• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଜାତି ଜାଗୃତି ଓ ପ୍ରଗତି»ଲଢ଼ିବା ନା ଲିଭିବା ?
ଜାତି ଜାଗୃତି ଓ ପ୍ରଗତି

ଲଢ଼ିବା ନା ଲିଭିବା ?

Subrat Kumar PrustyBy Subrat Kumar PrustyFebruary 13, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଧର୍ମକ୍ଷେତ୍ର, କୁରୁକ୍ଷେତ୍ର । କ୍ଷମତା, ପ୍ରତିପତ୍ତି ଆଉ ସଂପତ୍ତିରେ ମଦମତ୍ତ ଗୋଟିଏ ପରିବାରର ଉତ୍ତରାଧିକାରୀ ମଧ୍ୟରେ ଛୋଟିଆ କଳହର ପରିଣତି ଭାବେ ହେବାକୁ ଯାଉଥିବା ବିଶ୍ୱର ଅନ୍ୟ ଏକ ଭୟଙ୍କର ଯୁଦ୍ଧର ମୂକସାକ୍ଷୀ ହେବାକୁ ଯାଉଛି ଏହି କୁରୁକ୍ଷେତ୍ରର ପବିତ୍ର ମାଟି । ଯୁଦ୍ଧର ପ୍ରଚ୍ଛଦ ନାୟକ ରାଜା ଧ୍ରୁତରାଷ୍ଟ୍ର ଉଦ୍‌ବିଗ୍ନ । ସେ ଅନ୍ଧ, ଚକ୍ଷୁଗତ ଆଉ ପୁତ୍ରଗତ । ଯଦିଓ ସେ ଆଶ୍ୱସ୍ତ, ଭାରତବର୍ଷର ମହାନ୍ ଯୋଦ୍ଧାଗଣଙ୍କୁ ନିଜ ପୁତ୍ରଗଣଙ୍କ ପକ୍ଷଭୁକ୍ତ କରିପାରିଛି; ତଥାପି ବିବ୍ରତ, ସନ୍ଦିହାନ । ତେଣୁ ସେ ବ୍ୟାସଙ୍କ ଆଶୀର୍ବାଦରେ ମନ୍ତ୍ରୀ ସଂଜୟଙ୍କୁ ମିଳିଥିବା ଦିବ୍ୟ ଦୃଷ୍ଟିଦ୍ୱାରା ଜାଣିବାକୁ ଚାହିଁଛନ୍ତି ଯୁଦ୍ଧ ସଂପର୍କୀୟ ବିସ୍ତୃତ ବିବରଣୀ । ଶୁଣିବାକୁ ଚାହିଁଛନ୍ତି ପୁତଗ୍ରଣଙ୍କ ବିଜୟବାର୍ତ୍ତା ।

ସଂଜୟ କହୁଛନ୍ତି-“ପାଣ୍ଡବଙ୍କ ସମରସଜ୍ଜା ଦେଖି ବିବ୍ରତ ଦୁର୍ଯ୍ୟୋଧନ ଯାଇ ଆଚାର୍ଯ୍ୟ ଦ୍ରୋଣଙ୍କୁ କହିଲେ-ଆଚାର୍ଯ୍ୟ ! ପାଣ୍ଡୁପୁତ୍ରଙ୍କ ଏହି ବିରାଟ ସେନାଙ୍କୁ ଦେଖନ୍ତୁ । ଏହି ସେନାରେ ଭୀମ ଓ ଅର୍ଜୁନ ସମାନ ଯୋଦ୍ଧା-ସାତ୍ୟକୀ, ବିରାଟ, କୃପ, ଧୃଷ୍ଟକେତୁ, ଚେକିତାନ, କାଶିରାଜ, ପୁରୁଜିତ, କୁନ୍ତିଭୋଜ, ଶୈବ୍ୟ, ଯୁଧାମନ୍ୟୁ, ଉତ୍ତମୌଜା ପ୍ରଭୃତି ଅଛନ୍ତି । ଆମ ପକ୍ଷରେ ଅଛନ୍ତି ଆପଣ, ଭୀଷ୍ମ, କର୍ଣ୍ଣ କୃପ, ଅଶ୍ୱତ୍ଥମା, କର୍ଣ୍ଣ, ଭୂରିଶ୍ରବା ଆଦେ ଅସଂଖ୍ୟ ଯୋଦ୍ଧା । ଭୀଷ୍ମଙ୍କ ନେତୃତ୍ୱରେ ଆମ ସେନା ଅପର୍ଯ୍ୟାପ୍ତ, ଭୀମଙ୍କ ନେତୃତ୍ୱରେ ସେମାନଙ୍କ ସେନା ସୀମିତ । ତେଣୁ ଆମର ବିଜୟ ସୁନିଶ୍ଚିତ । ଏହି ସମୟରେ ପିତାମହ ଭୀଷ୍ମ କୌରବଙ୍କ ପକ୍ଷରୁ ଯୁଦ୍ଧ ଆରମ୍ଭର ସୂଚନା ଦେବାକୁ ଯାଇ ଶଙ୍ଖନାଦ କଲେ । ଅପରପକ୍ଷରୁ ଶ୍ରୀକୃଷ୍ଣଙ୍କ ପଞ୍ଚଜନ୍ୟ ଶଙ୍ଖ ସହ ପାଣ୍ଡବ ଓ ଅନ୍ୟାନ୍ୟ ଯୋଦ୍ଧାଙ୍କ ଶଙ୍ଖଧ୍ୱନିରେ କୁରୁକ୍ଷେତ୍ରର ଗଗନମଣ୍ଡଳ ପ୍ରକମ୍ପିତ ହୋଇଉଠିଲା ।

ଆରମ୍ଭରେ ପ୍ରତିପକ୍ଷଙ୍କୁ ଦେଖିବା ଉଦ୍ଦେଶ୍ୟରେ ଯୋଦ୍ଧା ଅର୍ଜ୍ଜୁନ ଧନୁର୍ବାଣ ଉଠାଇ ସାରଥୀ ଶ୍ରୀକୃଷ୍ଣଙ୍କୁ କହିଲେ- ‘ରଥକୁ ଦୁଇସେନା ମଧ୍ୟରେ ରଖନ୍ତୁ । ଏହି ଭୟଙ୍କର ଯୁଦ୍ଧରେ ମୋତେ କାହାସହ ଲଢ଼ିବାକୁ ପଡିବ, ତାହା ଦେଖିବାକୁ ଚାହେଁ ।’

ବର୍ତ୍ତମାନ ଉଭୟ ସେନା ମଧ୍ୟରେ ଅଜୁନଙ୍କ ରଥ । ପାର୍ଥ ଦେଖୁଛନ୍ତି ସମ୍ମୁଖରେ ପିତୃ-ପିତାମହ, ଗୁରୁ-ଗୁରୁପୁତ୍ର, ମାମୁଁ-ଅଜା, ଭାଇ-ଭିଣେଇ, ପୁଅ-ପୁତୁରା, ମିତ୍ର-ଶ୍ୱଶୁର ସୁହୃଦ ଇତ୍ୟାିଦି । ଯୁଦ୍ଧ ଅଭିଳାଷୀ ନିଜ ଆତ୍ମୀୟମାନଙ୍କୁ ପ୍ରତିପକ୍ଷରେ ଦେଖି ବିଷର୍ଣ୍ଣ ଅର୍ଜ୍ଜୁନ ସଖା କୃଷ୍ଣଙ୍କୁ କହିଲେ-‘ହେ କୃଷ୍ଣ ! ଶତ୍ରୁ ଭାବରେ ନିଜ ଭାଇ ବନ୍ଧୁ, କୁଟୁମ୍ବଙ୍କୁ ସମ୍ମୁଖରେ ଦେଖି ମୋର ଶରୀର ଦୁର୍ବଳ ହୋଇଯାଉଛି, ଚମ ଜଳାପୋଡ଼ା କରୁଛି, ହାତରୁ ଗାଣ୍ଡିବ ଖସିପଡୁଛି । ଯୁଦ୍ଧ କରିବାର ସାମର୍ଥ୍ୟ ହରାଉଛି । ହେ କୃଷ୍ଣ ! ମୁଁ ବିଜୟ ଚାହୁଁନାହିଁ । ରାଜ୍ୟ ସୁଖ ମଧ୍ୟ ଲୋଡ଼ାନାହିଁ । ଯେଉଁମାନଙ୍କପାଇଁ ରାଜଭୋଗ ଓ ସୁଖ କାମନା କରୁଛୁ, ସେମାନେ ଆଜି ଧନଜୀବନର ଆଶା ତ୍ୟାଗକରି ଯୁଦ୍ଧ କରିବାକୁ ଠିଆ ହୋଇଛନ୍ତି । ତେଣୁ ଏ ରାଜ୍ୟ, ଏ ଭୋଗ, ଏ ଜୀବନର ଅର୍ଥ କ’ଣ!

ହେ ମଧୁସୂଦନ ! ଏଠାରେ ଉପସ୍ଥିତ ଗୁରୁସମାନ, ପିତା ସମାନ, ପୁତ୍ର ସମାନ ଯୋଦ୍ଧାଗଣଙ୍କୁ ମୁଁ ହତ୍ୟା କରିବାକୁ ଚାହେଁ ନାହିଁ । ହେ ମାଧବ ! ନିଜ କୁଟୁମ୍ବଙ୍କୁ ହତ୍ୟା କରି ଆମେ କିପରି ସୁଖୀ ହୋଇପାରିବୁ? ଲୋଭ ମୋହରେ ବନ୍ଧା ଏହି ମିତ୍ରଗଣ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହର ପାପ ଜାଣିପାରୁନାହାନ୍ତି । ଯଦି ମୁଁ ସେମାନଙ୍କ ପରି ଲୋଭରେ ପଡ଼ି ଏମାନଙ୍କୁ ହତ୍ୟା କରେ, ତେବେ କୁଳକ୍ଷୟ, ମିତ୍ରଦ୍ରୋହ ଦୋଷ ଲାଗିବ । ଏସବୁ ଜାଣି ମୁଁ ଏହି ମହାପାପରୁ କାହିଁକି ଦୂରେଇ ଯିବି ନାହିଁ? ବରଂ ମୋତେ ଶସ୍ତ୍ରହୀନ ପାଇ ଯଦି ଧୃତରାଷ୍ଟ୍ରପୁତ୍ରମାନେ ହତ୍ୟା କରନ୍ତି, ତେବେ ମୋ ପକ୍ଷରେ ମଧ୍ୟ ଅଧିକ ମଙ୍ଗଳକର ହେବ ।’ ଏହା କହି ବିଷାଗ୍ରସ୍ତ ଅର୍ଜୁନ ଧନୁର୍ବାଣ ତ୍ୟାଗ କରି ରଥ ଉପରେ ବସିପଡିଲେ ।”

ହେଉଛି ଭଗବତଗୀତାର ପ୍ରଥମ ଅଧ୍ୟାୟରେ ବର୍ଣ୍ଣିତ “ଅର୍ଜୁନ ବିଷାଦ ଯୋଗ”ର ବିଷୟବସ୍ତୁ । ପ୍ରତି ବ୍ୟକ୍ତିର ଧନସଂପତ୍ତି, ପ୍ରତିପତ୍ତି, ଆସକ୍ତି କିପରି ଆତ୍ମୀୟତାକୁ ହତ୍ୟା କରେ, ତାହା ହିଁ ଏଠାରେ ପ୍ରତିପାଦ୍ୟ ବିଷୟ ।

ବିଷାଦଗ୍ରସ୍ତ ଅର୍ଜୁନଙ୍କ ଏହି ମାର୍ମିକ ଭାବନାକୁ ଆମେ ହୁଏତ କେଉଁ କବିର କଳ୍ପନା କିମ୍ବା ଇତିହାସର ବିଷୟ କହି ନୀରବ ରହିବା । ମାତ୍ର ଏହିସବୁ ଘଟଣା କ’ଣ ଆମ ସମାଜରେ ଏବେ ବି ପ୍ରତିକ୍ଷଣରେ ଅନୁଭବ କରି ହେଉନାହିଁ? ବିଶେଷ କରି ଆମ ଓଡ଼ିଶା ମାଟିରେ ଥିବା ଅସଂଖ୍ୟ ପାର୍ଥରୂପୀ ଯୁବଗଣଙ୍କ ମନରେ କ’ଣ ସେହି ଦ୍ୱନ୍ଦ୍ୱ ପ୍ରତିଫଳିତ ହେଉନାହିଁ! ପ୍ରିୟାପ୍ରୀତି ତୋଷଣରେ ବ୍ୟସ୍ତଥିବା ଅଗଣିତ ପୁତ୍ରାନ୍ଧ ଧୃତରାଷ୍ଟ୍ରଙ୍କ ପରୋକ୍ଷ ଇଙ୍ଗିତରେ ତଥା ସମାଜ-ଶୋଷଣର କର୍ଣ୍ଣଧାର ସାଜିଥିବା ଦୁର୍ୟ୍ୟୋଧନ, ଦୁଃଶାସନମାନଙ୍କ ବିରୁଦ୍ଧରେ ଧର୍ମଯୁଦ୍ଧ କରିବାକୁ ଚାହୁଁଥିବା ପାର୍ଥଗଣ ଆଜି ଦେଖୁଛନ୍ତି, ସମାଜର ଶତୃ ରୂପରେ ନିଜର ପ୍ରିୟଜନମାନଙ୍କୁ । ଆଜି ପ୍ରତ୍ୟେକ ପାର୍ଥଙ୍କ ବାପା-ମାଆ, ଭାଇ-ବନ୍ଧୁ, ଶ୍ୱଶୁର-ଶଳା ଆଦି ପାଲଟି ଯାଇଛନ୍ତି ସେହି ବ୍ୟବସ୍ଥାର ଦାସ । ପୁତ୍ରାନ୍ଧ ଧୃତରାଷ୍ଟ୍ରଙ୍କ ଅଧୀନରେ ଥିବା ଏହି ଓଡ଼ିଶା ମାଟିରେ ଏବେ ବି ବହୁପାର୍ଥ ଚାହିଁଛନ୍ତି ଓଡ଼ିଆ ଜାତିର ସୁରକ୍ଷାପାଇଁ ସ୍ୱାଭିମାନର ସହ ଲଢ଼େଇ କରିବାକୁ । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ଏହି ଦ୍ୱନ୍ଦ୍ୱ ପଛରୁ ଭିଡି ଧରୁଛି ।

ଓଡ଼ିଆ ପାର୍ଥ ଆଜି କାହା ବିରୁଦ୍ଧରେ ଲଢ଼ିବ?

ତାରି ଆଖି ଆଗରେ ଓଡ଼ିଶା ମାଟିମାଆକୁ ଲୁଟି ନେଉଛନ୍ତି ବାହାର ବେପାରୀ- ଜମି, ଜଳ ଓ ଜଙ୍ଗଲକୁ । ଶିଳ୍ପ, ପ୍ରଗତିଭଳି ଶସ୍ତା ସ୍ଲୋଗାନରେ ମତୁଆଲା ସାଜିଛନ୍ତି ଆଜିର ରଣକ୍ଷେତ୍ରରେ ଉପସ୍ଥିତ ସଖା-ସହୋଦର । ସେହିମାନଙ୍କ ଆବାହନରେ ହିଁ କଳିକଳଙ୍କର ଟିକାକୁ ମଥାରେ ଧାରଣ କରିବାକୁ ବାଧ୍ୟ ହେଉଛନ୍ତି ତରୁଣ ଓଡ଼ିଆ-ପାର୍ଥଗଣ । ମୁହଁର ଭାଷାକୁ ସେମାନଙ୍କଠାରୁ ଛଡ଼େଇ ନିଆଯାଉଛି ଉଚ୍ଚଶିକ୍ଷାର ଦ୍ୱାହିଦେଇ । ମାତ୍ର ଏ ଉଚ୍ଚଶିକ୍ଷା କେବଳ ବେକାରୀ ସୃଷ୍ଟିରେ ସହାୟ ହେଉଛି ସିନା, ବୃତ୍ତିଟିଏ ଯୋଗାଇ ସ୍ୱାଭିମାନୀ ଓଡ଼ିଆଟିଏ ତିଆରି କରିପାରୁନାହିଁ ।

ସମଗ୍ର ବିଶ୍ୱରେ ଭାଷାକୁ ନେଇ ସର୍ବପ୍ରଥମେ ରାଜ୍ୟ ବା ପ୍ରଶାସକୀୟ ଅଞ୍ଚଳଟିଏ ଗଠନ କରି ଗର୍ବିତ ହେଉଥିବା ଏହି ଜାତି ପୁଣି ବିଶ୍ୱରେ ଏକମାତ୍ର ଜାତି; ଯାହାର ସନ୍ତାନ ଆଜି ଡାକ୍ତର, ଇଞ୍ଜିନିୟର, ଓକିଲ, ବିଚାରପତି, ପ୍ରଶାସକ, ଏପରିକି କିରାଣୀ, ପିଅନଟିଏ ନିଜ ମାଟିରେ ହେବାପାଇଁ ଅନ୍ୟ ଭାଷା ଉପରେ ନିର୍ଭର କରୁଛି । ଏହି ରାଜ୍ୟର ପଡ଼ୋଶୀଭାଇ ବଙ୍ଗାଳୀ, ତେଲୁଗୁ, ତାମିଲ, ମରାଠାଗଣ ନିଜ ମାତୃଭାଷାଦ୍ୱାରା ଏହିସବୁ କ୍ଷେତ୍ରରେ ନିଯୁକ୍ତିପାଇ ନିଜ ଜାତିର, ନିଜ ରାଜ୍ୟର ସୁନାମକୁ ଦେଶବିଦେଶରେ ବିତରଣ କରୁଛନ୍ତି । କେବଳ ସେତିକି ନୁହେଁ, ଆମର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି । ଛାତ୍ରଙ୍କୁ ଶିକ୍ଷିତ କରିବାପାଇଁ ଉପଯୁକ୍ତ ଶିକ୍ଷକ, ଅଧ୍ୟାପକଙ୍କ ନିଯୁକ୍ତି ନାହିଁ ।  ମାତୃଭାଷା ମାଧ୍ୟମରେ ଶିକ୍ଷାପ୍ରଦାନର ବ୍ୟବସ୍ଥା ନ କରି, ଇଂରେଜୀ, ହିନ୍ଦୀ ଓ ସଂସ୍କୃତ ଭଳି ଅନ୍ୟ ଭାଷାକୁ ଜବରସ୍ତ ଲଦିଦେବାଦ୍ୱାରା ଛାତ୍ର ଓ ଶିକ୍ଷକ ମଧ୍ୟରେ ଦୂରତା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ପୁସ୍ତକ ପ୍ରକାଶନରେ ମଧ୍ୟ ଦୟନୀୟ ସ୍ଥିତି । ଏଠି ପ୍ରକାଶକ ଓ ଲେଖକଙ୍କ ଏକମାତ୍ର ସମ୍ବଳ ହେଉଛି ରାଜା ରାମମୋହନ ରାୟ ପୁସ୍ତକ କ୍ରୟ ସଂସ୍ଥା । କାରଣ ଓଡ଼ିଆ ବହି ଆଉ କେହି ଓଡ଼ିଆପୁଅ କିଣୁନାହାନ୍ତି କିମ୍ବା କିଣିବାକୁ ଏକ ଅପମାନ ବୋଲି ଆମ ଶିକ୍ଷିତବର୍ଗ ଗ୍ରହଣ କରିନେଲେଣି । ତେଣୁ ବହିଦୋକାନୀ ଓଡ଼ିଆ ବହି ରଖିବ କାହିଁକି?

ଉତ୍କଳୀୟ କଳାର ବୈଶିଷ୍ଟ୍ୟ ଆଜି ଓଡ଼ିଆ ଶିଳ୍ପୀ ହାତରୁ ପରାହତ । କୋଣାର୍କ, ଜଗନ୍ନାଥ, ଲିଙ୍ଗରାଜ ମନ୍ଦିରଟିଏ ତିଆରି କରିବା ଆଜି ଓଡ଼ିଆ ଶିଳ୍ପୀପାଇଁ ସ୍ୱପ୍ନମାତ୍ର । ବିସ୍ତୀର୍ଣ୍ଣ ସାଗରବେଳାର ଅଧିକାରୀ ହୋଇଥିବା ଓଡ଼ିଆ ସନ୍ତାନଗଣ ଏବେ ଭୟ କଲେଣି ସାଗରବକ୍ଷରେ ନିଜ ଅତୀତର ଗୌରବମୟ ବୋଇତ ମେଲାଇ ଦେବାକୁ । ବରଂ ସେମାନେ ଭଲ ପାଉଛନ୍ତି ଓଡ଼ିଆମାଟିକୁ ବିଦୀର୍ଣ୍ଣ କରି ବାହାର କରିଥିବା ଖଣିଜ୍ରବ୍ୟକୁ ବିଦେଶୀ ବୋଇତରେ ଟେକି ବୋପାଇଁ ।

ପାର୍ଥ ଆଜି ଅସହାୟ । ତା’ରି ଆଖି ସାମ୍ନାରେ କାୟା ବିସ୍ତାର କରୁଛି ଶକୁନିର କଳାଛାଇ । ଅସହାୟ ଏଠି ଭୀଷ୍ମ, କର୍ଣ୍ଣ ଓ ବିଦୂର । ପାର୍ଥର ଶକ୍ତି ନାହିଁ ଏହି ବଳୟକୁ ଭେଦ କରିବାକୁ । ସତେ ଯେମିତି ତାକୁ ବାଧ୍ୟ କରାଯାଉଛି ଗାଣ୍ଡିବ ତ୍ୟାଗ କରିବାକୁ । ପ୍ରଲୋଭିତ କରାଯାଉଛି ହାତପାଆନ୍ତାର ସମସ୍ତ ପାର୍ଥିବ ସୁଖଆଡ଼କୁ ନିଜତ୍ୱର ବିନିମୟରେ । ଏମାନଙ୍କ ମଧ୍ୟରୁ କେତେକ ଆତ୍ମପ୍ରବଞ୍ଚିତ ହୋଇ କହନ୍ତି, ‘ମୋ ବାପାମାଆଙ୍କ ସ୍ୱପ୍ନକୁ ମୋତେ ସାକାର କରିବାକୁ ଅଛି । କିଏ କହେ ‘ସାଙ୍ଗସାଥି, ବନ୍ଧୁବାନ୍ଧବ ମୋଠାରୁ ଅନେକ କିଛି ଆଶା କରିଛନ୍ତି ।’ କିଏ କହେ ‘ମୋର ସଂସାର ଅଛି । ମୋ ସ୍ତ୍ରୀ-ପିଲାଙ୍କୁ ମୁଁ କ’ଣ ଅବହେଳା କରିପାରିବି? ଆଗ ମୋ ସ୍ତ୍ରୀ-ପିଲା, ପରିବାର, ସାଙ୍ଗ-ସାଥୀ, ତା’ପରେ ଆଉ କିଛି ।’ ତେଣୁ ଦେଶ କଥା, ଜାତି କଥା କହୁଥିବା ପାର୍ଥର ଯେକୌଣସି ଚାକିରି ହେଲେ ଚଳିବ । ଅବସର ପରେ ମଧ୍ୟ ସୁଖ ଆଉ ସୁବିଧା ଖଞ୍ଜା ହୋଇଛି । ଯଦି ଚାକିରି ନ ହେଲା, ତେବେ ନୂଆକରି ଓଡ଼ିଶା ଭୂଖଣ୍ଡ ଅଧିକାର କରିଥିବା ଖଣି ଲୁଟେରାଙ୍କ ସାଥି ହୋଇପାରିଲେ ଆହୁରି ଭଲ । ବିନାଶ୍ରମରେ ମିଳିଯିବ ବିଳାସ ଓ ପ୍ରାଚୁର୍ଯ୍ୟ । ଭାଷା, ଜାତି, ସ୍ୱାଭିମାନ ଚୁଲିକୁ ଯାଉ ।

ଅନ୍ୟ ପକ୍ଷରେ ଯଦି ଜାତି, ଧର୍ମ, ନ୍ୟାୟ, ସ୍ୱାଭିମାନପାଇଁ ଲଢ଼ିବାକୁ ଆଜିର ତରୁଣ ଓଡ଼ଆ-ପାର୍ଥ ଆଗ୍ରହୀ ହେଉଛି; ତାକୁ ଅନେକ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡୁଛି । ଆତ୍ମୀୟସ୍ୱଜନଙ୍କ ସହିତ ରହି ସେମାନଙ୍କ ଆଶା, ଆକାଂକ୍ଷା ନିଷ୍ପତ୍ତି ବିରୁଦ୍ଧରେ ଲଢ଼ିବା ଜଣେ ଦୃଢ଼ ମାନସିକ ବ୍ୟକ୍ତି ପକ୍ଷେ ସମ୍ଭବ । ମାତ୍ର ଆଜିର ଭୋଗବାଦୀ ସମାଜରେ ସୁଖ ଭିତରେ ବୁଡ଼ିବାକୁ ଚାହୁଁଥିବା ବ୍ୟକ୍ତିପାଇଁ ଏହା ଅସମ୍ଭବ । ଏମାନଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ଏଭଳି ସ୍ଥିତିରେ ସଂପର୍କର ସେତୁରେ ବନ୍ଧା ବିଚଳିତ ତରୁଣ ଓଡ଼ିଆ-ପାର୍ଥ କାହା ବିରୁଦ୍ଧରେ ଲଢ଼ିବ ? କାହିଁକି ଲଢ଼ିବ ? ଏହାଦ୍ୱାରା ସେ ନିଜର କି ଉପକାର କରିବ? ନିଜର ଏହି ଅସହାୟ, ଅସ୍ଥିର ମାନସିକତା ମଧ୍ୟରେ ନିଜକୁ ହଜେଇ ଅଲକ୍ଷ୍ୟରେ ମାନି ନେଉଛି ଏହି ନୀତିହୀନ କାର୍ଯ୍ୟଧାରାକୁ । ଫଳରେ ଅଜ୍ଞାତରେ ହେଉ ବା ମୋହ ମାୟାରେ ହେଉ, ସେ ବାଧ୍ୟ ହେଉଛି ନିଜ ଭାଷା, ଜାତି, ସ୍ୱାଭିମାନଙ୍କୁ ବଳି ପକେଇବାକୁ । ତଥାପି ବେଳେବେଳେ ମନଟା ଯେତେବେଳେ ଚେଇଁ ଉଠୁଛି, ସେତେବେଳେ ସେ ଆକୁଳ ହୋଇ ଖୋଜି ବୁଲୁଛି ସଖା କୃଷ୍ଣଙ୍କୁ । ସଖାର ଅମୂଲ୍ୟ ପରାମର୍ଶକୁ । ମାତ୍ର ସଖା କାହିଁ?

ଏଠାରେ ପାର୍ଥର କର୍ତ୍ତବ୍ୟ କ’ଣ?

ଆମେ କ’ଣ ନିଜ ହାତରେ ନିଜର ଗଳା ଚିପି ଧ୍ୱଂସ ହୋଇଯିବା ? ଆମେ କ’ଣ ଆମରି ହାତରେ ଆମର ସଭ୍ୟତାକୁ ଲୋପ କରିବୋ ? ନା ପାର୍ଥ ଭଳି ସଖା କୃଷ୍ଣର ସୁପରାମର୍ଶରେ ଅନ୍ୟାୟକୁ ପ୍ରତିରୋଧ କରିବାକୁ ଆଗେଇ ଆସିବା ! ଆମେ ଜାତିପାଇଁ ଲଢ଼ିବା ନା ଜାତିକୁ ଏ ଧରାପୃଷ୍ଠରୁ ଲିଭେଇ ଦେବା !

Odia Story Subrat Kumar Prusty Books Subrat Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବ୍ୟକ୍ତିତ୍ୱ ହତ୍ୟା
Next Article ଜାତିର ବିକାଶରେ ଭାଷାର ଭୂମିକା
Subrat Kumar Prusty

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.