ୍ରହ୍ମହେଳନ ଯେ କରନ୍ତି । ମୋ ହୃଦେ ଶଲ୍ୟ ସମର୍ପନ୍ତି । । ୮୪
ତୁମ୍ଭର ତାରଣ ନିମନ୍ତେ । ମୁଁ ଦେହ ବହିବି ଜଗତେ । । ୮୫
ଭୁବନେ ରହିବ ମୋ ଯଶ । ଶୁଣନ୍ତେ ପାପ ଯିବ ନାଶ । । ୮୬
ମୋ କଥା ଭୁବନ-ପାବନୀ । ଏ ଭୂମିମଧ୍ୟେ ଦେହ ଘେନି । । ୮୭
କରିବେ ଶ୍ରବଣ କୀର୍ତ୍ତନ । ଶୁଣି ତରିବେ ସର୍ବଜନ । । ୮୮

ବ୍ରହ୍ମା ଉବାଚ

ଏମନ୍ତେ ଦ୍ୱାରପାଳେ କହି । ନିଜ ଭୁବନେ ଭାବଗ୍ରାହୀ । । ୮୯
ବସିଲେ କମଳାର ମେଳେ । ଆବୃତ ବିମାନ ସଙ୍କୁଳେ । । ୯୦
ସେ ଦ୍ୱାରପାଳ ବେନିଭାଇ । ଭାଳନ୍ତି ଦଶଦିଗ ଚାହିଁ । । ୯୧
ତକ୍ଷଣେ ଅଧର ଶୁଖିଲା । ଆତ୍ମାରୁ ବିଷ୍ଣୁତେଜ ଗଲା । । ୯୨
ଦୁସ୍ତର ବ୍ରହ୍ମଶାପୁ କରି । ବେଗେ ହୋଇଲେ ହତଶିରୀ । । ୯୩
ତକ୍ଷଣେ ହତଗର୍ବ ହୋଇ । ଅଧୋବଦନେ ବେନିଭାଇ । । ୯୪
ବିଷ୍ଣୁର ଭୁବନୁ ପଡ଼ନ୍ତେ । ହାହା ଶବଦ ଶୂନ୍ୟ ପଥେ । । ୯୫
ସେ ବେନିବୀର ଏକଭାବେ । ତକ୍ଷଣେ ପଶି ଦିତିଗର୍ଭେ । । ୯୬
କଶ୍ୟପବୀର୍ଯ୍ୟ ଆଶ୍ରେ କରି । ଏଣୁ ଭୁବନଲୋକେ ଡରି । । ୯୭
ସେ ବେନି ଅସୁରଙ୍କ ତେଜ । ତୁମ୍ଭଙ୍କୁ କରିଛି ନିସ୍ତେଜ । । ୯୮
ସେ ବେନିଭାଇଙ୍କର ଦର୍ପେ । ତିନିଭୁବନ ଦିଶ କମ୍ପେ । । ୯୯
ଏଥକୁ ନାହିଁ ପ୍ରତିକାର । ତ୍ରାହି କରିବେ ଚକ୍ରଧର । । ୧୦୦
ଯେ ବିଶ୍ୱସୃଷ୍ଟିର କାରଣ । ଅନାଦି ପ୍ରଭୁ ନାରାୟଣ । । ୧୦୧
ତା ମାୟା ନ ଜାଣନ୍ତି କେହି । ସଂସାରମଧ୍ୟେ ଦେହ ବହି । । ୧୦୨
ଆମ୍ଭେ ସକଳେ ତା ଚରଣେ । ଆଶ୍ରୟ କରୁଁ ଭୃତ୍ୟପଣେ । । ୧୦୩
ଏ ଘୋରଭୟ ହିଁ ଆମ୍ଭର । ଖଣ୍ତିବେ ପ୍ରଭୁ ଚକ୍ରଧର । । ୧୦୪
ଏମନ୍ତେ ଦେବଗଣ ମଧ୍ୟେ । ବିଧାତା କହିଲେ ଆନନ୍ଦେ । । ୧୦୫
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ହେ ନିଶ୍ଚଳେ । । ୧୦୬
ସେ ହରି ବ୍ରାହ୍ମଣ-ବତ୍ସ›ଳ । କରୁଣାସିନ୍ଧୁ ଆଦିମୂଳ । । ୧୦୭
ତାହାଙ୍କ ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ । । ୧୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ।

ସପ୍ତଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ବ୍ରହ୍ମା ବଚନେ ଦେବଗଣ । ଶୁଣିଲେ ଅଦ୍ଭୁତ କାରଣ । । ୧
ବିଧାତା ପାଦେ ପ୍ରଣମିଲେ । ଆନନ୍ଦେ ନିଜପୁରେ ଗଲେ । । ୨
ଦିତି କଶ୍ୟପ ଆଜ୍ଞା ପାଇ । ପୁତ୍ରଙ୍କ ଜନ୍ମେ ଶଙ୍କା ବହି । । ୩
ଶତେବରଷ ପୂର୍ଣ୍ଣ ହେଲା । ବେନିବାଳକ ପ୍ରସବିଲା । । ୪
ସେ ବେନିପୁତ୍ର ଜନ୍ମକାଳେ । ଦିବି ମେଦିନୀ ଅନ୍ତରାଳେ । । ୫
ଘୋର ଉତ୍ପାତ ଭୟଙ୍କର । ଦେଖି କମ୍ପିଲେ ସୁରନର । । ୬
ଚଳ ଅଚଳ ସଙ୍ଗେ ମହୀ । କମ୍ପିଲେ ମହାଭୟ ପାଇ । । ୭
ଦହିଲା ପ୍ରାୟ ଅଷ୍ଟଦିଗେ । ଦିଶନ୍ତି ଅନଳ ସଂଯୋଗେ । । ୮
ଉଲ୍କା ସଙ୍କୁଳ ବଜ୍ର ଯୋଗେ । ସମୁଦ୍ର କମ୍ପିଲା ତରଙ୍ଗେ । । ୯
କର୍କଶେ ବହଇ ପବନ । ଉଚ୍ଚେ ଶୁଭଇ ଘୋରସ୍ୱନ । । ୧୦
ଘୋର ପ୍ରଚଣ୍ତ ବାତ ବଳେ । ବୃକ୍ଷେ ଉଡ଼ିଲେ ଅନ୍ତରାଳେ । । ୧୧
ଧୂଳି ପୂରିଲା ଦଶଦିଶେ । ନିବିଡ଼ ଅନ୍ଧାର ପ୍ରକାଶେ । । ୧୨
ଉଚ୍ଚେ ହସିଲାପ୍ରାୟ ହୋଇ । ତଡ଼ିତ ମେଘେ ଆଚ୍ଛାଦଇ । । ୧୩
ଗଗନେ ଯେତେ ଜ୍ୟୋତି ଥିଲେ । ଘୋର ତିମିରେ ନ ଦିଶିଲେ । । ୧୪
ଗଗନେ ନ ଦିଶଇ ପଥ । ତମ ଆକାଶ କଲା ଗ୍ରସ୍ତ । । ୧୫
ସମୁଦ୍ର ଗର୍ଜିଲା ତରଙ୍ଗେ । କ୍ଷୁଭିତ ମକରାଦି ସଙ୍ଗେ । । ୧୬
ନଦୀରୁ ଜଳ ଶୁଖିଗଲା । ନିବିଡ଼ ପଙ୍କ ପ୍ରକାଶିଲା । । ୧୭
ଆକାଶେ ଚନ୍ଦ୍ର ଦିବାକର । ମଣ୍ତଳେ ଦିଶନ୍ତି ଧୂସର । । ୧୮
ବିନା ମେଘରେ ଯେ ନିର୍ଘାତ । ହୋଇଲା ଘୋର ବଜ୍ରପାତ । । ୧୯
ଫେରବଗଣ ପୂର୍ବମୁଖେ । ନାଦ କରନ୍ତି ଅତିଦୁଃଖେ । । ୨୦
କରନ୍ତି ଅତିଘୋର ସ୍ୱନ । ତୁଣ୍ତେ କି ଜଳେ ହୁତାଶନ । । ୨୧
ଶୃଗାଳୀ ଉଲ୍ଲୁକ ହୁଙ୍କାରେ । ନାଦ କରନ୍ତି ଅତିଖରେ । । ୨୨
ଗର୍ଦ୍ଦŸଭ ସଙ୍ଗେ ଶ୍ୱାନେ ମିଳି । କାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି । । ୨୩
ବୃକ୍ଷୁ ପଡ଼ନ୍ତି ପକ୍ଷୀଗଣେ । ଅରଣ୍ୟ ପଶୁ ଘୋରବନେ । । ୨୪
ମୂତ୍ର ପରୀଷ ଉତ୍ସ›ର୍ଗନ୍ତି । ରାସଭସ୍ୱନେ ମହାଭୀତି । । ୨୫
ଗାବ ଦୋହନେ ରକ୍ତ ସ୍ରବେ । ଗଗନେ ଘୋରନାଦ ଶୁଭେ । । ୨୬
ଆକାଶେ ପୂରି ମେଘମାଳେ । ପୂଜ ବରଷନ୍ତି ଗହଳେ । । ୨୭
ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେ । ବୃକ୍ଷେ ପଡ଼ନ୍ତି ବିନା ବାତେ । । ୨୮
ଆକାଶେ ଗ୍ରହଗଣ ମିଳି । ଶୂନ୍ୟେ ନାଚନ୍ତି ତାରାବଳି । । ୨୯
ଗ୍ରହେ କରନ୍ତି ଘୋରରଣ । ପ୍ରହାରେ ଦିଶେ ଅଗ୍ନିକଣ । । ୩୦
ଉତ୍ପାତ ଦେଖି ଗୁରୁତରେ । ପ୍ରଜାଏ କମ୍ପିଲେ ନିର୍ଭରେ । । ୩୧
ସନକ ଆଦି ଚାରିଭାଇ । ଦେଖନ୍ତି ଶୂନ୍ୟମାର୍ଗେ ରହି । । ୩୨
ବିଶ୍ୱ-ସଂସାରେ ମହାତ୍ରାସେ । ସୃଷ୍ଟି ପ୍ରଳୟପ୍ରାୟ ଦିଶେ । । ୩୩
ଏମନ୍ତେ କଶ୍ୟପ ଭୁବନେ । ପୁତ୍ରେ ବଢ଼ନ୍ତି ଦିନେ ଦିନେ । । ୩୪
ସ୍ୱଭାବେ କର୍କଶ ଶରୀର । ଦିଶନ୍ତି ମହାଭୟଙ୍କର । । ୩୫
ପର୍ବତପ୍ରାୟ ଦିନେ ଦିନେ । ବଢ଼ିଲେ କଶ୍ୟପ ଭୁବନେ । । ୩୬
ଶିରେ କିରୀଟ ହେମମୟେ । ଉଚ୍ଚେ ଗଗନ କିବା ଛୁଏଁ । । ୩୭
ରବି କି ଜିଣି କଟୀ ମାଝେ । ସୁବର୍ଣ୍ଣ-ମେଖଳା ବିରାଜେ । । ୩୮
ବଜ୍ର ସମାନ ଗଦା ହସ୍ତେ । ନିତ୍ୟେ ଧାବନ୍ତି ନାନାପଥେ । । ୩୯
ଗୃହେ ମିଳନ୍ତି ଘୋରନାଦେ । ଭୂମି କମ୍ପଇ ବାଜି ପାଦେ । । ୪୦
ଏମନ୍ତେ ପୁତ୍ରଙ୍କର ଗତି । ଦେଖି କଶ୍ୟପ ପ୍ରଜାପତି । । ୪୧
ନାମକରଣ ହୋମ କଲା । ବେନିପୁତ୍ରଙ୍କ ନାମ ଦେଲା । । ୪୨
ବଜ୍ର-କଠିନ ଦେଖି ବପୁ । ବଡ଼ ଯେ ହିରଣ୍ୟକଶିପୁ । । ୪୩
ଅନୁଜ ତାହା ତହୁଁ ଦକ୍ଷ । କଳ୍ପିଲା ନାମ ହିରଣ୍ୟାକ୍ଷ । । ୪୪
ଦିନକୁ ଦିନ ମହାବପୁ । ବଢ଼ିଲା ହିରଣ୍ୟକଶିପୁ । । ୪୫
ତପେ ବ୍ରହ୍ମାଙ୍କୁ ତୋଷ କଲା । ସ୍ୱଭାବେ ତେଜ ଅନର୍ଗଳା । । ୪୬
ଗଦା ବୁଲାଇ ମହାରୋଷେ । ବେଗେ ଧାଇଁଲା ଦଶଦିଶେ । । ୪୭
ଦେଖି ତାହାର ଦୁଷ୍ଟପଣ । ଭୟେ କମ୍ପିଲେ ଦେବଗଣ । । ୪୮
ବେଗେ ମିଳିଲେ ତାର ପାଶେ । ଖଟିଲେ ଜୀବନର ଆଶେ । । ୪୯
ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସମରେ ମହାଦକ୍ଷ । । ୫୦
ଜ୍ୟେଷ୍ଠ-ଭ୍ରାତାର ପ୍ରିୟକାରୀ । ଯୁଦ୍ଧେ ବୁଲଇ ଗଦା ଧରି । । ୫୧
ବଳେ ପଶିଲା ସ୍ୱର୍ଗପୁରେ । ସୁବର୍ଣ୍ଣ ନୂପୁର ପୟରେ । । ୫୨
ଚାଲନ୍ତେ ରୁଣୁଝୁଣୁ ବାଜେ । କୁସୁମମାଳା ଗଳେ ସାଜେ । । ୫୩
କନ୍ଧେ ପକାଇ ଗଦାବର । କି ଅବା ଦେବା ପଟାନ୍ତର । । ୫୪
ତାର ଗମନ ଅତିବେଗେ । ଅତି ଉତ୍କଟ ମତ୍ତଗର୍ବେ । । ୫୫
ଦେଖି ପଳାନ୍ତି ରିପୁଯୂଥେ । ନିର୍ଭୟେ ଭ୍ରମଇ ଜଗତେ । । ୫୬
ଦେବେ ତାହାର ରୂପ ଦେଖି । ଭାଜିଲେ ତ୍ରିଦିବ ଉପେକ୍ଷି । । ୫୭
ଆକାଶ ତେଜି ଦେବଗଣେ । ଭୟେ ଲୁଚିଲେ ଘୋରବଣେ । । ୫୮
ବନେ ବୁଲିଲେ ତା’ର ଦର୍ପେ । ଗରୁଡ଼ ଭୟେ ଯେହ୍ନେ ସର୍ପେ । । ୫୯
ସ୍ୱର୍ଗେ ପଶିଲା ବେଗେ ଯାଇ । ଦେଖିଲା ସ୍ୱର୍ଗେ ଲୋକ ନାହିଁ । । ୬୦
ଦେବତା ଇନ୍ଦ୍ରରାଜ ମେଳେ । ସ୍ୱର୍ଗ ସମ୍ପଦ ଛାଡ଼ି ଗଲେ । । ୬୧
ଦେଖିଲା ସ୍ୱର୍ଗେ କେହି ନାହିଁ । ଗର୍ଜନ କଲା ମତ୍ତ ହୋଇ । । ୬୨
ଦେଖିଣ ଇନ୍ଦ୍ରର ସମ୍ପଦ । ଅନେକ କଲା ଘୋରନାଦ । । ୬୩
ମୁହୂର୍ତ୍ତେ ସ୍ୱର୍ଗପୁରେ ବସି । ପୁଣି ମିଳିଲା ମର୍ତ୍ତ୍ୟେ ଆସି । । ୬୪
ଅସୁର ବିଚାରଇ ମନେ । ପଶିବି ବରୁଣ ଭୁବନେ । । ୬୫
ମୋହର ପ୍ରାୟ ଗଦା ବଳେ । କେ ଅବା ଅଛଇ ପାତାଳେ । । ୬୬
ଏମନ୍ତ ମନେ ବିଚାରିଲା । ଜଳଧି ମଧ୍ୟେ ସେ ପଶିଲା । । ୬୭
ସେ ମଦମତ୍ତ-ହସ୍ତୀ ପ୍ରାୟେ । ଜଳଧି ମଧ୍ୟେ ଅବଗାହେ । । ୬୮
ଏମନ୍ତେ ହିରଣ୍ୟାକ୍ଷ ବୀର । ଜଳେ ପଶିଲା କ୍ରୋଧଭର । । ୬୯
ଜଳେ ପଶନ୍ତେ ମହାସୁର । କମ୍ପିଲା ବରୁଣର ପୁର । । ୭୦
ଭାଜିଲେ ଜଳଜନ୍ତୁ ଗଣେ । କେବା ବଳିବ ତାକୁ ରଣେ । । ୭୧
ସଭୟେ ସର୍ବେ ପଳାଇଲେ । ଗଭୀର-ଜଳେ ସେ ପଶିଲେ । । ୭୨
ଏମନ୍ତ ବରୁଣ-ଭୁବନେ । ବହୁ ବରଷ କୋପମନେ । । ୭୩
ସେ ବିଭାବରୀ ନାମ ପୁରୀ । ତା ମଧ୍ୟେ ବିଚରଣ କରି । । ୭୪
ଭ୍ରମଇ କରେ ଗଦା ଧରି । କେ ତାକୁ ସମରେ ଉଭାରି । । ୭୫
ତାର ନିଃଶ୍ୱାସ-ବାୟୁ ବେଗେ । ବହୁ ତରଙ୍ଗ ଜଳଭାଗେ । । ୭୬
ସେ ଲୌହମୟ ଗଦା ନେଇ । ତାହା ଉପରେ ପ୍ରହାରଇ । । ୭୭
ରାତ୍ରି ଆଗମେ ଏକଦିନେ । ମିଳି ବରୁଣ ସନ୍ନିଧାନେ । । ୭୮
ଅଳପ ହସି ଉପହାସେ । ପ୍ରଣାମ କରି ତାର ପାଶେ । । ୭୯
ନୀଚଜନଙ୍କ ପ୍ରାୟେ ହୋଇ । ବୋଲଇ ଶିରେ କର ଦେଇ । । ୮୦
ହେ ରାଜା ଶୁଣ ମୋର ବୋଲ । ତୁ ଯୁଦ୍ଧ କର ମୋର ତୁଲ । । ୮୧
ବୋଲଇ କରେ ଗଦା ତୋଳି । ଘୋରଶବଦେ ମହାବଳୀ । । ୮୨
ମୁଁ ଏବେ ଭୁବନେ ତୋହର । ରହିଲି ବହୁ ସମ୍ବତ୍ସ›ର । । ୮୩
ତୁ ମୋତେ ଗଦାଯୁଦ୍ଧ ଦେବୁ । ନ ଦେଲେ ଭୁବନେ ନ ଥିବୁ । । ୮୪
ତୁ ଲୋକପାଳ ଅଧିପତି । ଦୁଷ୍ଟ ନାଶନେ ତୋର ଖ୍ୟାତି । । ୮୫
ଦୈତ୍ୟ-ଦାନବ ନାଶ କରି । ରାଜସୂୟରେ ଅଧିକାରୀ । । ୮୬
ମୋ ସଙ୍ଗେ ଯୁଦ୍ଧ କର ତୁହି । ନ ହେଲେ ସୁଖ ତୋର ନାହିଁ । । ୮୭
ତୁ ଲୋକପାଳ ଶିରୋମଣି । ତୋର ମହିମା ମୁହିଁ ଜାଣି । । ୮୮
ମିଳିଲି ତୋହର ସମ୍ମୁଖେ । ସମର କର ଆତ୍ମସୁଖେ । । ୮୯
ତୁ ଧର୍ମଦାତା ମଧ୍ୟେ ମେରୁ । ବୀରମାନଙ୍କ ଦର୍ପ ହରୁ । । ୯୦
ମୋହର ଦର୍ପ ଏବେ ହର । ସୁଖେ ରାଜୁସି ଯାଗ କର । । ୯୧
ଏମନ୍ତ ଶୁଣି ତା ବଚନ । ଜଳଧିପତି କୋପେ ଛନ୍ନ । । ୯୨
ପୁଣି ସେ କୋପ କରି ସ୍ଥିର । କହଇ ମଚନ ମଧୁର । । ୯୩
ବୋଲେ ଶୁଣ ଭୋ ବୀରମଣି । ମୁଁ ତୋର ରିପୁ ନୋହେ ପୁଣି । । ୯୪
ତୁ ବୀର କହୁ ମୋର ହିତେ । ମୁଁ ତୋତେ ଯୁଝିବି କେମନ୍ତେ । । ୯୫
ତୁ ମହାବୀରଙ୍କର ବୀର । ମୋ ବୋଲେ କୋପ ତୁ ସଂହର । । ୯୬
ଭୋ ବୀର ରହ ଦିନାକେତେ । ଇଚ୍ଛା ତୋ ଯେବେ ଯୁଦ୍ଧ ଅର୍ଥେ । । ୯୭
ଯେ ତୋର ତୁଲେ ଯୁଦ୍ଧକାରୀ । ମିଳିବେ ମୋତେ ଦୟାକରି । । ୯୮
ତୁ ଯୁଦ୍ଧମାର୍ଗରେ ନିପୁଣ । ତୋ ତୁଲେ ସମ ନାରାୟଣ । । ୯୯
ତୁ ବୀର ରଣେ ସୁପଣ୍ତିତ । କେ ରଣେ ତୋଷିବ ତୋ ଚିତ୍ତ । । ୧୦୦
କେବଳ ପୁରାଣପୁରୁଷ । ସେ ବିଷ୍ଣୁ କରିପାରେ ତୋଷ । । ୧୦୧
ତୋତେ ମାରିବେ ସେ ସମରେ । ତୁ ପୁଣି ସଂଗ୍ରାମ ଭୂମିରେ । । ୧୦୨
ବୀର ଶୟନେ ତୁ ଆନନ୍ଦେ । ଶୋଇବୁ କୁକୁରଙ୍କ ମଧ୍ୟେ । । ୧୦୩
ସେ ରୂପ ବହେ ଏ ଜଗତେ । ତୋହର ପ୍ରାୟ ଦୁଷ୍ଟ ଯେତେ । । ୧୦୪
ତାହାଙ୍କ ଗର୍ବ ଚୂର କରେ । ସଂସାର ହିତେ ସେ ବିହରେ । । ୧୦୫
ସାଧୁଙ୍କ ଅନୁଗ୍ରହ ଅର୍ଥେ । ତା ଅବତାର ଏ ଜଗତେ । । ୧୦୬
ତୋ’ପରି ଅସାଧୁ ବିନାଶେ । ଜଗତେ ସେ ରୂପ ପ୍ରକାଶେ । । ୧୦୭
ଏମନ୍ତ ଅସୁରକୁ କହି । ମନେ ଚିନ୍ତଇ ଭାବଗ୍ରାହୀ । । ୧୦୮
ସେ ହରି ଚରଣାରବିନ୍ଦେ । ସୁଜନେ ପ୍ରଣମ ଆନନ୍ଦେ । । ୧୦୯
ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ । । ୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷ-ଦିଗ୍ବିଜୟେ ସପ୍ତଦଶୋଽଧ୍ୟାୟଃ ।

ଅଷ୍ଟାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ଅସୁର ବିଚାରଇ ମନେ । । ୧
ବରୁଣ ତୁଲେ ଯୁଦ୍ଧ ମୋର । ଏ ତ ନୁହଇ ଯଶସ୍କର । । ୨
ନାରଦ କହିଛନ୍ତି ମୋତେ । ବିଷ୍ଣୁର ଗତି ଏ ଜଗତେ । । ୩
ଶୂକର ରୂପେ ସେ ଧରଣୀ । ସ୍ଥାପିବ ଦନ୍ତଅଗ୍ରେ ଆଣି । । ୪
ତାହାର ତୁଲେ ମୋ ସମର । ନାମ ଯାହାର ଗଦାଧର । । ୫
ମୋ ଭୁଜକଣ୍ତୁ ସେ ହରିବ । ଦେବଙ୍କୁ ସଙ୍କଟୁ ତାରିବ । । ୬
ଏମନ୍ତ ମନେ ବିଚାରିଲା । ତକ୍ଷଣେ ପାତାଳେ ପଶିଲା । । ୭
ଦେଖଇ ଗୋବିନ୍ଦର ଗତି । ଦଶନ ଅଗ୍ରେ ବସୁମତୀ । । ୮
କୋଟି ଆଦିତ୍ୟ ତେଜ ଦେଖି । ଭୟେ ବୁଜିଲା ବେନିଆଖି । । ୯
ପୁଣି କ୍ଷଣକେ ଚକ୍ଷୁଫେଇ । ବିଷ୍ଣୁଙ୍କୁ ଦେଖି ବିଚାରଇ । । ୧୦
ନାରଦ ବାକ୍ୟ ଯେବେ ସତ୍ୟ । ମୁହିଁ ଦେଖଇ ବିପରୀତ । । ୧୧
ଶୂକର କାନନେ ଗୋଚର । ପଙ୍କେ ଦୂଷିତ କଳେବର । । ୧୨
ଏମନ୍ତ ବୋଲିଣ ହସିଲା । ବରାହ ନିକଟକୁ ଗଲା । । ୧୩
ବୋଲେ ଶୂକର ମୁଖ ଚାହିଁ । ଦଶନୁ ବେଗେ ଥୁଅ ମହୀ । । ୧୪
ପାତାଳ ଲୋକଙ୍କୁ ମେଦିନୀ । ପୂର୍ବେ ଦେଇଛି ପଦ୍ମଯୋନି । । ୧୫
ଯେବେ ମେଦିନୀ ନ ଛାଡ଼ିବୁ । ମୋ ମୁଖୁ ଭଲେ ନ ବର୍ତ୍ତିବୁ । । ୧୬
ସୁର ଅଧମ ତୁ ବୋଲାଉ । ଯେଣୁ ଶୂକର ରୂପ ବହୁ । । ୧୭
ମୋର ରିପୁଙ୍କ ଶୁଭ ଚିନ୍ତି । ତୁ ବହୁ ଶୂକର ଆକୃତି । । ୧୮
ରେ ମୂଢ଼ ଶୁଣ ମୋ ଉତ୍ତର । ଆମ୍ଭର ହସ୍ତେ ମୃତ୍ୟୁ ତୋର । । ୧୯
ମାୟାରେ ମାରୁ ତୁ ଅସୁର । କପଟ ଧର୍ମ ଏ ତୋହର । । ୨୦
ଆଜି ତୋ ସଂହାର କରିବି । ସୁହୃଦ-ଶୋକ ନିବାରିବି । । ୨୧
ତୋର ମୋହର ଗଦାଯୁଦ୍ଧେ । ତ୍ରିଦଶେ ଦେଖନ୍ତୁ ଆନନ୍ଦେ । । ୨୨
ତୋର ମସ୍ତକ ଗଦାଘାତେ । ବେଗେ ଉଡ଼ିବ ମହାବାତେ । । ୨୩
ବଳି ହରନ୍ତି ଯେତେ ଦେବେ । ତୋହର ମରଣ ଦେଖିବେ । । ୨୪
ମୂଳ ବିନାଶେ ବୃକ୍ଷ ଯେହ୍ନେ । ତ୍ରିଦଶେ ହୋଇବେ ତେସନେ । । ୨୫
ଏମନ୍ତ ଅସୁରର ବାଣୀ । ଶୁଣିଣ କମ୍ପିଲା ଧରଣୀ । । ୨୬
ଗୋବିନ୍ଦ ଦେଖି ଭୂମି ଭୟେ । ଜଳେ ବଢ଼ିଲେ ମହାକାୟେ । । ୨୭
ବରାହ ରୂପୀ କୋପମନେ । ମର୍ମ ପ୍ରହାରେ ହସ୍ତୀ ଯେହ୍ନେ । । ୨୮
ଜଳୁ ଉଠନ୍ତେ ମହାରୋଷେ । ପର୍ବତ ପ୍ରାୟ ଦେହ ଦିଶେ । । ୨୯
ସେ ହିରଣ୍ୟାକ୍ଷ ଦେଖି କୋପେ । ମିଳିଲା ବରାହ ସମୀପେ । । ୩୦
ସିଂହ ଯେସନେ ହସ୍ତୀ ଆଗେ । ମିଳିଲା ପବନହୁଁ ବେଗେ । । ୩୧
କରାଳଦନ୍ତ ଗଦାପାଣି । ବଜ୍ର-ନିଃସ୍ୱନ ପ୍ରାୟ ବାଣୀ । । ୩୨
ବୋଲେ ବରାହ ମୁଖ ଚାହିଁ । ତୋ’ର ବଦନେ ଲଜ୍ଜା ନାହିଁ । । ୩୩
ଦେବଙ୍କ ଈଶ୍ୱର ବୋଲାଉ । ଶୂକର ରୂପ କିପାଁ ବହୁ । । ୩୪
ଏମନ୍ତ ଅସୁର ବଚନେ । କୋପ ବସିଲା ବିଷ୍ଣୁମନେ । । ୩୫
ଧରଣୀ ସମୁଦ୍ରର କୋଳେ । ଦନ୍ତୁ ଥୋଇଲେ ବିଷ୍ଣୁତଳେ । । ୩୬
ନିଜ ମୂରତି ଗଦାଧର । କି ଅବା ଦେବା ପଟାନ୍ତର । । ୩୭
ଦେଖି ସାନନ୍ଦ ଦେବଗଣ । କରନ୍ତି ପୁଷ୍ପ ବରଷଣ । । ୩୮
ବ୍ରହ୍ମାଦି ଦେବଗଣେ ମିଳି । ସ୍ତୁତି କରନ୍ତି ଭୁଜ ତୋଳି । । ୩୯
ଅସୁର ଦେବସ୍ତୁତି ଶୁଣି । କୋପେ କମ୍ପଇ ଶିର ଝୁଣି । । ୪୦
ତାହାର ହସ୍ତେ ଗଦା ସାଜେ । କାଞ୍ଚନ-କବଚ ବିରାଜେ । । ୪୧
ଶୁଣି ଅସୁର ଦୁର୍ବଚନ । କୋପେ କମ୍ପିଲେ ଭଗବାନ । । ୪୨
ପ୍ରଚଣ୍ତତେଜ ମନ୍ଦହାସେ । ଅସୁର ମୁଖ ଚାହିଁ ରୋଷେ । । ୪୩
ତା ଉପହାସ ପ୍ରତ୍ୟୁତ୍ତର । ସହାସ୍ୟେ କଲେ ଗଦାଧର । । ୪୪
ଭଗବାନ ଉବାଚ ବୋଲନ୍ତି ପ୍ରଭୁ ଦୟାନିଧି । ଶୁଣ ହୋ ଅସୁର ଦୁର୍ବୁଦ୍ଧି । । ୪୫
ବନ ଶୂକର ମୁଁ ସ୍ୱଭାବେ । ମୋର ମହିମା ଶୁଣ ଏବେ । । ୪୬
ତୋହର ପ୍ରାୟ ଶ୍ୱାନଗଣ । ମୋ ତୁଲେ କେ କରିବ ରଣ । । ୪୭
ତୁ ମୃତ୍ୟୁପାଶେ ବଦ୍ଧ ହୋଇ । ବିଶେଷେ କହୁ ଦମ୍ଭ ବହି । । ୪୮
ଯେଣୁ ଅଳପ ବଳ ମୋର । କିବା କହିବି ତୋ ଆଗର । । ୪୯
ଯେ ବୀରଗଣ ଏ ସଂସାରେ । ତୋର ପ୍ରଶଂସା କେବା କରେ । । ୫୦
ଆସ ମୋ ପରାଭବ କର । ତୁ ଯୂଥପତିଙ୍କ ପ୍ରବର । । ୫୧
କରି ତୁ ଆମ୍ଭର ନିଧନ । ତୋ ଯୁଦ୍ଧଆଶା କର ପୂର୍ଣ୍ଣ । । ୫୨
ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେ । ଅସାଧୁ ବୋଲାନ୍ତି ସଂସାରେ । । ୫୩
ସ୍ୱର୍ଗରେ ଦେବଗଣ ଯେତେ । ଦେଖି ତୋହର ଗଦାହସ୍ତେ । । ୫୪
ଆକାଶ ଛାଡ଼ି ପଳାଇଲେ । ମୋହର ସମୀପେ ମିଳିଲେ । । ୫୫
କେମନ୍ତେ ସଂଗ୍ରାମ ନ ଦେବି । ପଳାଇ କାହିଁ ବା ପଶିବି । । ୫୬
ତୋତେ ମୁଁ ସଂଗ୍ରାମେ ନାଶିବି । ଦେବଙ୍କୁ ସଙ୍କଟୁ ତାରିବି । । ୫୭
ଗଦା ପ୍ରହାରି ତୋର ହୃଦେ । ଦେବେ ସ୍ଥାପିବି ନିଜ ପଦେ । । ୫୮

ମୈତ୍ରେୟ ଉବାଚ

ଏମନ୍ତେ ବରାହ ବଚନେ । ସେ ହିରଣ୍ୟାକ୍ଷ କୋପମନେ । । ୫୯
ସ୍ୱଭାବେ ଦୁଷ୍ଟ ମହାବଳୀ । ଗର୍ଜଇ ହସ୍ତେ ଗଦା ତୋଳି । । ୬୦
ଶବଦେ ବ୍ରହ୍ମାଣ୍ତ କମ୍ପିଲା । ବରାହ ଅଙ୍ଗେ ପ୍ରହାରିଲା । । ୬୧
ସେ ହରି ନିଜ ମାୟାବଳେ । ଦୃଢ଼-ପ୍ରହାର ବଞ୍ଚାଇଲେ । । ୬୨
ପୁଣି ଅସୁର ଗଦାହସ୍ତେ । ମଣ୍ତଳଗତି ଶୂନ୍ୟପଥେ । । ୬୩
ଗଦା ବୁଲାଇ ଅତି ରୋଷେ । ପିଟିଲା ବିଷ୍ଣୁ ପୃଷ୍ଠଦେଶେ । । ୬୪
ଶୁଭିଲା ବଜ୍ର ଘଡ଼ଘଡ଼ି । ଅଧର ଦଶନେ କାମୋଡ଼ି । । ୬୫
ସେ ଗଦା ବଞ୍ଚାଇ ମୁରାରି । ଦକ୍ଷିଣଭୁଜେ ଗଦାଧରି । । ୬୬
ପିଟିଲେ ଅସୁରର ମୁଣ୍ତେ । ବଜ୍ର ଯେସନେ ଗିରିଖଣ୍ତେ । । ୬୭
ଏମନ୍ତେ ହରି-ହିରଣ୍ୟାକ୍ଷ । ସମରେ ବେନିଜନ ଦକ୍ଷ । । ୬୮
ବେନି ଶରୀରେ ଗଦାଘାତ । ଶୁଭଇ ଯେହ୍ନେ ବଜ୍ରପାତ । । ୬୯
ଜିଣିବା ଆଶେ ଅନ୍ୟୋଅନ୍ୟେ । ଯୁଦ୍ଧ କରନ୍ତି କୋପମନେ । । ୭୦
ଏମନ୍ତେ ହରି ହିରଣ୍ୟାକ୍ଷେ । ଗଦା ପ୍ରହାରେ ଜାନୁ ବକ୍ଷେ । । ୭୧
ଫାଟି ବହଇ ଶୋଣୀ ଧାର । ବିଶେଷେ ଯୁଦ୍ଧ ମହାଘୋର । । ୭୨
ଗଦା ବିଚିତ୍ରଗତି କରି । ବେଗେ ପିଟନ୍ତେ କୋପଭରି । । ୭୩
ଶବଦ ଶୁଭଇ ପ୍ରଚଣ୍ତ । ଯେହ୍ନେ ଯୁଝନ୍ତି ବେନିଷ‹ଣ୍ଢ । । ୭୪
ଏମନ୍ତେ ହରି-ହିରଣ୍ୟାକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ । । ୭୫
ମିଳିଲେ ଦେବ ଋଷିମେଳେ । ଅଞ୍ଜଳି ନିବେଶି କପୋଳେ । । ୭୬
ବିଧାତା ଶୂନ୍ୟପଥେ ଥାଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ । । ୭୭

ବ୍ରହ୍ମା ଉବାଚ

ହେ ଦେବଦେବ ତୋ’ ଚରଣ । ଆମ୍ଭେ ଯେ ପଶିଲୁ ଶରଣ । । ୭୮
ଆମ୍ଭ ସକାଶୁ ବର ପାଇ । ଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ । । ୭୯
ଗୋରୁ ବ୍ରାହ୍ମଣ ଦେବଙ୍କର । ଅନିଷ୍ଟ କରଇ ଅସୁର । । ୮୦
ନିର୍ଭୟେ ଗଦା ଘେନି କରେ । ଯୁଦ୍ଧର ଅର୍ଥେ ତିନିପୁରେ । । ୮୧
ଭ୍ରମଇଁ ଏହୁ ମହାରୋଷେ । ବାରଣ ଯେହ୍ନେ ନିରଙ୍କୁଶେ । । ୮୨
ସର୍ପର ଲାଞ୍ଜ ଧରି କରେ । ବାଳକ ଯେହ୍ନେ କ୍ରୀଡ଼ାକରେ । । ୮୩
ଏହି ମାୟାବୀ ଦୈତ୍ୟ ଘେନି । କ୍ରୀଡ଼ା ନ କର ଗଦାପାଣି । । ୮୪
ଦିନକୁ ଦିନ ଏ ବଢ଼ନ୍ତେ । କେ ସୁଖେ ଥିବ ଏ ଜଗତେ । । ୮୫
ଆସୁରୀ-ବେଳା ପ୍ରାପ୍ତ ହୋଇ । ଯାବତ ଏହି ନ ବଢ଼ଇ । । ୮୬
ତାବତ ନିଜ ମାୟାବଳେ । ଏ ଦୁଷ୍ଟ ନଷ୍ଟକରେ ହେଳେ । । ୮୭
ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । ଏହାର ପ୍ରାଣ ବେଗେ ହର । । ୮୮
ଦେଖ ଏ ସନ୍ଧ୍ୟା ବିଭାବରୀ । ଏ ଭୂମି ଅନ୍ଧକାର କରି । । ୮୯
ଆସଇ ମହାଘୋର ରୂପେ । ଭୋ ନାଥ ଦେଖ ତୋ’ ସମୀପେ । । ୯୦
ଆମ୍ଭ ବିପକ୍ଷ ଦିତିବଳା । କିବା ତୋହର ବିଷ୍ଣୁଲୀଳା । । ୯୧
ବେଗେ ଅସୁର ଏବେ ମାର । ଆମ୍ଭର ଜୟ ଉଦେକର । । ୯୨
ମୁହୂର୍ତ୍ତ ଅଭିଜିତ ନାମ । ସର୍ବମଙ୍ଗଳ ଶୁଭଧାମ । । ୯୩
ଏ ଶୁଭବେଳେ ଚକ୍ରଧର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । । ୯୪
ଦୁରନ୍ତ-ଦାନବ ବିନାଶ । ଏ ଋଷି-ଦେବଙ୍କୁ ଉଶ୍ୱାସ । । ୯୫
ଏହାଙ୍କ ଅଭିଶାପ କାଳେ । ତୁ ଅନୁଗ୍ରହ କଲୁ ହେଳେ । । ୯୬
ଏହାର ମୃତ୍ୟୁ ତୁ ସାକ୍ଷାତେ । ଭାଗ୍ୟେ ମିଳିଲା ତୋ’ ଅଗ୍ରତେ । । ୯୭
ଏମନ୍ତେ ଅସୁରର ଲକ୍ଷ୍ୟେ । ଋଷି-ଦେବତା ଅନ୍ତରୀକ୍ଷେ । । ୯୮
ଅତି ବିକଳେ ସ୍ତୁତି କଲେ । ବରାହରୂପୀ ପାଦତଳେ । । ୯୯
ସେ ଯଜ୍ଞବରାହ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ । । ୧୦୦
ତୃତୀୟସ୍କନ୍ଧେ ହରିବାଣୀ । ସନ୍ତୋଷ ଶ୍ରୁତିପଥେ ଶୁଣି । । ୧୦୧
ହରି ଚରଣେ କରି ଆଶ । କହଇ ଜଗନ୍ନାଥ ଦାସ । । ୧୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷଯୁଦ୍ଧେ ଅଷ୍ଟାଦଶୋଽଧ୍ୟାୟଃ ।

ଉନବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାର ବଚନ । ଶୁଣି ସନ୍ତୋଷ ଭଗବାନ । । ୧
ଅମୃତ ପ୍ରାୟ ଶୁଣି କର୍ଣ୍ଣେ । ଅସୁରବଧେ ସାବଧାନେ । । ୨
ଦକ୍ଷିଣକରେ ଗଦାଧରି । ହୁଁକାର ନାଦେ ଦଇତ୍ୟାରି । । ୩
ନିର୍ଭୟ ଦେଖି ତା ନିକଟେ । ପ୍ରହାର କଲେ କର୍ଣ୍ଣତଟେ । । ୪
ତକ୍ଷଣେ ଦୈତ୍ୟ ଗଦାବଳେ । ଗଦା ପଡ଼ିଲା ହସ୍ତୁ ତଳେ । । ୫
ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁ । କ୍ଷତ୍ରିୟଧର୍ମ ବିଚାରଇ । । ୬
ଆୟୁଧ ନାହିଁ ଏହା ହସ୍ତେ । ଏହାକୁ ମାରିବି କେମନ୍ତେ । । ୭
ଏମନ୍ତେ ବିଚାରୁ ଅସୁର । ଶୂନ୍ୟେ ଶୁଭିଲା ହାହାକାର । । ୮
ତା ଶୁଣି ପ୍ରଭୁ ଗଦାଧର । ସମ୍ଭ୍ରମେ ତୋଳି ବେନିକର । । ୯
ବୋଲନ୍ତି ଦେବଗଣେ ଚାହିଁ । ଭୟ ନ କର ତୁମ୍ଭେ କେହି । । ୧୦
ଏମନ୍ତେ କହି ଦେବରାଜ । ଉର୍ଦ୍ଧ୍ୱେ ତୋଳିଲେ ଦକ୍ଷଭୁଜ । । ୧୧
ନିଜ ଆୟୁଧେ କଲେ ମନ । ତକ୍ଷଣେ ଜାଣି ସୁଦର୍ଶନ । । ୧୨
ବେଗେ ଧାଇଁଲା ଶୂନ୍ୟେ ବ୍ୟାପି । ତେଜ ବିରାଜେ ବିଶ୍ୱରୂପୀ । । ୧୩
ମିଳିଲା ବିଷ୍ଣୁକରେ ଯାଇ । ତା ଦିତିପୁତ୍ର ନ ଜାଣଇ । । ୧୪
ଦେବେ ଦେଖନ୍ତି ଶୂନ୍ୟପଥେ । ଚକ୍ରକୁ ଚାହିଁ ବିଷ୍ଣୁହସ୍ତେ । । ୧୫
କହନ୍ତି ବିଚିତ୍ର ବଚନ । ଭୋ ଦେବ ହେଉ ତୋ କଲ୍ୟାଣ । । ୧୬
ଭୋ ନାଥ ତୋ’ର ଦ୍ୱାରପାଳ । ଏ ଦୁଷ୍ଟ ତେଜେ ଅନର୍ଗଳ । । ୧୭
ଏହାର ପ୍ରାଣ ବେଗେ ହର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । । ୧୮
ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି । । ୧୯
ସମୀପେ ଦେଖି ଚକ୍ରପାଣି । ଓଷ୍ଠ କାମୋଡ଼େ ପୁଣପୁଣି । । ୨୦
ନିଃଶ୍ୱାସ ଖରତର ବହେ । କୋପେ କମ୍ପଇ ତାର କାୟେ । । ୨୧
କରାଳ ଦିଶେ ତା ବଦନ । ନୟନୁ ପ୍ରକାଶେ ଦହନ । । ୨୨
ଦହିଲା ପ୍ରାୟ ଦଶଦିଶେ । ବେଗେ ଧାଇଁଲା ମହାରୋଷେ । । ୨୩
ଡାକଇ ପୂରିଲା ତୋ କାଳ । ମୋ ଗଦାପ୍ରହାର ସମ୍ଭାଳ । । ୨୪
ଏମନ୍ତ ବୋଲି କୋପଭରେ । ପିଟିଲା ବିଷ୍ଣୁର ଉପରେ । । ୨୫
ପବନବତ ଜଗନ୍ନାଥ । ପାଦେ ହରିଲେ ଗଦାଘାତ । । ୨୬
ଦୈତ୍ୟକୁ ବୋଲନ୍ତି ଉତ୍ତର । ଯେବେ ଜିଣିବା ଇଚ୍ଛା ତୋ’ର । । ୨୭
ଉତ୍ତମ ଶସ୍ତ୍ର ଧରି ହସ୍ତେ । ପ୍ରହାର କର ତୁହି ମୋତେ । । ୨୮
ଏମନ୍ତ ଶୁଣିଣ ବଚନ । କୋପେ କମ୍ପଇ ଅପଘନ । । ୨୯
ଗୋବିନ୍ଦ ଶିରେ ଗଦାଘାତ । ପଡ଼ି ଶୁଭିଲା ବଜ୍ରାଘାତ । । ୩୦
ଶବଦେ ଭୁବନ କମ୍ପିଲା । ତକ୍ଷଣେ ଭୂମିରେ ପଡ଼ିଲା । । ୩୧
ଭାଜିଲା ଶତେଖଣ୍ତ ହୋଇ । ଦେବେ ଦେଖନ୍ତି ଶୂନ୍ୟେ ରହି । । ୩୨
ଗଦା ଯାଚିଲେ ନାରାୟଣ । ଅସୁର ନ ନେଲା ତା ପୁଣ । । ୩୩
ଗଦା ବିଭଙ୍ଗେ କୋପଭରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ । । ୩୪
ଅନଳ ପ୍ରାୟ ଶୂଳ ଜଳେ । ଦେଖି କମ୍ପିଲେ ଦିଗପାଳେ । । ୩୫
ଯଜ୍ଞ-ସ୍ୱରୂପୀ ବିଷ୍ଣୁ ଦେହେ । ବ୍ରାହ୍ମଣେ ଅଭିଚାର ପ୍ରାୟେ । । ୩୬
ଉଚ୍ଚେ ଧଇଲା ଶୂଳ ତୋଳି । ପିଟିଲା ନେଇ ମହାବଳୀ । । ୩୭
ତା ଦେଖି ପ୍ରଭୁ ଜଗନ୍ନାଥ । ସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ । । ୩୮
ସେ ଶୂଳ ଗଗନେ ପ୍ରକାଶେ । ଜ୍ୱଳନ୍ତ ଅଗ୍ନିପ୍ରାୟ ଦିଶେ । । ୩୯
ଶୂଳ ଛେଦିଲେ ମହାଶୂନ୍ୟେ । ଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ । । ୪୦
ତ୍ରିଶୂଳ ଭଗ୍ନ ଦେଖି ରୋଷେ । ବେଗେ ମିଳିଲା ବିଷ୍ଣୁପାଶେ । । ୪୧
ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ । ପ୍ରହାରେ ଯଜ୍ଞରୂପୀ ଦେହେ । । ୪୨
ମାୟାବୀ ହିରଣ୍ୟାକ୍ଷ ବୀର । ଶରୀର କଲା ଯେ ଅନ୍ତର । । ୪୩
କେହି ନ ଦେଖେ କେଣେ ଗଲା । ଅଦ୍ଭୁତ ଶବଦ ଶୁଭିଲା । । ୪୪
ତା’ର ପ୍ରହାରେ ପଦ୍ମମୁଖ । ସହଜେ ନୋହିଲେ ବିମୁଖ । । ୪୫
ଗଜକୁ ପୁଷ୍ପମଣ୍ତା ଯେହ୍ନେ । ପ୍ରହାରେ ଦୁଃଖ ନାହିଁ ମନେ । । ୪୬
ପୁଣି କ୍ଷଣକେ ମହାରୋଷେ । ଅସୁର ମିଳି ବିଷ୍ଣୁ ପାଶେ । । ୪୭
ମାୟା ସର୍ଜିଲା ଅପ୍ରମିତେ । ଶ୍ରୀମାୟାଧରଙ୍କ ଅଗ୍ରତେ । । ୪୮
ସେ ମାୟା ଦେଖି ଦେବଗଣେ । ହସ୍ତ ଆଚ୍ଛାଦିଲେ ନୟନେ । । ୪୯
ଶରୀର କମ୍ପେ ମହାଭୟେ । ମଣିଲେ ପ୍ରଳୟର ପ୍ରାୟେ । । ୫୦
ପ୍ରଚଣ୍ତ-ବାତ ବହେ ଖରେ । ଶୂନ୍ୟୁ ପାଷାଣ ବୃଷ୍ଟି କରେ । । ୫୧
ପାଂଶୁ ପୂରିଲା ଦଶଦିଶେ । ନିଷ୍ଠୁର ତମ ଯେ ପ୍ରକାଶେ । । ୫୨
ଘୋର ଗର୍ଜନ ମାୟା ମେଘେ । ବିଜୁଳି ଲୁଚିଲେ ଦଶଦିଗେ । । ୫୩
ବିଷମ ମେଘର ଆଚ୍ଛନ୍ନେ । ଶୂନ୍ୟେ ଲୁଚିଲେ ଜ୍ୟୋତିର୍ଗଣେ । । ୫୪
ପୂଯ ପୁରୀଷ ମୂତ୍ର ଅସ୍ଥି । ରୁଧିର ସଙ୍ଗେ ବରଷନ୍ତି । । ୫୫
ପର୍ବତ ପ୍ରାୟ ଦେହ କରି । ରାକ୍ଷସୀ ନାନା ଶସ୍ତ୍ର ଧରି । । ୫୬
ଧାମନ୍ତି ଅତି ମହାରୋଷେ । କଟୀ ବିବସ୍ତ୍ର ମୁକ୍ତ କେଶେ । । ୫୭
ହସ୍ତେ ବିରାଜେ ତୀକ୍ଷ୍ଣ ଶୂଳ । ଶୁଭଇ ମୁଖ ରାବ ଗୋଳ । । ୫୮
ପ୍ରଳୟ-କାଳ ପ୍ରାୟ ମଣି । ଅଦ୍ଭୁତେ କମ୍ପଇ ଧରଣୀ । । ୫୯
ଯକ୍ଷ ରାକ୍ଷସ ପନ୍ତି-ପନ୍ତି । ରଥ ତୁରଙ୍ଗ ନର ହସ୍ତୀ । । ୬୦
କୁ›ତ୍ସିତ ବାକ୍ୟେ ରାବ ଶୁଭେ । ଶୂନ୍ୟେ କମ୍ପନ୍ତି ସର୍ବଦେବେ । । ୬୧
ଏମନ୍ତ ମାୟା ଦେଖି ହରି । ନିଶ୍ଚୟ ଜାଣିଲେ ଆସୁରୀ । । ୬୨
ମାୟାବୀ ଦର୍ପ ବିନାଶନେ । କୋପ ବସିଲା ବିଷ୍ଣୁମନେ । । ୬୩
ସୁଦରଶନ ଧରି କରେ । ହରି ଧାଇଁଲେ ଧାତିକାରେ । । ୬୪
ତକ୍ଷଣେ କଶ୍ୟପ-ଭୁବନେ । ଭୟ ପଶିଲା ଦିତିମନେ । । ୬୫
ହୃଦୟ କମ୍ପଇ କାତରେ । ବାକ୍ୟ ନ ସ୍ଫୁରେ କମ୍ପ-ଜ୍ୱରେ । । ୬୬
ସ୍ୱାମୀର ବଚନ ସୁମରେ । ସ୍ତନୁ ରୁଧିର ଧାରା ଝରେ । । ୬୭
ଚକ୍ରର ତେଜେ ମାୟା ଗଲା । ରବି କିରଣ ପ୍ରକାଶିଲା । । ୬୮
କ୍ଷେପି ଅସୁର ମହାକୋପେ । ମିଳିଲା ବିଷ୍ଣୁର ସମୀପେ । । ୬୯
ରୋଷେ ଅରୁଣ ଦିଶେ ଦୃଷ୍ଟି । ଉର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି । । ୭୦
ଗୋବିନ୍ଦ ହୃଦେ ପ୍ରହାରିଲା । ଶବଦେ ଭୁବନ କମ୍ପିଲା । । ୭୧
ମୁଷ୍ଟି ବାଜିଲା ବଜ୍ର ପ୍ରାୟେ । ଦେଖି କୋପିଲେ ଦେବରାୟେ । । ୭୨
କର ପ୍ରସାରି କର୍ଣ୍ଣମୂଳେ । ଗୋବିନ୍ଦ ପ୍ରହାରିଲେ ବଳେ । । ୭୩
ପୂର୍ବେ ଯେସନେ ସୁରରାୟେ । ବିଶ୍ୱକର୍ମାର ପୁତ୍ର ଦେହେ । । ୭୪
ଯଜ୍ଞ-ବରାହ ଅବହେଳେ । ପାଦ ପ୍ରହାରେ କର୍ଣ୍ଣମୂଳେ । । ୭୫
କେବଳ ଏକ ପଦାଘାତେ । ଘୂର୍ଣ୍ଣିତ ଲୋଚନ ସହିତେ । । ୭୬
ତା ହସ୍ତପାଦ ହେଲା ଶୀର୍ଣ୍ଣ । ହୋଇଲା ଶରୀର ବିବର୍ଣ୍ଣ । । ୭୭
ମୁଷ୍ଟି ପ୍ରହାରେ ମୁଣ୍ତ ଫାଟି । ପଡ଼ିଲା ମହୀତଳେ ଲୋଟି । । ୭୮
ବୃକ୍ଷ ଯେସନେ ବାୟୁ ବଳେ । ଉପୁଡ଼ି ପଡ଼ଇ ଭୂତଳେ । । ୭୯
ତେସନେ ଭୂମିତଳେ ପଡ଼ି । ଦଶନେ ଅଧର କାମୋଡ଼ି । । ୮୦
ସେ ନାଦ କଲା ଘୋରତର । ପ୍ରାଣ ଛାଡ଼ିଲା ମହାବୀର । । ୮୧
ଅସୁର ମୃତ୍ୟୁ ଦେବେ ଦେଖି । ମିଳିଲେ ଗଗନ ଉପେକ୍ଷି । । ୮୨
ଦେଖିଲେ ଅସୁର ବଦନ । ଭ୍ରୂକୁଟୀ କୁଟୀଳ ନୟନ । । ୮୩
ବିଧାତା ଆଦି ସୁରବୃନ୍ଦ । କରନ୍ତି ଜୟ ଜୟ ନାଦ । । ୮୪
ବୋଲନ୍ତି ଧନ୍ୟ ଏ ଅସୁର । ବିଷ୍ଣୁର ହସ୍ତେ ଗଲା ମାର । । ୮୫
ଏମନ୍ତେ କେ ଲଭେ ମରଣ । ଲଭିଲା ବିଷ୍ଣୁର ଚରଣ । । ୮୬
ଯେ ପାଦ ଅର୍ଥେ ଯୋଗୀଜନ । ନିର୍ଜନେ ଯୋଗ କରେ ଧ୍ୟାନ । । ୮୭
ସେ ପଦାଘାତେ ଏ ଅସୁର । ତେଜିଲା ନିଜ କଳେବର । । ୮୮
ଧନ୍ୟ ଜୀବନଟି ଏହାର । ବ୍ରାହ୍ମଣ ଶାପୁଁ ହେଲା ପାର । । ୮୯
ପୁଣି ହୋଇବ ଜନ୍ମଦୁଇ । ଏମନ୍ତ ବୋଲି ବିଷ୍ଣୁ ଚାହିଁ । । ୯୦
ବ୍ରହ୍ମାଦିଦେବେ କରଯୋଡ଼ି । ସ୍ତୁତି କରନ୍ତି ପାଦେ ପଡ଼ି । । ୯୧

ଦେବଗଣ ଉବାଚ

ନମୋ ଅଖିଳ ଯଜ୍ଞ-ତନ୍ତୁ । ତୋ ଅବତାର ଭକ୍ତ ହେତୁ । । ୯୨
ନିର୍ମଳ ସତ୍ତ୍ବ ମୂର୍ତ୍ତି ଧରି । ସଂସାର ପାଳୁ ନରହରି । । ୯୩
ଆମ୍ଭର ଭାଗ୍ୟେ ଭଗବାନ । ଏ ଦୁଷ୍ଟ କଲୁ ତୁ ନିଧନ । । ୯୪
ତୋର ପ୍ରସନ୍ନେ ଜଗନ୍ନାଥ । ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ । । ୯୫
ତୋର ସଂସାର ପାଳ ଏବେ । ଏମନ୍ତ କହି ସର୍ବଦେବେ । । ୯୬
ଆନନ୍ଦେ ଗଲେ ନିଜ ପୁର । ସୁମନେ ଶୁଣ ହେ ବିଦୁର । । ୯୭

ମୈତ୍ରେୟ ଉବାଚ

ଏମନ୍ତେ ହିରଣ୍ୟାକ୍ଷ ମାରି । ଯଜ୍ଞବରାହ ରୂପ ଧରି । । ୯୮
ନିଜ ଭୁବନେ ହରି ଗଲେ । ଉତ୍ସ›ବ ପରମ ମଙ୍ଗଳେ । । ୯୯
ବ୍ରହ୍ମାଦି ଦେବେ କଲେ ସ୍ତୁତି । ନିଜ ଭୁବନେ ଲକ୍ଷ୍ମୀପତି । । ୧୦୦
ଭକ୍ତ ଉଦ୍ଧରି ମହାତୋଷେ । ମିଳିଲେ କମଳିନୀ ପାଶେ । । ୧୦୧
ତୁ ଯାହା ପଚାରିଲୁ ମୋତେ । ପ୍ରସନ୍ନେ କହିଲି ମୁଁ ତୋତେ । । ୧୦୨
ବିଷ୍ଣୁର ଲୀଳା ଅବତାର । ହିରଣ୍ୟାକ୍ଷର ଯେ ଉଦ୍ଧାର । । ୧୦୩

ସୂତ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ସାବଧାନେ ଶୁଣି । । ୧୦୪
ପରମାନନ୍ଦ ସେ ଲଭିଲା । କାନନେ ପରାଶର-ବଳା । । ୧୦୫
ଅନ୍ୟ ଯେ ପୁଣ୍ୟଶ୍ଳୋକ ଜନେ । ନାନାପ୍ରକାରେ ଏ ଭୁବନେ । । ୧୦୬
ତାହାଙ୍କ ଯଶ କର୍ଣ୍ଣେ ଶୁଣି । ଭବସାଗରୁ ତରେ ପ୍ରାଣୀ । । ୧୦୭
କୃଷ୍ଣର ଗୁଣ-ଅବତାର । କର୍ଣ୍ଣେ ଅମୃତ-ରସ-ଧାର । । ୧୦୮
ଶୁଣି ସୁଜନେ କର୍ଣ୍ଣଦ୍ବାରେ । କିପାଁ ନ ତରିବେ ସଂସାରେ । । ୧୦୯
ବନସ୍ତ ଗଜ ଜଳେ ପଶି । କରିଣୀ-ପଲ ମଧ୍ୟେ ମିଶି । । ୧୧୦
ଜଳେ ଚରନ୍ତେ ପଦ୍ମବନେ । କୁମ୍ଭୀର ଗ୍ରାସିଲା ଚରଣେ । । ୧୧୧
ଚରଣ ନ ପାରିଲା ଆଣି । ଅନେକ ହସ୍ତୀ ତାକୁ ପୁଣି । । ୧୧୨
ଧଇଲେ ଉଦ୍ଧରିବା ବଳେ । ତିଳେ ହେଁ ଟାଲି ନ ପାରିଲେ । । ୧୧୩
ନ ପାରି ହୋଇଲେ ବିଷାଦ । ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ । । ୧୧୪
ହସ୍ତୀଗଣଙ୍କ ଆର୍ତ୍ତନାଦ । ଶୁଣି ସଦୟ ସେ ମୁକୁନ୍ଦ । । ୧୧୫
ତକ୍ଷଣେ ପ୍ରଭୁ ଚକ୍ରପାଣି । ଗଜ ରଖିଲେ ଗ୍ରାହା ହାଣି । । ୧୧୬
ତାର ଚରଣେ ମୁନିବୃନ୍ଦେ । ନାନା ପ୍ରକାର ଯୋଗ ସାଧ୍ୟେ । । ୧୧୭
ଅଭୟପଦେ ସେ ପଶନ୍ତି । ସେ ଅନ୍ୟଭାବ ନ ଚିନ୍ତନ୍ତି । । ୧୧୮
ଯେ ଜନ ଦେଇ ମନପ୍ରାଣ । ସୁଖେ ଆରାଧେ ତା ଚରଣ । । ୧୧୯
ହିରଣ୍ୟାକ୍ଷର ବଧ ତତ୍ତ୍ବ । ଅମୀୟ ରସ ଭାଗବତ । । ୧୨୦
ନିଜ ଭକତ ଉଦ୍ଧାରିଣ । ଶୂକର ରୂପେ ନାରାୟଣ । । ୧୨୧
ଧରଣୀ ଉଦ୍ଧରିଲେ ଦନ୍ତେ । କ୍ରୀଡ଼ା ବିହାର ଏ ଜଗତେ । । ୧୨୨
ଏ କଥା ଶ୍ରବଣ କୀର୍ତ୍ତନ । କରି ବଞ୍ଚନ୍ତି ଯେଉଁ ଜନ । । ୧୨୩
ବ୍ରାହ୍ମଣ ବଧ କରିଥିଲେ । ଦୋଷ ନ ଲାଗେ ତା’କୁ ଭଲେ । । ୧୨୪
ଏ ପୁଣ୍ୟଯଶ ହରିକଥା । ଧନ ଆୟୁଷ ମୋକ୍ଷଦାତା । । ୧୨୫
ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ । ଦୁର୍ଗତି ରିଷ୍ଟ ବାଧା ଛାଡ଼େ । । ୧୨୬
ସୁଜନ ସଙ୍ଗେ ଯେବେ ମିଶେ । ଅନ୍ତେ ଗୋବିନ୍ଦ ପାଦେ ପଶେ । । ୧୨୭
ଏ କଥା ଶୁଣି ସାଧୁଜନେ । ବଞ୍ଚିବ ଶ୍ରବଣ କୀର୍ତ୍ତନେ । । ୧୨୮
ତୃତୀୟସ୍କନ୍ଧେ ଭାଗବତ । ମୈତ୍ରେୟ ବିଦୁର ଚରିତ । । ୧୨୯
ଯେତେ କହିଲେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ । । ୧୩୦
ଭାଷା ପ୍ରବନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ । । ୧୩୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧୋ ନାମ ଉନବିଂଶୋଽଧ୍ୟାୟଃ ।

ବିଂଶ ଅଧ୍ୟାୟ[ସମ୍ପାଦନା]

ଶୌନକ ଉବାଚ

ବରାହରୂପୀ ଭାବଗ୍ରାହୀ । ଜଳେ ଧରଣୀ ଗଲେ ଥୋଇ । । ୧
ସେ ସ୍ୱାୟମ୍ଭୁବ ମନୁବଳା । ଧରଣୀ ପୃଷ୍ଠେ ଯାହା କଲା । । ୨
ନାନା ପ୍ରକାରେ ଜନ୍ତୁ ଯେତେ । ତାହାଙ୍କୁ ସାଧିଲା କେମନ୍ତେ । । ୩
ଜ୍ୟେଷ୍ଠଭ୍ରାତା ଯେ ଧୃତରାଷ୍ଟ୍ର । ତା ପୁତ୍ର ଦୁର୍ଯେ୍ୟାଧନ ଦୁଷ୍ଟ । । ୪
କର୍ ଶକୁନି ଦୁଃଶାସନ । ଏହାଙ୍କ ତୁଲେ ଯେତେ ଜନ । । ୫
ପାବ ହିତେ ସେ ବିଶ୍ୱାସେ । ବର୍ଇ ବୋଲି ମହାରୋଷେ । । ୬
ରାଜୁ୍ୟ ବାହାର କରିଦେଲା । ଯେଣୁ ସେ ବ୍ୟାସଙ୍କର ବଳା । । ୭
କୃଷ୍ଣ ଚରଣେ ଆଶ୍ରେ କରି । ଛାଡ଼ିଲା ହସ୍ତିନା ନଗରୀ । । ୮
ତୀର୍ଥ ସାଧନ ପୁଣ୍ୟବଳେ । ଏକାନ୍ତେ ବିଷ୍ଣୁଭକ୍ତି ଫଳେ । । ୯
ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ । ବର୍ଇ ଭକ୍ତଜନ ମେଳେ । । ୧୦
ବିଦୁର ଭ୍ରମୀ ତୀର୍ଥମାର୍ଗେ । କାନନେ ମୈତ୍ରେୟଙ୍କ ଆଗେ । । ୧୧
ବନ ଗହନେ ଗଙ୍ଗାକୂଳେ । ସେ ବେନିଜନ ଏକମେଳେ । । ୧୨
ବିଦୁର କିବା ପ୍ରଶ୍ନ କଲା । କହିବା ମୋତେ ବିଷ୍ଣୁଲୀଳା । । ୧୩
ସେ ବିଷ୍ଣୁକଥା ବାକ୍ୟସାର । ଶ୍ରୁତିଯୁଗଳେ ସୁଧାଧାର । । ୧୪
ଯେସନେ ଗଙ୍ଗାସ୍ନାନ କଲେ । ସେ ତିନିତାପରୁ ଉଦ୍ଧରେ । । ୧୫
ଗୋବିନ୍ଦ କଥା ସେହି ମତେ । ପାନ ନ ରହେ ଅନ୍ତର୍ଗତେ । । ୧୬
କୃଷ୍ଣ ଚେଷ୍ଟିତ ଭାବ ଯେତେ । ଭୋ ମୁନି କହ ମୋ ଅଗ୍ରତେ । । ୧୭
କୃଷ୍ଣର ଲୀଳାମୃତ ରସେ । ରସଇ ଯା’ର ଶ୍ରୁତି ଗ୍ରାସେ । । ୧୮
ସେ କାହିଁ ଛାଡ଼େ କୃଷ୍ଣକଥା । ଯେଣେ ହରଇ ଭବବ୍ୟଥା । । ୧୯
ନୈମିଷ୍ୟାରଣ୍ୟେ ମୁନିଗଣେ । ସେ ଉଗ୍ରଶ୍ରବାର ଚରଣେ । । ୨୦
ପ୍ରଣତ ହୋଇଣ କହିଲେ । ବିଷ୍ଣୁର କଥା କହ ଭଲେ । । ୨୧
ସେ ଉଗ୍ରଶ୍ରବା ବିଷ୍ଣୁ ପଦେ । ମନକୁ ନିବେଶି ଆନନ୍ଦେ । । ୨୨
କହିଲେ ଶୁଣି ମୁନିଗଣ । କହିବି ଶ୍ରୀହରିର ଗୁଣ । । ୨୩

ସୂତ ଉବାଚ

ବିଷ୍ଣୁ ଶୂକର ରୂପ ଧରି । ଧରଣୀ ପାତାଳୁ ଉଦ୍ଧରି । । ୨୪
ଲୀଳା ବିହାରେ ହିରଣ୍ୟାକ୍ଷ । ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ । । ୨୫
ସେ କଥା ଶୁଣି ତୋଷ ଚିତ୍ତେ । ଅଶ୍ରୁ ପୁଲକ ରୋମ ଗାତ୍ରେ । । ୨୬
ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପୁଚ୍ଛଇ ବିଦୁର । । ୨୭

ବିଦୁର ଉବାଚ

ନାଭିରୁ ବ୍ରହ୍ମା ଅବତାର । ସେ ପ୍ରଜାପତିଙ୍କ ଈଶ୍ୱର । । ୨୮
ପ୍ରଜାପତିଙ୍କୁ ଜାତ କଲା । ସୃଷ୍ଟି ସର୍ଜନେ ଆଜ୍ଞା ଦେଲା । । ୨୯
ମରୀଚି ଆଦି ସପ୍ତତନୁ । ଅପରେ ସ୍ୱାୟମ୍ଭୁବ ମନୁ । । ୩୦
ପିତାର ଆଦେଶେ ସମସ୍ତେ । ଏ ସୃଷ୍ଟି ସର୍ଜିଲେ କେମନ୍ତେ । । ୩୧
ଭାର୍ଯ୍ୟା ସହିତେ ଯୋଗମତେ । କି ଅବା ସର୍ଜିଲେ ସ୍ୱତନ୍ତ୍ରେ । । ୩୨
କିବା ସକଳ ଏକମେଳେ । ସୃଷ୍ଟି ସର୍ଜିଲେ ଅନ୍ତରାଳେ । । ୩୩
କିବା ଧରଣୀ ଜଳେ ସ୍ଥାପି । ପ୍ରଜା ସର୍ଜିଲେ ବିଶ୍ୱରୂପୀ । । ୩୪
ସେ ପୁଣି କିବା କଲେ ପରେ । ତୋ ବିନୁ କେବା କହିପାରେ । । ୩୫
ତୁମ୍ଭେ ଆଗତ ଅନାଗତ । ସକଳ ବିଷୟେ ବିଦିତ । । ୩୬
ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ । ଜଗତ କଲେ କି ପ୍ରକାରେ । । ୩୭

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକଚିତ୍ତେ । ଯେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ । । ୩୮
ଯେ କାଳରୂପୀ ବିଶ୍ୱନାଥ । ଯା ମାୟାବଳେ ଏ ଜଗତ । । ୩୯
ସ୍ୱ ମାୟାବଳେ କ୍ଷୋଭ ପାଇ । ମହତ ରୂପ ସେ ଧରଇ । । ୪୦
ରଜ ପ୍ରଧାନେ ତିନିଗୁଣେ । କଳ୍ପିଲା ଦଇବ ପ୍ରେରଣେ । । ୪୧
ସେ ଭୂତ ଆଦି ଯେ ମହତ । ଅଗ୍ରେ ସର୍ଜିଲା ପଞ୍ଚଭୂତ । । ୪୨
ଶବଦ ଆଦି ପଞ୍ଚଗୁଣେ । ମିଳିଲେ ସୃଷ୍ଟିର କାରଣେ । । ୪୩
ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦି । ଯେ କର୍ମେନ୍ଦ୍ରିୟ ହିଁ ବାଗାଦି । । ୪୪
ଶବ୍ଦାଦି ଯେତେକ ହୋଇଲେ । ସୃଜନେ ଅସମର୍ଥ ହେଲେ । । ୪୫
ସେ ପୁଣି ଏକରୁଣ୍ତ ହୋଇ । ଦୈବଶକ୍ତିର ବଳପାଇ । । ୪୬
କଳ୍ପିଲା ହେକମୟ ଅଣ୍ତ । ଯାହାକୁ ବୋଲନ୍ତି ବ୍ରହ୍ମାଣ୍ତ । । ୪୭
ସେ ଅଣ୍ତକୋଷ ମହାଜଳେ । ପଡ଼ି ଭାସଇ କାଳବଳେ । । ୪୮
ସେ ପୁଣି ସହସ୍ର ବରଷେ । ସେ ମହାର୍ଣ୍ଣବ ଜଳେ ଭାସେ । । ୪୯
ସେ ଅଣ୍ତକୋଷ ମଧ୍ୟେ ହରି । ଶୋଏ ଅନନ୍ତ ଶଯ୍ୟା କରି । । ୫୦
ତା ନାଭିପଦ୍ମୁ ପଦ୍ମକୋଷ । ସଲିଳେ ହୋଇଲା ପ୍ରକାଶ । । ୫୧
ସେ ପଦ୍ମ ନିଜ ତେଜ ପୁଞ୍ଜେ । ସହସ୍ରେ ରବିରଶ୍ମି ଗଞ୍ଜେ । । ୫୨
ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ । ପ୍ରକାଶେ ନିଜ କର୍ମ ହେତୁ । । ୫୩
ବିରାଜ ରୂପ ତାର ମଧ୍ୟେ । ଜନ୍ମିଲା ନିଜ କାର୍ଯ୍ୟ ସାଧ୍ୟେ । । ୫୪
ସେ ପୁଣି ବିଷ୍ଣୁ ଉପଦେଶେ । ସୃଷ୍ଟି ସର୍ଜିଲା ଅଣ୍ତକୋଷେ । । ୫୫
ପୂର୍ବେ ଯେମତେ ସୃଷ୍ଟି ଥିଲା । ସେ ନାନାରୂପେ ସମ୍ପାଦିଲା । । ୫୬
କାଳର ବଳେ କୋପମନେ । ନିଃଶ୍ୱାସ ଛାଡ଼େ ଘନଘନେ । । ୫୭
ତାର ନିଃଶ୍ୱାସୁ ତତକ୍ଷଣେ । ଅବିଦ୍ୟା ସଙ୍ଗେ ପଞ୍ଚଗଣେ । । ୫୮
ତାମିସ୍ର ଅନ୍ଧତମ ତମ । ମୋହ ମହାମୋହ ପଞ୍ଚମ । । ୫୯
ଏ ପଞ୍ଚତମ ଏକାବେଳେ । ଜନ୍ମିଲେ ଅନ୍ଧକାର ବଳେ । । ୬୦
ଦେଖି ସେ ଛାୟାରୂପ ସୃଷ୍ଟି । ତୁଷ୍ଟ ନୋହିଲା ପରମେଷ୍ଠୀ । । ୬୧
ଏ ସୃଷ୍ଟି ଦେଖି ତମୋମୟ । ଧାତା ଛାଡ଼ିଲା ନିଜଦେହ । । ୬୨
ସେ ପିଣ୍ତ ଦେଖି ତମୋଗଣେ । ବେଗେ ଧାଇଁଲେ ତତକ୍ଷଣେ । । ୬୩
ସେ ଦେହମଧ୍ୟେ ସନ୍ଧ୍ୟା ମିଶି । ତମେ ରଜନୀ ପ୍ରାୟ ଦିଶି । । ୬୪
କ୍ଷୁଧା ତୃଷାର ଅତିବଳେ । ସର୍ବେ ମିଳିଲେ ଏକମେଳେ । । ୬୫
ଥୋକେ ବୋଲନ୍ତି ରଖ ରଖ । ଥୋକେ ବୋଲନ୍ତି ବେଗେ ଭକ୍ଷ । । ୬୬
ତକ୍ଷଣେ ବ୍ରହ୍ମା ଭୟପାଇ । ବୋଲେ ତାହାଙ୍କ ମୁଖଚାହିଁ । । ୬୭
ଏ ପିଣ୍ଡ ରଖ ହୋ ନ ଭକ୍ଷ । ଏଣୁ ହୋଇବ ଯକ୍ଷ ରକ୍ଷ । । ୬୮
ତୁମ୍ଭେ ଯେ ଯକ୍ଷ-ରକ୍ଷ-ଗଣ । ମୋର ବଚନ ଏବେ ଶୁଣ । । ୬୯
ତୁମ୍ଭେ ମୋହର ପ୍ରଜା ହୁଅ । ଏମନ୍ତ କହି ପିତାମହ । । ୭୦
ସୃଜିଲା ଅପସରାଗଣ । ଦେବଙ୍କ ଭୋଗ୍ୟ ଯେ ପ୍ରମାଣ । । ୭୧
ଦିବସ ରୂପା ସେ ସାକ୍ଷାତେ । ସର୍ଜିଲା କ୍ରୀଡ଼ାର ନିମନ୍ତେ । । ୭୨
ବ୍ରହ୍ମା ସା‌ତ୍ତ୍ବିକ ମନୋଭାବ । ତହୁଁ ଦେବଙ୍କ ଆବିର୍ଭାବ । । ୭୩
ପୁଣି ଜଘନୁ ବେଦପତି । ଅସୁର କଲା ଉତ୍ପତ୍ତି। । ୭୪
ସ୍ତିରୀ ଲମ୍ପଟ ସେ ଯୁକତେ । ନାରୀଙ୍କୁ ଦେଖିଲେ ଅଗ୍ରତେ । । ୭୫
ତାହାଙ୍କୁ ଦେଖି ତତକ୍ଷଣେ । ଧାଇଁଲେ ସେ ଅସୁରଗଣେ । । ୭୬
ମୈଥୁନ ଲୋଭ ବନ୍ଧେ ଧାଇଁ । ବେଗେ ବେଢ଼ିଲେ ଲୋଭବହି । । ୭୭
ନିର୍ଲଜ୍ଜପଣ ତାହାଙ୍କର । ଦେଖି ହସିଲେ ବେଦବର । । ୭୮
ବ୍ରହ୍ମାର ହାସ୍ୟ ଦେଖି କୋପେ । ମିଳିଲେ ତାଙ୍କର ସମୀପେ । । ୭୯
ଚାହାଁନ୍ତେ କୋପିତ ବଦନେ । ଭୟ ପଶିଲା ବ୍ରହ୍ମା ମନେ । । ୮୦
ଶୂନ୍ୟେ ଗୋବିନ୍ଦପଦ ଧ୍ୟାୟୀ । ବୋଲଇ ଶିରେ କର ଦେଇ । । ୮୧
ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ । ତୁ ନାଥ ଆଜ୍ଞାଦେଲୁ ମୋତେ । । ୮୨
ସୃଷ୍ଟି କରଇ ତୋର ବୋଲେ । ତୋ ଅନୁରୂପ ଏ ଶୟଳେ । । ୮୩
ତୁ ମୋତେ ରଖ ଚକ୍ରଧର । ଏ ଗଣେ ମହାଭୟଙ୍କର । । ୮୪
ଏ ଯେବେ ଭକ୍ଷିବେଟି ମୋତେ । କେମନ୍ତେ ସର୍ଜିବି ଜଗତେ । । ୮୫
ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି । ବୋଇଲେ ପ୍ରଭୁ ଚକ୍ରପାଣି । । ୮୬
ଏ ଦେହ ଘୋର ଭୟଙ୍କର । ବେଗେ ତୁ ଛାଡ଼ ଏ ଶରୀର । । ୮୭
ଶୁଣି ଗୋବିନ୍ଦର ବଚନ । ତକ୍ଷଣେ ଛାଡ଼ିଲା ଜୀବନ । । ୮୮
ସେ ଦେହ ସନ୍ଧ୍ୟାରୂପ ହୋଇ । ରୂପେ ଅସୁର ମନମୋହି । । ୮୯
ଯେ ଅପସରାଗଣ ଥିଲେ । ତା ରୂପ ଦେଖି ମୋହ ଗଲେ । । ୯୦
ନାନା ଅଳଙ୍କାର ସାଜେଣୀ । ଚରଣେ ନୂପୁର ବାଜେଣୀ । । ୯୧
ମଦ ବିହ୍ୱଳିତ ଲୋଚନ । ଦୁକୂଳେ କଟୀ ଶୋଭାବନ । । ୯୨
କଟୀ ମେଖଳା ରତ୍ନସାର । ହୃଦୟେ ତୁଙ୍ଗ ପୟୋଧର । । ୯୩
ସୁନ୍ଦର ନାସିକା ବିରାଜେ । ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ । । ୯୪
ସୁନ୍ଦର ହାସ ମନୋହର । ସଂଭ୍ରମ କଟାକ୍ଷ ସୁନ୍ଦର । । ୯୫
ବସ୍ତ୍ରେ ଆଚ୍ଛାଦି କଳେବର । ପଥେ ଚାଲଇ ଲାଜଭର । । ୯୬
ତାର କୁନ୍ତଳ ମନୋହର । ଶୁଣ ହେ ଧର୍ମାତ୍ମା ବିଦୁର । । ୯୭
ଅସୁରେ ଦେଖି ତା ଗମନ । ସର୍ବେ ହୋଇଲେ ହତଜ୍ଞାନ । । ୯୮
କହନ୍ତି ଏକ ଏକେ ଚାହିଁ । ଏମନ୍ତ ଦେଖିଲାତ ନାହିଁ । । ୯୯
ନବୀନ ବୟସ ଏହାର । ରୂପ-ଲାବଣ୍ୟ ମନୋହର । । ୧୦୦
ଏ ଆମ୍ଭ ମନମଧ୍ୟେ ରମେ । ଅକାମୀଜନ ପ୍ରାୟ ଭ୍ରମେ । । ୧୦୧
ଏମନ୍ତେ ସନ୍ଧ୍ୟାରୂପ ଦେଖି । ପ୍ରମଦା ପ୍ରାୟ ଉପଲକ୍ଷି । । ୧୦୨
ନୟନ ଦେଇ ତା ବଦନେ । ଭାବେ ପୁଚ୍ଛନ୍ତି ଅନ୍ୟୁଅନ୍ୟେ । । ୧୦୩
ଏମନ୍ତ ବହୁତ ବିଚାର । କରିଣ ସକଳ ଅସୁର । । ୧୦୪
ପ୍ରଣୟବଶେ ପ୍ରମଦାର । କରିଣ ବହୁତ ସତ୍କାର । । ୧୦୫
କୁବୁଦ୍ଧି ପଣରେ ଅସୁର । ପୁଚ୍ଛିଲେ ତାଙ୍କୁ ବାରବାର । । ୧୦୬
ଆହେ ରମ୍ଭୋରୁ ସୁକଲ୍ୟାଣି । ପ୍ରମଦାକୂଳ ଶିରୋମଣି । । ୧୦୭
କାହାର ପତ୍ନୀ ତୁ ବୋଲାଉ । କହ ତୁ ଉପୁଜିଲୁ କାହୁଁ । । ୧୦୮
କହ ତୁ ତୋର କିସ ନାମ । କି ପ୍ରୟୋଜନେ ତୋ ଗମନ । । ୧୦୯
ତୋ ରୂପ ଗୁଣେ ହୋଇ ଛନ୍ନ । ଆମ୍ଭର ସ୍ଥଗିତ ଲୋଚନ । । ୧୧୦
ତୋହର ରୂପଗୁଣ ରାଶି । ଆମ୍ଭର ପ୍ରଭାକୁ ବିନାଶି । । ୧୧୧
ଆମ୍ଭର ପୂର୍ବଭାଗ୍ୟ ଫଳେ । ମିଳିଲୁ ଆମ୍ଭର ଛାମୁରେ । । ୧୧୨
କନ୍ଦୁକ କ୍ରୀଡ଼ା ତୋ ନୟନ । ରୂପେ ହରିଲୁ ଆମ୍ଭମନ । । ୧୧୩
ତୋର ଚରଣ ପଦ୍ମଯୁଗ । ଗମନ ଚଞ୍ଚଳ ତରଙ୍ଗ । । ୧୧୪
ହସ୍ତେ କନ୍ଦୁକ ତୋର ସାଜେ । ତୋ ମଝା ସିଂହମଧ୍ୟ ଗଞ୍ଜେ । । ୧୧୫
ସେ ପୁଣି ସ୍ତନଭାର ଖିନ୍ନେ । ଭାଜିଲା ପ୍ରାୟ ଅନୁମାନେ । । ୧୧୬
ଏମନ୍ତ ସନ୍ଧ୍ୟା ରୂପ ଚାହିଁ । ଅସୁରଗଣ ଲୋଭ ବହି । । ୧୧୭
ସନ୍ଧ୍ୟାକୁ ଧରି ବାହୁବଳେ । ମୋହେ ମଜ୍ଜିଲେ କାମଭୋଳେ । । ୧୧୮
ଭାବ ଗମ୍ଭୀର ମଗ୍ନଚିତ୍ତ । ଦେଖି ବିଧାତା ହରଷିତ । । ୧୧୯
ବ୍ରହ୍ମାର ଶରୀର ବିରାଜେ । ତକ୍ଷଣେ ନିଜ କାନ୍ତି ତେଜେ । । ୧୨୦
ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ । ଗନ୍ଧର୍ବ ଅପସରା ବୃନ୍ଦ । । ୧୨୧
ବ୍ରହ୍ମାର ଶରୀରୁ ବାହାର । ଯେ ରୂପ ମୋହେ ସୁରନର । । ୧୨୨
ଗନ୍ଧର୍ବ ବିଶ୍ୱାବସୁ ଆଦି । ସୁନ୍ଦର ରୂପରେ ପ୍ରସିଦ୍ଧି । । ୧୨୩
ଆବୋରି ଅପସରାଗଣେ । ସୁଖେ ରହିଲେ ଜଣେଜଣେ । । ୧୨୪
ତଦନ୍ତେ ଆତ୍ମତନ୍ଦ୍ରା ଧରି । ଭୂତ ପିଶାଚଗଣ କରି । । ୧୨୫
ସେ ମୁକ୍ତକେଶ ଦିଗମ୍ବର । ଦେଖି କମ୍ପିଲେ ସୁରନର । । ୧୨୬
ପଥେ ତାହାଙ୍କ ରୂପ ଦେଖି । ବ୍ରହ୍ମା ବୁଜିଲେ ବେନିଆଖି । । ୧୨୭
ଭୟେ ଅଳସ ତାର ମୁଖେ । କ୍ଷଣେ ଶୋଇଲା ନିଦ୍ରାସୁଖେ । । ୧୨୮
ସେ ଦେହ ନିଦ୍ରାବଶ ଚାହିଁ । ପୁଣି ଛାଡ଼ିଲା ନିଜ ଦେହୀ । । ୧୨୯
ପରୋକ୍ଷ ପୁଣି ସତ୍ତ୍ବ‌ଗୁଣେ । ସର୍ଜିଲା ସାଧ୍ୟ ପିତୃଗଣେ । । ୧୩୦
ସେ ସାଧ୍ୟ ପିତୃ ବେନିଗଣ । ସେ ଯହୁଁ ହୋଇଲେ ଜନମ । । ୧୩୧
ସେ ଦେହ ପାଇ ତୋଷ ଚିତ୍ତ । କର୍ମକୋବିଦେ ଯେ ବିଦିତ । । ୧୩୨
ସେ ସିଦ୍ଧ ବିଦ୍ୟାଧର ଗଣେ । ଜାତ ହୋଇଲେ ତତକ୍ଷଣେ । । ୧୩୩
ସ୍ୱଭାବେ ତେଜ ଅନର୍ଗଳା । ତାହାଙ୍କୁ ଅନ୍ତର୍ଦ୍ଧାନ ଦେଲା ୧୩୪
ବିଧାତା ପ୍ରତିବିମ୍ବ ବଳେ । ଦେଖିଣ ମନର ନିଶ୍ଚଳେ ୧୩୫
କିନ୍ନର କିଂପୁରୁଷ ଜାତି । ପୁଣି ସର୍ଜିଲା ପ୍ରଜାପତି ୧୩୬
ମିଥୁନ ଭାବେ ବୀଣା ବାଇ । ଦେବଙ୍କ ତୋଷେ ଗୀତଗାଇ ୧୩୭
ଏବେ ତୁ ଶୁଣ ହେ ବିଦୁର । ବ୍ରହ୍ମାର ସୃଷ୍ଟିର ପ୍ରକାର ୧୩୮
ସେ ସୃଷ୍ଟି ଚାହିଁ ପ୍ରଜାନାଥ । ମନରେ ହୋଇଲା ଚିନ୍ତିତ ୧୩୯
ଏ ସୃଷ୍ଟି ବୃଦ୍ଧି ତ ନୋହିଲା । ଚିନ୍ତାରେ ବହୁତ ଶୋଇଲା ୧୪୦
ତାହାଙ୍କୁ ସର୍ଜି ବେଦବର । ତକ୍ଷଣେ ଛାଡି ସେ ଶରୀର ୧୪୧
ଦେହ ଅନ୍ତରେ ଶୂନ୍ୟେ ରହି । ଶରୀର ଦେଖି ବିଚାରଇ ୧୪୨
ସର୍ଜନେ ଯୋଗ୍ୟ ଏ ନୁହନ୍ତି । ଏମନ୍ତେ କ୍ରୋଧେ ବହୁ ଚିନ୍ତି ୧୪୩
କ୍ରୋଧର ବଶେ ପଦ୍ମଯୋନି । ସେ ଭୋଗଦେହ ତ୍ୟଜେ ପୁଣି ୧୪୪
ତହୁଁ ସେ କେଶ ଗଲା ଖସି । ତହୁଁ ଜନ୍ମିଲେ ସର୍ପରାଶି ୧୪୫
ତକ୍ଷଣେ ତମ ଗୁଣୁ ଜାତ । ଗରଳ ତେଜେ ବଳବନ୍ତ ୧୪୬
ତାହାଙ୍କୁ ଚାହିଁ ପ୍ରଜାନାଥ । ସନ୍ତୋଷେ ହେଲା କୃତକୃତ୍ୟ ୧୪୭
ପୁଣି କଳ୍ପିଲା ମନୋରଥେ । ଆବର ସୃଷ୍ଟିଭାବ ଯେତେ ୧୪୮
ମନୁଙ୍କୁ କଲା ଉତପତ୍ତି । ମନର ତହୁଁ ବେଦପତି ୧୪୯
ନିଜ ପୁରୁଷ ରୂପ ଦେହ । ତାଙ୍କୁ ଅର୍ପିଲା ପିତାମହ ୧୫୦
ସ୍ତିରୀ ପୁରୁଷ କଳ୍ପେ ମନେ । ଯେ ସୃଷ୍ଟି ଉପୁଜେ ମୈଥୁନେ ୧୫୧
ଯେ ଅଗ୍ରେ ଜାତ ହୋଇଥିଲେ । ତାଙ୍କୁ ପ୍ରଶଂସା ବହୁ କଲେ ୧୫୨
ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ । ବିବୁଧେ ତାର ଗୁଣ ଗାଇ ୧୫୩
ବୋଲନ୍ତି ଧନ୍ୟ ବେଦପତି । ସୃଷ୍ଟି ସର୍ଜନେ ଦୃଢମତି ୧୫୪
ଅନେକ ତପ ଯେଣୁ କଲୁ । ଗୋବିନ୍ଦ ଆଜ୍ଞା ତୁ ଲଭିଲୁ ୧୫୫
ନିଜ ସାଧନା ତପଫଳେ । ଏ ସୃଷ୍ଟି କଲୁ ବୁଦ୍ଧିବଳେ ୧୫୬
ଏଣେ ହୋଇବ ସର୍ବଯୋଗ । ଆମ୍ଭେ ଲଭିବୁ ହବିର୍ଭାଗ ୧୫୭
ତପସ୍ୟା ବିଦ୍ୟା ଆସନାଦି । ଅଷ୍ଟାଙ୍ଗଯୋଗ ସୁସମାଧି ୧୫୮
ପୁଣି ସର୍ଜିଲା ଋଷିଗଣ । ସ୍ୱବଶ କରି ଇନ୍ଦ୍ରଗଣ ୧୫୯
ଏମନ୍ତ ଋଷି ସୃଷ୍ଟି କଲା । ଆପଣା ଦେହ ଅଂଶ ହେଲା ୧୬୦
ଏମନ୍ତେ ସୃଷ୍ଟିର କାରଣ । ବିଧାତା ରୂପେ ନାରାୟଣ ୧୬୧
କରଇ ପୁଣ ପୁଣ ଭାବେ । ତାର ଭକତଜନ ଲାଭେ ୧୬୨
ଏମନ୍ତେ ଭାଗବତ ବାଣୀ । ମୈତ୍ରେୟ ମୁନି ଆଗେ ଭଣି ୧୬୩
ବନେ ପିପ୍ପଳ ବୃକ୍ଷ ମୂଳେ । ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ ୧୬୪
ସେ କଥା ପରୀକ୍ଷିତ ଆଗେ । ମୁନି କହିଲେ ପ୍ରିୟ ଭାବେ ୧୬୫
ହରି ଚରିତ ଭାଗବତ । କହିଲା ଦାସ ଜଗନ୍ନାଥ ୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ବିଂଶୋଽଧ୍ୟାୟଃ ।

ଏକବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ମୁନି ପାଦେ ପଡି । ବିଦୁର କହେ କରଯୋଡି ୧

ବିଦୁର ଉବାଚ

ବୋଇଲେ ଶୁଣ ହେ ମୈତ୍ରେୟ । ମୋହର ପ୍ରତି ତୁ ସଦୟ ୨
ସେ ସ୍ୱାୟମ୍ଭୂବ-ମନୁବଂଶ । ମୋ ଆଗେ କର ହେ ପ୍ରକାଶ ୩
ଯାର ପ୍ରଶଂସା ସାଧୁଲୋକ । କରନ୍ତି ସଦା ଅତିରେକ ୪
ବ୍ରହ୍ମାର ତହୁଁ ଯାର ତନୁ । ଯେ ପୂର୍ବେ ସ୍ୱାୟମ୍ଭୂବମନୁ ୫
ତାହାର ବଂଶ ଏ ଜଗତେ । କି ରୂପେ ପ୍ରସରିଲେ କେତେ ୬
ମୈଥୁନ ମତେ କଲା ପ୍ରଜା । ଯେ ପୁଣି ମନୁବଂଶେ ରାଜା ୭
ସେ ସ୍ୱାୟମ୍ଭୂବ ମନୁ ସୁତ । ଉତ୍ତାନପାଦ ପ୍ରିୟବ୍ରତ ୮
ତେଜେ ପ୍ରଚଣ୍ତ ସେ ବିରାଜେ । ଏ ସପ୍ତଦ୍ୱୀପା ମହୀ ଭୁଞ୍ଜେ ୯
ଯେମନ୍ତେ ଧର୍ମ ଏ ସଂସାରେ । ରଖିଲେ କହ ମୁନିବରେ ୧୦
ତାର ଦୁହିତା ଅନୁପମ । ଯାହାର ଦେବହୂତି ନାମ ୧୧
କର୍ଦ୍ଦମ ତାର ନିଜ ପତି । ତାର ଭୂବନେ ଦେବହୂତି ୧୨
ସେବା କରଇ ଅନୁବ୍ରତେ । ଯେ ଧର୍ମ ପତିବ୍ରତା ମତେ ୧୩
ସ୍ୱାମୀ ସୁହାଗେ ସଉଭାଗ୍ୟେ । ମୈଥୁନ ଭାବେ ରତିରଙ୍ଗେ ୧୪
ତାହାର ଗର୍ଭେ ପୁତ୍ର କେତେ । ଜନ୍ମିଲେ କହ ମୋ ଅଗ୍ରତେ ୧୫
ତାହା ଶ୍ରବଣେ ଇଚ୍ଛା ମୋର । କହ ସଦୟେ ମୁନିବର ୧୬
ମନୁ ତନୟା ଯେ ଆକୂତି । ତାହାଙ୍କୁ ରୁଚି ପ୍ରଜାପତି ୧୭
ବ୍ରହ୍ମଜ ଦକ୍ଷ ପ୍ରଜାପତି । ସେ ପୁଣ ଲଭିଣ ପ୍ରସୂତି ୧୮
ସୃଷ୍ଟି ସୃଜିଲେ କେଉଁଭାବେ । ଭୋ ମୁନି ତାହା କହ ଏବେ ୧୯
ଏମନ୍ତ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହାଶୁଣି ୨୦

ମୈତ୍ରେୟ ଉବାଚ

କର୍ଦ୍ଦମେ ରାଇ ବେଦବର । ବୋଇଲେ ପ୍ରଜା ସୃଷ୍ଟିକର ୨୧
ବ୍ରହ୍ମାର ଆଜ୍ଞା ଘେନି ଶିରେ । ମିଳିଲେ ସରସ୍ୱତୀ ତୀରେ ୨୨
ଅତି କଠୋର ତପ କଲା । ଶୁଣ ହେ ଯେତେ ଦିନ ଗଲା ୨୩
ଦେବଙ୍କ ଅୟୂତ ବରଷେ । ବସିଲା ଆତ୍ମାର ବିଶ୍ୱାସେ ୨୪
ସମାଧି ଯୋଗରେ କର୍ଦ୍ଦମ । ସେବିଲେ ପୁରୁଷଉତ୍ତମ ୨୫
ତପ ସମାଧି କ୍ରିୟା ଯୋଗେ । ନିଶ୍ଚଳ ଭକ୍ତି ଅନୁରାଗେ ୨୬
ତାର ସମୀପେ ହୃଷୀକେଶ । ତକ୍ଷଣେ ହୋଇଲେ ପ୍ରବେଶ ୨୭
ଶୁକ୍ଳ-କମଳ-ମାଳ ଗଳେ । ବଦନ ଶୋଭିତ କୁଣ୍ତଳେ ୨୮
ଶବଦବ୍ରହ୍ମ ରୂପ ଧରି । ଶତେ ଆଦିତ୍ୟ ନୋହେ ସରି ୨୯
ଲୋଚନ ପୁଣ୍ତରୀକଦଳେ । ସୁନ୍ଦର ଅଳକା କପୋଳେ ୩୦
ନିର୍ମଳ ବସ୍ତ୍ର ପରିଧାନ । ସୁନ୍ଦର ମସ୍ତକ ଭୂଷଣ ୩୧
କିରୀଟ କୁଣ୍ତଳ ବିରାଜେ । ଶଙ୍ଖ କମଳ ଗଦା ସାଜେ ୩୨
ଚକ୍ର ବିରାଜେ ଦକ୍ଷକରେ । ତେଜେଣ ଦଶଦିଗ ପୁରେ ୩୩
ଅଧରେ ସ୍ମିତହାସ୍ୟ ଯାର । ବିରାଜେ ଅତି ମନୋହର ୩୪
ସ୍ମିତ ବାରିକ ଚକ୍ଷୁ ବେନି । ବିରାଜେ ନିଜ ତେଜ ଘେନି ୩୫
ସୁନ୍ଦର ହାସ୍ୟେ ମନ ମୋହେ । କୋଟି କନ୍ଦର୍ପ ସମ ନୋହେ ୩୬
ଗରୁଡ ସ୍କନ୍ଧେ ଆରୋହଣ । ଅମୂଲ୍ୟ ରତ୍ନ ବିଭୂଷଣ ୩୭
ଭ୍ରୂଭଙ୍ଗେ ରୁଚିର ଶ୍ରୀମୁଖ । ଦେଖନ୍ତେ ହରେ ଭବଦୁଃଖ ୩୮
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । କୌସ୍ତୁଭମଣି କଣ୍ଠମାଝେ ୩୯
ଶୁକ୍ଳ ଶରୀର ଶୂନ୍ୟମାର୍ଗେ । ଯେ ରୂପ ବହେ ସତ୍ୟଯୁଗେ ୪୦
ଶୂନ୍ୟ-ମଣ୍ତଳେ ବିଷ୍ଣୁ ଦେଖି । ଉଠିଲା ଆସନ ଉପେକ୍ଷି ୪୧
ବହୁ ବରଷ ତପ ଶ୍ରମ । ଦେଖନ୍ତେ ଗଲା ମନ ଭ୍ରମ ୪୨
ରୋମ ହରଷ କଳେବର । ନୟନୁ ବହେ ଅଶ୍ରୁଧାର ୪୩
କର ଅଞ୍ଜଳି ଦେଇ ମାଥେ । ଦଣ୍ତ ପ୍ରଣାମ ଭୂମିଗତେ ୪୪
ଆନନ୍ଦେ ପ୍ରାପ୍ତ ମନୋରଥ । ଅନ୍ତରେ ହୋଇ କୃତକୃତ୍ୟ ୪୫
ଶ୍ରୁତି ବଚନ ମୁଖେ କହି । ବୋଲଇ ବିଷ୍ଣୁ ରୂପ ଚାହିଁ ୪୬

କର୍ଦ୍ଦମ ଉବାଚ

ଭୋ ନାଥ ତବ ଦରଶନ । ସଫଳ କଲା ମୋ ନୟନ ୪୭
ଯେ ରୂପ ଦେଖିବାର ଅର୍ଥେ । ଯୋଗ ସାଧନ୍ତି ମୁନିସନ୍ଥେ ୪୮
ଭୋ ନାଥ ତୋହର ଚରଣ । ଜୀବର ପରମ କାରଣ ୪୯
ତୋ ପାଦପଦ୍ମ ନାବ କରି । ଭବସାଗରୁ ଯାନ୍ତି ତରି ୫୦
ଏ ଭାବ ଛାଡ଼ି ଯେ ସଂସାରେ । ବିଷୟରସ ଆଶ୍ରେ କରେ ୫୧
ତାହାର ମୋକ୍ଷ ଆଉ କାହିଁ । ସଂସାରେ ନିୟତ ଭ୍ରମଇ ୫୨
ନରକେ ଯାନ୍ତି ସେହି ମତେ । ସେ ତୋତେ ପାଇବେ କେମନ୍ତେ । ୫୩
ସେହି ପ୍ରକାରେ ମନ ମୋର । କଳ୍ପଇ ବିଷୟା ଗୋଚର ୫୪
ତୋର ଆଦେଶେ ସୃଷ୍ଟି ଧର୍ମେ । କଳ୍ପଇ ଗୃହସ୍ଥ ଆଶ୍ରମେ ୫୫
ଯେ ଗୃହ କାମଧେନୁ ପ୍ରାୟେ । କୁଟୁମ୍ବ ଜନ ମନ ମୋହେ ୫୬
ତୋର ଚରଣ କଳ୍ପଦ୍ରୁମ । ଆଶ୍ରେ ଲଭିବି ସର୍ବକାମ ୫୭
ତୋ ଅନୁଗ୍ରହେ ମନୁରାଜା । କଳ୍ପିବ ତାହାର ତନୁଜା ୫୮
ମୁଁ ପୁଣି ସର୍ବପ୍ରାଣୀ ହିତେ । ଯେମନ୍ତେ ତୋ ଚରଣାଗତେ ୫୯
ବଳି ନିବେଦି ଗୃହଧର୍ମେ । ଯେମନ୍ତେ ରମିବି ଆଶ୍ରମେ ୬୦
ତୋ ପଦ ବିନୁ ଚକ୍ରଧର । ସେବିବି କାହାର ପୟର ୬୧
ତୋ ପାଦ ତାପତ୍ରୟ-ଛତ୍ର । ଏ କଥା ଜଗତେ ବିଦିତ ୬୨
ତୋ ରୂପ ଗୁଣ ଅବତାର । ନିର୍ମଳ ବହେ ସୁଧାଧାର ୬୩
ତେଣେ ଲୋଭିତ ଯାର ଚିତ୍ତ । ସେ ନୋହେ କାଳଚକ୍ରେ ଗ୍ରସ୍ତ ୬୪
ତୋ କାଳଚକ୍ରର ମହିମା । କେ କରିପାରେ ଗୁଣ ସୀମା ୬୫
ଯାହାର ବ୍ରହ୍ମରୂପୀ ଅକ୍ଷ୍ୟ । ଭ୍ରମଣେ କେବା କରୁ ଲକ୍ଷ୍ୟ ୬୬
ତୃତୀୟ ଦଶ ଥର ହୋଇ । ତ୍ରିଶତଷଷ୍ଠୀ ପର୍ବ ଯହିଁ ୬୭
ଅନନ୍ତ ପତ୍ର ଷଟନେମୀ । ତ୍ରିନାଭି ଯେହୁ ବ୍ୟଗ୍ରଗାମୀ ୬୮
ଏ ରୂପେ ଧାମେ ଅବିରତେ । ପ୍ରାଣୀ ଆୟୁଷ ହରେ ନିତ୍ୟେ ୬୯
ଏମନ୍ତ କାଳ ରୂପ ଯେହି । ତୋ ଭକ୍ତେ ନ ପାରଇ ସେହି ୭୦
ତୁ ଏକରୂପୀ ଛନ୍ନଦେହା । ଜଗନ୍ମୋହିନୀ ତୋର ମାୟା ୭୧
ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ । ଯେସନେ ଉର୍ଣ୍ଣନାଭି ବତ ୭୨
କାମୀ ଅକାମୀ ମନ ପୂର୍ଣ୍ଣ । କରେ ତୋ ପାଦ କଳ୍ପଦ୍ରୁମ ୭୩
ତୋତେ ଜାଣନ୍ତି ଯେତେ ଜୀବେ । କର୍ମର ଭୋଗନାଶ ତେବେ ୭୪
ଆପଣେ ଆପଣା ମାୟାରୁ । ଏ ବିଶ୍ୱ ଆବର୍ତ୍ତିତ କରୁ ୭୫
ତୁହି ସକଳ କାମଦାତା । ନିଷ୍କାମ ଜନ ମୋକ୍ଷଦାତା ୭୬
ଏଣୁ ମୁଁ ନିଷ୍ଠା କାମ ବଳେ । ନମଇ ତୋ ପାଦ କମଳେ ୭୭
ଯେଣୁ ତୁ ଭକ୍ତି-ମୁକ୍ତିଦାତା । ତୋ ପାଦେ ନମୁଁ ଦୁଃଖ ହର୍ତ୍ତା ୭୮
ଭୋ ନାଥ ତୋହର ମହିମା । କେ କହିପାରେ ଗୁଣସୀମା ୭୯

ମୈତ୍ରେୟ ଉବାଚ

ଏମନ୍ତ ମୁନି ବାକ୍ୟ ଶୁଣି । ଗରୁଡ ସ୍କନ୍ଧେ ଚକ୍ରପାଣି ୮୦
ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ । କହନ୍ତି ମୁନି ମୁଖ ଚାହିଁ ୮୧

ଭଗବାନ ଉବାଚ

ଶୁଣ ହୋ ପ୍ରଜାପତି ସୁତ । ମୁହିଁ ଜାଣିଲି ତୋର ଚିତ୍ତ । ୮୨
ତୁ ଯେଣୁ ପୂଜି ମୋ ଚରଣ । କଳ୍ପିଲୁ ସୃଷ୍ଟିର କାରଣ । ୮୩
ଯହିଁ ତୋହାର ମନଯୋଗ । ପୂର୍ବେ କରିଛି ତା ସଂଯୋଗ । ୮୪
ଅବଶ୍ୟ ତାହା କରିବଇଁ । ମୋ ପୂଜା ବିଅର୍ଥେ ନ ଯାଇ । ୮୫
ତୁ ଏବେ ସାବଧାନେ ଶୁଣ । କହିବା ତହିଁର କାରଣ । ୮୬
ଯେ ପୂର୍ବେ ପଦ୍ମଯୋନି ତନୁ । ସମ୍ଭୂତ ସ୍ୱାୟମ୍ଭୁବମନୁ । ୮୭
ଯେ ପ୍ରଜାପତିଙ୍କର ପତି । ଯାହାର ସଦାଚାର ଖ୍ୟାତି । ୮୮
ଏ ବ୍ରହ୍ମାବର୍ତ୍ତେ ରାଜା ହୋଇ । ପାଳଇ ସପ୍ତଦ୍ୱୀପା ମହୀ । ୮୯
ସେହି ଧର୍ମଜ୍ଞ ମନୁ ତୋତେ । ଆସିବେ ଦେଖିବା ନିମନ୍ତେ । ୯୦
ତାହାର ଶତରୂପା ନାରୀ । ରୂପେ କମଳା ନୋହେ ସରି । ୯୧
ସେ ବେନିଜନେ ଏକ ରଥେ । ତୋ ରୂପ ଦେଖିବାର ଅର୍ଥେ । ୯୨
ତୋହର ସମୀପେ ସାକ୍ଷତେ । ମିଳିବେ ବେନିଦିନ ଅନ୍ତେ । ୯୩
ତାର ଦୁହିତା ଦେବହୂତି । ରୂପେ ସମାନ ନୋହେ ରତି । ୯୪
ତାର ବୟସ ରୂପ ଗୁଣେ । ଅପରେ କେ ଅଛି ପ୍ରମାଣେ । ୯୫
ତା ରୂପ ଅତି ମନୋହର । ତୁ ତାହା ଅନୁରୂପେ ବର । ୯୬
ସେ କନ୍ୟା ସମର୍ପିବ ତୋତେ । ଯେ ବିଧିବିଧାନ ଉକତେ । ୯୭
ତୁ ମୋ ଚରଣେ ଚିତ୍ତ ଦେଇ । ଯେତେ ବରଷ ତପ ଦାହି । ୯୮
ନିରତେ କଲୁ ଆତ୍ମଯୋଗ । ଏବେ ବିଷୟ ଅନୁଭୋଗ । ୯୯
ମନୁ-ଦୁହିତା ତୋର ସଙ୍ଗେ । ନିରତେ ଭଜୁ ଅନୁରାଗେ । ୧୦୦
ସେ ତୋର ତୁଲେ କରି ଭାବ । ନବଧା-ଗର୍ଭ ପ୍ରସବିବ । ୧୦୧
ତୋହର ବୀର୍ଯ୍ୟେ ଯେତେ କନ୍ୟା । ଜନ୍ମିବେ ରୂପଗୁଣେ ଧନ୍ୟା । ୧୦୨
ତାହାଙ୍କ ଗର୍ଭେ ଋଷିଗଣ । କଳ୍ପିବେ ବହୁତ ସନ୍ତାନ । ୧୦୩
ତୋହର ଗୁଣ ଅନୁପମ । ହୋଇବେ ଅନୁମତ ନାମ । ୧୦୪
ତୁ ଯେ ମୋ ଆଜ୍ଞା ଶିରେ ଧରି ।ମୋତେ ତୁ ତୀର୍ଥପ୍ରାୟ କରି । ୧୦୫
ଅଶେଷ କର୍ମଫଳ ଦେଇ । ମୋତେ ପାଇବୁ ତେଣୁ ତୁହି । ୧୦୬
ଅଶେଷଭୂତେ ତୋର ଦୟା । ତୋତେ ନ ଲାଗୁ ବିଷ୍ଣୁ ମାୟା । ୧୦୭
ଆତ୍ମାରେ ଜଗତ ଆରୋପି । ତୁ ଯେ ମୋହାର ଭାବେ ବ୍ୟାପି । ୧୦୮
ଆତ୍ମା ସହିତେ ସର୍ବଭୂତ । ମୋଠାରେ ହୋଇଛି ମିଳିତ । ୧୦୯
ତପ ସାଧିଲୁ ଚିରକାଳେ । ଏ ଘୋର ସଂସାର ଉଲ୍ଲୋଳେ । ୧୧୦
ତୁ ମୋତେ ଆତ୍ମାରେ ଦେଖିବୁ । ଜୀବନ ସଫଳ ଲଭିବୁ । ୧୧୧
ମୁଁ ପୁଣି ପଶି ତୋର ବୀର୍ଯ୍ୟେ। ସ୍ୱଭାବେ ବିଷ୍ଣୁଅଂଶ ତେଜେ । ୧୧୨
ତୋହାର କ୍ଷେତ୍ରେ ମୁଁ ସମ୍ଭୂତ । ହୋଇବି ଦେବହୂତି ସୁତ । ୧୧୩
ତତ୍ତ୍ବ ସଂହିତା ପ୍ରଣୟନ । କରିବି ହୋଇ ଅବତୀର୍ଣ୍ଣ । ୧୧୪

ମୈତ୍ରେୟ ଉବାଚ

ଏମନ୍ତ କହି ମୁନି ଆଗେ । ହରି ଚଳିଲେ ଶୂନ୍ୟମାର୍ଗେ । ୧୧୫
ଗମିଲେ ବିନ୍ଦୁସରୋବରୁ । ନିର୍ମଳ ସରସ୍ୱତୀ ତୀରୁ । ୧୧୬
ସେ ନଦୀତୀରେ ପୁଷ୍ପବନେ । ଗରୁଡ ପକ୍ଷୀ ନାଦ ସ୍ୱନେ । ୧୧୭
ଭୃଙ୍ଗ ସମୂହେ ବାୟୁ ବହେ । ଶୁଭଇ ସାମଗାନ ପ୍ରାୟେ । ୧୧୮
ଏମନ୍ତେ ଶୁଣ ହୋ ବିଦୁର । ସେ ସ୍ୱାୟମ୍ଭୁବ ମନୁବର । ୧୧୯
ସୁବର୍ଣ୍ଣ ଆଚ୍ଛାଦିତ ରଥେ । ଆରୋହି ପାରିଷଦ ଯେତେ । ୧୨୦
ସଙ୍ଗତେ ଘେନି ଦେବହୂତି । ଭୂମି ପର୍ଯ୍ୟଟନ କରନ୍ତି । ୧୨୧
ମିଳିଲେ କର୍ଦ୍ଦମ ଆଶ୍ରମେ । ବିଷ୍ଣୁର କହିଥିବା ଦିନେ । ୧୨୨
ନିର୍ମଳ ସରସ୍ୱତୀ ତୀରେ । ମିଳିଲେ ବିନ୍ଦୁ ସରୋବରେ । ୧୨୩
ଦେଖିଲେ କର୍ଦ୍ଦମ ଶରୀର । ତପ ସାଧନେ କୃଶତର । ୧୨୪
ପୂର୍ବେ ଯେ ସରସ୍ୱତୀ କୂଳେ । ବିଷ୍ଣୁ ମିଳିଲେ ଋଷିମେଳେ । ୧୨୫
ଦେଖି ତାହାଙ୍କ ଭକ୍ତିଭାବ । ତନୁ ପୁଲକ ପଦ୍ମନାଭ । ୧୨୬
ସ୍ୱଭାବେ ଭକ୍ତଜନବନ୍ଧୁ । ନୟନୁ ଅଶ୍ରୁ ଜଳବିନ୍ଦୁ । ୧୨୭
ପଡିଲା ସରସ୍ୱତୀ ନୀର । ତେଣୁ ବୋଲାଇ ବିନ୍ଦୁସର । ୧୨୮
ସେ ବନ ସାମାନ୍ୟ ନୋହର । ଯହିଁରେ ପ୍ରଭୁ ଭାବଗ୍ରାହୀ । ୧୨୯
କର୍ଦ୍ଦମ ପ୍ରତି ଦୟା କରି । ପତିତ କଲେ ନେତ୍ର ବାରି । ୧୩୦
ପୁଣ୍ୟ ପବିତ୍ର ସୁଧା ଜଳ । ସ୍ୱଭାବେ ନିର୍ମଳ ଶୀତଳ । ୧୩୧
ଯେ ପୁଣ୍ୟଜଳ ମୁନିଗଣେ । ସେବା କରନ୍ତି ଅନୁକ୍ଷଣେ । ୧୩୨
ପବିତ୍ର ଦ୍ରୁମଲତା ଘନେ । ନାଦ କରନ୍ତି ପକ୍ଷୀଗଣେ । ୧୩୩
କ୍ରୀଡନ୍ତି ନାନା ବନଜୀବେ । ଗଭୀର ଶୁଭେ ଭୃଙ୍ଗରବେ । ୧୩୪
ସକଳ ଋତୁ ଫଳ ନାହିଁ । ପୁଷ୍ପ ପଲ୍ଲବ ବିରାଜଇ । ୧୩୫
ମତ୍ତ-ମୟୂର ଯୂଥ ଯୂଥ । କୋକିଳ ରାବ ସୁଲଳିତ । ୧୩୬
ପ୍ରମତ୍ତ ଭ୍ରମର ନିକରେ । ନାନା ପ୍ରକାରେ କ୍ରୀଡ଼ା କରେ । ୧୩୭
କଦମ୍ବ ଚମ୍ପକ ଅଶୋକ । ନାଗକେଶ୍ୱର କୁରୁବକ । ୧୩୮
କରଞ୍ଜ ପନସ ଅସନ । କୁନ୍ଦ ମନ୍ଦାର ଚୂତବନ । ୧୩୯
ହଂସ ସାରସ ବକପନ୍ତି । ଜଳକୁକ୍କୁଟ ରାବ ଦ୍ୟନ୍ତି । ୧୪୦
ଚକୋର ଚକ୍ରବାକ ବାଣୀ । ଅତି ଗଭୀର ପରିମାଣି । ୧୪୧
ଗୟଳ ଶଲ୍ଲକ କୁଞ୍ଜର । କୁରଙ୍ଗ ହରିଣ ଶୂକର । ୧୪୨
ବାନର ଗୋଲାଙ୍ଗୁଳ ସାଜେ । ନକୁଳ କସ୍ତୁରୀ ବିରାଜେ । ୧୪୩
ସେ ତୀର୍ଥବରେ ଆଦିରାଜା । ରଥେ ମିଳିଲେ ମହାତେଜା । ୧୪୪
କଳତ୍ର ଦୁହିତା ସମେତେ । ପ୍ରବେଶ ହେଲା ରତ୍ନପଥେ । ୧୪୫
ଦେଖିଲା ମୁନିଙ୍କ ବଦନ । ସ୍ୱଭାବେ ଦ୍ରୁତ ହୁତାଶନ । ୧୪୬
ସ୍ୱଭାବେ ଘୋରତପ ତେଜେ । ସୁନ୍ଦର ଶରୀର ବିରାଜେ । ୧୪୭
ବିଷ୍ଣୁ ଜନ୍ମିବେ ଯା ଶରୀରେ । ସୁନ୍ଦର କେତେକ ମାତରେ । ୧୪୮
ଅମୃତ ତୁଲ୍ୟ ବିଷ୍ଣୁବାଣୀ । ସେ ମୁନି କର୍ଣ୍ଣପଥେ ଶୁଣି । ୧୪୯
ରୋମ ପୁଲକ କଳେବର । ନେତ୍ରେ ଆନନ୍ଦ ଅଶ୍ରୁଧାର । ୧୫୦
ଶିରେ ସୁନ୍ଦର ଶୋହେ ଜଟା । ବସନ ଚିରାଣି କାଛଟା । ୧୫୧
ସେ ମୁନି ମଳିନ ଯେ ଗାତ୍ର । ରତ୍ନ ଯେସନେ ଅସଂସ୍କୃତ । ୧୫୨
ଏମନ୍ତ ଦେଖି ନୃପମଣି । ସଙ୍ଗତେ ନିଜ ପତ୍ନୀ ଘେନି । ୧୫୩
ରଥୁ ତୁରିତେ ଅବତରି । ମୁନି ସମୀପେ ଦଣ୍ତଧାରୀ । ୧୫୪
ମିଳିଲେ ଯୋଡି ବେନିପାଣି । ପାଦେ ପ୍ରଣାମ କଲେ ପୁଣି । ୧୫୫
ଦେଖି ଉଠିଲେ ମୁନି ବେଗେ । ଆଶିଷ କଲେ ମନ୍ତ୍ରଯୋଗେ । ୧୫୬
ବିଷ୍ଣୁ ଆଦେଶ ଗୁଣି ମନେ । ଆନନ୍ଦ ଉଲ୍ଲୋଳ ଲୋଚନେ । ୧୫୭
ପୂଜିଲେ ବସାଇ ଆସନେ । କହନ୍ତି ଅମୃତ ବଚନେ । ୧୫୮
ରାଜ କୁଶଳ ପ୍ରଶ୍ନବାଣୀ । ସନ୍ତୋଷେ ପୁଚ୍ଛେ ବିପ୍ରମଣି । ୧୫୯

କର୍ଦ୍ଦମ ଉବାଚ

ତୋ ଆଗମନେ ନୃପବର । ଧନ୍ୟ ଏ ଆଶ୍ରମ ମୋହର । ୧୬୦
ତୁମ୍ଭ ଭ୍ରମଣ ଏ ଜଗତେ । ସାଧୁଜନଙ୍କ ରକ୍ଷା ଅର୍ଥେ । ୧୬୧
ଅସାଧୁଜନ ବିନାଶନେ । ନିଶ୍ଚଳେ ଧର୍ମର ସ୍ଥାପନେ । ୧୬୨
ରବି ଶଶାଙ୍କ ଅଗ୍ନି ଯମ । ଇନ୍ଦ୍ର ବରୁଣ ବାତ ଧର୍ମ । ୧୬୩
ଏ ଅଷ୍ଟ-ଦିଗପାଳ ତେଜ । ଏଣୁ କ୍ଷତ୍ରିୟ ଅଷ୍ଟଭୁଜ । ୧୬୪
ଏଣୁ ତୁମ୍ଭଙ୍କୁ ନମସ୍କାର । ତୁ ଧର୍ମମୂର୍ତ୍ତି ନୃପବର । ୧୬୫
ରଥ ଆରୋହି ତୋ ବିହାର । ଅସତଜନ ଗର୍ବ ହର । ୧୬୬
ଘୋର-ଗର୍ଜନ ଧନୁ-ରବେ । ଉଦ୍ଦଣ୍ତ ସଂଗ୍ରାମ ଉତ୍ସବେ । ୧୬୭
ବେଷ୍ଟିତ ଚତୁରଙ୍ଗ ବଳେ । କମ୍ପାଇ ଅବନୀ ମଣ୍ତଳେ । ୧୬୮
ସୂର୍ଯ୍ୟର ପ୍ରାୟେ ତେଜ ଧରି । ଖେଟ ଖର୍ବଟ ବନଗିରି । ୧୬୯
ଶତ୍ରୁ ବିନାଶେ ସାବଧାନେ । କ୍ଷତ୍ରିୟଧର୍ମ ଏ ପ୍ରମାଣେ । ୧୭୦
ଏହା ନ କରି ଯେବେ ଘରେ । ସୁଖଶୟନେ ନିଦ୍ରା କରେ । ୧୭୧
ତେବେ ଅସତ ରିପୁ ବଳ । ନାଶନ୍ତି ଭୁବନ ମଣ୍ତଳ । ୧୭୨
ତଥାପି ଶୁଣ ହେ ରାଜନ । ଯେ ଅର୍ଥେ ତୁମ୍ଭ ଆଗମନ । ୧୭୩
ତୁମ୍ଭର ପ୍ରିୟଭାବ ବହି । ସୁହୃଦ ଭାବେ କରିବଇଁ । ୧୭୪
ଏମନ୍ତ କହି ରାଜା ଆଗେ । କର୍ଦ୍ଦମ ଅତି ସଉଭାଗ୍ୟେ । ୧୭୫
ବିଷ୍ଣୁର ବଚନ ସୁମରି । ଅଧିକ ପ୍ରିୟଭାବ ଭାରି । ୧୭୬
ସେ ମୁନି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ଏକବିଂଶୋଽଧ୍ୟାୟଃ ।

ଦ୍ୱାବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତେ ରାଜା ଗୁଣଗ୍ରାମ । ଆନନ୍ଦେ ବର୍ଣ୍ଣିଲେ କର୍ଦ୍ଦମ । ୧
ଶୁଣିଣ ଆପଣା ସୁଖ୍ୟାତି । ଲଜ୍ଜିତ ହୋଇଲେ ଭୂପତି । ୨
ବୋଇଲେ ମୁନି ମୁଖ ଚାହିଁ । ଶୁଣ କର୍ଦ୍ଦମ ଦୟାବହି । ୩

ମନୁ ଉବାଚ

ସେ ବେଦମୟ ବ୍ରହ୍ମାଆଗେ । ବେଦ ପ୍ରବୃତ୍ତି ଇଚ୍ଛାଯୋଗେ । ୪
ତପସ୍ୟା ବିଦ୍ୟା ଯୋଗଯୁକ୍ତ । ଲମ୍ପଟ ଭାବ ବିରହିତ । ୫
କରି ସୃଜିଲେ ଲୋକଗୁରୁ । ତୁମ୍ଭମାନଙ୍କୁ ସ୍ୱମୁଖରୁ । ୬
ଏଣୁ ପବିତ୍ର ତୁମ୍ଭ ଦେହୀ । ସୁବିଦ୍ୟାତପ ଛନ୍ଦମୟୀ । ୭
ଯୋଗ ସାଧନେ ଅଲମ୍ପଟ । ତୁମ୍ଭ ସାଧନ ସ୍ୱର୍ଗ-ବାଟ । ୮
ଏ ତୁମ୍ଭ ଧର୍ମରକ୍ଷା ଅର୍ଥେ । ସେ ପିତାମହ ଏ ଜଗତେ । ୯
ସହସ୍ରେ ଭୁଜ ତେଜ ଘେନି । ସୃଷ୍ଟି ପାଳନେ ପଦ୍ମଯୋନି । ୧୦
କ୍ଷତ୍ରିୟ ଜାତି ଭିଆଇଲା । ସେ ତେଜ ସୃଷ୍ଟି ଆବୋରିଲା । ୧୧
ଏ ବେନି ତେଜେ ବେନି ରହେ । ଧର୍ମ ପାଳନେ ଦେହ ବହେ । ୧୨
ଏଣୁ ତୁମ୍ଭର ଦରଶନେ । ସଂଶୟ ନରହେ ମୋ ମନେ ୧୩
ଯେଣୁ ଅନେକ ଭାଗ୍ୟ ମୋର । ଦେଖିଲି ତୁମ୍ଭର ଶରୀର ୧୪
ତୁମ୍ଭ ଚରଣରଜ-ନୀର । ପବିତ୍ର କଲା ମୋ ଶରୀର ୧୫
ପ୍ରାକୃତଜନ ମାନଙ୍କର । ଯେ ରୂପ ଅଟେ ଅଗୋଚର ୧୬
ତୁମ୍ଭର ଅନୁଗ୍ରହ ପାଇ । ପବିତ୍ର କଲି ନିଜ ଦେହୀ ୧୭
ତୁମ୍ଭର ବାକ୍ୟେ କର୍ଣ୍ଣପଥ । ନିଶ୍ଚଳ ହୋଏ କୃତକୃତ୍ୟ ୧୮
ମୁଁ ଏ ଦୁହିତା ସ୍ନେହେ ଜଡି । ଏ ମାୟାମୋହ ବନ୍ଧେ ପଡି ୧୯
ଏଣୁ ମୋହର ଦୁଃଖ ମନେ । କହିବି ଶୁଣ ସାବଧାନେ ୨୦
ମୋହର ଜ୍ୟେଷ୍ଠ ବେନିସୁତ । ଉତ୍ତାନପାଦ ପ୍ରିୟବ୍ରତ ୨୧
ତାଙ୍କ ଭଗିନୀ ଏ ସୁମୁଖୀ । ଏ ଦେବହୂତି ଚନ୍ଦ୍ରମୁଖୀ ୨୨
ଏହାର ଗୁଣ ଶୀଳ ସମେ । ପତି ଇଚ୍ଛଇ ନିଜ ଧର୍ମେ ୨୩
ତୁମ୍ଭର ରୂପ ଗୁଣ ଯେତେ । ନାରଦ ଏହାର ଅଗ୍ରତେ ୨୪
କହିଲେ ମୋହର ସାକ୍ଷାତେ । ତେଣୁ କଳ୍ପିଲା ଏହା ଚିତ୍ତେ ୨୫
ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେ । ଘେନି ମିଳିଲି ତୋ ଅଗ୍ରତେ ୨୬
କନ୍ୟା ଗ୍ରହଣ ତୁମ୍ଭେ କର । ଶ୍ରଦ୍ଧାରେ ଦେଲି ଉପହାର ୨୭
ତୁ ଧର୍ମଜ୍ଞାନୀଙ୍କର ବର । ଗୃହସ୍ଥଧର୍ମ ଏବେ କର ୨୮
ତୋ ଗୃହାଶ୍ରମ କର୍ମମାନ । ସୁନ୍ଦର କରିବ ସାଧନ ୨୯
ଏଣେ ତୋ ପ୍ରତିବାଦ ନାହିଁ । ପୁଷ୍କଳଧର୍ମେ ଏହା କହି ୩୦
ଉଦ୍ୟତଭୋଗ ଯେବେ ଛାଡି । ଯେ ଯାନ୍ତି ଭିକ୍ଷୁପଥ ମାଡି ୩୧
ଯେ ଯଶମାନ ତାର ଥାଇ । ଅବଜ୍ଞା ବଶେ ନ ରହଇ ୩୨
ତୁମ୍ଭର ବ୍ରହ୍ମଚର୍ଯ୍ୟବ୍ରତ । ଅବଧି ହେଲା ସମାପତ ୩୩
ବିବାହ କରିବାର ପାଇଁ । ଶୁଣିଲୁ ଇଚ୍ଛା ବଳିଛଇଁ ୩୪
ଏବେ ତୁ ଗୃହମେଧି ଧର୍ମ । କର ସଫଳ ଏ ଉଦ୍ୟମ ୩୫
ଏ ଦେବହୂତି କନ୍ୟା ମୋର । ବେଦ ପ୍ରମାଣେ ବିଭାକର ୩୬
ଏମନ୍ତ ମନୁବାକ୍ୟ ଶୁଣି । କŸର୍ଦ୍ଦମ ହୃଦେ ପରିମାଣି ୩୭
ବୋଲନ୍ତ ମନୁ ମୁଖ ଚାହିଁ । ଆନନ୍ଦଚିତ୍ତେ ଦେହ ବହି ୩୮

କର୍ଦ୍ଦମ ଉବାଚ

ତୁମ୍ଭର ଆଜ୍ଞା ଶିରୋ ଧରି । ଏ ଦେବହୂତି ବିଭାକରି ୩୯
ରମିବି ସଂସାର ଧାରଣେ । ଆତ୍ମାର ଉତ୍ପତ୍ତି କାରଣେ ୪୦
ଯେ ମନୁରାଜାର ଦୁହିତ । ଉତ୍ତାନପାଦ ଯାର ଭ୍ରାତ ୪୧
ଏ ଗୁଣବତୀ କନ୍ୟାସାର । କି ଅବା ଦେବା ପଟାନ୍ତର ୪୨
ମୋହର କର୍ମେ ଏ ବିଦିତ । ସୁନ୍ଦର ଗୁଣ ବର୍ଣ୍ଣ‌ଯୁକ୍ତ ୪୩
ଏଣୁ ଏ ଲଳନା ଲଲାମ । ଏହାର ଗୁଣ ଅନୁପମ ୪୪
କେ ତାହା ଛାଡି ଅବା ପାରେ । ଶରୀର ବହି ଏ ସଂସାରେ ୪୫
କରିବି ଦାର ପରିଗ୍ରହ । ତୁମ୍ଭେ ମୋହରେ ସ୍ନେହ ବହ ୪୬
କିନ୍ତୁ ଏ ନିୟମ ମୋହର । ଶୁଣ ହେ ଧର୍ମପାଳ ବର ୪୭
ଯାବତ ଏହା କୋଳେ ଜାତ । ସୁନ୍ଦର ଗୁଣବନ୍ତ ପୁତ୍ର ୪୮
ତାବତ ଗୃହାଶ୍ରମ ରହି । ତହୁଁ ସନ୍ନ୍ୟାସ କରିବଇଁ ୪୯
ତୁମ୍ଭ ବଚନ ମାନ୍ୟ ମୋର । ଯେ ଭାବେ ଜନ ଉପକାର ୫୦
ପିତ୍ରାଦି ଋଣ ଶୋଧ କରି । ପରେ ସନ୍ନ୍ୟାସ ଅନୁସରି ୫୧
ଏମନ୍ତ ବିଷ୍ଣୁ ଅନୁମତି । ତୁମ୍ଭଙ୍କୁ କହିଲି ସମ୍ପ୍ରତି ୫୨

ମୈତ୍ରେୟ ଉବାଚ

ଏମନ୍ତେ ବିପ୍ର ବାକ୍ୟ ଶୁଣି । ସନ୍ତୋଷ ଚିତ୍ତେ ରାଜା-ରାଣୀ ୫୩
ମୁନିଙ୍କି ବରବେଶ କରି । ବେଦ-ବିଧାନେ କନ୍ୟା ବରି ୫୪
ତାପସ ଶ୍ରେଷ୍ଠ ମୁନିବରେ । ହରଷେ ପ୍ରଫୁଲ୍ଲ ଅନ୍ତରେ ୫୫
ବିବାହ ଦେଇ ସେ ଉ›ତ୍ସୁକ । ଅନେକ ଦେଲେ ଯଉତୁକ ୫୬
ଅମୂଲ୍ୟ ବସନ ଭୂଷଣ । ଗୃହ ପୁଷ୍କଳ ମହୀ ଧନ ୫୭
ଝିଅ ଜୁଆଇଁ ପ୍ରୀତି ଅର୍ଥେ । ସେ ରାଣୀ ଦେଲେ ବହୁମତେ ୫୮
ସକଳ ଦେଇ ମୁନିଜନେ । ବୋଧିଲେ ଅମୃତ ବଚନେ ୫୯
ଆନନ୍ଦ ଚିତ୍ତେ ଦଣ୍ତଧାରୀ । ମୁନିଙ୍କି ଆଲିଙ୍ଗନ କରି ୬୦
କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେ । ଦୁହିତା ସ୍ନେହଭଙ୍ଗ ଦୁଃଖେ ୬୧
ହେ ମାତ ବୋଲି ଅଶ୍ରୁ ମୁଖ । ଦୁହିତା ଦୁଃଖେ ଅତି ଦଃଖ ୬୨
ଦୁହିତା କେଶ ନେତ୍ର ଜଳେ । ଅତି କାତରେ ଆର୍ଦ୍ର କଲେ ୬୩
ମୁନିଙ୍କି କନ୍ୟାଦାନ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ୬୪
ରଥ ଆରୋହୀ ବେନି ଜନେ । ଗଲେ ସେ ଆପଣା ଭୁବନେ ୬୫
ସେ ପୁଣ୍ୟନଦୀ ସରସ୍ୱତୀ । ଅତି ଶୋଭନ ତଟବତୀ ୬୬
ସେ ଋଷିକୂଲ୍ୟା ନଦୀ ତଟେ । ଅନେକ ଋଷି ଯା ନିକଟେ ୬୭
ପର୍ଣ୍ଣ କୁଟୀର ସେ ଭିଆଇ । ସୁଦୃଢେ କୁଶ କାଶ ଛାଇ ୬୮
ସେ ନଦୀତୀରେ ସୁଖେ ରହି । ବିଷ୍ଣୁ ଭଜନେ ଯଜ୍ଞ ଦାହି ୬୯
ତା ତଟେ ମୁନିଙ୍କ ଆଶ୍ରମ । ଦେଖି ତା ଶୋଭା ଅନୁପମ ୭୦
ମନୁର ଚିତ୍ତ ତୃପ୍ତ ହେଲା । ସ୍ୱଗୃହ ମାର୍ଗେ ଚଳିଗଲା ୭୧
ସେ ବ୍ରହ୍ମାବର୍ତ୍ତ ପ୍ରଜାଜନେ । ମନୁ ଆସନ୍ତେ ସ୍ୱଭୁବନେ ୭୨
ହରଷେ ରାଜାର ଅଗ୍ରତେ । ମିଳିଲେ ବାଦ୍ୟ ସ୍ତୁତି ରୀତେ ୭୩
ଯା ନା ବର୍ହିଷୃତି ପୁରୀ । ତହିଁ ବିଜୟେ ଦଣ୍ତଧାରୀ ୭୪
ବରାହ ଅଙ୍ଗର କମ୍ପନେ । ରୋମ ପଡ଼ିଲା ଯେଉଁ ସ୍ଥାନେ ୭୫
ସେ କୁଶ କାଶ ହୋଇ ଯହିଁ । ନିତ୍ୟେ ହରିର ତେଜ ବହି ୭୬
ପୂର୍ବେ ଋଷିଏ ଯେଣେ କରି । ଅସୁରଙ୍କର ଦର୍ପ ହରି ୭୭
ଯେ ଯଜ୍ଞ ବିଷ୍ଣୁ ପାଦତଳେ । ଯଜ୍ଞେ ପୂଜିଲେ ଏକ ମେଳେ ୭୮
ସେ ମନୁ ସ୍ଥାନ ତହିଁ ପାଇ । ଯଜ୍ଞପୁରୁଷ ଯଜ୍ଞେ ଦାହି ୭୯
ପୁର ନିର୍ମିତ କୁଶ କାଶେ । ସେ ସ୍ଥାନେ ତାପତ୍ରୟ ନାଶେ ୮୦
ସେ ଗୃହେ ପତ୍ନୀ ତୁଲେ ରହି । ସନ୍ତତି ସହ ପ୍ରିୟ ବହି ୮୧
କଳ୍ପିତ ସୁଖ ବଇଭୋଗେ । ସେ ପ୍ରଜାଅର୍ଥେ ରତି ରଙ୍ଗେ ୮୨
ସୁସ୍ୱର ଗୀତ ନାଦ ଧ୍ୱନି । ଗନ୍ଧିର୍ବେ ସ୍ତୀରୀବୃନ୍ଦ ଘେନି ୮୩
ସଙ୍ଗୀତ ରସ ବୀଣା ନାଦେ । ଲଳିତ ଗୀତ ଅନୁବାଦେ ୮୪
ପ୍ରତି ଦିବସ ରାତ୍ରି ଅନ୍ତେ । କୃଷ୍ଣଚରିତ ହୃଦଗତେ ୮୫
କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି । ଚିତ୍ତେ ଗୋବିନ୍ଦ ଭାବ ଭରି ୮୬
ନିରତେ କୃଷ୍ଣନାମ ଘୋଷେ । ସେ ବେନିଜନେ ଗୃହବାସେ ୮୭
ବିଷ୍ଣୁ ଚରିତ ହୃଦେ ଭରି । ନାମ ଶ୍ରବଣେ ଆଶା କରି ୮୮
ସେ ମନୁ ଯୋଗମାୟା ଭୋଗେ । ଥିଲେ ହେଁ ତାହାଙ୍କୁ ନ ଲାଗେ ୮୯
ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି । ତାହାକୁ କେହି ନ ବାଧନ୍ତି ୯୦
ଯେଣୁ ସେ ହରି ପରାୟଣ । ଅଟଇ ମନୁ ନୃପରାଣ ୯୧
କୃଷ୍ଣର କତା କର୍ଣ୍ଣେ ଶୁଣେ । ତା ରୂପ ଧ୍ୟାନେ ପରିମାଣେ ୯୨
ମୁଖେ ରଟନ୍ତି ନାମ ତାର । ତା କଥା କହି ନିରନ୍ତର ୯୩
ଏମନ୍ତେ ନିଜ ମନ୍ୱନ୍ତର । ଯେ ଯୁଗଗଣନା ବେଭାର ୯୪
ଏକସପ୍ତତି ଚତୁର୍ଯୁଗେ । ହୋଇଲା ମନ୍ୱନ୍ତର ଭୋଗେ ୯୫
ଏମନ୍ତେ ହରିଭାବ କରି । ତୃତୀୟ ତାପୁଁ ଯେ ନିସ୍ତରି ୯୬
ସେ ପୁଣି ମୁନିଙ୍କର ବୋଲେ । ବିବିଧ ଜ୍ଞାନ ହିଁ କହିଲେ ୯୭
ତ୍ରିବିଧ ବାଧା ଲୋକେ ଅଛି । ଭକ୍ତଙ୍କୁ ନ ଲାଗଇ କିଛି ୯୮
ମନୁର ବାଧା ହିଁ ନ ଥିଲା । ଯେଣୁ ହରିଙ୍କି ଆଶ୍ରେ କଲା ୯୯
ଶୁଣ ବିଦୁର ପୁଣ୍ୟଦେହା । କହିଲି ପଚାରିଲୁ ଯାହା ୧୦୦
ସେ ଆଦିରାଜ ମନୁ କଥା । ଶୁଣନ୍ତେ ତୁଟେ ଭବ ବ୍ୟାଥା ୧୦୧
ଏ ସୃଷ୍ଟି ଆଦିର କାରଣ । ଏବେ ହୋଇ ମନୁବଂଶ ଶୁଣ ୧୦୨
ତୃତୀୟ ସ୍କନ୍ଧେ ଭାବବତ । କହିଲା ଦାସ ଜଗନ୍ନାଥ ୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ।

ତ୍ରୟୋବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତେ କନ୍ୟା ବିଭା ଦେଇ । ମନୁ ଯେ ଗଲେ ରଥ ବାହି ୧
ଏବେ ହୋ ଶୁଣ କୁରୁନାଥ । କŸର୍ଦ୍ଦମମୁନୀଙ୍କ ଚରିତ ୨
ସେ ନଦୀତୀରେ ପୁଣ୍ୟ ବନେ । ଦୃଢେ ରହିଲେ ତପସ୍ଥାନେ ୩
ତାହାଙ୍କ ପତ୍ନୀ ଦେବହୂତି । ସୁନ୍ଦର ସୁଗୁଣ ସୁମତି ୪
ସ୍ୱାମୀର ମନ ଜାଣି ଚିତ୍ତେ । ସେବା କରଇ ଅନୁବ୍ରତେ ୫
ଇଙ୍ଗିତ ମାତ୍ରେ ଆଜ୍ଞା ବହେ । ଭବାନୀ ଭବସେବା ପ୍ରାୟେ ୬
ବିଶ୍ୱାସ ଆତ୍ମ-ଶୌଚ ଧର୍ମେ । ଧୀର ଗୌରବ ସମ ଦମେ ୭
ଶୁଶୂଷା ସହୃଦୟ ପ୍ରେମେ । ମଧୁରବାକ୍ୟେ ସୁସଂଭ୍ରମେ ୮
ବର୍ଜିତ କାମ ମଦ ହିଂସା । ଦମ୍ଭ ଗର୍ବିତ ମିଥ୍ୟାଭାଷା ୯
ଉଦ୍ୟମ ନିରଳସ ମତି । ସ୍ୱାମୀ ସନ୍ତୋଷେ ମନ ସ୍ଥିତି ୧୦
ମନୁ ତନୟା ଦେବହୂତି । ଦେବ ସମାନେ ମଣେ ପତି ୧୧
ପତିର ଆଶୀର୍ବାଦ ଲାଭ । କରିବା ପାଇଁ ତାର ଲୋଭ ୧୨
ତେଣୁ ପତିର ସେବା ନିତ୍ୟେ । କରଇ ଭକ୍ତିଭାବେ ଚିତ୍ତେ ୧୩
ଏମନ୍ତେ ଦେବହୂତି ଚାହିଁ । ମୁନି ସାନନ୍ଦେ ସ୍ନେହ ବହି ୧୪
ପତି ଦେବତାର ଆଶିଷେ । ନିରତେ ସେବେ ସ୍ୱାମୀ ପାଶେ ୧୫
ତାହାର ପତିବ୍ରତା ଧର୍ମ । ଦେଖି ବିଚାରଇ କŸର୍ଦ୍ଦମ ୧୬
ଏ ପତବ୍ରତାଙ୍କର ସାର । ସୁଶୀଳ ସୁଗୁଣ ଗମ୍ଭୀର ୧୭
ଏମନ୍ତ ଗୁଣ ମନେ ଗୁଣି । ସପ୍ରେମେ ଗଦଗଦ ବାଣୀ ୧୮
ନିଜ କାମିନୀ ସୁଖ ଚାହିଁ । କŸର୍ଦ୍ଦମ କହେ ପ୍ରେମ ବହି ୧୯

କŸର୍ଦ୍ଦମ ଉବାଚ

ଶୁଣ ସୁନ୍ଦରି ମୋ ବଚନ । ମୋର ବିଷୟେ ତୋର ମନ ୨୦
ଦେଖି ସନ୍ତୋଷ ମୋର ଚିତ୍ତ । ତୁ ଅନୁବ୍ରତେ ମୋର ଭକ୍ତ ୨୧
ପ୍ରାଣୀମାନଙ୍କ ନିଜ ଦେହ । ସୁହୃଦ ପ୍ରିୟ ଅତି ସ୍ନେହ ୨୨
ସେ ଦେହେ ତୋର ଯତ୍ନ ନାହିଁ । ମୋହରି ଅର୍ଥେ ମନ ଦେଇ ୨୩
ସ୍ୱଧର୍ମ ରତ ପ୍ରାଣୀଙ୍କର । ତପ ସମାଧି ବିଦ୍ୟାସାର ୨୪
ସୁଦୃଢ କର୍ମ ଆତ୍ମଧ୍ୟାନ । ଜୀବଙ୍କ ହିତ ତତ୍ତ୍ବଜ୍ଞାନ ୨୫
ଏ ସର୍ବ ଗୋବିନ୍ଦ ପ୍ରସାଦେ । ମୁଁ ଯେ ସାଧିଲି ନିରାପଦେ ୨୬
ତୋତେ ମୁଁ ଦିବ୍ୟଚକ୍ଷୁ ଦାନ । କଲି ତୁ ଦେଖ ବିଦ୍ୟମାନ ୨୭
ଏ ସର୍ବ ତୋହର ସୁସାଧ୍ୟ । ତୁ ଏବେ ଭଜ ବିଷ୍ଣୁପାଦ ୨୮
ଗୋବିନ୍ଦୁ ଯେବା ଭୋଗ ପାଇ । ସେ ଭୋଗେ ଭୟ ଶୋକ ନାହିଁ ୨୯
ଅନ୍ୟ ଅନେକ ଅଛି ଭୋଗ । କିନ୍ତୁ ସେ ତୋର ନୋହେ ଯୋଗ୍ୟ ୩୦
ତୁ ସିଦ୍ଧ ହେଲୁ ନିଜ କର୍ମେ । ଆପଣା ପତିବ୍ରତା ଧର୍ମେ ୩୧
ଏଣୁ ତୁ ଦିବ୍ୟଭୋଗ କର । ଯାହା ଦୁଷ୍ପ୍ରାପ୍ୟ ମାନବର ୩୨
ଏ ବିନେ ଅନ୍ୟ ଭୋଗ ଯେହି । କି କାର୍ଯ୍ୟ ତୁଚ୍ଛ ସେ ଅଟଇ ୩୩
ଅଧିକ ଗୁଣ କିବା କହି । ସର୍ବ ସମ୍ପଦ ଯେଣେ ପାଇ ୩୪
ସେ ହରି-ଚରଣପଙ୍କଜ । ନିର୍ମଳଚିତ୍ତେ ଏବେ ଭଜ ୩୫

ମୈତ୍ରେୟ ଉବାଚ

ଏମନ୍ତ କŸର୍ଦ୍ଦମ ବଚନେ । ସେ ଦେବହୂତି ତୋଷମନେ ୩୬
ଭର୍ତ୍ତା ବଦନ ଚାହିଁ କହେ । ଗଭୀର ବାକ୍ୟ ସୁଧାମୟେ ୩୭

ଦେବହୂତି ଉବାଚ

ଭୋ ନାଥ ତୁମ୍ଭର ପ୍ରସାଦେ । ତୁମ୍ଭ ଚରଣେ ଅପ୍ରମାଦେ ୩୮
ନିରତେ ହେଉ ମୋର ସେବା । ପ୍ରସନ୍ନେ ମୋତେ ଆଜ୍ଞା ଦେବା ୩୯
ତୁମ୍ଭେ ମୋହାର ତୁଲେ ଏବେ । ଗୃହସ୍ଥ ଧର୍ମେ ପ୍ରିୟଭାବେ ୪୦
ଅତୁଲ୍ୟ ଧର୍ମ ଭୋଗ କର । ଯେ ଧର୍ମ କାମଧେନୁ ସାର ୪୧

ମୈତ୍ରେୟ ଉବାଚ

ଏମନ୍ତେ ପତ୍ନୀର ବଚନ । କର୍ଦ୍ଦମ ଶୁଣି ତୋଷମନ ୪୨
ପ୍ରିୟା କଳ୍ପିତ ମନ ଜାଣି । ଚିତ୍ତେ ବିଚାରି ବିପ୍ରମଣି ୪୩
ବିଶ୍ୱକର୍ମାଙ୍କୁ ମନେ ସ୍ମରି । ବିମାନ ତପବଳେ କରି ୪୪
ଯହିଁ କଳ୍ପିତ ବସ୍ତୁଯୁତ । ଅଶେଷ ରତ୍ନେ ସେ ନିର୍ମିତ ୪୫
ମଣି ନିର୍ମିତ ସ୍ତମ୍ଭକୂଳେ । ସକଳ ଋତୁ ପୁଷ୍ପ ଫଳେ ୪୬
ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦାକାଳ ସୁଖମୟୀ ୪୭
ବିଚିତ୍ର ଚିତ୍ର ହେମମୟେ । ଚିତ୍ର ପତାକା ଧ୍ୱଜ ଶୋହେ ୪୮
ସୁଗନ୍ଧ ପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବଇ ଗହଳେ ୪୯
ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ୫୦
ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ୫୧
ସେ ରଥେ ସୁବର୍ଣ୍ଣ ପଲଙ୍କେ । କୋମଳ ଶଯ୍ୟା ଶୋହେ ରଙ୍ଗେ ୫୨
ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥ କରିଛି ଘଟଣ ୫୩
ମହାମର୍କତ ସ୍ତମ୍ଭ ଯହିଁ । ବିଦ୍ରୁମ-ବେଦୀ ବିରାଜଇ ୫୪
ଯେଦ୍ୱାରେ ବିଦ୍ରୁମ ଦେହଳୀ । ହୀରା କବାଟ ଯହିଁ କିଳି ୫୫
ଶିଖରମାନ ସ୍ୱର୍ଣ୍ଣକୁମ୍ଭେ । ବିରାଜେ ଇନ୍ଦ୍ରନୀଳ-ସ୍ତମ୍ଭେ ୫୬
ଜଳନ୍ତି ପଦ୍ମରାଗ-ଦୀପେ । ବିଚିତ୍ରଚିତ୍ରେ ଚନ୍ଦ୍ରାତପେ ୫୭
ହେମତୋରଣେ ହାର ଲମ୍ବେ । ପାଟ-ଦୋଳିକା ରତ୍ନସ୍ତମ୍ଭେ ୫୮
ଶ୍ୱେତ ହଂସକ ପାରାବତ । ରାବ କହନ୍ତି ଉନମତ୍ତ ୫୯
ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ୬୦
ବିହାର ଶଯ୍ୟା ଆଦି ସ୍ଥାନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ୬୧
ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଦେବଙ୍କ ମନ ମୋହେ ୬୨
ଏମନ୍ତ ଦିବ୍ୟପୁର ଚାହିଁ । ସନ୍ତୋଷ ଲଭେ ନେତ୍ରଦୁଇ ୬୩
ଆପଣା ଦେହ ହୀନ କାନ୍ତି । ତୋଷ ନୋହିଲା ଦେବହୂତି ୬୪
କŸର୍ଦ୍ଦମମୁନି ପତ୍ନୀ ଚାହିଁ । ଅମୃତ ବଚନ ବୋଲଇ ୬୫
ସେ ସର୍ବ ପ୍ରାଣୀ ଚିତ୍ତ ଜାଣେ । ତପ ସମାଧି ବିଦ୍ୟା ଗୁଣେ ୬୬

କର୍ଦ୍ଦମ ଉବାଚ

ସୁନ୍ଦରୀ ଶୁଣ ମୋ ବଚନ । ଏ ତୀର୍ଥେ ତୋଷେ କର ସ୍ନାନ ୬୭
ବିମାନେ ସୁଖେ ବିଜେ କର । ଚିତ୍ତେ ଗୋବିନ୍ଦ ନାମ ସ୍ମର ୬୮
ଶୁକ୍ଳ ନିର୍ମିତ ତୀର୍ଥ ଏହି । ପ୍ରାଣୀଙ୍କି ସୁଖ ଫଳ ଦେଇ ୬୯
ଏମନ୍ତ ସ୍ୱାମୀର ବଚନେ । ସେ ଦେବହୂତି ତୋଷମନେ ୭୦
ମଳିନ ବସ୍ତ୍ର ପରିଧାନ । ହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ ୭୧
ଶିରେ ଶୋଭିତ ଜଟାବେଣୀ । ସୁଗନ୍ଧ ଅଙ୍ଗେ ଲେପେ ଆଣି ୭୨
ପଶିଲା ସରସ୍ୱତୀ ନୀରେ । ଯେ ନୀର ସର୍ବପାପ ହରେ ୭୩
ଜଳେ ପ୍ରବେଶ କରି ପୁଣି । ଆଶ୍ଚର୍ଯ୍ୟେ ଦେଖିଲା ତରୁଣୀ ୭୪
ତକ୍ଷଣେ ସରୋବର ଜଳେ । ସହସ୍ରେ କନ୍ୟା ଏକମେଳେ ୭୫
ଉଠିଲେ ଦିବ୍ୟରୂପ ଧରି । ଜୟ ଶବଦ ମୁଖେ କରି ୭୬
ରୂପେ କି ଦେବା ପଟାନ୍ତର । ମୋହନ୍ତି ବ୍ରହ୍ମା ସୁର ନର ୭୭
କିଶୋର ବୟସୀ ଆନନ୍ଦେ । ବାସନ୍ତି ନୀଳୋତ୍ପଳ ଗନ୍ଧେ ୭୮
କନ୍ୟାଏ ଦେଖି ଜଳମଧ୍ୟେ । ସେ ଦେବହୂତିଙ୍କୁ ଆନନ୍ଦେ ୭୯
କପୋଳେ ଦେଇ ବେନିକର । ସ୍ୱଭାବେ କହନ୍ତି ମଧୁର ୮୦
ଆମ୍ଭେ ତୋହର ଦାସୀ ପଣେ । ସେବିବୁ ତୋହର ଚରଣେ ୮୧
ଏ ଯେ ତୋହର ଦିବ୍ୟକାୟ । କିବା କରିବୁ ଆଜ୍ଞା ଦିଅ ୮୨
ଏମନ୍ତ କହି କନ୍ୟାଗଣେ । ସେ ଦେବହୂତିର ଚରଣେ ୮୩
ତକ୍ଷଣେ ନମସ୍କାର କରି । ସର୍ବେ ହୋଇଲେ ପରିଚାରୀ ୮୪
ସୁଗନ୍ଧ ତାର ଅଙ୍ଗେ ବୋଳି । ଆନନ୍ଦେ ଦେଲେ ହୁଳହୁଳୀ ୮୫
ସ୍ନାନ କରାଇ ପୁଣ୍ୟନୀରେ । ମଣ୍ତିଲେ ନାନା ଉପହାରେ ୮୬
ନୂତନ ବସ୍ତ୍ରଯୁଗ ଦେଲେ । ବିବିଧ ଅଳଙ୍କାର ତୁଲେ ୮୭
ଅମୂଲ୍ୟ ମାଳ ରତ୍ନପନ୍ତି । ଚନ୍ଦ୍ରକିରଣେ ଝଟକନ୍ତି ୮୮
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଭୋଜନ କରାଇ ହରଷେ ୮୯
ସୁବାସ ଜଳେ ଆଚମନ । କରାଇ ସୁମୁଖ ବାସନ ୯୦
ଉତ୍ତମ ଶଯ୍ୟାରେ ବସାଇ । ଦର୍ପଣ ସମର୍ପିଲେ ନେଇ ୯୧
ମୁକୁରେ ଚାହିଁ ମୁଖଶୋଭା । ଶିରେ ଖଞ୍ଜିଲେ ପୁଷ୍ପଗଭା ୯୨
କର୍ପୂର କୁଙ୍କୁମ ସୁଗନ୍ଧେ । ଅଙ୍ଗେ ଲେପିଲେ ସେ ଆନନ୍ଦେ ୯୩
ଦୂର୍ବା ଅକ୍ଷତ ଗନ୍ଧ ଆଣି । ଆଶିଷ କନ୍ୟାଗଣେ ଭଣି ୯୪
ଏମନ୍ତେ ସର୍ବ ପରିବାରୀ । ସୁଲଗ୍ନେ ଶୁଦ୍ଧସ୍ନାନ କରି ୯୫
ଗଳେ ଆରୋପି ରତ୍ନହାର । ଚରଣେ ବାଜେଣି ନୂପୁର ୯୬
କଟୀ ଶୋଭିତ କାଞ୍ଚୀ ଦାମ । ହୃଦେ କାଞ୍ଚଲା ଅନୁପମ ୯୭
ଅମୂଲ୍ୟ ହାର ହୃଦେ ଶୋହେ । ରୂପେ କାମିନୀ ମନ ମୋହେ ୯୮
ଦେଖିଲେ ଭ୍ରୂଦ୍ୱୟ ସୁନ୍ଦର । ଶୋଭନ ଦଶନ ନିକର ୯୯
ନୟନେ ପଦ୍ମ ପରାଜିତ । ସୁନ୍ଦର ଅପାଙ୍ଗ ସଂଯୁତ ୧୦୦
ସୁନୀଳ ଅଳକା କପୋଳେ । ଶୋଭିତ ବଦନ ମଣ୍ତଳେ ୧୦୧
ଦର୍ପଣେ ନିଜ ଶୋଭା ଦେଖି । ସ୍ୱାମୀ ସ୍ମରିଲା ଶଶିମୁଖୀ ୧୦୨
ରୂପ ମୋହନ ପ୍ରିୟ ଭାବେ । ବାକ୍ୟ କହନ୍ତି ପିକ ରବେ ୧୦୩
ତକ୍ଷଣେ କନ୍ୟାଗଣ ତୁଲେ । ପ୍ରଜାପତିର ପାଶେ ମିଳେ ୧୦୪
ସ୍ୱାମୀର ଯୋଗଗତି ଦେଖି । ସଂଶୟ ଚିତ୍ତେ ଅଧୋମୁଖୀ ୧୦୫
ସମସ୍ତ ହେଲା କି ପ୍ରକାରେ । ଭାବି ବିସ୍ମୟ ତା ମନରେ ୧୦୬
ସଂଶୟ ଦେଖି ତାର ମନେ । ମୁନି ଜାଣିଲେ ଯୋଗଧ୍ୟାନେ ୧୦୭
ଅପୂର୍ବ ଶୋଭା ଦେଖି ତାର । ପ୍ରେମ ଜନ୍ମିଲା କŸର୍ଦ୍ଦମର ୧୦୮
ଆବୃତ ତୁଙ୍ଗ ବେନିସ୍ତନ । ଦେଖି ସନ୍ତୋଷ ମୁନି ମନ ୧୦୯
ତକ୍ଷଣେ ଧରି କନ୍ୟା ହସ୍ତ । ମୁନି ଆରୋହୀ ଦିବ୍ୟରଥ ୧୧୦
ସହସ୍ରେ ନାରୀଗଣ ମଧ୍ୟେ । ଉର୍ଦ୍ଧ୍ୱେ ଗମନ ବିଷ୍ଣୁପଦେ ୧୧୧
ସ୍ୱର୍ଗେ ଦେଖନ୍ତି ସୁରଦେବା । କି ଅବା ପଟାନ୍ତର ଦେବା ୧୧୨
ଯେସନେ ତାରାଗଣ ମଧ୍ୟେ । ଚନ୍ଦ୍ର ବିରାଜେ ବିଷ୍ଣୁପଦେ ୧୧୩
ଦେଖନ୍ତି ଅଷ୍ଟଦିଗପାଳେ । ବିମାନ ଅତି ଅନ୍ତରାଳେ ୧୧୪
ଇନ୍ଦ୍ରାଦି ଅଷ୍ଟଲୋକସ୍ଥାନେ । ମେରୁ ପର୍ବତ ଘୋରବନେ ୧୧୫
ସିଦ୍ଧ କିନ୍ନର କ୍ରୀଡ଼ା ଦେଶେ । ଗିରି ଗହ୍ୱର ଅଧିବାସେ ୧୧୬
ଏମନ୍ତେ ନାନା କ୍ରୀଡ଼ା ସ୍ଥାନେ । ବିମାନେ ମୁନି ତୋଷମନେ ୧୧୭
କୁବେର ପ୍ରାୟ ଅଷ୍ଟଦିଗେ । ଗମି ଭ୍ରମନ୍ତି ଅତିବେଗେ ୧୧୮
ଦେବ ଉଦ୍ୟାନ ବନ ଯେତେ । ମାନସସରର ସମେତେ ୧୧୯
ଏମନ୍ତେ ସନ୍ତୋଷେ ବିହରି । କାମିନୀ ସଙ୍ଗେ ସଙ୍ଗ କରି ୧୨୦
ରତ୍ନ ବିମାନ କାମଗତି । ଯେ ଭାବେ ଯେବା ପ୍ରଚରନ୍ତି ୧୨୧
ପବନ ଯେହ୍ନେ ସର୍ବଦେଶେ । କାମଗ ବିମାନ ପ୍ରକାଶେ ୧୨୨
ବିଷ୍ଣୁ ସନ୍ତୋଷ ପ୍ରାଣୀଙ୍କର । କିବା ସମ୍ପଦ ଅଗୋଚର ୧୨୩
ଏମନ୍ତେ ଦଶଦିଗ ଭ୍ରମି । ପଥିକ ପ୍ରାୟେ ପଥ ଶ୍ରମି ୧୨୪
ପୁଣି ମିଳିଲେ ନିଜଘରେ । ଗୃହସ୍ଥ ଧର୍ମର ବେଭାରେ ୧୨୫
ସେ ମୁନି ତପେ ଅନର୍ଗଳା । ଆତ୍ମାକୁ ନବରୂପ କଲା ୧୨୬
ପତ୍ନୀ ସଂଯୋଗେ ହୋଇ କାମୀ । ଅନେକ ସମ୍ବ›ତ୍ସର ରମି ୧୨୭
କେବେହେଁ କାମ ନ ପୂରିଲା । ମୁହୂର୍ତ୍ତେ ପ୍ରାୟ ଦିନ ଗଲା ୧୨୮
ଏମନ୍ତେ ଯୋଗର ପ୍ରଭାବେ । ରମିଲେ ଦମ୍ପତି ସ୍ୱଭାବେ ୧୨୯
ଶତେବରଷ ଦେବ ମତେ । ସୁଚିତ୍ତେ ରମିଲେ ନିଶ୍ଚିନ୍ତେ ୧୩୦
ଏମନ୍ତେ ପ୍ରଜାପତି ରେତେ । ସେ ଦେବହୂତି ଗର୍ଭଗତେ ୧୩୧
ନବକୁମାରୀ ଉପୁଜିଲେ । ଶୁଭ ମଙ୍ଗଳ ଲଗ୍ନବେଳେ ୧୩୨
ସର୍ବେ ସୁରୂପା ରୂପ ମଧ୍ୟେ । ଶୋଣିତ ଉତ୍ପଳ ସୁଗନ୍ଧେ ୧୩୩
ଏମନ୍ତେ ନବକନ୍ୟା ଚାହିଁ । ସେ ଦେବହୂତି ବିଚାରଇ ୧୩୪
ଏ କି ଅଦ୍ଭୁତ କର୍ମ ମୋର । ଦଇବ ବଳେ ବଳିଆର ୧୩୫
ଏମନ୍ତ ସମୟେ ସେ ମୁନି । ସନ୍ନ୍ୟାସାଶ୍ରମ ମନେ ଗୁଣୀ ୧୩୬
ଗମନେ ହୋଇଲେ ପ୍ରବୃତ୍ତ । ତା ଦେଖି ଦେବହୂତି ଚିତ୍ତ ୧୩୭
ଅତୀବ ବ୍ୟାକୁଳିତ ହେଲା । ବାହ୍ୟେ ବିସ୍ମୟ ପ୍ରକାଶିଲା ୧୩୮
ବିକଳେ ପତି ପାଶେ ଯାଇ । ରହିଲା ଅଧୋମୁଖୀ ହୋଇ ୧୩୯
ଅଶ୍ରୁ ପୂରିତ ସେ ଲୋଚନେ । ବୋଲଇ ବିନୟ ବଚନେ ୧୪୦

ଦେବହୂତି ଉବାଚ

ଭୋନାଥ ତୁମ୍ଭର ପ୍ରସାଦେ । ସକଳ ସୁଖ ମୁଁ ଆନନ୍ଦେ ୧୪୧
ଭୁଞ୍ଜଇ ତବ ପାଦ ଧ୍ୟାୟି । ମୋହର ଚିତ୍ତେ ଚିନ୍ତା ନାହିଁ ୧୪୨
ଏବେ ମୋ ଗର୍ଭେ କନ୍ୟା ଦେଖି । ହୋଇଲି ମନଦୁଃଖେ ଦୁଃଖୀ ୧୪୩
ଯାହା ପ୍ରତିଜ୍ଞା ତୋର ଥିଲା । ତାହାତ ସମ୍ପୂର୍ଣ୍ଣ ହୋଇଲା ୧୪୪
ତୋ ପାଦେ ପଶିଲି ଶରଣ । ମୋତେ ଅଭୟ ଦିଅ ପୁଣ ୧୪୫
ସେବଇଁ ଚରଣେ ତୁମ୍ଭର । ମୋହର ମନଦୁଃଖ ହର ୧୪୬
ପୁତ୍ର ନୋହିଲା ମୋର ଗର୍ଭେ । ଏଣୁ ମୋ ମନ ଦୁଃଖେ ଭାବେ ୧୪୭
ଯେବା ହୋଇଲେ ନବନାରୀ । ଏ ଅନୁରୂପେ ବର ବରି ୧୪୮
ବିବାହ ଦିଅ ତୁମ୍ଭେ ସୁଖେ । ମୋ ଦୀନଭାବ ଯାଉ ସୁଖେ ୧୪୯
ତୁମ୍ଭେ ଯେ ବନେ ତପ କଲେ । ମୋ ମନ ନ ରହିବ ଭଲେ ୧୫୦
ଏଣୁ ମୋ ମନଦୁଃଖ ଭାବେ । ପୁତ୍ର ସମ୍ପାଦ ମୋର ଗର୍ଭେ ୧୫୧
ମୁଁ ଏତେ କାଳ ତୁମ୍ଭ ତୁଲେ । ବଞ୍ଚିଲି ନାନା ଭୋଗ ଭୋଳେ ୧୫୨
ଇନ୍ଦ୍ରିୟ ଭୋଗର ଲାଳସେ । ବଞ୍ଚିଲି ନାନା ଭୋଗ ରସେ ୧୫୩
ତୁମ୍ଭର ଅଙ୍ଗ ସଙ୍ଗ ମେଳେ । ଏ ଜନ୍ମ ଗଲା ମୋର ଭୋଳେ ୧୫୪
ଏ କର୍ମଭୂମି ମଧ୍ୟେ ମୁହିଁ । ଉତ୍ତମ-କୁଳେ ଜନ୍ମ ହୋଇ ୧୫୫
ଆତ୍ମାର ଗତି ନ ଜାଣଇଁ । ଏ ଦୁଃଖ ସୁଖ ମୁଁ ମଣଇଁ ୧୫୬
ତୁମ୍ଭ ସଙ୍ଗତେ ସଙ୍ଗ କରି । ହରି-ଭଜନ ମୁଁ ପାଶୋରି ୧୫୭
ହେ କାନ୍ତ ମୋତେ ଦୟା କର । ଏ ଭବସାଗରୁ ଉଦ୍ଧର ୧୫୮
ଭୟ ନିବାର ମୋର ଚିତ୍ତେ । ଏ ମାୟା ତରିବି ଯେମନ୍ତେ ୧୫୯
ବିଷୟା-ରସେ ଯାର ସଙ୍ଗ । ଆବୋରେ ସଂସାର-ତରଙ୍ଗ ୧୬୦
ତାର ନିସ୍ତାର ଆର କାହିଁ । କର୍ମ-ବନ୍ଧନେ ସେ ପଡ଼ଇ ୧୬୧
ବୁଡ଼ଇ ସଂସାର-ସାଗରେ । ସମ୍ଭବେ ଅଶେଷ ଉଦରେ ୧୬୨
ଏ ଭାବ ଜାଣି ଯାର ମନ । ବିଷ୍ଣୁ-ଭଜନେ ସାବଧାନ ୧୬୩
ସେ ଜୀବ ଆତ୍ମକୁ ଉଦ୍ଧରେ । ନ ବୁଡେ ସଂସାର-ସାଗରେ ୧୬୪
ଯେ ଇହଜନ୍ମ କର୍ମ-ଧର୍ମେ । ହରି ନ ଭଜେ ମାୟା ଭ୍ରମେ ୧୬୫
ଯେ ତୀର୍ଥପଦ ନ ସେବଇ । ଜୀବନ ଥାଉଁ ସେ ମରଇ ୧୬୬
ମୁଁ ଏ ଇନ୍ଦ୍ରିୟ ଭୋଗ ବଳେ । ବଞ୍ଚିଲି ବିଷ୍ଣୁମାୟା ଭୋଳେ ୧୬୭
ମୁଁ ତୁମ୍ଭ ପାଦେ ସେବା କରି । ମୋକ୍ଷେ ନୋହିଲି ଅଧିକାରୀ ୧୬୮
ଏବେ ଉପାୟ କହ ମୋତେ । ଏ ମାୟା ତରିବି ଯେମନ୍ତେ ୧୬୯

ମୈତ୍ରେୟ ଉବାଚ

ଏମନ୍ତେ କŸର୍ଦ୍ଦମ ସମ୍ମୁଖେ । ସେ ଦେବହୂତି ମନଦୁଃଖେ ୧୭୦
ଯେତେ କହିଲା ମନ-ତ୍ରାସ । ସୁଜନ ଜନେ ଏଥେଁ ରସ ୧୭୧
ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ୧୭୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟୋପଖ୍ୟାନେ ତ୍ରୟୋବିଂଶୋଽଧ୍ୟାୟଃ ।

ଚତୁବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ପତ୍ନୀର ବଚନେ । କର୍ଦ୍ଦମ ଅତି ସାବଧାନେ । ୧
ଗୋବିନ୍ଦପାଦେ ମନଦେଇ । କହିଲେ ପତ୍ନୀ ମୁଖ ଚାହିଁ । ୨
ଶୁକ୍ଳ ବଚନ ସ୍ମରି ମନେ । କହନ୍ତି ଅମୃତ ବଚନେ । ୩

କର୍ଦ୍ଦମ ଉବାଚ

ହେ ପ୍ରିୟ ଶୁଣ ମୋ ଉତ୍ତର । ମନରେ ଖେଦ ତୁ ନ କର । ୪
ଏହି ନିକଟେ ତୋ ଉଦରେ । ଗୋବିନ୍ଦ ନର କଳେବରେ । ୫
ଜାତ ହୋଇବେ ତୋର ଭାବେ । ତୋ ବ୍ରତ ତପର ପ୍ରସ୍ତାବେ । ୬
ତୁ ବ୍ରତ ଦାନ ଧ୍ୟାନ କରି । ବିଷ୍ଣୁଚରଣ ହୃଦେ ଧରି । ୭
ଏ ମାୟାମୟ ସୁଖ ତେଜ । ତପେ ଗୋବିନ୍ଦପାଦେ ଭଜ । ୮
ସେ ଶୁକ୍ଳବର୍ଣ୍ଣ ତୋର ଭାବେ । ମୋହର ତପ ଫଳ ଲାଭେ । ୯
ସଂଶୟ ଗ୍ରନ୍ଥି ତୋର ଚିତ୍ତେ । ସେ ଦୃଢ଼ବନ୍ଧ କର୍ମଗତେ । ୧୦
ସେ ହରି ଜ୍ଞାନ ଉପଦେଶେ । ସର୍ବ ଛେଦିରେ ଅବଶେଷେ । ୧୧

ମୈତ୍ରେୟ ଉବାଚ

ସେ ପ୍ରଜାପତିର ସନ୍ଦେଶ । ବିଶ୍ୱାସ ଗୌରବ ପ୍ରକାଶ । ୧୨
କରି ଭଜିଲେ ଶ୍ରଦ୍ଧାଭାବେ । ଜଗତଗୁରୁ ହରିପାଦେ । ୧୩
ଏମନ୍ତେ ବହୁକାଳ ଗଲା । ହରିର ଅନୁଗ୍ରହ ହେଲା । ୧୪
ଏ ବେନିଭାବ ହୃଦେ ଧରି । ଅଶେଷ-ମଙ୍ଗଳ-ମୁରାରି । ୧୫
ପ୍ରବେଶ ପ୍ରଜାପତି ଅଙ୍ଗେ । ପତି କାମିନୀ ଅଙ୍ଗ ସଙ୍ଗେ । ୧୬
ଗର୍ଭ ସଂଯୋଗେ ଦେହଧରି । ଜନ୍ମ ହୋଇଲେ ନରହରି । ୧୭
ସଂସାର ନିସ୍ତାରଣ ସାଧେ । ଅନଳ ଯେହ୍ନେ ଦାରୁମଧ୍ୟେ । ୧୮
ଆକାଶେ ଶୁଭେ ନାନାବାଦ୍ୟ । ଶୁଭ ମଙ୍ଗଳ ବେଦନାଦ । ୧୯
ଗନ୍ଧର୍ବ ଗାନ ସୁଲଳିତ । ନାଚନ୍ତି ଅପସରା ଯୂଥ । ୨୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ମହୀମଙ୍ଗଳ ଶୁଭସୃଷ୍ଟି । ୨୧
ପ୍ରସନ୍ନ ଦଶଦିଗ ଦିଶେ । ଜଳଧି ଉଲ୍ଲୋଳ ପ୍ରକାଶେ । ୨୨
ସକଳ ପ୍ରାଣୀଙ୍କର ମନ । ସ୍ୱଭାବେ ହୁଏ ସୁପ୍ରସନ୍ନ । ୨୩
କର୍ଦ୍ଦମ ଆଶ୍ରମ-ମଣ୍ତଳ । ବେଷ୍ଟିତ ସରସ୍ୱତୀ ଜଳ । ୨୪
ମରୀଚି ଆଦି ସପ୍ତଋଷି । ବ୍ରହ୍ମାର ତୁଲେ ସର୍ବେ ଆସି । ୨୫
ପରମବ୍ରହ୍ମ ସର୍ବବ୍ୟାପୀ । ସାତ୍ତ୍ବିକ ଅଂଶେ ସର୍ବରୂପୀ । ୨୬
ସେ ତତ୍ତ୍ବ ସାଂଖ୍ୟାଜ୍ଞାନ ଅର୍ଥେ । ବିରାଜ ରୂପ ଏ ଜଗତେ । ୨୭
ବିଶୁଦ୍ଧ ଚିତ୍ତ ନରହରି । କର୍ଦ୍ଦମ ଭକ୍ତି ହୃଦେ ଧରି । ୨୮
ପ୍ରବେଶ କର୍ଦ୍ଦମ ମନ୍ଦିରେ । ଅଶେଷଜନ ଉପକାରେ । ୨୯
କର୍ଦ୍ଦମ ମୁଖ ଚାହିଁ ଭଣି । ଆନନ୍ଦମନେ କୁଶପାଣି । ୩୦

ବ୍ରହ୍ମା ଉବାଚ

ତୁ ଯେ ମୋହର ଆଜ୍ଞା ଶିରେ । ଘେନି ଏ ସଂସାର-ସାଗରେ । ୩୧
ତପ ସାଧିଲୁ ଘୋରଦୁଃଖେ । ରମିଲୁ ଗୃହମେଧି ସୁଖେ । ୩୨
ପୁତ୍ରର ଧର୍ମଟି ଏମନ୍ତ । ଯାହା ବୋଲନ୍ତି ମାତା ତାତ । ୩୩
ଆଦରେ ସର୍ବଦା କରଇ । ତେବେ ସେ ବିଷ୍ଣୁଙ୍କୁ ତୋଷଇ । ୩୪
ତାହାର ଇହପରଲୋକେ । ସକଳ କାଳ ଯାଏ ସୁଖେ । ୩୫
ଏ ନବକୁମାରୀ ତୋହର । ପରମ ସୁଗୁଣ ସୁନ୍ଦର । ୩୬
ଏ ସୃଷ୍ଟି ସର୍ଜନ କାରଣ । ତୁ ଏବେ ମୋର ବୋଲ ଶୁଣ । ୩୭
ମରୀଚି ଆଦି ମୁନି ଯେତେ । ତାହାଙ୍କୁ ବରି ଶୁଦ୍ଧ ଚିତ୍ତେ । ୩୮
ଯଥା ଉଚିତେ କରି ଶୋଭା । ନିଗମମାର୍ଗେ ଦିଅ ବିଭା । ୩୯
ତୋହର ଯଶ ସର୍ବକାଳେ । ଅଶେଷ ଭୁବନ ମଣ୍ତଳେ । ୪୦
ଏବେ ତୋହର ଘରେ ହରି । ଅଂଶେ ଜନ୍ମିଲେ ଦେହ ଧରି । ୪୧
ଜୀବର ନିସ୍ତାରଣ ଅର୍ଥେ । କପିଳ ରୂପେ ଏ ଜଗତେ । ୪୨
ଏ ବାକ୍ୟ କର୍ଦ୍ଦମ‌କୁ କହି । ସେ ଦେବହୂତି ମୁଖ ଚାହିଁ । ୪୩
କହନ୍ତି ପ୍ରଭୁ ବେଦବର । ଧନ୍ୟ ଜୀବନ ମାତ ତୋର । ୪୪
ହେ ଦେବହୂତି ଶୁଣ ତୁହି । ତୋ ପୁତ୍ର ସାମାନ୍ୟ ନୁହଇ । ୪୫
ଏ ହରି ତୋହର ନନ୍ଦନ । ଛେଦିବ ହୃଦୟ-ବନ୍ଧନ । ୪୬
ଜ୍ଞାନ-ବିଜ୍ଞାନ ଯୋଗେ କର୍ମ । ନାଶିବ ଧରି ଯତିଧର୍ମ । ୪୭
ଶିରେ ଅରୁଣ ଜଟାଭାର । ସ୍ୱରୂପେ ଜଗତ ସୁନ୍ଦର । ୪୮
ନେତ୍ର ଚରଣେ ପଦ୍ମଚିହ୍ନ । ସୁନ୍ଦର ଜଗତ ମୋହନ । ୪୯
ଜ୍ଞାନେ ବିଜ୍ଞାନେ ଏହି ଦେବ । କର୍ମମୂଳକୁ ଉପାଡ଼ିବ । ୫୦
ପରମଜ୍ଞାନ ତୋତେ କହି । ଇଚ୍ଛାଏ ଭ୍ରମିବ ଏ ମହୀ । ୫୧
ଏ ସିନ୍ଧଗଣଙ୍କ ଈଶ୍ୱର । ସୁସାଂଖ୍ୟଯୋଗୀଙ୍କର ସାର । ୫୨
ତୋ ଯଶ କୀର୍ତ୍ତିର ବର୍ଦ୍ଧନ । ହୋଇବ କପିଳ ୟା ନାମ । ୫୩

ମୈତ୍ରେୟ ଉବାଚ

କର୍ଦ୍ଦମ ଦେବହୂତି ବେନି । ଆଶ୍ୱାସ କରି ପଦ୍ମଯୋନି । ୫୪
ନାରଦ ଆଦି ପୁତ୍ର ମେଳେ । ଅନେକ ମୁନିଙ୍କ ଗହଳେ । ୫୫
ସେ ହଂସମୟ ଦିବ୍ୟଯାନେ । ତକ୍ଷଣେ ଗଲେ ନିଜ ସ୍ଥାନେ । ୫୬
ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ । ହରଷ ଚିତ୍ତେ ସୁସଂଭ୍ରମ । ୫୭
ବ୍ରହ୍ମାର ଆଜ୍ଞା ଘେନି ଶିରେ । ଋଷିଙ୍କି ଆଣି ନିଜ ପୁରେ । ୫୮
ମଙ୍ଗଳ ଦୂର୍ବାସୂତ୍ର ରକ୍ଷେ । ବର ବରିଲେ ଏକେ ଏକେ । ୫୯
ମରୀଚି ମୁନି ହସ୍ତ ଧରି । କଳା କନ୍ୟାକୁ ବର ବରି । ୬୦
ଆନନ୍ଦ ମନେ କରି ବିଭା । କିଅବା ପଟାନ୍ତର ଦେବା । ୬୧
ତ୍ରିଦଶେ ଦେଖନ୍ତି ଆକାଶେ । ହରଗଉରୀ ପ୍ରାୟ ଦିଶେ । ୬୨
ଦ୍ୱିତୀୟ କନ୍ୟା ଅନସୂୟା । ଅତ୍ରି ମୁନିଙ୍କି ଦେଲା ତାହା । ୬୩
ଶ୍ରଦ୍ଧାକୁ ଅଙ୍ଗିରସ ମୁନି । ବରିଲା କରେ ଅର୍ଘ୍ୟ ଘେନି । ୬୪
ପୁଲସ୍ତ୍ୟେ ହବି ଦେଲା ଦାନ । ପୁଲହେ ଗତି ବିଦ୍ୟମାନ । ୬୫
କ୍ରତୁଙ୍କୁ ଦେଲା କ୍ରିୟା ସତୀ । ଭୃଭୁଙ୍କୁ ସମର୍ପିଲା ଖ୍ୟାତି । ୬୬
ବଶିଷ୍ଠେ ବରି ଅରୁନ୍ଧତୀ । ଅଥର୍ବେ ସମର୍ପିଲା ଶାନ୍ତି । ୬୭
ଏମନ୍ତେ ନବ-ବିପ୍ରବରେ । କନ୍ୟା ବିବାହେ ନିଜ ପୁରେ । ୬୮
ଧନେ ସନ୍ତୋଷୀ ତାଙ୍କ ମନ । ଗଲେ ସେ ଯେ ଯାହା ଭୁବନ । ୬୯
ମୁନିଙ୍କି କରି ଅନୁଯାନ । ସଂଭ୍ରମ କର୍ଦ୍ଦମ‌ର ମନ । ୭୦
ଗୃହେ ଯେ ପୁତ୍ର ଉପୁଜିଲା । କପିଳ ନାମେ ବିଷ୍ଣୁକଳା । ୭୧
ବେଗେ ମିଳିଲା ପୁତ୍ର ପାଶେ । ସ୍ୱଭାବେ ଜନକ ବିଶ୍ୱାସେ । ୭୨
ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ । ସୁମରେ ଶୁକ୍ଳ-ବାକ୍ୟ ଭାବେ । ୭୩
ଏକାନ୍ତେ ପୁତ୍ର ପାଶେ ଯାଇ । ବୋଲେ କପାଳେ କରଦେଇ । ୭୪

କର୍ଦ୍ଦମ ଉବାଚ

ଦେଖ ମୋହର ଦୁଷ୍ଟପଣ । ନ ସେବି ତୁମ୍ଭର ଚରଣ । ୭୫
ଏ ଗୃହ-ଅନ୍ଧକୂପ ପଥେ । ପଡ଼ିଲି ଅମଙ୍ଗଳ ଯନ୍ତ୍ରେ । ୭୬
ଅନେକ ଜନ୍ମେ ଯୋଗସାଧ୍ୟେ । ଯୋଗସମ୍ପାଦି ଅନୁବାଦେ । ୭୭
ଯେ ପ୍ରାଣୀ ଗୃହବନ୍ଧ ତେଜେ । ବନସ୍ତେ ତୋ ଚରଣେ ଭଜେ । ୭୮
ପର୍ଣ୍ଣକୁଟୀର ମଧ୍ୟେ ଥାଇ । ବଞ୍ଚନ୍ତି ତୋ ଚରଣ ଧ୍ୟାୟି । ୭୯
ତୋ ପାଦ ଦେଖିବାର ଆଶେ । ସାଧନ୍ତି ଅନେକ ବରଷେ । ୮୦
ଏମନ୍ତ ପ୍ରଭୁ ତୁମ୍ଭେ ହରି । ମୋର ଭୁବନେ ଅବତରି । ୮୧
ତୋର ଭକତ ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ । ୮୨
ନିଜ ବଚନ ସତ୍ୟ କରି । ତୁ ମୋର ଗୃହେ ଅବତରି । ୮୩
ସ୍ୱଭାବେ ସର୍ବଭୂତେ ଥାଉ । ଭକତଜନେ ବଶ ହେଉ । ୮୪
ଭକତହିତେ ନାନାଯୋନି । ଉପୁଜୁ ନିଜତେଜ ଘେନି । ୮୫
ପଣ୍ତିତଜନେ ତୋ ବିଶ୍ୱାସେ । ତୋ ପାଦପଦ୍ମଗନ୍ଧାବାସେ । ୮୬
ସଂସାର ତେଜି ସେ ଭଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି । ୮୭
ତୁ ପୂର୍ଣ୍ଣବ୍ରହ୍ମ ନରହରି । ପ୍ରକାଶୁ ଜ୍ୟୋତିରୂପ ଧରି । ୮୮
ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନ । ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ । ୮୯
ତେଣୁ ଶରଣାଗତ ମୁହିଁ । ମୋ ଦୋଷ କ୍ଷମ ଭାବଗ୍ରାହୀ । ୯୦
ତୁ ନାଥ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତୋ ପ୍ରକାଶ । ୯୧
ମହତଆଦି ରୂପ ତୋର । ଭୂତଙ୍କ ସୂକ୍ଷ୍ମ ଅହଙ୍କାର । ୯୨
ତ୍ରିଗୁଣମୟୀ କାଳରୂପୀ । ତୁ କବି ସର୍ବଭୂତେ ବ୍ୟାପି । ୯୩
ତୋ ରୂପ ଆତ୍ମାଜ୍ଞାନ ଅର୍ଥେ । କପିଳରୂପେ ଏ ଜଗତେ । ୯୪
ଶରଣାଗତ ତୋ ଚରଣେ । ମୋ ମନେ ରହ ଅନୁକ୍ଷଣେ । ୯୫
ତୁ ପ୍ରଜାପତିଙ୍କର ନାଥ । ତୁ ଯେ ହୋଇଲୁ ମୋର ସୁତ । ୯୬
ତୁ ଅବତୀର୍ଣ୍ଣ ହେଲା ମାତ୍ରେ । ମୋ ଋଣତ୍ରୟ ନାହିଁ ଗାତ୍ରେ । ୯୭
ପୂର୍ଣ୍ଣ ହୋଇଲା ମନୋରଥ । ସନ୍ନ୍ୟାସାମାର୍ଗେ ଏବେ ଚିତ୍ତ । ୯୮
ତେଣୁ ମାଗଇ ଆତ୍ମା ଅର୍ଥେ । ତୋ ପାଦଧ୍ୟାନ ହୃଦଗତେ । ୯୯
ଧରିଣ ବୁଲିବି ଜଗତେ । ଏମନ୍ତ ଆଜ୍ଞା ଦିଅ ମୋତେ । ୧୦୦
ଏମନ୍ତ କର୍ଦ୍ଦମ ବଚନ । ଶୁଣି କହନ୍ତି ଭଗବାନ । ୧୦୧

ଭଗବାନ ଉବାଚ

ତୋହର ତପ ତେଜ ବଳେ । ମୋ ଅବତାର ଏ ଶୟଳେ । ୧୦୨
ନିଜ ବଚନ ସତ୍ୟ କରି । ତୋ ପତ୍ନୀ-ଗର୍ଭେ ଅବତରି । ୧୦୩
କେ ଲଭିପାରେ ମୋର ଭାବ । ମୋ ରୂପ ଯୋଗୀଙ୍କି ଦୁର୍ଲ୍ଲଭ । ୧୦୪
ମୁଁ ଏବେ ସଂସାରର ଅର୍ଥେ । ଜ୍ଞାନପ୍ରକାଶି ଏ ଜଗତେ । ୧୦୫
ଏ ସିଦ୍ଧଦେହେ ଥିବି ମୁହିଁ । ଯାବତ ସୂର୍ଯ୍ୟ ଚନ୍ଦ୍ର ମହୀ । ୧୦୬
ଯେ ତତ୍ତ୍ବଜ୍ଞାନ ପୂର୍ବେ ଥିଲା । କାଳର ବଳେ ନାଶ ଗଲା । ୧୦୭
ସେ ତତ୍ତ୍ବ ପ୍ରକାଶିବା ଅର୍ଥେ । ମୋ ଅବତାର ଏ ଜଗତେ । ୧୦୮
ତୋହର ସାଧୁକ୍ରିୟା ଯେତେ । ସବୁ ସମର୍ପି ଦିଅ ମୋତେ । ୧୦୯
ମୋର ଚରଣେ ଭାବେ ବଢି । ଚଳ ତୁ ଗୃହବନ୍ଧ ଏଡ଼ି । ୧୧୦
ସୁହୃଢେ ମୋ ପଦ ଭଜିବୁ । ଦୁର୍ଜୟ-ମରଣୁ ତରିବୁ । ୧୧୧
ଅନ୍ତେ ପଶିବୁ ମୋ ଚରଣେ । ବେଗେ ଯା ତପ ସାଧ ବନେ । ୧୧୨
ମୁଁ ଆତ୍ମାନନ୍ଦଜ୍ୟୋତି ପଦେ । ପ୍ରକାଶ ସର୍ବଭୂତହୃଦେ । ୧୧୩
ଆତ୍ମାର ମଧ୍ୟେ ଆତ୍ମା ଦେଖ । ମୃତ୍ୟୁ ସକାଶୁ ଆତ୍ମା ରଖ । ୧୧୪
ଅଧ୍ୟାତ୍ମ-ବିଦ୍ୟା ସାଧ୍ୟ କର । ଏ ମାୟା-ବନ୍ଧନୁ ନିସ୍ତର । ୧୧୫
ଯେ ବିଦ୍ୟାବଳେ ଦେବହୂତି । ହେବ ପରମାନନ୍ଦ ପ୍ରାପ୍ତି । ୧୧୬

ମୈତ୍ରେୟ ଉବାଚ

ଏମନ୍ତ ହରି ଆଜ୍ଞା ପାଇ । ଅଭୟପଦେ ମନ ଦେଇ । ୧୧୭
ବିଷ୍ଣୁଙ୍କ ପ୍ରଦକ୍ଷିଣ କଲା । ମଉନବ୍ରତେ ବନ ଗଲା । ୧୧୮
ଅହିଂସାବ୍ରତ ଆଚରଣ । କେବଳ ଆତ୍ମାରେ ଶରଣ । ୧୧୯
ନିଃସଙ୍ଗ ଗୃହ ନିରପେକ୍ଷ । ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ । ୧୨୦
ନିର୍ଗୁଣବ୍ରହ୍ମେ ମନ ଦେଇ । ସତ ଅସତ ପର ସେହି । ୧୨୧
ଏକାନ୍ତଭକ୍ତିରସେ ରସି । ଜିଣିଲା କାଳଦଣ୍ତଫାସି । ୧୨୨
ଭ୍ରମଇ ବନ ଘନ ଗିରି । ଦେଖଇ ସର୍ବଭୂତେ ହରି । ୧୨୩
ଇନ୍ଦ୍ରିୟଗଣଙ୍କୁ ନିରୋଧି । ଯେସନେ ନିଶ୍ଚଳ ଜଳଧି । ୧୨୪
ସର୍ବଜ୍ଞେ ସର୍ବ ଆତ୍ମାଭାବେ । ଯେ ଭଗବାନ ବାସୁଦେବେ । ୧୨୫
ଯେ ଭାବେ ରହି ଧୀରପଣେ । ନିର୍ବାଣମୁକ୍ତିର ଭିଆଣେ । ୧୨୬
ଦେଖଇ ସର୍ବଭୂତେ ହରି । ଆତ୍ମା ସ୍ୱରୂପେ ଅଛି ପୂରି । ୧୨୭
ହରିର ଦେହେ ଏ ଜଗତ । ଦେଖେ ଅଭେଦେ ଦୃଷ୍ଟିଗତ । ୧୨୮
ଅନ୍ତେ ଲଭିଲା ହରିଭାବ । ଯେ ହରି ଦେବଙ୍କୁ ଦୁର୍ଲଭ । ୧୨୯
ଏମନ୍ତ ବିଦୁରର ଆଗେ । ମୈତ୍ରେୟ କହେ ପ୍ରିୟଭାବେ । ୧୩୦
ନିର୍ମଳ-ଭାଗବତବାଣୀ । ଭାଷାପ୍ରବନ୍ଧେ ପରିମାଣି । ୧୩୧
ତୃତୀୟସ୍କନ୍ଧେ କୃଷ୍ଣରସ । କହିଲା ଜଗନ୍ନାଥ ଦାସ । ୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟେ ଚତୁର୍ବିଂଶୋଽଧ୍ୟାୟଃ ।

ପଞ୍ଚବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ମୁନି ଅନ୍ତରେ ଦେବହୂତି । ସ୍ୱଭାବେ ସୁଗୁଣ ସୁମତି ୧
ତକ୍ଷଣେ ପୁତ୍ରପାଶେ ଯାଇ । କହଇ ଶିରେ କର ଦେଇ ୨
ଦେବହୂତି ଉବାଚ

ତୁ ଅଜ ନିର୍ଗୁଣ ନିର୍ଲକ୍ଷ୍ୟ । ତୋ ଭକ୍ତଜନେ ତୁ ପ୍ରତ୍ୟକ୍ଷ ୩
ଆଦିପୁରୁଷ ତୁ ଈଶ୍ୱର । ଯେ ଅନ୍ଧତମ ପ୍ରାଣୀଙ୍କର ୪
ଜୀବର ପରିତ୍ରାଣ ଅର୍ଥେ । ତୋ ଅବତାର ଏ ଜଗତେ ୫
ସ୍ତିରୀ ସ୍ୱଭାବ ମୁହିଁ ମନ୍ଦ । ନ ଜାଣେ ଆତ୍ମା ଭଲମନ୍ଦ ୬
କି ରୂପେ ସଂସାର ତୁଟଇ । ଜୀବନ-ବନ୍ଧନ ଫିଟଇ ୭
ମୁଁ ଯେ ଅଜ୍ଞାନ ମୂଢମତି । ସ୍ୱଭାବେ ଅଟଇ ଯୁବତୀ ୮
ତୁ ମୋତେ ଜ୍ଞାନଚକ୍ଷୁ ଦେଇ । ଉଦ୍ଧର ଦୁର୍ଗତି ଖଣ୍ତାଇ ୯
ତୁ ନାଥ ମୋତେ ଦୟାକର । ଏ ଘୋରସଂସାରୁ ଉଦ୍ଧର ୧୦
ମାତୃଭାବେ କର ଦୟା । ଯେମନ୍ତେ ତୁଟେ ତୋର ମାୟା ୧୧

ମୈତ୍ରେୟ ଉବାଚ

ମାତା ବଚନେ ହୃଷୀକେଶ । ଅଳପ ହୋଇ ହସହସ ୧୨
ଅଶେଷ ଜୀବ ଦେହବାସୀ । କହନ୍ତି ପ୍ରଭୁ ବ୍ରହ୍ମରାଶି ୧୩

ଭଗବାନ କପିଳ ଉବାଚ

ଶୁଣ ଜନନୀ କହୁଁ ତୋତେ । ଯେ ପ୍ରଶ୍ନ କଲୁ ତୁହି ମୋତେ ୧୪
ଯାହାର ଚିତ୍ତେ ଭକ୍ତିଯୋଗ । ଭଜଇ ମୋ ଚରଣଯୁଗ ୧୫
ତେବେ ବିଷୟେ ବଇରାଗ୍ୟ । ଉପୁଜେ ପୂର୍ବେ ଥିଲେ ଭାଗ୍ୟ ୧୬
ଏ ଆତ୍ମନିଷ୍ଠା ଯୋଗ ଜାଣ । ପୁରୁଷ ମୋକ୍ଷର କାରଣ ୧୭
ଭୋ ମାତ ତୁମ୍ଭେ ଏବେ ଶୁଣ । ନିର୍ଗୁଣଭକ୍ତିର କାରଣ ୧୮
ପୂର୍ବେ ମୁଁ ଋଷିଙ୍କର ମଧ୍ୟେ । ଯେ ଯୋଗ କହିଲଇଁ ସାଧ୍ୟେ ୧୯
ଯେତେଣ ଏ ମାୟା ଘୋରବନେ । ନିସ୍ତାର ଭକ୍ତି-କରଷଣେ ୨୦
ଶୁଣ ଜନନୀ ସେ ଲକ୍ଷଣ । କହିବା ଯେ ଭକ୍ତି ନିର୍ଗୁଣ ୨୧
ଚିତ୍ତ ସଂଯମ ବ୍ୟତିରେକେ । ଯୋଗର ସିଦ୍ଧି ନୋହେ ଲୋକେ ୨୨
ବନ୍ଧ-ମୋକ୍ଷର ହେତୁ ଚିତ୍ତ । ଏ ଆତ୍ମଜ୍ଞାନୀଙ୍କ ସମ୍ମତ ୨୩
ଜୀବର ଜନ୍ମ-ବନ୍ଧ-ପାଶ । ଯେ ଭାବେ ହୋଇବ ଉଶ୍ୱାସ ୨୪
ବିଷୟାରତ ଚିତ୍ତ ଯେବେ । ଜୀବର ବଦ୍ଧଭାବ ତେବେ ୨୫
ଈଶ୍ୱରେ ଦେଲେ ସେହି ଚିତ୍ତ । ବନ୍ଧନୁ ହୁଅଇ ମୁକତ ୨୬
ମୁହିଁ ମୋହର ଭାବୁଁ ଜାତ । କାମାଦି ତେଜେ ଯେବେ ଚିତ୍ତ ୨୭
ନିର୍ମଳ ହୁଅଇଟି ଜାଣ । ମଣଇ ସୁଖ ଦୁଃଖ ସମ ୨୮
ଏ ରୂପେ ଚିତ୍ତଶୁଦ୍ଧ ଯେବେ । ଜୀବ ଈଶ୍ୱର ଏକ ଭାବେ ୨୯
ଦେଖାଇ ପ୍ରକୃତିରୁ ଭିନ୍ନ । ସ୍ୱୟଂପ୍ରକାଶ ପରିପୂର୍ଣ୍ଣ ୩୦
ପ୍ରକୃତି ବଳ ହୋଏ ହତ । ଜ୍ଞାନ ବୈରାଗ୍ୟ ଭକ୍ତି ଜାତ ୩୧
ଅଖିଳ ଆତ୍ମା ପାଦଯୁଗେ । ଭଜିଲେ ଦୃଢ଼େ ଭକ୍ତିଯୋଗେ ୩୨
ଏଣୁ ସେ ଲଭେ ବ୍ରହ୍ମଜ୍ଞାନ । ଏଥହୁଁ ପଥ ନାହିଁ ଆନ ୩୩
ଏ ଭବ-ଜଳଧି-ତରଙ୍ଗ । ହରଇ ସାଧୁଙ୍କର ସଙ୍ଗ ୩୪
ଭଜଇ କୈବଲ୍ୟ କାରଣେ । ମନ ନ ଭ୍ରମେ ଭବବଣେ ୩୫
ଶୁଣ ଜନନୀ ସାଧୁଗୁଣ । ଯେ ଅବା ସାଧୁଙ୍କ ଲକ୍ଷଣ ୩୬
ପ୍ରାଣୀବିଷୟେ ଆତ୍ମାବତ । କରଇ ତ୍ୟାଗ ଦୟା ଚିତ୍ତ ୩୭
ଜଗତ ନିର୍ବଇର ଦେଖେ । ନିଶ୍ଚଳେ ରହେ ଆତ୍ମାସୁଖେ ୩୮
ନିରତେ ଗୋବିନ୍ଦ ଚରଣେ । ସ୍ତୁତି କୀର୍ତ୍ତନ ଅନୁକ୍ଷଣେ ୩୯
ଦାରା ସ୍ୱଜନ ସୁତ ଧନ । ଗୃହ ଉପେକ୍ଷି ଚଳେ ବନ ୪୦
ସକଳ କର୍ମ ତେଜି ଦୃଢେ ।ମୋ ଭାବେ ମଜ୍ଜେ ଅତି ଗାଢେ ୪୧
ମୋ ରୂପ ଗୁଣ କର୍ମ ଯେତେ । ଶ୍ରବଣ କୀର୍ତ୍ତନ ନିରତେ ୪୨
ଏମନ୍ତ ଭାବ ନିତ୍ୟେ କରି । ଏ ମାୟାଭବୁ ଯାନ୍ତି ତରି ୪୩
ଏ ରୂପେ ସାଧୁଙ୍କ ଚରିତ । ସମସ୍ତ ସଙ୍ଗ ବିବର୍ଜିତ ୪୪
ଏମନ୍ତ ଭକ୍ତଜନ ସଙ୍ଗ । କରି ତୁ ତର ଏ ତରଙ୍ଗ ୪୫
ଭକତଜନ ସଙ୍ଗ ଯେବେ । କରଇ ଭ୍ରମ ଖଣ୍ତେ ତେବେ ୪୬
ମୋର ଚରିତ ଗୁଣଗାଥା । ଏକ ଆନରେ କରେ ଚିନ୍ତା ୪୭
ଶୁଣି ଶୁଣାଇ ଅଶ୍ରୁଧାରେ । ଆନନ୍ଦେ ପୁଲକ ଶରୀରେ ୪୮
ନିରତେ ଶ୍ରଦ୍ଧାଭକ୍ତି ବଢେ । ଭବ-ବନ୍ଧନ-ପାଶ ଛିଡେ ୪୯
ଅଶେଷ ଜନ୍ମ ଭାଗ୍ୟୋଦୟେ । ଭକତଜନେ ଶ୍ରଦ୍ଧା ବହେ ୫୦
ତହୁଁ ଉପୁଜେ ରତି ଭକ୍ତି । ମୋହର ଲୀଳା କର୍ମ ଚିନ୍ତି ୫୧
ବୈରାଗ୍ୟ ହୁଅଇ ପ୍ରକାଶ । ପ୍ରକୃତି ଗୁଣ ଯାଇ ନାଶ ୫୨
ଜ୍ଞାନ ବୈରାଗ୍ୟ ଭକ୍ତିବଳେ । ସକଳ ସମର୍ପେ ମୋଠାରେ ୫୩
ତେବେ ଏ ଦେହେ ମୋତେ ପାଇ । ଶୁଣ ଜନନୀ ମନ ଦେଇ ୫୪
ମୋ ନାମ ନାବ କରି ଭାବେ । ବସି ତରିବୁ ଭକ୍ତିଭାବେ ୫୫
ଭକତ ସଙ୍ଗେ ନାବେ ବସି । ଏ ସିନ୍ଧୁ ତରଣେ ସାହସୀ ୫୬
ଯେଣୁ ଭକତପ୍ରିୟ ହରି । ତା ଭାବେ ଭବସିନ୍ଧୁ ତରି ୫୭

ମୈତ୍ରେୟ ଉବାଚ

ଏମନ୍ତେ ପୁତ୍ର ବାକ୍ୟ ଶୁଣି । ଆନନ୍ଦେ କର୍ଦ୍ଦମ ଘରଣୀ ୫୮
ଆନନ୍ଦରସେ ହରଷିତ । ତକ୍ଷଣେ ହୋଇ କୃତକୃତ୍ୟ ୫୯
ଆକୁଳେ ପୁତ୍ର ପାଦେ ପଡି । ପୁଣି ପଚାରେ କରଯୋଡି ୬୦

ଦେବହୂତି ଉବାଚ

କି ରୂପେ ଭକ୍ତିଯୋଗ ଜାଣି । ଭକତି କିରୂପେ ପ୍ରମାଣି ୬୧
ଯେ ଭକ୍ତିବଳେ ଅନାୟାସେ । ଜୀବ ନିର୍ବାଣପଦେ ପଶେ ୬୨
ଯେ ଯୋଗ ମୁଖ୍ୟ ପ୍ରୟୋଜନ । ଶୁଣିଲି ତୁମ୍ଭର ବଚନ ୬୩
ସେ ଯୋଗ କେମନ୍ତ ଅଟଇ । କେମନ୍ତ ସାଧନ ତା ହୋଇ ୬୪
ମୁଁ ସ୍ତିରୀ ଅଟେ ମନ୍ଦବୁଦ୍ଧି । ଦୁର୍ବୋଧ୍ୟ ଯୋଗ ଦୟାନିଧି ୬୫
ଏଣୁ ମୋ ଚିତ୍ତରେ ସଂଶୟ । କହ ହେ ପ୍ରଭୁ ଦୟାମୟ ୬୬

ମୈତ୍ରେୟ ଉବାଚ

ଏମନ୍ତ ମାତାବାକ୍ୟ ଶୁଣି । କପିଳ ବେଶେ ଚକ୍ରପାଣି ୬୭
କହନ୍ତି ଜନନୀର ଆଗେ । ପରମ-ଜ୍ଞାନ ସଂ।ଖ୍ୟଯୋଗେ ୬୮

କପିଳ ଉବାଚ

ଶୁଣ ଜନନୀ ବାକ୍ୟ ସାର । ଆଗମ ନିଗମ ପ୍ରକାର ୬୯
ଯେବା ଇନ୍ଦ୍ରିୟ ଦେବଗଣ । ଯାର ଯେ ସ୍ୱାଭାବିକ କର୍ମ ୭୦
ଯେ ଧର୍ମ କର୍ମ ଅଛି ବେଦେ । ତାହା ଇନ୍ଦ୍ରିୟ ଯେବେ ସାଧେ ୭୧
ଯେ ବର୍ଣ୍ଣେ ଯେବା ଧର୍ମ କର୍ମ । ଇନ୍ଦ୍ରିୟ କରେ ସେହି କର୍ମ ୭୨
ସେ ସର୍ବକର୍ମ ଯେବେ ମୋତେ। ଦେଇ ଭଜଇ ଏକଚିତ୍ତେ ୭୩
ଆପଣେ ଅକିଞ୍ଚନ ରୂପେ । ଭ୍ରମଇ ମାୟାମୟ କଳ୍ପେ ୭୪
ଭକତ ମଧ୍ୟେ ଏ ପ୍ରଧାନ । ଲଭଇ କଇବଲ୍ୟ-ସ୍ଥାନ ୭୫
ଜୀବ-ବାସନା-ବନ୍ଧ ହରେ । ନ ବୁଡେ ସଂସାର-ସାଗରେ ୭୬
ବ୍ୟାଧି ଯେସନେ ସ୍ଥାନେସ୍ଥାନେ । ହରଇ ଅଉଷଧ ପାନେ ୭୭
ଏ ଭାବେ ଯେ କରେ ବିଚାର । କୈବଲ୍ୟ କିବା ବସ୍ତୁ ତାର ୭୮
ନିତ୍ୟେ ଭକତଜନ ମଧ୍ୟେ । ହରିଚରିତ ନାନାଛନ୍ଦେ ୭୯
ନିରତେ କରେ ଅନୁପାନ । ଆନନ୍ଦ-ଅଶ୍ରୁ-ଜଳେ ସ୍ଥାନ ୮୦
ତାର ସମାନ ଆନ ଜନେ । ନ ଦେଖି ଏ ତିନିଭୁବନେ ୮୧
ଏମନ୍ତେ ବଞ୍ଚେ ଦୁଃଖ ସୁଖେ । ସେ ମୋର ନିଜରୂପ ଦେଖେ ୮୨
ସୁନ୍ଦର ପ୍ରସନ୍ନ ବଦନ । ବିକଚ କମଳ ଲୋଚନ ୮୩
ସର୍ବ ସୁନ୍ଦର ମନୋହର । ମୋ ଶ୍ୟାମସୁନ୍ଦର ଶରୀର ୮୪
ମୋର ଅମୃତମୟ ବାଣୀ । ତନୁ ରୋମାଞ୍ଚ କରେ ଶୁଣି ୮୫
ଏ ରୂପ ଛାଡି ତାର ମନ । କୈବଲ୍ୟେ କିବା ପ୍ରୟୋଜନ ୮୬
ଏ ରୂପ ଦେଖି ଚିତ୍ତ ହରେ । କୈବଲ୍ୟ ଲଭେ ଅଭ୍ୟନ୍ତରେ ୮୭
ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତି । ଅନନ୍ତ ଅନନ୍ତ ବିଭୂତି ୮୮
ସେ ସର୍ବେ ଖଟନ୍ତି ତା ପାୟେ । ମୋ ଭକ୍ତଜନେ ଦୂର ନୋହେ ୮୯
ଏଣୁ ଭକତ ରଖେ ହରି । କାଳ ନ ପାରେ ଗ୍ରାସ କରି ୯୦
ମୁଁ ତାର ପ୍ରିୟ ଆତ୍ମା ସୁତ । ସଖା ସୁହୃଦ ଗୁରୁବତ ୯୧
ତାହାର ଗୁରୁଦେବ ମୁହିଁ । ଯେ ମୋତେ ଏ ଭାବେ ଭାବଇ ୯୨
ତାହାର ଈଷ୍ଟ ବନ୍ଧୁ ମୁହିଁ । ଯେ ମୋତେ ସର୍ବ ସମର୍ପଇ ୯୩
ନାହିଁ ତା ଇହ ପର ଲୋକ । ନ ମାନେ ଆତ୍ମା ଦୁଃଖ ସୁଖ ୯୪
ଏକାନ୍ତ ଭକ୍ତିବଳେ ମୋତେ । ମନ ବଚନେ ନିତ୍ୟେ ଚିନ୍ତେ ୯୫
ସର୍ବ ସମର୍ପି ଅବିରତେ । ପଶଇ ମୋର ପାଦଗତେ ୯୬
ମୁଁ ଈଶ ପୁରୁଷପ୍ରଧାନ । ମୋ ବିନୁ ବନ୍ଧୁ ନାହିଁ ଆନ ୯୭
ଦେଖ ମୋହର ମାୟାଗତେ । ଯନ୍ତ୍ରିତ ଅଛନ୍ତି ସମସ୍ତେ ୯୮
ମୋ ଆଜ୍ଞା କରୁଥାନ୍ତି ନିତ୍ୟେ । ନିତ୍ୟେ ଯନ୍ତ୍ରିତ ଭୟଚିତ୍ତେ ୯୯
ଦେଖ ପବନ ମୋର ଡରେ । ବହଇ ବାହ୍ୟ ଅଭ୍ୟନ୍ତରେ ୧୦୦
ମୋ ଭୟେ ଉଦେ ଦିନକର । ମୋ ଡରେ ବର୍ଷେ ସୁନାସୀର ୧୦୧
ମୋ ଭୟେ ଯମ ଦଣ୍ତ ଧରେ । ମୃତ୍ୟୁ ସକଳ ପ୍ରାଣ ହରେ ୧୦୨
ମୋ ଡରେ ଯେବା ଯାହା ଭକ୍ଷେ । ଅଗ୍ନି ଦହଇ ଅପ୍ରତ୍ୟକ୍ଷେ ୧୦୩
ଶଶାଙ୍କ ଦିଶଇ ଆକାଶେ । ପ୍ରାଣୀଙ୍କ ମନ ସେ ଆଶ୍ୱାସେ ୧୦୪
ଏମନ୍ତେ ମହାଯୋଗୀଜନେ । ଯନ୍ତ୍ରିତ ମୋହର ବଚନେ ୧୦୫
ସେବନ୍ତି ମୋହର ଚରଣେ । ସଂସାର ପାର ଇଚ୍ଛି ମନେ ୧୦୬
କରନ୍ତି ପ୍ରାଣୀହିତ ନିତ୍ୟେ । ଅନ୍ୟୋନ୍ୟାଭାବେ ଏ ଜଗତେ ୧୦୭
ଏବେ ତୁ ଭକ୍ତିଯୋଗ ଶୁଣ । ଯେତେ ଜୀବର ପରିତ୍ରାଣ ୧୦୮
ଯେ ଭାବେ ଏ ସଂସାର ତୁଟେ । ସୁଦୃଢ କର୍ମଗ୍ରନ୍ଥି ଫିଟେ ୧୦୯
ତ‌ତ୍ତ୍ବ-ତପନ-ତମ ନାଶେ । ନିର୍ମଳଜ୍ଞାନ ହିଁ ପ୍ରକାଶେ ୧୧୦
ଏଣୁ ଏ ତତ୍ତ୍ବଜ୍ଞାନ କହି । ଶୁଣ ଜନନୀ ମନଦେଇ ୧୧୧
ଏମନ୍ତ ତତ୍ତ୍ବଜ୍ଞାନ ଜାଣି । ଯେ ଭାବେ ଭଜେ ଚକ୍ରପାଣି ୧୧୨
ଯେ ଦୟାସାଗର ମୁରାରି । ମାତା ବିଷୟେ ଦୟାକରି ୧୧୩
ଯେତେ କହିଲେ ଉପଦେଶ । ସୁଜନ ଜନେ ଏଣେ ରସ ୧୧୪
ତା ପାଦେ ମନ କରି ସ୍ଥିର । ମୋକ୍ଷେ ଉଦୟ ଲଭେ ନର ୧୧୫
ତୃତୀୟସ୍କନ୍ଧେ ଭାଗବତେ । ଜୀବର ପରିତ୍ରାଣ ଅର୍ଥେ ୧୧୬
ହରିଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟୋପାଖ୍ୟାନେ ନାମ ପଞ୍ଚବିଂଶୋଽଧ୍ୟାୟଃ ।

ଷଡ଼୍‌ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ତତ୍ତ୍ୱ ବାଣୀ । ଏ ଜୀବ ତରେ ଯାହା ଶୁଣି ୧
କପିଳରୂପେ ପ୍ରିୟଭାବେ । ଜନନୀ ପ୍ରବୋଧ ପ୍ରସ୍ତାବେ ୨
ଯାହା କହିଲେ ନାରାୟଣ । ନିଶ୍ଚଳଚିତ୍ତେ ଏବେ ଶୁଣ ୩
ବିଷ୍ଣୁ କହନ୍ତି ତୋଷମନେ । ମନୁତନୟା ସନ୍ନିଧାନେ ୪
କପିଳ ଉବାଚ
ଶୁଣ ଜନନୀ ମୋ ବଚନ । ଯେ ତତ୍ତ୍ୱଜ୍ଞାନର ଲକ୍ଷଣ ୫
ଏବେ ତୁ ତତ୍ତ୍ୱଜ୍ଞାନ ଶୁଣ । ଯେଣେ ଜୀବର ପରିତ୍ରାଣ ୬
ଏ ଜ୍ଞାନ ଜନ୍ମିଲେ ପୁରୁଷ । କାଟଇ ମୋହଗୁଣପାଶ ୭
ଯେ ଭାବେ ଏ ସଂସାର ତୁଟେ । ସୁଦୃଢ-ହୃଦଗଣ୍ଠି ଫିଟେ ୮
ତତ୍ତ୍ୱତପନ ତମ ନାଶେ । ନିର୍ମଳ ଜ୍ଞାନ ହିଁ ପ୍ରକାଶେ ୯
ଏଣୁ ଏ ତତ୍ତ୍ୱଜ୍ଞାନ କହି । ଶୁଣ ଜନନୀ ମନ ଦେଇ ୧୦
ଯେମନ୍ତ ତତ୍ତ୍ୱଜ୍ଞାନ ଜାଣି । ଯେ ଭାବେ ଲଭି ଚକ୍ରପାଣି ୧୧
ନିଶ୍ଚଳଭାବେ କରି ଧ୍ୟାନ । ଆତ୍ମାକୁ କରନ୍ତି ଦର୍ଶନ ୧୨
ଅଶେଷ-ବନ୍ଧନ ଫିଟାଇ । ବିବେକ ଜ୍ଞାନ ପ୍ରକାଶଇ ୧୩
ମାୟା ଯନ୍ତ୍ରିତ ଅହଙ୍କାର । ହୃଦରୁ ତାହା ହୁଏ ଦୂର ୧୪
କହିବା ଶୁଣ ମନଦେଇ । ଯେ ମାର୍ଗେ ସଂଶୟ ନ ଥାଇ ୧୫
ଯେ ଆତ୍ମା ଅନାଦି-ପୁରୁଷ । ପ୍ରକୃତି ପରେ ଯାର ବାସ ୧୬
ସ୍ୱଭାବେ ନିର୍ଗୁଣ ଅଟଇ । ଜ୍ୟୋତି-ସ୍ୱରୂପେ ପ୍ରକାଶଇ ୧୭
ବ୍ୟାପିଛି ଏ ବିଶ୍ୱ ସଂସାରେ । ପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ ୧୮
ଏ ରୂପେ ପ୍ରକୃତି-ପୁରୁଷ । ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ ୧୯
ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି । ଆଦିପ୍ରକୃତି ରୂପ ଧରି ୨୦
ତ୍ରିଗୁଣ ଜାତ ସେ କରଇ । ରଜ ସା‌ତ୍ତ୍ୱକ ତମ ଦେହୀ ୨୧
ରଜେ ସର୍ଜଇ ପାଳେ ସତ୍ତ୍ବେ । ତମ ସ୍ୱରୂପେ ହରେ ନିତ୍ୟେ ୨୨
ଏ ରୂପେ ଲୀଳା ସେ କରଇ । ଦଇବୀ ମାୟା ଗୁଣମୟୀ ୨୩
ଜୀବର ନାନାରୂପ କରେ । ଚିତ୍ର ବିଚିତ୍ର ଏ ସଂସାରେ ୨୪
ପ୍ରଜା ସର୍ଜଇ ନାନାକଳ୍ପେ । ସ୍ଥାବର ଜଙ୍ଗମାଦି ରୂପେ ୨୫
ଅଜ୍ଞାନେ ଆବୃତ୍ତ ତା ଦେହୀ । ସାକ୍ଷୀ ସ୍ୱରୂପେ ସେ ଦେଖଇ ୨୬
ଏ ରୂପେ ପୂର୍ବରୁ ଭିଆଣ । ପ୍ରକୃତି କରଇ ନିର୍ମାଣ ୨୭
କର୍ମରେ ଗତାଗତ ହୋଇ । ଉଚ୍ଚ-ନୀଚକୁ ସେ ନିଅଇ ୨୮
ପ୍ରବୃତ୍ତିମାର୍ଗେ କରି କର୍ମ । ପ୍ରାଣୀ ଲଭନ୍ତି ପଥଶ୍ରମ ୨୯
ନିବତ୍ତିମାର୍ଗେ ମୋକ୍ଷ ହୋଇ । ଏ ବେନିମାର୍ଗ ସେ ଭିଆଇ ୩୦
ସାକ୍ଷୀ ସ୍ୱରୂପେ ସର୍ବଦେହୀ । ଦେଖଇ ହୃଦପଦ୍ମେ ରହି ୩୧
କାର୍ଯ୍ୟ-କାରଣେ କର୍ତ୍ତା ହୋଇ । ପ୍ରକୃତି ଯେତେକ ଅର୍ଜଇ ୩୨
ସୁକୃତ-ଦୁଷ୍କୃତାଦି ଯେତେ । ଜୀବ ଭୁଞ୍ଜଇ ତାହା ନିତ୍ୟେ ୩୩
ଏମନ୍ତ ଶୁଣି ଦେବହୂତି । ସଂଶୟେ ପୁଣି ପଚାରନ୍ତି ୩୪

ଦେବହୂତି ଉବାଚ

କହ ହେ ପୁରୁଷ-ଉତ୍ତମ । କି ରୂପେ ବିଶ୍ୱ ସ୍ଥୂଳ ସୂକ୍ଷ୍ମ ୩୫
କି ରୂପେ ପ୍ରକୃତି ପୁରୁଷ । ଜଗତେ ହୋଇଛି ପ୍ରକାଶ ୩୬
ଏମନ୍ତ ଶୁଣି ଭଗବାନ । କହନ୍ତି ଅମୃତ ବଚନ ୩୭

ଭଗବାନ ଉବାଚ

ଯେତେ ଏ ତ୍ରିଗୁଣ-ବନ୍ଧନେ । ସତ ଅସତ ଯେ ଯେମାନେ ୩୮
ଆତ୍ମା ଯେ ଜ୍ୟୋତିରୂପେ ଥାଇ। ଅବ୍ୟକ୍ତରୂପେ ପ୍ରକାଶଇ ୩୯
ପ୍ରଧାନରୂପରେ ପ୍ରକୃତି । ସମସ୍ତକର୍ମେ ଅଧିପତି ୪୦
ସମସ୍ତରୂପ ସେ ବହଇ । ମହତ ଆଦି ଯେତେ ଦେହୀ ୪୧
ଶୁଣ ଜନନୀ ଏକଚିତ୍ତେ । ଚତୁର୍ବିଂଶତି ତତ୍ତ୍ୱ ଯେତେ ୪୨
ପଞ୍ଚ ପଞ୍ଚ ଯେ ଚତୁର୍ଦ୍ଦଶ । ପ୍ରତ୍ୟେକେ କରିବା ପ୍ରକାଶ ୪୩
ପୃଥିବୀ ଆପ ତେଜ ବାତ । ଆକାଶ ଆଦି ପଞ୍ଚଭୂତ ୪୪
ଗନ୍ଧ ରୂପ ଯେ ରସ ଶବ୍ଦ । ସ୍ପର୍ଶାଦି ତନମାତ୍ର ଭେଦ ୪୫
ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ । ଚର୍ମ ପାଣି ପାଦ ବଚନ ୪୬
ବୃଷଣ ପାୟୁ ଏ ଦଶମ । ଇନ୍ଦ୍ରିୟ ବୋଲି ଏହା ନାମ ୪୭
ମନ ବୁଦ୍ଧି ଯେ ଅହଂ ଚିତ୍ତ । ଚତର୍ବିଂଶତି ଏହୁ ତ ୪୮
ପଞ୍ଚବିଂଶତି କାଳ କହି । ଏ ରୂପେ ସଂଖ୍ୟାକ୍ରମ ହୋଇ ୪୯
ପ୍ରକୃତି ଏତେରୂପ ହୋଇ । କାର୍ଯ୍ୟ-କାରଣେ ପ୍ରବର୍ତ୍ତଇ ୫୦
କାଳସ୍ୱରୂପରେ ପୁରୁଷ । ସକଳ କରାଇ ପ୍ରକାଶ ୫୧
ଏ ଦେହୀ ମୁଗ୍ଧ ଅହଙ୍କାରେ । ସେ କାଳେ ଡରେ ନିରନ୍ତରେ ୫୨
ଏ ଦେହେ କର୍ତ୍ତା ସେ ହୁଅଇ । ସମସ୍ତ ଭୋଗ ସେ କରଇ ୫୩
ପ୍ରକୃତି ଯାର ଚେଷ୍ଟା ବଳେ । ସର୍ଜି ନାଶଇ ଭୂମିତଳେ ୫୪
କାଳ-ସ୍ୱରୂପୀ ଭଗବାନ । ଆତ୍ମା-ମାୟାରେ କରେ ଲୀନ ୫୫
ଏ ପଞ୍ଚବିଂଶରୂପ ହୋଇ । ଅପରେ ଶୁଣ ମନ ଦେଇ ୫୬
ପୁଣି ସେ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତା ପ୍ରକାଶ ୫୭
ସେ ସର୍ବଭୂତେ ପରିପୂର୍ଣ୍ଣ । ଜଳରେ ଚନ୍ଦ୍ରମା ଯେସନ ୫୮
ପ୍ରକୃତି ତାର ତହୁଁ ଜାତ । ତା ତହୁଁ ହୋଏ ମହତ୍ତତ୍ତ୍ବ ୫୯
ହିରଣ୍ୟମୟ ତାର ଦେହୀ । ବ୍ରହ୍ମାଣ୍ତମଧ୍ୟେ ବିରାଜଇ ୬୦
ଏ ବିଶ୍ୱ ଆତ୍ମା ଯେ ଅଟଇ । ସୂକ୍ଷ୍ମ ସ୍ୱରୂପେ ଅଛି ରହି ୬୧
ଆତ୍ମାରେ ପ୍ରକାଶ ସେ ହୋଇ । ଏ ଘୋରତିମିର ନାଶଇ ୬୨
ଯେ ସ୍ଥାନେ ରାଗ ଦ୍ୱେଷ ନାହିଁ । ପର ଅପର ନ ଜାଣଇ ୬୩
ସ‌ତ୍ତ୍ବଗୁଣରେ ପ୍ରକାଶଇ । ନିର୍ମଳ-ଜ୍ୟୋତିର୍ମୟ ଦେହୀ ୬୪
ସେ ବିଷ୍ଣୁଭକ୍ତି ଲାଭ ସ୍ଥାନ । ବାସୁଦେବଟି ଯାର ନାମ ୬୫
ଅଧ୍ୟାତ୍ମରୂପୀ ସେ ଚୈତନ୍ୟ । ମହତ ବୋଲି ତାର ନାମ ୬୬
ପର ଅପରେ ବ୍ୟାପିଛଇଁ । ବିକାରଭାବ ଯାର ନାହିଁ ୬୭
ସ୍ୱଚ୍ଛ ସୁଶାନ୍ତ ଭାବ ବହି । ଅମୃତମୟ ତାର ଦେହୀ ୬୮
ମହତ ତହୁଁ ଜାତ ହୋଇ । ଯେ କ୍ରିୟାଶକ୍ତି ରୂପ ବହି ୬୯
ସେ ଅହଂକାର ରୂପ ତିନି । ଜନ୍ମଇ ଶୁଣ ଗୋ ଜନନି ୭୦
ସାତ୍ତ୍ବିକ ରାଜସ ତାମସ । ଏ ତିନି ହୁଅନ୍ତି ପ୍ରକାଶ ୭୧
ମନ ଇନ୍ଦ୍ରିୟ ପଞ୍ଚଭୂତ । ଏ ତିନିଗୁଣେ ହୋନ୍ତି ଜାତ ୭୨
ସହସ୍ର ଶିର ବାହୁ ହୋଇ । ସଙ୍କରଷଣ ଯାକୁ କହି ୭୩
ଅନନ୍ତ ବୋଲି ଯାର କାୟ । ଭୂତ ଇନ୍ଦ୍ରିୟ ମନୋମୟ ୭୪
କର୍ତ୍ତାରସ୍ବରୂପେ ଦେବେ ଜାତ । କାରଣେ ଇନ୍ଦ୍ରିୟ ସମ୍ଭୂତ ୭୫
କାର୍ଯ୍ୟସ୍ୱରୂପେ ଭୂତଦେହୀ । ତ୍ରିଗୁଣେ ପ୍ରାଣୀ ମୋହ ହୋଇ ୭୬
ସାତ୍ତ୍ବିକଅଂଶୁ ମନ ଜାତ । ସଙ୍କଳ୍ପ ବିକଳ୍ପରେ ସ୍ଥିତ ୭୭
ହୃଷୀକମାନଙ୍କ ଈଶ୍ୱର । ଶ୍ୟାମସୁନ୍ଦର କଳେବର ୭୮
ତା ଭକ୍ତି ସାଧି ଯୋଗୀ ସିଦ୍ଧ । ଯାହାର ନାମ ଅନିରୁଦ୍ଧ ୭୯
ରଜୋଗୁଣରୁ ବୁଦ୍ଧି ଜାତ । ଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିଯୁତ ୮୦
ସଂଶୟ ବିପର୍ଯ୍ୟସ ବେନି । ନିଶ୍ଚୟ ସ୍ମୃତି ନିଦ୍ରା ତିନି ୮୧
ଏ ପାଞ୍ଚବୁଦ୍ଧିର ଲକ୍ଷଣ । ଏବେ ତୁ ଜନନି ଗୋ ଶୁଣ ୮୨
ରାଜସ ଅହଙ୍କାରୁ ପୁଣ । ଜାତ ହୁଅନ୍ତି ଇନ୍ଦ୍ରିଗଣ ୮୩
କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣ । ଯେ ଯାହା ମାର୍ଗେ ପ୍ରବର୍ତ୍ତନ ୮୪
ସେ ପ୍ରାଣ କ୍ରିୟାଶକ୍ତି ବଳେ । ଭୋଗ ଭଞ୍ଜଇ କୁତୂହଳେ ୮୫
ବୁଦ୍ଧି ବିଜ୍ଞାନ ଶକ୍ତିବଳେ । ଧାରଣା କରେ ସୁନିଶ୍ଚଳେ ୮୬
ତାମସ ଗୁଣେ ପଞ୍ଚମାତ୍ର । ବିଷ୍ଣୁର ଅଂଶେ ସେ ସମ୍ଭୂତ ୮୭
ଆକାଶ ଗୁଣୁ ଶ୍ରୋତ୍ର ହୋଇ । ଶବଦ ସଂଗ୍ରହ କରଇ ୮୮
ଶବଦ ତନ୍ମାତ୍ର ଗଗନ । ଅର୍ଥ ଆଶ୍ରୟ ଯେବା ସ୍ଥାନ ୮୯
ଆତ୍ମା ଲିଙ୍ଗକୁ ପ୍ରକାଶଇ । ସ୍ୱଭାବେ ଅଦୃଶ୍ୟ ଅଟଇ ୯୦
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତର । ପ୍ରାଣ ଇନ୍ଦ୍ରିୟ ଯେ ମନର ୯୧
ଆଶ୍ରୟ ହୋଇ ନ ଦିଶଇ । ଆକାଶଗୁଣ ଏହୁ ହୋଇ ୯୨
ଆକାଶ ତହୁଁ ସ୍ପର୍ଶ ମାତ୍ର । କାଳର ଗତିବଳେ ଜାତ ୯୩
ସ୍ପର୍ଶମାତ୍ରାରୁ ବାୟୁ ହୋଇ । ଚର୍ମ ତା ସଂଗ୍ରହ କରଇ ୯୪
ମୃଦୁ କଠିନ ତ୍ୱଚ ହୋଇ । ଶୀତ ତପତି ସେ ଜଣାଇ ୯୫
ବୃକ୍ଷ-ଶାଖାଦି ତୃଣମାନ । ବାୟୁର ବଳେ ସେ ଚଳନ ୯୬
ଇନ୍ଦ୍ରିୟେ ସ୍ପର୍ଶ ଶବ୍ଦ ଗନ୍ଧ । ପ୍ରାଣୀଙ୍କି କରାଏ ଯେ ବୋଧ ୯୭
ସକଳଇନ୍ଦ୍ରିମାନଙ୍କର । ଆତ୍ମା ସ୍ୱରୂପେ ତା ବିହାର ୯୮
ପବନ ଦଇବ ପ୍ରେରିତ । ରୂପ ତନମାତ୍ର ସମ୍ଭୂତ ୯୯
ତହୁଁ ହୋଇଲା ତେଜ ଜାତ । ସେ ତେଜୁ ଚକ୍ଷୁ ଯେ ସମ୍ଭୂତ ୧୦୦
ଦ୍ରବ୍ୟ ଆକାର ଗୁଣଜ୍ଞାନ । ରୂପର ବୁତ୍ତି ଏ ଲକ୍ଷଣ ୧୦୧
ପ୍ରକାଶ ପାଚନ ଶୋଷଣ । କ୍ଷୁଧା ତୃଷାର ଉତପନ୍ନ ୧୦୨
ଭୋଜନ ପାନ ପରିପାକ । ଆବର ଶୀତ ନିବାରକ ୧୦୩
ତେଜର ବୃତ୍ତି ଅଟେ ଏତେ । ଶୁଣ ଜନନୀ ଶୁଦ୍ଧ ଚିତ୍ତେ ୧୦୪
ତେଜ ବିକାରେ ରସ ଜାତ । ରସରୁ ଜଳ ଯେ ସମ୍ଭୂତ ୧୦୫
ତହୁଁ ରସନା ଇନ୍ଦ୍ରି ହୋଇ । ଯେ ସର୍ବସ୍ୱାଦକୁ ଘେନଇ ୧୦୬
କଟୁ କଷାୟ ଯେ ଆମ୍ବିଳ । ତିକ୍ତ ଲବଣ ଯେ ମଧୁର ୧୦୭
ଏ ରୂପେ ଭେଦଭାବ କହି । ଏକଇ ରସ ନାନା ଥାଇ ୧୦୮
ତିନ୍ତା ଏ ମାଟି ପିଣ୍ତୁଳାଏ । ଜୀବନ ରଖେ ତୃପ୍ତି ଦିଏ ୧୦୯
ତାପ ନିବାରେ ମୃଦୁ କରେ । ବହନ୍ତେ ପୁଣ ପୃଣ ଭରେ ୧୧୦
ଜଳର ସାଧାରଣ ଗୁଣ । ଏବେ କହିବା ମାତ ଶୁଣ ୧୧୧
ରସ ବିକାରୁ ଗନ୍ଧ ଜାତ । ପୃଥିବୀ ଗନ୍ଧରୁ ସମ୍ଭୂତ ୧୧୨
ଗନ୍ଧ ଗ୍ରହଣେ ଇନ୍ଦ୍ରି ଘ୍ରାଣ । ତହୁଁ ହୋଇଲା ଉତପନ୍ନ ୧୧୩
ଦୁର୍ଗନ୍ଧ ମିଶ୍ରଗନ୍ଧ ହୋଇ । ସୌରଭ ଶାନ୍ତ ଉଗ୍ର ଯେହି ୧୧୪
ଏକଇ ଗନ୍ଧ ଭେଦ ଭାବ । ଦ୍ରବ୍ୟ ସଂଯୋଗେ ତା ସମ୍ଭବ ୧୧୫
ଭୋ ମାତ ଶୁଣ ଭୂମି ଗୁଣ । ଯେ ଭୂମି ବ୍ରହ୍ମାର ଭାବନ ୧୧୬
ବ୍ରହ୍ମପ୍ରତିମା ନିରୂପଣ । ସର୍ବ ଆଧାର ସର୍ବସ୍ଥାନ ୧୧୭
ସକଳଭୂତ ଭେଦକରେ । ଭୂମି ଲକ୍ଷଣ ଏ ବେଭାରେ ୧୧୮
ଆକାଶ ଗୁଣ ଯେ ବିଶେଷ । ଶବଦରୂପେ ସେ ପ୍ରକାଶ ୧୧୯
ସେ ଯାର ବିଷୟ ଅଟଇ । ତାହାକୁ କର୍ଣ୍ଣ ଇନ୍ଦ୍ରି କହି ୧୨୦
ପବନ ଗୁଣ ଯେ ବିଶେଷ । ସ୍ପରଶ ରୂପେ ସେ ପ୍ରକାଶ ୧୨୧
ସେ ଯାର ବିଷୟ ଅଟଇ । ତାହାକୁ ଚମ ଇନ୍ଦ୍ରି କହି ୧୨୨
ତେଜର ଗୁଣ ରୂପ ହୋଇ । ଚକ୍ଷୁର ବିଷୟଟି ସେହି ୧୨୩
ଜଳର ଗୁଣ ରସ ହୋଇ । ସେ ପୁଣି ଜିହ୍ୱାରେ ବସଇ ୧୨୪
ପୃଥିବୀ ଗୁଣ ଗନ୍ଧ ଜାଣ । ତାହାର ଇନ୍ଦ୍ରି ଅଟେ ଘ୍ରାଣ ୧୨୫
ଏ ଭୂତଗଣ ପରେ ପରେ । ପୂର୍ବର ଗୁଣମାନ ଧରେ ୧୨୬
ଏଣୁ ଭୂମିରେ ଶବ୍ଦ ସ୍ପର୍ଶ । ରୂପ ରସ ଗନ୍ଧ ପ୍ରକାଶ ୧୨୭
ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି । ଦଣ୍ତେ ହେଁ ସ୍ଥିର ସେ ନୁହଁନ୍ତି ୧୨୮
ଏ ରୂପେ କାରଣ ଉତ୍ପତ୍ତି । ଏବେ ଗୋ ଶୁଣ କାର୍ଯ୍ୟୋତ୍ପତ୍ତି ୧୨୯
ଯେ କାଳେ ପ୍ରଳୟ ହୁଅଇ । ଏ ସର୍ବରୂପ ଭଙ୍ଗ ଯାଇ ୧୩୦
ଯା ଠାରୁ ହୁଅଇ ଉତ୍ପନ୍ନ । ତାଠାରେ ହୁଅଇ ସେ ଲୀନ ୧୩୧
ସେକାଳେ ପ୍ରଭୁ ଭଗବାନ । ଯୋଗନିଦ୍ରାରେ ଅବଧାନ ୧୩୨
ପୁଣି ଏ ସୃଷ୍ଟି ଆଦି କାଳେ । ସ୍ୱଭାବ କାଳ କର୍ମ ବଳେ ୧୩୩
ସକଳେ ଉତ୍ପତ୍ତି ହୁଅନ୍ତେ । ଈଶ୍ୱର ତହିଁ ପ୍ରବେଶନ୍ତେ ୧୩୪
ଅନ୍ୟୋନ୍ୟେ ଏକତ୍ୱ ହୁଅନ୍ତି । ତକ୍ଷଣେ ରୂପକୁ ଲଭନ୍ତି ୧୩୫
ଜଳେ ହିରଣ୍ୟକୋଷ ପ୍ରାୟେ । ପଡି ଭାସନ୍ତି ମହାକାୟେ ୧୩୬
କେତେହେଁ କାଳେ ତହୁଁଜାତ । ସହସ୍ର-ଶିର ସେ ଅନନ୍ତ ୧୩୭
ଜଳେ ଶୟନ ସେ ଆନନ୍ଦେ । ବ୍ରହ୍ମା ଜନ୍ମିଲେ ନାଭିପଦ୍ମେ ୧୩୮
ସୃଷ୍ଟିର ଅଧିପତି ସେହି । ବିଷ୍ଣୁର ଆଦିରୂପ ଯେହି ୧୩୯
ଯେ ଅଂଶୁ ତାର ଯେବା ଜାତ । ବିରାଟରୂପ ଶୁଣ ମାତ ୧୪୦
ବଚନୁ ଅଗ୍ନି ଜାତ ହୋଇ । ନାସାରୁ ପ୍ରାଣ ଉପୁଜଇ ୧୪୧
ଘ୍ରାଣରୁ ବାୟୁ ଉତପନ୍ନ । ଚକ୍ଷୁରୁ ଜନ୍ମିଲା ତପନ ୧୪୨
କର୍ଣ୍ଣରୁ ଦିଗମାନ ହୋଇ । ଇନ୍ଦ୍ରାଦି ଦଶଦେବେ ଯହିଁ ୧୪୩
ଚର୍ମ ଉପରେ ଲୋମମାନ । ଔଷଧିଗଣ ତାକୁ ଜାଣ ୧୪୪
ତା ରେତ ଆପ ଯେ ଅଟଇ । ଗୁହ୍ୟ ତା ମୃତ୍ୟୁଲୋକ କହି ୧୪୫
ଭୁଜେ ତାହାର ଇନ୍ଦ୍ର ବସେ । ତା ସର୍ବଗତି ହୃଷୀକେଶେ ୧୪୬
ନାଭି ଆଶ୍ରିତ ଶିରାକୁଳ । ଏ ସର୍ବନଦୀଙ୍କର ମୂଳ ୧୪୭
ଉଦରେ ସମୁଦ୍ର ଅଛଇ । କ୍ଷୁଧା ପିପାସା ଅଗ୍ନି ବହି ୧୪୮
ମନ ହୃଦରୁ ଜାତ ହୋଇ । ବିଷୟ ଭେଦ ସେ କରଇ ୧୪୯
ମନର ପରେ ବୁଦ୍ଧିଜାତ । ସେ ବୁଦ୍ଧି ମହତୁଁ ସମ୍ଭୂତ ୧୫୦
ଏତେ ପ୍ରକାରେ ଜାତ ହୋଇ । ବିରାଟ ତେବେ ନ ଉଠଇ ୧୫୧
ଏ ଚତୁର୍ଦ୍ଦଶଲୋକ-ସ୍ଥିତି । ବିରାଟ ଅଙ୍ଗରେ ରହନ୍ତି ୧୫୨
ଯେ ସ୍ଥାନୁ ଯେବା ଜାତ ହୋଇ । ସେ ଅଙ୍ଗେ ସେହୁ ବିଶ୍ରାମଇ ୧୫୩
କ୍ଷେତ୍ରଜ୍ଞରୂପେ ଆତ୍ମା ଥାଇ । ଯେବେ ସେ ଶରୀରେ ପଶଇ ୧୫୪
ତେବେ ସେ ଚେତନାକୁ ପାଇ । ବିରାଟ ଜଳରୁ ଉଠଇ ୧୫୫
କାର୍ଯ୍ୟ କାରଣେ ଇନ୍ଦ୍ରିଗଣ । ଆତ୍ମାକୁ କରାନ୍ତି ଭ୍ରମଣ ୧୫୬
ଏ ଭାବେ ଜାଣି ମୋର ପାଦ । ଯେବା ଭଜଇ ଅପ୍ରମାଦେ ୧୫୭
ଏ ଭବଜଳକୁ ସେ ତରଇ । ଏ ମାୟା ତାକୁ ନ ଲାଗଇ ୧୫୮
ତୃତୀୟସ୍କନ୍ଧେ ଭାଗବତ । ଅମୃତ ରସମୟ ଗୀତ ୧୫୯
ସୁଜନଜନେ ଏଣେ ରସ । କହିଲା ଜଗନ୍ନାଥ ଦାସ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ତତ୍ତ୍ବସମାମ୍ନାୟେ ଷଡ୍ବିଂଶୋଽଧ୍ୟାୟଃ ।

ସପ୍ତବିଂଶ ଅଧ୍ୟାୟ[ସମ୍ପାଦନା]

ଭଗବାନ ଉବାଚ

ବିଷ୍ଣୁ କହନ୍ତି ତୋଷମନେ । ମନୁ ତନୟା ସନ୍ନିଧାନେ । ।୧
ଶୁଣି ଜନନୀ ଏକମନ । ଯେ ହରି ଅଜ-ନିରଞ୍ଜନ । ।୨
ନିର୍ଗୁଣ ନିର୍ବିକାରମୟେ । ବସଇ ଆତ୍ମାରୂପେ ଦେହେ । ।୩
ପ୍ରକୃତିଗୁଣେ ନୋହେ ସଙ୍ଗ । ଜଳ ଯେସନେ ଅର୍କବିମ୍ବ । ।୪
ସେ ଦେହଧର୍ମେ ବଦ୍ଧ ହୋଇ । ଆତ୍ମାଙ୍କୁ ଅହଙ୍କାର ବହି । ।୫
ଆତ୍ମାର ଦୁଃଖ ସୁଖ ମଣେ । କର୍ମକରତା ମୁଁ ପ୍ରମାଣେ । ।୬
ଆତ୍ମାର ବନ୍ଧ କର୍ମ ପାକେ । ନିତ୍ୟେ ଭ୍ରମଇ ଦୁଃଖ ସୁଖେ । ।୭
ଦେହକୁ କରେ ଅଭିମାନ । ଏଣୁ ହରଇ ନିଜ ଜ୍ଞାନ । ।୮
ନିରତେ ଅହଙ୍କାର ଘେନି । ଏମନ୍ତେ ଭ୍ରମେ ନାନା ଯୋନି । ।୯
ଯେସନେ ଜଳେ ପ୍ରାଣୀ ପଶେ । ପୁଣି ଉଠନ୍ତେ ଶିର ଦିଶେ । ।୧୦
ଜନ୍ମ ମରଣ ଏହି ମତ । ଅର୍ଜିଲା କର୍ମର ଆୟତ୍ତ । ।୧୧
ଆତ୍ମାର କର୍ମଫଳ ଘେନି । ଜୀବ ଭ୍ରମଇ ନାନା ଯୋନି । ।୧୨
ଅଜ୍ଞାନେ ଏ ଘୋର ସଂସାରେ । ଜୀବ ଭ୍ରମଇ ଅହଂକାରେ । ।୧୩
ଦୁଃଖ ଲଭଇ ବାରେବାରେ । ଆତ୍ମାର ଗତି ନବିଚାରେ । ।୧୪
ସ୍ୱପ୍ନେ ଅନର୍ଥ ଯେତେ ଦେଖି । ନାନା ପ୍ରପେଞ୍ଚେ ଉପଲକ୍ଷି । ।୧୫
ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ । ଯେହ୍ନେ ଜାଗରେ ହୋଏ ମିଛ । ।୧୬
ଏ ରୂପେ ଜୀବର ସଞ୍ଚାର । ଏମନ୍ତ ମାୟା ଏ ସଂସାର । ।୧୭
ଏ ଜୀବ ମୋହିତ ଅଜ୍ଞାନେ । ଏ ରୂପେ ପଡ଼ଇ ବନ୍ଧନେ । ।୧୮
ଏଣୁ ସଂଯମଚିତ୍ତ କରି । ବିଷୟ-ବିଷରୁ ଉଦ୍ଧରି । ।୧୯
ଭକ୍ତି-ବିରକ୍ତି ଯୋଗବଳେ । ମନକୁ ବଶ କରି ହେଳେ । ।୨୦
ନିୟମେ ମାପି ସୁନିଶ୍ଚଳେ । ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ । ।୨୧
ବିଷ୍ଣୁ-ବିଷୟେ ମନ ଧରି । ସାଧିବ ଶରୀର ପାଶୋରି । ।୨୨
ଯତ୍ନେ ସାଧିବ ଯୋଗ ତପ । ସତ୍ୟ-ଶଉଚ-ଶ୍ରଦ୍ଧା କଳ୍ପ । ।୨୩
ମୋହର ଗୁଣ କର୍ମ ଯଶ । ଶ୍ରବଣ କୀର୍ତ୍ତନେ ହରଷ । ।୨୪
ସକଳଜୀବେ ନିଜ ପ୍ରାୟେ । ସମେ ଦେଖିବ ବିଷ୍ଣୁମୟେ । ।୨୫
ପ୍ରାଣୀଙ୍କ ହିତେ ଥିବ ନିତ୍ୟେ । ଚଞ୍ଚଳ-ଇନ୍ଦ୍ରିୟ ସଂଯତେ । । ୨୬
ଈଶ୍ୱରେ ସ୍ଥାପି କର୍ମଫଳ । ସ୍ୱଧର୍ମ ସାଧିବ ନିଶ୍ଚଳ । ।୨୭
ପ୍ରଥମ-ଆଶ୍ରମର ମତେ । ସ୍ୱଧର୍ମ ମୌନ ସତ୍ୟଯୁତେ । ।୨୮
କରି ଛାଡ଼ିବ ଗୃହ ସ୍ନେହ । ଯେ ଅହଙ୍କାର ମାୟାମୋହ । ।୨୯
ଆହାରେ ଭଲ ମନ୍ଦ ନାହିଁ । ଯେବା ମିଳିବ ଯାହା ଯହିଁ । ।୩୦
ଅଳ୍ପ ଭୋଜନେ ମତ ତୋଷି । ଏକାନ୍ତ ଜ୍ଞାନେ ନିତ୍ୟେ ବସି । ।୩୧
କରୁଣ ଶାନ୍ତ ଶିଷ୍ଟ ଗୁଣ । ସକଳ ଭୂତେ ମିତ୍ରପଣ । ।୩୨
ସୁହୃଦ ସୁତ ଗୃହ ନାରୀ । ଏ ଦେହେ ମମତା ନକରି । ।୩୩
ପ୍ରକୃତି ପୁରୁଷ ବିଚାର । ଜ୍ଞାନର ତ‌ତ୍ତ୍ବ ଅବଧାର । ।୩୪
ତେଣେ ନିବୃତ୍ତ ବୁଦ୍ଧିଭାବ । ଜାଗ୍ରତ ସ୍ୱପ୍ନ ଆଦିଭାବ । ।୩୫
ସମସ୍ତ ହୁଅଇ ନିବୃତ୍ତ । ବିଷୟ-ଚିନ୍ତା ଦୂରୀଭୂତ । ।୩୬
ଅନ୍ୟ ଦର୍ଶନ ତାର ନାହିଁ । ଆତ୍ମାରେ ଆତ୍ମାକୁ ଦେଖଇ । ।୩୭
ଚକ୍ଷୁର ଅର୍କେ ଅର୍କ ପ୍ରାୟେ । ଦେଖଇ ସର୍ବ ବ୍ରହ୍ମମୟେ । ।୩୮
ସେ ବ୍ରହ୍ମ ନିତ୍ୟ ଲିଙ୍ଗମୁକ୍ତ । ଆଭାସେ ଅହଙ୍କାରେ ସ୍ଥିତ । ।୩୯
ଏଣୁ ଯେ ଅହଙ୍କାରୀ ଜୀବ । କି ରୂପେ ବ୍ରହ୍ମଙ୍କୁ ଦେଖିବ । ।୪୦
ଭୋ ମାତ ସଂଶୟ ନକର । ପ୍ରମାଣ କହିବା ତାହାର । ।୪୧
ଯେସନେ ରବିବିମ୍ବ ଜଳେ । ଆଭାସୁ ପୁଣି ଲକ୍ଷି ସ୍ଥଳେ । ।୪୨
ପୁଣି ସେ ଜଳବିମ୍ବ-ବଳେ । ଆକାଶ-ରବି ଦେଖି ଡୋଳେ । ।୪୩
ତେସନେ ଦେହେନ୍ଦ୍ରିୟ ମନେ । ଏ ଜୀବ ଥାଇଣ ପ୍ରଚ୍ଛନ୍ନେ । ।୪୪
ଏ ଯେ ତ୍ରିଗୁଣ ଅହଙ୍କାର । ଆଭାସ ଯହିଁରେ ବ୍ରହ୍ମର । ।୪୫
ତହୁଁ ବ୍ରହ୍ମଙ୍କୁ ଉପଲକ୍ଷି । ପୁଣି ପତ୍ୟେକ୍ଷେ ତାକୁ ଦେଖି । ।୪୬
ଆତ୍ମା ଅଟଇ ଶୁଦ୍ଧଜ୍ଞାନ । ଅନୁଭବରେ ତା ପ୍ରମାଣ । ।୪୭
ସୁଷୁପ୍ତି ଅବସ୍ଥାରେ ଯେବେ । ଭୂତାଦି ରହେ ଲୀନ ଭାବେ । ।୪୮
ନିଦ୍ରାରେ ଅହଙ୍କାର ଶୂନ୍ୟ । ଆତ୍ମା ସ୍ୱରୂପେ ବର୍ତ୍ତମାନ । ।୪୯
ଦ୍ରଷ୍ଟାସ୍ୱରୂପେ ଥାଇ ଦେହେ । ନିଜକୁ ମଣେ ନଷ୍ଟ ପ୍ରାୟେ । ।୫୦
ଉପାଧି ନାଶ ହେବା ଜାଣି । ଆପଣା ନାଶ ପରିମାଣି । ।୫୧
ଧନବିନାଶେ ଲୋକ ଯେହ୍ନେ । ଆପଣ ନାଶ ପ୍ରାୟ ମଣେ । ।୫୨
ସୁଷୁପ୍ତି ଅବସ୍ଥାରେ ପୁଣ । ବିଷୟ ମାତ୍ର ନୁହେଁ ଜ୍ଞାନ । ।୫୩
ଏ ରୂପେ ସଂଶୟ ନକର । ଭୋ ମାତ ମନରେ ବିଚାର । ।୫୪
ସୁଷୁପ୍ତି ଭଙ୍ଗରେ ପୁରୁଷ । ଏ ରୂପ କରଇ ପ୍ରକାଶ । ।୫୫
ମୁଁ ଆଜି ସୁଖେ ନିଦ୍ରା ଗଲି । କିଛି ମାତ୍ର ହିଁ ନଜାଣିଲି । ।୫୬
ଯେଣୁ ଏ ରୂପେ ମନେ ଥାଇ । ଆତ୍ମ ନଥିଲେ ଜ୍ଞାନ କାହିଁ । ।୫୭
ପ୍ରକାଶେ ଯେ କାର୍ଯ୍ୟକାରଣ । ସେ ଦ୍ରଷ୍ଟାରୂପେ ବର୍ତ୍ତମାନ । ।୫୮

ଦେବହୂତି ଉବାଚ

ହେ ପ୍ରଭୁ ପୁରୁଷ ପ୍ରକୃତି । କେହି କାହାକୁ ନଛାଡ଼ନ୍ତି । ।୫୯
ଅନ୍ୟୋନ୍ୟ ଆଶ୍ରୟ ସେ ନିତ୍ୟ । କେବେହେଁ ନୁହଁନ୍ତି ସେ ଚ୍ୟୁତ । ।୬୦
ଯେମନ୍ତେ ଭୂମି ଗନ୍ଧ ଦୁଇ । କେହି କାହାକୁ ନଛାଡ଼ଇ । ।୬୧
ଅଥବା ଦେଖ ଜଳ ରସ । ଏକ ଅଭାବେ ଏକ ନାଶ । ।୬୨
ସେ ରୂପେ ପ୍ରକୃତି ପୁରୁଷେ । ବିୟୋଗ କି ରୂପେ ପ୍ରକାଶେ । ।୬୩
ଅକର୍ତ୍ତା ପୁରୁଷ ବିଚାର । ତ୍ରିଗୁଣେ ପ୍ରକୃତି ସଞ୍ଚାର । ।୬୪
ଏ କର୍ମବନ୍ଧ ଯେଣୁ ତାର । କେମନ୍ତେ ମୋକ୍ଷ ଏହାଙ୍କର । ।୬୫
କେହି ବିବେକ ଜ୍ଞାନ ତତ୍ତ୍ବେ । ସଂସାର ଯେବେ ବା ନିବର୍ତ୍ତେ । ।୬୬
ହେତୁ ତାହାର ଯେଣୁ ଥାଇ । କି ରୂପେ ମୋକ୍ଷ ବା ଘଟଇ । ।୬୭
ଏମନ୍ତ ଦେଖଇ ବହୁତ । ତୁ ମୋତେ କହ ଯଥା ତତ୍ତ୍ବ । ।୬୮

ଭଗବାନ ଉବାଚ

ଶୁଣ ଜନନି ଦେଇ ଚିତ୍ତ । ଯେବା ଜୀବର ବନ୍ଧ-ମୁକ୍ତ । ।୬୯
ନିଷ୍କାମେ ସ୍ୱଧର୍ମରେ ଥାଇ । ମନ ନିର୍ମଳେ ମୋତେ ଧ୍ୟାଇ । ।୭୦
ମୋହର ଦୃଢ଼ଭକ୍ତି ଯୋଗ । ସେ ତତ୍ତ୍ବଜ୍ଞାନ ସୁବୈରାଗ୍ୟ । ।୭୧
ଶ୍ରୀକୃଷ୍ଣ ଶ୍ରବଣ-କୀର୍ତ୍ତନେ । ଭକ୍ତିରେ ସାଧିବ ଯତନେ । ।୭୨
ତତ୍ତ୍ବ ଦର୍ଶନ ଜ୍ଞାନବଳେ । ଦୃଢ଼ବୈରାଗ୍ୟ ତପବଳେ । ।୭୩
ଆତ୍ମାର ପ୍ରାପ୍ତି ଉପାୟରେ । ଚିତ୍ତ ଏକାଗ୍ର ସମାଧିରେ । ।୭୪
ଏ ସର୍ବ ପ୍ରକାର ସାଧନ । ଖଣ୍ତଇ ଜୀବର ବନ୍ଧନ । ।୭୫
ପ୍ରକୃତି ପରାଭବ ପାଇ । ବିରହଭାବ ସେ ଲଭଇ । ।୭୬
ଯେସନେ ଅରଣୀରୁ ଅଗ୍ନି । ଜନମି ଦହଇ ଅରଣୀ । ।୭୭
ପ୍ରକୃତି ଭୋଗ ଶେଷ ହେଲେ । ତାହାର ଦୋଷ ଦିଶେ ଭଲେ । ।୭୮
କାଟିଣ ସବୁ ବନ୍ଧ ପାଶ । ଆନନ୍ଦେ ବିହରେ ପୁରୁଷ । ।୭୯
ଯେସନେ ସ୍ୱପନେ ଅନର୍ଥ । ଜାଗିଲେ ହୁଅଇ ଅସତ୍ୟ । ।୮୦
ତେସନେ ସଂସାର ଦିଶଇ । ମୋ ମାୟା ତାକୁ ନଲାଗଇ । ।୮୧
ବହୁତ ଜନ୍ମ ଭାଗ୍ୟବଳେ । ଅଧ୍ୟାତ୍ମଜ୍ଞାନ ହୁଏ କାଳେ । ।୮୨
ଏ ରୂପେ ଆତ୍ମାରାମମୁନି । ବ୍ରହ୍ମଲୋକକୁ ତୁଚ୍ଛ ମଣି । ।୮୩
ମୋ ଭକ୍ତ ହୋଇ ମୋ ପ୍ରସାଦେ । ଆତ୍ମାକୁ ଜାଣେ ଅପ୍ରମାଦେ । ।୮୪
କୈବଲ୍ୟଧାମ ମୋ ଆଶ୍ରୟ । ଲଭେ ମୁକତି ଆଦି ଶ୍ରେୟ । ।୮୫
ଲିଙ୍ଗ-ଶରୀର ନାଶ ଯାଇ । ଆଉ ଲେଉଟି ନ ଆସଇ । ।୮୬
ଯାହାର ଚିତ୍ତ ଯୋଗୁ ଆନ । ମାୟାରେ ନୁହଇ ବିଭ୍ରମ । ।୮୭
ସେ ଆତ୍ୟନ୍ତିକୀ ଗତି ପାଇ । ଯହିଁରେ ମୃତ୍ୟୁଭୟ ନାହିଁ । ।୮୮
ମୈତ୍ରେୟ ବିଦୁର ଅଗ୍ରତେ । ବହୁ ସାଧନ ଯୋଗମତେ । ।୮୯
କହିଲେ କପିଳଙ୍କ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୯୦
ସଂସାରଜନ ହିତ ଅର୍ଥେ । ତୃତୀୟସ୍କନ୍ଧେ ଭାଗବତେ । ।୯୧
ସୁଜନେ ଚିନ୍ତ ମନେ ଏହା । ଯେବେ ଖଣ୍ତିବ ଭବମାୟା । ।୯୨
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ । ।୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
କାପିଳାୟ ଉପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ

ଅଷ୍ଟବିଂଶ ଅଧ୍ୟାୟ[ସମ୍ପାଦନା]

ଭଗବାନ ଉବାଚ

ଶୁଣ ନୃପତିସୁତା ତୁମ୍ଭେ । ଯୋଗଲକ୍ଷଣ କହୁ ଆମ୍ଭେ । ।୧
ମନ ପ୍ରସନ୍ନ ଯେଣେ ହୋଇ । ସତ୍ପଥେ ସର୍ବଦା ଗମଇ । ।୨
ଏଣୁ ଏ ଗ୍ରାମ୍ୟଧର୍ମ ଛାଡ଼ି । ନିବୃତ୍ତିମାର୍ଗେ ଚିତ୍ତ ବଢ଼ି । ।୩
ନିଶ୍ଚଳ ସ୍ଥାନେ ଅବସ୍ଥାନ । କରିବ ପବିତ୍ର ଭୋଜନ । ।୪
ଅହିଂସା ସତ୍ୟମାର୍ଗେ ଭଜି । ଅଧିକ ପ୍ରତିଗ୍ରହ ତେଜି । ।୫
ଯେ ବ୍ରହ୍ମଚର୍ଯ୍ୟ ଆଚରଣ । ତପ ଶଉଚ ଅଧ୍ୟୟନ । ।୬
ପରମ-ପୁରୁଷ ଅର୍ଚ୍ଚନ । ତା ପାଦେ ଦେଇ ବାକ୍ୟମନ । ।୭
ନିଶ୍ଚଳେ ଆସନେ ବସିବ । ମଉନ ବ୍ରତ ଆଚରିବ । ।୮
ମନକୁ ନିର୍ବିକ୍ଷୟ କରି । ଇନ୍ଦ୍ରିୟ ସମୂହ ନିବାରି । ।୯
ଆହାର ଜିଣି ପ୍ରତ୍ୟାହାରେ । ପ୍ରାଣକୁ ସ୍ଥାପିବ ନିଶ୍ଚଳେ । ।୧୦
ଆତ୍ମାରେ ଆତ୍ମାକୁ ଚିନ୍ତିବ । ବୈକୁଣ୍ଠଲୀଳାକୁ ଭାବିବ । ।୧୧
ବୁଦ୍ଧିର ବଳେ କର୍ମସାଧି । ନିଶ୍ଚଳ ଯୋଗରେ ସମାଧି । ।୧୨
ଏ ବିନୁ ଅନ୍ୟ ମାର୍ଗ ନାହିଁ । ଶୁଣ ଗୋ ମାତ ମନ ଦେଇ । ।୧୩
ବିଶୁଦ୍ଧ ଦେଶରେ ଆସନ । କୁଶ କମ୍ବଳ କୃଷ୍ଣାଜିନ । ।୧୪
ସ୍ୱସ୍ତିକ ଆସନେ ବସିବ । ଆନନ୍ଦେ ଯୋଗ ଅଭ୍ୟାସିବ । ।୧୫
ଯେ ପ୍ରାଣମାର୍ଗ ବିଶୋଧକ । ପୂରକ କୁମ୍ଭକ ରେଚକ । ।୧୬
ଏ ମାର୍ଗେ ପ୍ରାଣକୁ ଶୋଧିବ । ନିଶ୍ଚଳ ଚିତ୍ତରେ ଚିନ୍ତିବ । ।୧୭
ଯେମନ୍ତେ ବାୟୁ ଅଗ୍ନି ଲାଗି । ଲୋହ ଦଗଧେ ମଳତ୍ୟାଗି । ।୧୮
ସେ ରୂପେ ପ୍ରାଣାୟମ କଲେ । ଆତ୍ମା ନିର୍ମଳ ହୁଏ ଭଲେ । ।୧୯
ସମସ୍ତ ଦୋଷ ଏଣେ ହରେ । ଯେବ ପାତକ ପୂର୍ବାପରେ । ।୨୦
ପ୍ରତ୍ୟାହାରର ବଳେ ମନ । ଧ୍ୟାନରେ ଜିଣଇ ତ୍ରିଗୁଣ । ।୨୧
ମନ ନିର୍ମଳ ଯେତେବେଳେ । ଯୋଗକୁ ସାଧିବ ନିଶ୍ଚଳେ । ।୨୨
କଳା କାଷ୍ଠା ବା ଦଣ୍ତ କ୍ଷଣେ । ନାସିକା ଅଗ୍ର ଦରଶନେ । ।୨
ଧ୍ୟାନେ ଚିନ୍ତିବ ଭଗବାନ । ଅନାଦି-ପରମ-କାରଣ । ।୨୪
ଶ୍ୟାମସୁନ୍ଦର କଳେବର । ବଚନ ଅମୃତ ମଧୁର । ।୨୫
ସୁନ୍ଦର ପ୍ରସନ୍ନ ବଦନ । ପଦ୍ମର ପ୍ରାୟେ ଯା ନୟନ । ।୨୬
ପଙ୍କଜ କିଞ୍ଜଳ୍କର ପ୍ରାୟେ । ପୀତବସନ କଟୀ ଶୋହେ । ।୨୭
ଯେ ଶଙ୍ଖଚକ୍ର ଗଦାଧର । ପଦ୍ମ ବିରାଜେ ଭୁଜେ ତାର । ।୨୮
ଶ୍ରୀବତ୍ସ› ଚିହ୍ନ ବକ୍ଷସ୍ଥଳେ । କିବା ଉପମା ଦେବା ଭଲେ । ।୨୯
ମୁକୁତା ଚାପସରି ଶୋହେ । କଣ୍ଠେ କୌସ୍ତୁଭମଣି ମୋହେ । ।୩୦
ଲମ୍ବିତ ତାର ପୃଷ୍ଠଦେଶେ । ପାଟଝୁମ୍ପାଏ ସେ ପ୍ରକାଶେ । ।୩୧
ଅମଳ ବନମାଳା ଗଳେ । ମତ୍ତ ଭ୍ରମର ମଧୁ ଭୋଳେ । ।୩୨
ମଧୁର ଧ୍ୱନି ସେ କରନ୍ତି । ଆନନ୍ଦେ ଉଡ଼ି ପନ୍ତି ପନ୍ତି । ।୩୩
କିରୀଟ ଅଙ୍ଗଦ ବିରାଜେ । ଅମୂଲ୍ୟ ହାର ହୃଦେ ସାଜେ । ।୩୪
ରତ୍ନ ନୂପୁର ପାଦେ ଶୋହି । କିବା ଉପମା ଦେବା ତହିଁ । ।୩୫
କଟିରେ କାଞ୍ଚିଗୁଣ ସାଜେ । ଭକ୍ତଙ୍କ ମନରେ ବିରାଜେ । ।୩୬
ତାହାଙ୍କ କର୍ଣ୍ଣରେ କୁଣ୍ତଳ । ଶୋଭିତ କରେ ଗଣ୍ତସ୍ଥଳ । ।୩୭
ଏମନ୍ତ ରୂପ ଭକ୍ତଜନେ । ହୃଦେ ଚିନ୍ତନ୍ତି ଅନୁକ୍ଷଣେ । ।୩୮
ଆନନ୍ଦେ ଦର୍ଶନ କରନ୍ତି । ନିର୍ମଳ ନୟନେ ଦେଖନ୍ତି । ।୩୯
କିଶୋର ତରୁଣ ବୟସ । ଅତି ସୁନ୍ଦର ସୁପ୍ରକାଶ । ।୪୦
ସର୍ବଲୋକଙ୍କ ନମସ୍କୃତ । ଅବ୍ୟୟ ସୁଶାନ୍ତ ମହତ । ।୪୧
ଭକ୍ତାନୁଗ୍ରହୀ ସେ ଅଟନ୍ତି । ଭକ୍ତର କଷ୍ଟ ନ ସହନ୍ତି । ।୪୨
କୀର୍ତ୍ତନ-ଯୋଗ୍ୟ ଯଶ ଯାର । ତୀର୍ଥ ସମାନ ପାପହର । ।୪୩
ଯାହାରକୀର୍ତ୍ତି ପୁଣ୍ୟଶ୍ଳୋକେ । ଗାୟନ କରୁଥାନ୍ତି ମୁଖେ । ।୪୪
ଏରୂପେ ତା ଅଙ୍ଗ ସମଗ୍ରେ । ମନରେ ଚିନ୍ତିବେ ଏକାଗ୍ରେ । ।୪୫
ଆସନେ ବସି ଏକାନ୍ତରେ । ଗମନ ଶୟନ ଗୁହାରେ । ।୪୬
ଅଙ୍ଗକୁ ଅଙ୍ଗପ୍ରତି ଧ୍ୟାନ । ଚିନ୍ତିବ ବିଷ୍ଣୁର ଚରଣ । ।୪୭
ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ । ପଦ୍ମ ସହିତେ ଯେ ଲା‚ଞ୍ଛନ । ।୪୮
ତୁଙ୍ଗ ସୁରଙ୍ଗ ପାଦ ଦୁଇ । ନଖ ଚନ୍ଦ୍ରିକା ବିରାଜଇ । ।୪୯
ଖଣ୍ତଇ ହୃଦ ଅନ୍ଧକାର । ଧ୍ୟାନେ ଭଜିବ ନିରନ୍ତର । ।୫୦
ଯା ପାଦୋଦକ ଗଙ୍ଗାନୀର । ଶିରରେ ରହିଛନ୍ତି ହର । ।୫୧
ସେ ନୀରେ ବ୍ରହ୍ମାଣ୍ତ ମଧ୍ୟରେ । ସ୍ନାନେ ତରନ୍ତି ସୁରନରେ । ।୫୨
ପାପ-ଶଇଳ ବଜ୍ରପ୍ରାୟେ । ଯା ପାଦ ନାଶଇ ନିର୍ଭୟେ । ।୫୩
ସେ ପାଦପଦ୍ମେ ଧ୍ୟାନ କରି । ନିତ୍ୟେ ବାନ୍ଧିବ ଚିତ୍ତେ ଧରି । ।୫୪
ସେ ପାଦପଦ୍ମର ମହିମା । କେ କହିପାରେ ଗୁଣସୀମା । ।୫୫
ଯେ ପାଦଯୁଗ ମନୋହର । ଲକ୍ଷ୍ମୀ ସେବଇ ନିରନ୍ତର । ।୫୬
ସୁନ୍ଦର ଜାନୁଲମ୍ବମାନ । ଗରୁଡ଼ସ୍କନ୍ଧରେ ଶୋଭନ । ।୫୭
ଅତସୀ କୁସୁମର ପ୍ରାୟେ । ଅଙ୍ଗ ତାହାର ଶୋଭାପାଏ । ।୫୮
ତଡ଼ିତ ଜିଣି ପୀତମ୍ବର । କାଞ୍ଚି ନିତମ୍ବେ ମନୋହର । ।୫୯
ଏ ବିଶ୍ୱ ଯାହାର ଉଦର । ସପ୍ତସମୁଦ୍ର ଦ୍ୱୀପବର । ।୬୦
ଯା ନାଭିପଦ୍ମୁ ବ୍ରହ୍ମଜାତ । ଅଖିଳ-ବ୍ରହ୍ମାଣ୍ତର ନାଥ । ।୬୧
ଏମନ୍ତ ଭାବେ ଏହା ଚିନ୍ତି । ଅପରେ ହୃଦୟ ଆକୃତି । ।୬୨
ମର୍କତମଣି ପ୍ରାୟେ ଶୋଭା । ସ୍ତନଯୁଗଳ ଦିବ୍ୟପ୍ରଭା । ।୬୩
ତା ମଧ୍ୟେ ବିଶଦ ଯେ ହାର । ଅତ୍ୟନ୍ତ ଶୋଭା ସେ ହୃଦର । ।୬୪
ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ । କୌସ୍ତୁଭମଣି ଶୋଭେ ଗଳେ । ।୬୫
ଅଖିଳଲୋକ ନମସ୍କୃତ । ରୂପ ଚିନ୍ତିବ ଜଗନ୍ନାଥ । ।୬୬
ମନ୍ଦରଗିରି ଶୃଙ୍ଖ ପ୍ରାୟେ । ତା ଭୁଜଦଣ୍ତ ଶୋଭାପାଏ । ।୬୭
ଯେ ଚକ୍ର ଧରିଛନ୍ତି କର । ଅତି ଅସହ୍ୟ ତେଜ ତାର । ।୬୮
ତା କରପଦ୍ମେ ଶଙ୍ଖ ପ୍ରଭା । ରାଜହଂସର ପ୍ରାୟେ ଶୋଭା । ।୬୯
ଦାନବ ରୁଧିରେଣ ଯୁକ୍ତ । ଗଦାଏ ଅଛି ତାର ହସ୍ତ । ।୭୦
ମାଳାରେ ତାକଣ୍ଠ ଶୋଭିତ । ଭ୍ରମର ଗୁଞ୍ଜନେ ଶବ୍ଦିତ । ।୭୧
ତା ମଧ୍ୟ୍ୟେ କୌସ୍ତୁଭ ଖଚିତ । ଯାହା ଅଟଇ ଜୀବତ‌ତ୍ତ୍ବ । ।୭୨
ଭୃତ୍ୟାନୁଗ୍ରହେ ତା ଶ୍ରୀମୁଖ । ସୁସ୍ମିତ ସୁରଙ୍ଗ ସୁରେଖ । ।୭୩
ସୁନ୍ଦର ବଦନାରବିନ୍ଦ । ପରେ ଚିନ୍ତିବେ ଯୋଗୀବୃନ୍ଦ । ।୭୪
ଶ୍ରବଣେ ମକର କୁଣ୍ତଳ । ଚଳନ୍ତେ ଶୋହେ ଗଣ୍ତସ୍ଥଳ । ।୭୫
ତୁଙ୍ଗନାସିକା ଦିବ୍ୟଶୋଭା । କୁଟିଳ ଅଳକ ସୁପ୍ରଭା । ।୭୬
ଲୋଚନଯୁଗ ପଦ୍ମପ୍ରାୟେ । ତହିଁରେ ଭୃଙ୍ଗ କିବା ଶୋହେ । । ୭୭
ଏମନ୍ତ ରୂପ ଯେବା ଧ୍ୟାନ । ଆନନ୍ଦେ କରେ ଅନୁକ୍ଷଣ । ।୭୮
ତାହାକୁ ପ୍ରଭୁ କୃପା କରେ । ଏ ଘୋର ତାପତ୍ରୟ ହରେ । ।୭୯
ଏଣୁ ଏ ରୂପ ଗୁଣ ଧ୍ୟାନେ । ନିତ୍ୟେ ଚିନ୍ତିବ ଦୃଢ଼ମନେ । ।୮୦
ଅଖିଳଲୋକ ତାପ ହରେ । ଯେ ମନ୍ଦହାସ ଶ୍ରୀମୁଖରେ । ।୮୧
ମକରଧ୍ୱଜ-ଚାପ ପ୍ରାୟେ । ଭ୍ରୁଜଙ୍ଗଯୁଗ ତାର ଶୋହେ । ।୮୨
କଟାକ୍ଷ ଶରପନ୍ତି ହୋଇ । ମୁନିଜନଙ୍କ ମନ ମୋହି । ।୮୩
ଏଣେ ମୋହିତ ମୁନିଜନେ । ଧ୍ୟାନ କରନ୍ତି ଅନୁକ୍ଷଣେ । ।୮୪
ତା ଉଚ୍ଚହାସ୍ୟ ଧ୍ୟାନ କର । ଅରୁଣବର୍ଣ୍ଣ ଓଷ୍ଠାଧାର । ।୮୫
କୁନ୍ଦ-କୋରକ ପ୍ରାୟେ ହୋଇ । ତା ଦନ୍ତପଙ୍‌କ୍ତି ବିରାଜଇ । ।୮୬
ପ୍ରେମାନୁବନ୍ଧେ ଏହା ଚିନ୍ତି । ସେ ଅନ୍ୟ କିଛି ନବାଛନ୍ତି । ।୮୭
ଏ ରୂପ ଧ୍ୟାନଯୋଗ ଭାବେ । ଭକ୍ତ ହୃଦୟ ଯହୁଁ ଦ୍ରବେ । ।୮୮
ଉତ୍କଣ୍ଠା ଅଶ୍ରୁ ପୁନଃ ପୁନଃ । ପୁଲକ ହୋଏ ତନୁଲୋମ । ।୮୯
ଆନନ୍ଦସାଗରେ ବୁଡ଼ଇ । ଆଉ ବା ଧ୍ୟାନ ତାର କାହିଁ । ।୯୦
ଏ ରୂପେ ନିର୍ବିଷୟ ହୋଇ । ନିଷ୍କାମମାର୍ଗେ ଯୋଗଧ୍ୟାୟି । ।୯୧
ପରମାନନ୍ଦ ରୂପ ଚିନ୍ତି । ବ୍ରହ୍ମ ନିର୍ବାଣ ସେ ଲଭନ୍ତି । ।୯୨
ଜ୍ୟୋତିସ୍ୱରୂପେ ଆତ୍ମା ଏକ । ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ । ।୯୩
ଗୁଣ ପ୍ରବାହକୁ ନାଶଇ । ଅଗମ୍ୟ ଦିବ୍ୟସ୍ଥାନ ପାଇ । ।୯୪
ଏ ରୂପେ ଭକ୍ତିଯୋଗ ସାଧି । ତରଇ ସଂସାର ଜଳଧି । ।୯୫
ନ ଜାଣେ ସୁଖ ଦୁଃଖ ଭାବ । ଜନ୍ମ ମୃତ୍ୟୁର ପରାଭବ । । ୯୬
ମଦିରାପାନେ ଭୋଳ ହୋଇ । ଯେମନ୍ତ ବିବଶ ହୁଅଇ । ।୯୭
ବସନ କଟିତଟେ ଅଛି । ଅଥବା ଭୂତଳେ ପଡ଼ିଛି । ।୯୮
ଅଜ୍ଞାନେ କିଛି ନ ଜାଣନ୍ତି । ସେ ରୂପେ ଯୋଗୀ ଦେହବୃତ୍ତି । ।୯୯
ଏ ଦେହ କର୍ମବଶ ହୋଇ । ସର୍ବ ସଂକଳ୍ପ କରୁଥାଇ । ।୧୦୦
ଯାବତ ଯୋଗସିଦ୍ଧି ନୋହି । ତାବତ ବିଷୟେ ଭ୍ରମଇ । ।୧୦୧
ପୁତ୍ର କଳତ୍ର ଗୃହ ଧନ । ସ୍ନେହେ ବନ୍ଧନ ପ୍ରାଣୀ ମନ । ।୧୦୨
ସ୍ୱପ୍ନର ପ୍ରାୟ ତାହା ମଣି । ପୁରୁଷ ନ ମଜ୍ଜଇ ପୁଣି । ।୧୦୩
ଅତି ସ୍ନେହରେ ପୁତ୍ର ବିତ୍ତ । ଆତ୍ମ ସ୍ୱରୂପେ ହିଁ କଳ୍ପିତ । ।୧୦୪
ସ୍ୱଭାବେ ବିଭିନ୍ନ ଅଟଇ । ସେ ରୂପେ ଦେହେ ଆତ୍ମା ହୋଇ । ।୧୦୫
ଯେମନ୍ତେ ଅଗ୍ନି ଧୂମ ବଳେ । କେବେ ହେଁ ନଦିଶେ ନିର୍ମଳେ । ।୧୦୬
ସେ ରୂପେ ବିଷୟାରେ ପ୍ରାଣୀ । କେବେ ହେଁ ଆତ୍ମାକୁ ନ ଚିହ୍ନି । ।୧୦୭
କାଷ୍ଠରୁ ଧୂମ ଅଗ୍ନି ଜାତ । ସେ କାଷ୍ଠ ଦହଇ ଯେମନ୍ତ । ।୧୦୮
ଅଜ୍ଞାନୁ ଜ୍ଞାନ ଜାତ ହୋଇ । ବିଷୟ-ବାସନା ଦହଇ । ।୧୦୯
ଭୂତ ଇନ୍ଦ୍ରିୟଗଣ ଯେତେ । ପ୍ରଧାନ-ପୁରୁଷ ସହିତେ । ।୧୧୦
ଏକୁ ଅନେକ ରୂପ ହୋଇ । ବ୍ରହ୍ମାଣ୍ତେ ଲୀଳା ସେ କରଇ । ।୧୧୧
ଏମନ୍ତ ଭାବେ ବ୍ରହ୍ମଜ୍ଞାନ । ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ । ।୧୧୨
ଏ ସର୍ବଭୂତ ତାର ଦେହି । ସେ ସର୍ବଭୂତ ମଧ୍ୟେ ଥାଇ । ।୧୧୩
ଏମନ୍ତ ଭାବେ ସର୍ବଭୂତେ । ଅନନ୍ୟଭାବେ ଦେଖେ ନିତ୍ୟେ । ।୧୧୪
ସେ ଜ୍ୟୋତିର୍ମୟ ଆତ୍ମଯୋନି । ଗୁଣ ପ୍ରବାହ ଭେଦ ଘେନି । ।୧୧୫
ଆଭାସେ ଯତା ଭିନ୍ନେ ଭିନ୍ନେ । ଆଧାର ଭେଦେ ଅଗ୍ନି ଯେହ୍ନେ । ।୧୧୬
ସତ୍ ଅସତ୍ ଆତ୍ମା ସେହି । ତା ବିନୁ ଅନ୍ୟ ନାହିଁ କେହି । ।୧୧୭
ପରମ ଭକ୍ତିଭାବ ଏହି । ଏ ଭାବେ ଚିନ୍ତ ମନ ଦେଇ । ।୧୧୮
ତେବେ ଏ ସଂସାରୁ ତରିବ । ଶ୍ରୀକୃଷ୍ଣ-ଚରଣ ଲଭିବ । ।୧୧୯
ଭୋ ମାତ ସାଧ ଏହି ଯୋଗ । ହେଳେ ତରିବ କର୍ମଭୋଗ । ।୧୨୦
ଏଣୁ ସଂସାରୁ ତରିଯିବ । ନାହିଁ ଯାତନା ପରାଭବ । ।୧୨୧
କହଇ ବିପ୍ର ଜଗନ୍ନାଥ । ସୁଜନେ ଚିନ୍ତ ଏହିପଥ । ।୧୨୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ
ଅଷ୍ଟାବିଂଶେଽଧ୍ୟାୟଃ ।

ଉନତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ଦେବହୂତି ଉବାଚ

ଭୋନାଥ ପ୍ରଭୁ ଭଗବାନ । କହ ତୁ ପରମାର୍ଥଜ୍ଞାନ । ।୧
ଯେ ଜ୍ଞାନେ ଭକ୍ତି ପ୍ରକାଶଇ । ଅଜ୍ଞାନ-ତିମିର ନାଶଇ । ।୨
ମହତ ଆଦି ଯେ ପ୍ରମାଣ । ପ୍ରକୃତି ପୁରୁଷ ଲକ୍ଷଣ । ।୩
ଯଥା ସାଂଖ୍ୟରେ ଅଛ କହି । ତୋ ଭକ୍ତିମାର୍ଗକୁ ଚିହ୍ନାଇ । ।୪
ବିସ୍ତାରି କହ ପ୍ରଭୁ ମୋତେ । ସଂଶୟ ନ ରହୁ ମୋ ଚିତ୍ତେ । ।୫
ଯାହା ଶୁଣିଲେ ପ୍ରାଣୀ-ପ୍ରାଣ । ବିରକ୍ତେ ଭଜେ ନାରାୟଣ । ।୬
ଜୀବର ଜନ୍ମ ମୃତ୍ୟୁ ଦୁଇ । ଏ ଲୋକମାନଙ୍କର ହୋଇ । ।୭
ତାହା କହିବା ମହାବାହୁ । କାଳସ୍ୱରୂପ ଆଦି କେହୁ । ।୮
କାଳସ୍ୱରୂପ ଯେ ଈଶ୍ୱର । ସମସ୍ତ ଆତ୍ମାରେ ଗୋଚର । ।୯
ମହାପ୍ରଭାବ ହିଁ ଯାହାର । ଯା ଭୟେ ପୁଣ୍ୟ କରେ ନର । ।୧୦
ସେ କଥା ନିର୍ଣ୍ଣୟ କରିଣ । କହିବା ହେଉ ନାରାୟଣ । ।୧୧
ଏ ଦେହ ମିଥ୍ୟା ବୋଲି ପୁଣି । ସ୍ତ୍ରୀ ପୁତ୍ର ସତ୍ୟପ୍ରାୟ ମଣି । ।୧୨
ଏ ଭବ-ସଂସାରର ତମେ । ଜ୍ଞାନଚକ୍ଷୁକୁ ଢାଙ୍କି ଭ୍ରମେ । ।୧୩
ଏ କର୍ମମାର୍ଗରେ ଆସକ୍ତ । ମିଥ୍ୟା-ସଂସାର ମଣି ସତ୍ୟ । ।୧୪
ଏ ଲୋକ ଉଦ୍ଧାର ନିମନ୍ତେ । ଆପଣ ସୂର୍ଯ୍ୟ ଏ ଜଗତେ । ।୧୫
କୃପାରେ ଉଦେ ହୋଇଅଛ । ଏ ଘେନି ଦିଶୁଛ ପ୍ରତ୍ୟକ୍ଷ । ।୧୬
କାଳରୁ ନିସ୍ତାର ଉପାୟ । କହ ହେ ପ୍ରଭୁ ଦେବରାୟ । ।୧୭
ତୋ ଜ୍ଞାନ ଦେଇ ନରହରି । ବିନାଶ ଅଜ୍ଞାନ-ତିମିରି । ।୧୮

ମୈତ୍ରେୟ ଉବାଚ

ଶୁଣ ବିଦୁର ମନଦେଇ । ମାତା ବଚନେ ଭାବଗ୍ରାହୀ । ।୧୯
କହନ୍ତି ଅମୃତ ବଚନ । ଯେଣେ ସନ୍ତୋଷ ମାତାମନ । ।୨୦

ଭଗବାନ ଉବାଚ

ଶୁଣ ଜନନି ସ୍ଥିରମନେ । ଯେ ଜ୍ଞାନ ଭକ୍ତିର ଲକ୍ଷଣେ । ।୨୧
ବହୁ ପ୍ରକାରେ ଭକ୍ତିଯୋଗ । ଜ୍ଞାନୀ ସାଧନ୍ତି ମୋକ୍ଷମାର୍ଗ । ।୨୨
ସ୍ୱଭାବଗୁଣେ ଯୁକ୍ତ ହୋଇ । ନାନା ସଂକଳ୍ପ ମନେ ଧ୍ୟାୟି । ।୨୩
ସା‌ତ୍ତ୍ବିକ ରାଜସ ତାମସ । ଗୁଣପ୍ରବାହେ ଯେ ପ୍ରକାଶ । ।୨୪
ଦମ୍ଭ ମ›ତ୍ସର ଭାବ ବହି । ପ୍ରାଣୀ ହିଂସାରେ ଯୁକ୍ତ ହୋଇ । ।୨୫
ପର ଅପର ଭେଦ ବୁଦ୍ଧି । ତାମସ ଗୁଣ ଏ ପ୍ରସିଦ୍ଧି । ।୨୬
ଏ ଭାବେ ମୋତେ ଯେ ଭଜଇ । ତାମସ ଭକ୍ତି ତାକୁ କହି । ।୨୭
ବିଷୟଭୋଗ ସେ ବାଞ୍ଛ‚ଇ । ଏ ଘେନି ଭୋଗାସକ୍ତ ହୋଇ । ।୨୮
ଯଶ ଐଶ୍ୱର୍ଯ୍ୟ ଯେ ବାଞ୍ଛ‚ଇ । ସେ ବୁଦ୍ଧି ଭେଦ ପର ହୋଇ । ।୨୯
ପ୍ରେମରେ ପ୍ରତିମାରେ ମୋତେ । ଯେ ପୂଜେ ଭକ୍ତିଭାବେ ନିତ୍ୟେ । ।୩୦
ସେ ଭକ୍ତି ରାଜସ ବୋଲାଇ । ଯେଣୁ ସେ ରାଜପଦ ପାଇ । ।୩୧
ବାହ୍ୟ ଅନ୍ତରେ ମାୟା ତେଜେ । କେବଳ ବିଷ୍ଣୁ ଭାବେ ଭଜେ । ।୩୨
ଫଳ ନବା‚ଞ୍ଛି କର୍ମ କରେ । ଭେଦଦରଶୀ ନୋହେ ପରେ । ।୩୩
ଈଶ୍ୱର ଅର୍ଥେ କର୍ମ କରେ । ଧର୍ମ ମାର୍ଗରେ ଯେ ପ୍ରଚରେ । ।୩୪
ସର୍ବତ୍ର ଦେଖଇ ସମାନ । ସା‌ତ୍ତ୍ବିକ ଭକ୍ତି ତାକୁ ଜାଣ । ।୩୫
ଅଧମ ମଧ୍ୟମ ଉତ୍ତମ । ଏଣେ ତ୍ରିବିଧ ଭକ୍ତି କ୍ରମ । ।୩୬
ଶ୍ରବଣ କୀର୍ତ୍ତନ ସ୍ମରଣ । ଚରଣସେବନ ଅର୍ଚ୍ଚନ । ।୩୭
ବଦନ ଦାସ୍ୟ ସଖ୍ୟଭାବ । ଆତ୍ମଅର୍ପଣ ଅଙ୍ଗ ନବ । ।୩୮
ଏହି ପ୍ରକାରେ ନବ ନବ । ସଗୁଣା ଏକାଅଶି ଭାବ । ।୩୯
ଏବେ କହିବା ମାତା ଶୁଣ । ନିର୍ଗୁଣ ଭକ୍ତିର ଲକ୍ଷଣ । ।୪୦
ବିଷ୍ଣୁର ଗୁଣ ଗୁଣି ଯେବେ । ରୋମ ପୁଲକେ ତନୁ ଦ୍ରବେ । ।୪୧
ଆନନ୍ଦେ ଅଶ୍ରୁ ନେତ୍ରୁ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ । ।୪୨
ଚେତନା ବୁଦ୍ଧି ଅହଙ୍କାର । ଯେ ଭୂତ ଭବିଷ୍ୟ ଗୋଚର । ।୪୩
ମୋହର ଗୁଣ କୀର୍ତ୍ତିମାନ । ନିତ୍ୟେ ଯେ କରଇ ଶ୍ରବଣ । ।୪୪
ମୁହିଁ ଯେ ସର୍ବ ଗୁହାଶ୍ରୟ । ବିଚ୍ଛେଦ ନାହିଁ କିବା ମୋହ । ।୪୫
ଏମନ୍ତ ଭାବେ ଯେ ଭଜଇ । କର୍ମ-ବନ୍ଧନୁ ମୋକ୍ଷ ହୋଇ । ।୪୬
ଏ ସର୍ବ ହରିଭାବେ ମାନେ । ଗଙ୍ଗା ସମୁଦ୍ରେ ମିଳେ ଯେହ୍ନେ । ।୪୭
ସେ ରୂପେ ମୋର ଦେହେ ଲୀନ । ଭକ୍ତି ଭାବରେ ହୋନ୍ତି ଜନ । ।୪୮
ନିଷ୍କାମମାର୍ଗେ ଆତ୍ମଜ୍ଞାନ । ସର୍ବତ୍ର ଦେଖଇ ସମାନ । ।୪୯
ପୁରୁଷୋତ୍ତମ ଭାବେ ଭଜି । ପରମଆତ୍ମା ମନେ ହେଜି । ।୫୦
ନିର୍ଗୁଣ ଭକ୍ତି ଏହା କହି । ଅପରେ ଶୁଣ ମନଦେଇ । ।୫୧
ସାମୀପ୍ୟ ସାରୂପ୍ୟ ଏକତ୍ୱ । ସାଲୋକ୍ୟ ଅଇଶ୍ୱର୍ଯ୍ୟ ମତ । ।୫୨
ଏ ଆଦି ଯେତେମେତେ ମୁକ୍ତି । ତେଣେ ସନ୍ତୋଷ ନୋହେ ମତି । ।୫୩
ମୋର ସେବନ ବିନା କେହି । ଭକ୍ତ ସନ୍ତୋଷ ମୋର ନାହିଁ । ।୫୪
ଏତେ ପ୍ରକାରେ ଭକ୍ତି ଯୋଗ । ସାଧନ୍ତି ପ୍ରାଣୀ ମୋକ୍ଷମାର୍ଗ । ।୫୫
ଯେବେ ତ୍ରି‌ଗୁଣକୁ ଜିଣଇ । ମୋହର ଭାବକୁ ଲଭଇ । ।୫୬
କ୍ରି‌ୟାଯୋଗରେ ନିଷ୍କାମରେ । ମୋତେ ସେବନ୍ତି ଯେବା ନରେ । ।୫୭
ହିଂସା ବିହୀନ ଯେ ନିଷ୍କାମ । ନିତ୍ୟେ ଭଜଇ ମୋର ନାମ । ।୫୮
କେ ଅବା ମୋତେ ପୂଜା କରେ । ସ୍ତୁତି ବନ୍ଦନେ ନିରନ୍ତରେ । ।୫୯
ଦର୍ଶନ ସ୍ପର୍ଶନ ପ୍ରମାଣ । ମୋର ପ୍ରତିମା ଆରାଧନ । ।୬୦
ମିତ୍ରଭାବରେ ସର୍ବଜନ । ଦେଖଇ ଆତ୍ମାର ସମାନ । ।୬୧
ଯମ ନିୟମ ମାର୍ଗ ସାଧି । ମହତଜନେ ମାନ୍ୟ ବିଧି । ।୬୨
ଦୀନରେ ଅନୁକମ୍ପା ବହି । ମୋ ବିନୁ ଅନ୍ୟ ନ ଜାଣଇ । ।୬୩
ମୋହର ନାମ ସଂକୀର୍ତ୍ତନ । ଶ୍ରବଣ ଆଧ୍ୟାତ୍ମ ଦର୍ଶନ । ।୬୪
ଆର୍ଜବ ସାଧୁସଙ୍ଗ ପୁଣ । ଅହିଂସା ଧର୍ମ ପରାୟଣ । । ୬୫
ମୋହର ଧର୍ମ ଆଚରଣ । ଏ ରୂପେ ଚିତ୍ତ ଶୁଦ୍ଧ ଜାଣ । ।୬୬
ମୋହର ଗୁଣ ଶୁଣି କର୍ଣ୍ଣେ । ମୋତେ ଲଭନ୍ତି ପ୍ରାଣୀମାନେ । ।୬୭
ଯେମନ୍ତେ ପବନର ବଳେ । ଗନ୍ଧ ଆସିଣ ଘ୍ରାଣେ ମିଳେ । ।୬୮
ସେ ରୂପ ନିର୍ବିକାର ଚିତ୍ତ । ଆତ୍ମାକୁ କରଇ ଆୟତ୍ତ । ।୬୯
ମୁଁ ସର୍ବଭୂତର ଈଶ୍ୱର । ଆତ୍ମା ସ୍ୱରୂପରେ ଗୋଚର । ।୭୦
ଏମନ୍ତ ଭାବ ମୋର ଛାଡ଼ି । ଯେ ପୂଜେ ଅନ୍ୟଭାବେ ପଡ଼ି । ।୭୧
ଯେ ଜୀବେ ଦୟା ନକରଇ । ପ୍ରତିମା ପୂଜେ ମନେ ଧ୍ୟାୟି । ।୭୨
ଭସ୍ମରେ ହୋମ ସେ ଯେମନ୍ତ । ତାହାର ପୂଜା ସେହି ମତ । ।୭୩
ମୁଁ ସର୍ବବ୍ୟାପୀ ଯେ ଅଟଇ । ଏମନ୍ତ ଭାବ ନଜାଣଇ । ।୭୪
ଯେ ଜୀବେ ବଦ୍ଧ-ବୈର ହୋଇ । ସେ ଶାନ୍ତି କେବେ ନଲଭଇ । ।୭୫
ମୋତେ ପୂଜଇ ଯେବେ ସେହି । ତାର ପୂଜାରେ ତୋଷ ନୋହି । ।୭୬
ସର୍ବଭୂତରେ ସ୍ଥିତ ମୁହିଁ । ଯାବତ ପ୍ରାଣୀ ନଜାଣଇ । ।୭୭
ତାବତ ଥାଇ ସ୍ୱଧର୍ମରେ । ପୂଜିବ ପ୍ରତିମା ଆଦରେ । ।୭୮
ପର ଅପର ଏକ ଆତ୍ମା । ଅନ୍ତର କରେ ଯେ ଦୁରାତ୍ମା । ।୭୯
ସେ ମୃତ୍ୟୁ‌ପଥୁଁ ନ ତରଇ । ସଂସାରମାର୍ଗେ ଭ୍ରମୁଥାଇ । ।୮୦
ମୁଁ ଆତ୍ମା ସର୍ବଭୂତ ମଧ୍ୟେ । ଅର୍ଚ୍ଚନା କରେ ଯେ ସୁସାଧ୍ୟେ । ।୮୧
ମିତ୍ରଭାବରେ ସର୍ବ ଦେଖେ । ସଂସାରୁ ତରେ ସେ ପ୍ରତ୍ୟକ୍ଷେ । ।୮୨
ଅଜୀବ ତହୁଁ ଜୀବ ଶ୍ରେଷ୍ଠ । ଜୀବରେ ପ୍ରାଣ ଯେ ଗରିଷ୍ଠ । ।୮୩
ପ୍ରାଣରୁ ଚେତନା ବିଶିଷ୍ଟ । ତହୁଁ ଇନ୍ଦ୍ରି‌ୟ ବୃତ୍ତି ଶ୍ରେଷ୍ଠ । ।୮୪
ସ୍ପର୍ଶ ଗୁଣରେ ବୃକ୍ଷ ଆଦି । ରସ ଗ୍ରହଣେ ମ›ତ୍ସ୍ୟ ଆଦି । ।୮୫
ଗନ୍ଧ ଗ୍ରହଣେ ଭ୍ରମରାଦି । ତହୁଁ ସର୍ପାଦି ଶବ୍ଦଭେଦୀ । ।୮୬
ରୂପରେ କାକ ଆଦି ଯେତେ । ତହୁଁ ଉଦୟ ଦନ୍ତବନ୍ତେ । ।୮୭
ଅପାଦଠାରୁ ବହୁପାଦ । ବହୁ ପାଦରୁ ଚତୁଃଷ୍ପଦ । ।୮୮
ଦ୍ୱିପଦ ମନୁଷ୍ୟାଦି ଜାଣ । ଏକୁ ଆରେକ ଏ ପ୍ରଧାନ । ।୮୯
ମନୁଷ୍ୟ ମଧ୍ୟେ ଚାରିବର୍ଣ୍ଣ । ଏଥିରେ ବ୍ରାହ୍ମଣ ଉତ୍ତମ । ।୯୦
ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ । ତହୁଁ ଅଧିକ ଯେ ଅର୍ଥଜ୍ଞ । ।୯୧
ତହୁଁ ସଂଶୟ-ଦୂରକାରୀ । ତହିଁରୁ ସ୍ୱଧର୍ମ-ଆଚାରୀ । ।୯୨
ତହୁଁ ଅଧିକ ଅଟେ ସେହି । ବିଷୟ-ସଙ୍ଗ ଯାର ନାହିଁ । ।୯୩
ମୋହର ପ୍ରିୟ କର୍ମ କରେ । ଆତ୍ମାରେ ଭାବ ନିରନ୍ତରେ । ।୯୪
ସକଳ କର୍ମ ସମର୍ପଇ । ମନ ସହିତେ ମୋର ତହିଁ । ।୯୫
ଏ ସର୍ବଭୂତେ ବିଜେ ମୁହିଁ । ବହୁ-ମାନନାରେ ନମଇ । ।୯୬
ଏମନ୍ତ ଭାବେ ଯେ ଭଜଇ । ତା ହୃଦେ ବିଜେ ଭାବଗ୍ରାହୀ । ।୯୭
ଆନନ୍ଦେ ଦର୍ଶନ ଦିଅନ୍ତି । ତା ଅଘତିମିର ନାଶନ୍ତି । ।୯୮
ହେ ମନୁତନୟା ଗୋ ଶୁଣ । ଯେ ଭକ୍ତିଯୋଗର ଲକ୍ଷଣ । ।୯୯
ଭକ୍ତିଯୋଗରେ ମୋତେ ଧ୍ୟାୟି । ଯେ ମୋତେ ହୃଦୟେ ଦେଖଇ । ।୧୦୦
ପରମବ୍ରହ୍ମକୁ ଲଭଇ । ତେଣୁ ଏକାଗ୍ରଭାବେ ଧ୍ୟାୟି । ।୧୦୧
ଈଶ୍ୱର ସର୍ବ-ଅନ୍ତର୍ଯ୍ୟାମୀ । ଏଭାବେ ପ୍ରାଣୀଙ୍କୁ ପ୍ରଣମି । ।୧୦୨
ମନରେ ବହୁମାନ କରି । ପ୍ରାଣୀ ତରିବେ ଭବବାରି । ।୧୦୩
ସେ ଯେ ପରମବ୍ରହ୍ମସାର । ପ୍ରଧାନପୁରୁଷଙ୍କ ପର । ।୧୦୪
ତାର ଉପରେ କେହି ନାହିଁ । ସୃଷ୍ଟିର ଆଦି ଅନ୍ତ ସେହି । ।୧୦୫
ତାହାଙ୍କ ପ୍ରେରିତ ସମସ୍ତ । ସେ ଦୈବ ବୋଲିଣ କଥିତ । ।୧୦୬
ବସ୍ତୁ ଭେଦର ଯେ କାରଣ । ତାହାଙ୍କୁ କାଳ ବୋଲି ଜାଣ । ।୧୦୭
ଅଦ୍ଭୁତ କାଳର ମହିମା । ଭୋ ମାତ ନିଶ୍ଚଳେ ଜାଣିମା । ।୧୦୮
ମହତ ଆଦି ଯେତେ ଭୂତେ । ଯେତେକ ଅଛନ୍ତି ଜଗତେ । ।୧୦୯
ସମସ୍ତ ଆତ୍ମା ମଧ୍ୟଗତ । ନିରତେ କରୁଅଛି ଗ୍ରସ୍ତ । ।୧୧୦
ତାହାର ତହୁଁ ଭୟପାଇ । ନିରତେ କମ୍ପୁଅଛି ଦେହୀ । ।୧୧୧
ବିଷ୍ଣୁର ନାମାନ୍ତର କାଳ । ସେହି ବିତରେ ଯଜ୍ଞଫଳ । ।୧୧୨
ହେ ମାତ କାଳର ମହିମା । କେ କହିପାରେ ଗୁଣ ସୀମା । ।୧୧୩
ଜଗତ ବଶ ଯେ କରନ୍ତି । ସେ ପୁଣି କାଳବଳେ ଥାନ୍ତି । ।୧୧୪
ପ୍ରିୟ ଅପ୍ରି‌ୟ ଯାର ନାହିଁ । ବିନାଶ କରେ ସର୍ବଦେହୀ । ।୧୧୫
ଯେ କାଳପୁରୁଷର ଭୟେ । ନିରତେ ପବନଟି ବହେ । ।୧୧୬
ଯେ କାଳଭୟେ ସୂର୍ଯ୍ୟ ତାପେ । ଭ୍ରମେ ବ୍ରହ୍ମାଣ୍ତ ମଧ୍ୟେ ଆପେ । ।୧୧୭
ଯାହାର ଭୟେ ମେଘଗଣ । ବୃଷ୍ଟି କରନ୍ତି ଯଥାକ୍ଷଣ । ।୧୧୮
ଯାହାର ଭୟେ ତାରାଗଣେ । ଉଦିତ ହୁଅନ୍ତି ଗଗନେ । ।୧୧୯
ଯାହାର ଭୟେ ବୃକ୍ଷଗଣ । ଲତା ଔଷଧି ଶସ୍ୟମାନ । ।୧୨୦
ଯଥାକାଳରେ ପୁଷ୍ପଫଳ । ଫଳନ୍ତି ଫୁଟନ୍ତି ନିର୍ମଳ । ।୧୨୧
ଯାହାର ଭୟେ ନଦୀଗଣ । ବହୁଅଛନ୍ତି ଅନୁକ୍ଷଣ । ।୧୨୨
ଉଦଧି ଯାହାର ଭୟରେ । ଅଦ୍ୟାପି କେବେ ନ ଉଛୁଳେ । ।୧୨୩
ଅଗ୍ନି ଯାହାର ଭୟେ ପୁଣ । ସମସ୍ତ କରଇ ଦହନ । ।୧୨୪
ଯାହାର ଭୟେ ଗିରିବର । ଧରା ସହିତେ ସେ ନିଶ୍ଚଳ । ।୧୨୫
ଯାହାର ଆଜ୍ଞା ପରିମାଣେ । ଆକାଶ ଭୟକରି ମନେ । ।୧୨୬
ସ୍ୱଦେହ ବିସ୍ତାର ସେ କଲା । ସପ୍ତଲୋକକୁ ଠାବ ଦେଲା । ।୧୨୭
ଯାର ଆଜ୍ଞାରେ ମହତ୍ତ‌ତ୍ତ୍ବ । ସପତାବରଣ ସମେତ । ।୧୨୮
ଦେହକୁ ବିସ୍ତାର କରିଛି । ପ୍ରାଣକୁ ଧରିଣ ବହିଛି । ।୧୨୯
ବ୍ରହ୍ମାଦି ଯେତେ ଦେବଗଣ । ସଚରାଚର ଯେ ଭିଆଣ । ।୧୩୦
ଯାହାର ଭୟେ ବାରେବାରେ । ସର୍ଜନା ହୁଅନ୍ତି ସତ୍ୱରେ । ।୧୩୧
ଯେ କାଳଭୟରେ ତ୍ରି‌ଗୁଣ । ସୃଷ୍ଟି ପାଳନ ସଂହାରଣ । ।୧୩୨
ସେ କାଳରୂପୀ ଯେ ଅନନ୍ତ । ଅନାଦି ଅବ୍ୟୟ ଅଚ୍ୟୁତ । ।୧୩୩
ସମସ୍ତ ଉପ୍ତତ୍ତି କରଇ । ଗୁଣ ପ୍ରବାହ ଭାବ ବହି । ।୧୩୪
ଯେ କାଳରୂପେ ଅନ୍ତ କରେ । ଏଣୁ ଅନନ୍ତ ନାମ ଧରେ । ।୧୩୫
ଏଣୁ ଏ କାଳର ମହିମା । କେ ଜାଣିପାରେ ଗୁଣସୀମା । ।୧୩୬
ମୋର ଭକତଜନେ ଯହିଁ । କାଳର ଅଧିକାର ନାହିଁ । ।୧୩୭
ସୁଜନେ ଏଣେ କର ମତି । ତୁଟିବ ସଂସାର ଦୁର୍ଗତି । ।୧୩୮
ଏ ମାତା-ପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନଲାଗେ ପ୍ରମାଦ । ।୧୩୯
ପୁରାଣ ରସମୟ ଗୀତ । ହରିବ ସକଳ ଦୁରିତ । ।୧୪୦
କହଇ ଦାସ ଜଗନ୍ନାଥ । ତୃତୀୟ ସ୍କନ୍ଧେ ଭାଗବତ । ।୧୪୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ
ଉନତ୍ରିଂଶେଽଧ୍ୟାୟଃ ।

ତ୍ରିଂ‌ଶ ଅଧ୍ୟାୟ[ସମ୍ପାଦନା]

ଭଗବାନ ଉବାଚ

କହନ୍ତି ପ୍ରଭୁ ଭଗବାନ । ଭୋ ମାତ ହୁଅ ସାବଧାନ । ।୧
ସେ କାଳ ପୁରୁଷପୁରାଣ । ସେ ପୁଣି ଅତି ବଳବାନ । ।୨
ସେ କାଳ ପରାକ୍ରମ ଯେତେ । କେ କହିପାରିବ ଜଗତେ । ।୩
ଏ ଯେତେ ଜୀବଲୋକେ ଛନ୍ତି । ତା ଗତି କେହି ନଜାଣନ୍ତି । ।୪
ସେ କାଳ ସକଳ ନାଶଇ । ଏଣୁ ତା ଗତି କେ ଜାଣଇ । ।୫
ଏ ଚରାଚର ଦେହଧାରୀ । ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି । ।୬
ସକଳ କରଇ ଭକ୍ଷଣ । କ୍ଷୁଧାର୍ତ୍ତେ ଯେସନେ କୃପଣ । ।୭
ଯେହ୍ନେ ସମୀର ବଳୀୟାର । ଜୀମୂତ କରଇ ସଞ୍ଚାର । ।୮
ସେ ଘନ ତା ଗତି ନଜାଣେ । ତେସନେ ହୋଇ ଜୀବଗଣେ । ।୯
କାଳର ଗତି ନ ଜାଣନ୍ତି । ସେ କାଳବଶେ ଭ୍ରମୁଥାନ୍ତି । ।୧୦
ଏ ଜୀବ ସୁଖଭୋଗ ପାଇଁ । ଅର୍ଥ ଉପାର୍ଜନେ ଭ୍ରମଇ । ।୧୧
ବିବିଧ ଦୁଃଖେ ତା ସଞ୍ଚଇ । ସେ ଅର୍ଥ କାଳ ଯେ ହରଇ । ।୧୨
ତ୍ରିଲୋକ ଶୋଚେ ଯାହାପାଇଁ । ସେ ଅର୍ଥ କାଳ ବିନାଶଇ । ।୧୩
ସେ କାଳ ଅତି ବଳିୟାର । କେ ଜାଣିପାରେ ଗତି ତାର । ।୧୪
ସୂକ୍ଷ୍ମ ସ୍ୱରୂପେ ବିହରଇ । ମନ ବଚନେ ଭେଦ ନୋହି । ।୧୫
କୃଷକଜନ ପ୍ରାୟେ ହୋଇ । ସଂସାର ପାଳି ବିନାଶଇ । ।୧୬
ସେ କାଳମୁଖେ ଜୀବ ରହି । ନାନା ବିବାଦେ ହିଂସା ବହି । ।୧୭
କରନ୍ତି ନାନା ଛନ୍ଦ ମାୟା । ହୃଦେ ନ ବସେ ଜୀବେ ଦୟା । ।୧୮
ନିŸର୍ଦ୍ଦୟ ଭାବେ ମୂଢ଼ପଣେ । କାଳ ଗ୍ରାସଇ ପୂଣ୍ୟହୀନେ । ।୧୯
ତାହାର ନାହିଁ ପକ୍ଷାପକ୍ଷ । ସକଳ କରଇ ସେ ଭକ୍ଷ୍ୟ । ।୨୦
ଏ ଜୀବ ଅତି ମତିହୀନ । ଅର୍ଥ ସଞ୍ଚଇ ପ୍ରତିଦିନ । ।୨୧
ଯେ ଅର୍ଥେ ମୃତ୍ୟୁ ଉପଗତ । ନ ଜାଣେ ଏ ମୂଢ଼ ସମସ୍ତ । ।୨୨
ଅନିତ୍ୟ ଦେହ ନ ବୁଝଇ । ବ୍ୟାପାର କରେ ଦୁଃଖ ସହି । ।୨୩
ଗୃହ କଳତ୍ର ଧନ ଆଦି । ଏଣେ କରଇ ନିତ୍ୟ ବୁଦ୍ଧି । ।୨୪
ଏ ଦେହ ସୁତ ଦାରା ମୋହେ । ମୋହର ବୋଲି ନିତ୍ୟ କହେ । ।୨୫
ଏ ମାୟାମୋହେ ପଡ଼ିଅଛି । ଏଣୁ ନବୁଝଇ କିଛି । ।୨୬
ସଂସାର ମଧ୍ୟେ ଜୀବମାନେ । ନିରତେ ଭ୍ରମନ୍ତି ଅଜ୍ଞାନେ । ।୨୭
ଯାବତ ଯୋନିରେ ଭ୍ରମନ୍ତି । ସର୍ବତ୍ର ଫୁଟିଣ ମରନ୍ତି । ।୨୮
ଏ ଘୋର ଦୁଃଖ ସୁଖମନେ । ବୈରାଗ୍ୟ ନଜନ୍ମେ ଅଜ୍ଞାନେ । ।୨୯
ଯେବେ ନରକେ କୀଟ ହୋଇ । ଅତ୍ୟନ୍ତ ସୁଖ ତା ମଣଇ । ।୩୦
କରଇ ନରକ ଆହାର । ତଥାପି ଦୁଃଖ ନୋହେ ତାର । ।୩୧
ସେ ଦେହତ୍ୟାଗ ନ ଇଚ୍ଛଇ । ଅଜ୍ଞାନ ମୋହେ ସ୍ନେହ ବହି । ।୩୨
ଦେହ କଳତ୍ର ସୁତ ଘର । ପଶୁ ଭୃତ୍ୟାଦି ବନ୍ଧୁ ମୋର । ।୩୩
ମନକୁ ଏଣେ ଦୃଢ଼ କରେ । ସୁଖ ମଣଇ ଦୁଃଖ ଘୋରେ । ।୩୪
ମଣଇ କୃତାର୍ଥ ହୋଇଲି । ଅନେକ ସୁଖ ମୁଁ ଲଭିଲି । ।୩୫
ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ । କେ ଅଛି ମୋ ସମ ମହତ । ।୩୬
ତହିଁରେ ଯେତେ ଦୁଃଖ ହୁଏ । ନ ବୁଝେ ପଡ଼ି ମାୟାମୋହେ । ।୩୭
ଘୋର-ଗହନ ମାର୍ଗେ ହୁଡ଼ି । ଅଜ୍ଞାନେ ଭ୍ରମେ ଦୁଃଖ ପଡ଼ି । ।୩୮
ସେ ସର୍ବ ସୁଖପ୍ରାୟେ ମଣେ । କୃଷ୍ଣ ନଭଜେ ଏକ କ୍ଷଣେ । ।୩୯
କୁଟୁମ୍ବ-ପୋଷଣ ଉପାୟେ । ନିରତେ ଆକୁଳ ହୃଦୟେ । ।୪୦
ତାଙ୍କ ପୋଷଣେ ଚିନ୍ତା କରେ । ଦଗଧି ମରେ ଦୁଃଖ ଘୋରେ । ।୪୧
କ୍ଷଣେ ନପାରେ ଗୃହେ ବହି । ବାଣିଜ୍ୟ-ନାବ ପ୍ରାୟେ ହୋଇ । ।୪୨
ସ୍ନେହ ବନ୍ଧନେ ଦିବା ନିଶେ । ସ୍ୱବଶ ନୋହେ ଅବକାଶେ । ।୪୩
କରେ ଦୁରିତ କର୍ମମାନ । ଏମନ୍ତ ଏ ମୂଢ଼ ଅଜ୍ଞାନ । ।୪୪
ଅସତୀ ଦୁଷ୍ଟା ନାରୀ ଘରେ । ବିବିଧ ଛନ୍ଦ ମାୟା କରେ । ।୪୫
ତାର ବଶରେ ନିତ୍ୟେ ଥାଇ । ସେବକ ଜନ ପ୍ରାୟ ହୋଇ । ।୪୬
ତା ବାକ୍ୟ ଶୁଣି ତୋଷମନେ । ଲଂଘି ନପାରେ ରାତ୍ର ଦିନେ । ।୪୭
ନୟନ ଥାଉଁ ନଦେଖଇ । ଅନ୍ଧ ଜଳକା ପ୍ରାୟ ହୋଇ । ।୪୮
ସେ ମନ-ଇନ୍ଦ୍ରି‌ୟ-ହାରିଣୀ । ତାର ସନ୍ତୋଷେ ନିତ୍ୟେ ପ୍ରାଣୀ । ।୪୯
ସେ ନାରୀ ସଙ୍ଗେ ବିହରଇ । ନିଶି ଦିବସେ ମନ ଦେଇ । ।୫୦
ତାହାଙ୍କ ସୁଖ ଭୋଗ ପ୍ରୀତି । ଓଟାରି ନରକେ ପକାନ୍ତି । ।୫୧
ନରକ ବୋଲି ଯାକୁ କହି । ସ୍ତ୍ରିରୀ ସମ୍ଭୋଗ ସୁଖ ଏହି । ।୫୨
ଏହା ନଜାଣି ମୂଢ଼ପ୍ରାଣୀ । ଦୁଃଖକୁ ସୁଖ ପରିମାଣି । ।୫୩
ବାଳକ କୋମଳ ବଚନ । ତା ଶୁଣି ଅତି ତୋଷମନ । ।୫୪
ବାଳକଗୀତେ ହୋଇ ପ୍ରୀତ । ତହିଁ ଅର୍ପିତ କରେ ଚିତ୍ତ । ।୫୫
ଏ ସର୍ବ ସୁଖ କରି ମଣେ । ଯେ ହିତ ଅଜ୍ଞାନେ ନ ଜାଣେ । ।୫୬
ଏ ଗୃହ ଅତି କୂଟ-ଧର୍ମ । କରାଏ ଅତି ଛନ୍ଦ-କର୍ମ । ।୫୭
କେବଳ ଦୁଃଖର ଏ ମୂଳ । ତହିଁ ପଡ଼ିଣ ସେ ବ୍ୟାକୁଳ । ।୫୮
ସେ ଦୁଃଖ ପ୍ରତିକାର ପାଇଁ । ନାନା ବ୍ୟାପାରେ ଦୁଃଖେ ଧାଇଁ । ।୫୯
ସେ କ୍ଳେଶ ଅତି ସୁଖ ମଣେ । କେବଳ ମୋହେ ନ ପ୍ରମାଣେ । ।୬୦
କୁଟୁମ୍ବ-ପୋଷଣରେ ଥାଇ । ବହୁତ ଧନ ଉପୁଜାଇ । ।୬୧
ବହୁତ ହିଂସା କର୍ମ କରେ । ଅର୍ଥ-ଅର୍ଜନେ ନିରନ୍ତରେ । ।୬୨
ତାହାଙ୍କୁ ପୋଷି ଦୁଃଖେ ନିତ୍ୟେ । ନରକ ଭୁଞ୍ଜେ ଦେହ ଅନ୍ତେ । ।୬୩
ତାହାଙ୍କୁ ସତତ ପୋଷଇ । ଆପଣା ସୁଖ ନବାଞ୍ଛ‚ଇ । ।୬୪
ଯେବେ କ୍ଷୁଧାରେ ମରୁଥାଇ । ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ । ।୬୫
ତେବେ ଭୁଞ୍ଜଇ ଅବଶେଷ । ଏକର୍ମେ ଧର୍ମ ହୁଏ ନାଶ । ।୬୬
ଅନ୍ତେ ସେ ଲଭେ ଅଧୋଗତି । ଏହା ନ ବୁଝେ ମୂଢ଼ମତି । ।୬୭
ଜୀବିକା ଦଇବ ସଂଯୋଗେ । ବିନିଷ୍ଟ ହେଲେ କର୍ମଯୋଗେ । ।୬୮
ପୁଣି ଜୀବିକା ଆରମ୍ଭଇ । ସେହି ଯଦ୍ୟପି ନାଶ ପାଇ । ।୬୯
ପୁଣି ଆରମ୍ଭେ ବାରମ୍ବାର । କୁଟୁମ୍ବ ଅର୍ଥେ ମୂଢ଼ନର । ।୭୦
ସମର୍ଥପଣ ଥିବା ଯାଏ । ତାବତ କରଇ ଉପାୟେ । ।୭୧
ତହୁଁ ହୋଇଲେ ଅସମର୍ଥ । ଲୋଭେ ଚିନ୍ତଇ ପର-ବିତ୍ତ । ।୭୨
ଲୋଭ ବଢ଼ାଇ ପରଧନେ । ନରକ ଭୟକୁ ନ ମାନେ । ।୭୩
ନିନ୍ଦିତ-କର୍ମେ ହରେ ଦିନ । କୁଟୁମ୍ବ ଅର୍ଥେ ମୂଢ଼ଜନ । ।୭୪
କେବଳ ମନ୍ଦଭାଗ୍ୟ ହୋଇ । କୁଟୁମ୍ବ ପୋଷି ନପାରଇ । ।୭୫
ଏଣୁ ହରଇ ପରଧନ । ନାଶଇ ପୂର୍ବ-ଜନ୍ମ-ପୁଣ୍ୟ । ।୭୬
ଦରିଦ୍ର ଜୀବନେ ବଞ୍ଚଇ । ନାନା ଆପଦ ପୀଡ଼ା ପାଇ । ।୭୭
ବୃଥା ଉଦ୍ୟମେ ଫୁଟି ରହେ । ଆଉ ସମ୍ପଦ କେବେ ନୋହେ । ।୭୮
ସର୍ବଦା ହୁଅଇ କୃପଣ । କରଇ ନିତ୍ୟେ ଅର୍ଥଧ୍ୟାନ । ।୭୯
ଅର୍ଥ ବିହୀନେ ଚିନ୍ତାକୁଳ । ଶରୀର ଦୁଃଖେ ତା ନିର୍ବଳ । ।୮୦
ଶ୍ୱାସ ଉଠଇ ନିରନ୍ତର । ଏମନ୍ତେ ନାଶଇ ଶରୀର । ।୮୧
ଅତ୍ୟନ୍ତ ବୃଦ୍ଧଭାବ ପାଇ । କୁଟୁମ୍ପ ପୋଷି ନପାରଇ । । ୮୨
ସାମର୍ଥ୍ୟ ହୀନେ ନିଜଘରେ । ବଞ୍ଚଇ ଅତିଥି ବେଭାରେ । ।୮୩
ଭବବନ୍ଧନେ ଅଙ୍ଗ ଫୁଟେ । କଫ ନିରୋଧେ କଣ୍ଠତଟେ । ।୮୪
ସ୍ମରଣ ବିସ୍ମରଣ କରେ । ଶୋଏ ଶିଥିଳ କଳେବରେ । ।୮୫
ଉଠି ନ ପାରି ଅସମର୍ଥେ । ତା ଦେଖି ପୁତ୍ର ଦାରା ଭୃତ୍ୟେ । ।୮୬
କରନ୍ତି ଅତି ଅପମାନ । ବୋଲନ୍ତି ନିନ୍ଦିତ ବଚନ । ।୮୭
ତାହାକୁ କେହି ନଗଣନ୍ତି । ନାନା ବଚନେ ଗାଳିଦ୍ୟନ୍ତି । ।୮୮
ବନ୍ଦୀ ଚୌରର ପ୍ରାୟେ ହୋଇ । ପ୍ରାଭବ ଭ›ର୍ତ୍ସନା ସହଇ । ।୮୯
କିଛି ନ ପାରେ ତୁଣ୍ତେ କହି । ଅନ୍ତରେ ଅପମାନ ବହି । ।୯୦
ଦାରା ତନୟ ଆଦି ଯେତେ । ଆଦର ଛାଡ଼ନ୍ତି ତୁରିତେ । ।୯୧
ଯେବା ଆଦର ପୂର୍ବେ ଥିଲା । ସେ ପୂର୍ବ ସ୍ନେହ ସବୁ ଗଲା । ।୯୨
ତାହାଙ୍କୁ ଜ୍ଞାତି ବନ୍ଧୁଜନେ । ଦୂରେ ତେଜନ୍ତି ଦୁଃଖମନେ । ।୯୩
ଯେହ୍ନେ କୃଷକ ବୃଦ୍ଧ ଗାବେ । ମାରି ତେଜନ୍ତି ଅନ୍ୟଠାବେ । ।୯୪
ତେସନେ ଦାରାଦି ସକଳେ । ବୃଦ୍ଧକୁ ନ ସେବନ୍ତି ହେଳେ । ।୯୫
ତଥାପି ସ୍ନେହ ନଛାଡ଼ଇ । ଗୃହାଦି ବାରତ ପୁଛଇ । ।୯୬
ତଥାପି ଦୟା ନକରନ୍ତି । ନିଷ୍ଠୁର ବାକ୍ୟେ ଗାଳି ଦ୍ୟନ୍ତି । ।୯୭
ଦୁଃଖେଣ ପୋଷିଲା ଯାହାକୁ । ସେ ସର୍ବ ଛାଡ଼ିଲେ ତାହାକୁ । ।୯୮
ଜରା ହରନ୍ତେ ରୂପକାନ୍ତି । ତେବେ ନଛାଡ଼େ ସ୍ନେହ ଅତି । ।୯୯
ମରଣ ନିକଟ ହୋଇଲା । ବୈରାଗ୍ୟ କେବେ ନସ୍ଫୁରିଲା । ।୧୦୦
ଦାରା ତନୟ ଭକ୍ଷ୍ୟ ତାରେ । ଦିଅନ୍ତି ଅତି ହତାଦରେ । ।୧୦୧
କର୍ମ ଆୟତ୍ତେ ଯେବା ପାଇ । ସନ୍ତୋଷ ନେହେ ତାହା ଖାଇ । ।୧୦୨
ଭୁଞ୍ଜଇ ଗୃହାନ୍ତରେ ଯାଇ । ଶଙ୍କିତେ ଶ୍ୱାନ ପ୍ରାୟେ ହୋଇ । ।୧୦୩
ଚିନ୍ତା-ପ୍ରଜ୍ୱରେ ଦୁଃଖମନ । ରୋଗ ବଢ଼ଇ ପ୍ରତିଦିନ । ।୧୦୪
କ୍ଷୁଧାରେ କମ୍ପଇ ଶରୀର । ଭକ୍ଷଇ ଅଳପ ଆହାର । ।୧୦୫
କିଛି ନ ବୋଲେ ଅହଙ୍କାରେ । ଭିତରେ ପକ୍ଷୀ ପ୍ରାୟେ ଝୁରେ । ।୧୦୬
ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ । ।୧୦୭
ଆହାର ହୀନେ ଚିନ୍ତାଛନ୍ନେ । ନ ପଚେ ମନ୍ଦ-ହୁତାଶନେ । ।୧୦୮
ଆହାର ଅଳପ ଭକ୍ଷଇ । ଦୁର୍ବଳେ ଉଠି ନ ପାରଇ । ।୧୧୯
ଖର ପବନ ନାସାଦ୍ୱାରେ । ବହଇ ଅତି ଦୀର୍ଘତରେ । ।୧୧୦
ଶବଦ ଅତି ଭୟଙ୍କର । ଯେହ୍ନେ ଗଭୀର କମ୍ବୁସ୍ୱର । ।୧୧୧
ଗୃହ ବାହାରେ ଆସି ରହେ । କଫ ନିବାରେ ଶକ୍ତି ନୋହେ । ।୧୧୨
କଫେ ପୂରିତ ନାଡ଼ିମାନ । ଶ୍ୱାସ ନଚଳଇ ସମାନ । ।୧୧୩
କାଶରେ ବାୟୁ ଉର୍ଦ୍ଧ୍ୱଗତ । ତେଣୁ ନୟନ ବହିର୍ଗତ । ।୧୧୪
ଯେଣୁ ପବନ ମନ୍ଦ ହୋଇ । ବଚନ ନପାରଇ କହି । ।୧୧୫
ସର୍ବଦା ଉଠେ କାଶ ଶ୍ୱାସ । ଏଣେ ଲଭଇ ବହୁ କ୍ଳେଶ । ।୧୧୬
କଣ୍ଠ ହୁଅଇ ଘୁର-ଘୁର । ବଚନ ନୁହଇ ବାହାର । ।୧୧୭
ପ୍ରାଣ ହୁଅଇ କଣ୍ଠତଟ । ଜୀବନ ହୋଏ ଛଟପଟ । ।୧୧୮
କାନ୍ଦଇ ବନ୍ଧୁ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ଫୁରଇ । ।୧୧୯
ଚିନ୍ତଇ କି ରୂପେ ମରିବି । କାହିଁ କେବଳ ମାର୍ଗେ ଯିବି । ।୧୨୦
ମୋର ମରଣେ ପୁତ୍ର ନାରୀ । କେମନ୍ତେ ଥିବେ ଗୃହ କରି । ।୧୨୧
ଦୁଃଖେ ସଞ୍ଚିଲି ଯେତେ ଧନ । ମୋ ମଲେ ଏହା ନେବ ଆନ । ।୧୨୨
ଏ ଯେ ହୋଇବେ ଅରକ୍ଷିତ । ଏଣୁ ବ୍ୟାକୁଳ ହୁଏ ଚିତ୍ତ । ।୧୨୩
ଭିତରେ ଆକୁଳେ କାନ୍ଦଇ । ତା ମନ କେହି ନ ଜାଣଇ । ।୧୨୪
ଜୀବନ ଦହେ ଦାରା-ଧନେ । ଗୋବିନ୍ଦ ନସ୍ଫୁରେ ଅଜ୍ଞାନେ । ।୧୨୫
ବାଲିଶଯ୍ୟାରେ ଶୋଇ ଦେଇ । ବନ୍ଧୁ ବାନ୍ଧବେ ବେଢ଼ି ତହିଁ । ।୧୨୬
ସକଳେ କରନ୍ତି ରୋଦନ । ଶ୍ରବଣେ ଡାକନ୍ତି ସଘନ । ।୧୨୭
ହେ ତାତ ବୋଲି କେ ଡାକଇ । ତା ଗୁଣ ଭାଳି କେ ରୋଦଇ । ।୧୨୮
କେହୁ ଡାକନ୍ତି ପୁତ୍ର ଭାଇ । ପତ୍ନୀ ଡାକଇ ହେ ଗୋସାଇଁ । ।୧୨୯
ନାନା ପ୍ରକାରେ ସେ ରୋଦନ୍ତି । ତା ଦୁଃଖ କେହି ନ ଘେନନ୍ତି । ।୧୩୦
ସେ କାଳପାଶେ ବନ୍ଦୀ ହୋଇ । କିଞ୍ଚିତେ ବାକ୍ୟ ନ ଭାଷଇ । ।୧୩୧
ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ । କୁଟୁମ୍ବ ଭରଣ ବ୍ୟାପାରେ । ।୧୩୨
ଶୁଣ ଜନନୀ ଏକ ଚିତ୍ତେ । ସଂସାର ଦୁଃଖସୁଖ ଏତେ । ।୧୩୩
ମନ ନିବିଷ୍ଟ ତହିଁ କଲା । ଇନ୍ଦ୍ରି‌ୟ ଜିଣି ନପାରିଲା । ।୧୩୪
ତେଣୁ ହୋଇଲା ମୃତ୍ୟୁ ତାର । ଏ ଦଣ୍ତ ଅତି ଭୟଙ୍କର । ।୧୩୫
ବନ୍ଧୁ-ସ୍ୱଜନେ ସର୍ବେ ଥାଇ । ତା ଦୁଃଖଭାରୀ କେହି ନୋହି । ।୧୩୬
ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ । ଏବେ ସେ ତେଜିଲେ ବିମୁଖେ । ।୧୩୭
ପ୍ରାଣ ଯିବାର ବେଳେ ମାଏ । ଅତି ବେଦନା ଜୀବ ପାଏ । ।୧୩୮
ଘୋର ବ୍ୟଥାରେ ନଷ୍ଟ ମତି । ଚେତନା ରହିତ ହୁଅନ୍ତି । ।୧୩୯
ଏମନ୍ତେ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମ ଦୂତେ । ।୧୪୦
ପ୍ରଚଣ୍ତ-ରୂପ ଭୟଙ୍କର । ଉଦ୍ଦଣ୍ତŸ ଦଣ୍ତ ପାଶଧର । ।୧୪୧
ତାହାଙ୍କ ରୂପକୁ ଅନାଇଁ । ଅଜ୍ଞାନେ ବିକଳେ କମ୍ପଇ । ।୧୪୨
ପାପୀଙ୍କି ଘେନି ଯିବା ପାଇଁ । ସକ୍ରୋଧ-ନୟନେ ଅନାଇ । ।୧୪୩
ତାଙ୍କୁ ଦେଖନ୍ତି ପାପୀଜନ । ହୃଦୟ ଭୟେ କମ୍ପମାନ । ।୧୪୪
ଆରତେ ଛାଡ଼େ ମଳମୂତ୍ର । ସର୍ବତ୍ର କମ୍ପମାନ ଗାତ୍ର । ।୧୪୫
ଯମ-ଡଗରେ ଆଗସରି । ଯାତନା-ପୁରୁଷକୁ ଧରି । ।୧୪୬
ବନ୍ଧନେ ନ କରନ୍ତି ଦୟେ । ତର୍ଜନ୍ତି ରାଜଭଟ୍ଟ… ପ୍ରାୟେ । ।୧୪୭
ବନ୍ଧନ କରି ଚର୍ମପାଶେ । ଦଣ୍ତ ପ୍ରହାରି ମହାରୋଷେ । ।୧୪୮
ସେ ରୂପ କେହି ନଦେଖନ୍ତି । ଅନ୍ଧାରପଥେ ଘେନିଯାନ୍ତି । ।୧୪୯
ପଥରେ ଗମନ୍ତି କୁକୁର । ରୋଷେ କାଟନ୍ତି ତା ଶରୀର । ।୧୫୦
ତାହାଙ୍କ ରୂପ ଦେଖି ଡରି । କାନ୍ଦଇ ଉଚ୍ଚ ନାଦ କରି । ।୧୫୧
ତୀକ୍ଷ୍‌ଣ ଦଂଶନେ ଖଣ୍ତ ଖଣ୍ତ । ବେଗେ କରନ୍ତି ତାର ପିଣ୍ତ । ।୧୫୨
ବିକ୍ରମି କରନ୍ତି ଭକ୍ଷଣ । କରଇ କାତରେ ରୋଦନ । ।୧୫୩
ସେ ଅତି କଷ୍ଟେ ପୀଡ଼ା ପାଇ । ନିଜ ପାତକ ସୁମରଇ । ।୧୫୪
ଉଠି ପଡ଼ଇ ସେ ଭୂତଳେ । ଘୋର ପ୍ରହାର ଭୟାକୁଳେ । ।୧୫୫
କ୍ଷୁଧା-ପିପାସା-ଦୁଃଖାକୁଳେ । ପଥରେ ନିଅନ୍ତି ସତ୍ୱରେ । ।୧୫୬
ବଇତରଣୀ ନଦୀକୂଳେ । ବାଲୁକା ଜଳଇ ଅନଳେ । ।୧୫୭
ତପ୍ତ ବାଲୁକାମୟ ପଥ । ସେ ଉଷ୍ଣବାୟୁ ସନ୍ତାପିତ । ।୧୫୮
ସୂର୍ଯ୍ୟକିରଣ ଦାବାନଳ । ସନ୍ତପ୍ତ କରେ ଅତିବେଳ । ।୧୫୯
ଜଳି ତାପଇ ଅତିଘୋରେ । ସେ ତାପ କେ ସହୁ ଶରୀରେ । ।୧୬୦
ତହୁଁ ତପତ ବାଲୁକାରେ । ପ୍ରବେଶ କରାନ୍ତି ସତ୍ୱରେ । ।୧୬୧
ଯେବେ ନ ପଶେ ଭୟ କରି । ତକ୍ଷଣେ ଶିରେ ଯଷ୍ଟି ମାରି । ।୧୬୨
କ୍ଷଣେ ବିଶ୍ରାମ ନ କରାନ୍ତି । ଅନେକ ଘୋର ଶାସ୍ତି ଦ୍ୟନ୍ତି । ।୧୬୩
ଯେ ମାର୍ଗେ ଜଳ ବୃକ୍ଷ ନାହିଁ । ପ୍ରାଣ ସମ୍ଭାଳିବ ସେ କାହିଁ । ।୧୬୪
ଆଶ୍ରୟ ଉଦକ ନ ମିଳେ । ସମର୍ଥ ହୀନେ ଭୟେ ଚଳେ । ।୧୬୫
ଏମନ୍ତ ପଥେ ନ୍ୟନ୍ତି ଧରି । ଏକାନ୍ତେ ନିଜ କର୍ମ ସ୍ମରି । ।୧୬୬
ପଡ଼ି ଉଠଇ ଦୁଃଖେ ଶ୍ରମେ । ମୂର୍ଚ୍ଛିତ ହୋଏ ଜ୍ଞାନ ଭ୍ରମେ । ।୧୬୭
ମାରନ୍ତେ ସତ୍ୱରେ ଉଠଇ । ଅଜ୍ଞାନେ ପୁଣି ସେ ପଡ଼ଇ । ।୧୬୮
ସେ ଦୂତେ ଦୟା ନକରନ୍ତି । ଦୁଃସହ ମାର୍ଗେ ଘେନିଯାନ୍ତି । ।୧୬୯
ଗହନ ଘୋର ଅନ୍ଧକାରେ । ନିଅନ୍ତି ପାପୀକୁ ଯତ୍ନରେ । ।୧୭୦
ପଥ ଅଦୃଶ୍ୟେ ହୁଡ଼ି ପଡ଼େ । ମୁଣ୍ତେ ପ୍ରହାରନ୍ତି ନିବିଡ଼େ । ।୧୭୧
ଏମନ୍ତ ଦୁଃଖେ ପାପୀଜନ । ପ୍ରବେଶ ଯମର ଭୁବନ । ।୧୭୨
ନବ ନବତି ପରିମିତ । ସହସ୍ର ଯୋଜନ ସେ ପଥ । ।୧୭୩
ବେନି ବା ତିନି ମୁହୂର୍ତ୍ତରେ । ପ୍ରବେଶ କରାନ୍ତି ସେଠାରେ । ।୧୭୪
ଯମ ନିକଟେ ତାକୁ ନେଇ । ବୋଲନ୍ତି ଶିରେ କରଦେଇ । ।୧୭୫
ଭୋ ଧର୍ମରାଜ ତୋ ବଚନେ । ଆଣିଲୁ ତୋର ସନ୍ନିଧାନେ । ।୧୭୬
ସେ ଯମ କରଣେ ହକାରି । ତା ପାପ ସୁକୃତ ବିଚାରି । ।୧୭୭
ସୁକୃତୀ ରହେ ସ୍ୱର୍ଗଲୋକେ । ନାରକୀ ପଡ଼ଇ ନରକେ । ।୧୭୮
କହନ୍ତି ପ୍ରଭୁ ନାରାୟଣ । ପାପୀ ଯାତନା ମାତା ଶୁଣ । ।୧୭୯
ଯେ ପ୍ରାଣୀ ନରକେ ପଡ଼ନ୍ତି । ଦୁର୍ଗମ ତାହାଙ୍କ ଦୁର୍ଗତି । ।୧୮୦
ତହିଁ ଦଣ୍ତନ୍ତି ଅନୁକ୍ଷଣ । ମସ୍ତାକ ସର୍ବାଙ୍ଗ ଚରଣ । ।୧୮୧
ତଦନ୍ତେ ଦହନ୍ତି ଅନଳେ । ରୋଦଇ ନିର୍ଘାତ ଚହଳେ । ।୧୮୨
ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ । କ୍ଷୁଧାରେ ହୋଏ ଜ୍ଞାନଭୋଳ । ।୧୮୩
ଆପଣ ହସ୍ତେ ଦେହ ମାଂସ । କାଟିଣ କରୁଥାଇ ଗ୍ରାସ । ।୧୮୪
ଅଥବା କାଟି ଦ୍ୟନ୍ତି ପର । ତହା ଭକ୍ଷଇ ପାପୀ ନର । ।୧୮୫
ଗୃଧ୍ର କୁକୁର ଯମପୁରେ । ପାପୀଙ୍କି ବେଢ଼ିଣ ସତ୍ୱରେ । ।୧୮୬
ଓଟାରି ନ୍ୟନ୍ତି ନାଡ଼ିଗଣ । ତଥାପି ନ ଛାଡ଼ଇ ପ୍ରାଣ । ।୧୮୭
ମିଳନ୍ତି ମହା ମହା ସର୍ପେ । ଦଂଶନ୍ତି ତାର ଦେହେ କୋପେ । ।୧୮୮
ମ›ର୍ତ୍ସ କଚ୍ଛପ ତା ଶରୀର । ବେଢ଼ି ଭକ୍ଷନ୍ତି ନିରନ୍ତର । ।୧୮୯
କ୍ଷୁର ପ୍ରହାରେ ତାର ପିଣ୍ତ । କାଟି କରନ୍ତି ଖଣ୍ତ ଖଣ୍ତ । ।୧୯୦
ଉତ୍ତାନେ ପକାଇ ଧରଣୀ । ଗଜେ ମାରନ୍ତି ଦନ୍ତ ଆଣି । ।୧୯୧
ଦଶନେ ଶରୀର ଚିରନ୍ତି । ପର୍ବତ ଶିଖରୁ ପକାନ୍ତି । ।୧୯୨
ତଦନ୍ତେ ଖାତଖୋଳି ରୁନ୍ଧି । ଧୂମ ପୁରାନ୍ତି ନିରବଧି । ।୧୯୩
ବୁଡ଼ାଇ ରଖନ୍ତି ଜଳରେ । ପଥର ଲଦି ତା ଉପରେ । ।୧୯୪
ଆକୁଳେ ରୋଦଇ ବିକଳେ । ମୁଖେ ପିଟନ୍ତି କୋପାନଳେ । ।୧୯୫
ଏମନ୍ତେ କର୍ମର ଆୟତ୍ତେ । ନାନା ଯାତନା ଦଣ୍ତ ଯେତେ । ।୧୯୬
ଚତୁରଅଶୀତି ନରକେ । ନେଇ ଭୁଞ୍ଜାନ୍ତି ଏକେ ଏକେ । ।୧୯୭
ଏମନ୍ତେ ସଂସାର ଭ୍ରମଣେ । ବ୍ୟାକୁଳ କୁଟୁମ୍ବ ପୋଷଣେ । ।୧୯୮
ଅନ୍ତେ ଯମର ପୁରେ ଯାନ୍ତେ । କେହି ନଯାନ୍ତି ତାର ସାଥେ । ।୧୯୯
ବନ୍ଧୁବାନ୍ଧବ ପରିଜନେ । ଦହନ କରି ଶମଶାନେ । ।୨୦୦
ବିମୁଖେ ନିଜ ପୁରେ ଯାନ୍ତି । ତା ସଙ୍ଗେ କେହି ନ ରହନ୍ତି । ।୨୦୧
ଅର୍ଜିଲା ପାପପୁଣ୍ୟ ବେନି । ପଥେ ଗମନ୍ତି ତାକୁ ଘେନି । ।୨୦୨
ଏ ଦୁଇବଳେ ପରଲୋକେ । ଭୋଗ କରଇ ଏକେ ଏକେ । ।୨୦୩
ଅଧର୍ମେ ଧନାର୍ଜନ କରି । କୁଟୁମ୍ବ ପ୍ରପୋଷଣ କରି । ।୨୦୪
ଧର୍ମ ନ ସଞ୍ଚେ ରେଣୁ ମାତ୍ରେ । ନିତ୍ୟେ ମଜ୍ଜଇ ଦାରା-ସୁତେ । ।୨୦୫
ତାହାର ନାହିଁ ଇହପର । ଅନ୍ତେ ନରକ ମାତ୍ର ସାର । ।୨୦୬
ଏମନ୍ତେ କର୍ମର ଆୟତ୍ତେ । ଚଳନ୍ତି ସ୍ୱର୍ଗ-ନର୍କ ପଥେ । ।୨୦୭
ତାମିସ୍ର ଆଦି ଯେ ଯାତନା । କେତେ ତା କରିବି ବର୍ଣ୍ଣନା । ।୨୦୮
ପାତକୀ ସକଳ ଭୁଞ୍ଜଇ । ସ୍ୱକର୍ମ-ପାଶେ ବଦ୍ଧ ହୋଇ । ।୨୦୯
ଯେତେ ଅଛନ୍ତି ନରନାରୀ । ସର୍ବେ ଯାତନା ଅଧିକାରୀ । ।୨୧୦
ଉଭୟ ସଙ୍ଗେ ଏ ନରକ । ଭୁଞ୍ଜଇ ସଦା ପାପୀଲୋକ । ।୨୧୧
ଭୋ ମାତ ଦେଖ ସୁବିଚାରେ । ନରକ ସ୍ୱର୍ଗ ଏହିଠାରେ । ।୨୧୨
ନରକ ରାଜଦଣ୍ତ ଆଦି । ଏହା ବୋଲନ୍ତି ଶାସ୍ତ୍ରବାଦୀ । ।୨୧୩
ଯେ ଉପଭୋଗ ସ୍ୱର୍ଗସୁଖ । ଏଠାରେ ଦେଖ ତା ପ୍ରତ୍ୟକ୍ଷ । ।୨୧୪
ଏ ବେନି ବୁଝ ପରିମାଣି । ବିବେକ ମୁଖେ ଶାସ୍ତ୍ର ଶୁଣି । ।୨୧୫
ଏରୂପେ କୁଟୁମ୍ବ ଯେ ପୋଷେ । ନିଜ ଉଦର ପରିତୋଷେ । ।୨୧୬
ଏ ବେନି ସଙ୍ଗତେ ନଯାଇ । ଛାଡ଼ିଣ ଏକା ସେ ଚଳଇ । ।୨୧୭
ଭୂଞ୍ଜଇ ଆପେ କର୍ମଫଳ । ଯାଠାରୁ ନାହିଁ ବଳୀୟାର । ।୨୧୮
ତେଜିଣ ନିଜ କଳେବର । ଏକା ସେ ଗମେ ଯମପୁର । ।୨୧୯
ଅଧର୍ମେ ପ୍ରାଣୀ ହିଂସା କରି । ଯେ ଦେହ ପୋଷେ ସ୍ନେହ ଭରି । ।୨୨୦
ସେ ଦେହ ତେଜିଣ ସେ ଯାଇ । ପାପକୁ ପୃଷ୍ଠରେ ବସାଇ । ।୨୨୧
ଏକା ସେ ନରକ ଭୁଞ୍ଜଇ । ଦ୍ୱିତୀୟ ସଙ୍ଗତେ ନଯାଇ । ।୨୨୨
କୁଟୁମ୍ବ-ପୋଷଣର ଫଳ । ତାହାର ଯେତେକ ଶମଳ । ।୨୨୩
ସେ ଫଳ ଈଶ୍ୱର ଦିଅନ୍ତି । ପାପୀ ହିଁ ଏକାନ୍ତେ ଭୁଞ୍ଜନ୍ତି । ।୨୨୪
ଧନ ହରାଇ ଯେହ୍ନେ ନର । ମନରେ ହୁଅଇ ଆତୁର । ।୨୨୫
ତେସନ ପାପ କରେ ପ୍ରାଣୀ । ବ୍ୟାକୁଳେ ଭୁଞ୍ଜେ ପୁଣ ପୁଣି । ।୨୨୬
ସେ ଦୁଃଖ ନ ଭୁଞ୍ଜଇ ପର । ତେସନେ ନରକ ଆହାର । ।୨୨୭
କେବଳ ଅଧର୍ମ ଆଚରି । କୁଟୁମ୍ବ ପୋଷଣ ଯେ କରି । ।୨୨୮
ଗମଇ ଅନ୍ଧ-ତାମିସ୍ରକୁ । ଉଦ୍ଧାର ନାହିଁ କାହିଁ ତାକୁ । ।୨୨୯
ଅନ୍ଧ-ତାମିସ୍ର ଯାର ନାମ । ତାହା ହିଁ ନରମ ଚରମ । ।୨୩୦
ସେ ତହିଁ ଗମନ କରଇ । ବହୁତ କାଳ ତହିଁ ଥାଇ । ।୨୩୧
ତାର ନରକ ଭୋଗ ଅନ୍ତେ । ଆପଣା କର୍ମର ଆୟେତ୍ତେ । ।୨୩୨
ଯେତେକ ଯାତନା ଅଛଇ । କ୍ରମେଣ ସକଳ ଭୁଞ୍ଜଇ । ।୨୩୩
ସେ ପାପପୁଣ୍ୟ ଅବଶେଷ । କର୍ମେ ସେ ଉଦରେ ପ୍ରବେଶ । ।୨୩୪
ଶ୍ୱାନ ଶୂକର ଆଦି ଯୋନି । ପାପୀ ଲଭଇ କର୍ମ ଘେନି । ।୨୩୫
ଭୁଞ୍ଜନ୍ତି ପ୍ରାଣୀ ଦେହ ଘେନି । କହିବା ଶୁଣ ଗୋ ଜନନୀ । ।୨୩୬
କ୍ରମେ ତା ପାପ କ୍ଷୀଣ ହୋଇ । ପୁଣି ସେ ନରଜନ୍ମ ପାଇ । ।୨୩୭
ଏମନ୍ତେ ମାତାର ସମୀପେ । ଗୋବିନ୍ଦ କପିଳ ସ୍ୱରୂପେ । ।୨୩୮
ଯେତେ କହିଲେ ଜ୍ଞାନବାଣୀ । ସୁଜନଜନେ ଏହା ଶୁଣି । ।୨୩୯
ତରିବ ଭବବନ୍ଧ-ପାଶ । କହଇ ଜଗନ୍ନାଥ ଦାସ । ।୨୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ କର୍ମବିପାକୋ ନାମ
ତ୍ରିଂଶୋଽଧ୍ୟାୟଃ ।

ଏକତ୍ରିଂଶ ଅଧ୍ୟାୟ[ସମ୍ପାଦନା]

କପିଳ ଉବାଚ

ଶୁଣ ଜନନୀ ତଦନ୍ତରେ । ପୁଣ୍ୟ ପାତକ ସୁବିଚାରେ । ।୧
ଏ ପୁଣ୍ୟ ପାପ ଅନୁସାରେ । ମନୁଷ୍ୟ ଦେହ ପ୍ରାଣୀ ଧରେ । ।୨
ମନୁଷ୍ୟ ଦେହ ଯେଣୁ ସ୍ଥିତି । ତେଣୁ ସେ ରାଜସିକ ମତି । ।୩
ଏହା କହିବା ତୋ ଆଗରେ । ସୁଜନେ ଶୁଣ ହେତୁଦ୍ୱାରେ । ।୪
ବୋଲନ୍ତି ପ୍ରଭୁ ଭଗବାନ । ଭୋ ମାତ ସାବଧାନେ ଶୁଣ । ।୫
ଏ ଜୀବ ଯେ କର୍ମ ଇଚ୍ଛଇ । ଈଶ୍ୱର ତହିଁ ନିଯୋଜଇ । ।୬
ଏ ଜୀବ ସ୍ୱକର୍ମ ବଶରେ । ପୁରୁଷ ରେତ ଆଶା କରେ । ।୭
ପୁଣି ଏ ଦେହ ଧରିବାକୁ । ପ୍ରବେଶ ଜନନୀ ଗର୍ଭକୁ । ।୮
ପୁରୁଷ ଦେହର ସ୍ୱରୂପେ । ପଶଇ ଆତ୍ମାର ସଙ୍କଳ୍ପେ । ।୯
ଯେ ଜନ୍ମେ ଯେ ଗର୍ଭ ସଂଯୋଗ । ପଶଇ ରଜ-ବୀର୍ଯ୍ୟ ଯୋଗ । ।୧୦
ସେ ରେତ ପ୍ରଥମ ଦିନରେ । ମିଶଇ ଶୋଣିତ ସଙ୍ଗରେ । ।୧୧
ତାହାକୁ ବୋଲିଟି କଲ୍ଲୋଳ । ପଞ୍ଚମ ଦିନେ ସେ ବର୍ତ୍ତୁଳ । ।୧୨
ସେ ପୁଣି ବଦରୀ ସମାନେ । କଠିନ ହୁଏ ଦଶଦିନେ । ।୧୩
ତା ପରେ ହୋଇ ମାଂସ ପିଣ୍ତ । ତଦନ୍ତେ ପ୍ରକାଶଇ ଅଣ୍ତ । ।୧୪
ମସ୍ତକ ପ୍ରଥମ ମାସରେ । ପ୍ରକାଶ ହୁଅଇ କନ୍ଧରେ । ।୧୫
ସମ୍ପୂର୍ଣ୍ଣ ବେନିମା ଯାଏ । କର ଚରଣ ଆଦି ହୋଏ । ।୧୬
ଅଙ୍ଗୁଳି ନଖ ତନୁ ରୋମ । ଅସ୍ଥି ହୃଦୟ ନାଡ଼ିମାନ । ।୧୭
ଲିଙ୍ଗ ଇନ୍ଦ୍ରିୟ ଛିଦ୍ର ଆଦି । ତୃତୀୟମାସେ ଏ ପ୍ରସିଦ୍ଧି । ।୧୮
ଚତୁର୍ଥମାସେ ଧାତୁ ହୋଏ । ପଞ୍ଚମେ କ୍ଷୁଧା ତୃଷା ବହେ । ।୧୯
ତଦନ୍ତେ ଷଷ୍ଠ ପରିମିତ । କ୍ଷୁଧା ତୃଷାରେ ସେ ପୀଡ଼ିତ । ।୨୦
ଗର୍ଭ ବେଷ୍ଟନେ ବଦ୍ଧ ହୋଇ । ଦକ୍ଷିଣ କୁକ୍ଷିରେ ଭ୍ରମଇ । । ୨୧
ଜନନୀ ଯେ ଦ୍ରବ୍ୟ ଭକ୍ଷଇ । ସେ ରସେ ତା ଧାତୁ ବଢ଼ଇ । ।୨୨
ମୂତ୍ର ପୁରୀଷ ରକ୍ତ ଲାଳେ । କୃମି ପୀଡ଼ିତ ସମାକୁଳେ । ।୨୩
ତହିଁ ଯନ୍ତ୍ରିତେ ଶୋଇ ଥାଇ । କୃମି ସଂକୁଳ ମଧ୍ୟେ ରହି । ।୨୪
ଅତି କୋମଳ କଳେବର । କୃମି ଭକ୍ଷଣେ ନୋହେ ସ୍ଥିର । ।୨୫
ଅଙ୍ଗ କାଟନ୍ତେ କୃମିମାନେ । ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ । ।୨୬
ବହୁତ କ୍ଳେଶ ତହିଁ ପାଇ । କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ । ।୨୭
ଉଷ୍ଣ ଲବଣ କଟୁ ତୀକ୍ଷ୍ଣ । କ୍ଷାର ଆମ୍ବିଳ ଯା ଭକ୍ଷଣ । ।୨୮
ଜନନୀ ଆହାର କରଇ । ସେ ରସେ ସର୍ବାଙ୍ଗ ପୀଡ଼ଇ । ।୨୯
କରଇ ବେଦନାକୁ ଜାତ । ତେଣେ ତା ସର୍ବାଙ୍ଗ ପୀଡ଼ିତ । ।୩୦
ନିବାସ ଜରାୟୁ ଭିତରେ । ନାଡ଼ିରେ ବେଷ୍ଟିତ ନିର୍ଭରେ । ।୩୧
କୁଟିଳ ଭାବେ ଶିରୋଧର । ପୃଷ୍ଠ କୁଟିଳ କଳେବର । ।୩୨
ମାତୃକୁକ୍ଷିରେ ଦେଇ ଶିର । ପଡ଼ି ଯେ ଥାଇ ନୋହେ ସ୍ଥିର । ।୩୩
ଶରୀର ଚାଲି ନପାରଇ । ପିଞ୍ଜର-ପକ୍ଷୀ ପ୍ରାୟ ହୋଇ । ।୩୪
ସେ ଗର୍ଭେ ପୂର୍ବକର୍ମ ବଶେ । ବହୁତ ଜନ୍ମ ତାକୁ ଦିଶେ । ।୩୫
ଶତେଜନ୍ମର କର୍ମ ଯେତେ । ସୁମରୁ ଥାଏ ଗର୍ଭଗତେ । ।୩୬
ସେ ପାପ ପୁଣ୍ୟ ମନେ ଧ୍ୟାଇ । ବହୁତ ନିଃଶ୍ୱାସ ଛାଡ଼ଇ । ।୩୭
ତା ଫେଡ଼ି ନ ପାରଇ କେହି । କର୍ମଆୟତ୍ତେ ବଶ ହୋଇ । ।୩୮
ସୁମରି ପୂର୍ବଜନ୍ମ ଦୁଃଖ । ସୁଖ ନ ଲଭି ସେ ବିମୁଖ । ।୩୯
ସପ୍ତମମାସ ଆଦି କରି । ତା ଦେହେ ଜ୍ଞାନ ଥାଇ ପୁରି । ।୪୦
ପ୍ରସୂତିବାତ ବଳୀୟାର । ତେଣେ କମ୍ପଇ ତା ଶରୀର । ।୪୧
ଦେହକୁ ଅସ୍ଥିର କରଇ । କୃମି ଯେସନେ ଭ୍ରମୁଥାଇ । ।୪୨
ସେ ରୂପେ ଗର୍ଭେ ତା ଭ୍ରମଣ । ଦୁଃସହ ସେ ଦୁଃଖ କଷଣ । ।୪୩
ତଦନ୍ତେ ଶୁଣ ଗୋ ଜନନୀ । ଭାଳଇ ଦିବସ ରଜନୀ । ।୪୪
ଅତି ବିମୁଖେ କଷ୍ଟ ସହି । ସେ ଗର୍ଭେ ଆତ୍ମାକୁ ଦେଖଇ । ।୪୫
ତା ରୂପ ଅତି ମନୋହର । ଧ୍ୟାନେ ଜାଣଇ ତା ଶରୀର । ।୪୬
ନିରତେ ଭାଳେ ଏକଚିତ୍ତେ । ଭକ୍ତିରେ ମନ ପ୍ରମୋଦିତେ । ।୪୭
ସପ୍ତଧାତୁରେ ବଦ୍ଧ ହୋଇ । ଅଞ୍ଜଳି କରିଣ ପ୍ରାର୍ଥଇ । ।୪୮
ଭୟେ ବିଚାରଇ ମନର । କେମନ୍ତେ ଏଥୁଁ ହେବି ପାର । ।୪୯
ଏଥୁଁ ନିସ୍ତାର ମୋ କେମନ୍ତେ । ଆତଙ୍କେ ଚିନ୍ତଇ ନିରତେ । ।୫୦
ଯେମନ୍ତେ ଆଉ ପୁନର୍ବାର । ଏ ଗର୍ଭ ଦୁଃଖ ନୋହୁ ମୋର । ।୫୧
ଶ୍ରୀକୃଷ୍ଣପାଦେ କରି ଧ୍ୟାନ । ଅତି ଆନନ୍ଦ ସୁଖେ ମଗ୍ନ । ।୫୨
ଏଥୁଁ ନିର୍ଗତ ମୋ କେମନ୍ତେ । ତାହାକୁ ଭାବେ ଅବିରତେ । ।୫୩
ସେ ଦୁଃଖ ନ ଘେନଇ ଚିତ୍ତେ । ଅନାଥ ମୁଁ ଯେ ଗର୍ଭଗତେ । ।୫୪
ବେଦନା ପାଉଅଛି ଯେତେ । ଏଥୁ ଉଦ୍ଧର ନାଥ ମୋତେ । ।୫୫
ଏ ଦୁଃଖ ଯେମନ୍ତେ ନୋହିବ । ଏମନ୍ତ କୃପା ମୋତେ ହେବ । ।୫୬
ଏ ରୂପେ ବ୍ୟାକୁଳେ କଷଣେ । ସ୍ତୁତି କରଇ ଅନୁକ୍ଷଣେ । ।୫୭

ଜୀବ ଉବାଚ

ତୁ ନାଥ ପୂର୍ଣ୍ଣଜ୍ଞାନମୟେ । ଆତ୍ମା ସ୍ୱରୂପେ ବସୁ ଦେହେ । ।୫୮
ସକଳ ହୃଦୟେ ପ୍ରକାଶ । ଗଗନେ ଯେହ୍ନେ ରବି ତ୍ରାସ । ।୫୯
ଏବେ ପ୍ରଣମୁଁ ତୋର ପାୟେ । ଭୋ ନାଥ କର ମୋତେ ଦୟେ । ।୬୦
ଏ ଗର୍ଭବାସ ଦୁଃଖ ମୋତେ । ଯେମନ୍ତେ ନଲାଗେ ଜଗତେ । ।୬୧
ନିର୍ଲେପ ନିରଞ୍ଜନ ତୁହି । ତୋ ରୂପ ନଜାଣନ୍ତି କେହି । ।୬୨
ତୋ ପାଦ ନଭଜିଲି ମୁହିଁ । ଅଶେଷ ଗର୍ଭେ ଦେହ ବହି । ।୬୩
ତେଣୁ ସକଳ ଗର୍ଭବାସ । ଜନ୍ମିଣ ପୁଣି ଯାଇ ନାଶ । ।୬୪
ତୁ ଏବେ ମୋତେ ଦୟାକର । ଏ ଗର୍ଭସଙ୍କଟୁ ଉଦ୍ଧର । ।୬୫
ଏ ମହାଗର୍ଭର କଷଣ । ଏଥୁ ଉଦ୍ଧର ନାରାୟଣ । ।୬୬
ଏ ଗର୍ଭୁ ହୋଇଲେ ନିସ୍ତାର । ତୋର ଚରଣେ ଚକ୍ରଧର । ।୬୭
ମୁଁ ପାପୀ ଭଜିବି ନିରତେ । ଏ ଦୁଃଖ ନ ଲଭି ଯେମନ୍ତେ । ।୬୮
ଭୋନାଥ ତୋହର ଚରଣ । ପଶିଲି ଆଜି ମୁଁ ଶରଣ । ।୬୯
ଜଗତ ରକ୍ଷାର ନିମିତ୍ତ । ଇଚ୍ଛାଏ ନାନା ତନୁଭୂତ । ।୭୦
ମୁହିଁ ତ ଅଟଇ ଅସତ । ଏ ଗର୍ଭକଷ୍ଟ ମୋ ଉଚିତ । ।୭୧
ତୋ ରୂପ ଦେଖାଇଲୁ ଦେବ । ଅପୂର୍ବ ଦୟାଳୁ ସ୍ୱଭାବ । ।୭୨
ଗର୍ଭକୁ ଆଣିଲା ଯେ ମୋତେ । ତା ପାଦେ ସ୍ତୁତି ମୋ ନିରତେ । ।୭୩
ତା ପାଦେ ପଶିଲି ଶରଣ । ସେ ମୋତେ କରୁ ପରିତ୍ରାଣ । ।୭୪
ସେବଇ ତାର ପାଦଗତେ । ଅଶେଷ କର୍ତ୍ତା ଯେ ଜଗତେ । ।୭୫
ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ । ଇଚ୍ଛାରେ ଶରୀର ଧରଇ । ।୭୬
ଯେ କଲା ଏତାଦୃଶ ଗତି । ମୁଁ ପାପୀ ଅତୀବ ଦୁର୍ମତି । ।୭୭
ସେ ପ୍ରଭୁ ଏକଷ୍ଟୁ ରଖିବେ । ତା ବିନୁ ଆଶ୍ରା ନାହିଁ ଜୀବେ । ।୭୮
ତାହାଙ୍କ ଅଭୟ ଚରଣେ । ଶରଣ ଗଲି ଏ କଷଣେ । ।୭୯
ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ । ନ ଲାଗେ ଏ ଦୁଃଖ ବୃଜିନ । ।୮୦
ମୁଁ କଷ୍ଟେ ଜନନୀ ଗର୍ଭରେ । ଅଛଇ ମାୟା କଳେବରେ । ।୮୧
ଜୀବ ସ୍ୱରୂପେ ଅଛି ମୁହିଁ । ମୋ ନିଜକମେ ବନ୍ଦୀ ହୋଇ । ।୮୨
ଅଛଇ ବନ୍ଧନ ପରାୟେ । ଏ ଗର୍ଭପୀଡ଼ା ଅତି ଭୟେ । ।୮୩
ନମଇଁ ତାହାଙ୍କ ପୟରେ । ଯେ ଦେବ ଛନ୍ତି ମୋ ହୃଦରେ । ।୮୪
ବିଶୁଦ୍ଧ ବିକାର-ବିହୀନ । ଅଖଣ୍ତବୋଧ ଅନୁଦିନ । ।୮୫
ତ୍ରିବିଧ ସନ୍ତାପେ ତାପିତ । ହୃଦୟେ ହୁଅଇ ପ୍ରତୀତ । ।୮୬
ନମଇଁ ତାହାଙ୍କ ଚରଣେ । ସେ ନାଥ ରଖୁ ଏ କଷଣେ । ।୮୭
ଏ ପଞ୍ଚଭୂତେ ବିରଚିତ । ଏମନ୍ତ ଦେହେ ମୁହିଁ ସ୍ଥିତ । ।୮୮
ମିଥ୍ୟାରେ ଆଚ୍ଛନ୍ନ ହୋଇଛି । ବୁଝିଲେ ସତ୍ୟ ନୋହେ କିଛି । ।୮୯
ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ । ଏଥେଁ ମୁଁ ବଦ୍ଧ ଅବିରତ । ।୯୦
ବନ୍ଦଇ ସେ ପ୍ରଭୁ ଚରଣ । ଏ କଷ୍ଟୁ କରିବେ ତାରଣ । ।୯୧
ଅକୁଣ୍ଠ ମହିମା ତାହାର । କେବେ ହେଁ ନଥାଇ ବିକାର । ।୯୨
ଯେଣୁ ସେ ଆଦି ନିରଞ୍ଜନ । ପ୍ରକୃତି ପୁରୁଷହୁଁ ଭିନ୍ନ । ।୯୩
ସେ ପ୍ରଭୁ ପରମ-ପୁମାନ । ଦିଅନ୍ତୁ ମୋତେ ଦିବ୍ୟଜ୍ଞାନ । ।୯୪
ଯା ମାୟା ଆବୋରି ରହିଛି । ଏଣୁ ମୁଁ ସବୁ ବିସ୍ମରୁଛି । ।୯୫
ତେଣୁ ଭ୍ରମଇ ଏ ସଂସାରେ । ଶ୍ରମେ କାତର ନିରନ୍ତରେ । ।୯୬
ତାହାଙ୍କୁ ଭଜିବଇଁ ଯେବେ । ଏ ଦୁଃଖୁ ନିସ୍ତାରିବେ ତେବେ । ।୯୭
ଭଜିଲେ ନିଜରୂପ ପାଇ । ନ ଭଜି ପାରହେବି କାହିଁ । ।୯୮
ସେ ପ୍ରଭୁ ବିନୁ ଏହି ଜ୍ଞାନ । କେ ଦେଇ ପାରି ମୋତେ ଆନ । ।୯୯
ତା ତହୁଁ ଜ୍ଞାନ ମୁଁ ପାଇଛି । ଯେଣୁ ମୁଁ ତ୍ରିକାଳ ଦେଖୁଛି । ।୧୦୦
ଏଣୁ ଏ ଗର୍ଭଦୁଃଖ ଘୋର । ନ ଜାଣେ ଶରୀର ମୋହର । ।୧୦୧
ଏଣୁ ଯେ ତାହାଙ୍କୁ ଭଜିବି । ତେବେ ସେ କର୍ମକୁ ଜିଣିବି । ।୧୦୨
ଯାହାର ଅଂଶ ସ୍ଥିରଚରେ । ବ୍ୟାପିଛି ଭବନ ଭିତରେ । ।୧୦୩
ବନ୍ଦଇ ତାହାଙ୍କ ଚରଣ । ଭୋ ନାଥ ଦେବା ଦିବ୍ୟଜ୍ଞାନ । ।୧୦୪
ବାଳ ଚଞ୍ଚଳ ଭାବ ମୁହିଁ । ତୋ ପାଦ-କମଳେ ପୁଛଇ । ।୧୦୫
ଜନନୀ-ଉଦର-ଗୁହାରେ । ପୁରୀଷ ମୂତ୍ରାଦି କୁପରେ । ।୧୦୬
ଅବଶେ ତହିଁ ମୁଁ ପଡ଼ିଛି । ଜଠରଅଗ୍ନି ଦହୁ ଅଛି । ।୧୦୭
ତହୁଁ ବାହାର ହେବା ପାଇଁ । ସଭୟେ ମାସ ଗଣୁଛଇଁ । ।୧୦୮
କେବେ ସେ କରିବେ ବାହାର । ସେ ପ୍ରଭୁ କୃପା-ପାରାବାର । ।୧୦୯
ଯେ କଲା ଏତାଦୃଶ ଗତି । ଲଭିଲି ଦିବ୍ୟଜ୍ଞାନ ମତି । ।୧୧୦
ସେ ବଡ଼ କରୁଣାସାଗର । ଯେ ମୋତେ ଦେଲେ ଜ୍ଞାନପର । ।୧୧୧
ମୁଁ ତାଙ୍କୁ କିସେବା କରିବି । କି ଦ୍ରବ୍ୟ ଦେଇଣ ତୋଷିବି । ।୧୧୨
ସେ ନାଥ ଦୀନବନ୍ଧୁ ଯେବେ । ସ୍ୱଗୁଣେ ତୁଷ୍ଟ ହେବେ ତେବେ । ।୧୧୩
ଅଞ୍ଜଳି ବିନୁ ନାରାୟଣ । ମୋହର ଦ୍ରବ୍ୟ ନାହିଁ ଆନ । ।୧୧୪
ଏ ଯେତେ ଜୀବପଶୁ ଆଦି । ଅଜ୍ଞାନ ଦେହେ ନିରବଧି । ।୧୧୫
ଦେଖନ୍ତି ସୁଖ ଦୁଃଖ ମାତ୍ର । ଏଣୁ ହୁଅନ୍ତି କ୍ଳେଶପାତ୍ର । ।୧୧୬
ଯେ ଦିବ୍ୟଜ୍ଞାନ ଦେଲେ ମୋତେ । ଯେ ବୁଦ୍ଧି ଘେନି ଅବିରତେ । ।୧୧୭
ଏ ଦେହ ଭିତର ବାହାରେ । ପ୍ରତ୍ୟକ୍ଷ ଦେଖୁଛି ତାହାରେ । ।୧୧୮
ଏ ଘେନି ସୁଖେ ଆଶା ନାହିଁ । ଦୁଃଖକୁ ଭୟ ଅବା କାହିିଁ । ।୧୧୯
ଯେ ମୋତେ ଦେଲେ ଦିବ୍ୟଜ୍ଞାନ । ସେ ପାଦେ ମୋହର ବନ୍ଦନ । ।୧୨୦
ସେ ପ୍ରଭୁ ରୂପ ମନୋହର । ଦର୍ଶନେ ଲୋଭ ଚିତ୍ତ ମୋର । ।୧୨୧
ସେ ରୂପ-ସୁଧା ଆପ୍ୟାୟନେ । ତୃଷିତ ଲୋଚନ ସଘନେ । ।୧୨୨
କେବେ ହେଁ ନପାରଇ ଛାଡ଼ି । ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି । ।୧୨୩
ବହୁତ ଦୁଃଖର ଆବାସ । ଏହି ମୋହର ଗର୍ଭବାସ । ।୧୨୪
ମୁଁ ଦୁଃଖେ ବଞ୍ଚିବି ଗର୍ଭରେ । କେବେ ହେଁ ନଯିବି ବାହାରେ । ।୧୨୫
ସଂସାର ଅନ୍ଧକୂପ ଅତି । ତହିଁକି ଯେ ଜୀବେ ଗମନ୍ତି । ।୧୨୬
ତୋ ମାୟା ଘୋଟଇ ତାହାକୁ । ସେ ସତ୍ୟ ମଣଇଁ ମିଥ୍ୟାକୁ । ।୧୨୭
ପଡ଼ଇ ସଂସାର-ଚକ୍ରରେ । ପୁତ୍ର କଳତ୍ର ମାୟା-ଘୋରେ । ।୧୨୮
ଏଣୁ ବାହାରେ ନ ଯିବଇଁ । ମୁଁ ଗର୍ଭେ ମୋକ୍ଷ ସାଧିବଇଁ । ।୧୨୯
ବ୍ୟାକୁଳ ନୋହି ଏ ଗର୍ଭର । ସହିବି ଦୁଃଖ ମହାଘୋର । ।୧୩୦
ଆତ୍ମାକୁ ତାରିବି ଏଠାରେ । ମନ ନିବେଶି ଆତ୍ମାଠାରେ । ।୧୩୧
ସାରଥି ବୁଦ୍ଧି ବିବେକକୁ । କରିଣ ତାରିବି ଆତ୍ମାକୁ । ।୧୩୨
ଗର୍ଭ ନିବାସ ଦୁଃଖ ଆର । ଯେମନ୍ତ ନୋହିବ ମୋହର । ।୧୩୩
ବିଷ୍ଣୁର ଚରଣେ ପଶିବି । ଅଶେଷ ଗର୍ଭେ ମୁଁ ନ ଯିବି । ।୧୩୪

ମୈତ୍ରେୟ ଉବାଚ

ଏମନ୍ତେ ନାନା ସ୍ତୁତି କରି । ଗର୍ଭ-ଯାତନା ଦୁଃଖେ ଡରି । ।୧୩୫
ସେ ଜୀବ ଅତି ଦୁଃଖେ ଛନ୍ନ । ଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ । ।୧୩୬
କହନ୍ତି କପିଳ ଗୋସାଇଁ । ସେ ଦେବହୂତି ମୁଖ ଚାହିଁ । ।୧୩୭

କପିଳ ଉବାଚ

ବିନୟ ଭାବେ ସ୍ତୁତି କରେ । ଏ ଜୀବ ଜନନୀ ଉଦରେ । ।୧୩୮
କେବେ ହେଁ ନୋହେ ତା ଉଶ୍ୱାସ । ଦୁଃଖେ ପୀଡ଼ିତ ଦଶମାସ । ।୧୩୯
ଏମନ୍ତ ଦୁଃଖ ଅବଶେଷେ । ଶରୀରୁ ପବନ ପ୍ରକାଶେ । ।୧୪୦
ତାହାକୁ ପ୍ରସବ ମାରୁତ । ପ୍ରେରଣ କରଇ ବହୁତ । ।୧୪୧
ତକ୍ଷଣେ ଅଧୋମୁଖ କରି । ପକାଇ ଯୋନିଦ୍ୱାର ଭରି । ।୧୪୨
ଗର୍ଭ ଭିତରୁ ତାକୁ ହେଳେ । ପବନ ଝାଙ୍କି ମହାବଳେ । ।୧୪୩
ସେ ଯୋନିଦ୍ୱାର ମାର୍ଗଗତେ । ବାହାର କରଇ ତୁରିତେ । ।୧୪୪
ଅତି ସଂକୀର୍ଣ୍ଣ ଜନ୍ମଦ୍ୱାର । କଷ୍ଟରେ ହୁଅଇ ବାହାର । ।୧୪୫
ସ୍ତମ୍ଭିତେ ଶ୍ୱାସ ନିରୋଧଇ । ସେ ଗର୍ଭଜ୍ଞାନ ପାଶୋରଇ । ।୧୪୬
ଅଜ୍ଞାନେ ପଡ଼ଇ ଭୂମିରେ । ରକ୍ତ-ଜର୍ଜର କଳେବରେ । ।୧୪୭
କୃମିର ପ୍ରାୟେ ଚେଷ୍ଟା କରେ । ରୋଦନ କରଇ କାତରେ । ।୧୪୮
ଲଭଇ ବିପରୀତ ଗତି । ସେ ଜ୍ଞାନ ଆଉ ନ ସ୍ମରତି । ।୧୪୯
ପାଳନ୍ତି ଜ୍ଞାତି ବନ୍ଧୁଜନେ । ତା ଅଭିମତ କେହୁ ଜାଣେ । ।୧୫୦
କ୍ଷୁଧାରେ ତକ୍ଷଣେ ରୋଦଇ । ତା କେହି ବୁଝି ନପାରଇ । ।୧୫୧
ବୋଲନ୍ତି ପେଟ ବଥାଇଲା । ଏଣୁ ଏ ବ୍ୟାକୁଳେ ରୋଦିଲା । ।୧୫୨
ମୁଖେ ଦିଅନ୍ତି ନିମ୍ବରସ । ଜୀବ ତ ପିଅଇ ଅବଶ । ।୧୫୩
ନିଷେଧି ତାହା ନ ପାରଇ । ଯାହା ଦିଅନ୍ତି ତାହା ଖାଇ । ।୧୫୪
ଅଶୁଚି ଶଯ୍ୟାରେ ଶୟନ । କରନ୍ତି ତାକୁ ପରିଜନ । ।୧୫୫
ତହିଁ ଅବଶେ ପଡ଼ିଥାଇ । ପିମ୍ପୁଡ଼ି ମାଛି କୀଟ ଖାଇ । ।୧୫୬
ନିବାରେ ନୋହଇ ସମର୍ଥ । ଯେଣୁ ନଚଳେ ପଦ ହସ୍ତ । ।୧୫୭
ଉଠି ବସିତେ ଶକ୍ୟ ନାହିଁ । ବନ୍ଧନ ଜୀବ ପ୍ରାୟ ହୋଇ । ।୧୫୮
କୋମଳ ଚର୍ମ ତା ଶରୀରେ । କାଟନ୍ତି ମଶକ ନିର୍ଭରେ । ।୧୫୯
ଦଶନ ବିକାଶି କାଟନ୍ତି । ଶୋଷିଣ ଶୋଣିତ ପିବନ୍ତି । ।୧୬୦
ତହୁଁ ସେ ଜ୍ଞାନହୀନ ହୋଇ । ସର୍ବଦା ରୋଦନ କରଇ । ।୧୬୧
ଏ ରୂପେ ପାଞ୍ଚବର୍ଷ ଯାଏ । ଶୈଶବେ ଦୁଃଖ ଭୋଗ ହୁଏ । ।୧୬୨
ପୌଗଣ୍ତ କାଳେ ମହା ଦୁଃଖ । ତହିଁ ନପାଇ କିଛି ସୁଖ । ।୧୬୩
ତଦନ୍ତେ ବିଦ୍ୟା ପ୍ରପଠନେ । ଭୟେ ତରସ୍ତ ପ୍ରତିଦିନେ । ।୧୬୪
ମରଣୁ ସେ ଦୁଃଖ ବଳଇ । ନିର୍ଭୟସ୍ଥାନେ ପଶେ ଯାଇ । ।୧୬୫
ଏମନ୍ତେ ଜୀବ ଲଭେ କ୍ଳେଶ । ନ ପାଇ ଜ୍ଞାନ ଉପଦେଶ । ।୧୬୬
ଯୌବନାବସ୍ଥା ପ୍ରବେଶେଷ । ତହିଁ ପୀଡ଼ିତ କାମବାଣ । ।୧୬୭
ମନେ କଳ୍ପିତ ଯା କରଇ । ସେ ଯେବେ ଆସି ନଘଟଇ । ।୧୬୮
ଶୋକରେ ହୁଅଇ ବାଧିତ । କ୍ରୋଧିତ ହୋଏ ଅବିରତ । ।୧୬୯
ଏମନ୍ତ ପ୍ରତି ସମ୍ବତ୍ସରେ । କାମ ବଢ଼ଇ ନିରନ୍ତରେ । ।୧୭୦
ଯେ ରୂପେ ଶରୀର ବଢ଼ଇ । ତା ସଙ୍ଗେ କାମାଦି ବଢ଼ଇ । ।୧୭୧
ପ୍ରକୋପ ବଢ଼େ କଳେବରେ । କାମିନୀ ସଙ୍ଗେ କେଳୀ କରେ । ।୧୭୨
ଅତ୍ୟନ୍ତ କାମେ ହୋଇ ବାଇ । ଆପଣା ନାଶ ନ ଜାଣଇ । ।୧୭୩
ନାନା ଯୋନିରେ ଆଶା କରେ । ଏ ଯୁବା ବୟସ ବେଭାରେ । ।୧୭୪
ଏମନ୍ତେ ବଢ଼େ ଦିନେ ଦିନେ । ଯେ ରୂପେ ପ୍ରୌଢ଼ ସେ ଯୌବନେ । ।୧୭୫
ବ୍ୟାକୁଳ ଧନ ଅରଜନେ । ଚିତ୍ତ ବ୍ୟାକୁଳ ଦୁଃଖମନେ । ।୧୭୬
ଦିନକୁ ଦିନ କାମ ଗାଢ଼େ । ନିରତେ ଅହଙ୍କାର ବଢ଼େ । ।୧୭୭
ସନ୍ତତି ଜନମ ବ୍ୟାକୁଳେ । କାମିନୀ ସଙ୍ଗେ ରତି ମେଳେ । ।୧୭୮
ବଞ୍ଚଇ ସୁଖ ପ୍ରାୟ ମଣି । ଆତ୍ମାର ଦୁଃଖ ନ ପ୍ରମାଣି । ।୧୭୯
ଏ ପଞ୍ଚଭୂତ କଳେବରେ । ଆପଣା ବୋଲି ଯା ଆଦରେ । ।୧୮୦
ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେ । ଏ ମୋର ଛନ୍ତି ଯେତେ ଘରେ । ।୧୮୧
ଏହି କୁମତି ଭାବୁଥାଇ । ଆପଣା ହିତ ନଜାଣଇ । ।୧୮୨
ଚର୍ମ ଶୋଣିତ ଗାଢ଼ ଭିତ୍ତି । ଅଶେଷ ରୋଗ ଯହିଁ ସ୍ଥିତି । ।୧୮୩
ଏ ମୋ ଶରୀର ବୋଲି ଜାଣେ । କ୍ଷଣ-ବିଧ୍ୱଂସ ନ ପ୍ରମାଣେ । ।୧୮୪
ଏ ଦେହ ଅସତ୍ୟ ସ୍ୱଭାବେ । ଯେ ଆତ୍ମବୁଦ୍ଧି ଅନୁଭବେ । ।୧୮୫
ପରମହିଂସନେ କରେ ମତି । ନିଜ ଶରୀର ସୁଖ ଚିନ୍ତି । ।୧୮୬
ଅସାଧୁ ସଙ୍ଗେ ନିତ୍ୟେ ଥାଇ । ସୁସାଧୁ ସଙ୍ଗ ନ ଇଚ୍ଛଇ । ।୧୮୭
ନିତ୍ୟେ ବିଷୟା ସଙ୍ଗ ଚିନ୍ତି । ଏ ଯେ ନ ଭଲେ ଆତ୍ମଗତି । ।୧୮୮
ଆହାର ଶୃଙ୍ଗାର ଇଚ୍ଛଇ । ନିବେଦେ ନିତ୍ୟେ ମନଦେଇ । ।୧୮୯
ତାର ବିଶ୍ୱାସେ ନିତ୍ୟେ ମଜ୍ଜେ । ଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ । ।୧୯୦
ଭଜଇ ବିଷୟ ତରଙ୍ଗ । କେବେହେଁ ନୋହେ ସାଧୁ ସଙ୍ଗ । ।୧୯୧
ଆତ୍ମାକୁ ନକରେ ବିଚାର । ଏଣୁ ଏ ଦୁଃଖ ମହାଘୋର । ।୧୯୨
ଯେ ଦେହେ ନାନା କ୍ଳେଶ ଦେଇ । କର୍ମ କରଇ ତାର ପାଇଁ । ।୧୯୩
ଯେ କର୍ମେ ବଦ୍ଧ ପ୍ରାୟ ହୋଇ । ଅଜ୍ଞାନେ ପୁଣ ଜନ୍ମ ହୋଇ । ।୧୯୪
ଶିଶୁ ଉଦର ସୁଖାତୁରେ । ଉଦ୍ୟମ କରେ ନିରନ୍ତରେ । ।୧୯୫
ଏମନ୍ତ ଅସତ ଯେ ଜନ । ତାର ସଙ୍ଗତେ କରେ ମନ । ।୧୯୬
ତାଙ୍କ ସ୍ୱକର୍ମ ଆଚରଇ । ଯେ ମାର୍ଗେ ନରକେ ପଡ଼ଇ । ।୧୯୭
ଭୋମାତ ଶୁଣ ତଦନ୍ତରେ । ପୂର୍ବେ କହିଛୁ ଯେ ପ୍ରକାରେ । ।୧୯୮
ସେ ଭାବେ ପୁଣି ନର୍କେପାଇ । ଯାତନା ଅନେକ ଭୁଞ୍ଜଇ । ।୧୯୯
ଏଣୁ ଅସତ ସଙ୍ଗ କଲେ । ବିନାଶ ହୋଇ ଅବହେଳେ । ।୨୦୦
ଅସତ ସଙ୍ଗ ସତ୍ୟ ନାଶେ । ଶଉଚ ତପ ନ ପ୍ରକାଶେ । ।୨୦୧
ମଉନ ବ୍ରତାଦି ନ ରହେ । ବୁଦ୍ଧି-ବିବେକ ହୋନ୍ତି କ୍ଷୟେ । ।୨୦୨
ଲଜ୍ଜା ଛାଡ଼ଇ କାନ୍ତି ଯଶ । କ୍ଷମାଦି ଅଯଶେ ବିନାଶ । । ୨୦୩
ବିନାଶ ହୋନ୍ତି ସମ ଦମ । ଐଶ୍ୱର୍ଯ୍ୟ ହୋଏ ଉପଶମ । ।୨୦୪
ଅଶାନ୍ତ ଜନେ ସଙ୍ଗ ହୋଇ । ଯେ ମୂଢ଼ ଭାବେ ନିତ୍ୟେ ରହି । ।୨୦୫
ଜ୍ଞାନ ନ ବୁଝେ ଦମ୍ଭ ପଣେ । ମିଥ୍ୟା ଭାଷଇ ଅନୁକ୍ଷଣେ । ।୨୦୬
ଯେ ଦେହେ ଆତ୍ମବୁଦ୍ଧି କରେ । ସାଧୁଜନଙ୍କୁ ନ ଆଦରେ । ।୨୦୭
ବୋଲଇ ମୋ ତହୁଁ ଅପରେ । କେ ଭାଗ୍ୟବନ୍ତ ଏ ସଂସାରେ । ।୨୦୮
ମୁଁ ଧର୍ମ ଜାଣଇ ସକଳ । ଏଣୁ ପୂଜିତ ଏ ଶୟଳ । ।୨୦୯
ମୋ ତହୁଁ ଧନବନ୍ତ କେହି । ପ୍ରତୁଲ୍ୟ ନୋହିବ ଏ ମହୀ । ।୨୧୦
ମୋ ଧନ ଉପାୟେ ମିଳଇ । ଏଣୁ ମୋହର ଭୟ ନାହିଁ । ।୨୧୧
ଏମନ୍ତେ ଯେବା ଗର୍ବ କରେ । ଦେହାନ୍ତେ ନରକେ ସଞ୍ଚରେ । ।୨୧୨
ହୁଅନ୍ତି ନାରୀଙ୍କ ଅଧୀନ । ଖେଳିବା ହରିଣ ଯେସନ । ।୨୧୩
ଏମନ୍ତ ସଙ୍ଗ ନକରିବ । ଯେବେ ସୁଭାଗ୍ୟେ ଇଚ୍ଛା ଥିବ । ।୨୧୪
ଆବର ଶୁଣସି ଗୋ ମାଏ । ଯେମନ୍ତେ ପ୍ରାଣୀ ନାଶ ପାଏ । ।୨୧୫
ଯେଣୁ ଯୁବତୀ ସଙ୍ଗେ ମନ । ପ୍ରାଣୀର ହୋଏ ନିବନ୍ଧନ । ।୨୧୬
ଏମନ୍ତ ଅନ୍ୟ ସଙ୍ଗ ନାହିଁ । ଏଣୁ ଯୁବତୀ ସଙ୍ଗୀ ନୋହି । ।୨୧୭
ତାହାଙ୍କ ସଙ୍ଗୀ ଯେତେ ଜନ । ସେ ସଙ୍ଗ ନକରିବ ମନ । ।୨୧୮
ସେ ସର୍ବେ ମୋହିତ କରନ୍ତି । ସେ ସଙ୍ଗେ ପ୍ରାଣୀ ନାଶଯାନ୍ତି । ।୨୧୯
ପୂର୍ବେ ବିଧାତା କନ୍ୟା ଚାହିଁ । ତା ରୂପ ଦେଖି ବନ୍ଦୀ ହୋଇ । ।୨୨୦
ସେ କନ୍ୟା ପିତାର ଅଜ୍ଞାନେ । ପଳାଇ ଗଲା ଘୋରବନେ । ।୨୨୧
ହରିଣୀ ରୂପ ସେ ଧଇଲା । ଛଦ୍ରମେ ବନସ୍ତେ ପଶିଲା । ।୨୨୨
ବିଧାତା ତ ଗତି ବିଚାରି । ସେହି ହରିଣ ରୂପ ଧରି । ।୨୨୩
ଲଜ୍ଜା ଛାଡ଼ିଲେ ବେଦବ୍ରହ୍ମା । ନାରୀଙ୍କ ଏମନ୍ତ ମହିମା । ।୨୨୪
ଏଣୁ କେ ତା ମୁଖୁଁ ତରିବ । ଯହିଁ ମୋହିତ ବ୍ରହ୍ମାଶିବ । ।୨୨୫
ସେ ସଙ୍ଗ ଛାଡ଼ିବ ଯତନେ । ଶ୍ରେୟକୁ ବା‚ଞ୍ଛା ଥିଲେ ମନେ । ।୨୨୬
ସେ ବ୍ରହ୍ମା ଯାହାକୁ ସର୍ଜିଲା । ତା ହେତୁ ଆପେ ମୋହଗଲା । ।୨୨୭
ସେ ସଙ୍ଗ ଯେତେ ପ୍ରାଣୀ କଲେ । ଦେବ ମାୟାରେ ମୋହଗଲେ । ।୨୨୮
ଏମନ୍ତ କେହୁ ପ୍ରାଣୀ ଅଛି । ନାରୀମାୟାରେ ନ ପଡ଼ିଛି । ।୨୨୯
ବିନାଶେ ପ୍ରଭୁ ଭଗବାନ । ନାରୀଙ୍କି ନ ଜିଣିଲେ ଆନ । ।୨୩୦
ଦେଖ ମୋ ଯୋଗମାୟା ବଳ । ଯୁବତୀ ସ୍ୱରୂପେ ପ୍ରବଳ । ।୨୩୧
ସେ ଯାକୁ ଅପାଙ୍ଗେ ଇଚ୍ଛଇ । ସେ ପ୍ରାଣୀ ପଡ଼ି ମୋହଯାଇ । ।୨୩୨
ଦିଗ ବିଜୟୀ ଯେବେ ହୋନ୍ତି । ତଥାପି ନାରୀବଶେ ଥାନ୍ତି । ।୨୩୩
ସେବନ୍ତି ନାରୀଙ୍କ ପୟର । ଏମନ୍ତ ମାୟାବଳ ମୋର । ।୨୩୪
ଯେ ମୋକ୍ଷସାଧନ ଇଚ୍ଛିବ । ସେ ନାରୀସଙ୍ଗ ନକରିବ । ।୨୩୫
ସେବିଣ ସାଧୁ ସୁଜ୍ଞଜନ । ଲଭି ଯେ ଥାଇ ଆତ୍ମଜ୍ଞାନ । ।୨୩୬
ଏମନ୍ତ ଯୋଗୀ ସେବା ହୋନ୍ତି । ତାହାଙ୍କୁ ଯୁବତୀ ନାଶନ୍ତି । ।୨୩୭
ନାରୀ ଅଜ୍ଞାନ ତମଦ୍ୱାର । ଯୋଗୀ ଛାଡ଼ିବେ ସଙ୍ଗ ତାର । ।୨୩୮
କେବଳ ମାୟାରେ ଯୁବତୀ । ନିର୍ମାଣ କଲା ପ୍ରଜାପତି । ।୨୩୯
ସେ ସେବା କରିବାର ଛଳେ । ପାଶକୁ ଆସୁଥାଇ ବଳେ । ।୨୪୦
କପଟେ ବିନୟ ବଚନ । କହି ବୋଧଇ ପ୍ରାଣୀମନ । ।୨୪୧
ବ୍ୟାଧ ଯେସନେ ଛନ୍ଦ କରି । ଜୀବ ବିନାଶେ ପାଶେ ଭରି । ।୨୪୨
ତେସନ ନାରୀଙ୍କ ବଚନ । ବିଶ୍ୱାସୀ ହରେ ପ୍ରାଣୀ ମନ । ।୨୪୩
ତୃଣଆଚ୍ଛନ୍ନ କୂପେ ଥାଇ । ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ । ।୨୪୪
ନିଶି ଦିବସେ କୂପଦ୍ୱାରେ । ଜାଗ୍ରତେ ରହେ ନିରନ୍ତରେ । ।୨୪୫
ସେ ପଥେ ଯେ ପ୍ରାଣୀ ଗମନ୍ତି । ସେ କୂପେ ପଡ଼ି ନାଶଯାନ୍ତି । ।୨୪୬
ସେ କୂପ ଅତି ତମଘୋର । ଦେଖି ଭ୍ରମନ୍ତି ସୁରନର । ।୨୪୭
ତାହାର ଅନ୍ତଃ ପାର ନାହିଁ । ଗଭୀର କେ ପାରିବ କହି । ।୨୪୮
ଯହିଁ ଅଶେଷ ଉଦେ ଅସ୍ତ । ପ୍ରାଣୀ ନଜାଣେ ତାର ତ‌ତ୍ତ୍ବ । ।୨୪୯
ସେ କୂପେ ପ୍ରାଣୀ ସୁଖଭରେ । ପଡ଼ି ବୃକ୍ଷାଦି ଯେବେ ଧରେ । ।୨୫୦
ସେ ସର୍ବେ ଉପୁଡ଼ି ପଡ଼ନ୍ତି । ସେ କୂପେ ପଡ଼ି ନବର୍ତ୍ତନ୍ତି । ।୨୫୧
ବୃକ୍ଷାଦି ଉପଲକ୍ଷ୍ୟ ଯେତେ । ଧର୍ମାଦି ପୁଣ୍ୟ ଏ ସମସ୍ତେ । ।୨୫୨
ସେ କୂପ ପୁଣ୍ୟ-ବିନାଶିନୀ । ନିର୍ମିତ କଲେ ପଦ୍ମଯୋନି । ।୨୫୩
ସେ ଜ୍ଞାନମାର୍ଗ ଆଚ୍ଛାଦଇ । ଅଜ୍ଞାନୀଜନେ ସୁଖମୟୀ । ।୨୫୪
ସେ ସଙ୍ଗେ ପୁଣ୍ୟକର୍ମ କଲେ । ସକଳ ନାଶ ଯାଇ ଭଲେ । ।୨୫୫
ଏ ଘେନି କୂପ ମାର୍ଗ ଗତେ । ଜ୍ଞାନୀ ନ ଗମେ ଭୟ ଚିତ୍ତେ । ।୨୫୬
ଦୁର୍ଗମ-ଦ୍ୱାର କୂପ କହି । ତୃଣ ଆଚ୍ଛାଦି ରୂପ ଯହିଁ । ।୨୫୭
ଯେବେ ଅଗ୍ୟାନେ ଭ୍ରମେ ଜୀବ । ତା ମୃତ୍ୟୁ ପ୍ରାୟେକ ଭାବିବ । ।୨୫୮
ମୋ ମାୟା ନାରୀରୂପ ହୋଇ । ପୁରୁଷ ପ୍ରାଣ ବିନାଶଇ । ।୨୫୯
ତାହାକୁ ବୋଲେ ମୋ ଯୁବତୀ । ତା ଶିରେ ଗୃହଧର୍ମ ଦ୍ୟନ୍ତି । ।୨୬୦
ଧନ ଜୀବନ ଆଦି ଯେତେ । ସମର୍ପି ଥାଇ ସ୍ନେହ ଚିତ୍ତେ । ।୨୬୧
ଗୁରୁଜନଙ୍କୁ ମାୟା କରେ । ତାର ବିଶ୍ୱାସେ ଦିନ ହରେ । ।୨୬୨
ସେବକଜନ ପ୍ରାୟ ହୋଇ । ନିରତେ ସେବେ ସୁଖ ପାଇ । ।୨୬୩
ଏ ଜୀବ ପ୍ରାଣ ଅନ୍ତଃକାଳେ । ତା ରୂପ ଧ୍ୟାନେ ସୁନିଶ୍ଚଳେ । ।୨୬୪
ସେ ନାରୀ ସ୍ୱରୂପ ଧରଇ । ପୁରୁଷଅଙ୍ଗ ପ୍ରତେଜଇ । ।୨୬୫
ସେ ମାୟାରୂପ ହୋଏ ପତି । ଗୃହ ତନୟ ସୁତା ନାତି । ।୨୬୬
ତାହାଙ୍କ ସ୍ନେହେ ବଶ ହୋଇ । ସେ ମୃତ୍ୟୁ ବୋଲି ନ ଜାଣଇ । ।୨୬୭
ଯେସନେ ବ୍ୟାଧ ଗୀତ ଗାଇ । ମୃଗ ତା ଶୁଣି ତୋଷ ହୋଇ । ।୨୬୮
ଗୀତରେ ଦେଇଥାଇ ମନ । ନ ଜାଣେ ଆତ୍ମା ବିନାଶନ । ।୨୬୯
ଏ ଜୀବ ରୂପ କଳେବର । କର୍ମ କରଇ ନିରନ୍ତର । ।୨୭୦
ଲୋକରୁ ଅନ୍ୟ ଲୋକ ଯାଇ । ସଞ୍ଚିତ କର୍ମ ସେ ଭୁଞ୍ଜଇ । ।୨୭୧
ସେ କର୍ମବଶେ ଗତାଗତ । କର୍ମ କରଇ ଅବିରତ । ।୨୭୨
କର୍ମର ସମାପତ ନାହିଁ । ଯେଣୁ ସନ୍ତତ କରଇ । ।୨୭୩
ଯେ ସୂକ୍ଷ୍ମଲିଙ୍ଗ କଳେବର । ସେହିଟି ଉପାଧି ଜୀବର । ।୨୭୪
ସ୍ଥୂଳ ଶରୀର ଭୋଗସ୍ଥାନ । ସେ ପଞ୍ଚଭୂତେ ସୁଘଟନ । ।୨୭୫
ଏ ବେନି କଳେବର ଯେବେ । କାର୍ଯ୍ୟକୁ କ୍ଷମ ଏ ନୋହିବେ । ।୨୭୬
ଜୀବର ଏହିଟି ମରର । ଜନ୍ମଟି ଦେହ ଦରଶନ । ।୨୭୭
ଏହାକୁ ବୋଲି ମୃତ୍ୟୁ ଜନ୍ମ । ମାୟା କରିଛି ଏତେ ଭ୍ରମ । ।୨୭୮
ଏଥକୁ ଦୃଷ୍ଟାନ୍ତ କହିବା । ଜନ୍ମ ମରଣେ ବୁଝାଇବା । ।୨୭୯
ନେତ୍ର ଗୋଲକ ଯେତେବେଳେ । ବ୍ୟାଧିରେ ପୀଡ଼ିତ ଆକୁଳେ । ।୨୮୦
ଦେଖିତେ ସମର୍ଥ ନୁହଇ । ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ । ।୨୮୧
ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ । ଦେଖିତେ ସମର୍ଥ ନୁହଇ । ।୨୮୨
ଏଠାରେ ଦ୍ରଷ୍ଟାରୂପ ଜୀବ । କେମନ୍ତେ ରୂପ ସେ ଦେଖିବ । ।୨୮୩
ଏହି ପ୍ରକାରେ ସ୍ଥୂଳ ଦେହେ । କର୍ମଯୋଗ୍ୟତା ଯେବେ ନୋହେ । ।୨୮୪
ତେବେ ସେ ଲିଙ୍ଗ କଳେବର । କରି ନ ପାରଇ ବ୍ୟାପାର । ।୨୮୫
ଏହିଟି ଜୀବର ମରଣ । ଏ ଜୀବ ଜନ୍ମ ମୃତ୍ୟୁ ହୀନ । ।୨୮୬
ଯେବେ ତା ଜନ୍ମ ମୃତ୍ୟୁ ନାହିଁ । ଏବେନି ଭୟ ଆଉ କାହିଁ । ।୨୮୭
ମୃତ୍ୟୁକୁ ଭୟ ନକରିବ । ଜୀଇବା ବ୍ୟାପାର ଛାଡ଼ିବ । ।୨୮୮
ସାଧୁ ସଙ୍ଗତେ ଯାର ଚିତ୍ତ । କେବେ ହେଁ ନୋହେ ବିମୋହିତ । ।୨୮୯
ଏ କଥା ପୂର୍ବପୁଣ୍ୟ ଗାଢ଼େ । ଆନନ୍ଦେ ବଢ଼ଇ ନିବିଡ଼େ । ।୨୯୦
ଯାହାର ପୂର୍ବେ ତପ ନାହିଁ । ସୁସଙ୍ଗ ସେ ପାଇବ କାହିଁ । ।୨୯୧
ଅଚେତେ ଅସାଧୁ ସଙ୍ଗମ । ମିଳେ ଅନୀତି ଭାବପ୍ରେମ । ।୨୯୨
ଯେ ସଙ୍ଗେ ଭକ୍ତିଯୋଗ ମିଳେ । ଯତ୍ନ କରିବ ସଙ୍ଗ ମେଳେ । ।୨୯୩
ଭକ୍ତି ମିଳନ୍ତେ ମୁକ୍ତି ଭାବ । ଭବଜଳଧିତଟେ ନାବ । ।୨୯୪
ସେ ନାବେ ବସ ଦୃଢ଼ କରି । ମାୟା-ଜଳଧି ଯେଣେ ତରି । ।୨୯୫
ଏମନ୍ତ ଜୀବଗତି ଜାଣି । ଛାଡ଼ିବ ସବୁ ସଙ୍ଗ ପୁଣି । ।୨୯୬
ଗୋବିନ୍ଦପାଦେ ଦେଇ ଚିତ୍ତ । ଯେ ପ୍ରାଣୀ ଥିବ ଅବିରତ । ।୨୯୭
ମାୟାବନ୍ଧନେ ନପଡ଼ିବ । ତେବେ ସେ ମୁକତି ଲଭିବ । ।୨୯୮
ବୈରାଗ୍ୟ ଯୋଗାଭ୍ୟାସ କରି । ବୁଦ୍ଧି-ବିବେକ ସୁବିଚାରି । ।୨୯୯
ମାୟା ରଚିତ ଏ ସଂସାରେ । ସ୍ନେହ ଛାଡ଼ିବ କଳେବରେ । ।୩୦୦
କେବଳ ଶରୀର ରଖିବ । ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ । ।୩୦୧
ହରିଚରଣେ କରି ଧ୍ୟାନ । ଲଭିବ ଏହୁ ତତ୍ତ୍ବଜ୍ଞାନ । ।୩୦୨
ଏମନ୍ତ କହି ନାରାୟଣ । ବନ୍ଦିଲେ ଜନନୀ ଚରଣ । ।୩୦୩
ସେ ହରି ଚରଣ ପଙ୍କଜ । ସୁଜନ-ଜନ ନିତ୍ୟେ ଭଜ । ।୩୦୪
ତୃତୀୟ ସ୍କନ୍ଧେ ଭାଗବତ । କପିଳଯୋଗବିଧି ଖ୍ୟାତ । ।୩୦୫
ହରି କହିଲେ ଜୀବଗତି । ଶୁଣି ତରିବେ ମୂଢ଼ମତି । ।୩୦୬
ଭଣଇ ଜଗନ୍ନାଥ ଦାସ । ସାଧୁଙ୍କ ହିତେ ଏ ପ୍ରକାଶ । ।୩୦୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ଜୀବଗତି ର୍ନାମ
ଏକତ୍ରିଂଶୋଽଧ୍ୟାୟଃ ।

ଦ୍ୱାତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନ । କପିଳରୂପେ ଭଗବାନ । ।୧
କହନ୍ତି ମାତା ମୁଖ ଚାହିଁ । ଶୁଣ ଜନନୀ ମନ ଦେଇ । ।୨

କପିଳ ଉବାଚ

ଭୋ ମାତ ଶୁଣ ସାବଧାନେ । ସଂଶୟ ତେଜି ଶୁଦ୍ଧମନେ । ।୩
ପ୍ରାଣୀ ଯାତନା ଗତି ଯେତେ । କହିଲି ତୁମ୍ଭର ଅଗ୍ରତେ । ।୪
କାମୀର କର୍ମ ଗତି ଯେତେ । ବିଧି ନିଷେଧ ବେନି ମତେ । ।୫
ଯେ ପ୍ରାଣୀ ଗୃହଧର୍ମେ ଥାଇ । ସ୍ୱଧର୍ମ ନିତ୍ୟେ ଆଚରଇ । ।୬
ତହିଁ ସୁସିଦ୍ଧ କାମ ଅର୍ଥ । ଏ ଆଶେ ଭ୍ରମୁଥାଇ ବ୍ୟର୍ଥ । ।୭
ପୁଣି ସେ ଧର୍ମ ଆଚରଇ । ସେ ଧର୍ମେ କାମ ଅର୍ଥ ପାଇ । ।୮
କାମର ମୂଢ଼ମତି ନର । କୃଷ୍ଣଭକତି କରେ ଦୂର । ।୯
ଅର୍ଥ ସଞ୍ଚଇ ଅବିରତ । ଯଜ୍ଞରେ ଦେଇଥାଇ ଚିତ୍ତ । ।୧୦
କରଇ ଯଜ୍ଞ-ଅନୁଷ୍ଠାନ । ତହିଁ ପୂଜଇ ଦେବମାନ । ।୧୧
ତଦନ୍ତେ ପିତୃ ତୋଷ ଅର୍ଥେ । ପୂଜଇ ଶ୍ରାଦ୍ଧେ ଶୁଦ୍ଧଚିତ୍ତେ । ।୧୨
ଶ୍ରଦ୍ଧାରେ ସେ ଧର୍ମ ଆଚରେ । ପିତୃ-ଦେବତା ପୂଜା କରେ । ।୧୩
ସେ ପ୍ରାଣୀ ଗମେ ଚନ୍ଦ୍ରସ୍ଥାନ । ସେଠାରେ କରେ ସୋମପାନ । ।୧୪
ଭୋଗର ଅନ୍ତ ଯେବେ ହୋଇ । ଲେଉଟି ସେ ସ୍ଥାନୁ ଆସଇ । ।୧୫
ଯେ କାଳେ ଅନନ୍ତ ଶଯ୍ୟାରେ । ବିଜୟେ ହରି ସମୁଦ୍ରରେ । ।୧୬
ସେ ଯୋଗନିଦ୍ରାରେ ଶୟନ । ସକଳ ଚେଷ୍ଟା କରି ଲୀନ । ।୧୭
ଲୟ ହୁଅନ୍ତି ଲୋକ ତିନି । ଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ । ।୧୮
ସେ ସର୍ବେ ତାଙ୍କ ଦେହେ ଥାନ୍ତି । ସେହରି ଉଠିଲେ ଆସନ୍ତି । ।୧୯
କାମ୍ୟ-କର୍ମରୁ ଏହି ଗତି । କେବେ ନଯାଇ ଗତାଗତି । ।୨୦
ଯେ ପ୍ରାଣୀ ପଣ୍ତିତ ହୁଅନ୍ତି । ସେ କେବେ ଧର୍ମ ନ ଛାଡ଼ନ୍ତି । ।୨୧
କରନ୍ତି ସ୍ୱଧର୍ମ ଆଚର । ସଂସର୍ଗ ତେଜି ସର୍ବଠାର । ।୨୨
ସାଧନ୍ତି ନାହିଁ ଅର୍ଥ କାମ । ଦେଖନ୍ତି ସର୍ବ ମାୟାଭ୍ରମ । ।୨୩
କର୍ମାଦି କୃଷ୍ଣେ ସମର୍ପନ୍ତି । ସେ ବେଦ-ବିଧି ନଛାଡ଼ନ୍ତି । ।୨୪
ହୁଅନ୍ତି ଶାନ୍ତଧର୍ମେ ରତ । ନିଜ ଧର୍ମରେ ଶ୍ରଦ୍ଧାଚିତ୍ତ । ।୨୫
ନିବୃତ୍ତି ଧର୍ମପରାୟଣ । ହୁଅନ୍ତି ଅହଙ୍କାରହୀନ । ।୨୬
ମାୟାରୁ ସ୍ନେହ ଦୂର କରି । କୃଷ୍ଣ-ଭଜନେ ପ୍ରି‌ୟଭରି । ।୨୭
ଏ ଧର୍ମ ସ‌ତ୍ତ୍ବ-ଗୁଣମୟେ । ବିଶୁଦ୍ଧଚିତ୍ତ ତହୁଁ ହୋଏ । ।୨୮
ଏମନ୍ତ ଯେବା ପ୍ରାଣୀ ମନ । ତାଙ୍କ ପ୍ରୟାଣ ମାତ ଶୁଣ । ।୨୯
ସେ ସୂର୍ଯ୍ୟରଶ୍ମି ଦ୍ୱାରେ ଯାନ୍ତି । ପରମ-ପୁରୁଷ ଲଭନ୍ତି । ।୩୦
ପର ଅପର ଈଶ ଯେହି । ଏ ବିଶ୍ୱ ପ୍ରକୃତିଟି ସେହି । ।୩୧
ସେ ବିଶ୍ୱମୁଖ ନାରାୟଣ । ଯେ କରେ ସର୍ଜନ ପାଳନ । ।୩୨
ଏମନ୍ତ ଯେହୁ ଭଗବାନ । ତାଙ୍କୁ ଲଭନ୍ତି ଭକ୍ତଜନ । ।୩୩
ସେ ଇଚ୍ଛେ ମୁକ୍ତି ଲଭିବାକୁ । ଭଜଇ ହିରଣ୍ୟଗର୍ଭକୁ । ।୩୪
ସେ ମୋକ୍ଷ ଗୁଣ ଶୁଣ ମାୟେ । କହିବା ତୁମ୍ଭଙ୍କୁ ଥୋକାୟେ । ।୩୫
ବେନିପରାର୍ଦ୍ଧ କାଳ ଅନ୍ତେ । ବ୍ରହ୍ମପ୍ରଳୟ ଏ ଜଗତେ । ।୩୬
ତାବତ କାଳ ବ୍ରହ୍ମଲୋକେ । ହିରଣ୍ୟଗର୍ଭର ସାଧକେ । ।୩୭
ସୁଖେଣ ବିହାର କରନ୍ତି । ବ୍ରହ୍ମାର ସଙ୍ଗେ ଲୟ ଯାନ୍ତି । ।୩୮
ଭୂଆଦି ପଞ୍ଚ ମହାଭୂତ । ଏ ଦଶ ଇନ୍ଦ୍ରିୟ ସହିତ । ।୩୯
ପଞ୍ଚ ବିଷୟ ଅହଙ୍କାରେ । ଏ ସର୍ବ ବ୍ରହ୍ମାଣ୍ତ ଆକାରେ । ।୪୦
ଏମାନ୍ତେ ରହନ୍ତି ପ୍ରଧାନେ । ପରାର୍ଦ୍ଧକାଳ ଅବସାନେ । ।୪୧
ସେସ୍ଥାନେ ଯେତେ ଯୋଗୀଥାନ୍ତି । ବ୍ରହ୍ମାଙ୍କ ଶରୀରେ ପଶନ୍ତି । ।୪୨
ଆୟୁଷଶେଷେ ପ୍ରଜାପତି । ପରମଆତ୍ମାରେ ମିଳନ୍ତି । ।୪୩
ଯେଣୁ ତାହାଙ୍କ ଅଭିମାନ । ଦେହରେ ନୋହେ ଅବସାନ । ।୪୪
ଏଣୁ ସାକ୍ଷାତେ ମୁକ୍ତି ନୋହେ । ବ୍ରହ୍ମାସଙ୍ଗତେ ହୋନ୍ତି ଲୟେ । ।୪୫
ଯେମାନେ ହରିର ଭକତ । ହରି ଭଜନ୍ତି ଅବିରତ । ।୪୬
ସେ ସର୍ବ ହରିଙ୍କୁ ଲଭନ୍ତି । ଦେହାଦିଭାବ ନ ଜାଣନ୍ତି । ।୪୭
ସମ ଦେଖନ୍ତି ସର୍ବଜୀବ । ମିତ୍ର ଅମିତ୍ର ଏକ ଭାବ । ।୪୮
ଏଣୁ ଭୋ ମାତ ହରି ଭଜ । ଭୋଗ-ବାସନା ସର୍ବ ତେଜ । ।୪୯
ଏ ସର୍ବଭୂତଙ୍କ ହୃଦରେ । ହରି ଅଛନ୍ତି ସର୍ବଠାରେ । ।୫୦
ତାହାଙ୍କ ମହିମା ସୁମରି । ମନକୁ ଯୋଗେ ଦୃଢ଼ କରି । ।୫୧
ତାହାଙ୍କୁ ଭଜିଲେ ତରିବ । ଏ ଦେହ ପୁଣି ନହୋଇବ । ।୫୨
ଯେ ଆଦ୍ୟ ଚରାଚରଙ୍କର । ଯାହାଙ୍କୁ ବୋଲି ସୁରେଶ୍ୱର । ।୫୩
କୁମାରଆଦି ସିଦ୍ଧ ଯେତେ । ଯୋଗ କରନ୍ତି ଅବିରତେ । ।୫୪
ନିଃସଙ୍ଗ କର୍ମ ହିଁ କରନ୍ତି । ତଥାପି ଭେଦ ନଛାଡ଼ନ୍ତି । ।୫୫
ଯେଣୁ କରନ୍ତି ଅଭିମାନ । ଏଣୁ ନ ପାନ୍ତି ଶୁଦ୍ଧଜ୍ଞାନ । ।୫୬
ସେମାନେ ପ୍ରଳୟ କାଳରେ । ପଶନ୍ତି ଈଶ୍ୱର ଦେହରେ । ।୫୭
ହୋଇଲେ ସୃଷ୍ଟିର ଜାଗର । ପୁଣି ଘେନନ୍ତି ଅବତାର । ।୫୮
ଲଭନ୍ତି ନିଜ ନିଜ ସ୍ଥାନ । ଭୋଗ କରନ୍ତି କର୍ମମାନ । ।୫୯
ଯେମାନେ କାମ୍ୟକର୍ମେ ରତ । କର୍ମ କରନ୍ତି ଅବିରତ । ।୬୦
ନିନ୍ଦିତ କର୍ମ ନ କରନ୍ତି । ବେଦବିଧିରେ ଆଚରନ୍ତି । ।୬୧
ଇନ୍ଦ୍ରିୟ ନ ଜିଣିଲେ ଯେଣୁ । ସକାମ କର୍ମ କଲେ ତେଣୁ । ।୬୨
ରଜଗୁଣରେ ତାଙ୍କ ମନ । ଆସକ୍ତ ଥାଇ ଅନୁକ୍ଷଣ । ।୬୩
ଗୃହକର୍ମରେ ହୋଇ ରତ । ପିତୃଙ୍କୁ ପୂଜେ ଅବିରତ । ।୬୪
ବିମୁଖ ଶ୍ରୀକୃଷ୍ଣ କଥାରେ । ରହନ୍ତି ଗୃହାଦି ବ୍ୟାପାରେ । ।୬୫
ଛାଡ଼ି ଅମୃତ କୃଷ୍ଣ କଥା । ନିତ୍ୟେ ଗୁଣନ୍ତି ଗ୍ରାମ୍ୟଗାଥା । ।୬୬
ତାଙ୍କୁ ବିଧାତା ବାମ ହେଲା । ବିଅର୍ଥେ ତାଙ୍କ ଜନ୍ମଗଲା । ।୬୭
ସକଳ ଅନର୍ଥ ଯେତେକ । ଏକତ୍ୱେ କଲା ଅବିବେକ । ।୬୮
ଯେସନେ ବିଷ୍ଠା ଭୋଜୀମାନେ । ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ । ।୬୯
ଏ ମୂଢ଼ଲୋକେ ସେହି ରୂପେ । ପଡ଼ି ଯନ୍ତ୍ରିତ ଭବକୂପେ । ।୭୦
ସେ ପୁଣ କର୍ମଭୋଗ ଅନ୍ତେ । ଚଳନ୍ତି ଶୁଣ ଯେଉଁ ପଥେ । ।୭୧
ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ । ବସନ୍ତି ସେ ପିତୃଲୋକରେ । ।୭୨
ସେ ଭୋଗଅନ୍ତେ ଗୋ ଜନନୀ । ସଂସାରେ ପଡ଼େ ଦେହ ଘେନି । ।୭୩
ପୁତ୍ରାଦି ଗୃହେ ଜାତ ହୋଇ । ପୂର୍ବବାସନା ନଛାଡ଼ଇ । ।୭୪
ଗର୍ଭ-ଆଧାନ ଆଦି କର୍ମ । ଦେହାନ୍ତେ ଶମଶାନଧର୍ମ । ।୭୫
ଏ କର୍ମମାନ କରୁଥାନ୍ତି । ସଂସାର ଛାଡ଼ି ନପାରନ୍ତି । ।୭୬
ଗମନ୍ତି ଦେବ-ପିତୃସ୍ଥାନ । ତହିଁ କରନ୍ତି ଭୋଗମାନ । ।୭୭
ପୁଣି ଲଭନ୍ତି ନରଦେହ । ଏମନ୍ତେ କାମ୍ୟକର୍ମସ୍ନେହ । ।୭୮
ଏଣୁ ସୁସ୍ଥିରେ ତୁମ୍ଭେ ମାଏ । ମନ ନିବେଶ କୃଷ୍ଣପାୟେ । ।୭୯
ଶ୍ରବଣେ ଶୁଣ ତାଙ୍କ ଗୁଣ । କୀର୍ତ୍ତନ କର ଅନୁକ୍ଷଣ । ।୮୦
ସ୍ମରଣ ଅର୍ଚ୍ଚନ ବନ୍ଦନ । ଯେ ନବଭକ୍ତିର ବିଧାନ । ।୮୧
ପାଦ ସେବନ ଦାସ୍ୟଭାବ । ସଖ୍ୟାଦି ଆତ୍ମା ନିବେଦିବ । ।୮୨
ଏତେ ପ୍ରକାରେ କୃଷ୍ଣପାଦେ । ଭକତି କର ଅପ୍ରମାଦେ । ।୮୩
କୃଷ୍ଣରେ କଲେ ଭକ୍ତିଯୋଗ । ତହୁଁ ଲଭଇ ବଇରାଗ୍ୟ । ।୮୪
ତେବେ ଲଭିବ ଦିବ୍ୟଜ୍ଞାନ । ପାଇବ ପରଂବ୍ରହ୍ମସ୍ଥାନ । ।୮୫
ଭକ୍ତିରେ ଚିତ୍ତ ଯେତେବେଳେ । ରହଇ କୃଷ୍ଣ ସୁନିଶ୍ଚଳେ । ।୮୬
ତେବେ ସେ ବିଷୟ ଛାଡ଼ଇ । ପ୍ରିୟ ଅପ୍ରିୟ ନ ଜାଣଇ । ।୮୭
ଇନ୍ଦ୍ରିୟ ବୃତ୍ତିଭେଦ ନାହିଁ । ସମ ବିଷମ ଆର କାହିଁ । ।୮୮
ଏମନ୍ତ ଭାବ ଜନ୍ମେ ଯେବେ । ଦେହେ ଆତ୍ମାକୁ ଦେଖେ ତେବେ । ।୮୯
ପରମାନନ୍ଦ ସୁଖ ପାଇ । ଆନନ୍ଦେ ସଂସାର ଭ୍ରମଇ । ।୯୦
ଛାଡ଼ଇ ସର୍ବ ସଙ୍ଗମାନ । ପରମାନନ୍ଦେ ରହେ ମନ । ।୯୧
ସେ ବ୍ରହ୍ମ ପରମପୁମାନ । ରୂପ ବିହୀନ ଦିବ୍ୟଜ୍ଞାନ । ।୯୨
ସେ ପରମାତ୍ମା ପରମେଶ । ତା ନାମ ପରମ-ପୁରୁଷ । ।୯୩
ସେ ଏକ ନାନା ରୂପ ଧରେ । ଭ୍ରମ ଜନ୍ମାଇଛି ସଂସାରେ । ।୯୪
ଯୋଗୀଙ୍କ ଯୋଗସାଧ୍ୟ ଏହି । ଏକାନ୍ତେ ସଙ୍ଗ ଯେ ଛାଡ଼ଇ । ।୯୫
ପରମପଦ ଲଭେ ତେବେ । ତାବିନୁ ଭ୍ରମୁଥାଇ ଭବେ । ।୯୬
ବ୍ରହ୍ମ ନିର୍ଗୁଣ ନିରାକାର । କେବଳ ଜ୍ଞାନରୂପ ତାର । ।୯୭
ଶବ୍ଦାଦି ଧର୍ମ ଯାର ମାଏ । ସେ ଧର୍ମେ ପ୍ରକାଶ ସେ ହୋଏ । ।୯୮
ଆଭାସ ଦିଶଇ ଭ୍ରାନ୍ତିରେ । ଏ ବାହ୍ୟ ଇନ୍ଦ୍ରି‌ୟଙ୍କ ଦ୍ୱାରେ । ।୯୯
ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି । ଏକା ସେ ସବୁ ହୋଇଅଛି । ।୧୦୦
କହିବା ସେ ହେତୁ ପ୍ରକାର । ଯେ ରୂପେ ବ୍ରହ୍ମାଣ୍ତ ସଞ୍ଚାର । ।୧୦୧
ପ୍ରଥମେ ମହତ ହୋଇଲା । ତହୁଁ ସେ ଅହଙ୍କାର ହେଲା । ।୧୦୨
ତ୍ରିବିଧ ହୋଏ ଅହଙ୍କାର । ଏ ପଞ୍ଚଭୂତ ରୂପ ତାର । ।୧୦୩
ମନ ଇନ୍ଦ୍ରିୟ ଏକାଦଶ । ଏଥୁଁ ବ୍ରହ୍ମାଣ୍ତ ପରକାଶ । ।୧୦୪
ଜୀବରୂପରେ ସେହି ତହିଁ । ସ୍ୱରୂପ ତାହାରଟି ଏହି । ।୧୦୫
ଯେବେ କରଇ ଯୋଗାଭ୍ୟାସ । ଶ୍ରଦ୍ଧାରେ ଭଜଇ ବିଶେଷ । ।୧୦୬
ବୈରାଗ୍ୟେ ସଙ୍ଗ ତ୍ୟାଗ କରେ । ମନ ନିବେଶି କୃଷ୍ଣଠାରେ । ।୧୦୭
ତେବେ ସେ ପ୍ରପଞ୍ଚ ଲେଛଇ । ପରମଆତ୍ମାଙ୍କୁ ଚିହ୍ନଇ । ।୧୦୮
ଭୋ ମାତ ସାବଧାନେ ଘେନ । ତୁମ୍ଭଙ୍କୁ କହିଦେଲୁ ଜ୍ଞାନ । ।୧୦୯
ଏ ଜ୍ଞାନେ ବ୍ରହ୍ମ ଦରଶନ । ଏହା ବୁଝଇ ଯେଉଁଜନ । ।୧୧୦
ପ୍ରକୃତି ପୁରୁଷଙ୍କ ତତ୍ତ୍ବ । ସେ ପ୍ରାଣୀ ଦେଖଇ ବ୍ୟଜତ । ।୧୧୧
ଜ୍ଞାନଯୋଗରେ ତାଙ୍କୁ ପାଇ । ଭକ୍ତିଯୋଗରେ ଲଭ୍ୟ ସେହି । ।୧୧୨
କେବଳ ମାର୍ଗ ମାତ୍ର ଭେଦ । ନବୁଝି ପାଏ ବହୁ ଖେଦ । ।୧୧୩
ଜ୍ଞାନରେ ନିର୍ଗୁଣ ଭଜଇ । ଭକ୍ତିରେ ସଗୁଣ ଲଭଇ । ।୧୧୪
ସେ ଆତ୍ମା ଏକ ନାନା ହୋଏ । ଦୃଷ୍ଟାନ୍ତ କହେ ଶୁଣ ମାଏ । ।୧୧୫
ଦେଖ ଶାକର କ୍ଷୀର ଆଦି । ଧରନ୍ତି ନାନା ଗୁଣ ବିଧି । ।୧୧୬
କିନ୍ତୁ ପଦାର୍ଥ ଏକ ମାଏ । ଇନ୍ଦ୍ରି‌ୟଭେଦେ ଭିନ୍ନ ହୋଏ । ।୧୧୭
ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେ । ରସନେ ମଧୁର ବିଶେଷେ । ।୧୧୮
ତ୍ୱଚରେ ଶୀତ ଉଷ୍ଣ ଭେଦ । ନାସାରେ ସୁବାସ ଆମୋଦ । ।୧୧୯
ଭୋ ମାତ ଆତ୍ମା ବ୍ରହ୍ମ ଏକ । ଗୁଣରେ ଦିଶଇ ଅନେକ । ।୧୨୦
ଯେ ତାକୁ ଯେ ରୂପେ ଭଜଇ । ସେ ତାକୁ ସେ ରୂପେ ଦିଶଇ । ।୧୨୧
ତାକୁ ଜାଣିବ ଏକ ବୋଲି । ନବୁଝି କରୁଥାନ୍ତି କଳି । ।୧୨୨
ଶାସ୍ତ୍ରମାର୍ଗରେ ନାନା କହେ । ସେ ପୁଣି ଏକ ନାନା ନୋହେ । ।୧୨୩
ଶୁଣ ଜନନୀ ଶାସ୍ତ୍ରଭେଦ । ଯେଣେ ଛାଡ଼ିବ ସର୍ବଖେଦ । ।୧୨୪
ଯେ କ୍ରିୟାପୂର୍ତ୍ତି ଆଦି କରି । ଯେ ଯାହା କରନ୍ତି ଆଦରି । ।୧୨୫
ତହୁଁ ଯେ ହୋଏ ଭୋଗମାନ । ସେ ସବୁ ରୂପ ଭଗବାନ । ।୧୨୬
ଯାଗକର୍ମରେ ପ୍ରାପ୍ୟ ସେହି । ଦାନରେ ଅନ୍ୟ ନାହିଁ କେହି । ।୧୨୭
କେହୁ କରନ୍ତି ତପମାନ । ସେ ସବୁ ତହୁଁ ନୋହେ ଆନ । ।୧୨୮
ସେହିଟି ବେଦ-ଅଧ୍ୟୟନେ । ମୀମାଂସାଶାସ୍ତ୍ର ତାହା ଭଣେ । ।୧୨୯
ନିଷିଦ୍ଧ କର୍ମ ତ୍ୟାଗ ଯେହି । ସେ ଧର୍ମ ଜାଣିଥିବ ସେହି । ।୧୩୦
ସନ୍ନ୍ୟାସ କାହାର ବା ଧର୍ମ । ଯହିଁ ଛାଡ଼ନ୍ତି କାମ୍ୟକର୍ମ । ।୧୩୧
ବିବିଧ ଅଙ୍ଗ ଯୋଗ ସେହି । ଭକ୍ତିଯୋଗରେ ପ୍ରାପ୍ୟ ଏହି । ।୧୩୨
ଜ୍ଞାନଯୋଗ ହିଁ ତାକୁ କହି । ସେ ଏକବସ୍ତୁ ସର୍ବମୟୀ । ।୧୩୩
ସକାମ ନିଷ୍କାମ ଯେ ଧର୍ମ । ସଗୁଣରୂପ ସବୁ ବ୍ରହ୍ମ । ।୧୩୪
ଆତ୍ମତ‌ତ୍ତ୍ବ‌ରେ ଗମ୍ୟ ଏହି । ବୈରାଗ୍ୟ ଧର୍ମେ ତାକୁ ପାଇ । ।୧୩୫
ଏମନ୍ତେ ନାନା ଶାସ୍ତ୍ରମତେ । ଯେ ପ୍ରାଣୀ ଭଜଇ ଯେମନ୍ତେ । ।୧୩୬
ସଗୁଣ ନିର୍ଗୁଣଟି ସେହି । ତା ବିନୁ ଅନ୍ୟ ନାହିଁ କେହି । ।୧୩୭
ଏ ଭକ୍ତିଯୋଗ ଚାରିମତ । ସ୍ୱରୂପ କରିଲୁଁ ବ୍ୟକତ । ।୧୩୮
ଯେ କାଳ ଅନ୍ତରେ ଧାବଇ । ସୃଜନ ଆଦି ଯେ କରଇ । ।୧୩୯
କହିଲୁଁ ସ୍ୱରୂପ ତାହାର । ଭୋ ମାତ କରତୁ ବିଚାର । ।୧୪୦
ଗତି ଏ ଜୀବମାନଙ୍କର । ଅବିଦ୍ୟାକର୍ମରେ ପ୍ରଚୁର । ।୧୪୧
ଏ ଆତ୍ମା ତହିଁ ପଶିଥାଇ । ଆପଣା ଗତି ନ ବୁଝଇ । ।୧୪୨
ଏମନ୍ତେ ଜୀବ ଗତାଗତି । କହିଲୁ ଛାଡ଼ ମନୁ ଭ୍ରାନ୍ତି । ।୧୪୩
ଏ ଯୋଗ ନ କରି ପ୍ରକାଶ । କହିଲେ ଧର୍ମ ହୋଏ ନାଶ । ।୧୪୪
କେବେହେଁ ଖଳେ ନ କହିବ । ବିନୟ ଯେ ପ୍ରାଣୀ ନୋହିବ । ।୧୪୫
ନ କହି ଦୁର୍ଜନ ଅଗ୍ରତେ । ଅପରେ ଧର୍ମଧ୍ୱଜୀ ଯେତେ । ।୧୪୬
ଦାମ୍ଭିକ ଅଗ୍ରତେ ନ କହି । ପ୍ରଲୋଭୀ ପ୍ରାଣୀ ଅଟେ ଯେହି । ।୧୪୭
ଯେ ଗୃହଧର୍ମେ ହୋଇ ରତ । ତାରେ ନ କହି କଦାଚିତ । ।୧୪୮
ନ ସହେ ଯେ ଭକତଜନେ । ନ କହ ଭକ୍ତିହୀନ ଜନେ । ।୧୪୯
ଏମନ୍ତ ଲୋକେ ନ କହିବ । ଗର୍ବିତ ଭାବ ଯାର ଥିବ । ।୧୫୦
ମୋ ଭକ୍ତିହୀନେ ନ କହିବ । ମୋ ଭକ୍ତେ ଦ୍ୱେଷ ଯାର ଥିବ । ।୧୫୧
ଯାହାର ଶ୍ରଦ୍ଧା ଏଥି ଥିବ । ତାହାକୁ ଏ ମାର୍ଗ କହିବ । ।୧୫୨
ଭକତଜନେ ଏହା କହି । ଯେ ଭକ୍ତଜନରେ ସେବଇ । ।୧୫୩
ଯେ ପ୍ରାଣୀ ଏଥେ ସ୍ପୃହା କରେ । ଏ ଧର୍ମ କହିବ ତାହାରେ । ।୧୫୪
ଯେ ପ୍ରାଣୀ ସର୍ବଭୂତେ ମିତ୍ର । ତାହାକୁ କହି ଏ ଚରିତ । ।୧୫୫
ଯେ ପ୍ରାଣୀ ଗୁରୁଙ୍କୁ ସେବଇ । ଏ ଦୀକ୍ଷା ତାରେ ଶିକ୍ଷା ଦେଇ । ।୧୫୬
ବିଷୟେ ବୈରାଗ୍ୟ ଯାହାର । ଯେ ପ୍ରାଣୀ ଶାନ୍ତଚିତ୍ତ ଧୀର । ।୧୫୭
ଯେ ପ୍ରାଣୀ ହୋଏ ନିର୍ମ›ତ୍ସର । ବିନୀତ ଶୁଚି ନିରନ୍ତର । ।୧୫୮
ପ୍ରି‌ୟମାନଙ୍କ ଅତିପ୍ରି‌ୟ । କରଇ ମୋରଠାରେ ସ୍ନେହ । ।୧୫୯
ଏମନ୍ତ ପ୍ରାଣୀଙ୍କି କହିବ । ଅଧର୍ମଠାରେ ଲୁଚାଇବ । ।୧୬୦
ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି । ଅଥବା ଆଦରେ ଭଣନ୍ତି । ।୧୬୧
ମୋହର ପଦବୀ ସେ ପାଏ । ସତ୍ୟ କହିଲୁ ଏହା ମାଏ । ।୧୬୨
ତୃତୀୟସ୍କନ୍ଧେ ଭାଗବତ । କପିଳମୁନି ଯୋଗ ଖ୍ୟାତ । ।୧୬୩
ମାତାଙ୍କୁ ଦେଲେ ଜ୍ଞାନବାଣୀ । ସୁଜନେ ତର ଏହା ଶୁଣି । ।୧୬୪
କର୍ମବିପାକ ପ୍ରାଣୀଙ୍କର । ଦ୍ୱାତ୍ରିଂ‌ଶ ଅଧ୍ୟାୟ ସଞ୍ଚାର । ।୧୬୫
ଶ୍ରବଣ କର ସାଧୁଜନେ । ବ୍ରାହ୍ମଣ ଜଗନ୍ନାଥ ଭଣେ । ।୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ଦ୍ୱାତ୍ରିଂ‌ଶୋଽଧ୍ୟାୟଃ ।

ତ୍ରୟତ୍ରିଂ‌ଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ବୋଲନ୍ତି ମୈତ୍ରେୟ ବ୍ରାହ୍ମଣ । ବିଦୁର ସାବଧାନେ ଶୁଣ । ।୧
କŸର୍ଦ୍ଦମ-ପତ୍ନୀ ଦେବହୂତି । ସ୍ୱଭାବେ ମନୁର ଦୁହିତୀ । ।୨
କପିଳ ବଚନ ଶୁଣିଲେ । ମୋହପଟଳ ପ୍ରତେଜିଲେ । ।୩
ତ‌ତ୍ତ୍ବବିଷୟ ସଂଖ୍ୟଜ୍ଞାନ । କହିଲେ ଯେଣୁ ଭଗବାନ । ।୪
ତାହାଙ୍କୁ କଲେ ପ୍ରଣିପାତ । ବିନୟ ଯୋଡ଼ି ବେନିହସ୍ତ । ।୫
ଚାହିଁଣ କପିଳ-ବଦନ । ଆନନ୍ଦେ କରନ୍ତି ସ୍ତବନ । ।୬

ଦେବହୂତି ଉବାଚ

ତୁ ନାଥ ଲୀଳା-ଅବସାନେ । କାଳକୁ ନିବେଶି ନୟନେ । ।୭
ଶୟନ ସଲିଳ ଭିତରେ । ସର୍ପଙ୍କ ବିରାଟ-ଶରୀରେ । ।୮
ଭୂତ ଇନ୍ଦ୍ରିୟ ମନୋମୟ । ଯହିଁରେ ଗୁଣଙ୍କ ପ୍ରବାହ । ।୯
ଅଶେଷ କାରଣ-କରଣ । ତୋ କଳେବର ନାରାୟଣ । ।୧୦
ଜଠର-ପଦ୍ମରୁ ଯାହାର । ଜାତ ହୋଇଲା ବେଦବର । ।୧୧
ତୋ ରୂପ ଦେଖିବା ନିମନ୍ତେ । ସେ ଅଜ ବିଚାରିଲା ଚିତ୍ତେ । ।୧୨
ଅନେକ ବ୍ୟାପାର ସେ କଲା । କେବେହେଁ ଦେଖି ନପାରିଲା । ।୧୩
କେବଳ ଧ୍ୟାନେ ସେ ଦେଖିଲା । ଏ ବିଶ୍ୱସୃଷ୍ଟି ତହୁଁ କଲା । ।୧୪
ତୁ ପ୍ରଭୁ ବହୁରୂପ ଧରି । ନିଜ ଶକ୍ତିରେ ମାୟା କରି । ।୧୫
କଲୁ ଏ ବିଶ୍ୱ ସରଜନ । ସ୍ୱଭାବେ ତୁ ଯେ କର୍ମ ଭିନ୍ନ । ।୧୬
ସତ୍ୟ-ସଂକଳ୍ପ ତୁମ୍ଭେ ହରି । ଜୀବଙ୍କ ଭୋଗ ଅନୁସରି । ।୧୭
ସୃଷ୍ଟ୍ୟାଦି କରିଛ ବିଧାନ । ଏ ତୁମ୍ଭ ମାୟାର ଭିଆଣ । ।୧୮
ଅନନ୍ତଶକ୍ତି ଏ ତୁମ୍ଭର । ତୋ ମାୟା କେ କରୁ ଗୋଚର । ।୧୯
ପ୍ରଳୟକାଳେ ତୁମ୍ଭେ ହରି । ଏ ବିଶ୍ୱ ଉଦରେ ସଂହରି । ।୨୦
ଶୟନ ବଟପତ୍ରେ ତୋର । ବାଳମୁକୁନ୍ଦ ରୂପଧର । ।୨୧
ଚରଣ ଅଙ୍ଗୁଳି ବଦନେ । ଭରି ଶୟନ ଶିଶୁ ଯେହ୍ନେ । ।୨୨
ଏ ବିଶ୍ୱ ଯାହାର ଉଦରେ । ମୁଁ ତାକୁ କେମନ୍ତେ ଜଠରେ । ।୨୩
ଧଇଲି ବୁଝି ନପାରଇ । କେବଳ ତୋ ମାୟା ଗୋସାଇଁ । ।୨୪
ତୁ ଦୁଷ୍ଟ ନିବାରିବା ପାଇଁ । ସାଧୁ ରକ୍ଷଣେ ତୋର ଦେହୀ । ।୨୫
ଏଣୁ ତୁମ୍ଭର କଳେବର । ଅନ୍ୟଥା କିକାର୍ଯ୍ୟ ତୋହର । ।୨୬
ତୁମ୍ଭେ କୋଳାଦି ରୂପଧରି । ଧର୍ମ ସ୍ଥାପିଲ ଦୁଷ୍ଟ ମାରି । ।୨୭
ଏ ତ‌ତ୍ତ୍ବଜ୍ଞାନ ଦେବା ପାଇଁ । ଏ ରୂପ ଧଇଲ ଗୋସାଇଁ । ।୨୮
ଏଣୁ କୃତାର୍ଥ ମୋତେ କଲ । ପୁତ୍ର ସ୍ୱରୂପେ ପ୍ରକାଶିଲ । ।୨୯
ଯା ନାମ କରିଣ ଶ୍ରବଣ । ଅଥବା କରି ସଂକୀର୍ତ୍ତନ । ।୩୦
ଯା ପାଦେ କରି ନମସ୍କାର । ସ୍ମରଣ କରି ନାମ ଯାର । ।୩୧
ଚଣ୍ତାଳ ସୋମଯୋଗ୍ୟ ହୋଏ । ଜାତି ବିଚାର ଭ୍ରାନ୍ତି ନୋହେ । ।୩୨
ଯେ ପ୍ରାଣୀ ନୟନେ ଦେଖିଲା । ସେ କିବା କୃତାର୍ଥ ନୋହିଲା । ।୩୩
ଏଣୁ ମୁଁ ସୁଗତି ଲଭିଲି । ନୟନେ ତୋ ରୂପ ଦେଖିଲି । ।୩୪
ମୋ ଭାଗ୍ୟ କେ କରୁ ପ୍ରମାଣ । ମୋତେ ଗୋଚର କାହିଁ ପୁଣ । ।୩୫
ଚଣ୍ତାଳ ଏଣୁ ଶ୍ରେଷ୍ଠ ହେଲା । ଜିହ୍ୱାରେ ତୋନାମ ଧଇଲା । ।୩୬
ଯେଣୁ ତୋ ନାମ ଉଚ୍ଚାରିଲା । ସକଳ ତପ ସେହୁ କଲା । ।୩୭
ହୋମାଦି କଲା ବେଦମନ୍ତ୍ରେ । ସ୍ନାନ ସେ କଲା ନାନା ତୀର୍ଥେ । ।୩୮
ଅପରେ ନାହିଁ ସଦାଚାର । ତୋନାମ ଜିହ୍ୱାରେ ଯାହାର । ।୩୯
ସମଗ୍ର ବେଦ ସେ ପଢ଼ିଲା । ଯେ ତୁମ୍ଭ ନାମ ଉଚ୍ଚାରିଲା । ।୪୦
ତୁମ୍ଭେ ଯେ ପୁରୁଷ ପୁରାଣ । ସକଳ-ଜଗତ ନିଦାନ । ।୪୧
ତୁମ୍ଭଙ୍କୁ ନିଶ୍ଚଳ ମନରେ । ଯୋଗୀ ଭାବନ୍ତି ନିରନ୍ତରେ । ।୪୨
ଗୁଣମାନଙ୍କୁ ନିଜ ତେଜେ । ବିନାଶ କରିଛ ସହଜେ । ।୪୩
ତୁ ବ୍ରହ୍ମ ପରମ-ପୁରୁଷ । ଯୋଗୀଙ୍କ ମନେ ତୁ ପ୍ରକାଶ । ।୪୪
ତୁମ୍ଭେ କପିଳ ବେଦଗର୍ଭ । ତୁ ବିଷ୍ଣୁ ବ୍ୟାପିଅଛୁ ସର୍ବ । ।୪୫
ବନ୍ଦଇ ତୁମ୍ଭର ଚରଣ । ତୋ ବିନୁ ନ ଜାଣଇ ଆନ । ।୪୬

ମୈତ୍ରେୟ ଉବାଚ

ବୋଲନ୍ତି ମୈତ୍ରେୟ ଗୋସାଇଁ । ଶୁଣ ବିଦୁର ମନଦେଇ । ।୪୭
ଏମନ୍ତେ ଦିବ୍ୟସ୍ତୁତି କରି । ଆନନ୍ଦ ମନେ ମୋଦଭରି । ।୪୮
ଶୁଣ ହେ ବିଦୁର ତଦନ୍ତେ । ଜନନୀ ସ୍ତବନ କରନ୍ତେ । ।୪୯
ଯେ ଯେ କପିଳ ଭଗବାନ । ସାକ୍ଷାତେ ପରମ ପୁମାନ । ।୫୦
ଗଭୀର ବଚନେ ସଧୀରେ । କହିଲେ ଜନନୀ ଛାମୁରେ । ।୫୧

କପିଳ ଉବାଚ

ଭୋ ମାତ ଘେନ ମୋ ବଚନ । ମୋହର ବାକ୍ୟେ ଦିଅ ମନ । ।୫୨
ଯେ ମାର୍ଗ ଭଜନ ପ୍ରକାର । କହିଲୁ ଅଗ୍ରତେ ତୁମ୍ଭର । ।୫୩
ଯେବେ ଏ ମାର୍ଗେ ତୁମ୍ଭେ ଯିବ । ଏକାନ୍ତେ କୃଷ୍ଣଙ୍କୁ ଲଭିବ । ।୫୪
ଅଚିରେ ଲଭିବ ମୁକତି । ପାଇଣ ନିଶ୍ଚଳ ଭକତି । ।୫୫
ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର । ଲଭିବ ଗୋବିନ୍ଦ-ପୟର । ।୫୬
ଏମନ୍ତେ ବ୍ରହ୍ମବାଦୀମାନେ । ମୋତେ ଲଭନ୍ତି ସାବଧାନେ । ।୫୭
ଯହିଁରେ ମୃ‌ତ୍ୟୁ‌ଭୟ ନାହିଁ । ଶୁଣ ଜନନୀ ମନ ଦେଇ । ।୫୮
ତୁମ୍ଭେ ପାଇବ ସେହିମତେ । ଏଣୁ କହିଲି ତୁମ୍ଭ ହିତେ । ।୫୯
ଏମନ୍ତ ଯେହୁ ନ ଜାଣନ୍ତି । ସେ ପ୍ରାଣୀ ମୋତେ ନଭଜନ୍ତି । ।୬୦

ମୈତ୍ରେୟ ଉବାଚ

ଏମନ୍ତ ଭାବେ ଆତ୍ମାଗତି । ଦେଖାଇ ଦେଲେ ରମାପତି । ।୬୧
ମାତାଙ୍କ ଅନୁମତି ନେଲେ । ତପ ସାଧନେ ବନେ ଗଲେ । ।୬୨
ବ୍ରହ୍ମବାଦିନୀ ଦେବହୂତି । ଯୋଗମାର୍ଗରେ ଦେଲେ ମତି । ।୬୩
ଆଶ୍ରମ ସରସ୍ୱତୀତୀରେ । ଯୋଗ ସାଧିଲେ ସେ ନିଶ୍ଚଳେ । ।୬୪
ରହିଲେ ପୁତ୍ରବାକ୍ୟ ଘେନି । ସେ ସ୍ଥାନେ କŸର୍ଦ୍ଦମ-ଘରଣୀ । ।୬୫
ସେ କାଳତ୍ରୟେ ସ୍ନାନ କରି । ବିହିତ ସକଳ ଆଚରି । ।୬୬
କୁଟିଳ-ଅଳକ ସକଳ । ସେ ହେଲା କପିଳ ଜଟିଳ । ।୬୭
କୃଶିତ ଲାବଣ୍ୟ ଶରୀର । ପିନ୍ଧନ୍ତି ବକଳ ଅମ୍ବର । ।୬୮
ଏମନ୍ତେ ତପସ୍ୱିନୀ ବେଶେ । ସେ ଦେବହୂତି ରହେତୋଷେ । ।୬୯
ରେଚକ କୁମ୍ଭକ ପୂରକେ । ଉଗ୍ର ତପସ୍ୟା ଅତିରେକେ । ।୭୦
ଗୃହ ସମ୍ପଦ ଦୂର କରି । ତପସ୍ୱୀ ବେଶେ ବନଚାରୀ । ।୭୧
କŸର୍ଦ୍ଦମ ଅଚଳ ବିଭୂତି । ଚିତ୍ତୁ ତ୍ୟାଗିଲା ଦେବହୂତି । ।୭୨
ତା ଛାଡ଼ି ଚିତ୍ତ ବଇରାଗେ । ଭଜନମାର୍ଗେ ଅନୁରାଗେ । ।୭୩
ପୂର୍ବେ କŸର୍ଦ୍ଦମ ପ୍ରଜାପତି । ସମ୍ପାଦି ଥିଲେ ଯେ ସମ୍ପତ୍ତି । ।୭୪
ଗୃହସ୍ଥଧର୍ମ କରିଥିଲେ । ଉପମା ନାହିଁ ଭୂମଣ୍ତଳେ । ।୭୫
ସୁଦିବ୍ୟ-ବିମାନେ ବିହରି । ଉପମା ନାହିଁ ତିନିପୁରି । ।୭୬
ଯହିଁ କଳ୍ପିତ ବସ୍ତୁ ଯେତେ । ଅଶେଷ ରତ୍ନେ ସୁନିର୍ମିତେ । ।୭୭
ମନ୍ଦିରେ ସ୍ଫଟିକର କାନ୍ଥ । ଭୂମି ରଚିତ ମରକତ । ।୭୮
ରତ୍ନେ ଜଳନ୍ତି ଦୀପ ପ୍ରାୟେ । ଶୋଭନେ ଯୋଗୀମନ ମୋହେ । ।୭୯
ଲଳନା-କୁଳ-ଶିରୋମଣି । ସେ ଦିବ୍ୟପୁରେ ନିବାସିନୀ । ।୮୦
ଭୁବନ ବେଢ଼ି ଉପବନ । ତହିଁ କୁସୁମ ଦ୍ରୁମମାନ । ।୮୧
ସକଳଋତୁ ପୁଷ୍ପଫଳ । ମଣି ନିର୍ମିତ ସ୍ତମ୍ଭକୁଳ । ।୮୨
ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦା କାଳ ସୁଖମୟୀ । ।୮୩
ବିଚିତ୍ର ଚିତ୍ର ହେମମୟେ । ଚିତ୍ର-ପତାକା-ଧ୍ୱଜ ଶୋହେ । ।୮୪
ସୁଗନ୍ଧପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବେ ସୁଗହଳେ । ।୮୫
ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ । ।୮୬
ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି । ।୮୭
ସେ ରଥେ ସୁବର୍ଣ୍ଣ ପଲଙ୍କ । ବିଚିତ୍ର ରଜ ପୁଣ୍ତରୀକ । ।୮୮
ତା ଶଯ୍ୟା ଦୁଗ୍‌ଧ-ଫେନ-ନିଭ । ଦେଖି ଦେବଙ୍କ ହୋଏ ଲାଭ । ।୮୯
ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥେ ହୋଇଛି ଘଟଣ । ।୯୦
ମହାମର୍କତସ୍ଥଳୀ ଯହିଁ । ବିଦ୍ରୁମବେଦୀ ବିରାଜଇ । ।୯୧
ଯେ ଦ୍ୱାରେ ବିକ୍ରୁମ-ଦେହଳୀ । ହୀରା କବାଟ ଯହିଁ କିଳି । ।୯୨
ବାମ ଦକ୍ଷିଣେ ପୂର୍ଣ୍ଣକୁମ୍ଭ । ବିରାଜେ ଇନ୍ଦ୍ରନୀଳସ୍ତମ୍ଭ । ।୯୩
ଜଳନ୍ତି ପଦ୍ମରାଗ ଦୀପେ । ବିଚିତ୍ର ଶିଖେ ଚନ୍ଦ୍ରତପେ । ।୯୪
ମୌକ୍ତିକ ହେମମାଳା ଲମ୍ବେ । ପାଟଦୋଳିକା ରତ୍ନ‌ସ୍ତମ୍ଭେ । ।୯୫
ଶ୍ୱେତହଂସକ ପାରାବତ । ନାଦ କରନ୍ତି ଉନମତ୍ତ । ।୯୬
ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ । ।୯୭
ବିହାର ସ୍ଥାନ ସୁମଣ୍ତନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ । ।୯୮
ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଯୋଗୀଙ୍କ ମନ ମୋହେ । ।୯୯
ବିମାନେ ଯେବେ ବିହରନ୍ତି । ସେ ସୁଖ ସେମାନେ ବା‚ଞ୍ଛନ୍ତି । ।୧୦୦
ନାନା ବିଚିତ୍ର କର୍ମମୟେ । ଦିବ୍ୟପୁରରେ ଶୋଭା ପାଏ । ।୧୦୧
ଶୋହେ ସୁବର୍ଣ୍ଣ ପୀଢ଼ମାନ । ସରସ ସୁଖ ଉପାଧାନ । ।୧୦୨
ଭୁବନ ବେଢ଼ିଣ ଉଦ୍ୟାନ । ଯହିଁ ଅମର ଦ୍ରୁମମାନ । ।୧୦୩
ଫଳପୁଷ୍ପରେ ପରିପୂର୍ଣ୍ଣ । ତହିଁ ଲମ୍ବିତ ଲତାମାନ । ।୧୦୪
ବିହଙ୍ଗ-ମିଥୁନେ କ୍ରୀଡ଼ନ୍ତି । ମତ୍ତ-ମଧୁପେ ଗୁଞ୍ଜରନ୍ତି । ।୧୦୫
ବିବୁଧ-ଅନୁଚର ମାନେ । ବିହରୁଥାନ୍ତି ଉପବନେ । ।୧୦୬
ସେ ଦେବହୂତି ଯଶ-କୀର୍ତ୍ତି । ସୁସ୍ୱରେ ଗୀତ ସେ ଗାବନ୍ତି । ।୧୦୭
ଦିବ୍ୟ ବିଚିତ୍ର ବାପୀମାନ । କମଳ ଗନ୍ଧେ ସୁବାସନ । ।୧୦୮
କŸର୍ଦ୍ଦମ ତହିଁ ବିହରନ୍ତି । ସଙ୍ଗେ ସୁନ୍ଦରୀ ଦେବହୂତି । ।୧୦୯
ଏମନ୍ତ ରମ୍ୟ ସୁଖ ସ୍ଥାନ । ବା‚ଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ । ।୧୧୦
ସେ ପୁର ତେଜି ଦେବହୂତି । ଯୋଗସାଧନେ କଲେ ମତି । ।୧୧୧
ପ୍ରତେଜି ସ୍ୱାମୀ ପୁତ୍ର ଗଲେ । ତେଣୁ ବିରହେ ନିମଜ୍ଜିଲେ । ।୧୧୨
ଶୋକରେ ବିଷର୍ଣ୍ଣ-ବଦନ । ତଥାପି ଯୋଗେ ଦୃଢ଼ମନ । ।୧୧୩
ପତି-ବିଚ୍ଛେଦ ଦୁଃଖାକୁଳେ । ପୁତ୍ର ସୁସଙ୍ଗେ ସୁଖେ ଥିଲେ । ।୧୧୪
ସେ ପୁତ୍ର ତେଜି ଗଲେ ବନ । ଏଣୁ ବିଚ୍ଛେଦେ ଦୁଃଖ ମନ । ।୧୧୫
ବ›ତ୍ସା ବିୟୋଗେ ଯେହ୍ନେ ଗାଈ । ଯେମନ୍ତେ ବ୍ୟାକୁଳେ ରୋଦଇ । ।୧୧୬
ସେ ରୂପେ ଆକୁଳ ହୋଇଲେ । ହା ପୁତ୍ର ବୋଲି ମୋହଗଲେ । ।୧୧୭
ଜନ୍ମିଲା ହୃଦେ ତ‌ତ୍ତ୍ବଜ୍ଞାନ । ତଥାପି ଶୋକ ବିଦ୍ୟମାନ । ।୧୧୮
ପୁତ୍ରର ଗୁଣ ଅନୁକ୍ଷଣେ । ସ୍ମରଣ କରନ୍ତି ରୋଦନେ । ।୧୧୯
ଦୁଃଖେ ତୃଷିତ ତଷାନନ । ଦେ ଦେହହୂତି ପ୍ରତିଦିନ । ।୧୨୦
ଧ୍ୟାନେ ନିରୋପି କପିଳଙ୍କୁ । ସନ୍ତତି ଡାକନ୍ତି ତାହାଙ୍କୁ । ।୧୨୧
ସ୍ନେହ ଛାଡ଼ିଲା ଧନାଗାରେ । ଚିତ୍ତ ରହିଲା ପୁତ୍ରଠାରେ । ।୧୨୨
ମନକୁ କ୍ରମେ ସ୍ଥିର କଲେ । ନିଶ୍ଚଳେ ସୁଦୃଢ଼େ ବସିଲେ । ।୧୨୩
ଯେ ଜ୍ଞାନ ପୁତ୍ର କହିଥିଲେ । ସେ ରୂପେ ନିତ୍ୟେ ଧ୍ୟାନ କଲେ । ।୧୨୪
ବିଶୁଦ୍ଧ ହୋଇଅଛି ମନ । ତେଣୁ ନିଶ୍ଚଳରୂପେ ଧ୍ୟାନ । ।୧୨୫
ଭକ୍ତିଯୋଗରେ ଦୃଢ଼ ହେଲେ । ଶାସ୍ତ୍ରବିଧିରେ ଆରାଧିଲେ । ।୧୨୬
ବୈରାଗ୍ୟଭାବେ ତ‌ତ୍ତ୍ବଜ୍ଞାନ । ତେଣୁ ଭାବନ୍ତି ଭଗବାନ । ।୧୨୭
ଆତ୍ମାକୁ ମାନସେ ଦେଖିଲେ । ତା ବିନୁ ଆନ ନ ଭାବିଲେ । ।୧୨୮
ଯେ ଆତ୍ମା ହୋଏ ବିଶ୍ୱମୁଖ । ବିନାଶି ମାୟାଗୁଣ ଦୁଃଖ । ।୧୨୯
ଏ ଜୀବ ଆଶ୍ରୟଯେ ବ୍ରହ୍ମ । ତହିଁ ରଖିଲେ ମତି ଧ୍ୟାନ । ।୧୩୦
ତାହାଙ୍କ ଗଲା ଜୀବଭାବ । ହୋଇଲା ଆତ୍ମତ‌ତ୍ତ୍ବ ଲାଭ । ।୧୩୧
ସଂସାର-କ୍ଳେଶ ନିବର୍ତ୍ତିଲା । ତା ଗୁଣଭ୍ରମ ଦୂରେ ଗଲା । ।୧୩୨
ଆପଣା ଦେହ ପାଶୋରିଲେ । ସେ ବ୍ରହ୍ମସ୍ୱରୂପେ ରହିଲେ । ।୧୩୩
ଯେସନେ ସ୍ୱପ୍ନ ଦେଖୁଥାଇ । ନିଦ୍ରା ପ୍ରବୋଧେ ନ ଦିଶଇ । ।୧୩୪
ସେ ରୂପେ ଦେହ ପାଶୋରିଲେ । କେବଳ ବ୍ରହ୍ମକୁ ଲଭିଲେ । ।୧୩୫
ସେ ଦେବହୂତି ଦପ-କ୍ଳେଶେ । ଶରୀର ମଳିନ ପ୍ରକାଶେ । ।୧୩୬
ଅମର-ଯୁବତୀ-ସକଳେ । ଯେ ଅଙ୍ଗ ସମ୍ମାର୍ଜୁଣ ଥିଲେ । ।୧୩୭
ସେ ଦେହ ମଳିନ ଦିଶିଲା । ତହିଁ ତା ଆଦର ନୋହିଲା । ।୧୩୮
ଯେଣୁ ତା ମନୁ ତାପ ଗଲା । ଏଣୁ ସେ ଅକୃଶ ହୋଇଲା । ।୧୩୯
ସଧୂମ-ପାବକର ପ୍ରାୟେ । ତେବେ ହେଁ ଅଙ୍ଗ ଶୋଭାପାଏ । ।୧୪୦
ମନ ନିବେଶି କୃଷ୍ଣଭାବେ । ବସି ରହିଲେ ଶାନ୍ତିଲାଭେ । ।୧୪୧
ଦେହ ହୋଇଲା ଯୋଗେ ଲୟ । ଆବର କାହିଁ ଲଜ୍ଜା ଭୟ । ।୧୪୨
ସୁକେଶ ବନ୍ଧନ ଫିଟିଲା । ଅଙ୍ଗେ ବସନ ନ ରହିଲା । ।୧୪୩
ପ୍ରାର୍‌ବଧ କର୍ମ ଭୋଗ ଯାଏ । ଏ ଦେହବନ୍ଧ ମାତ୍ର ଥାଏ । ।୧୪୪
ଏଣୁ ସେ ଦେହ ମାତ୍ର ଅଛି । ତା ପାଇଁ ନ ସ୍ମରଇ କିଛି । ।୧୪୫
ଶୁଣ ହେ ବିଦୁର ତଦନ୍ତେ । ସେ ଦେବୀ ଯୋଗରେ ରହନ୍ତେ । ।୧୪୬
ଲଭିଲେ ସେ ବ୍ରହ୍ମ-ନିର୍ବାଣ । ଯେସନେ ଜଳେ ଜଳ ଲୀନ । ।୧୪୭
ଶୁଣ ବିଦୁର ଯେଉଁସ୍ଥଳେ । ସେ ଦେବୀ ସୁସିଦ୍ଧି ଲଭିଲେ । ।୧୪୮
ସେ ସ୍ଥଳ ପୁଣ୍ୟକ୍ଷେତ୍ର ହେଲା । ଭୁବନେ ବିଦିତ ହୋଇଲା । ।୧୪୯
ତା ନାମ ସିଦ୍ଧପଦ କହି । ସିଦ୍ଧେ ସୁସିଦ୍ଧ ଯହିଁ ହୋଇ । ।୧୫୦
ସେ ଦେବହୂତି କଳେବର । ଯୋଗେ ସୁସିଦ୍ଧ ପୁଣ୍ୟତର । ।୧୫୧
କୃଷ୍ଣ ଭାବନା ଧ୍ୟାନ ନିତ୍ୟେ । ଆନନ୍ଦ ଭକ୍ତି ଯୋଗ ଯୁତେ । ।୧୫୨
ସେ ଧ୍ୟାନେ ଶରୀର ମିଳାଇ । ନଦୀ ସ୍ୱରୂପେ ଗଲେ ବହି । ।୧୫୩
ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା । ସୁପୁଣ୍ୟ ତୀର୍ଥ ବୋଲାଇଲା । ।୧୫୪
ଯାହାଙ୍କୁ ସେବି ସିଦ୍ଧମାନେ । ସିଦ୍ଧି ଲଭନ୍ତି ସେହୁ ସ୍ଥାନେ । ।୧୫୫
ନାମ ତା ସିଦ୍ଧିକା ହୋଇଲା । ସ୍ପରଶେ ପାପ ବିନାଶିଲା । ।୧୫୬
ସେ ଯେ କପିଳ ମହାଯୋଗୀ । ବିଷୟେ ହୋଇ ବଇରାଗୀ । ।୧୫୭
ମାତାଙ୍କ ସ୍ନେହ ତ୍ୟାଗି ଗଲେ । ଐଶାନ୍ୟ-ଦିଗେ ପ୍ରବେଶିଲେ । ।୧୫୮
ସମୁଦ୍ର-ତୀରେ ଘୋରବନେ । ବସେ ନିର୍ମଳ ଯୋଗ ଧ୍ୟାନେ । ।୧୫୯
ସମୁଦ୍ର ତାହାଙ୍କୁ ଦେଖିଲେ । ଆନନ୍ଦମନେ ପୂଜା କଲେ । ।୧୬୦
ସେ ତାଙ୍କୁ ଦେଲେ ଦିବ୍ୟସ୍ଥାନ । ତହିଁ ରହିଲେ ଭଗବାନ । ।୧୬୧
ଯହିଁ ସକଳ ସୁରଗଣ । ସେବନ୍ତି ଯେଝା ନିଯୋଗଣ । ।୧୬୨
ସିଦ୍ଧ ଚାରଣ ମୁନିଜନେ । ଗନ୍ଧର୍ବ ଅପସରା ଗଣେ । ।୧୬୩
ସ୍ତୁତି କରନ୍ତି କପିଳଙ୍କୁ । ସଭୟେ ନିତ୍ୟେ ସେବି ତାଙ୍କୁ । ।୧୬୪
ଯୋଗେ ରହିଲେ ମହାମୁନି । ସାଂଖ୍ୟ ଆଚାର୍ଯ୍ୟମାନ ଘେନି । ।୧୬୫
ତ୍ରି‌ଲୋକଜନ ଶାନ୍ତି ପାଇଁ । ଯୋଗେ ରହିଲେ ଯୋଗସାଇଁ । ।୧୬୬
ରହିଲେ ବ୍ରହ୍ମକଳ୍ପ ଯାଏ । ଲୋକଶିକ୍ଷାରେ ଦେବରାଏ । ।୧୬୭
ବିଦୁର ପଚାରିଲୁ ଯାହା । ସମ୍ପାଦି କହିଲି ମୁଁ ତାହା । ।୧୬୮
କପିଳ-ଦେବହୂତିଙ୍କର । ପବିତ୍ର ସୁଜ୍ଞାନ ବିଚାର । ।୧୬୯
ଏହା ଯେ ଶ୍ରବଣ କରନ୍ତି । କି ଅବା ବଦନେ ଗୁଣନ୍ତି । ।୧୭୦
ଆନନ୍ଦେ ସଭାମଧ୍ୟେ କହେ । ଅଶେଷଜନ୍ମ ପାପ ଦହେ । ।୧୭୧
ସେ ସର୍ବେ ଗୋବିନ୍ଦ-ଚରଣେ । ଭକ୍ତି ଲଭନ୍ତି ଅନୁକ୍ଷଣେ । ।୧୭୨
ଅନ୍ତେ ଲଭନ୍ତି ହରି-ସ୍ଥାନ । କେ କରିପାରେ ତାହା ଆନ । ।୧୭୩
ତୃତୀୟସ୍କନ୍ଧେ ଭାଗବତ । କପିଳ-ଜ୍ଞାନ ଉପଗତ । ।୧୭୪
ତେତିଶଅଧ୍ୟା ସମାପତ । ମୈତ୍ରେୟ-ବିଦୁର ଚରିତ । ।୧୭୫
ଶ୍ରୀକୃଷ୍ଣ ମୁଖରୁ ସମ୍ଭୂତ । ଭାବେ ହୋଇଲା ଭାଗବତ । ।୧୭୬
ଏ ଭାବେ ରସ ସାଧୁଜନ । ତୁମ୍ଭ ଚରଣେ ମୋର ଧ୍ୟାନ । ।୧୭୭
କହଇ ଜଗନ୍ନାଥ ଦାସ । ତ୍ରାହି କରିବେ ପୀତବାସ । ।୧୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ
ତ୍ରୟତ୍ରିଂଶୋଽଧ୍ୟାୟଃ ।

Jaganath Das Books Odia Bhagabat Odia Bhagabat by Jaganath Das
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଆ ଭାଗବତ ଦ୍ୱିତୀୟ ସ୍କନ୍ଧ
Next Article ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧ
ଜଗନ୍ନାଥ ଦାସ

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡିଆ ଭାଗବତ ନବମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.