ତା’ପରଦିନ ବୋଲକରା ଉପଦେଷ୍ଟାଙ୍କର ଗଣ୍ଠିଲି ଧରି ତାଙ୍କ ପଛେ ପଛେ ଚାଲି ଥାଏ । ଦୂର ଦେଶ, ଅଜଣା ରାସ୍ତା, ଦିନେ କେବେ ବି ବୋଲକରା ତା ଜୀବନରେ ଏପରି ପଥାଦି ଦେଖି ନଥିଲା, ରାସ୍ତା କଡେ କଡେ ସୁନ୍ଦର ସୁନ୍ଦର ପୁଷ୍ପ ବୃକ୍ଷ ମାନ ଦେଖି ସେ ବୋଲକରା ଆନନ୍ଦ ହୋଇ ଯାଉ ଥାଏ । ଅଦେଖା ନଦୀର ଜଳ ଭରା ଦେଖି କେତେ ଯେ ତା’ ମନରେ ଆନନ୍ଦ ଖେଳି ଗଲାଣି । ସେଥିରେ ପୁଣି ମଠ ମନ୍ଦିର ଆଉ ଧର୍ମଶାଳା । ଏଥର ଉପଦେଷ୍ଟାଙ୍କ ସାଥିରେ ତୀର୍ଥ ଯିବା ଆନନ୍ଦ ପାଇଛି ବୋଲକରା । ସେଦିନ ମନ ଆନନ୍ଦରେ ଗୁଣୁ ଗୁଣୁ ଗୀତ ଗାଇ ଗାଇ ବୋଲକରା କିଛି ବାଟ ଯାଇଛି ଯେ ପାଦ ତା’ର ସେହିଠାରେ ଅଟକି ଗଲା । ଛତା କମ୍ବଳକୁ ସେହିଠାରେ ଥୋଇ ଦେଲା । ପଛକୁ ପଛକୁ ଚାହିଁ ଚତୁର ବ୍ୟଙ୍ଗକାର ଦେଖିଲେ ପଛରେ ଆସୁ ଆସୁ ବୋଲକରା ବସି ଯାଇଛି । ସେ ତହୁଁ ଫେରି ଆସି କହିଲେ –
କିରେ ବୋଲକରା ହୋଇଲୁ କି ବାଇ
ବାଟେ ଥକ୍କା ମାରୁ ଗଣ୍ଠିଲି ଥୋଇ
ଉଠାସେ କମ୍ବଳ ଧରିଆ ଛତା
ତୀର୍ଥ ଯିବା ପରା ବହୁତ ରାସ୍ତା
ବୋଲକରା କହିଲା –
ଥାଉ ହୋ ଗଣ୍ଠିଲି ଥାଉ ସେ ତୀର୍ଥ
ଯାହା କଥା ଅଛି କୁହ ଉଚିତ ।
ଭଙ୍ଗା ରାଜବାଟୀ ଅଧା ମନ୍ଦିର
ପଥ ମଧ୍ୟେ ଅଛି କାରଣ ତାର
କୁହହୋ ମହାନୁଭବ କଥା ଅସଲ
ନକହିବା ଯାଏଁ ରହିଲି ଭଲ ।
ବୋଲକରାର ଏ କଥା ଶୁଣି ଚତୁର ବ୍ୟଙ୍ଗକାର ଟିକେ ଧ୍ୟାନ କରି ନେଲେ । କାରଣ ଧ୍ୟାନ ବଳରେ ସେ ଆଗତ ଭବିଷ୍ୟତର ସବୁ କଥା ଜାଣି ପାରନ୍ତି । ତହୁଁ ସେ କିଛି ସମୟ ଥକ୍କା ମରା ଭାବରେ ସେଠାରେ ବସି ପଡିଲେ । ସେ ଭଲ ଭାବେ ଜାଣନ୍ତି ଯେ ଟିକିଏ ଟିକିଏ କଥାରେ ଏ ବୋଲକରା ଅବୋଲକରା ହୋଇ ଯାଏ । ଯେତେବେଳେ ଯାହା ତା ମୁଣ୍ଡରେ ପଶିବ ତା’ର ସେ ସେୟା ହିଁ କରିବ । ସେତେବେଳେ ତାକୁ ବ୍ରହ୍ମା ବିଷ୍ଣୁ ଆସି ବୁଝାଇଲେବି ସେ ବୁଝିବ ନାହିଁ । ତେଣୁ ତା’ର କଥାକୁ ନେଇ କାମ କରିବାକୁ ହେବ । ତହୁଁ ଗେହ୍ଲେଇ ଗେହ୍ଲେଇ କହିଥିଲେ –
ବସ ବୋଲକରା ରଅଖ ଛତା
ରାତ୍ରି ହୋଇଯିବ ସରୁନି ରାସ୍ତା
ପକାଅ କମ୍ବଳ ଲଣ୍ଠନ ଜାଳ
ବିଶ୍ରାମ କରିବା ହେଉ ସକାଳ ।
ଦେଖେ ବୋଲକରା, ଆମେ ଆଜି ଏହି ଠାରେ ରହି ଯିବା । ୟେ ଆମ ଲାଗି ନିର୍ଭୟର ସ୍ଥାନ ହୋଇଛି । ଏଠାରେ କୌଣସି ହିଂସ୍ରଜନ୍ତୁଙ୍କର ଭୟ ନାହିଁ । ଯଦି ଭୂତ ପିଶାଚ ହିଂସ୍ରତାକୁ ମୁଁ ମନ୍ତ୍ର ବଳରେ ବଶ କରି ଦେବି । ଏଠାରେ ତ ଆଉ ମଠ ମନ୍ଦିର, ସହର ବଜାର କିଛି ନାହିଁ, ଗଣ୍ଠିଲିରେ ଉଖୁଡା ହୁଡୁମ ଆଉ ମୁଢି ଅଛି ତାହାକୁ ଖାଇ ଆଜି ରାତ୍ରିଟି ଏଠାରେ ବିତାଇ ଦେବା । ବୋଲକରା କହିଲା – ୟେତ ନିରୋଳା ଜାଗା ମହାନୁଭବ । ଉଖୁଡା, ହୁଡୁମ ଖାଇ ଆମେ ରାତ୍ରି ଗୋଟାଏ ଏଠାରେ କିପରି ବିତାଇବା କହୁନା । ମୋତେ ତ ରାତ୍ରିରେ ଆଦୌ ନିଦ ହେବ ନାହିଁ । ଚତୁର ବ୍ୟଙ୍ଗକାର କହିଲେ – କାହିଁକି ଆରେ ବୋକା ବୋଲକରା, ଭାତ ଖାଇ ଅନିଦ୍ରା ବା ରାତ୍ରି ଜାଗରଣ ହେଲେ ଖାଦ୍ୟ ସବୁ ବେହଜମ ହୋଇ ଯାଏ । ଆମେ ତ ଆଜି ମାତ୍ର ଜଳ ଯୋଗ କରିବା, ଅଧା ରାତି ଯାଏଁ ତୁ ପରା ଗପ ଶୁଣିବୁ । ବୋଲକରା କହିଲା – ହଁ ହଁ ଠିକ୍ କଥାତ । ଏତକ କହି ସାରି ଚତୁର ବ୍ୟଙ୍ଗ କଥାକାର ଗପ ଆରମ୍ଭ କରନ୍ତେ ବୋଲକରା ବ୍ୟଙ୍ଗକାରଙ୍କ ଲାଗି ପାନ ଭାଙ୍ଗି ବସିଲା ।
ଚତୁର ବ୍ୟଙ୍ଗ କଥାକାର କହିଲେ – ତାହାତ ପ୍ରାଚୀନ କାଳର କଥା । ଇଣ୍ଡିଆ ବର୍ଷରେ ଗୋପ ନଗ୍ର ନାମରେ ଏକ ଛୋଟିଆ ରାଜ୍ୟ ଥିଲା । ସେତେବେଳେ ବିଦେଶୀ ଶତ୍ରୁ ମାନଙ୍କର ସେହି ରାଜ୍ୟ ଉପରେ ଦୃଷ୍ଟି ପଡିବାରୁ ସେହି ଗୋପ ନଗ୍ରର ରାଜାଙ୍କ ସହିତ ସେମାନେ ଯୁଦ୍ଧ କଲେ । ରାଜାଙ୍କୁ ହରାଇ ତାଙ୍କ ରାଜ୍ୟ ଦଖଲ କରି ନେଲେ । ସେଥି ଲାଗି ରାଜ ନଗ୍ରକୁ ଭାଙ୍ଗି ଚୁର୍ମାର୍ କରି ଦେଲେ । ଦିଅଁ ପୂଜା ପାଉଥିବା ମନ୍ଦିରର ଦ୍ୱାରକୁ ବନ୍ଦ କରି ଦେଇ ସେମାନେ ଚାଲି ଗଲେ । ସେହି ରାଜ୍ୟର ଯେ ରାଜା ଥିଲେ ତାଙ୍କ ନାମ ପ୍ରଦୀପ କିଶୋର । ରାଜା ଭାରି ଆଡମ୍ବର ସହକାରେ ଚଳୁ ଥିଲେ । ରମଣୀ ମାନଙ୍କୁ ଦେଖିଲେ ସେ ସେମାନଙ୍କୁ ଖୁବ୍ ଆଦର କରନ୍ତି ଆଉ ତାଙ୍କ ମନୋରଞ୍ଜନ ନିମନ୍ତେ ଖୁବ୍ ରସିକତା କରନ୍ତି । ଦିନକର କଥା, ରାଜା ଥରେ ଅରଣ୍ୟ ଭ୍ରମଣରେ ବାହାରି ଅରଣ୍ୟ ମଧ୍ୟରେ ଥିବା ଏକ ଗିରୀ ସନ୍ନିକଟ ହୋଇ ଦେଖିଲେ ଯେ ସେଠାରେ ଏକ ଝରଣା କୁଳୁ କୁଳୁ ନିନାଦରେ ବହି ଯାଉଛି । ଝରଣାର ଏପରି ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ମନ ବଳାଇ ଝରଣା କୂଳରେ ପଡିଥିବା ଏକ ବଡ ପଥର ଉପରେ ରାଜା ପ୍ରଦୀପ କିଶୋର ବସି ପଡିଲେ । ରାଜାଙ୍କର ଝରଣା ପ୍ରତି ଦୃଷ୍ଟି ଥାଏ । ମନ ମଧ୍ୟରେ ଆଙ୍କୁ ଥାଆନ୍ତି କେତେ ମନୋରମ କଳ୍ପନାର କଥା । ଏହି ସମୟରେ ସେଠାରେ ଆସି ଆବିର୍ଭାବ ହେଲା ଏକ ମାୟାବିନୀ ଅସୁରୁଣୀ । ସେ ମାୟାରେ ନିଜକୁ ଖୁବ୍ ସୁନ୍ଦରୀ ଭାବରେ ଗଢି ଥାଏ । ଏପରି ଯୁବକ ବୟସର ରାଜାଙ୍କର ସୁନ୍ଦର ରୂପ ଦେଖି ମୁଗ୍ଧ ହୋଇଗଲା ସେ ଅସୁରଣୀ । ତାପରେ ନିଜର ମାୟା ବଳରେ ରାଜାଙ୍କ ଅଜ୍ଞାତରେ ନିଜର ପରାକ୍ରମ ଦେଖାଇ ରାଜାଙ୍କୁ ମୋହିତ କରି ଦେଲା ।
ଏପଟେ ରାଜା ଥିଲେ ଖୁବ୍ ରମଣୀ ରଙ୍କୁଣୀ । ସେ ଏପରି ଏକ ସୁନ୍ଦରୀ ରମଣୀଙ୍କୁ ଦେଖି ନିଜ ଆଡକୁ ଆକର୍ଷିତ କରନ୍ତେ ସୁନ୍ଦରୀ ମାୟା ଅସୁରଣୀ ଆସି ରାଜାଙ୍କର କୋଳ ମଣ୍ଡନ କଲା । ଅସୁରୁଣୀର କ୍ଷଣକୁ କ୍ଷଣ ନାନା ପ୍ରକାର ବେଶ ଭୂଷା ଓ ଆଚାର ଆଚରଣ ଦେଖି ରାଜା ଆଉ ନିଜ କାମ ଜ୍ୱାଳାକୁ ସହ୍ୟ କରି ପାରିଲେ ନାହିଁ । ସେଠାରେ ସେ ମାୟା ଅସୁରୀ ସହିତ ନାନା ଭାବରେ କ୍ରୀଡା କରିବା ଆରମ୍ଭ କରି ଦେଲେ । ଏହି ପରି ଅନେକ ସମୟ ଅତିବାହିତ ହେବା ପରେ ମାୟା ଅସରୁଣୀ କହିଲା – ରାତ୍ରି ଅନେକ ହେବାକୁ ଯାଉଛି । ଏପରି ଏକ ନିକାଂଚନ ସ୍ଥାନରେ ଆମର ରହିବାଟା ନିଶ୍ଚୟ ବିପଦର କଥା, ତା ଛଡା ମୁଁ ଅନେକ ସମୟ ହେଲା ମୋର ନିବାସ ଛାଡି ଆସିଲିଣି । ତେଣେ ମୋତେ ସମସ୍ତେ ବହୁତ ଖୋଜୁ ଥିବେ । ରାଜା କହିଲେ – ତୁମେ ମୋତେ ସେପରି କଥା କୁହ ନାହିଁ । ମୁଁ ଗୋପ ନଗରର ରାଜା । ମୁଁ ତୁମକୁ ମୋର ରାଜ୍ୟକୁ ନେଇ ଯାଇ ମୋର ରାଣୀ କରି ରଖିବି । ଏବେ ଚାଲ ମୁଁ ତୁମକୁ ମୋର ରାଜ୍ୟକୁ ନେଇ ଯିବି । ତୁମ ଲାଗି ଗୋଟିଏ ନୂଆ ଉଆସ ଗଢାଇ ଦେବି । କେତେ ଦାସ ଦାସୀ ଖଞ୍ଜି ଦେବି । ତୁମେ ମୋ ପାଖରେ ବହୁତ ଖୁସିରେ ରହିବ ।
ମାୟା ଅସୁରୁଣୀତ ତାହାହିଁ ଚାହୁଁ ଥିଲା । କଙ୍କଡାକୁ ଗୋଳି ପାଣି ସୁହାଇବା ପରି ଅସୁରୁଣୀ କହିଲା ତୁମେ ଯଦି ମୋତେ ରାଣୀ କରି ରଖିବାକୁ ଚାହୁଁଛ ତାହା ହେଲେ ମୁଁ ତୁମ କଥାରେ ରାଜି । ଏହା ପରେ ରାଜା ସେହି ସୁନ୍ଦରୀ ମାୟା ଅସୁରୁଣୀକୁ ସୁବର୍ଣ୍ଣର ପାଲିଙ୍କି ମଗାଇ ସେଥିରେ ତାଙ୍କୁ ବସାଇ ନିଜ ରାଜ୍ୟକୁ ନେଇ ଗଲେ । କହି ଥିବା ଅନୁସାରେ ମାୟା ଅସୁରୁଣୀ ଲାଗି ରାଜା ପ୍ରଦୀପ କିଶୋର ରାଜ ଉଆସ ନିର୍ମାଣ କରି ସେଥିରେ କେତେ ଦାସ ଦାସୀ ମଧ୍ୟ ଖଞ୍ଜି ଦେଲେ । ରାଜା ପ୍ରଦୀପ କିଶୋର ରାଜ ଉଆସ ନିର୍ମାଣ କରି ଦେବାରୁ ମାୟା ଅସୁରୁଣୀ ସେଠାରେ ଆନନ୍ଦରେ ରହିଲା । ପ୍ରତି ଦିନ ନୂଆ ନୂଆ ରୂପ ହୋଇ ରାଜାଙ୍କ ସହିତ ରତି କ୍ରୀଡା କଲା । ଏହା ବ୍ୟତୀତ ରାଜା ଯେତେବେଳେ ରାଜ କାର୍ଯ୍ୟରେ ବ୍ୟସ୍ତ ରହନ୍ତି ସେତେବେଳେ ମଧ୍ୟ ମାୟା ଅସୁରୁଣୀ ପୁଣି ନୂଆ ରୂପ ଧରି ସେହି ରାଜ୍ୟର ରାଜାଙ୍କ ପରି ଆଉ ଯେତେ ଯେତେ ସୁନ୍ଦର ଯୁବକ ଦେଖେ ସେମାନଙ୍କୁ ନିଜ ରୂପରେ ଆକର୍ଷିତ କରି ସେମାନଙ୍କ ସହିତ ରତି କ୍ରୀଡା କରେ ।
ରାଜ୍ୟରେ ରାଣୀ ଉଆସରେ ରହି ମାୟା ଅସୁରୁଣୀର ଏହି କୁକର୍ମ ଲାଗି ସେହି ରାଜା ଲକ୍ଷ୍ମୀ ଛଡା ହୋଇ ଗଲେ । ଦିନକୁ ଦିନ ରାଜାଙ୍କ ଲାଗି ଖରାପ ସମୟ ବଢିବାକୁ ଲାଗିଲା । ରାଜ୍ୟରେ ଏମିତି ପାପୀ ରାଜା ଥିବା ହେତୁ ଧର୍ମ ସହିଲା ନାହିଁ । ବସୁମାତା ଅଥୟ ହୋଇ ପଡିଲେ । ରାଜ୍ୟକୁ କାଳ ଘୋଟି ଆସିଲା । ଏହାର କୁ ପରିଣାମ ଲାଗି ରାଜ୍ୟକୁ ଦୁର୍ଭିକ୍ଷ, ମହାମାରୀ ପରି ବିପଦ ସବୁ ମାଡି ଆସିଲା । ସେତେବେଳେ ରାଜ୍ୟର ଯେ ରାଜ ଗୁରୁ ଥିଲେ ସେ ଏହାକୁ ଜାଣି ପାରିଲେ । ରାଜାଙ୍କୁ ଡକାଇ ରାଜ୍ୟରେ ଘଟୁ ଥିବା ଅଘଟଣ ବିଷୟରେ ଚେତାଇ ଦେଲେ । ସେ କହିଲେ ଛାମୁଁ ଯେଉଁ ସାନ ରାଣୀଙ୍କୁ ଆପଣ ଏହି ରାଜ୍ୟରେ ଉଆସ ଗଢାଇ ରଖିଛନ୍ତି ସେ ମନୁଷ୍ୟ ନୁହେଁ, ସେ ରାକ୍ଷସୀ । ସେ ମାୟାରେ ମନୁଷ୍ୟ ରୂପ ଧରି ତୁମକୁ ମୋହିତ କରୁଛି । ଏହା ପରେ ରାଜା ନିଜ ମନ୍ତ୍ରୀଙ୍କୁ ଏହି ସାନ ରାଣୀଙ୍କ ଉପରେ ନଜର ରଖିବାକୁ ଆଦେଶ ଦେଲେ । ସେହି ଦିନ ଠାରୁ ମନ୍ତ୍ରୀ ସାନ ରାଣୀଙ୍କର ଉଆସ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଲେ ।
ଦିନେ ମନ୍ତ୍ରୀ ଦେଖିଲେ ଯେ ୟେ ମାୟା ଅସୁରୁଣୀ ନିଜର ପୂର୍ବ ରୂପକୁ ପରିତ୍ୟାଗ କରି ଆଉ ଏକ ସୁନ୍ଦରୀ ରମଣୀ ହୋଇ ରାଜ୍ୟର ଯୁବରାଜଙ୍କୁ ମୋହିତ କରି ତାହା ସହିତ ସୁଖ ରମଣ କରୁଛି । ମନ୍ତ୍ରୀ ସଙ୍ଗେ ସଙ୍ଗେ ଯାଇ ରାଜାଙ୍କୁ ଡାକି ଆଣି ଏ ଘଟଣା ଦେଖାଇ ଦିଅନ୍ତେ ରାଜା ସଙ୍ଗେ ସଙ୍ଗେ ତନ୍ତ୍ର ବିଦ୍ୟାରେ ବିଶାରଦ ଥିବା ତାନ୍ତ୍ରିକକୁ ଡାକି ଆଣି ରାଣୀଙ୍କୁ ସେଠାରେ ବନ୍ଧନ କରି ରଖିଲେ । ତାପରେ ସେଠାରେ ଗୋଟିଏ ଦେଉଳ ନିର୍ମାଣ କଲେ । ସେହି ଦେଉଳ ଭିତରେ ମାୟା ଅସୁରୁଣୀକୁ ରଖି ଦେଉଳର ମୁହଁକୁ ସବୁ ଦିନ ପାଇଁ ବନ୍ଦ କରି ଦେଲେ । ରାଜାଙ୍କର ଏହି ପାପାଚାର ଅନ୍ୟାଚାର ଲାଗି ବିଧାତା ଆନ ରାସ୍ତା କଢାଇଲେ – ଯୋଗକୁ ବିଦେଶୀ ଶତ୍ରୁ ଆସି ରାଜାଙ୍କର ରାଜ୍ୟ ଧ୍ୱଂସ କରି ସେହି ରାଜାଙ୍କୁ ହତ୍ୟା କଲେ ।