• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡିଆ ଭାଗବତ ନବମ ସ୍କନ୍ଧ
ଅନ୍ୟାନ୍ୟ

ଓଡିଆ ଭାଗବତ ନବମ ସ୍କନ୍ଧ

ଜଗନ୍ନାଥ ଦାସBy ଜଗନ୍ନାଥ ଦାସFebruary 25, 2020No Comments146 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରଥମ ଅଧ୍ୟାୟ

ଆନନ୍ଦେ ଅଭିମନ୍ୟୁସୁତ । ଶୁଣିଣ ଗୋବିନ୍ଦ ଚରିତ ॥୧
ବ୍ୟାସକୁମର ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥୨

ପରୀକ୍ଷିତ ଉବାଚ

ଭୋ ମୁନି ମନ୍ୱନ୍ତର କଥା । କ‌ହିଲ ସକଳ ବ୍ୟବସ୍ଥା ।।୩
ଯେ ମନ୍ୱନ୍ତରେ ଯେବା ଦେହୀ । ଧର୍ମ ରକ୍ଷଣେ ଭାବଗ୍ରାହୀ ।।୪
ଅନନ୍ତ ଯାହାର ମହିମା । କେ ଜାଣିପାରେ ଗୁଣ ସୀମା ।।୫
ତୁମ୍ଭେ କ‌ହିଲ ମୁନିଗଣୈ । ବିଷ୍ଣୁର ମହିମା ପ୍ରମାଣୈ ।।୬
ଦ୍ରବିଡ଼େଶ୍ୱର ସତ୍ୟବ୍ରତ । ସେ ରାଜ‌ଋଷି ଦଇବତ ।।୭
ଅତୀତ କଳ୍ପାନ୍ତରେ ଥିଲା । ଭାବେ ସେ ବିଷ୍ଣୁଙ୍କୁ ଭେଟିଲା ।।୮
ନିତ୍ୟେ ଗୋବିନ୍ଦପାଦ ଧ୍ୟାୟି । ବିଷ୍ଣୁର ତ‌ହୁଁ ଶିକ୍ଷା ପାଇ ।।୯
ପୁଣି ସେ ସୃଷ୍ଟି ଆଦିକାଳେ । କେମନ୍ତେ ବୈବସ୍ୱତକୁଳେ ।।୧୦
ବଇବସ୍ୱତ ମନୁ ହୋଇ । ଜନ୍ମ ଲଭିଲେ ଦେହବ‌ହି ।।୧୧
ପୁଣି ତାହାର ବୀର୍ଯ୍ୟେ ଜାତ । କେତେ ବା ହୋଇଲେକ ସୁତ ।।୧୨
ଇକ୍ଷ୍ୱାକୁ ଆଦି ଯେତେ ସୁତେ । ରାଜା ହୋଇଲେ ଏ ଜଗତେ ।।୧୩
ଏଣୁ ଆଦିତ୍ୟକୁଳେ ଯେତେ । କ‌ହିବା ବଂଶାନୁଚରିତେ ।।୧୪
କାହାର ବଂଶେ କେବା ହୋଇ । ଏ ଭୂମିତଳେ ଦେହ ବ‌ହି ।।୧୫
ଯେବା ଚରିତ କଲେ ଯେତେ । ଭୋ ମୁନି କ‌ହ ମୋ ଅଗ୍ରତେ ।।୧୬
ମୋତେ ଏ ସଙ୍କଟୁ ଉଦ୍ଧର । ମୁଁ ତୁମ୍ଭ ଚରଣେ କିଙ୍କର ।।୧୭
ଭୂତ ଭବିଷ୍ୟ ବର୍ତ୍ତମାନେ । ସମ୍ପୂର୍ଣ୍ଣ ବଂଶାନୁକୀର୍ତ୍ତନେ ।।୧୮
ଏବେ ଜଗତେ କଲା ଯାହା । କ‌ହିବା ମୋତେ ଯେବେ ଦୟା ।।୧୯

ସୁତ ଉବାଚ

ଏମନ୍ତେ ଋଷିଗଣ ମଧ୍ୟେ । ଉତ୍ତରାସୁତ ଅନବାଦେ ।।୨୦
ଶୁଣି ଆନନ୍ଦେ କୃତକୃତ୍ୟ । କ‌ହ‌ନ୍ତି ବ୍ୟାସଙ୍କର ସୁତ ।।୨୧

ଶୁକ ଉବାଚ

ଶୁଣ ହେ ନୃପ ପରୀକ୍ଷିତ । ଆଦିତ୍ୟ ବଂଶର ଚରିତ ।।୨୨
ହରି ମହିମା ଅପ୍ରମିତ । କେବା କଥନେ ସମରଥ ।।୨୩
ସଂକ୍ଷେପେ କ‌ହିବଇଁ ତୋତେ । ମୁଁ ଯୋଗବଳେ ଜାଣେ ଯେତେ ।।୨୪
ଏ ଭୂମି ମଧ୍ୟେ ଦେହ ବ‌ହି । ଶତେ ବରଷେ କେବା କ‌ହି ।।୨୫
ରବିର ବଂଶେ ନୃପ ଯେତେ । ଯେ ଯାହା କଲେ ଏ ଜଗତେ ।।୨୬
ଭକତ ଶିଷ୍ୟେ ଏହା କ‌ହି । ଏବେ ତୁ ଶୁଣ ମନ ଦେଇ ।।୨୭
ଯେବା ଉପୁଜେ ଯା’ର ଅଂଶେ । ବଇବସ୍ୱତ ମନୁବଂଶେ ।।୨୮
ଶୁଣ ପାଣ୍ତବ ଚୂଡ଼ାମଣି । ପ୍ରଳୟ କାଳେ ବେଦବାଣୀ ।।୨୯
ଯେ ହରି ଅନାଦି କାରଣ । ଜଗତାଆତ୍ମା ନାରାୟଣ ।।୩୦
ପୂର୍ବେ ଯେ ସଂସାର ସଂହରି । ଜଳେ ଅନନ୍ତଶ‌ଯ୍ୟା କରି ।।୩୧
ନିବିଡ଼ ଅନ୍ଧାରେ ଶୋଇଲେ । ତାହାକୁ କେହି ନ ଦେଖିଲେ ।।୩୨
ସେ ପୁଣି ପ୍ରଳୟର ଅନ୍ତେ । ଉଦ୍ଭାନେ ଶୋଏ ଅନାୟତ୍ତେ ॥୩୩
ତା’ ନାଭିକମଳୁ ପ୍ରକାଶ । ହୋଇଲା ହିରଣ୍ମୟକୋଷ ॥୩୪
ସୁବର୍ଣ୍ଣମୟ ଦିବ୍ୟରୂପୀ । ଉଠିଲା ମହାଜଳ ବ୍ୟାପୀ ॥୩୫
ସେ ପଦ୍ମକୋଷୁଁ ବ୍ରହ୍ମା ଜାତ । ଯା’ର ଶରୀରୁ ଏ ଜଗତ ॥୩୬
ଭୂମି ଭିଆଇ ଯୋଗବଳେ । ବସିଲା ସମାଧି ନିଶ୍ଚଳେ ॥୩୭
ବ୍ରହ୍ମାର ମନରୁ ବାହାର । ହୋଇଲା ମରୀଚି କୁମର ॥୩୮
କଶ୍ୟପ ତା’ର ତହୁଁ ଜାତ । ଯା’ର ମହିମା ଅପ୍ରମିତ ॥୩୯
ଦକ୍ଷ ଦୁହିତା ବିଭା କଲା । ତା’ ତହୁଁ ସୂର୍ଯ୍ୟ ଉପୁଜିଲା ॥୪୦
ସୂର୍ଯ୍ୟର ପତ୍ନୀ ସଜ୍ଞା ନାମ । ଅତି ସୁନ୍ଦର ଅନୁପମ ॥୪୧
ତା’ର ଉଦରୁ ଦିବ୍ୟ ତନୁ । ହୋଇଲା ଶ୍ରାଦ୍ଧ ଦେବ ମନୁ ॥୪୨
ସେ ପୁଣି ଶ୍ରଦ୍ଧାକନ୍ୟା ଗର୍ଭେ । ଦଶକୁମର କଲା ଭାବେ ॥୪୩
ରୂପେ ଶୋଭିତ ଅନୁପମ । ଶୁଣ ହେ ତାହାଙ୍କର ନାମ ॥୪୪
ଇକ୍ଷ୍ୱାକୁ ନୃପ ପୁତ୍ରବେନି । ଶର୍ଯ୍ୟାତି ଦିଷ୍ଟ ଧୃଷ୍ଟ ଘେନି ॥୪୫
ପୁଣି କରୁଷ ନରିଷ୍ୟନ୍ତ । ପୃଷଧ୍ର ନଭଗ ଉଦିତ ॥୪୬
ହୋଇଲେ ପୁଣି କବି ଆଦି । ଏ ରୂପେ ଦଶ ଯେ ପ୍ରସିଦ୍ଧି ॥୪୭
ସେ ଶ୍ରାଦ୍ଧଦେବ ପୁତ୍ର ଅର୍ଥେ । ବିଚାରି ବଶିଷ୍ଠ ସଙ୍ଗତେ ॥୪୮
ମିତ୍ରାବରୁଣ ଅର୍ଥେ ଇଷ୍ଟି । ଆରମ୍ଭ କଲା ପୁତ୍ର କଷ୍ଟୀ ॥୪୯
ଏମନ୍ତେ ତା’ର ଶ୍ରଦ୍ଧା ନାରୀ । ବଶିଷ୍ଠ ସଙ୍ଗତେ ବିଚାରି ॥୫୦
ବୋଲଇ ମୁହିଁ ପୟୋବ୍ରତା । ଯେମନ୍ତେ ହୋଇବ ଦୁହିତା ॥୫୧
ସେ ଅର୍ଥେ ତୁମ୍ଭେ ଯଜ୍ଞକର । ସେବଇ ଚରଣେ ତୁମ୍ଭର ॥୫୨
ତା’ ଶୁଣି କୁଶକେତୁବଳା । ବିପ୍ରଙ୍କ ସଙ୍ଗେ ବିଚାରିଲା ॥୫୩
ଆହୁତି ଦେଲା ଅପ୍ରମିତ । ଏମନ୍ତେ କନ୍ୟା ହେଲା ଜାତ ॥୫୪
ତା’ ରୂପ ଜଗତ ମୋହିଲା । ତାହାକୁ ଇଳା ନାମ ଦେଲା ॥୫୫
ରାତ୍ରେ ସେ କନ୍ୟା ରୂପ ଦେଖି । ସେ ମନୁ ଶୟନ ଉପେକ୍ଷି ॥୫୬
ବୋଲଇ ବିପ୍ରଙ୍କୁ ଅନାଇଁ । ଏମନ୍ତ ଦେଖିଲାତ ନାହିଁ ॥୫୭
ତୁମ୍ଭେ ସକଳେ ବ୍ରହ୍ମବେତ୍ତା । ଏ କର୍ମ ଅସମ୍ଭବ କଥା ॥୫୮
ବ୍ରାହ୍ମଣ କର୍ମ ତ ନୁହଁଇ । ଏମନ୍ତ କଲ କିସ ପାଇଁ ॥୫୯
ତୁମ୍ଭେ ଯେ ନିଜ ତପୋବଳେ । ଦଗ୍ଧ କଳୁଷ ଏ ଶୟଳେ ॥୬୦
ସଙ୍କଳ୍ପ ହୋଇଲା ଅନ୍ୟଥା । ଏ ବଡ଼ ଅସମ୍ଭବ କଥା ॥୬୧
ଅଜ୍ଞାନୀ ଜନଙ୍କର ମତ । ମୋର ସଙ୍କଳ୍ପ ବିପରୀତ ॥୬୨
ଏମନ୍ତେ ମନୁଙ୍କ ନିକଟେ । ବଶିଷ୍ଠ ମିଳି ଯଜ୍ଞବାଟେ ॥୬୩
ହୋତାଙ୍କ ବ୍ୟଭିଚାର ଜାଣି । ମନୁଙ୍କୁ କହନ୍ତି ଯେ ମୁନି ॥୬୪
ତୋହର ନିଜ ନାରୀ ବୋଲେ । ଦୁହିତା ଅର୍ଥେ ଯଜ୍ଞ କଲେ ॥୬୫
ମୁଁ ଏବେ ସାଧିବି ତୋ’ ଅର୍ଥେ । କହିବି ବିଷ୍ଣୁଙ୍କ ଅଗ୍ରତେ ॥୬୬
ଯେମନ୍ତେ ଏ କନ୍ୟା ତୋହର । ହୋଏ ପୁରୁଷ କଳେବର ॥୬୭
ଏମନ୍ତ କହି ମହାଯତି । ବିଷ୍ଣୁଙ୍କୁ କଲେ ଦିବ୍ୟସ୍ତୁତି ॥୬୮
ବଶିଷ୍ଠ ସ୍ତୁତିବାକ୍ୟ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥୬୯
ଇଳା କନ୍ୟାକୁ ବିଷ୍ଣୁ ଚାହିଁ । ବୋଇଲେ ପୁତ୍ର ହୁଅ ତୁହି ॥୭୦
ତକ୍ଷଣେ ପୁରୁଷ ହୋଇଲା । ସୁଦ୍ୟୁମ୍ନ ତା’ର ନାମ ହେଲା ॥୭୧
ନିଜ ଭୁବନେ ଗଲେ ହରି । ଏବେ ହୋ ଶୁଣ ଦଣ୍ତଧାରୀ ॥୭୨
ଦେବଙ୍କ ବଚନ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥୭୩
ଶୁଣ ରାଜନ ଶୁଦ୍ଧମନେ । ସେ ମନୁପୁତ୍ର ଏକ ଦିନେ ॥୭୪
ମୃଗୟା ଅର୍ଥେ ଘୋର ବନେ । ପଶିଲା ହରଷିତ ମନେ ॥୭୫
ଧନୁ କମାଣ ଧରି କରେ । ବସିଲା ଅଶ୍ୱର ଉପରେ ॥୭୬
ସେବକବଳ ତା’ର ଯେତେ । ଧାଇଁଲେ ଅଶ୍ୱ-ପୃଷ୍ଠ-ଗତେ ॥୭୭
ନାନା ଆୟୁଧ କରେ ଧରି । ପଶୁ ଖୋଜନ୍ତି ବନେ ହେରି ॥୭୮
ଗିରି କାନନେ ଲତା କୁଞ୍ଜେ । ଖୋଜି ଅନେକ ବୃକ୍ଷ ପୁଞ୍ଜେ ॥୭୯
ମୃଗ ନ ଦେଖି ଘୋରବନେ । ପଶିଲେ ଉତ୍ତର କାନନେ ॥୮୦
ମେରୁ ନିକଟେ ଖେଦମନେ । ମିଳିଲେ ସୁକୁମାର ବନେ ॥୮୧
ଯେ ବନେ ପ୍ରଭୁ ଶୂଳଧାରୀ । ସଙ୍ଗତେ ଘେନି ନିଜ ନାରୀ ॥୮୨
ନିରତେ ପୀଡ଼ିତ ମଦନେ । ଗଉରୀ ସଙ୍ଗତେ ନିର୍ଜନେ ॥୮୩
ନିତ୍ୟେ ରମନ୍ତି ସୁଖ ମନେ । ଆନନ୍ଦେ ପୁଷ୍ପିତ କାନନେ ॥୮୪
ସେ ବନେ ପଶି ମନୁବଳା । ଅନେକ ମୃଗ ବଧ କଲା ॥୮୫
ମୃଗଙ୍କୁ ମାରି ଅବହେଳେ । ଗ୍ରାମକୁ ଆସିବାର ବେଳେ ॥୮୬
ଅଶ୍ୱ ସହିତେ ସର୍ବ ଜନେ । ତକ୍ଷଣେ ସୁକୁମାର ବନେ ॥୮୭
ସର୍ବେ ହୋଇଲେ ସ୍ତିରୀଗଣ । ଅଶ୍ୱ ସହିତେ କୁଘଟଣ ॥୮୮
ଚାହାଁନ୍ତି ଅନ୍ୟେ ଅନ୍ୟ ମୁଖେ । ସର୍ବେ ରହିଲେ ମନଦୁଃଖେ ॥୮୯
ସ୍ତିରୀ ସ୍ୱଭାବେ କଲେ ଭ୍ରାନ୍ତି । ସଲଜ୍ଜେ ଚଳି ନ ପାରନ୍ତି ॥୯୦
ଶୁକ ବଦନୁଁ ବାକ୍ୟ ଶୁଣି । ବୋଲେ ପାଣ୍ତବ ଚୂଡ଼ାମଣି ॥୯୧

ପରୀକ୍ଷିତ ଉବାଚ

ଭୋ ମୁନି ଅସମ୍ଭବ ବାଣୀ । ହୃଦୟ କମ୍ପିଲା ତ ଶୁଣି ॥୯୨
ନାରୀ ହୋଇଲେ କିସ ଅର୍ଥେ । ଏ କଥା କହ ମୋ’ ଅଗ୍ରତେ ॥୯୩
ସୁଦ୍ୟୁମ୍ନ ମନୁର ନନ୍ଦନ । ପୁରୁଷ କଲେ ଭଗବାନ ॥୯୪
ସେ କିପାଁ କାମିନୀ ହୋଇଲା । ଅଶ୍ୱ ସହିତେ ମନୁବଳା ॥୯୫
କି ଅବା ବନେ ଥିଲା ଦୋଷ । କିବା ଶଙ୍କର କଲେ ରୋଷ ॥୯୬
କିପାଁ ହୋଇଲେ ସ୍ତିରୀ ଦେହ । ସଂଶୟ ଯାଉ ମୁନି କହ ॥୯୭
ମୁନି କହନ୍ତି ଅନୁରାଗେ । ଆନନ୍ଦେ ପରୀକ୍ଷିତ ଆଗେ ॥୯୮

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁ ସୁତ । କହିବା ତହିଁର ଚରିତ ॥୯୯
ସପତ ଋଷି ଏକମେଳେ । ଶଂକର ଦରଶନ ଛଳେ ॥୧୦୦
ଦିଶନ୍ତି ରବି ତେଜ ପ୍ରାୟେ । ସେ ବନେ ଚଳନ୍ତି ନିର୍ଭୟେ ॥୧୦୧
ଦୂରୁ ତାହାଙ୍କ ରୂପ ଦେଖି । ଅମ୍ବିକା ଶଙ୍କର ଉପେକ୍ଷି ॥୧୦୨
ଶିବ ସଙ୍ଗମ ଛାଡ଼ି ବେଗେ । ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ॥୧୦୩
ଲାଜେ ଲୁଚାଇ କଳେବର । ଭୟେ କମ୍ପନ୍ତି ଥରହର ॥୧୦୪
ଶଂକର ରହେ ଅଧୋମୁଖେ । ଚାହିଁ ନ ପାରି ମନଦୁଃଖେ ॥୧୦୫
ଏମନ୍ତ ମୁନିଗଣ ଚାହିଁ । ପାଦେହେଁ ନପାରନ୍ତି ଯାଇ ॥୧୦୬
ତାହାଙ୍କ ଗତି ଦେଖି ଛନ୍ନେ । ତକ୍ଷଣେ ଗଲେ ଅନ୍ୟବନେ ॥୧୦୭
ପଥ ଚଳନ୍ତି ମହାଶ୍ରମେ । ମିଳିଲେ ନାରାୟଣାଶ୍ରମେ ॥୧୦୮
ସେ କଥା ଜାଣି ଶୂଳପାଣି । ଅମ୍ବିକା ମୁଖ ଚାହିଁ ଭଣି ॥୧୦୯
ପୁରୁଷ ହୋଇ ଯେବେ ଏଥେ । ପ୍ରବେଶ ହୋଇବ ବନସ୍ତେ ॥୧୧୦
ତକ୍ଷଣେ ହେଉ ସ୍ତିରୀରୂପ । ଏମନ୍ତ ରୁଦ୍ର ଦେଲେ ଶାପ ॥୧୧୧
ସେ ଦିନୁ ମହାଦେବ-ରୋଷେ । ସେ ବନେ ପୁରୁଷ ନ ପଶେ ॥୧୧୨
ଏବେ ହୋ ଶୁଣ ନର ନାଥ । ମନୁତନୟ ବିପରୀତ ॥୧୧୩
ଅଶ୍ୱ ସହିତେ ଘୋରବନେ । ସର୍ବେ ଭ୍ରମନ୍ତି ଦୁଃଖମନେ ॥୧୧୪
ସେ ବନୁ ଗଲେ ଅନ୍ୟବନେ । ସୋମ ନନ୍ଦନ ତପସ୍ଥାନେ ॥୧୧୫
ଭ୍ରମନ୍ତି ଏକୁ ଆରେ ଧରି । ସ୍ୱଭାବେ ସର୍ବେ ମନୋହରୀ ॥୧୧୬
ତାହାଙ୍କ ମଧ୍ୟେ ଇଳା ଦେଖି । ସେ ବୁଧ ତପସ୍ୟା ଉପେକ୍ଷି ॥୧୧୭
ମନ କଳ୍ପିଲା କାମଭୋଳେ । ତକ୍ଷଣେ ଧରି ତା’କୁ କୋଳେ ॥୧୧୮
ବଳେ ରମିଲା ଚନ୍ଦ୍ରସୁତ । ତକ୍ଷଣେ ହେଲା ପୁତ୍ର ଜାତ ॥୧୧୯
ତାହାକୁ ଦେଖି ଗୁଣଧାମ । ଦେଲେ ସେ ପୁରୁରବା ନାମ ॥୧୨୦
ଏବେ ହୋ ଶୁଣ କୁରୁବୀର । ସେ ବନେ ମନୁର କୁମର ॥୧୨୧
କୁଳ ଆଚାର୍ଯ୍ୟ ସୁମରିଲେ । ତକ୍ଷଣେ ବଶିଷ୍ଠ ମିଳିଲେ ॥୧୨୨
ତାହାର ସ୍ତିରୀରୂପ ଚାହିଁ । ସେ ବ୍ରହ୍ମଋଷି ଦୟା ବହି ॥୧୨୩
ଯେମନ୍ତେ ପୁରୁଷ ହୋଇବ । ତକ୍ଷଣେ ସେବି ସଦାଶିବ ॥୧୨୪
ଅନେକ କଲେ ଦିବ୍ୟସ୍ତୁତି । ଶୁଣି ସନ୍ତୋଷ ପଶୁପତି ॥୧୨୫
ଆପଣା ବାକ୍ୟ ସତ୍ୟ ଅର୍ଥେ । ବଶିଷ୍ଠେ ଚାହିଁ ଦୟାଚିତ୍ତେ ॥୧୨୬
ବୋଲନ୍ତି ଅମ୍ବିକା ରମଣ । ବଶିଷ୍ଠ ମୋ’ର ବାକ୍ୟ ଶୁଣ ॥୧୨୭
ଏ ଯେ ତୋହର ଗୋତ୍ରେ ଜାତ । ସ୍ୱଭାବେ ଶ୍ରାଦ୍ଧଦେବ ସୁତ ॥୧୨୮
ମାସେ ଏ ହୋଇବ କାମିନୀ । ପୂର୍ବେ ବିଷ୍ଣୁର ବାକ୍ୟ ଘେନି ॥୧୨୯
ମାସେ ଏ ପୁରୁଷ ହୋଇବ । ଜୀବନ୍ତେ ଯେତେକାଳ ଥିବ ॥୧୩୦
ଏମନ୍ତ ତାକୁ ଦେଇ ବର । ତକ୍ଷଣେ ଗଲେ ଶୂଳଧର ॥୧୩୧
ଏମନ୍ତେ ଯେତେ କାଳ ଥିଲା । ମାସକେ ପୁରୁଷ ଅବଳା ॥୧୩୨
ରାଜ୍ୟ ସେ କଲା ଏହିମତେ । ନିଗମବାଣୀ ଅନୁମତେ ॥୧୩୩
ତାହାର ରାଜ୍ୟେ ପ୍ରଜାଜନେ । ବଞ୍ଚନ୍ତି ଦୁଃଖସୁଖ ମନେ ॥୧୩୪
ତା’ର ହୋଇଲେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥୧୩୫
ଗୟ ଉତ୍କଳ ପୁତ୍ରବେନି । ବିମଳ ନାମେ ହୋଏ ତିନି ॥୧୩୬
ଦକ୍ଷିଣ ପଥେ ତିନି ରାଜା । ଧର୍ମେ ପାଳନ୍ତି ଜନପ୍ରଜା ॥୧୩୭
ଏମନ୍ତେ କେତେକାଳ ଗଲା । ସୁଦ୍ୟୁମ୍ନ ମନେ ବିଚାରିଲା ॥୧୩୮
ପୁରୁରବାକୁ ରାଜା କରି । ଛାଡ଼ିଲା ପ୍ରତିଷ୍ଠାନ ପୁରୀ ॥୧୩୯
ତପସାଧନେ ବନେ ଗଲା । ସେ ବନେ ଶରୀର ଛାଡ଼ିଲା ॥୧୪୦
ଚନ୍ଦ୍ରବଂଶର ଆଦ୍ୟପୀଢ଼ । ସୁଜନେ ମନ କର ଦୃଢ଼ ॥୧୪୧
ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୪୨
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପ୍ରଥମୋଽଧ୍ୟାୟଃ । ।

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

ଶୁଣ ହୋ ଅଭିମନ୍ୟୁ ସୁତ । କହିବା ବଂଶାନୁଚରିତ ॥୧
ସୁଦ୍ୟୁମ୍ନ ଶ୍ରାଦ୍ଧଦେବବଳା । ତପକରଣେ ବନେ ଗଲା ॥୨
ତପେ ଛାଡ଼ିଲା ନିଜ ତନୁ । ତା’ ଶୁଣି ବୈବସ୍ୱତ ମନୁ ॥୩
ଅପୁତ୍ର-ଭୟେ ସେ ଉଚ୍ଚାଟେ । ମିଳିଲା ଯମୁନାର ତଟେ ॥୪
ଶତେ ବରଷ ଦେବ ମତେ । ସମାଧି କରି ଦୃଢ଼ ଚିତ୍ତେ ॥୫
ସନ୍ତତି ଅର୍ଥେ ସୂର୍ଯ୍ୟବଳା । ବିଷ୍ଣୁ ଚରଣେ ପୂଜା କଲା ॥୬
ଅନେକମତେ ସ୍ତୁତି କରି । ତୋଷିଲା ପ୍ରଭୁ ନରହରି ॥୭
ପ୍ରସନ୍ନ ହୋଇ ମହାବାହୁ । ବୋଇଲେ ଦଶପୁତ୍ର ହେଉ ॥୮
ଇକ୍ଷ୍ୱାକୁ ଆଦି ଦଶ ପୁତ୍ରେ । ହୋଇବେ କହି ଅଛି ତୋତେ ॥୯
ସେ ଦଶପୁତ୍ର ମଧ୍ୟେ ଏକ । ପୃଷଧ୍ର ନାମେ ସୁବିବେକ ॥୧୦
ବଶିଷ୍ଠ-ବାକ୍ୟେ ଗୋରୁ ପାଳେ । ରାତ୍ରେ ବୀରାସନେ ନିଶ୍ଚଳେ ॥୧୧
ଏମନ୍ତେ ଏକଦିନ ରାତ୍ରେ । ମେଘ-ଅନ୍ଧାର ବୃଷ୍ଟି ପାତେ ॥୧୨
ଜନ୍ତୁଙ୍କ ଘୋର ନିଦ୍ରା କାଳେ । ଶାŸର୍ଦ୍ଦୂଳ ମିଳିଲା ଗୋକୁଳେ ॥୧୩
ଆଘ୍ରାଣେ ତା’ର ବାସ ପାଇ । ଭୟେ ଉଠିଲେ ସର୍ବ ଗାଈ ॥୧୪
ଭ୍ରମନ୍ତି ଇତସ୍ତତ ହୋଇ । ବ୍ୟାଘ୍ର ଧଇଲା ଏକ ଗାଈ ॥୧୫
ବେଗେ ଚାପିଲା ନଖ ଦାଢ଼େ । ପୁଣି ଆକର୍ଷି ଅତି ଗାଢ଼େ ॥୧୬
ସେ ଗୋରୁ ଭୟେ ରାବ ଦେଲା । ତା’ ଶୁଣି ଉଠି ମନୁବାଳା ॥୧୭
ତୀକ୍ଷ୍‌ଣ ଖଡ଼ଗ ହସ୍ତେ ଘେନି । ନିବିଡ଼-ଅନ୍ଧାର-ରଜନୀ ॥୧୮
କପିଳା ଗୋଷ୍ଠେ ଥିଲା ଶୋଇ । ଅନ୍ଧାରେ କେହି ନ ଜାଣଇ ॥୧୯
ଶାŸର୍ଦ୍ଦୂଳ ବୋଲି ତା’ର ଶିର । ଛେଦିଲା ମନୁର କୁମର ॥୨୦
ଖଡ଼ଗ ଶିଖା ବ୍ୟାଘ୍ର ମୁଣ୍ତେ । ପଡ଼ି ଛିଡ଼ିଲା କର୍ଣ୍ଣ ଖଣ୍ତେ ॥୨୧
ବ୍ୟାଘ୍ରର ଶିରେ ହୋଇ କ୍ଷତ । ପଥେ ବରଷିଲା ରକତ ॥୨୨
ପୃଷଧ୍ର ଜାଣେ ବ୍ୟାଘ୍ର ମଲା । ଏମନ୍ତେ ରଜନୀ ପାହିଲା ॥୨୩
ବଭ୍ରୁ ମରଣ କଥା ଶୁଣି । ବଶିଷ୍ଠ ତାହା ମନେ ଗୁଣି ॥୨୪
ମିଳିଲେ ପୃଷଧ୍ର ସମୀପେ । ତାହାକୁ ଶାପ ଦେଲେ କୋପେ ॥୨୫
ତୁ ଯେ ବୋଲାଉ କ୍ଷତ୍ରିଦେହ । ଏବେ ତୁ କର୍ମେ ଶୂଦ୍ର ହୁଅ ॥୨୬
ଏମନ୍ତେ ଗୁରୁଶାପ ପାଇ । କପାଳେ କରାଞ୍ଜଳି ଦେଇ ॥୨୭
ଗୁରୁଙ୍କ ଶାପ ପରିହାରେ । ଊର୍ଦ୍ଧ୍ୱବଦନେ ତପ କରେ ॥୨୮
ବିଷ୍ଣୁର ଚରଣ କମଳେ । ସମାଧି କରି ଯୋଗ ବଳେ ॥୨୯
ଆତ୍ମାକୁ ଭାବି ଏକେ ଏକେ । ସକଳ ଭୂତେ ହରି ଦେଖେ ॥୩୦
ନିଗ୍ରହ କରି ଇନ୍ଦ୍ରିଗଣେ । ନିଃଶଙ୍କେ ନିବାସ ଅରଣ୍ୟେ ॥୩୧
ଯେବା ମିଳଇ ଯେତେବେଳେ । ସେ ଭକ୍ଷ କରେ ସନ୍ଧ୍ୟାକାଳେ ॥୩୨
ଶରୀର ଆତ୍ମାର ସଂଯତେ । ଜଡ଼ ବଧିର ଅନ୍ଧମତେ ॥୩୩
ଭୂମି କରଇ ପର୍ଯ୍ୟଟନ । ଏମନ୍ତେ ଗଲା କେତେଦିନ ॥୩୪
ଯହୁଁ ହୋଇଲା ଗ୍ରୀଷ୍ମକାଳ । ବିପିନେ ଉଠିଲା ଅନଳ ॥୩୫
ସେ ଅଗ୍ନି ମଧ୍ୟେ ଦେହ ଦେଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥୩୬
ତା’ ଦେଖି ତା’ର ସାନଭାଇ । ବିଷୟା ରସେ ନରସଇ ॥୩୭
ରାଜ୍ୟ ବିସର୍ଜି ବନ୍ଧୁମେଳେ । ପଶିଲା ଅରଣ୍ୟ ଗହଳେ ॥୩୮
ନିରତେ ନାରାୟଣ ପାଦେ । ଭକତି କଲା ଅପ୍ରମାଦେ ॥୩୯
ଅନ୍ତେ ପଶିଲା ହରିଦେହେ । କିଶୋର ବୟସେ ବିମୋହେ ॥୪୦
କରୂଷ ତହୁଁ ଯେତେ ସୁତ । ରାଜା ହୋଇଲେ ବଳବନ୍ତ ॥୪୧
ସ୍ୱଭାବେ ବ୍ରହ୍ମଣ୍ୟ ଧାର୍ମିକ । ନିରତେ ବିଷ୍ଣୁର ସେବକ ॥୪୨
ଉତ୍ତରାପଥେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୪୩
ଧୃଷ୍ଟରୁ ଧାର୍ଷ୍ଟ କ୍ଷତ୍ରି ହୋଏ । ସେ ନ ପଡ଼ିଲେ ମାୟାମୋହେ ॥୪୪
ନିରତେ ଜ୍ଞାନଭାବେ ଜାଣି । ପୂଜିଲେ ପ୍ରଭୁ ଚକ୍ରପାଣି ॥୪୫
ହରିଭକତି ଭାବଭୋଳେ । ବସିଲେ ସମାଧି ନିଶ୍ଚଳେ ॥୪୬
ନୃଗର ପୁତ୍ର ଯେ ସୁମତି । ସୁମତି ପୁତ୍ର ଭୂତଜ୍ୟୋତି ॥୪୭
ବସୁ ଯେ ତାହାର ସନ୍ତତି । ସ୍ୱଧର୍ମେ ପାଳଇ ସେ କ୍ଷିତି ॥୪୮
ପ୍ରତୀକ ବସୁତହୁଁ ଜାତ । ଓଘବାନ ନାମେ ତା’ ସୁତ ॥୪୯
ତାହାର କନ୍ୟା ଓଘବତୀ । ସୁଦରଶନ ତା’ର ପତି ॥୫୦
ନରିଷ୍ୟନ୍ତର ଯେ ନନ୍ଦନ । ନାମ ତାହାର ଚିତ୍ରସେନ ॥୫୧
ଚିତ୍ରସେନର ପୁତ୍ର ଋକ୍ଷ । ତହୁଁ ମୀଢ଼ବାନ ପ୍ରତ୍ୟକ୍ଷ ॥୫୨
ମୀତ୍ୱର ପୁତ୍ର ନାମ ପୂର୍ଣ୍ଣ । ଇନ୍ଦ୍ରସେନ ତା’ର ନନ୍ଦନ ॥୫୩
ତାହାଙ୍କ ସୁତ ବୀତିହୋତ୍ର । ତା’ ତହୁଁ ସତ୍ୟଶ୍ରବା ଜାତ ॥୫୪
ଉରୁଶ୍ରବା ତାହାଙ୍କ ସୁତ । ତା’ ତହୁଁ ଜାତ ଦେବଦତ୍ତ ॥୫୫
ଅଗ୍ନିବେଶ୍ୟ ତା’ଙ୍କ ସନ୍ତତି । ତା’ ତହୁଁ ଅଗ୍ନି ଉତପତ୍ତି ॥୫୬
ଅଗ୍ନିବେଶ୍ୟଙ୍କ ଦୁଇ ନାମ । ଯେ ଜାତୁକର୍ଣ୍ଣ ଯେ କାନୀନ ॥୫୭
ଏ ଦୁଇ ନାମେ ମହାଋଷି । ଜଗତ ମଧ୍ୟେ ସଦା ଘୋଷି ॥୫୮
ତା’ ତହୁଁ ଅଗ୍ନିବେଶ୍ୟାୟନ । ବ୍ରାହ୍ମଣବଂଶ ଉତପନ୍ନ ॥୫୯
ନରିଷ୍ୟନ୍ତର ବଂଶମାନ । ସମସ୍ତ ଶୁଣିଲ ରାଜନ ॥୬୦
ଦିଷ୍ଟବଂଶର କଥାମାନ । ଏବେ ତୁ ଶୁଣ ହୋ ରାଜନ ॥୬୧
ନାଭାଗ ନାମେ ଦିଷ୍ଟସୁତ । କର୍ମେ ସେ ବୈଶ୍ୟଜାତି ପ୍ରାପ୍ତ ॥୬୨
ତାହାର ସୁତ ଭଲନ୍ଦନ । ବତ୍ସ›ପ୍ରୀତି ତା’ର ନନ୍ଦନ ॥୬୩
ପ୍ରାଂଶୁ ତାହାର ସୁତ ହୋଏ । ଯା ରୂପ କନ୍ଦର୍ପକୁ ମୋହେ ॥୬୪
ପ୍ରମତି ନାମେ ତା’ର ସୁତ । ଖନିତ୍ର ତା’ର ବଂଶେ ଜାତ ॥୬୫
ଚାକ୍ଷୁଷ ନାମେ ତା’ର ପୁତ୍ର । ବିବିଂଶତି ତାହାର ସୁତ ॥୬୬
ତହିଁରୁ ରମ୍ଭ ହେଲା ଜାତ । ଶୁଣ ରାଜନ ପରୀକ୍ଷିତ ॥୬୭
ରମ୍ଭର ପୁତ୍ର ଖନୀନେତ୍ର । ପରମ ଧାର୍ମିକ ଯେ ଖ୍ୟାତ ॥୬୮
ତାହାର ସୁର କରନ୍ଧମ । ତା’ ତହୁଁ ଅବିକ୍ଷିତ ଜନ୍ମ ॥୬୯
ମରୁତ୍ତ ତାହାର ସନ୍ତତି । ସେ ଭୂମି ମଧ୍ୟେ ଚକ୍ରବର୍ତ୍ତୀ ॥୭୦
ସମ୍ବର୍ତ୍ତ ଅଙ୍ଗିରାର ବଳା । ଯାହାର ଯାଗ କରାଇଲା ॥୭୧
ସେ ଯଜ୍ଞେ ସର୍ବ ଦେବେ ଆସି । ନିତ୍ୟେ ଯଜ୍ଞକୁ ପରଶଂସି ॥୭୨
ବୋଲନ୍ତି ଯଜ୍ଞପାତ୍ରେ ଚାହିଁ । ଏମନ୍ତ ଦେଖିଲା ତ ନାହିଁ ॥୭୩
ହିରଣ୍ୟମୟ ବସ୍ତୁ ଦେଖି । ରସ ଭୋଜନେ ହୋଇ ସୁଖୀ ॥୭୪
ଇନ୍ଦ୍ର ମାତିଲେ ସୋମ ଖାଇ । ବିପ୍ରେ ମାତିଲେ ଦାନ ପାଇ ॥୭୫
ଯା’ର ସଭାରେ ବିଶ୍ୱଦେବା । ବାୟୁ ସମେତ କଲେ ସେବା ॥୭୬
ମରୁତ୍ତ ସୁତ ଦମ ନାମ । ଜଗତ ରୂପ ଦେଖେ ସମ ॥୭୭
ରାଜବର୍ଦ୍ଧନ ତା’ ନନ୍ଦନ । ତା’ର ସୁଧୃତି ଅନୁପମ ॥୭୮
ସୁଧୃତି କୁମର ସୁମତି । ନର ନାମରେ ସେହୁ ଖ୍ୟାତି ॥୭୯
କେବଳ ତାହାର ନନ୍ଦନ । ତା’ର କୁମର ବନ୍ଧୁମାନ ॥୮୦
ତା’ର କୁମର ବେଗବାନ । ବନ୍ଧୁ ଯେ ତାହାର ନନ୍ଦନ ॥୮୧
ତା’ର ତନୁଜ ତୃଣବିନ୍ଦୁ । ତା’ ରୂପେ ପଟାନ୍ତର ଇନ୍ଦୁ ॥୮୨
ତାହାର ପତ୍ନୀ ଅଳମ୍ଭୁଷା । ଅପ୍ସରାଗଣେ ସେ ପ୍ରଶଂସା ॥୮୩
ତା’ ଗର୍ଭେ ଇଡ଼ବିଡ଼ା ଜାତ । ବିଶ୍ରବା ମୁନି ଯାର କାନ୍ତ ॥୮୪
ବିଶ୍ରବା ଇଡ଼ବିଡ଼ା ଗର୍ଭେ । କୁବେର ଉପୁଜିଲେ ଭାବେ ॥୮୫
ସେ ମୁନି ଯୋଗେଶ୍ୱର ବଳା । ଆନନ୍ଦେ ପୁତ୍ରେ ଶିକ୍ଷା ଦେଲା ॥୮୬
ତୃଣବିନ୍ଦୁର ପୁତ୍ରଗଣ । ଏବେ ତାହାଙ୍କ ନାମ ଶୁଣ ॥୮୭
ବିଶାଳ ଶୂନ୍ୟବନ୍ଧୁ ଆର । ଧୂମକେତୁ ଆଦି କୁମର ॥୮୮
ବୈଶାଳୀ ପୁରୀ ଯେ ନିମାଁଇ । ତା’ ତହୁଁ ହେମଚନ୍ଦ୍ର ହୋଇ ॥୮୯
ଧୂମ୍ରାକ୍ଷ ନାମେ ତା’ର ସୁତ । ଏବେ ହୋ ଶୁଣ ନରନାଥ ॥୯୦
ସଂଯମ ତାହାର ତନୁଜ । ତହୁଁ କୃଶାଶ୍ୱ ଯେ ଦେବଜ ॥୯୧
କୃଶାଶ୍ୱ ପୁତ୍ର ସୋମଦତ୍ତ । ତା’ର ମହିମା ଅଦଭୁତ ॥୯୨
ଅନେକ ଅଶ୍ୱମେଧ କଲା । ପରମବ୍ରହ୍ମେ ସେ ପଶିଲା ॥୯୩
ସୁମତି ସୋମଦତ୍ତ ବଳା । ରୂପେ ବିରାଜେ କାମକଳା ॥୯୪
ତା’ର କୁମର ମହାଶୟ । ନାମ ଯାହାର ଜନ୍ମେଜୟ ॥୯୫
ବୈଶାଳୀପୁରେ ଏତେ ରାଜା । ସୁଖେ ପାଳିଲେ ଜନପ୍ରଜା ॥୯୬
ଯଶ ତାହାଙ୍କ ନିଜ ଧନ । ସକଳ ଗୁଣେ ବିଦ୍ୟମାନ ॥୯୭
ଏମନ୍ତେ କହିଲି ମୁଁ ତୋତେ । ଶୁଣ ପରୀକ୍ଷ ଏକଚିତ୍ତେ ॥୯୮
ବଂଶାନୁଚରିତ ଏ ବିଧି । ଯା’ର ସ୍ମରଣେ ସର୍ବସିଦ୍ଧି ॥୯୯
ଏହା ଯେ ଶୁଣନ୍ତି ଶୁଣାନ୍ତି । ଅପୁତ୍ର ସୁପୁତ୍ର ଲଭନ୍ତି ॥୧୦୦
କମଳା ରହେ ତା’ ଭୁବନେ । ଯଶ ବଢ଼ଇ ଦିନେ ଦିନେ ॥୧୦୧
ଶୁଣ ସୁଜନେ ଏହା ନିତ୍ୟେ । ସଂସାରୁ ତରିବ ଯେମନ୍ତେ ॥୧୦୨
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱିତୀୟୋଽଧ୍ୟାୟଃ । ।

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ସାବଧାନେ । ମନୁର ବଂଶାନୁବିଧାନେ ॥୧
ଶର୍ଯ୍ୟାତି ନାମେ ମନୁସୁତ । ଶୁଣ ହୋ ତାହାର ଚରିତ ॥୨
ସ୍ୱଭାବେ ବ୍ରହ୍ମିଷ୍ଠ ହୋଇଲା । ଅଙ୍ଗିରା ଯଜ୍ଞେ ଦୀକ୍ଷା ଦେଲା ॥୩
ସୁକନ୍ୟା ନାମେ ତା’ର କନ୍ୟା । ହୋଇଲା ରୂପେ ଅନୁପମା ॥୪
ସେ କନ୍ୟା ପିତାର ସଙ୍ଗତେ । ଆନନ୍ଦେ ପଶିଲା ବନସ୍ତେ ॥୫
କୁମାରୀ ପାଞ୍ଚ ସାତ ସଙ୍ଗେ । ବନେ ଭ୍ରମଇ ଅତିରଙ୍ଗେ ॥୬
ସେ ବନେ ଭୃଗୁର ନନ୍ଦନ । ତପସ୍ୱୀ ନାମ ତା’ ଚ୍ୟବନ ॥୭
ସେ ବନେ ନିଶ୍ଚଳ ଆସନେ । ବସିଲା ଯୋଗର ଧାରଣେ ॥୮
ରହିଲା ଅନେକ ବରଷ । ହୋଇଲା ଅସ୍ଥି ଚର୍ମ ଶେଷ ॥୯
ବଲ୍ମୀକ କୀଟ ତା’ର ଦେହେ । ମୁଖ ଢାଙ୍କିଲେ ମୂତ୍ତିକାଏ ॥୧୦
ବଲ୍ମୀକ କୁଦ ପ୍ରାୟ ଦିଶେ । କେବଳ ନୟନ ପ୍ରକାଶେ ॥୧୧
ଏମନ୍ତେ ରାଜକନ୍ୟା ଗଲା । ଚ୍ୟବନ ନିକଟେ ମିଳିଲା ॥୧୨
ବଲ୍ମୀକ କୁଦ ମଧ୍ୟେ ଭିନ୍ନ । ଦିଶଇ ମୁନିଙ୍କ ନୟନ ॥୧୩
ଅଦ୍‌ଭୁତ ବେନି ଜ୍ୟୋତି ଚାହିଁ । ସୁକନ୍ୟା ମନେ ବିଚାରଇ ॥୧୪
ଏ ତ ସୁନ୍ଦର ଜ୍ୟୋତି ଦିଶେ । ତେଜେ ତିମିର ବନେ ନାଶେ ॥୧୫
ଏମନ୍ତ ମନେ ପରିମାଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥୧୬
ସେ ବେନି ଜ୍ୟୋତି କଲା କ୍ଷତ । ତକ୍ଷଣେ ସ୍ରବିଲା ରକତ ॥୧୭
ବଲ୍ମୀକ ମଧ୍ୟେ ଶୋଣି ବହେ । ଧାରା ଦିଶଇ ମୁନି ଦେହେ ॥୧୮
ମୁନିଙ୍କି ଅପରାଧ କଲା । ଶୁଣ ହେ ଅଭିମନ୍ୟୁବଳା ॥୧୯
ତକ୍ଷଣେ ରାଜାର ସମେତେ । ଅପରେ ଥିଲେ ଲୋକ ଯେତେ ॥୨୦
ସର୍ବେ ହୋଇଲେ ଅପରାଧୀ । ହୋଇଲା ମୂତ୍ରଦ୍ୱାରା ରୁନ୍ଧି ॥୨୧
ସୁକନ୍ୟା ସଙ୍ଗେ କନ୍ୟା ଯେତେ । ଥିଲେ ଯେ ରାଜାଙ୍କ ସଙ୍ଗତେ ॥୨୨
କେହି ନ ପାରେ ମୂତ୍ର କରି । କାନ୍ଦନ୍ତି ମୂତ୍ରଦ୍ୱାରା ଧରି ॥୨୩
ସର୍ବେ କରନ୍ତି ହାହାକାର । ଶୁଣି ଶର୍ଯ୍ୟାତି ନୃପବର ॥୨୪
ସକଳେ ପୁଚ୍ଛି ଦୁଃଖମନ । କନ୍ୟାକୁ ବୋଲନ୍ତି ବଚନ ॥୨୫
ତୁ ଯେ ବନସ୍ତେ ଭ୍ରମୁ ଥିଲୁ । କାହିଁକି ଅବା ଆଚରିଲୁ ॥୨୬
ସେ କର୍ମବଳେଟି ଏ ବ୍ୟାଧି । ରହିଲା ମୂତ୍ରଦ୍ୱାର ରୁନ୍ଧି ॥୨୭
ସର୍ବେ ମରିବା ଏହିକ୍ଷଣି । ସୁକନ୍ୟା କହେ ତାହା ଶୁଣି ॥୨୮
ଭୋ ତାତ ବଲ୍ମୀକ ଉପରେ । ଜ୍ୟୋତି-ଯୁଗଳ ଦେଖି ଖରେ ॥୨୯
ଅଦ୍‌ଭୁତ ପ୍ରାୟେ ମୁହିଁ ମଣି । କଣ୍ଟକ ବୃକ୍ଷୁଁ କଣ୍ଟା ଆଣି ॥୩୦
ଭେଦିଲି ସେ ଜ୍ୟୋତି ଅଦ୍‌ଭୁତ । ତକ୍ଷଣେ ସ୍ରବିଲା ରକତ ॥୩୧
ତା’ ଶୁଣି ନୃପ ଅତିବେଗେ । ମିଳିଲା ବଲ୍ମୀକର ଆଗେ ॥୩୨
ସଂଭ୍ରମେ ବେନିକର ଯୋଡ଼ି । କହେ ବଲ୍ମୀକ ତଳେ ପଡ଼ି ॥୩୩
ଭୋ କୀଟ ବଲ୍ମୀକ ତୋ’ ଦେହ । ରୁଧିର ବହେ କିମ୍ବା କହ ॥୩୪
ମୁଁ ତୋ’ର କଲି ଅପରାଧ । ତୋ’ଜ୍ୟୋତି କନ୍ୟା କଲାଭେଦ ॥୩୫
ସେ କନ୍ୟା ସ୍ୱଭାବେ ଚଞ୍ଚଳ । ସର୍ବେ ପାଇଲୁ ପ୍ରତିଫଳ ॥୩୬
ନିରୋଧ ହେଲା ମୂତ୍ରଦ୍ୱାରା । ରଖ ଶରଣ ଗଲି ତୋ’ର ॥୩୭
ଏମନ୍ତ ରାଜାବାକ୍ୟ ଶୁଣି । ଚ୍ୟବନ କହେ ଖେଦବାଣୀ ॥୩୮
ଭୋ ନୃପ ଭୃଗୁର କୁମର । ଚ୍ୟବନଋଷି ନାମ ମୋ’ର ॥୩୯
ମୁଁ ଏ ଅରଣ୍ୟେ ତପ କରି । ଚିନ୍ତଇ ପ୍ରଭୁ ନରହରି ॥୪୦
ଆସନେ ବସିଲି ନିଶ୍ଚଳ । ଏମନ୍ତେ ଗଲା କେତେକାଳ ॥୪୧
ବଲ୍ମୀକ କୀଟ ମୋ’ ଶରୀରେ । ମାଂସ ରୁଧିର ଭକ୍ଷି ଖରେ ॥୪୨
ମୃତ୍ତିକା ମୋହର ଉପରେ । ମୁଖେ ଆଚ୍ଛାଦି ନିରନ୍ତରେ ॥୪୩
ଦେହ ଭକ୍ଷିଲେ ସ୍ୱାଦୁ ରସେ । କେବଳ ଅସ୍ଥି ରହେ ଶେଷେ ॥୪୪
ଏମନ୍ତ ମୁନିମୁଖୁଁ ଶୁଣି । ଚରଣେ ପଡ଼ି ନୃପମଣି ॥୪୫
ଧରିଣ ମୁନିଙ୍କ ଚରଣ । ବୋଲଇ କର ପରିତ୍ରାଣ ॥୪୬
ଏ ଯେ ସୁକନ୍ୟା ମୋ’ ଦୁଲଣୀ । ଏ ହେଉ ତୋହର ଘରଣୀ ॥୪୭
ସତ୍ୟ ବଚନ ଏ ମୋହର । ଏଥକୁ ସାକ୍ଷୀ ଦିବାକର ॥୪୮
ଏମନ୍ତ ରାଜା ମୁଖୁଁ ଶୁଣି । ଚ୍ୟବନ କହେ ମଞ୍ଜୁବାଣୀ ॥୪୯
ଏ ଯେବେ ସତ୍ୟବାକ୍ୟ ତୋ’ର । ସ୍ରବୁ ସକଳ ମୂତ୍ରଦ୍ୱାର ॥୫୦
ଶୁଣି ସେ ଚ୍ୟବନ ବଚନ । ଫିଟିଲା ମୂତ୍ର-ନିରୋଧନ ॥୫୧
ସର୍ବେ ଲଭିଲେ ପରିତ୍ରାଣ । ଏବେ ହୋ ପରୀକ୍ଷିତ ଶୁଣ ॥୫୨
ମୁନିଙ୍କି କନ୍ୟାଦାନ କରି । ରାଜା ଚଳିଲା ନିଜ ପୁରୀ ॥୫୩
ନିଜ ଜନଙ୍କ ସଙ୍ଗେ ମିଶି । ଚ୍ୟବନ ମହିମା ପ୍ରକାଶି ॥୫୪
ସୁକନ୍ୟା ଚ୍ୟବନ ସମୀପେ । ଖଟଇ ମନ ଅନୁରୂପେ ॥୫୫
ନିତ୍ୟେ କଳ୍ପିତ ଭିକ୍ଷା ଆଣି । ଯେ ମିଳେ ଶାକ କନ୍ଦ ପାଣି ॥୫୬
ଏମନ୍ତେ ଶୁଣ ନୃପବର । ବିଧାତା ବଳ ବଳୀୟାର ॥୫୭
ଏମନ୍ତେ କେତେକାଳ ଗଲା । ସୁକନ୍ୟା ରଜ ପ୍ରକାଶିଲା ॥୫୮
ସେ ଦିନ ପ୍ରଭାତର କାଳେ । ଅଶ୍ୱିନୀ କୁମାରେ ମିଳିଲେ ॥୫୯
ମୁନିଙ୍କି ନମସ୍କାର କରି । ବସିଲେ ଆସନ ଆବୋରି ॥୬୦
ଚ୍ୟବନ ଉଠି ମନତୋଷେ । ଅଶ୍ୱିନୀ କୁମାରଙ୍କ ପାଶେ ॥୬୧
ପାଦ୍ୟାର୍ଘେ ଚରଣ ପୂଜିଲେ । ଅନେକ ସ୍ତୁତିବାକ୍ୟ କଲେ ॥୬୨
ବୋଲନ୍ତି ବିଶ୍ୱାସ କରାଇ । ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ ॥୬୩
ଯେ ତୁମ୍ଭ ନାମ ଉଚ୍ଚାରନ୍ତି । ରୋଗ-ପ୍ରବନ୍ଧୁ ସେ ତରନ୍ତି ॥୬୪
ଦେଖ ଏ ମୋହର ଶରୀର । ଜରା ଅବସ୍ଥା ଜରଜର ॥୬୫
ଶର୍ଯ୍ୟାତି କନ୍ୟା ମୋତେ ଦେଲା । ଭାବ ଅଭାବ ନ ଜାଣିଲା ॥୬୬
ଦେଖ ଏ କନ୍ୟା ପତିବ୍ରତା । ଏହାକୁ ହୁଅ ବରଦାତା ॥୬୭
ଏ ବୃଦ୍ଧ-ଦୁଃଖ ମୋର ହର । ଯୁବାବୟସ ମୋତେ କର ॥୬୮
ମୁଁ ପୁଣି ତୁମ୍ଭ ଉପକାରେ । କରିବି ଯଥାର୍ଥ ବେଭାରେ ॥୬୯
ତୁମ୍ଭେ ଯେ ଦେବବୈଦ୍ୟ ଦୋଷେ । ଯଜ୍ଞେ ନ ଲଭ ସୋମ ଅଂଶେ ॥୭୦
ଏବେ ମୁଁ ତୁମ୍ଭୁଙ୍କୁ ବରିବି । ଆନନ୍ଦେ ଯଜ୍ଞଭାଗ ଦେବି ॥୭୧
ଇନ୍ଦ୍ର କି କରିବ ମୋହର । ଯୁବା ଶରୀର ମୋତେ କର ॥୭୨
ଏମନ୍ତ ମୁନିମୁଖୁଁ ଶୁଣି । ଅଶ୍ୱିନୀ ସୁତେ ମନେ ଗୁଣି ॥୭୩
ବୋଲନ୍ତି ମୁନି ମୁଖ ଚାହିଁ । ଏ କଥା ଅନ୍ୟଥା ନୁହଇ ॥୭୪
ଅମ୍ବର ସଙ୍ଗେ ସିଦ୍ଧହ୍ରଦେ । ସ୍ନାହାନ କର ଅପ୍ରମାଦେ ॥୭୫
ହୋଇବ କନ୍ଦର୍ପ ଶରୀର । ପ୍ରତ୍ୟକ୍ଷ ଦେଖ ମନ୍ତ୍ରବଳ ॥୭୬
ତା’ ଶୁଣି ଚ୍ୟବନ ଆନନ୍ଦେ । ବେଗେ ପଶିଲେ ସିଦ୍ଧହ୍ରଦେ ॥୭୭
ତିନିହେଁ ହସ୍ତେ ହସ୍ତଧରି । ଜଳେ ବୁଡ଼ିଲେ ବୋଲି ହରି ॥୭୮
ତକ୍ଷଣେ ଏକରୂପ ହୋଇ । ଉଠିଲେ କନ୍ୟାମୁଖ ଚାହିଁ ॥୭୯
କି ଅବା ଦେବା ପଟାନ୍ତର । ରୂପେ ମୋହିଲେ ସୁରନର ॥୮୦
ସେ କନ୍ୟା ତୀରେ ଚାହିଁଥିଲା । ନିଜ ସ୍ୱାମୀକି ନ ଚିହ୍ନିଲା ॥୮୧
ବିକଳେ ହୋଇ ଛନ୍ନଛନ୍ନ । ଚାହିଁଣ ତାହାଙ୍କ ବଦନ ॥୮୨
କର ଅଞ୍ଜଳି ଶିରେ ଦେଇ । ବୋଲଇ ମୋତେ କର ତ୍ରାହି ॥୮୩
ମୁଁ ଯେବେ ସତ୍ୟ ପତିବ୍ରତା । ନିକଟେ ଦିଅ ମୋର ଭର୍ତ୍ତା ॥୮୪
ଅଶ୍ୱିନୀ ସୁତେ ତାହା ଶୁଣି । ସ୍ୱାମୀକି ଦେଲେ ତା’ର ଆଣି ॥୮୫
ଋଷିଙ୍କି ନମସ୍କାର ହୋଇ । ସ୍ୱର୍ଗେ ଚଳିଲେ ବେନିଭାଇ ॥୮୬
ଶୁଣ ହୋ ପରୀକ୍ଷିତ ଏବେ । ଶର୍ଯ୍ୟାତି ଯଜ୍ଞର ଆରମ୍ଭେ ॥୮୭
ଚ୍ୟବନ ଆଶ୍ରମେ ମିଳିଲା । ନୟନେ ଅଦ୍‌ଭୁତ ଦେଖିଲା ॥୮୮
ନିଜର କନ୍ୟାର ପାଶେ ବସି । ପୁରୁଷେ ଦିଶେ ତେଜ ରାଶି ॥୮୯
ସୁକନ୍ୟା ଆସି ପିତା ପାଦେ । ସ୍ୱଭାବେ ନମିଲା ଆନନ୍ଦେ ॥୯୦
ତାହାକୁ କଲ୍ୟାଣ ନ କରି । କନ୍ୟାକୁ ବୋଲେ କୋପକରି ॥୯୧
ଅଦ୍ଭୁତ କର୍ମ ଏ ତୋହର । ଅତ୍ୟନ୍ତ ବୃଦ୍ଧ ତୋ’ର ବର ॥୯୨
ତା’ର ଚରଣେ ସେବା ଛାଡ଼ି । ଯୁବା ପୁରୁଷେ ଲୋଭ ବଢ଼ି ॥୯୩
କେମନ୍ତେ ଟଳିଲା ତୋ’ ମତି । ସଂସାରେ ଯେସନେ ଅସତୀ ॥୯୪
କୁଳ ଦୂଷଣ କର୍ମ କଲୁ । ବୃଦ୍ଧ ସ୍ୱାମୀକି ଉପେକ୍ଷିଲୁ ॥୯୫
ଜାର ପୁରୁଷେ କଲୁ ମତି । ଏ ବଡ଼ ତୋହର ଅନୀତି ॥୯୬
ଉଭୟ କୁଳ କଲୁ ନାଶ । ପରପୁରୁଷେ ତୋ’ ବିଶ୍ୱାସ ॥୯୭
ଏ କର୍ମେ ପିତା-ପତି-ବଂଶ । ନରକେ କରାଇଲୁ ବାସ ॥୯୮
ଏମନ୍ତ ପିତାବାକ୍ୟ ଶୁଣି । ହସି ବୋଲଇ ତା’ ଦୁଲଣୀ ॥୯୯
ଭୋ ତାତ ଭ୍ରାନ୍ତି ତୁ ନ କର । ଏହିଟି ମୋର ନିଜ ବର ॥୧୦୦
ଏମନ୍ତ ପିତାର ଅଗ୍ରତେ । ସର୍ବ କହିଲା ଆଦି ଅନ୍ତେ ॥୧୦୧
ଯେମନ୍ତେ ସ୍ୱର୍ଗ ବୈଦ୍ୟେ ଆସି । ସୁନ୍ଦର କଲେ ଜଳେ ପଶି ॥୧୦୨
ବୃଦ୍ଧକୁ ଯୁବା ରୂପ କଲେ । ରଥ ଆରୋହୀ ସ୍ୱର୍ଗେ ଗଲେ ॥୧୦୩
ଏମନ୍ତେ ପୁତ୍ରୀ ବାକ୍ୟ ଶୁଣି । ଅତି ଆନନ୍ଦ ନୃପମଣି ॥୧୦୪
ତକ୍ଷଣେ ଦୁହିତା ବଚନ । ଅଦ୍‌ଭୁତ ଶୁଣି ସେ ରାଜନ ॥୧୦୫
ଅତି ଆନନ୍ଦେ ମୋଦ ଭରି । ନିଜ ଦୁହିତା କୋଳକରି ॥୧୦୬
ତକ୍ଷଣେ ନିଜପୁରେ ଗଲା । ଶୁଣ ହେ ଅଭିମନ୍ୟୁ ବଳା ॥୧୦୭
ନିଜ ଭୁବନେ ନୃପମଣି । ଚ୍ୟବନ ମୁନି ଗୃହେ ଆଣି ॥୧୦୮
ଆଗମ-ନିଗମ-ଉକତେ । ଯଜ୍ଞ ସେ କଲା ବିଧିମତେ ॥୧୦୯
ଚ୍ୟବନ ବାକ୍ୟେ ଯଜ୍ଞ ଘରେ । ମିଳିଲେ ଅଶ୍ୱିନୀ କୁମାରେ ॥୧୧୦
ତାହାଙ୍କୁ ସୋମ ଦେବା ବେଳେ । ଇନ୍ଦ୍ର ମିଳିଲା ଯଜ୍ଞଶାଳେ ॥୧୧୧
ବଜ୍ର ଉଞ୍ଚାଇ କୋପଭରେ । ନିଷେଧ କଲା ମନ୍ତ୍ରସ୍ୱରେ ॥୧୧୨
ତା’ ଦେଖି ଚ୍ୟବନ ଉଠିଲେ । ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲେ ॥୧୧୩
ମାରି ନ ପାରି ବଜ୍ର କୋପେ । ଇନ୍ଦ୍ର ଶରୀର ଭୟେ କମ୍ପେ ॥୧୧୪
ବୋଲଇ ମୁନିମୁଖ ଚାହିଁ । ଏ କଥା ଉଚିତ ନୁହଇ ॥୧୧୫
ଯଜ୍ଞେ ଏହାଙ୍କ ଭାଗ ନାହିଁ । ଆହୁତି ଦିଅ କାହିଁ ପାଇଁ ॥୧୧୬
ଚ୍ୟବନ ବୋଲେ ଇନ୍ଦ୍ରେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥୧୧୭
ଏ ଯହୁଁ ଯୁବା କଲେ ମୋତେ । ଆହୁରି ଦେବି ଯଜ୍ଞ ଅନ୍ତେ ॥୧୧୮
ଯଜ୍ଞରେ ଶେଷଭାଗ ପାଇ । ସନ୍ତୋଷ ହେବେ ବେନିଭାଇ ॥୧୧୯
ବ୍ୟାଧି ନାଶିବେ ଯଜମାନେ । ଏମନ୍ତେ ଚ୍ୟବନ ବଚନେ ॥୧୨୦
ତୋଷ ହୋଇଲେ ସୁରନାଥ । ମୁନି ଛାଡ଼ିଲେ ତା’ର ହସ୍ତ ॥୧୨୧
ସେଦିନୁ ସର୍ବଦେବେ ଯଜ୍ଞେ । ତା’ଙ୍କୁ ସ୍ଥାପିଲେ ହବିର୍ଭାଗେ ॥୧୨୨
ଶେଷେ ସେ ସୋମଭାଗ ପା’ନ୍ତି । ଏବେ ହୋ ଶୁଣ ନରପତି ॥୧୨୩
ଏମନ୍ତେ ଯଜ୍ଞକର୍ମ ଫଳେ । ପୁତ୍ରେ ଜନ୍ମିଲେ ରାଜାକୁଳେ ॥୧୨୪
ଅତି ସୁନ୍ଦର ଅନୁପମ । ଶୁଣ ହେ ତାହାଙ୍କର ନାମ ॥୧୨୫
ଉତ୍ତାନବରହି ଆନର୍ତ୍ତ । ତୃତୀୟେ ଭୂରିସେନ ଜାତ ॥୧୨୬
ଶର୍ଯ୍ୟାତି ପୁତ୍ରେ ମହାତେଜେ । ପ୍ରଜାପାଳିଲେ ଶୁଭେ ରାଜ୍ୟେ ॥୧୨୭
ଆନର୍ତ୍ତ ନାମେ ମଧ୍ୟ ସୁତ । ଶୁଣ ହେ ତାହାଙ୍କ ଚରିତ ॥୧୨୮
ସେ ନିତ୍ୟେ ହରି ସେବା କରେ । ସେ ପୁଣ୍ୟେ ତା’ପତ୍ନୀ ଉଦରେ ॥୧୨୯
ରେବତ ନାମେ ପୁତ୍ର ଜାତ । ହୋଇଲା ଅତି ବଳବନ୍ତ ॥୧୩୦
ସମୁଦ୍ର ମଧ୍ୟେ ପୁର କଲା । ତା’ ନାମ କୁଶସ୍ଥଳୀ ଦେଲା ॥୧୩୧
ସେ ରାଜ୍ୟେ ବସି ଦିନାକେତେ । ଭୋଗ ଭୁଞ୍ଜିଲା ନାନାମତେ ॥୧୩୨
ନିତ୍ୟେ ସେ ବିଷ୍ଣୁଙ୍କୁ ସେବଇ । ତାହାର ଶତ୍ରୁ ନାହିଁ କେହି ॥୧୩୩
ତାହାର ଶତେ ପୁତ୍ର ଜାତ । ତାହାଙ୍କ ମଧ୍ୟେ ଜ୍ୟେଷ୍ଠଭ୍ରାତ ॥୧୩୪
କକୁଦ୍ମୀ ନାମ ତା’ର ହୋଏ । ଇନ୍ଦ୍ର କମ୍ପଇ ଯା’ର ଭୟେ ॥୧୩୫
ରେବତୀ ନାମେ କନ୍ୟା ତା’ର । ସୁନ୍ଦରେ ନାହିଁ ପଟାନ୍ତର ॥୧୩୬
ସେ କନ୍ୟା ଘେନି ଅତି ଦୁଃଖେ । ଦିନେ ମିଳିଲେ ବ୍ରହ୍ମଲୋକେ ॥୧୩୭
ଭୂମିରେ ନୃପତି କୁମର । ଯେତେ ମିଳିଲେ ତା’କୁ ବର ॥୧୩୮
ତା’ଙ୍କୁ ନ ଦେଲା କୁଳ ଶ୍ରେଷ୍ଠେ । ମିଳିଲା ବ୍ରହ୍ମାଙ୍କ ନିକଟେ ॥୧୩୯
ସେ ବ୍ରହ୍ମା ଘେନି ମହାଜନ । କରଇ ବିଷ୍ଣୁର କୀର୍ତ୍ତନ ॥୧୪୦
କ୍ଷଣେ ରହିଲେ ତା’କୁ ଦେଖି । ସେ ଧାତା କୀର୍ତ୍ତନ ଉପେକ୍ଷି ॥୧୪୧
ତକ୍ଷଣେ ଚାହିଁ ତା’ ବଦନ । ବୋଲନ୍ତି ମଧୁର ବଚନ ॥୧୪୨
କିପାଁ ଅଇଲୁ ବ୍ରହ୍ମଲୋକେ । ଏ କନ୍ୟା ଘେନି ମନଦୁଃଖେ ॥୧୪୩
ବ୍ରହ୍ମା ବଚନେ ଦଣ୍ତଧାରୀ । ଚରଣେ ନମସ୍କାର କରି ॥୧୪୪
ବୋଲଇ ଅତି ଦୁଃଖ ଭରେ । ଏ କନ୍ୟା ଦେବି କେଉଁ ବରେ ॥୧୪୫
ଏ କଥା ରାଜା ମୁଖୁଁ ଶୁଣି । ହସି ବୋଲନ୍ତି କୁଶପାଣି ॥୧୪୬
ଅଦ୍‌ଭୁତ୍ କଥା ଏ ତୋହର । ଭୂମିରେ ନ ବରିଲୁ ବର ॥୧୪୭
ଯା’ କଥା ଅଇଲୁ ତୁ କହି । ଭୂମିରେ ତା’ଙ୍କ ବଂଶ ନାହିଁ ॥୧୪୮
ବ୍ରହ୍ମାଣ୍ତ ମଧ୍ୟେ କାଳ ବଳେ । ଅନେକ ଯୁଗ ବହି ଗଲେ ॥୧୪୯
ତୋ’ ପୁତ୍ର ନାତି ଯେତେ ଥିଲେ । କାଳର ବଳେ ନାଶ ଗଲେ ॥୧୫୦
ତୋ’ ଗୋତ୍ର ନାହିଁ ରବି ତଳେ । ଶୁଣ ହେ ଯେତେ ଯୁଗ ଗଲେ ॥୧୫୧
ପ୍ରଚଣ୍ତ କାଳଲୀଳା ବଳେ । ବିଷ୍ଣୁ ବିହରେ ରବି ତଳେ ॥୧୫୨
ସପତ ବିଂଶ ଚତୁର୍ଯୁଗ । ଭୂମିରେ କାଳ କଲା ଭୋଗ ॥୧୫୩
ଅଧିକ ତିନିଯୁଗ ଗଲା । କଳିର ଆଗମନ ହେଲା ॥୧୫୪
ଦ୍ୱାପର ଯୁଗ ଅବସାନ । ଏବେ ତୁ ଶୁଣ ମୋ’ ବଚନ ॥୧୫୫
ଭାରା ନିବାରଣ ନିମନ୍ତେ । ବିଷ୍ଣୁ ଜନ୍ମିଲେ ଏ ଜଗତେ ॥୧୫୬
ଦେବକୀ-ଗର୍ଭେ ଦେହ ବହି । ନୀଳ-ଧବଳ ରୂପ ହୋଇ ॥୧୫୭
ଅନନ୍ତ ବଳଭଦ୍ର ରୂପେ । ଜନ୍ମ ଲଭିଲେ ମୋହ କଳ୍ପେ ॥୧୫୮
ଏ କନ୍ୟାରତ୍ନ ତା’ଙ୍କୁ ଦେଇ । ଭବସାଗରୁ ତର ତୁହି ॥୧୫୯
ଏମନ୍ତ ବ୍ରହ୍ମା ମୁଖୁଁ ଶୁଣି । ଆନନ୍ଦ ମନେ ନୃପମଣି ॥୧୬୦
ତକ୍ଷଣେ ନିଜ ପୁରେ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୬୧
ତାହାର ଯେତେ ଭାଇ ଥିଲେ । ଯକ୍ଷଙ୍କ ଭୟେ ପଳାଇଲେ ॥୧୬୨
ସେ କନ୍ୟା ବଳଭଦ୍ରେ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ॥୧୬୩
ତପକରଣେ ଶୁଦ୍ଧମନେ । ମିଳିଲା ବଦରିକାଶ୍ରମେ ॥୧୬୪
ଯାହା ବୋଇଲେ ନରହରି । ଭାଷା ପ୍ରବନ୍ଧେ ଗୀତ କରି ॥୧୬୫
ସୁଜନେ ଏଣେ ମତି କର । ତରିବ ସଂସାର-ସାଗର ॥୧୬୬
ଅନ୍ତେ ପାଇବ ଚକ୍ରଧର । ଏଣେ ବିଶ୍ୱାସ ନିତ୍ୟେ କର ॥୧୬୭
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତୃତୀୟୋଽଧ୍ୟାୟଃ । ।

ଚତୁର୍ଥ ଅଧ୍ୟାୟ

ଶୁକ ଉବାଚ

ନାଭାଗ ନଭଗର ବଳା । ପୂର୍ବେ ସେ ବ୍ରହ୍ମଚର୍ଯ୍ୟ କଲା ॥୧
ଭାଇଏ ତା’ର ଭାଗ କାଟି । ସର୍ବ ସମ୍ପଦ ନେଲେ ବାଣ୍ଟି ॥୨
ଭାଇଙ୍କୁ ବୋଲେ ଭାଗ କାହିଁ । ପିତା ତୋ’ ଭାଗେ ବୋଲେ ଭାଇ॥୩
ପିତାଙ୍କୁ ବୋଲନ୍ତେ ତା’ ଯାଇ । ସେ ବୋଲେ ଉଚିତ ନୁହଇ ॥୪
ବୋଇଲା ପୁଣି ଯାଅ ତୁହି । ଅଙ୍ଗିରସଙ୍କ ଯଜ୍ଞ ଯହିଁ ॥୫
ତାହାଙ୍କୁ ଦେବୁ ଉପଦେଶ । ଲଭିବୁ ଦ୍ରବିଣ ଅଶେଷ ॥୬
ପିତାର ବୋଲେ ଯଜ୍ଞେ ଗଲା । ଅନେକ ଧନ ସେ ଲଭିଲା ॥୭
ତା’ ଘେନି ସେ ଯେ ବାଟେ ଆସେ । ମିଳିଲା କାଳିଆ ପୁରୁଷେ ॥୮
ବୋଲଇ ମୋ’ର ଧନ ନେଇ । ପଳାଇ ଯାଉ କାହିଁପାଇଁ ॥୯
ସେ ବୋଲେ ନ ଜାଣଇ କିଛି । ପିତା ବଚନେ ନେଉଅଛି ॥୧୦
ପୁରୁଷ ବୋଲେ ତୁ ପଚାର । ପିତାଙ୍କୁ ଏ ଧନ କାହାର ॥୧୧
ତହୁଁ ନାଭାଗ ବେଗେ ଗଲା । ସକଳ ପିତାଙ୍କୁ କହିଲା ॥୧୨
ପିତା ବୋଇଲେ ସତ୍ୟ ଏହା । ପୂର୍ବେ ଋଷି ଏ କଲେ ଯାହା ॥୧୩
ଯଜ୍ଞର ଶେଷ-ଧନ ଆଦି । ରୁଦ୍ରଙ୍କ ଭାଗ ବୋଲି ବିଧି ॥୧୪
ନାଭାଗ ତହୁଁ ବେଗେ ଗଲା । ରୁଦ୍ରେ ସକଳ ସମର୍ପିଲା ॥୧୫
ପିତା ପୁତ୍ରର ସତ୍ୟ ଜାଣି । ରୁଦ୍ର ବୋଲନ୍ତି ସାଧୁବାଣୀ ॥୧୬
ବୋଇଲେ ସର୍ବ ଘେନିଯାଅ । ଆବର ବ୍ରହ୍ମଜ୍ଞାନ ପାଅ ॥୧୭
ଏମନ୍ତେ ସେ ନାଭାଗ ରାଜା । ସୁଖେ ପାଳିଲା ଜନପ୍ରଜା ॥୧୮
ଅନେକ କାଳ ରାଜ୍ୟ କଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥୧୯
ନାଭାଗ-ପୁତ୍ର ଅମ୍ବରୀଷ । ସେ ରାଜା ବିଷ୍ଣୁର ବିଶ୍ୱାସ ॥୨୦
ବ୍ରାହ୍ମଣ ଶାପ ନ ଲାଗିଲା । ତା’ ଶୁଣି ଅଭିମନ୍ୟୁବଳା ॥୨୧
ଶୁକ ଚରଣ ବେନି ଧରି । ବୋଲେ ପରୀକ୍ଷ ଦଣ୍ତଧାରୀ ॥୨୨

ରାଜା ଉବାଚ

ନାଭାଗ ପୁତ୍ର ଅମ୍ବରୀଷ । ସେ ଯେବେ ବିଷ୍ଣୁର ବିଶ୍ୱାସ ॥୨୩
ବ୍ରାହ୍ମଣ ଶାପ ନ ଲାଗିଲା । ମୋତେ ତ ସନ୍ଦେହ ଲାଗିଲା ॥୨୪
ଯେ ବ୍ରହ୍ମଦଣ୍ତ ବଜ୍ରଘୋର । କେମନ୍ତେ ତହୁଁ ହେଲା ପାର ॥୨୫
କି ଅବା ତା’ର ତପ ଫଳୁଁ । ତରିଲା ବ୍ରହ୍ମଶାପାନଳୁଁ ॥୨୬
ଏ କଥା କହ ମୁନି ମୋତେ । ସଂଶୟ ଲାଗିଲା ମୋ’ ଚିତ୍ତେ ॥୨୭
ଏମନ୍ତ ରାଜା-ପ୍ରଶ୍ନ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ ॥୨୮

ଶୁକ ଉବାଚ

ଶୁଣ ରାଜନ ଏକଚିତ୍ତେ । ଯେ ପ୍ରଶ୍ନ ବଂଶାନୁଚରିତେ ॥୨୯
ନାଭାଗସୁତ ଅମ୍ବରୀଷ । ଯେମନ୍ତେ ବିଷ୍ଣୁର ବିଶ୍ୱାସ ॥୩୦
ବ୍ରାହ୍ମଣ ଶାପ ନଲାଗିଲା । ଅନ୍ତେ ସେ ଗୋବିନ୍ଦେ ପଶିଲା ॥୩୧
ସେ ସପ୍ତଦ୍ୱୀପେ ଏକ ରାଜା । ସୁଖେ ପାଳଇ ଜନପ୍ରଜା ॥୩୨
ସାତ୍ତ୍ୱିକ-ସମ୍ପଦ ତାହାର । ବିବେକ କେ କରୁ ଗୋଚର ॥୩୩
ସପତ ଦ୍ୱୀପେ ରାଜାପଣେ । ପ୍ରଜା ପାଳଇ ଅନୁକ୍ଷଣେ ॥୩୪
ଶରୀର ସୁଖକୁ ନ ଲେଖେ । ସମ୍ପଦ ସ୍ୱପ୍ନ-ପ୍ରାୟ ଦେଖେ ॥୩୫
ଯେ ପ୍ରାଣୀ ସମ୍ପଦ ଇଚ୍ଛନ୍ତି । ଅନ୍ତେ ସେ ନରକେ ପଡ଼ନ୍ତି ॥୩୬
ଏମନ୍ତ ନିଶ୍ଚେ ଜାଣି ମନେ । ହରି ଭଜଇ ତତ୍ତ୍ୱଜ୍ଞାନେ ॥୩୭
ବିଷ୍ଣୁଭକତ ଯେତେ ଜନ । ତାହାଙ୍କ ପାଦେ ତା’ର ମନ ॥୩୮
ସାଧୁଙ୍କ ପାଦେ ନିତ୍ୟେ ସେବେ । ସଂସାର ଆତ୍ମାରୂପେ ଭାବେ ॥୩୯
ହରିଚରଣ ଯୁଗେ ମନ । ବିଷ୍ଣୁ ଉଚ୍ଚାରଇ ବଦନ ॥୪୦
ବିଷ୍ଣୁର ମନ୍ଦିର ମାର୍ଜନେ । କର ଯୁଗଳ ଅନୁଦିନେ ॥୪୧
ଶ୍ରବଣ ଯୁଗ ତା’ ସୁକଥା । ନିତ୍ୟେ ଶୁଣଇଁ କୃଷ୍ଣକଥା ॥୪୨
ନିରତେ ତାହାର ନୟନ । କଳ୍ପଇ ବିଷ୍ଣୁ-ଦରଶନ ॥୪୩
ଶରୀର-ଚର୍ମ ଅନୁଦିନେ । କଳ୍ପେ ବୈଷ୍ଣବ-ଆଲିଙ୍ଗନେ ॥୪୪
ହରିଚରଣ ପଦ୍ମଗନ୍ଧେ । ନିରତେ ନାସା ତା’ ଆମୋଦେ ॥୪୫
ଶ୍ରୀକୃଷ୍ଣଚରଣ ତୁଳସୀ । ତା’ର ରସନା ତେଣେ ରସି ॥୪୬
ଚରଣ ଯୁଗ କଳ୍ପେ ନିତ୍ୟେ । କୃଷ୍ଣ ମନ୍ଦିରେ ଉପଗତେ ॥୪୭
ବିଷ୍ଣୁ ଚରଣେ ନମସ୍କାର । ଶିର କଳ୍ପଇ ନିରନ୍ତର ॥୪୮
ଚିତ୍ତ କଳ୍ପର ଦାସପଣେ । ବୈଷ୍ଣବ ଚରଣ ସେବନେ ॥୪୯
ହରି-ଭକତ-ଜନେ ରତି । ନିରତେ କଳ୍ପେ ତା’ର ମତି ॥୫୦
ଦେହ ବିଷୟ ତା’ର ଯେତେ । କଳ୍ପଇ ହରିଭାବ ନିତ୍ୟେ ॥୫୧
ବିପ୍ର ଦେବତା ପାଦେ ସେବେ । ପ୍ରଜାଙ୍କୁ ଦେଖେ ବିଷ୍ଣୁଭାବେ ॥୫୨
ସକଳ ସମ୍ପଦ ପ୍ରସିଦ୍ଧି । ଭିଆଇ କରେ ଅଶ୍ୱମେଧି ॥୫୩
ବିପ୍ରଚରଣ ଦାନେ ପୂଜେ । ଯେ ଅଧିଯଜ୍ଞ ବିଧି ଭଜେ ॥୫୪
ଅସିତ ବଶିଷ୍ଠ ଗୌତମ । ସଙ୍ଗତେ ଘେନି ମୁନିଗଣ ॥୫୫
ବିପ୍ର-ସେବନ ଅନୁମତେ । ସରସ୍ୱତୀର ଅଭିସ୍ରୋତେ ॥୫୬
ତାହାର ଯଜ୍ଞସଭା ମଧ୍ୟେ । ତ୍ରିଦଶେ ଅତ୍ୟନ୍ତ ଆନନ୍ଦେ ॥୫୭
ମୁନି-ବ୍ରାହ୍ମଣ ମଧ୍ୟେ ବସି । ନିତ୍ୟେ ଯଜ୍ଞକୁ ପରଶଂସି ॥୫୮
ଦେବ-ମନୁଷ୍ୟ ସଭାଗତେ । ସର୍ବେ ଦିଶନ୍ତି ଏକମତେ ॥୫୯
ଦେବେ ସେ ସଭାମଧ୍ୟେ ଥା’ନ୍ତି । ସ୍ୱର୍ଗ-ଗମନ ନ ବାଞ୍ଛ‚ନ୍ତି ॥୬୦
କୃଷ୍ଣକୀର୍ତ୍ତନ ସଭା ମଧ୍ୟେ । ସକଳେ ଶୁଣନ୍ତି ଆନନ୍ଦେ ॥୬୧
ସ୍ୱର୍ଗର ପ୍ରାୟ ମହୀ ଦିଶେ । ଅଷ୍ଟମନିଧି ଯହିଁ ବସେ ॥୬୨
ଏମନ୍ତ ଭକ୍ତିଯୋଗ ବଳେ । ସେ ରାଜା ସରସ୍ୱତୀ କୂଳେ ॥୬୩
ସ୍ୱଧର୍ମେ ବିଷ୍ଣୁଙ୍କୁ ତୋଷିଲା । ସର୍ବକାମନା ଉପେକ୍ଷିଲା ॥୬୪
ଗୃହ ସମ୍ପଦ ଦାରା ସୁତ । ଜ୍ଞାତି ବାନ୍ଧବ ଇଷ୍ଟ ମିତ୍ର ॥୬୫
ରାଜସମ୍ପଦ ଆଦି ଯେତେ । ଯେ ଅଶ୍ୱ କୁଞ୍ଜର ସହିତେ ॥୬୬
ଅପରେ ଦିବ୍ୟବସ୍ତୁ ଯେତେ । ଇଚ୍ଛା ନ କରେ ତା’ର ଚିତ୍ତେ ॥୬୭
ନିରତେ ଗୋବିନ୍ଦ ଚରଣେ । ମନନିବେଶେ ଅନୁକ୍ଷଣେ ॥୬୮
ତାହାର ଶୁଦ୍ଧଚିତ୍ତ ଜାଣି । ଚକ୍ରକୁ ରାଇ ଚକ୍ରପାଣି ॥୬୯
ବୋଇଲେ ଅମ୍ବରୀଷ ମେଳେ । ତୁ ଚକ୍ର ଥିବୁ ସର୍ବକାଳେ ॥୭୦
ଏହାକୁ ରଖ ନିରନ୍ତରେ । ଯେମନ୍ତେ ସର୍ବଦୁଃଖୁଁ ତରେ ॥୭୧
ଏମନ୍ତେ ବିଷ୍ଣୁ ଆଜ୍ଞା ପାଇ । ସେ ଚକ୍ର ରକ୍ଷାକଲା ଯାଇ ॥୭୨
ସେ ରାଜା ପତ୍ନୀର ସମେତେ । ଉପାସେ ଏକାଦଶୀ ବ୍ରତେ ॥୭୩
କାର୍ତ୍ତିକ ଶୁକ୍ଳପକ୍ଷେ ହରି । ପୂଜିଲା ଉପବାସ କରି ॥୭୪
ପ୍ରଭାତ କାଳେ ମଧୁବନେ । କାଳନ୍ଦୀକୂଳେ ଏକଧ୍ୟାନେ ॥୭୫
ଆନନ୍ଦେ ପତ୍ନୀର ସମେତେ । ବିଷ୍ଣୁ ପୂଜିଲା ଦୃଢ଼ଚିତ୍ତେ ॥୭୬
ଦ୍ରବ୍ୟ ସମ୍ପାଦି ଅତିରେକେ । ପୂଜିଲା ମହାଅଭିଷେକେ ॥୭୭
ଉତ୍ତମ ବସ୍ତ୍ର ଅଳଙ୍କାର । ସୁଗନ୍ଧମାଲ୍ୟ ଉପହାର ॥୭୮
ସଙ୍ଗତେ ଘେନି ନିଜନାରୀ । ଏକାନ୍ତ ଭାବେ ପୂଜା କରି ॥୭୯
ଉତ୍ତମ ବ୍ରାହ୍ମଣ ବସାଇ । ସୁନ୍ଦର ଧେନୁମାନ ଦେଇ ॥୮୦
ଧେନୁକୁ କରି ଅଳଙ୍କାର । ସୁବର୍ଣ୍ଣ ଶୃଙ୍ଗ ରୌପ୍ୟ ଖୁର ॥୮୧
ବିବିଧ ବସ୍ତ୍ର ମଣ୍ତି ଅଙ୍ଗେ । ଗନ୍ଧାଦି ଧୂପଦୀପ ସଙ୍ଗେ ॥୮୨
ପୃଷ୍ଠ-ପାରୁଷେ ତାମ୍ର କାଂସ୍ୟେ । ଧେନୁକୁ ମଣ୍ତିଲା ହରଷେ ॥୮୩
ସୁଶୀଳା ବତ୍ସା ପୟୋସ୍ୱିନୀ । ମଣ୍ତିଲା ଅଳଙ୍କାର ଘେନି ॥୮୪
ବିପ୍ର ବସାଇ ବାକ୍ୟ କଲା । ବତ୍ସା ସହିତେ ଧେନୁ ଦେଲା ॥୮୫
ସୁସ୍ୱାଦୁ ଅନ୍ନ ଷଡ଼ରସେ । ବିପ୍ରଙ୍କୁ ଭୁଞ୍ଜାଇ ସନ୍ତୋଷେ ॥୮୬
ବିପ୍ରଙ୍କ ପାଦଯୁଗେ ଲାଗି । ପାରଣା ଅର୍ଥେ ଆଜ୍ଞା ମାଗି ॥୮୭
ଉଦ୍ୟମ କଲା ନରପତି । ଏମନ୍ତେ ମିଳିଲା ଅତିଥି ॥୮୮
ଦୁର୍ବାସା ଶଂକରଙ୍କ ଅଂଶେ । ଯାହାଙ୍କୁ ଦେଖି ଦେବେ ତ୍ରାସେ ॥୮୯
ତାହାଙ୍କୁ ଦେଖି ନୃପମଣି । ଆସନ ପାଦାସନ ଆଣି ॥୯୦
ପୂଜିଲା ଅତିଥି ସ୍ୱଭାବେ । ଆନନ୍ଦେ ଅତି ଗଉରବେ ॥୯୧
ପୁଣି ଚରଣ ତଳେ ପଡ଼ି । ରାଜା ବୋଲଇ କରଯୋଡ଼ି ॥୯୨
ଭୋ ମୁନି ପାରଣା ମୋହର । ମୋ ଗୃହେ କର ତୁ ଆହାର ॥୯୩
ତକ୍ଷଣେ ଅମ୍ବରୀଷ ବୋଲେ । ଦୁର୍ବାସା ଅଙ୍ଗୀକାର କଲେ ॥୯୪
ଆନନ୍ଦ ମନେ ଧ୍ୟାନ କରି । କାଳିନ୍ଦୀ ଜଳେ ମୋଦ ଭରି ॥୯୫
ବିଳମ୍ବେ ସ୍ନାନ-ସନ୍ଧ୍ୟା କଲେ । ନିଶ୍ଚିନ୍ତେ ବସି ନଦୀକୂଳେ ॥୯୬
ଏବେ ହେ ଶୁଣ ନୃପମଣି । ରାଜା ବିଷାଦ-ମନେ ଗୁଣି ॥୯୭
ପାରଣା ହୋଇଲା ଉଛୁର । ଅତିଥି ନଇଲା ମୋହର ॥୯୮
କେମନ୍ତେ କରିବି ଭୋଜନ । ଅବଜ୍ଞା କରି ମହାଜନ ॥୯୯
ଅର୍ଦ୍ଧ ମୁହୂର୍ତ୍ତେ ଅଛି ବେଳ । ଯଥାର୍ଥ ପାରଣାର କାଳ ॥୧୦୦
ଉଛୁର ପାରଣାର ବେଳା । ମୋତେ ତ ସଙ୍କଟ ପଡ଼ିଲା ॥୧୦୧
ଯେ କର୍ମ କଲେ ସାଧୁବାଣୀ । ରାଜା ବିଚାରେ ମନେ ଗୁଣି ॥୧୦୨
ଲୋକେ ବୋଲିବେ ମୋତେ ଶୁଣି । ଅଧର୍ମ କଲା ନୃପମଣି ॥୧୦୩
ପାରଣା କଲେ ବେଦମତେ । ଅଧର୍ମ ନ ଲାଗିବ ମୋତେ ॥୧୦୪
ଜଳ ଗଣ୍ତୂଷେ କରି ପାନ । ଅତିଥି କରାଇ ଭୋଜନ ॥୧୦୫
ପଛେ ମୁଁ କରିବି ଆହାର । ଏତେ ବିଚାରି ନୃପବର ॥୧୦୬
ଜଳ ପାରଣା ଅପାରଣ । ଏ ଆଦି ନିଗମ ବଚନ ॥୧୦୭
ବିଚାରି ବ୍ରାହ୍ମଣଙ୍କ ତୁଲେ । ଜଳ ଗଣ୍ତୂଷେ ପାନ କଲେ ॥୧୦୮
ତକ୍ଷଣେ ଜଳପାନ କରି । ଭୟେ ସୁମରେ ହରିହରି ॥୧୦୯
ଦୁର୍ବାସା ଆଗମନ ଚାହିଁ । ରାଜା ରହିଲେ ତୋଷ ହୋଇ ॥୧୧୦
ଦୁର୍ବାସା ଯମୁନାର କୂଳେ । ସ୍ୱକର୍ମ ସାରି ସାୟଂକାଳେ ॥୧୧୧
ମିଳିଲେ ଅମ୍ବରୀଷ ପାଶେ । ପାରଣା କରିବାର ଆଶେ ॥୧୧୨
ନୃପତି କରି ବହୁମାନ୍ୟ । ବୋଲଇ କରିବା ଭୋଜନ ॥୧୧୩
ଏମନ୍ତ ଅମ୍ବରୀଷ ବାଣୀ । ଦୁର୍ବାସା ମନେ ମନେ ଗୁଣି ॥୧୧୪
ସ୍ୱାଭାବେ ସର୍ବଜ୍ଞାତା ପୁଣ । ଜାଣିଲେ କଲା ଏ ପାରଣ ॥୧୧୫
ରାଜାର ବଦନକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥୧୧୬
ତୁ ଅନାଦର କରି ମୋତେ । ଜଳ ଯେ ଭକ୍ଷିଲୁ ଯୁଗତେ ॥୧୧୭
ଅତିଥି କଲୁ ଅବହେଳା । ଭୁଞ୍ଜିଲୁ ପାରଣାର ବେଳା ॥୧୧୮
ତୁ ଯେ ଅବଜ୍ଞା କଲୁ ମୋତେ । ଉଚ୍ଛିଷ୍ଟ ଭୁଞ୍ଜିବି କେମନ୍ତେ ॥୧୧୯
ତୁ ମୋତେ କଲୁ ଅବହେଳ । ଭୁଞ୍ଜ ଏ ଅଧର୍ମର ଫଳ ॥୧୨୦
ଏମନ୍ତ ବୋଲି କୋପଭରେ । ଜଟା ଉପାଡ଼ି ନିଜ କରେ ॥୧୨୧
ଭ୍ରୁକୁଟୀ କୁଟୀଳ ଲୋଚନ । ରାଜାଙ୍କୁ ବୋଲନ୍ତି ବଚନ ॥୧୨୨
ଦେଖ ଏ ନୃପତିର ଗତି । ସମ୍ପଦେ ହୋଇ ମୂଢ଼ମତି ॥୧୨୩
ଧର୍ମେ ବଞ୍ଚିତ ବିଷ୍ଣୁ ଭକ୍ତେ । ବୋଲେ ମୁଁ ଈଶ୍ୱର ସାକ୍ଷାତେ ॥୧୨୪
ଅତିଥି-ମତେ ପୂଜା କଲା । ପାରଣା ଅର୍ଥେ ନିମନ୍ତ୍ରିଲା ॥୧୨୫
ଭିକ୍ଷା ନ ଦେଇ ଆଗ ମୋତେ । ପାରଣା କଲା ଏ ଯୁଗତେ ॥୧୨୬
ମୋତେ ଯେ କଲା ଅବହେଳ । ସ୍ୱଦେହେ ଭୁଞ୍ଜୁ ତା’ର ଫଳ ॥୧୨୭
ଜଟାକୁ ଚାହିଁ ଆଜ୍ଞା ଦେଲେ । ଅନଳ ହୁଅ ତୁ ବୋଇଲେ ॥୧୨୮
ତକ୍ଷଣେ ହୁଁକାର କରାଳ । ଉଠିଲା କୃତିହା ଅନଳ ॥୧୨୯
ତେଜେ ଆଚ୍ଛାଦେ ଦଶଦିଶ । ପବନ ବହେ ଅଣଚାଷ ॥୧୩୦
ଧୂମ ପୂରିତ ଶୂନ୍ୟ ମଧ୍ୟେ । ବେଗେ ଧାଇଁଲା ଘୋରନାଦେ ॥୧୩୧
ପ୍ରଳୟାଳନ ପ୍ରାୟେ ହୋଇ । ମିଳିଲା ରାଜା ଆଗେ ଯାଇ ॥୧୩୨
ଜଳନ୍ତା ଖଡ଼୍‌ଗ କରେ ଧରି । ମିଳିଲା ଘୋରନାଦ କରି ॥୧୩୩
ଭୂମି କମ୍ପଇ ପାଦଘାତେ । ପର୍ବତ ଉଡ଼େ ଶ୍ୱାସ ବାତେ ॥୧୩୪
ଦେଖି ତାହାର ତେଜ କଳା । ରାଜା ଚରଣେ ନ ଘୁଞ୍ଚିଲା ॥୧୩୫
ତା’ର ବଦନ ରାଜା ଚାହିଁ । ମନେ ଚିନ୍ତିଲେ ଭାବଗ୍ରାହୀ ॥୧୩୬
ତକ୍ଷଣେ ବିଷ୍ଣୁଚକ୍ର ଆସି । କୋଟିଏ ସୂର୍ଯ୍ୟ ପ୍ରାୟେ ଦିଶି ॥୧୩୭
କୃତିହା ଅନଳ ଉପରେ । ପଡ଼ିଲା ମହାନାଦ ଭରେ ॥୧୩୮
ତକ୍ଷଣେ ଅନଳ ଲିଭିଲା । ଦିଗ-ଆକାଶ ପ୍ରକାଶିଲା ॥୧୩୯
ସୁଦରଶନ ତେଜ ଦେଖି । ଦୁର୍ବାସା ଭୟେ ବୁଜେ ଆଖି ॥୧୪୦
ବଦନେ ଦେଇ ବେନିକର । ଭୟେ କମ୍ପଇ ଥରହର ॥୧୪୧
ସଂଭ୍ରମେ ଚାହିଁ ନ ପାରିଲା । ଜୀବନ ଭୟେ ପଳାଇଲା ॥୧୪୨
ତା’ର ଭାଜିବା ଦେଖି ପଛେ । ଚକ୍ର ଧାଇଁଲା ଅନ୍ତରୀକ୍ଷେ ॥୧୪୩
ମଣ୍ତୁକ ଦେଖି ସର୍ପ ଯେହ୍ନେ । ଧାମଇଁ ଗର୍ଜିତ ବଦନେ ॥୧୪୪
ଦୁର୍ବାସା ଦଶଦିଶ ଚାହିଁ । ଭୟେ ନ ପାରଇ ପଳାଇ ॥୧୪୫
ପଶିଲା ମେରୁ-ଗୁହା ମଧ୍ୟେ । ସୁଦରଶନ ପଛେ ଖେଦେ ॥୧୪୬
ଦିଶ-ଆକାଶ-ଭୂମି ଗତେ । ବିବର-ସମୁଦ୍ର-ସହିତେ ॥୧୪୭
ଦିଗପାଳଙ୍କ ପୁରେ ଲୁଚେ । ଚକ୍ରକୁ ଦେଖେ ପଛେପଛେ ॥୧୪୮
ଯହୁଁ ଯହିଁକି ଧାମେ ବେଗେ । ସୁଦରଶନ ପଛେ ଲାଗେ ॥୧୪୯
ସୁଦରଶନ ତେଜ ଦେଖି । କେହି ନ ପାରେ ତା’କୁ ରଖି ॥୧୫୦
କେଣେ ହେଁ ଠାବ ନ ପାଇଲା । ସତ୍ୟଲୋକକୁ ପଳାଇଲା ॥୧୫୧
ଶୂନ୍ୟେ ପଳାନ୍ତେ ମନଦୁଃଖେ । ଭୟେ ପଶିଲା ବ୍ରହ୍ମଲୋକେ ॥୧୫୨
ବ୍ରହ୍ମାର ସମୀପେ ମିଳିଲା । ଶରଣ ସମ୍ଭାଳ ବୋଇଲା ॥୧୫୩
ବିଧାତା ରଖ ମୋ’ର ପ୍ରାଣ । ତୁମ୍ଭରେ ପଶିଲି ଶରଣ ॥୧୫୪
ଏମନ୍ତେ ମୁନିବାକ୍ୟ ଶୁଣି । ଉଚ୍ଚେ କହନ୍ତି କୁଶପାଣି ॥୧୫୫

ବ୍ରହ୍ମା ଉବାଚ

କଳାସ୍ୱରୂପୀ ଯେ ଈଶ୍ୱର । ଭ୍ରୂଭଙ୍ଗ ମାତ୍ରେ ଯା’ ସଂସାର ॥୧୫୬
ମୁଁ ବ୍ରହ୍ମା ଈଶ୍ୱର ସହିତେ । ଭୃଗୁ ଦକ୍ଷାଦି ମୁନି ଯେତେ ॥୧୫୭
ପ୍ରଜା ଈଶ୍ୱର ଭୂତେଶ୍ୱର । ଦେବ ସହିତେ ସୁରେଶ୍ୱର ॥୧୫୮
ସେ ହରି ଆଜ୍ଞା ଶିରେ ଧରି । ଯେଝା ବିଷୟେ ଅଧିକାରୀ ॥୧୫୯
ଅଛୁଁ ସଂସାର ଲୋକହିତେ । ତା’ ରିପୁ ରଖିବୁଁ କେମନ୍ତେ ॥୧୬୦
ଏମନ୍ତ ବିଧାତା ବଚନ । ଶୁଣି ଦୁର୍ବାସା ଛନଛନ ॥୧୬୧
ତହୁଁ ଚଳିଲା ମନଦୁଃଖେ । ବେଗେ ପଶିଲା ଶିବଲୋକେ ॥୧୬୨
ଶଙ୍କର ଚରଣେ ପଡ଼ିଲା । ଶରଣ ସମ୍ଭାଳ ବୋଇଲା ॥୧୬୩
ଦୁର୍ବାସା ବାକ୍ୟ ଶୁଣି ହର । ସଂଭ୍ରମେ ବୋଲନ୍ତି ଉତ୍ତର ॥୧୬୪

ଶଙ୍କର ଉବାଚ

ଶୁଣ ଦୁର୍ବାସା ତୋତେ କହୁଁ । ଆମ୍ଭେ ଯାହାର ଆଜ୍ଞା ବହୁଁ ॥୧୬୫
ବ୍ରହ୍ମାଣ୍ତ ପାଳନ ପ୍ରକାଶେ । ଯେବା ବିଷୟ ଜୀବକୋଷେ ॥୧୬୬
କାଳର ବଳେ ଦୃଶ୍ୟାଦୃଶ୍ୟ । ଭ୍ରମନ୍ତି ସେ ଯୋନି ଅଶେଷ ॥୧୬୭
ତାହାଙ୍କ ମଧ୍ୟେ ଆମ୍ଭେ ଭ୍ରମି । ଗତ ଆଗତେ ପଥଶ୍ରମୀ ॥୧୬୮
ମୋ’ ସଙ୍ଗେ ବ୍ରହ୍ମାଦିକୁମର । ନାରଦ ବ୍ରହ୍ମ ମୁନିବର ॥୧୬୯
କପିଳ ଦେବଳ ଆସୁରି । ଧର୍ମ ମରୀଚି ଆଦି କରି ॥୧୭୦
ଯେ ଅନ୍ୟ ସିଦ୍ଧ ମୁନିଜନ । ବେଦାନ୍ତ ପାର ଦରଶନ ॥୧୭୧
ଜାଣି ନ ପାରେ ତା’ର ମାୟା । ନିରତେ ଭ୍ରମାଏ ବିଷୟା ॥୧୭୨
ସେ ବିଷ୍ଣୁଚକ୍ର ନିବାରଣେ । ସମର୍ଥ ଅଛି କେ ଶରଣେ ॥୧୭୩
ତୁ ଏବେ ଚଳ ବିଷ୍ଣୁପୁର । ହରି ଚରଣେ ଆଶ୍ରେକର ॥୧୭୪
ସେ ତୋତେ ରଖିବେ ଶରଣ । ଅନ୍ୟଥା ନାହିଁ ପରିତ୍ରାଣ ॥୧୭୫
ଦୁର୍ବାସା ମହେଶ ବଚନେ । ପଶିଲା ବିଷ୍ଣୁର ଭୁବନେ ॥୧୭୬
ଲକ୍ଷ୍ମୀ ସହିତେ ଯହିଁ ହରି । ଅଛନ୍ତି ଗୃହାଶ୍ରମ କରି ॥୧୭୭
ବିଷ୍ଣୁର ଚକ୍ର-ତେଜ ଭରେ । ଘର୍ମ-ଭୂଷିତ କଳେବରେ ॥୧୭୮
ଦୁର୍ବାସା ଶୋକ ଗଦଗଦେ । ପଡ଼ିଲା ବିଷ୍ଣୁ-ପଦ୍ମ‌ପାଦେ ॥୧୭୯
କାତରେ କମ୍ପଇ ଶରୀର । ଡାକଇ ପ୍ରଭୁ ରକ୍ଷାକର ॥୧୮୦
ଭୋ ନାଥ ଅନନ୍ତ ଅଚ୍ୟୁତ । ତୁ ସନ୍ଥଜନଙ୍କର ନାଥ ॥୧୮୧
ମୁଁ ତୋରେ ଅପରାଧ କରି । ଶରଣ ଗଲି ରଖ ହରି ॥୧୮୨
ମୁଁ ତୋ’ ମହିମା ନ ଜାଣିଲି । ତେଣୁ ମୁଁ ସଙ୍କଟେ ପଡ଼ିଲି ॥୧୮୩
ତୋ’ର ସେବକେ ଅପରାଧ । କଲି ମୁଁ ରଖ ହେ ଗୋବିନ୍ଦ ॥୧୮୪
ତୋ’ର ଭକତ ତୋ’ର ଲୋକ । ମୋତେ ଏ ଚକ୍ରତେଜୁଁ ରଖ ॥୧୮୫
ଦୁର୍ବାସା ମୁଖ ଚାହିଁ ହରି । କହନ୍ତି ଅତି ମୋଦ ଭରି ॥୧୮୬

ଭଗବାନ ଉବାଚ

ମୁଁ ଭକ୍ତଜନର ଅଧୀନ । ମୋ’ ତହୁଁ ଭକ୍ତ ନୋହେ ଭିନ୍ନ ॥୧୮୭
ଭକତ ଦେହ-ପ୍ରାଣ ମୁହିଁ । ସେବଇଁ ପରିଚାର ହୋଇ ॥୧୮୮
ସାଧୁଙ୍କ ହୃଦେ ମୁଁ ବସଇ । ତା’ଙ୍କ ଭକତି-ଭାବ ବହି ॥୧୮୯
ତା’ଙ୍କ ଭକତି-ପ୍ରୀତି ମୋତେ । ଆନନ୍ଦ ଦେଉଥାଇ ଚିତ୍ତେ ॥୧୯୦
ଭକ୍ତଟି ମୋହର ଶରୀର । ତିଳେ ହେଁ ନାହିଁ ଅଭ୍ୟନ୍ତର ॥୧୯୧
ଭକ୍ତ ନିମନ୍ତେ ଦେହ ବହି । ସଂସାରେ ନାନା ରୂପ ହୋଇ ॥୧୯୨
ଅତ୍ୟନ୍ତ ପ୍ରିୟ ମୋ’ର ଭକ୍ତ । ମୁଁ ଭକ୍ତଜନଙ୍କର ହିତ ॥୧୯୩
ଏ କଥା ମୁନିଙ୍କ ସଙ୍ଗମେ । ଜାଣନ୍ତି ଆଗମ ନିଗମେ ॥୧୯୪
ତା’ ତହୁଁ ପ୍ରିୟ କେହି ନାହିଁ । ଶୁଣ ଦୁର୍ବାସା ମନ ଦେଇ ॥୧୯୫
ଏକଥା ପରମ୍ପରା ବିଧି । ବେଦ-ପୁରାଣ ମାର୍ଗେ ସିଦ୍ଧି ॥୧୯୬
ଶରଣ ଯେ ମୋ’ର ଚରଣେ । ସମ୍ପଦ ତୁଚ୍ଛ ପ୍ରାୟେ ମଣେ ॥୧୯୭
ଦାରା ମନ୍ଦିର ସୁତ ଧନ । କେବେ ହେଁ ନ କଳ୍ପେ ତା’ ମନ ॥୧୯୮
ଯେ ପ୍ରାଣ ଛାଡ଼େ ମୋ’ର ହିତେ । ମୁଁ ତା’କୁ ଛାଡ଼ିବି କେମନ୍ତେ ॥୧୯୯
ମୋ’ର ବିଷୟେ ଚିତ୍ତ ସ୍ଥାପେ । ମୋତେ ଦେଖନ୍ତି ଆତ୍ମା ରୂପେ ॥୨୦୦
ମୁଁ ତାକୁ ଦିଶେ ସର୍ବଭୂତେ । ହୃଦୟେ ଥାଏଁ ଅବିରତେ ॥୨୦୧
ଭକ୍ତିରେ ମୋତେ ବଶ କରି । ନିଜ ପୁରୁଷେ ଯେହ୍ନେ ନାରୀ ॥୨୦୨
ମୋ’ର ଚରଣ ନିତ୍ୟେ ଚିନ୍ତି । ଚତୁର୍ଦ୍ଧା ମୁକ୍ତି ନ ବାଞ୍ଛ‚ନ୍ତି ॥୨୦୩
ଜନ୍ମ-ମରଣ ତା’ର ନାହିଁ । ସ୍ଥିତି ସଂହାର ଆଉ କାହିଁ ॥୨୦୪
ମୋ’ର ହୃଦୟ ଭକ୍ତଜନ । ମୁହିଁ ଟି ତାହାଙ୍କ ଜୀବନ ॥୨୦୫
ମୋ’ ତହୁଁ ନ ଜାଣନ୍ତି ଆନ । ମୁଁ ତା’ଙ୍କ ପ୍ରିୟ ଇଷ୍ଟ ଧନ ॥୨୦୬
ଏବେ ମୋ ଭକ୍ତ-ଅପରାଧେ । ସୁଦରଶନ ତୋତେ ବାଧେ ॥୨୦୭
ଯେ ମୋ’ର ଭକ୍ତକୁ ପୀଡ଼ନ୍ତି । ମୋ’ ଚକ୍ର ତେଜେ ନାଶ ଯା’ନ୍ତି ॥୨୦୮
ବିପ୍ରେ ଯେ ତପ ବିଦ୍ୟା ବଳେ । ଶ୍ରେୟ କରନ୍ତି ଏ ଶୟଳେ ॥୨୦୯
ସେ ଯେବେ ଭକ୍ତକୁ ପୀଡ଼ନ୍ତି । ଉଭୟ ଲୋକ ନ ଲଭନ୍ତି ॥୨୧୦
ଏବେ ତୁ ଯାଆ ବେଗ ହୋଇ । ନାଭାଗ ପୁତ୍ର ଅଛି ଯହିଁ ॥୨୧୧
ତା’ରେ ଶରଣ ପଶ ଏବେ । ମୋ’ ଚକ୍ରୁ ନିସ୍ତରିବୁ ଯେବେ ॥୨୧୨
ଗୋବିନ୍ଦ ଆଜ୍ଞା ପରମାଣେ । ଦୁର୍ବାସା ଗଲା ତତ୍‌କ୍ଷଣେ ॥୨୧୩
ହରିଭକତଙ୍କ ମହିମା । କେ କହିପାରେ ଗୁଣସୀମା ॥୨୧୪
ଭକ୍ତଚରଣ ସେବା ଫଳେ । ପ୍ରସନ୍ନ ହୋନ୍ତି ହରି ଭଲେ ॥୨୧୫
ସୁଜନେ ଚିନ୍ତ ହରିପାଦେ । ତରିବ ବିଷୟ ପ୍ରମାଦେ ॥୨୧୬
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୨୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଚତୁର୍ଥୋଽଧ୍ୟାୟଃ । ।

ପଞ୍ଚମ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ବିଷ୍ଣୁର ବଚନେ । ଦୂର୍ବାସା ଗଲେ ତୋଷମନେ ॥୧
ତକ୍ଷଣେ ଅମ୍ବରୀଷ ପାଦେ । ପଡ଼ିଲେ ଜୀବନ ପ୍ରମାଦେ ॥୨
ଚରଣ ତଳେ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥୩
ବିପ୍ର ଜୀବନ ରକ୍ଷା ଅର୍ଥେ । କର-ଅଞ୍ଜଳି ଦେଇ ମାଥେ ॥୪
ସୁଦରଶନ ମୁଖ ଚାହିଁ । ଡାକନ୍ତି କର ତ୍ରାହି ତ୍ରାହି ॥୫

ଅମ୍ବରୀଷ ଉବାଚ[edit]

ଭୋ ଚକ୍ର ତୋ’ ମହିମା ଯେତେ । କେ କହିପାରେ ଏ ଜଗତେ ॥୬
ତୁ ଅଗ୍ନି ତୁ ଆଦିତ୍ୟ ସୋମ । ସର୍ବଜ୍ୟୋତିଙ୍କ ଗୁଣଧାମ ॥୭
ତୁ ଆପ କ୍ଷିତି ବାୟୁରୂପୀ । ବ୍ୟୋମ ପ୍ରକାଶେ ସର୍ବବ୍ୟାପୀ ॥୮
ତୁ ତନମାତ୍ର ଇନ୍ଦ୍ରିଗଣ । ବିରାଜପୁରୁଷ କାରଣ ॥୯
ଭୋ ଚକ୍ର ତୋତେ ନମସ୍କାର । ସ୍ୱଭାବେ ତୁ ସହସ୍ର ଅର ॥୧୦
ବିଷ୍ଣୁର ନିଜ ପ୍ରିୟ ତୁହି । ତୋ’ ଭାବ ନ ଜାଣନ୍ତି କେହି ॥୧୧
ସକଳ ଶସ୍ତ୍ରତେଜ ହରୁ । ତୋ’ର ମହିମା ମହାମେରୁ ॥୧୨
ତୁ ଲୋକପାଳ ସର୍ବଆତ୍ମା । ତୁ ତେଜ-ପୁରୁଷ ମହାତ୍ମା ॥୧୩
ତୁ ସର୍ବ-ଧର୍ମ-କର୍ମ-ହେତୁ । ଅଧର୍ମକୁଳ ଧୂମକେତୁ ॥୧୪
ତ୍ରୈଲୋକପାଳ ଶୁଦ୍ଧଚେତା । ମନହୁଁ ବେଗ ବଳବନ୍ତା ॥୧୫
ତୋହର ନିଜ ତେଜ ତ୍ରାସେ । ସଂସାର ଘୋରତମ ନାଶେ ॥୧୬
ଶ୍ରୁତି ତୋ’ ମହିମା ନ ଜାଣେ । କେବଳ ପ୍ରକାଶ ପ୍ରମାଣେ ॥୧୭
ସଦଅସଦ ରୂପ ତୋ’ର । ବ୍ରହ୍ମାଶିବଙ୍କୁ ଆଗୋଚର ॥୧୮
ଦାନବ ବଳେ ନରହରି । ତୋତେ ପେଷନ୍ତି ବେଗକରି ॥୧୯
ତୁ ଦୈତ୍ୟବଳ ମଧ୍ୟେ ପଶି । ସକଳ ନିଜ ତେଜେ ଧ୍ୱଂସି ॥୨୦
ଅସୁର ରଣେ ତୋ’ର ତେଜ । ଦେଖି କମ୍ପଇ ଗ୍ରହରାଜ ॥୨୧
ଏଣୁ ଜଗତ ତ୍ରାଣ ଅର୍ଥେ । ଖଳ ବିନାଶେ ଧରି ହସ୍ତେ ॥୨୨
ତୋ’ ବଳେ ବଳୀ ଗଦାଧର । ତୁ ଏବେ ମୋତେ ତ୍ରାହିକର ॥୨୩
ଏ ବିପ୍ର କୁଳଦେବ ମୋର । ଏହା ଜୀବନ ରକ୍ଷା କର ॥୨୪
ମୁଁ ଯେବେ ଦାନ ଯଜ୍ଞ କରି । ସ୍ୱଧର୍ମ ମାର୍ଗକୁ ଆଚରି ॥୨୫
ବ୍ରାହ୍ମଣ-ଚରଣକମଳେ । ଯେବେ ସେବନ ମୋ’ର କୁଳେ ॥୨୬
ଯେବେ ଗୋବିନ୍ଦ ପ୍ରୀତ ମୋତେ । ମୁଁ ସମେ ଦେଖେ ସର୍ବଭୂତେ ॥୨୭
ଏ ଧର୍ମେ ଯେବେ ମୋର ଦୀକ୍ଷା । ଏ ବିପ୍ର ପ୍ରାଣ ହେଉ ରକ୍ଷା ॥୨୮

ଶୁକ ଉବାଚ

ଏମନ୍ତ ଶୁଣି ତା’ ବଚନ । ବିଷ୍ଣୁର ଚକ୍ର ସୁଦର୍ଶନ ॥୨୯
ତକ୍ଷଣେ ନିଶାକର ପ୍ରାୟେ । ଶୀତଳ ଲାଗେ ବିପ୍ର ଦେହେ ॥୩୦
ଦୁର୍ବାସା ଜୀବନ ପାଇଲା । ସନ୍ତୋଷେ ଚକ୍ରକୁ ଚାହିଁଲା ॥୩୧
ଚକ୍ରକୁ ନମସ୍କାର କରି । ବୋଲେ ଦୁର୍ବାସା ବ୍ରହ୍ମଚାରୀ ॥୩୨

ଦୁର୍ବାସା ଉବାଚ

ଦେଖ ଅନନ୍ତଦାସଙ୍କର । ମହାମହିମା ଅଗୋଚର ॥୩୩
ଅପ୍ରାଧ କଲେ ହେଁ ସହନ୍ତି । ବିଷ୍ଣୁଙ୍କୁ ସର୍ବଦେହେ ଚିନ୍ତି ॥୩୪
ସାଧୁ କି ଅବା ନ ଉପେକ୍ଷେ । ହରି ସକଳ ଦେହେ ଦେଖେ ॥୩୫
ଯା’ ନାମ ସୁମରଣ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥୩୬
ସେ ତୀର୍ଥପଦ ଦାସ ଯେତେ । ଦୁଃଖ ନାଶନ୍ତି ଏ ଜଗତେ ॥୩୭
ଯେଣୁ ରଖିଲୁ ମୋ’ ଜୀବନ । ତୋ’ର ମହିମା ଧନ୍ୟ ଧନ୍ୟ ॥୩୮
ଏମନ୍ତ ବିପ୍ର ମୁଖୁଁ ଶୁଣି । କପୋଳେ ଦେଇ ବେନିପାଣି ॥୩୯

ଅମ୍ବରୀଷ ଉବାଚ[edit]

ବୋଲେ ଦୁର୍ବାସା ମୁଖ ଚାହିଁ । ଭୋ ବିପ୍ର କର ମୋତେ ତ୍ରାହି ॥୪୦
ତୁ ଯେ ଅତିଥି ମୋ’ର କୁଳେ । ମିଳିଲୁ ପାରଣାର ବେଳେ ॥୪୧
ପାରଣା ଭୟେ ମୁଁ ଗୁପତେ । ଅପ୍ରାଧ କଲି ଦୁଷ୍ଟଚିତ୍ତେ ॥୪୨
ସେ ଅପରାଧ ମୋ ନ ଧର । ପାରଣା ମୋ’ର ଗୃହେ କର ॥୪୩
ଏମନ୍ତ ରାଜାର ବଚନେ । ପାରଣା କଲେ ତୋଷମନେ ॥୪୪
କଲ୍ୟାଣ କରି ଅମ୍ବରୀଷେ । ଅନେକ ମନର ହରଷେ ॥୪୫
ତକ୍ଷଣେ ଶୂନ୍ୟମାର୍ଗେ ଗଲେ । ବ୍ରହ୍ମାର ଭୁବନେ ମିଳିଲେ ॥୪୬
କହିଲେ ଅମ୍ବରୀଷ ବାଣୀ । ବ୍ରହ୍ମା ସନ୍ତୋଷ ତାହା ଶୁଣି ॥୪୭
ରାଜାକୁ କଲେ ଧନ୍ୟଧନ୍ୟ । ଏବେ ହୋ ଶୁଣସି ରାଜନ ॥୪୮
ସେ ଅମ୍ବରୀଷ ଦଣ୍ତଧାରୀ । ପୁତ୍ରକୁ ରାଜ୍ୟେ ରାଜା କରି ॥୪୯
ହରିଚରଣେ ମନ ଦେଇ । ପଶିଲା ଘୋର ବନେ ଯାଇ ॥୫୦
ପ୍ରାଣ ଛାଡ଼ିଲା ତପବଳେ । ପଶିଲା ବିଷ୍ଣୁର ମଣ୍ତଳେ ॥୫୧
ସେ ଅମ୍ବରୀଷର ଆଖ୍ୟାନ । ଯେ କରେ ଶ୍ରବଣ କୀର୍ତ୍ତନ ॥୫୨
ହରିଚରଣ ମନେ ଚିନ୍ତି । ଅନ୍ତେ ସେ ଗୋବିନ୍ଦେ ପଶନ୍ତି ॥୫୩
ସୁଜନେ ଅମ୍ବରୀଷ ବାଣୀ । ସଂସାରୁ ତର ଏହା ଶୁଣି ॥୫୪
ଅମୃତ ରସମୟବାଣୀ । ଭକତ ମହିମା ବଖାଣି ॥୫୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୫୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପଞ୍ଚମୋଽଧ୍ୟାୟଃ । ।

ଷଷ୍ଠ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । କହିବା ବଂଶାନୁଚରିତ ॥୧
ସେ ଅମ୍ବରୀଷ ପୁତ୍ର ତିନି । ବିରୂପ ଶମ୍ଭୁ କେତୁ ଘେନି ॥୨
ରୂପେ ଦିଶନ୍ତି ଅନୁପମ । ଅଶେଷ ଗୁଣେ ଗୁଣଧାମ ॥୩
ପୃଷଦଶ୍ୱ ବିରୂପ ପୁତ୍ର । ରଥୀତର ଯେ ତା’ର ସୁତ ॥୪
ସେ ରଥୀତର ଅପୁତ୍ରିକ । ଉପାୟ କଲା ସେ ଅନେକ ॥୫
କେବେହେଁ ପୁତ୍ର ତା’ ନୋହିଲା । ଅଙ୍ଗିରା ତୁଲେ ବିଚାରିଲା ॥୬
ବୋଇଲା ମୋ’ର ପତ୍ନୀ ଗର୍ଭେ । ସନ୍ତତି କର ତୁମ୍ଭେ ଭାବେ ॥୭
କ୍ଷତ୍ରଜ ପୁତ୍ର ହେଉ ମୋ’ର । ଅପୁତ୍ର ଦୁଃଖୁଁ କର ପାର ॥୮
ଏମନ୍ତ ରାଜାର ବଚନେ । ଅଙ୍ଗିରା କରି ଗର୍ଭାଧାନେ ॥୯
ଶତକୁମର ବ୍ରହ୍ମତେଜେ । ଜନ୍ମିଲେ ଅଙ୍ଗିରାର ବୀର୍ଯ୍ୟେ ॥୧୦
ସେ ପୁଣି ଅଙ୍ଗିର ହୋଇଲେ । କ୍ଷତ୍ରିୟ କ୍ଷେତ୍ର ଉପୁଜିଲେ ॥୧୧
ପୁଣି ମନୁର ଘ୍ରାଣୁଁ ଜାତ । ଇକ୍ଷ୍ୱାକୁ ନାମେ ହୋଏ ସୁତ ॥୧୨
ସେ ଇକ୍ଷ୍ୱାକୁର ବଂଶ ଯେତେ । କହିବା ଶୁଣ ଏକଚିତ୍ତେ ॥୧୩
ହୋଇଲେ ଶତେକ କୁମର । ତାହାଙ୍କ ମଧ୍ୟେ ବଂଶଧର ॥୧୪
ବିକୁକ୍ଷି ନିମି ଦଣ୍ତ ନାମ । ଅତି ପ୍ରଶସ୍ତ ଗୁଣଗ୍ରାମ ॥୧୫
ଏ ତିନିପୁତ୍ର ଆଦି ଯେତେ । ରାଜା ହୋଇଲେ ଏ ଜଗତେ ॥୧୬
ପୂର୍ବେ ପଚିଶ ତା’ର ପୁତ୍ରେ । ରାଜା ହୋଇଲେ ଆର୍ଯ୍ୟାବର୍ତ୍ତେ ॥୧୭
ପଶ୍ଚିମେ ତା’ର ପଞ୍ଚବିଂଶେ । ଜ୍ୟେଷ୍ଠ ତିନିହେଁ ମଧ୍ୟଦେଶେ ॥୧୮
ଅପରେ ଦକ୍ଷିଣ ଉତ୍ତର । ଏବେ ହୋ ଶୁଣ ନୃପବର ॥୧୯
ଏମନ୍ତେ ପୁତ୍ରେ ପୁତ୍ରେ ତା’ର । ପୃଥିବୀ ଭାଙ୍ଗେ ନୃପବର ॥୨୦
ହେଲେ ସେ ନୃପତିକେଶରୀ । ତଦନ୍ତେ ଶୁଣ ଦଣ୍ତଧାରୀ ॥୨୧
ଇକ୍ଷ୍ୱାକୁ ପିତୃଶ୍ରାଦ୍ଧ ଦିନେ । ବିକୁକ୍ଷି ରାଇ ସନ୍ନିଧାନେ ॥୨୨
ବୋଇଲେ ବନ ପଶୁଗଣ । ମୋ ପିତୃଶ୍ରାଦ୍ଧ ଅର୍ଥେ ଆଣ ॥୨୩
ତକ୍ଷଣେ ପିତା ଆଜ୍ଞା ପାଇ । ପଶିଲା ଘୋରବନେ ଯାଇ ॥୨୪
ଶବରଗଣ ତୁଲେ ଗଲା । ଅନେକ ପଶୁ ବଧକଲା ॥୨୫
ଶ୍ରାଦ୍ଧକୁ ଯୋଗ୍ୟ ଯେତେ ମାଂସ । ତାହାଙ୍କ ମଧ୍ୟେ ଏକ ଶଶ ॥୨୬
ଅରଣ୍ୟେ ପଥଶ୍ରମ ପାଇ । କ୍ଷୁଧାର୍ତ୍ତେ ଚଳି ନ ପାରଇ ॥୨୭
ଶଶା ଗୋଟିଏ ପତ୍ରେ ପୋଡ଼ି । ମାଂସ ଭକ୍ଷିଲା ଧର୍ମ ହୁଡ଼ି ॥୨୮
ଶେଷ ଯେତେକ ପଶୁ ଥିଲା । ପିତା ସମୀପେ ନେଇ ଦେଲା ॥୨୯
ସେ ପୁଣ ବଶିଷ୍ଠଙ୍କୁ ଆଣି । ଆନନ୍ଦେ ବୋଲେ ନୃପମଣି ॥୩୦
ଏ ପଶୁ ମାଂସେ ଶ୍ରାଦ୍ଧକର । ଏମନ୍ତ ଶୁଣି ମୁନିବର ॥୩୧
ବଶିଷ୍ଠ ରାଜା ବାକ୍ୟ ଶୁଣି । ସେ କଥା ଯୋଗବଳେ ଜାଣି ॥୩୨
ବୋଇଲେ ରାଜାମୁଖ ଚାହିଁ । ପ୍ରୋକ୍ଷଣେ ଯୋଗ୍ୟ ଏ ନୁହଇ ॥୩୩
ଦେବତା-ପିତୃଅର୍ଥେ ମାଂସ । କେମନ୍ତେ ଦେବି ଅବଶେଷ ॥୩୪
ତୋ’ର କୁମର କ୍ଷୁଧା ଅର୍ଥେ । ଶଶାଏ ଭକ୍ଷିଲା ବନସ୍ତେ ॥୩୫
ବନେ ଭକ୍ଷିଲା ଅଗ୍ରଭାଗ । ଏ ମାଂସ ଶ୍ରାଦ୍ଧେନୋହେ ଯୋଗ୍ୟ ॥୩୬
ଏମନ୍ତେ ଗୁରୁବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥୩୭
ଏ ପୁତ୍ର ପାପିଷ୍ଠ-ପାମର । ଏହାକୁ ରାଜ୍ୟୁ ଦୂର କର ॥୩୮
ତକ୍ଷଣେ ରାଜାର ବଚନେ । ପୁରୁଁ ବାହାର କଲେ ଜନେ ॥୩୯
ସେ ପୁଣ ବିପ୍ରଙ୍କ ଚରଣେ । ସେବା କରଇ ଅନୁକ୍ଷଣେ ॥୪୦
ପିତାର ଅନ୍ତେ ରାଜା ହେଲା । ଶଶାଦ ନାମ ସେ ପାଇଲା ॥୪୧
ପୃଥିବୀ ଶାସନ ସେ କଲା । ଯଜ୍ଞେ ହରିଙ୍କୁ ଆରାଧିଲା ॥୪୨
ଶଶାଦ ପୁତ୍ର ପୁରଞ୍ଜୟ । ନାମ ତା’ ହୋଏ ଇନ୍ଦ୍ରବାହ ॥୪୩
ପରୋପକାରେ ଧର୍ମ କଲା । କକୁସ୍ଥ ନାମ ସେ ବହିଲା ॥୪୪
ଏମନ୍ତେ ଶୁକବାକ୍ୟ ଶୁଣି । ବୋଲେ ପରୀକ୍ଷ ନୃପମଣି ॥୪୫
କକୁସ୍ଥ ନାମ ତା’ କେମନ୍ତେ । ଏ କଥା କହ ମୁନି ମୋତେ ॥୪୬

ଶୁକ ଉବାଚ

ମୁନି ବୋଲନ୍ତି ଶୁଣ ରାୟେ । ଦେବେ ଯେ ଅସୁରଙ୍କ ଭୟେ ॥୪୭
ଦେବ ଦାନବ କୃତ ଯୁଗେ । ଯୁଦ୍ଧ ଆରମ୍ଭ କଲେ ରଙ୍ଗେ ॥୪୮
ଗୁରୁଙ୍କୁ ପୁଛିଲେ ଦୈବତେ । ସଂଗ୍ରାମେ ଜିଣିବୁ କେମନ୍ତେ ॥୪୯
ବୋଲଇ ଅଙ୍ଗିରା କୁମର । ପୁରଞ୍ଜୟକୁ ଯୋଦ୍ଧା କର ॥୫୦
ତା’ର ନାରାଚେ ରିପୁଗଣେ । ବେଗେ ଭାଜିବେ ଘୋରରଣେ ॥୫୧
ଶୁଣି ବିବୁଧେ ତୋଷ ହେଲେ । ପୁରଞ୍ଜୟକୁ ନିମନ୍ତ୍ରିଲେ ॥୫୨
ସେ ପୁଣି ଦେବବାକ୍ୟ ଶୁଣି । କପାଳେ ଦେଇ ବେନିପାଣି ॥୫୩
ବୋଲଇ ଇନ୍ଦ୍ର କନ୍ଧେ ବସି । ସଂଗ୍ରାମ କରିବି ସାହସି ॥୫୪
ନୋହିଲେ ଯୁଦ୍ଧ ନାହିଁ ମୋ’ର । ଏମନ୍ତ ଶୁଣି ତା’ ଉତ୍ତର ॥୫୫
ହେଉ ବୋଇଲେ ସୁରଗଣେ । ଇନ୍ଦ୍ର ମିଳିଲେ ତତ୍‌କ୍ଷଣେ ॥୫୬
ସଂଗ୍ରାମେ ବୃଷରୂପ ହୋଇ । ପୁରଞ୍ଜୟ କନ୍ଧେ ଆରୋହି ॥୫୭
ସ୍ତୁତି କରନ୍ତି ଦେବଗଣେ । ସେ ପୁରଞ୍ଜୟ ଘୋରରଣେ ॥୫୮
ଅଭେଦ-ସେହ୍ନା ଦେହେ ଭରି । ଧନୁ-ନାରାଚ ହସ୍ତେ ଧରି ॥୫୯
ନିର୍ଭୟେ ଇନ୍ଦ୍ରକନ୍ଧେ ରହି । ତକ୍ଷଣେ ବିଷ୍ଣୁତେଜ ବହି ॥୬୦
ପଶ୍ଚିମ ଦିଗେ ବେଗେ ଗଲା । ଅସୁର ଭୁବନେ ମିଳିଲା ॥୬୧
ରୁନ୍ଧିଲା ଦେବ ଘେନି ସାଥେ । ପବନ ନ ବହଇ ପଥେ ॥୬୨
ଦେବ-ଦାନବ ଘୋରରଣ । ହୋଇଲା ଲୋମହରଷଣ ॥୬୩
ଅସୁରେ ନାନାଶସ୍ତ୍ର ଧରି । ଧାଇଁଲେ ଘୋରନାଦ କରି ॥୬୪
ତାହାର ବାଣ ଅଗ୍ନି ପ୍ରାୟେ । ପଡ଼ିଲା ଅସୁରଙ୍କ ଦେହେ ॥୬୫
ସମରେ ରହି ନ ପାରିଲେ । ପଳାଇ ନିଜ ପୁରେ ଗଲେ ॥୬୬
ଅସୁରବଳ ରଣେ ଜିଣି । ସକଳ ଧନରତ୍ନ ଆଣି ॥୬୭
ଇନ୍ଦ୍ରକୁ ଦେଇ ସର୍ବଧନ । ତୋଷିଲା ବିବୁଧଙ୍କ ମନ ॥୬୮
ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ । କକୁସ୍ଥ ନାମ ତା’କୁ ଦେଲେ ॥୬୯
ଏଣୁ ତା’ ନାମ ଭୋ ରାଜନ । କହିଲୁ କଲୁ ଯେ ପ୍ରଶନ ॥୭୦
ତଦନ୍ତେ ଶୁଣ ଭୋ ରାଜନ । ବଂଶାନୁଚରିତ ବିଧାନ ॥୭୧
ଅନେନା ପୁରଞ୍ଜୟ ସୁତ । ପୃଥୁ ତାହାର ତହୁଁ ଜାତ ॥୭୨
ତା’ର ତନୟ ବିଶ୍ୱଗନ୍ଧି । ତା’ ପୁତ୍ର ଚନ୍ଦ୍ର ନାମେ ସିଦ୍ଧି ॥୭୩
ତା’ ସୁତ ଯୁବନାଶ୍ୱ ନାମ । ଶ୍ରାବସ୍ତ ତାହାର ନନ୍ଦନ ॥୭୪
ଶ୍ରାବସ୍ତୀପୁର ଯେ ନିର୍ମାଇ । ସପତଦ୍ୱୀପେ ରାଜା ହୋଇ ॥୭୫
ତା’ର କୁମର ବୃହଦଶ୍ୱ । ପବନୁଁ ବେଗ ଯାଇ ଅଶ୍ୱ ॥୭୬
ତା’ର ସୁତ କୁବଳୟାଶ୍ୱ । ଯେ ରାଜା ଉତଙ୍କେ ବିଶ୍ୱାସ ॥୭୭
ଏକ ବିଂଶ ସହସ୍ର ସୁତ । ତା’ଠାରୁ ହୋଇଲେ ସମ୍ଭୂତ ॥୭୮
ସେ ରାଜା ଉତଙ୍କର ହିତେ । ପୁତ୍ରଙ୍କୁ ଘେନିଣ ସଙ୍ଗତେ ॥୭୯
ସେ ଧୁନ୍ଧୁ ସଙ୍ଗେ ରଣ କରି । ରଣେ ତାହାର ପ୍ରାଣ ହରି ॥୮୦
ଧୁନ୍ଧୁ ଅସୁର ଯେଣୁ ବଧି । ତେଣୁ ଧୁନ୍ଧୁମାର ପ୍ରସିଦ୍ଧି ॥୮୧
ଧୁନ୍ଧୁ ମୁଖରୁ ଅଗ୍ନିଜ୍ୱାଳା । ପ୍ରଚଣ୍ତ ଭାବେ ସେ ଜଳିଲା ॥୮୨
ସମସ୍ତେ ହେଲେ ଭସ୍ମୀଭୂତ । ରହିଲେ ମାତ୍ର ତିନିସୁତ ॥୮୩
ଦୃଢ଼ାଶ୍ୱ କପିଳାଶ୍ୱ ବେନି । ଭଦ୍ରାଶ୍ୱ ସହିତେ ସେ ତିନି ॥୮୪
ହର୍ଯ୍ୟଶ୍ୱ ଦୃଢ଼ାଶ୍ୱର ସୁତ । ତା’ ତହୁଁ ନିକୁମ୍ଭ ସମ୍ଭୂତ ॥୮୫
ନିକୁମ୍ଭ ଠାରୁ ଯେ ଜନମ । ତାହାର ବହୁଳାଶ୍ୱ ନାମ ॥୮୬
କୃଶାଶ୍ୱ ନାମେ ତା’ର ସୁତ । ତା’ର ତନୟ ସେନଜିତ ॥୮୭
ତା’ ସୁତ ଯବନାଶ୍ୱ ନାମେ । କେବେ ହେଁ ନରହିଲା ଗ୍ରାମେ ॥୮୮
ଅପୁତ୍ର ପଣେ ଦୁଃଖମନେ । ପତ୍ନୀ ସମେତେ ଗଲା ବନେ ॥୮୯
ଶତେକ ପତ୍ନୀ ତା’ର ତୁଲେ । ଋଷିଙ୍କ ଆଶ୍ରମେ ମିଳିଲେ ॥୯୦
ଦେଖି ତାହାର ଶତେ ନାରୀ । ମୁନି ସକଳେ ଦୟାକରି ॥୯୧
ରାଜାର ପୁତ୍ର ଜନ୍ମ ଅର୍ଥେ । ଯଜ୍ଞ କରାଇଲେ ସମସ୍ତେ ॥୯୨
କଳସେ ତୀର୍ଥ ଜଳ ଭରି । ଗର୍ଭର ଅର୍ଥେ ମନ୍ତ୍ରି ବାରି ॥୯୩
ଯଜ୍ଞର ଶାଳେ ଘଟ ଥୋଇ । ସକଳେ ନିଦ୍ରାଗତେ ଶୋଇ ॥୯୪
ଏମନ୍ତେ ରାଜା ଯଜ୍ଞଶାଳେ । ଅତି ତୃଷିତ ଅନ୍ତରାଳେ ॥୯୫
ସହି ନ ପାରି ରାତ୍ର ଅନ୍ତେ । ଜଳ କଳସ ଘେନି ହସ୍ତେ ॥୯୬
ଦେଖିଲେ ସକଳେ ଅଜ୍ଞାନ । ତୁଷାର୍ତ୍ତେ କଲା ଜଳପାନ ॥୯୭
ଏମନ୍ତେ ପାହିଲା ରଜନୀ । ନିଦ୍ରା ତେଜିଲେ ସର୍ବମୁନି ॥୯୮
ଉଦୟ କାଳେ ମନ୍ତ୍ରସ୍ୱରେ । କୁମ୍ଭ ତୋଳିଲେ ବେନିକରେ ॥୯୯
ଦେଖିଲେ କୁମ୍ଭେ ଜଳ ନାହିଁ । ଚକିତେ ଚଉଦିଗେ ଚାହିଁ ॥୧୦୦
ବୋଲନ୍ତି ପାଇ ମନେ ଭ୍ରମ । କେ ପ୍ରାଣୀ କଲା ଏଡ଼େ କର୍ମ ॥୧୦୧
ମନ୍ତ୍ରିତ ଫୁସବନ ବାରି । କେ ପାନ କଲା ତୃଷାଭରି ॥୧୦୨
ତକ୍ଷଣେ ବେନିକର ଯୋଡ଼ି । ମୁନିଙ୍କ ପାଦତଳେ ପଡ଼ି ॥୧୦୩
ରାଜା ବୋଇଲା ମୁଁ ଅଜ୍ଞାନେ । ତୃଷା ତୋଷିଲି ଜଳପାନେ ॥୧୦୪
ଶୁଣି ବ୍ରାହ୍ମଣେ କୋପବହି । ବୋଇଲେ ବିଷ୍ଣୁମାୟା ଏହି ॥୧୦୫
ପ୍ରାଣୀ ଯେ ଦଇବ ଅଧୀନ । ମାୟାର ବଳେ ହରେ ଜ୍ଞାନ ॥୧୦୬
ବୋଇଲେ ରାଜାମୁଖ ଚାହିଁ । ଗର୍ଭ ଧଇଲୁ ଏବେ ତୁହି ॥୧୦୭
ଏବେ ତୋ’ ଜୀବନ ସମ୍ଭାଳ । ଏମନ୍ତେ ଗଲା କେତେକାଳ ॥୧୦୮
ଏମନ୍ତେ ପୁତ୍ର ଜନ୍ମକାଳେ । ରାଜା ଉଦର ବାହୁ ବଳେ ॥୧୦୯
ଦକ୍ଷିଣ କୁକ୍ଷି ବିଦାରିଲା । ତକ୍ଷଣେ ଭୂମିରେ ପଡ଼ିଲା ॥୧୧୦
ରାଜା ନମଲା ପୁଣ୍ୟବଳେ । ଉଭାରି ଦେଖନ୍ତି ସକଳେ ॥୧୧୧
ପୁତ୍ର ରୋଦଇ କ୍ଷୀର ଅର୍ଥେ । ତା’ ଦେଖି ଇନ୍ଦ୍ର ଦୟାଚିତ୍ତେ ॥୧୧୨
ବୋଇଲେ ବିପ୍ରଙ୍କୁ ଅନାଇଁ । ରାଜାର ସ୍ତନଯୁଗ ନାହିଁ ॥୧୧୩
ଏ ପୁତ୍ର ଲୋଡୁଅଛି କ୍ଷୀର । ଏମନ୍ତ ବୋଲି ନିଜ କର ॥୧୧୪
ଅଙ୍ଗୁଳି ତା’ର ତୁଣ୍ତେ ଦେଲା । ତକ୍ଷଣେ କ୍ଷୁଧା ତା’ ହରିଲା ॥୧୧୫
ଇନ୍ଦ୍ର ବୋଲଇ ତା’କୁ ଚାହିଁ । ତୋହର ହୋଇଲି ମୁଁ ଧାଈ ॥୧୧୬
ତୁ ଯେ ହୋଇଲୁ ବଳବନ୍ତା । ଏଣୁ ତୋ’ ନାମଟି ମାନ୍ଧାତା ॥୧୧୭
ସେ ପୁଣି ଚକ୍ରବର୍ତ୍ତୀ ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥୧୧୮
ଇନ୍ଦ୍ର ତାହାକୁ ବର ଦେଲେ । ଅଜୟ ହୁଅସି ବୋଇଲେ ॥୧୧୯
ସେ ପୁଣି ନିଜ ତେଜ ବଳେ । ଅବନୀ ପାଳଇ ନିଶ୍ଚଳେ ॥୧୨୦
ତାହାର ତେଜେ ଦସ୍ୟୁଗଣ । ଭୟେ ପଳାନ୍ତି ଛାଡ଼ି ରଣ ॥୧୨୧
ଏଣୁ ସେ ନିଜ ତେଜ ଧାମ । ପାଇଲା ତ୍ରସଦ୍ଦŸସ୍ୟୁ ନାମ ॥୧୨୨
ରାବଣ ଆଦି ଦସ୍ୟୁ ଯେତେ । ତ୍ରାସନ୍ତି ସେ ବସିଲେ ରଥେ ॥୧୨୩
ଏମନ୍ତ ନାମ ଇନ୍ଦ୍ର ଦେଲା । ଅନେକ କାଳ ରାଜ୍ୟ କଲା ॥୧୨୪
ତା’ ରିପୁ ନାହିଁ ଏ ଶୟଳେ । ବଞ୍ଚିଲା ବିଷ୍ଣୁତେଜ ବଳେ ॥୧୨୫
ଅନେକ ମତେ ଯଜ୍ଞ କଲା । ଦକ୍ଷିଣା ବିପ୍ରଗଣେ ଦେଲା ॥୧୨୬
ଯେ ହରି ସର୍ବ ଦେବମୟେ । ଦେବେ ବସନ୍ତି ଯା’ର ଦେହେ ॥୧୨୭
ସେ ହରି ଯଜ୍ଞେ ତୋଷ କରି । ସୁଖେ ପାଳିଲା ବସୁନ୍ଧରୀ ॥୧୨୮
ସୂର୍ଯ୍ୟର ତେଜ ଯେତେ ଦୂର । ଯହିଁ ବା ଚନ୍ଦ୍ରମା ସମୀର ॥୧୨୯
ମାନ୍ଧାତା ତେତେଦୂର ରାଜା । ସର୍ବେ କରନ୍ତି ପାଦପୂଜା ॥୧୩୦
ସେ ପୁଣି ଶଶବିନ୍ଦୁ ପୁରେ । କନ୍ୟା ଲଭିଲା ସ୍ୱୟମ୍ବରେ ॥୧୩୧
ସେ କନ୍ୟା ଇନ୍ଦୁମତି ନାମ । ରୂପରେ ଅଟେ ଅନୁପମ ॥୧୩୨
ତାହାର ଗର୍ଭେ ପୁତ୍ର ତିନି । ଜନ୍ମିଲେ ବିଷ୍ଣୁତେଜ ଘେନି ॥୧୩୩
ପୁରୁକୂତ୍ସ› ଯେ ଅମ୍ବରୀଷ । ଏ ଆଦି ମୁଚୁକୁନ୍ଦ ଶେଷ ॥୧୩୪
ଏ ଅନ୍ତେ ପଞ୍ଚାଶ ଦୁହିତା । ଉତ୍ପତ୍ତି କଲେ ମାନ୍‌ଧାତା ॥୧୩୫
ସେ କନ୍ୟାଗଣ ବିଭାକାଳେ । ସୌଭରିମୁନି ଯୋଗବଳେ ॥୧୩୬
ବିବାହ କଲେ କନ୍ୟାଗଣ । ସେ କଥା ଏକମନେ ଶୁଣ ॥୧୩୭
ସୌଭରିଋଷି ବୃନ୍ଦାବନେ । କାଳିନ୍ଦୀ ଜଳେ ଯୋଗଧ୍ୟାନେ ॥୧୩୮
ତପ କରନ୍ତି ଦୃଢ଼ଚିତ୍ତେ । ଏମନ୍ତେ କିଛିକାଳ ଅନ୍ତେ ॥୧୩୯
ସମାଧି ଭାଜିଲା ଚଞ୍ଚଳେ । ସ୍ଥିରେ ଚାହିଁଲେ ନଦୀଜଳେ ॥୧୪୦
ଦେଖିଲେ ମୀନଗଣ ମଧ୍ୟେ । ରୋହିତ ଖେଳଇ ଆନନ୍ଦେ ॥୧୪୧
ବାଳକ ମୀନ ତା’ ଶରୀରେ । କ୍ରୀଡ଼ନ୍ତି ପୁଚ୍ଛ ପୃଷ୍ଠ ଶିରେ ॥୧୪୨
ଏମନ୍ତ ହୋଇ ପ୍ରତିଦିନେ । ଖେଳନ୍ତି ମୁନି ସନ୍ନିଧାନେ ॥୧୪୩
ସୌଭରି ମୁନି ତାହା ଚାହିଁ । ଲାଳସଚିତ୍ତେ ବିଚାରଇ ॥୧୪୪
ଦେଖ ଏ ରୋହିତର ଭାଗ୍ୟ । କୁଟୁମ୍ବ ମଧ୍ୟେ ସୁଖ ଭୋଗ ॥୧୪୫
ମୁଁ ଏବେ କରି ଗୃହାଶ୍ରମ । ସାଧିବି ଯଥା କୁଳ ଧର୍ମ ॥୧୪୬
ଏତେ ବିଚାରି ତପ ଛାଡ଼ି । ଗୃହ କରଣେ ଚିତ୍ତ ବଢ଼ି ॥୧୪୭
ମାର୍ଗେ ଚଳନ୍ତି ସେ ବିଚାରି । ବିବାହ ଅର୍ଥେ ବ୍ରହ୍ମଚାରୀ ॥୧୪୮
ଗୃହସ୍ଥ ନୋହେ ସେହୁ ଭଲେ । ଦାରା ପରିଗ୍ରହ ନ କଲେ ॥୧୪୯
ଏତେ ବିଚାରି ଦୃଢ଼ଚିତ୍ତେ । ମିଳିଲେ ନୃପତି ଅଗ୍ରତେ ॥୧୫୦
ମୁନି ଆଗମ ରାଜା ଦେଖି । ଉଠିଲେ ଆସନ ଉପେକ୍ଷି ॥୧୫୧
ଅତିଥିମତେ ପୂଜା କଲେ । ଆସନେ ନେଇ ବସାଇଲେ ॥୧୫୨
ଅନେକ ଗଉରବ କରି । ତା’ ଦେଖି ମୁନି ସଉଭରି ॥୧୫୩
ବୋଇଲେ ରାଜା ମୁଖ ଚାହିଁ । ବିଭା କରାଅ ମୋତେ ତୁହି ॥୧୫୪
ଗୃହେ କଳ୍ପିଲା ମୋର ମନ । କନ୍ୟାଏ ଦିଅ ମୋତେ ଦାନ ॥୧୫୫
ମୋହର ସନ୍ତତି ହୋଇଲେ । ସ୍ୱଧର୍ମ ରଖିବୁ ତୁ ଭଲେ ॥୧୫୬
ଏମନ୍ତେ ମୁନି ମୁଖୁଁ ଶୁଣି । ରାଜା ବିଚାରେ ମନେ ଗୁଣି ॥୧୫୭
ଏ ଅତିବୃଦ୍ଧ ଜରଜର । ବାତେ କମ୍ପଇ ତା’ ଶରୀର ॥୧୫୮
ବୃଦ୍ଧଙ୍କ ମଧ୍ୟେ ଅତିବୃଦ୍ଧ । ଗୃହ କରଣେ କଲେ ସଧ ॥୧୫୯
ମୋ’ର ଦୁହିତା ଅତି ସୁଖୀ । ଏହାକୁ ଦେଲେ ହେବ ଦୁଃଖୀ ॥୧୬୦
ନ ଦେଲେ ମୋ’ର ଭଲ ନାହିଁ । ଏତେ ବିଚାରି ମୁନି ଚାହିଁ ॥୧୬୧
ବୋଲଇ ଶିରେ ଦେଇ କର । ଭୋ ମୁନି ଶୁଣ ମୋ’ ଉତ୍ତର ॥୧୬୨
ପଞ୍ଚାଶ କନ୍ୟା ଅଛି ମୋ’ର । ଅନ୍ତଃପୁରକୁ ବିଜେ କର ॥୧୬୩
ଯେ କନ୍ୟା ତୁମ୍ଭଙ୍କୁ ବରିବ । ସୁମନେ କରି ପ୍ରୀତିଭାବ ॥୧୬୪
ସେ କନ୍ୟା ନିଶ୍ଚେ ଦେବି ମୁହିଁ । ଏମନ୍ତେ ରାଜା ସତ୍ୟ ପାଇଁ ॥୧୬୫
ମୁନି ଉଠିଲେ ତୋଷ ହୋଇ । ତକ୍ଷଣେ ଅନ୍ତଃପୁରେ ଯାଇ ॥୧୬୬
ଦ୍ୱାରପାଳକୁ ରାଜା ଚାହିଁ । ବୋଇଲା ଘେନିଯାଅ ତୁହି ॥୧୬୭
ଯେ କନ୍ୟା ବରିବ ଏ ବର । ଦେବଇଁ ସତ୍ୟ ଏ ମୋହର ॥୧୬୮
ଦ୍ୱାରପାଳର ହସ୍ତ ଧରି । ପୁରେ ପଶିଲେ ସଉଭରି ॥୧୬୯
ମିଳିଲେ କନ୍ୟାଙ୍କ ମନ୍ଦିରେ । ମାୟା-ମୋହନ-କଳେବରେ ॥୧୭୦
ରୂପେ କନ୍ଦର୍ପ ରୂପ ଗଞ୍ଜେ । ଜଗମୋହନ ତେଜ ପୁଞ୍ଜେ ॥୧୭୧
କନ୍ୟାଙ୍କୁ ଚାହିଁ ଦ୍ୱାରପାଳ । ଅଳପ ନମିଲା କପୋଳ ॥୧୭୨
ବୋଲଇ କନ୍ୟାଙ୍କୁ ଅନାଇଁ । ମୁଁ ତୁମ୍ଭ ପିତା ଆଜ୍ଞା ପାଇ ॥୧୭୩
ସଙ୍ଗତେ ଆଣିଅଛି ବର । ଯାହାର ଇଚ୍ଛା ତୁମେ ବର ॥୧୭୪
ଏକଇ କନ୍ୟା ଦେବେ ଦାନ । ଅଧିକେ ନାହିଁ ପ୍ରୟୋଜନ ॥୧୭୫
କନ୍ୟାଏ ତା’ର ରୂପ ଚାହିଁ । ନୟନ ପିଛା ନଚଳଇ ॥୧୭୬
ସର୍ବେ ଇଚ୍ଛନ୍ତି ତା’ର ସଙ୍ଗ । ଅନଳେ ଯେସନେ ପତଙ୍ଗ ॥୧୭୭
ଏକ ଆରେକ ଆଗ ହୋଇ । ବୋଲନ୍ତି ମୋ’ର ବର ଏହି ॥୧୭୮
ମୁହିଁ ବରିଲି ଆଗେ ବର । ନିଶ୍ଚୟେ ବର ଏ ମୋହର ॥୧୭୯
ଏମନ୍ତେ ଏକୁ ଆରେ ବାଦେ । ମୁନିଙ୍କି ବରିଲେ ଆନନ୍ଦେ ॥୧୮୦
ତକ୍ଷଣେ ଦ୍ୱାରପାଳ ଗଲା । ନୃପତି ଆଗେ ଜଣାଇଲା ॥୧୮୧
ବୋଲଇ ବିଧାତାର ମାୟା । କେ ଆନ କରେ ପ୍ରଭୁ ଏହା ॥୧୮୨
ଦଇବବଳ ଆକର୍ଷଣେ । ସର୍ବେ ବରିଲେ ବରପଣେ ॥୧୮୩
ଶୁଣି ତାହାର ମୁଖୁଁ ବାଣୀ । ସଂଭ୍ରମଚିରେ ନୃପମଣି ॥୧୮୪
ଆନନ୍ଦେ କନ୍ୟାଦାନ କଲା । ଅନେକ ଯଉତୁକ ଦେଲା ॥୧୮୫
ପଞ୍ଚାଶ କନ୍ୟା ବିଭା କରି । ପୁରୁଁ ବାହାର ସଉଭରି ॥୧୮୬
ସମ୍ପଦ ସିଦ୍ଧି ଯୋଗବଳେ । ଗୃହସ୍ଥ-ଆଶ୍ରମ ନିଶ୍ଚଳେ ॥୧୮୭
ନାନାପ୍ରକାରେ ଭୋଗକଲେ । ଅନେକ ପୁତ୍ର ନାତି ତୁଲେ ॥୧୮୮
ଯେ ଭୋଗକଳ୍ପେ ତା’ଙ୍କ ମନେ । ତକ୍ଷଣେ ମିଳେ ସନ୍ନିଧାନେ ॥୧୮୯
ଦିଗପାଳଙ୍କ ଭୋଗ ଆଦି । ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି ॥୧୯୦
ଏମନ୍ତ ଭୋଗ ଅନୁଦିନେ । ବିହାର ପୁଷ୍ପିତ କାନନେ ॥୧୯୧
ଏମନ୍ତେ କିଛିକାଳ ଗଲା । ବୈରାଗ୍ୟ ମନେ ଉପୁଜିଲା ॥୧୯୨
ନିଜ କପାଳେ ହସ୍ତ ମାରି । ତାପେ ବୋଲନ୍ତି ସଉଭରି ॥୧୯୩
ଦଇବ ବଳ ଦେଖ ମୋତେ । ତପ ମୁଁ କଲି ମୋକ୍ଷ ଅର୍ଥେ ॥୧୯୪
ଜଳେ ଅନାଇଁ ମୀନବଂଶେ । ଜ୍ଞାନ ହାରିଲି ସଙ୍ଗଦୋଷ ॥୧୯୫
ଏକ ମୁଁ ଭଜିଲି ଅନେକ । ନିଶ୍ଚୟେ ପଡ଼ିବି ନରକ ॥୧୯୬
ଏମନ୍ତ ଭାଳି ସେ ଏକାନ୍ତେ । ତକ୍ଷଣେ ପଶିଲେ ବନସ୍ତେ ॥୧୯୭
ପତ୍ନୀ ସମେତେ ତପ ଦାହି । ଅନ୍ତେ ଲଭିଲେ ଭାବଗ୍ରାହୀ ॥୧୯୮
ସୁଜନେ ଶୁଣ ଏକଚିତ୍ତେ । ଯେ ଧର୍ମ ବଂଶାନୁଚରିତେ ॥୧୯୯
କହିଲି ଆତ୍ମାହିତ ବାଣୀ । ଯେଣେ ଭକତି ତତ୍ତ୍ୱ ଜାଣି ॥୨୦୦
ସଂସାର ଅନ୍ଧକୂପେ ଥାଇ । ଏ ବିନୁ ଆନଗତି ନାହିଁ ॥୨୦୧
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୨୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଷଷ୍ଠୋଽଧ୍ୟାୟଃ । ।

ସପ୍ତମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ତୁ ନରେଶ । ମାନ୍ଧାତା ପୁତ୍ର ଅମ୍ବରୀଷ ॥୧
ପିତାମହଙ୍କୁ ସେବା କଲା । ସେ ଫଳେ ସୁପୁତ୍ର ଲଭିଲା ॥୨
ତା’ ସୁତ ଯୁବନାଶ୍ୱ ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥୩
ହାରୀତ ତାହାର କୁମର । ମାନ୍ଧାତା ବଂଶେ ସେ ପ୍ରବର ॥୪
ନାଗେନ୍ଦ୍ର ବାକ୍ୟେ ନାଗଯୂଥେ । ଗନ୍ଧର୍ବ ବଳକୁ ହାରନ୍ତେ ॥୫
ସେ ନାଗେ ଆସି ରାତ୍ର କାଳେ । ପୁରୁକୁତ୍ସ›କୁ ଘେନିଗଲେ ॥୬
ସକଳ ଭ୍ରାତୃଗଣ ଥାଇ । ନର୍ମଦା କନ୍ୟା ତା’କୁ ଦେଇ ॥୭
ପାତାଳ ପୁରେ ଘେନିଗଲେ । ଗନ୍ଧର୍ବବଳେ ଯୁଝାଇଲେ ॥୮
ସେ ପୁଣି ବିଷ୍ଣୁତେଜେ ବଳୀ । ଗନ୍ଧର୍ବବଳ ନାଶ କରି ॥୯
ମିଳି ସକଳ ନାଗବଳେ । ସନ୍ତୋଷ ବର ତା’କୁ ଦେଲେ ॥୧୦
ଯେ ପ୍ରାଣୀ ଶୟନର କାଳେ । ନର୍ମଦା ନାମ ତିନି ବେଳେ ॥୧୧
ରାତ୍ର ଦିବସ ସନ୍ଧ୍ୟା ସ୍ମରେ । ସର୍ପଭୟରୁ ସେ ନିସ୍ତରେ ॥୧୨
ଏବେ ହୋ ପୁରୁକୁତ୍ସ› ବଂଶେ । କହିବା ଶୁଣ ତୁ ହରଷେ ॥୧୩
ସର୍ବସମ୍ପଦ ଗୁଣଗ୍ରାମ । ତା’ ସୁତ ତ୍ରସŸଦ୍ଦସ୍ୟୁ ନାମ ॥୧୪
ସେ ବିଷ୍ଣୁତେଜେ ଅନର୍ଗଳା । ଯେ ଅନରଣ୍ୟ ଜାତ ହେଲା ॥୧୫
ହର୍ଯଶ୍ୱ ତାହାର ନନ୍ଦନ । ତହୁଁ ପ୍ରାରୁଣ ତ୍ରିବନ୍ଧନ ॥୧୬
ତା’ର ତନୟ ସତ୍ୟବ୍ରତ । ତ୍ରିଶଙ୍କୁ ନାମେ ଯେ ବିଦିତ ॥୧୭
ପିତାଙ୍କ ଶାପ ସେହୁ ଘେନି । ଲଭିଲା ଚଣ୍ତାଳର ଯୋନି ॥୧୮
ବଶିଷ୍ଠ ଶାପ ମହାଘୋର । କୌଶିକ ତେଜେ ହେଲା ପାର ॥୧୯
ଶରୀର ଘେନି ସ୍ୱର୍ଗେ ଗଲା । ଉତ୍ତର ଆକାଶେ ବସିଲା ॥୨୦
ଜଗତେ ରହିଲା ତା’ ଯଶ । ଅଦ୍ୟାପି ରାତ୍ରେ ହୋଏ ଦୃଶ୍ୟ ॥୨୧
ଦେବେ ତାହାକୁ କୋପ କଲେ । ଭୂମିରେ ପଡ଼ ତୁ ବୋଇଲେ ॥୨୨
ତକ୍ଷଣେ ଆଧୋମୁଖ ହୋଇ । ପଡ଼ନ୍ତେ କୌଶିକ ଅନାଇଁ ॥୨୩
ସ୍ତମ୍ଭନ କଲେ ବେଦମନ୍ତ୍ରେ । ପୁଣି ବସିଲା ନିଜ କ୍ଷେତ୍ରେ ॥୨୪
ତାହାର ସୁତ ହରିଶ୍ଚନ୍ଦ୍ର । ସପତ ଦ୍ୱୀପେ ସେ ନରେନ୍ଦ୍ର ॥୨୫
ତାହାର ଅର୍ଥେ ଅନ୍ୟୋଅନି । ବଶିଷ୍ଠ ବିଶ୍ୱାମିତ୍ର ବେନି ॥୨୬
ବହୁ ବରଷ ଯୁଦ୍ଧ କଲେ । ପକ୍ଷୀଙ୍କ ପ୍ରାୟ ରୂପ ହେଲେ ॥୨୭
ସେ ପୁଣି ଅପୁତ୍ରିକ ହୋଇ । ନାରଦ ମୁନିଙ୍କି ଅନାଇଁ ॥୨୮
ସନ୍ତତି ଅର୍ଥେ ପ୍ରଶ୍ନକଲା । ବିକଳେ ତ୍ରିଶଙ୍କୁର ବଳା ॥୨୯
ନାରଦ ମୁନି ତା’ ପ୍ରସ୍ତାବେ । କହିଲେ ଆତ୍ମା ପ୍ରିୟ ଭାବେ ॥୩୦
ତୁ ଯାଇ ବରୁଣ-ଚରଣେ । ବିଶ୍ୱାସେ ପଶ ତା’ ଶରଣେ ॥୩୧
ସେ ତୋତେ ପ୍ରସନ୍ନ ହୋଇଲେ । ସନ୍ତତି ଲଭିବୁ ତୁ ଭଲେ ॥୩୨
ଏମନ୍ତେ ନାରଦ ବଚନେ । ମିଳିଲେ ବରୁଣ ଭୁବନେ ॥୩୩
ବରୁଣ ଚରଣରେ ପଡ଼ି । ରାଜନ କହେ କରଯୋଡ଼ି ॥୩୪
ହେ ପ୍ରଭୁ କର ଅନୁଗ୍ରହ । ମୋହର ହେଉ ଯେ ତନୟ ॥୩୫
ପୁତ୍ର ଉତ୍ପନ୍ନ ହେଲେ ମୋର । ଯଜ୍ଞେ ମୁଁ ଦେବି ତା’ର ଶିର ॥୩୬
ତା’ର ବଚନେ ତୁଷ୍ଟ ହେଲେ । ବରୁଣ ତୋଷେ ବର ଦେଲେ ॥୩୭
ବରୁଣ ବରେ ପୁତ୍ର ଜାତ । ନାମ ତା’ ହୋଇଲା ରୋହିତ ॥୩୮
ଦେଖିଣ ପୁତ୍ରର ଜନମ । ରାଜାଙ୍କୁ କହନ୍ତି ବରୁଣ ॥୩୯
ହେ ନୃପ ମୋର ଯଜ୍ଞ କର । ଏବେ ତୋ’ ହୋଇଲା କୁମର ॥୪୦
ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ବିଚାରେ ହରିଶ୍ଚନ୍ଦ୍ର ମନେ ॥୪୧
ଏ ପୁତ୍ର ଅପବିତ୍ର ଶିଶୁ । ଯାଗେ କି ରୂପେ ହେବ ପଶୁ ॥୪୨
ଏହା ବିଚାରି ନରପତି । ବରୁଣେ କରଇ ବିନତି ॥୪୩
ଶୁଣିମା ହେଉ ପାଶହସ୍ତ । ଏ ପୁତ୍ର ମୋ’ର ଅପବିତ୍ର ॥୪୪
ମନୁଷ୍ୟ ପଶୁ ଭିଆଇଲେ । ଯଜ୍ଞ ମୁଁ କରିବଇଁ ଭଲେ ॥୪୫
ନିŸର୍ଦ୍ଦନ୍ତ ପଶୁ ଅସଂସ୍କାର । ଦନ୍ତ ନିର୍ଗମ ନାହିଁ ତା’ର ॥୪୬
ଦନ୍ତ ନ ଥିଲେ ଯଜ୍ଞ କାହିଁ । ଏମନ୍ତେ ଦିନାକେତେ ରହି ॥୪୭
ତୁଣ୍ତେ ଜନ୍ମିଲା ତା’ର ଦନ୍ତ । ରାଜାକୁ ବୋଲେ ପାଶହସ୍ତ ॥୪୮
ଦନ୍ତ ହୋଇଲା ତୋ’ କୁମର । ତା’ ମାଂସେ ମୋର ଯଜ୍ଞକର ॥୪୯
ବରୁଣ ମୁଖୁଁ ଏହା ଶୁଣି । ସେ ହରିଶ୍ଚନ୍ଦ୍ର ମନେ ଗୁଣି ॥୫୦
ଦନ୍ତ ସମ୍ପୂର୍ଣ୍ଣେ ପଶୁ ଶୁଚି । ବରୁଣ ତାହା ଦେଖି ଘୁଞ୍ଚି ॥୫୧
ପୁଣି କେତେହେଁ ଦିନ ଗଲା । ସମ୍ପୂର୍ଣ୍ଣେ ଦନ୍ତ ଉପୁଜିଲା ॥୫୨
ଏବେ କି ବିଳମ୍ବ ତୋହର । ବରୁଣ ବୋଲେ ଯଜ୍ଞକର ॥୫୩
ବରୁଣେ ଚାହିଁ ରାଜା କହେ । ପ୍ରଥମ ଦନ୍ତ ଶୁଦ୍ଧ ନୋହେ ॥୫୪
ଏ ଦନ୍ତ ପଡ଼ି ଯେବେ ଉଠେ । ତେବେ ସେ ଯଜ୍ଞ ପଶୁ ଘଟେ ॥୫୫
ଏମନ୍ତେ କିଛି କାଳ ଅନ୍ତେ । ତୁଣ୍ତୁ ପଡ଼ିଲେ ସର୍ବଦନ୍ତେ ॥୫୬
ପୁଣି ଉଠିଲେ ଏକ ତୁଲେ । ବରୁଣ ରାଜା ଚାହିଁ ବୋଲେ ॥୫୭
ଦନ୍ତ ହୋଇଲା ପୁନର୍ବାର । ଭୋ ରାଜା ଏବେ ଯଜ୍ଞକର ॥୫୮
ତା’ ଶୁଣି ବୋଲେ ନୃପମଣି । ଏ ନୋହେ କୁଳଧର୍ମ ବାଣୀ ॥୫୯
କ୍ଷତ୍ରିୟ ବଂଶେ ହୋଇ ଜାତ । ଯାବତ ନୁହଁଇ ସମର୍ଥ ॥୬୦
ତାବତ୍ ମାଂସ ଶୁଦ୍ଧ ନୋହେ । ଏମନ୍ତ ବୋଲେ ପୁତ୍ର ସ୍ନେହେ ॥୬୧
ବରୁଣ ତା’ର ବାକ୍ୟ ମାନି । କିଛି ନ କହି ହେଲେ ତୁନି ॥୬୨
ଏମନ୍ତେ କାଳ ବଞ୍ଚାଇଲା । ତା’ ଜାଣି ପୁତ୍ର ବିଚାରିଲା ॥୬୩
ପିତା ଯେ କରିଛନ୍ତି ସତ୍ୟ । ଅବଶ୍ୟ ଯଜ୍ଞେ ହେବି ହତ ॥୬୪
ପ୍ରାଣର ରକ୍ଷା ଚିନ୍ତା କଲା । ତକ୍ଷଣେ ଗ୍ରାମ ଉପେକ୍ଷିଲା ॥୬୫
ଧନୁ-କମାଣ ଘେନି କରେ । ପଶିଲା-ଗହନ ବନରେ ॥୬୬
ବନେ ବୁଲନ୍ତେ ଧର୍ମ ଗୁଣି । ଶୁଣିଲା ଅନ୍ତରୀକ୍ଷ ବାଣୀ ॥୬୭
ବରୁଣ ପିତା ବନ୍ଦି କଲା । ଯାବତ ଯଜ୍ଞ ନ ପାଇଲା ॥୬୮
ତେଣୁ ଉଦରେ ରୋଗ ଜାତ । ବରୁଣ ଶାପେ ହୋଇ ଗ୍ରସ୍ତ ॥୬୯
ଶୁଣି ରୋହିତ ଶୋକାକୁଳେ । ଗ୍ରାମକୁ ଆସିବାର ବେଳେ ॥୭୦
ଇନ୍ଦ୍ର ମିଳିଲା ଆସି ପଥେ । ବୋଲଇ ରୋହିତ ଅଗ୍ରତେ ॥୭୧
ଯଜ୍ଞ ନ କଲା ତୋ’ର ତାତ । କୋପେ ବରୁଣ କଲାଗ୍ରସ୍ତ ॥୭୨
ତୋତେ ଗ୍ରାସିବ କୋପ ବହି । ଏବେ ଅରଣ୍ୟେ ଥାଅ ତୁହି ॥୭୩
ଧର୍ମକୁ ଯେବେ ତୋ’ର ମନ । ଧରଣୀ କର ପର୍ଯ୍ୟଟନ ॥୭୪
ଅନେକ ପୁଣ୍ୟତୀର୍ଥ କର । ଧର୍ମେ ବିଶ୍ୱାସ ଯେବେ ତୋ’ର ॥୭୫
ଏମନ୍ତେ ଇନ୍ଦ୍ରର ବଚନେ । ରୋହିତ ତୀର୍ଥ କରେ ବନେ ॥୭୬
ପୁଣି ଗ୍ରାମକୁ ଇଚ୍ଛାକରେ । ଆସନ୍ତେ ଇନ୍ଦ୍ର ତା’ ନିବାରେ ॥୭୭
ଏକ ଦ୍ୱିତୀୟ ତ୍ରି ଚତୁର୍ଥେ । ପଞ୍ଚମ ବର୍ଷେ ତା’କୁ ପଥେ ॥୭୮
ବୃଦ୍ଧ ବ୍ରାହ୍ମଣ ରୂପ ଧରି । ଗ୍ରାମ ଗମନେ ବିଘ୍ନ କରି ॥୭୯
ଷଡ଼ବରଷ ବନେ ଥିଲା । ଅନେକ ତୀର୍ଥ ସେ ଭ୍ରମିଲା ॥୮୦
ସପ୍ତବରଷେ ନିଜ ଗ୍ରାମେ । ମିଳିଲା ଯାଇ ତୀର୍ଥାଶ୍ରମେ ॥୮୧
ଶୁଣିଲା ଅଜୀଗର୍ତ୍ତ ମୁନି । ବିକିବା ଅର୍ଥେ ପୁତ୍ର ତିନି ॥୮୨
ତାହାଙ୍କ ପାଶେ ସେ ମିଳିଲା । ମଧ୍ୟମ ପୁତ୍ରକୁ କିଣିଲା ॥୮୩
ସେ ପୁତ୍ର ଶୁନଃଶେଫ୍ ନାମ । ସକଳ ଗୁଣେ ଗୁଣଧାମ ॥୮୪
ପିତାର ଅଗ୍ରେ ନେଇ ଦେଲା । ତା’ ଦେଖି ବରୁଣ ଛାଡ଼ିଲା ॥୮୫
ସେ ହରିଶ୍ଚନ୍ଦ୍ର ଆସି ପୁରେ । ଯଜ୍ଞ ଆରମ୍ଭିଲେ ସମ୍ଭାରେ ॥୮୬
ପୁରୁଷମେଧ ଯଜ୍ଞ ମତେ । ବିଷ୍ଣୁଙ୍କୁ ପୂଜି ବେଦପଥେ ॥୮୭
ଆଚାର୍ଯ୍ୟ ବିଶ୍ୱାମିତ୍ର କରି । ଜମଦଗ୍ନିଙ୍କୁ ବ୍ରହ୍ମା ବରି ॥୮୮
ବଶିଷ୍ଠ ସାମଗାନେ ବରି । ସମିଧ ହୋତା ତା’ଙ୍କୁ କରି ॥୮୯
ବରୁଣ ଅର୍ଥେ ଯଜ୍ଞ କଲା । ସକଳ ଦେବଙ୍କୁ ତୋଷିଲା ॥୯୦
ସନ୍ତୋଷ ହୋଇ ସୁରନାଥ । ଦେଲେ ସୁବର୍ଣ୍ଣମୟ ରଥ ॥୯୧
ଶୁନଃଶେଫର କଥା ଯେତେ । ପଛେ କହିବା ତୋ’ ଅଗ୍ରତେ ॥୯୨
ଏମନ୍ତେ ମହାଯଜ୍ଞ ଅନ୍ତେ । ଦକ୍ଷିଣା ଦେଲା ବିଧିମତେ ॥୯୩
ବିଶ୍ୱାମିତ୍ରଙ୍କୁ ଭୂମି ଦେଲା । ସୁବର୍ଣ୍ଣ ରଥେ ବିଜେ କଲା ॥୯୪
ରାଜାର ସତ୍ୟବ୍ରତ ଚାହିଁ । ସନ୍ତୋଷ ବିଶ୍ୱାମିତ୍ର ହୋଇ ॥୯୫
ନିଶ୍ଚଳ ଗତି ଶୂନ୍ୟ ପଥେ । ନିଜ ଜନଙ୍କୁ ଘେନି ସାଥେ ॥୯୬
ଯେ ସ୍ଥାନେ ମନ ତା’ର ଧରେ । ଇଚ୍ଛାୟେ ଭ୍ରମଇ ଅମ୍ବରେ ॥୯୭
ତା’ର ଭକତି ଭାବ ଘେନି । ସନ୍ତୋଷେ ବିଶ୍ୱାମିତ୍ର ମୁନି ॥୯୮
ପରମ ଜ୍ଞାନ ତାକୁ ଦେଲେ । ଆକାଶେ ଥାଅ ତୁ ବୋଇଲେ ॥୯୯
ଆକାଶେ ଥାଅ ଦେବ ପ୍ରାୟେ । ଅନ୍ତେ ପଶିବୁ ବିଷ୍ଣୁ ଦେହେ ॥୧୦୦
ଭାଷା ପ୍ରବନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୦୧
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ସପ୍ତମୋଽଧ୍ୟାୟଃ । ।

ଅଷ୍ଟମ ଅଧ୍ୟାୟ

ଶୁକ ଉବାଚ

ବୋଲନ୍ତି ଶୁକ ବ୍ରହ୍ମବେତ୍ତା । ଶୁଣ ରାଜନ ଶୁଦ୍ଧଚେତା ॥୧
ହରିତ ରୋହିତର ସୁତ । ଚମ୍ପ ତାହାର ତହୁଁ ଜାତ ॥୨
ଗ୍ରାମ ବସାଇ ନିଜ ନାମେ । ରହିଲା ଚମ୍ପାବତୀ ଗ୍ରାମେ ॥୩
ସୁଦେବ ତା’ର ସୁତ ହୋଏ । ବିଜୟ ତାହାର ତନୟେ ॥୪
ବୃକ ଯେ ତାହାର ସନ୍ତତି । ସ୍ୱଭାବେ ଅତି ଶୁଦ୍ଧମତି ॥୫
ବାହୁକ ତାହାର ନନ୍ଦନ । ତା’ କଥା ଶୁଣ ହେ ରାଜନ ॥୬
ଶତ୍ରୁ ପୀଡ଼ିତ ବୃଦ୍ଧପଣେ । ଭୟେ ପଶିଲା ଘୋରବନେ ॥୭
ପତ୍ନୀ ସହିତେ ପଳାଇଲା । ଔର୍ବଙ୍କ ଆଶ୍ରମେ ମିଳିଲା ॥୮
ନମିଲା ମୁନିଙ୍କ ଚରଣେ । ବୃଦ୍ଧ ଶରୀରେ ଘୋରବନେ ॥୯
ସଭୟେ ଛାଡ଼ିଲା ଜୀବନ । ମୁନି ହୋଇଲେ ଦୁଃଖମନ ॥୧୦
ତା’ର କାମିନୀ ଶୋକମନେ । ପଶିବା ବେଳେ ହୁତାଶନେ ॥୧୧
ମୁନି ଜାଣିଲେ ତା’ର ଭାବ । ଉଦରେ ପାଞ୍ଚମାସ ଗର୍ଭ ॥୧୨
ବୋଇଲେ ଅନଳେ ନ ପଶ । ହୋଇବ ଏ ରାଜାର ବଂଶ ॥୧୩
ମୁନି ବଚନେ ସେ ଅବଳା । ଅନଳକୁଣ୍ତେ ନ ପଶିଲା ॥୧୪
ଶୁଣ ରାଜନ ମନ ଦେଇ । ତା’ ଗର୍ଭକଥା ତୋତେ କହି ॥୧୫
ସେ ଗର୍ଭ ସଞ୍ଚରଣ କାଳେ । ସପତ୍ନୀ ପାଞ୍ଚସାତ ମେଳେ ॥୧୬
ଗରଳ ଦେଲେ ଅନ୍ନସଙ୍ଗେ । ବିଷ ନ ଲାଗେ ତା’ର ଅଙ୍ଗେ ॥୧୭
ଗର୍ଭ ରଖିଲେ ଜଗନ୍ନାଥ । ଏବେ ହୋ ଶୁଣ ପରୀକ୍ଷିତ ॥୧୮
ସେ ଗର୍ଭ ପ୍ରସବର କାଳେ । ମୁନି ସକଳ କୁତୂହଳେ ॥୧୯
ବୋଲନ୍ତି ଗରଳ ସଙ୍ଗତେ । ଜନ୍ମ ଲଭିଲା ଏ ଯୁକତେ ॥୨୦
ଗରଳ ସଙ୍ଗେ ଜନ୍ମ ଯେଣୁ । ସଗର ନାମ ହେଉ ତେଣୁ ॥୨୧
ଏମନ୍ତେ ମୁନିଙ୍କ ସଙ୍ଗତେ । ସଗର ରାଜା ଦିନାକେତେ ॥୨୨
ଦିନକୁ ଦିନ ଅତି ତେଜା । ହୋଇଲା ଚକ୍ରବର୍ତ୍ତୀ ରାଜା ॥୨୩
ତା’ର ତନୁଜେ ବାହୁବଳେ । ସାଗର କଲେ ମହୀତଳେ ॥୨୪
ପିତା ଶତ୍ରୁକୁ ଯୁଦ୍ଧେ ଜିଣି । ସ୍ୱଗୃହେ ବନ୍ଦୀ କଲେ ଆଣି ॥୨୫
ଯେତେ ତାହାର ରିପୁମାନ । ଶୁଣ ହୋ ତାହାଙ୍କର ନାମ ॥୨୬
ଯବନ ତାଳଜଂଘ ଶକ । ହୈହୟ ବର୍ବର ଯେତେକ ॥୨୭
ଗୁରୁଙ୍କ ବାକ୍ୟେ ନ ମାଇଲା । ଶୁଣ ଯାହାକୁ ଯାହା କଲା ॥୨୮
ମୁଣ୍ତିତକେଶ କାର କରି । କାହାକୁ କଲା ଶ୍ମଶ୍ରୁଧାରୀ ॥୨୯
କାହାର କଲା ମୁକ୍ତକେଶ । ଅର୍ଦ୍ଧମୁଣ୍ତିତ କା’ର କେଶ ॥୩୦
କେତେକ ଅନ୍ତର୍ବାସ ହୀନ । ଅପରେ ବହିର୍ବାସ ଶୂନ୍ୟ ॥୩୧
କାହାର ବସନ ଉତ୍ତାରି । ବିକୃତବେଶ ତା’ଙ୍କୁ କରି ॥୩୨
ଯବନ ବେଶ କା’କୁ କରି । ସ୍ୱଧର୍ମ ମାର୍ଗରୁ ଉତ୍ତାରି ॥୩୩
ଏମନ୍ତ କରି ହୀନବେଶ । ଛାଡ଼ିଣ ଦେଲା ତା’ଙ୍କୁ ଦେଶ ॥୩୪
ସେ ପୁଣି ସଞ୍ଚି ନାନାବିଧି । କଳ୍ପିଲା ଶତେ ଅଶ୍ୱମେଧି ॥୩୫
ଔର୍ବ ମୁନିଙ୍କି ହୋତା କରି । ଯଜ୍ଞେ ପୂଜିଲା ନରହରି ॥୩୬
ଉତ୍ତମ ଅଶ୍ୱ ପଶୁ କଲା । ସେ ଅଶ୍ୱ ଇନ୍ଦ୍ର ଚୋରାଇଲା ॥୩୭
ଷାଠିଏ ସହସ୍ର କୁମର । ତା’ଙ୍କୁ ଡରଇ ସୁନାସୀର ॥୩୮
କଳ୍ପଇ ମରିବେ ଯେମନ୍ତେ । ଏମନ୍ତ ଭାଳି ସେ ଗୁପତେ ॥୩୯
କପିଳମୁନି ପାଦତଳେ । ଅଶ୍ୱ ବାନ୍ଧିଲା ରାତ୍ରକାଳେ ॥୪୦
ଅଶ୍ୱ ନ ଦେଖି ଯଜ୍ଞଦ୍ୱାରେ । ଖୋଜନ୍ତି ବ୍ରହ୍ମାଣ୍ତ ଭିତରେ ॥୪୧
ସୁମତି ଗର୍ଭେ ଯେତେ ସୁତ । ବଳରେ ଅଟନ୍ତି ଦର୍ପିଷ୍ଟ ॥୪୨
ସେ ପୁଣି ପିତାଙ୍କ ଆଦେଶେ । ଅଶ୍ୱ ଖୋଜନ୍ତି ଦଶଦିଶେ ॥୪୩
ଖୋଳନ୍ତି ମହୀନବଖଣ୍ତ । ଭକ୍ଷନ୍ତି ବିସ୍ତାରିଣ ତୁଣ୍ତ ॥୪୪
ଉତ୍ତରଦିଗେ ଖୋଳିଗଲେ । କପିଳ ଆଶ୍ରମେ ମିଳିଲେ ॥୪୫
ଦେଖିଲେ ମୁନି ସନ୍ନିଧାନେ । ସେ ଅଶ୍ୱ ଅଛଇଁ ବନ୍ଧନେ ॥୪୬
କପିଳମୁନି ମୁଖ ଚାହିଁ । ବୋଲନ୍ତି ଅଶ୍ୱଚୋର ଏହି ॥୪୭
ଏହାକୁ ରଖି ନ ଯୋଗାଇ । ଏମନ୍ତ ଉଚ୍ଚବାଚ ହୋଇ ॥୪୮
ବୋଲନ୍ତି ଖଡ଼ଗ ଉଞ୍ଚାଇ । ଏହାର ଶିର ଛେଦ ନେଇ ॥୪୯
ଆମ୍ଭଙ୍କୁ ଦେଖି ଚକ୍ଷୁ ବୁଜେ । ଆତ୍ମାକୁ ଦମ୍ଭ ପ୍ରାୟେ ବୁଝେ ॥୫୦
ଏମନ୍ତ ଘୋରନାଦ କରି । ଧାଇଁଲେ କରେ ଶସ୍ତ୍ର ଧରି ॥୫୧
ଭୂମି କମ୍ପିଲା ତା’ଙ୍କ ପାଦେ । ଧ୍ୟାନ ଭାଜିଲା ଘୋରନାଦେ ॥୫୨
ଚାହାଁନ୍ତେ ଉନ୍ମୀଳ ଲୋଚନେ । ଅନଳ ଉଠିଲା ତକ୍ଷଣେ ॥୫୩
ମହତ ଅତିକ୍ରମ ଦୋଷେ । ନୟନ ଅଗ୍ନି ମହାରୋଷେ ॥୫୪
ଦେଖନ୍ତ ସ୍ୱର୍ଗେ ଦେବଗଣେ । ଭସ୍ମ ହୋଇଲେ ତତ୍‌କ୍ଷଣେ ॥୫୫
ଷାଠି – ସହସ୍ର ଏକାଥରେ । ମରିଲେ ସଗର କୁମରେ ॥୫୬
କେଶିନୀ ଗର୍ଭେ ଏକସୁତ । ଅସମଞ୍ଜସ ନାମେ ଖ୍ୟାତ ॥୫୭
ତା’ର କୁମର ଅଂଶୁମାନ । ସକଳ ଗୁଣେ ଗୁଣଧାମ ॥୫୮
ସେ ଥାଇ ପିତାମହ ହିତେ । ମନ ବଚନ କାୟେ ନିତ୍ୟେ ॥୫୯
ଅସମଞ୍ଜସ ଯା’ର ନାମ । କରେ ନିନ୍ଦିତ ଆଚରଣ ॥୬୦
ସେ ପୂର୍ବଜନ୍ମେ ଯୋଗୀ ଥିଲା । ସଙ୍ଗ ଦୋଷରୁ ଭ୍ରଷ୍ଟ ହେଲା ॥୬୧
ଏଣୁ ନିନ୍ଦିତ କର୍ମ କରେ । ଜ୍ଞାତିଙ୍କ ଅପ୍ରିୟ ଆଚରେ ॥୬୨
ଅସମଞ୍ଜସ ନାମ ଯେଣୁ । ଲୋକଙ୍କୁ ହିଂସା କରେ ତେଣୁ ॥୬୩
ଯୋଗବଳରୁ ଜାତିସ୍ମର । ଏ ଜନ୍ମେ ଅଛଇ ତାହାର ॥୬୪
ତେଣୁ ସେ ସଙ୍ଗ ପରିହରି । ଲୋକେ ନିନ୍ଦିତ କର୍ମ କରି ॥୬୫
ଶିଶୁମାନଙ୍କୁ ଧରି ବଳେ । ପକାଏ ସରଯୂର ଜଳେ ॥୬୬
ଦେଖି ତାହାର ମନ୍ଦପଣ । ଅଯୋଧ୍ୟାବାସୀ ପ୍ରଜାଗଣ ॥୬୭
ସଗରେ ଜଣାଇଲେ ଯାଇ । ଅତି ଦୁଃଖିତ ରାଜା ହୋଇ ॥୬୮
ସଗର ହୋଇଣ ଦୁଃଖିତ । ପୁତ୍ର ସ୍ନେହକୁ କଲା ତ୍ୟକ୍ତ ॥୬୯
ଘରୁ ବାହାର କରି ଦେଲା । ଯେଣୁ ସେ ପ୍ରଜାଙ୍କୁ ପୀଡ଼ିଲା ॥୭୦
ସେ ପୁଣି ଯୋଗବଳ କଲା । ମୃତ ବାଳକମାନ ଦେଲା ॥୭୧
ବାଳକ ପାଇ ତୋଷମନେ । ଅଯୋଧ୍ୟାବାସୀ ପ୍ରଜାଜନେ ॥୭୨
ବିସ୍ମିତ ହୋଇଲେ ସକଳେ । ଅସମଞ୍ଜସ ଯୋଗବଳେ ॥୭୩
ତା’ର ଅଦ୍ଭୁତକର୍ମ ଦେଖି । ସଗର ହେଲେ ମହାସୁଖୀ ॥୭୪
ଏବେ ହୋ ଶୁଣ ନରନାଥ । ସେ ଅଂଶୁମାନର ଚରିତ ॥୭୫
ସଗର ତା’ର ମୁଖ ଚାହିଁ । ବୋଇଲେ ଅଶ୍ୱ ଆଣ ଯାଇ ॥୭୬
ଏମନ୍ତେ ପିତାମହ ବାକ୍ୟେ । ସେ ଅଂଶୁମାନ ଗଲା ଏକେ ॥୭୭
ପିତୃବ୍ୟ-ଖାତ-ପଥେ ଗଲା । ପାତାଳେ ଅଶ୍ୱକୁ ଦେଖିଲା ॥୭୮
ଦେଖିଲା କପିଳ-ସମ୍ମୁଖେ । ବାନ୍ଧିଲା-ଅଶ୍ୱ ଅଛି ସୁଖେ ॥୭୯
କପିଳ ପାଦତଳେ ପଡ଼ି । ସେ ଅଂଶୁମାନ କରଯୋଡ଼ି ॥୮୦
ଅନେକ ସ୍ତୁତିବାକ୍ୟ ବଳେ । ପୂଜିଲା ଚରଣ କମଳେ ॥୮୧
ବୋଲଇ ଶିରେ କର ଦେଇ । ଭୋ ନାଥ କର ମୋତେ ତ୍ରାହି ॥୮୨
ଶକ୍ର ବିରଞ୍ଚି-ମହାଦେବ । ସେ କାହିଁ ଜାଣିବେ ତୋ’ ଭାବ ॥୮୩
ତୁ ଜ୍ଞାନଘନେ ମୋହ ନାଶୁ । ସଂସାର ସ୍ୱତେଜେ ପ୍ରକାଶୁ ॥୮୪
ସକକ ଆଦି ମୁନି ଯେତେ । ବିଶେଷେ ଭାବନ୍ତି ସେ ତୋତେ ॥୮୫
ତୋ’ ରୂପ ଜୀବ-ମୋକ୍ଷ ଅର୍ଥେ । ମୁଁ ତୋତେ ଜାଣିବି କେମନ୍ତେ ॥୮୬
ତୋ’ ମାୟା ଜୀବ ଜ୍ଞାନ ହରେ । ସଂସାରେ ଜନ୍ମ-ମୃତ୍ୟୁ କରେ ॥୮୭
ଜୀବକୁ ଜ୍ଞାନ ଦେବା ଅର୍ଥେ । ତୋ’ର ପ୍ରକାଶ ଏ ଜଗତେ ॥୮୮
ଅବିଦ୍ୟା କର୍ମ ପଥେ ଜଡ଼େ । ତୋ’ ମାୟା ଗହନ ନିବିଡ଼େ ॥୮୯
ଜୀବନ ବନ୍ଧନ ବିଶ୍ୱାସେ । ଦାରା-ତନୟ ଗୃହବାସେ ॥୯୦
ଏଣୁ ତୋ’ ଚରଣ-କମଳେ । ତା’ ଚିତ୍ତ ନ ରହେ ନିଶ୍ଚଳେ ॥୯୧
ଆଜଟି ନିସ୍ତରିଲି ମୁହିଁ । ଭୋ ନାଥ ତୋ’ ଚରଣ ଚାହିଁ ॥୯୨

ଶୁକ ଉବାଚ

ଏମନ୍ତେ ତା’ର ସ୍ତୁତି ଶୁଣି । ପ୍ରସନ୍ନଚିତ୍ତେ ମହାମୁନି ॥୯୩
ଅଂଶୁମାନର ମୁଖ ଚାହିଁ । ବୋଲନ୍ତି ଅନୁଗ୍ରହ ବହି ॥୯୪

କପିଳ ଉବାଚ

ହେ ପୁତ୍ର ଅଶ୍ୱ ଘେନିଯାଅ । ତୋ’ ପିତାମହ ପାଶେ ଦିଅ ॥୯୫
ଏ ଅଶ୍ୱେ ଯଜ୍ଞ ପୂଜା କରି । ବିଷମ ସଙ୍କଟୁ ନିସ୍ତରି ॥୯୬
ଏ ଯେ ତୋହର ପିତୃକୂଳେ । ଭସ୍ମ ହୋଇଲେ କୋପାନଳେ ॥୯୭
ଏହାଙ୍କ ମୋକ୍ଷ ଗଙ୍ଗାଜଳେ । ଅନ୍ୟଥା ନାହିଁ ଏ ଶୟଳେ ॥୯୮
ଏମନ୍ତେ କପିଳ ବଚନେ । ସେ ଅଂଶୁମାନ ତୋଷମନେ ॥୯୯
ତକ୍ଷଣେ ଅଶ୍ୱକୁ ଆଣିଲେ । ପିତାମହର ପାଶେ ଦେଲେ ॥୧୦୦
ସେ ଅଶ୍ୱମାଂସେ ଯଜ୍ଞ କରି । ବିଷମ ସଙ୍କଟୁ ନିସ୍ତରି ॥୧୦୧
ଅଂଶୁମାନକୁ ରାଜ୍ୟ ଦେଇ । କର୍ମବନ୍ଧନୁ ମୋକ୍ଷ ହୋଇ ॥୧୦୨
ଔର୍ବ-ବଚନେ ବନେ ଗଲା । ଅନ୍ତେ ସେ ଗୋବିନ୍ଦ ଲଭିଲା ॥୧୦୩
ସୁଜନେ ଶୁଣିମା ଶ୍ରବଣେ । ଏ ହରିରସ ଅନୁକ୍ଷଣେ ॥୧୦୪
ଅବିଦ୍ୟା ବନ୍ଧୁ ପାର ହୋଇ । ଅନ୍ତେ ଲଭିବ ଭାବଗ୍ରାହୀ ॥୧୦୫
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଅଷ୍ଟମୋଽଧ୍ୟାୟଃ । ।

ନବମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନୃପମଣି । କପିଳ ମୁଖୁଁ ବାକ୍ୟ ଶୁଣି ॥୧
ସେ ଅଂଶୁମାନ ଘୋର ବନେ । ବସିଲା ନିଶ୍ଚଳ ଆସନେ ॥୨
ମନପବନ ସଂଯମନେ । ସଂକଳ୍ପ ଗଙ୍ଗାର ଆଗମେ ॥୩
ଅନେକ କାଳ ତପ କଲା । ସେ ବନେ ପ୍ରାଣ ଉତ୍ସ›ର୍ଗିଲା ॥୪
ତଦନ୍ତେ ତା’ ପୁତ୍ର ଦିଲୀପ । ଗଙ୍ଗାର ଅର୍ଥେ କଲା ତପ ॥୫
ତଥାପି ଗଙ୍ଗା ନ ପାଇଲା । କାଳର ବଶେ ନାଶ ଗଲା ॥୬
ତା’ର କୁମର ଭଗୀରଥ । ଗଙ୍ଗା ଆଗମେ ତପଚିତ୍ତ ॥୭
ସେ ତପ କଲା ଘୋରବନେ । ବସିଲା ନିଶ୍ଚଳ ଆସନେ ॥୮
ତାହାର ତପବଳ ଭାବି । ସନ୍ତୋଷେ ମିଳିଲେ ଜାହ୍ନବୀ ॥୯
ବୋଲନ୍ତି ପ୍ରସନ୍ନ ବଦନେ । ବର ତୁ ମାଗ ତୋଷମନେ ॥୧୦
ତକ୍ଷଣେ ଶିରେ ଦେଇ କର । ବୋଲେ ମୋ’ ପିତୃଙ୍କୁ ଉଦ୍ଧର ॥୧୧
କପିଳ ତେଜେ ଦଗ୍ଧ ହୋଇ । ତୋ’ ବିନୁ ତା’ଙ୍କ ଗତି ନାହିଁ ॥୧୨
ଶୁଣି ବୋଲନ୍ତି ଭଗବତୀ । କେ ସହି ପାରିବ ମୋ’ ଗତି ॥୧୩
ଗଗନୁ ଭୂମିରେ ପଡ଼ନ୍ତେ । ମହୀ ନ ଶିବ ମୋ’ର ଘାତେ ॥୧୪
ପାତାଳେ ପଡ଼ିବି ଯେ ମୁହିଁ । ମୋ’ ଉଦ୍ଧାରଣେ କେହି ନାହିଁ ॥୧୫
କି ଅବା ଭୂମିକି ମୁଁ ଗଲେ । ମନୁଷ୍ୟେ ମୋ’ର ତହିଁ ଭଲେ ॥୧୬
ଧୋଇବେ ପାପ ତାହା ମୁହିଁ । ଧୋଇବି କାହିଁ ଚିନ୍ତ ତୁହି ॥୧୭
ବିଷ୍ଣୁଙ୍କ ଆଜ୍ଞାର ପ୍ରମାଣ । ନ ଗଲେ ନାହିଁ ପରିତ୍ରାଣ ॥୧୮
ଏମନ୍ତ ଗଙ୍ଗା ବାକ୍ୟ ଶୁଣି । ରାଜା ବୋଲନ୍ତି ମନେ ଗୁଣି ॥୧୯

ଭାଗୀରଥ ଉବାଚ

ସାଧୁ ସନ୍ନ୍ୟାସୀ ଶାନ୍ତ ଦାନ୍ତ । ବ୍ରହ୍ମିଷ୍ଠ ଶୁଚି ଦୟାବନ୍ତ ॥୨୦
ଏହାଙ୍କ ଅଙ୍ଗସଙ୍ଗ ଫଳେ । ପାପ ହରଇ ଭୂମିତଳେ ॥୨୧
ତୁମ୍ଭର ପାପ ବିନାଶନେ । କ୍ଷମ କି ନୋହିବେ ସେମାନେ ॥୨୨
ତୋ’ ବେଗ ରୁଦ୍ର ଅବା ସହେ । ଯେ ହର ବିଶ୍ୱଆତ୍ମା ବହେ ॥୨୩
ରୁଦ୍ରର ଦେହେ ଏ ଜଗତ । ବସନ ପ୍ରାୟେ ଓତଃପ୍ରୋତ ॥୨୪
ତୋହର ବେଗ ସହିବାରେ । ତା’ ବିନୁ ଅଛି କେ ଅପରେ ॥୨୫
ଗଙ୍ଗା ବୋଇଲେ ଏଟି ସତ୍ୟ । ବେଗେ ତୁ ସେବ ବିଶ୍ୱନାଥ ॥୨୬
ଏମନ୍ତ ଗଙ୍ଗ-ବାକ୍ୟ ଶୁଣି । ଆନନ୍ଦେ ଗଲା ନୃପମଣି ॥୨୭
ସେବିଲା ଈଶ୍ୱର ଚରଣେ । ପିତୃଙ୍କ ଉଦ୍ଧାର କାରଣେ ॥୨୮
ସେ ଭଗୀରଥ ପୁଣ୍ୟବଳେ । ଶିବ ସନ୍ତୋଷ ଅଳ୍ପକାଳେ ॥୨୯
ହେ ଭଗୀରଥ ମାଗ ବର । ଦେବଇଁ ସତ୍ୟ ଏ ମୋହର ॥୩୦
ହେ ଦେବ ଶୁଣ ଶୂଳପାଣି । ମୋ’ ପିତାମହଙ୍କ କାହାଣୀ ॥୩୧
କପିଳ କୋପେ ସେ ଜଳିଲେ । ମୋତେ ସେ ପ୍ରସନ୍ନ ହୋଇଲେ ॥୩୨
ବୋଇଲେ ଗଙ୍ଗାଙ୍କୁ ଆଣିଲେ । ତୋ’ ପିତୃ ନିସ୍ତରିବେ ଭଲେ ॥୩୩
ଗଙ୍ଗା ପ୍ରସନ୍ନେ ମୋତେ ଚାହିଁ । ମା’ ତେଜ ଶିବ ପାରେ ସହି ॥୩୪

ଶିବ ଉବାଚ

ବୋଇଲେ ଧରିବି ମୁଁ ଶିରେ । ଜଟାକଳପ ଅଭ୍ୟନ୍ତରେ ॥୩୫
ଜାହ୍ମବୀ ରୁଦ୍ରର ବଚନେ । ତକ୍ଷଣେ ସ୍ରବିଲେ ଗଗନେ ॥୩୬
ସ୍ୱଭାବେ ବିଷ୍ଣୁପାଦଜଳ । ସୁ ପୁଣ୍ୟ ଶୁଚି ସୁନିର୍ମଳ ॥୩୭
ଜଳେ ପୂରିଲା ଜଟାଭାର । ଧାରାଏ ତିନ୍ତିଲା ଶରୀର ॥୩୮
ରୁଦ୍ର-ଶରୀରୁ ଜଳରାଶି । ବହିଲା ଭୂମିତଳେ ଆସି ॥୩୯
ଯେ ଗଙ୍ଗା ଭୁବନ-ପାବିନୀ । ତାହାଙ୍କୁ ଭଗୀରଥ ଘେନି ॥୪୦
ବସିଲା ବାୟୁବେଗ ରଥେ । ଗଙ୍ଗା ତାହାର ଅନୁପଥେ ॥୪୧
ପବିତ୍ର କରି ବେନିପାଶେ । ଲାଗିଲେ ଯେତେ ନଗ୍ର-ଦେଶେ ॥୪୨
ଧରଣୀ-ବିବରେ ପଶିଲେ । କପିଳ ଆଶ୍ରମେ ମିଳିଲେ ॥୪୩
ବିଷ୍ଣୁଙ୍କୁ ପ୍ରଦକ୍ଷିଣ କରି । ତହୁଁ ଚଳିଲେ ଶୀଘ୍ର କରି ॥୪୪
ସଗର-ସୁତେ ଯହିଁ ମିଳି । ଅନଳେ ଯାଇଥିଲେ ଜଳି ॥୪୫
ଜଳ ପଶିଲା ତା’ଙ୍କ ମଧ୍ୟେ । ତକ୍ଷଣେ ପରମ ଆନନ୍ଦେ ॥୪୬
ଜ୍ୟୋତି ସ୍ୱରୂପେ ସ୍ୱର୍ଗେ ଗଲେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥୪୭
କପିଳମୁନି କୋପାନଳ । ଦହଇ ଭୁବନ-ମଣ୍ତଳ ॥୪୮
ଯେ ଜଳ ସ୍ପରଶନ ମାତ୍ରେ । ଦୁରିତ ନରହଇ ଗାତ୍ରେ ॥୪୯
ଅନନ୍ତ ଚରଣ ସ୍ପରଶେ । ଗଙ୍ଗା ସ୍ମରଣେ ପାପ ନାଶେ ॥୫୦
ସେ ଗଙ୍ଗାଜଳେ ଦେଇ ମନ । ଭବୁ ତରିଲେ ମୁନିଜନ ॥୫୧
ଏବେ ହୋ ଶୁଣ ପରୀକ୍ଷିତ । ସଗର-ବଂଶାନୁଚରିତ ॥୫୨
ସେ ଭଗୀରଥର ତନୟେ । ସ୍ୱଭାବେ ଶ୍ରୁତ ନାମ ବହେ ॥୫୩
ନାଭ ତାହାର ସୁତ ହୋଏ । ଅଶେଷ ଗୁଣ ଯା’ର ଦେହେ ॥୫୪
ସିନ୍ଧୁଦ୍ୱୀପ ତା’ର ନନ୍ଦନ । ତହୁଁ ଅୟୁତାୟୁ ଉତ୍ପନ୍ନ ॥୫୫
ତା’ ସୁତ ଋତୁପର୍ଣ୍ଣ ଲେଖା । ନଳ ଯାହାର ପ୍ରାଣସଖା ॥୫୬
ଅକ୍ଷବିଦ୍ୟାରେ ଗରୁଟାଣ । ନଳକୁ ଶିଖାଇ ରାଜନ ॥୫୭
ଅଶ୍ୱବିଦ୍ୟାକୁ ନଳୁଁ ନେଇ । ବନେ ପଶିଲା ତପଧ୍ୟାୟି ॥୫୮
ତା’ର କୁମର ସର୍ବକାମ । ସ୍ୱଭାବେ ସର୍ବ ଗୁଣଧାମ ॥୫୯
ସୁଦାସ ତାହାର ସନ୍ତତି । ତା’ ପୁତ୍ର ମଦୟନ୍ତୀ ପତି ॥୬୦
ତାହାର ମିତ୍ର ସହ ନାମ । କଳ୍ପାଷପାଦ ପୁଣି ନାମ ॥୬୧
ବଶିଷ୍ଠ ଗୁରୁ ଶାପ ପାଇଁ । ବନେ ରାକ୍ଷସ ଦେହ ବହି ॥୬୨
ସ୍ୱକର୍ମେ ଅପୁତ୍ର ହୋଇଲା । କୋପେ ବ୍ରାହ୍ମଣୀ ଶାପ ଦେଲା ॥୬୩
ଏ କଥା ଶୁକମୁଖୁଁ ଶୁଣି । ବୋଲେ ପରୀକ୍ଷ ନୃପମଣି ॥୬୪
ମହାତ୍ମା ସୌଦାସ କେମନ୍ତେ । ରାକ୍ଷସ ହୋଇଲା ବନସ୍ତେ ॥୬୫
କିବା ଅନୀତି ଆଚରିଲା । ଅପୁତ୍ର କିଗୁଣେ ହୋଇଲା ॥୬୬
ଏ କଥା କହ ମୁନିବର । ମୁଁ ଯେବେ ସେବକ ତୁମ୍ଭର ॥୬୭

ଶୁକ ଉବାଚ

ଶୁକ କହନ୍ତି ରାଜା ଚାହିଁ । ଶୁଣ ହୋ ସାବଧାନ ହୋଇ ॥୬୮
ସୌଦାସ ଚରିତ ଅଦ୍ଭୁତ । ଭଜିଲା କର୍ମର ଆୟତ୍ତ ॥୬୯
ବନେ ରାକ୍ଷସ ବେନିଭାଇ । ବୁଲନ୍ତି ନରମାଂସ ଖାଇ ॥୭୦
ସୌଦାସ ରାଜା ଶସ୍ତ୍ରହସ୍ତେ । ବନେ ପଶିଲା ପଶୁ ଅର୍ଥେ ॥୭୧
ସେ ବନେ ଥିଲେ ବେନିଭାଇ । ରାକ୍ଷସ ବ୍ୟାଘ୍ରରୂପ ହୋଇ ॥୭୨
ସେ ଦୁଇ ରାକ୍ଷସଙ୍କୁ ଦେଖି । ବାଣ ମାଇଲା ରାଜା ଲକ୍ଷ୍ୟି ॥୭୩
ବାଣେ ରାକ୍ଷସ ମରେ ଏକ । ତା’ର ଭାଇର କର୍ମ ଦେଖ ॥୭୪
ରାକ୍ଷସ ଭ୍ରାତୃବଧ ଦେଖି । ଅତ୍ୟନ୍ତ ହୋଇଲାକ ଦୁଃଖୀ ॥୭୫
ମନରେ ବିଚାର କରଇ । ଏ ଯେ ମାଇଲା ମୋର ଭାଇ ॥୭୬
ଏବେ ଏ ନିଜପୁରେ ଗଲେ । କରିବି ପ୍ରତିଫଳ ହେଳେ ॥୭୭
ଚିନ୍ତିଲା ପ୍ରତିକାର ମନେ । ମିଳିଲା ରାଜା ସନ୍ନିଧାନେ ॥୭୮
ବୋଲଇ ରାଜମୁଖ ଚାହିଁ । ତୁ ଯେ ମାଇଲୁ ମୋର ଭାଇ ॥୭୯
ତୁ ଏବେ ନିଜପୁରେ ଚଳ । ମୁହିଁ କରିବି ପ୍ରତିକାର ॥୮୦
ତଦନ୍ତେ ରାଜା ଗୃହେ ଗଲା । ଶୁଣ ହେ ଅଭିମନ୍ୟୁବଳା ॥୮୧
ଏମନ୍ତେ ଗଲା ଦିନାକେତେ । ବଶିଷ୍ଠ ନୃପତି ଅଗ୍ରତେ ॥୮୨
ମିଳିଲେ କ୍ଷୁଧାର କଷଣେ । ଆମିଷ ଭୋଜନ କାରଣେ ॥୮୩
ବୋଲନ୍ତି ନୃପତି ଅଗ୍ରତେ । ମାଂସ ଭୋଜନ ଦିଅ ମୋତେ ॥୮୪
ଏମନ୍ତ କହି ମୁନିଗଲେ । ସନ୍ଧ୍ୟାର ଅର୍ଥେ ଗଙ୍ଗାଜଳେ ॥୮୫
ବଶିଷ୍ଠ ଆଗମନ ଚାହିଁ । ସୂପକାରଙ୍କୁ ସେ ଅଣାଇଁ ॥୮୬
ବୋଲଇ ମାଂସ ପାକ କର । ଭୁଞ୍ଜିବେ ବ୍ରହ୍ମାଙ୍କ କୁମର ॥୮୭
ଶୁଣି ସୂପକାର ସୁଚିତ୍ତେ । ଆମିଷ ରାନ୍ଧିଲେ ତ୍ୱରିତେ ॥୮୮
ଉତ୍ତମ ପଶୁଙ୍କର ମାଂସ । ଯେଣେ ବଶିଷ୍ଠ ମନ ତୋଷ ॥୮୯
ସେ ମଧ୍ୟେ ସୂପକାର ରୂପେ । ରାକ୍ଷସ ଭାଇ ଥିଲା ଗୋପ୍ୟେ ॥୯୦
ସେ ନରମାଂସ ପାକ କରି । ସୁବର୍ଣ୍ଣପାତ୍ରେ ତାହା ଭରି ॥୯୧
ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା । ଏମନ୍ତେ ବଶିଷ୍ଠ ମିଳିଲା ॥୯୨
ଭୋଜନେ ବସିଲେ ଆସନେ । ରାଜା ସମୀପେ ବିଧି ମାନ୍ୟେ ॥୯୩
ଏମନ୍ତେ ସୂପକାର ନେଲେ । ସୁବର୍ଣ୍ଣପାତ୍ରେ ମାଂସ ଦେଲେ ॥୯୪
ତକ୍ଷଣେ ମନୁଷ୍ୟର ମାଂସ । କରେ ଘେନିଲେ ଏକଗ୍ରାସ ॥୯୫
ଆଘ୍ରାଣ ନାସାରନ୍ଧ୍ରେ କଲେ । ତକ୍ଷଣେ ତଳେ ପକାଇଲେ ॥୯୬
ରାଜାର ବଦନ ଅନାଇଁ । ବୋଲନ୍ତି କୋପଭର ହୋଇ ॥୯୭
ମୋତେ ଯେ ଦେଲୁ ନରମାଂସ । ଏ ପାପେ ହୁଅ ତୁ ରାକ୍ଷସ ॥୯୮
ଅରଣ୍ୟେ ଦ୍ୱାଦଶ-ବରଷ । ଭକ୍ଷଣ କର ନରମାଂସ ॥୯୯
ଏମନ୍ତ ମୁନିବାକ୍ୟ ଶୁଣି । କୋପେ କମ୍ପିଲା ନୃପମଣି ॥୧୦୦
ବୋଲେ ମୁଁ ନୁହେଁ ଜ୍ଞାନଭ୍ରଂଶ । କେମନ୍ତେ ଦେଲି ନରମାଂସ ॥୧୦୧
ନ ଜାଣି ଶାପ ଦେଲ ଗୁରୁ । କେ ବ୍ରହ୍ମଶାପ ଆନ କରୁ ॥୧୦୨
ମୁଁ ଏବେ ପ୍ରତିଶାପ ଦେବି । ଏମନ୍ତ ବୁଦ୍ଧି ଚିତ୍ତେ ଭାବି ॥୧୦୩
ଜଳଅଞ୍ଜଳି କରେ କଲା । ବଶିଷ୍ଠ ଅଗ୍ରତେ ମିଳିଲା ॥୧୦୪
ରାଜାର କୋପ ଦେଖି ମନେ । ପତ୍ନୀ ମିଳିଲା ସନ୍ନିଧାନେ ॥୧୦୫
ତାହାର ମଦୟନ୍ତୀ ନାମ । ସକଳଗୁଣେ ଗୁଣଧାମ ॥୧୦୬
ବୋଲନ୍ତି ସ୍ୱାମୀ ମୁଖ ଚାହିଁ । ଏ କଥା ତୋତେ ନଘଟଇ ॥୧୦୭
ଗୁରୁଙ୍କ ଶିଷ୍ୟ ଶାପ ଦେଲେ । ଅଧର୍ମ ହୋଇବଟି ଭଲେ ॥୧୦୮
ଏ କଥା କେବେ ହେଁ ନ କର । ତା’ର ବଚନେ ନୃପବର ॥୧୦୯
ମନ୍ତ୍ରିତ ଜଳ କୋପଭରେ । ସିଞ୍ଚିଲା ଆପଣା ପୟରେ ॥୧୧୦
ତକ୍ଷଣେ ଅଜ୍ଞାନ ହୋଇଲା । କଳ୍ମାଷପାଦ ବୋଲାଇଲା ॥୧୧୧
କୋପେ ଚାହିଁଲା ଦଶଦିଶେ । ସକଳ ମାଂସ ପ୍ରାୟେ ଦିଶେ ॥୧୧୨
ତକ୍ଷଣେ ରାକ୍ଷସ ଶରୀରେ । ରାଜା ପଶିଲା ବନଘୋରେ ॥୧୧୩
ବନେ ରାକ୍ଷସ ଦେହବହି । ଭ୍ରମଇ ନରମାଂସ ଖାଇ ॥୧୧୪
ଏମନ୍ତେ ଗଲା କେତେଦିନ । ଶୁଣ ହେ ପରୀକ୍ଷ ରାଜନ ॥୧୧୫
ବିପ୍ରଦମ୍ପତି ଏକଦିନେ । ଆସନ୍ତି ଗହନ କାନନେ ॥୧୧୬
ପତ୍ନୀ ଯେ ପିତାଗୃହେ ଥିଲା । ଏମନ୍ତେ ଋତୁ ଉପୁଜିଲା ॥୧୧୭
ସେ ବିପ୍ର ପୁଷ୍ପୋତ୍ସ›ବ ଆଶେ । ପତ୍ନୀ ଆଣନ୍ତେ ଗୃହବାସେ ॥୧୧୮
ସେ ବନେ ବିଧାତାର ବଳେ । ରାକ୍ଷସ ନିକଟେ ମିଳିଲେ ॥୧୧୯
ସ୍ୱଭାବେ ନିର୍ଜନ ବନସ୍ତ । ବୁଲନ୍ତି ହରାଇଣ ପଥ ॥୧୨୦
ସେ ରାଜା ଭୟଙ୍କର ରୂପେ । ମିଳିଲା ତାହାଙ୍କ ସମୀପେ ॥୧୨୧
ଗର୍ଜନ କରି ଭୟଙ୍କରେ । ବିପ୍ରକୁ ଧରି ବେନିକରେ ॥୧୨୨
ଭକ୍ଷଣେ ତୁ ବିସ୍ତାରଇ । ବ୍ରାହ୍ମଣୀ ବୋଲେ ତା’କୁ ଚାହିଁ ॥୧୨୩
ହେ ନୃପ ଅଧର୍ମ ନ କର । ଇକ୍ଷ୍ୱାକୁ ବଂଶେ ଯଶସ୍କର ॥୧୨୪
ତୁ ନୋହୁ ରାକ୍ଷସ-ଶରୀର । ପ୍ରତ୍ୟକ୍ଷେ ଦମୟନ୍ତୀ ବର ॥୧୨୫
ମୋ’ର ସ୍ୱାମୀଙ୍କି ଛାଡ଼ ତୁହି । ପୁଷ୍ପଉତ୍ସ›ବ ମୋର ହୋଇ ॥୧୨୬
ସ୍ୱାମୀର ସଙ୍ଗେ ସଙ୍ଗ କରି । ପୁତ୍ର ସନ୍ତତି ଗର୍ଭେ ଧରି ॥୧୨୭
ସଂସାର ହୋଇବ ମୋହର । ଦୁର୍ଲ୍ଲଭ ନର କଳେବର ॥୧୨୮
ଦେବେ ବା‚ଞ୍ଛନ୍ତି ଯାହା ଚିତ୍ତେ । ଏ କର୍ମ କରିବୁ କେମନ୍ତେ ॥୧୨୯
ଦେଖ ପଣ୍ତିତ ମୋ’ର ସ୍ୱାମୀ । ତପ ସାଧନେ ପଥଶ୍ରମୀ ॥୧୩୦
ଏ ସର୍ବଭୂତେ ଦୟା ବହେ । ଦେବେ ବସନ୍ତି ଏହା ଦେହେ ॥୧୩୧
ଏହାର ବଧେ ସୃଷ୍ଟି ବଧ । ଏ ମଲେ ଲଭିବୁ ପ୍ରମାଦ ॥୧୩୨
ଏ କଥା ଯେବେ ମଣୁ ମିଛ । ତୁ ମୋତେ ଆଗ କରି ଭକ୍ଷ ॥୧୩୩
ମୋହର ଆଗେ ସ୍ୱାମୀ ମଲେ । ଜୀବନ ନ ଧରିବି ଭଲେ ॥୧୩୪
ଏମନ୍ତେ ଅନେକ କହିଲା । ତାହାର ଚରଣେ ପଡ଼ିଲା ॥୧୩୫
କାନ୍ଦଇ ପତିମୁଖ ଚାହିଁ । ତକ୍ଷଣେ ବ୍ୟାଘ୍ର ପ୍ରାୟ ହୋଇ ॥୧୩୬
ବଶିଷ୍ଠ ଶାପେ ଜ୍ଞାନ ଗଲା । ତକ୍ଷଣେ ବିପ୍ରକୁ ଭକ୍ଷିଲା ॥୧୩୭
ସ୍ୱାମୀମରଣ ଦେଖି କୋପେ । ରାକ୍ଷସେ ଚାହିଁ ମନସ୍ତାପେ ॥୧୩୮
ବୋଲଇ ଶୁଣରେ ପାମର । ସ୍ୱାମୀଙ୍କି ନାଶିଲୁ ମୋହର ॥୧୩୯
ତୋହର ପତ୍ନୀ ସଙ୍ଗକାଳେ । ପ୍ରାଣ ତୁ ଛାଡ଼ ଅନ୍ତରାଳେ ॥୧୪୦
ଏମନ୍ତ ଶାପ ତା’କୁ ଦେଇ । ପଶିଲା ଅଗ୍ନିକୁଣ୍ତେ ଯାଇ ॥୧୪୧
ତକ୍ଷଣେ ଜୀବନ ଛାଡ଼ିଲା । ସ୍ୱଧର୍ମେ ପତି ସଙ୍ଗେ ଗଲା ॥୧୪୨
ଏମନ୍ତେ ମୁନି-ଶାପ-ଦୋଷ । ପୂରିଲା ଦ୍ୱାଦଶବରଷ ॥୧୪୩
ଶାପୁଁ ମୁକତ ରାଜା ହୋଇ । ମିଳିଲା ଅନ୍ତଃପୁରେ ଯାଇ ॥୧୪୪
ପତ୍ନୀ ସଙ୍ଗମ ଚିତ୍ତେ ଚିନ୍ତି । ତା’ ଦେଖି ବୋଲେ ଦମୟନ୍ତୀ ॥୧୪୫
ବ୍ରାହ୍ମଣୀ ଶାପ ଦେଲା ତୋତେ । ମୋ’ ଅଙ୍ଗ ଛୁଇଁବୁ କେମନ୍ତେ ॥୧୪୬
ସ୍ତିରୀ ମୈଥୁନ ଆଶା ତେଜ । ଜୀବନେ ଯେବେ ଅଛି କାର୍ଯ୍ୟ ॥୧୪୭
ଏମନ୍ତେ ତାହାର ବଚନେ । ରାଜା ବିଚାରେ ଦୁଃଖମନେ ॥୧୪୮
କେମନ୍ତେ ହୋଇବ ସନ୍ତତି । ନାନା ଉପାୟ ମନେ ଚିନ୍ତି ॥୧୪୯
ବଶିଷ୍ଠ ସମୀପେ ମିଳିଲା । ମୋ’ ବଂଶ ରଖ ତୁ ବୋଇଲା ॥୧୫୦
ଏମନ୍ତେ ରାଜାର ବଚନେ । ତା’ର କାମିନୀ ଗର୍ଭଧାନେ ॥୧୫୧
ବଶିଷ୍ଠ ସଙ୍ଗେ ସଙ୍ଗ କରି । ଗର୍ଭ ହୋଇଲା ତା’ର ନାରୀ ॥୧୫୨
ସେ ଗର୍ଭ ସପତ-ବରଷେ । ଜନ୍ମ ନୋହିଲା ବୋଲି ରୋଷେ ॥୧୫୩
ଅଶ୍ମ ପ୍ରହାର ଗର୍ଭେ କଲା । ତକ୍ଷଣେ ପୁତ୍ର ଉପୁଜିଲା ॥୧୫୪
ନାମ ତା ଅଶ୍ମକ ହୋଇଲା । ଯେଣୁ ଅଶ୍ମଘାତ ବାଜିଲା ॥୧୫୫
ମୂଳକ ଅଶ୍ମକ ନନ୍ଦନ । ନାରୀକବଚ ତା’ର ନାମ ॥୧୫୬
ପରଶୁରାମ କ୍ଷୟ ବେଳେ । ସୁଖେ ରଖିଲା କ୍ଷତ୍ରିକୁଳେ ॥୧୫୭
ତାହାର ପୁତ୍ର ଦଶରଥ । ଐଡ଼ବିଡ଼ ଯେ ତା’ର ସୁତ ॥୧୫୮
ତା’ଠାରୁ ହେଲା ଉତପତ୍ତି । ଯେ ବିଶ୍ୱସହ ନରପତି ॥୧୫୯
ଖଟ୍ୱାଙ୍ଗ ତାହାର କୁମର । ଯୁଦ୍ଧେ ରଖିଲା ପୁରନ୍ଦର ॥୧୬୦
ସେ ମହୀତଳେ ଚକ୍ରବର୍ତ୍ତୀ । ଶୁଣ ରାଜନ ତା’ର ଗତି ॥୧୬୧
ଅସୁର ଯୁଦ୍ଧେ ଦେବଗଣେ । ତା’ଙ୍କୁ ବରିଲେ ଯୋଦ୍ଧାପଣେ ॥୧୬୨
ସେ ପୁଣି ରିପୁ ଜିଣି ଯୁଦ୍ଧେ । ମେଲାଣି ଇଚ୍ଛେ ଦେବମଧ୍ୟେ ॥୧୬୩
ଦେବେ ବୋଲନ୍ତି ରାଜା ଚାହିଁ । ଯେ ବର ଇଚ୍ଛା ମାଗ ତୁହି ॥୧୬୪
ରାଜା ବୋଲଇ ଇନ୍ଦ୍ର ଚାହିଁ । ବର କଳ୍ପିତ ମୋ’ର ନାହିଁ ॥୧୬୫
ଇନ୍ଦ୍ର ତାହାର ମୁଖ ଚାହିଁ । ବୋଇଲେ ତୁ ଯିବୁ କିପାଇଁ ॥୧୬୬
ମୁହୂର୍ତ୍ତେ ଅଛି ତୋ ଜୀବନ । ତା’ ଶୁଣି ବୋଲଇ ରାଜନ ॥୧୬୭
ମୋହର ସ୍ୱର୍ଗେ କାର୍ଯ୍ୟ ନାହିଁ । କର୍ମଭୂମିକି ଯିବି ମୁହିଁ ॥୧୬୮
ଏମନ୍ତ ଇନ୍ଦ୍ର ଆଗ କହି । ମିଳିଲେ ନିଜପୁରେ ଯାଇ ॥୧୬୯
ମନ ନିବେଶି ହରିପାଦେ । ରୋମପୁଲକେ ଗଦଗଦେ ॥୧୭୦
ତକ୍ଷଣେ ରାଇ ଜନପ୍ରଜା । ଭୁଜ ଉଭାରି ବୋଲେ ରାଜା ॥୧୭୧
ମୁଁ ଯେ ବ୍ରହ୍ମଣ୍ୟ କୁଳେ ଜାତ । ବ୍ରାହ୍ମଣ ମୋର ଦଇବତ ॥୧୭୨
ଯେବା ଅଛଇ ମୋର ଧନ । ଦାରା-ତନୟ-ବନ୍ଧୁଜନ ॥୧୭୩
ଏ ସର୍ବ ହରି-ନିବେଦନ । ଶୁଣ ସକଳ ସାବଧାନ ॥୧୭୪
ସତ୍ୟ ମୁଁ କିଛି ନ ଦେଖୁଛି । ବିଷ୍ଣୁଙ୍କ ଠାରୁ ଅନ୍ୟ କିଛି ॥୧୭୫
ମୋ ମତି ଧର୍ମ ବ୍ୟତିରେକେ । ହରିଙ୍କି ସର୍ବଭୂତେ ଦେଖେ ॥୧୭୬
ଯେ ତିନି ଭୁବନେ ଈଶ୍ୱର । ଇନ୍ଦ୍ର ଯାଚିଲେ ମୋତେ ବର ॥୧୭୭
ଏ ବର ଯେବେ ସେ ପ୍ରମାଣେ । ମୋ’ ଚିତ୍ତ ରହୁ ନାରାୟଣେ ॥୧୭୮
ବିଷ୍ଣୁର ମାୟାରେ ଜଗତ । ଦିଶଇ ଇନ୍ଦ୍ରଜାଲ ମତ ॥୧୭୯
ସେ ମାୟା ଛାଡ଼ି ହରିପାଦେ । ମୋ’ ଚିତ୍ତ ରହୁ ଅପ୍ରମାଦେ ॥୧୮୦
ଏମନ୍ତ କହି ନୃପରାଣ । ତକ୍ଷଣେ ହାରିଲା ଜୀବନ ॥୧୮୧
ନିସ୍ତରି ଗଲା ମାୟାମୋହେ । ପଶିଲା ଗୋବିନ୍ଦର ଦେହେ ॥୧୮୨
ନିର୍ମଳ ବିଷ୍ଣୁର ଚରିତ । ସୁଜନ ଶୁଣ ଅବିରତ ॥୧୮୩
ବିଷୟା ବିଷକୁ ଅମୃତ । ଏଣେ ଯେ ହୋଇବ ମୁକତ ॥୧୮୪
ଶୁଣି ପୁରାଣ ଭାଗବତ । ଭାବ ହୋଇବ କୃତକୃତ୍ୟ ॥୧୮୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ନବମୋଽଧ୍ୟାୟଃ । ।

ଦଶମ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ମହୀପତି । ଯେ ବଂଶେ ଯାହାର ସନ୍ତତି ॥୧
ଯେ କୁଳେ ଯେବା ଅଧିପତି । ଶୁଣନ୍ତେ ପାପ ବିନାଶନ୍ତି ॥୨
ଖଟ୍ୱାଙ୍ଗୁ ଦୀର୍ଘବାହୀ ନାମ । ପୁତ୍ର ହୋଇଲା ଗୁଣଧାମ ॥୩
ରଘୁ ତାହାର ତହୁଁ ଜାତ । ସକଳ ଗୁଣେ ସୁବିଖ୍ୟାତ ॥୪
ଅଜ ତାହାର ବୀର୍ଯ୍ୟେ ଜାତ । ତା’ର କୁମର ଦଶରଥ ॥୫
ସେ ଦଶରଥ ଘରେ ହରି । ଜନ୍ମିଲେ ନରଦେହ ଧରି ॥୬
ଚତୁର୍ଦ୍ଧା ରୂପେ ଦେବକାର୍ଯ୍ୟେ । ଜନ୍ମିଲେ ଦଶରଥ ବୀର୍ଯ୍ୟେ ॥୭
ରାମ ଲକ୍ଷ୍ମଣ ଶତ୍ରୁଘନ । ଭରତ ତୁଲେ ଚାରିଜଣ ॥୮
ସେ ରାମ ଚରିତ ତୁ ସୁଖେ । ଶୁଣିଛୁ ଋଷିଙ୍କର ମୁଖେ ॥୯
ପିତା ବଚନେ ରାଜ୍ୟ ଛାଡ଼ି । ପଦ୍ମ ଚରଣେ ଭୂମି ମାଡ଼ି ॥୧୦
ଲକ୍ଷ୍ମଣ ସୀତାର ସମେତେ । ଯେ ଦୁଃଖେ ବଞ୍ଚିଲେ ବନସ୍ତେ ॥୧୧
ସୁଗ୍ରୀବ ତୁଲେ ମିତ୍ର କରି । ବିରୂପ କଲେ ସେ ଅସୁରୀ ॥୧୨
ତା’ ଶୁଣି ରାବଣ ଅଇଲା । ବନରୁ ସୀତା ହରି ନେଲା ॥୧୩
ପ୍ରିୟା ବିଚ୍ଛେଦେ ହୋଇ ଅନ୍ଧ । ସମୁଦ୍ରେ କଲେ ସେତୁବନ୍ଧ ॥୧୪
ପ୍ରଥମେ ବିଶ୍ୱାମିତ୍ର ସଙ୍ଗେ । ଯଜ୍ଞ ରଖିଲେ ଅନୁରାଗେ ॥୧୫
ମାରୀଚ ଆଦି ନିଶାଚରେ । ରାତ୍ରେ ମିଳିଲେ ଯଜ୍ଞଘରେ ॥୧୬
ଲକ୍ଷ୍ମଣ ତୁଲେ ତା ସଂହାରି । ମୁନିଙ୍କ ଯଜ୍ଞ ରକ୍ଷା କରି ॥୧୭
ସେ ପୁଣି ସୀତା ସ୍ୱୟମ୍ବରେ । ମିଳିଲେ ବିଦେହ ନଗରେ ॥୧୮
ଭାଙ୍ଗିଲେ ଈଶ୍ୱର-କୋଦଣ୍ତ । ବାଳକେ ଯେହ୍ନେ ଇକ୍ଷୁଦଣ୍ତ ॥୧୯
ଅଶେଷ ରାଜାଗଣ ଜିଣି । ସୀତାଙ୍କୁ ସ୍ୱୟମ୍ବରୁ ଆଣି ॥୨୦
ଅଯୋଧ୍ୟା ନଗରେ ଆସନ୍ତେ । ପରଶୁରାମ ବନପଥେ ॥୨୧
ବୋଲଇ ଶ୍ରୀରାମଙ୍କୁ ଚାହିଁ । ଧନୁ ଭାଙ୍ଗିଲୁ ବଳେ ତୁହି ॥୨୨
ମୋ’ ଧନୁ ବେନିକରେ ବାହ । ନୋହିଲେ ସୀତା ମୋତେ ଦିଅ ॥୨୩
ଏମନ୍ତ ତା’ର ବାକ୍ୟଘୋରେ । ତା’ ଧନୁ ଧରି ବାମକରେ ॥୨୪
ତକ୍ଷଣେ ଭୃଗୁପତି ବୋଲେ । ଜଂଘେ ବସାଇ ଗୁଣ ଦେଲେ ॥୨୫
ରାମର ଦେଖି ଘୋରତମ । ପାଦେ ନମିଲେ ପର୍ଶୁରାମ ॥୨୬
ସୀତାକୁ ଆଣି ନିଜପୁରେ । ପ୍ରବେଶ ହୋଇଲେ ସତ୍ୟରେ ॥୨୭
ପିତା ଯେ ପତ୍ନୀବଶ ହୋଇ । ଯାହା ବୋଇଲା କଇକେୟୀ ॥୨୮
ମୋର ତନୟ ରାଜା ହେଉ । ତୋ’ ସୁତ ରାମ ବନେ ଯାଉ ॥୨୯
ସେ ରାମ ପିତାର ବଚନେ । ତକ୍ଷଣେ ଚଳିଲେ ବିପିନେ ॥୩୦
ବନେ ବୁଲନ୍ତି ବେନିଭାଇ । ଜନକ ସୁତା ସଙ୍ଗେ ଲଇ ॥୩୧
ରାବଣ ଭଗ୍ନୀ ସୂର୍ପଣଖା । ମାୟାରେ ବଳେ ଦେଲା ଦେଖା ॥୩୨
ଲକ୍ଷ୍ମଣ ରଘୁନାଥ ବୋଲେ । ତା ନାସା ଶ୍ରବଣ ଛେଦିଲେ ॥୩୩
ତା’ ଛଳେ ରାତ୍ରିଚରଗଣ । ଉଭାରି କଲେ ଘୋରରଣ ॥୩୪
ଖର ଦୂଷଣ ଯେ ତ୍ରିଶିର । ଯୁଦ୍ଧେ ମିଳିଲେ ମହାବୀର ॥୩୫
ସୂର୍ପଣଖାର ବନ୍ଧୁଗଣେ । ଯେତେ ମିଳିଲେ ଘୋରରଣେ ॥୩୬
ତା’ଙ୍କୁ ଛେଦିଲେ ତୀକ୍ଷ୍‌ଣ ଶରେ । ଅଶେଷଜନ ଉପକାରେ ॥୩୭
ଚଉଦ ସହସ୍ର ଯେ ବଳ । ଛେଦିଲେ ଦଶରଥ-ବାଳ ॥୩୮
ବରଷାଋତୁ ଆଗମନେ । ପଶିଲେ ରାମ ଘୋରବନେ ॥୩୯
ତିନ୍ତୁଳି ବୃକ୍ଷ ତଳେ ରହି । ପଲ୍ଲବେ କୁଟୀର ଭିଆଇ ॥୪୦
ସୀତାର ରୂପଗୁଣ କଥା । ଶୁଣି ରାବଣ ମନେ ବ୍ୟଥା ॥୪୧
ଚିତ୍ତ ପୀଡ଼ିତ କାମଶରେ । ରାକ୍ଷସ ପଶେ ଅନ୍ତଃପୁରେ ॥୪୨
ମାରୀଚ ରାବଣ ଆଦେଶେ । ମିଳିଲା ରଘୁନାଥ ପାଶେ ॥୪୩
ଅଦ୍ଭୁତ ବିଧାତାର ଯୋଗ । ବନେ ମିଳିଲା ମାୟାମୃଗ ॥୪୪
ବନେ ସୁବର୍ଣ୍ଣମୃଗ ଦେଖି । ରାମଙ୍କୁ ବୋଲେ ଚନ୍ଦ୍ରମୁଖୀ ॥୪୫
ଭୋ ନାଥ ମୋର କ୍ରୀଡ଼ା ଅର୍ଥେ । ସୁବର୍ଣ୍ଣ ମୃଗ ଦିଅ ମୋତେ ॥୪୬
ସେ ରାମ ନାରୀବଶ ହୋଇ । ଧନୁ-ନାରାଚ କରେ ନେଇ ॥୪୭
ଧାଇଁଲେ ମୃଗବଧ ଅର୍ଥେ । ସେ ପଶେ ଗହନ ବନସ୍ତେ ॥୪୮
ତାହାକୁ ମାରିବାର କାଳେ । ଶବଦ କଲା ସେ ବିକଳେ ॥୪୯
ରଖ ହେ ଲକ୍ଷ୍ମଣ ଶୁଭିଲା । ଜାନକୀ ଲକ୍ଷ୍ମଣେ କହିଲା ॥୫୦
ଲକ୍ଷ୍ମଣେ ଯାଅ ବେଗ ହୋଇ । ସ୍ୱାମୀଙ୍କି ବିପତ୍ତି ପଡଇ ॥୫୧
ତକ୍ଷଣେ ଧନୁ ଧରି ହସ୍ତେ । ଗଲେ ଶ୍ରୀରାମଚନ୍ଦ୍ର ପଥେ ॥୫୨
ରାବଣ ମିଳି ବୃକ୍ଷତଳେ । ସୀତାଙ୍କୁ ନେଲା ଅନ୍ତରାଳେ ॥୫୩
ସୀତା ବିଚ୍ଛେଦେ ଦୁଃଖମନେ । ତହୁଁ ଚଳିଲ ଅନ୍ୟବନେ ॥୫୪
ସ୍ତିରୀ ସଙ୍ଗତ ଦୋଷବାଦେ । ଅବଶ୍ୟ ପଡ଼ଇ ପ୍ରମାଦେ ॥୫୫
ତକ୍ଷଣେ ଏମନ୍ତ କହିଲେ । ଜଟାୟୁଶକୁ ଦଗ୍ଧ କଲେ ॥୫୬
କବନ୍ଧ ନାମେ ମହାସୁର । ବେଗେ ନାଶିଲେ ପ୍ରାଣ ତା’ର ॥୫୭
ତହୁଁ ଚଳିଲେ ଦୁଃଖମନେ । ମିଳିଲେ ଋଷ୍ୟମୂକ ବନେ ॥୫୮
ସୁଗ୍ରୀବ ତୁଲେ ମିତ୍ର କରି । ସେ ବନେ ବାଳିକି ସଂହାରି ॥୫୯
ଅଙ୍ଗଦ ହନୁମାନ ତୁଲେ । ସମୁଦ୍ର ନିକଟେ ମିଳିଲେ ॥୬୦
ପ୍ରିୟା ବିଚ୍ଛେଦେ ଦୁଃଖମନ । ଜାଣିଲେ ବରୁଣ ରାଜନ ॥୬୧
ସ୍ୱଭାବେ ଦୁର୍ଗମ ଗଭୀର । ଭ୍ରମନ୍ତି ମଗର କୁମ୍ଭୀର ॥୬୨
ତକ୍ଷଣେ ନିଜ ରୂପ ଧରି । ରାମର ପାଦେ ନମସ୍କାରି ॥୬୩
ଅନେକ ସ୍ତୁତିବାକ୍ୟ କଲା । ସେତୁବନ୍ଧନେ ମାର୍ଗ ଦେଲା ॥୬୪
ବୋଲଇ ଭାବଭକ୍ତି ବହି । ରାବଣ ବଧ କରି ତୁହି ॥୬୫
ସକଳ ଅସୁର ସଂହାରି । ବେଗେ ତୁ ଲଭ ନିଜ ନାରୀ ॥୬୬
ତୋ ଯଶ ରହୁ ଦଶଦିଶେ । ମୁନିଏ ଗାଇବେ ହରଷେ ॥୬୭
ସୁଗ୍ରୀବ ନୀଳ ହନୁମନ୍ତ । ଅଙ୍ଗଦ ତୁଲେ କପିଯୂଥ ॥୬୮
ଚଳନ୍ତୁ ରକ୍ଷବଳ ସଙ୍ଗେ । ଲଙ୍କା ଗମନ କର ବେଗେ ॥୬୯
ନିକୁମ୍ଭ କୁମ୍ଭ ଇନ୍ଦ୍ରଜିତ । ଧୂମ୍ରାକ୍ଷ ଆଦି ଯେତେ ଯୂଥ ॥୭୦
ଏ ଆଦି ଯେତେ ଘୋରସୈନ୍ୟ । କୁମ୍ଭକର୍ଣ୍ଣାଦି ବୀରମାନ ॥୭୧
ଶୂଳ ଖଡ଼ଗ ଗଦା ରିଷ୍ଟି । ଭୂଷଣ୍ତି ତୀକ୍ଷ୍‌ଣ ଶରବୃଷ୍ଟି ॥୭୨
ପ୍ରହାର ଅସୁର ସମୂହେ । ସମୂଳେ ହୋନ୍ତି ଯେଣେ କ୍ଷୟେ ॥୭୩
ସୁଗ୍ରୀବ ଲକ୍ଷ୍ମଣ ସହିତେ । ଗନ୍ଧମାଦନ ହନୁମନ୍ତେ ॥୭୪
ଏ ଆଦି ଋକ୍ଷବଳ ତୁଲେ । ରାବଣ ସଂହାର ତୁ ବଳେ ॥୭୫
ଏମନ୍ତ ବରୁଣର ବାଣୀ । ଶୁଣି ଚଳିଲେ ରଘୁମଣି ॥୭୬
ସଙ୍ଗତେ ଘେନି କପିବଳ । ଲଙ୍କାରେ ସଂଯୋଜି ଅନଳ ॥୭୭
ରାକ୍ଷସ ତୁଲେ ଯୁଦ୍ଧ କରି । ଅନେକ ବଳ ତା ସଂହାରି ॥୭୮
ସୀତାହରଣ ଦୋଷଫଳେ । ସଂଗ୍ରାମେ ନ ଶିଲେ ସକଳେ ॥୭୯
ଦେଖିଣ ବୀରଙ୍କ ମରଣ । ରଥ ଆରୋହିଲା ରାବଣ ॥୮୦
ମାତଳି ଘେନି ଦିବ୍ୟଯାନେ । ମିଳିଲା ରାମ ସନ୍ନିଧାନେ ॥୮୧
ରାମ ରାବଣ ମୁଖ ଚାହିଁ । କହନ୍ତି କୋପଭର ହୋଇ ॥୮୨
ମୋ’ ନାରୀ ଆଣିଲୁ ଚୋରାଇ । ତପ ପ୍ରଭାବେ ଗର୍ବ ବହି ॥୮୩
ଆଜ ସରିଲା ତପ ଫଳ । ହେଳେ ଗଞ୍ଜିବି ତୋର ବଳ ॥୮୪
ଏମନ୍ତ କହି ରଘୁନାଥ । କୋପେ କୋଦଣ୍ତ ଧରି ହସ୍ତ ॥୮୫
ବଜ୍ର ସମାନ ରାମଶର । ଭେଦିଲା ରାବଣ ହୃଦର ॥୮୬
ରଥୁଁ ପଡ଼ିଲା ଭୂମିତଳେ । ଦଶବଦନୁ ଶୋଣି ଗଳେ ॥୮୭
ଭୂମି କମ୍ପିଲା ଥରହର । ଶବଦ ଶୁଭେ ହାହାକାର ॥୮୮
ରାବଣ ହତ ଶୁଣି କର୍ଣ୍ଣେ । ସଂଭ୍ରମେ ଅନ୍ତଃପୁର ଜନେ ॥୮୯
ତକ୍ଷଣେ ମନ୍ଦୋଦରୀ ତୁଲେ । ରାକ୍ଷସୀଗଣ ଉଭାରିଲେ ॥୯୦
ରୋଦନ କରନ୍ତି ବିକଳେ । ଶବଦେ ଭୁବନ ଉଚ୍ଛୁଳେ ॥୯୧
ମିଳିଲେ ରଣଭୂମି ମଧ୍ୟେ । ସ୍ୱାମୀ ସମୀପେ ଶୋକନାଦେ ॥୯୨
ହୃଦରେ ବେନିକର ତାଡ଼ି । ହା ନାଥ ବୋଲି ପାଦେ ପଡ଼ି ॥୯୩
ରାକ୍ଷସ ନାରୀଙ୍କ ରୋଦନ । ପୁରିଲା ଧରଣୀ ଗଗନ ॥୯୪
କାନ୍ଦନ୍ତି ସ୍ୱାମୀ କୋଳେ ଧରି । ନାରୀଙ୍କ ତୁଲେ ମନ୍ଦୋଦରୀ ॥୯୫
ବଜ୍ର ସମାନ ରାମ ଶର । ଭେଦିଲା ତୋ’ର ହୃଦୟର ॥୯୬
ଭୋ ନାଥ ତୋହର ମରଣେ । ପଶିବୁ କାହାର ଶରଣେ ॥୯୭
ତିନିଭୁବନେ ବୀରପଣ । ଅନାଥ କଲୁ ନାରୀଗଣ ॥୯୮
ତୋ’ର ମରଣେ ଲଙ୍କାପୁରୀ । ଢାଳେ ହୋଇଲା ହତଶିରୀ ॥୯୯
ତୁ ନାଥ କାମେ ଭୋଳ ହୋଇ । ଛଳେ ହରିଲୁ ବଇଦେହୀ ॥୧୦୦
ସେ ଦୋଷ ତୋତେ ନାଶ କଲା । ମରଣଦଶା ଭିଆଇଲା ॥୧୦୧
ଅନାଥ କଲୁ ସର୍ବନାରୀ । ଆମ୍ଭ ସଙ୍ଗତେ ଲଙ୍କାପୁରୀ ॥୧୦୨
ଦେହକୁ କଲୁ ଗୁଧ୍ରଗ୍ରାସ । ନରକେ ହୋଇବୁ ପ୍ରବେଶ ॥୧୦୩
ଏମନ୍ତ କହି ନାରୀଗଣେ । ପ୍ରାଣ ଛାଡ଼ିଲେ ହୁତାଶନେ ॥୧୦୪
ରହିଲା ମନ୍ଦୋଦରୀ ଶେଷ । ଏବେ ହୋ ଶୁଣ କୁରୁଶିଷ ॥୧୦୫
ରାବଣ ଭାଇ ବିଭୀଷଣ । ଥିଲା ଯେ ଶ୍ରୀରାମେ ଶରଣ ॥୧୦୬
ତାହାକୁ ଦେଲେ ମନ୍ଦୋଦରୀ । ଲଙ୍କାରେ ଅଭିଷେକ କରି ॥୧୦୭
ବୋଇଲେ ପ୍ରଭୁ ରଘୁବୀର । ଏବେ ତୁ ପ୍ରେତକାର୍ଯ୍ୟ କର ॥୧୦୮
ଏମନ୍ତ ଆଜ୍ଞା ତା’କୁ ଦେଲେ । ଅଶୋକ ବିପିନେ ମିଳିଲେ ॥୧୦୯
ସୀତା ଦେଖିଲେ ବେନି ଡୋଳେ । ଅଧୋବଦନେ ବୃକ୍ଷ ମୂଳେ ॥୧୧୦
ରାମ-ବିଚ୍ଛେଦ ଦୁଃଖଭର । ଶୁଖିଛି ସୁରଙ୍ଗ ଅଧର ॥୧୧୧
ନୟନେ ଅଶ୍ରୁଜଳ ପୂରି । ହା ସୀତା ବୋଲି କରେ ଧରି ॥୧୧୨
ଜାନକୀ ପ୍ରଭୁ ମୁଖ ଚାହିଁ । ବେଗେ ଉଠିଲେ ଜ୍ଞାନ ପାଇ ॥୧୧୩
ଆଦିତ୍ୟ ଦେଖି ପଦ୍ମ ଯେହ୍ନେ । ଅନାଇଁ ଉନ୍ମୀଳ ଲୋଚନେ ॥୧୧୪
ଅଗ୍ନିରେ ପ୍ରବେଶ ହୋଇଲେ । ସ୍ୱାମୀର ସନ୍ତୋଷ ବିହିଲେ ॥୧୧୫
ଶ୍ରୀରାମହସ୍ତେ ହସ୍ତ ଦେଇ । କାଞ୍ଚନ ବିମାନ ଆରୋହି ॥୧୧୬
ଲକ୍ଷ୍ମଣ ହନୁମନ୍ତ ତୁଲେ । ରାମ ବିମାନେ ବିଜେ କଲେ ॥୧୧୭
ବିଭୀଷଣକୁ ଦାଶରଥି । ଲଙ୍କାରେ କରି ଅଧିପତି ॥୧୧୮
ବୋଇଲେ ହୁଅ ତୁ ଅମର । ଏ ଲଙ୍କା କଳ୍ପେ ଭୋଗ କର ॥୧୧୯
ବିଭୀଷଣକୁ ରାଜା କରି । ରାମ ବିଜୟେ ନିଜପୁରୀ ॥୧୨୦
ପିତା ଆଦେଶେ ବନବାସ । ପୂରିଲା ଚଉଦ ବରଷ ॥୧୨୧
ରାମ ବିଜୟେ ଇନ୍ଦ୍ର ଚାହିଁ । ସ୍ୱର୍ଗୁ କୁସୁମ ବରଷଇ ॥୧୨୨
ଗଗନେ ଦେବେ ପନ୍ତିପନ୍ତି । ରାମ-ବିଜୟ ଉଚ୍ଚାରନ୍ତି ॥୧୨୩
ରାମ-ବିଚ୍ଛେଦେ ଦୁଃଖମନେ । ଭରତ ଥିଲା ତପୋବନେ ॥୧୨୪
ତା’ର ଚରିତ ଶୁଣି କର୍ଣ୍ଣେ । ଯେବା କହିଲେ ମୁନିଜନେ ॥୧୨୫
କଠୋର ତପ ବନେ କରି । ସେ ବ୍ରହ୍ମଚାରୀ ରୂପ ଧରି ॥୧୨୬
ଯାବକ ଭକ୍ଷେ ଗୋରୁମୂତ୍ରେ । ବଳ୍କଳ ପିନ୍ଧି କଟିସୂତ୍ରେ ॥୧୨୭
ପିଙ୍ଗଳ ଜଟା ଶିରେ ବହେ । ରାତ୍ରେ ଭୂମିରେ ବୀର ଶୋଏ ॥୧୨୮
ରାମପାଦୁକା ଅଗ୍ରେ ଥୋଇ । ନିଶ୍ଚଳ ଚିତ୍ତେ ନିତ୍ୟେ ଧ୍ୟାୟି ॥୧୨୯
ସେ ରାମ ମୁନିଗଣ ତୁଲେ । ଭରତ ଆଶ୍ରମେ ମିଳିଲେ ॥୧୩୦
ତାହାର ହସ୍ତ ରାମ ଧରି । ସଦୟଚିତ୍ତେ କୋଳ କରି ॥୧୩୧
ରାମ ଲକ୍ଷ୍ମଣ ହନୁମନ୍ତ । ସଙ୍ଗତେ ଚଳିଲେ ଭରତ ॥୧୩୨
ରାମପାଦୁକା ଶିରେ ଶୋହେ । ତପସ୍ୱୀରୂପେ ଜନ ମୋହେ ॥୧୩୩
ମିଳିଲେ ଅଯୋଧ୍ୟା ନିକଟେ । ସରଯୂନଦୀ ପୂର୍ବତଟେ ॥୧୩୪
ରାମର ଆଗମନ-ପଥେ । ମିଳିଲେ ପାତ୍ର-ପୁରୋହିତେ ॥୧୩୫
ବେଦ-ଶବଦେ ବିପ୍ରଜନେ । ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ୱନେ ॥୧୩୬
ଦିବ୍ୟବିମାନ ଶ୍ରେଣୀ ସାଥେ । ବୀରେଧାମନ୍ତି ବେଗେ ପଥେ ॥୧୩୭
ଧ୍ୱଜ ପତାକା ଶୋଭେ ସ୍ୱର୍ଣ୍ଣେ । ଉତ୍ତମ ବାଜି ଗଜ ଯାନେ ॥୧୩୮
ଗଣିକାଯୂଥ ଅଗ୍ରେ ଶୋହେ । ମାର୍ଗେ ଚଳନ୍ତେ ଜନମୋହେ ॥୧୩୯
ବିବିଧ ଉପାୟନ ହସ୍ତେ । ଜୟ ଶବଦ କରି ପଥେ ॥୧୪୦
ଯୁବତୀ ଘେନି ଦୀପାବଳୀ । ପଥେ ଦିଅନ୍ତ ହୁଳହୁଳି ॥୧୪୧
ବିପ୍ରଙ୍କୁ ଦେଖି ରଘୁନାଥ । ଶିରେ ନିବେଶି ବେନି ହସ୍ତ ॥୧୪୨
ତାହାଙ୍କୁ ନମସ୍କାର କଲେ । ସୀତା ଲକ୍ଷ୍ମଣ ଘେନି ତୁଲେ ॥୧୪୩
ଅଯୋଧ୍ୟାପୁର ଜନ ଯେତେ । ରାମ ଆଗମ ଦେଖି ପଥେ ॥୧୪୪
ରାମ ଲକ୍ଷ୍ମଣ ସୀତା ଚାହିଁ । ରଙ୍ଗେ ନାଚନ୍ତି ଗୀତ ଗାଇ ॥୧୪୫
ରାମ ପାଦୁକା ଘେନି ଶିରେ । ଭରତ ଚଳଇ ସଧୀରେ ॥୧୪୬
ଭରତ ଚଳେ ରାମ ପାଶେ । ବିବୁଧେ ଦେଖନ୍ତି ଆକାଶେ ॥୧୪୭
ଉତ୍ତମ ବ୍ୟଜନ-ରାମରେ । ସୁଗ୍ରୀବ ବିଭୀଷଣ ଧରେ ॥୧୪୮
ଅଞ୍ଜନାସୁତ ବୀରମଣି । ଚଳନ୍ତି ଶ୍ୱେତଛତ୍ର ଘେନି ॥୧୪୯
ଶତ୍ରୁଘ୍ନ କରେ ଧନୁଶର । ପଥେ ଦେଖନ୍ତି ସୁରନର ॥୧୫୦
ଜାନକୀ କରେ କମଣ୍ତଳ । ପୂରିତ ନାନା ତୀର୍ଥଜଳ ॥୧୫୧
ଅଙ୍ଗଦ ହସ୍ତେ ଖଡ୍ଗ ଶୋହି । ସୁବର୍ଣ୍ଣ ଶତଚନ୍ଦ୍ର ଯହିଁ ॥୧୫୨
ସ୍ତୁବନ୍ତି ବନ୍ଦୀ ନାରୀଯୂଥ । ମଧ୍ୟେ ବିଜୟ ରଘୁନାଥ ॥୧୫୩
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତ୍ରିଦଶେ କୁସୁମ ବରଷି ॥୧୫୪
ସଙ୍ଗତେ ଘେନି ତିନିଭାଇ । ମିଳିଲେ ଅନ୍ତଃପୁରେ ଯାଇ ॥୧୫୫
ସେ ପୁର ମହିମା ବର୍ଣ୍ଣିତ । ମଣ୍ତଣିହସ୍ତୀ ଦ୍ୱାରେ ସ୍ଥିତ ॥୧୫୬
ନାନା ସୁଗନ୍ଧେ ପରିମଳ । ନାନା ସୁବାସିତ ଶୀତଳ ॥୧୫୭
ପ୍ରାସାଦ ଗୋପୁରାଦି ଶୋଭା । ଚିତ୍ରଦେବତା ଗୃହ କିବା ॥୧୫୮
ପତାକା ସୁବର୍ଣ୍ଣ କଳସ । ଶୋଭିତ ଦିଶେ ଦଶଦିଶ ॥୧୫୯
ପୁନ୍ନାଗ ନାରିକେଳ ଆଦି । ବସ୍ତ୍ର-ଜାଳକେ ଦର୍ପଣାଦି ॥୧୬୦
ତୋରଣା ବିଚିତ୍ର ଦିଶନ୍ତି । ପ୍ରଜାଙ୍କୁ ହରଷ ଦିଅନ୍ତି ॥୧୬୧
ଘେନିଣ ନାନା ଦ୍ରବ୍ୟମାନ । ଆନନ୍ଦେ କରନ୍ତି ଦର୍ଶନ ॥୧୬୨
ଆଶିଷ କରିଣ ବୋଲନ୍ତି । ପୂର୍ବେ ବରାହ ରୂପେ ପୃଥ୍ୱୀ ॥୧୬୩
ଉଦ୍ଧରି ରଖିଲ ଗୋସାଇଁ । ଏବେ ଶ୍ରୀରାମ ରୂପେ ତୁହି ॥୧୬୪
ସ୍ତିରୀ ପୁରୁଷେ ଗୃହ ଛାଡ଼ି । ଆରୋହି ଅ…ଟ୍ଟାଳୀ ପାଚେରୀ ॥୧୬୫
ଦେଖିବା ପାଇଁଣ ଉ›ତ୍ସୁକ । ବୀର ଦର୍ଶନେ ଯେଉଁ ସୁଖ ॥୧୬୬
ସର୍ବେ ସନ୍ତୋଷ ମନ ହୋଇ । କୁସୁମ ବରଷନ୍ତି ନେଇ ॥୧୬୭
ନମିଲେ ଗୁରୁପତ୍ନୀ ପାଦେ । କୌଶଲ୍ୟା ଚରଣେ ଆନନ୍ଦେ ॥୧୬୮
ରାମଙ୍କୁ ଦେଖି ମାତୃଗଣ । ଆନନ୍ଦେ କରନ୍ତି କଲ୍ୟାଣ ॥୧୬୯
ପ୍ରାଣକୁ ପାଇ ତନୁ ଯେହ୍ନେ । ଉଠଇ ହରଷ ବଦନେ ॥୧୭୦
ଆନନ୍ଦେ ଅଶ୍ରୁଜଳ ନେତ୍ରେ । ସିଞ୍ଚନ୍ତି ଶ୍ରୀରାମର ଗାତ୍ରେ ॥୧୭୧
ଶ୍ରୀରାମ ଶିରେ ଜଟା ଦେଖି । ସର୍ବେହୋଇଲେ ମନେ ଦୁଃଖୀ ॥୧୭୨
ତକ୍ଷଣେ ମିଳିଲେ ବ୍ରାହ୍ମଣେ । ବଶିଷ୍ଠ ଆଦି ମୁନିଗଣେ ॥୧୭୩
ମୁଣ୍ତନ କଲେ ଜଟାଭାର । ଘେନାଇଁ ନାନା ଉପହାର ॥୧୭୪
ସୁବର୍ଣ୍ଣକୁମ୍ଭ ତୀର୍ଥଜଳେ । ରାମଙ୍କୁ ଅଭିଷେକ କଲେ ॥୧୭୫
ଉତ୍ତମ ବସ୍ତ୍ର ଅଳଙ୍କାର । ରତ୍ନମୁକୁଟ ବାନ୍ଧି ଶିର ॥୧୭୬
ଜାନକୀ ତୁଲେ ଅଭିଷେକ । ମିଳି ସକଳ ପ୍ରଜାଲୋକ ॥୧୭୭
ରାମଙ୍କୁ ପାଇ ପ୍ରଜାଜନେ । ସକଳେ ହରିଷତ ମନେ ॥୧୭୮
ଅପୁତ୍ର ପୁତ୍ର ପାଇ ଯେହ୍ନେ । ଆନନ୍ଦେ ହରଷ ବଦନେ ॥୧୭୯
ତ୍ରେତୟା ବର୍ତ୍ତମାନ କାଳେ । ଯେସନେ ସତ୍ୟଯୁଗ ମିଳେ ॥୧୮୦
ରାମ ହୋଇଲେ ରାଜ୍ୟେ ରାଜା । ସତ୍ୟଯୁଗର ପ୍ରାୟେ ପ୍ରଜା ॥୧୮୧
କରନ୍ତି ସ୍ୱଧର୍ମ ଆଚାର । ଏବେ ହୋ ଶୁଣ କୁରୁବୀର ॥୧୮୨
ବନ ପର୍ବତ ନଦ ନଦୀ । ଦ୍ୱୀପ ବରଷ ସିନ୍ଧୁ ଭେଦି ॥୧୮୩
ପ୍ରଜାଙ୍କୁ କାମଧେନୁ ପ୍ରାୟ । ଭୂମି ହୋଇଲା ରସଦାୟ ॥୧୮୪
ନାଶିଲେ ଆଧିବ୍ୟାଧି ବ୍ୟଥା । ବୃଦ୍ଧ ହୋଇଲେ ସାମରଥା ॥୧୮୫
ସେ ରାମ ଏକପତ୍ନୀ ବ୍ରତ । ଆଚରେ ରାଜଋଷି ମତ ॥୧୮୬
ଆଚରି ଗୃହମେଧି ଧର୍ମ । ଶୁଭେ ସକଳ କ୍ରିୟା କର୍ମ ॥୧୮୭
ଜାନକୀ ରାମର ଚରଣେ । ସ୍ୱଧର୍ମେ ଖଟେ ଅନୁକ୍ଷଣେ ॥୧୮୮
ପବିତ୍ର କଲେ ନିଜ ଅଂଶେ । ଜନମି ହରି ଯେଉଁ ବଂଶେ ॥୧୮୯
ସୁଜନେ ଚିନ୍ତ ଅବିରତ । ଆଦିତ୍ୟ ବଂଶାନୁଚରିତ ॥୧୯୦
ତରିବ ଏ ଭବ-ଜଳଧି । ଶ୍ରବଣେ ଶୁଣି ନିରବଧି ॥୧୯୧
କହଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦଶମୋଽଧ୍ୟାୟଃ । ।

ଏକାଦଶ ଅଧ୍ୟାୟ

କହନ୍ତି ଶୁକ ମହାଯତି । ଶୁଣ ପରୀକ୍ଷ ଚକ୍ରବର୍ତ୍ତୀ ॥୧

ଶୁକ ଉବାଚ

ଶ୍ରୀରାମ ରାଜ୍ୟେ ହୋଇ ରାଜା । ଆନନ୍ଦେ ପାଳି ଜନପ୍ରଜା ॥୨
ଉତ୍ତମ କଳ୍ପେ ଯଜ୍ଞ କଲେ । ବଶିଷ୍ଠ ଆଦି ମୁନି ତୁଲେ ॥୩
ବିପ୍ରଙ୍କୁ ଚାରିବେଦୁଁ ବରି । ଦକ୍ଷିଣା ଦେଲେ ଚିତ୍ତ ଭରି ॥୪
ଭୂମିକି କରି ଚାରିଭାଗେ । ଦକ୍ଷିଣା ଦେଲେ ଅନୁରାଗେ ॥୫
ହୋତାଙ୍କୁ ପୂର୍ବଦିଗ ଦେଲେ । ଅଧ୍ୱର୍ଯ୍ୟୁ ପଶ୍ଚିମେ କଳ୍ପିଲେ ॥୬
ଉତ୍ତର ଦିଗ ସାମଗାନେ । ବ୍ରହ୍ମାଙ୍କୁ ଦକ୍ଷିଣ ବିଧାନେ ॥୭
ବ୍ରାହ୍ମଣେ ଦେଲେ ଚାରିଦିଶ । ଆଚାର୍ଯ୍ୟେ ଦେଲେ ଅବଶେଷ ॥୮
ସୀତା ସଙ୍ଗତେ ରଘୁପତି । ଆଚରି ଗୃହସ୍ଥଙ୍କ ଗତି ॥୯
ଅନେକ ବସ୍ତ୍ର-ରତ୍ନ-ଧନେ । ସନ୍ତୋଷ କରି ସର୍ବଜନେ ॥୧୦
ଆଚରି ଗୃହମେଧି-ଧର୍ମ । ବେଦ ବିହିତ ଯେତେ କର୍ମ ॥୧୧
ବ୍ରାହ୍ମଣେ ଦେଖି ସାଧୁକଥା । ମନେ ନ କଳ୍ପି ଅନ୍ୟ ଚିନ୍ତା ॥୧୨
ରାମର ନିକଟେ ମିଳିଲେ । ଅନେକ ସ୍ତୁତି ବାକ୍ୟ କଲେ ॥୧୩
କହିଲେ ପ୍ରିୟଭାବେ ବହି । ଭୋ ନାଥ ଏତେ କାର୍ଯ୍ୟ ନାହିଁ ॥୧୪
ଆମ୍ଭେ କହିଲୁ ବେଦଧର୍ମେ । ତୋତେ ନ ଜାଣି ମତିଭ୍ରମେ ॥୧୫
ତୋହର ରାଜ୍ୟ ତୁହି ନିଅ । ଆମ୍ଭର ହୃଦେ ସଦା ଥାଅ ॥୧୬
ଏମନ୍ତେ କିଛି ଦିନ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୭
ଦିନେକ ରାମ ରାତ୍ରକାଳେ । ବୁଲନ୍ତି ନିଜ ଭୃତ୍ୟ ତୁଲେ ॥୧୮
ଯଶ ଅଯଶ କେ କି ଚିନ୍ତେ । ଏମନ୍ତେ ବିଚାରି ଗୁପତେ ॥୧୯
ଶୁଣିଲେ ଏକ ଗୃହାଶ୍ରମେ । ପତ୍ନୀକି ବୋଲେ ଗରୁତମେ ॥୨୦
ତୁ ଦୁଷ୍ଟା ନାରୀ ଘରୁ ଯାଅ । ମୁଁ ନ ଛୁଇଁବି ତୋ’ର ଦେହ ॥୨୧
ଅସତୀ ପରଗୃହାଶ୍ରମୀ । ମୁଁ ନୋହେ ରାମ ପ୍ରାୟେ କାମୀ ॥୨୨
ସେ ଯେହ୍ନେ ସୀତା ଘେନି ଘରେ । ଆନନ୍ଦେ ଗୃହାଶ୍ରମ କରେ ॥୨୩
ଏମନ୍ତ ଶୁଣି ତା’ର ମୁଖେ । ଗୃହେ ମିଳିଲେ ମନଦୁଃଖେ ॥୨୪
ଶୁଣିଣ ଲୋକ ଅପବାଦ । ଚିନ୍ତା ବସିଲା ରାମ ହୃଦ ॥୨୫
ଲୋକାପବାଦ ନ ସହିଲେ । ସୀତାରେ ରାମ କୋପ କଲେ ॥୨୬
ପ୍ରିୟାର ଗର୍ଭବାସ ଦେଖି । ତା’ର ବିଚ୍ଛେଦେ ହୋଇ ଦୁଃଖୀ ॥୨୭
ଏ ଲୋକ ଅପବାଦ ଭୟ । କରିବି କେବଣ ଉପାୟ ॥୨୮
ଲକ୍ଷ୍ମଣେ ରାଇ ରଘୁନାଥ । ତା’ ସଙ୍ଗେ ଭାଳିଲେ ଏକାନ୍ତ ॥୨୯
ବୋଇଲେ ସୀତାଙ୍କୁ ବିପିନେ । ନିବେଶି ଆସ ତୁ ବହନେ ॥୩୦
ତକ୍ଷଣେ ରାଜା ଆଜ୍ଞା ପାଇ । ସୀତାଙ୍କୁ ବନେ ନିବେଶଇ ॥୩୧
ସେ ମିଳେ ବାଲମୀକ ସ୍ଥାନେ । ବେନିକୁମର ଜାତ ବନେ ॥୩୨
ବାଲ୍ମୀକି ଭ୍ରାନ୍ତି ଛାଡ଼ି ମନ । ନିଜ କୁଟୀରେ ଦେଲେ ସ୍ଥାନ ॥୩୩
ବାଲ୍ମୀକି ଜାତକର୍ମ କଲେ । ପୁତ୍ର ଦୁହିଙ୍କ ନାମ ଦେଲେ ॥୩୪
ପ୍ରଥମ କୁଶ ନାମେ ଖ୍ୟାତ । ଅନ୍ୟ ଲବ ନାମେ ବିଦିତ ॥୩୫
ଏମନ୍ତେ କିଛିଦିନ ଅନ୍ତେ । ରାମ ଚଳିଲେ ସୀତା ପଥେ ॥୩୬
ରାମ ଆଗମ ଶୁଣି କର୍ଣ୍ଣେ । ତକ୍ଷଣେ ବରୁଣ-ଭୁବନେ ॥୩୭
ଜାନକୀ ହୋଇଲେ ପ୍ରବେଶ । ମନେ ଅନେକ କରି ରୋଷ ॥୩୮
ସୀତାର ନ ପାଇଁ ସନ୍ଦେଶ । ରାମ ଚଳିଲେ ନିଜ ଦେଶ ॥୩୯
ଲବ କୁଶକୁ ସଙ୍ଗେ ନେଲେ । କୁଶକୁ ଅଧିକାର ଦେଲେ ॥୪୦
ଅଙ୍ଗଦ ଚିତ୍ରକେତୁ ଦୁଇ । ଲକ୍ଷ୍ମଣ ବୀର୍ଯ୍ୟେ ଜାତ ହୋଇ ॥୪୧
ତକ୍ଷ ପୁଷ୍କଳ ବେନି ଭାଇ । ଭରତ ପତ୍ନୀ ଗର୍ଭେ ହୋଇ ॥୪୨
ସୁବାହୁ ଶ୍ରୁତସେନ ବୀର । ହୋଇଲେ ଶତ୍ରୁଘ୍ନ କୁମର ॥୪୩
ଭରତ ଦିଗବିଜେ କରି । କୋଟି ଗନ୍ଧର୍ବବଳ ମାରି ॥୪୪
ଯୁଦ୍ଧେ ପାଇଲା ଯେତେ ଧନ । ଦେଲା ସେ ରାମ ସନ୍ନିଧାନ ॥୪୫
ଶତ୍ରୁଘ୍ନ ଦିଗବିଜେ କରି । ଲବଣ ମଧୁପୁତ୍ର ମାରି ॥୪୬
ମଥୁରାପୁର ମଧୁବନେ । ପୁରୀ ସ୍ଥାପିଲେ ପ୍ରଜାଜନେ ॥୪୭
ଧନ ଶ୍ରୀରାମ ଆଗେ ଦେଲା । ପୁତ୍ରକୁ ତହିଁ ରାଜା କଲା ॥୪୮
ଲକ୍ଷ୍ମଣ ଚନ୍ଦ୍ରଜ୍ୟୋତି ପୁରୀ । ପୁତ୍ରକୁ ତହିଁ ରାଜା କରି ॥୪୯
ରାମ ଯେ ଜାନକୀ ବିଚ୍ଛେଦେ । ମନ ନ କଳ୍ପେ ରାଜପଦେ ॥୫୦
ସୀତାର ଗୁଣ ଚିନ୍ତି ମନେ । ନିଦ୍ରା ନ ମାଡ଼ଇ ନୟନେ ॥୫୧
କଣ୍ଠ-କୁଣ୍ଠିତ ଶୋକେ ପୂରି । ଚିତ୍ତକୁ ନ ପାରନ୍ତି ଧରି ॥୫୨
ସ୍ତିରୀ ପୁରୁଷ ସଙ୍ଗ ଏହି । କେ ସହେ ନରଦେହ ବହି ॥୫୩
ସେ ଦିନୁ ବ୍ରହ୍ମଚର୍ଯ୍ୟ କରି । ରାମ ହୋଇଲେ ବ୍ରହ୍ମଚାରୀ ॥୫୪
ବର୍ଷସହସ୍ର ତ୍ରୟୋଦଶ । ନିରତେ ବ୍ରହ୍ମଚାରୀ ବେଶ ॥୫୫
ଅଖଣ୍ତ ଅଗ୍ନିହୋତ୍ର କଲେ । ବଶିଷ୍ଠ ଆଦି ମୁନି ତୁଲେ ॥୫୬
ଦକ୍ଷିଣା ଦେଲେ ତୋଷ ଚିତ୍ତେ । ସନ୍ଧ୍ୟା-ମଧ୍ୟାହ୍ନେ ଅବିରତେ ॥୫୭
ସଂସାରେ ସ୍ଥାପି ନିଜ ଯଶ । ସ୍ୱଧାମେ ହୋଇଲେ ପ୍ରବେଶ ॥୫୮
ଲବକୁଶଙ୍କୁ ରାଜ୍ୟ ଦେଇ । ସକଳ ଜନପ୍ରଜା ରାଇ ॥୫୯
ଚତୁର୍ଦ୍ଧାରୂପେ ରଘୁନାଥ । ଚଳିଲେ ଉତ୍ତରର ପଥ ॥୬୦
ସ୍ଥାବର ଜଙ୍ଗମାଦି କୀଟ । ଘେନି ଚଳିଲେ ବଇକୁଣ୍ଠ ॥୬୧
ବୋଲନ୍ତି ଶୁକ ବ୍ରହ୍ମଋଷି । ଶୁଣ ହୋ ରାଜା କୁରୁବଂଶୀ ॥୬୨
ରାମ ଚରିତ ତୋ’ ଅଗ୍ରତେ । ସଂକ୍ଷେପେ କହିଲି ମୁଁ ଯେତେ ॥୬୩
ଏହା ଯେ ଶ୍ରବଣେ ଶୁଣନ୍ତି । ଦୁର୍ଗମ ସଙ୍କଟୁ ତରନ୍ତି ॥୬୪
ରାମ ଚରିତ ପୁଣ୍ୟକଥା । ଯେଣେ ଖଣ୍ତଇ ଭବବ୍ୟଥା ॥୬୫
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକାଦଶୋଽଧ୍ୟାୟଃ । ।

ଦ୍ୱାଦଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ମହୀପତି । ଶ୍ରୀରଘୁନାଥଙ୍କ ସନ୍ତତି ॥୧
ଅତିଥି କୁଶର ନନ୍ଦନ । ନିଷଧ ତା’ର ତହୁଁ ଜନ୍ମ ॥୨
ନଭ ତାହାର ହୁଏ ସୁତ । ତା’ ପୁତ୍ର ପୁଣ୍ତରୀକ ଖ୍ୟାତ ॥୩
ତା’ ପୁତ୍ର କ୍ଷେମଧନ୍ୱା ନାମ । ରୂପେ ସୁନ୍ଦର ଅନୁପମ ॥୪
ତା’ର କୁମର ଦେବାନୀକ । ଅନୀହ ତା’ର ପୁତ୍ର ଏକ ॥୫
ତା’ର ତନୟ ପାରିପାତ୍ର । ବଳସ୍ଥଳ ନାମ ତା’ ସୁତ ॥୬
ତା’ର ସନ୍ତତି ବଜ୍ରନାଭ । ଅର୍କର ଅଂଶେ ସେ ସମ୍ଭବ ॥୭
ସଗଣ ତାହାର ତନୟେ । ବିଧୃତି ତାର ବୀର୍ଯ୍ୟେ ହୋଏ ॥୮
ହିରଣ୍ୟନାଭ ତା’ ସନ୍ତତି । ଯୋଗ ବିଦ୍ୟାରେ ତା’ର ଖ୍ୟାତି ॥୯
ତା’ ଗୁରୁ ଅଟନ୍ତି ଜୈମିନି । ତା’ ଶିଷ୍ୟ ଯାଜ୍ଞବଲ୍‌କ୍ୟ ମୁନି ॥୧୦
ଅଭ୍ୟାସ ଯା’ର ଚାରିବେଦେ । ତେଜେ ହୃଦୟଗ୍ରନ୍ଥି ଭେଦେ ॥୧୧
ହିରଣ୍ୟନାଭର କୁମର । ପୁଷ୍ପ ଅଭ୍ୟାସ ଯଜ୍ଞେ ଯା’ର ॥୧୨
ତା’ର କୁମର ଧ୍ରୁବସନ୍ଧି । ଯା’ ବଂଶେ ଧାନ୍ତି ଅଷ୍ଟନିଧି ॥୧୩
ତା’ର କୁମର ସୁଦର୍ଶନ । ତାହାର ପୁତ୍ର ଅଗ୍ନିବର୍ଣ୍ଣ ॥୧୪
ଶୀଘ୍ର ଜନମ ତାହାଠାରୁ । ତାହାର ସୁତ ଅଟେ ମରୁ ॥୧୫
ମରୁ ଯେ ଶୀଘ୍ରର ତନୟେ । ଯେ ନିତ୍ୟେ ଯୋଗକର୍ମ ଧ୍ୟାୟେ ॥୧୬
କଳାପ ଗ୍ରାମେ ବସି ଧ୍ୟାନେ । ଯନ୍ତ୍ରିତ ନିତ୍ୟେ ତତ୍ତ୍ୱଜ୍ଞାନେ ॥୧୭
ଯୋଗ ସାଧଇ ଯେବା ଅର୍ଥେ । ଶୁଣ କହିବା ତୋ’ ଅଗ୍ରତେ ॥୧୮
କଳିର ଅନ୍ତେ ସୂର୍ଯ୍ୟବଂଶ । ସେ ପୁଣି କରିବ ପ୍ରକାଶ ॥୧୯
ପ୍ରସୁଶ୍ରୁତ ତା’ର ତନୟେ । ତା’ ସୁତ ସନ୍ଧିନାମ ବହେ ॥୨୦
ଅମର୍ଷଣ ଯେ ତା’ର ସୁତ । ମହସ୍ୱାନ ଯେ ତହୁଁ ଜାତ ॥୨୧
ତା’ର କୁମର ବିଶ୍ୱବାହୁ । ତା’ର ମହିମା କେବା କହୁ ॥୨୨
ପ୍ରସେନଜିତ ତା’ର ପୁତ୍ର । ତକ୍ଷକ ନାମେ ତା’ର ସୁତ ॥୨୩
ବୃହଦବଳ ତା’ର ସୁତ । ତୋ’ ପିତା ଅର୍ଥେ ରଣେ ହତ ॥୨୪
ଇକ୍ଷ୍ୱାକୁ ବଂଶେ ଯେତେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୨୫
ଶୁଣ ପରୀକ୍ଷ କହୁଁ ଏବେ । ଭବିଷ୍ୟେ ଯେତେ ଉପୁଜିବେ ॥୨୬
ବୃହଦବଳ ପୁତ୍ର ଶୁଣ । ନାମ ହୋଇବ ବୃହଦ୍ରଣ ॥୨୭
ତାହାର ପୁତ୍ର ଉରୁପ୍ରିୟ । ବତ୍ସ›ବୃଦ୍ଧ ତା’ର ତନୟ ॥୨୮
ତା’ର କୁମର ପ୍ରତିବ୍ୟୋମ । ଭାନୁ ନାମେ ତା’ର ନନ୍ଦନ ॥୨୯
ଦିବାକ ତାହାର ସନ୍ତତି । ସେ ହେବ ଯୁଦ୍ଧେ ସେନାପତି ॥୩୦
ତା’ର ତନୟ ସହଦେବ । ତହୁଁ ବୃହଦଶ୍ୱ ସମ୍ଭବ ॥୩୧
ତା’ର କୁମର ଭାନୁମାନ । ପ୍ରତିକାଶ୍ୱ ତା’ର ନନ୍ଦନ ॥୩୨
ସୁପ୍ରତୀକ ତହୁଁ ସମ୍ଭବ । ତା’ ପୁତ୍ର ହେବ ମରୁଦେବ ॥୩୩
ତା’ର ନନ୍ଦନ ସୁନକ୍ଷତ୍ର । ପୁଷ୍କର ହେବ ତା’ର ପୁତ୍ର ॥୩୪
ଅନ୍ତରୀକ୍ଷ ତା’ର ସନ୍ତତି । ତହୁଁ ସୁତପା ଉତପତ୍ତି ॥୩୫
ଅମିତ୍ରଜିତ ତା’ ନନ୍ଦନ । ତା’ ତହୁଁ ବୃହଦ୍ରାଜ ଜନ୍ମ ॥୩୬
ତା’ର ସନ୍ତାନ ରଣଞ୍ଜୟ । ତା’ ପୁତ୍ର ନାମଟି ସଞ୍ଜୟ ॥୩୭
ତା’ ସୁତ ଶାକ୍ୟ ନାମେ ଖ୍ୟାତ । ଶୁଦ୍ଧୋଦ ତାହାର ଅପତ୍ୟ ॥୩୮
ଲାଙ୍ଗଳ ତାହାର କୁମର । ପ୍ରସେନଜିତ ସୁତ ତା’ର ॥୩୯
ତାହାର ନନ୍ଦନ କ୍ଷୁଦ୍ରକ । ତା’ ତହୁଁ ହୋଇବ ରଣକ ॥୪୦
ତା’ ପୁତ୍ର ସୁରଥ ହୋଇବ । ସୁମିତ୍ର ପୁତ୍ରେ ଶେଷ ହେବ ॥୪୧
ଈକ୍ଷ୍ୱାକୁ ବଂଶେ ରାଜା ଯେତେ । ତୋତେ କହିଲି ଭବିଷ୍ୟତେ ॥୪୨
ସୁମିତ୍ର ଯାଏ କଳିଯୁଗେ । ଏତେ ନୃପତି ହେବେ ଭୋଗେ ॥୪୩
ଆଦିତ୍ୟବଂଶାନୁଚରିତ । ଯେ ଅବା ଭୂତ-ଭବିଷ୍ୟତ ॥୪୪
ତାହାଙ୍କ ଜନ୍ମ ଏ ସଂସାରେ । ଶୁଣନ୍ତେ ସର୍ବପାପ ହରେ ॥୪୫
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱାଦଶୋଽଧ୍ୟାୟଃ । ।

ତ୍ରୟୋଦଶ ଅଧ୍ୟାୟ

ଶୁକ ଉବାଚ

ନିମି ଯେ ଈକ୍ଷ୍ୱାକୁର ସୁତ । ତା’ବଂଶେ ଯେତେ ରାଜା ଜାତ ॥୧
ଯେ କର୍ମ କଲେ ଅନୁଭବେ । ଶୁଣ କହିବା ତୋତେ ଏବେ ॥୨
ସେ ନିମି ବଶିଷ୍ଠ ସଙ୍ଗତେ । ବସି ଭାଳିଲା ଯଜ୍ଞ ଅର୍ଥେ ॥୩
ବଶିଷ୍ଠ ମୋ’ର ଯଜ୍ଞ କର । ଋତ୍ୱିଜେ ଚାରିବେଦୁଁ ବର ॥୪
ବଶିଷ୍ଠ ତା’ର ମୁଖ ଚାହିଁ । କହିଲେ ପ୍ରିୟଭାବ ବହି ॥୫
ଇନ୍ଦ୍ର ବରଣ କଲା ମୋତେ । ତୋ’ ଯଜ୍ଞ କରିବି କେମନ୍ତେ ॥୬
ମୁଁ ଆଗେ ଇନ୍ଦ୍ରଯଜ୍ଞ ସାରି । ଋତ୍ୱିଜେ ଚାରିବେଦୁଁ ବରି ॥୭
ପଛେ କରିବି ଯଜ୍ଞ ତୋ’ର । ସେ ନିମି ନ ଦେଲା ଉତ୍ତର ॥୮
ବଶିଷ୍ଠ ଇନ୍ଦ୍ରଯଜ୍ଞେ ଗଲେ । ଅନ୍ୟ ବ୍ରାହ୍ମଣେ ନିମି ବୋଲେ ॥୯
ଯଜ୍ଞ ଆରମ୍ଭିଲେ ହରଷେ । ସଙ୍କଳ୍ପି ସହସ୍ର ବରଷେ ॥୧୦
ଏମନ୍ତେ ଇନ୍ଦ୍ରଯଜ୍ଞ ସାରି । ନିମିର ବାକ୍ୟ ସେ ସୁମରି ॥୧୧
ସେ ଯଜ୍ଞ କରିବାର ଆଶେ । ବେଗେ ମିଳିଲେ ନିମି ପାଶେ ॥୧୨
ଯଜ୍ଞ ଆରମ୍ଭ ଦେଖି ତା’ର । କୋପିଲେ ବ୍ରହ୍ମାଙ୍କ କୁମର ॥୧୩
ବୋଇଲେ କୋପଭର ହୋଇ । ମୋତେ ଅବଜ୍ଞା କଲୁ ତୁହି ॥୧୪
ତୋର ଜୀବନେ ନାହିଁ କାର୍ଯ୍ୟ । ମରଣ ହେଉ ତୋତେ ଆଜ ॥୧୫
ତା’ ଶୁଣି ନିମି କୋପ ବହି । ବୋଇଲେ ଜୀବ ଛାଡ଼ ତୁହି ॥୧୬
ତକ୍ଷଣେ ନିମି ଶାପ ଫଳେ । ବଶିଷ୍ଠ ବସିଲେ ନିଶ୍ଚଳେ ॥୧୭
ଜୀବନ ଗଲା ଦେହୁ ଛାଡ଼ି । ତକ୍ଷଣେ ଶୂନ୍ୟମାର୍ଗେ ଉଡ଼ି ॥୧୮
ଉର୍ବଶୀ ଗର୍ଭେ ହେଲେ ଜନ୍ମ । ମିତ୍ରାବରୁଣଙ୍କ ନନ୍ଦନ ॥୧୯
ନିମି ଯେ ଯଜ୍ଞଶାଳେ ଥିଲେ । ତକ୍ଷଣେ ଜୀବନ ଛାଡ଼ିଲେ ॥୨୦
ଜୀବନ ଯଜ୍ଞଶାଳେ ପଶି । ରହିଲା ଯଜ୍ଞସ୍ତମ୍ଭେ ଗ୍ରାସି ॥୨୧
ନିମି ଶରୀରେ ବିପ୍ରଜନେ । ବିଚାର କଲେ ଅନୁମାନେ ॥୨୨
ତୈଳ ସୁଗନ୍ଧଦ୍ରବ୍ୟ ଦେଇ । ନିମି ଶରୀର ତହିଁ ଥୋଇ ॥୨୩
ବୋଇଲେ ପୂର୍ଣ୍ଣାହୁତି ଗଲେ । ଶରୀର ଦହିବା ଅନଳେ ॥୨୪
ଏମନ୍ତ ବୋଲି ଯଜ୍ଞ କଲେ । ସମ୍ପୂେର୍ଣ୍ଣ ପୂର୍ଣ୍ଣାହୁତି ଦେଲେ ॥୨୫
ଇନ୍ଦ୍ରାଦି ଦେବେ ଯେତେ ଥିଲେ । ସନ୍ତୋଷେ ସୋମପାନ କଲେ ॥୨୬
ବିପ୍ରେ ଯେ ଦକ୍ଷିଣା ପାଇଲେ । ଅନଳେ ଦହିବା ବୋଇଲେ ॥୨୭
ଦେବତା ଋଷି ତୋଷମନେ । ବର ଯାଚିଲେ ଯଜମାନେ ॥୨୮
ନିମିର ଦେହେ ପଶୁ ପ୍ରାଣ । ଆମ୍ଭେ କରିବା ପରିତ୍ରାଣ ॥୨୯
ନିମି ଜୀବନ ସ୍ତମ୍ଭେ ଥିଲା । ଦେବଙ୍କୁ ପ୍ରତିବାକ୍ୟ କଲା ॥୩୦
ମୋ’ର ଶରୀରେ କାର୍ଯ୍ୟ ନାହିଁ । ଅସାର ଅନିତ୍ୟ ଏ ଦେହୀ ॥୩୧
ସକଳ ଦୁଃଖ ଏ ଶରୀରେ । ମରଣ ଭୟ ନିରନ୍ତରେ ॥୩୨
ଜନ୍ମ-ମରଣ ରାତ୍ରଦିନେ । ଅଶେଷ ବ୍ୟାଧି ଅନୁକ୍ଷଣେ ॥୩୩
ମୂତ୍ର ପୂରୀଷ କୃମିସ୍ଥାନ । ମାୟାରେ ହୋଏ ହତଜ୍ଞାନ ॥୩୪
କାମାଦିଶତ୍ରୁ ମଧ୍ୟେ ରହେ । ନିରତେ ଅହଙ୍କାର ବହେ ॥୩୫
ମାୟା-ସମୁଦ୍ରେ ନିତ୍ୟେ ବୁଡ଼େ । ଅନ୍ତେ ନରକ ପଥେ ପଡ଼େ ॥୩୬
ପୂରୀଷ ଭସ୍ମକୀଟ ଅନ୍ତେ । ଦୁର୍ଗନ୍ଧ କରଇ ନିରତେ ॥୩୭
ରୋଗଙ୍କ ମନ୍ଦିର ମାତର । ସ୍ୱଭାବେ ଦୁଃଖ ଏ ଶରୀର ॥୩୮
ଏମନ୍ତେ ନିମିର ବଚନେ । ସର୍ବଦେବତା ତୋଷମନେ ॥୩୯
ବୋଇଲେ ପ୍ରମାଣ ଏ ବାଣୀ । ପୁଣି କ୍ଷଣକେ ମନେ ଗୁଣି ॥୪୦

ଦେବଗଣ ଉବାଚ

ବୋଇଲେ ଶୁଣ ନରନାଥ । ଆମ୍ଭର ବର ନୋହେ ବ୍ୟର୍ଥ ॥୪୧
ସକଳ ଜନ୍ତୁଙ୍କ ଲୋଚନେ । ବସ ତୁ ନିମିଷ ବିଧାନେ ॥୪୨
ନିମିଷମତେ ସଂଖ୍ୟାକର । କାଳର ଗଣନା ବେଭାର ॥୪୩
ଏମନ୍ତ ଦେବଙ୍କ ବଚନେ । ବସିଲା ଜନ୍ତୁଙ୍କ ନୟନେ ॥୪୪
ଅଧ୍ୟାତ୍ମଗତି ନିତ୍ୟେ ତା’ର । ଏବେ ହୋ ଶୁଣ କୁରୁବୀର ॥୪୫
ଅରାଜ୍ୟଭୟେ ମହାଜନେ । ସକଳେ ବିଚାରିଲେ ମନେ ॥୪୬
ଆମ୍ଭେ ଯେ ବେଦ-ମନ୍ତ୍ରସ୍ୱରେ । କୁଶେ ମନ୍ଥିବା ଏ ଶରୀରେ ॥୪୭
ଯେମନ୍ତେ ପୁତ୍ର ଜନ୍ମ ହେବ । ନିର୍ଭୟେ ପ୍ରଜାଙ୍କୁ ପାଳିବ ॥୪୮
ଏମନ୍ତ ବିଚାରି ମନରେ । ତକ୍ଷଣେ ଜନ୍ମିଲା କୁମରେ ॥୪୯
କୁଶେ ମନ୍ଥିଲେ ବେଦସ୍ୱରେ । ତକ୍ଷଣେ ଜନ୍ମିଲା କୁମରେ ॥୫୦
ଜନ୍ମନ୍ତେ ଜନକ ହୋଇଲା । ବୈଦେହ ନାମ ବୋଲାଇଲା ॥୫୧
ମନ୍ଥନେ ମିଥିଳ ତା’ ନାମ । ବହେ ଅଶେଷ ଗୁଣଗ୍ରାମ ॥୫୨
ଏମନ୍ତେ ନିମିରାଜବଳା । ମିଥିଳାପୁର ବସାଇଲା ॥୫୩
ତା’ ସୁତ ଉଦାବସୁ ନାମ । ନନ୍ଦିବର୍ଦ୍ଧନ ତା’ ନନ୍ଦନ ॥୫୪
ସୁକେତୁ ନାମେ ତା’ର ସୁତ । ତା’ର ସନ୍ତତି ଦେବରାତ ॥୫୫
ଦେବରାତରୁ ବୃହଦ୍ରଥ । ତା’ ତହୁଁ ମହାବୀର୍ଯ୍ୟ ଜାତ ॥୫୬
ସୁଧୃତି ତାହାର କୁମର । ତା’ ପୁତ୍ର ଧୃଷ୍ଟକେତୁ ବୀର ॥୫୭
ହର୍ଯ୍ୟଶ୍ୱ ତାହାର କୁମର । ମରୁ ତାହାଙ୍କ ବଂଶଧର ॥୫୮
ମରୁରୁ ପ୍ରତୀପକ ଜନ୍ମ । ତା’ ସୁତ କୃତରଥ ନାମ ॥୫୯
ତା’ର କୁମର ଦେବମୀଢ଼ । ଯା’ ଚିତ୍ତ ଯୋଗାଭ୍ୟାସେ ଦୃଢ଼ ॥୬୦
ବିଶ୍ରୁତ ତାହାର ସନ୍ତତି । ତା’ର କୁମର ମହାଧୃତି ॥୬୧
ତା’ ସୁତ କୃତିରାତ ନାମ । ଜୀବେ ଅଶେଷ ଗୁଣଗ୍ରାମ ॥୬୨
ତା’ର ସନ୍ତତି ମହାରୋମ । ରୂପେ ଶଶାଙ୍କ ନୋହେ ସମ ॥୬୩
ସୁବର୍ଣ୍ଣରୋମା ତା’ ତନୟେ । ତା’ ତହୁଁ ହ୍ରସ୍ୱରୋମା ହୋଏ ॥୬୪
ତା’ର କୁମର ସୀରଧ୍ୱଜ । ତା’ର ମହିମା ମହାତେଜ ॥୬୫
ବିପ୍ରେ ଯେ ତା’ର ଯଜ୍ଞକାଳେ । ଭୂମିକି ଚଷିଲେ ଲଙ୍ଗଳେ ॥୬୬
ଲଙ୍ଗଳ ଅଗ୍ରେ ସୀତା ଜାତ । ଏଣୁ ସେ ସୀରଧ୍ୱଜ ଖ୍ୟାତ ॥୬୭
ତା’ର କୁମର କୁଶଧ୍ୱଜ । ଧର୍ମଧ୍ୱଜ ତା’ର ତନୁଜ ॥୬୮
ତା’ ତହୁଁ ବେନିପୁତ୍ର ଜାତ । ଶୁଣ ହୋ ତାହାଙ୍କ ଚରିତ ॥୬୯
ସେ କୃତଧ୍ୱଜ ମିତଧ୍ୱଜ । ଶୁଣ ତାହାଙ୍କର ତନୁଜ ॥୭୦
କୃତଧ୍ୱଜର କେଶିଧ୍ୱଜ । ଖାଣ୍ତିକ୍ୟ ଆନର ତନୁଜ ॥୭୧
ଖାଣ୍ତିକ୍ୟ କେଶିଧ୍ୱଜ ବେନି । ସାଧିଲେ ଯୋଗବିଦ୍ୟା ଘେନି ॥୭୨
କେଶିଧ୍ୱଜର ଠାରୁ ଭୟେ । ପଳାଇ ଗଲା ଆନଠାଏ ॥୭୩
କେଶି ଧ୍ୱଜରୁ ଭାନୁମାନ । ତା’ର ତନୁଜ ଶତଦ୍ୟୁମ୍ନ ॥୭୪
ଶୁଚି ନାମରେ ତା’ ତନୁଜ । ତା’ର ତନୁଜ ସନଦ୍ୱାଜ ॥୭୫
ଉର୍ଜ୍ଜକେତୁ ଯେ ତହୁଁ ଜାତ । ତାହାର ପୁତ୍ର ପୁରୁଜିତ ॥୭୬
ଅରିଷ୍ଟ ନେମି ସୁତ ତା’ର । ଶ୍ରୁତାୟୁ ତାହାର କୁମର ॥୭୭
ତା’ର ତନୟ ସୁପାର୍ଶ୍ୱକ । ତା’ ସୁତ ଚିତ୍ରରଥ ଲେଖ ॥୭୮
କ୍ଷେମାଧି ନାମେ ତା’ର ସୁତ । ତା’ର ତନୟ ସମରଥ ॥୭୯
ତାହାର ପୁତ୍ର ସତ୍ୟରଥ । ଉପଗୁରୁ ଯେ ତା’ର ସୁତ ॥୮୦
ତାହାର ପୁତ୍ର ଉପଗୁପ୍ତ । ବସ୍ୱନନ୍ତ ଯେ ତା’ର ସୁତ ॥୮୧
ଯୁଯୁଧ ତା’ର ପୁତ୍ର ନାମ । ତା’ ତହୁଁ ହେଲା ସୁଭାଷଣ ॥୮୨
ତା’ ସୁତ ଶ୍ରୁତ ତହୁଁ ଜୟ । ତାହାର ତନୟ ବିଜୟ ॥୮୩
ତା’ ତହୁଁ ଋତ ହେଲା ଜାତ । ଶୁନକ ତାହାର ଯେ ସୁତ ॥୮୪
ବୀତହବ୍ୟ ଯେ ତା’ ସନ୍ତତି । ତାହାର ତହୁଁ ଜାତ ଧୃତି ॥୮୫
ତାହାର ପୁତ୍ର ବହୁଳାଶ୍ୱ । ତା’ ସୁତ କୃତି ମହାଯଶ ॥୮୬
ଜନକବଂଶେ ରାଜା ଯେତେ । କହିଲୁ ଭୂତ ଭବିଷ୍ୟତେ ॥୮୭
ସେ ସର୍ବେ ଯୋଗବିଦ୍ୟା ସାଧି । ତରିଲେ ସଂସାର ଜଳଧି ॥୮୮
ରବିର ବଂଶେ ରାଜା ଯେତେ । ସେ କଥା ବଂଶାନୁଚରିତେ ॥୮୯
ତୋତେ କହିଲି ପ୍ରିୟଭାବେ । ସୋମର ବଂଶ ଶୁଣ ଏବେ ॥୯୦
ବୋଲଇ ଦାସ ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତ୍ରୟୋଦଶୋଽଧ୍ୟାୟଃ । ।

ଚତୁର୍ଦ୍ଦଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ସୋମବଂଶ ଶୁଣ । ଯେବେ ତରିବ ତିନିଗୁଣ ॥୧
ସେ ବଂଶେ ପୁରୁରବା ଆଦି । ଯେ ଭାବେ ଯେ ଅବା ସମ୍ପାଦି ॥୨
ଯଶ ରହିଲା ମହୀତଳେ । ସର୍ବେ ଚଳିଲେ କାଳବଳେ ॥୩
ସହସ୍ରଶିର ଯେ ଅନନ୍ତ । ତା’ ନାଭିପଦୁଁ ବ୍ରହ୍ମାଜାତ ॥୪
ସୃଷ୍ଟିର ଅର୍ଥେ ସପ୍ତପୁତ୍ରେ । ଜନ୍ମ ହୋଇଲେ ବ୍ରହ୍ମାଗାତ୍ରେ ॥୫
ମରୀଚି ଆଦି ସପ୍ତଋଷି । ଧ୍ରୁବମଣ୍ତଳ ରଥେ ବସି ॥୬
ଭ୍ରମନ୍ତି ଧ୍ରୁବଚକ୍ର-ବଳେ । ଉତ୍ତର-ଆକାଶ-ମଣ୍ତଳେ ॥୭
ତାହାଙ୍କ ମଧ୍ୟେ ଅତ୍ରିମୁନି । ତପ କରନ୍ତି ଯୋଗ ଘେନି ॥୮
ଧ୍ୟାନ କରନ୍ତେ ଯୋଗବଳେ । ତା’ଙ୍କ ଲୋଚନ ଅଶ୍ରୁଜଳେ ॥୯
ପୁରୁଷେ ହୋଇଲା ପ୍ରକାଶ । ତେଜେ ଗଞ୍ଜିଲା ଦଶଦିଶ ॥୧୦
ଅମୃତମୟ ମନୋରମ । ତାହାର ନାମ ଦେଲେ ସୋମ ॥୧୧
ବିପ୍ର-ଔଷଧି-ଉଡ଼ୁଗଣେ । ବ୍ରହ୍ମା ସ୍ଥାପିଲେ ରାଜାପଣେ ॥୧୨
ସେ ସୋମ ରାଜସୂୟ କରି । ତିନି ଭୁବନେ ଅଧିକାରୀ ॥୧୩
ବଳେ ଜିଣିଲା ତିନିପୁର । ଏବେ ହୋ ଶୁଣ ନୃପବର ॥୧୪
ସୁନ୍ଦର ରୂପେ ମତ୍ତଗର୍ବେ । ନିରତେ ଭ୍ରମେ ସେ ସ୍ୱଭାବେ ॥୧୫
ଏମନ୍ତେ ବୃହସ୍ପତି ନାରୀ । ଗଙ୍ଗାର ଜଳେ ସ୍ନାନ କରି ॥୧୬
ରୂପେ ସୁନ୍ଦରୀ ମନୋହରା । ସ୍ୱବଭାବେ ନାମ ତା’ର ତାରା ॥୧୭
ତାହାର ରୂପଗୁଣ ଚାହିଁ । ଅନଙ୍ଗବାଣେ ମୋହ ଯାଇ ॥୧୮
ସ୍ୱଭାବେ ଋତୁସ୍ନାନ କାଳେ । ସୋମ ହରିଲା ତା’କୁ ବଳେ ॥୧୯
ସେ କଥା ଶୁଣି ବୃହଷ୍ପତି । ପତ୍ନୀ ହରଣେ ଦୁଃଖମତି ॥୨୦
ସୋମର ଦ୍ୱାରେ ରାତ୍ରେ ଗଲେ । ଅନେକ ପ୍ରକାରେ ମାଗିଲେ ॥୨୧
କେବେ ହେଁ ତାରାକୁ ନ ଦେଲା । ଅନେକ ଅପମାନ କଲା ॥୨୨
ସେ ଗୁରୁ ଦେବ ମଧ୍ୟେ ଆସି । ଇନ୍ଦ୍ରଙ୍କୁ କହିଲେ ବିଶେଷି ॥୨୩
ଇନ୍ଦ୍ରର ତୁଲେ ଦେବବଳ । ଚଳନ୍ତେ ଶୁଭେ ମୁଖଗୋଳ ॥୨୪
ଏ କଥା ଶୁଣି ଶୁକ୍ରବାଦେ । ମିଳିଲା ଅସୁରଙ୍କ ମଧ୍ୟେ ॥୨୫
ଅସୁରବଳ ସଙ୍ଗ କରି । ଧାଇଁଲେ ସୋମପକ୍ଷ ଧରି ॥୨୬
ଇନ୍ଦ୍ରର ତୁଲେ ଦେବଗଣ । ଏମନ୍ତେ ଦେବାସୁର ରଣ ॥୨୭
ପ୍ରକୋପେ ବଢ଼ିଲା ସଂଗ୍ରାମ । ତାରକାମୟ ଯୁଦ୍ଧନାମ ॥୨୮
ତାରାର ଅର୍ଥେ ଯୁଦ୍ଧ ଯେଣୁ । ତାରକାମୟ ନାମ ତେଣୁ ॥୨୯
ଏମନ୍ତେ ଘୋର ଯୁଦ୍ଧ କଲେ । ଅନେକ ଦେବାସୁର ମଲେ ॥୩୦
ଦେବ ଅସୁର ଘୋରରଣେ । ବ୍ରହ୍ମା ମିଳିଲେ ତତ୍‌କ୍ଷଣେ ॥୩୧
ରଣ ନିବାରି ଚତୁର୍ମାଥ । ମିଳିଲେ ସୋମର ଅଗ୍ରତ ॥୩୨
ଅନେକ ଭ›ର୍ତ୍ସନା ସେ କଲେ । ବୃହସ୍ପତିଙ୍କି ତାରା ଦେଲେ ॥୩୩
ସେ ଗୁରୁ ତାରାମୁଖ ଚାହିଁ । ବୋଲନ୍ତି ବ୍ରହ୍ମାଙ୍କୁ ଅନାଇଁ ॥୩୪
ଭୋ ତାତ ଦେଖ ତୋ’ ଅଗ୍ରତେ । ଗର୍ଭ ଏ ଧରିଛି ଗୁପତେ ॥୩୫
କେମନ୍ତେ ଛୁଇଁବି ଶରୀର । ଏହାରେ କାର୍ଯ୍ୟ ନାହିଁ ମୋ’ର ॥୩୬
କାହାର ବୀର୍ଯ୍ୟ ଗର୍ଭେ ଅଛି । କେମନ୍ତେ ଜାଣିବା ତା’ ଲକ୍ଷି ॥୩୭
ତାରାର ଗର୍ଭ ଚାହିଁ କୋପେ । ଗୁରୁ ବୋଲନ୍ତି ମନସ୍ତାପେ ॥୩୮
ତୁ ମୋତେ ଛୁଇଁବୁ କେମନ୍ତେ । ଭସ୍ମ କରିବି ଆଜ ତୋତେ ॥୩୯
ଏମନ୍ତେ ଶୁଣି ସେ ଉତ୍ତର । କମ୍ପଇ ତାରାର ଶରୀର ॥୪୦
ତକ୍ଷଣେ ଗର୍ଭ ପ୍ରସବିଲା । ସୁନ୍ଦରେ ଜଗତ ମୋହିଲା ॥୪୧
କାନ୍ଦଇ ପଡ଼ି ଭୂମିଗତେ । ଆଶ୍ଚର୍ଯ୍ୟେ ଦେଖନ୍ତି ସମସ୍ତେ ॥୪୨
ସୁନ୍ଦର ଦେଖି ତା’ ବଦନ । କଳ୍ପିଲା ବୃହସ୍ପତି ମନ ॥୪୩
ବୋଲଇ ମୋର ପୁତ୍ର ଏହି । ସୋମ ବୋଲଇ ତାହା ଚାହିଁ ॥୪୪
ଦେଖ ଏ ମୋହର କୁମର । ମୋହର ପ୍ରାୟେକ ସୁନ୍ଦର ॥୪୫
ଗୁରୁ ବୋଲନ୍ତି ମୋ’ର ସୁତ । ଏମନ୍ତେ ହୋଇଲା ଅନର୍ଥ ॥୪୬
ସକଳ ମୁନିଗଣ ତୁଲେ । ତାରାକୁ ବିଶ୍ୱାସେ ପୁଚ୍ଛିଲେ ॥୪୭
ତା’ ଶୁଣି ଅଧୋମୁଖୀ ହୋଇ । ତାରା ରହିଲା ଲଜ୍ଜା ପାଇ ॥୪୮
କୁମର ଭୂମିଗତେ ଥାଇ । ବୋଲେ ଜନନୀ ମୁଖ ଚାହିଁ ॥୪୯
ଦୁର୍ବୃତ୍ତପଣ ଏ ତୋହର । କହ ମୁଁ କାହାର କୁମର ॥୫୦
ନୋହିଲେ ଶାପ ଦେବି ତୋତେ । ଲଜ୍ଜା ହୋଇଲା ବଡ଼ ମୋତେ ॥୫୧
ଏମନ୍ତ ପୁତ୍ରବାକ୍ୟ ଶୁଣି । ତାରାକୁ ରାଇ କୁଶପାଣି ॥୫୨
ବୋଲନ୍ତି କୋମଳ ବଚନ । ନିର୍ଭୟ କରି ତାରା ମନ ॥୫୩
ଭୋ ମାତ ଲଜ୍ଜା ତୁ ନ କର । କହ ଏ କାହାର କୁମର ॥୫୪
ତା’ ଶୁଣି ଅଧୋମୁଖୀ ହୋଇ । ବୋଲେ ସୋମର ପୁତ୍ର ଏହି ॥୫୫
ତକ୍ଷଣେ ସୋମ କୋଳ କଲା । ବ୍ରହ୍ମା ତାହାକୁ ନାମ ଦେଲା ॥୫୬
ବୋଧିଲା ରୂପଗୁଣେ ଯେଣୁ । ନାମ ହୋଇଲା ବୁଧ ତେଣୁ ॥୫୭
ସେ ବୁଧ ଇଳାକନ୍ୟା ଗର୍ଭେ । ମୁଁ ତୋତେ କହିଅଛି ପୂର୍ବେ ॥୫୮
ପୁରୁରବାକୁ ଜନ୍ମ କଲା । ଯେ କାଳେ ତପୋବନେ ଥିଲା ॥୫୯
ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥୬୦
ସୁରଭୁବନେ ଏକ ଦିନେ । ଉର୍ବଶୀ ଗନ୍ଧର୍ବ-ଗାୟନେ ॥୬୧
ମିତ୍ରାବରୁଣଙ୍କୁ ଲଙ୍ଘିଲା । ସେ ତା’କୁ କୋପେ ଶାପ ଦେଲା ॥୬୨
ବୋଇଲା ନରଲୋକେ ଯାଅ । ସ୍ୱର୍ଗ-ଭୁବନେ ତୁ ନ ଥାଅ ॥୬୩
ତକ୍ଷଣେ ଅଧୋମୁଖ ହୋଇ । ମିଳିଲା ନରଲୋକେ ଯାଇ ॥୬୪
ଗିରି-କନ୍ଦର-ବନେ ବୁଲେ । ସ୍ୱାମୀ ନ ଲଭେ ଆତ୍ମ ତୁଲେ ॥୬୫
ଏମନ୍ତେ ଭ୍ରମନ୍ତେ ତରୁଣୀ । ପୁରୁରବାକୁ ଦେଖେ ପୁଣି ॥୬୬
କନ୍ଦର୍ପ ପ୍ରାୟ ରୂପରାଶି । ତେଜେ ଗଞ୍ଜଇ ରବିଶଶୀ ॥୬୭
ଏମନ୍ତେ ତାହାର ସଙ୍ଗତେ । ଉର୍ବଶୀ ମିଳିଲା ଏକାନ୍ତେ ॥୬୮
ଉତ୍‌ଫୁଲ୍ଲ ହରଷ ଲୋଚନେ । ପୁରୁରବାର ସନ୍ନିଧାନେ ॥୬୯
ସେ ରାଜା ତା’ର ମୁଖ ଚାହିଁ । ତକ୍ଷଣେ କାମବଶ ହୋଇ ॥୭୦
ଗଭୀର-ବାକ୍ୟେ ତା’କୁ କହେ । ରୋମ-ହରଷ ସର୍ବଦେହେ ॥୭୧

ରାଜା ଉବାଚ

ଆସ ସୁନ୍ଦରି ବସ ଏଥେ । ଭଲେ ଅଇଲୁଟିକି ପଥେ ॥୭୨
ମିଳିଲୁ ମୋହର ସଙ୍ଗତେ । କହ ମୁଁ କି କରିବି ତୋତେ ॥୭୩
ମୋ’ ସଙ୍ଗେ ରମ ତୁ ଏକାନ୍ତେ । ସୁନ୍ଦରି ରହି ଦିନାକେତେ ॥୭୪
ଉର୍ବଶୀ ବୋଲଇ ତୁରିତେ । ମୋହର ସଧ ଅଛି ତୋତେ ॥୭୫
ତୋ’ ରୂପ ଦେଖି ହେ ରାଜନ । ଅନଙ୍ଗ ବାଧିଲା ମୋ ‘ମନ ॥୭୬
ତୁ ମୋ’ର ତୁଲେ ସତ୍ୟକର । ନିଶ୍ଚେଁ ବରିବି ତୋତେ ବର ॥୭୭
ଦେଖ ଏ ମେଷପୁତ୍ର ଦୁଇ । ତୁଲେ ଅଛନ୍ତି ବେନିଭାଇ ॥୭୮
ଅତ୍ୟନ୍ତ ପ୍ରିୟ ଏ ମୋହର । ଏହାଙ୍କୁ ଯତ୍ନେ ରକ୍ଷାକର ॥୭୯
ଉଲଗ୍ନ ନ ଦେଖିବି ତୋତେ । ଘୃତ ଆହାର ମୋ’ର ନିତ୍ୟେ ॥୮୦
ଏ ସତ୍ୟ ପ୍ରତିପାଳୁ ଯେବେ । ତୋ’ ସଙ୍ଗେ ରମିବଇଁ ତେବେ ॥୮୧
ଏମନ୍ତ ତା’ର ମୁଖୁଁ ଶୁଣି । ସତ୍ୟ ଯେ କଲା ନୃପମଣି ॥୮୨
ଉର୍ବଶୀରୂପେ ହୋଇ ବଶ । କଲା ସେ ଅନେକ ବିଶ୍ୱାସ ॥୮୩
ବିମାନେ ବସି ତା’ର ପାଶେ । ଗିରି-କାନନ-ନାନା ଦେଶେ ॥୮୪
ରମିଲା ହରଷିତ ମନେ । ଚଇତ୍ରରଥ ଆଦି ବନେ ॥୮୫
ଜଳ ବିହାର ନାନା ଦେଶେ । ପଦ୍ମ କୁମୁଦ ଗନ୍ଧ ବାସେ ॥୮୬
ଉର୍ବଶୀ ସଙ୍ଗେ ସଙ୍ଗ କଲା । ରାତ୍ର-ଦିବସ ନ ଜାଣିଲା ॥୮୭
ଏବେ ହୋ ଶୁଣ କୁରୁବଂଶୀ । ଇନ୍ଦ୍ର ଯେ ନ ଦେଖି ଉର୍ବଶୀ ॥୮୮
ବୋଲେ ଗନ୍ଧର୍ବଗଣ ଚାହିଁ । ଉର୍ବଶୀ ମୋର ଗଲା କାହିଁ ॥୮୯
ଗନ୍ଧର୍ବେ ବେନିକର ଯୋଡ଼ି । କହିଲେ ଇନ୍ଦ୍ରପାଦେ ପଡ଼ି ॥୯୦
ମିତ୍ରାବରୁଣ ଶାପ ଫଳେ । ଉର୍ବଶୀ ଅଛି ମର୍ତ୍ତ୍ୟପୁରେ ॥୯୧
ରମଇ ପୁରୁରବା ତୁଲେ । ତା’ ଶୁଣି ପୁରନ୍ଦର ବୋଲେ ॥୯୨
ତୁମ୍ଭେ ହୋ ମର୍ତ୍ତ୍ୟପୁରେ ଯାଇ । ଉର୍ବଶୀ ଆଣ ବେଗ ହୋଇ ॥୯୩
ସ୍ୱର୍ଗ ନ ଶୋହେ ତା’ ବିହୀନେ । ଚନ୍ଦ୍ର ନ ଥିଲେ ରାତ୍ର ଯେହ୍ନେ ॥୯୪
ତକ୍ଷଣେ ଇନ୍ଦ୍ରଆଜ୍ଞା ଶିରେ । ଘେନି ଚଳିଲେ ମର୍ତ୍ତ୍ୟପୁରେ ॥୯୫
ରାତ୍ରେ ନିବିଡ଼ ଅନ୍ଧକାରେ । ମିଳିଲେ ପୁରୁରବା ପୁରେ ॥୯୬
ତକ୍ଷଣେ ଦେବମାୟାବଳେ । ଉର୍ବଶୀ ମେଷ ଚୋରାଇଲେ ॥୯୭
ସେ ବେନିମେଷ ଶୂନ୍ୟେ ଯା’ନ୍ତେ । ଉଚ୍ଚେ ରୋଦନ କଲେ ପଥେ ॥୯୮
ତା’ ଶୁଣି ନିଦ୍ରାଭଙ୍ଗ ହୋଇ । ବିକଳେ ଉର୍ବଶୀ କାନ୍ଦଇ ॥୯୯
ବୋଲଇ ଶିରେ କର ଦେଇ । ମୋ’ ପୁତ୍ର କେନେଲା ଚୋରାଇ॥୧୦୦
ମୁଁ ଏଡ଼େ ହୀନେ ଆଶ୍ରେ କଲି । ଏ ପୁରେ ଅନାଥା ହୋଇଲି ॥୧୦୧
ଭୁଲିଲି ନପୁଂସକ ବୋଲେ । ପୁତ୍ରେମୋହର କେଣେ ଗଲେ ॥୧୦୨
ଏ ରାଜା ନାରୀଙ୍କର ପ୍ରାୟେ । ଶୋଇଛି ନିଦ୍ରାସୁଖ ମୋହେ ॥୧୦୩
ଯେସନେ ନ ଫୁସକ ଶୋଇ । ଏମନ୍ତ ଦେଖିଲା ତ ନାହିଁ ॥୧୦୪

ଶୁକ ଉବାଚ

ଏମନ୍ତେ ରୋଦନ କରନ୍ତେ । ରାଜାର ଶୟନ ଏକାନ୍ତେ ॥୧୦୫
ଉର୍ବଶୀ କଟୁବାକ୍ୟ ଶୁଣି । ନିଦ୍ରା ତେଜିଲା ନୃପମଣି ॥୧୦୬
ବ୍ୟଥିତ ଉର୍ବଶୀ ବଚନେ । ଅଙ୍କୁଶେ କୁଞ୍ଜର ଯେସନେ ॥୧୦୭
ତକ୍ଷଣେ ଶୟନରୁ ଉଠି । ଖଡ଼ଗ କଲା ଦୃଢ଼ମୁଷ୍ଠି ॥୧୦୮
ଉଲଗ୍ନେ ରାଜା ଥିଲା ଶୋଇ । ଅନ୍ଧାରେ ଦେହ ନ ଦିଶଇ ॥୧୦୯
ପଥେ ସେ ରେରେକାର ରାବେ । ମେଷକୁ ଛାଡ଼ିଲେ ଗନ୍ଧର୍ବେ ॥୧୧୦
ସେ ମେଷ ଘେନି ବାମହସ୍ତେ । ମିଳିଲେ ଉର୍ବଶୀ ଅଗ୍ରତେ ॥୧୧୧
ଗନ୍ଧର୍ବେ ଶୂନ୍ୟମାର୍ଗେ ଥିଲେ । ବିଜୁଳି ତେଜ ପ୍ରକାଶିଲେ ॥୧୧୨
ରାଜା କଟୀରେ ବସ୍ତ୍ର ନାହିଁ । ଉଲଗ୍ନ ଦେଖି କୋପବହି ॥୧୧୩
ମେଷକୁ ଦେଖି ରାଜା ହସ୍ତେ । ଉର୍ବଶୀ ଗଲା ଶୂନ୍ୟପଥେ ॥୧୧୪
ସେ ରାଜା ମେଷ ଘେନିକରେ । ଆସି ମିଳିଲା ଅନ୍ତଃପୁରେ ॥୧୧୫
ବୋଲଇ ନିଅ ତୋ’ ନନ୍ଦନ । ନ ଜାଣି କଲୁ ଯେ ରୋଦନ ॥୧୧୬
ଶୟନ ସ୍ଥାନେ ସେ ମିଳିଲା । ଖଟେ ଉର୍ବଶୀ ନ ଦେଖିଲା ॥୧୧୭
ଦୀପ ଆଣିଲା ତତ୍‌କ୍ଷଣେ । ଦେଖେ ଉର୍ବଶୀ ଗଲା କେଣେ ॥୧୧୮
ନ ଦେଖି ମୋହଗତେ ପଡ଼ି । କାନ୍ଦଇ ହୃଦେ କର ତାଡ଼ି ॥୧୧୯
ଉନ୍ମତ୍ତ ପ୍ରାୟେ ମହୀଭ୍ରମେ । ଗିରି-କାନନ-ଦୁର୍ଗ-ଗ୍ରାମେ ॥୧୨୦
ଭ୍ରମନ୍ତେ ଅତ୍ୟନ୍ତ ବ୍ୟାକୁଳେ । ଅଦ୍ଭୁତେ କରୁକ୍ଷେତ୍ରେ ମିଳେ ॥୧୨୧
ଉର୍ବଶୀ ସଖୀଜନ ମେଳେ । ଦେଖିଲା ସରସ୍ୱତୀ କୂଳେ ॥୧୨୨
ରାଜାଙ୍କୁ ଚାହିଁ ଅଧୋମୁଖୀ । ମନେ ହୋଇଲା ମହାଦୁଃଖୀ ॥୧୨୩
ରାଜା ଉର୍ବଶୀ ମୁଖ ଚାହିଁ । ବୋଲଇ ସ୍ନେହଭର ହୋଇ ॥୧୨୪
ରାଜାଙ୍କୁ ଦେଖି କୋପଭରେ । ଉର୍ବଶୀ ଗଲା କିଛି ଦୂରେ ॥୧୨୫
ପଛେ ଗୋଡ଼ାଇ କାମବଶେ । ସେ ରାଜା ବୋଲଇ ବିଶ୍ୱାସେ ॥୧୨୬

ରାଜା ଉବାଚ

ହେ ସଖି କ୍ଷଣେ ରହରହ । ନ ଛାଡ଼ ମୋହର ସେନେହ ॥୧୨୭
ତୁ ଘୋର କର୍ମ କିପାଁ କରୁ । ଭାବ ଅଭାବ ନବିଚାରୁ ॥୧୨୮
ମୋତେ ନ ଛାଡ଼ କୋପମନେ । ମୁଁ ଅଛି ତୋହର ବଚନେ ॥୧୨୯
ତୁ ମୋତେ ଦୂର କରି ଗଲେ । ଜୀବନ ଛାଡ଼ିବି ମୁଁ ଭଲେ ॥୧୩୦
ତୋ’ର ବିହୁନେ ମୋ’ ଶରୀର । ଭକ୍ଷିବେ ଶୃଗାଳ କୁକୁର ॥୧୩୧
ଏମନ୍ତେ ରାଜାବାକ୍ୟ ଶୁଣି । ଉର୍ବଶୀ କହେ ମଧୁବାଣୀ ॥୧୩୨

ଉର୍ବଶୀ ଉବାଚ

ଭୋ ନାଥ ଶୁଣ ମୋ’ ଉତ୍ତର । ସଂସାରେ ସ୍ତିରୀଙ୍କ ବେଭାର ॥୧୩୩
ସ୍ୱଭାବେ ଯେବା ଦୁଷ୍ଟା ନାରୀ । ତା’ସଙ୍ଗେ ବିଶ୍ୱାସ ନ କରି ॥୧୩୪
ବ୍ୟାଘ୍ର ଭଲ୍ଲୁକ ସଙ୍ଗେ ନର । ଯେସନେ ବିଶ୍ୱାସ-ବେଭାର ॥୧୩୫
ସ୍ତିରୀଙ୍କ ଦେହେ ଯେତେ ଗୁଣ । ରାଜନ ସାବଧାନେ ଶୁଣ ॥୧୩୬
ନିŸର୍ଦ୍ଦୟ କପଟ କଠିନ । ସାହସ ଆଦି ଚାରିଗୁଣ ॥୧୩୭
ଅଳପ କ୍ରୋଧେ ପ୍ରାଣ ନ୍ୟନ୍ତି । ପତି-ଭ୍ରାତାଙ୍କୁ ନଗଣନ୍ତି ॥୧୩୮
ଅଜ୍ଞାନ ଭାବେ ଥା’ନ୍ତି ନିତ୍ୟେ । ବା‚ଞ୍ଛନ୍ତି କାମଭୋଗ ଚିତ୍ତେ ॥୧୩୯
ସ୍ୱଭାବେ ନିତ୍ୟେ ହୋନ୍ତି କାମୀ । ଇଚ୍ଛନ୍ତି ନବନବ ସ୍ୱାମୀ ॥୧୪୦
ନାରୀଙ୍କ ସ୍ୱଭାବ ଏମନ୍ତ । କିପାଁ ତୁ କରୁ ଦୁଃଖଚିତ୍ତ ॥୧୪୧
ଏବେ ତୁ ନିଜ ପୁରେ ଯାଅ । ଅବଶ୍ୟ ଲଭିବି ତୋ’ ସ୍ନେହ ॥୧୪୨
ଆସିବି ସମ୍ବ›ତ୍ସର ଅନ୍ତେ । ରମିବି ତୋହର ସଙ୍ଗତେ ॥୧୪୩
ଋତୁସ୍ନାନାନ୍ତେ ଏକଦିନେ । ରମିବି ତୋ’ର ସନ୍ନିଧାନେ ॥୧୪୪
ଅବଶ୍ୟ ହୋଇବ ସନ୍ତତି । ଏବେ ଉପାୟ କର ଚିନ୍ତି ॥୧୪୫
ଗନ୍ଧର୍ବଗଣ ପୂଜା କର । ସେ ତୋତେ ତୋଷେ ଦେବେବର ॥୧୪୬
ଏହାଙ୍କ ପ୍ରସନ୍ନେ ତୁ ମୋତେ । ପାଇବୁ ବରଷକ ଅନ୍ତେ ॥୧୪୭

ଶୁକ ଉବାଚ

ଏମନ୍ତେ ତା’ର ବାକ୍ୟ ଶୁଣି । ଆନନ୍ଦମନେ ନୃପମଣି ॥୧୪୮
ଗନ୍ଧର୍ବଗଣେ ପୂଜା କଲା । ଅନେକ ବଳିଭୋଜା ଦେଲା ॥୧୪୯
ସ୍ତୁତି କରଇ କରଯୋଡ଼ି । ଚରଣେ ଦଣ୍ତବତେ ପଡ଼ି ॥୧୫୦
ତା’ର ଭକତି ଦେଖି ମନେ । ଗନ୍ଧର୍ବେ ପ୍ରସନ୍ନ ବଦନେ ॥୧୫୧
ମୃତ୍ତିକାଭାଣ୍ତେ ଅଗ୍ନି ଥୋଇ । ରାଜା ସମୀପେ ଦେଲେ ନେଇ ॥୧୫୨
ବୋଇଲେ ଏଥେ ଯଜ୍ଞ କର । ଉର୍ବଶୀ ଆସିବ ତୋହର ॥୧୫୩
ଏମନ୍ତେ ଅଗ୍ନିଭାଣ୍ତ ଦେଲେ । ରାଜାର ମନ ତୋଷ କଲେ ॥୧୫୪
ଗନ୍ଧର୍ବେ ଉର୍ବଶୀର ତୁଲେ । ତକ୍ଷଣେ ଶୂନ୍ୟମାର୍ଗେ ଗଲେ ॥୧୫୫
ସେ ରାଜା ଅଗ୍ନିଭାଣ୍ତ ଘେନି । ଗନ୍ଧର୍ବଗଣ ବାକ୍ୟ ମାନି ॥୧୫୬
ରାତ୍ରେ ବୁଲନ୍ତେ ବୃକ୍ଷମୂଳେ । ଥୋଇଲେ ନିଶା ଅନ୍ତଃକାଳେ ॥୧୫୭
ଅଗ୍ନିକି ବୃକ୍ଷମୂଳେ ଥୋଇ । ମିଳିଲା ନିଜପୁରେ ଯାଇ ॥୧୫୮
ରହିଲା ପ୍ରଜାଜନ ହିତେ । ଏମନ୍ତେ ଗଲା ଦିନା କେତେ ॥୧୫୯
ଉର୍ବଶୀ ବାକ୍ୟେ ମନଦେଇ । ନିଶ୍ଚଳେ ମନ ନ ରହଇ ॥୧୬୦
ଏମନ୍ତେ ସତ୍ୟଯୁଗ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୬୧
ତ୍ରେତୟା ଯୁଗ ପ୍ରବେଶନେ । ରାଜା ଉର୍ବଶୀ ସ୍ମରି ମନେ ॥୧୬୨
ଅଗ୍ନି ଉେŸଶ୍ୟ ଦିନେ ଗଲା । ବନେ ଅନଳ ନ ଦେଖିଲା ॥୧୬୩
ଯେ ବୃକ୍ଷ ମୂଳେ ଥୋଇଗଲା । ସେ ବୃକ୍ଷ ଅଶ୍ୱତ୍ଥ ହୋଇଲା ॥୧୬୪
ଅଶ୍ୱତ୍ଥ ବୃକ୍ଷ ଶମୀ ବୃକ୍ଷେ । ରାଜନ ଦେଖିଲା ପ୍ରତ୍ୟକ୍ଷେ ॥୧୬୫
ସେ ବୃକ୍ଷ କାଷ୍ଠ ଗୃହେ ଆଣି । ସଞ୍ଚିଲା ଯଜ୍ଞର ଅରଣି ॥୧୬୬
ଅରଣି ମନ୍ଥନ ସେ କରି । ନିଗମ-ମନ୍ତ୍ରକୁ ଉଚ୍ଚାରି ॥୧୬୭
ଉର୍ବଶୀ ଧ୍ୟାନ କରି ମନେ । ଆହୁତି ଦେଲା ହୁତାଶନେ ॥୧୬୮
ଉର୍ବଶୀ ଯଜ୍ଞବଳେ ଆସି । ରାଜା ସଦନେ ମିଳେ ନିଶି ॥୧୬୯
ଯଜ୍ଞପୁରୁଷ ପରସନେ । ଉର୍ବଶୀ ମିଳେ ତା’ ଭୁବନେ ॥୧୭୦
ଉର୍ବଶୀ ପୁରୁରବା ସଙ୍ଗେ । ପୁତ୍ରେ ଜନ୍ମିଲେ ରତିରଙ୍ଗେ ॥୧୭୧
ଅଗ୍ନିର ବର୍ଣ୍ଣପ୍ରାୟ ହୋଇ । ଜନ୍ମ ଲଭିଲେ ଷଡ଼ଭାଇ ॥୧୭୨
ରାଜା ବଞ୍ଚିଲେ ମନସୁଖେ । ନିଶ୍ଚିନ୍ତେ ତ୍ରେତାଯୁଗ ମୁଖେ ॥୧୭୩
ଆୟୁଷ ଅନ୍ତେ ପୁରୁରବା । ଅନଳ ପ୍ରାୟ ହୋଇ ପ୍ରଭା ॥୧୭୪
ଉର୍ବଶୀ ଧ୍ୟାନେ ମନ ଥିଲା । ଗନ୍ଧର୍ବ ଲୋକେ ସେ ମିଳିଲା ॥୧୭୫
ସୁଜନ ଜନଙ୍କର ହିତେ । ଭାଷା ପ୍ରବନ୍ଧେ ଭାଗବତେ ॥୧୭୬
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଚତୁŸର୍ଦ୍ଦଶୋଽଧ୍ୟାୟଃ । ।

ପଞ୍ଚଦଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ସୋମର ବଂଶାନୁଚରିତ ॥୧
ଉର୍ବଶୀ ଗର୍ଭେ ବିଷ୍ଣୁ ତେଜେ । ଜନ୍ମିଲେ ପୁରୁରବା ବୀର୍ଯ୍ୟେ ॥୨
ସୁନ୍ଦର ପଣେ ନାହିଁ ସମ । ଶୁଣ ସେ ଷଡ଼ପୁତ୍ର ନାମ ॥୩
ଆୟୁ ଶ୍ରୁତାୟୁ ପୁଣି ରୟ । ସତ୍ୟାୟୁ ବିଜୟ ଯେ ଜୟ ॥୪
ଶ୍ରୁତାୟୁ ସୁତ ବସୁମାନ । ଏକନାମ ରୟ ନନ୍ଦନ ॥୫
ଶ୍ରୁତଞ୍ଜୟ ସତ୍ୟାୟୁ ସୁତ । ଜୟର ତନୟ ଅମିତ ॥୬
ବିଜୟ ତନୟ ଯେ ଭୀମ । ଭୀମର ପୁତ୍ର ଯେ କାଞ୍ଚନ ॥୭
ତା’ ସୁତ ହେତ୍ରୁ ଜହ୍ନୁ ହୋଏ । ଗଣ୍ତୂଷେ ଗଙ୍ଗା ଜଳ ପିଏ ॥୮
ଜହ୍ନୁର ସୁତ ପୁରୁ ନାମ । ବଳାକ ତାହାଙ୍କ ନନ୍ଦନ ॥୯
ଅଜକ ବଳାକର ସୁତ । କୁଶ ତା’ ଠାରୁ ହେଲା ଜାତ ॥୧୦
ବଳାକସୁତ କୁଶ ହୋଇ । ସେ ଚାରି ପୁତ୍ରକୁ ଜନ୍ମାଇ ॥୧୧
କୁଶାମ୍ବୁ ପୁତ୍ର ଯେ ପ୍ରଥମ । ତନୟ ଦ୍ୱିତୀୟ ସନ୍ତାନ ॥୧୨
ତୃତୀୟ ବସୁ ନାମେ ଖ୍ୟାତ । କୁଶନାଭ ଅଟେ ଚତୁର୍ଥ ॥୧୩
କୁଶ୍ୱାମ୍ବୁ ସୁତ ଗାଧି ନାମ । ଅତି ସୁନ୍ଦର ଗୁଣଧାମ ॥୧୪
ତାହାର କନ୍ୟା ସତ୍ୟବତୀ । ତା’ କଥା ଶୁଣ ହୋ ନୃପତି ॥୧୫
ଋଚୀକ ନାମେ ବ୍ରହ୍ମଋଷି । କନ୍ୟା ମାଗିଲେ ତା’କୁ ଆସି ॥୧୬
ଦେଖିଣ ବୃଦ୍ଧ ତା’ ଶରୀର । ସେ ଗାଧି ନ ବରିଲା ବର ॥୧୭
ବୋଲେ ଋଚୀକ ମୁଖ ଚାହିଁ । କନ୍ୟା ଲଭିବୁ ଯେବେ ତୁହି ॥୧୮
ହୋଇବୁ ମୋ’ର କନ୍ୟାବର । ତୁ ଏବେ ମୋ’ର ବୋଲ କର ॥୧୯
ସହସ୍ରଅଶ୍ୱ ମୋତେ ଦିଅ । ଚନ୍ଦ୍ରର ପ୍ରାୟ ଯା’ର ଦେହ ॥୨୦
କର୍ଣ୍ଣ ହୋଇବ ଶ୍ୟାମବର୍ଣ୍ଣ । ତେବେ ମୁଁ ଦେବି କନ୍ୟାଦାନ ॥୨୧
ଏମନ୍ତେ ରାଜାର ବଚନେ । ଋଚୀକ ବରୁଣ ଭୁବନେ ॥୨୨
ମିଳି ବରୁଣକୁ ମାଗିଲେ । ବରୁଣ ସସ୍ରେଅଶ୍ୱ ଦେଲେ ॥୨୩
ସେ ଅଶ୍ୱ ଆଣି ମୁନି ଦେଲା । ସତ୍ୟବତୀକି ବିଭା ହେଲା ॥୨୪
ଋଚୀକ ପତ୍ନୀ ପୁତ୍ର ଅର୍ଥେ । ବିଚାରି ମାତାର ସହିତେ ॥୨୫
ପୁତ୍ର କାମନା କରି ବେନି । କାମନା କଲେ ଚରୁ ଘେନି ॥୨୬
ଯଜ୍ଞ ଆରମ୍ଭେ ପୁତ୍ର ଅର୍ଥେ । ଚରୁ ସଞ୍ଚିଲା ବେଦମନ୍ତ୍ରେ ॥୨୭
ମାତା ଦୁହିତା ଅର୍ଥେ ବେନି । ଚରୁ ସାଧିଲା ମହାମୁନି ॥୨୮
ସେ ଚରୁ ଦେଇ ପତ୍ନୀ ହସ୍ତେ । ୠଚୀକ ଗଲେ ସ୍ନାନ ଅର୍ଥେ ॥୨୯
ଯେ ଚରୁ କଲା ମହାତମା । ଶୁଣ ସେ ଚରୁର ମହିମା ॥୩୦
ଏକ କ୍ଷତ୍ରିୟ ବିପ୍ର ଏକ । ସେ ଚରୁ ବିପରୀତ ଦେଖ ॥୩୧
ସତ୍ୟବତୀର ମୁଖ ଚାହିଁ । ମାତା ବୋଲଇ ଭ୍ରାନ୍ତି ବହି ॥୩୨
ତୋ’ ଚରୁ ମୋର ହସ୍ତେ ଦିଅ । ମୋଠାରେ ଯେବେ ଅଛି ସ୍ନେହ ॥୩୩
ଏମନ୍ତ ମାତା ମୁଖୁଁ ଶୁଣି । ତକ୍ଷଣେ ରାଜାର ଦୁଲଣୀ ॥୩୪
ଆପଣା ଚରୁ ମାତା ହସ୍ତେ । ଦେଲା ସେ ପ୍ରିୟଭାବ ମତେ ॥୩୫
ଚରୁ ଭୁଞ୍ଜିଲେ ବେନି ନାରୀ । ଏବେ ହୋ ଶୁଣ ଦଣ୍ତଧାରୀ ॥୩୬
ଋଚୀକ ସ୍ନାନ ସାରି ଜଳେ । ଗୃହେ ମିଳିଲେ ରାତ୍ରକାଳେ ॥୩୭
ମିଳିଲେ ସତ୍ୟବତୀ ସଙ୍ଗେ । ପ୍ରଚଣ୍ତ ତେଜ ତା’ର ଅଙ୍ଗେ ॥୩୮
ନିକଟେ ବସି ନ ପାରଇ । ବୋଲଇ ପତ୍ନୀମୁଖ ଚାହିଁ ॥୩୯
ତୁ ଘୋରକର୍ମ କିପାଁ କଲୁ । ତୋ’ ଚରୁମାତା ହସ୍ତେ ଦେଲୁ ॥୪୦
ପ୍ରଚଣ୍ତ ହୋଇବ ତୋ’ ସୁତ । ତା’ ତେଜେ କମ୍ପିବ ଜଗତ ॥୪୧
ଭ୍ରାତା ହୋଇବ ବ୍ରହ୍ମମୁନି । ସନ୍ତୋଷ-ଶମ-ଦମ ଘେନି ॥୪୨
ତା’ ଶୁଣି ସତ୍ୟବତୀ ଭାଳେ । ପଡ଼ିଲା ସ୍ୱାମୀ ପାଦତଳେ ॥୪୩
କହେ କପୋଳେ ଦେଇ ହସ୍ତ । ପ୍ରଚଣ୍ତ ନୋହୁ ମୋର ସୁତ ॥୪୪
ରଚୀକ ପତ୍ନୀର ବଚନେ । ଭବିଷ୍ୟ ସୁମରିଲେ ମନେ ॥୪୫
ବୋଇଲେ ସୁତ ତୋ’ ସୁତର । ହେଉ କ୍ଷତ୍ରିୟ ମହାବୀର ॥୪୬
ଏମନ୍ତେ ଋଚୀକ ବଚନେ । ପୁତ୍ର ଜନ୍ମିଲା ବିପ୍ରବର୍ଣ୍ଣେ ॥୪୭
ଅତି ସୁନ୍ଦର ସୁକୁମାର । ରୂପେ ମୋହିଲା ତିନିପୁର ॥୪୮
ତାହାର ଜମଦଗ୍ନି ନାମ । ତେଜେ ବିରାଜେ ଅଗ୍ନିସମ ॥୪୯
ପୁତ୍ର ପ୍ରସବି ସତ୍ୟବତୀ । ଭଜିଲା ନଦୀଙ୍କର ଗତି ॥୫୦
ସେ ନଦୀରୂପେ ବହିଗଲା । କୌଶିକୀ ନାମ ପୁଣ୍ୟଜଳା ॥୫୧
ରେଣୁକା ରେଣୁର ଦୁହିତା । ପୁଣ୍ୟ ପବିତ୍ର ଶୁଦ୍ଧଚିତ୍ତା ॥୫୨
ଅତି ସୁନ୍ଦରୀ ସୁକୁମାରୀ । ସେ କନ୍ୟା ଜମଦଗ୍ନି ବରି ॥୫୩
ତା’ ଗର୍ଭେ ଜମଦଗ୍ନି ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ବିଷ୍ଣୁତେଜେ ॥୫୪
ବସୁମଦାଦି ପୁତ୍ର ତୁଲେ । ପରଶୁରାମ ଉପୁଜିଲେ ॥୫୫
ସେ ବାସୁଦେବ ଅଂଶେ ଏକ । ହୈହୟ ରାଜା କୁଳାନ୍ତକ ॥୫୬
ପରଶୁ ଦକ୍ଷକରେ ଧରି । କୋପେ ଭ୍ରମିଲା ବସୁନ୍ଧରୀ ॥୫୭
ଯେ ଦୁଷ୍ଟ କ୍ଷତ୍ରିୟ ରାଜନ । ବ୍ରାହ୍ମଣେ ନ କରନ୍ତି ମାନ୍ୟ ॥୫୮
କ୍ଷତ୍ରିୟ ଗର୍ବେ ମତ୍ତ ଭ୍ରମେ । ଆବୃତ ହୋଇ ରଜ ତମେ ॥୫୯
ଏକବିଂଶ ବାର ଭ୍ରମିଲା । ଧରଣୀ କ୍ଷତ୍ରିହୀନ କଲା ॥୬୦

ପରୀକ୍ଷିତ ଉବାଚ

ଭୋ ମୁନି କହ ମୋ’ ଅଗ୍ରତେ । ଦୁଷ୍ଟ କ୍ଷତ୍ରିୟ ଏ ଜଗତେ ॥୬୧
କ୍ଷତ୍ରିୟ ହଇହୟବଂଶ । କିବା ବିଷ୍ଣୁରେ କଲେ ଦୋଷ ॥୬୨
ଯେ ଦୋଷେ କରେ ଶସ୍ତ୍ର ଧରି । ନିକ୍ଷତ୍ର କଲେ ବସୁନ୍ଧରୀ ॥୬୩

ଶୁକ ଉବାଚ

କହନ୍ତି ଶୁକ ମୁନିବର । ଶୁଣ ହେ ଉତ୍ତରାକୁମର ॥୬୪
ଅର୍ଜୁନ ନାମେ ବୀର ଅଂଶେ । ଜନ୍ମିଲେ ହଇହୟ ବଂଶେ ॥୬୫
ଦତ୍ତ ଯେ ନାରାୟଣ ଅଂଶ । ତା’ପାଦେ ହୋଇଲେ ବିଶ୍ୱାସ ॥୬୬
ଅନେକ ଆରାଧନା କଲେ । ସେ ତା’ଙ୍କୁ ତୋଷେ ବର ଦେଲେ ॥୬୭
ତପେ ସହସ୍ରଭୁଜ ଧରି । ତେଜ ସାମର୍ଥ୍ୟ ଯଶ ଶିରୀ ॥୬୮
ଅଣିମା ଆଦି ଅଷ୍ଟସିଦ୍ଧି । ଲଭିଲା ଅନେକ ସମୃଦ୍ଧି ॥୬୯
ଭ୍ରମଇ ଏ ତିନିଭୁବନେ । ପ୍ରଚଣ୍ତ ଯେସନେ ପବନେ ॥୭୦
ଦିନେକ ସ୍ତିରୀଗଣ ସଙ୍ଗେ । ଦିଗବିଜୟ କଲା ରଙ୍ଗେ ॥୭୧
କାମିନୀ ସଙ୍ଗେ ରସ ଭୋଳେ । ପଶିଲା ରେବାନଦୀ ଜଳେ ॥୭୨
ବଇଜୟନ୍ତୀ ମାଳା ଗଳେ । ନାରୀଙ୍କ ସଙ୍ଗେ ଜଳେ ଖେଳେ ॥୭୩
ଜଳ ନିଷେଧି କ୍ରୀଡ଼ା କାଳେ । ନଦୀ ବାନ୍ଧିଲା ଭୁଜ ବଳେ ॥୭୪
ଭୁଜ ଉପରେ ଭୁଜ ଦେଲା । ନଦୀ ଜଳକୁ ବନ୍ଦୀ କଲା ॥୭୫
ନଦୀ ବହିଲା ପ୍ରତିସ୍ରୋତେ । ବାମ ଦକ୍ଷିଣେ ଗ୍ରାମ ଯେତେ ॥୭୬
ପର୍ବତ ଆଦି ଘୋରବନ । ସ୍ଥଳ-ଗଭୀର-ଦେବସ୍ଥାନ ॥୭୭
ପ୍ରଳୟ ପ୍ରାୟ ଜଳ ପୁରେ । କାମିନୀଗଣେ କ୍ରୀଡ଼ା କରେ ॥୭୮
ଏହି ସମୟେ ଦଶାନନ । ଦିଗବିଜୟେ କରି ମନ ॥୭୯
ମହିଷ୍ମତୀପୁର ସମୀପେ । ଶିବିର ନେଇ ତହିଁ ସ୍ଥାପେ ॥୮୦
ଜଳରେ ପ୍ଲାବିତ ଶିବିର । ଦେଖି କୁପିତ ଦଶଶିର ॥୮୧
ଅର୍ଜୁନ ପାଶେ ସେ ମିଳିଲା । ନିନ୍ଦିତ ବାକ୍ୟେ ଗାଳି ଦେଲା ॥୮୨
ତା’ ଶୁଣି ସହସ୍ର ଅର୍ଜୁନ । ହେଳେ ବାନ୍ଧିଲା ଦଶାନନ ॥୮୩
ମର୍କଟ ପ୍ରାୟ ବାନ୍ଧି କରି । ବନ୍ଧନାଗାରେ ନେଇ ଭରି ॥୮୪
ଅନେକ ଦିନ ସେ ରଖିଲା । ଅବଜ୍ଞା କରି ଛାଡ଼ିଦେଲା ॥୮୫
ପୁଣି ଅର୍ଜୁନ ଏକ ଦିନେ । ମୃଗୟା ଅର୍ଥେ ଗଲା ବନେ ॥୮୬
ତାହାର ଅଶ୍ୱବଳ ଯେତେ । ରବିର କିରଣେ ତୃଷିତେ ॥୮୭
ବୁଲନ୍ତେ ଗିରି-ଘୋରବନେ । ମିଳିଲେ ଜମଦଗ୍ନି ସ୍ଥାନେ ॥୮୮
ରାଜାଙ୍କୁ ଦେଖି ମୁନିଜନେ । ବସାଇ ସୁବର୍ଣ୍ଣ ଆସନେ ॥୮୯
ପୂଜିଲେ ନାନା ଉପହାରେ । କଳ୍ପିତ-ଯଜ୍ଞ-ଧେନୁ କ୍ଷୀରେ ॥୯୦
ସର୍ବ ସୁବର୍ଣ୍ଣମୟ ଚାହିଁ । ଯେ କାମେ କାମଧେନୁ ଦୁହିଁ ॥୯୧
ଅଦ୍ଭୁତ ଦେଖି ନୃପମଣି । ସଙ୍କୋଚେ ମନେ ମନେ ଗୁଣି ॥୯୨
ଭୃତ୍ୟକୁ ରାଇ ଆଜ୍ଞା ଦେଲା । ଏ ଧେନୁ ଘେନରେ ବୋଇଲା ॥୯୩
ମୁନିଙ୍କି ଅନାଦର କରି । ତକ୍ଷଣେ ଗଲା ଦଣ୍ତଧାରୀ ॥୯୪
ସେ ଧେନୁ ବ›ତ୍ସା ସଙ୍ଗେ ବାନ୍ଧେ । ପଥେ ଚଳନ୍ତେ ଧେନୁ କାନ୍ଦେ ॥୯୫
ରାଜା ଚଳିଲା ନିଜ ଗ୍ରାମ । ବନେ ଯେ ଥିଲେ ପର୍ଶୁରାମ ॥୯୬
ଯଜ୍ଞ ଆହୁତି ଭଙ୍ଗ ଶୁଣି । ଗୃହେ ମିଳିଲେ ଭୃଗୁମଣି ॥୯୭
ବ›ତ୍ସା ସହିତେ ଧେନୁ ନେଲା । ପିତାଙ୍କୁ ଅନାଦର କଲା ॥୯୮
ଏ କଥା ଶୁଣି କୋପଭରେ । ତୀକ୍ଷ୍‌ଣ ପରଶୁ ଧରି କରେ ॥୯୯
କବଚେ ଆବୋରି ଶରୀର । କାନ୍ଧେ କାର୍ମୁକ ତୀକ୍ଷ୍‌ଣ ଶର ॥୧୦୦
ପଛେ ଧାଇଁଲେ କୋପମନେ । କୁଞ୍ଜର ଦେଖି ସିଂହ ଯେହ୍ନେ ॥୧୦୧
ପଛେ ଗୋଡ଼ାନ୍ତେ ପର୍ଶୁରାମ । ରାଜା ଦେଖିଲେ ଘୋରତମ ॥୧୦୨
ପରଶୁ ଦକ୍ଷକରେ ଧରି । ହରିଣଚର୍ମ ଦେହେ ଭରି ॥୧୦୩
ସୂର୍ଯ୍ୟର ପ୍ରାୟେ ତେଜ ଦେହେ । କପିଳ ଜଟା ଶିରେ ଶୋହେ ॥୧୦୪
ଦେଖି ପରଶୁରାମ ତେଜ । ପଥେ ରହିଲା ମହାରାଜ ॥୧୦୫
ସୈନ୍ୟଙ୍କୁ ଚାହିଁ ଆଜ୍ଞା ଦେଲା । ଅନେକ ଶସ୍ତ୍ର ପ୍ରହାରିଲା ॥୧୦୬
ଅଶ୍ୱ କୁଞ୍ଜର ସେନା ଯେତେ । ଶସ୍ତ୍ର ପେଷିଲେ ଅପ୍ରମିତେ ॥୧୦୭
ଗଦା ଖଡ଼ଗ ଶକ୍ତି ଯଷ୍ଟି । କୋପେ କରନ୍ତି ଶର ବୃଷ୍ଟି ॥୧୦୮
ଯୁଝନ୍ତି ଅତି କୋପମନେ । ସମୁଦ୍ରେ ମନ୍ଦର ଯେସନେ ॥୧୦୯
ପରଶୁ କୋପରେ ପ୍ରହାରି । ଅର୍ଦ୍ଧନିମିଷେ ସର୍ବ ମାରି ॥୧୧୦
ଭୁଜ କନ୍ଧର ଉର ଛିଡ଼ି । ସର୍ବେ ପଡ଼ିଲେ ଭୂମି ମାଡ଼ି ॥୧୧୧
ରୁଧିର ନଦୀ ଉଚ୍ଚେ ବହେ । ମାଂସ ଶୋଣିତ ମେଦମୟେ ॥୧୧୨
ମଲେ କ୍ଷଉଣୀ ସପ୍ତଦଶ । ରହିଲା ସସ୍ରବାହୁ ଶେଷ ॥୧୧୩
ସୈନ୍ୟ ମରଣେ ବହି ମନ୍ୟୁ । ଧଇଲା ପଞ୍ଚଶତ ଧନୁ ॥୧୧୪
ନାରାଚ ଯୋଚି ପଞ୍ଚଶତେ । ରହିଲା ରାମର ଅଗ୍ରତେ ॥୧୧୫
ବୃକ୍ଷରୁ ପତ୍ର ଯେହ୍ନେ ଝଡ଼େ । ରାମ ଉପରେ ଶସ୍ତ୍ର ପଡ଼େ ॥୧୧୬
ଦେଖି ତାହାର ବୀରଗତି । ବେଗେ ଧାଇଁଲେ ଭୃଗୁପତି ॥୧୧୭
କୁଠାରେ ସହସ୍ରେକ ଭୁଜ । ହେଳେ ଛେଦିଲେ ଭୃଗୁରାଜ ॥୧୧୮
ତୀକ୍ଷ୍‌ଣ କୁଠାରେ ମୁଣ୍ତ ହାଣି । ଭାରା ଉଶ୍ୱାସିଲେ ଧରଣୀ ॥୧୧୯
ପିତା ମରଣ ପୁତ୍ରେ ଦେଖି । ଭାଜିଲେ ସମର ଉପେକ୍ଷି ॥୧୨୦
ରାମ ସଂହରି ମହାମନ୍ୟୁ । ସଙ୍ଗତେ ଘେନି ଯଜ୍ଞଧେନୁ ॥୧୨୧
ଆନନ୍ଦମନେ ଯଜ୍ଞବାଟେ । ମିଳିଲେ ପିତାର ନିକଟେ ॥୧୨୨
ପିତା ସମୀପେ ଧେନୁ ଦେଇ । ଚରଣେ ଗଡ଼ଘାଲି ଶୋଇ ॥୧୨୩
ସଙ୍ଗତେ ଘେନି ତିନି ଭ୍ରାତେ । ଯୁଦ୍ଧକରଣ କଥା ଯେତେ ॥୧୨୪
କହିଲେ ପିତାର ଅଗ୍ରତେ । ତା’ ଶୁଣି ପିତା ତୋଷଚିତ୍ତେ ॥୧୨୫
ବୋଇଲେ ରାମର ଅଗ୍ରତେ । ଭୋ ପୁତ୍ର ଶୁଣ ଏକଚିତ୍ତେ ॥୧୨୬
ହେ ରାମ ରାମ ମହାବାହୁ । ଶୁଣ ସୁମନେ ତୋତେ କହୁଁ ॥୧୨୭
ଶୁଭ ଅଶୁଭ ତୁ ନଜାଣି । ପାତକ କଲୁ ରାଜା ହାଣି ॥୧୨୮
ସର୍ବଦେବତା ରାଜା ଦେହେ । ବସନ୍ତି ସୂର୍ଯ୍ୟଜ୍ୟୋତି ପ୍ରାୟେ ॥୧୨୯
ଆମ୍ଭେ ଯେ ଜାତିରେ ବ୍ରାହ୍ମଣ । ସ୍ୱଭାବେ କ୍ଷମା ଆଚରଣ ॥୧୩୦
ବ୍ରହ୍ମା ଯେ ସର୍ବଦେବଗୁରୁ । କ୍ଷମା ପୂରିତ ଯେହ୍ନେ ମେରୁ ॥୧୩୧
ତେଣୁ ବସିଲା ସତ୍ୟଲୋକେ । ଅଶେଷ ଲକ୍ଷ୍ମୀ ଭୁଞ୍ଜେ ଏକେ ॥୧୩୨
କ୍ଷମା ଯାହାର ହୃଦେ ରହେ । ବିଷ୍ଣୁ ବସନ୍ତି ତା’ର ଦେହେ ॥୧୩୩
ଏଣୁ ଯେ ନୃପ ବଧ କରେ । ଦୁରିତୁଁ କେବେହେଁ ନ ତରେ ॥୧୩୪
ଏବେ ତୁ ତୀର୍ଥ ସେବା କର । ତୋ’ଠାରୁ ପାପ ହେବ ଦୂର ॥୧୩୫
ଚିତ୍ତେ ଚିନ୍ତିବୁ ନାରାୟଣ । ଅନ୍ୟଥା ନାହିଁ ପରିତ୍ରାଣ ॥୧୩୬
ପରଶୁରାମର କାହାଣୀ । ଯେ ନର ଶ୍ରୁତିପଥେ ଶୁଣି ॥୧୩୭
ନରକ ପଥେ ନାହିଁ ଭ୍ରାନ୍ତି । ହେଳେ ସେ ସଂସାରୁ ତରନ୍ତି ॥୧୩୮
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୩୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ପଞ୍ଚଦଶୋଽଧ୍ୟାୟଃ । ।

ଷୋଡ଼ଶ ଅଧ୍ୟାୟ

ଶୁକ ଉବାଚ

ଏବେ ହୋ ଶୁଣ ନରନାଥ । ପରଶୁରାମର ଚରିତ ॥୧
ପିତା ବଚନେ ବନେ ଗଲେ । ଅନେକ ତୀର୍ଥେ ସ୍ନାନ କଲେ ॥୨
ପୁଣି ସେ ବରଷକ ଅନ୍ତେ । ଗୃହେ ମିଳିଲେ ଶୁଦ୍ଧଚିତ୍ତେ ॥୩
ପିତା ଚରଣେ ନମସ୍କାର । କରି ରହିଲେ ନିଜପୁର ॥୪
ଏବେ ହୋ ଶୁଣ ନୃପମଣି । ରେଣୁକା ଗଲେ ଜଳ ଆଣି ॥୫
ଗଙ୍ଗାର ନିକଟେ ମିଳିଲେ । ସେ ଜଳେ ଗନ୍ଧର୍ବ ଦେଖିଲେ ॥୬
ଇନ୍ଦ୍ରକୁମର ଚିତ୍ରରଥ । ସଙ୍ଗତେ ଘେନି ନାରୀଯୂଥ ॥୭
ଅପ୍‌ସରାଗଣ ଘେନି ଜଳେ । କ୍ରୀଡ଼ା ସେ କରେ କୁତୂହଳେ ॥୮
ଦଣ୍ତେ ରହିଲେ ତାହା ଦେଖି । ଜଳ ଆନୟନ ଉପେକ୍ଷି ॥୯
ହୋମର ବେଳ ନ ସୁମରି । ଗନ୍ଧର୍ବ କ୍ରୀଡ଼ା ଅନୁସରି ॥୧୦
ପୁଣି କ୍ଷଣକେ ଜ୍ଞାନ ପାଇ । ତକ୍ଷଣେ ଜଳକୁମ୍ଭ ନେଇ ॥୧୧
ସ୍ୱାମୀଙ୍କି ଶଙ୍କା ମନେ କଲେ । ତକ୍ଷଣେ ମନ୍ଦିରେ ମିଳିଲେ ॥୧୨
ଜଳ-କଳସ ଯଜ୍ଞ ଘରେ । ଥୋଇଲେ ସ୍ୱାମୀଙ୍କ ଗୋଚରେ ॥୧୩
ଅଞ୍ଜଳି କରି ବେନିକରେ । ରେଣୁକା ରହେ ଯଜ୍ଞଘରେ ॥୧୪
ରେଣୁକା ମୁଖ ଚାହିଁ ମୁନି । ପ୍ରଚଣ୍ତ-କୋପେ ଜମଦଗ୍ନି ॥୧୫
ଜାଣିଲେ ଗନ୍ଧର୍ବର ମେଳେ । ମନ କଳ୍ପିଲା ଗଙ୍ଗାଜଳେ ॥୧୬
ପୁତ୍ରଙ୍କୁ କୋପମୁଖେ ଚାହିଁ । ବୋଇଲେ ଶିର ଛେଦ ନେଇ ॥୧୭
ଗନ୍ଧର୍ବ ଦେଖି ଏହା ମନ । କଳ୍ପିଲା ତାହାର ସଙ୍ଗମ ॥୧୮
ସ୍ୱଭାବେ ଦୁଷ୍ଟାନାରୀ ଏହି । ଏହାର ବଦନ ନ ଚାହିଁ ॥୧୯
ସେ ପୁତ୍ରେ ମାତୃସ୍ନେହ କଲେ । ମାତାର ଶିର ନ ଛେଦିଲେ ॥୨୦
ଅଧିକ କୋପଭର ହୋଇ । ବୋଲେ ପରଶୁରାମେ ଚାହିଁ ॥୨୧
ମାତା ସହିତେ ତିନିଭାଇ । କୁଠାରେ ଶିର ଛେଦ ନେଇ ॥୨୨
ସେ ରାମ ପିତା ଗୁଣ ଜାଣେ । ତପ ସମାଧି ପରମାଣେ ॥୨୩
ତକ୍ଷଣେ ପ୍ରହାରି କୁଠାର । ଛେଦିଲେ ମାତା ଭ୍ରାତା ଶିର ॥୨୪
ଦେଖିଣ ମୁନି ତୋଷ ହୋଇ । ପରଶୁରାମ ମୁଖ ଚାହିଁ ॥୨୫
ବୋଇଲେ ବର ଦେବି ତୋତେ । ଯେ ବା‚ଞ୍ଛା କଳ୍ପ ତୋ’ର ଚିତ୍ତେ ॥୨୬
ତକ୍ଷଣେ ପିତାପାଦେ ପଡ଼ି । ରାମ ବୋଲନ୍ତି କରଯୋଡ଼ି ॥୨୭
ଭୋ ତାତ ବର ଦେବ ଯେବେ । ଏ ସର୍ବେ ଜୀବନ ପାଇବେ ॥୨୮
ଶିର ଲାଗିବ ଯେଝା କନ୍ଧ । ମନେ ନ ଥିବ ତା’ଙ୍କ ବଧ ॥୨୯
ଅସ୍ତୁ ବୋଇଲେ ତପୋଧନ । ସେ ସର୍ବେ ପାଇଲେ ଜୀବନ ॥୩୦
ନିଦ୍ରିତଜନ ନିଦ୍ରା ଅନ୍ତେ । ଶରୀର ସମ୍ଭାଳେ ଯେମନ୍ତେ ॥୩୧
ପିତାର ତପୋବଳ ଜାଣି । ମାତା ଭ୍ରାତାଙ୍କ ଶିର ହାଣି ॥୩୨
ଏମନ୍ତେ କରି ଘୋର କର୍ମ । ରାମ ରଖିଲେ ନିଜ ଧର୍ମ ॥୩୩
ରାମର ଅଙ୍ଗସଙ୍ଗ ତୁଲେ । ମରଣୁଁ ସମସ୍ତେ ବଞ୍ଚିଲେ ॥୩୪
ଭାଇଙ୍କି ଘେନି ଏକଦିନେ । ରାମ ଯେ ଗଲେ ତପୋବନେ ॥୩୫
ତପ ଆରାଧି ବିଷ୍ଣୁଧ୍ୟାନେ । ନିଶ୍ଚଳେ ବସିଲେ ଆସନେ ॥୩୬
ତାହାଙ୍କ ଧ୍ୟାନ ଦେଖି ବନେ । ପଶୁପତଙ୍ଗ କୀଟମାନେ ॥୩୭
ଭୟେ ଶବଦ ନ କରନ୍ତି । ଏବେ ହୋ ଶୁଣ ନରପତି ॥୩୮
ସହସ୍ରାର୍ଜୁନର କୁମରେ । ପିତାର ମରଣର କାଳେ ॥୩୯
ଭାଜି ଯେ ଥିଲେ ଯେଝାମତେ । ସେ ପୁଣି ମିଳିଲେ ଏକାନ୍ତେ ॥୪୦
ମନେ ସୁମରି ଜମଦଗ୍ନି । ସଙ୍ଗେ ଅନେକ ବଳ ଘେନି ॥୪୧
ଛିଦ୍ର ଉଣ୍ତିବା ସେ ବେଭାରେ । ରାତ୍ରେ ମିଳିଲେ ଅନ୍ଧକାରେ ॥୪୨
ହୃଦେ ସୁମରି ଘୋରତମ । ରୁନ୍ଧିଲେ ମୁନିଙ୍କ ଆଶ୍ରମ ॥୪୩
ମୁନି ଯେ ଥିଲେ ଯଜ୍ଞଶାଳେ । ବିଷ୍ଣୁଚରଣ ପୂଜା କାଳେ ॥୪୪
ବଇରୀ ସାଧିବାର ରୋଷେ । ବନ୍ଧନ କଲେ ଦୃଢ଼ପାଶେ ॥୪୫
ରେଣୁକା ରଖ ରଖ ବୋଲେ । ପଡ଼ି ତାହାଙ୍କ ପାଦତଳେ ॥୪୬
ରେଣୁକା ବଚନ ନ ଶୁଣି । ତୀକ୍ଷ୍‌ଣ ଖଡ଼ଗେ ମୁଣ୍ତହାଣି ॥୪୭
ତକ୍ଷଣେ ଗଲେ ନିଜ ପୁରୀ । ଧନ ସମ୍ପଦ ଜୂର କରି ॥୪୮
ରେଣୁକା ଦୁଃଖ ଶୋକଭରେ । ରୋଦନ କଲେ ଉଚ୍ଚସ୍ୱରେ ॥୪୯
ଶିର-ହୃଦୟେ କରତାଡ଼ି । କାନ୍ଦଇ ଭୂମିଗତେ ପଡ଼ି ॥୫୦
ଉଚ୍ଚେ ଡାକଇ ରାମ ରାମ । ଭୋ ପୁତ୍ର ଆସ ତୁ ଆଶ୍ରମ ॥୫୧
ସଙ୍ଗତେ ଘେନି ତିନିଭାଇ । ଭୋ ପୁତ୍ର ବେଗେ ଆସ ଧାଇଁ ॥୫୨
ମାତା ରୋଦନ ବାୟୁବଳେ । ଶୁଭିଲା ରାମ କର୍ଣ୍ଣମୂଳେ ॥୫୩
ହେ ରାମ ରାମ ବାଣୀ ଶୁଣି । ସମାଧି ତେଜି ବୀର ମଣି ॥୫୪
ଭ୍ରାତାଙ୍କ ଘେନି ବେଗେ ଧାଇଁ । ମିଳିଲେ ନିଜାଶ୍ରମେ ଯାଇ ॥୫୫
ଯଜ୍ଞଭୁବନେ ଚାରିଭ୍ରାତ । ଦେଖିଲେ ଜମଦଗ୍ନି ହତ ॥୫୬
ପିତାଙ୍କ ଶିରଚ୍ଛେଦ ଦେଖି । ଭାଇଙ୍କ ତୁଲେ ରାମ ଦୁଃଖୀ ॥୫୭
ବିମୋହ-ଶୋକ-ଗୁରୁତରେ । ରୋଦନ କଲେ ଉଚ୍ଚସ୍ୱରେ ॥୫୮
ଭୋ ତାତ ସାଧୁ ତୁ ଧାର୍ମିକ । ସୁଜ୍ଞାନୀ ପଣ୍ତିତ ବିବେକ ॥୫୯
ଆମ୍ଭଙ୍କୁ ଅରକ୍ଷିତ କରି । ନିଶ୍ଚିନ୍ତେ ଗଲ ସ୍ୱର୍ଗ ପୁରୀ ॥୬୦
ପିତାର ଶିର ନ ଦେଖିଲେ । ଭାଇଙ୍କି ଚାହିଁ ଆଜ୍ଞା ଦେଲେ ॥୬୧
ତୁମ୍ଭେ ହୋ ପ୍ରେତକାର୍ଯ୍ୟ କର । ଏମନ୍ତ କହି ବୀରବର ॥୬୨
ପରଶୁ ଧରି ଦକ୍ଷକରେ । ଦୁଃସହ-କୋପ ଗୁରୁତରେ ॥୬୩
ସଙ୍କଳ୍ପ କଲେ ଜଳ ଘେନି । ନିକ୍ଷତ୍ର କରିବି ମେଦିନୀ ॥୬୪
କ୍ଷତ୍ରିୟ ଅନ୍ତ କରିବାରେ । ପଥେ ଧାଇଁଲେ କୋପଭରେ ॥୬୫
ମିଳିଲେ ମାହିଷ୍ମତୀ ପୁରେ । ଦେଖନ୍ତି ଶୂନ୍ୟପଥେ ସୁରେ ॥୬୬
ଅର୍ଜୁନ ସ୍ୱବଂଶ ଛେଦିଲେ । ସଂଗ୍ରାମେ ମୁଣ୍ତ ରୁଣ୍ତ କଲେ ॥୬୭
ପର୍ବତ ପ୍ରାୟେ ମୁଣ୍ତରାଶି । ଗ୍ରାମେ ସ୍ଥାପିଲେ ଭୃଗୁବଂଶୀ ॥୬୮
କ୍ଷତ୍ରିୟ-ମରଣ-ରୁଧିରେ । ନଦୀ ବଢ଼ିଲା ଭୟଙ୍କରେ ॥୬୯
ପିତୃ ତର୍ପଣ କରି ବିଧି । ନଦୀରେ ସେହୁ ବନ୍ଧ ବାନ୍ଧି ॥୭୦
ସ୍ଥାପି ନିକ୍ଷତ୍ର କରି ରୋଷେ । ପୁଣି ଧାଇଁଲେ ଅନ୍ୟଦେଶେ ॥୭୧
ତ୍ରିସପ୍ତବାର ମହୀଭ୍ରମି । କୋପେ ନୋହିଲେ ପଥଶ୍ରମୀ ॥୭୨
କ୍ଷତ୍ରିୟଗଣ ଧରି ଆଣି । କୁଠାର ଧାରେ ଶିର ହାଣି ॥୭୩
ରୁଧିରେ ନବକୁଣ୍ତ କଲେ । ପିତାଙ୍କୁ ତର୍ପଣେ ତୋଷିଲେ ॥୭୪
ସେ କୁରୁକ୍ଷେତ୍ରେ ଯଜ୍ଞ କରି । ବିପ୍ରଙ୍କୁ ଚାରିବେଦୁଁ ବରି ॥୭୫
ଦକ୍ଷିଣା ଦେଲେ ବିପ୍ରହସ୍ତେ । ଶୁଣ ରାଜନ କହୁଁ ତୋତେ ॥୭୬
ଶ୍ରୀକରେ ଘେନି ଜଳ କୁଶ । ହୋତାଙ୍କୁ ଦେଲେ ପୂର୍ବଦେଶ ॥୭୭
ଦକ୍ଷିଣ ବ୍ରହ୍ମା ହସ୍ତେ ଦେଲେ । ପଶ୍ଚିମ ଅଧ୍ୱର୍ଯ୍ୟୁ ବରିଲେ ॥୭୮
ଉତ୍ତର ଉଦ୍‌ଗାତା ହସ୍ତେ । ପ୍ରଦାନ କଲେ ସେ ପ୍ରଶସ୍ତେ ॥୭୯
ବେଦ ଉଚ୍ଚାରି ଚାରିକୋଣେ । ଦକ୍ଷିଣା ଦେଲେ ସେ ବ୍ରାହ୍ମଣେ ॥୮୦
ମଧ୍ୟକୁ କୁରୁକ୍ଷେତ୍ର ତୁଲେ । କଶ୍ୟପ ହସ୍ତେ ରାମ ଦେଲେ ॥୮୧
ଏ ଆର୍ଯ୍ୟାବର୍ତ୍ତ ପୁଣ୍ୟଭୂମି । ଉପଦେଷ୍ଟାଙ୍କୁ ଦେଲେ ସ୍ୱାମୀ ॥୮୨
ସଭାପତିଙ୍କି କରି ତୋଷ । ଆଦରେ ଦେଲେ ଅବଶେଷ ॥୮୩
ତା’ପରେ ସରସ୍ୱତୀ କୂଳେ । ଯଜ୍ଞବଭୃଥ ସ୍ନାନ କଲେ ॥୮୪
ସେ ବ୍ରହ୍ମନଦୀ ଜଳେ ପଶି । ରବିର ତେଜ ପ୍ରାୟେ ଦିଶି ॥୮୫
ସେ ଯଜ୍ଞପୂର୍ଣ୍ଣେ ଜମଦଗ୍ନି । ଜ୍ଞାନ-ଲକ୍ଷଣ-ଦେହ ଘେନି ॥୮୬
ସପ୍ତଋଷିଙ୍କ ମଧ୍ୟେ ଧାମ । ସ୍ଥାପିଲେ ତାଙ୍କୁ ପର୍ଶୁରାମ ॥୮୭
ସେ ରାମ କମଳଲୋଚନ । ସ୍ୱଭାବେ ଭୃଗୁର ନନ୍ଦନ ॥୮୮
ଭବିଷ୍ୟ ମନ୍ୱନ୍ତର କାଳେ । ବ୍ରହ୍ମ-ବିସ୍ତାରେ ଯୋଗବଳେ ॥୮୯
ସିଦ୍ଧ ଗନ୍ଧର୍ବେ ସ୍ତୁତି କଲେ । ମହେନ୍ଦ୍ର ପର୍ବତେ ରହିଲେ ॥୯୦
ଏମନ୍ତେ ଭୃଗୁବଂଶେ ହରି । ନରଶରୀରେ ଅବତରି ॥୯୧
ଦୁଷ୍ଟ କ୍ଷତ୍ରିୟ ନାଶ କରି । ହେଳେ ଧରଣୀ ଭାରା ହରି ॥୯୨
ଗାଧିର ପୁତ୍ର ହୋଇ ଜନ୍ମ । ସଂସାରେ କଲେ ଯେତେ କର୍ମ ॥୯୩
କ୍ଷତ୍ରିୟ କର୍ମ ଏ ଶୟଳେ । ତେଜିଲେ ତପସ୍ୟାର ବଳେ ॥୯୪
ବ୍ରହ୍ମବର୍ଚ୍ଚସେ ଶ୍ରଦ୍ଧା କଲେ । ବିଶ୍ୱାମିତ୍ର ସେ ବୋଲାଇଲେ ॥୯୫
ବିଶ୍ୱାମିତ୍ରର ଶତେପୁତ୍ର । ସେହୁ ଜନ୍ମିଲେ ସପ୍ତଗୋତ୍ର ॥୯୬
ସେ ଗୋତ୍ରେ ମଧୁଛନ୍ଦ ଆଦି । ସର୍ବେ ଜନ୍ମିଲେ ବେଦବାଦୀ ॥୯୭
ଶୁନଃଶେଫକୁ ପୁତ୍ର କରି । ଭାର୍ଗବବଂଶେ ତା’କୁ ବରି ॥୯୮
ନିଜ ସୁତଙ୍କୁ ରାଇ ଧୀରେ । କହିଲେ ନିଗମ ବେଭାରେ ॥୯୯
ଏହାକୁ ଜ୍ୟେଷ୍ଠ ବୋଲି ମଣ । ଏ ତୁମ୍ଭ ଗୋତ୍ରର ବର୍ଦ୍ଧନ ॥୧୦୦
ଏ ହରିଶ୍ଚନ୍ଦ୍ର ଯଜ୍ଞ କାଳେ । ପିତା ବିକ୍ରୟ କଲା ବଳେ ॥୧୦୧
ରୋହିତ ପଶୁ ଅର୍ଥେ ନେଲା । ଏହାର ମାଂସେ ଯଜ୍ଞ କଲା ॥୧୦୨
ଏହାକୁ ଦେବେ ତୋଷ ହୋଇ । ତକ୍ଷଣେ ମରଣୁଁ ଜିଆଇ ॥୧୦୩
ଥୋଇଲେ ମୋ’ ପୁତ୍ରଙ୍କ ମେଳେ । ଦେବରାତ ତା’ ନାମ ଦେଲେ ॥୧୦୪
ବିଶ୍ୱାମିତ୍ରଙ୍କ ଶତସୁତେ । ଜ୍ୟେଷ୍ଠ ଯେ ଥିଲେ ପଞ୍ଚାଶତେ ॥୧୦୫
ବୋଇଲେ ଏ ନୋହେ ଉଚିତ । ଏ ଜ୍ୟେଷ୍ଠ ହୋଇବ କେମନ୍ତ ॥୧୦୬
ପିତା ତାହାଙ୍କୁ ଦେଲେ ଶାପ । ମ୍ଳେଚ୍ଛ ହୁଅରେ ତୁମ୍ଭେ ପାପ ॥୧୦୭
ଆର ପଞ୍ଚାଶପୁତ୍ର ସାନ । ତାହାକୁ କଲେ ଜ୍ୟେଷ୍ଠେମାନ୍ୟ ॥୧୦୮
ସନ୍ତୋଷେ ବୋଲେ ବିଶ୍ୱାମିତ୍ର । ସକଳେ ହୁଅ ପୁତ୍ରବନ୍ତ ॥୧୦୯
ଏ ଶୁନଃଶେଫ ଅଟେ ବୀର । ଏହାକୁ ସର୍ବେ ଅନୁସର ॥୧୧୦
ଶୁଣ ହୋ ରାଜା ପରୀକ୍ଷିତ । ଆବର ବିଶ୍ୱାମିତ୍ର ପୁତ୍ର ॥୧୧୧
ଅଷ୍ଟକ ଜୟ ହେ ହାରୀତ । କ୍ରତୁମତାଦି ଥିଲେ ସୁତ ॥୧୧୨
ଏ ରୂପେ କଉଶିକ ଗୋତ୍ର । ଦୁଇଭାଗରେ ହେଲା ଖ୍ୟାତ ॥୧୧୩
କୌଶିକ ଗୋତ୍ରର ପ୍ରବର । ଏଣୁ ଯେ ସପତ ପ୍ରକାର ॥୧୧୪
ସେ ପୁଣି ମନ୍ୱନ୍ତର କାଳେ । ଗୋତ୍ର ସ୍ଥାପିଲେ ରବିତଳେ ॥୧୧୫
ସୁଜନେ ଶୁଣ ତୋଷ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ॥୧୧୬
ଭୃଗୁର ବଂଶେ ହୋଇ ଜନ୍ମ । ସେ ହରି କଲେ ଯେତେ କର୍ମ ॥୧୧୭
ଶୁଣନ୍ତେ ସର୍ବ ପାପ ହରେ । ଅଶେଷ କର୍ମବନ୍ଧୁଁ ତରେ ॥୧୧୮
ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ । ।

ସପ୍ତଦଶ ଅଧ୍ୟାୟ

ଶୁକ ଉବାଚ

ଆୟୁ ଯେ ପୁରୁରବା ସୁତ । ଶୁଣ ହୋ ତାହାର ଚରିତ ॥୧
ନହୁଷ ତାହାର ତନୟେ । ଆବର କ୍ଷତ୍ରବୃଦ୍ଧ ହୋଏ ॥୨
ରଜୀ ରମ୍ଭ ଯେ ବୀର୍ଯ୍ୟବନ୍ତ । ଅନେନା ଆଦି ପଞ୍ଚସୁତ ॥୩
କ୍ଷତ୍ରବୃଦ୍ଧର ବଂଶ ଶୁଣ । ସୁହୋତ୍ର ତାହାର ନନ୍ଦନ ॥୪
ତାହାର ହେଲେ ତିନିସୁତ । କାଶ୍ୟ ଯେ କୁଶ ଗୁ›ତ୍ସମଦ ॥୫
ଗୁତ୍ସ›ମଦର ଯେ ସନ୍ତାନ । ଶୁନକ ବୋଲି ତା’ର ନାମ ॥୬
ଶୁନକ ମହାତେଜବନ୍ତ । ଶୌନକ ମୁନି ତହୁଁ ଜାତ ॥୭
ଜନ୍ମିଲେ ପିତୃତେଜ ଘେନି । ବେଦପାରଗ ମହାମୁନି ॥୮
କାଶ୍ୟର କାଶୀ ନାମେ ସୁତ । ରାଷ୍ଟ୍ର ତା’ ତହୁଁ ହେଲା ଜାତ ॥୯
ଦୀର୍ଘତମା ତା’ର ନନ୍ଦନ । ତା’ ପୁତ୍ର ଧନ୍ୱନ୍ତରୀ ନାମ ॥୧୦
ସେ ଆୟୁର୍ବେଦ ଭିଆଇଲା । ପ୍ରାଣୀଙ୍କ ବ୍ୟାଧି ନାଶ କଲା ॥୧୧
ସେ ଯଜ୍ଞଭୋଜୀ ବିଷ୍ଣୁ ଅଂଶ । ସ୍ମରଣେ ସର୍ବରୋଗ ନାଶ ॥୧୨
ତା’ର ସନ୍ତତି କେତୁମାନ । ଭୀମରଥ ତା’ର ନନ୍ଦନ ॥୧୩
ତାହାର ବୀର୍ଯ୍ୟେ ଦିବୋଦାସ । ଦ୍ୟୁମାନ ତାହାର ଯେ ଶିଷ ॥୧୪
ତା’ ନାମ ପ୍ରତŸର୍ଦ୍ଦନ ଖ୍ୟାତ । କେ ଅବା ବୋଲେ ଶତ୍ରୁଜିତ ॥୧୫
ଋତଧ୍ୱଜ କୁବଳୟାଶ୍ୱ । ବୋଲନ୍ତି ପୁଣି ତା’କୁ ବତ୍ସ› ॥୧୬
ଅଳର୍କ ଆଦି ତହୁଁ ଜନ୍ମ । ଶୁଣ ହୋ ତା’ର ଗୃହକର୍ମ ॥୧୭
ଷାଠିଏ ସହସ୍ର ବରଷ । ଅଧିକେ ଷଷ୍ଟିଶତ ଶେଷ ॥୧୮
ଅବନୀ ତଳେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୧୯
ସନ୍ତତି ଅଳର୍କର ପୁତ୍ର । ସୁନୀଥ ତା’ ତହୁଁ ସମ୍ଭୂତ ॥୨୦
ପୁତ୍ର ତାହାର ସୁକେତନ । ଧର୍ମକେତୁ ତା’ର ନନ୍ଦନ ॥୨୧
ସତ୍ୟକେତୁ ତାହାର ସୁତ । ଧୃଷ୍ଟକେତୁ ତା’ର ଅପତ୍ୟ ॥୨୨
ସୁକୁମାର ତା’ର ତନୁଜ । ଅନେକ ଦିନ କଲା ରାଜ୍ୟ ॥୨୩
ତହୁଁ ଜନ୍ମିଲା ବୀତିହୋତ୍ର । ଭର୍ଗ ଯେ ତା’ର ତହୁଁ ଜାତ ॥୨୪
ତାହାର ପୁତ୍ର ଭାର୍ଗଭୂମି । ଏବେହୋ ଶୁଣ ନୃପମଣି ॥୨୫
ଏମାନେ କାଶୀବଂଶେ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୨୬
ତାହାଙ୍କ ନାମେ କମ୍ପେ ଭୂମି । ଯମ ନ ପାରେ ଯହିଁ ଭ୍ରମି ॥୨୭
ରମ୍ଭର ପୁତ୍ର ଯେ ରଭସ । ଗମ୍ଭୀର ହୁଏ ତା’ର ବଂଶ ॥୨୮
ଅକ୍ରିୟ ଗମ୍ଭୀରର ସୁତ । ତା’କ୍ଷେତ୍ରେ ବିପ୍ର ହେଲେ ଜାତ ॥୨୯
ଅନେନା ଆୟୁର କୁମର । ଶୁଣ କହିବା ବଂଶ ତା’ର ॥୩୦
ଶୁଦ୍ଧ ଯେ ଅନେନାର ସୁତ । ତା’ ତହୁଁ ଶୁଚି ହେଲା ଜାତ ॥୩୧
କହିବା ତାହାର ସନ୍ତତି । ତ୍ରିକକୁଦ ଧର୍ମ ସାରଥି ॥୩୨
ତା’ଠାରୁ ଶାନ୍ତରୟ ଜାତ । ସେ କୃତକୃତ୍ୟ ଆତ୍ମବନ୍ତ ॥୩୩
ଏ ଗୋତ୍ରେ ବ୍ରହ୍ମଜ୍ଞାନୀ ସୁତେ । ଜନ୍ମ ଲଭିଲେ ଏ ଜଗତେ ॥୩୪
ଏବେ ରଜୀର ପୁତ୍ର ଯେତେ । ଭାବେ କହିବା ତୋ’ ଅଗ୍ରତେ ॥୩୫
ତା’ର କୁମର ପଞ୍ଚଶତ । ତେଜ ପ୍ରତାପ ଅପ୍ରମିତ ॥୩୬
ଅସୁରେ ଆସି ଅନ୍ତରାଳେ । ଇନ୍ଦ୍ରକୁ ଉଭାରିଲେ ବଳେ ॥୩୭
ଇନ୍ଦ୍ର ଦେବଙ୍କ ତୁଲେ ଆସି । ରଜୀକୁ କହିଲେ ବିଶ୍ୱାସି ॥୩୮
ଭୋ ରାଜା ତୋ’ର ପୁତ୍ରଗଣେ । ଜିଣିବେ ଅସୁରଙ୍କୁ ରଣେ ॥୩୯
ମୋତେ କହିଲେ ବୃହସ୍ପତି । ଅନ୍ୟଥା ନାହିଁ ଜୟେ ଗତି ॥୪୦
ଏମନ୍ତ କହି ଦେବଯୂଥ । ଘେନାଇ ପଞ୍ଚଶତ ସୁତ ॥୪୧
ସ୍ୱର୍ଗ ଆବୋରି ଯୁଦ୍ଧ କରି । ଅନେକ ଅସୁର ସଂହାରି ॥୪୨
ଇନ୍ଦ୍ରଙ୍କୁ ସ୍ୱର୍ଗରାଜ୍ୟ ଦେଲେ । ତା’ ଦେଖି ଇନ୍ଦ୍ର ତୁଷ୍ଟ ହେଲେ ॥୪୩
ପୁଣି ସେ ରାଜ୍ୟ ରଜୀ ହସ୍ତେ । ନ୍ୟାସ କରିଲେ ସେ ବିଶ୍ୱସ୍ତେ ॥୪୪
ଇନ୍ଦ୍ରର ତୁଲେ ତା’ର ସୁତେ । ସ୍ୱର୍ଗେ ରହିଲେ ଦିନା କେତେ ॥୪୫
ଏମନ୍ତେ କେତେଦିନ ଅନ୍ତେ । ରଜୀ ଯେ ଗଲେ ସ୍ୱର୍ଗପଥେ ॥୪୬
ପିତାର ମରଣ ଅନ୍ତର । ଇନ୍ଦ୍ର ମାଗିଲେ ସ୍ୱର୍ଗପୁର ॥୪୭
ତଦନ୍ତେ ତାହାର ତନୁଜ । ଇନ୍ଦ୍ରଙ୍କୁ ନ ଦେଲେ ସେ ରାଜ୍ୟ ॥୪୮
ସ୍ୱର୍ଗ ସେ କଲେ ଅଧିକାର । ଇନ୍ଦ୍ରଙ୍କୁ କରି ଅନାଦର ॥୪୯
ରଜୀର ପୁତ୍ରେ ତା ନ ଦେଲେ । ଯାଗାର ଭାଗମାନ ନେଲେ ॥୫୦
ରଜୀ ତନୟଙ୍କର ମତି । ନାଶ କରିଲେ ବୃହସ୍ପତି ॥୫୧
ସ୍ଥାପିଲେ ଇନ୍ଦ୍ର ଅଧିକାରେ । ସୁଧର୍ମା ସଭାରେ ବେଭାରେ ॥୫୨
ଇନ୍ଦ୍ର ପାଇଲେ ସ୍ୱର୍ଗେ ସ୍ଥାନ । ଏବେ ତୁ ଶୁଣ ନୃପରାଣ ॥୫୩
କୁଶ ଯେ କ୍ଷତ୍ରବୃଦ୍ଧ ନାତି । ତାହାର ସୁତ ନାମ ପ୍ରତି ॥୫୪
ତାହାର ସନ୍ତାନ ସଞ୍ଜୟ । ତା’ର ତନୟ ହୋଏ ଜୟ ॥୫୫
ହର୍ଯ୍ୟବଳ ତାହାର ସୁତ । ତହୁଁ ସହଦେବ ସମ୍ଭୂତ ॥୫୬
ସହଦେବର ପୁତ୍ର ହୀନ । ତାହାର ସୁତ ଜୟସେନ ॥୫୭
ସଂକୃତି ତାହାର ତନୟ । ତାହାର ପୁତ୍ର ଅଟେ ଜୟ ॥୫୮
ସେ କ୍ଷାତ୍ରଧର୍ମେ ନିତ୍ୟେ ରତ । ମହାରଥୀ ନାମରେ ଖ୍ୟାତ ॥୫୯
ଏ ସର୍ବ କ୍ଷତ୍ରବୃଦ୍ଧ ବଂଶ । କହିଲୁ ଶୁଣିଲ ନରେଶ ॥୬୦
ଏବେ ନହୁଷ ବଂଶମାନ । କହିବୁ ଭବିଷ୍ୟ ପୁରାଣ ॥୬୧
ବଂଶାନୁଚରିତ ଏ ବାଣୀ । ଶୁଣି ସଂସାରୁ ତରପ୍ରାଣୀ ॥୬୨
ବୋଲଇ ବିପ୍ର ଜଗନ୍ନାଥ । ନବମସ୍କନ୍ଧେ ଭାଗବତ ॥୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ସପ୍ତଦଶୋଽଧ୍ୟାୟଃ । ।

ଅଷ୍ଟାଦଶ ଅଧ୍ୟାୟ

ଶୁକ ଉବାଚ

କହନ୍ତି ଶୁକ ବ୍ରହ୍ମବେତ୍ତା । ନବମେ ବଂଶାନୁବ୍ୟବସ୍ଥା ॥୧
ନହୁଷ ବୀର୍ଯ୍ୟେ ଷଟସୁତେ । ତାହାଙ୍କ ନାମ କହୁଁ ତୋତେ ॥୨
ଯତି ଯଯାତି ଯେ ସଂଯାତି । ଆୟତି ବିୟତି ଯେ କୃତି ॥୩
ଦେହୀର ଇନ୍ଦ୍ରିୟ ଯେସନେ । ଜନ୍ମିଲେ ନହୁଷ ନନ୍ଦନେ ॥୪
ଯତିକି ରାଜପଣ ଦେଲା । ସେ ରାଜଭୋଗ ନ ଇଚ୍ଛିଲା ॥୫
ବୋଲଇ ଦୁଃଖମୟ ଏହି । ଏଣେ ମୋହର କାର୍ଯ୍ୟ ନାହିଁ ॥୬
ଆତ୍ମା ନ ମଜ୍ଜେ ରାଜସୁଖେ । ନିରତେ ରହେ ମନଦୁଃଖେ ॥୭
ଜାଣଇ ପିତାର ଆଚାର । ଋଷିଙ୍କି ବୁହାଇଲା ଭାର ॥୮
ଇନ୍ଦ୍ରାଣୀ ଅର୍ଥେ ପଥେ ଯା’ନ୍ତେ । କୋପ ବସିଲା ଋଷିଚିତ୍ତେ ॥୯
ବହି ନ ପାରି ମହାଭାର । ବୋଇଲେ ହୁଅ ଅଜଗର ॥୧୦
ଏମନ୍ତେ ଅଜଗର ହୋନ୍ତେ । ନିର୍ଜନ ଗହନ ବନସ୍ତେ ॥୧୧
ପଡ଼ି ଡାକିଲା କରି ଶୋକ । ଭୋ ଋଷିଗଣେ ମୋତେ ରଖ ॥୧୨
ତା’ର ବିକଳେ ମୁନିଗଣ । ବୋଇଲେ ଶୁଣ ଭୋ ରାଜନ ॥୧୩
ଦ୍ୱାପର ଯୁଗ ଅବଶେଷେ । ଧର୍ମନନ୍ଦନ କୁରୁବଂଶେ ॥୧୪
ଭୀମକୁ ବନେ ଖୋଜି ଯା’ନ୍ତେ । ଭେଟ ହୋଇବ ତୋ’ ସଙ୍ଗତେ ॥୧୫
ଭୀମକୁ ବାନ୍ଧିଥିବୁ ତୁହି । ସେ ପୁଣି ତୋ’ର ପାସେ ଯାଇ ॥୧୬
ଧର୍ମ କହିବେ ତୋତେ ଯେବେ । ନିସ୍ତାର ତୋ’ର ହେବ ତେବେ ॥୧୭
ଏମନ୍ତ ନହୁଷଙ୍କୁ କହି । ସେ ମୁନି ଗଲେ ଦୟାବହି ॥୧୮
ସେ ପୁଣି ଯୁଧିଷ୍ଠିର ତୁଲେ । ଧର୍ମ ବିଚାର କରି ଭଲେ ॥୧୯
ସର୍ପ ଯୋନିରୁ ମୋକ୍ଷ ହୋଇ । ନିଜ ମନ୍ଦିରେ ମିଳେ ଯାଇ ॥୨୦
ସେ କଥା ଯତି ସ୍ମରି ମନେ । ନବସେ ନୃପତି ଆସନେ ॥୨୧
ଯଯାତି ଭ୍ରାତୃଗଣ ତୁଲେ । ରାଜା ହୋଇଲା ପିତୃ ବୋଲେ ॥୨୨
ସକଳ ରାଜ୍ୟେ ହୋଇ ରାଜା । ଧର୍ମେ ପାଳିଲା ଜନପ୍ରଜା ॥୨୩
ଶୁକ୍ର ଦୁହିତା ଦେବଯାନୀ । ଶର୍ମିଷ୍ଠା ବୃଷର ଦୁଲଣୀ ॥୨୪
ଯଯାତି ବରି ବରପଣେ । ବିବାହ କଲେ ଶୁଭକ୍ଷଣେ ॥୨୫
ଏମନ୍ତେ ଶୁକବାକ୍ୟ ଶୁଣି । ବୋଲେ ପରୀକ୍ଷ ନୃପମଣି ॥୨୬

ରାଜା ଉବାଚ

ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି ॥୨୭
ଶୁକ୍ର ସ୍ୱଭାବେ ବ୍ରହ୍ମଋଷି । ପୁଣି ଅଟନ୍ତି ଭୃଗୁବଂଶୀ ॥୨୮
ବ୍ରାହ୍ମଣ କ୍ଷତ୍ରିୟ କେମନ୍ତେ । ବିବାହ କଲେ ବେଦମତେ ॥୨୯
ଏ ପ୍ରତିଲୋମ ପ୍ରାୟେ ମଣି । ଶୁକ ବୋଲନ୍ତି ତାହା ଶୁଣି ॥୩୦

ଶୁକ ଉବାଚ

ଦିନେକ ବୃଷପର୍ବା ଘରେ । ଶର୍ମିଷ୍ଠା କନ୍ୟା ଅନ୍ତଃପୁରେ ॥୩୧
ସଖୀ ସହସ୍ରେ ଘେନି ସଙ୍ଗେ । ଜଳେ କ୍ରୀଡ଼ନ୍ତି ନାନା ରଙ୍ଗେ ॥୩୨
ସ୍ୱଭାବେ ନିଦାଘର କାଳେ । ଶୁକ୍ରଦୁହିତା ସଖୀମେଳେ ॥୩୩
କୁସୁମବନ ମଧ୍ୟେ ମିଳେ । ପୁଷ୍ପିତ ଦ୍ରୁମ ଶୀତ ଜଳେ ॥୩୪
ପୁଷ୍ପଭୂଷିତ ଭୂମି ଜଳେ । କ୍ରୀଡ଼ନ୍ତି ପକ୍ଷୀ କୁତୂହଳେ ॥୩୫
କହ୍ଲାର-ପଦ୍ମ-ପୁଷ୍ପ ଗନ୍ଧେ । ଭ୍ରମରଗଣ ମକରନ୍ଦେ ॥୩୬
ପୁଷ୍ପଜ ଗନ୍ଧେ ବାୟୁ ସ୍ଫୁରେ । ଶୀତଳ ଲାଗଇ ଶରୀରେ ॥୩୭
ସେ ଜଳେ ପଶି ସର୍ବକନ୍ୟା । ସ୍ୱଭାବେ କମଳଲୋଚନା ॥୩୮
ବସ୍ତ୍ର ପାଲଟି ହ୍ରଦ କୂଳେ । ଝାସି ପଶିଲେ ଶୀତଜଳେ ॥୩୯
କ୍ରୀଡ଼ନ୍ତି ଜଳେ ନାନାରଙ୍ଗେ । ଜଳ ସିଞ୍ଚନ୍ତି ଅଙ୍ଗୁ ଅଙ୍ଗେ ॥୪୦
ଏମନ୍ତେ ଉମା ମହେଶ୍ୱର । ଆରୋହି ବୃଷଭ ଉପର ॥୪୧
ବନେ ଚଳନ୍ତେ ତା’ଙ୍କୁ ଦେଖି । ବେଗେ ଉଠିଲେ ଶଶୀମୁଖୀ ॥୪୨
ସକଳେ ଉଠି ତା’ର ତୁଲେ । ସଂଭ୍ରମେ ବସନ ପିନ୍ଧିଲେ ॥୪୩
ଶର୍ମିଷ୍ଠା ସଂଭ୍ରମେ ନ ଜାଣି । ଦେବଯାନୀର ବସ୍ତ୍ର ଆଣି ॥୪୪
ସତ୍ୱରେ କଲା ପରିଧାନ । ତା’ ଦେଖି ଦେବଯାନୀ ମନ ॥୪୫
କୋପେ କମ୍ପଇ ଥରହର । କଠୋର ବୋଲଇ ଉତ୍ତର ॥୪୬
ଦେଖ ଏ ଦାସୀମାତ୍ର ହୋଇ । ବସ୍ତ୍ର ପିନ୍ଧିଲା ମୋ’ର ନେଇ ॥୪୭
ଅବଜ୍ଞା କରି ମୋ’ ବସନ । ଯଜ୍ଞର ହବି ଯେହ୍ନେ ଶ୍ୱାନ ॥୪୮
ଦେବେ ଯେ ଅତି ତପୋବଳେ । ବିଷ୍ଣୁବଦନୁ ଭୂମି ତଳେ ॥୪୯
ବ୍ରାହ୍ମଣ ହୋଇ ଜାତ ହେଲେ । ସର୍ବେ ତରନ୍ତି ତା’ଙ୍କ ବୋଲେ ॥୫୦
ଗୋବିନ୍ଦ ଯାହାର ବଚନେ । ନିତ୍ୟେ ସେବନ୍ତି ସନ୍ନିଧାନେ ॥୫୧
ତହିଁ ମୁଁ ଭୃଗୁବଂଶେ ଜାତ । ଆମ୍ଭର ଶିଷ୍ୟ ଏହା ତାତ ॥୫୨
ମୋ’ ବସ୍ତ୍ର ପିନ୍ଧି ଗର୍ବ ମନେ । ଶୂଦ୍ରକୁ ବେଦବାକ୍ୟ ଯେହ୍ନେ ॥୫୩
ଏମନ୍ତେ ଦେବଯାନୀ କଥା । ଶୁଣି ଶର୍ମିଷ୍ଠା ମନେ ବ୍ୟଥା ॥୫୪
ବୋଲଇ ପୁରୁଷ ବଚନ । ସିଂହକୁ ଶୃଗାଳ ଯେସନ ॥୫୫
ଆପଣା ବୃତ୍ତାନ୍ତ ନ ଜାଣି । ମୋ’ ଆଗେ କହୁ କଟୁବାଣୀ ॥୫୬
ସ୍ୱଭାବେ ଭିକ୍ଷୁକ ବୋଲାଉ । ଲଜ୍ଜା କି ମୁଖେ ତୁ ନପାଉ ॥୫୭
କାକମାନଙ୍କ ପ୍ରାୟ ହୋଇ । ଥାଅ ତୁ ଆମ୍ଭ ଘରେ ଚାହିଁ ॥୫୮
ରାଜାର ଦୁହିତାଟି ମୁହିଁ । ତୁ ମୋତେ କହୁ ଗର୍ବ ବହି ॥୫୯
ଏମନ୍ତେ ବହୁ କୋପକଲା । ସଖୀଙ୍କି ଚାହିଁ ଆଜ୍ଞା ଦେଲା ॥୬୦
ମାର ବୋଇଲା କୋପମନେ । ଶର୍ମିଷ୍ଠା ଧରି ତା’ ବସନେ ॥୬୧
ଓଷ୍ଠ କାମୋଡ଼ି ଅତି କୋପେ । ତା’ ବସ୍ତ୍ର ପକାଇଲା କୂପେ ॥୬୨
ପୁଣି ତାହାରି ହସ୍ତ ଧରି । କୂପେ କ୍ଷେପିଲା କୋପ କରି ॥୬୩
ଗଲା ସେ ଆପଣା ମନ୍ଦିର । ଏବେ ହୋ ଶୁଣ ନୃ ବର ॥୬୪
ଯଯାତି ମୃଗୟାର ଅର୍ଥେ । ଥିଲା ସେ ଗହନ ବନସ୍ତେ ॥୬୫
ତୃଷିତେ ଜଳ ଅନ୍ୱେଷଣେ । କୂପ ଦେଖିଲା ତତ୍‌କ୍ଷଣେ ॥୬୬
କୂପକୁ ଚାହିଁ ନୃପମଣି । ଦେଖିଲା ଶୁକ୍ରର ଦୁଲଣୀ ॥୬୭
ଉଲଗ୍ନେ ବସ୍ତ୍ର ଖୋଜେ ଜଳେ । ତା’ ଦେଖି ରାଜା ଅବହେଳେ ॥୬୮
ଉତ୍ତରୀବସ୍ତ୍ର ତା’କୁ ଦେଲା । କନ୍ୟାକୁ ଜଳୁ ଉଦ୍ଧରିଲା ॥୬୯
ଆନନ୍ଦେ ହସ୍ତେ ହସ୍ତ ଦେଇ । କୂଳେ ସ୍ଥାପିଲା ଦୟାବହି ॥୭୦
ସେ କନ୍ୟା ରାଜା ମୁଖ ଚାହିଁ । ଗଦ୍‌ଗଦେ ପ୍ରେମଭର ହୋଇ ॥୭୧
ବୋଲଇ ଶୁଣ ନୃପମଣି । ତୁ ଯେ ଧଇଲୁ ମୋର ପାଣି ॥୭୨
ତୁ ଅଟୁ ପର-ପୁରଞ୍ଜୟ । ଶୁଣ ତୁ ନିଗମ-ନିର୍ଣ୍ଣୟ ॥୭୩
ଯେ କନ୍ୟା ହସ୍ତ ହସ୍ତେ ଧରି । ସେ ନିଶ୍ଚେ ହୁଏ ତା’ର ନାରୀ ॥୭୪
ହସ୍ତ ତୁ ଦେଲୁ ମୋ’ର ହସ୍ତେ । ମୋ’ ସ୍ୱାମୀ ଅନ୍ୟକେ ଜଗତେ ॥୭୫
ଦେଖିଲୁ ଶରୀର ମୋହର । କାହିଁ ଧରିବି ଆନ କର ॥୭୬
ଏ ଯେ ସମ୍ବନ୍ଧ କନ୍ୟାବର । ନିଶ୍ଚୟେ ସଞ୍ଚିଲେ ଈଶ୍ୱର ॥୭୭
ମୁଁ କନ୍ୟା ଥିଲି କୂପଜଳେ । ତୁ ମୋ’ର ହସ୍ତ ଧରି ବଳେ ॥୭୮
କୂଳେ ସ୍ଥାପିଲୁ ଦୟାବହି । ତୋ’ ତହୁଁ ଅନ୍ୟ ବର ନାହିଁ ॥୭୯
ଏ ଶାସ୍ତ୍ରମତେ ବିଚାରନ୍ତେ । ବ୍ରାହ୍ମଣେ ନ ବରିବେ ମୋତେ ॥୮୦
କଚ ଯେ ବୃହସ୍ପତି-ବଳା । ପୂର୍ବେ ସେ ମୋତେ ଶାପ ଦେଲା ॥୮୧
ସେ ଶାପ ନୋହିଲା ଅନ୍ତର । ଏଣୁ କ୍ଷତ୍ରିୟ ବର ମୋ’ର ॥୮୨
ଶର୍ମିଷ୍ଠା ମୋ’ର ଭୁଜ ଧରି । କୂପେ କ୍ଷେପିଲା କୋପକରି ॥୮୩
ଗଲା ସେ ଆପଣା ମନ୍ଦିର । ଏବେ ହୋ ଶୁଣ ନୃପବର ॥୮୪
ଦଇବ ସଞ୍ଚିତ ଏ କଥା । କେ କରି ପାରିବ ଅନ୍ୟଥା ॥୮୫
ତା’ର ବଚନ ରାଜା ଘେନି । ସମ୍ମତ କରି ହୋଇ ତୁନି ॥୮୬
ଯଯାତି ନିଜପୁରେ ଗଲା । ସେ କନ୍ୟା ମନେ ବିଚାରିଲା ॥୮୭
କହିବି ପିତା ଆଗେ ମୁହିଁ । ଯେମନ୍ତେ ବର ଲଭିବଇଁ ॥୮୮
ରୋଦନ କରି ମନଦୁଃଖେ । କହିଲା ପିତାର ସମ୍ମୁଖେ ॥୮୯
ଶର୍ମିଷ୍ଠା ଯେତେ କର୍ମ କଲା । ଯେମନ୍ତେ କୂପେ ପକାଇଲା ॥୯୦
ରାଜା ଉଦ୍ଧରିଲା ଯେମନ୍ତେ । କୂପୁଁ ତୋଳିଲା ଦକ୍ଷହସ୍ତେ ॥୯୧
ଏ କଥା ଯେମନ୍ତ ବିଧାନେ । କହିଲା ପିତା ସନ୍ନିଧାନେ ॥୯୨
ଶୁକ୍ର ଯେ ତା’ର ବୋଲ ଶୁଣି । ଭବିଷ୍ୟ କଥା ମନେ ଗୁଣି ॥୯୩
ବୋଲଇ ମୁଣ୍ତେ ଦେଇ ହସ୍ତ । ଧିକ ମୋହର ପୌରୋହିତ୍ୟ ॥୯୪
ଏମନ୍ତେ ମନେ କୋପ କରି । ଦୁହିତା କର କରେ ଧରି ॥୯୫
ବୃଷପର୍ବାର ପୁରେ ଗଲେ । ସକୋପେ ରାଜାଙ୍କୁ ଭେଟିଲେ ॥୯୬
ଗୁରୁ ବଦନେ କୋପ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥୯୭
ଅନେକ ସ୍ତୁତିବାକ୍ୟ କହି । ଚରଣେ ଗଡ଼ଘାଲି ଶୋଇ ॥୯୮
ଶୁକ୍ରଙ୍କ କ୍ରୋଧ କ୍ଷଣମାତ୍ର । ରହଇ ସଂସାରେ ବିଦିତ୍ ॥୯୯
ବୋଲଇ ତା’ର ମୁଖ ଚାହିଁ । ଆମ୍ଭର ଦୁହିତା ଯେ ଏହି ॥୧୦୦
ଏ କନ୍ୟା ବାକ୍ୟ ତୁମେ ଘେନ । ଏହାର ଇଚ୍ଛା କର ପୂର୍ଣ୍ଣ ॥୧୦୧
ଯଯାତି କୂପୁଁ ଉଦ୍ଧରିଲା । ଏ କନ୍ୟା ହସ୍ତେ ହସ୍ତ ଦେଲା ॥୧୦୨
ମୁଁ ଏବେ ବେଦବାକ୍ୟ ମତେ । ବ୍ରାହ୍ମଣେ ବରିବି କେମନ୍ତେ ॥୧୦୩
ଯେପରି କନ୍ୟା ହୁଏ ଶାନ୍ତି । ତା’ ବେଗେ କର ତୁ ନୃପତି ॥୧୦୪
ଭୃଗୁଙ୍କ ବାକ୍ୟ ମନେ ଗୁଣି । ସେ ବୃଷପର୍ବା ନୃପମଣି ॥୧୦୫
ଦେବଯାନୀର ପାଶେ ଗଲା । ବିନୟ ହୋଇଣ କହିଲା ॥୧୦୬
ନିଜ କନ୍ୟାର ଦୋଷମାନ । ସମସ୍ତ କଲା ନିବେଦନ ॥୧୦୭
ତାହାର ସ୍ତୁତିବାକ୍ୟ ଶୁଣି । ସନ୍ତୁଷ୍ଟ ହୋଇ ଦେବଯାନୀ ॥୧୦୮
ନିଜର ଯାହା ଅଭିଳାଷ । ତା’ ଆଗେ କଲାକ ପ୍ରକାଶ ॥୧୦୯
ବୋଲଇ ଶୁକ୍ରର ଦୁହିତା । ଶୁଣ ତୁ ଆମ୍ଭର ବାରତା ॥୧୧୦
ମୋ’ ପିତା ଯହିଁ ମୋତେ ଦେବ । ଶର୍ମିଷ୍ଠା ମୋ’ର ସଙ୍ଗେ ଥିବ ॥୧୧୧
ମୁଁ ତା’ର ହେବି ଶ୍ରେଷ୍ଠ ନାରୀ । ତୋ’ କନ୍ୟା ହେବ ପରିବାରୀ ॥୧୧୨
କନ୍ୟାର ଠାରୁ ବାଣୀ ଶୁଣି । ଅସୁରରାଜ ହେଲା ତୁନି ॥୧୧୩
ଭାଳନ୍ତି ବୃଷପର୍ବା ରାୟେ । ବିପଦ ପଡ଼ିଲା ଥୋକାଏ ॥୧୧୪
ସଖୀ ସମେତ କନ୍ୟା ଆଣି । ବୋଲଇ ନିଅ ଦେବଯାନୀ ॥୧୧୫
ଏମନ୍ତେ ଶର୍ମିଷ୍ଠା ଅଇଲା । ଦେବଯାନୀର ଦାସୀ ହେଲା ॥୧୧୬
ଶର୍ମିଷ୍ଠା ଦେବଯାନୀ ତୁଲେ । ଯଯାତି ବରି ବିଭା କଲେ ॥୧୧୭
ଶୁକ୍ର ଯଯାତି ମୁଖ ଚାହିଁ । କହନ୍ତି ଶୁଣ ନୃପସାଇଁ ॥୧୧୮
ଶର୍ମିଷ୍ଠା ସଙ୍ଗେ ସହବାସ । କଲେ ଲଭିବୁ ଅତିକ୍ଳେଶ ॥୧୧୯
ଶର୍ମିଷ୍ଠା ତୁଲେ ଦିବ୍ୟନାରୀ । ଘେନି ଶତେକ ପରିବାରୀ ॥୧୨୦
ଖଟଇ ଦେବଯାନୀ ତୁଲେ । ଯଯାତି ସଙ୍ଗେ ଭାବଭୋଳେ ॥୧୨୧
ଶର୍ମିଷ୍ଠା ରୂପ-ଗୁଣ ଦେହେ । ଯଯାତି ଦେଖି କାମେ ମୋହେ ॥୧୨୨
ଦେବଯାନୀର ପୁତ୍ର ଦେଖି । ଶର୍ମିଷ୍ଠା ନିତ୍ୟେ ମନେ ଦୁଃଖୀ ॥୧୨୩
ମିଳିଲା ରାଜାରେ ଏକାନ୍ତେ । ପ୍ରର୍ଥନା କଲା ପୁତ୍ର ଅର୍ଥେ ॥୧୨୪
ତେଣୁ ସେ ହୋଇଲେ ମୋହିତ । ଦଇବ ବଶେ ବୁଦ୍ଧି ହତ ॥୧୨୫
ଦେବଯାନୀକି ନ ସୁମରି । ଶର୍ମିଷ୍ଠା ବାକ୍ୟ ମନେ ଧରି ॥୧୨୬
ଶର୍ମିଷ୍ଠା ସଙ୍ଗେ ଏକମେଳେ । ରାଜା ଶୟନ ଋତୁକାଳେ ॥୧୨୭
ଶୁକ୍ରଙ୍କ ବାକ୍ୟ ହେଳା କଲା । ଶର୍ମିଷ୍ଠା ସଙ୍ଗେ ସଙ୍ଗ କଲା ॥୧୨୮
ଯଦୁ ତୁର୍ବସୁ ବେନିଭାଇ । ଦେବଯାନୀର ଗର୍ଭୁ ହୋଇ ॥୧୨୯
ଆବର ଶର୍ମିଷ୍ଠା ଗର୍ଭରୁ । ଜନ୍ମିଲେ ଦ୍ରୁହ୍ୟୁ ଅନୁ ପୁରୁ ॥୧୩୦
ସେ ଦେବଯାନୀ କୋପଭରେ । କହିଲା ପିତାର ଆଗରେ ॥୧୩୧
ପିତା ଚରଣତଳେ ପଡ଼ି । କାନ୍ଦଇ ବେନିକର ଯୋଡ଼ି ॥୧୩୨
ଶର୍ମିଷ୍ଠା ତୁଲେ ରାଜା ନିତ୍ୟେ । ରାତ୍ରଦିବସ ତା’ ସଙ୍ଗତେ ॥୧୩୩
ତାହାର ବଶ ପ୍ରାୟେ ରହେ । କୋପନୟନେ ମୋତେ ଚାହେଁ ॥୧୩୪
ଶର୍ମିଷ୍ଠା ପ୍ରେମବନ୍ଧ ଆଶେ । କେବେହେଁ ନମିଳେ ମୋ’ ପାଶେ ॥୧୩୫
ଏମନ୍ତେ ଦୁହିତା ବଚନେ । କୋପ ବସିଲା ଶୁକ୍ରମନେ ॥୧୩୬
ମିଳିଲା ରାଜାର ସମୀପେ । ଗରୁଡ଼ ମିଳେ ଯେହ୍ନେ ସର୍ପେ ॥୧୩୭
ବୋଇଲେ କୋପଭର ହୋଇ । ଅଧର୍ମ ଆଚରିଲୁ ତୁହି ॥୧୩୮
ମୋ’ର ଦୁହିତା କଲୁ ଦୂର । ଶର୍ମିଷ୍ଠା ମନୋହାରୀ ତୋ’ର ॥୧୩୯
ତୁ ଏବେ ଜରାରୂପ ହୋଇ । ମନ୍ଦିରେ ଥାଅ ନିତ୍ୟେ ଶୋଇ ॥୧୪୦
ଏମନ୍ତ ଶାପ ଦେଲେ ମୁନି । ତକ୍ଷଣେ ବୃଦ୍ଧଦେହ ଘେନି ॥୧୪୧
ଯଯାତି ରହିଲା ଶୟନେ । ଉଠି ନ ପାରେ ରାତ୍ରଦିନେ ॥୧୪୨
ଏମନ୍ତେ ତା’ର ପାଞ୍ଚସୁତ । ବେନିକନ୍ୟାର ଗର୍ଭୁ ଜାତ ॥୧୪୩
ହୋଇ ବଢ଼ିଲେ ଦିନେଦିନେ । ତେଜ ପ୍ରଚଣ୍ତସୂର୍ଯ୍ୟ ଯେହ୍ନେ ॥୧୪୪
ଏମନ୍ତେ କିଛିଦିନ ଅନ୍ତେ । ଯଯାତି ଭୋଗ ମନେ ଚିନ୍ତେ ॥୧୪୫
ଭୋମୁନି ମୋତେ ଦୟାକର । ଏ କଷ୍ଟ ଯେଣେ ହୋଏ ପାର ॥୧୪୬
କାନ୍ଦିଣ ଜୀବନ ବିକଳେ । ପଡ଼ି ଭୃଗୁର ପାଦତଳେ ॥୧୪୭
ସ୍ୱଭାବେ ଦୁହିତାର ପତି । ବୋଲଇ ମୋତେ କର ଗତି ॥୧୪୮
ତା’ର ବିକଳ ଦେଖି ମୁନି । ବୋଇଲେ ଚିତ୍ତେ ଦୟା ଘେନି ॥୧୪୯
ବୋଲନ୍ତି ଶୁଣ ନୃପବର । ମୋର ବଚନ ଏବେ କର ॥୧୫୦
ସୁତକୁ ଜରାରୂପ ଦେଇ । ସଂସାର ଭୋଗକର ତୁହି ॥୧୫୧
ସେ ରାଜା ପୁତ୍ରଙ୍କୁ ଅଣାଇ । ବୋଲଇ ସମୀପେ ବସାଇ ॥୧୫୨
ହେ ପୁତ୍ରେ ଦେଖ ମୋ’ର ରୂପ । ଗୁରୁ ଯେ ମୋତେ ଦେଲେଶାପ ॥୧୫୩
ବୃଦ୍ଧ ହୋଇଲି ଯୁବାକାଳେ । ସୂର୍ଯ୍ୟ ଯେସନେ ସାୟଂକାଳେ ॥୧୫୪
ଦେଖ ଏ ମନୁଷ୍ୟ ଶରୀର । ବିଷ୍ଣୁର ଭୋଗର ମନ୍ଦିର ॥୧୫୫
ଇନ୍ଦ୍ରିୟଭୋଗେ ଜୀବ ରହେ । ଯଜ୍ଞପୁରୁଷ ବସେ ଦେହେ ॥୧୫୬
ଦେବେ ଇଚ୍ଛନ୍ତି ଯେ ଶରୀର । ନିସ୍ଫଳ ହୋଇଲା ମୋହର ॥୧୫୭
ଯଦୁକୁ ବୋଲେ ନୃପବର । ତୁ ପୁତ୍ର ମୋ’ର ବୋଲକର ॥୧୫୮
ମୋ’ ଜରା ଶରୀର ତୁ ନିଅ । ତୋ’ର ବୟସ ମୋତେ ଦିଅ ॥୧୫୯
ଭୋଗ ମୁଁ କରି ଦିନା କେତେ । ତୋ’ର ବୟସ ଦେବି ତୋତେ ॥୧୬୦
ଏମନ୍ତ ରାଜାର ବଚନେ । ଯଦୁ ବୋଲଇ କୋପମନେ ॥୧୬୧
ଦୁର୍ଲ୍ଲଭ ମନୁଷ୍ୟ ଶରୀର । ବିଷ୍ଣୁର ପୂଜାର ମନ୍ଦିର ॥୧୬୨
ଯଜ୍ଞପୁରୁଷ ଏହା ମଧ୍ୟେ । ବିଷୟ ଭୁଞ୍ଜଇ ଆନନ୍ଦେ ॥୧୬୩
ଦେବେ ନ ପାନ୍ତି ଯାହା ଭାବି । ମୁଁ ତାହା କେମନ୍ତେ ଛାଡ଼ିବି ॥୧୬୪
ଏମନ୍ତ ଯଦୁମୁଖୁଁ ଶୁଣି । କୋପେ ବୋଲଇ ନୃପମଣି ॥୧୬୫
ମୋ’ର ବଚନ ତୁ ନ କଲୁ । ରାଜଭୋଗକୁ ଇଚ୍ଛା କଲୁ ॥୧୬୬
ତୋ’ବଂଶେ ରାଜା ଯେ ହୋଇବ । ମୂର୍ଦ୍ଧନା ଫାଟି ପ୍ରାଣ ଯିବ ॥୧୬୭
ଏମନ୍ତ ଶାପ ତାକୁ ଦେଇ । ପୁତ୍ରଙ୍କୁ ଜଣେ ଜଣେ ରାଇ ॥୧୬୮
ତୁର୍ବସୁ ଦ୍ରୁହ୍ୟୁ ଅନୁ ତିନି । ରାଜା ବଚନେ ହେଲେ ତୁନି ॥୧୬୯
ପୁରୁ ଯେ ଥିଲା ରାଜା ପଛେ । ତକ୍ଷଣେ ମିଳିଲା ପ୍ରତ୍ୟକ୍ଷେ ॥୧୭୦
କପୋଳେ ବେନିକର ଯୋଡ଼ି । କହେ ନୃପତି ପାଦେ ପଡ଼ି ॥୧୭୧
ଭୋ ତାତ ମୋତେ ଆଜ୍ଞା ଦିଅ । ମୋ’ର ବୟସ ତୁମ୍ଭେ ନିଅ ॥୧୭୨
ତୋ’ ବୃଦ୍ଧରୂପ ଦିଅ ମୋତେ । ମୋ’ ରୂପେ ବଞ୍ଚ ଦିନାକେ ॥୧୭୩
ଏଦେହେ ଶୁଣ ନରରାଣ । କେ ବୁଝିପାରେ ପିତୃଋଣ ॥୧୭୪
ପିତାର ମନ ଜାଣି କରେ । ଉତ୍ତମ ପୁତ୍ର ସେ ବେଭାରେ ॥୧୭୫
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ । ମଧ୍ୟମପୁତ୍ର ସେ ବୋଲାଇ ॥୧୭୬
ଶ୍ରଦ୍ଧା ବିହୀନେ ଯେହୁ ପାଳେ । ଅଧମପୁତ୍ର ସେ ଶୟଳେ ॥୧୭୭
ପିତାକୁ ଲଂଘେ ଯେ ଅଜ୍ଞାନ । ସେ ପିତା ମଳମୂତ୍ର ଜାଣ ॥୧୭୮
ଏମନ୍ତ କହି ନୃପ ବଳା । ପିତାଙ୍କୁ ନିଜରୂପ ଦେଲା ॥୧୭୯
ନିଶ୍ଚଳେ ରହିଲା ତା’ ମନ । ଏମନ୍ତେ ଗଲା କେତେ ଦିନ ॥୧୮୦
ପୁରୁକୁ ଜରାରୂପ ଦେଇ । ରାଜା ହୋଇଲା ଦିବ୍ୟଦେହୀ ॥୧୮୧
ଭୋଗ ସେ କଲା ନାନାମତେ । ଇନ୍ଦ୍ରିୟଲାଳସା ଆୟତ୍ତେ ॥୧୮୨
ହୋଇଲା ସାତଦ୍ୱୀପେ ରାଜା । ଧର୍ମେ ପାଳିଲା ଜନପ୍ରଜା ॥୧୮୩
ନିଶ୍ଚିନ୍ତେ ଦେବଯାନୀ ସଙ୍ଗେ । ଭୋଗ ସେ କଲା ନାନାରଙ୍ଗେ ॥୧୮୪
ଅନେକ ଦାନଯଜ୍ଞ ମତେ । ସେବିଲା ବିଷ୍ଣୁପାଦ ଗତେ ॥୧୮୫
ଯେ ହରି ଦେହ ଏ ଜଗତ । ଆକାଶେ ଜଳଧର ମତ ॥୧୮୬
ସେ ହରିପାଦ ଦୃଢ଼େ ଚିନ୍ତି । ବିଷୟଭୋଗେ ନରପତି ॥୧୮୭
ଇନ୍ଦ୍ରୟ ନ ପାରିଲା ଜିଣି । ବିଷୟ ଭୋଗ ମନେ ଗୁଣି ॥୧୮୯
ସୁଜନଜନେ ଏହା ଶୁଣି । ତରିବ ଭବତରଙ୍ଗିଣୀ ॥୧୯୦
କହଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ । ।

ଊନବିଂଶ ଅଧ୍ୟାୟ

ଶୁକ ଉବାଚ

ଯଯାତି ବସି ଏକଦିନେ । ଜ୍ଞାନ ପ୍ରକାଶିଲା ତା’ ମନେ ॥୧
ଦେବଯାନୀର ମେଳେ ଥାଇ । ବୋଲଇ ତା’ର ମୁଖ ଚାହିଁ ॥୨
ଶୁଣ ସୁନ୍ଦରି ତୋ’ ଅଧୀନ । ବିଷୟରସେ ମୋ’ର ମନ ॥୩
ପଶିଲା କାମ-ଅନ୍ଧକାରେ । ଭାସ୍କର ଯେହ୍ନେ ତମଘୋରେ ॥୪
ଶୁଣ ଭାର୍ଗବି ମୋ’ର କଥା । ପୂର୍ବେ ଯେ ଇତିହାସ ଗାଥା ॥୫
କହନ୍ତି ତତ୍ତ୍ୱଜ୍ଞାନୀ ଜନେ । ଗ୍ରାମ୍ୟଭୋଗକୁ ନିନ୍ଦି ମନେ ॥୬
ସେ କଥା କହୁ ତୋ’ର ଆଗେ । ଯେବା ବିଷୟ ଅନୁରାଗେ ॥୭
ଛାଗ ଛାଗୀଏ ଏକଦିନେ । ଚରିବା ଅର୍ଥେ ଗଲେ ବନେ ॥୮
ଛାଗୀ ଯେ ଜଳପାନ ଅର୍ଥେ । କୂପେ ପଡ଼ିଲା ଅନାୟତ୍ତେ ॥୯
ସ୍ୱଭାବେ କାମୀ ଛାଗ ଜାତି । ତା’ର ଉଦ୍ଧାରେ କଲା ମତି ॥୧୦
କେବେହେଁ ଉଦ୍ଧାରି ନପାରେ । ନିରାଶେ ଗଲା ନିଜପୁରେ ॥୧୧
ସେ ବନେ ବୃଦ୍ଧଛାଗେ ଥିଲା । କୂପେ ସେ ଛାଗୀକି ଦେଖିଲା ॥୧୨
ବିଷାଣ ଅଗ୍ରେ ତା’ ଉଦ୍ଧରି । କୂଳେ ସ୍ଥାପିଲା ଯତ୍ନକରି ॥୧୩
ସେ ଛାଗୀ କୂପରୁ ଅଇଲା । ଛାଗରେ ଅଭିଳାଷ କଲା ॥୧୪
ସେ ଛାଗ ତା’ର ସଙ୍ଗମେଳେ । ରମଣ କରେ ଅତିଭୋଳେ ॥୧୫
ଦିବା ରଜନୀ ନ ଜାଣଇ । ନିରତେ ତା’ର ସଙ୍ଗେ ଥାଇ ॥୧୬
ତଥାପି ନ ଲଭିଲା ତୃପ୍ତି । ଅଗ୍ନିରେ ଯେହ୍ନେ ଘୃତାହୁତି ॥୧୭
ଅନ୍ୟାନ୍ୟ ଛାଗୀ କାମବଶେ । ମିଳିଲେ ସେହି ଛାଗ ପାଶେ ॥୧୮
ସ୍ଥୂଳଶରୀର ଶ୍ମଶ୍ରୁମୁଖ । ରେତ ସେଚନେ ଅତି ଦକ୍ଷ ॥୧୯
ବଳିଷ୍ଠ ଦେଖି ସର୍ବଛାଗୀ । ତାହାର ପ୍ରତି ଅନୁରାଗୀ ॥୨୦
ସେ ଏକ ପୁରୁଷ ଯେ ଛାଗ । କଲାଛାଗୀଙ୍କି ଅନୁରାଗ ॥୨୧
ହୋଇଣ କାମ-ଗ୍ରହ-ଗ୍ରସ୍ତ । ଛାଗୀଙ୍କ ସଙ୍ଗେ ହେଲା ମତ୍ତ ॥୨୨
ଯେ ଛାଗୀ କୂପେ ପଡ଼ିଥିଲା । ଦେଖି ନିଜର ଅବହେଳା ॥୨୩
କାମୀଛାଗକୁ କଲା ତ୍ୟାଗ । ତା’ ପ୍ରତି ହୋଇଣ ବିରାଗ ॥୨୪
ସତ୍ତ୍ୱରେ ଛାଗୀ କଲା ଚଳି । ଛାଗ ଯେ ପକାଇ ବୋବାଳି ॥୨୫
ତାହାର ପଛେ ଗୋଡ଼ାଇଲା । ପଥେ ଛାଗୀକୁ ନ ଭେଟିଲା ॥୨୬
ଛାଗର ଅଧିସ୍ୱାମୀ ଘରେ । ସେ ଦୁହେଁ ମିଳିଲେ ସତ୍ୱରେ ॥୨୭
ଛାଗର ଲମ୍ବିତ ବୃଷଣ । ବ୍ରାହ୍ମଣେ କଲେକ ଛେଦନ ॥୨୮
ସେ କଥା ତତ୍ତ୍ୱଜ୍ଞାନୀ ଜନେ । କାମର ଭୋଗ ସ୍ମରି ମନେ ॥୨୯
ତାହାର ବୃଷଣକୁ ନେଲେ । ପୁଣି ତା’ ଦେହେ ଲଗାଇଲେ ॥୩୦
ସେ କଥା କହୁଁ ତୋ’ର ଆଗେ । ଯେବା ବିଷୟେ ଅନୁରାଗେ ॥୩୧
ସେ ଛାଗୀ ଛାଗର ସହିତେ । ବିଷୟଭୋଗେ ଦିନା କେତେ ॥୩୨
କାଟିଲା ଆପଣା ଇଚ୍ଛାରେ । ତେବେ ସନ୍ତୋଷ ନୁହେଁ ଥରେ ॥୩୩
ସେ ଛାଗ ପ୍ରାୟେ ତୋ’ର ସଙ୍ଗେ । ମୁହିଁ ବୁଡ଼ିଲି ପ୍ରେମ ରଙ୍ଗେ ॥୩୪
ତୋହର ମାୟାରେ ମୋହିତ । ହୋଇ ନ ଜାଣେ ମୋର ହିତ ॥୩୫
ସପତ ଦ୍ୱୀପେ ରାଜା ହୋଇ । ଅଜ୍ଞାନେ ବଞ୍ଚାଇଲି ଦେହୀ ॥୩୬
ଭୂମିରେ ଯେତେ ଶସ୍ୟ ଥା’ନ୍ତି । ସୁବର୍ଣ୍ଣେ ସ୍ତିରୀ ପଶୁଜାତି ॥୩୭
ଯେ ପ୍ରାଣୀ କାମବଶ ହୋଇ । ଏ ସବୁ ତା’କୁ ନ ଅଣ୍ଟଇ ॥୩୮
କାମୀ ପୁରୁଷଙ୍କର ମନ । କେବେହେଁ ନୋହେ ସଞ୍ଜମନ ॥୩୯
ନିତ୍ୟେ ରମନ୍ତି କାମଭୋଗେ । ଅଗ୍ନି ଯେସନେ ଘୃତ ଯୋଗେ ॥୪୦
ସକଳଭୂତ ସଙ୍ଗ ଛାଡ଼ି । ଯେ ଆତ୍ମାଭାବେ ସୁଖେ ବୁଡ଼ି ॥୪୧
ଆତ୍ମାକୁ ଦେଖେ ସର୍ବଦେହେ । ତା’ ସର୍ବଦିଗ ସୁଖମୟେ ॥୪୨
ଦୁର୍ଜନଜନଙ୍କର ମତି । ତୃଷ୍ଣାକୁ ଛାଡ଼ି ନ ପାରନ୍ତି ॥୪୩
ଯେ କରିପାରେ ସର୍ବଭକ୍ଷ । ତୃଷ୍ଣା ମାରଣେ ନୋହେ ଦକ୍ଷ ॥୪୪
ମାତା ଭଗିନୀ କନ୍ୟା ମେଳେ । କେବେହେଁ ନ ଥିବ ନିରୋଳେ ॥୪୫
ମନ ଯେ ଇନ୍ଦ୍ରିୟଙ୍କ ଗ୍ରାମ । ବଳେ ତାହାକୁ ନାହିଁ ସମ ॥୪୬
ପଣ୍ତି‌ତଜନ ମନ ହରେ । ଏଣୁ କେ ନାରୀ ସଙ୍ଗୁ ତରେ ॥୪୭
ଦେଖ ମୁଁ ସହସ୍ର ବରଷେ । ନିତ୍ୟେ ରମିଲି କାମବଶେ ॥୪୮
ନିରତେ ବିଷୟ ବ୍ୟସନେ । ମନ ରହିଲା ରାତ୍ରଦିନେ ॥୪୯
ମୁଁ ଏବେ ତୃଷ୍ଣା ଦୂର କରି । କୃଷ୍ଣ ଚରଣେ ମନ ଧରି ॥୫୦
ନିର୍ମୋହ ହୋଇ ବନସ୍ଥଳେ । ରହିବି ପଶୁଗଣ ମେଳେ ॥୫୧
ଦୃଷ୍ଟ ଶ୍ରୁତକୁ ମିଥ୍ୟା କରି । ଧ୍ୟାନେ ସମ୍ଭାଷି ନରହରି ॥୫୨
ଯେ ନୋହେ ଆତ୍ମାର ବିନାଶୀ । ତାହାକୁ କହି ଆତ୍ମଦର୍ଶୀ ॥୫୩
ଏମନ୍ତ ପ୍ରିୟା ଆଗେ କହି । ପୁରୁକୁ ସମୀପେ ବସାଇ ॥୫୪
ତା’ର ବୟସ ତା’କୁ ଦେଲା । ବୃଦ୍ଧ ଶରୀର ଆବୋରିଲା ॥୫୫
ପୁରୁକୁ ରାଜ୍ୟେ କଲା ରାଜା । ଭଲେ ପାଳିବ ଜନପ୍ରଜା ॥୫୬
ଦ୍ରୁହ୍ୟୁକୁ ପୂର୍ବଦିଗ ଦେଲା । ଅନୁକୁ ଉତ୍ତରେ ସ୍ଥାପିଲା ॥୫୭
ଯଦୁକୁ ଦକ୍ଷିଣେ ବସାଇ । ପଶ୍ଚିମ ତୁର୍ବସୁକୁ ଦେଇ ॥୫୮
ଏମନ୍ତେ ରାଜ୍ୟ ବାଣ୍ଟିଦେଇ । ପୁତ୍ରଙ୍କୁ ପ୍ରିୟବାକ୍ୟ କହି ॥୫୯
ଆନନ୍ଦ ଦେଇ ସର୍ବମନେ । ତକ୍ଷଣେ ପଶିଲା ଅରଣ୍ୟେ ॥୬୦
ଆତ୍ମାରେ ଆତ୍ମା ଧ୍ୟାନ କରି । ଯୋଗ ଅଭ୍ୟାସେ ମନ ଧରି ॥୬୧
ପରମବ୍ରହ୍ମେ ସେ ପଶିଲା । ଶୁଣ ହେ ଅଭିମନ୍ୟୁବଳା ॥୬୨
ସେ କଥା ଦେବଯାନୀ ଶୁଣି । ସ୍ୱାମୀର ପଥ ମନେ ଗୁଣି ॥୬୩
ସଂସାର ସ୍ୱପ୍ନ ପ୍ରାୟ ମଣି । ଏମନ୍ତ ଭାଳି ସେ ତରୁଣୀ ॥୬୪
କୃଷ୍ଣଚରଣେ ମନ ଦେଲା । ବିଷ୍ଣୁମାୟାରୁ ତରିଗଲା ॥୬୫
ନବମସ୍କନ୍ଧେ ଭାଗବତ । ଯେ ଧର୍ମ ବଂଶାନୁଚରିତ ॥୬୬
ଭାଷା ପ୍ରବନ୍ଧେ ହରିକଥା । ଶୁଣନ୍ତେ ତୁଟେ ଭବବ୍ୟଥା ॥୬୭
ବ୍ରାହ୍ମଣ ଜଗନ୍ନାଥ କହେ । ସୁଜନେ ଏଣେ କର ଲୟେ ॥୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକୋନବିଂଶୋଽଧ୍ୟାୟଃ । ।

ବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । ଯେ ପୁରୁବଂଶର କାହାଣୀ ॥୧
ଯେବା ଯେମନ୍ତ କଲେ କର୍ମ । ଯେ ବଂଶମଧ୍ୟେ ତୋ’ର ଜନ୍ମ ॥୨
ସେ ବଂଶେ ରାଜଋଷି ଯେତେ । ସଂକ୍ଷେପେ କହିବି ମୁଁ ତୋତେ ॥୩
ଯେ ପୁତ୍ର ଜନ୍ମେଜୟ ନାମ । ସେ ପୁରୁବଂଶ ଗୁଣଧାମ ॥୪
ତାହାର ହୋଇଲା ନନ୍ଦନ । ନାମ ତାହାର ପ୍ରଚିନ୍ୱାନ ॥୫
ପ୍ରବୀର ତାହାର କୁମର । ମନସ୍ୟୁ ତା’ର ବଂଶଧର ॥୬
ତା’ର ତନୟ ଚାରୁପଦ । ସୁଦ୍ୟୁ ଯେ ତାହାର ଦାୟାଦ ॥୭
ତା’ର କୁମର ବହୁଗବ । ସଂଯାତି ତାହାର ସମ୍ଭବ ॥୮
ଅହଂଜାତି ତା’ର ତନୟେ । ରୌଦ୍ରାଶ୍ୱ ତା’ର ପୁତ୍ର ହୋଏ ॥୯
ଘୃତାଚୀ ଅପସରା ଗର୍ଭେ । ରୌଦ୍ରାଶ୍ୱ ପୁତ୍ରେ ବହୁଭାବେ ॥୧୦
ଏକୁ ଆରେକ ଅନୁପମ । ଶୁଣ ହୋ ତାହାଙ୍କର ନାମ ॥୧୧
ରତେୟୁ କୁକ୍ଷେୟୁ ଏ ବେନି । ସ୍ଥଣ୍ତିଳେୟୁ କୃତେୟୁ ଘେନି ॥୧୨
ଜଳେୟୁ ସନ୍ତତେୟୁ ଦୁଇ । ଧର୍ମେୟୁ ସତ୍ୟେୟୁ ବୋଲାଇ ॥୧୩
ବ୍ରତେୟୁ ବନେୟୁ ଏ ଦଶ । ଅପ୍‌ସରା ଗର୍ଭେ ପୁରୁବଂଶ ॥୧୪
ବିଷ୍ଣୁର ଅଂଶେ ଜାତ ହୋଇ । ସ୍ୱଧର୍ମେ ପାଳିଲେ ଏ ମହୀ ॥୧୫
ଋତେୟୁ ସୁତ ରନ୍ତିନାବ । ତହୁଁ ସୁମତି ଆର ଧ୍ରୁବ ॥୧୬
ଅପ୍ରତିରଥ ତିନି ଜାଣ । ଅପ୍ରତିରଥ ସୁତ କଣ୍ୱ ॥୧୭
ତା’ର ତନୟ ମେଧାତିଥି । ପ୍ରସ୍କଣ୍ୱ ତାହାର ସନ୍ତତି ॥୧୮
କଣ୍ୱର ବଂଶେ ଜାତ ହୋଇ । ସଂସାରେ ବ୍ରାହ୍ମଣ ବୋଲାଇ ॥୧୯
ରେଭି ଯେ ସୁମତିର ପୁତ୍ର । ଦୁଷ୍ମନ୍ତ ତା’ର ବୀର୍ଯ୍ୟେ ଜାତ ॥୨୦
ସୁନ୍ଦରେ ନାହିଁ ରୂପ ସୀମା । ଶୁଣ ହୋ ତାହାର ମହିମା ॥୨୧
ଦୁଷ୍ମନ୍ତ ରାଜା ଏକଦିନେ । ମୃଗୟା ଅର୍ଥେ ଗଲା ବନେ ॥୨୨
କଣ୍ୱଙ୍କ ଆଶ୍ରମେ ମିଳିଲା । ଅଦ୍ଭୁତ କନ୍ୟାଏ ଦେଖିଲା ॥୨୩
ଅଙ୍ଗ ଭୂଷଣ ଝଟକନ୍ତି । ଲକ୍ଷ୍ମୀଙ୍କ ପ୍ରାୟେ ଦିଶେ କାନ୍ତି ॥୨୪
ତାହାକୁ ଦେଖି କାମବଶେ । ସମ୍ଭୋଗ କରିବାର ଆଶେ ॥୨୫
ତା’ ରୂପ ଦେବ-ମାୟାମୟୀ । ଦେଖିଣ ମନ ନରହଇ ॥୨୬
ଅଳପ ବଳ ଘେନି ସଙ୍ଗେ । ଦୁଷ୍ମନ୍ତ ମିଳେ ତା’ର ଆଗେ ॥୨୭
ଆନନ୍ଦେ ତା’ର ଦରଶନେ । ବୋଲଇ ପରିଗ୍ରହ ମନେ ॥୨୮
ହାସ୍ୟବଦନେ ତା’ର ପାଶେ । ମଧୁର ବାକ୍ୟେ ମନତୋଷେ ॥୨୯
ହେ ଶୁଭେ କମଳ ନୟନି । କହ ତୁ କାହାର ନନ୍ଦିନୀ ॥୩୦
ନିର୍ଜନବନେ କିପାଁ ଅଛୁ । କହ କାହାକୁ ବର ଇଚ୍ଛୁ ॥୩୧
ତୋ’ ରୂପେ ଅଛି କେବା ସମ । କହ ତୋହାର କିସ ନାମ ॥୩୨
ନିଶ୍ଚେ ତୁ ରାଜାର ନନ୍ଦିନୀ । ଜାଣିଲି ତୋ’ର ରୂପ ଚିହ୍ନି ॥୩୩
ମୁଁ ଯେ ପୁରୁର ବଂଶେ ଜାତ । ଅଧର୍ମେ ନବଳେ ମୋ’ ଚିତ୍ତ ॥୩୪
ଏମନ୍ତ ରାଜାମୁଖୁଁ ଶୁଣି । ସେ କନ୍ୟା କହେ ପରିମାଣି ॥୩୫

ଶକୁନ୍ତଳା ଉବାଚ

ଶୁଣ ରାଜନ ଚୂଡ଼ାମଣି । ମୁଁ ବିଶ୍ୱାମିତ୍ରଙ୍କ ନନ୍ଦିନୀ ॥୩୬
ମେନକା ନାମେ ମୋ’ ଜନନୀ । ଦଇବେ ମୋର କର୍ମ ଘେନି ॥୩୭
ମୋତେ ପକାଇଗଲା ବନ । ପକ୍ଷୀଏ ମୋହର ଜୀବନ ॥୩୮
ପାଳିଲ ମୋତେ ସ୍ନେହ ବହି । ଏ ବନେ ଭକ୍ଷ୍ୟ ଭୋଜ୍ୟ ଦେଇ ॥୩୯
ମୁହିଁ ଯେ ଶକୁନ୍ତର ବାଳା । ତେଣୁ ମୋ’ ନାମ ଶକୁନ୍ତଳା ॥୪୦
ମୋହର ଜନ୍ମ କର୍ମମାନ । ସବୁ ଜାଣନ୍ତି ମୁନି କଣ୍ୱ ॥୪୧
ଜନ୍ମ ମୋ’ କଉଶିକ କୁଳେ । ମୁଁ ଏହା ଜାଣେ ଯୋଗବଳେ ॥୪୨
ତୁ ଯେବେ ମୋହର ବିଶ୍ୱାସ । ଆସ ମୋହର ପାଶେ ବସ ॥୪୩
ମୋହର ପୂଜା ଘେନ ତୁହି । ନୀବାର ଭୁଞ୍ଜ ଏଥେ ରହି ॥୪୪
ଏମେନ୍ତେ ତା’ର ମଞ୍ଜୁବାଣୀ । ଆନନ୍ଦମନେ ରାଜା ଶୁଣି ॥୪୫

ଦୁଷ୍ମନ୍ତ ଉବାଚ[edit]

ବୋଲଇ କନ୍ୟାମୁଖ ଚାହିଁ । ଭୋ ଶଶୀମୁଖି ଶୁଣ ତୁହି ॥୪୬
ତୁ ଜାତ କୌଶିକର ବଂଶେ । ତୋହର ଇଚ୍ଛା ମନତୋଷେ ॥୪୭
ଯେବେ ବରିବୁ ତୁହି ମୋତେ । ଏ ମୋର ସତ୍ୟ ବେଦମତେ ॥୪୮
ଏସନ ସତ୍ୟ ତା’କୁ କରି । ଗନ୍ଧର୍ବମତେ କନ୍ୟା ବରି ॥୪୯
ସ୍ୱଭାବେ ପଣ୍ତିତ ରାଜନ । ଜାଣଇ ସକଳ ବିଧାନ ॥୫୦
ବିବାହ କରି ତା’ର ସଙ୍ଗେ । ରାତ୍ରେ ବଞ୍ଚିଲା ରତିରଙ୍ଗେ ॥୫୧
ଆମୋଘବୀର୍ଯ୍ୟ ତା’ ସ୍ୱଭାବେ । ରହିଲା ଶକୁନ୍ତଳା ଗର୍ଭେ ॥୫୨
ପ୍ରଭାତେ ରାଜା ଗଲା ପୁର । କାଳେ ତା ଜନ୍ମିଲା କୁମର ॥୫୩
ସେ ବନେ କଣ୍ୱଋଷି ଥିଲେ । ବିଧାନେ ଜାତକର୍ମ କଲେ ॥୫୪
ତକ୍ଷଣେ ଉଠି ରାଜବଳା । ସ୍ୱଭାବେ ତେଜ ଅନର୍ଗଳା ॥୫୫
ସିଂହକୁ ବାମଭୁଜେ ଧରି । କ୍ରୀଡ଼ାକନ୍ଦୁକ ପ୍ରାୟେ କରି ॥୫୬
ରଜ୍ଜୁ ନିବେଶି ତା’ର ଗଳେ । କ୍ରୀଡ଼ାକନ୍ଦୁକ ପ୍ରାୟେ ଖେଳେ ॥୫୭
ପୁତ୍ରର ଦେଖି ବାଳଲୀଳା । ଅତ୍ୟନ୍ତ ତେଜ ଅନର୍ଗଳା ॥୫୮
ବିଷ୍ଣୁର ଅଂଶ ପ୍ରାୟେ ମଣି । ତକ୍ଷଣେ ଋଷିଙ୍କ ଦୁଲଣୀ ॥୫୯
ପୁତ୍ରର ହସ୍ତ ଧରି ବେଗେ । ମିଳିଲା ନିଜ ସ୍ୱାମୀ ଆଗେ ॥୬୦
ରାଜା ସେ ମାତାପୁତ୍ର ଦେଖି । ତକ୍ଷଣେ ବୁଜି ବେନିଆଖି ॥୬୧
ପତ୍ନୀ ପୁତ୍ରଙ୍କୁ ନ ଚିହ୍ନିଲା । ଭାବ ନ ଜାଣି ଉପେକ୍ଷିଲା ॥୬୨
ତକ୍ଷଣେ ଆକାଶର ବାଣୀ । ସେଠାରେ ସର୍ବଲୋକେ ଶୁଣି ॥୬୩
ଆତ୍ମାର ରୂପେ ପୁତ୍ରଜାତ । ଏ ନିଶ୍ଚେ ତୋ’ର ଦାରା ସୁତ ॥୬୪
ଯେ ପୁତ୍ର ଜାତ ନିଜଠାରୁ । ଉଦ୍ଧାର କରେ ସେ ନର୍କରୁ ॥୬୫
ତୁମ୍ଭେ କରିଛ ଗର୍ଭାଧାନ । ଏ କଥା ନୁହଁଇ ଯେ ଆନ ॥୬୬
ଆକାଶବାଣୀ ଶୁଣି କର୍ଣ୍ଣେ । ତକ୍ଷଣେ ରାଜା ତୋଷମନେ ॥୬୭
ଆଶ୍ୱାସ କରି ପୁତ୍ର ନାରୀ । ଗୃହେ ସ୍ଥାପିଲା ଦଣ୍ତଧାରୀ ॥୬୮
ଏମନ୍ତେ ଦୁଷ୍ମନ୍ତର ଅନ୍ତେ । ସେ ରାଜା ହୋଇଲା ଜଗତେ ॥୬୯
ନାମ ଭରତ ନୃପବର । ପ୍ରକାଶେ ଯେହ୍ନେ ଦିବାକର ॥୭୦
ବିଷ୍ଣୁର ଅଂଶ ଯେ ରାଜନ । ଶରୀରେ ଦିଶେ ବିଷ୍ଣୁଚିହ୍ନ ॥୭୧
ଚକ୍ର ଦକ୍ଷିଣକରେ ଦିଶେ । ଚରଣେ କମଳ ପ୍ରକାଶେ ॥୭୨
ତାହାଙ୍କୁ ମିଳି ଋଷିଯୂଥେ । ସ୍ଥାପିଲେ ଅଭିଷେକ ମତେ ॥୭୩
ସେ ରାଜା ଅଭିଷିକ୍ତ ହୋଇ । ଧର୍ମେ ସେ ପୃଥିବୀ ପାଳଇ ॥୭୪
ଭରଦ୍ୱାଜଙ୍କ ଆଦେଶରେ । ସେ ରାଜା ଅଶ୍ୱମେଧ କରେ ॥୭୫
ପଞ୍ଚପଞ୍ଚାଶ ଅଶ୍ୱମେଧେ । କ୍ରମେ ସେ ଗଙ୍ଗାତଟେ ସାଧେ ॥୭୬
ଯଜ୍ଞରେ ବରି ଦ୍ୱିଜଗଣ । ଅନେକ ଦେଲା ଧନ ଦାନ ॥୭୭
ସେ ପୁଣି ଯମୁନାର ତୀରେ । ଅଷ୍ଟସପ୍ତତି ଯଜ୍ଞ କରେ ॥୭୮
ଅଗ୍ନିକୁ ବିଧିରେ ତୋଷିଲା । ବ୍ରାହ୍ମଣେ ଧେନୁଦାନ ଦେଲା ॥୭୯
ଏମନ୍ତ ନୃପ ଏକାବେଳେ । ଶତେ ତେତିଶ ଯଜ୍ଞ କଲେ ॥୮୦
ତେର ସହସ୍ର ଚଉରାଶୀ । ଧେନୁ ଉତ୍ସ›ର୍ଗି ବିପ୍ରେ ତୋଷି ॥୮୧
ସହସ୍ର ସହସ୍ର ବ୍ରାହ୍ମଣ । ଯଜ୍ଞେ ପାଇଲେ ଗୋରୁଦାନ ॥୮୨
ଚଉଦ ନିୟୁତ ଯେ ହସ୍ତୀ । ସେ ଯଜ୍ଞେ ଦେଲାକ ନୃପତି ॥୮୩
ତେତିଶ ଶତ ଅଶ୍ୱ ଦେଲା । ସେ ପୁଣି ଦୁଷ୍ମନ୍ତର ବଳା ॥୮୪
ଅନେକ ଦାନ ଯଜ୍ଞମତେ । ଧେନୁ କାଞ୍ଚନ ବସ୍ତ୍ର ଯୁକ୍ତେ ॥୮୫
ଭରତ କର୍ମକଲା ଯେତେ । ନୋହିବ ଭୂତ-ଭବିଷ୍ୟତେ ॥୮୬
କିରାତ ହୁଣ ଯେ ଯବନ । ପୌଣ୍ତ୍ରକ କଙ୍କ ରାଜାଗଣ ॥୮୭
ଶକ ଖଗାଦି ମ୍ଲେଚ୍ଛ ଯେତେ । ସବୁ ଛେଦିଲା ଏ ଜଗତେ ॥୮୮
ପୂର୍ବେ ଯେ ଦାନବ ସକଳେ । ଦେବଗଣଙ୍କୁ ଜିଣି ବଳେ ॥୮୯
ଦେବାଙ୍ଗନାଙ୍କୁ ହରି ନେଇ । ପାତାଳେ ଲୁଚିଥିଲେ ଯାଇ ॥୯୦
ଭରତ ସେମାନଙ୍କୁ ମାରି । ପାତାଳୁ ଆଣିଲା ଉଦ୍ଧରି ॥୯୧
ଭରତରାଜା ରାଜ୍ୟକାଳେ । ପୃଥିବୀ ସ୍ୱର୍ଗ ଏକତୁଲେ ॥୯୨
ପୃଥିବୀ ସର୍ବଶସ୍ୟ ଦେଲା । ଯେଣୁ ଅନେକ ଯଜ୍ଞ କଲା ॥୯୩
ପ୍ରଜାଙ୍କ ଅଭିଳାଷମାନ । ସମସ୍ତ କଲା ସମ୍ପାଦନ ॥୯୪
ସପ୍ତବିଂଶତି ଯେ ସହସ୍ର । ବତ୍ସ›ର ପାଳିଲାକ ଦେଶ ॥୯୫
ସୈନ୍ୟ ସମ୍ପତ୍ତି ନିଜ ପ୍ରାଣ । ସମସ୍ତ କଲା ମିଥ୍ୟାଜ୍ଞାନ ॥୯୬
ଏବେ ହୋ ଶୁଣ ନରନାଥ । ଭରତ ରାଜାର ଚରିତ ॥୯୭
ସେହି ରାଜାର ତିନି ନାରୀ । ପୁତ୍ରମାନଙ୍କୁ ଜାତ କରି ॥୯୮
ରାଜା ବୋଲଇ ପୁତ୍ରେ ଚାହିଁ । ମୋ’ ପୁତ୍ର ପରି ନ ଦିଶଇ ॥୯୯
ବ୍ୟଭିଚାରିଣୀ ଭୟେ ନାରୀ । ବାଳ-ପୁତ୍ରଙ୍କୁ ବଧ କରି ॥୧୦୦
ଦେଖି ସେ ରାଜବଂଶ ହତ । ଅତ୍ୟନ୍ତ ହୋଇଲା ଦୁଃଖିତ ॥୧୦୧
ମୋହର ଅନୁରୂପ ପୁତ୍ର । କେଉଁ ଉପାୟେ ହେବ ଜାତ ॥୧୦୨
ଏମନ୍ତ ମନେ ବିଚାରିଲା । ମରୁତ ସୋମଯାଗ କଲା ॥୧୦୩
ମରୁତଗଣ ତୁଷ୍ଟ ହେଲେ । ରାଜାଙ୍କୁ ପୁତ୍ରଦାନ ଦେଲେ ॥୧୦୪
ସେ ପୁତ୍ର ନାମ ଭରଦ୍ୱାଜ । ପୂର୍ବେ ସେ ଉତଥ୍ୟକ୍ଷେତ୍ରଜ ॥୧୦୫
ଏବେ ହୋ ଶୁଣ ନରନାଥ । ସେ ଭରଦ୍ୱାଜଙ୍କ ଚରିତ ॥୧୦୬
ଭ୍ରାତୃବଧୂ ଯେ ଗର୍ଭବତୀ । ପୂର୍ବେ ରମିଲେ ବୃହସ୍ପତି ॥୧୦୭
ମୈଥୁନେ ହୁଅନ୍ତେ ପ୍ରବୃତ୍ତ । ଅଜ୍ଞାନ କାମେ ହୋଇ ମତ୍ତ ॥୧୦୮
ଗର୍ଭେ ଯେ ଶିଶୁ ତା’ର ଥିଲା । ବୃହସ୍ପତିଙ୍କି ନିଷେଧିଲା ॥୧୦୯
ବଳାତ୍କାରେଣ ବୃହସ୍ପତି । ବୀର୍ଯ୍ୟଆଧାନ କଲେ ତଥି ॥୧୧୦
ଗର୍ଭ-ବାଳକ ପଦାଘାତେ । ବୀର୍ଯ୍ୟ ପଡ଼ିଲା ଭୂମିଗତେ ॥୧୧୧
ତେଣୁ ସେ ଲଜ୍ଜିତ ହୋଇଲେ । ଗର୍ଭ-ଶିଶୁକୁ ଶାପ ଦେଲେ ॥୧୧୨
ମୋ’ ବୀର୍ଯ୍ୟ ଯେଣୁ କଲୁ ରୋଧ । ତେଣୁ ତୁ ହୁଅ ଜନ୍ମ ଅନ୍ଧ ॥୧୧୩
ତକ୍ଷଣେ ପୁତ୍ର ହେଲା ଜାତ । ତା’ ଦେଖି ତା’ ମାତା ଚକିତ ॥୧୧୪
ତହୁଁ ଯେ ଭରଦ୍ୱାଜ ଜାତ । ତାହାଙ୍କୁ ପାଳିଲେ ମରୁତ ॥୧୧୫
ଭରତ-ଯଜ୍ଞେ ତୋଷ ହେଲେ । ସେ ପୁତ୍ର ଏବେ ତା’କୁ ଦେଲେ ॥୧୧୬
ଭରତ କର୍ମ ଶୁଣି ପ୍ରାଣୀ । ତରିବେ ଭବ-ତରଙ୍ଗିଣୀ ॥୧୧୭
କହିଲା ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ବିଂଶୋଽଧ୍ୟାୟଃ । ।

ଏକବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁକ କହନ୍ତି ଜ୍ଞାନଭାବେ । ଭରତବଂଶ ଶୁଣ ଏବେ ॥୧
ଭରଦ୍ୱାଜ ତା’ ଦତ୍ତପୁତ୍ର । ଏଣୁ ବିତଥ ନାମେ ଖ୍ୟାତ ॥୨
ବିତଥ ପୁତ୍ର ମନ୍ୟୁଜାତ । ତା’ ସୁତ ଜୟ ବୃହତ୍ କ୍ଷତ୍ର ॥୩
ତୃତୀୟେ ମହାବୀର୍ଯ୍ୟେ ନାମ । ଚତୁର୍ଥେ ନର ହେଲା ଜନ୍ମ ॥୪
ପଞ୍ଚମ ଗର୍ଭ ନାମେ ଖ୍ୟାତ । ଏମନ୍ତେ ହେଲେ ପଞ୍ଚସୁତ ॥୫
ନରର ତନୟ ସଂସ୍କୃତି । ତାହାର ଦୁଇଟି ସନ୍ତତି ॥୬
ପ୍ରଥମ ଗୁରୁ ନାମେ ଖ୍ୟାତ । ରନ୍ତିଦେବ ଦ୍ୱିତୀୟ ସୁତ ॥୭
ଯା’ ଯଶ ଇହ-ପରଲୋକେ । ବିପ୍ରେ କହନ୍ତି ଏକେ ଏକେ ॥୮
ସ୍ୱଧର୍ମେ ଧନ ଲଭେ ଯେତେ । ନିତ୍ୟେ ଭୁଞ୍ଜାଏ ବୁଭୁକ୍ଷିତେ ॥୯
ନିରତେ ଅକିଞ୍ଚନ ପ୍ରିୟ । କୁଟୁମ୍ବେ ନ କରଇ ସ୍ନେହ ॥୧୦
କୁଟୁମ୍ବ କ୍ଳେଶେ ଦିନ ବଞ୍ଚେ । ଅତିଥି ଅର୍ଥେ ଧନ ସଞ୍ଚେ ॥୧୧
ଘୃତ ପାୟସ ରସ ପାଣି । ନିତ୍ୟେ ପ୍ରୀତିରେ ସଞ୍ଚେ ଆଣି ॥୧୨
ଅତିଥି ଅର୍ଥେ ଧନ ସଞ୍ଚେ । କ୍ଷୁଧାର୍ତ୍ତ ଦେହେ ଗୃହେ ବଞ୍ଚେ ॥୧୩
ନିତ୍ୟେ ସଞ୍ଚଇ ପ୍ରାତଃକାଳେ । ଯେବା ମିଳଇ ଯେତେବେଳେ ॥୧୪
ତେଣୁ ସେ ହୋଇ ଧନହୀନ । କଷ୍ଟରେ ବଞ୍ଚୁଥାଇ ଦିନ ॥୧୫
କ୍ଷୁାଧାର୍ତ୍ତ ହୋଇ ବଞ୍ଚେ ନିତ୍ୟେ । କୁଟୁମ୍ବଗଣଙ୍କ ସହିତେ ॥୧୬
ଅନ୍ନ ଅଭାବେ ତନୁ କ୍ଷୀଣ । ହେଲେ କୁଟୁମ୍ବେ ଅବସନ୍ନ ॥୧୭
ଅଠଚାଳିଶ ଦିନ ଗଲା । ଜଳମାତ୍ର ସେ ନ ପାଇଲା ॥୧୮
କ୍ଷୁଧାରେ କମ୍ପେ କଳେବର । ଜୀର୍ଣ୍ଣ ହୋଇଲା ତା’ ଶରୀର ॥୧୯
ଶୁଣ ରାଜନ ଶୁଦ୍ଧମନେ । ତା’ର ମନ୍ଦିରେ ଏକଦିନେ ॥୨୦
ବିପ୍ର ମିଳିଲା ସନ୍ଧ୍ୟାକାଳେ । ତା’ର ଅତିଥି ପୂଜାବେଳେ ॥୨୧
ଆନନ୍ଦେ ଭିକ୍ଷା ତା’କୁ ଦେଲା । ତା’ ଅନ୍ତେ ଶୂଦ୍ରେକ ମିଳିଲା ॥୨୨
ଯେ ଅବା ଅବଶେଷ ଅନ୍ନ । କୁଟୁମ୍ବ କରନ୍ତେ ଭୋଜନ ॥୨୩
ତାହାକୁ ବିଷ୍ଣୁ ପ୍ରାୟେ ମଣି । ବେଗେ ସେ ଭିକ୍ଷାଦେଲା ଆଣି ॥୨୪
ସେ ପୁଣି ଗୃହେ ଭୁଞ୍ଜି ଯା’ନ୍ତେ । ଶବର ଶ୍ୱାନର ସଙ୍ଗତେ ॥୨୫
ଦ୍ୱାରେ ମିଳିଲା ରାତ୍ରେ ଆସି । ବୋଲଇ ତା’ର ଦ୍ୱାରେ ବସି ॥୨୬
ଭୋ ରାଜା ଭିକ୍ଷା ଦିଅ ମୋତେ । ଭୁଞ୍ଜିବି ଶ୍ୱାନର ସଙ୍ଗତେ ॥୨୭
ଯେବା କୁଟୁମ୍ବ ଅର୍ଥେ ଥିଲା । ତକ୍ଷ୍‌ଣେ ତା’ର ହସ୍ତେ ଦେଲା ॥୨୮
ଶ୍ୱାନ ସମେତ ଅନ୍ନ ଖାଇ । ସେ ପୁଣି ଯା’ନ୍ତେ ତୋଷ ହୋଇ ॥୨୯
ଥିଲାକ ଜଳ ମାତ୍ର ଶେଷ । ଜଳେ ହୋଇବ ଜଣେ ତୋଷ ॥୩୦
ତାହାକୁ ଛଳିବା ନିମନ୍ତେ । ବିଷ୍ଣୁ ମିଳିଲେ ଜଳ ଅର୍ଥେ ॥୩୧
ବୋଇଲେ ଜାତି ମୋ’ ଚଣ୍ତାଳ । କର ପ୍ରଦାନ ମୋତେ ଜଳ ॥୩୨
କ୍ଷୁଧାରେ ଅତିଥି କାତର । କମ୍ପଇ ତା’ର କଳେବର ॥୩୩
ତା’ଠାରେ ଅତି ଦୟାବହି । ଅମୃତମୟ ବାକ୍ୟ କହି ॥୩୪
ଜଗଦୀଶ୍ୱରଠାରେ ମୁହିଁ । ଏମନ୍ତ ପ୍ରାର୍ଥନା କରଇ ॥୩୫
ଅଣିମା ଆଦି ନିଧି ଯେତେ । ମୁକ୍ତି ମୁଁ ନ ଇଚ୍ଛଇ ଚିତ୍ତେ ॥୩୬
ପ୍ରାଣୀର ଦୁଃଖରେ ଦୁଃଖିତ । ସର୍ବଦା ହେଉ ମୋ’ର ଚିତ୍ତ ॥୩୭
ହେ ପ୍ରଭୁ ମୋତେ ଦୟାକର । ମୁଁ କରେ ଲୋକ ଉପକାର ॥୩୮
ଏମନ୍ତେ ସ୍ତୁତିବାକ୍ୟ କହି । ସେ ରନ୍ତିଦେବ ନରସାଇଁ ॥୩୯
କ୍ଷୁଧା ତୃଷ୍ଣାରେ ହୋଇ ଶ୍ରାନ୍ତ । ଦେହ ଘୂର୍ଣ୍ଣନେ ଅତିକ୍ଳାନ୍ତ ॥୪୦
ତଥାପି ଦୁଃଖ ନ ବିଚାରି । ଶୋକ ବିଷାଦ ପରିହରି ॥୪୧
ପୁକ୍କଶ ଜୀବନ ଧାରଣେ । ଉପାୟ ଚିନ୍ତିଲାକ ମନେ ॥୪୨
ଯେ ଥିଲା ତା’ର ଜଳଅନ୍ନ । ପୁକ୍କଶେ କଲା ସମର୍ପଣ ॥୪୩
ନିଜେ ସେ ମୃତ ପ୍ରାୟେ ହେଲା । ତଥାପି ଅତିଥି ପୂଜିଲା ॥୪୪
ଏମନ୍ତେ ତା’ର ଭାବ ଚାହିଁ । ସନ୍ତୋଷ ଚିତ୍ତେ ଭାବଗ୍ରାହୀ ॥୪୫
ବୋଇଲେ ଅତି ଦୟାଚିତ୍ତେ । ତୋ’ ଯଶ ରହୁ ଏ ଜଗତେ ॥୪୬
ଅନ୍ତେ ପାଇବୁ ମୋତେ ତୁହି । ଏମନ୍ତେ ବିଷ୍ଣୁ ବର ଦେଇ ॥୪୭
ଶୂନ୍ୟେ ଯେ ଗଲେ ଚକ୍ରଧର । ଏବେ ହୋ ଶୁଣ ନୃପବର ॥୪୮
ଦେଖି ତାହାର ଧୈର୍ଯ୍ୟପଣ । ବାସବ ଆଦି ଦେବଗଣ ॥୪୯
ସମ୍ମୁଖେ ତାହାର ମିଳିଲେ । ଆପଣା ମାୟା ଦୂର କଲେ ॥୫୦
ସନ୍ତୋଷେ ତା’ର ମୁଖ ଚାହିଁ । କହନ୍ତି ଶୁଣ ନରସାଇଁ ॥୫୧
ବ୍ରାହ୍ମଣ ଆଦି ବେଶ ଯେତେ । ମାୟାରେ ଦେଖାଇଲୁ ତୋତେ ॥୫୨
ତୋହର ଧୈର୍ଯ୍ୟପଣ ଦେଖି । ଆମ୍ଭେ ଅତ୍ୟନ୍ତ ହେଲୁ ସୁଖୀ ॥୫୩
ଦେବଙ୍କ ବାକ୍ୟ ଶୁଣି ରାଜା । ପ୍ରଣାମ କରି କଲା ପୂଜା ॥୫୪
କିଛି ହିଁ ତା’ଙ୍କୁ ନମାଗିଲା । ହରିଙ୍କ ପାଦେ ଚିତ୍ତ ଦେଲା ॥୫୫
ଏବେ ହୋ ଶୁଣ ନୃପବର । ସେ ରନ୍ତିଦେବ ନରେଶ୍ୱର ॥୫୬
ସେ ବାସୁଦେବଙ୍କ ଚରଣେ । ଚିତ୍ତ ନିବେଶି ଅନୁକ୍ଷଣେ ॥୫୭
ସର୍ବ ବିଷୟ କଲା ତ୍ୟାଗ । ଚିତ୍ତରେ ଜନ୍ମାଇ ବୈରାଗ୍ୟ ॥୫୮
ମାୟା ତାହାକୁ ନ ଲାଗିଲା । ଯେଣୁ ଈଶ୍ୱରେ ଚିତ୍ତ ଦେଲା ॥୫୯
ତାହାର ନିଜ ଆତ୍ମଜନ । ସକଳେ ବିଷ୍ଣୁପାଦେ ମଗ୍ନ ॥୬୦
ପରମଯୋଗ ସେ ଲଭିଲେ । ପରଂବ୍ରହ୍ମରେ ଲୀନ ହେଲେ ॥୬୧
ଗର୍ଗଙ୍କ ଠାରୁ ଶିନି ଜାତ । ଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର ॥୬୨
କ୍ଷତ୍ରିୟ ହୋଇ ଦ୍ୱିଜ ହେଲେ । ତପସ୍ୟା-ଆରାଧନା ଫଳେ ॥୬୩
ମନ୍ୟୁ-ନୃପର ଆର ପୁତ୍ର । ଯା’ ନାମ ମହାବୀର୍ଯ୍ୟ ଖ୍ୟାତ ॥୬୪
ତାହାର ହୋଇଲା କୁମର । ଦୁରିତକ୍ଷୟ ନାମ ତା’ର ॥୬୫
ତା’ଠାରୁ କବି ତ୍ରୟାରୁଣି । ପୁଷ୍କରାରୁଣି ପୁତ୍ର ତିନି ॥୬୬
ସେ ତିନିଜଣ ତପବଳେ । ବ୍ରାହ୍ମଣ ଭାବକୁ ବହିଲେ ॥୬୭
ମନ୍ୟୁର ଯେହୁ ପଞ୍ଚପୁତ୍ର । ଜ୍ୟେଷ୍ଠ ତହିଁରେ ବୃହତ୍‌କ୍ଷତ୍ର ॥୬୮
ହସ୍ତୀ ଯେ ତାହାର କୁମର । ବସାଇ ହସ୍ତିନା ନଗର ॥୬୯
ହସ୍ତୀର ହେଲେ ତିନିସୁତ । ଦ୍ୱିମୀଢ଼ ଅଜମୀଢ଼ ଖ୍ୟାତ ॥୭୦
ଅପର ପୁରୁମୀଢ଼ ଘେନି । ଏମନ୍ତେ ହେଲେ ପୁତ୍ର ତିନି ॥୭୧
ପ୍ରିୟ ମେଧାଦି ଦ୍ୱିଜଗଣ । ଅଜମୀଢ଼ ବଂଶେ ଉତ୍ପନ୍ନ ॥୭୨
ବୃହଦିଷୁ ଅଜମୀଢ଼ର । ତା’ ସୁତ ବୃହଦ୍ଧନୁ ବୀର ॥୭୩
ତା’ର କୁମର ବୃହତ୍‌କାୟ । ଜୟଦ୍ରଥ ତା’ର ତନୟ ॥୭୪
ବିଶଦ ତା’ର ବୀର୍ଯ୍ୟେ ଜାତ । ତା’ର ତନୟ ସେନଜିତ ॥୭୫
ସେନଜିତରୁ ରୁଚିରାଶ୍ୱ । ବ›ତ୍ସ ଯେ ଦୃଢ଼ହନୁ କାଶ୍ୟ ॥୭୬
ରୁଚିରାଶ୍ୱର ପୁତ୍ର ପାର । ପୃଥୁସେନ ତା’ର କୁମର ॥୭୭
ପାରର ନୀପ ନାମେ ପୁତ୍ର । ତାହାର ହେଲେ ଶତେ ସୁତ ॥୭୮
ଶୁକ କନ୍ୟା କୃତି ଗର୍ଭରେ । ସେ ଏକପୁତ୍ର ଲାଭ କରେ ॥୭୯
ଯାହାର ନାମ ବ୍ରହ୍ମଦତ୍ତ । ଯେ ନିତ୍ୟେ ଯୋଗଜ୍ଞାନେ ରତ ॥୮୦
ତାହାର ପତ୍ନୀ ସରସ୍ୱତୀ । ବିଷ୍ୱକ୍ସେନ୍ ତା’ର ସନ୍ତତି ॥୮୧
ସେ ବିଷ୍ୱକ୍ସେନ୍ ଯୋଗ କଲା । ଜୈଗୀଷବ୍ୟଙ୍କୁ ଆରାଧିଲା ॥୮୨
ଯୋଗଶାସ୍ତ୍ରର ତନ୍ତ୍ରମାନ । ଅନେକ କଲା ପ୍ରଣୟନ ॥୮୩
ତାହାର ସୁତ ଉଦ୍‌କସ୍ୱନ । ଭଲ୍ଲାଟ ତା’ଠାରୁ ଜନମ ॥୮୪
ବୃହଦିଷୁର ବଂଶ ଏତେ । କହିଲୁ ତୋହର ଅଗ୍ରତେ ॥୮୫
ଏବେ ତୁ ଶୁଣ ନରନାଥ । ଦ୍ୱିମୀଢ଼ ବଂଶର ଚରିତ ॥୮୬
ଦ୍ୱିମୀଢ଼ ପୁତ୍ର ଯବୀନର । କୃତ୍ତିମାନ ତା’ର କୁମର ॥୮୭
ସତ୍ୟଧୃତି ତା’ର ନନ୍ଦନ । ଦୃଢ଼ନେମି ତା ତହୁଁ ଜନ୍ମ ॥୮୮
ସୁପାର୍ଶ୍ୱ ତାହାର କୁମର । ସୁମତି ନାମେ ସୁତ ତା’ର ॥୮୯
ତା’ର ସୁତ ସନ୍ନତିମାନ । କୃତି ଯେ ତାହାର ନନ୍ଦନ ॥୯୦
ହିରଣ୍ୟନାଭ ତହୁଁ ଦୀକ୍ଷା । ପାଇ ଯେ ଯୋଗ କଲା ଶିକ୍ଷା ॥୯୧
ପ୍ରାଚ୍ୟ ସାମସଂହିତା ମାନ । କୃତି ତା’ କଲା ଭିନ୍ନଭିନ୍ନ ॥୯୨
ସଂହିତା ଷଡ଼ଭାଗ କଲା । ଶିଷ୍ୟପ୍ରଶିଷ୍ୟେ ଶିକ୍ଷା ଦେଲା ॥୯୩
ଉଗ୍ରାୟୁଧ କୃତି ନନ୍ଦନ । କ୍ଷେମ୍ୟ ତା’ ତହୁଁ ହେଲା ଜନ୍ମ ॥୯୪
ସୁବୀର କ୍ଷେମ୍ୟର ତନୟ । ତାହାର ପୁତ୍ର ରିପୁଞ୍ଜୟ ॥୯୫
ବହୁରଥ ଯେ ତା’ର ସୁତ । ଦ୍ୱିମୀଢ଼ ବଂଶେ ଏତେ ଖ୍ୟାତ ॥୯୬
ପୁରୁମୀଢ଼ ଯେ ନିଃସନ୍ତାନ । ଅଜମୀଢ଼ର ବଂଶ ଶୁଣ ॥୯୭
ନଳିନୀ ପତ୍ନୀ ଗର୍ଭେ ତା’ର । ନୀଳ ନାମେ ହେଲା କୁମର ॥୯୮
ନୀଳର ପୁତ୍ର ନାମ ଶାନ୍ତି । ତା’ଠାରୁ ଜନମ ସୁଶାନ୍ତି ॥୯୯
ସୁଶାନ୍ତି ତନୟ ପୁରୁଜ । ଅର୍କ ଯେ ତାହାର ତନୁଜ ॥୧୦୦
ଭର୍ମ୍ୟାଶ୍ୱ ତାହାର ନନ୍ଦନ । ପୁତ୍ର ତାହାର ପାଞ୍ଚଜଣ ॥୧୦୧
ମୁଦଗ୍‌ଲ ଯବନୀର ବେନି । ବୃହଦିଷୁ କାମ୍ପିଲ୍ୟ ଘେନି ॥୧୦୨
ଆବର ସଞ୍ଜୟ ସହିତେ । ଏ ରୂପେ ହେଲେ ପଞ୍ଚ ସୂତେ ॥୧୦୩
ପଞ୍ଚବିଷୟେ ସେ ସମର୍ଥ । ତେଣୁ ପାଞ୍ଚାଳ ନାମେ ଖ୍ୟାତ ॥୧୦୪
ମୁଦଗ୍‌ଲ ତହୁଁ ହେଲା ଖ୍ୟାତ । ମୌଦ୍‌ଗଲ୍ୟ ବ୍ରହ୍ମଣଙ୍କ ଗୋତ୍ର ॥୧୦୫
ମୁଦଗ୍‌ଲ ତହୁଁ ଉତ୍ତପନ୍ନ । ହୋଇଲେ ଯମଜ ସନ୍ତାନ ॥୧୦୬
ମୁଦଗ୍‌ଲ ପୁତ୍ର କନ୍ୟା ଦେଖି । ଅତ୍ୟନ୍ତ ହୋଇଲାକ ସୁଖୀ ॥୧୦୭
ମୁଦଗ୍‌ଲ ପୁତ୍ର ଦିବୋଦାସ । କନ୍ୟାଏ ଅହଲ୍ୟା ପ୍ରକାଶ ॥୧୦୮
ଗୌତମ ହେଲେ ତା’ର ପତି । ଶତାନନ୍ଦ ତା’ର ସନ୍ତତି ॥୧୦୯
ସତ୍ୟଧୃତି ତାହାର ସୁତ । ସେ ଧନୁର୍ବେଦେ ସୁପଣ୍ତିତ ॥୧୧୦
ତା’ର କୁମର ଶରଦ୍ୱାନ । ଅତି ସୁନ୍ଦର ବିଦ୍ୟମାନ ॥୧୧୧
ଉର୍ବଣୀ ଦେଖି ବନଦେଶେ । ତାହାର ରେତ କାମବଶେ ॥୧୧୨
ଧରି ନ ପାରି ରେତ ଦମ୍ଭେ । ତକ୍ଷଣେ ପଡ଼େ ଶର ଖମ୍ବେ ॥୧୧୩
ପୁତ୍ର ଦୁହିତା ହୋଇ ଜାତ । ବନେ ହୋଇଲେ ଅରକ୍ଷିତ ॥୧୧୪
ଏମନ୍ତେ ପାହିଲା ରଜନୀ । ଶାନ୍ତନୁ କରେ ଧନୁ ଘେନି ॥୧୧୫
ମୃଗୟା ଅର୍ଥେ ବନେ ଗଲା । ସେ କନ୍ୟାପୁତ୍ରଙ୍କୁ ଦେଖିଲା ॥୧୧୬
ମନ ସନ୍ଦେହେ ବିଚାରଇ । ଅଦ୍ଭୁତ କନ୍ୟାପୁତ୍ର ଏହି ॥୧୧୭
କିଏ କାହାର କନ୍ୟା ସୁତେ । ବନେ ଅଛନ୍ତି ଅରକ୍ଷିତେ ॥୧୧୮
ଏମନ୍ତେ ଚିତ୍ତେ କୃପା କରି । କନ୍ୟାକୁମର କୋଳେ ଧରି ॥୧୧୯
ମନ୍ଦିରେ ମିଳି ସେ ରାଜନ । କନ୍ୟା କୁମରେ ଦେଲା ନାମ ॥୧୨୦
କୃପାବଶରୁ କୃପ ନାମ । ଅତି ସୁନ୍ଦର ଅନୁପମ ॥୧୨୧
କନ୍ୟାର ନାମ କୃପୀ ଦେଲା । ଦ୍ରୋଣେ ତାହାକୁ ବିଭା କଲା ॥୧୨୨
ଶୁଣ ସୁଜନେ ଏକଚିତ୍ତେ । ସଂସାରୁ ତରିବ ଯେମନ୍ତେ ॥୧୨୩
କୃଷ୍ଣଚରିତ ଅନୁସର । ଦୁର୍ଲ୍ଲଭ ମନୁଷ୍ୟ ଶରୀର ॥୧୨୪
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୨୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଏକବିଂଶୋଽଧ୍ୟାୟଃ । ।

ଦ୍ୱାବିଂଶ ଅଧ୍ୟାୟ

ବ୍ୟାସକୁମର ଅତି ତୋଷେ । କହନ୍ତି ପରୀକ୍ଷିତ ପାଶେ ॥୧

ଶୁକ ଉବାଚ

ମିତ୍ରାୟୁ ଦିବୋଦାସ ସୁତ । ଚ୍ୟବନ ତା’ର ତହୁଁ ଜାତ ॥୨
ସୁଦାସ ତାହାର ନନ୍ଦନ । ତା’ ସୁତ ସହଦେବ ଘେନ ॥୩
ସୋମକ ସହଦେବ ସୁତ । ତା’ ବୀର୍ଯ୍ୟୁ ହେଲେ ଶତେପୁତ୍ର ॥୪
ତାହାଙ୍କ ମଧ୍ୟେ ଜନ୍ତୁ ଜ୍ୟେଷ୍ଠ । ପୃଷତ ଅଟଇ କନିଷ୍ଠ ॥୫
ଦ୍ରୁପଦ ତାହାର ନନ୍ଦନ । ତା’ର ତନୟ ଧୃଷ୍ଟଦ୍ୟୁମ୍ନ ॥୬
ଦ୍ରୌପଦୀ କନ୍ୟା ତା’ଙ୍କ ଘରେ । ସେ ଆଦିଶକ୍ତି ଜନ୍ମାନ୍ତରେ ॥୭
ସେ ଧୃଷ୍ଟଦ୍ୟୁମ୍ନଙ୍କର ରେତୁଁ । ଜନ୍ମ ଲଭିଲେ ଧୃଷ୍ଟକେତୁ ॥୮
ଭର୍ମ୍ୟାଶ୍ୱ ବଂଶେ ଏତେ ଜାତ । ପାଞ୍ଚାଳ ନାମେ ହେଲେ ଖ୍ୟାତ ॥୯
ପାଞ୍ଚାଳ ଦେଶ ରାଜା ପଣେ । ପ୍ରଜା ପାଳିଲେ ଶୁଭକ୍ଷଣେ ॥୧୦
ଅଜମୀଢ଼ର ସୁତ ରକ୍ଷ । ତହୁଁ ସମ୍ବରଣ ପ୍ରତ୍ୟକ୍ଷ ॥୧୧
ସେ ପୁଣି କାଳିନ୍ଦୀର ଜଳେ । ସୂର୍ଯ୍ୟର କନ୍ୟା ସଙ୍ଗମେଳେ ॥୧୨
କୁରୁ ହୋଇଲା ତା’ର ବଂଶେ । ଏ କଥା ଶୁଣିଛୁ ଭବିଷ୍ୟେ ॥୧୩
କୁରୁର ପୁତ୍ର ହୋଏ ଚାରି । ପରୀକ୍ଷିତ ସୁଧନୁ ଆହୁରି ॥୧୪
ଜହ୍ନୁ ନିଷଧାଶ୍ୱ ସହିତେ । ଏ ରୂପେ ହେଲେ ଚାରିସୂତେ ॥୧୫
ସୁହୋତ୍ର ସୁଧନୁ ନନ୍ଦନ । ତାହାର ସୁତ ଯେ ଚ୍ୟବନ ॥୧୬
ଚ୍ୟବନ ସୁତ କୃତୀ ନାମ । ବସୁ ତାହାର ବୀର୍ଯ୍ୟେ ଜନ୍ମ ॥୧୭
ବସୁ ତନୟ ବୃହଦ୍ରଥ । କୁଶାମ୍ବ ଦ୍ୱିତୀୟ ଯେ ପୁତ୍ର ॥୧୮
ମ›ତ୍ସ୍ୟ ତୃତୀୟ ପୁତ୍ର ହୁଏ । ପ୍ରତ୍ୟଗ୍ର ଚତୁର୍ଥ ବୋଲାଏ ॥୧୯
ଚେଦିପ ଆଦି ବହୁ ଭ୍ରାତ । ଉପରିଚର ବସୁ ପୁତ୍ର ॥୨୦
କୁଶାଗ୍ର ବୃହଦ୍ରଥ ସୁତ । ଋଷଭ ତା’ର ତହୁଁ ଜାତ ॥୨୧
ଋଷଭ ପୁତ୍ର ସତ୍ୟହିତ । ପୁଷ୍ପବାନ ଯେ ତା’ର ସୁତ ॥୨୨
ବୃହଦ୍ରଥର ବେନିନାରୀ । ଦୁର୍ବାସା ପାଦେ ସେବା କରି ॥୨୩
ଗର୍ଭର ଅର୍ଥେ ଚ୍ୟୁତ ଫଳ । ବାଣ୍ଟି ଖାଇଲେ ବେନିଫାଳ ॥୨୪
ଋଷି ବଚନେ ତା’ଙ୍କ ବାଳେ । ଜନ୍ମ ହୋଇଲେ ବେନି ଫାଳେ ॥୨୫
ଜୀବନ ନାହିଁ ତା’ଙ୍କ ଦେହେ । କେ ଛାଡ଼ି ପାରି ପୁତ୍ର ସ୍ନେହେ ॥୨୬
ନିଶି ପର୍ଯ୍ୟନ୍ତେ କୋଳେ ବହି । ଶ୍ମଶାନେ ପକାଇଲେ ନେଇ ॥୨୭
ଏମନ୍ତେ ଶୁଣ ନରନାଥ । ଜରାରାକ୍ଷସୀ ଉପଗତ ॥୨୮
କ୍ଷୁଧା-ପୀଡ଼ନେ ଦେଶବନେ । ବୁଲଇ ଦୁର୍ଗମ ଶ୍ମଶାନେ ॥୨୯
ସ୍ୱଭାବେ ନରମାଂସ ଖାଇ । ଶ୍ମଶାନେ ମିଳିଲାକ ଯାଇ ॥୩୦
ଆନନ୍ଦେ ବେନିଖଣ୍ତ ଧରି । କ୍ଷେପନ୍ତେ ବଦନ ବିସ୍ତାରି ॥୩୧
ଦେଖେ ବାଳକ ବେନିଖଣ୍ତ । ତେଜେ ବିରାଜେ ମାରତଣ୍ତ ॥୩୨
ବେନିଫାଳକୁ ଏକ କଲା । ସ୍ୱମନ୍ତ୍ରେ ଜୀବନ୍ୟାସ ଦେଲା ॥୩୩
ଡାକଇ ଜୀବ ଜୀବ ରାବେ । ସେ ବେନିଖଣ୍ତ ଏକଭାବେ ॥୩୪
ତକ୍ଷଣେ କୁମର ହୋଇଲା । ସୁନ୍ଦରେ ଜଗତ ମୋହିଲା ॥୩୫
ପୁଣି ସେ ତା’ର ମୁଖ ଚାହିଁ । ବୋଲଇ ଶିରେ ହସ୍ତ ଦେଇ ॥୩୬
ଅଜୟ ହୁଅ ନରଲୋକେ । ଅନେକ ରାଜା ଜିଣି ଏକେ ॥୩୭
ଯେ ତୋତେ କରି ବେନିଫାଳ । କ୍ଷେପିବ ଭୂମି ଅନ୍ତରାଳ ॥୩୮
ଖଣ୍ତେ ପଡ଼ିବ ସିନ୍ଧୁଜଳେ । ଦହିବ ବଡ଼ବା ଅନଳେ ॥୩୯
ତେବେ ପୂରିବ କାଳ ତୋ’ର । ଏବେ ତୁ ଅଜର ଅମର ॥୪୦
ଏମନ୍ତେ ଅସୁରୀ ସାଧନେ । ସେ ଜରାସନ୍ଧ ଅନୁଦିନେ ॥୪୧
ଅନେକ ରାଜ୍ୟ ଭୋଗ କଲା । ଅନ୍ତେ ଭୀମର ହସ୍ତେ ମଲା ॥୪୨
ତା’ର କୁମର ସହଦେବ । ତା’ ବୀର୍ଯ୍ୟେ ସୋମାପି ସମ୍ଭବ ॥୪୩
ଶ୍ରୁତଶ୍ରବା ତାହାର ବଳା । ପରୀକ୍ଷିତ ନିଃସନ୍ତାନ ଥିଲା ॥୪୪
ଜହ୍ନୁର ତନୟ ସୁରଥ । ତା’ର ତନୟ ବିଦୁରଥ ॥୪୫
ତା’ର କୁମର ସାର୍ବଭୌମ । ତା’ ତେଜେ କେହି ନୋହେ ସମ ॥୪୬
ତା’ର କୁମର ଜୟସେନ । ରାଧିକ ତାହାର ନନ୍ଦନ ॥୪୭
ତା ଠାରୁ ଅତାୟୁ ହୋଏ । ଅକ୍ରୋଧନ ତା’ର ତନୟେ ॥୪୮
ତା’ର କୁମର ଦେବାତିଥି । ଋଷ୍ୟ ତା’ ତହୁଁ ଉତ୍‌ପତ୍ତି ॥୪୯
ତାହାର ଆତ୍ମଜ ଦିଲୀପ । ତା’ ପୁତ୍ର ନାମଟି ପ୍ରତୀପ ॥୫୦
ପ୍ରତୀପ ବୀର୍ଯ୍ୟେ ପୁତ୍ର ତିନି । ହୋଇଲେ ନିଜରୂପ ଘେନି ॥୫୧
ଦେବାପି ଶାନ୍ତନୁ ବାହ୍ଲୀକ । ସ୍ୱଭାବେ ସୁଜ୍ଞାନୀ ବିବେକ ॥୫୨
ଦେବାପି ପୂର୍ବଜାତି ସ୍ମରି । ରାଜ୍ୟେ ନୋହିଲା ଅଧିକାରୀ ॥୫୩
ସଂଯମେ ଯୋଗ-ଅଭ୍ୟାସନେ । ନିଶ୍ଚଳେ ରହିଲା ସେ ବନେ ॥୫୪
ପିତାର ବଚନ ନ କଲା । ଅରଣ୍ୟେ ନିର୍ଭୟେ ରହିଲା ॥୫୫
ସେ ପୁଣି କଳିଯୁଗ ଶେଷେ । ରାଜା ହୋଇବ ସୋମବଂଶେ ॥୫୬
ଶାନ୍ତୁନୁ ରାଜ୍ୟେ ହୋଇ ରାଜା । ଧର୍ମେ ପାଳିଲା ଜନପ୍ରଜା ॥୫୭
ପୂର୍ବଜନ୍ମରେ ତା’ର ନାମ । ମହାଭିଷ ବୋଲି ପ୍ରଧାନ ॥୫୮
ତା’ର ମହିମା ଶୁଣ ରାୟେ । ସେ ଯାକୁ ହସ୍ତ ଘେନି ଛୁଏଁ ॥୫୯
ସେ ଯେବେ ହୋଇଥିବ ଜୀର୍ଣ୍ଣ । ତକ୍ଷଣେ ଲଭିବ ଯୌବନ ॥୬୦
ଶାନ୍ତି ଲଭି ଯେ ସୁଖେ ରହେ । ତେଣୁ ସେ ଶାନ୍ତନୁ ବୋଲାଏ ॥୬୧
ଏମନ୍ତେ ତା’ର ରାଜ୍ୟ କାଳେ । ମେଘ ନଦିଶେ ଅନ୍ତରାଳେ ॥୬୨
ବୃଷ୍ଟି ନ କରେ ବଳାହକ । କ୍ଷୁଧା ପୀଡ଼ିତ ସର୍ବଲୋକ ॥୬୩
ଏମନ୍ତେ ଦ୍ୱାଦଶ ବରଷ । ବୃଷ୍ଟି ବିହୀନ ତା’ର ଦେଶ ॥୬୪
ଶାନ୍ତନୁ ବ୍ରାହ୍ମଣଙ୍କୁ ଚାହିଁ । ବୋଲଇ ଶିରେ କର ଦେଇ ॥୬୫
ଦେଖ ଦୁଃଖିତ ନରଲୋକ । ଜଳ ନ ମୁଞ୍ଚେ ବଳାହକ ॥୬୬
କିବା କଳ୍ମଷ ମୋ’ର ଅଛି । ଇନ୍ଦ୍ର ନ ବରଷେ ତା’ ଲକ୍ଷି ॥୬୭
ଏମନ୍ତ ଶୁଣି ତା’ର ବାଣୀ । ବିପ୍ରେ ନିଗମେ ପରିମାଣି ॥୬୮
ବୋଇଲେ ପରବେତ୍ତା ଦୋଷେ । ଇନ୍ଦ୍ର ନ ବରଷେ ତୋ’ ଦେଶେ ॥୬୯
ଜ୍ୟେଷ୍ଠେ ନ ଦେଇ ରାଜ୍ୟ ଶିରୀ । କନିଷ୍ଠ ଯେବେ ରାଜ୍ୟ କରି ॥୭୦
ଜ୍ୟେଷ୍ଠକୁ ବିବାହ ନ କରି । କନିଷ୍ଠ ଯେବେ କନ୍ୟା ବରି ॥୭୧
ଜ୍ୟେଷ୍ଠ ଭ୍ରାତାର ରାଜ୍ୟଭାଗ । ତୁମ୍ଭେ କରୁଛ ନିଜେ ଭୋଗ ॥୭୨
ସେ ପରିବେତ୍ତା ଅତି ଦୋଷେ । ତୋ’ ଦେଶେ ଇନ୍ଦ୍ର ନ ବରଷେ ॥୭୩
ଏମନ୍ତ ବିପ୍ରମୁଖୁଁ ଶୁଣି । ଭୟେ ବୋଲଇ ନୃପମଣି ॥୭୪
ରାଜ୍ୟ ମୁଁ ଜ୍ୟେଷ୍ଠଭ୍ରାତେ ଦେଇ । ତପ ସାଧିବି ବନେ ରହି ॥୭୫
ସୁଖେ ଜୀଅନ୍ତୁ ଜନପ୍ରଜା । ଦେବାପି ରାଜ୍ୟେ ହେଉ ରାଜା ॥୭୬
ସଙ୍ଗେ ଘେନାଇ ବିପ୍ରଗଣେ । ଦେବାପି ରାଜ୍ୟ ସମର୍ପଣେ ॥୭୭
ଶାନ୍ତୁନୁ ଜ୍ୟେଷ୍ଠଭ୍ରାତା ପାଦେ । ପଡ଼ି ବୋଲଇ ଶୋକନାଦେ ॥୭୮
ହେ ଭ୍ରାତ ରାଜ୍ୟେ ହୁଅ ରାଜା । ସୁଖେ ଜୀଅନ୍ତୁ ଜନପ୍ରଜା ॥୭୯
ଦେବାପି ତା’ର ବୋଲ ଶୁଣି । କହିଲା ଧର୍ମ ପରିମାଣି ॥୮୦
ଦେଶୁଁ ବାହାର ହୋଇ ମୁହିଁ । ରାଜ୍ୟେ ମୋ’ ପ୍ରୟୋଜନ ନାହିଁ ॥୮୧
ଏ ଅନ୍ତେ ରାଜା ମନ୍ତ୍ରୀଗଣ । କଲେ କପଟ ଆଚରଣ ॥୮୨
ବିଶ୍ୱାସୀ ବ୍ରାହ୍ମଣ ରାଇଲେ । ତାହାଙ୍କୁ କୁମନ୍ତ୍ରଣା ଦେଲେ ॥୮୩
ବୋଇଲେ ଶୁଣ ବିପ୍ରଗଣ । ଦେବାପି କାର୍ଯ୍ୟ କର ବିଘ୍ନ ॥୮୪
ଶୁଣି ସେ ବିପ୍ରେ ବେଗେ ଗଲେ । ଦେବାପି ନିକଟେ ମିଳିଲେ ॥୮୫
ପାଷଣ୍ତ ମତ ପୃଷ୍ଠ ପୋଷ । କରି ସେ ଦେଲେ ଉପଦେଶ ॥୮୬
ତେଣୁ ତା’ ବୁଦ୍ଧି ହେଲା ନଷ୍ଟ । ବେଦମାର୍ଗର ହେଲା ଭ୍ରଷ୍ଟ ॥୮୭
ବେଦକୁ ଯେଣୁ ନିନ୍ଦା କଲା । ତେଣୁ ସେ ପତିତ ହୋଇଲା ॥୮୮
ରାଜ୍ୟେ ନୋହିଲା ଅଧିକାରୀ । ପୁଣି ଶାନ୍ତନୁ ରାଜ୍ୟ କରି ॥୮୯
ତାହାର ଦୋଷ ନ ରହିଲା । ଦେବାପି ବେଦନିନ୍ଦା କଲା ॥୯୦
ତକ୍ଷଣେ ନିଗମ ବଚନେ । ଜୀମୂତେ ମିଳିଲେ ଗଗନେ ॥୯୧
ଗମ୍ଭୀର ଘୋରନାଦ କରି । ତକ୍ଷ୍‌ଣେ ବରଷିଲେ ବାରି ॥୯୨
ଦେବାପି ମନେ ଜ୍ଞାନଭରି । କଳାପ ଗ୍ରାମ ଆଶ୍ରେ କରି ॥୯୩
ବିଶ୍ୱ ସଂସାରେ କାଳବଳେ । ସୋମବଂଶ ବିନାଶ ବେଳେ ॥୯୪
କଳିର ଥିବ ଅବଶେଷ । ସେ ପୁଣି ସ୍ଥାପି ସୋମବଂଶ ॥୯୫
ରାଜା ହୋଇବ ଦିନାକେତେ । ପ୍ରଜା ପାଳିବ ଧର୍ମଚିତ୍ତେ ॥୯୬
ମର୍ତ୍ତ୍ୟେ ସ୍ଥାପିବ ସୋମବଂଶ । ଯେ ଅବା ଥିବ ଅବଶେଷ ॥୯୭
ବହ୍ଲୀକ ବୀର୍ଯ୍ୟେ ସୋମଦତ୍ତ । ଭୂରି ଭୂରିଶ୍ରବା ତା’ ସୁତ ॥୯୮
ଶଲକୁ ଘେନି ପୁତ୍ର ତିନି । ସୋମଦତ୍ତର ବୀର୍ଯ୍ୟେ ଜନ୍ମି ॥୯୯
ଶାନ୍ତୁନୁ ବୀର୍ଯ୍ୟେ ପୁତ୍ର ଜାତ । ଭୀଷ୍ମ ନାମରେ ଗଙ୍ଗାସୁତ ॥୧୦୦
ସେ ସର୍ବ ବୀର-ଶିରୋମଣି । ପରଶୁରାମେ ଯୁଦ୍ଧେ ଜିଣି ॥୧୦୧
ଶାନ୍ତନୁ ଦାସକନ୍ୟା ଗର୍ଭେ । ଚିତ୍ରାଙ୍ଗଦ ଯେ ଜାତ ପୂର୍ବେ ॥୧୦୨
ଯେ ଚିତ୍ରାଙ୍ଗଦ ନାମେ ସୁତ । ସେହି ଗନ୍ଧର୍ବେ ହେଲା ହତ ॥୧୦୩
ବିଚିତ୍ରବୀର୍ଯ୍ୟ ଅବରଜ । ଏବେ ହୋ ଶୁଣ କୁରୁରାଜ ॥୧୦୪
ସେ କନ୍ୟା ଗର୍ଭେ ଗଙ୍ଗାଜଳେ । ଧରି ଯେ ପରାଶର ବଳେ ॥୧୦୫
ବ୍ୟାସମୁନିଙ୍କି ଜନ୍ମ କରି । ସଂଭ୍ରମେ ତା’କୁ କୋଳେ ଧରି ॥୧୦୬
ବଦରୀ ବନେ ପକାଇଲେ । ଗୋବିନ୍ଦ ତାହାଙ୍କୁ ରଖିଲେ ॥୧୦୭
ସେ ବିଷ୍ଣୁ ଅଂଶେ ମହାମୁନି । ପ୍ରତ୍ୟକ୍ଷେ ବିଷ୍ଣୁତେଜ ଘେନି ॥୧୦୮
ହରିର ଅଂଶେ ଉତପନ୍ନ । ନାମ ତା’ କୃଷ୍ଣ ଦ୍ୱୈପାୟନ ॥୧୦୯
ପଇଳ ଆଦି ଶିଷ୍ୟଗଣେ । ବିଦ୍ୟା ଅଭ୍ୟାସି ଜଣେ ଜଣେ ॥୧୧୦
ହୋଇଲେ ସର୍ବଶାସ୍ତ୍ର ବେତ୍ତା । ସକଳ ଗୁଣେ ଗୁଣବନ୍ତା ॥୧୧୧
ସେ ମୋତେ ରେତୁଁ ଜାତକଲେ । ଏ ଭାଗବତ ଶିକ୍ଷା ଦେଲେ ॥୧୧୨
ଏମନ୍ତେ କାଶୀରାଜ ଘରେ । ଭୀଷ୍ମ ଯେ କନ୍ୟା ସ୍ୱୟମ୍ବରେ ॥୧୧୩
ଦୁର୍ଗମ ଲାଖ ବିନ୍ଧି ବଳେ । ଅନେକ ନୃପତିଙ୍କ ମେଳେ ॥୧୧୪
ରାଜାଙ୍କୁ ଲାଖବିନ୍ଧି ଜିଣି । ଲଭିଲେ ନୃପତି ଦୁଲଣୀ ॥୧୧୫
ଅମ୍ବିକା ଆଉ ଅମ୍ବାଳିକା । କନ୍ୟାଏ ବର ବରି ଏକା ॥୧୧୬
ତାହାଙ୍କୁ ନିଜପୁରେ ଥୋଇ । ବିଚିତ୍ରବୀର୍ଯ୍ୟେ ବିଭା ଦେଇ ॥୧୧୭
ଅମ୍ବା ଯେ ଅନ୍ୟେ ନ ବରିଲା । ଭୀଷ୍ମଙ୍କୁ ମହାକ୍ରୋଧ କଲା ॥୧୧୮
ତପ ସାଧିଲା ନାନାମତେ । ପୂର୍ବେ ମୁଁ କହିଅଛି ତୋତେ ॥୧୧୯
ଦୁଇ ଭାର୍ଯ୍ୟାରେ ହୋଇ ରତ । ବିଚିତ୍ର ବୀର୍ଯ୍ୟେ କାମେ ମତ୍ତ ॥୧୨୦
ଯକ୍ଷ୍ମାରୋଗରେ ହୋଇ ଗ୍ରସ୍ତ । ଅଳ୍ପ କାଳରେ ହେଲା ହତ ॥୧୨୧
ସନ୍ତାନହୀନ କୁଳ ଦେଖି । ସମସ୍ତେ ହୋଇଲେକ ଦୁଃଖୀ ॥୧୨୨
ମାତାଙ୍କ ଆଦେଶକୁ ମାନି । ତା’ର ସୋଦର ବ୍ୟାସମୁନି ॥୧୨୩
ବିଚିତ୍ରବୀର୍ଯ୍ୟର କ୍ଷେତ୍ରରେ । ପୁଣି ସେ ଗର୍ଭାଧାନ କରେ ॥୧୨୪
ବ୍ୟାସଙ୍କ ବୀର୍ଯ୍ୟେ ତା’ଙ୍କ ଗର୍ଭେ । ପୁତ୍ରେ ଉପୁଜିଲେ ସ୍ୱଭାବେ ॥୧୨୫
ଜ୍ୟେଷ୍ଠକୁମର ଧୃତରାଷ୍ଟ୍ର । ପାଣ୍ତୁ ଯେ ତାହାର କନିଷ୍ଠ ॥୧୨୬
ଦାସୀର ଉଦରେ ତାହାର । ପୁଣି ଯେ ଜନ୍ମିଲା ବିଦୁର ॥୧୨୭
ଧୃତରାଷ୍ଟ୍ରର ଶତେପୁତ୍ର । ଗାନ୍ଧାରୀ ଗର୍ଭେ ହେଲେ ଜାତ ॥୧୨୮
କନ୍ୟାଏ ଜନ୍ମେ ଅନୁପମ । ଦୁଃଶୀଳା ସେ କନ୍ୟାର ନାମ ॥୧୨୯
ଭ୍ରାତୃଗଣଙ୍କ ମଧ୍ୟେ ଶ୍ରେଷ୍ଠ । ସେ ଦୁର୍ଯ୍ୟୋଧନ ଅଟେ ଜ୍ୟେଷ୍ଠ ॥୧୩୦
ଅଗ୍ନିକାଋଷି ଶାପ ଫଳେ । ପଞ୍ଚବାଳକ ପାଣ୍ତୁକୋଳେ ॥୧୩୧
ଜନ୍ମିଲେ ଅତି ଗୁଣବନ୍ତ । ତାହାଙ୍କ ସଖା ଯେ ଅନନ୍ତ ॥୧୩୨
ତା ପତ୍ନୀ କୁନ୍ତୀ ଗର୍ଭେ ଜାତ । ଯୁଧିଷ୍ଠିରାଦି ତିନି ସୁତ ॥୧୩୩
ଧର୍ମ ପବନ ଇନ୍ଦ୍ର ବୀର୍ଯ୍ୟେ । ତିନି ବାଳକ ମହାତେଜେ ॥୧୩୪
ମାଦ୍ରୀର ଗର୍ଭେ ପୁତ୍ର ଦୁଇ । ନକୁଳ ସହଦେବ ହୋଇ ॥୧୩୫
ଅଶ୍ୱିନୀକୁମାରଙ୍କ ବୀର୍ଯ୍ୟେ । ଜନ୍ମ ହୋଇଲେ ମହାତେଜେ ॥୧୩୬
ଏ ଯେ ହୋଇଲେ ପଞ୍ଚଭ୍ରାତ । ଏହାଙ୍କ ହେଲା ପାଞ୍ଚସୁତ ॥୧୩୭
ଦ୍ରୌପଦୀ ଗର୍ଭେ ହେଲେ ଜନ୍ମ । ଶୁଣ ହୋ ତାହାଙ୍କର ନାମ ॥୧୩୮
ଯୁଧିଷ୍ଠି ପୁତ୍ର ପ୍ରତିବିନ୍ଧ୍ୟ । ତା’କୁ ନଲାଗେ ବ୍ୟାଧି ଦ୍ୱନ୍ଦ୍ୱ ॥୧୩୯
ଭୀମର ପୁତ୍ର ଶ୍ରୁତସେନ । ଶ୍ରୁତକୀର୍ତ୍ତି ତାତ ଅର୍ଜୁନ ॥୧୪୦
ନକୁଳ ସୁତ ଶତାନୀକ । ସୁଜ୍ଞାନୀ ପଣ୍ତିତ ବିବେକ ॥୧୪୧
ସହଦେବର ଯେ ନନ୍ଦନ । ତାହାର ଶ୍ରୁତକର୍ମା ନାମ ॥୧୪୨
ପୌରବୀଗର୍ଭେ ଧର୍ମସୁତ । ଦେବକ ସୁତ କଲେ ଜାତ ॥୧୪୩
ହିଡ଼ିମ୍ବୀ ଗର୍ଭେ ଭୀମବୀର୍ଯ୍ୟେ । ଜନ୍ମିଲା ଘଟୋତ୍କଚ ତେଜେ ॥୧୪୪
ପୁଣି ଭୀମର ବୀର୍ଯ୍ୟେ ଜାତ । କାଳୀର ଗର୍ଭେ ସର୍ବଗତ ॥୧୪୫
ସହଦେବର ପୁତ୍ର ଜାତ । ବିଜୟା ଗର୍ଭରେ ସୁହୋତ୍ର ॥୧୪୬
କରେଣୁମତୀ ଗର୍ଭେ ପୁତ୍ର । ନକୁଳ ବୀର୍ଯ୍ୟେ ନରମିତ୍ର ॥୧୪୭
ଉଲୁପୀ ଗର୍ଭେ ଇରାବନ୍ତ । ଅର୍ଜ୍ଜୁନ ବୀର୍ଯ୍ୟେ ହେଲା ଜାତ ॥୧୪୮
ମଣି ପୁରେଶ କନ୍ୟାଠାରେ । ପୁଣି ଅର୍ଜ୍ଜୁନର ଅଂଶରେ ॥୧୪୯
ବଭ୍ରୁବାହନ ଜନମିଲା । ପୁତ୍ରିକା ତନୟ ସେ ହେଲା ॥୧୫୦
ପୁତ୍ରିକା ଧର୍ମେ ଯେଣୁ ବରେ । ତେଣୁ ସେ ରାଜା ମଣିପୁରେ ॥୧୫୧
ସୁଭଦ୍ରା ଗର୍ଭେ ତୋ’ର ତାତ । ହୋଇଲେ ଅଭିମନ୍ୟୁ ଜାତ ॥୧୫୨
ସେ ମହାବୀର ବାହୁବଳେ । ଜିଣନ୍ତା ନାହିଁ ଭୂମି ତଳେ ॥୧୫୩
ଯେ କୁରୁବଂଶ ନିପାତନେ । ଦ୍ରୋଣନନ୍ଦନ ମହାବାଣେ ॥୧୫୪
ଯେ ଶର ବ୍ରହ୍ମଶିରା ନାମେ । ତୋ’ ମାତା ଗର୍ଭେ ଅତି ତମେ ॥୧୫୫
ପେଷିଲା ଅପାଣ୍ତବ ଅର୍ଥେ । ଉତ୍ତରା ଆସୁଥିଲା ପଥେ ॥୧୫୬
ବାଣ ଆସନ୍ତେ ଶୂନ୍ୟପଥେ । ତୋ’ ମାତା ଡାକିଲା ଆରତେ ॥୧୫୭
ତକ୍ଷଣେ ବିଷ୍ଣୁ ଗର୍ଭଗତେ । ପଶିଲେ ଚକ୍ର ଘେନି ହସ୍ତେ ॥୧୫୮
ବ୍ରହ୍ମଶିରାକୁ ନାଶ କରି । ତୋତେ ରଖିଲେ ନରହରି ॥୧୫୯
ଏବେ ହୋ କହୁଁ ତୋ’ ଅଗ୍ରତେ । ଯେ କର୍ମ ହେବ ଭବିଷ୍ୟତେ ॥୧୬୦
ଏ ଯେ ତୋହର ଚାରିସୁତେ । ଜନମେଜୟର ସମେତେ ॥୧୬୧
ଯେ ଶ୍ରୁତସେନ ଭୀମସେନ । କନିଷ୍ଠ ନାମ ଉଗ୍ରସେନ ॥୧୬୨
ଏ ଚାରିପୁତ୍ରେ ମିଳି ଏକେ । ତେଜେ ପ୍ରତାପ ଅତିରେକେ ॥୧୬୩
ବ୍ରାହ୍ମଣ ତେଜ ଶାପଗ୍ରସ୍ତେ । ତକ୍ଷକେ ଦଂଶିବେ ଯେତୋତେ ॥୧୬୪
ସେ କୋପେ ସର୍ପଯଜ୍ଞ କରି । ତିନିଭୁବନୁ ସର୍ପ ମାରି ॥୧୬୫
ପୁଣି କରିବ ଅଶ୍ୱମେଧି । ଆଗମ ନିଗମ ସମ୍ପାଦି ॥୧୬୬
ସପତଦ୍ୱୀପେ ହୋଇ ରାଜା । ସୁଖେ ପାଳିବ ଜନପ୍ରଜା ॥୧୬୭
ତା’ର ତନୟ ଶତାନୀକ । ହୋଇବ ସୁଜ୍ଞାନୀ ବିବେକ ॥୧୬୮
ଯାଜ୍ଞବଲ୍କ୍ୟର ତହୁଁ ବେଦ । ପଢ଼ିବ ସେ ଉପନିଷଦ ॥୧୬୯
ଶୌନକ ତହୁଁ ଜ୍ଞାନକ୍ରିୟା । ଶାସ୍ତ୍ର ସାଧିବ ପୁଣ୍ୟଦେହା ॥୧୭୦
କୃପାଚାର୍ଯ୍ୟର ସନ୍ନିଧାନ । ଲଭିବ ଯେତେ ଅସ୍ତ୍ରଜ୍ଞାନ ॥୧୭୧
ସହସ୍ରାନୀକ ତା’ ନନ୍ଦନ । ଅଶ୍ୱମେଧଜ ତହୁଁ ଜନ୍ମ ॥୧୭୨
ତହୁଁ ଅସୀମକୃଷ୍ଣ ଜାତ । ନେମିଚକ୍ର ତାହାର ସୁତ ॥୧୭୩
ହସ୍ତିନାପୁର ନଦୀସ୍ରୋତେ । କାଳେ ଯେ ବିନଷ୍ଟ ହୁଅନ୍ତେ ॥୧୭୪
ସେ ପୁଣି କୌଶାମ୍ବୀ ନଗରେ । ବାସ କରିବ ଭବିଷ୍ୟରେ ॥୧୭୫
ହରିହରଙ୍କ ତୋଷ ଅର୍ଥେ । କରିବ ସାଧୁକର୍ମ ଯେତେ ॥୧୭୬
ଉପୁଜେ ନେମିଚକ୍ର ସୁତ । ତା’ର ସନ୍ତତି ଚିତ୍ରରଥ ॥୧୭୭
ତା’ର କୁମର କବିରଥ । ତାହାର ବୃଷ୍ଟିମାନ ସୁତ ॥୧୭୮
ସୁଷେଣ ତା’ର ତହୁଁ ଜାତ । ତାହାର କୁମର ସୁନୀଥ ॥୧୭୯
ନୃଚକ୍ଷୁ ତାହାର କୁମର । ତା’ ପୁତ୍ର ହେବ ସୁଖୀନଳ ॥୧୮୦
ତାହାର ପୁତ୍ର ପରିପ୍ଳବ । ତା’ ତହୁଁ ସୁନୟ ସମ୍ଭବ ॥୧୮୧
ମେଧାବୀ ତାହାର ତନୟ । ତା’ ପୁତ୍ର ହେବ ନୃପଞ୍ଜୟ ॥୧୮୨
ତାହାର ପୁତ୍ର ନାମ ଦୂର୍ବ । ତା’ ପୁତ୍ର ତିମି ନାମ ହେବ ॥୧୮୩
ତିମିର ପୁତ୍ର ବୃହଦ୍ରଥ । ସୁଦାସ ହେବ ତା’ର ସୁତ ॥୧୮୪
ଶତାନୀକ ଯେ ତା’ର ସୁତ । ଦୁŸର୍ଦ୍ଦମନ ଯେ ତହୁଁ ଜାତ ॥୧୮୫
ତା’ର କୁମର ବହୀନର । ଦଣ୍ତପାଣି ତା’ର କୁମର ॥୧୮୬
ତାହାର ପୁତ୍ର ନିମି ନାମ । ତା’ ତହୁଁ କ୍ଷେମକ ଜନମ ॥୧୮୭
ଏମନ୍ତ ବ୍ରହ୍ମକ୍ଷତ୍ର ଯୋନି । ଜନ୍ମ ହୋଇବେ ଦେହ ଘେନି ॥୧୮୮
କ୍ଷେମକ ଠାଇଁ ସୋମବଂଶ । ହୋଇବ କଳିଯୁଗେ ଶେଷ ॥୧୮୯
ଏବେ ହୋ ଶୁଣ କୁରୁରାଣ । ମଗଧ ଦେଶ ପରିମାଣ ॥୧୯୦
ମାର୍ଜାରି ସହଦେବ ସୁତ । ତା’ ତହୁଁ ଶ୍ରୁତଶ୍ରବା ଜାତ ॥୧୯୧
ଆୟୁତାୟୁ ତା’ର ନନ୍ଦନ । ତା’ ସୁତ ନିରମିତ୍ର ନାମ ॥୧୯୨
ତା’ର ସନ୍ତତି ସୁନକ୍ଷତ୍ର । ବୃହତ୍‌ତ୍ସେ›ନ ଯେ ତା’ର ପୁତ୍ର ॥୧୯୩
କର୍ମଜିତ ତା’ର ତନୟ । ତାହାର ପୁତ୍ର ସୃତଞ୍ଜୟ ॥୧୯୪
ତା’ ପୁତ୍ର ବିପ୍ର ତା’ର ସୁତ । ଶୁଚିରୁ ହେବ କ୍ଷେମ ଜାତ ॥୧୯୫
କ୍ଷେମ ଶୁଚିର ପୁତ୍ର ଜାଣ । ସୁବ୍ରତ କ୍ଷେମର ନନ୍ଦନ ॥୧୯୬
ସୁବ୍ରତ ସୁତ ଧର୍ମସୂତ୍ର । ଶମ ହୋଇବ ତା’ର ସୁତ ॥୧୯୭
ଶମର ପୁତ୍ର ଦ୍ୟୁମତ୍ସେ›ନ । ସୁମତି ତାହାର ନନ୍ଦନ ॥୧୯୮
ସୁବଳ ତା’ର ପୁତ୍ର ନାମ । ସୁନୀଶ ତାହାର ନନ୍ଦନ ॥୧୯୯
ତାହାର ପୁତ୍ର ସତ୍ୟଜିତ । ତା’ ପୁତ୍ର ହେବ ବିଶ୍ୱଜିତ ॥୨୦୦
ତା’ ଠାରୁ ରିପୁଞ୍ଜୟ ଜନ୍ମ । ବୃହଦ୍ରଥର ବଂଶ ଜାଣ ॥୨୦୧
ଏହି ଯେ ବୃହଦ୍ରଥ ବଂଶ । ଭବିଷ୍ୟେ ସହସ୍ର ବରଷ ॥୨୦୨
ରାଜା ହୋଇବେ ଏ ଜଗତେ । ସଂକ୍ଷେପି କହିଲି ମୁଁ ତୋତେ ॥୨୦୩
ସେ ହରିକଥା ଶୁଣି କର୍ଣ୍ଣେ । ସଂସାରୁ ତର ଜ୍ଞାନୀ ଜନେ ॥୨୦୪
କହିଲା ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ । ।

ତ୍ରୟୋବିଂଶ ଅଧ୍ୟାୟ

ଶୁକ ଉବାଚ[edit]

ଅନୁର ବଂଶେ ତିନିସୁତ । ଶୁଣ ରାଜନ ପରୀକ୍ଷିତ ॥୧
ଚକ୍ଷୁ ପରେକ୍ଷୁ ବେନି ସୁତ । ତୃତୀୟେ ସଭାନର ଜାତ ॥୨
ସଭାନରରୁ କାଳନର । ସୃଞ୍ଜୟ ତାହାର କୁମର ॥୩
ଜନମେଜୟ ତା’ର ସୁତ । ତା’ଠାରୁ ମହାଶାଳ ଜାତ ॥୪
ତହୁଁ ଯେ ମହାମନା ଜାତ । ତାହାର ହେଲେ ଦୁଇ ସୁତ ॥୫
ସେ ମହାମନା ବୀର୍ଯ୍ୟେ ଘେନି । ତିତିକ୍ଷୁ ଉଶୀନର ବେନି ॥୬
ଶିବି ଯେ କୃମି ଦକ୍ଷ ବର । ଉଶୀନର ଚାରି କୁମର ॥୭
ଉଶୀନରର ବୀର୍ଯ୍ୟେ ଜାତ । ହୋଇଲେ ଜଗତେ ବିଦିତ ॥୮
ହୋଇଲେ ଶିବି ବୀର୍ଯ୍ୟେ ଜନ୍ମ । ଅଦ୍ଭୁତ ତାହାଙ୍କର କର୍ମ ॥୯
ବୃଷାଦର୍ଭ ସୁବୀର ଦୁଇ । ମଦ୍ର କେକୟ ଚାରିଭାଇ ॥୧୦
ତିତିକ୍ଷୁ ପୁତ୍ର ଋଷଦ୍ରଥ । ଅଦ୍ଭୁତ ତାହାର ଚରିତ ॥୧୧
ତାହାର ପୁତ୍ର ନାମ ହୋମ । ସୁତପା ତାହାର ନନ୍ଦନ ॥୧୨
ସୁତପା ପୁତ୍ର ବଳି ହୋଇ । ବନେ ତପସ୍ୱୀ ରୂପ ବହି ॥୧୩
ରହିଲା ସଂସାର ଉପେକ୍ଷି । ସ୍ୱପନ ପ୍ରାୟେ ସର୍ବ ଦେଖି ॥୧୪
ବଳିର କ୍ଷେତ୍ରେ ଷଡ଼ାତ୍ମଜେ । ଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ ॥୧୫
ଅଙ୍ଗବଙ୍ଗ କଳିଙ୍ଗ ତିନି । ସୁହ୍ମ ପୁଣ୍ତ୍ର ଯେ ଉଡ୍ର ଘେନି ॥୧୬
ଆପଣା ନାମେ ରାଜ୍ୟ କରି । ସୁଖେ ପାଳିଲେ ବସୁନ୍ଧରୀ ॥୧୭
ଏ ଷଡ଼ଦେଶେ ହୋଇ ରାଜା । ଧର୍ମେ ପାଳିଲେ ଜନପ୍ରଜା ॥୧୮
ଅଙ୍ଗ ତନୟ ଖନପାନ । ଦିବିରଥ ତା’ର ନନ୍ଦନ ॥୧୯
ଧର୍ମତଥ ଯେ ତା’ର ସୁତ । ତା’ ତହୁଁ ଜନ୍ମ ଚିତ୍ରରଥ ॥୨୦
ସେ ଚିତ୍ରରଥ ବଂଶହୀନ । ରୋମପାଦ ତା’ ଖ୍ୟାତ ନାମ ॥୨୧
ଦଶରଥର ସଖା ସେହି । ଅପୁତ୍ର ତା’ର ବଂଶ ଚାହିଁ ॥୨୨
ଶାନ୍ତା କନ୍ୟାକୁ ଦେଲା ନେଇ । ଅତି ଆନନ୍ଦେ ତୋଷ ହୋଇ ॥୨୩
ସେ ତା’କୁ ଋଷ୍ୟଶୃଙ୍ଗ ତୁଲେ । ବେଦବିଧାନେ ବିଭା ଦେଲେ ॥୨୪
ପୂର୍ବେ ସେ ରୋମପାଦ ଦେଶେ । ତା’ ଦେଶେ ଇନ୍ଦ୍ର ନ ବରଷେ ॥୨୫
ମନ୍ତ୍ରୀ ବଚନେ ଜ୍ଞାନ ପାଇ । ହରିଣୀସୁତକୁ ଅଣାଇ ॥୨୬
ରାଜା ଆଦେଶେ ବେଶ୍ୟାଗଣ । ଗଲେ ସେ ମୁନି ତପୋବନ ॥୨୭
ତାହାଙ୍କ ନୃତ୍ୟବାଦ୍ୟ ଗୀତେ । ବିଭ୍ରମ ଜନ୍ମେ ଋଷି ଚିତ୍ତେ ॥୨୮
ଗଣିକା ନୃତ୍ୟଗୀତ ବଳେ । ଚିତ୍ତ ମଜ୍ଜିଲା କାମଭୋଳେ ॥୨୯
ଇନ୍ଦ୍ର ନିମନ୍ତେ ଯଜ୍ଞ ପୁଣ । ସେ ଋଷି କଲେ ନାନା କର୍ମ ॥୩୦
ଏମନ୍ତେ ଇନ୍ଦ୍ର ବରଷିଲା । ରାଜାର ସନ୍ତତି ହୋଇଲା ॥୩୧
ସନ୍ତାନ ହୀନ ଦଶରଥ । ତା’ର ସକାଶୁଁ ପୁତ୍ର ପ୍ରାପ୍ତ ॥୩୨
ରୋମପାଦର ଯେଉଁ ସୁତ । ସେ ଚତୁରଙ୍ଗ ନାମେ ଖ୍ୟାତ ॥୩୩
ତା’ ପୁତ୍ର ପୃଥୁଳାକ୍ଷ ହେଲା । ତାହାର ବୃହଦ୍ରଥ ବଳା ॥୩୪
ଆବର ବୃହଦ୍‌ଭାନୁ ନାମ । ତୃତୀୟେ ପୁଣି ବୃହତ୍‌କର୍ମ ॥୩୫
ବୃହଦ୍ରଥରୁ ବୃହନ୍ମନ । ତା’ ପୁତ୍ର ଜୟଦ୍ରଥ ନାମ ॥୩୬
ବିଜୟ ତାହାର କୁମର । ତହୁଁ ଜନ୍ମିଲା ଧୃତିବୀର ॥୩୭
ତା’ର କୁମର ଧୃତବ୍ରତ । ସତ୍‌କର୍ମା ହେଲା ତା’ର ସୁତ ॥୩୮
ଅଧିରଥ ତା’ର ନନ୍ଦନ । ବନେ ଭ୍ରମୁଁ ସେ ଏକଦିନ ॥୩୯
ଗଙ୍ଗାର ତୀରେ କ୍ରିଡ଼ାକାଳେ । ଦେଖେ ମଞ୍ଜୁଷା ଭାସେ ଜଳେ ॥୪୦
ମଞ୍ଜୁଷା ମଧ୍ୟେ ଶିଶୁ ଦେଖି । ରାଜା ହୋଇଲା ଅତି ସୁଖୀ ॥୪୧
ସେ ଶିଶୁ କୁନ୍ତୀ ଗର୍ଭଜାତ । କୁନ୍ତୀ ତାହାକୁ କଲା ତ୍ୟକ୍ତ ॥୪୨
ସେ ରାଜା ନିଃସନ୍ତାନ ଥିଲା । ଶିଶୁପୁତ୍ରକୁ ସେ ପାଳିଲା ॥୪୩
କନ୍ୟା କାଳରେ ଜନ୍ମିଥିଲା । କାନୀନ ସଜ୍ଞା ତେଣୁ ହେଲା ॥୪୪
ସେ ଅଧିରଥର ନନ୍ଦନ । ତାହାର ନାମ ହେଲା କର୍ଣ୍ଣ ॥୪୫
ତାହାର ବୃଷସେନ ସୁତ । ଏବେ ତୁ ଶୁଣ ନରନାଥ ॥୪୬
ଏବେ ତୁ ଦ୍ରୁହ୍ୟୁବଂଶ ଶୁଣ । ବଭ୍ରୁ ଯେ ତାହାର ନନ୍ଦନ ॥୪୭
ତା’ର ତନୟ ସେତୁ ନାମ । ଆରବ୍ଧ ତାହାର ନନ୍ଦନ ॥୪୮
ତାହାର ପୁତ୍ର ଯେ ଗାନ୍ଧାର । ଧର୍ମ ଯେ କୁମର ତାହାର ॥୪୯
ଧର୍ମର ପୁତ୍ର ନାମ ଧୃତ । ଦୁର୍ମନା ତାହାର ଯେ ପୁତ୍ର ॥୫୦
ତାହାର ପୁତ୍ର ଯେ ପ୍ରଚେତ । ହେଲେ ତାହାର ଶତେ ପୁତ୍ର ॥୫୧
ଉତ୍ତରେ ସେ ନାନା ଦେଶରେ । ରହିଲେ ମ୍ଳେଚ୍ଛ ଅଧିକାରେ ॥୫୨
ତୁର୍ବସୁ ତହୁଁ ବହ୍ନି ଜାତ । ଭର୍ଗ ତାହାର ହେଲା ସୁତ ॥୫୩
ତା’ର ପୁତ୍ର ଯେ ଭାନୁମାନ । ତ୍ରିଭାନୁ ତାହାର ନନ୍ଦନ ॥୫୪
କରନ୍ଧମ ଯେ ତା’ର ସୁତ । ତାହାର ତନୟ ମରୁତ ॥୫୫
ପୁରୁବଂଶରେ ହୋଇ ଜାତ । ଯା’ ନାମ ଅଟଇ ଦୁଷ୍ୟନ୍ତ ॥୫୬
ମରୁତ ତା’କୁ କଲା ପୁତ୍ର । ସେପୁଣି ରାଜ୍ୟ ଲୋଭେ ଗ୍ରସ୍ତ ॥୫୭
ପୁଣି ସେ ବଂଶେ ପ୍ରବେଶିଲା । ଉଭୟ ରାଜ୍ୟ ଭୋଗ କଲା ॥୫୮
ଏମନ୍ତେ ଅନୁବଂଶ ଯେତେ । କହିଲି ବଂଶାନୁଚରିତେ ॥୫୯
ଯହିଁ ଅଶେଷ ନୃପଗଣ । ଏବେ ହୋ ଯଦୁବଂଶ ଶୁଣ ॥୬୦
ଯେ ବଂଶେ ପ୍ରଭୁ ଭାବଗ୍ରାହୀ । ଜନ୍ମିଲେ କୃଷ୍ଣ ଦେହ ବହି ॥୬୧
ଏ ବଂଶ ମହିମା ଶୁଣନ୍ତେ । ପାପ ନରହେ ହୃଦଗତେ ॥୬୨
ଯଦୁରାଜାର ଚାରି ସୁତେ । ଶୁଣ ତାହାଙ୍କ ନାମ ଯେତେ ॥୬୩
ସହସ୍ରଜିତ ରିପୁ ବେନି । ଆବର କ୍ରୋଷ୍ଟା ନଳ ଘେନି ॥୬୪
ସହସ୍ରଜିତ ତହୁଁ ଜାତ । ଶତଜିତ ନାମରେ ସୁତ ॥୬୫
ସହସ୍ରଜିତ ସୁତ ତିନି । ରୂପ ଲାବଣ୍ୟ ଗୁଣ ଘେନି ॥୬୬
ଯେ ମହାହୟ ବେଣୁହୟ । ହୈହୟ ନାମେ ମହାଶୟ ॥୬୭
ଧର୍ମ ଯେ ହୈହୟର ସୁତ । ନେତ୍ର ତାହାର ବୀର୍ଯ୍ୟେ ଜାତ ॥୬୮
କୁନ୍ତି ତାହାର ପୁତ୍ର ହୋଏ । ସୋହଞ୍ଜି କୁନ୍ତିର ତନୟେ ॥୬୯
ତାହାର ପୁତ୍ର ମହୀଷ୍ମାନ । ତା’ର କୁମର ଭଦ୍ରସେନ ॥୭୦
ଭଦ୍ରସେନର ତହୁଁ ଜନ୍ମି । ଦୁର୍ମଦ ଧନକ ଏ ବେନି ॥୭୧
କୃତାଗ୍ନି କୃତବୀର୍ଯ୍ୟେ ବେନି । କୃତୌଜା କୃତବର୍ମା ଘେନି ॥୭୨
ଧନକ ପୁତ୍ର ଏ ଜଗତେ । ବିଷ୍ଣୁର ତେଜ ଅପ୍ରମିତେ ॥୭୩
କୃତବୀର୍ଯ୍ୟ ସୁତ ଅର୍ଜ୍ଜୁନ । ସପତଦ୍ୱୀପେ ସେ ରାଜନ ॥୭୪
ଦତ୍ତାତ୍ରେୟଙ୍କୁ ସେବା କରି । ଯୋଗେ ହୋଇଲା ଅଧିକାରୀ ॥୭୫
ସେ କାର୍ତ୍ତବୀର୍ଯ୍ୟର ମହିମା । କେ କହିପାରେ ଗୁଣସୀମା ॥୭୬
ହୈହୟ ବଂଶେ ରାଜା ଯେତେ । ତପସ୍ୟା ଯଜ୍ଞ ଦାନ ମତେ ॥୭୭
ନାନା ପ୍ରକାରେ ଯେତେ ସାଧି । ଅଣିମା ଆଦି ଅଷ୍ଟନିଧି ॥୭୮
ପଞ୍ଚାଶୀ ସହସ୍ର ବରଷ । ସମ୍ପଦ ଭୁଞ୍ଜିଲା ଅଶେଷ ॥୭୯
ତାହାର ସମ ଏ ସଂସାରେ । କେହି ନୋହିଲେ ଅଧିକାରେ ॥୮୦
ତାହାର ସହସ୍ରେ ନନ୍ଦନ । ଯୁଦ୍ଧେ ସେ ହୋଇଲେ ନିଧନ ॥୮୧
ତା’ ମଧ୍ୟେ ପାଞ୍ଚ ଯେ କୁମର । କ୍ଷତ୍ରିୟ ବଳେ ବଳୀୟାର ॥୮୨
ଜୟଧ୍ୱଜ ଯେ ଶୂରସେନ । ବୃଷଭ ମଧୁ ବିଦ୍ୟମାନ ॥୮୩
ଉର୍ଜ୍ଜିତ ଅଟଇ ପଞ୍ଚମେ । ଅଇରୀ କମ୍ପନ୍ତି ଯା’ ନାମେ ॥୮୪
ଜୟଧ୍ୱଜର ତହୁଁ ଜାତ । ନାମ ତା’ ତାଳଜଂଘ ଖ୍ୟାତ ॥୮୫
ଶତେ ନନ୍ଦନ ତା’ର ହୋଏ । ଯା’ ନାମେ ରିପୁ କରେ ଭୟେ ॥୮୬
ଔର୍ବ ଋଷିଙ୍କ ବ୍ରହ୍ମତେଜେ । କ୍ଷତ୍ରିୟ ପଣେ ତା’ଙ୍କ ରାଜ୍ୟେ ॥୮୭
ସଗର ତା’ଙ୍କୁ କଲେ ହତ । ଏ ଯେ କ୍ଷତ୍ରିୟ ବୀର ସୁତ ॥୮୮
ତାହାଙ୍କ ମଧ୍ୟେ ଜ୍ୟେଷ୍ଠସୁତ । ତାହାର ନାମ ବୀତିହୋତ୍ର ॥୮୯
ମଧୁର ଶତେ ପୁତ୍ର ହୋଇ । ବୃଷ୍ଣି ତା’ ମଧ୍ୟେ ଜ୍ୟେଷ୍ଠ ଥାଇ ॥୯୦
ମାଧବ ବୃଷ୍ଣି ଯେ ଯାଦବ । ଏଣୁ ଏ ଘୋଷନ୍ତି ସାଧବ ॥୯୧
ଯଦୁପୁତ୍ର କ୍ରୋଷ୍ଠାର ବୀର୍ଯ୍ୟେ । ବୃଜିନବାନ ଯେ ଉପୁଜେ ॥୯୨
ତା’ ପୁତ୍ର ଶ୍ୱାହିତ ହୋଇଲା । ରୁଶେକୁ ଅଟେ ତାର ବଳା ॥୯୩
ତା’ର କୁମର ଚିତ୍ରରଥ । ତାହାର ଶଶବିନ୍ଦୁ ସୁତ ॥୯୪
ସେ ମହାଯୋଗୀ ମହାଭୁଜ । ଭୁବନଜିତ ତା’ର ତେଜ ॥୯୫
ଦଶସହସ୍ର ତା’ର ନାରୀ । ଅଶେଷ ଯଶେ ଅଧିକାରୀ ॥୯୬
ନାରୀ ଗୋଟିକେ ଲକ୍ଷେ ସୁତ । ଶଶବିନ୍ଦୁର ହେଲେ ଜାତ ॥୯୭
ଏମନ୍ତେ ଦଶସସ୍ର ଲକ୍ଷ । କୁମରେ ହୋଇଲେ ପ୍ରତ୍ୟକ୍ଷ ॥୯୮
ତାହାଙ୍କ ମଧ୍ୟେ ଷଡ଼ସୁତେ । ପୃଥୁଶ୍ରବାଦି ଏ ଜଗତେ ॥୯୯
ଧର୍ମ ଯେ ପୃଥୁଶ୍ରବା ବଳା । ତହୁଁ ଉଶନା ଜନମିଲା ॥୧୦୦
ଅଶ୍ୱମେଧରେ ସେ ଦୀକ୍ଷିତ । ହୋଇ କଲାକ ଯଜ୍ଞ ଶତ ॥୧୦୧
ରୁଚକ ନାମେ ତା’ର ସୁତ । ତା’ର କୁମର ପାଞ୍ଚ ଜାତ ॥୧୦୨
ରୁକ୍ମ ରୁକ୍ମେଷୁ ପୁରୁଜିତ । ପୃଥୁ ଜ୍ୟାମଘ ପାଞ୍ଚସୁତ ॥୧୦୩
ଜ୍ୟାମଘ ପତ୍ନୀ ଶୈବ୍ୟା ହୋଇ । କେବେହେଁ ପୁତ୍ର ନ ଲଭଇ ॥୧୦୪
ଜ୍ୟାମଘ ତା’କୁ କରି ଭୟ । ନ କଲା ଦାର ପରିଗ୍ରହ ॥୧୦୫
ସେ ରାଜା ଦିଗବିଜେ କରି । ଅନେକ ରିପୁବଳ ମାରି ॥୧୦୬
ନାନା ପ୍ରକାରେ ରିପୁ ଜିଣି । ଅନେକ ଧନରତ୍ନ ଆଣି ॥୧୦୭
କନ୍ୟାଏ ପାଇ ରୂପରାଶି । ତାହାଙ୍କ ସଙ୍ଗେ ରଥେ ବସି ॥୧୦୮
ମିଳିଲା ଆପଣା ଭୁବନେ । ଅନେକ ବାଦ୍ୟ ନାଦ ସ୍ୱନେ ॥୧୦୯
ଶୈବ୍ୟା ନାମେଣ ତା’ର ରାଣୀ । ଉତ୍ସ›ବ ବାଦ୍ୟନାଦ ଶୁଣି ॥୧୧୦
ମନ୍ଦିରୁ ହୋଇଲା ବାହାର । ଭୁଷିତ ନାନା ଅଳଙ୍କାର ॥୧୧୧
ରଥକୁ ଚାହେଁ ବେନି ଡ଼ୋଳେ । କନ୍ୟାଏ ଅଛି ତା’ର କୋଳେ ॥୧୧୨
ଅତି ସୁନ୍ଦର ତା’ର ତନୁ । ଦେଖି ପାଇଲା ହୃଦେ ମନ୍ୟୁ ॥୧୧୩
ବୋଇଲା ରାଜାମୁଖ ଚାହିଁ । ଏ କନ୍ୟା ପାଇଲୁ ତୁ କାହିଁ ॥୧୧୪
ଶୈବ୍ୟା ବଚନ ଶୁଣି ରାୟେ । ହୃଦେ ପାଇଲା ମହାଭୟେ ॥୧୧୫
ବୋଇଲେ ମଧୁର ଉତ୍ତର । ଏ କନ୍ୟା ବଧୂ ଯେ ତୋହର ॥୧୧୬
ଶୈବ୍ୟା ବୋଲଇ କୋପ ବହି । ଏ ଜନ୍ମେ ତୋ’ର ପୁତ୍ର ନାହିଁ ॥୧୧୭
ଆଣିଲୁ ସପତଣୀ ଅର୍ଥେ । ଏବେ ତୁ ଭଣ୍ତୁ ମୋ’ ଅଗ୍ରତେ ॥୧୧୮
ଶୁଣି ସେ ଶୈବ୍ୟାର ବଚନ । ମଧୁରେ ବୋଇଲେ ରାଜନ ॥୧୧୯
ଏବେ ଯେ ପୁତ୍ର ଉପୁଜିବ । ଏ କନ୍ୟା ସେ ବିଭା ହୋଇବ ॥୧୨୦
ଅନେକ ହୋଇବ ମୋ’ ବଂଶ । ତୁ ଶୁଣି ଶୈବ୍ୟା ହେଲା ତୋଷ ॥୧୨୧
ଭୁବନେ କଲା ସେ ପ୍ରବେଶ । ଆନନ୍ଦେ ହୋଇ ହସହସ ॥୧୨୨
ସନ୍ତୋଷ ହେଲେ ପିତୃଦେବେ । ପୁତ୍ର ହୋଇଲା ଶୈବ୍ୟାଗର୍ଭେ ॥୧୨୩
ସୁନ୍ଦରେ ଜଗତ ମୋହିଲା । ବିଦର୍ଭ ତା’କୁ ନାମ ଦେଲା ॥୧୨୪
ସେ କନ୍ୟା ପୁତ୍ରେ ବିଭାକଲା । ଶୁଣ ହୋ ଗୋବିନ୍ଦର ଲୀଳା ॥୧୨୫
ସୁଜନ ଜନେ ଏଣେ ଭାବ । ଏ ଘୋର ସଂସାରୁ ତରିବ ॥୧୨୬
ବୋଲଇ ଦାସ ଜଗନ୍ନାଥ । ନବମେ ବଂଶାନୁଚରିତ ॥୧୨୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ତ୍ରୟେବିଂଶୋଽଧ୍ୟାୟଃ । ।

ଚତୁର୍ବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ କୁରୁବୀର । ବିଦର୍ଭ ଜ୍ୟାମଘ କୁମର ॥୧
ଜ୍ୟାମଘ ରାଜକୁଳ ଜିଣି । ଯେ କନ୍ୟା ପୁରେ ଥିଲା ଆଣି ॥୨
ସେ କନ୍ୟା ବିଦର୍ଭେ ବରିଲା । ତା’ ଗର୍ଭେ ପୁତ୍ର ଉପୁଜିଲା ॥୩
କୁଶ ଯେ କ୍ରଥ ଏହୁ ବେନି । ତୃତୀୟେ ରୋମପାଦ ଘେନି ॥୪
ବଭ୍ରୁ ଯେ ରୋମପାଦ ସୁତ । କୃତି ତାହାର ବୀର୍ଯ୍ୟେ ଜାତ ॥୫
ଉଶିକ ତାହାର ନନ୍ଦନ । ତା’ ତାହୁଁ ଚେଦି ଉଦ୍‌ପନ୍ନ ॥୬
ଚୈଦ୍ୟାଦି ବଂଶେ ଜାତ ହୋଇ । ସ୍ୱଧର୍ମେ ପାଳିଲେ ସେ ମହୀ ॥୭
କ୍ରଥର ପୁତ୍ର କୁନ୍ତି ନାମ । ଧୃଷ୍ଟି ଯେ ତାହାର ନନ୍ଦନ ॥୮
ନିବୃତି ତା’ର ପୁତ୍ର ହୋଏ । ଦଶାର୍ହନାମେ ତା’ର ପୋଏ ॥୯
ବ୍ୟୋମ ଯେ ତାହାର ସନ୍ତତି । ତହୁଁ ଜିମୂତ ଉତପତ୍ତି ॥୧୦
ବିକୃତି ତାହାର ନନ୍ଦନ । ତହୁଁ ଭୀମରଥ ଜନମ ॥୧୧
ତାହାର ସୁତ ନବରଥ । ତହୁଁ ଦଶରଥ ସମ୍ଭୂତ ॥୧୨
ଶକୁନି ତାହାର ତନୟେ । କରମ୍ଭି ପୁତ୍ର ତା’ର ହୋଏ ॥୧୩
ତା’ର ତନୟ ଦେବରାତ । ଯା’ର ମହିମା ଅପ୍ରମିତ ॥୧୪
ତା’ ସୁତ ଦେବକ୍ଷତ୍ର ନାମ । ସୁନ୍ଦର ପଣେ ଗୁଣଧାମ ॥୧୫
ମଧୁ ତାହାର ବଂଶେ ଜାତ । କୁରୁବଂଶ ଯେ ତା’ର ସୁତ ॥୧୬
ଅନୁ ତାହାର ବୀର୍ଯ୍ୟେ ଜାତ । ତାହାର ସୁତ ପୁରୁହୋତ୍ର ॥୧୭
ଆୟୁ ଯେ ତା’ର ପୁତ୍ରମାନ । ସାତ୍ୱତ ତା’ଠାରୁ ଜନମ ॥୧୮
ତାହାର ହେଲେ ପୁତ୍ର ସାତ । ଶୁଣ କହିବା ପରୀକ୍ଷିତ ॥୧୯
ଭଜମାନ ଭଜି ଦିବ୍ୟକ । ବୃଷ୍ଣି ଦେବା ବୃଧ ଅନ୍ଧକ ॥୨୦
ମହାଭୋଜ ଏ ସପ୍ତାନାମ । ଏକୁ ଅନେକ ଗୁଣଧାମ ॥୨୧
ଭଜମାନର ପତ୍ନୀ ଦୁଇ । ଆଦ୍ୟରେ ତିନି ସୁତ ହୋଇ ॥୨୨
ନିମ୍ଳୋଚି ଧୃଷ୍ଟି ଯେ କିଙ୍କିଣ । ପରୀକ୍ଷ କହୁଁ ତୋତେ ଶୁଣ ॥୨୩
ଦ୍ୱିତୀୟ ପତ୍ନୀ ଗର୍ଭେ ଜାତ । ହୋଇଲେ ତା’ର ତିନିସୁତ ॥୨୪
ଶତ୍ରାଜିତ ସହସ୍ରାଜିତ । ଅୟୁତାଜିତ ତିନିଭ୍ରାତ ॥୨୫
ବଭ୍ରୁ ଯେ ଦେବାବୃଧ ସୁତ । ଜନେ ଗାଆନ୍ତି ତା’ ଚରିତ ॥୨୬
ଦୂରରୁ ଯେତେ ଗୁଣ ଗୁଣି । ଅଧିକ ଦେଖୁଁ ପରିମାଣି ॥୨୭
ମନୁଷ୍ୟ ମଧ୍ୟେ ବଭ୍ରୁ ଶ୍ରେଷ୍ଠ । ଦେବାବୃଧ ଦେବଙ୍କ ଇଷ୍ଟ ॥୨୮
ସେ ଦୁଇ ପୁରୁଷଙ୍କ କୁଳେ । ଯେତେ ତରିଲେ ଭବଜଳେ ॥୨୯
ଷଡ଼ସହସ୍ର ପଞ୍ଚସଷ୍ଟି । ପୁଣି ଅଧିକ ଆଠଗୋଟି ॥୩୦
ଘୋର ସଂସାରୁ ତରିଗଲେ । ନିଶ୍ଚଳେ ମିଳିଲେ କୈବଲ୍ୟେ ॥୩୧
ସାତ୍ୱତ ବଂଶେ ଉତପନ୍ନ । ମହାଭୋଜ ତା’ ଅଟେ ନାମ ॥୩୨
ଅତି ଧାର୍ମିକ ମହାଭୋଜ । ଅନେକ କାଳ କଲା ରାଜ୍ୟ ॥୩୩
ଯେତେ ଉପୁଜିଲେ ତା’ ବଂଶେ । ଧରିଲେ ଭୋଜ ନାମକୁ ସେ ॥୩୪
ବୃଷ୍ଣିର ସୁମିତ୍ର ନନ୍ଦନ । ଅପରେ ଯୁଧାଜିତ ନାମ ॥୩୫
ତା’ର ସନ୍ତତି ହୋଏ ଶିନି । ଅନମିତ୍ରକୁ ଘେନି ବେନି ॥୩୬
ଅନମିତ୍ରର ପୁତ୍ର ନିମ୍ନ । ତା’ ଅଂଶେ ଦୁଇପୁତ୍ର ଜନ୍ମ ॥୩୭
ପ୍ରସେନ ଶତ୍ରାଜିତ ନାମ । ହୋଇଲେ ତା’ର ଗୁଣଧାମ ॥୩୮
ହେ ନୃପ ଶୁଣ ମନଦେଇ । ଏବେ ଶିନିର ବଂଶ କହି ॥୩୯
ଶିନି ଯେ ଅନମିତ୍ର ସୁତ । ସତ୍ୟକ ତା’ର ବୀର୍ଯ୍ୟେ ଜାତ ॥୪୦
ତାହାର ପୁତ୍ର ଯୁଯୁଧାନ । ଜୟ ତାହାର ପୁତ୍ର ନାମ ॥୪୧
କୁଣି ତାହାର ତହୁଁ ଜାତ । ତାହାର ଯୁଗନ୍ଧର ସୁତ ॥୪୨
ଅପରେ ବୃଷ୍ଣିପୁତ୍ର ଦୁଇ । ଜନ୍ମିଲେ ବିଷ୍ଣୁତେଜ ବହି ॥୪୩
ଶ୍ୱଫଲ୍‌କ ଚିତ୍ରରଥ ବେନି । ଗାନ୍ଧିନୀ ଶ୍ୱଫଳ୍କ ଭାବିନୀ ॥୪୪
ଦ୍ୱାଦଶପୁତ୍ର ତା’ର ଘରେ । ଜନ୍ମିଲେ ଅତି ପୁଣ୍ୟତରେ ॥୪୫
ଅକ୍ରୁର ତହିଁ ଜ୍ୟେଷ୍ଠ ଜାଣ । ଶୁଣ ହୋ ତାହାଙ୍କର ନାମ ॥୪୬
ଆସଙ୍ଗ ସାରମେୟ ଦୁଇ । ମୃଦୁର ମୃଦୁଦ୍ୱି ଯେ ହୋଇ ॥୪୭
ଗିରି ଧର୍ମବୃଦ୍ଧ ସୁକର୍ମ । କ୍ଷତ୍ରୋପେକ୍ଷ ଅରିମŸର୍ଦ୍ଦନ ॥୪୮
ଗନ୍ଧମାଦ ଯେ ଶତ୍ରୁଘନ । ଦ୍ୱାଦଶେ ପ୍ରତିବାହୁନାମ ॥୪୯
ଆବର ଏକ କନ୍ୟା ଥିଲା । ସୁଚୀରା ନାମ ତା’ର ହେଲା ॥୫୦
ଅକ୍ରୁର ପୁତ୍ର ହୋଏ ବେନି । ଦେବ୍ୱା ଉପଦେବ ଘେନି ॥୫୧
ଚିତ୍ରରଥର ଯେ ଆତ୍ମଜ । ତିନି ଭୁବନେ ତା’ର ତେଜ ॥୫୨
ପୃଥୁ ଯେ ବିଦୁରଥ ଆଦି । ଏଣେ ବୃଷ୍ଣିବଂଶ ସମ୍ପାଦି ॥୫୩
କୁକୁର ଭଜମାନ ବେନି । ଶୁଚି କମ୍ବଳବହିଁ ଘେନି ॥୫୪
ଏ ଚାରି ଅନ୍ଧକର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥୫୫
କୁକୁରସୁତ ବହ୍ନି ନାମା । ତାହାର ତନୟ ବିଲୋମା ॥୫୬
କପୋତରୋମା ତା’ର ସୁତ । ତା’ପୁତ୍ର ଅନୁ ନାମେ ଖ୍ୟାତ ॥୫୭
ତୁମ୍ବୁରୁ ଅଟେ ସଖା ତା’ର । ଅନ୍ଧକ ଅନୁର କୁମର ॥୫୮
ଦୁନ୍ଧୁଭି ଅନ୍ଧକର ସୁତ । ଅରିଦ୍ୟୋତ ଯେ ତା’ ଅପତ୍ୟ ॥୫୯
ଅରିଦ୍ୟୋତ ଅଂଶେ ଉତ୍ପନ୍ନ । ପୁନର୍ବସୁ ନାମେ ସନ୍ତାନ ॥୬୦
ତାହାର ପୁତ୍ର କନ୍ୟା ହୋଏ । ଆହୁକ ଆହୁକୀ ବୋଲାଏ ॥୬୧
ଦେବକ ଉଗ୍ରସେନ ଦୁଇ । ଆହୁକ ତହୁଁ ଜାତ ହୋଇ ॥୬୨
ଦେବକ ପୁତ୍ର ଚାରି ହୋଏ । ନାମ ତାହାଙ୍କ ଶୁଣ ରାୟେ ॥୬୩
ଉପଦେବ ଯେ ଦେବବାନ । ସୁଦେବ ଯେ ଦେବବର୍ଦ୍ଧନ ॥୬୪
ପୁଣ ହୋଇଲେ କନ୍ୟା ସାତ । ଯା’ ନାମ ଜଗତେ ବିଖ୍ୟାତ ॥୬୫
ପ୍ରଥମେ ଧୃତଦେବା ହେଲା । ପରେ ଶାନ୍ତିଦେବା ଜନ୍ମିଲା ॥୬୬
ଉପଦେବା ଶ୍ରୀଦେବା ବେନି । ଦେବରକ୍ଷିତା କନ୍ୟା ଘେନି ॥୬୭
ସହଦେବା ଦେବକୀ ତୁଲେ । ଏମନ୍ତ ସାତକନ୍ୟା ହେଲେ ॥୬୮
ଦେବକ ସାତକନ୍ୟା ନେଇ । ବସୁଦେବଙ୍କୁ ବିଭା ଦେଇ ॥୬୯
ଏବେ ହୋ ଶୁଣ ନରନାଥ । ଉଗ୍ରସେନର ଯେତେ ସୁତ ॥୭୦
କଂସ ସୁନାମା ନ୍ୟଗ୍ରୋଧକ । କଙ୍କ ଶଙ୍କୁ ବେନି ବାଳକ ॥୭୧
ସୁହୂ ଯେ ସୃଷ୍ଟି ରାଷ୍ଟ୍ରପାଳ । ତୁଷ୍ଟି ଏ ଉଗ୍ରସେନ ବାଳ ॥୭୨
ଆବର ହେଲେ କନ୍ୟାପାଞ୍ଚ । ସୁନ୍ଦର ସୁରୂପ ସୁସଞ୍ଚ ॥୭୩
କଂସା ଯେ କଙ୍କବତୀ କଙ୍କା । ସୂରଭୂ ଯେ ରାଷ୍ଟ୍ରପାଳିକା ॥୭୪
ଏ କନ୍ୟା ବରି ବେଦମତେ । ବସୁଦେବର ଭାଇ ଯେତେ ॥୭୫
ବିବାହ କଲେ ଶୁଭବେଳେ । ଉଚିତେ ଗୃହକର୍ମ କଲେ ॥୭୬
ବିଦୁରଥର ଶୂର ସୁତ । ଭଜମାନ ତା’ ବୀର୍ଯ୍ୟେ ଜାତ ॥୭୭
ଶିନି ତା’ର ହୁଏ ଆତ୍ମଜ । ଶିନିର ପୁତ୍ର ସ୍ୱୟଂ ଭୋଜ ॥୭୮
ହୃଦୀକ ତାହାର ନନ୍ଦନ । ତାହାର ତିନି ପୁତ୍ର ଜାଣ ॥୭୯
ଦେବବାହୁ ଯେ ଶତଧନୁ । ଆବର କୃତବର୍ମା ସୂନୁ ॥୮୦
ଦେବମୀଢ଼ ଯେ ଶୂର ସୁତ । ତା’ ପତ୍ନୀ ମାରିଷା ବିଖ୍ୟାତ ॥୮୧
ସେ ଦେବମୀଢ଼ ତା’ର ଗର୍ଭେ । ଦଶ ସନ୍ତତି କଲା ଭାବେ ॥୮୨
ବସୁଦେବ ଦେବଭାଗକ । ଦେବଶ୍ରବସ ଯେ ଆନକ ॥୮୩
ସୃଞ୍ଜୟ ଶ୍ୟାମକ ଯେ କଙ୍କ । ଶମୀକ ବ›ତ୍ସକ ଯେ ବୃକ ॥୮୪
ବସୁଦେବର ଜନ୍ମ କାଳେ । ବାଦ୍ୟ ଶୁଭିଲା ଅନ୍ତରାଳେ ॥୮୫
ସ୍ୱଭାବେ ଆନକ-ଦୁନ୍ଦୁଭି । ଦିଶ ଆକାଶ ପୂରି ଶୁଭି ॥୮୬
ସେ ଯେଣୁ ବିଷ୍ଣୁର ନିଧାନ । ଆନକଦୁନ୍ଦୁଭି ତା’ ନାମ ॥୮୭
ପୁଣି ହୋଇଲେ କନ୍ୟା ପାଞ୍ଚ । ସୁନ୍ଦର ସୁରୂପ ସୁସଞ୍ଚ ॥୮୮
ଯେ ପୃଥା ଆର ଶ୍ରୁତ ଦେବା । ଶ୍ରୁତକୀର୍ତ୍ତି ଯେ ଶ୍ରୁତଶ୍ରବା ॥୮୯
ରାଜାଧିଦେବୀଙ୍କି ଯେ ଘେନି । ଏ ପାଞ୍ଚ ବସୁଦେବ ଭଗ୍ନୀ ॥୯୦
ପୃଥା କନ୍ୟାକୁ ତା’ର ତାତ । କୁନ୍ତି ରାଜନେ କଲା ଦତ୍ତ ॥୯୧
ଯେଣୁ ତା’ ନଥିଲା ସନ୍ତତି । ଏଣୁ ସେ କନ୍ୟା ନାମ କୁନ୍ତୀ ॥୯୨
ଦୁର୍ବାସା ମୁନି ଏକଦିନେ । ମିଳିଲେ ରାଜା ସନ୍ନିଧାନେ ॥୯୩
ପୃଥା ତାହାଙ୍କୁ ସେବା କଲା । ଦେବହୁତି ବିଦ୍ୟା ଲଭିଲା ॥୯୪
ବିଦ୍ୟାର ପରୀକ୍ଷା ନିମନ୍ତେ । ସୂର୍ଯ୍ୟଙ୍କୁ ରାଇଲା ଏକାନ୍ତେ ॥୯୫
ସେ ସୂର୍ଯ୍ୟଦେବ ତତ୍‌କ୍ଷଣ । ମିଳିଲେ ପୃଥା ସନ୍ନିଧାନ ॥୯୬
ଦେଖି ସେ ବିସ୍ମୟ ହୋଇଲା । ବିନୟ ବଚନ କହିଲା ॥୯୭
ହେ ଦେବ ପରୀକ୍ଷା ନିମନ୍ତେ । ତୁମ୍ଭଙ୍କୁ ଚିନ୍ତଲି ମୁଁ ଚିତ୍ତେ ॥୯୮
ବିଦ୍ୟା ପ୍ରୟୋଗେ ହୋଇ ବଶ । ତୁମ୍ଭେ ମିଳିଲ ମୋ’ର ପାଶ ॥୯୯
ହେ ପ୍ରଭୁ ଦୋଷ କ୍ଷମାକର । ଦାସୀ ମୁଁ ତୁମ୍ଭ ଚରଣର ॥୧୦୦
ମୋ’ ମନୋରଥ ହେଲା ପୂର୍ଣ୍ଣ । ସ୍ୱସ୍ଥାନେ କରନ୍ତୁ ଗମନ ॥୧୦୧
ତା’ବାକ୍ୟେ ସୂର୍ଯ୍ୟ ତୋଷ ହୋଇ । କହନ୍ତି କନ୍ୟା ମୁଖ ଚାହିଁ ॥୧୦୨
ହେ ପୃଥା ଶୁଣ ମୋ’ ବଚନ । ବ୍ୟର୍ଥ ନ ହୁଏ ମୋ’ ଦର୍ଶନ ॥୧୦୩
ତୋ’ଠାରେ କରି ଗର୍ଭାଧାନ । ଆମ୍ଭେ ଚଳିବୁ ନିଜ ସ୍ଥାନ ॥୧୦୪
ଅବଶ୍ୟ ତୋ’ ପୁତ୍ର ହୋଇବ । ତୋତେ ସେ ଦୋଷ ନ ଲାଗିବ ॥୧୦୫
ଏମନ୍ତେ କଲେ ଗର୍ଭାଧାନ । ପୁତ୍ର ହୋଇଲା ତତ୍‌କ୍ଷଣ ॥୧୦୬
ପୁତ୍ରଶିଶୁକୁ ନିନ୍ଦା ଡରେ । ଭସାଇ ଦେଲେ ନଦୀ ଜଳେ ॥୧୦୭
ତା’ ପରେ ହୋଇଲାକି ଯାହା । ଶୁଣ କହିବ ନୃପନାହା ॥୧୦୮
ପାଣ୍ତୁ ଯେ ତୋ ପ୍ରପିତାମହ । ପୃଥାକୁ କଲା ସେ ବିବାହ ॥୧୦୯
କାରୂଷ ବୃଦ୍ଧଶର୍ମା ନାମ । ଶ୍ରୁତ ଦେବାକୁ ବରେ ପୁଣ ॥୧୧୦
ବିବାହ କରି ବେଦମତେ । ତା’ଗର୍ଭେ ଉପୁଜିଲା ସୁତେ ॥୧୧୧
ତା’ ଦେଖି ଡରେ ରିପୁଚକ୍ର । ତା’ ନାମ ହେଲା ଦନ୍ତବକ୍ର ॥୧୧୨
କୈକେୟ ବଂଶେ ଦୃଷ୍ଟକେତୁ । ସେ ପୁଣି ନିଜ ବଂଶ ହେତୁ ॥୧୧୩
ଶ୍ରୁତକୀର୍ତ୍ତିକି ବିଭାକଲା । ତା’ ପାଞ୍ଚପୁତ୍ର ଉପୁଜିଲା ॥୧୧୪
ସେ ସୁତ ସନ୍ତŸର୍ଦ୍ଦନ ଆଦି । ସ୍ୱଭାବେ ସର୍ବଗୁଣେ ସିଦ୍ଧି ॥୧୧୫
ଆବନ୍ତ୍ୟ ଶୂରସେନ ବଳା । ରାଜାଧିଦେବୀ ବିଭାକଲା ॥୧୧୬
ନାମ ତାହାର ଜୟସେନ । ତା’ ଅଂଶେ ଦୁଇପୁତ୍ର ଜନ୍ମ ॥୧୧୭
ବିନ୍ଦ ଯେ ଅନୁବିନ୍ଦ ବେନି । ରାଜାଧିଦେବୀ ତହୁଁ ଜନ୍ମି ॥୧୧୮
ଚେଦି ରାଜନ ଦମଘୋଷ । ଶ୍ରୁତଶ୍ରବାକୁ ବରି ତୋଷ ॥୧୧୯
ତା’ର କୁମର ଶିଶୁପାଳ । ସେ ବୀର ତେଜେ ଅନର୍ଗଳ ॥୧୨୦
ତାହାର ଜନ୍ମ ତୋତେ ଭାବେ । ମୁଁ ତାହା କହିଅଛି ପୂର୍ବେ ॥୧୨୧
ଦେବଭାଗର କଂସା ପତ୍ନୀ । ତା’ ଗର୍ଭେ ଜାତ ସୁତ ବେନି ॥୧୨୨
ଚିତ୍ରକେତୁ ଯେ ବୃହଦ୍‌ବଳ । ତେଜେ ଏ ବେନି ଅନର୍ଗଳ ॥୧୨୩
ଦେବଶ୍ରବାର ବୀର୍ଯ୍ୟେ ଜାତ । କଂସାବତୀର ଦୁଇ ସୁତ ॥୧୨୪
ସୁବୀର ଇଷୁମାନ ବେନି । ଏମନ୍ତେ ଦୁଇ ପୁତ୍ର ଜନ୍ମି ॥୧୨୫
କଙ୍କ ଔରସେ କଙ୍କା ଗର୍ଭେ । ବକ ପ୍ରଥମେ ଜନ୍ମ ଲଭେ ॥୧୨୬
ତା’ ପରେ ସତ୍ୟଜିତ୍ ଜନ୍ମି । ପୁରୁଜିତକୁ ଘେନି ତିନି ॥୧୨୭
ସୃଞ୍ଜୟ ପୁତ୍ର ବେନି ହୋଏ । ବୃଷ ଦୁର୍ମର୍ଷଣ ତନୟେ ॥୧୨୮
ହରିକେଶ ଯେ ହିରଣ୍ୟାକ୍ଷ । ଶ୍ୟାମକ ପୁତ୍ର ଯେ ପ୍ରତ୍ୟକ୍ଷ ॥୧୨୯
ବ›ତ୍ସକ ମିଶ୍ରକେଶୀ ଗର୍ଭେ । ବୃକାଦି ସନ୍ତାନ ସମ୍ଭବେ ॥୧୩୦
ତକ୍ଷ ପୁଷ୍କରଶାଳ ଆଦି । ବୃକର ସନ୍ତାନ ପ୍ରସିଦ୍ଧି ॥୧୩୧
ଶମୀକ ପତ୍ନୀ ସୁଦାମିନୀ । ସୁମିତ୍ର ତା’ ଗର୍ଭେ ଜନମି ॥୧୩୨
ଅର୍ଜ୍ଜୁନପାଳାଦି ତନୁଜେ । ଜନ୍ମିଲେ ଶମୀକର ବୀର୍ଯ୍ୟେ ॥୧୩୩
କର୍ଣ୍ଣିକା ଆନକର ମେଳେ । ଋତଧାମକୁ ପ୍ରସବିଲେ ॥୧୩୪
ପୁଣି ଜୟନାମେ ନନ୍ଦନ । ଆନକ ଅଂଶେ ଉତ୍‌ପନ୍ନ ॥୧୩୫
ବସୁଦେବର ଯେତେ ନାରୀ । ଶୁଣ ସୁମନେ ଦଣ୍ତଧାରୀ ॥୧୩୬
ପୌରବୀ ରୋହିଣୀ ରୋଚନା । ମଦିରା ଭଦ୍ରା ଇଳା କନ୍ୟା ॥୧୩୭
ଦେବକୀ ଆଦି ବହୁ ନାରୀ । ସେ ବସୁଦେବ ବିଭାକରି ॥୧୩୮
ରୋହିଣୀ ଗର୍ଭେ ବସୁଦେବ । ଜନ୍ମାଏ ପୁତ୍ର ବଳଦେବ ॥୧୩୯
ଧ୍ରୁବ ସାରଣ ଆର ଗଦ । ବିପୁଳ କୃତ ଯେ ଦୁର୍ମଦ ॥୧୪୦
ପୌରବୀ ଗର୍ଭରେ ସୁଭଦ୍ର । ଭଦ୍ରବାହୁ ଦୁର୍ମଦ ଭଦ୍ର ॥୧୪୧
ଭୂତଆଦି ବାର ନନ୍ଦନ । ବସୁଦେବର ଅଂଶେ ଜନ୍ମ ॥୧୪୨
ମଦିରା ଗର୍ଭେ ଉପନନ୍ଦ । କୃତକ ଶୂର ପୁଣି ନନ୍ଦ ॥୧୪୩
ଭଦ୍ରାର ଉଦରେ ସମ୍ଭୂତ । କେଶୀ ନାମରେ ଏକ ସୁତ ॥୧୪୪
ବସୁଦେବର ଔରସରେ । ପୁଣି ସେ ରୋଚନା ଗର୍ଭରେ ॥୧୪୫
ହସ୍ତହେମାଙ୍ଗଦ ସହିତେ । ଜନ୍ମ ଲଭିଲେ ବହୁ ସୁତେ ॥୧୪୬
ଉରୁ ବଲଲାଦି ପୁତ୍ର ଶ୍ରେଷ୍ଠ । ସେ ଯଦୁବଂଶରେ ଗରିଷ୍ଠ ॥୧୪୭
ସେମାନେ ଇଳା ଗର୍ଭେ ଜାତ । ବସୁଦେବଙ୍କର ଅପତ୍ୟ ॥୧୪୮
ବିପୃଷ୍ଠ ନାମେ ଏକ ବଳା । ଧୃତଦେବାର ତହୁଁ ହେଲା ॥୧୪୯
ଶ୍ରମ ପ୍ରତିଶ୍ରୁତକୁ ଘେନି । ଶାନ୍ତି ଦେବାର ଗର୍ଭେ ଜନ୍ମି ॥୧୫୦
କଳ୍ପ ବର୍ଷାଦି ଦଶସୁତ । ଉପଦେବା ଗର୍ଭୁ ସମ୍ଭୂତ ॥୧୫୧
ବସୁ ହଂସ ଦୁଇ ସହିତ । ସୁବଂଶଆଦି ଷଡ଼ସୂତ ॥୧୫୨
ଦେବରକ୍ଷିତାର ନନ୍ଦନ । ଗଦାଦି ନବଗୋଟି ଜାଣ ॥୧୫୪
ସହଦେବାର ଗର୍ଭେ ଅଷ୍ଟ । ପୁରୁବିଶ୍ରୁତ ଯହିଁ ଜ୍ୟେଷ୍ଠ ॥୧୫୪
ଅଷ୍ଟବସୁଙ୍କୁ ପାଇ ସୁତ । ଧର୍ମ ଯେସନେ ହୃଷ୍ଟଚିତ୍ତ ॥୧୫୫
ସେ ରୂପେ ବସୁଦେବ ହୃଷ୍ଟ । ହୋଇଲେ ପାଇ ପୁତ୍ର ଅଷ୍ଟ ॥୧୫୬
ଦେବକୀ ଗର୍ଭରେ ସମ୍ଭୂତ । ବସୁଦେବଙ୍କ ଅଷ୍ଟସୁତ ॥୧୫୭
ପ୍ରଥମେ ହୋଇ କୀର୍ତ୍ତିମାନ । ପରେ ସୁଷେଣ ଭଦ୍ରସେନ ॥୧୫୮
ଋଜୁ ସମŸର୍ଦ୍ଦନ ସହିତେ । ଭଦ୍ରକୁ ଘେନି ଷଷ୍ଠସୁତେ ॥୧୫୯
ସପ୍ତମ ସୁତ ସଙ୍କର୍ଷଣ । ଅଷ୍ଟମେ ହରି ହେଲେ ଜନ୍ମ ॥୧୬୦
ଦେବକୀ ଗର୍ଭେ ଅଷ୍ଟସୁତ । ବସୁଦେବଙ୍କ ତହୁଁ ଜାତ ॥୧୬୧
ପୁଣି ଯେ କନ୍ୟାଏ ଜନ୍ମିଲା । ସୁଭଦ୍ରା ନାମ ତା’ର ହେଲା ॥୧୬୨
ସେ ତୋର ଅଟେ ପିତାମହୀ । ଏବେ ତୁ ଶୁଣ ନରସାଇଁ ॥୧୬୩
ଯେ କାଳେ ଧର୍ମ କ୍ଷୟ ହୁଏ । ଅଧର୍ମ ହୁଅଇ ଉଦୟେ ॥୧୬୪
ସେ କାଳେ ପ୍ରଭୁ ଭଗବାନ । ଆତ୍ମାକୁ କରନ୍ତି ସୃଜନ ॥୧୬୫
ଜଗତ ହିତେ ମୟାଧର । ଲୀଳାବିହାରେ ହରେ ଭାର ॥୧୬୬
ଏ ହରି ମାୟାର ନିୟନ୍ତା । ସଙ୍ଗ ରହିତ ସର୍ବକର୍ତ୍ତା ॥୧୬୭
ସପ୍ତମ ପ୍ରାଣୀ ହୃଦ୍‌ଗତେ । ସାକ୍ଷୀ ରୂପରେ ଥାଏ ନିତ୍ୟେ ॥୧୬୮
ମାୟାରେ ଖେଳଇ ଜଗତେ । ଜନ୍ମକର୍ମାଦି ପ୍ରାଣୀ ହିତେ ॥୧୬୯
ତା’ ମାୟା ଚେଷ୍ଟା ଜୀବପକ୍ଷେ । ଅନୁଗ୍ରହ ରୂପ ପ୍ରତ୍ୟକ୍ଷେ ॥୧୭୦
ସୃଷ୍ଟି ସ୍ଥିତି ଲୟ କାରଣ । ଜୀବର ମୋକ୍ଷର ନିଦାନ ॥୧୭୧
ଅସଂଖ୍ୟ ଅକ୍ଷୌହିଣୀ ପତି । ଅସୁରେ ଜନ୍ମିଲେ ଏ କ୍ଷିତି ॥୧୭୨
ରାଜଚିହ୍ନ କରି ଧାରଣ । ପୃଥିବୀ କଲେ ଆକ୍ରମଣ ॥୧୭୩
ପୃଥିବୀ ଭାରାକ୍ରାନ୍ତ ହୋଇ । ଧାରଣେ ସମର୍ଥ ନୁହଇ ॥୧୭୪
ଭାରା ହରଣ ଅର୍ଥେ ହରି । ଜଗତେ ନାନା ରୂପଧରି ॥୧୭୫
ହେ ନୃପ ଶୁଣ ଏକଚିତ୍ତେ । ସେ ହରି ମହିମା ଯେମନ୍ତେ ॥୧୭୬
ନିଜ ଇଚ୍ଛାରେ ଅବତରି । ଅସୁରଗଣଙ୍କୁ ସଂହାରି ॥୧୭୭
ଦେବେ ନ ପାନ୍ତି ଯା’ର ଅନ୍ତ । ତା’ର ମାୟାରେ ହୋଇ ଭ୍ରାନ୍ତ ॥୧୭୮
ସେ ସଙ୍କର୍ଷଣର ସହିତେ । ଲୀଳାରେ ବିହରେ ଜଗତେ ॥୧୭୯
ଯଦ୍ୟପି ସର୍ବଶକ୍ତିମାନ । ଅଟଇ ଶ୍ରୀମଧୁସୂଦନ ॥୧୮୦
ସଙ୍କଳ୍ପ ମାତ୍ରେ ଭୂମିଭାର । ହରଣେ ସମର୍ଥ ତାହାର ॥୧୮୧
ତଥାପି ଭକ୍ତଙ୍କର ହିତେ । ତା’ ଅବତାର ଏଜଗତେ ॥୧୮୨
କଳିଯୁଗରେ ଭକ୍ତ ଯେତେ । ତାହାଙ୍କ ଅନୁଗ୍ରହ ଅର୍ଥେ ॥୧୮୩
ପବିତ୍ର ଯଶ କର୍ମମାନ । ବିସ୍ତାର କଲେ ଭାଗବାନ ॥୧୮୪
ଯଶ ସ୍ମରଣେ ତମ ଧ୍ୱଂସ । ସକଳ ଶୋକ ହୁଏ ନାଶ ॥୧୮୫
ଶ୍ରେଷ୍ଠ ପବିତ୍ର ତୀର୍ଥ ବ୍ରତ । ସାଧୁଜନଙ୍କ କର୍ଣ୍ଣାମୃତ ॥୧୮୬
ଶ୍ରୋତ୍ର-ଅଞ୍ଜଳି ପଥେ ପାନ । କରେ ଯେ ଏକବାରେ ଜନ ॥୧୮୭
କର୍ମବାସନା କ୍ଷୟ ଦକ୍ଷ । ସେ ନର ହୁଅଇ ପ୍ରତ୍ୟକ୍ଷ ॥୧୮୮
ସେ ହେତୁ ଭୋଜ ବୃଷ୍ଣି ଯେତେ । ଅନ୍ଧକ ମଧୁର ସହିତେ ॥୧୮୯
କୁରୁ ସୃଞ୍ଜୟ ଆଦି ବଂଶ । ଆଦରେ ଗାବନ୍ତି ଯା’ ଯଶ ॥୧୯୦
ତା’ର ଚରିତ ହୃଦେ ଚିନ୍ତି । ସ୍ୱଚ୍ଛନ୍ଦେ ସୁଖେ ବିହରନ୍ତି ॥୧୯୧
ସେ ପ୍ରଭୁ ଦେବ ଭଗବାନ । ତାହାଙ୍କୁ ହୁଏ ସୁପ୍ରସନ୍ନ ॥୧୯୨
ସ୍ନିଗ୍ଧ-ମଧୁର ମନ୍ଦହାସେ । ଉଦାର ବଚନ ବିଳାସେ ॥୧୯୩
ଅସମ ବିକ୍ରମ ଲୀଳାରେ । ସର୍ବାଙ୍ଗ ସୁନ୍ଦର ଶରୀରେ ॥୧୯୪
ତାହାଙ୍କୁ କରି ଆନନ୍ଦିତ । ସେମାନେ ମାୟାରେ ମୋହିତ ॥୧୯୫
କର୍ଣ୍ଣରେ ମକର କୁଣ୍ତଳ । ସୁନ୍ଦର କପୋଳ ଯୁଗଳ ॥୧୯୬
ବିଳାସ ହାସେ ମୁଖ ଶୋଭା । କି ଅବା ପଟାନ୍ତର ଦେବା ॥୧୯୭
ନିତ୍ୟେ ତାହାର ମୁଖ ଦେଖି । ସେ ନର ନାରୀ ହେଲେ ସୁଖୀ ॥୧୯୮
ନେତ୍ର ଉ›ତ୍ସବ ତା’ର ଶୋଭା । ଲୋକଲୋଚନ ମନଲୋଭା ॥୧୯୯
ତଥାପି ସେମାନଙ୍କ ନେତ୍ର । କଦାପି ନୋହେ ପରିତୃପ୍ତ ॥୨୦୦
ଭୁବନମୋହନ ସୁନ୍ଦର । ରୂପ ତାହାଙ୍କ ମନୋହର ॥୨୦୧
ନିମିଷମାତ୍ର ନ ଦେଖିଲେ । ଦୁଃଖିତ ହୁଅନ୍ତି ବିକଳେ ॥୨୦୨
ସେ ବସୁଦେବ ଘରେ ହରି । ଜନ୍ମିଲେ ନରଦେହ ଧରି ॥୨୦୩
ହରିଲେ ଧରଣୀର ଭାର । ଯେ ରୂପ ଦେଖି ଦେବାସୁର ॥୨୦୪
ପଶୁମନୁଷ୍ୟ ଆଦି ଯେତେ । ଶରୀର ଧରି ଏ ଜଗତେ ॥୨୦୫
କୀଟପତଙ୍ଗ ଆଦି କରି । ଯେ ରୂପ ଦେଖି ଗଲେ ତରି ॥୨୦୬
ତା’ର ମହିମା କେବା କହି । ପାରିବ ନରଦେହ ବହି ॥୨୦୭
ହେ ନୃପ ଶୁଣ ତୋଷଚିତ୍ତେ । ଅଦ୍ଭୁତ କର୍ମ ତା’ର ଯେତେ ॥୨୦୮
ସେ ବନ୍ଦୀଘରେ ନିଜ ରୂପେ । ଜନ୍ମି ଗୁପତେ ଗଲେ ଗୋପେ ॥୨୦୯
ତାହାଙ୍କୁ ପାଇ ବ୍ରଜବାସୀ । ସୁଖେ ବଞ୍ଚନ୍ତି ଦିବାନିଶି ॥୨୧୦
ରିପୁ ସଂହାରି ବଢ଼ି ବ୍ରଜେ । ମାରି ମଥୁରା କଂସରାଜ୍ୟେ ॥୨୧୧
ଦ୍ୱାରକାପୁରେ ବାସ କରି । ବିବାହ କରି ବହୁ ନାରୀ ॥୨୧୨
ଜନ୍ମାଇ ଅସଂଖ୍ୟ ନନ୍ଦନ । ଅନେକ କରି ଯଜ୍ଞମାନ ॥୨୧୩
ଲୋକଙ୍କୁ ଦେଇ ଯଜ୍ଞଶିକ୍ଷା । ନିଗମମାର୍ଗ କଲେ ରକ୍ଷା ॥୨୧୪
କୁରୁପାଣ୍ତବ ମଧ୍ୟେ କଳି । ଭିଆଇ ବହୁ ସୈନ୍ୟ ମାରି ॥୨୧୫
ଧରଣୀ ଭାର ଅପହରି । ଅର୍ଜ୍ଜୁନେ ଦେଇ ଜୟଶିରୀ ॥୨୧୬
ଉଦ୍ଧବେ ଦେଇ ଆତ୍ମଜ୍ଞାନ । ଚଳିଲେ ଆପଣା ଭୁବନ ॥୨୧୭
ସୁଜନଜନ ଏହା ଶୁଣି । ଭକତି ହୃଦେ ପରିମାଣି ॥୨୧୮
ଏ ଭବଜଳୁ ତରିଯିବ । ଯାହା ନ ଲଭେ ବ୍ରହ୍ମାଶିବ ॥୨୧୯
ସେ ହରିଚରିତ ସୁମର । ମୁଁ ତୁମ୍ଭ ଚରଣେ କିଙ୍କର ॥୨୨୦
ବୋଲଇ ବିପ୍ର ଜଗନ୍ନାଥ । ନବମେ ବଂଶାନୁଚରିତ ॥୨୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ନବମସ୍କନ୍ଧେ ଶ୍ରୀସୂର୍ଯ୍ୟ ସୋମବଂଶ ଅନୁକୀର୍ତ୍ତନେ ଯଦୁବଂଶାନୁକୀର୍ତ୍ତନଂ ନାମ
ଚତୁର୍ବିଂଶୋଽଧ୍ୟାୟଃ । ।

 

Jaganath Das Books Odia Bhagabat Odia Bhagabat by Jaganath Das
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ
Next Article କିଏ କେମିତି ଗଲା
ଜଗନ୍ନାଥ ଦାସ

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

February 25, 2020

ଓଡିଆ ଭାଗବତ ପଞ୍ଚମ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.