• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧ
ଅନ୍ୟାନ୍ୟ

ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧ

ଜଗନ୍ନାଥ ଦାସBy ଜଗନ୍ନାଥ ଦାସFebruary 24, 2020No Comments306 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରଥମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏବେ ହେ ଶୁଣ ଏକଚିତ୍ତେ । ଚତୁର୍ଥସ୍କନ୍ଧେ ଭାଗବତେ ।। ୧
ପୂର୍ବେ ଯେ ପଦ୍ମଯୋନି-ତନୁଁ । ଜନ୍ମିଲେ ସ୍ୱାୟମ୍ଭୁବମନୁ ।। ୨
ତା ନାରୀ ଶତରୂପା ନାମ । ପବିତ୍ର-ସର୍ବ-ଗୁଣ-ଧାମ ।। ୩
ତାହାଙ୍କ ଠାରୁ ସୁତା ତିନି । ପରେ ଜନ୍ମିଲେ ସୁତବେନି ।। ୪
ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ।। ୫
ଆକୂତି ରୁଚିକି ବରିଲା । ପୁତ୍ରିକା ଧର୍ମେ ବିଭା ଦେଲା ।। ୬
ଯେ ଧର୍ମବିଧି ବେଦମାର୍ଗେ । ବିଚାରି ଶତରୂପା ସଙ୍ଗେ ।। ୭
ସେ ପ୍ରଜାପତି ଗୃହେ ଆଣି । ସ୍ୱଧର୍ମେ ଆକୂତି ଘରଣୀ ।। ୮
ସେ କନ୍ୟା ଗର୍ଭେ ରୁଚି ବୀର୍ଯ୍ୟେ । ପୁତ୍ର ଦୁହିତା ମହାତେଜେ ।। ୯
ଜନ୍ମିଲେ ଅତି ସୁଲକ୍ଷଣ । ତାହାଙ୍କ ନାମ ଏବେ ଶୁଣ ।। ୧୦
ଯଜ୍ଞପୁରୁଷ ତାଙ୍କ ବଂଶେ । ଜନ୍ମ ହୋଇଲେ ବିଷ୍ଣୁ ଅଂଶେ ।। ୧୧
କନ୍ୟା ସୁରୂପା ସୁଲକ୍ଷଣା । ତା ନାମ କଳ୍ପିଲା ଦକ୍ଷିଣା ।। ୧୨
ତହୁଁ କନ୍ୟାର ପୁତ୍ର ଆଣି । ସ୍ୱଗୃହେ ମନୁଙ୍କ ଘରଣୀ ।। ୧୩
ନିଜ ଅପତ୍ୟ ପ୍ରିୟଭାବେ । ପାଳନ୍ତି ମନୁବଂଶ ଲାଭେ ।। ୧୪
ରୁଚିର ଘରେ କନ୍ୟା ରହି । ଦକ୍ଷିଣା ନାମ ଯାର ହୋଇ ।। ୧୫
ଏମନ୍ତେ ଗଲା ଦିନାକେତେ । ସେ ରୁଚି କନ୍ୟା ଅଭିମତେ ।। ୧୬
ସେ ଯଜ୍ଞରୂପୀ ବିଷ୍ଣୁହସ୍ତେ । କନ୍ୟା ଅର୍ପିଲେ ବିଧିମତେ ।। ୧୭
ସେ ଯଜ୍ଞପତି କନ୍ୟା ପାଇ । ଗୃହସ୍ଥ-ଧର୍ମ-ବିଧି ବହି ।। ୧୮
ସ୍ୱଧର୍ମ ସାଧନାର ଅର୍ଥେ । ସୁବୁଦ୍ଧି ଘେନି ଶୁଦ୍ଧଚିତ୍ତେ ।। ୧୯
ଦକ୍ଷିଣା ଗର୍ଭେ ମୁନିବଳା । ଦ୍ୱାଦଶପୁତ୍ର ଜନ୍ମ କଲା ।। ୨୦
ତୋଷ ପ୍ରତୋଷ ପୁତ୍ରବେନି । ସନ୍ତୋଷ ଭଦ୍ର ଶାନ୍ତି ଘେନି ।। ୨୧
ଷଷ୍ଠ ପୁତ୍ର ଯେ ଇଡଷ୍ପତି । ବେଦେ ଅଧିକ ଯାର ମତି ।। ୨୨
ଇଦୁ କବି ଯେ ବିଭୂ ସ୍ୱାହ୍ନ । ସୁଦେବ ଦ୍ୱାଦଶେ ରୋଚନ ।। ୨୩
ସେ ସ୍ୱାୟମ୍ଭୁବ ସୁଶାସନେ । ଏହି ଦ୍ୱାଦଶ ଭ୍ରାତୃଗଣେ ।। ୨୪
ତୁଷିତ ନାମେ ଦେବଗଣ । ହୋଇଲେ ସୃଷ୍ଟିର କାରଣ ।। ୨୫
ମରୀଚି ଆଦି ସପ୍ତମୁନି । ଯଜ୍ଞକୁ ଇନ୍ଦ୍ରପଦେ ଘେନି ।। ୨୬
ଉତ୍ତାନପାଦ ପ୍ରିୟବ୍ରତ । ଏ ବେନି ମନୁରାଜା ସୁତ ।। ୨୭
ଏହାଙ୍କ ବଂଶେ ରାଜା ଯେତେ । ପୁତ୍ର ପଉତ୍ର ଅପ୍ରମିତେ ।। ୨୮
ଯେ କନ୍ୟା ଦେବହୂତି ନାମ । ତାହାକୁ ଲଭିଲେ କର୍ଦ୍ଦମ ।। ୨୯
ତାହାର ନବକନ୍ୟା ଗର୍ଭେ । ଯେ ଅବା ଉପୁଜିଲେ ପୂର୍ବେ ।। ୩୦
ସେ କଥା କହିବଇଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ।। ୩୧
ପ୍ରସୂତି କନ୍ୟା ମନୁରାଜା । ଦେଇ ଦକ୍ଷକୁ କଲା ପୂଜା ।। ୩୨
ତାର ସନ୍ତତି ତିନିଲୋକେ । ବିସ୍ତାର ହୋଇଲେ ଅନେକେ ।। ୩୩
କହିବି ଏଥିର କାରଣ । ତୁ ଏବେ ସାବଧାନେ ଶୁଣ ।। ୩୪
ଶୁଣନ୍ତେ ନବମୁନି – ବଂଶ । ହରଇ ଅଶେଷ କଳୁଷ ।। ୩୫
କର୍ଦ୍ଦମ କନ୍ୟା ନାମ କଳା । ମରୀଚି ମୁନିଙ୍କୁ ଅର୍ପିଲା ।। ୩୬
ମରୀଚି ବୀର୍ଯ୍ୟେ ତା ଉଦରେ । ଜନ୍ମିଲେ ଯେ ବେନି କୁମରେ ।। ୩୭
କଶ୍ୟପ ପୂର୍ଣ୍ଣିମାନ ଦୁଇ । ଶୁଚି ସୁନ୍ଦର ବେନିଭାଇ ।। ୩୮
ଏ ବେନିଭାଇଙ୍କର ବଂଶ । ଜଗତେ ଅନେକ ପ୍ରକାଶ ।। ୩୯
ବିରଜ ପୂର୍ଣ୍ଣିମାର ସୁତ । ଅପର ବିଶ୍ୱଗ ବିଦିତ ।। ୪୦
ତା ଦେବକୁଲ୍ୟା ନାମେ କନ୍ୟା । ପୂର୍ବେ ଯେ ଗଙ୍ଗା ନାମେ ଧନ୍ୟା ।। ୪୧
ଅତ୍ରିର ଅନସୂୟା ନାରୀ । ଅତି ସୁନ୍ଦରୀ ସୁକୁମାରୀ ।। ୪୨
ତାହାର ଗର୍ଭେ ତିନିସୁତ । ହୋଇଲେ ଜଗତେ ବିଦିତ ।। ୪୩
ଦତ୍ତ ଦୂର୍ବାସା ସୋମ ତିନି । ତିନି ଦେବଙ୍କ ଅଂଶ ଘେନି ।। ୪୪

ବିଦୁର ଉବାଚ

ଅତ୍ରିର ପତ୍ନୀ ଗର୍ଭଗତେ । ତ୍ରିଦେବ ଜନ୍ମିଲେ କେମନ୍ତେ ।। ୪୫
ଯେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରି । ସୃଷ୍ଟି ପାଳନ ଅନ୍ତକାରୀ ।। ୪୬
କି ହେତୁ କି କର୍ମ ବିଚାରି । କିମ୍ପା ଜନ୍ମିଲେ ଦେହଧରି ।। ୪୭
ଏ କଥା ସଂଶୟ ତ ମୋତେ । ଭୋ ମୁନି କହ ଶୁଦ୍ଧଚିତ୍ତେ ।। ୪୮
ବିଦୁର-ତହୁଁ ଏହା ଶୁଣି । କହେ ମୈତ୍ରେୟ ମନେ ଶୁଣି ।। ୪୯

ମୈତ୍ରେୟ ଉବାଚ

ଶୁଣ ବିଦୁର ଧୀରମନ । ଅତ୍ରି ଯେ ବ୍ରହ୍ମାର ନନ୍ଦନ ।। ୫୦
ସ୍ୱଭାବେ ବ୍ରହ୍ମଜ୍ଞାନୀ ବର । ବ୍ରହ୍ମା ବୋଇଳେ ତପ କର ।। ୫୧
ଯେ ତପେ ଯେବା ଦେବ ସେବି । ତାର ପ୍ରସନ୍ନେ ଫଳ ଲଭି ।। ୫୨
ଏମନ୍ତ ପିତା ବାକ୍ୟ ମାନି । ଧର୍ମପତ୍ନୀକି ସଙ୍ଗେ ଘେନି ।। ୫୩
ସେ ପତିବ୍ରତା ଅନସୂୟା । ତାକୁ ନ ଲାଗେ ବିଷ୍ଣୁମାୟା ।। ୫୪
ସେ ସାଧୁ ପତ୍ନୀ ସଙ୍ଗମେଳେ । ମିଳିଲେ ଋକ୍ଷ କୁଳାଚଳେ ।। ୫୫
ସେ ଗିରିଶିଖେ ନାନା ଫୁଲ । ସୁରଙ୍ଗ ସୁଗନ୍ଧ ଅମୂଲ ।। ୫୬
ଦିବ୍ୟ ସୁସଞ୍ଚ ପନ୍ତିପନ୍ତି । ମନମୋହନ ବୃକ୍ଷେ ଛନ୍ତି ।। ୫୭
ଚନ୍ଦନ ଚମ୍ପକ ଅଶୋକ । ପାରଜାତକ କୁରୁବକ ।। ୫୮
ନିର୍ବିନ୍ଧ୍ୟା ନାମେ ନଦୀ ବହେ । ସ୍ନାନେ ସକଳ ପାପ ଦହେ ।। ୫୯
ସେ ବନେ ପଶି ବେନିଜନେ । ତପ ସମାଧି ଯୋଗଧ୍ୟାନେ ।। ୬୦
ମନକୁ ଧରି ଆତ୍ମାବଳେ । ପବନ ଇନ୍ଦ୍ରିୟ ନିଶ୍ଚଳେ ।। ୬୧
ଏକ ଚରଣେ ଉଭାହୋଇ । ଉର୍ଦ୍ଧ୍ୱ ବଦନେ ଶୂନ୍ୟେ ଧ୍ୟାୟି ।। ୬୨
ଶତେ ବରଷ ଯୋଗଧ୍ୟାନେ । ବଞ୍ଚିଲେ ପବନ ଅଶନେ ।। ୬୩
ନିଶ୍ଚଳ ଯୋଗଧ୍ୟାନେ ଚିନ୍ତି । ଚିତ୍ତେ ଏମନ୍ତ ବିଚାରନ୍ତି ।। ୬୪
ଜଗତପ୍ରଭୁ ଯେ ଈଶ୍ୱର । ସୃଷ୍ଟି-ପାଳନ-ନାଶକର ।। ୬୫
ଅନାଦି-ପରମ-କାରଣ । ଦୁର୍ଲ୍ଲଭ ଯାହାର ବରଣ ।। ୬୬
ଆମ୍ଭର ସନ୍ତତି କାରଣେ । ଶରଣ ଗଲୁ ତା ଚରଣେ ।। ୬୭
ଏମନ୍ତ ଚିତ୍ତେ ବିଚାରନ୍ତି । ହରିହୁଁ ଆନ ନା ଜାଣନ୍ତି ।। ୬୮
ସେ ହରି ଯେବେ ଦୟାକରେ । ଜନ୍ମ ଲଭିବେ ଆମ୍ଭ ଘରେ ।। ୬୯
ସଫଳ ଜୀବନ ମୋହର । ସେ ହରି ଶରଣ-ସୋଦର ।। ୭୦
ଏମନ୍ତ ଚିତ୍ତେ ନିତ୍ୟେ ଚିନ୍ତି । ସେ ବନେ ତପ ସେ ସାଧନ୍ତି ।। ୭୧
ଉର୍ଦ୍ଧ୍ୱ-ବଦନେ ଯେ ନିଶ୍ଚଳ । ଏମନ୍ତେ ଗଲା ଦୀର୍ଘକାଳ ।। ୭୨
ପ୍ରାଣ ସଂଯମ ଶ୍ରମବଳେ । ଶିରେ ଅନଳ ଉପୁଜିଲେ ।। ୭୩
ତେଜେ ତାପିଲା ତିନିପୁର । ଦେଖି କମ୍ପିଲେ ସୁର-ନର ।। ୭୪
ବିଶ୍ୱ କମ୍ପିତ ତେଜମୟେ । ଦେଖି ଗୋବିନ୍ଦ କଲେ ଭୟେ ।। ୭୫
ତାହାଙ୍କ ତପର ସନ୍ତୋଷେ । ଗୋବିନ୍ଦ ମନର ହରଷେ ।। ୭୬
ତକ୍ଷଣେ ପ୍ରଭୁ ନରହରି । ଭବ-ବିରଞ୍ଚି ସଙ୍ଗେ କରି ।। ୭୭
ବେଗେ ମିଳିଲେ ଶୂନ୍ୟପଥେ । ଗନ୍ଧର୍ବ ବିଦ୍ୟାଧର ଯୁତେ ।। ୭୮
ଉରଗ ସିଦ୍ଧ ମୁନିବୁନ୍ଦେ । ଅସ୍ପରା ନୃତ୍ୟନ୍ତି ଆନନ୍ଦେ ।। ୭୯
ସୁସ୍ୱର ଯନ୍ତ୍ରେ ଗୀତ ଗାନ । ଯେଣେ ସନ୍ତୋଷ ଆତ୍ମାମନ ।। ୮୦
ସେ ମୁନି ଯଶ-ଗୁଣ ଗାଈ । ତପ ପ୍ରଭାବ ହୃଦେ ବହି ।। ୮୧
ସେ ହରି କମଳ-ଲୋଚନ । ଅଶେଷ ଭବ-ବିମୋଚନ ।। ୮୨
ହରଷ ମନ ଅତି ଶ୍ରମେ । ମିଳିଲେ ମୁନିଙ୍କ ଆଶ୍ରମେ ।। ୮୩
ଦେବଙ୍କ ଆଗମନ ଦେଖି । ସେ ମୁନି ଆସନ ଉପେକ୍ଷି ।। ୮୪
ସମାଧି ତପ ଆଚରଣେ । ଥିଲେ ଯେ ଏକଇ ଚରଣେ ।। ୮୫
ବେନିଚରଣ ତଳେ ଥୋଇ । କପୋଳେ ବେନିକର ଦେଇ ।। ୮୬
ହୃଦୟେ ପୁଲକିତ ଭାବ । ଯେଣୁ ଗୋବିନ୍ଦ-ଅନୁରାଗ ।। ୮୭
ହରଷ-ଅଶ୍ରୁଜଳ ନେତ୍ରେ । ପ୍ରଣାମ କରି ଦଣ୍ତବତେ ।। ୮୮
ଉଠି ଚାହଁଇ ଶୂନ୍ୟମାର୍ଗେ । ତିନି ମୂରତି ଦେଖି ଆଗେ ।। ୮୯
ବୃଷଭ ପକ୍ଷିରାଜ-ଯାନେ । ପରମହଂସର ବିମାନେ ।। ୯୦
ତିନିଦେବଙ୍କ ଚିହ୍ନ ଦେଖି । ନିଶ୍ଚଳ କଲା ବେନିଆଖି ।। ୯୧
ଦେଖଇ ବ୍ରହ୍ମା ବିଷ୍ଣୁ ହର । ନିଜ ଆୟୁଧ ଧରି କର ।। ୯୨
ପ୍ରସନ୍ନ ଦିଶେ ମୁଖକାନ୍ତି । ଈଷିତ ହାସ୍ୟେ ଶୋଭାପାନ୍ତି ।। ୯୩
ଏମନ୍ତେ ଦେଖି ତିନିମୁଖ । ମୁନି ଛାଡିଲେ ମନୁ ଦୁଃଖ ।। ୯୪
କଣ୍ଠ-କୁଣ୍ଠିତ ଗଦଗଦେ । ପ୍ରଣାମ କରି ପଦ୍ମପାଦେ ।। ୯୫
କରଅଞ୍ଜଳି ଶିରେ ଦେଇ । ବୋଲଇ ତାଙ୍କ ମୁଖ ଚାହିଁ ।। ୯୬

ଅତ୍ରି ଉବାଚ

ସୃଷ୍ଟି ପାଳନ ସଂହାରଣେ । ତୁମ୍ଭର ଶରୀର ପ୍ରମାଣେ ।। ୯୭
ଭକ୍ତଜନଙ୍କ ପ୍ରୀତି ଯୋଗେ । ଶରୀର ବହ ଯୁଗେ ଯୁଗେ ।। ୯୮
ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର । ମୁଁ ତୁମ୍ଭ ଚରଣେ କିଙ୍କର ।। ୯୯
ତୁମ୍ଭର ରୂପ ଏସଂସାରେ । ପ୍ରକାଶ ଜନ-ଉପକାରେ ।। ୧୦୦
ମୁଁ ଧ୍ୟାନ କଲି ଯାହାରୂପ । କହ ହେ ମୋତେ ତା ସ୍ୱରୂପ ।। ୧୦୧
ସନ୍ତାନ ପାଇଁ ଭଗବାନ । ତପେ ମୁଁ କଲି ଆରାଧନ ।। ୧୦୨
ପ୍ରଜାର୍ଥେ ଧ୍ୟାନ କରି ଯାର । ସେ ଦେହୀଙ୍କର ଅଗୋଚର ।। ୧୦୩
ଏବେ ତ୍ରିତୟ-ରୂପ ଧରି । ତୁମ୍ଭେ ବିଜୟ ମୋର ପୁରୀ ।। ୧୦୪
କି ରୂପେ ତୁମ୍ଭେ ତିନିଜଣ । ଏ ସ୍ଥାନେ କଲ ଆଗମନ ।। ୧୦୫
ଏଥିରେ ମୋହର ବିସ୍ମୟ । ସନ୍ଦେହ ଫେଡ ଦୟାମୟ ।। ୧୦୬
ଏ ବଡ ବିଚିତ୍ର ମଣଇ । ସଂଶୟ ଫେଡ ଦୟାବହି ।। ୧୦୭

ମୈତ୍ରେୟ ଉବାଚ

ବିଦୁର ସାବଧାନେ ଶୁଣ । ତ୍ରିଦେବ ହୋଇଣ ପ୍ରସନ୍ନ ।। ୧୦୮
ଏମନ୍ତ ଅତ୍ରି ବାକ୍ୟ ଶୁଣି । ବିଷ୍ଣୁ ଶଙ୍କର ପଦ୍ମଯୋନି ।। ୧୦୯
ବୋଲନ୍ତି ଅତ୍ରି ମୁଖ ଚାହିଁ । ଭୋମୁନି ଭାଗ୍ୟବନ୍ତ ତୁହି ।। ୧୧୦
ତୋହର ପ୍ରାୟେ ତପଘୋରେ । ତପସ୍ୱୀ ନାହିଁ ଏ ସଂସାରେ ।। ୧୧୧
ପତ୍ନୀ ସହିତେ ଦୁଃଖ ସହି । ଯେ ତପ କଲୁ ବନେ ରହି ।। ୧୧୨
ଚିତ୍ତେ ତୁ କଳ୍ପିଅଛୁ ଯାହା । ତେଣୁ ଆମ୍ଭର ତୋତେ ଦୟା ।। ୧୧୩
ଚିତ୍ତେ ତୁ କଲୁ ଯାର ଧ୍ୟାନ । ସେ ଆମ୍ଭ ତିନିରୂପ ଜାଣ ।। ୧୧୪
ମନେ ତୁ ସଂଶୟ ନ କର । ହୋଇବୁ ତୋହର କୁମର ।। ୧୧୫
ତୋହର ଯଶ ଏ ଜଗତେ । ନିଶ୍ଚଳ ରହିବ ଯେମନ୍ତେ ।। ୧୧୬
କରିବୁଁ ସତ୍ୟ ଏ ବଚନ । କହି ହୋଇଲେ ଅନ୍ତର୍ଦ୍ଧାନ ।। ୧୧୭
ନିଜ ଭୁବନେ ଗଲେ ଦେବେ । ଶୁଣ ବିଦୁର କହୁଁ ଏବେ ।। ୧୧୮
ସେ ମୁନିପତ୍ନୀ ଗର୍ଭ ଯୋଗେ । ଜନ୍ମ ହୋଇଲେ ତିନିଦେବେ ।। ୧୧୯
ନୟନ ମଧ୍ୟୁ ସୋମ ଜାତ । ଉଦରୁ ଦତ୍ତ ଯେ ସମ୍ଭୂତ ।। ୧୨୦
ଦୁର୍ବାସା ଧ୍ୱର୍ଜଟିର ଅଂଶେ । ଜନ୍ମ ହୋଇଲେ ପୃଷ୍ଠଦେଶେ ।। ୧୨୧
ତପର ପ୍ରଭାବ ଏ ପୁଣ । ଏବେ ଅଙ୍ଗିରା ବଂଶ ଶୁଣ ।। ୧୨୨
ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ । ତାର ସଙ୍ଗମେ ପ୍ରଜାପତି ।। ୧୨୩
ଚାରି-କୁମାରୀ ଜନ୍ମ କଲା । ସୁନ୍ଦର-ରୂପ-ଗୁଣ-ଶୀଳା ।। ୧୨୪
ତୁଳନା ନାହିଁ ଅନୁପମ । ଶୁଣ ହୋ ତାହାଙ୍କର ନାମ ।। ୧୨୫
ପ୍ରଥମ କନ୍ୟା ସିନୀବାଲୀ । ଅପରେ କୁହୁ ରାକାବାଳୀ ।। ୧୨୬
ଚତୁର୍ଥ କନ୍ୟା ଅନୁମତି । ଏମନ୍ତେ କନ୍ୟାଙ୍କର ଖ୍ୟାତି ।। ୧୨୭
ଅପରେ ବେନିପୁତ୍ର ଜାତ । ଉତଥ୍ୟ ବୃହସ୍ପତି ଖ୍ୟାତ ।। ୧୨୮
ଏ ସ୍ୱାରୋଚିଷ ମନ୍ୱନ୍ତରେ । ଗୁଣେ ବିଖ୍ୟାତ ତିନିପୁରେ ।। ୧୨୯
ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ । ପୁଲସ୍ତ୍ୟ ବଂଶ ଏବେ ଶୁଣ ।। ୧୩୦
ଅଗସ୍ତ୍ୟ ହବିର୍ଭୁ ଉଦରେ । ଜନ୍ମିଲେ ପୁଲସ୍ତ୍ୟ ବୀର୍ଯ୍ୟରେ ।। ୧୩୧
ଏ ଅନ୍ୟ ଜନ୍ମରେ ଜଠର । ଅଗ୍ନିରେ ଖ୍ୟାତ ତିନିପୁର ।। ୧୩୨
ବିଶ୍ରବା ନାମେ ଆର ସୁତ । ଯା ଯଶ ତିନିପୁରେ ଖ୍ୟାତ ।। ୧୩୩
ତା ପତ୍ନୀ ନାମ ଇଡବିଡା । ଦୁର୍ଜୟ ପୁତ୍ର ପ୍ରସବିଲା ।। ୧୩୪
ବିଶ୍ରବା ଦେଖି ତା ଶରୀର । ତା ନାମ କଳ୍ପିଲା କୁବେର ।। ୧୩୫
ପୁଣି ବିଶ୍ରବା ତେଜ ଘେନି । କେଶିନୀ ଗର୍ଭେ ପୁତ୍ରତିନି ।। ୧୩୬
ରାବଣ କୁମ୍ଭକର୍ଣ୍ଣ ନାମ । ତେଜେ ତ୍ରୈଲୋକ୍ୟ ନାହିଁ ସମ ।। ୧୩୭
ଜନ୍ମ ହୋଇଲେ ବିଭୀଷଣ । ବିଷ୍ଣୁ ଭକତ ମହାଜନ ।। ୧୩୮
ପୁଲହ-ବଂଶ ଏବେ ଶୁଣ । କହିବା ତାହାଙ୍କର ଗୁଣ ।। ୧୩୯
ପୁଲହ-ଭାର୍ଯ୍ୟା ଗତି ଗର୍ଭେ । ତିନି-ବାଳକ ଜନ୍ମ ଲଭେ ।। ୧୪୦
କେ ପାରେ ତାଙ୍କ ଗୁଣଚିନ୍ତି । ଅନଳ ପ୍ରାୟେ ତେଜ କାନ୍ତି ।। ୧୪୧
ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠ । ଦ୍ୱିତୀୟ ବରୀୟସ ଶିଷ୍ଟ ।। ୧୪୨
ସହିଷ୍ଣୁ ତୃତୀୟ ପ୍ରକାଶ । ଏବେ ତୁ ଶୁଣ କ୍ରତୁବଂଶ ।। ୧୪୩
କ୍ରତୁର ପତ୍ନୀ କ୍ରିୟା ନାମ । ତା ପୁତ୍ର ଶୁଣ ପୁଣ୍ୟଧାମ ।। ୧୪୪
ଷଷ୍ଟି ସହସ୍ର ବାଳଖିଲ୍ୟା । ତା ଗର୍ଭେ ପୁତ୍ର ଉପୁଜିଲା ।। ୧୪୫
କେ ପାରେ ତାଙ୍କ ଗୁଣ ଚିନ୍ତି । ଅନଳ ପ୍ରାୟେ ବିରାଜନ୍ତି ।। ୧୪୬
ଶୁଣ କହିବା ବିଷ୍ଣୁଭାବେ । ବଶିଷ୍ଠ ବୀର୍ଯ୍ୟେ ଉର୍ଜ୍ଜା ଗର୍ଭେ ।। ୧୪୭
ନିର୍ମଳ ଗୁଣ ସପ୍ତଋଷି । ମନୁଅନ୍ତରେ ଯାହା ଘୋଷି ।। ୧୪୮
ଶୁଣ ବିଦୁର ମନ ସୁଖେ । ତାହାଙ୍କ ନାମ କହୁଁ ମୁଖେ ।। ୧୪୯
ଜ୍ୟେଷ୍ଠ ଚିତ୍ରକେତୁ ସୁରୋଚି । ବିରଜା ମିତ୍ର ବେନି ବତ୍ସି ।। ୧୫୦
ଉଲ୍ୱଣ ବସୁଭୃତ ଯାନ । ଦ୍ୟୁମାନ ଶକ୍ତି ଆଦି ଅନ୍ୟ ।। ୧୫୧
ଚିତିର ବଂଶ ଏବେ କହି । ଶୁଣ ବିଦୁର ମନ ଦେଇ ।। ୧୫୨
ଚିତି ଯେ ଅଥର୍ବଣ ପତ୍ନୀ । ତା ଗର୍ଭେ ଏକପୁତ୍ର ଜନ୍ମି ।। ୧୫୩
ଦଧୀଚି ନାମେ ମହାଧୀର । ତା ଅନ୍ୟନାମ ଅଶ୍ୱଶିର ।। ୧୫୪
କେ କହିପାରେ ତାଙ୍କ ଗୁଣ । ଏବେ ତୁ ଭୃଗୁବଂଶ ଶୁଣ ।। ୧୫୫
ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ । ତିନି ଅପତ୍ୟ ଜନ୍ମ ଲଭେ ।। ୧୫୬
ଧାତା ବିଧାତା ବେନି ସୁତ । କନ୍ୟା ଏ କମଳା ସମ୍ଭୂତ ।। ୧୫୭
କମଳା ବିଷ୍ଣୁକୁ ବରିଲା । ସେ ଅନୁରୂପ ପତି ଗଲା ।। ୧୫୮
ଧାତା ବିଧାତା ବେନିବାଳେ । ସୁନ୍ଦରରୂପ ବାଳକାଳେ ।। ୧୫୯
ମେରୁ ଋଷିର ଯେ ଦୁହିତା । ଆୟତି ନିୟତି ସମ୍ଭୂତା ।। ୧୬୦
ଏ ବେନିକନ୍ୟା ବେନିଭାଇ । ବିଭା ହୋଇଲେ ଭାବ ବହି ।। ୧୬୧
ସେ ବେନିକନ୍ୟା ଗର୍ଭଗତେ । ଜନ୍ମ ଲଭିଲେ ବେନିସ୍ରୁତେ ।। ୧୬୨
ମୁକଣ୍ତ ପ୍ରାଣ ତାଙ୍କ ନାମ । ସୁନ୍ଦରେ ସମ ନୋହେ କାମ ।। ୧୬୩
ମୁକଣ୍ତ ସୁତ ମାର୍କଣ୍ତେୟ । ପ୍ରାଣର ଏକଇ ତନୟ ।। ୧୬୪
ତା ନାମ ବେଦଶିରା ହୋଏ । ମୁନିଙ୍କ ମଧ୍ୟେ ମହାଶୟେ ।। ୧୬୫
ଭୃଗୁର କବି ନାମେ ପୁତ୍ର । ଉଶନାମୁନି ତାର ସୁତ ।। ୧୬୬
ଏ ସର୍ବମୁନି ମହାଜନ । ସ୍ୱଭାବେ ତ୍ରୈଲୋକ୍ୟ-ଭାବନ ।। ୧୬୭
ଏମନ୍ତେ କର୍ଦ୍ଦମ ଦୁହିତୀ । କହିଲି ମୁନିବଂଶ ଖ୍ୟାତି ।। ୧୬୮
ଯେ ଏହା ଶୁଣନ୍ତି ସଂସାରେ । ଜ୍ଞାନ-ଅଜ୍ଞାନ ପାପ ହରେ ।। ୧୬୯
ଯେ ସ୍ୱାୟମ୍ଭୁବ ମନୁସୁତା । ପ୍ରସୂତି ନାମେ ପତିବ୍ରତା ।। ୧୭୦
ତାହାର ପତି ଶୁଦ୍ଧମତି । ଯା ନାମ ଦକ୍ଷ ପ୍ରଜାପତି ।। ୧୭୧
ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେ । ଷୋଡଶ କନ୍ୟା ସେ ପ୍ରସବେ ।। ୧୭୨
ଜନ୍ମିଲେ ନାରୀ ସୁଲୋଚନୀ । ରୂପେ ତ୍ରିଭୁବନ-ମୋହିନୀ ।। ୧୭୩
ଧର୍ମକୁ ତ୍ରୟୋଦଶ ନାରୀ । ଦେଲା ସେ ଅଳଙ୍କାର ଭରି ।। ୧୭୪
ଅଗ୍ନିକି ଏକକନ୍ୟା ଦେଲା । ପିତୃପୁରୁଷେ ଏକ ବାଳା ।। ୧୭୫
ଅପରା ସତୀ ନାମେ କନ୍ୟା । ସୁଶୀଳା ପତିବ୍ରତା ଧନ୍ୟା ।। ୧୭୬
ଭବଙ୍କୁ କଲେ ସମ୍ପ୍ରଦାନ । ଯା ନାମ ଭବ-ବିନାଶନ ।। ୧୭୭
ବିଦୁର ହୋଇ ଶୁଦ୍ଧମନ । ଧର୍ମ-ପତ୍ନୀଙ୍କ ନାମ ଶୁଣ ।। ୧୭୮
ଶ୍ରଦ୍ଧା ମଇତ୍ରୀ ଦୟାଶାନ୍ତି । ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି ।। ୧୭୯
ତିତିକ୍ଷା ଲଜ୍ଜା ବୁଦ୍ଧି ମେଧା । ମୂିର୍ତ୍ତି ସହିତେ ଯେ ପ୍ରସିଦ୍ଧା ।। ୧୮୦
ଏ ତ୍ରୟୋଦଶ ଧର୍ମନାରୀ । ଦକ୍ଷ ସୁମନେ ବିଭା କରି ।। ୧୮୧
ଶ୍ରଦ୍ଧାର ସୁତ ସତ୍ୟ ଖ୍ୟାତ । ପ୍ରସାଦ ମୈତ୍ରୀ ତହୁ ଜାତ ।। ୧୮୨
ଦୟାର ସୁତ ଯେ ଅଭୟ । ସୁଖ ଯେ ଶାନ୍ତିର ତନୟ ।। ୧୮୩
ହର୍ଷକୁ ପ୍ରସବିଲା ତୁଷ୍ଟି । ଗର୍ବ ପ୍ରସବ କଲା ପୁଷ୍ଟି ।। ୧୮୪
କ୍ରିୟାର ତହୁଁ ଯୋଗ ହୋଇ । ଉନ୍ନତି ଦର୍ପ ପ୍ରସବଇ ।। ୧୮୫
ତିତିକ୍ଷା ତହୁଁ କ୍ଷେମ ହେଲା । ଲଜ୍ଜା ବିନୟ ଜାତ କଲା ।। ୧୮୬
ବୁଦ୍ଧିର ପୁତ୍ର ଅର୍ଥ ପୁଣ । ମେଧା ତନୟ ସ୍ମରଣ ।। ୧୮୭
ମୂର୍ତ୍ତିର ସୁତ ଏବେ କହି । ଆଶ୍ରିତ ସର୍ବଗୁଣ ଯହିଁ ।। ୧୮୮
ସେ ବେନି ନର-ନାରାୟଣ । ତାହାଙ୍କ ଜନ୍ମ-କର୍ମ ଶୁଣ ।। ୧୮୯
ଏ ମୂର୍ତ୍ତିପୁତ୍ର ଜନ୍ମଦିନେ । ଆନନ୍ଦ ଏ ତିନିଭୁବନେ ।। ୧୯୦
ଦିଗ ପବନ ଗିରି ନଦୀ । ଆନନ୍ଦେ ଉଛୁଳେ ଜଳଧି ।। ୧୯୧
ଆକାଶ ପୂରେ ତୂର୍ଯ୍ୟ ଘୋଷେ । ନିର୍ମେଘେ କୁସୁମ ବରଷେ ।। ୧୯୨
ସକଳ ମୁନି ସ୍ତୁତି କଲେ । ଅପ୍ସରାମାନେ ନୃତ୍ୟ ଭୋଳେ ।। ୧୯୩
ଗନ୍ଧର୍ବ କିନ୍ନର ଆନନ୍ଦେ । ଗାଇଲେ ବିଧ୍ୟାଧରବୃନ୍ଦେ ।। ୧୯୪
ସକଳ-ଗ୍ରହେ ଅନୁକୂଳ । ଉତ୍ସବ ପରମ-ମଙ୍ଗଳ ।। ୧୯୫
ହରଷେ ହର-ପଦ୍ମଯୋନି । ସଙ୍ଗେ ଦେବତାବୃନ୍ଦ ଘେନି ।। ୧୯୬
ମିଳିଲେ ଧର୍ମର ଭୁବନେ । ଆନନ୍ଦ ମନେ ସର୍ବଜନେ ।। ୧୯୭

ଦେବଗଣ ଉବାଚ

ଯେ ନିଜ ମାୟାଗୁଣେ ହରି । ବିଶ୍ୱ ସଂସାରେ ରୂପ ଧରି ।। ୧୯୮
ବିଶ୍ୱର ଯୋଗ-କ୍ଷେମ ଅର୍ଥେ । ଭାରତ ଭୂମି ମଧ୍ୟଗତେ ।। ୧୯୯
ଧର୍ମର ଗୃହେ ଅବତରି । ପ୍ରକଟ ଋଷିରୂପ ଧରି ।। ୨୦୦
ତପ ଆଚରେ ଜନହିତେ । ସେ ହରି ଚରଣେ ନମସ୍ତେ ।। ୨୦୧
ଯେ ହରି ସୃଷ୍ଟି-ସ୍ଥିତି ଅର୍ଥେ । ଆମ୍ଭଙ୍କୁ ସୃଜି ଏ ଜଗତେ ।। ୨୦୨
ସର୍ବ-ରକ୍ଷଣ ଅର୍ଥେ ହରି । ଆତ୍ମାକୁ ବେନିରୂପ କରି ।। ୨୦୩
ପରିପାଳନ ତପବଳେ । ଆସନ ଧରଣୀମଣ୍ତଳେ ।। ୨୦୪
ଶ୍ରୀନିକେତନ ଜିଣି ନେତ୍ର । କିିଞ୍ଚିତ ଦର୍ଶନେ ପବିତ୍ର ।। ୨୦୫
ଯେ ପ୍ରାଣ ତୋତେ ଆଶ୍ରେକରେ । ଭବ-ଅର୍ଣ୍ଣବୁ ସୁଖେ ତରେ ।। ୨୦୬
ଏମନ୍ତ ସୁରଗଣେ କହି । ସ୍ତୁତି କରନ୍ତି ମୁଖ ଚାହିଁ ।। ୨୦୭
ସେ ଦେବସ୍ତୁତି ପୂଜା ଘେନି । ସେ ନର-ନାରାୟଣ ବେନି ।। ୨୦୮
ଗମିଲେ ଜନ-ଉପକାରେ । ସଂସାର ଏଡିଣ ନିର୍ଭରେ ।। ୨୦୯
ଜଗତଜନ ହିତ ଅର୍ଥେ । ସେ ଗନ୍ଧମାର୍ଦ୍ଦନ ପର୍ବତେ ।। ୨୧୦
ତପ କରନ୍ତି ଅତିରେକେ । ଯା ତପେ ପୁରନ୍ଦର କମ୍ପେ ।। ୨୧୧
ଏବେ ସେ ଭାରତଭୂମିରେ । ମିଲିଲେ ଶୁଭଲଗ୍ନ ବେଳେ ।। ୨୧୨
ସେ ବେନିରୂପେ ବିଷ୍ଣୁଅଂଶେ । ଜନ୍ମ ଲଭିଲେ ଧର୍ମବଂଶେ ।। ୨୧୩
ଭୂମିର ଭାରା-ନିବାରଣେ । ଜଗତ ପରମ-କାରଣେ ।। ୨୧୪
ସମ୍ଭୂତ ଯଦୁ-କୁରୁବଂଶେ । କୃ୍ଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ ।। ୨୧୫
ଅଗ୍ନିର ସ୍ୱାହା ନାମେ ନାରୀ । ତିନିକୁମର ଜାତକରି ।। ୨୧୬
ପାପକ ପବମାନ ଶୁଚି । ଦ୍ରୁତ ଭୋଜନେ ତାଙ୍କ ରୁଚି ।। ୨୧୭
ଏ ତିନିବୀର୍ଯ୍ୟେ ଅଗ୍ନିଗଣେ । ଜନ୍ମିଲେ ସଂସାର ଧାରଣେ ।। ୨୧୮
ପଞ୍ଚଚାଳିଶ ରୂପ ହୋଇ । ତେଜେ ଗଞ୍ଜନ୍ତି ସ୍ୱର୍ଗ ମହୀ ।। ୨୧୯
ସେ ପୁଣି ପିତୃପିତାମହ । ସଙ୍ଗତେ ଅଣଚାଶ ଦେହ ।। ୨୨୦
ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ । ମିଳନ୍ତି ବୈତାନିକ-ରଙ୍ଗେ ।। ୨୨୧
ଯେ ବ୍ରହ୍ମବାଦୀ ବିପ୍ରଗଣେ । ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ।। ୨୨୨
ଅଗ୍ନିରେ କରନ୍ତି ହବନ । ପିତୃଙ୍କ ନାମ ଏବେ ଶୁଣ ।। ୨୨୩
ଅନଳ ସ୍ୱାତ୍ତ ବର୍ହିଷଦ । ସୌମ୍ୟ ଆଜ୍ୟପା ଆଦି ଭେଦ ।। ୨୨୪
ସାଗ୍ନିକ ନିରଗ୍ନିକ ଦୁଇ । ଏହାଙ୍କ ପତ୍ନୀ ସ୍ୱଧା ହୋଇ ।। ୨୨୫
ତାର ଉଦରେ କନ୍ୟା ବେନି । ଜନ୍ମିଲେ ପିତୃରୂପ ଘେନି ।। ୨୨୬
ଯା ନାମ ବୟୁନା ଧାରିଣୀ । ସ୍ୱଭାବେ ସେ ବ୍ରହ୍ମବାଦିନୀ ।। ୨୨୭
ଏ ଅନ୍ତେ ଦକ୍ଷ ପ୍ରଜାପତି । ତାର ଦୁହିତା ନାମ ସତୀ ।। ୨୨୮
ଈଶ୍ୱର ପତ୍ନୀ ସେ ସ୍ୱଭାବେ । ତାର ଚରିତ ଶୁଣ ଏବେ ।। ୨୨୯
ଆତ୍ମସଦୃଶ ପୁତ୍ର ଗର୍ଭେ । ସେ ସତୀ କେବେହେଁ ନଲଭେ ।। ୨୩୦
ପିତା-ଅବଜ୍ଞା ସ୍ୱାମୀ-ତୁଲେ । ଚିତ୍ତେ ସେ ନ ସହିଲା ଭଲେ ।। ୨୩୧
ପିତାର ଯଜ୍ଞଶାଳେ ଯାଇ । ସ୍ୱାମୀର ଛଳେ କୋପ ବହି ।। ୨୩୨
ଦେବଙ୍କ ମଧ୍ୟେ ଯଜ୍ଞଶାଳେ । ଜୀବନ ଛାଡେ ଯୋଗବଳେ ।। ୨୩୩
ଚତୁର୍ଥସ୍କନ୍ଧେ ଭାଗବତେ । ଭାଷାପ୍ରବନ୍ଧ ଅର୍ଥଯୁତେ ।। ୨୩୪
ସୁଜନଜନ ହିତ ଅର୍ଥେ । କହିଲେ ଦାସ ଜଗନ୍ନାଥେ ।। ୨୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟ ସମ୍ବାଦେ ନାମ
ପ୍ରଥମୋଽଧ୍ୟାୟଃ ।

ଦ୍ୱିତୀୟ ଅଧ୍ୟାୟ[ସମ୍ପାଦନା]

ବିଦୁର ଉବାଚ

ଯେ ଶିବ ସାଧୁଙ୍କର ଶ୍ରେଷ୍ଠ । ତା ସଙ୍ଗେ ଦକ୍ଷ କଲା ହଟ ।। ୧
ଦୁହିତାବତ୍ସଳ ସ୍ୱଭାବେ । ସତୀକୁ ଦେଇଅଛି ପୂର୍ବେ ।। ୨
କିମ୍ପା ଅନୀତି ଆଚରିଲା । ସତୀକୁ ଅନାଦର କଲା ।। ୩
ସଚରାଚର-ଗୁରୁ ହର । ସେ ଆତ୍ମାରାମେ ଯୋଗେଶ୍ୱର ।। ୪
ଶାନ୍ତ-ବିଗ୍ରହ ନିର୍ବିକାର । ଅଦ୍‌ଭୁତ ମହିମା ଯାହାର ।। ୫
ସମସୁହୃଦ ଶୁଦ୍ଧଚିତ୍ତ । ଜଗତବନ୍ଧୁ ବିଶ୍ୱନାଥ ।। ୬
ତାଙ୍କୁ ଅବଜ୍ଞା କିମ୍ପାକଲା । କେବା ତାହାକୁ ଶିକ୍ଷା ଦେଲା ।। ୭
ଶ୍ୱଶୁର-ଜାମାତାର ସ୍ନେହ । କିମ୍ପା ଭାଙ୍ଗିଲା ଏହା କହ ।। ୮
ଶିବଙ୍କୁ ଅନାଦର କଲା । ସେ ଦୁଃଖେ ସତୀ ପ୍ରାଣ ଦେଲା ।। ୯
ଏ ବାଣୀ ଶୁଣି ମୋର ମନ । ଚଞ୍ଚଳ ଭାବେ ଛନଛନ ।। ୧୦
ଭୋମୁନି କର ଅନୁଗ୍ରହ । କହ ହେ ନ ରହୁ ସନ୍ଦେହ ।। ୧୧

ମୈତ୍ରେୟ ଉବାଚ

ଶୁଣ ବିଦୁର ଶାସ୍ତ୍ରଯୋଗେ । ସେ ବିଶ୍ୱସ୍ରଷ୍ଟାଙ୍କର ଯାଗେ ।। ୧୨
ଯଜ୍ଞ ଆରମ୍ଭ ଆଚରଣେ । ମିଳିଲେ ସର୍ବ ଦେବଗଣେ ।। ୧୩
ଅଶେଷ ମୁନିଙ୍କର ମେଳେ । ମିଳିଲେ ଦଶ ଦିଗପାଳେ ।। ୧୪
ଯକ୍ଷ କିନ୍ନର ନାଗକୁଳ । ମିଳିଲେ ଜ୍ୱଳନ୍ତ ଅନଳ ।। ୧୫
ପିତୃ ଦେବତାଗଣ ଆଦି । ଯେଣେ ଯେ ଯଜ୍ଞକୁ ସମ୍ପାଦି ।। ୧୬
ଏମନ୍ତେ ସୁରଗଣ ଯେତେ । ମିଳିଲେ ବ୍ରହ୍ମାଙ୍କ ଅଗ୍ରତେ ।। ୧୭
ସୁର କିନ୍ନର ବ୍ରହ୍ମମୁନି । ଦକ୍ଷଙ୍କୁ ସର୍ବେ ସଙ୍ଗେ ଘେନି ।। ୧୮
ସେ ଦକ୍ଷ ନିଜ ବ୍ରହ୍ମତେଜେ । ସୁନ୍ଦରେ ତ୍ରିଭୁବନ ଗଞ୍ଜେ ।। ୧୯
ଆଦିତ୍ୟପ୍ରାୟେ ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି ।। ୨୦
ବ୍ରହ୍ମାର ସଭା ମଧ୍ୟଗତେ । ଥିଲା ଯେ ତିମିର ଆୟତ୍ତେ ।। ୨୧
ଦକ୍ଷର ତେଜେ ତମ ଗଲା । ସେ ସଭା ନିର୍ମଳ ଦିଶିଲା ।। ୨୨
ସଭାର ଜନେ ଦକ୍ଷ ଦେଖି । ଉଠିଲେ ଆସନ ଉପେକ୍ଷି ।। ୨୩
ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେ । ଦକ୍ଷକୁ ଦେଖି ନ ଉଠିଲେ ।। ୨୪
ସେ ସଭାମଧ୍ୟେ ମୁନି ଯେତେ । ସାନନ୍ଦ ଭାବେ ଶୁଦ୍ଧ ଚିତ୍ତେ ।। ୨୫
ଅଞ୍ଜଳି କରି ନିଜ ମାଥେ । ରୋମାଞ୍ଚ ଅଶ୍ରୁଜଳ ନେତ୍ରେ ।। ୨୬
ଦକ୍ଷଙ୍କୁ ସାଧୁ ସାଧୁବାଣୀ । ଭାବେ କହନ୍ତି ପୁଣ ପୁଣି ।। ୨୭
ସେ ଦକ୍ଷ ସଭାମଧ୍ୟେ ଗଲା । ବ୍ରହ୍ମା ଚରଣେ ପ୍ରଣମିଲା ।। ୨୮
ସେ ବ୍ରହ୍ମା କୃତକୃତ୍ୟ ହୋଇ । ଦକ୍ଷକୁ ଆଲିଙ୍ଗନ ଦେଇ ।। ୨୯
ନିଜ ସମୀପେ ବସାଇଲେ । ଅନେକ ପୁରସ୍କାର କଲେ ।। ୩୦
ରୁଦ୍ର ଯେ ସଭା ମଧ୍ୟେ ଥିଲେ । ଦକ୍ଷଙ୍କୁ ମାନ୍ୟ ସେ ନ କଲେ ।। ୩୧
ଦେଖି ରୁଦ୍ରର ଅସମ୍ମାନ । ଦକ୍ଷର ଚିତ୍ତେ ଗରୁ-ତମ ।। ୩୨
ସେ ଦକ୍ଷ ସ୍ୱଭାବେ ଶ୍ୱଶୁର । ତାଙ୍କୁ ନ ଗଣିଲେ ଈଶ୍ୱର ।। ୩୩
ଅବଜ୍ଞା ଦୋଷେ ସେ ପ୍ରଚଣ୍ତ । ଯେହ୍ନେ ଉଦିତ ମାରତଣ୍ତ ।। ୩୪
ଅତିହିଁ କୋପଭର ଚିତ୍ତେ । ବୋଲନ୍ତି ସଭଗାର ଅଗ୍ରତେ ।। ୩୫
କର ପ୍ରସାରି ସଭା ମଧ୍ୟେ । କୋପେ ବୋଲନ୍ତି ଶାସ୍ତ୍ରବାଦୋ ।। ୩୬
ଶୁଣ ହେ ବ୍ରହ୍ମଋଷିଗଣେ । ଆଗମ ନିଗମ ପ୍ରମାଣେ ।। ୩୭
ତୁମ୍ଭେ ତ ସଭାମଧ୍ୟେ ଅଛ । ଏହାର ଆଚାର ଦେଖୁଛ ।। ୩୮
ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ । ଯେ ସାଦଚାର ଏ ଜଗତେ ।। ୩୯
କେଲଂଘି ପାରେ ତାହା ବଳେ । ଏ ତିନି-ଭୁବନମଣ୍ତଳେ ।। ୪୦
ଦେଖ ଏ ତୁମ୍ଭର ବଚନ । ଲଘିଂଲା ମର୍କଟ-ଲୋଚନ ।। ୪୧
ରୁଦ୍ର ବୋଲାଇ ଗର୍ବ କଲା । ଏ ମୋତେ ଦେଖି ନ ଉଠିଲା ।। ୪୨
ଦେଖ ଏ ଲୋକପାଳ ମଧ୍ୟେ । ଯଶ ନାଶିଲା ଅପବାଦେ ।। ୪୩
ଯେ ସାଧୁ ସନ୍ଥ ଆଚରଣ । କି ଭାବେ କଲାକ ଦୂଷଣ ।। ୪୪
ମୋହର ଶିଷ୍ୟ ଏ ବୋଲାଇ । ଯେଣୁ ଦୁହିତା ଦେଲି ମୁହିଁ ।। ୪୫
ଅଗ୍ନିଦେବତା ବିପ୍ର ସ୍ଥାନେ । ଦୁହିତା ଦେଇଛି ପ୍ରସନ୍ନେ ।। ୪୬
ବେଦବାକ୍ୟରେ ସନମତ । କରିଣ ବଚନ ଉଚିତ ।। ୪୭
ଏଣୁ ମୁଁ ଏହାର ଶ୍ୱଶୁର । ଗୁରୁଙ୍କ ମଧ୍ୟେ ଗୁରୁବର ।। ୪୮
ଅଭିବାଦନ ସ୍ତୁତିବାଦେ । ଧର୍ମେ ନବିବ ମୋର ପାଦେ ।। ୪୯
ଏହା ନ କରି ମୋ ଚରଣେ । ଅବଜ୍ଞା କଲା ମୂଢ଼ପଣେ ।। ୫୦
ଏ ଲୁପ୍ତକ୍ରିୟା ହୀନାଚାର । ଅଶୁଚି ଶରୀର ଏହାର ।। ୫୧
ମର୍ଯ୍ୟାଦା ଭେଦେ ଅଭିମାନୀ । ବର୍ତ୍ତଇ ଶୂଦ୍ରଦେହ ଘେନି ।। ୫୨
ଏହା ନ ଜାଣି ମୁଁ ଅଜ୍ଞାନେ । ବିଶ୍ୱାସି ବ୍ରହ୍ମାର ବଚନେ ।। ୫୩
ଦୁହିତା ଦାନ ଦେଲି ମୁହିଁ । ଶୂଦ୍ରକୁ ଯେହ୍ନେ ବେଦ କହି ।। ୫୪
ଅପାତ୍ରେ ଦେଲା ଫଳ ମୋର । କ୍ରିୟା-କଳାପ ଶୁଣ ତାର ।। ୫୫
ଶ୍ମଶାନବାସୀ ଏ ନିରତେ । ବର୍ତ୍ତଇ ଭୂତ ପ୍ରେତ ସାଥେ ।। ୫୬
ଉନ୍ମତ୍ତ ପ୍ରାୟେ ନଗ୍ନ ହୋଇ । ଶ୍ମଶାନୁ ଶ୍ମଶାନେ ଭ୍ରମଇ ।। ୫୭
ଜଟାକଳାପ ମୁକ୍ତକେଶ । ଶ୍ମଶାନ ଚିତାଭସ୍ମ ବେଶ ।। ୫୮
ଚିତାଭସ୍ମରେ କରେ ସ୍ନାନ । ଶରୀରେ ଅସ୍ଥିର ଭୂଷଣ ।। ୫୯
ଉନ୍ମତ୍ତ ଭୋଳେ ହାସ୍ୟ ମୁଖେ । ନିତ୍ୟେ ବଞ୍ଚଇ ଆତ୍ମ ସୁଖେ ।। ୬୦
ପତ୍ନୀର ଉପଦେଶ ଫଳେ । ନିତ୍ୟେ ଭ୍ରମଇ ଅନ୍ତରାଳେ ।। ୬୧
ଏହାର ନାମ ମାତ୍ର ଶିବ । ସ୍ୱଭାବେ ଅଟଇ ଅଶିବ ।। ୬୨
ପ୍ରମତ୍ତ-ମତ୍ତଜନ-ପ୍ରିୟ । ଏଣୁ ଅଶୂଚି ଏହା କାୟ ।। ୬୩
ପ୍ରଥମ-ଭୂତଗଣ-ପ୍ରିୟ । ନିତ୍ୟେ ତାମସ ବହେ ମତି ।। ୬୪
ଯେଣୁ ତାମସଜନ ପ୍ରିୟ । ନିତ୍ୟେ ନିନ୍ଦିତ ଏହା ଦେହ ।। ୬୫
ନିର୍ଗୁଣଭୂତେ ଏ ଦୁର୍ମତି । ସୁହୃଦ ପ୍ରାୟେ ବହେ ମତି ।। ୬୬
ଅଶୌଚ-ହୃଦୟ ଏହାର । କେବଳ ମନ୍ଦ-ବୁଦ୍ଧି-ପର ।। ୬୭
ମୁଁ ମୂଢ ନ ଜାଣି ଅଜ୍ଞାନେ । ବିଶ୍ୱାସି ବ୍ରହ୍ମାର ବଚନେ ।। ୬୮
ଏହାକୁ ସତୀ କନ୍ୟା ଦେଲି । ଅତି ଅନୀତି ଆଚରିଲି ।। ୬୯
ମୈତ୍ରେୟ କହେ ତୋଷମନେ । ଶୁଣ ବିଦୁର ଏକମନେ ।। ୭୦

ମୈତ୍ରେୟ ଉବାଚ

ଏମନ୍ତେ କୁତ୍ସିତ ବଚନେ । ସେ ପ୍ରଜାପତି କୋପମନେ ।। ୭୧
ଦୁବିୁଦ୍ଧିପଣ ଆଚରିଲା । ଗିରିଶେ ବହୁ ନିନ୍ଦା କଲା ।। ୭୨
ତକ୍ଷଣେ ଉଠି କୋପାନଳେ । ହସ୍ତ ଅଞ୍ଜଳି ଭରି ଜଳେ ।। ୭୩
ଭୃଗୁର ବଚନ ସମ୍ମତେ । ହରଙ୍କୁ ଶାପଦେବା ଅର୍ଥେ ।। ୭୪
ମନରେ ମହାକ୍ରୋଧ ଧରି । ଶିବେ ବୋଲନ୍ତି ଦୃଢକରି ।। ୭୫

ଦକ୍ଷ ଉବାଚ

ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ । ଅଶେଷ ଦେବଙ୍କ ସମେତେ ।। ୭୬
ଅଶେଷ-ଯଜ୍ଞେ ଯଜ୍ଞଭାଗ । କେବେହେଁ ହର ନ ଲଭିବ ।। ୭୭
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷ୍ୟ ନାରାୟଣ ।। ୭୮
ଏ ଦେବଗଣଙ୍କ ଅଧମ । ଆତ୍ମାକୁ ମଣେ ସର୍ବସମ ।। ୭୯
ଦକ୍ଷର ଏ ବଚନ ଶୁଣି । ସେ ଦେବସଭା ମଧ୍ୟେ ପୁଣି ।। ୮୦
ଦକ୍ଷକୁ ଚାହିଁ ସର୍ବଲୋକେ । ନିଷେଧ କଲେ ଏକେ ଏକେ ।। ୮୧
ସେ ଦକ୍ଷ କୋପେ ଅଭିମାନୀ । ଦେବଙ୍କ ବଚନ ନ ମାନି ।। ୮୨
ଅତ୍ୟନ୍ତ କୋପେ ଶାପ ଦେଲା । ଋଷିଙ୍କ ବଚନ ନ ମାନି ।। ୮୩
ସର୍ବ ମଣିଲା ଅଣହିତ । ତେଣୁ କ୍ରୋଧରେ ଭ୍ରମଚିତ୍ତ ।। ୮୪
ଶିବଙ୍କୁ କୋପେ ଶାପ ଦେଇ । ଅତ୍ୟନ୍ତ ଅଭିମାନ ବହି ।। ୮୫
ବ୍ରହ୍ମାର ସଭାରୁ ବାହାର । ତକ୍ଷଣେ ଯାନ୍ତେ ନିଜପୁର ।। ୮୬
ନନ୍ଦି ଯେ ରୁଦ୍ର ପାଶେ ଥିଲା । ଦକ୍ଷର ଶାପ ସେ ଶୁଣିଲା ।। ୮୭
ହୃଦୟେ କମ୍ପମାନ ହୋଇ । ମନରେ ଦୁଃଖ-ଖେଦ ବହି ।। ୮୮
ରୋଷେଣ କଷାୟ-ଲୋଚନ । ଦକ୍ଷର ବାକ୍ୟେ କୋପମନ ।। ୮୯
ଦକ୍ଷକୁ ପ୍ରତି-ଶାପ ଦେଇ । ବୋଲଇ ସଭାଜନେ ଚାହିଁ ।। ୯୦
ଦକ୍ଷର ମତେ ଯେତେ ଥିବେ । ଦକ୍ଷକୁ ଯେବା ଆରାଧିବେ ।। ୯୧
ବିଷ୍ଣୁରେ ଦୋରେହା ହୋଇବେ । ଏ ଦୋଷେ କୁମ୍ଭୀପାକେ ଯିବେ ।। ୯୨
ଯେବା ଗାଇବ ଏହା ବାଣୀ । ହୀନ ପ୍ରାଣୀଙ୍କ ମଧ୍ୟେ ଗଣି ।। ୯୩
ଏ କୂଟ-ଗୃହଧର୍ମ ମଧ୍ୟେ । ବିଷୟଭୋଗ ଇଚ୍ଛା ସଧେ ।। ୯୪
ବିସ୍ତାରି ଯଜ୍ଞ କର୍ମକାଣ୍ତେ । ଦମ୍ଭେ ଆରମ୍ଭି ଏ ପାଷଣ୍ତେ ।। ୯୫
ଦେହକୁ ସ୍ୱାର୍ଥ ପ୍ରାୟେ ମଣି । ଆତ୍ମାର ଗତି ନ ପ୍ରମାଣି ।। ୯୬
ପଶୁଙ୍କ ପ୍ରାୟେ କରି ଆଶ । ସର୍ବଦା ହେଉ ନାରୀବଶ ।। ୯୭
ଏ ଦକ୍ଷ ଛାଗମୁଖ ହେଉ । ଆମ୍ଭର ଶାପ ଆନ ନୋହୁ ।। ୯୮
ଅବିଦ୍ୟାମାର୍ଗେ ବିଦ୍ୟା କଳ୍ପି । ଅଲାଭେ ଲାଭ ବୁଦ୍ଧି ସ୍ଥାପି ।। ୯୯
ଏଣୁ ଏ ଛାଗର ସମାନ । ଅତିଶୟରେ ଜ୍ଞାନହୀନ ।। ୧୦୦
ଦକ୍ଷଙ୍କ ପ୍ରାୟେ ଯେ ବ୍ରାହ୍ମଣ । ସଂସାରେ ଭ୍ରମୁ ପୁଣପୁଣ ।। ୧୦୧
ଜୀବିକା ପାଇଁ ଧୃତବ୍ରତ । ଅଜ୍ଞାନବଳେ ଏ ମୋହିତ ।। ୧୦୨
ଅଶେଷ ଯୋନି ସେ ପାଇବେ । ଜନ୍ମ ମରଣ ସଞ୍ଚରିବେ ।। ୧୦୩
ପାତ୍ର ନ ବୁଝି ଅବିଗୁଣେ । ଯେ ମନ୍ଦବୁଦ୍ଧି ମୂଢ଼ପଣେ ।। ୧୦୪
ପଶୁ ହିଂସିବେ କର୍ମମତେ । ଅଜ୍ଞାନବଳେ ବିମୋହିତେ ।। ୧୦୫
ଅଶେଷ-ଯଜ୍ଞ-କର୍ମ କରି । ଏଭକ୍ଷ୍ୟାଭକ୍ଷ୍ୟ ନ ବିଚାରି ।। ୧୦୬
ଏ ବିପ୍ରେ ତପ-ବିଦ୍ୟା-ବ୍ରତ । ଅଶେଷ କାମ୍ୟଫଳେ ରତ ।। ୧୦୭
ଚିତ୍ତ ଇନ୍ଦ୍ରିୟ ଦେହେ ରମି । ଯାଚକ ପ୍ରାୟେ ଶ୍ରମେ ଭ୍ରମି ।। ୧୦୮
ଭ୍ରମିବେ ଇହପରଲୋକେ । ଅରୁଦ୍ର ମାର୍ଗେ ଅତିରେକେ ।। ୧୦୯
ଏମନ୍ତ ଶାପ ବିପ୍ରକୁଳେ । ସେ ନନ୍ଦୀଶ୍ୱର କୋପାନଳେ ।। ୧୧୦
ଭୃଗୁ ଯେ ସଭା ମଧ୍ୟେ ଥିଲେ । ନନ୍ଦୀର ଶାପ ସେ ଶୁଣିଲେ ।। ୧୧୧
ଦକ୍ଷର ମତେ ପକ୍ଷ ଧରି । ରୁଦ୍ର ବିଷୟେ କୋପକରି ।। ୧୧୨
ଯେ ବ୍ରହ୍ମଦଣ୍ତ ଦୁରତ୍ୟୟ । ସ୍ୱଭାବେ ଭୃଗୁ ମହାଶୟ ।। ୧୧୩
ସେ ଅନୁଖେଦ ମନେ ଘେନି । ଶିବେ ଅଭାବ ମନେ ଗୁଣି ।। ୧୧୪
ଦକ୍ଷିଣ-ହସ୍ତେ ଜଳଘେନି । ସଭା ସମୂହେ ଉଚ୍ଚେ ବାଣୀ ।। ୧୧୫
କୋପେ ବୋଲଇ ଭୃଗୁଋଷି । ବ୍ରାହ୍ମକୁ ସେ ଚିତ୍ତେ ନିବେଶି ।। ୧୧୬
ଯେ ଶିବବ୍ରତ ଏ ଜଗତେ । କରିବ ଚିତ୍ତର ଆୟତ୍ତେ ।। ୧୧୭
ସେ ଶାସ୍ତ୍ରମତ ନ ଆଦରି । ପାଷଣ୍ତ ହୋନ୍ତୁ ତମ ଧରି ।। ୧୧୮
ଦୁଷ୍ଟ ଅଶ୍ରୁଚି ମୂଢ଼ବୁଦ୍ଧି । ପାଷଣ୍ତପଣେ ଯେ ପ୍ରସିଦ୍ଧି ।। ୧୧୯
ଭୂଷଣ ଜଟା ଭସ୍ମ ଅସ୍ଥି । ଶିବ ପୂଜନେ ଦୃଢ଼ମତି ।। ୧୨୦
ବହନ୍ତୁ ଶିବଦୀକ୍ଷା ହୃଦେ । ଯହିଁ ଦେବତା ସୁରାମଦେ ।। ୧୨୧
ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି । ନିରତେ ଶିବଦୀକ୍ଷା ଧରି ।। ୧୨୨
ଶିବର ପଥ ସନାତନ । ଯେ ଅବା ଆଚରିବେ ଜନ ।। ୧୨୩
ବିଷ୍ଣୁ-ନିନ୍ଦନ ଫଳ ପାଉ । ଅନ୍ତେ ପାଷଣ୍ତ ଗତି ହେଉ ।। ୧୨୪

ମୈତ୍ରେୟ ଉବାଚ

ଏମନ୍ତ ଭୃଗୁବାକ୍ୟ ଶୁଣି । ସଭାର ମଧ୍ୟ ଶୂଳପାଣି ।। ୧୨୫
ବିମନା ହୋଇ ବେଗେ ଉଠି । ଅନଳ ପ୍ରାୟ କୋପଦୃଷ୍ଟି ।। ୧୨୬
ନିଜ ଗଣଙ୍କୁ ଘେନି ସଙ୍ଗେ । ଗମିଲେ ନିଜ ସ୍ଥାନ ମାର୍ଗେ ।। ୧୨୭
ଶିବ ଗମନେ ମୁନିଗଣେ । ଆଗମ ନିଗମ ପ୍ରମାଣେ ।। ୧୨୮
ତଦନ୍ତେ ବିଶ୍ୱସ୍ରଷ୍ଟାମାନେ । ସହସ୍ରବତ୍ସର ପ୍ରମାଣେ ।। ୧୨୯
ଯଥା ବିଧାନେ ଯଜ୍ଞସାରି । ସେ ଅବଭୃତ ସ୍ନାନ କରି ।। ୧୩୦
ପ୍ରୟାଗେ ଯମୁନା ସହିତ । ଜାହ୍ନବୀ ହୋଇଛି ମିଳିତ ।। ୧୩୧
ତହିଁ ସକଳେ ସ୍ନାନ ସାରି । ଗମିଲେ ନିଜ ନିଜ ପୁରୀ ।। ୧୩୨
ସେ ବ୍ରହ୍ମଯଜ୍ଞ ନମସ୍ତୁତେ । ଭାଷା ପ୍ରବନ୍ଧେ ଭାଗବତେ ।। ୧୩୩
ଚତୁର୍ଥସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୧୩୪
ବିଷ୍ଣୁଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ।। ୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଚତୁର୍ଥସ୍କନ୍ଧେ ଦକ୍ଷଶାପୋନାମ ଦ୍ୱିତୀୟୋଽଧ୍ୟାୟଃ ।

ତୃତୀୟ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ମୁନି ତୋଷ ହୋଇ । କହେ ବିଦୁର ମୁଖ ଚାହିଁ ।। ୧

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ । ରୁଦ୍ର ଯେ ଗଲେ କୋପମନେ ।। ୨
ଏମନ୍ତେ ଜାମାତା ଶ୍ୱଶୁର । ବିବାଦେ ଗଲା ବହୁକାଳ ।। ୩
ପ୍ରଜାପତିଙ୍କ ମଧ୍ୟେ ପୂର୍ବେ । ଦକ୍ଷକୁ ସ୍ଥାପି ରାଜପଦେ ।। ୪
ଦକ୍ଷକୁ ଅଭିଷେକ କରି । ବ୍ରହ୍ମା ବୋଇଲେ ହସ୍ତ ଧରି ।। ୫
ତୁ ହୁଅ ପ୍ରଜାପତି ଶ୍ରେଷ୍ଠ । ଅପରେ ସର୍ବେ ତୋ କନିଷ୍ଠ ।। ୬
କମଳଯୋନି ଯେତେବେଳେ । ଦକ୍ଷକୁ ଶୁଭଲଗ୍ନ ଦେଲେ ।। ୭
ସକଳ ମୁନି ମନୁଗଣେ । ସ୍ଥାପିଲେ ପ୍ରଜାପତି ପଣେ ।। ୮
ଦକ୍ଷକୁ ପୂଜି ଅଭିଷେକେ । ମାନ୍ୟ ସେ କଲେ ଏକେଏକେ ।। ୯
ତୁମ୍ଭ ସକଳମଧ୍ୟେ ଏହୁ । ପାଳନେ ଅଧିପତି ହେଉ ।। ୧୦
ଦକ୍ଷକୁ ବୋଲେ ବେଦବର । ତୁ ବାଜପେୟ ଯଜ୍ଞ କର ।। ୧୧
ସେ ଦକ୍ଷ ମନେ ଗର୍ବ କଲା । ରୋଷେ ରୁଦ୍ରଙ୍କୁ ନ ବରିଲା ।। ୧୨
ଭୃଗୁଙ୍କୁ କଲେ ପୁରୋହିତ । ସଙ୍ଗେ ଘେନିଣ ମୁନିସନ୍ଥ ।। ୧୩
ଯେ ଯଜ୍ଞ ବୃହସ୍ପତି ନାମ । ଶୁଣିଲା ଯଜ୍ଞଙ୍କ ଉତ୍ତମ ।। ୧୪
ତେଣୁ ନିବେଶି ମନବୁଦ୍ଧି । ସକଳ ସମ୍ଭାର ନିବେଦି ।। ୧୫
ସେ ଯଜ୍ଞ ଆରମ୍ଭର କାଳେ । ସକଳ ମୁନି ଏକମେଳେ ।। ୧୬
ଯେ ବ୍ରହ୍ମଋଷି ଦେବଋଷି । ସର୍ବଦେବଙ୍କ ସଙ୍ଗେ ମିଶି ।। ୧୭
ପିତୃ-ଦେବତାଗଣ ଶୂନ୍ୟେ । ପତ୍ନୀଙ୍କି ଘେନି ଦିବ୍ୟଯାନେ ।। ୧୮
ମନର ଉଲ୍ଲାସେ ଗମନ୍ତି । ଦିଗ-ଭୁବନେ ବିରାଜନ୍ତି ।। ୧୯
ଯଜ୍ଞେ ଗମନ୍ତି ଯୂଥେ ଯୂଥେ । ଗୀତ ସୁବାଦ୍ୟ ଶୂନ୍ୟପଥେ ।। ୨୦
ଆକାଶେ ବିମାନ ଗହଳ । ଚଳନ୍ତେ ଶୁଭେ ମୁଖଗୋଳ ।। ୨୧
ଏମନ୍ତେ ଈଶ୍ୱର ଘରଣୀ । ଆକାଶେ ଶୁଣି ଦେବବାଣୀ ।। ୨୨
ନିଜ ସଖୀଙ୍କି ପଚାରିଲା । ତାହାଙ୍କ ବଦନୁ ଶୁଣିଲା ।। ୨୩
ଶୁଣ ଗୋ ଈଶ୍ୱର ଭାମିନି । ଯେଣେ ଗମନ୍ତି ସୁର ମୁନି ।। ୨୪
ତୁମ୍ଭ ପିତାର ମହାଯଜ୍ଞେ । ଦେବେ ଗମନ୍ତି ଶୂନ୍ୟମାର୍ଗେ ।। ୨୫
ନିଜ କାମିନୀ ଘେନି ସଙ୍ଗେ । ବିମାନ ଯାନ୍ତି ନାନାରଙ୍ଗେ ।। ୨୬
ତିନି ଭୁବନେ ଯେତେ ଜନେ । ଯଜ୍ଞ ଗମନ୍ତି ତେସମନେ ।। ୨୭
ଦିବ୍ୟ ଅଳଙ୍କାର ଭୂଷଣେ । ବିମାନେ ବସି ବଧୂଗଣେ ।। ୨୮
ଅନେକ ପରିଜନ ଘେନି । ହରଷ ସୁବେଶେ କାମିନୀ ।। ୨୯
ସ୍ୱାମୀଙ୍କ ସଙ୍ଗତେ ଚଳନ୍ତି । ଦେଖ ଗଗନେ ପନ୍ତି ପନ୍ତି ।। ୩୦
ନକ୍ଷତ୍ରଗଣ ପ୍ରାୟ ଶୋଭା । କି ଅବା ପଟାନ୍ତର ଦେବା ।। ୩୧
ତା ଶୁଣି ଗଗନକୁ ଚାହିଁ । ଅମ୍ବିକା ମନେ ବିଚାରଇ ।। ୩୨
ଦେଖ ଅଭାଗ୍ୟ କର୍ମ ମୋର । ମୋହର ସ୍ୱାମୀ ମହେଶ୍ୱର ।। ୩୩
ମୋହର ପିତା ଯଜ୍ଞକାଳେ । ମୁହିଁ ନିରାଶ କର୍ମ-ଫଳେ ।। ୩୪
ମୋର ସ୍ୱାମୀଙ୍କି ନ ବରିଲା । ଅବହେଳଣ ମୋତେ କଲା ।। ୩୫
ମୋର ମାତାର ଦୟା ନାହିଁ । କେ ଏହା ସହୁ ଦେହ ବହି ।। ୩୬
ନିନ୍ଦିତ-କର୍ମ ଏ ସଂସାରେ । ନ ଥିବା ଯୋଗାଇ ବେଭାରେ ।। ୩୭
ଏମନ୍ତ ଭାଳି ଦେବୀ ମନେ । ମିଳିଲେ ସ୍ୱାମୀ ସନ୍ନିଧାନେ ।। ୩୮
ହୃଦୟେ ଶୋକଭର ହୋଇ । ବୋଲନ୍ତି ରୁଦ୍ରମୁଖ ଚାହିଁ ।। ୩୯

ସତୀଉବାଚ

ଭୋନାଥ ଶୁଣ ପଶୁପତି । ତୁମ୍ଭ ଶ୍ୱଶୁର ମୂଢ଼ମତି ।। ୪୦
ଯଜ୍ଞ ଆରମ୍ଭେ ପୁଣ୍ୟକାଳେ । ତା ଶୁଣି ସର୍ବଦେବେ ଚଳେ ।। ୪୧
ମୁନିଏ ସପତ୍ନକୀ ହୋଇ । ଶୂନ୍ୟେ ଗମନ୍ତି ରଥବାହି ।। ୪୨
ଦେଖ ଏ ମୁଖରାବଗୋଳ । ପୂରିଛି ଗଗନମଣ୍ତଳ ।। ୪୩
ଦେଖ ଆନନ୍ଦେ ଦେବଗଣେ । ଚଳନ୍ତି ଯଜ୍ଞର କାରଣେ ।। ୪୪
ଭୋନାଥ ଚାଲ ଆମ୍ଭେ ଯିବା । ପିତାର ଉତ୍ସବ ଦେଖିବା ।। ୪୫
ଯଜ୍ଞ-ଉତ୍ସବ ପିତାପୁରେ । ମୋର ଭଗିନୀ ସହୋଦରେ ।। ୪୬
ଯାଆନ୍ତି ସ୍ୱାମୀ ଘେନି ସଙ୍ଗେ । ଯଜ୍ଞ ଦେଖିବେ ନାନାରଙ୍ଗେ ।। ୪୭
ମୁଁ ଏବେ ତୁମ୍ଭ ସଙ୍ଗେ ଯିବି । ପିତାର ଉତ୍ସବ ଦେଖିବି ।। ୪୮
ମାତାକୁ ଦେଖିବି ନୟନେ । ଭଗିନୀଗଣ ସୁଖ ମନେ ।। ୪୯
ମୋ ପିତା-ଦତ୍ତ ଉପହାର । ସନ୍ତୋଷ ହୋଇବ ଆମ୍ଭର ।। ୫୦
ଭୋନାଥ ଆଜ୍ଞାଦେବା ମାତେ । ଯିବଇଁ ତୁମ୍ଭର ସହିତେ ।। ୫୧
ଭୋଦେବଦେବ ପଶୁପତି । କେ ଜାଣିପାରେ ତୁମ୍ଭ ଗତି ।। ୫୨
ତୁମ୍ଭ ଗୋଚରେ ବିଷ୍ଣୁମାୟା । କେ ଜାଣିପାରେ ନାଥ ଏହା ।। ୫୩
ହେ ଅଜ ତୋହର ମାୟାରେ । ଆଶ୍ଚର୍ଯ୍ୟ ନିର୍ମାଣ ସଂସାରେ ।। ୫୪
ତଥାପି ସ୍ତିରୀଜନ୍ମ ମୋର । ମୁଁ କାହିଁ କରିବି ଗୋଚର ।। ୫୫
ମୋ ଜନ୍ମଭୂମିର ଦର୍ଶନେ । ଇଚ୍ଛା ବଳିଲା ମୋର ମନେ ।। ୫୬
ହେ ଭବ ତୁମ୍ଭେ ତ ଅଭବ । କି ରୂପେ ହେବ ଅନୁଭବ ।। ୫୭
ବନ୍ଧୁ ବିରହେ ଯେତେ ଦୁଃଖ । ତହିଁରେ ତୁମ୍ଭେ ତ ବିମୁଖ ।। ୫୮
ଦେଖ ହେ ପ୍ରଭୁ ଶୂନ୍ୟପଥେ । ଦେବେ ଗମନ୍ତି ଯୂଥେଯୂଥେ ।। ୫୯
ଯେସନେ ରାଜହଂସ-ପନ୍ତି । ବିମାନମାନ ଶୂନ୍ୟେ ଯାନ୍ତି ।। ୬୦
ମୋର ପିତା ପୁରେ ଯାଇ । ଯଜ୍ଞ ଦେଖିବେ ସୁଖବହି ।। ୬୧
ଭୋନାଥ ଶୁଣ ପଶୁପତି । ତୁମ୍ଭ ଚରଣେ ମୋର ମତି ।। ୬୨
ମୁଁ ଏହା ସହିବି କେମନ୍ତେ । ଶରୀର ବହି ଏ ଜଗତେ ।। ୬୩
ପିତା ଜନନୀ ଭଗ୍ନୀଗଣେ । ଦିବ୍ୟଭୂଷଣ ଆଭରଣେ ।। ୬୪
ଯଜ୍ଞ ଆରମ୍ଭେ ସୁଖଭୋଳେ । ଥିବେ ସକଳେ ଏକମେଳେ ।। ୬୫
ପିତା ଭର୍ତ୍ତା ଗୁରୁ ସଦନେ । ଯୋଗାଇ ଯିବା ଅବରଣେ ।। ୬୬
ଭୋନାଥ ଶୁଣ ସଦାଶିବ । ତୁମ୍ଭେ ଅବରଣେ ନ ଯିବ ।। ୬୭
ଯାହାର ଆବାହନ ନାହିଁ । ତାହାର ଯିବା ଯୋଗ୍ୟ ନୋହି ।। ୬୮
ତୋହର ଜ୍ଞାନ ନୋହେ ଅଳ୍ପ । ମୁଁ ତୋର ଅର୍ଦ୍ଧଅଙ୍ଗରୂପ ।। ୬୯
ତେଣୁ ତୁ ଅର୍ଦ୍ଧନାରୀଶ୍ୱର । ଖ୍ୟାତି ଲଭିଲୁ ମହେଶ୍ୱର ।। ୭୦
ଭୋନାଥ ମୋର କଥା କର । ମୋହର ବାଞ୍ଛା ପୂର୍ଣ୍ଣକର ।। ୭୧
ମୁଁ ଯିବି ଆଜ୍ଞା ଦେବା ମୋତେ । ଆନନ୍ଦମନେ ଶୁଦ୍ଧ ଚିତ୍ତେ ।। ୭୨

ମୈତ୍ରେୟ ଉବାଚ

ଏମନ୍ତ ପ୍ରିୟା ମୁଖୁ ଶୁଣି । ଈଶ୍ୱର ସ୍ଥିର-ଚିତ୍ତେ ଗୁଣି ।। ୭୩
ସ୍ୱଭାବେ ଜଗତ ଈଶ୍ୱର । ଜଗତ ଯାର ଖେଡଘର ।। ୭୪
ଅଳପ ଅପମାନ ବହି । କହନ୍ତି ପତ୍ନୀ-ମୁଖ ଚାହିଁ ।। ୭୫

ଈଶ୍ୱର ଉବାଚ

ଶୁଣ ସୁନ୍ଦରରୀ କହୁଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ।। ୭୬
ସାଧୁବିଚାର ଏ ତୋହୋର । ଶୁଦ୍ଧ-ସୁନ୍ଦର-ମନୋହର ।। ୭୭
ବୋଲୁ ଏ ବନ୍ଧୁ-ଅପମାନ । କେ ସହିପାରେ ଦୁର୍ବଚନ ।। ୭୮
ବନ୍ଧୁକୁ ବନ୍ଧୁ ଭାବଭୋଳେ । ଅମାନ୍ୟ କଲେ ଅବହେଳେ ।। ୭୯
ତହିଁ ନଥାଇ ଅପମାନ । କେ ସହୁ ପୁଣି ଦୁର୍ବଚନ ।। ୮୦
ବିଦ୍ୟାର ବଳେ ତପଦାହେ । ସୁନ୍ଦର ବପୁ ବୟ ରହେ ।। ୮୧
ଉତ୍ତମକୁଳେ ଯେହୁ ଜାତ । ସକଳଗୁଣେ ଯେ ବିଖ୍ୟାତ ।। ୮୨
ଜାଣଇ ଶ୍ରୁତି ସ୍ମୃତି ଧର୍ମ । ଆଗମ ନିଗମ ଯେ କର୍ମ ।। ୮୩
ସେ ପୁଣି ଅବିବେକ ବଳେ । ବନ୍ଧୁ ନିନ୍ଦଇ ଅବହେଳେ ।। ୮୪
ମହତ ତେଜ ଯେ ନ ସହେ । ନିରତେ ମନେ ଗର୍ବ ବହେ ।। ୮୫
ଅଜ୍ଞାନବାଦୀ ବୋଲି ତାରେ । ସୁଖ ନ ଲଭେ ଏ ସଂସାରେ ।। ୮୬
ଯେ ପ୍ରାଣୀ ଅଭ୍ୟାଗତ ଦେଖି । ବକ୍ର-ବଦନେ ବୁଜେ ଆଖି ।। ୮୭
ବନ୍ଧୁ ହେଲେ ହେଁ ଜାଣ ତୁହି । ତା ଗୃହେ ଯିବା ନ ଯୋଗାଇ ।। ୮୮
ସମରେ ଅରି-ବାଣ ଘାଏ । ଅଙ୍ଗରେ ତେଡେ ପୀଡା ନୋହେ ।। ୮୯
ବନ୍ଧୁର କୁବଚନ-ବାଣ । ଅନିଶେ ଦହେ ମନ ପ୍ରାଣ ।। ୯୦
ତୁ ପୁଣି ପିତାପ୍ରିୟ ବହୁ । ତାର ସୁହୃଦ-ଧର୍ମ କହୁ ।। ୯୧
ତଥାପି ପିତାଗୃହେ ଗଲେ । ମାନ ତୁ ନ ପାଇବୁ ଭଲେ ।। ୯୨
ସାଧୁଙ୍କ ସଙ୍ଗେ ଯେ ବସଇ । ତାହାର ରିପୁ ମିତ୍ର ନାହିଁ ।। ୯୩
ଏଣୁ ଅସାଧୁ ସଙ୍ଗେ ଥିଲେ । ପ୍ରାଣ ଇନ୍ଦ୍ରିୟ ବୁଦ୍ଧିବଳେ ।। ୯୪
ପରର ଆତ୍ମାକୁ ନିନ୍ଦଇ । ଅସାଧୁ ବାକ୍ୟେ ଭାବବହି ।। ୯୫
ଅସାଧୁଜନଙ୍କ ସ୍ୱଭାବ । ନିରତେ ଅସହଣି ଭାବ ।। ୯୬
ସାଧୁଙ୍କ ସୁପୁଣ୍ୟ ସମ୍ପଦ । ଦେଖି ବହନ୍ତି ମନେ ଖେଦ ।। ୯୭
ହିଂସନ୍ତି ତାଙ୍କୁ ଅକାରଣେ । ହରିଙ୍କି ଯେହ୍ନେ ପୁଣ୍ୟଜନେ ।। ୯୮
ସଭାର ମଧ୍ୟେ ତୋ ପିତାରେ । ଅବଜ୍ଞା କଲି ମୁଁ ବେଭାରେ ।। ୯୯
ଏମନ୍ତ ନ ବିଚାର ମନେ । ଶୁଣ କହୁଛି ସୁମଧ୍ୟମେ ।। ୧୦୦
ଯେ ବନ୍ଧୁ ଆଗମନ ଦେଖି । ଉଠନ୍ତି ଆସନ ଉପେକ୍ଷି ।। ୧୦୧
ଭାବେ ଆସନ୍ତି କିଛି ଦୂର । ବଚନ କହନ୍ତି ମଧୁର ।। ୧୦୨
ଅତି ହିଁ ସ୍ନେହ କରି ଚିତ୍ତେ । ପୁଲକ ହୋଇ ହୃଦଗତେ ।। ୧୦୩
ଅଭିବାଦନ ମୃଦୁ ବାଣୀ । ପୂଜନ୍ତି ନିଜ ଗୃହେ ଆଣି ।। ୧୦୪
ବିଷ୍ଣୁର ଭାବେ ପୂଜା କରି । ଆନନ୍ଦେ ପ୍ରିୟଭାବେ ଭରି ।। ୧୦୫
ଲୋକେ କରନ୍ତି ପରସ୍ପର । ତା ନୋହେ ପ୍ରାଜ୍ଞଙ୍କ ଆଚାର ।। ୧୦୬
ସେ ବିଷ୍ଣୁ ଶୁଦ୍ଧ-ସ୍ୱ‌ତ୍ତ୍ୱମୟ । ପ୍ରକାଶେ ଜୀବର ହୃଦୟ ।। ୧୦୭
ତେଣୁ ବୋଲାଏ ବାସୁଦେବ । ସେ ଯେ ମୋହର ନିତ୍ୟ ସେବ୍ୟ ।। ୧୦୮
ଦକ୍ଷ ହୃଦୟେ ତାଙ୍କୁ ଲକ୍ଷି । ମୁଁ ନମସ୍କାର କରିଅଛି ।। ୧୦୯
ଏ ରୂପେ କଲି ମୁଁ ସମ୍ମାନ । ନକରି ତାଙ୍କ ଅପମାନ ।। ୧୧୦
ଏ ଦେହେ ଅଭିମାନ କରି । ଦକ୍ଷ ତା ଜାଣିବ କିପରି ।। ୧୧୧
ଯେଣୁ ଯେ ଦକ୍ଷ ପ୍ରଜାପତି । ମୋ ଭାବେ ଚିନ୍ତଇ ଅନୀତି ।। ୧୧୨
ଯେଣୁ ମୋ ଆଶ୍ରେ ଯେତେ ଛନ୍ତି । ଦକ୍ଷର ପ୍ରିୟ ସେ ନୁହଁନ୍ତି ।। ୧୧୩
ନିରପରାଧ ମୁଁ ତାହାର । ଦୁର୍ବାକ୍ୟେ କଲା ତିରସ୍କାର ।। ୧୧୪
ପିତା ହେଲେ ହେଁ ତାର ତହିଁ । ଯିବା ତୋହର ନ ଯୋଗାଇ ।। ୧୧୫
ତୁ ଯେବେ ମୋହର ବଚନ । ଅଜ୍ଞାନେ କରିବୁ ଲଂଘନ ।। ୧୧୬
ପିତା ଭୁବନେ ଯିବୁ ତୁହି । କେବେହେଁ ତୋର ଭଲ ନାହିଁ ।। ୧୧୭
ତୋହର ଅମଙ୍ଗଳ ପଳ । ମୋହୃଦେ ହୋଇବ ବିକଳ ।। ୧୧୮
ଉତ୍ତମଜନ ଜାଣ ଯେବେ । ସ୍ୱଜନୁଁ ପରାଭବ ଲଭେ ।। ୧୧୯
କେବେହେଁ ତାର ଭଲ ନାହିଁ । ଏମନ୍ତ ଦେବୀ ଆଗେ କହି ।। ୧୨୦
ସ୍ଥିର ହୋଇଲେ ଉମାକାନ୍ତ । କହଇ ଦାସ ଜଗନ୍ନାଥ ।। ୧୨୧
ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା
ଚତୁର୍ଥସ୍କନ୍ଧେ ଉମାରୁଦ୍ର ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ।।

ଚତୁର୍ଥ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି । ୧

ମୈତ୍ରେୟ ଉବାଚ

ସେ ଶିବ ବଚନରେ ସତୀ । କେବେ ହେଁ ନୋହେ ସ୍ଥିରମତି ।। ୨
ଏମନ୍ତ ଦେବୀଆଗେ କହି । ରୁଦ୍ର ରହିଳେ ତୁନି ହୋଇ ।। ୩
ମନେ ଚିନ୍ତନ୍ତି ବିଶ୍ୱନାଥ । ନପୁଣ ହୋଏ ବିପରୀତ ।। ୪
ମୋପତ୍ନୀ ପିତାଗୃହେ ଗଲେ । ଜୀବନ ନ ଧରିବ ଭଲେ ।। ୫
ଏହାର ମନ ସ୍ଥିର ନାହିଁ । ନ ଗଲେ ନ ଧରିବ ଦେହୀ ।। ୬
ବନ୍ଧୁଦର୍ଶନେ ଇଚ୍ଛା ତାର । ହୋଇଛି ଅତି ବଳୀୟାର ।। ୭
ବାରେକ ହୁଅଇ ବାହାର । ମୋ ଭୟେ ପ୍ରବେଶେ ଗୃହର ।। ୮
ଏହାର ମନ ସ୍ଥିର ନାହିଁ । ଅବଶ୍ୟ ଯିବ ଏ ନ କହି ।। ୯
ଏମନ୍ତ ଚିତ୍ତେ ଚିନ୍ତି ହର । କେବେହେଁ ମନ ନୋହେ ସ୍ଥିର ।। ୧୦
ଚିନ୍ତା ଆକୁଳେ ଦୁଃଖମତି । ନିଜ ଗୁଣଙ୍କୁ ମନେ ଚିନ୍ତି ।। ୧୧
ଏହାର ସଙ୍ଗେ ଥିବି ମୁହିଁ । ନିଜଗଣଙ୍କୁ ସଙ୍ଗେ ଲଇଁ ।। ୧୨
ଏମନ୍ତେ ରୁଦ୍ର ଚିନ୍ତା କରୁଁ । ଦେବୀ ଉଠିଲେ ନିଜ ପୁରୁ ।। ୧୩
ନୟନୁ ବହେ ଅଶ୍ରୁଜଳ । ଶୁଖିଛି ବଦନ-କମଳ ।। ୧୪
ଶରୀର କମ୍ପେ ରୋଷଚିତ୍ତେ । କଦଳୀବନ ଯେହ୍ନ ବାତେ ।। ୧୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ-ଅଧର ।। ୧୬
ଅଧୋବଦନେ ମନ ଦୁଃଖୀ । ଚଳିଲେ ଭବଙ୍କୁ ଉପେକ୍ଷି ।। ୧୭
ଖରେ ଚଳନ୍ତେ ରୋଷଭରେ । ଅବନୀ କମ୍ପେ ପାଦଭରେ ।। ୧୮
ପିତା ଭୁବନେ ଦେବୀ ଯାନ୍ତେ । କେହି ନାହାନ୍ତି ନିଜସାଥେ ।। ୧୯
ସ୍ତିରୀ ସ୍ୱଭାବ ମୂଢ଼ମତି । ଯେ ହର ସାଧୁ ଜନ-ପତି ।। ୨୦
ସ୍ନେହରେ ଅର୍ଦ୍ଧଅଙ୍ଗ ହୋଇ । ସେ ସତୀ ତାଙ୍କୁ ଲଂଘି ଯାଇ ।। ୨୧
ପିତା ଭୁବନେ ଦେବୀ ଯାନ୍ତେ । ପଛେ ଚଳନ୍ତି ଗଣ ଯୂଥେ ।। ୨୨
ଶତ ସହସ୍ର ରୁଦ୍ର ଗଣ । ନିକଟେ ମିଳିଲେ ତକ୍ଷଣ ।। ୨୩
ସତୀଙ୍କୁ ବୃଷଭେ ବସାଇ । ସର୍ବେ ଧାଇଁଲେ ସଜହୋଇ ।। ୨୪
ମୁଁ ଯିବି ଅମ୍ବିକାର ପଛେ । ମୋ କଥା ଦେଖସି ପ୍ରତ୍ୟକ୍ଷେ ।। ୨୫
ଏମନ୍ତ ରୁଦ୍ର ଆଗେ କହି । ନନ୍ଦି ଚଳିଲେ ଗଣ ଲଇଁ ।। ୨୬
ଅମ୍ବିକା ତୁଲେ ନାରୀଯୂଥେ । ମିଳିଲେ ଉପାୟନ ହସ୍ତେ ।। ୨୭
କନ୍ଦୁକ ଦର୍ପଣ ଅମ୍ବୁଜ । ଶ୍ୱେତାତପତ୍ର ଶ୍ୱେତଧ୍ୱଜ ।। ୨୮
ବ୍ୟଜନ ପୁଷ୍ପମାଳା ଘେନି । ସଙ୍ଗୀତ-ଗୀତ-ନାଦ-ଧ୍ୱନି ।। ୨୯
ଦୁନ୍ଦୁଭି ଶଙ୍ଖ ବେଣୁନାଦେ । ସଙ୍ଗତେ ଚଳିଲେ ଆନନେ୍ଦ ।। ୩୦
ଏମନ୍ତେ ରୁଦ୍ରଗଣେ ଯାଇ । ଯଜ୍ଞ ଦେଖିଲେ ଦୂରେ ରହି ।। ୩୧
ଧୂମ-ବ୍ୟାପିତ-ଯଜ୍ଞଶାଳେ । ଅଶେଷ ଋଷି-ବିପ୍ର ମେଳେ ।। ୩୨
ବିପ୍ରଙ୍କ ସଙ୍ଗେ ପ୍ରଜାପତି । ଅନଳେ କ୍ଷେପନ୍ତି ଆହୁତି ।। ୩୩
ଯଜ୍ଞର ଭାଣ୍ତ ନାନାବିଧି । ଯେ ଭାଣ୍ତେ ଯେ ଦ୍ରବ୍ୟ ପ୍ରସିଦ୍ଧି ।। ୩୪
ମନ୍ତ୍ର ଆହୁତି ହୋମବେଳେ । ସତୀ ମିଳିଲେ ଯଜ୍ଞଶାଳେ ।। ୩୫
ସତୀ ଚାହାଁନ୍ତେ କୋପଚିତ୍ତେ । ଯେ ଯଜ୍ଞେ ଥିଲେ ଯେ ସମସ୍ତେ ।। ୩୬
ସର୍ବେ ଦକ୍ଷର ଭୟପାଇ । ଆଦର ନକରିଲେ କେହି ।। ୩୭
ଭଗିନୀଗଣେ ମାତା ତୁଲେ । ଆଦରେ ସମୀପେ ମିଳିଲେ ।। ୩୮
ପ୍ରେମାଶ୍ରୁକଣ୍ଠେ ଭଗ୍ନୀଗଣ । କୋଳ କରନ୍ତି ଜଣେ ଜଣ ।। ୩୯
ସୋଦରେ ସ୍ନେହେ ପ୍ରଶ୍ନ କଲେ । ସର୍ବ କୁଶଳ ପଚାରିଲେ ।। ୪୦
ଉତ୍ତମ ପୂଜା ବିଧି ଦ୍ରବ୍ୟ । ସମୀପେ ଆଣିଦେଲେ ସର୍ବ ।। ୪୧
ରତ୍ନ-ଆସନ ବେଗେଆଣି । ସେ ପ୍ରଜାପତିର ଘରଣୀ ।। ୪୨
ସତୀସମୀପେ ଆଣି ଦେଲେ । ତାଦେଖି ସତୀ କୋପ କଲେ ।। ୪୩
ପିତାର ଅନାନ୍ଦର ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ।। ୪୪
ଯଜ୍ଞେ ନ ଦେଖି ସ୍ୱାମୀଭାଗ । ମନେ ବସିଲା ମହାରାଗ ।। ୪୫
ମୋର ଈଶ୍ୱରେ ନ ଗଣିଲା । ଅବହେଳଣ କର୍ମ କଲା ।। ୪୬
ସଭାରେ ଯେତେ ଲୋକ ଥିଲେ । ସତୀଙ୍କି ଦେଖି ନ ଉଠିଲେ ।। ୪୭
ପିତା ଅବଜ୍ଞା କର୍ମ ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ।। ୪୮
ଏମନ୍ତେ ଦକ୍ଷ-ବଧ ଅର୍ଥେ । ସତୀ ଶରୀରୁ କୋପଚିତ୍ତେ ।। ୪୯
ଅନେକ ଭୂତଗଣ ଜନ୍ମି । ତାହାଙ୍କୁ ନିବାରି ଭବାନୀ ।। ୫୦
କୋପେ ବୋଲଇ ଉଚ୍ଚବାଣୀ । ଯେମନ୍ତେ ସଭାଲୋକେ ଶୁଣି ।। ୫୧
କୋପେ କମ୍ପଇ ତାର ଦେହୀ । ବୋଲଇ ପିତାମୁଖ ଚାହିଁ ।। ୫୨

ଦେବୀ ଉବାଚ

ପ୍ରିୟ ଅପ୍ରିୟ ଅତିରେକେ । ନ ଦେଖି ଯାୠ ଇହଲୋକେ ।। ୫୩
ଜଗତ ମଧ୍ୟେ ଯେତେ ଦେହ । ସ୍ୱାମୀ ମୋହର ସର୍ବପ୍ରିୟ ।। ୫୪
ଯେ ରୁଦ୍ର ସର୍ବଆତ୍ମା ହୋଇ । ମିତ୍ର ଅମିତ୍ର ଯାର ନାହିଁ ।। ୫୫
ସେ ଯେ ଅଶେଷ-ଜନ-ଗୁରୁ । ତାହାଙ୍କୁ ତୁହି ନିନ୍ଦା କରୁ ।। ୫୬
ଦେଖ ଏ ସଂସାର-ବେଭାରେ । ଯେ ସାଧୁଜନେ ନିନ୍ଦା କରେ ।। ୫୭
ଅନେକ-ଦୋଷ କରିଥିଲେ । ସାଧବେ ନ ଧରନ୍ତି ଭଲେ ।। ୫୮
ସକଳ-ଦୋଷ କରେ କ୍ଷମା । ସେ ଜନ ସାଧୁ ମହାତମା ।। ୫୯
ଏରୂପେ ଯେତେକ ପିଣ୍ତିତ । ତାହାଙ୍କୁ ବୋଲନ୍ତି ମହତ ।। ୬୦
ଯେ ଗୁଣମାତ୍ରକୁ ଧରନ୍ତି । ଦୋଷ ଗ୍ରହଣ ନ କରନ୍ତି ।। ୬୧
ତାହାଙ୍କୁ ବୋଲି ମହତ୍ତର । କେ ଅବା ଅଛନ୍ତି ଅପର ।। ୬୨
ଦୋଷକୁ ଦୂରେ ପରିହରି । ଆବରେ ତୁଚ୍ଛ ଗୁଣଧରି ।। ୬୩
ଏମନ୍ତ ସାଧୁ ପ୍ରତି ତାତ । ତୁ ପାପ କଳ୍ପିଲୁ ନିଶ୍ଚି୍ତ ।। ୬୪
ଅସାଧୁଜନ ପ୍ରାୟ ତୁହି । ରୁଦ୍ର ବିଷୟେ କୋପ ବହି ।। ୬୫
ଯେଣୁ ବୋଲାଉ ପ୍ରଜାପତି । ସେ ଗର୍ବେ ନିନ୍ଦୁ ମୋର ପତି ।। ୬୬
ଏ ନୋହେ ମହତଙ୍କ କର୍ମ । ଗର୍ବେ ହୋଇଲୁ ମତିଭ୍ରମ ।। ୬୭
ଯେ ବେନିଅକ୍ଷର ମୁଖରେ । ପ୍ରସନ୍ନେ ଶିବନାମ ଧରେ ।। ୬୮
କି ଅବା ଶ୍ରଦ୍ଧାଯୁକ୍ତ ହୋଇ । ନିରତେ ବଦନେ ଗୁଣଇ ।। ୬୯
ଅଥବା ପଶେ ଶ୍ରୁତିପଥେ । ପାପ ନାଶଇ କ୍ଷଣମାତ୍ରେ ।। ୭୦
ଯାହାର ନାମ ଏ ଜଗତେ । ସର୍ବମଙ୍ଗଳ ବହୁମତେ ।। ୭୧
ତୋର ଜୀବନ ପାପ-ସିନ୍ଧୁ । ଅଶିବ ହୋଇ ଶିବ ନିନ୍ଦୁ ।। ୭୨
ଯା ପାଦପଦ୍ମ-ମଧୁ ଲୋଭେ । ମହାନ୍ତଜନ ନିତ୍ୟେ ସେବେ ।। ୭୩
କାମୀ କାମନା ସ୍ରବେ ଯହୁଁ । ବିଶ୍ୱବାନ୍ଧବ ଅଟେ ଯେହୁ ।। ୭୪
ସାଧୁ-ମାନସ -ଅଳି-ବୃନ୍ଦ । ବ୍ରହ୍ମଆନନ୍ଦ-ମକରନ୍ଦ ।। ୭୫
ପାନାର୍ଥୀ ହୋଇ ସେବା କରେ । ଯାହାର ଶ୍ରୀପାଦପଦ୍ମରେ ।। ୭୬
ତାହାରେ ଦ୍ରୋହ ଚିନ୍ତୁ ପିତ । ଏ କଥା ବଡ ଆଚମ୍ବିତ ।। ୭୭
ଯେ ସଦାଶିବ ବିଶ୍ୱବନ୍ଧୁ । ତୁ ତାର ଦ୍ରୋହକରି ନିନ୍ଦୁ ।। ୭୮
ଜଟା ବିସ୍ତାରି ଶ୍ମଶାନରେ । ବୁଲଇ ଶିବ ନିର୍ବିକାରେ ।। ୭୯
ଶ୍ମଶାନଭସ୍ମ ମାଲ୍ୟ ତାର । ନରକପାଳ ଅଳଙ୍କାର ।। ୮୦
ହେଲେ ହେଁ ଶିବଙ୍କୁ ଅଶିବ । ତୋ ବିନା କେଅବା ବୋଲିବ ।। ୮୧
ବ୍ରହ୍ମାଦି ଦେବଗଣମାନେ । କେ ଶିବ ମହିମା ନ ଜାଣେ ।। ୮୨
ତୁ କି ଜାଣିବୁ ସେ ମହିମା । ଅଶେଷ-ମଙ୍ଗଳର ସୀମା ।। ୮୩
ଶିବ ନିର୍ମାଲ୍ୟ ମଥା ପାତି । ତଥାପି କେମନ୍ତେ ଘେନନ୍ତି ।। ୮୪
ର୍ଧମରକ୍ଷକ ସ୍ୱାମୀ ମୋର । ତା ସଙ୍ଗେ କଲୁ ତୁ ବିଧୁର ।। ୮୫
ଏଣୁ ଜୀବନ ଛାଡିବଇଁ । ସକଳ-ଧର୍ମ-ରକ୍ଷା ପାଇଁ ।। ୮୬
ଏହିଟି ପତିବ୍ରତା-ଧର୍ମ । ପାଷଣ୍ତେ ସ୍ୱାମୀର ନିନ୍ଦନ ।। ୮୭
ଶୁଣିଲେ କାନେ ହାତ ଦେବ । ତକ୍ଷଣେ ତହୁଁ ପଳାଇବ ।। ୮୮
ପାରିଲେ ତା ଜିହ୍ୱା ଛେଦିବ । ଆପଣା ଜୀବନ ତେଜିବ ।। ୮୯
ତୋ ବୀର୍ଯ୍ୟେ ଜନ୍ମ ମୋର ଦେହୀ । ହୋଇଲା ପୂର୍ବପାପ ବହି ।। ୯୦
ସ୍ୱାମ ନିନ୍ଦନ ବାକ୍ୟ ସହି । ଏ ଦେହ ନ ଧରିବି ମୁହିଁ ।। ୯୧
ଯେ ନାରୀ ସ୍ୱାମୀର ନିନ୍ଦନ । ଶୁଣି ଧରେ ନିଜ ଜୀବନ ।। ୯୨
ପୂର୍ବର ପାପ ଯେ ନ ସ୍ମରେ । ତା ପ୍ରତିକାର ଯେ ନକରେ ।। ୯୩
ଦିନ ବଞ୍ଚଇ ଦୁଃଖ-ଶୋକେ । ଅନ୍ତେ ସେ ପଡଇ ନରକେ ।। ୯୪
ଯେ ଆତ୍ମାରାମ ବଇରାଗୀ । ବିଧି-ନିଷେଧ ପାରେ ଲଂଘି ।। ୯୫
ସ୍ୱଧର୍ମେ ନିଷ୍ଠା ଯାର ଥିବ । ସେ ପର-ନିନ୍ଦା ନ କରିବ ।। ୯୬
ଯେ ଅବା ବେଦବିଧି ଧର୍ମ । ପ୍ରବୃତ୍ତି ନିବୃତ୍ତି ଲକ୍ଷଣ ।। ୯୭
ଶବେ ତା ନ ସମ୍ଭବେ ଦୁଇ । ଯେଣୁଟି ଆତ୍ମାରାମ ସେହି ।। ୯୮
ଦରିଦ୍ର ବୋଲି ଶିବେ ତୁହି । ନିନ୍ଦା ନ ବହ ଗର୍ବ ବହି ।। ୯୯
ଅଣିମା ଆଦି ଅଷ୍ଟସିଦ୍ଧି । ଯା ତୁହଁ ଲଭେ ଯୋଗୀ ସାଧି ।। ୧୦୦
ତୋ ପରି ଯଜ୍ଞେ ଯେ ଭ୍ରମନ୍ତି । କାହୁଁ ଲଭିବେ ସେ ସମ୍ପତ୍ତି ।। ୧୦୧
ତୁ ପାପୀ ଯେଣୁ ଶିବଦ୍ରୋହୀ । ତୋଠାରୁ ଜାତ ମୋର ଦେହୀ ।। ୧୦୨
ଧିକ ଏ ଦେହ ନ ରଖିବି । ଆଉ ଏ ଲଜ୍ଜା ନ ସହିବି ।। ୧୦୩
ତୋହର ସଙ୍ଗତେ ବଚନ । ଅଧିକେ ନାହିଁ ପ୍ରୟୋଜନ ।। ୧୦୪
କେହି ନ ବୋଲୁ ଦାକ୍ଷାୟଣୀ । ଅଟଇ ଶିବର ଘରଣୀ ।। ୧୦୫
ମୈତ୍ରେୟ କହନ୍ତି ବଚନ । ଶୁଣ ବିଦୁର ତୋଷମନ ।। ୧୦୬

ମୈତ୍ରେୟ ଉବାଚ

ଏମନ୍ତ ଦକ୍ଷେ ଦେବୀ କହି । କୁଣ୍ତ-ଉତ୍ତରଦିଗେ ଯାଇ ।। ୧୦୭
ଯୋଗଧାରଣା ଆଗମନେ । ନିଶ୍ଚଳେ ବସିଲେ ଆସନେ ।। ୧୦୮
ସ୍ୱାମୀର ଅପମାନ ଅର୍ଥେ । ପିତାର ଅନାଦର ଚିତ୍ତେ ।। ୧୦୯
ପୀତବସନ ପରିଧାନ । ପବିତ୍ର-ଜଳେ ଆଚମନ ।। ୧୧୦
ହୃଦରେ କଳ୍ପି ମହାମନ୍ୟୁ । ପବନ ଅଧ ଉର୍ଦ୍ଧ୍ୱ ସ୍ଥାନୁ ।। ୧୧୧
ନାଭିକମଳେ ସୁନିଶ୍ଚଳେ । ପ୍ରାଣଧାରଣ ଯୋଗବଳେ ।। ୧୧୨
ଏ ତିନିପ୍ରାଣ ଉର୍ଦ୍ଦ୍ୱେ ନେଇ । ଉଦାନ ସଙ୍ଗେ ହୃଦେ ଥୋଇ ।। ୧୧୩
ହୃଦୟ ପ୍ରାଣ ସଙ୍ଗେ ବ୍ୟାପି । କଣ୍ତେ ଲଲାଟ ଚକ୍ରେ କ୍ଷେପି ।। ୧୧୪
ଭ୍ରୁମଧ୍ୟେ ଥାପି ଅନୁମାନେ । ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ ।। ୧୧୫
ସ୍ୱାମୀ ଚରଣେ ଧ୍ୟାନକରି । ଯୋଗ-ଅନଳେ ବାୟୁ ଧରି ।। ୧୧୬
ମୂର୍ଦ୍ଧନି ଭେଦି ତତକ୍ଷଣ । ଶୂନ୍ୟେ ମିଶିଲା ଦଶପ୍ରାଣ ।। ୧୧୭
ସମାଧି ସମ୍ଭୂତ ଅନଳେ । ସତୀ ଶରୀର ବେଗେ ଜଳେ ।। ୧୧୮
ସତୀ ମରଣ କର୍ମ ଚାହିଁ । ଦେବେ ଯେ ଯଜ୍ଞେ ଥିଲେ ରହି ।। ୧୧୯
ଦେଖିଣ ଦେବୀର ନିଧନ । ଚଞ୍ଚଳ କରି ସର୍ବ ମନ ।। ୧୨୦
ଭୂମି ଗମନେ ଯେ ବା ଥିଲେ । ହାହା ଶବଦ ଉଚ୍ଚେ କଲେ ।। ୧୨୧
ଦେଖ ଏ ଦେବଦେବନାରୀ । କି ଅପମାନେ କୋପକରି ।। ୧୨୨
ପ୍ରାଣ ଛାଡିଲେ ଯଜ୍ଞଶାଳେ । ପିତା ଅମାନ୍ୟ କୋପଭରେ ।। ୧୨୩
ଦେଖ ଏ ଦକ୍ଷ ପ୍ରଜାପତି । ଗର୍ବେ ଆଚରିଲା ଅନୀତି ।। ୧୨୪
ପ୍ରଜାଙ୍କ ପତିଏ ବୋଲାଇ । ଅନୀତି କଲା ଗର୍ବ ବହି ।। ୧୨୫
ନିଜ ଦୁହିତାର ନିଧନେ । ଯତ୍ନ କଲା ଏ କ୍ରୋଧମନେ ।। ୧୨୬
ଏ ନୋହେ ସାଧୁଙ୍କ ବେଭାର । ଅଧର୍ମ କଲା ଗରୁତର ।। ୧୨୭
ଏମନ୍ତ ବାକ୍ୟ କହୁଁ ଜନେ । ସତୀର ପ୍ରାଣ ଅବସାନେ ।। ୧୨୮
ସତୀ ମରଣ କଥା ଶୁଣି । ନନ୍ଦିକେଶ୍ୱର ବୀରମଣି ।। ୧୨୯
ରୁଦ୍ରଗଣଙ୍କୁ ସଙ୍ଗେ ଲଇଁ । ବେଗେ ଧାଇଁଲା ରୋଷ ବହି ।। ୧୩୦
ବିବିଧ ଶସ୍ତ୍ର ଧରି କରେ । ମିଳିଲା ଦକ୍ଷ ଯଜ୍ଞଘରେ ।। ୧୩୧
ତାହାକୁ ଦେଖି ଭୃଗୁ ମୁନି । ଘୃତଆହୁତି କରେ ଘେନି ।। ୧୩୨
ଯଜ୍ଞଘ୍ନ ନାମ ଯଜୁମନ୍ତ୍ରେ । କଳ୍ପିଲା ଅଭିଚାର-ତନ୍ତ୍ରେ ।। ୧୩୩
ଆହୁତି ଦ୍ୟନ୍ତେ ଅଗ୍ନିକୁଣ୍ତେ । ନିର୍ଧୂମ ସ୍ୱର୍ଣ୍ଣବର୍ଣ୍ଣ ପିଣ୍ତେ ।। ୧୩୪
ମନ୍ତ୍ରେ ମନ୍ତ୍ରିତ ସୋମ ପାଇ । ପ୍ରଚଣ୍ତ ବ୍ରହ୍ମତେଜ ବହି ।। ୧୩୫
ଋଭୁ ନାମରେ ଦେବଗଣେ । ଅନଳୁ ଉଠିଲେ ତକ୍ଷଣେ ।। ୧୩୬
ଜଳନ୍ତା କାଷ୍ଠ ଘେନି କରେ । ଶତସହସ୍ର କୋପଭରେ ।। ୧୩୭
ଶବଦେ ଦଶଦିଗ ପୂରି । ଧାଇଁଲେ ଘୋରନାଦ କରି ।। ୧୩୮
ତେଣେ ଭାଜିଲେ ରୁଦ୍ରସୈନି । ତା ଦେଖି ବେଗେ ଦେବମୁନି ।। ୧୩୯
ଧାଇଁଲେ ଶିବପୁର-ମାର୍ଗେ । କହିଲେ ସଦାଶିବ ଆଗେ ।। ୧୪୦
ସତୀ-ମରଣ-କଥା ଆଦି । କହିଲେ ସକଳ ସମ୍ପାଦି ।। ୧୪୧
ସେ ବ୍ରହ୍ମମୁନିର ଚରଣେ । ଆତ୍ମାର ନିସ୍ତାର କାରଣେ ।। ୧୪୨
କୃଷ୍ଣ-ବିଷୟ ଭାଗବତ । କହଇ ଦାସ ଜଗନ୍ନାଥ ।। ୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ସତୀ ଦେହୋତ୍ସର୍ଗୋ
ନାମ ଚତୁର୍ଥୋଽଧ୍ୟାୟଃ ।।

ପଞ୍ଚମ ଅଧ୍ୟାୟ[ସମ୍ପାଦନା]

କହେ ମୈତ୍ରେୟ ମୁନିବର । ସାନନ୍ଦେ ଶୁଣ ହେ ବିଦୁର ।। ୧

ମୈତ୍ରେୟ ଉବାଚ

ନାରଦ ବାକ୍ୟ ଅବଧାନେ । ରୁଦ୍ର ଉଠିଲେ କୋପମନେ ।। ୨
ଦକ୍ଷର ଯଜ୍ଞ ନାଶ ଅର୍ଥେ । କୋପ ବସିଲା ରୁଦ୍ରଚିତ୍ତେ ।। ୩
ରୁଦ୍ର ବଦନେ କୋପ ଦେଖି । ବିବୁଧେ ଗଗନ ଉପେକ୍ଷି ।। ୪
କମ୍ପିଲେ ରୁଦ୍ର କୋପ ଶୁଣି । ମହାପ୍ରଳୟ ପ୍ରାୟ ମଣି ।। ୫
ଦନ୍ତେ କାମୋଡି ଓଷ୍ଠ ପାଟି । ପ୍ରଚଣ୍ତ କରାଳ ଭ୍ରୂକୁଟୀ ।। ୬
ଜଟାକଳାପେ ଅଗ୍ନିଜଳେ । ଦେଖି କମ୍ପିଲେ ଦିଗପାଳେ ।। ୭
ସେ ଏକ ଜଟା ଉପାଡିଣ । ଭୂମିରେ କଲେ ନିକ୍ଷେପଣ ।। ୮
ସେ ଜଟା ଭୂମିରେ ପଡିଲା । ତହଁରୁ ପୁରୁଷେ ଜନ୍ମିଲା ।। ୯
ତାହାର ନାମ ବୀରଭଦ୍ର । ପ୍ରଳୟକାଳେ ଯେହ୍ନେ ରୁଦ୍ର ।। ୧୦
ସହସ୍ରବାହୁ ମେଘବର୍ଣ୍ଣ । ଅନଳ ପ୍ରାୟେକ ନୟନ ।। ୧୧
କୋଟିଏ ସୂର୍ଯ୍ୟ ତେଜ ଯେହ୍ନେ । ଦେଖି ପଳାନ୍ତି ସର୍ବଜନେ ।। ୧୨
କରାଳ-ଦଂଷ୍ଟ୍ର ଶୋହେ ତୁଣ୍ତେ । ଅଗ୍ନି ଜ୍ୱଳଇ ଶିଖା ଖଣ୍ତେ ।। ୧୩
ନାନା ଆୟୁଧ ଶୋହେ କରେ । ମୁଣ୍ତମାଳାଏ ଲମ୍ବେ ଉରେ ।। ୧୪
ରୁଦ୍ରଙ୍କୁ ଚାହିଁ କରଯୋଡି । ବୋଲଇ ଅଧର କାମୋଡି ।। ୧୫
କହ ତୁ କି କରିବି ମୁହିଁ । ରୁଦ୍ର ବୋଲନ୍ତି ତାକୁ ଚାହିଁ ।। ୧୬
ତୁ ହୁଅ ଗଣଙ୍କ ଈଶ୍ୱର । ଏବେ ତୁ ମୋର ବୋଲ କର ।। ୧୭
ଦକ୍ଷର ପ୍ରାଣ ଯଜ୍ଞ ସଙ୍ଗେ । ବିନାଶ କର ରଣରଙ୍ଗେ ।। ୧୮
ତୁ ମୋର ଅଂଶ ଆତ୍ମାରୂପୀ । ସହସ୍ରଭୁଜ ଶୂନ୍ୟେ ବ୍ୟାପି ।। ୧୯
ଦକ୍ଷର ଯଜ୍ଞ ନାଶ କର । ତାହାର ପ୍ରାଣ ବେଗେ ହର ।। ୨୦
ଏମନ୍ତ ରୁଦ୍ର ଆଜ୍ଞା ପାଇ । କୋପେ କମ୍ପଇ ତାର ଦେହୀ ।। ୨୧
ଜଳଇ ଅତି କୋପାନଳେ । ନମିଲା ରୁଦ୍ର ପାଦତଳେ ।। ୨୨
ସ୍ୱଭାବେ ରୁଦ୍ର-ଆତ୍ମା ସେହି । ତାର ମହିମା କେ ବା କହି ।। ୨୩
ଚଳିଲା ରୁଦ୍ରଗଣ ଘେନି । ଶବଦେ କମ୍ପାଇ ମେଦିନୀ ।। ୨୪
ଗର୍ଜଇ ଭଇରବ ନାଦେ । ବେଗେ ଧାମଇଁ ଦ୍ରୁତପଦେ ।। ୨୫
ଶୂଳ ବୁଲାଇ ଦକ୍ଷକରେ । ନୂପୁର ବାଜଇ ପୟରେ ।। ୨୬
ଧାମଇଁ ପବନହୁଁ ବେଗେ । ବୀର ଉତ୍ତରଦିଗଭାଗେ ।। ୨୭
ସକଳ ପାରିଷଦ ଗଣେ । ନାନା ଆୟୁଧ ତୀକ୍ଷ୍‌‌ଣବାଣେ ।। ୨୮
ଅତି ପ୍ରଚଣ୍ତ କୋପଭରି । ଧାଇଁଲେ ଘୋରନାଦ କରି ।। ୨୯
ଶବଦେ ଦଶଦିଗ ପୂରେ । ଧୂଳି ଉଡଇ ପାଦଭରେ ।। ୩୦
ବିପ୍ରେ ଯେ ଥିଲେ ଯଜ୍ଞଶାଳେ । ଧୂଳି ଦେଖିଲେ ଅନ୍ତରାଳେ ।। ୩୧
ଉତ୍ତରଦିଗେ ରେଣୁ ଦେଖି । ଉଠିଲେ ଯଜ୍ଞକୁ ଉପେକ୍ଷି ।। ୩୨
ଉତ୍ତରଦିଗକୁ ଅନାଇ । ବୋଲନ୍ତି ଏକୁ ଆରେ ଚାହିଁ ।। ୩୩
ଦେଖ ଦିବସେ ଘୋରତମ । ଦିଗ ନ ଦିଶେ ବାତଭ୍ରମ ।। ୩୪
ଏମନ୍ତେ ଦେବ-ବିପ୍ରନାରୀ । ଦେଖନ୍ତି ହସ୍ତେ ହସ୍ତ ଧୟୂ ।। ୩୫
ବୋଲନ୍ତି ଏ କି ତମଘୋର । ଦିଶଇ ଅତି ଭୟଙ୍କର ।। ୩୬
ପ୍ରଚଣ୍ତ ନ ବହେ ପବନ । ତମେ ଆଚ୍ଛାଦିଲା ଗଗନ ।। ୩୭
ପ୍ରାଚୀନବର୍ହି ଦଣ୍ତଧାରୀ । ଯେଣୁ ଅଛଇ ପ୍ରାଣ ଧରି ।। ୩୮
ତାଙ୍କ ପ୍ରସାଦେ ଦସ୍ୟୁ ନାହିଁ । ଉତ୍ପାତ ହେଲା କିସ ପାଇଁ ।। ୩୯
ଗୋରୁ ଚରଣ ଧୂଳି ନୋହେ । ଏ କି ତିମିର କାହୁଁ ହୋଏ ।। ୪୦
ଆଜ କି ପ୍ରଳୟ ହୋଇବ । ବାମ କି ହୋଇଲା ଦଇବ ।। ୪୧
ପ୍ରସୂତି ଆଦି ବାମା ଯେତେ । ଉଠି ଚାହାନ୍ତି ଦୁଃଖ ଚିତ୍ତେ ।। ୪୨
ସେର୍ବ ଦୁଃଖିତମନା ହୋଇ । ପ୍ରଚଣ୍ତ ବାତକୁ ଅନାଇଁ ।। ୪୩
ନିଶ୍ଚୟ ସେହି ପାପଫଳ । ସତୀର ଅପମାନ ମୂଳ ।। ୪୪
ଏମନ୍ତ ଶୁଣି ବ୍ୟାସସୁତ । ଅଦ୍ଭୁତ ରୁଦ୍ରର ଚରିତ ।। ୪୫
ଯେ ରୁଦ୍ର ପ୍ରଳୟ କାଳରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ ।। ୪୬
ନୃତ୍ୟ କରନ୍ତି ଅତି ବେଗେ । ଦେଖି ପଳାନ୍ତି ଦିଗନାଗେ ।। ୪୭
ସହସ୍ରଭୁଜ ଉର୍ଦ୍ଧ୍ୱେ କରି । ନଟର ପ୍ରାୟେ ବେଶ ଧରି ।। ୪୮
ଚଣ୍ତାଟ୍ଟ‌ହାସ ଶୋହେ ତୁଣ୍ତେ । ଯେହ୍ନେ ବିଜୁଳି ମେଘଖଣ୍ତେ ।। ୪୯
ଅସହ୍ୟ ତେଜ ଯୋଗବଳ । ଦିଶଇ ଭ୍ରୂକୁଟୀ କୁଟିଳ ।। ୫୦
କରାଳ ଦଂଷ୍ଟ୍ର ଶୋହେ ତୁଣ୍ତେ । ତେଜେ ନକ୍ଷତ୍ରଗଣ ଖଣ୍ତେ ।। ୫୧
ତାରେ ଦୋରେନ୍ଦ୍ରା କରି କେହି । ବିଧାତା ହେଲେ ରକ୍ଷା ନାହିଁ ।। ୫୨
ଦକ୍ଷକୁ ଚାହିଁ ସଭାଜନେ । ବୋଲନ୍ତି ଅତି ଦୁଃଖମନେ ।। ୫୩
ଦେଖ ଏହାର କର୍ମଫଳେ । ଆଜ ତ ନଶିଲୁ ସକଳେ ।। ୫୪
ଘୋର-ଉତ୍ପାତ ଦୁଃଖମନେ । ଭୟେ ଲୁଚିଲେ ସର୍ବଜନେ ।। ୫୫
କେ କହୁ ଜନଙ୍କ ବିକଳ । ତକ୍ଷଣେ ମିଳି ରୁଦ୍ରବଳ ।। ୫୬
ନାନା ଆୟୁଧ ଧରି କରେ । ବେଗେ ବେଢିଲେ ଯଜ୍ଞଘରେ ।। ୫୭
ପୀତ ପିଙ୍ଗଳ ଦିଶେ ବର୍ଣ୍ଣ । କେହି ବା ମକର ଆନନ ।। ୫୮
ଶବଦେ ଗଗନ ଉଛୁଳେ । ବେଗେ ପଶିଲେ ଯଜ୍ଞଶାଳେ ।। ୫୯
କେହୁ ଭାଙ୍ଗନ୍ତି ଯଜ୍ଞବାସ । କେ ପତ୍ନୀଶାଳା କରେ ନାଶ ।। ୬୦
କେ ପାକଶାଳେ ପ୍ରବେଶନ୍ତି । କେ ଯଜ୍ଞପାତ୍ରକୁ ଭାଙ୍ଗନ୍ତି ।। ୬୧
କେ ଯଜ୍ଞକୁଣ୍ତରେ ମିଳନ୍ତି । ମୂତ୍ର ପୁରୀଷ ଉତ୍ସର୍ଗନ୍ତି ।। ୬୨
କେ ଭୟଙ୍କର ନାଦକଲେ । ଯଜ୍ଞ ମେଖଳା ବେଦୀ ତୁଲେ ।। ୬୩
ଭାଙ୍ଗିଲେ ଅତି କୋପଭରେ । ଶୂଳ ବୁଲାଇ ଦକ୍ଷକରେ ।। ୬୪
କେ ଧାଏଁ ମୁନିଙ୍କ ଉପରେ । ତର୍ଜନ୍ତି ଅତି କୋପଭରେ ।। ୬୫
ସ୍ତିରୀଗଣଙ୍କ ମଧ୍ୟେ ପଶି । ରାହୁ ଯେସନେ ଗ୍ରାସେ ଶଶୀ ।। ୬୬
ଦେବେ ପଳାନ୍ତି ତାହା ଦେଖି । ଯଜ୍ଞର ଭାଗକୁ ଉପେକ୍ଷି ।। ୬୭
ତାହାଙ୍କୁ ରୁଦ୍ରଗଣେ ଦେଖି । ଧାଇଁଲେ ଦୟାକୁ ଉପେକ୍ଷି ।। ୬୮
ଭୃଗୁକୁ ମଣିମାନ ବାନ୍ଧେ । ତା ଦେଖି ପ୍ରଜାପତି କାନ୍ଦେ ।। ୬୯
ଦକ୍ଷକୁ ବୀରଭଦ୍ର ଧରି । ପଶୁର ପ୍ରାୟେ ବନ୍ଦୀ କରି ।। ୭୦
ଚଣ୍ତୀଶ ପୂଷଣକୁ ଧରେ । ଭଗକୁ ଧରେ ନନ୍ଦୀଶ୍ୱରେ ।। ୭୧
ଯଜ୍ଞେ ଦେବତା ଯେତେ ଥିଲେ । ଋତ୍ୱିଜ ଋଷି ବିପ୍ର ତୁଲେ ।। ୭୨
ରୁଦ୍ରଗଣଙ୍କ ତେଜ ଦେଖି । ଭାଜିଲେ ଯଜ୍ଞକୁ ଉପେକ୍ଷି ।। ୭୩
ଭୃଗୁ ଯେ ଯଜ୍ଞେ ହୋମକାରୀ । ଘୃତ କ୍ଷେପନ୍ତି ଶ୍ରୁବ ଧରି ।। ୭୪
ତାହାଙ୍କ କେଶ ବାମହସ୍ତେ । ରୋଷେ ସେ ଧଇଲେ ତୁରିତେ ।। ୭୫
ତାହାଙ୍କ ଦାଢି ଦକ୍ଷକରେ । ପୁଣି ଉପାଡି କୋପଭରେ ।। ୭୬
ସଭାରେ ପଦ୍ମଯୋନିବଳା । ଯେ ଦାଢି ହଲାଇ ହସିଲା ।। ୭୭
ଉପାଡି ଭୃଗୁ ଲମ୍ବଦାଢି । ଭଗକୁ ରୋଷେ ତଳେ ପାଡି ।। ୭୮
ଚକ୍ଷୁ ଉପାଡି ନଖ ଅଗ୍ରେ । ପୂର୍ବର ଶାପ ବଇଭୋଗେ ।। ୭୯
ରୁଦ୍ରଙ୍କୁ ଶାପ ଦେବା ବେଳେ । ଯେଉଁ ଚକ୍ଷୁରେ ଠାରିଥିଲେ ।। ୮୦
ଦକ୍ଷର ଶିବ-ନିନ୍ଦା କାଳେ । ଅପମାନିତ କୋପାନଳେ ।। ୮୧
ଦନ୍ତ ଦେଖାଇ ପୂଷା ହସେ । ସେ କଥା ସ୍ମରି ମହାରୋଷେ ।। ୮୨
ମୁଷ୍ଟି ପ୍ରହାରି ବାମକରେ । ଦନ୍ତ ଝାଡିଲେ ରୋଷଭରେ ।। ୮୩
କଳିଙ୍ଗ ଦେଶ ରାଜା-ରଦ । ଯେହ୍ନେ ଭାଙ୍ଗିଲେ ବଳଭଦ୍ର ।। ୮୪
ଦକ୍ଷର ହୃଦେ କର ତାଡି । ରୁଦ୍ର ଯେ ଅଧର କାମୋଡି ।। ୮୫
ଭୂମିରେ ପାଡିଲେ ଉତ୍ତାନେ । ତୀକ୍ଷ୍ଣ ଖଡଗେ ମୁଣ୍ତ ହାଣେ ।। ୮୬
ଅକ୍ଷୟ ତାହାର ଶରୀର । ଦେଖି ବିସ୍ମିତି ଶୂଳଧର ।। ୮୭
ଅବଧ୍ୟ ଦେଖି ତାର ଗତି । ବିସ୍ମୟେ ଭାଳି ପଶୁପତି ।। ୮୮
ତୀକ୍ଷ୍ଣ-ଖଡଗେ ଛେଦି ଶିର । ସେ ବୀର ହୋଇଲା ବାହାର ।। ୮୯
ଶିର ପଡିଲା ଅଗ୍ନିକୁଣ୍ତେ । ରହିଲା ମାତ୍ର ମୃତ୍ୟୁପିଣ୍ତେ ।। ୯୦
ପିଶାଚରଣ ଘେନି ସଙ୍ଗେ । ନାଚିଲେ ବୀରଭଦ୍ର ରଙ୍ଗେ ।। ୯୧
ଦକ୍ଷ-ସମ୍ପଦ ନାଶ କରି । ଦକ୍ଷିଣଭୂଜେ ଶୂଳ ଧରି ।। ୯୨
ସେ ବୀର ହୋଇଲେ ବାହାର । ଦେଖି କମ୍ପିଲେ ସୁରନର ।। ୯୩
ସେ ରୁଦ୍ର-ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ।। ୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞବିଧ୍ୱଂସୋ ନାମ ପଞ୍ଚମୋଽଧ୍ୟାୟଃ ।।

ଷଷ୍ଠ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତେ ଶୁଣ ହେ ବିଦୁର । ରୁଦ୍ର ଚରିତ ରସସାର ।। ୧
ରୁଦ୍ରଗଣଙ୍କ ଶସ୍ତ୍ରଘାତେ । ଭୟେ ଭାଜିଲେ ଦେବେ ଯେତେ ।। ୨
ଶୂଳ ପଟ୍ଟିଶ କୁନ୍ତ ଶର । ନିସ୍ତିଂଶ ଗଦା ମୁଦଗର ।। ୩
ଏ ଶସ୍ତ୍ର ବାଜି ସର୍ବ ଅଙ୍ଗେ । ଭୟେ ଭାଜିଲେ ଦଶଦିଗେ ।। ୪
ଋତ୍ୱିଜ ସଭାସଦଗଣ । ପଳାଇଗଲେ ଘେନି ପ୍ରାଣ ।। ୫
ଭୟେ ସକଳେ ଏକମେଳେ । ମିଳିଲେ ଗଗନ-ମଣ୍ତଳେ ।। ୬
ଛନ୍ନ ବ୍ୟାକୁଳ ମନ ଦୁଃଖେ । ବେଗେ ମିଳିଲେ ବ୍ରହ୍ମଲୋକେ ।। ୭
ବ୍ରହ୍ମା ଚରଣତଳେ ପଡି । ଦେବେ କହିଲେ କରଯୋଡି ।। ୮
ଅନର୍ଥ ହେବ ବୋଲି ଜାଣି । ଯଜ୍ଞେ ନ ଗଲେ କୁଶପାଣି ।। ୯
ସେ ଦେବେ ଯାହା ନିବେଦିଲେ । ତା ବ୍ରହ୍ମା-ବିଷ୍ଣୁ ଜାଣିଥିଲେ ।। ୧୦
ତେଣୁ ସେ ଦକ୍ଷଯଜ୍ଞ କାଳେ । ଏ ବେନି ଗମନ ନ କଲେ ।। ୧୧
ଏବେ ଦେବଙ୍କ ମୁଖୁଁ ଶୁଣି । ସେ ବ୍ରହ୍ମା କହେ ମଞ୍ଜୁବାଣୀ ।। ୧୨
ଯଜ୍ଞ ବିନାଶି କୋପଭରେ । ରୁଦ୍ର ଯେ ଗଲେ ନିଜପୁରେ ।। ୧୩
ସ୍ୱଭାବେ ତେଜେ ଅପ୍ରମିତ । ଅନ୍ତେ ଜଗତ କରେ ଗ୍ରସ୍ତ ।। ୧୪
ତାହାଙ୍କ ତେଜ ବଳ ତଥ୍ୟ । କେ ତାହା ବର୍ଣ୍ଣନେ ସମର୍ଥ ।। ୧୫
ତାହାରେ ଅପରାଧ କରି । କେ ଅବା ଥିବ ଦେହ ଧରି ।। ୧୬
ଏବେ ସକଳ ଦେବେ ଶୁଣ । କେ ଜାଣେ ଈଶ୍ୱର ପ୍ରମାଣ ।। ୧୭
ଚାଲ ସକଳ ସୁରଦେବା । ଏବେ ହୋ କଇଳାସ ଯିବା ।। ୧୮
ରୁଦ୍ର ଚରଣେ ନମସ୍କାର । ସ୍ତୋତ୍ରେ ସନ୍ତୋଷ ଦେବହର ।।୧୯
ଈଶ୍ୱର ଚରଣ-କମଳେ । ଶରଣ ପଶ ଏକମେଳେ ।। ୨୦
ସେ ଯେ ସକଳ-ଭୂତପତି । ସର୍ବସମ୍ପଦ ସେ ଦିଅନ୍ତି ।। ୨୧
ତାହାଙ୍କ ନାମ ଆଶୁତୋଷ । ଅବଶ୍ୟ ହୋଇବେ ସନ୍ତୋଷ ।। ୨୨
ମୋହର ବୋଲ ଏବେ କର । ଅନ୍ୟଥା ନାହିଁଟି ନିସ୍ତାର ।। ୨୩
ଯେ ଅନ୍ତଃକାଳେ ଅଣ୍ତକୋଷ । ନିମିଷ ମାତ୍ରେ କରେ ଗ୍ରାସ ।। ୨୪
ତାର ଚରଣ ନ ସେବିଲେ । କେବା ସଂସାରେ ଥିବ ଭଲେ ।। ୨୫
ଦକ୍ଷର ଅପରାଧ ଯୋଗେ । ବିଶେଷେ ପତ୍ନୀର ବିଯୋଗେ ।। ୨୬
ସ୍ୱଭାବେ ତମଗୁଣ ଯୋଗେ । କେବା ମିଳିବ ତାର ଆଗେ ।। ୨୭
ଯାର ମହିମା ବିଚାରଣେ । ମୋ ଆଦି ସର୍ବଦେବଗଣେ ।। ୨୮
ଏ ଯଜ୍ଞ ଆଦି ଯେତେ ମୁନି । ସଙ୍ଗତେ ବେଦତ‌ତ୍ତ୍ୱ ଘେନି ।। ୨୯
କେ ଜାଣି ପାରିବ ପ୍ରମାଣ । ସେ ଆତ୍ମତନ୍ତ୍ର ଭଗବାନ ।। ୩୦
ଏବେ ସକଳେ ଚାଲ ଯିବା । ସେ ରୁଦ୍ର ଚରଣେ ନମିବା ।। ୩୧
ସ୍ତୁତି କରିବା ନାନାମତେ । ଯେମନ୍ତେ ଦୟା ବହେ ଚିତ୍ତେ ।। ୩୨
ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ଦେବ ଘେନି ।। ୩୩
ଅଗ୍ରେ ଚଳିଲେ ବ୍ରହ୍ମା ପୁଣ । ଯକ୍ଷ କିନ୍ନର ଋଷିଗଣ ।। ୩୪
ସିଦ୍ଧ ଚାରଣ ପିତୃତୁଲେ । ସର୍ବେ ଚଳିଲେ ବ୍ରହ୍ମାବୋଲେ ।। ୩୫
ଈଶ୍ୱର ଦରଶନ ଆଶେ । ମିଳିଲେ କଇଳାସ ଦେଶେ ।। ୩୬
ଯେ ବନେ ବସେ ସଦାଶିବ । ତାର ମହିମା କେ ବିର୍ଣ୍ଣିବ ।। ୩୭
ଜନ୍ମ ଔଷଧି ତପ ମନ୍ତ୍ରେ । ଯୋଗେ ସଂସିଦ୍ଧ ଯୋଗୀଯୂଥେ ।। ୩୮
ଯକ୍ଷ କିନ୍ନର ବିଦ୍ୟାଧରୀ । ଗନ୍ଧର୍ବ ମୁନି ଅପସରୀ ।। ୩୯
ସର୍ବେ ବସନ୍ତି ସିଦ୍ଧବନେ । ଅଶେଷ ଯୋଗୀ ଯୋଗଧ୍ୟାନେ ।। ୪୦
ଅଶେଷ ମଣି-ରତ୍ନରେଖେ । ଶୃଙ୍ଗ ବିରାଜେ ଗିରି ଶିଖେ ।। ୪୧
ଦେହେ ବିରାଜେ ନାନାଧାତୁ । ଅତି ଆନନ୍ଦ ରୂପ ହେତୁ ।। ୪୨
ବିରାଜେ ନାନା ଗୁଳ୍ମ ଲତା । କେ ତା ବର୍ଣ୍ଣନେ ସାମରଥା ।। ୪୩
ଆନନ୍ଦେ ମନୋହର ସ୍ଥାନେ । କ୍ରୀଡନ୍ତି ନାନା ପଶୁଗଣେ ।। ୪୪
ଅନେକ କନ୍ଦର ଗମ୍ଭୀରା । ବହନ୍ତି ପ୍ରସ୍ରବଣ ଧାରା ।। ୪୫
ରମଣ ତୁଲେ ନାରୀଗଣେ । ରମନ୍ତି ସିଦ୍ଧସ୍ତିରୀମାନେ ।। ୪୬
ମୟୂର କେକାନାଦ ବାଣୀ । ଯେ ବନେ ମନୋହର ଶୁଣି ।। ୪୭
କୋମଳକଣ୍ଠେ ପକ୍ଷୀଗଣେ । ନାଦ କରନ୍ତି ଘୋରବନେ ।। ୪୮
ବସନ୍ତି କଳ୍ପଦ୍ରୁମ ପନ୍ତି । କି ଅବା ପକ୍ଷୀଙ୍କି ଡାକନ୍ତି ।। ୪୯
ମତ୍ତ-ମାତଙ୍ଗ ଛଳେ ଚଳେ । ଗର୍ଜଇ କ୍ଷୁଦ୍ର-ନଦୀଜଳେ ।। ୫୦
ମନ୍ଦାର ପାରିଜାତ ଦ୍ରୁମ । ସରଳ କୋବିଦାର ବନ ।। ୫୧
ତମାଳ ଶାଳ ତାଳବନ । ଆବର ଅସନ ଅର୍ଜୁନ ।। ୫୨
ଚୂତ କଦମ୍ବ ନାଗେଶ୍ୱର । ପୁନ୍ନାଗ ଚମ୍ପା କରବୀର ।। ୫୩
ପାଟଳୀ ଅଶୋକ ଅନେକ । ବକୁଳ କୁନ୍ଦ କୁରୁବକ ।। ୫୪
ସୁନାରୀ ଶତପତ୍ର ଜାତୀ । ମଲ୍ଳିକା ମାଧବୀ ଯେ ଯୂଥୀ ।। ୫୫
ପନସ ଉଦୁମ୍ବର ପ୍ଲକ୍ଷ । ବଟ ଅଶ୍ୱତ୍‌ଥ ହିଙ୍ଗୁବୃକ୍ଷ ।। ୫୬
ଖର୍ଜୁର ଜମ୍ବୁ ଯେ କ୍ରମୁକ । ଆମ୍ର ପିଆଳ ଆମ୍ରାତକ ।। ୫୭
ଭୂର୍ଜ ଔଷଧି ଯେ ମଧୁକ । ଇଙ୍ଗୁଦ ବେଣୁ ଯେ କୀଚକ ।। ୫୮
ବୃକ୍ଷେ ଅଛନ୍ତି ନାନାବର୍ଣ୍ଣେ । ଶୋଭନ କଇଳାସ ବନେ ।। ୫୯
କୁମୁଦ ଉତ୍ପଳ କହ୍ନାର । ଶତପତ୍ରରେ ଶୋହେ ନୀର ।। ୬୦
ଆନନ୍ଦମନେ ପକ୍ଷୀକୁଳ । ଗଭୀରନାଦେ କୁତୂହଳ ।। ୬୧
ମୃଗ ବାନର କୋଳଯୂଥ । ସିଂହ ଶାୂର୍ଦ୍ଦୂଳ ଗଜଯୂଥ ।। ୬୨
ବୟ ବ୍ୟାଘ୍ର ଋକ୍ଷଦଳ । ରୁରୁ ମହିଷ ଶଶାକୁଳ ।। ୬୩
ଅରଣ୍ୟେ ମୃଗନାଭି ଆଦି । କେ କହୁ ସେ ବନ ପ୍ରସିଦ୍ଧି ।। ୬୪
ସୁନ୍ଦର ଶୋହେ ରମ୍ଭାବନ । ଦେଖନ୍ତେ ମୋହେ ପ୍ରାଣୀମନ ।। ୬୫
ବହଇ ତହିଁ ନଦୀ ନନ୍ଦା । ସତୀ ସ୍ନାନରେ ପୁଣ୍ୟଗନ୍ଧା ।। ୬୬
ଏମନ୍ତ ବିଶ୍ୱନାଥ-ବନେ । ଦେଖି ସାନନ୍ଦ ଦେବଗଣେ ।। ୬୭
ମନେ ବିସ୍ମୟ ପାଇ ବେଗେ । ଦେବେ ଚାହାଁନ୍ତି ଦଶଦିଗେ ।। ୬୮
ତାର ଉପର ପୁରେ ଯାଇ । ଅଳକାପୁରୀକୁ ଅନାଇ ।। ୬୯
ସୁଗନ୍ଧ ନାମେ ବନ ଯହିଁ । ହେମପଙ୍କଜ ବିରାଜଇ ।। ୭୦
ନନ୍ଦା-ଅଳକନନ୍ଦା ନଦୀ । ବହନ୍ତି ବାମଦକ୍ଷ ଭେଦି ।। ୭୧
ବିଷ୍ଣୁ-ଚରଣ-ରଜ ଲାଗି । ସେ ନଦୀ ଅତି ସଉଭାଗୀ ।। ୭୨
ଯେ ନଦୀଜଳେ ସୁରନାରୀ । ରମନ୍ତି ନାନା-କ୍ରୀଡା କରି ।। ୭୩
କୁଚ-କୁଙ୍କମ ଜଳେ ମିଶେ । ସ୍ୱଭାବେ ସୁମଞ୍ଜୁଳ ଦିଶେ ।। ୭୪
କରିଣୀ ତୁଲେ ହସ୍ତୀବଳ । ନିତ୍ୟେ ପିବନ୍ତି ଯାର ଜଳ ।। ୭୫
ଯେବେ ପିପାସା ତା ନଥାଇ । ତଥାପି ତା ପାନ କରଇ ।। ୭୬
ଆନନ୍ଦେ ପଦ୍ମବନେ ପଶି । କ୍ରୀଡା ଆନନ୍ଦେ ମନତୋଷି ।। ୭୭
ସେ ନଦୀକୂଳେ ଉପଗତ । ରତ୍ନବିମାନ ଯୂଥଯୂଥ ।। ୭୮
ପୁଣ୍ୟଜନଙ୍କ ପରିମଳ । ମିଶି ସୁଗନ୍ଧ ଗଙ୍ଗାଜଳ ।। ୭୯
ତଡିତ ଯେହ୍ନେ ନୀଳମେଘେ । ଶୋଭା ଦିଶନ୍ତି ଦଶଦିଗେ ।। ୮୦
ଏମନ୍ତ କୁବେର ନଗରୀ । ସୁଗନ୍ଧବନ ଆଦି କରି ।। ୮୧
ଯହିଁରେ କଳ୍ପବୃକ୍ଷ ପ୍ରାୟେ । ଫଳ ପଲ୍ଲବ ପୁଷ୍ପ୍ ଶୋହେ ।। ୮୨
କୋମଳ କଣ୍ଠ-ନାଦ ପକ୍ଷୀ । ଭୃଙ୍ଗ ଶବଦ ଯହିଁ ଲକ୍ଷି ।। ୮୩
ଜଳରେ କଳହଂସଗଣେ । କ୍ରୀଡା କରନ୍ତି ପଦ୍ମବନେ ।। ୮୪
ହରିଚନ୍ଦନ-ବାୟୁ ସଙ୍ଗେ । ମତ୍ତମାତଙ୍ଗଗଣ ରଙ୍ଗେ ।। ୮୫
ବୈଡୁର୍ଯ୍ୟ ବାପୀ କୂପସ୍ଥାନେ । ନିବିଡ-ପ୍ରବନ୍ଧ-ସୋପାନେ ।। ୮୬
ସ୍ୱଭାବେ ଉତ୍ପଳ-ମାଳିନୀ । ବିରାଜେ ଗନ୍ଧଗୁଣ ଘେନି ।। ୮୭
ସେବନେ ଦେଖେ ବଟବୃକ୍ଷ । ଯହିଁ କିନ୍ନର ଗଣ ରକ୍ଷ ।। ୮୮
ଶତେଯୋଜନ ଉଚ୍ଚ ଶୋହେ । ସୁନ୍ଦର ରୂପେ ଜନ ମୋହେ ।। ୮୯
ସେ ବୃକ୍ଷଛାୟା ଦେହେ ଲାଗି । ପ୍ରାଣୀ ହୁଅନ୍ତି ସଉଭାଗୀ ।। ୯୦
ଏମନ୍ତେ ସର୍ବ ଦେବଗଣେ । ମିଳିଲେ ମହାରୁଦ୍ର-ସ୍ଥାନେ ।। ୯୧
ଦେଖିଲେ ବଟବୃକ୍ଷ ମୂଳେ । ନିବିଡ-ଆସନ ନିଶ୍ଚଳେ ।। ୯୨
କୋପ ରହିତ ଯମ ପ୍ରାୟ । ବିଭୂତି ବିଲେପନ କାୟ ।। ୯୩
ସନକ ଆଦି ସପ୍ତମୁନି । ସଙ୍ଗେ ଅନେକ ଶିଷ୍ୟଘେନି ।। ୯୪
ଯକ୍ଷ-ଗୁହ୍ୟକଙ୍କ ନାୟକ । ଯେ ଭକ୍ତିଯୋଗେ ଉପାସକ ।। ୯୫
ବିଦ୍ୟା ତପସ୍ୟା ଯୋଗ ଆଦି । ସକଳେ ଖଟନ୍ତି ସବିଧି ।। ୯୬
ବିଶ୍ୱ-ସୁହୃଦ ଯା ମହିମା । ସର୍ବମଙ୍ଗଳ ଏକସୀମା ।। ୯୭
ତପସ୍ୟା ଅଭ୍ୟାସିତ ଅଙ୍ଗ । ଯାର ଶରୀର ସିଦ୍ଧ ଲିଙ୍ଗ ।। ୯୮
ଜଟା ଅଜିନ ଭସ୍ମ ଦଣ୍ତ । ଶିରେ ରଞ୍ଜିତ ଇନ୍ଦୁଖଣ୍ତ ।। ୯୯
ସନ୍ଧ୍ୟା ସମୟେ ମେଘପ୍ରଭା । ତେମନ୍ତ ତାଙ୍କ ଅଙ୍ଗ ଶୋଭା ।। ୧୦୦
କୁଶ ଆସନ ମଧ୍ୟେ ବସି । ପରମବ୍ରହ୍ମ ପରକାଶି ।। ୧୦୧
ନାରଦ ମୁଖ ଚାହିଁ ଧୀରେ । ବଚନ କହନ୍ତି ମଧୁରେ ।। ୧୦୨
ଦକ୍ଷିଣ-ଜାନୁର ଉପରେ । ବାମ-ଚରଣ ସ୍ଥାପି ଧୀରେ ।। ୧୦୩
ବାମ-ଜାନୁରେ ବାମକର । ଦକ୍ଷ-କରରେ ଅକ୍ଷମାଳ ।। ୧୦୪
ଚାହାଁନ୍ତି ବେନି ବାହୁ-ମୂଳେ । ଅରୁଣବର୍ଣ୍ଣ ବେନିଡୋଳେ ।। ୧୦୫
ସ୍ୱଭାବେ ତର୍କ-ମୁଦ୍ରାଧାରୀ । ଯେ ରୂପେ ସଂସାର ସଂହାରି ।। ୧୦୬
ନିଶ୍ଚଳ ସମାଧି ଧାରଣେ । ଦେଖିଲେ ସର୍ବ-ଦେବଗଣେ ।। ୧୦୭
ସକଳ-ଋଷି ସଙ୍ଗମେଳେ । ଇନ୍ଦ୍ରାଦି ଦଶଦିଗପାଳେ ।। ୧୦୮
ବ୍ରହ୍ମା ସହିଣେ ସର୍ବଜନ । ଚାହିଁଲେ ରୁଦ୍ରଙ୍କ ବଦନ ।। ୧୦୯
ଜୟ-ଶରଦ କରି ତୁଣ୍ତେ । ରୁଦ୍ର ଚରଣେ ନମି ମୁଣ୍ତେ ।। ୧୧୦
ଯେ ହର ମନୁଙ୍କର ମନୁ । ଭକ୍ତଜନଙ୍କ କାମଧେନୁ ।। ୧୧୧
ଜାଣିଲେ ସେ ନୀଳଲୋହିତ । ବ୍ରହ୍ମା ଯେ ଚରଣେ ପତିତ ।। ୧୧୨
ସେ ସୁର-ଅସୁର-ନାୟକ । ଚରଣେ ନତ ସର୍ବଲୋକ ।। ୧୧୩
ତା ଦେଖି ବ୍ୟଗ୍ର ହୋଇ ହର । ନମିଲେ ବ୍ରହ୍ମାର ପୟର ।। ୧୧୪
ଯେ ରୂପେ କଶ୍ୟପ ଚରଣ । ବନ୍ଦନ କଲେ ସେ ବାମନ ।। ୧୧୫
ନାରଦ ଆଦି ସିଦ୍ଧଗଣ । ବନ୍ଦିଲେ ବ୍ରହ୍ମାର ଚରଣ ।। ୧୧୬
ସ୍ୱଭାବେ ମନ୍ଦ-ମନ୍ଦ ହସି । ଅମୃତ ବାକ୍ୟେ ମନତୋଷିବ ।। ୧୧୭
ବ୍ରହ୍ମା କହନ୍ତି କରଯୋଡି । ଚରଣେ ପୁନଃପୁନଃ ପଡି ।। ୧୧୮

ବ୍ରହ୍ମାଉବାଚ

ତୁ ନାଥ ଜଗତ-ଈଶ୍ୱର । ସଂସାର ତୋର ଖେଡଘର ।। ୧୧୯
ତୁ ଏ ଜଗତ ବୀଜଯୋନି । ସୃଷ୍ଟି ସଂହାରୁ ମାୟାଘେନି ।। ୧୨୦
ତୁ ନାଥ ଜଗତ-ଈଶ୍ୱର । ନିର୍ଲେପ ବ୍ରହ୍ମ ନିରାକାର ।। ୧୨୧
ତୁ ଶିବ-ଶକ୍ତି-ରୂପ ଧରୁ । ସଂସାରେ ଖେଡଘର କରୁ ।। ୧୨୨
ସୃଜି ପାଳିଣ କରୁ ଅନ୍ତ । ଏ ବିଶ୍ୱ ଉର୍ଣ୍ଣନାଭବତ ।। ୧୨୩
କ୍ରୀଡା ବିହାରେ ମାୟା କରି । ତୁ କ୍ରୀଡୁ ମାୟାରୂପ ଧରି ।। ୧୨୪
କାହୁଁ ଜାଣିବେ ଦକ୍ଷ ତୋତେ । ଯେଣୁ ଭ୍ରମଇ ଏ ଜଗତେ ।। ୧୨୫
ଧର୍ମାର୍ଥ କାମ ଯହୁଁ ଝରେ । ଯେ ଯଜ୍ଞଧେନୁ ରୂପ ଧରେ ।। ୧୨୬
ତୁ ତାହା ସର୍ଜଛୁ ଜଗତେ । ସଂସାର ଭ୍ରମଣ ନିମନ୍ତେ ।। ୧୨୭
ସେ ମାୟା ସଂସାର ବନ୍ଧନେ । ଯନ୍ତ୍ରିତ ହୋଇ ମହାଜନେ ।। ୧୨୮
କଳ୍ପନ୍ତି ନାନା କର୍ମ ବିଧି । ତୁ ସେ ସକଳ ଫଳ ସିଦ୍ଧି ।। ୧୨୯
ମଙ୍ଗଳକ୍ରିୟାକର୍ମ-ଫଳ । ତୁ ସେ ଅନାଦି ଆଦିମୂଳ ।। ୧୩୦
ସକଳଜନ ପରିତ୍ରାଣେ । ଭ୍ରମଣ କରୁ ଅନୁକ୍ଷଣେ ।। ୧୩୧
ଅମଙ୍ଗଳକୁ ତମ ହେଉ । ଧର୍ମ ତୁ ସଦାକାଳେ ବହୁ ।। ୧୩୨
ସ୍ୱର୍ଗାଦି ଫଳଦାତା ତୁହି । ତୋ ବିନୁ ଅନ୍ୟ କେହି ନାହିଁ ।। ୧୩୩
ତୁ ନାଥ ସର୍ବଫଳ ଦେଉ । ତୋର ମହିମା କେବା କହୁ ।। ୧୩୪
ଯେବା ଅଶୁଭ-କର୍ମ କରେ । ନରକେ ପଡେ ସେହୁ ଘୋରେ ।। ୧୩୫
ଅସାଧୁଜନେ ତୁମ୍ଭ ରୋଷ । ସାଧୁରେ ନୁହଇ ପ୍ରକାଶ ।। ୧୩୬
ଯେ ସାଧୁଜନେ କର୍ମ କରି । ଭାବ ପ୍ରଭାବେ ମୋଦ ଭରି ।। ୧୩୭
ସେ ଫଳ ତୋତେ ସମର୍ପନ୍ତି । ମାୟାପଟଳୁ ତରି ଯାନ୍ତି ।। ୧୩୮
ଯେ ଲୋଭବଶେ ତାହା ଚିନ୍ତି । ପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି ।। ୧୩୯
ସେ କାହିଁ ସମ୍ପାଦିବେ ତୋତେ । ଏଣୁ ଭ୍ରମନ୍ତି ଏ ଜଗତେ ।। ୧୪୦
ଯେ ଭେଦଦର୍ଶୀ ଦୁଷ୍ଟାଶୟ । କେବଳ କର୍ମରତ ପ୍ରାୟ ।। ୧୪୧
ପରର ଉଦୟେ ସର୍ବଥା । ଯାହାର ହୃଦୟରେ ବ୍ୟଥାା ।। ୧୪୨
ସର୍ବଦା ବୋଲି ଦୁଷ୍ଟକଥା । ଦିଅଇ ପର ମର୍ମବ୍ୟଥା ।। ୧୪୩
ଯେ ପଦ୍ମନାଭର ମାୟାରେ । ମୋହିତ ଭେଦ ଜ୍ଞାନୀ ନରେ ।। ୧୪୪
ତାହାଙ୍କ ପ୍ରତି ସାଧୁଜନା । କରନ୍ତି ଦୟା ପ୍ରକାଶନ ।। ୧୪୫
ଯେବା ସ୍ୱଧର୍ମ ଅନୁଗତ । ତାହାରେ ଦୟାତ ଉଚିତ ।। ୧୪୬
ତୁହିତ ଯଜ୍ଞ ଫଳଦାତା । ସକଳ ଯଜ୍ଞଭାଗ-ଭୋକ୍ତା ।। ୧୪୭
କୁତ୍ସିତ ଯଜ୍ଞକାରୀମାନ । ନ କଲେ ଯଜ୍ଞଭାଗ ଦାନ ।। ୧୪୮
ତେଣୁ ଦକ୍ଷର ଯଜ୍ଞହତ । ହୋଇଣ ଅଛି ଅସମାପ୍ତ ।। ୧୪୯
ତୋତେ ନ ଜାଣି ପ୍ରଜାପତି । ଦୁର୍ଗତି ଲଭିଲା ଦୁର୍ମତି ।। ୧୫୦
ଆମ୍ଭ ଭକତି ହୃଦେ ଧର । ଏହାକୁ ଅନୁଗ୍ରହ କର ।। ୧୫୧
ଏ ପୁଣି ଯଜ୍ଞଶାଳେ ମଲା । ସଂସାରେ ଯଶ ତୋ ରହିଲା ।। ୧୫୨
ଏବେ ମୋହାର ବୋଲକର । ଏହାର ଯଜ୍ଞ ତୁ ଉଦ୍ଧର ।। ୧୫୩
ଏ ଯଜ୍ଞେ ତୋ ଭାଗ ନ ଦେଲେ । ଏଣୁ ଏ ଜୀବ ଥାଉଁ ମଲେ ।। ୧୫୪
ଏହାକୁ ଏ ଦଣ୍ତ ଉଚିତ । ଯେଣୁ ନିନ୍ଦିଲେ ବିଶ୍ୱନାଥ ।। ୧୫୫
ଏବେ ତୁ ଏହାଙ୍କୁ ଜୀଆଅ । ଭଗକୁ ଚକ୍ଷୁଦାନ ଦିଅ ।। ୧୫୬
ଭୃଗୁର ଦାଢ଼ି ଏବେ ରୋପ । ପୂଷାର ଦନ୍ତ ପାଟି ସ୍ଥାପ ।। ୧୫୭
ତୋ ସୈନ୍ୟ ଶସ୍ତ୍ର ବରଷଣେ । ଭୟେ ଭାଜିଲେ ଦେବଗଣେ ।। ୧୫୮
ତୋ ତ୍ରାସେ ଛିନ୍ନଛିନ୍ନ ହୋଇ । ଭୁବନେ ନ ପାରିଲେ ରହି ।। ୧୫୯
ଋତ୍ୱିଜଗଣ ସେହି ମତ । ତାହାଙ୍କୁ ରଖ ବିଶ୍ୱନାଥ ।। ୧୬୦
ଯଜ୍ଞେ ତୋ ରୁଦ୍ରଭାଗ ଶେଷେ । ସାଧିବା ମନ୍ତ୍ର ଉପଦେଶେ ।। ୧୬୧
ହେ ରୁଦ୍ର ନିଜ ଭାଗ ପାଇ । ଯଜ୍ଞ ସମ୍ପୂର୍ଣ୍ଣ କର ତୁହି ।। ୧୬୨
ଏମନ୍ତ କହି ପଦ୍ମଯୋନି । ନମିଳେ ଦେବଗଣ ଘେନି ।। ୧୬୩
ସେ ରୁଦ୍ର ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ।। ୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ରୁଦ୍ରସାନ୍ତ୍ୱନଂ ନାମ ଷଷ୍ଠୋଽଧ୍ୟାୟଃ

ସପ୍ତମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାବୋଲ ଶୁଣି । ହସି କହନ୍ତି ଶୂଳପାଣି ।। ୧

ମହାଦେବ ଉବାଚ

ହେ ବ୍ରହ୍ମା ମୋର ବାକ୍ୟ ଶୁଣ । ବିର୍ଣ୍ଣିବା କି ବାଳକ ଗୁଣ ।। ୨
ବାଳକ ବୋଲି ଏହା ସହି । ଆନେ ସହିବ କାହା ଦେହୀ ।। ୩
ଦେଖ ଏ କର୍ମ କଲା ଯେତେ । କେ ସହି ପାରିବ ଜଗତେ ।। ୪
ଯେଣୁ ଏ ତୋହର ସମ୍ପତି । ବୋଲାଇ ଦକ୍ଷ-ପ୍ରଜାପତି ।। ୫
ତେଣୁ ସହିଲି ଆଜ ମୁହିଁ । ତୋହର ଭାବ ହୃଦେ ବହି ।। ୬
ଯେ ଦେବ-ମାୟାରେ ମୋହିତ । ତାହାକୁ ମୋ ଦଣ୍ତ ଉଚିତ ।। ୭
ଏହାର ଦୋଷ କ୍ଷମା ପାଇଁ । ମିନତି କଲୁ ମୋତେ ତୁହି ।। ୮
ଏବେ ସକଳ ଦେବେ ଯାଅ । ମୋହର ଆଜ୍ଞା ଶିରେ ବହ ।। ୯
ଦକ୍ଷର ଶିର ଯଜ୍ଞକୁଣ୍ତେ । ଭସ୍ମ ହୋଇଲା ଅତି ଚାଣ୍ତେ ।। ୧୦
ଛାଗଳ ଶିର ତାର କନ୍ଧେ । ବସାଅ ମନ୍ତ୍ର ଅନୁବନ୍ଧେ ।। ୧୧
ମିତ୍ରର ଚକ୍ଷୁ ପାଇ ଭଗ । ଦେଖୁ ସେ ନିଜ ଯଜ୍ଞଭାଗ ।। ୧୨
ପୂଷା ଯେ ତାର ଯଜମାନ । ଦାନ୍ତରେ ଖାଉ ପିଠାମାନ ।। ୧୩
ଦେବେ ପାଇବେ ନିଜ ରୂପ । ଯାହାର ଯେମନ୍ତ ସ୍ୱରୂପ ।। ୧୪
ଅଶ୍ୱିନୀକୁମାରଙ୍କ ବାହୁ । ବାହୁ ଛିିଣ୍ତିଲା ଲୋକ ପାଉ ।। ୧୫
ପୂଷାର ହସ୍ତ ପାଇ ସେହୁ । ସକଳ କର୍ମ କରୁଥାଉ ।। ୧୬
ଛାଗଳ ପ୍ରାୟେ ଦାଢି ଖଣ୍ତେ । ଭୃଗୁର ରହିଥାଉ ତୁଣ୍ତେ ।। ୧୭
ଏମନ୍ତ ବଚନ ସନ୍ତୋଷେ । କହିଲେ ସର୍ବଦେବେ ପାଶେ ।। ୧୮

ମୈତ୍ରେୟ ଉବାଚ

ଏମନ୍ତ ରୁଦ୍ର ବାକ୍ୟ ଶୁଣି । ସକଳେ ସାଧୁ ସାଧୁ ଭଣି ।। ୧୯
ଇନ୍ଦ୍ର ସହିତେ ଋଷିଗଣ । ରୁଦ୍ରଙ୍କୁ କରି ଆମନ୍ତ୍ରଣ ।। ୨୦
ହେ ପ୍ରଭୁ ଆଗମନ କରି । କୃତାର୍ଥ କର ଯଜ୍ଞସ୍ଥଳୀ ।। ୨୧
ତଦନ୍ତେ ଦେବ-ଦେବରାଜ । ଯଜ୍ଞଶାଳାକୁ ହେଲେ ସଜ ।। ୨୨
ବ୍ରହ୍ମା ସହିତେ ନାରାୟଣ । ସଙ୍ଗତେ ମିଳି ଦେବଗଣ ।। ୨୩
ମିଳିଲେ ଯଜ୍ଞ ଶାଳେ ଯାଇ । ସକଳେ ଆନନ୍ଦିତ ହୋଇ ।। ୨୪
ରୁଦ୍ରଙ୍କୁ ବସାଇ ଆସନେ । ତକ୍ଷଣେ ଶିବ ସୁପ୍ରସନ୍ନେ ।। ୨୫
ଦକ୍ଷର ସ୍କନ୍ଧେ ଛାଗ-ଶିର । ମନ୍ତ୍ରେ ବସାଇଲେ ଶଙ୍କର ।। ୨୬
ତକ୍ଷଣେ ପ୍ରଜାପତି ଅଙ୍ଗେ । ଜୀବ ପଶିଲା ପ୍ରାଣ ସଙ୍ଗେ ।। ୨୭
ଯେହ୍ନେ ସ୍ୱପନୁ ପ୍ରାଣୀମାନେ । ଉଠନ୍ତି ନିଦ୍ରା ଅବସାନେ ।। ୨୮
ଚକ୍ଷୁ ଘଷିଣ ବେନିହସ୍ତେ । ଶିବଙ୍କୁ ଦେଖିଲା ଅଗ୍ରତେ ।। ୨୯
ସେ ଦକ୍ଷ ଶିବ-ଦ୍ୱେଷ କରି । କଳୁଷ-ଆତ୍ମା ଥିଲା ଧରି ।। ୩୦
ରୁଦ୍ର ଚାହାଁନ୍ତେ ତା ଶରୀର । ତକ୍ଷଣେ ହୋଇଲା ନିର୍ମଳ ।। ୩୧
ଶରଦଚନ୍ଦ୍ର ପ୍ରାୟେ ଦିଶେ । ରୁଦ୍ରଙ୍କୁ ଚାହେଁ ମନ ତୋଷେ ।। ୩୨
ତକ୍ଷଣେ ବେନି କରଯୋଡି । ଆନନ୍ଦେ ରୁଦ୍ର-ପାଦେ ପଡି ।। ୩୩
କରିବା ପାଇଁ ଭବସ୍ତୁତି । ଶ୍ରଦ୍ଧାରେ ଦକ୍ଷ କଲା ମତି ।। ୩୪
ସ୍ତୁତି କରଣେ ଶକ୍ୟ ନୋହେ । କଣ୍ଠ ଗଦଗଦେ ବାଣୀ କହେ ।। ୩୫
ଚଞ୍ଚଳ-ଚିତ୍ତ ସ୍ଥିର କରି । ସତୀ ମରଣ କଥା ସ୍ମରି ।। ୩୬
ନିର୍ମଳ-ଚିତ୍ତେ ପ୍ରଜାପତି । ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି ।। ୩୭

ଦକ୍ଷ ଉବାଚ

ଭୋନାଥ ଶୁଣ ବିଶ୍ୱଦେହେ । ତୁ ମୋତେ କଲୁ ଅନୁଗ୍ରହ ।। ୩୮
ମୁଁ ଯେ ହୋଇଲି ଜ୍ଞାନହତ । ମୋତେ ଦଣ୍ତିବା ତୋ ଉଚିତ ।। ୩୯
ତୋତେ ନିନ୍ଦିଲି ଗର୍ବ ବହି । ମୋର କୁଶଳ ଆଉ ନାହିଁ ।। ୪୦
ଅଭୟ ତୋର ପଦ୍ମପାଦ । ମୁଁ ତହିଁ କଲି ଅପରାଧ ।। ୪୧
ବ୍ରାହ୍ମଣ ତୋର ମୁଖୁଁ ଜାତ । ସାଧନ୍ତି ବିଦ୍ୟା ତପ ବ୍ରତ ।। ୪୨
ତାଙ୍କୁ ବିପଦୁ ତୁମ୍ଭେ ରଖ । ଯେସନେ ପଶୁଙ୍କୁ ପାଳକ ।। ୪୩
ମୋହର ସଭା ମଧ୍ୟେ ତୋତେ । ନିନ୍ଦା ଯେ କଲି ଦୁଷ୍ଟଚିତ୍ତେ ।। ୪୪
ନିନ୍ଦିତ ବାକ୍ୟ ବାଣେ ତୋତେ । ପ୍ରହାର କଲି ମୂଢ-ଚିତ୍ତେ ।। ୪୫
ସେ ଫଳ ପାଇଲି ପ୍ରତ୍ୟକ୍ଷେ । ଏ ଋଷି-ଦେବଙ୍କ ସମକ୍ଷେ ।। ୪୬
କୃପା-ଦୃଷ୍ଟିରେ ମୋତେ ଚାହିଁ । ଏଥୁ ଉଦ୍ଧର ତୋଷ ହୋଇ ।। ୪୭

ମୈତ୍ରେୟ ଉବାଚ

ଏମନ୍ତେ ରୁଦ୍ରେ ସ୍ତୁତି କରି । ପୁଣି ଋତ୍ୱିଜ ଯଜ୍ଞେ ବରି ।। ୪୮
ବିଷ୍ଣୁ-ସନ୍ତୋଷେ ବିପ୍ରଗଣେ । ପୂର୍ବର କଳ୍ପିତ-ବରଣେ ।। ୪୯
ପୂଜିଲେ ମନ୍ତ୍ରର ବିଶ୍ୱାସେ । ଯେ ପୁରାତନ ଇତିହାସେ ।। ୫୦
ଋତ୍ୱିଜ ଆଦି ସର୍ବ ଋଷି । ମନ୍ତ୍ର ଉବାରି ଯଜ୍ଞେ ବସି ।। ୫୧
ସକଳେ ବସି ଶୁଦ୍ଧମନେ । ଅଗ୍ନି ପୂଜିଲେ ଯୋଗଧ୍ୟାନେ ।। ୫୨
ଅନଳ ରୂପେ ନାରାୟଣ । ସାକ୍ଷାତେ ହୋଇଲେ ପ୍ରକାଶ ।। ୫୩
ତେଜେ ବିରାଜେ ଦଶଦିଶ । ଅନଳୁ ହୋଇଲେ ପ୍ରକାଶ ।। ୫୪
ନିଶ୍ଚଳ ଗରୁଡଆସନ । ଶ୍ୟାମସୁନ୍ଦର ତନୁ-ବର୍ଣ୍ଣ ।। ୫୫
କିରୀଟ ରବିତେଜ ଗଞ୍ଜେ । ମକରକୁଣ୍ତଳ ବିରାଜେ ।। ୫୬
ଶଙ୍ଖ ଯେ ଚକ୍ର ଗଦା ପଦ୍ମ । ଧନୁ ଖଡଗ ଶର ଚର୍ମ ।। ୫୭
ହିରଣ୍ୟମୟ ଭୁଜେ ଶୋହେ । ପୁଷ୍ପିତ-କିର୍ଣ୍ଣିକାର ପ୍ରାୟେ ।। ୫୮
ଏ ଅଷ୍ଟଭୂଜ ଅନୁପମ । ରୂପେ ଗଞ୍ଜଇ କୋଟିକାମ ।। ୫୯
କମଳା ସେବେ ବକ୍ଷସ୍ଥଳେ । ସେ ବକ୍ଷ ଶୋହେ ବନମାଳେ ।। ୬୦
ବିଶ୍ୱମଙ୍ଗଳ ରୂପ ସାର । ହୃଦେ ଲମ୍ବଇ ରତ୍ନହାର ।। ୬୧
ତା ହାସ୍ୟ ବିଶ୍ୱ ପ୍ରୀତିକର । ପାର୍ଶ୍ୱରେ ବ୍ୟଜନ ଚାମର ।। ୬୨
ସେ ରାଜହଂସର ସମାନ । ଭ୍ରମଇ ଚାମର ବ୍ୟଜନ ।। ୬୩
ଉପରେ ଶୋହେ ଶ୍ୱେତଛତ୍ର । ଯେସନେ ଶଶାଙ୍କ ଶୋଭିତ ।। ୬୪
ଏମନ୍ତ ବିଷ୍ଣୁରୂପ ଚାହିଁ । ସକଳେ ଶିରେ କର ଦେଇ ।। ୬୫
ଉଠିଲେ ପଦ୍ମଯୋନି-ହର । ସଙ୍ଗତେ ଘେନି ସୁନାସୀର ।। ୬୬
ପ୍ରଣାମ କରି ଜଣେଜଣେ । ବନ୍ଦିଲେ ବିଷ୍ଣୁର ଚରଣେ ।। ୬୭
ବିଷ୍ଣୁର ତେଜବଳେ ଦେବେ । ହୋଇଲେ ହତପ୍ରଭ ସର୍ବେ ।। ୬୮
ଭୟରେ ହୋଇଲେ ଚଞ୍ଚଳ । ରସନା ହୋଇଲା ଅଚଳ ।। ୬୯
ତଥାପି ଶିରେ କର ଦେଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ।। ୭୦
ଦକ୍ଷ ମିଲିଲା ଅର୍ଘ୍ୟ ଘେନି । ତୁଲେ ଅଶେଷ ବ୍ରହ୍ମମୁନି ।। ୭୧
ସୁନନ୍ଦ ଆଦି ପାରିଷଦେ । ମିଳିଲେ ଜୟଜୟ ନାଦେ ।। ୭୨
ଦକ୍ଷ ଆନନ୍ଦେ କରଯୋଡି । ବୋଲଇ ବିଷ୍ଣୁ-ପାଦେ ପଡି ।। ୭୩

ଦକ୍ଷ ଉବାଚ

ତୁ ନାଥ ଶୁଦ୍ଧ-ଚଇତନ । ନିର୍ମଳ ନିତ୍ୟ ନିରଞ୍ଜନ ।। ୭୪
ଭେଦବିହୀନ ତୁ ଅଭୟ । ଏ ବିଶ୍ୱପୂର୍ଣ୍ଣ ତୋର ଦେହ ।। ୭୫
କେ ତୋତେ ଜାଣିବ ସଂସାରେ । ତୁ ଥାଉ ମାୟା ଅତିଦୂରେ ।। ୭୬
ଋତ୍ୱିଜମାନେ କରଯୋଡି । କହନ୍ତି ବିଷ୍ଣୁ ପାଦେ ପଡି ।। ୭୭

ଋତ୍ୱିଜ ଗଣ ଉବାଚ

ଭୋନାଥ ରୁଦ୍ର-ଶାପେ ଆମ୍ଭେ । ବୁଡିଲୁ ମାୟା-ଗର୍ବ-ଦମ୍ଭେ ।। ୭୮
ନିରତେ କର୍ମବଶ ହୋଇ । ତୋ ଭାବେ ଆମ୍ଭ ଜ୍ଞାନ ନାହିଁ ।। ୭୯
ଏ ଯଜ୍ଞ ଧର୍ମର ଲକ୍ଷଣ । ଅଶେଷ-ଭାଗ୍ୟର କାରଣ ।। ୮୦
ଏ ତୋର ରୂପ ମହାବାହୁ । ଆମ୍ଭେ ଜାଣିବୁ ଅବା କାହୁଁ ।। ୮୧
ତକ୍ଷଣେ ସଭାଲୋକେ ଉଠି । ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି ।। ୮୨

ସଦସ୍ୟଗଣ–ଉବାଚ

ଭୋ ନାଥ ତୋର ମାୟାବଳେ । ଏ ଜୀବ ଭ୍ରମେ ଏ ଶୟଳେ ।। ୮୩
ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ । ବିଷୟା-ମୃଗତୃଷ୍ଣା ପଥେ ।। ୮୪
ଶୋକ-ଦାବାଗ୍ନି ଦହ୍ୟମାନ । କାମେ ଚେଷ୍ଟିତ ଅନୁକ୍ଷଣ ।। ୮୫
ନିରତେ ଚିନ୍ତେ ଆତ୍ମାସୁଖ । ଉଦ୍ଧରି ଧର ପଦ୍ମମୁଖ ।। ୮୬

ରୁଦ୍ରଉବାଚ

ତୋର ଚରଣ ଭଗବାନ । ଆଶିଷ ଫଳେ ମୁନିଜନ ।। ୮୭
ଅଖିଳକାମେ ଅନାସକ୍ତ । ଆଦରେ ପୂଜନ୍ତି ନିରତ ।। ୮୮
ସେ ପାଦପଦ୍ମ ଚିତ୍ତେ ଧରି । ତୁମେ ଜଗତ ମୁଁ ସଂହରି ।। ୮୯
ବର୍ତ୍ତଇ ତୋ ଚରଣ ଆଶେ । ନିରତେ ରହଇ ସନ୍ତୋଷେ ।। ୯୦

ଭୃଗୁ–ଉବାଚ

ଭୋନାଥ ତୋ ମାୟା ଗହନେ । ବ୍ରହ୍ମାଦି ଯେତେ ମୁନିଜନେ ।। ୯୧
ଅଜ୍ଞାନ-ଅନ୍ଧକାରେ ଥାନ୍ତି । ତୋର ମହିମା ନ ଜାଣନ୍ତି ।। ୯୨
ତୋର ଚରଣେ ଯେ ପ୍ରଣତ । ତା ଆତ୍ମବନ୍ଧୁ ତୁ ନିୟତ ।। ୯୩
ତୋର ଚରଣେ ମୋ ପ୍ରଣାମ । ପ୍ରସନ୍ନ ହୁଅ ପୁଣ୍ୟଧାମ ।। ୯୪
ତୁ ଏବେ ରଖ ମୋର ମନ । ତୋର ଚରଣେ କରି ଲୀନ ।। ୯୫
ଯା ମାୟା ଗହନରେ ପଡି । ବ୍ରହ୍ମାଦି ଦେବେ ତମେ ବୁଡି ।। ୯୬
ତୋହର ତ‌ତ୍ତ୍ୱ ନ ଜାଣନ୍ତି । ସ୍ୱଭାବେ ମୁହିଁ ଅଳ୍ପମତି ।। ୯୭
ନ ଜାଣି କଲଇଁ ଅନୀତି । ଏ ଦୋଷ ଖଣ୍ତ ଲକ୍ଷ୍ମୀପତି ।। ୯୮

ବ୍ରହ୍ମା ଉବାଚ

ପୁରୁଷ ଦେଖେ ଯେତେ ରୂପ । ତାହା ନୁହଇ ତୋ ସ୍ୱରୂପ ।। ୯୯
ଜ୍ଞାନେନ୍ଦ୍ରିୟର ଯେ ବିଷୟ । ସତ୍ୟ ତୁ ତାହାର ଆଶ୍ରୟ ।। ୧୦୦
ପଦାର୍ଥ ଭେଦେ ଭେଦ ଆଖି । କେ ପାରେ ତୋତେ ଉପଲକ୍ଷି ।। ୧୦୧
ତୁ ଜ୍ଞାନଇନ୍ଦ୍ରି ଅର୍ଥାଶ୍ରୟ । ହେଲେ ହେଁ ନୋହୁ ମାୟାମୟ ।। ୧୦୨
ମାୟାର ବଶେ ଜ୍ଞାନ ଥାଇ । ତୋତେ ଜାଣିବେ ଅବା କାହିଁ ।। ୧୦୩
ଇନ୍ଦ୍ର ହରଷ ଚିତ୍ତ ହୋଇ । କହନ୍ତି ବିଷ୍ଣୁମୁଖ ଚାହିଁ ।। ୧୦୪

ଇନ୍ଦ୍ର ଉବାଚ

ହେ ବିଶ୍ୱଭବନ ମୁରାରି । ତୁ ଯେ ଆନନ୍ଦ-ବପୁଧାରୀ ।। ୧୦୫
ସକଳ ପ୍ରାଣୀ ମନୋହର । ଭୋନାଥ ତୋହର ଶରୀର ।। ୧୦୬
ଏ ଯେ ତୁମ୍ଭର ଅଷ୍ଟକର । ଏ ଦିଗପାଳଙ୍କ ଶରୀର ।। ୧୦୭

ବ୍ରାହ୍ମଣପତ୍ନୀଗଣ–ଉବାଚ

ଏ ଯଜ୍ଞ ତୋର ଯଜନାର୍ଥେ । ସୁଜିଲେ ବ୍ରହ୍ମା ଏ ଜଗତେ ।। ୧୦୮
କେବଳ ବିଧି ଅବହେଳେ । ରୁଦ୍ର ରୂପରେ ଯଜ୍ଞଶାଳେ ।। ୧୦୯
ଦକ୍ଷକୁ ଦେଲୁ କର୍ମଫଳ । ନାଶିଲୁ ତା ଯଜ୍ଞ ସକଳ ।। ୧୧୦
ଏବେ ପବିତ୍ର ଏ ଭୁବନ । କଳ୍ପିଲା ତୋର ଦରଶନ ।। ୧୧୧
ଋଷି ସହସ୍ର ନମ୍ର ଶିରେ । କହନ୍ତି ଯଜ୍ଞପୁରୁଷରେ ।। ୧୧୨

ଋଷିଗଣ–ଉବାଚ

ଭୋନାଥ ତୋର ବିଚେଷ୍ଟିତ । ବିଶ୍ୱ-ସଂସାରେ ବିପରୀତ ।। ୧୧୩
ଈଶ୍ୱରୀମାୟା ଯେ ବିଭୂତି । ଯା ବଳେ ଦେବେ ଭ୍ରମ ହୋନ୍ତି ।। ୧୧୪
ଆମ୍ଭରେ ଦୟାଭାବ କରି । ସେ ମାୟା ଛେଦ ହେ ଶ୍ରୀହରି ।। ୧୧୫
ନାହିଁ ଆଦର ସେ ଲକ୍ଷ୍ମୀରେ । ତୋ ଚେଷ୍ଟା ଜାଣୁ କେ ସଂସାରେ ।। ୧୧୬
ସକଳ ସିଦ୍ଧେ ଉଠିବେଗେ । କହନ୍ତି ବିଷ୍ଣୁଙ୍କୁ ସରାଗେ ।। ୧୧୭

ସିଦ୍ଧଗଣ–ଉବାଚ

ତୋ କଥା ସୁଧା-ତରଙ୍ଗିଣୀ । ଶୀତଳ-ଜଳ ପ୍ରାୟ ମଣି ।। ୧୧୮
ମନ-ବାରଣ ତୃଷ୍ଣାକୁଳେ । ପ୍ରବେଶ ହୋଇ ଶୀତଜଳେ ।। ୧୧୯
ନ ସ୍ମରେ କ୍ଳେଶ-ଦାବାନଳ । ତୋର ପ୍ରସନ୍ନେ ଆଦିମୂଳ ।। ୧୨୦

ଦକ୍ଷପତ୍ନୀ–ଉବାଚ

ଭୋନାଥ ତୋର ଆଗମନ । ଆନନ୍ଦ କଲା ମୋର ମନ ।। ୧୨୧
ତୁ ଲକ୍ଷ୍ମୀକାନ୍ତ ସୁଧାନିଧି । ସକଳ ସମ୍ପଦ ପ୍ରସିଦ୍ଧି ।। ୧୨୨
ତୋ ବିନୁ ଏହି ଯଜ୍ଞଘର । ଭୋନାଥ ନ ଦିଶେ ସୁନ୍ଦର ।। ୧୨୩
କି ଅବା ଦେବା ପଟାନ୍ତର । କବନ୍ଧ ପ୍ରାୟ ଛିନ୍ନ ଶିର ।। ୧୨୪
କାନ୍ତା ସହିତ ପରାତ୍ପର । ତେଣୁ ଆମ୍ଭଙ୍କୁ ରକ୍ଷା କର ।। ୧୨୫
ତୁମ୍ଭର ବିଜେ ହେଲା ଯେଣୁ । ଏ ଗୃହ ଶୋଭା କେ ପ୍ରମାଣୁ ।। ୧୨୬
ଏକଥା ନୁହଇ ବିଚିତ୍ର । ତୋ ନାମେ ଜଗତ ପବିତ୍ର ।। ୧୨୭
ତୁ ଦେବଦେବଙ୍କର ଈଷ୍ଟ । ସର୍ବ-ନିୟନ୍ତା ତପୀଶ୍ରେଷ୍ଠ ।। ୧୨୮

ଲୋକପାଳଗଣ–ଉବାଚ

ଆମ୍ଭର ଦୃଷ୍ଟଗ୍ରହ ଦୋଷେ । ତୋତେ ଦେଖିବୁ କାହୁଁ ଦୃଶେ ।। ୧୨୯
ତୁ ଦ୍ରଷ୍ଟା ସକଳ ବିଶ୍ୱର । ଇନ୍ଦ୍ରିୟେ ନୋହୁ ତୁ ଗୋଚର ।। ୧୩୦
ତୁ ଷଷ୍ଠ ପଞ୍ଚଭୂତେ ବସୁ । ମାୟା-ସ୍ୱରୂପ ତୁ ପ୍ରକାଶୁ ।। ୧୩୧
ଅସତ ଯାହାର ଇନ୍ଦ୍ରିୟ । କାହୁଁ ଦେଖିବେ ତୋର କାୟ ।। ୧୩୨
ବିଶୁଦ୍ଧ ଯାହାର ମାନସ । ତାହା ନିକଟେ ତୁ ପ୍ରକାଶ ।। ୧୩୩

ଯୋଗେଶ୍ୱର–ଉବାଚ

ତୁ ବିଶ୍ୱଆତ୍ମା ପରଂବ୍ରହ୍ମ । ଶୁଦ୍ଧ-ଚୈତନ୍ୟ ତୋର ଧାମ ।। ୧୩୪
ଯେ ତୋତେ ଅଭେଦେ ଦେଖଇ । ତା ତହୁଁ ପ୍ରିୟ ତୋର ନାହିଁ ।। ୧୩୫
ଜଗତ ସୃଷ୍ଟି-ସ୍ଥିତି-ଅନ୍ତ । ତ୍ରିଗୁଣେ କରୁ ଆତଜାତ ।। ୧୩୬
ଭୋନାଥ ତୁମ୍ଭ ଦରଶନେ । ଆମ୍ଭେ ଯେ ତୁଷ୍ଟ କଲୁ ମନେ ।। ୧୩୭
ଅଷ୍ଟାଙ୍ଗଯୋଗେ ଧର୍ମ ସାଧି । ଲଭିବା ପାଇଁ ଅଷ୍ଟନିଧି ।। ୧୩୮
ସେ ପୁଣି ତୋର ମାୟାବଳେ । କେମନ୍ତେ ଧରିବା ନିଶ୍ଚଳେ ।। ୧୩୯
ତୁ ନାଥ କରୁ ଯେବେ ଦୟା । ତେବେ ବଞ୍ଚିବୁ ତୋର ମାୟା ।। ୧୪୦
ନିର୍ଲେପ-ଜ୍ଞାନ ସର୍ବବ୍ୟାପୀ । ତୁ ନାଥ ନିରଞ୍ଜନ ରୂପୀ ।। ୧୪୧
ତୋହର ମହିମା ଅପାର । ତୋ ପାଦେ ଆମ୍ଭ ନମସ୍କାର ।। ୧୪୨
ବ୍ରହ୍ମା ଉଷତେ ବିଷ୍ଣୁ ଚାହିଁ । କହନ୍ତି ଶିରେ କର ଦେଇ ।। ୧୪୩

ବ୍ରହ୍ମା–ଉବାଚ

ତୁମ୍ଭେ ଯେ ଆଶ୍ରୟ ଜୀବଙ୍କ । ଧର୍ମାର୍ଥ ଉତ୍ପତ୍ତି-କାରକ ।। ୧୪୪
ଆବୋରି ତୁ ଯେ ସ‌ତ୍ତ୍ୱଗୁଣ । ଧର୍ମ ପ୍ରକାଶୁ ଭଗବାନ ।। ୧୪୫
ତୁହି ନିର୍ଗୁଣ ନିରାକାର । ତୋ ପାଦେ ମୋର ନମସ୍କାର ।। ୧୪୬
ଯେଣୁ ମୁଁ ତୋ ତ‌ତ୍ତ୍ୱ ନ ଜାଣେ । କାହୁଁ ଜାଣିବେ ଦେବଗଣେ ।। ୧୪୭
ଅଗ୍ନି ସ୍ପଶିରେ କର ଦେଇ । କହଇ ବିଷ୍ଣୁ ମୁଖ ଚାହିଁ ।। ୧୪୮

ଅଗ୍ନି–ଉବାଚ

ଯାହାର ତେଜ ବଳେ ମୁହିଁ । ଅନଳ ରୂପେ ଯଜ୍ଞେ ଥାଇ ।। ୧୪୯
ଘୃତ ଆହୁତି ପଞ୍ଚବିଧେ । ମନ୍ତ୍ରେ ନିବେଦି ଏ ସମିଧେ ।। ୧୫୦
ତୁ ଯଜ୍ଞରୂପୀ ଦାମୋଦର । ନିରତେ ମୋର ନମସ୍କାର ।। ୧୫୧
ତୁ ଅଗ୍ନିହୋତ୍ର ତୁହି ଦର୍ଶ । ତୁ ଚାତୁର୍ମାସ୍ୟ ପୌର୍ଣ୍ଣମାସ ।। ୧୫୨
ତୁ ପଶୁ ସୋମ ପଞ୍ଚବିଧ । ମନ୍ତ୍ରେ ପୂଜିତ ତୁ ପ୍ରସିଦ୍ଧ ।। ୧୫୩
ଦେବତାମାନେ ହରଷରେ । କହନ୍ତି ବିଷ୍ଣୁଙ୍କ ଛାମୁରେ ।। ୧୫୪

ଦେବଗଣ–ଉବାଚ

ତୁ ନାଥ ପୂର୍ବକଳ୍ପେ ହରି । ପ୍ରଳୟକାଳେ ଗର୍ଭେ ଭରି ।। ୧୫୫
ସର୍ବ-ସଂହରୁ ବିଶ୍ୱରୂପେ । ଜଳେ ଶୟନ ଅହିତଳ୍ପେ ।। ୧୫୬
ଆମ୍ଭେ ଯେ ତୋର ନିଜ ଭୃତ୍ୟ । ଏ କଥା ଜଗତେ ବିଖ୍ୟାତ ।। ୧୫୭
ଆମ୍ଭଙ୍କୁ ସଙ୍କଟ ପଡିଲେ । ତୁ ନାଥ ରକ୍ଷାକରୁ ଭଲେ ।। ୧୫୮
ହେ ଦେବ ସ୍ୱରୂପ ତୋହର । ହୋଇଲା ନୟନ ଗୋଚର ।। ୧୫୯

ଗନ୍ଧର୍ବଗଣ–ଉବାଚ

ଭୋନାଥ ତୋତେ ନମସ୍କାର । ଏ ବିଶ୍ୱକ୍ରୀଡା-ଭାଣ୍ତ ତୋର ।। ୧୬୦
ଏ ବ୍ରହ୍ମା ରୂଦ୍ର ଆଦି ଯେତେ । ସକଳ ଦେବତା ସମେତେ ।। ୧୬୧
ମରୀଚିଆଦି ପ୍ରଜାପତି । ବ୍ରହ୍ମାଦି ଦେବ ପଶୁପତି ।। ୧୬୨
ତୁହି ଯେ ପୁରୁଷ ମହତ । ତୋ ପାଦେ ଆମ୍ଭେ ହେଲୁ ନତ ।। ୧୬୩

ବିଦ୍ୟାଧର–ଉବାଚ

ତୁମ୍ଭର ମାୟାବଳେ ପ୍ରାଣୀ । ମୁହିଁ ମୋହର ପରିମାଣି ।। ୧୬୪
ଉତ୍ପଥଗାମୀ ପୁତ୍ରାଦିର । ଦୁଃଖ ଯେ ଅଟେ ଗୁରୁତର ।। ୧୬୫
ତଥାପି ମୋହ ନ ତ୍ୟଜଇ । ଅସତେ ଲାଳସକୁ ବହି ।। ୧୬୬
ତୋ କଥା ଅମୃତ ନ ସେବେ । ଏଣୁ ପଡଇ ଭବାର୍ଣ୍ଣବେ ।। ୧୬୭

ବ୍ରାହଣ୍ତଣ–ଉବାଚ

ତୁ ନାଥ ଯଜ୍ଞଅଗ୍ନି ସୋମ । ତୁ ନିତ୍ୟାଚାର ବିଧିକର୍ମ ।। ୧୬୮
ସମିଧ ପାତ୍ର ତୁ ଉତ୍ୱିଜ । ଯଜ୍ଞାଦି ଯଜମାନ ଦ୍ୱିଜ ।। ୧୬୯
ତୁ ସ୍ୱାହା ସ୍ୱଧା ଯଜ୍ଞପଶୁ । ତୁ ଯଜ୍ଞପୁରୁଷ ପ୍ରକାଶୁ ।। ୧୭୦
ସାଂଗ୍ରାମେ ହିରଣ୍ୟକ୍ଷ ଜିଣି । ଦନ୍ତାଗ୍ରେ ଧଇଲୁ ଧରଣୀ ।। ୧୭୧
ଧରଣୀ ସ୍ଥାପି ମହାଜଳେ । ଯେଣୁ ଏ ରହିଲା ନିଶ୍ଚଳେ ।। ୧୭୨
ତୋହର କର୍ମ-ଯଜ୍ଞ ଦେବ । ଯା ଦେଖି ଯୋଗୀ କରେ ସ୍ତବ ।। ୧୭୩
ତୁମ୍ଭେ ତ ସେହି ଭଗବାନ । ଆମ୍ଭଙ୍କୁ ହୁଅ ତୁ ପ୍ରସନ୍ନ ।। ୧୭୪
ସ୍ୱକର୍ମେ ଭ୍ରଷ୍ଟ ଆମ୍ଭେ ହୋଇ । ଆମ୍ଭର ଆନ ଗତି ନାହିଁ ।। ୧୭୫
ସକଳ-କର୍ମ ସାକ୍ଷୀ ତୁହି । ଭୋନାଥ ରଖ ଭାବଗ୍ରାହୀ ।। ୧୭୬
ସର୍ବଭୂତରେ ତୁମ୍ଭ ବାସ । ସର୍ବଜ୍ଞ ନିର୍ଲେପ ଉଦାସ ।। ୧୭୭
ଯାହାର ନାମ ଉଚ୍ଚାରଣ । କରଇ ବିଘ୍ନ-କରଷଣ ।। ୧୭୮
ଏ ଯଜ୍ଞ ଭ୍ରଷ୍ଟ ହେଲା ଯେବେ । ଦର୍ଶନ ବାଞ୍ଛା କଲୁଁ ତେବେ ।। ୧୭୯
ତୋହର ନାମ ସଂକୀର୍ତ୍ତନ । ଯଜ୍ଞୀୟ-ବିଘ୍ନ-ନିବାରଣ ।। ୧୮୦
ହେ ପ୍ରଭୁ ତୋର ପାଦତଳେ । ପ୍ରଣତ ହୋଇଲୁ ସକଳେ ।। ୧୮୧

ମୈତ୍ରେୟ ଉବାଚ

ଏମନ୍ତେ କଲେ ସର୍ବେ ସ୍ତୁତି । ଶୁଣି ସନ୍ତୋଷ ଯଜ୍ଞପତି ।। ୧୮୨
ଦକ୍ଷକୁ ଚାହିଁ ଚକ୍ରପାଣି । ମେଘ-ଗମ୍ଭୀର ମଞ୍ଜୁବାଣୀ ।। ୧୮୩
ପ୍ରସନ୍ନେ କହିଲେ ମୁରାରି । ଦକ୍ଷକୁ ସମ୍ବୋଧନ କରି ।। ୧୮୪

ଭଗବାନ ଉବାଚ

ମୁଁ ବ୍ରହ୍ମା ହର ରୂପଧରି । ଏ ବିଶ୍ୱ ସର୍ଜି ପାଳି ହରି ।। ୧୮୫
ଏଣୁ ମୋହର ତିନିଗୁଣ । ସଂସାର ପରମ-କାରଣ ।। ୧୮୬
ନିର୍ଲେପ ନିରଞ୍ଜନ ମୁହିଁ । ସକଳଭୂତେ ମୁଁ ବସଇ ।। ୧୮୭
ଯାହାକୁ ସେବା ଶିକ୍ଷା ଦେଇ । ପ୍ରାଣୀ ଛାଡିବେ ତାହା କାହିଁ ।। ୧୮୮
ମୁହିଁ ସେ ସମତା ଦୃଷ୍ଟିରେ । ଅଭେଦ ସକଳ ଶରୀରେ ।। ୧୮୯
ଜ୍ଞାନୀଙ୍କି ମୋ ରୂପ ଗୋଚର । ଅଜ୍ଞାନୀଜନେ ମୁହିଁ ଦୂର ।। ୧୯୦
ଜ୍ଞାନ ଗୋଚରେ ମୋତେ ଜାଣି । ସାତ୍ତ୍ୱିକଭାବେ ପରିମାଣି ।। ୧୯୧
ଦେଖ ଏ ଦେହ ମଧ୍ୟଗତେ । ଶିର ଚରଣ କର ଯେତେ ।। ୧୯୨
ଏହାକୁ ଭିନ୍ନ ପ୍ରାୟେ ମଣେ । ଆତ୍ମାର ଗତି ନ ପ୍ରମାଣେ ।। ୧୯୩
ଯେ ହରି ହର ପଦ୍ମଯୋନି । ସର୍ବଭୂତଙ୍କ ଆତ୍ମା ତିନି ।। ୧୯୪
ବାହ୍ୟ ଅନ୍ତରେ ଦେଖେ ଏକ । ଯାହାର ନିର୍ମଳ ବିବେକ ।। ୧୯୫
ତିନିଙ୍କୁ ଦେଖେ ଐକ୍ୟ କରି । ସୁଖେ ତରଇ ଭବବାରି ।। ୧୯୬
ସମାନେ ଦେଖଇ ଯେ ପ୍ରାଣୀ । ସେମାନେ ବୈଷ୍ଣବ ଅଗ୍ରଣୀ ।। ୧୯୭
ଦୂରେ ରହଇ ଦୁଃଖ ଭ୍ରାନ୍ତି । ସେ ପ୍ରାଣୀ ଲଭେ ଆମ୍ଭଶାନ୍ତି ।। ୧୯୮

ମୈତ୍ରେୟ ଉବାଚ

ଏମନ୍ତ ବିଷ୍ଣୁ ମୁଖୁ ଶୁଣି । ଅମୃତ ପ୍ରାୟେ ମଞ୍ଜୁବାଣୀ ।। ୧୯୯
ହରିଙ୍କି ଯଜ୍ଞେ ପୂଜା କଲା । ଯେଣୁ ତା ପୂର୍ବ-ଭାଗ୍ୟ ଥିଲା ।। ୨୦୦
ଋଷି-ଦେବତା ପୂଜା କରି । ରୁଦ୍ରଙ୍କୁ ରୁଦ୍ରଭାବେ ବରି ।। ୨୦୧
ଯଜ୍ଞର ଶେଷେ ଭାଗ ଦେଲା । ସେ ଅବଭୃଥ ସ୍ନାନ କଲା ।। ୨୦୨
ଦକ୍ଷ ରହିଲା ନିଜ ଘରେ । ଦେବେ ଚଳିଲେ ଯେଝାପୁରେ ।। ୨୦୩
ଏବେ ହୋ ଶୁଣ କୁରୁବୀର । ସତୀ ଯେ ଛାଡିଲେ ଶରୀର ।। ୨୦୪
ସେ ପୁଣି ହିମବନ୍ତ-ଘରେ । ଜନ୍ମିଲେ ମେନକା-ଉଦରେ ।। ୨୦୫
ପୁଣି ସେ ରୁଦ୍ରଙ୍କୁ ବରିଲା । ଅମ୍ବିକା ହିମଗିରି-ବାଳା ।। ୨୦୬
ଏମନ୍ତ ରୁଦ୍ରର ଚରିତ । ଯେମନ୍ତେ ଦକ୍ଷଯଜ୍ଞ ହତ ।। ୨୦୭
ଉଦ୍ଧବ ମୁଖୁଁ ମୁହିଁ ଶୁଣି । ତୋତେ କହିଲି ପରିମାଣି ।। ୨୦୮
ଏଣୁ ଏ ବିଷ୍ଣୁର ଚରିତ । ଭକ୍ତ-ତାରଣେ ଭଗବତ ।। ୨୦୯
ଭାବେ କହିଲି ତୋ ଅଗ୍ରତେ । ଯେଣୁ ତୁ ପଚାରିଲୁ ମୋତେ ।। ୨୧୦
ସର୍ବ ସମ୍ପଦ ଏଣେ ଲଭେ । ଜୀବ ନ ପଡେ ମାୟାଭବେ ।। ୨୧୧
ଏ ଯଶସ୍କର ଆୟୁଷ୍କର । ଅଶେଷ-ଜନ ପାପ ହର । ।୨୧୨
ଯେ ନିତ୍ୟ ଈଶ୍ୱର ଚରିତ । କୀର୍ତ୍ତନ କରଇ ପବିତ୍ର ।। ୨୧୩
ତାର ସଂସାର-ଦୁଃଖ ନାଶେ । କହିଲେ ଜଗନ୍ନାଥ ଦାସେ ।। ୨୧୪
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞସନ୍ଧାନଂ ନାମ
ସପ୍ତମୋଽଧ୍ୟାୟଃ ।।

ଅଷ୍ଟମ ଅଧ୍ୟାୟ[ସମ୍ପାଦନା]

ନମାମି ଅମ୍ବିକା ସୁତ ଚରଣ ପଙ୍କଜ ।
ସର୍ବଦେବଙ୍କର ମଧ୍ୟେ ନାମ ବିଘ୍ନରାଜ ।। ୧ ।।
ଯାର ନାମ ଲମ୍ବୋଦର ସର୍ବ ବିଘ୍ନହର ।
କିରୀଟ କୁଣ୍ତଳ କଣ୍ଠେ ହାର ମନୋହର ।। ୨ ।।
ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜ ଚାରି ।
ଅଜୟ ଅଭୟ ବର ପାଶାଙ୍କୁଶଧାରୀ ।। ୩ ।।
ଯାହାର ପ୍ରସନ୍ନବଳେ ଜଡବୁଦ୍ଧି ତୁଟେ ।
ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ ।। ୪ ।।
ମୋର ପ୍ରତି ପ୍ରସନ୍ନ ତୁ ହୁଅ ଲମ୍ବୋଦର ।
ଭଗବତ ଭାଷା ମୁହିଁ କରିବି ପ୍ରଚାର ।। ୫ ।।
ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତ ।
କହିବି ଚତୁର୍ଥସ୍କନ୍ଧେ ଧ୍ରୁବର ଚରିତ ।। ୬ ।।
ପଞ୍ଚମ ବରଷ ବାଳ ଘୋରତପ କଲା ।
ମାତାର ସପତ୍ନୀ ବାକ୍ୟେ ହରିଙ୍କି ଭଜିଲା ।। ୭ ।।
ପିତା-ଜାନୁ-ଆରୋହଣ-ଭଙ୍ଗେ ରୋଷମନେ ।
ସପ୍ତଋଷି ଉର୍ଦ୍ଧ୍ୱେଯାଇ ବସିଲା ଗଗନେ ।। ୮ ।।
ଯାର ଘୋର-ତପ ଦେଖି ଭୃଗୁ ମନତୋଷେ ।
ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ ।। ୯ ।।
ଜନନୀ ସହିତେ ଦିଶେ ଉତ୍ତର-ଆକାଶେ ।
ଦରଶନ ମାତ୍ରେ ଯାର ସର୍ବପାପ ନାଶେ ।। ୧୦ ।।
ଜୀବିତ ରହଇ ନର ସୁଖେ ଶତସମା ।
ଯାର ଭାବ ନ ଲଭନ୍ତି ହର-ଇନ୍ଦ୍ର-ବ୍ରହ୍ମା ।। ୧୧ ।।
ତାହାର ଚରିତ ଯେ ଶୁଣନ୍ତି ସାବଧାନେ ।
ସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ ।। ୧୨ ।।
ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ ।
କହେ ବିପ୍ର ଜଗନ୍ନାଥ ଭାବେ ଭାଗବତ ।। ୧୩ ।।
ପୁଣ୍ୟ ମଧୁବନେ ସରସ୍ୱତୀ-ତଟେ ରହି ।
ମୈତ୍ରେୟ କହିଲେ ପୂର୍ବେ ବିଦୁରଙ୍କୁ ଚାହିଁ ।। ୧୪ ।।
ଦୁର୍ଗତି-ତାରଣ ଭବ-ଭୟ-ନିବାରଣ ।
କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ ।। ୧୫ ।।
ସର୍ବଶାସ୍ତ୍ର ଜାଣି ସେ କହଇ ନାନା ମତେ ।
ଧ୍ରୁବର ଚରିତ ବିଷ୍ଣୁଭଜନ-ହିତେ ।। ୧୬ ।।
ମୈତ୍ରେୟର ଆଗେ ପରାଶର-ମୁନି କହି ।
ବିଷ୍ଣୁ-ଜନ-ହିତେ ବଇଷ୍ଣବ-ଭାବ ବହି ।। ୧୭ ।।
ପରତ‌ତ୍ତ୍ୱ ଧ୍ୟନରତ ନିତ୍ୟେ ଶୁଦ୍ଧଚିତ୍ତେ ।
ବୈଷ୍ଣବ-ଅଗ୍ରଣୀ ଶିବ ଉମାର ଅଗ୍ରତେ ।। ୧୮ ।।
ବିଷ୍ଣୁଦୂତେ ହରିକଥା କହିଛନ୍ତି ଯାହା ।
ଭାଷା-ପରିବନ୍ଧେ ମୁହିଁ ପ୍ରକାଶିବି ତାହା ।। ୧୯ ।।
ସାଧୁଜନେ ଦୃଢଚିତ୍ତେ ଏଣେ କର ଭାବ ।
ଏଦୃଢ-ବୋଇତେ ଭବ-ବାରିଧି ତରିବ ।। ୨୦ ।।
ବିଷ୍ଣୁଙ୍କ ଆଦେଶେ ସୃଷ୍ଟି କଲେ ପଦ୍ମଯୋନି ।
ମୈଥୁନ ପ୍ରକାଶେ ଶିବ-ଶକ୍ତି-ରୂପ ଘେନି ।। ୨୧ ।।
ନିଜ କଳେବର ବ୍ରହ୍ମା ବେନିଖଣ୍ତ କଲେ ।
ସ୍ୱୟମ୍ଭୂବମନୁ ଶତରୂପା ପ୍ରକାଶିଲେ ।। ୨୨ ।।
ମୈଥୁନ-ପ୍ରବନ୍ଧେ ଉପୁଜିଲେ ପୁତ୍ର ବେନି ।
ସୃଷ୍ଟି ଅଂଶ ହେତୁ କନ୍ୟା ତିନି ସଙ୍ଗେ ଘେନି ।। ୨୩ ।।
ପ୍ରିୟବ୍ରତ ସେ ଉତ୍ତାନପାଦ ନାମ ତାର ।
ସୁଗୁଣ ସୁନ୍ଦର-ରୂପେ ମୋହେ ତିନିପୁର ।। ୨୪ ।।
ସୃଷ୍ଟିଅଂଶେ ମନୁବଂଶେ ବେନି-ସହୋଦର ।
ପ୍ରଜାର ସୃଜନ କଲେ ଅନେକ ପ୍ରକାର ।। ୨୫ ।।
ଉତ୍ତାନପାଦର ଯେ ହୋଇଲେ ଯତ୍ନୀବେନି ।
ସୁନୀତି ସୁରୂଚି ଯେ ସୁନ୍ଦର-ଗୁଣ ଘେନି ।। ୨୬ ।।
ସେ ବେନିପତ୍ନୀଙ୍କ ମଧ୍ୟେ ସୁରୂଚି ସୁପ୍ରିୟା ।
ଉତ୍ତାନପାଦର ଚିତ୍ତେ ତାର ପ୍ରତି ଦୟା ।। ୨୭ ।।
ତାହାର ଉଦରେ ଯେ ଉତ୍ତମ ପୁତ୍ର ହୋଏ ।
ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ ।। ୨୮ ।।
ତାର ବଡ ପ୍ରିୟ ସେ ଉତ୍ତାନପାଦ ରାଜା ।
ଭୂଷଣ ବସନ ଦେଇ କରେ ଦିବ୍ୟପୂଜା ।। ୨୯ ।।
ଅତି ପ୍ରିୟତମା ସେ ନିମିଷେ ନଛାଡ଼ଇ ।
ପତ୍ନୀ ସୁତ ସ୍ୱଭାବେ ଗୌରବଭାବ ବହି ।। ୩୦ ।।
ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ ।
ରୂପଗୁଣସୁନ୍ଦରେ ମୋହିତ କୋଟି କାମ ।। ୩୧ ।।
ବେନିସୁତେ ବେନିଧାତ୍ରୀ ଘେନିଥାନ୍ତି ନିତ୍ୟେ ।
ପିତାର ସମୀପେ ଦ୍ୟନ୍ତି ରାଜସେବା ମତେ ।। ୩୨ ।।
ଏକଦିନେ ସୁରୁବି ଉତ୍ତମ କର ଧରି ।
ନୃପତି ସମୀପେ ମିଳେ ପ୍ରିୟଭାବ ଭରି ।। ୩୩ ।।
ଉତ୍ତମକୁ କୋଳେ ଦେଇ ରହିଲା ଅନ୍ତରେ ।
ନୃପତି-ସଭାର ମଧ୍ୟେ ପ୍ରିୟଭାବଭରେ ।। ୩୪ ।।
ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ।
ରାଜାର ସମୀପେ ମିଳେ ପ୍ରିୟଭାବ ରଙ୍ଗେ ।। ୩୫ ।।
ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲା ।
ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା ।। ୩୬ ।।
ତାହା ଦେଖି କୋପଚିତ୍ତେ ସୁରୁଚି ବୋଲଇ ।
ଦୁର୍ଭଗା-ତନୟ ତୋର ମୁଖେ ଲାଜ ନାହିଁ ।। ୩୭ ।।
ଆରୋହଣ କରି ଲୋଡୁ ନୃପ-ସିଂହାସନେ ।
ଯେ ଆସନ ସୁପୂଜିତ ଏତିନି-ଭୁବନେ ।। ୩୮ ।।
ପୂର୍ବ-ତପଫଳେ ଦେଖ ଉତ୍ତମ କୁମର ।
ନୃପ-ବୀର୍ଯ୍ୟେ ଉପୁଜିଲା ମୋହର ଉଦର ।। ୩୯ ।।
ସେହି ରାଜସିଂହାସନେ ବସବାକୁ ଏକ ।
ଏକଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ ।। ୪୦ ।।
ନିଷ୍ଠାରେ କଠୋର-ତପ ପୂର୍ବେ ଯେ କରଇ ।
ତପଫଳେ ଲଭେ ସେ ଦୁର୍ଲଭ ନରଦେହୀ ।। ୪୧ ।।
ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ ।
କହଇ ବାଳକ ତୁହି ଶୁଣ ଏକଚିତ୍ତେ ।। ୪୨ ।।
କେଉଁ ତପେ ବସିବୁ ତୁ ରାଜସିଂହାସନେ ।
କିରୀଟ ମସ୍ତକେ ଯହିଁ ନମେ ସର୍ବଜନେ ।। ୪୩ ।।
ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ।
ଏଣୁ ଅଭାଗିନୀ-ଗର୍ଭେ ଉପୁଜିଲୁ ତୁହି ।। ୪୪ ।।
ଏହି ଅନୁମାନେ ତୋର ଅଳ୍ପପୁଣ୍ୟ ଜାଣ ।
ଶୁଭାଶୁଭ-ଫଳ ଅନୁମାନ ଏ ପ୍ରମାଣ ।। ୪୫ ।।
ରାଜାର କୁମର-ପଣେ ଏ ଜନ୍ମ ତୋହର ।
ନାନା-ସୁଖ ଭୋଗେ ତୋର ନାହିଁ ଅଧିକାର ।। ୪୬ ।।
ଦେଖ ଏ ଉତ୍ତମ ମୋର ଗର୍ଭେ ଜନ୍ମ ହୋଇ ।
ନୃପାସନେ ବସିବାକୁ ଯୋଗ୍ୟ ଏ ଅଟଇ ।। ୪୭ ।।
ଏ ଆସନେ ବସିବାକୁ ଇଚ୍ଛା ଯେବେ ତୋର ।
କିମ୍ପା ଜନ୍ମ ନ ଲଭିଲୁ ମୋହର ଉଦର ।। ୪୮ ।।

ମୈତ୍ରେୟ ଉବାଚ

ଏମନ୍ତ ସଭାରେ ମଧ୍ୟେ ସୁରୁଚି ବଚନ ।
ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ ।। ୪୯ ।।
ଅନ୍ତର୍ଗତେ କମ୍ପିଲା ତାହାର ନିଜ ଦେହୀ ।
ଅଧୋମୁଖେ ରହିଲା ଭୂମିକି ଦୃଷ୍ଟି ଦେଇ ।। ୫୦ ।।
ଅନୁଚିତ ଉଚିତ ନ କହେ ନୃପମଣି ।
ସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ ।। ୫୧ ।।
ତାହାର ଗୌରବେ ସେ ଯନ୍ତ୍ରିତ-ଚିତ୍ତ ହୋଇ ।
ସଭାମଧ୍ୟେ ଏକ ବାକ୍ୟ ନ ପାରିଲା କହି ।। ୫୨ ।।
ଏମନ୍ତେ ନୃପତି ଗତି ଭାବି ଧ୍ରୁବ ମନେ ।
ନୃପେ ନମି ଧାତ୍ରୀ ସଙ୍ଗେ ଗମିଲା ମଉନେ ।। ୫୩ ।।
ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ ।
ସର୍ପପ୍ରାୟେ ପୁଣ-ପୁଣ ଛାଡଇ ନିଃଶ୍ୱାସ ।। ୫୪ ।।
ମାତାର ସମୀପେ ଧ୍ରୁବ ନିଜପୁରେ ଯାଇ ।
ଅଶ୍ରୁବହେ ଲୋଚନୁ କମ୍ପଇ ତାର ଦେହୀ ।। ୫୫ ।।
ଅଶ୍ରୁକଣ୍ଠ-କୁଣ୍ଠିତ ବଚନ ଗଦଗଦେ ।
ନ ସ୍ଫୁରଇ ବାକ୍ୟ ମୁଖେ ସୁନୀତି ଅନାଇ ।। ୫୬ ।।
ଏମନ୍ତ ପୁତ୍ରର ମୁଖ ସୁନୀତି ଅନାଇ ।
ଛନ୍ନ ଚିତ୍ତେ ପଚାରଇ ଧାତ୍ରୀ ମୁଖ ଚାହିଁ ।। ୫୭ ।।
ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେ ।
କିମ୍ପାଇ ରୋଦନ କରେ ଅତି ମନତୋପେ ।। ୫୮ ।।
ମାତାର ବଚନ ଶୁଣି ନୃପତି-ନନ୍ଦନ ।
ଉର୍ଦ୍ଧ୍ୱ-ମୁଖେ ଚାହିଁ ରହେ ବିକଳ-ବଦନ ।। ୫୯ ।।
ପୁରଜନ ମୁଖୁ ଶୁଣି ସପତ୍ନୀ-ବୃତ୍ତାନ୍ତ ।
ସୁନୀତି ହୋଇଲା ଅତି ହୃଦୟେ ବ୍ୟଥିତ ।। ୬୦ ।।
ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ।
ପିତାଠାରୁ ଅଇଲା ଏ ମହାଦୁଃଖ ବହି ।। ୬୧ ।।
ମୁଖଲକ୍ଷ୍ମୀ ଏହାର ତ ନ ଦିଶେ ସୁ୍ନ୍ଦର ।
ଅତିଦୁଃଖେ ବୁଡିଲା ଯେ ମୋହର କୁମର ।। ୬୨ ।।
ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି ।
ମସ୍ତକରେ କର ଦେଇ ନିଶ୍ୱାସ-ସଂହରି ।। ୬୩ ।।
ଅତି-ମ୍ନାନ-ମୁଖ ଦେଖି ପୁତ୍ର କୋଳ କରେ ।
ହୃଦୟେ ଲଗାଇ ପୁଚ୍ଛେ ଅତି-ସ୍ନେହ-ଭରେ ।। ୬୪ ।।
ମୁଖେ ଜଳସିିଞ୍ଚି ସେ ବଦନୁ ପୋଛେ ଲୁହ ।
କିମ୍ପାଇଁ ରୋଦନ କରୁ ମୋର ଆଗେ କହ ।। ୬୫ ।।
ରାଜାର କୁମର ତୁ ଦୁର୍ଲଭ ପ୍ରାଣୀଙ୍କର ।
ସ୍ୱଭାବେ ସୁନ୍ଦର-ଗୁଣ ଅତି ମନୋହର ।। ୬୬ ।।
ତୋତେ ଶୋକ ଦେବାକୁ କେ ଅଛଇ ଜଗତେ ।
କିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ ।। ୬୭ ।।
ମାତାର ବଚନ ଶୁଣି ଧ୍ରୁବ ଦୁଃଖ-ମନେ ।
ବାଷ୍ପ ଗଦଗଦ ସ୍ୱରେ କହଇ ବଚନେ ।। ୬୮ ।।

ଧ୍ରୁବ ଉବାଚ

ଶୁଣ ଗୋ ଜନନି କହୁଁ ତୋହର ଅଗ୍ରତେ ।
ରାଜମହାଦେଈ ତୁ ବୋଲଉ କେଉଁମତେ ।। ୬୯ ।।
ସୁରୁଚି ସମାନେ ତୋତେ ଜାଣନ୍ତି ଜଗତ ।
ସେ ରାଜାର ପ୍ରିୟା ତୁ ଗୋ ଦୁର୍ଭଗା କେମନ୍ତେ ।। ୭୦ ।।
କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ ।
ମୁଁ କିମ୍ପା ଅଧମ ମାତା ସତ୍ୟ ମୋତେ କହ ।। ୭୧ ।।
ନୃପ-ସିଂହାସନେ ବସିବାକୁ ବେନିଭାଇ ।
ସେ କିମ୍ପା ହୋଇଲା ଯୋଗ୍ୟ ମୋର ଭାଗ୍ୟେ ନାହିଁ ।। ୭୨ ।।
ତୋର ପୁତ୍ର ହୋଇ ମୁହିଁ ଅଧମ କେମନ୍ତେ
ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ ।। ୭୩ ।।
ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା ।
ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା ।। ୭୪ ।।
ଏମନ୍ତ ପୁତ୍ରର ବାକ୍ୟ ଶୁଣିଣ ସୁନୀତି ।
ପୁତ୍ରର ବଚନ-ପ୍ରଶ୍ନେ ଦୃଢ ତାର ମତି ।। ୭୫ ।।
ସ୍ତବଧେ ରହି ନିଃଶ୍ୱାସ ଛାଡେ ଚିନ୍ତାଭରେ ।
ଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ ।। ୭୬ ।।
ସ୍ୱଭାବେ ରାଜାର ନୀତି ଭଲେ ସେ ଜାଣଇ ।
ସପତ୍ନୀର ହିଂସାବାକ୍ୟ ହୃଦେ ନ ଗଣଇ ।। ୭୭ ।।
ସ୍ୱଭାବେ ସୁନୀତି ସେ ତ କହେ ପୁତ୍ରେ ଚାହିଁ ।
କହିବି ସକଳ ମନଦେଇ ଶୁଣ ତୁହି ।। ୭୮ ।।
ଜାଣିଲି ନୃପତି ପାଶେ ଅପମାନ କଥା ।
ଶୁଣରେ ତନୟ ତୁହି ଛାଡ ମନୁ ବ୍ୟଥା ।। ୭୯ ।।
ସୁରୁଚି ବଚନ ଶୁଣି ନୃପତି ସମ୍ମୁଖେ ।
ତୁ ଯେତେ କହିଲୁ ବାବୁ ସତ୍ୟ ଏ ପ୍ରତ୍ୟକ୍ଷେ ।। ୮୦ ।।
ସୁରୁଚି ସୁଭଗା ସେ ଯେ ରାଜପାଟରାଣୀ ।
ସର୍ବପତ୍ନୀ ମଧ୍ୟେ ସେ ବୋଲାଇ ଶିରୋମଣି ।। ୮୧ ।।
ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା ।
ତପବଳେ ସ୍ୱାମୀର ସେ ସୁହାଗିନୀ ହେଲା ।। ୮୨ ।।
ଜାଣିଲି ନିଶ୍ଚୟ ମୋର ପୂର୍ବ-ତପ ନାହିଁ ।
ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ ।। ୮୩ ।।
ପୂର୍ବେ ତୋର ଭାଇ ଯେ ଉତ୍ତମତପ କଲା ।
ତପଫଳେ ନୃପସିଂହାସନେ ସେ ବସିଲା ।। ୮୪ ।।
ଉତ୍ତମ ଉତ୍ତମପୁତ୍ର ଅତିପୁଣ୍ୟ ତାର ।
ଜନ୍ମିଲା ନୃପତି-ସିଂହାସନେ ଅଧିକାର ।। ୮୫ ।।
ଶୁଣରେ କୁମରମଣି ସ୍ଥିର କରି ମନ ।
ସାବଧାନ ହୋଇ ଶୁଣ ମୋହର ବଚନ ।। ୮୬ ।।
ଯା କହିଲେ ତୋର ମାତ ସତ୍ୟ-କର ମନେ ।
ବସିବାର ବାଞ୍ଛା ଯଦି ରାଜ ସିଂହାସନେ ।। ୮୭ ।।
ତପେ ହରି-ପାଦପଦ୍ମ ଆରାଧନ କର ।
ସେ ବିଶ୍ୱ-ପାଳନ ପାଇଁ ସ୍ୱ‌ତ୍ତ୍ୱଗୁଣାଧାର ।। ୮୮ ।।
ପରମେଷ୍ଠୀ ହେେଲ ବ୍ରହ୍ମା ଯାର ଆରାଧନେ ।
ଜିତେନ୍ଦ୍ରିୟ ମୁନିଗଣ ବନ୍ଦେ ଯା ଚରଣେ ।। ୮୯ ।।
ଯେଉଁଭାବେ ପୂର୍ବ ଜନ୍ମେ ନାନା-ପତ କରି ।
ନାନା ରୂପେ ଭୋଗ ଭୁଞ୍ଜେ ନରଦେହ ଧରି ।। ୯୦ ।।
ଚନ୍ଦ୍ରଜ୍ୟୋତି ପାଟଛତ୍ର ଚାମର ସମେତେ ।
ନୃପ-ସିଂହାସନେ ବସେ ବାଦ୍ୟ-ନାଦ-ଗୀତେ ।। ୯୧ ।।
ସିନ୍ଦୂରେ ମଣ୍ତିତ ଶିର ରାଜବୃନ୍ଦ-ମେଳେ ।
ମନୋଗାମୀ-ତୁରଙ୍ଗମ ଚତୁରଙ୍ଗ-ବଳେ ।। ୯୨ ।।
ନ ଥାଇ ବ୍ୟାଧି ଶରୀରେ ଜୀଏ ଶତସମା ।
ଉତ୍ତମ-ସୁଜନେ ତାଙ୍କ ଗୁଣନ୍ତି ମହିମା ।। ୯୩ ।।
ଶୁଭ-ରାଜ୍ୟେ ରାଜପଣେ ବସେ ଅକଣ୍ଟକେ ।
ତାର ଯଶ ଗୁଣ ପୂରେ ଇହ-ପରଲୋକେ ।। ୯୪ ।।
ଯେ ହରି-ଚରଣେ ସେବା କରେ ନିତ୍ୟେ-ନିତ୍ୟେ ।
ଦୁଃଖୀଜନ ଦେଖି ଦୟା କରଇ ସେ ଚିତ୍ତେ ।। ୯୫ ।।
ସୁନିର୍ମଳ ତ‌ତ୍ତ୍ୱଜ୍ଞାନ ନିତ୍ୟେ ଯାର ଚିତ୍ତେ ।
ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧମତେ ।। ୯୬ ।।
ରିପୁ-ଷଡ଼ବର୍ଗ ଜିଣି ସ‌ତ୍ତ୍ୱଗୁଣେ ମତି ।
କରୁଣା-ସମ୍ପୂର୍ଣ୍ଣ-ଦୃଷ୍ଟି ବାଣୀ-ଶୁଦ୍ଧାକୃତି ।। ୯୭ ।।
ସର୍ବକାଳେ ନିରଳସ ଗୁରୁପାଦେ ଭକ୍ତି ।
ସର୍ବଦା ସୁସ୍ଥିର-ଚିତ୍ତ ସୁଜନ ଆକୃତି ।। ୯୮ ।।
ଶୁଚିମନେ ଉପାସନା ନିର୍ମଳ-ବଚନ ।
ସଭାମଧ୍ୟେ ସୁପଣ୍ତିତ ଅତି-ବିଦ୍ୟାବାନ ।। ୯୯ ।।
ପ୍ରଜାର ପାଳନ କାର୍ଯ୍ୟେ ଅତି ବୀରପଣ ।
ଇହ-ପରଲୋକ ହୁଏ ସୁଯଶ-ଘୋଷଣ ।। ୧୦୦ ।।
ବନ୍ଧୁବର୍ଗେ ଧୀରପଣେ ଅନୁବ୍ରତେ ରହେ ।
ବାଣିଜ୍ୟେ ଚତୁର ବାକ୍ୟେ ଭାବେ ମନ ମୋହେ ।। ୧୦୧ ।।
ଯୋଷିତ ପ୍ରଣୟେ ମୃଦୁ-ବଚନ ଭାଷିତ ।
ବ୍ରାହ୍ମଣ ବିଷୟେ ଚିତ୍ତେ ଭଜଇ ବିନୀତ ।। ୧୦୨ ।।
ସ୍ୱଧର୍ମେ ଜୀବନ ପୋଷେ ନିଜ-ବୃତ୍ତି ବହି ।
ବୁଧଙ୍କର ଭାବେ ଯେ ସା‌ତ୍ତ୍ୱିକେ ମନଦେଇ ।। ୧୦୩ ।।
ଭାଗୀରଥୀ-ତୀରେ ବାସ ସୁତୀର୍ଥେ ମରଣ ।
ସୁଖ ଭୋଗୀଗଣ ମୁଖ୍ୟ ଅତିଥି-ତୋଷଣ ।। ୧୦୪ ।।
ବନ୍ଧୁଜନ ସଙ୍ଗେ ଭୋଗ କରେ ସମତୁଲେ ।
ଦାନ-ଦକ୍ଷିଣାରେ ଦିନ ଯାପଇ ସେ ଭଲେ ।। ୧୦୫ ।।
ନିଜ ବିଦ୍ୟା ଅଭ୍ୟାସେ ବର୍ତ୍ତଇ ନିରନ୍ତରେ ।
ନିତ୍ୟେ ସେବା କରେ ତାତ-ଜନନୀ-ପୟରେ ।। ୧୦୬ ।।
ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ ।
ସ୍ୱର୍ଗ-ଅପବର୍ଗ ବୁଦ୍ଧି-ଅଳଙ୍କାର ବହେ ।। ୧୦୭ ।
ନିତ୍ୟେ ବସେ ସାଧୁସଙ୍ଗେ ମିତ୍ର ସର୍ବଭୂତେ ।
ଇତିହାସ ପୁରଣାଦି ଶୁଣେ ଶୁଦ୍ଧଚିତ୍ତେ ।। ୧୦୮ ।।
ବିପଦର କାଳେ ଧୈର୍ଯ୍ୟ ବହେ ନିତ୍ୟେ ଚିତ୍ତେ ।
ସମ୍ପଦ-ଆଗମେ କ୍ଷମା ବହଇ ନିରତେ ।। ୧୦୯ ।।
ବିଦ୍ୟା ପଢି ଗଭୀର-ସାଗର ପ୍ରାୟେ ରହେ ।
ପାତ୍ରେ ଦାନ ସମର୍ପି ଉଦାସ-ଭାବ ବହେ ।। ୧୧୦ ।।
ଯଶ ଧର୍ମ ଲଭିବାରେ ନିତ୍ୟେ କରେ ମତି ।
ସ୍ୱର୍ଗାମୋଦ ଶୁଦ୍ଧଫଳ ସ୍ୱଭାବେ ସୁକୀର୍ତ୍ତି ।। ୧୧୧ ।।
ନିତ୍ୟେ ସାଧୁସଙ୍ଗ ମେଳ ଦୃଢ଼େ କରେ ଆଶା ।
ପିତୃ-ମାତୃ ପାଦପଦ୍ମେ କରଇ ଶୁଶ୍ରୂଷା ।। ୧୧୨ ।।
ଦୀନଜନେ ଦୟାକରେ ସାଧୁକାର୍ଯ୍ୟେ ରତ ।
ରିପୁଗଣ ଜୟକାରୀ ଭୁବନେ ବିଦିତ ।। ୧୧୩ ।।
ଗଭୀର ବଚନ ତାର ବଦନୁ ପ୍ରକାଶେ ।
ଉତ୍ତମ-ଉଦାରବୁଦ୍ଧି ପ୍ରିୟ-ଉପଦେଶେ ।। ୧୧୪ ।।
ସମ ଦରଶନ କରି ପ୍ରକୃତି ଧରଇ ।
ଏତେ ଗୁଣ ଧରେ ଯାର ପୂର୍ବେ ତପ ଥାଇ ।। ୧୧୫ ।।
ଯେଣୁ ପୂର୍ବେ ତୋହାର ମୋହର ତପ ନାହିଁ ।
ଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ ।। ୧୧୬ ।।
ମାନ-ଅପମାନ ଯେ ଫଳଇ ପୂର୍ବଫଳେ ।
ଏହା ନ ଜାଣିଣ ପ୍ରାଣୀ ଭ୍ରମନ୍ତି ଶୟଳେ ।। ୧୧୭ ।।
ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ ।
ବିଧାତାର ବୋଲେ କର୍ମ ଅନ୍ୟଥା ନୁହଇ ।। ୧୧୮ ।।
ଏଣୁ ତୁ ନକର ଶୋକ କର୍ମକୁ ଆଦର ।
ମୋହର ବଚନେ ପୁତ୍ର କୋପ ତୁ ସଂହର ।। ୧୧୯ ।।
ଏମନ୍ତେ ମାତାର ବାଣୀ ସାବଧାନେ ଶୁଣି ।
ସୁନୀତିର ପୁତ୍ର ଧୀର ମନେ ମନେ ଗୁଣି ।। ୧୨୦ ।।
ଜନନୀ ବଦନ ଚାହିଁ ବେନି କରଯୋଡି ।
କହେ ଶୋକ-ଗଦଗଦେ ମାତା ପାଦେ ପଡି ।। ୧୨୧ ।।

ଧ୍ରୁବଉବାଚ

ଜନନୀ ମୋହର ବାକ୍ୟ ମନଦେଇ ଶୁଣ ।
ମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ ।। ୧୨୨ ।।
ପବିତ୍ର-ମନୁର ବଂଶେ ଜନ୍ମ ଯେବେ ମୋର ।
ଉତ୍ତାନପାଦର ବୀର୍ଯ୍ୟେ ଉଦରେ ତୋହର ।। ୧୨୩ ।।
ତୁ ଯେ ବୋଲୁ ତପ-ବ୍ରତ ସମ୍ପଦ-କାରଣ ।
କହିବୁ ତୋହର ଆଗେ ସ୍ଥିରମନେ ଶୁଣ ।। ୧୨୪ ।।
ସଂସାରେ ଦୁର୍ଲଭପଦ ଯେଉଁ ତପେ ପାଇ ।
ନିର୍ଜନ-ଦୁର୍ଗମବନେ ସାଧିବଇଁ ମୁହିଁ ।। ୧୨୫ ।।
ଏତେ ମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧଚିତ୍ତେ ।
ଆଶୀର୍ବାଦ କର ତପ ସାଧଇଁ ଯେମନ୍ତେ ।। ୧୨୬ ।।

ମୈତ୍ରେୟ ଉବାଚ

ଏମନ୍ତ ନିଶ୍ଚୟ-ବାଣୀ ଶୁଣି ପୁତ୍ରମୁଖେ ।
ସୁନୀତି କପୋଳେ କର ଦେଇ ମନଦୁଃଖେ ।। ୧୨୭ ।।
ଏହିରୂପେ ଧ୍ରୁବବାକ୍ୟ ଦୃଢ଼େ ଶୁଣି ମାତା ।
ପୁତ୍ର ମୁଖ ଚାହିଁ ମନେ କଲା ଗରୁଚିନ୍ତା ।। ୧୨୮ ।।
ବୋଲଇ ମୋହର ଗର୍ଭେ ଜାତ ଏ କୁମର ।
ରାଜାର ଆତ୍ମସମ୍ଭୂତ ତେଜେ ଏ ପ୍ରଖର ।। ୧୨୯ ।।
କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ-ଚରିତ୍ର ।
ତପ-ଫଳ-ଶ୍ରବଣେ କଳ୍ପିଲା ଅନ୍ତର୍ଗତ ।। ୧୩୦ ।।
ତେଜ ବିରାଜଇ ଦେହେ ତପନ ପରାୟେ ।
ଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ ।। ୧୩୧ ।।
କେବେହେଁ ଏ ନ ରହିବ ମୋହର ବଚନେ ।
ନଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ।। ୧୩୨ ।।
ଏହାର ସୁନ୍ଦର-ମୁଖ ନ ଦେଖି ସମ୍ମୁଖେ ।
ନିମିଷ କୋଟିଏ-ଯୁଗ ହୋଇବ ପ୍ରତ୍ୟକ୍ଷେ ।। ୧୩୩ ।।
କିବୁଦ୍ଧି କରିବି ପୁତ୍ର କେମନ୍ତେ ରହିବ ।
ଦୁର୍ଗମ-ସଙ୍କଟ ମୋତେ ସଞ୍ଚଲା ଦଇବ । ।। ୧୩୪ ।।
ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ ।
ବୋଲଇ ସୁନୀତି ମନେ ଦୁଃଖ ଖେଦ ବହି ।। ୧୩୫ ।।
ଶୁଣ ପୁତ୍ର ସାବଧାନେ ମୋହର ବଚନ ।
କେବେହେଁ ନ କର ପୁତ୍ର ତପକୁ ଗମନ ।। ୧୩୬ ।।
ତୋତେ ଆଜ୍ଞା ଦେବାକୁ ମୋହର ଶକ୍ୟ ନାହିଁ ।
ତୁ ପଞ୍ଚବରଷ ବାଳ ସୁକୁମାର-ଦେହୀ ।। ୧୩୭ ।।
ତଥାପି କହିବି ଶୁଣ ସାବଧାନ ଚିତ୍ତେ ।
ରାଜାର ନବରେ ଅଛି ସପତ୍ନୀ-ଆୟତ୍ତେ ।। ୧୩୮ ।।
ତାର ବାକ୍ୟ ନିର୍ଘାତେ ମୋହର ପ୍ରାଣ ଦହେ ।
ଶ୍ରାବଣର ଧାରା ପ୍ରାୟେ ଅଶ୍ରୁଜଳ ବହେ ।। ୧୩୯ ।।
ଏବେ ତୋ ବନ-ଗମନ ଶୁଣି ମୋର ମନ ।
ସମୁଦ୍ର-ତରଙ୍ଗ ପ୍ରାୟେ ଉଲ୍ଲୋଳ-ନୟନ ।। ୧୪୦ ।।
ନଦୀ ପ୍ରାୟେ ବହେ ଲୁହ କେବେହେଁ ନ ରହେ ।
କହ ପୁତ୍ର ଏବେ ମୁଁ କି କରିବି ଉପାୟେ ।। ୧୪୧ ।।
ସ୍ୱଭାବେ ମୁଁ ଏକପୁତ୍ରୀ ବିଧାତା ଭିଆଣେ ।
ତୋତେ ନ ଦେଖିଲେ ଚିତ୍ତ ଧରିବି କେସନେ ।। ୧୪୨ ।।
ତୁ ମୋହର ଅନ୍ଧ-ଯଷ୍ଟି ତୋର ପଛେ ଥାଇ ।
ତୋତେ ହରାଇଲେ ମୁହିଁ କେମନ୍ତେ ଜୀଅଁଇ ।। ୧୪୩ ।।
ପୁତ୍ର ଜନ୍ମ ନୋହିବାରୁ ପାଇ ମନେ ବ୍ୟଥା ।
ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ।। ୧୪୪ ।।
କୁଚ୍ଛ୍ର-ଚନ୍ଦ୍ରାୟଣ ଉପାସିଣ ବ୍ରତ କଲି ।
ସେ ବ୍ରତ-ସାଧନେ ପୁତ୍ର ତୋତେ ମୁଁ ଲଭିଲି ।। ୧୪୫ ।।
ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ।
ସମୁଦ୍ର-ତରଙ୍ଗ ପ୍ରାୟେ ଉଛୁଳେ ନୟନ ।। ୧୪୬ ।।
ଆନନ୍ଦ-ପୟ ଯେ ପୂରେ ମୋ ବେନି ସ୍ତନ ।
ଗଳିତ ହୁଅଇ ଦେଖି ତୋହର ବଦନ ।। ୧୪୭ ।।
ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ ।
ତକ୍ଷଣେ ଶୀତଳ ହୁଏ ମିଳିଲେ ସମୀପେ ।। ୧୪୮ ।।
ମୋହର ହୃଦୟେ ତୁ ନିଦ୍ରିତ ସ୍ତନ୍ୟ-ପାନେ ।
ବସ୍ତ୍ର-ଆଚ୍ଛାଦିତ ଦୁଗ୍ଧ-ବୋଧିତ-ବଦନେ ।। ୧୪୯ ।।
ତୋହର ଶୀତଳ-ବାକ୍ୟ କର୍ଣ୍ଣେ ଶୁଭେ ଯେବେ ।
ସପପତ୍ନୀର ବାକ୍ୟ-ତାପ ହୃଦୟେ ନ ଭାବେ ।। ୧୫୦ ।।
ବିଳମ୍ବ ତୋ ନିଦ୍ରା ଦେଖି ମୋହର ହୃଦୟ ।
ପଦ୍ମ ଯେହ୍ନେ ଚାହିଁ ଥାଇ ଆଦିତ୍ୟ ଉଦୟ ।। ୧୫୧ ।।
ବାଳକ-ଖେକଣ-ଖେଳା ଖେଳିବାର ଅର୍ଥେ ।
ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ ।। ୧୫୨ ।।
ତୋହର ବିଳମ୍ବେ ହୃଦେ ବେନି-ସ୍ତନ ମୋର ।
ଚଞ୍ଚଳେ ସ୍ରବଇ ଯେହ୍ନେ ମେଘ-ଜଳଧାର ।। ୧୫୩ ।।
ତୁ ଏବେ ତପସ୍ୟା ଅର୍ଥେ ଯିବୁ ଯେବେ ହଟେ ।
ମୋର ପଞ୍ଚ-ପ୍ରାଣ ଯେ ମିଳିବ କଣ୍ଠାଗ୍ରତେ ।। ୧୫୪ ।।
ଅତି ତାପେ ତାପିବି ମୁଁ ତୋହର ଗମନେ ।
କେମନ୍ତେ ଛାଡିଣ ପୁତ୍ର ଯିବୁ ତୁହି ବନେ ।। ୧୫୫ ।।
ଏମନ୍ତ ବଚନ ଶୁଣି ଜନନୀ ବଦନେ ।
ଚିନ୍ତା ମାତ୍ର ନ ରହିଲା ସେ ଧ୍ରୁବର ମନେ ।। ୧୫୬ ।।
ଏମନ୍ତେ ଅନେକ ମତେ ବୋଧିଲେ ସୁନୀତି ।
ନ ଶୁଣି ସେ ମାତା-ବାଣୀ ଧ୍ରୁବ ମହାଯତି ।। ୧୫୭ ।।
ନିଷ୍ଠୁର-ହୃଦୟେ ପାଦେ କରି ନମସ୍କାର ।
ମଙ୍ଗଳ-ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର ।। ୧୫୮ ।।
ଜନନୀର ମନ-ସ୍ନେହ ପଛେପଛେ ଗଲା ।
ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା ।। ୧୫୯ ।।
ବାଳକ ବାଳ-ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ ।
ଅନୁକୂଳ-ପବନ ବହିଲା ଅକସ୍ମାତେ ।। ୧୬୦ ।।
ପବନେ ଚଳିତ ବନ-ଲତା-ତରୁଗଣ ।
ହସ୍ତ-ପ୍ରସାରିଲା ପ୍ରାୟେ କରନ୍ତି କଲ୍ୟାଣ ।। ୧୬୧ ।।
କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରି ।
ଜନନୀ ଚରଣ-ଧ୍ୟାନ ହୃଦୟରେ କରି ।। ୧୬୨ ।।
ଭୂମିକି ଅନାଇ ସେ ଅନେକ ଦୂର ଗଲା ।
ଗହନ-କାନନେ ରାଜପଥ ନ ପାଇଲା ।। ୧୬୩ ।।
କ୍ଷୁଧା ତୃଷା ଆକୁଳେ ସେ ଅତି ଦୁଃଖ ମନେ ।
ବୃକ୍ଷତଳେ ବସିଲା ଆଦିତ୍ୟ ଅବସାନେ ।। ୧୬୪ ।।
ବାଳକ ଭାଳଇ ମନେ ଚଉଦିଗ ଚାହିଁ ।
କାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ ।। ୧୬୫ ।।
ବେନି-ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ ।
ବନଜନ୍ତୁ ଭୟେ ଧ୍ରୁବ ପୁରି ହିଁ ଅନାଇ ।। ୧୬୬ ।।
ତାର ପୂର୍ବ-ତପଫଳେ ସେ ଘୋରକାନନେ ।
ସାୟଂକାଳେ ସମୀପେ ମିଳିଲେ ମୁନିଜନେ ।। ୧୬୭ ।।
ପର୍ବତ-କାନନ-ଧୂମ-ଜଳ-ଅଗ୍ନିପଥେ ।
ବାଳ-ବୁଦ୍ଧ-ବନିତା-ଦୁର୍ବଳ-ବ୍ୟାଧିଗ୍ରସ୍ତେ ।। ୧୬୮ ।।
ପୂର୍ବ-ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରଇ ।
ଭାଗ୍ୟହୀନ ଗୃହେ ଯତ୍ନ କରନ୍ତେ ମରଇ ।। ୧୬୯ ।।
ଦେଖ ତାର ଭାଗ୍ୟବଳ ସପ୍ତଋଷିଗଣେ
ସମୀପେ ମିଳିଲେ ଆସି ଭୟଙ୍କର ବନେ । ।। ୧୭୦ ।।
ରାଜାର କୁମର କାହିଁ କାହିଁ ବନବାସ ।
ଦଇବ-ଘଟଣ ଦେଖ ଧର୍ମର ବିଶ୍ୱାସ ।। ୧୭୧ ।।
ଏଣୁ ନିଜ କର୍ମକୁ କରିବ ନମସ୍କାର ।
ଯାହାର ଉପରେ ନାହିଁ ପ୍ରଭୁ-ଅଧିକାର ।। ୧୭୨ ।।
ଯାର ତହିଁ ଶୁଭାଶୁଭ ପୁଣ୍ୟବଳ ଥାଇ ।
ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ।। ୧୭୩ ।।
ସ‌ତ୍ତ୍ୱ-ରଜ-ତମ ବଳେ କରି ଆକର୍ଷଣ ।
ନାନାସ୍ଥାନେ କରୁଥାଇ ଗମନା-ଗମନ ।। ୧୭୪ ।।
ଶରୀର ସମ୍ପଦ ପଦ ବିବିଧ ବେଷ୍ଟିତ ।
ତେଜ ବଳ ସହାୟ ସେ ଉଦ୍ୟମ ସମର୍ଥ ।। ୧୭୫ ।।
ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇ ।
ପୂର୍ବେ ନ ଅର୍ଜିଲେ ଲୋଡି ପାଇବଟି କାହିଁ ।। ୧୭୬ ।।
ଚକ୍ଷୁମେଲି ଚାହାଁନ୍ତେ ଦେଖିଲା ମୁନିଗଣ ।
ତେଜେ ବିରାଜନ୍ତି ଯେହ୍ନେ ସୂର୍ଯ୍ୟର କିରଣ ।। ୧୭୭ ।।
ଲଲାଟେ ତିଳକ ଦୂର୍ବା ବେନି କରେ ଘେନି ।
ଉଭା ହୋଇଛନ୍ତି ଧ୍ରୁବ ଆଗେ ବ୍ରହ୍ମମୁନି ।। ୧୭୮ ।।
କୃଷ୍ଣାଜିନ ପରିଧାନ ପବିତ୍ର-ଉତ୍ତରୀ ।
ଉନ୍ମୀଳଲୋଚନ ଅକ୍ଷମାଳା କରେ ଧରି ।। ୧୭୯ ।।
କଷାୟବସନ ସୂକ୍ଷ୍ମ-ଉତ୍ତରୀ ପ୍ରକାଶେ ।
ସୁଗନ୍ଧ-ବିଭୂତି ରୁଚି କଳେବର ଦିଶେ ।। ୧୮୦ ।।
ଅକସ୍ମାତେ ମିଳିଲେ ଅଗାଧ-କ୍ଷୀରନିଧି ।
ତ୍ରୟକାଳଜ୍ଞାତା ଜ୍ଞାନଗୁଣେ ଗୁଣନିଧି ।। ୧୮୧ ।।
ଅମୃତ ବଚନ କି ବଦନେ ବରଷନ୍ତି ।
କ୍ଷୀରସିନ୍ଧୁ ମଧ୍ୟେ ହଂସ ପ୍ରାୟେକ ଦିଶନ୍ତି ।। ୧୮୨ ।।
ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖି ।
ସଂଭ୍ରମ-ଚିତ୍ତେ ଉଠିଲା ଆସନ ଉପେକ୍ଷି ।। ୧୮୩ ।।
କପାଳେ କର ସମ୍ପୁଟ ଦେଇ ଦୃଢମନେ ।
ମୁନିଙ୍କି ପ୍ରଣାମ କଲା ହରଷ ବଦନେ ।। ୧୮୪ ।।
ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡି ।
କହଇ କୋମଳ-ବାଣୀ ବିନୟ ଆଚରି ।। ୧୮୫ ।।

ଧ୍ରୁବଉବାଚ

ଉତ୍ତାନପାଦର ବୀର୍ଯ୍ୟେ ସୁନୀତି ଉଦରେ ।
ଶରୀର ବହିଲି ମୁହିଁ ଏ ଭବସଂସାରେ ।। ୧୮୬ ।।
ଧ୍ରୁବନାମ ବୋଲା ଅଧ୍ରୁବ ନାମ ମୋର
ନିର୍ମଳ-ମାନସେ ମୁହିଁ ମନ୍ଦିରୁ ବାହାର ।। ୧୮୭ ।।
ଅନାଥ ହୋଇ ମିଳିଲି ଏ ଘୋରକାନନେ ।
ସନାଥ ହୋଇଲି ଏବେ ତୁମ୍ଭ ଦରଶନେ ।। ୧୮୮ ।।
ନିର୍ଲଜ-ଶରୀର ମୋର ଏଣେ କାର୍ଯ୍ୟ ନାହିଁ ।
ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ ।। ୧୮୯ ।।
ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ-ରାଶି ।
ଏବେ ଚିତ୍ତ କଳ୍ପେ ନୃପ-ସିଂହାସନେ ବସି ।। ୧୯୦ ।।
ଏଣୁ ମୁଁ ନିରାଶଚିତ୍ତେ ପଶିଲି ବନସ୍ତେ ।
ସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ ।। ୧୯୧ ।।
ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେ ।
ତାର ମୁଖ ଚାହିଁଣ କହନ୍ତି ଜଣେ ଜଣେ ।। ୧୯୧ ।।
ସ୍ୱଭାବେ ମଧୁରାକୃତି ଶୁଖିଛି ବଦନ ।
ଅମୃତୁ ଅଧିକ କହେ ମଧୁର-ବଚନ ।। ୧୯୨ ।।
ସଦୟ-ହୃଦୟେ ବସି ଧ୍ରୁବର ସମକ୍ଷେ ।
ଅନୁରାଗେ ମୁନିଏ କହନ୍ତି ଏକେ ଏକେ ।। ୧୯୩ ।।

ଇଷିଗଣ–ଉବାଚ

ଅହୋ ବାଳ ବିଶାଳାକ୍ଷ ମହାରାଜ-ସୁତ ।
ବିଚାରି ନପାରିଲୁ ତୋହର ଅନ୍ତର୍ଗତ ।। ୧୯୪ ।।
ନିବେଦ୍ୟ କାରଣ ତୁ ଆମ୍ଭର ଆଗେ କହ ।
ତୋର ବାକ୍ୟେ ଆମ୍ଭ ଚିତ୍ତେ ଲାଗିଲା ସନ୍ଦେହ ।। ୧୯୫ ।।
ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁ ।
ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି ।। ୧୯୬ ।।
ଆଧି ବ୍ୟାଧି ନ ଦେଖୁ ତ ତୋହର ଶରୀରେ ।
ନିର୍ବେଦ କାରଣ କହ ଆମ୍ଭର ଛାମୁରେ ।। ୧୯୭ ।।
ଯୁବାକାଳେ ଭୋଗ ଯେବେ ନ ଲଭନ୍ତି ନରେ ।
ସ୍ୱଭାବେ ବୈରାଗ୍ୟ ଜାତ ହୁଏ ତା ଶରୀରେ ।। ୧୯୮ ।।
ସପ୍ତଦ୍ୱୀପପତିର ତୁ କୁମର ସ୍ୱଭାବେ ।
କିକାରଣେ କାନନେ ପଶିଲୁ ବାଳଭାବେ ।। ୧୯୯ ।।
ଯୁବା ନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ ।
ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ ।। ୨୦୦ ।।
ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନ ।
ଗଦଗଦ ବାକ୍ୟେ କହେ ନୃପତି ନନ୍ଦନ ।। ୨୦୧ ।।

ଧ୍ରୁବଉବାଚ

ଶୁଣିମା ସକଳ ବ୍ରହ୍ମମୁନିଗଣ ଧୀରେ ।
ନିର୍ବେଦ କାରଣ କହୁଁ ତୁମ୍ଭର ଛାମୁରେ ।। ୨୦୨ ।।
ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା ।
ମୋର ଧାତ୍ରୀ ପିତା ଆଗେ ନେଇ ପ୍ରବେଶିଲା ।। ୨୦୩ ।।
ପିତାଙ୍କ ଚରଣେ ମୁହିଁ ନମସ୍କାର କରି
ଉଭା ହୋଇଥିଲି ଧାତ୍ରୀ ବସ୍ତ୍ର କରେ ଧରି ।। ୨୦୫ ।।
ମୋର ଭାଇ ଉତ୍ତମକୁ ଦେଖି ପିତାକୋଳେ ।
ମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ ।। ୨୦୬ ।।
ତାହା ଦେଖି ସୁରୁଚି ମୋ ମାତା ସପତଣୀ ।
ଅନେକ ଭର୍ତ୍ସିଲେ ସେ ସପତ୍ନୀ-ଭାବ ଘେନି ।। ୨୦୭ ।।
ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ ।
ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ।। ୨୦୮ ।।
ଅଭାଗିନୀ ଗର୍ଭେ ହେଲା ଜନମ ତୋହର ।
ଦେଖ ଅତି ଭାଗ୍ୟବନ୍ତ ମୋହର କୁମର ।। ୨୦୯ ।।
ଏ ଗର୍ଭେ ଜନ୍ମିଲେ ନୃପସିଂହାସନ ପାଇ ।
ମୋର ଗର୍ଭେ ଜନ୍ମ କିମ୍ପା ନ ଲଭିଲୁ ତୁହି ।। ୨୧୦ ।।
ତୋହର ମାତାର ପୂର୍ବେ କିଛି ତପ ନାହିଁ ।
ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ ।। ୨୧୧ ।।
ଦୁର୍ଭଗାର ପୁତ୍ର ହୋଇ ନୃପସିଂହାସନେ ।
ତୋର ପୁଣ୍ୟ ନାହିଁ ଏଥେ ବସିବୁ କେସନେ ।। ୨୧୨ ।।
ଏମନ୍ତ ପ୍ରକାରେ ସେ ଯେ ମୋତେ ନିନ୍ଦା କଲା ।
ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା ।। ୨୧୩ ।।
ମୁହିଁ କାନ୍ଦି କହିଲି ମୋ ଜନନୀ ଅଗ୍ରତେ ।
ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ।। ୨୧୪ ।।
ବୋଇଲେ ସଂସାରେ ସାର ତପସ୍ୟା କାରଣ ।
ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର-ଭ୍ରମଣ ।। ୨୧୫ ।।
ନୃପସିଂହାସନେ ଯେବେ ବାଞ୍ଛା ଅଛି ତୋର ।
ଏବେ ନରଦେହେ ପୁତ୍ର ତପ-ସିଦ୍ଧକର ।। ୨୧୬ ।।
ଏମନ୍ତେ ଜନନୀ ମୁଖୁ ପାଇ ଉପଦେଶ ।
ତପ-ସଧେ ଘୋରବନେ ହୋଇଲି ପ୍ରବେଶ ।। ୨୧୭ ।।
ନିର୍ବେଦ କାରଣ ମୁଁ କହିଲି ତୁମ୍ଭ ଆଗେ ।
ବନେ ପଶି ଭାଳଇ ମୁଁ ବାଳକ ସ୍ୱଭାବେ ।। ୨୧୮ ।।
ଏମନ୍ତ ଧ୍ରୁବର ବାକ୍ୟ ଶୁଣି ମୁନିଗଣ ।
ପରସ୍ପରେ ଚାହିଁ ସେ ବୋଲନ୍ତି ପୁଣ ପୁଣ ।। ୨୧୯ ।।

ଋଷିଗଣ ଉବାଚ

ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର ।
ବାଳକ ଶରୀରେ ତେଜ ଅତି ଯେ ପ୍ରଖର ।। ୨୨୦ ।।
ପୁଣି ଧ୍ରୁବ ମୁଖ ଚାହିଁ ବୋଲନ୍ତି ଉତ୍ତର ।
ଆମ୍ଭରେ କି ସାଧ୍ୟ-କର୍ମ ତୋର ଉପକାର ।। ୨୨୧ ।।
ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେ ।
ଭ୍ରାନ୍ତି ଛାଡି କହ ବାବୁ ଆମ୍ଭର ଅଗ୍ରତେ ।। ୨୨୨ ।।

ଧ୍ରୁବଉବାଚ

ଶୁଣିମା ଭୋ ମୁନିଜନେ ମୋର ମନୋରଥ ।
ପିତାର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ ।। ୨୨୩ ।।
ପିତାର ସମୀପେ ବସେ ନୃପସିଂହାସନେ ।
ତାହାକୁ ମୋହର କିଛି ଆନ ନାହିଁ ମନେ ।। ୨୨୪ ।।
ତୁମେ ମୋତେ ସାହା ହୁଅ ଏ ଘୋର କାନନେ ।
ଉପଦେଶ ଦିଅ ମୋତେ ନିସ୍ତାର କାରଣେ ।। ୨୨୫ ।।
ଶରୀର ବାଳକ ମୋର ବୁଦ୍ଧି ବାଳ ନୋହେ ।
କହିବି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ।। ୨୨୬ ।।
ମୋର କଥା କହଇ ତା ଶୁଣି ମୁନିଜନେ ।
ଯେଉଁ କାରଣରୁ ମୁଁ ପଶିଲି ଘୋରବନେ ।। ୨୨୭ ।।
ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ ।
ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୋହଇ ।। ୨୨୮ ।।
ତ୍ରିଲୋକ ଉପରେ ସର୍ବ-ବନ୍ଦିତ ଯେ ସ୍ଥାନ ।
ତହିଁ ବସି ଭୁଞ୍ଜିବି କଳ୍ପଇ ମୋର ମନ ।। ୨୨୯ ।।
ମୋର ପିତୃ-ପିତାମହ ଯାହା ନ ପାଇଲେ ।
କଳ୍ପକଳ୍ପାନ୍ତରେ ଯାହା ନ ପାଇବେ ଭଲେ ।। ୨୩୦ ।।
ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ ।
ତହିଁର ଉପାୟ ମୋତେ କହ ଭାବ ବହି ।। ୨୩୧ ।।
ଧନ ରାଜ୍ୟଭୋଗ ମୋର ପ୍ରୟୋଜନ ନାହିଁ ।
ଏତେ କହି ମୁନିଙ୍କ ଚରଣେ ପ୍ରଣମଇ ।। ୨୩୨ ।।
ଧ୍ରୁବର ବଚନେ ହରଷିତ ମୁନିଜନେ ।
ଅନ୍ୟେ ଅନ୍ୟେ ମିଳି ସେ କହନ୍ତି ତୁଷ୍ଟମନେ ।। ୨୩୩ ।।

ମରୀଚି ଉବାଚ

ଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେ ।
ସର୍ବ ବେଦ ପୁରାଣଙ୍କ ଶାସ୍ତ୍ର ଅନୁଭବେ ।। ୨୩୪ ।।
ବିଷ୍ଣୁର ଚରଣେ ସେବା କରେ ଯେ ନିଶ୍ଚୟେ ।
ଇହପରଲୋକେ ସେ ବାଞ୍ଛିତ ଫଳ ପାଏ ।। ୨୩୫ ।।
ଅନ୍ୟ ଦେବଙ୍କର ତପ ଅନୁଭବେ ସ୍ମରେ ।
ବିଷ୍ଣୁର ପ୍ରସନ୍ନେ ଭୋଗ-ଭୁଞ୍ଜେ ନିରନ୍ତରେ ।। ୨୩୬ ।।

ଅତ୍ରି ଉବାଚ

ଅତ୍ରି କହେ ଶୁଣ ବାବୁ ସୁନୀତି କୁମର ।
ନାରାୟଣ-ସନ୍ତୋଷେ ନିର୍ମଳ-ତପ କର ।। ୨୩୭ ।।
ସେ ପରମପୁରୁଷ ଯାହାକୁ ତୋଷ ହୋଇ ।
ମନର ବାଞ୍ଛିତ ଫଳ ଅଧିକେ ଦିଅଇ ।। ୨୩୮ ।।
ଅକ୍ଷୟ-ସ୍ଥାନରେ ତାର ହୁଏ ଅଧିକାର ।
ବିଘ୍ନକରି ନ ପାରନ୍ତି ସୁରା-ସୁର-ନର ।। ୨୩୯ ।।
ସତ୍ୟ ଏ ବଚନ ମୋର କର ହରି-ଧ୍ୟାନ ।
ଅଳ୍ପଦିନେ ଲଭିବୁ ଅକ୍ଷୟ-ଦିବ୍ୟସ୍ଥାନ ।। ୨୪୦ ।।

ଅଙ୍ଗିରା ଉବାଚ

ଅଙ୍ଗିରା କହନ୍ତି ଶୁଣ ନୃପତି କୁମର ।
ସର୍ବଭାବେ ଗୋବିନ୍ଦ ଚରଣେ ଆଶ୍ରେକର ।। ୨୪୧ ।।
ବିଶ୍ୱ ବସ୍ତୁ-ଅଭ୍ୟନ୍ତରେ ଯାହାର ନିବାସ ।
ଆତ୍ମାରୂପେ ସର୍ବଭୂତେ ଯାହରା ପ୍ରକାଶ ।। ୨୪୨ ।।
ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର ।
ଏକମନେ ଲୟକର ଶ୍ରୀହରି-ପୟର ।। ୨୪୩ ।।

ପୁଲସ୍ତ୍ୟ ଉବାଚ

ପରଂଧାମ ପରଂବ୍ରହ୍ମ ପରାପର ନାହିଁ ।
ବିଶ୍ୱ-ବାହ୍ୟ-ଅଭ୍ୟନ୍ତରେ ଯାର ବିଶ୍ୱଦେହୀ ।। ୨୪୪ ।।
ସେ ହରିଚରଣେ ଧ୍ୟାନ କର ଦୃଢ଼ଚିତ୍ତେ ।
ତ୍ରୈଲୋକ୍ୟ-ଦୁର୍ଲଭ-ସ୍ଥାନ ଲଭିବୁ ଯେମନ୍ତେ ।। ୨୪୫ ।।

କ୍ରତୁ ଉବାଚ

କ୍ରତୁ କହେ ଶୁର ଆହେ ମୋହର ବଚନ ।
ଯେ ଯଜ୍ଞପୁରୁଷ ଅଙ୍ଗେ ଏ ତିନିଭୁବନ ।। ୨୪୬ ।।
ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀ ।
ମୁଁ ଏହା ଜାଣଇ ସର୍ବଶାସ୍ତ୍ର ପରିମାଣି ।। ୨୪୭ ।।

ପୁଲହ ଉବାଚ

ପୁଲହ କହନ୍ତି ଧ୍ରୁବ ଶୁଣ ଏକମନେ ।
ଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଳଭିବୁ ଯେସନେ ।। ୨୪୮ ।।
ଘୋରତପେ ବିଷ୍ଣୁର ଚରଣେ ଆଶ୍ରେକର ।
ଦୁର୍ଲଭ-ଆସନେ ବସି ଭୁଞ୍ଜ ଭୋଗସାର ।। ୨୪୯ ।।
ବିଷ୍ଣୁର ଚରଣ ସେବା ଯେ ଜନ କରନ୍ତି ।
ଇହ-ପରଲୋକେ ସେ ବାଞ୍ଛିତ-ଫଳ ପାନ୍ତି ।। ୨୫୦ ।।
ଅନ୍ୟ ଦେବଙ୍କର ସେବା ଫଳ ଅଳ୍ପଦିନ ।
ବିଷ୍ଣୁର ସେବନ-ଫଳ ଅକ୍ଷୟଟି ଜାଣ ।। ୨୫୧ ।।

ବଶିଷ୍ଠ ଉବାଚ

ବଶିଷ୍ଠ କହନ୍ତି ଶୁଣ ନୃପତିନନ୍ଦନ ।
ତପ-ବଳେ ବାସୁଦେବ ଦୃଢ଼େ କର ଧ୍ୟାନ ।। ୨୫୨ ।।
ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧର ।
ଯାହାର ପ୍ରସନ୍ନେ ତୁଟେ ଏ ଘୋର-ସଂସାର ।। ୨୫୩ ।।
ଶୁଣି ଧ୍ରୁବ ବେନିକର ଶିରେ ଦେଇ ତୋଷେ ।
ପୁଣପୁଣ ପ୍ରଣମିଲା ଭକତି ବିଶ୍ୱାସେ ।। ୨୫୪ ।।

ଧ୍ରୁବ ଉବାଚ

ତୁମ୍ଭ ଉପଦେଶେ ଯେବେ ହରିଙ୍କି ଭଜିବି ।
ଉପାୟ କହିବା ମୋତେ କେମନ୍ତେ ଲଭିବି ।। ୨୫୫ ।।
ସାଂଖ୍ୟଯୋଗ କିବା ତପ ଜପ ମନ୍ତ୍ର ଧ୍ୟାନେ ।
ପ୍ରାଣାୟାମ ବଳେ କିବା ନିଶ୍ଚଳ-ଆସନେ ।। ୨୫୬ ।।
ଯେମନ୍ତେ ପାଇବି ଅଳ୍ପଦିନେ ତପ କରି ।
ସ୍ୱଭାବେ ବାଳକ ମୁଁ ନୁହଇ ବ୍ରହ୍ମଚାରୀ ।। ୨୫୭ ।।
ଯେଉଁ ଆରାଧନେ ମିଳେ ବିଷ୍ଣୁର ଚରଣ ।
ପ୍ରସନ୍ନ-ବଦନେ ମୋତେ କହ ମୁନିଗଣ ।। ୨୫୮ ।।
ଋଷିଗଣ ଏମନ୍ତ ବାଳକ-ବାକ୍ୟ ଶୁଣି ।
ସର୍ବ ମନେ ବିଚାରି କହନ୍ତି ପୁଣପୁଣି ।। ୨୫୯ ।।

ଋଷିଗଣ–ଉବାଚ

କହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର ।
ଯେଉଁ ଆରାଧନେ ନିସ୍ତରନ୍ତି ସୁରନର ।। ୨୬୦ ।।
ପ୍ରତ୍ୟାହାର ବଳେ ଯେ ବିଷୟ ଇନ୍ଦ୍ରିଗଣ ।
ବାହାର ଭିତରେ ମନ କରଇ ଭ୍ରମଣ ।। ୨୬୧ ।।
ଇନ୍ଦ୍ରିୟ-ବିଷୟେ ମନ ନିଶ୍ଚଳେ ନିରୋଧି ।
ଗୁରୁ-ବାକ୍ୟେ ସାଧିବ ଯେ ବିଧାନ ସମ୍ପାଦି ।। ୨୬୨ ।।
ଜାଗ୍ରତ ସ୍ୱପ୍ନ ମଧ୍ୟେ ଉଭୟ ଭୁବସ୍ଥାନେ ।
ପଞ୍ଚପ୍ରାଣ ନିରୋଧ କରିବ ତ‌ତ୍ତ୍ୱଜ୍ଞାନେ ।। ୨୬୩ ।।
ବାହ୍ୟ-ଅନ୍ତେ ଜଳଘଟେ ଗଗନ ଯେସନେ ।
ସେହି ଭାବେ ସର୍ବ ଘଟେ ଦେଖ ଦିବ୍ୟଜ୍ଞାନେ ।। ୨୬୪ାା
ନଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗଳେ ।
ପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ ।। ୨୬୫ାା
ଦ୍ୱାଦଶଦଳର ମଧ୍ୟେ ପଦ୍ମ ଯେ କେଶର ।
ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ରହେ ମଣ୍ତଳ ଆକାର ।। ୨୬୬ ।।
ତାର ମଧ୍ୟେ ଧ୍ୟନ କରି ଚିନ୍ତ ଦିବୃରୂପ ।
ସର୍ବ-ଭୂତାଶ୍ରୟ ଯେ ପୁରୁଷୋତ୍ତମ-କଳ୍ପ ।। ୨୬୭ ।।
ସେହି ସ୍ଥାନେ ବସ ତୁ ଆସନ ଦୃଢ଼ କରି ।
ଦ୍ୱାଦଶ-ଅକ୍ଷର-ମନ୍ତ୍ର ଜପ ହୃଦେ ଧରି ।। ୨୬୮ ।।
ଓଁକାର ପ୍ରଥମେ ଭାଗବତ ନାମ ଧରି ।
ନମୋ ବାସୁଦେବାୟ ତୁ ନିଶ୍ଚଳେ ଉଚ୍ଚାରି ।। ୨୬୯ ।।
ଦ୍ୱାଦଶ-ଅକ୍ଷର ମନ୍ତ୍ରରାଜ ଏ ବୋଲାଇ ।
ଏହି ମନ୍ତ୍ର ଜପିଲେ ପ୍ରସନ୍ନ ଭାବଗ୍ରାହୀ ।। ୨୭୦ ।।
ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୁବ ମନୁ ।
ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ ।। ୨୭୧ ।।
ତାହାରେ ସନ୍ତୋଷ ଯେ ହୋଇଲେ ବାସୁଦେବ ।
ଯାର ଭାବେ ସାଧ୍ୟ କଲା ସଂସାର-ବିଭବ ।। ୨୭୨ ।।
ଏହି ମନ୍ତ୍ର ଜପ କର ଏକଚିତ୍ତ ହୋଇ ।
ଅନ୍ତର୍ଦ୍ଧାନେ ଗଲେ ମୁନି ଉପଦେଶ ଦେଇ ।। ୨୭୩ ।।
ମୁନିଙ୍କର ଉପଦେଶ ହୃଦରେ ସୁମରି ।
ହରିଭକ୍ତ-ଜନ-ଅର୍ଥେ କହିଲି ବିସ୍ତାରି ।। ୨୭୪ ।।
ସାଧୁଜନେ ଏହିଭାବେ ଦୃଢ଼କର ଚିତ୍ତ ।
ସଂସାର-ନିସ୍ତାରେ କହେ ଦାସ ଜଗନ୍ନାଥ ।। ୨୭୫ ।।
ଇତିଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବଚରିତେ ଅଷ୍ଟମୋଽଧ୍ୟାୟଃ ।

ନବମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଘୋରବନେ ଅନ୍ତର୍ଦ୍ଧାନେ ଯାନ୍ତେ ମୁନିଗଣେ ।
ଅନ୍ତରୀକ୍ଷ-ବାଣୀ ତାକୁ ଶୁଭିଲା ଗଗନେ ।। ୧ ।।
ମଧୁବନ କାଳିନ୍ଦୀ ଦକ୍ଷିଣ-ତଟେ ରହି ।
ନିଶ୍ଚଳ-ଆସନେ ମନ୍ତ୍ର ଜପ କର ତୁହି ।। ୨ ।।
ଅନ୍ତରୀକ୍ଷ-ବଚନ ଶୁଣିଲା ଯହୁଁ କର୍ଣ୍ଣେ ।
ନିଶ୍ଚଳ-ଆସନେ ଚିତ୍ତ ନିବେଶି ଗଗନେ ।। ୩ ।।
ତକ୍ଷଣେ ନମିଲା ସେ ମୁନିଙ୍କ ପାଦଗତେ ।
ସେ ଆସନ ତେଜି ଧ୍ରୁବ ଚଳିଲା ତୁରିତେ ।। ୪ ।।
କୃତକୃତ୍ୟ ହୋଇ ସେ ବାଳକ ଅରକ୍ଷିତ ।
ସେ ବନୁ ଚଳିଲା ଧ୍ରୁବ କିଛି ଦୂର ପଥ ।। ୫ ।।
ନିର୍ଜନ-ବନସ୍ତେ ଯେ ଯମୁନା-ତଟେ ଯାଇ ।
ଅନ୍ତରୀକ୍ଷ-ବାଣୀ ଚିନ୍ତେ ଗଗନକୁ ଚାହିଁ ।। ୬ ।।
ମଧୁନାମେ ଦୈତ୍ୟ-ଅଧପତି ତହିଁ ଥିଲା ।
ସେ କାରଣୁ ମଧୁବନ ନାମ ସେ ହୋଇଲା ।। ୭ ।।
ବିଷ୍ଣୁ-ସନ୍ନିଧାନେ ସେ ହାରିଲା ଯୁଗେ ଯୁଗେ ।
ତାର ପୁତ୍ର ଲବଣ ଯେ ଥିଲା ବନଭାବେ ।। ୮ ।।
ଶତ୍ରୁଘନ ରୂପେ ତାକୁ ମାରି ଚକ୍ରଧର ।
ଗ୍ରାମ ବସାଇଲେ ନାମ ମଥୁରାନଗର ।। ୯ ।।
ସର୍ବପାପ ହରଇ ଯମୁନାଜଳ ଯହିଁ ।
ତାର ତୀରେ ନିଶ୍ଚଳେ ବସିଲା ଧ୍ରୁବ ଯାଇ ।। ୧୦ ।।
ମୁନିଙ୍କର ଉପଦେଶ ସୁମରି ନିଶ୍ଚଳେ ।
ଯମୁନାର ସମୀପେ କଦମ୍ବ ବୃକ୍ଷ ମୂଳେ ।। ୧୧ ।।
ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲା
ହରି ଅନୁଗ୍ରହେ ମନ ନିଶ୍ଚଳ ରହିଲା ।। ୧୨ ।।
ଅଶେଷ ଦେବ ଈଶ୍ୱର ବିଷ୍ଣୁତା ହୃଦୟେ ।
ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ ।। ୧୩ ।।
ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେ ।
ସର୍ବଗତେ ସର୍ବଭାବେ ସର୍ବ ଜୀବମୟେ ।। ୧୪ ।।
ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରି ।
ବିଷ୍ଣୁର ଚରଣେ ଚିତ୍ତ ଅତି ଦୃଢେ ଧରି ।। ୧୫ ।।
ମନେ ବିଚାରଇ ଏ ଆସନେ କାର୍ଯ୍ୟ ନାହିଁ ।
ଉର୍ଦ୍ଧ୍ୱ‌ମୁଖେ ଉର୍ଦ୍ଧ୍ୱବାହୁ ତପ ସାଧିବଇଁ ।। ୧୬ ।।
ଏମନ୍ତ ବିଚାରି ସେ ଆସନୁ ଉତୁରିଲା ।
ଦକ୍ଷିଣଚରଣ ସେ ଧରଣୀ-ପୃଷ୍ଠେ ଦେଲା ।। ୧୭ ।।
ସର୍ବଭୂତଧାତ୍ରୀ କମ୍ପେ ଧ୍ରୁବପାଦଭରେ ।
ବନଗିରି-ଜଳଧି ସହିତେ ଯା ଶରୀରେ ।। ୧୮ ।।
ବାମପାଦ-ଅଙ୍ଗୁଷ୍ଠ-ଅଗ୍ରରେ ଭରଦେଇ ।
ବାମଜାନୁ ଉପରେ ଦକ୍ଷିଣ-ପାଦ ଥୋଇ ।। ୧୯ ।।
ପାଦର ଅଙ୍ଗୁଷ୍ଠେ ଧ୍ରୁବ ନିଶ୍ଚଳେ ରହିଲା ।
ଧ୍ରୁବର ଚରଣ-ଭରେ ଅବନୀ କମ୍ପିଲା ।। ୨୦ ।।
ପର୍ବତ-କାନନ ଆଦି ଜଳଧି ସହିତେ ।
କମ୍ପଇ ଧରଣୀ ରମ୍ଭାପତ୍ର ଯେହ୍ନେ ବାତେ ।। ୨୧ ।।
ଦଶଦିଗ କମ୍ପିଲା କମ୍ପିଲେ ଦିଗପାଳେ ।
ଦେବଙ୍କର ବିମାନ କମ୍ପିଳା ଅନ୍ତରାଳେ ।। ୨୨ ।।
ଯମ ଆଦି ଦେବଗଣ ପରମ-ଆକୁଳେ ।
ଇନ୍ଦ୍ରର ସହିତେ ବସି ଚିନ୍ତିଲେ ସକଳେ ।। ୨୩ ।।
ବିଚାରନ୍ତି ଧ୍ରୁବର ତପସ୍ୟା ଭଗ୍ନ କଲେ ।
ତେବେ ନିଜ ଅଧିକାରେ ରହିବା ନିଶ୍ଚଳେ ।। ୨୪ ।।
ଯଦ୍ୟପି ଏହାର ତପ ରହିବ ନିଶ୍ଚଳ ।
ଚତୁର୍ଦ୍ଦଶ-ଲୋକେ ନାହିଁ କାହାରି କୁଶଳ ।। ୨୫ ।।
ଏମନ୍ତ ବିଚାରି ଦେବେ ରହିଲେ ଚକିତେ ।
ଧ୍ରୁବର ନିଶ୍ଚଳ-ଧ୍ୟାନ କୃଷ୍ଣପାଦଗତେ ।। ୨୬ ।।
ପରଂବ୍ରହ୍ମ ଅନାମୟ ବାସୁଦେବ-ମନ୍ତ୍ରେ ।
ଆଗମ ନିଗମ ମନ୍ତ୍ରେ ସ୍ତୁତିସ୍ତୋତ୍ର ଯେତେ ।। ୨୭ ।।
ବାସୁଦେବ ପ୍ରାୟ ସେ ଜଗତକୁ ଦେଖଇ ।
ଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ବହି ।। ୨୮ ।।
ସର୍ବଭାବେ ସର୍ବଘାଟେ ଦେଖେ ହରି-ରୂପ ।
ସର୍ବଦିଗେ ଅନଳ-ପବନ ସର୍ବକଳ୍ପ ।। ୨୯ ।।
ବନଗିରି କନ୍ଦରେ ଯେତେକ ପଶୁଯୂଥ ।
ବରୁଣ-ଭୁବନେ ଜଳଜନ୍ତୁ ଯେ ସମସ୍ତ ।। ୩୦ ।।
ଅଶ୍ୱ ଗଜ ସହିତେ ରାଜାର ପୁରେ ଯେତେ ।
ବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ ।। ୩୧ ।।
ପାତାଳେ ଅନନ୍ତ ରୂପ ଗଗନେ ନକ୍ଷତ୍ର ।
ଏକରୂପେ ରୂପଭେଦ କେ କରିବ ଅନ୍ତ ।। ୩୨ ।।
ଦେବଙ୍କର ଦେହେ ନିତ୍ୟେ ଯେ ହରି ବସଇ ।
ସର୍ବଭୂତେ ଏକଆତ୍ମା ଅନ୍ୟ ନ ଘଟଇ ।। ୩୩ ।।
ବିଶ୍ୱବ୍ୟାପୀ ପୁରୁଷ ଗୋଚର କେବା କହୁ ।
ଏଣୁ ବ୍ୟାପୀ ଅଛଇଁ ଆକାଶ ପ୍ରାୟେ ସେହୁ ।। ୩୪ ।।
ଏହି ଭାବେ ନାମ ଧରି ବିଷ୍ଣୁରେ ପୀରତି ।
ସର୍ବଭୂତେ ପୂରିଅଛି କେହି ନ ଦେଖନ୍ତି ।। ୩୫ ।।
ସର୍ବଜନ୍ତୁ ହୃଦାକାଶେ ରବି ପ୍ରାୟେ ଦିଶେ ।
ଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷୀକେଶ ଘୋଷେ ।। ୩୬ ।।
ଯାହାର ଭକତଜନ ପ୍ରଳୟେ ନ ନାଶେ ।
ଏଣୁ ଏ ଅଚ୍ୟୁତନାମ ସର୍ବବେଦ ଘୋଷେ ।। ୩୭ ।।
ଚରାଚର ବିଶ୍ୱଭାବେ ହୋଇ ଏ ବିଶ୍ୱାସେ ।
ଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ ।। ୩୮ ।।
ଧ୍ରୁବର ନୟନ ବିଷ୍ଣୁପାଦେ ଲୀନ ଗଲା ।
ଶ୍ରୃତିଯୁଗ ନୟନ ବିଷ୍ଣୁପାଦେ ଲୀନ ଗଲା ।
ଶ୍ରୁତିଯୁଗ ବିଷ୍ଣୁର ଶବଦେ ଆଶ୍ରେ କଲା ।। ୩୯ ।।
ବଚନ ରିହିଲା ବିଷ୍ଣୁ ଚରିତ ବର୍ଣ୍ଣନେ ।
ବିଷ୍ଣୁ ପାଦପଦ୍ମ ଗନ୍ଧ ଚରିତ ବର୍ଣ୍ଣନେ ।
ବିଷ୍ଣୁ ପାଦପଦ୍ମ ଗନ୍ଧ ନାସାରନ୍ଧ୍ର ଘ୍ରାଣେ ।। ୪୦ ।।
ହସ୍ତ ବେନି ସେବା ଭାବେ ହୋଇଲେ ଅର୍ପିତ ।
ପଦଯୁଗ ଗୋବିନ୍ଦ-ଭକତେ ଉପଗତ ।। ୪୧ ।।
ଚର୍ମ ଇନ୍ଦ୍ରି ରୋଧିଲା ପ୍ରସାଦ-ରସ-ରସେ ।
ଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ ।। ୪୨ ।।
ଶବଦ ସ୍ପରଶ ରସ ରୂପ ଗନ୍ଧ ଯେତେ ।
ବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ ।। ୪୩ ।।
ବାକ୍ୟ ପାଦ ପାଣି ଲିଙ୍ଗ ମୂଳାଧାର ଆଦି ।
ନିଶ୍ଚଳେ ରହିଲା ଧ୍ରୁବ ଯୋଗରେ ସନ୍ନିଧି ।। ୪୪ ।।
ତାର ଘୋରତପ ତେଜେ ସର୍ବତେଜ ଲୀନ
ଅଗ୍ନି ସୁଧାକର ବାୟୁ ଆକାଶେ ତପନ ।। ୪୫ ।।
ସର୍ବଜୀବ ଜଡମତ ଧ୍ରୁବ-ତେଜଭରେ ।
ଧ୍ରୁବ ତପେ ପୃଥ୍ୱୀ ଘୂରେ ମଣ୍ତଳ ଆକାରେ ।। ୪୬ ।।
ନିର୍ମଳ ଶୀତଳ ଜଳ ନଦୀଏ ବହନ୍ତି ।
ମଦ ଶୀତ ଗନ୍ଧଗୁଣେ ପବନ ଚଳନ୍ତି ।। ୪୭ ।।
ଯେତେ ରୂପ ଗୁଣ ଯେତେ ସୁନ୍ଦର ତ୍ରିଲୋକେ ।
ସର୍ବ ଲୀନ ହୋଇଲେ ସୁନୀତି-ପୁତ୍ର-ମୁଖେ ।। ୪୮ ।।
ସମୀରଣ ବହେ ଯେ ଧ୍ରୁବର ଦେହେ ଲାଗି ।
ସେ ବାୟୁ ସ୍ପରଶେ ସର୍ବଦିଗ ସଉଭାଗୀ ।। ୪୯ ।।
ଅଶେଷ-ଶବଦ ଘେନି ଗଗନ ନିଶ୍ଚଳେ ।
ଆଶ୍ରେ କରି ରହିଲେ ଧ୍ରୁବର କର୍ଣ୍ଣମୂଳେ ।। ୫୦ ।।
ଭୂମି-ଆଦି ଧ୍ରୁବର ଶରୀର ପଞ୍ଚଭୂତେ ।
ନିଶ୍ଚଳେ ରହିଲେ ତପବଳର ଆୟତ୍ତେ ।। ୫୧ ।।
ଧ୍ରୁବତପ ଦେଖିଣ ପବନ ବିଚାରଇ ।
ମୋର ଦର୍ପ ତପବଳେ ସହରିବ ଏହି ।। ୫୨ ।।
ଏହାର ତପସ୍ୟା ଭଙ୍ଗେ ମୁହିଁ କ୍ଷମ ନୋହେ ।
ଏଣୁ କରି ଧ୍ରୁବ ଅଙ୍ଗେ ଶୀତଉଷ୍ଣେ ବହେ ।। ୫୩ ।।
ଅପସରା ଗଣେ ଚାହିଁ ଧ୍ରୁବର ବଦନେ ।
ଅନ୍ୟୋଅନ୍ୟେ ସମ୍ଭ୍ରମେ କହନ୍ତି ଦୁଃଖମନେ ।। ୫୪ ।।
ଯୁବାଜନଙ୍କର ଯୋଗ-ତପ ଆମ୍ଭେ ଗଞ୍ଜି ।
ଏ ବାଳକ ଚିତ୍ତେ କାହୁଁ ପାରିବା ନିମଜ୍ଜି ।। ୫୫ ।।
କାମ-କ୍ରୋଧ ଅଛନ୍ତି ଯେ ଆମ୍ଭର ସଙ୍ଗତେ ।
କେହି ନ ପାରିବେ ପଶି ଏବାଳକ ଚିତ୍ତେ ।। ୫୬ ।।
ତଦନ୍ତେ ସକଳ-ଦେବେ ଇନ୍ଦ୍ରମୁଖ ଚାହିଁ ।
ବୋଲନ୍ତି ସଂଭ୍ରମ-ଚିତ୍ତେ ଶିରେ କର ଦେଇ ।। ୫୭ ।।
କି ବୁଦ୍ଧି କରିବା ଏବେ କହ ଦେବରାୟେ ।
ଧ୍ରୁବର ତପସ୍ୟା-ଭଙ୍ଗେ ନାହିଁକି ଉପାୟେ ।। ୫୮ ।।
ମୂହୂର୍ତ୍ତେ ରହିଲା ଇନ୍ଦ୍ର ଦେବବାକ୍ୟ ଶୁଣି
ତପ-ଭଙ୍ଗ ନିମିତ୍ତ ଉପାୟ ମନେ ଗୁଣି ।। ୫୯ ।।
ଇନ୍ଦ୍ର କହେ ସ୍ୱଭାବେ ବାଳକ ଦେହ ଧରି ।
ଭୟଙ୍କର ଭୂତ ଆଦି ଦେଖି ଅବା ଡରି ।। ୬୦ ।।
ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି ।
ଅନ୍ୟ କିଛି ଉପାୟେ ନହେବ ଏହା ଭୀତି ।। ୬୧ ।।
ଆସୁରୀ-ମାୟାରେ ଯେବେ ଭଙ୍ଗ କରିପାର
ନିଶ୍ଚୟେ ଭୂଞ୍ଜିବ ତୁମ୍ଭେ ଯେଝା ଅଧିକାର ।। ୬୨ ।।
ସ୍ୱଭାବେ ବାଳକ ବସିଅଛି ଘୋରବନେ ।
ଅନ୍ୟଥା ଉପାୟ ନାହିଁ ତପ-ଉଚ୍ଚାଟନେ ।। ୬୩ ।।
ଏମନ୍ତ ବିଚାରି ଯେ ଆସୁରୀ-ମାୟା ବଳେ ।
ନାନା ଭୟଙ୍କର ରୂପ ଧ୍ରୁବକୁ ବେଢ଼ିଲେ ।। ୬୪ ।।
ଭୂତଗଣ ଧାଇଁଲେ ଭୀଷଣ ରୂପ ଧରି ।
ଲହ-ଲହ ଜିହ୍ୱା କଳକଳ ନାଦ କରି ।। ୬୫ ।।
ଡାକିନୀ ସ୍ୱଭାବେ ରୂପ ଅତି ଭୟଙ୍କର ।
ନରମୁଣ୍ତେ ହସ୍ତେ କରି ରାବନ୍ତି ଅପାର ।। ୬୬ ।।
ଉଲ୍ଳକ ଆକାର ଉଷ୍ଟ୍ର-ଖର ରୂପ ଧରି ।
ଲମ୍ବଗ୍ରୀବା ଶିର ପାଦ ବଦନ ବିସ୍ତାରି ।। ୬୭ ।।
ଭୂମି-ଦନ୍ତାଘାତେ ତରୁ ଉଲ୍ଳୋଳ କରନ୍ତି ।
ବିକଟ-ଦଶନେ ବକ୍ରମୁଖ କେ କରନ୍ତି ।। ୬୮ ।।
କେବା ତରୁ ଉପାଡିଣ ଭୂମିରେ ପିଟନ୍ତି ।
ଅତି ଆସ୍ଫାଳନେ ଧ୍ରୁବ ନିକଟେ ମିଳନ୍ତି ।। ୬୯ ।।
ବୃଷଭ ଆକାରେ ତୀକ୍ଷ୍ଣ-ଶୃଙ୍ଗେ ଭୂବିଦାରି ।
ମନୋଜବେ ଧାମନ୍ତି ଉନ୍ମତ୍ତ-ରୂପଧରି ।। ୭୦ ।।
ସର୍ବରୂପ ଧରି ଫଣା ଉଭାରନ୍ତି ବଳେ ।
ଲହଲହ ବେନିଜିହ୍ୱା ବୁଲାଇ ଚଞ୍ଚଳେ ।। ୭୧ ।।
ଫୁ…ଫୁ… କରି ବିଷ କଣା ଜଳ ଦୃଷ୍ଟି ପ୍ରାୟେ ।
ଏ ରୂପେ ଧ୍ରୂବ ସମୀପେ ମିଳିଲେ ଥୋକାଏ ।। ୭୨ ।।
ମହିଷ ଆକାରେ ଗିରିଶୃଙ୍ଗ ଅଗ୍ରେ ଧରି ।
ଉପାଡନ୍ତି କୋପଭରେ ଲାଙ୍ଗୁଳି ଉଭାରି ।। ୭୩ ।।
ଭୂତଗଣେ ଧାମନ୍ତି ବିସ୍ତାରି ମହାକାୟେ ।
ବେନିପାଦ ଦିଶନ୍ତି ଖର୍ଜୁର ବୃକ୍ଷ ପ୍ରାୟେ ।। ୭୪ ।।
ମୁଖ ବିସ୍ତାରନ୍ତି କିବା ଭାକ୍ଷିବେ ଗଗନ ।
ନାସା ଅଗ୍ରେ ବହେ ଉନପଞ୍ଚାଶ ପବନ ।। ୭୫ ।।
ଉଲ୍ଲୁକ ଆକାରେ ପୁଣି ଫୁ..ଫୁ. ନାଦ କରି ।
ହୃଦୟ କମ୍ପାଇ ଧ୍ରୁବ ନିକଟରେ ମିଳି ।। ୭୬ ।।
ପିଶାଚେ ଧାବନ୍ତି ଭୟଙ୍କର ରୂପ ଧରି ।
ବାମେ ଛିନ୍ନଶିର ଦକ୍ଷେ ଖଡଗ ଉଭାରି ।। ୭୭ ।।
ଅଗ୍ନି-ନାସା ମହାହନୁ କରାଳ-ଦଶନେ ।
ଧ୍ରୁବର ସମୀପେ ଯେ ମିଳିଲେ ଘୋରବନେ ।। ୭୮ ।।
ବେନି ଶାଳବୃକ୍ଷ ବେନିକରେ ଉପାଡନ୍ତି ।
ଅନ୍ତକ-ପୁରୁଷ ପ୍ରାୟେ ନିକଟେ ମିଳନ୍ତି ।। ୭୯ ।।
ଭୈରବ-ନାଦରେ ଯେ କରନ୍ତି ହୁଂହୁଂକାର ।
ସେ ନାଦ ଶୁଣିଲେ ଆତ୍ମା କମ୍ପେ ଥରହର ।। ୮୦ ।।
ଡାକିନୀ ମିଳିଲେ ଯେ ହୁଙ୍କାର ନାଦ କରି ।
ରୋଦନ କରନ୍ତି ଶିଶୁ ବେନିପାଦ ଧରି ।। ୮୧ ।।
ଧ୍ରୁବର ନିକଟେ ଅତିକୋ ସେ ମିଳିଲେ ।
ମୃଣାଳ ପ୍ରାୟେକ ଶିଶୁ-ମୁଣ୍ତ ଚୋବାଇଲେ ।। ୮୨ ।।
ବଦନ ବିସ୍ତାରି ସେ ରୁଧିର ପାନ କରି ।
ଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ ।। ୮୩ ।।
ସୁଲଳିତ ପ୍ରାଣ ତୋର ଶୁଣରେ କୁମର ।
ସନ୍ତୋଷେ ରୁଧିର ପାନ କରିବି ତୋହର ।। ୮୪ ।।
ଦଣ୍ତେ ଯଦି ରହିପାରୁ ମୋହର ଛାମୁର ।
ମୃଣାଳର ପ୍ରାୟେ ଅସ୍ଥି ଚୋବାଇବି ତୋର ।। ୮୫ ।।
ଏମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେ ।
ଧ୍ରୁବ ଚାରିପାଶେ ଶୁଷ୍କକାଷ୍ଠ ରୁଣ୍ତକଲେ ।। ୮୬ ।।
ଦାବାଗ୍ନି ଲଗାଇ ଯେ ବିଞ୍ଚନ୍ତି କର-ପତ୍ରେ ।
ବୃଷ୍ଟିପ୍ରାୟ ଅଗ୍ନିକଣା ପଡେ ଧ୍ରୁବ-ଗାତ୍ରେ ।। ୮୭ ।।
ମଣ୍ତଳ ଆକାରେ ବୃକ୍ଷମାନ ଉପାଡ଼ନ୍ତି ।
ଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି ।। ୮୮ ।।
ଗଗନେ କ୍ଷେପନ୍ତି ତରୁଲତା କୋଟି କୋଟି ।
ଅନ୍ୟେ ଅନ୍ୟେ ବୃକ୍ଷ ଧରି ଚାହାଁନ୍ତି ତରାଟି ।। ୮୯ ।।
ଶତ ଶତ ଶୃଗାଳ ରାବନ୍ତି ଘନଘନେ ।
ଧ୍ରୁବପାଶେ ମିଳନ୍ତି ସେ କୁପିତ ଲୋଚନେ ।। ୯୦ ।।
ପୁଣି ଏକ ଡାକିନୀ ସୁନୀତି ରୂପ ଧରି ।
ଧ୍ରୁବର ସମୀପେ ମିଳେ ମାତୃସ୍ନେହ ଭରି ।। ୯୧ ।।
ହାହା ପୁତ୍ର ବୋଲି ବେନିକର ହୃଦେ ତାଡେ ।
କେଶ-ବାସ ଅସମ୍ଭାଳ ପୁଣ ପୁଣ ପଡେ ।। ୯୨ ।।
ବହୁମାୟା ବିନିର୍ମିତ ଚାଟୁବାକ୍ୟ କହେ ।
ଜନନୀ ବାଳକ ଭାବେ କେହୁ ବା ତା ସହେ ।। ୯୩ ।।
ଅତ୍ୟନ୍ତ କାରୁଣ୍ୟେ ପୁତ୍ରସ୍ନେହେ ସେ ରୋଦନ ।
ପୁଣି ସ୍ଥିର କରି ଚାହେଁ ଧ୍ରୁବର ବଦନ ।। ୯୪ ।।
ତୁହି ମୋର ଏକପୁତ୍ର ସଙ୍ଗେ କେହି ନାହିଁ ।
କେବଳ ତୋହର ଧ୍ୟାନେ ପ୍ରାଣ ମୁଁ ଧରଇ ।। ୯୫ ।।
ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁ ।
ତୋର ବନଗମନେ ଅଜ୍ଞାନ ମୋର ଦେହୀ ।। ୯୬ ।।
ତୋର ବିନୁ ମରଣ ନିକଟେ ମୋର ମିଳେ ।
କାଳସର୍ପ ପ୍ରାୟ ମୋତେ ନିରନ୍ତରେ ଜାଳେ ।। ୯୭ ।।
ତୋହର ଉଦ୍ଦେଶ୍ୟେ ମୁଁ ଅନେକ-ଗ୍ରାମ-ପୁରେ ।
ଖୋଜି ନ ପାଇଲି ବଳା ଅନେକ ପ୍ରକାରେ ।। ୯୮ ।।
ବନ-ଗିରି-କନ୍ଦର-ପାଟଣା-ପୁରେ ଖୋଜି
ପ୍ରାଣରକ୍ଷା କରଇ ଉଦକ-ପତ୍ର ଭୁଞ୍ଜି ।। ୯୯ ।।
ଯେଉଁ ଦିନୁ ମୋର ପୁରୁ ହୋଇଲୁ ବାହାର ।
ନିତ୍ୟେ ଲୁହ ସ୍ରବଇ କଣ୍ଠରେ ହାହାକାର ।। ୧୦୦ ।।
ଯେତେଦିନ ତୋହର ବିହୁନେ ଥିଲି ମୁହିଁ ।
ସପତ୍ନୀର ବଚନ ମୁଁ ନ ପାରଇ ସହି ।। ୧୦୧ ।।
ଦାବାଗ୍ନି ଯେସନେ ବନ ଦହେ ଅତି ବଳେ ।
ମୋର ପ୍ରାଣ ଦହିଲା ସପତ୍ନୀ ବାକ୍ୟାନଳେ ।। ୧୦୨ ।।
ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛି ।
ଶୟନ-ଭୋଜନ-ପାନ କିଛି ହିଁ ନ ଇଚ୍ଛି ।। ୧୦୩ ।।
ରାତ୍ରିଦିନ ଯୋଗୀ ପ୍ରାୟେ କରେ ତୋତେ ଧ୍ୟାନ ।
ସ୍ୱପନେ ଦେଖଇ ମୁଁ ଯେ ତୋହର ବଦନ ।। ୧୦୪ ।।
ତୋହର ବଦନ ପ୍ରତିଦିନ ମୁଁ ନ ଦେଖି ।
ତୋର ମୁଖ-ଧ୍ୟାନେ ମୋର ସ୍ରବେ ବେନିଆଖି ।। ୧୦୫ ।।
ତୋହର ମଧୁର-ବାକ୍ୟ ଶୁଭେ ମୋର କର୍ଣ୍ଣେ ।
ଏବେ ମୋତେ ନ ରୁଚଇ କୋକିଳ ବଚନେ ।। ୧୦୬ ।।
ତୋର ଅଙ୍ଗ-ସଙ୍ଗ-ଧୂଳି ମୋ ଅଙ୍ଗେ ଧୂସର ।
ଶୀତଳ-ତପତ ମୋତେ ନ ବାଧେ ଶରୀର ।। ୧୦୭ ।।
କେତେ ବନଗିରି ଯେ ସରିତ ସର କୂଳେ ।
ଭ୍ରମୁଅଛି ରାତ୍ରଦିବା ତୋହର ବିକଳେ ।। ୧୦୮ ।।
ତୋତେ ନ ଦେଖିଲେ ମୋର ହୋଇବ ମରଣ ।
ଅନ୍ତର୍ଗତ-ଅନଳେ ଦହଇ ରାତ୍ରଦିନ ।। ୧୦୯ ।।
ଚରଣ ଚାଲିବା ମୋ ବିବର୍ଣ୍ଣ ଦେଖ ବଳା ।
ସ୍ୱଭାବେ ରକ୍ତିମା ଥିଲା ଏବେ ଦେଖ କଳା ।। ୧୧୦ ।।
ଧ୍ରୁବ ବିନୁ ଅଧ୍ରୁବ ଦେଖଇ ବିଶ୍ୱ ମୁହିଁ ।
ଅନ୍ଧକାର ଦଶଦିଶ କିଛି ନ ଦିଶଇ ।। ୧୧୧ ।।
ନିତ୍ୟେ ଡାକ ହେଉ ଧାତା ରଖ ମୋର ପ୍ରାଣ ।
ଧ୍ରୁବ ଘେନି ତୋର ପାଦେ ପଶିଲି ଶରଣ ।। ୧୧୨ ।।
ତୁ ମୋର ଅନ୍ଧରଯଷ୍ଟି ଦେଖ ପୁତ୍ର ମୁଖ ।
ପୁତ୍ରକୁ ଉଦରେ ଧରି ପାଉଅଛି ଦୁଃଖ ।। ୧୧୩ ।।
ତୋର ଅଙ୍ଗ ସୁକୋମଳ ବାହୁ ସୁଲଳିତ ।
ବାବୁ ଏ ଦାରୁଣ-ତପ କଲୁ ବିପରୀତ ।। ୧୧୪ ।।
ଦୁଷ୍କର ସାଧନ ତପ ଅତି ଗୁରୁତର ।
କର୍ମସାଧ୍ୟ ପୁରୁଷକୁ ଅଟଇ ସୁନ୍ଦର ।। ୧୧୫ ।।
ଅଳ୍ପଲୋକେ କର୍ମ ସାଧ୍ୟ କେବେହେଁ ନୁହଇ ।
ନଜାଣି ଦୁଃସହ-କର୍ମ କିମ୍ପା ଭୁଞ୍ଜୁ ତୁହି ।। ୧୧୬ ।।
ସୁଲକ୍ଷଣ-ତନୁ ତୋର ସ୍ୱଭାବେ ସୁନ୍ଦର ।
ରାଜ-ଅଇଶ୍ୱର୍ଯ୍ୟ-ଭୋଗ ତୋତେ ନୁହେ ଦୂର ।। ୧୧୭ ।।
ଏ ବାଳ-ବୟସେ ତୋର ଖେଡ ନିରନ୍ତର ।
ସାତ-ପାଞ୍ଚ ବାଳକର ସଙ୍ଗତେ ବିହାର ।। ୧୧୮ ।।
କୁମାର-ବୟସେ ବିଦ୍ୟା ଅଭ୍ୟାସ କାରଣେ ।
ନାନା-ତର୍କ-ବିତର୍କ ଶବଦ-ଉଚାରଣେ ।। ୧୧୯ ।।
ପୁଣି ବିଶ୍ୱ ସଂସାରେ ସ୍ୱଧର୍ମ-କର୍ମ କରି ।
କୁଳ-ଶୀଳ-ଶୁଚିଯୁକ୍ତା କନ୍ୟୃା ଘରେ ବରି ।। ୧୨୦ ।।
ଧର୍ମ-ଧନ ସଞ୍ଚୟ ସନ୍ତତି ଜନ୍ମ କରି ।
ବିଷୟ-ସମ୍ମୋହେ ଚିତ୍ତ ଅତି ଦୃଢ଼େ ଧରି ।। ୧୨୧ ।।
ନାନା-ସୁଖେ ଭୋଗ କରି ଇନ୍ଦ୍ରିୟ ରୋଧନେ ।
ପଞ୍ଚାଶ-ବରଷେ ପୁଣି ପ୍ରବେଶିବୁ ବନେ ।। ୧୨୨ ।।
ନାନା-ଧର୍ମ ତପ ସାଧ୍ୟ କରି ବନବାସେ ।
ସନ୍ନ୍ୟାସ-ଗ୍ରହଣେ ଚିତ୍ତ ଯୋଗର ଅଭ୍ୟାସେ ।। ୧୨୩ ।।

ଏ ଜନ୍ମ-ମରଣ ଭାବ ଚିତ୍ତେ ପରିମାଣି ।
ନିର୍ବିକାର-ବ୍ରହ୍ମରୂପେ ପ୍ରବେଶନ୍ତି ପ୍ରାଣୀ ।। ୧୨୪ ।।
ସଂସାରର ଧର୍ମ ଏ ଯେ ପରମ-କାରଣ ।
ଏ ମୋର ବଚନ ପୁତ୍ର ସାବଧାନେ ଶୁଣ ।। ୧୨୫ ।।
ବାଲ୍ୟକାଳେ ତପସାଧି ସିଦ୍ଧ ନୋହେ କେବେ ।
ଚିତ୍ତ-ବୃତ୍ତି ଅତିଶୟ ସଚଞ୍ଚଳ ଯେବେ ।। ୧୨୬ ।।
ଶତ୍ରୁ-ପରାଭାବେ ଯେବେ ତପ ସାଧ୍ୟ କରେ ।
ହିଂସା-ଫଳ ଲଭେ ପ୍ରାଣୀ କେବେ ହେଁ ନ ତରେ ।। ୧୨୭ ।।
ଅଧର୍ମ-ତପ-ନିବୃତ୍ତି ହୁଅ ଏବେ ସୁତ ।
ଏ ସ୍ୱଭାବେ ନୁହେଁ ଧର୍ମ ସାଧୁଙ୍କର ମତ ।। ୧୨୮ ।।
ଏମନ୍ତ ବଚନ ଯହୁଁ ମାତୃଭାବେ ଶୁଣି ।
ସମାଧି-ଯୋଗରେ ଧ୍ରୁବ ମନେମନେ ଗୁଣି ।। ୧୨୯ ।।
ବିଚାରଇ ଜନନୀ ଏ ନୋହଇ ମୋହର ।
ନିଶ୍ଚୟେ ଜାଣିଲି ଏ ଆସୁରୀ-ମାୟା ଘୋର ।। ୧୩୦ ।।
ଏମନ୍ତ ବିଚାରି ମନ-ନିଶ୍ଚଳେ ରହିଲା ।
ରଖ ହେ ଗୋବିନ୍ଦ ବୋଲି ଶରଣ ପଶିଲା ।। ୧୩୧ ।।
ସମସ୍ତ ଦେବତା ମିଳି ଇନ୍ଦ୍ରର ବଚନେ ।
ଯେତେ-ମାୟା ପ୍ରାକଶିଲେ ଧ୍ରୁବ ସନ୍ନିଧାନେ ।। ୧୩୨ ।।
ଧ୍ରୁବ-ତପ-ଭଙ୍ଗେ କେହି ସମର୍ଥ ନୋହିଲେ ।
ବିଷ୍ଣୁ-ଚକ୍ର-ତେଜ ଧ୍ରୁବ ନିକଟେ ଦେଖିଲେ ।। ୧୩୩ ।।
ସକଳେ ଭାଜିଲେ ତେଜ ଦେଖି ଧ୍ରୁବଦେହେ ।
ନିଶି ଅନ୍ଧକାର ଯେହ୍ନେ ତପନ ଉଦୟେ ।। ୧୩୪ ।।
ସର୍ବଭୂତେ ଧ୍ରୁବର ଚରଣେ ପ୍ରଣମିଲେ ।
ବ୍ୟର୍ଥ-ମନୋରଥେ ନିଜ ଭୁବନେ ମିଳିଲେ ।। ୧୩୫ ।।
ଇନ୍ଦ୍ର-ଆଦି ଦିଗପାଳେ ଭୂତବଳ ଭଗ୍ନେ ।
ପୁଣି ବିଚାରନ୍ତି ବସି ବିଘ୍ନ-ଅନୁମାନେ । ୧୩୬ ।।
ବିଘ୍ନ କରି ନ ପାରି ସକଳ ଦେବଗଣେ ।
ଶରଣ ପଶିଲେ ଯାଇ ଶ୍ରୀହରି ଚରଣେ ।। ୧୩୭ ।।
ନାରାୟଣ ଚରଣେ ମନିଲେ ଦେବଗଣ ।
ଦେଖି ହରି ପ୍ରଶ୍ନ କଲେ ଗମନ କାରଣ ।। ୧୩୮ ।।
ଗୋବିନ୍ଦ ବଚନ ଶୁଣି ଶିରେ କରଯୋଡି ।
ଦେବଗଣେ କହନ୍ତି ଚରଣତଳେ ପଡି ।। ୧୩୯ ।।

ଗଣ–ଉବାଚ

ଉତ୍ତାନ ପାଦର ପୁତ୍ର ଧ୍ରୁବ ତପ-ବଳେ
ସମୁଦ୍ର-ଗିରି ସହିତେ ଧରଣୀ କମ୍ପିଲେ ।। ୧୪୦ ।।
ଆମ୍ଭେ ରହି ନ ପାରିଲୁ ଗଗନ-ମଣ୍ତଳେ ।
ତାର ତପେ କମ୍ପିଲେ ସକଳ-ଦିଗପାଳେ ।। ୧୪୧ ।।
ତ୍ରୈଲୋକ୍ୟ ସକଳେ କେହି ନ ପାରିଲୁ ରହି ।
ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ ।। ୧୪୨ ।।

ମୈତ୍ରେୟ ଉବାଚ

ଏମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣି ।
ଅଧୋମୁଖେ ହରଷେ ରହିଲେ ଚକ୍ରପାଣି ।। ୧୪୩ ।।
ଧ୍ରୁବ-ତପେ ହୀନ-ତେଜ ଦେଖି ଦେବଗଣ ।
ହରଷେ କହନ୍ତି ଧ୍ରୁବ ତପର କାରଣ ।। ୧୪୪ ।।

ଭଗବାନ ଉବାଚ

ମୋହର ବଚନ ଏବେ ଶୁଣ ଦେବଗଣେ ।
ଯେ ନିମିତ୍ତେ ଧ୍ରୁବ ତପ କରଇ ଅରଣ୍ୟେ ।। ୧୪୫ ।।
ପିତା-ଜାନୁ-ଆରୋହଣେ ଧ୍ରୁବ ଇଚ୍ଛା କଲା ।
ତାହା ଦେଖି ମାତୃ-ସପତଣୀ ଝିଙ୍ଗାସିଲା ।। ୧୪୬ ।।
ତାରବାକ୍ୟ-କୁଳିଶରେ ହୃଦୟେ ଦହିଲା ।
ମାତାର ବଚନେ ଧ୍ରୁବ ତପ ଅଚରିଲା ।। ୧୪୭ ।।
ଘୋର-ତପବଳେ ତାକୁ ଆମ୍ଭେ ବର ଦେବୁ ।
ତ୍ରିଲୋକ ଉପରେ ନେଇ ଧ୍ରୁବେ ବସାଇବୁ ।। ୧୪୮ ।।
ତୁମ୍ଭ ଅଧିକାରେ ପ୍ରୟୋଜନ ନାହିଁ ତାର ।
ନିଶ୍ଚିନ୍ତେ ଗମନ ଦେବେ କର ନିଜପୁର ।। ୧୪୯ ।।
ବିଷ୍ଣୁ-ଭକ୍ତ-ପ୍ରାଣୀ ବିଷ୍ଣୁ ପ୍ରାୟେ ଦେଖେ ସର୍ବ ।
କେବେ ହେଁ ଅପରବଳ ନ କରଇ ଖର୍ବ ।। ୧୫୦ ।।
ତାର ତପ ଦେଖି କୋପ ନ କରିବ ଚିତ୍ତେ ।
ନିରତେ ରହିବ ସର୍ବପ୍ରାଣୀଙ୍କର ହିତେ ।। ୧୫୧ ।।
ଆମ୍ଭର ଆଦେଶେ ଧ୍ରୁବ-ସ୍ଥାନେ ସେ ବସିବ ।
ତୁମ୍ଭ ଦିଗପାଳ-ପଦ ନିଶ୍ଚଳେ ରହିବ ।। ୧୫୨ ।।

ମୈତ୍ରେୟ ଉବାଚ

ଏମନ୍ତ ବିଷ୍ଣୁର ବାକ୍ୟ ଶୁଣି ସାବଧାନେ ।
ନିଜପୁରେ ଦିଗପାଳେ ଗଲେ ତୋଷମନେ ।। ୧୫୩ ।।
ଶୁକ କହେ ଶୁଣ ପରୀକ୍ଷିତ ନୃପମଣି ।
ଧ୍ରୁବତପେ ତାରେ ଦୟା କଲେ ଚକ୍ରପାଣି ।। ୧୫୪ ।।
ଗରୁଡ ଆସନେ ବସି ଚତୁର୍ଭୁଜ ରୂପେ ।
କାତିନ୍ଦୀ-ତଟେ ମିଳିଲେ ଧ୍ରୁବର ସମୀପେ ।। ୧୫୫ ।।
ମଧୁର-ବଚନେ କିବା ଅମୃତ-ବରଷେ ।
ସର୍ବଦେବ ଦେଖୁଛନ୍ତି ବିସ୍ମିତେ ଆକାଶେ ।। ୧୫୬ ।।
ଧ୍ରୁବକୁ ଅନାଇ ହରି ପ୍ରସନ୍ନ-ବଦନେ ।
ତପ-ତେଜ-ଶାନ୍ତିକର ଅମୃତ ବଚନେ ।। ୧୫୭ ।।

ଭଗବାନ ଉବାଚ

ବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେ ।
ତପିଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ ।। ୧୫୮ ।।
ବାଳକ-ଶରୀର ତୋର ଅତି ସୁକୁମାର ।
କିମ୍ପା ବନବାସେ ତୋର ତପସ୍ୟ କଠୋର ।। ୧୫୯ ।।
ଏମନ୍ତ ବଚନ ବିଷ୍ଣୁ ମୁଖୁ ଶୁଣି ଧ୍ରୁବ ।
କଠୋର-ସମାଧି ଛାଡି ବହେ ମୃଦୁ ଭାବ ।। ୧୬୦ ।।
ଅମୃତ-ସମାନ ବିଷ୍ଣୁ ବଚନ ଶୁଣିଲା ।
ଉନ୍ମୀଳ-ଲୋଚନେ ଉର୍ଦ୍ଧ୍ୱ‌ମୁଖେ ଅନାଇଲା ।। ୧୬୧ ।।
ଇନ୍ଦ୍ର-ନୀଳମଣି-ରୂପ ଗଗନେ ପ୍ରକାଶେ ।
ନୀଳୋତ୍ପଳ-ସମୂହ କି ଦିଶେ ଦଶଦିଶେ ।। ୧୬୨ ।।
ଗଗନ-ମଣ୍ତଳ-ସରୋବର ପ୍ରାୟ ହୋଇ ।
ଲକ୍ଷ୍ମୀଦେବୀ କଟାକ୍ଷେ କି ଜଗତ ମୋହଇ ।। ୧୬୩ ।।
କାଦମ୍ବିନୀ ମଧ୍ୟେ ଯେହ୍ନେ ଚପଳା ବିରାଜେ ।
ଦିବ୍ୟ-ସରୋବର କିବା ନୀଳୋତ୍ପଳ ସାଜେ ।। ୧୬୪ ।।
ଅଗ୍ରତେ ଦେଖଇ ପୀତାମ୍ବର-ପରିଧାନ ।
ଆକାଶ-ମେରୁରେ ହେମ ବେଷ୍ଟିତ ଯେସନ ।। ୧୬୫ ।।
ଯେଣେ ଧ୍ରୁବ ଚାହଁଇ ସେ ଉନ୍ମୀଳଲୋଚନେ ।
ସର୍ବଦିଗେ ବିରାଜନ୍ତି ଗରୁଡ ଆସନେ ।। ୧୬୬ ।।
ଧ୍ରୁବ ବିଚାରଇ ବିଷ୍ଣୁ ରୂପ ଏ ପ୍ରମାଣ ।
ମନ୍ତ୍ରଦୀକ୍ଷା କାଳେ କହିଛନ୍ତି ମୁନିଗଣ ।। ୧୬୭ ।।
ପୁଣି ଉଠି ପୁଣି ଲୋଟି କରଇ ରୋଦନ ।
ପିତାର ପ୍ରାୟେକ ମଣେ ବିଷ୍ଣୁ ଆଗମନ ।। ୧୬୮ ।।
ବହୁକାଳ ପରେ ପିତା-ପୁତ୍ର ଦରଶନ ।
ବାଳକ ସ୍ୱଭାବେ ଧ୍ରୁବ କରଇ ରୋଦନ ।। ୧୬୯ ।।
ବିଷ୍ଣୁ-ପାରିଷଦଗଣ ମିଳିଲେ ପ୍ରତ୍ୟକ୍ଷେ ।
ମଙ୍ଗଳ ଶବଦ ସ୍ତୁତି କରି ଅନ୍ତରୀକ୍ଷେ ।। ୧୭୦ ।।
ସନନ୍ଦ ନାରଦ ସନକାଦି ମୁନି ଯେତେ ।
ସିଦ୍ଧଗଣ ସାଧ୍ୟଗଣ ଯୋଗୀନ୍ଦ୍ର ସମେତ ।। ୧୭୧ ।।
ପୁତ୍ର ଦୁଃଖ ଦେଖି ଯେହ୍ନେ ପିତା ଦୟାକରେ ।
ଧ୍ରୁବକୁ ଧଇଲେ ପ୍ରଭୁ ତୋଳି ବେନିକରେ ।। ୧୭୨ ।।
ଧୂଳିରେ ଧୂସର ତନୁ ଝାଡି ସ୍ନେହଭରେ ।
ବେନି-ଭୁଜେ ଆଲିଙ୍ଗିଲେ ପୁଲକ-ଶରୀରେ ।। ୧୭୩ ।।
ବିଷ୍ଣୁକର ଲାଗି ଧ୍ରୁବ ତପ-ଦୁଃଖ ଗଲା ।
କୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ କରି ଧ୍ୟାନ ।
ବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ ।। ୧୭୪ ।।
ସେ ହରି-ଚରଣେ ନିତ୍ୟେ କର ଦୃଢ଼ଭାବ ।
ଭକତି-ବୋଇତେ ଭବ-ସଂସାରୁ ତରିବ ।। ୧୭୫ ।।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଧ୍ରୁବଚରିତଂ ନାମ ନବମୋଽଧ୍ୟାୟଃ ।

ଦଶମ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ବିଷ୍ଣୁ-କର ସ୍ପରଶେ ଧ୍ରୁବର ଧ୍ରୁବମତି ।
ଶ୍ରୀହରି ଚରଣ ଚାହିଁ ଆରମ୍ଭିଲା ସ୍ତୁତି ।। ୧ ।।

ଧ୍ରୁବ ଉବାଚ

ହର ପ୍ରଜାପତି ଯା ଶରୀରୁ ଜାତ ହୋଇ ।
ପାଳନ-ସଂହାର କରେ ଯାର ଆଜ୍ଞା ପାଇ ।। ୨ ।।
ତୁହି ସେ ହିରଣ୍ୟଦାତା ତୁ ହିରଣ୍ୟତ୍ରାତା ।
ନମସ୍ତେ ହିରଣ୍ୟରୂପ ସୁଖମୟ ଧାତା ।। ୩ ।।
ହିରଣ୍ୟକଶ୍ୟପ ବପୁ ନଖେ ବିଦାରଣ ।
ମାୟାଭୂତଙ୍କର ଆତ୍ମା ବହୁ ତୁ କାରଣ ।। ୪ ।।
ଏଣୁ ଭୂତଙ୍କର ଗତି-ପତି ରୂପ ହୋଇ ।
ସ୍ଥିତି ହେତୁ ବିଷ୍ଣୁ -ଗର୍ଭ ବିଷ୍ଣୁ ରୂପ ବହି ।। ୫ ।।
ଶ୍ରୀକୃଷ୍ଣ ଜଳଦଶ୍ୟାମ ରୂପ ଯେ ତୋହର ।
ମହାଭାରା-ସହିଷ୍ଣୁ ତୁ କୂର୍ମରୂପ-ଧର ।। ୬ ।।
ଅସୁର-ଅରଣ୍ୟେ ମହାଦାବାନଳ ରୂପେ ।
ଦୈତ୍ୟ-ଦ୍ରୁମ ଛେଦନେ କୁଠାର ବହୁ ଦର୍ପେ ।। ୭ ।।
ଶାର୍ଙ୍ଗଧନୁ କରେ ଧରି ରିପୁବଳ ନାଶି ।
କୌମୋଦକୀ ଗଦା ତେଜେ କଉଣପ ଧ୍ୱଂସି ।। ୮ ।।
ମହାଦନୁଜ ନାଶନେ ନନ୍ଦକ ଧାରଣ ।
ନମୋ ଲକ୍ଷ୍ମୀପତି ଦକ୍ଷକରେ ସୁଦର୍ଶନ ।। ୯ ।।
ବାସୁଦେବ ନମୋ ନମୋ ଦେବକୀନନ୍ଦନ ।
ସଙ୍କର୍ଷଣ ଅନିରୁଦ୍ଧ ଅବ୍ୟକ୍ତ କାରଣ ।। ୧୦ ।।
ନମୋନମୋ ଯଜ୍ଞେଶ୍ୱର ପରମକାରଣ ।
ନମସ୍ତେ ନମସ୍ତେ ପ୍ରଭୁ କେଶୀ ବିମର୍ଦ୍ଦନ ।। ୧୧ ।।
କଂସ-ବିନାଶନ ଯେ ଚାଣୂର ପ୍ରାଣହାରୀ ।
ନିଗୂଢ଼-ବନ୍ଧନୁ ମାତା ପିତାଙ୍କୁ ଉଦ୍ଧରି ।। ୧୨ ।।
ଦାମୋଦର ହୃଷୀକେଶ ଗୋବିନ୍ଦ ଅଚ୍ୟୁତ ।
ମାଧବ ଉପେନ୍ଦ୍ର ଯେ କୈଟଭ-ପ୍ରାଣହତ ।। ୧୩ ।।
ନାରାୟଣ ନରକ-ନାଶନ ପାପହାରୀ ।
ବାମନକୁ ନମୋ ନମ ନମୋ ଗଦାଧାରୀ ।। ୧୪ ।।
ଅନନ୍ତାୟ ଅନନ୍ତ ଶୟନେ ବନମାଳୀ ।
ରୁକ୍ମିଣୀବଲ୍ଲଭ ରୁକୁ-ଦର୍ପ ହେଳେ ବଳି ।। ୧୫ ।।
ଶିଶୁପାଳ ପ୍ରାଣହର ଅସୁରଦଳନ ।
ଦାନବ ଅନ୍ତକ ଜୟ କୃଷ୍ଣ ନାରାୟଣ ।। ୧୬ ।।
ମୁକୁନ୍ଦ ପରମାନନ୍ଦ ନନ୍ଦ-ଗୋପବାଳ ।
ନମସ୍ତେ ପୁଣ୍ତରୀକାକ୍ଷ ଦନୁଜେନ୍ଦ୍ର କାଳ ।। ୧୭ ।।
ନମୋ ଗୋପରୂପ-ଧର ବେଣୁବାଦ୍ୟକାରୀ ।
ଗୋପୀପ୍ରିୟ କେଶୀରିପୁ ଗୋବର୍ଦ୍ଧନଧାରୀ ।। ୧୮ ।।
ରାମ ରଘୁନାଥ ଯେ ରାବଣ-ପ୍ରାଣହାରୀ ।
ବିଭୀଷଣ-ଶର ଅଭୟ-ପଦକାରୀ ।। ୧୯ ।।
ଅଜୟ ତୁ ଜୟରୂପେ ରଣରଙ୍ଗେ ବୀର ।
ଯୋଗ ଆଦି କାଳକଳ୍ପେ ନାନାରୂପ ଧର ।। ୨୦ ।।
ମାୟାବୀଙ୍କ ଗୁରୁ ଗଦା-ଚକ୍ର କରେ ଶୋହେ ।
ଦୈତ୍ୟଚକ୍ର-ବିମର୍ଦ୍ଦନ ବିଶ୍ୱରୂପ ବହେ ।। ୨୧ ।।
ବଳେ ବଳଭଦ୍ର ନାମ ବଳାରାତି-ପ୍ରିୟ ।
ବଳିଯଜ୍ଞ ଭଞ୍ଜନ ଭକତ-ସ୍ନେହମୟ ।। ୨୨ ।।
ରଣପ୍ରିୟ ହିରଣ୍ୟକଶିପୁ ବିଦାରଣ ।
ନମସ୍ତେ ପରମବ୍ରହ୍ମ ନମୋ ନାରାୟଣ ।। ୨୩ ।।
ସତ୍ୟଗୁଣେ ଧର୍ମରୂପ ଧରୁ ଅନ୍ତରୀକ୍ଷେ ।
ସକଳ ଜଗତ-ଜୀବ ପାଳୁ ତୁ ପ୍ରତ୍ୟକ୍ଷେ ।। ୨୪ ।।
ସହସ୍ର-ଶୀର୍ଷ ନମସ୍ତେ ସହସ୍ରବଦନ ।
ସହସ୍ର-ବାହୁ ନାସିକା ସହସ୍ର-ଶ୍ରବଣ ।। ୨୫ ।।
ସର୍ବଭୂତ ଅନ୍ତଶ୍ଚକ୍ଷୁ ସହସ୍ର-ଚରଣ ।
ଦିବସେ କିରଣ ରୂପ ସହସ୍ର-କିରଣ ।। ୨୬ ।।
ସହସ୍ର-ମୂରତି ଲକ୍ଷ୍ମୀକାନ୍ତ ଦିବ୍ୟଦେହ ।
ସୁଯଜ୍ଞ-ପୁରୁଷ ତୁ ସକଳ-ହବିର୍ବହ ।। ୨୭ ।।
ତୋହର ସ୍ୱରୂପ ବେଦପୁରୁଷେ ଜାଣନ୍ତି ।
ବେଦପ୍ରିୟ ବୋଲି ତୋତେ କରୁଥାନ୍ତି ସ୍ତୁତି ।। ୨୮ ।।
ଦେବଙ୍କ ବଚନେ ଦେବ ବେଦବିଦ୍ୟା ତୁହି ।
ସଦାଚାର-ମାର୍ଗେ ତୋର ଗମନ ଅଟଇ ।। ୨୯ ।।
ନମୋ ବଇକୁଣ୍ଠ ରୂପ ବିକୁଣ୍ଠ-ନନ୍ଦନ ।
ବଇକୁଣ୍ଠବାସୀ ନିର୍ବିକାର ନିରଞ୍ଜନ ।। ୩୦ ।।
ନମସ୍ତେ ଶ୍ରୀବିଷ୍ଣୁ ନମୋ ଗରୁଡ-ବାହନ ।
ବିଶ୍ୱକ୍‌ସେନ ନମୋ ଜଗନ୍ନାଥ ଜନାର୍ଦ୍ଦନ ।। ୩୧ ।।
ତ୍ରିବିକ୍ରମ ପାଦେ ନମୋ ନମ ସତ୍ୟପ୍ରିୟ ।
ମାୟା ବିଶ୍ୱରୂପ ତୁ କେଶବ ଦିବ୍ୟଦେହ ।। ୩୨ ।।
ନମ ତପସ୍କର ତପରୂପ ତୋ ଶରୀର ।
ତପଫଳ-ସିଦ୍ଧିଦାତା ତୁ ସେ ଦାମୋଦର ।। ୩୩ ।।
ସ୍ତୁତିର ନିଧାନ ସ୍ତୁତି-ଦେବ ସ୍ତୁତିପ୍ରିୟ ।
ଭକ୍ତ-ସ୍ତୁତି-ନିହିତ ତୋହର ନିଜ ଦେହ ।। ୩୪ ।।
ନମ ଶ୍ରୁତିପ୍ରିୟ ସତ୍ୟାଚାର ଜଗନ୍ନାଥ ।
ଶ୍ରୁତିଜ୍ଞାନ-ସମ୍ପାଦିତ ତୋର ନିଜ ଗାତ୍ର ।। ୩୫ ।।
ଭକତବତ୍ସଳ କୃଷ୍ଣ ଜୟ ଯୁଗରୂପୀ ।
ଚତୁଃରୂପେ ଚଉଦଭୁବନେ ଦେହବ୍ୟାପୀ ।। ୩୬ ।।
ଦେବଗଣ ମଧ୍ୟେ ତୁ ବୋଲାଉ ସୁନାସୀର ।
ନବଗ୍ରହ ମଧ୍ୟେ ତୁ ବୋଲାଉ ଦିବାକର ।। ୩୭ ।।
ଚତୁର୍ଦ୍ଦଶ ଲୋକେ ବ୍ରହ୍ମଲୋକ ତୋ ଶରୀର ।
ସପତ-ଜଳଧି ମଧ୍ୟେ କ୍ଷୀରସିନ୍ଧୁ ସାର ।। ୩୮ ।।
ନଦୀଙ୍କର ମଧ୍ୟେ ଗଙ୍ଗା ସର୍ବପାପହର ।
ସରୋବର ମଧ୍ୟେ ତୁହି ମାନସରୋବର ।। ୩୯ ।।
ଗିରି ମଧ୍ୟେ ହିମାଳୟ ଏ ତୋହର ତନୁ ।
ଧେନୁଙ୍କ ମଧ୍ୟରେ ତୁ ବୋଲାଉ କାମଧେନୁ ।। ୪୦ ।।
ଧାତୁ ମଧ୍ୟେ ସୁବର୍ଣ୍ଣ ସ୍ପଟିକ ପ୍ରାୟ ଦେହ ।
ପୁଷ୍ପଙ୍କର ମଧ୍ୟେ ନୀଳୋତ୍ପଳ ପ୍ରାୟେ କାୟ ।। ୪୧ ।।
ସର୍ବଶାଖା ମଧ୍ୟେ ତୁ ଯେ ତୁଳସୀ ବୋଲାଉ ।
ଶିଳାଙ୍କର ମଧ୍ୟେ ଶାଳଗ୍ରାମ ରୂପ ବହୁ ।। ୪୨ ।।
ମୁକ୍ତିକ୍ଷେତ୍ର ମଧ୍ୟେ ବାରାଣସୀ ତୋର ନାମ ।
ତୀର୍ଥଙ୍କର ମଧ୍ୟେ ତୁ ପ୍ରୟାଗ ନିଜ ଧାମ ।। ୪୩ ।।
ବର୍ଣ୍ଣଙ୍କର ମଧ୍ୟେ ଶୁକ୍ଳବର୍ଣ୍ଣ ରୂପ ତୋର ।
ମନୁଷ୍ୟଙ୍କ ମଧ୍ୟେ ତୁ ବୋଲାଉ ବିପ୍ରବର ।। ୪୪ ।।
ପକ୍ଷୀଙ୍କର ମଧ୍ୟେ ତୁ ବିନତାସୁତ ହରି ।
ବ୍ୟବହାରେ ରହୁ ତୁ ବଚନ ରୂପ ଧରି ।। ୪୫ ।।
ବେଦବାକ୍ୟ ମଧ୍ୟେ ବ୍ରହ୍ମଭାଗ ତୋ ଶରୀର ।
ମନ୍ତ୍ରଙ୍କର ମଧ୍ୟରେ ତୁ ପ୍ରଣବ ଓଁକାର ।। ୪୬ ।।
ଅକ୍ଷରଙ୍କ ମଧ୍ୟେ ତୁ ଅ କାର ଉଚ୍ଚାରଣ ।
ଯଜ୍ଞଙ୍କର ମଧ୍ୟେ ସୋମରୂପ ତୁ କାରଣ ।। ୪୭ ।।
ପ୍ରଭାଙ୍କର ମଧ୍ୟେ ଅଗ୍ନିଦେବଙ୍କ ବଦନ ।
କ୍ଷମାବନ୍ତ ମଧ୍ୟେ ତୁମ୍ଭେ ଯେ ସର୍ବସହନ ।। ୪୮ ।।
ଦାତାଙ୍କର ମଧ୍ୟେ ଘନରୂପୀ ଶୂନ୍ୟବାସୀ ।
ପବିତ୍ରଙ୍କ ମଧ୍ୟେ ତୁ ବୋଲାଉ ପୁଣ୍ୟରାଶି ।। ୪୯ ।।
ସର୍ବଶସ୍ତ୍ର ମଧ୍ୟେ ଧନୁରୂପ ତୋ ଶରୀର ।
ବେଗବନ୍ତ ମଧ୍ୟେ ତୁମ୍ଭେ ବୋଲାଅ ସମୀର ।। ୫୦ ।।
ଇନ୍ଦ୍ରିଗଣ ମଧ୍ୟରେ ତୁ ମନ ନିର୍ଚିକାର ।
ସର୍ବବ୍ୟାପୀ ମଧ୍ୟେ ବ୍ୟୋମ ଅତି ଅଗୋଚର ।। ୫୧ ।।
ଆତ୍ମାଙ୍କର ମଧ୍ୟେ ତୁ ପରମଆତ୍ମା ହେଉ ।
ସର୍ବକର୍ମ ମଧ୍ୟେ ପୂର୍ବସନ୍ଦ୍ୟା ତୁ ବୋଲାଉ ।। ୫୨ ।।
ଯଜ୍ଞ ମଧ୍ୟେ ଅଶ୍ୱମେଧ ନାମଦ ନିର୍ଭୟ ।
ଲାଭଙ୍କର ମଧୋ ପୁତ୍ରଲାତ ତୁ ଉଦୟ ।। ୫୩ ।।
ଯୁଗଙ୍କର ମଧ୍ୟେ ତୁପ୍ରଥମ ସତ୍ୟଯୁଗ ।
ଷଡଋତୁ ମଧ୍ୟେ ତୁ ବସନ୍ତ ବଲଭୋଗ ।। ୫୪ ।।
ପଞ୍ଚଦଶ-ତିଥି ମଧ୍ୟେ କୁହୁ ତୁ ବୋଲାଉ ।
ନକ୍ଷତ୍ରଙ୍କ ମଧ୍ୟେ ପୁଷ୍ୟା ରୂପେ ଉଦେ ହେଉ ।। ୫୫ ।।
ପଞ୍ଚପର୍ବ ମଧ୍ୟେ ତୁ ବୋଲାଉ ସଙ୍କ୍ରମଣ ।
ଯୋଗେ ବ୍ୟତିପାତ ତୃଣ ମଧ୍ୟେ ଦର୍ଭ ପୁଣ ।। ୫୬ ।।
ସର୍ବବୃକ୍ଷ ମଧ୍ୟେ ତୁ ଅଶ୍ୱତ୍ଥ ବାସୁଦେବ ।
ଲତାଙ୍କର ମଧ୍ୟେ ସୋମଲତା ପଦ୍ମନାଭ ।। ୫୭ ।।
ସର୍ବମନ୍ତ୍ର ମଧ୍ୟେ ତୁ ପ୍ରଥମ ପ୍ରାଣାୟମ ।
ସର୍ବଲିଙ୍ଗ ମଧ୍ୟେ ବିଶ୍ୱେଶ୍ୱର ତୋର ନାମ ।। ୫୮ ।।
ସର୍ବକର୍ମ ଉପରେ ନିର୍ବାଣଦାତା ତୁହି ।
ସର୍ବବୁଦ୍ଧି ମଧ୍ୟେ ଧର୍ମବୁଦ୍ଧି ତୁ ଗୋସାଇଁ ।। ୫୯ ।।
ମିତ୍ର ମଧ୍ୟେ ପତ୍ନୀ ତୁହି ବନ୍ଧୁ ମଧ୍ୟେ ଧର୍ମ ।
ଚରାଚର ମଧ୍ୟେ ନାହିଁ ତୋହ ତହୁଁ ଆନ ।। ୬୦ ।।
ତୁ ସେ ମାତାପିତା ବନ୍ଧୁ ତୁ ସେ ମହାଧନ ।
ସର୍ବ ସୁଖ ସମ୍ପଦ ତୁ ଜୀବର ଜୀବନ ।। ୬୧ ।।
ତାହାକୁ ସେ କଥା ବୋଲି ଯହିଁ ତୋର ନାମ ।
ସେ ମନକୁ ମନ ବୋଲି ଯହିଁ ତୋର ଧ୍ୟାନ ।। ୬୨ ।।
ଯେ କର୍ମ ତୋହର ଅର୍ଥେ କରି ସେହି କର୍ମ ।
ତାହା ଛାଡି ଅନ୍ୟମାର୍ଗେ ଯେତେ କରି ଭ୍ରମ ।। ୬୩ ।।
ତୁମ୍ଭର ସ୍ମରଣକୁ ଯେ ବୋଲି ଘୋରତପ ।
ଧନ୍ୟ ଧନ୍ୟ ବୋଲି ଯେ ସେବନ୍ତି ତୋର ରୂପ ।। ୬୪ ।।
ତୋର କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ବହି ।
ସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି ।। ୬୫ ।।
ଯେତେବେଳେ ଧ୍ୟାନମତେ ହୃଦେ ରହୁ ତୁହି ।
ତେତେବେଳେ ଜୀବନର ସୁଫଳ ଫଳଇ ।। ୬୬ ।।
ତବ ପାଦ-ଉଦକ ସକଳ-ବ୍ୟାଧି ହରେ ।
ଧର୍ମ-ଅର୍ଥ-କାମ-ମୋକ୍ଷ ଚତୁର୍ବର୍ଗ ସ୍ଫୁରେ ।। ୬୭ ।।
ବହୁ-ଜନ୍ମାନ୍ତରେ ଯେ ଅର୍ଜିତ ପାପଫଳ ।
ତୋର ନାମେ ଦହେ ଯେହ୍ନେ ବନେ ଦାବାନଳ ।। ୬୮ ।।
ବାସୁଦେବ-ସ୍ମରଣେ ଯାହାର ଅନ୍ୟ-ମତି ।
କେବେହେଁ ନ ଲଭେ ନାଥ ଆତ୍ମା ସଦଗତି ।। ୬୯ ।।
ପ୍ରାଣୀଙ୍କର ମାୟାମୋହ ପ୍ରମାଦଟି ସେହି ।
କୃଷ୍ଣକଥା ଛାଡି ଅନ୍ୟେ ପୀରତି କରଇ ।। ୭୦ ।।
ସେହିଟି ମଙ୍ଗଳ ମହାଧନ-ଅରଜନ ।
ଜୀବନର ସୁଗତିଟି ଗୋବିନ୍ଦ-କୀର୍ତ୍ତନ ।। ୭୧ ।।
ଧର୍ମ-ଅର୍ଥ-କାମ-ମୋକ୍ଷ ହରି-ଉଚାରଣେ ।
ଯାବତ ଜୀବନ ରହେ ପରମ-କାରଣେ ।। ୭୨ ।।
ଏହି ପାପ-ଦୁଃଖମୟ ଅନିତ୍ୟ ସଂସାରେ ।
ବାସୁଦେବ ସ୍ତୁତି ଛାଡି ଯେ ଅନ୍ୟ ଉଚ୍ଚାରେ ।। ୭୩ ।।
ହରି ଆରାଧନ ଜ୍ଞାନ ଯେ କରେ ସଂସାରେ ।
ପୁତ୍ର ମିତ୍ର କଳତ୍ର ତା ମୋକ୍ଷ ଅଧିକାରେ ।। ୭୪ ।।
କଳୁଷ ହରଇ ଆଧିବ୍ୟାଧି ନାଶ କରେ ।
ଧର୍ମଜ୍ଞାନ ପ୍ରସରଇ ଯେବା ଅନୁସରେ ।। ୭୫ ।।
ତୋହୋର ଚରଣଯୁଗେ ଯେବା ଆଶ୍ରେ କରେ ।
ସାଧୁଜନ ପ୍ରସଙ୍ଗରେ ସର୍ବପାପହରେ ।। ୭୬ ।।
ଅଜ୍ଞାନେ ଅନଳ ଯେହ୍ନେ ଶରୀର ଦହଇ ।
ବିମନେ ଶୁଣିଲେ ନାମ ଦୁରିତ ନାଶଇ ।। ୭୭ ।।
ଏହିଟି ପରମଧର୍ମ ଏ ପରମତେଜ ।
ଯାର ଦେହେ ନିତ୍ୟେ ଲାଗେ ହରିପାଦରଜ ।। ୭୮ ।।
ଭକ୍ତିଯୋଗେ ବିଷ୍ଣୁର ନିର୍ମାଲ୍ୟ ଯେ ଭକ୍ଷଇ ।
ଅଶେଷ କୋଟି ଜନ୍ମ ପାପକୁ ନାଶଇ ।। ୭୯ ।।
ବିଷ୍ଣୁ-ପାଦୋଦକ ଶଙ୍ଖେ ଭରି ସ୍ନାନ କରେ ।
ଗଙ୍ଗାସ୍ନାନ ଦାଦ ଫଳ ଲଭଇ ସତ୍ୱରେ ।। ୮୦ ।।
ଶାଳଗ୍ରାମ ଶିଳା ଯେ ତୁଳସୀ ଦଳେ ପୂଜେ ।
ପାରିଜାତ ମାଳା ହୃଦେ ବସେ ସ୍ୱର୍ଗରାଜ୍ୟେ ।। ୮୧ ।।
ବିପ୍ର ଆଦି ଚାରିବର୍ଣ୍ଣ ଅନ୍ୟ ଜାତି ଯେତେ ।
ସକଳେ ପୂଜା କରନ୍ତି ବିଷ୍ଣୁର ଭକତେ ।। ୮୨ ।।
ଶଙ୍ଖ-ବକ୍ରାଙ୍କିତ ଯାର ତନୁ ନିତ୍ୟେ ଶୋହେ ।
ଗୋପୀଚନ୍ଦନ ଅଙ୍କିତ ନିତ୍ୟେ ପାପ ଦହେ ।। ୮୩ ।।
ନିତ୍ୟେ ହେ ଦ୍ୱାଦଶଚିତା ଚକ୍ରାଙ୍କିତ ତୁଲେ ।
ଅଚିନ୍ତ୍ୟ ବୈକୁଣ୍ଠପୁରେ ସ୍ଥାନ ଲଭେ ହେଳେ ।। ୮୪ ।।
ତୁଳସୀବନ ଯେ ରୋପେ ବିଷ୍ଣୁପୂଜା ଅର୍ଥେ ।
ତାର ଗୃହେ ପ୍ରବେଶ ନ ହୋନ୍ତି ଯମଦୂତେ ।। ୮୫ ।।
ନିରନ୍ତରେ ବୋଲଇ ଯେ ରାମ କୃଷ୍ଣ ହରି ।
ସାଧୁଜନ ଦେଖିଣ ଆନନ୍ଦେ ସବୋକରି ।। ୮୬ ।।
ଲଲାଟେ ଗୋପୀଚନ୍ଦନ ମୁଖେ କୃଷ୍ଣ ହରି ।
ତୁଳସୀ-ମଞ୍ଜରୀମାଳା ଯେବା କଣ୍ଠେ ଧରି ।। ୮୭ ।।
ଯମଦୂତେ ନୁହଁନ୍ତି ତାହାକୁ ଅଧିକାରୀ ।
ସ୍ୱାମୀର ବଚନ ଦୃଢ଼ଚିତ୍ତେ ଶିରେ ଧରି ।। ୮୮ ।।
ଶ୍ରୀଗୋପୀଚନ୍ଦନ ଯେ ତୁଳସୀ ଶାଳଗ୍ରାମ ।
ଶଙ୍ଖ ଚକ୍ରାଙ୍କିତଶିଳା ସହିତେ ପଞ୍ଚମ ।। ୮୯ ।।
ଏହି ପଞ୍ଚଦ୍ରବ୍ୟ ଯାର ନିତ୍ୟେ ରହେ ଗୃହେ ।
ତାହାକୁ ଦେଖନ୍ତେ ପାପ ବେଗେ ନାଶ ଯାଏ ।। ୯୦ ।।
ଗୋବିନ୍ଦ ପରମାନନ୍ଦ ଶ୍ରୀମଧୁସୂଦନ ।
ତୋହର ଚରଣବିନୁ ନ ଜାଣଇ ଆନ ।। ୯୧ ।।
ଜଳ ସ୍ଥଳ ପାତାଳ ସମୂହେ ନିରନ୍ତର ।
ବିଦ୍ୟାଧର ସୁରାସୁର ଗନ୍ଧର୍ବ କିନ୍ନର ।। ୯୨ ।।
ତୃଣ ଗୁଳ୍ମ ଲତା ତରୁ ପାଷାଣ ସହିତେ ।
ସର୍ବତ୍ର ସମାନରୂପ ଦେଖୁ ଅବିରତେ ।। ୯୩ ।।
ପ୍ରଣୀଦେହେ ଅନ୍ତର୍ଯ୍ୟାମୀ ରୂପେ ତୁମ୍ଭେ ଅଛ ।
ଏହି ରୂପେ ସର୍ବଦିଗେ ଦେଖଇ ପ୍ରତ୍ୟକ୍ଷ ।। ୯୪ ।।
ଏଣୁ ତୋଚରଣେ ପୁଣପୁଣନମସ୍କାର ।
ବୁଡିଲି ମୋହସଂସାରେ ବାରେକ ଉଦ୍ଧର ।। ୯୫ ।।
ନମାମି ଗୋବିନ୍ଦ ନାରାୟଣ ଦାମୋଦର ।
ବନମାଳୀ ବାସୁଦେବ ନମୁଁ ତୋ ପୟର ।। ୯୬ ।।
ପାଦପଦ୍ମ ତଳେ ନାଥ ଶରଣ ମୁଁ ତୋର ।
ଏ ଭବସାଗରୁ ପ୍ରଭୁ ଉଦ୍ଧରିଣ ଧର ।। ୯୭ ।।

ମୈତ୍ରେୟ ଉବାଚ

ଏତେ ସ୍ତୁତି କରି ଧ୍ରୁବ ମଉନେ ରହିଲା ।
ନିଶ୍ଚଳେ ଗୋବିନ୍ଦ-ପାଦେ ଚିତ୍ତ ସମର୍ପିଲା ।। ୯୮ ।।
ତାହାର ଭକତିଭାବ ଗୋବିନ୍ଦ ଜାଣିଲେ ।
ଗରୁଡୁ ଉତୁରି ଧ୍ରୁବ ଛାମୁରେ ମିଳିଲେ ।। ୯୯ ।।
ଧ୍ରୁବକୁ ଲଗାଇ ହୃଦେ କମଳାରମଣ ।
କହନ୍ତି ମଧୁରବାକ୍ୟେ ପ୍ରଭୁ ନାରାୟଣ ।। ୧୦୦ ।।

ଶ୍ରୀଭଗବାନ ଉବାଚ

ଶୁଣ ହୋ ବାଳକ ମୁଁ ଜାଣଇ ତୋର ମନ ।
ଘୋରତପ କଲୁ ଶୁଣି ଜନନୀ-ବଚନ ।। ୧୦୧ ।।
ତୋର ମନ-ବାଞ୍ଚିତ ଜାଣଈ ମୁହିଁ ଭଲେ ।
ଧ୍ରୁବଲୋକେ ବସାଇବି ଜନନୀର ତୁଲେ ।। ୧୦୨ ।।
ଧ୍ରୁବଲୋକେ ଅଧିକାର ତୋହର ହୋଇଲା ।
କୋଟି-କଳ୍ପାନ୍ତରେ ଯାହା କେହି ନ ପାଇଲା ।। ୧୦୩ ।।
ତୋର ପିତୃ-ପିତାମହେ ଅଗୋଚର ସ୍ଥାନ ।
ସେ ସ୍ଥାନେ ତୋ ବିନୁ ବାଳ ବସିବ କେ ଆନ ।। ୧୦୪ ।।
ସ୍ୱର୍ଗଲୋକ ଉର୍ଦ୍ଧ୍ୱଦେଶେ ମହଲୋକ ତଳେ ।
ତ୍ରୈଲୋକ୍ୟ-ପ୍ରଳୟ କାଳେ ନ ଦହେ ଅନଳେ ।। ୧୦୫ ।।
ଶିଶୁମାରଚକ୍ରେ ବସେ ଧ୍ରୁବ ଅଧିକାର ।
ଯେ ଚକ୍ର ଭ୍ରମନ୍ତେ ନିତ୍ୟେ ଭ୍ରମେ ଦିବାକର ।। ୧୦୬ ।।
ଗ୍ରହ ଋକ୍ଷ ଋଷି ଚନ୍ଦ୍ର ତପନ ସହିତେ ।
ଦାମିନୀ ବନ୍ଧନେ ଛନ୍ତି ସମୀରଣ-ତନ୍ତ୍ରେ ।। ୧୦୭ ।।
ସେହିସ୍ଥାନେ ଗ୍ରହଚକ୍ରେ ବସ ତୁ ନିଶ୍ଚିନ୍ତେ ।
କଳ୍ପ ସଂଖ୍ୟା ରହ ମନୋରଥ ପୂର୍ଣ୍ଣ ଅନ୍ତେ ।। ୧୦୮ ।।
ପୂର୍ବେ ମହାଦେବ-ବରେ ସେ ସ୍ଥାନ ମୋହର ।
ମୁହିଁ ଦେଲି ଧ୍ରୁବ ତୁ ନିଶ୍ଚିନ୍ତେ ଭୋଗ କର ।। ୧୦୯ ।।
ମନୁ ଯାହା ନ ପାଇଲେ କି ଅନ୍ୟ ମାନବେ ।
ଜନନୀ ସହିତେ ବାଳ ସୁଖେ ଭୁଞ୍ଜ ଏବେ ।। ୧୧୦ ।।
ପୂର୍ବେ ତୁହି ବ୍ରହ୍ମ-ପୁତ୍ର ରାଜପୁତ୍ର ସଙ୍ଗେ ।
ମିତ୍ରପଣେ ରହି ଚିତ୍ତ କଳ୍ପିଅଛୁ ଭୋଗେ ।। ୧୧୧ ।।
ଏଣୁ ପୁଣ୍ୟବଳେ ରାଜକୁଳେ ହେଲୁ ଜନ୍ମ ।
ଏବେ ତପଫଳେ ଭୁଞ୍ଜ ସମ୍ପାଦିଲା କର୍ମ ।। ୧୧୨ ।।
ଶୁଣ ଧ୍ରୁବ ଏକଚିତ୍ତେ କହିବଇଁ ତୋତେ ।
ତପସ୍ଥାନେ ରହି ସ୍ତୁତି କଲୁ ମୋତେ ଯେତେ ।। ୧୧୩ ।।
ସର୍ବ-ସ୍ତୋତ୍ରଙ୍କର ରାଜ ଏ ସ୍ତୋତ୍ର ପ୍ରତ୍ୟକ୍ଷେ ।
ଯେ ନର ଏ ସ୍ତୁତି ପଢେ ମୋହର ସମକ୍ଷେ ।। ୧୧୪ ।।
ତ୍ରିସନ୍ଧ୍ୟା ପଢନ୍ତି ଯେବା ନିତ୍ୟେ ଇଷ୍ଟ କରି ।
ତ୍ରିବିଧ-ପାତକବନ୍ଧୁ ବେଗେ ଯାନ୍ତି ତରି ।। ୧୧୫ ।।
ତାହାର ଭୁବନ ଲକ୍ଷ୍ମୀ କେବେହେଁ ନ ତେଜେ ।
ଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ ।। ୧୧୬ ।।
ଏ ତୋହର ପୁଣ୍ୟସ୍ତୁତି ପାପ ବିନାଶିନୀ ।
ବ୍ରହ୍ମହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି ।। ୧୧୭ ।।
ଶ୍ରଦ୍ଧାଯୁକ୍ତେ ମୋର ନାମ ଯେବା ନର ପଢେ ।
ସୁଖେ ମୋହଜଳୁ ତରେ କେବେହେଁ ନ ବୁଡେ ।। ୧୧୮ ।।
ଗ୍ରହପୀଡା ମହାବ୍ୟାଧି ସର୍ବଦୁଃଖ ହରେ ।
ସର୍ବତୀର୍ଥ-ସ୍ନାନ ଫଳ ଲଭେ ବସି ଘରେ ।। ୧୧୯ ।।
ଅପୁତ୍ରିକ ପୁତ୍ର ଯେ ନିର୍ଦ୍ଧନ ଧନ ଲଭେ ।
ଅଭକ୍ତ ଭକ୍ତି ଲଭଇ ତୋର ସ୍ତୁତି ଭାବେ ।। ୧୨୦ ।।
ନାନାଦାନ ନାନାତପ ନାନାବ୍ରତ କରି ।
ଯେ ତୋହୋର ସ୍ତୁତି ପଢେ ମୋର ଭାବ ଭରି ।। ୧୨୧ ।।
ଚତୁର୍ବର୍ଗମୁକ୍ତି ତାର କରତଳେ ରହି ।
ନିତ୍ୟେ ଯେ ଭଜନ୍ତି ମୋ ଚରଣେ ଚିତ୍ତ ଦେଇ ।। ୧୨୨ ।।

ମୈତ୍ରେୟ ଉବାଚ

ଏମନ୍ତ ପ୍ରସନ୍ନେ କହି ପ୍ରଭୁ ଚକ୍ରଧର ।
ସନ୍ତୋଷ ଧ୍ରୁବକୁ ଚାହିଁ ଯାଚି ଦ୍ୟନ୍ତି ବର ।। ୧୨୩ ।।
ବୋଲନ୍ତି ମନୁର ବଂଶେ ଜନ୍ମ ଏ ତୋହର ।
ନରନାରାୟଣ ଦେବତାଙ୍କୁ ଅଗୋଚର ।। ୧୨୪ ।।
ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗ ।
ଆଧି-ବ୍ୟାଧି-ବର୍ଜିତ ଜୀବ ତୁ ସତ୍ୟଯୁଗ ।। ୧୨୫ ।।
ଏ ଶରୀର ଘେନି ଧ୍ରୁବଲୋକେ ବସ ତୁହି ।
କଳ୍ପସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ଲଇଁ ।। ୧୨୬ ।।
ଏମନ୍ତ ଧ୍ରୁବକୁ ବର ଦେଇ ଜନାର୍ଦ୍ଦନ ।
ଗରୁଡ-ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ ।। ୧୨୭ ।।
ବିଷ୍ଣୁବର ପାଇ ସେ ଉତ୍ତାନପାଦ-ବଳା ।
ଦିବ୍ୟରୂପ ଧରି ନିଜ ଭୁବନେ ମିଳିଲା ।। ୧୨୮ ।।
ଜନନୀ ଚରଣେ ସେବା କଲା ଅନୁକ୍ଷଣେ ।
ଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ ।। ୧୨୯ ।।
ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇ ।
ଧ୍ରୁବର ମହିମା ଅବା କେ ଦାରିବ କହି ।। ୧୩୦ ।।
ଏମନ୍ତ ବିଦୁର ଆଗେ ମଇତ୍ରେୟ ମୁନି ।
କହିଲେ ଧ୍ରୁବର କଥା ହରିଭାବ ଘେନି ।। ୧୩୧ ।।
ବିଷ୍ଣୁପଦୀ-ତୀରେ ରହି ପରୀକ୍ଷିତ ଆଗେ ।
ଶୁକ ଭକ୍ତିଯୋଗ ଯେ କହିଲେ ଅନୁରାଗେ ।। ୧୩୨ ।।
ଶ୍ରୀହରି-ଚରିତ ଏ ଅମୃତମୟ ରସ ।
ଭାଗବତ-ଗୀତ କହେ ଜଗନ୍ନାଥ ଦାସ ।। ୧୩୩ ।।
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତଂ ନାମ ଦଶମୋଽଧ୍ୟାୟଃ ।।

ଏକାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନେ । ଧ୍ରୁବ ସମୀପେ ବୃନ୍ଦାବନେ ।। ୧
ପ୍ରସନ୍ନେ କମଳା-ରମଣ । ବୋଇଲେ ଧ୍ରୁବ ଏବେ ଶୁଣ ।। ୨

ଭଗବାନ ଉବାଚ

ତୋ ଜନ୍ମ ସ୍ୱାୟମ୍ବୁବ ଘରେ । ଉତ୍ତାନପାଦର ବୀର୍ଯ୍ୟରେ ।। ୩
ଦେବେ ବାଞ୍ଛନ୍ତି ସ୍ୱର୍ଗେ ଯାହା । ତୁ ତା ଲଭିଲୁ ପୁଣ୍ୟଦେହା ।। ୪
ଏବେ ତୁ ନିଜପୁରେ ଚଳ । ଚିତ୍ତେ ଆରାଧି ମୋର ବୋଲ ।। ୫
ମାତୃ-ସପତ୍ନୀର ବଚନେ । ତପ ତୁ କଲୁ ବୃନ୍ଦାବନେ ।। ୬
ଅତି-ବାଳକ ଦେହବହି । କୁବାକ୍ୟ ନ ପାରିଲୁ ସହି ।। ୭
ପିତାର ଅଙ୍କେ ଆରୋହନ୍ତେ । ମାତା ଯେ ନିବାରିଲା ତୋତେ ।। ୮
ସେ ଅପମାନେ ଦୁଃଖମନେ । ଏବେ ବସିବୁ ସ୍ୱର୍ଗସ୍ଥାନେ ।। ୯
ତୋ ଭାଗ୍ୟ ନ ପାଇବେ କେହି । ମଞ୍ଚେ ମାନବ ଦେହ ବହି ।। ୧୦
ତୋ ତାତ ଯେବେ ଯିବେ ବନେ । ବସିବୁ ନୃପତି ଆସନେ ।। ୧୧
ତୋହର ପରମ-ଆୟୁଷ । ଛତିଶ ସହସ୍ର ବରଷ ।। ୧୨
ନୀରୋଗ ଦେହେ ଭୋଗ ଭୁଞ୍ଜି । ସ୍ୱତେଜେ ରିପୁବଳ ଗଞ୍ଜି ।। ୧୩
ଉତ୍ତମ ତୋର ସାନ ଭ୍ରାତ । ବନେ ହୋଇବ ପ୍ରାଣେ ହତ ।। ୧୪
ମୃଗୟା ଅର୍ଥେ ଘୋରବନେ । ମିଳିବ କୁବର ଭୁବନେ ।। ୧୫
ପୁଣ୍ୟଜନଙ୍କ ସଙ୍ଗେ ମିଳି । ଯୁଦ୍ଧେ ହାରିବ ମହାବଳୀ ।। ୧୬
ତହିଁ ହୋଇବ ପ୍ରାଣେ ହତ । ତା ଶୁଣି ତାର ନିଜମାତ ।। ୧୭
ସେ ପୁତ୍ର ଶୋକର ବିକଳେ । ବନେ ମରିବ ଦାବାନଳେ ।। ୧୮
ତୁ ମୋତେ ଯଜ୍ଞେ କରି ପୂଜା । ଦେବଙ୍କୁ ଦେଇ ବଳି ଭୋଜା ।। ୧୯
ବିପ୍ରଙ୍କୁ କରି ତୋଷମନ । ଗୋରୁ ଦକ୍ଷିଣା ଧନ ଅନ୍ନ ।। ୨୦
ବିପ୍ରଙ୍କ କଲ୍ୟାଣର ଫଳେ । ମୋତେ ସ୍ମରିବୁ ଅନ୍ତଃକାଳେ ।। ୨୧
ମୋହର ଧ୍ୟାନେ ସ୍ୱର୍ଗପଥେ । ଗମିବୁ ଜନନୀ ସହିତେ ।। ୨୨
ସପ୍ତଋଷିଙ୍କ ଉଦ୍ଧ୍ୱର୍ଗତେ । ଜନନୀ ସଙ୍ଗେ ଦିବ୍ୟରଥେ ।। ୨୩
ବସିବୁ ଶିଶୁମାରପୁଚ୍ଛେ । ଉତ୍ତରଦିଗେ ତୁ ପ୍ରତ୍ୟକ୍ଷେ ।। ୨୪
ଏମନ୍ତ କହି ଭଗବାନ । ବନେ ହୋଇଲେ ଅନ୍ତର୍ଦ୍ଧାନ ।। ୨୫
ବିଷ୍ଣୁ ନ ଦେଖି ବୃନ୍ଦାବନେ । ଧ୍ରୁବ ଭାଳଇ ମନ ଛନ୍ନେ ।। ୨୬
ଦେଖ ଅଭାଗ୍ୟ କର୍ମ ମୋର । ତପେ ତୋଷିଲି ଚକ୍ରଧର ।। ୨୭
ଜନନୀ-ସପତ୍ନୀର ଛଳେ । ମୋକ୍ଷ ନ ମାଗିବିଷ୍ଣୁ ତୁଲେ ।। ୨୮
ଲଭିଲି ଧ୍ରୁବ-ଅଧିକାର । ଧିକ ଏ ଜୀବନ ମୋହର ।। ୨୯
ଏମନ୍ତ ମନେ ବିଚାରିଲା । ତକ୍ଷଣେ ନିଜପୁରେ ଗଲା ।। ୩୦
ମୈତ୍ରେୟ ତହୁଁ ଏହାଶୁଣି । ବିଦୁର ପଚାରଇ ପୁଣି ।। ୩୧

ବିଦୁର ଉବାଚ

ଯେ ହରି ପରମ-ଦୁର୍ଲଭ । ଲଭି ନ ପାରେ ବ୍ରହ୍ମାଶିବ ।। ୩୨
ସେ ହରି ତହୁଁ ବରପାଇ । ଘୋର-ମାୟାରେ ମନ ମୋହି ।। ୩୩
ଆତ୍ମାର ଗତି ନ ମାଗିଲା । ମୋତେ ତ ସନ୍ଦେହ ଲାଗିଲା ।। ୩୪
ବିଦୁରତହୁଁ ଏହା ଶୁଣି । ତୋଷେ ମୈତ୍ରେୟ କହେପୁଣି ।। ୩୫

ମୈତ୍ରେୟ ଉବାଚ

ମାତୃ-ସପତ୍ନୀ ବାକ୍ୟ-ଶରେ । ମର୍ମ ଭେଦିଲା ତା ଶରୀରେ ।। ୩୬
ମୁକ୍ତି ନ ଇଚ୍ଛି ବିଷ୍ଣୁ ତୋଷେ । ପଛେ ତାପିଲା ଦୁଃଖତ୍ରାସେ ।। ୩୭

ଧ୍ରୁବ ଉବାଚ

ସନକ ଆଦି ସୁନିଜନେ । ଅଷ୍ଟାଙ୍ଗ-ଯୋଗ ଅଭ୍ୟାସନେ ।। ୩୮
ନିଶ୍ଚଳ-ଧ୍ୟାନେ ନିତ୍ୟେ ଚିନ୍ତି । ଯେ ପଦ ଲଭି ନ ପାରନ୍ତି ।। ୩୯
ସେ ପଦ ହସ୍ତୁ ପକାଇଲି । ଦେଖ ଅଜ୍ଞାନପଣ କଲି ।। ୪୦
କଳ୍ପ-ପାଦପ-ଛାୟା ତେଜି । ନିରାଶ ପଥେ ଚକ୍ଷୁ ବୁଜି ।। ୪୧
ଧାଇଁଳି ତୃଷିତ-ବଦନ । ଧିକ ଏ ମୋହର ଜୀବନ ।। ୪୨
ଏମନ୍ତେ ମନ ଦୁଃଖ କରି । ଧ୍ରୁବ ମିଳିଲା ନିଜ-ପୁରୀ ।। ୪୩
ପଥେ ଧ୍ରୁବକୁ ଦେଖି ଜନେ । ମିଳିଲେ ଧ୍ରୁବ ସନ୍ନିଧାନେ ।। ୪୪
କେତେହେଁ ଜନ ବେଗେ ଧାଇଁ । କହିଲେ ରାଜା ଆଗେ ଯାଇ ।। ୪୫
ଭୋ ନାଥ ଶୁଣ ସାବଧାନେ । ଧ୍ରୁବ ମିଳିଲେ ଉପବନେ ।। ୪୬
ନିଧି ପ୍ରାପତ ପ୍ରାୟ ମଣି । ସଂଭ୍ରମ ଚିତ୍ତେ ନୃପମଣି ।। ୪୭
ଦକ୍ଷଣେ ଆସନୁ ଉଠିଲା । ଆନନ୍ଦ-ସାଗରେ ବୁଡିଲା ।। ୪୮
କାନ୍ଦଇ କଣ୍ଠ-ଗଦଗଦେ । ତକ୍ଷଣେ ମିଳିଲେ ନାରଦେ ।। ୪୯
ସଂଭ୍ରମେ ରାଜା ମୁଖ ଚାହିଁ । ଧ୍ରୁବ-ଆଗମ କଥା କହି ।। ୫୦
ଶୁଣି ସାନନ୍ଦେ ନୃପବର । ନାରଦ-କଣ୍ଠେ ଦେଲା ହାର ।। ୫୧
ସୁବର୍ଣ୍ଣ ପରିଚ୍ଛଦ ରଥେ । ବେଗେ ଚଳିଲା ରାଜପଥେ ।। ୫୨
ସଙ୍ଗେ ବ୍ରାହ୍ମଣ କୁଳବୁଦ୍ଧେ । ସ୍ୱଜ୍ଞାତି କୁଟୁମ୍ବ ସୁହୃଦେ ।। ୫୩
ଅମାତ୍ୟ-ମନ୍ତ୍ରୀକୁଳ ଯେତେ । ଧାଇଁଲେ ବାଦ୍ୟ-ବନାଦ-ଗୀତେ ।। ୫୪
ସୁନୀତି ସୁରୁଚି ସହିତେ । ନାନା ଅଳଙ୍କାର ଭୂଷିତେ ।। ୫୫
ସୁବର୍ଣ୍ଣ-ଶିବିକା ଆରୋହୀ । ଉତ୍ତମ-ପୁତ୍ରେ ସଙ୍ଗେ ନେଇ ।। ୫୬
ଧ୍ରୁବକୁ ଦେଖି ଉପବନେ । ଆନନ୍ଦେ ବିସ୍ମିତ-ଲୋଚନେ ।। ୫୭
ରଥୁଁ ଓହ୍ଲାଇ ରାଜା ବେଗେ । ଆନନ୍ଦେ ପୁତ୍ର-ଅନୁରେଗେ ।। ୫୮
ପୁତ୍ରକୁ ଆଲିଙ୍ଗନ କଲା । ଯେଣୁ ଅଶେଷ-ପୁଣ୍ୟ ଥିଲା ।। ୫୯
ଯେ ଧ୍ରୁବ ବିଷ୍ଣୁ-ଅଙ୍ଗସଙ୍ଗେ । ଅଶେଷ-ତୀର୍ଥ ଯାର ଅଙ୍ଗେ ।। ୬୦
ଆଘ୍ରାଣ କରି ଶିର ଦେଶେ । ହୃଦେ ଲଗାଇ ଅତି ତୋଷେ ।। ୬୧
ଶିରେ ସିିଞ୍ଚିଲା ଅଶ୍ରୁବାରି । ହୃଦୟେ ପୁଣପୁଣ ଧରି ।। ୬୨
ପିତା ଚରଣେ ଧ୍ରୁବ ନମି । ବାଳ ସ୍ୱାଭାବେ ପଥଶ୍ରମୀ ।। ୬୩
ସୁରୁଚି ସୁନୀତିର ପାଦେ । ଧ୍ରୁବ ପ୍ରଣମଇଁ ଆନନ୍ଦେ ।। ୬୪
ଜନନୀ ପୁତ୍ରମୁଖ ଚାହିଁ । ହରଷ କେ ପାରିବ କହି ।। ୬୫
ସୁରୁଚି ଧ୍ରୁବେ ଧରି କୋଳେ । ଚୁମ୍ବନ ଦେଲା ସୁଖଭୋଳେ ।। ୬୬
ସୁନୀତି ପୁତ୍ର କୋଳେ ଧରି । ଅଶ୍ରୁ ଗଳଇ ମୋଦଭରି ।। ୬୭
ଜନେ କରନ୍ତି ଭୟ ବାଣୀ । ଧ୍ରୁବକୁ ଘେନି ନୃପମଣି ।। ୬୮
ମିଳିଲେ ନିଜପୁରେ ଆସି । ଧ୍ରୁବ ମହିମା ପରଶଂସି ।। ୬୯
ଧ୍ରୁବ ପ୍ରବେଶେ ପୁରଜନେ । ଆନନ୍ଦେ ଯେ ଯାହା ଭୁବେନ ।। ୭୦
ଉତ୍ସବ ଅନେକ ପ୍ରକାରେ । ପ୍ରଦୀପ-ପୂର୍ଣ୍ଣ-କୁମ୍ଭ ଦ୍ୱାରେ ।। ୭୧
ପ୍ରାଚୀର ଅଟ୍ଟାଳୀ ସମେତ । ଚିତ୍ର ପ୍ରତିମା ରତ୍ନକାନ୍ଥେ ।। ୭୨
ତୋରଣା ଲମ୍ବେ ସର୍ବଦ୍ୱାରେ । ଚନ୍ଦନ-ଛେରା ନିରନ୍ତରେ ।। ୭୩
ସ୍ୱଭାବେ ପ୍ରିୟବ୍ରତ-ପୁର । କି ଅବା ଦେବା ପଟ୍ଟାନ୍ତର ।। ୭୪
ସକଳ ପୁର-ନାରୀବୃନ୍ଦେ । ଧ୍ରୁବକୁ ଦେଖିଣ ଆନନ୍ଦେ ।। ୭୫
ଗନ୍ଧ-ଚନ୍ଦନ ବାସ-ପାଣି । ଦୂର୍ବା ଅକ୍ଷତ ପୁଷ୍ପ ଆଣି ।। ୭୬
ଅକ୍ଷତ ଦେଇ ଧ୍ରୁବ ମୁଣ୍ତେ । ଜୟ ଶବଦ କଲେ ତୁଣ୍ତେ ।। ୭୭
ଏମନ୍ତେ ନାନା-ଉପାୟନ । ଘେନି ସମସ୍ତ ମହାଜନ ।। ୭୮
ଏମନ୍ତ ମଙ୍ଗଳ ଉତ୍ସବ । ସକଳ ଜନ ପ୍ରିୟଭାବ ।। ୭୯
ଧ୍ରୁବ ପ୍ରବେଶ ନିଜ ପୁରେ । କାମିନୀ ଗାବନ୍ତି ସୁସ୍ୱରେ ।। ୮୦
ପୁରେ ପ୍ରବେଶ ରାଜସୁତ । ଦେଖି ସକଳେ କୃତକୃତ୍ୟ ।। ୮୧
ଶଙ୍ଖ ଦୁନ୍ଦୁଭି ଗୀତସ୍ୱରେ । ମଙ୍ଗଳ ନାଦେ ଦିଗ ପୂରେ ।। ୮୨
ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ । ଅଶେଷ-ଲକ୍ଷ୍ମୀ ଶୋହେ ଅଙ୍ଗେ ।। ୮୩
ଯେ ଧ୍ରୁବ ଚରଣ କମଳେ । ସୁଜନେ ନମ ଧ୍ୟାନବଳେ ।। ୮୪
ଯାର ସ୍ମରଣେ ପାପ ନାଶେ । ନିର୍ମଳ ଜ୍ଞାନ ପରକାଶେ ।। ୮୫
ଚତୁର୍ଥ ସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ।। ୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଧ୍ରୁବ ଚରିତଂ ନାମ
ଏକାଦଶୋଽଧ୍ୟାୟଃ ।

ଦ୍ୱାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟାଥା ।। ୧
ଉତ୍ତାନପାଦ ଧ୍ରୁବ ଦେଖି । ସଫଳ କଲା ଚର୍ମ ଆଖି ।। ୨
ଧ୍ରବକୁ ରାଜଯୋଗ୍ୟ ଚାହିଁ । ବାନ୍ଧବ ସୁହୃଦ ବସାଇ ।। ୩
ସର୍ବ ସମ୍ମତେ ମହାତେଜ୍ୟ । ରାଜ୍ୟେ ପୁତ୍ରକୁ କଲା ରାଜା ।। ୪
ସ୍ୱଭାବେ ବିଷ୍ଣୁ-ତେଜ-ବଳ । ଭାବେ ନମନ୍ତି ଦିଗପାଳ ।। ୫
ଏ ମହୀତଳେ ଯେତେ ରାଜା । ଧ୍ରୁବ-ଚରଣେ କଲେ ପୂଜା ।। ୬
ଯେ ଶିଶୁମାର ପ୍ରଜାପତି । ତା କନ୍ୟା ଭ୍ରମି ଗୁଣବତୀ ।। ୭
ତାହାର ରୂପ-ଗୁଣରାଶି । କେତେ ବା କହିବା ବିଶେଷି ।। ୮
ରୂପେ କମଳା ନୋହେ ସରି । ବିବାହେ ଧ୍ରୁବ ତାକୁ ଚରି ।। ୯
ଅଶେଷ ଅଳଙ୍କାର ଶୋଭା । ବିରାଜେ ଅଙ୍ଗ ଜ୍ୟୋତି ଆଭା ।। ୧୦
ସେ କନ୍ୟା ଗର୍ଭେ ପୁତ୍ର ଦୁଇ । କଳ୍ପ ବତ୍ସର ବେନି ଭାଇ ।। ୧୧
ଦ୍ୱିତୀୟା ଭାର୍ଯ୍ୟା ଇଳା ନାମ । ରୂପେ ଗଞ୍ଜଇ କୋଟିକାମ ।। ୧୨
ସ୍ୱଭାବେ ସମୀରଣ ସୁତା । ସୁଗୁଣା ସୁନ୍ଦରୀ ବିନୀତା ।। ୧୩
ତାର ଉଦରେ ଧ୍ରୁବ-ବୀର୍ଯ୍ୟେ । ପୁତ୍ରେକ ହେଲା ମହାତେଜେ ।। ୧୪
ଉତ୍କଳ ନାମେ ସେ କୁମର । ସ୍ୱଭାବେ ମହା-ଯୋଗେଶ୍ୱର ।। ୧୫
ପୁଣି ଜନ୍ମିଲା କନ୍ୟା ଏକ । ତା ରୂପ ଗୁଣ ଅତିରେକ ।। ୧୬
ଧ୍ରୁବର କନିଷ୍ଠ ଉତ୍ତମ । ରୂପେ ଭୁବନେ ନାହିଁ ସମ ।। ୧୭
ସ୍ୱଭାବେ ବୟସ କିଶୋର । ବିଭା ନ କଲେ ବୀରବର ।। ୧୮
ସେ ଏକଦିନେ ଅଶ୍ୱେ ବସି । ମୃଗୟା ଅର୍ଥେ ବନେ ପଶି ।। ୧୯
ବହୁତ ଦୂର ସେ ଗମିଲା । ମନ ଆନନ୍ଦେ ନୃପବଳା ।। ୨୦
ମିଳିଲା କୁବେର ଭୁବନେ । ତାହାକୁ ଦେଖି ଗୃହ୍ୟଗଣେ ।। ୨୧
ବଳେ ରୁନ୍ଧିଳେ ଯୁଦ୍ଧ କରି । ଅଶ୍ୱ ଘେନିଲେ ତାକୁ ମାରି ।। ୨୨
ତା ଶୁଣି ତାହାର ଜନନୀ । ବିକଳେ ପୁତ୍ର-କଷ୍ଟ ଘେନି ।। ୨୩
ବନ-ଅନଳେ ଦେହ ଦେଲା । ପୁତ୍ର-ବିୟୋଗ-ଦୁଃଖେ ମଲା ।। ୨୪
ସେ କଥା ଶୁଣି ଧ୍ରୁବ ଶୋକେ । କମ୍ପିଲା ମାତ୍ରା-ଭ୍ରାତା ଦୁଃଖୋ ।। ୨୫
ସେ ଧ୍ରୁବ ଅତି କ୍ରୋଧ ବହି । ଅଶ୍ୱ ସାରଥି ବେଗେ ରାଇ ।। ୨୬
ଜଇତ୍ର ନାମେ ରଥେ ବସି । ସ୍ୱଭାବେ ଶୋହେ ରୂପ ରାଶି ।। ୨୭
ଶୋକ-ଅନଳେ କୋପଭରେ । କଠୋର-ଧନୁ ଧରି କରେ ।। ୨୮
କୁବେର-କାନନେ ମିଳିଲା । ଉଦ୍ଦଣ୍ତେ ଶଙ୍ଖନାଦ କଲା ।। ୨୯
ଯେ ବନେ ରୁଦ୍ର-ଅନୁଚରେ । ବସନ୍ତି ନଦୀ ବନ ଘୋରେ ।। ୩୦
ହିମପର୍ବତ ଦ୍ରୋଣି ମଧ୍ୟେ । ଗୃହ୍ୟକେ ବସନ୍ତି ଆନନ୍ଦେ ।। ୩୧
ସେ ବନେ ବଳେ ପଶି ଧ୍ରୁବ । ଉଦ୍ଦଣ୍ତେ କଲା ଶଙ୍ଖରବ ।। ୩୨
ଶବଦେ ପୂରିଲା ଆକାଶ । ବନ-ପର୍ବତ-ଦଶଦିଶ ।। ୩୩
ଯକ୍ଷ-କମିନୀଗଣ ବେଗେ । ଭୟେ ଚାହିଁଲେ ଉର୍ଦ୍ଧ୍ୱଦିଗେ ।। ୩୪
ସେ ନାଦ ଶୁଣି ଦଶଦିଶେ । ଗୃହ୍ୟକଗଣ ମହାରୋଷେ ।। ୩୫
ଧାଇଁଲେ ନାନା-ଶସ୍ତ୍ର ଧରି । ଚଳନ୍ତେ କମ୍ପେ ବସୁନ୍ଧରୀ ।। ୩୬
ଗୃହ୍ୟକଗଣେ ଧ୍ରୁବେ ଚାହିଁ । ନିଜ କୋଦଣ୍ତେ ଗୁଣ ଦେଇ ।। ୩୭
ଆକର୍ଣ୍ଣ ଯାଏ ଟାଣି ଗୁଣ । ବିନ୍ଧିଳେ ତିନି ତିନି ବାଣ ।। ୩୮
ଧ୍ରୁବର ତୀକ୍ଷ୍ଣ-ବାଣ ବଳେ । ପଡିଲେ ଗୃହ୍ୟକ ସକଳେ ।। ୩୯
ଗୃହ୍ୟକଗଣ ଦେଖି ତ୍ରାସେ । ରଣେ ଭାଜିଳେ ଦଶଦିଶେ ।। ୪୦
ଅଦ୍ଭୁତ କର୍ମ ଦେଖି ତାର । ବିଷ୍ଣୁର ତେଜେ ବଳୀୟାର ।। ୪୧
କରନ୍ତି ଧନ୍ୟ-ଧନ୍ୟ ବାଣୀ । ଅନନ୍ଦେ ଦେବଲୋକେ ଶୁଣି ।। ୪୨
ସେ ବାଣ ସହି ଗୃହ୍ୟଗଣେ । ପୁଣି ମିଳିଲେ ଘୋରରଣେ ।। ୪୩
ମନେ ଅନେକ ରୋଷ ଭରି । କରେଣ ନାନା-ଶସ୍ତ୍ର ଧରି ।। ୪୪
ପାଦ-ମରନ୍ତେ ଅହି ଯେହ୍ନେ । ଧ୍ରୁବକୁ ବେଢ଼ି କୋପମନେ ।। ୪୫
ଧ୍ରୁବର ରଥ ବେଗେ ରୁଦ୍ଧି । ଦ୍ୱିଗୁଣେ ତୀକ୍ଷ୍ଣ ବାଣ ବିନ୍ଧି ।। ୪୬
ପରିଘ ଖଡଗ ଆୟୁଧ । ପ୍ରାସ ତୋମର ଶରଯୁଦ୍ଧ ।। ୪୭
ଶକ୍ତିଭୂଷଣ୍ତି ରୁଷ୍ଟି ବାଣ । ବେଗେ ବିନ୍ଧିଲେ ଗରୁଟାଣ ।। ୪୮
କୋପେ ବିନ୍ଧିଲେ ଅତି ରୁଷ୍ଟେ । ରଥୀ-ସାରଥି ଅଶ୍ୱପୃଷ୍ଠେ ।। ୪୯
ଅୟୁତ-ତ୍ରୟୋଦଶ ମିଳି । ଶବଦେ ବ୍ରହ୍ମାଣ୍ତ ଉଛୁଳି ।। ୫୦
ବେଢିଲେ ଅତି-ଅନାୟତ୍ତ । ଛନ୍ନେ ନଦିଶେ ଧ୍ରୁବରଥ ।। ୫୧
ଗଗନେ ମିଳି ଦେବଲୋକେ । କହନ୍ତି ଏକକୁ ଆରକେ ।। ୫୨
ଶୁଭଇ ହାହାକାର ବାଣୀ । ଦେବେ ବୋଲନ୍ତି ତାହା ଶୁଣି ।। ୫୩
ଦେଖ ଏ ମନୁବଂଶ-ସୁତ । ପ୍ରଚଣ୍ତ ଯେସନେ ଆଦିତ୍ୟ ।। ୫୪
ଗୃହ୍ୟକ-ସମୂହେ ବୁଡିଲା । ଧ୍ରୁବ ନିଶ୍ଚୟେ ନାଶ ଗଲା ।। ୫୫
ଗର୍ଜନ୍ତି ଯାତୁଧାନ ଗଣେ । ଧ୍ରୁବ ଯେ ଶୁଣି ତା ଶ୍ରବଣେ ।। ୫୬
ସାରଥି ଚାହିଁ ପୁଣ୍ୟଦେହା । ବୋଇଲା ଉର୍ଦ୍ଧ୍ୱେ ରଥ ବାହା ।। ୫୭
ଶୁଣି ସାରଥି ଅତି ବେଗେ । ରଥ ବାହିଲା ଶୂନ୍ୟମାର୍ଗେ ।। ୫୮
ନୀହାର ଭେଦି ସୂର୍ଯ୍ୟ ଯେହ୍ନେ । ତେମନ୍ତେ ଦିଶଇ ଗଗନେ ।। ୫୯
ଦେଖି ତାହାର ତେଜ ବଳ । ଆନନ୍ଦ ହୋଇଲେ ସକଳ ।। ୬୦
ଗଗନେ ରହି ମନୁସୁତ । ବାଣ ବରଷେ ଅପ୍ରମିତ ।। ୬୧
ଗୃହ୍ୟକ ବାଣବୃଷ୍ଟି ନାଶେ । ନୀହାର ଯେହ୍ନେ ଚଣ୍ତତ୍ରାସେ ।। ୬୨
ପବନ ଯୋଗେ ମେଘମାଳେ । ଯେହ୍ନେ ଉଡନ୍ତି ଅନ୍ତରାଳେ ।। ୬୩
ଗୃହ୍ୟକ-ଶସ୍ତ୍ର ନାଶ କରି । ପୁଣି ବିନ୍ଧଇ ରୋଷଭରି ।। ୬୪
ଧ୍ରୁବ-ନାରାଚ ତୀକ୍ଷ୍ଣ-ମୁନେ । ଗୃହ୍ୟକ ପଡିଲେ ସଗଣେ ।। ୬୫
ଗୃହ୍ୟକ ଦେହେ ବାଣ ପଡି । ଶୁଭେ ବି ମେଘ-ଘଡିଘଡି ।। ୬୬
ସର୍ବେ ପଡିଲେ ଭୂମିଗତେ । ପର୍ବତ ଯେହ୍ନେ ବଜ୍ରାଘାତେ ।। ୬୭
ଶିରେ ଭେଦିଲା ଭଲ୍ଲଶସ୍ତ୍ର । ବାଣେ ରୁନ୍ଧିତ ନିଜ ଗାତ୍ର ।। ୬୮
ଶିରେ ପଡିଲା ଛିଡି ତଳେ । ବିରାଜେ କିରୀଟ କୁଣ୍ତଳେ ।। ୬୯
ହୃଦେ ଲମ୍ବିତ ହେମହାର । ବିରାଜେ ଉଷ୍ଣୀଷ କେୟୂର ।। ୭୦
ଶସ୍ତ୍ର-ସମୂହେ ଶଯ୍ୟା କରି । ବୀରେ ଶୋଇଲେ ପ୍ରାଣହାରି ।। ୭୧
ପଡିଲେ ଚଉଦିଗ ମାଡି । କେହୁ ପଳାଏ ରଣ ଛାଡି ।। ୭୨
ଯେବା ଉବୁରି ଗଲେ ରଣେ । ଭୟେ ଲୁଚିଲେ ଘୋରବନେ ।। ୭୩
ସିଂହର ତ୍ରାସେ ଯେହ୍ନେ ମୃଗେ । ଭୟେ ଭାଜିଲେ ଦଶ ଦିଗେ ।। ୭୪
ଧ୍ରୁବ ଯେ ଦଶଦିଗେ ଚାହିଁ । ଦେଖଇ ରଣେ କେହି ନାହିଁ ।। ୭୫
ବୋଲେ ସାରଥି ମୁଖ ଚାହିଁ । ଏ ପୁରେ ପଶ ରଥ ବାହି ।। ୭୬
ଦହନ କରିବି ଅନଳେ । ଯେବା ଅଛନ୍ତି ଗୃହ୍ୟକୁଳେ ।। ୭୭
ସର୍ବ ମାରିବି ଭ୍ରାତା-ଛଳେ । ତୁ ଏବେ ରଥ ବାହା ବଳେ ।। ୭୮
ଏମନ୍ତ ଧ୍ରୁବ ବାକ୍ୟ ଶୁଣି । ସାରଥି ମନେମନେ ଗୁଣି ।। ୭୯
ଗୃହ୍ୟକ ମାୟାର ପ୍ରମାଣେ । ଏମନ୍ତ ଘୋରନାଦ ଶୁଣେ ।। ୮୦
ପ୍ରଳୟ କାଳେ ସିନ୍ଧୁ ଯେହ୍ନେ । ଲହରୀ ଉଛୁଳେ ଗଗନେ ।। ୮୧
ପୁଣି ଦେଖଇ ଚାରିଦିଗେ । ଧୂଳି ଉଡଇ ଶୂନ୍ୟମାର୍ଗେ ।। ୮୨
ତକ୍ଷଣେ ଘୋର ନାଦ କରି । ମେଘ ସମୁହ ଶୂନ୍ୟେ ପୂରି ।। ୮୩
ବିଜୁଳି ସ୍ଫୃରେ ଦଶଦିଶେ । ବଜ୍ର ଶବଦ ସଙ୍ଗେ ମିଶେ ।। ୮୪
ଉଲୁକା ପଡେ କୋଟି କୋଟି । ରୁଧିର ସଙ୍ଗେ ପୂଜ ବୃଷ୍ଟି ।। ୮୫
ମୂତ୍ର ପୁରୀଷ ରେତ ତୂଲେ । ଦୁର୍ଗନ୍ଧେ ଧରଣୀ ପୂରିଳେ ।। ୮୬
କବନ୍ଧେ ପଡିଲେ ଆକାଶୁ । ଦିଗେ ପୂରିଲା ଘୋରପାଂଶୁ ।। ୮୭
ନିର୍ଘାତେ ଗଗନୁ ପଡନ୍ତି । ଗଦା ପରିଘ ପନ୍ତିପନ୍ତି ।। ୮୮
ମୂଷଳ ସଙ୍ଗେ ବଜ୍ର ପଡି । ଘୋର ଶବଦ ଘଡଘଡି ।। ୮୯
ସର୍ପେ ଧାମନ୍ତି ଫୁ ଫୁ କରି । ଅନଳ ପ୍ରାୟେ ଚକ୍ଷୁଧାରୀ ।। ୯୦
ଗଜେ ଧାମନ୍ତି ଶୁଣ୍ଢ ତୋଳି । ସିଂହ ଶାର୍ଦ୍ଦୂଳ ସଙ୍ଗେ ମିଳି ।। ୯୧
ତକ୍ଷଣେ ସିନ୍ଧୁ ଉଛୁଳିଲା । ଲହରୀ ଗଗନେ ଲାଗିଲା ।। ୯୨
ଭୂମି ପୂରିଲା ମହାଜଳେ । ପ୍ରଚଣ୍ତ-ପବନ ଉଲ୍ଲୋଳେ ।। ୯୩
କଳ୍ପାନ୍ତେ ଘୋରନାଦ ଯେହ୍ନେ । ଶବଦ ପୂରିଲା ଗଗନେ ।। ୯୪
ଏମନ୍ତେ ନାନା ମାୟା କରି । ଗୃହ୍ୟକେ ସମର ଆବୋରି ।। ୯୫
ମିଳିଲେ ନାନା ଶସ୍ତ୍ର ଘେନି । ଶବଦେ କମ୍ପାଇ ମେଦିନୀ ।। ୯୬
ଧ୍ରୁବ ଉପରେ ମାୟା କରି । ଗୃହ୍ୟକେ ସନ୍ଧିଲେ ଆବୋରି ।। ୯୭
ଗୃହ୍ୟକ-ମାୟା ଦେଖି ବେଗେ । ମୁନି ମିଳିଲେ ଧ୍ରୁବ ଆଗେ ।। ୯୮
କଲ୍ୟା-ବାଞ୍ଛା ମନେ ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ।। ୯୯

ମୁନିଗଣ ଉବାଚ

ଶୁଣ ହେ ଉତ୍ତାନ-କୁମର । ତୋତେ ପ୍ରସନ୍ନ ଚକ୍ରଧର ।। ୧୦୦
ଯେ ହରି ଭବ-ଭୟ ନାଶେ । ଆମ୍ଭେ ତା ଦେଖୁ ତୋର ପାଶେ ।। ୧୦୧
ଯା ନାମ ସ୍ମରି ଅନ୍ତକାଳେ । ପ୍ରାଣୀ ତରନ୍ତି ଅବହେଳେ ।। ୧୦୨
ସେ ହରି ନାମ ତୁ ସୁମର । ଗୃହ୍ୟକ ମାୟାକୁ ସଂହର ।। ୧୦୩
ଏମନ୍ତେ ମୁନିଙ୍କର ବୋଲେ । ରଥ ତୋଳିଲା ଅନ୍ତରାଳେ ।। ୧୦୪
ଶୁଣ ସୁଜନେ ହରି କଥା । ହରି ନ ସହେ ଭୃତ୍ୟବ୍ୟଥା ।। ୧୦୫
କହଇ ଦାସ ଜଗନ୍ନାଥ । ସୁଜନେ ହରି ପଦେ ଚିନ୍ତ ।। ୧୦୬
ଇତିଶ୍ରୀମଦ୍ଭାଗବତ ମହାପୁରାଣେ ପାରମହସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ
ଦ୍ୱାଦଶୋଽଧ୍ୟାୟଃ ।

ତ୍ରୟୋଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ମୁନି ବାକ୍ୟ ଶୁଣି । ଧ୍ରୁବ ଆନନ୍ଦ-ମନେ ଗୁଣି ।। ୧
ସୁଜଳେ କରି ଆଚମନ । ଅସ୍ତ୍ର ସୁମରି ନାରାୟଣ ।। ୨
ସନ୍ଧାନ ଧନୁ-ହୁଳେ କଲା । ତା ଦେଖି ମାୟା ଭସ୍ମ ହେଲା ।। ୩
ଗୃହ୍ୟକେ ହୋଇଲେ ଅଦୃଶ୍ୟ । ଦିଶିଲା ଧରଣୀ ଆକାଶ ।। ୪
ଜ୍ଞାନ-ଉଦୟେ କ୍ଲେଶ ଯେହ୍ନେ । ଦେବେ ଦେଖନ୍ତି ରହି ଶୂନ୍ୟେ ।। ୫
ଧ୍ରୁବ ଆମଞ୍ଚି ଧନୁର୍ଗୁଣ । ଯୋଚି ସବୁର୍ଣ୍ଣପୁଙ୍ଖ ବାଣ ।। ୬
ବାଣର ପକ୍ଷ କଳହଂସ । ଦେଖି କମ୍ପିଲେ ଦଶ ଦିଶ ।। ୭
ସେ ବାଣ ରିପୁବଳେ ପଶି । ଅନଳ ପ୍ରାୟ ତେଜ ଦିଶି ।। ୮
ମୟୂର ଯେହ୍ନେ ନାଦ କରି । ଆନନ୍ଦେ ବନସ୍ତେ ବିହରି ।। ୯
ଏମନ୍ତ ତୀକ୍ଷ୍ଣ ନାଦ କରି । ଗୃହ୍ୟକଗଣ ମାୟା ଛେଦି ।। ୧୦
ଯକ୍ଷେ କୁପିତ ହୋଇ ଚିତ୍ତେ । ଧାଇଁଲେ ଶସ୍ତ୍ର ଘେନି ହସ୍ତେ ।। ୧୧
ଯେସନେ ସର୍ପ ଫଣା ଧରି । ଗରୁଡ ଧାଏଁ କୋପଭରି ।। ୧୨
ତାହାଙ୍କୁ ଦେଖି ରଣକ୍ଷେତ୍ରେ । ନାରାଚ-ଗୁଣ ଧରି ହସ୍ତେ ।। ୧୩
ବିନ୍ଧଇ ଗୃହ୍ୟକ ଶରୀରେ । ଭେଦିଲା ବାହୁ-ଉରୁ-ଶିରେ ।। ୧୪
ତକ୍ଷଣେ ଗଲେ ଛିନ୍ନ ଭିନ୍ନେ । ସଂଗ୍ରାମେ ଶମନ-ଭୁବନେ ।। ୧୫
ଗୃହ୍ୟକବଳ ନାଶ ଦେଖି । ମନୁ ଯେ ଭୁବନ ଉପେକ୍ଷି ।। ୧୬
ଉତ୍ତମ ଚିତ୍ରରଥେ ବସି । ମିଳିଲେର ମଧ୍ୟେ ଆସି ।। ୧୭
ସଙ୍ଗେ ଅଛନ୍ତି ମୁନିଜନେ । ଧ୍ରୁବକୁ ଦେଖି ତୋଷମନେ ।। ୧୮
ଗୃହ୍ୟକ ଗଣେ ଦୟା ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ।। ୧୯

ମନୁ ଉବାଚ

ଭୋ ବତ୍ସ ଛାଡ ମନୁ ରୋଷ । ଶୁଣ ତୁ ମୋର ଉପଦେଶ ।। ୨୦
ଏ ରୋଷ ଘୋରତମ-ଦ୍ୱାର । ଏ ନୋହେ ଉତ୍ତମ ବେଭାର ।। ୨୧
ଯେ ରୋଷବଶେ ଜ୍ଞାନ ହାରି । ନିର୍ଦ୍ଧୋଷ ପୁଣ୍ୟଜନ ମାରି ।। ୨୨
ଏ ଆମ୍ଭ କୁଳଧର୍ମ ନୋହେ । ସାଧୁଙ୍କ ମଧ୍ୟେ ଦୋଷ ବହେ ।। ୨୩
ଏକଇ ଜନ ଅପରାଧେ । ଅନେକ ମାରୁ କିମ୍ପା ଯୁଦ୍ଧେ ।। ୨୪
ତୁ ଭ୍ରାତୁବଧେ କ୍ରୋଧ ବହି । ସାଧୁଙ୍କ ମାର୍ଗ ଏ ନୁହଇ ।। ୨୫
ବିଷ୍ଣୁର ଭାବ ଯାର ଦେହେ । ପ୍ରାଣୀଙ୍କି ଦୟା ହୃଦେ ବହେ ।। ୨୬
ହିଂସା ନ ବହେ ତାର ଚିତ୍ତ । ଏ ହରିଭୃତ୍ୟଙ୍କର ମତ ।। ୨୭
ସମତ୍ୱେ ସର୍ବଭୂତେ ଦେଖେ । ତାହାକୁ ନାରାୟଣ ରଖେ ।। ୨୮
ହରି ପ୍ରସନ୍ନ ପ୍ରାଣୀ ଦେହେ । ହିଂସ୍ରକ ପ୍ରକୃତି ନ ବହେ ।। ୨୯
ନ ଲାଗେ ତ୍ରିଗୁଣ-ବନ୍ଧନ । ଅନ୍ତେ ଲଭଇ ନିରଞ୍ଜନ ।। ୩୦
ତୁ ହରି ଭକ୍ତ ଶିରୋମଣି । ସର୍ବ-ସମ୍ମତେ ପରିମାଣି ।। ୩୧
ସାଧୁଜନଙ୍କ ବ୍ରତ କରି । କେ ପାରେ ଅଧର୍ମ ଆଚରି ।। ୩୨
ଯେ ପ୍ରାଣୀ ଆତ୍ମଭାବେ ସୁଖୀ । ହରିଙ୍କି ସର୍ବଭୂତେ ଦେଖି ।। ୩୩
ବିଷ୍ଣୁର ଭକ୍ତି ହୃଦେ ଧରି । ଦୟା ତିତିକ୍ଷା ଜୀବେ କରି ।। ୩୪
ମଇତ୍ର ଭାବେ ଯାର ମନ । ତାହାକୁ ରଖେ ଭଗବାନ ।। ୩୫
ହରି-ପ୍ରସନ୍ନେ ପ୍ରାଣୀଙ୍କର । ପ୍ରବୃତ୍ତି-ବନ୍ଧ ହୋଏ ଦୂର ।। ୩୬
ଜୀବ ବନ୍ଧନୁ ମୋକ୍ଷ ହୋଇ । ନିର୍ବାଣ-ପଦେ ପଶେ ଯାଇ ।। ୩୭
ଏ ପଞ୍ଚଭୂତେ ଦେହ ବହି । ସ୍ତିରୀ-ପୁରୁଷ ରୂପ ହୋଇ ।। ୩୮
ଏ ବେନି ସଙ୍ଗମର କାଳେ । ରଜର ସଙ୍ଗେ ବୀର୍ଯ୍ୟ ମିଳେ ।। ୩୯
ସ୍ତିରୀ ପୁରୁଷ ଦେହ ବହି । ଇହ ସଂସାରେ ଜନମଇ ।। ୪୦
ଏମନ୍ତେ ସୃଷ୍ଟି-ସ୍ଥିତି-ନାଶ । ବିଷ୍ଣୁର ମାୟା ପରକାଶ ।। ୪୧
ତହିଁ ନିମିତ୍ତ-ମାତ୍ର ହୋଇ । ପରମ ଜୀବକୁ ଭିଆଇ ।। ୪୨
ମାୟାରେ ଭ୍ରମାଏ ଜଗତ । ଲୌହକୁ ଯେହ୍ନେ ଅୟସ୍କାନ୍ତ ।। ୪୩
ସେ ହରି କାଳଶକ୍ତି-ରୂପୀ । ନିଜ ମାୟାରେ ବିଶ୍ୱବ୍ୟାପୀ ।। ୪୪
ସର୍ବ କରଇ ସର୍ବହରେ । ଅକର୍ତ୍ତାରୂପେ ସେ ବିହରେ ।। ୪୫
ପ୍ରବାହେ ଯେହ୍ନେ ବୃକ୍ଷରାଶି । ଜଳର ବଳେ ଯାନ୍ତି ଭାସି ।। ୪୬
ଏମନ୍ତ କାଳ-ଚେଷ୍ଟା ବଳେ । ପ୍ରାଣୀ ଭାସନ୍ତି ଅବହେଳେ ।। ୪୭
ସେ କାଳ ଅନାଦି ଅନନ୍ତ । ଅବ୍ୟୟ କରେ ଆଦି ଅନ୍ତ ।। ୪୮
ଜନ୍ମେ ଜନଙ୍କୁ ଜନମାଇ । ମରଣେ ଜାହାଙ୍କୁ ମରାଇ ।। ୪୯
ସପକ୍ଷ ବିପକ୍ଷ ଏ ଦୁଇ । ତାର ସ୍ୱଭାବେ ନ ଘଟଇ ।। ୫୦
ପ୍ରଜାଏ ତାହାର ଆୟତ୍ତେ । ସମେ ବସନ୍ତି ଏ ଜଗତେ ।। ୫୧
ଧୂଳି ଯେସନେ ବାୟୁବଳେ । ଉଡି ଭ୍ରମନ୍ତି ଅନ୍ତରାଳେ ।। ୫୨
କର୍ମ ଅଧୀନ ପ୍ରାଣୀମାନେ । ତା ପଛେ ଧାମନ୍ତି ତେସନେ ।। ୫୩
ଜନ୍ତୁ ଆୟୁଷ ହାନି-ଳାଭ । ଏ ଦୁଇ କାଳର ସ୍ୱଭାବ ।। ୫୪
କେହୁ ବୋଲନ୍ତି ଏ ଜଗତ । ଅଟଇ କର୍ମର ଆୟତ୍ତ ।। ୫୫
କେ ବୋଲେ ସ୍ୱଭାବ ଏହାର । କେ ବୋଲେ କାଳର ସଞ୍ଚାର ।। ୫୬
ବାସନା ବୋଲନ୍ତି ଅପରେ । ତା ତ‌ତ୍ତ୍ୱ କେ ବା କହିପାରେ ।। ୫୭
ଅପରେ ଦଇବ କେ କହି । କେ କହେ କାମରୂପ ହୋଇ ।। ୫୮
ଅବିଦ୍ୟା କାମ ସଙ୍ଗେ ଜଡି । ଘୋର-ଅନ୍ଧାରେ ପ୍ରାଣୀ ପଡି ।। ୫୯
ଭ୍ରମନ୍ତି କାଳ-ବାୟୁ ବଳେ । କଲ୍ଲୋଳ ଯେହ୍ନେ ସିନ୍ଧୁ ଜଳେ ।। ୬୦
ଅବ୍ୟକ୍ତ ଅପ୍ରମେୟ ସୀମା । କେ ଜାଣିପାରେ ତା ମହିମା ।। ୬୧
ଏଣୁ ତୋ ଭ୍ରାତାର ମରଣ । ଗୃହ୍ୟକେ ନୁହଁନ୍ତି କାରଣ ।। ୬୨
ଦଇବବଳ ସେ ପ୍ରମାଣ । ଏ କଥା ନିଶ୍ଚୟ ତୁ ଜାଣ ।। ୬୩
ସ୍ୱମାୟା ଶକ୍ତିଯୁତେ ସେହି । ସର୍ଜଇ ପାଳଇ ହରଇ ।। ୬୪
ଏଣୁ ସକଳଭୂତଙ୍କର । ଭୂତ ଭାବନ ଚକ୍ରଧର ।। ୬୫
ଏଣୁ ସେ କାଳ ମଧ୍ୟେ ଥାଇ । ଦେବେ ପୂଜନ୍ତି ବଳି ଦେଇ ।। ୬୬
ନାସା-ଭେଦିତ ଗାବ ଯେହ୍ନେ । ଭ୍ରମନ୍ତି ଦାମିନୀ ବନ୍ଧନେ ।। ୬୭
ଜନନୀ ସପତ୍ନୀ ବଚନେ । ମର୍ମ ଭେଦିଲା ତୋର ମନେ ।। ୬୮
ବନେ ପଶିଲୁ ତପ ଆଶେ । ସ୍ୱଭାବେ ପଞ୍ଚମ ବରଷେ ।। ୬୯
ବିଷ୍ଣୁ ଆରାଧି ତପବଳେ । ବସିବୁ ଗଗନ-ମଣ୍ତଳେ ।। ୭୦
ତ୍ରୈଲୋକ୍ୟ-ଉର୍ଦ୍ଧ୍ୱ-ପଦଗତେ । ବସିବୁ କଳ୍ପ-ପରିଯନ୍ତେ ।। ୭୧
ଏ ମାୟାମୟ ମୋହ-ପାଶ । ଛେଦିଲୁ ଭବବନ୍ଧ-ତ୍ରାସ ।। ୭୨
ଏ ବର ଯା ତହୁଁ ଲଭିଲୁ । ପ୍ରତ୍ୟକ୍ଷେ ବିଷ୍ଣୁଙ୍କୁ ଦେଖିଲୁ ।। ୭୩
ଚିତ୍ତେ ତାହାଙ୍କୁ ଏବେ ଭଜ । ଏ ଘୋରତମ ବେଗେ ତେଜ ।। ୭୪
ସମେ ସକଳ ତାପ କ୍ଷୟ । ଏବେ ତୁ ହୁଅ ଶାନ୍ତକାୟ ।। ୭୫
ଯାହାକୁ ଦେଖି ପ୍ରାଣୀ ଡରେ । ସେ ପ୍ରାଣୀ ଜୀବ ଥାଉଁ ମରେ ।। ୭୬
ଈଶ୍ୱର-ମିତ୍ର ଏ କୁବେର । ଏହାକୁ ଅବଜ୍ଞା ନ କର ।। ୭୭
ମାରି କୁବେର-ଅନୁବର । କଲୁ ତୁ ଅନ୍ୟାୟ ଆଚାର ।। ୭୮
ଏବେ ଏହାରେ ପ୍ରୀତି କର । ସର୍ବ-କୁଶଳ ହେବ ତୋର ।। ୭୯

ମୈତ୍ରେୟ ଉବାଚ

ଏମନ୍ତ ସ୍ୱାୟମ୍ବୁବ-ମନୁ । ପ୍ରବୋଧ କଲେ ପୌତ୍ର ମନ୍ୟୁ ।। ୮୦
ଧ୍ରୁବକୁ ଆଲିଙ୍ଗନ କଲେ । ମୁନିଙ୍କ ସଙ୍ଗେ ପୁରେ ଗଲେ ।। ୮୧
ସେ ମନୁ ଚରଣାରବିନ୍ଦେ । ସୁଜନେ ନମ ହେ ଆନନ୍ଦେ ।। ୮୨
ଚତୁର୍ଥ ସ୍କନ୍ଧ ଭାଗବତ । ହରି-ମହିମା ସୁଚରିତ ।। ୮୩
ସୁଜନ-ଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ।। ୮୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ
ତ୍ରୟୋଦଶୋଽଧ୍ୟାୟଃ ।

ଚତୁର୍ଦ୍ଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଧ୍ରୁବର କୋପ ଯହୁଁ ଗଲା । କୁବେର ଭୁବନେ ଜାଣିଲା ।। ୧
ତକ୍ଷଣେ ନିଜ ଗଣ ତୁଲେ । ଧ୍ରୁବ ସମୀପେ ଆସି ମିଳେ ।। ୨
ଅଞ୍ଜଳି କରି ବେନିପାଣି । କାକୁସ୍ଥେ କହେ ମଞ୍ଜୁବାଣି ।। ୩

କୁବେର ଉବାଚ

ଆହେ କ୍ଷତ୍ରିୟ-ଚୂଡାମଣି । ତୋର ମହିଁମା ମୁହିଁ ଶୁଣି ।। ୪
ମିଳିଲି ତୋହର ସମୀପେ । ଗୃହ୍ୟ-କିନ୍ନର ଘେନି ଆପେ ।। ୫
ତୁ ଯେଣୁ ପିତାମହ ବୋଲେ । କୋପ ଛାଡିଲୁ ରିପୁ ତୁଲେ ।। ୬
ଭ୍ରାତୃ-ମରଣେ କୋପ ବହି । ଗୃହ୍ୟକ ବିନାଶିଲୁ ତୁହି ।। ୭
କେହି କାହାର ହନ୍ତା ନୋହେ । ପ୍ରାଣୀ-ଜୀବନ କାଳ ଦହେ ।। ୮
ଏ ଜୀବ ଅହଂକାର ବହି । ଆତ୍ମାକୁ ବୋଲେ ତୁହି ମୁହିଁ ।। ୯
ଏ ନୋହେ ଜ୍ଞାନୀଙ୍କର ମତ । ଯାହାକୁ ପ୍ରସନ୍ନ ଅନନ୍ତ ।। ୧୦
ସଂସାର ଦେଖେ ସ୍ୱପ୍ନ ପ୍ରାୟେ । ସେ ମୋହେ ନୋହେ ବିପର୍ଯ୍ୟୟେ ।। ୧୧
ତୋର ମଙ୍ଗଳ ହେଉ ନିତ୍ୟେ । ଗୃହେ ତୁ ଚଳ ଶୁଦ୍ଧ ଚିତ୍ତେ ।। ୧୨
ଯା ଶକ୍ତି ମାୟା-ଗୁଣମୟୀ । ତହିଁରେ ଥାଇ ଯେ ନ ଥାଇ ।। ୧୩
ସେ ହରିପାଦେ ଆଶ୍ରେ କରେ । ଆତ୍ମକୁ ସଂସାରୁ ଉଦ୍ଧରେ ।। ୧୪
ତୋତେ ମୋ ହୃଦେ ଅନୁରାଗ । ଯେ ତୋର ଇଚ୍ଛା ବର ମାଗ ।। ୧୫
ହରିଙ୍କି ହୃଦେ ପରିମାଣୁ । ତୁ ବର-ଯୋଗ୍ୟ ହେଉ ତେଣୁ ।। ୧୬

ମୈତ୍ରେୟ ଉବାଚ

ଏମନ୍ତେ କୁବେର-ବଚନେ । ଧ୍ରୁବ ବିଚାରି ତୋଷମନେ ।। ୧୭
ବୋଲଇ ହରି-ପାଦଗତେ । ମୋହର ମନ ଥାଉ ନିତ୍ୟେ ।। ୧୮
ଅନ୍ୟ କଳ୍ପନା ନାହିଁ ମୋର । ଯାର ପ୍ରସନ୍ନେ ଭବୁ ପାର ।। ୧୯
କହେ କୁବେର ଧ୍ରୁବେ ଚାହିଁ । ଏ ବର ଲଭ ଧ୍ରୁବ ତୁହି ।। ୨୦
ଏମନ୍ତ କହି ଧ୍ରୁବ ପାଶେ । କୁବେର ଗମିଲା ଆକାଶେ ।। ୨୧
ଏବେ ହୋ ଶୁଣ ମହୀପତି । ଧ୍ରୁବର ଅର୍ଜିଲା ବିଭୂତି ।। ୨୨
କୁବେର-ଭୁବନୁ ସନ୍ତୋଷ । ଧ୍ରୁବର ଗମିଲା ନିଜ-ଦେଶେ ।। ୨୩
ନିଜ-ଭୁବନେ ଧ୍ରୁବ ଯାଇ । ଋତ୍ୱିଜ ପୁରୋହିତ ରାଇ ।। ୨୪
ସଂକଳ୍ପ କରି ଯଜ୍ଞମତେ । ପୂଜିଲା ବିଷ୍ଣୁ-ପାଦଗତେ ।। ୨୫
ଏ ଭାବେ ସମ୍ପଦ-ସମ୍ପାଦି । ଅଣିମା ଆଦି ଅଷ୍ଟନିଧି ।। ୨୬
ସର୍ବ ସମ୍ପଦ ଭୋଗ କଲା । ଗୃହେ ଉତ୍ତାନପାଦ-ବଳା ।। ୨୭
ସର୍ବ ପ୍ରକାରେ ବିଷ୍ଣୁ ପାଦେ । ଭକ୍ତି ସାଧିଲା ଅପ୍ରମାଦେ ।। ୨୮
ପ୍ରଜାଏ ଧ୍ରୁବର ରାଜତ୍ୱେ । ଆନନ୍ଦେ ବଞ୍ଚିଲେ ଜଗତେ ।। ୨୯
ସ୍ୱଭାବେ ଧ୍ରୁବ ଧର୍ମଶୀଳ । ସୁସାଧୁ ବ୍ରାହ୍ମଣ-ବତ୍ସଳ ।। ୩୦
ଧ୍ରୁବକୁ ପିତୃଭାବେ ଜାଣି । ଦୁଃଖ ସୁଖକୁ ନ ପ୍ରମାଣି ।। ୩୧
ଆନନ୍ଦ ମନେ ଜନ ପ୍ରଜା । ପାଳନ କଲେ ଧ୍ରୁବ ରାଜା ।। ୩୨
ସପତ-ଦ୍ୱୀପ ଅଧିପତି । ହୋଇଲେ ମନୁର ସନ୍ତତି ।। ୩୩
ଛତିଶ-ସହସ୍ର-ବରଷ । ସ୍ୱଭାବେ ପରମ ଆୟୁଷ ।। ୩୪
ଆନନ୍ଦ ମନେ ଭୋଗ କଲା । ଭୂମି ମଣ୍ତଳେ ମନୁବଳା ।। ୩୫
ଭୋଗରେ ପୁଣ୍ୟ କ୍ଷୟ କରି । ଯଜ୍ଞାଦି କାର୍ଯ୍ୟେ ପାପହରି ।। ୩୬
ତ୍ରିବର୍ଗ ସାଧନ କରିଣ । ପୁତ୍ରକୁ କରି ରାଜ୍ୟ ଦାନ ।। ୩୭
ନୃପ-ଆସନେ ବସାଇଲା । ସ୍ୱରାଜ୍ୟେ ଅଭିଷେକ କଲା ।। ୩୮
ଆତ୍ମ-ସମ୍ପଦ ଆଦି ଯେତେ । ସ୍ୱପନ ପ୍ରାୟ ମଣି ଚିତ୍ତେ ।। ୩୯
ବିଷ୍ଣୁର ମାୟା-ବଳ ଜାଣି । ଗନ୍ଧର୍ବ-ପୁର ପ୍ରାୟ ମଣି ।। ୪୦
ପୁତ୍ର କଳତ୍ର ଦେହ ମିତ୍ର । ଧନାଦି ସକଳ ଅନିତ୍ୟ ।। ୪୧
ସର୍ବ-ସମ୍ପଦ ପରିହରି । ସଂଯମେ ଆତ୍ମା ବଶ କରି ।। ୪୨
ଆଶ୍ରମ ନାମ ବଦରିକା । ତହିଁ ମିଳିଲେ ଧ୍ରୁବ ଏକା ।। ୪୩
ନିବୃତ୍ତ କରି ଇନ୍ଦ୍ରିଗର । ଚିତ୍ତେ ସୁମରି ନାରାୟଣ ।। ୪୪
ବିଷ୍ଣୁର ସ୍ଥୂଳ-ରୂପେ ମନ । ଧାରଣା ବଳେ କରି ଧ୍ୟାନ ।। ୪୫
ତକ୍ଷଣେ ଲିଙ୍ଗ ରୂପ ଗଲା । ନିର୍ମଳ-ଜ୍ୟୋତି ପ୍ରକାଶିଲା ।। ୪୬
ଧ୍ରୁବ ଭକ୍ତି ଦୃଢ଼ ହେଲା । ତା ଅଭିମାନ ଦୂରେ ଗଲା ।। ୪୭
ନୟନୁ ଅଶ୍ରୁ-ବିଗଳିତ । ଆନନ୍ଦେ ଅଙ୍ଗ-ପୁଲକିତ ।। ୪୮
ବିମାନ ଦେଖିଲା ଗଗନେ । ପୂର୍ଣ୍ଣିମା-ସୁଧାକର ଯେହ୍ନେ ।। ୪୯
ତେଜେ ବିରାଜେ ଦଶଦିଶ । ଆକାଶୁ ହେଲା ପରବେଶ ।। ୫୦
ରଥେ ଅଛନ୍ତି ବେନିଦୂତ । ଗଞ୍ଜନ୍ତି ଶଶାଙ୍କ-ଆଦିତ୍ୟ ।। ୫୧
କିଶୋର-ତନୁ ଶ୍ୟାମ ବର୍ଣ୍ଣ । ଅରୁଣ-ପଙ୍କଜଳୋଚନ ।। ୫୨
ଶୋହେ ସୁନ୍ଦର ଭୁଜଚାରି । ବିଷ୍ଣୁ-ଆୟୁଧ ଛନ୍ତି ଧରି ।। ୫୩
ଅଙ୍ଗଦ କିରୀଟ କୁଣ୍ତଳ । ହୃଦେ ଲମ୍ବଇ ବନମାଳ ।। ୫୪
ରତ୍ନ-ମେଖଳା କଟି-ମାଝେ । ମକର କୁଳ ବିରାଜେ ।। ୫୫
ଧ୍ରୁବ ନିକଟେ ଯାଇ ମିଳି । ଗଗନୁ ଖସେ କି ବିଜୁଳି ।। ୫୬
ଧ୍ରୁବ ଆନନ୍ଦ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ।। ୫୭
ତୁଣ୍ତେ ଗୋବିନ୍ଦ-ନାମ ଗାଇ । କପାଳେ ବେନିକର ଦେଇ ।। ୫୮
ନମିଲା ତାଙ୍କ ପାଦ ତଳେ । ରୋମ-ପୁଲକ ଅଶ୍ରୁଜଳେ ।। ୫୯
ସୁନନ୍ଦ ନନ୍ଦ ପାରିଷଦେ । ତକ୍ଷଣେ ମିଳିଲେ ଆନନ୍ଦେ ।। ୬୦
ଶ୍ରୀକୃଷ୍ଣ-ନାମ ତୁଣ୍ତେ ଗାଇ । ବୋଲନ୍ତି ଧ୍ରୂବ ମୁଖ ଚାହିଁ ।। ୬୧
ଶୁଣ ଉତ୍ତାନପାଦ-ସୁତ । ସଂସାରେ ତୁହି ଭାଗ୍ୟବନ୍ତ ।। ୬୨
ତୁ ବାଳ ପଞ୍ଚମ-ବରଷେ । ତପେ ତୋଷିଲୁ ହୃଷୀକେଶୋ ।। ୬୩
ଏବେ ଗୋବିନ୍ଦ ଆଜ୍ଞା ଶିରେ । ଘେନି ମିଳିଲୁ ତୋ ଛାମୁରେ ।। ୬୪
ଧ୍ରୁବପଦକୁ ନେବୁ ତୋତେ । ଦେଖ କାଞ୍ଚନ-ଦିବ୍ୟରଥେ ।। ୬୫
ଦୁର୍ଲ୍ଲଭ ଧ୍ରୁବପଦ ତୁହି । ବନେ ଲଭିଲୁ ତପଦାହି ।। ୬୬
ଏ ଶିଶୁମାର ଚକ୍ର ତୁଲେ । ଚନ୍ଦ୍ର-ଆଦିତ୍ୟ-ତାର ମେଳେ ।। ୬୭
ନିତ୍ୟେ ଭ୍ରମନ୍ତି ପ୍ରଦକ୍ଷିଣେ । ପବନ-ରଜ୍ଜୁ ଆକର୍ଷଣେ ।। ୬୮
ଯେ ପଦେ ତୋର ପିତୃଜନ । ପ୍ରବେଶେ ନୋହିଲେ ଭାଜନ ।। ୬୯
କେ ଆନ ତାହା ଲଭିପାରେ । ଅନିତ୍ୟ-ସଂସାର-ସାଗରେ ।। ୭୦
ଅଶେଷ-ଜଗତ-ବନ୍ଦନ । ବିଷ୍ଣୁ-ପରମପଦ-ସ୍ଥାନ ।। ୭୧
ଏଣୁ ଏ ଉତ୍ତମ-ବିମାନ । ତୋଷେ ପେଷିଲେ ଭଗବାନ ।। ୭୨
ତୁ ଏବେ ବସ ସ୍ଥିରମନେ । ବିମାନ ବାହିବୁ ଗଗନେ ।। ୭୩

ମୈତ୍ରେୟ ଉବାଚ

ଏମନ୍ତେ ବିଷ୍ଣୁଦୂତ ବାଣୀ । ଆନନ୍ଦମନେ ଧ୍ରୁବ ଶୁଣି ।। ୭୪
ତକ୍ଷଣେ ଧ୍ରୁବ ସ୍ନାନ ସାରି । ନିତ୍ୟ-ମଙ୍ଗଳ-କର୍ମ କରି ।। ୭୫
ତଦନ୍ତେ ଅଳଙ୍କୃତ ହେଲା । ମୁନିଙ୍କଚରଣେ ମନିଲା ।। ୭୬
ମୁନିଜନଙ୍କ ଆଶୀର୍ବାଦେ । ଜୟମଙ୍ଗଳ ବେଦନାଦେ ।। ୭୭
ବିମାନ ପ୍ରଦକ୍ଷିଣ କରି । ବିଷ୍ଣୁଦୂତଙ୍କୁ ନମସ୍କାର ।। ୭୮
ହିରଣ୍ୟମୟ ରୂପ ଧରେ । ସ୍ୱତେଜେ ଦଶଦିଗ ପୂରେ ।। ୭୯
ଗନ୍ଧର୍ବ ଚତୁର୍ବିଧ ବାଦ୍ୟେ । ଦିଗ ପୂରିଲେ ଗୀତ ନାଦେ ।। ୮୦
ପୁଷ୍ପ ବରଷନ୍ତି ହରଷେ । ବିବୁଧେ ଦେଖନ୍ତି ଆକାଶେ ।। ୮୧
ତକ୍ଷଣେ ସୁନୀତିର କଥା । ସ୍ମରଣେ ଧ୍ରୁବ ମନେ ବ୍ୟଥା ।। ୮୨
ଦୁଃଖିନୀ ମୋହର ଜନନୀ । ତାହାକୁ ତେଜି ମୁହିଁ ପୁଣି ।। ୮୩
ଯିବି ମୁଁ ସ୍ୱର୍ଗକୁ କି ରୂପେ । ଦୂତେ ଜାଣିଲେ ତା ସଙ୍କଳ୍ପେ ।। ୮୪
ବୋଇଲେ ଦେଖ ଭକ୍ତାଗ୍ରଣୀ । ଅଗ୍ରେ ବିମାନେ ତୋ ଜନନୀ ।। ୮୫
ତା ଶୁଣି ଚିତ୍ତ କଲା ସ୍ଥିର । ସେ ବିଷ୍ଣୁଭକ୍ତଙ୍କର ବର ।। ୮୬
ସୁନୀତି ଜନନୀ ସହିତେ । ବସିଲେ ରତ୍ନମୟ-ରଥେ ।। ୮୭
ବିମାନ ଯାନ୍ତେ ସ୍ୱର୍ଗପଥେ । ଦେବେ ଯେ ବସି ନିଜ ରଥେ ।। ୮୮
ଧ୍ରୁବକୁ ଦେଖି ପ୍ରଶଂସନ୍ତି । କେ ବା ଆନନ୍ଦେ କରେ ସ୍ତୁତି ।। ୮୯
ଏମନ୍ତେ ପୁଷ୍ପ ବୃଷ୍ଟି-ପଥେ । ଗ୍ରହଙ୍କୁ ଦେଖିଳେ ଅଗ୍ରତେ ।। ୯୦
ତ୍ରୈଲୋକ୍ୟ ଜିଣି ଦିବ୍ୟଯାନେ । ମୁନିଙ୍କି ଦେଖିଲା ବିମାନେ ।। ୯୧
ମୁନିଙ୍କି ନମିଣ ଆନନ୍ଦେ । ବିଜୟେ କଲା ବିଷ୍ଣୁପଦେ ।। ୯୨
ସେ ବିଷ୍ଣୁପଦର ମହିମା । କେ କହିପାରେ ଗୁଣସୀମା ।। ୯୩
ଯେ ପ୍ରାଣୀ ଶାନ୍ତ ସମଦୃଶ । ଅଶେଷ ଜନ୍ତୁଙ୍କ ବିଶ୍ୱାସ ।। ୯୪
ହରି-ଚରଣେ ଚିତ୍ତ ଯାର । ସୁଶାନ୍ତ ସମବୁଦ୍ଧି ତାର ।। ୯୫
ସେ ପ୍ରାଣୀ ସେ ପୁରେ ପଶନ୍ତି । ମାୟା-ବନ୍ଧନୁ ନିସ୍ତରନ୍ତି ।। ୯୬
ଏଣୁ ଉତ୍ତାନପାଦ ସୁତ । ବିଷ୍ଣୁର ପରମ ଭକତ ।। ୯୭
ସକଳଲୋକ ଚୂଡାମଣି । ନିର୍ମଳ ବୋଲି ଯାକୁ ଗଣି ।। ୯୮
ସେ ଧ୍ରୁବ ବସିଲା ଯେ ସ୍ଥାନେ । ତା ଗୁଣ ଗୁଣ ସାବଧାନେ ।। ୯୯
ଗଭୀର ବେଗେ କାଳଚକ୍ରେ । ବାୟୁ ରସନା ଅତିରେକେ ।। ୧୦୦
ଗ୍ରହ ନକ୍ଷତ୍ର ତାରାଗଣେ । ଭ୍ରମନ୍ତି ମେଧି ଆକର୍ଷଣେ ।। ୧୦୧
ତାର ମହିମା ଯଶ ଘୋଷି । ବୀଣା-ଶବଦେ ଦେବଋଷି ।। ୧୦୨
ପ୍ରଚେତାଗଣ ସଙ୍ଗେ ଥାଇ । ନୃତ୍ୟ କରନ୍ତି ଗୀତ ଗାଇ ।। ୧୦୩
ଧ୍ରୁବର ଯଶ-ଗୁଣ-ବୃନ୍ଦ । ସେ ଯଜ୍ଞେ କହନ୍ତି ନାରଦ ।। ୧୦୪
କି ପତିବ୍ରତା ଏ ସୁନୀତି । କି ବା ତା ସୁତ ଧ୍ରୁବ ଗତି ।। ୧୦୫
କିବା ତା ତପର ପ୍ରଭାବ । ବେଦବାଦୀଙ୍କି ଅସମ୍ଭବ ।। ୧୦୬
ସେ ତପେ ହରିଙ୍କି ତୋଷିଲା । ଜନନୀ ସଙ୍ଗେ ସ୍ୱର୍ଗେ ଗଲା ।। ୧୦୭
ଶୁଣ ହେ ବ୍ୟାସଙ୍କ କୁମର । ସାଧୁଜନଙ୍କ ମଧ୍ୟେ ବର ।। ୧୦୮
ତୁ ଯଶୁ ପଚାରିଲୁ ମୋତେ । ଧ୍ରୁବ-ଚରିତ ଭାଗବତେ ।। ୧୦୯
ଉତ୍ତମ-ଯଶା ଧ୍ରୁବ ବାଣୀ । ଯେ ଏହା ଏକମନେ ଶୁଣି ।। ୧୧୦
ବିସ୍ତାରି କହେ ସାଧୁମେଳେ । ବସଇ ବୈଷ୍ଣବ-ମଣ୍ତଳେ ।। ୧୧୧
ଯଶ ଆୟୁଷ ଧନ ମାନ । ସ୍ୱର୍ଗେ ନିବାସ ସ୍ୱସ୍ତ୍ୟୟନ ।। ୧୧୨
ବିଘ୍ନ-ସମୂହେ ନାହିଁ ଭ୍ରାନ୍ତି । ସକଳ-କ୍ଳେଶୁ ନିସ୍ତରନ୍ତି ।। ୧୧୩
ବିଷ୍ଣୁ-ସମୀପେ ପ୍ରାତଃକାଳେ । ଗୋବିନ୍ଦ-ଭକ୍ତିଭାବ ଭୋଳେ ।। ୧୧୪
ପୂଣ୍ଣିମା ଅମାବାସ୍ୟା ଦିନେ । ଦ୍ୱାଦଶୀ ଶ୍ରବଣା ବିଧାନେ ।। ୧୧୫
ଦିବସ-କ୍ଷୟ ବ୍ୟତିପାତେ । ସଙ୍କ୍ରାନ୍ତି ଅର୍କବାର ଯୁତେ ।। ୧୧୬
ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତି । ଅଥବା ଶ୍ରବଣେ ଶୁଣନ୍ତି ।। ୧୧୭
ଜ୍ଞାନ-ସନ୍ତୋଷ ପ୍ରାଣୀଙ୍କର । ଚତୁରବର୍ଗ ନୋହେ ଦୂର ।। ୧୧୮
ସକାମ-ଚିତ୍ତେ ଚିନ୍ତେ ଯେବେ । ଶୁଣନ୍ତି ଧନ-ପୁତ୍ର ଲଭେ ।। ୧୧୯
କୁଳେ ସୁପୁତ୍ର ହୋଏ ଜାତ । ଯେ ଶୁଣେ ଧ୍ରୁବର ଚରିତ ।। ୧୨୦
ସଂସାର-ଜନଙ୍କର ହିତେ । ପୁରାଣ କଲି ଗୀତ କୃତେ ।। ୧୨୧
କହଇ ଦାସ ଜଗନ୍ନାଥ । ଚତୁଥସ୍କନ୍ଧେ ଭାଗବତ ।। ୧୨୨
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।।

ପଞ୍ଚଦଶ ଅଧ୍ୟାୟ[ସମ୍ପାଦନା]

ସୂତଉବାଚ

ମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେ । ଆନନ୍ଦ ବିଦୁରର ମନେ ।। ୧
ଧ୍ରୁବ ଯେ ଜନନୀ ସହିତେ । ନିଶ୍ଚଳେ କଳ୍ପ ପରିଯନ୍ତେ ।। ୨
ବସିଲା ଯାଇ ଧ୍ରୁବପଦେ । ଜ୍ୟୋତିଷ୍କ ଗ୍ରହ ଚକ୍ର ମଧ୍ୟେ ।। ୩
ମୈତ୍ରେୟ ପାଦେ ଦେଇ କର । ଆନନ୍ଦେ ପୁଚ୍ଛଇ ବିଦୁର ।। ୪

ବିଦୁର ଉବାଚ

ଭୋ ମୁନି ପ୍ରଚେତସମାନେ । କେବା ସେ କେବଣ ଭୁବନେ ।। ୫
କେବଣ ବଂଶେ କିବା ଜାତି । କାହାର ପୁତ୍ର ସେ ବୋଲାନ୍ତି ।। ୬
ପୂର୍ବେ ସେ ନାରଦ ବଚନେ । ଯଜ୍ଞ ଆରମ୍ଭି କେଉଁ ବନେ ।। ୭
ହରିଙ୍କି କ୍ରିୟାଯୋଗେ ପାଇ । ଭବୁ ତରିଲେ ଦଶଭାଇ ।। ୮
ସେ ଧର୍ମଶୀଳ ପ୍ରଚେତସ । ଯଜ୍ଞେ ବିଷ୍ଣୁଙ୍କୁ କରି ତୋଷ ।। ୯
ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ।। ୧୦
ମୈତ୍ରେୟ କହିଲେ ବିଦୁର । ଶୁଣ ହେ ବୃତ୍ତାନ୍ତ ତାହାର ।। ୧୧
ତୁ ଯେ ପ୍ରାର୍ଥନା କଲୁ ମୋତେ । ଶୁଣ ବିଦୁର କହୁ ତୋତେ ।। ୧୨
ଧ୍ରୁବର ପୁତ୍ର ଗୁଣଧାମ । ଜ୍ୟେଷ୍ଠ ଉତ୍କଳ ତାର ନାମ ।। ୧୩
ତାହାକୁ ଅଧିରାଜ୍ୟେ ସ୍ଥାପେ । ଧ୍ରୁବ ଯେ ଗଲା ବନେ ତପେ ।। ୧୪
ସେ ବସି ରାଜାର ଆସନେ । ଉତ୍ତମ ରତ୍ନ-ସିଂହାସନେ ।। ୧୫
ଅନେକ ଦିନ ରାଜ୍ୟ କରି । ସେ ଗୁଣୀ ମନରେ ବିଚାରି ।। ୧୬
ପିତାର ଯାତ୍ରା ଶୁଣି କର୍ଣ୍ଣେ । ସୁଖ ନ ଲଭେ ଦୁଃଖ ମନେ ।। ୧୭
ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ । ସମଦରଶୀ ବୁଦ୍ଧି ଘେନି ।। ୧୮
ଦେଖଇ ସର୍ବଭୂତେ ହରି । ସ୍ଥାବର ଜଙ୍ଗମାଦି କରି ।। ୧୯
ଏକାନ୍ତ ଆତ୍ମବୋଧ-ରସେ । ଗୁଣ-ପ୍ରବାହେ ସେ ନ ମିଶେ ।। ୨୦
ନିର୍ଗୁଣ-ମନ-ବୁଦ୍ଧି ତାର । ନ ଜାଣେ ବାହ୍ୟ ଅଭ୍ୟନ୍ତର ।। ୨୧
ଜଡାନ୍ଧ-ବଧିରଙ୍କ ପ୍ରାୟେ । ଭସ୍ମ-ଭୂଷିତ ଶୁଦ୍ଧ ଦେହେ ।। ୨୨
ବାଳେ ଧାବନ୍ତି ଯାକୁ ଦେଖି । କେ ପାରେ ତାଙ୍କ ଗୁଣ ଲେଖି ।। ୨୩
ବୁଲଇ ନାନା-ମାର୍ଗେ ଲୁଚି । କେହି ନ ପାରେ ତାକୁ ଲକ୍ଷି ।। ୨୪
ଜଡ ଉନ୍ମତ୍ତ ତାକୁ ଜାଣି । ବନ୍ଧୁ ବାନ୍ଧବ ମନେ ଗୁଣି ।। ୨୫
ମନ୍ତ୍ରୀ-ଅମାତ୍ୟଗଣେ ମିଳି । ରାଜ୍ୟ-ରକ୍ଷଣ ନିତ୍ୟେ ଭାଳି ।। ୨୬
ବତ୍ସର ତା ଅନୁଜ ନାମ । ସୁନ୍ଦର ସର୍ବ-ଗୁଣଧାମ ।। ୨୭
ତାହାକୁ ସକଳେ ବିଚାରି । ସ୍ୱରାଜ୍ୟେ ଅଭିଷେକ କରି ।। ୨୮
ସ୍ଥାପିଲେ ନୃପତି ଆସନେ । ଏମନ୍ତେ ଗଲା କେତେଦିନେ ।। ୨୯
ସ୍ୱର୍ବୀଥି ନାମେ ପତ୍ନୀ ତାର । ଯୋଷିତଗଣେ ସେ ଗମ୍ଭୀର ।। ୩୦
ତାର ଉଦରୁ ସୁତ ଜାତ । ହୋଇଲେ ଗୁଣେ ଅପ୍ରମିତ ।। ୩୧
ପୁଷ୍ପାର୍ଣ ତିଗ୍ଧକେତୁ ନାମ । ଈଷ ଉର୍ଜ୍ଜ ଯେ ଅନୁପମ ।। ୩୨
ବସୁ ଜୟ ଯେ ଷଟ ସୁତେ । ଗୁଣେ ପ୍ରଖ୍ୟାତ ଏ ଜଗତେ ।। ୩୩
ପ୍ରଭା ଦୋଷା ଯେ ବେନି ନାରୀ । ପୁଷ୍ପାର୍ଣ୍ଣ ତୁଲେ ବିଭାକରି ।। ୩୪
ସେ ପ୍ରଭା ଗର୍ଭେ ତିନି ସୁତ । ହୋଇଲେ ଜଗତେ ବିଖ୍ୟାତ ।। ୩୫
ପ୍ରାତଃ ମଧ୍ୟାହ୍ନ ସାୟଂକାଳ । ସ୍ୱଭାବେ ତେଜ ଅନର୍ଗଳ ।। ୩୬
ପ୍ରଦୋଷ ନିଶୀଥ ଯେ ବ୍ୟୁଷ୍ଟ । ଦୋଷା ତନୟ ତିନି ଶ୍ରେଷ୍ଠ ।। ୩୭
ବ୍ୟୁଷ୍ଟର ପତ୍ନୀ ପୁଷ୍କରଣୀ । ତା ଗର୍ଭେ ସର୍ବତେଜା ଜନ୍ମି ।। ୩୮
ଆକୂତି ଲନ୍ୟା ହେଲା ବିଭା । କିବା ଉପମା ତାରେ ଦେବା ।। ୩୯
ଚାକ୍ଷୁଷ ମନୁ ତାର ବୀର୍ଯ୍ୟେ । ଜନ୍ମିଳା ଆକୂତିର ଗର୍ଭେ ।। ୪୦
ନଡ୍ୱଳା ଚାକ୍ଷୁଷର ନାରୀ । ରୂପେ କମଳା ନୋହେ ସରି ।। ୪୧
ତାର ଉଦରେ ବାର ସୁତେ । ଜନ୍ମିଲେ ବିଷ୍ଣୁତେଜ ଯୁତେ ।। ୪୨
ନାମ ସେ ପୁରୁ କୁତ୍ସ ତ୍ରିତ । ଦ୍ୟୁମ୍ନ ସତ୍ୟ ତେ ଋତବ୍ରତ ।। ୪୩
ଅତିରାତ୍ର ଯେ ଅଗ୍ନିଷ୍ଟୋମ । ଶିବି ଯେ ଉଲୁକ ପ୍ରଦ୍ୟୁମ୍ନ ।। ୪୪
ଉଲୁକ ତହୁଁ ଷଟସୁତ । ହୋଇଲେ ମନୁବଂଶେ ଖ୍ୟାତ ।। ୪୫
ଅଙ୍ଗ ସୁମନା ଖ୍ୟାତି ତିନି । କ୍ରତୁ ଅଙ୍ଗିରା ଗୟ ଘେନି ।। ୪୬
ସୁନୀଥା ଯମର ଦୁହିତା । ଅଙ୍ଗର ଅଟେ ସେ ବନିତା ।। ୪୭
ବେଣ ତାହାର ଗର୍ଭୁ ଜାତ । ଶୁଣ ହେ ତାହାର ଚରିତ ।। ୪୮
ସେ ପୁଣି ମାତାମହ ଦୋଷେ । ଦୁଷ୍ଟ ହୋଇଲା ମନୁ ବଂଶେ ।। ୪୯
ଦୁଃଶୀଳପଣ ଦେଖି ତାର । ପିତା ଚଳିଲା ଛାଡି ପୁର ।। ୫୦
ତାହାର ଦେଖି ଦୁଷ୍ଟପଣ । କୋପେ ନାଶିଲେ ମୁନିଗଣ ।। ୫୧
ପୁଣି ତାହାର ମୃତ-ଗାତ୍ରେ । ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ।। ୫୨
ଦକ୍ଷିଣ କରେ କୁଶ ବିଡି । ମନ୍ଥନ କଲେ ବେଦ ପଢି ।। ୫୩
ପ୍ରଜା ଅନାଥ ଅରାଜକେ । ଦୁଷ୍ଟେ ପୀଡିଲେ ଅତିରେକେ ।। ୫୪
ତା ତହୁଁ ପୃଥୁ ନାମେ ହରି । ଜନ୍ମିଲେ ରାଜରୂପ ଧରି ।। ୫୫
ତା ଶୁଣି ସନ୍ତୋଷେ ବିଦୁର । ମୁନି ଚରଣେ ଦେଇ କର ।। ୫୬
ରୋମ ପୁଲକ ତନୁ ବହି । ପୁଚ୍ଛଇ କୃତକୃତ୍ୟ ହୋଇ ।। ୫୭

ବିଦୁର ଉବାଚ

ଯେ ଅଙ୍ଗ ସାଧୁ ଶୀଳନିଧି । ସର୍ବ-ଲକ୍ଷଣ ଶ୍ରେୟ-ବୁଦ୍ଧି ।। ୫୮
ବ୍ରାହ୍ମଣ ପ୍ରଜା ରକ୍ଷାକାରୀ । ସେ ସର୍ବଧର୍ମେ ଅଧିକାରୀ ।। ୫୯
ତାହାର ବେଣ ନାମେ ସୁତ । ସେ ଦୁଷ୍ଟ ହୋଇଲା କେମନ୍ତ ।। ୬୦
ପ୍ରଜାଏ ତାର ଦୁଷ୍ଟପଣେ । ଭୟେ ପଶିଲେ ଘୋରବନେ ।। ୬୧
କିମ୍ପା ବ୍ରାହ୍ମଣେ କୋପକଲେ । ତାହାକୁ ବ୍ରହ୍ମଦଣ୍ତ ଦେଲେ ।। ୬୨
ସେ ବିପ୍ରବରେ ସର୍ବଜ୍ଞାତା । ଆଗମ ନିଗମ ବକତା ।। ୬୩
ଏଡେ ଅନ୍ୟାୟ କିମ୍ପା କଲେ । ରାଜାଙ୍କୁ କିମ୍ପା ବିନାଶିଲେ ।। ୬୪
ରାଜାର ଶରୀରେ ନିଶ୍ଚଳେ । ବସନ୍ତି ଦଶଦିଗପାଳେ ।। ୬୫
ଯେ ରାଜା ବିଷ୍ଣୁତେଜ ବହି । ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ।। ୬୬
ସକଳ ରକ୍ଷଣର ଅର୍ଥେ । ତେଣୁ ଭିଆଣ ରାଜମତେ ।। ୬୭
ଯମର ସୁତା-ସୁତ ଯେଣୁ । ଦୁଷ୍ଟ ହୋଇଲେ ଅବା ତେଣୁ ।। ୬୮
ତ‌ତ୍ତ୍ବଜ୍ଞ ମଧ୍ୟେ ତୁ ଉତ୍ତମ । ସର୍ବଜ୍ଞ ତୁହି ପୁଣ୍ୟଧାମ ।। ୬୯
ଏ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ।। ୭୦
ବିଦୁର ତହୁଁ ପ୍ରଶ୍ନ ଶୁଣି । ମୈତ୍ରେୟ କହେ ମୃଦୁ-ବାଣୀ ।। ୭୧

ମୈତ୍ରେୟ ଉବାଚ

ଶୁଣ ହେ ବେଣ ଦୁଷ୍ଟପଣ । କହିବା ତାହାର କାରଣ ।। ୭୨
ଅଙ୍ଗ ଯେ ଅଶ୍ୱମେଧ କଲା । ଉତ୍ତମ-ଋଷିଙ୍କି ବରିଲା ।। ୭୩
ସକଳେ ମିଳି ବେଦନାଦେ । ଅନଳ ପୂଜିଲେ ସମିଧେ ।। ୭୪
ଯଜ୍ଞ-କୁଣ୍ତକୁ ବିପ୍ରେ ଚାହିଁ । ଦେଖିଲେ ଦେବଗଣେ ନାହିଁ ।। ୭୫
ଇନ୍ଦ୍ରାଦି ଦଶଦିଗପାଳେ । ସେ ଯଜ୍ଞେ କେହି ନ ମିଳିଲେ ।। ୭୬
ଦେଖି ବିସ୍ମୟେ ମୁନିଜନେ । ନିକଟେ ରାଇ ଯଜମାନେ ।। ୭୭
ବୋଇଳେ ରାଜା ମୁଖ ଚାହିଁ । ଏ ଯଜ୍ଞ କରୁ କାହିଁ ପାଇଁ ।। ୭୮
ଦେବେ ସେ ହବି ନ ଘେନିଲେ । ଆମ୍ଭେ ପଚାରୁ ତେଣୁ ଭଲେ ।। ୭୯
ଶୁଣ ରାଜନ ସାବଧାନେ । କିବା କଳ୍ପିତ ତୋର ମନେ ।। ୮୦
ପବିତ୍ର-ଦ୍ରବ୍ୟ ଶ୍ରଦ୍ଧାକରି । ସକଳ-ନିଗମ ଉଚ୍ଚାରି ।। ୮୧
ଆମ୍ଭେ ସକଳେ ଧୃତବ୍ରତ । ତୁମ୍ଭେ-ସ୍ୱଭାବେ ଶୁଦ୍ଧଚେତ ।। ୮୨
ମନ୍ତ୍ର ଉଚାରି ଆମ୍ଭେ ତୁଣ୍ତେ । ଆହୁତି ଦେଲୁ ଯଜ୍ଞକୁଣ୍ତେ ।। ୮୩
ଦେବେ ନଇଲେ କେଉଁଭାବେ । ତାର ପ୍ରସ୍ତାବ ଶୁଣ ଏବେ ।। ୮୪
ସକଳ କର୍ମ ସାକ୍ଷୀ ଦେବେ । କିମ୍ପା ନଇଲେ ଯଜ୍ଞଭାଗେ ।। ୮୫

ମୈତ୍ରେୟ ଉବାଚ

ଅଙ୍ଗ ଯେ ବିପ୍ର ବାକ୍ୟ ପୁଣି । ମୁହୂର୍ତ୍ତେ ରହି ମନେ ଗୁଣି ।। ୮୬
ସଭାଜନଙ୍କ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ।। ୮୭
କି ମଦ କର୍ମ ମୋର ଅଛି । କେମନ୍ତେ ପାରିବି ମୁଁ ଲକ୍ଷି ।। ୮୮
ଦେବେ ନଇଲେ ଯଜ୍ଞଭାଗେ । କାରଣ କହ ମୋର ଆଗେ ।। ୮୯
ଏମନ୍ତ ରାଜା ମୁଖୁ ଶୁଣି । ସ୍ୱଧର୍ମ ବିପ୍ରେ ପରିମାଣି ।। ୯୦
ବୋଇଲେ ରାଜା ମୁଖ ଚାହିଁ । ଏ ଜନ୍ମେ ତୋର ଦୋଷ ନାହିଁ ।। ୯୧
ପୂର୍ବ ଅର୍ଜିତ କର୍ମ-ଫଳେ । ସନ୍ତତି ନାହିଁ ତୋର କୋଳେ ।। ୯୨
ଅପୁତ୍ର ଦୋଷେ ଦେବଗଣେ । ନଇଲେ ଯଜ୍ଞ-ନିମନ୍ତ୍ରଣେ ।। ୯୩
ସଙ୍କଳ୍ପ ପୁତ୍ର-ଅର୍ଥେ କର । ଯଜ୍ଞପୁରୁଷ ଯଜ୍ଞେ ବର ।। ୯୪
ତେବେ ସକଳ ଦେବଗଣ । ତୋ ଯଜ୍ଞେ ହୋଇବେ ବରଣ ।। ୯୫
ସେ ବିଷ୍ଣୁ ହବିର୍ଭାଗ ପାଇ । ତୋହର ଯଜ୍ଞେ ତୋଷ ହୋଇ ।। ୯୬
ସେ ହରି ପୁତ୍ର ଦେବେ ତୋତେ । ସଂସାରୁ ତରିବୁ ଯେମନ୍ତେ ।। ୯୭
ମୈତ୍ରେୟ ଆନନ୍ଦ ଚିତ୍ତରେ । କହନ୍ତି ଶୁଣ ହେ ବିଦୁରେ ।। ୯୮
ଏମନ୍ତ ବିପ୍ରବାକ୍ୟ ଶୁଣି । ସେ ଅଙ୍ଗରାଜ ମନେ ଗୁଣି ।। ୯୯
ଯଜ୍ଞେ ଯଜ୍ଞପୁରୁଷ ତୁଣ୍ତେ । ଆହୁତି ଦେଲେ ହୋମକୁଣ୍ତେ ।। ୧୦୦
ମନ୍ତ୍ର ଉଚ୍ଚାରି ବିଧିମତେ । ମୁନିଏ ଦେଲେ ଶୁଦ୍ଧଚିତ୍ତେ ।। ୧୦୧
ତକ୍ଷଣେ ହୋମକୁୁଣ୍ତୁ ଜାତ । ହୋଇଲା ପୁରୁଷ ଅଦ୍ଭୁତ ।। ୧୦୨
ହୃଦେ ଲମ୍ବଇ ହେମହାର । କଟିରେ ଶୋହେ ପାତାମ୍ବର ।। ୧୦୩
ସୁବର୍ଣ୍ଣ ପାତ୍ର କରେ ଧରି । ସିଦ୍ଧ ପାୟସ ପୂର୍ଣ୍ଣ କରି ।। ୧୦୪
ତେଜେ ଗଞ୍ଜଇ ସୂର୍ଯ୍ୟକାନ୍ତି । ତା ଦେଖି ବିପ୍ରେ କଲେ ସ୍ତୁତି ।। ୧୦୫
ଷୋଡଶ-ଉପଚାର ଯୁତେ । ବିପ୍ରେ ପୂଜିଲେ ଜଗନ୍ନାଥେ ।। ୧୦୬
ଯଜ୍ଞପୁରୁଷ ଆଜ୍ଞା ଘେନି । ବ୍ରାହ୍ମଣେ କଲେ ଜୟଧ୍ୱନି ।। ୧୦୭
ଅମୃତମୟ କ୍ଷୀରି-ପୂର୍ଣ୍ଣ । ରାଜାଙ୍କୁ ଅର୍ପିଲେ ବ୍ରାହ୍ମଣ ।। ୧୦୮
ବିପ୍ର-ବଚନେ କ୍ଷୀରିପାତ୍ର । କରେ ଘେନିଲେ ନରନାଥ ।। ୧୦୯
ଆଘ୍ରାଣ କରି ନାସା ଦ୍ୱାରେ । ଦେଲା ସେ ନିଜ ପତ୍ନୀ କରେ ।। ୧୧୦
ରାଣୀ ତା ଘେନିଲା ସନ୍ତୋଷେ । ଗୃହେ ଭୁଞ୍ଜିଲା ମନ ତୋଷେ ।। ୧୧୧
ତକ୍ଷଣେ ପୁଂସବନ ଭାବେ । ପୁତ୍ର ରହିଲା ତାର ଗର୍ଭେ ।। ୧୧୨
ସେ ଗର୍ଭକାଳ ଉପଗତ । କୁମାର ଜନ୍ମିଲା ଅଦ୍ଭୁତ ।। ୧୧୩
ଦିନକୁ ଦିନ ସେ ବଢିଲା । ମାତାର ଅଂଶ ନ ଛାଡିଲା ।। ୧୧୪
ସୁନୀଥା ଯମସୁତା ଯେଣୁ । ତା ସୁତ ଅଧାର୍ମିକ ତେଣୁ ।। ୧୧୫
ଅଧର୍ମ-ଅଂଶୁ ଯମ ଜାତ । ଦୌହିତ୍ର ତାର ଅନୁଗତ ।। ୧୧୬
ସ୍ୱଭାବେ ହୋଇ ଅଧାର୍ମିକ । କ୍ଷତ୍ରିୟ ଭାବେ ଅତିରେକ ।। ୧୧୭
ନିରତେ ଧନୁଶର ଧରି । ବନେ ମୃଗୟା ନିତ୍ୟେ କରି ।। ୧୧୮
ନିର୍ଦ୍ଦୋଷେ ପଶୁଗଣ ମାରେ । ଦୟା-ବିବେକ ନ ବିଚାରେ ।। ୧୧୯
ତୁଲ୍ୟବୟସୀ ବାଳ-ମେଳେ । ଯେବେ ଖେଳଇ କୁତୂହଳେ ।। ୧୨୦
ତାହାଙ୍କୁ ଦୁଷ୍ଟପଣେ ଦୃଢେ । ଚରଣେ ଚାପି ମୁଣ୍ତ ମୋଡେ ।। ୧୨୧
କାହାର କେଶ ବାସ ଫେଡି । କର ଚରଣ ଦୃଢେ ଭିଡି ।। ୧୨୨
ଏମନ୍ତ ତାର ଦୁଷ୍ଟପଣେ । ରାଜାର ଆଗେ ପ୍ରଜାଗଣେ ।। ୧୨୩
ରୋଦନ କରି ଉଚ୍ଚସ୍ୱରେ । କର-ଅଞ୍ଜଳି ଦେଇ ଶିରେ ।। ୧୨୪
କହନ୍ତି ବେଣ ଦୁଷ୍ଟପଣ । ରୋଦନ କରି ପ୍ରଜାଗଣ ।। ୧୨୫
ଭୋନାଥ ଅନାଥର ପ୍ରାୟେ । ହୋଇଲୁ ସର୍ବ-ପରଜାଏ ।। ୧୨୬
ଏମନ୍ତ ଅଙ୍ଗରାଜା ଶୁଣି । ଖଳପୁତ୍ରକୁ ଘରେ ଆଣି ।। ୧୨୭
ନାନା-ପ୍ରକାରେ ଧର୍ମ କହି । ଅନେକ-ପ୍ରକାରେ ବୁଝାଇ ।। ୧୨୮
ଶୁଣନ୍ତେ ନାନା-କୋପ କରେ । ପିତାର ବଚନ ନ ଧରେ ।। ୧୨୯
ଦିନକୁ-ଦିନ ଦୁଷ୍ଟପଣେ । କୋପ ବହିଲେ ପ୍ରଜାଗଣେ ।। ୧୩୦
ଅଙ୍ଗ ତାହାର କର୍ମ ଦେଖି । ଭାଳଇ ଅତିଦୁଃଖେ ଦୁଃଖୀ ।। ୧୩୧
ଦେଖ ମୁଁ ବିଷ୍ଣୁ-ପାଦେ ସେବି । କୁପୁତ୍ରେ ହେଲି ପରାଭବୀ ।। ୧୩୨
ସବୁରି ସଙ୍ଗେ ନିରନ୍ତରେ । ମହତ-ଦୋରେହା ଆଚରେ ।। ୧୩୩
ପ୍ରାଣୀଙ୍କ ମନେ ବହୁବ୍ୟଥା । ଏ ଦୁଷ୍ଟ ଦିଅଇ ସର୍ବଥା ।। ୧୩୪
ଏ ପୁତ୍ରେ କାର୍ଯ୍ୟ ଅଛି କିସ । ନାଶଇ ଇହ ପର ଯଶ ।। ୧୩୫
ପୁଣି ସେ ରାଜା ବିଚାରଇ । ସୁପୁତ୍ର ଛାଡି ନ ହୁଅଇ ।। ୧୩୬
କୁପୁତ୍ରେ ମାତ୍ର ଏତେ ଲାଭ । ସ୍ୱଜନଗୃହେ ଛାଡେ ଲୋଭ ।। ୧୩୭
ସୁପୁତ୍ର-କୁପୁତ୍ର ବିଚାରେ । ଚିତ୍ତ ନ ରହେ ତାର ଘରେ ।। ୧୩୮
ରଜନୀ-ଅର୍ଦ୍ଧେ ନୃପବର । ମନ୍ଦିରୁ ହୋଇଲା ବାହାର ।। ୧୩୯
ବନେ ପଶିଲା ନରପତି । କେହି ନ ଜାଣେ ତାର ଗତି ।। ୧୪୦
ତାହାର ପାତ୍ର-ମନ୍ତ୍ରୀଗଣେ । ଅନେକ ଖୋଜି ଘୋରବନେ ।। ୧୪୧
ନ ଦେଖି ଗନରେ ମିଳିଲେ । ଅନେକ ପ୍ରକାରେ ଭାଳିଲେ ।। ୧୪୨
ରୋଦନ କଲେ ଛନ୍ନ ମନେ । ବୋଇଲେ କେଣେ ଗଲେ ଶୂନ୍ୟେ ।। ୧୪୩
ଭାଷା-ପ୍ରବନ୍ଧେ ଭାଗବତ । ବୋଲଇ ବିପ୍ର ଜଗନ୍ନାଥ ।। ୧୪୪
ଇତିଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ବେଣଜନ୍ମ କଥନଂ ନାମ ପଞ୍ଚଦଶଶୋଽଧ୍ୟାୟଃ ।।

ଷୋଡ଼ଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି ।। ୧

ମୈତ୍ରେୟ ଉବାଚ

ଭୃଗୁ ଅଙ୍ଗିରା ଆଦି ଯେତେ । ମୁନିଏ ମିଳିଲେ ସମସ୍ତେ ।। ୨
ଭାଳନ୍ତି ଅତି ମନ ଦୁଃଖେ । ପ୍ରଜା-ରକ୍ଷଣେ ଅରାଜକେ ।। ୩
ବୋଲନ୍ତି ରାଜ୍ୟେ ନାହି ରାଜା । ଦୁଷ୍ଟେ ଲୁଟିବେ ଜନ ପ୍ରଜା ।। ୪
ଏମନ୍ତ ବିଚାରି ସମସ୍ତେ । ବେଣର ଜନନୀ ଅଗ୍ରତେ ।। ୫
ପ୍ରଜା ରକ୍ଷଣେ ଧର୍ମ କହି । ସକଳ ଜନେ ରୁଣ୍ତ ହୋଇ ।। ୬
ବିଚାର କରି ଅତିରେକେ । ବେଣକୁ ରାଜ-ଅଭିଷେକେ ।। ୭
ନିଜ-ଭୁବନେ କଲେ ରାଜା । ଯେଣେ ରକ୍ଷିତ ଜନପ୍ରଜା ।। ୮
ଦସ୍ୟୁ ଯେ ଥିଲେ ଦୁଷ୍ଟପଣେ । ଲୁଟିବେ ବୋଲି ପ୍ରଜାଗଣେ ।। ୯
ବେଣର ରାଜପଣ କର୍ଣ୍ଣେ । ଶୁଣି ଲୁଚିଲେ ଘୋରବନେ ।। ୧୦
ପଶିଲେ ଘୋର-ଗିରିମାର୍ଗେ । ଗରୁଡ ଡରେ ଯେହ୍ନେ ନାଗେ ।। ୧୧
ବେଣ ରାଜ୍ୟରେ ରାଜା ହୋଇ । ରାଜା-ସମ୍ପଦେ ଗର୍ବ ବହି ।। ୧୨
ସ୍ୱଭାବେ ଦୁଷ୍ଟ-ଦୁରାଚାର । ନ କରେ ଧର୍ମର ବିଚାର ।। ୧୩
ଆତ୍ମାକୁ ସିଦ୍ଧ-ପ୍ରାୟ ମଣେ । ଋଷିଙ୍କ ବଚନ ନ ଶୁଣେ ।। ୧୪
ଲଭିଣ ଅଶେଷ ବିଭୂତି । ମାତିଲା ଯେହ୍ନେ ମତ୍ତହସ୍ତୀ ।। ୧୫
କାଞ୍ଚନରଥେ ବିଜେ କରି । ବୁଲନ୍ତେ କମ୍ପେ ବସୁନ୍ଧରୀ ।। ୧୬
ନିତ୍ୟେ ସେ ବିପ୍ରଙ୍କୁ ଅଣାଇ । ବୋଲଇ କୋପଭର ହୋଇ ।। ୧୭
ଶୁଣ ହେ ବିପ୍ରେ ମୋର ବାଣୀ । ମୁଁ ଏ ଜଗତେ ନୃପମଣି ।। ୧୮
ମୋହର ବଚନ ତୁମ୍ଭର । ସ୍ୱଭାବେ ପାଳିବା ବେଭାର ।। ୧୯
ଦେଖ ମୋହର ବେନଭୂଜ । ଦାଦିଗପାଳଙ୍କ ତେଜ ।। ୨୦
ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ । ଦେଖ ମୋହର ବର୍ଣ୍ଣଚିହ୍ନ ।। ୨୧
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ପାଶେ ବସାଇ ନୃପରାଣ ।। ୨୨
ବିଷ୍ଣୁର ବଚନ ପ୍ରକାଶି । ମନ ଆନନ୍ଦେ ନୃପବଂଶୀ ।। ୨୩
ଆତ୍ମାକୁ ସିଦ୍ଧ ପ୍ରାୟ ମଣି । ବୋଲଇ ଅସମ୍ଭବ ବାଣୀ ।। ୨୪
ଶୁଣ ସକଳ-ପ୍ରଜାଜନେ । ବ୍ରାହ୍ମଣ ଆଦି ଚାରିବବର୍ଣ୍ଣେ ।। ୨୫
ମୋ ରାଜ୍ୟେ ଯଜ୍ଞ ନ କରିବ । ପିତୃଦେବତା ନ ପୂଜିବ ।। ୨୬
ଦାନ ନ ଦେବ ବିପ୍ରହସ୍ତେ । ତୀର୍ଥେ ନ ଯିବ ପାଦଗତେ ।। ୨୭
ଆଗମ ନିଗମ ଏ ନୀତି । ଯେ ଅବା ଶାସ୍ତ୍ର ମତ ଚିନ୍ତି ।। ୨୮
ସଂସାରେ ଧର୍ମ କର୍ମ ଯେତେ । ସକଳ ସମର୍ପିବ ମୋତେ ।। ୨୯
ମୋ ତହୁଁ ବଡ ନାହିଁ ଆନ । ମୁଁ ଯେ ପ୍ରତ୍ୟକ୍ଷ ଭଗବାନ ।। ୩୦
ମୋହର ଜନ୍ମ କର୍ମ ଗୁଣ । ସର୍ବେ ତା କରସି ବଖାଣ ।। ୩୧
ମୋ ନାମ ଜପୁଥିବ ତୁଣ୍ତେ । ମୋତେ ପୂଜିବ ଯଜ୍ଞକୁଣ୍ତେ ।। ୩୨
ଯେ ମୋର ବୋଲ ନ କରିବ । ମୋ ରାଜ୍ୟେ ଦଣ୍ତେ ନ ରହିବ ।। ୩୩
ଜୀବନ ହରିବି ତାହାର । ସର୍ବସମ୍ପଦ କରି ଜୂର ।। ୩୪
ଏମନ୍ତ ପୁର ରାମ ଦେଶେ । ହସ୍ତୀର କନ୍ଧେ ଭେରୀଘୋଷେ ।। ୩୫
ଘୋଷଣ-ବାଜେ ସର୍ବଦେଶେ । ଶୁଣି ସକଳ ଜନ ତ୍ରାସେ ।। ୩୬
ବେଣ ଆଜ୍ଞା ଶିରେ କଲେ । ସକଳ ଧର୍ମ ଉପେକ୍ଷିଲେ ।। ୩୭
ଜପନ୍ତି ତାର ନାମେ ନିତ୍ୟେ । ଭୟେ ଖଟନ୍ତି ପାଦଗତେ ।। ୩୮
ଏମନ୍ତ ରାଜା ଦୁଷ୍ଟପଣ । ଦେଖି ଭାଳନ୍ତି ମୁନିଗଣ ।। ୩୯
ବୋଳନ୍ତି ଏକୁ ଆରେ ଚାହିଁ । ଏମନ୍ତ ଶୁଣିଲାତ ନାହିଁ ।। ୪୦
ଭୂମିରେ ଯେତେ ରାଜା ଥିଲେ । ଏମନ୍ତ କେବା ପ୍ରଚରିଲେ ।। ୪୧
ଯଜ୍ଞ ନ କଲେ ମେଘ ନାହିଁ । ବୃଷ୍ଟି ନୋହିଳେ ଅନ୍ନ ନାହିଁ ।। ୪୨
ଏ ପଞ୍ଚଯଜ୍ଞ କ୍ରିୟା ଲୋପେ । ଅଧର୍ମେ ତ୍ରିଭୁବନ କମ୍ପେ ।। ୪୩
ଏ ଗୋର ସଙ୍କଟ ପଡିଲା । ଉଭୟ ଲୋକ ନାଶ ଗଲା ।। ୪୪
ଏହାକୁ ଆମ୍ଭେ ରାଜା କଲୁ । ସର୍ପକୁ କ୍ଷୀର ପିଆଇଲୁ ।। ୪୫
ସେ ଯେହ୍ନେ ବଢେ ଅତି ଘୋରେ । କ୍ଷୀରଦାତାର ପ୍ରାଣ ହରେ ।। ୪୬
ଆମ୍ଭେ ନ ବୁଝି କର୍ମ କଲୁ । ବେଣକୁ ରାଜପଦ ଦେଲୁ ।। ୪୭
ଖଳକୁ ଦେଲୁ ରାଜ୍ୟେ ବାସ । ଆମ୍ଭେ ହୋଇଲୁ ଏବେ ନାଶ ।। ୪୮
ସୁନୀଥା ଗର୍ଭୁ ଏ ସମ୍ଭୂତ । ସ୍ୱଭାବେ ଯମସୁତା-ସୁତ ।। ୪୯
ଆମ୍ଭେ ଏହାର ପାଶେ ଯିବା । ଧର୍ମ-ବଚନ ବୁଝାଇବା ।। ୫୦
ଏ ଯେବେ ବୋଲ ନ କରିବ । ଅଧର୍ମ ଦୋଷେ ନାଶ ଯିବ ।। ୫୧
ଏତେ ବିଚାରି ବିପ୍ରଜନେ । ମିଳିଲେ ବେଣ ସନ୍ନିଧାନେ ।। ୫୨
କଲ୍ୟାଣ କରି ବେଦନାଦେ । ବୋଧିଲେ ତାକୁ ସାମବାଦେ ।। ୫୩
ହେ ନୃପନାଥ ଶୁଣ ଧୀରେ । ଯାହା କହିବୁ ତୋ ଛାମୁରେ ।। ୫୪
ଯେଣେ ହୋଇବ ତୋର ଲାଭ । ଜଗତେ ଯଶ-କୀର୍ତ୍ତି ଥିବ ।। ୫୫
ମନ-ବଚନ-ଦେହ ଗତେ । ଯେ ପ୍ରାଣୀ ଥାନ୍ତି ଜନହିତେ ।। ୫୬
ଏ ବେନିଲୋକେ ସେ ଜିଣନ୍ତି । ନ କଲେ ଜୀବନ୍ତେ ମରନ୍ତି ।। ୫୭
ପ୍ରଜାଏ ଧର୍ମ ଆଚରିଲେ । ନୃପ ସମ୍ପଦ ବଢେ ଭଲେ ।। ୫୮
ସେ ଧର୍ମ ଯେବେ ନାଶ ଯାଇ । ନୃପ ସମ୍ପଦ ଆର କାହିଁ ।। ୫୯
ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ । ଚୌର୍ଯ୍ୟାଦି ସର୍ବ ଭୟ ହରେ ।। ୬୦
ସେ ରାଜାଂଇହପରଲୋକେ । ଆନନ୍ଦ ମନେ ରହେ ସୁଖେ ।। ୬୧
ଯେ ରାଜା ରାଜ୍ୟ ପୁର ଦେଶେ । ବିଷ୍ଣୁଙ୍କୁ ପୂଜନ୍ତି ହରଷେ ।। ୬୨
ବିଷ୍ଣୁ-ପାଦୋଦକ ନିର୍ମାଲ୍ୟ । ଯେ ସେବେ ସେହି ସେ ଅମୂଲ୍ୟ ।। ୬୩
ପ୍ରଜାଏ ନିଜଧର୍ମେ ଥାଇ । ଆଶ୍ରମ-ଧର୍ମ ପ୍ରଚାରଇ ।। ୬୪
ରାଜାର ଯଜ୍ଞେ ପୂଜା ପାଇ । ବିଷ୍ଣୁ ସନ୍ତୋଷେ ଦୟା ବହି ।। ୬୫
ରାଜା-ପରଜା ସୁଖେ ରହେ । ଏ ଧର୍ମ ଚାରିବେଦ କହେ ।। ୬୬
ବିଷ୍ଣୁର ପାଦପଦ୍ମ ତଳେ । ଖଟନ୍ତି ସର୍ବଦିଗପାଳେ ।। ୬୭
ସୁଖ ଭୁଞ୍ଜନ୍ତି ସର୍ବକାଳେ । ଏ କଥା ବିଦିତ ଶୟଳେ ।। ୬୮
ସେ ସର୍ବ-ଯଜ୍ଞ ମୟ ହରି । ମନୁ ଦେବତା ଆଦି କରି ।। ୬୯
ସେହରି ଯଜ୍ଞେ ହେଲେ ତୋଷ । ସଂସାରେ ରହିବ ତୋ ଯଶ ।। ୭୦
ସର୍ବ-ଦେବତା ତାର ଦେହେ । ବସନ୍ତି ଲୋମପନ୍ତି ପ୍ରାୟେ ।। ୭୧
ତାହାର ସଞ୍ଚଲା ଜଗତ । ତା ବିନୁ କେହି ନୋହେ ସତ୍ୟ ।। ୭୨
ସେ ସର୍ବ-ଦେବମୟ ହରି । ତାର ଚରଣେ ପୂଜାକରି ।। ୭୩
ଲଭିବୁ ସର୍ବ ସୁଖ ଭଲେ । ଆମ୍ଭର ବାକ୍ୟେ ଧର୍ମ କଲେ ।। ୭୪
ସେ ହରି ଯେବେ ତୁଷ୍ଟ ହେବ । କିବା ଅପ୍ରାପ୍ୟ ତୋର ଥିବ ।। ୭୫
ସର୍ବ ସମୃଦ୍ଧି ଲାଭ ପାଇଁ । ଲୋକେ ଯେ ହରିଙ୍କୁ ଭଜଇ ।। ୭୬
ତୁ ତାଙ୍କ ଅନୁବର୍ତ୍ତୀ ହୋଇ । ଆମ୍ଭ ବଚନ ରଖ ତୁହି ।। ୭୭
ସେ ହରି କଳ-ଦେବମୂର୍ତ୍ତି । ଯଜ୍ଞରେ ବ୍ରାହ୍ମଣେ ପୂଜନ୍ତି ।। ୭୮
ତାହାଙ୍କ ପ୍ରତି ତୋ ହେଳଣ । ଉଚିତ ନୁହଇ ରାଜନ ।। ୭୯
ଋଷିଙ୍କ ବୋଲ ଶୁଣି କର୍ଣ୍ଣେ । ବେଣ ବୋଲଇ କୋପମନେ ।। ୮୦
ବେଣ ଉବାଚ
ତୁମ୍ଭେ ବାଳିଶ ବିପ୍ରଜନ । ବାଳକ ପ୍ରାୟ ତୁମ୍ଭ ଜ୍ଞାନ ।। ୮୧
ଅଧର୍ମେ ଧର୍ମ ମାନ୍ୟ କର । ଏ ନୋହେ ସ୍ୱଧର୍ମ ତୁମ୍ଭର ।। ୮୨
ଯୁବତୀ ନିଜ ସ୍ୱାମୀ ଛାଡି । ଜାର ପୂରୁଷେ ଲୋଭ ବଢି ।। ୮୩
ତେମନ୍ତ ପ୍ରାୟେ ତୁମ୍ଭେମାନେ । ମୋ ପାଦ ଛାଡି ଭଜ ଅନ୍ୟେ ।। ୮୪
ଏଣୁ ଏ ମୂଢ ପ୍ରାଣୀ ଯେତେ । ବର୍ତ୍ତନ୍ତି ଅଶାସ୍ତ୍ର ବିହିତେ ।। ୮୫
ବିଷ୍ଣୁ ସ୍ୱରୂପ ନରପତି । ତାହାଙ୍କୁ ଅଶାସ୍ତ୍ର ବିହିତେ ।। ୮୬
ତାହାଙ୍କ ଧର୍ମଜ୍ଞାନ ନାହିଁ । ଉଭୟ ଲୋକେ ସୁଖ କାହିଁ ।। ୮୭
କେ ଯଜ୍ଞପୁରୁଷ ତୁମ୍ଭର । ଯାର ଚରଣେ ସେବାକର ।। ୮୮
ଯୁବତୀ କୁଳ-ଧର୍ମ ଛାଡି । ଜାରେ ଯେସନେ ସେବା କରି ।। ୮୯
ଦେଖ ଏ ନୃପତି ଶରୀରେ । ଦେବେ ବସନ୍ତି ଅଧିକାରେ ।। ୯୦
ବିଷ୍ଣୁ ବିରଞ୍ଚି ମହେଶ୍ୱର । ଇନ୍ଦ୍ର ପବନ ଦିବାକର ।। ୯୧
ଯମ ପର୍ଜନ୍ୟ ଧନଦାତା । ସୋମ ଧରଣୀ ଭସ୍ମକର୍ତ୍ତା ।। ୯୨
ଜଳ ବରୁଣ ଆଦି ଯେତେ । ସର୍ବେ ବସନ୍ତି ନୃପଗାତ୍ରେ ।। ୯୩
ଯେ ବର ଶାପ ଦ୍ୟନ୍ତି ଲୋକେ । ନୃପ ଶରୀରେ ଏକେ ଏକେ ।। ୯୪
ସକଳ-ଦେବ ତେଜଆଣି । ତେଣୁ ବୋଲାଇ ନୃପମଣି ।। ୯୫
ଏଣୁ ଏ ନରପତି ଦେହ । ପ୍ରତ୍ୟକ୍ଷେ ସର୍ବଦେବମୟ ।। ୯୬
ଦୁର୍ଲଭ ନୃପତି-ଶରୀର । କି ଅବା ଦେବା ପଟାନ୍ତର ।। ୯୭
ଏ ଦେହ ମହିମା ନ ଜାଣି । ଅଧର୍ମ ଧର୍ମ ପରିମାଣି ।। ୯୮
ଏଣୁ ତୁମ୍ଭର କର୍ମ ଯେତେ । ସେ ଧର୍ମେ ପୂଜା କର ମୋତେ ।। ୯୯
ମୋହର ଅଗ୍ରେ ବଳି କର । ଏଧର୍ମ ସ୍ୱଧର୍ମ ତୁମ୍ଭର ।। ୧୦୦
ମୁଁ ଯଜ୍ଞଭାଗ ଆଗ ପାଇ । ମୋ ତହୁଁ ଅନ୍ୟ ଦେବ ନାହିଁ ।। ୧୦୧

ମୈତ୍ରେୟ ଉବାଚ

ଏମନ୍ତ ବିପରୀତ-ଗତି । ଭଜିଲା ପାପିଷ୍ଠ-ନୃପତି ।। ୧୦୨
ମୁନିଙ୍କ ଅନୁମୟ-ବାଣୀ । ନିଶ୍ଚେ ନ କଲା ନୃପମଣି ।। ୧୦୩
ସ୍ୱଭାବେ ଦୁଷ୍ଟ ଅନର୍ଗଳ । ଆତ୍ମାକୁ କଲା ଅମଙ୍ଗଳ ।। ୧୦୪
ଏମନ୍ତ ମୁନିଙ୍କ ବଚନ । ଅବଜ୍ଞା କଲା ଦିନୁଦିନ ।। ୧୦୫
ଆତ୍ମ-ପଣ୍ତିତ ମନେ କରେ । ମୁନିଙ୍କ ବଚନ ନ ଧରେ ।। ୧୦୬
ମୁନିଏ ଦିନେ ଦିନେ ଆସି । ଧର୍ମ କହନ୍ତି ପାଶେ ବସି ।। ୧୦୭
କହନ୍ତି ଅନେକ ବିଶ୍ୱାସ । ଦେଖାଇ ଜ୍ଞାନ ଉପଦେଶ ।। ୧୦୮
କେବେହେଁ ନ କଲା ବଚନ । ମୁନିଙ୍କି କଲା ଅପମାନ ।। ୧୦୯
ତାହାର ଅଧର୍ମ ବିଶ୍ୱାସେ । ମୁନିଙ୍କ ମନେ କୋପ ବସେ ।। ୧୧୦
ବୋଲନ୍ତି ଏକୁଆରେ ଚାହିଁ । ଏହା ଜୀବନେ କାର୍ଯ୍ୟ ନାହିଁ ।। ୧୧୧
ଏହାର ଅଧର୍ମ ଆଚାରେ । ପ୍ରଜାଏ ନଶିବେ ସଂସାରେ ।। ୧୧୨
ଅସାଧୁ ବୃତ୍ତି ଏହ ଦେହି । ନୃପ ଆସନେ ଯୋଗ୍ୟ ନୋହି ।। ୧୧୩
ଯେ ରାଜା ଲଜ୍ଜା ଦୂର କରି । ନିନ୍ଦଇ ଯଜ୍ଞପତି ହରି ।। ୧୧୪
କେ ଏହା ସହେ ଦେହ ବହି । ବେଣକୁ ରାଜପଦ ଦେଇ ।। ୧୧୫
ଏମନ୍ତେ ବେଣ ନାଶ ପାଇଁ । ମୁନିଏ ମହାକୋପ ବହି ।। ୧୧୬
ହୁଙ୍କାର କରି ବେଦବାଣେ । ପ୍ରହାର କଲେ ଜଣେ ଜଣେ ।। ୧୧୭
ଅଚ୍ୟୁତ ନିନ୍ଦା ଫଳ ଥିଲା । ତକ୍ଷଣେ ଦେହୁ ପ୍ରାଣଗଲା ।। ୧୧୮
ବେଣକୁ ନାଶି ବିପ୍ରଜନେ । ଗଲେ ସେ ଯେ ଯାହା ଭୁବନେ ।। ୧୧୯
ସୁନୀଥା ପୁତ୍ରର ମରଣ । ଦେଖି କରଇ ବିଚାରଣ ।। ୧୨୦
ଅବଶ୍ୟ ଏହାର ଶରୀରେ । ପୁତ୍ର ଉପୂଜିବ ସଂସାରେ ।। ୧୨୧
ହୋଇବେ ପ୍ରଜାଜନେ ସୁଖୀ । ଏତେ ବିଚାରି ଅଶ୍ରୁମୁଖୀ ।। ୧୨୨
ତଇଳ-ଦ୍ରୋଣୀ ମଧ୍ୟେ ଥୋଇ । ବେଣର ଶରୀର ପାଳଇ ।। ୧୨୩
ହେନ ସମୟେ ଏକ ଦିନେ । ସରସ୍ୱତୀରେ ବିପ୍ରଜନେ ।। ୧୨୪
ନିଶ୍ଚିନ୍ତେ ପ୍ରାତଃସ୍ନାନ ସାରି । ହୋମେ ପୂଜିଲେ ନରହରି ।। ୧୨୫
ବିଷ୍ଣୁର କଥାଗୋଷ୍ଠୀ କଲେ । ଏମନ୍ତ ଉତ୍ପାତ ଦେଖିଲେ ।। ୧୨୬
ଶୁଭଇ ମୁଖ ରାବ ଘୋଷ । ଭୟେ କମ୍ପନ୍ତି ଦଶଦିଶ ।। ୧୨୭
ପ୍ରଜାଏ ଭୟର ଆତୁରେ । ପଳାନ୍ତି ବନ ଗିରି ଘୋରେ ।। ୧୨୮
ମୁନି ଚାହାନ୍ତି ଚାରିଦିଗେ । ଧୂଳି ଉଡଇ ବାୟୁ ବେଗେ ।। ୧୨୯
ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି । ଡାକନ୍ତି ମାର ମାର କରି ।। ୧୩୦
ତାଙ୍କ ଚରଣ ଧୂଳି ବେଗେ । ଆଚ୍ଛାଦି ଉଡେ ଦଶଦିଗେ ।। ୧୩୧
ଦୁଷ୍ଟେ ଲୁଟନ୍ତି ପ୍ରଜାଧନ । ଅଦ୍ଭୁତେ ଶୁଭେ ଘୋରସ୍ୱନ ।। ୧୩୨
ମୁନିଏ ପ୍ରଜା ଦୁଃଖ ଦେଖି । ମନେ ହୋଇଲେ ଗୁରୁ ଦୁଃଖୀ ।। ୧୩୩
ବୋଲନ୍ତି କଲୁ ମନ୍ଦ-କୃତ୍ୟ । ପ୍ରଜାଏ ହୋଇଲେ ଅନାଥ ।। ୧୩୪
ଆମ୍ଭେ ତପସ୍ୟା କଥା ଜାଣି । ରାଜ୍ୟକୁ ରାଜା ସେ କାରେଣୀ ।। ୧୩୫
ରାଜା ନ ଥିଲେ ପ୍ରଜା କାହିଁ । ଏମନ୍ତ ବୋଲି ଦୟାବହି ।। ୧୩୬
ବୋଲନ୍ତି ବ୍ରାହ୍ମଣ-ବେଭାରେ । ସଂସାରେ ପର-ଉପକାରେ ।। ୧୩୭
ସମାନ-ଦୃଷ୍ଟି ଯେ ବ୍ରାହ୍ମଣ । ଶାନ୍ତି ବିବେକ ସୁଲକ୍ଷଣ ।। ୧୩୮
ଯେବେ ସେ ଦୁଃଖୀଙ୍କ କୁଶଳେ । ହେଳାରେ ବିଚାର ନ କରେ ।। ୧୩୯
ତା ଦେଖୁ ତପ ତୁଚ୍ଛ ଯାଏ । ଭଗ୍ନ-ଭଣ୍ତରେ କ୍ଷୀର ପ୍ରାୟେ ।। ୧୪୦
କେବେହେଁ ନୋହେ ସେ ନିରୋଧ । ଏମନ୍ତ ମଣି ଶାସ୍ତ୍ରବାଦ ।। ୧୪୧
ବୋଲନ୍ତି ଅଙ୍ଗରାଜା ବଂଶେ । ରାଜା ଧାର୍ମିକ ବିଷ୍ଣୁଅଂଶେ ।। ୧୪୨
ସେ ରାଜା ଗୋବିନ୍ଦ ଆଶ୍ରୟେ । ପ୍ରଜା ପାଳନେ ସ୍ନେହବହେ ।। ୧୪୩
ତାର ଜୀବନ ଏ ସଂସାରେ । ବର୍ତ୍ତଇ ପର-ଉପକାରେ ।। ୧୪୪
ଏତେ ବିଚାରି ବିପ୍ରବରେ । ଉରୁ ମନ୍ଥିଲେ କୁଶ-ଶରେ ।। ୧୪୫
ବାହୁକ ନାମେ ନର ଅଂଶେ । ଅଦ୍ଭୁତେ ହୋଇଲା ପୁରୁଷେ ।। ୧୪୬
କାକହୁଁ କୃଷ୍ଣ ଅଙ୍ଗ ତାର । ନାସିକା ହନୁ ଭୟଙ୍କର ।। ୧୪୭
ହସ୍ତ ଚରଣ ଦେହ କୃଶ । ତାମ୍ରର ପ୍ରାୟ ମୁଣ୍ତକେଶ ।। ୧୪୮
ଅରୁଣ ବିରାଜେ ଲୋଚନ । ଭ୍ରୂକୁଟୀ କୁଟିଳ ବଦନ ।। ୧୪୯
ବିପ୍ରଙ୍କ ପାଦେ ଶିର ଦେଇ । ବୋଲଇ କି କରିବି ମୁହିଁ ।। ୧୫୦
ତାର ସ୍ୱରୂପ ଦେଖି ମନେ । ବିଚାର କଲେ ମୁନିଜନେ ।। ୧୫୧
ଦେଖ ଅଦ୍ଭୁତ ଏହା କାୟେ । ରାଜ ଆସନେ ଯୋଗ୍ୟ ନୋହେ ।। ୧୫୨
ଏହାକୁ ଆମ୍ଭେ ରାଜା କଲେ । ସଂସାର ନାଶିବ ଏ ଭଲେ ।। ୧୫୩
ଏମନ୍ତେ ବିପ୍ରେ ବିଚାରିଲେ । ନିଷାଦ ବୋଲି ଆଜ୍ଞାଦେଲେ ।। ୧୫୪
ବୋଇଲେ ବନେ ହୁଅ ରାଜ । ଗିରିକାନନେ ପାଅ ପୂଜା ।। ୧୫୫
ଏମନ୍ତ ମୁନିଙ୍କ ବଚନେ । ସେହୁ ପୁରୁଷ ଚଳେ ବନେ ।। ୧୫୬
ତା ବଂଶ ନିଷାଦ ହୋଇଲେ । ଗିରି କାନନ ଆଶ୍ରେ କଲେ ।। ୧୫୭
ବେଣର ଦେହେ ପାପ ଥିଲା । ନିଷାଦ ରୂପେ ବନେ ଗଲା ।। ୧୫୮
ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।। ୧୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁ ଚରିତେ ନିଷାଦୋତ୍ପତ୍ତିର୍ନାମ ଷୋଡଶୋଽଧ୍ୟାୟଃ । ।

ସପ୍ତଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ନିର୍ମଳ ଦେଖି ବେଣ ଅଙ୍ଗ । ପୁଣି ମନ୍ଥିଲେ ବାହୁଯୁଗ ।। ୧
ନାରୀ ପୁରୁଷ ଏକ ମେଳେ । ଜନ୍ମିଲେ ବେଦ-ମନ୍ତ୍ରବଳେ ।। ୨
ସ୍ତିରୀ ପୁରୁଷ ଦେହ ଦେଖି । ବିଷ୍ଣୁର କଳା ଉପଲକ୍ଷି ।। ୩
ଆନନ୍ଦମନେ ମୁନିଗଣେ । ଭାବେ କହନ୍ତି ଜଣେ ଜଣେ ।। ୪

ଋଷିଗଣ ଉବାଚ

ଦେଖ ଏ ପୁରୁଷ କାମିନୀ । ଅଶେଷ-ଭୁବନ ପାବନୀ ।। ୫
ଦେଖ ଏ ମିଥୁନ-ଲକ୍ଷଣ । ପ୍ରତ୍ୟେକ୍ଷେ ଲକ୍ଷ୍ମୀନାରାୟଣ ।। ୬
ବେଣର ବଂଶ ଏ ରଖିବ । ଆନନ୍ଦେ ଭୁବନ ପାଳିବ ।। ୭
ଏହାକୁ ରାଜ୍ୟେ ରାଜା କରି । ଏ କନ୍ୟା ରାଣୀ ରୂପେ ବରି ।। ୮
ପ୍ରଥିତ ଯଶକୀର୍ତ୍ତି ଯେଣୁ । ଏହାର ପୃଥୁ ନାମ ତେଣୁ ।। ୯
ଏ ଯେ ସୁନ୍ଦରୀ ଶୁଭ୍ରଦନ୍ତୀ । ମୁକ୍ତାର ପ୍ରାୟ ଦନ୍ତନ୍ନି ।। ୧୦
ସକଳ ଗୁଣେ ଏ ଭୂଷିତ । ବିରାଜେ ଯେସନେ ଆଦିତ୍ୟ ।। ୧୧
ରୂପେ ଅର୍ଚ୍ଚିଲା ପୃଥୁ ଯେଣୁ । ଏହାର ଅର୍ଚ୍ଚି ନାମ ତେଣୁ ।। ୧୨
ଏ ରାଜା ବିଷ୍ଣୁ ଅଂଶେ ଜାତ । ସୁଗୁଣେ ଲୋକେ ଏ ବିଖ୍ୟାତ ।। ୧୩
ଏ ବାମା ଜାତ ଲକ୍ଷ୍ମୀ ରୂପେ । ସର୍ବଦା ବିଷ୍ଣୁର ସମୀପେ ।। ୧୪

ମୈତ୍ରେୟ ଉବାଚ

ଏତେ ବିଚାରି ଶୁଦ୍ଧମନେ । ସ୍ତୁତି କରନ୍ତି ବିପ୍ରଜନେ ।। ୧୫
ଗନ୍ଧର୍ମେ ଗୀତନାଦ କଲେ । ଦେବେ କୁସୁମ ବରଷିଲେ ।। ୧୬
ଆନନ୍ଦେ ବୀଣା ବାଦ୍ୟ କରି । ନୃତ୍ୟ କରନ୍ତି ଅପସରୀ ।। ୧୭
ଶଙ୍ଖ ମହୁରୀ ତୂରୀ ନାଦେ । ଦେବେ ଦୁନ୍ଦୁଭି ବିଷ୍ଣୁପଦେ ।। ୧୮
ଦେବତା ଋଷି ପିତୃଜନେ । ମିଳିଲେ ହରଷିତ ମନେ ।। ୧୯
ଶଙ୍କର ପଦ୍ମଯୋନି ତୁଲେ । ଦେବ ସମୂହେ ବିଜେ କଲେ ।। ୨୦
ଦେଖିଲେ ବେଣସୁତ ହସ୍ତ । ବିଷ୍ଣୁର ଚକ୍ର ଚିହ୍ନ ଯୁକ୍ତ ।। ୨୧
ଚରଣେ ପଙ୍କଜ ଲାଞ୍ଛନ । ସକଳେ କଲେ ଅନୁମାନ ।। ୨୨
ବିଷ୍ଣୁର ଅଂଶ ନିଶ୍ଚେ ଜାଣି । ବେଗେ ଆଣିଲେ ତୀର୍ଥପାଣି ।। ୨୩
ଅଭିଷେକର ବସ୍ତୁ ଯେତେ । ପ୍ରଜାଏ ଆଣି ଯେଝା ମତେ ।। ୨୪
ସମୁଦ୍ର ପର୍ବତ ସରିତ । ସର୍ପ ବିହଙ୍ଗ ମୃଗଯୂଥ ।। ୨୫
ଧରଣୀ ଆଦି ପଞ୍ଚଭୂତେ । ଯାହାର ଯେ ଅବା ଉଚିତେ ।। ୨୬
ସକଳେ ଆଣି ଉପାୟନ । ବନ୍ଦିଲେ ନୃପତି ଚରଣ ।। ୨୭
ସକଳେ ନାନାଦ୍ରବ୍ୟ ଆଣି । ମୁନି ଆନନ୍ଦେ ବେଦ ଭଣି ।। ୨୮
ପୃଥୁକୁ ଅଭିଷେକ କଲେ । ମଙ୍ଗଳନାଦେ ଅର୍ଚ୍ଚି ତୁଲେ ।। ୨୯
ପୃଥୁକୁ କଲେ ମହାରାଜା । ଶୁଭେ ବିରାଜେ ମହାତେଜା ।। ୩୦
କୁବେର ଦେଖି ତୋଷମନେ । ଦେଲା ସେ ସୁବର୍ଣ୍ଣ ଆସନେ ।। ୩୧
ବରୁଣ ଦେଲା ଛତ୍ର ଆଣି । ପ୍ରକାଶେ ଦିବ୍ୟରତ୍ନ ମଣି ।। ୩୨
ସେ ଛତ୍ର ନାମ ଜଳସ୍ରବା । ସ୍ୱଭାବେ ଦିଶେ ଶଶିପ୍ରଭା ।। ୩୩
ଚାମର ସମୀରଣ ଦେଲା । ଧର୍ମ ଦେବତା କୀର୍ତ୍ତିମାଳା ।। ୩୪
ଇନ୍ଦ୍ର ମୁକୁଟ ଦେଲା ଶିରେ । ଶମନ ଦଣ୍ତ ଦେଲା କରେ ।। ୩୫
ବ୍ରହ୍ମକବଚ ବ୍ରହ୍ମା ଦେଲେ । ଭାରତୀ ହାର ଲମ୍ବାଇଲେ ।। ୩୬
ଗୋବିନ୍ଦ ଚକ୍ର ଦେଲେ କରେ । କମଳା ବସେ ତାର ଉରେ ।। ୩୭
ସୁବର୍ଣ୍ଣ ଦଶଚନ୍ଦ୍ର ଯୁତେ । ରୁଦ୍ର ଖଡଗ ଦେଲେ ହସ୍ତେ ।। ୩୮
ଅମ୍ବିକା ଦେଲେ ଚର୍ମାମ୍ବର । ଅଙ୍କିତ ଶତେ ନିଶାକର ।। ୩୯
ଅମୃତମୟ-ଅଶ୍ୱ ଆଣି । ବିମାନ ଅର୍ଥେ ନିଶାମଣି ।। ୪୦
ପୃଥୁ ସମୀପେ ଆଣି ଦେଲେ । ସଙ୍ଗେ ତା ବିଶ୍ୱକର୍ମା ଥିଲା ।। ୪୧
ବିମାନ ନାନାରତ୍ନେ ସାଜି । ତହିଁ ଯୋଚିଲା ସେହି ବାଜି ।। ୪୨
ଅନଳ ଆଣି ଦେଲାଧନୁ । ରଶ୍ମି-ନାରାଚ ଦେଲା ଭାନୁ ।। ୪୩
ବେନି-ପାଦୁକା ଯୋଗମୟୀ । ଚରଣ ତଳେ ଦେଲା ମହୀ ।। ୪୪
ଆକାଶ ସଦା ପୁଷ୍ପାଞ୍ଜଳି । ପ୍ରଦାନେ ଅତି କୁତୂହଳୀ ।। ୪୫
ନୃତ୍ୟ ସଙ୍ଗୀତ ବାଦ୍ୟ ଯେତେ । ଯେ ଅନ୍ତର୍ଦ୍ଧାନ ବିଦ୍ୟା ଯୁତେ ।। ୪୬
ଖେଚରେ ଆନନ୍ଦିତ ହୋଇ । ଦେଲେ ପୃଥୁକୁ ପାଶେ ଯାଇ ।। ୪୭
ମିଳି ସକଳ-ମୁନିଗଣେ । ଆଶିଷ ଦେଲେ ଜଣେ ଜଣେ ।। ୪୮
ସମୁଦ୍ର ଶଙ୍ଖ ଦେଲା କରେ । ଯେ ନାଦେ ଦଶଦିଗ ପୂରେ ।। ୪୯
ସମୁଦ୍ର ଗିରି ନଦୀ ଯେତେ । ବାଟ ଛାଡିଲେ ତାର ରଥେ ।। ୫୦
ସୂତ ମାଗଧ ବନ୍ଦୀ ମେଳେ । ପୃଥୁର ସମୀପେ ମିଳିଲେ ।। ୫୧
ସ୍ତୁତି ଉଦ୍ୟମ ତାଙ୍କ ଜାଣି । ମେଘ-ଗମ୍ଭୀର ମୃଦୁବାଣୀ ।। ୫୨
ଆନନ୍ଦେ ନିକଟେ ବସାଇ । ପୃଥୁ କହନ୍ତି ଭାବ ବହି ।। ୫୩

ପୃଥୁ–ଉବାଚ

ଆହେ ମାଗଧ ସୂତେ ଶୁଣ । ଯେତେ ଭବିଷ୍ୟ ସ୍ତୁତିଗୁଣ ।। ୫୪
ଲୋକଙ୍କ ମଧ୍ୟେ ମୋର ଗୁଣ । ଅବ୍ୟକ୍ତ ରୂପେ ଅଛିପୁଣ ।। ୫୫
ମୋର କର୍ତ୍ତବ୍ୟ କର୍ମ ଯେତେ । ତୁମ୍ଭେ କହିବ ଭବିଷ୍ୟତେ ।। ୫୬
ମିଥ୍ୟା-ବଚନେ କାର୍ଯ୍ୟ ନାହିଁ । ମଧୁର ଭାଷୀ ତୁମ୍ଭେ ହୋଇ ।। ୫୭
ଏବେ ବିଷ୍ଣୁଙ୍କୁ ସ୍ତୁତି କର । ଯାହା ଅଟଇ ମୋକ୍ଷ ଦ୍ୱାର ।। ୫୮
ଏମନ୍ତ ପୃଥୁର ବଚନ । ଶୁରି ସନ୍ତୋଷ ପ୍ରଜାଜନ ।। ୫୯
କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।। ୬୦
ଚତୁର୍ଥ ସ୍କନ୍ଧେ ବିଷ୍ଣୁବାଣୀ । ଶୁରି ସଂସାରୁ ତର ପ୍ରାଣୀ ।। ୬୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁ ଚରିତେ ସପ୍ତଦଶୋଽଧ୍ୟାୟଃ । ।

ଅଷ୍ଟାଦଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ କୃଷ୍ଣପାଦ ଧ୍ୟାୟି । କହେ ବିଦୁର ମୁଖ ଚାହିଁ ।। ୧

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ସୂତ ମାଗଧ ତୋଷମନେ ।। ୨
ମୁନିଙ୍କ ମତେ ସାଧୁବାଣୀ । ପୃଥୁ-ବଦନ ଚାହିଁ ଭଣି ।। ୩
ଭୋନାଥ ତୋହର ମହିମା । କେ କହିପାରେ ଗୁଣସୀମା ।। ୪
ତାହା କେ ସମର୍ଥ ବର୍ଣ୍ଣନେ । ଯେଣେ ବ୍ରହ୍ମାଦି ବୁଦ୍ଧିଭ୍ରମେ ।। ୫
ତୁ ଦେବ ନିଜ ମାୟା ବଳେ । ଶରୀର ବହୁ ଏ ଶୟଳେ ।। ୬
ବେଣ-ଶରୀରୁ ତୁହି ଜାତ । ଏ କଥା ଜଗତେ ବିଖ୍ୟାତ ।। ୭
ତଥାପି ତୋର ଗୁଣ ଯେତେ । ଭାବେ କହିବୁ ତୋ ଅଗ୍ରତେ ।। ୮
ତୁ ଧର୍ମଜ୍ଞାନୀଙ୍କର ସାର । ଯେ ଧର୍ମ ଲୋକ-ଉପକାର ।। ୯
ଅଧର୍ମ ନାଶି ଧର୍ମ ପାଳୁ । ତୁ ନାଥ ପରମ ଦୟାଳୁ ।। ୧୦
ଶରୀର ବହୁ କାଳେକାଳେ । ସ୍ୱଧର୍ମ ରଖୁ ମହୀତଳେ ।। ୧୧
ସକଳଭୂତେ ସମେ ବସୁ । ସବିତା ରୂପେ ତୁ ପ୍ରକାଶୁ ।। ୧୨
ହିମ ଗ୍ରୀଷମ ଅଷ୍ଟମାସ । ସବିତା ଯେହ୍ନେ ଜଳରସ ।। ୧୩
ସକଳ ସ୍ଥାନୁ ସେ ହରଇ । ବରଷା କାଳେ ବରଷଇ ।। ୧୪
ସେ ରୂପେ ତୁ କର-ଗ୍ରହଣ । କରି ଦୁର୍ଭିକ୍ଷେ ଦେବୁ ଦାନ ।। ୧୫
ପୃଥିବୀ ସମ ସର୍ବ ସହୁ । ବିକାର ଅବିକାର ନୋହୁ ।। ୧୬
ତୋର ମହିମା ଅଧ-ଉର୍ଦ୍ଧ୍ୱେ । ପ୍ରକାଶ କର ଶୂନ୍ୟମଧ୍ୟେ ।। ୧୭
ପ୍ରାଣୀଙ୍କ ମଧ୍ୟେ ତୁ କାରୁଣ୍ୟ । ଆରତ ଦୁଃଖ ନିବାରଣ ।। ୧୮
ଇନ୍ଦ୍ର ଯଦ୍ୟପି ନ ବର୍ଷିବ । ଏ ପ୍ରଜା କଷ୍ଟରେ ପଡିବ ।। ୧୯
ତୁ ସ୍ୱୟଂ ଇନ୍ଦ୍ର ରୂପ ଧରି । ପ୍ରଜା ରଖିବୁ ବୁଷ୍ଟି କରି ।। ୨୦
ତୋହର ବଚନ-ଅମୃତ । ଶୁଣି ନିସ୍ତରିବେ ଜଗତ ।। ୨୧
ତୋର ବଦନ ଚାରୁହାସ । ଦେଖନ୍ତେ ହେବ ଦୁଃଖନାଶ ।। ୨୨
ତୋହର କର୍ମ ବ୍ୟକ୍ତ ନୋହେ । ଯାହାର ମାୟା ଜନ ମୋହେ ।। ୨୩
ତୋହର ଚେଷ୍ଟା ଅନ୍ତରାଳ । ବରୁଣ ପ୍ରାୟ ତୁ ଗମ୍ଭୀର ।। ୨୪
ଅନନ୍ତ ମହିମା ତୋହର । ଅଶେଷ ଗୁଣର ସାଗର ।। ୨୫
ତୁ ଦୁରାସଦ ଦୁର୍ବିଷହ । ନିକଟେ ଥାଇ ଦୂର ପ୍ରାୟ ।। ୨୬
ଜନ୍ତୁଙ୍କ ଅନ୍ତର ବାହାରେ । ତୋ ତହୁଁ କେବା ଅଛି ପରେ ।। ୨୭
ଅଧ୍ୟକ୍ଷ ହୋଇ ଉଦାସୀନ । ଶରୀରେ ଯେସନେ ପବନ ।। ୨୮
ଅଦୋଷଜନ ତୁ ନ ଦଣ୍ତୁ । ପୁତ୍ର ହେଲେହେଁ ଦୋଷୀ ଦଣ୍ତୁ ।। ୨୯
ଅପ୍ରତିହତ-ଚକ୍ର ତୋର । ତେଜେ ଗଞ୍ଜଇ ଦିବାକର ।। ୩୦
ତୋହର ଆତ୍ମା ବିଚେଷ୍ଟିତ । ଲୋକରଞ୍ଜନ ଏ ଜଗତ ।। ୩୧
ଯେ ରାଜା ପ୍ରଜା ମନ ରଞ୍ଜେ । ରାଜ୍ୟସମ୍ପଦ ସୁଖେ ଭୁଞ୍ଜେ ।। ୩୨
ସତ୍ୟସନ୍ଧ ତୁ ଦୃଢବ୍ରତ । ବୃଦ୍ଧ ସେବକ ବିପ୍ରଭକ୍ତ ।। ୩୩
ଶରଣ ସର୍ବ ପ୍ରାଣୀଙ୍କର । ଦୀନ ବତ୍ସଳ ଦୁଃଖ-ହର ।। ୩୪
ପର-ରମଣୀ ମାତ ପ୍ରାୟ । ନିଜ-କାମିନୀ ଅର୍ଦ୍ଧକାୟ ।। ୩୫
ପ୍ରଜାଙ୍କୁ ପୁତ୍ରପ୍ରାୟ ଚିତ୍ତେ । ବିପ୍ରଙ୍କୁ ସେବା ଯାର ନିତ୍ୟେ ।। ୩୬
ପ୍ରାଣୀ ବିଷୟେ ଆତ୍ମା ପ୍ରାୟେ । ଦୟା ବସଇ ଯାର ଦେହେ ।। ୩୭
ସୁହୃଦ ଆନନ୍ଦ ବର୍ଦ୍ଧନ । ବିମୁକ୍ତସଙ୍ଗ ସଙ୍ଗେ ଧ୍ୟାନ ।। ୩୮
ଅସାଧୁଗଣେ ଦଣ୍ତଧର । ସ୍ୱଭାବେ ଶରଣ-ସୋଦର ।। ୩୯
ନିର୍ଗୁଣ ଭଗବାନ ତୁହି । କୂଟସ୍ଥ ଆତ୍ମା କଳା ବହି ।। ୪୦
ଯେତେ ଅବିଦ୍ୟା ବିରଚିତ । ନାନା ଭାବରେ ସେ ପ୍ରତୀତ ।। ୪୧
ହେଲେହେଁ ତୋହର ଶରୀରେ । ଦିଶଇ ବିଅର୍ଥ ବେଭାରେ ।। ୪୨
ତୋ ଅବତାର ଏ ଜଗତେ । ଜଗତ ନିସ୍ତାର ନିମନ୍ତେ ।। ୪୩
ତୁ ନୃପନାଥ ଏକରଥୀ । ମହୀମଣ୍ତଳେ ଯେତେ ଛନ୍ତି ।। ୪୪
ତାହାଙ୍କ ରକ୍ଷଣ ନିମିତ୍ତେ । ଉଦୟ ଗିରି ପରିଯନ୍ତେ ।। ୪୫
ଭ୍ରମିବୁ ରଥେ ଧନୁଧରି । ଦିଗ-ସମୂହ ବନ ଗିରି ।। ୪୬
ଦକ୍ଷିଣାବର୍ତ୍ତେ ସାବଧାନେ । ଶୂନ୍ୟେ ଆଦିତ୍ୟ ରଥ ଯେହ୍ନେ ।। ୪୭
ଯେ ଲୋକପାଳ ରାଜାଗଣେ । ବଳେ ହରିବେ ତୋତେ ରଣେ ।। ୪୮
ଗାଇବେ ତୋର ଯଶ ଗୁଣ । ଖଟିବେ ତୋହର ଚରଣ ।। ୪୯
ଇନ୍ଦ୍ରର ପ୍ରାୟେ ଶରେ ଗିରି । ଛେଦି ପୃଥିବୀ ସମ କରି ।। ୫୦
ମେଦିନୀ-ସ୍ତନୁ ପୟ ଦୁହିଁ । ପ୍ରାଣୀଙ୍କୁ ପ୍ରାଣ-ବୃତ୍ତି ଦେଇ ।। ୫୧
ଖିଳ ଅଖିଳ ବସୁନ୍ଧରୀ । ପାଳିବ ଏ ନୃପକେଶରୀ ।। ୫୨
ମୃଗେନ୍ଦ୍ର ଯେହ୍ନେ ଲାଞ୍ଜ ତୋଳି । ବିକ୍ରମି ଚରେ ମହାବଳୀ ।। ୫୩
ତେହ୍ନେ ତୁ ଧନୁର ଟଙ୍କାରେ । ବିକ୍ରମି ବସନ୍ତେ ରଥରେ ।। ୫୪
ଦେଖି ସକଳ ଶତ୍ରୁଗଣେ । ଭୟେ ପଶିବେ ଘୋରବନେ ।। ୫୫
ମୃଗ ଯେସନେ ସିଂହ ଦେଖି । ପଳାନ୍ତି ବିପିନ ଉପେକ୍ଷି ।। ୫୬
କରିବୁ ଅଶ୍ୱମେଧ ଶତ । ତ୍ରିଦିବେ ଯେହ୍ନେ ସୁରନାଥ ।। ୫୭
ଶେଷ-ଯଜ୍ଞରେ ଅଶ୍ୱ ତୋର । ହରିବେ ସ୍ୱୟଂ ପୁରନ୍ଦର ।। ୫୮
ତଦନ୍ତେ ଗୃହ ମଧ୍ୟେ ଯାଇ । ସନତ୍‌କୁମାର ଧ୍ୟାନେ ଧ୍ୟାୟି ।। ୫୯
ତେଣୁ ତୋ ହେବ ବ୍ରହ୍ମଜ୍ଞାନ । ତୁ ହେବୁ ଅତୀବ ପାବନ ।। ୬୦
ସ୍ୱଭୋଗ ଅନ୍ତେ ଗଙ୍ଗାକୂଳେ । ସନତକୁମାରଙ୍କ ମେଳେ ।। ୬୧
ଭକତି କରି ବିଷ୍ଣୁପାଦେ । ଅନ୍ତେ ପଶିବୁ ନିଜପଦେ ।। ୬୨
ତୋର ଚରିତ ଇହଲୋକେ । ପ୍ରାଣୀଏ ବିସ୍ତାରିବେ ମୁଖେ ।। ୬୩
ହେ ପୃଥୁ ପରାକ୍ରମ ତୋର । ଦେବ-ମାନବେ ଅଗୋଚର ।। ୬୪
ତୋର ମହିମା କର୍ଣ୍ଣେ ଶୁଣି । ତରିବେ ଭବ-ତରଙ୍ଗିଣୀ ।। ୬୫
ସୁଜନେ ଶୁଣ ଶୁଦ୍ଧଚିତ୍ତେ । ଭାଷା-ପ୍ରବନ୍ଧେ ଭାଗବତେ ।। ୬୬
ଏ ପୃଥୁ ରାଜାର ଚରିତ । ବୋଲଇ ଦାସ ଜଗନ୍ନାଥ ।। ୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟା ଚତୁର୍ଥସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ

ଊନବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରୟ ଉବାଚ

ଏମନ୍ତେ ପୃଥୁରାଜା ବୋଲେ । ସୂତ ମାଗଧେ ଏକ ତୁଲେ ।। ୧
ଭବିଷ୍ୟେ କଲେ ଯେତେ ସ୍ତୁତି । ଶୁଣି ସାନନ୍ଦେ ନରପତି ।। ୨
ଆତ୍ମାର ଗୁଣ କର୍ମ ଶୁଣି । ସନ୍ତୋଷ ମନେ ନୃପମଣି ।। ୩
ବାଞ୍ଛିତ ସର୍ବ ସୁଖ ଦେଲା । ଅନେକ ମତେ ମାନ୍ୟକଲା ।। ୪
ବ୍ରାହ୍ମର ଆଦି ଚାରିବର୍ଣ୍ଣେ । ଅତ୍ମାତ୍ୟ ପୁରୋହିତ ଜନେ ।। ୫
ସକଳ ପ୍ରଜାଜନ ଆଣି । ସନ୍ତୋଷ କଲା ନୃପମଣି ।। ୬

ବିଦୁର ଉବାଚ

କେମନ୍ତେ ଗୋରୁ ରୂପ ଧରି । କ୍ଷୀର ସ୍ରବିଲା ବସୁନ୍ଧରୀ ।। ୭
ସ୍ୱଭାବେ ସେ ବହୁରୂପିଣୀ । କେ ବା ମହିମା ତାର ଜାଣି ।। ୮
ସ୍ୱଭାବେ ସେ ଅନନ୍ତ ରୂପୀ । ବିଷମ ରୂପେ ଅଛି ବ୍ୟାପି ।। ୯
ତାହାକୁ କେମନ୍ତେ ଦୁହିଁଲା । ଦୋହନେ ବତ୍ସା କେ ହୋଇଲା ।। ୧୦
ସ୍ୱଭାବେ ଶରୀର ବିଷମ । କେବା ତାହାକୁ କଲା ସମ ।। ୧୧
କି ଅର୍ଥେ ଅଶ୍ୱମେଧ କଲା । ଇନ୍ଦ୍ର କିମ୍ପାଇଁ ଅଶ୍ୱ ନେଲା ।। ୧୨
ସନତକୁମାରଙ୍କ ମେଳେ । ବ୍ରହ୍ମସମ୍ପାଦି କେତେ କାଳେ ।। ୧୩
ତାହାଙ୍କ ତହୁଁ ଜ୍ଞାନପାଇ । ପଶିଲା ନିଜ ତେଜେ ଯାଇ ।। ୧୪
ଯେ ବ୍ରହ୍ମ ପରମ-କାରଣ । ଅଶେଷ-ଜୀବ-ପରିତ୍ରାଣ ।। ୧୫
କି ଅର୍ଥେ ପ୍ରଭୁ ନରହରି । ଜଗତେ ପୃଥୁ ରୂପ ଧରି ।। ୧୬
ସୁପୁଣ୍ୟ କଥା ବିଚାରିଲେ । ସୁଯଶ ଜଗତେ ରଖିଲେ ।। ୧୭
ସେ କଥା କହ ମୁନି ମୋତେ । ମୁଁ ତୋର ସେବକ ଉଚିତେ ।। ୧୮
ତହିଁର କହ ପ୍ରତିକାର । ଭୋମୁନି ନମୁ ତୋ ପୟର ।। ୧୯
ବିଷ୍ଣୁର କଥା ପୁଣ୍ୟସାର । ଯା ଶୁଣି ନିସ୍ତରେ ସଂସାର ।। ୨୦
ଯାହାର ନାମ ଗୁଣ ଯଶ । ନିଗମେ କରନ୍ତି ବିଶ୍ୱାସ ।। ୨୧
କେମନ୍ତେ ପୃଥୁରୂପେ ହରି । ଦୋହନ କଲେ ବସୁନ୍ଧରୀ ।। ୨୨

ସୂତ ଉବାଚ

ଏମନ୍ତ ବିଦୁର ବଚନେ । ମୈତ୍ରେୟ ଶୁଣି ତୋଷମନୋ ।। ୨୩
ପ୍ରଶଂସି ବିଦୁର ବଚନ । କହେ ପରାଶର ନନ୍ଦନ ।। ୨୪

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ । ପୃଥୁକୁ ମିଳି ବିପ୍ରଜନେ ।। ୨୫
ଜନପରଜା ଏକମେଳେ । ଆନନ୍ଦେ ଅଭିଷେକ କଲେ ।। ୨୬
ସକଳେ ମିଳି ଏକଦିନେ । ମିଳିଲେ ପୃଥୁ ସନ୍ନିଧାନେ ।। ୨୭
ବୋଲନ୍ତି ଶିରେ କର ଦେଇ । କ୍ଷୁଧାରେ କମ୍ପେ ଆମ୍ଭ ଦେହୀ ।। ୨୮
କ୍ଷୁଧାଅନଳ ଦହେ ମନେ । ବୃକ୍ଷ କ୍ରୋଧରେ ଅଗ୍ନି ଯେହ୍ନେ ।। ୨୯
ଏଥକୁ କର ତୁ କାରଣ । ତୋପାଦେ ପଶିଲୁ ଶରଣ ।। ୩୦
କ୍ଷୁଧା ନ ସହେ ଆମ୍ଭ ଦେହ । ଭୋନାଥ ଅନ୍ନ ଦାନ ଦିଅ ।। ୩୧
କ୍ଷୁଧା ହରଇ ଆମ୍ଭ ପ୍ରାଣ । ଭୋଦେବ କର ପରିତ୍ରାଣ ।। ୩୨
ଅନ୍ନ ନ ଥିଲେ ପ୍ରଜା ନାହିଁ । ପ୍ରାଣ ନ ଥିଲେ ପିଣ୍ତ କାହିଁ ।। ୩୩
ଜୀବ ନ ଥିଲେ ପ୍ରଜା ନାହିଁ । ପ୍ରଜା ନ ଥିଲେ ରାଜା କାହିଁ ।। ୩୪
ଏମନ୍ତ ପ୍ରଜାଙ୍କ ରୋଦନ । ଶୁଣିଣ ଛନ୍ନ ପୃଥୁ ମନ ।। ୩୫
ବୋଲଇ ଅନ୍ନ କେହରିଲା । ତୁମ୍ଭଙ୍କୁ ଏତେ ଦୁଃଖ ଦେଲା ।। ୩୬
ଶୁଣି ବୋଲନ୍ତି ପ୍ରଜାଜନେ । ଶୁଣ ରାଜନ ସ୍ଥିର ମନେ ।। ୩୭
ତୋ ପିତା ଅରାଜକ କାଳେ । ଏ ଭୂମି ଗୋରୁ-ରୂପେ ବଳେ ।। ୩୮
ରାତ୍ରେ ସକଳଶସ୍ୟ ଖାଇ । ଦିବସେ ସମୁଦ୍ରେ ଲୁଚଇ ।। ୩୯
ଆମ୍ଭର ଶସ୍ୟବୀଜ ବଳେ । ଭକ୍ଷିଲା କ୍ଷୁଧାର ବିକଳେ ।। ୪୦
ତାହାକୁ କେବେହେଁ ନ ଦେଖି । ଏଣୁ ହୋଇଲୁ ଆମ୍ଭେ ଦୁଃଖୀ ।। ୪୧
ଭୋ ଦେବ କହିଲୁ ସ୍ୱରୂପ । ଖଣ୍ତ ଏ ଘୋର ଉପତାପ ।। ୪୨
ଏମନ୍ତ ପ୍ରଜାବାକ୍ୟ ଶୁଣି । ପୃଥୁ ବିଚାରେ ମନେ ଗୁଣି ।। ୪୩
ଭୂମିକି ମନେ ଧ୍ୟାନ କରି । ନିଜ କୋଦଣ୍ତ କରେ ଧରି ।। ୪୪
ବାଣ ନିବେଶି ଧନୁର୍ଗୁଣେ । ତ୍ରିପୁର ଦାହେ ରୁଦ୍ର ଯେହ୍ନେ ।। ୪୫
ଧରଣୀ ପୃଥୁ ତେଜ ଦେଖି । ଧାଇଁଲା ସମୁଦ୍ର ଉପେକ୍ଷି ।। ୪୬
ଭୟେ ଚାହିଁଇ ଦଶଦିଶେ । ମୃଗ ଯେସନେ ବ୍ୟାଧ ତ୍ରାସେ ।। ୪୭
ପୃଥୁ ଧାମଇଁ କୋପମନେ । ରୋଷିତ ଅରୁଣ ଲୋଚନେ ।। ୪୮
ଶର-ସନ୍ଧାନ ଧନୁକରେ । ଭୂମି କମ୍ପଇ ପାଦଭରେ ।। ୪୯
ଯେଣେ ପଳାଏ ବସୁନ୍ଧରୀ । ପୃଥୁ ଧାମଇଁ କୋପକରି ।। ୫୦
ଦିଗ-ବିଦିଗ-ଭୂମି ଶୂନ୍ୟେ । ପ୍ରତାପେ ମିଳିଲେ ଗଗନେ ।। ୫୧
ପୃଷ୍ଠେ ଚାହାଁନ୍ତେ ପୃଥୁ ଦେଖେ । କେବା ଅବନୀ ପ୍ରାଣ ରଖେ ।। ୫୨
ଦେବୀ ଲଭିଲା ତ୍ରାସ ମନେ । ମୃତ୍ୟୁର ଭୟେ ପ୍ରାଣୀ ଯେହ୍ନେ ।। ୫୩
ଚଳି ନ ପାରି ଦୁଃଖମନେ । ମିଳିଲା ପୃଥୁ ସନ୍ନିଧାନେ ।। ୫୪
ଭୟେ କମ୍ପଇ ବସୁନ୍ଧରୀ । ପୃଥୁ ଚରଣେ ନମସ୍କାରି ।। ୫୫
ନ ଦେଖି ନିଜ ପରିତ୍ରାଣ । ବିନୟେ କହିଲା ବଚନ ।। ୫୬
ତୁ ମହାଭାଗ ଧର୍ମବେତ୍ତା । ଭୂତ-ବତ୍ସଳ-ସର୍ବଜ୍ଞାତା ।। ୫୭
ପ୍ରାଣୀ ରକ୍ଷଣେ ଜନ୍ମ ତୋର । ତୁ ନାଥ ଶରଣ-ସୋଦର ।। ୫୮
ମୋହର ହିଂସା ତୁ ନ କର । ନୁହଇ ଅପରାଧୀ ତୋର ।। ୫୯
ଭୋ ରାଜା ଶୁଣ ମୋ ବଚନ । ମୁଁ ନୋହେ ବଧକୁ କାରଣ ।। ୬୦
ସ୍ତିରୀ ଗୋବଧ ମୋର ମଲେ । କେସନେ ସମ୍ପାଦିବୁ ଭଲେ ।। ୬୧
ଏକ ମାରଣେ ବେନି ଦୋଷ । ସଂସାରେ ଥିବ ଅପଯଶ ।। ୬୨
ସ୍ତ୍ରୀଲୋକ ଅପରାଧ କଲେ । ପଣ୍ତିତେ ନ ଧରନ୍ତି ଭଲେ ।। ୬୩
ତୁ ନାଥ କରୁଣା ସାଗର । ଦୁଃଖୀ ଦରିଦ୍ରଙ୍କ ସୋଦର ।। ୬୪
ଦଦରା-ନାବ ପ୍ରାୟେ ମୁହିଁ । ଏ ଭାରା ସହି ନ ପାରଇ ।। ୬୫
ମୋହର ମଲେ ଏ ଜଗତେ । ଏ ପ୍ରଜା ରଖିବୁ କେମନ୍ତେ ।। ୬୬
ଅଶେଷ-ଜୀବ ଭାରାଭର । ଧରିଛି ମୋହର ଶରୀର ।। ୬୭
ଏମନ୍ତ ଅବନୀ ବଚନେ । ପୃଥୁ କହଇ କୋପମନେ ।। ୬୮

ପୃଥୁ–ଉବାଚ

ଶୁଣ ଧରଣୀ ମୋ ଉତ୍ତର । ତୁ ମଲେ ମୋର ନାହିଁ ଡର ।। ୬୯
ମୋହର ଆଜ୍ଞା ଭାଙ୍ଗୁ ତୁହି । ତୋର ମାରଣେ ଦୋଷ ନାହିଁ ।। ୭୦
ପିତା ମରଣେ ଅରାଜକେ । ସକଳ ଶସ୍ୟବୀଜ ସୁଖେ ।। ୭୧
ଖାଇଲୁ ଗୋରୁ ରୂପ ହୋଇ । ସଂସାରେ ଶସ୍ୟବୀଜ ନାହିଁ ।। ୭୨
ଅନ୍ନ ନ ଥିଲେ ପ୍ରଜାଜନ । କେମନ୍ତେ ରଖିବେ ଜୀବନ ।। ୭୩
ପ୍ରଜା ନ ଥିଲେ ରାଜା କାହିଁ । ଏ ଘେନି ତୋତେ ମୁଁ ମାରଇ ।। ୭୪
ଦୁଷ୍ଟ-ମାରଣ ରାଜଧର୍ମ । ଏ ତ ସ୍ୱଭାବେ ମୋର କର୍ମ ।। ୭୫
ମୁଁ ଯେବେ ନ ମାରିବି ତୋତେ । ପ୍ରଜାଏ ବଞ୍ଚିବେ କେମନ୍ତେ ।। ୭୬
ବିଧାତା ସୃଷ୍ଟି କଲା ଯେତେ । ଅନ୍ନ-ଜୀବନ ରକ୍ଷା ଅର୍ଥେ ।। ୭୭
ସେ ଶସ୍ୟ ଗୋରୁ ରୂପେ ଖାଇ । ଏବେ ନ ଦେଉ କାହିଁ ପାଇଁ ।। ୭୮
ତୁ ମନ୍ଦବୁଦ୍ଧି ଦୁରାଶୟ । ମାୟା ଭିଆଣେ ବହୁ ଦେହ ।। ୭୯
ଅବଜ୍ଞା କଲୁ ଯେଣୁ ମୋତେ । ତେଣୁ ଦଣ୍ତିବି ଆଜି ତୋତେ ।। ୮୦
ଏ ପ୍ରଜା ପୀଡିତ ଆରତେ । କ୍ଷୁଧିତ ଅନ୍ନ ଅପ୍ରାପତେ ।। ୮୧
ସେ ଦୁଃଖ ନିବାରିବି ମୁହିଁ । ମୋ ବାଣେ ତୋର ମାଂସ ଦେଇ ।। ୮୨
ସ୍ତିରୀ ପୁରୁଷ ନପୁଂସକେ । ପୀଡିତ ଯାର ତହୁଁ ଲୋକେ ।। ୮୩
ତାହାକୁ ରାଜା ନ ଦଣ୍ତିଲେ । କେବା ସଂସାରେ ଥିବ ଭଲେ ।। ୮୪
ତାର ମାରଣେ ଦୋଷ ନାହିଁ । ସଂସାରେ ଧର୍ମ-କଥା ଏହି ।। ୮୫
ତୁ ମାୟା-ଗୋରୁ-ରୂପ ହୋଇ । ସକଳ ଶସ୍ୟବୀଜ ଖାଇ ।। ୮୬
ଆବଜ୍ଞା କଲୁ ଯେବେ ମୋତେ । ନିଶ୍ଚେ ଦଣ୍ତିବି ଆଜ ତୋତେ ।। ୮୭
ତୋର ଶରୀର ତୀକ୍ଷ୍ଣ-ବାଣେ । କାଟିବି ତିଳ ପରିମାଣେ ।। ୮୮
ବାଣେ ତୋହର ପ୍ରାଣ ହରି । ମୁଁ ଏବେ ଆତ୍ମଯୋଗ କରି ।। ୮୯
ବିସ୍ତାରି ମୋହର ଶରୀରେ । ଏ ପ୍ରଜା ରଖିବି ନିର୍ଭରେ ।। ୯୦

ମୈତ୍ରେୟ ଉବାଚ

ଏମନ୍ତ କହୁଁ ମହାକୋପେ । ପୃଥିବୀ ମିଳିଲା ସମୀପେ ।। ୯୧
ଏମନ୍ତ ପୃଥୁ ରୂପ ଚାହିଁ । ଭୟେ କମ୍ପଇ ତାର ଦେହୀ ।। ୯୨
ପୃଥୁ ଚରଣେ ଶିର ଦେଇ । ବୋଲଇ ଅଶ୍ରୁମୁଖୀ ହୋଇ ।। ୯୩

ପୃଥିବୀ ଉବାଚ

ନମସ୍ତେ ପରମ-ପୁରୁଷ । ଗୁଣ ପ୍ରକାଶେ ତୋର ଦୃଶ୍ୟ ।। ୯୪
ନିଜ ମାୟାରେ ଛନ୍ନ ହୋଇ । ସଂସାର-ହିତେ ବହୁ ଦେହୀ ।। ୯୫
ସ୍ୱରୂପେ ଅନୁଭବ ବୃତ୍ତି । ଦ୍ରବ୍ୟ-କାରକ-କ୍ରିୟା ରୀତି ।। ୯୬
ସକଳ କରୁ ମାୟା ଭ୍ରମେ । ଉର୍ମି ଯେସନେ ଜଳଗ୍ରାମେ ।। ୯୭
ମାୟା-ରଚନା ମୋତେ କରି । ବିହରୁ ଆତ୍ମା-ରୂପ ଧରି ।। ୯୮
ସର୍ଜି-ପାଳିଣ କରୁ ଅନ୍ତ । ଯେ ସ୍ୱୟଂ ପ୍ରକାଶେ ଜଗତ ।। ୯୯
ଏ ସର୍ବତ‌ତ୍ତ୍ୱ ଭେଦ କରି । ସେ ପୁଣି କରେ ଶସ୍ତ୍ର ଧରି ।। ୧୦୦
ସେ ମୋତେ ମାରିବାର ସଧେ । ଧାମଇଁ ଉଦ୍ୟତ ଆୟୁଧେ ।। ୧୦୧
କେବା ରକ୍ଷଣେ ଅଛି ମୋର । ତୁ ନାଥ ନ କରୁ ବିଚାର ।। ୧୦୨
ତୁ ନିଜ ମାୟାତର୍କ-ବଳେ । ଜନ୍ତୁଙ୍କୁ ସର୍ଜୁ ଏ ଶୟଳେ ।। ୧୦୩
ତୁ ନାଥ ଧାର୍ମିକର ଗୁରୁ । କିମ୍ପା ନବୁଝି ମୋତେ ମାରୁ ।। ୧୦୪
ଅନ୍ନ ନ ପାଇ ପ୍ରଜା ଯେବେ । ତୋତେ କହିଲେ ଅନୁଭବେ ।। ୧୦୫
ତୁ ନାଥ ଜଗତ ଈଶ୍ୱର । ଏତୋତେ ନୋହେ ଅଗୋଚର ।। ୧୦୬
ତୁ ଆଦି-ପଦ୍ମକଳ୍ପ ଆନ୍ତେ । ଶୂକର ରୂପେ ତୋଳି ଦନ୍ତେ ।। ୧୦୭
ମୋତେ ସ୍ଥାପିଲୁ ଜନ ହିତେ । ଏବେ ସହାରିବୁ କେମନ୍ତେ ।। ୧୦୮
ଯେ ଜନ ପ୍ରତିପାଳି ଥାଇ । ସେ ତୋର ବଧ ନ ବାଞ୍ଚଇ ।। ୧୦୯
ମୋହର ପ୍ରାୟ ଯେଉଁ ଜନ । ଈଶ୍ୱର-ମାୟାରେ ମୋହନ ।। ୧୧୦
ତୁମ୍ଭର ଚେଷ୍ଟା ନ ଜାଣଇ । ବାଳୁତ ପ୍ରାୟେକ ଭ୍ରମଇ ।। ୧୧୧
ହେ ବୀର ତୁମ୍ଭେ ଯଶସ୍କର । ତୁମ୍ଭଙ୍କୁ ମୋର ନମସ୍କାର ।। ୧୧୨
କହିଲି ଏବେ ତୋର ଇଚ୍ଛା । ଯେମନ୍ତ କର ତୋର ବାଞ୍ଛା ।। ୧୧୩
ତୁ ନାଥ ଜଗତ ଈଶ୍ୱର । ଏ ମୋତେ ନୋହେଅଗୋଚର ।। ୧୧୪
ପୃଥିବୀ ପୃଥୁର ସମ୍ବାଦ । ଶୁଣନ୍ତେ ଖଣ୍ତଇ ପ୍ରମାଦ ।। ୧୧୫
ଚତୁର୍ଥସ୍କନ୍ଧେ ଭାଗବତେ । ଭାଷାପ୍ରବନ୍ଧେ ଜନହିତେ ।। ୧୧୬
ଶ୍ରୁତି ବଦନେ ଶୁଣି ଭଣି । ଭବ-ସଂସାରୁ ତରେ ପ୍ରାଣୀ ।। ୧୧୭
ବୋଲଇ ବିପ୍ର ଜଗନ୍ନାଥ । ସୁଜନ-ହିତେ ଭାଗବତ ।। ୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁ ବିଜୟେ ଧରିତ୍ରୀନିଗ୍ରହୋ-ନାମ
ଊନବିଂଶୋଽଧ୍ୟାୟ

ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଏମନ୍ତ ପୃଥୁ ମୁଖ ଚାହିଁ । ଭୟେ ଚରଣେ ଶିର ଦେଇ ।। ୧
କୋପିତେ ସ୍ଫୁରିତ ବଚନ । ସ୍ୱଭାବେ ଅରୁଣ-ଲୋଚନ ।। ୨
ବିନୟେ କରି ନାନା ସ୍ତୁତି । ପୁଣି ବୋଲଇ ବସୁମତୀ ।। ୩
ଭୋନାଥ କୋପ ଛାଡ ମାତେ । ମୁହିଁ ଶରଣ ଗଲି ତୋତେ ।। ୪
ଯେ ଆତ୍ମା-କାର୍ଯ୍ୟ ବିଚାରଇ । ସଂସାରୁ ସାର ଆହରଇ ।। ୫
ଚିତ୍ତେ ନ କଳ୍ପେ ଭିନ୍ନେ-ଭିନ୍ନେ । ପୁଷ୍ପରୁ ମଧୁକର ଯେହ୍ନେ ।। ୬
ଯେ ଶାନ୍ତ ଇହ ପରଲୋକେ । ସୁଯୋଗୀ ଜନ କହେ ମୁଖେ ।। ୭
ଉପାୟେ ସେ ଫଳ ଭୁଞ୍ଜନ୍ତି । ଉଭୟ-ଲୋକେ ନାହିଁ ଭ୍ରାନ୍ତି ।। ୮
ଏହା ଯେ ନ କରନ୍ତି ଚିତ୍ତେ । ସେ ଯଶ ଲଭିବେ କେମନ୍ତେ ।। ୯
ବ୍ରହ୍ମା ଯେ ସର୍ବପ୍ରାଣୀ ହିତେ । ଶସ୍ୟ ସାମଗ୍ରୀ କଲା ଯେତେ ।। ୧୦
ସେ ସର୍ବ ମୋର ଦେହେ ଥିଲା । ଏମନ୍ତେ ତୋର ପିତା ମଲା ।। ୧୧
ରାଜା ବିଯୋଗେ ସର୍ବ ଧର୍ମ । ଦୁଷ୍ଟେ ନାଶିଲେ ସର୍ବ କର୍ମ ।। ୧୨
ଚଉର-ଭୟ ଅରାଜତ୍ୱେ । ଭବିଷ୍ୟ ଯଜ୍ଞରକ୍ଷା ଅର୍ଥେ ।। ୧୩
ଯେତେ ଔଷଧି ବୀଜ ଥିଲା । ଅରାଜା ଯୋଗେ ନାଶ ଗଲା ।। ୧୪
କ୍ଷୀଣ ବୀରୁଧ ଦେଖି ମୁହିଁ । ଭକ୍ଷିଲି ଧେନୁରୂପ ହୋଇ ।। ୧୫
ଯଦି ମୁଁ ନ କରନ୍ତି ଗ୍ରାସ । ଦୁଷ୍ଟେ କରନ୍ତେ ସର୍ବନାଶ ।। ୧୬
ସେ ସର୍ବ ଶସ୍ୟ ରସ ଯେତେ । କ୍ଷୀରେ ବସନ୍ତି ମୋର ଗାତ୍ରେ ।। ୧୭
ତୁ ଏବେ ରକ୍ଷା କର ମୋତେ । ଦୋହନ କର ତୁ ଯୁଗତେ ।। ୧୮
କ୍ଷରିବି ସର୍ବ-ଶସ୍ୟ ମୁହିଁ । ପ୍ରାଣୀ-ଜୀବନ ଯେଣେ ରହି ।। ୧୯
ମୁଁ ସର୍ବ କାମଧେନୁ ରୂପେ । କ୍ଷୀର ସ୍ତବିବି ଜନ ମୁଖେ ।। ୨୦
ତୁ ଏବେ ମୋତେ ରକ୍ଷାକର । ଧନୁ-ଆୟୁଧ ପରିହର ।। ୨୧
ସୁଷମ କର ମୋର ଗାତ୍ର । ମୁହିଁ ଯେସନେ ଶସ୍ୟକ୍ଷେତ୍ର ।। ୨୨
ସମ ହୋଇଲେ ମୋର ଶରୀର । ବର୍ଷାରେ ପୂରି କ୍ଷୀରଧାର ।। ୨୩
ସରସ ହୋଇ ମୋ ଶରୀର । ଶସ୍ୟ ଉଠିବ ନିରନ୍ତର ।। ୨୪
ହୋଇବ ନାନାରୂପେ ଧାନ୍ୟ । ଜନ୍ତୁଏ ଲଭିବେ ଜୀବନ ।। ୨୫

ମୈତ୍ରେୟ ଉବାଚ

ଏମନ୍ତ ଧରଣୀ ବଚନ । ଶୁଣି ସନ୍ତୋଷ ପୃଥୁମନ ।। ୨୬
ମନୁକୁ ବତ୍ସାରୂପ କରି । ଭାବେ ବୋଲଇ ଦଣ୍ତଧାରୀ ।। ୨୭
ତୁ ଏହା ସ୍ତନ ପାନ କର । ଯେମନ୍ତେ ସଞ୍ଚରଇ କ୍ଷୀର ।। ୨୮
ତକ୍ଷଣେ ପୃଥୁର ବଚନେ । ସେ ମନୁ ମୁଖ ଦେଲା ସ୍ତନେ ।। ୨୯
ପିବନ୍ତେ ସଞ୍ଚରିଲା କ୍ଷୀର । ମେଘୁ ଯେସନେ ବୃଷ୍ଟିଧାର ।। ୩୦
ଚରଣେ ବାନ୍ଧି ବତ୍ସା ମନୁ । ପୃଥୁ ଦୁହିଁଲା କ୍ଷୀର ସ୍ତନୁ ।। ୩୧
କ୍ଷୀରେ ପୂରିଲା ବସୁନ୍ଧରୀ । ଯେସନେ ସିନ୍ଧୁର ଲହରୀ ।। ୩୨
ଅନେକ ଅପ୍ରମେୟ ରସ । ଯେଣେ ସକଳ-ଜୀବ ବଶ ।। ୩୩
ଗର୍ଭେ ଯେ ଶସ୍ୟବୀଜ ଥିଲା । କ୍ଷୀର ସଙ୍ଗତେ ସଞ୍ଚରିଲା ।। ୩୪
ଶସ୍ୟ ହୋଇଲା ଅପ୍ରମିତେ । ପ୍ରଜାଏ ନେଲେ ଯେଝାମତେ ।। ୩୫
ପୃଥୁ ଦୋହନ ଅନ୍ତେ ଦେବେ । ସର୍ବେ ଦୁହିଁଲେ ଯେଝା ଭାବେ ।। ୩୬
ମିଳି ସକଳ ମୁନିଜନେ । ଅତ୍ୟନ୍ତ ହରଷିତ ମନେ ।। ୩୭
ବୃହସ୍ପତିଙ୍କି ବତ୍ସା କରି । ଇନ୍ଦ୍ରିୟ-ପାତ୍ର କରେ ଧରି ।। ୩୮
ଦୁହିଁଲେ ପୟ ଛନ୍ଦୋମୟ । ଯେ ଭାବେ ତୁଟଇ ସଂଶୟ ।। ୩୯
ପୁଣି ସକଳ ଦେବେ ଧରି । ଇନ୍ଦ୍ରଙ୍କୁ ବତ୍ସାରୂପ କରି ।। ୪୦
ସୁବର୍ଣ୍ଣମୟ ପାତ୍ର ଆଣି । ଆନନ୍ଦେ ଦୁହିଁଲେ ଧରଣୀ ।। ୪୧
ସୋମ ଦୁହିଁଲେ ଯେଝାମତେ । ଅଶେଷ ଯଜ୍ଞ କର୍ମ ଅର୍ଥେ ।। ୪୨
ଅମୃତ ବୀର୍ଯ୍ୟ ଓଜ ବଳ । ଦୁହିଁଲେ ପୟ ସୁନିର୍ମଳ ।। ୪୩
ଦୈତ୍ୟ-ଦାନବେ ପୁଣ ଧରି । ପ୍ରହଲ୍ଲାଦକୁ ବତ୍ସା କରି ।। ୪୪
ଦୁହିଁଲେ ଲୌହମୟ ପାତ୍ରେ । ସୁରା ଆସବ ଆଦି ଯେତେ ।। ୪୫
ଗନ୍ଧର୍ବ ଅପସରା ଗଣେ । ମିଳିଲେ ଯାଇ ତତକ୍ଷଣେ ।। ୪୬
କମଳପତ୍ର ପାତ୍ର କରି । ଦୁହିଁଲେ ଭୂମି ସ୍ତନ ଧରି ।। ୪୭
ବିଶ୍ୱାବସୁଙ୍କୁ ବତ୍ସା କଲେ । ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦୁହିଁଲେ ।। ୪୮
ଶ୍ରାଦ୍ଧଦେବତା ପିତୃଗଣେ । ଶ୍ରଦ୍ଧାରେ କ୍ଷୀର ଜଣେ ଜଣେ ।। ୪୯
ଅର୍ଯ୍ୟମା ବତ୍ସା କରି ହସ୍ତେ । କବ୍ୟ ଦୁହିଁଲେ ଆମପାତ୍ର ।। ୫୦
ସିଦ୍ଧେ ମିଳିଲେ ନବରଙ୍ଗେ । କପିଳ ବତ୍ସା ଘେନି ସଙ୍ଗେ ।। ୫୧
ସଙ୍କଳ୍ପମୟ କ୍ଷୀର ଧାରେ । ଦୁହିଁଲେ ଜନ ଉପକାରେ ।। ୫୨
ପୁଣି ମିଳିଲେ ବିଦ୍ୟାଧରେ । ଯେ ଯାହା ପାତ୍ରଧରି କରେ ।। ୫୩
ଏହୁ ଆକାଶ-ପାତ୍ର ଧରି । ଖେଚରୀ ବିଦ୍ୟା ଦୁହିଁ କରି ।। ୫୪
ଆନନ୍ଦମନେ କ୍ଷୀର ଦୁହିଁ । ବସିଲେ ଯେଝାଭାବ ଯାଇ ।। ୫୫
ପୁଣି ମିଳିଲେ ପୁଣ୍ୟଜନେ । ମୟକୁ ବତ୍ସା କଳ୍ପିମନେ ।। ୫୬
ମାୟାବୀଗଣ ପୁଣି ଆସି । ଧରଣୀ ସ୍ତନ ତଳେ ବସି ।। ୫୭
ଆନନ୍ଦ ପାତ୍ର କରି ମନ । ସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନ ।। ୫୮
ମିଳିଲେ ଯକ୍ଷ ରକ୍ଷଗଣେ । ଭୂତ ବେତାଳ ଯାତୁଧାନେ ।। ୫୯
କପାଳ ପାତ୍ରକୁ ଧଇଲେ । ରୁଦ୍ରଙ୍କୁ ଆଣି ବତ୍ସା କଲେ ।। ୬୦
ରୁଧିର ମଦ୍ୟ ସେ ଦୁହିଁଲେ । ପିଶାଚେ ଆନନ୍ଦ ହୋଇଲେ ।। ୬୧
ତକ୍ଷଣେ ସର୍ପଗଣେ ଆସି । ଧରଣୀ ସ୍ତନ ତଳେ ବସି ।। ୬୨
ତକ୍ଷକ-ନାଗ ବତ୍ସା କରି । ସନ୍ତୋଷ ମନେ ସ୍ତନ ଧରି ।। ୬୩
ବିକକୁ ପାତ୍ର କରି ରଙ୍ଗେ । ବିଷ ଦୁହିଁଲେ ଅତି ବେଗେ ।। ୬୪
ପଶୁଏ ମିଳି ସ୍ତନ ତଳେ । ବୃଷକୁ ବତ୍ସା କରି ବଳେ ।। ୬୫
ତୃଣ ଦୁହିଁଲେ ଯେଝା ସୁଖେ । ତକ୍ଷଣେ ଗ୍ରାସ କରି ମୁଖେ ।। ୬୬
ସିଂହ ସହିତେ ପଶୁଗଣେ । ମାଂସ ଦୋହନ କଲେ ବଣେ ।। ୬୭
ମାଂସାଶୀ-ଗଣେ ପରେ ଆସି । ଧରଣୀ ସ୍ତନ ତଳେ ବସି ।। ୬୮
ଶରୀର-ପାତ୍ରେ ମାଂସ ଦୁହିଁ । ଆନନ୍ଦ କଲେ ନିଜ ଦେହୀ ।। ୬୯
ପକ୍ଷୀଏ-କ୍ଷୀର-ପାନ ଆଶେ । ମିଳେଲେ ଧରଣୀର ପାଶେ ।। ୭୦
ଗରୁଡ-ବତ୍ସା କରି ବଳେ । କୀଟ-ଫଳକୁ ସେ ଦୁହିଁଲେ ।। ୭୧
ସକଳ ବୃକ୍ଷେ ଆଗ ସରି । ବଟବୃକ୍ଷକୁ ବତ୍ସା କରି ।। ୭୨
ସନ୍ତୋଷେ ଦୁହିଁ ରସମୟେ । କ୍ଷୀର ବରଷି ନିଜ ଦେହେ ।। ୭୩
ହିମବନ୍ତକୁ ବତ୍ସା କରି । ଧାତୁ ଦୁହିଁଲେ ସର୍ବ ଗିରି ।। ୭୪
ସେ ପୃଥ୍ୱୀ ପୃଥୁ ବଶେ ଥିଲା । ସକଳେ କାମଦୁଘା ହେଲା ।। ୭୫
ଏମନ୍ତେ ପୃଥୁ ଆଦି ସର୍ବେ । କ୍ଷୀର ଦୁହିଁଲେ ଯେଝାଭାବେ ।। ୭୬
ଯେତେକ ମନୁ ଆଦି ଥିଲେ । ସର୍ବେ ଅଭୀଷ୍ଟ ସମ୍ପାଦିଲେ ।। ୭୭
ଏମନ୍ତେ ଶୁଣ ହେ ରାଜନ । ଜାଣିଲେ ସର୍ବଜନ ମନ ।। ୭୮
ପୃଥୁ ଧରଣୀ ମୁଖ ଚାହିଁ । ଆନନ୍ଦ-ମନେ ବିଚାରଇ ।। ୭୯
ଏ ମୋ କାର୍ଯ୍ୟେ ଦୁଃଖ ସହି । ରୂପ ବହିଲା ଧେନୁ ହୋଇ ।। ୮୦
ଯେ ଯାହା ସୁଖେ ପୟ ନେଲେ । ସର୍ବେ ତୋଷିଲା ମହୀ ଭଲେ ।। ୮୧
ଏ ଦେହ-ଜୀବଧାରୀ ଯେତେ । ସ୍ଥାବର ଆଦି ନାନା ମତେ ।। ୮୨
ସକଳେ ଲଭିଲେ ଜୀବନ । ଦେଖ ଏହାର ଦେହ ଧନ୍ୟ ।। ୮୩
ଏ ମୋର ଦୁହିତା ହୋଇବ । ଏଣେ ବଞ୍ଚଲେ ସର୍ବଜୀବ ।। ୮୪
ଜୀବଙ୍କ ଜୀବଦାତା ଯେଣୁ । ଏହାର ପୃଥ୍ୱୀ ନାମ ତେଣୁ ।। ୮୫
ହୋଇବ ଏ ମୋର ପ୍ରମାଣ । ଯେଣୁ ଏ ସଂସାର ଧାରଣ ।। ୮୬
ଏମନ୍ତେ ପୃଥ୍ୱୀନାମ କରି । ସୁଖେ ପାଳିଲେ ବସୁନ୍ଧରୀ ।। ୮୭
ଭୂମିରେ ଉଚ୍ଚ ପ୍ରାୟ ସ୍ଥାନ । ଧନୁ-ହୁଳେ କରି ସମାନ ।। ୮୮
ଯଥା-ଯୋଗ୍ୟରେ ପ୍ରାଣୀ ସ୍ଥାନ । କଳ୍ପିଲା ବେଣର ନନ୍ଦନ ।। ୮୯
ଏମନ୍ତେ ପୃଥୁ ହୋଇ ରାଜା । ସମେ ପାଳିଲେ ଜନପ୍ରଜା ।। ୯୦
ଭୂମି ଉପରେ ନାନାଦେଶେ । ସକଳ ସ୍ଥାପିଲେ ହରଷେ ।। ୯୧
ଗ୍ରାମାଦି ପୁର ଯେ ପତ୍ତନ । ଘୋଷ-ବ୍ରଜ ଶବର ସ୍ଥାନ ।। ୯୨
ଆଖର ଖେ ଯେ ଖର୍ବଟ । ଦୁର୍ଗ ଗ୍ରାମାଦି ଯେ ନିର୍ମିତ ।। ୯୩
ସେ ରାଜା ଅତି ସ୍ନେହଭରେ । ସକଳ ଜୀବଙ୍କୁ ନିର୍ଭରେ ।। ୯୪
ଜନଙ୍କୁ ପାଳେ ପିତା ପ୍ରାୟେ । ସକଳେ ରହିଲେ ନିର୍ଭୟେ ।। ୯୫
ନିଶ୍ଚିନ୍ତେ ରହିଲେ ସକଳେ । ଅଚଳ ଯେସନେ ନିଶ୍ଚଳେ ।। ୯୬
ପୃଥୁ-ଚରିତ ସୁଧାବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୯୭
ଗୋବିନ୍ଦ-ଚରଣେ ମିଳନ୍ତି । ବିନାଶି ଭବଭୟଭ୍ରାନ୍ତି ।। ୯୮
ଏଣୁ ସୁଜନେ ଆଶ୍ରେ କର । ସଂସାର ସଙ୍କଟୁ ନିସ୍ତର ।। ୯୯
ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ।। ୧୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୃଥୁବିଜୟେ
ବିଂଶୋଽଧ୍ୟାୟଃ

ଏକବିଂଶ ଅଧ୍ୟାୟ[ସମ୍ପାଦନା]

ମେତ୍ରେୟ ଉବାଚ

ଏବେ ହୋ ଶୁଣ ବିଷ୍ଣୁ ଗାଥା । କହିବା ପୃଥୁ ଯଜ୍ଞ କଥା ।। ୧
ମିଳି ସକଳ ମୁନିଜନେ । ସନ୍ତୋଷ ପୃଥୁ ସନ୍ନିଧାନେ ।। ୨
ଯଜ୍ଞ-କରଣ ଉଦଯୋଗେ । ସର୍ବ-ସମ୍ଭାର ଅଣି ବେଗେ ।। ୩
ସୁପ୍ରାଚୀ ସରସ୍ୱତୀ ତୀର୍ଥେ । ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ ।। ୪
ଇନ୍ଦ୍ରାଦି ସର୍ବଦେବେ ଆସି । ଯଜ୍ଞ ଉତ୍ସବ ଘରେ ପଶି ।। ୫
ଯଜ୍ଞସମ୍ଭାର ଇନ୍ଦ୍ର ଦେଖି । ନ ସହି ମନେ ହେଲା ଦୁଃଖୀ ।। ୬
ସେ ଯଜ୍ଞେ ଯଜ୍ଞପତି ହରି । ପ୍ରତ୍ୟକ୍ଷ ହେଲେ ଦୟାକରି ।। ୭
ଶଙ୍କର ପଦ୍ମଯୋନି ମେଳେ । ମିଳି ସକଳ-ଦିଗପାଳେ ।। ୮
ଗନ୍ଧର୍ବ-ଅପସରା ଗଣେ । ମୁନିଏ ବେଦ-ଉଚ୍ଚାରଣେ ।। ୯
ଆନନ୍ଦେ ଗୀତ-ନୃତ୍ୟ-ସ୍ତୁତି । ସିଦ୍ଧ-ଗୁହ୍ୟକ ପନ୍ତି ପନ୍ତି ।। ୧୦
ଦାନବ-ଦୈତ୍ୟ-ବିଦ୍ୟାଧରେ । ସେ ଯଜ୍ଞେ ମିଳିଲେ ଗହଳେ ।। ୧୧
ସୁନନ୍ଦ ନନ୍ଦ ଆଦି ମାନେ । ହରିର ପାରିଷଦ ଗଣେ ।। ୧୨
କପିଳ ନାରଦ ଯେ ଦତ୍ତ । ସନକ ଆଦି ଉପଗତ ।। ୧୩
ସେ ପୃଥୁ ଯଜ୍ଞେ ବସୁମତୀ । ବାଞ୍ଛା-ସୁରଭୀ ପୟୋବତୀ ।। ୧୪
କାମଧେନୁର ପ୍ରାୟ ହୋଇ । ସର୍ବ ସମ୍ପଦ ଦେଲା ମହୀ ।। ୧୫
ନଦୀଏ ଦୁଗ୍ଧ-ରସ ଜଳେ । ସଧୀରେ ବହନ୍ତି ଉଲ୍ଲୋଳେ ।। ୧୬
ଘୃତ-ସଂଯୋଗେ ଦଧି ଅନ୍ନ । ତୋଷେ ଭୁଞ୍ଜନ୍ତି ସର୍ବଜନ ।। ୧୭
ସକଳ-ବୃକ୍ଷେ ମଧୁ-ପନ୍ତି । ଜୀମୂତ ପ୍ରାୟ ବରଷନ୍ତି ।। ୧୮
ସମୁଦ୍ରେ ନାନା ରତ୍ନେ ପୂରି । ଗର୍ଜନ୍ତି ଉଲ୍ଲୋଳେ ଲହରୀ ।। ୧୯
ପର୍ବତେ ଚତୁର୍ବିଧ-ଅନ୍ନ । ଦେଇ ରଞ୍ଜିଲେ ପୃଥୁମନ ।। ୨୦
ଲୋକପାଳକେ ଲୋକ ତୁଲେ । ସର୍ବ-ସମ୍ଭାର ସମ୍ଭାରିଲେ ।। ୨୧
ଯଜ୍ଞ କରଣେ ବିଷ୍ଣୁ ଅର୍ଥେ । ସର୍ବ ସମ୍ପାଦିଲେ ସମସ୍ତେ ।। ୨୨
ପୃଥୁର ଯଜ୍ଞାରମ୍ଭ ଚାହିଁ । ବାସବ ମନେ ବିଚାରଇ ।। ୨୩
ଏ ପୃଥୁ ଶତକ୍ରତୁ କଲେ । ଲଭିବ ଇନ୍ଦ୍ରପଦ ଭଲେ ।। ୨୪
ମୋର ସମ୍ପଦ ଜୀବ ନାଶ । ଏମନ୍ତ ଚିନ୍ତି ଛାଡେ ଶ୍ୱାସ ।। ୨୫
ଯଜ୍ଞର ଊନିଶତ ଅନ୍ତେ । ଆତ୍ମାର ହିତ ଚିନ୍ତି ଚିତ୍ତେ ।। ୨୬
ଯଜ୍ଞ-ପଶୁକୁ ହରି ନେଲା । ନିଜ ଭୁବନେ ବିଜେ କଲା ।। ୨୭
ଆକାଶ ମାର୍ଗେ ଇନ୍ଦ୍ର ଗଲା । ପାଷଣ୍ତ-ଧର୍ମ ଆଚରିଲା ।। ୨୮
ଧର୍ମେ ବିଭ୍ରମ ତାର ମନ । ସଭୟେ ଚିତ୍ତ ଛନ୍ନଛନ୍ନ ।। ୨୯
ଅତ୍ରି ଯେ ଯଜ୍ଞଶାଳେ ଥିଲେ । ଅଶ୍ୱର ହରଣ ଜାଣିଲେ ।। ୩୦
ପୃଥୁ-ପୁତ୍ରକୁ ରାଇ ବେଗେ । ଇନ୍ଦ୍ରର କର୍ମ ତାର ଆଗେ ।। ୩୧
କହିଲେ ଅଶ୍ୱହର ବାଣୀ । ପୃଥୁ-ତନୟ ତାହା ଶୁଣି ।। ୩୨
ଧନୁ-ଶରକୁ ଧରି କରେ । ଶୂନ୍ୟେ ଧାଇଁଲା କୋପଭରେ ।। ୩୩
ଡାକଇ ରହ ରହ ବାଣୀ । ସଭୟେ ଇନ୍ଦ୍ର ତାହା ଶୁଣି ।। ୩୪
ନିଜ ଶରୀର ଛନ୍ନ କଲା । ଜଟିଳ-ରୂପ ପ୍ରକାଶିଲା ।। ୩୫
ତାହାର ନିକଟେ ମିଳିଲା । ଇନ୍ଦ୍ର-ବିମାନକୁ ଚାହିଁଲା ।। ୩୬
ଭସ୍ମ-ଭୂଷିତ ଦେହ ଚାହିଁ । ପୃଥୁ-ନନ୍ଦନ ବିଚାରଇ ।। ୩୭
ଜଟିଳ ଭସ୍ମ ଏହା ଗାତ୍ରେ । ଏହାକୁ ମାରିବି କେମନ୍ତେ ।। ୩୮
ଏମନ୍ତ ମନେ ବିଚାରିଲା । ଇନ୍ଦ୍ରକୁ ବାଣ ନ ଛାଡିଲା ।। ୩୯
ତାର ରହିବା ପଥ ଦେଖି । ଅତ୍ରି ଯଜ୍ଞଶାଳ ଉପେକ୍ଷି ।। ୪୦
ଡାକନ୍ତି ମାର ମାର ବେଗେ । ତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ ।। ୪୧
ଭୟେ ଚାହଁଇ ଦଶଦିଶେ । ସ୍ୱଭାବେ କେହି ନାହିଁ ପାଶେ ।। ୪୨
ମନେ ବିଚାରେ ଶଚୀପତି । କି ଆଜ ହୋଇଲା ଦୁର୍ଗତି ।। ୪୩
ବୋଲନ୍ତି ଅତି ବେଗେ ମାର । ସ୍ୱଭାବେ ଯଜ୍ଞ ଅଶ୍ୱ ଚୋର ।। ୪୪
ଏମନ୍ତ ଅତ୍ରିର ବଚନ । ଶୁଣନ୍ତେ ପୃତୁର ନନ୍ଦନ ।। ୪୫
ଧାମଇଁ ଅତି କୋପକରି । ହସ୍ତୀକି ଯେସନେ କେଶରୀ ।। ୪୬
ବାସବ ଦେଖି ତା ବଦନ । ଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନ ।। ୪୭
ରହିଲା ଶୂନ୍ୟମାର୍ଗେ ଯାଇ । ପୃଥୁନନ୍ଦନ ବିଚାରଇ ।। ୪୮
ଅଶ୍ୱକୁ ଘେନି ମହାରୋଷେ । ଇନ୍ଦ୍ରକୁ ଚାହେଁ ଦଶଦିଶେ ।। ୪୯
ନ ଦେଖି ପୁଣି ଯଜ୍ଞସ୍ଥାନେ । ମିଳିଲା ଅତ୍ରି-ସନ୍ନିଧାନେ ।। ୫୦
ଅଶ୍ୱର ରଜ୍ଜୁ କରେ ଧରି । ଅତ୍ରିଚରଣେ ନମସ୍କାରି ।। ୫୧
ତାର ଅଦ୍ଭୁତ-କର୍ମ ଦେଖି । ମୁନିଏ ନାମ ଉପଲକ୍ଷି ।। ୫୨
ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମ । ଦେଲେ ତା ବିଜିତାଶ୍ୱ ନାମ ।। ୫୩
ଏମନ୍ତେ ରଜନୀ ପ୍ରବେଶେ । ଇନ୍ଦ୍ର ମିଳିଲେ ଯଜ୍ଞଦେଶେ ।। ୫୪
ଦେଖିଲା କେହି ନାହିଁ ପାଶେ । ସେ ପୁଣ ମନର ହରଷେ ।। ୫୫
ଯଜ୍ଞର ଯୂପ-ତଳୁ ଛନ୍ନେ । ହରିଲା ସୁବର୍ଣ୍ଣ-ରସନେ ।। ୫୬
ବିଚାରି ଅନ୍ଧକାର ଛଳେ । ଅଶ୍ୱକୁ ପୁଣି ନେଲା ବଳେ ।। ୫୭
ଅତ୍ରି ଦେଖନ୍ତେ ଶୂନ୍ୟମାର୍ଗେ । ତ୍ରାସେ ପଳାଏ ଇନ୍ଦ୍ର ବେଗେ ।। ୫୮
ବିଜିତାଶ୍ୱର ମୁଖ ଚାହିଁ । ବୋଲଇ ଅଶ୍ୱ ଆଣ ଯାଇ ।। ୫୯
ତା ଶୁଣି ହସ୍ତେ ଧନୁ ଧରି । ଧାଇଁଲା ଘୋରନାଦ କରି ।। ୬୦
ଆହେ ଦୁର୍ମତି ମନ୍ଦ ଚୋର । କିମ୍ପା ତୋ ଏମନ୍ତ ବିଚାର ।। ୬୧
ଡାକଇ ରହ ରହ ବାଣୀ । ତାର ବଚନ ଇନ୍ଦ୍ର ଶୁଣି ।। ୬୨
ପଥେ ଅଶ୍ୱକୁ ଛାଡି ଛନ୍ନେ । ତକ୍ଷଣେ ଗଲା ଅନ୍ତର୍ଦ୍ଧାନେ ।। ୬୩
ପୁଣି ସେ ଅଶ୍ୱ ଧରି କରେ । ବେଗେ ମିଳିଲା ଯଜ୍ଞଘରେ ।। ୬୪
ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ । ଛଳେ ଧଇଲା ରୂପ ଯେତେ ।। ୬୫
ପାଷଣ୍ତଜନ ସେହି ମତେ । ରୂପ ପ୍ରକାଶନ୍ତି ଜଗତେ ।। ୬୬
ପୃଥୁର ଯଜ୍ଞ-ବିନାଶନେ । ଇନ୍ଦ୍ରର ଯେତେ ରୂପ ଛନ୍ନେ ।। ୬୭
ପାଷଣ୍ତେ ସେହି ରୂପ ଚିନ୍ତି । ସଂସାରେ ଭ୍ରମ ସେ କରାନ୍ତି ।। ୬୮
କେ ନଗ୍ନ ରକ୍ତପଟ୍ଟ ଧରେ । କେ ଭସ୍ମ ଭୂଷଣ ଶରୀରେ ।। ୬୯
ଅଧର୍ମ-ମାର୍ଗ ଆଚରନ୍ତି । ଆତ୍ମାର ହିତ ନ କରନ୍ତି ।। ୭୦
ପାଷଣ୍ତ-ମାର୍ଗେ ଥାଇ ନିତ୍ୟେ । ଦୂଷଣ ଦେଇ ବେଦପଥେ ।। ୭୧
ସେ ରୂପ ପ୍ରକାଶି ବ୍ରହ୍ମାଣ୍ତୋ । ନିଗମ ନିନ୍ଦିବେ ପାଷଣ୍ତେ ।। ୭୨
ତାହାଙ୍କ ମତ ଯେ କରନ୍ତି । ଅନ୍ତେ ନରକେ ପ୍ରବେଶନ୍ତି ।। ୭୩
ସେ କଥା ଶୁଣି ପୃଥୁ କୋପେ । ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ ।। ୭୪
ଇନ୍ଦ୍ର ମାରଣେ କୋପ କରି । ନିଜ କୋଦଣ୍ତ-ଶର ଧରି ।। ୭୫
କୋପନ୍ତେ ଅରୁଣ-ନୟନ । ପ୍ରଚଣ୍ତ ବିରାଜେ ବଦନ ।। ୭୬
ପୃଥୁ ଗମନ ଦେଖି ରଣେ । ବେଗେ ମିଳିଲେ ବିପ୍ରଗଣେ ।। ୭୭
ଇନ୍ଦ୍ର-ବିଷୟେ କୋପ ବହି । ବୋଲନ୍ତି ପୃଥୁ ମୁଖ ଚାହିଁ ।। ୭୮
ଭୋ ପୃଥୁ ଶୁଣ ଧର୍ମ-କଥା । ଆଗମ ନିଗମ ବ୍ୟବସ୍ଥା ।। ୭୯
ପଶୁ ବିନା ଆନ ବଧ । ଯଜ୍ଞରେ ଅଟଇ ନିଷେଧ ।। ୮୦
ତୋ ଯଜ୍ଞ-କୀର୍ତ୍ତି ନାଶେ ଇନ୍ଦ୍ର । ଆମ୍ଭେ ନାଶିବୁ ତା ନରେନ୍ଦ୍ର ।। ୮୧
ମନ୍ତ୍ର ଆହ୍ୱାନ ବଳେ କରି । ଅଗ୍ନିକୁ ଆହୁତିରେ ଧରି ।। ୮୨
ନାଶିବୁ ତୋହର ଅହିତ । ତୋର ମାରିବା ନୋହେ ଯୁକ୍ତ ।। ୮୩
ଏମନ୍ତ ପୃଥୁ ଆଗେ କହି । ଋତ୍ୱିଜେ ଅତି କୋପ ବହି ।। ୮୪
ସ୍ରୁବକୁ ସର୍ବେ ଧରି ହସ୍ତେ । ଅଗ୍ନିରେ ଆହୁତି ଦିଅନ୍ତେ ।। ୮୫
ବ୍ରହ୍ମା ମିଳିଲେ ତତକ୍ଷଣ । ସମସ୍ତ ମୁନି-ସନ୍ନିଧାନ ।। ୮୬
ଇନ୍ଦ୍ରର ହିତ ଚିତ୍ତେ ବହି । ବୋଲନ୍ତି ମୁନିଗଣେ ଚାହିଁ ।। ୮୭
ଶୁଣ ହେ ସର୍ବ ବିପ୍ରବର । ଯାହାକୁ ଯଜ୍ଞେ ତୁମ୍ଭେ ମାର ।। ୮୮
ଯେ ଦେବ ଯଜ୍ଞଭାଗ ଭୂଞ୍ଜେ । ସେ ଦେବଦେହ ଇନ୍ଦ୍ରତେଜେ ।। ୮୯
ଏଣୁ ଇନ୍ଦ୍ରକୁ ଯଜ୍ଞେ ବରି । ମନ୍ତ୍ରେ ଅନଳେ ହୋମ କରି ।। ୯୦
ସୃଷ୍ଟି ପାଳନେ ଏ କାରଣ । ଏ ଭାବେ ସଂସାର ଧାରଣ ।। ୯୧
ପୃଥୁ ବଦନ ଚାହିଁ ଧୀରେ । ବୋଲନ୍ତି ବଚନ ମଧୁରେ ।। ୯୨
ଏ ଇନ୍ଦ୍ରନାରାୟଣ ତନୁ । ଏହାକୁ ଛାଡ ତୁମ୍ଭେ ମନ୍ୟୁ ।। ୯୩
ଏହାର ଦେହେ ସର୍ବଦେବେ । ନିତ୍ୟେ ବସନ୍ତି ଯଜ୍ଞଭାବେ ।। ୯୪
ଆହୁତି ଯାର ମୁଖେ ଦେଇ । ତାହାକୁ କୋପ ନ ଯୋଗାଇ ।। ୯୫
ଏହାକୁ କୋପ ତୁ ନକର । ଯଜ୍ଞପୁରୁଷ ଅର୍ଥେ ବର ।। ୯୬
ଏ ଧର୍ମ ପରମ-କାରଣ । ଅଶେଷ ସୃଷ୍ଟି ଉଦ୍ଧାରଣ ।। ୯୭
ଏ ଯଜ୍ଞେ ଦ୍ରୋହ କର୍ମ କଲା । ପାଷଣ୍ତ ପଣ ଆଚରିଲା ।। ୯୮
ପାଷଣ୍ତ ଉଦ୍ଧରିବା ଅର୍ଥେ । ତୋ ଅବତାର ଏ ଜଗତେ ।। ୯୯
ତୁ ସେ ସକଳ ଗୁଣମଣି । ଅପୂର୍ବ ନୋହେ କିଛି ପୁଣି ।। ୧୦୦
ବେଣର ଦେହେ ଯେତେ ଦୋଷ । ତୋ ଜନ୍ମ କଲା ତାହା ନାଶ ।। ୧୦୧
ତୁ ଏବେ ମୋର ବୋଲ କର । ପାଷଣ୍ତ ପ୍ରାଣୀଙ୍କି ଉଦ୍ଧର ।। ୧୦୨

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାର ବଚନେ । ଇନ୍ଦ୍ରକୁ କୋପ ଛାଡି ମନେ ।। ୧୦୩
ଯଜ୍ଞର ଅବଭୃତ-ସ୍ନାନେ । ଦକ୍ଷିରା ଦେଇ ବିପ୍ରଜନେ ।। ୧୦୪
ଯଜ୍ଞେ ତୋଷିଲେ ସର୍ବଜନେ । ଅନ୍ନ-ବସନ-ଧେନୁ ଦାନେ ।। ୧୦୫
ସେ ବିପ୍ରଜନେ ହୋଇ ତୋଷ । ପୃଥୁକୁ କରନ୍ତି ଆଶିଷ ।। ୧୦୬
ବ୍ରହ୍ମା ହରଷ-ଚିତ୍ତ ହୋଇ । କହନ୍ତି ପୃଥୁ ମୁଖ ଚାହିଁ ।। ୧୦୭
ତୋର ବଚନେ ସର୍ବଦେବେ । ତୋଷ ହୋଇଳେ ଯଜ୍ଞଭାବେ ।। ୧୦୮
ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ବିପ୍ର ଘେନି ।। ୧୦୯
ତକ୍ଷଣେ ଗଲେ ନିଜସ୍ଥାନେ । ଶୁଣ ବିଦୁର ତୋଷମନେ ।। ୧୧୦
ଏ ପୃଥୁ-ଯଜ୍ଞର କାହାଣୀ । ନିର୍ମଳ ହୁଅ ନରେ ଶୁଣି ।। ୧୧୧
ମୈତ୍ରେୟ ମୁନି ତୋଷ ଚିତେ । କହନ୍ତି ବିଦୁର ଅଗ୍ରତେ ।। ୧୧୨
ଶୁଣ ବିଦୁର ସାବଧାନେ । ପୃଥୁର ଯଜ୍ଞ ଅବସାନେ ।। ୧୧୩
ଯେ ଯଜ୍ଞପତି ଭଗବାନ । ଇନ୍ଦ୍ର ସହିତେ ଆଗମନ ।। ୧୧୪
ହରଷେ ପ୍ରଭୁ ଯଜ୍ଞପତି । ପୃଥୁକୁ ଚାହିଁଣ କହନ୍ତି ।। ୧୧୫

ଭଗବାନ ଉବାଚ

ଶୁଣ ହୋ ପୃଥୁ ନୃପନାଥ । ଇନ୍ଦ୍ର ଯେ କଲା ଯଜ୍ଞେ ଘାତ ।। ୧୧୬
ସେ ଅପରାଧ ଖଣ୍ତିବାକୁ । ଏବେ ଅଇଲା ତୁମ୍ଭ ଠାକୁ ।। ୧୧୭
ତୁମ୍ଭେ ଯେ ସାଧୁ ନୃପବର । ଏହାର ଦୋଷ କ୍ଷମା କର ।। ୧୧୮
ଏ ଲୋକେ ସାଧୁ ଯେ ଅଟନ୍ତି । ସେ ଦ୍ରୋହକର୍ମ ନ କରନ୍ତି ।। ୧୧୯
ସାଧୁଙ୍କ ନାହିଁ ହିଂସା ଭାବ । ସମେ ଦେଖନ୍ତି ସର୍ବଜୀବ ।। ୧୨୦
ଯେଣୁ ଏ ଦେହ ଆତ୍ମା ନୋହେ । ତେଣୁ ସେ ପଡନ୍ତି ଦ୍ରୋହେ ।। ୧୨୧
ଯେବେ ପୁରୁଷ ତୁମ୍ଭ ପ୍ରାୟେ । ଦେବମାୟାରେ ମୋହ ହୋଏ ।। ୧୨୨
ବୃଦ୍ଧ-ସେବନ ଦୀର୍ଘକାଳ । କେବଳ ଶ୍ରମ ସିନା ତାର ।। ୧୨୩
ଅବିଦ୍ୟା କାମ୍ୟ-କର୍ମ ବଶେ । ଯେଣୁ ଏ ଦେହ ପରକାଶେ ।। ୧୨୪
ଏ କଥା ଯେ ଜ୍ଞାନୀ ଜାଣନ୍ତି । ସେ ମୋହ ଦ୍ୱନ୍ଦ୍ୱେ ନ ପଡନ୍ତି ।। ୧୨୫
ଅନିତ୍ୟ ଜାଣନ୍ତି ସେ ଦେହ । ତେଣୁ ତହିଁରେ ନାହିଁ ସ୍ନେହ ।। ୧୨୬
ଗୃହ ଦ୍ରବିଣ ଦାରା ସୁତେ । ମମତା କରିବେ କେମନ୍ତେ ।। ୧୨୭
ଏ ଆତ୍ମା ଦେହ ତହୁଁ ଭିନ୍ନ । ଶୁଣ କହିବା ତାର ଚିହ୍ନ ।। ୧୨୮
ଏକଇ ଆତ୍ମା ସର୍ବଦେହେ । ଶୁଦ୍ଧ-ଅଶୁଦ୍ଧେ ଭେଦ ନୋହେ ।। ୧୨୯
ନିର୍ଗୁଣ ହୋଇ ଗୁଣାଶ୍ରୟ । ସେ ଆତ୍ମା ସ୍ୱୟଂ ଜ୍ୟୋତିର୍ମୟ ।। ୧୩୦
ସେ ଏକ ଅଛି ସର୍ବଠାରେ । ଆବୃତ ନୋହେ ମାୟାଦ୍ୱାରେ ।। ୧୩୧
ତାହାର ନାହିଁ ଆତ୍ମପର । ସେ ଥାଇ ପ୍ରକୃତିରୁ ପର ।। ୧୩୨
ଶରୀରୁ ଭିନ୍ନେ ଥାଇ ସେହି । ତାକୁ ଦେଖନ୍ତା ନାହିଁ କେହି ।। ୧୩୩
ଆତ୍ମାକୁ ଏମନ୍ତ ପ୍ରକାରେ । ଯେ ପ୍ରାଣୀ ଦେଖନ୍ତି ଶରୀରେ ।। ୧୩୪
ସେ ଯେବେ ପ୍ରକୃତିରେ ଥାଇ । ପ୍ରକୃତି ଗୁଣେ ବଦ୍ଧ ନୋହି ।। ୧୩୫
ଯେମନ୍ତେ ପ୍ରାଣୀ ମୋତେ ପାଏ । ତୁମ୍ଭକୁ କହି ସେ ଉପାୟେ ।। ୧୩୬
ଯେ ଜନ ସ୍ୱଧର୍ମେ ନିଷ୍କାମେ । ମୋତେ ଭଜଇ ପ୍ରତିଦିନେ ।। ୧୩୭
ତା ମତି ହୁଅଇ ପ୍ରସନ୍ନ । ଦୁର୍ଗତି କରଇ ମୋଚନ ।। ୧୩୮
ମନ ପ୍ରସନ୍ନ ଯାର ହୋଇ । ସେ ପ୍ରାଣୀ ଗୁଣ ପ୍ରତେଜଇ ।। ୧୩୯
ସମତ୍ୱେ ସେ ସର୍ବ ଦେଖଇ । ସେ ଜୀବ ଆତ୍ମାକୁ ଜାଣଇ ।। ୧୪୦
ଭଜଇ ଶାନ୍ତି ଅବସ୍ଥାନ । ଲଭଇ କୈବଲ୍ୟ ନିର୍ବାଣ ।। ୧୪୧
ଏହି ଆତ୍ମାକୁ ଯେଉଁମାନେ । ଦେହ ଇନ୍ଦ୍ରିୟ କର୍ମଜ୍ଞାନେ ।। ୧୪୨
ମନର ଅଧ୍ୟକ୍ଷ ଜାଣନ୍ତି । ସକଳ ଦୁଃଖୁ ସେ ତରନ୍ତି ।। ୧୪୩
ଦେଖ ଏ ଲିଙ୍ଗ କଳେବର । ସେ ପଞ୍ଚଭୂତେ ସ୍ଥୂଳତର ।। ୧୪୪
ଏ ଦଶ-ଇନ୍ଦ୍ରିଛନ୍ତି ଏଥି । ଚେତନ ରୂପେ ଆତ୍ମା ତଥି ।। ୧୪୫
ଏ ଗୁଣ-ପ୍ରବାହରୁ ହୋଇ । ଏହାକୁ ଯେ ଭେଦି ଦେଖଇ ।। ୧୪୬
ସେ ପ୍ରାଣୀ ଆତ୍ମାକୁ ଦେଖଇ । କ୍ଳେଶାଦି ତାକୁ ନ ବାଧଇ ।। ୧୪୭
ଯେ ଜନ ଦୃଢ଼ଭକ୍ତି କରେ । ମନ ବାନ୍ଧଇ ଆମ୍ଭଠାରେ ।। ୧୪୮
ବିପଦ ସମ୍ପଦରେ ତାର । କେବେ ହେଁ ନୋହଇ ବିକାର ।। ୧୪୯
ଶୋକାଦି ଦ୍ୱାରା ସେହିମାନେ । ବ୍ୟଥିତ ନୁହଁନ୍ତି ଅଜ୍ଞାନେ ।। ୧୫୦
ଶୁଣ ହେ ପୃଥୁ ନୃପବର । ସୁଖ-ଦୁଃଖକୁ ସମକର ।। ୧୫୧
ପ୍ରାଣୀ ମାନଙ୍କ ତିନି କ୍ରମ । ଉତ୍ତମ ମଧ୍ୟମ ଅଧମ ।। ୧୫୨
ଉତ୍ତମେ ଉତ୍ତମ ଲଭଇ । ଅଧମେ ଅଧୋଗତି ପାଇ ।। ୧୫୩
ମଧ୍ୟମେ ମଧ୍ୟମ ବେଭାର । ଶୁଣ ହେ ପୃଥୁ ନୃପବର ।। ୧୫୪
ଏ ଦୁଃଖ-ସୁଖ ସମ କର । ଇନ୍ଦ୍ରିୟମାନଙ୍କୁ ନିବାର ।। ୧୫୫
ଚିତ୍ତକୁ ନିର୍ମଳ କରିଣ । ଇନ୍ଦ୍ରିମାନଙ୍କୁ ତୁହି ଜିଣ ।। ୧୫୬
ବନ୍ଧୁ ଅମାତ୍ୟ ଆଦି ଯେତେ । ମୋହର ଦେବା ଜାଣି ଚିତ୍ତେ ।। ୧୫୭
ତାହାଙ୍କୁ ସଙ୍ଗତେ ଘେନିଣ । ପ୍ରଜାଙ୍କୁ ପାଳ ସ୍ୱଧର୍ମେଣ ।। ୧୫୮
ଅଖିଳଲୋକ ରକ୍ଷାକର । ମଙ୍ଗଳ ହୋଇବ ତୁମ୍ଭର ।। ୧୫୯
ପ୍ରଜାପାଳନ ରାଜାଧର୍ମ । ପ୍ରଜା କରେ ଯେ ଶୁଭକର୍ମ ।। ୧୬୦
ପରଲୋକରେ ଷଷ୍ଠ ଅଂଶ । ନୃପତି ଲଭଇ ଅବଶ୍ୟ ।। ୧୬୧
ଯେ ରାଜା ପ୍ରଜାଙ୍କୁ ନ ପାଳେ । ଅଧର୍ମେ କର ନିଏ ବଳେ ।। ୧୬୨
ସେ ରାଜା ନରକ ଭୁଞ୍ଜଇ । ତାହାର କାହିଁ ରକ୍ଷା ନାହିଁ ।। ୧୬୩
ସ୍ୱଧର୍ମେ ଥାଇ ପ୍ରଜା ପାଳ । ଗୃହମେଧରେ କିଛିକାଳ ।। ୧୬୪
ସନକ ଆଦି ମୁନିଜନେ । ଆସିବେ ତୋହର ଭୁବନେ ।। ୧୬୫
ତାହାଙ୍କୁ ନୟନେ ଦେଖିବ । ସୁଦିବ୍ୟଜ୍ଞାନ ତୁମ୍ଭ ହେବ ।। ୧୬୬
ତୋ ଧର୍ମ ଶୀଳ ଗୁଣ ଯଶ । ଭାବେ ହୋଇଲୁ ଆମ୍ଭେ ବଶ ।। ୧୬୭
ତେଣୁ ତୁ ମୋର ଠାରୁ ବର । ଯେ ଇଚ୍ଛା ମାଗ ନୃପବର ।। ୧୬୮
ଯଜ୍ଞ ତପସ୍ୟା ଯୋଗାଦିରେ । ପ୍ରାପ୍ୟ ମୁଁ ନୁହଇ ସଂସାରେ ।। ୧୬୯
ଯାହାର ଭେଦ-ଜ୍ଞାନ ନାହିଁ । ତା ହୃଦେ ନିରତେ ମୁଁ ଥାଇ ।। ୧୭୦

ମୈତ୍ରେୟ ଉବାଚ

ଏମନ୍ତେ ପ୍ରଭୁ ଭାବଗ୍ରାହୀ । ପୃଥୁଙ୍କୁ କହିଲେ ବୁଝାଇ ।। ୧୭୧
ହରିଙ୍କ ଆଜ୍ଞା ଧରି ଶିରେ । ତକ୍ଷଣେ ପାଦେ ପ୍ରଣମିଲେ ।। ୧୭୨
ଏମନ୍ତ କାଳେ ଦେବରାଜ । ଆପଣା କର୍ମେ ପାଇ ଲାଜ ।। ୧୭୩
ପୃଥୁିଙ୍କ ଚରଣେ ପଡିଲେ । ଅପ୍ରାଧ କଲଇଁ ବୋଇଲେ ।। ୧୭୪
ପୃଥୁ ଯେ ତହୁଁ ଆଲିଙ୍ଗନ । କରି ତୋଷିଲେ ଇନ୍ଦ୍ରମନ ।। ୧୭୫
ଏ ଅନ୍ତେ ପ୍ରଭୁ ଭଗବାନ । ଗଗନେ କଲେକ ଉଦ୍ୟମ ।। ୧୭୬
ପୃଥୁ ଯେତେକ ପୂଜା କଲେ । ହରି ତା ଆନନ୍ଦେ ଘେନିଲେ ।। ୧୭୭
ଯେ ରାଜା ପଡି ହରିପାଦେ । ପ୍ରଣାମ କରିଣ ଆନନ୍ଦେ ।। ୧୭୮
ଆନନ୍ଦସାଗରେ ବୁଡିଲା । ପୁଲକ ସର୍ବାଙ୍ଗେ ବହିଲା ।। ୧୭୯
ବେନି-ନୟନୁ ଅଶ୍ରୁ ଝରେ । ପ୍ରଭୁଙ୍କୁ ହୃଦପଦ୍ମେ ଧରେ ।। ୧୮୦
କର-ଅଞ୍ଜଳି ଶିରେ ଦେଇ । କହଇ ବିଷ୍ଣୁମୁଖ ଚାହିଁ ।। ୧୮୧

ପୃଥୁ–ଉବାଚ

ହେ ପ୍ରଭୁ ବରଦ ଈଶ୍ୱର । ପଣ୍ତିତେ ନ ମାଗିବେ ବର ।। ୧୮୨
ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ । ଭୋଗ ବିଳାସ ନ ମାଗିବ ।। ୧୮୩
ଆଜ୍ଞା ଯେ ଦେଲେ ବର ଘେନ । ବରେ ମୋ ନାହିଁ ପ୍ରୟୋଜନ ।। ୧୮୪
ବର ଘେନନ୍ତି ଭୋଗ ପାଇଁ । ସେ ଭୋଗ ନରକେ କହି ନାହିଁ ।। ୧୮୫
କୈବଲ୍ୟନାଥ ତୋତେ ପାଇ । କେ ଭୋଗ ବାଞ୍ଛା ଜ୍ଞାନୀ ହୋଇ ।। ୧୮୬
ଅପରେ ମୋକ୍ଷଧର୍ମ ସାର । ତହିଁରେ ବାଞ୍ଛା ନାହିଁ ମୋର ।। ୧୮୭
ତୋ ପାଦପଦ୍ମ ମକରନ୍ଦ । ଅତିହିଁ ରସାଳ ସୁଗନ୍ଧ ।। ୧୮୮
ତୁମ୍ଭର ଗୁଣ ଭକ୍ତମାନେ । ସ୍ମରନ୍ତି ନିତ୍ୟ ରାତ୍ରିଦିନେ ।। ୧୮୯
ତୁମ୍ଭର ଗୁଣ କୀର୍ତ୍ତିମାନ । ନିରତେ ଥାଉ ମୋର କର୍ଣ୍ଣ ।। ୧୯୦
ସେ ଯଶ ଶ୍ରବଣେ ମୋ ଇଚ୍ଛା । ଅୟୁତେ କର୍ଣ୍ଣ ଦିଅ ବାଞ୍ଛା ।। ୧୯୧
ଏ ଦୁଇକର୍ଣ୍ଣେ ଶୁଣି ମୋର । ସନ୍ତୋଷ ନୋହେ ଚକ୍ରଧର ।। ୧୯୨
ତୋ ପାଦ-ପଦ୍ମ ସୁଧା ଯଶ । ସାଧୁଙ୍କ ବଦନୁ ପ୍ରକାଶ ।। ୧୯୩
କୁଯୋଗୀ ଜନେ ଦିଏ ଜ୍ଞାନ । ଆନେ ମୋ ନାହିଁ ପ୍ରୟୋଜନ ।। ୧୯୪
ନିଖିଳ ପୁରୁଷଉତ୍ତମ । ତୁ ଗୁଣାଳୟ ତୋ ଚରଣ ।। ୧୯୫
ସେବିବି ଲକ୍ଷ୍ମୀର ପରାୟେ । ତା ସଙ୍ଗେ କଳି ନିକି ହୋଏ ।। ୧୯୬
ଜଗତ ଜନନୀ ସମେତେ । ବାଦ ହେଲେହେଁ ଅବିରତେ ।। ୧୯୭
ତଥାପି ସେବା ନ ତେଜିବି । ଅବଶ୍ୟ ସେ ପାଦ ଭଜିବି ।। ୧୯୮
ଦୀନବତ୍ସଳ ତୋର ବାନା । ଭକ୍ତରେ ତୋହର କରୁଣା ।। ୧୯୯
ଏଣୁ ଭାଜନ୍ତି ଏକଭାବେ । ନିଷ୍କାମ ଭାବରେ ସାଧବେ ।। ୨୦୦
ଅନ୍ୟତ୍ର ଫଳ ନ ବାଞ୍ଛନ୍ତି । ଆନନ୍ଦେ ତୋ ପାଦେ ଭଜନ୍ତି ।। ୨୦୧
ଭଜିଲା ଲୋକଠାରେ ଯାହା । ବର ମାଗ ତୁ ବୋଲୁ ଯାହା ।। ୨୦୨
ଭୋନାଥ ତୋହର ଏ ବାଣୀ । ଜାଣିଲି ଏ ବିଶ୍ୱମୋହିନୀ ।। ୨୦୩
ଫଳ ଆଶାରେ ଲୋଭୀ ହୋଇ । ମାୟାମୋହରେ ଭ୍ରମୁ ଥାଇ ।। ୨୦୪
ତାଙ୍କୁ ନ ଦେବ ଭୋଗ କିଛି । ଯେବେ ଭକତେ ଦୟା ଅଛି ।। ୨୦୫
ନିଷ୍କାମ ସାଧୁ ଯେଉଁ ଜନ । ଭଜନ୍ତି ତୋ ପାଦପଦ୍ମେଣ ।। ୨୦୬
ଅନ୍ୟତ୍ର ଫଳ ନ ଜାଣନ୍ତି । ତୋ ଭକ୍ତିଭାବେ ନିମଜ୍ଜନ୍ତି ।। ୨୦୭
ତୁମ୍ଭଙ୍କୁ ଭଜେ ଯେଉଁ ନର । ବଚନେ ଦିଅ ତାକୁ ବର ।। ୨୦୮
ଜଗମୋହନ ସେ ବଚନ । ନିଶ୍ଚେ ଜାଣିଲି ଭଗବାନ ।। ୨୦୯
ପ୍ରାଣୀବନ୍ଧନ ଫଳ ଆଶେ । ତୁମ୍ଭ ବଚନ ରଜ୍ଜୁ ପାଶେ ।। ୨୧୦
ପିତା ଯେସନେ ପୁତ୍ର ହିତେ । କରଇ ସ୍ନେହ ଅବିରତେ ।। ୨୧୧
ତୁମ୍ଭେ ସେ ରୂପେ ଆଚରିବ । ତେବେ ଭକତ ନିସ୍ତରିବ ।। ୨୧୨
ଏହା ମୁଁ ମାଗୁଛି ଶ୍ରୀହରି । ଦିଅ ହେ ପ୍ରଭୁ ଦୟା କରି ।। ୨୧୩
ମୈତ୍ରେୟ କହନ୍ତି ବିଦୁରେ । ଶ୍ରୀକୃଷ୍ଣ ମହିମା ସାଦରେ ।। ୨୧୪
ବର୍ଣ୍ଣନେ ପୃଥୁ ନୃପବର । ଶ୍ରବଣେ ହୋଇ ତୋଷଭର ।। ୨୧୫
ଆଜ୍ଞା ଦିଅନ୍ତି ଭଗବାନ । ଶୁଣିମା ହେ ଆଦି ରାଜନ ।। ୨୧୬
ତୋ ସ୍ତବେ ସନ୍ତୋଷ ହୋଇଣ । ଆଜ୍ଞା ଦେଉଛୁ ପୁଣପୁଣ ।। ୨୧୭
ହେ ରାଜା ତୋର ଭକ୍ତିଭାବ । ମୋ ପାଦେ ସର୍ବଦା ହୋଇବ ।। ୨୧୮
ମୋର ବିଷୟେ ତୋର ବୁଦ୍ଧି । ଭକତି ଯୋଗେ ଯେ ପ୍ରସିଦ୍ଧି ।। ୨୧୯
ଏଣୁ ଦୁସ୍ତର ମୋର ମାୟା । ତୋତେ ନ ଲାଗୁ ପୁଣ୍ୟଦେହ ।। ୨୨୦
ଏମନ୍ତ ବୋଲି ନାରାୟଣ । ବହୁତ ସନ୍ତୋଷ ହୋଇଣ ।। ୨୨୧
ପୃଥୁରାଜାର ଯେତେ ବାଣୀ । ମନେ ଧଇଲେ ଚକ୍ରପାଣି ।। ୨୨୨
ତାର ପୂଜନେ ତୋଷ ହୋଇ । ତାଠାରେ ଅନୁଗ୍ରହ ବହି ।। ୨୨୩
ଦେବ ଋଷି ପିତୃ ଗନ୍ଧର୍ବ । ସିଦ୍ଧ ଚାରଣ ଯେ ପୁନ୍ନଗ ।। ୨୨୪
କିନ୍ନର ଅପସର ମର୍ତ୍ତ୍ୟ । ଖଗାଦି ଏ ଜୀବଲୋକନ୍ତ ।। ୨୨୫
ରାଜର୍ଷି ପୃଥୁ ଆନେ ଯେତେ । ଯେ ଉପାଧ୍ୟାୟ ଯଜ୍ଞଗତେ ।। ୨୨୬
ଯେ ସର୍ବେ ବିଷ୍ଣୁସଙ୍ଗେ ଥିଲେ । ସନ୍ତୋଷେ ବିଷ୍ଣୁପୂଜା କଲେ ।। ୨୨୭
ହରିଲେ ତାହାଙ୍କର ମନ । ବୈକୁଣ୍ଠେ ବିଜେ ଭଗବାନ ।। ୨୨୮
ଗରୁଡ-ପୃଷ୍ଠେ ବିଜେ କଲେ । ସମସ୍ତ ଦେବେ ଦେଖୁଥିଲେ ।। ୨୨୯
ଅଦୃଶ୍ୟ ହେଲେ ଭଗବାନ । ପୁଣି ନମିଲେ ଦେବଗଣ ।। ୨୩୦
ଇନ୍ଦ୍ରାଦି ସର୍ବ ଦେବଗଣ । ଆବର ଋଷି-ପତ୍ନୀମାନ ।। ୨୩୧
ପୃଥୁକୁ ଆଲିଙ୍ଗନ କରି । ଗଲେ ସେ ଯେ ଯାହାର ପୁରୀ ।। ୨୩୨
ସେ ପୃଥୁ ତାଙ୍କୁ ନମସ୍କାର । କରିଣ ଗଲେ ନିଜ ପୁର ।। ୨୩୩
ଏ ବିଷ୍ଣୁ ପୃଥୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ।। ୨୩୪
ସୁଜନଜନେ ଶୁଣ ଏହା । ଯେବେ ତରିବ ବିଷ୍ଣୁମାୟା ।। ୨୩୫
କହନ୍ତି ମଇତ୍ରେୟ ଋଷି । ଶୁଣ ବିଦୁର କରୁବଂଶୀ ।। ୨୩୬
ପୃଥୁ ବିଜୟେ ନିଜ ପୁର । ସେ ପୁର ଅତ୍ୟନ୍ତ ସୁନ୍ଦର ।। ୨୩୭
ମୁକୁତାମାଳ ତୁମ୍ଭେ ତହିଁ । ଦିବ୍ୟ-କୁସୁମେ ଶୋଭା ପାଇ ।। ୨୩୮
ସୁବର୍ଣ୍ଣ-ତୋରଣ ତହିଁରେ । ଧୂପ ସୁଗନ୍ଧ ମନୋହରେ ।। ୨୩୯
ଚନ୍ଦନ ଅଗୁରୁରେ ମିଶି । ତୋଷେ ସିଞ୍ଚନ୍ତି ପ୍ରଜା ଆସି ।। ୨୪୦
ଫଳ ତଣ୍ତୁଳ ଦୂର୍ବାକ୍ଷତେ । ପୂଜନ୍ତି ଦୀପ ଘେନି ହସ୍ତେ ।। ୨୪୧
କଦଳୀ-ଗୁଆ-ବୃକ୍ଷ ଦାଣ୍ତେ । ତରୁ ପଲ୍ଲବମାଳ ମୁଣ୍ତେ ।। ୨୪୨
ସେ ପୁର ଅଟେ ଅଳଙ୍କୁତ । ମଙ୍ଗଳ ଚିହ୍ନ ଯେ ସର୍ବତ୍ର ।। ୨୪୩
ପ୍ରଜାଏ ଦୀପାବଳୀ କର । ଆବର ଯେ ଦ୍ରବ୍ୟ ମଙ୍ଗଳ ।। ୨୪୪
ଉଜ୍ଜଳ କନ୍ୟାଗଣ ମେଳେ । ଦିବ୍ୟ କୁଣ୍ତଳ କର୍ଣ୍ଣେ ଲୁଳେ ।। ୨୪୫
ମିଳିଲେ ରାଜାର ଅଗ୍ରତେ । ପୂଜାର ବଳି ଘେନି ହସ୍ତେ ।। ୨୪୬
ଶଙ୍ଖ ଦୁନ୍ଦୁଭିର ଘୋଷରେ । ବିପ୍ରଙ୍କ ବେଦଧ୍ୱନି ସ୍ଫୁରେ ।। ୨୪୭
ସ୍ତୁତି କରନ୍ତି ସର୍ବେ ମିଳି । ସ୍ତିରୀଏ ଦ୍ୟନ୍ତି ହୁଳହୁଳି ।। ୨୪୮
ସୁବର୍ଣ୍ଣପାତ୍ରେ ଅର୍ଘ୍ୟ କରି । ନାନାଦି ଫଳପୁଷ୍ପ ଭରି ।। ୨୪୯
ମୁଖେ ମଙ୍ଗଳନାଦ ଭଣି । ବଦାନ୍ତି ସକଳ ତରୁଣୀ ।। ୨୫୦
ଭୁବନେ ବିଜେ ନୃପବର । ସର୍ବତ୍ର ତେଜି ଅହଙ୍କାର ।। ୨୫୧
ମହାଆନନ୍ଦେ ଦଣ୍ତଧାରୀ । ନିଜ ଆସନେ ବିଜେ କରି ।। ୨୫୨
ସେ ପୁରେ ମହାନ୍ତ ଯେ ଥିଲେ । ପୂଜିତ ହୋଇ ପୂଜା କଲେ ।। ୨୫୩
ସେ ପୃଥୁ ଏ ରୂପେ ନାନାଦି । କୁଶଳ-କର୍ମକୁ ସମ୍ପାଦି ।। ୨୫୪
ଅବନୀ-ମଣ୍ତଳ ପାଳନ । କରି ନିର୍ମଳ ଯଶ ପୁଣ ।। ୨୫୫
ପ୍ରଜାଙ୍କୁ ବହୁ ସୁଖ ଦେଲେ । ଅନ୍ତେ ସେ ବୈକୁଣ୍ଠ ଲଭିଲେ ।। ୨୫୬

ସୂତ ଉବାଚ

କହନ୍ତି ସୂତ ପୌରାଣିକ । ଶୁଣ ହେ ମୁନି ଶଉନକ ।। ୨୫୭
ସେ ଆଦିରାଜା ପୃଥୁ ଯଶ । ଅଶେଷ ଗୁଣ ଯେ ପ୍ରକାଶ ।। ୨୫୮
ସେ ଯଶ ମହାଭାଗବତ । ବିଦୁର ଶୁଣି କୃତକୃତ୍ୟ ।। ୨୫୯
ମୈତ୍ରେୟ ମୁନିଙ୍କୁ ପୂଜିଣ । ପୁଚ୍ଛଇ ପଡିଣ ଚରଣ ।। ୨୬୦

ବିଦୁର ଉବାଚ

ସେ ପୃଥୁ ବିପ୍ରଙ୍କରେ ବରି । ରାଜ୍ୟେ ହୋଇଲେ ଦଣ୍ତଧାରୀ ।। ୨୬୧
ଅଶେଷ ଦେବଗଣଙ୍କର । ପୂଜା ପାଇଲେ ନୃପବର ।। ୨୬୨
ବିଷ୍ଣୁର ଅଂଶ ଧରି ତେଜେ । ଭୂମି ଦୁହିଁଲେ ବେନିଭୁଜେ ।। ୨୬୩
ଯାର ବିକ୍ରମ ଅବଶେଷ । ଉଚ୍ଚିଷ୍ଟ ଭୁଞ୍ଜନ୍ତି ନରେଶ ।। ୨୬୪
ଏ ଲୋକପାଳ ଆଦି ଯେତେ । ଅଦ୍ୟାପି ଅଛନ୍ତି ନିଶ୍ଚିନ୍ତେ ।। ୨୬୫
ସେ ପୃଥୁରାଜା କୀର୍ତ୍ତି ପୁଣି । କେ ଅବା ସେ କଥା ନ ଶୁଣି ।। ୨୬୬
ଏଣୁ ତା ଶୁଦ୍ଧକର୍ମ ଯେତେ । କହ ହେ ମୁନି ମୋ ଅଗ୍ରତେ ।। ୨୬୭
ଆନନ୍ଦେ ମଇତ୍ରେୟ ମୁନି । କହନ୍ତି ହରିଭାବ ଘେନି ।। ୨୬୮

ମୈତ୍ରେୟ ଉବାଚ

ଶୁର ବିଦୁର କୁରୁବୀର । ଚରିତ ପୃଥୁ ରାଜନର ।। ୨୬୯
ଗଙ୍ଗା ଯମୁନା ମଧ୍ୟେ ପୁର । ଭିଆଇ ରହି ପୃଥୁବୀର ।। ୨୭୦
ପ୍ରାରବ୍‌ଧ କର୍ମ କ୍ଷୟ ପାଇ । ଭୋଗ ଭୁଞ୍ଜନ୍ତି ନରସାଇଁ ।। ୨୭୧
ସପତଦ୍ୱୀପେ ଏକଦଣ୍ତ । ଧରେ ସେ ନୃପତି ପ୍ରଚଣ୍ତ ।। ୨୭୨
ବ୍ରାହ୍ମଣ ବୈଷ୍ଣବରୁ ଅନ୍ୟ । ଆଜ୍ଞା ଲଭନ୍ତା ନାହିଁ ଜନ ।। ୨୭୩
ଏକ ସମୟେ ମହାସତ୍ର । ଆରମ୍ଭ କଲେ ବେଣସୁତ ।। ୨୭୪
ତହିଁ ପ୍ରବେଶ ଦେବଗଣ । ଦେବର୍ଷି ରାଜଋଷିମାନ ।। ୨୭୫
ଯେ ଯୋଗ୍ୟ ଯେମନ୍ତ ପୂଜାକୁ । ସେ ରୂପେ ପୂଜି ପୃଥୁ ତାଙ୍କୁ ।। ୨୭୬
ଭିଆଇ ତହିଁ ମହାସଭା । ରାଜା ତୁରିତେ ହେଲେ ଉଭା ।। ୨୭୭
ଉଠିଣ ସର୍ବଦିଗ ଚାହେଁ । ନକ୍ଷତ୍ରେ ଯେହ୍ନେ ଚନ୍ଦ୍ର ଶୋହେ ।। ୨୭୮
ଗଉରକାନ୍ତି ମନୋହର । ସୁନ୍ଦର ବଦନ-ମଣ୍ତଳ ।। ୨୭୯
ଲମ୍ବ ପୃଥୁଳ ବେନି ଭୂଜ । ପଦ୍ମ ଅରୁଣ ଚକ୍ଷୁ ତେଜ ।। ୨୮୦
ସୁନାସା ମୁଖ ଦନ୍ତପନ୍ତି । ସ୍ମିତ ଅଧରେ ଶୋଭା ଅତି ।। ୨୮୧
ବିସ୍ତାର ବକ୍ଷ କମ୍ବୁଗ୍ରୀବ । ସୁନ୍ଦର ବିଶାଳ ନିତମ୍ବ ।। ୨୮୨
ଉଦରେ ତ୍ରିବଳି ବିରାଜେ । ଅଶ୍ୱସ୍ଥପତ୍ର ଶୋଭ ଗଞ୍ଜେ ।। ୨୮୩
ଆବର୍ତ୍ତ ନାଭି ସୁଗଭୀର । ବିରାଜେ ମଧ୍ୟ-ଦେଶେ ତାର ।। ୨୮୪
ହେମସ୍ତମ୍ଭ କି ଉରୁଯୁଗ । ଉନ୍ନତ ଅଗ୍ରପାଦଯୁଗ ।। ୨୮୫
ଯାହାର ଉଚ୍ଚପାଦ ଦୁଇ । ସର୍ବଲକ୍ଷଣେ ଶୋଭା ପାଇ ।। ୨୮୬
ସୂକ୍ଷ୍ମ କୁଞ୍ଚିତ ସ୍ନିଗ୍ଧ କେଶ । ଦୁକୂଳ ଶୋହେ କଟିଦେଶ ।। ୨୮୭
କନ୍ଧେ ଉତ୍ତରୀ ଯଜ୍ଞସୂତ୍ର । କୃଷ୍ଣ ଅଜିନ କୁଶ ହସ୍ତ ।। ୨୮୮
ନିୟମେ ଛନ୍ତି ନରପତି । ତେଣୁ ଭୂଷଣ ନ ଧରନ୍ତି ।। ୨୮୯
ତଥାପି ଦିବ୍ୟଶୋଭା ଦେହେ । ଦେଶନ୍ତା ଜନ ମନ ମୋହେ ।। ୨୯୦
ଚକ୍ଷୁର ତାରା ମନୋହର । ଅତି ଚିକ୍କଣ ସୁଖକର ।। ୨୯୧
ସଭାକୁ ଚାହିଁ ଦଣ୍ତଧର । ବଚନ କହନ୍ତି ମଧୁର ।। ୨୯୨

ପୃଥୁ ଉବାଚ

ଡାକିଣ କହନ୍ତି ରାଜନ । ଶୁଣିମା ହେଉ ସଭାଜନ ।। ୨୯୩
ଆସିଛ ଯେତେ ସାଧୁଜନେ । ମନ ନିବେଶ ମୋ ବଚନେ ।। ୨୯୪
ମୋହର ମନେ ଯେବା ଅଛି । ମୁଁ ତାହା ପ୍ରକାଶି କହୁଛି ।। ୨୯୫
ହରି ମୋଠାରେ କୃପା କରି । କରିଛି ମୋତେ ଦଣ୍ତଧାରୀ ।। ୨୯୬
ପ୍ରଜାର ଦଣ୍ତ ବା ରକ୍ଷଣ । ପୋଷଣ ସର୍ବତୋଭାବେଣ ।। ୨୯୭
ରାଜା ପ୍ରଜାରେ ସୁଖ ଦେଈ । ବିଷ୍ଣୁ ସନ୍ତୋଷ ତାରେ ହୋଇ ।। ୨୯୮
ପ୍ରଜାଙ୍କୁ ରଖଇ ଧର୍ମରେ । ଅଧର୍ମେ କେହି ନ ପ୍ରଚରେ ।। ୨୯୯
ଏ ରୂପେ ପ୍ରଜାଙ୍କୁ ଯେ ପାଳେ । ସୁଗତି ଲଭେ ଅନ୍ତବାଳେ ।। ୩୦୦
ପ୍ରଜାଙ୍କୁ କଲେ ସୁରକ୍ଷଣ । ତୁଷ୍ଟ ହୁଅନ୍ତି ନାରାୟଣ ।। ୩୦୧
ଯାହାକୁ ସନ୍ତୋଷ ମୁରାରି । ସେ ପ୍ରାଣୀ ଭବୁ ଯାନ୍ତି ତରି ।। ୩୦୨
ଅଧର୍ମମାର୍ଗେ ପ୍ରଜା ବିତ୍ତ । ଯେବେ ହରଇ ନରନାଥ ।। ୩୦୩
ସେ ରାଜା ଅଟେ ଭାଗ୍ୟହୀନ । ପ୍ରଜାଙ୍କ ପାପେ ହୋଏ ଲୀନ ।। ୩୦୪
ଯେ ପ୍ରଜାଠାରୁ କର ନ୍ୟନ୍ତି । ପ୍ରଜାଙ୍କୁ ଧର୍ମ ନ ଶିଖାନ୍ତି ।। ୩୦୫
ପ୍ରଜାଙ୍କ ପାତକ ଘେନନ୍ତି । ଅନ୍ତେ ନରକେ ସେ ପଡନ୍ତି ।। ୩୦୬
ଏ ଘେନି କହଇ ପ୍ରଜାଙ୍କୁ । ଭୟ ରଖିବ ଅଧର୍ମକୁ ।। ୩୦୭
ମୋ ତହୁଁ ଧର୍ମ କର ଶିକ୍ଷା । ମୋ ପରଲୋକ ହେଉ ରକ୍ଷା ।। ୩୦୮
ପରନିନ୍ଦାକୁ ପରିହରି । ହରିଙ୍କି ଭଜ ଦୃଢ କରି ।। ୩୦୯
ମୋଠାରେ ଅନୁଗ୍ରହ ଯେବେ । ହରିଙ୍କି ସେବାକର ତେବେ ।। ୩୧୦
ହେ ଦେବ ପିତୃ ଋଷିଗଣେ । ଯେତେ ଆସିଛ ସଭାସ୍ଥାନେ ।। ୩୧୧
ସକଳେ ଅନୁମତି କର । ପ୍ରଜାଙ୍କୁ ଶିକ୍ଷା ଦିଅ ମୋର ।। ୩୧୨
ବୋଲିବ ଅବା କିମ୍ପା କର୍ମ । କରିବୁ ହରି ସମର୍ପଣ ।। ୩୧୩
ଶୁଣ ଏଥକୁ ମୋର ଗିର । ହେ ମାନ୍ୟଜନେ ହୋଇ ସ୍ଥିର ।। ୩୧୪
ବେଦ ଆଜ୍ଞାରେ କର୍ମ କରି । ଦିଅନ୍ତି ତାର ଫଳ ହରି ।। ୩୧୫
ପରମେଶ୍ୱର ଯଜ୍ଞପତି । ଉତ୍ତମ-ଜନଙ୍କ ସମ୍ପତ୍ତି ।। ୩୧୬
ଅଛଇ ଇହ ପରେ ଜାଣ । ବିଚିତ୍ର ଭୋଗ ସ୍ଥାନମାନ ।। ୩୧୭
ନଥିଲେ ଫକଦାତା ଏକ । କି ରୂପେ ପାଇବ ତା ଲୋକ ।। ୩୧୮
ବୋଲିବ ଅବା ଏଥି ପୁଣ । ବିଚିତ୍ର ସ୍ୱକର୍ମ କାରଣ ।। ୩୧୯
ଶୁଣ ଏଥକୁ ଦେଇ ଚିତ୍ତ । ମହାନ୍ତମାନଙ୍କର ମତ ।। ୩୨୦
ଯେ ସ୍ୱାୟମ୍ଭୁତ ମନୁବର । ଉତ୍ତାନପାଦ ଧ୍ରୁବ ଆର ।। ୩୨୧
ଯେ ରାଜଋଷି ପ୍ରିୟବ୍ରତ । ଅଙ୍ଗ ନୃପତି ପିତୃତାତ ।। ୩୨୨
ବ୍ରହ୍ମା ଶଙ୍କର ଆଦି ଯେତେ । ପ୍ରହ୍ଲାଦ ବଳି ସର୍ବମତେ ।। ୩୨୩
ଶ୍ରୀଗଦାଧର କର୍ମଫଳ । ଦେବାକୁ ସମର୍ଥ କେବଳ ।। ୩୨୪
ତ୍ରିବର୍ଗ ସ୍ୱର୍ଗ ଅପବର୍ଗ । ଯେ ସାଧ୍ୟ ଅଛି ଭୋଗ୍ୟାଭୋଗ୍ୟ ।। ୩୨୫
ସେ ପ୍ରଭୁ ପରମ ଈଶ୍ୱର । ଦିଅନ୍ତି ସର୍ବ-କର୍ମଫଳ ।। ୩୨୬
ମୃତ୍ୟୁଙ୍କ ନାତି ଆମ୍ଭ ତାତ । ଧର୍ମ ବିଚାରେ ବିମୋହିତ ।। ୩୨୭
ସେପରି ଯେବା ଅଭାଗିନ । ମାନନ୍ତି ନାହିଁ ଭଗବାନ ।। ୩୨୮
ହରି-ଚରଣ-ପଦ୍ମ ଜାତ । ସରିତ ପରାୟେ ସାକ୍ଷାତ ।। ୩୨୯
ତାର ଚରଣ ସେବା ରୁଚି । ସକଳ ଜୀବେ କରେ ଶୁଚି ।। ୩୩୦
ଦିନକୁ ଦିନ ବୃଦ୍ଧି ପାଏ । ମନର ମଳ ନାଶ ଯାଏ ।। ୩୩୧
ମନର ମଳ ନାଶ ଗଲେ । ବୈରାଗ୍ୟ ବିଜ୍ଞାନର ବଳେ ।। ୩୩୨
ଲଭି ଶ୍ରୀହରି ପାଦମୂଳ । ନ ପାଏ ପୁଣ ଏ ସଂସାର ।। ୩୩୩
ଏ ଘେନି ସର୍ବେ ହରି ଭଜ । ବିଷୟ-ବାସନା ପ୍ରତେଜ ।। ୩୩୪
ଏଣୁ ଯାହାର ଯେଉଁ ବୃତ୍ତି । ସେ ମାର୍ଗେ ଥାଇ କୃଷ୍ଣଭକ୍ତି ।। ୩୩୫
କାର୍ଯ୍ୟ କ୍ରମ ମନ ବଚନ । ନିଷ୍କପଟରେ ହୋଇ ଲୀନ ।। ୩୩୬
ପାଦପଦ୍ମରେ କରି ଧ୍ୟାନ । ସନ୍ତୋଷ ଲଭେ ଭଗବାନ ।। ୩୩୭
ତାହାଙ୍କ ଚରଣ ଅମ୍ବୁଜ । ଅଶେଷ କାମ-ଲାଭ-ବୀଜ ।। ୩୩୮
କପଟ ଭାବ ପରିହରି । ହେବା ଯେମନ୍ତ ଅଧିକାରୀ ।। ୩୩୯
ଆପଣା ବର୍ଣ୍ଣାଶ୍ରମ ମତେ । ହରିଙ୍କି ଭଜ ଅବିରତେ ।। ୩୪୦
ଏ ଯେ ଈଶ୍ୱର ଭଗବାନ । ବିଶେଷେ ବିଜ୍ଞାନରେ ଘନ ।। ୩୪୧
ଗୁଣ ବିହୀନ ସେହୁ ଯେବେ । ତଥାପି ନାନାରୂପ ଲଭେ ।। ୩୪୨
ନାନା ବିଶେଷଣ ସେ ହୋଇ । ଯଜ୍ଞପୁରୁଷ ସେ ଅଟଇ ।। ୩୪୩
ନାନା ପ୍ରକାରେ ଦ୍ରବ୍ୟ ଗୁଣ । କର୍ମ-ତନ୍ତ୍ରେ ଜାତ ହୋଇଣ ।। ୩୪୪
ଶୁଣ ହେ ସର୍ବ ସଭାଜନ । ଯଜ୍ଞପୁରୁଷ ବିଷ୍ଣୁ ଜାଣ ।। ୩୪୫
ଯେ ହୋମ ଦ୍ରବ୍ୟ କ୍ରିୟା ଗୁଣ । ଅବଘାତାଦି ମନ୍ତ୍ର ପୁଣ ।। ୩୪୬
ଅଙ୍ଗ ସାଧ୍ୟ ଯେ ଉପକାର । ସଙ୍କଳ୍ପ ପଦାର୍ଥର ସାର ।। ୩୪୭
ଜ୍ୟୋତିଷ୍ଟୋମାଦି ନାମ ଧରି । ପ୍ରକାଶେ ଯଜ୍ଞରୂପେ ହରି ।। ୩୪୮
ଯଜ୍ଞରେ ଯେବା ଫଳ ହୋଏ । ସେ ଫଳ ତହୁଁ ଭିନ୍ନ ନୋହେ ।। ୩୪୯
ଯେ ଦେହେ ଚେତନା ରୂପରେ । ଅଛନ୍ତି ସକଳ ଶରୀରେ ।। ୩୫୦
ଯେହ୍ନେ ଅନଳ ସମିଧରେ । ଏକ ସେ ନାନାରୂପ ଧରେ ।। ୩୫୧
ସେ ରୂପେ ହରି ଦେହେ ଥାନ୍ତି । କର୍ମର ଫଳ ସେ ଭୁଞ୍ଜନ୍ତି ।। ୩୫୨
ସେ ହରି ସର୍ବ-ଗୁରୁ ପର । ସର୍ବଦେବତା ଅଧୀଶ୍ୱର ।। ୩୫୩
ଯେ ପ୍ରାଣୀ ସେ ପାଦେ ଭଜିଲା । ସେ ମୋତେ ଅନୁଗ୍ରହ କଲା ।। ୩୫୪
ମୋର ସମ୍ବନ୍ଧୀ ଯେତେ ଜନ । ହରିରେ କର ଆରାଧନ ।। ୩୫୫
ଯେ ଦୃଢ଼ଭକ୍ତିରେ ପୂଜିବ । ମୋତେ ବହୁତ ସୁଖ ଦେବ ।। ୩୫୬
ରାଜକୁଳରେ ଯେତେ ଜନ । ତେଜ ବଳରେ ବଳୀୟାନ ।। ୩୫୭
ବ୍ରାହ୍ମଣ ବୈଷ୍ଣବ କୁଳରେ । ଦ୍ୱେଷ ନ କରିବ ମନରେ ।। ୩୫୮
କ୍ଷମା ତପସ୍ୟା ବିଦ୍ୟାବଳେ । ଉଜ୍ଜ୍ୱଳ ଯେଉଁ ଦ୍ୱିଜକୁଳେ ।। ୩୫୯
ଅପରେ ମହା-ସାଧୁ ଧୀରେ । ବିଷ୍ଣୁଟି ଦେବତା ଯାହାର ।। ୩୬୦
ସେ କୁଳେ ପ୍ରଭୁପଣ କଲେ । ପ୍ରମାଦ ପଡ଼ଇଟି ଭଲେ ।। ୩୬୧
ଯେ ବ୍ରାହ୍ମଣ ବୈଷ୍ଣବ ପାଦେ । ସେବା କରିଣ ଅପ୍ରମାଦେ ।। ୩୬୨
ବିଷ୍ଣୁ ଲଭିଲେ ମହାଲକ୍ଷ୍ମୀ । ଯେ ଯଶ ସଂସାରେ ରହିଛି ।। ୩୬୩
ବ୍ରାହ୍ମଣ ପାଦେ ସେବା କଲେ । ବିଷ୍ଣୁ ସନ୍ତୋଷ ହେବେ ଭଲେ ।। ୩୬୪
ଏଣୁ ସକଳ ପ୍ରାଣୀମାନେ । ମାନ୍ୟ କରିବ ବିପ୍ରଜନେ ।। ୩୬୫
ହରିଭୁଜାଦି ଦେବମାନେ । ତାହାଙ୍କ ମୁଖ ବିପ୍ରଜନେ ।। ୩୬୬
ଏଣୁ ବିପ୍ରଙ୍କୁ ସେବା କଲେ । ଅଶ୍ରମେ ମୋକ୍ଷଲଭେ ଭଲେ ।। ୩୬୭
ବ୍ରାହ୍ମଣ ଦେବଙ୍କର ମୁଖ । ତାଙ୍କ ଭୋଜନେ ଯେଉଁ ସୁଖ ।। ୩୬୮
ସେ ସୁଖ ହରି ଆସ୍ପାଦନ୍ତି । ଯଜ୍ଞେ ସେ ସୁଖ ନ ପାବନ୍ତି ।। ୩୬୯
ଏଣୁ ବପ୍ରଙ୍କୁ ଭୁଞ୍ଜାଇଲେ । ସକଳ ଯଜ୍ଞଫଳମିଳେ ।। ୩୭୦
ଚେତନା ରହିତ ଅନଳେ । ଆହୁତି ମନ୍ତ୍ରଭାବେ ଦେଲେ ।। ୩୭୧
ହରି ତା କଲେ ହେଁ ଭୋଜନ । ସୁଖ ନ ଲଭନ୍ତି ତେସନ ।। ୩୭୨
ଏଣୁ ଅଗ୍ନିରୁ ଦ୍ୱିଜ ଶ୍ରେଷ୍ଠ । ଯେଣୁ ସେ ବେଦତ‌ତ୍ତ୍ୱେ ନିଷ୍ଠ ।। ୩୭୩
ବ୍ରାହ୍ମର ମୁଖେ ଯେବେ ଦେଇ । ଇନ୍ଦ୍ରାଦି ଦେବ ନାମ କହି ।। ୩୭୪
ବିଷ୍ଣୁପ୍ରୀତିରେ ଦେବ ଯେତେ । ବିଷ୍ଣୁ ତା ପାଇବେ ସାକ୍ଷାତେ ।। ୩୭୫
ଯେ ବେଦେ ଦର୍ପଣ ପରାୟେ । ସକଳ ଧର୍ମ ଦୃଶ୍ୟ ହୋଏ ।। ୩୭୬
ଶ୍ରଦ୍ଧା ତପସ୍ୟା ଶୁଦ୍ଧାଚାର । ମଉନ ସଂଯମ ପ୍ରକାର ।। ୩୭୭
ସମ୍ପାଦି ଯେଉଁ ଦ୍ୱିଜମାନେ । ଧରନ୍ତି ତାକୁ ହରି ଧ୍ୟାନେ ।। ୩୭୮
ବେଦାର୍ଥ କରନ୍ତି ବିଚାର । ଯେ ବେଦ ହେତୁ ଏ ସଂସାର ।। ୩୭୯
ବ୍ରାହ୍ମଣ ପାଦଧୁଳି ଶିରେ । ଧରିଣ ଥାଇ ତତପରେ ।। ୩୮୦
ଯେ ପ୍ରାଣୀ ନିତ୍ୟେ ଏହା ବହେ । ପାପ ନ ରହେ ତାର ଦେହେ ।। ୩୮୧
ତାର କଳୁଷ ବେଗେ ନାଶେ । ସକଳ ଗୁଣ ତାର ପାଶେ ।। ୩୮୨
ଏଣୁ ବିପ୍ରଙ୍କ ପାଦରଜେ । କିରୀଟ-ଅଗ୍ର ମୋର ରାଜେ ।। ୩୮୩
ଯେ ଜନ ଗୋ ବିପ୍ର ଭଜଇ । ତା ପଛେ ସର୍ବଗୁଣ ଥାଇ ।। ୩୮୪
ବିଷ୍ଣୁ ଯେ ତାହାରେ ସନ୍ତୋଷ । ଅଧିକ କିବା ଗୁଣ ଯଶ ।। ୩୮୫
ଗୋ ବିପ୍ର ବିଷ୍ଣୁଙ୍କ କିଙ୍କରେ । ପ୍ରସନ୍ନ ହୋନ୍ତୁ ମୋରଠାରେ ।। ୩୮୬

ମୈତ୍ରେୟ ଉବାଚ

ଏମନ୍ତ କହୁଁ ପୃଥୁ ରାୟେ । ପିତୃ-ଦେବ-ଦ୍ୱିଜ ସମୂହେ ।। ୩୮୭
ସକଳେ କଲେ ସାଧୁବାଣୀ । ସେ ସଭାମଧ୍ୟେ ଯେତେ ପ୍ରାଣୀ ।। ୩୮୮
କହନ୍ତି ପୃଥୁଙ୍କ ଅଗ୍ରତେ । ତୁମ୍ଭେ ହେ ଧନ୍ୟ ଧର୍ମମତେ ।। ୩୮୯
ସୁପୁତ୍ରେ ପୁଣ୍ୟଲୋକ ପାଇ । ଏ ବାକ୍ୟ ସତ୍ୟ ଶ୍ରୁତି କହି ।। ୩୯୦
ବ୍ରାହ୍ମଣ-ଶାପ-ଦଣ୍ତଗ୍ରସ୍ତ । ମଲେ ଯେ ବେଣ ତୁମ୍ଭ ତାତ ।। ୩୯୧
ସେ ମହାପାପୀ ହୋଇଥିଲେ । ତୁମ୍ଭ ସକାଶୁ ନିସ୍ତରିଲେ ।। ୩୯୨
ହିରଣ୍ୟକଶିପୁ ଯେ ଥିଲା । ସେ ବିଷ୍ଣୁ ନିନ୍ଦାରେ ବଢିଲା ।। ୩୯୩
ପ୍ରହ୍ଲାଦ ତାର ସୁତ ହୋଇ । ନରକ ମାର୍ଗୁ ଉଦ୍ଧରଇ ।। ୩୯୪
ତୁ ଏବେ ଚକ୍ରବର୍ତ୍ତୀ ପଣେ । ଏ ମହୀ ପାଳ ଶୁଭକ୍ଷଣେ ।। ୩୯୫
ବହୁ ବତ୍ସର ତୁମ୍ଭ ଆୟୁ । ନିରୁଜ ହୋଇ ତନୁ ରହୁ ।। ୩୯୬
ଗୁଣେ ଅଖଣ୍ତ ଭୋଗ ଭୁଞ୍ଜ । ଭକ୍ତିରେ ହରିପାଦେ ଭଜ ।। ୩୯୭
ବ୍ରହ୍ମଣ୍ୟ-ଦେବ ହରିକଥା । ତୁମ୍ଭର କୀର୍ତ୍ତନେ ସର୍ବଥା ।। ୩୯୮
ଏଣୁ ଆମ୍ଭର ତୁମ୍ଭେ ନାଥ । ତୁମ୍ଭରେ ହୋଇଲୁ କୃତାର୍ଥ ।। ୩୯୯
ଆମ୍ଭଙ୍କୁ ତୁମ୍ଭେ ନିସ୍ତାରିଲ । ହରିଙ୍କ ମହିମା କହିଲ ।। ୪୦୦
ଅନେକ ପୁଣ୍ୟ କରିଥିଲୁ । ତେଣୁ ତୁମ୍ଭର ପ୍ରଜା ହେଲୁ ।। ୪୦୧
ସେମାନେ ମହତ ଅଟନ୍ତି । ତାଙ୍କ ଚରିତ ଏହିମତି ।। ୪୦୨
ପ୍ରଜାଙ୍କୁ ଦ୍ୟନ୍ତି ଧର୍ମ ଶିକ୍ଷା । ଯେଣେ ହୁଅଇ ସର୍ବରକ୍ଷା ।। ୪୦୩
ଆମ୍ଭେ ଅଜ୍ଞାନେ ଭ୍ରମ ଅତି । ଆମ୍ଭଙ୍କୁ ଦେଲ ଦିବ୍ୟଗତି ।। ୪୦୪
ଏ ଘୋର-ତମୁ ନିସ୍ତାରିଲ । ହରି ଭଜନ ଶିକ୍ଷା ଦେଲ ।। ୪୦୫
ନରକ ମାର୍ଗେ ପଡିଥିଲୁ । ତୋ ଅଙ୍ଗୁ ମୁକତି ହୋଇଲୁ ।। ୪୦୬
ହେ ଶୁଦ୍ଧ-ସ‌ତ୍ତ୍ୱ ପୁଣ୍ୟ-ବ୍ରତ । ତୁମ୍ଭଙ୍କୁ ଆମ୍ଭ ପ୍ରଣମିତ ।। ୪୦୭
ତୁମ୍ଭେ ଯେ ଜଗତ ଈଶ୍ୱର । ତୁମ୍ଭ ଚରଣେ ନମସ୍କାର ।। ୪୦୮
ଏମନ୍ତେ ପୃଥୁର ଚରଣେ । ପ୍ରଣାମ କଲେ ପ୍ରଜାଗଣେ ।। ୪୦୯
ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ।। ୪୧୦
ବୋଲଇ ଦାସ ଜଗନ୍ନାଥ । ଚତୁର୍ଥେ ପୃଥୁର ଚରିତ ।। ୪୧୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ଏକବିଂଶୋଽଧ୍ୟାୟଃ ।।

ଦ୍ୱାବିଂଶ ଅଧ୍ୟାୟ[ସମ୍ପାଦନା]

କୃଷ୍ଣ ଚରିତ ମନେ ଘେନି । କହନ୍ତି ମଇତ୍ରେୟ ମୁନି ।। ୧

ମୈତ୍ରେୟ ଉବାଚ

ଏ ଅନ୍ତେ ଶୁଣ ହେ ବିଦୁର । ସେ ପୃଥୁଦେବ ରାଜ୍ୟେଶ୍ୱର ।। ୨
ପ୍ରଜା ପାଳନେ ଧର୍ମଶ୍ରୀଳ । ହରି-ଭକତି ରସେ ଭୋଳ ।। ୩
ସେ ରାଜ୍ୟେ ଯେତେ ପ୍ରଜାଗଣ । ପିତୃ ଦେବ ଋଷି ବ୍ରାହ୍ମଣ ।। ୪
ପୃଥୁଙ୍କ ଗୁଣ ବଖାଣନ୍ତି । ସେ ସର୍ବେ ହରିଙ୍କି ପୂଜନ୍ତି ।। ୫
ଏମନ୍ତେ କେତେ କାଳାନ୍ତରେ । ବିଜୟ କଲେ ମୁନିବରେ ।। ୬
ସେ ସିଦ୍ଧଗଣ ମଧ୍ୟେ ବର । ବିଶେଷେ ବ୍ରହ୍ମାଙ୍କ କୁମର ।। ୭
ତପ-ସାଧନେ ବିରାଜନ୍ତି । ସୂର୍ଯ୍ୟକିରଣ ପ୍ରାୟେ ଜ୍ୟୋତି ।। ୮
ଆକାଶେ ଦେଖିଲେ ରାଜନ । କାନ୍ତିରୁ କଲେ ଅନୁମାନ ।। ୯
ଏ ସର୍ବେ ସିଦ୍ଧ ସନକାଦି । ବିଷ୍ଣୁଭକତ ବ୍ରହ୍ମବାଦୀ ।। ୧୦
ଲୋକଙ୍କ ପାପାଶୁଦ୍ଧି ଅର୍ଥେ । ଭ୍ରମଣ କରନ୍ତି ଜଗତେ ।। ୧୧
ନିଶ୍ଚୟ ଜାଣି ଅନୁମାନେ । ଉଠିଲେ ସହାସ୍ୟେ ସଗଣେ ।। ୧୨
ତାଙ୍କ ଦର୍ଶନେ ନୃପପ୍ରାଣ । ଉଦ୍ଧ୍ୱର୍କୁ କଲା କି ଗମନ ।। ୧୩
ଯେହ୍ନେ ଜୀବନ ପିଣ୍ତ ପାଇ । ସତ୍ୱରେ ଉଠିଲେ ଚିତୋଇ ।। ୧୪
ସଦସ୍ୟ ଆଦି ଯେତେ ଥିଲେ । ସକଳେ ସତ୍ୱରେ ଉଠିଲେ ।। ୧୫
ଯେସନେ ଗନ୍ଧାଦି ଗୁଣକୁ । ଜୀବ ଉତ୍ସୁକ ଘେନିବାକୁ ।। ୧୬
ତେସନେ ନୃପ ହେଲେ ଉଭା । ମୁନି ପ୍ରବେଶ ହେଲେ ସଭା ।। ୧୭
ଆନନେ୍ଦ ପୃଥୁ-ନୃପବର । ପ୍ରଣମି ମୁନିଙ୍କ ପୟର ।। ୧୮
ସୁଗନ୍ଧ-ଶୀତଜଳ ନେଇ । ପଦକମଳ ଦେଲେ ଧୋଇ ।। ୧୯
ଦିବ୍ୟ-ଆସନେ ବସାଇଲେ । ସବିଧି-ବେଭାରେ ପୂଜିଲେ ।। ୨୦
ତାହାଙ୍କ ଚରଣ-ସଲିଳେ । ଅଳକ-ବନ୍ଧ ସମ୍ମାର୍ଜିଲେ ।। ୨୧
ଯେ ପ୍ରାଣୀ ହୋଏ ଶୀଳବନ୍ତ । ତାହାଙ୍କ ଚରିତ ଏମନ୍ତ ।। ୨୨
ଛାଡି ନୃପତି ଅଭିମାନ । ଆନନ୍ଦେ କଲେ ବହୁମାନ୍ୟ ।। ୨୩
ହାଟକ-ଆସନେ ବସାଇ । ପାଦ-ଉଦକ ଶିରେ ଲଇ ।। ୨୪
ସେ ଭବ-ଅଗ୍ରଜନ୍ମା ଯେଣୁ । ରାଜନ ମାନ୍ୟ କଲେ ତେଣୁ ।। ୨୫
ଭାବେ ପ୍ରତୋଷି ତାଙ୍କ ମନ । କହନ୍ତି ମଧୁର ବଚନ ।। ୨୬

ପୃଥୁ ଉବାଚ

ଆଜ ମୋ ପୂର୍ବଭାଗ୍ୟଫଳ । ଜୀବନ ହୋଇଲା ସଫଳ ।। ୨୭
ଦୁର୍ଲଭ ଦେଖିଲି ତୁମ୍ଭଙ୍କୁ । ଖୋଜି ନ ପାନ୍ତି ଯୋଗୀ ଯାଙ୍କୁ ।। ୨୮
କି ତାର ଦୁର୍ଲଭ ସଂସାରେ । ଯେ ଅବା ଅଛି ଇହପରେ ।। ୨୯
ଯାହାକୁ ବିଷ୍ଣୁ ବଇଷ୍ଣବ । ପ୍ରସନ୍ନ ବିପ୍ର ସଦାଶିବ ।। ୩୦
ଅବ୍ୟକ୍ତ-ଗତି ଯେ ତୁମ୍ଭର । ଭ୍ରମଣ ଚତୁର୍ଦ୍ଦଶ-ପୁର ।। ୩୧
ଅଭାଗ୍ୟବନ୍ତ ପ୍ରାଣୀ ଯେହି । ତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ ।। ୩୨
ଏ ଆତ୍ମାପୁରୁଷ ଯେସନେ । ସକଳ ଦେଖଇ ଚେତନେ ।। ୩୩
ତାହାକୁ ନ ଦେଖନ୍ତି କେହି । ଏ ବିଶ୍ୱ ହେତୁଭୂତ ଯେହି ।। ୩୪
ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି । ଧନ୍ୟ ମୋ ଜୀବନ ମଣିଲି ।। ୩୫
ନିର୍ଦ୍ଧନ ଗୃହେ ଯେହ୍ନେ ଧନ । ଅଣ ଆୟାସେ ଲଭେ ପୁଣ୍ୟ ।। ୩୬
ତେହ୍ନେ ମଣିଲି ଅଦଭୁତ । କି ଭାଗ୍ୟେ ତୁମ୍ଭେ ଉପଗତ ।। ୩୭
ଯା ଗୃହେ ଅତିଥି ଆଗତ । ଭାବେ ପୂଜଇ ଶୁଦ୍ଧଚିତ୍ତ ।। ୩୮
ବିଭବେ ପୂଜି ବହୁବିଧେ । କାୟ ବାଚିକ ମନ-ଶୁଦ୍ଧେ ।। ୩୯
ବିଭବ-ହୀନ ଯେବା ଜନ । ପୂଜିବ ଯେ ବିଧି-ବିଧାନ ।। ୪୦
ଭୂମି ଉଦକ ତୃଣାସନେ । ଦେଇ ପୂଜିବ ଶୁଦ୍ଧମନେ ।। ୪୧
ଏ ଭାବେ ଯେବା ନ ପୂଜନ୍ତି । ସେ ବ୍ୟର୍ଥ-ଜୀବନେ ଜୀବନ୍ତି ।। ୪୨
ବ୍ୟାଳ-ଆଳୟ ଦ୍ରୁମ ଯେହ୍ନେ । ତା ଗୃହ ଭୟଙ୍କର ତେହ୍ନେ ।। ୪୩
ଯା ଗୃହଗତେଣ ଅତିଥି । ସୁଖେ ଚରଣ ନ ଧୁଅନ୍ତି ।। ୪୪
ତାର ଜୀବନ ଅକାରଣ । ବ୍ୟର୍ଥ ଆୟୁଷ ଯଶ ଗୁଣ ।। ୪୫
ଯେ ଭକ୍ତଜନଙ୍କୁ ନ ସେବେ । ତା ସୁଖ ସମ୍ପଦ କି ଲାଭେ ।। ୪୬
ଭୋ ମୁନି ତୁମ୍ଭ ଆଗମନ । ମଙ୍ଗଳ ମଣିଲି ଜୀବନ ।। ୪୭
ତୁମ୍ଭର ବ୍ରତ ବିଧି ଆଦି । ଆଚରନ୍ତି ଯେ ମୋକ୍ଷବାଦୀ ।। ୪୮
ଯେ ବାଳ ବୟସୁ ଆଚରେ । ସେ ତେବେ ମୋକ୍ଷମାର୍ଗ ଧରେ ।। ୪୯
ଏ ବାଳ ପୌଗଣ୍ତ କୈଶୋରେ । ଯେ ଧରେ ଦୃଢ଼ ନିଷ୍ଠାପରେ ।। ୫୦
ସେ ତେବେ ମୋକ୍ଷପଦେ ଯାନ୍ତି । ଏ ବିଷ୍ଣୁ ମାୟାରୁ ତରନ୍ତି ।। ୫୧
ଇନ୍ଦ୍ରିୟମାନଙ୍କ ବିଷୟ । ନ ଛାଡ଼େ ଯାହାର ହୃଦୟ ।। ୫୨
ସେ କାହିଁ ସୁଖ ନ ଲଭନ୍ତି । ସ୍ୱକର୍ମ-ବନ୍ଧେ ବନ୍ଦୀ ହୋନ୍ତି ।। ୫୩
ଏ ଘୋର-ସଂସାରେ ପଡିଣ । ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ ।। ୫୪
ଭୋ ମୁନିଗଣେ ତୁମ୍ଭେ ଜ୍ଞାନୀ । ଆତ୍ମାରାମଙ୍କ ମଧ୍ୟେ ମାନୀ ।। ୫୫
ଏଣୁ ଯେ ତୁମ୍ଭ ମାନଙ୍କରେ । କୁଶଳ ପ୍ରଶ୍ନ କେ ପଚାରେ ।। ୫୬
ତୁମ୍ଭର ମତି-ବୃତ୍ତିମାନେ । କୁଶଳାକୁଶଳ ନ ଘେନେ ।। ୫୭
ଏହି ବିଶ୍ୱାସ ମୋର ଅଛି । ସଭୟେ ନପାରଇ ପୁଚ୍ଛି ।। ୫୮
ସଂସାର-ତାପେ ଯେ ତାପିତ । ତାଙ୍କ କୁଶଳ ଯେ ଚରିତ ।। ୫୯
ତୁମ୍ଭେ ତପସ୍ୱୀଗଣ ମିତ୍ର । ନିର୍ମଳ ଚରିତ ପବିତ୍ର ।। ୬୦
ଏ ଅଭିପ୍ରାୟେ ମୁଁ ପୁଚ୍ଛଇ । ଫେଡିଣ କହିବା ଗୋସାଇଁ ।। ୬୧
ଏ ଦୁଃଖ ଅଜ୍ଞାନ ସଂସାରେ । ଏ ଜୀବ ଭ୍ରମେ ନିରନ୍ତରେ ।। ୬୨
ଭୋ ମୁନି କିବା କର୍ମ କଲେ । ଏ ଜୀବ ନିସ୍ତରିବେ ଭଲେ ।। ୬୩
ଏ ଅଭିପ୍ରାୟେ ମୁଁ ପୁଚ୍ଛଇ । ଭକ୍ତ-ଉଦ୍ଧାରଣେ ଗୋସାଇଁ ।। ୬୪
ତୁମ୍ଭେ ଭକତ-ଜନହିତେ । କୁଶଳ ବାଞ୍ଛ ଅବିରତେ ।। ୬୫
ସିଦ୍ଧ-ଯୋଶୀନ୍ଦ୍ର ରୂପ ଧରି । ସଂସାରେ ଭ୍ରମୁଥାନ୍ତି ହରି ।। ୬୬
ସକଳ ଆତ୍ମା ସେ ଗୋସାଇଁ । ଭ୍ରମନ୍ତି ସନ୍ଥଜନ ପାଇଁ ।। ୬୭
ସେ ଆଜ ସିଦ୍ଧ ରୂପେ ଥାନ୍ତି । ଆପକୁ ଆପେ ପ୍ରକାଶନ୍ତି ।। ୬୮
ପ୍ରତ୍ୟକ୍ଷେ ତୁମ୍ଭେ ସେ ଗୋସାଇଁ । ଦର୍ଶନେ ନିସ୍ତରିଲି ମୁହିଁ ।। ୬୯
ଏ ଭବତରଣ ଉପାୟେ । ଫେଡିଣ କହିବା ଥୋକାଏ ।। ୭୦
ତୁମ୍ଭେ ଯେ ମୋତେ କୃପା ଘେନି । ଆମ୍ଭ କୁଶଳ କହ ମୁନି ।। ୭୧

ମୈତ୍ରେୟ ଉବାଚ

ଏମନ୍ତେ ଶୁଣ ହେ ବିଦୁର । ସେ ପୃଥୁ ବଚନ ମଧୁର ।। ୭୨
ଶ୍ରବଣେ ତୋଷ ହେଲେ ମୁନି । ସାଧୁ-ସମ୍ମତ ବାକ୍ୟ ଘେନି ।। ୭୩
ହରଷେ କହନ୍ତି କୁମାର । ଶୁଣ ହେ ପୃଥୁ ନୃପବର ।। ୭୪
ସଂସାରେ ସାଧୁଜନ ଯେହି । ତାଙ୍କ ମହିମା ସିନା ଏହି ।। ୭୫
ବିଷୟ ସୁଖ ନ ଘେନନ୍ତି । ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି ।। ୭୬
ତୁମ୍ଭେ ଯେ ପଣ୍ତିତ ସୁଶୀଳ । ଏଣୁ ଉତ୍ତମ ପଚାରିଲ ।। ୭୭
ସୁସାଧୁ ଜନଙ୍କ ସଙ୍ଗତ । ଉଭୟ ଲୋକଙ୍କୁ ସେ ହିତ ।। ୭୮
ଏଣୁ ସାଧୁଙ୍କ ସମ୍ଭାଷଣ । ସୁପୁଣ୍ୟ ମଙ୍ଗଳ କାରଣ ।। ୭୯
ଅଶେଷ ଜୀବହିତ କରେ । ଏଣୁ ପଚାରିଲ ବେଭାରେ ।। ୮୦
ସୁଶାନ୍ତ ଆମ୍ଭ ମନ ହେଲା । ତୁମ୍ଭ ପ୍ରଶନେ ଦୁଃଖ ଗଲା ।। ୮୧
ଏବେ ହୋ ଶୁଣ ନୃପବର । କହିବା ଏଥି ପ୍ରତିକାର ।। ୮୨
ଯେ ମୋକ୍ଷ-ସାଧନ ପୁଚ୍ଛିଲ । ଅଶେଷ ଜୀବର ଯେ ଭଲ ।। ୮୩
ଉପାୟ ଅଛଇ ଯେ ଏକ । ଭୋ ନୃପ ମନେ ବୁଝି ଦେଖ ।। ୮୪
ଗୋବିନ୍ଦ-ଚରଣ-କମଳେ । ଯେ ପ୍ରାଣୀ ଭଜନ୍ତି ଶୟଳେ ।। ୮୫
ତରନ୍ତି ଏ ଭବ-ଜଳଧି । ଯେ ପ୍ରାଣୀ ଭଜେ ନିରବଧି ।। ୮୬
ତ୍ରିବିଧ କୃଷ୍ଣ-ଉପାସନ । ରଜ ସା‌ତ୍ତ୍ୱିକ ତମ ଗୁଣ ।। ୮୭
ତାମସ-ଭକ୍ତ ଏ ଲକ୍ଷଣ । କହିବା ଏଥିର କାରଣ ।। ୮୮
ଶ୍ରୀକୃଷ୍ଣ-ଭକତଙ୍କ ମେଳେ । ଯେ ନାଚେ ସଙ୍କୀର୍ତ୍ତନ ବେଳେ ।। ୮୯
ତହିଁ ଯାହାର ନୋହେ ରତି । ସେ ହୀନ କପଟ ଭକତି ।। ୯୦
ତାହାର ଅନ୍ତର ମଳିନ । କାମ-କଷାୟେ ହୋଏ ହୀନ ।। ୯୧
ତାମସ ଭକ୍ତ ବୋଲି ତାରେ । ନ ତରେ ଏ ଭବସାଗରେ ।। ୯୨
କୃଷ୍ଣ ଭଜନେ ହୋଏ ରତି । ଆତ୍ମାକୁ ବିଶୁଦ୍ଧ କରନ୍ତି ।। ୯୩
ଯେ ନିଷ୍ଠା ଶାସ୍ତ୍ରମାର୍ଗେ କହେ । ନିଶ୍ଚୟ ବୁଝ ନରରାୟେ ।। ୯୪
ସେ ଟି ନିର୍ମଳ ଜ୍ଞାନହେତୁ । ଭବସାଗର ପାର ସେତୁ ।। ୯୫
ଚିତ୍ତ ବିଶୁଦ୍ଧ ଯାର ନାହିଁ । ତାର ବୈରାଗ୍ୟ ଜ୍ଞାନ କାହିଁ ।। ୯୬
ହରି ଚରଣେ ସେବା ରତି । ବୈରାଗ୍ୟ ନିଶ୍ଚଳ ଭକତି ।। ୯୭
ଏ ଟି କୈବଲ୍ୟ ସୁସାଧନ । ନିଶ୍ଚୟ ବୁଝ ତୁ ରାଜନ ।। ୯୮
ବୈରାଗ୍ୟେ ହୋଏ ଯେ ଅସଙ୍ଗ । ତହୁଁ ଜନ୍ମଇ ଭକ୍ତି ଅଙ୍ଗ ।। ୯୯
ଯେଣୁ ତା ଦେହେ ସଙ୍ଗ ନାହିଁ । ଏଣୁଟି ଆତ୍ମେ ରତି ହୋଇ ।। ୧୦୦
ସେ ବ୍ରହ୍ମ ନିର୍ଗୁଣ ନିର୍ମଳ । ବ୍ୟାପିଛଇ ଅଶେଷ-ଶୟଳ ।। ୧୦୧
ଭକ୍ତି-ବୈରାଗ୍ୟେ ତାକୁ ପାଇ । ଏ ବିନେ ଜୀବ ଭ୍ରମୁଥାଇ ।। ୧୦୨
ସେ ବ୍ରହ୍ମେ ଏ ରତି ପ୍ରକାର । ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର ।। ୧୦୩
ହରି-ଚରଣେ ଯେବେ ଭାବେ । ନିଷ୍କାମ-ଭକ୍ତି ହୋଏ ତେବେ ।। ୧୦୪
ଯୋଗରେ ନିଷ୍ଠା ଥାଇ ଯାର । ପୁଚ୍ଛଇ ଶାସ୍ତ୍ର-ମାର୍ଗ ସାର ।। ୧୦୫
ଯୋଗୀନ୍ଦ୍ର ଗଣେ ସେବାକଲେ । ସେ ଋତି ଲଭେ ବ୍ରହ୍ମତୁଲେ ।। ୧୦୬
କି ଅବା ହରି ସଂକୀର୍ତ୍ତନ । ଶୁଣେ ଶ୍ରବଣେ କରେ ଧ୍ୟାନ ।। ୧୦୭
ଅସଙ୍ଗ-ରତି ଏହି ଭାବେ । ସାଧନ ତାରତମ୍ୟେ ଲଭେ ।। ୧୦୮
ଶୁଣ ରାଜନ କୃଷ୍ଣ ଲୟେ । ତ୍ରିବିଧ ପ୍ରକାରେ ଯେ ହୋଏ ।। ୧୦୯
ଯେ ମାର୍ଗେ ଯେ ସାଧ୍ୟ କରନ୍ତି । ବ୍ରହ୍ମନିର୍ବାଣେ ହୋଏ ରତି ।। ୧୧୦
ଅର୍ଥ-ବାଞ୍ଛିତ ମନ ଯାର । ତାମସେ ବଦ୍ଧ ସେହୁ ନର ।। ୧୧୧
ଯେ ପ୍ରାଣୀ ଇନ୍ଦ୍ରିଭୋଗ ବଶ । ତାହାକୁ ବୋଲିଟି ରାଜସ ।। ୧୧୨
ଏହାଙ୍କୁ ନ କରିବ ସଙ୍ଗ । ସେ ସଙ୍ଗ-ଦୋଷେ ଜ୍ଞାନଭଙ୍ଗ ।। ୧୧୩
ତହିଁ ନ ଦେବ ମନ ଦୃଷ୍ଟି । କେବେହେଁ ନକରିବ ଗୋଷ୍ଠୀ ।। ୧୧୪
ସେ ସଙ୍ଗ ଯେବା ଆଦରନ୍ତି । ସକାମ ଅର୍ଥ ସେ ବାଞ୍ଛନ୍ତି ।। ୧୧୫
ଏଣୁ ତାହାଙ୍କ ସଙ୍ଗ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି ।। ୧୧୬
ନିଃସଙ୍ଗେ ନିର୍ଜନେ ସେବଇ । ତେବେ ଆତ୍ମାକୁ ଭେଟ ପାଇ ।। ୧୧୭
ଏ ରୂପେ ହୋଏ ବ୍ରହ୍ମେ ରତି । ଶୁଣ ସୁମନେ ହେ ନୃପତି ।। ୧୧୮
ଅପରେ ଅସାଧୁ କହିବା । ଯାହାର ନାହିଁ ଭକ୍ତି ସେବା ।। ୧୧୯
ହରି-ଚରଣେ ଭକ୍ତି ନୋହି । ତାହାର ବ୍ରହ୍ମେ ରତି କାହିଁ ।। ୧୨୦
ସେ ହରି ଗୁଣ ସୁଧା-ପାନ । ସେ ବିନୁ ନୋହେ ବ୍ରହ୍ମଜ୍ଞାନ ।। ୧୨୧
ଅହିଂସା-ଧର୍ମେ ଯେବା ଥାନ୍ତି । ଏ ବ୍ରହ୍ମଜ୍ଞାନ ସେ ଲଭନ୍ତି ।। ୧୨୨
ପରମହଂସର ଯେ ବିଧି । ତତିକ୍ଷା ଶମ ଦମ ଆଦି ।। ୧୨୩
ଆତ୍ମାର ହିତ ଅନୁଧ୍ୟାନେ । ନିର୍ଗୁଣ ହୋଏ ବ୍ରହ୍ମଜ୍ଞାନେ ।। ୧୨୪
ସେ ହରି ପରମ-ପୁରୁଷ । ତାହାଙ୍କ ଚରିତ ପୀୟୂଷ ।। ୧୨୫
ସେ ସୁଧାପାନ ଯେବେ କରେ । ତେବେ ସେ ବ୍ରହ୍ମଜ୍ଞାନ ଧରେ ।। ୧୨୬
ଯମ ନିୟମ ଶମ ଦମ । ଏ ଆଦି ସାଧନ ନିର୍ଗୁଣ ।। ୧୨୭
ସଂସାରେ ଶାସ୍ତ୍ର-ବ୍ୟବହାରେ । ନିନ୍ଦା-ଧର୍ମକୁ ନ ଆଚରେ ।। ୧୨୮
ପରମଧର୍ମ ଏ ବିଚାରେ । ନିର୍ମଳ ବାହ୍ୟ-ଅଭ୍ୟନ୍ତରେ ।। ୧୨୯
ଶୀତୋଷ୍ଣ ସୁଖ-ଦୁଃଖ ସହେ । ସେ ତେବେ ବ୍ରହ୍ମଜ୍ଞାନ ବହେ ।। ୧୩୦
ହରି-ଭକତ ଯେତେ ଜନ । ଏ ସର୍ବ ତାହାଙ୍କ ଭୂଷଣ ।। ୧୩୧
ଯେତେ କୃଷ୍ଣର ଗୁଣ-ଗ୍ରାମ । ତହିଁ ସାଧକ ଯେଉଁ ଜନ ।। ୧୩୨
ତେଣୁ ବଢଇ ତାର ଭକ୍ତି । ଆନ ପ୍ରସଙ୍ଗେ ଅନାଶକ୍ତି ।। ୧୩୩
ସେ ବ୍ରହ୍ମ ଅଟେ ସଦା ସତ । ଅନାଦି ନିର୍ଗୁଣ ଅନନ୍ତ ।। ୧୩୪
ତହିଁ ଯାହାର ରତି ହୋଏ । ସେ ପ୍ରାଣୀବଦ୍ଧ ନୋହେ ମୋହେ ।। ୧୩୫
ସେ ବ୍ରହ୍ମେ ଯାର ନିଷ୍ଠା ରତି । ତେବେ ତା ହୋଏ ଦୃଢ଼ମତି ।। ୧୩୬
ଯେ ସଦା ଗୁରୁ ସେବାକରେ । ସେ ତେବେ ଜ୍ଞାନମାର୍ଗ ଧରେ ।। ୧୩୭
ଜ୍ଞାନ-ବୈରାଗ୍ୟ-ଯୋଗବଳେ । ଏ ଜୀବକୋଷ ଦହେ ହେଳେ ।। ୧୩୮
ଏ ପଞ୍ଚଭୂତର ହୃଦୟ । ଜୀବର ହୋଇଛି ଆଳୟ ।। ୧୩୯
ଜ୍ଞାନ-ଅନଳ ହେଲେ ଜାତ । ତେବେ ସେ ହୋଏ ଭସ୍ମଗତ ।। ୧୪୦
ଏ ଜୀବକୋଷ ଯେବେ ଯାଇ । ତେବେ ସେ ବ୍ରହ୍ମଜ୍ଞାନ ପାଇ ।। ୧୪୧
ଅନଳ ପ୍ରକାଶିଲେ ଯେହ୍ନେ । ଦଗ୍‌ଧ ହୁଅନ୍ତି କାଷ୍ଠମାନେ ।। ୧୪୨
ତେସନେ ଏ ଲିଙ୍ଗ ଶରୀର । ଜ୍ଞାନେ ଦହଇ ନୃପବର ।। ୧୪୩
ଏମନ୍ତ ଜ୍ଞାନ ଉଦେ ଯାର । ନୁହଇ ଭବ-ବନ୍ଧ ତାର ।। ୧୪୪
ଉପାଧି ବାସନା ଅଶେଷ । ଜ୍ଞାନ-ଅନଳେ ହୋଏ ଧ୍ୱଂସ ।। ୧୪୫
ଉପାଧି ହତେ ନୃପରାୟେ । ତାର ଗୁଣାଦି ହୋଏ ଲୟେ ।। ୧୪୬
ବିନାଶ ହୋଏ ଅଭିମାନ । ଆପଣା ପର ଆଦିଜ୍ଞାନ ।। ୧୪୭
ଜନ୍ମଇ ନିଜ ଭାବେ ରତି । ଏ ପରାପର ନୋହେ ମତି ।। ୧୪୮
ସେ ପୁଣି ଅନ୍ତର ବାହାରେ । ଏ ଦୁଃଖସୁଖ ନ ବିଚାରେ ।। ୧୪୯
ବାହ୍ୟେ ସେ ନ ଲକ୍ଷଇ କିଛି । ଘଟାଦି ବସ୍ତୁ ଯେତେ ଅଛି ।। ୧୫୦
ଏଥକୁ ପ୍ରତିଲକ୍ଷ୍ୟ ଦେବା । ଭୋ ନୃପ ଦେଖାଇ କହିବା ।। ୧୫୧
ଦ୍ରଷ୍ଟା-ଦୃଶ୍ୟର ଭିନ୍ନେ ବିଧି । ଏହାଙ୍କ ହେତୁ ମନ ବୁଦ୍ଧି ।। ୧୫୨
ଏ ଆତ୍ମା ଏ ମୋହର ପର । ଏ ଭେଦ କରେ ଅହଙ୍କାର ।। ୧୫୩
ଭେଦ କରନ୍ତା ଯେବେ ମଲା । ତାର ଅଜ୍ଞାନ କ୍ଷୟ ଗଲା ।। ୧୫୪
ଅଜ୍ଞାନ ନାଶେ ସର୍ବେ ଏକ । ଭୋ ନୃପ ବିଚାର ବିବେକ ।। ୧୫୫
ଯେସନେ ଶୟନେ ସ୍ୱପନ । ମିଥ୍ୟାଭିଳାଷେ ଦେଖେ ମନ ।। ୧୫୬
ଆପଣେ ହୋଇଥାଇ ରାଜା । ସଙ୍ଗତେ ଦେଖେ ଜନପ୍ରଜା ।। ୧୫୭
ସୈନ୍ୟସାମନ୍ତ ଗଜ ରଥ । ମିଥ୍ୟା ପ୍ରପଞ୍ଚ ମଣେ ସତ ।। ୧୫୮
ସେ ପୁଣି ସ୍ୱପ୍ନ ଅବସାନେ । ସକଳ ମିଥ୍ୟା କରି ମଣେ ।। ୧୫୯
ରାଜ୍ୟ ସମ୍ପଦ ଭୋଗ ଯେତେ । ଶୋଚନା ନ କରଇ ଚିତ୍ତେ ।। ୧୬୦
ତେସନେ ଜ୍ଞାନ ଉପୁଜିଲେ । ଏ ସର୍ବ ନାଶ ଯାନ୍ତି ଭଲେ ।। ୧୬୧
ଏ ଆତ୍ମା ଦେଖନ୍ତା ପୁରୁଷ । ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ ।। ୧୬୨
ଏ ବେନି ପର ଅହଙ୍କାର । ଏ ଭେଦ ବିବେକ ବିଚାର ।। ୧୬୩
ଯାଦବ ଉପାଧି ଅଛଇ । ତାବତ ଭେଦ-ବୁଦ୍ଧି ଥାଇ ।। ୧୬୪
ଉପାଧି ହତେ ସର୍ବନାଶ । ତେବେ ସେ ଆତ୍ମା ସୁ ପ୍ରକାଶ ।। ୧୬୫
ଏ ଆତ୍ମା ପରମ-ପୁରୁଷ । ଯାହାର ନାହିଁ ଗୁଣ ଦୋଷ ।। ୧୬୬
ଉପାଧି ଭେଦେ ଭିନ୍ନ ଦିଶେ । ତା ବିନା ଏକ ସେ ପ୍ରକାଶେ ।। ୧୬୭
ଯେହ୍ନେ ଦର୍ପଣ ଜଳାଦିରେ । ଆପଣା ପ୍ରତିବିମ୍ବ ଧରେ ।। ୧୬୮
ଏ ବେନି ହୀନେ ନ ଦିଶନ୍ତି । ଆପଣା ଶରୀର ଆକୃତି ।। ୧୬୯
ଉପାଧି ହେତୁ ଭିନ୍ନ ଭିନ୍ନ । ତା ଅବଶେଷେ ଏକ ଚିହ୍ନ ।। ୧୭୦
ଶୁଣ ହେ ପୃଥୁ ମହୀପତି । ଅସଙ୍ଗ ଆର ବ୍ରହ୍ମରତି ।। ୧୭୧
ଏ ବେନିମାର୍ଗ ମୋକ୍ଷ ହେତୁ । ଭବସାଗର ପାର ସେତୁ ।। ୧୭୨
ଶୁଣ ସୁମନେ ହେ ରାଜନ । ବିବେକ-ହୀନ ଯେବା ଜନ ।। ୧୭୩
ଯାହାର ଆତ୍ମା-ରତି ନୋହେ । ଯେ ଦେହେ ଅହଙ୍କାର ବହେ ।। ୧୭୪
ଏ ମୋର ଦାରା-ସୁତ-ଘର । ବୋଲି ବିଶୟେ ଅହଙ୍କାର ।। ୧୭୫
ବିଷୟ-ରସେ ଇନ୍ଦ୍ରି ରସି । ମନକୁ ଆଣଇ ଆକର୍ଷି ।। ୧୭୬
ଇନ୍ଦ୍ରିୟ ସଙ୍ଗେ ମନ ରସେ । ନିଜ ଚେତନା ବଳ ଧ୍ୱଂସେ ।। ୧୭୭
ଏଣୁ ବିବେକ ତାର ନାହିଁ । କୁସଙ୍ଗ ଦୋଷେ ମନ ମୋହି ।। ୧୭୮
ଯେସନେ କୁଶ ଆଦି ମୁଳ । ହ୍ରଦରୁ ଓଟାରନ୍ତି ଜଳ ।। ୧୭୯
ତେସନେ ଦେଖ ବିଷୟାଦି । ହରଇ ସର୍ବ ମନ ବୁଦ୍ଧି ।। ୧୮୦
ଚେତନା ବଳେ ସ୍ମୃତି ରହି । ତାର ଅଭାବେ ସ୍ମୃତି କାହିଁ ।। ୧୮୧
ଯାହାର ସ୍ମୃତି ହୋଏ ନାଶ । ତା ହୃଦେ ଜ୍ଞାନ ଅପ୍ରକାଶ ।। ୧୮୨
ଜ୍ଞାନ ବିନାଶେ ଆତ୍ମା ହତ । ବେଦାନ୍ତେ କହନ୍ତି ପଣ୍ତିତ ।। ୧୮୩
ଶୁଣ ନୃପତି ପୁରୁଷର । ଏଥୁଟି ହାନି ନାହିଁ ପର ।। ୧୮୪
ବିଷୟ-ସୁଖ ଭୋଗ ଲାଗି । ହୁଅଇ ଆତ୍ମାବଧେ ଭାଗୀ ।। ୧୮୫
ଯେ ନିଜ ହାନି ନ ବୁଝଇ । ତାର ବିବେକ ଗୁଣ କାହିଁ ।। ୧୮୬
ଅର୍ଥ-କାମାଦି ଧ୍ୟାନ ରାୟେ । ଏ ସର୍ବ ବିନାଶ ଉପାୟେ ।। ୧୮୭
ଯେ ଜ୍ଞାନବିଜ୍ଞାନରୁ ହୀନ । ତା ଜୀବ ସ୍ଥାବର ସମାନ ।। ୧୮୮
ଯେ ଚିତ୍ତ ବ୍ରହ୍ମେ ରତି ନୋହେ । ସର୍ବ-ଅନର୍ଥେ ଭାଗୀ ହୋଏ ।। ୧୮୯
ଅପରେ ଶୁଣ ହେ ରାଜନ । ସଙ୍ଗଟି ଅନର୍ଥ କାରଣ ।। ୧୯୦
ସଂସାର-ତ୍ୟାଗ ଯେ ଇଚ୍ଛିବ । କେବେ ପାପୀ କ୍ରୂର ସଙ୍ଗ ।। ୧୯୧
ଧର୍ମାର୍ଥ-କାମ-ମୋକ୍ଷ ଭଙ୍ଗ । କରଇ ପାପୀ କ୍ରୂର ସଙ୍ଗ ।। ୧୯୨
କୁସଙ୍ଗେ ସର୍ବନାଶ ହୋଏ । ପଡଇ ମିଥ୍ୟା ମାୟା ମୋହେ ।। ୧୯୩
ଏ ବେ ତୁ ଶୁଣ ନୃପରାଣ । ଏ ଚୁତର୍ବର୍ଗର କାରଣ ।। ୧୯୪
ଯେ ଧର୍ମ ଅର୍ଥ କାମ ମୋକ୍ଷ । ଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ ।। ୧୯୫
ଧର୍ମାର୍ଥ କାମ ବୋଲି ଯାହା । ଅନିତ୍ୟ ମିଥ୍ୟା ବୋଲି ତାହା ।। ୧୯୬
ଅନିତ୍ୟେ ମୃତ୍ୟୁ ଭୟ ପାଇ । ଏଣୁ ଜ୍ଞାନୀ ତା ନ ଭାବଇ ।। ୧୯୭
ତୁରୀୟବର୍ଗ ବୋଲି ରାୟେ । ଦୁର୍ଲ୍ଲଭ ଯେ ଅର୍ଥ ଉପାୟେ ।। ୧୯୮
ମୃତ୍ୟୁର ଭୟ ଯହିଁ ନାହିଁ । ନିତ୍ୟ ଆନନ୍ଦ ରୂପ ସେହି ।। ୧୯୯
ଚତୁର୍ଥ-ବର୍ଗ ବହୁ ମୂଲ୍ୟ । ତୃତୀୟବର୍ଗ ନୋହେ ତୁଲ୍ୟ ।। ୨୦୦
ଯାହାର କାଳ-ଭୟ ଅଛି । ତାହାର ସୁଖ ନାହିଁ କିଛି ।। ୨୦୧
ଗୁଣ-କ୍ଷୋଭର ପରେ ପ୍ରାୟେ । ଯେ ଯେ ହୋଇଲେ ଭାବ ରାୟେ ।। ୨୦୨
ସ୍ଥାବରୁ ବ୍ରହ୍ମାଦି ପର୍ଯ୍ୟନ୍ତ । ଈଶ୍ୱର-ମାୟାରେ ଯନ୍ତ୍ରିତ ।। ୨୦୩
ଏହାଙ୍କ ଶ୍ରେୟ କେବେ ନୋହେ । ଏଣୁ ଦଣ୍ତଇ ଜନ୍ତୁରାୟେ ।। ୨୦୪
ଆପଣେ ଅର୍ଜଇ ଅନର୍ଥ । ରାଜନ ବୁଝ ଏହି ମତ ।। ୨୦୫
ସ୍ଥାବର ଜଙ୍ଗମାଦିଠାରେ । ଦେହ ଇନ୍ଦ୍ରିୟ ଅହଙ୍କାରେ ।। ୨୦୬
ପ୍ରାଣ ବୁଦ୍ଧିରେ ଯେ ଆବୃତ । ଏହାଙ୍କ ହୃଦରେ ବ୍ୟକତ ।। ୨୦୭
ଯେ ଅଧ ଉର୍ଦ୍ଧ୍ୱେଛନ୍ତି ପୂରି । ସର୍ବ-ବ୍ୟାପକ ନରହରି ।। ୨୦୮
ଦେହକୁ କ୍ଷେତ୍ର ବୋଲି କହି । ଜୀବ ନ ଜାଣେ ଏହା ବହି ।। ୨୦୯
ଏ ଦେହ ବହି ଅହଙ୍କାରେ । ଜୀବ ପରମ ବୁଦ୍ଧି ହରେ ।। ୨୧୦
ଜୀବର ପ୍ରଭୁ ଭଗବାନ । ପ୍ରକାଶ କରନ୍ତି ଚେତନ ।। ୨୧୧
ଭୋ ରାଜା ନିଶ୍ଚେ ଜାଣ ତୁହି । ଏ ଆତ୍ମା ରୂପ ତୁହି ମୁହିଁ ।। ୨୧୨
ଏ ଆଦି ଚରାଚର ଯେତେ । ଆତ୍ମା-ସ୍ୱରୂପ ସର୍ବଭୂତେ ।। ୨୧୩
ଯେ ଆତ୍ମା ଆଶ୍ରୟେ ଜଗତ । ଶୋଭା ପାଉଛି ସଦସତ ।। ୨୧୪
ମାୟାରେ ହୋଇଣ ପ୍ରଭେଦ । ଜ୍ଞାନ ବିବେକେ ତାହା ଛେଦ ।। ୨୧୫
ଆତ୍ମାକୁ ମାୟା ନ ସ୍ପରଶେ । ଯେସନେ ପବନ ଆକାଶେ ।। ୨୧୬
କର୍ମର ମୂଳ ଏ ପ୍ରକୃତି । ଏହାକୁ ଯେ ନାଶ କରନ୍ତି ।। ୨୧୭
ସେ ଆତ୍ମା ସର୍ବଠାରେ ଯୁକ୍ତ । ଲିପ୍ତ ହୋଇଣ ଥାଇ ମୁକ୍ତ ।। ୨୧୮
ସେ ଶୁଦ୍ଧ ପରମ-ପୁରୁଷ । ତାରେ ଶରଣ ବେଗେ ପଶ ।। ୨୧୯
ଯାହାର ପାଦପଦ୍ମେ ଭକ୍ତି । କରି ସାଧୁଏ ନିସ୍ତରନ୍ତି ।। ୨୨୦
ସୁଗମ ପଥ ଏ କାରଣ । ଅବିଘ୍ନେ ଲଭ ନାରାୟଣ ।। ୨୨୧
କଠୋର ଯୋଗାଦି ସାଧନ । ସୁଗମ ଭକ୍ତି ହେ ରାଜନ ।। ୨୨୨
ସେ ଆତ୍ମା ଆନନ୍ଦ ପାଇବ । ଭକ୍ତିରେ ଭଜ ବାସୁଦେବ ।। ୨୨୩
ଏ ଭବ-ସମୁଦ୍ର ଅପାର । ଇନ୍ଦ୍ରିୟ-ନକ୍ର ମହା-ଘୋର ।। ୨୨୪
ଏ ଜଳ-ତରଣେ ଯେ ଭେଳା । ତହିଁରେ ନ କର ତୁ ହେଳା ।। ୨୨୫
ଅଷ୍ଟାଙ୍ଗଯୋଗ ଯୋଗୀ ସାଧି । ତରନ୍ତି ଯୋଗ-ଭେଳା ବାନ୍ଧି ।। ୨୨୬
ସେ ଅତି କ୍ଳେଶେ ହୋନ୍ତି ପାର । ନୋହିଲେ ଭ୍ରମନ୍ତି ଅପାର ।। ୨୨୭
ସୁଗମ-ତରଣୀ ଉପାୟେ । ତୁମ୍ଭଙ୍କୁ କହିଦେବା ରାୟେ ।। ୨୨୮
ଗୋବିନ୍ଦ ଅଭୟ-ପୟର । ଯେ ଭଜେ ଭେଳା ମଧ୍ୟେ ସାର ।। ୨୨୯
ସେ ପାଦେ କଲେ ଏକଭାବ । ସୁଖେ ତରିବ ଭବାର୍ଣ୍ଣବ ।। ୨୩୦
ଏ ଭକ୍ତିଯୋଗ ସୁସାଧନ । ମୋକ୍ଷକୁ ପରମ-କାରଣ ।। ୨୩୧

ମୈତ୍ରେୟ ଉବାଚ

ଏମନ୍ତ ଶୁଣ ହେ ବିଦୁର । ଯେ ଜ୍ଞାନ କହିଲେ କୁମାର ।। ୨୩୨
ପୃଥୁ ଶ୍ରବଣେ ଆତ୍ମାଗତି । ପ୍ରଣମି ଚରଣେ ବୋଲନ୍ତି ।। ୨୩୩

ରାଜା–ଉବାଚ

ତୁମ୍ଭେ ଦୟାଳୁ ଯୋଗୀଜନ । ସୁଭାଗ୍ୟ ତୁମ୍ଭ ଦରଶନ ।। ୨୩୪
ଯେଣୁ ଗୋବିନ୍ଦ କୃପା ଥିଲା । ତେଣୁ ଦର୍ଶନ ମୋର ହେଲା ।। ୨୩୫
ହରିଙ୍କି ଦେଖାଇବା ପାଇଁ । ମୋ ହିତେ ଅଇଲ ଗୋସାଇଁ ।। ୨୩୬
ମୋର ସଂଶୟ ଯେତେ ଥିଲା । ତୁମ୍ଭ ଦର୍ଶନେ ଦୂର ଗଲା ।। ୨୩୭
ମୋହର ମନୋରଥ ଯେତେ । ସମ୍ପୂର୍ଣ୍ଣ କରି ଦେଲ ମୋତେ ।। ୨୩୮
ତୁମ୍ଭଙ୍କୁ କି ଭାବେ ସେବିବି । ଉତ୍ତମ ଦ୍ରବ୍ୟ କିବା ଦେବି ।। ୨୩୯
ଦେହ ସହିତେ ଦ୍ରବ୍ୟ ମୋର । ସାଧୁଙ୍କ ଉଚ୍ଛିଷ୍ଟ ବେଭାର ।। ୨୪୦
ସୁଦୟା କରି ସାଧୁଜନେ । ରାଜ ବିଭୂତି ତୋଷ ମନେ ।। ୨୪୧
ସମର୍ପିଛନ୍ତି ମୋର ତହିଁ । ଏଥେ ପ୍ରଭୃତ୍ୱ ମୋର ନାହିଁ ।। ୨୪୨
କି ଭାବେ କରିବି ସେବନ । ଏ ଦେହ ସାଧୁଙ୍କ ଅଧୀନ ।। ୨୪୩
ଯେହ୍ନେ ବାଳକେ ସ୍ନେହ ବହି । ତାତ ଜନନୀ ଧନ ଦେଇ ।। ୨୪୪
ପୁଣି ନ କରନ୍ତି ଗ୍ରହଣ । ଏ ସର୍ବ ତୁମ୍ଭର ଅର୍ପଣ ।। ୨୪୫
ତୁମ୍ଭ ପ୍ରତୋଷେ ଶକ୍ୟ ନାହିଁ । ରାଜସେବକ ପ୍ରାୟେ ହୋଇ ।। ୨୪୬
ତାଙ୍କୁ ତାମ୍ବୁଳ ନିଯୋଜନ୍ତି । ମଧ୍ୟରେ ସେବକ ବୋଲାନ୍ତି ।। ୨୪୭
ସେ ଅନୁସାରେ ମୋ ବିଚାର । ଯେ କିଛି ଦ୍ରବ୍ୟ ଅଛି ମୋର ।। ୨୪୮
ପ୍ରାଣ ତନୟ ଆଦି ଯେତେ । ଏ ରାଜ-ବିଭୂତି ସହିତେ ।। ୨୪୯
ଅପରେ ଚତୁରଙ୍ଗ ବଳ । ସମର୍ପି ଅଛି ମୁଁ ସକଳ ।। ୨୫୦
ଏଥେ ମୋ ନାହିଁ ଅଧିକାର । ମୋ ପ୍ରଭୁ ବ୍ରହ୍ମାଣ୍ତ ଠାକୁର ।। ୨୫୧
ଯେ ସର୍ବ-ସେନା ଅଧିପତି । ଦଣ୍ତ-ଅଦଣ୍ତ ରାଜନୀତି ।। ୨୫୨
ସକଳ-ଲୋକେ ଅଧିକାର । ଏ ସର୍ବ ବେଦବିଦଙ୍କର ।। ୨୫୩
ସେ ବିପ୍ରେ ନିଜ-ଧନେ ଶାନ୍ତି । ଜୀବଙ୍କୁ କଲ୍ୟାଣେ ପାଳନ୍ତି ।। ୨୫୪
ବ୍ରାହ୍ମଣ-ଅନୁଗ୍ରହେ ଅନ୍ନ । ଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ ।। ୨୫୫
ବ୍ରହ୍ମା-ସର୍ଜନେ ଏ ଜଗତେ । ଅଛି ଅପୂର୍ବ-ଦ୍ରବ୍ୟ ଯେତେ ।। ୨୫୬
ଏ ସର୍ବ ଯେବେ ସମର୍ପିବି । ତେବେ ପ୍ରତୋଷି ନ ପାରିବି ।। ୨୫୭
ନିଗମବେତ୍ତା ପ୍ରଭୁମାନେ । ମୋତେ ତୋଷିଲ ଦିବ୍ୟଜ୍ଞାନେ ।। ୨୫୮
ଏକାନ୍ତେ ଦେଲ ଆତ୍ମାପଦ । ମୋହର ନାଶିଲ ପ୍ରମାଦ ।। ୨୫୯
ତୁମ୍ଭେ ଦୟାଳୁ ଯୋଗେଶ୍ୱର । ଅଧମ ଜନେ କୃପାଜର ।। ୨୬୦
ଅବ୍ୟକ୍ତ-ବ୍ରହ୍ମ ଦୃଷ୍ଟିଗତେ । ପ୍ରତ୍ୟକ୍ଷେ ଦେଖାଇଲ ମୋତେ ।। ୨୬୧
ଅଜ୍ଞାନଭାବ ବିନାଶିଲ । ସଂସାର-ବନ୍ଧୁ ନିସ୍ତାରିଲ ।। ୨୬୨
ଏମନ୍ତ ମହିମା ତୁମ୍ଭର । ଅଶେଷ-ଜୀବେ ହିତକର ।। ୨୬୩
ଏଣୁ ଗୁରୁଙ୍କ ସୁକଲ୍ୟାଣ । ସାଧକ ମୋକ୍ଷର କାରଣ ।। ୨୬୪
ଉପାୟ ନାହିଁ ମୋର କିଛି । କେବଳ ଅଞ୍ଜଳି ମୋ ଅଛି ।। ୨୬୫

ମୈତ୍ରେୟ ଉବାଚ

ଏମନ୍ତ ସନକାଦି ଜନେ । ସନ୍ତୋଷ ପୃଥୁର ବଚନେ ।। ୨୬୬
ନୃପ-ଶୀଳତା ପ୍ରଶଂସିଲେ । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ ।। ୨୬୭
ସକଳ-ଜନ ଦୃଷ୍ଟିଗତେ । ସିଦ୍ଧେ ଗମିଲେ ଶୂନ୍ୟ ପଥେ ।। ୨୬୮
ତଦନ୍ତେ ଯେ ପୃଥୁ-ରାଜନ । ମହତ-ପଣେ ସେ ପ୍ରଧାନ ।। ୨୬୯
ଅଧ୍ୟାତ୍ମ-ମାର୍ଗରେ ରହିଲେ । ଆତ୍ମଜ୍ଞାନରେ ପୂର୍ଣ୍ଣ ହେଲେ ।। ୨୭୦
ଆତ୍ମାରେ କରି ଅବସ୍ଥିତି । କାଳରେ କର୍ମାଦି କରନ୍ତି ।। ୨୭୧
ସେ ଦେଶ କାଳ ଯଥୋଚିତ । ଯେମନ୍ତ ଅଛଇ ବିହିତ ।। ୨୭୨
ସେ ଅନୁସାରେ କର୍ମ କଲେ । ବିପ୍ରଙ୍କୁ ଦାନେ ପ୍ରତୋଷିଲେ ।। ୨୭୩
ନିଜ ପରଜାଗଣ ରାଇ । ଅତି ଆନନ୍ଦେ ଦୟା ବହି ।। ୨୭୪
କହନ୍ତି ଭବସିନ୍ଧୁ ପାର । ଅମୃତୁ ସୁସ୍ନିଗଧ ମଧୁର ।। ୨୭୫
ହେ ପୁତ୍ରେ ସାବଧାନେ ଶୁଣ । ଯେଣେ ହୋଇବ ପରିତ୍ରାଣ ।। ୨୭୬
କହିବା ତହିଁର ଉପାୟ । ଯେଣେ ଖଣ୍ତିବ ମୃତ୍ୟୁଭୟ ।। ୨୭୭
ସକଳେ କୃଷ୍ଣ ଆଶ୍ରେ କର । ଏ ଘୋର-ସଂସାରୁ ନିସ୍ତର ।। ୨୭୮
ଯେ କୃଷ୍ଣ-ଚରଣେ ସେବନ୍ତି । ଏ ଭବଭୟ ନିବାରନ୍ତି ।। ୨୭୯
ଆମ୍ଭର ବାକ୍ୟ ଦୃଢେ ଧର । ରାଜସ୍ୱ-ଭୟ ପରିହର ।। ୨୮୦
ଆୟୁଷ ଧର୍ମ ଧନ ଯେତେ । ଆମ୍ଭେ ପାଇଲୁ ତୋଷଚିତ୍ତେ ।। ୨୮୧
ଏମନ୍ତ ମଧୁର-ବଚନେ । ପ୍ରଜା ଶିଖାଇ ପ୍ରବୋଧନେ ।। ୨୮୨
ଅର୍ପଣ କରି କାମ୍ୟଫଳ । ନିବୃତ୍ତ ହୋଇଲେ ଭୂପାଳ ।। ୨୮୩
ମୁଁ ଆତ୍ମା ପ୍ରକୃତିରୁ ପର । ଅଧ୍ୟକ୍ଷ କର୍ମମାନଙ୍କର ।। ୨୮୪
ଆତ୍ମାକୁ ଏମନ୍ତ ସେ ମଣି । ଗୃହେ ରହିଲେ ନୃପମଣି ।। ୨୮୫
ସମ୍ପଦ ପରିପୂର୍ଣ୍ଣେ ଛନ୍ତି । ଇନ୍ଦ୍ରିୟ-ଭୋଗ ନ ଇଚ୍ଛନ୍ତି ।। ୨୮୬
ଛାଡି ସକଳ ଅହଙ୍କାର । ବିଷୟ ଆଦି ଯେ ବିକାର ।। ୨୮୭
କେଉଁ କର୍ମରେ ଲିପ୍ତ ନୋହି । ସୂର୍ଯ୍ୟ କିରଣ ପ୍ରାୟ ହୋଇ ।। ୨୮୮
ଏ ରୂପେ ଅଧ୍ୟାତ୍ମ-ଯୋଗରେ । କର୍ମ ଆଚରନ୍ତି ସଂସାରେ ।। ୨୮୯
ତାହାଙ୍କ ଅର୍ଚ୍ଚି ନାମେ ରାଣୀ । ପ୍ରତ୍ୟକ୍ଷେ ଲକ୍ଷ୍ମୀ ଠାକୁରାଣୀ ।। ୨୯୦
ପଞ୍ଚତନୟ ତାଙ୍କଠାରେ । ପୃଥୁ ଜନ୍ମାଇଲେ ବେଭାରେ ।। ୨୯୧
ବିଜିତଅଶ୍ୱ ଧୂମ୍ରକେଶ । ହର୍ଯ୍ୟକ୍ଷ ଦ୍ରବିଣ ବୃକେଶ ।। ୨୯୨
ଏ ପଞ୍ଚ-ତନୟ ତାଙ୍କର । ନୃପ ସମାନେ ଶୂର ବୀର ।। ୨୯୩
କହିବା ଶୁଣ ହେ ବିଦୁର । ରାଜାଙ୍କ ଯେ ଗୁଣ ପ୍ରଚାର ।। ୨୯୪
ଇନ୍ଦ୍ରାଦି ଦଶଦିଗପାଳ । ଏହାଙ୍କ ଗୁଣେ ସେ ଭୂପାଳ ।। ୨୯୫
ସେ ନୃପ-ଅଙ୍ଗେ ଏକେ ଏକେ । ବସିଲେ ଅବୟବ ଯାକେ ।। ୨୯୬
ବସିଲେ ସ୍ୱବୃତ୍ତି ଆବୋରି । ଶୁଣ ବିଦୁର ହେତୁ କରି ।। ୨୯୭
ଜଗତ ପ୍ରତି-ପାଳିବାରେ । ସେ ଜନ୍ମ ଲଭିଲେ ସଂସାରେ ।। ୨୯୮
ମନ-ବଚନ-କାୟ-ବୃତ୍ତି । ଅତି ସୁନ୍ଦର ଗୁଣ କୀର୍ତ୍ତି ।। ୨୯୯
ଯେଣୁ ରଞ୍ଜିତ ଜନପ୍ରଜା । ତେଣୁ ତାହାଙ୍କ ନାମ ରାଜା ।। ୩୦୦
ତା ତୁଲ୍ୟ ନାହିଁ ନୃପବର । ସମେ କି ସୋମ ପଟାନ୍ତର ।। ୩୦୧
ସେ ରାଜା ସୂର୍ଯ୍ୟଙ୍କ ସମାନ । ତା ତେଜେ ପୃଥ୍ୱୀ ଦୀପ୍ତି ମାନ ।। ୩୦୨
କେହି ନପାରେ ତେଜ ଧରି । ତେଣୁ ସେ ଅଗ୍ନି ସମ ସରି ।। ୩୦୩
ରଣେ ଦୁର୍ଜୟ ମହାରାଜା । ଏଣୁ ମହେନ୍ଦ୍ର ସମ ତେଜା ।। ୩୦୪
ସହିଷ୍ଣୁ ଗୁଣେ ସେ ପୃଥିବୀ । ଅଭୀଷ୍ଟ-ଦାନେ ସେ ସୁରଭୀ ।। ୩୦୫
ଜୀମୂତ ପ୍ରାୟେ ବୃଷ୍ଟି କରେ । ପ୍ରଜାଙ୍କ ପ୍ରାର୍ଥନା ଯେ ପୂରେ ।। ୩୦୬
ପୟୋଧି ତୁଲେ ଯେ ଗମ୍ଭୀର । ସୁଧୀର କନକ-ଭୂଧର ।। ୩୦୭
ଧର୍ମ ସମାନେ ଶିକ୍ଷାକାରୀ । ଆଶ୍ଚର୍ଯ୍ୟେ ହିମାଳୟ ଗିରି ।। ୩୦୮
କୁବେର ତୁଲେ ଧନେଶ୍ୱର । ରକ୍ଷକ ଯେହ୍ନେ ରତ୍ନାକର ।। ୩୦୯
ଗୁଣେ ସକଳ ଜୀବେ ପ୍ରାଣ । ଶୀତଳ ପଣେ ଚନ୍ଦ୍ରଜାଣ ।। ୩୧୦
ଜୀବନ ବଳ ତେଜ ଘେନି । ଏଣୁ ମରୁତ ସମ ମାନି ।। ୩୧୧
କ୍ରୋଧରେ କାଳରୁଦ୍ର ସମ । ସୁନ୍ଦରେ ସମ ନୋହେ କାମ ।। ୩୧୨
ପ୍ରାକ୍ରମେ ସମ ମୃଗଇନ୍ଦ୍ର । ଦୟାରେ ସେ ମନୁ ନରେନ୍ଦ୍ର ।। ୩୧୩
ପ୍ରଭୁତ୍ୱ ପଣେ ଯେହ୍ନେ ବିଧି । ଗୁରୁ ସମାନେ ବ୍ରହ୍ମବାଦୀ ।। ୩୧୪
ବିଷ୍ଣୁ ସମାନେ ଜିତେନ୍ଦ୍ରିୟ । ପାଳନେ ଗୋରୁ-ବିପ୍ରପ୍ରିୟ ।। ୩୧୫
ବିଷ୍ଣୁ ବୈଷ୍ଣବ ଜନଠାରେ । ସେବନ୍ତି ବିନୟ ବେଭାରେ ।। ୩୧୬
ସମେ ପ୍ରତୁଲ୍ୟ କେହି ନାହିଁ । ସଜ୍ଜନେ ଦୁତୀବ୍ରହ୍ମା ସେହି ।। ୩୧୭
ଏ ତିନିଲୋକେ ତାଙ୍କ ଯଶ । ଯେହ୍ନେ ଶ୍ରବଣେ ହରି ରସ ।। ୩୧୮
ଶ୍ରୀରାମ ତୁଲ୍ୟ କୀର୍ତ୍ତିକାରୀ । ଶୁଣ ଗାବନ୍ତି ନରନାରୀ ।। ୩୧୯
ଶୁଣ ବିଦୁର ଭାଗ୍ୟବନ୍ତ । ସେ ପୃଥୁ ରାଜାର ଚରିତ ।। ୩୨୦
ପୃଥୁ-ଚରିତ ସୁଧାରସ । ମନ-ଭ୍ରମର ତହିଁ ରସ ।। ୩୨୧
ଅମୃତ-ରସମୟ ବାଣୀ । ଚତୁର୍ଥସ୍କନ୍ଧେ ଯାହା ଭଣି ।। ୩୨୨
କହଇ ଦାସ ଜଗନ୍ନାଥ । ସନ୍ଥ-ଚରଣେ ଦେଇ ଚିତ୍ତ ।। ୩୨୩
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୃଥୁଚରିତେ ଦ୍ୱାବିଂଶୋଽଧ୍ୟାୟଃ ।।

ତ୍ରୟୋବିଂଶ ଅଧ୍ୟାୟ[ସମ୍ପାଦନା]

ଶୁଣି ବିଦୁର କୃତକୃତ । ନମେ ମୈତ୍ରେୟ ପାଦଗତ ।। ୧
ଭୋମୁନି କରିବା ନିସ୍ତାର । କହ ସଂଶୟ ଯାଉ ଦୂର ।। ୨
ପୃଥୁ କି କଲେ ଏ ଅନ୍ତରେ । ବୈକୁଣ୍ଠ ଗଲେ କି ପ୍ରକାରେ ।। ୩
ବିଦୁର ତହୁଁ ଏହା ଶୁଣି । କହେ ମୈତ୍ରେୟ ମନେ ଗୁରି ।। ୪

ମୈତ୍ରେୟ ଉବାଚ

ଶୁଣ ବିଦୁର ଶୁଦ୍ଧଚିତ୍ତେ । ରାଜାର କିଛିକାଳ ଅନ୍ତେ ।। ୫
ବୃଦ୍ଧ ଶରୀର ଗ୍ରାସେ କାଳ । ଦେଖି ବିଷାଦ ମହୀପାଳ ।। ୬
ମୁଁ ଯେ ଦ୍ୱିତୀୟ ପ୍ରଜାପତି । ଯେଣୁ ମୁଁ କଳି ସର୍ବସ୍ଥିତି ।। ୭
ଅନ୍ନାଦି ଉତ୍ପତ୍ତି ମୁଁ କଲି । ନଗର ପୁର ବସାଇଲି ।। ୮
ସ୍ଥାବର ଢଙ୍ଗମାଦି ଯେତେ । ଅନ୍ନ ମୁଁ ଦେଲି ଯେଝାମତେ ।। ୯
ସାଧୁଙ୍କ ଧର୍ମ ରକ୍ଷା କଲି । ଈଶ୍ୱର ବଚନ ପାଳିଲି ।। ୧୦
ଏ ଧର୍ମ-ରକ୍ଷା ଅର୍ଥେ ମୁହିଁ । ଜନ୍ମ ଲଭିଲି କର୍ମଭୂଇଁ ।। ୧୧
ଏବେ ଶରୀର ବୃଦ୍ଧ ହେଲା । କାମାଦି କର୍ମହିଁ ସରିଲା ।। ୧୨
ଏବେ କି ଅର୍ଥେ ଥିବି ମୁହିଁ । ବନେ ପଶିବି କୃଷ୍ଣ ଧ୍ୟାୟି ।। ୧୩
ଏବେ ଶମନ ନିଜ ସ୍ଥିତି । କରିବ ବିଚାରେ ନୃପତି ।। ୧୪
ଦୁହିତା ପ୍ରତୁଲ୍ୟେ ଧରଣୀ । ପୁତ୍ରେ ନିବେଶି ନୃପମଣି ।। ୧୫
ପୁତ୍ରକୁ ଦେଇ ସିଂହାସନ । ଦଣ୍ତ ଛତ୍ରାଦି ନୃପ ଚିହ୍ନ ।। ୧୬
ସକଳ ସମପି କୁମରେ । ଗମନ କଲେ ବନ ଘୋରେ ।। ୧୭
ପୃଥିବୀ ପୃଥୁ ତ୍ୟାଗଭରେ । ଶୋକେ ରହିଲା ପୁତ୍ରଠାରେ ।। ୧୮
ସଙ୍ଗତେ ଘେନି ଅର୍ଚ୍ଚି ନାରୀ । ରୋଦନ୍ତି ପ୍ରଜା ନଗ୍ର ପୂରୀ ।। ୧୯
ସ୍ୱଇଚ୍ଛା ମନେ ଦୁଃଖ-ଶ୍ରମେ । ତପ ଆରାଧି ଯୋଗଧର୍ମେ ।। ୨୦
କଠୋର ଉଗ୍ରତପେ ରାୟେ । ଯେମନ୍ତେ ପୂର୍ବେ ରାଜ୍ୟ ଜୟେ ।। ୨୧
ଯେ ବାନପ୍ରସ୍ଥର ବିଧାନ । ନିୟମ କଲେ ସେ ରାଜନ ।। ୨୨
ଫଳାଦି ଶାକ କଦମୂଳ । ଭୋଜନ କଲେ ମହୀପାଳ ।। ୨୩
ଏମନ୍ତେ କେତେ କାଳାନ୍ତରେ । ତାହା ତେଜିଲେ ନୃପବରେ ।। ୨୪
ନୀରସ-ପତ୍ର ଭୋଗ କରି । ତୁଷ୍ଟେ ଆନନ୍ଦେ ପ୍ରାଣ ଧରି ।। ୨୫
ତାହା ଭକ୍ଷିଣ କିଛିଦିନ । ତପ ସାଧିଲେ ତୋଷମନ ।। ୨୬
ସେ ପତ୍ରାଶନ ତେଜି ରାୟେ । ଜଳ ଆହାରେ ସୁଖମୟେ ।। ୨୭
ଏମନ୍ତେ କିଛି କାଳାନ୍ତରେ । ଜଳ ତେଜିଲେ ନୃପବରେ ।। ୨୮
ନିର୍ଜଳ ତପସ୍ୟା କଠୋର । କେବଳ ପବନ ଆହାର ।। ୨୯
ପୁଣି ନିଦାଘକାଳେ ନୃପ । ତପସ୍ୟା କଲେ ପଞ୍ଚ ତାପ ।। ୩୦
ଅଗ୍ନି ଜାଳି ଦିଗ ସକଳେ । ନିର୍ବିଘ୍ନେ ରାଜନ ବସିଲେ ।। ୩୧
ସୂର୍ଯ୍ୟ-ମଣ୍ତଳେ ଦୃଷ୍ଟି ଧରି । ପରମ ବ୍ରହ୍ମେଧ୍ୟାନ କରି ।। ୩୨
କୃଷ୍ଣ-ଚରଣ-ପଦ୍ମ ଆଶେ । ତପ ସାଧିଲେ ବହୁକ୍ଳେଶେ ।। ୩୩
ବରଷା କାଳେ ମହୀପତି । ଦୁଃସହ-ଜଳଧାରେ ତିନ୍ତି ।। ୩୪
ଶିଶିର କାଳେ ତପ କରେ । ବୁଡି ଆକଣ୍ଠ ଶୀତନୀରେ ।। ୩୫
ଶୟନେ ଭୂମି ଶଯ୍ୟା କରି । ଏ ଘୋର-ତପସ୍ୟା ଆଚରି ।। ୩୬
ଜିତ-ବଚନ ଉର୍ଦ୍ଧ୍ୱରେତ । ଚିତ୍ତ ସମୀର ଶାନ୍ତ ଦାନ୍ତ ।। ୩୭
କୃଷ୍ଣ-ଚରଣ ସେବା ପାଇଁ । କଠିନ-ତପେ ନୃପସାଇଁ ।। ୩୮
ଲୋକ-ଶିକ୍ଷାରେ ତପ କଲେ । ବିଷୟ-କର୍ମ ବିନାଶିଲେ ।। ୩୯
ନିରତେ ପ୍ରାଣାୟାମ କରି । ଇନ୍ଦ୍ରିୟ ବିଷୟ ସଂହରି ।। ୪୦
ଛାଡିଲେ ଅଶେଷ ବନ୍ଧନ । ଯେ କିଛି ବାସନାଦି ମାନ ।। ୪୧
ନିଶ୍ଚଳ ଚିତ୍ତେ ନୃପବର । ଯୋଗସାଧନେ ନିଷ୍ଠାପର ।। ୪୨
ଯେ ଜ୍ଞନ ବ୍ରହ୍ମାଙ୍କ କୁମର । କହି ଯେ ଥିଲେ ଯୋଗସାର ।। ୪୩
ସେ ଯୋଗେ ଗୋବିନ୍ଦଚରଣ । ନିତ୍ୟେ ଆରାଧି ନୃପରାଣ ।। ୪୪
ଶ୍ରଦ୍ଧା ଭକତି ଦୃଢ଼ଚିତ୍ତେ । ଭକ୍ତି ଜନ୍ମିଲା ହୃଦଗତେ ।। ୪୫
ଆନନ୍ଦେ ପ୍ରେମାଙ୍ଗ-ଭକତି । ଶ୍ରୀକୃଷ୍ଣେ କଲେ ମହୀପତି ।। ୪୬
ସେ ହରି ଭଜନ ପ୍ରବଳ । ହୋଇଳା ମନ ସୁନିଶ୍ଚଳ ।। ୪୭
ନିର୍ମଳ-ମନ ପ୍ରକାଶିଲା । ବୈରାଗ୍ୟ ଜ୍ଞନ ଉପୁଜିଲା ।। ୪୮
ସେ ଜ୍ଞନ-ତୀକ୍ଷ୍ମ-ଶସ୍ତ୍ରେ ରାୟେ । ଛେଦିଲେ ହୃଦୟ-ସଂଶୟେ ।। ୪୯
ଯେ କର୍ମ-ଗ୍ରନ୍ଥି ଜୀବକୋଷ । ଜ୍ଞାନ ଖଡଗେ କଲେ ନାଶ ।। ୫୦
ଦେହରେ ଆତ୍ମବୁଦ୍ଧି ଯେହି । ତକ୍ଷଣେ ଦୂରେ ଗଲା ସେହି ।। ୫୧
ଏଣୁ ପାଇଲେ ଆତ୍ମଗତି । ନିରହଙ୍କାର ହେଲା ମତି ।। ୫୨
ଏ ସର୍ବ ଯେ ଜ୍ଞାନେ ବିନାଶ । ତା ପରିହରି ନୃପଈଶ ।। ୫୩
ଯାବତ ହରିଙ୍କ ଭଜନ । ନୋହିଛି ତାବତ ସାଧନ ।। ୫୪
ଯେବେ ଶ୍ରୀକୃଷ୍ଣ ଭାବେ ରତି । ଶୁଦ୍ଧ ହୋଇବ ତେବେ ମତି ।। ୫୫
ଭଜନ-ରସେ ମତ୍ତ ହୋଏ । ନ ପଡେ ଶୋକ ମାୟାମୋହେ ।। ୫୬
ଏ ରୂପେ କଲେ ସେ ରାଜନ । ଆତ୍ମାରେ ଆତ୍ମାକୁ ଯୋଜନ ।। ୫୭
ସେ ଯୋଗୀ ଯୋଗାସନ ବଳେ । ବ୍ରହ୍ମସ୍ୱରୂପୀ ସେ ହୋଇଲେ ।। ୫୮
କାଳେ ଛାଡିଲେ କଳେବର । ଏ ଅନୁକ୍ରମେ ହେ ବିଦୁର ।। ୫୯
ସୁସ୍ଥିରେ ବସି ଯୋଗାସନେ । ଦେହେ ସମୀର ସମାଧାନେ ।। ୬୦
ବାମ-ଚରଣ ମୂଳାଧାରେ । ନିରୋଧି ଚାପିଲେ ନର୍ଭରେ ।। ୬୧
ସେ ମୂଳାଧାରରୁ ପବନ । ଉଦ୍ଧ୍ୱର୍କୁ ଟେକିଲେ ରାଜନ ।। ୬୨
ନାଭିରୁ ହୃଦୟ-କମଳେ । ପବନ ରଖିଲେ ସଧୀରେ ।। ୬୩
ତହୁଁ ଷୋଡ଼ଶଦଳେ ନେଲେ । ତହୁଁ କଣ୍ଠରେ ତହୁଁ ଶିରେ ।। ୬୪
ଏ ରୂପେ ପ୍ରାଣାଦି ପବନ । ଭେଦିଣ ଏ ଷଡଚକ୍ରେଣ ।। ୬୫
ସେ ବ୍ରହ୍ମରନ୍ଧ୍ରେ ଯୋଗବଳେ । ଏ ସର୍ବ କରି ଏକ ଠୁଳେ ।। ୬୬
ମନ ପବନ ଦୃଢେ ଧରି । ଭିତରେ ରହିଲେ ପାଶୋରି ।। ୬୭
ସେ ବନେ ପୃଥୁ ନୃପନାଥ । ହେଦ ଧାରଣେ ପଞ୍ଚଭୂତ ।। ୬୮
ଯେଝାନୁକ୍ରମେ ଯୋଗବଳେ । ସମଷ୍ଟିଭୂତେ ଲୟ କଲେ ।। ୬୯
ପବନ ନ୍ୟାସି ସମୀରଣେ । ଯେ କିଛି ଦେହାଦି ଧାରଣେ ।। ୭୦
କ୍ଷିତିକି ଆପ ମଧ୍ୟେ ନ୍ୟାସି । ସେ ଜଳ ଅନଳେ ନିବେଶି ।। ୭୧
ତେଜକୁ ପବନେ ସଂହରି । ଶବଦ ତମୋଗୁଣେ ଧରି ।। ୭୨
ଇନ୍ଦ୍ରିୟ ଗଣେ ଯୁକ୍ତ ମନ । ତାହା ଆକାଶେ କରି ଲୀନ ।। ୭୩
ଆକାଶ ଶବଦେ ସଂହରି । ଶବଦ ତମୋଗୁଣେ ଧରି ।। ୭୪
ଏ ଯେ ତାମସ ଅହଙ୍କାର । କାର୍ଯ୍ୟ ଯେ ମହାଭୂତ ତାର ।। ୭୫
ଯେ ରୂପେ ଲୟ କଲେ ନୃପ । ଶୁଣ ବିଦୁର ତା ସ୍ୱରୂପ ।। ୭୬
ପୃଥିବୀ ଗନ୍ଧେ ଲୟ କରି । ଆପକୁ ରସ ମଧ୍ୟେ ଧରି ।। ୭୭
ତେଜକୁ ରୂପ ମଧ୍ୟେ ଥୋଇ । ପବନ ସ୍ପରଶେ ଲଗାଇ ।। ୭୮
ଶବଦେ ଆକାଶ ସଂହରି । ଏ ସର୍ବ ତମଗୁଣେ ଭରି ।। ୭୯
ଯେ ତମ ସା‌ତ୍ତ୍ୱିକ ରାଜସ । ଏକତ୍ୱେ କଲେ ତା ପ୍ରକାଶ ।। ୮୦
ଇନ୍ଦ୍ରି ସହିତେ ବୁଦ୍ଧି ମନ । ଯେଝାନୁକ୍ରମେ କଲେ ଲୀନ ।। ୮୧
ଶବଦ ଆଦି ଇନ୍ଦ୍ରିଗଣେ । ଲୀନ ହୋଇଲେ ଯେଝାସ୍ଥାନେ ।। ୮୨
ଏହାଙ୍କ ଅଧିଷ୍ଠାତା ଦେବେ । ଲୟେ ପାଇଲେ ଯେଝାଭାବେ ।। ୮୩
ଏକତ୍ୱେ ଅହଙ୍କାର ନେଇ । ସେ ମହତ୍ତ‌ତ୍ତ୍ୱରେ ମିଶାଇ ।। ୮୪
ଏ ସର୍ବ-ତ‌ତ୍ତ୍ୱ ଗୁଣେ ନ୍ୟାସି । ମହତ୍ତ‌ତ୍ତ୍ୱରେ ପରକାଶି ।। ୮୫
ସେ ମହତ୍ତ‌ତ୍ତ୍ୱ ମାୟା ମୟେ । ପ୍ରକୃତି ସଙ୍ଗେ ହେଲେ ଲୟେ ।। ୮୬
ଜ୍ଞାନ ବୈରାଗ୍ୟ ଯୋଗବଳେ । ଏ ଜୀବ ବ୍ରହ୍ମେ ଯାଇ ମିଳେ ।। ୮୭
ଏମନ୍ତେ ପୃଥୁ ମହୀପାଳ । ଦେହ ତେଜିଲେ ପାଇ କାଳ ।। ୮୮
ସେ ଅର୍ଚ୍ଚି ପତିବ୍ରତା ନାରୀ । ସ୍ୱଧର୍ମେ ସ୍ୱାମୀ-ପାଦ ଧରି ।। ୮୯
ଦେହ ଶୁଖାଇ ତପେ ଥିଲେ । ସ୍ୱାମୀର ମରଣ ଦେଖିଲେ ।। ୯୦
ତକ୍ଷଣେ ହୋଇ ହତଜ୍ଞାନ । ଆକୁଳେ କରନ୍ତି ରୋଦନ ।। ୯୧
ଭୋନାଥ ମୋର ପ୍ରାଣନାହା । ମୋତେ ଦେଖାଅ କିମ୍ପା ଏହା ।। ୯୨
କପଟେ ମୁଦ୍ରିତ ଲୋଚନ । ଶ୍ୱାସ ବହଇ ଅତି କ୍ଷୀଣ ।। ୯୩
ତୁ କାଳ ବିହନ୍ତା ଈଶ୍ୱର । ଏ ତୋର ମାୟା ଖେଡଘର ।। ୯୪
ସ୍ଥିତି ଉତ୍ପତ୍ତି କରୁ ନାଶ । ତୁ ମାତ୍ର ରହୁ ଅବଶେଷ ।। ୯୫
ତୁ ସର୍ବକାରଣ ମୁରାରି । କାର୍ଯ୍ୟ କାରଣେ ଦେହ ଧରି ।। ୯୬
ତୁ କାଳ ରୂପୀ ଭଗବାନ । ଅନ୍ତେ ସକଳ କରୁ ଲୀନ ।। ୯୭
ଭୋ ଯୋଗେଶ୍ୱର ତୋ ମହିମା । ନ ଜାଣି ପାରେ ହରବ୍ରହ୍ମା ।। ୯୮
ଯା ନାମେ ମୃତ୍ୟୁଭୟ ନାଶେ । ମୃତ୍ୟୁ ଅମୃତ୍ୟୁ ପରକାଶେ ।। ୯୯
ଏବେ କପଟେ ମୃତ୍ୟୁ ଭୟେ । ମୋତେ ଦେଖାଅ ମାୟାମୋହ ।। ୧୦୦
ଏ ମାୟାମୋହ ଦ୍ୱନ୍ଦ୍ୱ-ପାଶ । ପ୍ରତେଜି ତୁମ୍ଭ ପ୍ରତିଆଶ ।। ୧୦୧
ଏବେ ଉପେକ୍ଷି ବନ ଘୋରେ । ତେଜିଣ ଗଲ ନିଜପୁରେ ।। ୧୦୨
ମୁଁ ଯେ ନିରତେ ଅପରାଧୀ । ତୋ ପାଦେ ନ ସେବି ଦୁର୍ବୁଦ୍ଧି ।। ୧୦୩
ସେ ଅପରାଧ ଦୋଷେ ମୋତେ । ଏବେ ତେଜିଲ ଦୁଃଖ ଚିତ୍ତେ ।। ୧୦୪
ତୁମେ ଯେ ମୋର ମନ ଦୁଃଖେ । ବହ ସୁଦୟା-ଭାବ ସୁଖେ ।। ୧୦୫
ଭୋ ସଖି ନ ତେଜିବି ତୋତେ । ଯାବତ ପ୍ରାଣ ଦେହଗତେ ।। ୧୦୬
ସେ ଆଜ୍ଞା ଅଭାଗ୍ୟେ ମୋହର । ଏବେ ଫଳିଲା ଯୋଗେଶ୍ୱର ।। ୧୦୭
ଏ ରୂପେ ବିଳପେ ସୁନ୍ଦରୀ । ଶୋକସାଗରେ ତନୁଘାରି ।। ୧୦୮
ସେ ଅର୍ଚ୍ଚିଦେବୀ ଜ୍ଞାନବତୀ । ତକ୍ଷଣେ ଧୀର କରି ମତି ।। ୧୦୯
ପର୍ବତ-ପ୍ରାନ୍ତେ ଚିତା କଲେ । ସ୍ୱାମୀଙ୍କି ତହିଁ ନିବେଶିଲେ ।। ୧୧୦
ମୁଖାଗ୍ନି କରି ବିଧିମତେ । ସ୍ନାନ ଉଦକ କ୍ରିୟା ଯେତେ ।। ୧୧୧
ସୂର୍ଯ୍ୟଙ୍କୁ କରି ଅର୍ଘ୍ୟଦାନ । ଯେ କର୍ମ ଯେ ବିଧି ବିଧାନ ।। ୧୧୨
ଦେବଙ୍କୁ କରି ନମସ୍କାର । ସଂପୁଟେ ଯୋଡି ବେନିକର ।। ୧୧୩
ଏ ସର୍ବ ସାରିଣ ସୁନ୍ଦରୀ । ଅଗ୍ନିକୁ ପ୍ରଦକ୍ଷିଣ କରି ।। ୧୧୪
ପ୍ରବେଶ ଅଗ୍ନି ମଧ୍ୟେ ଯାଇ । ଦେବେ ଦେଖନ୍ତି ଶୂନ୍ୟେ ଥାଇ ।। ୧୧୫
ସିଦ୍ଧ ଚାରଣ ବିଦ୍ୟାଧର । ଇନ୍ଦ୍ରାଦି ଯେତେ ଅନୁଚର ।। ୧୧୬
ଯେ ଯାହା ମତେ କରି ସ୍ତୁତି । ଆନନ୍ଦେ ପୁଷ୍ପ ବରଷନ୍ତି ।। ୧୧୭
ଦୁନ୍ଦୁଭି ବାଦ୍ୟ-ନାଦ କରି । ରଙ୍ଗେ ନାଚନ୍ତି ଅପସରୀ ।। ୧୧୮
ମଙ୍ଗଳାଳାପେ ଶୁଦ୍ଧ-କାଳେ । ସେ ପତିପତ୍ନୀ ଏକମେଳେ ।। ୧୧୯
ଆକାଶେ ଯାନ୍ତି ଦେବଯାନେ । ଯେହ୍ନେ ତଡିତ ନବଘନେ ।। ୧୨୦
ଦେବେ ଆନନ୍ଦେ ସ୍ତୁତି ଭଣି । ଶିରେ ନିବେଶି ବେନିପାଣି ।। ୧୨୧
ପ୍ରଶଂସି ଦେବୀ ଜଣେ ଜଣେ । ଆନନ୍ଦେ ଅଶ୍ରୁଳ ଲୋଚନେ ।। ୧୨୨
ଧନ୍ୟ ସାଧବୀ ପତିବ୍ରତା । ସ୍ୱାମୀ-ସେବାରେ ଅନୁରତା ।। ୧୨୩
ତେଜିଣ ଅଚଳ-ବିଭୂତି । ସ୍ୱାମୀର ସଙ୍ଗତେ ଚଳନ୍ତି ।। ୧୨୪
ଯେଣୁ ଏ ପୂର୍ବେ ତପ କଲେ । ତେଣୁ ଦେବଙ୍କ ଉର୍ଦ୍ଧ୍ୱେ ଗଲେ ।। ୧୨୫
ଯେସନେ ଲକ୍ଷ୍ମୀନାରାୟଣ । ଏ ବେନି ଦିଶନ୍ତି ତେସନ ।। ୧୨୬
ଲକ୍ଷ୍ମୀ ସଦୃଶ ଏ ଯୁବତୀ । ଲଭିଲେ ଏକାଙ୍ଗ ଭକତି ।। ୧୨୭
ଯେଣୁ ସୁକର୍ମ କରିଛନ୍ତି । ତେଣୁ ଲଭିଲେ ନିଜପତି ।। ୧୨୮
ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି । ଅଳ୍ପ-ଆୟୁଷ ପ୍ରାଣୀ ଜନ୍ମି ।। ୧୨୯
ସ୍ୱଧର୍ମ-କର୍ମ ଆଦରନ୍ତି । ସକଳ ଆପଦୁ ତରନ୍ତି ।। ୧୩୦
ନିଷ୍ପାପ ଅଟେ ଯେଉଁ ନର । ସ୍ୱର୍ଗାପବର୍ଗ ନୋହେ ଦୂର ।। ୧୩୧
ଏଣୁ ନିଷ୍କାମ ଯାର ମତି । ସେ ଲଭେ ଏକାନ୍ତ ଭକତି ।। ୧୩୨
ସ୍ୱର୍ଗାଦି ଭୋଗ କିବା ତାର । ଯହିଁ ବସନ୍ତି ଭକ୍ତ ନର ।। ୧୩୩
କୃଷ୍ଣ-ଚରିତ ନିତ୍ୟେ ଭାବି । ରୋମ ପୁଲକେ ଅଶ୍ରୁ ଦ୍ରବି ।। ୧୩୪
ନିର୍ମଳ ହୋଏ ବୁଦ୍ଧି ମତି । ଅଜ୍ଞାନ ମୋହ ବିନାଶନ୍ତି ।। ୧୩୫
ଏ ଭାବ ନ ଘେନେ ଯା ଚିତ୍ତ । ସେ ଦୁଃଖସାଗରେ ପୀଡିତ ।। ୧୩୬
ସେ ଆତ୍ମାବୋଧେ ଭାଗୀହୋଇ । ଯେ ନିତ୍ୟେ ବିଷୟେ ମଜ୍ଜଇ ।। ୧୩୭
ଏମନ୍ତେ ଶୁଣ ହେ ବିଦୁର । ସେ ଦେବ କାମିନୀ ବିଚାର ।। ୧୩୮
ସେ ଅର୍ଚ୍ଚିଦେବୀଙ୍କି ସ୍ତୁବନ୍ତି । ପ୍ରବେଶ ପତିଲୋକେ ସତୀ ।। ୧୩୯
ସେ ପୃଥୁ ଭକତ-ଉତ୍ତମ । ଯାହାଙ୍କ ଚରିତ ଉଦ୍ଦାମ ।। ୧୪୦
ବର୍ଣ୍ଣିଲୁ ତାହାଙ୍କ ଚରିତ । ଶ୍ରବଣେ ହୁଅ ଶୁଦ୍ଧଚିତ୍ତ ।। ୧୪୧
ସେ ପୃଥୁ ପୁଣ୍ୟ-ଉପାଖ୍ୟାନ । ଶ୍ରଦ୍ଧାରେ ପଢନ୍ତି ଯେ ଜନ ।। ୧୪୨
ସେ ପୃଥୁ ପଦକୁ ଲଭନ୍ତି । ଜନ୍ମ ମରଣୁ ନିସ୍ତରନ୍ତି ।। ୧୪୩
ଏ ଚାରିବର୍ଣ୍ଣ ମଧ୍ୟଗତେ । ପଢନ୍ତି ଶୁଣନ୍ତି ଯେ ନିତ୍ୟେ ।। ୧୪୪
ତା ସର୍ବକାମ ସିଦ୍ଧି ହୋଏ ସିଦ୍ଧି । ସକଳ-ବର୍ଣ୍ଣେ ସେ ପ୍ରସିଦ୍ଧି ।। ୧୪୫
ଯେ ବିପ୍ରଜନ ଏହା ପଢେ । ବ୍ରହ୍ମପଦକୁ ଲଭେ ଦୃଢ଼େ ।। ୧୪୬
କ୍ଷତ୍ରିୟ କଲେ ଅଧ୍ୟୟନ । ରାଜତ୍ୱ ପଣେ ସେ ନିପୁଣ ।। ୧୪୭
ଗାୟନ କଲେ ବୈଶ୍ୟଜନ । କୃଷ୍ୟାଦି କାଣିଜ୍ୟେ ନିପୁଣ ।। ୧୪୮
ସେ ଜ୍ଞାନୀଜନେ ଶ୍ରେଷ୍ଠ ହୋଇ । ଧର୍ମାଥୀଜୀବନେ ଜୀଅଇ ।। ୧୪୯
ଶ୍ରବଣେ ଶୂଦ୍ର ହୋଏ ସୁଖୀ । ଭକତ ମଧ୍ୟେ ତାକୁ ଲେଖି ।। ୧୫୦
ତ୍ରିକାଳ ଶ୍ରବଣ କୀର୍ତ୍ତନେ । ଯେ ନରନାରୀ ଶୁଦ୍ଧମନେ ।। ୧୫୧
ସକଳ-କାମାର୍ଥ ଲଭନ୍ତି । ଭୋଗାନ୍ତେ ଦୈକୁଣ୍ଠେ ବସନ୍ତି ।। ୧୫୨
ନିର୍ଦ୍ଧନ-ଅପୁତ୍ରିକ-ଜନ । ଲଭେ ଅପତ୍ୟ ବହୁ-ଧନ ।। ୧୫୩
ଅକୀର୍ତ୍ତମନ୍ତ ଯେବା ଜନ । ଶ୍ରବଣେ ଲଭେ କୀର୍ତ୍ତିମାନ ।। ୧୫୪
ସେ ଣ୍ୟେ ପୃଥୁର ଚରିତ । ଶ୍ରବଣେ ମୂର୍ଖ ସୁପଣ୍ତିତ ।। ୧୫୫
ଯେ ପ୍ରତିଦିନେ ଅଧ୍ୟୟନ୍ତି । ଅଶୁଭ କର୍ମ ବିନାଶନ୍ତି ।। ୧୫୬
ଯଶ ଆୟୁଷ ଧନ ଆର । ଶ୍ରବଣେ ବଢ଼େ ନିରନ୍ତର ।। ୧୫୭
ଅପରେ ଧର୍ମ ଅର୍ଥ ଚାରି । ଲଭନ୍ତି ତ୍ରିତାପ ନିବାରି ।। ୧୫୮
ଯେବେ କ୍ଷତ୍ରିୟ ରିପୁ ଭୟେ । ଶ୍ରବଣେ ଚତୁର୍ଦ୍ଦିଗ ଜୟେ ।। ୧୫୯
ଏ ସର୍ବ କର୍ମଫଳ ପାଇ । ଯେ ଅବା ନିରତେ ଶୁଣଇ ।। ୧୬୦
ଏ ପୁଣ୍ୟ ପୃଥୁର ଚରିତ । ସଦ୍ୟ ବିଶୁଦ୍ଧ ହୋଏ ଚିତ୍ତ।। ୧୬୧
ପଠନ କରେ ଯେବା ପ୍ରାଣୀ । ସୁସାଧୁ ମଧ୍ୟେ ତାକୁ ଗଣି ।। ୧୬୨
ଯେ ମୁଖେ କରନ୍ତି ଗାୟନ । ବିଶୁଦ୍ଧ ହୋଏ ବୁଦ୍ଧି ମନ ।। ୧୬୩
ତାର ଅଶେଷ ପୁଣ୍ୟମୟେ । ବିପ୍ର କଲ୍ୟାଣେ ତାର ହୋଏ ।। ୧୬୪
ବ୍ରାହ୍ମଣ-ମୁଖୁ ଯେବେ ଶୁଣି । ଅନ୍ୟତ୍ରୁ ଚତୁର୍ଗୁଣ ଜାଣି ।। ୧୬୫
ବିପ୍ର-ପୂଜନେ ହରି ତୋଷ । ତାଙ୍କୁ ନ ଲାଗେ ଗୁଣ-ଦୋଷ ।। ୧୬୬
ଶୁଣ ବିଦୁର ସାବଧାନେ । ସେ ପୃଥୁ ଚରିତ ଆଖ୍ୟାନେ ।। ୧୬୭
ଅମୃତ ରସମୟ ଗୀତ । ଶ୍ରବଣେ ନିସ୍ତରେ ପତିତ ।। ୧୬୮
ପାର୍ଥବୀ ଗତି ହୋଏ ତାର । ସ୍ୱର୍ଗାପବର୍ଗ ନୋହ ଦୂର ।। ୧୬୯
ଏ ମୋହ-ସଂସାର ତାରଣେ । ଅନ୍ୟଥା ନାହିଁ ଉଦ୍ଧାରଣେ ।। ୧୭୦
ଚତୁର୍ଥ ସ୍କନ୍ଧେ ଭାଗବତ । ତ୍ରିବିଂଶ-ଅଧ୍ୟାର ଚରିତ ।। ୧୭୧
ମୈତ୍ରେୟ-ବିଦୁର ସମ୍ବାଦ । ଶ୍ରବଣେ ଖଣ୍ତଇ ଆପଦ ।। ୧୭୨
ଶୁଣନ୍ତେ ତୁଟେ ଭବବ୍ୟାଧି । ଶ୍ରବଣେ ପାପ-ବନ୍ଧ ଛେଦି ।। ୧୭୩
ହରି-ଚରଣ ଆଶ୍ରେ କର । ସକଳ-ପାପ ହେବ ଦୂର ।। ୧୭୪
ସୁଜନେ ଏହି ରସେ ରସ । ଭଣଇ ଜଗନ୍ନାଥ ଦାସ ।। ୧୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସିଂହତାୟାଂ ଚତୁର୍ଥ ସ୍କନ୍ଧେ ତ୍ରୟବିଂଶୋଽଧ୍ୟାୟଃ ।।

ଚତୁର୍ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଯେ ପଞ୍ଚ ପୃଥୁଙ୍କ କୁମର ।। ୧
ବିଜିତଅଶ୍ୱ ନାମ ଯାର । ବସିଲା ନୃପାସନେ ବୀର ।। ୨
ତାର ଅନୁଚାଜା-ତରି ଭ୍ର । ରାଜ୍ୟ-ବିଭାଜେ ଯଥୋଚିତ ।। ୩
ଉତ୍ତର ଦକ୍ଷିଣ ପଶ୍ଚିମେ । ପୂର୍ବାଦି ଚାରି ଅନୁକ୍ରମେ ।। ୪
ହର୍ଯ୍ୟାକ୍ଷ ନାମେ ଯେ କୁମର । ତାହାକୁ ପୂର୍ବେ ଅଧିକାର ।। ୫
ଧୂମ୍ରକେଶକୁ ଦେଲେ ଭୂପ । ଦକ୍ଷିଣଦିଗେ ସେ ଅଧିପ ।। ୬
ପଶ୍ଚିମେ ବୃକ ନୃପରାଣ । ଉତ୍ତର ଦିଗେଣ ଦ୍ରବିଣ ।। ୭
ବିଜିତଅଶ୍ୱ ନାମ ଯାର । ସେ ଜ୍ୟେଷ୍ଠ ପୃଥୁଙ୍କ କୁମର ।। ୮
ଦ୍ୱିତୀୟେ ଅନ୍ତର୍ଦ୍ଧାନ ନାମ । ତାହାକୁ ଦେଲେ ସୁରୋତ୍ତମ ।। ୯
ଶୁଣି ବିଦୁର ହରଷିତ । ନାମେ ମୈତ୍ରେୟ ପାଦଗତ ।। ୧୦

ବିଦୁର ଉବାଚ

କିମର୍ଥେ ଅନ୍ତର୍ଦ୍ଧାନ ନାମ । ତାହାକୁ ଦେଲେ ମଘବାନ ।। ୧୧
ଏ ବଡ ସଂଶୟ ମୋ ଚିତ୍ତ । ଭୋ ମୁନି କହିବା ତଦନ୍ତ ।। ୧୨
ଏମନ୍ତ ତାର ବାକ୍ୟ ଶୁଣି । କହେ ମୈତ୍ରେୟ ମହାମୁନି ।। ୧୩

ମୈତ୍ରେୟ ଉବାଚ

ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତ । ଅମୃତ ପୃଥୁର ଚରିତ ।। ୧୪
ଶ୍ରବଣେ ଇଚ୍ଛା ଯେବେ ତୋର । କହିବା ସେ ପୂର୍ବ ବିଚାର ।। ୧୫
ପୃଥୁ ଯେ ଅଶ୍ୱମେଧ କଲେ । ସକଳ ଦେବଙ୍କୁ ବରିଲେ ।। ୧୬
ଯଜ୍ଞେ ପୂଜିଲେ ଭଗବାନ । ବେଦୋକ୍ତ କର୍ମେ ଧରି ମନ ।। ୧୭
ଯଜ୍ଞ-ବିଧାନେ ବିଧି ଯେତେ । ସମ୍ଭାର କରି ନାନାମତେ ।। ୧୮
ଏମନ୍ତେ ଯଜ୍ଞାହୁତି କାଳେ । ଅଶ୍ୱ ହରିଲା ଇନ୍ଦ୍ର ଛଳେ ।। ୧୯
ବିଜିତଅଶ୍ୱ ତାହା ଜାଣି । ଇନ୍ଦ୍ର ନ ମାରି ଅଶ୍ୱ ଆଣି ।। ୨୦
ତା ଦେଖି ତୋଷେ ପୁରନ୍ଦର । ଭୋ ବୀର ବେଗେ ମାଗ ବର ।। ୨୧
ତା ଶୁଣି ସେ ପୃଥୁ ନନ୍ଦନ । ଅତି ଆନନ୍ଦେ ତୋଷମନ ।। ୨୨
ମୋହର ବରେ କାର୍ଯ୍ୟ ନାହିଁ । ଯେବେ ଯାଚିଲ ସୁରସାଇଁ ।। ୨୩
ଏ ତୋର ଅନ୍ତର୍ଦ୍ଧନ ଗତି । ପ୍ରସନ୍ନେ ଦିଅ ଶଚୀପତି ।। ୨୪
ଶୁଣି ସନ୍ତୋଷ ମଘବାନ । ତାହାକୁ ଦେଲେ ଅନ୍ତର୍ଦ୍ଧାନ ।। ୨୫
ସେ ଘେନି ଅନ୍ତର୍ଦ୍ଧନ ନାମ । ଜଗତେ କରନ୍ତି ଗାୟନ ।। ୨୬
ସେ ବୀର ନିଜ ରାଜ୍ୟେ ରାଜା । ଧର୍ମେ ପାଳଇ ଜନ ପ୍ରଜା ।। ୨୭
ତାର ଶିଖଣ୍ତୀ ନାମେ ନାରୀ । ରୂପେ କାମିନୀ ମନୋହାରୀ ।। ୨୮
ତାହାର ଗର୍ଭେ ନୃପ-ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ମହାତେଜେ ।। ୨୯
ପାବକ ପବମାନ ଶୁଚି । ତେଜ ଶରୀର ଶୁଭ୍ରରୁଚି ।। ୩୦
ଅଗ୍ନି ଯେ ବଶିଷ୍ଠ ଶାପରୁ । ଜନ୍ମିଲେ ଏ ତିନି ଯୋଗରୁ ।। ୩୧
ଆର ଯେ ପତ୍ନୀ ନଭସ୍ୱତୀ । ସେ ଅନ୍ତର୍ଦ୍ଧାନର ଯୁବତୀ ।। ୩୨
ତାହାର ଗର୍ଭେ ଯେ କୁମର । ହବିର୍ଦ୍ଧାନ ନାମ ତାହାର ।। ୩୩
ତାହାକୁ କଲେ ସେ ନୃପତି । ତା ଅଶେ ରାଜାର ସନ୍ତତି ।। ୩୪
ସେ ଅନ୍ତଦ୍ଧାନ ନୃପରାୟେ । ବିଷୟଭୋଗ ନ ଯୋଗାଏ ।। ୩୫
ସେ ଜ୍ଞାନ-ବୈରାଗ୍ୟେ ନୃପତି । ତେଜିଣ ଅଚଳ ବିଭୂତି ।। ୩୬
ମନେ ବିଚାରେ ନୃପରାଣ । ଏ ସର୍ବ ଅନର୍ଥ କାରଣ ।। ୩୭
ରାଜସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ଧର୍ମ ନ ଜାଣଇ ।। ୩୮
କରଇ ଶତ୍ରୁ-ମିତ୍ରଭାବ । ସକଳ-ଘେଟ ଏକ -ଜୀବ ।। ୩୯
ରାଜତ୍ୱ-ଧର୍ମେ କ୍ରୋଧ ବହି । ପ୍ରଜା ପୀଡ଼ନ୍ତି ଧନ ପାଇଁ ।। ୪୦
ଅଧର୍ମ-ମାର୍ଗେ ନ୍ୟନ୍ତି ବଳେ । ପ୍ରଜା କ୍ଷୋଭିତ କ୍ଷୁଧାକୁଳେ ।। ୪୧
ପ୍ରଜାବିନାଶେ ଘୋର-ପାପ । ନରକେ ପଡନ୍ତି ଅଧିପ ।। ୪୨
ପୋଡୁ ଏ ରାଜ୍ୟେ କାର୍ଯ୍ୟ ନାହିଁ । ଯଜ୍ଞ କରିବା ସୁଖେ ରହି ।। ୪୩
ଯଜ୍ଞର ଛଳେ ସେ ରାଜନ । ତେଜିଲେ ନୃପ ସିଂହାସନ ।। ୪୪
ନିଷ୍କାମ-ପଥ ଆଶ୍ରେ କଲେ । ପରମ ପୁରୁଷ ଭଜିଲେ ।। ୪୫
ସେ ହଂସଦୀକ୍ଷାରେ ରାଜନ । ଗମିଲେ ବୈକୁଣ୍ଠ ଭୁବନ ।। ୪୬
ସେ ହବିର୍ଦ୍ଧାନ ତା କୁମର । ବସିଳା ନୃପାସନେ ବୀର ।। ୪୭
ତା ପତ୍ନୀ ନାମ ହବିର୍ଦ୍ଧାନୀ । ସୁର-ମୋହିନୀ ସୁଲୋଚନୀ ।। ୪୮
ତାହାର ଗର୍ଭେ ଷଡ଼ ସୁତ । ଜନ୍ମିଲେ ତେଜେ ବଳବନ୍ତ ।। ୪୯
ବର୍ହିଷଦ ଯେ ଶୁକ୍କ ସତ୍ୟ । କୃଷ୍ଣ ଗୟ ଯେ ଜିତବ୍ରତ ।। ୫୦
ସେ ହବିର୍ଦ୍ଧାନର ସନ୍ତତି । ମହତ-ଗୁଣ ତାର ଅତି ।। ୫୧
ଏ ଛଅ ମଧ୍ୟେ ବର୍ହିଷଦ । ହୋଇଲେ ଭୂପ ଭାଗ୍ୟବନ୍ତ ।। ୫୨
ସୌଭାଗ୍ୟବାନ ପ୍ରଜାପତି । ରଖିଲେ ଜଗତରେ ଖ୍ୟାତି ।। ୫୩
ହୋଇଲେ ଶୁଭକାର୍ଯ୍ୟେ ବ୍ରତୀ । ପ୍ରାଣାୟାମାଦି ଯୋଗେ ରତି ।। ୫୪
ସେ ଭାଗ୍ୟବନ୍ତ ଦଣ୍ତଧର । ତା ଯଶ ତ୍ରୈଲୋକ୍ୟେ ବିସ୍ତାର ।। ୫୫
ସେ କ୍ରିୟାକାଣ୍ତରେ ନିପୁଣ । ଅଦ୍ଭୁତ ତାର କର୍ମମାନ ।। ୫୬
ଯେ କର୍ମ କଲା ଏ ଜଗତେ । ଶୁଣ ବିଦୁର କହୁଁ ତୋତେ ।। ୫୭
ଭୂତ ଭବିଷ୍ୟ ବର୍ତ୍ତମାନେ । ନ ଦେଖି ଏ ତିନି ଭୁବନେ ।। ୫୮
ତା ଯଜ୍ଞେ ପ୍ରାଚୀ-ନଗ୍ର ସ୍ଥଳ । କୁଶେ ଆଚ୍ଛାଦିଲା ସକଳ ।। ୫୯
ଏଣୁ ତା ନାମ ମହୀତଳେ । ପ୍ରାଚୀନ-ବରହିଷ ବୋଲେ ।। ୬୦
ସେ ଯେ ପ୍ରାଚୀନ ମହୀପତି । ବିବାହ ସମୁଦ୍ର ଦୁହିତୀ ।। ୬୧
ସେ ଶତଦ୍ରୁତି କନ୍ୟା ସାର । ତ୍ରୈଲୋକ୍ୟେ ନାହିଁ ପଟାନ୍ତର ।। ୬୨
ତାର ଚରିତ ପୂର୍ବ-କଥା । ହୋଇଲା ଯେବଣ ବ୍ୟବସ୍ଥା ।। ୬୩
ବ୍ରହ୍ମା ତାହାର ପୁରେ ଆସି । କନ୍ୟାକୁ କହିଲେ ବିଶ୍ୱାସି ।। ୬୪
ବ୍ରହ୍ମା ବଚନେ ସିନ୍ଧୁପତି । ରାଜାରେ ବରିଲେ ଦୁହିତୀ ।। ୬୫
ସେ ଯେ ପ୍ରାଚୀନ ନୃପବରା । ବିଭା-ସଂଯୋଗେ କନ୍ୟାବର ।। ୬୬
ଅଗ୍ନି-ପ୍ରଦକ୍ଷିର କରନ୍ତେ । ଯେହ୍ନେ ଚଣ୍ତାଂଶୁ ଭୂମିଗତେ ।। ୬୭
ସେ କନ୍ୟା ରୂପେ ହୁତାଶନ । ଅନଙ୍ଗେ ହୋଇଲା ଅଧୀନ ।। ୬୮
ସପ୍ତର୍ଷି-ଯଜ୍ଞେ ଋଷିପତ୍ନୀ । ଦେଖି କାମୁକ ହେଲେ ଅଗ୍ନି ।। ୬୯
ତାହାଙ୍କ ପତ୍ନୀ ସ୍ୱାହା ଜାଣି । ଋଷିପତ୍ନୀଙ୍କ ରୂପ ଘେନି ।। ୭୦
ଅଗ୍ନିଙ୍କଠାରେ ଉଭା ହେଲେ । ଅଗ୍ନି ଯେ ଆଲିଙ୍ଗନ କଲେ ।। ୭୧
ଏହି ପ୍ରକାରେ ହୁତାଶନ । ଶତଦ୍ରୁତିର ପ୍ରେମେ ମଗ୍ନ ।। ୭୨
ସେ ଶତଦ୍ରୁତି ରୂପବତୀ । ଚରଣେ ନୂପୁର ଶୋଭନ୍ତି ।। ୭୩
ସେ ମତ୍ତ ଦ୍ୱିରଦ ଗାମିନୀ । ଚରଣେ ନୂପୁର ବାଜେଣି ।। ୭୪
ଶ୍ରବଣେ ଅନଙ୍ଗ ପୀଡ଼ିତ । ମୂର୍ଖ ପଣ୍ତିତ ଶୂରବନ୍ତ ।। ୭୫
ତା ରୂପ ଦେଖି ବୁଦ୍ଧଜନେ । ମୋହେ ପଡ଼ିଲେ ହତଜ୍ଞାନେ ।। ୭୬
ଅମର କିନ୍ନର ଉରଗ । ସିଦ୍ଧ ଚାରଣ ଖଗମୃଗ ।। ୭୭
ଇତ୍ୟାଦି ପଶୁଜୀବ ଯେତେ । ତା ରୂପେ ହେଲେ ବିମୋହିତେ ।। ୭୮
ତାହାଙ୍କ ତୁଲ୍ୟ ଏ ଜଗତେ । ନ ଦେଖି ସ୍ୱର୍ଗ-ମର୍ତ୍ତ୍ୟଗତେ ।। ୭୯
ପ୍ରାଚୀନବରହି ରାଜନ । ତାରୂପେ ହୋଇଲା ଅଧୀନ ।। ୮୦
ସକଳ-ଧର୍ମ ପରିହରି । ତା ବଶେ ନିତ୍ୟେ ଦଣ୍ତଧାରୀ ।। ୮୧
ସେ କ୍ରୀଡାମୃଗ ଜୀବ ପ୍ରାୟ । ତା ବଶେ ଧର୍ମ କଲା କ୍ଷୟ ।। ୮୨
ତା ବିନା-ଆଜ୍ଞାରେ ରାଜନ । ନ କରେ ଅନ୍ୟ କର୍ମମାନ ।। ୮୩
ରାତ୍ର-ଦିବସ ନ ଜାଣିଲା । ତା ଅଙ୍ଗସଙ୍ଗେ ଦିନ ନେଲା ।। ୮୪
ସେ ପତ୍ନୀ-ଗର୍ଭେ ତାର ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ମହାତେଜେ ।। ୮୫
ଦଶକୁମର ଆତ୍ମା ଏକ । ଶୁଭ୍ର ସୁନ୍ଦର ସୁବିବେକ ।। ୮୬
ସମ ଆକୃତି ରୂପ-ବେଶ । ଏକଇ ନାମ ପ୍ରଚେତସ ।। ୮୭
ତାହାଙ୍କୁ ଚାହିଁ ନୃପବର । ବୋଇଲେ ପ୍ରଜା ସୃଷ୍ଟି କର ।। ୮୮
ତକ୍ଷଣେ ପିତା ଆଜ୍ଞା ପାଇ । ସେ ପ୍ରଚେତସ ଦଶ ଭାଇ ।। ୮୯
ତପ-ସାଧନେ ଆଗମନ । ପଥରେ ଭେଟିଲେ ଈଶାନ ।। ୯୦
ବୃଷଭ-ବାହନେ ମହେଶ । ଡ଼ମ୍ବରୁ ବାଦ୍ୟ ନାଦ ଘୋଷ ।। ୯୧
ଶିରେ ସୁଧାଂଶୁ ଶୋଭକର । ଜାହ୍ନବୀ ସ୍ରବେ ଜଟାଭାର ।। ୯୨
ଉଚ୍ଚେ ଉଚାରି ମୁଖେ ନାମ । ରାମ ଗୋବିନ୍ଦ କୃଷ୍ଣ ଶ୍ୟାମ ।। ୯୩
ଗୋବିନ୍ଦ ଗୋପାଳ ଶ୍ରୀହରି । ହେ ହୃଷୀକେଶ ଦଇତ୍ୟାରି ।। ୯୪
ଆନନ୍ଦେ ରୋମ ପୁଲକିତ । ପ୍ରେମ ଗଦ୍‌ଗଦେ ଅଶ୍ରୁପାତ ।। ୯୫
ଏମନ୍ତ ସମୟେ କୁମର । ଦର୍ଶନ କଲେ ଦେବହର ।। ୯୬
ଭେଟିଲେ ପୂର୍ବ ପୁଣ୍ୟ ଫଳେ । ଯା ନାମ ଧରି ଅନ୍ତଃକାଳେ ।। ୯୭
ପ୍ରାଣୀ ତରନ୍ତି ଅଘାର୍ଣ୍ଣବ । ଯେ ଶିବ ଦେବଙ୍କୁ ଦୁର୍ଲ୍ଲଭ ।। ୯୮
ତାହାଙ୍କୁ ଚାହିଁଣ ଗିରୀଶ । ବୋଲନ୍ତି ଶୁଣ ବାଳଶିଷ ।। ୯୯
କାହାର ପୁତ୍ର ତୁମ୍ଭେମାନେ । କି ନାମ ଗୋତ୍ର ବାଞ୍ଛା ମନେ ।। ୧୦୦
ବୟ ଆକୃତି ସମ-ଦୃଶ । ବାଳ ନବୀନ ତୁମ୍ଭେ ଦଶ ।। ୧୦୧
କିମର୍ଥେ ଶ୍ରମେ ଆଗମନ । କହ ସଂଶୟ ତେଜି ମନ ।। ୧୦୨
ସେ ଦେବବାକ୍ୟ ସୁମଧୁର । ଅମୃତ ଜିଣି ସୁଧାକର ।। ୧୦୩
ଶୁଣି ପ୍ରଚେତା ଦଶଭାଇ । ବୋଲନ୍ତି ଶିରେ କର ଦେଇ ।। ୧୦୪
ଶୁଣିମା ପ୍ରଭୁ ଦେବ ଈଶ । ପ୍ରଚେତା ନାମେ ଆମ୍ଭେ ଦଶ ।। ୧୦୫
ସୁପ୍ରାଚୀ ନଗ୍ର ଅଧିପତି । ତା ବୀର୍ଯ୍ୟେ ଆମ୍ଭେ ଉତପତ୍ତି ।। ୧୦୬
ପିତା ବଚନେ ତପ ଅର୍ଥେ । ଅଇଲୁ ପ୍ରାଚୀ ଦିଗ ପଥେ ।। ୧୦୭
କଠୋର-ତପ ସିଦ୍ଧ କରି । ଭାବେ ସେବିବୁ ନରହରି ।। ୧୦୮
ତୁମ୍ଭ ଦର୍ଶନେ ଯୋଗେ ଶ୍ୱର । ଆମ୍ଭ ସଂଶୟ ହେଉ ଦୂର ।। ୧୦୯
ତା ଶୁଣି ଦେବ-ଉମାସାଇଁ । ସନ୍ତୋଷେ ତାଙ୍କୁ ଦୀକ୍ଷା ଦେଇ ।। ୧୧୦
ସେ ତପେ ତୋଷି ଭଗବାନ । ଆନନ୍ଦେ ଗଲେ ନିଜ ସ୍ଥାନ ।। ୧୧୧
ଶୁଣି ବିଦୁର ବିପରୀତ । ପୁଣି ସଂଶୟ କରି ଚିତ୍ତ ।। ୧୧୨
କହେ ମୈତୈୟ ମୁଖ ଚାହିଁ । ଅଦ୍ଭୁତ କହିଲ ଗୋସାଇଁ ।। ୧୧୩
ନର ଅମରେ କାହିଁ ସଙ୍ଗ । କେସନେ ହୋଇଲା ସଂଯୋଗ ।। ୧୧୪
ଏ ବଡ ସଂଶୟ ମୋ ଚିତ୍ତେ । ଭୋ ମୁନି ଫେଡି କହ ମୋତେ ।। ୧୧୫
ଯେ କାଳ ରୁଦ୍ର ରୂପେ ସ୍ଥିତି । ଉତ୍ପତ୍ତି ପାଳିଣ ନାଶନ୍ତି ।। ୧୧୬
ସେ ଯେ ପ୍ରଚେତା ଭାଇ ଦଶ । କିରୂପେ ତାଙ୍କୁ କଲେ ତୋଷ ।। ୧୧୭
ଦେବ ମାନବେ ଭେଟ କାହିଁ । ସେ ଯେ ଭେଟିଲେ ଉମାସାଇଁ ।। ୧୧୮
ଅତି ଦୁର୍ଲ୍ଲଭ ମୋକ୍ଷ ଅଙ୍ଗ । ମନୁଷ୍ୟେ ହୋଇଲା ସଂଯୋଗ ।। ୧୧୯
ବିମୁକ୍ତ-ସଙ୍ଗ ଯୋଗୀଜନେ । ଯାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ ।। ୧୨୦
ଧ୍ୟାନ-ଧାରଣେ ନ ଦେଖନ୍ତି । କେହ୍ନେ ତୋଷିଲେ କାଳମୂର୍ତ୍ତି ।। ୧୨୧
ସେ ଆତ୍ମନିରତ ପୁରୁଷ । ଘୋର ଶକ୍ତିଏ ଯାର ପାଶ ।। ୧୨୨
ସେ ଶିବ ମୃତ୍ୟୁଦଣ୍ତ ଧରେ । ଏ ଚରାଚର ପ୍ରାଣ ହରେ ।। ୧୨୩
ତେଣୁ ସଂଶୟ ମୋର ଚିତ୍ତ । ଭୋମୁନି କହିବା ତଦନ୍ତ ।। ୧୨୪
କି ରୂପେ ତୋଷ ଶୂଳଧର । ବିସ୍ତାରି କହ ମୁନିବର ।। ୧୨୫

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ଯେ ପୂର୍ବ ଆଦ୍ୟନ୍ତ ବିଧାନେ ।। ୧୨୬
ଯେ ଶିବ ଶରୀରେ ଅଶେଷ । ସ୍ଥିତି ପାଳନ କରେ ନାଶ ।। ୧୨୭
କର୍ମାନୁସାରେ ପ୍ରାଣୀଙ୍କର । ସୃଜନ ପାଳନ ସଂହାର ।। ୧୨୮
ଅବିଦ୍ୟା-କର୍ମେ କାଳରୂପୀ । ସେ ଶିବ ମୃତ୍ୟୁରୂପେ ବ୍ୟାପି ।। ୧୨୯
ସୁବିଦ୍ୟା-ଆଚାର ଯାହାର । ତାଙ୍କୁ ପ୍ରସନ୍ନ ଶୂଳଧର ।। ୧୩୦
ସମ-ବିଷମ ତାଙ୍କ ନାହିଁ । ମିତ୍ର-ଅଇରି ଅବା କାହିଁ ।। ୧୩୧
ଏଣୁ ସେମତେ ଯେ ଭାବନ୍ତି । ଏ ଘୋର-ମୃତ୍ୟୁ ନିସ୍ତରନ୍ତି ।। ୧୩୨
ସେ ଯେ ପ୍ରଚେତା ଭାଇ ଦଶ । ପିତା ବଚନେ ଯେଣୁ ତୋଷ ।। ୧୩୩
ତପ ସାଧନେ ଆଗମନ । ତେଜି ଅଚଳ-ଭୋଗମାନ ।। ୧୩୪
ସମୁଦ୍ର ନିକଟେ ମିଳିଲେ । ସୁରସ୍ୟ-ସରସୀ ଦେଖିଳେ ।। ୧୩୫
ସେ ଜଳ ଅତ୍ୟନ୍ତ ନିର୍ମଳ । ଦର୍ଶନେ ହରେ ତୃଷାକୁଳ ।। ୧୩୬
ସୁଖ ଆନନ୍ଦ ଶୀତକର । ଅମୃତ-ତୁଲ୍ୟ ସୁମଧୁର ।। ୧୩୭
ନିର୍ମଳ ଯେହ୍ନେ ସାଧୁମନ । ତେସନ ଦିଶଇ ଶୋଭନ ।। ୧୩୮
ପୁଷ୍ପ ସମୂହେ ବିରାଜନ୍ତି । ଯେହ୍ନେ ଆକାଶେ ଗ୍ରହପନ୍ତି ।। ୧୩୯
ପ୍ରସନ୍ନ ଛଳେ ସୁମଞ୍ଜୁଳ । ନାନାଦି ବର୍ଣ୍ଣେ ଯହିଁ ଠୁଳ ।। ୧୪୦
ନୀଳଉତ୍ପଳ ଆଦି କରି । ପୁଷ୍ପ ସମୂହେ ଛନ୍ତି ପୂରି ।। ୧୪୧
ପଙ୍କଜ-ଅରୁଣ ପ୍ରକାଶେ । ଶୋଭନ୍ତି ଇନ୍ଦୀବର ପାଶେ ।। ୧୪୨
ସେ ଜଳେ ନାନା ପକ୍ଷୀ କୁଳେ । କ୍ରୀଡ଼ନ୍ତି କାମେ ମତ୍ତଭୋଳେ ।। ୧୪୩
ହଂସ ସାରସ ଚକ୍ରବାକ । କାରଣ୍ତବ ବକ ଡାହୁକ ।। ୧୪୪
ମତ୍ତ ଭ୍ରମରେ ସ୍ୱନ ଦ୍ୟନ୍ତି । ଆନନ୍ଦେ ମଧୁପାନେ ମାତି ।। ୧୪୫
ତୀରେ ଶୋଭନ୍ତି ତରୁଗଣେ । ବିବିଧ ଲତା ଆଚ୍ଛାଦନେ ।। ୧୪୬
ଶୁକ କୋକିଳ ପକ୍ଷୀଗଣେ । ସୁସ୍ୱର ନାଦେ ଅନୁକ୍ଷଣେ ।। ୧୪୭
ପଦ୍ମକେଶର ରଜ ନେଇ । ଶୀତଳ-ପବନ ବହଇ ।। ୧୪୮
ସୁଗନ୍ଧ ପୁଷ୍ପ ସୌରଭରେ । ଯେ ଦିଗ ବିଦିଗ ପ୍ରସରେ ।। ୧୪୯
ସେ ଗନ୍ଧବାୟୁ ଘ୍ରାଣେ ମୋଦ । ସୁଖେ ସଙ୍ଗୀତ ବାଦ୍ୟନାଦ ।। ୧୫୦
ତାଳ ମୃଦଙ୍ଗ ଯନ୍ତ୍ର ବୀଣା । ସ୍ୱର ମୂର୍ଚ୍ଛନା ନିର୍ଘୋଷଣା ।। ୧୫୧
ଗନ୍ଧର୍ବେ ଗାବନ୍ତି ଆନନ୍ଦେ । ସଙ୍ଗେଣ ଅପସରୀ ବୃନ୍ଦେ ।। ୧୫୨
ବୃଷଭ ଆରୋହୀ ମହେଶ । ସେ ଜଳେ ହୋଇଲେକ ଦୃଶ୍ୟ ।। ୧୫୩
ଦେଖି ପ୍ରଚେତା ଦଶ ଭାଇ । ରୋମ ପୁଲକେ ଅଶ୍ରୁ ଦେହୀ ।। ୧୫୪
ବେନି ପାରୁଶେ ଦେବ ଗଣେ । ସ୍ତୁବନ୍ତି ବିବିଧ-ସ୍ତବନେ ।। ୧୫୫
ପ୍ରସାଦ-ମୁଖ ସୁପ୍ରସନ୍ନ । ସେ ଦେବ ଦେବ ତ୍ରିଲୋଚନ ।। ୧୫୬
ତପ୍ତ କାଞ୍ଚନ ପ୍ରାୟ କାନ୍ତି । ରତ୍ନ-ସମୂହେ ବିରାଜନ୍ତି ।। ୧୫୭
ସୁଗ୍ରୀବ କଣ୍ଠ ସୁଶୋଭନ । ସୁନୀଳ ପ୍ରଭା ତ୍ରିଲୋଚନ ।। ୧୫୮
ଏମନ୍ତ ସମୟେ କୁମରେ । ଦେଖି ସାନନ୍ଦ ସୁଖଭରେ ।। ୧୫୯
ସତ୍ୱରେ ଦଣ୍ତବତ କଲେ । ପ୍ରସନ୍ନ-ରକ୍ଷଣ ବୋଇଲେ ।। ୧୬୦
ଭୋ ଧର୍ମରକ୍ଷଣ ଈଶାନ । ତୋ ପାଦେ ନ ସେବି ଅଜ୍ଞାନ ।। ୧୬୧
ପ୍ରାଣୀ ବୃଜିନ-ଦୁଃଖାନଳେ । ଦଗ୍ଧ-ସନ୍ତପ୍ତ ମହାକୁଳେ ।। ୧୬୨
ଦାରା-ତନୟ ସ୍ନେହେ ଜଡି । ଦୁଃଖ-ସଙ୍କଟେ ନିତ୍ୟେ ପଡି ।। ୧୬୩
ଏ ଘେନି ତୋ ପାଦ-କମଳେ । ତା ଚିତ୍ତ ନ ରହେ ନିଶ୍ଚଳେ ।। ୧୬୪
ତୁ ନାଥ ଭକତ-ସୋଦର । ଅଧମ ଦୀନ ତାପ ହର ।। ୧୬୫
ତୋ ନାମ ଭଜନ୍ତି ଯେ ନିତ୍ୟେ । ସେ ତରି ତାରନ୍ତି ଜଗତେ ।। ୧୬୬
ଏମନ୍ତେ ପ୍ରଚେତାଙ୍କ ବାଣୀ । ଶୁଣି ସନ୍ତୋଷ ଶୂଳପାଣି ।। ୧୬୭
ପ୍ରସନ୍ନ-ଚିତ୍ତେ ଶୂଳହସ୍ତ । ଦେଖି ତାହାଙ୍କ ଶୀଳବନ୍ତ ।। ୧୬୮
କହନ୍ତି ପ୍ରଚେତସମାନେ । ଜାଣିଲୁ ତୁମ୍ଭ ମନ ଜ୍ଞାନେ ।। ୧୬୯
ତେଣୁ ଦର୍ଶନ ଦେଲୁ ଆଗେ । ଭୋପୁତ୍ରେ ବର ମାଗ ବେଗୋ ।। ୧୭୦
ଶୁଣି ସାନନ୍ଦ ପ୍ରଚେତସ । ଯେହ୍ନେ ଆପ୍ୟାନେ ସୁଧାରସ ।। ୧୭୧
ସତ୍ୱରେ ଦଣ୍ତବତେ ପଡି । କହନ୍ତି ଶିରେ କରଯୋଡି ।। ୧୭୨
ଭୋ ପ୍ରଭୁ ତୋ ପଦ-କମଳେ । ନ ଭଜି ମଜ୍ଜିଲୁ ଶୟଳେ ।। ୧୭୩
ବିଫଳେ ଗଲା ଆମ୍ଭ ଦିନ । ତୋ କୃପା ବିହୀନେ ଈଶାନ ।। ୧୭୪
ଏବେ ଜାଣିଲୁ ଶୁଦ୍ଧଚିତ୍ତେ । ତୋର ଦର୍ଶନ ଆମ୍ଭ ହିତେ ।। ୧୭୫
ଅଶେଷ-କର୍ମ ଗଲା ନାଶ । ତୋର ପ୍ରସନ୍ନେ ଦେବ ଈଶ ।। ୧୭୬
ଭୋ ଦେବ କରୁଣାସାଗର । ପ୍ରସନ୍ନ ଜନ ଦୁଃଖ ହର ।। ୧୭୭
ତୋର ପ୍ରସନ୍ନେ ପ୍ରାଣୀଙ୍କର । ସ୍ୱର୍ଗାପବର୍ଗ ନୋହେ ଦୂର ।। ୧୭୮
ଭୋ ଯୋଗେଶ୍ୱର ତୋ ମହିମା । ନ ଜାଣି ପାରେ ସୁରବ୍ରହ୍ମା ।। ୧୭୯
ଆମ୍ଭେ ବାଳକ ଶିଶୁମତି । କାହୁଁ ଜାଣିବୁ ତୋରଗତି ।। ୧୮୦
ଏ ଆଜ୍ଞା ହେବ ପ୍ରଭୁ ତୋର । ଧର୍ମାର୍ଥ କାମ ମୋକ୍ଷ ଦ୍ୱାର ।। ୧୮୧
ଏମନ୍ତେ ନାନା ସ୍ତୁତି କରି । ପ୍ରେମ-ଆନନ୍ଦେ ଅଶ୍ରୁପୂରି ।। ୧୮୨
ଶୁଣି ସାନନ୍ଦ ଭମାକାନ୍ତ । ପ୍ରସନ୍ନେ କହନ୍ତି ତଦନ୍ତ ।। ୧୮୩

ରୁଦ୍ର ଉବାଚ

ହେ ପୁତ୍ରେ ଶୁଣ ମୋ ଉତ୍ତର । ହରିଭକତେ ପ୍ରିୟ ମୋର ।। ୧୮୪
ଭକତଜନ ମୋ ହୃଦୟ । ଏଣୁ ଭକତ ମୋର ପ୍ରିୟ ।। ୧୮୫
ଯେ ଯଜ୍ଞେଶ୍ୱର ବାସୁଦେବ । ଯାହାର ନାମ ଦୟାର୍ଣ୍ଣବ ।। ୧୮୬
ତ୍ରିଗୁଣ ପରେ ଯା ବିହାର । ପ୍ରଧାନ-ପୁରୁଷ ଈଶ୍ୱର ।। ୧୮୭
ତାଙ୍କ ଭକତ ଯେତେ ଜନ । ସେ ମୋର ଅଟନ୍ତି ଜୀବନ ।। ୧୮୮
ଏଣୁ ମୁଁ ତୁମ୍ଭରେ ପ୍ରସନ୍ନ । ବୈଷ୍ଣବେ ନୁହଁନ୍ତି ଅଭିନ୍ନ ।। ୧୮୯
ତାଙ୍କ ମହିମା ଯଶ ଗୁଣ । ମୋ ତହୁଁ ସାବଧାନେ ଶୁଣ ।। ୧୯୦
ଯେ ପ୍ରାଣୀ ଶତ-ଜନ୍ମାନ୍ତରେ । ସ୍ୱଧର୍ମ ନିଷ୍ଟାରେ ଆଚରେ ।। ୧୯୧
ତଦନ୍ତେ ବ୍ରହ୍ମପଦ ପାଇ । ଅଶେଷ କଳୁଷ ନାଶଇ ।। ୧୯୨
ଯେ ବିପ୍ରଦେହେ ନିତ୍ୟାଚାରେ । ଯେ ପୁଣ୍ୟକରେ ନିରନ୍ତରେ ।। ୧୯୩
ଅଶେଷ ପୁଣ୍ୟକର୍ମଫଳେ । ସେ ମୋତେ ଲଭେ ଅନ୍ତଃକାଳେ ।। ୧୯୪
ତେବେ ବୈଷ୍ଣବ ପଦ ପାଇ । ଏ ଲିଙ୍ଗ ଶରୀର ନାଶଇ ।। ୧୯୫
ଲିଙ୍ଗ-ଭଞ୍ଜନେ ମୋକ୍ଷଯୋଗ । ନ ଲଭେ ମୃତ୍ୟୁ ଭୟ ସଙ୍ଗ ।। ୧୯୬
ତୁମ୍ଭେ ଭକତ-ଜନ ସାର । ଲକ୍ଷଣ ଜାଣିଲୁ ତୁମ୍ଭର ।। ୧୯୭
ଆମ୍ଭର ପ୍ରିୟ ଯେଣୁ ହରି । ତୁମ୍ଭେ ତେସନେ ମୋତେ ସରି ।। ୧୯୮
ଏଣୁ ମାନବେ ଭକ୍ତ ଯେହି । ମୋ ପ୍ରିୟ ତହୁଁ କେହି ନାହିଁ ।। ୧୯୯
ହେ ପ୍ରଚେତସ ଭାଇ ଦଶ । ତୁମ୍ଭର ବାକ୍ୟେ ହେଲୁତୋଷ ।। ୨୦୦
ହରି-ଭଜନ ଯେ ପ୍ରକାର । କହିବା ଦୃଢ଼ଚିତ୍ତେ ଧର ।। ୨୦୧
ସେ ହରି ପ୍ରସନ୍ନ ଯେମନ୍ତେ । ତାହା କହିବା ଆମ୍ଭେ ତୋତେ ।। ୨୦୨
ଏ ସର୍ବ-ସ୍ତୋତ୍ର ମଧ୍ୟେ ସାର । ତୁମ୍ଭେ ସକଳ ଚିତ୍ତେ ଧର ।। ୨୦୩

ମୈତ୍ରେୟ ଉବାଚ

ଏମନ୍ତ କହିଣ ମହେଶ । ଶୁଣ ବିଦୁର ଜ୍ଞାନରସ ।। ୨୦୪
ନୃପକୁମରେ ଦୟାବହି । ପ୍ରସନ୍ନେ କହନ୍ତି ଗୋସାଇଁ ।। ୨୦୫
ସର୍ବେ ଯୋଡିଣ ବେନି କର । ଶୁଣନ୍ତି ଡ଼େରି ଶ୍ରୁତିଦ୍ୱାର ।। ୨୦୬

ରୁଦ୍ର ଉବାଚ

ନିରାତିଶୟ ଯେ ପରମ । ଆନନ୍ଦ ସୂକ୍ଷ୍ମ ନିରଞ୍ଜନ ।। ୨୦୭
ସ୍ୱରୂପେ ସିଦ୍ଧ ହୁଅ ତୁମ୍ଭେ । ଏଣୁ ଆନନ୍ଦ ନାମ ଭାବେ ।। ୨୦୮
ତୁମ୍ଭର ଯେବା ବଡ ପଣ । ଜ୍ଞାନୀଙ୍କ ଆନନ୍ଦ କାରଣ ।। ୨୦୯
ଏଣୁ ଆନନ୍ଦଲାଭ ମୋର । କରୁଣା କର ଚକ୍ରଧର ।। ୨୧୦
ତୁ ସର୍ବ ଆତ୍ମା ତୋତେ ମାର । ନିରତେ ହେଉ ନମସ୍କାର ।। ୨୧୧
ତୋ ନାଭିପଦ୍ମ ନାରୟଣ । ଏ ବିଶ୍ୱ ଉତ୍ପତ୍ତି କାରଣ ।। ୨୧୨
ଏଣୁ ତୋ ନାମ ପଦ୍ମନାଭ । ବୋଲନ୍ତି ସଂସାର ଉଦ୍‌ଭବ ।। ୨୧୩
ସେ ନାମେ ପ୍ରଣତି ମୋହର । ଏ ବିନୁ ନାହିଁ ବାଞ୍ଛା ଆର ।। ୨୧୪
ପୃଥିବୀ ଆପ ତେଜ ବାୟୁ । ଆକାଶ ପଞ୍ଚଭୂତ ଯେହୁ ।। ୨୧୫
ଶବ୍ଦ ସ୍ପରଶ ରୂପ ରସ । ଗନ୍ଧ ଯେ ଇନ୍ଦ୍ରି ଏକାଦଶ ।। ୨୧୬
ଏହାଙ୍କ ଅନ୍ତରାତ୍ମା ହୋଇ । ଯେ ବିଶ୍ୱ ସଂସାର ସର୍ଜଇ ।। ୨୧୭
ତାହାଙ୍କୁ ପ୍ରଣତି ମୋହର । ଏଭବୁ କରେ ଯେ ନିସ୍ତାର ।। ୨୧୮
ଯେ ଅନ୍ତଃକରଣ ଚତ୍ୱାର । ଏ ମନ ବୁଦ୍ଧି ଅହଙ୍କାର ।। ୨୧୯
ତାଙ୍କ ଅନ୍ତର ଆତ୍ମା ହୋଇ । ପ୍ରକାଶ କରୁ ତୁ ଗୋସାଇଁ ।। ୨୨୦
ଯେ ପ୍ରଭୁ ଚିତ୍ତ ଅଧିଷ୍ଠାତା । ଶ୍ରୀବାସୁଦେବ ଶୁଦ୍ଧଚେତା ।। ୨୨୧
ସେ ଅତି ଶାନ୍ତ ନିର୍ବିକାରେ । ନମଇଁ ଭକ୍ତିଯୋଗେ ତାରେ ।। ୨୨୨
ଅଧିଷ୍ଠ ଅହଙ୍କାରେ ଯେହୁ । ସଙ୍କରଷଣ ମହାବାହୁ ।। ୨୨୩
ସେ ଯେ ଅନନ୍ତ ସୂକ୍ଷ୍ମମୟେ । ମୋର ପ୍ରଣାମ ତାଙ୍କ ପାୟେ ।। ୨୨୪
ଯେ ପ୍ରଭୁ ରୁଦ୍ଧି ଅଧିଷ୍ଠାତା । ପ୍ରଦ୍ୟୁମ୍ନ ରୂପେ ବିଚାରନ୍ତା ।। ୨୨୫
ଯେ ବିଶ୍ୱ ପ୍ରବୋଧ କରନ୍ତି । ସେ ପ୍ରଭୁ ପାଦେ ମୋ ପ୍ରଣତି ।। ୨୨୬
ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନ । ତକ୍ଷଣେ ହୋଇବ ଦହନ ।। ୨୨୭
ଇନ୍ଦ୍ରିୟ ଅଧିପ ଯେ ମନ । ତାହାଙ୍କ ଅଧିଷ୍ଠାତା ନାମ ।। ୨୨୮
ସେ ଅନିରୁଦ୍ଧ ଯେ ଈଶ୍ୱର । କରିବେ ସଂସାରୁ ନିସ୍ତାର ।। ୨୨୯
ଯେ ସୂର୍ଯ୍ୟ ରୂପେଣ ପ୍ରକାଶ । ପ୍ରତ୍ୟକ୍ଷେ ସେ ପରମହଂସ ।। ୨୩୦
ସେ ଜ୍ୟୋତିର୍ମୟ ରୂପ ଧରି । ଏ ବିଶ୍ୱ ପ୍ରକାଶକୁ କରି ।। ୨୩୧
ସ୍ୱାର୍ଗାପବର୍ଗ ଦ୍ୱାର ବେନି । ନାହିଁ ଯାହାର ବୁଦ୍ଧି-ହାନି ।। ୨୩୨
ପବିତ୍ର-ଚିତ୍ତେ ଯାର ସ୍ଥିତି । ସେ ପ୍ରଭୁ ପାଦେମୋ ପ୍ରଣତି ।। ୨୩୩
ଯେ ଅଗ୍ନି-ରୂପୀ ଭଗବାନ । ଯଜ୍ଞାଦି ଯାହାରେ ସାଧନ ।। ୨୩୪
ପ୍ରବୃତ୍ତି ନିବୃତ୍ତି ଯେ କରି । ଯେ ହରି ସଂସାରେ ବିହରି ।। ୨୩୫
ସେ ପିତୃଦେବଙ୍କ କାରଣ । ହୋଇଲେ ଅନ୍ନ ସ୍ୱରୂପେଣ ।। ୨୩୬
ସେ ସୋମରୂପୀ ନାରାୟଣ । ଧଇଲେ ପୋଥି ଉଦ୍ଧାରିଣ ।। ୨୩୭
ତ୍ରିପତି ପାଦେ ମୋ ପ୍ରଣତି । ଯେଣେ ହୋଇବ ମୋରଗତି ।। ୨୩୮
ସେ ଆପରୂପ ଭଗବାନ । ରସ ସ୍ୱରୂପେ ଆସ୍ୱାଦନ ।। ୨୩୯
ଯେ ପୃଥ୍ୱୀ ରୂପେ ସର୍ବକାୟେ । ବିଶ୍ୱ ସଂସାର ଯାର ଦେହ ।। ୨୪୦
ସେ ପ୍ରଭୁ ଚରଣେ ମୋ ମନ । ନିରତେ ବହୁ ଅନୁକ୍ଷର ।। ୨୪୧
ବିରାଟ ରୂପ ଭଗବାନ । ବନ୍ଦଇ ସେ ପ୍ରଭୁ ଚରଣ ।। ୨୪୨
ଯାହାର ରୋମ-କୂପ ମୂଳେ । ଅଶେଷ-ବ୍ରହ୍ମାଣ୍ତ ନିଶ୍ଚଳେ ।। ୨୪୩
ଅଛନ୍ତି ପରମାଣୁ ବତ । ସେ ପାଦେ ମୋର ପ୍ରତିପାତ ।। ୨୪୪
ଯେ ପ୍ରଭୁ ବାୟୁ-ରୂପ ଧରେ । ପ୍ରାଣ-ସ୍ୱରୂପ ସର୍ବଠାରେ ।। ୨୪୫
ସେ ରୂପେ ପାଳନ୍ତି ଜଗତ । ସେ ସହ-ଓଜ-ବଳବନ୍ତ ।। ୨୪୬
ସେ ପ୍ରଭୁ ରଖନ୍ତୁ ମୋ ପ୍ରାଣ । ତା ପାଦେ ପଶିଲି ଶରଣ ।। ୨୪୭
ଆକାଶ-ରୂପୀ ଭଗବାନ । କରନ୍ତି ଯେ ବିଧିବିଧାନ ।। ୨୪୮
ଶବ୍ଦ-ସ୍ୱରୂପେ ଶୂନ୍ୟେ ରହେ । ଯେ ଶଦ୍ଦେ ଅର୍ଥ-ବୋଧ ହୁଏ ।। ୨୪୯
ଯେ ବାହ୍ୟାନ୍ତରେ ଛନ୍ତି ପୂରି । ସେ ପାଦେ ପ୍ରଣତି ମୋହରି ।। ୨୫୦
ସ୍ୱର୍ଗାଦି-ପୁଣ୍ୟଲୋକ ଯେହି । ପ୍ରବୃତ୍ତି-ନିବୃତ୍ତିରେ ରହି ।। ୨୫୧
ସେ ସର୍ବ-କର୍ମଫଳ-ଦାତା । ଏ ଭବ ସଙ୍କଟୁ ତାରନ୍ତା ।। ୨୫୨
ଅଧର୍ମେ ମୃତ୍ୟୁରୂପ ଧରି । ଦୁଃଖ-ପୀଡିତ କର୍ମ କରି ।। ୨୫୩
ଯେ ଶୁଭକର୍ମେ ମୋକ୍ଷାଦାତା । ସେ ହରି ପାଦେ ମୋର ଚିନ୍ତା ।। ୨୫୪
ନମସ୍ତେ କୃଷ୍ଣରୂପ ହରି । ପୁରାଣ-ପୁରୁଷ ମୁରାରି ।। ୨୫୫
ନମସ୍ତେ ସାଂଖ୍ୟ-ଯୋଗେଶ୍ୱର । ପରମ ଆତ୍ମା ରୂପ ଧର ।। ୨୫୬
ଯେ କର୍ମେ ବିଷ୍ଣୁରୂପ ଧରେ । ବ୍ୟାପକବନ୍ତ ଏ ସଂସାରେ ।। ୨୫୭
ଯେ ରୁଦ୍ର ରୂପ ଧରିଛନ୍ତି । କାଳାନ୍ତେ ତ୍ରୈଲୋକ୍ୟ ନାଶନ୍ତି ।। ୨୫୮
ସେ ରୁଦ୍ରଦେବ ପାଦେ ମୋର । ପ୍ରଣତି ହେଉ ନିରନ୍ତର ।। ୨୫୯
ସେ ମୋର ତି୍ରତାପ ନାଶିବେ । ଅବିଦ୍ୟା-ବନ୍ଧୁ ନିସ୍ତାରିବେ ।। ୨୬୦
ଯେ ବ୍ରହ୍ମସ୍ୱରୂପ ଗୋସାଇଁ । ଏ ସୃଷ୍ଟି ସର୍ଜିବାର ପାଇଁ ।। ୨୬୧
ଏ ରୂପେ ଯେବା ଭଗବାନ । ସେ ପ୍ରଭୁ ଚରଣେ ଶରଣ ।। ୨୬୨
ସେ ଆମ୍ଭ ଭକତି ଘେନିବେ । ଦର୍ଶନେ ଆଶା ପୂରାଇବେ ।। ୨୬୩
ଯେ ରୂପ ଭକତେ ପୂଜନ୍ତି । ଇନ୍ଦ୍ରିୟଗୁଣ ପ୍ରକାଶନ୍ତି ।। ୨୬୪
ନରରୁଚିର ଘନଶ୍ୟାମ । ପ୍ରତୁଲ୍ୟ ନୋହେ କୋଟିକାମ ।। ୨୬୫
ଯେ ରୂପ ପ୍ରକାଶେ ଶୋଭନ୍ତି । ଅଶେଷ-ଗୁଣ ସେ ବହନ୍ତି ।। ୨୬୬
ଅବ୍ୟୟ ଗୁଣ ଏକ ଯାର । କୋଟି-ଅନଙ୍ଗ ଦର୍ପ ହର ।। ୨୬୭
ଏ ସର୍ବ ମୋହର ତ୍ରିତାପ । ଦର୍ଶନେ ହରିବେ ସନ୍ତାପ ।। ୨୬୮
ଆଜାନୁ ଲମ୍ବିତ ଶ୍ରୀଭୁଜ । ଶଙ୍ଖାଦି ଚାରିଚିହ୍ନ ତେଜ ।। ୨୬୯
ନୀଳ ଜୀମୂତ ଦିବ୍ୟକାନ୍ତି । ବଳୟ ମଣି ବିଭାଜନ୍ତି ।। ୨୭୦
ସେ କରେ ଆଶ୍ରୟ ଯେ କରି । ସେ ମୋକ୍ଷପଦେ ଅଧିକାରୀ ।। ୨୭୧
ଏ ମୃତ୍ୟୁ ଜରା ଭୟ ଯେତେ । ସେ ସର୍ବ ନାଶିବେ ତୁରିତେ ।। ୨୭୨
ଅତି ସୁଠାମ ସୁଆନନ । ଅରୁଣ ପଙ୍କଜ ଲୋଚନ ।। ୨୭୩
ଆବୃତ୍ତ ଶୋଭା ଚାରିକର । ଭକ୍ତଜନଙ୍କ ତାପ ହର ।। ୨୭୪
ଶିରେ ସୁନୀଳ ସୁକୁନ୍ତଳ । ଦେଖି ଅନଙ୍ଗକୋଟି ଭୋଳ ।। ୨୭୫
ଜୁଡା ପ୍ରବନ୍ଧ ଶିଖେ ସାଜେ । ରତ୍ନକିରୀଟ ତେଜ ପୁଞ୍ଜେ ।। ୨୭୬
ଦେଖି ଅନଙ୍ଗ ଭ୍ରମ କି ସେ । ଭକତଜନ ରିପୁ ଧ୍ୱଂସେ ।। ୨୭୭
ସୁଚାରୁ କପୋଳ ଅଳକା । ଯେହ୍ନେ ଶୋଭିତ ରାହୁରେଖା ।। ୨୭୮
ଚାରୁ ସୁନ୍ଦର ସୁକପୋଳ । ଅଳାକା ବେଢ଼ି ଭୃଙ୍ଗମେଳ ।। ୨୭୯
ଭ୍ରୂଭଙ୍ଗ ଯୁଗଳ ସୁଠାଣି । ଅତନୁ-ଚାପ ପ୍ରଭା ଜିଣି ।। ୨୮୦
ଶୋଭନେ ନାହିଁ ପଟାନ୍ତର । ମନ ବଚନେ ଅଗୋଚର ।। ୨୮୧
ଦିବ୍ୟ ସୁସଞ୍ଚ ନାସା ଠାଣି । ତିଳ ପ୍ରସୂନ ପ୍ରଭା ଜିଣି ।। ୨୮୨
ତା ପରେ ସିନ୍ଧୁଫଳ ରାଜେ । ଦେଖି ଅନଙ୍ଗ ଦର୍ପ ଗଞ୍ଜେ ।। ୨୮୩
ଅରୁଣାଙ୍କିତ ବିମ୍ବାଧର । ଉପମା ନାହିଁ ତିନିପୁର ।। ୨୮୪
ନବ-ଅରୁଣ ଜିଣି ଶୋଭା । ଦେଖି ଅନଙ୍ଗକୋଟି ଲୋଭା ।। ୨୮୫
ଶୁଭ୍ର ଦଶନ ବେନି-ପଙ୍‌କ୍ତି । ଜିତ ଡାଳିମ୍ବ ବୀଜ କାନ୍ତି ।। ୨୮୬
ସସ୍ମିତେ ବିମ୍ବାଧର ରାଜେ । ଭକତଜନ ମନ ରଞ୍ଜେ ।। ୨୮୭
ତା ତୁଲେ ନାହିଁ ପଟାନ୍ତର । ସେ ଅତି ଶୁଭ୍ର ନିଶାକର ।। ୨୮୮
ଶ୍ରୁତି ଯୁଗଳେ ଝଟକନ୍ତି । ମକର କୁଣ୍ତଳ ସୁକାନ୍ତି ।। ୨୮୯
ଇଷିତ ଅପାଙ୍ଗ ଈଷଣ । ମୋହିତ ସୁର ମୁନିଗଣ ।। ୨୯୦
ନୀଳସୁନ୍ଦର କଳେବର । ତଡିତ ଜିଣି ପୀତାମ୍ବର ।। ୨୯୧
ନୀଳସୁନ୍ଦର ଘନେ ଯେହ୍ନେ । ଝଟକେ ବସନ ତେସନେ ।। ୨୯୨
ନୀଳମର୍କତ ଚାରୁ ପ୍ରଭା । ଚାରୁ ଚତ୍ୱାର ଭୁଜ ଆଭା ।। ୨୯୩
ନିଜ ଆୟୁଧେ ବିରାଜନ୍ତି । ଅଜ୍ଞାନତମ ବିନାଶନ୍ତି ।। ୨୯୪
ସେ ଶଙ୍ଖ ଚକ୍ର ଶୋଭାକର । କୋଟି ଆଦିତ୍ୟ ତେଜହର ।। ୨୯୫
ଗଦା କମଳ ଆଦି ଯେତେ । ଶୋଭନ୍ତି ନାନା ତେଜବନ୍ତେ ।। ୨୯୬
କିରୀଟ କୁଣ୍ତଳ ନୂପୁର । କଟୀ-ମେଖଳା ଶୋଭାକର ।। ୨୯୭
ଆଜନୁ ଲମ୍ବେ ବନମାଳ । ଶୋଭେ ଶ୍ରୀବତ୍ସ ବକ୍ଷସ୍ଥଳ ।। ୨୯୮
ସେ ରୂପ କେ ପାରିବ ଚିନ୍ତି । ଦେଖି ଅନଙ୍ଗ ଭ୍ରମ ଯାନ୍ତି ।। ୨୯୯
ସୁଗ୍ରୀବ କଣ୍ଠ ଯେ ସୁନ୍ଦର । ଶୋଭେ କୌସ୍ତୁଭମଣି ସାର ।। ୩୦୦
ଏ ମନ୍ତ ରୂପ ଦେଖାଇବ । ଆମ୍ଭର ତାପ ବିନାଶିବ ।। ୩୦୧
ଯେ ହୃଦେ କମଳା ଶୋଭନ । ନୀଳ ପାଷାଣେ ଯେହ୍ନେ ହେମ ।। ୩୦୨
ରେଚକ ପୂରକ ଯେ ଶ୍ୱାସେ । କି ଜଳ-ଲହରୀ ସଦୃଶେ ।। ୩୦୩
ସୁନୀଳ ରୋମଶ୍ରେଣୀ ଜଳେ । ଦିଶନ୍ତି ଯେସନେ ପ୍ରଚଳେ ।। ୩୦୪
ଉଦରେ ତ୍ରିବଳୀ ମଞ୍ଜୁଳ । ଶୋଭିତ ସୁନାଭି ଗଭୀର ।। ୩୦୫
ଯେ ଦ୍ୱାରେ ଏ ବିଶ୍ୱ ନିର୍ଗତ । ଫେରି ପ୍ରବେଶେ କି ଆବର୍ତ୍ତ ।। ୩୦୬
ସେ ଶ୍ୟାମ-ନିତମ୍ବେ ଦୁକୂଳ । ବିରାଜେ ସୁବର୍ଣ୍ଣ ମେଖଳ ।। ୩୦୭
ସୁସମ ଚାରୁ ଅଂଘ୍ରିବର । ଜଘନ-ଜାନୁ ଶୋଭାକର ।। ୩୦୮
ଉରୁ-ଯୁଗଳ ଶୋଭା ଠାଣି । ଉଲଟ-ରମ୍ଭାକୁ ସେ ଜିଣି ।। ୩୦୯
ଶ୍ରୀଯୁତ ଚରଣ-କମଳ । ଶୋଭିତ ନଖଶ୍ରେଣୀ କୁଳ ।। ୩୧୦
କୋଟି-ଶଶାଙ୍କ ଶୁଭ୍ରକାନ୍ତି । ଜିତ ସୁଶ୍ରେଣୀ ନଖପନ୍ତି ।। ୩୧୧
ସରୋଜ-ପାଦଯୁଗ ଯହିଁ । ଦର୍ଶନେ ଭବ-ଭୟ ନାହିଁ ।। ୩୧୨
ଏ ସର୍ବେ ମୋହର ତ୍ରିତାପ । ଦର୍ଶନେ ହରିବେ ଦୁରାପ ।। ୩୧୩
ଏମନ୍ତ ରୂପ ପ୍ରକାଶିବ । ଆମ୍ଭ ସଂଶୟ ବିନାଶିବ ।। ୩୧୪
ତୁ ଗୁରୁ ରୂପେ ନାରାୟଣ । ମୂଢ ଅଜ୍ଞାନୀଙ୍କ କାରଣ ।। ୩୧୫
ସକଳ ଭୂତେ ତୁମ୍ଭେ ଥାଇ । ପ୍ରାଣୀଙ୍କି ଜ୍ଞାନଦୀକ୍ଷା ଦେଇ ।। ୩୧୬
ସେ ଜ୍ଞାନେ ପ୍ରାଣୀଙ୍କ ନିସ୍ତାର । ଅଜ୍ଞାନୀ ମଜ୍ଜେ ଏ ସଂସାର ।। ୩୧୭
ଆତ୍ମାର ସିଦ୍ଧି ଯେ ଇଚ୍ଛନ୍ତି । ତୋ ରୂପ ଦର୍ଶନ ବାଞ୍ଛନ୍ତି ।। ୩୧୮
ଯେ ନିତ୍ୟେ ସ୍ୱଧର୍ମ ଆଚରେ । ତୁମ୍ଭ ଭକତି ନିଷ୍ଠାପରେ ।। ୩୧୯
ତୋ ପଦେ ଅଭୟ ଭକତି । ସୁସ୍ଥିରେ ରହେ ତାର ମତି ।। ୩୨୦
ସକଳ ଦେହେ ତୁ ଦୁର୍ଲଭ । ଭକତେ ହେଉ ତୁ ସୁଲଭ ।। ୩୨୧
ଯେ ସୁଖ-ଭୋଗ ନିତ୍ୟ କରେ । ସେ କାହିଁ ଦେଖିବ ତୁମ୍ଭରେ ।। ୩୨୨
କେବଳ ଆତ୍ମାଜ୍ଞାନୀ ଜନ । ତୋତେ ଲଭନ୍ତି ଭଗବାନ ।। ୩୨୩
ଏକାନ୍ତ ଭକ୍ତିଯୋଗେ ନର । ଯେ ଭଜେ ତୁମ୍ଭର ପୟର ।। ୩୨୪
ସ୍ୱର୍ଗାଦି ନ ବାଞ୍ଛଇ ମନେ । ତୋ ପାଦପଦ୍ମ ସୁଧାପାନେ ।। ୩୨୫
ନିରତେ ଚିତ୍ତେ ଦୃଢ଼େ ଧ୍ୟାୟି । ତରନ୍ତି ଭବ-ଦୁଃଖୁ ସେହି ।। ୩୨୬
ଯେ ତୁମ୍ଭ ଚରଣେ ସେବିବ । ସେ କାଳ ଭୟ ବିନାଶିବ ।। ୩୨୭
ଭ୍ରୂକୁଟି କୁଟିଳ ପ୍ରକାଶେ । ତକ୍ଷଣେ ସଂସାର ବିନାଶେ ।। ୩୨୮
ଯେ କାଳ ଅତି ଭୟଙ୍କର । ତୋର ସେବକେ ସେ କିଙ୍କର ।। ୩୨୯
ଏଣୁ ଭକତ ସଙ୍ଗେ ତୋର । କ୍ଷଣେ ନିମିଷେ ଯେଉଁ ନର ।। ୩୩୦
ସେ ସଙ୍ଗୁ ଯେବା ସୁଖ ହୋଇ । ସ୍ୱର୍ଗାପବର୍ଗ ସମ ନୋହି ।। ୩୩୧
ଏ ମର୍ତ୍ତ୍ୟଭୋଗ ତୁଚ୍ଛ ମଣି । ତୋ ଭକ୍ତ ସଙ୍ଗେ ଯେତେ ପ୍ରାଣୀ ।। ୩୩୨
ତୋର ପଙ୍କଜ-ଅଂଘ୍ରି-ରସ । ଯେ ରସେ କଳୁଷ ବିନାଶ ।। ୩୩୩
ଯେବା ପିବନ୍ତି ଅନୁଦିନେ । ବ୍ରହ୍ମ ଆନନ୍ଦ ସୁଧାପାନେ ।। ୩୩୪
ଯେ ଗଙ୍ଗାସ୍ନାନ ନିତ୍ୟେ କରେ । ଅଶେଷ-ପାପୁ ସେ ନିସ୍ତରେ ।। ୩୩୫
ତୋର ଭକତ ସଙ୍ଗେ ଯେବେ । ଯେ କ୍ଷଣେ ବସେ ଶୁଦ୍ଧ ଭାବେ ।। ୩୩୬
ପବିତ୍ର ହୋଏ ତତକ୍ଷଣେ । ଜନ୍ମ ମରଣ ନିବାରଣେ ।। ୩୩୭
ଏ ସାଧୁ-ସଙ୍ଗ ଭାଗ୍ୟେ ପାଇ । ସକଳ-ଭୂତେ ଦୟାବହି ।। ୩୩୮
ସୁସାଧୁଜନଙ୍କ ସଙ୍ଗତ । ଯେ ପ୍ରାଣୀ କରେ ଅବିରତ ।। ୩୩୯
ସେ ଯେ ତୁମ୍ଭର କୃପା ପାଇ । ମାୟା-ପଟଳୁ ନିସ୍ତରଇ ।। ୩୪୦
ଯେ ଶୁଦ୍ଧ ଭକ୍ତିରେ ଭଜନ୍ତି । ବିଶୁଦ୍ଧ ହୋଏ ତାଙ୍କ ମତି ।। ୩୪୧
ବିଷୟ ଭ୍ରମେ ଭ୍ରମ ନୋହେ । ଅଜ୍ଞାନ ନାଶି ଜ୍ଞାନ ରହେ ।। ୩୪୨
ଏଣୁ ଭକତ ସଙ୍ଗ ମେଳେ । ଲଭେ ଭକତି ସୁନିଶ୍ଚଳେ ।। ୩୪୩
ଯେ ତ‌ତ୍ତ୍ୱେ ଏ ବିଶ୍ୱ ବ୍ୟକତ । ବିଶ୍ୱେ ଶୋଭିତ ଯେଉଁ ତ‌ତ୍ତ୍ୱ ।। ୩୪୪
ତ‌ତ୍ତ୍ୱ ପରମ ବ୍ରହ୍ମଜ୍ୟୋତି । ଆକାଶ ପ୍ରାୟେ ବ୍ୟାପି ଛନ୍ତି ।। ୩୪୫
ଏ ବିଶ୍ୱ ମିଥ୍ୟା ସତ୍ୟ ପରି । ସର୍ଜି ପାଳିଣ ତା ସଂହରି ।। ୩୪୬
ଯା ମାୟା ବହୁରୂପ ଧରେ । ଜୀବରେ ଭେଦ-ବୁଦ୍ଧି କରେ ।। ୩୪୭
ମାୟା ସ୍ପରଶ ଯାର ନାହିଁ । ଜାଣିବ ବ୍ରହ୍ମରୂପ ସେହି ।। ୩୪୮
ଯେ ଅନ୍ତଃ ବିକାର ବିହୀନ । ସେହିଟି ଜାଣ ତ‌ତ୍ତ୍ୱଜ୍ଞାନ ।। ୩୪୯
ନିର୍ଗୁଣେ ସଗୁଣ ବୋଲନ୍ତି । କ୍ରିୟା କଳାପେ ଯୋଗୀ ଚିନ୍ତି ।। ୩୫୦
ଏହାଙ୍କ ପ୍ରାୟେ ଭଜେ ଯେହୁ । ପଣ୍ତିତ ବେଦାର୍ଗମେ ସେହୁ ।। ୩୫୧
ପୁରୁଷ-ଆଦି ତୁମ୍ଭେ ପର । ଅଶେଷ-ବ୍ରହ୍ମାଣ୍ତ-ଈଶ୍ୱର ।। ୩୫୨
ତୁମ୍ଭର ଶକ୍ତି ଗୁପ୍ତେ ଥିଲା । କାଳାନ୍ତେ ଶୟନୁ ଉଠିଲା ।। ୩୫୩
ସେ ଶକ୍ତି ତୋର ଆଜ୍ଞା ଭାବେ । ସ‌ତ୍ତ୍ୱାଦି ଭେଦ କଲା ତେବେ ।। ୩୫୪
ତହୁଁ ମହତ-ଅହଙ୍କାର । ଜଳାଗ୍ନି-ଆକାଶ-ସମୀର ।। ୩୫୫
ଭୂଦେବ-ଋଷି-ସର୍ବଭୂତେ । ଜନ୍ମିଲେ ଏ ନାନା ଜଗତେ ।। ୩୫୬
ମାୟାରୁ ଏ ଚାରି ପ୍ରକାର । ଯେ ତ‌ତ୍ତ୍ୱେ ସଞ୍ଚରିଲା ପୁର ।। ୩୫୭
ନିର୍ମିତ କଲେ ଭଗବାନ । ଯେ ପ୍ରଭୁ ଜଗତ ଜୀବନ ।। ୩୫୮
ଅଶେଷ ଶରୀରେ ପ୍ରବେଶ । ଏଣୁ ଜୀବ ନାମ ପୁରୁଷ ।। ୩୫୯
ଅବିଦ୍ୟା-ବନ୍ଧେ ବଦ୍ଧ ହୋଇ । ଏ ଦୁଃଖ-ସୁଖ ସେ ଭୁଞ୍ଜଇ ।। ୩୬୦
ମାୟାରୁ ସୃଜନ ସେ କଲେ । ନିୟନ୍ତା-ପୁରୁଷ ହୋଇଲେ ।। ୩୬୧
ଭୂତରୁ ଭୂତକୁ ନିଅନ୍ତି । ଯେହ୍ନେ ଆକାଶେ ମେଘପନ୍ତି ।। ୩୬୨
ପବନେ ନାନା ଦିଗେ ଯାନ୍ତି । ଏ ଭାବେ ଭୂତେ ସଞ୍ଚରନ୍ତି ।। ୩୬୩
ଜୀବକୁ କର୍ମବଳେ ଟାଣି । ସଂହାରି ନିସ୍ତାରୁ ତୁ ପୁଣି ।। ୩୬୪
ଏ ଜୀବ କର୍ମେ ହୋଇ ମତ୍ତ । ଲୋଭେ ବିଷୟେ ଦେଇ ଚିତ୍ତ ।। ୩୬୫
ତୁ ହେଉ ଅପ୍ରମିତ ଅସି । ତକ୍ଷଣେ ଜୀବକୁ ବିନାଶି ।। ୩୬୬
କାଳ ସ୍ୱରୂପେ ପ୍ରାଣହର । ଯେ ତୋତେ ନ ଭଜେ ପାମର ।। ୩୬୭
ଏମନ୍ତ ପ୍ରଭୁ ତୋର ମାୟା । ଜୀବ ନ ଜାଣି ଭୋଗେ ଏହା ।। ୩୬୮
କ୍ଷୁଧା-ଅନଳେ ଓଷ୍ଠ ଅହି । ଚାଟିଣ ମୂଷା ଯେହ୍ନେ ଖାଇ ।। ୩୬୯
ତେସନ ଅନ୍ତକ ତୁ ହରି । ଜୀବ ବିନାଶୁ ଭୋଗେ କରି ।। ୩୭୦
ତୋ ମାୟା-ଭୋଗେ ଜୀବ ବଶ । ଏ ଘେନି ତୁ କାଳ-ପୁରୁଷ ।। ୩୭୧
ଏ ବେନି ତୋ ପାଦ-କମଳେ । ଶରଣ ରଖ ତୁହି ବେଳେ ।। ୩୭୨
ଆମ୍ଭେ ବ୍ରହ୍ମାଦି ଯା ଚରଣେ । ସେବୁ ଏ ସୃଷ୍ଟିର କାରଣେ ।। ୩୭୩
ଉତ୍ପତ୍ତି ନ ପାରୁ ଯେ କରି । ତୋ ପାଦ ବିନୁ ନରହରି ।। ୩୭୪
ଏଣୁ ଏ ମନୁ ଚତୁର୍ଦ୍ଦଶ । ତୋ ପାଦେ ଭଜେ ହୃଷୀକେଶ ।। ୩୭୫
ଅନେକ ସୃଷ୍ଟିକି ସୃଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି ।। ୩୭୬
ସେ ଘେନି ତୋ ପାଦକମଳ । କେ ବୁଧ ଛାଡେ ଆଦିମୂଳ ।। ୩୭୭
ଯାବତ ଜୀବ ଏ ଶରୀରେ । ଛାଡି ନ ପାରନ୍ତି ନିର୍ଭରେ ।। ୩୭୮
ତୋ ପାଦ-ଧ୍ୟାନେ ନିଜ ଦେହୀ । ଯେ ତ୍ୟାଗେ ଅନୁରାଗ ବହି ।। ୩୭୯
ତାହାକୁ ବୋଲି ସୁପଣ୍ତିତ । ସେ ପ୍ରାଣୀ ତୁମ୍ଭର ଭକତ ।। ୩୮୦
ଏଣୁ ଏ ତୋ ପାଦକମଳେ । ଶରଣ ଇଚ୍ଛୁ ଆମ୍ଭେ ବଳେ ।। ୩୮୧
ଏ ବିଶ୍ୱ-ଭୟ ରୁଦ୍ର କୋପେ । ବିନାଶ କରେ କାଳ ରୁପେ ।। ୩୮୨
ଏଣୁ ତୁମ୍ଭରେ କରୁ ସ୍ତୁତି । ଭୋନାଥ ହୁଅ ଆମ୍ଭ ଗତି ।। ୩୮୩
ଏ ତୁମ୍ଭ ପଙ୍କଜ-ଚରଣ । ଯେ ପ୍ରାଣୀ ପଶନ୍ତି ଶରଣ ।। ୩୮୪
ଅଶେଷ-ଦ୍ୱନ୍ଦ୍ୱ-ମାୟା-ଭୟେ । ଖଣ୍ତନ୍ତି ପ୍ରଭୁ ଦେବରାୟେ ।। ୩୮୫
ସେ ରୁବ୍ର କହଛି କୁମର । ଏ ଗୀତା ଶୁଦ୍ଧ ଚିତ୍ତେ ଧର ।। ୩୮୬
ଏ ସ୍ତବ ପଢ଼ନ୍ତେ ତୁମ୍ଭର । ଅଜ୍ଞାନ ତମ ହେବ ଦୂର ।। ୩୮୭
ନିତ୍ୟେ ସ୍ୱଧର୍ମ-ମାର୍ଗେ ଥିବ । ସକଳ କୃଷ୍ଣେ ସମର୍ପିବ ।। ୩୮୮
ମନ ନିବେଶି ପଦ୍ମପାଦେ । ଭବୁ ତରିବ ଅପ୍ରମାଦେ ।। ୩୮୯
ସେ ଆତ୍ମା ସର୍ବ -ଘଟଧାରୀ । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି ।। ୩୯୦
ତାଙ୍କୁ ଏ ରୂପେ ଧ୍ୟାନ କର । ବଦନେ ତା ନାମ ଉଚ୍ଚାର ।। ୩୯୧
ଶ୍ରବଣ କର ନିରବଧି । ତା ପାଦେ ଦେଇ ଚିତ୍ତ ବୁଦ୍ଧି ।। ୩୯୨
ଏ ଯୋଗ ସର୍ବେ ଚିତ୍ତେ ଧର । ଏ ମୁନିବ୍ରତ ଦୃଢେ କର ।। ୩୯୩
ସମତା ଭାବେଣ ଆରଧି । ହୃଦରେ ଘୋଷ ନିରବଧି ।। ୩୯୪
ଏ ଗୀତା ପୂର୍ବେ ଧାତା ମୋତେ । କହିଲେ ଭୃଗ୍ୱାଦି ସହିତେ ।। ୩୯୫
ଏ ସ୍ତବ ପଢ଼ନ୍ତେ ଆମ୍ଭର । ଅଜ୍ଞାନଦଶା ଗଲା ଦୂର ।। ୩୯୬
ଅଜ୍ଞାନ ଶେଷେ ଜ୍ଞାନ ଦୃଶ୍ୟ । ସକଳେ ହୋଇଲୁ ହରଷ ।। ୩୯୭
ତେବେ ବିବିଧମତେ ଆମ୍ଭେ । ସୃଷ୍ଟି ସର୍ଜିଲୁ କ୍ରିୟା ଦମ୍ଭେ ।। ୩୯୮
ଏ ଗୀତା ପଠନ ଶ୍ରବଣେ । ଯେ ଫଳ ହୋଇବ ବିଧାନେ ।। ୩୯୯
କହିବା ଶୁଦ୍ଧ-ଚିତ୍ତେ ଶୁଣ । ବେଦ ବେଦାନ୍ତେଯେ ପ୍ରମାଣ ।। ୪୦୦
ଏହା ଯେ ନିରତେ ଶୁଣନ୍ତି । ତ୍ରିବିଧ-ତାପ ବିନାଶନ୍ତି ।। ୪୦୧
ଯେବା ଆଦରେ ଦୃଢେ ସ୍ମରେ । ସକଳ ଆପଦୁ ଉଦ୍ଧରେ ।। ୪୦୨
ଏ ସର୍ବ-ଧର୍ମ ମଧ୍ୟେ ସାର । ଏ ବିନୁ ନାହିଁ ଶ୍ରେୟ ଆର ।। ୪୦୩
ହେ ପୁତ୍ରେ ଦୃଢ଼ଚିତ୍ତେ ଧର । ଦୁଃଖସାଗରୁ ହେବ ପାର ।। ୪୦୪
ଇହ ଲୋକରେ ସୁଖ ଭାବ । ତୃତୀୟ-ତାପ ନ ଲାଗିବ ।। ୪୦୫
ଏ ସ୍ତବେ ପୂଜ ହରିପାଦ । ଖଣ୍ତିବ ବିଷୟା-ବିଷାଦ ।। ୪୦୬
ତୁମ୍ଭର ଭକ୍ତି ସେ ଘେନିବେ । କାମାଦି-ଶତ୍ରୁ ନିବାରିବେ ।। ୪୦୭
କାମନା-ଭୋଗେ ଇଚ୍ଛା ଯାର । ସମ୍ପୁର୍ଣ୍ଣେ ଲଭିବ ସେ ନର ।। ୪୦୮
ପ୍ରଭାତ ମଧ୍ୟାହ୍ନ ସନ୍ଧ୍ୟାରେ । ଯେବା ପଢ଼ନ୍ତି ନିରନ୍ତରେ ।। ୪୦୯
ନିର୍ମଳେ ପ୍ରକାଶଇ ଜ୍ଞାନ । ଅସତ୍ୟ ଦେଖେ ଭୋଗମାନ ।। ୪୧୦
ଯେ ଶ୍ରଦ୍ଧାବିଧାନେ ପଢ଼ନ୍ତି । ଅଜ୍ଞାନ-ଭ୍ରମେ ନ ପଡନ୍ତି ।। ୪୧୧
ଅଜ୍ଞାନ ଗୃହବାସ ତାର । ସେ ଜନ୍ମ ନୋହେ ପୁନର୍ବାର ।। ୪୧୨
ମହେଶ କହିଲେ କର୍ଣ୍ଣରେ । ଆନନ୍ଦେ ଶୁଣି ତା କୁମରେ ।। ୪୧୩
ସାଷ୍ଟାଙ୍ଗେ ତାହାଙ୍କ ଚରଣେ । ନମିଲେ ପ୍ରଚେତସ ଗଣେ ।। ୪୧୪
କଲ୍ୟାଣ କଲେ ଶୂଳଧର । ସକଳ-ବାଞ୍ଛା ପୂର୍ଣ୍ଣକର ।। ୪୧୫
ସେ ଗୁରୁ-ଶିଷ୍ୟଙ୍କ ଚରିତ । ମୈତ୍ରେୟ-ବିଦୁର କଥିତ ।। ୪୧୬
କହିଲୁ ତୁମ୍ଭଙ୍କୁ ପ୍ରସନ୍ନେ । ଯେ ଏହା ଶୁଣେ ଶୁଦ୍ଧମନେ ।। ୪୧୭
ଏ ଘୋର ସଂସାରୁ ତରନ୍ତି । ମରଣେ ନାହିଁ ତାଙ୍କ ଭୀତି ।। ୪୧୮
ମୈତ୍ରେୟ-ବିଦୁର ସମ୍ବାଦ । କହିଲୁ ଶୁଣ ଭକ୍ତି ଭେଦ ।। ୪୧୯
ଯେ ଏହା ଶ୍ରଦ୍ଧାରେ ଶୁଣନ୍ତି । ଚତୁରବର୍ଗ ଫଳ ପାନ୍ତି ।। ୪୨୦
ଭଣଇ ବିପ୍ର ଜଗନ୍ନାଥ । ଚତୁ୍ର୍ଥସ୍କନ୍ଧେ ଭାଗବତ ।। ୪୨୧
ଇତି ଶ୍ରୀମଦ୍ଭାଗବତ ମହାପରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ରୁଦ୍ରଗୀତଂ ନାମ
ଚତୁର୍ବିଂଶୋଽଧ୍ୟାୟଃ ।।

ପଞ୍ଚବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ସୁମନେ ହେ ବିଦୁର । ଏମନ୍ତେ ପ୍ରଭୁ ମହେଶ୍ୱର ।। ୧
କୃପା ଯେ କଲେ ସେମାନଙ୍କୁ । କହିଲେ ରୁଦ୍ରଗୀତା ତାଙ୍କୁ ।। ୨
ସେ ସେର୍ବେ ହରଷ ହୋଇଲେ । ବିଧାନେ ଶିବଙ୍କୁ ପୂଜିଲେ ।। ୩
ତାହାଙ୍କୁ ଦେଇ ଦିବ୍ୟଜ୍ଞାନ । ଶିବ ହୋଇଲେ ଅନ୍ତର୍ଦ୍ଧାନ ।। ୪
ସେ ଦଶଭାଇ ପ୍ରଚେତସ । ଜ୍ଞାନରେ ହୋଇଲେ ହରଷ ।। ୫
ଭଗବାନଙ୍କ ସ୍ତୋତ୍ର-ଗାନେ । ନିମଗ୍ନ ପ୍ରଚେତସ ମାନେ ।। ୬
ବୁଡିଣ ସମୁଦ୍ର-ସଲିଳେ । ସେ ଘୋର-ତପସ୍ୟା ନିଶ୍ଚଳେ ।। ୭
ଅୟୁତେ-ସମ୍ବତ୍ସର ଶେଷ । ତପ ସାଧିଲେ ଭାଇ ଦଶ ।। ୮
ରହିଲେ ଷଡ-ରିପୁ ମାରି । ମନ-ପବନ ହୃଦେ ଧରି ।। ୯
ନିତ୍ୟେ ପଢ଼ନ୍ତି ରୁଦ୍ରଗୀତା । ତପେ ହୋଇଲେ ଉର୍ଦ୍ଧ୍ୱରେତା ।। ୧୦
ତଦନ୍ତେ ଶୁଣ ହେ ବିଦୁର । ସେ ଯେ ପ୍ରାଚୀନ ନୃପବର ।। ୧୧
ରାଜ୍ୟ କରନ୍ତି ଅବିବେକ । ସ୍ୱଭାବେ ଅଜ୍ଞାନୀ କାମୁକ ।। ୧୨
ହିଂସକ-କର୍ମ ଜାଣି ତାର । ମନେ ଚିନ୍ତନ୍ତି ମୁନିବର ।। ୧୩
ଏ ମହୀପତି ପୃଥୁ ବଂଶ । ଅକର୍ମ-ମାର୍ଗେ ଗଲା ନାଶ ।। ୧୪
ବିପ୍ର ବଚନେ ଭ୍ରମ ହେଲା । ଅନେକ ପଶୁ ବଧ କଲା ।। ୧୫
ନିର୍ଦ୍ଦୋଶ-ଜୀବ ଯଜ୍ଞେ ମାରି । ଯେ ତାର ନୁହନ୍ତି ବଇରୀ ।। ୧୬
ଦୁର୍ଲଭ-ଜନ୍ମ କଲା ନାଶ । କର୍ମେ ହୋଇଲା ଜ୍ଞାନଭ୍ରଂଶ ।। ୧୭
ଏମନ୍ତ ସ୍ମରି ଦୟା-ଚିତ୍ତ । ସେ ମୁନି ସତ୍ୱରେ ଆଗତ ।। ୧୮
ସେ ସର୍ବଘଟେ ଦୟା ପର । ଅଧ୍ୟାତ୍ମ-ବିଦ୍ୟା ଜ୍ଞାନେ ସାର ।। ୧୯
କରୁଣା କରି ସେ ରାଜାଙ୍କୁ । ଦର୍ଶନ ଦେଲେ ଆସି ତାଙ୍କୁ ।। ୨୦
ମୁନିଙ୍କି ଦେଖିଣ ରାଜନ । ଉଠିଲା ଆସନ ତେଜିଣ ।। ୨୧
ସତ୍ୱରେ କରି ନମସ୍କାର । ଆନନ୍ଦେ ପୂଜିଲା ପୟର ।। ୨୨
ଆସନେ ବସାଇଲା ନେଇ । ପାଦକମଳ ଦେଲା ଧୋଇ ।। ୨୩
ତାର ଭକତି-ଭାବେ ତୋଷ । ସେ ମୁନିବର ହେଲେ ବଶ ।। ୨୪
କହନ୍ତି ତାରେ ଦୟାବହି । ଭୋ ରାଜା ତୋର ଜ୍ଞାନ ନାହିଁ ।। ୨୫
ତୁ କର୍ମମାର୍ଗେ ହେଲୁ ହୀନ । ବିଅର୍ଥେ ଗଲା ତୋର ଦିନ ।। ୨୬
ନିରତେ କର୍ମେ ନିମଜ୍ଜିଲୁ । ଆତ୍ମାର ହିତ ନ ଜାଣିଲୁ ।। ୨୭
ଯେ କର୍ମେ ମୋକ୍ଷମାର୍ଗ ହାନି । ତୁ ତାହା ଶ୍ରେୟ ପ୍ରାୟ ମଣି ।। ୨୮
ଯେ ସଙ୍ଗ-ଦୋଷେ ଜ୍ଞାନ କ୍ଷୟେ । ବୁଝି ତୁ ନପାରିଲୁ ରାୟେ ।। ୨୯
ତୁ ଅତିସ୍ନେହେ ତହିଁ ବଦ୍ଧ । ସେ ସଙ୍ଗ-ଦୋଷ ଧର୍ମବାଧ ।। ୩୦
ତା ଶୁଣି ଭୟେ ନୃପମଣି । ବଜ୍ର ପଡିଲା ପ୍ରାୟ ମଣି ।। ୩୧
ଉଚ୍ଛନ୍ନେ କହଇ ନୃପତି । ଭୋ ମୁନି ମୁଁ ଯେ ମୂଢ଼ମତି ।। ୩୨
ସ୍ୱକର୍ମ ମାର୍ଗେ ବଦ୍ଧ ହୋଇ । ମୁଁ ମୂଢ଼ଜ୍ଞାନ ନ ଜାଣଇ ।। ୩୩
ଯେବେ ଅଇଲ ମୋର ହିତେ । ମୋ ଭାଗ୍ୟବଶେ ଦୟା ଚିତ୍ତେ ।। ୩୪
ଯେବେ ସଦୟ ମୁନିବର । ଯେମନ୍ତେ ଜ୍ଞାନ ହୋଏ ମୋର ।। ୩୫
ଯେଣେ ନୋହିବି କର୍ମେ ବଦ୍ଧ । ହୋଇବ ମୋକ୍ଷମାର୍ଗେ ସଧ ।। ୩୬
ଯେଣୁ ତୁମ୍ଭର ଦରଶନ । ହରଇ ବିଷୟ-ବଦ୍ଧନ ।। ୩୭
ଏ ଘୋର-ଜଡ କର୍ମ ମୋର । ସୁଜ୍ଞାନ-ଦାନେ ଦୂର କର ।। ୩୮
ତୁମ୍ଭେ ସଂସାରେ ପ୍ରାଣୀ ହିତେ । ଭ୍ରମଣ କରୁଥାଅ ନିତ୍ୟେ ।। ୩୯
ଅବ୍ୟକ୍ତଗତି ଯେ ତୁମ୍ଭର । ଦେବ ମାନବେ ଅଗୋଚର ।। ୪୦
ଯେହ୍ନେ ଆଗମ ମୃତ୍ୟୁ ଜନ । ତେସନେ ତୁମ୍ଭ ଦରଶନ ।। ୪୧
ଏ ଗୃହଦ୍ୱନ୍ଦେ ମୋ ପୀରତି । ଏ ପୁତ୍ର ଦାରା ମୋହେ ମତି ।। ୪୨
ଏଣୁ ନୋହିଲା ଜ୍ଞାନେ ସଧ । ରାଜବିଭୂତି ମଦେ ଅନ୍ଧ ।। ୪୩
ଇନ୍ଦ୍ରିୟରସ ଭୋଗ ମୁହିଁ । ନିରତେ ଛାଡି ନ ପାରଇ ।। ୪୪
ଯେବେ ସୁଦୟା ତୁମ୍ଭ ଚିତ୍ତେ । ଘୋର ବନ୍ଧନୁ ଫେଡ ମୋତେ ।। ୪୫
ପ୍ରସନ୍ନେ କହ ମୁନିବର । ମୁଁ ତୁମ୍ଭ ଚରଣେ କିଙ୍କର ।। ୪୬
ଏମନ୍ତ ତାର ବାକ୍ୟ ଶୁଣି । ଅତି ଆନନ୍ଦେ ଦେବମୁନି ।। ୪୭
କହନ୍ତି ଚିତ୍ତେ ଦୟା ବହି । ଶୁଣ ପ୍ରାଚୀନ ପୁଣ୍ୟଦେହୀ ।। ୪୮
ତୁ କର୍ମଜ୍ଞାନେ ବିଶାରଦ । ତେଣୁ ହୋଇଲୁ କର୍ମବଦ୍ଧ ।। ୪୯
ତୁ ଯେ ମମତ୍ୱେ ମହୀପତି । ଏ ଯଜ୍ଞକର୍ମେ ମୂଢ଼ ମତି ।। ୫୦
ଯେ ପୂର୍ବ ପୁଣ୍ୟ ତୋର ଥିଲା । ଏ ଯଜ୍ଞକର୍ମେ ନଷ୍ଟ ଗଲା ।। ୫୧
ତୁ ବିପ୍ରବାକ୍ୟେ ହେଲୁ ଅନ୍ଧ । ଅନେକ କଲୁ ପଶୁ ବଧ ।। ୫୨
ଅଦୋଷୀ ଜୀବ ଯଜ୍ଞେ ମାରି । ସେ ତୋର ନୁହଁନ୍ତି ବଇରୀ ।। ୫୩
ତୁ ରାଜା ଏଡେ ଅବିବେକ । ଦୟା ନ ବସିଲା ତିଳେକ ।। ୫୪
ଏ ପଶୁଗଣେ କୋପ ବହି । ତୋ ମୃତ୍ୟୁବାଟ ଛନ୍ତି ଚାହିଁ ।। ୫୫
ସେ ତୋତେ ନିଶ୍ଚେ ବିନାଶିବେ । ତୁ ନୃପ ବୋଲି ନ ଡରିବେ ।। ୫୬
ତୁ ପୀଡା ଦେଇଅଛୁ ଯେତେ । ସେ କୋପେ ସୁମରନ୍ତି ନିତ୍ୟେ ।। ୫୭
ତାହାଙ୍କ ଯାଇ ନାହିଁ କ୍ରୋଧ । ଦୁଃଖ ଦେବାକୁ ତାଙ୍କ ସଧ ।। ୫୮
ତୋତେ ପାଇଲେ ପରଲୋକେ । କାଟି ଭକ୍ଷିବେ ଏକେ ଏକେ ।। ୫୯
ତାହାଙ୍କ ଶୃଙ୍ଗ ତୀକ୍ଷ୍ଣ ଧାର । ସେ ଲୌହସମାନ କଠୋର ।। ୬୦
ସେ ଶୃଙ୍ଗେ ତୋତେ ବିନାଶିବେ । ତେବେ ସେ କ୍ରୋଧଉପେକ୍ଷିବେ ।। ୬୧
ଆମ୍ଭେଦେଖିଲୁ ସ୍ୱର୍ଗପଥେ । ତୋ ପ୍ରତିଆଶେ ପଶୁଯୂଥେ ।। ୬୨
ଦଶନେ ଅଧର ମାମୋଡି । କୋପେ ଦିଅନ୍ତି ଘୋର ରଡି ।। ୬୩
ଦଶନ ଅତି ବିକରାଳ । କ୍ଷୁରେ ଖୋଳନ୍ତି ଦିବ୍ୟ ସ୍ଥଳ ।। ୬୪
ସେ ତୋତେ ପାଇଲେ ରାଜନ । କରିବେ ଅବଶ୍ୟ ଭୋଜନ ।। ୬୫
ତାହାଙ୍କ ସୁଖରେ ରାଜନ । ପଡି କେ ପାଇବ ଜୀବନ ।। ୬୬
ଆମ୍ଭେ ଦେଖିଣ ଦୟା ଚିତ୍ତେ । ଶୀଘ୍ରେ ଅଇଲୁ ତୋର ହିତେ ।। ୬୭
କହିଲୁ ସତ୍ୟ ନିରାଧାର । ଏ ମିଥ୍ୟା ନୋଦ୍ରେ ନୃପବର ।। ୬୮
ଯେବେ ସଂଶୟ ତୋର ଚିତ୍ତେ । ପ୍ରତ୍ୟକ୍ଷେ ଦେଖାଇବା ତୋତେ ।। ୬୯
ଏମନ୍ତ କହି ମୁନିବର । ଯୋଗନିଦ୍ରାରେ ତା ଶରୀର ।। ୭୦
ହରିଲେ ମନ-ବୁଦ୍ଧିଜ୍ଞାନ । ତକ୍ଷଣେ ନୃପତି ଅଜ୍ଞାନ ।। ୭୧
ସେ ଯୋଗନିଦ୍ରାର ସ୍ୱପନେ । ପ୍ରବେଶ ଯମର ଭୁବନେ ।। ୭୨
ତହିଁ ଦେଖିଲା ନୃପରାଣ । ବେଢି ସକଳ ପଶୁଗଣ ।। ୭୩
ଦେଖିଲା ତହିଁ ନୃପଗଣେ । ଦୁଃଖିତ ବିବିଧ କାରଣେ ।। ୭୪
ଯେ ଯାହା କର୍ମ ଅନୁସାରେ । ପୀଡନ୍ତି ଯେ ଶତ୍ରୁ ଯାହାରେ ।। ୭୫
ଯେ ଶସ୍ତ୍ରେ ଯାକୁ ଯେବା ମାରି । ସେ ରୂପେ ଶୃଙ୍ଗ ଛନ୍ତି ଧରି ।। ୭୬
ଗଦା ମୁଦ୍‌ଗର ଅସିବର । କୁନ୍ତ କୁଠାର ଶକ୍ତିଶୂଳ ।। ୭୭
ଏ ଆଦି ଅସ୍ତ୍ର ଅପ୍ରମିତେ । ପ୍ରକୋପେ ପ୍ରହାରନ୍ତି ନିତ୍ୟେ ।। ୭୮
ତା ପୂର୍ବ-ଦଣ୍ତ ଅନୁକ୍ରମେ । ସୁମରି ଦ୍ୟନ୍ତି ଶତ୍ରୁ ଜନେ ।। ୭୯
କେ ବୃକ୍ଷେ ବାନ୍ଧିଣ ପିଟନ୍ତି । କେ ରୋଷେ ତୋଳି କଚାଡନ୍ତି ।। ୮୦
ଅଧୋବଦନ ଉର୍ଦ୍ଦ୍ୱେ ପାଦ । ଏ ଆଦି ଅଶେଷ ବିଷାଦ ।। ୮୧
ନାନା-କଦର୍ଥନେ ପୀଡନ୍ତି । ପ୍ରକୋପ ନୟନେ ଚାହାଁନ୍ତି ।। ୮୨
ଅଧର ଚାପି ଦନ୍ତେ ଭିଡି । କୋପେ କରନ୍ତି ଘୋର ରଡି ।। ୮୩
ପଶୁଙ୍କ ଦଣ୍ତ ଉପତାପେ । ଉଚ୍ଚେଣ ରୋଦନ୍ତି ଅଧୀପେ ।। ୮୪
ଦୁଃସଦ-ଦୁଃଖେ ଭୟେ ଛନ୍ନ । ସ୍ରବିତ ମୂତ୍ରଦ୍ୱାରମାନ ।। ୮୫
ତା ଦେଖି ପ୍ରାଚୀ ନୃପରାଣ । ଭୟେ ଉତ୍ସର୍ଗ ପଞ୍ଚପାଣ ।। ୮୬
ଭ୍ରମ ହୋଇଲା ତାର ମତି । ପଳାଇ ଇଚ୍ଛଇ ନୃପତି ।। ୮୭
ତା ଯାଗେ ବଧ ପଶୁଗଣେ । ତାକୁ ବେଢିଲେ ତତକ୍ଷଣେ ।। ୮୮
ନିଜ ଶତ୍ରୁକୁ ପାଇ କୋପେ । ବେଢି ଭକ୍ଷିଲେ କ୍ଷୁଧା ତାପେ ।। ୮୯
ବୃକ-ସମୂହ ମୃଗେ ଯେହ୍ନେ । ରାଜାକୁ ଭକ୍ଷିଲେ ତେସନେ ।। ୯୦
ଆବୋରି ଶତେପୁର କରି । ଏକ-ଆରେକ ବଳେ ଧରି ।। ୯୧
ଦଶନେ ଧରି ଓଟାରନ୍ତି । ଏକ-ଆରକେ ନ ଛାଡନ୍ତି ।। ୯୨
ଦୁଃସହ ଦୁଃଖେ ସେ ରାଜନ । ବ୍ୟାକୁଳେ କରଇ ରୋଦନ ।। ୯୩
ନିର୍ଦ୍ଦୟ-ପଶୁ ଦୁଷ୍ଟପଣେ । ମାଂସ ଭକ୍ଷନ୍ତି ଅନୁକ୍ଷଣେ ।। ୯୪
ଭକ୍ଷନ୍ତି ଅସ୍ଥି ଶେଷ ଯାଏ । ଯାବତ କ୍ରୋଧ ଶାନ୍ତି ନୋହେ ।। ୯୫
ତଦନ୍ତେ ଅନ୍ୟ ପଶୁଗଣେ । ବେଢି ସେ ଭକ୍ଷନ୍ତି ତକ୍ଷଣେ ।। ୯୬
ମାୟାରେ ପୁନରପି କାୟେ । ପ୍ରକାଶେ ପୂର୍ବତନୁ ପ୍ରାୟେ ।। ୯୭
ଦୁଃସହ-ଦୁଃଖେ ସେ ନୃପତି । ଭୟେ ପଳାଇ ଚଉକତି ।। ୯୮
ତେଣେ ଗୋଡାନ୍ତି ପଶୁଗଣେ । କୋପେ ଭକ୍ଷନ୍ତି ଅନୁକ୍ଷଣେ ।। ୯୯
ଏମନ୍ତ ଦୁଃଖ ମହାଘୋରେ । ରୋଦନ କରେ ଉଚ୍ଚସ୍ୱରେ ।। ୧୦୦
ତାରେ ରକ୍ଷକ କେହି ନାହିଁ । ଶତ୍ରୁ ସମୂହେ ପୀଡେ ଦେହୀ ।। ୧୦୧
ସଭୟେ ଭାଳଇ ରାଜନ । ନିଶ୍ଚେ ନାଶିବେ ମୋ ଜୀବନ ।। ୧୦୨
ଏମନ୍ତ ଭାଳନ୍ତେ ଆକୁଳେ । ମୁନି ଜାଣିଲେ ଯୋଗବଳେ ।। ୧୦୩
ଏ ମିଥ୍ୟା-ଭୟେ ନୃପରାଣ । ଅବଶ୍ୟ ଛାଡିବ ପରାଣ ।। ୧୦୪
ଉଚ୍ଛନ୍ନ ଦେଖି ନୃପବର । ହରିଲେ ଯୋଗନିଦ୍ରା ତାର ।। ୧୦୫
ତକ୍ଷଣେ ସେ ଜ୍ଞାନ ଲଭିଲା । ବିହ୍ୱଳେ ସତ୍ୱରେ ଉଠିଲା ।। ୧୦୬
ମୁନିଙ୍କି କୋଳାଗ୍ରତ କରି । ସେ ମିଥ୍ୟା ନୃପଭୟେ ଡରି ।। ୧୦୭
ଭୟେ ନ ଛାଡେ ନୃପବର । ଭୋ ମୁନି ମୋତେ ରକ୍ଷାକର ।। ୧୦୮
ଏ ଦୁଷ୍ଟ-ପଶୁ ଭୟଙ୍କର । ନିଶ୍ଚେ ଭକ୍ଷିବେ ମୋ ଶରୀର ।। ୧୦୯
ଏମନ୍ତ କହି ସେ ରାଜନ । ଉତ୍ସନ୍ନେ କରଇ ରୋଦନ ।। ୧୧୦
ମତି ବିକ୍ରମ ଦେଖି ତାର । ପ୍ରବୋଧ କଲେ ମୁନିବର ।। ୧୧୧
ଏମିଥ୍ୟା ଭୟେ ତୁ ରାଜନ । ବିଅର୍ଥେ ହେଉଛୁ ଉତ୍ସନ ।। ୧୧୨
ଏବେ ପ୍ରତ୍ୟକ୍ଷେ ଦେଖ ରାୟେ । ନୟନ ଫେଡି ତୁ ନିର୍ଭୟେ ।। ୧୧୩
ଏ ଘୋର ଭୟ ପୀଡା ତୋତେ । ଅଜ୍ଞାନେ ଦେଲେ ଶତ୍ରୁଯୂଥେ ।। ୧୧୪
ଦେଖ ପ୍ରତ୍ୟକ୍ଷେ ନୃପରାଣ । ତୋ ଭୟଙ୍କର ଶତ୍ରୁଗଣ ।। ୧୧୫
ଅଦୃଶ୍ୟ ହେଲେ ଆମ୍ଭ ଡରେ । ତୋ ଅନ୍ତେ ପୀଡିବେ ସେଠାରେ ।। ୧୧୬
ତୁ ତାଙ୍କୁ ଦୁଃଖ ଦେଲୁ ଯେତେ । ଅବଶ୍ୟ ପୀଡିବେ ସେ ତୋତେ ।। ୧୧୭
ଶୁଣି ସଂଭ୍ରମେ ନୃପରାଣ । ବୋଲେ ମୁନିଙ୍କି ରଖ ପ୍ରାଣ ।। ୧୧୮
ପଶୁଙ୍କ କଷଣୁ କେମନ୍ତେ । ତରିବି କହ ମୁନି ମୋତେ ।। ୧୧୯
ତୁମ୍ଭେ ସର୍ବଜ୍ଞ ସର୍ବଜାଣ । କହିବା ଏଥିର କାରଣ ।। ୧୨୦
ଏମନ୍ତ ଶୁଣି ମହାଋଷି । ରାଜା ବିଭ୍ରମେ ମନ୍ଦେ ହତି ।। ୧୨୧
ଶୁଣ ସୁମନେ ନୃପବର । କହିବା ଏଥିର ବିଚାର ।। ୧୨୨
ଏବେ ତୁ ଛାଡ ସୁତ-ବିତ୍ତ । ଦାରା-ବନ୍ଧୁରେ ସ୍ନେହଚିତ୍ତ ।। ୧୨୩
ଅଷ୍ଟ ଐଶ୍ଚର୍ଯ୍ୟ-ଭୋଗ ଯେତେ । ଏ ରାଜ ବିଭୂତି ସହିତେ ।। ୧୨୪
ଏ ସର୍ବ ତେଜି କୃଷ୍ଣପାଦେ । ଏକାନ୍ତେ ଭଜ ଅପ୍ରମାଦେ ।। ୧୨୫
ତେବେ ଏ ହତ୍ୟା ଦୁଃଖ ଘୋର । ବେଗେ ଛାଡିବ ନୃପବର ।। ୧୨୬
ଏ ବିନେ ତୋର ଅନ୍ୟ ଗତି । ଅପରେ ନ ଦେଖି ନୃପତି ।। ୧୨୭
ତା ଶୁଣି ବୋଲଇ ରାଜନ । ଭୋ ମୁନି ମୁଁ ମୂଢ ଅଜ୍ଞାନ ।। ୧୨୮
ଏ ପୁତ୍ର ଦାରା ସ୍ନେହ ଅତି । ଇନ୍ଦ୍ରିୟ ଭୋଗ ରସେ ମାତି ।। ୧୨୯
ଏ ଆଦି ଗୃହବସ୍ତୁ ଯେତେ । ମୁଁ ଛାଡି ପାରିବି କେମନ୍ତେ ।। ୧୩୦
ଉପାୟ ଥିଲେ ମୁନିବର । ଏ ମାୟାବନ୍ଧ ପରିହର ।। ୧୩୧
ତା ବାକ୍ୟେ ହସି ମୁନି ତୋଷ । କହିବା ତୋତେ ଇତିହାସ ।। ୧୩୨
ଶ୍ରବଣେ ହେବ ତୋର ଜ୍ଞାନ । ସେ ପୁରଞ୍ଜନର ଆଖ୍ୟାନ ।। ୧୩୩
ଏ ଘୋରଭୟ ସ୍ନେହ ତୋର । ଶ୍ରବଣେ ବେଗେ ହେବ ଦୂର ।। ୧୩୪
ସେ ପୁରଞ୍ଜନ ଏକ ରାଜା । ପୂର୍ବେ ସେ ଥିଲା ମହାତେଜା ।। ୧୩୫
ବିଜ୍ଞାତ ନାମେ ସଖା ତାର । ଜ୍ଞାନ-ଚେଷ୍ଟାରେ ସେହୁ ଧୀର ।। ୧୩୬
ସେ ନିଜ-ସଖା ପରିହରି । ଇନ୍ଦ୍ରିୟଭୋଗ ଇଚ୍ଛା କରି ।। ୧୩୭
ନିରତେ ଭାବେ ଅନୁଦିନ । ଇନ୍ଦିୟ ବଶେ ହୋଇ ଛନ୍ନ ।। ୧୩୮
ସେ ରାଜା ପୃଥିବୀ ଭ୍ରମଇ । ଉତ୍ତମ-ସ୍ଥାନ ସେ ଇଚ୍ଛଇ ।। ୧୩୯
ନ ପାଇ ନିଜ ରୂପେ ସ୍ଥିତି । ବିଷାଦମନ ସେ ନୃପତି ।। ୧୪୦
ଯାବତ-ପୁର ମହୀତଳେ । ସେ ରାଜା ଦେଖଇ ନିରୋଳେ ।। ୧୪୧
ତା ନିଜ କାମ ପୂର୍ଣ୍ଣ ପାଇଁ । ସେ ରାଜା ସନ୍ତତେ ଭ୍ରମଇ ।। ୧୪୨
ଏମନ୍ତେ ଏକାନ୍ତେ ଭ୍ରମନ୍ତେ । ଗଲା ସେ ହିମାଳୟ ପଥେ ।। ୧୪୩
ସେ ଗିରି ଦକ୍ଷିଣ ଭାଗରେ । ପ୍ରବେଶ ହୋଇଲା ସଧୀରେ ।। ୧୪୪
ସୁଦିବ୍ୟପୁର ତହିଁ ଥିଲା । ସେ ରାଜା ସନ୍ତୋଷେ ଦେଖିଲା ।। ୧୪୫
ନାନା ଲକ୍ଷଣେ ବିରାଜଇ । ସେ ନବଦ୍ୱାରେ ଶୋଭାପାଇ ।। ୧୪୬
ସେ ପୁରେ ପାଚେରୀ ଶୋଭନ । ତା ଚଉପାଶେ ଉପବନ ।। ୧୪୭
ଗୃହାଦି ଅଟ୍ଟାଳୀ ଶୋଭନ୍ତି । ପରିଖା ତ୍ରୋଣ ବିରାଜନ୍ତି ।। ୧୪୮
ହେମ-ରଜତ-ଲୌହ-ଶୃଙ୍ଗ । ବିଚିତ୍ର-ବର୍ଣ୍ଣେ ନାନାରଙ୍ଗ ।। ୧୪୯
ରତ୍ନ-ସମୁହେ ବିରାଜନ୍ତି । ଶୁଭ୍ର-ସୁନ୍ଦର ପୁର କାନ୍ତି ।। ୧୫୦
ନୀଳାଦି ସ୍ଫଟିକ ପୋଏଳା । ମୋତି ମର୍କତ ଆଦି ଶିଳା ।। ୧୫୧
ନିର୍ମିତ ହେମମୟ ସ୍ଥଳୀ । କାନ୍ତି ସମୂହେ ଅତି ଝଳି ।। ୧୫୨
ସେ ପୁର ଦେଖିଣ ନୃପତି । କିଏ ଦ୍ୱିତୀୟ ଭୋଗବତୀ ।। ୧୫୩
ସଭା ଚତ୍ୱର ରାଜ ବାଟ । ପଶା-ଖେଳନ ସ୍ଥାନ ହାଟ ।। ୧୫୪
ବିଶ୍ରାମ-ସ୍ଥାନ ପ୍ରାଣୀଙ୍କର । ଏ ଆଦି ଅଛି ଯେ ମନ୍ଦିର ।। ୧୫୫
ପତାକା ଶୋହେ ନାନାବିଧି । ଶୁଦ୍ଧ ସୁବର୍ଣ୍ଣେ ଶୋହେ ବେଦୀ ।। ୧୫୬
ଯେ ପୁର ବାହ୍ୟେ ଉପବନ । ଶୋଭିତ ନାନା ଦ୍ରୁମମାନ ।। ୧୫୭
ପୁଷ୍ପିତ-ସରୋବର ଶୋହି । ବିହଙ୍ଗ କୁଳ କୂଳେ ଯହି ।। ୧୫୮
ହିମ-ନିର୍ଝର-ବିନ୍ଦୁଯୋଗେ । କୁସୁମାକର-ବାୟୁ ବେଗେ ।। ୧୫୯
ପ୍ରଚଳେ ଦଳ ବିଟପୀରେ । ସରସୀତଟ୍ ସମ୍ପଦରେ ।। ୧୬୦
ନାନାବର୍ଣ୍ଣର ମୃଗମାନେ । ଚିହରୁଛନ୍ତି ଉପବନେ ।। ୧୬୧
ଯହିଁ କୋକିଳ କୂଢ଼ଛନ୍ତି । କିବା ସେ ପାନ୍ଥକୁ ଲୋଡନ୍ତି ।। ୧୬୨
ଏମନ୍ତେ ନାନା ଜୀବ କୁଳେ । କ୍ରୀଡନ୍ତି କାମମତ୍ତ ଭୋଳେ ।। ୧୬୩
ସେ ଦିବ୍ୟବନେ ହେ ରାଜନ । କହିବା ଅପର ବିଧାନ ।। ୧୬୪
କାମିନୀରତ୍ନ ସେହୁ ବନେ । ଆସି ଯେ ଥିଲା ସ୍ୱଚ୍ଛ ମନେ ।। ୧୬୫
ରମଣିରତ୍ନ ସେହୁ ବାଳା । ତାହାକୁ ନୃପତି ଦେଖିଲା ।। ୧୬୬
ସଙ୍ଗେ ତା ଦଶ ପରିବାରୀ । ଘେନିଣ ଆସିଛି ସୁନ୍ଦରୀ ।। ୧୬୭
ଭୃତ୍ୟମାନଙ୍କେ ଏକେ ଏକେ । ସଙ୍ଗତେ ଶତ ସ୍ୱନାୟିକେ ।। ୧୬୮
ପଞ୍ଚମସ୍ତକ ଏକ ଅହି । ସେ ନାରୀ ଦ୍ୱାରପାଳ ସେହି ।। ୧୬୯
ସେ କାମରୂପୀ ଦିବ୍ୟନାରୀ । ବିବାହ ନୋହିଛି ତାହାରି ।। ୧୭୦
ତହୁଁ ସେ ସ୍ୱାମୀଙ୍କି ଶଙ୍ଖୋଳେ । ତା ଯୋଗ୍ୟ ବର ହିଁ ନ ମିଳେ ।। ୧୭୧
ଲାବଣ୍ୟ-ସମୂହେ ତରୁଣୀ । କେ ତା ନିର୍ମାଣିଲା ନ ଜାଣି ।। ୧୭୨
ସୁସଞ୍ଚ-ନାସା ଦନ୍ତପନ୍ତି । ଯେହ୍ନେ ସୁନ୍ଦର ଗଜମୋତି ।। ୧୭୩
ଅରୁଣ-ବିମ୍ବାଧାର ରାଜେ । ପକ୍ୱ-ଡାଳିମ୍ବ-ବୀଜ ଗଞ୍ଜେ ।। ୧୭୪
ଅରୁଣ-ପଙ୍କଜ ଲୋଚନ । ସୁଧାଂଶୁ -ଆନନ ଶୋଭନ ।। ୧୭୫
ସୁଚାରୁ-ଭ୍ରୂଭଙ୍କ ସୁନ୍ଦର । ଅତନୁଚାପ ପଟାନ୍ତର ।। ୧୭୬
ଦଗ୍ଧ ହାଟକ ସୁକପୋଳ । ଅଳକାରବୃତ୍ତ ଭୃଙ୍ଗମାଳ ।। ୧୭୭
ତା ପ୍ରତିଲକ୍ଷଣେ ଶୋଭନ । ନ ଦେଖି ଏ ତିନି ଭୁବନ ।। ୧୭୮
ଶ୍ରବଣେ କୁଣ୍ତଳ ଝଲକେ । ତୁଳନା ନାହିଁ ତିନିଲୋକେ ।। ୧୭୯
କନକ ମେଖଳା ନିତମ୍ବୀ । ଚାରୁ ସୁସଞ୍ଚ ତାର ନାଭି ।। ୧୮୦
ଗମଇ ମତ୍ତଗତ ଠାଣି । ଚରଣେ ନୂପୁର ବାଜେଣି ।। ୧୮୧
କର୍ଣ୍ଣାଭିରାମ ସୁମଧୁର । ଶ୍ରବଣେ କାମଦର୍ପହର ।। ୧୮୨
ରତ୍ନସମୂହେ ଝଟକନ୍ତି । ପଥେ କି ଦେବତା ଗମନ୍ତି ।। ୧୮୩
ସେ ନବଯୌବନ-ଶୋଭିନୀ । ସମ ବର୍ତ୍ତୁଳ ପୀନସ୍ତନୀ ।। ୧୮୪
ତା ବସ୍ତ୍ର ଅଞ୍ଚଳେ ଢାଙ୍କନ୍ତି । ଯେହ୍ନେ ବିଦ୍ୟୁତେ ଗଜମୋତି ।। ୧୮୫
ଅପାଙ୍ଗ-ଲଙ୍ଗିତ ବିଶିଖ । ଭୂରୁ କମାଣେ ସନ୍ଧି ଲାଖ ।। ୧୮୬
ରାଜାକୁ ସତ୍ୱରେ ବିନ୍ଧିଲା । ତକ୍ଷଣେ ନୃପ ମୋହ ହେଲା ।। ୧୮୭
ସେ ବୀର ଲଜ୍ଜା ପାଇ ମନେ । ନାରୀକି ପଚାରେ ଅଙ୍କନେ ।। ୧୮୮
ଭୋ ସଖି ନାମ ଗୋତ୍ର ତୋର । କହ କିମର୍ଥେ ବନଘୋର ।। ୧୮୯
ଭ୍ରମଣ କରୁଛୁ ସୁନ୍ଦରୀ । ସୁର-ମୁନୀଦ୍ର ମନୋହାରୀ ।। ୧୯୦
ଏ ଦିବ୍ୟପୁର- ଉପବନେ । କହ କି ଅଛି ତୋର ମନେ ।। ୧୯୧
କି କାମ-ମୃଗ ବିଦାରଣେ । ବିହାର କରୁ ଏ କାରଣେ ।। ୧୯୨
ମୋ କାମ-ଶତ୍ରୁ ବିନାଶନେ । ସଦନ ତେଜି ଏ ବିପିନେ ।। ୧୯୩
ମୁଁ ନିଶ୍ଚେ ଜାଣିଲଇ ଚିତ୍ତେ । ସ୍ୱଗୁଣ ଘେନି ମୋର ହିତେ ।। ୧୯୪
ଏ ପୁରେ କରୁ ତୁ ବିହାର । ମୁଁ ଯେ ତୋହର ପରିଚାର ।। ୧୯୫
ଭୋ ସଖି ଏ ତୋ ସଖୀଜନ । କହ କାହାର କିସ ନାମ ।। ୧୯୬
ଏ ଦଶ ଏକୁ ଏକ ଶୋଭା । ଏ ତୁମ୍ଭ କି କରନ୍ତି ସେବା ।। ୧୯୭
ଏ ସର୍ପ କେ ତୁମ୍ଭ ଛାମୁର । ପଞ୍ଚମସ୍ତକ କିମ୍ପା ତାର ।। ୧୯୮
ଏହାଙ୍କ ନାମ-କର୍ମ ଯେତେ । ଭୋ ସଖି କହ ମୋ ଅଗ୍ରତେ ।। ୧୯୯
ତୁମ୍ଭେ କି ଲଜ୍ଜାରୂପ ଧରି । ଧର୍ମ ପତିକି ଅନୁସରି ।। ୨୦୦
କି ଅବା ତୁମ୍ଭେ ଗୋ ଭବାନୀ । ଶଙ୍ଖୋଳୁ ଅଛ ଶୁଳପାଣି ।। ୨୦୧
କି ଅବା ତୁମ୍ଭେ ପଦ୍ମାଳୟା । ଲୋଡୁଛ କୃଷ୍ଣ-ପଦଛାୟା ।। ୨୦୨
ତୁମ୍ଭେ କି ଅଟ ଅରୁନ୍ଧତୀ । ବାଞ୍ଛା କି କର ନିଜପତି ।। ୨୦୩
ଭୋ ସଖି ତୋ ରୂପ-ପ୍ରଭା । ଦେଖି ଟଳିବେ ସୁରଦେବା ।। ୨୦୪
କାମୀଜନଙ୍କ ପୂର୍ଣ୍ଣ କାମ । ବାଞ୍ଛାକୁ ଅଟୁ କଳ୍ପଦ୍ରୁମ ।। ୨୦୫
ଅଶେଷ ସୁଖ ସେ ଲଭନ୍ତି । କାମାଦି ଶତ୍ରୁ ବିନାଶନ୍ତି ।। ୨୦୬
ମୁନିମୋହିନୀ ରୂପ ଧରି । ଏ କାନ୍ତେ ଭ୍ରମୁ ତୁ କିଶୋରୀ ।। ୨୦୭
ତୋ ଗୁଣ କୀର୍ତ୍ତିପ୍ରଭା ଚାହିଁ । ଦେବତା ପ୍ରାୟେ ମୁଁ ମଣଇଁ ।। ୨୦୮
ଭୂମିରେ ନ ଚାଲେ ଦେବତା । ଏଣୁ ମୋ ମନେ ଗରୁ ଚିନ୍ତା ।। ୨୦୯
ତୋ ଗୁଣ ବର୍ଣ୍ଣବଇଁ କେତେ । ତୋ ସମ ନାହିଁ ଏ ଜଗତେ ।। ୨୧୦
ଏବେ ନିଶ୍ଚୟେ ମୋତେ ଘେନି । ଏ ପୁରେ ବିହର କାମିନୀ ।। ୨୧୧
ତୋହର ଲଜ୍ଜା-ଭାବ ସ୍ମିତ । ଏ କାମୀଜନଙ୍କୁ ପୀଡିତ ।। ୨୧୨
ଅନଙ୍ଗ-ଶର ବାଧେ ମୋତେ । ମୁଁ ଫେଡି କହିଲିଇଁ ତୋତେ ।। ୨୧୩
ତୋ ମୁଖ ଅପାଙ୍ଗ-ଲକ୍ଷଣ । ସ୍ଥକିତ ଏ ମୋର ଚରଣ ।। ୨୧୪
ତୁ ଅନୁଗ୍ରହ ମୋତେ କର । ଏ କାମାନଳ ପରିହର ।। ୨୧୫
ସେ ତାପେ ଦହି ମୁଁ ହେଉଛି । ତୁ ଶାନ୍ତି କର ଗୋ ମୃଗାକ୍ଷି ।। ୨୧୬
ସଖି ତୋ ରୁଚିର ଆନନ । ଶୁଭ୍ର ସୁନ୍ଦର ସୁଲୋଚନ ।। ୨୧୭
ଅଳକ କପୋଳେ ଝଲକେ । ଟେକିଣ ନ ଚାହୁଁ ତୁ କିକେ ।। ୨୧୮
କହ ତୁ ମଧୁର ବଚନ । ନିଶ୍ଚେ ମୋ ଗଲାଟି ଜୀବନ ।। ୨୧୯
ତୁ ଲଜ୍ଜାଭରେ ନ ଚାହୁଁଛୁ । ଭୋ ସଖି ପ୍ରାଣେ ତୁ ମାରୁଛୁ ।। ୨୨୦
ତୁ ହସି ସୁମଧୁର ଭାଷ । ମୁଁ ନିଶ୍ଚେ ହେବି ତୋର ଦାସ ।। ୨୨୧
ଅନେକ ବିନୟ-ବଚନ । ସେ ନାରୀବଶେ ପୁରଞ୍ଜନ ।। ୨୨୨

ନାରଦ ଉବାଚ

ହେ ନୃପ ତୋର ପ୍ରାୟ ସେହି । ସ୍ତିରୀରେ ବଶ କଲା ଦେହୀ ।। ୨୨୩
ପ୍ରଭୁତ୍ୱ ପଣ ସେ ତେଜିଲା । ତା ବଶେ ଜ୍ଞାନ ପାଶୋରିଲା ।। ୨୨୪
ସ୍ତିରୀରେ ବଶ ଯେଉଁ ପ୍ରାଣୀ । ତାହାକୁ ମନୁଷ୍ୟେ ନ ଗଣି ।। ୨୨୫
ଯେ ଅଶ୍ୱ ବିଡାଳ ଗର୍ଦ୍ଦଭ । ତାଙ୍କ ସମାନେ ସେହୁ ଜୀବ ।। ୨୨୬
ପଣ୍ତିତ ବୋଲି ତା ନ ଗଣି । ସ୍ତିରୀରେ ବଶ ଯେଉଁ ପ୍ରାଣୀ ।। ୨୨୭
ଭୋ ନୃପ ମନେ ତୁ ବିଚାର । କାହିଁ ପଣ୍ତିତ ଜ୍ଞାନ ତାର ।। ୨୨୮
ଏମନ୍ତ ସେ ଯେ ପୁରଞ୍ଜନ । ବୋଧିଲା ଚାଟୁବାକ୍ୟେ ମନ ।। ୨୨୯
ସନ୍ତୋଷ ଲଭିଲା ତରୁଣୀ । ତାର କାର୍ପଣ୍ୟ ବାକ୍ୟ ଶୁଣି ।। ୨୩୦
ସେ ନାରୀ ବୁଝିଲା ମନର । ଏ କାମେ ହୋଇଛି ଅସ୍ଥିର ।। ୨୩୧
ନୃପକୁ ଆତ୍ମହରା ଦେଖି । ଅଳପ ହସିଲା ସୁମୁଖୀ ।। ୨୩୨
କହେ ଲଳିତ ସୁବଚନ । ଶୁଣ ହେ ବୀର ପୁରଞ୍ଜନ ।। ୨୩୩
ଆମ୍ଭର ଭର୍ତ୍ତା କେହି ନାହିଁ । ବିହରୁଁ ଏ ପୁରରେ ରହି ।। ୨୩୪
ସ୍ୱନାମ ଗୋତ୍ର ତା ନ ଜାଣି । ଏ ତନୁ କେ ଅଛି ନିର୍ମାଣି ।। ୨୩୫
ଏତେକ ଜାଣୁ ଆମ୍ଭେମାନେ । ସକଳେ ଅଛୁ ଏ ଭୁବନେ ।। ୨୩୬
ଅପରେ ନ ଜାଣୁ ନା କିଛି । ଏ ପୁରେ କେ ମୋତେ ରଖିଛି ।। ୨୩୭
ଦେଖ ଏ ଯେତେ ପରିଜନ । ଏ ମୋର ନୁହଁନ୍ତି ଅଭିନ୍ନ ।। ୨୩୮
ଏହାଙ୍କ ନାମ-କର୍ମ-ଗୁଣ । ପୁଚ୍ଛିଲ ଶୁ ନୃପରାଣ ।। ୨୩୯
ମୁଁ ଯେବେ ନିଦ୍ରାଗତ ହୋଇ । ଏ ସର୍ପ ପୁର ଜଗିଥାଇ ।। ୨୪୦
ଏ ଆମ୍ଭ ପାଳକ ପୁରର । ସକଳ-କାର୍ଯ୍ୟରେ ତ‌ତ୍ପର ।। ୨୪୧
କରନ୍ତି ଆମ୍ଭ ଅନୁମତେ । ଯେ ଭୋଗବାଞ୍ଛା ଯାର ଚିତ୍ତେ ।। ୨୪୨
ଯେ ଶୁଭାଶୁଭ ଫଳ ଦେଇ । ବିଧି-ନିଷେଧ ମାର୍ଗେ ନେଇ ।। ୨୪୩
ଏଣୁ ଆତ୍ମିକ ପ୍ରିୟ ମୋର । ଯେଣୁ ଏ ସେବେ ନିରନ୍ତର ।। ୨୪୪
ଏହାର ବେନି-ପତ୍ନୀ ନାମ । ପ୍ରବୃତ୍ତି ନିବୃତ୍ତି ରାଜନ ।। ୨୪୫
ପ୍ରବୃତ୍ତି ପତ୍ନୀ ନାମ ଯାର । ସେ ସେବେ ପ୍ରବୃତ୍ତି ମାର୍ଗର ।। ୨୪୬
ନିବୃତ୍ତି ନାମେ ଯେ ଯୁବତୀ । ସେ ଧର୍ମ ମାର୍ଗେ ସେବେ ପତି ।। ୨୪୭
ସେ ବେନିନାରୀଙ୍କ କୁମର । କେ ସାଧୁ କେବା ଦୁରାଚାର ।। ୨୪୮
ଏ ଯେତେ ପ୍ରବୃତ୍ତି ନନ୍ଦନ । ଯେ କାମ କ୍ରୋଧ ଅଭିମାନ ।। ୨୪୯
ଅଜ୍ଞାନ ଲୋଭ ମୋହ ହିଂସା । ବିବାଦ ତର୍କ ମିଥ୍ୟାଭାଷା ।। ୨୫୦
ଅପରେ କହିବଇଁ କେତେ । ଏ ଆଦି ପୁତ୍ରେ ଛନ୍ତି ଯେତେ ।। ୨୫୧
ଏ ସର୍ବେ ଧର୍ମରେ ବିବାଦୀ । ପିତୃ ସେବନ୍ତି ନିରବଧି ।। ୨୫୨
ଅଧର୍ମ-ମାର୍ଗେ ନିରନ୍ତର । ସୁସେବା କରନ୍ତି ପିଅର ।। ୨୫୩
ଯେ କାମଭୋଗେ ତୁମ୍ଭ ଇଚ୍ଛା । ସେ ଦେଇ ପୂରାଇବେ ବାଞ୍ଛା ।। ୨୫୪
ଏଣୁ ଏ ତୁମ୍ଭ ସଙ୍ଗେ ଥିବେ । ସେବାଦି କର୍ମରେ ତୋଷିବେ ।। ୨୫୫
ଏହାଙ୍କୁ କ୍ଷଣେ ନ ଛାଡିବ । ଆମ୍ଭରେ ଯେବେ ଦୟା ଥିବ ।। ୨୫୬
ଏ ଯେତେ ନିବୃତ୍ତି ନନ୍ଦନ । ଦୟା ବିବେକ ଧର୍ମ ଜ୍ଞାନ ।। ୨୫୭
କ୍ଷମା ସନ୍ତୋଷ ଧୀର ଶାନ୍ତି । ଏ ଅନୁକ୍ରମେ ଯେତେ ଛନ୍ତି ।। ୨୫୮
ଅଧର୍ମ-ମାର୍ଗେ ଏ ଦାରୁଣ । ଇଚ୍ଛନ୍ତି ପିତାର ମରଣ ।। ୨୫୯
ଏ ନିଶ୍ଚେ ମାରି ନିଜ ତାତ । ରଖିବେ ପିତାର ପିତାନ୍ତ ।। ୨୬୦
ଏଣୁ ଏହାଙ୍କୁ ପ୍ରତେଜିବ । ଭୋଗାଦି ବାଞ୍ଛା ଯେବେ ଥିବ ।। ୨୬୧
ଏ ଦୁଷ୍ଟେ ଅଧର୍ମ ନାଶନ୍ତି । ଭୋଗାଦି ସୁଖ ନ ଦେଖନ୍ତି ।। ୨୬୨
ଯେ ପିତୃବଧେ ଛିଦ୍ର ବାଞ୍ଛ । ତୁମ୍ଭେ ପାଇବ କାହିଁ ରକ୍ଷା ।। ୨୬୩
ତୁମ୍ଭେ ନ ଜାଣ ପୁରଞ୍ଜନ । କେ ସାଧୁ କେ ଅବା ଦୁର୍ଜନ ।। ୨୬୪
ଆମ୍ଭର କହିବା ଉଚିତ । ତୁମ୍ଭେ ଯେ ଆମ୍ଭ ନିଜକାନ୍ତ ।। ୨୬୫
ସ୍ୱାମୀ କପଟୀ ଯେବା ନାରୀ । ସେ ଟି ଅଜ୍ଞାନୀ ବ୍ୟଭିଚାରୀ ।। ୨୬୬
ତୁମ୍ଭେ ଯେ ଭୋଗାଦି ଈଶ୍ୱର । ଇଚ୍ଛା-ସଂଯୋଗେ ଭୋଗ କର ।। ୨୬୭
ଏ ସର୍ବେ ଭୋଗ ବିନାଶିବେ । କାମାଦି ବାଞ୍ଛା ଏ ନ ଦେବେ ।। ୨୬୮
ଏହାଙ୍କ ସଙ୍ଗତେ ରାଜନ । ପଡି ହୋଇବ ଭୋଗେ ହୀନ ।। ୨୬୯
ଏ ପୁରେ ଭୋଗ-ବାଞ୍ଛା ଯାର । ଏ ସଙ୍ଗ ନୁହେଁ ନୃପବର ।। ୨୭୦
ତୁମ୍ଭେ ଏ ସଙ୍ଗ ପରିହର । ନିଶ୍ଚିନ୍ତେ ଏ ପୁରେ ବିହର ।। ୨୭୧
ଏବେ ଆମ୍ଭର ସଙ୍ଗେ ତୁମ୍ଭେ । ସୁକୃତ କରି ରହ ଦମ୍ଭେ ।। ୨୭୨
ଏ ସଙ୍ଗ ସଙ୍ଗତେ ଆମ୍ଭର । ପ୍ରୀତି ନୋହିବ ନୃପବର ।। ୨୭୩
ସେ ନାରୀ ବାକ୍ୟେ ନୃପମଣି । ଅଜ୍ଞାନେ ମଜ୍ଜିଲା ନ ଜାଣି ।। ୨୭୪
ଅଜ୍ଞାନ-ମାର୍ଗେ ଚିତ୍ତ ଦେଲା । ସ୍ୱ ପର ଭେଦ ବୁଦ୍ଧି କଲା ।। ୨୭୫
ତାର ସ୍ୱବଶେ ନେଲା ଦିନ । ଅଜ୍ଞାନ ପୁରୁଷ ଯେସନ ।। ୨୭୬
ଭୋ ସଖି ଯାବତ ଏ ପୁରେ । ଥିବି ତୋ ଆଜ୍ଞା ଅନୁସାରେ ।। ୨୭୭
ଶୁଣି ସନ୍ତୋଷେ ସେ ସୁନ୍ଦରୀ । ରାଜାଙ୍କୁ ଘେନିଲା ଆଦରି ।। ୨୭୮
ହେ ନୃପ ଶୁଣ ପୁରଞ୍ଜନ । ଏ ମୋର ଯେତେ ପରିଜନ ।। ୨୭୯
ସୁସେବା କରିବେ ନିରତେ । ଯେ ଭୋଗବାଞ୍ଛା ତୁମ୍ଭ ଚିତ୍ତେ ।। ୨୮୦
ଏ ସର୍ବେ ନିତ୍ୟେ ନିଯୋଜିବେ । ତୁମ୍ଭଙ୍କୁ କ୍ଷଣେ ନ ଛାଡିବେ ।। ୨୮୧
ଯେ କାମ-ଭୋଗେ ଇଚ୍ଛା ମନ । ଏ ନିତ୍ୟେ ଖଟିବେ ରାଜନ ।। ୨୮୨
ଭଜିବେ ଯେଝା ନିଜସ୍ଥାନେ । ନିର୍ଭୟ-ଚିତ୍ତେ ତୋଷମନେ ।। ୨୮୩
ଏମନ୍ତ ପ୍ରବୋଧ ବଚନ । କହିଣ ତୋଷିଲା ରାଜନ ।। ୨୮୪
ତା ବାକ୍ୟେ ରାଜା ବିମୋହିତ । କନ୍ଦୁକ-ପ୍ରତିମା ଯେମନ୍ତ ।। ୨୮୫
ତା ବଶେ କହେ ଚାଟୁ ବାଣୀ । ଭୋ କାମାନଳ ଉଦ୍ଧାରିଣ ।। ୨୮୬
ପ୍ରମଦାକୁଳ ମଧ୍ୟେ ସାର । ତୋ ତୁଲେ ନାହିଁ ପଟାନ୍ତର ।। ୨୮୭
ତୋ ରୂପ ନିର୍ମାଣିଲା ବିହି । ଦେଖି ଅନଙ୍ଗ ଚିତ୍ତ ମୋହି ।। ୨୮୮
ତୁ କାମ-ଶତ୍ରୁ ବିନାଶନେ । ଅଇଲୁ ଏ ମର୍ତ୍ତ୍ୟ-ଭୁବନେ ।। ୨୮୯
ମୋହର ତୁଲେ କାମୀ ଯେତେ । ନିସ୍ତାର ହେବେ ଏ ଜଗତେ ।। ୨୯୦
କାମଯାଚକ ପ୍ରାଣୀଙ୍କର । ତୋ ବିନା ଅନ୍ୟ କାହିଁ ଆର ।। ୨୯୧
ଭୋ ସ୍ତିରୀରତ୍ନ ସୀମନ୍ତିନି । କେ ତୁମ୍ଭ ପିଅର ଜନନୀ ।। ୨୯୨
କହ ତାହାଙ୍କ ନାମ ଗୁଣ । ଶ୍ରବଣେ ମୋର ନିସ୍ତାରଣ ।। ୨୯୩
ତା ବାକ୍ୟ ଶୁଣିଣ ହରଷେ । ସେ ନାରୀ କହେ ମଦହାସେ ।। ୨୯୪
ଶୁଣ ହେ ଦେବ ପୁରଞ୍ଜନ । କହିବା ପୂର୍ବର ବିଧାନ ।। ୨୯୫
ଆମ୍ଭର କେ ବା ତାତମାତ । ନ ଜାଣି ଜନ୍ମର ଚରିତ ।। ୨୯୬
ଏ ତୁମ୍ଭ ଆମ୍ଭ ଦେହଧାରୀ । ସଚରାଚର ଆଦି କରି ।। ୨୯୭
ଏ ପଞ୍ଚଭୂତ ଦେହ ଯେତେ । କେ ଜାଣି ପାରେ ତା ତଦନ୍ତେ ।। ୨୯୮
ଯେସନେ ତୁମ୍ଭେ ନୃପରାଣ । ନ ଜାଣ ଜନ୍ମାଦି କାରଣ ।। ୨୯୯
ଆମ୍ଭର ଏଣେ ନାହିଁ ଜ୍ଞାନ । ବିବେକୀ ବୁଝ ହେ ରାଜନ ।। ୩୦୦
ତୁମ୍ଭେ କି ନ ଜାଣ ତୁମ୍ଭଙ୍କୁ । ଏ ଭେଦ ପଚାର ଆମ୍ଭଙ୍କୁ ।। ୩୦୧
ଏକଇ ଆତ୍ମା ବେନି ଅଂଶ । ପ୍ରକୃତି ଭେଦେ ବହୁ ଦୃଶ୍ୟ ।। ୩୦୨
ଈଶ୍ୱର-ଇଚ୍ଛା ଏ ବିହରେ । ପ୍ରକୃତି ଭେଦେ ସୃଷ୍ଟି କରେ ।। ୩୦୩
ଏ ଘେନି କେ ଜାଣେ ତଦନ୍ତ । ଏ ମାୟା-ଜଡେ ବିମୋହିତ ।। ୩୦୪
ସ୍ୱନାମ-ଗୋତ୍ରେ କିବା ଫଳ । ମୋ ଭାଗ୍ୟେ ତୁମ୍ଭେ ଯେ ମିଳିଲ ।। ୩୦୫
ଆଜ ମୋ ଭାଗ୍ୟ ଅଗୋଚର । ଦେଖିଲି ନୟନେ ମୋହର ।। ୩୦୬
ଯାକୁ ଅଷ୍ଟାଙ୍ଗ ଯୋଗଧ୍ୟନେ । ଯୋଗୀ ଭାବନ୍ତି ଅନୁଦିନେ ।। ୩୦୭
ସେ ତୁମ୍ଭେ ମୋ ଭାଗ୍ୟେ ଆଗତ । ଏଣୁ ମଣିଲି ଅଦଭୁତ ।। ୩୦୮
ଏ ପୁରେ କରିବା ବିଶ୍ରାମ । ଭୁଞ୍ଜ ସ୍ୱଇଚ୍ଛାସୁଖେ କାମ ।। ୩୦୯
ମୁଁ ଆଣି ସର୍ବ ନିଯୋଜିବି । ଏହାଙ୍କ ତୁଲେ ମୁଁ ସେବିବି ।। ୩୧୦
ଏ ମୋର ନବମୁଖ-ପୁର । ଏ ପୁରେ ଅଧିଷ୍ଠାନ କର ।। ୩୧୧
ମୋ ସଙ୍ଗେକର ରତି ଯୋଗ । ଏ ଶତ ସମ୍ବତ୍ସର ଭୋଗ ।। ୩୧୨
ଏ ତୁମ୍ଭ ବିନୁ ଯେବା ଜନ । କେ ରତି କରେ ତା ସଙ୍ଗେଣ ।। ୩୧୩
ସେ ଅପଣ୍ତିତ ହୀନଦେହୀ । ତା ରତି ସୁଖେ ଜ୍ଞାନ ନାହି ।। ୩୧୪
ନାହିଁ ତା ପରଲୋକ ଚିନ୍ତା । ନ ଜାଣେ କାଳର ବାରତା ।। ୩୧୫
କେବଳ ପଶୁ ତୁଲ୍ୟ ସେହି । ତା ସଙ୍ଗେ କେବା ବିଳସଇ ।। ୩୧୬
ତା ପୁରେ ସର୍ବ କର୍ମ ସାଧି । ଧର୍ମାର୍ଥ-କାମ-ମୋକ୍ଷ ଆଦି ।। ୩୧୭
ପୁତ୍ର କଳତ୍ର ସୁଖ ଯଶ । ଏ ପୁରେ ଏ ସର୍ବ ପ୍ରକାଶ ।। ୩୧୮
ଯେ ଲୋକ ନିର୍ମଳ ବିଶୋକ । ତାକୁ ଭାବନ୍ତି ଜ୍ଞାନୀଲୋକ ।। ୩୧୯
ସେ ଲୋକ ଏଥି ସୁଖ ପାଇ । ଯେଣୁ ଏ ପୁରୀ ସୁଖମୟୀ ।। ୩୨୦
ପିତୃ ଦେବତା ମହାଋଷି । ସୁଖ ଲଭନ୍ତି ଯହିଁ ଆସି ।। ୩୨୧
ଏ ଭାବେ ଗୃହସ୍ଥ ଆଶ୍ରମ । ରଖଇ ସର୍ବ ଲୋକ ଧର୍ମ ।। ୩୨୨
ଏମନ୍ତ ଦିବ୍ୟପୁରେ ଥାଇ । ଯେ ଭୋଗେ ବାଞ୍ଛା ନ କରଇ ।। ୩୨୩
ତାହାକୁ ବୋଲିଟି ଅଜ୍ଞାନ । ବିବେକ ନୋହେ ତାର ମନ ।। ୩୨୪
କେ ଅବା ଅଜ୍ଞାନ ଯୁବତୀ । ତୁମ୍ଭର ପ୍ରାୟେ ପାଇ ପତି ।। ୩୨୫
ବିହାର ନ କରେ ତା ତୁଲେ । ତା ସ୍ୱାମୀ ଆସି ଯେବେ ମିଳେ ।। ୩୨୬
ବିଅର୍ଥ ସେ ନାରୀ ଜୀବନ । ନ କଲା ଭୁଜେ ଆଲିଙ୍ଗନ ।। ୩୨୭
ସ୍ୱଇଚ୍ଛା ଆସି ଯେବେ ମିଳେ । ବରଣ ନ କରେ ଯେ ଭଲେ ।। ୩୨୮
ଧିକ ସେ ନାରୀର ଜୀବନ । ତାଙ୍କ ବିଶ୍ୱାସେ ଧର୍ମ ହୀନ ।। ୩୨୯
ଯେ ସୁଖ-ଭୋଗ ନ ଇଚ୍ଛିବ । ସେ ବ୍ୟର୍ଥ-ଜୀବନେ ବଞ୍ଚିବ ।। ୩୩୦
ତୁମ୍ଭେ ଯେ ବଡ ଭାଗ୍ୟବନ୍ତ । ଦୀନ-ଉଦ୍ଧାରଣେ ସାମନ୍ତ ।। ୩୩୧
ଏବେ ଯେ ତୁମ୍ଭେ ଦୟାକରି । ଅଇଲ ମୋ ଦୁଃଖ ଉଦ୍ଧରି ।। ୩୩୨
ଯେବେ ସଦୟ ମୋତେ ହେବ । ଶତେ ବରଷ ଏଥି ଥିବ ।। ୩୩୩
ଏମନ୍ତ ଶୁଣି ତା ବଚନ । ସେ ନାରୀ ବଶେ ପୁରଞ୍ଜନ ।। ୩୩୪
ସେ ପୁରେ କଲେକ ବସତି । ଶତେ ବରଷ ରଙ୍ଗେ ମାତି ।। ୩୩୫
ଗାୟକମାନେ ଯେ ଗାବନ୍ତି । ସେ ବେନି ବିହାର କରନ୍ତି ।। ୩୩୬
ସେ ସଖୀମାନଙ୍କୁ ଘେନିଣ । ସରସୀ ଜଳରେ ପଶିଣ ।। ୩୩୭
ନିଦାଘ କାଳେ ସେ କ୍ରୀଡନ୍ତି । ସେପୁର କେବେ ନ ଛାଡନ୍ତି ।। ୩୩୮
ଏବେ ସେପୁର ଦ୍ୱାରମାନ । କହିବା ଯେ ଦିଗେ ଯେବଣ ।। ୩୩୯
ଉର୍ଦ୍ଧ୍ୱେ ସପତ-ଦ୍ୱାର ତାର । ତା ଅଧୋଭାଗେ ବେନି ଦ୍ୱାର ।। ୩୪୦
ଏ ଦ୍ୱାରମାନଙ୍କେ ନୃପତି । ଯେଝା ବିଷୟ ଆସ୍ୱାଦନ୍ତି ।। ୩୪୧
ଏ ପୁରେ ଈଶ୍ୱରଟି ସେହି । ତାହାକୁ ନ ଜାଣନ୍ତି କେହି ।। ୩୪୨
ଉପର ସପ୍ତଦ୍ୱାର ଶୁଣ । ଯେ ରୂପେ ହୋଇଛି ନିର୍ମାଣ ।। ୩୪୩
ଯେ ପୂର୍ବେ ତହିଁ ପଞ୍ଚ ଦ୍ୱାର ଶୁଣ । ଅଗ୍ରେ କହିବା ନାମ ତାର ।। ୩୪୪
ଖଦ୍ୟୋତା ଆବିର୍ମୁଖୀ ଦୁଇ । ଯେ ଦ୍ୱାରେ ରୂପ ସମ୍ପାଦଇ ।। ୩୪୫
ନଳିନୀ ନାଳିନୀ ଯେ ଦ୍ୱାର । ଏ ପୂର୍ବଭାବେ ଅଛି ତାର ।। ୩୪୬
ଏ ଦ୍ୱାରେ ଅବଧୂତ ସଖା । ସୁଗନ୍ଧ ଘେନୁଥାଇ ଏକା ।। ୩୪୭
ମୁଖ୍ୟା ନାମେ ଏକ ଦ୍ୱାର । ଉଭୟ କର୍ମ ସାଧ୍ୟକର ।। ୩୪୮
ବିବିଧ ଆସ୍ୱାଦ ବଚନ । ଏ ଦ୍ୱାରେ ଘେନେ ପୁରଞ୍ଜନ ।। ୩୪୯
ରସ ଆସ୍ୱାଦ ବାକ୍ୟ ଦୁଇ । ଏ ବେନି ଦ୍ୱାରେ ସେ ଘେନଇ ।। ୩୫୦
ଦେବହୂ ପିତୃହୂ ଯେ ନାମ । ଏ ବେନିଦ୍ୱାର ଦକ୍ଷ ବାମ ।। ୩୫୧
ଯେ ଦ୍ୱାର ବିଷୟେ ରାଜନ । ଶବ୍ଦାଦି କରେ ସମ୍ପାଦନ ।। ୩୫୨
ଦକ୍ଷିଣ ଉତ୍ତର ପଞ୍ଚାଳ । ରାଜ୍ୟ ପାଳଇ ମହୀପାଳ ।। ୩୫୩
ପଶ୍ଚିମେ ଆସୁରୀ ତା ନାମ । ସେ ବେନିଦ୍ୱାରେ ଯେବା କର୍ମ ।। ୩୫୪
ଗ୍ରାମକ ନାମେ ଯେ ବିଷୟ । ଯାହାକୁ ବୋଲିଟି ବ୍ୟବାୟ ।। ୩୫୫
ସେ ଦ୍ୱାରେ ପ୍ରଜା ଉତପତ୍ତି । ଦୁର୍ମଦ ସହିତେ ନୃପତି ।। ୩୫୬
ନିର୍ଋତି ନାମଟି ଯାହାର । ମଳ ଉତ୍ସର୍ଗେ ସେହୁ ଦ୍ୱାର ।। ୩୫୭
ବୈଶସ ବିଷୟକୁ ଯାଇ । ଲୁବ୍‌ଧକୁ ମନ୍ତ୍ରି ସଙ୍ଗେ ଥାଇ ।। ୩୫୮
ଏ ପୁରେ ଯେତେକ ଅଛନ୍ତି । ଏ କେହି ଅନ୍ଧ ଯେ ନୁହଁନ୍ତି ।। ୩୫୯
ନିର୍ବାକ ପେଶସ୍କୃତ ଦୁଇ । ଏ ଥାଇ ଅନ୍ଧ ରୂପେ ତହିଁ ।। ୩୬୦
ଏକଇ ଅନ୍ଧେ ସେ ରାଜନ । କରଇ ଆଦାନ ପ୍ରଦାନ ।। ୩୬୧
ଯେ ଆର ଅନ୍ଧ ତା ପୟର । ତହିଁ ଗମଇ ନୃପବର ।। ୩୬୨
ସେ ରାଜା ଅନ୍ତପୁରେ ବସେ । ବିଷୁଚୀ ଘେନି ଥାଇ ପାଶେ ।। ୩୬୩
ବିଷୁଚୀ ନାମେ ଯେହୁ ଏକ । ତାହାର ସର୍ବଦିଗେ ମୁଖ ।। ୩୬୪
ନିତ୍ୟେ ସେ ରାଜା ସଙ୍ଗେ ଥାଇ । ଯେଣେ ପେଷଇ ତେଣେ ଯାଇ ।। ୩୬୫
ସେ କ୍ଷଣେ ନ ଛାଡଇ ତାକୁ । ଅନାଇ ଥାଇ ତ ଅଜ୍ଞାକୁ ।। ୩୬୬
ଏ ରୂପେ ରାଜା ପୁରଞ୍ଜନ । ସେ ପୁରେ ଥାଇ ଅନୁକ୍ଷଣ ।। ୩୬୭
ତହିଁ ସେ ମୋଦ ପାଉଥାଇ । ବିରସ କେବେ ନ ଭଜଇ ।। ୩୬୮
କ୍ଷଣକେ ହୋଇ ହତଜ୍ଞାନ । କ୍ଷଣକେ ଲଭଇ ଚେତନ ।। ୩୬୯
ସେ କାମସୁଖେ ଦେଇ ଚିତ୍ତ । ଏଣୁ ହୋଇଲା ଜ୍ଞାନହତ ।। ୩୭୦
ତା ପତ୍ନୀ ଯେଣେ ପ୍ରବର୍ତ୍ତଇ । ସେ ମାର୍ଗେ ରାଜନ ଗମଇ ।। ୩୭୧
ସେ ମଦ୍ୟପାନ ଯେବେ କରେ । ରାଜା ପିବଇ ସ୍ନେହ ଭରେ ।। ୩୭୨
ଯେବେ ସେ କରଇ ଭୋଜନ । ତା ପ୍ରାୟେ ଭକ୍ଷଇ ରାଜନ ।। ୩୭୩
ସେ ଯେବେ ଆନନ୍ଦ ଭଜଇ । ତା ଲାଗି ରାଜା ମୋଦ ହୋଇ ।। ୩୭୪
ସେ ଯେବେ କରଇ ରୋଦନ । ତା ପଛେ ବିଳପେ ରାଜନ ।। ୩୭୫
ସେ ଗୀତ ଗାବନ୍ତେ ସୁନ୍ଦରୀ । ରାଜନ ଗାଏ ଅନୁସରି ।। ୩୭୬
ଆନନ୍ଦେ ହସେ ଯେବେ ରାଣୀ । ତା ଭାବେ ହସେ ନୃପମଣି ।। ୩୭୭
ବଚନ କହନ୍ତେ ରମଣୀ । ସେ ଭାବେ କହେ ନୃପମଣି ।। ୩୭୮
ସେ ଯେବେ ବ୍ୟଗ୍ର ଗତେ ଯାଇ । ସେ ଭାବେ ରାଜନ ଗମଇଁ ।। ୩୭୯
ତା ପତ୍ନୀ କରନ୍ତେ ଆସନ । ସେ ଭାବେ ବସଇ ରାଜନ ।। ୩୮୦
ଏମନ୍ତେ ସେ ନାରୀ ରାଜାକୁ । ସ୍ୱବଶେ ରଖିଲା ତାହାକୁ ।। ୩୮୧
ତା ବିନା ଆଜ୍ଞାରେ ରାଜନ । ନ କରେ ଅନ୍ୟ କର୍ମମାନ ।। ୩୮୨
ତା ବଶେ ହୋଇଲା ଆୟତ୍ତ । ରାଜାର ଜନ୍ମ ହେଲା ବ୍ୟର୍ଥ ।। ୩୮୩
ସେ କ୍ରୀଡାମୃଗ ଜୀବ ପ୍ରାୟେ । ସ୍ତିରୀବଶରେ ରହେରାୟେ ।। ୩୮୪
ତୁମ୍ଭେ ଯେସନେ ଭୋ ରାଜନ । ସ୍ତ୍ରୀ ବଶେ ହରାଇଲା ଜ୍ଞାନ ।। ୩୮୫
ସେ ଭାବେ ପୁରଞ୍ଜନ ରାୟେ । ସ୍ତ୍ରୀ ବେଶ ଜ୍ଞାନ କଲା କ୍ଷୟେ ।। ୩୮୬
ସେ ଭାବେ ସେ ଶେଷ ହୋଇଲା । ସେ ପୁଣ୍ୟମାର୍ଗ ଉପେକ୍ଷିଲା ।। ୩୮୭
ତା ଦିନ ଗଲା ପତ୍ନୀ ବଶେ । ଅସତ୍ୟ ମିଥ୍ୟା ଅଭିଳାଷେ ।। ୩୮୮
ଯେ ପ୍ରାଣୀ ସ୍ତିରୀବଶ ହୋନ୍ତି । ସେ ପୂର୍ବ-ପୁଣ୍ୟ ବିନାଶନ୍ତି ।। ୩୮୯
ଇହଲୋକରେ ଅପଯଶ । ଦେହାନ୍ତେ ନରକେ ପ୍ରବେଶ ।। ୩୯୦
ସ୍ତିରୀଙ୍କ ସଙ୍ଗ-ଦୋଷେ ରାୟେ । ଧର୍ମାଦି ଜ୍ଞାନମାର୍ଗ କ୍ଷୟେ ।। ୩୯୧
ସ୍ତିରୀଙ୍କ ସଙ୍ଗ ଫଳ ଏହି । କିିଞ୍ଚିତ ଶ୍ରେୟ ନାହିଁ ଯହିଁ ।। ୩୯୨
ଏହା ତୁ ଶୁଦ୍ଧ ଚିତ୍ତେ ଧର । ଏ ସଙ୍ଗ ଦୂରେ ପରିହର ।। ୩୯୩
ତୁ ଶାସ୍ତ୍ରମାର୍ଗେ ହେ ରାଜନ । ବିଚାରି କର ଅନୁମାନ ।। ୩୯୪
ଏମନ୍ତେ ନାନା ଧର୍ମବାଟେ । ସେ ମୁନି ବୁଝାଏ ଉଚ୍ଚାଟେ ।। ୩୯୫
ପ୍ରାଚୀନରହି ନାରଦ । ଏ ପୁରଞ୍ଜନର ସମ୍ବାଦ ।। ୩୯୬
ଏହା ଯେ ଶ୍ରବଣେ ଶୁଣନ୍ତି । ଅଥବା ବଦନେ ଗୁଣନ୍ତି ।। ୩୯୭
ଖଣ୍ତଇ ମାୟା ଦ୍ୱନ୍ଦ୍ୱ ବନ୍ଧ । ଜ୍ଞାନ ବର୍ଦ୍ଧିତ ଆତ୍ମା ଶୁଦ୍ଧ ।। ୩୯୮
ଭଣଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।। ୩୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ
ପଞ୍ଚବିଂଶୋଽଧ୍ୟାୟଃ ।।

ଷଡ୍ ବିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ପୁଣି ନାରଦ ମହାମୁନି । କହନ୍ତି ହରିଭାବ ଘେନି ।। ୧

ନାରଦ ଉବାଚ

ଶୁଣ ପ୍ରାଚୀନ ନୃପବର । ସେ ପୁରଞ୍ଜନ ସେ ମନ୍ଦିର ।। ୨
ରହିଲା ସ୍ତିରୀବଶ ଭୋଗେ । ଅଜ୍ଞାନ-ମୋହ-ଅନୁରାଗେ ।। ୩
ସେ ଏକଦିନେ ଦଣ୍ତଧର । ମୃଗୟା ଅର୍ଥେ ବନଘୋର ।। ୪
ଉଦ୍ୟମ କଲା ସେ ରାଜନ । ସଙ୍ଗେ ଦୁର୍ଜୟ-ଭଟ୍ଟମାନ ।। ୫
ରଥ ଆରୋହୀ ଶୀଘ୍ର ଗତି । ଅରଣ୍ୟେ ପ୍ରବେଶ ନୃପତି ।। ୬
ସେ ପୁରଞ୍ଜନ ଦିବ୍ୟଯାନ । ଅତି ସୁନ୍ଦର ନିରୁପମ ।। ୭
ପଞ୍ଚ ତୁରଙ୍ଗ ରଥ ବହେ । ଗମନ୍ତି ପଞ୍ଚମାର୍ଗେ ହୟେ ।। ୮
ଅଶେଷ ବେଗ ତାହାଙ୍କର । ଗମନେ ନ ପାରେ ସମୀର ।। ୯
ସେ ବେନିଚକ୍ରେ ଶୋଭାବନ । ଏକଇ ଅକ୍ଷେ ନିବନ୍ଧନ ।। ୧୦
ଧର୍ମ ଅଧର୍ମ ଚକ୍ର ଦୁଇ । ପବନ ଅଶ୍ୱ ରୂପେ ଯହିଁ ।। ୧୧
ଧ୍ୱଜ ତ୍ରିବର୍ଣ୍ଣ ରୂପେ ସାଜେ । ସେ ରଥ ଉପରେ ବିରାଜେ ।। ୧୨
ପଞ୍ଚବନ୍ଧନେ ସୁଶୋଭିତ । ଏକ ସାରଥୀ ତେଜବନ୍ତ ।। ୧୩
ଏକଇ ନୀଡ ଶୋଭାବନ । ସେ ରାଜା ବସିବା ଆସନ ।। ୧୪
ସେ ବେନି କୂବରେ ଶୋଭିତ । ପଞ୍ଚ ପ୍ରହରଣ ସଂଯୁତ ।। ୧୫
ସପ୍ତ ଆବରଣ ସଙ୍ଗତି । ଏ ରୂପେ ସେ ରଥେ ଶୋଭନ୍ତି ।। ୧୬
ସେ ହେମ ଭୂଷଣେ ଶୋଭନ । ସାଞ୍ଜୁଆ ପିନ୍ଧି ସେ ରାଜନ ।। ୧୭
ବସିଲେ ମନୋଜ୍ଞ ବିମାନେ । ଦେଖି ଶଙ୍କିତ ରିପୁଜନେ ।। ୧୮
ଅକ୍ଷୟ ତୁରୀର ବାନ୍ଧିଣ । ଭୂପତି ଅତି ହରଷେଣ ।। ୧୯
ସେ ଏକାଦଶ ସେନାପତି । ସଙ୍ଗତେ କରିଣ ନୃପତି ।। ୨୦
ଚଳନ୍ତି ଅତ୍ୟନ୍ତ ହରଷେ । ଦିଗ ବିଦିଗ ଚାହିଁ ତୋଷେ ।। ୨୧
ପଞ୍ଚମ-ପ୍ରସ୍ଥ ନାମ ଯେହି । ପ୍ରବେଶ ଅରଣ୍ୟରେ ଯାଇ ।। ୨୨
କରେଣ ଧରି ଶରାସନ । ମୃଗୟା ଛଳେ ସେ ରାଜନ ।। ୨୩
ଛାଡି ତା ପ୍ରିୟବତୀ ନାରୀ । ଏକାନ୍ତେ ଗଲା ନ ବିଚାରି ।। ୨୪
ଆସୁରୀ ବୁଦ୍ଧି ଧରି ରାୟେ । କଠୋର ନିର୍ଦ୍ଦୟ ହୃଦୟେ ।। ୨୫
ନାହିଁ ତା ଅନୁଗ୍ରହ ଚିତ୍ତେ । ମୃଗୟା ଛଳେ ବିମୋହିତେ ।। ୨୬
ନିଶିତ-ବାଣ ଶରାସନ । ବଧିଲା ବନ୍ୟ-ପଶୁମାନ ।। ୨୭
ସେ ରାଜା ହୋଇ ଅପଣ୍ତିତ । ଲୋଭେ ବଧଇ ମୃଗଯୂଥ ।। ୨୮
ଯେ ପ୍ରାଣୀ ଜୀବବଧ କରେ । ସେ ପଶୁଯୋନିରେ ବିହରେ ।। ୨୯
ସେ ନୃପ ଅଜ୍ଞାନ ଅଧମ । ତାର ଆୟୁଷ-ବୁଦ୍ଧି ହୀନ ।। ୩୦
ଅଜ୍ଞାନେ ଯେବା ଜୀବ ମାରେ । ସେ ଜନ ନରକେ ସଞ୍ଚରେ ।। ୩୧
ଯଜ୍ଞେ କେବଳ ପଶୁ ବଧ । ଅବଶ୍ୟ କରି ହେ ବିବୁଧ ।। ୩୨
ଯେ ପିତୃଦେବ-ଶ୍ରାଦ୍ଧ ଅର୍ଥେ । ପଶୁ ବଧିବ ବେଦମତେ ।। ୩୩
ତେବେ ହେଁ ପଶୁ-ବଧ ତାର । କେବଳ ଦୁଃଖ ମହାଘୋର ।। ୩୪
ଯେ ବେଦ କର୍ମ ନ କରନ୍ତି । ସେ ଆତ୍ମାବଧେ ଭାଗୀ ହୋନ୍ତି ।। ୩୫
ଯେ ବିଧିହୀନେ ବଧ କରେ । ଯେ ପ୍ରାଣୀ ସଂସାରୁ ନ ତରେ ।। ୩୬
ଅଜ୍ଞାନେ ଧର୍ମ-ମାର୍ଗ ହୁଡେ । ଯା ଚିତ୍ତ ପଶୁବଧେ ବଢେ ।। ୩୭
ତାହାର ମୋକ୍ଷ କାହୁଁ ଆର । ମନୁଷ୍ୟ ଜନ୍ମ ହୋଏ ଦୂର ।। ୩୮
ସେ ପଶୁଯୋନିରେ ଭ୍ରମଇଁ । ଯାତନା-କର୍ମ ନ ଛାଡଇ ।। ୩୯
ପଶୁର ଦେହେ ରୋମ ଯେତେ । ଜନ୍ମ ଲଭଇ ସେହିମତେ ।। ୪୦
ଏହା ନ ଜାଣି ନୃପବର । ସେ ପଶୁ ବଧିଲା ଅପାର ।। ୪୧
ତାହାର ଘୋର ତୀଷ୍ଣ-ବାଣ । ପଶୁଏ ଲଭିଲେ ମରଣ ।। ୪୨
ବରାହ ଗୟଳ ହରିଣ । ଶଶା ମହିଷ ପଶୁଗଣ ।। ୪୩
ମେଧ୍ୟ ଅମେଧ୍ୟ ପଶୁ ଯେତେ । ଇତ୍ୟାଦି ଜୀବ ଯେ ବନସ୍ତେ ।। ୪୪
ଏମନ୍ତେ ନାନା ଜୀବ ମାରି । ସେ ଧର୍ମ ପଥ ନ ବିଚାରି ।। ୪୫
ବନ ଭ୍ରମଣେ ନୃପବର । ବହୁତ ଶ୍ରମ ହେଲା ତାର ।। ୪୬
କ୍ଷୋଭିତ କ୍ଷୁଧା ତୃଷାକୁଳେ । ଆତ୍ମା ପୀଡିତ ଶ୍ରମ ବଳେ ।। ୪୭
ସତ୍ୱରେ ସଦନେ ପ୍ରବେଶ । ସ୍ନାନାଦି ଭୋଜନ ସୁବେଶ ।। ୪୮
ସୁଶାନ୍ତି କରାଇ ଶରୀର । ଅତି ଆନନ୍ଦେ ନୃପବର ।। ୪୯
ସୁଗନ୍ଧ ଦ୍ରବ୍ୟ ପୁଷ୍ପମାଳ । ଭୂଷଣ ହେଲା ମହୀପାଳ ।। ୫୦
ଖଞ୍ଜିଣ ନାନା-ଆଭରଣ । ସ୍ୱକାମ-ଭୋଗେ ନୃପରାଣ ।। ୫୧
ଇଚ୍ଛଇ ପତ୍ନୀର ସଙ୍ଗତି । ଅନଙ୍ଗ-ପୀଡାରେ ନୃପତି ।। ୫୨
ପ୍ରବେଶ ଅନ୍ତପୁରେ ଯାଇ । ପତ୍ନୀ-ବିଷୟ ମନେ ଧ୍ୟାୟି ।। ୫୩
ସକଳ ପୁରେ ସେ ରାଜନ । ଆପଣା ପତ୍ନୀକି ଖୋଜିଣ ।। ୫୪
ନ ପାଇ ସେ ନିଜ ଯୁବତୀ । ସଖୀଙ୍କି ରାଇ ପଚାରନ୍ତି ।। ୫୫
ବିଷାଦେ ପୁଛଇ ରାଜନ । ଶୁଣଗୋ ଏ ମୋର ବଚନ ।। ୫୬
ମୋ ପ୍ରାଣସଖୀ ଛନ୍ତି କାହିଁ । କହି ସନ୍ତୋଷ କର ଦେହୀ ।। ୫୭
ସେ ଅର୍ଦ୍ଧଆତ୍ମାଟି ମୋହର । ଅର୍ଦ୍ଧକେ କେ ଧରେ ଶରୀର ।। ୫୮
ସଦନେ ଅଛନ୍ତି ନା ଭଲେ । ସଖୀଗଣଙ୍କ ସଙ୍ଗ ମେଳେ ।। ୫୯
ତୁମ୍ଭେ ତାହାଙ୍କ ଅନୁଚର । କହ କୁଶଳ ତାହାଙ୍କର ।। ୬୦
ଏମନ୍ତ ବିହ୍ୱଳ ରାଜନ । ବାତୁଳେ କହଇ ବଚନ ।। ୬୧
ସେ ଯେ ମୋହର ପ୍ରାଣଶାଖା । ତା ବିନୁ ନ ବର୍ତ୍ତଇ ଏକା ।। ୬୨
ଶୁଣ ଗୋ ସଖୀଗଣ ମୋର । ଏ ଗୃହଧର୍ମର ବେଭାର ।। ୬୩
ପତ୍ନୀ ନ ଥିଲେ ନ ଶୋଭନ୍ତି । ଏ ରାଜସମ୍ପଦ-ବିଭୂତି ।। ୬୪
ସେ ଗୃହେ ନାହିଁ ଯେବେ ମାତା । ସୁପୁତ୍ରବତୀ ପତିବ୍ରତା ।। ୬୫
ସେ ଗୃହପତି ଜୀବ ହୀନ । ସୁଖେ ତା ନାହିଁ ପ୍ରୟୋଜନ ।। ୬୬
ଯେସନେ ଚକ୍ରହୀନ ରଥ । ବସିଲେ କାହିଁ ସୁଖ ଜାତ ।। ୬୭
ତେସନେ ଗୃହିଣୀ ବିହୀନେ । ଗୃହସ୍ଥ ନ ଶୋହେ ସଦନେ ।। ୬୮
ଆତ୍ମା ବିହୁନେ ଯେହ୍ନେ ଦେହୀ । ତା ଗୃହ ତେହ୍ନେ ନ ଶୋଭଇ ।। ୬୯
କହ ମୋ କାହିଁ ସୁଲକ୍ଷଣୀ । ସେ ମୋର ପ୍ରାଣ ଉଦ୍ଧାରିଣୀ ।। ୭୦
ତା ବିନୁ ନ ସ୍ଫୁରଇ ଜ୍ଞାନ । କହି ଗୋ ରଖ ମୋ ଜୀକନ ।। ୭୧
ବୁଡିଲି ମୁଁ ଦୁଃଖସାଗରେ । ଉଦ୍ଧରି ରଖ ପ୍ରାଣ ଭଲେ ।। ୭୨
ତା ଶୁଣି ସଖୀଗଣ ଭୟେ । ବୋଲନ୍ତି ଶୁଣ ମହାରାୟେ ।। ୭୩
ଆମ୍ଭେ ନ ଜାଣୁ ସେ କିମ୍ପାଇଁ । ଭୂମିଶଯ୍ୟାରେ ଛନ୍ତି ଶୋଇ ।। ୭୪
ଦେଖିଲେ ଦେଖ ମହାରାୟ । ଆମ୍ଭେ ନଜାଣୁ ଅଭିପ୍ରାୟ ।। ୭୫
ଶୁଣିଣ ସତ୍ୱରେ ରାଜନ । ଅନ୍ତଃପୁରେ କଲା ଗମନ ।। ୭୬
ରାଣୀକି ଦେଖି ସେ ରାଜନ । ସତ୍ୱରେ କଲା ଆଲିଙ୍ଗନ ।। ୭୭
ଭୂମିରୁ କୋଳରେ ବସାଇ । ଅନେକ ଚାଟୁବାକ୍ୟ କହି ।। ୭୮
କାମିନୀ ଦୁଃଖ-ବିମୋଚନେ । କହେ କାକୁସ୍ଥ ଭୟମନେ ।। ୭୯
ଭୋ ସଖି ମୁଁ ଯେ ଅପରାଧୀ । ତୋ ସଙ୍ଗ ତେଜି ମୁଁ ଦୁର୍ବଦ୍ଧି ।। ୮୦
ମୃଗୟା ଛଳେ ବନେ ଗଲି । ଏଣୁ ଅପ୍ରିୟ ତୋର ହେଲି ।। ୮୧
ତୁ କ୍ଷମା ନ କଲେ ସୁନ୍ଦରୀ । ମୁଁ ପ୍ରାଣ ନ ପାରବି ଧରି ।। ୮୨
ପତି ବିନୟ ବାକ୍ୟ ଶୁଣି । ମାନ ନ ତେଜେ ସେ ମାନିନୀ ।। ୮୩
ଅନେକ ବିନୟେ ରାଜନ । ଚରଣେ ପଡିଲା ତକ୍ଷଣ ।। ୮୪
ଚରଣ ଧରି ତାର ରାୟେ । ଅତି ବିଭ୍ରମ ଶୋକେ କହେ ।। ୮୫
ଭୋ ସଖି ତୋର ଚିନ୍ତାଭରେ । ମୋ ପ୍ରାଣ ନ ରହେ ଶରୀରେ ।। ୮୬
ସୁବାକ୍ୟ ହସି ଏବେ କହ । ବିକଳ ହେଉଅଛି ଦେହ ।। ୮୭
ଭୋ ସ୍ତିରୀରତ୍ନ ଶିରୋମଣି । ମୋ କାମ ଦୁର୍ଗତି-ତାରିଣୀ ।। ୮୮
ତୋ ବିନୁ ଅନ୍ୟ କେବା ପାରେ । ଏ ଦୋଷ କ୍ଷମା କରିବାରେ ।। ୮୯
ଯେ ପୁଣ୍ୟବନ୍ତ ଭୃତ୍ୟଠାରେ । ଦୋଷେ ଦଣ୍ତନ୍ତି ପ୍ରଭୁତ୍ୱରେ ।। ୯୦
ଦୋଷାନୁକ୍ରମେ ପାଇ ଦଣ୍ତ । ତା ଅପରାଧ ହୋଏ ଖଣ୍ତ ।। ୯୧
ଯେ ସ୍ୱାମୀ ଭୃତ୍ୟେ ନ ଦଣ୍ତନ୍ତି । କପଟଭାବ ତାଙ୍କ ମତି ।। ୯୨
ସେ ନିତ୍ୟେ ଭୟ-ଦୁଃଖେ ଦହେ । ସେବକଭାବ କାହିଁ ରହେ ।। ୯୩
ସ୍ୱାମୀ ସେବକେ ଯେବେ ଦଣ୍ତି । ଦିଅନ୍ତି ଅନୁଗ୍ରହେ ମଣ୍ତି ।। ୯୪
ତା ଯେବେ ଭୃତ୍ୟ ନ ବୁଝଇ । ସେ ମୂଢ଼ ଅଧମ ଅଟଇ ।। ୯୫
ତାହାର କାହିଁ ଜ୍ଞାନ-ବୁଦ୍ଧି । ଚିନ୍ତା-ବିଭ୍ରମେ ନିରବଧି ।। ୯୬
ଯେସନେ ପିତା ଅଭିମାନେ । ବାଳକ ରୋଦେ ଭୟଚ୍ଛନ୍ନେ ।। ୯୭
ସେ ପୁତ୍ର ଦୋଷ ନ ଧରନ୍ତି । ପୁଣି ବାଳକେ ଆଶ୍ୱାସନ୍ତି ।। ୯୮
ସେ ରୂପେ ମୋର ଅଭିମାନ । ଭୋ ସଖି କର ବିମୋଚନ ।। ୯୯
ମୁଁ ଯେ ତୁମ୍ଭର ନିଜ ପତି । ମୃଗୟା ଶ୍ରମେ ଦୁଃଖ ଅତି ।। ୧୦୦
ଏବେ ତୁ ତେଜି ଅଭିମାନ । ଆପଣା କରି ମୋତେ ଘେନ ।। ୧୦୧
ହେ ନାରୀବର ଶୁଣ ଏବେ । ତୋ ଅପରାଦୀ ଆନ ଯେବେ ।। ୧୦୨
ବିପ୍ର ବୈଷ୍ଣବ ନୋହିଥିଲେ । ଅବଶ୍ୟ ଦଣ୍ତିବଇଁ ଭଲେ ।। ୧୦୩
ପଳାଇ ଏ ତିନିଭୁବନେ । ଯେବେ ପଶିବ ଭୟଛନ୍ନେ ।। ୧୦୪
ତାରେ ଶରଣ ରଖେ କେବା । ତୋ ବିନୁ ଅନ୍ୟ ସୁରଦେବା ।। ୧୦୫
ଏବେ ମୋ ଚିନ୍ତା-ତାପ-ଜ୍ୱର । ତୋର କଟାକ୍ଷେ ଦୂର କର ।। ୧୦୬
ଭୋ ସଖି ତୋ ଚାରୁ ଆନନ । ତିଳେ ହେଁ ଦେଖିଲେ ମଳିନ ।। ୧୦୭
ମୋର ଜୀବନ ହୋଏ ଦୁଃଖୀ । ସ୍ନାନାଦି ଭୋଜନ ଉପେକ୍ଷି ।। ୧୦୮
ଏ ଶୁଭ୍ରତନୁ ତୋ ଧୂସର । ଶୟନ କରିଛୁ ଭୂମିର ।। ୧୦୯
କେ ପ୍ରାଣୀ ଧରିବ ଜୀବନ । ଦେଖି ତୋ ବିବର୍ଣ୍ଣ-ବଦନ ।। ୧୧୦
ସୁନ୍ଦର ସୁକାନ୍ତି ତୋ ପ୍ରଭା । ଦେଖି ଟଳିବେ ସୁରଦେବା ।। ୧୧୧
ତୋର ପଙ୍କଜାରୁଣାଧର । ଅଶେଷ ଭୁବନ ସୁନ୍ଦର ।। ୧୧୨
ସେ ମୁଖେ ହସି ମୃଦୁବାଣୀ । କହି ତୁ ରଖ ପ୍ରାଣମଣି ।। ୧୧୩
ମୁଁ ଯେ ତୋହର ପ୍ରାଣସଖା । ମୃଗୟା ଶ୍ରମେ ଭ୍ରମି ଏକା ।। ୧୧୪
ତୁ ଶାନ୍ତି କର ଗୋ ମୃଗାକ୍ଷି । ମୋ ପ୍ରାଣ ଶରୀରୁ ଛାଡୁଛି ।। ୧୧୫
ବିପଦ କାଳେ ଯେ ଯୁବତୀ । ନିଜ ସ୍ୱାମୀକୁ ନ ସେବନ୍ତି ।। ୧୧୬
ସେ ନାରୀ ଜ୍ଞାନହୀନ-ମତି । ଜନାପବାଦେ ସେ ମରନ୍ତି ।। ୧୧୭
ସେ ସ୍ତିରୀକୁଳେ ଲଜ୍ଜା ପାଇ । ଉଭୟଲୋକ ତାର ନାହିଁ ।। ୧୧୮
ଅନେକ ପ୍ରବୋଧ ବଚନ । କହିଣ ତୋଷିଲେ ରାଜନ ।। ୧୧୯
ସେ ନାରୀ ମାନ ଦୂର କଲା । ସନ୍ତୋଷେ ସତ୍ୱରେ ଉଠିଲା ।। ୧୨୦
ଏମନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନ ନୃପବର ।। ୧୨୧
ତା ବଶେ ହୋଇଲା ଆୟତ୍ତ । ବିଭ୍ରମ ହେଲା ତାର ଚିତ୍ତ ।। ୧୨୨
ଏ ସର୍ବ ଅନୁଭବ ବାଣୀ । ନାରଦ ନୃପରେ ବଖାଣି ।। ୧୨୩
ଏ ସର୍ବ ଜ୍ଞାନମୟ ସାର । ଶୁଣନ୍ତେ ଖଣ୍ତେ ମାୟା ଘୋର ।। ୧୨୪
ଶ୍ରବଣେ ହରଇ ପ୍ରମାଦ । ନ ଲାଗେ ଗୃହବନ୍ଧ ଦ୍ୱନ୍ଦ୍ୱ ।। ୧୨୫
ବିବେକ ହୋଏ ବୁଦ୍ଧିମତି । କୃଷ୍ଣ-ବିଷୟେ ବଢେ ମତି ।। ୧୨୬
ଏ ସାଧୁଜନଙ୍କ ବିଚାର । ସଂସାରବନ୍ଧୁ ହୁଅ ପାର ।। ୧୨୭
ଚତୁର୍ଥସ୍କନ୍ଧେ ଭାଗବତ । ଛବିଶ ଅଧ୍ୟାୟ ଚରିତ ।। ୧୨୮
ଅମୃତ ଜ୍ଞାନମୟ ଗୀତ । କହିଲେ ବିପ୍ର ଜଗନ୍ନାଥ ।। ୧୨୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଷଡ୍ ବିଂଶୋଽଧ୍ୟାୟଃ

ସପ୍ତବିଂଶ ଅଧ୍ୟାୟ[ସମ୍ପାଦନା]

ନାରଦ ଉବାଚ

କହନ୍ତି ବ୍ରହ୍ମାଙ୍କ ନନ୍ଦନ । ତଦନ୍ତେ ସେ ଯେ ପୁରଞ୍ଜନ ।। ୧
ଅନେକମତେ ପ୍ରବୋଧିଲା । ରାଣୀର ମାନ ଦୂର କଲା ।। ୨
ପ୍ରସନ୍ନ ବଦନେ ସୁନ୍ଦରୀ । ସ୍ନାନ ମାର୍ଜନା ବେଗେ ସାରି ।। ୩
କୁଙ୍କୁମ କସ୍ତୁରୀ ଲଗାଇ । ସୁବାସଗନ୍ଧେ ମନ ମୋହି ।। ୪
କଜ୍ୱଳ ସିନ୍ଦୁର ମଣ୍ତିଲା । ସୁଦିବ୍ୟ ବସନ ପିନ୍ଧିଲା ।। ୫
ସୁଗନ୍ଧ ପୁଷ୍ପମାଳା ଦେଇ । କବରୀ ବାନ୍ଧିଲା ସଜାଇ ।। ୬
ଖଞ୍ଜିଣ ନାନା ଅଳଙ୍କାର । ମୁକୁରେ ନିରୋଖି ଶରୀର ।। ୭
ଭୋଜନ ସାରି ଷଡ଼ରସେ । ତାମ୍ବୁଳ ଭୁଞ୍ଜିଲା ହରଷେ ।। ୮
ନୃପତି ସମୀପେ ମିଳିଲା । ହସି ପଲଙ୍କେ ବିଜେ କଲା ।। ୯
ସେ କାମବିକାରେ ରାଜନ । ରାଣୀକି କଲା ଆଲିଙ୍ଗନ ।। ୧୦
ବିବିଧ ସକାମ ବିକାରେ । ହାସ୍ୟ କଟାକ୍ଷ ମନୋହରେ ।। ୧୧
ଏକାନ୍ତ ରତିରସରଙ୍ଗେ । ସେ ରାଣୀ ପୁରଞ୍ଜନ ସଙ୍ଗେ ।। ୧୨
ଭୂରୁ-କମାଣେ ସନ୍ଧି ଶର । ଦ୍ରହାସ କଟାକ୍ଷ ବିକାର ।। ୧୩
ଷଟଚତ୍ୱାରିଂଶ ବିକାରେ । ସେ ରସ-ସଙ୍ଗମ ରତିରେ ।। ୧୪
ରାତ୍ର ଦିବସ ନ ଜାଣିଲା । ଅଜ୍ଞାନ-ମୋହେ ନିମଜ୍ଜିଲା ।। ୧୫
ସେ କାମଭୋଗେଣ ନପତି । ଫୁଟିଣ ଶାନ୍ତ ହେଲା ଅତି ।। ୧୬
ଉପଧି କରି ପତ୍ନୀ କର । ସୁଖେ ଶୋଭଲା ନୃପବର ।। ୧୭
ପଲଙ୍କେ ସୁଖେ ନିଦ୍ରା ଗଲା । ସେ କାଳ-ଗତି ନ ଜାଣିଲା ।। ୧୮
ନିତ୍ୟେ ହରନ୍ତେ ଆୟୁ ବଳ । ସେ ରାଜା ହୋଇଲା ନିର୍ବଳ ।। ୧୯
ସେ କାମ ଭୋଗେ ନୃପବର । ସ୍ତିରୀ ସଙ୍ଗମେ ମନ ସ୍ଥିର ।। ୨୦
ଅଜ୍ଞାନେ କ୍ରୀଡାରସେ ରତ । ନ ଦେଲା ଜ୍ଞାନମାର୍ଗେ ଚିତ୍ତ ।। ୨୧
ନବୀନ ବୟସ ରାଜନ । ନାଶିଲା ଏ ସ୍ତିରୀ ଭୋଗେଣ ।। ୨୨
ନିମିଷ ମାତ୍ର ସେ ମଣିଲା । ଏ ଯୁବାକାଳ ବିନାଶିଲା ।। ୨୩
ଏମନ୍ତେ ବହୁ ସମ୍ବତ୍ସର । କାମିନୀ ବଶେ ନୃପବର ।। ୨୪
ଭୋଗାନ୍ତେ ପୁରଞ୍ଜନଠାରେ । ଜନ୍ମିଲେ ଦୁହିତା କୁମରେ ।। ୨୫
ଏଗାରଶତ ଯେ କୁମର । ଜନ୍ମ ଲଭିଲେ ଆଦ୍ୟେ ତାର ।। ୨୬
ଦଶ ଉତ୍ତର କନ୍ୟା ଶତ । ସୁଗୁଣଶୀଳେ ହେଲେ ଜାତ ।। ୨୭
ସେ କନ୍ୟା-ପୁତ୍ରେ ବିଭା ଦେଇ । ନିଶ୍ଚିନ୍ତ ହେଲା ନରସାଇଁ ।। ୨୮
ବିଭା-ନିର୍ବନ୍ଧେ ନିମଜ୍ଜିଲା । ଅର୍ଦ୍ଧେ ଆୟୁଷ ତାର ଗଲା ।। ୨୯
ପୁତ୍ର-କନ୍ୟାଙ୍କ ପୁତ୍ର ଶହେ । ପଞ୍ଚାଳେ ଚଞ୍ଚନ୍ତି ସେ ରାୟେ ।। ୩୦
ଏ ସର୍ବେ ରାଜାର ଭଣ୍ତାର । ଲୁଟିଣ କଲେ ସେ ବିହାର ।। ୩୧
ତେବେ ହେଁ ମନେ କ୍ଷୋଭ ନାହିଁ । ବିଷୟ-ରସେ ମନ ମୋହି ।। ୩୨
ଗାନ୍ଧର୍ବ ଭୋଗେ ସେ ନୃପତି । ବିଭ୍ରମେ ଅତି ମୂଢ ମତି ।। ୩୩
ବିଷୟେ ମମତା ବଢ଼ାଇ । ବନ୍ଦୀ ହୋଈଲା ନୃପସାଇ ।। ୩୪
ତଦନ୍ତେ ଘୋର ଯଜ୍ଞ କଲା । ଅନେକ ପଶୁଙ୍କୁ ବଧିଲା ।। ୩୫
ଦେବତା-ପିତୃ-ଭୂତପତି । ସେ ଯଜ୍ଞେ ପୂଜିଲା ନୃପତି ।। ୩୬
ଯେ ରୂପେ ତୁମ୍ଭେ ହେ ରାଜନ । କରୁଛ ଘୋର ଯଜ୍ଞ ମାନ ।। ୩୭
ସେ ରୂପେ ପୁରଞ୍ଜନ ରାୟେ । ଅନେକ ପଶୁ କଲା କ୍ଷୟେ ।। ୩୮
ବିଷୟ ଜଡେ ଉନମତ୍ତ । କୁଟୁମ୍ବେ ବନ୍ଦୀ କଲା ଚିତ୍ତ ।। ୩୯
ତଦନ୍ତେ ପ୍ରବେଶିଲା କାଳ । ଯେ ହରେ ପ୍ରାଣୀ ଆୟୁବଳ ।। ୪୦
ତାହାର ନାମ ଚଣ୍ତବେଗ । ଗନ୍ଧର୍ବ-ରାଜ୍ୟ କରେ ଭୋଗ ।। ୪୧
ଗନ୍ଧର୍ବମାନଙ୍କର ପତି । ଅତି ପ୍ରଚଣ୍ତ ତାର ଗତି ।। ୪୨
ତ୍ରିଶତଷାଠି ତା ପ୍ରମାଣ । ଗନ୍ଧର୍ବେ ଅତି ବଳବାନ ।। ୪୩
ମିଥୁନ ଭାବେ କରି ସ୍ଥିତି । ଏତେ ଗନ୍ଧର୍ବୀ ତହିଁ ଥାନ୍ତି ।। ୪୪
ଗନ୍ଧର୍ବ-ଗନ୍ଧର୍ବୀ ପ୍ରବଳ । କେ କୃଷ୍ଣ କେ ଅବା ଶୁକଳ ।। ୪୫
ଏ ସର୍ବେ ଚଣ୍ତବେଗଙ୍କର । ହୋଇଣ ଥାନ୍ତି ଅନୁଚର ।। ୪୬
ସେ ଚଣ୍ତବେଗ ଆଜ୍ଞା ପାଇ । ବେଢିଲେ ରାଜାପୁର ଯାଇ ।। ୪୭
ସେ ପୁରଞ୍ଜନ ଦିବ୍ୟପୁରୀ । ଗନ୍ଧର୍ବେ ବଳେ ଜୁର କରି ।। ୪୮
ସେ ନଗ୍ରେ ସେନାପତି ଏକ । ରକ୍ଷଣେ ଥିଲା ସେ ଅଧ୍ୟକ୍ଷ ।। ୪୯
ତାହାର ନାମ ପ୍ରଜାଗର । ସେ ବେଗେ ମିଳିଲା ଆଗର ।। ୫୦
ତାହାଙ୍କୁ ମାରି ଘଉଡିଲା । ଅନେକ ଘୋରଯୁଦ୍ଧ କଲା ।। ୫୧
ସେ ଶତ-ସମ୍ବତ୍ସର ନିତ୍ୟେ । ଯୁଝିଲା ଗନ୍ଧର୍ବ ସଙ୍ଗତେ ।। ୫୨
ଗନ୍ଧର୍ବେ ଅତି ବଳବାନ । ତାହାକୁ ମାରି କଲେ କ୍ଷୀଣ ।। ୫୩
କ୍ଷୀଣ ହୁଅନ୍ତେ ପ୍ରଜାଗର । ସେ ଘୋରତାପେ ନୃପବର ।। ୫୪
ସେ ପୁରବାସୀ ଯେତେ ଥିଲେ । ସେ ସର୍ବେ ଆକୁଳେ ରୋଦିଲେ ।। ୫୫
ଅନ୍ୟତ୍ର ନ ପାରନ୍ତି ଯାଇ । ଦୁଃଖେ ରୋଦନ୍ତି କ୍ଷୋଭ ପାଇ ।। ୫୬
ସେ ନଗ୍ରେ ନୃପ ପୁରଞ୍ଜନ । ସଙ୍ଗତେ ଘେନି ପ୍ରଜାଗଣ ।। ୫୭
ପାଞ୍ଚାଳଦେଶେ ନାନା ସୁଖ । ଯେଣୁ ଭୁଞ୍ଜିଲା ଅବିବେକ ।। ୫୮
ତା ଦିନ ପତ୍ନୀସ୍ନେହେ ଗଲା । କୁତ୍ସିତ-ସୁଖେ ନିମଜ୍ଜିଲା ।। ୫୯
ଇନ୍ଦ୍ରିୟ-ରସେ ଅନୁରାଗୀ । ସେ ମୋକ୍ଷ ତେଜିଲା ଦୁର୍ଭାଗୀ ।। ୬୦
ଅଳପ ସୁଖ-ଭୋଗେ ରତ । ନ ଦେଲା ଜ୍ଞାନମାର୍ଗେ ଚିତ୍ତ ।। ୬୧
ନ କଲା ସେ ଭଲ ବିଚାର । ଏଣୁ ହୋଇଲା ଦୁଃଖ-ଘୋର ।। ୬୨
ପ୍ରାଚୀନବର୍ହିକୁ ନାରଦ । କହିଲେ ଅପୂର୍ବ ସମ୍ବାଦ ।। ୬୩
କାଳର କନ୍ୟା ଏକ ଥିଲା । ତାହାକୁ କେହି ନ ବରିଲା ।। ୬୪
ଏ ତିନିଲୋକେ ସେ ଭ୍ରମଇ । ଡରେ କେ ତାକୁ ବିଭା ନୋହି ।। ୬୫
ସେ ଯାରେ ବର ଇଚ୍ଛା କରେ । ସେ ଦେଖି କମ୍ପେ ଥରହରେ ।। ୬୬
ସେ ସର୍ବ-ଅଭାଗ୍ୟର ଧାମ । ଏଣୁ ଦୁର୍ଭାଗା ତାର ନାମ ।। ୬୭
ସେ କନ୍ୟା ପୂର୍ବେ ଏକକାଳେ । ଯଯାତି ବଳେ ବିଭା ହେଲେ ।। ୬୮
ତାଠାରେ ବଇଭୋଗ ସାରି । ପୁତ୍ରକୁ ବରେ ଇଚ୍ଛା କରି ।। ୬୯
ତାହାକୁ ଯଯାତି ରାଜନ । ପୁତ୍ରକୁ କଲେ ସମର୍ପଣ ।। ୭୦
ତା ଜ୍ୟେଷ୍ଠ ଯେତେକ କୁମର । କେହି ନ କଲେ ଅଙ୍ଗୀକାର ।। ୭୧
କନିଷ୍ଠପୁତ୍ର ପୁରୁ ଥିଲା । ସେ ପିତା ଆଜ୍ଞାରେ ବରିଲା ।। ୭୨
ତାହାର ସଙ୍ଗେ ନୃପବଳା । ଅନେକ ଦିନ ଭୋଗ କଲା ।। ୭୩
ବର ଇଚ୍ଛଇ ନିରନ୍ତରେ । ଦେଖିଣ ପ୍ରାଣୀ ତାଙ୍କ ଡରେ ।। ୭୪
ଏମନ୍ତେ ସେ କାଳ ଦୁହିତୀ । ସେ ବରେ ନୋହେ ତୁଷ୍ଟମତି ।। ୭୫
ତା କାମଭୋଗେ ବଳ ହରି । ତଦନ୍ତେ ସଂସାରେ ବିହରି ।। ୭୬
ମୁଁ ଦିନେ ବ୍ରହ୍ମଲୋକ ଠାରୁ । ଏ ମହୀ ଭ୍ରମଣ ଇଚ୍ଛାରୁ ।। ୭୭
ଆସନ୍ତେ କୃଷ୍ଣରସେ ରସି । ମୋତେ ଭେଟିଲା ଦୁଷ୍ଟାଆସି ।। ୭୮
ବୋଇଲା ଶୁଣ ମୁନିବର । ମୋ କାମଦୁଃଖ ପରିହର ।। ୭୯
ଯତିତ୍ୱପଣ ମୋର ଜାଣେ । ତଥାପି ବରେ ଭ୍ରମ ପଣେ ।। ୮୦
ତୁମ୍ଭ ମହିମା ଶୁଣି ନିତ୍ୟେ । ମୁଁ ଅନୁସରି ଅବିରତେ ।। ୮୧
ଏବେ ଭେଟିଲି ଭାଗ୍ୟଫଳେ । ତୋ ସଙ୍ଗେ ରତି ତୋଷ ବଳେ ।। ୮୨
ତୁମ୍ଭେ ଯେ ଦୟାଳୁ ଈଶ୍ୱର । ମୋ କାମ-ବାଞ୍ଛା ପୂର୍ଣ୍ଣକର ।। ୮୩
ହେ ମୁନିଶ୍ରେଷ୍ଠ ଯୋଗେଶ୍ୱର । ମୋ ତୁଲେ ଗୃହଧର୍ମ କର ।। ୮୪
ତୁମ୍ଭେ ମୋହାର ନିଜ ପତି । ଏଣୁ ଅଇଲି ତୁମ୍ଭ କତି ।। ୮୫
ପୁରୁଷ ସ୍ୱଧର୍ମଟି ଏହି । ପ୍ରାପତ-କନ୍ୟା ନ ତେଜଇ ।। ୮୬
ଯାଚକ କନ୍ୟା ପ୍ରତେଜିଲେ । ସେ ସୁଖ ନ ଲଭଇ ଭଲେ ।। ୮୭
ଯେ ସାଧୁଜନ ଏ ଜଗତେ । ପ୍ରିୟ ଅପ୍ରିୟ ସମ ଚିତ୍ତେ ।। ୮୮
ପ୍ରାଣୀଙ୍କ ହିତାର୍ଥ କାରଣେ । ଏଣୁ ଭ୍ରମନ୍ତି ଅନୁକ୍ଷଣେ ।। ୮୯
ଅନ୍ୟତ୍ର ବାଞ୍ଛା ନାହିଁ ମୋର । ଏ କାମ-ଶତ୍ରୁ ମୋ ନିବାର ।। ୯୦
ଭୋ ମୁନିବର ତୁମ୍ଭ ବିନେ । ମୋ ଚିତ୍ତ ନ ବଳଇ ଆନେ ।। ୯୧
ଏ ତୁମ୍ଭ ଆମ୍ଭ କାମଭୋଗ । ଦଇବ କରିଛି ସଂଯୋଗ ।। ୯୨
ଏମନ୍ତ ବାକ୍ୟ ତାର ଶୁଣି । ଆମ୍ଭେ ପ୍ରକୋପେ ତାକୁ ଭଣି ।। ୯୩
ବୋଇଲୁ ତୁ ନୀଚ ଯୁବତୀ । ପ୍ରମଦାକୁଳେ ନୋହୁ ସତୀ ।। ୯୪
କୁଳ-ଦୂଷଣ-କର୍ମ ତୋର । ନ ମରି ଧରିଛୁ ଶରୀର ।। ୯୫
ତୋତେ ଦେଖିଲେ ଲଭି ଦୋଷ । ଅଶେଷ ପୁଣ୍ୟ ହୁଏ ନାଶ ।। ୯୬
ଯେ ସ୍ତିରୀ ବିଟପୀ ସଂସାରେ । ଉଭୟଲୋକ ପରିହରେ ।। ୯୭
ତୁ ଛାର କହିଲୁ ଏମନ୍ତ । ନ ଜାଣୁ ଆମ୍ଭେ ତପୋବନ୍ତ ।। ୯୮
ପାତ୍ର ଅପାତ୍ର ତୁ ନ ଜାଣୁ । ଦୂଷଣ କଥା ମୁଖେ ଭଣୁ ।। ୯୯
ଶୁଣସି ତୁ ମୂଢ଼ ଅଜ୍ଞାନୀ । ଆମ୍ଭେ ଯେ ଅଟୁ ବ୍ରହ୍ମଜ୍ଞାନୀ ।। ୧୦୦
ଗୃହସ୍ଥଧର୍ମ ଆମ୍ଭ ନାହିଁ । ତୋର ବରଣେ ଇଚ୍ଛା କାହିଁ ।। ୧୦୧
ତୋହର ବରେ ଯେବେ ଇଚ୍ଛା । କହିବା ପୂରିବ ତୋ ବାଞ୍ଛା ।। ୧୦୨
ଯବନମାନଙ୍କ ଈଶ୍ୱର । ତୁ ଯାଇ ବେଗେ ତାକୁ ବର ।। ୧୦୩
ଯେ କାମ ଭୋଗେ ତୋର ଇଚ୍ଛା । ସେ ତୋର ପୂରାଇବେ ବାଞ୍ଛା ।। ୧୦୪
ତା ଶୁଣି ବିମୁଖେ ତରୁଣୀ । ସକ୍ରୋଧେ ଶାପ ମୋତେ ଭଣି ।। ୧୦୫
ବୋଇଲା ଶୁଣ ମୁନିବର । ମୋ ପ୍ରୀତି-ଆଶା କଲୁ ଦୂର ।। ୧୦୬
ତୁ ଏକଠାବେ ନ ରହିବୁ । ଜୀବନ୍ତେ ଯେତେକାଳ ଥିବୁ ।। ୧୦୭
ବ୍ରହ୍ମାଣ୍ତ ମଧ୍ୟେ ସ୍ଥାନ ଯେତେ । ଭ୍ରମଣ କରୁଥିବୁ ନିତ୍ୟେ ।। ୧୦୮
କାହିଁ ତୁ ନ ଲଭିବୁ ସୁଖ । ଭୋଗାଦି ନାମେଣ ବିମୁଖ ।। ୧୦୯
ଏ ଘୋରଶାପ ମୋତେ । ବରିଲା ଭୟପତି ଯାଇ ।। ୧୧୦
ଭୋ ଦେବ ଯବନ ଈଶ୍ୱର । ତୁ ବୀର ବଳେ ବଳୀୟାର ।। ୧୧୧
ଏଣୁ ବରିଲି ମୁହିଁ ତୋତେ । ମୋର ବିନୟ ଘେନ ଚିତ୍ତେ ।। ୧୧୨
ତୁମ୍ଭଙ୍କୁ ଯେବା ମାଗେ ଯାହା । ବିନାଶ ନୋହେ କାମ ତାହା ।। ୧୧୩
ଶୁଣ ଯବନ ଅଧିପତି । ଏ ବେନିଲୋକେ ଶିଶୁମତି ।। ୧୧୪
ଯେ ଲୋକ-ଶାସ୍ତ୍ରର ଭକତ । ଦ୍ରବ୍ୟ ହୋଇଲେ ଉପଗତ ।। ୧୧୫
ଯାଚକ ଜନେ ତା ନ ଦେଇ । ଅଥବା ଦେଲେ ନ ଘେନଇ ।। ୧୧୬
ଏ ବେନି ଶିଶୁ ସଙ୍ଗେ ସରି । ଏଣୁ ତାହାଙ୍କୁ ମୁଁ ନ ବରି ।। ୧୧୭
ତୁମ୍ଭେ ଦୟାଳୁ ଶୂରବନ୍ତ । ଯବନମାନଙ୍କ ସାମନ୍ତ ।। ୧୧୮
ମୁଁ କାମେ ତୁମ୍ଭଙ୍କୁ ଭଜିଲି । ଲଜ୍ଜା ସଙ୍କୋଚ ଉପେକ୍ଷିଲି ।। ୧୧୯
ମୋ ସଙ୍ଗେ କର ବଇଭୋଗ । ହର ଦୁର୍ଜୟ କାମରୋଗ ।। ୧୨୦
ପୁରୁଷ ସ୍ୱଧର୍ମଟି ଏହି । ଦୀନଜନଙ୍କୁ ଦୟା ବହି ।। ୧୨୧
ମୁଁ ଜନ୍ମକାଳୁ କାମଦୁଃଖେ । ତୁ ମୋତେ ନ ତେଜ ବିମୁଖେ ।। ୧୨୨
ଯାଚକ ଜନ ନ ତୋଷିଲେ । ସ୍ୱଧର୍ମ ନାଶ ଯାଇ ଭଲେ ।। ୧୨୩
ତାର କାର୍ପଣ୍ୟ ବାକ୍ୟ ଶୁଣି । ଯବନେଶ୍ୱର ମନେ ଗୁଣି ।। ୧୨୪
ଦେବଙ୍କ ଗୁପ୍ତ ଯେ ମରଣ । ଏହାରେ ସାଧିବି ପ୍ରମାଣ ।। ୧୨୫
ଏମନ୍ତ ମନେ ବିଚାରିଲା । କନ୍ୟାକୁ ପ୍ରତିବାକ୍ୟ ଦେଲା ।। ୧୨୬
ଶୁଣ ଗୋ କାଳର ଦୁହିତି । ତୋ ସମେ ବରିଅଛି ପତି ।। ୧୨୭
ଆପଣା ସମାଧି-ଯୋଗରେ । ମୁଁ ବର ବରିଅଛି ତୋରେ ।। ୧୨୮
ଏ ଯେତେ ଲୋକବୃନ୍ଦ ଛନ୍ତି । ତୋର ସମୀପେ ନ ଗଚ୍ଛନ୍ତି ।। ୧୨୯
ତୋ ରୂପ ଦେଖି ଅମଙ୍ଗଳ । ଡରନ୍ତି ଏ ଲୋକ ସକଳ ।। ୧୩୦
ତୁ ଯେ ଅଲକ୍ଷ୍ୟ ଯୋଗେଶ୍ୱରୀ । ତାହାଙ୍କୁ ଭୋଗକର ଧରି ।। ୧୩୧
ଏକାକୀ ବୋଲି ଭୟ ଯେବେ । ମୋ ସେନା ସଙ୍ଗେ ନିଅ ତେବେ ।। ୧୩୨
ଏ ସର୍ବେ ତୋର ସଙ୍ଗେ ଥିବେ । ତୋ ଆଜ୍ଞା କ୍ଷଣେ ନ ଛାଡିବେ ।। ୧୩୩
ଏମନ୍ତେ ପ୍ରଜାନ୍ତ ବିନାଶ । ଏ ସର୍ବେ ହୋନ୍ତୁ ତୋର ବଶା ।। ୧୩୪
ମୋହର ଭାଇ ଯେ ପ୍ରଜ୍ୱର । ତୁ ଭଗ୍ନୀ ହେବୁ ଯେ ମୋହର ।। ୧୩୫
ଏକତ୍ୱେ ଭାଇ ଭଗ୍ନୀ ଥିବ । ମୋ ସେନାଗଣ ସଙ୍ଗେ ନେବ ।। ୧୩୬
ଲୋକେ ନ ଜାଣିବେ ତୋ ଗତି । ଭ୍ରମୁଣ ଥିବୁ ଚଉକତି ।। ୧୩୭
ଜୀବଙ୍କ ଭୋଗ ଅନୁସାରେ । ପୀଡିବୁ ଲୋଭାଦି ବ୍ୟାଧିରେ ।। ୧୩୮
ଏମନ୍ତ ଶିକ୍ଷା ତାକୁ ଦେଇ । ଅଗ୍ରେ ପେଷିଲା ଭଗ୍ନୀଭାଇ ।। ୧୩୯
ତା ସୈନ୍ୟ ସର୍ବବ୍ୟାଧିଗଣ । ଘେନାଇ ଚଳେ ନୃପରାଣ ।। ୧୪୦
ଅପରେ କାମ କ୍ରୋଧ ଯେତେ । ପାରୁଶେ ଥାନ୍ତି ଅବିରତେ ।। ୧୪୧
ଏ ସର୍ବେ ପ୍ରାଣୀ ଅଙ୍ଗେ ଯାଇ । କୁକର୍ମ ମାର୍ଗେ ଲୋଭେ ନେଇ ।। ୧୪୨
ନିତ୍ୟେ ପୀଡନ୍ତି ଅନୁକ୍ଷଣ । ଜୀବକୁ ରୋଗ ପ୍ରଭେଦେଣ ।। ୧୪୩

ମୈତ୍ରେୟ ଉବାଚ

ଏମନ୍ତେ ଶୁଣ ହେ ବିଦୁର । ସେ କାଳକନ୍ୟା ଯେ ପ୍ରଜ୍ୱର ।। ୧୪୪
ଯବନପତି ଆଜ୍ଞା ପାଇ । ଏ ସୈନ୍ୟବଳ ସଙ୍ଗେ ନେଇ ।। ୧୪୫
ଭ୍ରମନ୍ତି ଏ ମହୀମଣ୍ତଳେ । ହରନ୍ତି ଜୀବଆୟୁ ବଳେ ।। ୧୪୬
ଭୋଗ ପ୍ରଲୋଭେ ବିନାଶନ୍ତି । ନିରତେ ଛିଦ୍ର ଉଦ୍ଦେଶନ୍ତି ।। ୧୪୭
ପୃଥିବୀ ପର୍ଯ୍ୟଟନ କଲେ । କର୍ମାନୁସାରେ ଭୋଗ ଦେଲେ ।। ୧୪୮
ଚତୁର୍ଥସ୍କନ୍ଧେ ଭାଗବତ । ନାରଦ ପ୍ରାଚୀନ ଭକତ ।। ୧୪୯
ଏ ପୁରଞ୍ଜନର ଆଖ୍ୟାନ । ସପ୍ତବିଂଶ ଅଧ୍ୟା ସମ୍ପୂର୍ଣ୍ଣ ।। ୧୫୦
ଏହା ଯେ ଶ୍ରବଣେ ଶୁଣନ୍ତି । ସଂସାର-ବନ୍ଧୁ ନିସ୍ତରନ୍ତି ।। ୧୫୧
ସେ ପ୍ରାଚୀନ ଗ୍ରନ୍ଥ ପୁରାଣ । ନାରଦ ତାହାରେ ବଖାଣ ।। ୧୫୨
ଭଣଇ ଜଗନ୍ନାଥ ଦାସ । ଏକାଳେ ହୋଇଲା ପ୍ରକାଶ ।। ୧୫୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ
ସପ୍ତବିଂଶୋଽଧ୍ୟାୟଃ । ।

ଅଷ୍ଟବିଂଶ ଅଧ୍ୟାୟ[ସମ୍ପାଦନା]

ଶ୍ରୀକୃଷ୍ଣ ପାଦପଦ୍ମ ଚିନ୍ତି । ସହର୍ଷେ ମୈତ୍ରେୟ କହନ୍ତି ।। ୧

ମୈତ୍ରେୟ ଉବାଚ

ତଦନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନର ବିଚାର ।। ୨

ନାରଦ ଉବାଚ

ନାରଦ କହନ୍ତି ରାଜନ । ଏବେ କହିବା ଦିବ୍ୟଞ୍ଜାନ ।। ୩
ଯବନ ଅଧିପତି ଯେହି । ତାହାର ନାମ ଭୟ କହି ।। ୪
ସୈନ୍ୟାଦି ବ୍ୟାଧିଗଣେ ତାର । ସଙ୍ଗତେ ଥାନ୍ତି ନିରନ୍ତର ।। ୫
ପ୍ରଜ୍ୱର କାଳକନ୍ୟା ବେନି । ଏହାଙ୍କୁ ରାଜା ସଙ୍ଗେ ଘେନି ।। ୬
ଏ ସର୍ବେ ସଙ୍ଗତେ ଚଳନ୍ତି । ଯେ ଦିଗେ ବିଜୟେ ନୃପତି ।। ୭
ସେ ଏକଦିନେ ନୃପବର । ସଙ୍ଗତେ ସୈନ୍ୟ ଜରା-ଜ୍ୱର ।। ୮
ସେ ମହୀ ଭ୍ରମଣ କରନ୍ତେ । ଦେଖିଲା କାଳକର୍ମଗତେ ।। ୯
ଯେ ପୁରେ ଥିଲା ପୁରଞ୍ଜନ । ତା ବେଗେ ବେଢିଲା ଯବନ ।। ୧୦
ଯେ କିଛି ପୃଥ୍ୱୀରେ ବୈଭୋଗ । ସକଳ ସେ ପୁରେ ସଂଯୋଗ ।। ୧୧
ସେ ପୁରେ ଦ୍ୱାରୀ ବୃଦ୍ଧ ଅହି । ନିର୍ଭୟେ ପୁର ଜଗିଥାଇ ।। ୧୨
ଏ ପଞ୍ଚଭୂତେ ଦେହ ଯେତେ । ତାକୁ ନଛାଡେ କଦାଚିତେ ।। ୧୩
ବ୍ରହ୍ମାଣ୍ତ ମଧ୍ୟେ ଦେହ ବହି । ତାକୁ ଜିଣନ୍ତା କେହି ନାହିଁ ।। ୧୪
ବ୍ରହ୍ମାଦି ସୁରମୁନି ଦେବା । ଭୟେ କରନ୍ତି ତାକୁ ସେବା ।। ୧୫
ତାକୁ ଜିଣନ୍ତା ଯେବା ଜନ । ନିଶ୍ଚିନ୍ତେ ରହେ ନିଜସ୍ଥାନ ।। ୧୬
ଯବନେ ସେ ପୁର ନାଶିଲେ । ଯେ ପୁରେ ଗୁରଞ୍ଜନ ଥିଲେ ।। ୧୭
ସେ କାଳକନ୍ୟା ସଙ୍ଗେ ଥିଲା । ସତ୍ୱରେ ସେ ପୁରେ ପଶିଲା ।। ୧୮
ବଳେ ସେ କଲା ବଇଭୋଗ । କାନ୍ତି ବଳ ବୀର୍ଯ୍ୟ ସଂଯୋଗ ।। ୧୯
ସେ ନାରୀ ଯାରେ ସ୍ପରଶଇ । ସେ ପ୍ରାଣୀ ଉଠି ନ ପାରଇ ।। ୨୦
ଅଗ୍ରେ ସେ ନାରୀ ପ୍ରବେଶିଲା । ଯେତେ ଯବନବଳ ଥିଲା ।। ୨୧
ସର୍ବେ ସେ ଦ୍ୱାରମାର୍ଗେ ଗଲେ । ପ୍ରବେଶି ପୁର ବିନାଶିଲେ ।। ୨୨
ପୁର ଉଜାଡେ ଭୟ କରି । ସେ ପୁରଞ୍ଜନ ଦଣ୍ତଧାରୀ ।। ୨୩
ବହୁତ ସନ୍ତାପ ସେ କଲା । ନିର୍ବଳେ ଶଙ୍କିତେ ରହିଲା ।। ୨୪
ସେ ରାଜା କ୍ରୋଧେ ଅଭିମାନୀ । ଦେଖିଲା ସ୍ୱକୁଟୁମ୍ବ ହାନି ।। ୨୫
ସ୍ନେହାନୁବନ୍ଧ ନ ଛାଡଇ । ଆକୁଳେ ସନ୍ତାପେ ଶୋଚଇ ।। ୨୬
ସେ କାଳକନ୍ୟା ଆସି ବେଗେ । ରାଜାକୁ କୋଳ କଲା ସୋଗୋ ।। ୨୭
ତାର ସ୍ପରଶେ ମହାରାୟେ । ହୋଇଲା ନଷ୍ଟ-କାନ୍ତି-କାୟେ ।। ୨୮
କୃପଣ-ବିଷୟୀ ରାଜନ । ହୋଇଲା ତା ସଙ୍ଗ ପାଇଣ ।। ୨୯
ପ୍ରଜ୍ଞା ଯେ ହେଲା ତାର ନାଶ । ସଘନେ ଛାଡଇ ନିଃଶ୍ୱାସ ।। ୩୦
ଯବନ-ଗନ୍ଧର୍ବେ ପଶିଲେ । ରାଜ ଐଶ୍ୱର୍ଯ୍ୟ ବିନାଶିଲେ ।। ୩୧
ସେ ପୁର କ୍ଷୀଣ ଦେଖି ତାର । ପୁତ୍ରାଦି ଛାଡିଲେ ଆଦର ।। ୩୨
ଆତ୍ମୀୟ ଲୋକ ଯେତେ କହି । ଦେଖିଲା ପୂର୍ବସ୍ନେହ ନାହିଁ ।। ୩୩
ତା ପତ୍ନୀଠାରେ ଯେତେ ପ୍ରୀତି । ଦେଖିଲା ଅସ୍ନେହ ଅନୀତି ।। ୩୪
ଆତ୍ମାକୁ ଜରା ଗ୍ରସ୍ତ କଲା । ପଞ୍ଚାଳ ବିଷୟ ତା ଗଲା ।। ୩୫
ଦୁରନ୍ତ ଚିନ୍ତା ପାଇ ରାୟେ । ନ ଦେଖେ ତରିବା ଉପାୟେ ।। ୩୬
ସେ କନ୍ୟା ସ୍ପରଶେ ନିର୍ବଳ । ଏକାନ୍ତେ ଝୁରେ ମହୀପାଳ ।। ୩୭
ନିର୍ବଳ ଦେଖି ନିଜ ଦେହ । ଛାଡିଲା ପୁତ୍ର ଆଦି ସ୍ନେହ ।। ୩୮
ସ୍ୱ-ପରଲୋକ ଚିନ୍ତା ଗଲା । ସେ କାଳକନ୍ୟା ଏହା କଲା ।। ୩୯
ସେପୁର ଛାଡିବାରେ ମନ । ରୋଦନ କରେ ଅନୁକ୍ଷଣ ।। ୪୦
ନ ପାରେ ସହି ଦୁଃଖଘୋର । ସେ ନିଶ୍ଚେ ଛାଡିବ ଶରୀର ।। ୪୧
ଭ୍ରମ ତା ହେଲା ନିଜ ମତି । ଆତୁରେ ଭାଳଇ ନୃପତି ।। ୪୨
ଭୟର ଅଗ୍ରଜ ପ୍ରଜ୍ୱର । ଆଚ୍ଛାଦି ରହିଲା ସେ ପୂର ।। ୪୩
ଏ ସର୍ବେ ପୁରମାର୍ଗେ ରହି । ପ୍ରଚଣ୍ତ ତେଜେ କୋପ ବହି ।। ୪୪
ସାନ-ଭ୍ରାତାର ପ୍ରିୟ ଅର୍ଥେ । ସେ ପୁର ଦହିଲା ତୁରିତେ ।। ୪୫
ପୁର ଦହନ ଯହୁଁ ହେଲା । ସେ ରାଜା ମହାଭୟ କଲା ।। ୪୬
ସେ ପୂରବାସୀ ଯେତେ ଥିଲେ । ସଭୟେ ସକଳେ କମ୍ପିଲେ ।। ୪୭
ଯବନେ ପୁର ଦେଲେ ଦହି । କାଳକନ୍ୟାର ପଛେ ରହି ।। ୪୮
ସଭୟେ ନ ପାରନ୍ତି ଯାଇ । ଦୁଃଖେ ରୋଦନ୍ତି ଛନ୍ନ ହୋଇ ।। ୪୯
ଯବନ-ପୁର ନେଲେ ବେଗେ । ସେ କାଳକନ୍ୟା ଘେନି ସଙ୍ଗେ ।। ୫୦
ଭୟର ଅଗ୍ରଜ ପ୍ରଜ୍ୱର । ପୁର ନାଶିଲେ ବେଗେ ତାର ।। ୫୧
ଦେଖିଣ ବିଷାଦେ ନୁପତି । ରୋଦନ କଲା ଭୟେ ଅତି ।। ୫୨
ବହୁତ କଷ୍ଟେ ସେ ରାଜନ । ପୁର ଛାଡିତେ କଲା ମନ ।। ୫୩
ଯେସନେ ବୃକ୍ଷକ୍ରୋଟେ ଅନ୍ଦି । ଅନଳ ତେଜ ତାପେ ଦହି ।। ୫୪
ସେ ଯେହ୍ନେ ସେ ସ୍ଥାନ ଉପେକ୍ଷି । ରହେ ଅତ୍ୟନ୍ତ ଭୟେ ଦୁଃଖୀ ।। ୫୫
ତେସନେ ଛାଡି ନିଜ ପୁରୀ । ସେ ରାଜା ବହୁ ଚିନ୍ତା କରି ।। ୫୬
ହସ୍ତ ଚରଣ ତା ନ ଚଳେ । ପୌରୁଷ ଗନ୍ଧର୍ବେ ହରିଲେ ।। ୫୭
ଯବନ-ଶତ୍ରୁ ବ୍ୟାଧି ରୂପେ । କଷ୍ଠ ନିରୋଧ କଲା କୋପେ ।। ୫୮
ମୂଢ଼ ଦୁର୍ମତି ସେ ରାଜନ । ରୋଦଇ ନ ଛାଡି ଜୀବନ ।। ୫୯
ନ ଛାଡିପାରେ ସ୍ନେହ ଚିତ୍ତେ । ରାତ୍ର ଦିବସ ଭାଳେ ନିତ୍ୟେ ।। ୬୦
ଏ ମୋର ପୁତ୍ର କନ୍ୟା ଯେତେ । ମୋ ବିନା ବଞ୍ଚିବେ କେମନ୍ତେ ।। ୬୧
ଜାମାତା ବନ୍ଧୁ ପରିଷଦ । ଅପରେ ଗୃହାଦି ସମ୍ପଦ ।। ୬୨
ମୁଁ ଏବେ ପୁର ପ୍ରତେଜିଲେ । ଏ ସର୍ବେ ନ ବର୍ତ୍ତିବେ ଭଲେ ।। ୬୩
ସ୍ୱପତ୍ନୀ ସହିତେ ରାଜନ । ଅନେକ କରନ୍ତି ରୋଦନ ।। ୬୪
ମୁଁ ଏବେ ନିଶ୍ଚୟ ମରିବି । ଏ ବହୁ ଦୁଃଖ ନ ସହିବି ।। ୬୫
ମୋର ଅଭାବେ ଏ କାମିନୀ । ଭାଳିବ ସ୍ୱକୁଟୁମ୍ବ ଘେନି ।। ୬୬
ବାଳକ କନ୍ୟା ଯେତେ ମୋର । ପାଇବେ ବହୁ ଦୁଃଖ ଘୋରା ।। ୬୭
ବିଦେଶୀ ରାଜା ରାଜ୍ୟ ନେବେ । ଏହାଙ୍କୁ ବହୁ ଦୁଃଖ ଦେବେ ।। ୬୮
ବାଳକେ ହୋଇବେ ଅନାଥ । ତା ଦେଖି ରୋଦିବ ବହୁତ ।। ୬୯
ଏ ସ୍ତିରୀ ପ୍ରାଣ ଗୁଣମଣି । ମୋ ବିନୁ ନଶିବ ତରୁଣୀ ।। ୭୦
ସ୍ନାନ ଭୋଜନ ମୁଁ ନ କଲେ । ଏ ରାଣୀ ନ କରେ ବିକଳେ ।। ୭୧
ସୁଗୁଣବତୀ ମୋ ଘରଣୀ । କେମନ୍ତେ ପ୍ରତେଜିବି ପୁଣି ।। ୭୨
ଏହାର ଗୁଣ ଅଛି ଯେତେ । ମୁଁ କହି ପାରିବଇଁ କେତେ ।। ୭୩
ସେ ମୋର କ୍ରୋଧ-କାଳ ଜାରି । ଜ୍ଞାନେ ପ୍ରବୋଧ ଦେଇ ଭଲେ ।। ୭୪
ମୁଁ ଯେବେ କ୍ରୋଧ ବହି ତାରେ । ସ୍ଥିର ସେ ରହଇ ଭୟରେ ।। ୭୫
ମୋର ବିଚ୍ଛେଦ ଏ ସୁନ୍ଦରୀ । ଦିରହ-ଦୁଃଖେ ନିତ୍ୟେ ଝୁରି ।। ୭୬
ମୋର ଆପଦ ଚିନ୍ତାକାଳେ । ସେ ପ୍ରତିବୋଧ ଦେଇ ଭଲେ ।। ୭୭
ଏ ଗୃହଧର୍ମ ନ କରିବ । ବ୍ୟାକୁଳ ଚିନ୍ତାରେ ମଜ୍ଜିବ ।। ୭୮
ଏ ପୁତ୍ର-କନ୍ୟା ନ ଚାହିଁବ । ମୋ ଅନ୍ତେ ଅବଶ୍ୟ ମରିବ ।। ୭୯
ଏ ପୁତ୍ର କନ୍ୟା ମାତୃ ହୀନେ । ଦୁଃଖିତ ହେବେ ଆଶ୍ରେ ବିନେ ।। ୮୦
ମୋ ଅନ୍ତେ ଏ ସର୍ବେ ମରିବେ । କିବା ଭକ୍ଷିବେ କାହିଁ ଥିବେ ।। ୮୧
ଆଶ୍ରୟ ନ ପାଇ ଶୟଳେ । ଅବଶ୍ୟ ମରିବେ ଆକୁଳେ ।। ୮୨
ସମୁଦ୍ର ମଧ୍ୟେ ଯେହ୍ନେ ନାବ । ଭଗ୍ନେ ନଶନ୍ତି ପ୍ରାଣୀ ସର୍ବ ।। ୮୩
ଏ ସର୍ବେ ତେସନେ ମରିବେ । ମୋ ଅନ୍ତେ କେହି ନ ଜୀଇବେ ।। ୮୪
ଏମନ୍ତ ଅଜ୍ଞାନ-ବୁଦ୍ଧିରେ । ସେ ନିତ୍ୟେ ବହୁ-ଶୋକ କରେ ।। ୮୫
ଏମନ୍ତ ଭାଳନ୍ତେ ରାଜନ । କାଳ ହୋଇଲା ଅବସାନ ।। ୮୬
ରାଜାକୁ ଧରି ନେବା ପାଇଁ । ଭୟ ମିଳିଲା ବେଗ ହୋଇ ।। ୮୭
ପଶୁର ପ୍ରାୟ ବନ୍ଦୀ କଲା । ତକ୍ଷଣେ ଉପ୍ରୋଧ ତେଜିଲା ।। ୮୮
ଧରିଣ ଯବନଙ୍କ ବଳେ । ଆପଣା ସ୍ଥାନକୁ ସେ ନେଲେ ।। ୮୯
ତା ଅନୁଚର ଯେତେ ଥିଲେ । ଜଣେ ହେଁ ସପକ୍ଷ ନୋହିଲେ ।। ୯୦
ସେ ସର୍ବେ ଆକୁଳେ ଶୋଚନ୍ତି । ରାଜାକୁ ସୁମରି କାନ୍ଦନ୍ତି ।। ୯୧
ଦ୍ୱାରେ ଯେ ଥିଲା ବୁଦ୍ଧ ଅହି । ସେ ଛାଡିଗଲା ବେଗ ହୋଇ ।। ୯୨
ସେ ରାଜା ସଙ୍ଗତେ ଗମିଲା । ତା ଅନ୍ତେ ପୁର ନଷ୍ଟ ଗଲା ।। ୯୩
ଯବନବଳ ବଳବନ୍ତେ । ରାଜାକୁ ଧରି ଓଟରନ୍ତେ ।। ୯୪
ସେ ଅତି ବ୍ୟାକୁଳେ ରାଜନ । ରୋଦନ କରେ ଉଚ୍ଚସ୍ୱନ ।। ୯୫
ମୃତ୍ୟୁଦଣ୍ତେ ତା ପୀଡେ ଦେହୀ । ସେ ଦୁଃଖ କେବା ପାରେ ସହି ।। ୯୬
ଯେସନେ ସୂଚୀ-ରନ୍ଧ୍ରଗତେ । ମତ୍ତ-ବାରଣ ଉଛୁଡନ୍ତେ ।। ୯୭
ତେସନେ ପୀଡ଼ିତ ଶରୀର । ଦୁଃସହ ଦୁଃଖ ମୃତ୍ୟୁଘୋର ।। ୯୮
ଏମନ୍ତେ ପ୍ରାଣତ୍ୟାଗ କାଳେ । ଜୀବ ଭ୍ରମଇ ଦୟାକୁଳେ ।। ୯୯
ସେ ରାଜା ଅଜ୍ଞାନ ହୋଇଲା । ବେଳେ ଶ୍ରୀହରି ନ ଚିନ୍ତିଲା ।। ୧୦୦
ଶ୍ରୀକୃଷ୍ଣ ନ ଭଜିଲା ଯେଣୁ । ଏ ମୃତ୍ୟୁଭୟ ତାର ତେଣୁ ।। ୧୦୧
ଯଜ୍ଞାଦି ପୁଣ୍ୟକର୍ମ ଯେତେ । ରକ୍ଷଣେ ନୋହିଲେ ସମର୍ଥେ ।। ୧୦୨
ସେ କାମ୍ୟକର୍ମେ ଯଜ୍ଞ କରି । ଅନେକ ପଶୁ ଥିଲା ମାରି ।। ୧୦୩
ନିର୍ଦ୍ଧୋଷ-ଜୀବଙ୍କୁ ରାଜନ । ଯଜ୍ଞେ ବଧିଲା ପ୍ରତିଦିନ ।। ୧୦୪
ସେ ରୋଷ ମନେ ଧରିଥିଲେ । ତକ୍ଷଣେ ରାଜାକୁ ଭେଟିଲେ ।। ୧୦୫
ବେଗେ ବେଢିଲେ ପଶୁଗଣ । କୁଠାର କଲେ ପ୍ରହାରଣ ।। ୧୦୬
ନାନାଦି ତୀକ୍ଷ୍ଣ ଶସ୍ତ୍ର ଧରି । କାଟନ୍ତି ସେ ଦୁଃଖ ସୁମରି ।। ୧୦୭
ତୁଳା ପ୍ରମାଣେ ଅବଶେଷେ । ସେ ପଶୁଗଣେ ଅତି ରୋଷେ ।। ୧୦୮
ଭକ୍ଷନ୍ତି ଅସ୍ଥି ଶେଷ ଯାଏ । ନିର୍ଦ୍ଦୟ-ଚିତ୍ତେ ସେ ନିର୍ଭୟେ ।। ୧୦୯
ଦୁଃସହ-ଦୁଃଖ-ପୀଡା ଯେତେ । ସହଇ କର୍ମର ଆୟତ୍ତେ ।। ୧୧୦
ଏଣୁ କୁସଙ୍ଗ-ଦୋଷ ତାର । ହୋଇଲା ମହା-ଦୁଃଖ ଘୋର ।। ୧୧୧
ସେ ସ୍ତିରୀବଶେ ବଶ ହୋଇ । ସେବକ ଜନ ପ୍ରାୟ ଥାଇ ।। ୧୧୨
ତା ବଶେ ହୋଇଲା ଅଧୀନ । ହରିଲା ତାର ପୂର୍ବ-ଜ୍ଞାନ ।। ୧୧୩
ହରି-ଚରଣେ ନ ଭଜିଲା । ଏ ଘେନି ଏ କଷ୍ଟ ଲଭିଲା ।। ୧୧୪
ପଡିଲା ଅକ୍ଷତମ ଘୋରେ । କିଛି ନ ସ୍ଫୁରେ ତା ମନରେ ।। ୧୧୫
କୃଷ୍ଣ ଅଭାବେ ମୂଢ଼ମତି । ଏଣୁ ତୁରନ୍ତ ମ୍ଳେଚ୍ଛଗତି ।। ୧୧୬
ନରକେ ବହୁ ସମ୍ବତ୍ସର । ଭୋଗ ସେ କଲା ନୃପବର ।। ୧୧୭
ପୀଡିତ କର୍ମର ଅବଶେ । ସେ ପୂର୍ବ-କର୍ମ ପାପ ଦୋଷେ ।। ୧୧୮
ଏମନ୍ତେ ନାନା ଦୁଃଖେ ପଡି । ଯେଣୁ ସ୍ୱଧର୍ମ-ମାର୍ଗ ହୁଡି ।। ୧୧୯
ଈଶ୍ୱର-ବାକ୍ୟ ବେଦବାଣୀ । ଅଜ୍ଞାନେ ତେଜିଲା ନ ଜାଣି ।। ୧୨୦
ସେ ପାପ ଅନ୍ତେ ଜନ୍ମ ତାର । ବିଦର୍ଭ-ରାଜାର ମନ୍ଦିର ।। ୧୨୧
ସେ ରାଜା ମରଣ ସମୟେ । ସ୍ତ୍ରୀ ସଙ୍ଗ ଭାବିଲା ହୃଦୟେ ।। ୧୨୨
ତେଣୁ ସେ ପ୍ରମଦା ହୋଇଲା । ପୁରୁଷ ଅଙ୍ଗ ପ୍ରତେଜିଲା ।। ୧୨୩
ସେ ପ୍ରତିବ୍ରତା ସଙ୍ଗ ଫଳେ । ଜନ୍ମ ଲଭିଲା ସାଧୁକୁଳେ ।। ୧୨୪
ଏଣୁ ସୁସଙ୍ଗେ ମୋକ୍ଷ ପ୍ରାଣୀ । ଜ୍ଞାନେ ଭକତି ପରିମାଣି ।। ୧୨୫
ବିଦର୍ଭ-ମନ୍ଦିରେ ସୁନ୍ଦରୀ । ଜନ୍ମ ଲଭିଲା ଦେହ ଧରି ।। ୧୨୬
ମଳୟଧ୍ୱଜ ନାମେ ରାଜା । ସେ କୃଷ୍ଣଭକ୍ତ ମହାତେଜା ।। ୧୨୭
କନ୍ୟାର ରୂପ-ଗୁଣ ଶୁଣି । ଚିତ୍ତେ କଳ୍ପିଲା ନୃପମଣି ।। ୧୨୮
ସେ ସୈନ୍ୟସାମନ୍ତ ସାଜିଲା । ବିଦର୍ଭ-ଦେଶେ ବିଜେ କଲା ।। ୧୨୯
ସେ ରାଜା ସଙ୍ଗତେ ରାଜନ । ଯୁଦ୍ଧେ ଜିଣିଲା ରାଜ୍ୟ-ଧନ ।। ୧୩୦
ବଳେ ହରିଲା ତା ଦୁଲଣୀ । ବିବାହ କଲା ନୃପମଣି ।। ୧୩୧
ମଳୟଧ୍ୱଜ ନୃପବର । ଦ୍ରାବିଡଦେଶେ ଅଧିକାର ।। ୧୩୨
ସେ କନ୍ୟା ଗର୍ଭେ ତା ସନ୍ତତି । ଜନ୍ମିଲା ସୁଗୁଣ ସୁମତି ।। ୧୩୩
ସେ ରାଜା ସଦୃଶ କୁମାରୀ । ପ୍ରସବ କଲା ତାର ନାରୀ ।। ୧୩୪
ଶ୍ରୀକୃଷ୍ଣ ସୋବରୁଚି ନାମ । ତା ନାମ ଦେଲେ ସେ ରାଜନ ।। ୧୩୫
ସପତ ତନୟ ଅନ୍ତରେ । ଜନ୍ମିଲେ ସେ ନାରୀ ଉଦରେ ।। ୧୩୬
ଶ୍ରବଣ କୀର୍ତ୍ତନ ଯେ ଆଦି । ଏ ସପ୍ତନାମେ ଭକ୍ତିସିଦ୍ଧି ।। ୧୩୭
ଏକୁ ଅନେକ ତାହାଙ୍କର । ଅର୍ବୁଦ ଅର୍ବୁଦ କୁମର ।। ୧୩୮
ବଂଶର ସଂଖ୍ୟା ତା ନ ଯାଇ । ଅସଂଖ୍ୟ ଅପ୍ରମିତ ହୋଇ ।। ୧୩୯
ସେ ମନ୍ୱନ୍ତର ଭୋଗ କଲେ । ଆନନ୍ଦେ କୃଷ୍ଣଙ୍କୁ ଭଜିଲେ ।। ୧୪୦
ମଳୟଧ୍ୱଜର ଦୁହିତା । ସେ ଜ୍ଞାନବତୀ ଧୃତବ୍ରତା ।। ୧୪୧
ଅଗସ୍ତି ତାରେ ବିଭା ହେଲେ । ତା ଗର୍ଭେ ଦୃଢ଼ଚ୍ୟୁତ ହେଲେ ।। ୧୪୨
ମଳୟଧ୍ୱଜ ରାଜଋଷି । ପୁତ୍ରଙ୍କୁ ଡକାଇଲେ ବସି ।। ୧୪୩
ବିଭାଗ କରି ରାଜ୍ୟ-ଖଣ୍ତ । ପୁତ୍ରଙ୍କୁ ଦେଲେ ଛତ୍ର-ଦଣ୍ତ ।। ୧୪୪
କୃଷ୍ଣ ଭଜନେ ନରସାଇଁ । ରହିଲେ କୁଳାଚଳେ ଯାଇ ।। ୧୪୫
ତାର ବୈଦର୍ଭୀ ନାମେ ଜାୟା । ଛାଡିଣ ଗୃହ-ସୁତ ମାୟ ।। ୧୪୬
ସେ ରଜା ପଛେ ଗୋଡାଇଲା । ସୁଧାଂଶୁ ପଛେ ଶୋଭା ଗଲା ।। ୧୪୭
ସେ କୁଳାଚଳ ଗିରିବର । ସକଳ ତୀର୍ଥଙ୍କ ମନ୍ଦିର ।। ୧୪୮
ତୀର୍ଥଙ୍କ ନାମ ଏକା ଏକା । ଯେ ତାମ୍ରପର୍ଣ୍ଣୀ ବଟୋଦକା ।। ୧୪୯
ଅପରେ ଚନ୍ଦ୍ରବସା ନାମ । ଏ ଆଦି ପୁଣ୍ୟତୀର୍ଥ ଧାମ ।। ୧୫୦
କୃଷ୍ଣ-ଭକତି ସୁସାଧନେ । ତପ ଆଚରି ଶୁଦ୍ଧମନେ ।। ୧୫୧
ସେ ପୁଣ୍ୟ-ତୀର୍ଥ-ଜଳେ ନିତି । ସ୍ନାନାଦି କର୍ମ ଯେ କରନ୍ତି ।। ୧୫୨
ଦୁରନ୍ତ ବାହ୍ୟ-ଅନ୍ତଃମଳ । ସେ ଜଳେ ହୋଇଲା ନିର୍ମଳ ।। ୧୫୩
ତପ ସାଧନେ ଅତିରେକ । ଭକ୍ଷି ଫଳ-ମୂଳ-ଶୋକ ।। ୧୫୪
ପୁଷ୍ପ କୋମଳ ପତ୍ର ଜଳ । ତୃଣାଦି ଶଯ୍ୟାରେ ନିଶ୍ଚଳ ।। ୧୫୫
କଠୋର ତପ ଆଚରିଲେ । ଶରୀର ତପେ ଶୁଭାଇଲେ ।। ୧୫୬
ଶୀତ ଉଷ୍ଣାଦି ତ୍ରୟତାପ । କ୍ଷୁଧା ପିପାସା ତେଜି ଭୂପ ।। ୧୫୭
ଦୁଃଖ-ସୁଖାଦି ସମ ତାରେ । ଶୋକ ହରଷ ଏକ କରେ ।। ୧୫୮
ଏ ସର୍ବ ଜିଣି ସେ ରାଜନ । ନିର୍ମଳ ପ୍ରକାଶିଲା ମନ ।। ୧୫୯
ମିତ୍ର ଅଇରି ସମ ତାର । ଲାଭ ଅଲାଭ ଏକାକାର ।। ୧୬୦
ଏ ରୂପେ ଘୋର-ତପ କଲେ । ବ୍ରହ୍ମରେ ଆତ୍ମା ନିରୋପିଲେ ।। ୧୬୧
ମନ ପବନ ବଶ କରି । ଦୁର୍ଜୟ-ଇନ୍ଦ୍ରିୟ ନିବାରି ।। ୧୬୨
ଦୃଢ଼-ଆସନେ ନୃପବର । ସ୍ଥାଣୁ ସମାନେ ହୋଇ ସ୍ଥିର ।। ୧୬୩
ଶତେ-ବରଷ ଦେବମାନେ । ନିଶ୍ଚଳେ ବସି ଯୋଗଧ୍ୟାନେ ।। ୧୬୪
ଶ୍ରୀବାସୁଦେବେ କରି ରତି । ଦେହ-ବିଷୟ ନ ଜାଣନ୍ତି ।। ୧୬୫
ଆତ୍ମାକୁ ଆତ୍ମାରେ ଦେଖିଲେ । ଆନନ୍ଦ-ସାଗରେ ବୁଡିଲେ ।। ୧୬୬
ସେ ଆତ୍ମା ବ୍ୟାପିତ ସକଳ । ନ ଘେନେ ବିଷୟ ଜଞ୍ଜାଳ ।। ୧୬୭
ନିଶ୍ଚେ ଜାଣିଲେ ମିଥ୍ୟାମୟେ । ଏ ସର୍ବ ସପନର ପ୍ରାୟେ ।। ୧୬୮
ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇ ନିଦ୍ରାର ଆୟତ୍ତେ ।। ୧୬୯
ନାନା ବିକାର ସେ ଦେଖଇ । ଶିର-ଛେଦନ ହେଉଥାଇ ।। ୧୭୦
ପ୍ରତ୍ୟକ୍ଷେ ମଣେ ତାହା ସତ୍ୟ । ଅଜ୍ଞାନ-ମୋହେ ଭ୍ରମ ଚିତ୍ତ ।। ୧୭୧
ତହିଁ ଆତ୍ମାର ଲିପ୍ତି ନାହିଁ । ଏ ରୂପେ ଆତ୍ମା ସର୍ବଦେହୀ ।। ୧୭୨
ଯେ ହରି ଗୁରୁ ଭଗବାନ । କହିଣ ଥିଲେ ଦିବ୍ୟଜ୍ଞାନ ।। ୧୭୩
ସେ ଜ୍ଞାନ-ଦୀକ୍ଷା-ଦୀପ ପାଇ । ଦେଖିଲେ ଆତ୍ମା ସର୍ବଠାଇଁ ।। ୧୭୪
ବ୍ରହ୍ମକୁ ଆତ୍ମାରେ ଦେଖିଳେ । ଆତ୍ମାକୁ ବ୍ରହ୍ମେ ନିରୋପିଲେ ।। ୧୭୫
ଯେ କିଛି ଭେଦବୁଦ୍ଧି ଥିଲା । ସେସର୍ବ ଅଜ୍ଞାନ ଖଣ୍ତିଲା ।। ୧୭୬
ଏ ରୂପେ ଛାଡି କଳେବର । ସେ ଯୋଗବଳେ ଯୋଗେଶ୍ୱର ।। ୧୭୭
ନିଶ୍ଚଳ ଯୋଗାସନେ ରାୟେ । ଦିଶନ୍ତି ଧ୍ୟାନେ ଥିଲା ପ୍ରାୟେ ।। ୧୭୮
ବିଦର୍ଭସୁତା ପବିତ୍ରତା । ଛାଡି ବିଷୟ-ଭୋଗ ଚିନ୍ତା ।। ୧୭୯
ଖଣ୍ତି ଅମ୍ବର ପରିଧାନ । ବେଣୀ-ପ୍ରବନ୍ଧ କେଶମାନ ।। ୧୮୦
ପତି ସମୀପେ ବସିଥାଇ । ଦେଖନ୍ତେ ଅତି ଶୋଭା ପାଇ ।। ୧୮୧
ଯେସନେ ଅଗ୍ନି ଶିଖା-ହୀନ । ସେ ରୂପେ ଦିଶନ୍ତି ରାଜନ ।। ୧୮୨
ରାଜା ହୋଇଲେ ମୃତ୍ୟୁଗତ । ରାଣୀକି ନୋହିଲା ବିଦିତ ।। ୧୮୩
ସୁସ୍ଥିର ଆସନେ ନୃପତି । ରାଣୀ ସେବାରେ ନ ଜାଣନ୍ତି ।। ୧୮୪
ସ୍ୱାମୀ-ଚରଣେ ହସ୍ତ ଦେଲେ । ଉଷ୍ମତା-ଭାବ ନ ଜାଣିଲେ ।। ୧୮୫
ଦେଖିଲେ ପ୍ରାଣ ନାହିଁ ଦେହେ । ରାଣୀ ଅଜ୍ଞାନ-ଶୋକ-ମୋହେ ।। ୧୮୬
ଦୁରନ୍ତ ଚିନ୍ତାଭରେ ରାଣୀ । ପଡିଲା ମୃତ୍ୟୁ-ଶବ ଜାଣି ।। ୧୮୭
ଅତି ବିଚ୍ଛେଦ ମନଦୁଃଖେ । ବଚନ ନ ସ୍ପୁରେ ତା ମୁଖେ ।। ୧୮୮
ଯୂଥ-କୁରଙ୍ଗୀ ସଙ୍ଗ ହୀନେ । ଏକାକୀ ଭାଳଇ ଯେସନେ ।। ୧୮୯
ତେସନେ ରାଣୀ ଛନ୍ନ ହୋଇ । ଦୁଃଖେ ସେ ରୋଦନ କରଇ ।। ୧୯୦
ନିକଟେ ଜ୍ଞାତି-ବନ୍ଧୂଜନ । ନ ଦେଖି ଅତି ଭୟେ ଛନ୍ନ ।। ୧୯୧
ରୋଦଇ ବିଚିତ୍ର-ବିଳାପେ । ସେ ଘୋର ବନେ ମନ୍ତସ୍ତାପେ ।। ୧୯୨
ଉଠ ହେ ନୃପତି କେଶରୀ । ଏ ଘୋରନିଦ୍ରା ପରିହରି ।। ୧୯୩
କ୍ଷତ୍ରିୟ-ଧର୍ମ ଏ ନୁହଁଇ । ଶତ୍ରୁ ହସିବେ ନିନ୍ଦା ବହି ।। ୧୯୪
ଏ ଯେ ଦୁର୍ଜୟ ଶୋକ ମୋର । ଭୋ ନାଥ ବେଗେ ପରିହର ।। ୧୯୫
ଶୋକେ ଅଜ୍ଞାନ ମନତାପେ । ସେ ଅତି ରୋଦଇଁ ଦୁରାପେ ।। ୧୯୬
ଉଦଧି-ଧର୍ମ ଏ ତୁମ୍ଭର । ଆରତ ଜନ ଦୁଃଖ ହର ।। ୧୯୭
ପ୍ରଜାଏ ହୋଇବେ ନିରେଖ । ଆଶ୍ରୟ ନ ପାଇଁ ବିମୁଖ ।। ୧୯୮
ରାଜତ୍ୱ-ଧର୍ମ ଏ ତୁମ୍ଭର । ଆରତ ଜନ ଦୁଃଖ ହର ।। ୧୯୯
ଏମନ୍ତେ ଅତି ମନସ୍ତାପେ । କହେ ବିଭ୍ରମେ ସେ ବିଳାପେ ।। ୨୦୦
ମୁଁ ଏବେ କେମନ୍ତେ ବଞ୍ଚିବି । କାହାର ଚରଣେ ସେବିବି ।। ୨୦୧
ତୋ ମୁଖ-କମଳ ଅଭାବେ । ମୋ ପ୍ରାଣ ରହେ କିମ୍ପା ହୃଦେ ।। ୨୦୨
ଏ ମୂଖ-ଦାରୁଣ-ଜୀବନ । ନ ଯାଇ ରହିଛି ଅଜ୍ଞାନ ।। ୨୦୩
ତା ଅଶ୍ରୁ ଉଦକ ନିର୍ଝରେ । ନୟନୁ ପଡଇ ଭୂମିରେ ।। ୨୦୪
ହିମାଦ୍ରି-ଶିଖେ ଚନ୍ଦ୍ର ଯେହ୍ନେ । ତା ମୁଖପଙ୍କଜ ତେସନେ ।। ୨୦୫
କୁଚ-ଅମ୍ବର ଧୌତ କରି । ଯେହ୍ନେ ସ୍ରବିତ ସୁରବାରି ।। ୨୦୬
ଏରୂପେ ଚିନ୍ତାର୍ଣ୍ଣବ-ଘୋରେ । ସେ ରାଣୀ ବୁଡିଲା ନିର୍ଭରେ ।। ୨୦୭
ଏମନ୍ତେ ପତିପାଦେ ପଡି । ରୋଦଇ ଶିରେ କର ତାଡି ।। ୨୦୮
ସେ ରାଣୀ କରନ୍ତେ ରୋଦନ । ବେଳ ହୋଇଲା ଅବସାନ ।। ୨୦୯
ଏ ବନ-ଘୋରେ ସଙ୍ଗ ନାହି । ରୋଦନ କାଳଏ ନୁହଁଇ ।। ୨୧୦
ସତ୍ୱରେ ଉଠିଣ ତରୁଣୀ । ଶୁଷ୍କ ଇନ୍ଧନ ବେଗେ ଆଣି ।। ୨୧୧
ଚିତା ସଂଯୋଗି ବେଗବନ୍ତେ । ସେ ବନେ ନିର୍ଜନେ ଏକାନ୍ତେ ।। ୨୧୨
ସ୍ୱାମୀଙ୍କି ତହିଁ ନିବେଶିଲା । ବିଧାନେ ମୁଖାଗ୍ନି ସେ ଦେଲା ।। ୨୧୩
ଅନୁଗମନେ ଯିବା ପାଇଁ । ବସିଲା ସ୍ୱାମୀ-ପଦ ଧ୍ୟାୟି ।। ୨୧୪
ଅନଳ ପ୍ରଦକ୍ଷିଣ କଲେ । ସ୍ୱାମୀ ସଙ୍ଗତେ ଯିବା ବେଳେ ।। ୨୧୫
ଅଦଘଭୁତେ ବ୍ରାହ୍ମଣ ମିଳିଲେ । ସେ ତାର ପୂର୍ବେ ସଖା ଥିଲେ ।। ୨୧୬
ସେ ବିପ୍ର ରାଣୀ ହସ୍ତ ଧରି । କହେ ପ୍ରବୋଧି ଶାନ୍ତ କରି ।। ୨୧୭

ବ୍ରାହ୍ମଣ ଉବାଚ

ଶୁଣ ସୁନ୍ଦରି ମନୋହାରୀ । କେ ତୁମ୍ଭେ ଅଟ କାହା ନାରୀ ।। ୨୧୮
ଏ କେ ଶୟନେ ତୋର କତି । କା ପାଇଁ ବିଳପୁ ଯୁବତୀ ।। ୨୧୯
ସୁମରି କାନ୍ଦୁଯାର ପାଇଁ । ଏ ତୋର ଦୁଃଖ ନ ଘେନଇ ।। ୨୨୦
ତୁ ଯେ ବିଳପୁ ଅବିଚାରେ । ଏ ତୋର ସ୍ନେହ ଛାଡି ଦୂରେ ।। ୨୨୧
ଗମିଲା ନିଜ କର୍ମବଳେ । ତୋତେ ନିବେଶି ଶୋକାନଳେ ।। ୨୨୨
ତୁ ତାହା ନ ବୁଝୁ ସୁନ୍ଦରୀ । ବିଅର୍ଥେ ମରୁ ଶୋକ କରି ।। ୨୨୩
ଯେ ପତି ହୋଇଥିଲା ତୋର । ସେ ଜୀବଆତ୍ମାଟି ମୋହର ।। ୨୨୪
ଯେଣୁ ତୁ ଆତ୍ମା ନ ଚିହ୍ନିଲୁ । ଏଣୁ ଅଜ୍ଞାନେ ମିମଜ୍ଜିଲୁ ।। ୨୨୫
ମୁଁ ପୂର୍ବସଖାଟି ତୋହର । ତୁ ପ୍ରାଣସଖୀ ଅଟୁ ମୋର ।। ୨୨୬
ଆପଣା ସଖା ନ ଚିହ୍ନିଲୁ । ଏ ମାୟା ମୋହେ ନିମଜ୍ଜିଲୁ ।। ୨୨୭
ତୁ ମୋତେ ଛାଡି ଏକା କରି । ଅଇଲୁ ମୃତ୍ୟୁଭୟ-ପୁରୀ ।। ୨୨୮
ଏ ଭୂମି ବଇଭୋଗ କଲୁ । ମୋ ସଙ୍ଗ ଏ ରସୁ ତେଜିଲୁ ।। ୨୨୯
ତୁ ଆମ୍ଭେ ଏକ ବେନିଅଂଶ । ଏ ମାନସରୋବରେ ବାସ ।। ୨୩୦
ଏ ବେନିଅଂଶ ହଂସ ହୋଇ । ସେ ଗୃହ ଛାଡି ଯେ ନ ଯାଇ ।। ୨୩୧
ସହସ୍ରେ ଯୁଗ ପରିଯନ୍ତେ । ମାନସେ ରହିଲୁ ଏକାନ୍ତେ ।। ୨୩୨
ତୁ ମୋତେ ଛାଡିଣ ସେଠାରେ । ଅଇଲୁ ଏ ମହୀ ଭୋଗରେ ।। ୨୩୩
ପ୍ରବେଶି ଏ ମର୍ତ୍ତ୍ୟମଣ୍ତଳ । ଏଥି ଦେଖିଲୁ ଦିବ୍ୟସ୍ଥଳ ।। ୨୩୪
ସେ ପୁରେ ଏକ ନାରୀ ଥିଲା । ସେ ତୋର ମନ ବନ୍ଦୀ କଲା ।। ୨୩୫
ତା ବଶେ ନୋହେ ତୋ ଆୟତ୍ତ । ମିଥ୍ୟାଭିଲାଷେ ମୋହ ଚିତ୍ତ ।। ୨୩୬
ସେ ନଗ୍ରେ ପଞ୍ଚ-ଉପବନ । ନବ-ଦୁଆରେ ଶୋଭାବନ ।। ୨୩୭
ସେ ନବଦ୍ୱାରେ ନିରୁପମ । ଦେବ-ମାନବେ ମନୋରମ ।। ୨୩୮
ରକ୍ଷଣେ ଏ ଦ୍ୱାରପାଳ । ସେ ତ୍ରୟ କୋଠାରେ ବିସ୍ତାର ।। ୨୩୯
ଅପରେ ଅଛି କୁଳ ଷଟ । ବସାଇ ଭଲେ ପଞ୍ଚ ହାଟ ।। ୨୪୦
ପଞ୍ଚ ଯେ ପ୍ରକାରେ ପ୍ରକୃତି । ଏକଇ ନାରୀ ରୂପବତୀ ।। ୨୪୧
ଏ ପଞ୍ଚଇନ୍ଦ୍ରିଙ୍କ ବିଷୟ । ଆରାମ ତହିଁରେ ନିଶ୍ଚୟ ।। ୨୪୨
ଏକଇ ପ୍ରାଣ ତହିଁ ଦ୍ୱାରୀ । ସେ ନବଦ୍ୱାର ରକ୍ଷାକାରୀ ।। ୨୪୩
ପୃଥିବୀ ଆପ ତେଜ ମାନ । ଏକା ସେ ତାହାର ସଦନ ।। ୨୪୪
ଜ୍ଞାନ ଇନ୍ଦ୍ରିୟ ପାଞ୍ଚମନ । ତହିଁରେ ଷଟକୁଳ ଜାଣ ।। ୨୪୫
ଏ କ୍ରିୟାଶକ୍ତି ତହିଁ ହାଟ । ପଞ୍ଚ ବିଷୟ ତହିଁ ବାଟ ।। ୨୪୬
ପ୍ରକୃତି ପଞ୍ଚବିଂଶ ଗୁଣ । ଏ ରୂପେ ସେ ହାଟ ଭିଆଣ ।। ୨୪୭
ଏ ପାପ-ପୁଣ୍ୟ କର୍ମ ଦୁଇ । କ୍ରୟ ବିକ୍ରୟ ତହିଁ ହୋଇ ।। ୨୪୮
ଏ ସଙ୍ଗେ ମନ ସଞ୍ଚରଇ । ସୁକର୍ମ ବିକର୍ମ ଚଳଇ ।। ୨୪୯
ସେ ହାଟେଶ୍ୱରୀ ବୁଦ୍ଧି ଥିଲା । ସେ ତୋର ମନ ବନ୍ଦୀ କଲା ।। ୨୫୦
ତୁ ଭୋଗ କଲୁ ତାକୁ ତହିଁ । ମୋତେ ତୁ ସମ୍ପାଦିଲୁ ନାହିଁ ।। ୨୫୧
ଏକାନ୍ତେ ନାରୀସଙ୍ଗ କଲୁ । ଏ ପାପଦଶା ତୁ ଲଭିଲୁ ।। ୨୫୨
ନୋହୁ ତୁ ବିଦର୍ଭ ଦୁହିତ । ଏ ବୀର ନୋହେ ତୋର କାନ୍ତ ।। ୨୫୩
ନୋହୁ ତୁ ବିଦର୍ଭ ଦୁହିତ । ଯା ଲାଗି ତୋର ଏ ଦୁର୍ଗତି ।। ୨୫୪
ମୁଁ କରି ଅଛି ଏହୁ ମାୟା । ପୁରୁଷ-ପ୍ରକୃତିରେ କାୟା ।। ୨୫୫
ଛାଡ ଏ ମାୟା-ମୋହ ମତି । ଆମ୍ଭେ ବେନି ହଂସ ସଙ୍ଗତି ।। ୨୫୬
ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ । ଏ ବେନି ଏକ କରି ଚିହ୍ନ ।। ୨୫୭
ଯେବା ପଣ୍ତିତ ଜ୍ଞାନମତି । ଏ ବେନି ଭେଦ ନ କରନ୍ତି ।। ୨୫୮
ଅଜ୍ଞାନେ ଜ୍ଞାନ ଧର୍ମଭେଦ । ଅବିଦ୍ୟା ବିଦ୍ୟାର ଏ ଖେଦ ।। ୨୫୯
ଯେହ୍ନେ ମୁକୁରେ ଦେଖେ ଦେହୀ । ଏକଇ ଅଙ୍ଗ ଭିଶେ ଦୁଇ ।। ୨୬୦
ମୁକୁର ନ ଥିଲେ ନ ଦିଶେ । ଏମନ୍ତ ଏ ଭେଦ ବିଶେଷେ ।। ୨୬୧
ନାରଦ କହନ୍ତି ସଦୟେ । ଶୁଣ ପ୍ରାଚୀନ ନୃପରାୟେ ।। ୨୬୨
ଏ ଯେ ଆଧ୍ୟାତ୍ମ ଦିବ୍ୟଜ୍ଞାନ । କହିଲୁ ପରୋକ୍ଷ ବାଦେଣ ।। ୨୬୩
ପରୋକ୍ଷବାଦ ପ୍ରିୟ ହରି । ଏଣୁ ଯେ କହିଲୁ ବିସ୍ତାରି ।। ୨୬୪
ଚତୁର୍ଥ ସ୍କନ୍ଧେ ଭାଗବତ । ଏ ପୁରଞ୍ଜନ ଚରିତ ।। ୨୬୫
ଏ ଅଷ୍ଟବିଂଶତି ଅଧ୍ୟାରେ । ପ୍ରାକୃତଭାଷା ଏ ପ୍ରକାରେ ।। ୨୬୬
ଏହା ଶ୍ରବଣେ ପ୍ରାଣୀଙ୍କର । ଖଣ୍ତିବ ବହୁ ଦୁଃଖ ଘୋର ।। ୨୬୭
ସନ୍ଥ ଚରଣେ ଦେଇ ଚିତ୍ତ । ବର୍ଣ୍ଣଇ ବିପ୍ର ଜଗନ୍ନାଥ ।। ୨୬୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ
ଅଷ୍ଟାବିଂଶୋଽଧ୍ୟାୟଃ ।।

ଊନତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ସେ ଯେ ପ୍ରାଚୀନନୃପବର । ନାରଦ ପାଦେ ଦେଇ ଶିର ।। ୧
କହଇ ଅତି ହରଷରେ । ସେ ମୁନି ବ୍ରହ୍ମାର କୁମରେ ।। ୨

ପ୍ରାଚୀନବର୍ହି ଉବାଚ

ଭୋ ମୁନି ତୁମ୍ଭେ ଜ୍ଞାନପାର । କହିଲ ଅଧ୍ୟାତ୍ମ ବିଚାର ।। ୩
ତୁମ୍ଭେ ଯେ ପରୋକ୍ଷବାଦେଣ । କହିଲ ଯେ ସାଂଖ୍ୟ କାରଣ ।। ୪
ମୁଁ ହେଜି ନ ପାରିଲି ଚିତ୍ତେ । ଛେଦି ସଂଶୟ କହ ମୋତେ ।। ୫
ଯେ ମାର୍ଗେ ବୁଝିବଇଁମୁହିଁ । ସେ ମାର୍ଗେ କହିବା ଗୋସାଇଁ ।। ୬
ଯେବା ପଣ୍ତିତ ଦୃଢମତି । ଏ ଅନୁଭବ ସେ ଜାଣନ୍ତି ।। ୭
ଆମ୍ଭର ଏଣେ ନାହିଁ ଜ୍ଞାନ । ବିଷୟ-ଜଡେ ମନ ଛନ୍ନ ।। ୮
ଏଣୁ ନଧରେ ଜ୍ଞାନେ ରତି । ବିବେକ ନୋହେ ଆମ୍ଭ ମତି ।। ୯
ଭୋମୁନି ଫେଡ ପୁଣ ତାହା । ମୋ ଅର୍ଥେ କହ ପୁଣ୍ୟଦେହା ।। ୧୦
ସେ ପୁରଜ୍ଞନର ବିଚାର । ଶ୍ରବଣେ ଜ୍ଞାନ ହେବ ମୋର ।। ୧୧
ଶୁଣି ନାରଦ ମହାଋଷି । ତା ଭାବେ କହନ୍ତି ବିଶେଷି ।। ୧୨

ନାରଦ ଉବାଚ

ଶୁଣ ରାଜନ ସାବଧାନ । କହିବା ପରୋକ୍ଷ ଯେ ଜ୍ଞାନ ।। ୧୩
ପୁରୁଷ ପୁରଞ୍ଜନ ଯେହି । କର୍ମରୁ ପୁର କଲା ସେହି ।। ୧୪
କେ ଏକ ତ୍ରୟ ବେନିପାଦ । ବହୁ ଚତ୍ୱାର କେ ନିଷ୍ପାଦ ।। ୧୫
ଏମନ୍ତେ ନାନ ପୁର କରି । ଏ ଜୀବ ତା ମଧ୍ୟେ ବିହରି ।। ୧୬
ଅଜ୍ଞାତ-ସଖା ଯାକୁ କହି । ଈଶ୍ୱର ନାମ ଅଟେ ସେହି ।। ୧୭
ସେ ନାମ-ରୂପରୁ ବାହାର । ଏଣୁ ଅଜ୍ଞାତ ନାମ ତାର ।। ୧୮
ସମଗ୍ର ପ୍ରକୃତି ଗୁଣକୁ । ପୁରୁଷ ଇଚ୍ଛିଲେ ଭୋଗକୁ ।। ୧୯
ତେବେ ଏ ପୁର ନବଦ୍ୱାରେ । ରଚନା କରେ ସେ ବେଭାରେ ।। ୨୦
ଯେ ପୁରେ ହସ୍ତପଦ ଘେନି । କରଇ କର୍ମ ଲାଭହାନି ।। ୨୧
ସେ ପୁରେ ଥାଇ କରେ ଭୋଗ । ମାୟା ନିର୍ବନ୍ଧେ ଅନୁରାଗ ।। ୨୨
ଏ ପୁରୁ ଅନ୍ୟ ପୁର ଯେହି । ଭୋଗ ସୁଖାଦି ନୋହେ ତହିଁ ।। ୨୩
ଏ ଯେ ମାନବ କଳେବର । ଅଶେଷ ଦେହ ମଧ୍ୟେ ସାର ।। ୨୪
ସେ ପୁର ମଧ୍ୟେ ଜୀବ ରହି । ଇନ୍ଦ୍ରି-ବିଷୟ ରସେ ମୋହି ।। ୨୫
ବିବିଧ ସୁଖ ଭୋଗ ସାର । ଜୀବ ଭୁଞ୍ଜଇ ଏ ମନ୍ଦିର ।। ୨୬
ସେ ପୁର ମଧ୍ୟେ ବୁଦ୍ଧି ନାରୀ । ଏକା ସେ ସର୍ବତ୍ର ବିହରି ।। ୨୭
ସେ ଯେ ମମତ୍ତ୍ୱେ ହୋଏ ଛନ୍ନ । ବୋଲଇ ଏ ମୋର ସଦନ ।। ୨୮
ସେ ନାରୀ ବଶେ ଜୀବ ଥାଇ । ଇନ୍ଦ୍ରିୟ ଭୋଗେ ତୋଷ ହୋଇ ।। ୨୯
ଇନ୍ଦ୍ରିୟଗଣ ବୁଦ୍ଧି ସଖା । ବିଷୟ ମାନେ ସଖୀ ଲେଖା ।। ୩୦
ଯେ ଜ୍ଞାନ କର୍ମେନ୍ଦ୍ରିୟ ଗଣେ । ପୁରୁଷେ ଭୋଗ-ବିଷେ ଟାଣେ ।। ୩୧
ଏ ଜ୍ଞାନ-କର୍ମ-ଇନ୍ଦ୍ରିଦଶ । ଏହାଙ୍କ ଭୋଗେ ଜୀବ ବଶ ।। ୩୨
ଏ ପାପ ପୁଣ୍ୟ ଆଦି କରି । ବଳେ ଭୁଜ୍ଞଇ କର୍ମ ଧରି ।। ୩୩
ଏ ପୁର ଦ୍ୱାରୀ ସର୍ପ ଯେହି । ଏ ଦେହେ ପ୍ରାଣ ଅଟେ ସେହି ।। ୩୪
ସେ ପଞ୍ଚବୃତ୍ତିରେ ସଞ୍ଚାର । ଏଣୁ କହିଲୁଁ ପଞ୍ଚଶିର ।। ୩୫
ପଞ୍ଚମସ୍ତକ ଏଣୁ ତାର । କହିଲୁ ତେଣୁ ନୃପବର ।। ୩୬
ମହତ ଭଟ୍ଟ ଯାହା କହି । ମନର ନାମ ଅଟେ ସେହି ।। ୩୭
ସେ ଦଶଇନ୍ଦ୍ରିଙ୍କ ନାୟକ । ତାକୁ ଜିଣନ୍ତା ନାହିଁ ଲୋକ ।। ୩୮
ତାକୁ ଜିଣଇ ଯେବେ ଜନ । ସେ ଯୋଗୀ ଏ ତିନି ଭୁବନ ।। ୩୯
ଉତ୍ତର ଦକ୍ଷିଣ ଯା କହି । ରାଜା ପଞ୍ଚାଳ ଦେଶ ସେହି ।। ୪୦
ଏ ପଞ୍ଚବିଷୟର ଆଳ । ଏହା ତୁ ବୁଝ ମହୀପାଳ ।। ୪୧
ଇନ୍ଦ୍ରିୟ ଛିଦ୍ର ଯେତେ କହି । ଏ ପୁରେ ନବଦ୍ୱାର ସେହି ।। ୪୨
ଏ ବେନି ଚକ୍ଷୁ ନାସା କର୍ଣ୍ଣେ । ଯେ ମୁଖ ଗୁହ୍ୟ ଲିଙ୍ଗ ସ୍ଥାନ ।। ୪୩
ଏହାକୁ ନବଦ୍ୱାର କହି । ଇନ୍ଦ୍ରିୟଗଣ ସ୍ଥାନ ଏହି ।। ୪୪
ଏ ସଙ୍ଗେ ଜୀବର ଗମନ । ବିଷୟ କରେ ଆସ୍ୱାଦନ ।। ୪୫
ନୟନ ମୁଖ ନାସା ତାର । ଏ ପୂର୍ବ ଦିଗ ପଞ୍ଚଦ୍ୱାର ।। ୪୬
ଉତ୍ତର ଦକ୍ଷିଣ ଯା କହି । ଏ ବେନି କର୍ଣ୍ଣଦ୍ୱାର ସେହି ।। ୪୭
ପଶ୍ଚିମ ଦିଗେ ବେନି ଦ୍ୱାର । ଏ ଲିଙ୍ଗ ଗୃହ୍ୟ ନୃପବର ।। ୪୮
ଏ ନବଦ୍ୱାରେଣ ନିର୍ମିତ । ଯେଝା ବିଷୟେ ଆସ୍ୱାଦିତ ।। ୪୯
ସେବନ୍ତି ଆତ୍ମାରେ ବିହରି । ଏକ ଆରେକ ଆଗସରି ।। ୫୦
ଖଦ୍ୟୋତା ଆବିର୍ମୁଖୀ ଦୁଇ । ଚକ୍ଷୁର ନାମ ଏ ବୋଲାଇ ।। ୫୧
ଏ ବେନିଦ୍ୱାରେ ପୁରଞ୍ଜନ । କରଇ ରୂପ ସମ୍ପାଦନ ।। ୫୨
ନଳିନୀ ନାଳିନୀ ଯେ ଦୁଇ । ନାସିକା ନାମ ସେ ଅଟଇ ।। ୫୩
ଏ ଦ୍ୱାରେ ଅବଧୂତ ନାମ । ଗନ୍ଧାଦି ଆମୋଦ ପବନ ।। ୫୪
ସୁଗନ୍ଧ ଦୁର୍ଗନ୍ଧ ସହିତେ । ଏ ଦ୍ୱାରେ ଘେନଇ ନିରତେ ।। ୫୫
ବଦନ ନାମେ ମୁଖ୍ୟ ଦ୍ୱାର । ରସଜ୍ଞ ବାକ୍ୟ ତା ମଧୁର ।। ୫୬
ସ୍ୱାଦୁ ଅସ୍ୱାଦୁ ଦ୍ରବ୍ୟ ଯେତେ । ଏ ଦ୍ୱାରେ ଆସ୍ୱାଦେ ନିରତେ ।। ୫୭
ପିତୃହୂ ଦେବହୂ ଯେ ନାମ । ଏ ବେନି କର୍ଣ୍ଣ ଦକ୍ଷ ବାମ ।। ୫୮
ପିତୃହୂ ଦକ୍ଷିଣ ଅଟଇ । ଦେହହୂ ବାମେଣ ବସଇ ।। ୫୯
ଏ ବେନି ଇନ୍ଦ୍ରିୟେ ରାଜନ । ବାକ୍ୟାଦି ରସ ଆସ୍ୱାଦନ ।। ୬୦
ଏ ସାରାସାର ଭାବ ଯେତେ । ଏ ଦ୍ୱାରେ ଘେନଇ ନିରତେ ।। ୬୧
ଏ ଶ୍ରୁତିଯୁଗେ ପୁରଞ୍ଜନ । କରଇ ଶବ୍ଦ ଆସ୍ୱାଦନ ।। ୬୨
ନିନ୍ଦା ସ୍ତବନ ବାକ୍ୟ ଯେତେ । ଏ ଦ୍ୱାରେ ଘେନନ୍ତି ଏ ନିତ୍ୟେ ।। ୬୩
ପ୍ରବୃତ୍ତି ନିବୃତ୍ତି ଏ ଦୁଇ । ଶାସ୍ତ୍ର ପାଞ୍ଚାଳ ବୋଲି କହି ।। ୬୪
ଏ ପିତୃଯାନ ଦେବଯାନ । ଗତିରେ କରନ୍ତି ଗମନ ।। ୬୫
ଏ ମାର୍ଗେ ଥାନ୍ତି ନିରନ୍ତର । ସେ ଇଚ୍ଛା ସୁଖେ ନୃପବର ।। ୬୬
ଆସୁରୀ ଦ୍ୱାର ଲିଙ୍ଗସ୍ଥାନ । ଦୁର୍ମଦ ଉପସ୍ଥର ନାମ ।। ୬୭
ବ୍ୟାବାୟ ନାମ ରତି କହି । ପ୍ରଜା ସର୍ଜନ କରେ ତହିଁ ।। ୬୮
ତା ଅଧୋଭାଗେ ଗୃହ୍ୟଦ୍ୱାର । ନିଋତି ନାମଟି ତାହାର ।। ୬୯
ବୈଶସ ନାମ ନର୍କ କହି । ସେ ଦ୍ୱାରେ ମଳ ଉତ୍ସର୍ଗଇ ।। ୭୦
ଅନ୍ଧ ବୋଲି ବୋଇଲୁ ଯାହା । ଏ ପାଣିପାଦ ବୋଲି ତାହା ।। ୭୧
ଏ ବେନି ଇନ୍ଦି୍ରଙ୍କ ବିଷୟ । କହିବା ଶୁଣ ତା ନିର୍ଣ୍ଣୟ ।। ୭୨
ଆଦାନ ପ୍ରଦାନ ସେ କରେ । ଯେଝା ବିଷୟ ଅଧିକାରେ ।। ୭୩
ଦ୍ୱିତୀୟ ଅନ୍ଧ ଯେ ପୟର । କହିବା ଏଥିର ବିଚାର ।। ୭୪
ଏ ଇନ୍ଦ୍ରି ଯୋଗେ ପୁରଞ୍ଜନ । କାମାର୍ଥେ କରଇ ଗମନ ।। ୭୫
ଅନ୍ତର ପୁର ବୋଲି ଯାହା । ହୃଦୟପଦ୍ମ କେହି ତାହା ।। ୭୬
ବିଷୂଚି ନାମଟି ଯାହାର । ଏ ମନ ନାମ ନୃପବର ।। ୭୭
ତା ବଶେ ଥାଇଣ ପୁରୁଷ । ଭଜଇ ହରଷ ବିରସ ।। ୭୮
ଏ ଜୀବ ପ୍ରକାଶ୍ୟେ ଚଳଇ । ବୁଦ୍ଧି ଯହିଁକି ପ୍ରବର୍ତ୍ତାଇ ।। ୭୯
ତା ବଶେ ପୁରୁଷ ଅଧୀନ । କରଇ ନାନା କର୍ମମାନ ।। ୮୦
ଏ ଦେହ ରଥ ସ୍ୱରୂପେଣ । ତୋତେ କହିଛି ନୃପରାଣ ।। ୮୧
ଏ ରଥେ ଅଶ୍ୱରୂପ ହୋଇ । ଇନ୍ଦ୍ରିୟଗଣେ ଛନ୍ତି ରହି ।। ୮୨
ପଞ୍ଚ ବିଷୟ ମାର୍ଗେ ହୟେ । ଗମନ୍ତି ସମ୍ବତ୍ସର ଯାଏ ।। ୮୩
ଈଶ୍ୱର ଆଜ୍ଞାରେ ନିର୍ମିତ । ଏ ରଥେ ସକଳ ସଂଯୁତ ।। ୮୪
ଏ ରଥେ ପୁଣ୍ୟ ପାପ ଦୁଇ । ସେ ଚକ୍ର ରୂପେ ତହିଁ ରହି ।। ୮୫
ଧ୍ୱଜ ସ୍ୱରୂପେ ତିନିଗୁଣ । ରଥ ବନ୍ଧନ ପଞ୍ଚପ୍ରାଣ ।। ୮୬
ବୁଦ୍ଧି ସାରଥି ରୂପେ ରହି । ଏ ମନ ରଶ୍ମି ଅଟେ ତହିଁ ।। ୮୭
ହୃଦୟ ପଙ୍କଜରେ ରଥୀ । ବସିବା ଆସନ ତା ତଥି ।। ୮୮
ରଥ କୂବର ଦ୍ୱନ୍ଦ୍ୱ ଭାର । ଇନ୍ଦ୍ରି ବିଷୟ ତହିଁ ଶର ।। ୮୯
ସପତ ଧାତୁ ଆବରଣ । ତାର ବିକ୍ରମ ମୂର୍ତ୍ତ ଜାଣ ।। ୯୦
ଇନ୍ଦ୍ରିୟ ରସେ ରସୁଥାଇ । ସେ ମୃଗତୃଷ୍ଣାରେ ଧାମଇଁ ।। ୯୧
ଯେ ଯାହା ବିଷୟେ ରସିଣ । ଆସ୍ୱାଦ କରି ଅନୁକ୍ଷଣ ।। ୯୨
ଧନ୍ୟ ଯେ କର୍ମ ଏହାଙ୍କର । ଦୁର୍ଜୟ ଦୁଷ୍ଟ ଦୁରାଚାର ।। ୯୩
ଏ ଜୀବ ଭୁଞ୍ଜେ ଇନ୍ଦ୍ରି ମୁଖେ । ଅଜ୍ଞାନ ମତି ମୋହ ଦୁଃଖେ ।। ୯୪
ମୃଗତୃଷ୍ଣାରେ ଜଳ କରି । ଭୁଞ୍ଜଇ ମାୟା ମିଥ୍ୟା ଭରି ।। ୯୫
କାଳର ଗତି ନ ଜାଣଇ । ଏ ମାୟାଭୋଗେ ମତ୍ତ ହୋଇ ।। ୯୬
ଇନ୍ଦ୍ରିଙ୍କ ଅନ୍ୟାୟ ବିଷୟେ । ଭୁଞ୍ଜଇ ମୃଗୟାର ପ୍ରାୟେ ।। ୯୭
ନିରତେ ହରେ ନିଜ ପ୍ରାଣ । ନ ଜାଣେ ଏ ମୂଢ଼ ଅଜ୍ଞାନ ।। ୯୮
ଏ ସମ୍ବତ୍ସର ରୂପେ କାଳ । ଚଣ୍ତବେଗ ନାମେ ଭୂପାଳ ।। ୯୯
ଗନ୍ଧ ଗନ୍ଧର୍ବୀ ଦିବା ନିଶି । ତ୍ରିଶତ-ଷାଠିଏ ପ୍ରକାଶି ।। ୧୦୦
ଏ ସର୍ବେ କାଳ ସଙ୍ଗେ ଥାନ୍ତି । ଜୀବର ଆୟୁଷ ହରନ୍ତି ।। ୧୦୧
କାଳ ଦୂହିତା ଯାକୁ କହି । ଜାରର ନାମ ଅଟେ ସେହି ।। ୧୦୨
ସେ ପ୍ରାଣୀ ରୂପ କାନ୍ତି ହରେ । ଦେଖିଲେ ପ୍ରାଣୀ ତାକୁ ଡରେ ।। ୧୦୩
ଏଣୁ ତାହାକୁ ପ୍ରାଣୀ ଭଲେ । ବରଣେ କେହି ନ ଇଚ୍ଛଲେ ।। ୧୦୪
ସେ ମୃତ୍ୟୁ ତାରେ ଭଗ୍ନୀ ପ୍ରାୟେ । ସ୍ନେହେ ଆବୋରି ନିତ୍ୟେ ରହେ ।। ୧୦୫
ସେ ପ୍ରାଣୀଙ୍କର ରୂପ ହରେ । ମୃତ୍ୟୁର ପର୍ଯ୍ୟନ୍ତ ପୀଡା କରେ ।। ୧୦୬
ଯବନ ଅଧିପତି ଯେହି । ମୃତ୍ୟୁର ନାମ ଅଟେ ସେହି ।। ୧୦୭
ଏ ମୃତ୍ୟୁ ଯମ ରୂପ ଧରି । ଜୀବ ବିନାଶେ ଅଧିକାରୀ ।। ୧୦୮
ଯବନେ ତାର ସେନାପତି । ଏ ଆଧିବ୍ୟାଧି ଯେତେ ଛନ୍ତି ।। ୧୦୯
ଏ ଜୀବ-ଶରୀରେ ପୀଡନ୍ତି । ଏଣୁ ଏ ମୃତ୍ୟୁର ସଙ୍ଗତି ।। ୧୧୦
ପ୍ରଜ୍ୱାର ଆଦି ଯେତେ ଜ୍ୱର । ପ୍ରବେଶେ ନାଶନ୍ତି ଶରୀର ।। ୧୧୧
ବିବିଧ ଦୁଃଖ ତାପତ୍ରୟେ । ପୀଡନ୍ତି ପ୍ରାଣ ଶେଷ ଯାଏ ।। ୧୧୨
ଶତ ସମ୍ବତ୍ସର ପ୍ରମିତେ । ଶରୀରେ ଥାନ୍ତି ଅବିରତେ ।। ୧୧୩
ପ୍ରାଣ ଇନ୍ଦ୍ରିୟ ମନ ଧର୍ମ । ନିର୍ଗୁଣ ଆତ୍ମାରେ ଅର୍ପିଣ ।। ୧୧୪
ଏ କାମ ସୁଖ ଲବ ମାତ୍ରେ । ଭୁଞ୍ଜଇ ଦୁଃଖ ସୁଖ ଗାତ୍ରେ ।। ୧୧୫
ଏ ମୋର ବୋଲି ଅହଙ୍କାର । ବହିଛି ଦୁଃଖ ନିରନ୍ତର ।। ୧୧୬
ପରମଆତ୍ମା ଭଗବାନ । ସେ ସର୍ବହେତୁ ଚଇତନ ।। ୧୧୭
ଯାବତ ତାଙ୍କୁ ନ ଜାଣଇ । ଏ ଜୀବ ଭ୍ରମେ ଭ୍ରମୁଥାଇ ।। ୧୧୮
ତାବତ ପ୍ରକୃତି ଗୁଣରେ । ଏ ଜୀବ ପଡେ ମାୟା ଘୋରେ ।। ୧୧୯
ଗୁଣାଭିମାନୀ ନିରନ୍ତରେ । ଅବଶେ କର୍ମରେ ସଞ୍ଚରେ ।। ୧୨୦
ସାତ୍ତ୍ୱିକ ରଜ ତମ ଆଦି । କର୍ମେ ଯେ ହୋଏ ତ୍ରୟବିଧି ।। ୧୨୧
ପୁରୁଷ ଯେ କର୍ମ କରଇ । ସେ ଅନୁସାରେ ଦେହ ବହି ।। ୧୨୨
ସାତ୍ତ୍ୱିକ କର୍ମ ଯେବା କରେ । ଅଧିକ ପ୍ରକାଶ ଲୋକରେ ।। ୧୨୩
ଏ ତିନିଲୋକେ ଯଶ ତାର । ଗାବନ୍ତି ଦେବାସୁର ନର ।। ୧୨୪
ରାଜସ କର୍ମ ଯେ କରନ୍ତି । ଆଦ୍ୟରେ ସୁଖ ସେ ଲଭନ୍ତି ।। ୧୨୫
ପଶ୍ଚାତେ ଲଭେ ବହୁ ଦୁଃଖ । ଏ ଭାବ ନ ଜାଣେ ମୂରୁଖ ।। ୧୨୬
ତାମସ କର୍ମର ଯେ ଫଳ । ସେ ଶୋକ ଦୁଃଖ ମୋହ ଆଳ ।। ୧୨୭
ଅଜ୍ଞାନ ଭାବେ ମୂଢଦେହୀ । ସ୍ୱକର୍ମବେଶ ଭ୍ରମୁ ଥାଇ ।। ୧୨୮
କେବେ ପୁରୁଷ ନାରୀ ହୋଇ । ଏ ଚରାଚର ଭ୍ରମେ ସେହି ।। ୧୨୯
ନପୁଂସ ଜନ୍ମ କେବେ ଧରେ । ଏ ରୂପେ କର୍ମ ଅନୁସାରେ ।। ୧୩୦
କେବେ ବା ଦେବତନୁ ପାଇ । ମନୁଷ୍ୟ ଜନ୍ମ କେ ଲଭଇ ।। ୧୩୧
ଖଗାଦି ପଶୁ ଚରାଚରେ । ସ୍ୱକର୍ମ ଭୁଞ୍ଜନ୍ତି ପାମରେ ।। ୧୩୨
ପଶୁ ପତଙ୍ଗ କୀଟ ଯେବେ । ଏ ଯୋନି ଲଭେ କର୍ମଭାବେ ।। ୧୩୩
ଭୁଞ୍ଜନ୍ତି ସ୍ୱକର୍ମ ଆବୋରି । ଏ ପାପ ପୁଣ୍ୟ ଆଦି କରି ।। ୧୩୪
ଯେସନେ କ୍ଷୁଧାତୁର ହୋଇ । ବିକଳେ କୁକୁର ଭ୍ରମଇ ।। ୧୩୫
ଆହାର ଅର୍ଥେ ନିରନ୍ତରେ । ଭ୍ରମୁଣ ଥାଇ ନାନା ପୁରେ ।। ୧୩୬
କାହିଁ ବା ଆହାର ମିଳଇ । କାହିଁ ନିର୍ଘାତେ ଦଣ୍ତ ପାଇ ।। ୧୩୭
କାହାରି ଚିତ୍ତେ ଦୟା ନାହିଁ । ପଥେ ଗମନ୍ତେ ପୀଡେ କେହି ।। ୧୩୮
ସର୍ବେ ବୋଲନ୍ତି ମାର ମାର । ଦୁଷ୍ଟ ସଜ୍ଜନ ଆଦି ନର ।। ୧୩୯
ତା ଭାବେ କର୍ମ ଶତ୍ରୁପଣେ । ନିରତେ ଦଣ୍ତେ ଅନୁକ୍ଷଣେ ।। ୧୪୦
ପ୍ରାଭବ ଭର୍ତ୍ସନା ଅନେକ । ପାଇ ସେ ଭ୍ରମେ ଅତିରେକ ।। ୧୪୧
ସେ ରୂପେ ଏ ଜୀବ ସଂଜାତ । ସ୍ୱକର୍ମବଳେ ଆତଜାତ ।। ୧୪୨
ଏଣୁ ଏ କାମ ଆଶେ ମୋହି । ନିରତେ କର୍ମେ ଭ୍ରମେ ମହୀ ।। ୧୪୩
କେବେ ବା ଉର୍ଦ୍ଧ୍ୱେ ଭୋଗକରେ । କେବେ ବା ଅଦୋ ମଧ୍ୟ ପୁରେ ।। ୧୪୪
ଏମନ୍ତ ଉଚ୍ଚ-ନୀଚେ ଭ୍ରମି । କର୍ମ ଭୁଞ୍ଜଇ ଦୁଃଖେ ଶ୍ରମୀ ।। ୧୪୫
ସ୍ୱବଶ ନୋହେ ପ୍ରିୟା-ପ୍ରିୟେ । କାହିଁବା ଦୁଃଖ-ସୁଖ ଭୟେ ।। ୧୪୬
କାହିଁ ଦଣ୍ତାଦି ପରାଭବ । କାହିଁ ଐଶ୍ୱର୍ଯ୍ୟ ବଇଭୋଗ ।। ୧୪୭
ଏ ଦୁଃଖ-ସୁଖାଦି ସହିତେ । ଆତ୍ମା ବନ୍ଧନ ଏ ସଙ୍ଗତେ ।। ୧୪୮
ଏଣେ ତା ନୋହେ ପ୍ରତିକାର । ଦୁଃସହ ଦୁଃଖ ମହାଘୋର ।। ୧୪୯
ଯାବତ ତାପତ୍ରୟ ଅଛି । ତାବତ ସୁଖ ନାହିଁ କିଛି ।। ୧୫୦
ଯେବେ ପ୍ରତିକାର ଇଚ୍ଛଇ । ଅତି ଦୁଃଖରେ ଦୁଃଖୀ ହୋଇ ।। ୧୫୧
ଯେସନେ ପ୍ରାଣୀ ଶିରଭାର । ଉଶ୍ୱାସି ରଖଇ କନ୍ଧର ।। ୧୫୨
ସେ କି ତାହାର ଭାର ନୋହେ । ତେସନ ଦୁଃଖ ପ୍ରତି ଦେହେ ।। ୧୫୩
କର୍ମର କର୍ମଟି କେବଳ । ନୋହେ ଏକାନ୍ତ ପ୍ରତିକାର ।। ୧୫୪
ଅବିଦ୍ୟା ମାର୍ଗ କର୍ମ ଦୁଇ । କର୍ମେ କି କର୍ମ ନାଶ ହୋଇ ।। ୧୫୫
ଯେସନେ ଶୟନେ ସ୍ୱପନ । ଦେଖଇ ବିବିଧ ବିଧାନ ।। ୧୫୬
ପ୍ରତୀତ ହୋଏ ନିଦ୍ରାଗତେ । ଅସତ୍ୟ ମଣେ ତା ଜାଗ୍ରତେ ।। ୧୫୭
ତେସନେ କର୍ମେ କର୍ମ ନାଶେ । ଧାମଇଁ ମିଥ୍ୟା ଅଭିଳାଷେ ।। ୧୫୮
ଯାବତ ଆତ୍ମଜ୍ଞାନ ନାହିଁ । ସଂସାରେ ନିବୃତ୍ତି ତା କାହିଁ ।। ୧୫୯
ଉପାଧି ବିଷୟକୁ ମନ । ବଳେ ଆଣଇ ସନ୍ନିଧାନ ।। ୧୬୦
ସ୍ୱପନ ପ୍ରତ୍ୟକ୍ଷ ସେ କରେ । କୁମତି-ଜନ ଏ ସଂସାରେ ।। ୧୬୧
ଅନର୍ଥ ହେତୁ ଏ ସଂସାରେ । ନିରତେ ଘୋର ଭୟଙ୍କର ।। ୧୬୨
ନିରତେ ଗତାଗତେ ଭ୍ରମି । ଜନ୍ମ-ମରଣେ ପଥ ଶ୍ରମି ।। ୧୬୩
ଏଣୁ ଜୀବର ପାର ନାହିଁ । ଏ ଚରାଚରେ ଭ୍ରମେ ମୋହି ।। ୧୬୪
ପରମଗୁରୁ ଭଗବାନ । ତା ପାଦେ ଭକ୍ତି ଭାବେ ଧ୍ୟାନ ।। ୧୬୫
ତେବେ ଏ ସଂସାର ବିନାଶ । ଏ ବିନେ ବନ୍ଦୀ ମୋହପାଶ ।। ୧୬୬
ଯାବତ କୃଷ୍ଣ ନ ଭଜଇ । ତାବତ ଜୀବଗତି କାହିଁ ।। ୧୬୭
ଯେବେ ଭକତି ଯୋଗେ ନର । ଭଜଇ ଗୋବିନ୍ଦ ପୟର ।। ୧୬୮
ତେବେ ବୈରାଗ୍ୟ ଜ୍ଞାନ ଜାତ । ପ୍ରକାଶି ନାଶଇ ଦୁରିତ ।। ୧୬୯
ସେ ଜ୍ଞାନେ କୃଷ୍ଣପାଦେ ମତି । ହରି ଭଜନେ ହୋଏ ରତି ।। ୧୭୦
ଶ୍ରଦ୍ଧାନୁଭାବେ ଗୁଣ ଗାଇ । ରୋମ ପୁଲକେ ଅଶ୍ରୁବହି ।। ୧୭୧
ଜ୍ଞାନ-ଭକତି-ଯୋଗାନଳେ । ଦହନ ହୋନ୍ତି ଅମଙ୍ଗଳେ ।। ୧୭୨
ତେବେ ସେ ଜ୍ଞାନଯୋଗେ ହରି । ଲଭଇ କର୍ମ ପରିହିର ।। ୧୭୩
ଯେ ଭଗବତ ସାଧୁଜନେ । ବିଶ୍ରାମ କରନ୍ତି ଯେ ସ୍ଥାନେ ।। ୧୭୪
କୃଷ୍ଣ ଚରିତ ଅନୁକ୍ଷଣେ । ଗାବନ୍ତି ଶୁଣନ୍ତି ଶ୍ରବଣେ ।। ୧୭୫
ବିଷୟ ସୁଖ ଘେନନ୍ତି । ନିରତେ ନାମ ଆସ୍ୱାଦନ୍ତି ।। ୧୭୬
ସେ ସ୍ଥାନେ ନାମ-ସୁଧା-ନଈ । ଶ୍ରବଣେ ସର୍ବଦିଗେ ଯାଇ ।। ୧୭୭
ପବିତ୍ର କରେ ତ୍ରିଭୁବନ । ଶ୍ରୋତା ବକତା ଯେତେ ଜନ ।। ୧୭୮
ଶ୍ରବଣେ ପଶି ପାପ ଦହେ । ଛାଡଇ ଜନ୍ମ ମୃତ୍ୟୁ ଭୟେ ।। ୧୭୯
ଅନଳ ସ୍ପରଶେ ଯେସନ । ଦହଇ ସୂକ୍ଷ୍ମ-ବସ୍ତ୍ର-ମାନ ।। ୧୮୦
ଯେ ଶ୍ରୁତିଦ୍ୱାରେ ତା ପିବନ୍ତି । ଏ ମାୟାବନ୍ଧୁ ନିସ୍ତରନ୍ତି ।। ୧୮୧
ଏ ଶୋକ ମୋହ ପରିହରେ । ସ୍ୱଚ୍ଛନ୍ଦେ ଭବବନ୍ଧୁ ତରେ ।। ୧୮୨
ଯେଣୁ ଅଜ୍ଞାନ ଶୋକ ମୋହେ । ବିବେକହୀନେ ଦୁଃଖ ସହେ ।। ୧୮୩
ଏଣୁ ଶ୍ରୀକୃଷ୍ଣେ ନୋହେ ରତି । ତା ନାମେ ନ ବଳଇ ମତି ।। ୧୮୪
ଭ୍ରମେ ଭ୍ରମଇ ତାର ମନ । ନୁହଇ ନିଜ ଆତ୍ମଜ୍ଞାନ ।। ୧୮୫
କୃଷ୍ଣ ସ୍ମରଣ ନ ସ୍ଫୁରଇ । ଅଜ୍ଞାନ ଜଡଭାବେ ଥାଇ ।। ୧୮୬
ଯାବତ ସାଧୁସଙ୍ଗ ତାର । ନୋହିଛି ଶୁଣ ନୃପବର ।। ୧୮୭
ତାବତ ନୋହେ ସଦଗତି । ଯଜ୍ଞାଦି କର୍ମେ ନ ତରନ୍ତି ।। ୧୮୮
ନିଶ୍ଚୟେ କହିଲୁ ରାଜନ । ସତ୍ସଙ୍ଗ ଭକ୍ତି ଉପାଦାନ ।। ୧୮୯
କୃଷ୍ଣ ପ୍ରାପତ ମାର୍ଗ ଏହି । ଅନ୍ୟତ୍ର ଜୀବଗତି ନାହିଁ ।। ୧୯୦
ଯେ ସଙ୍ଗୁ ଭବାର୍ଣ୍ଣବ ପାର । ଅଶେଷ ଯେ ମାର୍ଗେ ନିସ୍ତାର ।। ୧୯୧
ବ୍ରହ୍ମା ଶଙ୍କର ଦକ୍ଷ ମନୁ । ବିଶୁଦ୍ଧ ସନକାଦି ତନୁ ।। ୧୯୨
ମରୀଚି ଅତ୍ରି ଅଙ୍ଗିରସ । ପୁଲହ ପୁଲସ୍ତ୍ୟ ପ୍ରକାଶ ।। ୧୯୩
କ୍ରତୁ ଅଗସ୍ତି ବଶିଷ୍ଠାଦି । ଅପରେ ଯେତେ ବ୍ରହ୍ମବାଦୀ ।। ୧୯୪
ଭୃଗ୍ୱାଦି ଆମ୍ଭେ ଯେତେ ମୁନି । ଅଦ୍ୟାପି ନ ପାରିଲୁ ଚିହ୍ନି ।। ୧୯୫
ଆମ୍ଭେ ସମାଧି ଯୋଗବଳେ । ଦେଖି ନ ଦେଖୁଁ ତାଙ୍କୁ ଡୋଳେ ।। ୧୯୬
ସେ ଦେଖି ଦେଖାନ୍ତି ସର୍ବକୁ । ଦୃଷ୍ଟିର ଦୃଷ୍ଟି ବୋଲି ତାଙ୍କୁ ।। ୧୯୭
ସେ ଆତ୍ମା ସର୍ବଜୀବ ହେତୁ । ଜୀବ ଭ୍ରମେ ନ ଜାଣି ତ‌ତ୍ତ୍ୱ ।। ୧୯୮
ଯେ ବେଦଶାସ୍ତ୍ରେ ଅଗୋଚର । ଅଦୃଶ୍ୟ ଅତସୂକ୍ଷ୍ମତର ।। ୧୯୯
ଏଣୁ କେ ବେଦମାର୍ଗେ ଜାଣେ । ଅବ୍ୟକ୍ତ ବ୍ରହ୍ମ ସୁରଗଣେ ।। ୨୦୦
ସେ ବେଦ ଦୁସ୍ତର ବିସ୍ତାର । ତାହାରନ ନାହିଁ ଅନ୍ତଃ ପାର ।। ୨୦୧
ବେଦବିହିତ ଯେତେ କର୍ମ । ଯଜ୍ଞ ଆଚରି ମୁନି ଭ୍ରମ ।। ୨୦୨
କ୍ଷୀଣ ମନ୍ତ୍ରେ ଲିଙ୍ଗ ଦେବତା । ବାଞ୍ଛନ୍ତି ଧ୍ୟାନେ କର୍ମେ ଶ୍ରୋତା ।। ୨୦୩
ଋତି ନିମନ୍ତେ କର୍ମଫଳ । କର୍ମ ବିନାଶେ ଜ୍ଞାନବଳ ।। ୨୦୪
ମଳିନ ବୁଦ୍ଧି ଯେବା ହୋନ୍ତି । ସେମାନେ ବେଦ କର୍ମ ଚିନ୍ତି ।। ୨୦୫
ଇନ୍ଦ୍ରାଦି ଦେବଙ୍କୁ ପୂଜନ୍ତି । ଏଣୁ ଏ ବ୍ରହ୍ମ ନ ଜାଣନ୍ତି ।। ୨୦୬
ଅଜ୍ଞାନୀ ବୋଲି ତାଙ୍କୁ ଜାଣ । ଯେ ଆତ୍ମା ନ କଲା ପ୍ରମାଣ ।। ୨୦୭
ଯାହାର ଆତ୍ମାଜ୍ଞାନ ନାହିଁ । ସଂସାରୁ ସେ ତରିବ କାହିଁ ।। ୨୦୮
ସେ ହରି ଯାରେ କରେ ଦୟେ । ତା ମତି ବେଦେ ନିଷ୍ଠା ନୋହେ ।। ୨୦୯
ସେ ଆତ୍ମାତ‌ତ୍ତ୍ୱେ ହରି ପାଇ । ତାହା ନବୁଝି କର୍ମେ ବାଇ ।। ୨୧୦
ତୁ ରାଜା କର୍ମକାଣ୍ତେ ଭୋଳ । ତୋ ଯଜ୍ଞକର୍ମୁ ମହୀସ୍ଥଳ ।। ୨୧୧
ଅଚ୍ଛାଦି ପ୍ରାଚୀନଗ୍ର ତୋର । କୁଶେ ପୂରିଲା ନୃପବର ।। ୨୧୨
ପ୍ରଜାଏ ଶସ୍ୟ କରଷଣେ । ନ ପାରି କ୍ଷୁଧା ପ୍ରତୋଷଣେ ।। ୨୧୩
ଅନ୍ନ ବିହୀନେ ସର୍ବଜନ୍ତୁ । ଦୁର୍ଭିକ୍ଷେ ମଲେ ତୋର ହେତୁ ।। ୨୧୪
ଏ ସର୍ବଜୀବ ବିନାଶିଲୁ । ଏ ହତ୍ୟା ଦୋଷେ ଭାଗୀ ଦେଲୁ ।। ୨୧୫
ତୁ ବିପ୍ରବାକ୍ୟେ ବିମୋହିତ । ନ ଜାଣି ବେଦର ବୃତ୍ତାନ୍ତ ।। ୨୧୬
ଏ ଯଜ୍ଞକର୍ମେ ହେଲୁ ଅନ୍ଧ । ନ ଜାଣୁ ତୁ ଆମବା ଦୁର୍ବୋଧ ।। ୨୧୭
ଯେ କର୍ମ ମୋକ୍ଷ ମାର୍ଗଦୂର । ତୁ ତାହା ନ କଲୁ ବିଚାର ।। ୨୧୮
ପରମତ‌ତ୍ତ୍ୱେ ନୋହେ ମତି । ଲଭିବୁ ଦୁଃସହ ଦୁର୍ଗତି ।। ୨୧୯
ଏ ବିପ୍ରେ ତୋ ହିତ ନ ଜାଣି । ନରକ ମାର୍ଗେ ତୋତେ ଟାରି ।। ୨୨୦
ଏହାଙ୍କ ବାକ୍ୟେ ତୁ ରାଜନ । ଭ୍ରମେ ହୋଇଲୁ ହତଜ୍ଞାନ ।। ୨୨୧
ତୁ ଗୃହ-କୂପେ ଜନ୍ମଅନ୍ଧ । ଏ ବିପ୍ରେ କର୍ମକାଣ୍ତେ ବଦ୍ଧ ।। ୨୨୨
ଅନ୍ଧକୁ ଅନ୍ଧ ପଥ କହି । ସେ ଯେହ୍ନେ କାର୍ଯ୍ୟେ ନ ଘଟଇ ।। ୨୨୩
ତେସନେ ଏହାଙ୍କ ବଚନ । ହେ ରାଜା ଚିତ୍ତେ ତୁ ନ ଘେନ ।। ୨୨୪
ତୋତେ ଭଣ୍ତିଲେ ଧନ ଆଶେ । ଇନ୍ଦ୍ରିୟ-ସୁଖ ଗୃହବାସେ ।। ୨୨୫
ତୋ ପୂର୍ବପୁଣ୍ୟ ବିନାଶିଲେ । ଜୀବ ହିଂସନେ ଶିକ୍ଷା ଦେଲେ ।। ୨୨୬
ହରି ଆଶ୍ରିତ ର୍କମ ଯେତେ । ନ କହି ଭ୍ରମାଇଲେ ତୋତେ ।। ୨୨୭
ଏ ବିପ୍ରେ ନ ଜାଣନ୍ତି ତାହା । ତେଣୁ ଭଣ୍ତିଲେ ନରନାହା ।। ୨୨୮
ତୁ ତର୍କି ନ ପାରି ରାଜନ । ବିଅର୍ଥେ ଗଲା ତୋର ଦିନ ।। ୨୨୯
ଯେ କର୍ମେ ହରି ତୋଷ ହୋଏ । ତାହାକୁ କର୍ମ ବୋଲି ରାୟେ ।। ୨୩୦
ଉତ୍ତମ ବିଦ୍ୟା ହେ ରାଜନ । ଯେ ହରି କରନ୍ତି ଭଜନ ।। ୨୩୧
ଜ୍ଞାନୀଙ୍କ ମଧ୍ୟେ ସେହୁ ବର । ଯେ ହରିକର୍ମେ ତତପର ।। ୨୩୨
ଯଜ୍ଞାଦି ଦାନ ପୁଣ୍ୟ ସେହି । ଯେବେ ଜୀବରେ ଦୟା ବହି ।। ୨୩୩
ସର୍ବଭୂତରେ ଆତ୍ମା ହରି । ପ୍ରକୃତି ସ୍ୱରୂପେ ବିହରି ।। ୨୩୪
ସେ ଏକ ଆତ୍ମା ବେନି ଅଂଶ । ପ୍ରକୃତି ଭେଦେ ବହୁ ଦୃଶ୍ୟ ।। ୨୩୫
ଏମନ୍ତ ହରିରେ ଶରଣ । ତୁ ଯାଇ ପଶ ନୁପରାଣ ।। ୨୩୬
ସେ ସର୍ବଆତ୍ମା ପ୍ରିୟ ହରି । ଯାନାମ ଆଶ୍ରେ ଭବୁ ତରି ।। ୨୩୭
ସେ କାଳଭୟ ବିନାଶନ୍ତି । ନିର୍ଭୟେ ନିଶ୍ଚିନ୍ତେ ରହନ୍ତି ।। ୨୩୮
ଏ କତା ଯେ ବୁଝେ ପଣ୍ତିତ । ସେ ସର୍ବ ଚାରୁଟି ଅଚ୍ୟୁତ ।। ୨୩୯
ତୁମ୍ଭର ସନ୍ଦେହ ଫେଡିଲୁ । ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ ।। ୨୪୦
ଅପରେ ଗୁପ୍ତ ଦୃଷ୍ଟାନ୍ତର । ତୋତେ କହିବା ନୃପବର ।। ୨୪୧
ତା ତୋତେ ବୁଝାନ୍ତେ ରାଜନ । ତେବେ ନୋହିଲା ତୋର ଜ୍ଞାନ ।। ୨୪୨
କୁସୁମବାଡି ମଧ୍ୟେ ମୃଗ । ଇଚ୍ଛଇ ମଇଥୁନ ଯୋଗ ।। ୨୪୩
ହରିଣୀ ବଶେ ବଶ ହୋଇ । ଅଜ୍ଞାନେ ମୃତ୍ୟୁ ନ ଜାଣଇ ।। ୨୪୪
ଅଳପ ସୁଖ-ଲୋଭେ ମତି । ଭ୍ରମର-ଗୀତେ ଡେରି ଶ୍ରୁତି ।। ୨୪୫
ତା ଅଗ୍ରେ ବୃକମାନେ ଛନ୍ତି । ତା ମାଂସ ଭକ୍ଷଣ କରନ୍ତି ।। ୨୪୬
ତାହାଙ୍କ ମୁଖକୁ ରାଜନ । ସତ୍ୱରେ କରଇ ଗମନ ।। ୨୪୭
ତା ପଚ୍ଛେ ବ୍ୟାଧ ଗୋଡାଇଛି । ସଘନେ ବାଣ ସେ ବିନ୍ଧୁଛି ।। ୨୪୮
ତାହାକୁ ନ କରିଣ ଭୟେ । ଆନନ୍ଦେ ମୃଗୀରସେ ରହେ ।। ୨୪୯
ଭେଦିଣ ବ୍ୟାଧ ତୀକ୍ଷ୍ଣ ଶର । ମିଳାଇ ଅର୍ଦ୍ଧ ତା ଶରୀର ।। ୨୫୦
ଗଲା ନ ଜାଣେ କାମସୁଖେ । ତେବେ ଉଛୁଛି ଲତା ଭକ୍ଷେ ।। ୨୫୧
କାହାକୁ ନ କରିଣ ଭୟେ । ସଧୀରେ ଲତା ବୃକ୍ଷୁ ଖାଏ ।। ୨୫୨
ଏମନ୍ତ ମୃଗ କେ ରାଜନ । ବିବେକୀ ଖୋଜ ତୁ ବହନ ।। ୨୫୩
ତେବେ ଜାଣିବା ସୀଧୁମତି । ବିଷୟ ରସ ତ୍ୟାଗ ଗତି ।। ୨୫୪
ଏ ଅନୁଭବ ବୁଝି ରାୟେ । ବିବେକୀ ଜାଣିବୁ ଥୋକାଏ ।। ୨୫୫
ତା ଶୁଣି ସଂଭ୍ରମେ ରାଜନ । ମୁନିଙ୍କି ଚାହିଁ ତୋଷମନ ।। ୨୫୬
କହେ ବିନୟ ଶୁଦ୍ଧଚିତ୍ତେ । ଅତି ଆନନ୍ଦେ ହରଷିତେ ।। ୨୫୭

ରାଜା ଉବାଚ

ଆମ୍ଭର ଏଣେ ନାହିଁ ମତି । ବିବେକୀ ନୋହେ ଆତ୍ମଗତି ।। ୨୫୮
ଯେବେ ମୋହେରେ ଦୟା ବହୁ । ଏ କଥା ଫେଡି ମୋତେ କହ ।। ୨୫୯
ତୁମ୍ଭେ ଦୟାଳୁ ଯୋଗେଶ୍ୱର । ସକଳ ଘଟେ ଦୟାପର ।। ୨୬୦
ମୁଁ ବୁଝି ନ ପାରିଲି ଚିତ୍ତେ । ଛାଡୁ ସଂଶୟ କହ ମୋତେ ।। ୨୬୧
କେ ମୃଗ ବୃକ ବ୍ୟାଧ କେହି । ଭୋ ମୁନିବର ଦେବା କହି ।। ୨୬୨

ନାରଦ ଉବାଚ

ଶୁଣ ରାଜନ ଶୁଦ୍ଧଚିତ୍ତେ । ତା ଫେଡି କହିଦେବା ତୋତେ ।। ୨୬୩
ହେ ରାଜା ମୃଗରୂପ ତୁହି । ତୋ ପତ୍ନୀଗଣେ ପୁଷ୍ପଦେହୀ ।। ୨୬୪
ସେ ତୋତେ ବେଢି ଅଗ୍ରେଛନ୍ତି । ତୋ ପ୍ରାଣ ବିବାଦେ ନାଶନ୍ତି ।। ୨୬୫
ତୁ ତାହା ତର୍କି ନ ପାରିଲୁ । ସୁବେଶେ ତାହାଙ୍କୁ ପୂଜିଲୁ ।। ୨୬୬
ସର୍ପାଗ୍ନି ସ୍ତିରୀ ଯେ ଦୁର୍ଜନ । ବିଶ୍ୱାସ ନ ଯିବ ଏମାନ ।। ୨୬୭
ତାଙ୍କ ବଶେ ନିମଜ୍ଜିଲୁ । ପ୍ରାଣୁ ଅଧିକ ସ୍ନେହ କଲୁ ।। ୨୬୮
ସେ ତୋର ବଶ କଲେ ମନ । ବନ୍ଧନେ ପଶୁଏ ଯେସନ ।। ୨୬୯
ଏ ତୋତେ ନିଶ୍ଚୟ ନାଶିବେ । ତୋ ସ୍ନେହଭରେ ପ୍ରାଣ ନେବେ ।। ୨୭୦
ଏ ସଙ୍ଗଦୋଷୁ ନୃପବର । ହୋଇବ ମୋକ୍ଷମାର୍ଗ ଦୂର ।। ୨୭୧
ତୁ ଅନୁଭବେ ବୁଝ ଏବେ । ତୋତେ କହିବା ଫେଡି ଭାବେ ।। ୨୭୨
କୁସୁମବନ ବୋଲି ଯାହା । ନାରୀଙ୍କ ଧର୍ମ କହି ତାହା ।। ୨୭୩
ତା ସଙ୍ଗେ ଏ ପୁରୁଷବର । କରଇ ଅଜ୍ଞାନେ ବିହାର ।। ୨୭୪
ବିଷୟ ସୁଖେ ଉନମତ୍ତ । ସୁରତି ରସେ ଦେଇ ଚିତ୍ତ ।। ୨୭୫
ଭ୍ରମରେ ଯେହ୍ନେ ଗୁଞ୍ଜରନ୍ତି । ତେସନେ ଯୁବତୀ ଭାଷନ୍ତି ।। ୨୭୬
ସେ ବାକ୍ୟେ କର୍ଣ୍ଣ ଡେରିଥାଇ । କାଳ-ବୃକକୁ ଭୟ ନାହିଁ ।। ୨୭୭
ତା ପଛେ କାଳ ଗୋଡାଇଛି । ଏକଥା ଜୀବ ନ ବୁଝୁଛି ।। ୨୭୮
ଏବେ ତୁ ବୁଝ ମହୀପତି । ଏ ମୃଗତୃଷ୍ଣା ଜୀବଗତି ।। ୨୭୯
ଆପଣେ ଚିତ୍ତେ ତୁ ବିଚାର । ଏମନ୍ତ ବୁଦ୍ଧି ଦୃଢ଼େ ଧର ।। ୨୮୦
ଶ୍ରବଣ ନଦେଇ ବିଷୟେ । ଏ ସର୍ବହିତେ କର ଲୟେ ।। ୨୮୧
କାମୁକ କାମ ସୁଖ ପାଇଁ । ଗୃହ-କାରଣେ ବନ୍ଦୀ ହୋଇ ।। ୨୮୨
ଯେହ୍ନେ ମଧୁପ ମଧୁ ଆଶେ । ଲୋଭେ ବନ୍ଧନ ପଦ୍ମକୋଷେ ।। ୨୮୩
ଅବଶେ ସ୍ନେହ ନ ତେଜିଲା । ପଦ୍ମ ମୁଦ୍ରିତେ ପ୍ରାଣ ଦେଲା ।। ୨୮୪
ସେ ରୂପେ ସ୍ତିରୀ ମୁଖାମ୍ବୁଜେ । ଯହିଁ ଯୋଗୀନ୍ଦ୍ର ଯୋଗ ଭାଞ୍ଜେ ।। ୨୮୫
ପୁଣ୍ୟାଦି କର୍ମ କରେ ନାଶ । ଏଣୁ ସ୍ତିରୀସଙ୍କ ଦୋଷ ।। ୨୮୬
ସତ୍ୟ ଶଉଚ ଦୟା ଧର୍ମ । ଅପରେ ଯେବା ଶ୍ରେୟକର୍ମ ।। ୨୮୭
ଏ ସର୍ବ କରଇ ବିନାଶ । ସେ ସଙ୍ଗେ ନାହିଁ ସୁଖ ଲୋ ।। ୨୮୮
ତୁ ଗୃହ ଛାଡି ହରି ଭଜ । ବିଷୟ କର୍ମ ଦୂରେ ତେଜ ।। ୨୮୯

ରାଜା ଉବାଚ

ତା ଶୁଣି ବୋଲଇ ରାଜନ । ଭୋ ମୁନି ଏ ତୁମ୍ଭ ବଚନ ।। ୨୯୦
ବିଚାରି ବୁଝିଲଇଁ ଚିତ୍ତେ । ମୋ ରାଜ୍ୟେ ବିପ୍ରେ ଛନ୍ତି ଯେତେ ।। ୨୯୧
ଏ ସର୍ବେ ନ ଜାଣନ୍ତି ଜ୍ଞାନ । ବିଦ୍ୟା ବିଭ୍ରମେ ଅଭିମାନ ।। ୨୯୨
ସେ ଯବେ ଜାଣନ୍ତେ ନା ଏହା । କିମ୍ପାଇ ନ କହନ୍ତେ ତାହା ।। ୨୯୩
ଏଣୁ ଏ କର୍ମେ ମୋତେ ଟେକି । ଯେଣୁ ଅଟନ୍ତି ଅବିବେକୀ ।। ୨୯୪
ଭୋ ମୁନି ତୁମ୍ଭ ପ୍ରାୟେ ଯେତେ । ସାଧୁଏ ଅଛନ୍ତି ଜଗତେ ।। ୨୯୫
ସେ ତୁମ୍ଭ ପ୍ରାୟେ ଦୟା କରି । କେହି ନ ଆସନ୍ତି ମୋ ପୁରୀ ।। ୨୯୬
ଏ କଥା କହ ମୁନିବର । ମୋର ସଂଶୟ ହେଉ ଦୂର ।। ୨୯୭
ଏମନ୍ତେ ଦେବ ମହାଋଷି । କହନ୍ତି ତା ବାକ୍ୟ ପ୍ରଶଂସି ।। ୨୯୮

ନାରଦ ଉବାଚ

ତୁ ଯାହା ପୁଚ୍ଛିଲୁ ରାଜନ । କହିବା ଏଥିର ବିଧାନ ।। ୨୯୯
ଯେ ପଦ୍ମନାଭ ପଦାଶ୍ରିତ । ତେଣେ ଭାବିତ ଯାର ଚିତ୍ତ ।। ୩୦୦
ସ୍ୱର୍ଗାପବର୍ଗ ତୁଚ୍ଛ ମଣି । ତୋ ରାଜଭୋଗ ମୃତ୍ୟୁ ଗଣି ।। ୩୦୧
ଏଣୁ ସାଧବେ ତାହା ଦେଖି । ଭୟେ ବିମୁଖ ତା ଉପେକ୍ଷି ।। ୩୦୨
ଆତ୍ମା ବିଯୋଗେ ପିଣ୍ତ ଯେହ୍ନେ । ସଭୟେ ତେଜନ୍ତି ଯେସନେ ।। ୩୦୩
ତେସନେ ଏ ରାଜ-ବିଭୂତି । ଭୟେ ସାଧବେ ନ ଇଚ୍ଛନ୍ତି ।। ୩୦୪
ତୁ ରାଜା ଚିତ୍ତେ ପରିମାଣ । ଭୋଗାଦି ଅନର୍ଥ କାରଣ ।। ୩୦୫
ତା ଶୁଣି ସଂଭ୍ରମେ ରାଜନ । ଚିନ୍ତା ବିମୁଖେ ଖେଦମନ ।। ୩୦୬

ରାଜା ଉବାଚ

ଏ ବିପ୍ରଗଣେ ଅନୁକ୍ଷଣେ । କହନ୍ତି ଯଜ୍ଞାଦି କାରଣେ ।। ୩୦୭
ଏହାଙ୍କ ଶିକ୍ଷା କର୍ମ ଯେତେ । ଛାଡିଲା ତୁମ୍ଭ ବାକ୍ୟମତେ ।। ୩୦୮
ଏ କର୍ମେ ଯୋଗୀଜନ ମୋହେ । ଏଣୁ ପ୍ରତୀତ ସର୍ବଠାଏ ।। ୩୦୯
ଏକ ସଂଶୟ ମୋର ଅଛି । ଭୋ ମୁନି କହ ପଚାରୁଛି ।। ୩୧୦
ଯେ ଦେହେ ପ୍ରାଣୀ କର୍ମକରେ । ତା ଛାଡି ପରଲୋକେ ଗଲେ ।। ୩୧୧
କର୍ମ ଭୁଞ୍ଜଇ ଅନ୍ୟ ଦେହେ । ଏକଥା ସର୍ବବେଦ କହେ ।। ୩୧୨
କର୍ତ୍ତା ଭୋକତା ବେନି ଭେଦ । ଏ ବେନି ସଂଶୟ ମୋ ଛେଦ ।। ୩୧୩
ଫେଡିଣ କହିବା ଗୋସାଇଁ । ଆବର ସଂଶୟ ଅଛଇ ।। ୩୧୪
ତାହା ପୁଚ୍ଛଇ ମୂଢ଼ଭାବେ । ମୋ ମନ ସୁମରୁଛି ଏବେ ।। ୩୧୫
ବେଦ ବିହିତ ଯେତେ କର୍ମ । ଲୋକ ଆଚରେ ବିଧିଧର୍ମ ।। ୩୧୬
କର୍ମ ଉତ୍ତାରେ ତା ନ ଜାଣି । କି ରୂପେ କର୍ମ ଭୁଞ୍ଜେ ପ୍ରାଣୀ ।। ୩୧୭
ଅଦୃଷ୍ଟ କର୍ମେ ସଂଯୋଗଇ । ଏଣେ ସଂଶୟ ମୋର ହୋଇ ।। ୩୧୮
ଏମନ୍ତ ରାଜା ମୁଖୁ ଶୁଣି । ନାରଦ କହେ ମନେ ଗୁଣି ।। ୩୧୯

ନାରଦ ଉବାଚ

ଶୁଣ କହିବା ନୃପରାଣ । ଏ ବେନି ସଂଶୟ ଫେଡିଣ ।। ୩୨୦
ଯେ ଦେହେ ଜୀବ କର୍ମ କରେ । ପରଲୋକେ ତା ଭୋଗ କରେ ।। ୩୨୧
ଯେ ପାପପୁଣ୍ୟ ତାର ଥାଇ । ସେକାଳେ ତାହା ସେ ଭୁଞ୍ଜଇ ।। ୩୨୨
ଏ ସ୍ଥୂଳଦେହ ଗଲେ ନାଶ । ଏ ଲିଙ୍ଗ ଅନ୍ୟ ଦେହେ ବାସ ।। ୩୨୩
କର୍ତ୍ତା ଭୋକତା ନୋହେ ଭିନ୍ନ । ସ୍ୱପ୍ନେ ଦୃଷ୍ଟାନ୍ତର ଯେସନେ ।। ୩୨୪
ଶୟନେ ଦେହ ପଡ଼ିଥାଇ । ଶ୍ୱାସ କ୍ଷେପଣ ନ ଜାଣଇ ।। ୩୨୫
ଏ ଦେହ ସ୍ନେହ ପରିହରି । ଏ ମନ ଲିଙ୍ଗଦେହ ଧରି ।। ୩୨୬
ଅନ୍ୟଭୂତ କର୍ମ ବ୍ୟାପାର । ଏ ମନ କରେ ଅଙ୍ଗୀକାର ।। ୩୨୭
ଏ ମନ୍ତ ଜାଣି ଦୃଷ୍ଟାନ୍ତରେ । ଏମନ୍ତ ଅନ୍ୟତ୍ର ଶରୀରେ ।। ୩୨୮
ଧରିଣ ସ୍ଥୁଳଦେହ ମନ । ମୁଁ କୁଳଶ୍ରେଷ୍ଠ ବିଦ୍ୱଜ୍ଜନ ।। ୩୨୯
ଏ ପୁତ୍ର-ଦାରାଦି ମନ୍ଦିର । ବୋଲିଣ କରେ ଅହଙ୍କାର ।। ୩୩୦
ଏ ଅଭିମାନ କର୍ମ କରେ । ସ୍ୱକର୍ମ ବଶେ ଦେହ ଧରେ ।। ୩୩୧
କର୍ମ ନ ଥିଲେ ଜନ୍ମ ନାହିଁ । ତା ପୂର୍ବକର୍ମ ଭୋଗ କାହିଁ ।। ୩୩୨
ଏ ମନ ଲିଙ୍ଗ ଦେହ ବେନି । ଭୋଗାର୍ଥେ ସ୍ଥୂଳ ଦେହ ଘେନି ।। ୩୩୩
ଯାହା ତୁ ପୁଚ୍ଛିଲୁ ନୃପତି । ବିନଷ୍ଟକର୍ମ ଉତପତ୍ତି ।। ୩୩୪
ତା ଫେଡି କହିବାକ ତୋତେ । ସଂଶୟ ଫିଟିବ ଯେମନ୍ତେ ।। ୩୩୫
ଏ ଜ୍ଞାନ କର୍ମ ଭେଦେ ଦୁଇ । ଇନ୍ଦ୍ରିୟ କର୍ମାଦି କରଇ ।। ୩୩୬
ଏ ପୁଣ୍ୟପାପାଦି ବିଷୟ । କରଇ ଏ ମନ ଇନ୍ଦ୍ରିୟ ।। ୩୩୭
ଚିତ୍ତ ବିଷୟ କର୍ମ ଜାଣି । ନୋହିଲେ କେବା ପରିମାଣି ।। ୩୩୮
ଏ ରୂପେ ଜାଣ ଚିତ୍ତବୁଦ୍ଧି । ଭୂଞ୍ଜଇ ପୂର୍ବକର୍ମ ସିଦ୍ଧି ।। ୩୩୯
କର୍ମ ନ ଥିଲେ ଭୋଗ କାହିଁ । ବିବେକୀ ବୁଝ ନରସାଇଁ ।। ୩୪୦
ଏ ପ୍ରତିଲକ୍ଷ୍ୟେ ଦୃଷ୍ଟାନ୍ତର । ତୋତେ କହିବା ନୃପବର ।। ୩୪୧
ତୋ ଅନ୍ୟ ଦେହ ଥାଉଁ ଏବେ । ଏ ଦେହେ ବୁଝ ଅନୁଭବେ ।। ୩୪୨
ଜାଗ୍ରତେ ଯେତେ ରୂପମାନ । ଏ ଦେହେ ଭାବିଥାଇ ମନ ।। ୩୪୩
ଦୃଷ୍ଟି ଶ୍ରବଣେ ଯେ ବିଷୟ । ସ୍ୱପନ ଗତେ ସେ ଉଦୟ ।। ୩୪୪
ଏ ଲିଙ୍ଗଦେହ ଧରି ମନ । ବିଷୟକର୍ମ କରେ ଧ୍ୟାନ ।। ୩୪୫
ବିଷୟକର୍ମେ ହୋଇ ବଶ । ଆନନ୍ଦେ ଘେନେ ଭୋଗରସ ।। ୩୪୬
ଯେ କଥା ଅନୁଭବି ନାହିଁ । ସ୍ୱପନେ ଦେଖିବ ତା କାହିଁ ।। ୩୪୭
ଏହାର ପୂର୍ବକର୍ମ ଦୋଷ । ଯାବତ ନୋହିଛି ବିନାଶ ।। ୩୪୮
ତା ଅନ୍ୟଦେହେ ଭୋଗ କରେ । ସେ ଶୁଭାଶୁଭ ତା ବେଭାରେ ।। ୩୪୯
ପୂର୍ବ ଅକର୍ମ- ଦୋଷେ ଜୀବ । ଜନ୍ମି ଲଭଇ ମୂଢ଼ଭାବ ।। ୩୫୦
ଫଳାନୁସାରେ ଦେହ ପାଇ । ପୁଣ ସେ କର୍ମେ ପ୍ରବେଶଇ ।। ୩୫୧
ଯାହା ଏ ଅନୁଭବି ନାହିଁ । ଏ ମନ ଚୁଇଁବ ତା କାହିଁ ।। ୩୫୨
ଶୁଣ ରାଜନ ସାବଧାନ । ସକଳ କର୍ମେ ସାକ୍ଷୀ ମନ ।। ୩୫୩
ମନଟି ସୁଖଦୁଃଖଦାତା । ଏ ପାପପୁଣ୍ୟର କରତା ।। ୩୫୪
ମନହୁଁ କର୍ତ୍ତା ଆର ନାହିଁ । ଇନ୍ଦ୍ରିୟ ଗୁଣ ଅର୍ଥ ବହି ।। ୩୫୫
ତା ପୂର୍ବ ଶୁଭାଶୁଭ କର୍ମ । ସେ ଅନୁସାରେ ଲଭେ ଜନ୍ମ ।। ୩୫୬
କେ ଦାତା କୃପଣ ଈଶ୍ୱର । ସାଧୁ ଦୁର୍ଜନ କେବା ଚୋର ।। ୩୫୭
ଏ ମନ କର୍ମର ଆୟତ୍ତେ । ଭ୍ରମଇ ଦୁଃଖସୁଖେ ନିତ୍ୟେ ।। ୩୫୮
ଏ ବର୍ତ୍ତମାନ ଦେହେ ଯାହା । ଯେ ରୂପେ ଦେଖି କରେ ସ୍ନେହା ।। ୩୫୯
ତା ଅନାଗତ ଦେହେ ଦେଖେ । ଏ ବର୍ତ୍ତମାନ ଦେହୀ ପକ୍ଷେ ।। ୩୬୦
ଯେ କଥା ଅନୁଭବି ନାହିଁ । ସ୍ୱପ୍ନରେ କେବେ ବା ଦିଶଇ ।। ୩୬୧
ସମୁଦ୍ର ଗିରିଶିଖେ ଯେହ୍ନେ । ପ୍ରତୀତ କରଇ ସେ ମନେ ।। ୩୬୨
ନକ୍ଷତ୍ର ଆଦି ଗ୍ରହମାନ । ଦିବସେ ଦୃଶ୍ୟ ଦୁର୍ଘଟନ ।। ୩୬୩
ଆପଣା ଶିରଚ୍ଛେଦ ହୋଇ । ଏ ବିପରୀତ ସେ ଦେଖଇ ।। ୩୬୪
ମିଥ୍ୟାଭିଳାଷେ ଏହୁ ଭ୍ରମ । ପ୍ରତ୍ୟକ୍ଷ କରେ ତାହା ମନ ।। ୩୬୫
ଏ ସର୍ବ ନିଦ୍ରାଦୋଷେ ଜାଣେ । ଦେଶ-କାଳ-କ୍ରିୟା ପ୍ରମାଣେ ।। ୩୬୬
ଇନ୍ଦ୍ରିୟ ବିଷୟ ସକଳ । ମନରେ ହୋନ୍ତି ସବୁ ଠୁଳ ।। ୩୬୭
ସେ ସର୍ବେ ହୋନ୍ତି ଯାନ୍ତି ନିତ୍ୟେ । ଏଣୁ ଏ ମନ ବିପରୀତେ ।। ୩୬୮
ଯେ ମନ କୃଷ୍ଣପାଦତଳେ । ସ‌ତ୍ତ୍ୱ-ନିଷ୍ଠାରେ ଥାଇ ଭୋଳେ ।। ୩୬୯
ଏ ବିଶ୍ୱ ପ୍ରକାଶ ହୁଅଇ । ସଂଯୋଗେ ପରିପ୍ରକାଶଇ ।। ୩୭୦
ତଥାପି ବିଷୟ ପ୍ରବଳ । ମନକୁ କରଇ ଚଞ୍ଚଳ ।। ୩୭୧
ଯେହ୍ନେ ଚନ୍ଦ୍ରକୁ ରାହୁ ଗ୍ରାସେ । ତେସନ ଗୁଣେ ମନ ମିଶେ ।। ୩୭୨
ଏ ଗୁଣ ସମୂହ ଅନାଦି । ଯାବତ ଅଛି ମନ ବୁଦ୍ଧି ।। ୩୭୩
ତାବତ ଅହଙ୍କାର ବହେ । ଯେଣୁ ତ୍ରିଗୁ ଅଛି ଦେହେ ।। ୩୭୪
ଏ ପ୍ରାଣ-ମାର୍ଗର ସନ୍ତାପେ । ସ୍ୱପନ-ମୂର୍ଚ୍ଛା-ଉପତାପେ ।। ୩୭୫
ଏ ଗୁଣ ଜ୍ଞାନ ନ ଛାଡଇ । ମୃତ୍ୟୁ ପ୍ରଜ୍ୱର କାଳେ ସେହି ।। ୩୭୬
ଏ ଗର୍ଭବାସେ ଥିଲା ଯେବେ । ବାଲ୍ୟ ଅବସ୍ଥା ଅବା ଯେବେ ।। ୩୭୭
ଏ ଲିଙ୍ଗ ସୂକ୍ଷ୍ମରୂପେ ରହେ । କେବଳ ପ୍ରକାଶିତ ନୋହେ ।। ୩୭୮
ଯେସନେ କହୁ-ତିଥି ପାଇ । ଚନ୍ଦ୍ରକିରଣ ନ ଦିଶଇ ।। ୩୭୯
ସେ ରୂପେ ବାଲ୍ୟାଦି କାଳରେ । ଏ ଗୁଣ ପ୍ରକାଶ ନ କରେ ।। ୩୮୦
ଗୁଣେ ବନ୍ଧନ ଲିଙ୍ଗ ଦେହ । କର୍ମରେ କରୁଥାଇ ସ୍ନେହ ।। ୩୮୧
ଏ ଦେହ ଯେକାଳେ ନ ଥାଇ । ତେବେ ତା ଜନ୍ମ ଅବା କାହିଁ ।। ୩୮୨
ବିଷୟ ଧ୍ୟାନ ଯେଣୁ ଅଛି । ତେଣୁ ଏ ଶରୀର ଧରିଛି ।। ୩୮୩
ସ୍ୱପ୍ନ ଦୃଷ୍ଟାନ୍ତର କରିଣ । ଭୋଗାଦି ବୁଝ ନୃପରାଣ ।। ୩୮୪
ନାରଦ ବଚନ ଶୁଣିଣ । କହଇ ପ୍ରାଚୀ ନୃପରାଣ ।। ୩୮୫

ରାଜା ଉବାଚ

ଭୋ ମୁନିବର ତୁମ୍ଭେ ଶୁଣ । ଜୀବର କି କି କହ ଗୁଣ ।। ୩୮୬
ଯାହାକୁ ଜୀବ ବୋଲି କହ । ତାହାର କିବା ରୂପ ଦେହ ।। ୩୮୭
ନାରଦ ଶୁଣି ନୃପବାଣୀ । ଆନନ୍ଦଚିତ୍ତେ ମନେ ଗୁଣି ।। ୩୮୮
ବୋଲନ୍ତି ଶୁଣ ନୃପବର । ସ୍ୱରୂପ କହିବା ଜୀବର ।। ୩୮୯
ଶବଦ ଆଦି ମାତ୍ରା ପଞ୍ଚ । ଅପରେ ତ୍ରିଗୁଣ ପ୍ରପଞ୍ଚ ।। ୩୯୦
ଦଶଇନ୍ଦ୍ରିୟ ପଞ୍ଚପ୍ରାଣି । ଯେ ମନ ବୁଦ୍ଧି ସଙ୍ଗତେଣ ।। ୩୯୧
ଏହାଙ୍କୁ ଲିଙ୍ଗ-ଦେହ କହି । ଯାବତ ଚେତନା ଏ ବହି ।। ୩୯୨
ତାବତ ଜୀବ ବୋଲି ଜାଣ । ଯେଣୁ ଏ ଘେନେ ଦେହଗୁଣ ।। ୩୯୩
ଦେହାଦି ଛାଡେ ଘେନେ ଏହି । ଶୋକ ହରଷ ବେନି ବହି ।। ୩୯୪
ଯେସନେ ତୃଣେ ଜୋକମାନ । ଏକକୁ ଧରି ଛାଡେ ଆନ ।। ୩୯୫
ସେ ରୂପେ ଏ ଲିଙ୍ଗ-ଶରୀର । ଦେହ ସମ୍ଭବେ ବୁଝ ବୀର ।। ୩୯୬
ଯାବତ ଅନ୍ୟଦେହ ନୋହେ । ତାବତ ଅଛି ପୂର୍ବଦେହେ ।। ୩୯୭
ଏ ପୂବକର୍ମ ନ ଛାଡଇ । ସଙ୍ଗତେ ଘେନି ତା ଭୁଞ୍ଜଇ ।। ୩୯୮
ଯାବତ ଅଛି ମାୟା ଦ୍ୱନ୍ଦ୍ୱ । ତାବତ ଏକର୍ମେ ସେ ବଦ୍ଧ ।। ୩୯୯
ଏ ଜୀବ ପଡି ମାୟାବନ୍ଧେ । କର୍ମ କରଇ ନାନାଛନ୍ଦେ ।। ୪୦୦
ଏ ମାୟାବନ୍ଧ ଛାଡେ ଯେବେ । କୃଷ୍ଣଚରଣେ ଭଜେ ତେବେ ।। ୪୦୧
ସକଳ-ଘଟେ ଆତ୍ମା ରୂପେ । ଯେ ହରି ଛନ୍ତି ଦେହ-କୂପେ ।। ୪୦୨
ସୃଷ୍ଟି-ପାଳନ-ସଂହାରଣ । ଯାହାର ତହୁଁ ଏ ଭିଆଣ ।। ୪୦୩
ତା ପାଦେ ଭଜିଲେ ମୁକତି । ତା ବିନୁ ନାହିଁ ଅନ୍ୟଗତି ।। ୪୦୪

ମୈତ୍ରେୟ ଉବାଚ

କହେ ମୈତ୍ରେୟ ମୁନିବର । ସୁମନେ ଶୁଣ ହେ ବିଦୁର ।। ୪୦୫
ଜୀବ ଆତ୍ମାର ଗତି ମାନ । ନାରଦମୁନି ପ୍ରଭେଦେଣ ।। ୪୦୬
ରାଜାଙ୍କୁ କହିଲେ ବୁଝାଇ । ଏ ଲିଙ୍ଗ-ଶରୀର ଭେଦାଇ ।। ୪୦୭
ଶୁଣି ସାନନ୍ଦ ନୃପବର । ଉଠି ଯୋଡିଲା ବେନିକର ।। ୪୦୮
ସାଷ୍ଟାଙ୍ଗେ କରି ଦଣ୍ତବତ । ହରଷେ ହୋଇ କୃତକୃତ୍ୟ ।। ୪୦୯
ରୋମ ଉଦ୍‌ଗମ ଅଶ୍ରୁପାତ । ବୋଲଇ ହୋଇ ହରଷିତ ।। ୪୧୦
ଭୋ ମୁନିବର ଯୋଗେଶ୍ୱର । ମୋ ମୋହବନ୍ଧ କଲ ଦୂର ।। ୪୧୧
ଏବେ ନିଷ୍କାମଭାବ ମୁହିଁ । କି ରୂପେ କରିବି ଗୋସାଇଁ ।। ୪୧୨
ତୋ ସଙ୍ଗ ଛାଡିଲେ ଗୋସାଇଁ । ମୋ ମନ ନରହିବ କାହିଁ ।। ୪୧୩
ଏଥକୁ କହିବା କାରଣ । ତୁମ୍ଭେ ସର୍ବଜ୍ଞ ସର୍ବଜାଣ ।। ୪୧୪
କହିବା ମୋତେ ଦୟାଚିତ୍ତ । କେମନ୍ତେ ହେବି ବନ୍ଧମୁକ୍ତ ।। ୪୧୫
ପ୍ରସନ୍ନେ କହ ମୁନିବର । ମୁଁ ତୁମ୍ଭ ଚରଣେ କିଙ୍କର ।। ୪୧୬
ଏମନ୍ତେ ତାର ବାକ୍ୟେ ତୋଷି । କହେ ନାରଦ ମହାଋଷି ।। ୪୧୭
ନିରତେ ସାଧୁ-ସଙ୍ଗ ଯେବେ । ମନ ନିଶ୍ଚଳ ରହେ ତେବେ ।। ୪୧୮
ଏ ବିନେ ଅନ୍ୟତ୍ର ରାଜନ । ନ ଦେଖି ମନ ସମାଧାନ ।। ୪୧୯
ସେ ସାଧୁସଙ୍ଗ ସେବା ଫଳେ । ଜ୍ଞାନ-ଭକତି-ଯୋଗବଳେ ।। ୪୨୦
ଜନ୍ମ-ବିନାଶ-ଲିଙ୍ଗ ତୋର । ତେବେ ଛାଡିବ ନୃପବର ।। ୪୨୧
ଅପରେ ନାହିଁ ମୋକ୍ଷ ଆର । ନ ଦେଖି ଶୁଣ ନୃପବର ।। ୪୨୨
ତା ଶୁଣି ପଚାରେ ନୃପତି । କିରୂପେ ସାଧୁଙ୍କୁ ସେବନ୍ତି ।। ୪୨୩
କହ ବିଧାନ ମୁନିବର । ଅଳପେ ସାଧି ମୋକ୍ଷ-ଦ୍ୱାର ।। ୪୨୪
ହସି ନାରଦ ମହାଋଷି । ତା ବୋକ୍ୟେ କହନ୍ତି ପ୍ରତୋଷି ।। ୪୨୫
ଶୁଣ ରାଜନ ଶୁଦ୍ଧ-ଚିତ୍ତେ । ବିଧାନ କହିବା ଯୁଗତେ ।। ୪୨୬
ଏ ସର୍ବ-ଚିନ୍ତା ପରିହର । ମନ-ଇନ୍ଦ୍ରିୟ ଦୃଢ଼େ ଧର ।। ୪୨୭
ଏକାଗ୍ର-ଚିତ୍ତେ ତୁ ନିଶ୍ଚଳେ । ବସ ତୁ ହୃଦୟ-ନିର୍ମଳେ ।। ୪୨୮
ଯେ ଧର୍ମାଚାର ସାଧୁଜନ । ସେ ଧର୍ମ କର ତୁ ରାଜନ ।। ୪୨୯
ସାଧୁଙ୍କ ମୁଖୁଁ ହରିରସ । ଶ୍ରବଣ-ପୁଟେ କର ଗ୍ରାସ ।। ୪୩୦
ସେ ନାମାମୃତ ପାନେ ମତ୍ତ । ଯେ ପ୍ରାଣୀ ଭଜେ ଅବିରତ ।। ୪୩୧
ତାଙ୍କୁ ପ୍ରତୋଷ ସାଧୁଜନେ । ଯେଣୁ ଦୟାଳୁ ନିଷ୍କିଞ୍ଚନେ ।। ୪୩୨
ସାଧୁଙ୍କ ସେବାକର୍ମ ଏହି । ଯେ କୃଷ୍ଣରସ ଆସ୍ୱାଦଇ ।। ୪୩୩
ଏବେ ତୁ ଶୁଣ ମହୀପାଳ । କପିଳାଶ୍ରମେ ବେଗେ ଚଳ ।। ୪୩୪
ସେ ମୁନିବର ଆଶ୍ରେ ତୋର । ଖଣ୍ତିବ ଜନ୍ମ-ବନ୍ଧ-ଘୋର ।। ୪୩୫
ତା ଶୁଣି ସତ୍ୱରେ ରାଜନ । ପୁତ୍ରକୁ ଡକାଇ ବହନ ।। ୪୩୬
ରାଜ୍ୟ-ପାଳନେ ଆଜ୍ଞା ଦେଲା । ଦଣ୍ତ-ଛତ୍ରାଦି ସମର୍ପିଲା ।। ୪୩୭
ସେ ସର୍ବ ତେଜି ନୃପବର । ମୁନିଙ୍କି କହେ ଯୋଡିକର ।। ୪୩୮
ଭୋମୁନି ଯେବେ ଆଜ୍ଞା ହୋଇ । ମୋ ପତ୍ନୀ ପ୍ରବୋଧି ଆସଇ ।। ୪୩୯
ରାଜ୍ୟ-ବିଭବ ଦେଇ ତାକୁ । ନିଶ୍ଚିନ୍ତେ ଯିବଇଁ ବନକୁ ।। ୪୪୦
ଏମନ୍ତ ବାକ୍ୟ ଶୁଣି ତାର । କୋପେ ବୋଲନ୍ତି ମୁନିବର ।। ୪୪୧
ତୁ ବଡ ଅଜ୍ଞାନୀ ମୂରୁଖ । ନ ଜାଣୁ ପରଲୋକ ଦୁଃଖ ।। ୪୪୨
ଏମନ୍ତ କହି ମୁନିବର । ଶ୍ୱାସ ଉପେକ୍ଷି ଚିନ୍ତାଭର ।। ୪୪୩
ସେ ସ୍ତିରୀ ମୁଖାବଲୋକନ । କେ କାମୀ ତେଜିବ ଅଜ୍ଞାନ ।। ୪୪୪
ଯହିଁ ଯୋଗୀନ୍ଦ୍ରେ ଭ୍ରମ ଯାନ୍ତି । ତା ମୁଖୁଁ କେ ମୂଢ଼ ତରନ୍ତି ।। ୪୪୫
ତୃଣାଦି ଯେହ୍ନେ ହୁତାଶନେ । ସ୍ପରଶେ ହୋନ୍ତି ଦହ୍ୟମାନେ ।। ୪୪୬
ତେସନେ ସ୍ତିରୀ-ସଙ୍ଗ-ଦୋଷ । ଦେଖନ୍ତେ ଜ୍ଞାନ ହେବ ଧ୍ୱଂସ ।। ୪୪୭
ଯେଣୁ ପ୍ରମଦା ନାମ ତାର । ତା ମୁଖେ ପଡି କେ ନିସ୍ତାର ।। ୪୪୮
ଏମନ୍ତ କହି ଅନୁରାଗେ । ତା କର ଧରି ମୁନି ବେଗେ ।। ୪୪୯
ପଶ୍ଚିମ-ଦ୍ୱାର-ମାର୍ଗେ ନେଇ । ବାହାର କରି ବେଗେ ଦେଇ ।। ୪୫୦
ତକ୍ଷଣେ ନିଜ-ଲୋକେ ଗଲେ । ବ୍ରହ୍ମାଙ୍କ ଛାମୁରେ ମିଳିଲେ ।। ୪୫୧
ସେ ଯେ ପ୍ରାଚୀନ ନୃପବର । ମୁନିଙ୍କ ଭୟେ ଛନ୍ନାତୁର ।। ୪୫୨
ପ୍ରବେଶ କପିଳଆଶ୍ରମେ । ଗମିଲା ପଥ ପଦ-ଶ୍ରମେ ।। ୪୫୩
ସେ ମୁନିବର ପାଶେ ଯାଇ । ତପ ଆଚରି ଯୋଗ ଧ୍ୟାୟି ।। ୪୫୪
ଏକାଗ୍ର-ଚିତ୍ତେ ମହାରାଜ । ଭଜିଲେ ହରି-ପାଦାମ୍ବୁଜ ।। ୪୫୫
ମନ-ପବନ ଦୃଢ଼େ ଧରି । ସର୍ବ କୁସଙ୍ଗ ପରିହରି ।। ୪୫୬
ସେ ହରି-ଚରଣ-ପ୍ରସନ୍ନେ । ଗମିଲେ ବୈକୁଣ୍ଠ ଭୁବନେ ।। ୪୫୭
ଶୁଣ ବିଦୁର ଜ୍ଞାନମୟେ । ନାରଦ ନୃପରେ ସଦୟେ ।। ୪୫୮
ପରୋକ୍ଷ-ବାଦେ ଆତ୍ମଜ୍ଞାନ । କହିଲେ ଦିବ୍ୟ-କଥା-ମାନ ।। ୪୫୯
ଏହା ଯେ ଶ୍ରବଣ କରନ୍ତି । ଅଥବା ବଦନେ ଗୁଣନ୍ତି ।। ୪୬୦
ସେ ସର୍ବେ ହୋନ୍ତି ମୋକ୍ଷ ପର । କହିଲୁ ବ୍ରହ୍ମତ‌ତ୍ତ୍ୱ-ସାର ।। ୪୬୧
ଆତ୍ମା ବନ୍ଧନୁ ମୁକ୍ତ ହୋଏ । ଅଜ୍ଞାନେ ଗୃହବାସ ନୋହେ ।। ୪୬୨
ପରୋକ୍ଷ ତ‌ତ୍ତ୍ୱଜ୍ଞାନ ସାର । ତୋ ଆଗେ କହିଲୁ ବିଦୁର ।। ୪୬୩
ଏବେ ଶ୍ରବଣେ କିବା ଇଚ୍ଛା । କହ ସଂଶୟ ତେଜି ବାଞ୍ଛା ।। ୪୬୪
ଏମନ୍ତ ମୁନି ମୁଖୁଁ ଶୁଣି । ଶିରେ ନିବେଶି ବେନି-ପାଣି ।। ୪୬୫
କହଇ ବିପ୍ର ଜଗନ୍ନାଥ । ମୈତ୍ରେୟ-ବିଦୁର-ଚରିତ ।। ୪୬୬
ଚତୁର୍ଥ ସ୍କନ୍ଧେ ଏହୁ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ।। ୪୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରହଂସ୍ୟାଂ
ସଂହିତାୟାଂଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟ ସମ୍ବାଦେ
ପ୍ରାଚୀନବର୍ହି ନାରଦ ସମ୍ବାଦୋନାମ
ଏକନେତ୍ରିଂଶୋଽଧ୍ୟାୟଃ।।

ତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ବିଦୁର ଉବାଚ

ତଦନ୍ତେ ପଚାରେ ବିଦୁର । ଶୁଣ ମୈତ୍ରେୟ ମୁନିବର ।। ୧
ତୁମ୍ଭେ ଯେ କହିଥିଲ ପୂର୍ବେ । ତପେ ପ୍ରଚେତା ଭାଇ ସର୍ବେ ।। ୨
ସେମାନେ ରୁଦ୍ରଗୀତା ସ୍ତବେ । ହରି ଭଜିଲେ ଏକଭାବେ ।। ୩
କହ ହେ ଦେବଗୁରୁ-ଶିଷ୍ୟ । ତାହାଙ୍କ ସିଦ୍ଧି ହେଲା କିସ ।। ୪
ସେ ସର୍ବେ ବଡ଼ ଭାଗ୍ୟବନ୍ତ । ଦେଖିଳେ ଉମାଦେବୀକାନ୍ତ ।। ୫
ସେ ତାଙ୍କୁ ରୁଦ୍ରଗୀତା ଦେଲେ । ସେ ତହିଁ ଯୋଗଶିକ୍ଷା କଲେ ।। ୬
ହରିଙ୍କି ପାଇଲେ କେମନ୍ତେ । ଇହକାଳରେ କିବା ଅନ୍ତେ ।। ୭
ଏକଥା କ‌ହ ମୁନିବର । ତାହା ଶ୍ରବଣେ ଇଚ୍ଛା ମୋର ।। ୮
ମୈତ୍ରେୟ ଉବାଚ
ଶୁଣ ବିଦୁର ସୁଚେତନ । ତଦନ୍ତେ ଯେବଣ ବିଧାନ ।।୯
ସେ ପିତାବାକ୍ୟେ ହୋଇ ତୋଷ । ତପ ସାଧନେ ଭାଇଦଶ ।।୧୦
ବାଟରେ ଭେଟିଲେ ଈଶାନ । ସେ ତାଙ୍କୁ ଦେଲେ ଦିବ୍ୟଜ୍ଞାନ ।।୧୧
ସେ ଦୀକ୍ଷା ପାଇ ଦଶଭାଇ । ସମୁଦ୍ରେ ପ୍ରବେଶିଲେ ଯାଇ ।।୧୨
ବୁଡିଣ ସମୁଦ୍ର ମଧ୍ୟରେ । ତପ ସାଧିଲେ ନିରାହାରେ ।।୧୩
ଅୟୁତ-ସମ୍ବତ୍ସର ଯାଏଁ । ତପ ସାଧିଲେ ନିରାହାରେ ।।୧୪
ତଦନ୍ତେ ଦେବ ନାରାୟଣ । ଦର୍ଶନ ଦେଲେ ତ‌ତ‌କ୍ଷଣ ।।୧୫
ହରିଙ୍କ କାନ୍ତି ଶୋଭା କଳା । ତା ଦେଖି ତାଙ୍କ ଦୁଃଖ ଗଲା ।।୧୬
ଖରୋଦ୍ର-ପୃଷ୍ଠେ ଦିବ୍ୟଅଙ୍ଗେ । ଯେହ୍ନେ ଜୀମୂତ ମେରୁଶୃଙ୍ଗେ ।।୧୭
ପୀତବସନ ପରିଧାନ । ଯେହ୍ନେ ତଡିତେ ନବଘନ ।।୧୮
ଅତି ସୁନ୍ଦର ସୁଭୂଷଣ । ସୁଗ୍ରୀବେ ରତ୍ନମଣିଗଣ ।।୧୯
ରତ୍ନ ସମୂହେ ଶୁଦ୍ଧକାନ୍ତି । ସେ ଦିଗ ତିମିର ନାଶନ୍ତି ।।୨୦
ଶୋଭନେ ନାହିଁ ପଟାନ୍ତର । ଅଶେଷ-ଭୁବନ-ସୁନ୍ଦର ।।୨୧
ମକର-କୁଣ୍ତଳ ଶ୍ରବଣେ । ଖଚିତ ନାନା ମଣିଗଣେ ।।୨୨
କଞ୍ଜବଦନ ଶୋଭାକର । ଅନଙ୍ଗ-କୋଟି-ଦର୍ପ‌ହର ।।୨୩
ଶିରେ କିରୀଟ ଶୋଭମାନ । କାମ ନିନ୍ଦିତ ତନୁବର୍ଣ୍ଣ ।।୨୪
ଅଷ୍ଟ ଆୟୁଧ କରେ ଛନ୍ତି । ସେବକେ ସେବନ କରନ୍ତି ।।୨୫
ଦେବ-ସମୂହେ ମୁନିଜନେ । ସ୍ତୁବନ୍ତି ନିଗମ-ବଚନେ ।।୨୬
ଖଗେନ୍ଦ୍ର-ପକ୍ଷ-ନାଦ-ସ୍ୱର । ସୁର-ମୁନୀନ୍ଦ୍ର ମନୋହର ।।୨୭
ଶୁଭଇ ସାମଗାନ ପ୍ରାୟେ । ଶୁଣି କିନ୍ନରଜନ ମୋହେ ।।୨୮
ପୀନ ଆୟତ ଅଷ୍ଟଭୁଜ । ସୁର ଅଇରି ନାଶେ ବୀଜ ।।୨୯
ତା ମେଧ୍ୟ ଶୋହେ ବନମାଳ । ମଧୁ-ଲୋଭିତ ଭୃଙ୍ଗକୁଳ ।।୩୦
ଭ୍ରମିଣ ଗୁଞ୍ଜରନ୍ତି ପାଶେ । ଲୋଭିତ ମକରନ୍ଦ ଆଶେ ।।୩୧
ଶୋଭନେ ନାହିଁ ପଟାନ୍ତର । ମନ-ବଚନେ ଆଗୋଚର ।।୩୨
ନାହିଁ ପ୍ରତୁଲ୍ୟ ରୂପ ଶୋଭା । ଅଗ୍ରେ ହୋଇଲେ ଆସି ଉଭା ।।୩୩
ତାହାଙ୍କୁ ଦେଖି ଦଶଭାଇ । ଚରଣେ ପ୍ରଣମିଲେ ଯାଇ ।।୩୪
ସନ୍ତୋଷ ତାଙ୍କୁ ଦାମୋଦର । କହନ୍ତି ବଚନ ମଧୁର ।। ୩୫

ଭଗବାନ ଉବାଚ

ଶୁଣ ହେ ନୃପତି-ନନ୍ଦନ । ତୁମ୍ଭରେ ହୋଇଲୁ ପ୍ରସନ୍ନ ।। ୩୬
ଯେଣୁ କଠୋର-ତପ କଲ । ଏଣୁ ହୋଇବ ତୁମ୍ଭ ଭଲ ।। ୩୭
ହେ ପୁତ୍ରେ ବରମାଗ ଦେବା । ଯେଣୁ ଆମ୍ଭରେ କଲ ସେବା ।। ୩୮
ଯେଣୁ ଗୋବିନ୍ଦେ ଦଶଭାଇ । ସେବିଲ ଭେଦାଭେଦ ନୋହି ।। ୩୯
ସମାନଧର୍ମ ସମଶୀଳ । ଏଣୁ ଆମ୍ଭଙ୍କୁ ତୋଷ କଲ ।। ୪୦
ତୁମ୍ଭର ଗୁଣ-କୀର୍ତ୍ତ-ଯଶ । ଶ୍ରବଣେ କଳୁଷ ବିନାଶ ।। ୪୧
ଯେ ନର ଶଯ୍ୟାରୁ ଉଠିଣ । ତୁମ୍ଭରେ କରିବ ସ୍ମରଣ ।। ୪୨
ନୋହିବ ତାଙ୍କ ଭାଇ ଭେଦ । ସେମାନେ ନ ପାଇବେ ଖେଦା ।। ୪୩
ସକଳ-ଭୂତେ ସମଭାବ । ଖଣ୍ତିବେ ଦୁଃଖ-ପରାଭବ ।। ୪୪
ସେ ନିତ୍ୟେ ପ୍ରଭାତ-ସନ୍ଧ୍ୟାରେ । ଏ ରୁଦ୍ରଗୀତା ସ୍ତବକରେ ।। ୪୫
ମୁଁ ତାରେ ଦେଇ କାମ୍ୟବର । ଶୋଭନ ହେବ ମତି ତାର ।। ୪୬
ଯେଣୁ ଏ ତୁମ୍ଭେ ଦଶଭାଇ । ପିତାର ଆଜ୍ଞା ଶିରେ ବହି ।। ୪୭
ସନ୍ତୋଷେ ତପ ଆଚରିଲ । ଏଣୁ ଲଭିବ କୀର୍ତ୍ତି ଭଲ ।। ୪୮
ବିମଳ ସୁଯଶ ତୁମ୍ଭର । ବିଖ୍ୟାତ ରହିବ ସଂସାର ।। ୪୯
ତଦନ୍ତେ କିଛିକାଳ ଅନ୍ତେ । ଏ ତୁମ୍ଭ ପତ୍ନୀ ଗର୍ଭଗତେ ।। ୫୦
ହୋଇବ ଏକଇ ତନୟ । ସେ ହେବ ବ୍ରହ୍ମଗୁଣମୟ ।। ୫୧
ଯେ ପୁତ୍ର ଆତ୍ମବୀର୍ଯ୍ୟବଳେ । ପୂରିବ ଏ ଲୋକ ଶୟଳେ ।। ୫୨
ବଂଶର ସଂଖ୍ୟା ତ ନଥିବ । ସୃଷ୍ଟି ସୃଜନ ତେବେ ହେବ ।। ୫୩
ଯେ କନ୍ୟା ବିଭା ହେବ ତୁମ୍ଭେ । କହିବା ତାର ଜନ୍ମ ଏବେ ।। ୫୪
ଶୁଣ ହେ ନୃପତିନନ୍ଦନେ । ସେ କଣ୍ତୁଋଷି ତପୋବନେ ।। ୫୫
ତପ ସାଧନ ମୋକ୍ଷ ଆଶେ । ବସି ନିର୍ଜନ-ଘୋର-ଦେଶେ ।। ୫୬
ତାଙ୍କ ଆଶ୍ରମ ଅନୁସରି । ଅଇଲା ଏକଇ ସୁନ୍ଦରୀ ।। ୫୭
ପ୍ରମ୍ଳୋଚା ନାମ ଯେ ତାହାର । ଅପ୍‌ସରାଗଣେ ଶ୍ରେଷ୍ଠ ସାର ।। ୫୮
ତାହାକୁ ଦେଖି ମୁନିବର । ଅନଙ୍ଗେ ହୋଇଲେ ଅସ୍ଥିର ।। ୫୯
ଛାଡି ତପସ୍ୟା ଆଦି ଧ୍ୟାନ । ତା ରୂପେ ପାଶୋରିଲେ ଜ୍ଞାନ ।। ୬୦
ତାର ସଙ୍ଗତେ ମୁନିବର । ଗୃହସ୍ଥଧର୍ମେ ସୁବିଚାର ।। ୬୧
ବଞ୍ଚିଲେ କାମଭୋଗେ ତୋଷେ । ଅଜ୍ଞାନେ ଇନ୍ଦ୍ରିୟ-ଅବଶେ ।। ୬୨
ଏମନ୍ତେ କିଛି କାଳନ୍ତରେ । ଅମୋଘ-ବୀର୍ଯ୍ୟ ତା ଉଦରେ ।। ୬୩
ରହିଲା କାଳ-କର୍ମ ଫଳେ । ବିଧି-ସଂଯୋଗେ କର୍ମବଳେ ।। ୬୪
ତାହାର ଗର୍ଭେ ଏକକନ୍ୟା । ହୋଇଲା ରୂପଗୁଣେ ଧନ୍ୟା ।। ୬୫
କନ୍ୟାକୁ ଛାଡି ସେ ସୁନ୍ଦରୀ । ତକ୍ଷଣେ ଗଲା ନିଜ ପୁରୀ ।। ୬୬
ସେ ବନେ ଯେତେ ବୃକ୍ଷ ଥିଲେ । ସର୍ବେ କନ୍ୟାକୁ ଘେନିଗଲେ ।। ୬୭
ସେ କନ୍ୟା କ୍ଷୁଧାର ବିକଳେ । ରୋଦନ କରେ ବୃକ୍ଷମୂଳେ ।। ୬୮
ତାହାକୁ ଦେଖି ନିଶାକର । ଦୟା ବସିଲା ତା କଣ୍ଠର ।। ୬୯
ତର୍ଜନୀ ଅଙ୍ଗୁଳି ତାଙ୍କର । ତା ମୁଖେ ଦେଲେ ନିଶାକର ।। ୭୦
ଚନ୍ଦ୍ରର କରେ ସୁଧା ଥିଲା । ତା ପାନେ କ୍ଷୁଧା ଦୂର ହେଲା ।। ୭୧
ଏମନ୍ତେ ସେ ବନେ ସୁନ୍ଦରୀ । ରହିଲା କର୍ମ ଅନୁସରି ।। ୭୨
ସେ ଗୁଣବତୀ କନ୍ୟାସାର । ତା ଅନୁରୂପେ ତୁମ୍ଭେ ବର ।। ୭୩
ଆମ୍ଭର ଭକ୍ତ ତୁମ୍ଭ ପିତା । ସୃଷ୍ଟି-ସର୍ଜନେ କରି ଚିନ୍ତା ।। ୭୪
ଏଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେ । ଏ ସୃଷ୍ଟିକର ତୁମ୍ଭେ ଭଲେ ।। ୭୫
ଏଣୁ ଯେ ତୁମ୍ଭେ ଦଶଭାଇ । ସେ କନ୍ୟା ବିଭା ହୁଅ ଯାଇ ।। ୭୬
ସମାନଧର୍ମୀ ତୁମ୍ଭେମାନେ । ଏ ମୋର ବାକ୍ୟେ ତୋଷମନେ ।। ୭୭
ସେ କନ୍ୟା ତୁଲେ ସୃଷ୍ଟିକର । ସେ ଯୋଗ୍ୟ ଅଟଇ ତୁମ୍ଭର ।। ୭୮
ସହସ୍ରବର୍ଷ ଦେବମାନେ । ଜୀବିତେ ରହ ସୁକଲ୍ୟାଣେ ।। ୭୯
ପୃଥିବୀ ମୁଖେ ଭୋଗକର । ତ୍ରିବିଧତାପ ପରିହର ।। ୮୦
ମୋ ପାଦେ କରିବ ଭକତି । ବୈକୁଣ୍ଠେ ଲଭିବ ବସତି ।। ୮୧
ଏ କର୍ମବନ୍ଧ ବିନାଶିବ । ବିଷୟଭୋଗ ନ ଲାଗିବ ।। ୮୨
ଭୋଗାନ୍ତେ ମୋକ୍ଷ ଦଶଭାଇ । ହେବ ସଂଶୟ ଏଥି ନାହିଁ ।। ୮୩
ଏ ଗୃହଧର୍ମେ ବସ୍ତୁ ଯେତେ । ମୋତେ ସମର୍ପି ଶୁଦ୍ଧଚିତ୍ତେ ।। ୮୪
ଉଦାସୀଜନ ପ୍ରାୟ ହୋଇ । ମୋର ଭକତି ହୃଦେ ଧାୟି ।। ୮୫
ମୁଁ ବ୍ରହ୍ମ ପରମ ପୁରୁଷ । ସକଳଘଟେ ମୋ ପ୍ରକାଶ ।। ୮୬
ଯେ ମୋର ଭକତି ଲଭନ୍ତି । ସେ ଆର କିଛି ନ ଜାଣନ୍ତି ।। ୮୭
ତାଙ୍କୁ ନ ଲାଗେ ମାୟାମୋହ । ଛିଡେ ଦୁର୍ଜୟ-ବନ୍ଧ-ସ୍ନେହ ।। ୮୮
ତାହାଙ୍କୁ ଗୃହ ନ ଲାଗଇ । ମୋ ଭକ୍ତିବଳେ ନିସ୍ତରଇ ।। ୮୯

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଏମନ୍ତ କହନ୍ତେ ଈଶ୍ୱର ।। ୯୦
ଅଞ୍ଜଳି କରି ଦଶଭାଇ । ପ୍ରଣାମ କରନ୍ତି ବିନୋୟି ।। ୯୧
ଶ୍ରୀମୁଖ ନିରେଖି ଚାହିଁଲେ । ଆନନ୍ଦସାଗରେ ବୁଡିଲେ ।। ୯୨
ଦୂରତ ହେଲା ରଜ ତମ । ଖଣ୍ତିଲେ ବିଷୟ ବିଭ୍ରମ ।। ୯୩
ସଂଭ୍ରମେ ନ ପାରନ୍ତି ଚାହିଁ । ରୋମ ପୁଲକେ ଅଶ୍ରୁ ଦେହୀ ।। ୯୪
ଆନନ୍ଦ ସାଗରେ ବୁଡିଣ । କହନ୍ତି ଗଦ୍‌ଗଦ ବଚନ ।। ୯୫
ଦେହ ଜୀବନ ପାଶୋରିଲେ । ଚରଣ-ପଙ୍କଜେ ନମିଲେ ।। ୯୬
ସ୍ତୁତି କରଣେ ଶକ୍ୟ ନୋହି । ପ୍ରେମ ଆନନ୍ଦେ ପୂର୍ଣ୍ଣ ଦେହୀ ।। ୯୭
ସ୍ତୁତି କରନ୍ତି ଏକେ ଏକେ । ବାକ୍ୟେ ନ ସ୍ଫୁରେ ଅଶ୍ରୂଦକେ ।। ୯୮

ପ୍ରଚେତଗଣ ଉବାଚ

ନମସ୍ତେ ପ୍ରଭୁ ନାରାୟଣ । ଅଶେଷ ଦୁଃଖ ନିବାରଣ ।। ୯୯
ଉଦାର ଗୁଣ ଯେ ତୁମ୍ଭର । ତୋ ନାମ ଦେବେ ଅଗୋଚର ।। ୧୦୦
ତୁମର ବେଗ ବଳବନ୍ତ । ମନ-ବଚନେ ନୋହେ ଅନ୍ତ ।। ୧୦୧
ଇନ୍ଦ୍ରିୟଗଣ ନ ଜାଣନ୍ତି । କି ରୂପେ ଜାଣିବେ ତୋ ଗତି ।। ୧୦୨
ଏମନ୍ତ ପ୍ରଭୁ ଯେ ଈଶ୍ୱର । ସେ ପାଦେ ଆମ୍ଭ ନମସ୍କାର ।। ୧୦୩
ତୁମ୍ଭେ ବିଶୁଦ୍ଧ ଶାନ୍ତରୂପେ । ବସ ନିର୍ମଳ-ମନ-କୂପେ ।। ୧୦୪
ନମସ୍ତେ ପ୍ରଭୁ ଭଗବାନ । ଏ ଭବୁ କର ପରିତ୍ରାଣ ।। ୧୦୫
ଜଗତ ଉଦେ ସ୍ଥିତି ଲୟେ । ହୋଇ ଯେ ଅଛି ଗୁଣମୟେ ।। ୧୦୬
ମାୟା-ଗୁଣରୁ ରୂପ ଧରି । ସୃଷ୍ଟି ସର୍ଜନେ ଅଧିକାରୀ ।। ୧୦୭
ନୋହିଁଲେ ତୁମ୍ଭେ ଶୁଦ୍ଧସ‌ତ୍ତ୍ୱ । କେହି ନ ପାରି ତୁମ୍ଭ ତ‌ତ୍ତ୍ୱ ।। ୧୦୮
ନମୋ ଶ୍ରୀକୃଷ୍ଣ ବାସୁଦେବ । ସକଳ-ସାତ୍ୱତ-ପ୍ରଭବ ।। ୧୦୯
କମଳନାଭିଟି ଯାହାର । ସେ ପାଦେ ମୋର ନମସ୍କାର ।। ୧୧୦
ନମସ୍ତେ କମଳମାଳିନେ । ପଙ୍କଜଲୋଚନ-ଚରଣେ ।। ୧୧୧
କମଳ-କିଞ୍ଜଳ୍‌କ ଯେସନ । ନିର୍ମଳ-ବସନ ତେସନ ।। ୧୧୨
ସେ ପୀତବାସଙ୍କୁ ନମଇଁ । ଚରଣେ ପରିମୁଣ୍ତା ଯାଇ ।। ୧୧୩
ସକଳଭୂତେ ଯାର ବାସ । ସେ ସାକ୍ଷୀ ରୂପେ ସୁପ୍ରକାଶ ।। ୧୧୪
ସେ ରୂପ ଭାବି ପ୍ରଣମିଲୁ । ଯେଣୁଟି ଦର୍ଶନ ଲଭିଲୁ ।। ୧୧୫
ଭୋ ପ୍ରଭୁ ତୁମ୍ଭେ ଭଗବାନ । ଏ ଦୟା କରିବ କେ ଆନ ।। ୧୧୬
ଆମ୍ଭଙ୍କୁ ଏ ରୁପ ଦେଖାଇ । ଦୁରିତଖଣ୍ତିଲ ଗୋସାଇଁ ।। ୧୧୭
ଏ ରୂପ ଯେ କରେ ଦର୍ଶନ । ସେ ଦୁଃଖେ ନୁହଁନ୍ତି ଭାଜନ ।। ୧୧୮
ଭୋନାଥ ମହିମା ତୋ ଯେତେ । ଦେଖିଲୁ ପ୍ରଭୁପଣ ତେତେ ।। ୧୧୯
ବୁଝିଲୁ ତୁମ୍ଭେ ଦୟାସିନ୍ଧୁ । ଯେ ହୀନ-ଦୀନଜନ-ବନ୍ଧୁ ।। ୧୨୦
ଆମ୍ଭେ ଯେ ଅତି ଦୀନହୀନ । ଆମ୍ଭଙ୍କୁ କର ନିସ୍ତାରଣ ।। ୧୨୧
ଯେଉଁ ସ୍ମରଣେ ଆହେ ନାଥ । ସୁଶାନ୍ତି ଲଭି ସୁଖ ଜାତ ।। ୧୨୨
ବୁଝିଲୁ ତୁମ୍ଭେ ଦୂରେ ନାହିଁ । ହୃଦୟପଦ୍ମେ ଗୁପ୍ତେ ଥାଅ ।। ୧୨୩
ଏରୁ ଭକତ-ଚିତ୍ତ-କଥା । ଜାଣିଣ ପାଅ ମନେ ବ୍ୟଥା ।। ୧୨୪
ଯେଣୁ ତୋ ସର୍ବଘାଟେ ବାସ । ଭକ୍ତ ଡାକିଲେ ଶ୍ରୀଘ୍ର ଆସ ।। ୧୨୫
ଭୋ ନାଥ ଜଗତଗୋସାଇଁ । ଏଣୁ ଉତ୍ତାରେ ବର ନାହିଁ ।। ୧୨୬
ତୁମ୍ଭେ ଜଗତ-ଗୁରୁ-ପତି । ପ୍ରସନ୍ନ ହୋଇଲ ତଡ଼ତି ।। ୧୨୭
ଏ ବର ହେବ କି ଆମ୍ଭର । ଭୋ ନାଥ ତୁମ୍ଭେ କୃପାକର ।। ୧୨୮
ତୁମ୍ଭ ବିଭୂତି ଅନ୍ତନାହିଁ । ଏଣୁ ଅନନ୍ତ ନାମକହି ।। ୧୨୯
ପାରିଜାତକ ପୁଷ୍ପ ପାଇ । ସାରଙ୍ଗ ଅନ୍ୟ କି ଲୋଡଇ ।। ୧୩୦
ଲଭିଣ ତୋ ପାଦକମଳ । ଅନ୍ୟ ଏ ବରେ କିବା ଫଳ ।। ୧୩୧
ଭୋ ନାଥ ନିବେଦୁଁ ଛାମୁରେ । ଏ ଆଜ୍ଞା ହେବ କି ଆମ୍ଭରେ ।। ୧୩୨
ଯାବତ ତୁମ୍ଭ ମାୟା ଘେନି । ଜନ୍ମ ଲଭିବୁ ନାନା ଯୋନି ।। ୧୩୩
ସ୍ୱକର୍ମବଶେ ଦେହ ବହି । ଭୋଗ ନକଲେ ନାଶ ନୋହି ।। ୧୩୪
ନିଜସ୍ୱ କର୍ମ ଭୁଞ୍ଜୁଥିବୁ । ତୋ ସଙ୍ଗୀ ସଙ୍ଗତ ଲଭିବୁ ।। ୧୩୫
ସୁକର୍ମ ସୁଯଜ୍ଞ ସୁଦାନ । ତୋ କଥାମୃତ ନିତ୍ୟେ ପାନ ।। ୧୩୬
ସୁତୀର୍ଥେ ସୁବିପ୍ରଙ୍କ ଗୋଷ୍ଠୀ । ତୋ ସେବା ସ୍ମରଣ ମୁକତି ।। ୧୩୭
ତୋ ଭକ୍ତସଙ୍ଗର ମହିମା । କେ ଜାଣିପାରେ ଗୁଣସୀମା ।। ୧୩୮
ସେ ସଙ୍ଗୁ ଯେବା ସୁଖ ହୋଇ । ସେ ସୁଖ ସ୍ୱର୍ଗେ ଅଛି କାହିଁ ।। ୧୩୯
ଯହିଁ ମୁକତି ତୁଲ୍ୟ ନୋହେ । ମନୁଷ୍ୟ ସୁଖ କାହିଁ ରହେ ।। ୧୪୦
ଆମ୍ଭେ ବୁଝିଲୁ ଅନୁଭବେ । ସାଧୁ-ସଙ୍ଗମେ ସୁଖ ଲଭେ ।। ୧୪୧
ତା ତୁଲେ ନୋହେ ସ୍ୱର୍ଗ-ମୋକ୍ଷ । ଏ ମର୍ତ୍ତ୍ୟଭୋଗ ଅତି ତୁଚ୍ଛ ।। ୧୪୨
ଯେଠାରେ ସାଧୁଏ ବସନ୍ତି । ଯେ ନିତ୍ୟେ ହରି-ଯଶ ଗାନ୍ତି ।। ୧୪୩
ତୋ ଅବତାର ପୁଣ୍ୟ ଯଶ । ଯେ ଯଶେ କଳୁଷ ବିନାଶ ।। ୧୪୪
ଗାବନ୍ତି ତୋ ନାମ ଚରିତ । ତୋ ଯଶ-କର୍ମ ଅବିରତ ।। ୧୪୫
ଯେ ତାହା ପିବେ ଶ୍ରୁତିଦ୍ୱାରେ । ଜ୍ଞାନେ ଅଜ୍ଞାନେ ପାପ ହରେ ।। ୧୪୬
ତେବେ ବିଷୟ ଶାନ୍ତ ହୋଏ । ଜୀବେ ବଇରୀଭାବ ନୋହେ ।। ୧୪୭
ଅହିଂସା-ଧର୍ମ ହୋଏ ଜାତ । ତହୁଁ ଉଦେଗ ନୋହେ ଚିତ୍ତ ।। ୧୪୮
ଯେ ହରିଦାସଙ୍କର ଗତି । ଯା ପାଦେ ଭକତେ ସେବନ୍ତି ।। ୧୪୯
ସଙ୍ଗ ଉପେକ୍ଷି ସାଧୁଜନେ । ଏକାନ୍ତେ ଥାନ୍ତି ତୁମ୍ଭ ଧ୍ୟାନେ ।। ୧୫୦
ସେ ନିତ୍ୟେ ଭୂମି ପର୍ଯ୍ୟଟନ୍ତି । ଭ୍ରମିଣ ପ୍ରାଣୀ ନିସ୍ତାରନ୍ତି ।। ୧୫୧
ତୀର୍ଥାଦି କରନ୍ତି ପବିତ୍ର । ଏମନ୍ତ ସାଧୁଙ୍କ ଚରିତ ।। ୧୫୨
ତାହାଙ୍କ ଦର୍ଶନ ଯାହାଙ୍କୁ । ନ ରୁଚେ କହିବା ଆମ୍ଭଙ୍କୁ ।। ୧୫୩
ତୁମ୍ଭର ପ୍ରିୟସଖା ରୁଦ୍ର । ସେ ପ୍ରଭୁ ଦୟାର ସମୁଦ୍ର ।। ୧୫୪
ପାଇଲୁ ତାଙ୍କ ସଙ୍ଗ ଯେଣୁ । ତେଣୁ ତରିଲୁ ଘୋରବଣୁ ।। ୧୫୫
ସେ ସାଧୁସଙ୍ଗ ଭାଗ୍ୟେ କରି । ତୋତେ ଦେଖିଲୁ ନରହରି ।। ୧୫୬
ଏ ଭବ-ବ୍ୟାଧି ମହାଘୋର । ଚିକିତ୍ସା ନାହିଁ ଯେ ଏଥିର ।। ୧୫୭
ଏଥକୁ ବୈଦ୍ୟ ଅଟ ତୁମ୍ଭେ । ଏଣୁ ଆଶ୍ରୟ କଲୁ ଆମ୍ଭେ ।। ୧୫୮
ତୋହର ନାମ ଦୀନବନ୍ଧୁ । ତୁହି କରୁଣାମୟ ସିନ୍ଧୁ ।। ୧୫୯
ଆମ୍ଭେ ଯେ ଦୀନ ଅଭାଜନ । ପଶିଲୁ ତୋ ପାଦେ ଶରଣ ।। ୧୬୦
ରଖ ନ ରଖ ଭାବଗ୍ରାହୀ । ତୋ ବିନୁ ଅନ୍ୟ ଗତି ନାହିଁ ।। ୧୬୧
ତୋର ପ୍ରସନ୍ନେ ଭଗବାନ । କେବଳ ଆମ୍ଭର ଜୀବନ ।। ୧୬୨
ଏ ଚତୁର୍ବର୍ଗ ଆଶ୍ରେ ଯହିଁ । ଅନ୍ୟତ୍ର ତୋଷେ ଶକ୍ୟ ନାହିଁ ।। ୧୬୩
ଏଣୁ ଯେ ତୋ ପାଦକମଳେ । ଶରଣାଶ୍ରିତ ଏ ଶୟଳେ ।। ୧୬୪
ସେ କାଳଦଣ୍ତ ପରିହରେ । ଆନନ୍ଦ-ସାଗରେ ବିହରେ ।। ୧୬୫
ଭେନାଥ ଆମ୍ଭେ ଦଶଭାଇ । ବେଦ ପଢ଼ିଲୁ ଯେତେଠାଇଁ ।। ୧୬୬
ଗୁରୁଙ୍କ ଚରଣ ପୂଜିଲୁ । ବୃଦ୍ଧ-ବ୍ରାହ୍ମଣ ସେବା କଲୁ ।। ୧୬୭
ଅହିଂସା ଧର୍ମ ବ୍ୟବହାରେ । ବନ୍ଧୁଙ୍କୁ ତୋଷିଲୁ ସଂସାରେ ।। ୧୬୮
ଅନେକ କାଳ ସିନ୍ଧୁଜଳେ । ତପସ୍ୟା କଲୁ ନିରାହାରେ ।। ୧୬୯
ଯେତେକ କଷ୍ଟେ ତପ କଲୁ । ତୋ ପାଦେ ଏହା ସମର୍ପିଲୁ ।। ୧୭୦
ଗୁରୁସେବନ ଆଦି ଯେତେ । ତୁମ୍ଭ ପ୍ରତୋଷେ ହେଉ ନିତ୍ୟେ ।। ୧୭୧
ଆମ୍ଭର ବର ପ୍ରଭୁ ଏହି । ଆବର ବରେ ଇଚ୍ଛା ନାହିଁ ।। ୧୭୨
ମନୁ ବିଧାତା ରୁଦ୍ର ଆଦି । ଅପରେ ଯେତେ ଶୁଦ୍ଧବୁଦ୍ଧି ।। ୧୭୩
ତୁମ୍ଭ ମହିମା ଅନ୍ତ କେହି । ଏ ଦେଖି ନ ପାରିଲେ ଯହିଁ ।। ୧୭୪
ସେ ତୁମ୍ଭ ରୂପ ଧ୍ୟାଉଥାନ୍ତି । ହୃଦୟ-କମଳେ ଭାବନ୍ତି ।। ୧୭୫
ସେ ସର୍ବେ ଜ୍ଞାନର ସାଗର । ସ୍ତବନ କରନ୍ତି ତୁମ୍ଭର ।। ୧୭୬
ଆମ୍ଭେ ବାଳକ ଜ୍ଞାନହୀନ । ବିଦ୍ୟାରେ ନୋହିଛୁ ପ୍ରବୀଣ ।। ୧୭୭
ତଥାପି ଜ୍ଞାନ ଅନୁସାରେ । ମନ ଅର୍ପିଲୁ ତୁମ୍ଭଠାରେ ।। ୧୭୮
ସେ ଦୋଷ କ୍ଷମ କୃପାଦେହୀ । ତୁମ୍ଭେ କେବଳ ଭାବଗ୍ରାହୀ ।। ୧୭୯
ନମସ୍ତେ ପ୍ରଭୁ ଶୁଦ୍ଧସମ । ପରମ-ପୁରୁଷ-ଉତ୍ତମ ।। ୧୮୦
ତୁମ୍ଭେ ଯେ ସତ୍ୟ ବାସୁଦେବ । ଆମ୍ଭଙ୍କୁ ଅନୁଗ୍ରହ ଥିବ ।। ୧୮୧
ତୁମ୍ଭ ଚରଣେ ପ୍ରଣମିତ । ଆମ୍ଭଙ୍କୁ ରଖ ଜଗନ୍ନାଥ ।। ୧୮୨

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁରେ । ଏମନ୍ତେ ପ୍ରଭୁଙ୍କ ଛାମୁରେ ।। ୧୮୩
ସ୍ତୁତି ପଠନେ ଦଶଭାଇ । ଶୁରି ସନ୍ତୋଷ ଭାବଗ୍ରାହୀ ।। ୧୮୪
ସେ ସର୍ବେ ହରି ରୂପ ଚାହିଁ । ସନ୍ତୋଷ ନ ଭଜିଲେ କେହି ।। ୧୮୫
ମନଆନନ୍ଦେ ସେ ଭାବନ୍ତି । ଏ ରୂପେ ହରି ଯେବେ ଥାନ୍ତି ।। ୧୮୬
ସତୃଷ୍ଣ-ନୟନେ ଦେଖିବା । ନିରତେ ଚରଣେ ସେବିବା ।। ୧୮୭
ଏମନ୍ତ ସେ ବାଞ୍ଛନେତ ମନ । ହରି ହୋଇଲେ ଅନ୍ତର୍ଦ୍ଧାନ ।। ୧୮୮
ସେ ଯେ ପ୍ରଚେତା ଭାଇଦଶ । ଆକୁଳେ ଚାହିଁ ଦଶଦିଶ ।। ୧୮୯
ନ ଦେଖି ପ୍ରଭୁ ଚକ୍ରଧର । ସେ ଦିଗେ କରି ନମସ୍କାର ।। ୧୯୦
ବିଚ୍ଛେଦ-ଶୋକେ ନିମଜ୍ଜିଲେ । ସେ ଦୁଃଖସାଗରେ ବୁଡିଲେ ।। ୧୯୧
ପଡିଲେ ମୃତ୍ୟୁତୁଲ୍ୟ ଜାଣି । ସେ ହରି ବିଚ୍ଛେଦେ ଧରଣୀ ।। ୧୯୨
ଆତ୍ମାବିହୀନେ ଯେହ୍ନେ ଦେହୀ । ଶୂନ୍ୟ ପ୍ରକାଶେ ସର୍ବଠାଇଁ ।। ୧୯୩
ପୁଣି ସଚେତ ଜ୍ଞାନ ପାଇ । ଜଳୁ ଉଠିଲେ ଦଶଭାଇ ।। ୧୯୪
ଧୀରେ ଚାହାଁନ୍ତେ ଦଶଦିଗ । ତ୍ରୁମେ ଆଚ୍ଛନ୍ନ ଭୂମିଭାଗ ।। ୧୯୫
ଆକାଶ-ଘୋଟି ବେଢିଛନ୍ତି । ଦେଖିଣ ପ୍ରକୋପେ ଜଳନ୍ତି ।। ୧୯୬
ସର୍ବେ ବିଚାରି ଏକମନେ । ବୃକ୍ଷ ନ ରଖିବା ଭୁବନେ ।। ୧୯୭
ଅଗ୍ନି-ପବନ ବେଗେ ଦୁଇ । ମୁଖରୁ ଜାତ କଲେ ସେହି ।। ୧୯୮
ସେ ଅଗ୍ନି ପବନେ ବଢ଼ିଲା । ସକଳ ଦ୍ରୁମ ଭସ୍ମକଲା ।। ୧୯୯
ଅନଳ ଅନିଳ ପ୍ରତାପେ । ଅତି ଉତ୍ସର୍ଗେ ଧୂମ ବ୍ୟାପେ ।। ୨୦୦
ବ୍ରାହ୍ମଣ-ଘୋଟେ ଅନ୍ଧକାର । ଅଦୃଶ୍ୟ ଚନ୍ଦ୍ର ଦିବାକର ।। ୨୦୧
ତା ଦେଖି ବେଗେ ପିତାମହ । ଜାଣିଳେ ଗା ମହୀରୁହ ।। ୨୦୨
ନିଜଲୋକରୁ ବିଜେ କଲେ । ସେ ଦ୍ରୁମ ବିନାଶୁଁ ରଖିଲେ ।। ୨୦୩
କ୍ରୋଧସାନ୍ତ୍ୱନା କରି ତାଙ୍କ । ପ୍ରବୋଧି କହିଲେ ଅନେକ ।। ୨୦୪
ହେ ପ୍ରଚେତସଗଣେ ଶୁଣ । ବୃକ୍ଷେ ହୋଇଲେ ଅତି କ୍ଷୀଣ ।। ୨୦୫
ତୁମ୍ଭେ ଯେ ଅଟ ସର୍ବଜ୍ଞାନୀ । କିମ୍ପା କରୁଛ ସୃଷ୍ଟି ହାନି ।। ୨୦୬
ତୁମ୍ଭେ ପାଳନେ ପ୍ରଜାପତି । ପ୍ରାଣୀଙ୍କ ହିତେ ଉତପତ୍ତି ।। ୨୦୭
ଏବେ ଯେତେକ ବୃକ୍ଷ ଶେଷ । ରହନ୍ତୁ ଯାଇ ବନଦେଶ ।। ୨୦୮
ବୃକ୍ଷଙ୍କୁ ଡାକି ପଦ୍ମଯୋନି । ବୋଇଲେ କନ୍ୟା ଆସ ଘେନି ।। ୨୦୯
ଦଶଭାଇଙ୍କି କନ୍ୟା ଦେଇ । ନିର୍ଭୟେ ବନେ ରହ ଯାଇ ।। ୨୧୦
ପାଦପେ ବିଧି-ବାକ୍ୟ ଶୁଣି । ତାହାଙ୍କୁ କନ୍ୟା ଦେଲେଆଣି ।। ୨୧୧
ସେ କନ୍ୟା ନାମ ଯେ ମାରିଷା । ପଦ୍ମଲୋଚନୀ ପିକଭାଷା ।। ୨୧୨
ସୁଚାରୁ ତନୁ ଚନ୍ଦ୍ରାନନୀ । ଦେଖି ମୋହିତ ସୁର ମୁନି ।। ୨୧୩
ଭ୍ରୁଭଙ୍ଗଯୁଗଳ ସୁନ୍ଦର । ଅତନୁ-ଚାପ-ପ୍ରଭାହର ।। ୨୧୪
ଅପାଙ୍ଗେ ମୁନି-ମନ-ମୋହେ । ତା ରୂପେ ରତି ସମ ନୋହେ ।। ୨୧୫
ସେ ସର୍ବଲକ୍ଷଣେ ସୁନ୍ଦର । ତା ତୁଲ୍ୟ ନାହିଁ ପଟାନ୍ତର ।। ୨୧୬
ବିଧି ବୋଇଲେ ପ୍ରଚେତସ । ଏ କନ୍ୟା ବର ତୁମ୍ଭେ ଦଶ ।। ୨୧୭
ଏ ପତ୍ନୀଗର୍ଭରେ ତୁମ୍ଭର । ହୋଇବ ଯେବଣ କୁମର ।। ୨୧୮
ସେ ପୁତ୍ର ହେତୁ ଏ ଜଗତେ । ପ୍ରଜା ହୋଇବେ ଅପ୍ରମିତେ ।। ୨୧୯
ତୁମ୍ଭର ହେବ ପଉରୁଷ । ସଂସାରେ ଆଚ୍ଛାଦିବ ଯଶ ।। ୨୨୦
ଏମନ୍ତ ଧାତାର ବଚନେ । ସନ୍ତୋଷ ଭଜିଲେ ସେମାନେ ।। ୨୨୧
ତଷଣେ କନ୍ୟାକୁ ବରିଲେ । ବିଧାତା ନିଜପୁରେ ଗଲେ ।। ୨୨୨
ତଦନ୍ତେ ଯେ ଯେ ଦଶଭାଇ । ବସିଲେ ନୃପାସନେ ଯାଇ ।। ୨୨୩
ଯେ ବିଷ୍ଣୁ-ବାକ୍ୟେ ପ୍ରଚେତସ । ସୁଖେ ପାଳିଲେ ପ୍ରଜାଦେଶ ।। ୨୨୪
ଅନେକ ଦାନ-ଯଜ୍ଞ କଲେ । ହରିଙ୍କି ସ୍ୱଧର୍ମେ ତୋଷିଲେ ।। ୨୨୫
ତଦନ୍ତେ ଶୁଣ ହେ ବିଦୁର । ସେ କନ୍ୟା ଉଦରେ ତାଙ୍କର ।। ୨୨୬
ଜନ୍ମିଳେ ଦକ୍ଷ ପ୍ରଜାପତି । ଯେ ପୂର୍ବେ ବ୍ରହ୍ମାର ସନ୍ତତି ।। ୨୨୭
ପୂର୍ବେ ନିନ୍ଦିଳେ ଶିବ ଯେଣୁ । ଗର୍ଭ-ଯାତନା-ଦୁଃଖ ତେଣୁ ।। ୨୨୮
ସେ ପାପବୀଜ କୂଟେ ଥିଲା । କେବେ ହେଁ ମୋଚନ ନ ଗଲା ।। ୨୨୯
ସାଧୁଙ୍କ ଅପରାଧ ଦୋଷ । ସେ କୋଟିକଳ୍ପେ ନୋହେ ନାଶ ।। ୨୩୦
ଚାକ୍ଷୁଷ ମନ୍ୱନ୍ତର ଅନ୍ତେ । ପୂର୍ବ ଶରୀର ଲୋପ ଯାନ୍ତେ ।। ୨୩୧
ସେ ଦକ୍ଷ ଜନମ ଲଭିଲେ । ଏବେ ଯେ ପ୍ରଜା ସୃଷ୍ଟି କଲେ ।। ୨୩୨
ଜନ୍ମିଳା ମାତ୍ରକେ କୁମର । ତା ତେଜ ହେଲାକ ଅପାର ।। ୨୩୩
ତେଜସ୍ୱୀମାନେ ଯେତେ ଥିଲେ । ତା ତେଜେ ସର୍ବେ ଲୀନହେଲେ ।। ୨୩୪
ସେ ସର୍ବକର୍ମେ ଦକ୍ଷ ଯହୁଁ । ତା ନାମ ଦକ୍ଷ ହେଲା ତହୁଁ ।। ୨୩୫
ବିବିଧ ମତେ ପ୍ରଜାପତି । ସୃଷ୍ଟି ସେ କଲେ ମହାମତି ।। ୨୩୬
ତାହାଙ୍କୁ ପ୍ରଜାରକ୍ଷା ପାଇଁ । ନିଯୋଗ କଲେ ବେଦସାଇଁ ।। ୨୩୭
ଦ୍ୱିତୀୟ ଦକ୍ଷ ଜନ୍ମକଥା । ଶୁଣ ବିଦୁର ଶୁଦ୍ଧଚେତା ।। ୨୩୮
ଯେଣୁ ସେ ପ୍ରଜା ସୃଷ୍ଟି କଲେ । ତେଣୁ ରାଜତ୍ୱ ପ୍ରତେଜିଲେ ।। ୨୩୯
ଏଣୁ ଏ ଧ୍ରୁବବଂଶେ ରାଜ । ନୋହିଲେ ହେ ବ୍ୟାସତନୁଜ ।। ୨୪୦
ପ୍ରିୟବ୍ରତରେ ରାଜ୍ୟ ଦେଲେ । ସେ ଦକ୍ଷ-ବାକ୍ୟେ ସୃଷ୍ଟି କଲେ ।। ୨୪୧
ସେ ପ୍ରିୟବ୍ରତର ଚରିତ । ପଞ୍ଚମ ସ୍କନ୍ଧରେ ଭାକତ ।। ୨୪୨
ପୂର୍ବେ ପଚାରିଥିଲୁ ମୋତେ । ପ୍ରଚେତା-ବଂଶାନୁଚରିତେ ।। ୨୪୩
ସେ ଧ୍ରୁବବଂଶେ ଉତପନ । ପ୍ରାଚୀନବରହୀ-ନନ୍ଦନ ।। ୨୪୪
ବିସ୍ତାରି କହିବାକ ତୋତେ । ପ୍ରଚେତା ଜ୍ଞାନ-ଉପଗତେ ।। ୨୪୫
ଏହା ଯେ ଶ୍ରବଣେ ଶୁଣନ୍ତି । ତ୍ରିତାପ-ଭୟ ନିବାରନ୍ତି ।। ୨୪୬
ତିରିଶ ଅଧ୍ୟା ଏହୁ ବାଣୀ । ମୈତ୍ରେୟ ବିଦୁରେ ବଖାଣି ।। ୨୪୭
ଏ ଶୁକ-ପରୀକ୍ଷ ସମ୍ବାଦ । ହରଇ ଅଶେଷ-ଆପଦ ।। ୨୪୮
ଇହ ଲୋକରେ ହୋଏ ଯଶ । ଅନ୍ତେ ତା ବଇକୁଣ୍ଠେ ବାସ ।। ୨୪୯
ଗ୍ରହାଦି ପୀଡା ଶତ୍ରୁଭୟ । ଏ ସର୍ବଦୁଃଖ ହୋଏ କ୍ଷୟ ।। ୨୫୦
କହଇ ଦାସ ଜଗନ୍ନାଥ । ଚତୁର୍ଥ ସ୍କନ୍ଧେ ଭାଗବତ ।। ୨୫୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ତ୍ରିଂଶୋଽଧ୍ୟାୟଃ ।।

ଏକତ୍ରିଂଶ ଅଧ୍ୟାୟ[ସମ୍ପାଦନା]

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ତଦନ୍ତେ ଯେବଣ ବିଧାନେ ।। ୧
ସେ ଦଶଭାଇ ଜ୍ଞାନ ପର । ହରିଆଦେଶ ଘେନି ଶିର ।। ୨
ଅନେକକାଳ ଭୋଗଅନ୍ତେ । ବୈରାଗ୍ୟ ଉପୁଜିଲା ଚିତ୍ତେ ।। ୩
ରାଜ-ବିଭୂତି ପତ୍ନୀ ତୁଲେ । ପୁତ୍ରେ ସମର୍ପି ବନେ ଗଲେ ।। ୪
ପଶ୍ଚିମଜଳଧି-ତଟରେ । ରହିଲେ ସିଦ୍ଧ-ଆଶ୍ରମରେ ।। ୫
ଜାଜଳି ନାମେ ଦ୍ୱିଜବର । ଯହିଁ ହୋଇଲେ ସିଦ୍ଧେଶ୍ୱର ।। ୬
ତହିଁ ସେମାନେ ତପ କରି । ପୂଜିଲେ ବ୍ରହ୍ମସତ୍ରେ ହରି ।। ୭
ଏ ମନ-ବଚନ-ଲୋଚନ । ସେ ଜୟ କଲେ ପ୍ରାଣ-ମନ ।। ୮
ଆସନଆଦି ଦୃଢ଼ କଲେ । ସୁଶାନ୍ତ-ବିଗ୍ରହ ହୋଇଲେ ।। ୯
ଏମନ୍ତ ସମୟେ ବିଦୁର । ନାରଦ ବ୍ରହ୍ମାଙ୍କ କୁମର ।। ୧୦
ମିଳିଲେ ସେହିଠାବେ ଆସି । ସେମାନେ ଛନ୍ତି ତପେ ବସି ।। ୧୧
ଦେଖି ନାରଦ-ମୁନିବର । ସେମାନେ ଉଠିଲେ ସତ୍ୱର ।। ୧୨
ବେଗେ ଆସନ ଆଣି ଦେଲେ । ଚରଣଯୁଗ ପ୍ରକ୍ଷାଳିଲେ ।। ୧୩
ଅତି ଆନନ୍ଦେ ଦଶଭାଇ । ଭାବେ ପୂଜିଲେ ଅର୍ଘ୍ୟ ଦେଇ ।। ୧୪
ସୁଖେ ବସିଲେ ମୁନିବର । ସେମାନେ ଅଗ୍ରେ ଯୋଡିକର ।। ୧୫
ରୋମ-ପୁଲକେ ଅଶ୍ରୁପନ୍ତି । ଆନନ୍ଦେ ବସି ପଚାରନ୍ତି ।। ୧୬
ଆମ୍ଭେ କି ଭାଗ୍ୟ କରିଥିଲୁ । ଏ ତୁମ୍ଭ ଦର୍ଶନ ଲଭିଲୁ ।। ୧୭
ଭୋ ମୁନି ଏ ତୁମ୍ଭ ଭ୍ରମଣ । ଅଜ୍ଞାନୀଜନ ଉଦ୍ଧାରଣ ।। ୧୮
ନିର୍ଭୟ ହେତୁ ପ୍ରାଣୀଙ୍କର । ତୁମ୍ଭ ଦର୍ଶନ ମୁନିବର ।। ୧୯
ଯେସନେ ସୂର୍ଯ୍ୟର ଉଦୟ । ଅଶେଷ-ପ୍ରାଣୀ-ସୁଖମୟ ।। ୨୦
ତେସନେ ତୁମ୍ଭ ଦରଶନ । ଖଣ୍ତଇ ତ୍ରିତାପ-ଅଜ୍ଞାନ ।। ୨୧
ଭୋ ମୁନି ମନଖେଦ ଯେତେ । କହିବୁଁ ତୁମ୍ଭର ଅଗ୍ରତେ ।। ୨୨
ପୂର୍ବେ ଯେ ପ୍ରଭୁ ଭଗବାନ । କହିଣ ଥିଲେ ଦିବ୍ୟଜ୍ଞାନ ।। ୨୩
ଆମ୍ଭେ ଯେ ଗୃହଧର୍ମେ ପଡି । ସେ ଦିବ୍ୟଜ୍ଞାନ ଦେଲୁ ଛାଡି ।। ୨୪
ଭୋ ମୁନି କର ଅନୁଗ୍ରହ । ସେ ତ‌ତ୍ତ୍ୱଜ୍ଞାନ ଏବେ କହ ।। ୨୫
ଏ ଭବ-ସାଗର ଦୁସ୍ତର । ସେଜ୍ଞାନେ ହୋଇବୁଁ ନିସ୍ତାର ।। ୨୬
ମୈତ୍ରେୟ କହନ୍ତି ଭାରତ । ଏମନ୍ତ ବୋଲନ୍ତେ ପ୍ରଚେତ ।। ୨୭
ଶୁଣି ନାରଦ-ତପୋଧନ । ଉତ୍ତମ ଶ୍ଲୋକେ କଲେ ଧ୍ୟାନ ।। ୨୮
ଧ୍ୟାନ କରନ୍ତେ ମୁନିବର । ରୋମପୁଲକେ କଳେବର ।। ୨୯
କୃଷ୍ଣ-ବିଷୟେ ନିମଜ୍ଜିଲେ । ଦେହ-ଜୀବନ ପାଶୋରିଲେ ।। ୩୦
ତକ୍ଷଣେ ପାଇ ଦିବ୍ୟବୁଦ୍ଧି । ତାହାଙ୍କୁ କହନ୍ତି ପ୍ରବୋଧି ।। ୩୧

ନାରଦ ଉବାଚ

ଶୁଣ ନୃପତି ଧର୍ମଶୀଳ । ଯେ କର୍ମେ ହୋଇବ କୁଶଳ ।। ୩୨
କହିବା ତହିଁର ବିଧାନ । ଯହିଁରେ ହେବ ତୁମ୍ଭ ଜ୍ଞାନ ।। ୩୩
ମନୁଷ୍ୟ ଜନ୍ମ-କର୍ମ ସେହି । ହରିଙ୍କ ସେବା ହୋଏ ଯହିଁ ।। ୩୪
ହରିଭଜନ ଯେବେ ନାହିଁ । ଏଥୁ ଅଭାଗ୍ୟ ପରେ କାହିଁ ।। ୩୫
ଯେ ତିନିବେଦ କର୍ମ କହେ । ସେ କର୍ମେ ପ୍ରାଣୀ ମୋକ୍ଷ ନୋହେ ।। ୩୬
ଭବୁ ତରିବ ସେ ବା କାହିଁ । ଯାବତ ହରି ନ ଭଜଇ ।। ୩୭
ଯେ ଦେବଆୟୁଷେ ଜୀବନ୍ତି । ହରି ନ ଭଜି ନ ତରନ୍ତି ।। ୩୮
ଯେଣୁ ସେ ବିଷୟେ ପ୍ରମତ୍ତ । ନ ଦେଲା କୃଷ୍ଣପାଦେ ଚିତ୍ତ ।। ୩୯
ସୁସାଧ୍ୟ କଲେ ବିଦ୍ୟାମାନ । ଅପରେ ଯେତେ ତପଦାନ ।। ୪୦
ଏ ସର୍ବ ତାର ଅକାରଣ । ଯେବେ ନ ଭଜେ ନାରାୟଣ ।। ୪୧
ଯେତେକ କବିତ୍ୱ-ବଚନ । ବ୍ୟର୍ଥ କି କାର୍ଯ୍ୟେ ପ୍ରୟୋଜନ ।। ୪୨
ବିଫଳ-ବୁଦ୍ଧି ହେଲା ତାର । ନ କଲା ଯେ କୃଷ୍ଣ-ବିଚାର ।। ୪୩
ଇନ୍ଦ୍ରିୟ ବଳ ତେଜ ଘେନି । ଏଣୁ କି ଭବୁ ତରେ ପ୍ରାଣୀ ।। ୪୪
ଅଷ୍ଟାଙ୍ଗଯୋଗ ସାଂଖ୍ୟ ଆଦି । ସନ୍ନ୍ୟାସ-ଧର୍ମ ବେଦବାଦୀ ।। ୪୫
ଏ ସର୍ବ ଜୀବ ନ ତାରନ୍ତି । ଭୋଗାଦି-ଫଳ ବାଞ୍ଛା ଦ୍ୟନ୍ତି ।। ୪୬
ଅପରେ ଯେତେ ଶ୍ରେୟକର୍ମ । ଇହ ସଂସାରେ ଲୋକଧର୍ମ ।। ୪୭
ଏ ସର୍ବକାଳେ ନ ଘଟନ୍ତି । ଯେବେ ହରିଙ୍କି ନ ଭଜନ୍ତି ।। ୪୮
ଏ ଯେତେ କର୍ମ ଶ୍ରେୟବିଧି । ଯଜ୍ଞାଦି କର୍ମ ଅଷ୍ଟସିଦ୍ଧି ।। ୪୯
ସେ ସର୍ବ-ଅନ୍ତରାତ୍ମା-ହରି । ଯେ ଭଲମଦେ ଅଧିକାରୀ ।। ୫୦
କର୍ମାନୁସାରେ ଦେହେ ରହି । ପ୍ରାଣୀଙ୍କି କର୍ମଭୋଗ ଦେଇ ।। ୫୧
ତେଣୁ ସେ ଆତ୍ମା ସର୍ବଭୂତେ । ସକଳ ପ୍ରିୟ ସେ ଏମନ୍ତେ ।। ୫୨
ଯେବେ ହରିଙ୍କି ସେବା କରି । ଆତ୍ମାକୁ ଉଦ୍ଧାରନ୍ତି ହରି ।। ୫୩
ଏ ସର୍ବ-ଫଳଦାତା ହରି । ପ୍ରାଣୀ ନ ଜାଣି ଭ୍ରମି ମରି ।। ୫୪
ଦୁଃଖ-ଗହନେ କରେ ଆଶ । ଏ କର୍ମେ ମୂଢ ଅବିଶ୍ୱାସ ।। ୫୫
ଯେ ହରି ସର୍ବଭୂତେ ଥାଇ । କର୍ମାନୁସାରେ ଫଳ ଦେଇ ।। ୫୬
ସକଳ-ପ୍ରିୟ ସେ ମୁରାରି । ସେ ଭଲମନ୍ଦେ ଅଧିକାରୀ ।। ୫୭
ତାହାଙ୍କୁ ଯେ ପ୍ରାଣୀ ଭଜନ୍ତି । ତେବେ ଏ ଭବୁ ନିସ୍ତରନ୍ତି ।। ୫୮
ଏମନ୍ତ ମହିମା ଯାହାର । ସେ ପ୍ରଭୁ କରନ୍ତି ଉଦ୍ଧାର ।। ୫୯
ଯେସନେ ସର୍ବ-ତରୁ-ମୂଳେ । ଜଳ ସିଞ୍ଚନ ନେଇ କଲେ ।। ୬୦
ତାହାର ଭୁଜ-ସ୍କନ୍ଧ-ଶାଖା । ସର୍ବେ ସନ୍ତୋଷ ମୂଳେ ଏକା ।। ୬୧
ପ୍ରାଣକୁ ଉପହାର ଦେଲେ । ସନ୍ତୋଷ ଇନ୍ଦ୍ରିୟ-ସକଳେ ।। ୬୨
ଏମନ୍ତେ ହରିଙ୍କର ସେବା । କଲେ ସନ୍ତୋଷ ସର୍ବଦେବା ।। ୬୩
ହରିଟି ସର୍ବ-ଦେବ-ମୂଳ । ଯେତେ ପ୍ରପଞ୍ଚ-ସୂକ୍ଷ୍ମମୂଳ ।। ୬୪
ସକଳ-ଆତ୍ମା-ଅନ୍ତ ହରି । ଯେ ପାଦ ଆଶ୍ରେ ପ୍ରାଣୀ ତରି ।। ୬୫
ଯେସନେ ରବିଠାରୁ ଜଳ । ପ୍ରଭବି ପ୍ରକାଶେ ଶୟଳ ।। ୬୬
କାଳେ ସେ ରବିତେଜେ ପୁଣି । ପ୍ରବେଶ ହୋନ୍ତି ସର୍ବପ୍ରାଣୀ ।। ୬୭
ସେ ରୂପେ ଏ ଗୁଣ ପ୍ରବାହ । ଏ ଚରାଚର-ଭୂତ-ଦେହ ।। ୬୮
ଏ ସର୍ବେ ହରିରୁ କ୍ଷରନ୍ତି । କାଳେ ସେ ତହିଁ ପ୍ରବେଶନ୍ତି ।। ୬୯
ଜଗତ ହରିଙ୍କ କିରଣ । ସୂର୍ଯ୍ୟର ପ୍ରଭାଟି ଯେସନ ।। ୭୦
ତା ତହିଁ ସର୍ବ-ଶକ୍ତି ଥାନ୍ତି । ଯେବେ ସେ ଜାଗ୍ରତ ଲଭନ୍ତି ।। ୭୧
ତେବେ ସେ ଦ୍ରବ୍ୟ-କ୍ରିୟା-ଜ୍ଞାନ । ହୁଅଇ ଭେଦ-ଭ୍ରମମାନ ।। ୭୨
ଯେହ୍ନେ ଆକାଶେ ଘନପନ୍ତି । ତମ-ବିଜୁଳି ପ୍ରକାଶନ୍ତି ।। ୭୩
ତେମନ୍ତେ ପରମ-ବ୍ରହ୍ମରେ । ସକଳ-ଶକ୍ତି ଏ କ୍ରମରେ ।। ୭୪
ହୁଅନ୍ତି ନୁହଁନ୍ତି ସେ କାଳେ । ସର୍ବ-ସ‌ତ୍ତ୍ୱାଦି ଗୁଣଜାଳେ ।। ୭୫
ସେ ଆତ୍ମା ଅଶେଷ-ଦେହୀଙ୍କ । ପୁରୁଷ ପ୍ରଧାନ ସେ ଏକ ।। ୭୬
କାଳ ହିଁ ତାହାଙ୍କୁଟି କହି । ଗୁଣ-ପ୍ରବାହ-ହେତୁ ସେହି ।। ୭୭
ତାହାଙ୍କୁ ଭଜ ଏକଭାବେ । ସଂସାରୁ ନିସ୍ତରିବ ଯେବେ ।। ୭୮
ସକଳ-ଭୂତେ ଦୟା କର । ଯହିଁ ତହିଁରେ ତୋଷ ଧର ।। ୭୯
ଇନ୍ଦ୍ରିୟବର୍ଗ ବିନାଶିଲେ । ହରିଙ୍କି ପାଇବ ଭଜିଲେ ।। ୮୦
ବିଶୁଦ୍ଧ ହୋଏ ଯେବେ ମନ । ବିନାଶ ହୋନ୍ତି ଚେଷ୍ଟାମାନ ।। ୮୧
ଏମନ୍ତ ଭକ୍ତି ଯେବେ ଚିତ୍ତେ । ବିଶୁଦ୍ଧ-ହୃଦ ଅଦିରତେ ।। ୮୨
ତହିଁ ବସନ୍ତି ଭଗବାନ । ନ ଯାନ୍ତି ତହୁଁ ଅନ୍ୟସ୍ଥାନ ।। ୮୩
ଏ ବିନେ ଯେ ଆନ କୁଯୋଗୀ । ବିଷୟସୁଖେ ନିତ୍ୟେ ଭୋଗୀ ।। ୮୪
ତାହାଙ୍କ ପୂଜା ନ ଘେନନ୍ତି । ଯେଣୁ ସେ ରସକୁ ଜାଣନ୍ତି ।। ୮୫
ବିଦ୍ୟାଦି ଧନେ ଯେଉଁ ଜନେ । ରହନ୍ତି ଅହଂକାର ମନେ ।। ୮୬
ଯେ ସାଧୁ ଅକିଞ୍ଚନ ଦେଖି । ହତଆଦରେ ଦୂରେ ପେକ୍ଷି ।। ୮୭
ଧନ ବିନାଶ ହେତୁ କରି । ଯେ ସାଧୁସେବା ପରିହରି ।। ୮୮
ଅତ୍ୟନ୍ତ ମୂଢ ସେ ପାମର । ଧନରେ ଅତି ସ୍ନେହ ତାର ।। ୮୯
ଏମନ୍ତ ପ୍ରାଣୀ ଯେ ଅଟନ୍ତି । ଅଜ୍ଞାନେ ଧର୍ମ ନଜାଣନ୍ତି ।। ୯୦
ତାଙ୍କୁ ବିମୁଖ ନରହରି । ସାଧୁ-ଦୂଷଣ ହେତୁ କରି ।। ୯୧
ତାହାଙ୍କ ନିକଟେ ନ ଆସେ । ବସନ୍ତି ଅକିଞ୍ଚନ ପାଶେ ।। ୯୨
ସେ ପରିପୂର୍ଣ୍ଣ ସର୍ବ ଭାବେ । ବଶ ନୁହଁନ୍ତି ଧନ-ଲୋଭେ ।। ୯୩
ନିଜ ଭକତ-ବଶ ହରି । ଭକ୍ତ-ଡାକକୁ ଅନୁସରି ।। ୯୪
ଏମନ୍ତ ମହିମା ତାହାର । ସେ ପାଦେ ନ ସେବେ ପାମର ।। ୯୫
ଦାରା-ତନୟ-ମୋହେ ଜଡି । ଦୁଃଖ-ଗହନେ ସୁଖ ଲୋଡି ।। ୯୬
ଅଜ୍ଞାନ ଭାବେ ଦମ୍ଭେ ଥାନ୍ତି । ଯେ ଅନ୍ୟ-ଦେବଙ୍କୁ ସେବନ୍ତି ।। ୯୭
ଯେ ହରି ଛାଡି ସେବେ ଆନ । ଯେ ପ୍ରଭୁ ଭକତ-ଅଧୀନ ।। ୯୮
ସେ ପାଦପଦ୍ମ ଛାଡି ସେହି । ଅନ୍ୟ ଭଜନେ ମନଦେଇ ।। ୯୯
ଏ ସେବା ଛାଡି ଅନ୍ୟ ସେବେ । କେମନ୍ତେ ଭବୁ ନିସ୍ତରିବେ ।। ୧୦୦
ତାହାଙ୍କୁ ବୋଲି ମୂଢମତି । ସେ ପ୍ରାଣୀ ଭବୁ ନ ତରନ୍ତି ।। ୧୦୧
ଯାହାର ଅଛି ଦିବ୍ୟଜ୍ଞାନ । ସେ କାହିଁ ଭଜେ ଦେବ ଅନ୍ୟ ।। ୧୦୨
ସେ ହରିପାଦେ ସର୍ବସୁଖ । ଆଶ୍ରୟେ ଛେଦେ ଭବ ଦୁଃଖ ।। ୧୦୩

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଏମନ୍ତେ ଦେବ-ମୁନିବର ।। ୧୦୪
ସେ ପ୍ରଚେବସ ତପ ଠାବେ । ଏ ଜ୍ଞାନ କହିଲେ ସ୍ୱଭାବେ ।। ୧୦୫
ଅପରେ ହରିଗୁଣମାନ । କହି ତୋଷିଲେ ତାଙ୍କ ମନ ।। ୧୦୬
ତକ୍ଷଣେ ବ୍ରହ୍ମଲୋକେ ଗଲେ । ସେ ସର୍ବେ ସନ୍ତୋଷେ ରହିଳେ ।। ୧୦୭
ଶୁଣ ବିଦୁର ଜ୍ଞାନବନ୍ତ । ନାରଦ ମୁଖରୁ ନିର୍ଗତ ।। ୧୦୮
ହରିଙ୍କ ନାମ ଯଶ ଗୁଣ । ଯେବା ଭାବନ୍ତି ଅନୁକ୍ଷଣ ।। ୧୦୯
ସେ ସର୍ବେ କାମାର୍ଥ ଲଭନ୍ତି । ରତ୍ୟାଦି-ପାପା ବିନାଶନ୍ତି ।। ୧୧୦
ଶୁଣି ସାନନ୍ଦ ନୃପଗଣେ । ହରି ଭଜିଲେ ଅନୁକ୍ଷଣେ ।। ୧୧୧
ଅନ୍ତେ ସେ ହରିଙ୍କି ଲଭିଲେ । ନାରଦ-ହେତୁ ନିସ୍ତରିଲେ ।। ୧୧୨
ଏ ଘେନି ସତସଙ୍ଗ ପ୍ରାଣୀ । ଆଦରି ଲଭେ ଚକ୍ରପାଣି ।। ୧୧୩
ଏ ଦିନେ ନାହିଁ ସଦଗତି । ଶୁଣ ବିଦୁର ଗୁହ୍ୟ ଅତି ।। ୧୧୪
ସାଧୁଙ୍କ ସଙ୍ଗେ ପ୍ରୀତି କର । ମାନସ-ମୋହ ଯାଉ ଦୂର ।। ୧୧୫
ଯେତେ ସଂଶୟ ହୃଦଗତ । ପଚାରିଥିଲୁ ଯେ ବୃତ୍ତାନ୍ତ ।। ୧୧୬
ସାର ଉଦ୍ଧରି ଶାସ୍ତ୍ରମତେ । କହିଲୁ ଶିରୀ ଭାଗବତେ ।। ୧୧୭
ନାରଦ-ପ୍ରଚେତ-ସମ୍ବାଦ । ଶ୍ରୀହରି-କ୍ଷଣ-ଗୁଣ-ବାଦ ।। ୧୧୮
ଫେଡି ମୁଁ କହିଲଇଁ ତାହା । ସଂଶୟ କରିଥିଲୁ ଯାହା ।। ୧୧୯

ଶୁକ ଉବାଚ

କହନ୍ତି ଶୁଦ୍ଧମହାମୁନି । ଶୁଣ ପରୀକ୍ଷ ତ‌ତ୍ତ୍ୱଜ୍ଞାନୀ ।। ୧୨୦
ମୈତ୍ରେୟ ଯେତେକ କହିଲେ । ବିଦୁର ବିନୟେ ଶୁଣିଲେ ।। ୧୨୧
ଆନନ୍ଦେ ରୋମ-ପୁଲକିତ । ଭବ-ଗଦ୍‌ଗଦେ ଅଶ୍ରୁପାତ ।। ୧୨୨
ଆନନ୍ଦ-ସାଗରେ ବୁଡିଲେ । ଦେହ-ଜୀବନ ପାଶୋରିଲେ ।। ୧୨୩
ଧରି କହେ ମୁନିଚରଣ । ଭୋ ମୁନି କର ଉଦ୍ଧାରଣ ।। ୧୨୪
ତୁମ୍ଭ ପ୍ରସନ୍ନେ ତ‌ତ୍ତ୍ୱଜ୍ଞାନ । ପାଉ ଛାଡିଲା ମୋହମାନ ।। ୧୨୫
ଭୋ ମୁନି ତୁମ୍ଭେ ଜ୍ଞାନସାର । ଦେଖାଇଦେଲେ ତମପାର ।। ୧୨୬
ଏମନ୍ତ ଜ୍ଞାନୀ ଯେତେ ହୋଇ । ସେ ପ୍ରାଣୀ ହରିଙ୍କି ଲଭଇ ।। ୧୨୭
ମୁଁ ଏବେ ହେଲି ମୋକ୍ଷପାର । ତୁମ୍ଭ ପ୍ରସନ୍ନେ ମୁନିବର ।। ୧୨୮
ଭୋ ମୁନି ଆଜ୍ଞା ହେବ ଯେବେ । ନିଜ ସଦନେ ଯିବି ତେବେ ।। ୧୨୯
ଏମନ୍ତ କହିଣ ଆନନ୍ଦେ । ନମିଲା ମୁନିଙ୍କର ପାଦେ ।। ୧୩୦
ସେ ତାଙ୍କୁ ତୋଷେ ଆଜ୍ଞା ଦେଲେ । ନିଶ୍ଚିନ୍ତେ ଆସନେ ରହିଲେ ।। ୧୩୧
ହସ୍ତିନା ଗମିଲେ ବିଦୁର । ଦେଖିବା ଅର୍ତେ ସହୋଦର ।। ୧୩୨
ଛାଡି ସକଳ-ମାୟା-ମୋହେ । ଗମିଲା ମାତ୍ର ଭାତୃସ୍ନେହେ ।। ୧୩୩
ଆନନ୍ଦମନେ ସ୍ନେହ ଅତି । ପରୀକ୍ଷେ କହେ ଶୁକଯତି ।। ୧୩୪
ଶୁଣ ରାଜନ ଦଣ୍ତଧର । ସେ ଯେ ପ୍ରାଚୀନ ନୃପବର ।। ୧୩୫
ତାହାଙ୍କ ପୁଣ୍ୟ-ଯଶ-କୀର୍ତ୍ତି । ଯେ ନିତ୍ୟେ ଶୁଣେ ଦୃଢ଼ମତି ।। ୧୩୬
ତା ଯଶ-ଆୟୁଷ ବଢ଼ଇ । ବିପୁଳ-ଭୋଗ ନ ଛାଡ଼ଇ ।। ୧୩୭
ଅଷ୍ଟ ଐଶ୍ୱର୍ଯ୍ୟ ଭୋଗ ତୋଷେ । ସୁକୀର୍ତ୍ତି ରହେ ଚତୁର୍ଦ୍ଦିଶେ ।। ୧୩୮
ଦେହାନ୍ତେ ଗତି ହୁଏ ତାର । ସେ ପ୍ରଭୁ କରନ୍ତି ନିସ୍ତାର ।। ୧୩୯
ଭଣଇ ବିପ୍ର ଜଗନ୍ନାଥ । ଏ କୃଷ୍ଣ ଅଜ୍ଞାରୁ ଭକତ ।। ୧୪୦
ଗୁପତେ ବହୁକାଳ ଥିଲା । ହରି ଅଜ୍ଞାରୁ ଉଦେ ହେଲା ।। ୧୪୧
ହରି ହରି ଭାବନା କରୁଁ । ସଂଶୟ ଛାଡିଲା ମନରୁ ।। ୧୪୨
ସେ ବ୍ରହ୍ମ ଅନନ୍ତ ମହିମା । କେ କହିପାରେ ଗୁଣସୀମା ।। ୧୪୩
ଅମୁତ ଚରିତ ଏ ବାଣୀ । ଶ୍ରବଣେ ନିସ୍ତରିବେ ପ୍ରାଣୀ ।। ୧୪୪
ହୋଇବ ଭବବନ୍ଧ ନାଶ । ସୁଜନେ କୃଷ୍ଣପାଦେ ରସ ।। ୧୪୫
ଚତୁର୍ଥ ସ୍କନ୍ଧ ହେଲା ଶେଷ । ହୃଦରେ ଚିନ୍ତ ହୃଷୀକେଶ ।। ୧୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂ
ଚତୁର୍ଥସ୍କନ୍ଧେ ପ୍ରଚେତ ଉପାଖ୍ୟାନଂ ନାମ
ଏକତ୍ରିଂଶୋଽଧ୍ୟାୟଃ । ।

Jaganath Das Books Odia Bhagabat Odia Bhagabat by Jaganath Das
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡିଆ ଭାଗବତ ତୃତୀୟ ସ୍କନ୍ଧ
Next Article ଓଡିଆ ଭାଗବତ ପଞ୍ଚମ ସ୍କନ୍ଧ
ଜଗନ୍ନାଥ ଦାସ

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡିଆ ଭାଗବତ ନବମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.