• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ
ଅନ୍ୟାନ୍ୟ

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

ଜଗନ୍ନାଥ ଦାସBy ଜଗନ୍ନାଥ ଦାସFebruary 25, 2020No Comments117 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରଥମ ଅଧ୍ୟାୟ

ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ।। ୧
ଶୁକ ଚରଣେ ପ୍ରଣମିତ । ହୋଇ ବୋଲନ୍ତି ପରୀକ୍ଷିତ ।। ୨

ପରୀକ୍ଷିତ ଉବାଚ

ଏକ ସଂଶୟ ମୋର ମନ । ତେଣୁ ମୁଁ କରି ନିବେଦନ ।। ୩
ଭୋ ଭାଗବତ ତୁମ୍ଭେ ଆଦ୍ୟେ । କହିଲ ଯା ଦ୍ୱିତୀୟସ୍କନ୍ଧେ ।। ୪
ଆଦ୍ୟରେ ଭଗବାନ ବ୍ରହ୍ମା । ଅଷ୍ଟ ଐଶ୍ୱର୍ଯ୍ୟ ସୁଖ ସୀମା ।। ୫
ନିବୃତ୍ତିମାର୍ଗେ ଯା କହିଲେ । ତା ଯୋଗେଶ୍ୱର ନ ଜାଣିଲେ ।। ୬
ନିବୃତ୍ତି ମାର୍ଗେ ଚକ୍ରପାଣି । କେବଳ ଯୋଗେ ତା ବଖାଣି ।। ୭
ଯୋଗେ ଲଭନ୍ତି ପ୍ରଜାପତି । କ୍ରମେ ତାଙ୍କର ସଙ୍ଗେ ମୁକ୍ତି ।। ୮
ଆର ପ୍ରବୃତ୍ତିମାର୍ଗ ଯେହି । ସ୍ୱର୍ଗାଦିସୁଖ ଯହିଁ ପାଇ ।। ୯
ପ୍ରକୃତି ବିଲୟ ଅଭାବେ । ଜନ୍ମ ମରଣ ଜୀବ ଲଭେ ।। ୧୦
କେମନ୍ତ ରୂପେ ତା ପ୍ରକାଶ । ବିଷ୍ଣୁର ମାୟାରେ ପ୍ରବେଶ ।। ୧୧
ସ୍ଥିର ସମୂହ ଦୁଷ୍ଟଗଣ । ପ୍ରବୃତ୍ତି ସୃଷ୍ଟି ନୋହେ ଭିନ୍ନ ।। ୧୨
ପୁଣି ହୁଏ ସେ ପୁଣି ଯାଏ । ସେ ମାର୍ଗ କହିଲ ତୃତୀୟେ ।। ୧୩
ଯେ ନାନା ଅଧର୍ମ ଲକ୍ଷଣ । ନରକମାନଙ୍କ ବର୍ଣ୍ଣନ ।। ୧୪
ଯେ ସ୍ୱାୟମ୍ଭୁବ ମନୁ ଆଦି । କହିଲ ଚତୁର୍ଥେ ସମ୍ପାଦି ।। ୧୫
ଉତ୍ତାନପାଦ ପ୍ରିୟବ୍ରତ । ଏ ବେନି ବଂଶାନୁଚରିତ ।। ୧୬
ଦ୍ୱୀପ ବରଷ ମହୀଧର । ନଦୀ ଉଦ୍ୟାନ ଯେ ସାଗର ।। ୧୭
ପୃଥିବୀ ମଣ୍ଡଳର ସ୍ଥାନ । ସୂର୍ଯ୍ୟମଣ୍ଡଳ ଜ୍ୟୋତିର୍ଗଣ ।। ୧୮
ଚନ୍ଦ୍ର ତାରକା ଆଦି କରି । ଭାଗ ବିବର ଅନୁସରି ।। ୧୯
ଯେମନ୍ତ ପ୍ରକାରେ ଈଶ୍ୱର । ରଚିଲେ ଅଖିଳ ସଂସାର ।। ୨୦
ନାନା ପ୍ରକାରେ ଯେ ନରକ । ପ୍ରାଣୀ ସଞ୍ଚରନ୍ତି ଅନେକ ।। ୨୧
ଉଗ୍ର ଯାତନାକୁ ଭୁଞ୍ଜନ୍ତି । କି କଲେ ତହିଁ ନ ପଡ଼ନ୍ତି ।। ୨୨
ବିଶେଷ କରି ମହାଭାଗ । କହ ତୁ ଭାବେ ମୋର ଆଗ ।। ୨୩

ଶୁକଉବାଚ

ମନ ବଚନ ଶରୀରରେ । ଯେ ପ୍ରାଣୀ ପାପକାର୍ଯ୍ୟ କରେ ।। ୨୪
ଇହଲୋକରେ ଦେହ ଧରି । ଯେବେ ପ୍ରାୟଶ୍ଚିତ୍ତ ନ କରି ।। ୨୫
କି ଅବା ପରମଈଶ୍ୱରେ । ପୂଜା ନ କରେ ଭକ୍ତିଭରେ ।। ୨୬
ଅଥବା ନାମସଂକୀର୍ତ୍ତନେ । ଶ୍ରଦ୍ଧା ନ କରେ ଭଗବାନେ ।। ୨୭
ବିଶେଷେ ଯାତନା ନରକ । ସେ ପ୍ରାଣୀ ଲଭେ ଅତିରେକ ।। ୨୮
ଯେବଣ ପ୍ରକାରେ ଭିଷକ । କରଇ ଚିକିତ୍ସା ଅନେକ ।। ୨୯
ରୋଗରୁ ଗୁରୁ ଲଘୁ ଜାଣି । ନିଦାନ କଥା ପରିମାଣି ।। ୩୦
ତେମନ୍ତ ମରଣର ଆଗେ । ସଂଯତମନା ହୋଇ ବେଗେ ।। ୩୧
ପାପର ନିବାରଣ ଅର୍ଥେ । କରିବ ସଦ୍ୟ ପ୍ରାୟଶ୍ଚିତ୍ତେ ।। ୩୨

ପରୀକ୍ଷିତ ଉବାଚ

ପାପ ଅହିତ ପରିମାଣି । ତଥାପି ବିଷୟାରେ ପ୍ରାଣୀ ।। ୩୩
ପାପରେ ପୁଣିହିଁ ପ୍ରବର୍ତ୍ତେ । କି କାର୍ଯ୍ୟ ତେବେ ପ୍ରାୟଶ୍ଚିତ୍ତେ ।। ୩୪
କେବେ ବା ପାପୁ ନିବର୍ତ୍ତଇ । ପୁଣି ହିଁ ପାପ ଆଚରଇ ।। ୩୫
ଏଥୁ ଅନ୍ତରେ ପ୍ରାୟଶ୍ଚିତ୍ତେ । କୁଞ୍ଜରସ୍ନାନ କଲା ମତ ।। ୩୬
ଏମନ୍ତ ରାଜନ ବଚନେ । ଶୁକ କହନ୍ତି ତୋଷମନେ ।। ୩୭
କର୍ମରେ କରି କର୍ମମାନ । ନିଗ୍ରହ କରନ୍ତି ଯେ ଜନ ।। ୩୮
କର୍ମ ସମୂଳେ ନାଶ ନୋହି । ଏହାର ସ୍ୱଭାବଟି ଏହି ।। ୩୯
ଅଜ୍ଞାନୀ ଅଧିକାରୀ ଯେଣୁ । ବିଫଳ ପ୍ରାୟଶ୍ଚିତ୍ତ ତେଣୁ ।। ୪୦
ସୁପଥ୍ୟ ଗ୍ରାସ ଯେ ନକରେ । ତାହାକୁ ବ୍ୟାଧି ପୀଡା କରେ ।। ୪୧
ଏହି ନିୟମ ଯେ କରନ୍ତି । କର୍ମେ କଲ୍ୟାଣ ସେ ଲଭନ୍ତି ।। ୪୨
ଦେହ ବଚନ ବୁଦ୍ଧି ଘେନି । ଯେ ପାପ କରିଥାଏ ପ୍ରାଣୀ ।। ୪୩
ତପସ୍ୟା ଯମ ନିୟମରେ । ସମ ଦମ ତ୍ୟାଗ ଶୌଚରେ ।। ୪୪
ସତ୍ୟ ବ୍ରହ୍ମଚର୍ଯ୍ୟ ଦୀକ୍ଷାରେ । ଜ୍ଞାନୀ ନାଶନ୍ତି ପାପଘୋରେ ।। ୪୫
ଯେସନେ ଦହଇ ସକଳ । ବେଣୁର ଗୁଳ୍ମ ଦାବାନଳ ।। ୪୬
ତେସନେ ଭକ୍ତିଯୋଗୁ କରି । ଗୋବିନ୍ଦ ଚରଣ ସୁମରି ।। ୪୭
ମଳୟ ଚନ୍ଦନ ଯେସନ । ଅଗ୍ନିପାରୁଶେ ଯେହ୍ନେ ହେମ ।। ୪୮
ଗୋବିନ୍ଦ ପାଦେ ଆଶ୍ରେ କରେ । ତେଣୁ ଅଘତିମିର ହରେ ।। ୪୯
ଅଶେଷ ପାପମାନ ନାଶେ । ତମ ଯେସନେ ରବିତ୍ରାସେ ।। ୫୦
ହେ ରାଜା ଅଘବନ୍ତ ଯେହି । ତପେ ପବିତ୍ର ତେଡେ ନୋହି ।। ୫୧
ଯେମନ୍ତ କୃଷ୍ଣର ବିଷୟେ । ପ୍ରାଣ ଅର୍ପିଲେ ଶୁଦ୍ଧ ହୋଏ ।। ୫୨
ସୁଶୀଳ ସାଧୁ ଯେଉଁ ଜନ । ନାରାୟଣରେ ପରାୟଣ ।। ୫୩
ତାହାଙ୍କ ଭକ୍ତିପଥମାନ । ଲୋକର କଲ୍ୟାଣ କାରଣ ।। ୫୪
ସେ ନିତ୍ୟେ ଥାନ୍ତି ପରହିତେ । ଜଗତ ଦେଖେ ଆତ୍ମାଗତେ ।।୫୫
ଶୁଣ ରାଜନ ପରିମାଣି । କୃଷ୍ଣ-ବିମୁଖ ଯେତେ ପ୍ରାଣୀ ।। ୫୬
ତାହାଙ୍କ ତପେ ଯେତେ ଫଳ । ସକଳ ହୁଅଇ ନିଷ୍ଫଳ ।। ୫୭
ଶ୍ରୀକୃଷ୍ଣ-ପାଦପଦ୍ମ ଦୁଇ । ତା ଗୁଣେ ଅନୁରାଗୀ ହୋଇ ।। ୫୮
ତାହାର ଯେଉଁ ଲୟ ଧ୍ୟାନ । ନିବେଦନରେ ତନୁ ମନ ।। ୫୯
ଯେ ଏକାବେଳେ ବୋଲେ ନାମ । ସ୍ୱପ୍ନେ ସେ ନ ଦେଖଇ ଯମ ।। ୬୦
ଯା ଦୂତ ଦଣ୍ଡ-ପାଶଧର । ନ ଦେଖେ ଚିହ୍ନ ତାହାଙ୍କର ।। ୬୧
ଯେ ଇତିହାସ ପୁରାତନ । କହିବା ଶୁଣ ସାବଧାନ ।। ୬୨
ବିଷ୍ଣୁଙ୍କ ଦୂତ ଯମଦୂତ । ସମ୍ବାଦ ଅତି ଅଦଭୂତ ।। ୬୩
କାନ୍ୟକୁବୁଜ ନାମେ ଦେଶ । ଅଜାମିଳର ତହିଁ ବାସ ।। ୬୪
ଆଶ୍ରମେ ଦ୍ୱିଜ ସେ ବୋଲାଇ । ସ୍ୱଭାବେ ଦାସୀପତି ହୋଇ ।। ୬୫
ସଦାଚାରକୁ ନଷ୍ଟ କରି । ଦାସୀର ସଂସର୍ଗ ଆଚରି ।। ୬୬
କୈତବ ଚୌର୍ଯ୍ୟପଣେ ଥାଇ । କୁତ୍ସିତକର୍ମ ଆଚରଇ ।। ୬୭
ଏମନ୍ତେ କେତେଦିନ ଗଲା । ତାହାର ପୁତ୍ର ଉପୁଜିଲା ।। ୬୮
ସେ ନଗ୍ରେ ଥାଇ ଦାସୀପତି । ପୁତ୍ରପାଳନେ ସଦା ମତି ।। ୬୯
ଅଠାଶୀ ବରଷେ ତାହାର । କାଳ ହୋଇଲା ନୃପବର ।। ୭୦
ବୃଦ୍ଧବୟସେ ତାର ସୁତ । ହୋଇଲା ଦଶ ପରିମିତ ।। ୭୧
କନିଷ୍ଠ ନାମ ନାରାୟଣ । ପିତାର ଆନନ୍ଦ କାରଣ ।। ୭୨
ତାହାର ତହିଁ ଚିତ୍ତ ଥାଇ । ଅନ୍ୟତ୍ର କେବେହେଁ ନ ଦେଇ ।। ୭୩
ବାଳକ ସ୍ୱଭାବେ ଅଲ୍ୟଳ । ବଚନ କହଇ ମୃଦୁଳ ।। ୭୪
ତାହାର ଲୀଳାମାନ ଦେଖି । ହରଷ କେ ପାରିବ ଲେଖି ।। ୭୫
ଭୋଜନ-ଜଳପାନ ବେଳେ । ନାନାପ୍ରକାରେ ସୁଖ ଭୋଳେ ।। ୭୬
ବାଳକ-ସ୍ନେହେ ବଶ ହୋଇ । ଅଗ୍ରଭୋଜନ ତାକୁ ଦେଇ ।। ୭୭
ମରଣ ନ ଜାଣଇ ମୂଢ଼ । ବାଳକ-ସ୍ନେହେ ଚିତ୍ତ ଦୃଢ଼ ।। ୭୮
ମରଣକାଳ ଉପଗତ । ତକ୍ଷଣେ କରି ଦୃଢ଼ଚିତ୍ତ ।। ୭୯
ବାଳକ ନାମ ନାରାୟଣ । ମତି ନିବେଶିଲା ତକ୍ଷଣ ।। ୮୦
ଯମର ଦୂତ ପାଶ କରେ । ମିଳିଲେ ତାର ସମୀପରେ ।। ୮୧
ଉଚ୍ଚପୁରୁଷ ଭୟଙ୍କର । ବକ୍ର ବଦନ ମହାଘୋର ।। ୮୨
ଲମ୍ବଲୋମ ସର୍ବଶରୀର । ଦେଖି ଅଜାମିଳ କାତର ।। ୮୩
ଦୂରେ ବାଳକସଙ୍ଗେ ମିଳି । ତାହାର ପୁତ୍ର କରେ କେଳି ।। ୮୪
ଗଭୀରସ୍ୱରେ ଉଚ୍ଚ କରି । ଡାକିଲା ପୁତ୍ରନାମ ଧରି ।। ୮୫
ଇନ୍ଦ୍ରିୟ-ଆକୁଳେ ତକ୍ଷଣ । ଡାକିଲା ପୁତ୍ର ନାରାୟଣ ।। ୮୬
ମଲା ଅଜାମିଳ ବ୍ରାହ୍ମଣ । ସେ ନାମ କରି ସଂକୀର୍ତ୍ତନ ।। ୮୭
ଯମର ଦୂତେ ଥିଲେ ବେଢି । ହସ୍ତରେ ପାଶରଜ୍ଜୁ ଧରି ।। ୮୮
ଶୁଣି ତା ମୁଖୁ ନାରାୟଣ । ଆସି ମିଳିଲେ ବିଷ୍ଣୁଗଣ ।। ୮୯
ଏମନ୍ତେ ବିଷ୍ଣୁଦୂତେ ମିଳି । ଗନ୍ଧ-ଆମୋଦେ ଦିଗ ପୂରି ।। ୯୦
ରୂପେ କି ଦେବା ପଟାନ୍ତର । ସୁବର୍ଣବେତ ଧରି କର ।। ୯୧
ପୀତବସନ ପହରଣ । ଦିଶନ୍ତି ଦଗ୍‌ଧସ୍ୱର୍ଣ୍ଣବର୍ଣ୍ଣ ।। ୯୨
ସେ ଅଜାମିଳହୃଦୟରୁ । ଜୀବକୁ ଆକର୍ଷଣ କରୁ ।। ୯୩
ଯମଦୂତଙ୍କୁ ବିଷ୍ଣୁଦୂତେ । ବଳେ ନିବାରିଲେ ତୁରିତେ ।। ୯୪
ବଇବସ୍ୱତ ପ୍ରଭୁ ଯାର । ସେ ଦୂତମାନଙ୍କ ଉପର ।। ୯୫
ପ୍ରହାର କଲେ ବିଷ୍ଣୁଦୂତେ । ତାଙ୍କୁ କହନ୍ତି ଯମଦୂତେ ।। ୯୬
ବିଷ୍ଣୁଦୂତମାନଙ୍କୁ କହି । ତୁମ୍ଭେ ନିବାର କାହିଁ ପାଇଁ ।। ୯୭
ଧର୍ମରାଜର ଆଜ୍ଞାମାନ । କିମ୍ପାଇଁ କରୁଛ ଲଂଘନ ।। ୯୮
କାହାର ତୁମ୍ଭେମାନେ ଦୂତ । କାହୁଁ ବା ଅଇଳ ତୁରିତ ।। ୯୯
କିମ୍ପାଇଁ ଆମ୍ଭଙ୍କୁ ନିରୋଧ । କିବା ଉତ୍ତମ ତୁମ୍ଭେ ସିଦ୍ଧ ।। ୧୦୦
କିବା ଦେବତା ତୁମ୍ଭେମାନେ । ଥାଅ ଦେବଙ୍କ ସନ୍ନିଧାନେ ।। ୧୦୧
ତୁମ୍ଭର ଚକ୍ଷୁ ପଦ୍ମତୁଲ୍ୟ । ବିରାଜେ କିରୀଟ କୁଣ୍ଡଳ ।। ୧୦୨
ଉରେ ଲମ୍ବଇ ବନମାଳ । ଶୋଭିତ ଯେ ପୀତ ଦୁକୂଳ ।। ୧୦୩
ସର୍ବ ଲକ୍ଷଣ ତୁମ୍ଭ ଦେହ । ଚାରୁ ଚତ୍ୱାର ଭୁଜ ବହ ।। ୧୦୪
ଶଙ୍ଖ ଚକ୍ର ଗଦା କମଳ । ଏଣେ ଶୋଭିତ ଯେ ତୁମ୍ଭର ।। ୧୦୫
ଧନୁ ଖଡ଼ଗ ତୂଣ ଶର । ଏ ସର୍ବ ଆୟୁଧ ତୁମ୍ଭର ।। ୧୦୬
ଦିଗମାନଙ୍କର ତିମିର । ଆତ୍ମକାନ୍ତିରେ କଲ ଦୂର ।। ୧୦୭
ଆମ୍ଭେ ଧର୍ମରାଜ-କିଙ୍କର । କିମ୍ପା ନିରୋଧ ତୁମ୍ଭେ କର ।। ୧୦୮
କି ହେତୁ ଏମନ୍ତ ଆଚର । କହିବା ଆମ୍ଭର ଆଗର ।। ୧୦୯
ଆମ୍ଭମାନଙ୍କୁ ଦୟା ବହ । କିହେତୁ କିବା ପରିଚୟ ।।୧୧୦

ଶୁକ ଉବାଚ

ଯମଦୂତଙ୍କ କଥା ଅନ୍ତେ । ହସି କହନ୍ତି ବିଷ୍ଣୁଦୂତେ ।। ୧୧୧
ମେଘ-ଗମ୍ଭୀର ପ୍ରାୟେ ବାଣୀ । ଯମଦୂତଙ୍କ ଆଗେ ଭଣି ।। ୧୧୨

ବିଷ୍ଣୁଦୂତ ଉବାଚ

ତୁମ୍ଭେ ଦୂତ ଧର୍ମରାଜାର । ତାହାଙ୍କ ଆଜ୍ଞା ଯେବେ କର ।। ୧୧୩
ଧର୍ମ ଅଧର୍ମର ଲକ୍ଷଣ । କହିବା ଆମ୍ଭର ଆଗେଣ ।। ୧୧୪
ପ୍ରାଣୀ କି କଲେ ଦଣ୍ଡପାଇ । ଦଣ୍ଡର ସ୍ଥାନ କେବା ହୋଇ ।। ୧୧୫
ଦଣ୍ଡକୁ ସହଇ କେମନ୍ତେ । ମନୁଷ୍ୟ-ଜନ୍ତୁ ଏ ଜଗତେ ।। ୧୧୬

ଯମଦୂତ ଉବାଚ

ବେଦବିହିତ ଯେତେ କର୍ମ । ସେହି ସଂସାରେ ନିତ୍ୟଧର୍ମ ।। ୧୧୭
ତା ବିନୁ ଅନ୍ୟକର୍ମ ଯେତେ । ଅଧର୍ମ ବୋଲି ଶାସ୍ତ୍ରମତେ ।। ୧୧୮
ସାକ୍ଷାତେ ବେଦ ନାରାୟଣ । ଏ ନିଶ୍ଚେ ବ୍ରହ୍ମାର ବଚନ ।। ୧୧୯
ଏ ଦେବ ଆପଣା ଶକ୍ତିରେ । ସତ୍ତ୍ବ ରଜ ତମଗୁଣରେ ।। ୧୨୦
ଗୁଣ ନାମ କ୍ରିୟା ରୂପରେ । ଯଥାତଥାରେ ଭିନ୍ନ କରେ ।। ୧୨୧
ସୂର୍ଯ୍ୟ ଚନ୍ଦ୍ର ଦିଗ ଆକାଶ । ପବନ ସଂଧ୍ୟା ଅହର୍ନିଶ ।। ୧୨୨
ବେବ ଭୂ ଜଳ ଅଗ୍ନି ଧର୍ମ । ଦେହୀ ଧର୍ମର ସାକ୍ଷୀ ଜାଣ ।। ୧୨୩
ପାପକୁ ଏଣେ କରି ଜାଣି । ଦଣ୍ଡର ସ୍ଥାନ ପରିମାଣି ।। ୧୨୪
କର୍ମଆୟତ୍ତ ହୋଇ ଜନ । ଦଣ୍ଡରେ ହୁଅଇ ଭାଜନ ।। ୧୨୫
ଆହେ ନିଷ୍ପାପ ପ୍ରାଣୀମାନେ । କର୍ମ କରନ୍ତି ଯେତେ ଜନେ ।। ୧୨୬
ସତକର୍ମ ଯେମାନେ କରନ୍ତି । ସ୍ୱକର୍ମ ଫଳ ସେ ଲଭନ୍ତି ।। ୧୨୭
ମନ୍ଦକରମଯୁକ୍ତ ଯେହୁ । ସଫଳ ଲଭିବ ସେ କାହୁଁ ।। ୧୨୮
ବିଧି ନିଷେଧ ବେନିକର୍ମ । ଏ ନିତ୍ୟେ କହନ୍ତି ଆଗମ ।। ୧୨୯
ବିହିତକର୍ମ ଯେ କରଇ । ତାର ପାପକୁ ଭୟ ନାହିଁ ।। ୧୩୦
ନିଷେଧକର୍ମ କରେ ଯେହୁ । ସକଳ ଦଣ୍ତ ସହେ ସେହୁ ।। ୧୩୧
ଏ ଘେନି ବେଦ ବ୍ରହ୍ମମୟେ । ସୁଜନ ବେଦମାର୍ଗେ ରହେ ।। ୧୩୨
ଧର୍ମ ଅଧର୍ମ ଆଚରଣ । କରନ୍ତି ଯେହୁ ପ୍ରାଣୀମାନ ।। ୧୩୩
ସେ ପ୍ରାଣୀମାନେ ଅବନୀରେ । ଫଳାଫଳକୁ ଭୋଗକରେ ।। ୧୩୪
ହେ ଦେବଶ୍ରେଷ୍ଠ ତୁମ୍ଭେମାନେ । ସଂସାରେ ପ୍ରାଣୀମାନେ ଯେହ୍ନେ ।। ୧୩୫
ତ୍ରିବିଧ-ଲକ୍ଷଣ ଲଭନ୍ତି । ଯେ ଯଥାକର୍ମ ଆଚରନ୍ତି ।। ୧୩୬
ଗୁଣ ବିଚିତ୍ରଭାବୁଁ କରି । ପ୍ରାଣୀଙ୍କ ବିଷୟ ଆଚରି ।। ୧୩୭
କାଳର ବର୍ତ୍ତମାନ ଗୁଣ । ଭୂତ ଭବିଷ୍ୟତ ପ୍ରମାଣ ।। ୧୩୮
ତେସନେ ପ୍ରାଣୀ ଇହଜନ୍ମ । ପ୍ରକାଶ କରେ ଧର୍ମାଧର୍ମ ।। ୧୩୯
ଯେ ଧର୍ମରାଜ ଜନ୍ତୁସାଇଁ । ସେ ସଞ୍ଜମନୀପୁରେ ଥାଇ ।। ୧୪୦
ପ୍ରାଣୀର ଅନ୍ତର୍ଯ୍ୟାମୀ ହୋଇ । ଧର୍ମ ଅଧର୍ମକୁ ଜାଣଇ ।। ୧୪୧
ତମୋଗୁଣରେ ଯୁକ୍ତ ହୋଇ । ସତ୍ତ୍ବଗୁଣକୁ ନ ଭାବଇ ।। ୧୪୨
ଏ ଦେହେ ଅହମିକା ବହି । ଜନ୍ମ ଅକାରଣେ ନାଶଇ ।। ୧୪୩
ଜ୍ଞାନ କରମ ଦଶେନ୍ଦ୍ରିୟ । ମନ ଆର ପଞ୍ଚବିଷୟ ।। ୧୪୪
ଏ ଷଟଦଶ ଲିଙ୍ଗ ଦେହେ । ଏ ଜୀବ ଭୁଞ୍ଜଇ ବିଷୟେ ।। ୧୪୫
ଯେ ଅବା ପଞ୍ଚଭୂତ ଗୁଣ । ସୃଷ୍ଟିକି କରଇ ଭିଆଣ ।। ୧୪୬
ମହତତତ୍ତ୍ବ ଅହଙ୍କାର । ଏ ଆଦି ଯେତେକ ଅପର ।। ୧୪୭
ତ୍ରିଗୁଣଶକ୍ତି ଆଦି ଯେତେ । ଏହାକୁ ଧରି ହୃଦଗତେ ।। ୧୪୮
ଏମନ୍ତ ପ୍ରକାରଣେ ଦେହୀ । ହରଷ-ଶୋକକୁ ଲଭଇ ।। ୧୪୯
ତେଣୁ ଷଡବର୍ଗ ଅଜିତ । କରଇ କର୍ମ ବିପରୀତ ।। ୧୫୦
କୋଶକାରର ପ୍ରାୟ ହୋଇ । କର୍ମରେ ଆତ୍ମାକୁ ରୋଧଇ ।। ୧୫୧
ଏଥୁ ଅନ୍ତରେ ପୁଣି ସେହି । ତହିଁ ରହଇ ମୋହ ହୋଇ ।। ୧୫୨
ସ୍ୱଭାବେ କର୍ମବଶ ହୋଇ । ନିରତେ କର୍ମକୁ କରଇ ।। ୧୫୩
ଏଥୁ ଅନ୍ତରେ ପୂଣ ସେହି । ଅଦୃଷ୍ଟବଶେ ଦେହ ବହି ।। ୧୫୪
ମାତାପିତାର ଅନୁରୂପ । ଲଭଇ ସ୍ଥୂଳ-ସୂକ୍ଷ୍ମରୂପ ।। ୧୫୫
ପ୍ରକୃତି ସଙ୍ଗରୁ ପୁରୁଷ । ସର୍ବକର୍ମକୁ କରେ ନାଶ ।। ୧୫୬
ପୂର୍ବବୃତ୍ତାନ୍ତ ଏବେ ଶୁଣ । ବେଦସମ୍ପୂର୍ଣ୍ଣ ଏ ବ୍ରାହ୍ମଣ ।। ୧୫୭
ଧର୍ମଜ୍ଞ ଶୀଳବନ୍ତ ପୁଣ । ସୁଶାନ୍ତ ସୁଜ୍ଞାନୀ ନିପୁଣ ।। ୧୫୮
ମୃଦୁ ମନ୍ତ୍ରଜ୍ଞ ଶୁଚିଦାତା । ସତ୍ୟବଚନ ଧୃତବ୍ରତା ।। ୧୫୯
ଅତିଥି ବୃଦ୍ଧ ଗୁରୁ ଅଗ୍ନି । ଏହାଙ୍କ ସେବା ଶିରେ ଘେନି ।। ୧୬୦
ସର୍ବଭୂତରେ ମିତ୍ରପଣ । କୋପବର୍ଜିତ ସାଧୁଗୁଣ ।। ୧୬୧
ଅଶେଷ-ଗୁଣ-ସ୍ଥାନ ଏହି । ସୁଶୀଳବୃତ୍ତିରେ ଜୀଅଇଁ ।। ୧୬୨
ପିତୃ ଆଜ୍ଞାକାରୀ ବ୍ରାହ୍ମଣ । ଏକକାଳେ ବନେ ଗମିଣ ।। ୧୬୩
ପୁଷ୍ପ ସମିଧ ଫଳ କୁଶେ । ଘେନି ଆସଇ ମନତୋଷେ ।। ୧୬୪
ସ୍ତିରୀ ସହିତେ ବନେ ଥିଲା । କାମୀ ଶୂଦ୍ରକୁ ଏ ଦେଖିଲା । ୧୬୫
ମଧୁପାନରେ ରକ୍ତନେତ୍ର । ବିହ୍ୱଳ ହୋଇଅଛି ଚିତ୍ତ ।। ୧୬୬
ନୀବି ଖସିଛି ମତ୍ତଭରେ । ମୂଢ ଲଜ୍ଜାକୁ କରି ଦୂରେ ।। ୧୬୭
ହାସ୍ୟ ଗାୟନ କ୍ରୀଡାରସେ । ଲୀଳା କରଇ ତାର ପାଶେ ।। ୧୬୮
କନ୍ଦର୍ପେ ଲିପ୍ତମନ ହୋଇ । ଭୂଜେ ଆଲିଙ୍ଗନ କରଇ ।। ୧୬୯
ବିପ୍ର ସ୍ତିରୀକୁ ଦେଖି କରି । ଇନ୍ଦ୍ରିୟବଶେ ଅନୁସରି ।। ୧୭୦
ଏମନ୍ତେ ତାହାକୁ ଦେଖିଲା । ମନରେ ମୋହିତ ହୋଇଲା ।। ୧୭୧
ଆପଣା ଆତ୍ମା ସ୍ଥିର କରି । ମନରେ ବହୁତ ବିଚାରି ।। ୧୭୨
ହେଲେ ହେଁ ସତ୍ତ୍ବଗୁଣେ ସ୍ଥିତ । କନ୍ଦର୍ପେ ହୋଇଲା ପୀଡିତ ।। ୧୭୩
ସ୍ତିରୀ-ବିଷୟେ ଅଭିରାମ । କପଟ ଗ୍ରହ ହୋଇ କାମ ।। ୧୭୪
ତେଣେ ପ୍ରମତ୍ତମନ ତାର । ନିଜଧର୍ମକୁ କଲା ଦୂର ।। ୧୭୫
ପୀନ-ଉରଜ ମନ ହରେ । ସ୍ନେହରେ ସ୍ତିରୀ ବିଷୟରେ ।। ୧୭୬
ପରିତୋଷଣ ତାକୁ କରି । ସେବକମତେ ଆଜ୍ଞାକାରୀ ।। ୧୭୭
କୋମଳବାକ୍ୟେ ମନ ହରି । ପ୍ରସନ୍ନ ଯେମନ୍ତେ ସୁନ୍ଦରୀ ।। ୧୭୮
ନିଜ ଯୁବତୀ କୁଳସ୍ତିରୀ । ତେଜିଲା ବିପ୍ର ମନ୍ଦାଚାରୀ ।। ୧୭୯
ସ୍ୱୈରିଣୀ ଅପାଙ୍ଗ ଇଙ୍ଗିତେ । ବନ୍ଦୀ ହୋଇଲା ତାର ଚିତ୍ତେ ।। ୧୮୦
ତା ବିନୁ ନ ଜାଣଇ ଆନ । ତିଳେ ବିଚ୍ଛେଦ ନୋହେ ମନ ।। ୧୮୧
ଅଧର୍ମବୁଦ୍ଧି ସେ ବ୍ରାହ୍ମଣ । ନିରତେ ବେଶ୍ୟା ପରାୟଣ ।। ୧୮୨
ଧର୍ମେ ଅଧର୍ମେ ଧନ ଆଣି । ସନ୍ତୋଷ କରଇ ସ୍ୱୈରିଣୀ ।। ୧୮୩
ଯେଉଁ କାରଣୁ ଲଙ୍ଘି ଶାସ୍ତ୍ର । ସ୍ୱୈରିଣୀରତ ଅବିରତ ।। ୧୮୪
ଗର୍ହିତକର୍ମେ ପ୍ରବର୍ତ୍ତିଲା । ପୂର୍ବରୁ ଧର୍ମ ନାଶ କଲା ।। ୧୮୫
ଏଣୁ ଏ ପାପୀ ଦ୍ୱିଜେ ନେଇ । ଯମର ଛାମୁରେ ଦେବଇଁ ।। ୧୮୬
ବୋଲଇ ଜଗନ୍ନାଥ ଦାସ । ଯମଦୂତେ ବେଦ ପ୍ରକାଶ ।। ୧୮୭

ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ
ପ୍ରଥମୋଽଧ୍ୟାୟଃ ।।

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଏମନ୍ତ ଯମଦୂତ ବାଣୀ । ବିଷ୍ଣୁ-ସେବକମାନେ ଶୁଣି ।। ୧
ଶୁଣ ରାଜନ ଏ ଅନ୍ତରେ । ତାହାଙ୍କ ବାକ୍ୟ ଅନୁସାରେ ।। ୨
ସକଳ ଧର୍ମ ସେ ଜାଣନ୍ତି । ଯମଦୂତଙ୍କୁ ବୋଲୁଛନ୍ତି ।। ୩

ବିଷ୍ଣୁଦୂତ ଉବାଚ

ଏ ତ ଅତ୍ୟନ୍ତ ଅଦଭୂତ । ଦେଖିଲୁ ତୁମ୍ଭର ଚରିତ ।। ୪
ସମଦରଶୀ ସାଧୁଜନେ । ଅଧର୍ମ ସ୍ପରଶେ କେସନେ ।। ୫
ଅଦଣ୍ଡ୍ୟ ଅପାପୀ ଯେ ପ୍ରାଣୀ । ତାହାଙ୍କୁ ବ୍ୟର୍ଥେ ଦଣ୍ଡ ପୁଣି ।। ୬
ପ୍ରଜାମାନଙ୍କ ପିତା ହୋଇ । ସେ ଯେବେ ପ୍ରଜା ଶାସ୍ତି ଦେଇ ।। ୭
ତେବେ ସେ କାହାର ଶରଣ । ହୋଇବ କହ ହେ କାରଣ ।। ୮
ମହତେ ଯାହା ଆଚରିବେ । ଇତରେ ତାହାହିଁ କରିବେ ।। ୯
ସେ ଯାହା ପ୍ରମାଣ କରିବେ । ଲୋକେ ସେ ପଥ ଆଚରିବେ ।। ୧୦
ଯାହାର ଅଙ୍କେ ଶିର ଦେଇ । ନିଶେଙ୍କ ଜନ ନିଦ୍ରା ଯାଇ ।। ୧୧
ପଶୁ ଯେସନେ ସୁଖେ ଥାଇ । ଧର୍ମ-ଅଧର୍ମ ନ ଜାଣଇ ।। ୧୨
ମିତ୍ର ସ୍ୱଭାବେ ଯାର ତହିଁ । ବିଶ୍ୱାସେ ଆତ୍ମା ସମର୍ପଇ ।। ୧୩
ବିଶ୍ୱାସ ସର୍ବ ପ୍ରାଣୀଙ୍କର । ଦୟାପୂରିତ ଯା ଶରୀର ।। ୧୪
ବିଶ୍ୱାସୀ ପ୍ରାଣୀଙ୍କି କେମନ୍ତେ । ସେ ହିଂସା କରେ ହୃଦଗତେ ।। ୧୫
କୋଟିଜନ୍ମର ଶୁଭଫଳ । କଲା ଏ ଦ୍ୱିଜ ଆଜାମିଳ ।। ୧୬
ଯେଣୁ ଆକୁଳେ ନାରାୟଣ । ମଙ୍ଗଳ କଲା ଉଚ୍ଚାରଣ ।। ୧୭
ଏଣୁ ଏ ପାପୀ ମନ୍ଦକୃତ୍ୟ । ସକଳ କଲା ପ୍ରାୟଶ୍ଚିତ୍ତ ।। ୧୮
ଯେଣୁ ଚତୁରାକ୍ଷର ନାମ । ମୁଖେ ବୋଇଲା ନାରାୟଣ ।। ୧୯
ଯେ ବ୍ରହ୍ମହତ୍ୟା ମଦ୍ୟପାନ । ଗୁରୁପତ୍ନୀ ଅଭିଗମନ ।। ୨୦
ମିତ୍ର-ବିଷୟେ ଅପରାଧ । ସ୍ତିରୀ ରାଜ ପିତୃ ଗୋ ବଧ ।। ୨୧
ଏ ଆଦି ପାପ ଅପସରେ । ସର୍ବଦୁରିତ ନିଶ୍ଚେ ହରେ ।। ୨୨
ପ୍ରାଶ୍ଚିତ୍ତ ସର୍ବ ପ୍ରାଣୀଙ୍କର । ନାମ ଉଚ୍ଚାରଣ ବିଷ୍ଣୁର ।। ୨୩
ତୁଣ୍ଡେ ବୋଲନ୍ତି ଯେବା ନର । ତରନ୍ତି ଏ ଭବସାଗର ।। ୨୪
ଯାହାର ବିଷ୍ଣୁଭାବେ ମତି । ପାପରେ ଗ୍ରସ୍ତ ସେ ନୁହଁନ୍ତି ।। ୨୫
ବ୍ରତ ପ୍ରାୟଶ୍ଚିତ୍ତ ଏମାନ । ଅଧିକ ତହୁଁ ହରିନାମ ।। ୨୬
ଶୁଦ୍ଧସତ୍ତ୍ବକୁ ପରକାଶେ । ପାପର ମୂଳବୀଜ ନାଶେ ।। ୨୭
ଏଣୁ ଏହାକୁ ତୁମ୍ଭେମାନେ । ତେଜିଣ ଯାଅ ନିଜସ୍ଥାନେ ।। ୨୮
ଏହାର ଯେତେ ପାପମାନ । ନିଶ୍ଚୟେ କଲା ଏ ଖଣ୍ଡନ ।। ୨୯
ଯେଣୁ ଏ ଦ୍ୱିଜ ଅଜାମିଳ । ନିକଟେ ମରଣର କାଳ ।। ୩୦
ତୁଣ୍ଡେ ଉଚ୍ଚାରି ନାରାୟଣ । ପ୍ରାଣ ଛାଡ଼ିଲା ତତକ୍ଷଣ ।। ୩୧
ସଙ୍କେତ-ପରିହାସବେଳେ । ଗୀତାଳାପରେ ଯେବେ ହେଳେ ।। ୩୨
ବୈକୁଣ୍ଠନାମ ଉଚ୍ଚାରଇ । ତାର କଳୁଷ ନ ରହଇ ।। ୩୩
ପତନ ସ୍ଖଳନ ଭଗ୍ନରେ । ନାନାପ୍ରକାରେ ଯେ ସୁମରେ ।। ୩୪
ତୁଣ୍ଡେ ଉଚ୍ଚାରେ ରାମନାମ । ତାହାକୁ ନ ଦଣ୍ଡଇ ଯମ ।। ୩୫
ଅଳ୍ପ ବହୁତ ପାପମାନ । ପ୍ରାୟଶ୍ଚିତ୍ତ ହିଁ ଯଥାକ୍ରମ ।। ୩୬
ପାପର ଗୁରୁ ଲଘୁ ଜାଣି । ମୁନି କହନ୍ତି ପରିମାଣି ।। ୩୭
ତପ ସମାଧି ଜପ ଦାନେ । ପାପ ନାଶନ୍ତି ମୁନିଜନେ ।। ୩୮
ପାପର ବୀଜ ନାଶ ନୋହି । ଚିତ୍ତ ନିର୍ମଳ ନୋହେ ତହିଁ ।। ୩୯
ଯେମନ୍ତେ ଶ୍ରୀହରି କୀର୍ତ୍ତନେ । ପାଦପଙ୍କଜ ସେବାଧ୍ୟାନେ ।। ୪୦
ଜ୍ଞାନେ ଅଜ୍ଞାନେ ଯେଉଁପ୍ରାଣୀ । ସ୍ମରଣ କରେ ଚକ୍ରପାଣି ।। ୪୧
ନାମ କରନ୍ତି ସଙ୍କୀର୍ତ୍ତନ । ପାପକୁ ନାଶନ୍ତି ବହନ ।। ୪୨
ଯେସନେ ବହୁ କାଷ୍ଠ ରାଶି । ଅନଳ ପ୍ରବେଶେ ବିନାଶି ।। ୪୩
ରୋ ଶରୀରେ ଉପଗତ । ହେଲେ ଔଷଧ ବଳବନ୍ତ ।। ୪୪
ଅଜ୍ଞାନେ ପ୍ରୟୋଗ ହୋଇଲେ । ତେମନ୍ତ ନାମ ଉଚ୍ଚାରିଲେ ।। ୪୫
ତେବେ ସେ ଆତ୍ମାଗୁଣୁ ତାର । ସେ କି ନ କରେ ଉପକାର ।। ୪୬
ଶୁକ କହନ୍ତି ଅନୁରାଗେ । ବିଷ୍ଣୁବରିତ ସୁଧାଭାଗେ ।। ୪୭

ଶୁକ ଉବାଚ

ବିଷ୍ଣୁଦୂତଙ୍କ ଧର୍ମବାଣୀ । କୃତାନ୍ତଦୂତମାନେ ଶୁଣି ।। ୪୮
ଅଜାମିଳକୁ ପାଶୁ ଫେଇ । ମୃତ୍ୟୁରୁ ଦେଲେ ବାହୁଡାଇ ।। ୪୯
ଯମର ଦୂତମାନେ ଗଲେ । ସ୍ୱାମୀଙ୍କି ସମସ୍ତ କହିଲେ ।। ୫୦
ପାଶରୁ ମୁକ୍ତ ଅଜାମିଳ । ଦେହ ଲଭିଲା ତତକାଳ ।। ୫୧
ବିନାଶି ସର୍ବଭୟ ତାର । ଶିରରେ ଦେଇ ବେନିକର ।। ୫୨
ବିଷ୍ଣୁଦୂତଙ୍କୁ ନମସ୍କାର । ଉଚ୍ଛୁକ ହୋଇଛି ମନର ।। ୫୩
ପ୍ରସନ୍ନମୁଖ ଦେଖି ତାର । ଜାଣିଲେ ବିଷ୍ଣୁର କିଙ୍କର ।। ୫୪
ତକ୍ଷଣେ ଅନ୍ତର୍ଦ୍ଧାନ ହୋଇ । ତାର ନିକଟୁ ଗଲେ ସେହି ।। ୫୫
ଗୁଣଆଶ୍ରିତ ବେଦସିଦ୍ଧ । ଯେ ଭାଗବତ-ଧର୍ମଶୁଦ୍ଧ ।। ୫୬
ଯମ-ବିଷ୍ଣୁଦୂତଙ୍କ ବାଣୀ । ଗୋବିନ୍ଦ-ଗୁଣ ବିପ୍ରମଣି ।। ୫୭
ତକ୍ଷଣେ ଚରଣାରବିନ୍ଦେ । ଭକ୍ତି ଲଭିଲା ଅପ୍ରମାଦେ ।। ୫୮
ଶ୍ରୀକୃଷ୍ଣ ଚରିତ ଶ୍ରବଣେ । ପୂର୍ବର ଅଶୁଭ ସ୍ମରଣେ ।। ୫୯
ମହାସନ୍ତାପ ମନେ କଲା । ତକ୍ଷଣେ ବିଷ୍ଣୁ ସୁମରିଲା ।। ୬୦
ଅହୋ ମୋହର ବଡ କଷ୍ଟ । ଅଜିତ ଇନ୍ଦ୍ରିୟ ମୁଁ ନଷ୍ଟ ।। ୬୧
ସୁକର୍ମ କଲି ମୋର କ୍ଷୀଣ । କଲି ମୁଁ ବୃଷଳୀ-ଗମନ ।। ୬୨
ଅଧର୍ମ ଆଚରଣ କରି । କାଟିଲି ଦିବସ-ଶର୍ବରୀ ।। ୬୩
ଧିକ ମୋହର ମନ୍ଦକୃତ୍ୟ । କୁଳରେ କଳଙ୍କ ବିଦିତ ।। ୬୪
ତେଜିଣ ନିଜ ପତ୍ନୀ ସତୀ । ରମିଲି ମୁଁ ନୀଚ ଅସତୀ ।। ୬୫
ବୃଦ୍ଧମୋହର ତାତମାତ । ମୋର ବିହୁନେ ଅରକ୍ଷିତ ।। ୬୬
ତପସ୍ୱୀରୂପେ ଥାନ୍ତି ବନେ । ତାଙ୍କୁ ତେଜିଲି ଅକାରଣେ ।। ୬୭
କି ଏ ଅର୍ଜିତକର୍ମ ମୋର । ନରକେ କଲି ନିଜଘର ।। ୬୮
ବିଧି ହୋଇଲା ବିଡମ୍ବନ । ଲଭିବି ନରକ ଦାରୁଣ ।। ୬୯
ଧର୍ମ-ହିଂସକ ପାପୀ ଯହିଁ । ନାନା-ଯାତନା ଭୁଞ୍ଜୁ ଥାଇ ।। ୭୦
କି ଏ ସ୍ୱପନ ଅଦଭୁତେ । ନୟନେ ଦେଖିଲି ସାକ୍ଷାତେ ।। ୭୧
ପାଶଦଉଡି ହସ୍ତେ କରି । ଯେ ମୋତେ ନେଉଥିଲେ ଧରି ।। ୭୨
ଏ ତ ଆଶ୍ଚର୍ଯ୍ୟ ବଡ ଏଣେ । କ୍ଷଣକେ ଚାଲିଗଲେ କେଣେ ।। ୭୩
ଏ ଅନ୍ତେ ସିଦ୍ଧ ଚାରିଜଣ । ତାଙ୍କର ରୂପ ମନୋରମ ।। ୭୪
ପାଶେ ବନ୍ଧନ ମୋତେ କରି । ଅଧୋଭୂମିକୁ ନେଉଁ ଧରି ।। ୭୫
ଛଡାଇ ଦେଲେ ଏହିକ୍ଷଣି । କ୍ଷଣକେ ଗଲେ କାହିଁ ପୁଣି ।। ୭୬
ମୁଁ ତ ଅଟଇ ପାପୀହୀନ । ମୋହର ଦେବ-ଦରଶନ ।। ୭୭
ଏଣୁ ହୋଇଲା ଏ ମଙ୍ଗଳ । ଆତ୍ମା ମୋ ହୋଇଲା ସୁଫଳ ।। ୭୮
ଅଶୁଚି ଦାସୀପତି ମୁହିଁ । ମୋ ତହୁଁ ପାପୀ ଅଛି କାହିଁ ।। ୭୯
ମୋହର ମରଣର କାଳେ । ନାମକୀର୍ତ୍ତନ ଅବହେଳେ ।। ୮୦
ଜିହ୍ୱା ମୋ କେମନ୍ତେ ବୋଇଲା । ଶ୍ରୀକୃଷ୍ଣ ମୋତେ ଦୟାକଲା ।। ୮୧
ମୁଁ କାହିଁ ଧୂର୍ତ୍ତ ପାପୀବର । ବିପ୍ରକୁଳର ଲଜ୍ଜାକର ।। ୮୨
ସର୍ବ ମଙ୍ଗଳର କାରଣ । ବୈକୁଣ୍ଠନାମ ଉଚ୍ଚାରଣ ।। ୮୩
କେମନ୍ତେ ବୋଇଲଇଁ ମୁହିଁ । ଦୟା ଯେ କଲେ ଭାବଗ୍ରାହୀ ।। ୮୪
ଇନ୍ଦ୍ରି-ଅଜିତ ମୁଁ ଅଟଇ । ଏମନ୍ତ କରିବଇଁ ମୁହିଁ ।। ୮୫
ଯେମନ୍ତେ ଆତ୍ମାଭୋଗ ଛାଡି । ବ୍ରହ୍ମଭାବରେ ରହେ ବୁଡି ।। ୮୬
ଅବିଦ୍ୟା-କାମକର୍ମୁ ଜନ୍ମ । ମୋଚନ କରି ଏ ବନ୍ଧନ ।। ୮୭
ସର୍ବଭୂତରେ ଶାନ୍ତ ହୋଇ । ଦୟା ବହିବି ଚିତ୍ତେ ମୁହିଁ ।। ୮୮
ଏ ମାୟାଗ୍ରସ୍ତ ମୋରମନ । ନିଶ୍ଚୟ କରିବି ମୋଚନ ।। ୮୯
ଯେଉଁ ମାୟାରେ ମୋହ ମୁହିଁ । କ୍ରୀଡା-କୁରଙ୍ଗ ପ୍ରାୟ ହୋଇ ।। ୯୦
ଦେହ ସମ୍ପଦ ମୋର ଯେତେ । ଅକ୍ଷୟ-ଦମ୍ଭ ଅବିରତେ ।। ୯୧
ଏହାଙ୍କୁ ତେଜି ଶୁଦ୍ଧମନ । କୃଷ୍ଣ ଚରଣେ ହେଉ ଲୀନ ।। ୯୨

ଶୁକଉବାଚ

ଏମନ୍ତେ ଜାତ ଦିବ୍ୟଜ୍ଞାନ । ଯେଣୁ ତା ସାଧୁ ଦରଶନ ।। ୯୩
ତେଜିଣ ସକଳ-ବନ୍ଧନ । ଗଙ୍ଗାଦ୍ୱାରକୁ ଆଗମନ ।। ୯୪
ଦେବସଦନେ ବିପ୍ର ଯାଇ । ନିଶ୍ଚଳ ମନେ ଯୋଗ ଧ୍ୟାୟି ।। ୯୫
ଇନ୍ଦ୍ରିୟ ନିଗ୍ରହ କରିଣ । ବ୍ରହ୍ମେ ନିବେଶି ସ୍ଥିରମନ ।। ୯୬
ସକଳ-ଗୁଣ ପରିହରି । ଆତ୍ମାକୁ ସମାଧିରେ ଧରି ।। ୯୭
ପରମବ୍ରହ୍ମେ ମନ ଦେଲା । ମନକୁ ତହିଁ ନିବେଶିଲା ।। ୯୮
ବ୍ରହ୍ମଭାବନେ ସ୍ଥିରମନ । ଦେଖିଲା ବିଷ୍ଣୁଦୂତମାନ ।। ୯୯
ପୂର୍ବେ ଯେ ରୂପ ଦେଖିଥିଲା । ପୁଣି ଦେଖନ୍ତେ ପ୍ରଣମିଲା ।। ୧୦୦
ଗଙ୍ଗାଜଳରେ ଦ୍ୱିଜବର । ତେଜିଲା ନିଜ କଳେବର ।। ୧୦୧
ତକ୍ଷଣେ ବିଷ୍ଣୁ ଦୂତପ୍ରାୟେ । ହୋଇଲା ତାର ଦିବ୍ୟକାୟେ । ୧୦୨
ବିଷୟ-ଦୁର୍ଗତି ଖଣ୍ଡନ । ବେଷ୍ଟିତ ହୋଇ ବିଷ୍ଣୁଗଣ ।। ୧୦୩
ହେମବିମାନ ଆରୋହିଲା । ତକ୍ଷଣେ ବିଷ୍ଣୁଲୋକେ ଗଲା ।। ୧୦୪
ଦାସୀପତି ପତିତକର୍ମ । ନଷ୍ଟ ତାହାର ସର୍ବଧର୍ମ ।। ୧୦୫
ବ୍ରତ-ବିହୀନ ନିନ୍ଦାଚାର । ନରକେ ପଡନ୍ତା ଶରୀର ।। ୧୦୬
ଈଶ୍ୱର-ନାମ-ଗ୍ରହଣରୁ । ତତ୍କାଳ ମୁକ୍ତି ନରକରୁ ।। ୧୦୭
ମୋକ୍ଷବାଞ୍ଛିତ ନରଙ୍କର । କୃଷ୍ଣକୀର୍ତ୍ତନୁ ନାହିଁ ପର ।। ୧୦୮
କର୍ମବନ୍ଧନର ଛେଦନ । ଏହାର ସମ ନାହିଁ ଆନ ।। ୧୦୯
ଯେ ମନରଜ-ତମେ ଥାଇ । କର୍ମେ ମଳିନ ସେ ହୁଅଇ ।। ୧୧୦
ପରମ ଗୁହ୍ୟ ଅଘ ନାଶ । ନାମ-ମାହାତ୍ମ୍ୟ ଇତିହାସ ।। ୧୧୧
ସେ ଯେବେ କୃଷ୍ଣନାମ ଧରେ । ଅଶେଷ-ପାତକ ନିବାରେ ।। ୧୧୨
ଶୁଣଇ ଶ୍ରଦ୍ଧାଯୁକ୍ତ ହୋଇ । ବଦନେ କୀର୍ତ୍ତନ କରଇ ।। ୧୧୩
ସେ ପ୍ରାଣୀ ନରକେ ନ ଯାଇ । ଯମଯାତନା ତାକୁ ନାହିଁ ।। ୧୧୪
ତେବେ ନିର୍ମଳ ପ୍ରାଣୀ ହୋଏ । ନିଶଙ୍କେ ବିଷ୍ଣୁଲୋକେ ରହେ ।। ୧୧୫
ଦେଖ ବ୍ରାହ୍ମଣ ପାପୀ ଥିଲା । ଅନ୍ତେ କୃଷ୍ଣଙ୍କୁ ସୁମରିଲା ।। ୧୧୬
ଦେଖି ନିକଟେ ତା ମରଣ । ପୁତ୍ରର ନାମ ନାରାୟଣ ।। ୧୧୭
ନାମକୁ ଆକୁଳେ ଉଚ୍ଚାରି । ଭବସାଗରୁ ହେଲା ପାରି ।। ୧୧୮
ସକଳ ପାପେ ଅଧିକାରୀ । ସେହି ଲଭିଲା ନରହରି ।। ୧୧୯
ସର୍ବ-ଦୁଷ୍କୃତ ତାର ଗଲା । ପରମପଦ ସେ ଲଭିଲା ।। ୧୨୦
ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେ । ତାର ମହିମା କେ ବିସ୍ତାରେ ।। ୧୨୧
ଶୁଣ ରାଜନ ପୁଣ୍ୟଆତ୍ମା । ଗୋବିନ୍ଦ-ନାମର ମହିମା ।। ୧୨୨
ନିଶ୍ଚଳଚିତ୍ତେ କୃଷ୍ଣଭଜ । ଏ ଭବବନ୍ଧମାୟା ତେଜ ।। ୧୨୩
ଶ୍ରୀକୃଷ୍ଣନାମର ମହିମା । ଶୁକ କହିଲେ ଗୁଣସୀମା ।। ୧୨୪
ସୁଜନେ ଏଣେ ଚିତ୍ତକର । ଏ ମାୟାବନ୍ଧନୁ ନିସ୍ତର ।। ୧୨୫
ବୋଲଇ ଦାସ ଜଗନ୍ନାଥ । ଷଷ୍ଠସ୍କନ୍ଧରେ ଭାଗବତ ।। ୧୨୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଷଷ୍ଠସ୍କନ୍ଧେ ଅଜାମିଳ ଉପାଖ୍ୟାନେ
ଦ୍ୱିତୀୟୋଽଧ୍ୟାୟଃ ।।

 

ତୃତୀୟ ଅଧ୍ୟାୟ

ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ନୃପବର ।। ୧

ପରୀକ୍ଷିତ ଉବାଚ

ଆପଣା ଦୂତ ବାକ୍ୟ ଶୁଣି । କି ବା ବୋଇଲେ ଦଣ୍ଡପାଣି ।। ୨
ଯମରାଜାର ଆଜ୍ଞାହତ । ଯେଣୁ ହୋଇଲା ବିପରୀତ ।। ୩
ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ।। ୪
ଯାହାର ବଶ ସର୍ବଜନେ । ଏ ତ ବିଚିତ୍ର ମୋର ମନେ ।। ୫
ଯମଦଣ୍ଡର ଭଗ୍ନ କାହିଁ । ପୂର୍ବେ ଶୁଣିଲା କେହି ନାହିଁ ।। ୬
ଏବେ ମୁଁ ଶୁଣିଲି ଅଦ୍‌ଭୁତ । ଭୋ ମୁନି କହିବା ତଦନ୍ତ ।। ୭
ତୁମ୍ଭର ତହୁଁ ଅନ୍ୟ କେହୁ । ସଂଶୟ ଛେଦିବ ମୋ ତହୁଁ ।। ୮

ଶୁକ ଉବାଚ

ବିଷ୍ଣୁଦୂତରେ ଯମଦୂତ । ଯେଣୁ ହୋଇଲେ ପରାଜିତ ।। ୯
ଯମର ଛାମୁରେ ମିଳିଲେ । ସକଳ ବାରତ କହିଲେ ।। ୧୦

ଯମଦୂତଉବାଚ

ସଂସାରେ ଜନ୍ତୁ ଛନ୍ତି ଯେତେ । ଏହାଙ୍କ ଶାସ୍ତି ଅବା କେତେ ।। ୧୧
ତ୍ରିବିଧକର୍ମ ଯେ କରନ୍ତି । କା ତହୁଁ ସେ ଫଳ ଭୁଞ୍ଜନ୍ତି ।। ୧୨
ଯେବେ ଏ ଅଖିଳଲୋକର । ଦଣ୍ଡର କରତା ଅପାର ।। ୧୩
କାହାର ମୃତ୍ୟୁ ଅବା କାହିଁ । ଅମୃତ ଅଛି ଅବା ନାହିଁ ।। ୧୪
କର୍ମର ବଶ ହୋଇ ଜନ୍ତୁ । ଶାସ୍ତି ଲଭନ୍ତି କର୍ମ-ହେତୁ ।। ୧୫
ତେଣୁ ଏ ଶାସ୍ତା ଏକଜଣ । ଯେହ୍ନେ ଦୁଷ୍ଟଶାସ୍ତା ରାଜନ ।। ୧୬
ଏଣୁ ଅଶେଷ-ଜନ୍ତୁଙ୍କର । ତୁମ୍ଭେ ଯେ ଶାସ୍ତା ଦଣ୍ଡଧର ।। ୧୭
ଈଶ୍ୱରମାନଙ୍କ ଈଶ୍ୱର । ଶୁଭ-ଅଶୁଭର ଠାକୁର ।। ୧୮
ତୁମ୍ଭର ଦଣ୍ଡ ଏବେ ନାହିଁ । ପାପିଷ୍ଠଜନଙ୍କର ତହିଁ ।। ୧୯
ଅଦ୍ଭୁତ-ସିଦ୍ଧ ଚାରିଜଣ । ତୁମ୍ଭଙ୍କୁ କଲେ ଅବଜ୍ଞାନ ।। ୨୦
ତୁମ୍ଭ ଆଦେଶ ଘେନି ଶିରେ । ଆମ୍ଭେ ଆଣୁଥିଲୁ ପାପୀରେ ।। ୨୧
ଯାତନାଗୃହକୁ ଆଣନ୍ତେ । ମୋଚନ କରିଣ ତୁରିତେ ।। ୨୨
ପାଶକୁ ଛେଦିଲେ ପ୍ରତ୍ୟକ୍ଷେ । ସେ ସିଦ୍ଧେ ଗଲେ ଅନ୍ତରୀକ୍ଷେ ।। ୨୩
ଆଣନ୍ତେ ସେ ପାପୀ ବ୍ରାହ୍ମଣ । ଆସି ମିଳିଲେ ସିଦ୍ଧଗଣ ।। ୨୪
ତାହାର ପୁତ୍ର ନାରାୟଣ । ଡାକିଲା ତା ନାମ ଧରିଣ ।। ୨୫
ଆମ୍ଭର ରୂପକୁ ଡରିଲା । ତେଣୁ ତା ବାଳକେ ଡାକିଲା ।। ୨୬
ବୋଇଲେ ସର୍ବପାପ ଗଲା । ଯେଣୁ ଏ ନାମ ଉଚ୍ଚାରିଲା ।। ୨୭
ତାହାଙ୍କୁ ଭୟମାନ ପାଇ । ଛାଡି ଯେ ଦେଲୁ ଦଣ୍ଡସାଇଁ ।। ୨୮
ଶୁଣିବା କ୍ଷମ ହେଉଁ ଯେବେ । ଏ କଥା କହ ପ୍ରଭୁ ତେବେ ।। ୨୯
ଯେ କ୍ଷଣେ ସେ ପାପୀ ଦୁର୍ଜନ । ଉଚ୍ଚାର କଲା ନାରାୟଣ ।। ୩୦
ତକ୍ଷଣେ ଆସି ସେ ମିଳିଲେ । ଭୟ ନ କର ହୋ ବୋଇଲେ ।। ୩୧

ଶୁକ ଉବାଚ

ଦୂତଙ୍କ ବାକ୍ୟ ଶୁଣି ଯମ । ଆନନ୍ଦେ ହରଷବଦନ ।। ୩୨
ଶ୍ରୀକୃଷ୍ଣ-ଅଭୟଚରଣ । ତକ୍ଷଣେ କରି ସୁମରଣ ।। ୩୩
ଅତ୍ୟନ୍ତ ପ୍ରୀତ ହୋଇ ମନେ । ବୋଲନ୍ତି ଶୁଣ ଭୃତ୍ୟଗଣେ ।। ୩୪

ଯମ ଉବାଚ

ମୋ ତହୁଁ ଅନ୍ୟ ଶ୍ରେଷ୍ଠ ପୁଣ । ଜଗତ ଯାହାର ଭିଆଣ ।। ୩୫
କାର୍ପାସୁ ଯେହ୍ନେ ବସ୍ତ୍ର ହୋଇ । ବିଶ୍ୱ ତେମନ୍ତ ତାର ତହିଁ ।। ୩୬
ଯାହାଙ୍କ ଅଂଶରୁ ଜଗତ । ଜନ୍ମ ପାଳନ ପୁଣି ହତ ।। ୩୭
ଯାହାର ନାମ-ତତ୍ତ୍ବଗୁଣ । ବନ୍ଧନ କରେ ପ୍ରାଣୀମନ ।। ୩୮
ରଜ୍ଜୁରେ ଯେହ୍ନେ ଗୋରୁ ଥାଇ । କେଣିକି ନ ପାରଇ ଯାଇ ।। ୩୯
ନିୟମ-ଡ଼ୋରେ ତାହାଙ୍କର । ବନ୍ଧା ହୋଇଛି ଚରାବର ।। ୪୦
ନାନା କର୍ମରେ ବନ୍ଧା ହୋଇ । ଜଗତ ଯାହାକୁ ସେବଇ ।। ୪୧
ମୁହିଁ ମହେନ୍ଦ୍ର ନଈଋତି । ବରୁଣ ଆଦି ଦିଗପତି ।। ୪୨
ସୋମ ଅନଳ ମହେଶ୍ୱର । ପବନ ବ୍ରହ୍ମା ଦିବାକର ।। ୪୩
ବିଶ୍ୱେଦେବା ଯେ ବସୁ ଯେତେ । ରୁଦ୍ର ମରୁଦ୍‌ଗଣ ସହିତେ ।। ୪୪
ସିଦ୍ଧ କିନ୍ନର ସାଧ୍ୟ କରି । ସଂସାରେ ଯେତେ ଅଧିକାରୀ ।। ୪୫
ସଂସାରକର୍ତ୍ତା ଆଉ ଯେତେ । ଭୃଗୁ ଆଦି ଋଷି ସହିତେ ।। ୪୬
ଏ ଆଦି ଯେତେକ କହିଲୁଁ । ତାହାର ମାୟା ନ ଜାଣିଲୁଁ ।। ୪୭
କେ ବା ଜାଣିବ ତା ମହିମା । ପ୍ରଭୁର ନାମ ଗୁଣ ସୀମା ।। ୪୮
ଇନ୍ଦ୍ରି ହୃଦୟ ବାକ୍ୟ ମନେ । ଯାହାକୁ ନ ଜାଣନ୍ତି ଜନେ ।। ୪୯
ସର୍ବ ଶରୀରେ ଆତ୍ମାରୂପ । ଯେ ଇନ୍ଦ୍ରିୟଙ୍କର ଅଧିପ ।। ୫୦
ସେ ପ୍ରଭୁ ଆତ୍ମାତନ୍ତ୍ରେ ଥାଇ । ସଂସାର ଚେଷ୍ଟା ସେ କରଇ ।। ୫୧
ତାହାର ଦୂତଗଣେ କରି । ତାହାର ରୂପ-ଗୁଣ ଧରି ।। ୫୨
ସଂସରେ ନିର୍ଭୟେ ବିହରେ । ହେଳେ ଅଶେଷ ପ୍ରାଣୀ ତାରେ ।। ୫୩
ଦେବେ ପୂଜିତ ତେଜଯୁକ୍ତ । ଅଦି ଅଦ୍ଭୁତ ବିଷ୍ଣୁଦୂତ ।। ୫୪
ଭକ୍ତିମନ୍ତ ପ୍ରାଣୀମାନଙ୍କୁ । ଶତ୍ରୁ ସକାଶରୁ ତାହାଙ୍କୁ ।। ୫୫
ଆମ୍ଭଭୟରୁ ସେ ରଖନ୍ତି । ସର୍ବତ୍ର ସ୍ଥାନେ ବିରାଜନ୍ତି ।। ୫୬
ବିଷ୍ଣୁ ବିଷୟେ ଯେଉଁ ଧର୍ମ । ଅଜ୍ଞାତ ଦେବ ଋଷିଗଣ ।। ୫୭
ସିଦ୍ଧ ଅସୁର ଯେ ଚାରଣ । ମନୁଷ୍ୟ ବିଦ୍ୟାଧରମାନ ।। ୫୮
ଏ ସର୍ବେ ଜାଣିବେ କେମନ୍ତ । ଯାହାର ମହିମା ଅନନ୍ତ ।। ୫୯
ସ୍ୱୟମ୍ଭୁ ନାରଦ କୁମାର । ଶିବ କପିଳ ମନୁବର ।। ୬୦
ପ୍ରହଲ୍ଲାଦ ଭୀଷ୍ମ ଜନକ । ମୁହିଁ ଦ୍ୱାଦଶ ବଳି ଶୁକ ।। ୬୧
ହେ ଦୂତେ ଶୁଣ ମୋର ବାଣୀ । ବିଷ୍ଣୁ ଭକତି ଏତେ ଜାଣି ।। ୬୨
ଗୁପତ ବିଶୁଦ୍ଧ ଦୁର୍ବୋଧ୍ୟ । ଯେ ଧର୍ମ ଜାଣି ମୃତ୍ୟୁ ଛେଦ ।। ୬୩
କୃଷ୍ଣଚରଣେ ଯାର ମନ । ସଂସାରେ ଶ୍ରେଷ୍ଠ ସେହୁ ଜନ ।। ୬୪
ନାମ ଉଚ୍ଚାରନ୍ତି ଯେ ବାରେ । ଶ୍ରୀକୃଷ୍ଣଭକ୍ତ ବୋଲି ତାରେ ।। ୬୫
ଭାଗବତ ଯେ ବିଷ୍ଣୁବାଣୀ । ପରମଧର୍ମ ପରିମାଣି ।। ୬୬
ହେ ଦୂତେ ଗୋବିନ୍ଦର ନାମ । ମହିମା ଦେଖ ଉଚ୍ଚାରିଣ ।। ୬୭
ଅଜାମିଳହିଁ ଯେ ନାମରୁ । ମୁକ୍ତ ହେଲା ମୃତ୍ୟୁ ପାଶରୁ ।। ୬୮
ଏ ତ ଅକର୍ମ କରୁଥାଇ । କୃଷ୍ଣ ତା ଗତି ନ ଜାଣଇ ।। ୬୯
ତେଣୁ ପେଷିଲି ଦୂତ ତାରେ । ଏବେ ପଶିଲା ଶ୍ରୀପୟରେ ।। ୭୦
ତୁମ୍ଭଙ୍କୁ ଦେଖି ଭୟ କଲା । ନାରାୟଣ ବୋଲି ବୋଇଲା ।। ୭୧
ତକ୍ଷଣେ ସର୍ବପାପ ଗଲା । ମୋ ପାଶୁ ମୁକତ ହୋଇଲା ।। ୭୨
ଯଜ୍ଞାଦି କରି ମୂଢମତି । ନାନା କର୍ମରେ ପ୍ରବର୍ତ୍ତନ୍ତି ।। ୭୩
ନାମ ମହିମା ନ ଜାଣନ୍ତି । ବିଷ୍ଣୁମାୟାରେ ମୋହି ହୋନ୍ତି ।। ୭୪
ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ । ପ୍ରାଣୀଙ୍କ ପାପ ବିମୋଚନ ।। ୭୫
ଏମନ୍ତେ ଯେ ପ୍ରାଣୀ ପଣ୍ଡିତ । କୃଷ୍ଣ ସୁମରେ ଅବିରତ ।। ୭୬
ତାହାଙ୍କୁ ମୋର ଦଣ୍ଡ ନାହିଁ । ପାତକ ଯେତେ ତାଙ୍କ ଥାଇ ।। ୭୭
ସକଳ ପାପ ହୋଏ ଭଙ୍ଗ । ଯେଣୁ ଈଶ୍ୱର ପରସଙ୍ଗ ।। ୭୮
ସମଦରଶୀ ସାଧୁଜନ । ଯେମାନେ ବିଷ୍ଣୁପରାୟଣ ।। ୭୯
ଦେବତା ସିଦ୍ଧ ତାହାଙ୍କର । ଯଶ କରନ୍ତି ସୁବିସ୍ତାର ।। ୮୦
ପରମଈଶ୍ୱର ଗଦାରେ । ରକ୍ଷିତ ହୁଅନ୍ତି ସେନରେ ।। ୮୧
ତାହାଙ୍କ ଦଣ୍ଡରେ ମୋହର । କେବେହେଁ ନାହିଁ ଅଧିକାର ।। ୮୨
ମୁକୁନ୍ଦପାଦ-ଅରବିନ୍ଦ । ନିତ୍ୟେ ସ୍ରବଇ ମକରନ୍ଦ ।। ୮୩
ତହିଁ ବିମୁଖ ଯେଉଁଜନ । ତାହାଙ୍କୁ କରିଣ ବନ୍ଧନ ।। ୮୪
ଆଣି ତାହାଙ୍କୁ ମୋ ଅଗ୍ରତେ । ଯାତନା ଦେବ ଅବିରତେ ।। ୮୫
ନିର୍ଲୋଭ ଯେ ପରମହଂସ । ତାହାଙ୍କୁ ନ କରି ଜିଂଘାସ ।। ୮୬
ଗୃହବନ୍ଧନେ ମନ ଦେଇ । ନିତ୍ୟେ ଅସାଧୁ ସଙ୍ଗେ ଥାଇ ।। ୮୭
ଜିହ୍ୱାରେ ନ ବୋଲଇ ନାମ । ନ ଚିନ୍ତେ ହରିପାଦପଦ୍ମ ।। ୮୮
କୃଷ୍ଣର ପାଦେ ଚିତ୍ତ ଦେଇ । କେବେହେଁ ସ୍ତୁତି ନ କରଇ ।। ୮୯
ବିଷ୍ଣୁର କର୍ମରେ ବର୍ଜିତ । ନିରତେ କୁସଙ୍ଗେ ଆଶ୍ରିତ ।। ୯୦
ଏମନ୍ତ ଭାବେ ଯେତେ ପ୍ରାଣୀ । ଯାତନା ଦିଅ ତାଙ୍କୁ ଆଣି ।। ୯୧
ଏମନ୍ତ ଦୂତ ଆଗେ କହି । ଯମ କହନ୍ତି କୃଷ୍ଣଧ୍ୟାୟି ।। ୯୨
ମୋର ଦୂତଙ୍କ ଅପରାଧ । କ୍ଷମା କରିବା ପଦ୍ମପାଦ ।। ୯୩
ଶ୍ରୀହରି ପୁରୁଷ ପୁରାଣ । କ୍ଷମା କରନ୍ତୁ ନାରାୟଣ ।। ୯୪
ପଣ୍ଡିତେ ଯାର ପଦ୍ମପାଦେ । ସେବନ୍ତି ନିତ୍ୟେ ଅପ୍ରମାଦେ ।। ୯୫
ତାହାଙ୍କୁ ମୋର ନମସ୍କାର । ଏ ଅପରାଧ କ୍ଷମା କର ।। ୯୬

ଶୁକ ଉବାଚ

ଏଣୁଟି ହରି ସଙ୍କୀର୍ତ୍ତନ । ଜଗତ ମଙ୍ଗଳ କାରଣ ।। ୯୭
ମହତ ଲୋକମାନଙ୍କର । ଏକାନ୍ତଭକ୍ତି ନୃପବର ।। ୯୮
ଈଶ୍ୱର ଉଦ୍ଦାମ ଚରିତ । ଶୁଣି ଗାବନ୍ତି ଅବିରତ ।। ୯୯
ଶ୍ରୀକୃଷ୍ଣ ପାଦପଙ୍କଜରେ । ଯେ ନିତ୍ୟେ ମଧୁପାନ କରେ ।। ୧୦୦
ଯେ ପ୍ରାଣୀ ମାୟାବନ୍ଧ ମୋହେ । ନ ପଡେ ଯାତନା ସମୂହେ ।। ୧୦୧
ଯେ ଜନ ଲୋଭମୋହେ ପଡି । ରଜତମରେ ଥାଇ ଜଡ଼ି ।। ୧୦୨
ତାହାର ପୁନଃପୁନଃ ହୋଇ । ରଜତାମସ ଉପୁଜଇ ।। ୧୦୩
ଏମନ୍ତ ଯମବାକ୍ୟ ଶୁଣି । ବିଷ୍ଣୁମହିମା ପରିମାଣି ।। ୧୦୪
ଯମକିଙ୍କର ଭୟଚିତ୍ତ । ବୋଲନ୍ତି ଏ କି ବିପରୀତ ।। ୧୦୫
ଗୋବିନ୍ଦ ଆଶ୍ରେ ଯେତେ ଜନେ । ତାହାଙ୍କୁ ଭୟକଲେ ମନେ ।। ୧୦୬
ସେ ଦିନଠାରୁ ହେ ରାଜନ । ଦେଖିଲେ ଭୟେ ହୋନ୍ତି ଛନ୍ନ ।। ୧୦୭
ମଳୟଗିରିତଟେ ବସି । କୃଷ୍ଣ-ମହିମା ପରଶଂସି ।। ୧୦୮
କହିଲେ କୁମ୍ଭଜନ୍ମମୁନି । ଗୁପତ ଇତିହାସ ବାଣୀ ।। ୧୦୯
ସୁଜନେ ଶୁଣି ଚିତ୍ତେ ଧର । ଶ୍ରୀକୃଷ୍ଣନାମ ଆଶ୍ରେ କର ।। ୧୧୦
ଦାସ ଜଗନ୍ନାଥ ବୋଲଇ । କୃଷ୍ଣମହିମା ଯମ କହି ।। ୧୧୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଯମପୁରୁଷ
ସମ୍ବାଦେ ତୃତୀୟୋଽଧ୍ୟାୟଃ ।।

 

ଚତୁର୍ଥ ଅଧ୍ୟାୟ

ପରୀକ୍ଷିତ ଉବାଚ

ଦେବ ଅସୁର ନର ନାଗ । ତୁମ୍ଭେ କହିଲ ମହାଭାଗ ।। ୧
ମୃଗ-ପକ୍ଷୀଙ୍କ ସୃଷ୍ଟି ଯେତେ । କହିଲ ମୋହର ଅଗ୍ରତେ ।। ୨
ଯେତେ ସ୍ୱୟମ୍ଭୁ-ମନ୍ୱନ୍ତରେ । ସଂକ୍ଷେପେ କହିଲ ମୋହରେ ।। ୩
ସେ ମନ୍ୱନ୍ତରେ ଭଗବାନ । ଯେ ଅନୁସର୍ଗର ବିଧାନ ।। ୪
ଯେମନ୍ତ ଆତ୍ମାଶକ୍ତି ଘେନି । ସର୍ଜିଲେ ପ୍ରଭୁ ଅନ୍ତର୍ଯ୍ୟାମୀ ।। ୫
ସେକଥା ଶୁଣିବାକୁ ମୋର । ଶ୍ରଦ୍ଧା ବଳିଲା ମୁନିବର ।। ୬

ସୂତ ଉବାଚ

ରାଜାର ପ୍ରଶ୍ନ ଶୁଣି କର୍ଣ୍ଣେ । ଆନନ୍ଦେ ହରଷ ବଦନେ ।। ୭
ଭୋ ମୁନିଗଣେ ଶୁଣ ତାହା । ନୃପେ କହିଲେ ଶୁକ ଯାହା ।। ୮
ଚିତ୍ତେ ଶ୍ରୀକୃଷ୍ଣପଦ ଧ୍ୟାୟି । କହନ୍ତି ରାଜା ମୁଖ ଚାହିଁ ।। ୯

ଶୁକ ଉବାଚ

ବୋଲନ୍ତି ଶୁଣ ହୋ ରାଜନ । ଈଶ୍ୱର ସୃଷ୍ଟିର ବିଧାନ ।। ୧୦
ଯେବେ ପ୍ରଚେତା ଭାଇଦଶ । ସମୁଦ୍ରୁ ଉଠି ଦଶଦିଶ ।। ୧୧
ଚାହିଁଲେ ବହୁ ଦ୍ରମୁମାନ । ପୃଥିବୀ କଲା ଆଚ୍ଛାଦନ ।। ୧୨
ବୃକ୍ଷମାନଙ୍କୁ ଦେଖି ଡୋଳେ । ତପେ ଦୀପିତ କୋପାନଳେ ।। ୧୩
ମୁଖରୁ ଅଗ୍ନି-ବାୟୁ ଦୁଇ । ସର୍ଜିଲେ ବୃକ୍ଷକ୍ଷୟ ପାଇଁ ।। ୧୪
ପବନ-ଅଗ୍ନିରେ ଦହନ । ବୃକ୍ଷେ ହୋଇଲେ ଯହୁଁ କ୍ଷୀଣ ।। ୧୫
ତା ଦେଖି ଶୁଣ ପରୀକ୍ଷିତ । ଚନ୍ଦ୍ର ହୋଇଲେ ଉପଗତ ।। ୧୬
କ୍ରୋଧ-ସାନ୍ତ୍ୱନା କରିବାରେ । ତାଙ୍କୁ ବୋଇଲେ ସୁଧାକରେ ।। ୧୭
ଭୋ ସ୍ୱାମୀମାନେ ତୁମ୍ଭେ ଶୁଣ । ବୃକ୍ଷେ ହୋଇଲେ ଅତି କ୍ଷୀଣ ।। ୧୮
ଦହନ ନ କରଟି ଆର । ତୁମ୍ଭେ ଯେ ପତି ପ୍ରଜାଙ୍କର ।। ୧୯
ପ୍ରଜାପତିଙ୍କ ପତି ହରି । ଅବ୍ୟୟ ପୁରୁଷ ମୁରାରି ।। ୨୦
ଔଷଧି ବନସ୍ପତି ଯେତେ । ତାର ସଞ୍ଚିଲା ଏ ଜଗତେ ।। ୨୧
ସଂସାରେ ଭକ୍ଷ୍ୟ ଭୋଜ୍ୟ ଅନ୍ନ । ସେ ବିଭୁ କରିଛି ସର୍ଜନ ।। ୨୨
ଚର-ଅଚର ଆଦି ଯେତେ । ପାଦ-ଅପାଦର ସହିତେ ।। ୨୩
ଅହସ୍ତ-ହସ୍ତଯୁକ୍ତ ଯେହୁ । ଦ୍ୱିପଦ-ଚତୁଷ୍ପଦ କେହୁ ।। ୨୪
ତୁମ୍ଭେ ଏ ସକଳେ ସର୍ଜିବ । ସଂସାରେ ଛନ୍ତି ଯେତେ ଜୀବ ।। ୨୫
ପ୍ରଜାର ସୃଷ୍ଟି କରିବାରେ । ଯେଣୁ ଅଇଲ ଏ ସଂସାରେ ।। ୨୬
ମୋ ବାଣୀ ଶୁଣ ସାବଧାନ । ଦହନ ନ କର ଏ ବନ ।। ୨୭
ପିତା ପିତାମହ ତୁମ୍ଭର । ସେବିତ ପ୍ରପିତାମହର ।। ୨୮
ନ କର ସତ୍ୟ ମାଗ୍ୟ ଦୂର । କ୍ରୋଧ ଅନଳ ଦୂରକର ।। ୨୯
ବାଳକ-ବନ୍ଧୁ ପିତାମାତା । ନୟନ-ବନ୍ଧୁ ଲୋମପତା ।। ୩୦
ଭିକ୍ଷୁକ-ବନ୍ଧୁ ଗୃହୀଜନ । ଅଜ୍ଞର ବନ୍ଧୁ ସୁଜ୍ଞଜନ ।। ୩୧
ସ୍ତିରୀର ବନ୍ଧୁ ସ୍ୱାମୀ ନିଜ । ପ୍ରଜାର ବନ୍ଧୁ ମହାରାଜ ।। ୩୨
ଜୀବର ହୃଦଗତେ ହରି । ଅଛନ୍ତି ଆତ୍ମରୂପ ଧରି ।। ୩୩
ସେ ସର୍ବ ସମାନ ଦେଖଇ । ତାହାର ଜ୍ଞାନୀ ବୋଲି କହି ।। ୩୪
କ୍ରୋଧକୁ ଜିଣେ ଯେଉଁ ନର । ସେ ଜାଣ ତ୍ରିଗୁଣୁଁ ବାହାର ।। ୩୫
ଅନନ୍ତ ଗୁଣ ବୋଲି ତାରେ । ନିର୍ଭୟେ ବୁଲଇ ସଂସାରେ ।। ୩୬
କଲ୍ୟାଣ ହୋଇବ ତୁମ୍ଭର । ଶେଷ ଦ୍ରୁମଙ୍କୁ ରକ୍ଷା କର ।। ୩୮
ବୃକ୍ଷ-ପାଳିତ ଯେଉଁ କନ୍ୟା । ସେ ହେଉ ତୁମ୍ଭ ମନୋରମା ।। ୩୯
ଏତେକ କହି ରାଜା ସୋମ । ଆନନ୍ଦେ ହରଷ ବଦନ ।। ୪୦
କନ୍ୟାକୁ ଆଣି ତାଙ୍କୁ ଦେଲେ । ହରଷେ ନିଜପୁରେ ଗଲେ ।। ୪୧
ସେମାନେ କନ୍ୟା ପ୍ରାପ୍ତ ହୋଇ । ବିବାହ ହେଲେ ଦୟାବହି ।। ୪୨
ତାହାଙ୍କ ବୀର୍ଯ୍ୟେ ସେ କନ୍ୟାର । ଜନ୍ମିଲେ ଦକ୍ଷ ବେଦବର ।। ୪୩
ଯାହାର ପ୍ରଜାର ସର୍ଜନେ । ପ୍ରଜା ପୂରିଲେ ତ୍ରିଭୁବନେ ।। ୪୪
ଏମନ୍ତେ ଦକ୍ଷପ୍ରଜାପତି । ସର୍ଜିଲେ ସର୍ବଭୂତସ୍ଥିତି ।। ୪୫
ମାନସେ ବୀଜେ ଅବା ଯାହା । ସର୍ଜିଲେ ଶୁଣ କହୁଁ ତାହା ।। ୪୬
ପ୍ରଥମେ ମନୁଁ କଲା ଜାତ । ସେ ପ୍ରଜାପତି ଲୋକନାଥ ।। ୪୭
ଦେବ ଅସୁର ନର ଆଦି । ଆକାଶ ଜଳ ସ୍ଥଳ ସିଦ୍ଧି ।। ୪୮
ପ୍ରଜା ଅବୃଦ୍ଧି ଦେଖି ଦକ୍ଷ । ମନରେ କଲେ ଅତି ଦୁଃଖ ।। ୪୯
ବିନ୍ଧ୍ୟପର୍ବତକୁ ସେ ଯାଇ । ତପ ଆରମ୍ଭକଲେ ତହିଁ ।। ୫୦
ତକ୍ଷଣେ କରି ଆଚମନ । ଯେ ତୀର୍ଥ ଅଘମରଷଣ ।। ୫୧
ଯାହାର ଜଳ ସ୍ପରଶରେ । ସକଳ ପାପ ଯାଇ ଦୂରେ ।। ୫୨
ତହିଁ ବସିଲେ ତପ କରି । ତୋଷିଲେ ପ୍ରଭୁ ନରହରି ।। ୫୩
ଏହି ସ୍ତବରେ କଲେ ସ୍ତୁତି । ଯେଣେ ପ୍ରସନ୍ନ ଶିରୀପତି ।। ୫୪

ପ୍ରଜାପତି ଉବାଚ

ନମସ୍ତେ ପ୍ରଭୁ ଆଦି ଧାତା । ଜୀବ-ମାୟା ଯେ ନିୟନ୍ତା ।। ୫୫
ଅଦୃଷ୍ଟ ଯାହାର ମହିମା । ଗୁଣ-ବୁଦ୍ଧିରେ ନୋହେ ସୀମା ।। ୫୬
ଯାହାର ଆଜ୍ଞାରେ ଜଗତ । ନମସ୍ତେ ପ୍ରଭୁ ଆଦିଭୂତ ।। ୫୭
ଯାହାର ସଖା ଅଟେ ଜୀବ । ନ ଜାଣେ ତାହାର ପ୍ରଭାବ ।। ୫୮
ଏ ଦେହେ ସମାନ ବସଇ । ତଥାପି ଜୀବ ନ ଜାଣଇ ।। ୫୯
ସଂସାରେ ଅଛି ପୂର୍ଣ୍ଣ ହୋଇ । ଯାହାର ଶତ୍ରୁ-ମିତ୍ର ନାହିଁ ।। ୬୦
ଯାର ଚରିତ ଅସମ୍ଭବ । ନମସ୍ତେ ପ୍ରଭୁ ସ୍ୱୟମ୍ଭୁବ ।। ୬୧
ପ୍ରକାଶ ଇନ୍ଦ୍ରିୟ ଗଣର । ଯେହ୍ନେ ବିଷୟ ଅଗୋଚର ।। ୬୨
ଗୁଣର ଗୁଣ ପ୍ରାୟେ ହୋଇ । ସେ ମହେଶ୍ୱରଙ୍କୁ ନମଇଁ ।। ୬୩
ଦେହ ଇନ୍ଦ୍ରିୟ ପ୍ରାଣ ମନ । ଯେ ଭୂତ ମାତ୍ରାଦି ପଞ୍ଚମ ।। ୬୪
ଏମାନେ ନିଜ ସ୍ୱରୂପକୁ । ନ ଜାଣେ କେହି ଯେ କାହାକୁ ।। ୬୫
ଜୀବ ଯେ ଏ ସର୍ବ ଜାଣଇ । ସେ ଜୀବ ଯାକୁ ନ ଜାଣଇ ।। ୬୬
ସର୍ବଜ୍ଞ ଅନନ୍ତ ଅଟଇ । ତାହାଙ୍କୁ ଦଣ୍ଡବତ ମୁହିଁ ।। ୬୭
ଯାହାର ଗୁଣ ଏ ସଂସାରେ । ଶ୍ରୁତି ସ୍ମୃତିରେ ଅଗୋଚରେ ।। ୬୮
ସକଳ ଭୂତରେ ଯେ ଥାଇ । ତାହାକୁ କେହି ନ ଜାଣଇ ।। ୬୯
ସମାଧିଯୋଗେ ଦୃଷ୍ଟି ସ୍ମୃତି । ବିନାଶେ ଯେ ହୋଏ ପ୍ରତୀତି ।। ୭୦
କେବଳ ସ୍ୱରୂପ-ଜ୍ଞାନରେ । ଅଶେଷ ଘଟେ ଯେହୁ ପୂରେ ।। ୭୧
ଯେ ହଂସ ଶୁଦ୍ଧଚିତ୍ତ ଘର । ତାହାଙ୍କୁ ମୋର ନମସ୍କାର ।। ୭୨
ହୃଦପଦ୍ମରେ ଯାକୁ ଧରି । ପଣ୍ଡିତେ ତପକୁ ଆଚରି ।। ୭୩
ସର୍ବବିଷୟା ମାୟା ଯାର । ନିଃଶେଷମୋକ୍ଷ ସୁଖଘର ।। ୭୪
ସର୍ବସ୍ୱରୂପ ସର୍ବନାମ । ସକଳ ଯାହାର ଭିଆଣ ।। ୭୫
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବ କାରଣ ଭଗବାନ ।। ୭୬
ଭଜନ କରନ୍ତି ଯେ ଜନେ । ବୁଦ୍ଧି ଇନ୍ଦ୍ରିୟର ବଚନେ ।। ୭୭
ଯେ ପ୍ରଭୁ ଏଥୁଁ ଅଗୋଚର । ତାହାଙ୍କୁ ମୋର ନମସ୍କାର ।। ୭୮
ଯାହା ଠାବରେ ଯାହା ତହୁଁ । ଯେ ସର୍ବରୂପ ଏକ ଦେହୁ ।। ୭୯
ସେ କାର୍ଯ୍ୟ କରାଇ କରଇ । ତାହାର ତହୁଁ ଆନ ନାହିଁ ।। ୮୦
ପରମ ପରେ ଯେହୁ ପର । ଆଦ୍ୟହୁଁ ସିଦ୍ଧ ଯେ ଈଶ୍ୱର ।। ୮୧
ଏମନ୍ତ ଯେହୁ ପରଂବ୍ରହ୍ମ । ତାହାଙ୍କୁ ନମସ୍କାର ମମ ।। ୮୨
ନିଜ ଶକ୍ତିମାନେ ଯାହାର । ବକତାବାଦୀମାନଙ୍କର ।। ୮୩
ବିବାଦ-ବିସମ୍ବାଦେ କରି । ପ୍ରାଣୀମାନଙ୍କ ଚିତ୍ତହରି ।। ୮୪
ଏମନ୍ତ ଅନନ୍ତ ଯା ଗୁଣ । ନମଇଁ ତାହାର ଚରଣ ।। ୮୫
ସଂସାରେ ଅସ୍ତି ନାସ୍ତି ଯେତେ । ବସ୍ତୁର ନିଷ୍ଠା ଏହିମତେ ।। ୮୬
ସାଂଖ୍ୟଯୋଗରେ ପ୍ରବର୍ତ୍ତିତ । ସେ ସମ ଅଳପ ବହୁତ ।। ୮୭
ଭିନ୍ନ ବିରୁଦ୍ଧ-ଧର୍ମ ସେହି । ତା ବିନୁ ଆନ କେହି ନାହିଁ ।। ୮୮
ପଦ୍ମପାଦରେ ଯେ ଭଜଇ । ତାହାର ଅନୁଗ୍ରହ ପାଇ ।। ୮୯
ଜନ୍ମଇ ନାମ-ରୂପ ଧରି । ଶରୀର ବହଇ ଯେ ହରି ।। ୯୦
ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ । ସର୍ବକାରଣ ଭଗବାନ ।। ୯୧
ସ୍ୱକୃତଜ୍ଞାନ ପଥେ କରି । ସେ ପ୍ରଭୁ ସର୍ବଘଟେ ପୂରି ।। ୯୨
ଶୋଭା ପାଉଛି ଅନୁକ୍ଷଣ । ଅଖିଳ-ପ୍ରାଣ-ନାରାୟଣ ।। ୯୩
ପୃଥିବୀଗୁଣକୁ ବସାଇ । ଅନିଳ ଯେସନେ ବହଇ ।। ୯୪
ସେ ପ୍ରଭୁ ମହିମା ଏମନ୍ତ । ପୂର୍ଣ୍ଣ-ମୋ କରୁ ମନୋରଥ ।। ୯୫

ଶୁକ ଉବାଚ

ଏମନ୍ତେ ଦକ୍ଷ-ସ୍ତୁତି ଶୁଣି । ପ୍ରସନ୍ନ ହେଲେ ଚକ୍ରପାଣି ।। ୯୬
ତକ୍ଷଣେ ଅଘମରଷଣ । ଆସି ମିଳିଲେ ନାରାୟଣ ।। ୯୭
ଶୁଣ ହେ କୁରୁ ନୃପବର । ଭକ୍ତବତ୍ସଳ ଚକ୍ରଧର ।। ୯୮
ଆରୋହି ଯାନ ଖଗରାଜ । ଲମ୍ବ ସୁନ୍ଦର ଅଷ୍ଟଭୁଜ ।। ୯୯
ଶଙ୍ଖ ଚକ୍ର ଚର୍ମ ଖଡଗ । ଗଦା ଅସି ପାଶ ଶାରଙ୍ଗ ।। ୧୦୦
ଧରିଣଛନ୍ତି ଅଷ୍ଟକର । ଅଦ୍ଭୂତ ରୂପ ମନୋହର ।। ୧୦୧
ପୀତବସନ ଘନଶ୍ୟାମ । ବଦନ ଇକ୍ଷଣ ପ୍ରସନ୍ନ ।। ୧୦୨
ନିବିଡଅଙ୍ଗେ ବନମାଳ । ଶୋଭିତ ମକରକୁଣ୍ଡଳ ।। ୧୦୩
ଶ୍ରୀବତ୍ସ› କଉସ୍ତୁଭ ସାଜେ । କିରୀଟ କଙ୍କଣ ବିରାଜେ ।। ୧୦୪
କାଞ୍ଚି ଅଙ୍ଗଦ ରତ୍ନମୁଦି । ବଳୟ ନୂପୁର ପ୍ରସିଦ୍ଧି ।। ୧୦୫
ରୂପ ତ୍ରୈଲୋକ୍ୟ ମନୋହର । ଧରିଣ ବ୍ରହ୍ମାଣ୍ଡଠାକୁର ।। ୧୦୬
ନନ୍ଦ-ସୁନନ୍ଦ ଆଦି ଯେତେ । ବେଷ୍ଟିତ ହୋଇଣ ସମସ୍ତେ ।। ୧୦୭
ବିଷ୍ଣୁଙ୍କୁ କରନ୍ତି ଭଜନ । ସିଦ୍ଧ ଗନ୍ଧର୍ବ ଯେ ଚାରଣ ।। ୧୦୮
ଅତି ଅଦ୍ଭୁତ ରୂପ ହରି । ଦକ୍ଷ ଦେଖିଣ ଭୟ କରି ।। ୧୦୯
ନମିଲେ ଦଣ୍ଡବତ ହୋଇ । ଆନନ୍ଦ କେ ପାରିବ କହି ।। ୧୧୦
ହରଷେ ବିହ୍ୱଳିତ ମନ । ମୁଖରୁ ନ ସ୍ଫୁରେ ବଚନ ।। ୧୧୧
ଇନ୍ଦ୍ରିୟଙ୍କରେ ପୂର୍ଣ୍ଣମନେ । ନିର୍ଝର ହ୍ରାଦିନୀ ଯେସନ ।। ୧୧୨
ମୋର ଭକତ ପ୍ରଜାକାମ । ଏମନ୍ତ ଜାଣି ଭଗବାନ ।। ୧୧୩
ସକଳପ୍ରାଣୀଙ୍କର ମନ । ଜାଣନ୍ତି ପ୍ରଭୁ ନାରାୟଣ ।। ୧୧୪
ପ୍ରଜାପତିଙ୍କି ଚାହିଁ ହରି । କିଛି ବୋଇଲେ ଦୟାକରି ।। ୧୧୫

ଭଗବାନ ଉବାଚ

ହେ ପ୍ରଜାପତି ମହାଭାଗ । ତୁମ୍ଭରେ ମୋର ଅନୁରାଗ ।। ୧୧୬
ଯେଣୁ ଭକତି ଦୃଢ଼ମନେ । ଭଜିଲ ମୋହର ଚରଣେ ।। ୧୧୭
ତୋହର ତପେ ପ୍ରଜାନାଥ । ପ୍ରସନ୍ନେ ହେଲୁ ଉପଗତ ।। ୧୧୮
ଯେଣୁ ତୋ ତପ ଜନହିତ । ପ୍ରସନ୍ନ ହେଲୁ ପ୍ରଜାନାଥ ।। ୧୧୯
ଭକ୍ତମାନଙ୍କର ସନ୍ତତି । ନିରତେ ମନେ ମୁହିଁ ଚିନ୍ତି ।। ୧୨୦
ବ୍ରହ୍ମା ଶଙ୍କର ମନୁବର । ତୁମ୍ଭେ ଇନ୍ଦ୍ରାଦି ଦେବବର ।। ୧୨୧
ଉଦ୍ଭବ ପ୍ରାଣୀମାନଙ୍କର । ତୁମ୍ଭେ ଯେ ବିଭୂତି ମୋହର ।। ୧୨୨
ତପସ୍ୟା ମୋହର ହୃଦୟ । ବେଦ-ବେଦାଙ୍ଗ ମୋର ଦେହ ।। ୧୨୩
କ୍ରିୟା ଆକୃତି ମୋର ଜାଣ । ଯଜ୍ଞ ମୋହର ଅଙ୍ଗମାନ ।। ୧୨୪
ମୋହର ଆତ୍ମା ଧର୍ମ ଜାଣ । ଦେବତାମାନେ ମୋର ପ୍ରାଣ ।। ୧୨୫
ବାହ୍ୟଅନ୍ତରେ ମୁହିଁ ଥାଇ । ସକଳ ଆଦିଭୂତ ମୁହିଁ ।। ୧୨୬
ସଂସାରେ ସର୍ବରୂପ ହୋଇ । ଅବ୍ୟକ୍ତ ରୂପେ ମୁହିଁ ଥାଇ ।। ୧୨୭
ନାମରେ ଅବଶେଷ ହୋଇ । ମୋ ତହୁୁଁ ଅନ୍ୟ କେହିନାହିଁ ।। ୧୨୮
ଅନନ୍ତଗୁଣେ ମୁଁ ଅନନ୍ତ । ମୋର ଗୁଣରୁ ସର୍ବେ ଜାତ ।। ୧୨୯
ଗୁଣ-ଶରୀରକୁ ଧଇଲେ । ସ୍ୱୟମ୍ଭୁ ଦେହକୁ ପାଇଲେ ।। ୧୩୦
ସ୍ୱୟମ୍ଭୁ ସୃଜନେ ସଂସାର । ନ ଦେଖି ସମର୍ଥ ଆତ୍ମାର ।। ୧୩୧
ସୃଷ୍ଟି କରିବା ଚିତ୍ତେ ଧରି । ଉଦ୍ୟମ କଲେ ସେ ବିଚାରି ।। ୧୩୨
ବୋଇଲୁ ଆମ୍ଭ ବାକ୍ୟ କର । ଘୋର-ତପସ୍ୟାକୁ ଆଚର ।। ୧୩୩
ସୃଷ୍ଟିକରତା ତୁମ୍ଭେ କାହିଁ । ତପର ବଳେ ସୃଷ୍ଟି ହୋଇ ।। ୧୩୪
ପଞ୍ଚଜନର ଏ କୁମାରୀ । ଅସିକ୍ନୀ ନାମେ ଯେ ସୁନ୍ଦରୀ ।। ୧୩୫
ଏହାକୁ ପତ୍ନୀଭାବେ ତୋର । ଗ୍ରହଣ କରି ସୃଷ୍ଟିକର ।। ୧୩୬
ମୈଥୁନେ ହେବ ବଡ଼ ଶୋଭା । ଆନନ୍ଦେ ହୁଅ ଶୁଭେ ବିଭା ।। ୧୩୭
ତୁମ୍ଭର ଠାରୁ ପ୍ରଜାଯେତେ । ମୈଥୁନେ ହୋଇବେ ଜଗତେ ।। ୧୩୮
ମୋର ମାୟାରେ ମୋହିହେବେ । ହରଷେ ସଂସାର କରିବେ ।। ୧୩୯

ଶୁକ ଉବାଚ

ଏତେକ କହି ଭଗବାନ । ଅଖିଳ-ସଂସାର-କାରଣ ।। ୧୪୦
ସ୍ୱପ୍ନେ କହିଲା ପ୍ରାୟ କରି । ଅନ୍ତର ହୋଇଲେ ମୁରାରି ।। ୧୪୧
ଏ ଦକ୍ଷପ୍ରଜାପତି କଥା । କଳ୍ପଭେଦର ଯେ ବ୍ୟବସ୍ଥା ।। ୧୪୨
ବୋଲଇ ଦାସ ଜଗନ୍ନାଥ । ଶ୍ରୀକୃଷ୍ଣଚରିତ ଅମୃତ ।। ୧୪୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ ।।

 

ପଞ୍ଚମ ଅଧ୍ୟାୟ

ଶୁକ ଉବାଚ

ବିଷ୍ଣୁ ମାୟାର ପ୍ରଭାବରୁ । ପଞ୍ଚଜନକନ୍ୟା ଗର୍ଭରୁ ।। ୧
ହର୍ଯ୍ୟଶ୍ୱନାମରେ ଅୟୁତ । ସେ ଦକ୍ଷ ଜନ୍ମାଇଲେ ସୁତ ।। ୨
ପୃଥକଭାବ ତାଙ୍କ ନାହିଁ । ସକଳେ ଧର୍ମଶୀଳ ହୋଇ ।। ୩
ପିତାର ଆଜ୍ଞା ଘେନି ଶିରେ । ପ୍ରଜାସର୍ଜନ କରିବାରେ ।। ୪
ପଶ୍ଚିମଦିଗକୁ ଗମିଲେ । ସେଠାରେ ତୀର୍ଥେକ ଦେଖିଲେ ।। ୫
ଯା ନାମ ନାରାୟଣସର । ସଙ୍ଗମେ ସେ ସିନ୍ଧୁସାଗର ।। ୬
ସିଦ୍ଧମୁନିରେ ଯେ ସେବିତ । ସ୍ପରଶେ ପାପ କରେ ହତ ।। ୭
ସେ ସରୋବରକୁ ଯେ ଯାଇ । ପରମହଂସଦୀକ୍ଷା ବହି ।। ୮
ଯନ୍ତ୍ରିତ ସେ ପିତା-ଆଜ୍ଞାରେ । ନାନା-ଉଗ୍ରତପ ସାଧିଲେ ।। ୯
ପ୍ରଜାର ବୃଦ୍ଧିକାମକଲେ । ତପସାଧନେ ମନ ଦେଲେ ।। ୧୦
ନାରଦ ଆସି ତତକ୍ଷଣେ । କହିଲେ ମଧୁର-ବଚନେ ।। ୧୧
ହର୍ଯ୍ୟଶ୍ୱେ ଶୁଣ ମୋ ଉତ୍ତର । କେମନ୍ତେ ତୁମ୍ଭେ ପ୍ରଜାକର ।। ୧୨
ପୃଥ୍ୱୀର ପରିମାଣ କାହିଁ । କେବେ କି ଦେଖିଅଛ କେହି ।। ୧୩
ତୁମ୍ଭେ ବାଳକବୁଦ୍ଧି କର । ସୃଷ୍ଟି କରିବାକୁ ବିଚାର ।। ୧୪
ଏକଗୋଟି ଯେ ରାଜ୍ୟ ଅଛି । ଏକ ପୁରୁଷ ତହିଁ ଅଛି ।। ୧୫
ଗହ୍ୱର ଗୋଟିଏ ଅଛଇ । ଯହିଁରୁ କେହି ନ ଫେରଇ ।। ୧୬
ବହୁରୂପର ସ୍ତିରୀ ଏକ । ଅଛି ପୁଂଶ୍ଚଳୀ ପତିଏକ ।। ୧୭
ନଦୀଏ ବହେ ବେନିଆଡେ । ଘର ପଚିଶ ପଦାର୍ଥରେ ।। ୧୮
ବିଚିତ୍ରନାଦ ହଂସ ଆର । ପଦାର୍ଥ ଅଛଇ ଅପର ।। ୧୯
କ୍ଷୁରବଜ୍ରରେ ଗଢା ହୋଇ । ନିରତେ ଭ୍ରମଣ କରଇ ।। ୨୦
ତୁମ୍ଭେ ହୋ ନ ଜାଣ ଏମାନ । ନ ବୁଝି ପିତାର ବଚନ ।। ୨୧
କିପରି ସୃଷ୍ଟି କରିବାରେ । ମନ ବଳାଅ ଅବିଚାରେ ।। ୨୨
ନାରଦତହିଁ କୂଟବାଣୀ । ହର୍ଯ୍ୟଶ୍ୱେ ଶୁଣି ମନେ ଗୁଣି ।। ୨୩
ନିର୍ମଳବୁଦ୍ଧି ତାହାଙ୍କର । ଏମନ୍ତେ କରନ୍ତି ବିଚାର ।। ୨୪
ପୃଥିବୀ ଜୀବ ନାମ ହୋଇ । ଅନାଦି ବାସନାକୁ ପାଇ ।। ୨୫
ଯେଣୁ ଏ ବହଇ ଶରୀର । କାରଣ ଯେ ଆତ୍ମବନ୍ଧର ।। ୨୬
ଅଦୃଶ୍ୟ ଏହାର ନିର୍ବାଣ । ତେଣୁ ନ ଜାଣି ପରିମାଣ ।। ୨୭
ଅସତକର୍ମ ପ୍ରବର୍ତ୍ତନେ । କି ଅର୍ଥଲାଭ ଏ ସାଧନେ ।। ୨୮
ଏକ ପୁରୁଷ ସେ ଈଶ୍ୱର । ସମସ୍ତ ସାକ୍ଷୀ ସେ ରାଜ୍ୟର ।। ୨୯
ନିତ୍ୟ ମୁକତ ଭଗବାନ । ତେଣେ ତ ନାହିଁ ଆମ୍ଭଜ୍ଞାନ ।। ୩୦
ପୁରୁଷ ଯହିଁ ପ୍ରବେଶିଲେ । ବାହୁଡି ନ ଆସଇ ଭଲେ ।। ୩୧
ପାତାଳଗତି ପ୍ରାୟ ହୋଏ । ଜ୍ୟୋତିସ୍ୱରୂପ ବ୍ରହ୍ମମୟେ ।। ୩୨
ତହିଁରେ ଆମ୍ଭ ନାହିଁ ଜ୍ଞାନ । ଏ ସୃଷ୍ଟିକର୍ମେ କି କାରଣ ।। ୩୩
ଏ ବୁଦ୍ଧି ନାନାମାର୍ଗେ ଯାଇ । ଆତ୍ମାକାରଣ ନ ଜାଣଇ ।। ୩୪
ରଜତମରେ ବିମୋହିତ । ପୁଂଶ୍ଚଳୀ ପରାୟେ ଚରିତ ।। ୩୫
ପୁଂଶ୍ଚଳୀ ସଙ୍ଗେ କରି ଭାବ । କେବଳ ଶ୍ରମମାତ୍ର ଲାଭ ।। ୩୬
କୁତ୍ସିତଭାର୍ଯ୍ୟା-ଗୃହୀ ଯେହ୍ନେ । ନିରତେ ବଞ୍ଚଇ କଷଣେ ।। ୩୭
ଏଣୁ ଅସତ ଅବିବେକ । କର୍ମେ ବା କି ଲାଭ ଅଧିକ ।। ୩୮
ଜନ୍ମ ମରଣ ବେନିଦିଗେ । ମାୟାନଦୀ ଯେ ବହେ ବେଗେ ।। ୩୯
ତହିଁ ପଡ଼ିଣ ଜୀବ ଭ୍ରମେ । କି କାର୍ଯ୍ୟ ଅସତ କରମେ ।। ୪୦
ପଚିଶ ତତ୍ତ୍ୱେ ଗଢ଼ା ଦେହ । ଶ୍ରୀହରି ତହିଁର ଆଶ୍ରୟ ।। ୪୧
ତାହାଙ୍କୁ ନ ଜାଣିଣ ଭଲେ । କି ଲାଭ ତୁଚ୍ଛା କର୍ମ କଲେ ।। ୪୨
ବିଚିତ୍ରନାଦ-ହଂସ ସେହି । ଅଧ୍ୟାତ୍ମଶାସ୍ତ୍ର ଯେ ବୋଲାଇ ।। ୪୩
ତହିଁର ତତ୍ତ୍ୱ ନ ଜାଣିଲୁ । ଅସତ-କର୍ମରେ ଫୁଟିଲୁ ।। ୪୪
ଯା ଚକ୍ର ତୀକ୍ଷ୍‌ଣ କ୍ଷୁରଧାର । ବଜ୍ରୁ କଠିନ ଯେହୁଁ କାଳ ।। ୪୫
ସ୍ୱତନ୍ତ୍ରେ କରଇ ଭ୍ରମଣ । ଜଗତ କରେ କରଷଣ ।। ୪୬
ତାହାର ଗତିକି ନ ବୁଝି । ଅସତକର୍ମେ କିମ୍ପା ମଜ୍ଜି ।। ୪୭
ଅଧ୍ୟାତ୍ମଶାସ୍ତ୍ର ପିତା ସମ । ନ ବୁଝି ତାହାର ମରମ ।। ୪୮
ପ୍ରବୃତ୍ତିମାର୍ଗେ କରି କର୍ମ । କିମ୍ପା ହୋଇବା ତୁଚ୍ଛା ଭ୍ରମ ।। ୪୯
ଏମନ୍ତ ମନେ ବିଚାରିଲେ । ହର୍ଯ୍ୟଶ୍ୱେ ଏକଚିତ୍ତ ହେଲେ ।। ୫୦
ନାରଦେ କରି ପ୍ରଦକ୍ଷିଣ । ଗଲେ ଅନିବର୍ତ୍ତ ପଥେଣ ।। ୫୧
ଅଚ୍ୟୁତ ବ୍ରହ୍ମ ହୃଷୀକେଶ । ଅଖିଳ-ପ୍ରଭୁ-ପୀତବାସ ।। ୫୨
ଅଭୟ-ପାଦପଙ୍କଜରେ । ଅଖଣ୍ତଚିତ୍ତ ହୋଇ ସ୍ଥିରେ ।। ୫୩
ଆନନ୍ଦ ହୋଇ ମୁନିବର । ଗମନ କଲେ ନିଜପୁର ।। ୫୪
ସୁତମାନଙ୍କ ନାଶ ଶୁଣି । ନାରଦକୃତ ବୋଲି ଜାଣି ।। ୫୫
ପୁତ୍ରଙ୍କ ଗୁଣ ସୁମରିଲେ । ଦକ୍ଷ ଅନେକ ଶୋକ କଲେ ।। ୫୬
ଅଜଙ୍କ ବାକ୍ୟେ ଶାନ୍ତ ହୋଇ । ପୁଣିହିଁ ଅସିକ୍ନୀର ତହିଁ ।। ୫୭
ବୀର୍ଯ୍ୟଆଧାନ କଲେ ଦକ୍ଷ । ପୁତ୍ର ଜନ୍ମିଲେ ସବଳାଶ୍ୱ ।। ୫୮
ସହସ୍ରପରିମିତ ହୋଇ । ସର୍ବେ ଜନ୍ମିଲେ ଦେହବହି ।। ୫୯
ପିତାର ଆଜ୍ଞାକୁ ଧଇଲେ । ପ୍ରଜା-ସର୍ଜନେ ମନଦେଲେ ।। ୬୦
ଯେ ନାରାୟଣ-ସରୋବର । ତହିଁ କି ଗଲେ ଖରତର ।। ୬୧
ସେ ତୀର୍ଥ ସ୍ପରଶ ମାତ୍ରକେ । ଦହନ ହୋଇଲେ ପାତକେ ।। ୬୨
ପରମବ୍ରହ୍ମ ଧ୍ୟାନ କରି । ମହତ ତପକୁ ଆଚରି ।। ୬୩
କେତେହେଁ ଦିନ ନିରାହାରେ । ବଞ୍ଚିଲେ ପବନ ଆହାରେ ।। ୬୪
ଏମନ୍ତ କରି ଆରାଧନ । ସ୍ମରଣ କଲେ ନାରାୟଣ ।। ୬୫
ଓଁ ନମଃ ପ୍ରଭୁ ନାରାୟଣ । ଓଁ ନମଃ ପ୍ରଭୁ ଭଗବାନ ।। ୬୬
ଅଶେଷ ପୁରୁଷ ପୁରାଣ । ଅନାଦି ପ୍ରଭୁ ନିରଞ୍ଜନ ।। ୬୭
ବିଶୁଦ୍ଧ ସତ୍ତ୍ୱ ମହାହଂସ । ନମସ୍ତେ ପ୍ରଭୁ ହୃଷୀକେଶ ।। ୬୮
ଏମନ୍ତ ପ୍ରକାରେ ରାଜନ । ପ୍ରଜା ନିମିତ୍ତେ ଦେଇ ମନ ।। ୬୯
ତପ ସେ କରୁଥିଲେ ତହିଁ । ନାରଦମୁନି ତାଙ୍କୁ ଚାହିଁ ।। ୭୦
କପଟ କରିଣ ବଚନ । ବୋଇଲେ ଶୁଣ ଋଷିଗଣ ।। ୭୧
ଉଦ୍ଦେŸଶ୍ୟ ଭାଇମାନଙ୍କର । କିମ୍ପାଇଁ ତୁମ୍ଭେ ହୋ ନ କର ।। ୭୨
ଭ୍ରାତୃବତ୍ସଳ ତୁମ୍ଭେମାନେ । ଏ କର୍ମ କରୁଛ କେସନେ ।। ୭୩
ଭାଇର ଦୁଖେ ଯେହୁ ଦୁଃଖୀ । ସେ ପ୍ରାଣୀ ସର୍ବକାଳେ ସୁଖୀ ।। ୭୪
ତାହାଙ୍କୁ ପୁଣ୍ୟବନ୍ତ କହି । ଦେବଙ୍କ ସଙ୍ଗେ ସ୍ୱର୍ଗେ ଥାଇ ।। ୭୫
ଏମନ୍ତ କହି ତାଙ୍କ ଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ।। ୭୬
ସେ ପୁଣି ଭାଇମାନଙ୍କର । ଉଦ୍ଦେŸŸଶ୍ୟେ ଗଲେ ନୃପବର ।। ୭୭
ଭାଇର କ୍ଷୋଭେ ଯେତେ ଗଲେ । ଅଦ୍ୟାପୀ ନିବୃତ୍ତ ନୋହିଲେ ।। ୭୮
ପଶ୍ଚିମରାତ୍ରି ପ୍ରାୟ ହୋଇ । ନିବୃତ୍ତି ତାଙ୍କ ଆର କାହିଁ ।। ୭୯
ଅନେକ କାଳ ଗଲା ଯହୁଁ । ଦକ୍ଷ ଜାଣିଲେ ପୁଣି ତହୁଁ ।। ୮୦
ପୁତ୍ରମାନଙ୍କ ନାଶ ଶୁଣି । ନାରଦକୃତ ବୋଲି ଜାଣି ।। ୮୧
ପୁତ୍ରଶୋକରେ ମୋହି ହୋଇ । ନାରଦେ ଅତି କ୍ରୋଧ ବହି ।। ୮୨
ତକ୍ଷଣେ ନିକଟେ ମିଳିଲେ । ଦେଖି ନାରଦ ଭୟ କଲେ ।। ୮୩
କୁପିତେ କମ୍ପାଇ ଅଧର । ନାରଦେ ବୋଲନ୍ତି ଉତ୍ତର ।। ୮୪

ଦକ୍ଷ ଉବାଚ

ଅହୋ ଅସାଧୁ ସାଧୁଙ୍କର । ଚିହ୍ନକୁ ବହୁ ଅଙ୍ଗେ ତୋର ।। ୮୫
ଯେଣୁ ମୋ ବାଳକଙ୍କୁ ତୁହି । ଭିକ୍ଷୁକ-ମାର୍ଗକୁ ଦେଖାଇ ।। ୮୬
ତିନିଋଣରୁ ଯେ ଅମୁକ୍ତ । ନୋହିଛି କର୍ମ ସମାପତ ।। ୮୭
ଶ୍ରେୟ-କାରଣ ତାଙ୍କ ତପ । କିମ୍ପା ତୁ ନଷ୍ଟକଲୁ ପାପ ।। ୮୮
କେମନ୍ତେ ଭକ୍ତବୋଲି ତୋତେ । ସକଳେ ବୋଲନ୍ତି ଜଗତେ ।। ୮୯
ଈଶ୍ୱର ପାରିଷଦ ହେଉ । ମନ୍ଦକର୍ମରେ ନିତ୍ୟେ ଥାଉ ।। ୯୦
ଯେ ଜନ କୃଷ୍ଣଭକ୍ତ ହୋଏ । ପ୍ରାଣୀଙ୍କୁ କରଇ ସଦୟେ ।। ୯୧
ତୁ ମିତ୍ରଦ୍ରୋହୀ ପାପୀ ହେଉ । ଏ କର୍ମ କରେ ଅବା କେହୁ ।। ୯୨
ନିର୍ଦ୍ଦୋଷଠାରେ ଶତ୍ରୁପଣ । କିମ୍ପାଇଁ କଲୁ ଅକାରଣ ।। ୯୩
ସୁହୃଦଲୋକେ କ୍ରୋଧଭର । ତୋ ତହୁଁ ନାହିଁ ନା ଅପର ।। ୯୪
ମୋହର ଯେଉଁ ସ୍ନେହପାଶ । ଛେଦିଣ କଲୁ ତୁ ନିରାଶ ।। ୯୫
ପ୍ରାଣୀମାନଙ୍କ ସ୍ନେହପାଶ । ଏ ରୂପେ ନୁହଁଇ ବିନାଶ ।। ୯୬
କଠୋର-ବୈରାଗ୍ୟ ସାଧନ । ଯହିଁ ସ୍ନେହପାଶ ଛେଦନ ।। ୯୭
ବିଷୟକର୍ମ ଯେହୁ ଜନ । ନ ଜାଣି କରେ ଅନୁମାନ ।। ୯୮
ତୋ ମତ ଅଳ୍ପବୁଦ୍ଧି-ଜ୍ଞାନେ । ହିତ-ଅହିତ ସେ ନ ଜାଣେ ।। ୯୯
ତୁ ଯେଉଁ କାରଣରୁ କରି । ସାଧୁଙ୍କ ଅପ୍ରିୟ ଆଚରି ।। ୧୦୦
ସ୍ୱକର୍ମବଦ୍ଧ ଗୃହମେଧି । ପରର ହିତେ ଯାର ବୁଦ୍ଧି ।। ୧୦୧
ତାଙ୍କୁ ଅମାର୍ଗ ଦେଖାଇଲୁ । ବାରେକ ଆମ୍ଭେ ତା ସହିଲୁ ।। ୧୦୨
ମୂଢ଼ ତୁ ଆମ୍ଭ ଶାପୁଁ କରି । ଲୋକବିଷୟେ ଅନାଚାରୀ ।। ୧୦୩
ଭ୍ରମଣ କରୁଥିବୁ ତୁହି । ସ୍ଥିତି ନୋହିବ ତୋର କାହିଁ ।। ୧୦୪

ଶୁକ ଉବାଚ

ଅସ୍ତୁ ବୋଲିଣ ଶାପଘେନି । ସାଧୁଜନ ନାରଦ ମୁନି ।। ୧୦୫
ଏଣୁ କରି ସେ ସାଧୁବାଦ । ସକଳ ବୋଲନ୍ତି ନାରଦ ।। ୧୦୬
ସେ ସେହି ରୂପେ ତା ଘେନିଲେ । ଦକ୍ଷ ଯେବଣ ଶାପ ଦେଲେ ।। ୧୦୭
ନାରଦ ଶାପ କର୍ମବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୧୦୮
ବୋଲଇ ଦାସ ଜଗନ୍ନାଥ । ସଂସାର ହିତେ ଭାଗବତ ।। ୧୦୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ନାରଦଶାପୋ ନାମ

ପଞ୍ଚମୋଽଧ୍ୟାୟଃ ।।

ଷଷ୍ଠ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ଏ ଅନ୍ତରେ । ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ।। ୧
ଭାରିଯା ଅସିକ୍ନୀଙ୍କଠାରେ । ଷାଠିଏକନ୍ୟା ଜନ୍ମାଇଳେ ।। ୨
ଧର୍ମଙ୍କୁ ଦେଲେ କନ୍ୟା ଦଶ । କଶ୍ୟପେ ଦେଲେ ଭ୍ରୟୋଦଶ ।। ୩
ସପ୍ତବିଂଶତି ଚନ୍ଦ୍ର କରେ । ପ୍ରଦାନ କଲେ ଆନନ୍ଦରେ ।। ୪
ଭୂତ ଅଙ୍ଗିରା କୃଶାଶ୍ୱଙ୍କୁ । ବେନି ବେନିଟି ଦେଲେ ତାଙ୍କୁ ।। ୫
ଆବର ଚାରି ଯେ କନ୍ୟାଙ୍କୁ । ଅର୍ପିଲେ ତାର୍କ୍ଷ୍ୟକାଶ୍ୟପଙ୍କୁ ।। ୬
ଏ ସର୍ବକନ୍ୟାଙ୍କର ନାମ । କହିବା ଶୁଣ ହେ ରାଜନ ।। ୭
ପ୍ରଜାପତିଙ୍କ କନ୍ୟା ଯେତେ । ପୁତ୍ରବତୀ ହେଲେ ସମସ୍ତେ ।। ୮
ଏହାଙ୍କ ପୁତ୍ର ପୌତ୍ରମାନେ । ପୂର୍ଣ୍ଣ ହୋଇଲେ ତ୍ରିଭୁବନେ ।। ୯
ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ । କଲେ ତାହାଙ୍କ ନାମ ଶୁଣ ।। ୧୦
ଭାନୁ ଲମ୍ବା କକୁଭ ଜାମି । ମୁହୂର୍ତ୍ତା ବସୁ ଧର୍ମପତ୍ନୀ ।। ୧୧
ବିଶ୍ୱା ସାଧ୍ୟ ଯେ ମରୁତ୍ୱତୀ । ସଙ୍କଳ୍ପା ନାମେ ଯେହୁ ସତୀ ।। ୧୨
ଏବେ ତାହାଙ୍କ ପୁତ୍ର ନାମ । କହିବା ଶୁଣ ହେ ରାଜନ ।। ୧୩
ଭାନୁର ପୁତ୍ର ହେ ରାଜନ । ଦେବଋଷଭ ଯେ ତା ନାମ ।। ୧୪
ଋଷଭ ସୁତ ଇନ୍ଦ୍ରସେନ । ବିଦ୍ୟୋତ ଲମ୍ବାରୁ ଜନମ ।। ୧୫
କକୁଭ ପୁତ୍ର ଯେ ସଙ୍କଟ । ତାହାର ତନୟ କୀକଟ ।। ୧୬
ଦୁର୍ଗାଭିମାନୀ ଦେବଗଣ । ତା ଠାରୁ ହୋଇଲେ ଜନମ ।। ୧୭
ଜାମିର ପୁତ୍ର ସ୍ୱର୍ଗନାମ । ତା ଠାରୁ ନନ୍ଦୀର ଜନମ ।। ୧୮
ବିଶ୍ୱାର ତହୁଁ ବିଶ୍ୱଦେବା । ତାଙ୍କୁ ଅପୁତ୍ରିକ ବୋଲିବା ।। ୧୯
ସାଧ୍ୟାର ସୁତ ସାଧ୍ୟଗଣ । ତା ତହୁଁ ଅର୍ଥସିଦ୍ଧି ଜନ୍ମ ।। ୨୦
ଜୟନ୍ତ ମରୁତ୍ୱାନ ଦୁଇ । ଜନ୍ମିଲେ ମରୁତ୍ୱତୀ ତହିଁ ।। ୨୧
ଜୟନ୍ତ ନାମେ ଯେ ପ୍ରକାଶ । ସେ ଅଟେ ବାସୁଦେବ ଅଂଶ ।। ୨୨
ଉପେନ୍ଦ୍ର ବୋଲି ଜଗତରେ । ଯାକୁ ଜାଣନ୍ତି ବିଜ୍ଞନରେ ।। ୨୩
ମୁହୂର୍ତ୍ତା ଗର୍ଭେ ଦେବଗଣ । ଜନ୍ମିଲେ ଅଖିଳକାରଣ ।। ୨୪
ଏମାନେ ପ୍ରାଣୀହିତ ଚିନ୍ତି । ସ୍ୱକାମ ଫଳକୁ ଦିଅନ୍ତି ।। ୨୫
ଯେ କାଳେ ଯେ ଫଳ ପ୍ରାଣୀରେ । ଦିଅନ୍ତି ମୁହୂର୍ତ୍ତ ରୂପରେ ।। ୨୬
ସଙ୍କଳ୍ପ ସଙ୍କଳ୍ପାର ସୁତ । ତା ଠାରୁ କାମ ହେଲା ଜାତ ।। ୨୭
ବସୁର ଅଷ୍ଟବସୁ ସୁତ । କହିବା ଶୁଣ ପରୀକ୍ଷିତ ।। ୨୮
ଧ୍ରୁବାର୍କ ଦୋଷ ଅଗ୍ନି ଦ୍ରୋଣ । ବିଭାବସୁ ବସୁ ଯେ ପ୍ରାଣ ।। ୨୯
ଦ୍ରୋଣର ପତ୍ନୀ ଅଭିମତି । ତା ଠାରୁ ହୋଇଲେ ଉତ୍ପତ୍ତି ।। ୩୦
ହରଷ ଶୋକ ଭୟ ପୁଣ । ଏ ଆଦି ହୋଇ ଯେତେ ଗଣ ।। ୩୧
ପ୍ରାଣର ଉର୍ଜସ୍ୱତୀ ନାମା । ପତ୍ନୀ ଯେ ଅତି ମନୋରମା ।। ୩୨
ତା ତହୁଁ ଏ ତିନି ଉଦ୍ଭବ । ସହ ଆୟୁ ଯେ ପୁରୋଜବ ।। ୩୩
ଧରଣୀ ଜାୟା ଯେ ଧ୍ରୁବର । ତା ଗର୍ଭୁ ଜାତ ନାନାପୁର ।। ୩୪
ଅର୍କ ନାମରେ ଯେ ବସୁର । ବାସନା ନାମେ ପତ୍ନୀ ତାର ।। ୩୫
ତା ତହୁଁ ତର୍ଷାଦି ତନୟ । ବହୁତ ହୋଇଲେ ଉଦୟ ।। ୩୬
ଅଗ୍ନିର ଭାର୍ଯ୍ୟା ଧାରା ହେଲେ । ବହୁପୁତ୍ର ସେ ପ୍ରସବିଲେ ।। ୩୭
ପୁଣି ତା ତହୁଁ ସ୍କନ୍ଧ ହେଲେ । କୃତ୍ତିକା ପୁତ୍ର ବୋଲାଇଲେ ।। ୩୮
ଶର୍ବରୀ ରମଣୀ ଦୋଷର । ତା ତହୁଁ ଜନ୍ମ ଶିଶୁମାର ।। ୩୯
ଯେ ଶିଶୁମାର ବିଷ୍ଣୁ ଅଂଶେ । ଜାତ ହୋଇଲେ ବସୁବଂଶେ ।। ୪୦
ଈଶ୍ୱରଅଂଶ ସେ ଅଟଇ । ଜଗତବ୍ୟାପିତ ସେ ହୋଇ ।। ୪୧
ବସୁ ବନିତା ଆଙ୍ଗିରସୀ । ତହୁଁ ବିଶ୍ୱକର୍ମା ପ୍ରକାଶି ।। ୪୨
ସକଳକଳାମାନଙ୍କର । ସ୍ୱାମୀ ଅଟଇ ଜଗତର ।। ୪୩
ସେ ବିଶ୍ୱକର୍ମା ବିର୍ଯ୍ୟୁଜାତ । ଚାକ୍ଷୁସ ମନୁ ନାମେ ସୁତ ।। ୪୪
ବିଶ୍ୱଦେବାଦି ସାଧ୍ୟ ଯେତେ । ମନୁର ପୁତ୍ର ଏ ଜଗତେ ।। ୪୫
ବିଭାବସୁଙ୍କ ତିନିସୁତ । ଉଷା-ଗର୍ଭରୁ ହେଲେ ଜାତ ।। ୪୬
ତାହାଙ୍କ ନାମ ଶୁଣ ନୃପ । ବ୍ୟୁଷ୍ଟ ରୋଚିଷ ଯେ ଆତପ ।। ୪୭
ଏ ତିନି ପୁତ୍ରଙ୍କ ମଧ୍ୟର । ଆତପ ନାମ ଅଟେ ଯାର ।। ୪୮
ତା ଠାରୁ ଦିବସ ଜନମ । ଯାହାର ନାମ ପଞ୍ଚଯାମ ।। ୪୯
ଯା ହେତୁ ପ୍ରାଣୀ ଜାଗରିତ । ସଂସାରେ ହୋନ୍ତି ଆତଯାତ ।। ୫୦
ଏବେ ସେ ଭୂତଙ୍କର ବଂଶ । କହିବା ଶୁଣ ନରଈଶ ।। ୫୧
ଯେ ପତ୍ନୀ ସ୍ୱରୂପା ନାମେଣ । ତା ଠାରୁ ଜାତ ରୁଦ୍ରଗଣ ।। ୫୨
ତାହାଙ୍କ ନାମ ଏକ ଏକ । କହିବା କର ହେ ବିବେକ ।। ୫୩
ରୈବତ ଅଜ ଭବ ଭୀମ । ଉଗ୍ର ବୃଷାକପି ଯେ ବାମ ।। ୫୪
ଅଜୈକପାଦ ଅହିର୍ବୁଧ୍ନ୍ୟ । ମହାନ ବହୁରୂପ ନାମ ।। ୫୫
ରୁଦ୍ରର ପାରିଷଦ ଯେତେ । କହିବି ଏକେ ଏକେ କେତେ ।। ୫୬
ପ୍ରେତ ବିନାୟକ ଯେ ଘୋର । ଏମନ୍ତେ ଜନ୍ମିଲେ ଅପାର ।। ୫୭
ଏ ଏକାଦଶ ରୁଦ୍ରଗଣ । ଜନମ ହେଲେ ପୃଥ୍ୱୀରେଣ ।। ୫୮
ଅଙ୍ଗିରସ ଯେ ପ୍ରଜାପତି । ତାହାର ପତ୍ନୀ ସ୍ୱଧାସତୀ ।। ୫୯
ପିତୃଗଣଙ୍କୁ ସେ ଜନ୍ମାଇଁ । ଆବର ଶୁଣ ଯାହା କହି ।। ୬୦
ସତୀର ଅଥର୍ବାଙ୍ଗି ରସ । ସୁତ ହୋଇଲେ ହେ ନରେଶ ।। ୬୧
କୃଶାଶ୍ୱନାମେ ପ୍ରଜାପତି । ଅର୍ଚ୍ଚି ଧୀଷଣା ତା ଯୁବତୀ ।। ୬୨
ଧୂମକେତୁ ଯେ ଅର୍ଚ୍ଚିସୁତ । ଧୀଷଣା ଠାରୁ ଚାରିପୁତ୍ର ।। ୬୩
ବେଦଶିରା ମନୁ ବୟୁନ । ଦେବଳ ଏ ଚାରିନନ୍ଦନ ।। ୬୪
ତାର୍କ୍ଷ୍ୟ ନାମରେ ଯେ କଶ୍ୟପ । ତା ପତ୍ନୀ ନାମ ଶୁଣ ନୃପ ।। ୬୫
ବିନତା ପତଙ୍ଗୀ ଯାମିନୀ । କଦ୍ରୂ ଏ ଚାରୋଟି କାମିନୀ ।। ୬୬
ବିନତା ଗରୁଡ ଅରୁଣ । ଦୁଇ ସନ୍ତାନ କଲେ ଜନ୍ମ ।। ୬୭
ଗରୂଡ ବିଷ୍ଣୁଙ୍କ ବାହାନ । ସୂର୍ଯ୍ୟଙ୍କ ସାରଥି ଅରୁଣ ।। ୬୮
ପତଙ୍ଗୀ ପତଙ୍ଗମାନଙ୍କୁ । ଯାମିନୀ ଶଲଭ ପୁତ୍ରଙ୍କୁ ।। ୬୯
କଦ୍ରୂର ଗର୍ଭୁନାଗ ଯେତେ । ଉତ୍ପନ୍ନ ହୋଇଲେ ସମସ୍ତେ ।। ୭୦
କୃତ୍ତିକା ଆଦି ଯେତେ ଋକ୍ଷ । ଚନ୍ଦ୍ରର ପତ୍ନୀ ଏ ପ୍ରତ୍ୟକ୍ଷ ।। ୭୧
ନିତ୍ୟେ କେବଳ ରୋହିଣୀର । ପ୍ରେମରେ ବଶ ଶଶଧର ।। ୭୨
ଦେଖନ୍ତେ କନ୍ୟାଙ୍କର ଦୁଃଖ । ଶାପ ବିହିଲେ କୋପେ ଦକ୍ଷ ।। ୭୩
ସେ ଶାପୁ କ୍ଷୟ ରୋଗେ ସୋମ । ଦିନକୁ ଦିନ ହେଲେ କ୍ଷୀଣ ।। ୭୪
ଦକ୍ଷଙ୍କୁ ପ୍ରସନ୍ନ କରାଇ । କଳା ଲଭିଲେ ପୁଣ ସେହି ।। ୭୫
କୃଷ୍ଣ-ଶୁକ୍ଳରେ ଏହି କଳା । କ୍ରମରେ କ୍ଷୟ ବୃଦ୍ଧି ହେଲା ।। ୭୬
ଏ ଅନନ୍ତରେ ମାତୃଗଣ । ତାହାଙ୍କ ନାମ କହୁଁ ଶୁଣ ।। ୭୭
କଶ୍ୟପ-ପତ୍ନୀମାନଙ୍କର । କହିବା ନାମର ବିସ୍ତାର ।। ୭୮
ଯାହାର ଅପତ୍ୟରୁ କରି । ଜଗତଯାକ ଅଛି ପୂରି ।। ୭୯
କୀର୍ତ୍ତନ କଲେ ତାଙ୍କ ନାମ । ପ୍ରାଣୀ ଲଭନ୍ତି ସୁଖଧାମ ।। ୮୦
ତେଣୁ ମୁଁ ତୁମ୍ଭର ନିକଟେ । ତାହାଙ୍କ ନାମକୁ ପ୍ରକଟେ ।। ୮୧
ଅଦିତି ଦିତି ଦନୁ ତିନି । କାଷ୍ଠା ଅରିଷ୍ଟା ପୁଣ ବେନି ।। ୮୨
ସୁରସା ଇଳା ମୁନି ପୁଣି । କ୍ରୋଧବଶା ତାମ୍ରା ତରୁଣୀ ।। ୮୩
ସୁରଭି ସରମା ପ୍ରକାଶ । ତିମି ସହିତେ ତ୍ରୟୋଦଶ ।। ୮୪
ଏହାଙ୍କର ଯେ ହେଲେ ସୁତ । କହିବା ଶୁଣ ପରୀକ୍ଷିତ ।। ୮୫
ଜଳଜନ୍ତୁଏ ତିମିଠାରୁ । ଶ୍ୱାପଦେ ସରମା-ଗର୍ଭରୁ ।। ୮୬
ଗୋରୁ ମହୀଷ ଆଦି ଯେତେ । ଦ୍ୱିଖୁର-ପଶୁ ଏ ସମସ୍ତେ ।। ୮୭
ସୁରଭିଠାରୁ ହେଲେ ଜାତ । କହିବା ଶୁଣ ତାମ୍ରା ସୁତ ।। ୮୮
ଶ୍ୟେନ-ଗୃଧ୍ରାଦି ବିହଙ୍ଗମ । ମୁନିର ଅପସରୀଗଣ ।। ୮୯
ଦ୍ୱନ୍ଦଶୂକାଦି ସର୍ପ ଯେତେ । କ୍ରୋଧବଶାସୁତ ସମସ୍ତେ ।। ୯୦
ଇଳାର ତହୁଁ ବୃକ୍ଷମାନ । ସୁରସାସୁତ ଯାତୁଧାନ ।। ୯୧
ଗନ୍ଧର୍ବେ ଅରିଷ୍ଠାର ପୁତ୍ର । କାଷ୍ଠାର ଏକଖୁର ସୁତ ।। ୯୨
ଦନୁର ଏକଷଠିସୁତ । ଅଠର ପ୍ରଧାନ ଯେ ପୁତ୍ର ।। ୯୩
ଶୁଣ କହିବା ହେ ରାଜନ । ଏହାଙ୍କ ଏକଏକ ନାମ ।। ୯୪
ଦ୍ୱିମୂର୍ଦ୍ଧା ଅରିଷ୍ଟ ଶମ୍ବର । ହୟଗ୍ରୀବ ଯେ ଶଙ୍କୁଶିର ।। ୯୫
ବିଭାବସୁ ଯେ ଅୟୋମୁଖ । ବୃଷପର୍ବା ଯେ ବିରୁପାକ୍ଷ ।। ୯୬
ସ୍ୱର୍ଭାନୁ କପିଳ ଅରୁଣ । ପୁଲୋମା ଏକଚକ୍ର ଜାଣ ।। ୯୭
ଧୂମ୍ରକେଶ ଅନୁତାପନ । ଦୁର୍ଜୟ ବିପ୍ରଚିତ୍ତି ନାମ ।। ୯୮
ସ୍ୱର୍ଭାନୁ କୁମାରୀ ସୁପ୍ରଭା । ନମୁଚି ତାଙ୍କୁ ହେଲେ ବିଭା ।। ୯୯
ରାଜନ ଯେ ବୃଷପର୍ବାର । ଶର୍ମିଷ୍ଠା ନାମେ କନ୍ୟାବର ।। ୧୦୦
ଅତି ସୁନ୍ଦରୀ କନ୍ୟା ଥିଲା । ଯଯାତି ତାକୁ ବିଭା ହେଲା ।। ୧୦୧
ଦନୁର ପୁତ୍ର ବୈଶ୍ୱାନର । ଚାରୋଟି କନ୍ୟା ହେଲେ ତାର ।। ୧୦୨
ସେମାନେ ପରମାସୁନ୍ଦରୀ । କହିବା ନାମ ତାହାଙ୍କରି ।। ୧୦୩
ଉପଦାନବୀ ହୟଶିରୀ । କାଳକା ପୁଲୋମା ସୁନ୍ଦରୀ ।। ୧୦୪
ଉପଦାନବୀ କନ୍ୟା ତୁଲେ । ହିରଣ୍ୟାକ୍ଷ ଯେ ବିଭାହେଲେ ।। ୧୦୫
ହୟଶିରୀ ନାମେ ସୁନ୍ଦରୀ । କ୍ରତୁର ସେହି ହେଲା ନାରୀ ।। ୧୦୬
ପୁଲୋମା କାଳକା ଏ ଦୁଇ । କଶ୍ୟପ ସଙ୍ଗେ ବିଭା ହୋଇ ।। ୧୦୭
ବ୍ରହ୍ମାଙ୍କ ଆଜ୍ଞା ପାଇ କରି । କଶ୍ୟପ ବିଭା ବେନିନାରୀ ।। ୧୦୮
ଏ ଦୁଇକନ୍ୟାଙ୍କ ଗର୍ଭରୁ । ଦାନବେ କଶ୍ୟପ-ବୀର୍ଯ୍ୟରୁ ।। ୧୦୯
ଷାଠିଏ ସହସ୍ର ସମ୍ଭୂତ । ସର୍ବେ ହୋଇଲେ ବଳବନ୍ତ ।। ୧୧୦
ଇନ୍ଦ୍ରର ଅପ୍ରୀତି କରନ୍ତି । ନିତ୍ୟେ କୁକର୍ମ ଆଚରନ୍ତି ।। ୧୧୧
ସର୍ବଦା ଯୁଦ୍ଧେ ରତ ହେଲେ । ଋଷିଙ୍କ ଯାଗ ବିନାଶିଲେ ।। ୧୧୨
ପିତାର ପିତା ଯେ ତୋହର । ଅର୍ଜ୍ଜୁନ ନାମଟି ଯାହାର ।। ୧୧୩
ସ୍ୱର୍ଗକୁ ଯାଇ କଲା ନଷ୍ଟ । ଦାନବ ବଳବନ୍ତ ଦୁଷ୍ଟ ।। ୧୧୪
ଦାନବ ବିପ୍ରଚିତ୍ତି ନାରୀ । ସିଂହିକା ନାମଟି ତାହାରି ।। ୧୧୫
ଏକ ଦାନବ ଶତେ ସୁତ । ତା ଗର୍ଭୁ ହୋଇଲେ ସମ୍ଭୂତ ।। ୧୧୬
ରାହୁ ତା ପ୍ରଥମ ନନ୍ଦନ । ଶତକନିଷ୍ଠ କେତୁ ନାମ ।। ୧୧୭
ସେ ସର୍ବେ ଗ୍ରହମାନଙ୍କରେ । ବିଖ୍ୟାତ ହୋଇଲେ ସଂସାରେ ।। ୧୧୮
ଏଥୁ ଅନ୍ତରେ ନୃପବର । ଅଦିତି ବଂଶର ବିଚାର ।। ୧୧୯
ଯହିଁ ଶ୍ରୀବ୍ରହ୍ମାଣ୍ତଠାକୁର । ଅଂଶେ ହୋଇଲେ ଅବତାର ।। ୧୨୦
ଅର୍ଯ୍ୟମା ବିବସ୍ୱାନ ତ୍ୱଷ୍ଟା । ଧାତା ବିଧାତା ଯେ ସବିତା ।। ୧୨୧
ପୂଷା ଭଗ ଆର ବରୂଣ । ମିତ୍ର ଶକ୍ର ଯେ ଉଋକ୍ରମ ।। ୧୨୨
ବିବସ୍ୱାନଙ୍କ ତହୁଁ ଜାତ । ଶ୍ରଦ୍ଧାଦେବ ହେଲେ ସାକ୍ଷାତ ।। ୧୨୩
ସେ ଶ୍ରାଦ୍ଧଦେବ ମନୁ ନାମେ । ଖ୍ୟାତ ହୋଇଲା ଧରାଧାମେ ।। ୧୨୪
ଭାଗ୍ୟବତୀ ଯାମୀ ଏ ଦୁଇ । ଯମ ଯମୁନା ପ୍ରସବଇ ।। ୧୨୫
ଯେ ଯାମୀ ବଡବା ରୂପରେ । ଜନ୍ମାଇ ଅଶ୍ୱିନୀକୁମାରେ ।। ୧୨୬
ଛାୟାରେ ଶନିଶ୍ଚର ସୁତ । ବିବସ୍ୱାନର ବିର୍ଯ୍ୟୁ ଜାତ ।। ୧୨୭
ଏ ଅନନ୍ତରେ ତାର ତହିଁ । ସାବର୍ଣ୍ଣିମନୁ ଜାତ ହୋଇ ।। ୧୨୮
କନ୍ୟାଏ ହୋଇଲା ଜନମ । ଯାହାର ପତି ସମ୍ବରଣ ।। ୧୨୯
ମାତୃକା ପତ୍ନୀ ଅର୍ଜମାର । ବହୁତ ସୁତ ହେଲେ ତାର ।। ୧୩୦
ଏ ସର୍ବ ମନୁଷ୍ୟଜାତିରେ । କଳ୍ପନା କଲେ ବେଦବରେ ।। ୧୩୧
ପୂଷା ସ୍ୱଭାବେ ଅନପତ୍ୟ । ପୂର୍ବେ ତ ଥିଲା ଭଗ୍ନଦନ୍ତ ।। ୧୩୨
ପୂର୍ବକାଳରେ ଦକ୍ଷ ପ୍ରତି । କୁପିତ ହେଲେ ଉମାପତି ।। ୧୩୩
ତା ଦେଖି ପୂଷା ନିଜ ଦନ୍ତ । ଦେଖାଇ ହସିଲା ବହୁତ ।। ୧୩୪
ଏଣୁ ତା ଦନ୍ତ ଭଗ୍ନ ହୋଏ । ଏବେ କହିବା ଶୁଣ ରାୟେ ।। ୧୩୫
ଦୈତ୍ୟ କନ୍ୟା ପତ୍ନୀ ତ୍ୱଷ୍ଟାର । ରଚନା ନାମ ସେ କନ୍ୟାର ।। ୧୩୬
ଏହାଙ୍କ ସୁତ ଶୁଣ ନୃପ । ସନ୍ନିବେଶ ଯେ ବିଶ୍ୱରୂପ ।। ୧୩୭
ଯାହାଙ୍କୁ ସୁରଗଣମାନେ । ବରିଲେ ପୁରୋହିତ ପଣେ ।। ୧୩୮
ଶତ୍ରୁମଉଳା ଯେବେ ତାର । ସେ ଯେ ସ୍ୱଭାବେ ବଳିୟାର ।। ୧୩୯
ତଥାପି ପୁରୋହିତ ପଣେ । ବରଣ କଲେ ଦେବଗଣେ ।। ୧୪୦
ଯେବେ ସେ ଗୁରୁ ଆଙ୍ଗିରସ । ମନରେ ହୋଇ ଅସନ୍ତୋଷ ।। ୧୪୧
ତାଙ୍କୁ ତେଜିଲେ ମୁନିରାଣ । ସେ ମୁନି ସକଳକାରଣ ।। ୧୪୨
ସେ କଥା ସୁଜ୍ଞଜନ ହିତେ । ଏ ଷଷ୍ଠସ୍କନ୍ଧ ଭାଗବତେ ।। ୧୪୩
ବୋଲଇ ଦାସ ଜଗନ୍ନାଥ । ଦକ୍ଷଙ୍କ ସୃଷ୍ଟି ଏ ଜଗତ ।। ୧୪୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଷଷ୍ଠୋଽଧ୍ୟାୟଃ ।।

 

ସପ୍ତମ ଅଧ୍ୟାୟ

ପରୀକ୍ଷିତ ଉବାଚ

କେଉଁ ହେତୁରୁ ଆଙ୍ଗିରସ । ଦେବଙ୍କୁ କଲେ ଅବିଶ୍ୱାସ ।। ୧
ନିଜର ଶିଷ୍ୟ ଦେବଗଣେ । ବର୍ଜିଲେ ତାଙ୍କୁ କି କାରଣେ ।। ୨
ଏକଥା କହ ମୁନିବର । ଯେବେ କରୁଣା ମୋତେ କର ।। ୩

ଶୁକ ଉବାଚ

ଶୁର କହିବା ଯା ପଚାର । ଯେହେତୁ ଛାଡିଲେ ଅମର ।। ୪
ଏକ କାଳରେ ପୁରୁହୂତ । ଐଶ୍ୱର୍ଯ୍ୟେ ହୋଇ ବିହ୍ୱଳିତ ।। ୫
ନିରତେ ଅସତ-ମାର୍ଗରେ । ପ୍ରବୃତ୍ତ ହେଲେ ସେ ଗର୍ବରେ ।। ୬
ପବନ ବସୁ ରୁଦ୍ରଗଣ । ଆଦିତ୍ୟ ଯେତେ ଋଭୁ ପୁଣ ।। ୭
ବିଶ୍ୱଦେବା ସାଧ୍ୟ ସହିତେ । ଅଶ୍ୱିନୀକୁମାର ସମେତେ ।। ୮
ସିଦ୍ଧ ଗନ୍ଧର୍ବ ଯେ ଚାରଣ । ବ୍ରହ୍ମା ଶଙ୍କର ମୁନିଗଣ ।। ୯
କିନ୍ନର ବିଦ୍ୟାଧରଗଣ । ସେବିତ ଅପସରାମାନ ।। ୧୦
ପତଙ୍ଗ ଉରଗ ଯେ ଆଦି । ସେବନ୍ତି ଯେ ଯାହା ପ୍ରସିଦ୍ଧି ।। ୧୧
ସ୍ତୁତି କରନ୍ତି ବନ୍ଦୀଗଣ । ଆସ୍ଥାନେ ବସି ମଘବାନ ।। ୧୨
ଲଳିତେ ହେକୁ ଗୀତ ଗାଇ । ଚାମର ଧରି କେ ବିଞ୍ଚଇ ।। ୧୩
ଚନ୍ଦ୍ରମଣ୍ଡଳ ପ୍ରାୟ ହୋଇ । ଯେ ଶ୍ୱେତଛତ୍ର ଶୋଭାପାଇ ।। ୧୪
ଅନ୍ୟ ଯେ ପାରିଷଦଗଣ । ବିଞ୍ଚନ୍ତି ଘେନିର ବ୍ୟଜନ ।। ୧୫
ଶଚୀ ସଙ୍ଗତେ ଦେବରାୟେ । ରତ୍ନଆସନରେ ବିଜୟେ ।। ୧୬
ଏମନ୍ତ ସମୟେ ରାଜନ । କହିବା ଶୁଣ ଏକମନ ।। ୧୭
ପରମଗୁରୁ ଦେବଙ୍କର । ପ୍ରବେଶ ହେଲେ ସେ ସଭାର ।। ୧୮
ପୂଜିତ ମୁନିମାନଙ୍କର । ବନ୍ଦିତ ସୁରାସୁରଙ୍କର ।। ୧୯
ତାହାଙ୍କ ପ୍ରତି ଆନ କରି । ଅଭିବାଦନକୁ ନ କରି ।। ୨୦
ଏମନ୍ତେ ମୁନିଙ୍କି ଦେଖିଲେ । ଇନ୍ଦ୍ର ଆସନୁ ନ ଉଠିଲେ ।। ୨୧
ସେଠାରୁ ଶୀଘ୍ରେ ଆଙ୍ଗିରସ । ମଉନେ ମନ୍ଦିରେ ପ୍ରବେଶ ।। ୨୨
ଶ୍ରୀମଦେ ଇନ୍ଦ୍ରର ବିକ୍ରିୟା । ମନେ ଜାଣିଲେ ମୁନି ଏହା ।। ୨୩
ତାହାଙ୍କ ବିନୁ କେ ପଣ୍ଡିତ । ସ୍ୱର୍ଗ-ରକ୍ଷଣେ ସମରଥ ।। ୨୪
ତକ୍ଷଣେ ଇନ୍ଦ୍ରଜାଣି କରି । ଗୁରୁ-ଅପରାଧ ବିଚାରି ।। ୨୫
ଆତ୍ମାକୁ ଇନ୍ଦ୍ର ନିନ୍ଦା କଲେ । ଅନେକ ସନ୍ତାପ ପାଇଲେ ।। ୨୬
ବଡ଼ ଅସାଧୁପଣ କଲି । ମୁଁ ଅଳ୍ପବୁଦ୍ଧିକି ପାଇଲି ।। ୨୭
ଗୁରୁ-ଆଚାର୍ଯ୍ୟଙ୍କୁ ସଭାରେ । ନିନ୍ଦିଲି ଐଶ୍ୱର୍ଯ୍ୟ-ମଦରେ ।। ୨୮
ମୁଁ ଦେବମାନଙ୍କ ଈଶ୍ୱର । କଲି ଅସୁରଙ୍କ ବେଭାରେ ।। ୨୯
ଯେ ମହାରାଜ-ଚିହ୍ନ ବହି । ମନରେ ମତ୍ତଗର୍ବ ବହି ।। ୩୦
ଧର୍ମଧରତା ଯେଉଁମାନେ । ସାଧୁ ପଣ୍ଡିତ ଯେତେ ଜନେ ।। ୩୧
ତାହାଙ୍କୁ ଦେଖି ନ ଉଠନ୍ତି । ସେମାନେ ଧର୍ମ ନ ଜାଣନ୍ତି ।। ୩୨
କୁପଥ ଦେଖାନ୍ତି ଯେ ଜନ । ନରକେ ପହନ୍ତି ବହନ ।। ୩୩
ତାହାଙ୍କ ବୋଲ ଯେ କରନ୍ତି । ପାଷଣଭେଳା ଆବୋରନ୍ତି ।। ୩୪
ସ୍ୱଭାବେ ଗରୁ ଯେ ପାଷାଣ । ତାହାର ଆଶ୍ରୟେ ମରଣ ।। ୩୫
ଏବେ ଅମରଗଣଙ୍କର । ଆଚାର୍ଯ୍ୟ ଅଗାଧବୁଦ୍ଧିର ।। ୩୬
ମୁଁ ମୂଢ ସେହି ବ୍ରାହ୍ମଣର । ପୟରେ ମଣ୍ଡିବି ମୋ ଶିର ।। ୩୭
ତାଙ୍କୁ କରାଇଲେ ପ୍ରସନ୍ନ । ଦୁଃଖ ମୋ ହୋଇବ ଦହନ ।। ୩୮
ଏମନ୍ତ ଚିନ୍ତା ମନେ କରି । ଗୁରୁ-ଭୁବନେ ଆଗୁ ସରି ।। ୩୯
ଗୁରୁ ତା ଆଗମନ ଦେଖି । ଗୃହକୁ ଗଲେ ସେ ଉପେକ୍ଷି ।। ୪୦
ଗୁରୁଦରଶନ ନ ପାଇ । ଭୟ-ଶୋକରେ ଯୁକ୍ତ ହୋଇ ।। ୪୧
ଆତ୍ମାର ଅକୁଶଳ ଜାଣି । ଚିନ୍ତିତ ହେଲେ ବଜ୍ରପାଣି ।। ୪୨
ଅସୁରମାନେ ତାହା ଜାଣି । ଶୁକ୍ର-ମନ୍ତ୍ରଣା ପରିମାଣି ।। ୪୩
ଦେବଙ୍କ ନାଶ ବିଚାରନ୍ତି । ସ୍ୱଭାବେ ଦୁର୍ମଦ ହୁଅନ୍ତି ।। ୪୪
ତାହାଙ୍କ ବାଣେ ମଘବାନ । ଦେବଙ୍କ ଦେହ ହେଲା କ୍ଷୀଣ ।। ୪୫
ବ୍ରହ୍ମା-ଛାମୁକୁ ଦେବେ ଗଲେ । ଏ ସର୍ବକଥା ନିବେଦିଲେ ।। ୪୬
ଛନ୍ନଚିତ୍ତରେ ଦେବଗଣ । ନମିଲେ ବ୍ରହ୍ମାଙ୍କ ଚରଣ ।। ୪୭
ଦୁଃଖିତ ଦେଖି ଦେବଗଣ । ସ୍ୱୟମ୍ଭୁ ଅଜ ଭଗବାନ ।। ୪୮
ପରମକୃପାଯୁକ୍ତ ହୋଇ । କିଛି ବୋଇଲେ ସ୍ନେହବହି ।। ୪୯

ବ୍ରହ୍ମା ଉବାଚ

ହେ ଦେବ ଶୁଣ କହୁଁ ଆମ୍ଭେ । ଅତ୍ୟନ୍ତ-ମନ୍ଦ କଲ ତୁମ୍ଭେ ।। ୫୦
ଯେ ବ୍ରହ୍ମବାଦୀ ସୁବ୍ରାହ୍ମଣ । ତାହାଙ୍କୁ କଲ ଅବମାନ ।। ୫୧
ତୁମ୍ଭଙ୍କୁ ସେ ପାପ-କାରଣେ । ଜିଣିଲେ ତେଣୁ ଶତ୍ରୁଗଣେ ।। ୫୨
ତୁମ୍ଭଙ୍କୁ ନ ଜିଣନ୍ତି ବାଦେ । ଏବେ ଜିଣିଲେ ଅପ୍ରମାଦେ ।। ୫୩
ହେ ଇନ୍ଦ୍ର ଶୁଣ ସାବଧାନେ । ଗୁରୁଙ୍କୁ ଲଙ୍ଘିଲ ଅଜ୍ଞାନେ ।। ୫୪
ଶୁକ୍ରଙ୍କୁ ଆରଧି ଅସୁର । ସୁଖେ ଲଭିଲେ ତୁମ୍ଭ ପୁର ।। ୫୫
ଗୋ ବିପ୍ର ଗୋବିନ୍ଦ ଯାହାର । ଠାକୁର ବିଘ୍ନ କାହିଁ ତାର ।। ୫୬
ଅଶେଷପ୍ରାଣୀଙ୍କ ଈଶ୍ୱର । ଶୁଭ କରିବେ ଚକ୍ରଧର ।। ୫୭
ବିଶ୍ୱରୂପକୁ ବେଗେ ଭଜ । ତୁମ୍ଭର କରିବେ ଯେ କାର୍ଯ୍ୟ ।। ୫୮
ସେ ବିପ୍ର ପ୍ରସନ୍ନ ହୋଇଲେ । ତୁମ୍ଭର ଦୁଃଖ ଯିବ ଭଲେ ।। ୫୯
ଶୁକ କହିଲେ ଶୁଣ ରାୟେ । ବ୍ରହ୍ମା ଯେ କହିଲେ ଉପାୟେ ।। ୬୦
ଶୁଣି ଦେବତାଏ ହରଷ । ବ୍ରହ୍ମା ଏହି ଉପଦେଶ ।। ୬୧
ଋଷିଙ୍କ ଠାବକୁ ସେ ଗଲେ । ହରଷେ ଆଲିଙ୍ଗନ କଲେ ।। ୬୨
ଏ ଅନନ୍ତରେ ହୃଷ୍ଟ ହୋଇ । ଦେବେ କହିଲେ କଥା ଏହି ।। ୬୩

ଦେବଗଣଉବାଚ

ଆମ୍ଭେ ଅତିଥି ହେଲୁ ଯହୁଁ । ତୁମ୍ଭ ଆଶ୍ରମେ ଶୁଭ ହେଉ ।। ୬୪
ପିତୃମାନଙ୍କ କାର୍ଯ୍ୟ ପୂର୍ଣ୍ଣ । କର ଏ ଯଥୋଚିତ ଧର୍ମ ।। ୬୫
ଉତ୍ତମପୁତ୍ରଙ୍କର ଧର୍ମ । ଯେ ପିତୃଗଣ ଶୁଶ୍ରୂଷଣ ।। ୬୬
ଗୃହସ୍ଥଜନଙ୍କ ଏ ଧର୍ମ । ଅଧିକେ ବ୍ରହ୍ମଚାରୀ କର୍ମ ।। ୬୭
ଆଚାର୍ଯ୍ୟ ବ୍ରହ୍ମାର ମୂରତି । ପିତା ପ୍ରତ୍ୟକ୍ଷେ ପ୍ରଜାପତି ।। ୬୮
ଭ୍ରାତା ଯେ ମୂରତି ଇନ୍ଦ୍ରର । ମାତା ସାକ୍ଷାତ ପୃଥିବୀର ।। ୬୯
ଭଗିନୀ ଦୟାର ମୂରତି । ଧର୍ମର ମୂରତି ଅତିଥି ।। ୭୦
ଅଗ୍ନି-ମୂରତି ଅଭ୍ୟାଗତ । ଆତ୍ମାର ମୂର୍ତ୍ତି ସର୍ବଭୂତ ।। ୭୧
ଶତ୍ରୁ ସକାଶୁ ପରାଭବ । ଯେଣେ ପିତାଙ୍କ ଆର୍ତ୍ତିଭାବ ।। ୭୨
ଏହି କାରଣୁ ମୁନିବର । ତପସ୍ୟା ସାଧି ଦୂର କର ।। ୭୩
ଗୁରୁ ଉପାଧ୍ୟାୟ ବ୍ରାହ୍ମଣ । ବ୍ରହ୍ମିଷ୍ଠ ଯେତେ ତୁମ୍ଭ ଗୁଣ ।। ୭୪
ତୁମ୍ଭଙ୍କୁ କଲୁ ପୁରୋହିତ । ଶତ୍ରୁଙ୍କ ଜିଣିବୁ ତୁରିତ ।। ୭୫
କାର୍ଯ୍ୟର ପ୍ରୟୋଜନ ପାଇଁ । କନିଷ୍ଠ-ପୂଜା ନିନ୍ଦା ନୋହି ।। ୭୬
ବେଦରେ ଯାର ଜ୍ଞାନ ନାହିଁ । ଜ୍ୟେଷ୍ଠରେ ଯୋଗ୍ୟ ସେହୁ ନୋହି ।। ୭୭
ବୟସେ ହେଲେ ହେଁ କନିଷ୍ଠ । ଜ୍ଞାନରେ ଅଟ ତୁମ୍ଭେ ଜ୍ୟେଷ୍ଠ ।। ୭୮

ଶୁକ ଉବାଚ

ତାହାଙ୍କୁ ପୁରୋହିତ ପଣେ । ବରଣ କଲେ ଦେବଗଣେ ।। ୭୯
ମୁନି ବିଶ୍ୱରୂପ ହସିଲେ । ଦେବତାମାନଙ୍କୁ ବୋଇଲେ ।। ୮୦

ବିଶ୍ୱରୂପ ଉବାଚ

ଭୋ ଦେବଗଣେ କହୁଁ ଶୁଣ । ତୁମ୍ଭେ ଯେ ଅଖିଳକାରଣ ।। ୮୧
ନିନ୍ଦିତ-କାର୍ଯ୍ୟ ପୌରୋହିତ୍ୟେ । କିମ୍ପା ଆରାଧ ତୁମ୍ଭେ ମୋତେ ।। ୮୨
ହେ ଅଧୀଶ୍ୱର ତୁମ୍ଭେ ଶୁଣ । ଅର୍ଥେ ମୋ ନାହିଁ ପ୍ରୟୋଜନ ।। ୮୩
କ୍ଷେତ୍ରରୁ ଧାନ୍ୟାଦି ଗ୍ରହଣ । କରି ବଞ୍ଚଇ ମୁହିଁ ଦିନ ।। ୮୪
କିମ୍ପାଇ ତୁଚ୍ଛବୁଦ୍ଧି କରି । ପୁରୋହିଁତପଣ ଆଚରି ।। ୮୫
ଅଜ୍ଞାନୀଲୋକ ଏହି କର୍ମ । ପାଇ ହୁଅନ୍ତି ମହାପ୍ରେମ ।। ୮୬
ତଥାପି ତୁମ୍ଭର କଥାରେ । ଏହା କେ ଅସ୍ୱୀକାର କରେ ।। ୮୭
କିନ୍ତୁ ତୁମ୍ଭେ ଯେ ମୋର ଗୁରୁ । ଆମ୍ଭେ ଯେ ଅବଜ୍ଞା ନ କରୁ ।। ୮୮
ତୁମ୍ଭର ଯେତେ କଥାମାନ । ସାଧିବୁ ଶୁଣ ଦେବଗଣ ।। ୮୯

ଶୁକ ଉବାଚ

ଏ ଅନନ୍ତରେ ବିଶ୍ୱରୂପ । ବରଣ ହୋଇ ଶୁଣ ନୃପ ।। ୯୦
ଶ୍ରୀକୃଷ୍ଣ ବୋଲିଣ ସୁମରି । ପରମ ସମାଧିରେ କରି ।। ୯୧
ଶୁକ୍ରର ବିଦ୍ୟାବଳୁ କରି । ଅସୁରଙ୍କର ଯଶ ଶିରୀ ।। ୯୨
ନିଶ୍ଚୟେ କରିଥିଲେ ନାଶ । ଶୁଣ ରାଜନ ଇତିହାସ ।। ୯୩
ବୈଷ୍ଣବୀବିଦ୍ୟା ବୋଲି ଯାହା । ଇନ୍ଦ୍ରର ଅର୍ଥେ ଆଣି ତାହା ।। ୯୪
ଇନ୍ଦ୍ରଙ୍କୁ ଆଣି ତାହା ଦେଲେ । ଯାହାକୁ ଅସୁରେ ଶଙ୍କିଲେ ।। ୯୫
ସେ ବିଦ୍ୟାପ୍ରଭାବରୁ ଇନ୍ଦ୍ର । ଜିଣିଲା ଯେ ଦାନବବୃନ୍ଦ ।। ୯୬
ମହତ ବିଶ୍ୱରୂପ ଧୀର । ଦେଲେ ଇନ୍ଦ୍ରଙ୍କୁ ବିଦ୍ୟାସାର ।। ୯୭
ଇନ୍ଦ୍ରର ଗୁରୁଦ୍ରୋହ-ଦୋଷ । କହିଲେ ଜଗନ୍ନାଥ ଦାସ ।। ୯୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ସପ୍ତମୋଽଧ୍ୟାୟଃ ।।

 

ଅଷ୍ଟମ ଅଧ୍ୟାୟ

ପରୀକ୍ଷିତ ଉବାଚ

ଶୁଣ ହେ ମୁନି ତପୋଧନ । ତୁମ୍ଭେ ଯେ କହିଲ ବିଧାନ ।। ୧
କବଚ ନାରାୟଣ ରୂପ । ଇନ୍ଦ୍ରଙ୍କୁ ଦେଲେ ବିଶ୍ୱରୂପ ।। ୨
ଯେଣେ ଇନ୍ଦ୍ର ରକ୍ଷିତ ହୋଇ । ସ୍ୱର୍ଗରେ ଭୋଗ ସେ ଭୁଞ୍ଜଇ ।। ୩
ଗଜ ତୁରଙ୍ଗ ରିପୁବଳେ । ଲୀଳାମାତ୍ରକେ ଜିଣି ହେଳେ ।। ୪
ତ୍ରୈଲୋକ୍ୟ ଅଶେଷ ସମ୍ପଦେ । ଭୁଞ୍ଜୁ ଅଛନ୍ତି ଅପ୍ରମାଦେ ।। ୫
ଭୋ ସ୍ୱାମୀ ମୋତେ ଯେବେ ଦୟା । ବିସ୍ତାରି କହିବାକ ଏହା ।। ୬
କେମନ୍ତ ବର୍ମ ନାରାୟଣ । ଇନ୍ଦ୍ରର ରକ୍ଷାର କାରଣ ।। ୭
ଯେ ବର୍ମବଳେ ଶତ୍ରୁଜିଣି । ସ୍ୱର୍ଗେ ନିର୍ଭୟ ବଜ୍ରପାଣି ।। ୮
ରାଜା ବିନୟ ଦେଖି ମୁନି । କହନ୍ତି ତାର ଭାବ ଘେନି ।। ୯

ଶୁକ ଉବାଚ

ଇନ୍ଦ୍ର ନିମନ୍ତେ ହୋଇ ବୃତ । ପ୍ରସନ୍ନ ହୋଇ ପୁରୋହିତ ।। ୧୦
ଯେ ବର୍ମ ନାମ ନାରାୟଣ । କହିଲେ ଏକମନେ ଶୁଣ ।। ୧୧

ବିଶ୍ୱରୂପ ଉବାଚ

କର ଚରଣ ଜଳେ ଧୋଇ । ଗଣ୍ଡୂଷ ଉଦଙ୍ମୁଖ ହୋଇ ।। ୧୨
ମନ୍ତ୍ରରେ କରି ଅଙ୍ଗନ୍ୟାସ । ମଉନ ଶୁଚି ହୋଇ ତୋଷ ।। ୧୩
ଯେବଣ ବର୍ମେ ନାରାୟଣ । ତୋଷ ହୋଇବେ ତତକ୍ଷଣ ।। ୧୪
ନିକଟ ଭୟ ଯେତେବେଳେ । ଜାନୁ ଚରଣ ବକ୍ଷସ୍ଥଳେ ।। ୧୫
ଉଦର ହୃଦୟ ମୁଖରେ । ଓଁକାର ଆଦି ଦେଇ ଶିରେ ।। ୧୬
ଓଁକାର ଆଦି ନାରାୟଣ । ଉଚ୍ଚାର କରିବ ତକ୍ଷଣ ।। ୧୭
କରେ କରିବ କରନ୍ୟାସ । ଯେ ବିଦ୍ୟା ଅକ୍ଷରଦ୍ୱାଦଶ ।। ୧୮
ପ୍ରଣବ ଆଦି କରି ଯେତେ । କରିବ ‘‘ୟ’’ କାର ପର୍ଯ୍ୟନ୍ତେ ।। ୧୯
ଅଙ୍ଗୁଳି ଅଙ୍ଗୁଷ୍ଟି ପର୍ବରେ । ଯଥାକ୍ରମେ ଦେଇ ଅକ୍ଷରେ ।। ୨୦
ହୃଦରେ ଦେଇଣ ଓଁକାର । ମସ୍ତକେ ଦେବ ସେ ‘‘ବି’’ କାର ।। ୨୧
‘’ଷ’’ କାର ଭୁରୁଯୁଗେ ଦେଇ । ‘‘ଣ’’ କାର ଶିଖାରେ ବସାଇ ।। ୨୨
‘’ବେ’’ କାର ନୟନ ମଧ୍ୟରେ । ‘’ନ’’ କାର ସକଳ ସନ୍ଧିରେ ।। ୨୩
‘’ମ’’ କାର କରିବ ସ୍ମରଣ । ମନ୍ତ୍ର-ସ୍ୱରୂପେ ହୋଇ ଜନ୍ମ ।। ୨୪
ବିଷ୍ଣବେ ନମଃ ଉଚ୍ଚାରିବ । ଓଁକାର ତହିଁ ଆଦ୍ୟେ ଦେବ ।। ୨୫
ପରମ-ଆତ୍ମା ଏହି ମନ୍ତ୍ରେ । ଧ୍ୟାନ କରିବ ଅବିରତେ ।। ୨୬
ଷଟ ଶକତି ରୂପ ଯୁତ । ଅନାଦି ଦିବ୍ୟ ଶୁଦ୍ଧସତ୍ତ୍ୱ ।। ୨୭
ଯେ ହରି ଗରୁଡ଼ପୃଷ୍ଠରେ । ପାଦପଦ୍ମ ଦେଇଛି ଶିରେ ।। ୨୮
ଯେ ଅଷ୍ଟବାହୁରେଣ କରି । ଚର୍ମ ଆସି ଗଦାକୁ ଧରି ।। ୨୯
ଶଙ୍ଖ ପାଶ ଇଷୁ ଚାପରେ । ରଖନ୍ତୁ ମୋତେ ଚକ୍ରଧରେ ।। ୩୦
ଯେ ଜଳେ ମର୍ତ୍ସ୍ୟରୂପ ହୋଇ । ସେ ପ୍ରଭୁ ରକ୍ଷାକରୁ ଦେହୀ ।। ୩୧
ଜଳଜନ୍ତୁଙ୍କ ସକାଶରୁ । ରଖିବେ ବରୁଣ-ପାଶରୁ ।। ୩୨
ମାୟାବାମନ ରୂପ ଛଳେ । ସେ ରକ୍ଷାକରୁ ଅବହେଳେ ।। ୩୩
ତ୍ରିବିକ୍ରମ ରଖୁ ଭୂମିରେ । ବିଶ୍ୱରୂପ ଯେ ଆକାଶରେ ।। ୩୪
ବନ ସଂଗ୍ରାମ ସଙ୍କଟରୁ । ଦୁର୍ଗମୁ ସେ ମୋତେ ସେ ଉଦ୍ଧରୁ ।। ୩୫
ଅସୁରଯୂଥର ଅଇରି । ନୃସିଂହ ମୋତେ ସେ ଉଦ୍ଧରି ।। ୩୬
ଯାହାର ଅଟ୍ଟ…ହାସ ଶୁଣି । କମ୍ପନ୍ତି ଏ ଦିଗ ଧରଣୀ ।। ୩୭
ଦୈତ୍ୟପତ୍ନୀଙ୍କ ଗର୍ଭମାନେ । ପଡ଼ନ୍ତି ଯେ ହାସ-ନିଃସ୍ୱନେ ।। ୩୮
ସେ ପ୍ରଭୁ ଯୁଦ୍ଧଆଦି ସ୍ଥଳେ । ମୋତେ ରଖନ୍ତୁ ଅବହେଳେ ।। ୩୯
ପଥେ ରଖନ୍ତୁ ଯଜ୍ଞକଳ୍ପ । ଅଖିଳାଧାର ବିଶ୍ୱରୂପ ।। ୪୦
ଦଶନେ ଅବନୀ ଯେ ଧରି । ମୋତେ ସେ ବରାହ ଉଦ୍ଧରି ।। ୪୧
ଅଦ୍ରିକୂଟରେ ପର୍ଶୁରାମ । ପ୍ରବାସେ ରାମ ଯେ ଲକ୍ଷ୍ମଣ ।। ୪୨
ଭରତ-ଅଗ୍ରଜଟି ଯେହୁ । ସେ ମୋ ରକ୍ଷକ ସଦା ହେଉ ।। ୪୩
ଅଖିଳ-ଚିନ୍ତା-ପ୍ରମାଦରୁ । ସେ ନାରାୟଣ ରକ୍ଷାକରୁ ।। ୪୪
ନରକ-ଶରୀରରୁ ମୋତେ । ରକ୍ଷା କରିବେ ଜଗନ୍ନାଥେ ।। ୪୫
ଆବର ନରରୂପୀ ହରି । ରଖନ୍ତୁ ଗର୍ବରୁ ଉଦ୍ଧରି ।। ୪୬
ବିପତ୍ତିମାନ ହୋଇ ଯେତେ । ରଖିବେ ଜଗନ୍ନାଥ ମୋତେ ।। ୪୭
ଯୋଗଭ୍ରଷ୍ଟରୁ ଦତ୍ତାତ୍ରେୟ । ରଖନ୍ତୁ ହୋଇ ସେ ସଦୟ ।। ୪୮
କିପଳରୂପୀ ଦେବହରି । ରଖନ୍ତୁ କର୍ମବନ୍ଧ ହରି ।। ୪୯
ଅନଙ୍ଗପୀଡ଼ାରୁ ଜଗତେ । ସନତ୍କୁମାର ରଖୁ ମୋତେ ।। ୫୦
ଦେବହେଳନାଦି ଦୋଷରୁ । ହୟଗ୍ରୀବ-ମୂର୍ତ୍ତି ଉଦ୍ଧରୁ ।। ୫୧
ଦେବତାଆରାଧନବିଘ୍ନୁ । ନାରଦ ରଖନ୍ତୁ ମୋ ତନୁ ।। ୫୨
କମଠରୂପୀ ଚକ୍ରଧର । ଅଶେଷପାପୁ ତ୍ରାହିକର ।। ୫୩
ଅପଥ୍ୟଭୋଜନରୁ ମୋର । ଯେ ବ୍ୟାଧିଜନ୍ମେ ଅତିଘୋର ।। ୫୪
ତାହା ନାଶିବେ ଧନ୍ୱନ୍ତରି । ଯେ ଦ୍ୱନ୍ଦ୍ୱଭୟଟି ମୋହରି ।। ୫୫
ତହୁଁ ରଖିବେ ନାଭିସୁତ । ଋଷଭ ନାମେ ଯେ ବିଦିତ ।। ୫୬
ଦୁର୍ବାଦ-ଜନସମୂହରୁ । ଯଜ୍ଞ ମୂରତି ରକ୍ଷା କରୁ ।। ୫୭
ବଳବନ୍ତଙ୍କ ତହୁଁ ମୋତେ । ରଖନ୍ତୁ ବଳଦେବ ନିତ୍ୟେ ।। ୫୮
ସର୍ପଙ୍କ ପ୍ରତାପରୁ ମୋତେ । ଶେଷରୂପୀ ରଖୁଯୁଗତେ ।। ୫୯
ମୋହର ମନ ବୁଦ୍ଧି ବେନି । ରଖନ୍ତୁ ବ୍ୟାସ ମହାମୁନି ।। ୬୦
ପାଷନିକର-ପ୍ରମାଦ । ତହୁଁ ରଖିବେ ଦେବବୁଦ୍ଧ ।। ୬୧
ଧର୍ମପାଳନେ ଅବତାର । ଯେ ପ୍ରଭୁ କଳ୍କିରୂପଧର ।। ୬୨
କଳିର ପାପ ନାଶ କରି । ରଖନ୍ତୁ କଳ୍କିରୂପଧାରୀ ।। ୬୩
ହେ ଦେବ ଇନ୍ଦ୍ର ଏ ବିଧିରେ । ଧ୍ୟାୟିବ ଦିବା-ରଜନୀରେ ।। ୬୪
ପ୍ରାତଃକାଳରେ କୃପା କରି । ମୋର ସକଳରିଷ୍ଟ ହରି ।। ୬୫
କେଶବ ଗଦା ଧରି କରେ । ମୋତେ ରଖନ୍ତୁ ପ୍ରଭାତରେ ।। ୬୬
ଗୋବିନ୍ଦ ବେଣୁ ଧରି କରେ । ରଖନ୍ତୁ ଦିବସଆଦ୍ୟରେ ।। ୬୭
ପୂର୍ବାହ୍ନେ ଶକ୍ତି ଧରି ହସ୍ତେ । ରଖନ୍ତୁ ନାରାୟଣ ମୋତେ ।। ୬୮
ରଖନ୍ତୁ ବିଷ୍ଣୁ ଚକ୍ରଧର । ଦିବସ-ମଧ୍ୟମଭାଗର ।। ୬୯
ଅପରାହ୍ନରେ ମଧୁହାରୀ । ରଖନ୍ତୁ ଧନୁ କରେ ଧରି ।। ୭୦
ରଖନ୍ତୁ ସାୟଂକାଳେ ମୋତେ । ତ୍ରିଧାମା-ମାଧବ ତୁରିତେ ।। ୭୧
ପ୍ରଦୋଷେ ରଖୁ ହୃଷୀକେଶ । ଅଶେଷ ବ୍ରହ୍ମାର ଈଶ ।। ୭୨
ଅର୍ଦ୍ଧରଜନୀ ବା ନିଶୀଥେ । ରଖନ୍ତୁ ପଦ୍ମନାଭ ମୋତେ ।। ୭୩
ଶ୍ରୀବ›ଧାମା ପରରାତ୍ରେ । ଖଡ୍ଗଆୟୁଧ ଧରି ହସ୍ତେ ।। ୭୪
ଅନୁସନ୍ଧ୍ୟାରେ ଦାମୋଦର । ରାତ୍ରିର ପ୍ରଭାତେ ବିଶ୍ୱେଶ୍ୱର ।। ୭୫
କାଳମୂରତି-ଭଗବାନ । ରଖନ୍ତୁ ମୋହର ଜୀବନ ।। ୭୬
ଯେ ଚକ୍ର ତେଜ ଏ ସଂସାରେ । ପ୍ରଳୟାନଳ ତୁଚ୍ଛ କରେ ।। ୭୭
କୃଷ୍ଣରେ ପ୍ରଯୋଜିତ ହୋଇ । ନିର୍ଭୟେ ଜଗତେ ଭ୍ରମଇ ।। ୭୮
ତା ପାଦପଦ୍ମେ ମୋର ଶିର । ନିତ୍ୟେ କରଇ ନମସ୍କାର ।। ୭୯
ସେ ଚକ୍ର ମୋର ଅରି-ସୈନ୍ୟ । ଦହନ କରିବ ବହନ ।। ୮୦
ପବନ ସହ ହୁତାଶନ । ଦହଇ ଯେହ୍ନେ ଶୁଷ୍କତୃଣ ।। ୮୧
ଗଦା ଅଶନି ପ୍ରାୟ ହୋଇ । ମୋର ବିପକ୍ଷ ଦେହେ ଯାଇ ।। ୮୨
ସ୍ଫୁଲିଙ୍ଗେ ଚୂର୍ଣ୍ଣକର ହିଆ । ତୁମ୍ଭେ ଅଖିଳନାଥ-ପ୍ରିୟା ।। ୮୩
ମୁହିଁ ଅଟଇ ତାର ଦାସ । ମୋ ଶତ୍ରୁପକ୍ଷ କର ନାଶ ।। ୮୪
କୁଷ୍ମା ବିନାୟକ ଯକ୍ଷ । ଗୁହ୍ୟକ ଭୂତଗଣ ରକ୍ଷ ।। ୮୫
ପିଶାଚ ପ୍ରେତ ମାତୃଗଣ । ଶୀଘ୍ରେ କର ତୁ ପ୍ରମଥନ ।। ୮୬
ହେ ପାଞ୍ଚଜନ୍ୟ ଶଙ୍ଖସାର । କୃଷ୍ଣେ ପୂରିତ ହୋଇ ମୋର ।। ୮୭
ଶତ୍ରୁର ହୃଦୟ କମ୍ପାଅ । ନିଃସ୍ୱନେ ମହାଭୟ ଦିଅ ।। ୮୮
ତୁ ହେ ଖଡଗ ତୀକ୍ଷ୍ଣ ଧାର । ଅଶେଷ ରିପୁ ନାଶ କର ।। ୮୯
କୃଷ୍ଣରେ ହୋଇ ପ୍ରଯୋଜିତ । ସକଳ ରିପୁ କର ଗ୍ରସ୍ତ ।। ୯୦
ହେ ଶତଚନ୍ଦ୍ର ଧର୍ମ ଶୁଣ । ଯେତେ ଅଛନ୍ତି ରିପୁଗଣ ।। ୯୧
ତାହାଙ୍କ ଲୋଚନ ଆଚ୍ଛାଦ । ଯେଣେ ହୋଇବ ଦୃଷ୍ଟିଭେଦ ।। ୯୨
ଯହୁଁ ମୋ ଭୟଜାତ ହୋଇ । ଗ୍ରହ ମନୁଷ୍ୟ କେତୁ ଯେହି ।। ୯୩
ଯେ ସରୀସୃପ ଭୂତ ଆଦି । ହିଂସକ ପାପ ମନ୍ଦବାଦୀ ।। ୯୪
ଶ୍ରୀକୃଷ୍ଣ-ରୂପ-ଅସ୍ତ୍ର ନାମ । ଯେଣୁ ମୁଁ କଲି ସଂକୀର୍ତ୍ତନ ।। ୯୫
ତାର ପ୍ରସାଦୁ ଯାଉ କ୍ଷୟ । ଏ ଯେତେ ସର୍ବଦୁଷ୍ଟଭୟ ।। ୯୬
ଯେ ମୋର ଶ୍ରେୟ ଆଚରଣେ । ହିଂସା କରନ୍ତି ଦୁଷ୍ଟଗଣେ ।। ୯୭
ଗରୁଡ ଭଗବାନ ମୋତେ । ରକ୍ଷା କରିବେ ଅବିରତେ ।। ୯୮
ରଖିବେ ବିଶ୍ୱକ୍ସେନ-ହରି । ଅଶେଷ କଷ୍ଟୁ ମୋତେ ତାରି ।। ୯୯
ବିଷ୍ଣୁର ନାମ ରୂପ ଯାନ । ଆବର ଆୟୁଧ ବାହନ ।। ୧୦୦
ଏମାନେ ହୋଇ ପରସନ୍ନ । ଆପଦୁ କରିବେ ମୋଚନ ।। ୧୦୧
ପ୍ରଭୁ ନିକଟେ ଯେତେ ଗଣ । ଅପରେ ବାହନ ଭୂଷଣ ।। ୧୦୨
ବୁଦ୍ଧି ଇନ୍ଦ୍ରିୟ ମୋର ମନ । ସର୍ବେ ରଖନ୍ତୁ ମୋର ପ୍ରାଣ ।। ୧୦୩
ଯେମନ୍ତେ ପ୍ରଭୁ ଭଗବାନ । ସତ-ଅସତର କାରଣ ।। ୧୦୪
ଏହି କବଚୁ ମୋର ସର୍ବ । ନଷ୍ଟ ହୁଅନ୍ତୁ ଉପଦ୍ରବ ।। ୧୦୫
ଆତ୍ମା ଅଶେଷ-ପ୍ରାଣୀଙ୍କର । ସକଳ-କାର୍ଯ୍ୟରୁ ବାହାର ।। ୧୦୬
ଭୂଷଣ ଆୟୁଧ ସ୍ୱନାମ । ଧରନ୍ତି ସ୍ୱମାୟାରେ ଭିନ୍ନ ।। ୧୦୭
ଏମନ୍ତ ପରମଈଶ୍ୱର । ରକ୍ଷାକରନ୍ତୁ ମୋ ଶରୀର ।। ୧୦୮
ସର୍ବଜ୍ଞ ଭଗବାନ ହରି । ସର୍ବ-ସ୍ୱରୂପେ ରୂପ ଧରି ।। ୧୦୯
ସଦା ସର୍ବତ୍ର ସର୍ବଠାରୁ । ସତ୍ୟ-ପ୍ରମାଣେ ରକ୍ଷାକରୁ ।। ୧୧୦
ଦିଗ ବିଦିଗ ଅଧ ଉର୍ଦ୍ଧ୍ବ । ରଖନ୍ତୁ ନରସିଂହ ଦେବ ।। ୧୧୧
ସ୍ୱନରେ ଲୋକଭୟ ଧ୍ୱଂସେ । ସ୍ୱତେଜେ ସର୍ବତେଜ ନାଶେ ।। ୧୧୨
ଭୋ ଇନ୍ଦ୍ର ଶୁଣ ମୋ ବଚନ । କହିଲି ବର୍ମ-ନାରାୟଣ ।। ୧୧୩
ତୁମ୍ଭେ ଏ ବର୍ମକୁ ଧାରଣ । ଶରୀରେ କର ଦେବଗଣ ।। ୧୧୪
ଅସୁରଯୂଥପଙ୍କୁ ଯୁଦ୍ଧେ । ଜୟ କରିବ ଅପ୍ରମାଦେ ।। ୧୧୫
ହତ ହୋଇବେ ଯାତୁଧାନେ । ସ୍ୱର୍ଗ ଲଭିବେ ଦେବଗଣେ ।। ୧୧୬
ତେଜ ଗୁଣ ଯେତେ ଆୟୁଧ । ପୁଣି ହିଁ ଲଭିବ ସମ୍ପଦ ।। ୧୧୭
ମୋର ଭକତ ଲୋକଙ୍କର । ହିଂସା ନୋହିବ ପୁନର୍ବାର ।। ୧୧୮
ପୁଣି କହନ୍ତି ବିଶ୍ୱରୂପ । କହିବା ଶୁଣ ସାଧୁ ନୃପ ।। ୧୧୯
ଏ ବିଦ୍ୟା ଯାରତହିଁ ଥାଇ । ଯେ ଯାକୁ ଦୃଷ୍ଟିରେ ଦେଖଇ ।। ୧୨୦
ପାଦେ ବା ସ୍ପରଶ କରଇ । ତା ଗାତ୍ରେ ଭୟ ନ ରହଇ ।। ୧୨୧
ଏ ବିଦ୍ୟା ଯେହୁ ଧରିଥାଇ । ଭୀତି ତାହାର କାହିଁ ନାହିଁ ।। ୧୨୨
ରାଜା ତସ୍କର ଗ୍ରହ ଆଦି । ଯେ ଦୁଷ୍ଟଗଣ ନାନାବ୍ୟାଧି ।। ୧୨୩
ଏ ବିଦ୍ୟା ପୂର୍ବେ ଦ୍ୱିଜ ଏକ । ଧରିଣ ଥିଲା କଉଶିକ ।। ୧୨୪
ମରୁଭୂମିରେ ବସି ସେହି । ଯୋଗ ଧାରଣେ ନିଜ ଦେହୀ ।। ୧୨୫
ତେଜିଲା ତହିଁ ଦ୍ୱିଜବର । ଶୁଣ କହିବା ସୁନାସୀର ।। ୧୨୬
ଗନ୍ଧର୍ବପତି ଏକଦିନେ । ତାହାର ଉପରେ ବିମାନେ ।। ୧୨୭
ଯାଉଣ ଥିଲା ଚିତ୍ରରଥ । ଅମରକନ୍ୟାରେ ବେଷ୍ଟିତ ।। ୧୨୮
ଯହିଁ ବ୍ରାହ୍ମଣ ମରିଥିଲା । ତାହାର ଉର୍ଦ୍ଧ୍ବେ ଯହୁଁ ଗଲା ।। ୧୨୯
ଗଗନୁ ପଡିଲା ତକ୍ଷଣେ । ବିମାନ ଗଲା ତାର କେଣେ ।। ୧୩୦
ପଡିଲା ଅଧୋମୁଖ । ସଭୟେ ଚକିତେ ଚାହଁଇ ।। ୧୩୧
ବାଳଖିଲ୍ୟାର ବାକ୍ୟ ଶୁଣି । ତକ୍ଷଣେ ବିପ୍ର-ଅସ୍ଥି ଆଣି ।। ୧୩୨
ନଦୀରେ ନେଇ ପକାଇଲା । ମନରେ ବିସ୍ମୟ ହୋଇଲା ।। ୧୩୩
ସରସ୍ୱତୀରେ କରି ସ୍ନାନ । ଶୀଘ୍ରେ ସେ କଲାକ ଭୋଜନ ।। ୧୩୪
ପୁଣି ବିମାନ ଆରୋହିଲା । ସୁଖେ ସେ ନିଜପୁରେ ଗଲା ।। ୧୩୫

ଶୁକ ଉବାଚ

ଯେ ଏହା ଶ୍ରବଣରେ ଶୁଣି । ଆଦର କରି ଧରେ ପ୍ରାଣୀ ।। ୧୩୬
ସେ ସର୍ବପାପୁଁ ହୋଏ ପାର । ସର୍ବେ କରନ୍ତି ନମସ୍କାର ।। ୧୩୭
ଇନ୍ଦ୍ର ବିଶ୍ୱରୂପର ତହିଁ । ଏ ମହାବିଦ୍ୟା ଶିକ୍ଷାପାଇ ।। ୧୩୮
ସଂଗ୍ରାମେ ଅସୁର ଜିଣିଲେ । ତ୍ରୈଲୋକ୍ୟେ ଲକ୍ଷ୍ମୀ ଭୋଗକଲେ ।। ୧୩୯
ବୋଲଇ ଜଗନ୍ନାଥ ଦ୍ୱିଜ । ଗୋବିନ୍ଦନାମ ନିତ୍ୟେ ଭଜ ।। ୧୪୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ନାରାୟଣବର୍ମ କଥନଂ ନାମ ଅଷ୍ଟମୋଽଧ୍ୟାୟଃ ।।

 

ନବମ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ନୃପବର । କୃଷ୍ଣମହିମା ଅଗୋଚର ।। ୧
ଶୁଣ ହେ ସେ ବିଶ୍ୱରୂପର । ତ୍ରିଶିର ଥିଲା ନୃପବର ।। ୨
ଏକମୁଖରେ ସୋମପାନ । କରଇ ସେହୁ ପ୍ରତିଦିନ ।। ୩
ଦ୍ୱିତୀୟେ ସୁରାପାନ କରେ । ଅନ୍ନ ଭକ୍ଷଇ ତୃତୀୟରେ ।। ୪
ସେ ବିଶ୍ୱରୂପ ବିନୟରେ । ଦେବଗଣଙ୍କୁ ଉଚ୍ଚସ୍ୱରେ ।। ୫
ଡାକି ଦିଅଇ ହବିର୍ଭାଗ । ଯେଣୁ ସେମାନେ ପିତୃବର୍ଗ ।। ୬
ଦେବମାନଙ୍କ ତହୁଁ ଆଣି । ଯଜ୍ଞର ଭାଗ ନୃପମଣି ।। ୭
ଦେଲା ଅସୁରମାନଙ୍କରେ । ଯଜ୍ଞଭାଗକୁ ପରୋକ୍ଷରେ ।। ୮
ଯଦ୍ୟପି ଦେବେ ପିତା ତାର । ତାହାଙ୍କୁ କରି ଅନାଦର ।। ୯
ପୁଣି ସେ ମାତୃସ୍ନେହବଶ । ହୋଇଣ ଅର୍ଜିଲା ଅଯଶ ।। ୧୦
ମାତୃପକ୍ଷରେ ସ୍ନେହକରି । ଏମନ୍ତ କର୍ମ ସେ ଆଚରି ।। ୧୧
ଏମନ୍ତ ଦେବଙ୍କ ହେଳନ । ଦେଖି ତାହାର ମଘବାନ ।। ୧୨
ସଭୟେ ହୋଇ ଖରତର । ରୋଷେ ଛେଦିଲେ ତାର ଶିର ।। ୧୩
ଯେ ମୁଣ୍ଡେ କରେ ସୋମପାନ । ତାହାକୁ କରନ୍ତେ ଛେଦନ ।। ୧୪
ଜନ୍ମିଲା ହୋଇ ପକ୍ଷୀ ଏକ । ନାମ ତା ହୋଇଲା ଚାତକ ।। ୧୫
ସୁରାପାୟୀ ଯେଉଁ ମସ୍ତକ । ଛେଦନ୍ତେ ସେ ହେଲା ଚଟକା ।। ୧୬
ଅନ୍ନଭୋଜୀ ମସ୍ତକ ତାର । ହୋଇଲା ତିତ୍ତିର ଆକାର ।। ୧୭
ଏମନ୍ତେ ସେ ବିଶ୍ୱରୂପର । ଇନ୍ଦ୍ର ଛେଦିଲେ ଯହୁଁ ଶିର ।। ୧୮
କର ଅଞ୍ଜଳି ପ୍ରସାରିଣ । ବ୍ରହ୍ମହତ୍ୟା କଲେ ଗ୍ରହଣ ।। ୧୯
ଏ ପାପୁ ଲୋକ କରେ ନିନ୍ଦା । ଇନ୍ଦ୍ର ପାଇଲେ ମନେ ବାଧା ।। ୨୦
ଆତ୍ମାର ବିଶୁଦ୍ଧି ନିମନ୍ତେ । ବିଭାଗ କରି ଏହି ମତେ ।। ୨୧
ସ୍ତିରୀ ଭୂ ଜଳ ଦ୍ରୁମଠାରେ । ଅର୍ପିଲେ ଏମନ୍ତ ପ୍ରକାରେ ।। ୨୨
ଭୂମି ଘେନିଲେ ଭାଗ ଚାରି । ଖାତ ପୂରଣ ବର ବରି ।। ୨୩
ବ୍ରହ୍ମହତ୍ୟା ତେଣୁ ଉଷରେ । ଅଦ୍ୟାପି ଦିଶଇ ଭୂମିରେ ।। ୨୪
ଦ୍ରୁମେ ଯେ ଚାରିଭାଗ ନେଲେ । ଛେଦନେ ବଢ଼ିବାର ବରେ ।। ୨୫
ନିର୍ଯ୍ୟାସରୂପେ ଏହାଙ୍କର । ପାପ ଦିଶଇ ନୃପବର ।। ୨୬
କାମବଶରେ ସ୍ତିରୀଜନ । ସମ୍ଭୋଗୀ ହେବେ ପ୍ରତିଦିନ ।। ୨୭
ଏରୂପେ ବରକୁ ପାଇଣ । ଚାରିଭାଗ କଲେ ଗ୍ରହଣ ।। ୨୮
ରଜରୂପରେ ପ୍ରତିମାସ । ଏବେହେଁ ପାପ ହୋଏ ଦୃଶ୍ୟ ।। ୨୯
ପାପର ଶେଷ ଚାରିଅଂଶ । ଜଳକୁ ଦେଇ ଦେବଈଶ ।। ୩୦
ପୁଣି ସେ ଦେଲେ ତାକୁ ବରେ । ମିଶ୍ରିତ କ୍ଷୀରାଦି ଦ୍ରବ୍ୟରେ ।। ୩୧
ସେ ପାପ ବୁଦ୍‌ବୁଦ-ଫେନରେ । ଅଦ୍ୟାପି ଦିଶଇ ସଂସାରେ ।। ୩୨
ସେହି ଫେନକୁ ପକାଇଲେ । ଜଳର ପାପ ନାଶେ ଭଲେ ।। ୩୩
ଏମନ୍ତ ପ୍ରକାରେ ହେ ନୃପ । ହରି-କଳ୍ପିତ ହେଲା ପାପ ।। ୩୪
ଏ ଅନନ୍ତରେ ସେ ତ୍ୱଷ୍ଟାର । ଯେଣୁ ହତ ହେଲା କୁମର ।। ୩୫
ପୁତ୍ରଶୋକରେ ଦୁଃଖୀ ହୋଇ । ଇନ୍ଦ୍ରର ଶତ୍ରୁ ବୃଦ୍ଧି ପାଇଁ ।। ୩୬
ହୋମ ଆରମ୍ଭକୁ ବିଚାରି । ବୋଇଲେ ଅତି କ୍ରୋଧ କରି ।। ୩୭
ଇନ୍ଦ୍ରର ଶତ୍ରୁ ହେଉ ଜାତ । ବେଗେ ଇନ୍ଦ୍ରକୁ କରୁ ହତ ।। ୩୮
ଏମନ୍ତ ବୋଲି ସେ ବଚନ । କେତେ ଆହୁତି କଲା ଦାନ ।। ୩୯
ପୁରୁଷେ ତହିଁରୁ ବାହାର । ରୂପ ତା ଅତି ଭୟଙ୍କର ।। ୪୦
ଯୁଗ-ଅନ୍ତକାଳେ ଯେମନ୍ତ । ପ୍ରାଣୀଙ୍କି ଯେସନେ କୃତାନ୍ତ ।। ୪୧
ଦିନକୁଦିନ ଅତିଘୋର । ବଢଇ ବିଶ୍ୱରୂପ ତାର ।। ୪୨
ଦଗଧ-ଗିରି ପ୍ରାୟେ ହୋଇ । ତାହାର ଶରୀର ଦିଶଇ ।। ୪୩
କାନ୍ତି ତାହାର ବିରାଜଇ । କଳ୍ପାନ୍ତମେଘ ପ୍ରାୟ ହୋଇ ।। ୪୪
ତପତ-ତମ୍ବାଶିଖା ଯେହ୍ନେ । କେଶ ତା ବିରାଜେ ତେସନେ ।। ୪୫
ମଧ୍ୟାହ୍ନ-ରବି ପ୍ରାୟ ହୋଇ । ବେନିଲୋଚନ ବିରାଜଇ ।। ୪୬
ଅନଳ-ତେଜ ପ୍ରାୟେ ତାର । ଏମନ୍ତ ଶୂଳ ଧରି କର ।। ୪୭
ବୁଲାଇ ଅତି ଖରତର । ଶବଦ କରେ ମହାଘୋର ।। ୪୮
ନୃତ୍ୟ କରଇ ମତ୍ତ ହୋଇ । ପାଦେ କମ୍ପାଇ ମହାମହୀ ।। ୪୯
ଗିରିଗୁହା ପ୍ରାୟେ ବଦନ । ତେଣୁ କି ଗ୍ରାସିବ ଗଗନ ।। ୫୦
ଜିହ୍ୱା ବୁଲାଉଛି ଏସନ । ଗିଳିବ କିବା ତ୍ରିଭୁବନ ।। ୫୧
ଦନ୍ତ ଅତି ରୌଦ୍ର ଦିଶଇ । ପୁଣ ପୁଣ ହୋଇ ହସଇ ।। ୫୨
ଭୀତ ହୋଇଣ ସର୍ବଜନ । ପଳାନ୍ତି ଘେନିଣ ଜୀବନ ।। ୫୩
ତ୍ୱଷ୍ଟାର ପୁତ୍ର ଏ ଯେ ପାପ । ଲୋକେ ପାଇଲେ ବହୁ ତାପ ।। ୫୪
ପରମ-ଦାରୁଣ-ଅସୁର । ଏଣୁ ବୃତ୍ର ନାମଟି ତାର ।। ୫୫
ଇନ୍ଦ୍ର ଦେବଗଣ ସହିତେ । ମିଳିଲେ ତାହାର ଅଗ୍ରତେ ।। ୫୬
ଯେ ଯାହା ଶସ୍ତ୍ର ଧରି କରେ । ପିଟିଲେ ବୃତ୍ରର ଉପରେ ।। ୫୭
ଶସ୍ତ୍ର ଯେତେକ ଦେବଙ୍କର । ସବୁ ଗିଳିଲା ସେ ଅସୁର ।। ୫୮
ଏ ଅନନ୍ତରେ ଦେବଗଣ । ବିସ୍ମୟେ ହୋଇ ହତଜ୍ଞାନ ।। ୫୯
କୃଷ୍ଣରେ ମନ ସ୍ଥିର କଲେ । ମହାପୁରୁଷ ଆରାଧିଲେ ।। ୬୦

ଦେବଗଣ ଉବାଚ

ପବନ ଆକାଶ ଯେ ଅଗ୍ନି । ଜଳର ସହିତେ ଅବନୀ ।। ୬୧
ଏ ମହାଭୂତେ ହୋଇ ଏକ । ନିର୍ମିତ ହୋଇଛି ତ୍ରିଲୋକ ।। ୬୨
ବ୍ରହ୍ମା ସହିତେ ଆମ୍ଭେମାନେ । ଉଦ୍‌ବେଗ ପାଉଅଛୁ ମନେ ।। ୬୩
ଯାହାକୁ ବଳି ଆମ୍ଭେମାନେ । ଦେଇଣ ସେବୁଁ ଅନୁକ୍ଷଣେ ।। ୬୪
ଯେ କାଳ ଅନ୍ତକ ବୋଲାଇ । ସେ ଯାହାଠାରୁ ଭୟ ପାଇ ।। ୬୫
ସେ ପ୍ରଭୁ ଆମ୍ଭର ଶରଣ । ହୁଅନ୍ତୁ ଅଖିଳକାରଣ ।। ୬୬
ସେ ଅବିସ୍ମିତ ପୂର୍ଣ୍ଣକାମ । ପ୍ରଶାନ୍ତ ସର୍ବଭୂତେ ସମ ।। ୬୭
ଏମନ୍ତ ଯେ ପରମେଶ୍ୱର । ତାହାଙ୍କୁ ତେଜି ଯେଉଁ ନର ।। ୬୮
ଅନ୍ୟରେ ପଶଇ ଶରଣ । ତାହାଙ୍କୁ ମୂର୍ଖ ବୋଲି ଜାଣ ।। ୬୯
ଶ୍ୱାନପୁଚ୍ଛକୁ ଧରି କରେ । ଅଗମ୍ୟସିନ୍ଧୁ କେହୁ ତାରେ ।। ୭୦
ନଉକାରରୂପେଣ ସଂସାର । ଶୃଙ୍ଗରେ ବାନ୍ଧିଣ ଯାହାର ।। ୭୧
ମନୁ ଅଛନ୍ତି ଦୁଃଖୁ ତରି । ଯାହାର ପ୍ରସାଦରୁ କରି ।। ୭୨
ଏମନ୍ତ ଯେଉଁ ମହାବାହୁ । ତାରିବେ ବୃତ୍ରାସୁର ତହୁଁ ।। ୭୩
ପୂର୍ବେ ସ୍ୱୟମ୍ଭୁ ପଡି ଜଳେ । ବାତେ ଉଲ୍ଲୋଳ-ଉର୍ମିମାଳେ ।। ୭୪
ତେଣେ ଶବଦ ମହାଘୋରେ । ରଖିଲା ଯେ ନାଭିକମଳେ ।। ୭୫
ସେ ଏକ ସଙ୍ଗେ ନାହିଁ କେହି । ସେ ଭୟୁ ରଖିଲାକ ଯେହି ।। ୭୬
ଦୁରନ୍ତ-ପାପ ଯେ ଦାରୁଣ । ତହୁଁ ରଖନ୍ତୁ ନାରାୟଣ ।। ୭୭
ଯେ ଏକ ଈଶ୍ୱର ଅଟଇ । ମାୟାାରେ ଆମ୍ଭଙ୍କୁ ସର୍ଜଇ ।। ୭୮
କରୁଛୁ ଜଗତ-ପାଳନେ । ଯାର ପ୍ରସାଦୁ ଆମ୍ଭେମାନେ ।। ୭୯
ଯାହାର ମହିମା ପ୍ରସିଦ୍ଧି । ଆମ୍ଭେ ନ ଜାଣୁ ମନ୍ଦବୁଦ୍ଧି ।। ୮୦
ଆମ୍ଭେ ଈଶ୍ୱର ବୋଲି ମାନି । ମୋହରେ ଯେସନେ ଅଜ୍ଞାନୀ ।। ୮୧
ଶତ୍ରୁର ଠାରୁ ଆମ୍ଭେମାନେ । ଦୁଃଖ ପାଇଲୁ ଅନୁକ୍ଷଣେ ।। ୮୨
ଋଷି ମନୁଷ୍ୟ ପଶୁ ଆଦି । ସଂସାରେ ଯେତେକ ପ୍ରସିଦ୍ଧି ।। ୮୩
ଯେ ପ୍ରଭୁ ଧରି ଅବତାର । ଖଣ୍ଡନ୍ତି ଦୁଃଖକୁ ଆମ୍ଭର ।। ୮୪
ଆମ୍ଭେଟି ସର୍ବେ ଅରକ୍ଷିତ । ରଖନ୍ତୁ ପ୍ରଭୁ ଜଗନ୍ନାଥ ।। ୮୫
ସେ ଯୁଗେ-ଯୁଗେ ରକ୍ଷାକରୁ । ଯାର ମହିମା ମହାମେରୁ ।। ୮୬
ପରମ-ପ୍ରଧାନ ପୁରୁଷ । ଅଖିଳ ସଂସାରର ଈଶ ।। ୮୭
ଅଖିଳଜନ୍ତୁଙ୍କ ଶରଣ । ଏମନ୍ତ ଯେଉଁ ନାରାୟଣ ।। ୮୮
ଆମ୍ଭେ ତାହାଙ୍କର ଶରଣ । ଆମ୍ଭଙ୍କୁ କରନ୍ତୁ କଲ୍ୟାଣ ।। ୮୯

ଶୁକ ଉବାଚ

ଦେବଙ୍କ ସ୍ତୁତି ଏ ବଚନ । ଶୁଣି ସନ୍ତୋଷ ଭଗବାନ ।। ୯୦
ପଶ୍ଚିମଦିଗେ ହେ ରାଜନ । ହୋଇଲେ ଆସି ସେ ପ୍ରସନ୍ନ ।। ୯୧
ଶଙ୍ଖ ଚକ୍ର ଗଦା କମଳ । ଧରିଣ ପ୍ରଭୁ ଆଦିମୂଳ ।। ୯୨
ଆତ୍ମାର ତୁଲ୍ୟ ଷୋଳଜଣ । ସେବୁ ଅଛନ୍ତି ଅନୁକ୍ଷଣ ।। ୯୩
ଶ୍ରୀବତ୍ସ›-କଉସ୍ତୁଭ ବିନେ । ପୂର୍ଣ୍ଣ ହୋଇଣ ସର୍ବଗୁଣେ ।। ୯୪
ଶରଦ-କମଳ-ଲୋଚନ । ଦେବେ ଦେଖିଣ ହୃଷ୍ଟମନ ।। ୯୫
ଇନ୍ଦ୍ରାଦି ଦଶଦିଗପାଳେ । ପ୍ରଭୁଙ୍କୁ ନମିଲେ ସକଳେ ।। ୯୬
ଦଣ୍ତବତ ପଡି ରାଜନ । ସ୍ତୁତି କଲେ ଧୀରେ ଉଠିଣ ।। ୯୭

ଦେବଗଣ ଉବାଚ

ତୁମ୍ଭେ ଯେ ସର୍ବଯଜ୍ଞବର । ତୁମ୍ଭଙ୍କୁ କରୁଁ ନମସ୍କାର ।। ୯୮
ସକଳ ବୟୋଧିକ ତୁମ୍ଭେ । ତୁମ୍ଭ ଚରଣେ ନମୁଁ ଆମ୍ଭେ ।। ୯୯
ଅଖିଳ-ଈଶ୍ୱର ଗୋସାଇଁ । ନମସ୍ତେ ପ୍ରଭୁ ଭାବଗ୍ରାହୀ ।। ୧୦୦
ତୁ ପୁରୁହୂତି ଶ୍ରେଷ୍ଠପର । ନମସ୍ତେ ପ୍ରଭୁ ଚକ୍ରଧର ।। ୧୦୧
ନିୟନ୍ତା ତୁହି ତ୍ରିଗୁଣର । ତୋହ ଗତି କ୍ରୀଡା ବିହାର ।। ୧୦୨
ଏହା ସଂଖ୍ୟା କରିବା ପାଇଁ । ବିଧାତା ସମର୍ଥ ନୁହଇ ।। ୧୦୩
ହେ ଭଗବାନ ବାସୁଦେବ । ନାରାୟଣ ମହାନୁଭାବ ।। ୧୦୪
ଆଦି ପୁରୁଷ ସର୍ବେଶ୍ୱର । କେବଳ ଜଗତ ଆଧାର ।। ୧୦୫
ପରମହଂସ ଲକ୍ଷ୍ମୀକାନ୍ତ । ଜଗୁଜୀବନ ଜଗନ୍ନାଥ ।। ୧୦୬
ଭୋ ନାଥ ପରମମଙ୍ଗଳ । ପରମକଲ୍ୟାଣର ମୂଳ ।। ୧୦୭
ଭୋନାଥ ତୁମ୍ଭେ ଆତ୍ମାରାମ । ସକଳକାର୍ଯ୍ୟେ ଭାବନ ।। ୧୦୮
ତୁ ସର୍ବ ପରମକାରଣ । ଅଖିଳଭୂତଙ୍କ ଭାବନ ।। ୧୦୯
ପରମ-ଯୋଗ-ସମାଧିରେ । ଭଜନ ବିବିଧ ପ୍ରକାରେ ।। ୧୧୦
ପରମ ହଂସ-ମୁନିଗଣେ । ସେବନ୍ତି ଯାହାର ବିହରେ ।। ୧୧୧
ପରମହଂସ-ଦୀକ୍ଷା କରି । ଅଜ୍ଞାନ ଦୂରେ ପରିହରି ।। ୧୧୨
ଏକାନ୍ତ-ଲୋକଙ୍କ ଆତ୍ମାରେ । ପ୍ରଭାବ ଯାହାର ବିହରେ ।। ୧୧୩
ଏମନ୍ତ ପ୍ରଭୁ ତୁ ଈଶ୍ୱର । ନମସ୍ତେ ବ୍ରହ୍ମାଣ୍ତ ଠାକୁର ।। ୧୧୪
ତୋହର ମହିମା ବିହାର । ବ୍ରହ୍ମାରେ ନୁହଁଇ ଗୋଚର ।। ୧୧୫
ଏ ମାୟା ଅଖିଳ-ସଂସାର । ଭୋ ଦେବ ଭିଆଣ ତୋହର ।। ୧୧୬
ତ୍ରିଗୁଣ ଘେନି ପ୍ରଭୁ ତୁହି । ସର୍ଜୁ ପାଳୁ ସଂହାରୁ ମହୀ ।। ୧୧୭
ଭୋଦେବ ଏ ମାୟାସଂସାରେ । ତ୍ରିଗୁଣେ ଜଡି ଯେଉଁ ନରେ ।। ୧୧୮
ପରତନ୍ତ୍ରରେ ବଶ ହୋଇ । ଶୁଭାଶୁଭ-କର୍ମ କରଇ ।। ୧୧୯
ତାହାର ଶୁଭାଶୁଭ -ଫଳ । ତୁମ୍ଭର ତହିଁ ଆଦିମୂଳ ।। ୧୨୦
ଭୋ ସ୍ୱାମୀ ତୁମ୍ଭେ ଆତ୍ମାରାମ । ସକଳ-କଳ୍ପେ ଉପଶମ ।। ୧୨୧
ତୁ ସର୍ବବସ୍ତୁରୁ ବାହାର । ଏମନ୍ତ ମଣୁଁ ଚକ୍ରଧର ।। ୧୨୨
ତୋର ବିରୋଧ ନାହିଁ ପୁଣ । ଅପରୀକ୍ଷିତ ତୋର ଗୁଣ ।। ୧୨୩
ସଂଖ୍ୟା ନୁହଁଇ ତୋ ମହିମା । ତୋତେ ବା କେ କରିବ ସୀମା ।। ୧୨୪
ବିତର୍କ ବିକଳ୍ପ ବିଚାର । ପ୍ରମାଣ ନ କରେ ଯାହାର ।। ୧୨୫
ନାନା ବିଚାର ଶାସ୍ତ୍ର ଆଦି । ସଂସାରେ ଯେତେକ ପ୍ରସିଦ୍ଧି ।। ୧୨୬
ଏହା ବିଚାରି ସାଧୁଜନେ । ତୋତେ ଚିନ୍ତନ୍ତି ଦିବ୍ୟଜ୍ଞାନେ ।। ୧୨୭
କ୍ଷଣକେ ମତି ତାହାଙ୍କର । ଭ୍ରମ କରାଉ ଚକ୍ରଧର ।। ୧୨୮
ସକଳ ମାୟାମୟ ହେଉ । ନଟର ପ୍ରାୟେ ତୁ ଦେଖାଉ ।। ୧୨୯
ଯଦ୍ୟପି ଏକରୂପ ହୁଅ । ନାନାରୂପକୁ ତୁମ୍ଭେ ବହ ।। ୧୩୦
ସମ-ବିଷମ-ବୁଧଙ୍କର । ପ୍ରବେଶ ହେଉ ତୁ ମନର ।। ୧୩୧
ରଜ୍ଜୁରେ ସର୍ପ ବୁଦ୍ଧି ଯେହ୍ନେ । ଏକ ତୁ ଦିଶୁ ଭିନ୍ନେ ଭିନ୍ନେ ।। ୧୩୨
ବିଚାରେ ଏକବସ୍ତୁ ତୁହି । ସର୍ବ-ଈଶ୍ୱର ତୁ ଗୋସାଇଁ ।। ୧୩୩
ସକଳ ଜଗତ-କାରଣ । ଶୋଭାପାଉଛି ସର୍ବ ଗୁଣ ।। ୧୩୪
ପ୍ରତ୍ୟେକ ନାମ ରୂପ ଧରି । ଲକ୍ଷିତ ହେଉ ନରହରି ।। ୧୩୫
ଏକତୁ ପରମପୁରୁଷ । ସକଳଠାରୁ ଅବଶେଷ ।। ୧୩୬
ଭୋ ନାଥ ମହିମା ତୁମ୍ଭର । ଅମୃତ-ରସର ସାଗର ।। ୧୩୭
ତାହା ଆସ୍ୱାଦ କରି ମନେ । ଏକାନ୍ତ ଭକ୍ତ ଯେଉଁଜନେ ।। ୧୩୮
ବିଷୟ ସୁଖ ଲେଶ ଛାଡି । ନିତ୍ୟେ ତୋ ରସେ ଥାନ୍ତି ବୁଡି ।। ୧୩୯
ସର୍ବାତ୍ମା ସର୍ବଭୂତ ପ୍ରିୟ । ଭଗବାନ ସ୍ୱରୂପ ହୁଅ ।। ୧୪୦
ଏ ସର୍ବଗୁଣେ ପୂର୍ଣ୍ଣ ହୋଇ । କେ ତୋତେ ଜାଣେ ଭାବଗ୍ରାହୀ ।। ୧୪୧
ଅନବରତେ ସ୍ଥିରମନ । ତୋ ପାଦେ କରି ନିବେଦନ ।। ୧୪୨
ହେ ମଧୁମଥନ ଈଶ୍ୱର । ଆତ୍ମାକୁ ଚିହ୍ନେ ସାଧୁନର ।। ୧୪୩
କମଳଚରଣେ ତୁମ୍ଭର । ସେବୁ ଅଛନ୍ତି ନିରନ୍ତର ।। ୧୪୪
ଯେ ପାଦପଙ୍କଜରେ ଧ୍ୟାନ । ସଂସାରେ ଗତାଗତ ଜନ ।। ୧୪୫
ନୁହଁଇ ଯାହାର ପ୍ରସାଦେ । ଗତି ଲଭଇ ଅପ୍ରମାଦେ ।। ୧୪୬
ତ୍ରୈଲୋକ୍ୟପ୍ରଭୁ ଭଗବାନ । ହେ ତ୍ରିବିକ୍ରମ ତ୍ରିନୟନ ।। ୧୪୭
ତିନିଲୋକର ମନୋହର । ଅନୁଭାବ-ରୂପ ଯାହାର ।। ୧୪୮
ତୁମ୍ଭ ପ୍ରକୃତିରୁ ଉଦିତ । ଏମନ୍ତ ଯେତେକ ଦଇତ୍ୟ ।। ୧୪୯
ଏହାଙ୍କ କର୍ମ-ଭାଗ୍ୟଫଳ । ଶାନ୍ତିକି କର ଆଦିମୂଳ ।। ୧୫୦
ଆତ୍ମମାୟାରେ ସୁରନର । ମୃଗ ସହିତେ ଜଳଚର ।। ୧୫୧
ଏ ଆଦି ଯେତେକ ଅପର । ଯଥା ଅପ୍ରାଧେ ଦଣ୍ଡ କର ।। ୧୫୨
ଏମନ୍ତ ତୁମ୍ଭେ ଯେ ଈଶ୍ୱର । ବୃତ୍ରକୁ ଭୋନାଥ ସଂହର ।। ୧୫୩
କହିଲୁ ପ୍ରଭୁ ଭବଗ୍ରାହୀ । ଯେବା ତୁମ୍ଭର ଇଚ୍ଛା ହୋଇ ।। ୧୫୪
ତୋର ତନୟ ହେଉ ଆମ୍ଭେ । ଭୋ ନାଥ ଆମ୍ଭ ପିତା ତୁମ୍ଭେ ।। ୧୫୫
ତୋହର ଚରଣନଳିନ । ବନ୍ଦିକରିଛି ଆମ୍ଭମନ ।। ୧୫୬
ଆପଣାକରି ଆମ୍ଭମାନ । ରଖିଣଅଛୁ ଭଗବାନ ।। ୧୫୭
ଆମ୍ଭଙ୍କୁ ଅନୁକମ୍ପା କରି । ଏହା ଦେଖାଅ ନରହରି ।। ୧୫୮
ବିଶଦହାସ ମନୋହର । ବଦନ ଈକ୍ଷଣ ତୁମ୍ଭର ।। ୧୫୯
ସ୍ରବୁଛି ଯହୁଁ ମଧୁରସ । ଅମୃତସମ ପୀତବାସ ।। ୧୬୦
ଆମ୍ଭର ତ୍ରାସ ଦୂରକର । ଭୋନାଥ ଶରଣ ତୋହର ।। ୧୬୧
ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ । ଏହା କାରଣ ତୁମ୍ଭେ ହୁଅ ।। ୧୬୨
ସକଳ ଜୀବେ ପୂର୍ଣ୍ଣ ହୋଇ । ଅକ୍ଷୟ-ବ୍ରହ୍ମ-ରୂପ ବହି ।। ୧୬୩
ତୁ ସର୍ବ-ମାୟାମୟ-ରୂପ । ଅଶେଷ-ପ୍ରଧାନ-ସ୍ୱରୂପ ।। ୧୬୪
ତୁ ଦେଶକାଳପାତ୍ର ହୋଇ । ସକଳଠାରେ ଅଛୁ ରହି ।। ୧୬୫
ସକଳବ୍ୟାପୀ ଚକ୍ରଧର । ଆାକାଶ ଶରୀର ତୋହର ।। ୧୬୬
ପରମବ୍ରହ୍ମରୂପ ତୁହି । ଥାଉ ତୁ ଆତ୍ମାରୂପ ବହି ।। ୧୬୭
ଆମ୍ଭେ ଅଗ୍ନିର କଣା ପ୍ରାୟେ । କିସ କହିବୁଁ ଦେବରାୟେ ।। ୧୬୮
ଆମ୍ଭ ପରମଗୁରୁ ତୁହି । ତୋ ପାଦ-ଶତଦଳ ଦୁଇ ।। ୧୬୯
ବିବିଧ ପାପକର୍ମ ମୋହେ । ସଂସାରେ ଯେବା ଶ୍ରମ ହୋଏ ।। ୧୭୦
ଛେଦଇ ଯେ ଦଳକମଳ । ଛାୟାରେ ଆମ୍ଭେ ତାର ମୂଳ ।। ୧୭୧
ଆଶ୍ରୟକରି ଆମ୍ଭମନ । ଅଛି ହେ ପ୍ରଭୁ ଭଗବାନ ।। ୧୭୨
ଆମ୍ଭର କାର୍ଯ୍ୟ ଆଦିମୂଳ । ଭୋ ନାଥ କର ତୁ ସଫଳ ।। ୧୭୩
ହେ ପ୍ରଭୁ ଏ ତିିନିଭୁବନ । ଗ୍ରାସୁଛି ତ୍ୱଷ୍ଟାର ନନ୍ଦନ ।। ୧୭୪
ବଳ ଆୟୁଧ ଯେ ଆମ୍ଭର । ନାଶୁଛି ପାପୀ ବୃତ୍ରାସୁର ।। ୧୭୫
ଏବେ ବିନାଶ କର ତାକୁ । ହେ କୃଷ୍ଣ ଆମ୍ଭର ତେଜକୁ ।। ୧୭୬
ନମସ୍ତେ ପ୍ରଭୁ ଶୁଦ୍ଧ-ହଂସ । ବିହାର ହୃଦୟ-ଆକାଶ ।। ୧୭୭
ନମସ୍ତେ ପ୍ରଭୁ କୃଷ୍ଣ ତୁହି । ବ୍ରହ୍ମାଣ୍ଡେ ଯାର ଯଶ ଶୋହି ।। ୧୭୮
ଭବସାଗର ପଥଶ୍ରମ । ତୁ ତାହା ନାଶୁ ଭଗବାନ ।। ୧୭୯
ପରମଗତି ଶ୍ରେଷ୍ଠଗତି । ନମସ୍ତେ ପ୍ରଭୁ ଦାଶରଥି ।। ୧୮୦
ପବନ ଆକାଶ ଯେ ଅଗ୍ନି । ଜଳସହିତେ ଯେ ଅବନୀ ।। ୧୮୧
ବ୍ରହ୍ମାଦି କରି ଆମ୍ଭେମାନେ । ଉଦ୍‌ବେଗ କରିଅଛୁ ମନେ ।। ୧୮୨

ଶୁକ ଉବାଚ

ଏ ଅନନ୍ତରେ ହେ ରାଜନ । ସ୍ତୁତି କରନ୍ତେ ଦେବଗଣ ।। ୧୮୩
ସାଦରେ ସ୍ତୁତି ଶୁଣି ହରି । ସନ୍ତୋଷ ହେଲେ ଦଇତ୍ୟାରି ।। ୧୮୪
ଶୁଣି ସାନନ୍ଦ ଭଗବାନ । ଦେବଙ୍କୁ ବୋଲନ୍ତି ବଚନ ।। ୧୮୫

ଭଗବାନ ଉବାଚ

ଏ ତୁମ୍ଭ ସୁବିଦ୍ୟା-ସ୍ତୁତିରେ । ସନ୍ତୋଷ ହେଲୁ ଦେବବରେ ।। ୧୮୬
ଯେଉଁ ସ୍ତୁତିର ପରସାଦେ । ସ୍ତୁତି-ଭକତି ମୋର ପାଦେ ।। ୧୮୭
ତତ୍ତ୍ୱଜ୍ଞ ଏକାନ୍ତ ଯେ ମତି । ମୋ ତହୁଁ ଅନ୍ୟ ନ ବାଞ୍ଛନ୍ତି ।। ୧୮୮
ମୁହିଁ ପ୍ରସନ୍ନ ହୋଏ ଯାରେ । କି ଅବା ଦୁର୍ଲ୍ଲଭ ତାହାରେ ।। ୧୮୯
ଗୁଣରେ ବସ୍ତୁ ଯେ ଦେଖନ୍ତି । ଏମନ୍ତ କୃପଣ ଯେ ଛନ୍ତି ।। ୧୯୦
ସେ ଆତ୍ମା-ଶ୍ରେୟ ନ ଜାଣନ୍ତି । ସଂସାର ମୋହେ ସେ ପଡ଼ନ୍ତି ।। ୧୯୧
ଯେ ବିଦ୍ୟାବନ୍ତ ଏ ଜଗତେ । ସେ ଶ୍ରେୟ ଚିନ୍ତେ ମୋକ୍ଷପଥେ ।। ୧୯୨
ଇଚ୍ଛା ନ ରହଇ ତାହାର । ସର୍ବକାମ ଦେଇ ହସ୍ତର ।। ୧୯୩
ହେ ଇନ୍ଦ୍ର ଯାଅ ହରଷେଣ । ତୁମ୍ଭର ହୋଇବ କଲ୍ୟାଣ ।। ୧୯୪
ଅଥର୍ବଣ ଯେ ଋଷିବର । ମାଗ ତାହାଙ୍କର ଶରୀର ।। ୧୯୫
ବିଦ୍ୟା ତପ ବ୍ରତେ ଯାହାର । ପବିତ୍ର ହୋଇଛି ଶରୀର ।। ୧୯୬
ପ୍ରାର୍ଥନା ତୁମ୍ଭେମାନେ କଲେ । ଧର୍ମଜ୍ଞ ଅଙ୍ଗ ଦେବ ଭଲେ ।। ୧୯୭
ଅସ୍ଥି ତାହାଙ୍କର ଆଣିବ । ଆୟୁଧ ବଜ୍ର ଗଢାଇବ ।। ୧୯୮
ବିଶ୍ୱକର୍ମାନିର୍ମିତ କରି । ବଜ୍ରକୁ ଧରି ବଜ୍ରଧାରୀ ।। ୧୯୯
ସେ ବଜ୍ରେ କରି ବୃତ୍ରାସୁର । ଛେଦିବ ଶୁଣ ପୁରନ୍ଦର ।। ୨୦୦
ମୋହର ତେଜେ ଯୁକ୍ତ ହୋଇ । ଶତ୍ରୁ ନାଶିବ ଦେବସାଇଁ ।। ୨୦୧
ବୃତ୍ରକୁ କରି ପ୍ରାଣେ ହତ । ସ୍ୱର୍ଗ ଲଭିବ ଦେବଯୂଥ ।। ୨୦୨
ଯେ ତେଜ ଯଶ ସେ ଆୟୁଧ । ପୁଣି ହିଁ ଲଭିବ ସମ୍ପଦ ।। ୨୦୩
ମୋର ଭକତଲୋକଙ୍କର । ହିଂସା ନୋହିବ ପୁରନ୍ଦର ।। ୨୦୪
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ରକୁ କୃଷ୍ଣ କୃପାଚିତ୍ତ ।। ୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ନବମୋଽଧ୍ୟାୟଃ ।।

ଦଶମ ଅଧ୍ୟାୟ

ଶୁକ ଉବାଚ

ଏ ରୂପେ ଇନ୍ଦ୍ରକୁ କହିଣ । ବିଶ୍ୱଭାବନ-ଭଗବାନ ।। ୧
ଦେବତାମାନେ ଦେଖୁଥିଲେ । ତକ୍ଷଣେ ଅନ୍ତର୍ଦ୍ଧାନହେଲେ ।। ୨
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । ମାଗିଲେ ଯାଇ ଦେବଗଣେ ।। ୩
ମହତଋଷି ଆଥର୍ବଣ । ଯା ତହୁଁ ଇନ୍ଦ୍ର-ପରିତ୍ରାଣ ।। ୪
ହରଷେ ଋଷି ଆଥର୍ବଣ । ବୋଇଲେ ଦେବଗଣେ ଶୁଣ ।। ୫
ଜନ୍ତୁଙ୍କ ପ୍ରାଣ ପରିତ୍ରାଣେ । ଦୁସ୍ତର-ଦୁଃଖ ନିବାରଣେ ।। ୬
ତୁମ୍ଭେ ସ୍ୱଭାବେ ଦେବଗଣ । ମରଣଦୁଃଖକୁ ନ ଜାଣ ।। ୭
ଜୀବନ ପାଇଁ ପ୍ରାଣୀଙ୍କର । ସୁତ-କଳତ୍ର ଏ ସଂସାର ।। ୮
ଏମନ୍ତ ପ୍ରାଣୀ ଅଛି କାହିଁ । ଜୀବନ ମାଗିଲେ ଦିଅଇ ।। ୯
ଯେବେ ମାଗିବେ ନାରାୟଣ । ତେବେ ବା କେ ଦେବ ଜୀବନ ।। ୧୦

ଦେବଗଣ ଉବାଚ

ଯେ ପ୍ରାଣୀ ସର୍ବଭୂତଠାରେ । ଆତ୍ମାର ପ୍ରାୟ ଦୟାକରେ ।। ୧୧
ଈଷତମାତ୍ରେ ଦେଇ ପ୍ରାଣ । କରଇ ପ୍ରାଣୀ ପରିତ୍ରାଣ ।। ୧୨
ତୁମ୍ଭର ପ୍ରାୟ ପୁଣ୍ୟଶ୍ଳୋକ । ଯେ ଅବା ପୁଣ୍ୟବନ୍ତ ଲୋକ ।। ୧୩
ତାହାର ଏମନ୍ତ ବିଚାର । ସେ ନ ଜାଣଇ ପରାପର ।। ୧୪
ଅଜ୍ଞାନ ପାଣୀ ଯେଉଁମାନେ । ପର ସଙ୍କଟ ଯେ ନ ଘେନେ ।। ୧୫
ଯାଚଞ୍ଜା ଶ୍ରେଷ୍ଠଲୋକଙ୍କର । କେବେହେଁ ନୋହେ ହତାଦର ।। ୧୬

ଋଷି ଉବାଚ

ଭୋ ଦେବରାଜ ଦେବବୃନ୍ଦ । ଧର୍ମ କହିଲ ମୋକ୍ଷପ୍ରଦ ।। ୧୭
ଏ ଯେ ମୋହର ନିଜ ଦେହ । ଛାଡିବି ନ କର ସନ୍ଦେହ ।। ୧୮
ଦେହକୁ ଧରି ଯେଉଁଜନ । ନ କରେ ଯଶ-ପୁଣ୍ୟକର୍ମ ।। ୧୯
ତାହାକୁ ଆତ୍ମଘାତୀ କହି । ସ୍ଥାବରୁ ଅଧିକଟି ସେହି ।। ୨୦
ଯେ ପ୍ରାଣୀ ପରଦୁଃଖେ ଦୁଃଖୀ । ପରସୁଖରେ ମହାସୁଖୀ ।। ୨୧
ଅବ୍ୟୟ ଅକ୍ଷୟ ଏ ଧର୍ମ । କହନ୍ତି ପୁଣ୍ୟଶୋକଜନ ।। ୨୨
ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ । କ୍ଷଣଭଙ୍ଗୁର ଦେହେ ନରେ ।। ୨୩
କରନ୍ତି ଆତ୍ମସ୍ୱାର୍ଥଭେଦ । ଇହଲୋକରେ ଅପବାଦ ।। ୨୪

ଶୁକ ଉବାଚ

ଏମନ୍ତ କହି ଆଥର୍ବଣ । ନିଶ୍ଚଳ କରି ଆତ୍ମାମନ ।। ୨୫
ପରମବ୍ରହ୍ମେ ନିବେଶିଲେ । ସଂଯମେ ଶରୀର ଛାଡିଲେ ।। ୨୬
ମନ-ବୁଦ୍ଧି ବ୍ରହ୍ମେ ନିବେଶି । ଏହି ଯୋଗରେ କରି ଋଷି ।। ୨୭
ତେଜିଣ ଗଲେ ସେ ଶରୀର । ଜାଣିଲେ ଦେବ-ପୁରନ୍ଦର ।। ୨୮
ଏଥୁ ଅନ୍ତରେ ଦେବରାଜ । ବିଶ୍ୱକର୍ମା-ନିର୍ମିତ ବଜ୍ର ।। ୨୯
ମୁନି-ଅସ୍ଥିରେ ସୁନିର୍ମିତ । ଶ୍ରୀକୃଷ୍ଣ-ତେଜରେ ମିଶ୍ରିତ ।। ୩୦
ବିଷ୍ଣୁ ଆଜ୍ଞାରେ ତତପର । ସେ ବଜ୍ର ଧରି ପୁରନ୍ଦର ।। ୩୧
ସେ ଦେବଗଣରେ ବେଷ୍ଟିତ । ଆରୋହି ଗଜ-ଐରାବତ ।। ୩୨
ମୁନିଗଣରେ ସ୍ତୁତ ହୋଇ । ତ୍ରୈଲୋକ୍ୟ ହରଷ କରାଇ ।। ୩୩
ବୃତ୍ରମାରଣେ ଦେବରାଜ । ସୈନ୍ୟ ସହିତେ ହେଲେ ସଜ ।। ୩୪
ଅଶେଷବଳ ସଙ୍ଗେ ଲଇଁ । ଅନ୍ଧକେ ଯେହ୍ନେ ରୁଦ୍ର ଧାଇଁ ।। ୩୫
ଏ ଅନନ୍ତରେ ହେ ରାଜନ । କହିବା ଏକମନେ ଶୁଣ ।। ୩୬
ସୁର-ଅସୁରଙ୍କର ରଣ । ଅତ୍ୟନ୍ତ-ପରମ-ଦାରୁଣ ।। ୩୭
ତ୍ରେତୟାଯୁଗର ଆଦ୍ୟରେ । ହୋଇଲା ନର୍ମଦାତୀରରେ ।। ୩୮
ରୁଦ୍ର ବସୁ ପୁଣି ଆଦିତ୍ୟେ । ବହ୍ନି ପିତୃ ଅଶ୍ୱିନୀସୁତେ ।। ୩୯
ସାଧ୍ୟ ବିଶ୍ୱଦେବା ମରୁତ । ରୁଭୁ ଦେବଗଣେ ବେଷ୍ଟିତ ।। ୪୦
ବିରାଜମାନ ସମ୍ପଦରେ । ବଜ୍ରକୁ ଧରି ନିଜ କରେ ।। ୪୧
ଏ ଭାବେ ଇନ୍ଦ୍ରକୁ ଦେଖିଲେ । ଅସୁରେ କ୍ରୋଧରେ ଧାଇଁଲେ ।। ୪୨
ନମୁଚି ଦ୍ୱିମୂର୍ଦ୍ଧା ଶମ୍ବର । ଅନର୍ବା ଋଷଭ-ଅସୁର ।। ୪୩
ହୟଗ୍ରୀବ ଯେ ବିପ୍ରଚିତ୍ତି । ଅୟୋମୁଖ ହେତି ପ୍ରହେତି ।। ୪୪
ଶଙ୍କୁଶିରା ଯେ ବୃଷପର୍ବ । ଉତ୍କଳ ପୁଲୋମା-ଦାନବ ।। ୪୫
ଦାନବ ଦୈତ୍ୟଗଣ ଦକ୍ଷ । ଅସଂଖ୍ୟ ଆବର ଯେ ରକ୍ଷ ।। ୪୬
ସୁମାଳୀ ମାଳୀ ଆଦି ଯେତେ । ସୁବର୍ଣ୍ଣେ ହୋଇଣ ମଣ୍ଡିତେ ।। ୪୭
ଇନ୍ଦ୍ରର ସେନାର ଅଗ୍ରତେ । ବଳେ ଓଗାଳିଲେ ତୁରିତେ ।। ୪୮
ଇନ୍ଦ୍ରଙ୍କ ସେନାର ସମୂହ । କାଳହୁଁ ଅତି ଦୁରାଶୟ ।। ୪୯
ନିଃଶଙ୍କେ ଦେଇ ସିଂହନାଦ । ପୂରିଲେ ଦାନବ ଦୁର୍ମଦ ।। ୫୦
ଗଦା ପରିଘ ବାଣ ପ୍ରାସ । ମୁଦ୍‌ଗର ତୋମର ଅଶେଷ ।। ୫୧
ଶୂଳ ଖଡ଼ଗ ପରଶ୍ୱଧ । ଶତଘ୍ନୀ ଭୂଷଣ୍ଡୀ ଆୟୁଧ ।। ୫୨
ଏ ଯେତେ ଅସ୍ତ୍ରଶସ୍ତ୍ରମାନ । ଦେବଙ୍କୁ କଲେ ପ୍ରହାରଣ ।। ୫୩
ଅସୁର-ଶର-ବରଷଣେ । ଦୁଶ୍ୟ ନୁହନ୍ତି ଦେବଗଣେ ।। ୫୪
ପୁଣ ପୁଣହିଁ ପଡିବାରେ । ନକ୍ଷତ୍ର ଯେସନେ ମେଘରେ ।। ୫୫
ଯେ ଶସ୍ତ୍ର-ତେଜ ଦାନବର । କିଛି ନ କଲା ଦେବଙ୍କର ।। ୫୬
ଯେତେ ଅସୁରଙ୍କ ଆୟୁଧ । ସକଳ ଦେବେ କଲେ ଛେଦ ।। ୫୭
ଏଥୁ ଅନ୍ତରେ ଶୂନ୍ୟହସ୍ତ । ଦାନବେ ଅତ୍ୟନ୍ତ କୋପିତ ।। ୫୮
ଶିଳାର ସଙ୍ଗେ ଦ୍ରୁମମାନ । ଦେବଙ୍କୁ କଲେ ପ୍ରହାରଣ ।। ୫୯
ପୁଣିହିଁ ଇନ୍ଦ୍ର-ସୈନ୍ୟଗଣ । ତକ୍ଷଣେ କଲେ ତା ଛେଦନ ।। ୬୦
ପ୍ରତାପ ଦେଖି ଦେବଙ୍କର । କୋପେ ଦାନବେ ଖରତର ।। ୬୧
ପୁଣି ପଥର ଘେନି କରେ । ପିଟିଲେ ଦେବଙ୍କ ଉପରେ ।। ୬୨
ବିବିଧ ଗିରିଶୃଙ୍ଗମାନ । ଦେବଙ୍କୁ କଲେ ପ୍ରହାରଣ ।। ୬୩
ଦୈତ୍ୟେ ନିଷ୍ଫଳକାର୍ଯ୍ୟ ହୋଇ । ଆତ୍ମା ଦେହକୁ ନିନ୍ଦା ବହି ।। ୬୪
ଯାହାକୁ ରଖନ୍ତି ଈଶ୍ୱର । ଅସୁରେ କେତେକ ମାତର ।। ୬୫
ଆତ୍ମାର ଦମ୍ଭ ଯହୁଁ ହତ । ଦେଖି ଅସୁରେ ଭୟଚିତ୍ତ ।। ୬୬
ସ୍ୱଭାବେ ବିଷ୍ଣୁର ବିମୁଖ । ରଣେ ଲଭିଲେ ମହାଦୁଃଖ ।। ୬୭
ସ୍ୱାମୀକି ଛାଡି ସଂଗ୍ରାମରେ । ପଳାଇଗଲେ ପ୍ରାଣଡରେ ।। ୬୮
ବୃତ୍ର ଅସୁର-ଚୂଡାମଣି । ସୈନ୍ୟ ପଳାନ୍ତି ବୋଲି ଜାଣି ।। ୬୯
ଆପଦ ଦେଖି ବୃତ୍ରାସୁର । କହଇ ବଚନ ମଧୁର ।। ୭୦
ଅତି ଭୟରେ ରଣ ଛାଡି । ପଳାନ୍ତି ହୋଇ ମଡାମଡି ।। ୭୧
ଏମନ୍ତ ଦେଖି ବୃତ୍ରାସୁର । ସୈନ୍ୟଙ୍କୁ ବୋଲଇ ଉତ୍ତର ।। ୭୨
ହେ ବିପ୍ରଚିତ୍ତି ଅନର୍ବନ । ନମୁଚି ଶୁଣ ମୋ ବଚନ ।। ୭୩
ଜାତ ହୋଇଲେ ଏ ସଂସାର । ମରଣ ଧ୍ରୁବଟି ତାହାର ।। ୭୪
ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର । ସାର ବୋଲନ୍ତି ଏ ସଂସାର ।। ୭୫
ବ୍ରହ୍ମ-ଭାବନେ ଦେଇ ଚିତ୍ତ । ଯେ ପ୍ରାଣୀ ପ୍ରାଣ ହୋଏ ହତ ।। ୭୬
ଯେ ରଣକ୍ଷେତ୍ରେ ପ୍ରାଣ ଦେଇ । ବୀରଶଯ୍ୟାରେ ରହେ ଶୋଇ ।। ୭୭
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର ଯୁଦ୍ଧ-ଚରିତ ।। ୭୮
ସୁଜନେ ଏଣେ କର ଆଶ । ମୁଁ ତୁମ୍ଭ ଦାସଙ୍କର ଦାସ ।। ୭୯
ଯେ ଏହା ଶ୍ରବଣେ ଶୁଣନ୍ତି । ସକଳ-ପାପକୁ ନାଶନ୍ତି ।। ୮୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରାସୁର-ଯୁଦ୍ଧବର୍ଣ୍ଣ‌ନଂ
ନାମ ଦଶୁମୋଽଧ୍ୟାୟଃ ।।

 

ଏକାଦଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ-ବ୍ରହ୍ମବେତ୍ତା । ଇନ୍ଦ୍ର-ବୃତ୍ରର ଯୁଦ୍ଧକଥା ।। ୧
ସ୍ୱାମୀର ଧର୍ମକଥା ଭୃତ୍ୟେ । ଆରତେ ନ ଘେନିଲେ ଚିତ୍ତେ ।। ୨
ଶୁଣି ସମସ୍ତେ ପଳାଇଲେ । ସଭୟେ ସଂଗ୍ରାମ ଛାଡିଲେ ।। ୩
କାଳଅନଳ-ତେଜେ ଯେହ୍ନେ । ଅସୁରଙ୍କର ସୈନ୍ୟମାନେ ।। ୪
କାଳ-ପ୍ରତିକୂଳରୁ କରି । ଅନାଥ ପ୍ରାୟେ ସେ ଆଚରି ।। ୫
ଗରୁଡ ପନ୍ନଗକୁ ଧରି । ତେସନେ ଦେବେ ଦୈତ୍ୟ ମାରି ।। ୬
ସକଳେ ଇତସ୍ତତଃ ହୋଇ । ପଳାନ୍ତି ପ୍ରାଣଭୟ ପାଇ ।। ୭
ଏମନ୍ତ ଦେଖି ସୈନ୍ୟଗଣ । ଅସୁର କୋପ ଗରୁଟାଣ ।। ୮
ଦେବଙ୍କୁ ଆବୋରି ଆପଣେ । ଭର୍ତ୍ସନା କରଇ ବହନେ ।। ୯
ପଳାଉଛନ୍ତି ଯେ ଅସୁର । ତାଙ୍କୁ ପଛରୁ କିମ୍ପା ମାର ।। ୧୦
ଭୟେ ପଳାନ୍ତି ଯେଉଁଜନ । ତାଙ୍କ ବଧ କି ଭଲ ମଣ ।। ୧୧
ଏମନ୍ତ ବଳବନ୍ତଙ୍କର । ସ୍ୱର୍ଗ-ପ୍ରାପତି ଯେ ଦୁସ୍ତର ।। ୧୨
ଏତେ ବୋଲିଣ ତାଙ୍କୁ କହି । ଦେବଗଣଙ୍କୁ କ୍ରୋଧ ବହି ।। ୧୩
ଆତ୍ମ-ଶରୀର ପ୍ରକାଶିଲା । ଦେବଙ୍କୁ ଭୟ ଦେଖାଇଲା ।। ୧୪
ଅସୁର କଲା ଘୋରନାଦ । ବ୍ରହ୍ମାଣ୍ଡେ ପୂରିଲା ଶବଦ ।। ୧୫
ଲୋକେ ହୋଇଲେ ହତଜ୍ଞାନ । ଦେବେ ଶୁଣିଲେ ତାର ସ୍ୱନ ।। ୧୬
ସେ ନାଦ ଶୁଣି ଦେବଗଣେ । ମୂର୍ଚ୍ଛିତ ହୋଇ ହତଜ୍ଞାନେ ।। ୧୭
ବିକଳେ ପଡିଲେ ଭୂମିରେ । ବଜ୍ର ପଡିଲା ଯେହ୍ନେ ଶିରେ ।। ୧୮
ଚକ୍ଷୁ ବୁଜିଣ ଦେବଗଣେ । ପଡି ଅଛନ୍ତି ଘୋରରଣେ ।। ୧୯
ଦ୍ୱର୍ମଦ ରଣରଙ୍ଗେ ବୀର । ପାଦେ ମର୍ଦ୍ଦିଲା ବୃତ୍ରାସୁର ।। ୨୦
ଅବନୀ କମ୍ପେ ପାଦଭରେ । ଶୂଳ ଘେନିଣ ନିଜ କରେ ।। ୨୧
ଭ୍ରମଇ ସଂଗ୍ରାମ-ଭୂମିରେ । ଯେସନେ ମତ୍ତ-କରିବରେ ।। ୨୨
ତାହାକୁ ଦେଖି ବଜ୍ରଧର । କୋପେ କମ୍ପଇ ଥରହର ।। ୨୩
ମହାଗଦାରେ ଦେବବର । ବୃତ୍ରକୁ କଲେ ସେ ପ୍ରହାର ।। ୨୪
ଦୁଃସହ-ଗଦା ଆସିବାରେ । ବୃତ୍ର ଧଇଲା ବାମକରେ ।। ୨୫
ଇନ୍ଦ୍ରର ଗଦା ଘେନି କର । ସେହି ଗଦାରେ ବୃତ୍ରାସୁର ।। ୨୬
ଐରାବତର କୁତ୍ସସ୍ଥଳେ । ଦାନବ ପ୍ରହାରିଲା ବଳେ ।। ୨୭
ତାହାର ଏ କର୍ମ ଦେଖିଣ । ସକଳେ କଲେ ଧନ୍ୟ ଧନ୍ୟ ।। ୨୮
ବୃତ୍ର ଗଦାରେ ଐରାବତ । ବଜ୍ରରେ ଯେହ୍ନେ ଗିରିହତ ।। ୨୯
ରଣେ ସେ ବିମୁଖ ହୋଇଲା । ଇନ୍ଦ୍ରକୁ ଘେନି ବାହୁଡିଲା ।। ୩୦
ଅତ୍ୟନ୍ତ ହୋଇଣ ଆରତ । ବାହୁଡିଗା ଧନୁସାତ ।। ୩୧
ଚକିତେ ହୋଇ ଛନ୍ନଚିତ୍ତ । ଏମନ୍ତେ ଦେବ ପୁରହୂତ ।। ୩୨
ବୃତ୍ର ଅସୁର ପୁନର୍ବାର । ଇନ୍ଦ୍ରକୁ ନ କଲା ପ୍ରହାର ।। ୩୩
ଇନ୍ଦ୍ର ଅମୃତସ୍ରାବୀ କର । ଦେଇଣ ହସ୍ତୀ କୁମ୍ଭସ୍ଥଳ ।। ୩୪
ଆଶ୍ୱାସ କରି ଦେବବର । ରହିଲେ ବୃତ୍ରର ଆଗର ।। ୩୫
ସଂଗ୍ରାମ କରିବାରେ ଆଶେ । ଇନ୍ଦ୍ରକୁ ଦେଖି ନିଜ ପାଶେ ।। ୩୬
ଭ୍ରାତାର ହନ୍ତା ବଜ୍ରାୟୁଧ । ଦେଖି ଅସୁର କଲା କ୍ରୋଧ ।। ୩୭
ସ୍ମରଣ କଲା ଭ୍ରାତୃନାଶ । ଶୋକ-ମୋହେ ହୋଇ ବିରସ ।। ୩୮
ବୋଲଇ ଇନ୍ଦ୍ର ମୋ ବଚନ । ଶୁଣ ତୁ ହୋଇ ସାବଧାନ ।। ୩୯
ଭାଗ୍ୟବଶରୁ ତୁ ମୋହର । ସଂଗ୍ରାମେ ମିଳିଲୁ ଛାମୁର ।। ୪୦
ମୋହର ଭ୍ରାତୃନାଶକାରୀ । ଆଜ ନାଶିବି ତୋର ଶିରୀ ।। ୪୧
ମୋହର ଶୂଳେ ହୃଦ ତୋର । ନିଶ୍ଚୟେ କରିବି ବିଦାର ।। ୪୨
ଯେଉଁ କାରଣେ ମୋ ଅଗ୍ରଜ । ଅପାପୀ ଆତ୍ମଜ୍ଞାନୀ ଦ୍ୱିଜ ।। ୪୩
ଖଡ଼ଗେ କରି ତୋର ଶିର । ଛେଦିଲୁ ତୁହି ଦୁରାଚାର ।। ୪୪
ପଶୁର ପ୍ରାୟେକ ମାଇଲୁ । ସ୍ୱର୍ଗଭୋଗକୁ ବାଞ୍ଛା କଲୁ ।। ୪୫
ଲଜ୍ଜା ସମ୍ପଦ ଦୟା କୀର୍ତ୍ତି । ସବୁ ଛାଡିଲୁ ମୂଢ଼ମତି ।। ୪୬
ମୋର ତ୍ରିଶୂଳେ ତୋ ଶରୀର । ନାଶ ହୋଇବ ଦୁରାଚାର ।। ୪୭
ଅଗ୍ନି ନ କରିବ ଦହନ । ଖାଇବେ ଗୃଧ୍ର କୃମି ଶ୍ୱାନ ।। ୪୮
ଯେତେ ତୋ ସଙ୍ଗେ ଦୁଷ୍ଟଜନେ । ଶସ୍ତ୍ର ଧରିଣଛନ୍ତି ରଣେ ।। ୪୯
ଯେ ମୋତେ ପ୍ରହାରକୁ କଲେ । ତାହାଙ୍କୁ ଛାଡ଼ିବି କି ଭଲେ ।। ୫୦
ତ୍ରିଶୂଳ କରିଣ ପ୍ରହାର । କନ୍ଧ ଛେଦିବି ଏହାଙ୍କର ।। ୫୧
ଏଥୁଉତ୍ତାରେ ପାଇ ଜ୍ଞାନ । ଇନ୍ଦ୍ରକୁ ବୋଲଇ ବଚନ ।। ୫୨
ଭୋ ଇନ୍ଦ୍ର ଦେବଙ୍କ ଠାକୁର । କୁଳଶେ ମୋର ଶିର ହର ।। ୫୩
ଆତ୍ମାକୁ ବଳି ମୁହିଁ ଦେବି । ଶ୍ରୀକୃଷ୍ଣ-ଚରଣ ଭଜିବି ।। ୫୪
ଭୋ ଦେବ ଦେବଙ୍କ ଈଶ୍ୱର । ବଜ୍ର କିମ୍ପାଇଁ ନ ପ୍ରହାର ।। ୫୫
ଅଗ୍ରେ ଯେ ଅଛି ଉଭା ହୋଇ । ସଂଶୟ କର କାହିଁପାଇଁ ।। ୫୬
ଗଦା ପ୍ରାୟେ ବଜ୍ର ନ ମଣ । ବଜ୍ର ମୋ ମରଣ କାରଣ ।। ୫୭
ଆପଣା ତେଜେ ବଜ୍ରଧର । ଦେବଙ୍କ ଅଇରି ସଂହାର ।। ୫୮
ବିଷ୍ଣୁ-ଯନ୍ତ୍ରିତ ଦେବବର । ବିଜୟ ହୋଇବ ତୁମ୍ଭର ।। ୫୯
ସଙ୍କରଷଣ ଯଥୋଚିତେ । ଯାହା ସେ କହିଛନ୍ତି ମୋତେ ।। ୬୦
ଶ୍ରୀକୃଷ୍ଣ-ପାଦପଙ୍କଜରେ । ମନ ମୁଁ ନିବେଶିବି ସ୍ଥିରେ ।। ୬୧
ତୁମ୍ଭର ବଜ୍ରରେ ମୋହର । ହୋଇବ ମୋହପାଶ ଦୂର ।। ୬୨
ଯୋଗତି ଯୋଗୀ ଯୋଗେପାଇ । ସେ ଗତି ପାଇବଇଁ ମୁହିଁ ।। ୬୩
ତିନିଭୁବନ ପ୍ରାଣୀଙ୍କର । ବହୁତ ସମ୍ପଦ ଯାହାର ।। ୬୪
ଉଦ୍‌‌ବେଗ ଆଧି ଗର୍ବ ଆର । କଳତ୍ର ସ୍ନେହ ଯେ ଅପାର ।। ୬୫
ତ୍ରିବର୍ଗ ଦୁଃଖ ଭକ୍ତଙ୍କର । ନାଶନ୍ତି ପ୍ରଭୁ ଚକ୍ରଧର ।। ୬୬
ଦୁର୍ଲ୍ଲଭ ଯେ ପ୍ରଭୁ ପ୍ରସାଦ । ତେଣୁ ଲଭନ୍ତି ଅପ୍ରମାଦ ।। ୬୭
ଭୋ ପ୍ରଭୁ ତୁମ୍ଭ ପଦ୍ମପାଦେ । ଭୃତ୍ୟର ଭୃତ୍ୟ ମୁଁ ଆନନ୍ଦେ ।। ୬୮
ହୋଇବି ଏ ମୋହର ମନ । ସେବା କରିବି ଅନୁକ୍ଷଣ ।। ୬୯
କୀର୍ତ୍ତନ-କର୍ମ ଯେ ତୁମ୍ଭର । କରୁ ମୋ ବଚନ ଶରୀର ।। ୭୦
ସ୍ୱର୍ଗଲୋକେ ଇନ୍ଦ୍ର ପଦ । ବ୍ରହ୍ମଲୋକେ ବ୍ରହ୍ମସମ୍ପଦ ।। ୭୧
ପାତାଳଭୋଗ ଯୋଗ ଯେହି । ସପତଦ୍ୱୀପେ ରାଜାହୋଇ ।। ୭୨
ଏଣେ ମୋହର ନାହିଁ ଇଚ୍ଛା । ତୋ ପାଦସେବାରେ ମୋ ବାଞ୍ଛା ।। ୭୩
ଯୋଗସିଦ୍ଧି ଅବା ମୋକ୍ଷରେ । କାର୍ଯ୍ୟ ମୋ ନାହିଁ ଏହାଙ୍କରେ ।। ୭୪
ଏକାନ୍ତଭକ୍ତି ତୁମ୍ଭ ପାଦ । ବାଞ୍ଛା କରଇ ଚକ୍ରାୟୁଧ ।। ୭୫
ଅଜାତପକ୍ଷ-ଖଗ ଯେହ୍ନେ । ମାତା ଲୋଡ଼ଇ ଅନୁକ୍ଷଣେ ।। ୭୬
କ୍ଷୁଧାର୍ତ୍ତ ହୋଇଣ ବାଛୁରୀ । ମାତାସ୍ତନକୁ ଇଚ୍ଛା କରି ।। ୭୭
ପ୍ରବାସୀ-ପତି-ପ୍ରିୟା ଯେହ୍ନେ । ଲୋଡ଼ଇ ମୋ ମନ ତେସନେ ।। ୭୮
ଭୋ ପ୍ରଭୁ କମଳଲୋଚନ । ତୋ ପାଦେ ରହୁ ମୋର ମନ ।। ୭୯
ଆପଣା କର୍ମବନ୍ଧେ ଜଡି । ସଂସାରବକ୍ରେ ଅଛି ପଡିବ ।। ୮୦
ଏମନ୍ତ ପାପୀ ମୁହିଁ ଯହୁଁ । ଉତ୍ତମଲୋକ ସଙ୍ଗ ହେଉ ।। ୮୧
ଯେ ଗୃହବନ୍ଧ-ପାଶ ମୋର । ଭୋ ନାଥ ଛେଦ ଦାମୋଦର ।। ୮୨
ଦାରା-ତନୟ-ଗୃହେ ମୋର । ଭୋ ନାଥ ମନ ମୋ ନକର ।। ୮୩
ଅସୁରବାଣୀ ସୁଧାମୟ । ଶୁଣି ସକଳ ପାପକ୍ଷୟ ।। ୮୪
ଭୁବନମଙ୍ଗଳ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୮୫
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ରାସୁ ଚରିତ ।। ୮୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରସ୍ୟ ଇନ୍ଦ୍ରାପଦେଶୋ
ନାମ ଏକାଦଶୋଽଧ୍ୟାୟଃ ।।

ଦ୍ୱାଦଶ ଅଧ୍ୟାୟ

ଶୁକ କହନ୍ତି ହରଷିତ । ଇନ୍ଦ୍ର – ବୃତ୍ରାସୁର ଚରିତ ।। ୧

ଶୁକ ଉବାଚ

ଏମନ୍ତେ ସଂଗ୍ରାମେ ଅସୁର । ଛାଡିବ ବୋଲି କଳେବର ।। ୨
ଜୟରୁ ଭଲ ମୋ ମରଣ । ମନରେ କଲା ହେ ରାଜନ ।। ୩
ଶୂଳ ଧରିଣ ବୃତ୍ରାସୁର । ଧାଇଁଲା ଇନ୍ଦ୍ରର ଉପର ।। ୪
ଯେମନ୍ତେ କଇଟଭ ବୀର । ଧାଇଁଲା ବିଷ୍ଣୁଙ୍କ ଉପର ।। ୫
ଯୁଗାନ୍ତଅଗ୍ନିପ୍ରାୟ ତେଜେ । ସେ ଶୂଳ ଅତ୍ୟନ୍ତ ବିରାଜେ ।। ୬
ବୃତ୍ର ଅସୁରଚୂଡାମଣି । ଇନ୍ଦ୍ରଙ୍କୁ ପ୍ରହାରିଲା ଆଣି ।। ୭
ଘୋରଶବଦ ରୋଷେ କଲା । ପାପିଷ୍ଠ ମଲୁ ତୁ ବୋଇଲା ।। ୮
ଆକାଶୁ ଗ୍ରହ-ଉଲ୍କାମାନ । ଖସି ପଡିଲେ ତତକ୍ଷଣ ।। ୯
ଦୁର୍ଜୟ ଦେଖିଣ ଅସୁର । ଭୟେ କମ୍ପିଲେ ସୁରନର ।। ୧୦
ବଜ୍ର ଧରିଣ ଦେବରାଜ । ଛେଦିଲେ ତାର ଏକଭୁଜ ।। ୧୧
ପରିଘ ଘେନି ଆରକରେ । ଧାଇଁଲା ଇନ୍ଦ୍ରର ଉପରେ ।। ୧୨
କ୍ରୋଧରେ ପରିଘ ଉଞ୍ଚାଇ । ଇନ୍ଦ୍ରକୁ ପ୍ରହାରିଲା ନେଇ ।। ୧୩
ଇନ୍ଦ୍ରହସ୍ତୁ ବଜ୍ର ଖସିଲା । ଅଧୋଭୂମିରେ ସେ ପଡିଲା ।। ୧୪
ଅଦ୍ଭୁତ ଦେଖି ବୃତ୍ରକର୍ମ । ସୁର ଚାରଣ ସିଦ୍ଧଗଣ ।। ୧୫
ସକଳେ କଲେ ଧନ୍ୟ ଧନ୍ୟ । ଇନ୍ଦ୍ର ସଙ୍କଟେ ଛନ୍ନ ମନ ।। ୧୬
ଯେତେକ ସୈନ୍ୟ ଇନ୍ଦ୍ରଙ୍କର । ସକଳେ କଲେ ହାହାକାର ।। ୧୭
ଲଜ୍ଜାରେ ବୃତ୍ରର ଅଗ୍ରତେ । ବଜ୍ର ନ ନେଲେ ଇନ୍ଦ୍ର ହସ୍ତେ ।। ୧୮
ଇନ୍ଦ୍ରଙ୍କୁ ଚାହିଁ ବୃତ୍ରାସୁର । ବଚନ କହଇ ମଧୁର ।। ୧୯

ବୃତ୍ର ଉବାଚ

ମନରେ ବିଷାଦ ନ କର । ବଜ୍ର ଧରିଣ ବେଗେ ମାର ।। ୨୦
ଯୁଦ୍ଧ ଇଚ୍ଛଇ ଯେଉଁ ନର । ଦୁସ୍ତର ଜୟଟି ତାହାର ।। ୨୧
ଯେ ଜନ ରଣେ ଭୀତ ହୋଇ । ଜୟର ଲେଶ ତାର ନାହିଁ ।। ୨୨
ଉତ୍ପତ୍ତି-ପାଳନ-ସଂହାର । ଯେ ପ୍ରଭୁ ଏହାଙ୍କ ଈଶ୍ୱର ।। ୨୩
ସର୍ବଜ୍ଞ ଆଦି ସନାତନ । ଅଖିଳ-ପୁରୁଷ ପୁରାଣ ।। ୨୪
ତା ବିନୁ ଜୟ ବା ଅଜୟ । କାହାର ବୋଲେ ହୋଇ କହ ।। ୨୫
ଯେ ପ୍ରଭୁ ଅଖିଳର ଈଶ । ଅଖିଳଲୋକ ଯାର ବଶ ।। ୨୬
କାଳସ୍ୱରୂପ ଯେ ଈଶ୍ୱର । ମୃତ୍ୟୁ ଅମୃତ୍ୟୁ ରୂପଧର ।। ୨୭
ସକଳ ହେତୁ ସେ ଅଟଇ । ତାହାଙ୍କୁ ଅଜ୍ଞ ନ ଜାଣଇ ।। ୨୮
କାଷ୍ଠର ପିତୁଳୀ ଯେସନ । ଜଗତ ତାହାର ଭିଆଣ ।। ୨୯
ଯେମନ୍ତେ ଯନ୍ତ୍ରମୟ-ମୃଗ । ପ୍ରାଣୀ ତା ବଶେ ମହାଭାଗ ।। ୩୦
ପ୍ରକୃତି-ପୁରୁଷ ଯେ ଦୁଇ । ତା ବିନୁ ଜଡପ୍ରାୟେ ହୋଇ ।। ୩୧
ସୃଷ୍ଟିକରତା ଅବା କେହି । ତା ବିନୁ ଯେତେକ ଅଛଇ ।। ୩୨
ସକଳ ଆତ୍ମାରୂପ ସେହି । ଅଜ୍ଞାନୀ ଜାଣିବ ବା କାହିଁ ।। ୩୩
ସେହି ପ୍ରାଣୀଙ୍କି ସୃଷ୍ଟିକରି । ପ୍ରତିପାଳନକୁ ଆଚରି ।। ୩୪
ଗ୍ରାସଇ କାଳରୂପ ହୋଇ । ଧର୍ମ-ଅଧର୍ମ ରୂପ ସେହି ।। ୩୫
ଆୟୁ ସମ୍ପଦ କୀର୍ତ୍ତି ଯେତେ । ପ୍ରାଣୀର ହୁଅଇ ଯୁଗତେ ।। ୩୬
ସେ ଯାକୁ ପ୍ରସନ୍ନ ହୁଅଇ । ଅଷ୍ଟ ଐଶ୍ୱର୍ଯ୍ୟ ତାର ହୋଇ ।। ୩୭
ସୁଖ ଦୁଃଖ ମୃତ୍ୟୁ ଜୀବିତ । ଏ ସର୍ବ ଈଶ୍ୱର-ଆୟତ୍ତ ।। ୩୮
ଏ ଘେନି ଇନ୍ଦ୍ର ସମ ହୁଅ । ହର୍ଷ-ବିଷାଦକୁ ନ ପାଅ ।। ୩୯
ସେ ସତ୍ତ୍ୱ ରଜ ତମ ଜାଣ । ପ୍ରକୃତିଗୁଣ ଏ ପ୍ରମାଣ ।। ୪୦
ଆତ୍ମାଟି ସାକ୍ଷୀ ବୋଲି ଜାଣ । ସେ ଯାକୁ ହୁଅଇ ପ୍ରସନ୍ନ ।। ୪୧
ସଂସାରେ ବଦ୍ଧ ସେ ନୁହଇ । ସକଳ ପାପୁଁ ସେ ତରଇ ।। ୪୨
ରଣରେ ଛିନ୍ନଭୁଜ ହୋଇ । ଭୋ ଇନ୍ଦ୍ର ଦେଖ ମୁଁ ଅଛଇ ।। ୪୩
ଜୟ ବା ଅଜୟ କାହାର । ଜାଣିବ କେ ବିନା ଈଶ୍ୱର ।। ୪୪
ଶରସମୂହ ପଶାକାଠି । ଏ ଚତୁରଙ୍ଗବଳ ଗୋଟି ।। ୪୫
ଜୀବନ ହୁଡ଼ ଜୁଆ ରଣେ । କେ ଜାଣି କେ ହାରେ କେ ଜିଣେ ।। ୪୬

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ବୃତ୍ରର ବାକ୍ୟ ଇନ୍ଦ୍ର ଶୁଣି ।। ୪୭
ବୃତ୍ରକୁ ଧନ୍ୟ ଧନ୍ୟ କରି । ହସି ବୋଇଲେ ବଜ୍ରଧାରୀ ।। ୪୮

ଇନ୍ଦ୍ର ଉବାଚ

ଆହେ ଦାନବ ସିଦ୍ଧ ତୁହି । ତେଣୁ ତୋ ସିଦ୍ଧମତି ହୋଇ ।। ୪୯
ସକଳ-ଆତ୍ମାର ଈଶ୍ୱର । ଭଜିଲୁ ଚରଣ ତାଙ୍କର ।। ୫୦
ଜଗମୋହିନୀ-ବିଷ୍ଣୁ ମାୟା । ଦାନବ ଛେଦିଲୁ ତୁ ତାହା ।। ୫୧
ଅଇରିଭବ କରି ଦୂର । କଲୁ ତୁ ସ୍ୱର୍ଲୋକ ଆଚାର ।। ୫୨
ଅହୋ ଆଶ୍ଚର୍ଯ୍ୟ ବଡ଼ ମୋର । ସ୍ୱଭାବେ ରଜଗୁଣ ତୋର ।। ୫୩
ଅଖିଳବ୍ରହ୍ମାଣ୍ତର ପତି । ତା ତହିଁ ତୋର ଦୃଢ଼ମତି ।। ୫୪
ପରମବହ୍ମ ହରି ଯେହି । ତା ତହିଁ ଯାର ଭକ୍ତି ହୋଇ ।। ୫୫
ଅମୃତସିନ୍ଧୁରେ ସେ ଜନ । କ୍ରୀଡା କରିବ ଅନୁକ୍ଷଣ ।। ୫୬
କି କାର୍ଯ୍ୟ କୂପଜଳେ ତାର । ସେ ସ୍ୱର୍ଗଭୋଗଟି ଅସାର ।। ୫୭

ଶୁକ ଉବାଚ

ଅନ୍ୟୋନ୍ୟେ ଧର୍ମକୁ କହିଲେ । ପୁଣି ହିଁ ଯୁଦ୍ଧ ଆରମ୍ଭିଲେ ।। ୫୮
ସମ୍ମୁଖେ ବୀର ଦୁଇଜଣ । କରି ଲାଗିଲେ ଘୋରରଣ ।। ୫୯
ବୃତ୍ର ପରିଘ କରେ ଲଇ । ଇନ୍ଦ୍ରକୁ ପ୍ରହାରିଲା ଧାଇଁ ।। ୬୦
ପରିଘ ଘେନି ବାମକରେ । ଶବଦ କଲା ମହାଘୋରେ ।। ୬୧
କର ପରିଘ ଏକାବେଳେ । ଇନ୍ଦ୍ର ଛେଦିଲେ ଅବହେଳେ ।। ୬୨
ବୃତ୍ରର ଗଲା ଦୁଇକର । ରକତେ ହୋଏ ଜରଜର ।। ୬୩
ପକ୍ଷ ଛିଡ଼ନ୍ତେ ବଜ୍ରାଘାତେ । ଯେସନେ ଦିଶନ୍ତି ପର୍ବତେ ।। ୬୪
ଆୟୁଧ ଭୁଜ ଯହୁଁ ଗଲା । ସେ ବୃତ୍ର ମହାକ୍ରୋଧ କଲା ।। ୬୫
ଅଧର ଚାପି କ୍ରୋଧଭର । ଶରୀର ବିସ୍ତାରେ ଅସୁର ।। ୬୬
ଅଧର ହନୁ ତା ଭୂମିରେ । ଉପର ହନୁ ତା ସ୍ୱର୍ଗରେ ।। ୬୭
ଆକାଶ ଗଭୀର ମୁଖରେ । ଲିହଇ କଠୋର ଜିହ୍ୱାରେ ।। ୬୮
କାଳର ପ୍ରାୟେ ଦନ୍ତମାନ । ଗ୍ରାସିବ ଯେହ୍ନେ ତ୍ରିଭୁବନ ।। ୬୯
ଅତ୍ୟନ୍ତ ଶରୀର ବିସ୍ତାରି । ଧାମଇଁ ଯେହ୍ନେ ମହାଗିରି ।। ୭୦
ପାଦେ ଅବନୀ କମ୍ପାଇଲା । ଇନ୍ଦ୍ରର ନିକଟେ ମିଳିଲା ।। ୭୧
ଇନ୍ଦ୍ରକୁ ଗଜେନ୍ଦ୍ର ସହିତ । ଗିଳିଲା ବୃତ୍ର ମହାଦୈତ୍ୟ ।। ୭୨
ସ୍ୱଭାବେ ଗିଳିଲା ଅସୁର । ଗଜକୁ ଯେହ୍ନେ ସର୍ପବର ।। ୭୩
ଦେଖି ଇନ୍ଦ୍ରକୁ ଗିଳିବାର । ବ୍ରହ୍ମାଦି ଯେତେ ସୁରନର ।। ୭୪
ସକଳେ କଲେ ହାହାକାର । ଇନ୍ଦ୍ରକୁ ଗିଳିଲା ଅସୁର ।। ୭୫
ଅସୁର-ଉଦରରେ ଥାଇ । ନାଶ ନୋହିଲା ସୁରସାଇଁ ।। ୭୬
ମହାପୁରୁଷ ଧ୍ୟାନ କରି । ଯୋଗମାର୍ଗକୁ ସେ ଆବୋରି ।। ୭୭
ପେଟଚିରିଲେ ବଜ୍ରେ ତାର । ଗର୍ଭରୁ ହୋଇଲେ ବାହାର ।। ୭୮
ଆପଣାବଳେ ଦେବବର । ବଜ୍ରେ ଛେଦିଲେ ତାର ଶିର ।। ୭୯
ବଜ୍ରହିଁ ଅତିବେଗେ ଗଲା । କନ୍ଧରୁ ମସ୍ତକ କାଟିଲା ।। ୮୦
ସମ୍ପୂର୍ଣ୍ଣ ସମ୍ବତ୍ସର କାଳେ । ଶିର ତା ପଡିଲାକ ତଳେ ।। ୮୧
ଆକାଶେ ଦୁନ୍ଦୁଭି ତକ୍ଷଣେ । ଶବଦ କଲେ ଦେବଗଣେ ।। ୮୨
ସିଦ୍ଧ-ଗନ୍ଧର୍ବ-ଋଷିଗଣେ । ଆନନ୍ଦେ ହରଷିତ ମନେ ।। ୮୩
ବୃତ୍ରଶତ୍ରୁକୁ ସ୍ତୁତିକଲେ । ହରଷେ ପୁଷ୍ପ ବରଷିଲେ ।। ୮୪
ବୃତ୍ରର ତହୁଁ ଜ୍ୟୋତିରୂପ । ବାହାର ହୋଇଲା ହେ ନୃପ ।। ୮୫
ସକଳେ ଦେଖୁଥିଲେ ରହି । ସାଲୋକ୍ୟ ପାଇଲା ସେ ତହିଁ ।। ୮୬
ବୋଲଇ ଦାସ ଜଗନ୍ନାଥ । ଇନ୍ଦ୍ର-ବୃତ୍ର-ଯୁଦ୍ଧ-ବୃତ୍ତାନ୍ତ ।। ୮୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ବୃତ୍ରବଧୋ ନାମ
ଦ୍ୱାଦଶୋଽଧ୍ୟାୟଃ ।।

ତ୍ରୟୋଦଶ ଅଧ୍ୟାୟ

ଶୁକ ଉବାଚ

ବୃତ୍ର ହୋଇଲା ଯହୁଁ ହତ । ଶୁଣି ହରଷ ତ୍ରିଜଗତ ।। ୧
ଯେତେ ଏ ଦିଗପାଳଗଣ । ନିଶ୍ଚିନ୍ତ ହୋଇଲେ ତକ୍ଷଣ ।। ୨
ଇନ୍ଦ୍ରର ବିନୁ ଯେତେ ଜନ । ହରଷ ହୋଇଲେ ରାଜନ ।। ୩
ଅମର ଦେବଋଷିଗଣ । ପିତୃ ଦୈବତ ଯେତେ ପୁଣ ।। ୪
ବ୍ରହ୍ମା ଶଙ୍କର ବଜ୍ରଧର । ଗଲେ ସେ ଯେ ଯାହା ମନ୍ଦିର ।। ୫

ରାଜା ଉବାଚ

ଭୋ ମୁନି ହୁଅ ସାବଧାନ । ଏହା ଶୁଣିବାକୁ ମୋ ମନ ।। ୬
କିମ୍ପା ହରଷ ଦେବଗଣେ । ଇନ୍ଦ୍ର ବିଷାଦ କି କାରଣେ ।। ୭
କିମ୍ପାଇଁ ତାଙ୍କ ଦୁଃଖମନ । କହିବ ମୋତେ ତପୋଧନ ।। ୮
କହିବା ଏଥିର କାରଣ । ନମଇଁ ତୁମ୍ଭର ଚରଣ ।। ୯

ଶୁକ ଉବାଚ

ବୃତ୍ର ବିକ୍ରମ ଦେଖି ଦେବେ । ମହତ ଋଷି ଆଦି ସର୍ବେ ।। ୧୦
କହିଲେ ଇନ୍ଦ୍ରଙ୍କୁ ସେ ଯାଇ । ଭୟେ ଉଦ୍ଦେଗ ମନ ହୋଇ ।। ୧୧
ଭୋଦେବଦେବଙ୍କ ଈଶ୍ୱର । ବୃତ୍ର ଅସୁରକୁ ସଂହର ।। ୧୨
ବୃତ୍ର ଯେ ବ୍ରାହ୍ମଣକୁମର । ଇନ୍ଦ୍ର ନ କଲେ ସିଉକାର ।। ୧୩

ଇନ୍ଦ୍ର ଉବାଚ

ଯେବେ ମାରିଲି ବିଶ୍ୱରୂପ । ଘେନିଲି ବ୍ରହ୍ମହତ୍ୟା ପାପ ।। ୧୪
ଭୂ ଜଳ ସ୍ତିରୀ ଦ୍ରୁମମାନେ । ପାପ ଘେନିଲେ ବିଦ୍ୟମାନେ ।। ୧୫
ଏବେ ବୃତ୍ରକୁ ବିନାଶିବି । କେମନ୍ତେ ପାପୁଁ ନିସ୍ତରିବି ।। ୧୬

ଶୁକ ଉବାଚ

ଇନ୍ଦ୍ରବଚନେ ଋଷିଗଣ । ଶୁଣି ସେ କହନ୍ତି ବଚନ ।। ୧୭

ଋଷିଗଣ ଉବାଚ

ଅଶ୍ୱମେଧ-ଯଜ୍ଞକୁ କରି । ଏ ପାପ ନାଶିବୁ ତୋହରି ।। ୧୮
ମହାପୁରୁଷ ଆତ୍ମାପର । ଅଖିଳ-ଜଗତ-ଈଶ୍ୱର ।। ୧୯
ଯେ ଦେବ ପ୍ରଭୁ ନାରାୟଣ । ଯଜ୍ଞରେ କରାଇ ପ୍ରସନ୍ନ ।। ୨୦
ବୃତ୍ରର ବଧୁ ଦେବବର । ଅବହେଳାରେ ହେବୁ ପାର ।। ୨୧
ବ୍ରାହ୍ମଣ ଗୁରୁ ପିତାମାତା । ଯେ ଜନ ଆଚାର୍ଯ୍ୟର ହନ୍ତା ।। ୨୨
ଶ୍ୱାନକୁ ଖାଇ ଅବା ଯେହୁ । ଶୁଣ କହିବା ମହାବାହୁ ।। ୨୩
ଯେବା ବୃଷଳୀପତି ହୋଇ । ସୁରାପାନ ଯେବା କରଇ ।। ୨୪
ଗୋବିନ୍ଦନାମ ଯେହୁ ଧରେ । ଏ ସର୍ବ ପାପୁଁ ସେହୁ ତରେ ।। ୨୫
ମହାଯଜ୍ଞକୁ କରି ତୁହି । ଜପିବୁ ପ୍ରଭୁ ଭାବଗ୍ରାହୀ ।। ୨୬
ତାଙ୍କ ପ୍ରସନ୍ନେ ଦେବବର । ଦୁରିତ କେତେକ ମାତର ।। ୨୭

ଶୁକ ଉବାଚ

ଶୁଣିଣ ଋଷିଙ୍କ ବଚନ । ଶତ୍ରୁ ମାଇଲେ ମଘବାନ ।। ୨୮
ତକ୍ଷଣେ ବ୍ରହ୍ମହତ୍ୟା ଗଲା । ଇନ୍ଦ୍ରଦେବଙ୍କୁ ଆଶ୍ରେ କଲା ।। ୨୯
ତାହାଙ୍କୁ ଦେଖି ଦୁଃଖ ପାଇ । ଦେବେନ୍ଦ୍ର ଗଲାକ ପଳାଇ ।। ୩୦
ଚାଣ୍ଡାଳୀ ରୂପକୁ ଧଇଲା । ଇନ୍ଦ୍ରର ପଛେ ଗୋଡାଇଲା ।। ୩୧
ବୃଦ୍ଧାରୂପକୁ ଧରି ସେହି । ଯକ୍ଷ୍ମାରୋଗରେ ଗ୍ରସ୍ତହୋଇ ।। ୩୨
ଶୋଣିତପ୍ରାୟେ ବସ୍ତ୍ର ତାର । ବିବର୍ଣ୍ଣ କେଶ ମସ୍ତକର ।। ୩୩
ରହ ରହ ବୋଲି ଡାକଇ । ଆମିଷଗନ୍ଧ ତାର ଦେହୀ ।। ୩୪
ଆକାଶେ ସକଳଦିଗରେ । ଇନ୍ଦ୍ର ପଳାନ୍ତି ଖରତରେ ।। ୩୫
ଉତ୍ତରଦିଗକୁ ସେ ଗଲେ । ମାନସରୋବରେ ଲୁଚିଲେ ।। ୩୬
ପୁଷ୍କରନାଳେ ଦେବବର । ଚଞ୍ଚଳମନ କରି ସ୍ଥିର ।। ୩୭
ସହସ୍ରସମ୍ଭତ୍ସର ତହିଁ । ବ୍ରହ୍ମଭାବନେ ମନ ଦେଇ ।। ୩୮
ବ୍ରହ୍ମବଧରୁ ମୋକ୍ଷ ପାଇଁ । ରହିଲେ ନିରାହାର ହୋଇ ।। ୩୯
ତାବତ ନହୁଷରାଜନ । ସ୍ୱର୍ଗରେ କଲେ ଇନ୍ଦ୍ରପଣ ।। ୪୦
ବିଦ୍ୟା ତପସ୍ୟା ଯୋଗବଳେ । ସ୍ୱର୍ଗସମ୍ପଦ ଭୋଗକରେ ।। ୪୧
ଐଶ୍ୱର୍ଯ୍ୟ ସମ୍ପଦଭୋଗରେ । ନହୁଷ ମଦାନ୍ଧବୁଦ୍ଧିରେ ।। ୪୨
ଇନ୍ଦ୍ରପତ୍ନୀଙ୍କ ଇଚ୍ଛା କଲା । ସ୍ୱର୍ଗଲୋକରୁ ଚ୍ୟୁତ ହେଲା ।। ୪୩
ନହୁଷ ସ୍ୱର୍ଗେ ଇନ୍ଦ୍ରହୋଇ । ବାରତା ଇନ୍ଦ୍ରାଣୀକୁ ଦେଇ ।। ୪୪
ଇନ୍ଦ୍ର ମୁଁ ସ୍ୱର୍ଗଭୁବନରେ । ତୁ ମୋତେ ଭଜ ଗୋ ବିଧିରେ ।। ୪୫
ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ । ପ୍ରତିଉତ୍ତର ଗୁରୁ ଦେଲେ ।। ୪୬
ଗୁରୁ ଏମନ୍ତ ବିଚାରିଲେ । ଅତି ଅସମ୍ଭବ ବୋଇଲେ ।। ୪୭
ଅନେକ ତପସ୍ୟାର ଫଳେ । ମନୁଷ୍ୟ ହୋଇ ଦେବ ପାଳେ ।। ୪୮
ବ୍ରାହ୍ମଣ କୋପ-ଶାପୁଁ କରି । ହତ ହୋଇବ ଏହା ଶିରୀ ।। ୪୯
ନହୁଷେ ଏମନ୍ତ କହିବ । ଋଷିଙ୍କ କନ୍ଧେ ଦୋଳା ଥିବ ।। ୫୦
ତୁମ୍ଭେ ଦୋଳାରେ ବସିଥିବ । ଆମ୍ଭର ପୁରକୁ ଆସିବ ।। ୫୧
ଦେବେ ଯେ ତୁମ୍ଭଙ୍କୁ ଭଜିବୁ । ସ୍ୱର୍ଗେ ଇନ୍ଦ୍ରବୋଲି ଜାଣିବୁ ।। ୫୨
ବ୍ରାହ୍ମଣେ କ୍ରୋଧ ଉପୁଜିବ । ତେବେ ସେ ସ୍ୱର୍ଗୁ ଚ୍ୟୁତ ହେବ ।। ୫୩
ଏମନ୍ତ ଗୁରୁଆଜ୍ଞା ଶୁଣି । ନହୁଷେ କହିଲେ ଇନ୍ଦ୍ରାଣୀ ।। ୫୪
ଶୁଣି ହରଷ ନୃପମଣି । ଉତ୍ତମଋଷିଙ୍କି ସେ ଆଣି ।। ୫୫
ଦୋଳା ବୁହାଇ ତାଙ୍କ କନ୍ଧେ । ସତ୍ୱରେ ଗମିଲେ ଆନନ୍ଦେ ।। ୫୬
ଚଳଇ ଦୋଳା ମନ୍ଦଗତି । ତା ଦେଖି କୁପିତ ନୃପତି ।। ୫୭
ସର୍ପ ସର୍ପ ବୋଲି ବୋଇଲା । ପାଦେ ଅଗସ୍ତିଙ୍କି ମାଇଲା ।। ୫୮
ଅଗସ୍ତି କ୍ରୋଧଭର ହୋଇ । ନହୁଷକୁ ସେ ଶାପ ଦେଇ ।। ୫୯
ତୁ ସର୍ପ ହୁଅ ବେଗ ହୋଇ । ଯେଣୁ ସଙ୍କଟ ଦେଲୁ ତୁହି ।। ୬୦
ଏ ହେତୁ ନହୁଷ ସ୍ୱର୍ଗରୁ । ଚ୍ୟୁତ ହୋଇଲା ସେ ଶାପରୁ ।। ୬୧
ମହାସର୍ପ ଯେ ସେ ହୋଇଲା । ମର୍ତ୍ତ୍ୟଲୋକରେ ସେ ପଡିଲା ।। ୬୨
ଏବେ ହୋ ଶୁଣ ପରୀକ୍ଷିତ । ଇନ୍ଦ୍ରରାଜାର ଯେ ଚରିତ ।। ୬୩
ପରମେଶ୍ୱର ଧ୍ୟାନ କରି । ବ୍ରହ୍ମହତ୍ୟା ପାପରୁ ତରି ।। ୬୪
ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର । ଦେବଙ୍କୁ ଘେନି ସେ ବିହାର ।। ୬୫
ଇନ୍ଦ୍ରଙ୍କୁ ଦେବଋଷିମାନେ । ଅଶ୍ୱମେଧଯଜ୍ଞ ବିଧାନେ ।। ୬୬
ମହାପୁରୁଷ – ଆରାଧନ । ଦୀକ୍ଷା କରାଇଲେ ରାଜନ ।। ୬୭
ଏଅନନ୍ତରେ ଦେବମୟ । ସର୍ବାତ୍ମା-ପୁରୁଷ-ଅବ୍ୟୟ ।। ୬୮
ଇନ୍ଦ୍ର ବ୍ରହ୍ମଋଷି ସହିତେ । ଆରାଧି ଅଶ୍ୱମେଧ ମତେ ।। ୬୯
ବ୍ରହ୍ମବଧ ପାତକ ଭୟ । ଯଜ୍ଞହେତୁରୁ ହେଲା କ୍ଷୟ ।। ୭୦
ରବିକିରଣେ ତମପ୍ରାୟେ । ସକଳପାପ ହେଲା କ୍ଷୟେ ।। ୭୧
ଅଶ୍ୱମେଧରେ ବରି ଇନ୍ଦ୍ର । ମରୀଚିଆଦି ମୁନିବୃନ୍ଦ ।। ୭୨
ଆରାଧି ପୁରୁଷପୁରାଣ । ସ୍ୱର୍ଗେ ହୋଇଲେ ସେ ରାଜନ ।। ୭୩
ଯେ ଯଜ୍ଞପ୍ରସାଦରୁ କରି । ନିଷ୍ପାପ ହୋଏ ବଜ୍ରଧାରୀ ।। ୭୪
ଅଶେଷପ୍ରାଣୀମାନଙ୍କର । ପାପକୁ କରଇ ଯେ ଦୂର ।। ୭୫
ଏ ମହାଜ୍ଞାନ ସୁଖମୟୀ । ଯେ ଜନ ଶ୍ରଦ୍ଧାରେ ଶୁଣଇ ।। ୭୬
ଭକତଜନର ବର୍ଣ୍ଣନ । ଇନ୍ଦ୍ର-ଜୟ-ମୋକ୍ଷ କାରଣ ।। ୭୭
ଶ୍ରଦ୍ଧାରେ କରି ଯେ ପଢ଼ଇ । ଯେ ଅବା ଅଜ୍ଞାନେ ଶୁଣଇ ।। ୭୮
ଗାୟନ କରି ପ୍ରତିଦିନ । ସର୍ବସିଦ୍ଧି ଲଭେ ସେ ଜନ ।। ୭୯
ଶତ୍ରୁକୁ ଜୟ ଧନ ଯଶ । ପାପମୋଚନ ଦୀର୍ଘାୟୁଷ ।। ୮୦
ସର୍ବକଲ୍ୟାଣ ତାର ହୋଇ । ଧନ ଧ୍ୟାନ ଯଶ ଲଭଇ ।। ୮୧
ହରିକୀର୍ତ୍ତନେ ସର୍ବ ହୋଇ । କଳିରେ ଆନଗତି ନାହିଁ ।। ୮୨
ବୋଲଇ ଜଗନ୍ନାଥ ଦାସ । ଇନ୍ଦ୍ର ଯେ ପାପ କଲା ନାଶ ।। ୮୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଷଷ୍ଠସ୍କନ୍ଧେ ଇନ୍ଦ୍ରବିଜୟୋ ନାମ
ତ୍ରୟୋଦଶୋଽଧ୍ୟାୟଃ ।।

 

ଚତୁର୍ଦ୍ଦଶ ଅଧ୍ୟାୟ

ଶୁକ ଚରଣ ଧରି ରାଜା । ସାନନ୍ଦମନେ କଲେ ପୂଜା ।। ୧

ପରୀକ୍ଷିତ ଉବାଚ

ଭୋ ମୁନି ଶୁଣ ସାବଧାନେ । ଏ ତ ସଂଶୟ ମୋର ମନେ ।। ୨
ଭୋ ମୁନି ଅସମ୍ଭବ କଥା । ବୃତ୍ର ଅସୁରର ବ୍ୟବସ୍ଥା ।। ୩
ରଜ ତାସମ ଭାବ ତାର । ପାପୀ ଅଟଇ ବୃତ୍ରାସୁର ।। ୪
ଅଖିଳ-ହେତୁ ଭଗବାନେ । ତାହାର ମତି ବା କେସନେ ।। ୫
ସତ୍ତ୍ୱପ୍ରଧାନ ଦେବଗଣ । ନିର୍ମଳଆତ୍ମା ମୁନିଜନ ।। ୬
ମୁକୁଦ-ପାଦପଙ୍କଜରେ । ଏହାଙ୍କ ମନ ନୋହେ ସ୍ଥିରେ ।। ୭
ରଜଗୁଣରେ ଯୁକ୍ତ ହୋଇ । ସଂସାରେ ଯେତେକ ଅଛଇ ।। ୮
ଏହାଙ୍କ ମଧ୍ୟେ କେହି ଜନ । ଶ୍ରେୟ କରଇ ଆଚରଣ ।। ୯
ଏହାଙ୍କ ମଧ୍ୟେ କେହି ନରେ । ମୋକ୍ଷ ବା‚ଞ୍ଛନ୍ତି ଏ ସଂସାରେ ।। ୧୦
ତାହାଙ୍କ ମଧ୍ୟେ କେହି ଜନ । କଷ୍ଟେ ଲଭନ୍ତି ଭଗବାନ ।। ୧୧
ଦୁର୍ଲ୍ଲଭ ମୁନିମାନଙ୍କର । ବିଷ୍ଣୁଭକତ ଯେଉଁ ନର ।। ୧୨
କୋଟିକେ ଗୋଟିଏ ଯେ ଥାଇ । ଶୁଣିମା ସାବଧାନ ହୋଇ ।। ୧୩
ସ୍ୱଭାବେ ବୃତ୍ର ଅତିପାପ । ଲୋକଙ୍କୁ ଦେଇଅଛି ତାପ ।। ୧୪
କେମନ୍ତେ ମହାଘୋରରଣେ । ତା ମତି ହେଲା ନାରାୟଣେ ।। ୧୫
ଏଣେ ସଂଶୟ ମନ ମୋର । ଫେଡ଼ି କହିବା ମୁନିବର ।। ୧୬
ଯେ ବୃତ୍ର ଘୋରସଂଗ୍ରାମରେ । ବଳେ ତୋଷିଲା ବଜ୍ରଧରେ ।। ୧୭

ସୂତ ଉବାଚ

ସନ୍ତୋଷେ ରାଜା ପ୍ରଶ୍ନ ଶୁଣି । ଆନନ୍ଦେ ଯେ ବାଦରାୟଣି ।। ୧୮
ହରଷ ହୋଇ ମୁନିବର । ବଚନ କହନ୍ତି ମଧୁର ।। ୧୯

ଶୁକ ଉବାଚ

ଶୁଣ ରାଜନ ଏକମନେ । ଯେ ଇତିହାସ ପୁରାତନେ ।। ୨୦
ବେଦବ୍ୟାସଙ୍କ ବାକ୍ୟ ମୁହିଁ । ନାରଦ ତହୁଁ ଶୁଣିଛଇଁ ।। ୨୧
ପୂର୍ବେ ଶୂରସେନ – ଦେଶର । ଥିଲା ଯେ ଏକ ନୃପବର ।। ୨୨
ଚିତ୍ରକେତୁ ନାମ ତାହାର । କାମଧେନୁ ପୃଥ୍ୱୀ ଯାହାର ।। ୨୩
ଦଶନିୟୁତ ପତ୍ନୀ ତାର । ରୂପେ କି ଦେବା ପଟାନ୍ତର ।। ୨୪
ଯେତେକ ଥିଲେ ତାର ନାରୀ । ପୁତ୍ର ଯେ ନୋହିଲା କାହାରି ।। ୨୫
ରୂପେ ସୁନ୍ଦର ମନୋହର । ବିଦ୍ୟା ସମ୍ପଦ ମତି ଧୀର ।। ୨୬
ଏ ସର୍ବଗୁଣ ଅଛି ତାର । ସୁତ ନ ଲଭି ଚିନ୍ତାଭର ।। ୨୭
ଅମାତ୍ୟ ସମ୍ପଦ ସହିତେ । ପଟ୍ଟମହିଷୀ ତାର ଯେତେ ।। ୨୮
କାମଦୁଘାର ପ୍ରାୟେ ମହୀ । ସୁଖ ନୋହିଲେ ତାର କେହି ।। ୨୯
ଶୁଣ ରାଜନ ଏକଦିନେ । ସେ ଚିତ୍ରକେତୁର ଭୁବନେ ।। ୩୦
ଅଙ୍ଗିରାଋଷି ବ୍ରହ୍ମସୁତ । ମିଳିଲେ ରାଜାର ଅଗ୍ରତ ।। ୩୧
ସ୍ୱଇଚ୍ଛାଲୋକରେ ବିହାର । ମିଳିଲେ ଚିତ୍ରକେତୁ ପୁର ।। ୩୨
ତାହାଙ୍କୁ ଦେଖି ନୃପବର । ସତ୍ୱରେ କଲେ ନମସ୍କାର ।। ୩୩
ଉତ୍ତମ-ଆସନେ ବସାଇ । ପୂଜିଲେ ପାଦ୍ୟଅର୍ଘ୍ୟ ଦେଇ ।। ୩୪
ସୁଖେ ଆସନେ ବସି ଋଷି । ଚିତ୍ରକେତୁକୁ ପରଶଂସି ।। ୩୫
ଭକତି ଦେଖିଣ ତାହାର । ଆଶିଷ ଦେଲେ ମୁନିବର ।। ୩୬
ରାଜାକୁ କରି ଆଶ୍ୱାସନ । କହନ୍ତି ମଧୁର-ବଚନ ।। ୩୭
ହେ ରାଜା ଚିତ୍ରକେତୁ ଶୁଣ । ତୁମ୍ଭର ପରମ କଲ୍ୟାଣ ।। ୩୮
ତୁମ୍ଭର ପାତ୍ରମନ୍ତ୍ରୀ ଯେତେ । କୁଶଳଟି କି ଏ ସମସ୍ତେ ।। ୩୯
ଦାରା ତନୟ ଭୃତ୍ୟ ଯେତେ । ସୁହୃଦ ପରଜା ସହିତେ ।। ୪୦
ଯାହାର ଆତ୍ମା ଆତ୍ମବଶ । ତାହାର ବଶ ଏ ଅଶେଷ ।। ୪୧
ଯାହାର ଆତ୍ମା ବଶ ହୋଇ । ସର୍ବତ୍ର ପୂଜ୍ୟ ସେ ଅଟଇ ।। ୪୨
ଆତ୍ମସମ୍ପଦ ତୋର ଯେତେ । ଅମାତ୍ୟ ପୁରବାସୀ ଯେତେ ।। ୪୩
ତୁମ୍ଭର ପ୍ରିୟ ନୋହେ କେହି । ଏମନ୍ତ ପ୍ରାୟ ମୁଁ ମଣଇଁ ।। ୪୪
ଚିନ୍ତା-ମଳିନ ମୁଖ ତୋର । ଅଲବ୍ଧକାମ ନୃପବର ।। ୪୫

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ସେ ରାଜା ମୁନିବାକ୍ୟ ଶୁଣି ।। ୪୬
ହୃଦରେ ପୁତ୍ରକାମୀ ହୋଇ । ବିରସେ ମୁନିଙ୍କି କହଇ ।। ୪୭

ଚିତ୍ରକେତୁ ଉବାଚ

ଭୋ ମୁନି ତୁମ୍ଭ ଅଗୋଚରେ । କି ଅବା ଅଛି ଏ ସଂସାରେ ।। ୪୮
ପ୍ରାଣୀର ଅନ୍ତର ବାହାରେ । ଦେଖ ତପସ୍ୟା-ପ୍ରଭାବରେ ।। ୪୯
ତଥାପି ଆଜ୍ଞା ପରମାଣେ । କହିବି ଶୁଣ ସାବଧାନେ ।। ୫୦
ମନରେ ଯେବା ଚିନ୍ତା ମୋର । ପ୍ରଶ୍ନ ଯେ କଲ ମୁନିବର ।। ୫୧
ଦେବଗଣଙ୍କୁ ଯେ ଦୁର୍ଲ୍ଲଭ । ସାମ୍ରାଜ୍ୟ ସମ୍ପଦ ବିଭବ ।। ୫୨
ପୁତ୍ର-ବିହୀନେ ମୋର ଦେହୀ । କେବେହେଁ ସୁଖ ନ ଲଭଇ ।। ୫୩
କ୍ଷୁଧା ତୃଷାରେ ଖିନ୍ନଜନ । ନ ଲୋଡେ ବିନୁ ଅନ୍ନପାନ ।। ୫୪
ଭୋ ମହାଭାଗ ମୁନିବର । କେମନ୍ତେ ତରିବି ସଂସାର ।। ୫୫
ପିତୃଋଣରୁ ମୋତେ ପାର । କରିବାହେଉ ମୁନିବର ।। ୫୬
ପୁତ୍ର ଯେମନ୍ତେ ମୋର ହୋଇ । ସଂସାର-ଦୁଃଖରୁ ତରଇ ।। ୫୭

ଶୁକ ଉବାଚ

ରାଜାର ଶୁଣି ଏ ବଚନ । କୃପାଳୁ ବ୍ରହ୍ମାଙ୍କ ନନ୍ଦନ ।। ୫୮
ଯଜ୍ଞ କରିଣ ମୁନିବର । ଆରାଧି ଅଖିଳ ଈଶ୍ୱର ।। ୫୯
ରାଜାର ଜ୍ୟେଷ୍ଠ ଯେହୁନାରୀ । କୃତଦ୍ୟୁତି ନାମ ତାହାରି ।। ୬୦
ଯଜ୍ଞର ଚରୁ ତାକୁ ଦେଲେ । ରାଜାକୁ ଏମନ୍ତ କହିଲେ ।। ୬୧
ଭୋ ଚିତ୍ରକେତୁ ନୃପବର । ହୋଇବ ଏକ ତୋ କୁମର ।। ୬୨
ହରଷ-ଶୋକ ଦେବ ତୋତେ । କହି ଚଳିଲେ ଶୂନ୍ୟପଥେ ।। ୬୩
ଚିତ୍ରକେତୁର ତହୁଁ ସେହି । କୃତଦ୍ୟୁତି ଯେ ମହାଦେଈ ।। ୬୪
ଚରୁର ଭୋଜନ ମାତ୍ରକେ । ଗର୍ଭ ଧଇଲେ ସେହୁ ସୁଖେ ।। ୬୫
ଅଙ୍ଗିରାମୁନିର ପ୍ରସାଦେ । ଗର୍ଭ ହୋଇଲା ଅପ୍ରମାଦେ ।। ୬୬
ଅଗ୍ନିରୁ କୃତ୍ତିକା ଯେମନ୍ତ । ଗର୍ଭ ଧଇଲା ସେହିମତ ।। ୬୭
ତାହାର ଗର୍ଭ ପ୍ରତିଦିନେ । ଶୁକ୍ଳପକ୍ଷର ଚନ୍ଦ୍ର ଯେହ୍ନେ ।। ୬୮
ଚିତ୍ରକେତୁ-ତେଜେ ରାଜନ । ଗର୍ଭବଢ଼ିଲା ଦିନୁଦିନ ।। ୬୯
ଏମନ୍ତେ ପୂର୍ଣ୍ଣ ସମ୍ବତ୍ସ›ରେ । ଜନ୍ମିଲା ତାହର କୁମରେ ।। ୭୦
ଶୂରସେନରେ ଯେତେ ଲୋକ । ହରଷ ଲଭିଲେ ଅନେକ ।। ୭୧
ପରମାନନ୍ଦେ ସେ ରାଜନ । ତକ୍ଷଣେ କଲାକ ସ୍ନାହାନ ।। ୭୨
ଶୁଚି ହୋଇଣ ନୃପବର । ଭୂଷିତ ହୋଇ ଅଳଙ୍କାର ।। ୭୩
ବ୍ରାହ୍ମଣ ଆଣି ବେଦଧର୍ମ । କଲା ସେ ପୁତ୍ର ଜାତକର୍ମ ।। ୭୪
ବ୍ରାହ୍ମଣେ ସୁବର୍ଣ୍ଣ ରଜତ । ଦେଲା ସେ ଧେନୁ ଶତଶତ ।। ୭୫
ପୃଥିବୀ ଗଜ ହୟମାନ । ଦେଲା ସେ ବିବିଧବସନ ।। ୭୬
ଯେ ଲୋକେ ଯାହା ବାଞ୍ଛାକଲେ । ମନ-ସନ୍ତୋଷେ ତା ଲଭିଲେ ।। ୭୭
ପ୍ରାଣୀ – ସନ୍ତୋଷେ ମଘବାନ । ବରଷା କରଇ ଯେସନ ।। ୭୮
ପୁତ୍ର ଆୟୁଷ ଯଶ ଧର୍ମ । ବିବୃଦ୍ଧି ଅର୍ଥେ ଦେଲା ଦାନ ।। ୭୯
କଷ୍ଟରେ ଲଭିଲା ଯେ ସୁତ । ତାଠାରେ ସ୍ନେହ ତା ବହୁତ ।। ୮୦
ଦରିଦ୍ର ଯେହ୍ନେ ଧନ ପାଇ । ତେସନେ ହରଷ ସେ ହୋଇ ।। ୮୧
ମାତା ଯେ ଅତି ସ୍ନେହଭରେ । ମୋହ ହୋଇଲା ପୁତ୍ରଠାରେ ।। ୮୨
କୃତଦ୍ୟୁତି ସପତ୍ନୀମାନେ । ଦୁଃଖିତ ସନ୍ତତି ବିହୀନେ ।। ୮୩
ଚିତ୍ର କେତୁର ସ୍ନେହ ହୋଇ । ପୁତ୍ରବତୀ ଭାରିଯା ତହିଁ ।। ୮୪
ଅନ୍ୟ ଯେ ପତ୍ନୀମାନେ ଥାନ୍ତି । ସେଭାବେ ନାହିଁ ସ୍ନେହମତି ।। ୮୫
ଅପରେ ଦୁଃଖ ତାହାଙ୍କର । ରାଜାର ଯେଣୁ ଅନାଦର ।। ୮୬
ସେମାନେ ମନେ ଦୁଃଖ କରି । ଆତ୍ମାର ନିନ୍ଦାକୁ ଆଚରି ।। ୮୭
ପାପିଷ୍ଠୀ ଏହୁ କୃତଦ୍ୟୁତି । ଧିକ ଏହାର ଏ ସନ୍ତତି ।। ୮୮
ଗୃହ ସମ୍ପଦ ଯେ ସ୍ୱାମୀର । ଧିକ ଏ ହେଉ ଦୁରାଚାର ।। ୮୯
ଏ ସପତଣୀର ଚରଣେ । ଦାସୀ ହୋଇଲୁ ଅକାରଣେ ।। ୯୦
ଦାସୀର କି ଅବା ସନ୍ତାପ । ଯେ ସେବେ ସ୍ୱାମୀର ସମୀପ ।। ୯୧
ମାନ ନ ଲଭୁ ଆମ୍ଭେ କ୍ଷଣେ । ଦାସୀର ଦାସୀ ହୋଇ ଯେହ୍ନେ ।। ୯୨
ସପତ୍ନୀ-ପୁତ୍ର-ବିଭୂତିରେ । ଅନ୍ଧ ହୋଇଲେ କ୍ରୋଧଭରେ ।। ୯୩
ସକଳେ ଏକଚିତ୍ତ ହେଲେ । ରାଜାର ହିଂସା ଆଚରିଲେ ।। ୯୪
ଦାରୁଣଚିତ୍ତ ସ୍ତିରୀଜନ । କ୍ରୋଧେ ହୋଇଲେ ହତଜ୍ଞାନ ।। ୯୫
ସ୍ୱାମୀକୁ ଅତି କ୍ରୋଧକଲେ । ଗରଳ କୁମରକୁ ଦେଲେ ।। ୯୬
ଏହା ନ ଜାଣେ କୃତଦ୍ୟୁତି । ସପତ୍ନୀମାନଙ୍କର ଗତି ।। ୯୭
ପୁତ୍ର ଶୁଆଇଥିଲା ଘରେ । ଗଲା ସେ ଗୃହ ଅଭ୍ୟନ୍ତରେ ।। ୯୮
ଅନେକବେଳ ତହୁଁ ଗଲା । ପୁତ୍ର ଆଣିବ ମନେ କଲା ।। ୯୯
ଧାଈକି ବୋଲଇ ଉତ୍ତର । ଭୋ ସଖି ପୁତ୍ର ଆଣ ମୋର ।। ୧୦୦
ତାହାର ଆଜ୍ଞା ପାଇ ଧାଈ । ବାଳକ ନିକଟେ ମିଳଇ ।। ୧୦୧
ଦେଖିଲା ଶୋଇଅଛି ପୁତ୍ର । ଲେଉଟି ପଡିଛି ତା ନେତ୍ର ।। ୧୦୨
ପ୍ରାଣ ଇନ୍ଦ୍ରିୟ ନାହିଁ ତାର । ଦେଖି ସେ ପଡିଲା ଭୂମିର ।। ୧୦୩
ହତ ହୋଇଲି ବୋଲି ଧାଈ । ପଡ଼ିଲା ଚେତନା ହରାଇ ।। ୧୦୪
ବେନିକରରେ ହୃଦ ତାଡି । ଆରତେ ପାଡିଲା ଯେ ରଡି ।। ୧୦୫
ତା ଶୁଣି ପାଟ ମହାଦେଈ । ଧାଇଁଲା ଅସମ୍ଭାଳ ହୋଇ ।। ୧୦୬
ପୁତ୍ରର ନିକଟେ ମିଳିଲା । ମୃତପୁତ୍ରକୁ ସେ ଦେଖିଲା ।। ୧୦୭
ରମ୍ଭାଦ୍ରୁମ କି ବାତଭରେ । ତେସନେ ପଡିଲା ଭୂମିରେ ।। ୧୦୮
ତକ୍ଷଣେ ମୋହ ସେ ପାଇଲା । କେଶ-ବସନ ଖସିଗଲା ।। ୧୦୯
ରାଜାର ଅନ୍ତଃପୁରଜନ । ସ୍ତିରୀ ପୁରୁଷ ହେ ରାଜନ ।। ୧୧୦
ରୋଦନ ଶୁଣିଣ ଅଇଲେ । ସମସ୍ତେ ଶୋକରେ ମଜ୍ଜିଲେ ।। ୧୧୧
କହିବା ଶୁଣ ନୃପବର । ଯେତେକ ସପତ୍ନୀ ତାହାର ।। ୧୧୨
ଅନ୍ତରେ ସୁଖ ସେ ଆଚରି । ବାହ୍ୟେ କପଟ-ଶୋକ କରି ।। ୧୧୩
ପୁତ୍ର-ମରଣ ରାଜା ଶୁଣି । ମୃତ୍ୟୁର କାରଣ ନ ଜାଣି ।। ୧୧୪
ମୋହରେ ନଦିଶଇ ପଥ । ପଦପାଦକେ ଜ୍ଞାନହତ ।। ୧୧୫
ସ୍ନେହବନ୍ଧନୁ ଶୋକ ବଢ଼ି । ମୂର୍ଚ୍ଛିତ ହୋଇ ଛାଡେ ରଡି ।। ୧୧୬
ଅମାତ୍ୟ ଆଦି ଯେତେଜନ । ଦେଖୁଅଛନ୍ତି ସେ ରାଜନ ।। ୧୧୭
ମୃତବାଳକ-ପାଦତଳେ । ପଡ଼ିଲା ଯାଇ ମତିଭୋଳେ ।। ୧୧୮
ଖସିଣ ପଡିଅଛି କେଶ । ବିଚିତ୍ର-ପରିଧାନ-ବାସ ।। ୧୧୯
ଦୀର୍ଘନିଃଶ୍ୱାସ ସେ ଛାଡ଼ଇ । ନୟନୁ ଅଶ୍ରୁଜଳ ବହି ।। ୧୨୦
ନିରୋଧ କଣ୍ଠଦ୍ୱାର ହୋଇ । ବଚନ ନ ପାରଇ କହି ।। ୧୨୧
ପତିକୁ ଦେଖି ଶୋକଭର । ମରଣ ଦେଖି କୁମରର ।। ୧୨୨
କୃତଦ୍ୟୁତି ଯେ ମହାଦେଈ । ବିଚିତ୍ର-ବିଳାପ କରଇ ।। ୧୨୩
ସ୍ତନଯୁଗଳ ଯେ ତାହାର । ମଣ୍ଡିତ କୁଙ୍କୁମପଙ୍କର ।। ୧୨୪
ଅଞ୍ଜନ ସହିତେ ଲୋତକ । ଧଉତ କଲା ତାର ବକ୍ଷ ।। ୧୨୫
କେଶ ହୋଇଲା ଅସମ୍ଭାଳ । ଖସି ପଡ଼ିଲା ପୁଷ୍ପମାଳ ।। ୧୨୬
କୁରରୀ ପ୍ରାୟେ ଶୋକଭରେ । ରୋଦନ କରେ ଉଚ୍ଚସ୍ୱରେ ।। ୧୨୭
ହେ ବିଧି ମତି ତୋ ଦାରୁଣ । ବାଳକ ପ୍ରାୟ ଆଚରଣ ।। ୧୨୮
ସକଳ କରି ନିରିମାଣ । ଆପଣେ କରୁ ତୁ ଭଞ୍ଜନ ।। ୧୨୯
ସାନ ମରଇ ବଡ ଥାଇ । ଏହାର ନିଦାନ ନ ପାଇ ।। ୧୩୦
ଯେବେ ସଂସାରେ ପ୍ରାଣୀଙ୍କର । ଅକ୍ରମ ଜନ୍ମ ମରଣର ।। ୧୩୧
ସ୍ନେହପାଶକୁ ବଢ଼ାଇଣ । କିମ୍ପାଇଁ କରୁ ରଣଭଣ ।। ୧୩୨
ଏମନ୍ତେ ସୃଷ୍ଟି ତୋ ଭିଆଣ । ଅଜ୍ଞାନୀ ପରାଣୀ ଯେସନ ।। ୧୩୩
ହେ ତାତ ତନୟ ମୋହର । ଦେଖୁ କି ନାହୁଁ ତୋ ପିଅର ।। ୧୩୪
ଶୋକସାଗରେ ମୋତେ ଥୋଇ । ଛାଡ଼ିଣ ନ ଯା ବାବୁ ତୁହି ।। ୧୩୫
ମୁଁ ଯେ ପାପିଷ୍ଠୀ ଦୁଃଖୀଜନ । ତୁ ମୋତେ ନ ଯାଅ ଛାଡ଼ିଣ ।। ୧୩୬
ତୋର ଆଶ୍ରୟେ ଅବା ମୁହିଁ । ଦୁସ୍ତର ତମରୁ ତରଇ ।। ୧୩୭
ଦାରୁଣଯମ-ବଶ ହୋଇ । ଛାଡ଼ି ନ ଯାଅ ମୋତେ ତୁହି ।। ୧୩୮
ଉଠ ହେ ନୃପତିନନ୍ଦନ । ଆନନ୍ଦେ କର ସ୍ତନ୍ୟପାନ ।। ୧୩୯
ସମବୟସୀ ଯେ କୁମରେ । ଡାକୁଅଛନ୍ତି ବାବୁ ତୋତେ ।। ୧୪୦
ବାଳୁତସଙ୍ଗେ ତୁ ବିହର । ବହୁତ ନିଦ୍ରା ଦୂରକର ।। ୧୪୧
ମୋହର ଶୋକ ତୁ ନିବାର । ରୋଦନ୍ତି ପିଅର ତୋହର ।। ୧୪୨
ହରଷ ଆନନ୍ଦପଙ୍କଜ । ତୋହର ନ ଦେଖି ତନୁଜ ।। ୧୪୩
ଦାରୁଣଯମ କି ତୋହରେ । ଘେନାଇ ଗଲା ନିଜପୁରେ ।। ୧୪୪
ଏଣୁ ତୋ କୋମଳବଚନ । ଶୁଣଇ ନାହିଁରେ ନନ୍ଦନ ।। ୧୪୫

ଶୁକ ଉବାଚ

ମୃତପୁତ୍ରରଠାରେ ତାର । ବିଳାପ ଶୁଣି ନୃପବର ।। ୧୪୬
ଚିତ୍ରକେତୁ ମଗ୍ନ ଶୋକରେ । ରୋଦନକରେ ଉଚ୍ଚସ୍ୱରେ ।। ୧୪୭
ବିଳାପ ପତ୍ନୀର ସହିତେ । ନୃପର ଦେଖିଣ ସମସ୍ତେ ।। ୧୪୮
ଯେତେ ଅମାତ୍ୟଆଦି ତାର । ରୋଦନ କଲେ ଉଚ୍ଚସ୍ୱର ।। ୧୪୯
ସ୍ତିରୀ-ପୁରୁଷ ଯେତେଜନ । ସକଳେ ହେଲେ ଅଚେତନ ।। ୧୫୦
ଏମନ୍ତେ ଶୁଣ ନୃପବର । ସକଳେ ଅତି-ଦୁଃଖତର ।। ୧୫୧
ରାଜନ-ଦୁଃଖ ଦେଖି ମୁନି । ଅଙ୍ଗିରା ନାରଦଙ୍କୁ ଘେନି ।। ୧୫୨
ଶୀଘ୍ରେଣ ବେନିଜନେ ଗଲେ । ରାଜାର ନବରେ ମିଳିଲେ ।। ୧୫୩
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ଶୋକ-ଚରିତ ।। ୧୫୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁବିଳାପୋ
ନାମ ଚତୁŸର୍ଦ୍ଦଶୋଽଧ୍ୟାୟଃ ।।

ପଞ୍ଚଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ସାନନ୍ଦେ କୁରୁଶ୍ରେଷ୍ଠ । ସେ ମୃତପୁତ୍ରର ନିକଟ ।। ୧
ଶୋକରେ ଜ୍ଞାନଭ୍ରଷ୍ଟ ହୋଇ । ଚିତ୍ରକେତୁ ପଡି ଅଛଇ ।। ୨
ନାରଦ-ଅଙ୍ଗିରସ ଦୁଇ । ମିଳିଲେ ତାର ପାଶେ ଯାଇ ।। ୩
ଉତ୍ତମ-ବାକ୍ୟମାନ କହି । ବୋଧୁଅଛନ୍ତି ରାଜା ଚାହିଁ ।। ୪
ଭୋ ଚିତ୍ରକେତୁ ନୃପବର । ତୁମ୍ଭେ ଯା ପାଇଁ ଶୋକ କର ।। ୫
ତୋହର ଏ କିସ ଅଟଇ । ତୁହି ଏହାର କି ବା ହୋଇ ।। ୬
ଏହାର ପୂର୍ବେ ସୁତ ତୁହି । ପିତା ତୁ କେତେ ଜନ୍ମ ହୋଇ ।। ୭
ଏବେ ତୁମ୍ଭର ସୁତ ଏହି । ସଂସାର-ମାୟା ଏ ଅଟଇ ।। ୮
ଯେସନେ ନଦୀସ୍ରୋତଜଳେ । ବାଲୁକା ନ ରହେ ନିଶ୍ଚଳେ ।। ୯
ସଂଯୋଗ-ବିଯୋଗ ହୁଅଇ । ବାଲୁକା ଭାସି ଯାଉଥାଇ ।। ୧୦
ତେସନେ ପ୍ରାଣୀ ଯଥାକାଳେ । ଆସଇ ଯାଇ କର୍ମବଳେ ।। ୧୧
ବୀଜରୁ ବୀଜ ହୋଇ ନୋହି । ପ୍ରାଣୀହିଁ ତେମନ୍ତ ଅଟଇ ।। ୧୨
ଈଶ୍ୱରମାୟାରେ ଜଗତ । ଉତ୍ପତ୍ତି ନାଶ ସର୍ବଭୂତ ।। ୧୩
ନର ଅମରଆଦି ଯେତେ । ଚର-ଅଚରଙ୍କ ସହିତେ ।। ୧୪
ଜନ୍ମ-ମରଣ ଆଗପଛ । ହୁଅଇ ଦେଖ ତୁ ପ୍ରତ୍ୟକ୍ଷ ।। ୧୫
ଭୂତରେ କରିଣ ଈଶ୍ୱର । ଜନ୍ମାଇ ଅଖିଳ-ସଂସାର ।। ୧୬
ପ୍ରତିପାଳନ କରି ପୁଣ । ସଂହାର କରଇ ତକ୍ଷଣ ।। ୧୭
ଆୟତ୍ତ ନୁହଁଇ କାହାର । ଯେହ୍ନେ ବାଳକ-ଖେଡ଼ଘର ।। ୧୮
ଦେହରୁ ଦେହ ହୋଇ ଜାତ । ରାଜନ ଶୁଣ ଏକଚିତ୍ତ ।। ୧୯
ବୀଜରୁ ବୀଜ ଯେହ୍ନେ ଜାତ । ଆତ୍ମାରୁ ନିର୍ମିତ ଜଗତ ।। ୨୦
ଆତ୍ମା ଶରୀର ଭିନ୍ନ କରି । ପୂର୍ବେ ଯେ ବିଧାତା ବିଚାରି ।। ୨୧
ଜାତି-ସଜ୍ଞାରେ କରେ ଭିନ୍ନେ । ସୁବର୍ଣ୍ଣେ ନାନାଦ୍ରବ୍ୟ ଯେହ୍ନେ ।। ୨୨

ଶୁକ ଉବାଚ

ଉତ୍ତମ-ବାକ୍ୟ ବିପ୍ରଙ୍କର । ଶୁଣି ଆଶ୍ୱସ୍ତ ନୃପବର ।। ୨୩
ମଳିନମୁଖ ଆପଣାର । ପୋଛିଣ କହଇ ମଧୁର ।। ୨୪

ଚିତ୍ରକେତୁ ଉବାଚ

କେ ତୁମ୍ଭେ ବିପ୍ର ଦୁଇଜଣ । ଅଶେଷଜ୍ଞାନେ ପରିପୂର୍ଣ୍ଣ ।। ୨୫
ଜ୍ଞାନୀମାନଙ୍କେ ତୁମ୍ଭେ ବର । ଅବଧୂତବେଶ ତୁମ୍ଭର ।। ୨୬
ସ୍ୱଭାବେ ଗୁପ୍ତପ୍ରାୟ ହୋଇ । ଆସି ମିଳିଲ ତୁମ୍ଭେ ଦୁଇ ।। ୨୭
ବିଷ୍ଣୁର ଦୂତପ୍ରାୟ ହୋଇ । ଭ୍ରମଣ କରୁଅଛ ମହୀ ।। ୨୮
ମୋହର ପ୍ରାୟେ ଦୁଃଖୀ ହୋଇ । ସଂସାରେ ଯେ ଅବା ଅଛଇ ।। ୨୯
ତାହାଙ୍କ ହିତ କରିବାରେ । ଭ୍ରମଣ ତୁମ୍ଭର ସଂସାରେ ।। ୩୦
ଗୌତମ ଅସିତ ଦେବଳ । କୁମାର ବଶିଷ୍ଠ କପିଳ ।। ୩୧
ମାରକଣ୍ତ ବ୍ୟାସ ଅଙ୍ଗିରା । ରୋମଶ ଦତ୍ତ ବେଦଶିରା ।। ୩୨
ଦୁର୍ବାସା ଯାଜ୍ଞବଲ୍‌କ୍ୟ ମୁନି । ଜାତୂକର୍ଣ୍ଣ୍ୟ ବାଦରାୟଣି ।। ୩୩
ଋତଧ୍ୱଜ ଯେ ଶ୍ରୁତଦେବ । ପଞ୍ଚଶିଖ ହିରଣ୍ୟନାଭ ।। ୩୪
କୌଶଲ୍ୟ ନାରଦ ଆସୁରି । ଧୌମ୍ୟ ଚ୍ୟବନ ପତଞ୍ଜଳି ।। ୩୫
ଋଭୁ ସହିତେ ସିଦ୍ଧେଶ୍ୱରେ । ଏମାନେ ଭ୍ରମନ୍ତି ସଂସାରେ ।। ୩୬
ପ୍ରାଣୀଙ୍କ ମଙ୍ଗଳ କାରଣେ । ଭ୍ରମୁ ଅଛନ୍ତି ଅନୁକ୍ଷଣେ ।। ୩୭
ସ୍ୱଭାବେ ଗ୍ରାମ୍ୟପଶୁ ମୁହିଁ । ଅନ୍ଧତମରେ ବୁଡିଛଇଁ ।। ୩୮
କେ ତୁମ୍ଭେ ଦୁଇସିଦ୍ଧ କହ । ଜ୍ଞାନଦୀପକୁ ମୋତେ ଦିଅ ।। ୩୯

ଅଙ୍ଗିରା ଉବାଚ

ହେ ଚିତ୍ରକେତୁ ନୃପବର । ମୁଁ ଦେଇଥିଲି ଏ କୁମର ।। ୪୦
ଅଙ୍ଗିରା ନାମଟି ମୋହର । ଏ ଦେଖ ବ୍ରହ୍ମାଙ୍କ କୁମର ।। ୪୧
ପରମ-ବିଷ୍ଣୁଭକ୍ତ ଏହି । ନାରଦ ବୋଲି ଯାକୁ କହି ।। ୪୨
ଶୋକସାଗରେ ମଗ୍ନ ତୋର । ଦେଖିଲୁ ଯହୁଁ ନୃପବର ।। ୪୩
ତୋହର ଯୋଗ୍ୟ ଏ ନୁହଁଇ । ଏହା ବିଚାରି ଆମ୍ଭେ ଦୁଇ ।। ୪୪
ତୋଠାରେ ଅନୁଗ୍ରହ କରି । ଅଇଲୁ ଶୁଣ ଦଣ୍ତଧାରୀ ।। ୪୫
ବ୍ରହ୍ମଣ୍ୟ-କୃଷ୍ଣଭକ୍ତ ହେଉ । ଶୋକେ ନ ବୁଡ଼ ମହାବାହୁ ।। ୪୬
ପୂର୍ବେ ତୋ ଗୃହେ ଆସିଥିଲି । ପରମଜ୍ଞାନ ଦେବି ବୋଲି ।। ୪୭
ପୁତ୍ର-ବିଷୟେ ମନ ତୋର । ଜାଣିଣ ଦେଲୁ ପୁତ୍ରବର ।। ୪୮
ଏବେ ତୁ ପୁତ୍ରଶୋକଭର । ଅନୁଭବିଲୁ ନୃପବର ।। ୪୯
ଐଶ୍ୱର୍ଯ୍ୟ ଦାରା ଗୃହ ଧନ । ଭୃତ୍ୟ ଅମାତ୍ୟ ପ୍ରିୟଜନ ।। ୫୦
ବିଷୟ ରାଜ୍ୟ ସୈନ୍ୟ କୋଷ । ଆତ୍ମାପୂରଣେ ନୋହେ ତୋଷ ।। ୫୧
ଏ ସର୍ବ ଶୋକ-ମୋହକର । ଭୟ ଉଦବେଗର ଘର ।। ୫୨
କର୍ମକୁ ଧ୍ୟାୟି ଯେଉଁଜନ । କରଇ ନାନାକର୍ମମାନ ।। ୫୩
ନାନାକର୍ମରେ ମନ ତାର । ପ୍ରବେଶ ହୋଏ ନିରନ୍ତର ।। ୫୪
ଏମନ୍ତେ ଦେହୀମାନଙ୍କର । ଦେହଟି ଏ ମାୟାସଂସାର ।। ୫୫
ବିବିଧ-କ୍ଲେଶ ଯେ ତାଙ୍କର । ସନ୍ତାପ କାରଣ ଅପାର ।। ୫୬
ଏହି କାରଣୁ ହେ ରାଜନ । ଆତ୍ମାର ହିତେ କର ମନ ।। ୫୭
ଏ ବିଶ୍ୱ-ସଂସାର ଅସାର । ଦେହର ଗତିକୁ ବିଚାର ।। ୫୮
ଶୋକ ନ କରି ନୃପବର । ଆତ୍ମାମନକୁ ସ୍ଥିର କର ।। ୫୯

ନାରଦ ଉବାଚ

ଏ ଯେ ମୋହର ମନ୍ତ୍ରଦୀକ୍ଷା । ଶୁଚି ହୋଇଣ କର ଶିକ୍ଷା ।। ୬୦
ଏ ବିଦ୍ୟା ଧରି ସାତଦିନ । ଦେଖିବୁ ପ୍ରଭୁ ସଙ୍କର୍ଷଣ ।। ୬୧
ପଦପଙ୍କଜଟି ଯାହାର । ଆଶ୍ରୟ କରିଣ ଶଙ୍କର ।। ୬୨
ସର୍ବବିଷୟକୁ ଛାଡିଲେ । ତକ୍ଷଣେ ସେ ପଦ ଲଭିଲେ ।। ୬୩
ତୁମ୍ଭେ ଏ ବିଦ୍ୟାର ପ୍ରସାଦେ । ତାହା ଲଭିବ ଅପ୍ରମାଦେ ।। ୬୪
ଚିତ୍ରକେତୁ ଶୋକ-ଖଣ୍ତନ । ସୁଜନେ ଏଣେ ଦିଅ ମନ ।। ୬୫
ତୁମ୍ଭର ତାପ କ୍ଷୟ ଯାଉ । ଶରଣ ପଶ ମହାବାହୁ ।। ୬୬
ନ ଲାଗେ ମୋହ ଶୋକପାଶ । ଅନ୍ତେ ଶ୍ରୀକୃଷ୍ଣ-ରସେ ରସ ।। ୬୭
ବୋଲଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ।। ୬୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚିତ୍ରକେତୁସାନ୍ତ୍ୱନଂ ନାମ
ପଞ୍ଚଦଶୋଽଧ୍ୟାୟଃ ।।

 

ଷୋଡ଼ଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ପରୀକ୍ଷିତ । ଅଦ୍ଭୂତ ଗୋବିନ୍ଦ ଚରିତ ।। ୧
ଚିତ୍ରକେତୁ ଶୋକେ ମଜ୍ଜିଣ । ରହିଲା ସ୍ତମ୍ଭୀଭୂତେ ପୁଣ ।। ୨
ନାରଦ ନାମ ନ ଜାଣିଲେ । ତହିଁକି ଉପାୟ ରଚିଲେ ।। ୩
ଏବେ ତୁ ଏକମନେ ଶୁଣ । ମଲା ଯେ ନୃପତିନନ୍ଦନ ।। ୪
ସେ ଶବପାଶେ ମୁନିଯାଇ । ବୋଲନ୍ତି ଜୀବ ଶୁଣ ତୁହି ।। ୫

ନାରଦ ଉବାଚ

ଦେଖ ତୋ ଜ୍ଞାତି – ସହୋଦର । ପଡିଣ ଅଛନ୍ତି ଭୂମିର ।। ୬
ହେ ଜୀବ ଦେଖ ତୋର ମାତା । ଶୋକେ ମୋହିତ ତୋର ପିତା ।। ୭
ବନ୍ଧୁବାନ୍ଧବ ଯେ ତୋହର । ଶୋକ-ମୋହରେ ଗୁରୁତର ।। ୮
ଆପଣା କଳେବରେ ପଶ । ଶେଷ ତୋ ଯେତେକ ଆୟୁଷ ।। ୯
ସୁହୃଦଗଣେ ବୃତ ହୋଇ । ନାନାଭୋଗକୁ ଭୁଞ୍ଜ ତୁହି ।। ୧୦
ନୃପଆସନେ ବିଜେ କର । ପିତାର ଶୋକ ମୋହ ହର ।। ୧୧

ଜୀବ ଉବାଚ

କେଉଁ ଜନ୍ମରେ ଏ ମୋହର । ହୋଇଛନ୍ତି ମାତା ପିଅର ।। ୧୨
ଦେବତା ମନୁଷ୍ୟ ପଶୁରେ । ମୁହିଁ ଭ୍ରମଇଁ ମୋ କର୍ମରେ ।। ୧୩
ଗୃହସ୍ଥ-ଗୃହଶ୍ୱାନ ଯେହ୍ନେ । ସେ ଯେହ୍ନେ ଭ୍ରମେ ଏଣେତେଣେ ।। ୧୪
ଏମନ୍ତ ପ୍ରାୟେ ଭ୍ରମ ମୋର । ଭ୍ରମଇଁ ଅଶେଷ-ଯୋନିର ।। ୧୫
ବାନ୍ଧବ ଜ୍ଞାତି ମିତ୍ର ଅରି । ଉଦାସୀନ ବା ଦ୍ୱେଷକାରୀ ।। ୧୬
ଏ ସର୍ବେ ପରସ୍ପରେ ଥାନ୍ତି । କେବେ ବା ହୁଅନ୍ତି ନୁହଁନ୍ତି ।। ୧୭
କ୍ରୟବିକ୍ରୟ ବ୍ୟବହାରେ । ଭ୍ରମନ୍ତି ନାନାଲୋକଠାରେ ।। ୧୮
ହେମାଦି ପଣ୍ୟଦ୍ରବ୍ୟ ଯେହ୍ନେ । ଯୋନିରେ ଜୀବଟି ତେସନେ ।। ୧୯
ସତ୍ୟ ଯେ ସମ୍ବନ୍ଧ ଲୋକରେ । ଅସତ୍ୟ ହୋଇ ସେ ବେଭାରେ ।। ୨୦
ସମ୍ବନ୍ଧ ଯାବତ ଯାହାର । ତାବତ ମମତା ତାହାର ।। ୨୧
ଯାବତ ଦେହେ ଅହଙ୍କାର । ତାବତ ତହିଁ ଅଧିକାର ।। ୨୨
ଦେହ ଛାଡିଲେ ଜୀବ ନିତ୍ୟ । ଆଉ ଦେହରେ କାହିଁ ସତ୍ତ୍ୱ ।। ୨୩
ଏ ଜୀବ ନିତ୍ୟ ଯେ ଅବ୍ୟୟ । ସୂକ୍ଷ୍ମ-ସ୍ୱରୂପ ସର୍ବାଶ୍ରୟ ।। ୨୪
ଆତ୍ମମାୟାଗୁଣରୁ କରି । ଆତ୍ମାର ସୃଷ୍ଟିକି ଆଚରି ।। ୨୫
ଏହାର ଅତିପ୍ରିୟ କେହି । ଅପ୍ରିୟଜନ କେହି ନାହିଁ ।। ୨୬
ଏହାର ନିଜ-ପର ନାହିଁ । କେବଳ ଗୁଣ-ଦୋଷ ରହି ।। ୨୭
ଗୁଣ-ଦୋଷ କ୍ରିୟାର ଫଳ । ଗ୍ରହଣ ନ କରେ ସକଳ ।। ୨୮
ଉଦାସୀନର ପ୍ରାୟ ହୋଇ । ପର-ଅପରକୁ ଦେଖଇ ।। ୨୯
ଏମନ୍ତ ଏକ ସେ ଈଶ୍ୱର । ସଂସାର ନିର୍ମିତ ତାହାର ।। ୩୦

ଶୁକ ଉବାଚ

ଏମନ୍ତ କହିଣ ବଚନ । ଜୀବ ଚଳିଲା ହେ ରାଜନ ।। ୩୧
ବିସ୍ମୟେ ତାର ବନ୍ଧୁଗଣ । ଶୋକ ଛାଡିଲେ ତତକ୍ଷଣ ।। ୩୨
ତା ତହୁଁ ଜ୍ଞାନକୁ ଶୁଣିଲେ । ସ୍ନେହ-ଶାଙ୍କୋଳିକି ଛେଦିଲେ ।। ୩୩
ଏ ଅନନ୍ତରେ ଜ୍ଞାତିଜନ । ବେଦଉଚିତ କର୍ମମାନ ।। ୩୪
ଲୋକବିଧିରେ ତାହାକଲେ । ସମସ୍ତ ତାପକୁ ଛାଡିଲେ ।। ୩୫
ଯେ ଶୋକ ମୋହ ସ୍ନେହୁଁ ହୋଇ । ତାହା ଛାଡିଲେ ଜ୍ଞାନ ପାଇ ।। ୩୬
ଚିତ୍ରକେତୁର ଯେତେ ନାରୀ । ଲାଜ ପାଇ ମନେ ବିଚାରି ।। ୩୭
ବାଳକହତ୍ୟାପାପୁଁ କରି । ହତ ହୋଇଲା ତାଙ୍କ ଶିରୀ ।। ୩୮
ବ୍ରାହ୍ମଣେ ପୁଚ୍ଛିଲେ ଉଚିତ । ବାଳକ-ହତ୍ୟା-ହତବ୍ରତ ।। ୩୯
ଯମୁନାକୂଳକୁ ସେ ଗଲେ । ବାଳକହତ୍ୟା-ବ୍ରତ କଲେ ।। ୪୦
ବ୍ରାହ୍ମଣଆଜ୍ଞା ପରମାଣେ । କମେ ସେ ବେଦର ବିଧାନେ ।। ୪୧
ଏମନ୍ତେ ଶୁଣ ହେ ରାଜନ । ଚିତ୍ରକେତୁ ବିପ୍ର-ବଚନ ।। ୪୨
ତକ୍ଷଣେ ଶୁଣି ଜ୍ଞାନପାଇ । ଗୃହକପୁଁ ବାହାର ହୋଇ ।। ୪୩
ଶୁଣି ଉଦୟ ହେଲା ଜ୍ଞାନ । ମନସଂଶୟ ତା ଖଣ୍ଡନ ।। ୪୪
ସରୋବର-ପଙ୍କରୁ ଯେହ୍ନେ । ଗଜ ବାହାର ବିଦ୍ୟମାନେ ।। ୪୫
ତେସନେ ରାଜା ସର୍ବଛାଡି । ଗୋବିନ୍ଦପାଦେ ଚିତ୍ତ ବଢି ।। ୪୬
କାଳିନ୍ଦୀଜଳେ ସ୍ନାନକଲା । ପୁଣ୍ୟକ୍ରିୟାକୁ ଆଚରିଲା ।। ୪୭
ମଉନବ୍ରତେ ମହାରାଜା । ମୁନିଚରଣେ କଲେ ପୂଜା ।। ୪୮
ଏଥୁଅନ୍ତରେ ନୃପବର । ଭକତି ଦେଖିଣ ରାଜାର ।। ୪୯
ନାରଦ ଅନୁଗ୍ରହ କଲେ । ଏ ଜ୍ଞାନ ତାହାଙ୍କୁ କହିଲେ ।। ୫୦
ପରମାନନ୍ଦରେ ନିବୃତ୍ତି । ଧ୍ୟାନେ ଗୋବିନ୍ଦେ କଲା ସ୍ତୁତି ।। ୫୧

ନାରଦ ଉବାଚ

ନମସ୍ତେ ପ୍ରଭୁ ନାରାୟଣ । ବାସୁଦେବ ସର୍ବକାରଣ ।। ୫୨
ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି । ନମସ୍ତେ ସଙ୍କର୍ଷଣ ପୁଣି ।। ୫୩
ନମସ୍ତେ ଜ୍ଞାନର ଈଶ୍ୱର । ପରମାନନ୍ଦ-ମୂର୍ତ୍ତି ଯାର ।। ୫୪
ନମସ୍ତେ ଶାନ୍ତ ଆତ୍ମାରାମ । ଅବ୍ୟୟରୂପ ପୂର୍ଣ୍ଣକାମ ।। ୫୫
ନମସ୍ତେ ବଇକୁଣ୍ଠବାସୀ । ନମସ୍ତେ ପ୍ରଭୁ ବ୍ରହ୍ମରାଶି ।। ୫୬
ସ୍ୱରୂପାନନ୍ଦ ଅନୁଭୂତି । ତେଣୁ ନିରସ୍ତ ଉର୍ମିଶକ୍ତି ।। ୫୭
ଭୋ ହୃଷୀକେଶ ହେ ମହତ । ନମସ୍ତେ ମର୍ତ୍ତି ହେ ଅନନ୍ତ ।। ୫୮
ମନବଚନ-ଅଗୋଚର । ମହିମା ନାମ ରୂପ ଯାର ।। ୫୯
ଚିନ୍ମୟ ଯାହାର ଶରୀର । ରଖନ୍ତୁ ସଦସଦପର ।। ୬୦
ଚିନ୍ତାମାତ୍ରକେ ଯେଉଁ ନାମ । ଖଣ୍ଡଇ ସର୍ବପାପମାନ ।। ୬୧
ଅରୂପରେଖ ଭଗବାନ । ସଚରାଚର ବିଶ୍ୱଧାମ ।। ୬୨
ଯାହାର ତହୁଁ ଏ ଜଗତ । ହେଉ ଅଛନ୍ତି ଆତଯାତ ।। ୬୩
ମୃତ୍ତିକାଠାରୁ ନାନାପାତ୍ର । ଯେସନେ ହେଉଅଛି ଜାତ ।। ୬୪
ସୃଷ୍ଟି ପ୍ରଳୟ ସ୍ଥିତି ଯହିଁ । ସେ ଯୋଗେଶ୍ୱରେ ମୁଁ ନମଇଁ ।। ୬୫
ବୁଦ୍ଧି ଇନ୍ଦ୍ରିୟ ଆଦି ମନ । ଯାହାକୁ ନ ଜାଣଇ ପ୍ରାଣ ।। ୬୬
ବାହ୍ୟ-ଅନ୍ତରେ ବ୍ୟାପ୍ତହୋଇ । ଆକାଶପ୍ରାୟ ଯେ ଅଛଇ ।। ୬୭
ତାହାଙ୍କୁ ମୋର ନମସ୍କାର । ଯେ ପ୍ରଭୁ ଜଗତଠାକୁର ।। ୬୮
ଅଶେଷ-କ୍ଷେତ୍ରେ ଯା ବିହାର । ଅଚ୍ୟୁତ ପରମଈଶ୍ୱର ।। ୬୯
ଦେହ ଇନ୍ଦ୍ରିୟ ପ୍ରାଣ ମନ । ବୁଦ୍ଧି ଅହଙ୍କାର ଚେତନ ।। ୭୦
ଯାର ଆଜ୍ଞାରେ ଏ ନିର୍ମାଣ । କର୍ମରେ କରନ୍ତି ଭ୍ରମଣ ।। ୭୧
ଭଗବାନ ମହାପୁରୁଷ । ଯାହାର ଭାବରେ ପ୍ରକାଶ ।। ୭୨
ମହାବିଭୂତିର ଈଶ୍ୱର । ସକଳ-ଭକ୍ତଜନଙ୍କର ।। ୭୩
କରକମଳଦଳେ କରି । ସେବିତ ଚରଣ ଯାହାରି ।। ୭୪
ଏମନ୍ତ ପରମଈଶ୍ୱର । ତାହାଙ୍କୁ ମୋର ନମସ୍କାର ।। ୭୫

ଶୁକ ଉବାଚ

ଭକତରାଜାଙ୍କୁ ନାରଦେ । ଏ ବିଦ୍ୟା ଦେଲେ ଅପ୍ରମାଦେ ।। ୭୬
ଅଙ୍ଗିରା ସହିତେ ରାଜନ । ଗଲେ ସେ ବ୍ରହ୍ମାର ଭୁବନ ।। ୭୭
ଚିତ୍ରକେତୁ ସେ ବିଦ୍ୟାଘେନି । ଯେମନ୍ତ କହିଥିଲେ ମୁନି ।। ୭୮
ଧଇଲା ସପ୍ତରାତ୍ର ସେହି । ପବିତ୍ର ନିରାହାର ହୋଇ ।। ୭୯
ସପତରାତ୍ରେ ଅପ୍ରମାଦେ । ନାରଦବିଦ୍ୟାର ପ୍ରସାଦେ ।। ୮୦
ବିଦ୍ୟାଧର-ଅଧିପପଣ । ଲଭିଲେ ଚିତ୍ରକେତୁରାଣ ।। ୮୧
ଶୁଣ ରାଜନ ଏକମନେ । ଏ ଅନନ୍ତରେ କେତେଦିନେ ।। ୮୨
ବିଦ୍ୟାରୁ କରି ଶୁଦ୍ଧମତି । ନିଶ୍ଚଳେ ଲଭିଲା ନୃପତି ।। ୮୩
ଅନନ୍ତ ଦେବଦେବେଶ୍ୱର । ଗଲା ନିକଟେ ତାହାଙ୍କର ।। ୮୪
ମୃଣାଳପ୍ରାୟ ଶୋଭାବନ । ନୀଳବସନ ପରିଧାନ ।। ୮୫
ଶୋଭିତ କିରୀଟ କେୟୁର । ମେଖଳା କଙ୍କଣ ଆବର ।। ୮୬
ପ୍ରସନ୍ନ ରୁଚିର ବଦନ । ଅରୁଣ ରାଜୀବଲୋଚନ ।। ୮୭
ବେଢିଅଛନ୍ତି ସିଦ୍ଧେଶ୍ୱର । ଦେଖିଲା ଯାଇ ନୃପବର ।। ୮୮
ତାହାଙ୍କ ଦରଶନ ପାଇ । ସକଳପାପୁଁ ମୁକ୍ତହୋଇ ।। ୮୯
ଅନ୍ତଃକରଣ ଶୁଦ୍ଧହେଲା । ଅଶ୍ରୁରେ ଲୋଚନ ପୂରିଲା ।। ୯୦
ଭକ୍ତିରୁ ରୋମାଞ୍ଚ ହୋଇଲା । ଆଦିପୁରୁଷଙ୍କୁ ନମିଲା ।। ୯୧
ସେ ଚିତ୍ରକେତୁ ହୃଷ୍ଟହୋଇ । ନୟନଜଳେ ପାଦ ଧୋଇ ।। ୯୨
ପ୍ରେମେ କୁଣ୍ଠିତକଣ୍ଠ ହୋଇ । ସ୍ତୁତି କରିଣ ନ ପାରଇ ।। ୯୩
ହରଷେ ପୂର୍ଣ୍ଣଇନ୍ଦ୍ରିଗଣ । କ୍ରମରେ କରି ନିବାରଣ ।। ୯୪
ଜଗତଗୁରୁ ଗୁରୁବର । ଯାଦବଂଶର ଠାକୁର ।। ୯୫
ତାହାଙ୍କ ପାଦେ ଦେଇମନ । କହଇ ମଧୁରବଚନ ।। ୯୬

ଚିତ୍ରକେତୁ ଉବାଚ

ତୁହି ଯେ ଅଜିତ ସ୍ୱଭାବେ । ଭକତ ତୋତେ ଜିତେ ଭାବେ ।। ୯୭
ସୁସିଦ୍ଧଆତ୍ମା -ଲୋକଙ୍କର । ଜିତ ତୁ ହେଉ ହେ ଈଶ୍ୱର ।। ୯୮
ଯେଣୁ ତୁ ଅତିହିଁ କରୁଣ । ତେଣୁ ତୁ ଭକ୍ତର ଅଧୀନ ।। ୯୯
ନିଷ୍କାମେ ଯେଣୁ ଯେ ଭଜନ୍ତି । ତେଣୁ ତୋହରେ ସେ ଜିଣନ୍ତି ।। ୧୦୦
ଯେ ତୋତେ କରଇ ଭଜନ । ତାର କାମନା କରୁ ପୂର୍ଣ୍ଣ ।। ୧୦୧
ଅତି ଦୟାଳୁ ରୂପଧର । ଜଗତ ବିଭବ ତୋହର ।। ୧୦୨
ଅନାଦି ତୁହି ତୋର ତହିଁ । ଉଦୟସ୍ଥିତି ଅନ୍ତ ହୋଇ ।। ୧୦୩
ସୃଷ୍ଟିକରତା ଅଛି ଆର । ବୋଲଇ ଅଜ୍ଞ ଯେଉଁ ନର ।। ୧୦୪
ପରମଅଣୁରୂପ ହେଉ । ମହତତେଜକୁ ତୁ ବହୁ ।। ୧୦୫
ଆଦ୍ୟନ୍ତ ଅନ୍ତରାଳେ ସ୍ଥିତ । ଆଦ୍ୟନ୍ତ-ମଧ୍ୟ ତୋ ରହିତ ।। ୧୦୬
ହେ ଦେବ ପ୍ରାଣୀମାନଙ୍କର । ସାକ୍ଷୀରୂପକୁ ତୁମ୍ଭେ ଧର ।। ୧୦୭
କ୍ଷିତି ଆଦି ଯେ ପଞ୍ଚଭୂତ । ଏଥିରେ ହୋଇଣ ନିର୍ମିତ ।। ୧୦୮
ଯେହି ମହତ-ଅଣ୍ତକୋଷ । ତାହାର ତୋର ତହିଁ ବାସ ।। ୧୦୯
ବିଷୟା-ଜଡେ ମୋହିହୋଇ । ଯେ ଜନ ବିଭୂତି ଚିନ୍ତଇ ।। ୧୧୦
ତୋ ପଦ୍ମଚରଣ ନ ଚିନ୍ତେ । ଗ୍ରାମର ପଶୁ ଯେ ଯୁଗତେ ।। ୧୧୧
ଭୋ ପ୍ରଭୁ ତାହାର କଲ୍ୟାଣ । କେବେହେଁ ନୁହଁଇଟି ପୁଣ ।। ୧୧୨
ଜ୍ଞାନାତ୍ମାମୟ ତୁ ଅଗୁଣ । ସକାମେ ଯେ ତୋର ଚରଣ ।। ୧୧୩
ପୂଜନ୍ତି ଜନ୍ମ ତାଙ୍କ ନାହିଁ । ଭର୍ଜିତ ବୀଜ ପ୍ରାୟେ ହୋଇ ।। ୧୧୪
ତୁମ୍ଭେ ଯେ ଭାଗବତଧର୍ମ । କହିଲ ପୁରୁଷଉତ୍ତମ ।। ୧୧୫
ଅକିଞ୍ଚନ ଯେ ଆତ୍ମାରାମ । ଏମନ୍ତ ଯେଉଁ ମୁନିଜନ ।। ୧୧୬
ମୋକ୍ଷ ନିମନ୍ତେ ସେହି ଧର୍ମ । କରନ୍ତି ନିତ୍ୟ ଉପାସନ ।। ୧୧୭
ବିଷମମତିଟି ଯାହାର । ଏ ଧର୍ମୁ ସେ ଜନ ବାହାର ।। ୧୧୮
ଯେଉଁ ଧର୍ମରେ ତୁହି ମୁହିଁ । ତୋହର ମୋର ଭେଦ ନାହିଁ ।। ୧୧୯
କିବା କୁଶଳ ସେ ଲଭନ୍ତି । ସ୍ୱଦେହେ ପରେ ଯେ ପୀଡନ୍ତି ।। ୧୨୦
ସ୍ୱଦ୍ରୋହେ ଆତ୍ମପୀଡ଼ା ପୁଣ । ପର ପୀଡ଼ନେ ଅଧରମ ।। ୧୨୧
ବିହିତ ଧର୍ମ ଭାଗବତ । ନ ଛାଡେ କେବେ ପରମାର୍ଥ ।। ୧୨୨
ସ୍ଥାବର ଚରଜୀବଙ୍କରେ । ଅଭିନ୍ନଭାବ ଯେହୁ କରେ ।। ୧୨୩
ସେ ନିତ୍ୟ ପାଦପଦ୍ମେ ତୋର । ସେବା କରଇ ନିରନ୍ତର ।। ୧୨୪
ପାଷଣ୍ତମତ୍ତ ଯେଉଁନର । ଏ ପାଦ ଦୁର୍ଲ୍ଲଭ ତାହାର ।। ୧୨୫
ଯେ ପାଦପଲ୍ଲବ ସୁଧାମ । ପରମମଙ୍ଗଳ ତା ନାମ ।। ୧୨୬
ଯେ ନାମ ସୁମରଣ କରି । ପ୍ରାଣୀ ସଂସାରୁ ଯାନ୍ତିତରି ।। ୧୨୭
ହେ ଦେବଦେବ ନାରାୟଣ । ହେ ପ୍ରଭୁ ଅଖିଳକାରଣ ।। ୧୨୮
ତୋ ରୂପ ଦରଶନେ ମୁହିଁ । ପବିତ୍ର ହୋଇଲି ଗୋସାଇଁ ।। ୧୨୯
ନାରଦ-ବଚନର ଫଳେ । ତୋତେ ହୋଇଲି ଚର୍ମଡୋଳେ ।। ୧୩୦
ଜଗତଆତ୍ମା ହେ ଅନନ୍ତ । ସକଳ ଜାଣୁ ତୁ ତଦନ୍ତ ।। ୧୩୧
ଏ ଘୋର ସଂସାରରେ ଜନ । କେ ତୋତେ ଜାଣୁଁ ଭଗବାନ ।। ୧୩୨
ତୁମ୍ଭେ ଆଦିତ୍ୟ ଦେବରାୟେ । ନର ଯେ ଖଦ୍ୟୋତ ପରାୟେ ।। ୧୩୩
ଜଗତ ଉତ୍ପତ୍ତି ପାଳନ । ପ୍ରଳୟ ହେତୁ ନାରାୟଣ ।। ୧୩୪
ପରମହଂସରୂପ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ।। ୧୩୫
ଯାର ଶ୍ୱାସକୁ ଅନୁସରି । କମ୍ପିତହେ ଏ ବସୁନ୍ଧରୀ ।। ୧୩୬
ପ୍ରାଣୀସମୂହ ଦ୍ରୂମ-ଗିରି । ଅବନୀ ଅଛି ଯେହୁ ଧରି ।। ୧୩୭
ସହସ୍ରମସ୍ତକ-ଈଶ୍ୱର । ନମସ୍ତେ ବ୍ରହ୍ମାଣ୍ଡଠାକୁର ।। ୧୩୮

ଶୁକ ଉବାଚ

ଏମନ୍ତ ସ୍ତୁତି ତାର ଶୁଣି । ଅନନ୍ତ ପ୍ରଭୁ ହଳପାଣି ।। ୧୩୯
ଯେ ଚିତ୍ରକେତୁ ବିଦ୍ୟାଧର । ତାହାଙ୍କୁ ବୋଲନ୍ତି ଉତ୍ତର ।। ୧୪୦

ଭଗବାନ ଉବାଚ

ଶୁଣ ରାଜନ ପୁଣ୍ୟଦେହ । ମୋର ଭକତ ଅନୁଗ୍ରହ ।। ୧୪୧
ନାରଦ ଅଙ୍ଗିରା ତୋହରେ । କହିଲେ ଯେଉଁ ବିଦ୍ୟାସାରେ ।। ୧୪୨
ତେଣୁ ସିଦ୍ଧହୋଇ ରାଜନ । ପାଇଲୁ ମୋର ଦରଶନ ।। ୧୪୩
ମୁଁ ସର୍ବପ୍ରାଣୀ ଆଦିଶେଷ । ଆତ୍ମାରୂପରେ ମୋର ବାସ ।। ୧୪୪
ପରମବ୍ରହ୍ମ ଯାରେ କହି । ସେ ମୋର ଶରୀର ଅଟଇ ।। ୧୪୫
ଯେ ଆତ୍ମା ବ୍ୟାପ୍ତ ଲୋକଠାରେ । ଲୋକବ୍ୟାପିତ ଯେ ଆତ୍ମାରେ ।। ୧୪୬
ଉଭୟେ ବ୍ୟାପ୍ତହୋଇ ମୁହିଁ । ସଂସାରେ ଅଛି ଦେହ ବହି ।। ୧୪୭
ଯେସନେ ନିଦ୍ରାପାଇ ନରେ । ବିଶ୍ୱକୁ ଦେଖନ୍ତି ଆତ୍ମାରେ ।। ୧୪୮
ନିଦ୍ରାଉପେକ୍ଷି ପୁଣ ସେହି । ଏକଦେଶେ ଆତ୍ମା ଦେଖଇ ।। ୧୪୯
ଉଠିଣ ଜ୍ଞାନପାଇ ଯେହ୍ନେ । ସକଳ ମିଥ୍ୟାକରି ମାନେ ।। ୧୫୦
ଯେଉଁ ପୁରୁଷ ତା ଦେଖଇ । ତାହାକୁ ଚିନ୍ତ ମନ ଦେଇ ।। ୧୫୧
ଯାହାର ବଳେ ସୁପ୍ତ ହୋଇ । ସୁଖ ବା ସ୍ୱପନ ଜାଣଇ ।। ୧୫୨
ସେ ଆତ୍ମା ନିର୍ଗୁଣ ଯେ ବ୍ରହ୍ମ । ସେହିଟି ମୁହିଁ ବୋଲି ଜାଣ ।। ୧୫୩
ନିଦ୍ରାରେ ଜାଗ୍ରତରେ ପୁଣ । ଉଭୟେ ଯା ତହୁଁ ସ୍ମରଣ ।। ୧୫୪
ଏ ମୋର ଭିନ୍ନଭାବ ଦୁଇ । ମୋ ବିନୁ ଅନ୍ୟ କେହି ନାହିଁ ।। ୧୫୫
ଯେଣୁ ମୋ ଭାବ ପ୍ରାଣୀମାନେ । ଚିନ୍ତନ୍ତି ଭିନ୍ନକରି ମନେ ।। ୧୫୬
ଏଣୁ ଏ ଅଖିଳସଂସାରେ । ଜନ୍ମ-ମୃତ୍ୟୁ ଲଭନ୍ତି ନରେ ।। ୧୫୭
ମନୁଷ୍ୟଜନ୍ମ ଆଶ୍ରେ କରି । ଜ୍ଞାନ-ବିଜ୍ଞାନେ ଦେହ ଧରି ।। ୧୫୮
ଆତ୍ମାକୁ ନ ଜାଣେ ଯେ ନର । କେବେହେଁ ସୁଖ ନାହିଁ ତାର ।। ୧୫୯
ଚେଷ୍ଟା କରଇ କାର୍ଯ୍ୟ ପାଇଁ । ନାନା-ଯାତନା ଲଭେ ତହିଁ ।। ୧୬୦
ସଙ୍କଳ୍ପ ଛାଡି ଯେ ଭଜଇ । ମୋକ୍ଷର ଫଳକୁ ଲଭଇ ।। ୧୬୧
ଦୁଃଖ-ନିବୃତ୍ତି ସୁଖ ପାଇଁ । ଦମ୍ପତିକର୍ମ ଆଚରଇ ।। ୧୬୨
ସୁଖ ଦୁଃଖର ଭୋଗ ତହିଁ । କେବେ ଲଭଇ ନ ଲଭଇ ।। ୧୬୩
ଏମନ୍ତ ବିଚାର ଯେ ଜାଣି । କର୍ମ କରଇ ଯେଉଁ ପ୍ରାଣୀ ।। ୧୬୪
ସୂକ୍ଷ୍ମ ଆତ୍ମଗତି ତାଠାରେ । ବିମୁକ୍ତ ହୋଇ ସେ ସଂସାରେ ।। ୧୬୫
ଜ୍ଞାନସମ୍ପନ୍ନ ହୋଇନର । ଭକ୍ତିକି ଲଭଇ ମୋହର ।। ୧୬୬
ପ୍ରାଣୀର ପରଧର୍ମ ଏହି । ସମଦରଶୀ ଯେବେ ହୋଇ ।। ୧୬୭
ଯୋଗ-ନିପୁଣ-ବୁଦ୍ଧି-ଲୋକ । ଜୀବପରମ ଦେଖେ ଏକ ।। ୧୬୮
ଶ୍ରଦ୍ଧାରେ ଯେବେ ତୁ ରାଜନ । ଘେନିବୁ ମୋହର ବଚନ ।। ୧୬୯
ଜ୍ଞାନସମ୍ପନ୍ନ ହୋଇ ତୁହି । ସିଦ୍ଧ ହୋଇବୁ ବେଗ ହୋଇ ।। ୧୭୦
ତୁ ଏବେ ମୋର ପାଦେ ଭକ୍ତି । ଲଭିଣ ପାଅ ସିଦ୍ଧଗତି ।। ୧୭୧
ସୁଖଦୁଃଖରେ ମୋର ଭାବ । କେବେହେଁ ତୋ ମନୁ ନଯିବ ।। ୧୭୨

ଶୁକ ଉବାଚ

ଏମନ୍ତ କହି ବାସୁଦେବ । ଯେ ବିଷ୍ଣୁ ଋଷଭମାଧବ ।। ୧୭୩
ଚିତ୍ରକେତୁକୁ ଆଶ୍ୱାସିଣ । ଜଗତଗୁରୁ ଭଗବାନ ।। ୧୭୪
ଦେଖୁ ଯେ ଥିଲା ସେ ରାଜନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ।। ୧୭୫
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା-ଚରିତ ।। ୧୭୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଷଷ୍ଠସ୍କନ୍ଧେ ଚିତ୍ରକେତୋଃ ପରମାତ୍ମଦର୍ଶନଂ ନାମ
ଷୋଡ଼ଶୋଽଧ୍ୟାୟଃ ।।

  • ••

ସପ୍ତଦଶ ଅଧ୍ୟାୟ

ଶୁକ ଉବାଚ

ଯେ ଦିଗେ ଅନନ୍ତ ଈଶ୍ୱର । ସେଠାରୁ ହୋଇଲେ ଅନ୍ତର ।। ୧
ଚିତ୍ରକେତୁ ଯେ ବିଦ୍ୟାଧର । ସେ ଦିଗେ କରି ନମସ୍କାର ।। ୨
ତକ୍ଷଣେ ହରଷ ହୋଇଲା । ଗଗନମାର୍ଗେ ଚଳିଗଲା ।। ୩
ଲକ୍ଷେବରଷ ଅବ୍ୟାହତ । ବଳ-ଇନ୍ଦ୍ରିୟେ ହୋଇଯୁତ ।। ୪
ସିଦ୍ଧ ଚାରଣ ମୁନିଯେତେ । ସ୍ତୁତି କରନ୍ତି ଅବିରତେ ।। ୫
ମହାଯୋଗୀ ସେ ସିଦ୍ଧେଶ୍ୱର । ରହେ କୁଳାଚଳ ଦ୍ରୋଣିର ।। ୬
ଆନନ୍ଦେ ବିଦ୍ୟାଧରୀ ସଙ୍ଗେ । କ୍ରୀଡା କରଇ ନାନାରଙ୍ଗେ ।। ୭
ପରମଈଶ୍ୱରର ନାମ । କରାଇ କରଇ ଗାୟନ ।। ୮
ସେ ପୁଣି ଅକାରଣେ କରି । ଐଶ୍ୱର୍ଯ୍ୟବଳେ ଗର୍ବକରି ।। ୯
ପୂର୍ବର କର୍ମେଣ ତାହାର । ଦୁର୍ଗାଶାପେ ହେଲା ଅସୁର ।। ୧୦
ତାହା କହିବା ଶୁଣ ନୃପ । ଯେମନ୍ତେ ପାଇଲା ସେ ଶାପ ।। ୧୧
ଏକ ସମୟେ ସେ ରାଜନ । ଆରୋହୀ ଅମୂଲ୍ୟବିମାନ ।। ୧୨
ତେଜେ ଗଞ୍ଜଇ ଦିନକର । ବିଷ୍ଣୁ ଦେଇଛି ତାକୁ ବର ।। ୧୩
ଗିରିଶ ଦେଖିବାର ପାଇଁ । ଗଲା ସେ ସିଦ୍ଧଗଣ ଲଇଁ ।। ୧୪
ମୁନିଏ ଅଛନ୍ତି ପାଶରେ । ଦୁର୍ଗାଙ୍କୁ ବସାଇ କୋଳରେ ।। ୧୫
ବାହୁରେ କରି ଆଲିଙ୍ଗନ । ବସି ଅଛନ୍ତି ତ୍ରିଲୋଚନ ।। ୧୬
ତାହାଙ୍କ ନିକଟରେ ଯାଇ । ଉଚ୍ଚେ ହସିଣ ସେ ବୋଲଇ ।। ୧୭

ଚିତ୍ରକେତୁ ଉବାଚ

ଧର୍ମବକତା ଲୋକଙ୍କର । ଜଗତଗୁରୁ ଏ ଶଙ୍କର ।। ୧୮
ସଭାର ମଧ୍ୟେ ସ୍ତିରୀସଙ୍ଗେ । ମୈଥୁନଭାବେ ନାନାରଙ୍ଗେ ।। ୧୯
ଶିରରେ ବହି ଜଟାଭାର । କେ କହୁ ତପ ଏହାଙ୍କର ।। ୨୦
ଜଗତସ୍ୱାମୀ ବ୍ରହ୍ମବାଦୀ । ଅଷ୍ଟ ଐଶ୍ୱର୍ଯ୍ୟ ଯାର ସିଦ୍ଧି ।। ୨୧
ଅଛନ୍ତି ପତ୍ନୀ ଅଙ୍କେ ଲଇଁ । ନିର୍ଲ୍ଲଜଲୋକ ପ୍ରାୟ ହୋଇ ।। ୨୨
ଏକାନ୍ତେ ପ୍ରାକୃତସ୍ୱଭାବେ । ରହନ୍ତି ସ୍ତିରୀବଶ ଭାବେ ।। ୨୩
ଏ ଯେ ସ୍ୱଭାବେ ଦେବବର । ଏହାଙ୍କୁ ବୋଲି ବ୍ରତଧର ।। ୨୪
ସଭାରେ ମଧ୍ୟେ ସ୍ତିରୀ ଘେନି । ଅଛନ୍ତି ଯେହ୍ନେ ନୀଚଯୋନି ।। ୨୫

ଶୁକ ଉବାଚ

ଏ ରୂପେ ଚିତ୍ରକେତୁଙ୍କର । ଶୁଣିଣ ଉପହାସ-ଗିର ।। ୨୬
ଅଖିଳ ବ୍ରହ୍ମାଣ୍ଡ-ଠାକୁର । ଜାଣନ୍ତି ସକଳ ଅନ୍ତର ।। ୨୭
ଈଶ୍ୱର ତୂଷ୍ଣୀଭୂତ ହୋଇ । ରହିଲେ କିଛିହିଁ ନ କହି ।। ୨୮
ଅଗାଧବୁଦ୍ଧି ହେ ରାଜନ । ହସିଣ ହୋଇଲେ ମଉନ ।। ୨୯
ଜାଣେ ସେ ଜିତେନ୍ଦ୍ରିୟ ମୁହିଁ । ସମୃଦ୍ଧିଲାଭେ ଗର୍ବ ବହି ।। ୩୦
ବଡିମାପଣେ ବାରମ୍ବାର । ନିନ୍ଦିଲା ଶିବଙ୍କୁ ଅପାର ।। ୩୧
ଈଶ୍ୱର ମହିମା ନ ଜାଣି । ଯେତେ ବୋଇଲା ପରିମାଣି ।। ୩୨
ସେଠାରେ ଯେତେ ଦେବେଥିଲେ । ସେ ସର୍ବେ ଶୁଣି ତୁନି ହେଲେ ।। ୩୩
ଚିତ୍ରକେତୁର ଏହି ରୀତି । ସହି ନ ପାରି ଭଗବତୀ ।। ୩୪
ପାଞ୍ଚିଲେ ଦୁଷ୍ଟ ପାମରର । ଗର୍ବ ହୋଇଛି ଗୁରୁତର ।। ୩୫
ଯୋଗ୍ୟ ନୁହଁଇ ଏ ପାମର । ଗନ୍ଧର୍ବରାଜନ ପଦର ।। ୩୬
ବ୍ରହ୍ମା ନାରଦ ଭୃଗୁଋଷି । ସେବନ୍ତି ଯାର ପାଦେ ଆସି ।। ୩୭
ତାହାଙ୍କୁ କରେ ଅପମାନ । ଏଣୁ ଏ ଦଣ୍ଡକୁ ଭାଜନ ।। ୩୮
ଜିତଇନ୍ଦ୍ରିୟ ଅଭିମାନୀ । ତାହାକୁ ବୋଲନ୍ତି ଭବାନୀ ।। ୩୯
ମନରେ ଦଣ୍ଡ ଅବଧାରୀ । ବୋଇଲେ ସମ୍ବୋଧନ କରି ।। ୪୦

ଦୁର୍ଗା ଉବାଚ

ଶୁଣିମା ଜଗତ ଗୋସାଇଁ । ଏ ନୂଆ ଦଣ୍ଡଧର ହୋଇ ।। ୪୧
ଆମ୍ଭର ପରା ଦୁଷ୍ଟଜନ । ନିର୍ଲ୍ଲଜ ଅଛନ୍ତି ଯେ ପୁଣ ।। ୪୨
ତାହାଙ୍କ ଶାସନର ପାଇଁ । ଏଠାକୁ ଏବେ ଆସିଛଇଁ ।। ୪୩
ଯେ ପଦ୍ମଯୋନି ଆଦିଛନ୍ତି । ଏମାନେ ଧର୍ମ ନ ଜାଣନ୍ତି ।। ୪୪
ବ୍ରହ୍ମାର ପୁତ୍ର ଛନ୍ତି ଯେତେ । ଭୃଗୁ-ନାରଦର ସହିତେ ।। ୪୫
କୁମାର-କପିଳାଦି ଯେହି । ଧର୍ମକୁ ନ ଜାଣନ୍ତି କେହି ।। ୪୬
ମୋର ନିକଟେ ନିତ୍ୟେ ଥାନ୍ତି । କେହିତ ନିନ୍ଦା ନ କରନ୍ତି ।। ୪୭
ନିତ୍ୟେ ଭଜନ ଏହାଙ୍କର । ପାଦ-ପଙ୍କଜ ହୃଦେ ଯାର ।। ୪୮
ଜଗତଗୁରୁ ଯା ମହିମା । ସକଳ-ମଙ୍ଗଳର ସୀମା ।। ୪୯
ଯେଣୁ ନିନ୍ଦିଲା ଏ ଈଶ୍ୱର । ଦଣ୍ଡକୁ ଯୋଗ୍ୟ ଏ ପାମର ।। ୫୦
ଯୋଗ୍ୟ ନୁହଇ ଏ ପାମର । ବୈକୁଣ୍ଠ-ପଦ ଆଶ୍ରୟର ।। ୫୧
ସ୍ଥିରମତି ଯେ ସାଧୁଜନ । ଯେ ପାଦ କରନ୍ତି ସେବନ ।। ୫୨
ଏହି କାରଣେ ଦୁଷ୍ଟମତି । ଯାଅ ତୁ ଏଥେ ନାହିଁ ସ୍ଥିତି ।। ୫୩
ପାପିଷ୍ଠ ଅସୁର ଯୋନିରେ । ଜନ୍ମ ତୁ ଲଭ ତମ ଘୋରେ ।। ୫୪

ଶୁକ ଉବାଚ

ଶାପକୁ ପାଇଣ ରାଜନ । ବିମାନୁଁ ଓହ୍ଲାଇ ତକ୍ଷଣ ।। ୫୫
ନତମସ୍ତକେ ସିଦ୍ଧପତି । ପ୍ରସନ୍ନ କରାଇଲା ସତୀ ।। ୫୬

ଚିତ୍ରକେତୁ ଉବାଚ

ଭୋ ମାତ ଶୁଣ ମୋ ବଚନ । ଶାପ ମୁଁ ଘେନିଲି ଶିରେଣ ।। ୫୭
ହେ ଦେବି ! ଅସୁର-ଯୋନିରେ । ଜନ୍ମ ଯେ ବିହିଲ ମୋହରେ ।। ୫୮
ସେ ମୋର ପୂର୍ବ-ଅରଜନ । କହିବି ସାବଧାନେ ଶୁଣ ।। ୫୯
ସଂସାରେ ଯେତେ ଜନ୍ତୁ ଛନ୍ତି । ଅଜ୍ଞାନ ମୋହରେ ବଞ୍ଚନ୍ତି ।। ୬୦
ଭ୍ରମଣ କରି ଅନୁକ୍ଷଣ । ଭୁଞ୍ଜନ୍ତି ସୁଖଦୁଃଖମାନ ।। ୬୧
ଈଶ୍ୱର-ମହିମା ନ ଜାଣି । ଯେତେ ବୋଇଲି ପରିମାଣି ।। ୬୨
ସଭାର ମଧ୍ୟେ ଦୁଷ୍ଟମତି । ହେବାରୁ ପାଇଲି ଦୁର୍ଗତି ।। ୬୩
ଯେ ଆତ୍ମାପର ଅବା କେହି । ଦୁଃଖସୁଖର କର୍ତ୍ତା ନୋହି ।। ୬୪
ଯେ ଅଜ୍ଞପ୍ରାଣୀମାନେଛନ୍ତି । ଏହାଙ୍କୁ କର୍ତ୍ତା ବୋଲୁଥାନ୍ତି ।। ୬୫
ଗୁଣର ପ୍ରବାହଟି ଏହି । ଶାପ ବା ଅନୁଗ୍ରହ କାହିଁ ।। ୬୬
କି ଅବା ସ୍ୱର୍ଗ କି ନରକ । କି ଅବା ସୁଖ କିବା ଦୁଃଖ ।। ୬୭
ଏକଇ ପ୍ରଭୁ ଆଦିମୂଳ । ମାୟାରେ ସୃଜଇ ସକଳ ।। ୬୮
ଏହାଙ୍କ ବଦ୍ଧ-ମୋକ୍ଷ ଦୁଇ । ଦୁଃଖସୁଖକୁ ଦେଇଥାଇ ।। ୬୯
ଏକଇ ପୁରୁଷ ମୁରାରି । ନାହିଁ ତାହାର ମିତ୍ର-ଅରି ।। ୭୦
ଜ୍ଞାତିବାନ୍ଧବ ନିଜ ପର । ପ୍ରିୟ-ଅପ୍ରିୟ ନାହିଁ ଯାର ।। ୭୧
ସର୍ବଭୂତରେ ସମ ସେହି । ରାଗ-ଦ୍ୱେଷାଦି ତାର ନାହିଁ ।। ୭୨
ତାହାର କ୍ରୀଡାରେ ଜଗତ । ହେଉଅଛନ୍ତି ଆତଯାତ ।। ୭୩
ଏହାର ବଦ୍ଧ-ମୋକ୍ଷ-ସୁଖ । ହିତ-ଅହିତ ଅବା ଦୁଃଖ ।। ୭୪
ଏହାଙ୍କ ଜନ୍ମ ଅବା ମୃତ୍ୟୁ । ହୁଅଇ ତାର ଶକ୍ତି ହେତୁ ।। ୭୫
ହେ ମାତ ହୋଇ ସାବଧାନ । ଶୁଣିମା ମୋହର ବଚନ ।। ୭୬
ଶାପରୁ ମୋକ୍ଷ ହେବା ପାଇଁ । ତୁମ୍ଭଙ୍କୁ କିଛି ନ ମାଗଇ ।। ୭୭
ସଭାରେ ମୁଁ ମନ୍ଦବଚନେ । ତୁମ୍ଭଙ୍କୁ ବୋଇଲି ଅଜ୍ଞାନେ ।। ୭୮
ସାଧୁନିନ୍ଦନ ମୋର ବାଣୀ । କ୍ଷମା କରିବା ହେ ଭବାନି ।। ୭୯

ଶୁକ ଉବାଚ

ପ୍ରସନ୍ନ କରି ଶିବ-ସତୀ । ସେ ଚିତ୍ରକେତୁ ନରପତି ।। ୮୦
ଆପଣା ବିମାନେ ବସିଲା । ନିଜ ମନ୍ଦିରେ ବିଜେକଲା ।। ୮୧
ଏ ଅନନ୍ତରେ ସେ ଈଶ୍ୱର । ଦୁର୍ଗାଙ୍କୁ କହନ୍ତି ଏ ଗିର ।। ୮୨
ଋଷି ଦଇତ୍ୟ ସିଦ୍ଧଗଣ । ଶୁଣୁଅଛନ୍ତି ସେ ବଚନ ।। ୮୩

ମହାଦେବ ଉବାଚ

ଅଦ୍ଭୁତକର୍ମା ଯେ ଈଶ୍ୱର । ପ୍ରଭାବ ଦେଖ ତା ଭୃତ୍ୟର ।। ୮୪
ନିସ୍ପୃହ-ମହାତ୍ମା ସେମାନେ । ସୁଶ୍ରୋଣି ! ଦେଖ ବିଦ୍ୟମାନେ ।। ୮୫
ବିଷ୍ଣୁଭକତ ଯେତେ ଜନେ । ଭୟ ତାହାଙ୍କ ନାହିଁ ମନେ ।। ୮୬
ସ୍ୱର୍ଗ ବା ମୋକ୍ଷ ବା ନରକ । ସମାନ ଦେଖନ୍ତି ସେ ଲୋକ ।। ୮୭
ଦେହୀର ଦେହ-ସଂଯୋଗରୁ । ପରମ-ଈଶ୍ୱର-ଲୀଳାରୁ ।। ୮୮
ଜନ୍ମ ବା ମୃତ୍ୟୁ ଅବା ସୁଖ । ଶାପ ବା ଅନୁଗ୍ରହ -ଦୁଃଖ ।। ୮୯
ପୁରୁଷ ଅବିବେକ ସେହି । ଏଭାବେ ଭିନ୍ନ ଯେ ଦେଖଇ ।। ୯୦
ଯାହାର ବାସୁଦେବ ପ୍ରୀତି । ଶୁଦ୍ଧ ତାହାର ଦୃଢ଼ମତି ।। ୯୧
ଜ୍ଞାନ ବୈରାଗ୍ୟ ଅଛି ଯାର । ପୃଥକଭାବ ନାହିଁ ତାର ।। ୯୨
ମୁହିଁ ବିରଞ୍ଚି ଯେ କୁମାର । ନାରଦ ଆଦି ମୁନିବର ।। ୯୩
ଇନ୍ଦ୍ରାଦି ଯେତେ ଦେବବର । ନ ଜାଣୁ ମହିମା ତାହାର ।। ୯୪
ତାହାର ପ୍ରିୟ ନାହିଁ କେହି । ଅପ୍ରିୟଜନ କେହି ନାହିଁ ।। ୯୫
ମିତ୍ର ଅଇରି ନାହିଁ ଯାର । ସମାନ ଦେଖେ ଆତ୍ମପର ।। ୯୬
ସକଳ ପ୍ରାଣୀଙ୍କର ପ୍ରିୟ । ଯେଣୁ ସେ ସର୍ବଭୂତମୟ ।। ୯୭
ଏ ଚିତ୍ରକେତୁ ମହାଭାଗ । ତାଠାରେ ବିଷ୍ଣୁ ଅନୁରାଗ ।। ୯୮
ସର୍ବତ୍ର ସମଦୃଷ୍ଟି ଏହି । ଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ ।। ୯୯
ମହାତ୍ମାପୁରୁଷ ଯେ ସେହି । ଏଣୁ ବିସ୍ମୟ ତାର ତହିଁ ।। ୧୦୦
ନକର ସ୍ଥିରକର ମନ । ବିଷ୍ଣୁଭକତ ଏହୁଜନ ।। ୧୦୧
ସମଦରଶୀ ଶାନ୍ତ ସେହି । ବିସ୍ମୟ ଏଥି ଅଛି କାହିଁ ।। ୧୦୨

ଶୁକ ଉବାଚ

ଶିବଙ୍କ ଭାଗବତ ବାଣୀ । ହରଷେ ଶୁଣିଣ ଭବାନୀ ।। ୧୦୩
ହେ ନୃପ ସ୍ଥିରକଲେ ମନ । ବିସ୍ମୟ ଛାଡିଲେ ବହନ ।। ୧୦୪
ସେ ଚିତ୍ରକେତୁ ଏ ପ୍ରକାରେ । ଦେବୀର ଶାପ ଘେନିଶିରେ ।। ୧୦୫
ତାହାର ଏ ସାଧୁ ଲକ୍ଷଣ । ଯେଣୁ କଲା ଶାପ ଗ୍ରହଣ ।। ୧୦୬
ତ୍ୱଷ୍ଟାର ଦକ୍ଷିଣ-ଅଗ୍ନିରେ । ଜନ୍ମିଲା ଦାନବୀ-ଉଦରେ ।। ୧୦୭
ବୃତ୍ର ହୋଇଲା ତାର ନାମ । ଜ୍ଞାନବିଜ୍ଞାନରେ ସମ୍ପନ୍ନ ।। ୧୦୮
ସକଳ ତୁମ୍ଭଙ୍କୁ କହିଲୁ । ଆମ୍ଭଙ୍କୁ ଯେତେ ପ୍ରଶ୍ନ କଲୁ ।। ୧୦୯
ଗୋବିନ୍ଦେ ମତି ବୃତ୍ରାସୁର । ଜନ୍ମର କାରଣ ତାହାର ।। ୧୧୦
ଏ ଇତିହାସ ପୁଣ୍ୟସାର । ମହାତ୍ମା ଏ ଚିତ୍ରକେତୁର ।। ୧୧୧
ବିଷ୍ଣୁଭକତ ପ୍ରାଣୀ ଯେହି । ତାହାଙ୍କ ଗୁଣ ଯେ ଶୁଣଇ ।। ୧୧୨
ସକଳବନ୍ଧୁ ମୁକ୍ତ ହୋଇ । ବୈକୁଣ୍ଠପଦକୁ ଲଭଇ ।। ୧୧୩
ଏ ଇତିହାସ ଯେ ପ୍ରଭାତେ । ଶୁଣାଇ ଶୁଣି ସ୍ଥିରଚିତ୍ତେ ।। ୧୧୪
ହରି ସ୍ମରଣକୁ କରଇ । ପରମଗତିକି ଲଭଇ ।। ୧୧୫
ନିରତେ ଭଜେ କୃଷ୍ଣପାଦ । ହରଇ ବିଷୟା-ବିଷାଦ ।। ୧୧୬
ଭକ୍ତନୁଗ୍ରହ-ଭାବ ଏହି । ତାରନ୍ତି ପ୍ରଭୁ ଭାବଗ୍ରାହୀ ।। ୧୧୭
ଏ ଗୀତେ ସ୍ଥିରକର ମନ । ଫିଟିବ ମୋହଭ୍ରାନ୍ତିମାନ ।। ୧୧୮
ଗୋବିନ୍ଦ-ପାଦପଦ୍ମେ ଚିତ୍ତ । ନିବେଶି ଷଷ୍ଠସ୍କନ୍ଧ ଗୀତ ।। ୧୧୯
ବୋଲଇ ଦାସ ଜଗନ୍ନାଥ । ଚିତ୍ରକେତୁ-ରାଜା ଚରିତ ।। ୧୨୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ଚିତ୍ରକେତୁ ଶାପୋ ନାମ
ସପ୍ତଦଶୋଽଧ୍ୟାୟଃ ।।

 

ଅଷ୍ଟାଦଶ ଅଧ୍ୟାୟ

ଶୁକ ଉବାଚ

ଶୁକ କହନ୍ତି ହରଷିତ । ସାନନ୍ଦେ ଶୁଣ ପରୀକ୍ଷିତ ।। ୧
ସବିତା ପତ୍ନୀ ପୃଶ୍ନୀ ହୋଇ । ବ୍ୟାହୃତି ସାବିତ୍ରୀ ଯେ ତ୍ରୟୀ ।। ୨
ଏ ତିନି କନ୍ୟାଟି ତାହାର । ପୁତ୍ରର ନାମ ଶୁଣ ତାର ।। ୩
ଅଗ୍ନିହୋତ୍ର ଯେ ପଶୁ ସୋମ । ଚାତୁର୍ମାସ୍ୟ ଯେ ମହାଯଜ୍ଞ ।। ୪
ଏ ରୂପେ ପୁତ୍ରଙ୍କର ନାମ । ଭଗର ବଂଶ ଏବେ ଶୁଣ ।। ୫
ଭଗର ପତ୍ନୀ ସିଦ୍ଧିନାମ । ତା ପୁତ୍ର ବିଭୁ ମହିମାନ ।। ୬
ପ୍ରଭୁ ଆଶିଷ ଚାରିନାମ । କନ୍ୟାଏ ବରାରୋହା ଜନ୍ମ ।। ୭
ଆଶିଷ ବରାରୋହା ତାର । କନ୍ୟା ହୋଇଲା ସେ ସିଦ୍ଧିର ।। ୮
ଧାତାର ତହୁଁ ଚାରିସୁତ । କୁହୂ ଭାର୍ଯ୍ୟାରୁ ସାୟଂ ଜାତ ।। ୯
ସନୀବାଲୀର ପୁତ୍ର ଦର୍ଶ । ଅନୁମତିର ପୂର୍ଣ୍ଣମାସ ।। ୧୦
ରାକାର ତହୁଁ ହେଲା ପ୍ରାତଃ । ଏ ରୂପେ ଧାତାବଂଶ ଖ୍ୟାତ ।। ୧୧
ବିଧାତାର ଯେ କ୍ରିୟାପତ୍ନୀ । ତହୁଁ ହୋଇଲେ ପଞ୍ଚଅଗ୍ନି ।। ୧୨
ବରୁଣ ଭାର୍ଯ୍ୟା ଚରଷଣୀ । ତାହାର ତହୁଁ ଭୃଗୁ ଜନ୍ମି ।। ୧୩
ବାଲ୍ମୀକି ମହାଯୋଗେଶ୍ୱର । ବଲ୍ମୀକୁଁ ଜାତ ତାହାଙ୍କର ।। ୧୪
ଅଗସ୍ତି ବଶିଷ୍ଠ ବ୍ରାହ୍ମଣ । କୁମ୍ଭରୁ ତାହାଙ୍କର ଜନ୍ମ ।। ୧୫
ରେବତୀ ମିତ୍ରୁଁ ପୁତ୍ରଜାତ । ପିପ୍‌ଳ ଉ›ର୍ତ୍ସଗ ଅରିଷ୍ଟ ।। ୧୬
ପୌଲମୀ ଇନ୍ଦ୍ର ନିଜ ନାରୀ । ତିନିତନୟ ତାହାଙ୍କରି ।। ୧୭
ଜୟନ୍ତ ଋଷଭକୁମର । ମୀଢୂଷ ଶୁଣ ନୃପବର ।। ୧୮
ଉରୁକ୍ରମ ମାୟାବାମନ । ତାହାଙ୍କ ପତ୍ନୀ କୀର୍ତ୍ତି ନାମ ।। ୧୯
ତାଠାରୁ ବୃହତ୍‌‌ଶ୍ଲୋକ ନାମ । ତନୟ ହୋଇଲା ଜନମ ।। ୨୦
ସୌଭାଗ ଆଦି ତାହାଙ୍କର । କୁମର ହୋଇଲେ ଅପାର ।। ୨୧
କଶ୍ୟପସୁତ ଯେ ବାମନ । ତାହାଙ୍କ ଜନ୍ମକର୍ମ ଗୁଣ ।। ୨୨
ଅଦିତି ଗର୍ଭେ ତାହାଙ୍କର । ଯେମନ୍ତେ ହେଲା ଅବତାର ।। ୨୩
ପଛେ ତାହାଙ୍କର ଚରିତ । କହିବା ଶୁଣ ଏକଚିତ୍ତ ।। ୨୪
କଶ୍ୟପ-ବିର୍ଯ୍ୟେ ଦିତିଗର୍ଭେ । ଦାନବବଂଶ ଶୁଣ ଏବେ ।। ୨୫
କଶ୍ୟପବଂଶେ ଯେ ଦଇତ୍ୟ । ବଳି ପ୍ରହ୍ଲାଦ ଭାଗବତ ।। ୨୬
ଅଶେଷ ତାହାଙ୍କ ଚରିତ । କହିବା ଶୁଣ ଏକଚିତ୍ତ ।। ୨୭
ଦିତିର ବେନି ଯେ ନନ୍ଦନ । ଦୈତ୍ୟ-ଦାନବଙ୍କ ବନ୍ଦନ ।। ୨୮
ହିରଣ୍ୟକଶିପୁ ପ୍ରଥମ । ଦ୍ୱିତୀୟେ ହରିଣ୍ୟାକ୍ଷ ନାମ ।। ୨୯
ହିରଣ୍ୟକଶିପୁ ଯେ ବୀର । କୟାଧୁ ନାମେ ପତ୍ନୀ ତାର ।। ୩୦
ଜମ୍ଭର କନ୍ୟା ସେ ଯୁଗତେ । ପ୍ରସବ କଲା ଚାରିସୁତେ ।। ୩୧
ସଂହ୍ଲାଦ ଅନୁହ୍ଲାଦ ବୀର । ପ୍ରହ୍ଲାଦ ହ୍ଲାଦ ତା କୁମର ।। ୩୨
ଏକ ଭଗିନୀ ତାହାଙ୍କର । ସିଂହିକା ନାମଟି ଯାହାର ।। ୩୩
ରାହୁ ଯେ ତାହାର କୁମର । ଜନ୍ମ ବିପ୍ରଚିତ୍ତି-ବୀର୍ଯ୍ୟର ।। ୩୪
ଅମୃତପାନେ ଚକ୍ରଧର । ବକ୍ରେ ଛେଦିଲେ ତାରଶିର ।। ୩୫
ଅମୃତପାନେ ସେ ନ ମଲା । ରାହୁ କେତୁ ଦ୍ୱିରୂପ ହେଲା ।। ୩୬
ସଂହ୍ଲାଦ ପତ୍ନୀ କୃତ ନାମ । ସୁତ ତାହାର ପଞ୍ଚଜନ ।। ୩୭
ଧମନୀ ପତ୍ନୀ ଯେ ହ୍ଲାଦର । ବାତାପି ଇଲ୍ୱଳ କୁମର ।। ୩୮
ଅଗସ୍ତି ପେଟେ ମେଷରୂପେ । ଯେ ଭସ୍ମ ହୋଇଲା ସ୍ୱରୂପେ ।। ୩୯
ଅନୁହ୍ଲାଦର ସୂର୍ମ୍ୟା ପତ୍ନୀ । ବାଷ୍କଳ ମର୍ହିଷ ଏ ବେନି ।। ୪୦
ପ୍ରହ୍ଲାଦ ସୁତ ବିରୋଚନ । ଦେବୀ ତାହାର ପତ୍ନୀନାମ ।। ୪୧
ତାହାର ବଳି ଯେ କୁମର । ତ୍ରୈଲୋକ୍ୟ ବିଖ୍ୟାତ ସେ ବୀର ।। ୪୨
ଅଶନାଠାରେ ହେଲା ତାର । ବାଣ ଆଦି ଶତକୁମାର ।। ୪୩
ବାଣର ପ୍ରତାପ ଯେ ତେଜ । ପଛେ କହିବା ମହାରାଜ ।। ୪୪
ବାଣ ଆରଧି ଈଶ୍ୱରଙ୍କୁ । ଲଭିଲା ପଣ ପ୍ରଭୃତ୍ୱକୁ ।। ୪୫
ପୁରପାଳକ ହୋଇ ହର । ଅଦ୍ୟାପି ଅଛନ୍ତି ଯାହାର ।। ୪୬
ଦିତିର ତନୟ ମରୁତ । ଊନପଚାଶ ରୂପେ ଜାତ ।। ୪୭
ଜନ୍ମ ନିକଟେ ବଜ୍ରେ ହାଣି । ଦେବତା କଲେ ବଜ୍ରପାଣି ।। ୪୮

ପରୀକ୍ଷିତ ଉବାଚ

କେମନ୍ତେ ଅସୁର-ସ୍ୱଭାବ । ଛାଡ଼ିଲେ ଭୋ ମୁନି କହିବ ।। ୪୯
ଇନ୍ଦ୍ରରେ ସପକ୍ଷ ହୋଇଲେ । କି ସାଧୁକର୍ମ ସେହି କଲେ ।। ୫୦
ଶ୍ରଦ୍ଧା ଅଧିକ ଏଣୁ ମୋର । ଶୁଣିବି ବୋଲି ମୁନିବର ।। ୫୧
ମୋହର ଜ୍ଞାନଉଦେ ଯହିଁ । ବିସ୍ତାରି କହିବା ଗୋସାଇଁ ।। ୫୨

ସୂତ ଉବାଚ

ଭକ୍ତିଚିତ୍ତରେ ରାଜାବାଣୀ । ଶୁଣିଣ ସେ ବାଦରାୟଣି ।। ୫୩
ରାଜାକୁ ଧନ୍ୟ ଧନ୍ୟ କରି । ଚଞ୍ଚଳଚିତ୍ତ ସ୍ଥିର କରି ।। ୫୪
କହନ୍ତି ରାଜାମୁଖ ଚାହିଁ । ଶୁଣ ରାଜନ ମନଦେଇ ।। ୫୫

ଶୁକ ଉବାଚ

ହେ ରାଜା ସାବଧାନେ ଶୁଣ । ଯେ ତୋର ପ୍ରଶନ କାରଣ ।। ୫୬
ସେ ଦିତି କଶ୍ୟପଙ୍କ ନାରୀ । ଇନ୍ଦ୍ରର ପକ୍ଷ ମନେ ଧରି ।। ୫୭
ବିଷ୍ଣୁରେ କରି ହତସୁତ । ତେଣୁ ହୋଇଣ ମୋହଗତ ।। ୫୮
କ୍ରୋଧ-ଶୋକରେ ପରଜ୍ୱଳି । ଚିନ୍ତା କରଇ ମନେ ଭାଳି ।। ୫୯
କନିଷ୍ଠ-ଭାତୃହନ୍ତା ଏହି । କେବେ ମରିବ ପାପଦେହୀ ।। ୬୦
କୁଟିଳ ହୃଦୟ ଏ ଜନ । ଏ ମଲେ ସୁଖେ ମୋ ଶୟନ ।।। ୬୧
କୃମି ବିଷ୍ଠା ଭସ୍ମ ସମାନେ । ଯେ ଦେହ ହୋଏ ଅବସାନେ ।। ୬୨
ସେ ଦେହ ପାଇଁ ପ୍ରାଣୀ ନାଶ । କରି ନରକେ ପରବେଶ ।। ୬୩
ଯେ ପ୍ରାଣୀ ଆତ୍ମାକୁ ଜାଣଇଁ । ସେ ପାପେ ପ୍ରବର୍ତ୍ତଇ ନାହିଁ ।। ୬୪
ଏ ଯେ ପାପିଷ୍ଠ ମୂଢ଼ମତି । ଏହାର ନାହିଁ ଧର୍ମଗତି ।। ୬୫
କେମନ୍ତେ ପୁତ୍ର ହେବ ଜାତ । ଇନ୍ଦ୍ରକୁ କରିବ ନିପାତ ।। ୬୬
ଏହା ମୁଁ କରିବି ବିଧାନେ । ଏମନ୍ତ ବିଚାରିଣ ମନେ ।। ୬୭
ଭର୍ତ୍ତାର ନିକଟେ ମିଳିଲା । ପ୍ରୀତିଭାବକୁ ଆଚରିଲା ।। ୬୮
ନାନା-ପ୍ରକାରେ ସେବା କରି । ବିନୟଭାବକୁ ଆଚରି ।। ୬୯
ପରମ-ପ୍ରୀତିଯୁକ୍ତ ହୋଇ । ମନୋଜ୍ଞବଚନ ବୋଲଇ ।। ୭୦
ସସ୍ମିତ-ଅପାଙ୍ଗ-ବୀକ୍ଷଣେ । ସ୍ୱାମୀ ସ୍ୱବଶ କଲା ଗୁଣେ ।। ୭୧
ଏମନ୍ତ କଶ୍ୟପ ଯେ ମୁନି । ପତ୍ନୀ-ବିନୟଭାବ ଘେନି ।। ୭୨
ତାହାର ବଶ ସେ ହୋଇଲେ । ବାଞ୍ଛିତ ଦେବଇଁ ବୋଇଲେ ।। ୭୩
ସ୍ତିରୀର ବଶ ହୋଇବାରେ । ବିଚିତ୍ର ନୁହଁଇ ସଂସାରେ ।। ୭୪
ଆଦିସୃଷ୍ଟିରେ ପ୍ରଜାପତି । ପ୍ରାଣୀମାନଙ୍କୁ ସଞ୍ଚିଛନ୍ତି ।। ୭୫
ପୁରୁଷ-ଅର୍ଦ୍ଧଅଙ୍ଗ ନାରୀ । ନର-ସ୍ୱଭାବେ ବଶ ସ୍ତିରୀ ।। ୭୬
ଦିତି ଯେ ହୋଇ ସୁବେଶିତ । ପ୍ରଭୁ-ସେବାରେ ଉପଗତ ।। ୭୭
ଦିତିରେ ହୋଇଣ ସେବିତ । ସେ ଯେ କଶ୍ୟପ ତପୋବନ୍ତ ।। ୭୮
ପରମ ସନ୍ତୋଷ ହୋଇଲେ । ଏମନ୍ତ ବଚନ ବୋଇଲେ ।। ୭୯

କଶ୍ୟପ ଉବାଚ

ବର ତୁ ମାଗ ଯେ ମନରେ । ପ୍ରସନ୍ନ ହୋଇଲି ତୋହରେ ।। ୮୦
କାନ୍ତ-ପ୍ରସନ୍ନେ ସ୍ତିରୀଙ୍କର । ଦୁର୍ଲଭ କିବା ଇହପର ।। ୮୧
ସ୍ୱାମୀଦେବତା ନାରୀଙ୍କର । ଦେବେ କହନ୍ତି ଧର୍ମସାର ।। ୮୨
ସର୍ବଭୂତରେ ଆତ୍ମା ହୋଇ । ଅଛନ୍ତି ପ୍ରଭୁ ଭାବଗ୍ରାହୀ ।। ୮୩
ସେ ପ୍ରଭୁ ନାନା ଦେବମତେ । ରୂପକୁ ଧରିଛି ଜଗତେ ।। ୮୪
ଗୋବିନ୍ଦ ପୂଜନ୍ତି ଯେ ଜନେ । ନାନା ଯଜ୍ଞବେଦ ବିଧାନେ ।। ୮୫
ଯେ ପତିବ୍ରତା ନାରୀମାନେ । ଆତ୍ମାଶ୍ରେୟକୁ ଚିନ୍ତି ମନେ ।। ୮୬
ଅନ୍ୟୋନ୍ୟଭାବେ ଏ ଜଗତେ । ସ୍ୱାମୀ ପୂଜନ୍ତି ବେଦମତେ ।। ୮୭
ସ୍ୱଭାବେ ମୁହିଁ ଗୋ ସୁନ୍ଦରି । ପ୍ରସନ୍ନ ହୋଇଲି ତୋହରି ।। ୮୮
ଯେବା ଅଭିଳାଷ ତୋହରି । ପୂର୍ଣ୍ଣ କରିବି କୃଶୋଦରୀ ।। ୮୯
ମୁଁ ଯେଉଁ ବର ଦେବି ତୋରେ । ଦୁର୍ଲଭ ଅନ୍ୟସ୍ତିରୀଙ୍କରେ ।। ୯୦

ଦିତି ଉବାଚ

ଭୋସ୍ୱାମୀ ବର ଯେବେ ଦେବ । ଏକକୁମର ମୋ ହୋଇବ ।। ୯୧
ଅମର ହେବ ମୋର ସୁତ । ଇନ୍ଦ୍ରକୁ ନାଶିବ ଯୁକତ ।। ୯୨
ଯେଣୁ ମୋ ପୁତ୍ର ମରାଇଲା । ପୁତ୍ରଶୋକକୁ ମତେ ଦେଲା ।। ୯୩
ଶୁଣିଣ ଦିତିର ବଚନ । କଶ୍ୟପ ହୋଇଲେ ମଉନ ।। ୯୪
ମନରେ ଗରୁ-ତାପଭର । କୋପେ ଚିନ୍ତନ୍ତି ମୁନିବର ।। ୯୫
ଆଜ କି ଅଧର୍ମ ମହତ । ହୋଇଲା ମୋରେ ଉପଗତ ।। ୯୬
ସ୍ତିରୀରେ କରି ମୋର ମନ । ହୋଇଲା ମହାହତଜ୍ଞାନ ।। ୯୭
ଅନ୍ତେ ମୁଁ ଘୋର ନରକରେ । ନିଶ୍ଚୟେ ପଡ଼ିବି ନିର୍ଭରେ ।। ୯୮
ସ୍ତିରୀର କି ଅବା ଏ ଦୋଷ । ସ୍ୱଭାବେ ସ୍ତିରୀ ଅବିଶ୍ୱାସ ।। ୯୯
ଅବୋଧ ମୁହିଁ ଯେ ପାମର । ଧିକ ହେଉ ଏ ଜନ୍ମ ମୋର ।। ୧୦୦
ଶରଦପଙ୍କଜ ଯେସନ । ସ୍ତିରୀମାନଙ୍କର ବଦନ ।। ୧୦୧
ବଚନ ସୁଧାଶ୍ରବଣର । ହୃଦୟ ଯେହ୍ନେ କ୍ଷୁରଧାର ।। ୧୦୨
ଏମନ୍ତ ସ୍ତିରୀଙ୍କ ସ୍ୱଭାବ । ଏହାଙ୍କ ଚେଷ୍ଟା କେ ଜାଣିବ ।। ୧୦୩
ପ୍ରିୟ ନାହିଁକେ ସ୍ତିରୀଙ୍କର । କ୍ଷଣିକ-ବୁଦ୍ଧିଟି ଯାହାର ।। ୧୦୪
ଯେ ପତି ପୁତ୍ର ଅବା ଭାଇ । ମାରନ୍ତି ନିଜ କାର୍ଯ୍ୟ ପାଇଁ ।। ୧୦୫
ଅଥବା ଇତର-ଜନର । ହସ୍ତରେ କରନ୍ତି ସଂହାର ।। ୧୦୬
କରି ଯେ ଅଛି ଅଙ୍ଗୀକାର । ଏହାରେ ଦେବି ବୋଲିବର ।। ୧୦୭
ମୋହର ବାକ୍ୟ ମିଥ୍ୟା କାହିଁ । ଇନ୍ଦ୍ର ତ ବଧଯୋଗ୍ୟ ନୋହି ।। ୧୦୮
ଏମନ୍ତ ହୋଇ ଯେ ବିଷୟ । ତହିଁକି କଳ୍ପିବା ଉପାୟ ।। ୧୦୯
ଅତ୍ୟନ୍ତ ଚିନ୍ତାକରି ମୁନି । ଶୁଣ କହିବା ନୃପମଣି ।। ୧୧୦
ଆତ୍ମାର ନିନ୍ଦାଭାବ ବହି । ବୋଲନ୍ତି ପତ୍ନୀମୁଖ ଚାହିଁ ।। ୧୧୧

କଶ୍ୟପ ଉବାଚ

ଭୋ ସଖି ପୁତ୍ର ତୋ ହୋଇବ । ନିଶ୍ଚୟ ଇନ୍ଦ୍ରକୁ ମାରିବ ।। ୧୧୨
ଏକବରଷ ଶୁଚି ହୋଇ । ଏ ବ୍ରତ ଯେବେ ଧରୁ ତୁହି ।। ୧୧୩
ତୋହର ପୁତ୍ର ଯେ ହୋଇବ । ଇନ୍ଦ୍ରହନ୍ତା ସେ ବୋଲାଇବ ।। ୧୧୪
କିନ୍ତୁ ବ୍ରତର ବିଘ୍ନ ହେଲେ । ଦେବଙ୍କ ମିତ୍ର ହେବ ଭଲେ ।। ୧୧୫

ଦିତି ଉବାଚ

ଭୋ ସ୍ୱାମୀ ବ୍ରତ ଧରିବଇଁ । ବିଧାନ କହିବା ବୁଝାଇ ।। ୧୧୬
ବ୍ରତ ଖଣ୍ତନ ଯେ କରଇ । କି ଅବା ନିଷେଧ ଅଛଇ ।। ୧୧୭

କଶ୍ୟପ ଉବାଚ

ପ୍ରାଣୀଙ୍କି ହିଂସା ନ କରିବ । କ୍ରୋଧରେ ଶାପକୁ ନ ଦେବ ।। ୧୧୮
ମିଥ୍ୟା ନ କହିବ ବଚନେ । ଛେଦିବ ନାହିଁ ନଖ-ରୋମେ ।। ୧୧୯
ଅମଙ୍ଗଳ ଯେ ଦ୍ରବ୍ୟ ହୋଇ । କେବେହେଁ ସ୍ପରଶିବ ନାହିଁ ।। ୧୨୦
ଜଳରେ ପଶିଣ ଯେ ସ୍ନାନ । କେବେହେଁ ନ କରିବ ଜାଣ ।। ୧୨୧
ଦୁର୍ଜନ ସଙ୍ଗତେ ଆଳାପ । ଆବର ନ କରିବ ପାପ ।। ୧୨୨
ଅଧୌତବସ୍ତ୍ର ନ ପିନ୍ଧିବ । ଛଡାମାଳକୁ ନ ଘେନିବ ।। ୧୨୩୍
ପର-ଉଚ୍ଛିଷ୍ଟ ଦେବୀଅନ୍ନ । କେବେ ନ କରିବ ଗ୍ରହଣ ।। ୧୨୪
ଆମିଷ ନ କରି ଭୋଜନ । ହସ୍ତେ ନ କରି ଜଳପାନ ।। ୧୨୫
ଉଚ୍ଛିଷ୍ଟ ହୋଇ ଜଳବିନେ । କେବେହେଁ ନ ରହିବ କ୍ଷଣେ ।। ୧୨୬
ବହୁ ବଚନ ନ କହିବ । ସନ୍ଧ୍ୟାରେ କେଶ ନ ମେଲିବ ।। ୧୨୭
ସତ୍ୱରେ ଅସମ୍ଭାଳ ହୋଇ । କେବେ ବାହାର ହେବ ନାହିଁ ।। ୧୨୮
ଅଧୌତ-ଆର୍ଦ୍ରପଦ ଯେବେ । ଶୟନ ନ କରିବ ତେବେ ।। ୧୨୯
ଉତ୍ତର-ପଶ୍ଚିମକୁ ଶିର । ଶୟନ ନ ଉଭୟସନ୍ଧ୍ୟାର ।। ୧୩୦
ଉଲଗ୍ନଭାବରେ ଶୟନ । ଏତେ ନ କରି ଆଚରଣ ।। ୧୩୧
ଧଉତବସ୍ତ୍ର ପରିଧାନ । ଶୁଚି ହୋଇବ ଅନୁକ୍ଷଣ ।। ୧୩୨
ପ୍ରାତଃକାଳରୁ ଉଠିକରି । ସର୍ବମଙ୍ଗଳ ବିଷ୍ଣୁସ୍ମରି ।। ୧୩୩
ଲକ୍ଷ୍ମୀ ସହିତେ ନାରାୟଣ । ପୂଜିବ ଗୁରୁ ଗୋ-ବ୍ରାହ୍ମଣ ।। ୧୩୪
ସଧବା-ସ୍ତିରୀଙ୍କି ଆଣିବ । ମାଳ-ଚନ୍ଦନେ ପୂଜା ଦେବ ।। ୧୩୫
ଯଥାବିଧାନେ ନିଜପତି । ପୂଜିବ ସ୍ଥିରକରି ମତି ।। ୧୩୬
ଯେ ଅନ୍ତର୍ଗତ-ଭଗବାନ । ତାହାଙ୍କୁ ଧ୍ୟାନ କରି ପୁଣ ।। ୧୩୭
ନିଗମ-ପୁରାଣ ଶୁଣିବ । ବିଷ୍ଣୁରେ ମନଧ୍ୟାନ ଥିବ ।। ୧୩୮
ପରମବ୍ରହ୍ମ ଯେ ପଦର । ଜପିବ ଦ୍ୱାଦଶଅକ୍ଷର ।। ୧୩୯
ଅତିଥି ବ୍ରାହ୍ମଣ ପୂଜିବ । ମନସନ୍ତୋଷେ ତାଙ୍କୁ ଦେବ ।। ୧୪୦
ଯେ ଭାବେ ଗୋବିନ୍ଦର ଭାବ । କହିଲେ ଏ ବ୍ରତ ଦୁର୍ଲ୍ଲଭ ।। ୧୪୧
ଏକ ଅୟନ ଦୃଢ଼ଚିତ୍ତେ । ଧରିବ ପୁଂସବନବ୍ରତେ ।। ୧୪୨
ତେବେ ଇନ୍ଦ୍ରହନ୍ତା କୁମର । ପାଇବୁ ଅଜର ଅମର ।। ୧୪୩
ବ୍ରତକୁ ଧରିବି ବୋଇଲା । ଚଞ୍ଚଳଚିତ୍ତ ସ୍ଥିର କଲା ।। ୧୪୪
କଶ୍ୟପ-ବୀର୍ଯ୍ୟ ଗର୍ଭେ ଧରି । ବିଧିରେ ବ୍ରତକୁ ଆଚରି ।। ୧୪୫
ଦିତିର ଏମନ୍ତ ବିଧାନ । ଇନ୍ଦ୍ର ଜାଣିଲେ ହେ ରାଜନ ।। ୧୪୬
ଦିତିର ବ୍ରତ ଦେଖିକରି । ଇନ୍ଦ୍ର ତା ସେବାକୁ ଆଚରି ।। ୧୪୭
ପବିତ୍ର ଶୁଚିମନ୍ତ ହୋଇ । ତାହାଙ୍କ ସଙ୍ଗତେ ବୁଲଇ ।। ୧୪୮
ନିତ୍ୟେ ବନରୁ ପୁଷ୍ପଫଳ । ସମିଧ କୁଶ କନ୍ଦମୂଳ ।। ୧୪୯
ପତ୍ର ଅଙ୍କୁର ଜଳ ଆଣି । ସମୀପେ ଦ୍ୟନ୍ତି ବଜ୍ରପାଣି ।। ୧୫୦
ଏମନ୍ତେ ବ୍ରତ-ଛିଦ୍ର ତାର । ଇନ୍ଦ୍ର ଇଚ୍ଛଇ ନୃପବର ।। ୧୫୧
ଯେମନ୍ତେ ବ୍ୟଧ ଯେ ମୃଗର । ଛିଦ୍ର ଟାକଇ ନିରନ୍ତର ।। ୧୫୨
କେବେହେଁ ବ୍ରତଛିଦ୍ର ସେହି । ଅନେକ ଯତ୍ନେ ନ ଦେଖଇ ।। ୧୫୩
ତୀବ୍ରଚିନ୍ତାରେ ଇନ୍ଦ୍ର ମନ । ଛନ୍ନ ହୋଇଲା ହେ ରାଜନ ।। ୧୫୪
ଶକ୍ର ବିଚାରୁଅଛି ମନେ । ମୋ ଶତ୍ରୁ ନାଶିବି କେସନେ ।। ୧୫୫
ଏମନ୍ତେ ଗଲା କେତେଦିନ । ଶୁଣ ବିଧାତା ବିଡ଼ମ୍ବନ ।। ୧୫୬
ବ୍ରତରେ କୁଶ ହୋଇଛନ୍ତି । ସନ୍ଧ୍ୟାରେ ଏକଦିନେ ଦିତି ।। ୧୫୭
ବିଧାତାବଶେ ମୋହ ହୋଇ । ଉଚ୍ଛିଷ୍ଟେ ଜଳସ୍ପର୍ଶ ନାହିଁ ।। ୧୫୮
ପାଦଧଉତ ନ କରିଣ । କଲେ ସେ ଭୂମିରେ ଶୟନ ।। ୧୫୯
ନିଦ୍ରାରେ ହତ ତାର ଜ୍ଞାନ । ଶକ୍ର ଦେଖିଲେ ବ୍ରତହୀନ ।। ୧୬୦
ଯୋଗବଳରେ ଦେବଈଶ । ଦିତିର ଗର୍ଭରେ ପ୍ରବେଶ ।। ୧୬୧
ସେ ବଜ୍ରଧର ବଜ୍ରଧରି । ସପତଖଣ୍ଡ ଗର୍ଭ କରି ।। ୧୬୨
ଶୁଦ୍ଧକନକ ପ୍ରାୟ ହୋଇ । ଗର୍ଭ ତାହାର ବିରାଜଇ ।। ୧୬୩
ବଜ୍ରରେ ସାତଖଣ୍ଡ ହୋଇ । ରୋଦନ କରନ୍ତି ଯେ ସେହି ।। ୧୬୪
ଏକକୁ ସାତଖଣ୍ଡ କରି । ନ କାନ୍ଦ ବୋଲେ ବଜ୍ରଧାରୀ ।। ୧୬୫
ଯେ ସପ୍ତଖଣ୍ଡ ହୋଇଛନ୍ତି । ଇନ୍ଦ୍ରକୁ ବଚନ ବୋଲନ୍ତି ।। ୧୬୬
ଭୋ ଇନ୍ଦ୍ର ତୁ ଆମ୍ଭମାନଙ୍କୁ । କିମ୍ପାଇ ଭଜିଲୁ ହିଂସାକୁ ।। ୧୬୭
ତୋହର ଆମ୍ଭେମାନେ ଭାଇ । ମରୁତ ଆମ୍ଭନାମ ହୋଇ ।। ୧୬୮
ତୁମ୍ଭର ସଖାଭାବେ ଥିବୁ । ସୁରଭାବକୁ ଆଚରିବୁ ।। ୧୬୯
ଇନ୍ଦ୍ର ବୋଇଲେ ଭାଇମାନେ । ଭୟ ନ କର ତୁମ୍ଭେ ମନେ ।। ୧୭୦
ଅନନ୍ୟଭାବକୁ ଆଚର । ହୋଇବ ପାରିଷଦ ମୋର ।। ୧୭୧

ଶୁକ ଉବାଚ

ମରୁତ ହୋଇ ଅଣଚାଶ । ରହିଲେ ଦେବରାଜ ପାଶ ।। ୧୭୨
ଦିତିର ଗର୍ଭେ ଯେ ନ ମଲେ । ବିଷ୍ଣୁର ଅନୁକମ୍ପା ବଳେ ।। ୧୭୩
ଅନେକ ବାର ସେହି ମାନ । କୁଳିଶେ ହୋଇଁଲେ ଛେଦନ ।। ୧୭୪
ଦ୍ରୋଣକୁମର ଶରେ ତୁହି । ଯେମନ୍ତ ହେଲୁ କୁରୁସାଇଁ ।। ୧୭୫
ମେଘ ଆଶ୍ରୟ କରି ସେହି । ରହିଲେ ଇନ୍ଦ୍ର ଆଜ୍ଞା ପାଇ ।। ୧୭୬
ବାରେକ ଗୋବିନ୍ଦ ଭଜନେ । ପାପ ନାଶନ୍ତି ପ୍ରାଣୀମାନେ ।। ୧୭୭
କିଛି ନିଉନ ସମ୍ବତ୍ସ›ର । ଯେଣୁ ପୂଜିଲା ସେ ଈଶ୍ୱର ।। ୧୭୮
ଏହି କାରଣୁ ଇନ୍ଦ୍ରେ କରି । ପବନ ଦେବ ଦେହ ଧରି ।। ୧୭୯
ଅସୁରଭାବକୁ ଛାଡ଼ିଲେ । ଅମରଭାବ ଆଚରିଲେ ।। ୧୮୦
ନିଦ୍ରା ଉପେକ୍ଷିଣ ବସିଲେ । ଦିତି ପୁତ୍ରଙ୍କୁ ଅନାଇଲେ ।। ୧୮୧
ଅନଳ ପ୍ରଭା ପ୍ରାୟ ହୋଇ । କୁମରମାନେ ଛନ୍ତି ରହି ।। ୧୮୨
ଈନ୍ଦ୍ର-ସମେତେ ପୁତ୍ରଗଣେ । ଦେଖି ବିସ୍ମୟ ଦିତି ମନେ ।। ୧୮୩
ଇନ୍ଦ୍ରର ଚାହିଁଣ ବଦନ । ଦିତି ଯେ ବୋଲନ୍ତି ବଚନ ।। ୧୮୪
ଅଦିତି-ପୁତ୍ରଙ୍କୁ ମୋହର । ଭୟକୁ ଦେବ ଏ କୁମର ।। ୧୮୫
ଏମନ୍ତ ମୁହିଁ ଇଚ୍ଛାକଲି । ଦୁସ୍ତର-ବ୍ରତ ଆଚରିଲି ।। ୧୮୬
ହେ ତାତ ଏକଇ-କୁମର । ମୁହିଁ ଯେ ମାଗିଥିଲି ବର ।। ୧୮୭
ସପତ-ସପ୍ତ ଏ କେସନେ । କହ ଏ କେବଣ ବିଧାନେ ।। ୧୮୮
ତୋହର ମୁଖୁ ଏ ବିଧାନ । ଶୁଣିବି ମୁହିଁ ଭୋ ନନ୍ଦନ ।। ୧୮୯
ସତ୍ୟ କହିବୁ ମୋର ଆଗେ । ମିଥ୍ୟା ନ କହି ଅନୁରାଗେ ।। ୧୯୦

ଇନ୍ଦ୍ର ଉବାଚ

ଭୋ ମାତ ଶୁଣ ସାବଧାନ । କହଇ ଏଥିର ବିଧାନ ।। ୧୯୧
ଭୂମିରେ କଲ ଯେ ଶୟନ । ନିଦ୍ରା ମୋହିତ ତବ ମନ ।। ୧୯୨
ତୁମ୍ଭର ବ୍ରତ-ଛିଦ୍ର ଚାହିଁ । ନିକଟେ ମିଳିଲି ମୁଁ ଯାଇ ।। ୧୯୩
ଗର୍ଭ ଛେଦିଲି ଆତ୍ମହିତେ । ବିଚାର ନାହିଁ ଧର୍ମପଥେ ।। ୧୯୪
ଗର୍ଭକୁ ସାତଖଣ୍ଡ କରି । ଛେଦିଲି ଧର୍ମ ନ ବିଚାରି ।। ୧୯୫
ସାତକୁମରେ ହେଲେ ଜାତ । ଏକକୁ କଲି ସାତ ସାତ ।। ୧୯୬
ତେବେହେଁ ନ ମଲେ ଏ କେହି । ଏ ତ ସଂଶୟ ବଡ଼ ହୋଇ ।। ୧୯୭
ସେବାରୁ ମହାପୁରୁଷର । ସିଦ୍ଧି ଯେ ହୋଇଛି ତୁମ୍ଭର ।। ୧୯୮
ପରମେଶ୍ୱର-ଆରାଧନ । ସକଳମଙ୍ଗଳ କାରଣ ।। ୧୯୯
ନିରତେ କରନ୍ତି ଯେ ନରେ । ଆତ୍ମଜ୍ଞାନୀ ବୋଲି ତାହାରେ ।। ୨୦୦
ଭଗବାନର ଆରାଧନ । ଯେ ନର ନିଷ୍କାମ ମନେଣ ।। ୨୦୧
ମୋକ୍ଷ ହିଁ ନକରଇ ଇଚ୍ଛା । କେବଳ କୃଷ୍ଣରେ ସଦିଚ୍ଛା ।। ୨୦୨
ନିତ୍ୟେ କରନ୍ତି ଯେ ଭଜନ । ସକଳଦୁଃଖ ତା ମୋଚନ ।। ୨୦୩
ଆତ୍ମପଦ ଯେ ଭଗବାନ । ତାହାଙ୍କୁ କଲେ ଆରାଧନ ।। ୨୦୪
ତାହାର ନାହିଁ ଅକୁଶଳ । ସେ ସର୍ବ ପରମମଙ୍ଗଳ ।। ୨୦୫
ଦୁର୍ଜନଭାବ ଏ ମୋହର । ଭୋ ମାତ ଦୋଷ କ୍ଷମାକର ।। ୨୦୬
ସ୍ୱଭାବେ ବାଳିଶ ମୁଁ ହୋଇ । ତୁମ୍ଭର ସହିବା ଯୋଗାଇ ।। ୨୦୭
ମୃତ୍ୟୁରୁ ଏ ଯେ ତୋ କୁମରେ । ରହିଲେ ତୁମ୍ଭର ଭାଗ୍ୟରେ ।। ୨୦୮
ତୋହର ମୁହିଁ ଯେ କୁମର । ରହିବି ତୋର ବଚନର ।। ୨୦୯

ଶୁକ ଉବାଚ

ଆଜ୍ଞା ମାଗିଣ ସୁନାସୀର । ଶୁଦ୍ଧଭାବ ଘେନି ମନର ।। ୨୧୦
ମରୁତଗଣଙ୍କୁ ଘେନିଲେ । ଆନନ୍ଦେ ଦିତିଙ୍କି ନମିଲେ ।। ୨୧୧
ଶୁଣ ରାଜନ ଚୂଡ଼ାମଣି । ସ୍ୱର୍ଗକୁ ଗଳେ ବଜ୍ରପାଣି ।। ୨୧୨
ଯେ ପ୍ରଶ୍ନ କଲୁ ତୁ ଆମ୍ଭରେ । କହିଲି ଜନହିତସାରେ ।। ୨୧୩
ମଙ୍ଗଳ-ମରୁତଙ୍କ ଜନ୍ମ । ଈଶ୍ୱର-ମହିମା କଥନ ।। ୨୧୪
ବୋଲଇ ଦାସ ଜଗନ୍ନାଥ । ଦେବ-ଅସୁରଙ୍କ ଚରିତ ।। ୨୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଷଷ୍ଠସ୍କନ୍ଧେ ମରୁତ୍ ଉତ୍ପତ୍ତି କଥନେ
ନାମ ଅଷ୍ଟାଦଶୋଽଧ୍ୟାୟଃ ।।

 

ଊନବିଂଶ ଅଧ୍ୟାୟ

ପରୀକ୍ଷିତ ଉବାଚ

ଭୋ ମୁନି ଶୁଣ ସାବଧାନ । ଯେ ବ୍ରତ ନାମ ପୁଂସବନ ।। ୧
ତୁମ୍ଭେ ଯେ କହିଲ ବିଧାନ । ପୁଣି ଶ୍ରବଣେ ମୋର ମନ ।। ୨
ଯେ ବ୍ରତ ପ୍ରସାଦରୁ କରି । ପ୍ରସନ୍ନ ହୁଅନ୍ତି ମୁରାରି ।। ୩

ଶୁକ ଉବାଚ

ପ୍ରଥମେ ମାର୍ଗଶିର ମାସ । ଶୁକ୍ଳ ପ୍ରତିପଦ ଦିବସ ।। ୪
ଭର୍ତ୍ତାର ଆଜ୍ଞା ପରମାଣେ । ବ୍ରତ କରିବେ ସ୍ତିରୀଗଣେ ।। ୫
ଏ ବ୍ରତେ ହୋଇ ସର୍ବସିଦ୍ଧି । ଆଦରେ କଲେ ଯଥାବିଧି ।। ୬
ବ୍ରାହ୍ମଣେ କରିଣ ବରଣ । ଶୁଣିବ ମରୁତଙ୍କ ଜନ୍ମ ।। ୭
ଶୁଚି ହୋଇବ କରି ସ୍ନାନ । ଶୁକ୍ଳବସନ ପରିଧାନ ।। ୮
ପୂର୍ବରୁ ଭୋଜନ ନ କରି । ଚଞ୍ଚଳମନ ସ୍ଥିରେ ଧରି ।। ୯
ଲକ୍ଷ୍ମୀ ସହିତେ ଭଗବାନ । ପୂଜିବ ହୋଇ ତୋଷମନ ।। ୧୦
ପଦ୍ମଚରଣ ଚିନ୍ତି ଧ୍ୟାନେ । ସ୍ତୁତି କରିବ ଏ ବିଧାନେ ।। ୧୧
ହେ ନିରପେକ୍ଷ ପୂର୍ଣ୍ଣକାମ । ନମସ୍ତେ ପ୍ରଭୁ ଆତ୍ମାରାମ ।। ୧୨
ନମୋ ମହାବିଭୁ ଈଶ୍ୱର । ସକଳ ସିଦ୍ଧିର ଠାକୁର ।। ୧୩
ଅନନ୍ତଗୁଣେ ଯୁକ୍ତ ତୁହି । ନମସ୍ତେ ପ୍ରଭୁ ଭାବଗ୍ରାହୀ ।। ୧୪
ଭୋ ଦେବି ଗୋବିନ୍ଦ ଘରଣି । ଅଶେଷଗୁଣେ ସୁଲକ୍ଷଣୀ ।। ୧୫
ଲୋକମାତ ସୃଷ୍ଟିକାରଣ । ମୋହରେ ହୁଅ ତୁ ପ୍ରସନ୍ନ ।। ୧୬
ନମଇଁ ତୋହର ଚରଣ । ଜଗତ ଯାହାର ଭିଆଣ ।। ୧୭
ନମଇଁ ପ୍ରଭୁ ଭଗବତ । ମହାପୁରୁଷ ଆଦିଭୂତ ।। ୧୮
ମହାବିଭୂତି-ପତି ତୁହି । ମହାବିଭୂତି-ଯୁକ୍ତ ହୋଇ ।। ୧୯
ଅଖିଳ-ବ୍ରହ୍ମାଣ୍ତ-ଈଶ୍ୱର । ଗ୍ରହଣ କର ଉପହାର ।। ୨୦
ଏମନ୍ତ କରି ଆରାଧନ । ପୂଜିବ ଲକ୍ଷ୍ମୀ-ନାରାୟଣ ।। ୨୧
ପାଦ୍ୟ ଅର୍ଘ୍ୟ ଯେ ଆବାହନ । ବିଧିରେ କରାଇ ସ୍ନାହାନ ।। ୨୨
ଦିବ୍ୟବସନ ସମର୍ପିବ । ଶୁକ୍ଳଉତ୍ତରୀ ନିବେଦିବ ।। ୨୩
ନାନାଭୂଷଣ ଗନ୍ଧଧୂପ । ପ୍ରସନ ଉପହାର ଦୀପ ।। ୨୪
ଆବର ଯେତେ ଉପହାର । ସ୍ଥାପିବ ବିଷ୍ଣୁର ଛାମୁର ।। ୨୫
ବିଷ୍ଣୁରେ ଦେଇ ଯେତେ ଦ୍ରବ୍ୟ । ଆନନ୍ଦେ ତାହା ସମର୍ପିବ ।। ୨୬
କୃଷ୍ଣର ଯେତେ ଭାବରସ । ଆନନ୍ଦେ କରିବ ପ୍ରକାଶ ।। ୨୭
ହବି ଆହୂତି ଯେ ଦ୍ୱାଦଶ । ଅନଳେ ଦେବ ଅବଶେଷ ।। ୨୮
ନମୋ ଭଗବାନ ଈଶ୍ୱର । ମହାପୁରୁଷ ଦେବବର ।। ୨୯
ମହାବିଭୂତିପତି ତୁହି । ସ୍ୱାହା ବୋଲି ଅର୍ପିବ ତହିଁ ।। ୩୦
ଲକ୍ଷ୍ମୀ ଅଚ୍ୟୁତ ବେନିଜନ । ବରଦାୟକ ନରାୟଣ ।। ୩୧
ଭକ୍ତିରେ ନିତ୍ୟେ ଯେ ପୂଜିବ । ସର୍ବସମ୍ପଦ ସେ ଲଭିବ ।। ୩୨
ଭାବରେ ହୋଇ ଭକ୍ତିଯୁକ୍ତ । ସାଷ୍ଟାଙ୍ଗେ କରି ଦଣ୍ଡବତ ।। ୩୩
ମନ୍ତ୍ର ଜପିବ ଦଶବାର । ଏ ସ୍ତୋତ୍ର କରିବ ଉଚ୍ଚାର ।। ୩୪
ତୁମ୍ଭେ ଯେ ତ୍ରୈଲୋକ୍ୟ ଈଶ୍ୱର । ସକଳ-ବ୍ରହ୍ମାଣ୍ତ-ଠାକୁର ।। ୩୫
ସଂସାର-ପରମକାରଣ । ତୁମ୍ଭେ ଯେ ପ୍ରଭୁ ନାରାୟଣ ।। ୩୬
ଏ ଯେ ସୂକ୍ଷ୍ମମାୟା-ପ୍ରକୃତି । ଦୁରନ୍ତ ଅଟଇ ଶକତି ।। ୩୭
ଏହାର ତୁମ୍ଭେ ଅଧୀଶ୍ୱର । ସାକ୍ଷାତ ପୁରୁଷଙ୍କ ପର ।। ୩୮
ତୁମ୍ଭେ ସକଳ-ଯଜ୍ଞମୟ । ପତ୍ନୀରୂପରେ ଲକ୍ଷ୍ମୀ ହୁଅ ।। ୩୯
ଅଶେଷ-କ୍ରିୟାର ଈଶ୍ୱରୀ । ଫଳଭୋକତା ନରହରି ।। ୪୦
ଗୁଣାଦି ଗୁଣର କାରଣ । ତତ୍ତ୍ୱଭାବନ ଭଗବାନ ।। ୪୧
ସର୍ବଶରୀରେ ଆତ୍ମା ତୁହି । ଲକ୍ଷ୍ମୀ ଇନ୍ଦ୍ରିୟ ପ୍ରାଣ ହୋଇ ।। ୪୨
ନାମ ରୂପ ଏ ଭଗବତୀ । ଆଶ୍ରୟରୂପେ ତୁମ୍ଭ ସ୍ଥିତି ।। ୪୩
ଯେମନ୍ତେ ତୁମ୍ଭେ ବ୍ରହ୍ମାଣ୍ତର । ବର-ଦିଅନ୍ତା ହେ ଈଶ୍ୱର ।। ୪୪
ତେମନ୍ତ ହୋଇ ଚକ୍ରଧର । ସର୍ବମଙ୍ଗଳ ହେଉ ମୋର ।। ୪୫
ଲକ୍ଷ୍ମୀନିବାସ ଯେ ପୁରୁଷ । ଏହି ସ୍ତୁତିରେ କରି ତୋଷ ।। ୪୬
ପୂଜିବ ଲକ୍ଷ୍ମୀନାରାୟଣ । ଯେ ପ୍ରଭୁ ବ୍ରହ୍ମାଣ୍ତ-କାରଣ ।। ୪୭
ପୂଜା-ଉପଚାର ଲେଛିବ । ସନ୍ତୋଷେ ଆଚମନ ଦେବ ।। ୪୮
ଏଥିଉତ୍ତାରୁ ପୁନର୍ବାର । ଅର୍ଚ୍ଚନା କରିବ ଈଶ୍ୱର ।। ୪୯
ଯଜ୍ଞ-ଉଚ୍ଛିଷ୍ଟ ଯେବାଥିବ । ମନ ସନ୍ତୋଷେ ତା ଭକ୍ଷିବ ।। ୫୦
ଚିତ୍ତରେ ହୋଇ ଭାବଭକ୍ତି । ପୁଣି କରିବ ନାନା ସ୍ତୁତି ।। ୫୧
ସ୍ୱାମୀଙ୍କି ଭକ୍ତିରେ ପୂଜିବ । ଈଶ୍ୱରଭାବରେ ଚିନ୍ତିବ ।। ୫୨
ନାନାପ୍ରୀତିରେ ବାକ୍ୟ ଭରି । ସ୍ୱାମୀ ତୋଷିବ ନିଜନାରୀ ।। ୫୩
ପତ୍ନୀ ସହିତ ହୋଇ କରି । ସର୍ବକର୍ମ ସ୍ୱାମୀ ଆଚରି ।। ୫୪
ଏ ବ୍ରତ ପତିପତ୍ନୀ ଧରିବ । ଅଭାବେ ଏକା ବା କରଇ ।। ୫୫
ଏ ବିଷ୍ଣୁବ୍ରତକୁ ଧରିବ । କେବେହେଁ ଭଗ୍ନ ନ କରିବ ।। ୫୬
ଗନ୍ଧମାଲ୍ୟ ମଣିଭୂଷଣେ । ବ୍ରତେ ତୋଷିବ ବିପ୍ରଗଣେ ।। ୫୭
ଭକ୍ତିରେ ଯୁକ୍ତ କରି ମନ । ନିୟମେ ଥିବ ପ୍ରତିଦିନ ।। ୫୮
ସାଷ୍ଟାଙ୍ଗେ ଈଶ୍ୱର ନମିବ । ସ୍ୱସ୍ଥାନେ ନେଇ ବସାଇବ ।। ୫୯
ଭକ୍ତିଭାବରେ ବେନିଜନ । ନିର୍ମାଲ୍ୟ କରିବ ଭୋଜନ ।। ୬୦
ସର୍ବକାମନା ପୂର୍ଣ୍ଣ ପାଇଁ । କରିବ ଭକ୍ତିଯୁକ୍ତ ହୋଇ ।। ୬୧
ଏ ପୂଜାବିଧି ବାରମାସ । କରିବ ଏକଇ ବରଷ ।। ୬୨
ଏ ମଧ୍ୟେ ମଳମାସ ଯେବେ । ଛାଡିବ-ଏକମାସ ତେବେ ।। ୬୩
କାର୍ତ୍ତିକପୂର୍ଣ୍ଣିମା ଦିବସେ । ରହିବ ପୁଣି ଉପବାସେ ।। ୬୪
ତାହାର ଯେଉଁ ପରଦିନ । ପ୍ରଭାତେ କରି ଆଚମନ ।। ୬୫
ପୂର୍ବର ପ୍ରାୟେ କରି ପୁଣି । ବିଷ୍ଣୁ ଅର୍ଚ୍ଚିବ ତହୁଁ ଆଣି ।। ୬୬
ଚରୁ ଘୃତ ସମିଧ କ୍ଷୀରେ । ହୋମ କରିବ ଏ ବିଧିରେ ।। ୬୭
ଯଜ୍ଞବିଧାନେ ପାକ ଶେଷ । ଆହୁତି ଦେବ ଯେ ଦ୍ୱାଦଶ ।। ୬୮
ଆଶିଷ ଘେନିବ ମସ୍ତକେ । ବ୍ରାହ୍ମଣମାନଙ୍କର ବାକ୍ୟେ ।। ୬୯
ସାଷ୍ଟାଙ୍ଗେ କରି ନମସ୍କାର । ଆଜ୍ଞା ଘେନିବ ବିପ୍ରଙ୍କର ।। ୭୦
ଆଚାର୍ଯ୍ୟ କରିଣ ଅଗ୍ରତେ । ଶୁଚି ହୋଇ ବନ୍ଧୁ ସହିତେ ।। ୭୧
ପତ୍ନୀକି ଚରୁ ଦେବ ନେଇ । ସୁପୁତ୍ର ସୌଭାଗ୍ୟର ପାଇଁ ।। ୭୨
ଏ ବିଷ୍ଣୁବ୍ରତ ଯେ କରଇ । ବାଞ୍ଛିତଫଳ ସେ ଲଭଇ ।। ୭୩
ଯେ ସ୍ତିରୀ ଏ ବ୍ରତ ଆଚରି । ସୌଭାଗ୍ୟ ଲଭେ ସେ ସୁନ୍ଦରୀ ।। ୭୪
ଉତ୍ତମପୁତ୍ର ସ୍ୱାମୀ ଯଶ । ଏ ସର୍ବ ଲଭଇ ଅକ୍ଳେଶ ।। ୭୫
ଏ ବ୍ରତେ କନ୍ୟା ଲଭେ ବର । ଉତ୍ତମଲକ୍ଷଣ ଯାହାର ।। ୭୬
ବିଧବା ଅପୁତ୍ରିକ ନୋହି । ସେ ନାରୀ ନିଷ୍ପାପ ହୁଅଇ ।। ୭୭
ଦୁର୍ଭଗା ସୌଭାଗ୍ୟ ଲଭଇ । ବିରୂପ ସୁରୂପ ହୁଅଇ ।। ୭୮
ମୃତବ›ତ୍ସିକା ଯେବା ନାରୀ । ଚିରଞ୍ଜିବୀ ପୁତ୍ର ତାହାରି ।। ୭୯
ସର୍ବରୋଗରୁ ମୁକ୍ତ ହୋଇ । ନିର୍ମଳ ହୋଏ ତାର ଦେହୀ ।। ୮୦
ସୌଭାଗ୍ୟବତୀ ଧନେଶ୍ୱରୀ । ଅନ୍ତେ ଲଭନ୍ତି ବିଷ୍ଣୁପୁରୀ ।। ୮୧
ସକଳ କର୍ମର ଅନ୍ତରେ । ଯେ ଏହା ପଢ଼େ ନିରନ୍ତରେ ।। ୮୨
ପିତୃଦେବତା ତୋଷ ହୋଇ । ବାଞ୍ଛିତଫଳ ତାରେ ଦେଇ ।। ୮୩
ହୋମର ଅବସାନେ ତାର । ସନ୍ତୋଷ ଅଗ୍ନି ଚକ୍ରଧର ।। ୮୪
ମରୁତଜନ୍ମ ହେ ରାଜନ । ତୁମ୍ଭେ ଯେ ମୋତେ କଲ ପ୍ରଶ୍ନ ।। ୮୫
ଦିତିର ବ୍ରତ ଆଦି କରି । ତୋ ଆଗେ କହିଲୁ ବିସ୍ତାରି ।। ୮୬
ଏଣେ ଯେ ହୋନ୍ତି ସାବଧାନ । ଲଭନ୍ତି ଧର୍ମ ଅର୍ଥ କାମ ।। ୮୭
ଅନ୍ତେ ପଶନ୍ତି ହରିଦେହେ । ଶ୍ରୀମୁଖେ କହେ ଦେବରାୟେ ।। ୮୮
ଏଣୁ ଯେ ସୁବୋଧ ପଣ୍ଡିତ । ନିତ୍ୟେ ଶୁଣିବ ଏ ଚରିତ ।। ୮୯
ତାହାର ପାପବନ୍ଧ ନାହିଁ । ଅବଶ୍ୟ ବୈକୁଣ୍ଠ ଲଭଇ ।। ୯୦
ବୋଲଇ ଦାସ ଜଗନ୍ନାଥ । ପବନ ଜନ୍ମର ଚରିତ ।। ୯୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ବୈୟାସିକ୍ୟାଂ
ଅଷ୍ଟାଦଶ ସାହସ୍ର୍ୟାଂ ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠସ୍କନ୍ଧେ
ପୁଂସବନବ୍ରତ କଥନଂ ନାମ ଏକୋନବିଂଶୋଽଧ୍ୟାୟଃ ।।

Jaganath Das Books Odia Bhagabat Odia Bhagabat by Jaganath Das
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡିଆ ଭାଗବତ ପଞ୍ଚମ ସ୍କନ୍ଧ
Next Article ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ
ଜଗନ୍ନାଥ ଦାସ

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡିଆ ଭାଗବତ ନବମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡିଆ ଭାଗବତ ପଞ୍ଚମ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.