ଥରେ କେତେଜଣ ଶୁଖୁଆ ବିକାଳି ସ୍ତ୍ରୀଲୋକ ହାଟକୁ ଯାଇ ଫେରୁ ଫେରୁ ସଂଧ୍ୟା ହୋଇଗଲାା ଗରାଖମାନେ ବେଶୀ ନ ଥିଲେ । ସେମାନେ ସବୁଥର ପରି ଶୁଖୁଆତକ ବିକ୍ରି କରି ନ ପାରି ବଳକା ଶୁଖୁଆ ବୋଝ ମୁଣ୍ଡରେ ଧରି ଫେରୁଥିଲ । ସେମାନଙ୍କ ଗାଁ ଦୂରରେ । ଅନ୍ଧାର ରାତିରେ ଏତେ ବାଟ କିପରି ଯିବେ, ସେମାନେ ଚିନ୍ତାରେ ପଡ଼ିଲେ । ବାଟରେ ଜଣେ ମାଲୁଣୀର ଘର ଥିଲା । ସେମାନେ ଯାଇ କହିଲେ, “ମାଉସୀ, ରାତିଟା ଟିକିଏ ତୁମ ଘରେ ରହିଯିବୁ କି ? ଭୋର ହେଲେ ଉଠି ଗାଁକୁ ପଳାଇବୁ । ଟିକିଏ ଦୟାକର ।“
ମାଲୁଣୀ ହସି ହସି କହିଲା, “ଏ କି କଥା, ତୁମେ ରାତିଟା ମୋ‘ ଘରେ ରହିଯାଆ ମୋର କିଛି ଅସୁବିଧା ନାହିଁ” ।
ମାଲୁଣୀ ଏମାନଙ୍କୁ ଶୋଇବାପାଇଁ ତାର ଦାଣ୍ଡଘରଟି ଦେଇଦେଲା । ଘରର ଗୋଟିଏ ପାଖରେ ବୋଝେ ଫୁଲ ଜମା ହୋଇ ମହ ମହ ବାସୁଥାଏ । ସକାଳ ହେଲେ ମାଲୁଣୀ ମାଳା ଗୁନ୍ଥି ଗରାଖଙ୍କୁ ଦେବ । ଶୁଖୁଆ ବୋଝ ସବୁ ଦାଣ୍ଡ ବାରଣ୍ଡାରେ ରଖିଦେଇ ସ୍ତ୍ରୀ ଲୋକଗୁଡ଼ିକ ଶୋଇବାକୁ ଗଲ ।
ଖାଲି ଏ ପାଖ ସେ ପାଖ କଡ଼ ଲେଉଟାଉ ଥା‘ନ୍ତି । ଆଦୌ ନିଦ ହେଉ ନ ଥାଏ । ସେମାନେ କୁହାକୁହି ହେଲେ, ଏ ଫୁଲ ମହକରେ ଆମକୁ ନିଦ ହେଉ ନାହିଁ । ଚାଲ ଶୁଖୁଆ ଟୋକେଇ ସବୁ ନିଜ ନିଜ ମୁଣ୍ଡ ପାଖରେ ରଖିଦେବା । ଶୁଖୁଆ ଗନ୍ଧରେ ଆଉ ଫୁଲ ମହକ ଜଣାପଡ଼ିବ ନାହିଁ । ସେମାନେ ସେଇଆ କଲେ ଓ ଆରାମରେ ଶୋଇଗଲେ ।
ଯେ ଶୁଖୁଆ ଗନ୍ଧରେ ଅଭ୍ୟସ୍ତ, ତାକୁ ଫୁଲର ସୁବାସ କେବେ ଭଲ ଲାଗିବ ନାହିଁ ।