ଆସାମର ଗୋଟିଏ କାବ୍ୟରେ ଭୂତ ଛଡ଼ାଇବା ଉଦ୍ଦେଶ୍ୟରେ ବହୁ କର୍ମକର୍ମାଣିର ବର୍ଣ୍ଣନା ରହିଛି । ଉକ୍ତ କାବ୍ୟଟିର ନାମ ‘ଖୋବା ଖୋବି ଚରିତ‘ । ଏହା ବଡ଼ ପାଟିରେ ପାଠ କରାଯାଉଥିଲା ।
ବୈଷ୍ଣବମାନେ ସେତେବେଳେ ତୀର୍ଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । କାରଣ ସେମାନେ କହୁଥିଲେ– “ସବୁରି ତୀର୍ଥ ତୋ ଚରଣେ ବଦ୍ରିକା ଯିବୁ କି କାରଣେ” । ଶ୍ରୀକୃଷ୍ଣଙ୍କ ମହିମା ଗାନ ବା ନାମ ସଂକୀର୍ତ୍ତନ କଲେ ଯଥେଷ୍ଟ ସନ୍ତୋଷ ବା ପୁଣ୍ୟଫଳ ମିଳି ପାରିବ । ତା‘ ସତ୍ତ୍ୱେ ଶଙ୍କର ଦେବ ଭାରତର ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରୁଥିଲେ । ନିଜ ଜୀବନକାଳ ମଧ୍ୟରେ ଦ୍ୱିତୀୟ ଥର ତୀର୍ଥଯାତ୍ରାରେ ସେ ପ୍ରିୟ ଶିଷ୍ୟ ମାଧବଦେବ ଓ ଶହ ଶହ ଶିଷ୍ୟମାନଙ୍କୁ ସାଥିରେ ନେଇଥିଲେ । ତୀର୍ଥ ସ୍ଥାନଗୁଡ଼ିକ ମଧ୍ୟରେ ପୁରୀର ଜଗନ୍ନାଥ କ୍ଷେତ୍ର ପ୍ରଧାନ ସ୍ଥାନ ଲାଭ କରିଥିଲା ।
ଆସାମର ଅଧିକାଂଶ ଲୋକ ଆମିଷ ଖାଆନ୍ତି । ଅଳ୍ପ କେତେକ ଆମିଷ ଖାଆନ୍ତି ନାହିଁ । ବହୁ ପ୍ରକାର ପିଠା, ପାୟସ, ଆଚାର, ଚଟଣି, ପନିପରିବା, ତରକାରୀ, ଡାଲି, ଭାତ ଆଦି ଆହାର କରିଥାଆନ୍ତି । ଆମ ପରି ତରକାରୀପତ୍ର, ପିଠାପଣା ପ୍ରଭୃତିରେ ନାନା ପ୍ରକାର ମସଲା ବ୍ୟବହାର କରନ୍ତି । ଲୋକମାନେ ପାନସୁପାରି ଖାଦ୍ୟ ପରେ ବ୍ୟବହାର କରିଥା‘ନ୍ତି । ଅତିଥିମାନଙ୍କୁ ଏହାକୁ ଦେଇ ଚର୍ଚ୍ଚା କରନ୍ତି ।
ଆସାମୀୟମାନଙ୍କର ଅଳଙ୍କାରପତ୍ର, ଯାନିଯାତ୍ରା, ମେଳାମଉଚ୍ଛବ ଆଦିରେ ଆମ ସହିତ ବହୁ ସାମଞ୍ଜସ୍ୟ ରହିଛି । କାଠ, ବାଉଁଶ, ପଥର ଇତ୍ୟାଦିରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟ ହୋଇଥାଏ । ବର୍ଷାସାରା ବହୁ ପର୍ବପର୍ବାଣି ପାଳିତ ହୋଇଥାଏ । ସେଥିରେ ବହୁ ନୃତ୍ୟଗୀତ ଓ ଭୋଜିଭାତ ହୁଏ । ବହୁ ପର୍ବପର୍ବାଣି ଚାଷବାଡ଼ିକୁ ନେଇ ଗଢ଼ି ଉଠିଥାଏ ।