ବିଶାଳ ବିଜୟପୁର ରାଜ୍ୟକୁ ଲାଗି ସୌବୀର ନାମକ ଏକ ଛୋଟିଆ ରାଜ୍ୟଟିଏ ଥାଏ । ସୌବୀର ରାଜ୍ୟର ଲୋକେ ଖୁବ୍ ସୁଖରେ ଥାନ୍ତି । କାରଣ ସେ ରାଜ୍ୟର ସ୍ଥିତି ଏପରି ଯେ, ଆଖପାଖର ଭିନ୍ନ ଭିନ୍ନ ରାଜ୍ୟ ସହିତ ସୌବୀରର ଲୋକେ ସୁରୁଖୁରୁରେ ବେପାର କରି ପାରୁଥିଲେ । ପୁଣି ଅନ୍ୟ ରାଜ୍ୟର ବଣିକମାନଙ୍କୁ ସୌବୀର ରାଜ୍ୟ ଦେଇ ଭିନ୍ନ ଭିନ୍ନ ରାଜ୍ୟକୁ ଯିବାକୁ ପଡୁଥିଲା । ତେଣୁ ସୌବୀର ରାଜାଙ୍କୁ ସେମାନେ ବାଣିଜ୍ୟ ଶୁଳ୍କ ଦେଉଥିଲେ ।
ସବୁ ଭଲରେ ଚାଲୁଥିଲା । ହଠାତ୍ ଦିନେ ବିଜୟପୁର ରାଜ୍ୟର ଜଣେ ଦୂତ ଆସି ସୌବୀର ରାଜାଙ୍କୁ କହିଲା, “ମହାରାଜ! ଆମ ମହାରାଜା ଆପଣଙ୍କ ପାଖକୁ ଏହି ସନ୍ଦେଶ ଦେଇଛନ୍ତି କି ଆପଣ ତାଙ୍କର ଜଣେ ସାମନ୍ତ ରାଜା, ଏକଥା ଘୋଷଣା କରିଦେବା ଉଚିତ୍ । ଯଦି ତାହା ନ କରିବେ, ତେବେ ବିଜୟପୁରର ସୈନ୍ୟବାହିନୀ ଆସି ଆପଣଙ୍କ ରାଜ୍ୟ ଆକ୍ରମଣ କରିବେ । ପରିଣତି କ’ଣ ହେବ, ସେକଥା ତ ଆପଣ ଠିକ୍ସେ ବୁଝି ପାରୁଥିବେ!”
ସୌବୀର ରାଜାଙ୍କୁ ଏ ସମ୍ବାଦ ବିନା ମେଘରେ ବଜ୍ରପାତ ଭଳି ମନେହେଲା । ସେ କିଛି ସମୟ ସ୍ତବ୍ଧ ରହି କହିଲେ, “ଆଚ୍ଛା ଦୂତବର, ଆପଣ ଖାଇପିଇ ସୁସ୍ଥ ହୋଇ ବିଶ୍ରାମ ନିଅନ୍ତୁ । ତା’ପରେ ଯାଇ ଆପଣଙ୍କ ରାଜାଙ୍କୁ କହନ୍ତୁ କି ଆମ୍ଭେ ସପ୍ତାହେ ଭିତରେ ଆମ୍ଭ ପାତ୍ରମିତ୍ରଙ୍କ ସହ ପରାମର୍ଶ କରି ଆମ୍ଭ ସିଦ୍ଧାନ୍ତ ଦୂତ ପଠାଇ ଜଣାଇ ଦେବା ।”
“ଆପଣଙ୍କ ନିର୍ଦ୍ଧେଶ ମାନିବି ।” ଏହା କହି ସେ ଦୂତ ଜଣକ ସେଦିନଟି ସେଠାରେ ବିତାଇ ପରଦିନ ସେଠାରୁ ସେ ଫେରିଗଲା । ସୌବୀର ରାଜା ନିଜ ମନ୍ତ୍ରୀଙ୍କୁ ପଚାରିଲେ, “କଥା କ’ଣ? ହଠାତ୍ ବିଜୟପୁର ରାଜାଙ୍କର ଏଭଳି ଇଚ୍ଛା କାହିଁକି ହେଲା? ସେ ତ ଜଣେ ଭଲ ମଣିଷ ବୋଲି ଆମ୍ଭେ ଭାବିଥିଲୁ ।”
ମନ୍ତ୍ରୀ କହିଲେ “ମହାରାଜ! ମୁଁ ବି ଏହି କଥାକୁ ନେଇ ବହୁତ ଆଶ୍ଚର୍ଯ୍ୟ ହେଉଛି । ବିଜୟପୁର ରାଜା ଯେ ଜଣେ ଭଲ ଲୋକ, ଏଥିରେ ତ କୌଣସି ସନ୍ଦେହ ନାହିଁ । ମୋର ମନେ ହୁଏ କାହାରି ମନ୍ତ୍ରଣାରେ ଆସି ସେ ଏପରି ଏକ ଜଘନ୍ୟ କାମ କରିବାକୁ ବାହାରିଛନ୍ତି । ସେ ଲୋକଟି କିଏ, ଆମେ ତାହାରି ସନ୍ଧାନ କରିବା ଖୁବ୍ ଆବଶ୍ୟକ ।” ସେହି ଅନୁସାରେ ରାଜା ପରଦିନ ସାତଜଣ ସୁଦକ୍ଷ ଗୁପ୍ତଚରଙ୍କୁ ବିଜୟପୁର ପଠାଇଲେ । ସେମାନେ ଚତୁର୍ଥ ଦିନ ଲେଉଟି ଆସି କହିଲେ କି ବିଜୟପୁର ରାଜାଙ୍କର ତିନିଜଣ ବିଶ୍ୱସ୍ତ ଲୋକ ଅଛନ୍ତି । ଜଣେ ବଣିକ ସୁଦାମ ଶେଠ୍, ଅନ୍ୟ ଜଣକ ହେଲେ ରାଜାଙ୍କ ସେନାପତି, ଅନ୍ୟ ଜଣକ ମନ୍ତ୍ରୀ । ବଣିକ ଲୋଭୀ, ସେନାପତି ଉଚ୍ଚାଭିଳାଷୀ ଓ ମନ୍ତ୍ରୀ ଗଜମୂର୍ଖ ।
ଏହାପରେ ସୌବୀର ରାଜା ଓ ମନ୍ତ୍ରୀ ଭାବିଚିନ୍ତି ସେମାନଙ୍କ ଦରବାରର କବି ସୃଜନ ଶର୍ମାଙ୍କୁ ଦୂତ ଭାବରେ ସେଠାକୁ ପଠାଇବାର ସ୍ଥିର କଲେ । ସୃଜନ ଶର୍ମା ଯେପରି ବୁଦ୍ଧିମାନ୍, କଥାବାର୍ତ୍ତା କରିବାରେ ମଧ୍ୟ ଠିକ୍ ସେହିପରି କୁଶଳୀ ।
ସୃଜନ ଶର୍ମା ପ୍ରଥମେ ବଣିକ ସୁଦାମ ଶେଠ୍ଙ୍କୁ ଯାଇ ଭେଟିଲେ । ସେ ତାଙ୍କ ଆଗରେ ଖଣ୍ଡିଏ ମୂଲ୍ୟବାନ୍ ହୀରା ଥୋଇ କହିଲେ, “ଆପଣଙ୍କୁ ଖୋଲାଖୋଲି କହୁଛି – ଆମ ରାଜ୍ୟ ଏବେ ଯୁଦ୍ଧ ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ଆମ ରାଜା ସାମନ୍ତ ରାଜା ହୋଇଗଲେ, ଏତିକି କହିଦେବାରେ କିଛିବି କ୍ଷତି ନାହିଁ । କିନ୍ତୁ ସେଥିରେ କାହାର କ’ଣ ଲାଭ ହେବ? ଖାଲି ଆମ ରାଜ୍ୟର ଲୋକେ ଆପଣଙ୍କ ରାଜ୍ୟର ଲୋକଙ୍କ ଉପରେ ମନେ ମନେ ବିଦ୍ରୋହୀ ହେବେ । ଫଳରେ ବେପାର ବାଣିଜ୍ୟରେ ଦୁଇ ରାଜ୍ୟ ଭିତରେ ଯେଉଁ ଟିକକ ସଦ୍ଭାବ ଅଛି, ସେତକ ଖୁବ୍ ଶୀଘ୍ର ତୁଟିଯିବ । ବରଂ ଆପଣ ଯେପରି ହେଉ ପଛେ ରାଜାଙ୍କୁ ଭଲଭାବେ ବୁଝାନ୍ତୁ । ପରେ ଆମେ ଆପଣଙ୍କୁ ମଧ୍ୟ ଆହୁରି କିଛି ଭେଟି ଦେବୁ ।”
ବଣିକ ପଚାରିଲେ “ଆପଣଙ୍କ ରାଜା ନିଜକୁ ସାମନ୍ତ ରାଜା ବୋଲି କହିଦେଲେ କ’ଣ ବା ଏମିତି କ୍ଷତି ଅଛି?”
ସୃଜନ ଶର୍ମା କହିଲେ “କିଛିବି କ୍ଷତି ନାହିଁ । ତେବେ ଆମ ସମ୍ମାନରେ ତ ନିଶ୍ଚୟ ଆଂଚ ଆସିବ! ଯଦି ଆମେ ସାମନ୍ତ ହେବୁ, ତେବେ ବିଜୟପୁରଠୁ ବଡ ରାଜ୍ୟ ମହୀପୁରର ସାମନ୍ତ କିଆଁ ନହେବୁ?”
ବଣିକ ଚିନ୍ତିତ ଦେଖାଗଲେ । ବାସ୍ତବିକ୍, ଥରେ ସୌବୀର ରାଜାଙ୍କ ମୁଣ୍ଡକୁ ଏ ଧାରଣା ଆସିଛି ମାନେ ସେ ଅବଶ୍ୟ ମହୀପୁରର ଶରଣ ନେବେ । ଫଳରେ ମହୀପୁର ଓ ବିଜୟପୁର ଭିତରେ ବିବାଦ ବା ସଂଘର୍ଷ ଲାଗିବ । ଭୂଖଣ୍ଡରେ ଅଶାନ୍ତି ଦେଖାଦେଲେ ଆମ ବଣିକମାନଙ୍କର ବହୁତ କ୍ଷତି ହେବ ।
ବଣିକ କହିଲେ “ବୁଝିଲ ଦୂତ! ଆମ ମନ୍ତ୍ରୀ ଏକ ଓଲୁ । ତାଙ୍କରି ପରାମର୍ଶରେ ରାଜା ଏ ସିଦ୍ଧାନ୍ତ ନେଇଛନ୍ତି ।” ଏହା କହିସାରି ରାଜାଙ୍କୁ ବୁଝାଇବାର ସେ ପ୍ରତିଶୃତି ଦେଲେ ।
ଏହାପରେ ସୃଜନ ଶର୍ମା ସେଠାରୁ ଯାଇ ସେନାପତିଙ୍କ ପାଖରେ ପହଁଚିଲେ ଓ ତାଙ୍କୁ କହିଲେ, “ମହାଶୟ, ମୁଁ ଆପଣଙ୍କୁ ଗୋପନରେ ଖାଲି ଏତିକି କହିବାକୁ ଚାହେଁ ଯେ, ଯଦି ଆମେ ସାମନ୍ତ ରାଜା ହେବୁ, ତେବେ ମହୀପୁରର ହେବୁ । ଆପଣ ହୁଏତ ତେଣିକି ମହୀପୁର ସହ ଯୁଦ୍ଧ କରିବେ, ନହେଲେ ଦୁନିଆ ଏହା ଜାଣିବ ଯେ ଆପଣ ଡରିଗଲେ । ଅତଏବ, ଆମକୁ ସାମନ୍ତ ରାଜା ବନାଇବା ବିରୁଦ୍ଧରେ ଆପଣ ଯାଇ ରାଜାଙ୍କୁ ପରାମର୍ଶ ଦିଅନ୍ତୁ ।”
ଏହା ଶୁଣି ସେନାପତି ଗମ୍ଭୀର ଦେଖାଗଲେ । ବାସ୍ତବିକ୍, ମହୀପୁର ସହ ଲଢେଇ କଲାଭଳି ବଳ ତାଙ୍କର ନଥିଲା ।
ଏହାପରେ ସୃଜନ ଶର୍ମା ମନ୍ତ୍ରୀଙ୍କ ପାଖରେ ଯାଇ ପହଁଚିଲେ ଓ ତାଙ୍କୁ ନିବେଦନ କଲେ, “ହେ ମହାମନ୍ତ୍ରୀ! ଆମ ରାଜା କହିଲେ, ଆପଣଙ୍କ ଭଳି ବିଜ୍ଞ, ଉଦାର ଓ ମହତ୍ ମନ୍ତ୍ରୀ କୌଣସି ରାଜାଙ୍କର ନାହାଁନ୍ତି – ଏକଥା କିଏ ବା ନଜାଣେ? ଆପଣଙ୍କ ପରାମର୍ଶ ନ ନେଇ, ସେନାପତି ବା ଆଉ କାହାରି କଥାରେ ପଡି ତମ ରାଜା ଆମ ରାଜ୍ୟକୁ ସାମନ୍ତ ରାଜ୍ୟ ବନାଇବା ପାଇଁ ଅତ୍ୟନ୍ତ ଲାଳାୟିତ । ଆପଣ ତାଙ୍କୁ ଭିନ୍ନ ପରାମର୍ଶ ଦିଅନ୍ତୁ ।”
ସେ ମନ୍ତ୍ରୀଙ୍କୁ ତ କେହି କେବେବି ହେଲେ ବିଜ୍ଞ, ଉଦାର ଓ ମହତ୍ ବୋଲି କହି ନଥିଲେ । ଏଣୁ ସେ କହିଲେ, “ମୁଁ ଅବଶ୍ୟ ତାଙ୍କୁ ଭିନ୍ନ ପରାମର୍ଶ ଦେବି । ଆପଣଙ୍କ ରାଜାଙ୍କୁ କହିଦେବେ ଗୁଣ ଚିହ୍ନେ ଗୁଣିଆ ।”
ପରଦିନ ସକାଳୁ ସୃଜନ ଶର୍ମା ଯେତେବେଳେ ବିଜୟପୁର ଦରବାରରେ ଯାଇ ଉପସ୍ଥିତ ହେଲେ, ସୌବୀର ଆକ୍ରମଣ କଥା ମୋଟେ ସେଠାରେ ଉଠିଲା ନାହିଁ । ସୃଜନ ଶର୍ମା ରାଜାଙ୍କୁ ଅଭିବାଦନ ଜଣାଇ ସଙ୍ଗେ ସଙ୍ଗେ ନିଜ ରାଜ୍ୟ ପାଖକୁ ସେ ଲେଉଟିଗଲେ ।