• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ
ଅନ୍ୟାନ୍ୟ

ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧ

ଜଗନ୍ନାଥ ଦାସBy ଜଗନ୍ନାଥ ଦାସFebruary 25, 2020No Comments134 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରଥମ ଅଧ୍ୟାୟ

ହରଷେ ଅଭିମନ୍ୟୁସୁତ । ଶୁଣି ଗୋବିନ୍ଦର ଚରିତ । ।୧
ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ଦଣ୍ଡଧର । ।୨

ରାଜା ଉବାଚ

ବିଷ୍ଣୁ-ଚରିତ ତୁମ୍ଭ ମୁଖେ । ଶୁଣିଲି ଅଦୃଷ୍ଟ-ସୁପାକେ । ।୩
ଭୋ ମୁନି ଦୟାକର ମୋତେ । ସଂସାରୁ ତରିବି ଯେମନ୍ତେ । ।୪
ମୋଠାରେ ସ୍ନେହ ବହ ଯେବେ । ପ୍ରସନ୍ନ ଚିତ୍ତେ କହ ଏବେ । ।୫
ପୂର୍ବେ ଯେ ସ୍ୱାୟମ୍ଭୂବ ମନୁ । ପ୍ରତ୍ୟକ୍ଷେ ପଦ୍ମଯୋନି ତନୁ । ।୬
ତାହାଙ୍କ ବଂଶେ ଯେ ଚରିତ । ଯେ ପୂର୍ବେ ଭୂତ-ଭବିଷ୍ୟତ । ।୭
ବିସ୍ତାରେ ତୁମ୍ଭ ମୁଖୁଁ ଶୁଣି । ତରିବି ଭବ-ତରଙ୍ଗିଣୀ । ।୮
ଯେ ବଂଶେ ବିଶ୍ୱସୃକଗଣ । ମନୁଦୁହିତା ଗର୍ଭେ ପୁଣ । ।୯
ପୁତ୍ର-ପୌତ୍ରାଦି ଏ ଜଗତେ । ଯେବା ଚରିତ କଲେ ଯେତେ । ।୧୦
ଯେ ମନୁବଂଶେ ଯେବା କୃତ୍ୟ । ଅଦ୍ଭୁତ ବିଷ୍ଣୁର ଚରିତ । ।୧୧
ଅଦ୍ୟାପି କବି-ଋଷିମାନେ । ଅଶେଷ-ଶାସ୍ତ୍ର-ଅନୁମାନେ । ।୧୨
ଗ୍ରନ୍ଥିଲେ କୃଷ୍ଣଗୁଣ ଗାଥା । ଅଶେଷ କର୍ମ ହରିକଥା । ।୧୩
ଯେ କଥା କର୍ଣ୍ଣରନ୍ଧ୍ରେ ପଶେ । ଅଶେଷ କଳୁଷ ବିନାଶେ । ।୧୪
ଯେ ମନୁ ଅନ୍ତରେ ଯେ କଥା । ବିଷ୍ଣୁ ଚରିତ ସାଧୁଗାଥା । ।୧୫
ଯେ ବତ୍ତର୍ମାନ ପୂର୍ବଭୂତେ । ଯେବା କରିବେ ଭବିଷ୍ୟତେ । ।୧୬
ସକଳ କହ ମୁନିବର । ଏ ଭବସାଗରୁ ଉଦ୍ଧର । ।୧୭
ଏମନ୍ତ ପରୀକ୍ଷିତ ଆଗେ । ଶୁକ କହନ୍ତି ଅନୁରାଗେ । ।୧୮

ଶୁକ ଉବାଚ

ପ୍ରଥମକଳ୍ପେ ମୁଁ ସମ୍ପାଦି । କହିଲି ସ୍ୱାୟମ୍ଭୂବ ଆଦି । ।୧୯
ଏ ଷଟ ମନୁବଂଶ ଯେତେ । ଦେବାଦି ମନୁଷ୍ୟ ପର୍ଯ୍ୟନ୍ତେ । ।୨୦
ଆଦ୍ୟନ୍ତ ମଧ୍ୟେ କଲେ ଯେତେ । ପୂର୍ବେ ମୁଁ କହିଅଛି ତୋତେ । ।୨୧
ଆକୂତି ଦେବହୂତି ବେନି । ମନୁଦୁହିତା ବେନିଭଗ୍ନୀ । ।୨୨
ଧର୍ମଜ୍ଞାନର ଉପଦେଶେ । ପରମବ୍ରହ୍ମ ନିଜ ଅଂଶେ । ।୨୩
ଯଜ୍ଞବରାହ କଳ୍ପେ ପୂର୍ବେ । ଜନ୍ମିଲେ ଦେବହୂତି ଗର୍ଭେ । ।୨୪
କପିଳ ରୂପେ କଲେ ଯେତେ । ପୂର୍ବେ ମୁଁ କହିଅଛି ତୋତେ । ।୨୫
ଆକୂତି ଗର୍ଭେ ଯଜ୍ଞ ରୂପେ । ଯେ ଅବା କଲେ ପୂର୍ବକଳ୍ପେ । ।୨୬
ସେ କଥା ଶୁଣ ନୃପବର । ହରି-ଚରିତ ସୁଧାସାର । ।୨୭
ସେ ସ୍ୱାୟମ୍ଭୂବ ମନୁରାଜା । ସୃଷ୍ଟି-ସର୍ଜନେ ମହାତେଜା । ।୨୮
ସେ ପତ୍ନୀ ଶତରୂପା ସଙ୍ଗେ । ବିରକ୍ତ ଚିତ୍ତ କାମଭୋଗେ । ।୨୯
ବନେ ପଶିଲେ ତପ ଅର୍ଥେ । ସେ ପତିବ୍ରତାର ସମେତେ । ।୩୦
ସୁନନ୍ଦା-ତୀର୍ଥେ ଏକପାଦେ । ଉଭା ସେ ହୋଇ ଦୃଢ଼ବନ୍ଧେ । ।୩୧
ଗଗନଗତେ ମୁଖକରି । ଚଞ୍ଚଳ-ଚିତ୍ତକୁ ନିବାରି । ।୩୨
ସୁଘୋର ତପେ ରହି ବନେ । ସେ ରାଜା ବିଚାରଇ ବନେ । ।୩୩

ମନୁ ଉବାଚ

ଯେ ହରି ଏ ବିଶ୍ୱସଂସାରେ । ଚେତନା ରୂପେ ହୃଦେ ପୂରେ । ।୩୪
ଚେତନ-ଅଚେତନ-ରୂପୀ । ଜାଗ୍ରତ ସ୍ୱପ୍ନ ମଧ୍ୟେ ବ୍ୟାପୀ । ।୩୫
ଧାତା ନ ଜାଣେ ଯାର ଅନ୍ତ । ତେଣୁ ସେ ବୋଲାଇ ଅନନ୍ତ । ।୩୬
ଏ ବିଶ୍ୱଆତ୍ମା ଯେହୁ ହୋଏ । ବିରାଜେ ସ୍ୱୟଂ ସର୍ବଦେହେ । ।୩୭
ସୃଜଇ ପାଳଇ ସଂହାରେ । ବାଳକ-ଲୀଳାରେ ବିହରେ । ।୩୮
ଦେଖନ୍ତା ପ୍ରାଣୀଙ୍କି ନ ଦିଶେ । ଦୃଶ୍ୟ ଅଦୃଶ୍ୟ ରୂପେ ମିଶେ । ।୩୯
ସକଳ ରୂପେ ଯାର ବାସ । ବିରାଜେ ଯେହ୍ନେ ଘଟାକାଶ । ।୪୦
ସେ ସର୍ବପ୍ରାଣୀଙ୍କ ମନ୍ଦିର । ଜୀମୂତ ମଧ୍ୟେ ଯେହ୍ନେ ନୀର । ।୪୧
ସୁପର୍ଣ୍ଣ ପୃଷ୍ଠେ ଯାର ସ୍ଥିତି । ତା’ ପାଦେ ରହୁ ମୋର ମତି । ।୪୨
ଆଦ୍ୟନ୍ତ ମଧ୍ୟ ଯାର ନାହିଁ । ସ୍ୱ ପର ଭେଦ ଅବା କାହିିଁ । ।୪୩
ନ ମିଶେ ଅନ୍ତର ବାହାରେ । ଏ ମାୟା-ମୋହନ ସଂସାରେ । ।୪୪
ଏ ବିଶ୍ୱମୟ ଯେ ପ୍ରମାଣ । ସତ୍ୟ-ସ୍ୱରୂପ ପୂର୍ଣ୍ଣବ୍ରହ୍ମ । ।୪୫
ଯେ ବିଶ୍ୱକାୟ ପୁରୁହୂତ । ବିଶ୍ୱ-ସୃଜନେ ଉପଗତ । ।୪୬
ବିମୋହ ମୋହ ପାଶେ ଛନ୍ଦି । ଯାର କ୍ରୀଡ଼ାରେ ବିଶ୍ୱ ବନ୍ଦୀ । ।୪୭
ସତ୍ୟ ପରମଜ୍ୟୋତି ଅଜ । ପୁରାଣ ପୁରୁଷ ବିରାଜ । ।୪୮
ଜୀବର ଜନ୍ମ ଆଦି ଯେତେ । ଧରେ ଆତ୍ମଶକ୍ତି ଆୟେତ୍ତେ । ।୪୯
ନିରୀହ ଚେଷ୍ଟା-ବିବର୍ଜିତ । ସ୍ୱରୂପେ ଯେବେ ହୋଏ ସ୍ଥିତ । ।୫୦
ଏ ଭାବ ଜାଣି ଋଷିଜନେ । କର୍ମ ଇଚ୍ଛନ୍ତି ଦୃଢ଼ମନେ । ।୫୧
ଯେ ଭାବେ କର୍ମ ହିଁ ନ ଫଳେ । ସେ ଭାବେ ଭଜନ୍ତି ନିଶ୍ଚଳେ । ।୫୨
ଈଶ୍ୱର ଭାବେ କର୍ମ କଲେ । ନିର୍ଗୁଣ ଲଭନ୍ତି ସେ ଭଲେ । ।୫୩
ଇଷ୍ଟ କରନ୍ତି ପ୍ରାଣୀଙ୍କର । ସେ ଭାବେ ଭଜେ ଦୁରାଚାର । ।୫୪
ଆତ୍ମାର ପୂର୍ଣ୍ଣଲାଭ ଅର୍ଥେ । ଯେ ତାଙ୍କୁ ଭଜନ୍ତି ଜଗତେ । ।୫୫
କେବେହେଁ ଭ୍ରଷ୍ଟ ସେ ନୁହନ୍ତି । ଅନ୍ତେ ଲଭନ୍ତି ବ୍ରହ୍ମଗତି । ।୫୬
ସକଳ ଆତ୍ମାର ଈଶ୍ୱର । ସ୍ୱଭାବେ ନାହିଁ ଅହଙ୍କାର । ।୫୭
ପର୍ଣ୍ଣ ଅନାଦି ନିରଞ୍ଜନ । କାହାର ନୋହେ ସେ ଅଧୀନ । ।୫୮
ସ୍ୱଭାବେ ନିଜମାର୍ଗେ ରହେ । କେ ଚିନ୍ତିପାରେ ତାକୁ ଦେହେ । ।୫୯
ଏଣୁ ସେ ସଂସାରର ସାର । ତା’ ପାଦେ ମୋର ନମସ୍କାର । ।୬୦

ଶୁକ ଉବାଚ

ଶୁଣ ହୋ ଅଭିମନ୍ୟୁ ସୁତ । ସେ ସ୍ୱାୟମ୍ଭୂବ ଦୃଢ଼ଚିତ୍ତ । ।୬୧
ଚିନ୍ତା କରନ୍ତେ ତପବଳେ । ସୁଦୃଢ଼ ସମାଧି ନିଶ୍ଚଳେ । ।୬୨
ଅସୁର-ଯାତୁଧାନ ଗଣେ । ବେଗେ ମିଳିଲେ ଘୋରବନେ । ।୬୩
ଭକ୍ଷିବା ପାଇଁ କ୍ଷୁଧା ଆଶେ । ବେଗେ ମିଳିଲେ ତାର ପାଶେ । ।୬୪
ତାହାଙ୍କୁ ଦେଖି ନରହରି । ଯଜ୍ଞପୁରୁଷ ରୂପ ଧରି । ।୬୫
ନିବାରି ଯାତୁଧାନ ଗଣ । ସ୍ୱର୍ଗ ପାଳିଲେ ନାରାୟଣ । ।୬୬
ସେ ମନୁ ଅନ୍ତେ ସ୍ୱାରୋତିଷ । ଦ୍ୱିତୀୟ ମନୁ ସେ ବିଶେଷ । ।୬୭
ଅଗ୍ନିର ପୁତ୍ର ସେ ସ୍ୱଭାବେ । ରାଜତ୍ୱ କଲା ବିଶ୍ୱଭାବେ । ।୬୮
ଦ୍ୟୁମାନ ସୁଷେଣ ରୋଚିଷ । ଏ ଆଦି ତାର ପୁତ୍ର ଦଶ । ।୬୯
ସେ ମନୁ କାଳେ ସୁରନାଥ । ରୋଚନ ନାମେ ବଳବନ୍ତ । ।୭୦
ଯାହାର କାଳେ ଦେବଗଣ । ତୁଷିତ ନାମେ ଉଚ୍ଚାରଣ । ।୭୧
ଋଷିଏ ଊର୍ଜ୍ଜସ୍ତମ୍ଭ ଆଦି । ଏ ସପ୍ତଋଷି ବ୍ରହ୍ମବାଦୀ । ।୭୨
ଯେ ବେଦଶିରା ନାମେ ମୁନି । ତୁଷିତା ନାମେ ତା ଭାମିନୀ । ।୭୩
ସେ ପତ୍ନୀ ଗର୍ଭେ ବିଭୁ ରୂପେ । ବିଷ୍ଣୁ ଜନ୍ମିଲେ ଆଦିକଳ୍ପେ । ।୭୪
ପୂର୍ବେ ଯେ ବାଳଖିଲ୍ୟା ରୂପେ । ଅଠାଶୀସସ୍ର ଆଦିକଳ୍ପେ । ।୭୫
ଯୋଗ-ଅଭ୍ୟାସେ ଊର୍ଦ୍ଧ୍ୱରେତା । ବିଷ୍ଣୁ-ଭଜନେ ବଳବନ୍ତା । ।୭୬
ବିଭୁର ଶିକ୍ଷା ଶିରେ ଧରି । ସେ ମୁନିଗଣେ ବ୍ରହ୍ମଚାରୀ । ।୭୭
କୁମାର-ବ୍ରତ ଆଚରିଲେ । ତେଣୁ ବାଳକ ସେ ହୋଇଲେ । ।୭୮
ତୃତୀୟ-ମନୁ ଯେ ଉତ୍ତମ । ସେ ପ୍ରିୟବ୍ରତର ନନ୍ଦନ । ।୭୯
ତାର ସୁଞ୍ଜୟ ଯଜ୍ଞହୋତ୍ର । ଏ ଆଦି ପୁତ୍ରେ ବଳବନ୍ତ । ।୮୦
ସେ କଳ୍ପେ ସପ୍ତଋଷି ଜନ । ବଶିଷ୍ଠଋଷିଙ୍କ ନନ୍ଦନ । ।୮୧
ପ୍ରମଦ ଆଦି ସପ୍ତସୁତେ । ସତ୍ୟ ଆଦି ଯେ ଦେବଯୁଥେ । ।୮୨
ସତ୍ୟଜିତ ଯେ ଦେବରାଜା । ହରି-ଭକତେ ମହାତେଜା । ।୮୩
ସୁନୃତା ଧର୍ମପତ୍ନୀ ଗର୍ଭେ । ପୁରୁଷୋତ୍ତମ ରୂପେ ପୂର୍ବେ । ।୮୪
ବହିଣ ସତ୍ୟସେନ ନାମ । ସତ୍ୟବ୍ରତଙ୍କ ସଙ୍ଗେ ପୁଣ । ।୮୫
ଜନ୍ମିଲେ ସତ୍ୟବ୍ରତ ତୁଲେ । ଶୁଣ ତୁ ଯେବା କର୍ମ କଲେ । ।୮୬
ଯକ୍ଷ ରାକ୍ଷସ ଭୂତଗଣ । ପ୍ରାଣୀଙ୍କି କରନ୍ତି ଭକ୍ଷଣ । ।୮୭
ତାହାଙ୍କୁ ମାରି ସତ୍ୟ ସଙ୍ଗେ । ଧର୍ମ ରଖିଲେ ସତ୍ୟଯୁଗେ । ।୮୮
ଚତୁର୍ଥେ ପ୍ରିୟବ୍ରତ-ସୁତ । ତାମସ ଉତ୍ତମର ଭ୍ରାତ । ।୮୯
ଯେ ପୃଥୁ କେତୁ ଖ୍ୟାତି ନର । ଏ ଆଦି ଦଶ ତା କୁମର । ।୯୦
ତାର ଅନ୍ତରେ ସ୍ୱର୍ଗପୁରେ । ତ୍ରିଶିଖ ନାମେ ସୁରେଶ୍ୱରେ । ।୯୧
ସତ୍ୟକ ହରି ବୀର ଆଦି । ଦେବତା ନାମେ ଏ ପ୍ରସିଦ୍ଧି । ।୯୨
ମୁନିଏ ଜ୍ୟୋତିର୍ଦ୍ଧାମ ଆଦି । ତାମସ ଅନ୍ତରେ ପ୍ରସିଦ୍ଧି । ।୯୩
ବୈଧୃତି ନାମେ ଦେବଗଣ । ଶୁଣ ହୋ ତାହାଙ୍କ ପ୍ରମାଣ । ।୯୪
କାଳେ ଯେ ବେଦ ନାଶ ଗଲେ । ସେ ମନ୍ୱନ୍ତରେ ସେ ରଖିଲେ । ।୯୫
ସେ ମନ୍ୱନ୍ତରରେ ଅଚ୍ୟୁତ । ହରିଣୀ ଉଦରେ ସମ୍ଭୂତ । ।୯୬
ତେଣୁ ବହିଲେ ହରି ନାମ । ରୂପେ ମୋହିତ କୋଟିକାମ । ।୯୭
ଯେ ହରିନାମ ଏ ସଂସାରେ । ଅଶେଷ ଦୁରିତ ସଂହରେ । ।୯୮
ଯେ ରୂପେ ଗଜେନ୍ଦ୍ର-ମୋକ୍ଷଣ । କୁମ୍ଭୀର-ଦର୍ପ ନିବାରଣ । ।୯୯
ଜଳେ କୁମ୍ଭୀର ମୁଣ୍ଡ ହାଣି । ଗଜ ରଖିଲେ ଚକ୍ରପାଣି । ।୧୦୦
ଯା ନାମ ଭୁବନମଙ୍ଗଳ । ଦୂରିତ ବନ-ଦାବାନଳ । ।୧୦୧
ଏକଥା ଶୁକ ମୁଖୁଁ ଶୁଣି । ପାଣ୍ଡବ ବଂଶ ଚୂଡ଼ାମଣି । ।୧୦୨
ଆନନ୍ଦେ ହୋଇ କୃତକୃତ୍ୟ । ବୋଇଲେ ନୃପ ପରୀକ୍ଷିତ । ।୧୦୩

 

ରାଜା ଉବାଚ[

ଭୋ ମୁନି ଦୁର୍ଲ୍ଲଭ-ବଚନ । ଶୁଣି ଆନନ୍ଦ ମୋର ମନ । ।୧୦୪
କେମନ୍ତେ ପ୍ରଭୁ ନରହରି । ଗଜ ରଖିଲେ ଗ୍ରାହ ମାରି । ।୧୦୫
କୁମ୍ଭୀର କେଉଁ ଜଳେ ଥିଲା । ଗଜକୁ କେମନ୍ତେ ଧଇଲା । ।୧୦୬
ସେ ଜଳଜୀବ ଜଳେ ଥାଇ । ହସ୍ତୀ-ସଂଯୋଗ ତାର କାହିଁ । ।୧୦୭
ହସ୍ତୀ ସବଳ ମହାକାୟେ । କୁମ୍ଭୀର କେତେ ବଳ ବହେ । ।୧୦୮
ଏକଥା ସଂଶୟ ତ ମୋତେ । ଭୋ ମୁନି କହ ଶୁଦ୍ଧଚିତ୍ତେ । ।୧୦୯
ଏ ପୁଣ୍ୟକଥା ମହାଧନ୍ୟ । ମଙ୍ଗଳ ସର୍ବ ସ୍ୱସ୍ତ୍ୟୟନ । ।୧୧୦
ଏ ଯେ ପ୍ରସ୍ତାବ ହରିବାଣୀ । ଶ୍ରବଣମାର୍ଗେ ଯେବା ଶୁଣି । ।୧୧୧
ହରି ପ୍ରସାଦୁ ଭବୁ ତରେ । ନ ପଡ଼େ ମାୟା-ତମ-ଘୋରେ । ।୧୧୨

ସୁତ ଉବାଚ[

ଏମନ୍ତେ ପରୀକ୍ଷିତ ବାଣୀ । ଆନନ୍ଦେ ଶୁକମୁନି ଶୁଣି । ।୧୧୩
ଗଙ୍ଗାର ତୀରେ ଅନ୍ତର୍ଜଳେ । ଅସଂଖ୍ୟ ମୁନିଗଣ ମେଳେ । ।୧୧୪
ଗୋବିନ୍ଦ ପାଦେ ଦେଇ ଚିତ୍ତ । ବୋଲଇ ଦାସ ଜଗନ୍ନାଥ । ।୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁଚରିତେ ପ୍ରଥମୋଽଧ୍ୟାୟଃ । ।

ଦ୍ୱିତୀୟ ଅଧ୍ୟାୟ

ଶୁକ ଉବାଚ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ । ।୧
ପର୍ବତ ତ୍ରିକୂଟ ଯେ ନାମ । ସର୍ବସମ୍ପଦ ମୂଳଧାମ । ।୨
ଅୟୂତ-ଯୋଜନ ବିସ୍ତୃତ । କ୍ଷୀରସମୁଦ୍ରେ ସେ ଆବୃତ । ।୩
ଉଚ୍ଚ ଯେ ଅୟୂତଯୋଜନ । ଦେଖନ୍ତେ ହରେ ପ୍ରାଣୀମନ । ।୪
ବିରାଜେ ଅଷ୍ଟଦିଗ ମଧ୍ୟେ । ଆନନ୍ଦ କରେ ଦେବବୃନ୍ଦେ । ।୫
ତୃତୀୟ ଶୃଙ୍ଗ ବହେ ଶିରେ । ସୁବର୍ଣ୍ଣ ରୌପ୍ୟ ଲୌହ ଧରେ । ।୬
ରତ୍ନ ଧାରଣ କରି ଅଙ୍ଗେ । ବିରାଜି ଶୋହେ ଦଶଦିଗେ । ।୭
ନାନାପ୍ରକାରେ ଲତା-ଗୁଳ୍ମ । ନିର୍ଝରତଟେ ବହୁଦ୍ରୁମ । ।୮
ନିର୍ଝର ଶବଦ ଗମ୍ଭୀର । ଅତି ସୁରମ୍ୟ ମନୋହର । ।୯
ନିର୍ଝର-ଜଳର ସମୂହେ । ଗିରି-ଚରଣ କିବା ଧୁଏ । ।୧୦
ନିର୍ଝର-ଭୂମି ବାୟୁବଳେ । ସ୍ୱର୍ଣ୍ଣ-ବାଲୁକା ଶୋହେ କୂଳେ । ।୧୧
ମର୍କତ-ପାଷାଣ-ସମୂହେ । ଶ୍ୟାମଳବର୍ଣ୍ଣେ ଭୂମି ଶୋହେ । ।୧୨
ସିଦ୍ଧ ଚାରଣ ବିଦ୍ୟାଧର । ଗନ୍ଧର୍ବ ସଙ୍ଗତେ କିନ୍ନର । ।୧୩
ଉରଗଗଣ ଯୂଥ ଯୂଥ । ଅପ୍ସରା ମିଳି ନୃତ୍ୟ ଗୀତ । ।୧୪
ଅରଣ୍ୟେ ନାନା-ପଶୁଗଣେ । ଗିରି-କନ୍ଦରେ ଘୋରବନେ । ।୧୫
ନାଦ କରନ୍ତି ମନୋହର । ମୟୂର କୋକିଳ ଭ୍ରମର । ।୧୬
ସରିତ ସରୋବର ନଦ । ମଣିବାଲୁକା କୁଦ କୁଦ । ।୧୭
ଦେବକାମିନୀଗଣ ଯହିଁ । ସ୍ନାନ କରନ୍ତି ମୋଦ ବହି । ।୧୮
ତାହାଙ୍କ ଅଙ୍ଗରେ ଲେପିତ । ଗନ୍ଧ ଚନ୍ଦନ ପାରିଜାତ । ।୧୯
ସେ ଗନ୍ଧ ଶୀତଳ-ସମୀରେ । ସୁଗନ୍ଧେ ଦଶଦିଗ ପୂରେ । ।୨୦
ସେ ଗିରି-ଦ୍ରୋଣି ମଧ୍ୟେ ବନ । ବରୁଣ କ୍ରୀଡ଼ାର ଉଦ୍ୟାନ । ।୨୧
ଋତୁମାନ ନାମ ବନର । ସୁରକାମିନୀ କ୍ରୀଡ଼ାଘର । ।୨୨
ପର୍ବତେ ଅଳଙ୍କୃତ ବନ । ଫଳଫୁଲରେ ସୁଶୋଭନ । ।୨୩
ମନ୍ଦାର ପାଟଳୀ ଚମ୍ପକ । ପାରିଜାତକ କୁରୁବକ । ।୨୪
ଚୂତ ପିଆଳ ପନସଜ । ଆମ୍ର ଅଶୋକ ଆମ୍ରାତକ । ।୨୫
କଦମ୍ବ ନାରିକେଳ ବନ । ଖର୍ଜୁର ଦାଡିମ୍ବ ଅର୍ଜୁନ । ।୨୬
ମଧୁକ ଶାଳ ତାଳ ଶୋହେ । ତମାଳ ଅସନ ସମୂହେ । ।୨୭
ଅରିଷ୍ଟ ଉଡ଼ୁମ୍ବର ପ୍ଳକ୍ଷ । ନ୍ୟଗ୍ରୋଧ ଚନ୍ଦନ ରୁଦ୍ରାକ୍ଷ । ।୨୮
ନିମ୍ବ କୋବିଦାର ସରଳ । କିଂଶୁକ ଦେବଦାରୁ କୁଳ । ।୨୯
ଦ୍ରାକ୍ଷା ଈକ୍ଷୁ ଯେ ରମ୍ଭାବନ । ବଦରୀ ଅଭୟା ଯେ ଦ୍ରୁମ । ।୩୦
ବେଲ ଜମ୍ବୀର କପିତ୍‌ଥକ । ଅଏଁଳା ପୁଣି ଭଲ୍ଲାତକ । ।୩୧
ଯହିଁ ବରୁଣ ସରୋବର । ସୁବର୍ଣ୍ଣ ପଦ୍ମ ମନୋହର । ।୩୨
କହ୍ଲାର କୁମୁଦ ଉତ୍ପଳ । ସ୍ୱଭାବେ ସଗନ୍ଧ ଶୀତଳ । ।୩୩
ବିକଚ-ଶତପତ୍ରେ ଶୋଭା । କିବା ଉପମା ଆନେ ଦେବା । ।୩୪
ମତ୍ତଭ୍ରମର ପକ୍ଷୀଗଣ । ନାଦ କରନ୍ତି ଅନୁକ୍ଷଣ । ।୩୫
ହଂସ କାରଣ୍ଡକ ସମୂହେ । ସାରସ ଚକ୍ରବାକ ଶୋହେ । ।୩୬
ଜଳକୁକ୍କୁଟ କୋଯଷ୍ଟିକ । କୂଜିତ କୋମଳେ ଡାହୁକ । ।୩୭
ମତ୍ସ୍ୟ କଚ୍ଛପେ ଚଳେ ଜଳ । ପଦ୍ମ-ପରାଗରେ ଧୂସର । ।୩୮
କଦମ୍ବ ବଞ୍ଜୁଳକ ବେତ । ନୀପ କୀଚକ ଯୂଥ ଯୂଥ । ।୩୯
କୁନ୍ଦ ଅଶୋକ କୁରୁବକ । କୂଟଜ ଇଙ୍ଗୁଦି କୁବ୍ଚକ । ।୪୦
ଶିରୀଷ ପୁଣି ସ୍ୱର୍ଣ୍ଣ‌ଯୂଥୀ । ନାଗ ପୁନ୍ନାଗ ଆର ଜାତି । । ୪୧
ମଲ୍ଲିକା ଶତପତ୍ର ଶୋହେ । ମାଧବୀ ମାଳତୀ ସମୂହେ । ।୪୨
ଅନ୍ୟାନ୍ୟ ଜଳ ସ୍ଥଳ ଫୁଲ । ଷଡ଼ଋତୁରେ ସମତୁଲ । ।୪୩
ଏମନ୍ତ ବନେ ଏକଦିନେ । ଗଜେନ୍ଦ୍ର ବିଚାରଇ ମନେ । ।୪୪
ଏ ଗ୍ରୀଷ୍ମକାଳେ ଏ ବନସ୍ତେ । ତୃଷାର୍ତ୍ତ ହୋଇଲୁ ସମସ୍ତେ । ।୪୫
ଜଳ ନ କରିଲେ ଆହାର । କେମନ୍ତେ ଧରିବା ଶରୀର । ।୪୬
ଏମନ୍ତ ମନେ ବିଚାରଇ । ଶୀତଳ-ଜଳ ଅଛି କାହିଁ । ।୪୭
ବ୍ୟାକୁଳେ ବନସ୍ତୁ ବାହାର । ତୃଷିତେ ଦିଶେ ଅନ୍ଧକାର । ।୪୮
ସେ ଗଜ ଆଶ୍ରେ ସେ ବନସ୍ତେ । ସୁଖେ ଚରନ୍ତି ପଶୁଯୂଥେ । ।୪୯
କଣ୍ଟକାକୀର୍ଣ୍ଣ ବେଣୁବନେ । ଭ୍ରମନ୍ତି ତୃଷିତ ବଦନେ । ।୫୦
ସ୍ୱଭାବେ ମତ୍ତଗଜ ଦନ୍ତା । ବନ-ବିହାରେ ବଳବନ୍ତା । ।୫୧
ଯାର ଚାଲନ୍ତେ ପାଦ ଲାଗି । ପଡ଼ନ୍ତି ବୃକ୍ଷ ଗୁଳ୍ମ ଭାଙ୍ଗି । ।୫୨
ତାହାର ମଦ-ଗନ୍ଧ ବାସେ । ପଶୁଏ ନ ଚରନ୍ତି ପାଶେ । ।୫୩
ବ୍ୟାଘ୍ର ଭଲ୍ଲୁକ ଖଡ଼୍‌ଗ ମୃଗ । ଯେବା ସଞ୍ଚରେ ମହୋରଗ । ।୫୪
ଶରଭ କୃଷ୍ଣସାର ହରି । ସେ ଶଲ୍ୟ ବୃକ ଯେ ଚମରୀ । ।୫୫
ବରାହ ମହିଷ ଶଶକ । ଗୋପୁଚ୍ଛ ଆଦି ଶାଳାବୃକ । ।୫୬
କ୍ଷୁଦ୍ର ହରିଣଗଣ ଯେତେ । ଚରନ୍ତି ଯେ ଯାହା ଆୟେତ୍ତେ । ।୫୭
ସେ ଗଜପତି ଗଜଯୂଥେ । ଅନେକ ଭ୍ରମିଲା ବନସ୍ତେ । ।୫୮
ବରୁଣ-ହ୍ରଦ-ତୀରେ ଯାଇ । ତୃଷିତଲୋଚନେ ଅନାଇଁ । ।୫୯
ନିଦାଘ-ତାପେ କରୀଗଣ । ବ୍ୟାକୁଳ ବିଚଳିତ ମନ । ।୬୦
ମଦଜଳରେ ହୋଇ ଛନ୍ନ । ଅଙ୍ଗକୁ କଲେ ପ୍ରକମ୍ପନ । ।୬୧
ପଦ୍ମକୁ ତେଜି ଅଳିଗଣ । ହସ୍ତୀଙ୍କ ମଦ କଲେ ପାନ । ।୬୨
ଜଳ ଶୀତଳ ପୁଷ୍ପଗନ୍ଧେ । ଆଘ୍ରାଣ କରି ନାସାରନ୍ଧ୍ରେ । ।୬୩
କରିଣୀଯୂଥ ସଙ୍ଗେ ମିଶି । ସନ୍ତୋଷେ ଶୀତଜଳେ ପଶି । ।୬୪
ସୁବର୍ଣ୍ଣ-ପଦ୍ମବନ-ମଧ୍ୟେ । ସକଳେ ପଶିଲେ ଆନନ୍ଦେ । ।୬୫
ସକଳେ ହରଷ ବଦନ । ସନ୍ତୋଷେ କଲେ ଜଳପାନ । ।୬୬
ଜଳ ତୋଳନ୍ତି ଥୋର ହସ୍ତେ । ସିଞ୍ଚନ୍ତି ଅନ୍ୟେ ଅନ୍ୟଗାତ୍ରେ । ।୬୭
ନିଦାଘ କାଳେ ଶୀତଜଳେ । କ୍ରୀଡ଼ା କରନ୍ତି ସୁଖଭୋଳେ । ।୬୮
ଶବଦ ଶୁଭେ ଉଛୁଳିତ । ଯେସନେ ଜୀମୂତ-ଗର୍ଜିତ । ।୬୯
ଅଗାଧ-ଜଳେ ଗ୍ରାହ ଥିଲା । ଜଳେ ସେ ଶବଦ ଶୁଣିଲା । ।୭୦
ବେଗେ ଧାଇଁଲା କୋପମନେ । ମିଳିଲା ଗଜ ସନ୍ନିଧ୍ୟାନେ । ।୭୧
କେହି ନଦେଖେ ତାକୁ ଜଳେ । କୁମ୍ଭୀର ଅତି କୋପାନଳେ । ।୭୨
ଧଇଲା ଗଜପତି-ପାଦ । ଶବଦ କରି ଘୋରନାଦ । ।୭୩
ଦଇବ-ବଶେ ଯୋଗବଳେ । ହସ୍ତୀ ବିପତ୍ତି ଘୋରଜଳେ । ।୭୪
ଗ୍ରାହ ଧଇଲା ଅକସ୍ମାତେ । ଗଜଚରଣ ଦୃଢ଼ଘାତେ । ।୭୫
ସେ ଗଜପତି ବଳବନ୍ତ । ବଜ୍ରହୁଁ ଆଣ୍ଟ ତାର ଦନ୍ତ । ।୭୬
କି କରିପାରେ ତାର ଦନ୍ତେ । ବିଷ୍ଣୁଙ୍କ ମାୟାର ଆୟତ୍ତେ । ।୭୭
ଗଜ ସ୍ୱଭାବେ ମହାବଳୀ । ଚରଣ ନପାରିଲା ଚାଳି । ।୭୮
କରିଣୀଯୂଥ ତାହା ଦେଖି । ଦୁଃଖେ ହୋଇଲେ ଅଶ୍ରୁମୁଖୀ । ।୭୯
ସ୍ୱଭାବେ ଅତି ଶୀତ-ପାଣି । ଗଜ ନପାରେ ପାଦ ଆଣି । ।୮୦
ସେ ହସ୍ତୀପଲ ତାକୁ ଧରି । ଟାଣନ୍ତି ଘୋରନାଦ କରି । ।୮୧
ମୁଖରୁ ରୁଧିର ଗଳଇ । କେବେହେଁ ଗଜ ନ ଟଳଇ । ।୮୨
ବଳେ ଆଣନ୍ତି କିଛିଦୂର । କୁମ୍ଭୀର ଅତି ବଳୀୟାର । ।୮୩
ପୁଣି ଗଭୀର-ଜଳେ ଭରେ । ସୁଦୃଢ଼-ଦନ୍ତେ ପାଦ ଧରେ । ।୮୪
ଏମନ୍ତେ ଗଜ-ଗ୍ରାହ ଯୁଦ୍ଧ । ଗଗନେ ଦେଖନ୍ତି ବିବୁଧ । ।୮୫
ଗଜ ଟାଣନ୍ତେ ଅତି ଖରେ । ପୁଣି କୁମ୍ଭୀର ଜଳେ ଭରେ । ।୮୬
ଏମନ୍ତେ ସହସ୍ର-ବରଷ । ଯୁଦ୍ଧ ନୋହିଲା ଅବଶେଷ । ।୮୭
ଏମନ୍ତେ ଦୀର୍ଘକାଳ ଜଳେ । ଗଜ-କୁମ୍ଭୀର ମହାବଳେ । ।୮୮
କ୍ଷୀଣ ହୋଇଲା ଗଜପତି । ସଙ୍ଗତେ ଥିଲେ ଯେତେ ହସ୍ତୀ । ।୮୯
ଦଣ୍ଡେ ଚରନ୍ତି ଘୋରବନେ । ଜଳେ ବଞ୍ଚନ୍ତି ଚିତ୍ତଛନ୍ନେ । ।୯୦
ଗଜ କୁମ୍ଭୀର ଯୁଦ୍ଧଘାତେ । ସେ ଜଳେ ଜଳଜନ୍ତୁ ଯେତେ । ।୯୧
ଦୁଃଖିତେ ଛଟପଟ ହୋନ୍ତି । ଜଳୁ ପଳାଇ ନ ପାରନ୍ତି । ।୯୨
ଏହି ପ୍ରକାରେ ହୋଇ ଦୁଃଖୀ । ଗଜେ କାନ୍ଦନ୍ତି ତାହା ଦେଖି । ।୯୩
ଏମନ୍ତେ ପୂର୍ବ ପୁଣ୍ୟବଳେ । ବୁଦ୍ଧି ସ୍ଫୂରିଲା ତାକୁ ଜଳେ । ।୯୪
ଅନ୍ତରେ କରଇ ବିଚାର । ସେ ହରି ସଂସାରର ସାର । ।୯୫
ସଙ୍କଟୁ କରେ ପରିତ୍ରାଣ । ଯେ ତାରେ ପଶନ୍ତି ଶରଣ । ।୯୬
ଗଜ-କୁମ୍ଭୀର ଯୁଦ୍ଧବାଣୀ । ଆନନ୍ଦେ ଶୁଣନ୍ତି ଯେ ପ୍ରାଣୀ । ।୯୭
ଜନ୍ମମରଣେ ନାହିଁ ଭ୍ରାନ୍ତି । ହେଳେ ସଙ୍କଟୁ ତରିଯାନ୍ତି । ।୯୮
ଗୀତ-ପ୍ରବନ୍ଧେ ପରକାଶ । କହଇ ଜଗନ୍ନାଥ ଦାସ । ।୯୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ରୋପ୍ରଖ୍ୟାନେ ଦ୍ୱିତୀୟୋଽଧ୍ୟାୟଃ । ।

ତୃତୀୟ ଅଧ୍ୟାୟ

ଶୁକ ଉବାଚ

ଶୁଣ ପାଣ୍ଡବ ଚୂଡ଼ାମଣି । ଗଜେନ୍ଦ୍ର ବୋଲେ ମୋକ୍ଷବାଣୀ । ।୧
ଏମନ୍ତ ବୁଦ୍ଧି ସେ ବିଚାରି । ଚଞ୍ଚଳ ମନ ସ୍ଥିର କରି । ।୨
ପରମ-ଜପ ସେ ଜପିଲା । । ଯେ ପୂର୍ବଜନ୍ମେ ଶିକ୍ଷା ଥିଲା । ।୩
ଶ୍ରୀକୃଷ୍ଣ ଆଦି ବ୍ରହ୍ମପଦେ । ବୋଲେ ଆନନ୍ଦ ଗଦଗଦେ । ।୪

ଗଜେନ୍ଦ୍ର ଉବାଚ

ନମସ୍ତେ ପ୍ରଭୁ ଭଗବାନ । ଅଶେଷ ବ୍ରହ୍ମାଣ୍ଡ ଜୀବନ । ।୫
ତୋର ମହିମା ଚିଦାତ୍ମକ । ଅନାଦି ପୁରୁଷ ବିବେକ । ।୬
ଜୀବର ଆଦିବୀଜ ତୁହି । ପରମେଶ୍ୱରେ ନମେ ମୁହିଁ । ।୭
ଯାହାର ଦେହେ ବିଶ୍ୱ ବସେ । ଯା ତହୁଁ ଏ ବିଶ୍ୱ ପ୍ରକାଶେ । ।୮
ଏ ବିଶ୍ୱ-ସର୍ଜନା ଯହିଁରେ । ସ୍ୱୟଂ ଯେ ବିଶ୍ୱରୂପ ଧରେ । ।୯
କାର୍ଯ୍ୟ-କାରଣରୁ ଯେ ପର । ତୁ ବ୍ରହ୍ମ ଶରଣସୋଦର । ।୧୦
ଏ ଯେ ସଂସାର ମାୟାବଳେ । ଆତ୍ମାରୁ କଳ୍ପେ ଯେ ନିଶ୍ଚଳେ । ।୧୧
ପ୍ରକାଶ କରି ତିରୋହିତ । କରଇ ଊର୍ଣ୍ଣନାଭି ବତ । ।୧୨
ମଧ୍ୟେ ଦେଖଇ ସାକ୍ଷୀ ରୂପେ । କ୍ରୀଡ଼ା କରଇ କଳ୍ପେ କଳ୍ପେ । ।୧୩
ସେ ହରି ରଖୁ ମୋର ପ୍ରାଣ । ତା ପାଦେ ପଶିଲି ଶରଣ । ।୧୪
କାଳେ ସକଳ ଜୀବଧରି । ଅନ୍ତକ ରୂପେଣ ସଂହରି । ।୧୫
ସକଳ ହେତୁ କରେ ଅନ୍ତ । ତମ-ନିବିଡ଼ ଘୋରପଥ । ।୧୬
ସେ ତମ ପରେ ସେହୁ ବସେ । ବିରାଜରୂପେ ପରକାଶେ । ।୧୭
ତାର ମହିମା ବିଚାରଣେ । ଏ ଯେତେ ଦେବେ ଋଷିଗଣେ । ।୧୮
କେହି ନଜାଣେ ପ୍ରଭୁ ତୋତେ । ଅନେକ-ଶାସ୍ତ୍ର-ଯୋଗମତେ । ।୧୯
କେ ପ୍ରାଣୀ ତତ୍ତ୍ୱ ତୋ ଜାଣିବ । ଯହିଁ ଭ୍ରମନ୍ତି ବ୍ରହ୍ମା ଶିବ । ।୨୦
ନଟ-ଆକୃତି ପ୍ରାୟେ ଖେଳେ । ଏ ମାୟା-ଗହନ-ଶୟଳେ । ।୨୧
ମନ-କର୍ମରୁ ଦୂର ଯେହି । ସେ ହରି ରଖୁ ମୋର ଦେହୀ । ।୨୨
ଯାର ମହିମା ମୁନିଜନେ । ସକଳ-ଶାସ୍ତ୍ରେ ଅନୁମାନେ । ।୨୩
ବିମୁକ୍ତ-ସଙ୍ଗ ସାଧୁଜନେ । ତପ ସାଧନ୍ତି ଘୋରବନେ । ।୨୪
ଭୂତଙ୍କ ଆତ୍ମଭୂତ ଯେହୁ । ସେ ହରି ମୋର ଗତି ହେଉ । ।୨୫
ଯାହାର ଜନ୍ମକର୍ମ ନାହିଁ । ଅପର ଗୁଣଦୋଷ କାହିଁ । ।୨୬
ତଥାପି ଲୋକରକ୍ଷା ଅର୍ଥେ । ଆପେ ସମ୍ଭବ ଏ ଜଗତେ । ।୨୭
ସ୍ୱମାୟାବଳେ ଏ ଜଗତ । ସ୍ଥିତି ପାଳନ କରେ ଅନ୍ତ । ।୨୮
ଅରୂପରୂପ ଯେ ଅଦ୍ଭୁତ । ଆତ୍ମା ପ୍ରଦୀପ ସାକ୍ଷୀମତ । ।୨୯
ମନ-ବଚନେ ଅଗୋଚର । ପରମଆତ୍ମା ସୁଖଘର । ।୩୦
ସୂକ୍ଷ୍ମ-ନିର୍ମଳ ରୂପ ଯାର । ପଣ୍ଡିତଜନଙ୍କ ଗୋଚର । ।୩୧
ଯାହାକୁ ସତ୍ତ୍ୱଗୁଣେ ପାଇ । ନିଷ୍କାମଚିେତ୍ତେ ଯେବା ଧ୍ୟାୟି । ।୩୨
କୈବଲ୍ୟନାଥ ନମୋସ୍ତୁତେ । ନିର୍ବାଣସୁଖ ଯା ଉଦିତେ । ।୩୩
ତୁ ନାଥ ଶାନ୍ତ ଘୋରରୂପୀ । ମୂଢ଼ଧର୍ମେଣ ବିଶ୍ୱବ୍ୟାପୀ । ।୩୪
ଯେ ନିର୍ବଶେଷ ସାମ୍ୟରୂପ । ନମସ୍ତେ ଜ୍ଞାନ-ଘନ-ରୂପ । ।୩୫
କ୍ଷେତ୍ରଜ୍ଞରୂପୀ ନମୋନମ । ସର୍ବଜ୍ଞ ସାକ୍ଷୀ ନିଜଧାମ । ।୩୬
ସେ ଏ ଜଗତ ଆଦିମୂଳ । ମୂଳ ପ୍ରକୃତି ସୂକ୍ଷ୍ମସ୍ଥଳ । ।୩୭
ସର୍ବ-ଇନ୍ଦ୍ରିୟଗଣ ଦ୍ରଷ୍ଟା । ସର୍ବ ବିଷୟ ଆଦିସ୍ରଷ୍ଟା । ।୩୮
ଅଭକ୍ତ ଜନେ ଅପ୍ରକାଶ । ଭକତପଦେ ରବିତ୍ରାସ । ।୩୯
ଅଖିଳକାରଣ-ସ୍ୱରୂପୀ । ଅଦ୍ଭୁତ ରୂପେ ବିଶ୍ୱବ୍ୟାପୀ । ।୪୦
ସର୍ବ-ଆଗମ ବେଦସ୍ଥାନ । ନମସ୍ତେ ମୋକ୍ଷପରାୟଣ । ।୪୧
ସ୍ୱୟଂପ୍ରକାଶ ଗୁଣପାଶେ । ବନ୍ଧନ ନୋହୁ ତୁ ବିଶେଷେ । ।୪୨
ତୁ ଅପବର୍ଗ-ପରାୟଣ । ନମଇଁ ତୋହର ଚରଣ । ।୪୩
ତୁ ନାଥ କରୁଣାସାଗର । ତୋ ପାଦେ ଶରଣ ମୋହର । ।୪୪
ଅଶେଷ-ଜନ୍ତୁ ହୃଦଗତେ । ତୋର ପ୍ରକାଶ ଆତ୍ମାମତେ । ।୪୫
ସକଳ ଦେଖୁ ନାଥ ତୁହି । ତୋ ଅନୁଭବ କେ ଜାଣଇ । ।୪୬
ତୁ ବ୍ରହ୍ମ ପରମମଙ୍ଗଳ । ନମସ୍ତେ ପ୍ରଭୁ ଆଦିମୂଳ । ।୪୭
ତୁ ନାଥ କରୁଣାସ୍ୱରୂପୀ । ତୃଣ-କାଷ୍ଠରେ ଅଛୁ ବ୍ୟାପୀ । ।୪୮
ମୋହର ପ୍ରାୟ ପଶୁଗଣ । ବିପଦ ପାଶୁଁ କର ତ୍ରାଣ । ।୪୯
ଆତ୍ମା-ଆତ୍ମଜ-ଗୃହ-ବିତ୍ତେ । ମମତା କରେ ଦୃଢ଼ଚିତ୍ତେ । ।୫୦
ଯେ ପ୍ରାଣୀ ଗୃହବନ୍ଧେ ମଜ୍ଜେ । ସେ ତୋତେ କେବେହେଁ ନ ଭଜେ । ।୫୧
ଯେ ମୁକ୍ତସଙ୍ଗ ଏ ଜଗତେ । ସେ ତୋତେ ଭଜେ ଅବିରତେ । ।୫୨
ଏଣୁ ବିବେକୀ ପ୍ରାଣୀଙ୍କର । ତୁ ନାଥ ଶୁଭ-ସୁଖଘର । ।୫୩
ହେ ଜ୍ଞାନାତ୍ମକ ଭଗବାନ । ସର୍ବ-ଈଶ୍ୱର ନମୋନମ । ।୫୪
ଧର୍ମାର୍ଥ-କାମ-ଲୋଭୁ ମୁକ୍ତ । ନିଷ୍କାମେ ଭଜେ ଅବିରତ । ।୫୫
ଅନ୍ତେ ଲଭନ୍ତି ଇଷ୍ଟଗତି । ଦୁଃଖେ ସଙ୍କଟେ ନ ପଡ଼ନ୍ତି । ।୫୬
ଅବ୍ୟୟସ୍ଥାନେ ରହେ ମନ । ଏଣୁ ଲଭନ୍ତି ଦିବ୍ୟଜ୍ଞାନ । ।୫୭
ମୁଁ ଏବେ ଶରଣ ତୋହର । ଏ ଗ୍ରାହ-ମୁଖୁ କର ପାର । ।୫୮
ଏକାନ୍ତ ଚିତ୍ତେ ଯେ ଭଜନ୍ତି । ବିଷୟ-ସୁଖ ନ ବାଞ୍ଛନ୍ତି । ।୫୯
ତୋ ଜ୍ଞାନ-ସୁଧା-ରସ ପାଇ । ଅଧିକ ବାଞ୍ଛା ତାଙ୍କ ନାହିଁ । ।୬୦
ଅତି ଅଦ୍ଭୁତ ତୋ ଚରିତ । ଆନନ୍ଦ ରୂପେ ସୁଲଳିତ । ।୬୧
ତୋ କଥା-ସୁଧା-ସିନ୍ଧୁ-ଜଳେ । ଅବଗାହନ ସୁଖଭୋଳେ । ।୬୨
କରି ତରନ୍ତି ଦିବ୍ୟଦେହୀ । ଏଣୁ ତୋ ମହିମା କେ କହି । ।୬୩
ଅକ୍ଷୟ କ୍ଷୟ ନାହିଁ ଯାର । ଯେ ବ୍ରହ୍ମ ପରମ ଈଶ୍ୱର । ।୬୪
ଅବ୍ୟକ୍ତ ଅଧ୍ୟାତ୍ମ ସ୍ୱରୂପୀ । ପରମ-ଯୋଗବଳେ ବ୍ୟାପୀ । ।୬୫
ଏଣୁ ଯେ ଅତିଦୂରେ ରହେ । ଅତ୍ୟନ୍ତ ସୂକ୍ଷ୍ମ ସୂକ୍ଷ୍ମ ହୋଏ । ।୬୬
ଅନନ୍ତ ଆଦି ପରିପୂର୍ଣ୍ଣ । ସେ ହରି ରଖୁ ମୋ ଜୀବନ । ।୬୭
ମନବଚନ ତା ଚରଣେ । ନିବେଦନ ମୋ ଅନୁକ୍ଷଣେ । ।୬୮
ଏ ଘୋର-ଗ୍ରାହ-ବନ୍ଧ-ପାଶୁ । ଉଦ୍ଧରି ସେ ମୋତେ ଆଶ୍ୱାସୁ । ।୬୯
ଯାର ଅଳପ କଳା ଘେନି । ବ୍ରହ୍ମାଦି ଦେବେ ସୁରମୁନି । ।୭୦
ସଂସାର ଚରାଚର ଯେତେ । ପ୍ରକାଣ୍ଡ ନାମ ରୂପ ମତେ । ।୭୧
ଅଗ୍ନି ସବିତା ଜ୍ୟୋତି ଯେହ୍ନେ । ପ୍ରକାଶି ପ୍ରବେଶନ୍ତି ତେହ୍ନେ । ।୭୨
ଗୁଣ ପ୍ରବାହ ଏ ସଂସାର । ଇନ୍ଦ୍ରିୟ ବୁଦ୍ଧି ଅହଙ୍କାର । ।୭୩
ଶରୀର ଆଦି ଏହିମତେ । ପ୍ରବେଶ ହୋନ୍ତି ତାର ଗାତ୍ରେ । ।୭୪
ଯେ ନୋହେ ଦେବାସୁର ମର୍ତ୍ତ୍ୟ । ନ ସ୍ତିରୀ ନ ପୁରୁଷ ଗାତ୍ର । ।୭୫
ଜନ୍ମ ଶରୀର ପଶୁ ଆଦି । ରୂପେ ଅରୂପେ ନ ସମ୍ପାଦି । ।୭୬
କେବେହେଁ ନୋହେ କର୍ମଗୁଣ । ସତ୍ୟ ଅସତ୍ୟ ନୋହେ ଜାଣ । ।୭୭
ନିଃଶେଷ ଶେଷ ପରିପୂର୍ଣ୍ଣ । ଏଣୁ ଏ ଅନାଦି କାରଣ । ।୭୮
ନମସ୍ତେ ନମସ୍ତେ ଅନନ୍ତ । ଅସହ୍ୟ ବେଗ ବଳବନ୍ତ । ।୭୯
ଯାହାର ଅଟେ ଶକ୍ତି-ତ୍ରୟ । ଅଖିଳ ବୁଦ୍ଧି ଗୁଣମୟ । । ।୮୦
ପ୍ରପନ୍ନଜନ ଯେ ପାଳଇ । ଦୁରନ୍ତ ଶକ୍ତି ଯାର ଦେହୀ । ।୮୧
କୁତ୍ସିତ ଇନ୍ଦ୍ରିଗଣେ ଯାର । ମାର୍ଗ ନ କରାନ୍ତି ଗୋଚର । ।୮୨
ମୁଁ ଗ୍ରାହଗ୍ରସ୍ତେ ଗ୍ରସ୍ତ ହୋଇ । ଆତ୍ମା ଶରୀର ନ ଜାଣଇ । ।୮୩
ଯେ ହରି ସଂସାର-କାରଣ । ତା ପାଦେ ପଶିଲି ଶରଣ । ।୮୪
ରଖୁ ନ ରଖୁ ସେ ଜାଣଇ । ତା ବିନୁ ଆନଗତି ନାହିଁ । ।୮୫
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ସାବଧାନେ ଶୁଣ । ।୮୬

 

ଶୁକ ଉବାଚ

ଏମନ୍ତେ ଗଜରାଜ ସ୍ତୁତି । ଗୋବିନ୍ଦ ପାଦେ ଦେଇ ମତି । ।୮୭
ଇନ୍ଦ୍ରାଦି ଦେବେ ଗମ୍ୟ ନୋହେ । ଯେ ପୂର୍ବଭାଗ୍ୟର ଉଦୟେ । ।୮୮
ଗଜ ବିକଳ ଶୁଣି ହରି । ସତ୍ୱରେ ଚିତ୍ତେ ମୋଦଭରି । ।୮୯
ଯେ ହରି ସର୍ବ-ଦେବମୟେ । ଅଶେଷ ବିଶ୍ୱ ଯାର ଦେହେ । ।୯୦
ସର୍ବଦେବତା ମିଳି ସଙ୍ଗେ । ସ୍ତୁତି କରନ୍ତି ନାନାରଙ୍ଗେ । ।୯୧
ଗରୁଡ଼ ପୃଷ୍ଠେ ବିଜେ କରି । କରେ ପ୍ରଚଣ୍ଡ-ଚକ୍ର ଧରି । ।୯୨
ବେଗେ ମିଳିଲେ ଗଜ ପାଶେ । ବିବୁଧେ ଦେଖନ୍ତି ଆକାଶେ । ।୯୩
ଗଜେନ୍ଦ୍ର ସରୋବର ଜଳେ । ଗ୍ରାହଗ୍ରସିତ ପାଦମୂଳେ । ।୯୪
ଦେଖଇ ଗରୁଡ଼-ପୁଷ୍ଠର । ଆକାଶେ ବିଜେ ଚକ୍ରଧର । ।୯୫
ପଦ୍ମ ଗୋଟିଏ ଘେନି ହସ୍ତେ । ଊର୍ଦ୍ଧ୍ୱେ ଚାହିଁଲା ଶୂନ୍ୟପଥେ । ।୯୬
ବେଗେ ନମିଲା ଶୁଣ୍ଢ ତୋଳି । ଦେଖନ୍ତେ ପ୍ରଭୁ ବନମାଳୀ । ।୯୭
ଚକ୍ର ବିରାଜେ ଦକ୍ଷକରେ । ସୂର୍ଯ୍ୟ କି ଉଦିତ ଅମ୍ବରେ । ।୯୮
ଡାକଇ ଆରତଭଞ୍ଜନ । ଭୋ ନାଥ ରଖ ମୋ ଜୀବନ । ।୯୯
ହେ ନାରାୟଣ ବିଶ୍ୱଗୁରୁ । ଆରତଜନ ଦୁଃଖ ହରୁ । ।୧୦୦
ନମସ୍ତେ ପ୍ରଭୁ ଭଗବାନ । ତୁ ନାଥ ଜଗତ-ଜୀବନ । ।୧୦୧
ଗ୍ରାହ-ପୀଡ଼ିତ ଗଜ ଦେଖି । ତକ୍ଷଣେ ଗରୁଡ଼ ଉପେକ୍ଷି । ।୧୦୨
ଜଳେ ପଶିଲେ ଚକ୍ରପାଣି । ଚକ୍ରେ କୁମ୍ଭୀର ମୁଣ୍ଡ ହାଣି । ।୧୦୩
କୁମ୍ଭୀର ମୁଖୁଁ ବନମାଳୀ । ହସ୍ତୀ ଚରଣ ହସ୍ତେ ତୋଳି । ।୧୦୪
ଦେଖନ୍ତି ଶୂନ୍ୟେ ଦିଗପାଳେ । ଗଜକୁ ଘେନି ବିଜେ କୂଳେ । ।୧୦୫
ଅଶେଷ ହରିର ମହିମା । କେ କହିପାରେ ଗୁଣସୀମା । ।୧୦୬
ଗଜକୁ ରଖିଲେ ଯେମନ୍ତେ । ଅଷ୍ଟମ ସ୍କନ୍ଧେ ଭାଗବତେ । ।୧୦୭
ଭାଷା-ପ୍ରବନ୍ଧେ ହରି ବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୧୦୮
ବୋଲଇ ବିପ୍ର ଜଗନ୍ନାଥ । ସୁଜନେ ଶୁଣ ଏ ଚରିତ । ।୧୦୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣେ ତୃତୀୟୋଽଧ୍ୟାୟଃ । ।

ଚତୁର୍ଥ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ହେତୁ ହୋଇ । ହରି-ଚରଣେ ମନ ଦେଇ । ।୧
ବରୁଣ ହ୍ରଦେ ଚକ୍ରପାଣି । ଗଜେନ୍ଦ୍ର ମୋକ୍ଷ କଲେ ଶୁଣି । ।୨
ଦେଖିବା ଅର୍ଥେ ଦେବଗଣେ । ମଙ୍ଗଳ-ସ୍ତୁତି ଉଚ୍ଚାରଣେ । ।୩
ବ୍ରହ୍ମା ଶଙ୍କର ଦେବଋଷି । ଗନ୍ଧର୍ବେ କୁସୁମ ବରଷି । ।୪
ହରିର କର୍ମ ପ୍ରଶଂସନେ । ମିଳିଲେ ଗଜ-ସନ୍ନିଧ୍ୟାନେ । ।୫
ଦେବଦୁନ୍ଦୁଭି ନାଦ କରି । ନୃତ୍ୟ କରନ୍ତି ଅପସରୀ । ।୬
ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ । ମଙ୍ଗଳ-ସ୍ତୁତି ଉପଚାରେ । ।୭
ଋଷି-ଚାରଣ-ସିଦ୍ଧଗଣେ । ଆଗମ-ନିଗମ ପ୍ରମାଣେ । ।୮
ପୁରୁଷୋତ୍ତମ ରୂପ ଚାହିଁ । ସ୍ତୁତି କରନ୍ତି ଭାବବହି । ।୯
ଭୂମି ଅନ୍ତରୀକ୍ଷ ଗଗନେ । ମଙ୍ଗଳ ସ୍ତୁତି ତୋଷମନେ । ।୧୦
କରନ୍ତି ଜୟ ଜୟ ବାଣୀ । କୁମ୍ଭୀର-ଦେହ ଜଳୁ ପୁଣି । ।୧୧
ତକ୍ଷଣେ ହୋଇଲା ବାହାର । କି ଅବା ଦେବା ପଟାନ୍ତର । ।୧୨
ରବି-ଶଶାଙ୍କ-ଅଗ୍ନି ଗଞ୍ଜେ । ଅଦ୍ଭୁତ ରୂପ ତେଜପୁଞ୍ଜେ । ।୧୩
ଦେବଳ ଶାପୁଁ ପାର ଗଲା । ଯେ ବିଷ୍ଣୁଚକ୍ରେ ପ୍ରାଣ ଦେଲା । ।୧୪
ହୁହୁ ଗନ୍ଧର୍ବ ତାର ନାମ । ସ୍ୱଭାବେ ରୂପ ତେଜଧାମ । ।୧୫
ଦେଖନ୍ତି ସର୍ବ ଦେବଗଣେ । ବିଷ୍ଣୁ ଚରଣେ ତୋଷମନେ । ।୧୬
ଶତପ୍ରଣାମ ଦଣ୍ଡବତେ । ନମିଲା ହରି ପାଦାଗ୍ରତେ । ।୧୭
ଉଠି ଅଞ୍ଜଳି ଶିରେ ଦେଇ । ଗାନ୍ଧାର-ରାଗେ ଗୀତ ଗାଇ । ।୧୮
ଆନନ୍ଦେ ନମିଲା ଚରଣେ । ହରିର ଆଜ୍ଞା ପରମାଣେ । ।୧୯
ଦେଖନ୍ତି ସର୍ବ ଦେବତାଏ । ଗମିଲା ଗନ୍ଧର୍ବର ଦେହେ । ।୨୦
ଗଜ ଯେ ଥିଲା କୃଷ୍ଣପାଶେ । ଗୋବିନ୍ଦ ଚରଣ-ସ୍ପରଶେ । ।୨୧
ତକ୍ଷଣେ ହୋଇ କୃତକୃତ୍ୟ । ଅଜ୍ଞାନ-ବନ୍ଧନୁ ବିମୁକ୍ତ । ।୨୨
ବିଷ୍ଣୁର ରୂପ ପରକାଶେ । ରତ୍ନକୁଣ୍ଡଳ ରବି ତ୍ରାସେ । ।୨୩
କଟୀରେ ପୀତବସ୍ତ୍ର ଶୋହେ । ହାର କେୟୂର ଜନ ମୋହେ । ।୨୪
ସୁନ୍ଦର ଶୋହେ ଚାରିଭୁଜ । ବିଷ୍ଣୁ-ଆୟୁଧ ଦିବ୍ୟତେଜ । ।୨୫
ତକ୍ଷଣେ ଦିବ୍ୟରୂପ ହୋଇ । ଗରୁଡ଼ ପୃଷ୍ଠରେ ଆରୋହି । ।୨୬
ଗରୁଡ଼ ଉଡ଼ି ମହାଶୂନ୍ୟେ । ପଶିଲା ବିଷ୍ଣୁର ଭୁବନେ । ।୨୭
ଶୁଣ ପରୀକ୍ଷ ନରନାଥ । ସେ ଗଜଇନ୍ଦ୍ରର ଚରିତ । ।୨୮
ଦ୍ରାବିଡ଼ି-ଦେଶେ ପାଣ୍ଡ୍ୟନାମ । ଶୁଭସୁନ୍ଦର ଗୁଣଧାମ । ।୨୯
ରାଜା ଯେ ଇନ୍ଦ୍ରଦ୍ୟୁମ୍ନ ନାମ । ବିଷ୍ଣୁର ବ୍ରତ ପରାୟଣ । ।୩୦
ସେ ରାଜା ବସି ଏକଦିନେ । ବିଷ୍ଣୁପୂଜନେ ଦୃଢ଼ମନେ । ।୩୧
ନିଶ୍ଚଳେ ବସି କୁଳାଚଳେ । ମନ ନିବେଶି ପାଦମୂଳେ । ।୩୨
ମଉନବ୍ରତେ ଜପକରି । ଧ୍ୟାନେ ଚିନ୍ତଇ ନରହରି । ।୩୩
ଜଟା-କଳାପ ଶିରେ ସାଜେ । ପ୍ରକାଶେ ବନଭୂମି ତେଜେ । ।୩୪
ଅନେକ ଶିଷ୍ୟଗଣ ତୁଲେ । ଅଗସ୍ତି ମୁନି ବିଜେ କଲେ । ।୩୫
ତାହାଙ୍କୁ ଦେଖି ନ ଉଠିଲା । ସୁଖେ ସମ୍ଭାଷଣ ନ କଲା । ।୩୬
ଏମନ୍ତ ଦେଖି ମୁନିଗଣେ । ବେଗେ ଉଠିଲେ କୋପମନେ । ।୩୭
ବୋଲନ୍ତି ଏକ ଆରେ ଚାହିଁ । ଦେଖ ଏହାର ଜ୍ଞାନ ନାହିଁ । ।୩୮
ଅବଜ୍ଞା କଲା ବିପ୍ରଗଣେ । ଗଜର ପ୍ରାୟେ ମୂଢ଼ପଣେ । ।୩୯
ରାଜସମ୍ପଦ ଗର୍ବଭରେ । ବିପ୍ରଙ୍କୁ ଅମାନନା କରେ । ।୪୦
ଅନ୍ତେ ପଡ଼ିବ ତମଘୋରେ । କେବେହେଁ ଦୁଃଖୁଁ ନ ନିସ୍ତରେ । ।୪୨
ଏ ଧର୍ମଦୂଷଣ ପ୍ରସ୍ତାବେ । ଗଜ ଏ ହେବ ଏହି ଭାବେ । ।୪୨
ଗହନ-ବନେ ଚିରକାଳେ । ଗ୍ରାହ ଗ୍ରାସିବ ହ୍ରଦଜଳେ । ।୪୩
ଏମନ୍ତ ଶାପ ତାକୁ ଦେଇ । ମୁନିଏ ଗଲେ ପଥ ବାହି । ।୪୪
ସେ ରାଜା ପ୍ରାଣତ୍ୟାଗ କାଳେ । ଗଜ ଦେଖିଲା ବେନିଡ଼ୋଳେ । ।୪୫
ଯେ ଗଜଯୋନି ଜ୍ଞାନ ହରେ । ନିବାସ ଘନ-ବନ-ଘୋରେ । ।୪୬
ଯେଣୁ ଗୋବିନ୍ଦ ଭଜିଥିଲା । ସେ ଭାବେ ହରି ସୁମରିଲା । ।୪୭
ଏମନ୍ତେ ଗଜ ମୋକ୍ଷ କରି । ନିଜ ଭୁବନେ ଗଲେ ହରି । ।୪୮
ଏବେ ହୋ ପରୀକ୍ଷିତ ଶୁଣ । କହିଲି ଗଜେନ୍ଦ୍ରମୋକ୍ଷଣ । ।୪୯
ଏକଥା ଫଳ ଶୁଣ ଏବେ । ଯେ ନର ଶୁଣେ ଭକ୍ତିଭାବେ । ।୫୦
ଯେ ଅବା ଉଚ୍ଚାରେ ବଦନେ । ଯେବା ପୁଚ୍ଛନ୍ତି ଅନ୍ୟ ଅନ୍ୟେ । ।୫୧
ସର୍ବସମ୍ପଦ ଯଶସ୍କର । କଳି-କଳୁଷ ଦୁଃଖ ହର । ।୫୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ସ୍ମରଣେ ନାଶେ ସର୍ବପୀଡ଼ା । ।୫୩
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । ଯେବା ଚିନ୍ତନ୍ତି ଏହା ମନେ । ।୫୪
ରଜନୀ ଅନ୍ତେ ଉଷାକାଳେ । କର-ବଦନ ଧୋଇ ଜଳେ । ।୫୫
ଗଜେନ୍ଦ୍ରମୋକ୍ଷ ଯେ ଶୁଣନ୍ତି । କି ଅବା ବଦନେ ଗୁଣନ୍ତି । ।୫୬
ଦୁଃସ୍ୱପ୍ନ ଗ୍ରହପୀଡ଼ା ନାଶେ । ନିର୍ମଳଜ୍ଞାନ ପରକାଶେ । ।୫୭
ସକଳ ଦେବଋଷି ମଧ୍ୟେ । ଗୋବିନ୍ଦ କହିଲେ ଆନନ୍ଦେ । ।୫୮
ଗଜେନ୍ଦ୍ର ମୁଖ ଚାହିଁ ହରି । କହନ୍ତି ଜନେ ଦୟାକରି । ।୫୯

ଭଗବାନ ଉବାଚ

ଗଜେନ୍ଦ୍ର ଶୁଣ ମୋ ବଚନ । ଅଶେଷ ଦୁରିତ ଦହନ । ।୬୦
ଯେ ନର ଅହୋରାତ୍ର ଅନ୍ତେ । ଶୁଚି ନିର୍ମଳ ଶୁଦ୍ଧଚିତ୍ତେ । ।୬୧
ମୋତେ ସ୍ମରିବ ସଙ୍ଗେ ତୋର । ଆବର ଏହି ସରୋବର । ।୬୨
ପର୍ବତ-କନ୍ଦର-କାନନ । ବେତ କୀଚକ ବେଣୁବନ । ।୬୩
ସୁରପାଦପ ଗୁଳ୍ମ ଆଦି । ପର୍ବତ-ତ୍ରିଶୃଙ୍ଗ ସମ୍ପାଦି । ।୬୪
ବ୍ରହ୍ମା-ଭୁବନ ମୋ ନିବାସ । ଶଙ୍କର ସ୍ଥାନ କପିଳାସ । ।୬୫
କ୍ଷୀରଜଳଧି ପ୍ରିୟ ମୋର । ଯେ ଶ୍ୱେତଦୀପ ମନୋହର । ।୬୬
ଶ୍ରୀବତ୍ସ କଉସ୍ତୁଭ ମଣି । ଚତୁରଭୁଜ ପରିମାଣି । ।୬୭
ଶଙ୍ଖ କମଳ ଚକ୍ର ଗଦା । ଚତୁରଭୁଜେ ଶୋହେ ସଦା । ।୬୮
ବିନତାନନ୍ଦନ ଅନନ୍ତ । କମଳା ମୋର ହୃଦେ ସ୍ଥିତ । ।୬୯
ବ୍ରହ୍ମା ଶଙ୍କର ଯେ ନାରଦ । ଭକତ ମଧ୍ୟେ ପ୍ରହଲ୍ଲାଦ । ।୭୦
ମତ୍ସ୍ୟକଚ୍ଛପ କୋଳ ଆଦି । ଯେ ରୂପ ଅଛି ମୁଁ ସମ୍ପାଦି । ।୭୧
ଅଶେଷ ଗୁଣ କର୍ମ ଯେତେ । ମୋହର ଯଶ ଏ ଜଗତେ । ।୭୨
ରବି ଶଶାଙ୍କ ହୁତାଶନ । ପ୍ରଣବ ସତ୍ୟ ଯେ ବଚନ । ।୭୩
ଗୋ ବିପ୍ର ଆଦି ଧର୍ମ ଯେତେ । ଋଷି ଦେବତା ଯଜ୍ଞମତେ । ।୭୪
ଦକ୍ଷଦୁହିତା ମନୁ ଯେତେ । ପୂର୍ବେ ମୁଁ କହିଅଛି ତୋତେ । ।୭୫
ସୋମ କଶ୍ୟପବଂଶ ଆଦି । ସୃଷ୍ଟି-ସର୍ଜନେ ଯେ ପ୍ରସିଦ୍ଧି । ।୭୬
ଗଙ୍ଗା କାଳିନ୍ଦୀ ସରସ୍ୱତୀ । ଅଇରାବତ ନନ୍ଦାବତୀ । ।୭୭
ଧ୍ରୁବାଦି ସପ୍ତଋଷି ଯେତେ । ଯେ ପୁଣ୍ୟଶ୍ଳୋକ ଏ ଜଗତେ । ।୭୮
ସ୍ମରଣେ ସର୍ବପାପ ହରେ । ଏ ଘୋର-ସଙ୍କଟୁ ନିସ୍ତରେ । ।୭୯

ଶୁକ ଉବାଚ

ଏମନ୍ତ କହି ଦେବବୃନ୍ଦେ । ସେ ହରି ପରମଆନନ୍ଦେ । ।୮୦
ଆରୋହି ଗରୁଡ଼ ଉପରେ । ତକ୍ଷଣେ ଗଲେ ନିଜପୁରେ । ।୮୧
ସୁଜନ ହିତେ ଭାଗବତ । କହଇ ଦାସ ଜଗନ୍ନାଥ । ।୮୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣଂ ନାମ ଚତୁର୍ଥୋଽଧ୍ୟାୟଃ । ।

ପଞ୍ଚମ ଅଧ୍ୟାୟ

ଶୁକ କହନ୍ତି ଗଙ୍ଗାକୂଳେ । ସକଳ ମହାରଷି ମେଳେ । ।୧

ଶୁକ ଉବାଚ

ହରି ଚରିତ ସୁଧାସାର । ଗଜ କୁମ୍ଭୀରର ନିସ୍ତାର । ।୨
ପ୍ରସନ୍ନେ କହି ରାଜା ଆଗେ । ପୁଣ କହନ୍ତି ଅନୁରାଗେ । ।୩
ଶୁଣ ହେ ଅଭିମନ୍ୟୁସୁତ । ଅଦ୍‌ଭୁତ ଗୋବିନ୍ଦ ଚରିତ । ।୪
ତୋତେ କହିଲୁ ହରିଗୁଣ । ମନୁ-ଚରିତ ଏବେ ଶୁଣ । ।୫
ପଞ୍ଚମେ ତାମସ-ସୋଦର । ରୈବତ ନାମେ ମନୁବର । ।୬
ଅର୍ଜ୍ଜୁନ ବଳିବିନ୍ଧ୍ୟ ନାମ । ତାର ତନୟ ଅନୁପମ । ।୭
ଇନ୍ଦ୍ର ବସଇ ବିଭୁ ନାମ । ଘେନି ଦେବତା ଋଷିଗଣ । ।୮
ଦେବତା ଭୂତରୟ ଆଦି । ଏ ଭାବେ ଅମର ପ୍ରସିଦ୍ଧି । ।୯
ହିରଣ୍ୟରୋମା ବେଦଶିର । ଊର୍ଦ୍ଧ୍ୱବାହୁ ଯେ ମୁନିବର । ।୧୦
ବିକୁଣ୍ଠା ନାମେ ଶୁଭ୍ର ନାରୀ । ରୂପେ କମଳା ନୋହେ ସରି । ।୧୧
ବୈକୁଣ୍ଠପୁର ଲୋକ ସଙ୍ଗେ । ବିଷ୍ଣୁ ତାହାର ନିଜ ଅଙ୍ଗେ । ।୧୨
ଜନ୍ମ ହୋଇଲେ ନିଜଧାମ । ଏଣୁ ବୈକୁଣ୍ଠ ତାର ନାମ । ।୧୩
ବୈକୁଣ୍ଠପୁର ମନେ କଳ୍ପି । ଯହିଁ ବିଜୟେ ବିଶ୍ୱରୂପୀ । ।୧୪
ସେ ସର୍ବଲୋକ ନମସ୍ତୁତ । ଶୁଣ ନୃପତି ପରୀକ୍ଷିତ । ।୧୫
ଲକ୍ଷ୍ମୀର ପ୍ରାର୍ଥନେ ମୁରାରି । କମଳା ତୁଲେ ପ୍ରୀତିକରି । ।୧୬
ନିବାସ କଲେ ପ୍ରିୟଭାବେ । ବିଷ୍ଣୁଭକତଙ୍କର ଲାଭେ । ।୧୭
ବୈକୁଣ୍ଠ ଗୁଣ ଭାବ ଯେତେ । ଭାବେ କହିଛି ତୋ ଅଗ୍ରତେ । ।୧୮
ଏ ବିଷ୍ଣୁଗୁଣ ପରିମାଣୁ । କେ ଗଣିପାରେ ଭୂମିରେଣୁ । ।୧୯
ଶୁଣ ରାଜନ ମନତୋଷେ । ଏବେ କହିବା ମନୁବଂଶେ । ।୨୦
ଷଷ୍ଠରେ ଚକ୍ଷୁଷଙ୍କ ସୁତ । ଚାକ୍ଷୁଷ ନାମେ ସେ ବିଦିତ । ।୨୧
ପୁରୁ ପୁରୁଷ ସୁଦ୍ୟୁମ୍ନ ଯେ । ପ୍ରମୁଖ ଚାକ୍ଷୁଷ ତନୁଜେ । ।୨୨
ଇନ୍ଦ୍ରର ନାମ ମନ୍ତ୍ରଦ୍ରୁମ । ଆପ୍ୟାଦି ଦେବଗଣ ନାମ । ।୨୩
ହବିଷ୍ମ ବୀରକାଦି ମୁନି । ଉଦୟେ ନିଜଗୁଣ ଘେନି । ।୨୪
ସେ ମନୁ କାଳେ ଚକ୍ରଧର । ଦେବ ସମ୍ଭୂତିର ଉଦର । ।୨୫
ଅଜିତ ନାମେ ଭଗବାନ । ବୈରାଜ ଋଷିର ନନ୍ଦନ । ।୨୬
ଯେ ରୂପେ ସମୁଦ୍ର ମନ୍ଥିଲେ । ସୁରଗଣଙ୍କୁ ସୁଧା ଦେଲେ । ।୨୭
ଜଳେ ବୁଡ଼ନ୍ତେ ଗିରିବର । କୂର୍ମ ରୂପେ ଧରି ମନ୍ଦର । ।୨୮
ଅମୃତ ଦେଲେ ଦେବଗଣେ । ଅସୁର ମୋହି ସ୍ତିରୀପଣେ । ।୨୯
ଶୁକ-ଚରଣ-ତଳେ ବସି । ବୋଲେ ପରୀକ୍ଷ କୁରୁବଂଶୀ । ।୩୦

ରାଜା ଉବାଚ

ଭୋ ମୁନି ଅସମ୍ଭବ କଥା । ସମୁଦ୍ର-ମନ୍ଥନ ବ୍ୟବସ୍ଥା । ।୩୧
କିମର୍ଥେ ପ୍ରଭୁ ଜନାର୍ଦ୍ଦନ । କଳ୍ପିଲେ କ୍ଷୀରବ୍‌ଧି-ମନ୍ଥନ । ।୩୨
କେମନ୍ତେ କୂର୍ମରୂପ ଧରି । ପୃଷ୍ଠେ ବହିଲେ ମହାଗିରି । ।୩୩
କେମନ୍ତେ ସର୍ବ ଦେବଗଣ । ସନ୍ତୋଷେ କଲେ ସୁଧାପାନ । ।୩୪
ଅନ୍ୟ ବା କି କି ଉପୁଜିଲା । କେତେ ବା ସମ୍ଭୂତ ହୋଇଲା । ।୩୫
ବିଷ୍ଣୁ-ଚରିତ ଅଗୋଚର । ଭ୍ରମନ୍ତି ବ୍ରହ୍ମା ଶିବ ସୁର । ।୩୬
ହରି-ମହିମା ତୁମ୍ଭ ମୁଖେ । ଶ୍ରବଣେ ପାନକରି ସୁଖେ । ।୩୭
ତୃପତ ନୋହିଲା ମୋ ପ୍ରାଣ । ଭୋ ମୁନି କର ପରିତ୍ରାଣ । ।୩୮
ଶୁକ କହନ୍ତି ବ୍ରହ୍ମମତେ । ସକଳ ଋଷିଙ୍କ ଅଗ୍ରତେ । ।୩୯
ସୂତ ଉବାଚ ଏମନ୍ତେ ପରୀକ୍ଷିତ ବାଣୀ । ଶୁକ ଆନନ୍ଦ ମନେ ଗୁଣି । ।୪୦
ହରି-ମହିମା ସୁଖେ ମଜ୍ଜି । ଦଣ୍ଡେ ରହିଲେ ଚକ୍ଷୁ ବୁଜି । ।୪୧
ଅନ୍ତସ୍କରଣେ ହରି ଧ୍ୟାୟୀ । କହନ୍ତି ରାଜାମୁଖ ଚାହିଁ । ।୪୨

ଶୁକ ଉବାଚ

ପୂର୍ବେ ଯେ ଦେବାସୁର-ରଣେ । ଯୁଦ୍ଧେ ହାରିଲେ ଦେବଗଣେ । ।୪୩
ପଡ଼ିଲେ ଗତପ୍ରାଣ ପ୍ରାୟେ । ଜ୍ଞାନ ନ ଲଭନ୍ତି କେବେହେଁ । ।୪୪
ଦୁର୍ବାସା ମୁନିଙ୍କର କ୍ରୋଧ । ଧ୍ୱଂସିଲା ଇନ୍ଦ୍ରର ସମ୍ପଦ । ।୪୫
ଯଜ୍ଞାଦିକ୍ରିୟା ନାଶ ଗଲା । ଏ ତିନିଭୁବନ କମ୍ପିଲା । ।୪୬
ଇନ୍ଦ୍ର ନ ପାରେ ସ୍ୱର୍ଗେ ରହି । ବନେ ପଶିଲା ବେଗେ ଯାଇ । ।୪୭
ଭୟେ ନ ରହି ସ୍ୱର୍ଗଲୋକେ । ବନେ ବୁଲନ୍ତି ଏକେ ଏକେ । ।୪୮
ତ୍ରୈଲୋକ୍ୟ ଦିଶେ ଅନ୍ଧକାର । ଭୂମି କମ୍ପଇ ଥରହର । ।୪୯
ଲକ୍ଷ୍ମୀ ବିହୁନେ ତିନିଲୋକେ । ଦୁଃଖେ ମଜ୍ଜିଲେ ଅତିରେକେ । ।୫୦
ଏମନ୍ତେ ଦେବଲୋକେ ଚାହିଁ । ବାସବ ସଙ୍ଗେ ସଙ୍ଗ ହୋଇ । ।୫୧
ଦିଗପାଳଙ୍କୁ ସଙ୍ଗ କରି । ଅନେକ ପ୍ରକାରେ ବିଚାରି । ।୫୨
ନିସ୍ତାର ନ ପାରିଲେ ଚିନ୍ତି । ମନେ ପାଇଲେ ମହାଭୀତି । ।୫୩
ଏମନ୍ତେ କେତେ ଦିନ ରହି । ପୁଣି ସକଳେ ରୁଣ୍ଡ ହୋଇ । ।୫୪
ବିଚାର କଲେ ଏକମତେ । କହିବା ବ୍ରହ୍ମାଙ୍କ ଅଗ୍ରତେ । ।୫୫
ଇନ୍ଦ୍ର ନଥିଲେ ସୃଷ୍ଟି କାହିଁ । ଆମ୍ଭେ ନ ପାରୁ ସ୍ୱର୍ଗେ ରହି । ।୫୬
ଲକ୍ଷ୍ମୀ-ବିହୀନେ ସୃଷ୍ଟି ନଶେ । ସଂସାରେ ଘୋରତମ ଗ୍ରାସେ । ।୫୭
ଏମନ୍ତେ ବିଚାରି ସକଳେ । ଶକ୍ରର ସଙ୍ଗେ ଦେବବଳେ । ।୫୮
ସୁମେରୁ-ଊର୍ଦ୍ଧ୍ୱେ ବ୍ରହ୍ମସଭା । ଯହିଁ ସକଳ ଋଷିଦେବା । ।୫୯
ସେ ସଭାମଧ୍ୟେ ଦେବଗଣେ । ନମିଲେ ଧାତାର ଚରଣେ । ।୬୦
ଇନ୍ଦ୍ରଙ୍କୁ କରି ଆଗୁସାର । ବୋଇଲେ ଶୁଣ ବେଦବର । ।୬୧
ଦୁର୍ବାସା-କୋପେ ଇନ୍ଦ୍ର ଦୁଃଖୀ । ଆମ୍ଭେ ସକଳ ତାହା ଦେଖି । ।୬୨
ତ୍ରୈଲୋକ୍ୟଲକ୍ଷ୍ମୀ କେଣେ ଗଲା । ଦୁଃଖ-ତିମିର ପ୍ରକାଶିଲା । ।୬୩
ରବି-ଶଶାଙ୍କ-ହୁତାଶନେ । ତେଜ ନ ଦିଶେ ଲକ୍ଷ୍ମୀହୀନେ । ।୬୪
ତ୍ରୈଲୋକ୍ୟଲକ୍ଷ୍ମୀ ଇନ୍ଦ୍ର ମୂଳେ । ସ୍ୱର୍ଗରେ ନ ରହେ ନିଶ୍ଚଳେ । ।୬୫
ଇନ୍ଦ୍ରର ତେଜ ଅସ୍ତ ଗଲା । ତେଣୁ ସମ୍ପଦ ନାଶ ହେଲା । ।୬୬
ଆମ୍ଭେ ତ ହୋଇଲୁ ଅନାଥ । ଋଷି ସକଳ ବେଦନାଥ । ।୬୭
ଏମନ୍ତେ ଦେବଙ୍କ ବଚନ । ଶୁଣି ପଦ୍ମଯୋନି ମଉନ । ।୬୮
ଦଣ୍ଡେ ରହିଲେ ଛନ୍ନ ହୋଇ । ଦେବଙ୍କୁ ଚାହିଁ ବିଚାରଇ । ।୬୯
ଏ ଇନ୍ଦ୍ରଆଦି ଦିଗପାଳେ । ଗଗନ-ଧରଣୀ-ପାତାଳେ । ।୭୦
ଯେତେ ଅଛନ୍ତି ରାଜାଗଣେ । ତେଜ ନ ଦେଖି ଲକ୍ଷ୍ମୀହୀନେ । ।୭୧
ଅଶୁଭ ପ୍ରାୟେ ତ ଦିଶଇ । ଏମନ୍ତେ ଦୁଃଖ ମନେ ବହି । ।୭୨
ପୁରୁଷୋତ୍ତମ ପାଦମୂଳେ । ଚିନ୍ତିଲେ ସମାଧି ନିଶ୍ଚଳେ । ।୭୩
ହରିପ୍ରସନ୍ନ ଲେଶ ପାଇ । ବୋଲନ୍ତି ଦେବଙ୍କୁ ଅନାଇଁ । ।୭୪
ଆନନ୍ଦମନେ ବେଦବର । ଦେବଙ୍କୁ ବୋଲନ୍ତି ଉତ୍ତର । ।୭୫

ବ୍ରହ୍ମା ଉବାଚ

ଶୁଣ ସକଳ ଦେବଗଣ । କହିବା ଏଥିର କାରଣ । ।୭୬
ବ୍ରହ୍ମା ଶଙ୍କର ଦେବଗଣ । ମନୁଷ୍ୟ ପଶୁ ଗୁଳ୍ମବନ । ।୭୭
ଯାହାର ଅଂଶ କଳା ବହି । ଆମ୍ଭେ ସକଳେ ବହୁ ଦେହୀ । ।୭୮
ସେ ହରି ଅବ୍ୟୟ ଈଶ୍ୱର । ଆମ୍ଭେ ଯେ ଶରଣ ତାହାର । ।୭୯
ଯାହାର ରିପୁ-ମିତ୍ର ନାହିଁ । ରକ୍ଷ-ଅରକ୍ଷ ତାର କାହିଁ । ।୮୦
ତଥାପି ସୃଷ୍ଟି ସେ ସଞ୍ଚଇ । ସ୍ୱଭାବେ ତିନିଗୁଣ ବହି । ।୮୧
ସୃଷ୍ଟି କରଇ ରଜଗୁଣେ । ସତ୍ତ୍ୱେ ପାଳଇ ବିଷ୍ଣୁପଣେ । ।୮୨
ତାମସଗୁଣେ ସଂହରାଇ । ଅନ୍ତରେ ସର୍ବଗୁଣ ବହି । ।୮୩
ଏଣୁ ଜଗତଗୁରୁ ପାଦେ । ଶରଣ ପଶ ଅପ୍ରମାଦେ । ।୮୪
ତାର ମହିମା ସୁରପ୍ରିୟ । ସୁର-ରକ୍ଷଣେ ବହେ ଦେହ । ।୮୫
ଆମ୍ଭ କୁଶଳ ସେ କରିବ । ଅନାଦି ପ୍ରଭୁ ପଦ୍ମନାଭ । ।୮୬

ଶୁକ ଉବାଚ

ଏମନ୍ତ ବୋଲି ପଦ୍ମଯୋନି । ସଙ୍ଗେ ସକଳ ଦେବ ଘେନି । ।୮୭
ଆନନ୍ଦେ ଜୟ ଜୟ ନାଦେ । ସର୍ବେ ମିଳିଲେ ବିଷ୍ଣୁପାଦେ । ।୮୮
ଯେ ବଇକୁଣ୍ଠ ଯୋଗଗମ୍ୟ । ପରମଆତ୍ମା-ପରଧାମ । ।୮୯
ପ୍ରକୃତି ନ ଜାଣଇ ଯାହା । ଯହିଁ ନ ପଶେ ବିଷ୍ଣୁମାୟା । ।୯୦
ଅଦୃଷ୍ଟ-ଅଶ୍ରୁତ-ଭୁବନେ । ଦେବେ ମିଳିଲେ ମହାଶୂନ୍ୟେ । ।୯୧
ଯହିଁ କି ଜୀବ ଆତ୍ମା ଗଲେ । ପୁଣି ନ ସଞ୍ଚରେ ଶୟଳେ । ।୯୨
ଧାତା କପୋଳେ କର ଦେଇ । ବୋଲେ ବୈକୁଣ୍ଠନାଥ ଧ୍ୟାୟୀ । ।୯୩

ବ୍ରହ୍ମା ଉବାଚ

ସତ୍ୟ ଅନନ୍ତ ଅବିକାର । ଯେ ନିରଞ୍ଜନ ନିରାକାର । ।୯୪
ନିଜ ବିଭୂତି ଅଗୋଚର । ଜନ୍ତୁଙ୍କ ହୃଦେ ଯାର ଘର । ।୯୫
ମନରୁ ବେଗବନ୍ତ ଯେହି । ମନ-ବଚନେ ଭେଦ କାହିଁ । ।୯୬
ବରେଣ୍ୟ-ଦେବବର ପାଦେ । ଆମ୍ଭେ ମିଳିଲୁ ଅପ୍ରମାଦେ । ।୯୭
ସ୍ୱଭାବେ ମନ ପ୍ରାଣ ବୁଦ୍ଧି । ଏ ଯହିଁ ନ ପାରନ୍ତି ଭେଦି । ।୯୮
ଇନ୍ଦ୍ରିୟଗଣେ ଯେ ଅଦୃଶ୍ୟ । ଉନିଦ୍ର-ଭାବେ ଅବିନାଶ । ।୯୯
ଛାୟା-ଆତପେ ଯେନ ମିଶେ । ଅକ୍ଷୟ-ଶୂନ୍ୟେ ପରକାଶେ । ।୧୦୦
ତ୍ରିଗୁଣ-ରୂପ ଯେ ବୋଲାଇ । ଆମ୍ଭେ ଶରଣ ଗଲୁ ତହିଁ । ।୧୦୧
ଏ ଜୀବ ଚକ୍ରରୂପ ଧରେ । ମାୟାରେ ମଣ୍ଡଳେ ସଞ୍ଚରେ । ।୧୦୨
ତ୍ରିଗୁଣେ ତ୍ରିନାଭି ତାହାର । ଯେ ଚକ୍ରେ ପଞ୍ଚଦଶ ଅର । ।୧୦୩
ଦଶଇନ୍ଦ୍ରିୟ ପଞ୍ଚପ୍ରାଣ । ଅଷ୍ଟପ୍ରକୃତି ନେମି ଜାଣ । ।୧୦୪
ସେ ଚକ୍ର ଅକ୍ଷ ଆତ୍ମାରୂପୀ । ଯେ ଆଦି-ଅନ୍ତ-ମଧ୍ୟେ ବ୍ୟାପୀ । ।୧୦୫
ସେ ସତ୍ୟସ୍ୱରୂପ ଚରଣେ । ଆମ୍ଭେ ଯେ ପଶିଲୁ ଶରଣେ । ।୧୦୬
ଯାହାର ଜ୍ୟୋତି ପରକାଶ । ନିର୍ମଳ କରେ ଦଶଦିଶ । ।୧୦୭
ଯୋଗୀଏ ଯୋଗମାର୍ଗେ ଥାଇ । କାଳ ହରନ୍ତି ଯାରେ ଧ୍ୟାୟୀ । ।୧୦୮
କେହି ଯାହାର ମାୟାଭ୍ରମ । ତରଣେ ନ ହୁଅନ୍ତି କ୍ଷମ । ।୧୦୯
ଯା ମାୟା ଜଗତେ ସଞ୍ଚରେ । ଅନନ୍ତ ନାନାରୂପ ଧରେ । ।୧୧୦
ନିର୍ଜିତମାୟା ମାୟାଗୁଣ । ପରମ ପୁରୁଷ ପୁରାଣ । ।୧୧୧
ଜନ୍ତୁଙ୍କ ଦେହେ ସମରୂପୀ । ତେଜେ ସଞ୍ଚରେ ସର୍ବବ୍ୟାପୀ । ।୧୧୨
ତାର ଚରଣେ ନମସ୍କାର । ଯେ ପ୍ରଭୁ ପରମଈଶ୍ୱର । ।୧୧୩
ଏ ଦେବଗଣ ବ୍ରହ୍ମା ଆଦି । ସେ କ୍ରୀଡ଼ା-ଅର୍ଥରେ ସମ୍ପାଦି । ।୧୧୪
ସତ୍ତ୍ୱ-ସଂଯୋଗ ସୃଷ୍ଟି କରି । ତହିଁ ଯେ ସୂକ୍ଷ୍ମରୂପ ଧରି । ।୧୧୫
ଦିଶଇ ଅନ୍ତର-ବାହିଯ୍ୟେ । ପ୍ରଦୀପ ଯେହ୍ନେ ଗୃହମାଝେ । ।୧୧୬
ଯାହାର ସୂକ୍ଷ୍ମଗତି ଆମ୍ଭେ । ଜାଣି ନ ପାରୁ ଜ୍ଞାନଦମ୍ଭେ । ।୧୧୭
ସଂସାର ମଧ୍ୟେ ଛନ୍ତି ଯେତେ । ସେ ଅବା ଜାଣିବେ କେମନ୍ତେ । ।୧୧୮
ଏ ମହୀ ଯାର ବେନିପାଦ । ସ୍ୱକୃତ-ପ୍ରାଣୀ ଚତୁର୍ବିଧ । ।୧୧୯
ଯେ କର୍ମ-ଗହଳେ ସଞ୍ଚରି । ଶରୀର ବହେ ନରହରି । ।୧୨୦
ମହାପୁରୁଷ ଆତ୍ମତନ୍ତ୍ର । ମହାବିଭୂତି ବ୍ରହ୍ମତତ୍ତ୍ୱ । ।୧୨୧
ପ୍ରସନ୍ନ ହେଉ ସେ ଆମ୍ଭଙ୍କୁ । ଶରଣ ପଶିଲୁ ତାହାଙ୍କୁ । ।୧୨୨
ଜଳ ଯାହାର ବୀର୍ଯ୍ୟ ହୋଇ । ସ୍ୱଭାବେ ତାର ତେଜ ବହି । ।୧୨୩
ଅଖିଳଲୋକ-ଲୋକପାଳେ । ତିନିଭୁବନ ଯାର ବଳେ । ।୧୨୪
ଭୂତ ସଞ୍ଚଇ ଜୀବ ରୂପେ । ସେ ହ୍ରାସ-ବୃଦ୍ଧି ଅନୁରୂପେ । ।୧୨୫
ମହାବିଭୂତି ବ୍ରହ୍ମ ଯେହୁ । ଆମ୍ଭ ବିଷୟେ ଦୟାବହୁ । ।୧୨୬
ସୋମ ଯାହାର ମନ ହୋଏ । ଦେବଙ୍କ ଅନ୍ନ-ଆୟୁ ବହେ । ।୧୨୭
ସ୍ଥାବରଙ୍କର ଯେ ଈଶ୍ୱର । ପ୍ରଜାଙ୍କ ରକ୍ଷା ବୃଦ୍ଧିକର । ।୧୨୮
ମହାବିଭୂତି ବ୍ରହ୍ମରୂପ । ସେ ହରି ହରୁ ଆମ୍ଭ ତାପ । ।୧୨୯
ଯାହାର ମୁଖୁଁ ଅଗ୍ନିଜାତ । ତେଜେ ପ୍ରତାପଇ ଜଗତ । ।୧୩୦
କ୍ରିୟାକାଣ୍ଡ ନିମିତ୍ତେ ଜନ୍ମ । ସେ ସର୍ବସାଧ୍ୟେ ସିଦ୍ଧକର୍ମ । ।୧୩୧
ଅନ୍ତଃ-ସମୁଦ୍ରେ ଅଗ୍ନି ବହି । ଆହାର ରୂପେ ଯେ ଭୁଞ୍ଜଇ । ।୧୩୨
ଯାହାର ଚକ୍ଷୁ ମାରତଣ୍ଡ । ତେଜେ ପ୍ରକାଶଇ ବ୍ରହ୍ମାଣ୍ଡ । ।୧୩୩
ସେ ଦେବପାଳ ତ୍ରୟୀମୟ । ବ୍ରହ୍ମର ସ୍ଥାନ ଶୁଦ୍ଧଦେହ । ।୧୩୪
ମୁକ୍ତିର ଦ୍ୱାର ସେ ବୋଲାଇ । ଅମୃତ ମୃତ୍ୟୁରୂପ ହୋଇ । ।୧୩୫
ଚରାଚରଙ୍କ ଦେହ-ପ୍ରାଣ । ଯେ କରେ ପ୍ରାଣୀ ପରିତ୍ରାଣ । ।୧୩୬
ପ୍ରକାଶେ ସହ-ଓଜ-ବଳେ । ଯାର ବିହାର ଏ ଶୟଳେ । ।୧୩୭
ଯାର ଶ୍ରବଣ ଦଶଦିଶ । ହୃଦୟ ପ୍ରକାଶେ ଆକାଶ । ।୧୩୮
ଯାହାର ନାଭି ଅନ୍ତରୀକ୍ଷ । ମସ୍ତକ ସ୍ୱର୍ଗ ଯା ପ୍ରତ୍ୟକ୍ଷ । ।୧୩୯
ପ୍ରାଣ ଇନ୍ଦ୍ରିୟ ଆତ୍ମାହେତୁ । ଯାର ପ୍ରସନ୍ନେ ଜ୍ଞାନତତ୍ତୁ । ।୧୪୦
ତ୍ରିଦଶଦେବଙ୍କର ନାଥ । ଇନ୍ଦ୍ର ଯାହାର ବଳୁଁ ଜାତ । ।୧୪୧
ଯାହାର ପ୍ରାଣେ ଜନ୍ତୁପ୍ରାଣ । ଏଣୁ ଏ ସର୍ବ ପରିତ୍ରାଣ । ।୧୪୨
ଯାହା ପ୍ରସାଦୁଁ ଦେବେ ହୋନ୍ତି । କ୍ରୋଧରୁ ହୋଏ ପଶୁପତି । ।୧୪୩
ବୁଦ୍ଧିରୁ ବ୍ରହ୍ମା ଜାତ ହୋଏ । ଲୋକେ ପ୍ରକାଶ ଯାର ଦେହେ । ।୧୪୪
ଇନ୍ଦ୍ରିୟ-ଛିଦ୍ରୁଁ ଜାତ ଛନ୍ଦେ । ମେଢ଼ୁଁ ପ୍ରଜାପତି ଆନନ୍ଦେ । ।୧୪୫
କମଳା ତାର ବକ୍ଷସ୍ଥଳ । ଛାୟା ସମ୍ଭବେ ପିତୃକୁଳ । ।୧୪୬
ଧର୍ମ-ଉଦିତ ସ୍ତନଯୁଗେ । ଅର୍ଧମ ଯାର ପୃଷ୍ଠଭାଗେ । ।୧୪୭
ସ୍ୱର୍ଗ ଯା ଶିରୂଁ ଉତପନ୍ନ । ବିହାରୁ ଅପସରାଗଣ । ।୧୪୮
ଯେ ମହାବିଭୂତି ଶରଣ । ଆମ୍ଭଙ୍କୁ କରୁ ପରିତ୍ରାଣ । ।୧୪୯
ବିପ୍ର ଯାହାର ମୁଖୁଁ ଜାତ । ବ୍ରହ୍ମା-ନିର୍ମାଣ-ଗୁହ୍ୟତତ୍ତ୍ୱ । ।୧୫୦
କ୍ଷତ୍ରିୟ ଭୁଜୁଁ ଜନ୍ମ ବଳ । ଉରୁ ସମ୍ଭୂତ ବୈଶ୍ୟକୁଳ । ।୧୫୧
ଶୂଦ୍ର ଚରଣୁଁ ଉତପତ୍ତି। ଯେ ବ୍ରହ୍ମ ପରମ ବିଭୂତି । ।୧୫୨
ଉପର ଓଷ୍ଠୁ ପ୍ରୀତି ଜାତ । ଅଧରୁ ଲୋଭ ଯେ ସମ୍ଭୂତ । ।୧୫୩
କାନ୍ତି ଯାହାର ନାସିକାରୁ । ସମ୍ଭବ ହୁଅଇ ସ୍ପର୍ଶରୁ । ।୧୫୪
ପାଶବ୍ୟକାମର ସମ୍ଭବ । ଯମ ଯାହାର ଜାତ ଭୁବ । ।୧୫୫
କାଳ ସମ୍ଭବ ପକ୍ଷ୍ମଦେଶେ । କରାଳ ଦିଶେ ବେନିପାଶେ । ।୧୫୬
ଦ୍ରବ୍ୟ ବୟସ କର୍ମ ଗୁଣ । ଯା ମାୟା ପ୍ରକାଶେ ଲକ୍ଷଣ । ।୧୫୭
ଯେ ଉପଶାନ୍ତି ଶକ୍ତି ବହେ । ଆମ୍ଭେ ଯେ ନମୁ ତାର ପାଏ । ।୧୫୮
ସତ୍ୟରେ ଯେ ପ୍ରତିପୂଜିତ । ମାୟା ଚରିତ ଗୁଣେ ସ୍ଥିତ । ।୧୫୯
ସେ ହରି ଦେଖାଉ ଶରୀର । ଯେ ନୋହେ କରଣେ ଗୋଚର । ।୧୬୦
ଯା ସୁଖ ଦେଖିବାର ଅର୍ଥେ । ଶରଣ ଗଲୁ ପାଦଗତେ । ।୧୬୧
ସୁଜନେ କର ଏଣେ ଭାବ । ଯେ ନାବେ ସଂସାରୁ ତରିବ । ।୧୬୨
କଳି-କଳ୍ମଷ ନାଶ ପାଇଁ । ଏ ବିନୁ ଆନଗତି ନାହିଁ । ।୧୬୩
ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ । ।୧୬୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନ ଆୟୋଜନେ ପଞ୍ଚମୋଽଧ୍ୟାୟଃ । ।

ଷଷ୍ଠ ଅଧ୍ୟାୟ

ଶୁକ ଉବାଚ

ଏମନ୍ତେ ଦେବସ୍ତୁତି ଶୁଣି । ଶୂନ୍ୟେ ପ୍ରକାଶ ଚକ୍ରପାଣି । ।୧
ସହସ୍ର-ସୂର୍ଯ୍ୟତେଜ ଦେଖି । ଦେବେ ବୁଜିଲେ ଭୟେ ଆଖି । ।୨
ଦିଗ ନ ପାରନ୍ତି ବିଚାରି । କେମନ୍ତେ ଦେଖିବେ ଶ୍ରୀହରି । ।୩
ରହିଲେ ଅନ୍ଧକାରାଚ୍ଛନ୍ନେ । ଚାହିଁ ନ ପାରନ୍ତି ଗଗନେ । ।୪
ମଧ୍ୟେ ଯେ ବ୍ରହ୍ମା-ରୁଦ୍ର ଥିଲେ । ଟେକି ଅନ୍ତରୀକ୍ଷେ ଚାହିଁଲେ । ।୫
ଦେଖିଲେ ବିଷ୍ଣୁର ପ୍ରକାଶ । ଶରୀରେ ପୂରିଛି ଆକାଶ । ।୬
ନୀଳ-ମହୀନ୍ଦ୍ର ପ୍ରାୟେ ଦିଶେ । ଅରୁଣ-ଲୋଚନ ପ୍ରକାଶେ । ।୭
ବିକଚ-ପୁଣ୍ଡରୀକ ପ୍ରାୟେ । କର୍ଣ୍ଣେ କୁଣ୍ଡଳ ବେନି ଶୋହେ । ।୮
ତପ୍ତକାଞ୍ଚନ ପ୍ରାୟେ ବର୍ଣ୍ଣ । ପୀତବସନ ପରିଧାନ । ।୯
ପ୍ରସନ୍ନ ଚାରୁ ସର୍ବଅଙ୍ଗେ । ଶ୍ରୀମୁଖ ସୁନ୍ଦର ଭ୍ରୂଭଙ୍ଗେ । ।୧୦
ଅମୂଲ୍ୟ-ମୁକୁଟ ଲଲାଟେ । କାଞ୍ଚନ ଭୂଷଣ ପ୍ରକଟେ । ।୧୧
ଆଜାନୁଲମ୍ବେ ଚାରିଭୂଜେ । କେୟୂର କଙ୍କଣ ବିରାଜେ । ।୧୨
କାଞ୍ଚିକଳାପ ବଳୟରେ । ଶୋଭିତ ହାର-ନୂପୁରରେ । ।୧୩
କୌସ୍ତୁଭମଣି କଣ୍ଠେ ଶୋହେ । ତେଜ ପ୍ରକାଶେ ଜନମୋହେ । ।୧୪
କମଳା ବନମାଳ ରଙ୍ଗେ । ହୃଦେ ଶୋହଇ ଅନୁରାଗେ । ।୧୫
ଏମନ୍ତ ରୂପ ଶୂନ୍ୟେ ଚିନ୍ତି । ଶିବ ସହିତେ ବେଦପତି । ।୧୬
ଧ୍ୟାନେ ଗୋବିନ୍ଦ-ପାଦେ ପଡ଼ି । ସ୍ତୁତି କରନ୍ତି କରଯୋଡ଼ି । ।୧୭

ବ୍ରହ୍ମା ଉବାଚ

ଅଜ-ନିର୍ମଳ ଯେ ସ୍ୱଭାବେ । ସୃଷ୍ଟିପାଳନ-ସ୍ଥିତି ଲାଭେ । ।୧୮
ଅଗୁଣେ ବିଶ୍ରାମ ତୁମ୍ଭର । ମହିମା-ଅମୃତ-ସାଗର । ।୧୯
ଅଣୁ ହୁଁ ଅଣୁଭାବ ହୋଇ । ସ୍ୱମାୟା ସୁଖେ ଯେ ଭଜଇ । ।୨୦
ମହାନୁଭବ ଏ ଜଗତେ । ମହାପୁରୁଷ ନମସ୍ତୁତେ । ।୨୧
ତୁ ନାଥ ସଂସାର-ଧାରଣ । ଏଣୁ ଅଶେଷ ମୁନିଗଣ । ।୨୨
ଆଗମ-ନିଗମେ ସମ୍ପାଦି । ବିଚାରି ସାଂଖ୍ୟଯୋଗ ବିଧି । ।୨୩
ବେଦ-ବିହିତେ ରବିତଳେ । ମନ-ପବନ ସୁନିଶ୍ଚଳେ । ।୨୪
ତୋହର ରୂପ ଧ୍ୟାନକରି । ମାୟା-ଗହନୁ ଯାନ୍ତି ତରି । ।୨୫
ତୁ ନାଥ ଆଦି-ମଧ୍ୟ-ଅୟେ । ଯେବା କରାଉ ଆତ୍ମତନ୍ତ୍ରେ । ।୨୬
ଜଗତେ ଆଦି ମଧ୍ୟ ତୁହି । ମୃତ୍ତିକାଘଟ ପ୍ରାୟେ ହୋଇ । ।୨୭
ତୋ ରୂପ ବିଶ୍ୱେ ପ୍ରକାଶଇ । ସେ ରୂପ କେ ପାରିବ କହି । ।୨୮
ଆତ୍ମା-ଆଶ୍ରୟେ ମାୟାକରି । ତୁ ଏ ସଂସାର-ରୂପ ଧରି । ।୨୯
ସଂସାରେ ପଶୁ ଆତ୍ମାରୂପେ । ସୁଖେ ବିହରୁ କଳ୍ପେ କଳ୍ପେ । ।୩୦
ନିର୍ମଳଚେତା ମୁନିଗଣେ । ତୋତେ ଦେଖନ୍ତି ଶୁଦ୍ଧମନେ । ।୩୧
ଯଥା ଅନଳ କାଷ୍ଠେ ଥାଏ । ଯେହ୍ନେ ଅମୃତ ଗୋରୁ ଦେହେ । ।୩୨
ଧରଣୀ ଦେହେ ଅନ୍ନ ଯେହ୍ନେ । ସଂଯୋଗେ କୃଷି-କରଷଣେ । ।୩୩
ମନୁଷ୍ୟ ନାନା ଯୋଗବଳେ । ଭଜନ୍ତି ତୋ ପାଦକମଳେ । ।୩୪
ନମିଣ ତୋ ଚରଣତଳେ । ଭବସାଗରୁ ତରିଗଲେ । ।୩୫
ସର୍ବେ ନମନ୍ତି ତୋ ଚରଣେ । ତୁ ଥାଉ ସଂସାର ଧାରଣେ । ।୩୬
ବାଞ୍ଚିତ ଅର୍ଥ ଫଳ ପାନ୍ତି । ନାନା ପ୍ରକାରେ ତୋତେ ଚିନ୍ତି । ।୩୭
ତୋ ରୂପ ଆତ୍ମାଗତେ ଦେଖି । ସଂସାର ତେଜି ହୋନ୍ତି ସୁଖୀ । ।୩୮
ଯେସନେ ଗଜ ଦାବାନଳେ । ପ୍ରବେଶ କରେ ଗଙ୍ଗାଜଳେ । ।୩୯
ଆମ୍ଭେ ସକଳ ଲୋକପାଳେ । ଶରଣ ତୋ ପାଦକମଳେ । ।୪୦
ଏ ଦେହ ଅନ୍ତର-ବାହାରେ । ତୋ ତହୁଁ କେବା ଅଛି ପରେ । ।୪୧
ଏ ଦେବଗଣେ ମୋର ତୁଲେ । ଦକ୍ଷାଦି ପ୍ରଜାପତି ମେଳେ । ।୪୨
ତୋ ଅନୁଗ୍ରହେ ବହୁଁ ଅଙ୍ଗ । ଅନଳୁ ଯେସନେ ସ୍ଫୁଲିଙ୍ଗ । ।୪୩
କିବା କହିବୁଁ ତୋ ଅଗ୍ରତେ । ଆମ୍ଭଙ୍କୁ ରଖ ଏ ଜଗତେ । ।୪୪

 

ଶୁକ ଉବାଚ

ଏମନ୍ତେ ବ୍ରହ୍ମା-ବାକ୍ୟ ଶୁଣି । ସଂସାର ହିତ ମନେ ଗୁଣି । ।୪୫
ପରମସୁଖେ ତନୁ ପୂରି । ଧାତାଙ୍କୁ ଅନୁଗ୍ରହ କରି । ।୪୬
ଜଳଧି-ମନ୍ଥନ-ପ୍ରସଙ୍ଗେ । ଆତ୍ମା ପ୍ରକାଶ ଅନୁରାଗେ । ।୪୭
ପ୍ରସନ୍ନ ଚିତ୍ତେ ଭାବଗ୍ରାହୀ । କହନ୍ତି ବ୍ରହ୍ମା ମୁଖ ଚାହିଁ । ।୪୮

ଭଗବାନ ଉବାଚ

ଶୁଣ ହୋ ବ୍ରହ୍ମା-ଶିବ-ଦେବେ । ଯେବା କରିବି ତୁମ୍ଭ ଲାଭେ । ।୪୯
ତୁମ୍ଭର ଶ୍ରେୟ ଯେଉଁମତେ । କହିବା ଶୁଣ ଏକଚିତ୍ତେ । ।୫୦
ଅସୁରଙ୍କର ସଙ୍ଗେ ଯାଇ । ବସ ବିଶ୍ୱାସଭାବ ହୋଇ । ।୫୧
ନାନା ପ୍ରକାରେ ସନ୍ଧି କର । ପ୍ରଲୋଭେ ତାଙ୍କ ଚିତ୍ତ ହର । ।୫୨
ଯାବତ ସିଦ୍ଧ ନୋହେ କାର୍ଯ୍ୟ । ତାବତ ମିତ୍ର ଭାବେ ଭଜ । ।୫୩
ଆପଣା କାର୍ଯ୍ୟ ସିଦ୍ଧଅର୍ଥେ । ଶତ୍ରୁକୁ ଭଜନ୍ତି ଜଗତେ । ।୫୪
କାର୍ଯ୍ୟ ସରିଲେ ନିଜ ଭାବେ । ସର୍ବେ ରହିବ ଆତ୍ମାଲାଭେ । ।୫୫
ଅହି -ମୂଷିକ କରି ସନ୍ଧି । ଯେମନ୍ତେ ଆତ୍ମକାର୍ଯ୍ୟ ସାଧି । ।୫୬
ଅମୃତ ଅର୍ଥେ ଯତ୍ନ କର । ଯା ପାନେ ହୋଇବ ଅମର । ।୫୭
ଶୁଣ କହିବା ଉପଦେଶ । ବେଗେ ଗହନ ବନେ ପଶ । ।୫୮
ଅମ୍ଳ-ଔଷଧି-ଗୁଳ୍ମ ଯେତେ । ବନସ୍ତୁ ଆଣ ଅପ୍ରମିତେ । ।୫୯
ପାଷାଣେ ଛେଚି ବାହୁବଳେ । ନିକ୍ଷେପ କ୍ଷୀରସିନ୍ଧୁ-ଜଳେ । ।୬୦
ସେ ଅମ୍ଳ-ଗୁଣେ ବସୁ ଦଧି । ଯେଣେ ଲଭିବ ସର୍ବସିଦ୍ଧି । ।୬୧
ଏ ଯେ ମନ୍ଦର ମହୀଧର । ମନ୍ଥନଦଣ୍ଡ ଏହା କର । ।୬୨
ବାସୁକି ନାଗ ରଜ୍ଜୁ କରି । ମନ୍ଥିବ ଦେବାସୁରେ ଧରି । ।୬୩
ମୋହର ବୋଲେ ମହାଜଳେ । ମନ୍ଥନ କର ଯା ନିଶ୍ଚଳେ । ।୬୪
ତୁମ୍ଭେ ସେ ଅମୃତ ପିଇବ । ନିରାଶ ହୋଇବେ ଦାନବ । ।୬୫
ଇନ୍ଦ୍ର ଲଭିବ ସର୍ବସିଦ୍ଧି । ସର୍ବ ସମ୍ପାଦିବ ଜଳଧି । ।୬୬
ଶାନ୍ତି-ବଚନେ କାର୍ଯ୍ୟ ପାଇ । ଆଗମ ଶାସ୍ତ୍ରେ ଏହା କହି । ।୬୭
ପ୍ରଥମେ ବାସୁକି ବଦନେ । ଗରଳ ଛାଡ଼ିବ ମନ୍ଥନେ । ।୬୮
ତହିଁକି ନ କରିବ ଭୟ । ମୁଁ ପୁଣି କରିବି ଉପାୟ । ।୬୯
ମନ୍ଥନେ ଲଭି ବସ୍ତୁ ଯେତେ । ଲୋଭ ନ କରିବ ଯୁକତେ । ।୭୦
ପ୍ରାଣୀ ଯେ ଲୋଭେ ନାନାମତେ । ବସ୍ତୁ ଆବୋରନ୍ତି ଜଗତେ । ।୭୧

 

ଶୁକ ଉବାଚ

ଏମନ୍ତ ଦେବଗଣେ କହି । ତକ୍ଷଣେ ଗରୁଡ଼ ଆରୋହି । ।୭୨
ନିଜ ଭୁବନେ ହରି ଗଲେ । ଭକତ-ପାରିଷଦ ତୁଲେ । ।୭୩
ରୁଦ୍ର-ବ୍ରହ୍ମାଦି ଦେବଗଣେ । ନମିଲେ ବିଷ୍ଣୁର ଚରଣେ । ।୭୪
ସକଳେ ହୋଇ ଏକଚିତ୍ତ । ବଳି-ଭୁବନେ ଉପଗତ । ।୭୫
ଦ୍ୱାରେ ଅସୁରେ ଯେତେ ଥିଲେ । ଦେବଗଣଙ୍କୁ ନିରୋଧିଲେ । ।୭୬
ଦେବନିଷେଧ କଥା ଶୁଣି । ଅସୁର-କୁଳ-ଚୁଡ଼ାମଣି । ।୭୭
ସନ୍ଧି-ବିଗ୍ରହ ସେ ଜାଣଇ । ବୋଲଇ ନିଜଗଣ ରାଇ । ।୭୮
ଦେବଙ୍କୁ ଛାଡ଼ ତୁମ୍ଭେ ଦ୍ୱାର । କି ଅବା କରିବେ ବିଚାର । ।୭୯
ଏମନ୍ତେ ବଳି ଆଜ୍ଞା ପାଇ । ଦ୍ୱାର ଛାଡ଼ିଲେ ଭାବ ବହି । ।୮୦
ବଳି-ନିକଟେ ଦେବେ ଯାଇ । ଜୟଶବଦ ଉଚ୍ଚେ ଗାଇ । ।୮୧
ବଳିକି ଦେଖିଲେ ଆସନେ । ବେଷ୍ଟିତ ଅସୁର-ଗହଣେ । ।୮୨
ସର୍ବ-ସମ୍ପଦ ଯାର ପୁରେ । କିବା ଉପମା ଦେବା ତାରେ । ।୮୩
ନିଜ ସମ୍ପଦ ଜଗୁ ରଞ୍ଜେ । ଦିଗପାଳଙ୍କ ତେଜ ଗଞ୍ଜେ । ।୮୪
ଇନ୍ଦ୍ର ଯେ ବଳି ମୁଖ ଚାହିଁ । ବିଶ୍ୱାସେ ବଚନ ବୋଲଇ । ।୮୫
ଶୁଣ ରାଜନ ଏକଚିତ୍ତେ । ଏ ତିନିଲୋକ ସୁଖ ଅର୍ଥେ । ।୮୬
ଦୁର୍ବାସା-ଶାପ ମହାଘୋର । ନାଶିଲା ସମ୍ପଦ ମୋହର । ।୮୭
ସୋମ-ସବିତା-ତେଜ ଗଲା । ନିବିଡ଼ ତମ ପ୍ରକାଶିଲା । ।୮୮
କମ୍ପଇ ଏ ତିନିଭୁବନ । ସର୍ବେ ହୋଇଲେ ଦୁଃଖେ ଛନ୍ନ । ।୮୯
ଏଣୁ ବିଷ୍ଣୁଭୁବନେ ଯାଇ । କହିଲୁଁ ବ୍ରହ୍ମା ରୁଦ୍ର ଲଇଁ । ।୯୦
ସେ ପୁରୁଷୋତ୍ତମ-ବଚନ । ରାଜନ ତୋଷମନେ ଶୁଣ । ।୯୧
ବୋଇଲେ ଏ କ୍ଷୀରଜଳଧି । ଅମ୍ଳ-ସଂଯୋଗେ କର ଦଧି । ।୯୨
ମନ୍ଦର ଗିରିକି ଆଣିବ । ସମୁଦ୍ର ମଧ୍ୟରେ ସ୍ଥାପିବ । ।୯୩
ବାସୁକି ନାଗ ରଜ୍ଜୁ କରି । ଦେବ-ଦାନବେ ତାହା ଧରି । ।୯୪
ଯତନେ କରିବ ମନ୍ଥନ । ସୁଧା କରିବ ସୁଖେ ପାନ । ।୯୫
ଯେତେ ଉପୁଜିବ ମନ୍ଥନେ । ସକଳେ ମିଳି ତୋଷମନେ । ।୯୬
ସମାନ ଭାଗେ ଭୋଗକର । ସନ୍ତୋଷ ମନେ ଦେବାସୁର । ।୯୭
ସଂସାର ହେଉ ଏଣେ ରକ୍ଷା । ଏମନ୍ତ ବିଷ୍ଣୁ ଦେଲେ ଦୀକ୍ଷା । ।୯୮
ଏଣୁ ତୁମ୍ଭର ସଙ୍ଗେ ଆମ୍ଭେ । ମିଳିଲୁ ମନ୍ଥନ-ଆରମ୍ଭେ । ।୯୯
ତୁମ୍ଭ ଆମ୍ଭର ଏକଗତି । ଯାହା ବୋଇଲେ ଶିରୀପତି । ।୧୦୦
ଏମନ୍ତ ଇନ୍ଦ୍ରମୁଖୁଁ ଶୁଣି । ଅସୁର ମନେମନେ ଗୁଣି । ।୧୦୧
ବୋଇଲେ ଶୁଭକର୍ମ ଏହି । ବିଷ୍ଣୁମାୟାରେ ମନ ମୋହି । ।୧୦୨
ବଳି ସଙ୍ଗତେ ଉଠି ସର୍ବେ । ସମ୍ମତି କଲେ ପ୍ରିୟଭାବେ । ।୧୦୩
ଶମ୍ବରାରିଷ୍ଟ ନେମି ତୁଲେ । ଯେତେ ଦାନବବୀର ଥିଲେ । ।୧୦୪
ବିଷ୍ଣୁ-ମୋହନ-ମାୟା ମତେ । ହରଷ ଅସୁରଙ୍କ ଚିତ୍ତେ । ।୧୦୫
ଏମନ୍ତେ ଦେବାସୁରଗଣେ । ବେଗେ ମିଳିଲେ ଘୋରବନେ । ।୧୦୬
ତୀକ୍ଷ୍ଣ-କୁଠାରେ ବେଗେ ହାଣି । ଅମ୍ଳ-ଔଷଧି-ଗୁଳ୍ମ ଆଣି । ।୧୦୭
ପର୍ବତେ ଛେଚି ପ୍ରତି ଶିଳେ । କ୍ଷୀର ସମୁଦ୍ରେ ପକାଇଲେ । ।୧୦୮
ବାସୁଦେବର କଥାବାଗେ । ଦଧି ହୋଇଲା ଅମ୍ଳ ଯୋଗେ । ।୧୦୯
ଦେବଦାନବେ ଏକମନେ । ମିଳିଲେ ମେରୁ ସନ୍ନିଧାନେ । ।୧୧୦
ନାନା ତୀକ୍ଷଣ ଶସ୍ତ୍ର ଧରି । ଉପାଡ଼ି ଘୋରନାଦ କରି । ।୧୧୧
ଇନ୍ଦ୍ରର ତୁଲେ ଦେବେ ଯେତେ । ଅସୁରେ ବଳିର ସମେତେ । ।୧୧୨
ସମସ୍ତେ ମୁଣ୍ଡେ ଗିରି କଲେ । ବଳେ କେତେହେଁ ଦୂର ନେଲେ । ।୧୧୩
କାହୁଁ ବହିବେ ଗିରିବର । ଯେ ଗିରିବରଙ୍କ ଶେଖର । ।୧୧୪
ପଥେ ଆଣନ୍ତେ ଗିରିବରେ । ପଡ଼ିଲା ତାହାଙ୍କ ଉପରେ । ।୧୧୫
ଚୂର୍ଣ୍ଣ ହୋଇଲେ ମହାଭାରେ । ସକଳେ ପଡ଼ିଲେ ଭୂମିରେ । ।୧୧୬
ଶିର ଚରଣ ବାହୁ ଚୂରି । ପଥେ ପଡ଼ିଲା ମହାଗିରି । ।୧୧୭
ଦେବଙ୍କ ଦୁଃଖେ ଭଗବାନ । ତକ୍ଷଣେ ଗରୁଡ଼ ଆସନ । ।୧୧୮
ପଥେ ମିଳିଲେ ତାଙ୍କ ପାଶେ । ଦେବଙ୍କ ଭକତି ବିଶ୍ୱାସେ । ।୧୧୯
କରେ ମନ୍ଦରଗିରି କଲେ । ଦେବ-ଅସୁରଙ୍କୁ ଚାହିଁଲେ । ।୧୨୦
ଅମୃତ-ନୟନେ ଅନାଇଁ । ଜୀବନ ଦେଲେ ଭାବଗ୍ରାହୀ । ।୧୨୧
ଲାଗନ୍ତେ ଗୋବିନ୍ଦର କର । ତକ୍ଷଣେ ପାଇଲେ ଶରୀର । ।୧୨୨
ଗୋବିନ୍ଦ ଏକହସ୍ତେ ଗିରି । ନିଶ୍ଚଳେ ନିଜ କୋଳେ ଧରି । ।୧୨୩
ଗରୁଡ଼ ଉଡ଼େ ଶୂନ୍ୟପଥେ । ଦେବ-ଦାନବବଳେ ସାଥେ । ।୧୨୪
କ୍ଷୀର ଜଳଧିତଟେ ମିଳି । ଦେବଅସୁର ବନମାଳ । ।୧୨୫
ଗରୁଡ଼-କନ୍ଧୁ ଗିରିବର । କୂଳେ ନିବେଶି ଚକ୍ରଧର । ।୧୨୬
ଗରୁଡ଼ ଗଲା ନିଜପୁର । ଶୁଣ ପରୀକ୍ଷ ନୃପବର । ।୧୨୭
ଦେବ-ଅସୁରଙ୍କର ଭାବ । ଯହୁଁ ଅମୃତ ଉଦଭବ । ।୧୨୮
ସୁଜନେ ଏଣେ ଚିତ୍ତ କର । ମାୟା-ସଙ୍କଟରୁ ନିସ୍ତର । ।୧୨୯
ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍ମନ୍ଧେ ଭାଗବତ । ।୧୩୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ମନ୍ଦରାଚଳ ଆନୟନଂ
ଆୟୋଜନେ ନାମ ଷଷ୍ଠୋଽଧ୍ୟାୟ । ।

ସପ୍ତମ ଅଧ୍ୟାୟ

ଶୁକ ଉବାଚ

ବ୍ୟାସନନ୍ଦନ ଅନୁରାଗେ । କହନ୍ତି ପରୀକ୍ଷିତ ଆଗେ । ।୧
ଦେବ-ଦାନବେ ଏକମେଳେ । ପ୍ରବେଶ ହୋଇଲେ ପାତାଳେ । ।୨
ବାସୁକି ନିକଟେ ମିଳିଲେ । ସମୁଦ୍ର-ମନ୍ଥନେ ବରିଲେ । ।୩
ଗୋବିନ୍ଦ ଆଜ୍ଞା ଶିରେଧରି । ଉଭୟ-ରୂପ ଅଙ୍ଗୀ କରି । ।୪
ଧରଣୀ ଧରି ଏକରୂପେ । ମିଳିଲା କ୍ଷୀରୋଦ ସମୀପେ । ।୫
ଦେହେ ବେଷ୍ଟିତ ମହାଗିରି । ରହିଲା ବିଶ୍ୱରୂପ ଧରି । ।୬
ଦେବେ ସକଳ ତୋଷମନେ । ଆରମ୍ଭ ସମୁଦ୍ର-ମନ୍ଥନେ । ।୭
ବାସୁକିଫଣା ଆଗ ଧରି । ଦେବଙ୍କ ତୁଲେ ନରହରି । ।୮
ବୋଲନ୍ତି ଅସୁରଙ୍କୁ ଚାହିଁ । ତୁମ୍ଭେ ହୋ ପୁଚ୍ଛ ଧର ଯାଇ । ।୯
ହରି-ବଚନ ଶୁଣି କର୍ଣ୍ଣେ । ଅସୁରେ ଭାଳି ଏକମନେ । ।୧୦
ବୋଇଲେ ବିଷ୍ଣୁ ମୁଖ ଚାହିଁ । ଏ କଥା ଉଚିତ ନୁହଇ । ।୧୧
ସ୍ୱଭାବେ ସର୍ପର ଲାଙ୍ଗୁଳ । କେବେହେଁ ନୁହଇ ମଙ୍ଗଳ । ।୧୨
ଆମ୍ଭେ ଦେବଙ୍କ ଅଗ୍ରେ ଜାତ । ପବିତ୍ର କଶ୍ୟପଙ୍କ ସୁତ । ।୧୩
ଧର୍ମ-ଅର୍ଧମ ଆମ୍ଭେ ଜାଣୁ । ଆଗମ-ନିଗମ ପ୍ରମାଣୁ । ।୧୪
ପ୍ରଖ୍ୟାତ-ଜନ-କୁଳ-ଶୀଳ । କେମନ୍ତେ ଧରିବୁ ଲାଙ୍ଗୁଳ । ।୧୫
ଆମ୍ଭର ଏଣେ କାର୍ଯ୍ୟ ନାହିଁ । ଏମନ୍ତେ ଭଗ୍ନଚିତ୍ତେ ରହି । ।୧୬
ସର୍ବ ଅସୁରେ ଏକମେଳେ । ରହିଲେ କ୍ଷୀରସିନ୍ଧୁ କୂଳେ । ।୧୭
ବସିଲେ ଆରମ୍ଭ ଉପେକ୍ଷି । ପୁରୁଷୋତ୍ତମ ତାହା ଦେଖି । ।୧୮
ପୁଚ୍ଛ ଧଇଲେ ଶିରୀରଙ୍ଗେ । ସର୍ବ ଦେବତା ଘେନି ସଙ୍ଗେ । ।୧୯
ମନ୍ଦର ଧରି ବାହୁବଳେ । ସ୍ଥାପିଲେ କ୍ଷୀରସିନ୍ଧୁ ଜଳେ । ।୨୦
ସ୍ୱଭାବେ ଗଭୀର ଜଳଧି । ଯୋଜନ ଶତଲକ୍ଷ ଭେଦି । ।୨୧
ଗିରି ପଡ଼ିଲା ରସାତଳେ । ଖୋଜି ନ ପାଇଲେ ସକଳେ । ।୨୨
ତୀରେ ଉଠିଲେ ଦୁଃଖମନେ । ବଦନ ଚାହିଁ ଅନ୍ୟ ଅନ୍ୟେ । ।୨୩
ନଶିଲା ନିଜ ପୃଷୁକାର । ହୃଦେ କେ ବହୁ ଅହଙ୍କାର । ।୨୪
ଦଇବ-ମାୟା ଯୋଗବଳ । ଆରମ୍ଭ ହୋଇଲା ନିଷ୍ଫଳ । ।୨୫
ଦେବ-ଦାନବ ବିଷ୍ଣୁପାଶେ । ରହି ଚାହିଁଲେ ଦଶଦିଶେ । ।୨୬
ତାହାଙ୍କ ଦର୍ପଭଙ୍ଗ ଚାହିଁ । ମହାମହିମ ଭାବଗ୍ରାହୀ । ।୨୭
ପାତାଳୁଁ କୂର୍ମରୂପ ଧରି । ପୃଷ୍ଠେ ବସାଇ ମହାଗିରି । ।୨୮
ଉଠିଲେ ତୋଳି ଗିରିବର । ତୀରେ ଦେଖନ୍ତି ଦେବାସୁର । ।୨୯
ଯେସନେ ସରୋବର ମଧ୍ୟେ । ପଦ୍ମ ପ୍ରକାଶ ହୋଏ ଊର୍ଦ୍ଧ୍ୱେ । ।୩୦
ଗିରି ଯୋଜନ ଏକାଦଶ । ଜଳେ ରହିଲା ଅବଶେଷ । ।୩୧
ଗୋବିନ୍ଦ ଯୋଗମାୟା କରି । ତକ୍ଷଣେ ମାୟାରୂପ ଧରି । ।୩୨
ବହିଲେ ଗିରି ପୃଷ୍ଠଦେଶେ । ମସ୍ତକ ଲାଗିଲା ଆକାଶେ । ।୩୩
ଦେଖି ସାନନ୍ଦ ଦେବାସୁରେ । ବାସୁକି ଧରି ତେଜଭରେ । ।୩୪
ପର୍ବତେ ତିନିଗୁଣ କରି । ବେଢ଼ିଲେ ମନ୍ଥନ ଆବୋରି । ।୩୫
ଦେବ-ଅସୁରେ ବେନିଭାଗେ । ବାସୁକି ଧରି ଅତି ବେଗେ । ।୩୬
ହୁଂକାରେ କରନ୍ତି ମନ୍ଥନ । ଶୁଣ ହୋ ପରୀକ୍ଷ ରାଜନ । ।୩୭
ପୃଷ୍ଠରେ ଗିରି ଘରଷଣେ । ଅନଳ ଉଠିଲା ବହନେ । ।୩୮
କଣ୍ଡୁ ଯେ କୂର୍ମପୃଷ୍ଠେ ଥିଲା । ତକ୍ଷଣେ ଉଶ୍ୱାସ ହୋଇଲା । ।୩୯
କଣ୍ଡୁ-ଘର୍ଷଣ-ସୁଖ ବୁଝି । ସେ କୂର୍ମ ବେନିଚକ୍ଷୁ ବୁଜି । ।୪୦
ସୁଖେ ନିଦ୍ରିତ ନାରାୟଣ । କେ ସହେ ଅଚଳ ଧାରଣ । ।୪୧
ପୁଣି ଗୋବିନ୍ଦ ଅନ୍ତରୀକ୍ଷେ । ମିଳିଲେ ଦେବଙ୍କ ପ୍ରତ୍ୟକ୍ଷେ । ।୪୨
ଦେବ-ଅସୁର ଅଳ୍ପବଳ । ଜାଣିଲେ ପ୍ରଭୁ ଆଦିମୂଳ । ।୪୩
ତକ୍ଷଣେ ପ୍ରଭୁ ଭାବଗ୍ରାହୀ । ଦେବ-ଦାନବ ମଧ୍ୟେ ଯାଇ । ।୪୪
ପଶିଲେ ତାହାଙ୍କର ଚିତ୍ତେ । ବଳ ହୋଇଲା ଅପ୍ରମିତେ । ।୪୫
ବାସୁକି ଦେହେ ନରହରି । ପଶିଲେ ବଳ-ରୂପ ଧରି । ।୪୬
ସହସ୍ର ଭୁଜେ ଶୂନ୍ୟପଥେ । ଗିରି ଆବୋରି ହୃଦଗତେ । ।୪୭
ରହିଲେ ପ୍ରଭୁ ନାରାୟଣ । ଶୂନ୍ୟେ ଦେଖନ୍ତି ଋଷିଗଣ । ।୪୮
ଗଗନେ ବିମାନ ଆରୋହି । ସ୍ତୁତି କରନ୍ତି ବିଷ୍ଣୁଧ୍ୟାୟୀ । ।୪୯
ପୁଷ୍ପ ବରଷି ବେଦନାଦେ । ମୁନିଏ ପରମ-ଆନନ୍ଦେ । ।୫୦
ଦେଖନ୍ତି ଅଧ-ଊର୍ଦ୍ଧ୍ୱେ ଚାହିଁ । ହରିହୁଁ ଆନ ନ ଦିଶଇ । ।୫୧
ପ୍ରହୃଷ୍ଟମନେ ସୁରାସୁରେ । ଗିରି ଘୂରାନ୍ତି ଅତି ଖରେ । ।୫୨
ମହାପର୍ବତ ଘରଷଣେ । ଜଳେ ସେ ଥିଲେ ଜନ୍ତୁଗଣେ । ।୫୩
ଜଳଧି ମଧ୍ୟେ କ୍ଷୋଭ ପାଇ । ତୀରେ ରହିଲେ ସ୍ଥିର ହୋଇ । ।୫୪
ବାସୁକି ସହସ୍ର ବଦନେ । ନିଃଶ୍ୱାସ ଛାଡ଼େ ଘନଘନେ । ।୫୫
ତାର ନିଃଶ୍ୱାସ ଦାବାନଳ । ପୂରିଲା ଦିଗ-ଅନ୍ତରାଳ । ।୫୬
ନିଃଶ୍ୱାସ-ଅଗ୍ନି-ଧୂମ ଲାଗି । ଦେବ-ଦାନବେ ଦୁଃଖଭାଗୀ । ।୫୭
ଚାଳି ନ ପାରିଲେ ମନ୍ଦର । ତାହାଙ୍କୁ ଦେଖି ଚକ୍ରଧର । ।୫୮
ନିଃଶ୍ୱାସ-ବାତେ ହତପ୍ରାଣ । ତାହା ଜାଣିଲେ ନାରାୟଣ । ।୫୯
ତକ୍ଷଣେ ଶୂନ୍ୟେ ମେଘମାଳ । ଶୀତଳ ବରଷନ୍ତି ଜଳ । ।୬୦
କ୍ଷୀରସମୁଦ୍ରେ ଶୀତବାତ । ଯେଣୁ ପେଷିଲେ ଜଗନ୍ନାଥ । ।୬୧
ବାସୁକି ଆଦି ଜଳଜୀବେ । ତାପୁଁ ତରିଲେ ଶୀତଭାବେ । ।୬୨
ଦେବଦାନବ ଦେହଗତେ । ମାଳା କଙ୍କଣ ଥିଲା ଯେତେ । ।୬୩
ସକଳ ଧୂମେ ହତପ୍ରଭ । ଅନାଇ ପ୍ରଭୁ ପଦ୍ମନାଭ । ।୬୪
ଜଳ ସିଞ୍ଚନେ ସୁସ୍ଥ କଲେ । ବଳି ସମେତେ ଯେତେ ଥିଲେ । ।୬୫
ଏମନ୍ତେ ବାସୁକି ଶରୀରେ । ଅତି ମନ୍ଥନ ଖେଦଭରେ । ।୬୬
ଗରଳ ଛାଡ଼େ ଅତିଦୁଃଖେ । ବରଷା ପ୍ରାୟ ସସ୍ରମୁଖେ । ।୬୭
ଜଳେ ପଡ଼ନ୍ତେ ବିଷଜାଳେ । ଯେ ଜଳଜନ୍ତୁ ଥିଲେ ଜଳେ । ।୬୮
ବିକଳେ ବୁଲି ଛଟପଟେ । ପୁଣି ଗଭୀରେ ପୁଣି ତଟେ । ।୬୯
ସେ ବିଷ ବେଗବନ୍ତ-ଜଳେ । ଦିଗ ପୂରିଲା ଅନ୍ତରାଳେ । ।୭୦
ଚକିତେ ଅଧ-ଊର୍ଦ୍ଧ୍ୱ-ମଧ୍ୟେ । ଜନ୍ତୁଏ ପଳାନ୍ତି ବିଷାଦେ । ।୭୧
ଡାକନ୍ତି ଊର୍ଦ୍ଧ୍ୱମୁଖ କରି । ରଖ ହେ ପ୍ରଭୁ ଶୂଳଧାରୀ । ।୭୨
ସହି ନ ପାରବୁ କଷଣ । ତୋ ପାଦେ ପଶିଲୁ ଶରଣ । ।୭୩
ହର ସମୀପେ ମୁନିଗଣ । ମିଳି କରନ୍ତି ପ୍ରଦକ୍ଷିଣ । ।୭୪
ଯେ ଦୁଃଖବନ-ଧୂମକେତୁ । ଅଶେଷ-ଅପବର୍ଗ-ହେତୁ । ।୭୫
ମିଳି ସକଳ ପ୍ରଜାପତି । ସନ୍ନିଧେ ବସାଇ ପାର୍ବତୀ । ।୭୬
ବିକଳେ ମିଳି ଶିବ ପାଶେ । ସ୍ତୁତି କରନ୍ତି ବିଷତ୍ରାସେ । ।୭୭

ପ୍ରଜାପତିଗଣ ଉବାଚ

ହେ ମହାଦେବ ସଦାଶିବ । କେ ଜାଣିପାରେ ତୋର ଭାବ । ।୭୮
ତୁ ଭୂତଭାବନ-ଈଶ୍ୱର । ଆମ୍ଭର ପ୍ରାଣ ରକ୍ଷା କର । ।୭୯
ଏ ବିଷ ସଂସାର ଦହିବ । ଏଥୁଁ ଉଦ୍ଧର ସଦାଶିବ । ।୮୦
ସର୍ବ ଜଗତ-ବନ୍ଧ-ମୋକ୍ଷ । ତୁ ନାଥ ଈଶ୍ୱର ପ୍ରତ୍ୟକ୍ଷ । ।୮୧
କୁଶଳ ଇଚ୍ଛା ଯାର ମନେ । ସେ ତୋତେ ଚିନ୍ତେ ନିତ୍ୟେ ଧ୍ୟାନେ । ।୮୨
ଜଗତଗୁରୁ ନାଥ ତୁହି । ଯେ ତୋତେ ଶରଣ ପଶଇ । ।୮୩
ସ୍ୱଶକ୍ତି ତୋର ଗୁଣମୟୀ । ଯେ ଭାବେ ସର୍ଗ-ସ୍ଥିତି ହୋଇ । ।୮୪
ପ୍ରଳୟ କରୁ ନାଥ ତୁହି । ତୁ ବ୍ରହ୍ମା-ବିଷ୍ଣୁ-ରୁଦ୍ରଦେହୀ । ।୮୫
ତୁ ବ୍ରହ୍ମ ପରମ ଗୁପତ । ସଦ-ଅସଦ ଭାବମତ । ।୮୬
ପ୍ରକାଶୁ ନାନା ଶକ୍ତିରୂପେ । ତୁ ଆତ୍ମାରୂପ ମୋହକଳ୍ପେ । ।୮୭
ଜଗତ ଆଦି ଶବ୍ଦଯୋନି । ପ୍ରାଣ-ଇନ୍ଦ୍ରିୟ-ଗୁଣ ଘେନି । ।୮୮
ତୁ କାଳଯଜ୍ଞ ସତ୍ୟରତ । ତୁ ବ୍ରହ୍ମ ଅଛିଦ୍ର ତ୍ରିବୃତ୍ତ । ।୮୯
ଅନଳ ତୁମ୍ଭର ବଦନ । ଆଦିତ୍ୟ-ଶଶାଙ୍କ ଲୋଚନ । ।୯୦
ସର୍ବଦେବଙ୍କ ଆତ୍ମା ତୁମ୍ଭେ । ଅଶେଷ ଯଜ୍ଞର ଆରମ୍ଭେ । ।୯୧
ଏ ଭୂମି ତୋର ପାଦବେନି । ତୋ ବଳ ବହଇ ମେଦିନୀ । ।୯୨
କାଳ ତୋହର ନିଜ ଗତି । ତୋର ବୃଷଣ ପ୍ରଜାପତି । ।୯୩
ଏ ଅଷ୍ଟଦିଗ ତୋ ଶ୍ରବଣ । ତୋହର ରସନା ବରୁଣ । ।୯୪
ନଭ ତୋହର ନାଭିଦେଶ । ନିଃଶ୍ୱାସ ବାତ-ଅଣଚାଶ । ।୯୫
ପର୍ବତେ ତୋ ଅସ୍ଥି ସମୂହ । ବୃକ୍ଷ-ଔଷଧି ତନୁରୁହ । ।୯୬
ଏ ସପ୍ତଛନ୍ଦ ସପ୍ତଧାତୁ । ତୋ ହୃଦ ଧର୍ମସ୍ଥିତି-ହେତୁ । ।୯୭
ଭୋ ନାଥ ତୋ ପଞ୍ଚବଦନ । ପଞ୍ଚୋପନିଷଦ ବଚନ । ।୯୮
ଅଷ୍ଟଉତ୍ତର ତିନିଶତ । ମନ୍ତ୍ର ବର୍ଗ ଯହୁଁ ଉଦିତ । ।୯୯
ତୋ ପରମାତ୍ମା ତତ୍ତ୍ୱଧାମ । ଏଣୁ ତୋହର ଶିବ ନାମ । ।୧୦୦
ଜ୍ୟୋତିସ୍ୱରୂପେ ତୋର ବାସ । ତୁ ବ୍ରହ୍ମ ପରମ ପ୍ରକାଶ । ।୧୦୧
ଅଧର୍ମ ତୋ ଶରୀର ଛାୟା । ତୋର ଆଶ୍ରିତ ମୋହମାୟା ।୧୦୨
ତୋ ତିନିନେତ୍ର ତିନିଗୁଣ । ଯେ ଗୁଣେ ସଂସାର ଧାରଣ । ।୧୦୩
ଯେ ଛନ୍ଦୋମୟ ଶାସ୍ତ୍ରଈକ୍ଷା । ଯେ ଭାବେ ଋଷିଙ୍କର ଶିକ୍ଷା । ।୧୦୪
ଅଖିଳ-ଲୋକପାଳ ତୁହି । ତୋ ଅନ୍ତ କେହି ନଜାଣଇ । ।୧୦୫
ବିରଞ୍ଚି ବଇକୁଣ୍ଠ ଧାମ । ସୁରେନ୍ଦ୍ରଗଣେ ନୋହେ ଗମ୍ୟ । ।୧୦୬
ପରମଜ୍ୟୋତି ତୋ ଆନନ୍ଦ । କେବେହେଁ ଗୁଣେ ନୋହେ ଭେଦ । ।୧୦୭
କାମ ତ୍ରିପୁର ଘୋରକାଳ । ଦକ୍ଷର ଯଜ୍ଞ ଧ୍ୱଂସ କଲ । ।୧୦୮
ଯେବା ଅଛନ୍ତି ଭୂତଦ୍ରୋହ । ଯେ ଅବା କ୍ରୋଧ ଲୋଭ ମୋହ । ।୧୦୯
ଏହାଙ୍କୁ କରୁ ତୁ ଦହନ । ତୁ ନାଥ ଆଦି ନିରଞ୍ଜନ । ।୧୧୦
ସୃଷ୍ଟିକୁ ଅନ୍ତଃକାଳେ ଧରି । ତୃତୀୟନେତ୍ର ତୁ ଆବୋରି । ।୧୧୧
ପ୍ରାଣୀଙ୍କି କରୁ ଆତଯାତ । ଏଣୁ ତୋ ନାହିଁ ଆଦିଅନ୍ତ । ।୧୧୨
ଯେ ଆତ୍ମଜ୍ଞାନୀ ଏ ଜଗତେ । ତୋ ପଦ ଚିନ୍ତେ ଅବିରତେ । ।୧୧୩
ଯେବା ତପସ୍ୟା କରି ଭଜେ । ତୋ ରୂପ ଧ୍ୟାନଭାବେ ପୂଜେ । ।୧୧୪
ତୋତେ ଆଶ୍ରୟ ଯେ କରନ୍ତି । ଏ ଘୋର ସଂସାରୁ ତରନ୍ତି । ।୧୧୫
ଆମ୍ଭେ ଯେ ଘୋର-ବିଷ-ଭୟେ । ଶରଣ ଗଲୁ ତୋର ପାଏ । ।୧୧୬
ଏ ଘୋର ଭୟୁ କର ତ୍ରାଣ । ଭୋ ନାଥ ରଖ ଆମ୍ଭ ପ୍ରାଣ । ।୧୧୭

ଶୁକ ଉବାଚ

ତାହାଙ୍କ ଦୁଃଖ ଦେଖି ହର । କୃପାରେ ହୋଇଣ କାତର । ।୧୧୮
ସୁହୃଦ ସର୍ବଭୂତେ ସେହି । କହନ୍ତି ପ୍ରିୟାମୁଖ ଚାହିଁ । ।୧୧୯

ଶିବ ଉବାଚ

ଏ ବିଷ ତେଜେ ଦଶଦିଶ । କେବେହେଁ ନ ଦିଶେ ପ୍ରକାଶ । ।୧୨୦
ଏଣୁ ବ୍ରହ୍ମାଣ୍ଡ ନାଶ ଗଲା । ଅକାଳେ ପ୍ରଳୟ ହୋଇଲା । ।୧୨୧
ଭୟେ କମ୍ପଇ ତିନିପୁର । ଆକାଶେ କମ୍ପେ ସୁରେଶ୍ୱର । ।୧୨୨
ଦେଖ ଭବାନୀ ପ୍ରଜାଙ୍କର । ଦୁଃଖ ହୋଇଲା ଭୟଙ୍କର । ।୧୨୩
ସମୁଦ୍ର ମନ୍ଥନୁ ଏ ଜାତ । ଏଥି ରଖିବା ମୋ ଉଚିତ । ।୧୨୪
ଯେ କରେ ଦୀନ ଉପକାର । ସେ ଧର୍ମଜ୍ଞାନୀଙ୍କର ସାର । ।୧୨୫
ସାତ୍ତ୍ୱିକ ଧର୍ମ ସେ କରନ୍ତି । ଅଜ୍ଞାନୀଜନେ ନ ଜାଣନ୍ତି । ।୧୨୬
ଦୁଃଖୁଁ ଯେ ପରିତ୍ରାଣ କରେ । ସଙ୍କଟୁ ପ୍ରାଣୀଙ୍କି ଉଦ୍ଧରେ । ।୧୨୭
ତା ଜନ୍ମ ଧନ୍ୟ ଏ ସଂସାରେ । ଯେ ରହେ ପର ଉପକାରେ । ।୧୨୮
ସାଧୁଜନଙ୍କର ଏ ଗତି । କେବେହେଁ ଧର୍ମ ନ ଛାଡ଼ନ୍ତି । ।୧୨୯
କ୍ଷଣଭଙ୍ଗୁର ଏ ଶରୀର । ସୁଧର୍ମ ପର ଉପକାର । ।୧୩୦

ଶୁକ ଉବାଚ

ଏମନ୍ତ ଶିବଙ୍କ ବଚନ । ଅମ୍ବିକା ଶୁଣି ତୋଷମନ । ।୧୩୧
ରୁଦ୍ର ଚରଣ ଶିରେ ଧରି । ମଧୁରେ କହନ୍ତି ଗଉରୀ । ।୧୩୨
ଅମ୍ବିକା ଉବାଚ ଭୋ ନାଥ ଜଗତ ଈଶ୍ୱର । ଦେବଙ୍କ ବୋଲ ତୁମ୍ଭେ କର । ।୧୩୩
ଏ ଘୋର ବିଷ କର ଗ୍ରାସ । ସଂସାରେ ଥିବ ତୁମ୍ଭ ଯଶ । ।୧୩୪
ଧର୍ମ କରନ୍ତି ଯେତେ ପ୍ରାଣୀ । ତାହାଙ୍କୁ ତୋଷ ଚକ୍ରପାଣି । ।୧୩୫
ଶୁକ ଉବାଚ ଏମନ୍ତେ ଗଉରୀ ବଚନେ । ରୁଦ୍ର ଉଠିଲେ ତୋଷମନେ । ।୧୩୬
କ୍ଷୀରାବ୍‌ଧି-ତଟେ ବିଜେକରି । କରଅଞ୍ଜଳି ବିଷେ ଭରି । ।୧୩୭
ଉତ୍କଟ ଘୋର ମହାବିଷ । ଏକାବେଳକେ କଲେ ଗ୍ରାସ । ।୧୩୮
ରଖିଲେ ଅଶେଷ ଭୁବନ । ଶୁଣ ହେ ପରୀକ୍ଷ ରାଜନ । ।୧୩୯
କଣ୍ଠ ଦିଶିଲା ନୀଳପ୍ରଭା । ସାଧୁଜନଙ୍କର ଏ ଶୋଭା । ।୧୪୦
ସାଧୁଜନଙ୍କ ମତ ଏହି । ଯେ ପରଦୁଃଖେ ଦୁଃଖୀ ହୋଇ । ।୧୪୧
କରନ୍ତି ପର ଉପକାର । ଧନ୍ୟ ଜୀବନ ତାହାଙ୍କର । ।୧୪୨
ଏମନ୍ତେ ରୁଦ୍ରକର୍ମ ଦେଖି । ସଂସାରଜନେ ହେଲେ ସୁଖୀ । ।୧୪୩
ବ୍ରହ୍ମା-ଗୋବିନ୍ଦ ଦେବ ମେଳେ । ସର୍ବେ ଶଙ୍କରେ ପ୍ରଶଂସିଲେ । ।୧୪୪
ରୁଦ୍ର ପିବନ୍ତେ ଘୋର ବିଷ । କୂଳେ ଯେ ଥିଲା ଅବଶେଷ । ।୧୪୫
ବୃଶ୍ଚିକ-ଦନ୍ଦ ଶୂକଗଣ । ଭକ୍ଷିଲେ ବିଷ-ଶେଷକଣ । ।୧୪୬
ଏ କ୍ଷୀର ସାଗର-ମନ୍ଥନ । ଶୁଣି ପବିତ୍ର ହୁଅ ଜନ । ।୧୪୭
ସୁସାଧୁ ଜନଙ୍କର ହିତେ । ଅଷ୍ଟମ ସ୍କନ୍ଧେ ଭାଗବତେ । ।୧୪୮
ଭାଷା ପ୍ରବନ୍ଧେ ଗୀତନାଦେ । ଶୁଣ ସୁଜନେ ଅପ୍ରମାଦେ । ।୧୪୯
ବୋଲଇ ଦାସ ଜଗନ୍ନାଥ । ବିଷ ଭକ୍ଷିଲେ ଉମାକାନ୍ତ । ।୧୫୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ସମୁଦ୍ରମନ୍ଥନେ ସଦାଶିବ ବିଷପାନେ ସପ୍ତମୋଽଧ୍ୟାୟଃ । ।

ଅଷ୍ଟମ ଅଧ୍ୟାୟ

ଶୁକ ଉବାଚ

ଶୁଣ ରାଜନ ତୋଷମନେ । ସଦାଶିବଙ୍କ ବିଷପାନେ । ।୧
ଦେବ ଦାନବ ମନତୋଷେ । ରୁଦ୍ର ବିରଞ୍ଚି ଘେନି ପାଶେ । ।୨
ପୁଣି ମନ୍ଥିଲେ କରି ମନ୍ୟୁ । ଜଳୁ ଉଠିଲା କାମଧେନୁ । ।୩
ସେ ଧେନୁ ଦେଖି ତୋଷମନେ । ବ୍ରାହ୍ମଣେ ମିଳିଲେ ମନ୍ଥନେ । ।୪
ହରଷେ ଅଗ୍ନିହୋତ୍ର ଅର୍ଥେ । ମିଳିଲେ ଅଗ୍ନିହୋତ୍ରୀ ଯେତେ । ।୫
ସ୍ୱଭାବେ ବିପ୍ରେ ବ୍ରହ୍ମବେତ୍ତା । ଅଗ୍ନିପୂଜନେ ସାମରଥା । ।୬
ସେ କାମଧେନୁ ଘେନିଗଲେ । ଆନନ୍ଦ ମନେ ଯଜ୍ଞ କଲେ । ।୭
ପୁଣି ମନ୍ଥିଲେ ସୁରଦେବା । ଉଠିଲା ଅଶ୍ୱ ଉଚ୍ଚୈଶ୍ରବା । ।୮
ସେ ସର୍ବଲକ୍ଷଣେ ସୁନ୍ଦର । ଶଶାଙ୍କ ସଦୃଶ ପାଣ୍ଡୁର । ।୯
ସେ ଅଶ୍ୱ ଦେଖି ବଳି ଚିତ୍ତେ । ଶ୍ରଦ୍ଧା ବସିଲା ଅନ୍ତର୍ଗତେ । ।୧୦
ଈଶ୍ୱର ତାର ମନ ଜାଣି । ବୋଇଲେ ଇନ୍ଦ୍ର ଶୁଣ ବାଣୀ । ।୧୧
ତୋହର ଅଶ୍ୱ ଏ ଉଚିତେ । ସେ ନେଇ ଆମ୍ଭ ସନମତେ । ।୧୨
ପୁଣି ମନ୍ଥିଲେ ଏକଚିତ୍ତେ । ଉଠିଲା ଗଜ ଐରାବତେ । ।୧୩
ଚତୁରଦନ୍ତ ଶୋଭାକର । କୈଳାସ ପର୍ବତ ଆକାର । ।୧୪
ଇନ୍ଦ୍ରର ଗଜ ସେ ସ୍ୱଭାବେ । ତେଣୁ ନ ଇଚ୍ଛିଲେ ଦାନବେ । ।୧୫
ସେ ଗଜ ଇନ୍ଦ୍ର ଆବୋରିଲେ । ପୁଣି ମନ୍ଥନ ଯାଇ କଲେ । ।୧୬
ଅଷ୍ଟଦିଗ୍‌‌ଗଜ ଐରାବଣ । ଅଭ୍ରମୁ ଆଦି ପତ୍ନୀ ନାମ । ।୧୭
ପୁଣି ମନ୍ଥନେ ମହାଭାଗ । ଉଠିଲା ମଣି ପଦ୍ମରାଗ । ।୧୮
କୌସ୍ତୁଭ ନାମେ ରତ୍ନ ହରି । ସ୍ନେହେ ଏହାକୁ ବକ୍ଷେ ଧରି । ।୧୯
ସୁନ୍ଦର ପୁଷ୍ପ ପାରିଜାତ । ସୁଗନ୍ଧେ ମୋହିଲା ଜଗତ । ।୨୦
ତକ୍ଷଣେ ଉଠିଲା ଗଗନେ । ମିଳିଲା ଶଚୀପତି ବନେ । ।୨୧
ପୁଣି ମନ୍ଥିଲେ ବାହୁବଳେ । ମନ୍ଦରଗିରି ସିନ୍ଧୁଜଳେ । ।୨୨
ଉଠିଲେ ଅପସରା ବୃନ୍ଦ । ସୁସ୍ୱରେ କରି ଗୀତନାଦ । ।୨୩
ରତ୍ନମେଖଳା କଟୀତଟେ । କୁଚେ କାଞ୍ଚଲା ସୁପ୍ରକଟେ । ।୨୪
ରତ୍ନଭୂଷଣେ ଶୋହେ ଗ୍ରୀବା । ରୂପେ କି ପଟାନ୍ତର ଦେବା । ।୨୫
ହାର କେୟୂର ଝଟକନ୍ତି । ଗଗନେ ଯେହ୍ନେ ତାରାପନ୍ତି । ।୨୬
ଚାହାନ୍ତେ କଟାକ୍ଷ-ଲୋଚନ । ଯେ ରୂପେ ତ୍ରୈଲୋକ୍ୟ-ମୋହନ । ।୨୭
ଗଗନମାର୍ଗେ ଶୂନ୍ୟେ ଗଲେ । ଇନ୍ଦ୍ରର ଭୁବନେ ମିଳିଲେ । ।୨୮
ଅସୁରେ ମନେ ଦୁଃଖ ଭରି । ପୁଣି ମନ୍ଥିଲେ ଗିରି ଧରି । ।୨୯
ସୁନ୍ଦର ଦିଶେ ଦଶଦିଶ । ଧରଣୀ ହେଉଛି ଉଲ୍ଲାସ । ।୩୦
ଅମୃତ-ଶୁଭଲଗ୍ନ-ବଳେ । ଲକ୍ଷ୍ମୀ ଉଠିଲେ ମହାଜଳେ । ।୩୧
ଦିଗ ପ୍ରସରେ ଦେହ ଝଳି । ଜୀମୂତେ ଯେସନେ ବିଜୁଳି ।୩୨
କମଳା ରୂପ ଦେଖି ବନେ । ଲୋଭ ବସିଲା ସର୍ବମନେ । ।୩୩
ଲକ୍ଷ୍ମୀ-ବଦନ ଚାହିଁ ବେଗେ । ଇନ୍ଦ୍ର ମିଳିଲେ ପଦଯୁଗେ । ।୩୪
ରତ୍ନ ଆସନ ଦେଲେ ଆଣି । ଯହିଁ ବିଜୟେ କମଳିନୀ । ।୩୫
ଜାହ୍ନବୀ ଆଦି ନଦୀ ଯେତେ । ସର୍ବେ ମିଳିଲେ ପାଦଗତେ । ।୩୬
ସୁବର୍ଣ୍ଣ କୁମ୍ଭେ ଜଳ ଭରି । ମୁନିଏ ରହିଲେ ଉଭାରି । ।୩୭
ଧରଣୀ ଦେଲା ଅଉଷଧି । ଅପରେ ଅଭିଷେକ ବିଧି । ।୩୮
ଅଇରାବତ ପୁଣ୍ଡରୀକ । ଏ ବେନି ହସ୍ତୀଙ୍କ ନାୟକ । ।୩୯
ସୁବର୍ଣ୍ଣକୁମ୍ଭେ ନୀର ଭରି । ଢ଼ାଳିଲେ ଥୋର ହସ୍ତେ ଧରି । ।୪୦
ସୁରଭୀ ପଞ୍ଚାମୃତ ଧାରେ । ସିଞ୍ଚିଲା କମଳା ଉପରେ । ।୪୧
ମଧୁ-ମାଧବ ବେନିମାସେ । ମିଳିଲେ କୁସୁମ ସୁବାସେ । ।୪୨
ମିଳି ଅଶେଷ ମୁନିଗଣେ । ଆଗମ ନିଗମ ପ୍ରମାଣେ । ।୪୩
କଲେ ସେ ଅଭିଷେକ ବିଧି । ନିଗମ ମାର୍ଗେ ଯେ ପ୍ରସିଦ୍ଧି । ।୪୪
ଗନ୍ଧର୍ବେ କଲେ ଗୀତନାଦ । ନାଚନ୍ତି ଅପସରାବୃନ୍ଦ । ।୪୫
ପଣବ ମୃଦଙ୍ଗ ଗୋମୁଖ । ମୁରୁଜ ଯନ୍ତ୍ର ଯେ ଆନକ । ।୪୬
କମ୍ବୁ କାହାଳ ବେଣୁସ୍ୱନ । ଗର୍ଜନ୍ତି ଶୂନ୍ୟପଥେ ଘନ । ।୪୭
ସକଳେ ମିଳି ଚଉପାଶେ । ସୁବାକ୍ୟ ବେଦମନ୍ତ୍ର ଘୋଷେ । ।୪୮
ହସ୍ତୀଏ ରତ୍ନକୁମ୍ଭେ ନୀର । ଢାଳିଲେ କମଳାର ଶିର । ।୪୯
କ୍ଷୀର ଜଳଧି ଉଠି ତୋଷେ । ମିଳିଲା କମଳିନୀ ପାଶେ । ।୫୦
ପୀତପତନୀ ବେନି ଦେଲା । ଅମ୍ଳାନ-ପଙ୍କଜର ମାଳା । ।୫୧
ବରୁଣ ଦେଲା ଦେବୀ ଗଳେ । ମତ୍ତ-ମଧୁପ ଯହିଁ ରୋଳେ । ।୫୨
ନାନା-ଭୂଷଣ ରତ୍ନଜ୍ୟୋତି । ସେ ବିଶ୍ୱକର୍ମା ପ୍ରଜାପତି । ।୫୩
ହାର କଙ୍କଣ ଅବତଂସ । ରତ୍ନ ଝଟକେ ରବି ତ୍ରାସ । ।୫୪
ସେ ଦେବୀ ଅଭିଷେକ ଅନ୍ତେ । ପଙ୍କଜମାଳା ଘେନି ହସ୍ତେ । ।୫୫
ପାଦେ ଚଳନ୍ତେ ମହୀତଳେ । ରତ୍ନକୁଣ୍ଡଳ କର୍ଣ୍ଣେ ଲୁଳେ । ।୫୬
ସୁଶୁଭ୍ରହାସ ଶୁଭ୍ରଦନ୍ତୀ । ହୃଦେ ପୟୋଧର ଚଳନ୍ତି । ।୫୭
ମୁକୁତାହାର କୁଚଶିଖେ । କୁଙ୍କୁମ ଲେପନ ସୁରେଖେ । ।୫୮
ଚରଣେ ରଣିତ ନୂପୁର । ସୁଘୋଷ ଶୁଭଇ ମଧୁର । ।୫୯
ପଥେ ଚାଲନ୍ତେ ଜନମାତା । ରୂପେ କି ଦିଶେ ହେମଲତା । ।୬୦
ବିଷ୍ଣୁଚରଣେ ମନଦେଇ । ଆନନ୍ଦେ ବେନିପାଶେ ଚାହିଁ । ।୬୧
ଅଶେଷ-ବ୍ରହ୍ମାଣ୍ଡ-କାରଣ । କଳ୍ପଇ ଯାହାର ଚରଣ । ।୬୨
ଯଦ୍ୟପି କନ୍ୟାରୂପ ଧରେ । ମନ ନ ରମେ ଅନ୍ୟ ବରେ । ।୬୩
ଗନ୍ଧର୍ବ ସିଦ୍ଧ ଯକ୍ଷ ସୁର । ଥିଲେ ଯେ ଚାରଣ ଅସୁର । ।୬୪
ଯେଣୁ ମିଶ୍ରିତ ଦୋଷ ଗୁଣ । ତେଣୁ ତାଙ୍କରେ ନାହିଁ ମନ । ।୬୫
ଚଞ୍ଚଳା ପୁଣ ଏହି ମତେ । ବିଷ୍ଣୁଚରଣ ଚିନ୍ତି ଚିତ୍ତେ । ।୬୬
ଗୋବିନ୍ଦ ଗଳେ ମାଳାଦେଇ । ଅନଙ୍ଗଲୋଚନେ ଅନାଇଁ । ।୬୭
କୋଳେ ବସିଲେ ଜନମାତା । ଯେ ଜୀବ-ଜୀବନର ଦାତା । ।୬୮
ଗୋବିନ୍ଦକୋଳେ ଲକ୍ଷ୍ମୀ ଦେଖି । ଅସୁରେ ମନ୍ଥନ ଉପେକ୍ଷି । ।୬୯
ତୂରୀ ମର୍ଦ୍ଦଳ ଶଙ୍ଖସ୍ୱନ । ନୃତ୍ୟ ଉତ୍ସବ ଘନ ଘନ । ।୭୦
ବ୍ରହ୍ମା ଶଙ୍କର ଆଦି ଯେତେ । ତକ୍ଷଣେ ମିଳିଲେ ସମସ୍ତେ । ।୭୧
ସକଳ ଦେବେ ମୋଦଭରି । ପୁଷ୍ପ-ବରଷି ସ୍ତୁତି କରି । ।୭୨
ଲକ୍ଷ୍ମୀ-କଟାକ୍ଷ ଦେହେ ଲାଗି । ସର୍ବେ ହୋଇଲେ ମୋକ୍ଷଭାଗୀ । ।୭୩
ସତ୍ୟାଦି ପୁଣ୍ୟଶୀଳ ଗୁଣେ । ଯୁକ୍ତ ହୋଇଲେ ତତକ୍ଷଣେ । ।୭୪
ବ୍ରହ୍ମାଶଙ୍କର ଆଦି ଦେବେ । ଲକ୍ଷ୍ମୀ-ଗୋବିନ୍ଦ ତୋଷଭାବେ । ।୭୫
ଲକ୍ଷ୍ମୀଙ୍କି ଦେଖି ବିଷ୍ଣୁ ଅଙ୍ଗେ । ମଙ୍ଗଳଗୀତ ସ୍ତୁତି ରଙ୍ଗେ । ।୭୬
ମିଳି ସକଳ ଦିଗପାଳେ । ପୁଷ୍ପ ବରଷିଲେ ଗହଳେ । ।୭୭
ଲକ୍ଷ୍ମୀ-ଗୋବିନ୍ଦ ମୁଖ ଦେଖି । ଦେବେ ହୋଇଲେ ସର୍ବସୁଖୀ । ।୭୮
ଶୀଳାଦି-ଅଷ୍ଟଗୁଣେ ଯୁତ । ସର୍ବେ ହୋଇଲେ କୃତକୃତ୍ୟ । ।୭୯
ଲକ୍ଷ୍ମୀଙ୍କି ନ ଲଭି ଅସୁରେ । ବିଗୁଣ ବହିଲେ ଅନ୍ତରେ । ।୮୦
ନିର୍ବଳ ହୋଇଲେ ସରାଗେ । ଲୋଭ ବସିଲା ହୃଦଭାଗେ । ।୮୧
ଉଦ୍‌ବେଗେ ହୋଇଲେ କାତର । ଲଜ୍ଜା-ସ୍ୱଭାବ ଗଲା ଦୂର । ।୮୨
ପୁଣି ମନ୍ଥିଲେ ମନଦୁଃଖେ । ଚାହାନ୍ତି ଅନ୍ୟେ ଅନ୍ୟ ମୁଖେ । ।୮୩
ମନ୍ଥନେ ଉଠିଲା ବାରୁଣୀ । ରୂପେ ଶୋଭିତ କମଳିନୀ । ।୮୪
ଅସୁରେ ହସିଣ ଉନ୍ମତ୍ତେ । ସେ କନ୍ୟା ଲଭିଲେ ସମସ୍ତେ । ।୮୫
ପୁଣି ମନ୍ଥିଲେ ତୋଷମନେ । ପୌରୁଷେ ହରଷ ବଦନେ । ।୮୬
ଅଦ୍‌ଭୁତ ପୁରୁଷ ଉପୁଜେ । ତେଜେ ସକଳ ରୂପ ଗଞ୍ଜେ । ।୮୭
ହସ୍ତୀର ଶୁଣ୍ଢ ପ୍ରାୟେ ହୋଇ । ଆଜାନୁଲମ୍ବେ ଭୁଜ ଦୁଇ । ।୮୮
ସୁନ୍ଦର କମ୍ବୁ-ଗ୍ରୀବା ସାଜେ । ଅରୁଣଲୋଚନ ବିରାଜେ । ।୮୯
ଶ୍ୟାମ-ତରୁଣ-ବୟ ଶୋହେ । ରତ୍ନଭୂଷଣ ମନ ମୋହେ । ।୯୦
ହୃଦେ ଲମ୍ବଇ ବନମାଳ । ସୁନ୍ଦର ଅଳକା କପୋଳ । ।୯୧
ସିଂହ ବିକ୍ରମ ଶୁଭ୍ରଅଙ୍ଗ । ପୀତବସନ କଟୀଭାଗ । ।୯୨
ରତ୍ନବଳୟ ମଣିବନ୍ଧେ । ଅମୃତ କୁମ୍ଭ ଘେନି ସ୍କନ୍ଧେ । ।୯୩
ସେ ରୂପ ନାରାୟଣ ଅଂଶେ । ଧନ୍ୱନ୍ତରି ରୂପ ପ୍ରକାଶେ । ।୯୪
ସ୍ୱଭାବେ ଆୟୁର୍ବେଦ-ଗୁରୁ । ଧୀର ସ୍ୱଭାବେ ଯେହ୍ନେ ମେରୁ । ।୯୫
ଅସୁରଗଣ ତାହା ଦେଖି । ଧାଇଁଲେ ମନ୍ଥନ ଉପେକ୍ଷି । ।୯୬
ଲୁଟିଲେ ସର୍ବବସ୍ତୁ ବଳେ । ଦେବଙ୍କୁ କରି ଅବହେଳେ । ।୯୭
ଅମୃତ କୁମ୍ଭ ଅତି ଖରେ । ଥିଲା ଯେ ଧନ୍ୱନ୍ତରି କରେ । ।୯୮
ସେ କୁମ୍ଭ ବଳେ ଅପହରି । ଧାଇଁଲେ ଘୋରନାଦ କରି । ।୯୯
ପ୍ରତାପେ ଗର୍ଜିଣ ଧାଇଁଲେ । ପର୍ବତ ଉପରେ ଉଠିଲେ । ।୧୦୦
ଦେବେ ଦୁଃଖିତମନ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ । ।୧୦୧
ବୋଲନ୍ତି ରଖ ନାରାୟଣ । ଘୋର ସଙ୍କଟୁ ଆମ୍ଭ ପ୍ରାଣ । ।୧୦୨
ଅମୃତ ଭକ୍ଷିଲେ ଅସୁରେ । ଆମ୍ଭେ କି ଥିବୁ ସ୍ୱର୍ଗପୁରେ । ।୧୦୩
ନିଶ୍ଚୟେ ହୋଇଲୁ ଅନାଥ । ଶରଣ ରଖ ଜଗନ୍ନାଥ । ।୧୦୪
ଏମନ୍ତ ଦେବଙ୍କ ବିକଳ । ଦେଖି ହସନ୍ତି ଆଦିମୂଳ । ।୧୦୫
ସ୍ୱଭାବେ ପରମ ଆନନ୍ଦ । ଭକ୍ତବତ୍ସଳ ଆଦିକନ୍ଦ । ।୧୦୬
ବୋଲନ୍ତି ଶୁଣ ଦେବତାଏ । ଚିତ୍ତେ ନ କର ତୁମ୍ଭେ ଭୟେ । ।୧୦୭
ମୁଁ ଆଜ ଯୋଗମାୟା ଛଳେ । ଅମୃତ ଆଣିବଇଁ ହେଳେ । ।୧୦୮
ତକ୍ଷଣେ ଅସୁରଙ୍କ ଦେହେ । ହରି ପଶିଲେ ମାୟାମୋହେ । ।୧୦୯
ଅସୁରେ ଚିତ୍ତେ କ୍ରୋଧ ବହି । ବୋଲନ୍ତି ଏକୁ ଆରେ ଚାହିଁ । ।୧୧୦
କେହି କାହାକୁ ନ ଗଣନ୍ତି । ମୁଁ ଆଗେ ଭକ୍ଷିବି ବୋଲନ୍ତି । ।୧୧୧
ଦେବଙ୍କ ଭାଗ ଆଗେ ଦେବା । କେ ବୋଲେ ଆମ୍ଭେ ହେ ଭୁଞ୍ଜିବା । ।୧୧୨
ଆମ୍ଭର ତୁଲେ ଦେବେ ଦୁଃଖୀ । ଆମ୍ଭେ ଯେ ତାହାଙ୍କୁ ଉପେକ୍ଷି । ।୧୧୩
ବଳେ ଆଣିଲୁ ସୁଧାକୁମ୍ଭ । ଏମନ୍ତ ବହି ମହାଦମ୍ଭ । ।୧୧୪
କେହି କାହାକୁ ନ ଗଣନ୍ତି । ଧର୍ମ ଅଧର୍ମ ବିଚାରନ୍ତି । ।୧୧୫
ମଧ୍ୟେ ଅମୃତ କୁମ୍ଭ ଥୋଇ । ବିଷ୍ଣୁମାୟାରେ ମନ ମୋହି । ।୧୧୬
ଏମନ୍ତ ସମୟେ ମୁରାରି । ତକ୍ଷଣେ ମାୟାରୂପ ଧରି । ।୧୧୭
ସ୍ୱରୂପେ ହୋଇଲେ କାମିନୀ । ଅଶେଷ ଜଗତମୋହିନୀ । ।୧୧୮
ଶ୍ୟାମଉତ୍ପଳ ସ୍ୱରୂପିଣୀ । କାମିନୀଗଣ ଶିରୋମଣି । ।୧୧୯
ବିବିଧ-ମଣିଗଣମାନ । ବିରାଜେ କେୟୂର କଙ୍କଣ । ।୧୨୦
ସୁନ୍ଦର ନାସା ଭୂରୁ ଶୋହେ । କଟାକ୍ଷେ ଜଗୁଜନ ମୋହେ । ।୧୨୧
ଉନ୍ନତ ନବଯଉବନ । ଯୌବନ ଭାରେ ମଝା କ୍ଷୀଣ । ।୧୨୨
ରଙ୍ଗ ଅଧରେ ଦନ୍ତପନ୍ତି । ହାସ ବଦନେ ଝଟକନ୍ତି । ।୧୨୩
ଉତ୍‌ଫୁଲ୍ଲ-ମଲ୍ଲୀମାଳ ଶିରେ । ଶୋହେ ସୁନୀଳ କଳେବରେ । ।୧୨୪
ସୁଗ୍ରୀବ-କଣ୍ଠେ ଆଭରଣ । ସୁଭୁଜେ ଅଙ୍ଗଦ ଭୂଷଣ । ।୧୨୫
ବିରଜ ଅମ୍ବରେ ଭୂଷିତ । ଉଦର ନିତମ୍ବ ଶୋଭିତ । ।୧୨୬
କଟୀମେଖଳା ମନରଞ୍ଜେ । ଉଜ୍ୱଳ ମଣିଗଣ ଗଞ୍ଜେ । ।୧୨୭
ଚରଣେ ନୂପୁର ବାଜେଣୀ । ସୀମନ୍ତ ମଧ୍ୟେ ଶୋହେ ମଣି । ।୧୨୮
ସର୍ବାଙ୍ଗେ ଭୂଷିତ ଭୂଷଣ । ଭୂରୁ-ବିଳାସ ବିମୋହନ । ।୧୨୯
ହାସ୍ୟେ ଅସୁର-ଚିତ୍ତ ହରି । ମୋହିନୀ ରୂପେ ବଶକରି । ।୧୩୦
ଚିତ୍ତେ ଅନଙ୍ଗ ଉଦ୍ଦୀପନ । ହରି ହରିଲେ ତାଙ୍କ ମନ । ।୧୩୧
ବ୍ରାହ୍ମଣ ଜଗନ୍ନାଥ କହେ । ଅସୁରେ ହରି ମାୟାମୋହେ । ।୧୩୨
ଅମୃତ ଭକ୍ଷଣ ପାସୋରି । ବିଷ୍ଣୁଙ୍କୁ ରହିଲେ ଆବୋରି । ।୧୩୩
ବିଷ୍ଣୁ-ମୋହିନୀ ରୂପ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୧୩୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଭଗବତ୍ ମାୟା ଉପଲମ୍ଭନଂ ନାମ ଅଷ୍ଟମୋଽଧ୍ୟାୟଃ । ।

ନବମ ଅଧ୍ୟାୟ

ଶୁକ ଉବାଚ

ଅସୁରେ ବସି ଏକମେଳେ । ସୁଧା-ସମ୍ପୂର୍ଣ୍ଣ କୁମ୍ଭ କରେ । ।୧
ବିବିଧ-ପାନପାତ୍ର ଆଣି । ଏକ ଆରକେ ବାକ୍ୟ ଭଣି । ।୨
ସୁହୃଦପଣ ଦୂର କଲେ । ଦୁଷ୍ଟ-ଆଚାର ଆଚରିଲେ । ।୩
ଏମନ୍ତେ ଶୁଣ ପରୀକ୍ଷିତ । ମୋହିନୀ ରୂପେ ଜଗନ୍ନାଥ । ।୪
ମିଳିଲେ ଅସୁରଙ୍କ ପାଶେ । ଅମୃତ-ହରଣ ବିଶ୍ୱାସେ । ।୫
ବିଷ୍ଣୁମୋହିନୀ ରୂପ ଦେଖି । ନିଶ୍ଚଳ କଲେ ସର୍ବେ ଆଖି । ।୬
ଚକିତେ ଅନ୍ୟଅନ୍ୟେ ଚାହିଁ । ବୋଲନ୍ତି ବିଷ୍ଣୁରୂପେ ମୋହି । ।୭
ଦେଖ ଏ ରୂପ-କାନ୍ତି-ଧାମ । ନବଯୁବତୀ ଅନୁପମ । ।୮
କାହୁଁ ଅଇଲା କିବା ଅର୍ଥେ । ପାଦେ ଚାଲଇ ଦୃଷ୍ଟି ପଥେ । ।୯
ଏମନ୍ତ କହି କନ୍ୟା ଆଗେ । ପଥେ ମିଳିଲେ ଯାଇ ବେଗେ । ।୧୦
ନିଶ୍ଚଳେ ନ ପାରନ୍ତି ଚାହିଁ । ବୋଲନ୍ତି କନ୍ୟା ପାଶେ ରହି । ।୧୧
ହେ ପଦ୍ମଲୋଚନି ସୁନ୍ଦରି । ଯୁବାଜନଙ୍କ ମନୋହାରୀ । ।୧୨
କି ତୋର ନାମ କିବା ଅର୍ଥେ । କେଣେ ଅଇଲୁ କହ ଏଥେ । ।୧୩
କାହାର ପତ୍ନୀ ତୁ ବୋଲାଉ । ଜ୍ଞାନ ହରିଲୁ ଚାହୁଁ ଚାହୁଁ । ।୧୪
ଆମ୍ଭେ ଯେତେକ ଦେବାସୁରେ । ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ । ।୧୫
ମୁନି ଚାରଣ ବିଦ୍ୟାଧର । ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର । ।୧୬
ଅଦୃଷ୍ଟପୂର୍ବ ରୂପ ତୁହି । ତୋତେ ତ କେହି ନ ଜାଣଇ । ।୧୭
ନିଶ୍ଚେ ଜାଣିଲୁ ତୋ ବାରତା । ତୋତେ ବା ସର୍ଜିଲା ବିଧାତା । ।୧୮
ପ୍ରାଣୀଙ୍କ ଇନ୍ଦ୍ରିୟ ହରଣେ । ମୋହନ-ଅଜ୍ଞାନ-କାରଣେ । ।୧୯
ତୋ ରୂପ ଅତି ମନୋହର । ତୁ ଏବେ ଆମ୍ଭ ବୋଲ କର । ।୨୦
ଆମ୍ଭେ ଯେ ଦେବତା ଦାନବେ । ଅମୃତପାନ ସମଭାବେ । ।୨୧
ଏ ବସ୍ତୁ ବେନିଭାଗ କରି । ଦିଅ ଗୋ ପରମା ସୁନ୍ଦରୀ । ।୨୨
କଶ୍ୟପପୁତ୍ର ଆମ୍ଭେ ଦୁଇ । କେବେ ଆମ୍ଭର ନ ପଡ଼ଇ । ।୨୩
ତୁ ଏ ଅମୃତ ଆମ୍ଭ ପାତ୍ରେ । ଦ୍ୱିଭାଗ କରି ଯଥାଅର୍ଥେ । ।୨୪
ପରଷି ଦିଅ ଶୁଦ୍ଧଚିତ୍ତେ । ସମାନ ଭାବେ ଆମ୍ଭ ପାତ୍ରେ । ।୨୫
କେବେହେଁ ନକରିବୁ ଭେଦ । ଯେମନ୍ତେ ଉଭୟ ଆନନ୍ଦ । ।୨୬
ଅସୁରଙ୍କର ବୋଲ ଶୁଣି । ମାୟା-ମୋହିନୀ-ଚକ୍ରପାଣି । ।୨୭
ମୋହନ-ମନ୍ଦହାସ ମୁଖେ । ଅପାଙ୍ଗ କଟାକ୍ଷ ସୁରେଖେ । ।୨୮
ଅମୃତ ସମାନ ବଚନ । କହନ୍ତି ଜଗତ-ମୋହନ । ।୨୯

ଭଗବାନ ଉବାଚ

ତୁମ୍ଭେ ଯେ କଶ୍ୟପ-ନନ୍ଦନ । ଶୁଣ ହୋ ମୋହର ବଚନ । ।୩୦
ସ୍ୱଭାବେ ସ୍ୱାମୀ ମୋର ନାହିଁ । କୁଳଟା-ବାଦ ମୋର ତହିଁ । ।୩୧
ଅସତୀ-ନାରୀଙ୍କ ସ୍ୱଭାବ । ଶ୍ୱାନର ପ୍ରାୟେକ ଜାଣିବ । ।୩୨
ନିତ୍ୟେ ଲୋଡ଼ଇ ନୂଆଭାବ । କେ ଅବା ବିଶ୍ୱାସ କରିବ । ।୩୩
କହିଲି ତୁମ୍ଭ ଆଗେ ସତ । ଏମନ୍ତ ପଣ୍ଡିତଙ୍କ ମତ । ।୩୪
ଶୁକ ଉବାଚ କନ୍ୟାର ଚତୁର-ବଚନ । ଶୁଣି ଅସୁରେ ତୋଷମନ । ।୩୫
ଭାବ-ସୁଗଭୀର-ବଚନ । ମନୁଷ୍ୟେ ଯେହ୍ନେ ସୁଧାପାନ । ।୩୬
ଅମୃତଭାଣ୍ଡ ଆଣି ବେଗେ । ସମର୍ପି ଦେଲେ କନ୍ୟା ଆଗେ । ।୩୭
ହସି ବୋଇଲେ ତୋଷଚିତ୍ତେ । ଶୁଣ ରାଜନ ପରୀକ୍ଷିତେ । ।୩୮
ଅସୁରଙ୍କର ବୋଲ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି । ।୩୯
ଅମୃତଭାଣ୍ଡ କାଖେ ଧରି । ଅଳପ ହାସମୁଖ କରି । ।୪୦
ବୋଲନ୍ତି ପ୍ରଭୁ ଭାବଗ୍ରାହୀ । ସଭୟେ ଅସୁରଙ୍କୁ ଚାହିଁ । ।୪୧

ମୋହିନୀ ଉବାଚ

ସାଧୁ ଅସାଧୁ ନଜାଣଇ । ତୁମ୍ଭେ ସମାନ ବେନିଭାଇ । ।୪୨
ବିଭାଗେ ଦେବି ସୁଧାରସ । ସଂସ୍କାର ହୋଇ ତୁମ୍ଭେ ବସ । ।୪୩

ଶୁକ ଉବାଚ

ଏମନ୍ତେ ମୋହିନୀ ବଚନେ । ଦେବ-ଦାନବେ ତୋଷମନେ । ।୪୪
ପ୍ରଥମେ ଉପବାସ କରି । ପ୍ରାତଃ ସ୍ନାହାନ ସନ୍ଧ୍ୟା ସାରି । ।୪୫
ସନ୍ତୋଷ ଚିତ୍ତେ ହୋମ କଲେ । ଗୋ-ବିପ୍ର-ଚରଣେ ପୂଜିଲେ । ।୪୬
ଭୂତଙ୍କୁ ଦେଲେ ଭୂତବଳି । ସ୍ତୁତି ଯେ କଲେ ବିପ୍ରେ ମିଳି । ।୪୭
ଅହତ ବସ୍ତ୍ରଯୁଗ ପିନ୍ଧି । ଶୋଭନଗନ୍ଧେ ନାନାବିଧି । ।୪୮
କୁଶ ଆସନେ ସର୍ବେ ବସି । ବଦନ କଲେ ପୂର୍ବଦିଶି । ।୪୯
ଧୂପ ଆମୋଦ ଯଜ୍ଞଶାଳେ । ଆନନ୍ଦେ ବସିଲେ ସକଳେ । ।୫୦
ସୁଗନ୍ଧମାଳା ଦୀପପନ୍ତି । ଆବୋରି ପାନପାତ୍ର ଛନ୍ତି । ।୫୧
ସେ ଯଜ୍ଞଶାଳେ ନରହରି । ଅତି ମୋହିନୀ ରୂପ ଧରି । ।୫୨
ଅସୁରଙ୍କର ମନମୋହି । ଅମୃତକୁମ୍ଭ ତଳେ ଥୋଇ । ।୫୩
ଅତିମୋହନ ରୂପ ଦେଖି । ଦେବତା ଅସୁରଙ୍କ ଆଖି । ।୫୪
ରହିଲା ହରି-ବକ୍ଷସ୍ଥଳେ । ସୁସଞ୍ଚ-କୁଚଯୁଗ ମୂଳେ । ।୫୫
ହରି ବିଚାର କଲେ ମନେ । ଅସୁରଙ୍କର ସୁଧାପାନେ । ।୫୬
ଦେବେ ହୋଇବେ ଅରକ୍ଷିତ । ଏ କଥା ନୁହଇ ଉଚିତ । ।୫୭
ସର୍ପକୁ କ୍ଷୀର ଯେ ପିଆନ୍ତି । ସର୍ପର ଘାତେ ସେ ମରନ୍ତି । ।୫୮
ଜାତି ସ୍ୱଭାବେ ନୃଶଂସକ । ଅସୁରେ ନୁହନ୍ତି ବିବେକ । ।୫୯
ଏମନ୍ତ ଚିନ୍ତିଣ ଶ୍ରୀପତି । ବୋଇଲେ ହୁଅ ବେନିପନ୍ତି । ।୬୦
ବାମ-ଦକ୍ଷିଣେ ମୋର ବସ । କହି ହୁଅନ୍ତି ହସ ହସ । ।୬୧
ସ୍ୱରୂପେ ଅସୁରଙ୍କ ମନ । ବଳେ ହରିଲେ ଭଗବାନ । ।୬୨
ରୂପ ଦେଖନ୍ତି ହୋଇ ଛନ୍ନ । ବଦନୁ ନ ସ୍ଫୁରେ ବଚନ । ।୬୩
ଦକ୍ଷିଣେ ଦେବଗଣେ ଥିଲେ । ତାହାଙ୍କ ପାତ୍ରେ ସୁଧା ଦେଲେ । ।୬୪
ଅସୁରେ ସୁକୃତ ପାଳନେ । ନିଶ୍ଚଳେ ବସିଲେ ମଉନେ । ।୬୫
କାମିନୀ-ସମ୍ମତ ପାଳନେ । ଧର୍ମେ ରହିଲେ ଦୃଢ଼ମନେ । ।୬୬
ମାୟା ମୋହିଲେ ଚକ୍ରଧର । ବଦନେ ନଇଲା ଉତ୍ତର । ।୬୭
ଦେବଙ୍କୁ ପରଶିବା ବେଳେ । ରାହୁ ଯେ ଥିଲା ତାଙ୍କ ମେଳେ । ।୬୮
ଗୁପତେ ବସି ଦେବବୃନ୍ଦେ । ଅମୃତ ଭକ୍ଷିଲା ଆନନ୍ଦେ । ।୬୯
ରବି-ଶଶାଙ୍କ ତାହା ଦେଖି । ଉଠିଲେ ଆସନ ଉପେକ୍ଷି । ।୭୦
ଚାହିଁଣ ଗୋବିନ୍ଦ-ବଦନେ । ନୟନେ ଠାରିଲେ ମଉନେ । ।୭୧
ସୁଦରଶନେ ତାର ଶିର । ବେଗେ ଛେଦିଲେ ଚକ୍ରଧର । ।୭୨
ତକ୍ଷଣେ ହୋଇ ବେନିଖଣ୍ଡ । ଅମୃତପାତ୍ରେ ପଡ଼େ ମୁଣ୍ଡ । ।୭୩
ଅମର ହୋଇଲା ତକ୍ଷଣ । ଦେଖି ସନ୍ତୋଷ ନାରାୟଣ । ।୭୪
ବୋଇଲେ ବର ମାଗ ତୁହି । ରାହୁ ବୋଇଲା ବିଷ୍ଣୁ ଚାହିଁ । ।୭୫
ଭୋ ନାଥ ମୋର ଅବଶେଷ । ଅବଶ୍ୟ କରିବଇଁ ଗ୍ରାସ । ।୭୬
ଶୁଣି ସନ୍ତୋଷ ମହାବାହୁ । ବୋଇଲେ ଏହି ବର ହେଉ । ।୭୭
ଏମନ୍ତ କହି ଭଗବାନ । ଗ୍ରହମଣ୍ଡଳେ ଦେଲେ ସ୍ଥାନ । ।୭୮
ତେଣୁ ସେ ରାହୁ ପର୍ବକାଳେ । ଗ୍ରାସଇ ରବିଚନ୍ଦ୍ର ବଳେ । ।୭୯
ବଇରୀ ବୁଦ୍ଧି ନ ଛାଡ଼ଇ । ଅୟନେ ଅୟନେ ଗୋଡ଼ାଇ । ।୮୦
ଦେବଙ୍କୁ ଦେଇ ସୁଧାପାନ । ତକ୍ଷଣେ ପ୍ରଭୁ ଭଗବାନ । ।୮୧
ଦେଖନ୍ତି ଦେବତା ଅସୁର । ମାୟା ଛାଡ଼ିଲେ ମାୟାଧର । ।୮୨
ମୋହିନୀରୂପ ଗଲା କେଣେ । ଯେ ରୂପ ଅମୃତ କାରଣେ । ।୮୩
କଠୋର-ସାଧ୍ୟେ ଭଗବାନ । ଦେବଙ୍କୁ ଦେଲେ ସୁଧାପାନ । ।୮୪
ଏ ରୂପେ ସୁରାସୁରଗଣେ । ସମାନ-ଦେଶ-କାଳ-ଧର୍ମେ । ।୮୫
ମନ୍ଥିଲେ ସିନ୍ଧୁ ତୁଲ୍ୟବଳେ । ଲଭିଲେ ବିପରୀତ-ଫଳେ । ।୮୬
କୃଷ୍ଣର ପାଦ ଯେଣୁ ଧ୍ୟାୟୀ । ଦେବେ ଅମୃତ-ଫଳ ପାଇ । ।୮୭
ଅସୁରେ ନ ସେବି ଚରଣ । କର୍ମର ଫଳେ ହେଲେ ହୀନ । ।୮୮
ପୁତ୍ର-କଳତ୍ର ଦେହ ଅର୍ଥେ । ଯେ ଯାହା କରଇ ଯୁକତେ । ।୮୯
ତାହା ନ କଲେ କୃଷ୍ଣାର୍ପଣ । କେବଳ ଶ୍ରମମାତ୍ର ଜାଣ । ।୯୦
ମୂଳେ ସିଞ୍ଚିଲେ ସିନା ଜଳ । ବିକଶେ ବୃକ୍ଷ-ପତ୍ର-ଡାଳ । ।୯୧
ଶ୍ରୀକୃଷ୍ଣ ମାୟା-ବିଦ୍ୟମାନେ । ଯେ ରୂପେ ସମୁଦ୍ର-ମନ୍ଥନେ । ।୯୨
ଦେବଙ୍କୁ ସୁଧାପାନ ଦେଇ । ନିଜ ଭୁବନେ ଭାବଗ୍ରାହୀ । ।୯୩
ଦେଖନ୍ତି ସ୍ୱର୍ଗଲୋକେ ମିଳି । ଗରୁଡ଼େ ବସି ବନମାଳୀ । ।୯୪
ଯେ ରୂପ ଗରୁଡ଼ ଆସନେ । ସୁଜନେ ଚିନ୍ତ ସ୍ଥିର ମନେ । ।୯୫
ବୋଲଇ ଦାସ ଜଗନ୍ନାଥ । ଅଷ୍ଟମ ସ୍କନ୍ଧେ ଭାଗବତ । ।୯୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅମୃତମନ୍ଥନେ ବିଷ୍ଣୁମୋହିନୀରୂପଧାରଣେ ଦେବଗଣ
ଅମୃତପାନେ ନବମୋଽଧ୍ୟାୟଃ । ।

ଦଶମ ଅଧ୍ୟାୟ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ । ।୧

ଶୁକ ଉବାଚ

କଠୋରେ ସାଧି ଯାତୁଧାନେ । ବିମୁଖ ହେଲେ ସୁଧାପାନେ । ।୨
କୃଷ୍ଣଭକତି ଯେଣୁ ନାହିଁ । ଅମୃତ ପାଇବେ ସେ କାହିଁ । ।୩
ଦେବଙ୍କୁ ଅମୃତ ପିଆଇ । ଗରୁଡ଼େ ବସି ଭାବଗ୍ରାହୀ । ।୪
ନିଜ ଭୁବନେ ଗଲେ ହରି । ଶୁଣ ପରୀକ୍ଷ ଦଣ୍ଡଧାରୀ । ।୫
ଏମନ୍ତେ ବିଷ୍ଣୁର ମୋହନେ । ନିରାଶ ହୋଇ ସୁଧାପାନେ । ।୬
ସର୍ବ ଦାନବ ଏକମତେ । ଜଣାଇ ବଳିର ଅଗ୍ରତେ । ।୭
ବଳି ସଙ୍ଗତେ ବିଚାରିଲେ । ଯୁଦ୍ଧର ଉଦ୍ୟମ ସେ କଲେ । ।୮
ଶତ୍ରୁଙ୍କ କାର୍ଯ୍ୟ ସିଦ୍ଧି ଦେଖି । ଭାଳି ସକଳେ ମନଦୁଃଖୀ । ।୯
ଦୈତ୍ୟ-ଦାନବ ଯୂଥେ ଯୂଥେ । ବିଚାର କଲେ ଏକମତେ । ।୧୦
ଦେବଙ୍କୁ ବାହୁବଳେ ମାରି । ସର୍ବସମ୍ପଦ ଯେବେ ହରି । ।୧୧
ତେବେ ସେ ଜୀବନ ଆମ୍ଭର । ସଂଗ୍ରାମେ ହୋଇବ ସୁଫଳ । ।୧୨
ଏମନ୍ତେ ମନରେ ବିଚାରି । ଧାଇଁଲେ କରେ ଶସ୍ତ୍ର ଧରି । ।୧୩
ଅମୃତପାନେ ଦେବଗଣ । ଇଚ୍ଛନ୍ତି ଦୈତ୍ୟସଙ୍ଗେ ରଣ । ।୧୪
ସ୍ୱଭାବେ ହରି-ପରାୟଣ । ସୁଧା ସେ କରିଛନ୍ତି ପାନ । ।୧୫
ଏମନ୍ତ ଦେବାସୁର ରଣ । ସୁଘୋର ସୁଭୀମ ଦାରୁଣ । ।୧୬
ଶର ବରଷି ନିରନ୍ତରେ । ସମର କଲେ ଦେବାସୁରେ । ।୧୭
ଶବଦ କରି ବାହୁନାଦେ । ଯୁଝନ୍ତି ବିବିଧ-ଆୟୁଧେ । ।୧୮
ବଜାନ୍ତି ରଣଶଙ୍ଖ ଭେରୀ । ପଟହ ମଙ୍ଗଳ ମହୁରୀ । ।୧୯
ସକଳ ମଙ୍ଗଳ ସୁବାଦ୍ୟେ । ଗଜ ତୁରଙ୍ଗ ଘୋରନାଦେ । ।୨୦
ଶୁଭିଲା ଶବଦ ତୁମୁଳେ । ପ୍ରଳୟସିନ୍ଧୁ କି ଉଛୁଳେ । ।୨୧
ଯୁଦ୍ଧ କରନ୍ତି ଏକେଏକେ । ଦନୁଜଗଣେ ବୃନ୍ଦାରକେ । ।୨୨
ଅଶ୍ୱକୁ ଅଶ୍ୱ ସଜକଲେ । ହସ୍ତୀକି ହସ୍ତୀ ଘେନି ତୁଲେ । ।୨୩
ନାନା ବାହନେ ବିଜେକରି । ରଣେ ଧାଇଁଲେ ଶସ୍ତ୍ର ଧରି । ।୨୪
ଓଟର ପୃଷ୍ଠେ କେ ବସନ୍ତି । କେ ଉଚ୍ଚ ଅଶ୍ୱେ ଆରୋହନ୍ତି । ।୨୫
ଗର୍ଦ୍ଦଭେ ବସି ଅବା ଖରେ । କେ ମୃଗ ବାନର ସ୍କନ୍ଧରେ । ।୨୬
କେ ବ୍ୟାଘ୍ର କେ ସିଂହ ଆରୋହେ । କେ ଗୃଧ୍ର କଙ୍କ ବକେ ଧାଏଁ । ।୨୭
ଶ୍ୱେନ ଭାସ ବା ତିମିିଙ୍ଗିଳେ । ଶରଭେ ମହିଷେ କେ ଚଳେ । ।୨୮
କେ ଶିବା କେହୁ କୃକଲାଶେ । ଶଶକେ କେ ଅବା ମାନୁଷ୍ୟେ । ।୨୯
ଅମୂଲ୍ୟ-ରତ୍ନ ଦଣ୍ଡଛତ୍ର । ନୀଳ ଲୋହିତ ଶ୍ୱେତ ପୀତ । ।୩୦
ବ୍ୟଜନ-ବରହୀ ଚାମରେ । ରଙ୍ଗଭୂଷଣ ପାଗ ଶିରେ । ।୩୧
ବିବିଧ ସଂଗ୍ରାମ-ଭୂଷଣେ । ଶୋଭନ୍ତି ଦେବାସୁର-ଗଣେ । ।୩୨
ବିବିଧ-ତୀକ୍ଷ୍ଣ-ଶସ୍ତ୍ର ଭୁଜେ । ବିରାଜେ ରବି ରଶ୍ମି ତେଜେ । ।୩୩
ଏମନ୍ତେ ଦେବାସୁରେ ବଳେ । ସ୍ୱଭାବେ ବଳିଷ୍ଠ ସକଳେ । ।୩୪
ଅତି କୁପିତ ଦେବାସୁର । କି ଅବା ଦେବା ପଟାନ୍ତର । ।୩୫
ଶୋଭନ୍ତି ମହାବୀରେ ରଣେ । ଯେସନେ ଜଳଧି ମନ୍ଥନେ । ।୩୬
ଅସୁର ବଳେ ଝଟକନ୍ତି । ଯେ ବଳେ ବଳି ସେନାପତି । ।୩୭
ଶୁଣ ରାଜନ କହୁଁ ତୋତେ । ବଳି ମହିମା ଅପ୍ରମିତେ । ।୩୮
ମୟ-ନିର୍ମିତ ଘୋରଯାନ । ସ୍ୱଭାବେ ବୈହାୟସ ନାମ । ।୩୯
ସମର ଅର୍ଥେ ସଜ ଯେତେ । ସର୍ବ ପୂରିତ ମୟ ରଥେ । ।୪୦
ମନବଚନେ ଅଗୋଚର । ଦୃଶ୍ୟ ଅଦୃଶ୍ୟ ଭୟଙ୍କର । ।୪୧
ଏମନ୍ତ ରଥେ ବଳି ବସେ । ବୀରେ ବେଷ୍ଟିତ ଚଉପାଶେ । ।୪୨
ବାମ-ଦକ୍ଷିଣେ ମହାବୀରେ । ଛତ୍ର ଚାମର ଧରି କରେ । ।୪୩
ମଧ୍ୟେ ବିରାଜେ ବଳିପ୍ରଭା । କିବା ଉପମା ତାକୁ ଦେବା । ।୪୪
ନକ୍ଷତ୍ରଗଣେ ପୂର୍ଣ୍ଣ ଶଶୀ । ଅସୁର ମଧ୍ୟେ ତେହ୍ନେ ଦିଶି । ।୪୫
ବଳି ସମୀପେ ପନ୍ତି ପନ୍ତି । ମିଳିଲେ ସର୍ବ ଯୂଥପତି । ।୪୬
ଦେବ ଅସୁରେ ଘୋରରଣେ । ବଳେ ଆବୋରି ଜଣେ ଜଣେ । ।୪୭
କରନ୍ତି ଅଦ୍ଭୁତ ସଂଗ୍ରାମ । ଶୁଣ ହୋ ଅସୁରଙ୍କ ନାମ । ।୪୮
ନମୁଚି ଶମ୍ବର ଯେ ବାଣ । ବିପ୍ରଚିତ୍ତି ଲୋହବଦନ । ।୪୯
ଦ୍ୱିମୂର୍ଦ୍ଧା କାଳନାଭ ହେତି । ଇଲ୍ୱଳ ଆଦି ସପ୍ରହେତି । ।୫୦
ଶକୁନି ଭୂତ ସନ୍ତାପନ । ବଜ୍ରଦଶନ ବିରୋଚନ । ।୫୧
ହୟଗ୍ରୀବ ଯେ ଶଙ୍କୁଶିରା । କପିଳ ନାମେ ମହାବୀରା । ।୫୨
ଜୀମୂତ ଦୁନ୍ଦୁଭି ଅଦ୍ଭୁତ । ତାରକା ପୁଣି ଚକ୍ରଜିତ । ।୫୩
ଉତ୍କଳ ଶୁମ୍ଭ ଯେ ନିଶୁମ୍ଭ । ଅରିଷ୍ଟନେମି ପୁଣି ଜମ୍ଭ । ।୫୪
ତ୍ରିପୁରାଧିପ ଯେଉଁ ମୟ । ପୌଲମ ଅରିଷ୍ଟ କାଳେୟ । ।୫୫
ନିବାତକବଚ ସହିତେ । ଅପରେ ଦୈତ୍ୟବୀର ଯେତେ । ।୫୬
ନ ପାଇ ଅମୃତର ଭାଗ । ମନେ ବହିଲେ ମହାରାଗ । ।୫୭
ଦେବଙ୍କୁ ଯୁଦ୍ଧ କରି ବଳେ । ଅସୁରେ ବେଢ଼ିଲେ ଗହଳେ । ।୫୮
କରନ୍ତି ସର୍ବେ ଶଙ୍ଖନାଦ । ଦୁନ୍ଦୁଭି ତୁଲେ ବହୁବାଦ୍ୟ । ।୫୯
ଏମନ୍ତେ ବଳି-ବଳ ଚାହିଁ । ସକଳ ଦେବେ କ୍ରୋଧ ବହି । ।୬୦
ସାଜିଲେ ସୁରପତି ସଙ୍ଗେ । ଅଶେଷ ଘୋର ରଣରଙ୍ଗେ । ।୬୧
ଅଇରାବତ ସ୍କନ୍ଧେ ବସି । ପୂର୍ଣ୍ଣିମା ରାତ୍ରେ ଯେହ୍ନେ ଶଶୀ । ।୬୨
ସେ ଯୂଥପତିଙ୍କି ଆବୋରି । ଆନନ୍ଦେ ବାଦ୍ୟନାଦ କରି । ।୬୩
ନିଜ ବାହନେ ଶସ୍ତ୍ର ତୁଲେ । ଅଶେଷ ଦେବେ ବିଜେ କଲେ । ।୬୪
ରଣସଙ୍କୁଳ ମହାଗୋଳେ । ସମୁଦ୍ରତୀରେ ବେନି ବଳେ । ।୬୫
ଶବଦ ଶୁଭଇ ତୁମୁଳେ । ମିଳିଲେ ସର୍ବ ଦିଗପାଳେ । ।୬୬
ଶସ୍ତ୍ର ଉଞ୍ଚାଇ କୋପମନେ । ନାମ ଡାକନ୍ତି ଅନ୍ୟ ଅନ୍ୟେ । ।୬୭
ନିକଟେ ମିଳି ଘୋରନାଦେ । ଯୁଦ୍ଧ କରନ୍ତି ମାଲବନ୍ଧେ । ।୬୮
ଇନ୍ଦ୍ରର ତୁଲେ ବଳି ଯୁଝେ । ଦାରୁଣ ଦେବାସୁର ମାଝେ । ।୬୯
ସ୍କନ୍ଧ ତାରକ ଅବହେଳେ । ଯୁଦ୍ଧ କରନ୍ତି ବାହୁବଳେ । ।୭୦
ବରୁଣ ହେତି ବେନିବୀରେ । ପ୍ରହେତି ମିତ୍ରେ ଯୁଦ୍ଧ କରେ । ।୭୧
ଯମର ତୁଲେ କାଳନାଭ । ବିଶ୍ୱକର୍ମା ମୟ ଦାନବ । ।୭୨
ଶମ୍ବର ତ୍ୱଷ୍ଟା ତୁଲେ ରଣ । ସବିତା ତୁଲେ ବିରୋଚନ । ।୭୩
ନମୁଚି ଯେ ଅପରାଜିତେ । ଅଶ୍ୱିନୀ ବୃଷପର୍ବା ସାଥେ । ।୭୪
ସୂର୍ଯ୍ୟର ତୁଲେ ବାଣାସୁର । ରାହୁର ତୁଲେ ନିଶାକର । ।୭୫
ପୁଲୋମା ସଙ୍ଗତେ ସମୀର । ଅନଳେ କାଳକେତୁ ବୀର । ।୭୬
ଶୁମ୍ଭ ନିଶୁମ୍ଭେ ଭଦ୍ରକାଳୀ । ଜମ୍ଭରେ ବୃଷାକପି ମିଳି । ।୭୭
ମହିଷେ ବିଭାବସୁ ଯୁଝେ । ଗହଳେ ଦେବାସୁର ମାଝେ । ।୭୮
ଇଲ୍ୱଳ ବାତାପି ସହିତେ । ରଣେ ପଶିଲେ ବ୍ରହ୍ମାପୁତ୍ରେ । ।୭୯
ସନକ ତୁଲେ ଅରିନ୍ଦମ । ନିର୍ଭୟେ କରନ୍ତି ସଂଗ୍ରାମ । ।୮୦
ଦୁର୍ମର୍ଷ ତୁଲେ ରତିପତି । ଉତ୍କଳେ ମାତୃକା ଯୁଝନ୍ତି । ।୮୧
ଗୁରୁ ଭାର୍ଗବେ ଯୁଦ୍ଧ ଘୋର । ନାରକା ତୁଲେ ଶନୈଶ୍ଚର । ।୮୨
ନିବାତକବଚ ମରୁତେ । କାଳେୟ ବସୁଙ୍କ ସଙ୍ଗତେ । ।୮୩
ପୌଲୋମା ବିଶ୍ୱଦେବା ସଙ୍ଗେ । ଯୁଦ୍ଧ କରନ୍ତି ରଣରଙ୍ଗେ । ।୮୪
ଦେବେ ଅସୁରଗଣ ସଙ୍ଗେ । ନିର୍ଘାତେ ଯୁଦ୍ଧ ରଣରଙ୍ଗେ । ।୮୫
ରୁଦ୍ରଙ୍କ କ୍ରୋଧବଶ ଗଣ । ଆବୋରି କଲେ ଘୋରରଣ । ।୮୬
ଏମନ୍ତେ ମହାରଣ ମଧ୍ୟେ । ଦେବ ଦାନବ ବାହୁଯୁଦ୍ଧେ । ।୮୭
ସମସ୍ତେ ମାଲଯୁଦ୍ଧ ସାରି । ଧାଇଁଲେ କରେ ଶସ୍ତ୍ର ଧରି । ।୮୮
ଖଡ଼୍‌ଗ ତୋମର ଶର ବୃଷ୍ଟି । ଭୁଶୁଣ୍ଡି ଚକ୍ର ଗଦା ରିଷ୍ଟି । ।୮୯
ପଟ୍ଟିଶ ଶକ୍ତି ଉଲ୍ଲୁକରେ । ପ୍ରାସ ପରଶୁ କେ କୁଠାରେ । ।୯୦
ନିସ୍ତି୍ରଂଶ ଭଲ୍ଲ ଯେ ମୁଦ୍‌ଗର । ପରିଘ ପୁଣି ଭିନ୍ଦିପାଳ । ।୯୧
ଏମନ୍ତେ ନାନାଶସ୍ତ୍ର ଭେଦି । ଅସୁରଙ୍କର ଶିର ଛେଦି । ।୯୨
ଗଜ ତୁରଙ୍ଗ ରଥ ରଥୀ । ଯୁଦ୍ଧେ ପଡ଼ିଲେ ପନ୍ତିପନ୍ତି । ।୯୩
ଶସ୍ତ୍ରେ ଖଣ୍ଡିତ କଳେବର । ନିରତେ ଗଳଇ ରୁଧିର । ।୯୪
ବାହୁ ହୃଦୟ ଶିର ଛିଡ଼ି । ପଡ଼ିଲେ ଦଶନ କାମୋଡ଼ି । ।୯୫
ନାନା-ଆଭରଣ-ଆୟୁଧେ । ଭୁଜ ସହିତେ ନାନା ଛନ୍ଦେ । ।୯୬
ଗଜ ତୁରଙ୍ଗ ମୃତ୍ୟୁପିଣ୍ଡେ । ଆଚ୍ଛାଦି ରହେ ଭୂମିଖଣ୍ଡେ । ।୯୭
କବନ୍ଧ ଉଠି ରଣମଧ୍ୟେ । ନୃତ୍ୟ କରନ୍ତି ବାଦ୍ୟନାଦେ । ।୯୮
ତୀକ୍ଷ୍‌ଣ-ଖଡ଼ଗ କରେ ଧରି । ଧାମନ୍ତେ କମ୍ପେ ବସୁନ୍ଧରୀ । ।୯୯
ବଳି ଯେ ଇନ୍ଦ୍ର ସଙ୍ଗେ ଥିଲା । ଅନେକ ବାହୁଯୁଦ୍ଧ କଲା । ।୧୦୦
ଜିଣି ନ ପାରି ବାହୁଯୁଦ୍ଧେ । ବସିଲା ମାୟାଯାନ ମଧ୍ୟେ । ।୧୦୧
ଧନୁକେ ଦଶଶର ଧରି । ଇନ୍ଦ୍ରେ ବିନ୍ଧିଲା କ୍ରୋଧଭରି । ।୧୦୨
ତିନି ନାରାଚ ଐରାବତେ । ବିନ୍ଧିଲା ଆତ୍ମାର-ଆୟତ୍ତେ । ।୧୦୩
ଚାରି ଅଶ୍ୱଙ୍କୁ ଚାରିବାଣ । ବେଗେ ବିନ୍ଧିଲା ଦୈତ୍ୟରାଣ । ।୧୦୪
ମାତଳି ସାରଥି ଇନ୍ଦ୍ରର । ଥିଲା ଯେ ରଥର ଉପର । ।୧୦୫
ଯହୁଁ ବିିନ୍ଧିଲା ବୀର ଡାକି । ଇନ୍ଦ୍ର ଧାଇଁଲେ ତାହା ଦେଖି । ।୧୦୬
ବଳିର ଯେତେକ ନାରାଚ । ବେଗେ ଛେଦିଲେ ଦେବରାଜ । ।୧୦୭
ବଳିକି ଚାହିଁ ମନ୍ଦହାସେ । ବେଗେ ମିଳିଲେ ତାର ପାଶେ । ।୧୦୮
ଇନ୍ଦ୍ର ଅଦ୍ଭୁତ-କର୍ମ ଚାହିଁ । ବଳି ଅତ୍ୟନ୍ତ କ୍ରୋଧ ବହି । ।୧୦୯
ପୁଣି ଶକ୍ତିଏ ଧରି କରେ । ପେଷିଲା ବାସବ ଉପରେ । ।୧୧୦
ଉଲ୍‌କା ଯେସନେ ଶୂନ୍ୟମାର୍ଗେ । ପଡ଼ି ବିରାଜେ ଦଶଦିଗେ । ।୧୧୧
ଯେ ଶକ୍ତି ବଳି ପେଷିଥିଲା । ଇନ୍ଦ୍ର ତା ଈଷିତେ ଛେଦିଲା । ।୧୧୧
ଏମନ୍ତେ ଶୂଳ କୁନ୍ତ ଋଷ୍ଟି । ବଳି ହସ୍ତରୁ ଇନ୍ଦ୍ର କାଟି । ।୧୧୨
ହରଷେ କରେ ଶଙ୍ଖନାଦ । କ୍ଷୀଣ-ଶସ୍ତ୍ରେ ବଳି ସ୍ତବଧ । ।୧୧୩
ନ ପାରି ମାୟା ପ୍ରକାଶିଲା । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲା । ।୧୧୪
ମାୟାରେ ଶିଳାବୃଷ୍ଟି ଘନେ । ମେଘ ଆଚ୍ଛାଦିଲା ଗଗନେ । ।୧୧୬
ଦେବଙ୍କ ଉପରେ ବରଷେ । ବିଜୁଳି ଯେହ୍ନେ ମେଘୁଁ ଖସେ । ।୧୧୭
ପୁଣି କ୍ଷଣକେ ବହୁବୃଷ୍ଟି । ଶୁଷ୍କ-ଇନ୍ଧନ କୋଟି କୋଟି । ।୧୧୮
ଦାବାଗ୍ନି ଦେବଙ୍କ ଉପରେ । ପଡ଼ନ୍ତି ମଣ୍ଡଳ ସମୀରେ । ।୧୧୯
ଶିଳା ବରଷେ ନିରନ୍ତରେ । ଗହଳେ ଦେବଙ୍କ ଉପରେ । ।୧୨୦
ପଡ଼ନ୍ତି ମହୋରଗଗଣ । ବୃଶ୍ଚିକ ବୃଷ୍ଟି ଅନୁକ୍ଷଣ । ।୧୨୧
ବରାହ ସିଂହ ବ୍ୟାଘ୍ର ହସ୍ତୀ । ସମ୍ମୁଖେ ଗର୍ଜନ କରନ୍ତି । ।୧୨୨
ଶତ ସହସ୍ର ଯାତୁଧାନୀ । ଅନେକ ଶାକିନୀ ଡାକିନୀ । ।୧୨୩
ବିବସ୍ତ୍ରହୋଇ ଶୂଳ କରେ । ପିଟନ୍ତି ଦେବଙ୍କ ଉପରେ । ।୧୨୪
ରାକ୍ଷସେ ଛେଦ-ଭେଦ ନାଦେ । ସମରେ ମିଳିଲେ ଆନନ୍ଦେ । ।୧୨୫
ପ୍ରଳୟକାଳେ ମେଘମାଳେ । ଯେସନେ ଗଗନ ମଣ୍ଡଳେ । ।୧୨୬
ଗଭୀର ଘୋରନାଦ କରି । ସଘନେ ବରଷନ୍ତି ବାରି । ।୧୨୭
ପୁଣି କ୍ଷଣକେ ଅଗ୍ନି ବୃଷ୍ଟି । ନାରାଚ ପେଷେ କୋଟିକୋଟି । ।୧୨୮
ପ୍ରଳୟ ପ୍ରାୟେ ଅତିବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ । ।୧୨୯
ସମୁଦ୍ରେ ପ୍ରଳୟ ଲହରୀ । ଉଠିଲା ଘୋରନାଦ କରି । ।୧୩୦
ପ୍ରଚଣ୍ଡ ବାତେ ଉର୍ମିଗଣ । ଉଠନ୍ତେ ଦିଶଇ ଭୀଷଣ । ।୧୩୧
ଏମନ୍ତେ ଅସୁରଙ୍କ ମାୟା । ଦୃଶ୍ୟ-ଅଦୃଶ୍ୟ ନାନାକାୟା । ।୧୩୨
ନାନାପ୍ରକାର ମାୟାବଳେ । ଯୁଝିଲେ ଦେବଙ୍କର ତୁଲେ । ।୧୩୩
ଅସୁର ମାୟାବଳ ଦେଖି । ତ୍ରିଦଶେ ସମର ଉପେକ୍ଷି । ।୧୩୪
ବିକଳେ ଭ୍ରମନ୍ତି ଗଗନେ । ଅସୁର ମାୟାବଳେ ଛନ୍ନେ । ।୧୩୫
ରହି ନ ପାରି ସ୍ୱର୍ଗପଥେ । ବିଷ୍ଣୁଙ୍କୁ ଧ୍ୟାନ କଲେ ଚିତ୍ତେ । ।୧୩୬
ଦେବଙ୍କ ଭୟ ଦେଖି ହରି । ଗରୁଡ଼-ପୃଷ୍ଠେ ବିଜେ କରି । ।୧୩୭
ପୀତବସନ ପରିଧାନ । ସୁରଙ୍ଗ-କମଳଲୋଚନ । ।୧୩୮
ଯୁଦ୍ଧେ ଅଇଲେ ଅଷ୍ଟଭୁଜେ । କର୍ଣ୍ଣେ କୁଣ୍ଡଳ ରତ୍ନସାଜେ । ।୧୩୯
ଶ୍ରୀବତ୍ସ-କଉସ୍ତୁଭମଣି । ଅମୂଲ୍ୟ ରତ୍ନେ ସୁଖଞ୍ଜଣି । ।୧୪୦
ଦିବ୍ୟମୌକ୍ତିକ ହାର ସଙ୍ଗେ । ବିବିଧ ରତ୍ନମାଳା ଅଙ୍ଗେ । ।୧୪୧
ଶସ୍ତ୍ରେ ଶୋଭିତ ଦିଶେ କର । ଶଙ୍ଖାବ୍ଚ-ଗଦା ଚକ୍ରଧର । ।୧୪୨
ଏମନ୍ତ ରୂପେ ଦଇତ୍ୟାରି । ଦେବଙ୍କ ମଧ୍ୟେ ବିଜେକରି । ।୧୪୩
ଦେବଙ୍କୁ ମାୟା ଘୋଟିଥିଲା । ବିଷ୍ଣୁ-ଦର୍ଶନେ ନାଶ ଗଲା । ।୧୪୪
ତ୍ରିଦଶେ ଦେଖନ୍ତି ଆକାଶେ । ତମ ଯେସନେ ରବିତ୍ରାସେ । ।୧୪୫
ଜାଗ୍ରତେ ସ୍ୱପ୍ନ ଯେହ୍ନେ ମିଛ । ଏ ଭାବେ ଦେଖିଲେ ପ୍ରତ୍ୟକ୍ଷ । ।୧୪୬
ଅସୁର ମାୟା ନାଶ ଗଲା । ଦେବଙ୍କ ଆନନ୍ଦ ବଢ଼ିଲା । ।୧୪୭
ହରି-ସ୍ମରଣେ ବନ୍ଧ-ମୋକ୍ଷ । ଏ ଭାବେ ବୁଝିଲେ ପ୍ରତ୍ୟକ୍ଷ । ।୧୪୮
ଦେବଙ୍କ ମଧ୍ୟେ କାଳନେମି । ଲୁଚି ଯେ ଥିଲା ମାୟାଘେନି । ।୧୪୯
ଶୂଳ ବୁଲାଇ ଅନ୍ତରୀକ୍ଷେ । ମିଳିଲା ଗୋବିନ୍ଦ ସମକ୍ଷେ । ।୧୫୦
ପିଟନ୍ତେ ଗରୁଡ଼ ଉପରେ । ହରି ଧଇଲେ ବାମକରେ । ।୧୫୧
ସେ ଶୂଳ କାଳନେମି ମୁଣ୍ଡେ । ହରି ପ୍ରହାରିଲେ ପ୍ରଚଣ୍ଡେ । ।୧୫୨
ବାଜି ସହିତେ ମହାସୁର । ତକ୍ଷଣେ ହେଲା ଶତେ ଚୂର । ।୧୫୩
ମାଳୀ ସୁମାଳୀ ବେନିବୀରେ । ଦେଖି ମିଳିଲେ ଅତିଖରେ । ।୧୫୪
ତ୍ରିଶୂଳ ଗୋବିନ୍ଦ ଉପରେ । ପ୍ରହାର କଲେ ମହାଘୋରେ । ।୧୫୫
ତାହାଙ୍କ ତେଜ ଦେଖି ହରି । ସୁଦରଶନ କରେ ଧରି । ।୧୫୬
ସେ ବେନିବୀର ମୁଣ୍ଡ ହାଣି । ଶଙ୍ଖ ଶବଦେ ଚକ୍ରପାଣି । ।୧୫୭
ମିଳିଲେ ଦେବାସୁର ମଧ୍ୟେ । ତ୍ରିଦଶେ ଦେଖନ୍ତି ଆନନ୍ଦେ । ।୧୫୮
ସେ ହରି ଚରଣକମଳେ । ସୁଜନେ ଚିନ୍ତ ଧ୍ୟାନବଳେ । ।୧୫୯
ଅଷ୍ଟମ ସ୍କନ୍ଧେ ଭାଗବତ । ଅଦ୍ଭୁତ ଗୋବିନ୍ଦ ଚରିତ । ।୧୬୦
ଭାଷା-ପ୍ରବନ୍ଧେ ହରିଗୀତ । କହଇ ବିପ୍ର ଜଗନ୍ନାଥ । ।୧୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଦେବାସୁରସଂଗ୍ରାମେ ଦଶମୋଽଧ୍ୟାୟଃ । ।

ଏକାଦଶ ଅଧ୍ୟାୟ

କହନ୍ତି ବ୍ୟାସଙ୍କର ଚାଟ । ଶୁଣ ହେ ପରୀକ୍ଷିତ ରାଟ । ।୧

ଶୁକ ଉବାଚ

ହରିଙ୍କି ଦେଖି ଦେବଗଣେ । ପୁଣି ମିଳିଲେ ଘୋରରଣେ । ।୨
ଗୋବିନ୍ଦ-ଅନୁକମ୍ପା ବଳେ । ସମରେ ରହିଲେ ନିଶ୍ଚଳେ । ।୩
ଇନ୍ଦ୍ର ପବନ ଆଦି ବଳେ । ବେଗେ ମିଳିଲେ ଦିଗପାଳେ । ।୪
ନିରତେ ଅସୁରଙ୍କ ଗାତ୍ରେ । ପ୍ରହାର କଲେ ନାନାଶସ୍ତ୍ରେ । ।୫
ଦେବଙ୍କ ଶସ୍ତ୍ରାଘାତେ ଫୁଟି । ଅସୁର ମଲେ କୋଟି କୋଟି । ।୬
ଅସୁରବଳ ଭଗ୍ନ ଦେଖି । ଇନ୍ଦ୍ର ଯେ ସମର ଉପେକ୍ଷି । ।୭
ବଳି ସମୀପେ ବେଗେ ମିଳି । ବଜ୍ର ଉଞ୍ଚାଇ ମହାବଳୀ । ।୮
ବୋଲଇ ଅତି କୋପମନେ । ଅତ୍ୟନ୍ତ କର୍କଶ ବଚନେ । ।୯
ତୁ ଯେ ବୋଲାଉ ମହାବୀର । ସମ୍ଭାଳ ବଜ୍ରାଘାତ ମୋର । ।୧୦
ଏମନ୍ତ କହି ବଜ୍ର ଧରି । ବୁଲାଇ ଅନ୍ତରାଳ କରି । ।୧୧
ଶୂନ୍ୟେ ବୁଲାନ୍ତେ ଶସ୍ତ୍ରବର । ଦେଖି ଡରିଲେ ଦେବାସୁର । ।୧୨
ଅସୁରେ ଦେଖି ହାହାପଦେ । ବଳି ଗର୍ଜଇ ଘୋରନାଦେ । ।୧୩
ବଳି-ବଦନ ଇନ୍ଦ୍ର ଚାହିଁ । ନିନ୍ଦିତ-ବଚନ ବୋଲାଇ । ।୧୪
ରେ ମୂଢ଼ ମୋତେ ମାୟା କରି । ଜିଣିବା ପ୍ରାୟ ମନେ ଧରି । ।୧୫
ନଟର ପ୍ରାୟେ ଛନ୍ଦ କଲୁ । ନିଜ ସ୍ୱଭାବ ଦେଖାଇଲୁ । ।୧୬
କୁହୁକେ ଯେହ୍ନେ ନଟଜନ । ମାୟାରେ ମୋହେ ପ୍ରାଣୀମନ । ।୧୭
ମାୟାର ବଳେ ସ୍ୱର୍ଗ ଜିଣି । ଇଚ୍ଛା କରନ୍ତି ଯେବା ପ୍ରାଣୀ । ।୧୮
ତାହାଙ୍କ ଦର୍ପ ଗଞ୍ଜି ବେଗେ । ମୁହିଁ କ୍ଷେପଇ ଅଧୋଭାଗେ । ।୧୯
ଏବେ ହୋ ମହାସୁର ତୋର । ଅଙ୍ଗ କୁଳିଶୁଁ ରକ୍ଷାକର । ।୨୦
ଏ ବଜ୍ରେ ତୋର ଶିର ଛେଦି । ରଖିବି ଅମରେ ସମ୍ପାଦି । ।୨୧
ଏବେ ମୋ ବଜ୍ରାଘାତ ସହ । ଜ୍ଞାତିଙ୍କ ତୁଲେ ରୁଣ୍ଡ ହୁଅ । ।୨୨
ଏମନ୍ତେ ଇନ୍ଦ୍ରର ବଚନେ । ବଳି ବୋଲଇ କୋପମନେ । ।୨୩

ବଳି ଉବାଚ

କାଳର ବଳେ ଏ ସଂସାର । ଯୁଦ୍ଧେ ମିଳନ୍ତି ଯେତେ ବୀର । ।୨୪
ଜୟ ଅଜୟ କୀର୍ତ୍ତି ଯଶ । ଯେବା ରହଇ ଅବଶେଷ । ।୨୫
ଯୁଦ୍ଧେ ମାରିଣ ଜୟ ଘୋଷି । ମରଣେ ସ୍ୱର୍ଗେ ଯେଣୁ ବସି । ।୨୬
ଏଣୁ ଶୟଳେ ଯେତେ ଜନ । କାଳଗରାସେ ନିବନ୍ଧନ । ।୨୭
ପଣ୍ଡିତଜନ ଏହା ଜାଣି । ଧର୍ମ-ଅଧର୍ମ ପରିମାଣି । ।୨୮
ଶୋକ-ହରଷ ପଥେ ମନ । କେବେହେଁ ନକରନ୍ତି ଛନ୍ନ । ।୨୯
ଆମ୍ଭେ ସକଳ ଏହା ଜାଣି । ଆଗମ-ନିଗମ ପ୍ରମାଣି । ।୩୦
ଏଣୁ ଏ ତୋହର ବଚନେ । ମର୍ମ-ତାଡ଼ନ ଅନୁମାନେ । ।୩୧
ଆମ୍ଭେ ତା କେବେହେଁ ନ ଗଣୁ । ତୁମ୍ଭର ବୀରପଣ ଜାଣୁ । ।୩୨
ଶୁକ କହନ୍ତି ତୋଷମନ । ଶୁଣ ହେ ପରୀକ୍ଷ ରାଜନ । ।୩୩

ଶୁକ ଉବାଚ

ଏମନ୍ତ ଇନ୍ଦ୍ରଆଗେ କହି । ବଳି ଧନୁରେ ଗୁଣ ଦେଇ । ।୩୪
ଆକର୍ଣ୍ଣ ପୂରି ଦଶବାଣ । ବେଗେ ବିନ୍ଧିଲା ଦୈତ୍ୟରାଣ । ।୩୫
ଇନ୍ଦ୍ର ଉପରେ ବେଗେ ବାଜି । ତଳେ ପଡ଼ିଲେ ସର୍ବେ ଭାଜି । ।୩୬
ଗଜ ଶରୀରେ ପୁଷ୍ପମାଳ । ବାଜି ପଡ଼ଇ ଯେହ୍ନେ ତଳ । ।୩୭
ଇନ୍ଦ୍ର ଅମୋଘ ବ୍ରଜ ଧରି । ହୁଙ୍କାରେ ବଳିକି ପ୍ରହାରି । । ୩୮
ହୃଦୟେ ବାଜି ଶସ୍ତ୍ରଗୋଟି । ତକ୍ଷଣେ ବକ୍ଷସ୍ଥଳ ଫୁଟି । ।୩୯
ବଳି ପଡ଼ିଲା ମହୀତଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ । ।୪୦
ବଳିକି ଭୂମିଗତ ଚାହିଁ । ଜୟ ମିଳିଲା ବେଗେ ଯାଇ । ।୪୧
ଦେଖିଣ ସଖାର ମରଣ । ଆବୋରି କଲା ଘୋରରଣ । ।୪୨
ସିଂହ-ବାହନେ ମହାବଳୀ । ହୁଙ୍କାରନାଦେ ଗଦା ତୋଳି । ।୪୩
ଇନ୍ଦ୍ର ଉପରେ ପ୍ରହାରିଲା । ସେ ଗଦା ହସ୍ତୀରେ ବାଜିଲା । ।୪୪
ଗଦା-ପ୍ରହାରେ ଜ୍ଞାନ ହାରି । ଗଜ ପଡ଼ିଲା ଇନ୍ଦ୍ର ଧରି । ।୪୫
ଅଗ୍ରଚରଣ ବେନି ପାଡ଼ି । ଗର୍ଜଇ ମେଘ ଘଡ଼ଘଡ଼ି । ।୪୬
ପଡ଼ିଲା ଅଚେତନ ହୋଇ । ଦେଖି ମାତଳି ବେଗେ ଧାଇଁ । ।୪୭
ରଥେ ସହସ୍ର ଅଶ୍ୱ ଯୋଖି । ଇନ୍ଦ୍ର ନିକଟେ ଦେଲା ରଖି । ।୪୮
ବିମାନ ଦେଖି ସୁରପତି । ତକ୍ଷଣେ ତେଜି ନିଜ ହସ୍ତୀ । ।୪୯
ବିମାନେ ବସି ବଜ୍ରହସ୍ତେ । ସମରେ ରହିଲା ଆୟତ୍ତେ । ।୫୦
ଜୟ ମାତଳି-କର୍ମ ଚାହିଁ । ଧନ୍ୟ-ବଚନେ ପ୍ରଶଂସଇ । ।୫୧
ଜଳନ୍ତା ଶୂଳ ଧରି ବେଗେ । ପିଟିଲା ମାତଳିର ଅଙ୍ଗେ । ।୫୨
ସେ ଶୂଳ-ପ୍ରହାର ମାତଳି । ସହେ ସ୍ୱଭାବେ ମହାବଳୀ । ।୫୩
ଇନ୍ଦ୍ର ଧାଇଁଲା ଦେଖି ବେଗେ । ବଜ୍ର ପ୍ରହାରି ଜୟ ଅଙ୍ଗେ । ।୫୪
ବେଗେ ନାଶିଲା ତାର ପ୍ରାଣ । ଶୁଣ ପାଣ୍ଡବ ନୃପରାଣ । ।୫୫
ଜୟ ମରଣ ବଜ୍ରାଘାତେ । ଦେଖି ତାହାର ଜ୍ଞାତି ଯେତେ । ।୫୬
ନାରଦ ମୁଖୁଁ ବାକ୍ୟ ଶୁଣି । ଜୟ ଅଜୟ ନ ପ୍ରମାଣି । ।୫୭
ନମୁଚି ବଳ ପାକ ସଙ୍ଗେ । ଧାଇଁଲା ଶସ୍ତ୍ର ଘେନି ରାଗେ । ।୫୮
ଇନ୍ଦ୍ର ନିକଟେ ବେଗେ ମିଳି । ପରୁଷ ବାକ୍ୟେ ଦେଇ ଗାଳି । ।୫୯
ଶସ୍ତ୍ର ବରଷନ୍ତି ଗହଳେ । ଯେସନେ ଆକାଶମଣ୍ଡଳେ । ।୬୦
ପବନ ବଳେ ମେଘମାଳ । ପର୍ବତେ ବରଷନ୍ତି ଜଳ । ।୬୧
ଗର୍ଜନ କରି ବାଣପନ୍ତି । ରଥ ଉପରେ ବରଷନ୍ତି । ।୬୨
ବଳ ସହସ୍ରେ ଶର ସନ୍ଧି । ଅଶ୍ୱଙ୍କ ଉପରକୁ ବିନ୍ଧି । ।୬୩
ଦଶ ନାରାଚେ ଦେବରାଜ । ଛେଦିଲେ ସହସ୍ର ନାରାଜ । ।୬୪
ଶରସମୂହ ଭଗ୍ନ ଗଲା । ତା ଦେଖି ପାକ କୋପ କଲା । ।୬୫
ଧନୁ ଆକର୍ଷି କର୍ଣ୍ଣମୂଳେ । ବେନି ନାରାଚ କୋପାନଳେ । ।୬୬
ମାତଳି ଉପରେ ପ୍ରହାରେ । ଅଦ୍ଭୁତ ଘୋରନାଦ କରେ । ।୬୭
ନମୁଚି କରି ମହାରୋଷ । ବାଣ ବିନ୍ଧିଲା ପଞ୍ଚଦଶ । ।୬୮
ସୁବର୍ଣ୍ଣପକ୍ଷ ଲୌହମୁଖେ । ଇନ୍ଦ୍ର ତା ଦୂରେ ଥାଇ ଦେଖେ । ।୬୯
ବିିନ୍ଧି ଗର୍ଜଇ ଘୋରରଣେ । ଜଳଦ ଅମ୍ବରେ ଯେସନେ । ।୭୦
ଏମନ୍ତେ ଅସୁରଙ୍କ ଶସ୍ତ୍ରେ । ଆଚ୍ଛାଦେ ଦେବରାଜ ରଥେ । ।୭୧
ବରଷାକାଳ ରବି ଯେହ୍ନେ । ଜୀମୂତ ଆଚ୍ଛାଦେ ଗଗନେ । ।୭୨
ଅସୁର-ରଣରଙ୍ଗ ଦେଖି । ଦେବେ ହୋଇଲେ ମହାଦୁଃଖୀ । ।୭୩
ଅନାଥ ହେଲେ ରିପୁ ଡରେ । ବଣିକେ ଯେହ୍ନେ ସିନ୍ଧୁନୀରେ । ।୭୪
ଅସୁରବଳ ମଧ୍ୟଗତେ । ଦେବେ ପଡ଼ିଲେ ଅନାୟତ୍ତେ । ।୭୫
ପିଞ୍ଜରେ ଯେହ୍ନେ ପକ୍ଷୀଗଣେ । ଇନ୍ଦ୍ର ଯେ ଥିଲେ ଘୋରରଣେ । ।୭୬
ଆବୋରି ଥିଲେ ଯେ ଦାନବ । ଏମନ୍ତ ସମୟେ ବାସବ । ।୭୭
ବାହାର ହେଲେ ଦିବ୍ୟରଥେ । ରବି ଯେସନେ ନିଶି ଅନ୍ତେ । ।୭୮
ଅସୁର-ବାଣେ ଦେବେ ଦୁଃଖୀ । ସମ୍ଭ୍ରମେ ଇନ୍ଦ୍ର ତାହା ଦେଖି । ।୭୯
ବେଗେ ଧାଇଁଲେ ରଣ ମଧ୍ୟେ । ବଜ୍ର ଉଞ୍ଚାଇ ଘୋରନାଦେ । ।୮୦
ସେ ଅଷ୍ଟଧାର ବଜ୍ରାଘାତେ । ଜୀମୂତେ ଯେହ୍ନେ ଘୋରବାତେ । ।୮୧
ବଳ ପାକର ଶିରହାଣି । ଘୋର ଶବଦେ ବଜ୍ରପାଣି । ।୮୨
ଦେଖି ତାଙ୍କର ବନ୍ଧୁକୁଳ । ବିକଳେ ପାଡ଼ନ୍ତି ଚହଳ । ।୮୩
ନମୁଚି ତାଙ୍କ ବଧ ଦେଖି । ଦଣ୍ଡେ ହୋଇଲା ଅଶ୍ରୁମୁଖି । ।୮୪
ଶୋକସାଗରେ ସେ ବୁଡ଼ିଲା । ପୁଣି କ୍ଷଣକେ କୋପକଲା । ।୮୫
ଲୌହ-ନିର୍ମିତ ଶୂଳ କରେ । ଘେନି ଧାଇଁଲା ଧାତିକାରେ । ।୮୬
ସେ ଶୂଳ ସୁବର୍ଣ୍ଣେ ବିରାଜେ । ଚଳ-ପ୍ରଚଳେ ଘଣ୍ଟି ବାଜେ । ।୮୭
ସେ ଶୂଳ ଘେନି ଅତି ବେଗେ । ମିଳିଲା ସୁରନାଥ ଆଗେ । ।୮୮
ଇନ୍ଦ୍ର ଉପରେ ପ୍ରହାରିଲା । ନିର୍ଭୟେ ସିଂହନାଦ କଲା । ।୮୯
ଶୂଳ ଆସନ୍ତେ ଶୂନ୍ୟ ପଥେ । ବାସବ ଧନୁ ଧରି ହସ୍ତେ । ।୯୦
ବାଣେ ଛେଦିଲେ ଶତେ ଖଣ୍ଡେ । ପାଷାଣ ଯେହ୍ନେ ଛତୁପିଣ୍ଡେ । ।୯୧
ପୁଣି କୁଳିଶେ ପୁରନ୍ଦର । ପେଷିଲା ନମୁଚି କନ୍ଧର । ।୯୨
ବ୍ରଜ-ପ୍ରହାର ନ କାଟିଲା । କନ୍ଧରୁ ଚର୍ମ ନ ଛିଡ଼ିଲା । ।୯୩
ତା ଦେଖି ଇନ୍ଦ୍ର ବିଚାରଇ । ଅଦ୍ଭୁତ ଦେଖିଲା ତ ନାହିଁ । ।୯୪
ବଜ୍ରରୁ ବଞ୍ଚିଲା କେମନ୍ତେ । ଏ ବଡ଼ ସଂଶୟ ମୋ ଚିତ୍ତେ । ।୯୫
ଏ ଶସ୍ତ୍ର ଅସୁରଙ୍କୁ ରଣେ । ପ୍ରହାର କଲି ଅକାରଣେ । ।୯୬
ଏମନ୍ତେ ରଣ-ମଧ୍ୟଗତେ । ଶବଦ ଶୁଭେ ଅଦ୍ଭୁତେ । ।୯୭
ଶୁଣ ହେ ଶକ୍ର ଏକଚିତ୍ତେ । ନ ଭେଦେ ଶୁଷ୍କ ଆର୍ଦ୍ର ଶସ୍ତ୍ରେ । ।୯୮
ପୂର୍ବେ ଏ କଲା ତପ ଘୋର । ଏହାକୁ ଦେଇଅଛୁଁ ବର । ।୯୯
ଅଜେୟ ହୋଇଲା ସ୍ୱଭାବେ । ଅଜୟ ଯୁଦ୍ଧ-ମହାର୍ଣ୍ଣବେ । ।୧୦୦
ଶୁଷ୍କ-ଆର୍ଦ୍ରକ ଅସ୍ତ୍ରଶସ୍ତ୍ରେ । ଏଣୁ ନ ଭେଦେ ଏହା ଗାତ୍ରେ । ।୧୦୧
ଏବେ ତୁ ଶୁଣ ମଘବାନ । ଏହା ମରଣେ କର ଧ୍ୟାନ । ।୧୦୨
ଯେ ତୋତେ ଦିଶେ ଧ୍ୟାନମାର୍ଗେ । ତେଣେ ଜୀବନ ହରେ ବେଗେ । ।୧୦୩
ଏମନ୍ତେ ଶୂନ୍ୟବାଣୀ ଶୁଣି । ବାସବ ଧ୍ୟାନେ ମନେ ଗୁଣି । ।୧୦୪
ଧ୍ୟାନେ ଦେଖଇ ଜଳ-ଫେନ । ତା ଦେଖି ବିଚାରଇ ମନ । ।୧୦୫
ଏ ଆର୍ଦ୍ର-ଶୁଷ୍କ ଯେ ବୋଲାଇ । ଏଣେ ନାଶିବି ତାର ଦେହୀ । ।୧୦୬
ଏମନ୍ତ ମନେ ବିଚାରନ୍ତେ । ଫେନ ମିଳିଲା ଆସି ହସ୍ତେ । ।୧୦୭
ନମୁଚି ଅଙ୍ଗେ ପ୍ରହାରିଲା । ତକ୍ଷଣେ ଶିର ତା ଛିଡ଼ିଲା । ।୧୦୮
ସମରେ ନମୁଚି ମରଣେ । ମିଳିଲେ ଋଷି ଦେବଗଣେ । ।୧୦୯
ଇନ୍ଦ୍ର ଉପରେ ପୁଷ୍ପବୃଷ୍ଟି । କରନ୍ତି ଚିତ୍ତେ ହୋଇ ତୁଷ୍ଟି । ।୧୧୦
ଗନ୍ଧର୍ବେ ଅପସରାବୃନ୍ଦେ । ନୃତ୍ୟ କରନ୍ତି ଗୀତନାଦେ । ।୧୧୧
ଜୟଦୁନ୍ଦୁଭି ରଣେ ବାଜେ । ଦେବ-ଦାନବ ରଣମାଝେ । ।୧୧୨
ଏହି ପ୍ରକାର ଦିଗପାଳେ । ବରୁଣ ପବନ ଅନଳେ । ।୧୧୩
ଅସୁରବଳ ସର୍ବ ମାରି । ପଶୁଙ୍କୁ ଯେସନେ କେଶରୀ । ।୧୧୪
ଅସୁରବଳ ଭଗ୍ନ ଶୁଣି । ନାରଦେ ପେଷି କୁଶପାଣି । ।୧୧୫
ଦେବଗଣଙ୍କୁ ବୋଧକଲେ । ଯୁଦ୍ଧ ନ କର ଆଜ୍ଞାଦେଲେ । ।୧୧୬
ନାରଦ ସର୍ବ ଦେବଗଣେ । ପ୍ରବୋଧ କଲେ ଜଣେ ଜଣେ । ।୧୧୭
ବୋଲନ୍ତି ଦେବଗଣ ଚାହିଁ । ସମର କରୁଛ କିମ୍ପାଇଁ । ।୧୧୮
ସିନ୍ଧୁ ମନ୍ଥନେ ପାଇ ପ୍ରାସ । ଅସୁରେ ହୋଇଲେ ନିରାଶ । ।୧୧୯
ତୁମ୍ଭେ ଅମୃତ ପାନ କରି । ଲଭିଲ ସ୍ୱର୍ଗ-ଶୁଭ-ଶିରୀ । ।୧୨୦
କହନ୍ତି ଶୁକ ବ୍ରହ୍ମଯତି । ଶୁଣ ପରୀକ୍ଷ ମହୀପତି । ।୧୨୧
ନାରଦ ବାକ୍ୟ ଶୁଣି ଭଲେ । ତ୍ରିଦଶେ ସମର ନ କଲେ । ।୧୨୨
ଆନନ୍ଦେ ନୃତ୍ୟ ଗୀତ କରି । ଦେବେ ଚଳିଲେ ସ୍ୱର୍ଗପୁରୀ । ।୧୨୩
ଯୁଦ୍ଧେ ଅସୁର ଯେତେ ଥିଲେ । ନାରଦ ବାକ୍ୟେ ବାହୁଡ଼ିଲେ । ।୧୨୪
ବ୍ରହ୍ମାନନ୍ଦନ ବାକ୍ୟ ମାନି । ବଳିର ମୃତ୍ୟୁପିଣ୍ଡ ଘେନି । ।୧୨୫
ସକଳେ ମିଳି ଏକମେଳେ । ପଶ୍ଚିମ-ଅସ୍ତଗିରି ଗଲେ । ।୧୨୬
ଯେ ଅବା ଶିର ଉର ଛିଡ଼ି । ରଣଭୂମିରେ ଥିଲେ ପଡ଼ି । ।୧୨୭
ଶୁକ୍ରର ମୃତ୍ୟୁ ସଞ୍ଜୀବନେ । ସକଳେ ଲଭିଲେ ଜୀବନେ । ।୧୨୮
ବଳିକି ଶୁକ୍ର ଘେନି କୋଳେ । ଆସନେ ବସାଇ ନିଶ୍ଚଳେ । ।୧୨୯
ଶୁକ୍ର-ସ୍ପରଶେ ବଳି ସ୍ମୃତି । ଲଭିଲା ଇନ୍ଦ୍ରି-ବଳ-ବୃତ୍ତି । ।୧୩୦
ଶୁକ୍ରଙ୍କ ମନ୍ତ୍ରେ ତୋଷ ହୋଇ । ବଳି ଉଠିଲା ଜ୍ଞାନ ପାଇ । ।୧୩୧
ଯୁଦ୍ଧେ ହାରିବା କୋପାରମ୍ଭେ । ସଂହରି ରହେ ନିଜ ଦମ୍ଭେ । ।୧୩୨
ସୁଜନେ ଏଣେ କର ଭାବ । ଏ ଭାବେ ସଂସାରୁ ତରିବ । ।୧୩୩
ବୋଲଇ ଦାସ ଜଗନ୍ନାଥ । ଅମୃତ ବିଷ୍ଣୁର ଚରିତ । ।୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଦେବାସୁର ସଂଗ୍ରାମେ ଏକାଦଶୋଽଧ୍ୟାୟଃ । ।

ଦ୍ୱାଦଶ ଅଧ୍ୟାୟଃ

ଶୁକ କହନ୍ତି ତୋଷମନ । ଶୁଣ ଅଭିମନ୍ୟୁ-ନନ୍ଦନ । ।୧

ଶୁକ ଉବାଚ

କୃଷ୍ଣ ଯେ ମୋହିନୀ-ସ୍ୱରୂପେ । ଅମୃତ ହରି ମୋହକଳ୍ପେ । ।୨
ଦେବଙ୍କୁ କରାଇଲେ ପାନ । ମାୟାମୋହିନୀ ଭଗବାନ । ।୩
ସେ କଥା ଶୁଣି ବିପରୀତ । ବୃଷେ ଆରୋହି ବିଶ୍ୱନାଥ । ।୪
ସକଳ ଭୂତଗଣ ମେଳେ । ଅମ୍ବିକା ଘେନି ନିଜକୋଳେ । ।୫
ଦେଖିବା ଅର୍ଥେ ଗଲ ହର । ଯହିଁ ବିଜୟେ ମାୟାଧର । ।୬
ଗୋବିନ୍ଦ ରୁଦ୍ର ଦେଖି ତୋଷେ । ଆସନେ ବସାଇ ହରଷେ । ।୭
ପୂଜିଲେ ହରଗୌରୀ ପାଦେ । ରୋମହରଷ ଗଦଗଦେ । ।୮
ସାନନ୍ଦ ସେ ହରଗଉରୀ । ହରଷେ ହସ୍ତେ ହସ୍ତ ଧରି । ।୯
ସନ୍ତୋଷ କରି କୃଷ୍ଣମନ । ବୋଲନ୍ତି ମଧୁର-ବଚନ । ।୧୦

ମହାଦେବ ଉବାଚ

ହେ ଦେବଦେବ ଜଗଦ୍‌ବ୍ୟାପୀ । ଜଗଦୀଶ୍ୱର ବିଶ୍ୱରୂପୀ । ।୧୧
ସର୍ବ ଶରୀରେ ଆତ୍ମାରୂପେ । ତୁ ନାଥ ବସୁ ମୋହକଳ୍ପେ । ।୧୨
ସକଳ ହେତୁ ତୋ ଗୋଚର । ତୁ ନାଥ ଧର୍ମ-ନିରାକାର । ।୧୩
ନାହିଁ ତୋ ଆଦି ମଧ୍ୟ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ । ।୧୪
ଚରଣ କମଳ ତୋହର । ଚିନ୍ତନେ ଶ୍ରେୟ ପ୍ରାଣୀଙ୍କର । ।୧୫
ବିଷୟ-ସଙ୍ଗ ଦୂର କରି । ମୁନି ସନ୍ନ୍ୟାସୀ ବ୍ରହ୍ମଚାରୀ । ।୧୬
ଚିନ୍ତନ୍ତି ତୋ ଚରଣ ହୃଦେ । ଅନ୍ତେ ପଶନ୍ତି ମୋକ୍ଷପଦେ । ।୧୭
ତୁ ପୂର୍ଣ୍ଣବ୍ରହ୍ମ ସୁଧାସାର । ନିର୍ଗୁଣ ବିଶୋକ-ମନ୍ଦିର । ।୧୮
ଆନନ୍ଦ-ମାତ୍ର ନିର୍ବିକାର । ଅନ୍ୟୋନ୍ୟେ ଥାଇ ତୁ ଅନ୍ତର । ।୧୯
ବିଶ୍ୱର ହେତୁ ନିରଞ୍ଜନ । ସ୍ଥିତି ଉଦୟ ସଞ୍ଜମନ । ।୨୦
ଆତ୍ମାର ଆତ୍ମଜ୍ଞାନରୂପୀ । ଏଣୁ ଅଶେଷ-ଦେହବ୍ୟାପୀ । ।୨୧
ସୁବର୍ଣ୍ଣ-କୁଣ୍ଡଳକ ପ୍ରାୟେ । ସ୍ୱଭାବେ ଅଭେଦ ତୋ ଦେହେ । ।୨୨
ଅଜ୍ଞାନୀ ଦମ୍ଭେ ତୋରଠାରେ । ବିକଳ୍ପ ବିକଳ୍ପ ସଂସାରେ । ।୨୩
ତୁ ନିରୁପାଧି ତୋର ଗୁଣେ । ଭେଦ କରନ୍ତି ଅକାରଣେ । ।୨୪
ସଦ ଅସଦ ପରେ ସ୍ଥିତି । ପରମ ପୁରୁଷ କେ ଚିନ୍ତି । ।୨୫
ସଦ ଅସଦ ଏକ ରୂପୀ । ଅବ୍ୟୟ ଆତ୍ମା ବିଶ୍ୱବ୍ୟାପୀ । ।୨୬
ତୁ ବ୍ରହ୍ମ ହେତୁ ଚିଦାନନ୍ଦ । ଅନାଦିକନ୍ଦ ଆଦିକନ୍ଦ । ।୨୭
ପ୍ରକୃତି ପୁରୁଷ ରୂପର । କେ ସାଂଖ୍ୟେ କରନ୍ତି ବିଚାର । ।୨୮
ଅନ୍ୟେ ବଦନ୍ତି ନବଶକ୍ତି । ଯେ ଅବା ଛନ୍ତି ପାଞ୍ଚରାତ୍ରି । ।୨୯
ଅବ୍ୟୟ ଆତ୍ମତନ୍ତ୍ରରୂପୀ । ତୁ ନାଥ ଠୁଳଶୂନ୍ୟ ବ୍ୟାପୀ । ।୩୦
ମୁଁ ବ୍ରହ୍ମା ଦେବ ମୁନି ଯେତେ । ତୋ ମାୟାବଳେ ଏ ଜଗତେ । ।୩୧
ତୋ ରୂପ ନ ଜାଣନ୍ତି କେହି । ଦୁଷ୍ଟେ ଜାଣିବେ ଅବା କାହିଁ । ।୩୨
ଜଗତ ଜାତ ସ୍ଥିତି ନାଶ । ଭୂତଙ୍କ ଦେହେ ତୋ ପ୍ରକାଶ । ।୩୩
ଜୀବର ବନ୍ଧ-ମୋକ୍ଷ ବେନି । ତୁ ନାଥ କରୁ ମାୟା ଘେନି । ।୩୪
ଆକାଶେ ଯେହ୍ନେ ବାୟୁ ରହେ । ପାର୍ଥିବରେଣୁ ବହେ ଦେହେ । ।୩୫
ତୋ ଦେହେ କେହି ନ ଲାଗନ୍ତି । ଏମନ୍ତ ଈଶ୍ୱରର ଗତି । ।୩୬
ସଚରାଚର ତୋର ଦେହେ । ପବନେ ରେଣୁ ପ୍ରାୟ ରହେ । ।୩୭
ତୁ ଏ ସଂସାର-ଉପକାରୀ । ତ୍ରିଗୁଣେ ନାନାରୂପ ଧରି । ।୩୮
ଯେତେ ସାଧିଲୁ କ୍ରୀଡ଼ାଅର୍ଥେ । ସେ ରୂପେ ଦେଖିଲି ମୁଁ ତୋତେ । ।୩୯
ଏବେ ଯେ ସମୁଦ୍ର-ମନ୍ଥନେ । ଦେବ ଦାନବ ଏକମନେ । ।୪୦
ଅମୃତ ଅର୍ଥେ ଅନ୍ୟଅନ୍ୟେ । ତା ଦେଖି ଦେବେ ଦୁଃଖମନେ । ।୪୧
ତୋତେ ଚିନ୍ତିଲେ ଧ୍ୟାନ କରି । ତୁ ନାଥ ମାୟାରୂପ ଧରି । ।୪୨
ମୋହିନୀରୂପେ ଭଗବାନ । ମୋହିଲୁ ଅସୁରଙ୍କ ମନ । ।୪୩
ସେ ରୂପ ଦେଖାଅ ତୁ ମୋତେ । ଦେଖିବି ଗଉରୀ ସମେତେ । ।୪୪
ଯେ ରୂପ ପରମମଙ୍ଗଳେ । ମୁଁ ତା ଦେଖିବି କୁତୂହଳେ । ।୪୫
ଏମନ୍ତେ ରୁଦ୍ରବାଣୀ ଶୁଣି । ହସି ବୋଲନ୍ତି ଚକ୍ରପାଣି । ।୪୬

ଭଗବାନ ଉବାଚ

ଅସୁରେ ସୁଧା ନେଲେ ବଳେ । ମୁହିଁ ଯେ ଦେବଙ୍କ ବିକଳେ । ।୪୭
ମାୟାମୋହିନୀ ରୂପ ଧରି । ଅସୁରଗଣେ ମାୟା କରି । ।୪୮
ଅମୃତ ଦେବଗଣେ ଦେଲି । ପୁଣି ସେ ରୂପ ସଂହରିଲି । ।୪୯
ଏବେ ତୁ ଦେଖିବାର ଆଶେ । ଯେବେ ମିିଳିଲୁ ମୋର ପାଶେ । ।୫୦
ସେ ରୂପ ଦେଖାଇବି ମୁହିଁ । ଯେବେ ସମ୍ଭାଳିପାରୁ ତୁହି । ।୫୧
କାମୀମାନଙ୍କ ମହାମୋହ । ପୁରୁଷ କେ ଧରିବ ଦେହ । ।୫୨
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ ମହାରାୟେ । ।୫୩

ଶୁକ ଉବାଚ

ଏମନ୍ତ କହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ । ।୫୪
ରୁଦ୍ର ଚାହାଁନ୍ତି ଦଶଦିଶେ । ଗଉରୀ ସଙ୍ଗେ ପି୍ରୟବଶେ । ।୫୫
ଅଗ୍ରେ ଯେ ଅଛି ଉପବନ । ନାନା କୁସୁମେ ତରୁଘନ । ।୫୬
ତହିଁ ବିଜୟେ ଦଇତ୍ୟାରି । ଜଗମୋହିନୀ ରୂପ ଧରି । ।୫୭
କରେ କନ୍ଦୁକ ସାର ଶୋହେ । ଯେ ରୂପେ ଜଗୁଜନ ମୋହେ । ।୫୮
ନିତମ୍ବେ ବେଷ୍ଟିତ ଅମ୍ବର । କଟି-ମେଖଳା ରତ୍ନସାର । ।୫୯
ହୃଦେ କମ୍ପଇ ଘନ-କୁଚ । ହାର କାଞ୍ଚଲା ଅତି ସଞ୍ଚ । ।୬୦
ଅତି ସୁସଞ୍ଚ କ୍ଷୀଣମଝା । କି ପଟାନ୍ତର ଦେବା ଦୁଜା । ।୬୧
ସ୍ୱଭାବେ ଡମ୍ବରୁ ଆକାର । ଖଚିତ ନାନା ଅଳଙ୍କାର । ।୬୨
ଶିର ସୀମନ୍ତ ମିଣମୟେ । ନୀଳ-ଅଳକେ ମୁଖଶୋହେ । ।୬୩
ଶିରେ ସୁନ୍ଦର ଭୁରୁ ସାଜେ । ଚଞ୍ଚଳ-ଲୋଚନ ବିରାଜେ । ।୬୪
ଭାଲେ ସିନ୍ଦୂରବିନ୍ଦୁ ସାଜେ । କମଳଲୋଚନ ବିରାଜେ । ।୬୫
ହେମକୁଣ୍ଡଳ ଶୋହେ କର୍ଣ୍ଣେ । ଦଶନ ହସିତ-ବଦନେ । ।୬୬
କବରୀ ମଧ୍ୟେ ପୁଷ୍ପ ଦିଶେ । କି ଏ କନ୍ଦର୍ପ ଦେଖି ହସେ । ।୬୭
କବରୀ ଶ୍ଳଥ ଫିଟେ ବାସ । କରଇ କନ୍ଦର୍ପ ବିକାଶ । ।୬୮
ଅଳକା ତୋଳେ କାମକରେ । ସୁରଙ୍ଗ ଅଙ୍ଗୁଳି ଅଗ୍ରରେ । ।୬୯
କନ୍ଦୁକ ଦକ୍ଷକରେ ଧରି । ସେ ଲୀଳା ଲୁବ୍‌ଧେ ମୋଦଭରି । ।୭୦
ଏମନ୍ତ ରୂପ ହର ଦେଖି । ପିଛାଡ଼ି ନ ପାରନ୍ତି ଆଖି । ।୭୧
ଲୀଳା କଟାକ୍ଷେ ରୂପ ଚାହିଁ । ହୃଦୟେ ଚିତ୍ତ ନ ରହଇ । ।୭୨
ସ୍ୱଗଣ-ଗଉରୀ-ସମେତେ । ସକଳେ ଚାହାନ୍ତି ଚକିତେ । ।୭୩
ଏମନ୍ତେ ମୋହିନୀର କରେ । ଥିଲା କନ୍ଦୁକ ଖସି ଧୀରେ । ।୭୪
ତକ୍ଷଣେ ଭୂମିରେ ପଡ଼ିଲା । ପଡ଼ି ଅନେକ ଦୂର ଗଲା । ।୭୫
କନ୍ଦୁକ ଆଣିବାର ଛଳେ । ବୃକ୍ଷ-ଉହାଡ଼େ ଅତି ଖରେ । ।୭୬
ଧାମନ୍ତେ ଅଦ୍‌ଭୁତ-ଅବଳା । କୁଚରୁ ବସ୍ତ୍ର ଉଡ଼ିଗଲା । ।୭୭
ପବନେ ଉଡ଼େ ଜାନୁବାସ । ଜାନୁଯୁଗଳ ହେଲା ଦୃଶ୍ୟ । ।୭୮
ପବନେ ଉଡ଼ିଯାନ୍ତେ ବାସ । ରୂପ ଦେଖିଣ ହର ବଶ । ।୭୯
ବସ୍ତ୍ର ତୋଳନ୍ତି ବାମହସ୍ତେ । ପୀଡ଼ିତ ଲଜ୍ଜା-ଭୟ-ଚିତ୍ତେ । ।୮୦
ଅଳକା ଅଙ୍ଗୁଳିର ଅଗ୍ରେ । କପୋଳୁ ତୋଳେ ଅତି ବ୍ୟଗ୍ରେ । ।୮୧
ଏମନ୍ତ ରୂପ ତାର ଦେଖି । ଶଙ୍କର ଗଉରୀ ଉପେକ୍ଷି । ।୮୨
ମନ ବୁଡ଼ିଲା ତାର ସଙ୍ଗେ । ମଦନବାଣ ପୀଡ଼େ ଅଙ୍ଗେ । ।୮୩
ଉମା ଦେଖନ୍ତେ ଲଜ୍ଜା ଛାଡ଼ି । ଧାମନ୍ତି କାମେ ମନ ବୁଡ଼ି । ।୮୪
ହରକୁ ଦେଖି ବେଗେ ଧାଇଁ । ବୃକ୍ଷ-ଗହଳେ ସେ ଲୁଚଇ । ।୮୫
ରୁଦ୍ର ଧାଇଁଲେ ଅତି ବେଗେ । ମିଳିଲେ ବୃକ୍ଷଙ୍କର ଲାଗେ । ।୮୬
ବୃକ୍ଷକୁ ବୃକ୍ଷ ଯାନ୍ତି ଗଳି । ହସ୍ତ ଦେଖାନ୍ତି ବେଗେ ତୋଳି । ।୮୭
ଦେଖି ଧାମନ୍ତି ରୁଦ୍ର ବେଗେ । ବସନ ନାହିଁ କଟିଭାଗେ । ।୮୮
ଜଟା-କଳାପ ଅସମ୍ଭାଳ । କପୋଳୁ ଗଳେ ଶ୍ରମ ଝାଳ । ।୮୯
କରିଣୀ ଦେଖି ଯେହ୍ନେ ଗଜ । ଧାମଇଁ ଉଚ୍ଚେ ତୋଳି ଭୁଜ । ।୯୦
ରୁଦ୍ର ଧଇଲେ ତାଙ୍କୁ କୋଳେ । ଆବୋରି ବେନିଭୁଜେ ବଳେ । ।୯୧
ପୁଣି ମୋହିନୀ କରୁଁ ଗଳି । ଧାମଇଁ ଜାନୁବସ୍ତ୍ର ତୋଳି । ।୯୨
କବରୀଭାର ଫିଟି ତଳେ । ବିଞ୍ଚି ପଡ଼ନ୍ତି ଫୁଲମାଳେ । ।୯୩
ପୁଣି ଧରନ୍ତେ ହର କୋଳେ । ମୋହିନୀ ଗଳେ ଭୁଜତଳେ । ।୯୪
ମୁକୁଳା କେଶ ଅଧୋମୁଖେ । ଧାମଇଁ ବଦନ-ସୁରେଖେ । ।୯୫
ପୃଥୁ-ନିତଙ୍କ ଚଳେ ଧୀରେ । ପୁଣି ଧଇଲେ ରୁଦ୍ର କୋଳେ । ।୯୬
ଏମନ୍ତେ ବିଷ୍ଣୁମାୟା ବଳେ । ଶଙ୍କର ମଦନ ଆକୁଳେ । ।୯୭
ବଇରୀ-ବାଣେ ସେ ବିକଳେ । ପୁଣି ଧରନ୍ତି କାମଭୋଳେ । ।୯୮
ପୁଣି ପଳାନ୍ତି ଭୁଜ ତୋଳି । ରୁଦ୍ର-ଶରୀରୁ ରେତ ଗଳି । ।୯୯
ସୁରଭୀ ଅର୍ଥେ ବୃଷ ଯେହ୍ନେ । ଧାମଇଁ ଉଠିଣ ଅଜ୍ଞାନେ । ।୧୦୦
ରେତ ପଡ଼ିଲା ଯହିଁ ତହିଁ । ମୋହିନୀ ବେଶେ ମୋହ ପାଇ । ।୧୦୧
ସୁନା ରୂପା ହେଲା ତକ୍ଷଣେ । ଲତା-ଗହନ-ଘୋରବନେ । ।୧୦୨
ନଦୀ-ପର୍ବତ-ସରୋବରେ । ପଡ଼ଇ ରେତ ବୃଷ୍ଟିଧାରେ । ।୧୦୩
ଏମନ୍ତେ ବିଷ୍ଣୁମାୟା-ବଶେ । ଶଙ୍କର ଧାଇଁ ବନଦେଶେ । ।୧୦୪
ନିରାଶ ହୋଇ ନିବର୍ତ୍ତିଲେ । ଗଉରୀ ନିକଟେ ମିଳିଲେ । ।୧୦୫
ବିଷ୍ଣୁମାୟାରେ ମୋହି ମନ । ରୁଦ୍ର ହୋଇଲେ ଛନଛନ । ।୧୦୬
ଈଶ୍ୱର ଦୁଃଖ କୃଷ୍ଣ ଦେଖି । ମୋହିନୀ ଶରୀର ଉପେକ୍ଷି । ।୧୦୭
ନିଜ ମୂରତି ଧରି ହରି । ଶଙ୍କର ପାଶେ ବିଜେ କରି । ।୧୦୮
କହନ୍ତି ରୁଦ୍ର-ମୁଖ ଚାହିଁ । କୋମଳ-ବାକ୍ୟେ ଭାବଗ୍ରାହୀ । ।୧୦୯
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଦେଖିଣ ଈଶ୍ୱର-ଆରତ । ।୧୧୦

ଭଗବାନ ଉବାଚ

ହେ ଦେବଦେବ ବିଶ୍ୱନାଥ । ତୁ ହେଲୁ ମାୟାରେ ମୋହିତ । ।୧୧୧
ଅଶେଷଜନ ମାୟାବଳେ । ଭ୍ରମନ୍ତି ଅବନୀମଣ୍ଡଳେ । ।୧୧୨
ନାନା ପ୍ରକାରେ ତନୁ ଧରି । କେବା ପାରିବ ମାୟା ତରି । ।୧୧୩
ଭୋ ରୁଦ୍ର ମହିମା ତୋହର । ଅଜ୍ଞାନୀଜନେ ଅଗୋଚର । ।୧୧୪
ଯେ ବିଷ୍ଣୁମାୟା ଗୁଣମୟୀ । ସେ ମାୟା କଳି ତ ନୁହଁଇ । ।୧୧୫
ତୁ ନାଥ ନିଜ ମାୟାବଳେ । ତ୍ରିଗୁଣ ଗ୍ରାସୁ ଅନ୍ତଃକାଳେ । ।୧୧୬
ଶୁକ ଶ୍ରୀକୃଷ୍ଣପାଦ ଧ୍ୟାୟି । କହନ୍ତି ପରୀକ୍ଷିତ ଚାହିଁ । ।୧୧୭

ଶୁକ ଉବାଚ

ଶୁଣ ରାଜନ ଏକଚିତ୍ତେ । ହରଙ୍କୁ ପ୍ରବୋଧି ଏମନ୍ତେ । ।୧୧୮
ଶିବଙ୍କୁ ପ୍ରଦକ୍ଷିଣ କରି । ନିଜ ଭୁବନେ ଗଲେ ହରି । ।୧୧୯
ରୁଦ୍ର ଭବାନୀଗଣ ତୁଲେ । ନିଜ ଭୁବନେ ବିଜେ କଲେ । ।୧୨୦
ଋଷିଙ୍କ ମଧ୍ୟେ ହର ବସି । ବିଷ୍ଣୁଙ୍କ ମାୟା ପରଶଂସି । ।୧୨୧

ଈଶ୍ୱର ଉବାଚ

ଶୁଣ ଅଶେଷ ଋଷିବରେ । ବିଷ୍ଣୁର ମାୟା ଏ ଶୟଳେ । ।୧୨୨
ଅଶେଷ-ଜନ-ମନ ହରେ । କେବା ଏ ସଂସାରୁ ନିସ୍ତରେ । ।୧୨୩
ଶୁଣ ଗୋ ପ୍ରିୟେ କହି ଯାହା । ଦେଖିଲ ବିଷ୍ଣୁଙ୍କର ମାୟା । ।୧୨୪
ମୁଁ ମାୟାଧରଙ୍କର ଈଶ । ତା ମାୟା ଦେଖି କଲି ତ୍ରାସ । ।୧୨୫
ତା ମାୟାବଳେ ମୋହେ ଶିବ । ଆନ କେ ସେ ମାୟା ତରିବ । ।୧୨୬
ବିଷ୍ଣୁର ମାୟା ଅଗୋଚର । ଯହିଁ ଭ୍ରମନ୍ତି ବ୍ରହ୍ମାସୁର । ।୧୨୭
କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ । ।୧୨୮

ଶୁକ ଉବାଚ

ଏମନ୍ତ ଶ୍ରୀକୃଷ୍ଣ ମହିମା । କେ କହିପାରେ ଗୁଣସୀମା । ।୧୨୯
ଯେ ହରି ଜଗତ ଉଦ୍ଧରେ । କପଟେ କୂର୍ମରୂପ ଧରେ । ।୧୩୦
ତାର ଚରିତ ଶୁଣି କର୍ଣ୍ଣେ । ମୁଖେ ଗୁଣନ୍ତି ଯେବା ଜନେ । ।୧୩୧
ଯେ ଅବା ପ୍ରସ୍ତାବେ କହନ୍ତି । ଘୋର ସଂସାରୁ ତରିଯାନ୍ତି । ।୧୩୨
ଅଷ୍ଟମ ସ୍କନ୍ଧେ ହରି-ବାଣୀ । ଶୁଣି ସଂସାରୁ ତର ପ୍ରାଣୀ । ।୧୩୩
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ । ।୧୩୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଶଙ୍କରମୋହନଂ ନାମ ଦ୍ୱାଦଶୋଽଧ୍ୟାୟଃ । ।

ତ୍ରୟୋଦଶ ଅଧ୍ୟାୟ

ଶ୍ରୀକୃଷ୍ଣ ପାଦ ହୃଦେ ଚିନ୍ତି । କହନ୍ତି ଶୁକ ବ୍ରହ୍ମଯତି । ।୧

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁସୁତ । ସପ୍ତମେ ମନୁବଂଶେ ଜାତ । ।୨
ସୂର୍ଯ୍ୟତନୟ ଅନୁପମ । ତାହାର ଶ୍ରାଦ୍ଧଦେବ ନାମ । ।୩
ବର୍ତ୍ତମାନ ଯା ଭୋଗକାଳ । ଯେ ଶୁଦ୍ଧ ସୁଗୁଣ ସୁଶୀଳ । ।୪
ତାର ସନ୍ତତି ହେଲେ ଯେତେ । ଶୁଣ କହିବି ଏକଚିତ୍ତେ । ।୫
ଈକ୍ଷବା୍‌କୁ ନଭଗ ଶର୍ଯ୍ୟାତି । ଧୃଷ୍ଟ ନରିଷ୍ୟନ୍ତ ସନ୍ତତି । ।୬
ନାଭାଗ ଦିଷ୍ଟ ଯେ ସପ୍ତମ । କରୂଷ ପୃଷଧ୍ର ନବମ । ।୭
ଦଶମ ବସୁମାନ ନାମ । ବୈବସ୍ୱତର ଏ ନନ୍ଦନ । ।୮
ସେ ମନୁକାଳେ ଦେବଗଣ । ନାମ କହିବା ତାଙ୍କ ଶୁଣ । ।୯
ଆଦିତ୍ୟ ବସୁ ରୁଦ୍ର ବିଶ୍ୱ । ଅଶ୍ୱିନୀ ରଭୁ ଅଣଚାଶ । ।୧୦
ତାହାଙ୍କ ମଧ୍ୟେ ଦେବବର । ଇନ୍ଦ୍ରର ନାମ ପୁରନ୍ଦର । ।୧୧
ସେ ମନୁ କାଳେ ସପ୍ତଋଷି । ଭ୍ରମନ୍ତି ଧ୍ରୁବଚକ୍ରେ ବସି । ।୧୨
କଶ୍ୟପ ଅତ୍ରି ଋଷିଶ୍ରେଷ୍ଠ । ତୃତୀୟ ମୁନି ଯେ ବଶିଷ୍ଠ । ।୧୩
ଗୌତମ ବିଶ୍ୱାମିତ୍ର ଦ୍ୱିଜ । ଜମଦଗ୍ନି ଯେ ଭରଦ୍ୱାଜ । ।୧୪
ଏ ଆଦି ନାମେ ସପ୍ତମୁନି । ଚକ୍ରେ ଭ୍ରମନ୍ତି କର୍ମ ଘେନି । ।୧୫
ବଇବସ୍ୱତ ମନୁ କଳ୍ପେ । ଗୋବିନ୍ଦ ବାମନ ସ୍ୱରୂପେ । ।୧୬
ଜନ୍ମିଲେ ଅଦିତି ଉଦରେ । କଶ୍ୟପ ଋଷିଙ୍କର ଘରେ । ।୧୭
ଏ ସପ୍ତ ମନ୍ୱନ୍ତର ଯେତେ । କହିଲୁ ତୁମ୍ଭର ଅଗ୍ରତେ । ।୧୮
ଏବେ ଭବିଷ୍ୟ ମନୁ ସପ୍ତ । ଶୁଣ ସୁମନେ ପରୀକ୍ଷିତ । ।୧୯
ବିଶ୍ୱକର୍ମାର କନ୍ୟା ବେନି । ସୂର୍ଯ୍ୟେ ବରିଲେ ଭାବ ଘେନି । ।୨୦
ରୂପେ ଦିଶନ୍ତି ଅନୁପମ । ତାହାଙ୍କ ସଂଜ୍ଞା ଛାୟା ନାମ । ।୨୧
ସୂର୍ଯ୍ୟର ତେଜ ଅସହନେ । ସଂଜ୍ଞା ଯେ ଅଶ୍ୱରୂପେ ବନେ । ।୨୨
ସୂର୍ଯ୍ୟ ରମିଲେ ତାର ତୁଲେ । ଅଶ୍ୱିନୀକୁମାର ଜନ୍ମିଲେ । ।୨୩
ପ୍ରଥମେ ସୂର୍ଯ୍ୟ ତୁଲେ ରମି । ସଂଜ୍ଞା ପ୍ରସବେ ଗର୍ଭ ତିନି । ।୨୪
ଯମ ଯମୁନା ଭାଇ ଭଗ୍ନୀ । ଜନ୍ମିଲେ ଶ୍ରାଦ୍ଧଦେବ ତିନି । ।୨୫
କହୁଅଛଇ ତୋତେ ଭାବେ । ଛାୟା-ଅପତ୍ୟ ଶୁଣ ଏବେ । ।୨୬
ସାବର୍ଣ୍ଣି ନାମେ ଏକ ସୁତ । କନ୍ୟା ତପତୀ ରୂପେ ଜାତ । ।୨୭
ତୃତୀୟ ପୁତ୍ର ଶନୈଶ୍ଚର । ଏବେ ହୋ ଶୁଣ ନୃପବର । ।୨୮
ସାବର୍ଣ୍ଣି ଅଷ୍ଟ ମନ୍ୱନ୍ତରେ । ଭଜିବ ସଂସାର ବେଭାରେ । ।୨୯
ନିର୍ମୋକ ବୀରଯସ୍କ ଆଦି । ସାବର୍ଣ୍ଣି ତନୟ ସମ୍ପାଦି । ।୩୦
ବିରଜ ଆଦି ଦେବଗଣେ । ଜନମ ସଂସାର କାରଣେ । ।୩୧
ତାହାଙ୍କ ପାଳନ ପ୍ରବନ୍ଧେ । ବଳି ବସିବ ଇନ୍ଦ୍ରପଦେ । ।୩୨
ତାହାଙ୍କୁ ଛଳିବେ ବାମନ । ଯଜ୍ଞେ ପୃଥିବୀ ଦେବେ ଦାନ । ।୩୩
ତିନି ଚରଣ ଦାନ ଦେଇ । ବାମନ ପାଦ ମୁଣ୍ଡେ ବହି । ।୩୪
କେତେହେଁ କାଳ ଦାନ ଫଳେ । ସେ ଭୋଗ ଭୁଞ୍ଜିବ ପାତାଳେ । ।୩୫
ସ୍ୱର୍ଗେ ବସିବ ଇନ୍ଦ୍ରପଣେ । ଅନ୍ତେ ପଶିବ ନାରାୟଣେ । ।୩୬
ସେ ବଳି କାଳେ ସପ୍ତମୁନି । ଉଦୟ ନିଜ ତେଜ ଘେନି । ।୩୭
ଯେ ରୂପେ ସଂସାର ଧାରଣ । ତାହାଙ୍କ ନାମ ଏବେ ଶୁଣ । ।୩୮
ଗାଲବ ଦୀପ୍ତିମାନ ରାମ । କୃପାଚାର୍ଯ୍ୟ ଦ୍ରୋଣନନ୍ଦନ । ।୩୯
ଅପରେ ଋଷ୍ୟଶୃଙ୍ଗ ବ୍ୟାସ । କହିଲି ଋଷିଙ୍କ ବିଶେଷ । ।୪୦
ଏ ଆଦି ସପ୍ତ ଋଷିଗଣେ । ବ୍ରହ୍ମାର ଆଜ୍ଞା ପରମାଣେ । ।୪୧
ହୋଇବେ ଭବିଷ୍ୟତ କାଳେ । ଅଛନ୍ତି ଆଶ୍ରମମଣ୍ଡଳେ । ।୪୨
ଏହି ସାବର୍ଣ୍ଣି ମନ୍ୱନ୍ତରେ । ବିଷ୍ଣୁ ଯେ ଦେବଗୁହ୍ୟ ଘରେ । ।୪୩
ସରସ୍ୱତୀର ଗର୍ଭୁ ଜାତ । ନାମରେ ସାର୍ବଭୌମ ଖ୍ୟାତ । ।୪୪
ସେ କାଳେ ବିଷ୍ଣୁ ନିଜ ଭାବେ । ବଳିକି ଇନ୍ଦ୍ରପଦ ଦେବେ । ।୪୫
ହୋଇବ ସେହୁ ସୁରେଶ୍ୱର । ଅମରପୁରେ ପୁରନ୍ଦର । ।୪୬
ତଦନ୍ତେ ଶୁଣ ହେ ରାଜନ । ନବମ ମନୁ ବିବରଣ । ।୪୭
ଏ ଅନ୍ତେ ବରୁଣ ନନ୍ଦନ । ଦକ୍ଷସାବର୍ଣ୍ଣି ଯେ ନବମ । ।୪୮
ପୁତ୍ର ଜନ୍ମିବେ ତାର ରେତୁ । ଯେ ଭୂତକେତୁ ଦୀପ୍ତକେତୁ । ।୪୯
ପାରା ମରୀଚିଗର୍ଭ ଆଦି । ଏ ନାମେ ଦେବତା ପ୍ରସିଦ୍ଧି । ।୫୦
ଦେବଅଦ୍‌ଭୁତ ନାମେ ଇନ୍ଦ୍ର । ଭୋଗ କରିବ ସ୍ୱର୍ଗପଦ । ।୫୧
ଋଷିଏ ଦ୍ୟୁତିମାନ ଆଦି । ହୋଇବେ ସେ ମନୁ ସମ୍ପାଦି । ।୫୨
ବିପ୍ର ଯେ ଆୟୁଷ୍ମାନ ଘରେ । ସେ ଅମ୍ବୁଧାର ଗର୍ଭରେ । ।୫୩
ଋଷଭ ନାମେ ଜାତ ହେବେ । ଇନ୍ଦ୍ରକୁ ସ୍ୱର୍ଗପଦ ଦେବେ । ।୫୪
ଦଶମେ ଉପଶ୍ଳୋକ ସୁତ । ବ୍ରହ୍ମସାବର୍ଣ୍ଣି ନାମେ ଖ୍ୟାତ । ।୫୫
ତାର କୁମରେ ବ୍ରହ୍ମବାଦୀ । ଜନ୍ମିବେ ଭୂରିଷେଣ ଆଦି । ।୫୬
ସୁକୃତି ସତ୍ୟ ହବିଷ୍ମାନ । ଜୟ ଆବର ମୂର୍ତ୍ତି ପୁଣ । ।୫୭
ଏ ଆଦି ଋଷିଏ ବ୍ରାହ୍ମଣ । ଏବେ ଦେବତା ନାମ ଶୁଣ । ।୫୮
ଦେବେ ବିରୁଦ୍ଧ ସୁବାସନ । ଇନ୍ଦ୍ରର ନାମ ଶମ୍ଭୁ ଜାଣ । ।୫୯
ବିଶ୍ୱସୃଜର ଘରେ ହରି । ବିଷୂଚି ଗର୍ଭେ ଅବତରି । ।୬୦
ବିଶ୍ୱକେସନ ନାମ ବହି । ପାଳିବେ ନିଜ ଧର୍ମେ ମହୀ । ।୬୧
ବିଶ୍ୱକେସନ ଶମ୍ଭୁ ସଙ୍ଗେ । ମିତ୍ର ହୋଇବେ ସତ୍ୟଯୁଗେ । ।୬୨
ଧର୍ମସାବର୍ଣ୍ଣି ମନୁ ହୋଇ । ପାଳିବେ ଏକାଦଶେ ମହୀ । ।୬୩
ସତ୍ୟ ଧର୍ମାଦି ସୁତ ଦଶ । ପାଳିବେ ମହୀ ସ୍ୱର୍ଗଦେଶ । ।୬୪
ନିର୍ବାଣରୁଚି ବିହଙ୍ଗମ । ଦେବଙ୍କ ନାମ କାଳଗମ । ।୬୫
ଇନ୍ଦ୍ର ହୋଇବେ ବଇଧୃତ । ଋଷି ଅରୁଣ ଆଦି ଖ୍ୟାତ । ।୬୬
ବୈଧୃତା ଗର୍ଭେ ଧର୍ମସେତୁ । ଜନମି ସେ ଆର୍ଯ୍ୟକ ରେତୁ । ।୬୭
ସେ ଇନ୍ଦ୍ର ଧର୍ମସେତୁ ବଳେ । ତ୍ରୈଲୋକ୍ୟ ପାଳିବ ନିଶ୍ଚଳେ । ।୬୮
ରୁଦ୍ରସାବର୍ଣ୍ଣି ଯେ ଦ୍ୱାଦଶେ । ଜନ୍ମିବେ ନାରାୟଣ ଅଂଶେ । ।୬୯
ଯେ ଦେବବାନ ଉପଦେବ । ଦେବଶ୍ରେଷ୍ଠ ଆଦି ସମ୍ଭବ । ।୭୦
ଇନ୍ଦ୍ର ହୋଇବେ ଋତଧାମ । ହରିତ ଆଦି ଦେବେ ଜାଣ । ।୭୧
ତପୋମୂର୍ତ୍ତି ଆର ତପସ୍ୱୀ । ଆଗ୍ନୀଧ୍ରକାଦି ସପ୍ତଋଷି । ।୭୨
ସ୍ୱଧାମା ନାମେ ଦେବ ହରି । ସୁନୃତା ଗର୍ଭେ ଅବତରି । ।୭୩
ସତ୍ୟସହ ଯେ ବିପ୍ର ଘରେ । ସାଧିବେ ଏହି ମନ୍ୱନ୍ତରେ । ।୭୪
ଦେବସାବର୍ଣ୍ଣି ତ୍ରୟୋଦଶେ । ହୋଇବେ ନାରାୟଣ ଅଂଶେ । ।୭୫
ବିଚିତ୍ର ଚିତ୍ରସେନ ଆଦି । ଦେବସାବର୍ଣ୍ଣି ପୁତ୍ର ସାଧି । ।୭୬
ସୁକର୍ମ ସୁତ୍ରାମ ଏ ଆଦି । ଦେବତା ରୂପେଣ ପ୍ରସିଦ୍ଧି । ।୭୭
ଇନ୍ଦ୍ର ଯେ ଦିବସ୍ପତି ନାମେ । ସୁଖେ ବସିବ ସ୍ୱର୍ଗଗ୍ରାମେ । ।୭୮
ନିର୍ମୋକ ତତ୍ତ୍ୱଦର୍ଶୀମାନେ । ହୋଇବେ ସପ୍ତଋଷିଗଣେ । ।୭୯
ହରିର ଅଂଶେ ଯୋଗେଶ୍ୱର । ଔରସେ ଦେବହୋତ୍ରଙ୍କର । ।୮୦
ବୃହତୀ ଗର୍ଭେ ଜାତ ହେବେ । ଇନ୍ଦ୍ରଙ୍କୁ ସାହାଯ୍ୟ କରିବେ । ।୮୧
ଇନ୍ଦ୍ର ସାବର୍ଣ୍ଣି ଚତୁର୍ଦ୍ଦଶେ । ହୋଇବେ ନାରାୟଣ ଅଂଶେ । ।୮୨
ଉରୁ ଗମ୍ଭୀରବୁଦ୍ଧି ଆର । ଜନ୍ମିବେ ତାହାର କୁମର । ।୮୩

ପବିତ୍ର ଚାକ୍ଷୁଷ ନାମରେ । ଦେବତା ସେହି ମନ୍ୱନ୍ତରେ । ।୮୪

ହୋଇବେ ଶୁଚି ନାମେ ଇନ୍ଦ୍ର । ସୁଖେ ପାଳିବେ ଦେବବୃନ୍ଦ । ।୮୫
ଅଗ୍ନିବାହୁ ଯେ ଶୁଚି ଶୁଦ୍ଧ । ମାଗଧ ଆଦି ଋଷି ସିଦ୍ଧ । ।୮୬
ଏ ସର୍ବେ ନିତ୍ୟେ ତପସ୍ୱୀନ । ହୋଇବେ ଏକଥା ପ୍ରମାଣ । ।୮୭
ବୃହଦଭାନୁ ଅବତାରେ । ବିଷ୍ଣୁ ଯେ ସତ୍ରାୟଣ ଘରେ । ।୮୮
ଜନ୍ମିବେ ବିତାନା ଉଦରେ । ଏବେ ହେ ଶୁଣ ନୃପବରେ । ।୮୯
ଚତୁରଦଶ ମନୁ ଯେତେ । ଭାବେ କହିଲି ତୋ ଅଗ୍ରତେ । ।୯୦
କଳ୍ପାନ୍ତେ ମନୁ ଚତୁର୍ଦ୍ଦଶେ । ଏ ଭାବେ ବ୍ରହ୍ମାର ଦିବସ । ।୯୧
ସହସ୍ରଯୁଗ ଏହି ମତେ । କଳ୍ପ ବୋଲାଇ ଏ ଜଗତେ । ।୯୨
ଏମନ୍ତେ ବେନିକଳ୍ପ ଗଲେ । ବ୍ରହ୍ମାର ଅହୋରାତ୍ର ଭଲେ । ।୯୩
ଏମନ୍ତେ ଶୁକ ମୁଖୁଁ ଶୁଣି । କହେ ପାଣ୍ଡବ-ଚୂଡ଼ାମଣି । ।୯୪

ରାଜା ଉବାଚ

ଏ ଭାବେ ବ୍ରହ୍ମାର ଦିବସ । ଭାଷନ୍ତି ମନୁ ଚତୁର୍ଦ୍ଦଶ । ।୯୫
ଯେ ମନୁକାଳେ ଯେବା କର୍ମ । ଯୁଗ ସ୍ୱଭାବେ ଯଥା ଧର୍ମ । ।୯୬
ବିଷ୍ଣୁର ଆଜ୍ଞା ପରମାଣେ । ଯେବା ସାଧିଲେ ଜଣେ ଜଣେ । ।୯୭
ସେ କଥା କହ ମୁନି ମୋତେ । କେ ଅବା କର୍ମ କଲେ କେତେ । ।୯୮
ରାଜାର ତହୁଁ ଏହା ଶୁଣି । ଶୁକ କହନ୍ତି ମନେ ଗୁଣି । ।୯୯

ଶୁକ ଉବାଚ

ଯେ ମନୁ ମନୁର ତନୁଜେ । ଯେ ସପ୍ତଋଷି ସୃଷ୍ଟି-ମାଝେ । ।୧୦୦
ଯେତେ ଏ ଇନ୍ଦ୍ର ଦେବଗଣ । ଏ ସର୍ବରୂପ ନାରାୟଣ । ।୧୦୧
ତା ବିନୁ ଆନ ନାହିଁ କେହି । ସେ ସର୍ବ ଆତ୍ମା ମଧ୍ୟେ ରହି । ।୧୦୨
ଯଜ୍ଞାଦି କ୍ରିୟା ତା ଶରୀର । ସେ ହରି ଧର୍ମ-ନିରାକାର । ।୧୦୩
କଳ୍ପ ଅନ୍ତରେ କାଳବଳେ । ତ୍ରୈଲୋକ୍ୟ ମଜ୍ଜଇ ସଲିଳେ । ।୧୦୪
କାଳ ଗରାସେ ଶ୍ରୁତିପଥ । ତ୍ରୈଲୋକ୍ୟ ଦିଶଇ ଅନାଥ । ।୧୦୫
ଋଷି ସକଳେ ତପୋବଳେ । ଧର୍ମକୁ ଦେଖାନ୍ତି ଶୟଳେ । ।୧୦୬
ଧର୍ମ ପାଳନ୍ତି ମନୁଗଣେ । ଶ୍ରୁତି-ସଂଯୋଗ-ବିଚାରଣେ । ।୧୦୭
ଇନ୍ଦ୍ର ପାଳଇ ତ୍ରିଭୁବନ । ଆଦରି ବିଷ୍ଣୁର ବଚନ । ।୧୦୮
ସେ ହରି ସିଦ୍ଧରୂପ ବହେ । ଯୁଗାନୁକଳ୍ପେ ଜ୍ଞାନ କହେ । ।୧୦୯
ସେ ହରି ପ୍ରଜାପତି ରୂପେ । ସଂସାର-ସର୍ଜନକୁ କଳ୍ପେ । ।୧୧୦
ଆତ୍ମାର ମାୟାଯୋଗ ବଳେ । ନାନା ଶରୀରେ ଏ ଶୟଳେ । ।୧୧୧
ବିହାର କରେ ପଦ୍ମନାଭ । ଯା ନାମ ଭବଜଳେ ନାବ । ।୧୧୨
ଦୃଶ୍ୟ-ଅଦୃଶ୍ୟେ ସେ ନ ମିଶେ । କେବଳ ବୀଜ ରୂପେ ଦିଶେ । ।୧୧୩
କହିଲୁ କଳ୍ପସଂଖ୍ୟା ତୋତେ । ଯେ କଳ୍ପେ ଭୁଞ୍ଜନ୍ତି ସେ ଯେତେ । ।୧୧୪
ଯେ ଏହା ଶୁଣେ କର୍ଣ୍ଣପଥେ । ନିଶ୍ଚଳ ମନେ ଶୁଦ୍ଧଚିତ୍ତେ । ।୧୧୫
ଚିତ୍ତେ ନ ରହେ ଭବଭ୍ରାନ୍ତି । ଘୋର-ସଂସାରୁ ତରିଯାନ୍ତି । ।୧୧୬
ବୋଲଇ ଦାସ ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ । ।୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମନ୍ୱନ୍ତରାନୁବର୍ଣ୍ଣନଂ ନାମ ତ୍ରୟୋଦଶୋଽଧ୍ୟାୟଃ । ।

ଚଦୁର୍ଦ୍ଦଶ ଅଧ୍ୟାୟ

ଶୁକ ଚରଣ କରେ ଧରି । ବୋଲେ ପରୀକ୍ଷ ଦଣ୍ଡଧାରୀ । ।୧

‘ପରୀକ୍ଷିତ ଉବାଚ

ଭୋ ମୁନି ତୁମ୍ଭ ମୁଖୁଁ ଶୁଣି । ଦୁର୍ଗମ ଅସମ୍ଭବ ବାଣୀ । ।୨
ସଂଶୟ କଲି ମୁହିଁ ଚିତ୍ତେ । ସେ କଥା କହ ମୁନି ମୋତେ । ।୩
ବଳିର ଯଜ୍ଞ ଭଗ୍ନ ଅର୍ଥେ । ବାମନ ଜନ୍ମିଲେ କେମନ୍ତେ । ।୪
କାହାର ତପକର୍ମ ବଳେ । ଜନ୍ମ ଲଭିଲେ କାହା କୋଳେ । ।୫
ଧରଣୀ ତିନିପାଦ ଦାନେ । ବଳିକି ଛଳିଲେ ବାମନେ । ।୬
ସେ ପୂର୍ଣ୍ଣ-ସ୍ୱଭାବେ ଈଶ୍ୱର । ଅଶେଷ ଦ୍ରବ୍ୟେ ଅଧିକାର । ।୭
କୃପଣ ପ୍ରାୟେ ତାକୁ ଧରି । କିମ୍ପା ବାନ୍ଧିଲେ ନରହରି । ।୮
ଏମନ୍ତେ ରାଜା-ବାକ୍ୟ ଶୁଣି । ଶୁକ କହନ୍ତି ମଞ୍ଜୁବାଣୀ । ।୯

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁସୁତ । ଅଦ୍‌ଭୁତ କୃଷ୍ଣର ଚରିତ । ।୧୦
ଯେମନ୍ତେ ବିପ୍ର ରୂପେ ଛଳେ । ବଳିକି ଚାପିଲେ ପାତାଳେ । ।୧୧
ପୂର୍ବେ ଯେ ଦେବାସୁର ରଣେ । ଯୁଦ୍ଧେ ଜିଣିଲେ ଦେବଗଣେ । ।୧୨
ବଳି ସହିତେ ମରିଗଲେ । ଶେଷେ ଦାନବ ଯେତେ ଥିଲେ । ।୧୩
ବଳିର ମୃତ୍ୟୁପିଣ୍ଡ ନେଇ । ପଶ୍ଚିମ-ଗିରିପୃଷ୍ଠେ ଥୋଇ । ।୧୪
ଶୁକ୍ରଙ୍କୁ ଆଣି ଗଉରବେ । ବିଶ୍ୱାସ କହିଲେ ଦାନବେ । ।୧୫
ଅସୁରଙ୍କର ଭାବ ଘେନି । ଶୁକ୍ର ଯେ ମୃତସଞ୍ଜୀବନୀ । ।୧୬
ମନ୍ତ୍ରେ ଜିଆଇଲେ ତକ୍ଷଣେ । ଯେ ଅବା ମରିଥିଲେ ରଣେ । ।୧୭
ସକଳେ ଉଠିଲେ ତକ୍ଷଣେ । ନମିଲେ ଶୁକ୍ରଙ୍କ ଚରଣେ । ।୧୮
ବୋଇଲେ ଶୁକ୍ରମୁଖ ଚାହିଁ । ଅନାଥ ହୋଇଲୁ ଗୋସାଇଁ । ।୧୯
ଦେବେ ଯେ ଅମୃତ-ଭକ୍ଷଣେ । ଅମର ହୋଇ ଘୋରରଣେ । ।୨୦
ଆମ୍ଭଙ୍କୁ ମାରିଗଲେ ସର୍ବେ । ତୁମ୍ଭେ ଜୀବନ ଦେଲ ଏବେ । ।୨୧
ତୁମ୍ଭେ ଯେ ଆମ୍ଭର ସହାୟ । ଏବେ ହୋ କି କରିବୁ କହ । ।୨୨
ଏମନ୍ତେ ଅସୁରଙ୍କ ବାକ୍ୟେ । ଶୁକ୍ର ଚିନ୍ତିଲେ ବସି ଏକେ । ।୨୩
ବିଚାର କରି ଶୁଦ୍ଧଚିତ୍ତେ । କହନ୍ତି ବଳିର ଅଗ୍ରତେ । ।୨୪
ତୁ ମହାଯଜ୍ଞ ବେଗେ କର । ଯେମନ୍ତେ ଜିଣିବୁ ଅମର । ।୨୫
ଏମନ୍ତେ ଗୁରୁବାକ୍ୟ ଶୁଣି । ବଳି ଯଜ୍ଞର ବିଧି ଆଣି । ।୨୬
ଋତ୍ୱିଜ ଆଣି ଜଣେ ଜଣେ । ବରିଲା ଯଜ୍ଞର କାରଣେ । ।୨୭
ତ୍ରିପୁର ଜୟ ନାମ କ୍ରତୁ । କଲା ଅମର ଜୟ ହେତୁ । ।୨୮
ବ୍ରାହ୍ମଣେ ମିଳି ବେଦବାକ୍ୟେ । ମାର୍ଜନ କଲେ ଏକେ ଏକେ । ।୨୯
ତ୍ରିଲୋକ ମଧ୍ୟେ ରାଜା ଏକ । ଏ ଭାବେ କଲେ ଅଭିଷେକ । ।୩୦
ସୁବର୍ଣ୍ଣ ରଥ ମନ୍ତ୍ରତେଜେ । ବାହାର ହେଲା ଅଗ୍ନି ମାଝେ । ।୩୧
ହରିତବର୍ଣ୍ଣ ଅଶ୍ୱଜ୍ୟୋତି । ଯେସନେ ରବିରଥ-ଗତି । ।୩୨
ଗଗନ ମାର୍ଗେ ରଥ ସାଜେ । ସୁବର୍ଣ୍ଣ-ସିଂହ ଥାଇ ଧ୍ୱଜେ । ।୩୩
ହେମ ନିର୍ମିତ ଧନୁ ତୂଣେ । ଅଭେଦ କବଚ ଭୂଷଣେ । ।୩୪
ଅମ୍ଳାନ-ପଦ୍ମମାଳା ପୁଣି । ଗଳେ ପ୍ରହ୍ଲାଦ ଦେଲା ଆଣି । ।୩୫
ଭୃଗୁ ଯେ ଶଙ୍ଖ ଦେଲେ କରେ । ଯେ ନାଦେ ତ୍ରିଭୁବନ ପୂରେ । ।୩୬
ବିପ୍ରେ ଆଶିଷ ମନ୍ତ୍ରବଳେ । ସ୍ୱସ୍ତିବାଚନ ସୁମଙ୍ଗଳେ । ।୩୭
ବିପ୍ରଙ୍କୁ ପ୍ରଦକ୍ଷିଣ କରି । ରୋମାଞ୍ଚ-ଗାତ୍ରେ ମୋଦଭରି । ।୩୮
ପ୍ରହ୍ଲାଦ ପାଦେ ପ୍ରଣମିତ । ବଳି ଆରୋହି ଦିବ୍ୟରଥ । ।୩୯
ମାଳା କବଚ କଳେବରେ । ଧନୁ ଖଡ଼ଗ ଶୋହେ କରେ । ।୪୦
ରତ୍ନ-କେୟୂର ବାହୁମୂଳେ । ବିରାଜେ ମୁକୁଟ କୁଣ୍ଡଳେ । ।୪୧
ସେ ବଳି ରଥ ମଧ୍ୟେ ବସି । ଅନଳ ତେଜ ପ୍ରାୟ ଦିଶି । ।୪୨
ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେ । ଅସୁରବଳ ମଧ୍ୟେ ରାଜେ । ।୪୩
ଏମନ୍ତ ଦୈତ୍ୟବଳ ଘେନି । ଚଳନ୍ତେ କମ୍ପଇ ମେଦିନୀ । ।୪୪
ସକଳେ ହୋଇ ଏକମନ । ଦିଶେ କି ପିଇବେ ଗଗନ । ।୪୫
ଅସୁରସେନା ରଥେ ବସି । ଧାଇଁଲେ ଗଗନ ଗରାସି । ।୪୬
ଚଳନ୍ତେ କମ୍ପେ ଦଶଦିଶ । କେ ସହୁ ଅସୁରଙ୍କ ତ୍ରାସ । ।୪୭
ମିଳିଲେ ଇନ୍ଦ୍ରର ଭୁବନେ । ସକଳେ ବିଧିର ବିଧାନେ । ।୪୮
ନନ୍ଦନବନେ ପନ୍ତିପନ୍ତି । କଳ୍ପ-ପାଦପେ ବିରାଜନ୍ତି । ।୪୯
ବିହଙ୍ଗ-ମିଥୁନେ ନାଚନ୍ତି । ମତ୍ତକୋକିଳେ ରାବ ଦ୍ୟନ୍ତି । ।୫୦
ହଂସ ସାରସ ଚକ୍ରବାକ । କାରଣ୍ଡବ ଆଦି ଡାହୁକ । ।୫୧
ପଲ୍ଲବ-ଫଳ-ପୁଷ୍ପଭରେ । ପାଦପେ ଲୋଟନ୍ତି ଭୂମିରେ । ।୫୨
ନଳିନୀବନ ମନୋହର । ସୁରକାମିନୀ କ୍ରୀଡ଼ାଘର । ।୫୩
ସୁସଞ୍ଚ ପରିଖା ଯେସନ । ଆକାଶ ଗଙ୍ଗାରେ ଭୂଷଣ । ।୫୪
ପାଚେରୀ ଦିଶେ ଅଗ୍ନିବର୍ଣ୍ଣ । ଅଟ୍ଟାଳୀ ଭେଦିଛି ଗଗନ । ।୫୫
ଦ୍ୱାରେ କବାଟ ହେମମୟେ । ଦେଖନ୍ତା ପ୍ରାଣୀ ମନ ମୋହେ । ।୫୬
ସ୍ପଟିକମୟ ପୁରଦ୍ୱାର । ଯେହ୍ନେ ବିରାଜେ ନିଶାକର । ।୫୭
କେ କହୁ ରୂପରାଶି ସୀମା । ଯାହା ଗଢ଼ିଲା ବିଶ୍ୱକର୍ମା । ।୫୮
ସଭା ଚତ୍ୱର ପଥ ଶୋହେ । ତପସ୍ୱୀଜନ ମନ ମୋହେ । ।୫୯
ଅପୂର୍ବ-ବିମାନ ସମୂହେ । ମଣି ନିର୍ମିତ ଝରା ଶୋହେ । ।୬୦
ପ୍ରବାଳ-ବେଦିକା ବିରାଜେ । ମଣି ଶୋଭିତ ମହାତେଜେ । ।୬୧
ଦିବ୍ୟ କାମିନୀଗଣ ଯହିଁ । ନବବୟସୀ ରୂପ ବହି । ।୬୨
ଶ୍ୟାମ-ବିରଜ-ବସ୍ତ୍ର-ଯୁତ । ଯହିଁ ଚଳନ୍ତି ଯୂଥ ଯୂଥ । ।୬୩
ଶୋଭା ଦିଶନ୍ତି ନାନାବର୍ଣ୍ଣେ । ପ୍ରଦୀପ-ଶିଖା-ଅଗ୍ନି ଯେହ୍ନେ । ।୬୪
କବରୀବନ୍ଧେ ଭୃଙ୍ଗମାଳା । ଅମର-ପ୍ରସୂନ ମେଖଳା । ।୬୫
ନାନାସୁଗନ୍ଧ ଲେପ ଦେହେ । ପ୍ରମୋଦ ମୋଦବାୟୁ ବହେ । ।୬୬
ସୁବର୍ଣ୍ଣକାନ୍ଥେ ଜଳାରନ୍ଧ୍ରେ । ମୋହେ ଅଗୁରୁ ଧୂପ ଗନ୍ଧେ । ।୬୭
ମାର୍ଗେ ସୁଗନ୍ଧ ଧୂପ ଧୂଆଁ । ମଧ୍ୟେ ଚଳନ୍ତି ସୁରପ୍ରିୟା । ।୬୮
ପାଣ୍ଡୁର ଦିଶେ ପନ୍ତିପନ୍ତି । ଧୂମମଣ୍ଡଳ ସଞ୍ଚରନ୍ତି । ।୬୯
ମଣ୍ଡିମଣ୍ଡିତ ହେମକାନ୍ଥେ । ଛାୟା ଦିଶନ୍ତି ମାର୍ଗେ ଯାନ୍ତେ । ।୭୦
ଜଗତୀ ଅଟ୍ଟାଳୀ ସୁସଞ୍ଚେ । ପତାକା ଶୋହେ ଅତି ଉଚ୍ଚେ । ।୭୧
ମୟୂର ପାରାବତ ନାଦେ । ସଙ୍ଗୀତ ମଙ୍ଗଳ ଶବଦେ । ।୭୨
ମୃଦଙ୍ଗ ଶଙ୍ଖ ଭେରୀ ନାଦ । ତାଳ ମୁରଲୀ ବୀଣାବାଦ୍ୟ । ।୭୩
ତାଣ୍ଡବେ ନାନା ବାଦ୍ୟ ଶୋହେ । ଗୀତ-ପ୍ରବନ୍ଧେ ମନମୋହେ । ।୭୪
ଯେ ପୁର ଭୋଗେ ତପଦାହି । ପାପିଷ୍ଠେ ନ ପାରନ୍ତି ଯାଇ । ।୭୫
ଭୂତ-ସନ୍ତାପୀ ଖଳ ଜନେ । ସୁଜନେ ପୀଡ଼ନ୍ତି ଅଜ୍ଞାନେ । ।୭୬
ଶଠ ହୃଦୟ କାମୀ ଲୋଭୀ । ଯେ ଚିତ୍ତେ ପରହିଂସା ଭାବି । ।୭୭
ସେ କାହିଁ ଯିବେ ସେ ଭୁବନେ । ଯାହା ଚିନ୍ତନ୍ତି ଯୋଗୀଜନେ । ।୭୮
ଏମନ୍ତ ପୁରେ ରାତ୍ରକାଳେ । ବଳି ମିଳିଲା ବାହୁବଳେ । ।୭୯
ବେଗେ ରୁନ୍ଧିଲା ଅଷ୍ଟଦିଗ । କେ ସହୁ ଅସୁରଙ୍କ ବେଗ । ।୮୦
ଭୂମି-ଗଗନ-ଅନ୍ତରାଳେ । ବାକ୍ୟ ନ ଶୁଭଇ ଚହଳେ । ।୮୧
ଶୁକ୍ରର ଶଙ୍ଖ କରେ ଘେନି । ବଳି କରଇ ଘୋର ଧ୍ୱନି । ।୮୨
ଶବଦେ ଭୁବନ କମ୍ପିଲା । ସେ ରବେ ଇନ୍ଦ୍ର ଭୟ କଲା । ।୮୩
ବଳି-ଉଦ୍ୟମ ଇନ୍ଦ୍ର ଶୁଣି । ସଭୟ ଚିତ୍ତେ ମନେ ଗୁଣି । ।୮୪
ବିଚାର କଲା ଗୁରୁମେଳେ । କେମନ୍ତେ ରହିବି ନିଶ୍ଚଳେ । ।୮୫
ଅସୁରେ ଅମୃତ ନ ପାଇ । ସମରେ ମଲେ ରୋଷ ବହି । ।୮୬
ଶୁକ୍ରର ମୃତ୍ୟୁସଞ୍ଜୀବନେ । ପ୍ରାଣ ପାଇଲେ ଯାତୁଧାନେ । ।୮୭
କିବା ଉଦ୍ୟମ ପରିମାଣି । ଅଇଲେ ଆମ୍ଭେ ତ ନ ଜାଣି । ।୮୮
ଭୋ ଗୁରୁ ନମୁଁ ତୋର ପାୟେ । ସ୍ୱର୍ଗେ କେମନ୍ତେ ଥିବୁ ଭୟେ । ।୮୯
କହ କି କରିବୁ ଉପାୟେ । ଯାବତ ରଜନୀ ନ ପାହେ । ।୯୦
ଦେଖ ଏହାର ତେଜରାଶି । ଅଗ୍ନିର ଶିଖାପ୍ରାୟ ଦିଶି । ।୯୧
ମୁଖେ କି ଆକାଶ ପିଇବ । ତ୍ରିଦଶେ ଜିହ୍ୱାରେ ଲେହିବ । ।୯୨
ଇନ୍ଦ୍ରର ବାକ୍ୟେ ବୃହସ୍ପତି । ଇନ୍ଦ୍ରକୁଶଳ ମନେ ଚିନ୍ତି । ।୯୩
ବୋଲନ୍ତି ଶୁଣ ସୁରପତି । ତୁ ବେଗେ ଛାଡ଼ ବାରସ୍ପତି । ।୯୪
ଶୁକ୍ର ଯେ ଅସୁରଙ୍କୁ ତାରି । ଚିତ୍ତେ ପ୍ରତିଜ୍ଞା ଅଛି କରି । ।୯୫
ସଙ୍କଳ୍ପ କରି ପୁରୋହିତେ । ଯଜ୍ଞ-କଳ୍ପିଲା ଇନ୍ଦ୍ର-ଜିତେ । ।୯୬
ତାହାର ମନ୍ତ୍ରବଳ-ତେଜେ । ତୁ କାହିଁ ଥିବୁ ଦେବରାଜ୍ୟେ । ।୯୭
ଜୀବନେ ଯେବେ ଅଛି କାର୍ଯ୍ୟ । ବେଗେ ଅମରାବତୀ ତେଜ । ।୯୮
ମୁଁ ଏହା ଜାଣେ ଯୋଗଧ୍ୟାନେ । ବଳି ଯେ ଶୁକ୍ରର ବଚନେ । ।୯୯
ଘୋରସମରେ ତୋତେ ଜିଣି । ତିନିଭୁବନେ ବୀରମଣି । ।୧୦୦
ରାଜା ହୋଇବ ଯଜ୍ଞବଳେ । ତୁ ଏବେ ରହ ଯା ନିରୋଳେ । ।୧୦୧
ହରିଙ୍କି ପଶ ଯା ଶରଣ । ତୋତେ ରଖିବେ ନାରାୟଣ । ।୧୦୨
କାଳର ବଶେ ବଞ୍ଚ ଏବେ । ଚିନ୍ତି ଶ୍ରୀହରିପାଦ ଭାବେ । ।୧୦୩
ଯାବତ ବଳି ତେଜ ନାଶେ । ତାବତ ରହ ବନବାସେ । ।୧୦୪
ଦୁର୍ଗମେ କାମରୂପେ ଚର । ଯହିଁ ପର୍ବତ ବନଘୋର । ।୧୦୫
ଏମନ୍ତ ଗୁରୁବାକ୍ୟ ଶୁଣି । ଅମୃତ ପ୍ରାୟ ଚିତ୍ତେ ମଣି । ।୧୦୬
ମିଳି ସକଳ ଦେବଗଣେ । ଭୟେ ପଶିଲେ ଘୋରବନେ । ।୧୦୭
ଏମନ୍ତେ ରଜନୀ ପ୍ରଭାତେ । ବଳି ଅସୁରଙ୍କ ସମେତେ । ।୧୦୮
ବସିଲା ଇନ୍ଦ୍ରର ଆସନେ । ଭୃଗୁବଚନେ ତୋଷମନେ । ।୧୦୯
ଇନ୍ଦ୍ରଆସନେ ବସି ତୋଷେ । ତ୍ରିଲୋକ କଲା ଆତ୍ମବଶେ । ।୧୧୦
ଶତାଶ୍ୱମେଧ ଯାଗ ଫଳେ । ସଂସାରେ ଯଶ ଲଭେ ହେଳେ । ।୧୧୧
ସୁଜନେ ଏଣେ କର ମତି । ତରିବ ବିଷୟ ଦୁର୍ଗତି । ।୧୧୨
ମନ ନିବେଶ ହରିପାଦେ । ମାୟା ତରିବ ଅପ୍ରମାଦେ । ।୧୧୩
ମନବଚନେ ଭାବ ଏବେ । ତରିବ ବିଷ୍ଣୁମାୟା ଯେବେ । ।୧୧୪
ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ । ।୧୧୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବଳିରାଜା ସ୍ୱର୍ଗବିଜୟେ ନାମ ଚତୁŸର୍ଶୋଽଧ୍ୟାୟଃ । ।

ପଞ୍ଚଦଶ ଅଧ୍ୟାୟ

କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ । ।୧

ଶୁକ ଉବାଚ

ଏମନ୍ତେ ପୁତ୍ରଙ୍କର ରିଷ୍ଟ । ସେ ଦେବମାତା ମନେ କଷ୍ଟ । ।୨
ଇନ୍ଦ୍ରର ଇନ୍ଦ୍ରପଣ ଗଲା । ଗିରି-ଦୁର୍ଗମେ ଆଶ୍ରେ କଲା । ।୩
ଦେବେ ଲୁଚିଲେ ଘୋରବନେ । ଶୁଣି ଅଦିତି ଦୁଃଖ ମନେ । ।୪
ରାତ୍ର-ଦିବସ ନ ଜାଣଇ । ନିରତେ ଥାଏ ଗୃହେ ଶୋଇ । ।୫
ତାର ଭୁବନେ ଏକବେଳେ । କଶ୍ୟପ ଋଷି ବିଜେ କଲେ । ।୬
ଅଦିତି ଶୟନ ସମୀପେ । କଶ୍ୟପ ବସି ମନସ୍ତାପେ । ।୭
ଦେଖିଲେ ଅଦିତିଭୁବନ । ଅଷ୍ଟସମ୍ପଦ ଅତିହୀନ । ।୮
ଉତ୍ସବ ଆନନ୍ଦ ନ ଦିଶେ । ଆଦିତ୍ୟ ଯେହ୍ନେ ଧୂମତ୍ରାସେ । ।୯
ଶୟନ ସେ କୁଶ ଆସନେ । ଚାହିଁଲେ ଅଦିତି ବଦନେ । ।୧୦
ଦେଖିଲେ ମୁଖେ ସୁଖ ନାହିଁ । ଶୋକଆକୁଳେ କମ୍ପେ ଦେହି । ।୧୧
ଶୋକ-କଳୁଷ ଦେଖି ମନ । ବୋଲନ୍ତି ମରୀଚିନନ୍ଦନ । ।୧୨
ଶୁଣ ସୁନ୍ଦରୀ ଶୁଦ୍ଧଚିତ୍ତେ । କହଇ ତୋହର ଅଗ୍ରତେ । ।୧୩
ବ୍ରହ୍ମା ସଞ୍ଚିତ ସୃଷ୍ଟିମଧ୍ୟେ । ବ୍ରାହ୍ମଣେ ବସନ୍ତି ଆନନ୍ଦେ । ।୧୪
ତାହାଙ୍କ ଗୃହେ ଦୁଃଖ ନାହିଁ । ଏବେ ବିପରୀତ ଦେଖଇ । ।୧୫
ଧନସମ୍ପଦ ସୁଖ ନୋହେ । ଶୁଣ ନିଗମ ଯାହା କହେ । ।୧୬
ଅଶେଷ ବିଷ୍ଣୁର ଜଗତ । କର୍ମର ବଳେ ଆତଯାତ । ।୧୭
ଶୁଭ-ଅଶୁଭ ଭାବବଳେ । କାଳ କ୍ରୀଡ଼ଇ ଅନ୍ତରାଳେ । ।୧୮
କାଳର ବଶ ଏ ସଂସାର । କେ ଭୃତ୍ୟ କେ ଅବା ଈଶ୍ୱର । ।୧୯
ଭୋଗ ସମ୍ପଦ ଅର୍ଥ ଗୃହେ । ପ୍ରାଣୀ ସାଧନ୍ତି ଅତି ମୋହେ । ।୨୦
ଏ ଭାବେ ସଂସାର ରଚିତ । କିବା ହୋଇଲା ଆଚମ୍ବିତ । ।୨୧
ବିପ୍ର ଅତିଥି କିବା ଘରେ । କୁଟୁମ୍ବ ଭରଣ ବେଭାରେ । ।୨୨
ପୂଜା ନ ପାଇ ଏ ଭୁବନେ । କି ଅବା ଗଲେ ଦୁଃଖମନେ । ।୨୩
ଯା ପୁରୁ ଅତିଥି ବାହୁଡ଼େ । ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ । ।୨୪
ତାର ସଞ୍ଚଲା ପୁଣ୍ୟ ଯେତେ । ଗମନ୍ତି ଅତିଥି ସଙ୍ଗତେ । ।୨୫
ଅଗ୍ନିରେ ଯଥାକାଳେ ହବି । ନ ଦେଇ ହୁଅ ପରାଭବୀ । ।୨୬
ମୋର ପ୍ରବାସେ ତୋର ଚିତ୍ତ । କିବା ହୋଇଲା ମୋହଗତ । ।୨୭
ଅଗ୍ନି-ପୂଜନେ ଶୁଦ୍ଧମନେ । ସେ କାମଧେନୁ ଯଜମାନେ । ।୨୮
ସମ୍ପଦ ବିପ୍ରଜନେ ଦ୍ୟନ୍ତି । ଦେବେ ଯେ କଲ୍ୟାଣ ବାଞ୍ଛନ୍ତି । ।୨୯
ବିପ୍ର ଅଗ୍ନିକି ନ ପୂଜିଲେ । କଲ୍ୟାଣ ଲଭେ କାହିଁ ଭଲେ । ।୩୦
ହରିଙ୍କି କାହିଁ ସେ ପାଇବ । ଯାକୁ ନ ପାନ୍ତି ବ୍ରହ୍ମାଶିବ । ।୩୧
ଉଭୟ ଲୋକେ ନାହିଁ ସୁଖ । ସର୍ବଦା ଲଭନ୍ତି ବିମୁଖ । ।୩୨
ତୋର ତନୁଜ ଦେବତାଏ । ସ୍ୱର୍ଗେ ଅଛନ୍ତି ନା ନିର୍ଭୟେ । ।୩୩
ଇନ୍ଦ୍ରର କୁଶଳ ନ ଦେଖି । କିବା ହୋଇଛୁ ମନେ ଦୁଃଖୀ । ।୩୪
ଏମନ୍ତ ସ୍ୱାମୀବାକ୍ୟ ଶୁଣି । କହଇ ଦକ୍ଷର ଦୁଲଣୀ । ।୩୫

ଅଦିତି ଉବାଚ

ଗୋରୁ-ବ୍ରାହ୍ମଣ-ସୃଷ୍ଟିଲୋକେ । ଏ ସର୍ବେ ଛନ୍ତି ନାନାସୁଖେ । ।୩୬
ଧର୍ମ ହିଁ ଅଛି ମୋର ପୁରେ । ଆଗମ ନିଗମ ବେଭାରେ । ।୩୭
ତ୍ରିବର୍ଗ ମୋହର ଭୁବନେ । କେବେହେଁ ନ ତୁଟଇ ଦିନେ । ।୩୮
ଅଗ୍ନି-ଅତିଥି ମୋର ଗୃହେ । ନିରାଶ ନୁହଁନ୍ତି କେବେହେଁ । ।୩୯
ସକଳ ଶୁଭ ତୁମ୍ଭ ବଳେ । ଯେ ଯାହା କର୍ମର କୁଶଳେ । ।୪୦
ତୁମ୍ଭେ କହିଲ ଯେତେ ଧର୍ମ । ଗୃହସ୍ଥ ସ୍ୱଭାବେ ଯେ କର୍ମ । ।୪୧
ସର୍ବସମ୍ପଦେ ମୋର ଚିତ୍ତ । କେବେହେଁ ନୁହଁଇ ମୋହିତ । ।୪୨
ତୁମ୍ଭେ ଯେ ଦେବଙ୍କ କୁଶଳେ । ନିରତେ ଭଜ ଯୋଗବଳେ । ।୪୩
ଏ ସୃଷ୍ଟିମଧ୍ୟେ ଯେତେ ଜନ । ସକଳେ ତ୍ରିଗୁଣେ ବନ୍ଧନ । ।୪୪
ଅର୍ଜିଲା କର୍ମର ଆୟତ୍ତେ । ଜନ୍ତୁ ସଞ୍ଚରନ୍ତି ଜଗତେ । ।୪୫
ତଥାପି ଭକ୍ତକୁ ଭଜନ୍ତି । ବ୍ରହ୍ମା ଶଙ୍କର ଲକ୍ଷ୍ମୀପତି । ।୪୬
ଶୁଣ ହେ ସ୍ୱାମୀ ବ୍ରହ୍ମାସୁତ । ତୁମ୍ଭ ପ୍ରସାଦେ ମୋର ଚିତ୍ତ । ।୪୭
ଦୁର୍ଲ୍ଲଭ ଚତୁର୍ବର୍ଗ ନୋହେ । ସେବକୀ ପଣେ ତୁମ୍ଭ ଗୃହେ । ।୪୮
ତୁମ୍ଭର ଚିତ୍ତ ପ୍ରଜାହିତେ । ଯେ ଧର୍ମ କହ ମୋ ଅଗ୍ରତେ । ।୪୯
ତୁମ୍ଭର ପୁତ୍ର ଦୁଇମତେ । ଦେବ-ଅସୁର ଏ ଜଗତେ । ।୫୦
ଏହାଙ୍କ ଭଲ ତୁମ୍ଭେ ଇଚ୍ଛ । ଏହା ମୁଁ ଦେଖଇ ପ୍ରତ୍ୟକ୍ଷ । ।୫୧
ମୋ ପୁତ୍ରେ ସତ୍ତ୍ୱଗୁଣେ ଥାନ୍ତି । ଅସୁରେ ରଜ-ତମ ଚିନ୍ତି । ।୫୨
ପୀଡ଼ା କରନ୍ତି ସାଧୁଜନେ । ଧର୍ମ ରଖନ୍ତି ମୋ ନନ୍ଦନେ । ।୫୩
ମୋ ସୁତେ ଅସୁରଙ୍କ ଡରେ । ଲୁଚିଲେ ବନ-ଗିରି ଘୋରେ । ।୫୪
ଇନ୍ଦ୍ରକୁ ନ ଦେଖି ମୋ ମନ । ନିରତେ ହୁଏ ଛନଛନ । ।୫୫
କହ କି କରିବି ଉପାୟେ । କେମନ୍ତେ ଇନ୍ଦ୍ର ସ୍ୱର୍ଗେ ରହେ । ।୫୬
ମୋର ସପତ୍ନୀପୁତ୍ର ବଳେ । ବିଚାର କରି ଗୁରୁମେଳେ । ।୫୭
ଶୁକ୍ରର ମନ୍ତ୍ରବଳ-ତେଜେ । ବଳି ବସିଲା ସ୍ୱର୍ଗରାଜ୍ୟେ । ।୫୮
ମିଳିଲେ ଅନେକ ଦାନବ । ହରିଲେ ଇନ୍ଦ୍ରର ବିଭବ । ।୫୯
ସେ ଏବେ ହୋଇ ସ୍ଥାନଭ୍ରଷ୍ଟ । ଅନେକ ପାଉଅଛି କଷ୍ଟ । ।୬୦
ମୋ ତହୁଁ ଦୁଃଖୀ କେ ଶୟଳେ । କହିଲି ତୁମ୍ଭ ପାଦତଳେ । ।୬୧
ତୋର କୁମରେ ଭଲେ ଥିବେ । ମୋ ପୁତ୍ରେ ସ୍ୱସ୍ଥାନେ ରହିବେ । ।୬୨
ଏମନ୍ତ ଆଜ୍ଞା ମୋତେ କର । ତୁମ୍ଭେ ତ ବୁଦ୍ଧିରେ ଈଶ୍ୱର । ।୬୩
ଏମନ୍ତ ଅଦିତି ବଚନେ । କଶ୍ୟପ ବିଚାରନ୍ତି ମନେ । ।୬୪
ଦେଖ ଏ ବିଷ୍ଣୁମାୟା ବଳେ । ଜୀବର ବନ୍ଧନ ଶୟଳେ । ।୬୫
ପଞ୍ଚଭୌତିକ ଏ ଶରୀର । ଆତ୍ମା ନିର୍ଲେପ ନିରାକାର । ।୬୬
ଶରୀର ପତ୍ନୀ ପୁତ୍ର ଆଦି । ଏ ବିଷ୍ଣୁ ମାୟାରେ ସମ୍ପାଦି । ।୬୭
କେ ଏହା ଅନ୍ୟଥା କରିବ । ବ୍ରହ୍ମା ଶଙ୍କର ବାସୁଦେବ । ।୬୮
ପତ୍ନୀର ବଚନ ପ୍ରଶଂସି । କହନ୍ତି ପ୍ରଜାପତି ହସି । ।୬୯
ତୁ ଏବେ ମୋର ବୋଲ କର । ହରି ଚରଣ ମନେ ଧର । ।୭୦
ସେ ହରି ତୋର ମନଦୁଃଖ । ନିବାରି ଦେବେ ସ୍ୱର୍ଗସୁଖ । ।୭୧
ଆରତ ଜନ-ବନ୍ଧୁ ହରି । ସେ ପାରେ ଆରତ ନିବାରି । ।୭୨
ଯାର ଚରଣ ଆଶ୍ରେ କଲେ । ସଙ୍କଟୁ ତରେ ପ୍ରାଣୀ ଭଲେ । ।୭୩
ତାର ଚରଣେ ସେବା କର । ନିର୍ଭୟେ ମନଦୁଃଖୁଁ ତର । ।୭୪
କଶ୍ୟପ ମୁଖୁଁ ଏହା ଶୁଣି । ଅଦିତି କହେ ଯୋଡ଼ି ପାଣି । ।୭୫

ଅଦିତି ଉବାଚ

ଭୋ ନାଥ କହ ବୁଦ୍ଧି ମୋତେ । ହରିଙ୍କି ସେବିବି କେମନ୍ତେ । ।୭୬
ଯେମନ୍ତେ ମୋର ମନୋରଥ । ସଫଳ କରେ ଜଗନ୍ନାଥ । ।୭୭
ପୁତ୍ର ବସିଣ ଇନ୍ଦ୍ରପଦେ । ଭୋ ନାଥ ନମେ ତୋର ପାଦେ । ।୭୮
ଏମନ୍ତେ ପତ୍ନୀ-ବାକ୍ୟ ଶୁଣି । ବ୍ରହ୍ମାନନ୍ଦନ ମନେ ଗୁଣି । ।୭୯

କଶ୍ୟପ ଉବାଚ

ବୋଲନ୍ତି ଶୁଣ ମୋ ଘରଣୀ । ହରିତୋଷଣ ସେବାବାଣୀ । ।୮୦
ଯେ ବ୍ରତେ ପ୍ରଭୁ ହୃଷୀକେଶ । ତୋହର ଉଦରେ ପ୍ରବେଶ । ।୮୧
ସେ ବିଷ୍ଣୁ ଦ୍ୱିଜ ଖର୍ବ ରୂପେ । ବଳିକି ଛଳି ଦାନକଳ୍ପେ । ।୮୨
ତୋର ପୁତ୍ରକୁ ସେ ରଖିବ । ତୁ ଏବେ ହରି ପାଦେ ସେବ । ।୮୩
ହରିତୋଷଣ ବ୍ରତ କର । ଏ ଦୁଃଖସାଗରୁ ନିସ୍ତର । ।୮୪
ଶୁଣ କହିବା ବେଦମତେ । ଏ ବ୍ରତ କରିବୁ ଯେମନ୍ତେ । ।୮୫
ଫାଲ୍‌ଗୁନ-ଶୁକ୍ଳପକ୍ଷ-ଯୁତେ । ଦ୍ୱାଦଶଦିନ ପୟେ ବ୍ରତେ । ।୮୬
ଅର୍ଚ୍ଚନ କରି ଭକ୍ତିବଳେ । ଶ୍ରୀକୃଷ୍ଣ ଚରଣ କମଳେ । ।୮୭
ସେବା କରିବ ଯେବାମତେ । ଶୁଣ କହିବା କଳ୍ପ ତୋତେ । ।୮୮
ପ୍ରାତହୁଁ ଅମାବାସ୍ୟା ଦିନ । ମନ୍ଦିରୁ ଗମିବ ବହନ । ।୮୯
ବରାହ ଦନ୍ତ ଖାତେ ଯାଇ । ମୃତ୍ତିକା ବାମ ହସ୍ତେ ଲଇଁ । ।୯୦
ଶୁଣ ମନ୍ତ୍ରିବ ଯେଉଁ ମନ୍ତ୍ରେ । ଅଙ୍ଗେ ଘେନିବ ଯେବା ତନ୍ତ୍ରେ । ।୯୧
ଭୋ ଦେବି ତୁ ଯେ ଅନ୍ତଃକାଳେ । ନିମଗ୍ନେ ଥିଲୁ ମହାଜଳେ । ।୯୨
ପାତାଳ-ଜଳ-ପଙ୍କେ ଥିଲୁ । ବରାହ-ଦଶନେ ଉଠିଲୁ । ।୯୩
ବରାହ-ଦନ୍ତ-ଅଗ୍ରବାସୀ । ତୁ ମୋର ହର ପାପରାଶି । ।୯୪
ଏମନ୍ତେ ମୃତ୍ତିକା ମନ୍ତ୍ରିବ । ଶରୀର- ସର୍ବାଙ୍ଗେ ଲେପିବ । ।୯୫
ସ୍ନାନ କରିବ ପ୍ରାତଃକାଳେ । ସୂର୍ଯ୍ୟ-ଉଦୟେ ଶୁଦ୍ଧଜଳେ । ।୯୬
ମାର୍ଜନା ସାରି ଶୁଦ୍ଧଗାତ୍ରେ । ସଂଯମ ଆତ୍ମା ଶୁଦ୍ଧଚିତ୍ତେ । ।୯୭
ମୂର୍ତ୍ତିରେ ଅଥବା ଅନଳେ । ସ୍ଥଣ୍ଡିଳେ ଆଦିତ୍ୟମଣ୍ଡଳେ । ।୯୮
ଜଳେ ଅଥବା ଗୋରୁଗାତ୍ରେ । ଅର୍ଚ୍ଚନା କରିବ ଏ ମତେ । ।୯୯
ଏମନ୍ତେ ପୂଜାସ୍ଥାନେ ଚିନ୍ତି । ଶୁଣ କରିବ ଯେବା ସ୍ତୁତି । ।୧୦୦
ନମସ୍ତେ ପ୍ରଭୁ ଭଗବାନ । ମହାପୁରୁଷ ଶୁଦ୍ଧଧାମ । ।୧୦୧
ହେ ଭଗବତ ନମସ୍ତୁତେ । ସାକ୍ଷୀ ସ୍ୱରୂପ ଏ ଜଗତେ । ।୧୦୨
ସକଳ-ଭୂତର ନିବାସ । ନମସ୍ତେ ପ୍ରଧାନ ପୁରୁଷ । ।୧୦୩
ଚତୁର୍ବିଂଶତି-ଗୁଣ-ଜ୍ଞାତା । ଗୁଣ ସଂଖ୍ୟାନେ ହେତୁ କର୍ତ୍ତା । ।୧୦୪
ଦ୍ୱିଶିର ତ୍ରିରଚରଣ ତୁହି । ଚରଇ ଶୃଙ୍ଗ ତନ୍ତୁ ଦେହୀ । ।୧୦୫
ସପତହସ୍ତ ଯଜ୍ଞରୂପୀ । ଆତ୍ମା ତୋ ତିନିବେଦ ବ୍ୟାପୀ । ।୧୦୬
ନମସ୍ତେ ଶିବ-ରୁଦ୍ରବର । ନମସ୍ତେ ସର୍ବ-ଶକ୍ତିଧର । ।୧୦୭
ସକଳ ବିଦ୍ୟା ଅଧିପତି । ସର୍ବଭୂତଙ୍କ ଆତ୍ମାଗତି । ।୧୦୮
ହିରଣ୍ୟଗର୍ଭ ନମୋନମ । ଜଗତ-ପ୍ରାଣ ଆତ୍ମାରାମ । ।୧୦୯
ଯୋଗ-ଐଶ୍ୱର୍ଯ୍ୟ ଯା ଶରୀର । ଯୋଗର ହେତୁ ଯୋଗେଶ୍ୱର । ।୧୧୦
ନମସ୍ତେ ଆଦିଦେବଦେବ । ନମସ୍ତେ ସଂସାର-ପ୍ରଭବ । ।୧୧୧
ନମସ୍ତେ ନର-ନାରାୟଣ । ନମସ୍ତେ ପରମ-କଲ୍ୟାଣ । ।୧୧୨
ନମୋ ମର୍କତ-ଶ୍ୟାମ-ଦେହ । ନମସ୍ତେ କମଳା-ଆଶ୍ରୟ । ।୧୧୩
ନମୋ ଗୋବିନ୍ଦ ପୀତବାସ । ନମସ୍ତେ ଭକତ-ବିଶ୍ୱାସ । ।୧୧୪
ନମସ୍ତେ ସର୍ବବରଦାତା । ନମସ୍ତେ ସର୍ବ ମାତାପିତା । ।୧୧୫
ଶରଣ ଜନେ ରକ୍ଷାକରୁ । ନମୋ ଭକତ-କଳ୍ପତରୁ । ।୧୧୬
ତୋ ପାଦରେଣୁ ଧରି ଶିରେ । ମୋକ୍ଷ-ସାଧନ ଯୋଗବଳେ । ।୧୧୭
ଯେ ପାଦପଦ୍ମେ ଭକ୍ତ ସେବେ । ଭାବେ ଖଟନ୍ତି ଦେବୀଦେବେ । ।୧୧୮
ତୋ ପାଦସରୋଜ-ସୁବାସେ । ଅଶେଷ-ଭବଭୟ ନାଶେ । ।୧୧୯
ଏମନ୍ତେ ଆବାହନ କରି । ନିଶ୍ଚଳଚିତ୍ତେ ଭାବଭରି । ।୧୨୦
ଏମନ୍ତେ ପାଦ୍ୟ ଅର୍ଘ୍ୟ ଆଦି । ଶ୍ରଦ୍ଧା-ଭକତିରେ ନିବେଦି । ।୧୨୧
ଅର୍ଚ୍ଚନା କରି ଗନ୍ଧମାଲ୍ୟେ । ପୂଜିବ ଆନନ୍ଦେ ନିଶ୍ଚଳେ । ।୧୨୨
ଉତ୍ତମ ବସ୍ତ୍ର-ଅଳଙ୍କାର । ସୁଗନ୍ଧ-ଧୂପ ମନୋହର । ।୧୨୩
ନୈବେଦ୍ୟ କରି ଷଡ଼ରସେ । ପୂଜିବ ପ୍ରପାନ-ପାୟସେ । ।୧୨୪
ଦଧି-ଶାକର-ମଧୁ-ଘୃତେ । ସୁଶାଳିଅନ୍ନ ଦୁଗ୍ଧଯୁତେ । ।୧୨୫
ନାନା ପ୍ରକାରେ ଭୋଗ ଦେଇ । ହୃଦେ ଭକତିଭାବ ବହି । ।୧୨୬
ଯେ ମନ୍ତ୍ର ଦ୍ୱାଦଶ ଅକ୍ଷର । ଜପିବ ଶହେଆଠ ବାର । ।୧୨୭
ହୋମ କରିବ ହୁତାଶନେ । ଉଚ୍ଚାରି ମୂଳମନ୍ତ୍ର ଧ୍ୟାନେ । ।୧୨୮
ଶ୍ରୋତ୍ରିୟ-ବ୍ରାହ୍ମଣ ବସାଇ । ସୁସ୍ୱାଦୁ ଅନ୍ନ ଭୋଗ ଦେଇ । ।୧୨୯
ବିପ୍ରକୁ ଦେଇ ଆଚମନ । ନିବେଦି ସୁମୁଖବାସନ । ।୧୩୦
ଅତିଥି ଅନ୍ଧ ରଙ୍କୀ ଦୁଃଖୀ । ତାଙ୍କୁ ଭୋଜନେ କରି ସୁଖୀ । ।୧୩୧
ତାହାଙ୍କୁ ଅନ୍ନଦାନ ଦେଇ । ସନ୍ତୋଷ ଚିତ୍ତେ ଆଜ୍ଞା ପାଇ । ।୧୩୨
ଅନ୍ନ ଭୁଞ୍ଜିବ ସାୟଂକାଳେ । ବାଳକ ପାଞ୍ଚ ସାତ ମେଳେ । ।୧୩୩
ରାତ୍ରେ ବଞ୍ଚିବ ବିଷ୍ଣୁଗୀତେ । ସଂଯତ-ବ୍ରହ୍ମଚାରୀ-ବ୍ରତେ । ।୧୩୪
ରାତ୍ର ଅନ୍ତରେ ପ୍ରାତଃକାଳେ । ସ୍ନାନ କରିବ ଶୁଦ୍ଧଜଳେ । ।୧୩୫
ଯଥାର୍ଥ ବିଧି ସମଚିତ୍ତେ । ସୁଗନ୍ଧଜଳ ଦୁଗ୍ଧଯୁତେ । ।୧୩୬
ସ୍ନାନ କରାଇ ଦେବମୂର୍ତ୍ତି । ପୟ-ଭକ୍ଷଣେ ପୟୋବ୍ରତୀ । ।୧୩୭
ପୂର୍ବର ପ୍ରାୟ ହୋମକରି । ବିପ୍ରମାନଙ୍କୁ ଭୋଜ୍ୟେ ବରି । ।୧୩୮
ଦ୍ୱାଦଶ ଦିନ ଏହିମତେ । ବଞ୍ଚିବ ଶୁଚି ପୟୋବ୍ରତେ । ।୧୩୯
ଏମନ୍ତ ହରି-ଆରାଧନେ । ହୋମାଦି ବ୍ରାହ୍ମଣ ଭୋଜନେ । ।୧୪୦
ପ୍ରତୀପଦିନୁ ଏ ଅଭ୍ୟାସି । ଯାବତ-ଶୁକ୍ଳ-ତ୍ରୟୋଦଶୀ । ।୧୪୧
ତ୍ରିକାଳେ କରିବ ସ୍ନାହାନ । ରଜନୀ ଧରଣୀ ଶୟନ । ।୧୪୨
ଅସାଧୁ-ଆଳାପ ତେଜିବ । ନିନ୍ଦିତଭୋଗ ନ କରିବ । ।୧୪୩
ହିଂସା ତେଜିବ ସର୍ବଭୂତେ । ବିଷ୍ଣୁ-ଆଶ୍ରୟ କରି ନିତ୍ୟେ । ।୧୪୪
ଏମନ୍ତେ ତ୍ରୟୋଦଶୀ ଦିନ । ବିଷ୍ଣୁଙ୍କୁ କରାଇ ସ୍ନାହାନ । ।୧୪୫
ଶାସ୍ତ୍ର-ପ୍ରମାଣେ ପଞ୍ଚାମୃତେ । କରିବ ବେଦବିଧି-ମତେ । ।୧୪୬
ପୂଜା କରିବ ଶୁଦ୍ଧଚିତ୍ତେ । ସମ୍ଭାର ଶକ୍ତି-ଅନୁମତେ । ।୧୪୭
ଶ୍ରୀହରି ରୂପ ଧ୍ୟାନେ ଧରି । ଅନଳେ ମନ୍ତ୍ରେ ହୋମ କରି । ।୧୪୮
ପାୟସ ଚରୁ ପଞ୍ଚାମୃତେ । ମନ୍ତ୍ର ଉଚ୍ଚାରି ଶୁଦ୍ଧଚିତ୍ତେ । ।୧୪୯
ନାନା ପ୍ରକାରେ ନଇବେଦ୍ୟ । କଟୁ ମଧୁର ଆଦି ସ୍ୱାଦ । ।୧୫୦
ନିବେଦି ବିଷ୍ଣୁ-ପ୍ରୀତିଅର୍ଥେ । ପୂଜା କରିବ ନାନାମତେ । ।୧୫୧
ଅଗ୍ନିପୂଜନ କର୍ମ ସାରି । ଗୁରୁ-ଆଚାର୍ଯ୍ୟ ପାଦ ଧରି । ।୧୫୨
ଧନ-ବସନ-ଅଳଙ୍କାର । ଯେବା ଦକ୍ଷିଣା ବ୍ରତସାର । ।୧୫୩
ଋତ୍ୱିଜଜନ ମନ ତୋଷି । ଦୁଃଖୀ-ଦରିଦ୍ରଙ୍କୁ ଆଶ୍ୱାସି । ।୧୫୪
ଭୋଜନେ ତୋଷି ସର୍ବପ୍ରାଣୀ । ଯେଣେ ସନ୍ତୋଷ ଚକ୍ରପାଣି । ।୧୫୫
ସକଳ ଜ୍ଞାତି-ବନ୍ଧୁମେଳେ । ଭୋଜନ ସାରି ସାୟଂକାଳେ । ।୧୫୬
ସୁବାଦ୍ୟ-ନୃତ୍ୟ-ଗୀତସ୍ୱରେ । ଉତ୍ସବ କରିବ ମନ୍ଦିରେ । ।୧୫୭
ଏମନ୍ତେ ପୟୋବ୍ରତ କରି । ଯେବା ଜଗତେ ନରନାରୀ । ।୧୫୮
ମନୋବାଞ୍ଛିତ ସେ ଲଭନ୍ତି । ଅନ୍ତେ ବିଷ୍ଣୁମାୟା ତରନ୍ତି । ।୧୫୯
ଏ ବ୍ରତ ବ୍ରହ୍ମାମୁଖୁଁ ପୂର୍ବେ । ମୁହିଁ ଯେ ଶୁଣିଛି ପ୍ରସ୍ତାବେ । ।୧୬୦
ତୁ ଯେଣୁ ମୋହର ଭାବିନୀ । ତେଣୁ କହିଲି ଭାବଘେନି । ।୧୬୧
ଏହା ତୁ ଶୁଦ୍ଧଚିତ୍ତେ ଧର । ଏ ବ୍ରତ ସର୍ବ ଯଜ୍ଞସାର । ।୧୬୨
ହରି-ସନ୍ତୋଷେ ବ୍ରତ କର । ଦୁଗର୍ମ-ସଙ୍କଟୁ ଉଦ୍ଧର । ।୧୬୩
ସର୍ବଭୂତଙ୍କ ପୂଜା ଏହି । ଦାନ-ଯଜ୍ଞାଦି ଯେତେ ଧ୍ୟାୟି । ।୧୬୪
ଏ ବ୍ରତେ ଈଶ୍ୱର-ଅର୍ପଣ । ଚତୁରବର୍ଗର କାରଣ । ।୧୬୫
ଯମ-ନିୟମ ଏଣେ ସାଧି । ଏ ଧର୍ମେ ବିଷ୍ଣୁଙ୍କୁ ସମ୍ପାଦି । ।୧୬୬
ତୁ ଏହା ଏକମନେ ଧର । ହରି-ସନ୍ତୋଷେ ବ୍ରତ କର । ।୧୬୭
ତୋର ବାଞ୍ଛିତ ହରି ଦେବେ । ଦେବଙ୍କୁ ନିଶ୍ଚିନ୍ତେ ରଖିବେ । । ୧୬୮
କହଇ ଦାସ ଜଗନ୍ନାଥ । ଅଦିତି ଶୁଣି ପୟୋବ୍ରତ । ।୧୬୯
ଚିତ୍ତେ ଚିନ୍ତିଲା ଭଗବାନ । ସୁଜନେ ଏଣେ କର ଧ୍ୟାନ । ।୧୭୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ଅଦିତି-ପୟୋବ୍ରତ-କଥନଂ ନାମ ପଞ୍ଚଦଶୋଽଧ୍ୟାୟଃ । ।

ଷୋଡ଼ଶ ଅଧ୍ୟାୟ

ଶ୍ରୀକୃଷ୍ଣେ ଚିନ୍ତି ମନେମନ । କ‌ହ‌ନ୍ତି ବ୍ୟାସଙ୍କ ନ‌ନ୍ଦନ ।।୧

ଶୁକ ଉବାଚ

ଶୁଣ ପରୀକ୍ଷ ନୃପମଣି । କଶ୍ୟପ ମୁଖୁଁ ଏହାଶୁଣି ।।୨
ଅଦିତି କଳ୍ପି ଅନ୍ତର୍ଗତେ । ବିଧିପୂର୍ବକ ପୟୋବ୍ରତେ ।।୩
ଦ୍ୱାଦଶ ଦିନ ବିଧିମତେ । ସଂଯମେ ରହିଲା ଯୁଗତେ ।।୪
ଏକାଗ୍ରଚିତ୍ତେ ହରିପାଦେ । ସେବା କଳ୍ପିଲା ଅପ୍ରମାଦେ ।।୫
ସୁଦୃଢ଼ ମନ ବୁଦ୍ଧିବଳେ । ଇନ୍ଦ୍ରିଙ୍କି ନିରୋଧି ନିଶ୍ଚଳେ ।।୬
ଏକାନ୍ତଚିତ୍ତେ ହରିପାଦେ । ଧ୍ୟାନ ସମ୍ପାଦି ଅପ୍ରମାଦେ ।।୭
ଦ୍ୱାଦଶଦିନ ପୟୋବ୍ରତ । ବିଷ୍ଣୁ ସେବିଲା ଅବିରତେ ।।୮
ଅଦିତି ପୟୋବ୍ରତ ତୋଷେ । ବିଷ୍ଣୁ ମିଳିଲେ ତାର ପାଶେ ।।୯
ଶରୀର କାନ୍ତି ନୀଳଘନ । ପୀତବସନ ପରିଧାନ ।।୧୦
ଆଜାନୁଲମ୍ବେ ଚାରିଭୁଜେ । ଗଦାବ୍ଜ-ଶଙ୍ଖ-ଚକ୍ର ସାଜେ ।।୧୧
ସମୀପେ ବିଷ୍ଣୁ ରୂପ ଦେଖି । ଉନ୍ମୀଳ କଲା ବେନି ଆଖି ।।୧୨
ଉଠିଲା ଅଶ୍ରୁ ଗଦଗଦେ । ଶିର ନିବେଶି ପଦ୍ମ‌ପାଦେ ।।୧୩
ଭୂମିରେ ଦଣ୍ତବତେ ଶୋଇ । କରାଞ୍ଜଳି ଶିରେ ଦେଇ ।।୧୪
ଆନନ୍ଦ ସାଗରେ ବୁଡ଼ିଲା । ନିଜ ଶରୀର ପାସୋରିଲା ।।୧୫
ଶରୀର କମ୍ପିଲା ବିକଳେ । କଣ୍ଠ କୁଣ୍ଠିତ ଅଶ୍ରୁଜଳେ ।।୧୬
ବଦନୁ ବଚନ ନ ସ୍ଫୁରେ । ପ୍ରାଣ ହୋଇଲା କଣ୍ଠଦ୍ୱାରେ ।।୧୭
ଚକୋର ଚନ୍ଦ୍ର ଦେଖି ଯେହ୍ନେ । ଅମୃତ ପିଅଇ ଲୋଚନେ ।।୧୮
ମନ ନିବେଶି କୃଷ୍ଣପାଦେ । ଆନନ୍ଦେ ଶୋକ ଗଦଗଦେ ।।୧୯
ବୋଲଇ ବିଷ୍ଣୁମୁଖ ଚାହିଁ । ସାନନ୍ଦେ ଶିରେ କର ଦେଇ ।।୨୦

ଅଦିତି ଉବାଚ

ହେ ଯଜ୍ଞେଶ୍ୱର ଜଗନ୍ନାଥ । ତୋର ଚରଣେ ସର୍ବତୀର୍ଥ ।।୨୧
ସର୍ବମଙ୍ଗଳ ତୋର ନାମ । ରୂପ-ଅରୂପ ଅନୁପମ ।।୨୨
ଶରଣାଗତ ଦୁଃଖ ହର । ତୁ ନାଥ କରୁଣାସାଗର ।।୨୩
କରୁଣାକର ବିଶ୍ୱବ୍ୟାପୀ । ବିଶ୍ୱଭାବନ ବିଶ୍ୱରୂପୀ ।।୨୪
ସ୍ଥିତି ଉତ୍ପତ୍ତି ସଂହାରଣ । ତୁ ନାଥ ପରମକାରଣ ।।୨୫
ଆୟୁ ସମ୍ପଦ ବୁଦ୍ଧି ଜ୍ଞାନ । ତୋର ସନ୍ତୋଷେ ପାନ୍ତି ଜନ ।।୨୬
କୈବଲ୍ୟ-ପ୍ରାପ୍ତ ତୋ ସନ୍ତୋଷେ । ଅନ୍ତେ ପରମ‌ପଦେ ମିଶେ ।।୨୭
ଭୋ ନାଥ ତୋର ଶ୍ରୀଚରଣ । ଯେ ପ୍ରାଣୀ ପଶନ୍ତି ଶରଣ ।।୨୮
ସେ ସର୍ବ ଦୁର୍ଗତି ତରନ୍ତି । ଜନ୍ମ-ମରଣୁଁ ନିସ୍ତରନ୍ତି ।।୨୯
ଭୋ ନାଥ ପ୍ରଭୁ ଆଦିମୂଳ । ଶୁଣିମା ମୋହର ବିକଳ ।।୩୦
ଦୁଃଖେ କୁଣ୍ଠିତ ମୋର ପ୍ରାଣ । ପଶିଲି ତୋ ପାଦେ ଶରଣ ।।୩୧
ପୁତ୍ରେ ନ ରହି ସ୍ୱର୍ଗପୁରେ । ଲୁଚିଲେ ବନ-ଗିରି-ଘୋରେ ।।୩୨
ସର୍ବ ଦାନବ ସଙ୍ଗେ ମିଳି । ବସିଲା ଇନ୍ଦ୍ରାସନେ ବଳି ।।୩୩
ଶୁକ୍ରର ଯଜ୍ଞତେଜ ବଳେ । ଭୟେ ଭାଜିଲେ ଦିଗପାଳେ ।।୩୪
ଇନ୍ଦ୍ର ହୋଇଲା ଅରକ୍ଷିତ । ତ୍ରାହି କରିବ ଜଗନ୍ନାଥ ।।୩୫
ମୋର ପୁତ୍ରଙ୍କୁ ରକ୍ଷାକର । ଭୋ ନାଥ ଶରଣ ତୋହର ।।୩୬
ସପତ୍ନୀ ଦୁଃଖ କି ନ ଜାଣୁ । ତୁ ନାଥ ଅନ୍ତର୍ଯ୍ୟାମୀ ଯେଣୁ ।।୩୭

ଶୁକ ଉବାଚ

ଶୁଣିନ ଅଦିତି-ବଚନ । ପ୍ରସନ୍ନେ କମଳ‌ଲୋଚନ ।।୩୮
ଅଦିତି ବଦନ‌କୁ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ।।୩୯

ଭଗବାନ ଉବାଚ

ଶୁଣ ଅଦିତି ଦେବମାତ । ଜାଣଇଁ ତୋର ମନୋରଥ ।।୪୦
ବଳି ଯେ ବଳେ ସ୍ୱର୍ଗ ନେଲା । ବିକଳେ ଇନ୍ଦ୍ର ପଳାଇଳା ।।୪୧
ତାର ସଙ୍ଗତେ ଦେବଗଣେ । ପଶିଲେ ଗିରି-ଘୋରବନେ ।।୪୨
ଏବେ ସେ ଆସି ସ୍ୱର୍ଗପୁରେ । ଶତ୍ରୁକୁ ଜିଣି ରଣ‌ଘୋରେ ।।୪୩
ସ୍ୱର୍ଗେ ସେ ବସିବ ନିଶ୍ଚିନ୍ତେ । ତୁ ଏହା କଳ୍ପଅଛୁ ଚିତ୍ତେ ।।୪୪
ସମରେ ଅସୁର-ମରଣେ । କାନ୍ଦିବେ ତାଙ୍କ ବଧୁଗଣେ ।।୪୫
ସ୍ୱାମୀ-ମରଣେ ଅତି ଦୁଃଖୀ । ତୁ ତାହା ଦେଖି ହେବୁ ସୁଖୀ ।।୪୬
ସ୍ୱର୍ଗେ ବସିବ ଇନ୍ଦ୍ର ତୋର । ସଙ୍ଗତେ ଘେନି ସର୍ବ ସୁର ।।୪୭
ସକଳ ସମ୍ପଦ ମିଳିବ । ତ୍ରିଲୋକ ନିଶ୍ଚିନ୍ତେ ପାଳିବ ।।୪୮
ଏମନ୍ତ ଚିତ୍ତେ କଳ୍ପୁ ତୁହି । ଶୁଣ କ‌ହଇ ଯାହା ମୁହିଁ ।।୪୯
ଅସୁରେ ଯାଇ ସ୍ୱର୍ଗପୁର । ବଳେ ହୋଇଲେ ବଳୀୟାର ।।୫୦
ବଳି ସଙ୍ଗତେ ଘୋରରଣେ । କାହିଁ ଜିଣିବେ ଦେବଗଣେ ।।୫୧
ଏକଥା ଭଲେ ମୁଁ ଜାଣଇଁ । ତୋର ପୁତ୍ରଙ୍କୁ ଭୟ ନାହିଁ ।।୫୨
ଯେମନ୍ତେ ତୋହର କୁମରେ । ସୁଖେ ବସିବେ ସ୍ୱର୍ଗପୁରେ ।।୫୩
ତୁ ଯେ ମୋହର ପାଦଗତେ । ସେବିଲୁ ପୟୋବ୍ରତ ମତେ ।।୫୪
ଏ କଥା ଅନ୍ୟଥା ନୋହିବ । ଏହା ଜାଣନ୍ତି ବ୍ରହ୍ମାଶିବ ।।୫୫
ବ୍ରତେ ତୁ ତୋଷିଅଛୁ ମୋତେ । ଇନ୍ଦ୍ର-ସମ୍ପଦ ରକ୍ଷା ଅର୍ଥେ ।।୫୬
ମୋହର ସେବା-ବ୍ରତ ଫଳ । କେବେହେଁ ନୁହଁଇ ବିଫଳ ।।୫୭
ମୁଁ ନିଜ-ଅଂଶେ ତୋର ଗର୍ଭେ । ଜନ୍ମିବି ପୟୋବ୍ରତ-ଭାବେ ।।୫୮
ଏ ବ୍ରତ ମହିମା ଏମନ୍ତ । ଅବଶ୍ୟ ମୋତେ ଲଭେ ସୁତ ।।୫୯
ତୋର ପୁତ୍ରଙ୍କୁ ମୁଁ ରଖିବି । ଶତ୍ରୁଙ୍କ ଭୟ ନିବାରିବି ।।୬୦
ନିଶ୍ଚେ ରଖିବି ଦେବକୁଳ । ତୁ ସ୍ୱାମୀ ସଙ୍ଗେ କର ମେଳ ।।୬୧
ଏ ବ୍ରତଫଳ ଯେବେ ପାଇ । ବିଶ୍ୱାସେ ପରକୁ ନ କ‌ହି ।।୬୨
ସର୍ବସମ୍ପଦ ଲଭ ତୁହି । ଦେବମାତାଙ୍କୁ ଏତେ କ‌ହି ।।୬୩
ତକ୍ଷଣେ ହୋଇଲେ ଅନ୍ତର । ଶୁଣ ପରୀକ୍ଷ ନୃପବର ।।୬୪
ଏମନ୍ତ ବିଷ୍ଣୁର ବଚନ । ଶୁଣି ଅଦିତି ତୋଷମନ ।।୬୫
ଆନନ୍ଦେ ପ୍ରଭୁ ହୃଷୀକେଶ । କଶ୍ୟପ-ଶରୀରେ ପ୍ରବେଶ ।।୬୬
ବିଷ୍ଣୁର ତେଜେ ବ୍ରହ୍ମ‌ଋଷି । ଉଦୟ-ରବି ପ୍ରାୟ ଦିଶି ।।୬୭
ଅମରଗୁରୁ-ଲଗ୍ନ ବେଳେ । ଉଚ୍ଚେ ଅଛନ୍ତି ଗ୍ରହବଳେ ।।୬୮
ମୁହୂର୍ତ୍ତ ନାମ ଅଭିଜିତ । ପତିକ-କାମିନୀ ଏକ ଯୁକ୍ତ ।।୬୯
ରତି ଆନନ୍ଦେ ରଜ-ବୀର୍ଯ୍ୟେ । ଗର୍ଭ-ସଞ୍ଚାର ଅତି ତେଜେ ।।୭୦
ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ । ତେଜ ପ୍ରକାଶେ ଅନୁଦିନେ ।।୭୧
ଅଦିତି ବିଷ୍ଣୁ ଗର୍ଭେ ଧରି । ଶଶାଙ୍କ ପ୍ରାୟେ ମନୋହାରୀ ।।୭୨
ଦିଶଇ ଅତି ରୂପକାନ୍ତି । ବିଜୁଳି ଯେହ୍ନେ ଝଟକନ୍ତି ।।୭୩
ଦିନ‌କୁ ଦିନ ଶୁଭ୍ରଜ୍ୟୋତି । ଯହିଁ ବିଜୟେ ବିଷ୍ଣୁମୂର୍ତ୍ତି ।।୭୪
ଅଦିତି-ଗର୍ଭର ସଞ୍ଚାର । ଜାଣିଲେ ପ୍ରଭୁ ବେଦବର ।।୭୫
ରଜନୀ-ଅର୍ଦ୍ଧକାଳେ ଆସି । ଅଦିତି ନିଦ୍ରାସ୍ଥାନେ ବସି ।।୭୬
ଗର୍ଭକୁ ଚାହିଁ ପ୍ରଜାପତି । ଆନନ୍ଦେ କଲେ ଦିବ୍ୟସ୍ତୁତି ।।୭୭

ବ୍ରହ୍ମା ଉବାଚ

ଜୟ ଅନନ୍ତ ଉରୁକ୍ରମ । ନମସ୍ତେ ପ୍ରଭୁ ତ୍ରିବିକ୍ରମ ।।୭୮
ନମୋ ବ୍ରହ୍ମଣ୍ୟ ଭାଗବତ । ନମସ୍ତେ ତ୍ରିଗୁଣ ଅଜିତ ।।୭୯
ନମସ୍ତେ ବିଶ୍ୱଗର୍ଭ-ରୂପୀ । ନମସ୍ତେ ତ୍ରୟବେଦବ୍ୟାପୀ ।।୮୦
ତ୍ରିନାଭ ତ୍ରିପୃଷ୍ଠ ତୋ ନାମ । ଶିପିବିଷ୍ଟ ଯେ ତୋର ଧାମ ।।୮୧
ଏ ସୃଷ୍ଟି ଆଦ୍ୟ-ମଧ୍ୟ-ଅନ୍ତେ । ତୁ ନାଥ ବିହରୁ ନିଶ୍ଚିନ୍ତେ ।।୮୨
ତୁ ସେ ଅନନ୍ତ-ଶକ୍ତିଧର । ମନ-ବଚନେ ଅଗୋଚର ।।୮୩
ତୁ କାଳରୂପେ ଏ ଜଗତ । ସୃଷ୍ଟି ପାଳନ କର ଅନ୍ତ ।।୮୪
ତୃଣ ଯେସନେ ଜଳସ୍ରୋତେ । ପଶେ ଜଳଧି ଗର୍ଭଗତେ ।।୮୫
ଏ ସୃଷ୍ଟି ସଂହରୁ ତେମନ୍ତେ । ଅନନ୍ତଶୟନେ ନିଶ୍ଚିନ୍ତେ ।।୮୬
ସ୍ଥାବର ଆଦି ଜନ୍ତୁ ଚାରି । ତୁ ବସୁ ଆତ୍ମାରୂପ ଧରି ।।୮୭
ତୋର ମାୟାର ବଳେ ଜନେ । ତୋ ରୂପ ଜାଣିବେ କେସନେ ।।୮୮
ଜନ୍ତୁଙ୍କ ବାହ୍ୟ-ଅଭ୍ୟନ୍ତରେ । ତୋ ତ‌ହୁଁ କେବା ଅଛି ପରେ ।।୮୯
ଜଳେ ପଡ଼ନ୍ତି ଯେତେ ପ୍ରାଣୀ । ଯେବେ ନ ଲଭନ୍ତି ତରଣୀ ।।୯୦
ସେ କାହିଁ ଜଳଧି ତରିବେ । ଯେ ନ ପଶନ୍ତି ତୋର ଭାବେ ।।୯୧
ଏମନ୍ତେ କରି ଦିବ୍ୟସ୍ତୁତି । ନିଜ ଭୁବନେ ପ୍ରଜାପତି ।।୯୨
ଆନନ୍ଦମନେ ବିଜେ କଲା । ଶୁଣ ରାଜନ ବିଷ୍ଣୁଲୀଳା ।।୯୩
ବାମନ ରୂପ ଧରି ଭାବେ । ବିଷ୍ଣୁ ଯେ ବଳି କି ଛଳିବେ ।।୯୪
ଏ ବାଳୀ ଏକମନେ ଶୁଣି । ନିସ୍ତର ଭବ ତରଙ୍ଗିଣୀ ।।୯୫
ସଂସାର ଅନ୍ଧକୂପେ ଥାଇ । ଏ ବିନୁ ଉପାୟ ତ ନାହିଁ ।।୯୬
କ‌ହିଲା ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।।୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବ ଷୋଡ଼ଶୋଽଧ୍ୟାୟଃ । ।

ସପ୍ତଦଶ ଅଧ୍ୟାୟ

ଶ୍ରୀକୃଷ୍ଣ ଚିନ୍ତି ରାଜା ଚାହିଁ । ଶୁକ କ‌ହ‌ନ୍ତି ଭାବବ‌ହି ।।୧

ଶୁକ ଉବାଚ

ଶୁଣ ଅଭିମନ୍ୟୁନନ୍ଦନ । ଯେମନ୍ତେ ଜନ୍ମିଲେ ବାମନ ।।୨
ଅଦିତି ପୟୋବ୍ରତ ଫଳେ । ବିଷ୍ଣୁ ଜନ୍ମିଲେ ତାର କୋଳେ ।।୩
ତାଙ୍କ ଚରିତ ଶୁଣ ଏବେ । ଯେ ରୂପେ ବଳିକି ଛଳିବେ ।।୪
ବ୍ରହ୍ମାର ସ୍ତୁତି ଶୁଣି ତୋଷେ । ସେ ହରି ପରମ-ହରଷେ ।।୫
ଅମୃତବେଳେ ସୁଶରୀରେ । ହେଲେ ବାମନ ଅବତାରେ ।।୬
ଗ‌ଗନେ ଯେହ୍ନେ ଦିଙ୍କର । ବାମନ ଉଦରୁ ବାହାର ।।୭
ଅଦିତି ତ‌ହୁଁ ଭୂମିଗତେ । ବାମନ ଦେଖିଲେ ଅଗ୍ରତେ ।।୮
ନୀଳନୀରଦ ତନୁ ବର୍ଣ୍ଣ । ପ୍ରକାଶ କମଳ‌ଲୋଚନ ।।୯
ପୀତବସନ କଟୀଭାଗେ । ତଡ଼ିତ ଯେହ୍ନେ ନୀଳ ମେଘେ ।।୧୦
ରତ୍ନ‌କୁଣ୍ତଳ କର୍ଣ୍ଣ‌ଯୁଗେ । ଶ୍ରୀବସ୍ତ୍ରଚିହ୍ନ ହୃଦଭାଗେ ।।୧୨
ଊରେ ଲମ୍ବଇ ବନମାଳ । ସୁନ୍ଦର ଅଳକା କପୋଳ ।।୧୩
ମଣିମୁକୁଟ ଶିରେ ସାଜେ । ରତ୍ନମେଖଳା କଟି ମାଝେ ।।୧୪
ନୂପୁର କଙ୍କଣ ବିରାଜେ । ତେଜେ ଅନଙ୍ଗ-ରୂପ ଗଞ୍ଜେ ।।୧୫
କଣ୍ଠେ ଶ୍ରୀକରସ୍ତୂଭ ମଣି । ଅମୂଲ୍ୟ ରତ୍ନ ସୁଖଞ୍ଜଣି ।।୧୬
ପ୍ରସନ୍ନ ଦଶଦିଗ ଦିଶେ । ସଲିଳେ କମଳ ପ୍ରକାଶେ ।।୧୭
ଜଳଧି ଉଛୁଳେ ଉଲ୍ଲୋଳେ । କାନନେ ନାନାପୁଷ୍ପ ଲୋଳେ ।।୧୮
ଋତୁ ବ‌ହଇ ଗୁଣମତେ । ପ୍ରସରେ ଶରଦ ବସନ୍ତେ ।।୧୯
ସୁଗନ୍ଧ ପବନେ ଆମୋଦ । ଗ‌ଗନେ ମଙ୍ଗଳ-ଶବଦ ।।୨୦
ବ୍ରାହ୍ମଣ‌ଗଣେ ବେଦନାଦେ । ଅନଳ ପୂଜନ୍ତି ସମିଧେ ।।୨୧
ଗୋ ବିପ୍ର ଦେବ ଭୂ ପର୍ବତ । ଆକାଶ ହେଲେ ପ୍ରଫୁଲ୍ଲିତ ।।୨୨
ଭାଦ୍ରବ ମାସ ଶୁକ୍ଳପକ୍ଷେ । ଦ୍ୱାଦଶୀ ଶ୍ରବଣା ଯେ ଋକ୍ଷେ ।।୨୩
ମୁହୂର୍ତ୍ତ ନାମ ଅଭିଜିତ । ଗ୍ରହ ନକ୍ଷତ୍ର ସୁପ୍ରଶସ୍ତ ।।୨୪
ସର୍ବ ନକ୍ଷତ୍ର ତାରାଗଣେ । ପ୍ରଶସ୍ତ ମଙ୍ଗଳ ଦକ୍ଷିଣେ ।।୨୫
ବିଜୟାଯୋଗର ମଧ୍ୟାହ୍ନେ । ଶଙ୍ଖଦୁନ୍ଦୁଭି ବାଦ୍ୟସ୍ୱନେ ।।୨୬
ମୃଦଙ୍ଗ ପଟ୍ଟ‌ହ ସମାନେ । ଶୁଭନ୍ତି ଭେରୀନାଦ ସ୍ୱନେ ।।୨୭
ବାଜନ୍ତି ଗୋମୁଖ ଆନ‌କ । ପଣବ ତୂରୀ ଯେ ଅନେକ ।।୨୮
ଗୀତ ବିନୋଦ ନୃତ୍ୟଗୋଳ । ଦିଗ ଉଛୁଳନ୍ତି ତୁମୁଳ ।।୨୯
ନାଚନ୍ତି ଅପସରାବୃନ୍ଦ । ଗନ୍ଧର୍ବେ ତାଳ ଯନ୍ତ୍ରବାଦ୍ୟ ।।୩୦
ଦେବତା-ପିତୃ-ମୁନିଗଣେ । ଅଗ୍ନି ସ‌ହିତେ ଜଣେ ଜଣେ ।।୩୧
ସ୍ତବନ୍ତି ସିଦ୍ଧ-ବିଦ୍ୟାଧରେ । ତୁଲେ କିଂପୁରୁଷ-କିନ୍ନତେ ।।୩୨
ଚାରଣ ଯକ୍ଷ ରକ୍ଷ ଆଦି । ପିଶାଚ ଗୁହ୍ୟକ ପ୍ରସିଦ୍ଧି ।।୩୩
ସ୍ତୁତି-ବଚନେ ଗୀତସ୍ୱରେ । ପୁଷ୍ପ ବର୍ଷନ୍ତି ନିରନ୍ତରେ ।।୩୪
ଅଦିତି ପରେ ପୁଷ୍ପବୃଷ୍ଟି । ଯେଣେ ଖଣ୍ତିବ ଜନ୍ମରିଷ୍ଟି ।।୩୫
ଅଦିତି ନିଜ ପୁତ୍ର ଦେଖି । ନିର୍ମଳ କଲା ବେନିଆଖି ।।୩୬
ଶ୍ରୀହରି ନିଜ ଯୋଗତେଜେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ।।୩୭
କଶ୍ୟପ ଜୟ ଜୟ ବାଣୀ । ମଙ୍ଗଳ ବେକବାକ୍ୟ ଭଣି ।।୩୮
ତକ୍ଷଣେ ପ୍ରଭୁ ଭଗବାନ । ରୂପ ପ୍ରକାଶିଲେ ବାମନ ।।୩୯
ଦେଖିଲେ ସର୍ବଦିଗପାଳେ । ଦେବୀ ଦେବତା ଅନ୍ତରାଳେ ।।୪୦
ବଟୁ ବାମନ ରୂପ ଦେଖି । ମୁନିଏ ଆଶ୍ରମ ଉପେକ୍ଷି ।।୪୧
କଶ୍ୟପ-ଆଶ୍ରମେ ମିଳିଲେ । ଜୟମଙ୍ଗଳ ସ୍ତୁତି କଲେ ।।୪୨
ବିଧାତା ଆଦି ମୁନି ତୁଲେ । ପୁତ୍ରର ଜାତକର୍ମ କଲେ ।।୪୩
ବାମନ-ଉପନୟ ଦେଖି । ସବିତା ଗ‌ଗନ ଉପେକ୍ଷି ।।୪୪
ସାବିତ୍ରୀମନ୍ତ୍ର କର୍ଣ୍ଣେ କ‌ହେ । ଯେଣେ ସବିତା ତେଜ ବ‌ହେ ।।୪୫
ଗୁରୁ ପଇତା ଦେଲେ କନ୍ଧେ । କଶ୍ୟପ ମେଖଳା ଆନନ୍ଦେ ।।୪୬
ଅବନୀ କୃଷ୍ଣାଜିତ ଦେଲା । ଶଶାଙ୍କ ଦଣ୍ତ ସମର୍ପିଲା ।।୪୭
ଅଦିତି ଦେଲା କଉପୀନ । ଆକାଶ କଲା ଛତ୍ର ଦାନ ।।୪୮
ମୁନିଏ କରେ ଦେଲେ ଦର୍ଭ । କମଣ୍ତଳୁ ଯେ ବେଦଗର୍ଭ ।।୪୯
ଶାରଦା ଦେଲେ ଅକ୍ଷମାଳା । ଯେମନ୍ତେ ବୁଦ୍ଧି ଅନର୍ଗଳା ।।୫୦
କୁବେର ରାଜା ଶୁଦ୍ଧଚିତ୍ତେ । ଭିକ୍ଷାପାତ୍ରେକ ଦେଲା ହସ୍ତେ ।।୫୧
ଅମ୍ୱିକା ଭିକ୍ଷା ଦେଲେ ଆଣି । ସଙ୍ଗତେ ବିପ୍ରଗଣ ଘେନେ ।।୫୨
ମୁନିଏ ବ୍ରହ୍ମତେଜ ଦେଲେ । ସ୍ତୁତିବଚନେ ତୋଷ କଲେ ।।୫୩
କଶ୍ୟପ ହୋମ କରାଇଲେ । ବିଧାତା ପୁରୁଷର ବୋଲେ ।।୫୪
ଏମନ୍ତେ ବିପ୍ରରୂପ ଧରି । ପୂର୍ଣ୍ଣ ଆହୁତି ହୋମ କରି ।।୫୫
ତେଣେ ଶୁକ୍ର ଯେ ଯଜ୍ଞବିଧି । ବଳିର ଶତେ ଅଶ୍ୱମେଧି ।।୫୬
କରାଏ ନିଜ ମନ୍ତ୍ରବଳେ । ଅମରେ ସ୍ଥାପିବ ନିଶ୍ଚଳେ ।।୫୭
ସେ କଥା ଜାଣି ଭଗବାନ । ଯେ ରୂପ ଅଦ୍‌ଭୁତ ବାମନ ।।୫୮
ବଳି-ଭୁବନ‌କୁ ଗମନ୍ତେ । ଭୂମି କମ୍ପଇ ପାଦଘାତେ ।।୫୯
ନର୍ମଦା ନ‌ଦୀର ଉତ୍ତରେ । ଭୃଗୁକଚ୍ଛେ ଯେ ବିପ୍ରବରେ ।।୬୦
ବଳିକି ଯଜନମାନେ ବରି । ମିଳି ଭୃଗୁଙ୍କୁ ଆଗ କରି ।।୬୧
ଯଜ୍ଞ କରନ୍ତି ମନ୍ତ୍ରବଳେ । ଯେମନ୍ତେ ଅମର ମଣ୍ତଳେ ।।୬୨
ବଳି ବସିବ ଦୃଢ଼ଚିତ୍ତେ । ନିର୍ଭୟେ କଳ୍ପ ପରିଯନ୍ତେ ।।୬୩
ଏମନ୍ତେ ବଳି-ଯଜ୍ଞବାଟେ । ବାମନ ମିଳିଲେ କପଟେ ।।୬୪
ରବି-କିରଣେ ତାରାପନ୍ତି । ଯେସନେ ହୋନ୍ତି ହତଜ୍ୟୋତି ।।୬୫
ଭାର୍ଗବ ଆଦି ପୁରୋହିତେ । ସଦସ୍ୟ ଯଜମାନ ଯେତେ ।।୬୬
ବାମନ-ତେଜେ ଅନ୍ତଗଲେ । ତମ ଯେସନେ ପ୍ରାତଃକାଳେ ।।୬୭
ରବି ଶଶାଙ୍କ କିବା ବ‌ହ୍ନି । ମିଳିଲେ ନିଜ ତେଜ ଘେନି ।।୬୮
କିବା ସନତ ବ୍ରହ୍ମାସୁତ । ଯଜ୍ଞ ପ୍ରେକ୍ଷଣେ ଉପଗତ ।।୬୯
ଏମନ୍ତେ ଜାଣି ନ ପାରିଲେ । ବାମନ ତେଜେ ଅସ୍ତ ଗଲେ ।।୭୦
ମୁହୂର୍ତ୍ତେ ରହି ଖେଦମନେ । ଚାହାନ୍ତି ମୋହିତ ନୟନେ ।।୭୧
କରି ନ ପାରି ଅନୁମାନ । ସର୍ବେ ହୋଇଲେ ହତଜ୍ଞାନ ।।୭୨
ଉଦକ କମଣ୍ତଳୁ ଘେନି । କରନ୍ତି ସାମ‌ବେଦ ଧ୍ୱନି ।।୭୩
ବିଷ୍ଣୁ ମିଳିଲେ ଯଜ୍ଞବାଟେ । ବଳି ନୃପତିର ନିକଟେ ।।୭୪
କଟିରେ ମର୍କତ ମେଖଳା । ଯଜ୍ଞୋପବୀତ ଅକ୍ଷମାଳା ।।୭୫
କନ୍ଧରେ କୃଷ୍ଣାଜିତ ଶୋହେ । ଉତ୍ତରୀ ପ୍ରାୟ ନିଜଦେହେ ।।୭୬
ଅଦ୍‌ଭୁତ ବାମନ ଶରୀର । ଶିରେ ବିରାଜେ ଜଟାଭାର ।।୭୭
ମାୟାବାମନ ରୂପ ଦେଖି । ତକ୍ଷଣେ ଆସନ ଉପେକ୍ଷି ।। ୭୮
ଭୃଗୁ ସ‌ହିତେ ଶିଷ୍ୟ ଯେତେ । ଆସନୁ ଉଠିଲେ ତ୍ୱରିତେ ।।୭୯
ଅଞ୍ଜଳିହସ୍ତ କରି ବେଗେ । ମିଳିଲେ ବାମନର ଆଗେ ।।୮୦
ବଳି ବାମନ ରୂପ ଚାହିଁ । ଆସନ ଦେଲା ବେଗେ ନେଇ ।।୮୧
ଚରଣେ ନମସ୍କାର କରି । କୁଶଳ ବାରତା ପଚାରି ।।୮୨
ପବିତ୍ରଜଳେ ଧୋଇ ପାଦ । ଆନନ୍ଦେ କଣ୍ଠ ଗଦଗଦ ।।୮୩
ପାଦ ଉଦକ ଘେନି ଶିରେ । ରୋମହରଷ କଳେବରେ ।।୮୪
ଯାର ଚରଣସ୍ପର୍ଶ-ଜଳ । ଖଣ୍ତଇ ସର୍ବ ଅମଙ୍ଗଳ ।।୮୫
ଗିରୀଶ ପରମ ଭକ୍ତିରେ । ଯେ ପାଦୋଦକ ଧରେ ଶିରେ ।।୮୬
ବଳି ଯେ ବେନିକର ଯୋଡ଼ି । କ‌ହେ ବାମନ ପାଦେ ପଡ଼ି ।।୮୭

ବଳି ଉବାଚ

ଭୋ ବିପ୍ର ନମୁଁ ତୋ ଚରଣେ । ଅଶେଷ କୁଶଳ କାରଣେ ।।୮୮
ବ୍ରହ୍ମ‌ଋଷିଙ୍କ ତେଜପ୍ରାୟେ । ମୁହିଁ ଦେଖି ତୋର ଦେହେ ।।୮୯
ତୁ ବ୍ରହ୍ମସ୍ୱରୂପ ସାକ୍ଷାତେ । ତୋ ରୂପ ନାହିଁ ଏ ଜଗତେ ।।୯୦
କି ଅର୍ଥେ ତୋହର ଆଗମ । କହ ତୋହର କିସ ନାମ ।।୯୧
ମୋ ପିତୃଗଣେ ଆଜ ତୋଷ । ପବିତ୍ର ମୋର ଗୃହବାସ ।।୯୨
ଆଜ ମୋ ସୁଫଳ ଜୀବନ । ଯେଣୁ ତୋହର ଆଗମନ ।।୯୩
ପବିତ୍ର ହୋଇଲା ମୋ କୁଳ । ଲଭିଲି ଶତକ୍ରତୁ ଫଳ ।।୯୪
ଆଜ ଅନଳେ ଘୃତରାଶି । ଶୁଦ୍ଧେ ଜଳିବ ମୋତେ ତୋଷି ।।୯୫
ଏ ଭୂମି ପବିତ୍ର ମୋହର । ନିର୍ମଳ ଯେହ୍ନେ ସ୍ୱର୍ଗପୁର ।।୯୬
ଭୋ ବିପ୍ର ଦାନ ମାଗ ମୋତେ । ଯେ ଅବା ଇଚ୍ଛା କର ଚିତ୍ତେ ।।୯୭
ଗୋରୁ କାଞ୍ଚନ ଦିବ୍ୟପୁର । କିବା ପ୍ରାସାଦ ମନୋହର ।।୯୮
ଗ୍ରାମ ପାଟଣା କନ୍ୟାଧନ । ଅମୂଲ୍ୟ ବସ୍ତୁ ରତ୍ନମାନ ।।୯୯
ଅନ୍ନବସନ ଆଦି ଯେତେ । ଭୋ ବିପ୍ର ମାଗ ତୋଷଚିତ୍ତେ ।।୧୦୦
ଗଜ ତୁରଙ୍ଗ ସୁଖାସନ । ରଥ ପଲ୍ୟଙ୍କ ଯହିଁ ମନ ।।୧୦୧
କି ଅବା ଅଛି ତୋର ଚିତ୍ତେ । ଭୋ ବିପ୍ର ମାଗ ଇଚ୍ଛା ଯେତେ ।।୧୦୨
ଦେବି ମୁଁ ସତ୍ୟ ମୋ ବଚନ । ଦାରା ତନୟ ବା ଜୀବନ ।।୧୦୩
ଏମନ୍ତେ ବଳି ଶୁଦ୍ଧଚିତ୍ତେ । କହିଲା ବାମନ ଅଗ୍ରତେ ।।୧୦୪
ଏମନ୍ତ ବଳି ବାକ୍ୟ ଶୁଣି । ବାମନ ଧରି କୁଶ ପାଣି ।।୧୦୫
ମଙ୍ଗଳ ସ୍ୱରେ ବେଦ‌ଧ୍ୱନି । କରନ୍ତି ବଳି ମନ‌ଘେନି ।।୧୦୬
ତିନିଭୁବନ କମ୍ପେ ନାଦେ । ସୁଗନେ ଚିନ୍ତ କୃଷ୍ଣପାଦେ ।।୧୦୭
କ‌ହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।।୧୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ବଳିବାମନ ସମ୍ୱାଦେ ସପ୍ତଦଶୋଽଧ୍ୟାୟଃ । ।

ଅଷ୍ଟାଦଶ ଅଧ୍ୟାୟ

ଶୁକ କ‌ହ‌ନ୍ତି ତୋଷମନେ । ଶୁଣ ପରୀକ୍ଷ ସାବଧାନେ ।।୧

ଶୁକ ଉବାଚ

ଏମନ୍ତେ ବଳି ବାକ୍ୟ ଶୁଣି । ସନ୍ତୋଷେ ପ୍ରଭୁ ପଦ୍ମ‌ପାଣି ।।୨
ବଳିର ବାକ୍ୟେ ପ୍ରୀତି କରି । ବଟୁ ବାମନ ରୂପ ଧରି ।।୩
ବୋଲନ୍ତି ମଧୁର ବଚନ । ଯେ ବାକ୍ୟ ମୋହେ ପ୍ରାଣୀ ମନ।।୪

ଭଗବାନ ଉବାଚ

ହେ ବଳିରାଜା ତୁହି ଧନ୍ୟ । କୁଳ ଉଚିତ ତୋ ବଚନ ।।୫
ଧର୍ମସଂଯୁତ ଯଶସ୍କର । ପାରଲୌକିକ ଧର୍ମ‌ପର ।।୬
ଯାହାର ବଂଶେ ପୁରୋହିତ । ଭାର୍ଗବ ପଦ୍ମ‌ଯୋନିସୁନି ।।୭
ପ୍ରହ୍ଲାଦ ଯାର ପିତାମ‌ହ । ବିଷ୍ଣୁ ଭଜନେ ମହାଶୟ ।।୮
ଏ କୁଳେ ନାହିଁ ବଳହୀନ । ନିଃସତ୍ତ୍ୱ କୃପଣ ଜୀବନ ।।୯
ବ୍ରାହ୍ମଣେ ଦାନ ତୁମ୍ଭ କୁଳେ । ପ୍ରସିଦ୍ଧି ଭୁବନ ମଣ୍ତଳେ ।।୧୦
ଯାହାର ବଂଶେ ରଣତୀର୍ଥ । ସଂଗ୍ରାମେ ନୁହଁନ୍ତି ନିସତ ।।୧୧
ଅତିଥି ଆଗମନ ସୁଖୀ । ଦୁଃଖଜନ‌ଙ୍କ ଦୁଃଖେ ଦୁଃଖୀ ।।୧୨
ନିର୍ମଳ ଯଶ ଯାର କୁଳେ । ବିଖ୍ୟାତ ଭୁବନମଣ୍ତଳେ।।୧୩
ପ୍ରହ୍ଲାଦ ଜାତ ଯେଉଁ କୁଳେ । ଯେହ୍ନେ ଶଶାଙ୍କ ତାରା ମେଳେ ।।୧୪
ଯେ ବଂଶେ ହିରଣ୍ୟାକ୍ଷ ବୀର । ଦେବ-ଦାନବେ ଅଗୋଚର ।।୧୫
ହିରଣ୍ୟାକ୍ଷ ଯେ ଗଦାପାଣି । ଉଦ୍ଦଣ୍ତେ ଭ୍ରମଇ ଧରଣୀ ।।୧୬
ତାହାର ସଙ୍ଗେ ଗଦାଯୁଦ୍ଧେ । କେହି ନ ମିଳେ ରଣମଧ୍ୟେ ।।୧୭
ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ।।୧୮
ପାତାଳୁ ଆଗମନ କାଳେ । ସେ ବୀର ଥିଲା ମହାଜଳେ ।।୧୯
ଅନେକ ମାୟାଯୁଦ୍ଧ କଲା । ବିଷ୍ଣୁର ଗଦାଘାତେ ମଲା ।।୨୦
ତାର ମହିମା ଚକ୍ରପାଣି । ଆନନ୍ଦେ ରୁଦ୍ର ଆଗେ ଭଣି ।।୨୧
ହରଗଉରୀଙ୍କ ଅଗ୍ରତେ । ସେ ବିଷ୍ଣୁ କ‌ହେ ତୋଷଚିତ୍ତେ ।।୨୨
ସେ ହରି ହିରଣ୍ୟାକ୍ଷ ମାରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ।।୨୩
ଆତ୍ମାକୁ ବୀରଜୟୀ ମଣି । ସକଳ ସଭାମଧ୍ୟେ ଭଣି ।।୨୪
ତାହାର ବଧ ଶୁଣି ରଣେ । ହିରଣ୍ୟକଶିପୁ ତକ୍ଷଣେ ।।୨୫
ଭ୍ରାତୃ ମରଣେ କ୍ରୋଧ କରି । ପ୍ରଚଣ୍ତ ଶୂଳ କରେ ଧରି ।।୨୬
ଶମନ ତୁଲ୍ୟ କୋପମନେ । ମିଳିଲା ବିଷ୍ଣୁର ଭୁବନେ ।।୨୭
ଗୋବିନ୍ଦ ତାର ଆଗମନ । ଦେଖିଣ ତେଜିଲେ ଆସନ ।।୨୮
କୃତାନ୍ତ ପ୍ରାୟ ଶୂଳ ତୋଳି । ଧାମଇଁ କୋପେ ମହାବଳୀ ।।୨୯
ସେ ବିଷ୍ଣୁମାୟା ଯୋଗବଳେ । ଅଦ୍‌ଭୁତ ଦେଖି ପଳାଇଲେ ।।୩୦
ଲୀଳାଏ ଯାନ୍ତେ ବନମାଳୀ । ଦେଖି ବିଚାରେ ମ‌ହାବଳୀ ।।୩୧
ଏ ମୋର ମାରିଅଛି ଭାଇ । ନିଶ୍ଚୟେ ଶତ୍ରୁ ମୋର ଏହି ।।୩୨
ଏହାକୁ ପ୍ରାଣେ ନାଶ କଲେ । ତେବେ ଜୀବନେ ଥିବି ଭଲେ ।।୩୩
ଏମନ୍ତେ ଚିନ୍ତି ଶୂଳ ଧରି । ପଛେ ଧାଇଁଲା ରୋଷଭରି ।।୩୪
ବିଷ୍ଣୁ ପଳାନ୍ତି ତାକୁ ଦେଖି । ସଂଭ୍ରମେ ଭୁବନ ଉପେକ୍ଷି ।।୩୫
ଯେଣେ ପଳାନ୍ତେ ନରହରି । ଧାଏଁ ଅସୁର ଶୂଳ ଧରି ।।୩୬
ସେ ବିଷ୍ଣୁ କରନ୍ତି ବିଚାର । ସ୍ୱଭାବେ ଅଜେୟ ଅସୁର ।।୩୭
ଏହାକୁ ମାୟା ମୁଁ ନ‌କଲେ । କେମନ୍ତେ ପୁରେ ଥିବି ଭଲେ ।।୩୮
ଏହାର ହୃଦୟେ ମୁଁ ପଶି । ମାୟାରେ ମଙ୍କୁ ଆକର୍ଷି ।।୩୯
ଯେମନ୍ତେ ମୋତେ ଏ ନ ପାଇ । ବିମୁଖେ ନିଜ ପୁରେ ଯାଇ ।।୪୦
ମୋର ବିଷୟେ କରି କ୍ରୋଧ । କାଳେ ହୋଇବ ପ୍ରାଣେ ବଧ ।।୪୧
ଏମନ୍ତେ ବିଷ୍ଣୁ ବିଚାରିଲେ । ମାୟାରେ ଅନ୍ତର ହୋଇଲେ ।।୪୨
ତାର ଶରୀର ପ୍ରାଣରନ୍ଧ୍ରେ । ବିଷ୍ଣୁ ପଶିଲେ ଯୋଗବନ୍ଧେ ।।୪୩
ବିଷ୍ଣୁ ନ ଦେଖି ମହାକ୍ରୋଧେ । ଗର୍ଜିଲା ଭୟଙ୍କର ନାଦେ ।।୪୪
ଆକାଶ ଦିଗ ଯେ ବିବର । ପୃଥିବୀ ସ୍ୱର୍ଗ ଯେ ସାଗର ।।୪୫
ସର୍ବତ୍ର ଅନ୍ୱେଷଣ କଲା । କୁତ୍ରାପି ହରି ନ ପାଇଲା ।।୪୬
ସେ ବୀର ବିଚାରଇ ମନେ । ଏ ତ ଭାଜିଲା ଭୟଛନ୍ନେ ।।୪୭
ନିଶ୍ଚୟ ବୈକୁଣ୍ଠକୁ ଗଲା । ଏମନ୍ତ ବୋଲି ବାହୁଡ଼ିଲା ।।୪୮
ପଥେ ଚଳନ୍ତେ ମନେ ଭାବି । ବୋଲି ଅବଶ୍ୟ ମାରିବି ।।୪୯
ସେ ମୋର ଭ୍ରାତୃ-ହତ୍ୟାକାରୀ । ଏମନ୍ତେ ମନେ କ୍ରୋଧଭରି ।।୫୦
ଜୀବନ ଥିବା ପରିଯନ୍ତେ । ବିଷ୍ଣୁ ନ ଭଜେ କୋପଚିତ୍ତେ ।।୫୧
ହରିର ତୁଲେ ବାଦ କଲା । ଅନ୍ତେ ସେ ବୈକୁଣ୍ଠକୁ ଗଲା ।।୫୨
ତାର ତନୟ ପ୍ରହଲ୍ଲାଦ । ତୋ ପିତା ତାହାର ଦାୟାଦ ।।୫୩
ବିଷ୍ଣୁଭକତ ମହାଶୟ । ଦେବଦାନବେ ସେ ଅଜେୟ ।।୫୪
ଦେବଙ୍କ କପଟ ଜାଣିଲା । ବ୍ରାହ୍ମଣ ବୋଲି ଆୟୁ ଦେଲା ।।୫୫
ତାହାର ବଂଶେ ତୁହି ଜାତ । ସ୍ୱଭାବେ ଅଟୁ ଭାଗ୍ୟବନ୍ତ ।।୫୬
ବ୍ରହ୍ମାଣ୍ତେ ମହିମା ତୋହର । ଏ କୁଳେ ଅତି ଯଶସ୍କର ।।୫୭
ତିନିଭୁବନେ ତୁ ଯେ ରାଜା । ସର୍ବେ କରନ୍ତି ପାଦପୂଜା ।।୫୮
ଏଣୁ ତୋହର ହସ୍ତେ ତୁହି । ନିବାସ ଅର୍ଥେ କିଛି ଭୂଇଁ ।।୫୯
ମୋହର ପାଦେ ପାଦ ତିନି । ମାପିଣ ଦିଅ ହେ ମେଦିନୀ ।।୬୦
ଦାରା ତନୟ ମୋର ନାହିଁ । କେବଳ ବାସ୍ତୁ ମୁଁ ଇଚ୍ଛଇ ।।୬୧
ଏ ଭୂମିଦାନ ଦିଅ ମୋତେ । ଯେମନ୍ତେ ରହିବି ନିଶ୍ଚିନ୍ତେ ।।୬୨
ତୁ ଅଟୁ ଜଗତ ଈଶ୍ୱର । ଆନେ କି ପ୍ରୟୋଜନ ମୋର ।।୬୩
କ‌ହ‌ନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ।।୬୪
ବଳି ବାମନ-ବାକ୍ୟ ଶୁଣି । ହ‌ସି କ‌ହଇ ମନେ ଗୁଣି ।।୬୫

ବଳି ଉବାଚ

ଭୋ ବିପ୍ର ଶୁଣ ମୋ ଉତ୍ତର । ତୁ ଅଟୁ ବାଳକ ଶରୀର ।।୬୬
ବୃଦ୍ଧର ପ୍ରାୟେ କଥା କ‌ହୁ । ବିଚାରେ ବାଳକ ତୁ ନୋହୁ ।।୬୭
ସ୍ୱଭାବେ ବାଳବୃଦ୍ଧି ଘେନି । ନ ଜାଣୁ ଆତ୍ମା-ଲାଭ-ହାନି ।।୬୮
ଅଜ୍ଞାନ ପ୍ରାୟେ ବ‌ହୁମତି । ଏ ତୋର ବିପରୀତ ଗତି ।।୬୯
ମୁହିଁ ତ୍ରିଲୋକେ ଏକ ରାଜା । ସର୍ବେ କରନ୍ତି ପାଦପୂଜା ।।୭୦
ତ୍ରିପାଦ ଭୂମି ମାଗୁଁ ମୋତେ । ଏ ଦାନ ଦେବି ମୁଁ କେମନ୍ତେ ।।୭୧
ଲୋକେ କରିବେ ଉପ‌ହାସ । ଏ କଥା ନୋହଇ ବିଶ୍ୱାସ ।।୭୨
ଯେ ବିପ୍ର ମୋର ଦାନ ନେବ । ସେ କିମ୍ପା ଆନ‌କୁ ମାଗିବ ।।୭୩
ଏଣୁ ବ‌ହୁତ-ବୃତ୍ତିକାରୀ । ଭୋ ବିପ୍ର ମାଗ ବସୁନ୍ଧରୀ ।।୭୪
ଏମନ୍ତ ବଳି ମୁଖୁଁ ଶୁଣି । ବଟୁ-ବାମନ କ‌ହେ ପୁଣି ।।୭୫

ବାମନ ଉବାଚ

ଶୁଣ ହୋ ବଳି ନୃପନାଥ । ଅଜ୍ଞାନୀଜନଙ୍କର ମତ ।।୭୬
ସମୁଦ୍ର ଆବରଣେ ମହୀ । ଏତେ ସମ୍ପଦ ଯେବେ ପାଇ ।।୭୭
ତେବେ ହେଁ ଆଶା ନ ପୂରଇ । ଶୁଣ ନୃପତି ମନ‌ଦେଇ ।।୭୮
ସପତଦ୍ୱୀପେ ଅଧିପତି । ଥିଲେ ଯେ ଅନେକ ନୃପତି ।।୭୯
ବେଣତନୟ ଗୟ ଆଦି । ଅସଂଖ୍ୟ-ଅତୁଳ-ସମ୍ପତ୍ତି ।।୮୦
ସେ ଅର୍ଥ-କାମ ଯେତେ କଲେ । ତୃଷ୍ଣାର ଅନ୍ତ ନ ପାଇଲେ ।।୮୧
ପୂର୍ବର କର୍ମଫଳ ଲଇ । ଯେ ଦିନେ ଯେ ଅବା ମିଳଇ ।।୮୨
ତେଣେ ସନ୍ତୋଷ ଚିତ୍ତ ଯାର । ସେ ପ୍ରାଣୀ ତ୍ରିଜଗତେ ସାର ।।୮୩
ସନ୍ତୋଷେ ତେଜ ବଢ଼େ ଭଲେ । ଘୃତେ ଅନଳ ଯେହ୍ନେ ଜଳେ ।।୮୪
ଯେ ଅର୍ଥ-କାମେ ଅସନ୍ତୋଷ । ହେଳେ ତା ତେଜ ହୋଏ ନାଶ ।।୮୫
ଉଭୟଲୋକେ ସୁଖ ନାହିଁ । ସେ ପ୍ରାଣୀ ଥିବ ଅବା କାହିଁ ।।୮୬
ଅର୍ଜନେ ଅସନ୍ତୋଷ ହେଲେ । ଅତୁଷ୍ଟେ ପଡ଼ଇ ପାତାଳେ ।।୮୭
ଅତୁଷ୍ଟି ଜଳବିନ୍ଦୁ ହୋଇ । ଅଗ୍ନିର ତେଜ ସେ ଲିଭାଇ ।।୮୮
ଏଣୁ ସମ୍ପଦେ କାର୍ଯ୍ୟ ନାହିଁ । ତ୍ରିପାଦ ଭୂମି ଦିଅ ତୁହି ।।୮୯
ଏକଇ ମାତ୍ର ମୋ ଜୀବନ । ଅଧିକେ କିବା ପ୍ରୟୋଜନ ।।୯୦
ଆନନ୍ଦେ କ‌ହେ ବ୍ୟାସସୁତ । ଶୁଣ ହେ ନୃପ ପରୀକ୍ଷିତ ।।୯୧

ଶୁକ ଉବାଚ

ଏମନ୍ତେ ବିପ୍ର ଯ‌ହୁଁ ଭାଷି । ସେ ବାକ୍ୟ ଶୁଣି ବଳି ହସି ।।୯୨
ବୋଲଇ ଧରି କୁଶପାଣି । ତୋ ପାଦ-ପ୍ରମାଣେ ଧରଣୀ ।।୯୩
ଦେବଇଁ ସତ୍ୟ ମୋ ବଚନ । ଭୋ ବିପ୍ର ତୋଷଚିତ୍ତେ ଘେନ ।।୯୪
ଶୁକ୍ର ଯେ ବଳି ପାଶେ ଥିଲା । ଦାନର ନିର୍ଣ୍ଣୟ ଜାଣିଲା ।।୯୫
କରଅଞ୍ଜଳି ବ୍ୟଗ୍ରେ ଧରି । ବଳିକି କ‌ହେ ଆଗସରି ।।୯୬

ଶୁକ୍ର ଉବାଚ

ଶୁଣ ହେ ବିରୋଚନ ସୁତ । ତୋର ଦେଖଇଁ ବିପରୀତ ।।୯୭
ପାତ୍ର-ଅପାତ୍ର ତୁ ନ ଜାଣୁ । ବିପ୍ରଙ୍କୁ ଦାନେ ପରିମାଣୁ ।।୯୮
ଦେଖ ଏ ପ୍ରଭୁ ଭଗବାନ । କପଟେ ଶରୀର ବାମନ ।।୯୯
ବିବୁଧକୁଳ ରକ୍ଷା କାର୍ଯ୍ୟେ । ଜନ୍ମିଲେ କଶ୍ୟପର ବୀର୍ଯ୍ୟେ ।।୧୦୦
ଅଦିତି-ଗର୍ଭେ ଜାତ ହୋଇ । ଅଇଲେ ତୋର ମନମୋହି ।।୧୦୧
ଅର୍ଥ ଅନର୍ଥ ତୁ ନ ଜାଣି । ହସ୍ତେ ଧଇଲୁ କୁଶପାଣି ।।୧୦୨
ଦିତିର ଗର୍ଭେ ଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ।।୧୦୩
ଏ ବିଷ୍ଣୁ ତୋର ଯଶଶିରୀ । ମାୟା ବାମନ ରୂପେ ହରି ।।୧୦୪
ଇନ୍ଦ୍ରକୁ ଦେବ ବୁଦ୍ଧିବଳେ । ତୁ ମୂଢ଼ ପଶିବୁ ପାତାଳେ ।।୧୦୫
ତିନିଚରଣେ ତିନିପୁରେ । ସମ୍ପଦ ହରିବ ତୋହର ।।୧୦୬
ସର୍ବସ୍ୱ ବିଷ୍ଣୁ ହସ୍ତେ ଦେଇ । ତୁ ମୂଢ଼ ବିଶ୍ରାମିବୁ କାହିଁ ।। ୧୦୭
ପାଦକେ ଅବନୀ ପୂରିବ । ଶରୀର ବ୍ରହ୍ମାଣ୍ତେ ଘୋଟିବ ।।୧୦୮
ଦ୍ୱିତୀୟ ପାଦେ ହୃଷୀକେଶ । ବିକ୍ରମି ଘେନିବ ଆକାଶ ।।୧୦୯
ତୃତୀୟପାଦ କାହୁଁ ଦେବୁ । ନିଶ୍ଚୟେ ନରକେ ପଡ଼ିବୁ ।।୧୧୦
ସଙ୍କଳ୍ପ କରି ଦାନ ଅର୍ଥେ । ପଛେ ନ ଦ୍ୟନ୍ତି ଯେ ଯୁଗତେ ।।୧୧୧
ସେ କାହିଁ ଥିବେ ଏ ସଂସାରେ । ପଡ଼ନ୍ତି ଅନ୍ଧତମ ଘୋରେ ।।୧୧୨
ଯେ ଦାନେ ବୃତ୍ତି ଯାଏ ନାଶ । କୁଳ ସମ୍ପଦ ଧର୍ମ ଯଶ ।।୧୧୩
ସେ ଦାନ କେବେହେଁ ନ‌କରି । ଯଶ ସମ୍ପଦ ପରିହରି ।।୧୧୪
ଧର୍ମ ଅର୍ଥ ଯେ ଯଶ କାମ । ଆବର କୁଟୁମ୍ବ ପୋଷଣ ।।୧୧୫
ଏଥକୁ ରଖି ଦାନ କଲେ । ଆନନ୍ଦ ଲଭେ ପ୍ରାଣୀ ଭଲେ ।।୧୧୬
ପୂର୍ବେ ଯେ ସିଦ୍ଧମୁନି ଯେତେ । ସେ କ‌ହିଛନ୍ତି ଧର୍ମଶାସ୍ତ୍ରେ ।।୧୧୭
ତାହା କ‌ହିବା ତୋ ଅଗ୍ରତେ । ରାଜନ ଶୁଣ ଏକଚିତ୍ତେ ।।୧୧୮
ମନବଚନେ ସତ୍ୟକରି । ଓଁ କାର-ବାକ୍ୟ ଯେ ଉଚ୍ଚାରି ।।୧୧୯
ଦେବି ମୁଁ ବୋଲି ସତ୍ୟକରେ । କେ ତାହା ଜ୍ଞାନ ଥାଉଁ ହରେ ।।୧୨୦
ମିଥ୍ୟା ବୋଲିଟି ତାର ନାମ । ଜାଣ ହେ ଅସୁରଉତ୍ତମ ।।୧୨୧
ଏ ଦେହ-ବୃକ୍ଷ ମିଥ୍ୟାମୂଳ । ସତ୍ୟ ଯେ ତାର ଫୁଲଫଳ ।।୧୨୨
ବୃକ୍ଷର ନାଶେ ନାଶ ଯାନ୍ତି । ବୃକ୍ଷର ମୂଳ ଥିଲେ ଥାନ୍ତି ।।୧୨୩
ସଙ୍କଳ୍ପ-ସତ୍ୟ ନାଶ ଯାନ୍ତେ । ଅଙ୍କୁର ନୁହଁଇ ବିହିତେ ।।୧୨୪
ଅ କାର ଉ କାର ମ କାରେ । ଶବ୍ଦ ଉଚ୍ଚାର ପ୍ରଣବରେ ।।୧୨୫
ଯେ ତାହା ଅଜ୍ଞାନେ ହରନ୍ତି । ନିଜ ଶରୀର ନ ଧରନ୍ତି ।।୧୨୬
ରତି-ସମ୍ଭାଗେ ନାରୀ ସଙ୍ଗେ । ବିବାହେ କନ୍ୟାବର ଯୋଗେ ।।୧୨୭
ବୃତ୍ତ୍ୟର୍ଥେ ପ୍ରାଣର ସଙ୍କଟେ । ଗୋରୁ-ବ୍ରାହ୍ମଣଙ୍କର କଷ୍ଟେ ।।୧୨୮
ମିଥ୍ୟା କ‌ହିଲେ ଯେବେ ତରେ । ଏ କଥା କେ ଅବା ନ କରେ ।।୧୨୯
ଗୁରୁ ଏମନ୍ତ ବାକ୍ୟ କ‌ହି । ବଳି ତା ବାକ୍ୟେ ମନ ଦେଇ ।।୧୩୦
ସଂଶୟ ରହିଲା ତା ଚିତ୍ତେ । ଗୁରୁ ବଚନେ ଧର୍ମମତେ ।।୧୩୧
ବଳି-ବାମନ ବାକ୍ୟବନ୍ଧେ । ଯେମନ୍ତେ ଏ ଅଷ୍ଟମସ୍କନ୍ଧେ ।।୧୩୨
ସୁଜନେ ଶୁଣ ଏକ ଚିତ୍ତେ । ହରିଚରିତ ଭାଗବତେ ।।୧୩୩
ଶ୍ରୀହରି-ଚରିତ ଏ ଭାବ । ଭାବିଲେ ସଂସାରୁ ତରିବ ।।୧୩୪
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ।।୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ଅଷ୍ଟାଦଶୋଽଧ୍ୟାୟଃ । ।

ଊନବିଂଶ ଅଧ୍ୟାୟ

ଶୁକ ଉବାଚ

ଶୁକ କ‌ହ‌ନ୍ତି ମୃଦୁବାଣୀ । ଶୁଣ ପାଣ୍ତବ-ଚୂଡ଼ାମଣି ।।୧
ବଳି ଯେ ଅସୁରଙ୍କ ପତି । ସ୍ୱଭାବେ ଧର୍ମେ ଶୁଦ୍ଧମତି ।।୨
କୁଳ ଆଚାର୍ଯ୍ୟ ବାକ୍ୟ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ।।୩
ତୁନି ହୋଇଲା କ୍ଷଣମାତ୍ର । ଶିଥିଳେ କମ୍ପମାନ ଗାତ୍ର ।।୪
କ୍ଷଣକେ ଗୁରୁ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ।।୫

ବଳି ଉବାଚ

ଭୋ ଗୁରୁ ସତ୍ୟ ତୁମ୍ଭ କଥା । ଗୃହସ୍ଥ ଧର୍ମର ବ୍ୟବସ୍ଥା ।।୬
ଯେ ଧର୍ମେ ଅର୍ଥ କାମ ଯଶ । ବୃତ୍ତି ସ‌ହିତେ ଯିବ ନାଶ ।।୭
ଏବେ ମୁଁ ଧନେ ହୋଇ ଲୋଭୀ । ବିପ୍ରଙ୍କୁ କେମନ୍ତେ ଲଂଘିବି ।।୮
ସର୍ବଦେବତା ବିଷ୍ଣୁ ଦେହେ । ବ୍ରାହ୍ମଣ ଦେହେ ବିଷ୍ଣୁ ରହେ ।।୯
ଏକ ବିପ୍ରଙ୍କୁ ବଞ୍ଚାଇଲେ । ବ୍ରହ୍ମାଣ୍ତ ନାଶ ଯାଇ ଭଲେ ।।୧୦
ମୁଁ ପ୍ରହଲ୍ଲାଦ ବଂଶେ ଜାତ । ଏ କଥା ଜଗତେ ବିଖ୍ୟାତ ।।୧୧
କେମନ୍ତେ ସତ୍ୟବାକ୍ୟ କ‌ହି । କପଟ କରି ମାୟା ବ‌ହି ।।୧୨
ଲଂଘିବି ପାପ-କର୍ମ-ବଳେ । ଅଯଶ ଲଭିବି ଶୟଳେ ।।୧୩
ସତ୍ୟ ଉପରେ ଧର୍ମ ନାହିଁ । ଏ କଥା ଭୂମି ଅଛି କ‌ହି ।।୧୪
ସର୍ବ ଅପ୍ରାଧ ସ‌ହିପାରେ । ମିଥ୍ୟାର ଭାରେ ମୁହିଁ ଡରେ ।।୧୫
ଅଧର୍ମ କରନ୍ତି ଯେ ଜନେ । ନରକେ ପଡ଼ନ୍ତି ସେମାନେ ।।୧୬
ନ ଡ଼ରେ ଦୁଃଖ ପାରାବାରେ । ନରକେ କିବା ମରଣରେ ।।୧୭
ସ୍ୱସ୍ଥାନ ଭ୍ରଷ୍ଟେ ନାହିଁ ତପ । ବିପ୍ର-ଲଂଘନେ ମହାପାପ ।।୧୮
ଏ ଭୂମି ଛାଡ଼ି ଅନ୍ତକାଳେ । ମୁହିଁ ଗମିବି ଅନ୍ତରାଳେ ।।୧୯
ଏ ଭୂମି ବିପ୍ର କରେ ଦେଇ । କେମନ୍ତେ ଲଂଘିବଇଁ ମୁହିଁ ।।୨୦
ପ୍ରାଣୀଙ୍କ ହିତେ ସାଧୁଜନ । ତ୍ୟଜନ୍ତି ଏ ଧନ-ଜୀବନ ।।୨୧
ଦ‌ଧୀଚି ଆଦି ଋଷି ଯେତେ । ପୂର୍ବେ ଯେ ସାଧବ ସମସ୍ତେ ।।୨୨
ପୃଥିବୀ ଆତ୍ମ‌ବଶ କଲେ । ସଙ୍ଗତେ କିବା ଘେନିଗଲେ ।।୨୩
ମୋହର ବଂଶର ଅସୁରେ । ଏ ଭୂମି ମଧ୍ୟେ ଯେତେ ଥିଲେ ।।୨୪
ସେ ସର୍ବ କାଳେ ଅସ୍ତ ଗଲେ । ଯଶ ରହିଲା ମହୀତଳେ ।।୨୫
ସମରେ ଯେ ବୀରେ ପଶନ୍ତି । ଆତ୍ନ-ବିଚାର ନ କରନ୍ତି ।।୨୬
ଯେ ତୀର୍ଥେ ତ୍ୟଜନ୍ତି ଶରୀର । ସ୍ୱଧର୍ମେ କରନ୍ତି ବିଚାର ।।୨୭
ଯେ ସତପାତ୍ରେ ଦ୍ୟନ୍ତି ଦାନ । ସେ ସର୍ବେ ସାତ୍ତ୍ୱିକ-ଜୀବନ ।।୨୮
ଏ ସତ୍ୟ-ଧର୍ମ ଦୂର କରି । ତୁମ୍ଭ ବଚନ ମନେ ଧରି ।।୨୯
ଏ ମୋର ଶରୀର ନଥିବ । ଏଥକୁ ସାକ୍ଷୀ ସଦାଶିବ ।।୩୦
ବ୍ରହ୍ମାର ବଂଶେ ଜାତ ହୋଇ । ଏମନ୍ତ କ‌ହ କାହିଁପାଇଁ ।।୩୧
ନିଶ୍ଚେ ଧରଣୀ ଦେବି ଦାନ । ଏଥକୁ ସାକ୍ଷୀ ଭଗବାନ ।।୩୨
ବେଦ-ବିଧାନ ଯେ ଜାଣନ୍ତି । ଆତ୍ମାକୁ ସର୍ବଭୂତେ ଚିନ୍ତି ।।୩୩
ଅନେକ ଯଜ୍ଞମତେ ଚିନ୍ତି । ଯାର ଚରଣ ନ ଲଭନ୍ତି ।।୩୪
ସେ ହରି ମୋତେ ଦୟା କରୁ । ଅଥବା ଶରୀର ସଂହାରୁ ।।୩୫
ତ‌ହିଁକି ଚିନ୍ତା ମୋର ନାହିଁ । ବିପ୍ରେ ଧରଣୀ ଦେବି ମୁହିଁ ।।୩୬
ଅଧର୍ମ-ମାର୍ଗେ ଯେବେ ମୋତେ । ବିପ୍ର ମାରିବ କୋପଚିତ୍ତେ ।।୩୭
ଏ ବ୍ରହ୍ମ‌ତନୁ ଇଷ୍ଟ ମୋର । ମୁଁ ତ ଏହାର ନିର୍ବଇର ।।୩୮
ଛଦ୍ମେ ବ୍ରାହ୍ମଣ ରୂପ ଧରି । ବିଷ୍ଣୁ ମୋ ସଙ୍ଗେ ବାଦ କରି ।।୩୯
ଯେବେ ମାରିବେ ଯୁଦ୍ଧେ ମୋତେ । ମୋ ତ‌ହୁଁ ଧନ୍ୟ କେ ଜଗତେ ।।୪୦
ବ୍ୟାସତନୟ କ‌ହେ ଧୀର । ଶୁଣ ପରୀକ୍ଷ ମ‌ହୀଧର ।।୪୧

ଶୁକ ଉବାଚ

ଏମନ୍ତ ଶୁଣି ବଳି ମୁଖେ । ସେ ଭୃଗୁସୁତ ମନ‌ଦୁଃଖେ ।।୪୨
ବଳିର ସତ୍ୟକଳ୍ପ ଦେଖି । କ୍ରୋଧେ ଅରୁଣ କଲା ଆଖି ।।୪୩
କଟାକ୍ଷ ନୟନେ ଅନାଇଁ । ମୁଖେ କି ଅନଳ ଜଳଇ ।।୪୪
ନିର୍ଘାତେ କମ୍ପିତ-ନିଃଶ୍ୱାସେ । ବଳିକି ଶାପ ଦେଲା ରୋଷେ ।।୪୫

ଶୁକ୍ର ଉବାଚ

ତୁ ସତ୍ୟସନ୍ଧ ନୃପମଣି । ମୋହର ମହିମା ନ‌ଜାଣି ।।୪୬
ଗର୍ବ ବ‌ହିଲୁ ଯେବେ ଦୁଷ୍ଟ । ସର୍ବ ସମ୍ପଦୁ ହୁଅ ଭ୍ରଷ୍ଟ ।।୪୭
ଏମନ୍ତେ ଗୁରୁଶାପ ପାଇ । ଧରଣୀ-ଦାନେ ମନ‌ଦେଇ ।।୪୮
ବାମନ ବେନିପାଦ ଧରି । ବିଧିପୂର୍ବକ ପୂଜା କରି ।।୪୯
ବଳିର ପତ୍ନୀ ବିନ୍ଧ୍ୟାବଳୀ । କଣ୍ଠେ ଭୂଷଣ ରତ୍ନମାଳୀ ।।୫୦
ଉଦକେ ପୂର୍ଣ୍ଣ ଘଟ ବେଗେ । ଘେନି ମିଳିଲା ସ୍ୱାମୀ ଆଗେ ।।୫୧
ବଳି ବାମନପାଦ ଯୁଗେ । ଜଳ ଢାଳିଲା ନେଇ ବେଗେ ।।୫୨
ପାଦଉଦକ ଘେନି ଶିରେ । ଆନନ୍ଦ ପୁଲକ ଶରୀରେ ।।୫୩
ଯେ ଜଳ ଭୁବନପାବିନୀ । କାନ୍ତକାମିନୀ ଶିରେ ଘେନି ।।୫୪
କୃତାର୍ଥ ହୋଇ କର‌ଯୋଡ଼ି । କିଙ୍କର ପ୍ରାୟେ ପାଦ ପଡ଼ି ।।୫୫
ଆନନ୍ଦ-ସାଗରେ ବୁଡ଼ିଲେ । ଶୂନ୍ୟେ ଯେ ଦେବେ ଦେଖୁଥିଲେ ।।୫୬
ଗନ୍ଧର୍ବଗଣ ବିଦ୍ୟାଧର । ସୁସିଦ୍ଧ ଚାରଣ କିନ୍ନର ।।୫୭
କରନ୍ତି ଜୟ ଜୟ ବାଣୀ । କୁସୁମ କଳ୍ପବୃକ୍ଷୁ ଆଣି ।।୫୮
ସିଞ୍ଚିଣ ସନ୍ଦାକିନୀ-ବାରି । ପୁଷ୍ପ ବରଷି ସ୍ତୁତି କରି ।।୫୯
ସ‌ହସ୍ର ଦୁନ୍ଦୁଭି ଶବଦ । ବଜାନ୍ତି ଚତୁର୍ବିଧ ବାଦ୍ୟ ।।୬୦
ନୃତ୍ୟ କରନ୍ତି ଅପସରୀ । ମଙ୍ଗଳ ନାଦେ ମୋଦଭରି ।।୬୧
ଆଗରେ ଉଭା ତାର ବାଣୀ । ବଳି ଘେନିଲା କୁଶ ପାଣି ।।୬୨
ବେଦ-ବଚନେ ବାକ୍ୟ କରି । କାନ୍ତ-କାମିନୀ ମୋଦଭରି ।।୬୩
ବାମନ କଲେ ବେଦନାଦ । ଧରଣୀ ଦେଲା ତିନିପାଦ ।।୬୪
ଆତ୍ନସନ୍ତୋଷେ ଯେତେ ଧନ । ଦକ୍ଷିଣା ଦେଲା ଯଜମାନ ।।୬୫
ତାର ଦୁର୍ଲ୍ଲଭ କଥା ଶୁଣି । ଦେବେ କରନ୍ତି ଜୟବାଣୀ ।।୬୬
ବାମନ କରେ ଜଳ ଘେନି । ପାଦକେ ଢାଙ୍କିଲେ ଅବନୀ ।।୬୭
ବାମନ ବଳି-ମୁଖ ଚାହିଁ । ବୋଲନ୍ତି ଆଉ ମହୀ କାହିଁ ।।୬୮
ବଳି ବୋଇଲା ଦେବି ସ୍ୱର୍ଗ । ବାମନ ପାଦ ଦେଲେ ବେଗ ।।୬୯
ଦ୍ୱିତୀୟ ପାଦେ ସ୍ୱର୍ଗ ଝାମ୍ପେ । ଘୋର-ଶବଦେ ଦିଗ କମ୍ପେ ।।୭୦
ଅଦ୍‌ଭୁତ ବାମନ ଶରୀର । ପୂରିଲା ସ୍ୱର୍ଗ-ଅଭ୍ୟନ୍ତର ।।୭୧
ବଳି ଯେ ଆଚାର୍ଯ୍ୟ ସ‌ହିତେ । ଅଛନ୍ତି ବାମନ ଅଗ୍ରତେ ।।୭୨
ଦେଖଇ ବାମନ ଶରୀର । ଦେବଦାନ‌ବେ ଅଗୋଚର ।।୭୩
ନିର୍ଗୁଣ ଆତ୍ମା ସେ ସ୍ୱଭାବେ । କିବା ଉପମା ଦେବା ଏବେ ।।୭୪
ବେନିଚରଣ ଭୂ-ଆକାଶେ । ପର୍ବତଗଣ ଜଂଘଦେଶେ ।।୭୫
ବିହ‌ଙ୍ଗ‌ଗଣ ଜାନୁମୂଳେ । ଉଡ଼ନ୍ତି ଜନ୍ତୁ ଅନ୍ତରାଳେ ।।୭୬
ସନ୍ଧ୍ୟା ଦିଶଇ ବସ୍ତ୍ରପ୍ରାୟେ । ନିଜ ସ୍ୱଭାବେ ବିଶ୍ୱକାୟେ ।।୭୭
ଗୁହ୍ୟଦେଶରେ ପ୍ରଜାପତି । ଜଘନେ ଅସୁରେ ବସନ୍ତି ।।୭୮
ନାଭି ପ୍ରଦେଶେ ନଭ ଦିଶେ । ସପତ ସିନ୍ଧୁ କୁକ୍ଷିଦେଶେ ।।୭୯
ଊରେ ବିରାଜେ ତାରାଗଣ । ଯେହ୍ନେ ଅଳଙ୍କାର-ଭୂଷଣ ।।୮୦
ଧର୍ମ ବିରାଜେ ହୃଦମଧ୍ୟେ । ନିଜ ଶରୀର ଅଧଊର୍ଦ୍ଧ୍ୱେ ।।୮୧
ସ୍ତନମଣ୍ତଳେ ଊତ-ସତ୍ୟ । ମନେ ନିବାସ ନିଶାନାଥ ।।୮୨
କମଳା ହୃଦୟେ ବିରାଜେ । ବେନି କମଳ କରେ ସାଜେ ।।୮୩
କଣ୍ଠେ ବିରାଜେ ସାମ‌ବେଦ । ଆବର ଯେ ଅବା ଶବଦ ।।୮୪
ବାସବ ଆଦି ଦିଗପାଳେ । ଭୁଜେ ବସନ୍ତି ଅନ୍ତରାଳେ ।।୮୫
ଗ‌ଗନ ଦିଶେ ଶିର ଦେଶେ । ମେଘେ ଦିଶନ୍ତି କେଶପାଶେ ।।୮୬
ନାସିକା ମଧ୍ୟେ ହୋଇ ଶ୍ୱାସ । ବ‌ହେ ପବନ ଅଣଚାଶ ।।୮୭
ବେନି ଲୋଚନେ ରବି ଦିଶେ । ବଦନେ ଅନଳ ପ୍ରକାଶେ ।।୮୮
ସପତ ଛନ୍ଦ ବାଣୀ ଦେଶେ । ଜିହ୍ୱାରେ ବରୁଣ ପ୍ରକାଶେ ।।୮୯
ବିଧି ନିଷେଧ ଭୂରୁ ଦେଶେ । ରାତ୍ର ଦିବସ ପକ୍ଷ୍ମେ ଦିଶେ ।।୯୦
ଲ‌ଲାଟେ କ୍ରୋଧ ପ୍ରକାଶଇ । ଅଧର ଓଷ୍ଠେ ଲୋଭ ବ‌ହି ।।୯୧
ସ୍ପରଶେ କନ୍ଦର୍ପ ର‌ହଇ । ରେତେ ସଲିଳ ବିରାଜଇ ।।୯୨
ଅଧର୍ମ ପୃଷ୍ଠ ଦେଶେ ରହେ । କ୍ରମଣ ମାର୍ଗେ ଯଜ୍ଞ ଶୋହେ ।।୯୩
ଛାୟାରେ ମୃତ୍ୟୁ ବିରାଜଇ । ହସିତ ମାୟାରେ ବସଇ ।।୯୪
ବୃକ୍ଷ-ଔଷଧି ରୋମଗଣ । ଆଶ୍ରିତ ନାନା ପୁଷ୍ପବନ ।।୯୫
ନ‌ଦୀ-ସମୂହ ନାଡ଼ୀଦେଶେ । ଅଚଳକୁଳ ନ‌ଖେ ବସେ ।।୯୬
ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ । ପ୍ରାଣେ ଦେବତା-ଊଷି ସାଧ୍ୟେ ।।୯୭
ସ୍ଥାବର ଜଙ୍ଗମ ସ‌ହିତେ । କୀଟ ପତଙ୍କ ଦିଶେ ଗାତ୍ରେ ।।୯୮
ସର୍ବାଙ୍ଗେ ଦିଶେ ତିନିପୁର । ଦେବମାନ‌ବେ ଅଗୋଚର ।।୯୯
ନିଜ ଆୟୂଧ ଅଷ୍ଟଭୁଜେ । ଶଙ୍ଖ କମଳ ଚକ୍ର ସାଜେ ।।୧୦୦
ଗଦା ସାରଙ୍ଗ ଅସିବର । ତୂଣ ଅକ୍ଷୟ ବାଣ ଶର ।।୧୦୧
ସୁନ‌ନ୍ଦ ଆଦି ପାରିଷଦେ । ସମୀପେ ଖଟନ୍ତି ଆନ‌ନ୍ଦେ ।।୧୦୨
ଦିଗ ଉଭାରି ଦିଗପାଳେ । ମୁନି ବିବୁଧ ଅନ୍ତରାଳେ ।।୧୦୩
କିରୀଟ ଅଙ୍ଗଦ ଉଜ୍ଜ୍ୱଳ । ଶ୍ରବଣେ ମକରକୁଣ୍ତଳ ।।୧୦୪
ଶ୍ରୀବତ୍ସଚିହ୍ନ ବନମାଳା । କଟୀରେ ସୁବର୍ଣ୍ଣ ମେଖଳା ।।୧୦୫
ବନମାଳାର ଗନ୍ଧ ଆଶେ । ଭ୍ରମରେ ଉଡ଼ୁଛନ୍ତି ପାଶେ ।।୧୦୬
ପାଦକେ ଧରଣୀ ପୁରିଲା । ଦ୍ୱିତୀୟେ ସ୍ୱର୍ଗ ଗ୍ରସ୍ତ ହେଲା ।।୧୦୭
ଦିଗ ପୂରିଲା ଅଷ୍ଟଭୁଜେ । ମେଘେ ଦିଶନ୍ତି ଚୂଳ ମାଝେ ।।୧୦୮
ଏମନ୍ତେ ବାମନର ଦେହୀ । ତୃତୀୟ ପାଦ ଠାବ ନାହିଁ ।।୧୦୯
ମ‌ହତ-ଜନ-ତପ-ଲୋକେ । ଲୁଚିଲେ ବାମନ ମସ୍ତକେ ।।୧୧୦
ବୋଲଇ ଦାସ ଜଗନ୍ନାଥ । ଅଦ୍‌ଭୁତ ବାମନ ଚରିତ ।।୧୧୧
ସୁଜନେ ଚିନ୍ତ ଏକ ଚିତ୍ତେ । ଭାଷା ପ୍ରବନ୍ଧେ ଭାଗବତେ ।।୧୧୨
ବଳି-ବାମନର ପ୍ରସ୍ତାବ । ଶୁଣି ତ୍ରିତାପୁ ନିସ୍ତରିବ ।।୧୧୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନବିଶ୍ୱରୂପସର୍ଶନଂ ନାମ ଊନବିଂଶୋଽଧ୍ୟାୟଃ । ।

ବିଂଶ ଅଧ୍ୟାୟ

କ‌ହ‌ନ୍ତି ବ୍ୟାସଙ୍କର ବଳା । ଶୁଣ ପରୀକ୍ଷ କୃଷ୍ଣଲୀଳା ।।୧

ଶୁକ ଉବାଚ

ବାମନ ବିଶ୍ୱରୂପ ଦେଖି । ବୁଜିଲେ ହରବ୍ରହ୍ମା ଆଖି ।।୨
ଭୟେ ମିଳିଲେ ବିଷ୍ଣୁପାଶେ । ଅଭୟ ଚରଣ ବିଶ୍ୱାସେ ।।୩
ଅମର ଆଦି ମୁନିଗଣେ । ନମିଲେ ବାମନ ଚରଣେ ।।୪
ସନନ୍ଦ ଆଦି ଯୋଗୀଜନେ । ବେଦ ଉପବେଦ ସୁମନେ ।।୫
ଯମ ନିୟମ ବେନିପାଶେ । ସର୍ବେ ମିଳିଲେ ମହାତ୍ରାସେ ।।୬
ତର୍କ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ ।।୭
ଅପର ଯୋଗୀ ସିଦ୍ଧ ଯେତେ । ଜ୍ଞାନ-ଅନଳ ଜାଳି ଚିତ୍ତେ ।।୮
ଅଶେଷ କର୍ମ‌ବନ୍ଧ-ଫାଶି । ଯେ କରିଛନ୍ତି ଭସ୍ମରାଶି ।।୯
ବେଗେ ମିଳିଲେ ମୋଦଭରି । ସ୍ତୁତି-ବନ୍ଦନ ମୁଖେ କରି ।।୧୦
ହର ବିରଞ୍ଚି ତୋଷମନେ । କରସଂପୁଟ ଉପାୟନେ ।।୧୧
ବାମନ ପାଦତଳେ ଥୋଇ । ତକ୍ଷଣେ ବ୍ରହ୍ମା ଆଗ ହୋଇ ।।୧୨
ଯେ ବିଷ୍ଣୁ ନାଭିପଦ୍ମୁ ଜାତ । ଯାହାରେ ସର୍ଜିଲା ଜଗତ ।।୧୩
ଆନନ୍ଦେ ଭରି କମଣ୍ତଳେ । ଶୁଚି ପବିତ୍ର ଶୁଦ୍ଧଜଳେ ।।୧୪
ମନ୍ତ୍ର ଉଚ୍ଚାରି କରେ ଘେନି । ଯେ ନୀର ଭୁବନ ପାବନୀ ।।୧୫
ବାମନ-ପାଦ ଶୂନ୍ୟେ ଗଲା । ବାଜନ୍ତେ ବ୍ରହ୍ମାଣ୍ତ କମ୍ପିଲା ।।୧୬
ସେ ଅଣ୍ତ ଭେଦି ଜଳରାଶି । ବେଗେ ବ୍ରହ୍ମାଣ୍ତ ମଧ୍ୟେ ପଶି ।।୧୭
ବିଷ୍ଣୁ-ଚରଣ ପଖାଳିଲା । ପତିତପାବନୀ ହୋଇଲା ।।୧୮
ସେ ଜଳ କମଣ୍ତଳେ ଘେନି । ବିଷ୍ଣୁ ସମୀପେ ପଦ୍ମ‌ଯୋନି ।।୧୯
ସଙ୍ଗତେ ଘେନି ଦେବଗଣ । ଯେ ସିଦ୍ଧ କିନ୍ନର ଚାରଣ ।।୨୦
ଯେ ଯାର ଘେନି ଉପାୟନ । ମିଳିଲେ ବିଷ୍ଣୁ ସନ୍ନିଧାନ ।।୨୧
ନମି ବାମନ ପାଦତଳେ । ନିଜ ଅଧିକାର ନିଶ୍ଚଳେ ।।୨୨
ଗଙ୍ଗା ଯେ କମଣ୍ତଳେ ଥିଲା । ବ୍ରହ୍ମା ବିଷ୍ଣୁପାଦେ ଢ଼ାଳିଲା ।।୨୩
ଶୁଦ୍ଧ ପବିତ୍ର ଜଳରାଶି । ଗୋବିନ୍ଦ ନ‌ଖକୋଣେ ପଶି ।।୨୪
ତ‌ହୁଁ ଉଛୁଳି ଅନ୍ତରୀକ୍ଷେ । ପଡ଼ିଲା ମୁନିଙ୍କ ସମକ୍ଷେ ।।୨୫
ସୋମ ଆଦିତ୍ୟଲୋକ ଜିଣି । ସ୍ୱର୍ଗେ ପଡ଼ିଲା ତରଙ୍ଗିଣୀ ।।୨୬
ସୁମେରୁଶିଖେ ଅନ୍ତରୀକ୍ଷେ । ସେ ଜଳ ପଡ଼ିଲା ପ୍ରତ୍ୟକ୍ଷେ ।।୨୭
ଚତୁରଦିଗେ ଚାରିଧାରେ । ପଡ଼ିଲା ଧରଣୀ ଉପରେ ।।୨୮
ସମୁଦ୍ରେ ମିଶେ ଚାରିଦିଗେ । ନ‌ଦୀ ସ୍ୱରୂପେ ଅତିବେଗେ ।।୨୯
ଏବେ ହୋ ଶୁଣ ମହୀପତି । ଚରଣ ଧୋଇ ପ୍ରଜାପତି ।।୩୦
ଘେନି ସୁଗନ୍ଧ ପୁଷ୍ପମାଳ । ଚନ୍ଦନ କର୍ପୂର ଶୀତଳ ।।୩୧
ସନ୍ନିଧେ ଦୂପ ଦୀପ ଥୋଇ । ଫଳ ଅକ୍ଷତ ଲାଜା ଦେଇ ।।୩୨
ଜୟ ଶବଦେ ସ୍ତୁତି ଭଣି । ନିର୍ମଳ ବାକ୍ୟେ ବେଦବାଣୀ ।।୩୩
ବିଷ୍ଣୁର ମହିମା ଉକତେ । ତାଣ୍ତବ ବାଦ୍ୟ ନୃତ୍ୟଗୀତେ ।।୩୪
ଶଙ୍ଖଦୁନ୍ଦୁଭି ଶୂନ୍ୟେ ଘୋଷେ । ସର୍ବେ ମିଳିଲେ ବିଷ୍ଣୁପାଶେ ।।୩୫
ଅତି ଉଲ୍ଲାସେ ଜାମ୍ବବାନ । ମିଳିଲା ବିଷ୍ଣୁ ସନ୍ନିଧାନ ।।୩୬
ବିଷ୍ଣୁର ଯଶ ଗାଇ ତୋଷେ । ଯେ ଯଶ ପୂରେ ଦଶଦିଶେ ।।୩୭
ଏମନ୍ତ ମହୋତ୍ସବ ଦେଖି । ଅସୁର ଭୁବନ ଉପେକ୍ଷି ।।୩୮
ଦ୍ୱିପାଦ ଦାନେ ସ୍ୱର୍ଗ ମହୀ । ପୂରିଲା ବାମନର ଦେହୀ ।।୩୯
ସ୍ୱସ୍ଥାନେ ରହି ନ ପାରିଲେ । ବଳିର ସମୀପେ ମିଳିଲେ ।।୪୦
ଗୁରୁବଚନେ କୋପଚିତ୍ତେ । ବୋଲନ୍ତି ବଳିର ଅଗ୍ରତେ ।।୪୧

ଅସୁରଗଣ ଉବାଚ

ବ୍ରାହ୍ମଣ ନୋହେ ଏ ବାମନ । ପ୍ରତ୍ୟକ୍ଷେ ପ୍ରଭୁ ଭଗବାନ ।।୪୨
ମାୟାବୀମାନଙ୍କ ମୋହ‌ନ । କପଟେ ମାଗେ ଭୂମିଦାନ ।।୪୩
ମାୟଆବୀମାନଙ୍କର ବର । ସମ୍ପଦ ହରିଲା ତୋହର ।।୪୪
ବାମନରୂପ ଏ ଜଗତେ । ଦେବଙ୍କ କାର୍ଯ୍ୟସିଦ୍ଧି ଅର୍ଥେ ।।୪୫
ଏ ବଳି ନିତ୍ୟେ ସତ୍ୟବ୍ରତ । ବିଶେଷେ ବ୍ରାହ୍ମଣ ଭକତ ।।୪୬
କେବେହେଁ ମିଥ୍ୟା ଏ ନ କ‌ହେ । ଦୁଃଜନଙ୍କୁ ଦୟା ବ‌ହେ ।।୪୭
ଆମ୍ଭର ପ୍ରଭୁ ଏ ରାଜନ । ନିଶ୍ଚେ ବଇରୀ ଏ ବାମନ ।।୪୮
ଆସ ଏହାକୁ ବଧ କର । ବଳିକି ସଙ୍କଟୁ ଉଦ୍ଧର ।।୪୯
ଏ ମଲେ ଶତ୍ରୁ ନାହିଁ ଦୁଜା । ବଳି ହୋଇବ ସ୍ୱର୍ଗେ ରାଜା ।।୫୦
ଆମ୍ଭେ କରିବା ତୋର କାର୍ଯ୍ୟ । ହେ ଦୈତ୍ୟ ବଳି ମହାରାଜ ।।୫୧
ଏମନ୍ତ ବୋଲି ଏକଚିତ୍ତେ । ଅସୁରେ ଧାଇଁଲେ ତୁରିତେ ।।୫୨
ଶୂଳ ଖଡ଼ଗ ଧରି କରେ । ଧାଇଁଲେ ଘୋରନାଦ ଭରେ ।।୫୩
ଶବଦେ ଭୁବନ କମ୍ପିଲା । ସିନ୍ଧୁ କି ଉଛୁଳି ପଡ଼ିଲା ।।୫୪
ତାହାଙ୍କୁ ଦେଖି ବିଷ୍ଣୁଗଣେ । ତକ୍ଷଣେ ଉଭାରିଲେ ରଣୈ ।।୫୫
ମିଳିଲେ କରେ ଶସ୍ତ୍ର ଧରି । ଶଙ୍ଖ-ଶବଦେ ମୋଦ ଭରି ।।୫୬
ନନ୍ଦ ସୁନନ୍ଦ ଜୟ ଆଦି । ବିଜୟ ପ୍ରବଳ ସୁବୁଦ୍ଧି ।।୫୭
ବଳ କୁମୁଦ କୁମୁଦାକ୍ଷ । ବିନତାସୁତ ଆଦି ଦକ୍ଷ ।।୫୮
ବିଶ୍ୱକସେନ ଯେ ଜୟନ୍ତ । ସୁବାହୁ ପିଶଙ୍ଗୀ ସମସ୍ତ ।।୫୯
ସାତ୍ୱତ ପୁଷ୍ପଦନ୍ତ ବୀର । ଶ୍ରୁତଦେବ ଯେ ମନୋହର ।।୬୦
ଦଶସ‌ହସ୍ର ହସ୍ତୀବଳ । ସ୍ୱଭାବେ ତେଜ ଅନର୍ଗଳ ।।୬୧
ବେଗେ ମିଳିଲେ ଘୋରରଣୈ । କୁଞ୍ଜରେ ଯେହ୍ନେ ପଦ୍ମ‌ବନେ ।।୬୨
ଅସୁରବଳ ନାଶ ଦେଖି । ବଳି ହୋଇଲା ମନେ ଦୁଃଖୀ ।।୬୩
ଗୁରୁବଚନ ମନେ ସ୍ମରି । ବୋଲଇ ଜଣ କଣ କରି ।।୬୪
ହେ ବିପ୍ରଚିତ୍ତି ବ୍ୟଗ୍ରଗତି । ହେ ରାହୁ କଉଣପ‌ପତି ।।୬୫
ମୋର ବଚନ ଚିତ୍ତେ ଧର । କେବେ ହେଁ ସମର ନ କର ।।୬୬
ଆମ୍ଭର ନୋହେ ଜୟକାଳ । ଈଶ୍ୱର-ମାୟା ଅନ୍ତ‌ରାଳ ।।୬୭
ଯେ ପ୍ରଭୁ ବଳେ ବଳବନ୍ତା । ପ୍ରାଣୀଙ୍କ ଦୁଃଖ-ସୁଖ-ଦାତା ।।୬୮
ସେ ଯେ ଅଶେଷ ମାୟାଧର । ସଂସାର ଯାର ଖେଡ଼ଘର ।।୬୯
ସେ ଯାକୁ କାଳେ ବାମହୋଇ । ତାହାର ଜୟ ଯଶ କାହିଁ ।।୭୦
ଯେବେ ଦଇବ ଆମ୍ଭପକ୍ଷେ । ସୁକାଳ ହୋଇବ ପ୍ରତ୍ୟକ୍ଷେ ।।୭୧
ତେବେ ଜିଣିବା ଆମ୍ଭେ ରଣେ । ଏମନ୍ତ ବୋଧି ଜଣେ ଜଣେ ।।୭୨

ଶୁକ ଉବାଚ

ବଳି ବଚନ ବୀରେ ଶୁଣି । ଜୟଅଜୟ ପରିମାଣି ।।୭୩
ପୁଣି ମିଳିବୁ ଜୟକାଳେ । ଏମନ୍ତ ବୋଲି ରସାତଳେ ।।୭୪
ପଶିଲେ ମନେ କ୍ରୋଧଭରି । ଏବେ ହୋ ଶୁଣ ଦଣ୍ତଧାରୀ ।।୭୫
ଗରୁଡ଼ ବିଷ୍ଣୁ ଆଜ୍ଞା ପାଇ । ବଳି ସମୀପେ କ୍ରୋଧ ବ‌ହି ।।୭୬
ବରୁଣ ପାଶ ଘେନି କରେ । ବଳିକୁ ଯଜ୍ଞର ଶାଳରେ ।।୭୭
ସୋମ-ଅଭିଷେକ-ଦିବସେ । ବଳିକୁ ବାନ୍ଧେ ଅତି ରୋଷେ ।।୭୮
ଶୁଭିଲା ହାହାକାର ନାଦ । ଅସୁରେ ଲଭିଲେ ବିଷାଦ ।।୭୯
ବଳିର ଦେଖିଣ ବନ୍ଧନ । ବୋଲନ୍ତି ପ୍ରଭୁ ଭଗବାନ ।।୮୦
ତୃତୀୟପାଦ ମୋର କରେ । ଦେଲୁ ଯେ ଓଁକାର ଉଚ୍ଚାରେ ।।୮୧
ଭୂମି ଗ‌ଗନେ ବେନିପାଦ । ଆବର ପାଦ ଶୂନ୍ୟେ ଭେଦ ।।୮୨
ତୃତୀୟପାଦ ଏବେ ଦିଅ । ସଙ୍କଳ୍ପ ଦୋ‌ଷୁ ପାରି ହୁଅ ।।୮୩
ଯାବଟ ଚନ୍ଦ୍ର ସୂର୍ଯ୍ୟ ଦିଶେ । ପବନ ଅନଳ ପ୍ରକାଶେ ।।୮୪
ତାବତ ଭୂମି ଏ ତୋହର । ମୁଁ ଯେ ଘେନିଲି ବେନିପୁର ।।୮୫
ତୃତୀୟପାଦେ ସ୍ଥାନ ଦେଇ । ତୁଏବେ ରହ ସୁଖୀ ହୋଇ ।।୮୬
ନ ଦେଲେ ପଡ଼ିବୁ ନରକେ । ଅଯଶ ହେବ ତିନିଲୋକେ ।।୮୭
ଏମନ୍ତ ବଳି ଆଗେ କ‌ହି । ବିଷ୍ଣୁ ରହିଲେ ସ୍ଥିର ହୋଇ ।।୮୮
ବଳିର ସତ୍ୟ ଧ୍ୟାନ କରି । ମାୟାସଂସାରୁ ଯାନ୍ତି ତରି ।।୮୯
ସୁଜନେ ଏଣେ ମନ ଦିଅ । ଯେବେ ଖଣ୍ତିବ ମାୟାମୋହ ।।୯୦
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ।।୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ ପ୍ରାଦୁର୍ଭାବେ ବଳିନିଗ୍ରହୋ ନାମ ବିଂଶୋଽଧ୍ୟାୟଃ । ।

ଏକବିଂଶ ଅଧ୍ୟାୟ

କ‌ହ‌ନ୍ତି ଶୁକମୁନି ହସି । ଶୁଣ ପାଣ୍ତବବଂଶ-ଶଶୀ ।।୧
ରାଜନ ଶୁଣ ସ୍ଥିର ହୋଇ । ହରିଚରଣେ ମନ ଦେଇ ।।୨

ଶୁକ ଉବାଚ

ବଳିକି ହରି ଯେତେବେଳେ । ବନ୍ଧନ କଲେ ଦାନ‌ଛଳେ ।।୩
ବନ୍ଧନ-ଦୁଃଖେ ବଳି ମନ । ସାତ୍ତ୍ୱିକେ ନ ଭଜିଲା ଛନ୍ନ ।।୪
ବିଷ୍ଣୁର ପାଦେ ମନ ଦେଇ । କ‌ହ‌ନ୍ତି ଶ୍ରୀମୁଖକୁ ଚାହିଁ ।।୫

ବଳି ଉବାଚ

ଭୋ ନାଥ ମୋର ବାକ୍ୟ ଯେବେ । ମୁହିଁ ଲଂଘିବି ମୂଢ଼ ଭାବେ ।।୬
ଏ କଥା କେବେହେଁ ନ ଘଟେ । ଯେତେ ଜୀବନ ମୋର ତୁଟେ ।।୭
ତୃତୀୟପାଦ ତୋର ହସ୍ତେ । ଦେଇ ମୁଁ ଲଂଘିବି କେମନ୍ତେ ।।୮
ଚରଣ ଅଛି ଯେବେ ତୋର । ଭୋ ନାଥ ଦିଅ ମୁଣ୍ତେ ମୋର ।।୯
ନରକେ ମୋର ଭୟ ନାହିଁ । ପାଶ-ବନ୍ଧନେ ନ ଡରଇ ।।୧୦
ତୋର ନିଗ୍ରହେ ନାହିଁ ଭୟ । ଅସାଧୁବାଦେ ମୋର ଭୟ ।।୧୧
ତୋ ଅନୁଗ୍ରହ ଯାରେ ହୋଏ । ସେ ପ୍ରାଣୀ ସର୍ବଦୁଃଖ ସ‌ହେ ।।୧୨
ତୁ ନାଥ ଅସୁରଙ୍କ ପକ୍ଷେ । ପରୋକ୍ଷ-ଗୁରୁ ତୁ ପ୍ରତ୍ୟକ୍ଷେ ।।୧୩
ଆମ୍ଭର ଚକ୍ଷୁ ମଦେ ଅନ୍ଧ । ସତ୍ୟ ଯେ ମଣୁ ଏ ସମ୍ପଦ ।।୧୪
ଏ ମତେ ଅଞ୍ଜନ ସଦୃଶ । ଦୟାରେ କରୁ ତୁ ପ୍ରକାଶ ।।୧୫
ବଇରୀ କରି ତୋ ବିଷୟେ । ପୂର୍ବେ ଯେ ଥିଲେ ମହାରାୟେ ।।୧୬
ଅନ୍ତେ ଲଭିଲେ ତୋ ଚରଣ । ଯେ ଗତି ମୁନି-ସିଦ୍ଧଗଣ ।।୧୭
ତୁ ନାଥ ମୋତେ ଦୟା କଲୁ । ବରୁଣପାଶେ ଯା ବାନ୍ଧିଲୁ ।।୧୮
ନିଗ୍ରହ କରୁ ଯେତେ ମୋତେ । ସେ ଭୟ ନାହିଁ ମୋର ଚିତ୍ତେ ।।୧୯
ତୋ ଭକ୍ତ ମୋର ପିତାମହ । ସାଧୁ ସୁଗୁଣ ମହାଶୟ ।।୨୦
ତୋର ଚରଣେ ଆଶ୍ରେ କରି । ପିତାର ଦଣ୍ତରୁ ନିସ୍ତରି ।।୨୧
ଜାଣଇ ମିଥ୍ୟା ଏ ସଂସାର । କେ ମିତ୍ର ବନ୍ଧୁ କେବା ପର ।।୨୨
କେବା ଜନ‌ନୀ ଭ୍ରାତା ତାତ । କିବା ସମ୍ପଦ ଏ ଜଗତ ।।୨୩
ପତ୍ନୀ ତନୟ କେହି ନୋହେ । ସର୍ବେ ଯନ୍ତ୍ରିତ ମାୟା ମୋହେ ।।୨୪
ଏ ଯେତେ ସଂସାର ଦେଖଇ । ଜନ୍ମ ମରଣେ ହେତୁ ତୁହି ।।୨୫
ସେ ପୁଣି ଏମନ୍ତ ବିଚାରି । ତୋ ପାଦ ଚିତ୍ତ ଦୃଢ଼ କରି ।।୨୬
ଅନ୍ତେ ପଶିଲା ତୋର ପାଦେ । ମାୟାକୁ ଜିଣି ଅପ୍ରମାଦେ ।।୨୭
ରହିଲା ପାରିଷଦ ହୋଇ । ଜନ୍ମ-ମରଣ ଆର କାହିଁ ।।୨୮
ତୋର ମହିମା ଭାବଗ୍ରାହୀ । ମୁଁ ମୂଢ଼ ଜାଣିବି ତା କାହିଁ ।।୨୯
କ‌ହ‌ନ୍ତି ଶୁକ ବ୍ରହ୍ମ‌ଯତି । ଶୁଣ ହେ ଉତ୍ତରା-ସନ୍ତ‌ତି ।।୩୦

ଶୁକ ଉବାଚ

ଏମନ୍ତେ କ‌ହୁଁ କ‌ହୁଁ ବଳି । ପ୍ରତ୍ୟକ୍ଷେ ଯେସନେ ବିଜୁଳି ।।୩୧
ଗ‌ଗନେ ଶୁଭେ ଶଙ୍ଖନାଦ । ତକ୍ଷଣେ ମିଳେ ପ୍ରହଲ୍ଲାଦ ।।୩୨
ବଳି ନମିଲା ତାଙ୍କୁ ଦେଖି । ବାମନ-ସଙ୍ଗତ ଉପେକ୍ଷି ।।୩୩
ବିଷ୍ଣୁର ପ୍ରାୟେ ତାର ତେଜ । ତୁଲ୍ୟ ନୋହିବେ ଗ୍ରହରାଜ ।।୩୪
ପୀଥବସନ ପରିଧାନ । ସୁନ୍ଦର ନଳିନ ନୟନ ।।୩୫
ଆଜାନୁ ବେନିନାହୁ ଶୋହେ । ରୂପେ ଅନଙ୍ଗ ସମ ନୋହେ ।।୩୬
ବଳି ଆନନ୍ଦ ଗଦଗଦେ । କଣ୍ଠେ କୁଣ୍ଠିତ-ବାକ୍ୟ ରୁନ୍ଧେ ।।୩୭
ଚରଣେ ଦଣ୍ତବତ ହୋଇ । ମନ-କଳ୍ପିତେ ଅର୍ଘ୍ୟ ଦେଇ ।।୩୮
ରହିଲା ପିତାମହ ପାଶେ । ବାମନ-ଅନୁଗ୍ରହ ଆଶେ ।।୩୯
ସେ ପ୍ରହଲ୍ଲାଦ ଅତି ବେଗେ । ନମିଲା ବିଷ୍ଣୁପାଦ‌ଯୁଗେ ।।୪୦
ନୟନେ ଅଶ୍ରୁଜଳ ଭରି । କର-ଅଞ୍ଜଳି ଶିରେ ଧରି ।।୪୧
ଆନନ୍ଦେ ଶୋକ ଗଦଗଦ । ସ୍ତୁତି କରଇ ପ୍ରହଲ୍ଲାଦ ।।୪୨

ପ୍ରହ୍ଲାଦ ଉବାଚ

ତୁ ନାଥ ଅନୁଗ୍ରହ ମନେ । ଏହାକୁ ସ୍ଥାପି ଇନ୍ଦ୍ରାସନେ ।।୪୩
ପୁଣି ଭ୍ରମାଉ ସୁଖସ୍ଥାନୁ । ଯେଣୁ ହୋଇଲା ତୋର ମନ୍ୟୁ ।।୪୪
ନିଶ୍ଚୟ କଲୁ ଅନୁଗ୍ରହ । ଯେଣୁ ନାଶିଲୁ ମାୟାମୋହ ।।୪୫
ନମସ୍ତେ ଜଗତ ଈଶ୍ୱର । ନମସ୍ତେ ଶଙ୍ଖ-ଚକ୍ରଧର ।।୪୬
ତୁ ନାରାୟଣ ବିଶ୍ୱଗୁରୁ । ମହାମହିମ ମହାମେରୁ ।।୪୭
ତୁ ନାରାୟଣ ବିଶ୍ୱରୂପୀ । ବିଶ୍ୱସମ୍ଭୂତ ବିଶ୍ୱବ୍ୟାପି ।।୪୮
ଆତ୍ମାପ୍ରକାଶ ସର୍ବଭୂତେ । ଭୋ ନାଥ ନମସ୍ତେ ନମସ୍ତେ ।।୪୯

ଶୁକ ଉବାଚ

ପ୍ରହଲ୍ଲାଦର ଭକ୍ତି ଦେଖି । ହିରଣ୍ୟଗର୍ଭ ମନେ ସୁଖୀ ।।୫୦
ବେଗେ ନମିଲେ ବିଷ୍ଣୁପାଦେ । ଚତୁରସୁଖେ ବେଦନାଦେ ।।୫୧
ବଳିର ପତ୍ନୀ ଆସେ ବେଗେ । ବିଷ୍ଣୁଚରଣେ ଅନୁରାଗେ ।।୫୨
ସ୍ୱାମୀ କଷଣେ ଅତି ଦୁଃଖୀ । ସ୍ତୁତି କ‌ରଇ ଅଶ୍ରୁମୁଖୀ ।।୫୩

ବିନ୍ଧ୍ୟାବଳୀ ଉବାଚ

ଭୋ ନାଥ ନିଜ କ୍ରୀଡ଼ାଅର୍ଥେ । ତୋର ପ୍ରକାଶ ଏ ଜଗତେ ।।୫୪
ତୋହର ମହିମା ନ ଜାଣି । ଗର୍ବ ବ‌ହ‌ନ୍ତି ଯେତେ ପ୍ରାଣୀ ।।୫୫
ଜ୍ଞାନ ହରାନ୍ତି ସୁଖଭୋଳେ । ସେ କାହିଁଥିବେ ଏ ଶୟଳେ ।।୫୬
ତୋ ପାଦ ସର୍ବ ସୁଖଘର । ଆମ୍ଭଙ୍କୁ ଅନୁଗ୍ରହ କର ।।୫୭
ବ୍ରହ୍ମା ବାମନ ମୁଖ ଚାହିଁ । ସ୍ତୁବନ୍ତି ଶିରେ କର ଦେଇ ।।୫୮

ବ୍ରହ୍ମା ଉବାଚ

ଭୂତଭାବନ ଭୂତଈଶ । ହେ ଦେବଦେବ ଜଗଦୀଶ ।।୫୯
ଏହାକୁ ନିଗ୍ରହ ତୁ କଲୁ । ସକଳ ସମ୍ପଦ ହରିଲୁ ।।୬୦
ସର୍ବସମ୍ପଦ ଦେଇ ତୋତେ । ଭ୍ରାନ୍ତି ନ କଲା କିଛି ଚିତ୍ତେ ।।୬୧
ନିର୍ମଳ ଚିତ୍ତେ ତୋର ପାଦେ । ଅର୍ଘ୍ୟ ନିବେଶି ଅପ୍ରମାଦେ ।।୬୨
ତ୍ରିଲୋକଦାନ ତୋତେ ଦେଲା । ଚିତ୍ତେ ବିଷାଦ ନ ଚିନ୍ତିଲା ।।୬୩
ତୁ ନାଥ ବସୁ ସର୍ବଭୂତେ । ଏହାକୁ ବାନ୍ଧିଲୁ କେମନ୍ତେ ।।୬୪
ତୁ ନାଥ ସର୍ବଚିତ୍ତ ଜାଣୁ । କେ ତୋର ମହିମା ବଖାଣୁ ।।୬୫

ଶୁକ ଉବାଚ

ବ୍ରହ୍ମା ବଚନ ଶୁଣି ହରି । ବଳିକି ଚିତ୍ତେ ଦୟା କରି ।।୬୬
ବୋଲନ୍ତି ପ୍ରଭୁ ଭଗବାନ । ବିଧାତା ଶୁଣ ମୋ ବଚନ ।।୬୭

ଭଗବାନ ଉବାଚ

ମୁଁ ଯାକୁ ଅନୁଗ୍ରହ ବ‌ହି । ତା ସର୍ବ ସମ୍ପଦ ହ‌ରଇ ।।୬୮
ଯେ ଅର୍ଥ-ମଦେ ମତ୍ତ ହୋଇ । ପର ଅପର ନ ଜାଣଇ ।।୬୯
ମୁଁ ଯେ ବସଇ ସର୍ବଭୂତେ । ମୋତେ ନ ଗଣେ ଗର୍ବଚିତ୍ତେ ।।୭୦
ଏ ଜୀବଆତ୍ମା ନିଜ କର୍ମେ । ମାୟାରେ ସର୍ବଭୂତେ ଭ୍ରମେ ।।୭୧
ନାନା-ଯୋନିରେ ଜନ୍ମ ହୋଏ । ଜ୍ଞାନ ନ ଲଭେ ମାୟାମୋହେ ।।୭୨
ଜନ୍ମ କରମ ବୟ ରୂପ । ବିଦ୍ୟା ଐଶ୍ୱର୍ଯ୍ୟ ଧନାଧିପ ।।୭୩
ଏ ଭାବେ ଯାର ଗର୍ବ ନାହିଁ । ମୋହର ଅନୁଗ୍ରହ ତ‌ହିଁ ।।୭୪
ଯେ ଜନ ମାନ‌ଗର୍ବ ବ‌ହେ । ଧନ ସମ୍ପଦ ରୂପ ଦେହେ ।।୭୫
ସେ ମୋତେ ଜାଣିବ କେମନ୍ତେ । ମାୟା-ମୋହିତ ଅବିରତେ ।।୭୬
ଏ ଯେ ଦାନବ ଦୈତ୍ୟରାଜା । ନିଜ ସ୍ୱଭାବେ ମହାତେଜା ।।୭୭
ଅସୁରବୁଦ୍ଧି ନ ଘେନିଲା । ଗୁରୁବଚନ ନ ମାନିଲା ।।୭୮
ବନ୍ଧୁ-ବାନ୍ଧବ-ଜ୍ଞାତି ଯେତେ । ଏହାଙ୍କୁ ଛାଡ଼ିଲେ ସମସ୍ତେ ।।୭୯
କେବେ ହେଁ ସତ୍ୟ ନ ଛାଡ଼ିଲା । ମୋର ବଚନେ ମନ ଦେଲା ।।୮୦
ଏ ଭୂମିଦାନ ଦେଲା ମୋତେ । ଏ ଲୋକେ ଥିବ ଏ କେମନ୍ତେ ।।୮୧
ଏହାକୁ ଦେବି ଦିବ୍ୟସ୍ଥାନ । ସ୍ୱର୍ଗ‌ହୁଁ ଦୁର୍ଲ୍ଲଭ ଭୁବନ ।।୮୨
ନିର୍ମିତ ବିଶ୍ୱକର୍ମା ପୁର । ଦେବ-ଦାନ‌ବେ ଅଗୋଚର ।।୮୩
ଯେ ପୁରେ ଆଧି-ବ୍ୟାଧି ନାହିଁ । କାଳର ତେଜ ନ ଲାଗଇ ।।୮୪
ସେ ପୁରେ ଥିବ ଏ ନିଶ୍ଚିନ୍ତେ । ସାବର୍ଣ୍ଣିମନୁ ପରିଯନ୍ତେ ।।୮୫
ସେ ମନୁକାଳେ ସ୍ୱର୍ଗପୁରେ । ବସିବ ଅମର ଶରୀରେ ।।୮୬
ଇନ୍ଦ୍ର ହୋଇବ ସ୍ୱର୍ଗଦେଶେ । ମୁଁ ଏବେ ଥିବି ଏହା ପାଶେ ।।୮୭
ନିଶ୍ଚିନ୍ତେ ଥାଉ ଏ ସୁତଳେ । ଦାରା ତନୟ ଜ୍ଞାତି ମେଳେ ।।୮୮
ଧନ ହିଁ ଥିବ ଅପ୍ରମିତ । ଶତ୍ରୁ ନୋହିବ ଉପଗତ ।।୮୯
ସୁଦରଶନ ତା ଅଗ୍ରତେ । ଆବୋରିଥିବ ଅବିରତେ ।।୯୦
ଦୈତ୍ୟଦାନବ ତାର ସଙ୍ଗେ । ନିରତେ ଥିବେ ମନରଙ୍ଗେ ।।୯୧
ମୁହିଁ ଯେ କରେ ଗଦା ଧରି । ଥିବଇଁ ତା ପୁର ଆବୋରି ।।୯୨
ନିରତେ ଦେଖୁଥିବ ମୋତେ । ଥିବି ମୁଁ ଏହାର ଅଗ୍ରତେ ।।୯୩
ଏମନ୍ତ କ‌ହି ଭଗବାନ । ଫେଡ଼ିଲେ ବଳିର ବନ୍ଧନ ।।୯୪
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ।।୯୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନ-ପ୍ରାଦୁର୍ଭାବେ ବଳି-ବାମନ ସମ୍ବାଦୋ ନାମ ଏକବିଂଶୋଽଧ୍ୟାୟଃ । ।

ଦ୍ୱାବିଂଶ ଅଧ୍ୟାୟ

ହରଷେ କ‌ହେ ବ୍ୟାସସୁତ । ଶୁଣ ରାଜନ ପରୀକ୍ଷିତ ।।୧

ଶୁକ ଉବାଚ

ଏମନ୍ତ ବିଷ୍ଣୁ ମୁଖୁଁ ଶୁଣି । ବଳି କୃତାର୍ଥ ପ୍ରାୟ ମଣି ।।୨
ସାଧୁ ସୁମତି ସେ ସ୍ୱଭାବେ । ପ୍ରସନ୍ନ ମନେ ପ୍ରିୟ ଭାବେ ।।୩
କର-ଅଞ୍ଜଳି ଶିରେ ଧରି । ରୋମ-ପୁଲକେ ଅଶ୍ରୁଭରି ।।୪
ପ୍ରଣାମ କରି ବିଷ୍ଣୁପାଦେ । ବୋଲେ ଆନନ୍ଦ ଗଦଗଦେ ।।୫

ବଳି ଉବାଚ

ମୋହର ଭାଗ୍ୟ ଏ ଜଗତେ । ଦାନ ମୁଁ ଦେଲି ତୋର ହସ୍ତେ ।।୬
ବ୍ରହ୍ମା-ସୃଷ୍ଟିରେ ହୋଇ ଜନ୍ମ । କେବା ଲଭିବ ଏଡ଼େ କର୍ମ ।।୭
ଭୋ ନାଥ ଅନୁଗ୍ରହ ତୋର । ଦିଗପାଳଙ୍କୁ ଅଗୋଚର ।।୮
କମଳା-ଆଶ୍ର‌ୟ ଯେ ପାଦ । ଦୁର୍ଲ୍ଲଭ ଲଭିଲି ପ୍ରସାଦ ।।୯
କ‌ହ‌ନ୍ତି ଶୁକ ମୁନିବର । ଶୁଣ ପାଣ୍ତବ ବଂଶଧର ।।୧୦

ଶୁକ ଉବାଚ

ଏମନ୍ତ ବିଷ୍ଣୁପାଦେ କ‌ହି । ପୁତ୍ର-କଳତ୍ର ସଙ୍ଗେ ଲଇ ।।୧୧
ବଳି ଯେ ବସିଲା ନିଶ୍ଚଳେ । ଗୋବିନ୍ଦ ଶ୍ରୀଚରଣ ତଳେ ।।୧୨
ହୁଙ୍କାର ନାଦ ବେଗେ କରି । ନାଭିରୁ ପାଦ ଜାତ କରି ।।୧୩
ତାହାର ଶିରେ ପାଦ ଦେଇ । ଚାପିଲେ ବ୍ରହ୍ମାଣ୍ତଗୋସାଇଁ ।।୧୪
ବଳି ଦେଖନ୍ତେ ବେନିଡୋଳେ । ଗୋବିନ୍ଦ ଚାପିଲେ ପାତାଳେ ।।୧୫
ଭକ୍ତବତ୍ସଳ ଭାବଗ୍ରାହୀ । ସୁତଳପୁରେ ଠାବ ଦେଇ ।।୧୬
ତକ୍ଷଣେ ସୁତଳେ ପ୍ରବେଶ । ଶୁଭିଲା ଜୟ ଜୟ ଘୋଷ ।।୧୭
ଇନ୍ଦ୍ରକୁ ଆଣି ତୋଷମନେ । ସ୍ଥାପିଲେ ଅମର ଭୁବନେ ।।୧୮
ଅଦିତି କଲା ପୟୋବ୍ରତ । ସଫଳ କଲେ ଜଗନ୍ନାଥ ।।୧୯
ଦେଖିଣ ନିଜ ନୀତି ଗତି । କୃତାର୍ଥ ପ୍ରହଲ୍ଲାଦ ମତି ।।୨୦
ଖଣ୍ତିଲେ ଜଗତ ବିଷାଦ । ବଳି ଲଭିଲା ପଦ୍ମ‌ପାଦ ।।୨୧
ଏମନ୍ତେ ନମି ବିଷ୍ଣୁପାଦେ । ଆନନ୍ଦେ ଅଶ୍ରୁ ଗଦଗଦେ ।।୨୨
ହିରବ୍ୟକଶିପୁ କୁମର । ବୋଲଇ ଦେଖ ଭାଗ୍ୟ ମୋର ।।୨୩
ଏ ଜଗନ୍ନାଥଙ୍କ ପ୍ରସାଦ । ଲଭି ନ ପାରେ ବ୍ରହ୍ମା ରୁଦ୍ର ।।୨୪
କମଳା ବକ୍ଷସ୍ଥଳେ ବସେ । କଟାକ୍ଷେ ଜନ‌ଦୁଃଖ ନାଶେ ।।୨୫
ସର୍ବଦା ସମୀପେ ବସଇ । ପ୍ରସାଦ ଲଭି ନ ପାରଇ ।।୨୬
ଯାହା ନ ଲଭେ ବାମଦେବ । ଆନ ବା କେ ତାହା ପାଇବ ।।୨୭
ଯେ ପାଦପଦ୍ମ-ରେଣୁ ଆଶେ । ଯୋଗୀଏ ଯୋଗ ସାଧି ପ୍ରାସେ ।।୨୮
ଅଷ୍ଟାଙ୍ଗ‌ଯୋଗେ ପାଇ ତ୍ରାସ । ଚରଣେ କରୁଥାନ୍ତି ଆଶ ।।୨୯
ସେ କାହିଁ ଲଭିବେ ସେ ଭାବ । ଯାହା ନ ପାନ୍ତି ବ୍ରହ୍ମାଶିବ ।।୩୦
ଏମନ୍ତ ପ୍ରହଲ୍ଲାଦ କ‌ହି । ବାମ‌ନପାଦେ ଶିର ଦେଇ ।।୩୧
ଦେଖି ସନ୍ତୋଷ ଭଗବାନ । କ‌ହ‌ନ୍ତି କୋମଳ ବଚନ ।।୩୨

ଭଗବାନ ଉବାଚ

ପ୍ରହ୍ଲାଦ ଶୁଣ ମୋ ଉତ୍ତର । ଯାଅ ତୁ ସୁତଳ ମନ୍ଦିର ।।୩୩
ଆନନ୍ଦେ ନିଜ ପୌତ୍ର ତୁଲେ । ସୁଖେ ବି‌ହର ଜ୍ଞାତି ମେଳେ ।।୩୪
ମୁଁ ଥିବି ଗଦାପାଣି ହୋଇ । ନିତ୍ୟେ ଦେଖିବୁ ମୋତେ ତୁହି ।।୩୫
ମୋ ଆହାଲ୍ଲାଦ ମୋ ଦର୍ଶନ । ନାଶିବ କର୍ମତ ବନ୍ଧନ ।।୩୬

ଶୁକ ଉବାଚ

ବିଷ୍ଣୁର ବଚନ ଶୁଣିଲା । ଅନେକ ମତେ ସ୍ତୁତି କଲା ।।୩୭
ପ୍ରହ୍ଲାଦ ସଙ୍ଗେ ଦୈତ୍ୟବଳ । ସକଳେ ମିଳିଲେ ସୁତଳ ।।୩୮
ଏବେ ହୋ ଶୁଣ ପରୀକ୍ଷିତ । ଅଦ୍‌ଭୁତ ଗୋବିନ୍ଦ ଚରିତ ।।୩୯
ଏଥୁ ଅନ୍ତରେ ସେ ବାମନ । ଶୁକ୍ରଙ୍କୁ ଆଜ୍ଞା ଦେଲେ ପୁଣ ।।୪୦
ଯାଗର ଶେଷ ତୁମ୍ଭେ କର । ବଳିକି ନ କର ବିଚାର ।।୪୧
ଯେ ଯଜ୍ଞେ ସନ୍ତୋଷ ଭୃଗୁର । ନ୍ୟୁନାତିରିକ୍ତ କାହିଁ ତାର ।।୪୨
ଶ୍ରୀକୃଷ୍ଣ ବାକ୍ୟେ ଭୃଗୁ ତୋଷ । ଯଜ୍ଞାବଶେଷ କରି ଶେଷ ।।୪୩
ଯଜ୍ଞାନ୍ତେ ସେ ଯଜ୍ଞପୁରୁଷ । ତକ୍ଷଣେ ହୋଇଲେ ସନ୍ତୋଷ ।।୪୪
ଯଜ୍ଞପୁରୁଷ ରୂପେ ହରି । ଅନଳ କୁଣ୍ତୁ ଅବତରି ।।୪୫
ଭୃଗୁବଦନ ଚାହିଁ ତୋଷେ । ବୋଲନ୍ତି ସ୍ୱଧର୍ମ ବିଶ୍ୱାସେ ।।୪୬
ଯଜ୍ଞେ ସ୍ୱଭାବେ ବ୍ରହ୍ମା ଆଦି । ବିପ୍ରେ ଅଛନ୍ତି ବେଦବାଦୀ ।।୪୭
ତାହାଙ୍କୁ ଗଉରବ କରି । କ‌ହ‌ନ୍ତି ଯଜ୍ଞରୂପଧାରୀ ।।୪୮

ଯଜ୍ଞପୁରୁଷ ଉବାଚ

ତୁ ବ୍ରହ୍ମ ସନାତନ ଶିଷ୍ୟ । ଜାଣୁ ତୁ ଏ ଭୂତ ଭବିଷ୍ୟ ।।୪୯
ଆଗମ ନିଗମ ବିଦିତ । ମୁଁ ତ ଦେଖିଲି ବିପରୀତ ।।୫୦
ଯଜ୍ଞ ସଙ୍କଳ୍ପ କଲୁ ହାଦେ । ବଳି ବସିବ ଇନ୍ଦ୍ରପଦେ ।।୫୧
ଏବେ ତୁ କର୍ମଛିଦ୍ର ଦେଖି । ରହିଲୁ ଯଜ୍ଞକୁ ଉପେକ୍ଷି ।।୫୨
ଯଜ୍ଞ ଲଂଘନ-କର୍ମ କଲେ । କେମନ୍ତେ ବର୍ତ୍ତିବୁ ତୁ ଭଲେ ।।୫୩
ଏ ଯଜ୍ଞ ତୋହର ଗୋଚର । ତୁ ଏବେ ପୂର୍ଣ୍ଣାହୁତି କର ।।୫୪
ଫଳ ପାଇବ ଯଜମାନ । ତା କୁଳେ ଥିବ ତୋର ମାନ୍ୟ ।।୫୫

ଶୁକ ଉବାଚ

ଯଜ୍ଞପୁରୁଷ ମୁଖୁଁ ଶୁଣି । ଭୃଗୁ ଅନେକ ସ୍ତୁତି ଭଣି ।।୫୬
ଚାହିଁ ସେ ବାମନ ଚରଣ । ଯଜ୍ଞସ୍ୱରୂପୀ ନାରାୟଣ ।।୫୭
ବୋଲଇ ଯୋଡ଼ି ବେନିକର । ପୁଲକ ଆନନ୍ଦ ଶରୀର ।।୫୮
ଭୋ ନାଥ ଏ ଯଜ୍ଞ-ଶରୀର । ଅଶେଷ ଜନ ଉପକାର ।।୫୯
କର୍ମର ଈଶ୍ୱର ତୁ ଯହିଁ । ତା କର୍ମ ଛିଦ୍ରହୋଇ କାହିଁ ।।୬୦
ଯେ ମନ୍ତ୍ର ଆଦି ଦେଶକାଳ । ଯେ ଛିଦ୍ର ହୁଅଇ ସକଳ ।।୬୧
ତୋ ନାମ-କୀର୍ତ୍ତନେ ସଫଳ । ଅଛିଦ୍ର ହୁଅଇ ସକଳ ।।୬୨
ତୁ ପ୍ରଭୁ ସଂସାର-କାରଣ । ନମୋ ନମସ୍ତେ ନାରାୟଣ ।।୬୩
ଏମନ୍ତ ଆଜ୍ଞା ଘେନି ମାଥେ । ଶ୍ରୁବ ଧଇଲା ଦକ୍ଷହସ୍ତେ ।।୬୪
ଋତ୍ୱିଜ ଋଷିଗଣ ସଙ୍ଗେ । ଆହୁତି ଦେଲା ବେଦମାର୍ଗେ ।।୬୫
ଆନନ୍ଦେ ହୋଇ ଦ୍ରବୀଭୂତ । ଭୃଗୁ ହୋଇଲେ କୃତକୃତ୍ୟ ।।୬୬
ଶ୍ରୀକୃଷ୍ଣ ପାଦ କରି ଧ୍ୟାନ । କ‌ହ‌ନ୍ତି ବ୍ୟାସଙ୍କ ନନ୍ଦନ ।।୬୭
ଏବେ ତୁ ଶୁଣ ହେ ରାଜନ । ବାମନ ରୂପେ ଭଗବାନ ।।୬୮
ବଳିର ହସ୍ତୁ ଘେନି ଦାନ । କପଟେ ଏ ତିନିଭୁବନ ।।୬୯
ଇନ୍ଦ୍ରକୁ ଇନ୍ଦ୍ରପଦେ ସ୍ଥାପି । ତିନି ଭୁବନେ ତନୁ ବ୍ୟାପୀ ।।୭୦
ବିଷ୍ଣୁର ଦେଖି ଦିବ୍ୟଗତି । ସକଳ ଦେବେ ବେଦପ‌ତି ।।୭୧
ଭୃଗୁ-ଅଙ୍ଗିରା ଘେନି ତୁଲେ । ପିତୃ-ରାଜର୍ଷି-ଦ‌କ୍ଷ ମେଳେ ।।୭୨
କୁମାର ମେଳେ ଭୂତପ‌ତି । ମିଳିଲେ କଶ୍ୟପ-ଅଦିତି ।।୭୩
ଦିଗପାଳଙ୍କ ମଧ୍ୟେ ଆଣି । କଳ୍ପକୁସୁମ ଗଙ୍ଗା ପାଣି ।।୭୪
ବାମନେ କରି ଅଭିଷେକ । ସର୍ବସମ୍ପଦେ ମନ ସୁଖ ।।୭୫
ଅଶେଷ ନୃତ୍ୟ-ଗୀତ ବାଦ୍ୟେ । ଇନ୍ଦ୍ରକୁ ସ୍ଥାପି ଇନ୍ଦ୍ରପଦେ ।।୭୬
ସର୍ବସମ୍ପଦ ସଙ୍ଗେ ଘେନି । ମଙ୍ଗଳ-ବେଦନାଦେ ମୁନି ।।୭୭
ବ୍ରହ୍ମାଶଙ୍କର ତୋଷମନେ । ବାମନେ ବସାଇ ବିମାନେ ।।୭୮
ଆନନ୍ଦେ ପ୍ରଜାପ‌ତି ବୋଲେ । ସକଳେ ସ୍ୱର୍ଗପୁର ଗଲେ ।।୭୯
ଇନ୍ଦ୍ର ବାମନ ଭୁଜବଳେ । ସକଳ ଦିଗପାଳ ମେଳେ ।।୮୦
ନିଶ୍ଚିନ୍ତେ ସ୍ୱର୍ଗେ ସେ ବସିଲା । ଯେଣୁ ଅଦିତି ବ୍ରତ କଲା ।।୮୧
ଏବେ ହୋ ପରୀକ୍ଷିତ ଶୁଣ । ବ୍ରହ୍ମାଶଙ୍କର ଦେବଗଣ ।।୮୨
ବାମନପଦେ ସ୍ତୁତି କଲେ । ଆନନ୍ଦେ ନିଜପୁରେ ଗଲେ ।।୮୩
ବଳି-ବାମନର ପ୍ରସ୍ତାବେ । ପ୍ରତୋଷେ କ‌ହିଲୁ ତୋ ଭାବେ ।।୮୪
ତୁ ଯେଣୁ ପଚାରିଲୁ ମୋତେ । ବାମନରୂପ ତୋ ଅଗ୍ରତେ ।।୮୫
କ‌ହିଲୁ ଆଦି-ଅନ୍ତ କରି । ଯେ କ‌ଥା-ଶ୍ରବଣେ ନିସ୍ତରି ।।୮୬
ବିଷ୍ଣୁ-ମହିମା କେ କ‌ହିବ । ଯାହା ନ ଜାଣେ ବ୍ରହ୍ମାଶିବ ।।୮୭
ଭୂମିରେ ରେଣୁ ଅଛି ଯେତେ । ଆକାଶେ ନକ୍ଷତ୍ରେ ସ‌ହିତେ ।।୮୮
ମେଘ-ବରଷା ଯେତେ ଧାର । ଯେ ବିନ୍ଦୁ ପ୍ରକାଶ ନିହାର ।।୮୯
ଏହା ଗଣି ତ ଅତିରେକେ । ଜଗତେ ଅଛନ୍ତି ନା ଲୋକେ ।।୯୦
ହରି-ମହିମା ସଂଖ୍ୟାକାରୀ । ସଂସାରେ ନାହିଁ ଦେହଧରି ।।୯୧
ଅଦ୍‌ଭୁତ ଚରିତ ବାମନ । ଯେ କରେ ଶ୍ରବଣ କୀର୍ତ୍ତନ ।।୯୨
ସକଳ ବିଘ୍ନ ନାଶ ଯାଇ । ଅନ୍ତେ ପରମଗତି ପୈ ।।୯୩
ସେ ହରି ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ।।୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ବାମନାବତାର ଚରିତେ ନାମ ଦ୍ୱାବିଂଶୋଽଧ୍ୟାୟଃ । ।

ତ୍ରୟୋବିଂଶ ଅଧ୍ୟାୟ

ଚିନ୍ତି ଶ୍ରୀକୃଷ୍ଣ-ପଦାମ୍ୱୁଜ । କ‌ହ‌ନ୍ତି ବ୍ୟାସଙ୍କ ତନୁଜ ।।୧

ଶୁକ ଉବାଚ

ଶୁଣ ହେ ଅଭିମନ୍ୟୁ ବଳା । ଏମନ୍ତ ଈଶ୍ୱରର ଲୀଳା ।।୨
ମାୟାକଳ୍ପିତ ଏ ସଂସାରେ । ମତ୍ସ୍ୟାଦି ନାନା ଅବତାରେ ।।୩
ଧର୍ମକୁ ପାଳେ ଯୁଗେ ଯୁଗେ । ସାଧୁଙ୍କୁ ରଖେ ଅନୁରାଗେ ।।୪
ଦୁଷ୍ଟ ନିବାରି ସନ୍ଥ ପାଳେ । ରୂପ ପ୍ରକାଶେ ଯଥାକାଳେ ।।୫
ତା ରୂପ କେ କରିବ ଅନ୍ତ । ସ୍ୱଭାବେ ମହିମା ଅନନ୍ତ ।।୬
ଏମନ୍ତ ଶୁକମୁଖୁଁ ଶୁଣି । ଆନନ୍ଦମନେ ନୃପମଣି ।।୭
ବୋଲେ ଚରଣେ କର ଦେଇ । ଭୋ ମୁନି ନିସ୍ତରିଲି ମୁହିଁ ।।୮

ପରୀକ୍ଷିତ ଉବାଚ

ବୋଲ ଯେ ମୀନ ଅବତାର । ହୋଇଲେ ଜଗତ ଈଶ୍ୱର ।।୯
ନିନ୍ଦିତ ଜଳଚର ରୂପେ । ଦେହ ବ‌ହିଲେ କେଉଁ କଳ୍ପେ ।।୧୦
କେବଣ କାର୍ଯ୍ୟେ କିସ ଅର୍ଥେ । ପ୍ରସନ୍ନେ କ‌ହ ମୋ ଅଗ୍ରତେ ।।୧୧
ତାର ଚରିତ ପାପ‌ହର । ଅଶେଷ ପ୍ରାଣୀ ସୁଖଘର ।।୧୨
ଅନାଦି ପ୍ରଭୁ ନାରାୟଣ । ମାୟାର ପରମ କାରଣ ।।୧୩
ସୁତ କ‌ହ‌ନ୍ତି ମୁନିମଧ୍ୟେ । ଅତି ଆନନ୍ଦ ଗଦଗଦେ ।।୧୪

ସୂତ ଉବାଚ

ଶୁଣ ସକଳ ମୁନିଗଣେ । ଶୁକ ପରୀକ୍ଷେ ଯା ବଖାଣେ ।।୧୫
ଏମନ୍ତେ ରାଜାବାକ୍ୟ ଶୁଣି । ପରମାନନ୍ଦ ଶୁକମୁନି ।।୧୬
ଅତି ହରଷେ ଗଦଗଦେ । କ‌ହ‌ନ୍ତି ପରମ ଆନନ୍ଦେ ।।୧୭

ଶୁକ ଉବାଚ

ଶୁଣ ହୋ ଅଭିମନ୍ୟୁସୁତ । କ‌ହିବା ବିଷ୍ଣୁର ଚରିତ ।।୧୮
ଅନାଦି ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ।।୧୯
ଯେ ପ୍ରଭୁ ଜଗତ ଈଶ୍ୱର । ବ୍ରହ୍ମାଣ୍ତ ଯାର ଖେଳଘର ।।୨୦
ସୃଜଇ ପାଳଇ ସଂହରେ । ସଂସାରେ ନାନାରୂପ ଧରେ ।।୨୧
ଧର୍ମ ସ୍ଥାପନେ ଦେହ ଧରି । ଅଧର୍ମ ସମୂହ ନିବାରି ।।୨୨
ଅସାଧୁକୂଳ ସଂହାରିଣ । ସାଧୁଙ୍କୁ ରଖେ ନାରାୟଣ ।।୨୩
ଶୁଣ ତୁ ଯେବା ଅର୍ଥେ ହରି । ଇଚ୍ଛାରେ ମୀନରୂପ ଧରି ।।୨୪
ବ୍ରହ୍ମା ଯେ ସୃଷ୍ଟି-ଅନ୍ତଃକାଳେ । ବେଦପୁସ୍ତକ ଥୋଇ କୂଳେ ।।୨୫
ଜଳେ ପଶିଲେ ସନ୍ଧ୍ୟା କରି । ସେ ବେଦ ହୟଗ୍ରୀବ ହରି ।।୨୬
ଅଗାଧ-ଜଳେ ପଶିଗଲା । ବିଧାତା ବିଷ୍ଣୁଙ୍କୁ ଚିନ୍ତିଲା ।।୨୭
ଦାନବ ଦୁଷ୍ଟମତି ଜାଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ।।୨୮
ଶଫରୀ ରୂପକୁ ଧଇଲେ । ସେ ମହାଜଳରେ ପଶିଲେ ।।୨୯
ଯେମନ୍ତେ ମାଇଲେ ଅସୁର । ବେଦ ଉଦ୍ଧରି ଚକ୍ରଧର ।।୩୧
ପ୍ରବେଶ ବ୍ରହ୍ମାର ରଜନୀ । କଳ୍ପର ନାମ ଦୈନନ୍ଦିନୀ ।।୩୨
ଏମନ୍ତେ ପ୍ରଳୟ ନିକଟେ । ରାଜାଏ ଥିଲା ସିନ୍ଧୁତଟେ ।।୩୩
ତାହାର ନାମ ସତ୍ୟବ୍ରତ । ଅଶେଷ ଗୁଣରେ ଭୂଷିତ ।।୩୪
ସ୍ୱଭାବେ ବିଷ୍ଣୁ-ପରାୟଣ । ତପ ସାଧନେ ଦୃଢ଼ମନ ।।୩୫
ତପ ସାଧଇ ସିନ୍ଧୁତୀରେ । ଜଳ ଭକ୍ଷଣେ ଦିନ ହରେ ।।୩୬
ସେ ତପ ସାଧି କଳ୍ପଅନ୍ତେ । ମନୁ ହୋଇବ ଭବିଷ୍ୟତେ ।।୩୭
ଆଦିତ୍ୟ ବୀର୍ଯ୍ୟେ ଜନ୍ମ ହୋଇ । ସେ ଶ୍ରାଦ୍ଧଦେବ ନାମ ବ‌ହି ।।୩୮
ମନୁ ହୋଇବ ଏ ଜଗତେ । ହରି ସ୍ଥାପିବେ ତୋଷଚିତ୍ତେ ।।୩୯
ଏବେ ହୋ ଶୁଣ ନରପତି । ସେ ସତ୍ୟବ୍ରତ ରାଜା କୀର୍ତ୍ତି ।।୪୦
ସେ ସତ୍ୟବ୍ରତ ଏକ‌କାଳେ । ମିଳିଲା କୃତମାଳା କୂଳେ ।।୪୧
ସେ ନ‌ଦୀଜଳେ ସ୍ନା‌ନ‌କରି । ଗୋବିନ୍ଦ ନାମ ଚିତ୍ତେ ସ୍ମରି ।।୪୨
ସ୍ନାହାନ ସାରି ସନ୍ଧ୍ୟା ଅର୍ଥେ । ଜଳଅଞ୍ଜଳି କଲା ହସ୍ତେ ।।୪୩
ତକ୍ଷଣେ ପ୍ରଭୁ ନରହରି । ମାୟାରେ ମୀନରୂପ ଧରି ।।୪୪
ପଶିଲେ ଜଳାଞ୍ଜଳି ମଧ୍ୟ । ଶଫରୀରୂପେ ଆଦିକନ୍ଦ ।।୪୫
ସେ ସତ୍ୟବ୍ରତ ତା ଦେଖିଲା । ଜଳଅଞ୍ଜଳି ପକାଇଲା ।।୪୬
ରାଜାର ହସ୍ତୁ ପଡ଼ି ଜଳେ । ସେ ମୀନ ଡ଼ାକିଲା ବିକଳେ ।।୪୭
ମହାକାରୁଣ୍ୟ ହେ ରାଜନ । ମୁଁ ଦୁଃଖୀ ତୁ ଦୀନପାଳନ ।।୪୮
ଜଳେ ଯେ ପକାଇଲୁ ମୋତେ । ମୋ ଜ୍ଞାତି ରିପୁ ଏ ସମସ୍ତେ ।।୪୯
ମୋତେ ଗିଳିବେ ବୋଲି ଡ଼ରେ । ପଶିଲି ତୋର ଅଞ୍ଜୁଳିରେ ।।୫୦
ମୋତେ ଗିଳିବେ ଏହିକ୍ଷଣି । ମୋ ପ୍ରାଣ ରଖ ନୃପମଣି ।।୫୧
ପ୍ରାଣୀ ଜୀବନ ରକ୍ଷା କଲେ । ଆପଣେ ରକ୍ଷା ପାଇ ଭଲେ ।।୫୨
ଏବେ ମୁଁ ତୋହର ଶରଣ । ପଶିଲି ରଖ ମୋର ପ୍ରାଣ ।।୫୩
ଏମନ୍ତ ଶଫରୀ ବଚନେ । ସେ ରାଜା ଶୁଣି ଅବଧାନେ ।।୫୪
ଜଳଅଞ୍ଜଳି କରେ ଧରି । ମୀନ‌କୁ ଜଳରୁ ଉଦ୍ଧରି ।।୫୫
ଜନ୍ତୁ ଜୀବନେ ଦୟା କରି । ଥୋଇଲା କମଣ୍ତଳେ ଭରି ।।୫୬
ଜଳେ ତର୍ପଣ ବେଗେ ସାରି । ଗୃହେ ମିଳିଲେ ଦଣ୍ତଧାରୀ ।।୫୭
ସେ ମୀନ କମଣ୍ତଳ-ଜଳେ । ରହି ନ ପାରି ରାତ୍ରକାଳେ ।।୫୮
ବିକଳେ କରଇ ରୋଦନ । ମୋ ପ୍ରାଣ ରଖ ହେ ରାଜନ ।।୫୯
ଚଳି ନ ପାରେ କମଣ୍ତଳେ । ବେଗେ ତୁ ଥୁଅ ଅନ୍ୟଜଳେ ।।୬୦
ଏମନ୍ତ ଶଫରୀ ବଚନ । ଶୁଣି ସଂଭ୍ରମେ ସେ ରାଜନ ।।୬୧
ସେ ମୀନ କମଣ୍ତଳୁ ଫେଇ । କଳସ ଜଳ ମଧ୍ୟେ ଥୋଇ ।।୬୨
ଏମନ୍ତେ ରଜନୀ ପାହିଲା । ପୁଣି ସେ ମୀନ ଡ଼ାକଦେଲା ।।୬୩
ବୋଲଇ ଶୁଣ ଦଣ୍ତଧର । କଳସୁ ମୋ ପ୍ରାଣ ଉଦ୍ଧର ।।୬୪
ମୋ ଦେହ କଳସେ ନ ଚଳେ । ବେଦେ ତୁ ଥୁଅ ଅନ୍ୟ ଜଳେ ।।୬୫
ଯେ ଜଳେ ଆନନ୍ଦେ ବିହରି । ଅଳପ ଜଳେ ପ୍ରାଣ‌ହାରି ।।୬୬
ତକ୍ଷଣେ କଳସୁଁ ଉଦ୍ଧରି । କୂପେ ଥୋଇଲା ଦଣ୍ତଧାରୀ ।।୬୭
ମୁହୂର୍ତ୍ତେ କୂପ ମଧ୍ୟେ ରହି । ବିସ୍ତାର କଲା ତାର ଦେହୀ ।।୬୮
କୂପେ ସେ ଡ଼ାକଇ ବିକଳେ । ହେ ନୃପ ଥୁଅ ଅନ୍ୟଜଳେ ।।୬୯
କୂପେ ମୁଁ ନ ପାରଇ ରହି । ମୋର ଜୀବନ ରଖ ତୁହି ।।୭୦
ଶଫରୀ ବାଦ୍ୟେ ନୃପମଣି । କୂପୁଁ ଉଦ୍ଧରି ବେଗେ ଆଣି ।।୭୧
ତକ୍ଷଣେ ଖାତଜଳେ ଥୋଇ । ଖାତେ ପୂରିଲା ତାର ଦେହୀ ।।୭୨
ଡ଼ାକଇ ଜୀବନ ବିକଳେ । ଭୋ ନୃପ ରଖ ଅନ୍ୟଜଳେ ।।୭୩
ଏମନ୍ତେ ଖାତୁଁ ନେଇ ଧୀରେ । ବେଗେ ଥୋଇଲା ସରୋବରେ ।।୭୪
ଦିବସେ ସରୋବରେ ରହି । ଜଳେ ନ ଚଳେ ତାର ଦେହୀ ।।୭୫
ପୁଣି ଡ଼ାକଇ ଭୟଙ୍କରେ । ଭୋ ନୃପ ଥୁଅ ଅନ୍ୟ ନୀରେ ।।୭୬
ତକ୍ଷଣେ ତଡ଼ାଗୁଁ ଉଦ୍ଧରି । ହ୍ରଦେ ରଖିଲା ଦଣ୍ତଧାରୀ ।।୭୭
ସେ ମୀନ ଦଣ୍ତେ ହ୍ରଦେ ରହେ । ତ‌ହିଁ ବଢ଼ିଲା ମହାକାୟେ ।।୭୮
ପୁଣି ଡାକିଲା ଘୋରନାଦେ । ରାଜନ ରହି ନୋହେ ହ୍ରଦେ ।।୭୯
ତା ଶୁଣି ହ୍ରଦୁଁ ତୋଳି ବଳେ । କ୍ଷେପିଲା ସମୁଦ୍ରର ଜଳେ ।।୮୦
ସେ ମୀନ ପଡ଼ି ସିନ୍ଧୁଜଳେ । ଡାକିଲା ଜୀବନ ବିକଳେ ।।୮୧
ଭୋ ନୃପ ରଖ ମୋର ପ୍ରାଣ । ତୋର ମୁଁ ପଶିଛି ଶରଣ ।।୮୨
ଶରଣ ଜନ ଉପେକ୍ଷିଲେ । କେ ତାକୁ ପ୍ରଶଂସଇ ଭଲେ ।।୮୩
ଏ ଜଳେ ଜୀବଛନ୍ତି ଯେତେ । ବଳେ ଭକ୍ଷିବେ ଏବେ ମୋତେ ।।୮୪
ଏମନ୍ତ ମୀନ ମୁଖୁଁ ଶୁଣି । ମନେ ବିଚାରେ ନୃପମଣି ।।୮୫
ଏ କି ଅଦ୍‌ଭୁତ କର୍ମ ମୁହିଁ । ଜଗତେ ଦେଖିଲିତ ନାହିଁ ।।୮୬
କେଉଁ ଦେବତା ମାୟାବଳେ । ମୋତେ ଛଳଇ ମୀନ‌ଛଳେ ।।୮୭
କି ବୁଦ୍ଧି କରିବଇଁ ମୁହିଁ । ଭାଳଇ ମୀନ ମୁଖ ଚାହିଁ ।। ୮୮
ବିଷ୍ଣୁର ମାୟାରେ ମୋହିତ । ଦଣ୍ତେ ରହିଲା ସ୍ତମ୍ଭୀଭୂତ ।।୮୯
ପୁଣି କ୍ଷଣକେ ନୃପବର । କପୋଳେ ଦେଇ ବେନିକର ।।୯୦
ବୋଲଇ ମୀନମୁଖ ଚାହିଁ । ମୋହର ଧର୍ମ ରଖ ତୁହି ।।୯୧
କେଉଁ ଦେବତା ଆସି ଛଳେ । ମୋତେ ମୋହିଲୁ ମାୟାବଳେ ।।୯୨
ଏ ତୋର ବିଶ୍ୱରୂପ ଦେହ । ମାୟା ନ କରି ସତ୍ୟ କ‌ହ ।।୯୩
ଏମନ୍ତ ଜଳଚର-ଦେହୀ । ଜଗତେ ଦେଖିଲା ତ ନାହିଁ ।।୯୪
ଭୋ ମୀନ ତୋହର ଶରୀରେ । ଶତେ-ଯୋଜନ-ହ୍ରଦ ପୂରେ ।।୯୫
ନିଶ୍ଚେ ଜାଣିଲି ତୋତେ ଆଜ । ତୁ ନାରାୟଣ ଦେବରାଜ ।।୯୬
ଅନାଦି ପ୍ରଭୁ ନିରଞ୍ଜନ । ଅବ୍ୟକ୍ତ-ରୂପ ଭଗବାନ ।।୯୭
ପ୍ରାଣୀଙ୍କ ନିସ୍ତାରଣ ଅର୍ଥେ । ମୀନ ଶରୀର ଏ ଜଗତେ ।।୯୮
ସ୍ଥିତି-ପାଳନ ସଂହାରଣ । ତୁ ନାଥ ପରମକାରଣ ।।୯୯
ନମସ୍ତେ ଜଳଚର-ଦେହୀ । ଭୋ ନାଥ କର ମୋତେ ତ୍ରାହି ।।୧୦୦
ତୋର ମାୟାରେ ଭ୍ରମ ହୋନ୍ତି । ହର ବିରଞ୍ଚି ସୁରପତି ।।୧୦୧
ତୁ ନାଥ ଜନ ଉପକାରେ । ନାନା ଶରୀର ଏ ସଂସାରେ ।।୧୦୨
ତୋ ଅବତାର ଭକ୍ତ‌ହିତେ । ଧର୍ମ-ସ୍ଥାପନ ଶୁଭ ଅର୍ଥେ ।।୧୦୩
କି କାର୍ଯ୍ୟେ ମୀନ ଅବତାର । କ‌ହ ହେ କମଳାର ବର ।।୧୦୪
ଏମନ୍ତ ରାଜ ବାକ୍ୟ ଶୁଣି । କ‌ହ‌ନ୍ତି ପ୍ରଭୁ ଚକ୍ରପାଣି ।।୧୦୫

ଭଗବାନ ଉବାଚ

ଶୁଣ ରାଜନ ସତ୍ୟବ୍ରତ । ତୁ ଯେଣୁ ମୋହର ଭକତ ।।୧୦୬
ଯେ କାର୍ଯ୍ୟେ ମୀନରୂପ ମୋର । କ‌ହୁଛି ଶୁଣ ନୃପବର ।।୧୦୭
ତେଣୁ ଅଇଲି ତୋତେ କ‌ହି । ଅଦ୍‌ଭୁତ ମୀନରୂପ ହୋଇ ।।୧୦୮
ମାୟାବୀ ପ୍ରଚଣ୍ତ ଦାନବ । ନାମ ଯାହାର ହୟଗ୍ରୀବ ।।୧୦୯
ବ୍ରହ୍ମାର ବେଦ ହରି ବଳେ । ବେଗେ ପଶିଲା ମହାଜଳେ ।।୧୧୦
ପ୍ରଳୟ ଜଳେ ମୁଁ ବିହରି । ସେ ବେଦ ଉଦ୍ଧାରଣ କରି ।।୧୧୧
ରଖିବି ସଂସାରର ବୀଜ । ହରିବି ହୟଗ୍ରୀବ ତେଜ ।।୧୧୨
ତୁ ଏବେ ରହ ମୋ ବଚନେ । ଆଜ‌ହୁଁ ଗଣି ସାତଦିନେ ।।୧୧୩
ପ୍ରଳୟ ଜଳେ ତିନିପୁର । ନାଶିବ ଶୁଣ ନୃପବର ।।୧୧୪
ଅଠରଖଣ୍ତ ମେଘ ମିଳି । ସ୍ଫୁରିବ ପ୍ରଚଣ୍ତେ ବିଜୁଳି ।।୧୧୫
ବ‌ହିଣ ଅଣଚାଶ ବାତ । ଆକାଶେ ବିଜୁଳି ପୂରିତ ।।୧୧୬
ଗଭୀରନାଦେ ମେଘମାଳ । ପ୍ରଚଣ୍ତେ ବରଷିବେ ଜଳ ।।୧୧୭
କ୍ଷଣକେ ସିନ୍ଧୁ ଉଛୁଳିବ । ଉଲ୍ଲୋଳ ଗ‌ଗନେ ମିଳିବ ।।୧୧୮
ସପତ‌ଋଷିଙ୍କ ମଣ୍ତଳେ । ଜଳଧି ଲାଗିବ ଉଲ୍ଲୋଳେ ।।୧୧୯
ବ୍ରହ୍ମାର ରଜନୀ ହୋଇବ । ଏ ତିନିପୁର ନାଶ‌ଯିବ ।।୧୨୦
ତୁ ଏବେ ମୋର ବୋଲ କର । ଔଷଧି ବୀଜ ସଙ୍ଗେ ଧର ।।୧୨୧
ତୋର କୁଟୁମ୍ବଛନ୍ତି ଯେତେ । ସକଳ ଘେନିଣ ସଙ୍ଗତେ ।।୧୨୨
ଆଜୁହଁ ସପତ ଦିବସେ । ନାବ ମିଳିବ ଆସି ପାଶେ ।।୧୨୩
ଯେ ନାବ ସମୁଦ୍ରର କୂଳେ । ତୋତେ ମିଳିବ ସନ୍ଧ୍ୟାକାଳେ ।।୧୨୪
ତୁ ତ‌ହିଁ ବସି ସର୍ବ ଘେନି । ତରିବୁ ବ୍ରହ୍ମାର ରଜନୀ ।।୧୨୫
ଆଗତକଳ୍ପ ପରିଯନ୍ତେ । ତୁ ଥିବୁ ଋଷିଙ୍କ ସଙ୍ଗତେ ।।୧୨୬
ସେ ନାବ ମୋର ଶୃଙ୍ଗେ ବାନ୍ଧି । ମୁହିଁ ବିହରିବି ଜଳଧି ।।୧୨୭
ବ୍ରହ୍ମା ରଜନୀକାଳ ଯେତେ । ସେ ନାବେ ଥିବୁ ତୁ ନିଶ୍ଚିନ୍ତେ ।।୧୨୮
ସପତ‌ଋଷି ସଙ୍ଗେ ଘେନି । ବଞ୍ଚିବୁ ବ୍ରହ୍ମାର ରଜନୀ ।।୧୨୯
ସେ ମହାଜଳେ ଯେବେ ନାବ । ପ୍ରଳୟ ପବନେ କମ୍ପିବ ।।୧୩୦
ତ‌ହିଁକି ନ କରିବୁ ଭୟ । କ‌ହଇ ଶୁଣ ମହାରାୟ ।।୧୩୧
ମୋହର ଶୃଙ୍ଗେ ସେ ନିଶ୍ଚଳେ । ବନ୍ଧନେ ଥିବ ଯୋଗବଳେ ।।୧୩୨
ପରମ‌ବ୍ରହ୍ମ ମୋ ମହିମା । ଜାଣି ନ ପାରେ ହରବ୍ରହ୍ମା ।।୧୩୩
ମୋ ଅନୁଗ୍ରହେ ମୋତେ ଜାଣି । ସଙ୍କଟୁ ତର ନୃପମଣି ।।୧୩୪
ଏମନ୍ତ କ‌ହି ଚକ୍ରଧର । ତକ୍ଷଣେ ହୋଇଲେ ଅନ୍ତର ।।୧୩୫
ଗୋବିନ୍ଦ ଆଜ୍ଞା ଘେନି ଶିରେ । ରାଜା ମିଳିଲେ ସିନ୍ଧୁତୀରେ ।।୧୩୬
ଘେନାଇ ସର୍ବ ଅଉଷଧି । ରାଜାର ଯେତେକ ସମୃଦ୍ଧି ।।୧୩୭
ସମୁଦ୍ରତୀରେ କୁଶ ପାଡ଼ି । କପୋଳେ ବେନିକର ଯୋଡ଼ି ।।୧୩୮
ମୀନରୂପକୁ ଧ୍ୟାନ କରି । କୃଷ୍ଣଚରଣ ମନେ ଧରି ।।୧୩୯
ସମୁଦ୍ରତୀରେ ସେ ରହିଲା । ଏମନ୍ତେ ସାତଦିନ ଗଲା ।।୧୪୦
ରାତ୍ରହୁଁ ମେଘ ସଙ୍ଗେ ମିଳି । ପ୍ରଚଣ୍ତେ ପ୍ରକାଶେ ବିଜୁଳି ।।୧୪୧
ବ‌ହେ ପବନ ଅଣଚାଶ । ଶବଦେ କମ୍ପେ ଦଶଦିଶ ।।୧୪୨
ଘୋର ଶବଦେ ଜଳରାଶି । ହସ୍ତୀ-ଶୁଣ୍ଢ ପ୍ରାୟେ ବରଷି ।।୧୪୩
ସମୁଦ୍ର ଉଛୁଳିଲା ବେଗେ । ଘୋର-ପ୍ରଚଣ୍ତ-ବାତ ଯୋଗେ ।।୧୪୪
ଗୋବିନ୍ଦ ଆଜ୍ଞା ପରମାଣେ । ନାବ ମିଳିଲା ତ‌ତକ୍ଷଣ ।।୧୪୫
ଋଷିଏ ଶୂନ୍ୟମାଗୁଁ ଆସି । ରାଜା ସ‌ହିତେ ନାବେ ବସି ।।୧୪୬
ଦେଖିଲେ ସର୍ବ ଅଉଷଧି । ରାଜାର ଯେତେକ ସମୃଦ୍ଧି ।।୧୪୭
ସେ ନାବେ ରାଜା ସଙ୍ଗେ ବସି । ମୁନିଏ ରାଜାକୁ ପ୍ରଶଂସି ।।୧୪୮
ବୋଲନ୍ତି ତୁମ୍ଭେ ଭାଗ୍ୟବନ୍ତ । ସଙ୍କଟୁ ରଖିଲୁ ଆମ୍ଭନ୍ତ ।।୧୪୯
ଏବେ ଆମ୍ଭର ବୋଲକର । ଏ ନାବେ ବିଷ୍ଣୁଙ୍କୁ ସୁମର ।।୧୫୦
ତୋହର ଭାବେ ସେ ମାଧବ । ଆମ୍ଭଙ୍କୁ ସଙ୍କଟୁ ତାରିବ ।।୧୫୧
ଏମନ୍ତେ ଋଷିଙ୍କ ବଚନେ । ରାଜା ବସିଲା ବିଷ୍ଣୁଧ୍ୟାନେ ।।୧୫୨
ତକ୍ଷଣେ ପ୍ରଭୁ ନରହରି । ମିଳିଲେ ମୀନରୂପ ଧରି ।।୧୫୩
ଏକଇ ଶୃଙ୍ଗ ଶିରେ ସାଜେ । ରୂପେ ସୂବର୍ଣ୍ଣତେଜ ଗଞ୍ଜେ ।।୧୫୪
ମେରୁର ପ୍ରାୟେ ଅତିଦମ୍ଭ । ନିୟୁତ‌ଯୋଜନ ତା ଲମ୍ବ ।।୧୫୫
ସେ ଶୃଙ୍ଗେ ନାବ ବାନ୍ଧି ବଳେ । ସେ ରାଜା ବସିଲା ନିଶ୍ଚଳେ ।।୧୫୬
ସେ ନାବେ ମୁନିଙ୍କ ସଙ୍ଗତେ । କୃଷ୍ଣଙ୍କୁ ଧ୍ୟାନ କଲା ଚିତ୍ତେ ।।୧୫୭
ମହାପ୍ରଳୟେ ନାବେ ବସି । ଗୋବିନ୍ଦ-ବଚନେ ବିଶ୍ୱାସି ।।୧୫୮
ଆକୁଳେ ଶିରେ କର ଦେଇ । ବୋଲଇ ରଖ ଭାବଗ୍ରାହୀ ।।୧୫୯
ଏ ଘୋର-ସଙ୍କଟ ତରଣେ । ଶରଣ ଗଲୁ ତୋ ଚରଣେ ।।୧୬୦
କପୋଳେ ଦେଇ ବେନିକର । ଗୋବିନ୍ଦ ଚିନ୍ତେ ନୃପବର ।।୧୬୧
ସପତ‌ଋଷିଙ୍କ ବଚନେ । ନିଶ୍ଚଳେ ବସି ଯୋଗଧ୍ୟାନେ ।।୧୬୨
ମନ-ବଚନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ।।୧୬୩
ଅନ୍ତରେ ମନ ସ୍ଥିର କଲା । ସୁମରି ଗୋବିନ୍ଦର ଲୀଳା ।।୧୬୪
ଆନନ୍ଦ ମନେ ସତ୍ୟବ୍ରତ । ସ୍ତୁବଇ ଯୋଡ଼ି ବେନିହସ୍ତ ।।୧୬୫

ରାଜା ଉବାଚ

ଭୋ ନାଥ ସଙ୍କଟ ତାରଣ । ତୋ ପାଦେ ପଶିଲି ଶରଣ ।।୧୬୬
ଅଶେଷ ବ୍ରହ୍ମାଣ୍ତ-ଠାକୁର । ଏ ଘୋର-ସଙ୍କଟୁ ଉଦ୍ଧର ।।୧୬୭
ଅନାଦି ଅବିଦ୍ୟାର ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ।।୧୬୮
ଅଶେଷ-ବ୍ରହ୍ମାଣ୍ତ-କାରଣ । ତୋ ପାଦେ ରଖ ନାରାୟଣ ।।୧୬୯
ଯାବତ ତୋ ପାଦ ନ ଚିନ୍ତେ । ତାବତ ସୁଖୀ କେ ଜଗତେ ।।୧୭୦
ତୁ ନାଥ ତାପତ୍ର‌ୟୁଁ ତାରୁ । ଅଶେଷ ଗୁରୁଙ୍କର ଗୁରୁ ।।୧୭୧
ଅଜ୍ଞାନୀଜନ ଏ ଜଗତେ । ବନ୍ଧନ କର୍ମର ଆୟତ୍ତେ ।।୧୭୨
ସୁଖର ଲୋଭେ ଦୁଃଖେ ପଡ଼େ । ଯାବତ ଭକ୍ତିମାର୍ଗ ହୁଡ଼େ ।।୧୭୩
ତାବତ ସୁଖ ନାହିଁ ତାର । ଲଭଇ ଦୁଃଖ ମହାଘୋର ।।୧୭୪
ଯାବତ ନ ଜାଣଇ ତୋତେ । ତାବତ ଭ୍ରମଇଁ ଜଗତେ ।।୧୭୫
ତୋହର ମାୟା ଏ ସଂସାର । ଦୁର୍ଗମ ଘୋର ଅନ୍ଧକାର ।।୧୭୬
ତୋର ଭଜନ ରବିତ୍ରାସ । ଆତ୍ମାର ତମ କରେ ନାଶ ।।୧୭୭
ତୁମ୍ଭ ପ୍ରସାଦା‌ୟତ ଲେଶ । ଯେ ଗୁରୁଦେବେ ଅପ୍ରକାଶ ।।୧୭୮
ସମସ୍ତ ଇନ୍ଦ୍ରିଙ୍କ ପ୍ରକାଶ । ସୁଗତି ତୁମ୍ଭେ କର ଦୃଶ୍ୟ ।।୧୭୯
ବରଣ କରି ଗୁରୁ କଲୁ । ସକଳ କଳୁଷ ଛେଦିଲୁ ।।୧୮୦
ମୂର୍ଖକୁ ମୂର୍ଖ କଲେ ଗୁରୁ । ତରିକି ପାରେ ତମଘୋରୁ ।।୧୮୧
ଏ ଭୟେ ତୋ ପାଦେ ସେବିଲୁ । ଜ୍ଞାନ‌ଦୀପକୁ ପ୍ରକାଶିଲୁ ।।୧୮୨
ତୁମ୍ଭେ ସକଳ ପ୍ରିୟବନ୍ଧୁ । ଗୁରୁର ଜ୍ଞାନେ କୃପାସିନ୍ଧୁ ।।୧୮୩
ଏ ମହାପ୍ରଭୁ ହୃଦେ ସ୍ଥିତି । ଜୀବ ନ ଜାଣେ ତୁମ୍ଭ ଗତି ।।୧୮୪
ହେ ପ୍ରଭୁ ବରଦ ଈଶ୍ୱର । ତୁମ୍ଭରେ ଶରଣ ମୋହର ।।୧୮୫
ହୃଦୟ-ମଳ-ଗ୍ରନ୍ଥି ନାଶ । ତୁମ୍ଭର ଶରୀର ପ୍ରକାଶ ।।୧୮୬
କ‌ହ‌ନ୍ତି ଶୁକ ମୁନିବର । ହୃହୟେ ଚିନ୍ତି ଗଦାଧର ।।୧୮୭

ଶୁକ ଉବାଚ

ଏମନ୍ତ ଭାବେ ଦଣ୍ତଧାରୀ । ଚିତ୍ତେ ଅନେକ ସ୍ତୁତି କରି ।।୧୮୮
ରହିଲା ସମାଧି ନିଶ୍ଚଳେ । ନାବେ ଗୋବିନ୍ଦ ପାଦମୂଳେ ।।୧୮୯
ଏମନ୍ତେ ଶୁଣ ନୃପମଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ।।୧୯୦
ପ୍ରଳୟ ଜଳେ ମୀନରୂପ । ହୟଗ୍ରୀବର ହରି ଦର୍ପ ।।୧୯୧
ଜଳେ ଅସୁର ପ୍ରାଣହରି । ବ୍ରହ୍ମାର ବେଦକୁ ଉଦ୍ଧରି ।।୧୯୨
ମିଳିଲେ ନୃପତିର ଆଗେ । ସଦୟଚିତ୍ତେ ଅନୁରାଗେ ।।୧୯୩
ବୋଲନ୍ତି ରାଜାମୁଖ ଚାହିଁ । ସଂସାରେ ଭାଗ୍ୟବନ୍ତ ତୁହି ।।୧୯୪
ଏମନ୍ତ କ‌ହି ଭଗବାନ । ଆନନ୍ଦେ ଦେଲେ ତ‌ତ୍ତ୍ୱଜ୍ଞାନ ।।୧୯୫
ବୋଇଲେ ଦିବାକର ବଂଶେ । ଜନ୍ମ ଲଭିବୁ ଆୟୁ ଶେଷେ ।।୧୯୬
ବଇବସ୍ୱତ ମନୁ ହୋଇ । ପ୍ରଜା ପାଳିବୁ ଧର୍ମ ବ‌ହି ।।୧୯୭
ଏ ଜ୍ଞାନେ ତୋହର ଜୀବନ । ମନୁଙ୍କ ମଧ୍ୟ ହେଉ ଧନ୍ୟ ।।୧୯୮
ଏ ମୋର ମୀନ ଅବତାର । ଧ୍ୟାନେ ରହିବ ତୋ ଅନ୍ତର ।।୧୯୯
ତୋହର ତୁଲେ ମୋ ସମ୍ବାଦ । ଶୁଣନ୍ତେ ତୁଟଇ ପ୍ରମାଦ ।।୨୦୦
ଏମନ୍ତ କ‌ହି ଭଗବାନ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ।।୨୦୧
ଅଷ୍ଟମ ସ୍ମନ୍ଧେ ଏ ଚରିତ । ଅମୃତ ରସମୟ ଗୀତ ।।୨୦୨
ସୁଜନେ ଶୁଣ ଏକଚିତ୍ତେ । ସଂସାରୁ ତରିବ ଯେମନ୍ତେ ।।୨୦୩
ଖଣ୍ତିବ ଅଶେଷ ଦୁର୍ଗତି । ସୁଜନେ ଏଣେ କର ମତି ।।୨୦୪
ବୋଲଇ ବିପ୍ର ଜଗନ୍ନାଥ । ଭାଷା-ପ୍ରବନ୍ଧେ ଭାଗବତ ।।୨୦୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଅଷ୍ଟମସ୍କନ୍ଧେ ମତ୍ସ୍ୟାବତାର ଚରିତ ଅନୁବର୍ଣ୍ଣନଂ ନାମ ତ୍ରୟୋବିଂଶୋଽଧ୍ୟାୟଃ । ।

Jaganath Das Books Odia Bhagabat Odia Bhagabat by Jaganath Das
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ
Next Article ଓଡିଆ ଭାଗବତ ନବମ ସ୍କନ୍ଧ
ଜଗନ୍ନାଥ ଦାସ

Related Posts

କଥାର ଲଥା

February 26, 2020

କବଚ

February 25, 2020

ଓଡିଆ ଭାଗବତ ନବମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ସପ୍ତମ ସ୍କନ୍ଧ

February 25, 2020

ଓଡ଼ିଆ ଭାଗବତ ଷଷ୍ଠ ସ୍କନ୍ଧ

February 25, 2020

ଓଡିଆ ଭାଗବତ ପଞ୍ଚମ ସ୍କନ୍ଧ

February 25, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.