(ରାଗ: କୁମ୍ଭକାମୋଦୀ)
(ମତାନ୍ତରରେ ସିନ୍ଧୁକାମୋଦୀ, ହରିକାମ୍ଭୋଜୀ)
ନୂଆନଟପଟଳୀମୁକୁଟ ହେ ନାହିଁ କି ଶ୍ରୀଅଙ୍ଗ ସୁଖ ,
ନିପଟ ନିସ୍ତେଜ ଦିଶୁଛି ତ ଆଜ ନିରଳସ ଚନ୍ଦ୍ରମୁଖ ॥ପଦ॥
ନୀଳୋତ୍ପଳ ବାସି ହେଲା ପରି ଦିଶି ଯାଉଛି ଦୂରୁ ଶ୍ରୀଅଙ୍ଗ,
ନାସା ନୀଳ ତିଳଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ ॥୧॥
ନୀପଉପବନ ନିକଟ, ପବନସ୍ପରଶରୁ ଯେବେ ଡର,
ନଦୀକୂଳସ୍ଥଳ ଏ ବଡ଼ ଶୀତଳ ନୁହନ୍ତାଟିକି ବିହାର ॥୨॥
ନିଦ ନାହିଁ କି ନୟନେ ନିଶି ଦିନ ଆହା ମରଇ ମୋ ଧନ,
ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ ॥୩॥
ନବ ହେମଦ୍ୟୁତି ଅମରୀଏ ନିତି ନିଅନ୍ତି ଫୁଲ ଏ ବନୁ,
ନେତ୍ରପଥେ ପଡ଼ିଗଲେ କି ସେ ଛାଡ଼ି ଯାଉ ନାହିଁ ଜ୍ୱର ମନୁ ॥୪॥
ନ ବିହର ଗୋପ ସଙ୍ଖାଳି ଏ ପାପଗହନରେ କିଛି ଦିନ,
ନରେଶମଣ୍ଡନ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ ॥୫॥