ଜଣେ ଲୋକ ସାଧୁଙ୍କର ଦର୍ଶନ ଲାଭ କରି ତାଙ୍କଠାରୁ ଉପଦେଶ ଭିକ୍ଷା କଲା । ତା’ର ବିନୀତ ଭାବ ଦେଖି ସାଧୁ ଖୁସି ହୋଇଗଲେ ଓ କହିଲେ, “ତୁମର ମନ, ପ୍ରାଣ ଓ ହୃଦୟ ଦେଇ ଭଗବାନଙ୍କୁ ଭଲପାଅ ।”
ଲୋକଟିର ଆଗ୍ରହ ବଢ଼ିଗଲା । ସେ କହିଲା, “ମହାଶୟ, ମୁଁ କେବେହେଲେ ଭଗବାନଙ୍କୁ ଦେଖି ନାହିଁ, ଅଥବା ତାଙ୍କ ସମ୍ପର୍କରେ କିଛି ଜାଣେ ନାହିଁ । ତାଙ୍କୁ ଭଲ ପାଇବା ମୋ ପକ୍ଷରେ କିପରି ସମ୍ଭବ ହେବ ?”
ଏପରି ଏକ ଯୁକ୍ତି ଶୁଣି ସାଧୁଜଣକ ଯେତେବେଳେ ପଚାରିଲେ ଯେ ସେ କାହାକୁ ସବୁଠାରୁ ଅଧିକ ଭଲପାଏ, ଲୋକଟି ଉତ୍ତର ଦେଲା, “ସେପରି ମୋର କେହି ନାହିଁ, ଯାହାକୁ କି ମୁଁ ଭଲପାଇବି । ମୋର ଗୋଟିଏ ମାତ୍ର ମେଣ୍ଢା ଅଛି ଏବଂ କେବଳ ତାକୁ ହିଁ ମୁଁ ଭଲପାଏ ।”
ସାଧୁ କହିଲେ, “ତା’ହେଲେ ସେହି ପ୍ରାଣୀଟିର ଯତ୍ନ ନିଅ ଏବଂ ତାକୁ ତୁମେ ହୃଦୟର ସହିତ ଭଲପାଅ । ସବୁବେଳେ ମନେରଖ ଯେ ଈଶ୍ୱର ତା’ଦେହରେ ହିଁ ବାସ କରୁଛନ୍ତି ।”
ଏହିରି ଉପଦେଶ ଦେଇ ସାଧୁ ଚାଲିଗଲେ । ଲୋକଟି ଖୁବ୍ ଯତ୍ନରେ ମେଣ୍ଢାକୁ ପାଳିଲା । ତା’ର ପୂର୍ଣ୍ଣ ବିଶ୍ୱାସ ହୋଇଗଲା ଯେ ଈଶ୍ୱର ମେଣ୍ଢା ଦେହରେ ମଧ୍ୟ ଅଛନ୍ତି ।
କିଛିଦିନ ଗତ ହେବା ପରେ ସାଧୁ ସେହି ବାଟରେ ଫେରିଲେ ଏବଂ ତାଙ୍କର ଉପଦେଶ ଗ୍ରହଣ କରିଥିବା ଲୋକକୁ ଖୋଜି ତା’ ଭଲମନ୍ଦ ପଚାରିଲେ । ଲୋକଟି ସାଧୁଙ୍କୁ ପ୍ରଣାମ କରି କହିଲା, “ମହାଶୟ, ମୋର ସମସ୍ତ କୁଶଳ । ଆପଣଙ୍କର ମହାନ୍ ଉପଦେଶ ପାଇ ମୁଁ ଆପଣଙ୍କ ନିକଟରେ ଋଣୀ । ଆପଣ ଦେଖାଇ ଦେଇଥିବା ବାଟରେ ଯାଇ ମୋର ବହୁତ ଉପକାର ହୋଇଛି । ଅନେକବାର ଗୋଟିଏ ଚତୁର୍ଭୁଜ ବିଶିଷ୍ଟ ସୁନ୍ଦର ମୂର୍ତ୍ତି ମୋର ମେଣ୍ଢା ଦେହରେ ମୁଁ ଦେଖିବାକୁ ପାଉଛି ଏବଂ ତାହା ମୋତେ ପରମ ଆନନ୍ଦ ଦେଉଛି ।”
ଶିଶୁସୁଲଭ ବିଶ୍ୱାସ ଓ ଅକପଟତା ବଳରେ ଈଶ୍ୱରଙ୍କୁ ଲାଭ କରାଯାଇପାରେ ।