• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ମୁଁ କାହିଁକି ଓଡ଼ିଆ ପଢ଼ିବି ?
ଜାତି ଜାଗୃତି ଓ ପ୍ରଗତି

ମୁଁ କାହିଁକି ଓଡ଼ିଆ ପଢ଼ିବି ?

Subrat Kumar PrustyBy Subrat Kumar PrustyFebruary 13, 2020No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ସଂପ୍ରତି ଆମ ରାଜ୍ୟ ସରକାର ଅର୍ଥାଭାବ ଯୋଗୁଁ ଛାତ୍ର ଉପସ୍ଥାନ ହ୍ରାସ ଆଳରେ ମହାବିଦ୍ୟାଳୟ ସ୍ତରରୁ ମାତୃଭାଷା ଉଠାଇଦେବାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ମୌଳିକ ଅଧିକାରରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ପରିପ୍ରେକ୍ଷୀରେ ଯେଉଁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା, ତାହା ହୁଏତ ଆମ ଜାତିର ସ୍ୱାଭିମାନକୁ କିଛିକ୍ଷଣପାଇଁ ଜାଗରିତ କରିବାରେ ସାହାଯ୍ୟ କରିଛି । ମାତ୍ର ଦୀର୍ଘଦିନ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ୁଥିବା ଛାତ୍ରଟିଏ କିଭଳି ଭାବରେ ମାନସିକ ଯନ୍ତ୍ରଣା ପାଉଛି, ସେ ସଂପର୍କରେ କେହି କିଛି ଚିନ୍ତା କରିଛନ୍ତି କି?

ତେବେ ଏହି ପରିସ୍ଥିତି ସୃଷ୍ଟିପାଇଁ ଅସଂଖ୍ୟ କାରଣ ଆଢ଼ୁଆଳରେ ଲୁଚି ରହିଥିବା ବେଳେ, ଯେଉଁ କେତୋଟି କାରଣ ସର୍ବସମ୍ମୁଖରେ ଦୃଷ୍ଟିଗୋଚର ହେଉଛି ସେଥିମଧ୍ୟରୁ ପ୍ରମୁଖ କେତୋଟି ଏଠାରେ ଉପସ୍ଥାପିତ କରାଯାଇପାରେ ।

୧ – ପ୍ରାଥମିକ ଶିକ୍ଷାସ୍ତରରେ ମାତୃଭାଷାର ଆଦ୍ୟ ଅକ୍ଷର, ଅ, ଆ ଶିଖିବାପାଇଁ ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସାମିଲ ହେଉଥିବା କୋମଳମତି ଶିଶୁମାନଙ୍କୁ ଶିକ୍ଷକମାନେ ରୋଷେଇ ନିମିତ୍ତ କାଠ ସଂଗ୍ରହରେ ନିଯୁକ୍ତ କରିଥାନ୍ତି । କେତେକ ବିଦ୍ୟାଳୟ ମାସ ମାସ ଧରି ବନ୍ଦ ରହେ କିମ୍ବା ମାତ୍ର ଖୋଲା ରହେ ଶିକ୍ଷକ ଓ ଶିକ୍ଷା ସମିତିଦ୍ୱାରା ଡାଲି ଚାଉଳ ହଡ଼ପପାଇଁ । ଶିକ୍ଷା ପ୍ରଦାନରେ ଶିକ୍ଷକଙ୍କ ଆନ୍ତରିକତା ନ ଥିବାରୁ ଏହି ଶିଶୁମାନେ ବର୍ଣ୍ଣ ଶିଖି ନିଜ ନାମ ଠିକଣା ଲେଖିବାରେ ଦକ୍ଷତା ୫ବର୍ଷ ମଧ୍ୟରେ ହାସଲ କରିପାରନ୍ତି ନାହିଁ ।

୨ – ମାଧ୍ୟମିକ ଶିକ୍ଷାସ୍ତରରେ ସାହିତ୍ୟ ଏକ ଆମୋଦପ୍ରଦ ବିଷୟ ହୋଇଥିବା ବେଳେ ଏହି ସମୟରୁ ବ୍ୟାକରଣ ପରିଚୟ, ପ୍ରବନ୍ଧ ରଚନା ପଦ୍ଧତି, ବାକ୍ୟ ଗଠନ ଓ

ପଦ ସଂଯୋଜନା କୌଶଳ ଶିକ୍ଷା ପ୍ରଦାନ ବଳରେ ଏହି ଶ୍ରେଣୀର ଶିକ୍ଷକମାନେ କେବଳ ବହି ପଢ଼ିବା ଓ ପଢ଼ାଇବା ମଧ୍ୟରେ ସୀମିତ ରଖନ୍ତି । କାରଣ ମାତୃଭାଷାରେ ନିୟୋଜିତ ଏହି ଶିକ୍ଷକଗଣ ଅନ୍ୟାନ୍ୟ ବିଷୟ ପରି ମାତୃଭାଷାରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ନୁହନ୍ତି ତଥା ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କରେ ଏମାନଙ୍କର କୌଣସି ଜ୍ଞାନ ନାହିଁ । ଅଥଚ ପରୀକ୍ଷା ଖାତାରେ ‘ସ’ ବଳରେ ‘ଶ’ (ଠିକ୍ ହୋଇଥିଲେ ମଧ୍ୟ) ଲେଖିଦେଲେ ସଂଗେ ସଂଗେ ନାଲିଗାର ପକାଇ ନମ୍ବର କଟାଇ ନିଜର ପାଣ୍ଡିତ୍ୟ ପ୍ରଦର୍ଶନରେ ହେଳା କରନ୍ତି ନାହିଁ ।

୩ – ମହାବିଦ୍ୟାଳୟ ସ୍ତରରେ ମାତୃଭାଷାର ଶିକ୍ଷାାଦାନ ପଦ୍ଧତି ଭିନ୍ନ ଧରଣର । ନୂତନ ପରିବେଶ ସହିତ ନବ ବୟସରେ ଉପନୀତ କିଶୋର ବିଦ୍ୟାର୍ଥୀଙ୍କ ନିକଟରେ ଅଧ୍ୟାପକଙ୍କ ପଠନଶୈଳୀ ଏପରି ହୋଇଥାଏ ଯେ, ଏହିଠାରୁ ହିଁ ମାତୃଭାଷା ଶିକ୍ଷାପ୍ରତି ସୃଷ୍ଟି ହୁଏ ଚରମ ଉାସୀନତା । ବାଧ୍ୟତାମୂଳକ ସାହିତ୍ୟ ଶ୍ରେଣୀ ବର୍ଷ ମଧ୍ୟରେ କେବେ କେମିତି ହେଉଥିବାବେଳେ, ବିଦ୍ୟାର୍ଥୀ ମନରେ ସୃଷ୍ଟି ହେଉଥିବା ଅସଂଖ୍ୟ ପ୍ରଶ୍ନର ସମାଧାନପାଇଁ ଅଧ୍ୟାପକଙ୍କ ନିକଟରେ ସମୟ ନ ଥାଏ । ଫଳରେ ଏମାନେ ପରୀକ୍ଷାରୂପକ ବୈତରଣୀ ପାର ହେବାପାଇଁ ବିଭିନ୍ନ ବିଭ୍ରାନ୍ତିମୂଳକ ସହାୟକ ପୁସ୍ତିକାର ସାହାଯ୍ୟ ନେଇଥାନ୍ତି । କେତେକ ଓଡ଼ିଆ ବଦଳରେ ସଂସ୍କୃତକୁ ମଧ୍ୟ ମାତୃଭାଷା ଭାବରେ ଗ୍ରହଣ କରି ଅଧିକ ଅଙ୍କଲାଭ କରିବାର ପ୍ରଲୋଭନକୁ ଏଡାଇ ପାରୁନାହାନ୍ତି ।

ଏହି ସମୟର ଇଚ୍ଛାଧୀନ ଓଡ଼ିଆ ବିଷୟର ଅବସ୍ଥା ମଧ୍ୟ ତଦୃପ । ପୁସ୍ତକର ବୋଝ ସହ ଅଧ୍ୟାପକମାନଙ୍କ ଆନ୍ତରିକହୀନ ଶିକ୍ଷାଦାନ ପଦ୍ଧତି ଛାତ୍ରମନରେ ବିରକ୍ତିଭାବ ସୃଷ୍ଟି କରେ ଏହି ବିଷୟ ପ୍ରତି ।

୪ – +୩ ବା ସ୍ନାତକ ଶ୍ରେଣୀର ଦୁଇଟି ବର୍ଷରେ ପ୍ରଚଳିତ ବାଧ୍ୟତାମୂଳକ ଓଡ଼ିଆ ସାହିତ୍ୟ ବିଷୟ ପଠନଧାରା ପୂର୍ବପରି । ଏହି ଶ୍ରେଣୀରେ ଯେଉଁମାନଙ୍କୁ କୌଣସି ବିଷୟ ସମ୍ମାନ ଭାବରେ ମିଳି ନ ଥାଏ, ସେମାନେ ‘ଓଡ଼ିଆ’ ବିଷୟକୁ ‘ସମ୍ମାନ ପତ୍ର’ ଭାବେ ଗ୍ରହଣ କରିଥାନ୍ତି । ହୁଏତ ଏହି କାରଣ ଯୋଗୁଁ ଏହି ବିଭାଗ ପ୍ରତି ଅନ୍ୟାନ୍ୟ ବିଭାଗର ଛାତ୍ର ତଥା ଅଧ୍ୟାପକମାନଙ୍କର ମାନସିକସ୍ତରରେ ଘୃଣାଭାବ ରହିଛି । ଅବଶ୍ୟ ସାହିତ୍ୟ ପ୍ରତି ରୁଚିଥିବା ଅନେକ ଭଲ ଛାତ୍ର ମଧ୍ୟ ଏହାକୁ ସ୍ୱତନ୍ତ୍ର ସମ୍ମାନପତ୍ର ଭାବରେ ଗ୍ରହଣ କରିଥା’ନ୍ତି । ମାତ୍ର ଏହି ବିଭାଗର ଅଧ୍ୟାପକଗଣ ଅନ୍ୟାନ୍ୟ ବିଷୟର ଅଧ୍ୟାପକଙ୍କ ଭଳି ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ନ ଥା’ନ୍ତି । ନାମକୁ ମାତ୍ର ଶ୍ରେଣୀକକ୍ଷରେ ଯୋଗ ଦେଇ ନୂତନ ତଥ୍ୟ ପ୍ରଦାନ ବଳରେ ପାରମ୍ପରିକ ଶୈଳୀରେ ସାଧାରଣ କଥାକୁ

 

ଘଷିମାଜି ନିଜର ଅଧ୍ୟାପନା ଦାୟିତ୍ତ୍ୱ ଶେଷ କରିଥାନ୍ତି । ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ପାଠଚକ୍ର ଆୟୋଜନର ବ୍ୟବସ୍ଥା ଥିଲେ ମଧ୍ୟ ନିର୍ଦ୍ଧାରିତ ଅର୍ଥର ବାଟମାରଣାପାଇଁ ପାଠଚକ୍ର ଆଲୋଚନା ଛଳରେ ଭଜନ (ପ୍ରଶସ୍ତିସୂଚକ ଭାଷଣ) ଓ ଭୋଜନର ବ୍ୟବସ୍ଥା କରିଥାନ୍ତି । ଯେଉଁଥିରେ ଛାତ୍ରଟି ପ୍ରତ୍ୟକ୍ଷ ଅଂଶଗ୍ରହଣ କରିପାରି ନ ଥାଏ । ହୁଏତ ସେଇଥିପାଇଁ ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନେ ଅନ୍ୟାନ୍ୟ ବିଷୟରେ ଶତକଡ଼ା ୫୦ରୁ ୮୦ଭାଗ ପ୍ରଥମ ଶ୍ରେଣୀ ଲାଭ କରୁଥିବା ବେଳେ ଓଡ଼ିଆ ସମ୍ମାନ ଶ୍ରେଣୀର ବିଦ୍ୟାର୍ଥୀ ପାଏ ମାତ୍ର ୧ଭାଗ କିମ୍ବା ତା’ଠାରୁ କମ୍ । ଯାହାଫଳରେ ଏହି ବିଭାଗ ପ୍ରତି ଅନ୍ୟ ବିଭାଗ ତଥା ଜନସାଧାରଣଙ୍କ ଦର୍ୟାଦ୍ର ଦୃଷ୍ଟଭଙ୍ଗୀ ରହିବାଦ୍ୱାରା ଏହି ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ନିଜକୁ ଦୁର୍ବଳ ମନେ କରନ୍ତି ।

୫- ସ୍ନାତକୋତ୍ତର ଶ୍ରେଣୀ କଥା ଏହାଠାରୁ ସାମାନ୍ୟ ଅଲଗା । କାରଣ ଓଡ଼ଆ ଭାଷାର ସବୁ ପଣ୍ଡିତେ ଏଇଠି ଦେଖାହୁଅନ୍ତି । ଜ୍ଞାନ, ଧନ, ମାନ, ପ୍ରତିପତ୍ତି ସବୁଥିରେ ଏକରୁ ବଳି ଆରକେ ବଳୀୟାନ ଥିବାରୁ ଏମାନଙ୍କ ଚକ୍ରବ୍ୟୁହରେ ପେଶି ହୋଇଯାଏ ନିରୀହ ବିଦ୍ୟାର୍ଥୀ । ଏଠାରେ ସେ ବିଭିନ୍ନ ଗୋଷ୍ଠୀର ସଦସ୍ୟ ହେବାକୁ ବାଧ୍ୟ । ନଚେତ୍ ସର୍ବନିମ୍ନ ନମ୍ବର ମିଳିବା ତା’ପାଇଁ କଷ୍ଟକର ହୋଇପଡିବ ।

୬- ଶିକ୍ଷା ସମାପ୍ତି ପରେ ବୃତ୍ତିଗତ ଅନ୍ୱେଷଣରେ ଏହି ଶିକ୍ଷାହୁଏ ପ୍ରଥମ ପ୍ରତିବନ୍ଧକ । କାରଣ ଓଡ଼ିଶାର ପ୍ରତ୍ୟେକ ପ୍ରତିଯୋଗିତାମୂଳକ ପରୀକ୍ଷାପାଇଁ ଇଂରାଜୀ ଭାଷାରେ ଦକ୍ଷତା ଆବଶ୍ୟକ ଥିବାରୁ ପିଲାଟି ବେଳରୁ ଇଂରାଜୀ ଭାଷା ପଢ଼ାଇବା ଅଭ୍ୟାସ ଥିଲେ ମଧ୍ୟ ଏହି ଭାଷା ଶିକ୍ଷା ପ୍ରତି ଅନିଚ୍ଛୁକ ମନୋଭାବ ଓ ଶିକ୍ଷକଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାପଦ୍ଧତି ଯୋଗୁଁ ଏହି ଭାଷାରେ ଦୁର୍ବଳ ଓଡ଼ିଆ ଛାତ୍ରଟିଏ ଏଥିରୁ ହୁଏ ବାଛନ୍ଦ । ଏପରିକି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମରେ ନିର୍ଭୁଲ ଉପସ୍ଥାପନା ତଥା ସଂଯୋଜନାପାଇଁ ଦକ୍ଷ ଓଡ଼ିଆ ଭାଷାର ଆବଶ୍ୟକ ଥିବାବେଳେ ଏହି ଛାତ୍ରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳେନାହିଁ । ପତ୍ରପତ୍ରିକା, ଖବରକାଗଜ ତଥା ବିଭିନ୍ନ ପୁସ୍ତକ ପ୍ରକାଶନ ସଂସ୍ଥାଦ୍ୱାରା ମୁଦ୍ରିତ ଓଡ଼ିଆ ପୁସ୍ତକ ପତ୍ରପତ୍ରିକା ଓ ଖବରକାଗଜ ଭାଷା ଶୁଦ୍ଧିପାଇଁ ଅଭିଜ୍ଞ ଓଡ଼ିଆ ଭାଷା ଶିକ୍ଷାର୍ଥୀର ଆବଶ୍ୟକ ଥିବାବେଳେ, ଏମାନେ ସାମ୍ବାଦିକତା ପାଠ୍ୟକ୍ରମ କରି ନ ଥିବାରୁ ଯେ କୌଣସି ବ୍ୟକ୍ତି ଓଡ଼ିଆ ଭାଷା ଓ ବ୍ୟାକରଣ ଜ୍ଞାନ ନ ଥିଲେ ମଧ୍ୟ, ସାମ୍ବାଦିକତା ପ୍ରମାଣପତ୍ର ପାଇ ଏହି ଦାୟିତ୍ୱବହନ କରିଥାନ୍ତି, ଫଳରେ ଓଡ଼ିଆଭାଷାର ଶୁଦ୍ଧତା ଲୋପ ପାଇବାକୁ ବସିଲାଣି ।

୭- ସର୍ବଭାରତୀୟ ସ୍ତରରେ କେନ୍ଦ୍ରୀୟ ଲୋକସେବା ଆୟୋଗଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାପାଇଁ ଓ କେନ୍ଦ୍ର କର୍ମଚାରୀ ନିଯୁକ୍ତି ଆୟୋଗଦ୍ୱାରା ପରିଚାଳିତ

ବିଭିନ୍ନ ମେଟ୍ରିକ ଓ ସ୍ନାତକସ୍ତରୀୟ କର୍ମଚାରୀ ନିଯୁକ୍ତିପାଇଁ ମାତୃଭାଷାକୁ ଇଚ୍ଛାଧୀନ ବିଷୟ ସହିତ ସମସ୍ତ ୯ଟି ପତ୍ରକୁ ମାତୃଭାଷାରେ ଲେଖିବାର ସୁଯୋଗ ଦେଇଥିଲେ ମଧ୍ୟ ଏ ସଂପର୍କରେ ବ୍ୟାପକ ସଚେତନତାର ଅଭାବ, ଯଥେଷ୍ଟ ପାଠ୍ୟୋପକରଣ ଓ ପୁସ୍ତକର ଅଭାବ ତଥା ଉପଯୁକ୍ତ ଦିଗ୍‌ଦର୍ଶକଙ୍କ ଅଭାବ ଯୋଗୁଁ ଓଡ଼ିଆ ଛାତ୍ରଟିଏ ବାଧ୍ୟ ହୋଇ ଓଡ଼ିଆ ବଦଳରେ ଇଂରେଜୀ ମାଧ୍ୟମରେ ପରୀକ୍ଷା ଦେଉଛି ।

୮- ଭାରତର ଅନ୍ୟାନ୍ୟ ରାଜ୍ୟ ଲୋକସେବା ଆୟୋଗଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷା ବିଶେଷ କରି ପ୍ରଶାସନିକ ସେବା ପରୀକ୍ଷାର ଉତ୍ତର ନିଜସ୍ୱ ଭାଷାରେ ଲେଖିବାର ବିଧି ପ୍ରଚଳନ କରିଥିବାବେଳେ, ଆମ ଓଡ଼ିଶା ରାଜ୍ୟର ଲୋକସେବା ଆୟୋଗ ମାତୃଭାଷା ବଦଳରେ କେବଳ ଇଂରେଜୀ ଭାଷାରେ ଉତ୍ତର ଲେଖିବାର ବିଧି ପ୍ରଣୟନ କରିଛନ୍ତି । ଯଦି ରାଜ୍ୟ ଲୋକସେବା ଆୟୋଗ ମାତୃଭାଷାରେ ଉତ୍ତର ଲେଖିବାର ବିଧି ପ୍ରଣୟନ କରନ୍ତେ, ତେବେ ପ୍ରତିବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଉଥିବା ଓଡ଼ିଶାର ପ୍ରାୟ ୩୦ ହଜାର ପ୍ରାର୍ଥୀ ମଧ୍ୟରୁ ଅର୍ଦ୍ଧାଧିକ ମାତୃଭାଷାରେ ପରୀକ୍ଷା ଦେବାର ଦୁଃସାହସ କରି ନିଶ୍ଚିତ କୃତକାର୍ଯ୍ୟ ହୁଅନ୍ତେ, ଯାହା ଫଳରେ ଓଡ଼ିଶାପାଇଁ ସୁରକ୍ଷିତ ସ୍ଥାନରେ ଅନ୍ୟ ରାଜ୍ୟର ପ୍ରାର୍ଥୀ ପ୍ରବେଶ କରିପାରନ୍ତା ନାହିଁ । ଏଥିସହିତ ମାତୃଭାଷା ପ୍ରତି ଆଦର ସମ୍ମାନ ବଢ଼ିବା ସହିତ ସାଧାରଣ ଜନତା ଓ ପ୍ରଶାସନ ମଧ୍ୟରେ ଥିବା ବିଭେଦ ଦୂର ହୋଇଯାଆନ୍ତା ।

୯-ଅନ୍ୟାନ୍ୟ ରାଜ୍ୟରେ ପ୍ରଚଳିତ ଭାଷା ଓ ସାହିତ୍ୟର ଉଚ୍ଚତର ଗବେଷଣାପାଇଁ ବିଭିନ୍ନ ଅନୁଷ୍ଠାନ ତଥା ସରକାର ସ୍ୱତନ୍ତ୍ର ବୃତ୍ତି ଯୋଗାଇ ଦେଉଥିବା ବେଳେ ଆମ ରାଜ୍ୟ ସରକାର, ଶିଳ୍ପପତି , ବୁଦ୍ଧିଜୀବୀ, ସାହିତ୍ୟ ଶୁଭେଚ୍ଛୁ ଧନୀ ବ୍ୟକ୍ତି ଏବଂ ବିଶ୍ୱବିଦ୍ୟାଳୟ ସମୂହ ଏଥିପାଇଁ ସଂପୂର୍ଣ୍ଣ ଉଦାସୀନ ରହନ୍ତି । ଆମ ଲୋକପ୍ରତିନିଧିମାନେ ଏଥିପାଇଁ ଅର୍ଥର ଅଭାବ ଦର୍ଶାଉଥିବା ବେଳେ ପ୍ରତି ଛକରେ ମନ୍ଦିର ନିର୍ମାଣପାଇଁ ମୁକ୍ତହସ୍ତରେ ଅର୍ଥ ଦାନ କରିଥାନ୍ତି ।

ଏପରିକି ଭାଷା, ଜାତି ଓ ସାହିତ୍ୟର କଥା କହୁଥିବା ଓଡ଼ିଶା ସାହିତ୍ୟ ଏକାଡେମୀ, ଉକ୍ରଳ ସାହିତ୍ୟ ସମାଜ, ସାରଳା ସାହିତ୍ୟ ପରିଷଦ, ଓଡ଼ିଆ ଗବେଷଣା ପରିଷଦ, ସାରଳା ସାହିତ୍ୟ ସଂସଦ, ଉକ୍ରଳ ସମ୍ମିଳନୀ, ନୀଳଚକ୍ର, ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଭୃତି ସାହିତ୍ୟିକ ଅନୁଷ୍ଠାନ ପ୍ରତିବର୍ଷ କେତେଜଣଙ୍କୁ ସମ୍ବର୍ଦ୍ଧିତ କରି ଆତ୍ମପ୍ରଚାରରେ ବ୍ୟସ୍ତ ଥିବାବେଳେ, ଗବେଷଣା ଦିଗପ୍ରତି ସଂପୂର୍ଣ୍ଣ ଉଉାସୀନ ରହିଥାନ୍ତି ।

୧୦- ଓଡ଼ିଆ ଭାଷା ଓ ସାହିତ୍ୟର ଗବେଷଣାପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଭଳି କେବଳ ଏକମାତ୍ର ସର୍ବଭାରତୀୟ ଅନୁଷ୍ଠାନ ସୁଯୋଗ ପ୍ରଦାନ କରିଥାଏ । ବର୍ଷକୁ ଦୁଇଥର ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରି ମାସିକ ୧୨୦୦୦/- ବୃତ୍ତି ଯୋଗାଇ ଦେଇଥାଏ ପ୍ରତ୍ୟେକ ଭାଷାଭାଷୀର ଛାତ୍ରଛାତ୍ରୀମାନଙ୍କୁ । ମାତ୍ର ଆମ ଓଡ଼ିଆ ପଣ୍ଡିତ ପ୍ରଫେସରଙ୍କ ବିଦ୍‌ବତ୍ତା ଏହି ସମୟରେ ଏତେ ବଢ଼ିଯାଏ ଯେ, ପ୍ରତ୍ୟେକ ପରୀକ୍ଷା ଖାତାରେ ନିଜର ଛାଇକୁ ଖୋଜି ବସନ୍ତି । ଏମାନଙ୍କ ଅହଂକାର ଯୋଗୁଁ ଏକ/ଦୁଇ ଶତାଂଶପାଇଁ ଓଡ଼ଆ । ଛାତ୍ରଟିଏ ଏହି ସୁଯୋଗରୁ ଗତ ଦଶବର୍ଷ ଧରି ବଞ୍ଚିତ ହେଉଛି । ଫଳରେ ଏହି ଓଡ଼ିଆଙ୍କ ଭାଗକୁ ପୂରଣ କରୁଛନ୍ତି ଅନ୍ୟ ପ୍ରାଦେଶିକ ଭାଷାର ଛାତ୍ରଛାତ୍ରୀଗଣ । ଯଦି ଅନୁସୂଚୀତ ବର୍ଗଙ୍କପାଇଁ ସ୍ଥାନ ସଂରକ୍ଷିତ ରହୁ ନ ଥାନ୍ତା; ତେବେ ଓଡ଼ିଆ ବିଭାଗ କଥାଛାଡ଼, ସମଗ୍ର ଓଡ଼ିଶାରୁ ପ୍ରତିବର୍ଷ କନିଷ୍ଠ ଗବେଷକଙ୍କ ସତ୍ତା ଲୋପ ପାଇସାରିଥାନ୍ତା । ତେଣୁ ଏଭଳି ସ୍ଥିତିରେ ଓଡ଼ିଆ ବିଭାଗର ପ୍ରଫେସରମାନଙ୍କ ଗୁରୁଦାୟିତ୍ତ୍ୱ ପ୍ରତି ସଚେତନ ହେବା ସମୟ ଆସି ପହଞ୍ଚିଛି ।

୧୧- ଓଡ଼ିଶାର କେନ୍ଦ୍ରାଞ୍ଚଳକୁ ଛାଡ଼ିଦେଲେ ବାକି ଅଂଶତକ ଅର୍ଥାତ୍ ପଶ୍ଚିମାଞ୍ଚଳରେ ହିନ୍ଦୀ/କୋଶଳୀ; ଉତ୍ତରରେ ବଙ୍ଗଳା, ଦକ୍ଷିଣରେ ତେଲୁଗୁ ଭାଷାର ବହୁଳ ପ୍ରଚଳନ ଥିବାବେଳେ, ଓଡ଼ିଶାର ୨୨ ଭାଗ ଅଧିବାସୀ ବିଭିନ୍ନ ଆଦିବାସୀ ଭାଷାରେ କଥା ହୁଅନ୍ତି । ତେଣୁ ଓଡ଼ିଶା ମାଟିରେ ଓଡ଼ିଆ ସହିତ ଓଡ଼ିଆଟିଏର ପରିଚୟପାଇଁ ଓଡ଼ିଆ ଭାଷା ଶିକ୍ଷା କରିବାର ଆବଶ୍ୟକତା ଅଧିକ ଥିବାବେଳେ ସୁଯୋଗ ରହିଛି ବହୁତ କମ୍ ।

୧୨- ସାହିତ୍ୟ, ବିଜ୍ଞାନ, ଗଣିତ, ଅର୍ଥନୀତି ଆଦି ବିଷୟରେ ଅଧିକ ଜ୍ଞାନ ଅର୍ଜନପାଇଁ ଇଂରେଜୀ, ହିନ୍ଦୀ କିମ୍ବା ବଙ୍ଗଳାଭାଷାର ସାହାଯ୍ୟ ନେବା ଆବଶ୍ୟକ । ମାତ୍ର ମନର ଭାବ ପ୍ରକାଶପାଇଁ ତଥା ଗୋଟିଏ ଭୂଖଣ୍ଡର ସାମଗ୍ରିକ ବିକାଶପାଇଁ ମାତୃଭାଷାରେ ଶିକ୍ଷାଦାନ ଓ ପରୀକ୍ଷାପଦ୍ଧତି ପ୍ରଚଳନ ଜରୁରୀ; ଯାହା ଓଡ଼ିଶାରେ ଏପର୍ଯ୍ୟନ୍ତ ଦେଖାଦେଇନାହିଁ ।

ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଗଣ ସେମାନଙ୍କ ମାତୃଭାଷାରେ ବିଶ୍ୱବିଦ୍ୟାଳୟ ପରୀକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ବୃତ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା, ତଥା ସର୍ବଭାରତୀୟ ସ୍ତରରେ ପ୍ରଶାସନିକ ସେବା ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଇତ୍ୟାଦି ଦେଇ ପାରୁଥିବା ବେଳେ, ଓଡ଼ିଶା ସରକାର ଏହି ନିୟମକୁ ଗ୍ରହଣ ନ କରିବା ଫଳରେ ଆମ ରାଜ୍ୟରେ ମାତୃଭାଷା ଶିକ୍ଷା ପ୍ରତି ହୀନମନ୍ୟତା ଭାବ ସୃଷ୍ଟି ହେଉଛି । ତେଣୁ ଏ ପରିସ୍ଥିତିରେ ସରକାର ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ଶିକ୍ଷା

ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ମାତୃଭାଷା ଶିକ୍ଷାଦାନ ପଦ୍ଧତି ଉପରେ ଗୁରୁତ୍ତ୍ୱ ଦେବା ଆବଶ୍ୟକ । ବିଶେଷ କରି ମାଧ୍ୟମିକ ଶିକ୍ଷାସ୍ତରରେ ମାତୃଭାଷା ପଢ଼ାଇବାପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକଙ୍କୁ ଦାୟିତ୍ୱ ଦେବା ଆବଶ୍ୟକ । ଏମାନଙ୍କ ଅଭାବରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦିଆଯାଇପାରେ ।

ସେହିଭଳି ଉଚ୍ଚଶିକ୍ଷାସ୍ତରରେ ୟୁ.ଜି.ସି ନିୟମାନୁଯାୟୀ ନେଟ୍ ଉପାଧିପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ସିଧାସଳଖ କିମ୍ବା ଚୁକ୍ତିଭିତ୍ତିକ ପାରିତୋଷିକଦ୍ୱାରା ନିଯୁକ୍ତି ପ୍ରଦାନ କରି ଏହାର ଅଭାବକୁ ଶୀଘ୍ର ପୂରଣ କରିବା ଆବଶ୍ୟକ । ମାତୃଭାଷା ସମ୍ମାନ ଛାତ୍ରଛାତ୍ରୀଙ୍କପାଇଁ ସ୍ୱତନ୍ତ୍ର ଭାବରେ ବି.ଏଡ୍, ସାମ୍ବାଦିକତା ପାଠ୍ୟକ୍ରମ କିମ୍ବା ଅନ୍ୟାନ୍ୟ ବୃତ୍ତି ଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରିବା, ରାଜ୍ୟ ସରକାରଙ୍କଦ୍ୱାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆ ଭାଷାକୁ ମାଧ୍ୟମ ରୂପେ ଗ୍ରହଣ କରିବା ମଧ୍ୟ ଆବଶ୍ୟକ ।

ବିଶେଷ କରି ମାତୃଭାଷା ଶିକ୍ଷାଦାନ କରୁଥିବା ଶିକ୍ଷକ, ଅଧ୍ୟାପକଗଣ ଏହି ବୃତ୍ତି ପ୍ରତି ଅଧିକ ସଚେତନ ହୋଇ ମନଯୋଗ ସହିତ ବିଦ୍ୟାଦାନ କଲେ ତଥା ବିଭିନ୍ନ ପରୀକ୍ଷା, ଏପରିକି ୟୁ.ଜି.ସି. ଗବେଷଣା ବୃତ୍ତି ପରୀକ୍ଷାରେ ବାସ୍ତବତାକୁ ଗ୍ରହଣ କରି ନମ୍ବର ପ୍ରଦାନ କରିବାରେ ସାମାନ୍ୟ ନରମ ମନୋଭାବ ପୋଷଣ କଲେ, ମାତୃଭାଷା ପ୍ରତି ପ୍ରତ୍ୟେକ ଓଡ଼ିଆଙ୍କ ଆଗ୍ରହ ବୃଦ୍ଧି ଘଟିବ, ନଚେତ୍ ଭବିଷ୍ୟତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଆମମାନଙ୍କ ଭାବପ୍ରବଣତାକୁ ଆଘାତ ଦେଇ କହିବାକୁ ପଛେଇବେ ନାହିଁ – “ମୁଁ କାହିଁକି ଓଡ଼ିଆ ପଢ଼ିବି”?

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଓଡ଼ିଶାବାସୀ ସାବଧାନ : ଆନ୍ଧ୍ର ଆସୁଛି!
Next Article ନ୍ୟାୟର ଭାଷା
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.