ଓମାର୍ ଗୋଟିଏ ଛୋଟ ସହରରେ ରହୁଥିଲା । ସେ ଯେତିକି ଧୂର୍ତ୍ତ, କଥାବାର୍ତ୍ତାରେ ବି ସେ ସେତିକି ଭଦ୍ର । ଖାଲି ସେତିକି ନୁହେଁ, ତା’ ସହିତ ଯିଏ ଯେତେବେଳେ ସମ୍ପର୍କରେ ଆସିଛି, ସେ ନିଶ୍ଚୟ ଠକି ଯାଇଛି ।
ଅତଏବ ସେ ସହରରେ ଓମାର ପ୍ରତି ସମସ୍ତେ ସତର୍କ ହୋଇ ଚଳୁଥିଲେ ।
ବାଗ୍ଦାଦ୍ରୁ ମୁସ୍ତାଫା ନାମକ ଜଣେ ଯୁବକ ବ୍ୟବସାୟୀ ମଧ୍ୟେ ମଧ୍ୟେ ସେ ସହରକୁ ଆସୁଥାନ୍ତି । ମୁସ୍ତାଫା ବୁଦ୍ଧିମାନ ଓ ଖୁବ୍ ଭଲ ମଣିଷ । କିନ୍ତୁ ତାଙ୍କର ଗୋଟାଏ ଦୁର୍ବଳତା ଥିଲା; ଯିଏ ତାଙ୍କୁ ପ୍ରଶଂସା କରି କଥା କହିବ ବା ତାଙ୍କୁ ଖୋସାମଦି କରିବ, ସେ ତାଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇଯିବ ।
ଓମାର୍ ବାଟରେ ଘାଟରେ ଦୁଇ ଚାରିଥର ମୁସ୍ତାଫାଙ୍କୁ ସହାସ୍ୟ ବଦନରେ ସଲାମ ପକାଇଲା । ଦିନେ ମୁସ୍ତାଫା ତାକୁ ପଚାରିଲେ, “ଆପଣ ମୋତେ ଚିହ୍ନିଲେ କେମିତି?”
ତହୁଁ ଓମାର୍ କହିଲା “ସାହେବ୍, ଆପଣଙ୍କ ନାମଧାମ ନ ଜାଣିଲେ କ’ଣ ଆପଣଙ୍କୁ ଚିହ୍ନି ହେବ ନାହିଁ? ଯାହାର ଆଖି ଥିବ, ସେ ଆପଣଙ୍କୁ ଦେଖିବା ମାତ୍ରେ ଠିକ୍ ଜାଣି ଯିବ ଯେ ଆପଣ ଜଣେ ଅତ୍ୟନ୍ତ ସମ୍ଭ୍ରାନ୍ତ ଘରର ସନ୍ତାନ । ଆପଣଙ୍କ ବାପା ଜେଜେବାପା ନବାବ ନଥାଇ ପାରନ୍ତି । କିନ୍ତୁ ସେମାନଙ୍କର ନବାବ୍ ଭଳି ଆଦବ ଥିଲା । ଆପଣ ସେମାନଙ୍କଠାରୁ କିଛି କମ୍ ତ ନୁହଁନ୍ତି । ବରଂ ଆପଣ ଜଣେ ସୁଲତାନ୍ ହେବାର ଯୋଗ୍ୟ ବ୍ୟକ୍ତି ।”
ତାଙ୍କ କଥାରେ ମୁସ୍ତାଫାଙ୍କ ମନ ହୃଦୟ ସବୁ ଆନନ୍ଦରେ ଫୁଲି ଉଠିଲା । ସେ ଓମାର୍ର ପିଠି ଥାପୁଡେଇ ଦେଇ କହିଲେ, “ଭାଇ, ତମ ହୃଦୟ ଯେପରି ମହତ୍, ଆଖି ବି ଠିକ୍ ସେହିପରି ପରିଷ୍କାର । ନହେଲେ କ’ଣ ତମେ କେବେବି ଏମିତି କହନ୍ତ?”
ଓମାର୍ ମୁସ୍ତାଫାଙ୍କର ବିଶେଷ ବନ୍ଧୁ ହୋଇଗଲା । ସେ ସହରରେ ଯେଉଁମାନେ ମୁସ୍ତାଫାଙ୍କର ଶୁଭେଚ୍ଛୁ ଥିଲେ, ସେମାନେ ପରୋକ୍ଷ ଭାବରେ ତାଙ୍କୁ ଓମାର୍ ବିଷୟରେ ସଜାଗ କରିଦେବାକୁ ଅନେକ ଚେଷ୍ଟା କଲେ । ସେମାନେ କହିଲେ, “ବାବୁ, ଆପଣ ବାଗ୍ଦାଦର ଲୋକ । ଏଠାରେ ସମସ୍ତଙ୍କୁ ଭଲ ଭାବରେ ଜାଣନ୍ତି ନାହିଁ । ଟିକିଏ ସତର୍କ ହୋଇ ଚଳୁଥିବେ ।”
କିନ୍ତୁ ସେ ଚେତାବନୀ ମୁସ୍ତାଫାଙ୍କୁ ମୋଟେ ପ୍ରଭାବିତ କଲା ନାହିଁ । ଓମାର୍ ସହିତ ତାଙ୍କର ସମ୍ପର୍କ ଅତୁଟ ରହିଲା ।
ବର୍ଷେ ମୁସ୍ତାଫା ସେ ସହରକୁ ଆସି ପାରିଲେ ନାହିଁ । ଓମାର୍ ହଠାତ୍ ତାଙ୍କ ଘରେ ଯାଇ ଉପସ୍ଥିତ ହେଲା । ମୁସ୍ତାଫା ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ଆରେ ଭାଇ, ଆସ, ଆସ । ତମେ କେମିତି ବାଗ୍ଦାଦ୍ ଚାଲି ଆସିଲ?”
ଓମାର୍ କ୍ଷୁବ୍ଧ ହେଲାଭଳି କଣ୍ଠରେ କହିଲା, “କେମିତି ଆସିଲି? ତମକୁ ଆଶ୍ଚର୍ଯ୍ୟ ଲାଗୁଛି ପରା! ମୋତେ ବନ୍ଧୁ ବୋଲି ସ୍ୱୀକାର କରୁଛଟି! ତମେ ଯେତେବେଳେ ଆମ ସହରକୁ ଯିବା କଥା ସେତେବେଳେ ଗଲ ତ ନାହିଁ, କାହିଁକି ଯାଉନାହଁ, ସେ ବିଷୟରେ କିଛି ଖବର ବି ଦେଲ ନାହିଁ । କ’ଣ ଦେହ ପା ଖରାପ ହେଲା କି ଏହା ଭାବି ମୁଁ କେଇରାତି ଯମାରୁ ଶୋଇ ପାରିଲି ନାହିଁ । ଭାବିଲି, ଥରେ ହାଲ୍ ହୈକତ୍ ବୁଝି ନ ଆସିବା ଯାଏ ମୁଁ ଶାନ୍ତି ପାଇବି ନାହିଁ ।”
ଏହା ଶୁଣି ମୁସ୍ତାଫା ଗଦ୍ଗଦ୍ କଣ୍ଠରେ କହିଲେ, “ଭାଇ, ତମଭଳି ବନ୍ଧୁ ଯିଏ ପାଇବ, ସିଏ ତ ବାସ୍ତବିକ ଭାଗ୍ୟବାନ । ତମେ ଆଜି ଏଠାକୁ ଆସିଲ ବହୁତ ଭଲ କଲ । ଯେତେଦିନ ପାରିବ ଏଠାରେ ରୁହ ।”
ଓମାର୍ ମୁସ୍ତାଫାଙ୍କ ଘରେ ମଉଜ୍ରେ ଖାଇପିଇ ମାସଟିଏ କଟାଇଲା । ସବୁବେଳେ ସେ ଦୁଇବନ୍ଧୁ ବସି ଗଳ୍ପ କରନ୍ତି କେତେବେଳେ ସେମାନେ ଏକାଠି ନିର୍ଜନ ପାହାଡ ଆଡେ ବୁଲିଯାନ୍ତି । ଏତେଦିନ ପରେ ବନ୍ଧୁଙ୍କୁ ପାଇ ମୁସ୍ତାଫା ତାଙ୍କର କାମଦାମ, ଘରଦ୍ୱାର, ପରିବାର ସବୁ ଭୁଲିଗଲେ । ଓମାର୍ର କଣ୍ଠରୁ ଓ ଭାଷାରେ ତ ମଧୁ ଝରୁଥାଏ । ସେ ମଧୁର ବନ୍ଧୁତା ଆଉ ତୁଟିବାର ନାହିଁ । ଦୁହେଁ ଦୁହିଁଙ୍କର ଏକାନ୍ତ ଘନିଷ୍ଠ ଓ ଅନ୍ତରଙ୍ଗ ହୋଇ ଉଠିଲେ, ମାସଟିଯାକ ଲାଗିଲା ଯେପରି ଦିନଟିଏ ମାତ୍ର କଟିଛି । ତା’ପରେ ଦିନେ ସେ ନିଜ ସହରକୁ ଲେଉଟି ଯିବାକୁ ପ୍ରସ୍ତୁତ ହେଲା । ସେତେବେଳେ ଓମାର୍ ମନରେ ସେଇ ପୂର୍ବ ଶଇତାନ୍ ଜାଗ୍ରତ ହୋଇ ସାରିଲାଣି । ସେ ଯେତେବେଳେ ବିଦାୟ ହେବ, ସେତେବେଳେ ମୁସ୍ତାଫାଙ୍କ ପାଖରେ ବାଗ୍ଦାଦ୍ର କେତେଜଣ ଜଣାଶୁଣା ଲୋକ ଥିଲେ । ସେ କହିଲା, “ଭାଇ, ଚାଲିଲି । ମୋ ଥଳିଟି ଦିଅ ।”
ମୁସ୍ତାଫା ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କେଉଁ ଥଳି?”
“ଓଃ, ମୁଁ ଦେଖୁଛି ତମେ ତ ବଡ ଭୁଲା ମଣିଷ । ସେଇ ଯେଉଁ ହଜାରେ ସୁନା ମୁଦ୍ରା ଭର୍ତ୍ତି ଥଳିଟି ତମକୁ ମୁଁ ପ୍ରଥମଦିନ ଆସିବା ମାତ୍ରେ ଧରାଇ ଦେଇଥିଲି ମ!”
ଏଭଳି କଥା ଶୁଣିବା ମାତ୍ରେ ମୁସ୍ତାଫା କାବା ହୋଇଗଲେ । ହଠାତ୍ ତାଙ୍କର ସନ୍ଦେହ ହେଲା – ଓମାର୍ କ’ଣ ଆଉ ସତରେ ଗୋଟିଏ ଠକ କି? ସେ କିନ୍ତୁ ହସି ହସି କହିଲେ, “ଭୁଲା ମଣିଷ ମୁଁ ନା ତମେ? ଥଳି ତ ତମେ ମୋତେ କେବେ ବି ଦେଇନାହଁ!”
ଓମାର୍ ଗମ୍ଭୀର ହୋଇ କହିଲା, “ବନ୍ଧୁ ସହ ପୁଣି ବିଶ୍ୱାସଘାତକତା, ଏହା ତ ମହା ପାପ । ଦେଇଦିଅ । ମୁଁ ଯାଏ ।”
ସେତେବେଳକୁ ଓମାର୍ ତ ବାଗ୍ଦାଦ୍ର ସବୁ ଲୋକଙ୍କ ସାଥିରେ ଏପରି ମଧୁର ବ୍ୟବହାର କରୁଥାଏ ଯେ ସେଠି ଉପସ୍ଥିତ ଥିବା ଲୋକେ ସତରେ ଭାବିଲେ ଯେ, ଓମାର୍ ସତ କହୁଛି । ମୁସ୍ତାଫା ହୁଏତ ଭୁଲି ଯାଇଛନ୍ତି, ନହେଲେ ସେ ତାଙ୍କୁ ଦଗା ଦେଉଛନ୍ତି ।
ମୁସ୍ତାଫା ଏବଂ ଓମାର୍ ଭିତରେ ପାଟିଗୋଳ ହେଲା । ମୁସ୍ତାଫାଙ୍କର ଜଣେ ବିଶେଷ ବନ୍ଧୁ ସେଠି ଆସି ପହଁଚିଗଲେ । କୌଣସି ମତେ ସେ ଏଭଳି ଅଡୁଆ ପରିସ୍ଥିତିରୁ ମୁସ୍ତାଫାଙ୍କୁ ରକ୍ଷା କରିବା ନିମନ୍ତେ ସେ କହିଲେ, “ଓମାର୍, ତମେ ସାମାନ୍ୟ ଭୁଲ୍ କରିଛ । ଯେଉଁ ହଜାରେ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ଥଳି କଥା କହୁଛ, ସେ ଥଳି ତମେ ମୁସ୍ତାଫାକୁ ଦେଇ ନଥିଲ, ମୋତେ ଦେଇଥିଲ । ଚାଲ ମୋ ଘରକୁ ଦେଇଦେବି ।”
ଓମାର୍ ସଙ୍ଗେ ସଙ୍ଗେ କହିଲା, “ନାହିଁ ଆଜ୍ଞା, ମୁଁ କିଛି ଭୁଲ୍ କରିନାହିଁ । ଆପଣଙ୍କୁ ଯେଉଁ ଥଳି ଦେଇଥିଲି, ତାହା ମୋର ଦ୍ୱିତୀୟ ଥଳି । ମୁସ୍ତାଫାଠୁ ବିଦାୟ ନେଇ ଆପଣଙ୍କ ପାଖକୁ ଯାଇ ମୁଁ ତାହା ଅବଶ୍ୟ ନେଇଥାନ୍ତି । କିନ୍ତୁ ବର୍ତ୍ତମାନ ଏଠାକାର ଲୋକମାନଙ୍କର ବ୍ୟବହାର ଯାହା ଦେଖୁଛି, ଆପଣ ମୋତେ ଘରକୁ ନେଇଯାଇ ମୁସ୍ତାଫା ଭଳି ରୋକ୍ଠୋକ୍ ନାହିଁ କରିଦେଲେ ମୁଁ କ’ଣ କରିବି? ଏଠି ସମସ୍ତେ ଅଛନ୍ତି । ଆପଣ ଯାଇ ସେହି ଥଳିଟି ନେଇ ଆସନ୍ତୁ ।”
ଏହା ଶୁଣି ମୁସ୍ତାଫାଙ୍କ ବନ୍ଧୁଙ୍କ ମୁହଁ ହଠାତ୍ ଫିକା ପଡିଗଲା । ସେ ମୁସ୍ତାଫାଙ୍କର ହଜାରେ ସ୍ୱର୍ଣ୍ଣମୁଦ୍ରା ଠକ ହାବୁଡରୁ ରକ୍ଷା କରିବାକୁ ଯାଇ ବର୍ତ୍ତମାନ ସେ ନିଜେ ମହା ଅଡୁଆରେ ପଡିଲେ । ଅନ୍ୟମାନେ ଏ ଅବସ୍ଥା ଦେଖୁଥିଲେ । ସେମାନେ ସମସ୍ତେ ଭାବିଲେ ଓମାର୍ ଯଦି ଜଣକ ପାଖରେ ଟଙ୍କା ଥଳି ରଖିଥିବା ସତ, ତେବେ ସେ କାହିଁକି ମୁସ୍ତାଫା ପାଖରେ ବି ତାହା ରଖି ନଥିବ?
ସମସ୍ତଙ୍କ ମନୋଭାବ ବୁଝିପାରି ମୁସ୍ତାଫା ଓ ତାଙ୍କ ବନ୍ଧୁ ଦୁହେଁ ହଜାରେ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ଯୋଡିଏ ଥଳି ଓମାର୍କୁ ଦେଇଦେଲେ । ଓମାର୍ ଏଥର ତା’ ରାସ୍ତାରେ ସେ ଚାଲିଗଲା ।
ମୁସ୍ତାଫା ତାଙ୍କ ବନ୍ଧୁଙ୍କୁ କହିଲେ, “ଭାଇ, ଖୋସାମୋଦି ଶୁଣି ମୁଁ ସେ ଲୋକଟା ପାଲରେ ପଡିଥିଲି । ହେଲେ ବର୍ତ୍ତମାନ ଉଚିତ୍ ମୂଲ୍ୟ ଦେଇ ଖୋସାମୋଦିଆଙ୍କୁ ସାବଧାନ୍ ଠିକ୍ ବୁଝିଲି । ମୋ ଭଳି ବୋକାର ବନ୍ଧୁ ହୋଇଥିବା ଯୋଗୁଁ ତୁମକୁ ବି ମୂଲ୍ୟ ଦେବାକୁ ପଡିଲା!”
ଏହାପରେ ସେ ଦୁଇବନ୍ଧୁ ହସିଲେ ।